ଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ

ଆବିର୍ଭାବ :- ୨୫-୦୨-୧୯୦୯
ତିରୋଧାନ :- ୧୯ଶ ଶତାବ୍ଦୀ
ଜନ୍ମସ୍ଥାନ :- ଖିଚିଂ, ମୟୂରଭଞ୍ଜ

ଓଡ଼ିଆ ସାହିତ୍ୟର ପୃଷ୍ଠାବଲୋକନ କଲେ ଯେଉଁ କେତେଜଣ ଯୋଗଜନ୍ମା ସାରସ୍ଵତ ସାଧକଙ୍କ ନାମ ମନରେ ସ୍ଵତଃପ୍ରବୃତ୍ତଭାବେ ଉଙ୍କିମାରିଉଠେ, ତନ୍ମଧ୍ୟରୁ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ହେଉଛନ୍ତି ଅନ୍ୟତମ । ଡଃ ପାଣିଗ୍ରାହୀ ଜଣେ ଓଡ଼ିଆ ପ୍ରତ୍ନ‌ତ‌ତ୍ତ୍ଵବିଦ୍‌, ଐତିହାସିକ ଏବଂ ଗବେଷକ । ସେ ବହୁ ଐତିହାସିକ ଓ ସମାଜ-ସାହିତ୍ୟ-ସଂସ୍କୃତିଧର୍ମୀ ପ୍ରବନ୍ଧ ରଚନା କରିଛନ୍ତି । ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ଖିଚିଂଠାରେ ଏକ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ । ଦଶ ବର୍ଷ ବୟସରେ ତାଙ୍କର ପିତୃବିୟୋଗ ଘଟିଥିଲା । ଆର୍ଥିକ ଦୁରବସ୍ଥା ଓ ରୁଗ୍‌ଣ ସ୍ୱାସ୍ଥ୍ୟ ତାଙ୍କ ପ୍ରଗତିପଥରେ ପ୍ରତିବନ୍ଧକ ସାଜିପାରିନଥିଲା । କେତେବେଳେ ଶିକ୍ଷକଙ୍କ ପାଇଁ ରୋଷେଇ କରି ତ କେତେବେଳେ ଘାସ କାଟି ସେ ବିଦ୍ୟାଧ୍ୟୟନ କରିଥିଲେ । ମେଧାବୀ ହୋଇଥିବାରୁ ବୃତ୍ତି ପାଉଥିଲେ, କିନ୍ତୁ ବୃତ୍ତି ଟଙ୍କା ତାଙ୍କୁ ବିଶେଷ ସହାୟତା କରିପାରୁ ନଥିଲା ।

ଡଃ ପାଣିଗ୍ରାହୀ ତତ୍‍କାଳୀନ ରେଭେନ୍ସା ମହାବିଦ୍ୟାଳୟରୁ ଇତିହାସରେ ଏମ୍‌.ଏ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ପିଏଚ୍‌.ଡି. ହାସଲ କରିଥିଲେ । ସେ ଜଣେ ପ୍ରତ୍ନ‌ତ‌ତ୍ତ୍ଵବିଦ୍‍ଭାବେ ଭାରତ ସରକାର‌ଙ୍କ ଅଧୀନରେ ୧୯୩୭ରୁ ୧୯୪୪ଯାଏଁ ଓ ରାଜ୍ୟ ସଂଗ୍ରହାଳୟରେ ପ୍ରତ୍ନ‌ତ‌ତ୍ତ୍ଵବିଦ୍‌ଭାବେ ୧୯୪୭ରୁ ୧୯୫୧ ଯାଏଁ କାର୍ଯ୍ୟ ନିର୍ବାହ କରିଥିଲେ । ତା ପରେ ସେ ଅଧ୍ୟାପନା କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ତାଙ୍କର ଅଧ୍ୟାପକ ଜୀବନ ଆରମ୍ଭ ହୋଇଥିଲା ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସେ ଇତିହାସ ବିଭାଗର ପ୍ରଫେସର ଭାବରେ ସେବାନିବୃତ୍ତ ହୋଇଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ସେ ପଦ୍ମଶ୍ରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା, ସାରଳା ସମ୍ମାନ, ପ୍ରଜାତନ୍ତ୍ର ପ୍ରଚାର ସମିତି ବିଷୁବ ମିଳନ ପୁରସ୍କାରଦ୍ଵାରା ସମ୍ମାନିତ ହୋଇଥିଲେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll