ଶ୍ରୀ ରବି ପଟ୍ଟନାୟକ

ଆବିର୍ଭାବ :- ୨୧-୧୦-୧୯୩୫
ତିରୋଧାନ :- ୦୩-୦୬-୧୯୯୧
ଜନ୍ମସ୍ଥାନ :- ବଣାଇଗଡ଼, ସୁନ୍ଦରଗଡ଼

ଓଡ଼ିଆ ଗଦ୍ୟସାହିତ୍ୟର ପ୍ରଥିତଯଶା ତାରକା ରବି ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ତାଙ୍କର ପ୍ରକୃତ ପୈତୃକଗ୍ରାମ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅନ୍ତର୍ଗତ ଆମ୍ବଡିହା ।

ସେ ତାଙ୍କର ଜନକ ହେଉଛନ୍ତି କୃଷ୍ଣଚନ୍ଦ୍ର ପଟ୍ଟନାୟକ ଓ ଜନନୀ ସୁନ୍ଦରମଣି ଦେବୀ । ତାଙ୍କ ପିତା ପ୍ରଥମେ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକଭାବେ ଓ ପରେ ବଣାଇଗଡ଼ ରାଜକର୍ମଚାରୀ ଭାବେ କାର୍ଯ୍ୟ କରି ଶେଷରେ ସ୍ଵଗ୍ରାମ ପ୍ରତ୍ୟାବର୍ତ୍ତନ କରିଥିଲେ । ଫଳରେ ସେତେବେଳକୁ ମାତ୍ର ୪-୫ ବର୍ଷ ବୟସର ରବିଙ୍କ ପିଲାଦିନ ସେହି ପ୍ରାକୃତିକ ପରିବେଶ ମଧ୍ୟରେ କଟିଥିଲା ।

ଗାଆଁର ପୂର୍ବପଟେ ନଦୀ, ଉତ୍ତରରେ ନଭଶ୍ଚୁମ୍ବୀ ପାହାଡ଼, ଦକ୍ଷିଣ, ପଶ୍ଚିମ ଓ ପୂର୍ବରେ ଦିଗନ୍ତବିସ୍ତାରୀ ଚାଷକ୍ଷେତ । ଗାଆଁ ଓ ପାହାଡ଼ ମଝିରେ ସଡ଼କ । ଦୁଇଟି ବିରାଟ ଆମ୍ବ ବଗିଚା ଥିବାରୁ ଗାଆଁର ନାମ ଆମ୍ବଡିହା । ସେହି ଉଦାର ପ୍ରକୃତି କୋଳରେ ଖେଳି, ବଢ଼ି ସେ ପାଠ ପଢ଼ିଥିଲେ ଏବଂ ରାଇରଙ୍ଗପୁର ହାଇସ୍କୁଲରୁ ମାଟ୍ରିକ୍ ଓ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରୁ ପ୍ରାଣିବିଜ୍ଞାନରେ ସ୍ନାତକ ଓ ଭୂତତ୍ତ୍ୱବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଭାରତ ସରକାରଙ୍କ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ଵବିତ୍ ଭାବରେ ଯୋଗଦେଇଥିଲେ । ତାହାର ଭୁବନେଶ୍ଵର ଶାଖାର ନିର୍ଦ୍ଦେଶକ ଥିବାବେଳେ ତାଙ୍କର ପରଲୋକ ଘଟିଥିଲା ।

