ଠାକୁର ଶ୍ରୀ ଅଭିରାମ ପରମହଂସ

ଆବିର୍ଭାବ :- ୧୮-୦୧-୧୯୦୪
ତିରୋଧାନ :- ୨୭-୧୧-୧୯୬୩
ଜନ୍ମସ୍ଥାନ :- କରମଳା ଗ୍ରାମ, ପୁରୀ

ଆଧ୍ୟାତ୍ମିକତାର ପୂର୍ଣ୍ଣାବତାର, ଯୁଗପୁରୁଷ  ସାହିତ୍ୟସ୍ରଷ୍ଟା, ପରମ ଦେଶପ୍ରେମୀ ତଥା ସ୍ୱାଧୀନତା ସଂଗ୍ରାମୀ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ୧୯୦୪ ମସିହା ମକର ସଂକ୍ରମଣର ପଞ୍ଚମ ଦିନ ଜାନୁଆରି ମାସ ୧୮ ତାରିଖ, ମାଘ ତ୍ରିବେଣୀ ଅମାବାସ୍ୟା ସୋମବାର ତିଥିର ଏକ ପାବନ ମୁହୂର୍ତ୍ତରେ ପୁରୀ ନିକଟବର୍ତ୍ତୀ ବ୍ରହ୍ମଗିରି ଥାନା ଅନ୍ତର୍ଗତ ତତ୍‍କାଳୀନ କରମଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।  ତାଙ୍କର ପିତା ଥିଲେ ସତ୍ୟବାଦୀ ପଟ୍ଟନାୟକ ଓ ମାତା ରାଧାଦେବୀ । କୁହାଯାଏ, ଜନ୍ମ ସମୟରେ ତାଙ୍କ ଗୃହ ଉଜ୍ଜ୍ୱଳ ଦିବ୍ୟ ଆଲୋକରେ ଉଦ୍ଭାସିତ ହୋଇଉଠିଥିଲା । ଜନ୍ମ ପରଦିନ ତାଙ୍କ ଗୃହକୁ ଆସି ବାଳକଟିର ନାମ ଅଭିରାମ ରଖିବାକୁ ପରାମର୍ଶ ଦେଇଥିଲେ । ତାଙ୍କ ଜନ୍ମ ସଂପର୍କରେ ପୂର୍ବରୁ ଅଚ୍ୟୁତାନନ୍ଦ ଭବିଷ୍ୟତବାଣୀ କରିଥିଲେ ।

ବାଲ୍ୟକାଳରୁ ହିଁ ଅଭିରାମଙ୍କଠାରେ ଅସାଧାରଣ ପ୍ରତିଭାର ସୂଚନା ପରିଲକ୍ଷିତ ହୋଇଥିଲା । ପାହକୁ ଛାଡ଼ି ସେ ଶାଠରେ ବେଶୀ ମନ ଦେଉଥିଲେ । ନୃତ୍ୟ, ଗୀତ ଏବଂ ବାଦ୍ୟରେ ଅତ୍ୟନ୍ତ ଆଗ୍ରହୀ ଅଭିରାମ ଖଞ୍ଜଣି, ପଖଜ, ମୃଦଙ୍ଗ ଇତ୍ୟାଦି ବାଦ୍ୟଯନ୍ତ୍ର ସାହାଯ୍ୟରେ ଭଜନ, ଜଣାଣ, କୀର୍ତ୍ତନ ବୋଲିବାରେ ଅପୂର୍ବ ପାରଦର୍ଶିତା ଲାଭ କରିଥିଲେ । ଆସନରେ ବସି ଧ୍ୟାନ କରୁ କରୁ ସେ ଶୂନ୍ୟକୁ ଉଠିଯାଉଥିଲେ । କିଶୋରାବସ୍ଥାରେ ମାତା ରାଧାଦେବୀଙ୍କ ବାଧ୍ୟବାଧକତା ସତ୍ତ୍ୱେ ସେ ବିବାହ ବନ୍ଧନକୁ ଅସ୍ୱୀକାର କରିଥିଲେ । ଗ୍ରାମ ବିଦ୍ୟାଳୟରେ ଅଧ୍ୟୟନ ଶେଷରେ ସେ କିଛିଦିନ ପାଇଁ ଶିକ୍ଷକତା କରିଥିଲେ । ଆଧ୍ୟାତ୍ମିକ ଚେତନା ଭିତରେ ଅହରହ ନିମଜ୍ଜିତ ରହିବାର ଫଳଶ୍ରୁତିସ୍ୱରୂପ ସେ ଶିକ୍ଷକତା ଛାଡ଼ି ମାତ୍ର ୧୯ ବର୍ଷ ବୟସରେ ବ୍ରହ୍ମଗିରିର ଖାଣ୍ଡବବନରେ ଅଖଣ୍ଡ ତପସ୍ୟା କରିଥିଲେ ଏବଂ ଦେବୀ ବନଦୁର୍ଗାଙ୍କ ଆଶୀର୍ବାଦରୁ ସିଦ୍ଧିପ୍ରାପ୍ତ ହେବାସହ ସର୍ବତ୍ର ଠାକୁର ଶ୍ରୀଅଭିରାମ ପରମହଂସ ନାମରେ ବିଦିତ ହୋଇଥିଲେ । ଏହାପରେ ସେ ଏକବର୍ଷକାଳ ଓଡ଼ିଶାର ବିଭିନ୍ନ ବଣଜଙ୍ଗଲରେ ପରିଭ୍ରମଣ କରି ଜନ୍ମସ୍ଥାନ କରମଳାକୁ ଫେରିଥିଲେ ଏବଂ ସେଠାରେ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ତାଙ୍କର ସରଳ ଓ ସ୍ନେହମୟ ବ୍ୟବହାର, ମଧୁର ଭାଷା ଓ ଦିବ୍ୟଶକ୍ତିର ପ୍ରଭାବରେ ଶହଶହ ନରନାରୀ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।