ବିଂଶ ଶତାବ୍ଦୀର ଷଷ୍ଠ ଦଶକ ଆଦ୍ୟରେ ଜଣେ କଥାଶିଳ୍ପୀ ଭାବରେ ଆବିର୍ଭୂତ ହୋଇ ପ୍ରାୟ ତିନି ଦଶନ୍ଧିର ସାହିତ୍ୟ-ସାଧନା ମଧ୍ୟରେ ରବି ପଟ୍ଟନାୟକ ଓଡ଼ିଆ କଥା-ସାହିତ୍ୟକୁ ବହୁଭାବରେ ସମୃଦ୍ଧ କରିଛନ୍ତି । ଏହି କାଳଖଣ୍ଡରେ ତାଙ୍କ କଥାକୃତିର ସଂଖ୍ୟା ଥିଲା ୨୬୦ରୁ ଊର୍ଦ୍ଧ୍ଵ । ‘ଶ୍ରେଷ୍ଠଗଳ୍ପ’ ଶିରୋନାମାରେ ସ୍ଵତନ୍ତ୍ରଭାବେ ସଂକଳିତ ଏକାଧିକ ସଂକଳନ ଏବଂ ତିନିଖଣ୍ଡରେ ସଂକଳିତ ରବି ପଟ୍ଟନାୟକ ଗଳ୍ପ ସମଗ୍ର ବ୍ୟତୀତ ତାଙ୍କର ଗଳ୍ପ ସଂକଳନର ସଂଖ୍ୟା ୧୬ । ସେଥିମଧ୍ୟରୁ ୧୨ଟି ଜୀବଦ୍ଦଶାରେ ଓ ଚାରିଟି ବିୟୋଗ ପରେ ପ୍ରକାଶ ପାଇଛି । ଜୀବଦ୍ଦଶାରେ ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା: ‘ଅସାମାଜିକର ଡାଏରି' (୧୯୬୭), ‘ଅନ୍ଧଗଳିର ଅନ୍ଧକାର’ (୧୯୭୭), ‘ରାଗତୋଡ଼ି' (୧୯୭୯), ‘ବହୁରୂପୀ (୧୯୭୯), ‘ହିରଣ୍ୟଗର୍ଭ’ (୧୯୮୨), ‘ଗଳ୍ପ' (୧୯୮୨), ‘ବିଷୁବରେଖା’ (୧୯୮୩), ‘ରାଜରାଣୀ’ (୧୯୮୬), ‘ବନ୍ଧାଗାନ୍ଧାରୀ’ (୧୯୮୮), ‘ଅମରିଲତା’ (୧୯୯୦), ‘ବିଚିତ୍ରବର୍ଣ୍ଣା’ (୧୯୯୧). ‘ଛାୟାପୁତ୍ରର କାଳ’ (୧୯୯୧) । ‘ଛାୟାପୁତ୍ରର କାଳ’ ସହିତ ତାଙ୍କର କାଳ ହୋଇଛି ଏବଂ ତାହାପରେ ପ୍ରକାଶ ପାଇଛି ‘ମେଘ ମହ୍ଲାର’ (୧୯୯୨), ‘ପ୍ରେମ ଓ ପ୍ରତିମା’ (୧୯୯୩), ‘ଅବିନଶ୍ୱର’ (୧୯୯୩) ଓ ‘ପ୍ରଜାପତିର ଘର’ (୧୯୯୫) । ତାଙ୍କର କେତୋଟି ଗଳ୍ପ ଏଯାବତ୍ ଅସଂକଳିତ ରହିଯାଇଛି ।

ସଂକଳନଗୁଡ଼ିକ ମଧ୍ୟରୁ ‘ହିରଣ୍ୟଗର୍ଭ’  ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୪) ଓ ‘ବିଚିତ୍ରବର୍ଣ୍ଣା’ ପାଇଁ ମରଣୋତ୍ତରଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୯୨) ମିଳିଥିଲା । ସେହିବର୍ଷ ତାଙ୍କୁ ‘ବନ୍ଧାଗାନ୍ଧାରୀ’ ପାଇଁ ମଧ୍ୟ ରାମଚନ୍ଦ୍ର ବେହେରାଙ୍କ ସହିତ ଯୁଗ୍ମ ଓ ମରଣୋତ୍ତର ଭାବରେ ‘ଶାରଳା ପୁରସ୍କାର’ (୧୯୯୧) ମିଳିଥିଲା ।

ମୃତ୍ୟୁବେଳକୁ ସଂକଳିତ ହୋଇନଥିବା ପ୍ରାୟ ୬୬ଟି ଗଳ୍ପରୁ ସୂଚନା ମିଳେ ଯେ ‘ଅନ୍ଧଗଳିର ଅନ୍ଧକାର’ ପରେ ତାଙ୍କ ଗଳ୍ପ ସୃଷ୍ଟିର ଧାରା ଅଧିକ ବେଗବାନ୍ ହୋଇଉଠିଥିଲା ଏବଂ ‘ଅସାମାଜିକର ଡାଏରି’ର କ୍ଷୁଦ୍ରାବୟବ ଓ ସଂକେତଧର୍ମୀ ଗଳ୍ପସବୁ କ୍ରମେ ସ୍ଵାଭାବିକ ଆକାର ଓ ରୂପ ନେଇଥିଲା । ରବି ପଟ୍ଟନାୟକ ଥିଲେ ମୁକ୍ତମନା ଓ ଅସ୍ତିତ୍ଵବାଦୀ ଜୀବନ-ଦର୍ଶନର କଥାଶିଳ୍ପୀ ।

ରବି ପଟ୍ଟନାୟକ ତାଙ୍କ ଗଳ୍ପରେ ମିଥ୍‍ର ପ୍ରଚୁର ପ୍ରୟୋଗ କରିଛନ୍ତି । ତକ୍ଷକ, ଅଣସର’, ବେଲାଳସେନ, ବିଶର ମହାନ୍ତି, ମହିଷାସୁର, ହିରଣ୍ୟଗର୍ଭ, କପିଳବାସ୍ତୁର ପାଗଳ, ବାଇଶିପାହାଚ, ଯାଜ୍ଞସେନୀ, ବନ୍ଧ୍ୟାଗାନ୍ଧାରୀ, ପ୍ରହ୍ଲାଦ ଆଦି ନାମକରଣ ଏହାର ଦୃଷ୍ଟାନ୍ତ ।


ରଚନାବଳୀ
ଗଳ୍ପ ସଂକଳନ

Copyright © 2024 Odia Virtual Academy. All rights reserved      Total Visitors-   1

scroll