ଠାକୁର ଶ୍ରୀଅଭିରାମ ପରମହଂସ ଏକାଧାରରେ ଯୋଗୀ, ଭକ୍ତ ଏବଂ କବି ଓ ଦେଶପ୍ରେମୀ ଥିଲେ । ଏଯାବତ୍ ତାଙ୍କର ୪୪ ଖଣ୍ଡରୁ ଊର୍ଦ୍ଧ୍ୱ ଆଧ୍ୟାତ୍ମିକ ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଗୁଡ଼ିକ ମଧ୍ୟରେ ‘ଭାଗବତ’, ‘ସ୍ତୁତି’, ‘ସ୍ତବ’, ‘ସଂକୀର୍ତ୍ତନ’, ‘ଗୀତା’, ‘ବୋଲି’, ‘ପୂଜାପଦ୍ଧତି’, ‘ଭଜନ ସଂକଳନ’ ଓ ‘ଶ୍ରୀଚୈତନ୍ୟ ଟୀକା’ ପ୍ରଭୃତି ଉଲ୍ଲେଖଯୋଗ୍ୟ । ‘ଭକ୍ତି କଲ୍ଲୋଳ’, ‘କୋଇଲି ଶିକ୍ଷା’, ‘ଗୁରୁଗୀତା’, ‘ଭଜନ ନୀଳପଦ୍ମ’, ‘ଜଣାଣ ପ୍ରେମସାଗର’, ‘ଅମୃତଗୀତା’, ‘ଭଜନାନନ୍ଦ ଲହରୀ’, ‘ଗୀତା ଗୋଲକ’, ‘ଭାବକଲ୍ଲୋଳ’, ‘ଦୁର୍ଗାମାଧବ ସ୍ତବ’, ‘ଅଧ୍ୟାତ୍ମ ମହାପୁରାଣ’, ‘ଅନ୍ତରଙ୍ଗ ସଂକୀର୍ତ୍ତନ ଓ ଶ୍ରୀଚୈତନ୍ୟ’, ‘ଗଜେନ୍ଦ୍ର ଗୀତ’, ‘ଚଉତିଶା ମଞ୍ଜୁଷା’, ‘ନବବୋଲି’, ‘ପୂଜାପଦ୍ଧତି’, ‘ପର୍ବଗୀତ’, ‘ଭଜନ-ସୁଧାସିନ୍ଧୁ’, ‘ଶ୍ରୀବୈଷ୍ଣବ ଗୀତା’ ଇତ୍ୟାଦି ଗ୍ରନ୍ଥ ଭକ୍ତମଣ୍ଡଳୀଦ୍ଵାରା ବହୁଳଭାବେ ଆଦୃତ ଏବଂ ପ୍ରସାରିତ ହୋଇଥିଲା ।

ପରମହଂସଙ୍କ ରଚନାରେ ଉତ୍କଳୀୟ ବୈଷ୍ଣବ ଓ ଗୌଡ଼ୀୟ ବୈଷ୍ଣବ ମତବାଦର ଅପୂର୍ବ ସମନ୍ଵୟ ପରିଲକ୍ଷିତ ହୁଏ । ଭଜନ ଓ ଜଣାଣଗୁଡ଼ିକର ସାଙ୍ଗୀତିକ ଆବେଦନ ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ଆଧ୍ୟାତ୍ମିକ ଚିନ୍ତାଧାରା ସହିତ ଦେଶପ୍ରେମ ଓ ସମସାମୟିକ ସମାଜର ସଂସ୍କାର ତଥା ଦେଶର ସ୍ୱାଧୀନତା ନିମନ୍ତେ ମଧ୍ୟ ତାଙ୍କ ଲେଖନୀ ଅଙ୍ଗୀକାରବଦ୍ଧ ଥିଲା । ‘କଳି ଭାଗବତ’ ଗ୍ରନ୍ଥରେ ସେ ଗାନ୍ଧିଜୀଙ୍କ ଅହିଂସା ନୀତି ଓ ସତ୍ୟାଗ୍ରହ ଆନ୍ଦୋଳନର ପ୍ରଚାର ଓ ପ୍ରସାର କରିଥିଲେ । ଏଥିପାଇଁ ଇଂରେଜ ସରକାର ଉକ୍ତ ପୁସ୍ତକକୁ ବ୍ୟାଜ୍ୟାପ୍ତ କରିବା ସହିତ ଏହାର ଲେଖକ ଠାକୁର ଅଭିରାମ ପରମହଂସଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରି ତାଙ୍କୁ ୨୬.୦୯.୧୯୩୪ରେ ଗିରଫ କରିଥିଲେ ଏବଂ ଛତ୍ରପୁର ଜେଲ୍‍କୁ ପଠାଇଦେଇଥିଲେ । ଛତ୍ରପୁରସ୍ଥ ଜିଲ୍ଲା ମାଜିଷ୍ଟ୍ରେଟ ଏ.ଏଫ.ଡବ୍‍ଲ୍ୟୁ. ଡିକ୍‍ସନ୍‍ଙ୍କ ଅଦାଲତରେ ୨୯.୦୯.୧୯୩୪ରୁ ୧୩.୧୨.୧୯୩୪ ପର୍ଯ୍ୟନ୍ତ ଏହା ଉପରେ ବିଚାର ଚାଲିବା ପରେ ୩୧.୧୨ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା ଏବଂ ଏକବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଗଲା । ଜନତାର ଆକ୍ରୋଶକୁ ଡରି ୧୩.୧୨ରେ ଠାକୁରଙ୍କୁ ବ୍ରହ୍ମପୁରସ୍ଥ ଜିଲ୍ଲା ଜେଲକୁ ପଠାଇଦିଆଯାଇଥିଲା । କାରାଦଣ୍ଡାଦେଶ ପରେ ୧୦.୦୧.୧୯୩୫ରେ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜମାହେନ୍ଦ୍ରୀ ଜେଲକୁ ସ୍ଥାନାନ୍ତରିତ କରାଗଲା । ସେତେବେଳକୁ ତାଙ୍କର ବୟସ ମାତ୍ର ୩୦ ବର୍ଷ । କଳିଭାଗବତର ପ୍ରକାଶକ ଶଶୀଭୂଷଣ ରଥଙ୍କୁ ମଧ୍ୟ ସେହି ଏକା ଦଣ୍ଡାଦେଶ ମିଳିଥିଲା । ଓକିଲ ଶ୍ରୀ ରମଣ ମୂର୍ତ୍ତି ଅଭିରାମ ପରମହଂସଙ୍କ ପାଇଁ ଏବଂ ଲିଙ୍ଗରାଜ ପାଣିଗ୍ରାହୀ ଶଶୀଭୂଷଣଙ୍କ ପାଇଁ ମୋକଦ୍ଦମା ଲଢ଼ୁଥିଲେ । ପରିଶେଷରେ ଅଭିରାମଙ୍କ ଦଣ୍ଡକୁ କୋହଳ କରି ୦୧.୧୧.୧୯୩୫ରେ ତାଙ୍କୁ ଜେଲରୁ ଖଲାସ କରାଯାଇଥିଲା । ୧୯୬୩ ମସିହାରେ ତାଙ୍କର ମହାସମାଧି ଘଟିଥିଲା ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll