ସଂଗୀତସୁଧାକର ବାଳକୃଷ୍ଣ ଦାସ

ଆବିର୍ଭାବ :- ୨୧-୦୫-୧୯୨୩
ତିରୋଧାନ :- ୧୧-୧୧-୧୯୯୩
ଜନ୍ମସ୍ଥାନ :- ବସନ୍ତପେଡ଼ି ଗ୍ରାମ, ପୁରୀ

ଓଡ଼ିଶାର ଘରେ ଘରେ ପରିଚିତ ଓଡ଼ିଶୀ ସଂଗୀତ ଗୁରୁ, ଓଡ଼ିଶା ସଂଗୀତ ଜଗତର ଗର୍ବ ଓ ଗୌରବ ସଂଗୀତସୁଧାକର ବାଳକୃଷ୍ଣ ଦାଶ ପୁରୀ ଜିଲ୍ଲାର ବାଳକାଟି ନିକଟ ବ୍ରାହ୍ମଣ ଶାସନ ଅନ୍ତର୍ଗତ ବସନ୍ତପେଡ଼ି ଗ୍ରାମରେ ୧୯୨୩ ମସିହା ମେ’ ମାସ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ସଂଗୀତପ୍ରିୟ ଦୀନବନ୍ଧୁ ଦାଶ ଓ ମାତା କମଳା ଦେବୀ । ପିତା ବେଳେବେଳେ ବେହେଲା ବଜାଇବା ସହିତ ସୁନ୍ଦର ଶୈଳୀରେ ସଂସ୍କୃତ ଶ୍ଳୋକ ଆବୃତ୍ତି ମଧ୍ୟ କରୁଥିଲେ । ବାଳକୃଷ୍ଣଙ୍କ ଉପରେ ତାହାର ଗଭୀର ପ୍ରଭାବ ପଡ଼ିଥିଲା ।

ଗାଁ ଚାହାଳିର ପ୍ରାର୍ଥନା ବେଳେ ତାଙ୍କ ସଂଗୀତ ଅବଧାନଙ୍କୁ ମୁଗ୍ଧ କରିଥିଲା ଏବଂ ତାଙ୍କ ପରାମର୍ଶକ୍ରମେ ବାପା ବାଳକୃଷ୍ଣଙ୍କୁ ଗୀତ ଶିଖିବାପାଇଁ ଜଣେ ଗୋଟିପୁଅ ଗୁରୁଙ୍କ ପାଖରେ ଛାଡ଼ିଥିଲେ । ସଂସ୍କୃତ ପଢ଼ିବା ପାଇଁ ସେ ଭୁବନେଶ୍ଵରରେ ନାମ ଲେଖାଇଥିଲେ । ମାତ୍ର ତାଙ୍କ ଗାୟନ ପ୍ରତିଭା ଅନେକଙ୍କୁ ଚକିତ କରିଥିଲା । ବିଧିବଦ୍ଧ ଗୀତ ଶିଖିବାପାଇଁ ସେ କଟକସ୍ଥ ଗୋକୁଳ ଶ୍ରୀଚନ୍ଦନଙ୍କ ଶିଷ୍ୟତ୍ଵ ଗ୍ରହଣ କରିଥିଲେ । ଓଡ଼ିଶୀ, ଛାନ୍ଦ, ଭଜନ, ଜଣାଣ ଗାନରେ ତାଙ୍କର ସ୍ଵତନ୍ତ୍ର ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ପାରମ୍ପରିକ ସଂଗୀତ ସହିତ ହିନ୍ଦୁସ୍ଥାନୀ ସଂଗୀତ ଶିଖିବାପାଇଁ ସେ ବାଳକୃଷ୍ଣଙ୍କୁ ପରାମର୍ଶ ଦେଇଥିଲେ । କ୍ଷିତୀଶ ଚନ୍ଦ୍ର ମୈତ୍ର ଏଥର ତାଙ୍କର ଗୁରୁର ଦାୟିତ୍ଵ ସମ୍ପାଦନ କରିଥିଲେ । ଅଧିକ ଜ୍ଞାନ ଆହରଣ ପାଇଁ ବାଳକୃଷ୍ଣଙ୍କୁ ଓଡ଼ିଶା ଛାଡ଼ିବାକୁ ପଡ଼ିଥିଲା । ପ୍ରଥମେ ସେ କଲିକତାର ବିଖ୍ୟାତ ପିଆନୋବାଦକ ଓ ସଂଗୀତ ନିର୍ଦ୍ଦେଶକ ରାଇଚାନ୍ଦ ବରାଳ ଓ ପରେ ବମ୍ବେର ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାଁଙ୍କ ପରି ବିଶ୍ୱବିଶ୍ରୁତ ସଂଗୀତଜ୍ଞମାନଙ୍କର ପ୍ରିୟଛାତ୍ର ହେବାର ସୁଯୋଗ ଲାଭ କରିଥିଲେ । ଗୁଲାମ ଅଲ୍ଲୀଙ୍କ ସାନ୍ନିଧ୍ୟ ବାଳକୃଷ୍ଣଙ୍କ ଯାଦୁକରୀ କଣ୍ଠରେ ନୂଆ ଛନ୍ଦ ଭରିଦେଇଥିଲା । ହିନ୍ଦୁସ୍ଥାନୀ ସଂଗୀତର ଅପୂର୍ବ କଳାସହ ସଂପୃକ୍ତି ଓଡ଼ିଆ ପାରମ୍ପରିକ ସଂଗୀତକୁ ଭାବପୁଷ୍ଟ କରିବାପାଇଁ ତାଙ୍କୁ ପ୍ରଚୋଦିତ କରିଥିଲା ।

ବାଳକୃଷ୍ଣଙ୍କ ବୃତ୍ତିଗତ ଜୀବନ ୧୯୪୪ ମସିହାରେ କଲିକତାରୁ ଆରମ୍ଭ ହୋଇଥିଲା । କଲିକତା ଆକାଶବାଣୀ କେନ୍ଦ୍ରର ସେ ସ୍ୱୀକୃତିପ୍ରାପ୍ତ କଳାକାରଭାବେ କାର୍ଯ୍ୟ କରିଥିଲେ । ସେଠାରେ ସେ ଓଡ଼ିଶୀ ସଂଗୀତ ଗାଇଥିଲେ ଓ ଚାରିବର୍ଷ ରହଣି ପରେ ୧୯୪୮ ମସିହାରେ କଟକରେ ଆକାଶବାଣୀ କେନ୍ଦ୍ର ଖୋଲିବାରୁ କଟକ ଆସି ସଂଗୀତ ବିଭାଗର ନିୟମିତ କଳାକାରଭାବେ ଯୋଗଦେଇଥିଲେ । କଲିକତା ଏବଂ ବମ୍ବେ ଯିବାପାଇଁ ସୁଯୋଗ ଆସିଥିଲେ ମଧ୍ୟ ତାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଆପଣା ଭୂମିର ମୋହ ତାଙ୍କୁ ଦେଶାନ୍ତରୀ କରିପାରିନଥିଲା । କଲିକତା ରହଣି କାଳରେ ବଙ୍ଗଳା ଫିଲ୍ମ ଓ ବଙ୍ଗଳା ସଂଗୀତର ଅପ୍ରତିହତ ପ୍ରଭାବ ତାଙ୍କୁ ଓଡ଼ିଶୀ ଛାନ୍ଦ, ଚମ୍ପୂ ଓ ଭଜନ-ଜଣାଣ ଆଦିରୁ ସାମାନ୍ୟତମ ପଥଭ୍ରଷ୍ଟ କରିପାରିନଥିଲା ।   

ଜୀବନର ବିଭିନ୍ନ ସମୟରେ ସେ ବହୁ ଅନୁଷ୍ଠାନ ସହିତ ସଂପୃକ୍ତ ରହିଥିଲେ । ଆକାଶବାଣୀ ବ୍ୟତୀତ ବାଳକୃଷ୍ଣ କଟକ କଳା ବିକାଶ କେନ୍ଦ୍ର (୧୯୫୦-୬୦), ନ୍ୟାସନାଲ୍ ମ୍ୟୁଜିକ୍ ଆସୋସିଏସନ (୧୯୫୦-୫୫) ଏବଂ ଉତ୍କଳ ସଂଗୀତ ସମାଜ ସହ ସଂପୃକ୍ତ ଥିଲେ ।  ୧୯୭୦ରୁ ୧୯୮୪ ପର୍ଯ୍ୟନ୍ତ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ଓଡ଼ିଶୀ ସଂଗୀତ ବିଭାଗର ମୁଖ୍ୟ ଥିଲେ । ସେ ଅନୁଷ୍ଠାନାବଦ୍ଧ ହୋଇଯାଇଛନ୍ତି କହିଲେ ଭୁଲ ହେବ, ବରଂ ସ୍ୱୟଂ ଏକ ଅନୁଷ୍ଠାନରେ ପରିଣତ ହୋଇଯାଇଥିଲେ । ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ-କବିତା ମୁଖ୍ୟତଃ ରାଗାତ୍ମକ ଥିଲା ଓ ସାରା ଭାରତର ଅନ୍ୟାନ୍ୟ ପ୍ରାନ୍ତ ସଂଗୀତର ପ୍ରାୟ ଅନୁରୂପ ଥିଲା । ମାତ୍ର ଏହାର ଗାୟନଶୈଳୀରେ ବାଳକୃଷ୍ଣ ସମକାଳର ମଠ ଓ ମନ୍ଦିର, ଆଖଡ଼ାଘର, ଗାଁ ଚଉପାଢ଼ୀ, ଚାରଣଗୋଷ୍ଠୀ ଓ ସାଧାରଣ ପଲ୍ଲୀର ମଣିଷମାନଙ୍କ ସହିତ ନିଜକୁ ଯୋଡ଼ିଦେଇଥିଲେ । ନିଜର ଉଚ୍ଚକୋଟୀର ସର୍ଜନାଶୈଳୀ ଓ ସାବଲୀଳ ଗାୟନ ସହ ଛନ୍ଦ-ଚମ୍ପୂର ଅପୂର୍ବ ସମ୍ମେଳନ ମାଧ୍ୟମରେ ସ୍ଵଦେଶୀ ସଂଗୀତକୁ ସେ ଖୁବ୍‍ ଚମତ୍କାରଭାବେ ଉପସ୍ଥାପିତ କରିଥିଲେ ।  ଏପରିକି ଗୋଟିଏ ଗୀତକୁ ଦୀର୍ଘ ସମୟ ଗାଇବା ପରମ୍ପରା ତାଙ୍କଦ୍ଵାରାହିଁ ସୃଷ୍ଟି ହୋଇଥିଲା । ଓଡ଼ିଶୀ ନାଚ ସହିତ ଗୀତ ରଚନାକୁ ସେ ସଂଯୋଜିତ କରିଥିଲେ । ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଓ ଗୁରୁ ରାମହରି ଦାସ ତାଙ୍କର ଶହ ଶହ ଶିଷ୍ୟଙ୍କ ମଧ୍ୟରେ ଅନ୍ୟତମ ଥିଲେ । 

ବାଳକୃଷ୍ଣ ଅନ୍ୟୂନ ୨୦ଟି ଚଳଚ୍ଚିତ୍ର ଓ ଶତାଧିକ ଚିତ୍ରେତର ଆଲ୍‍ବମ ସଂଗୀତର ନିର୍ଦ୍ଦେଶନା ଦେଇଥିଲେ । ତାଙ୍କ ସଂଗୀତ ନିର୍ଦ୍ଦେଶନାର ପ୍ରଥମ ଚଳଚ୍ଚିତ୍ର ଥିଲା କେଦାର ଗୌରୀ (୧୯୫୪) । ଶ୍ରୀକୃଷ୍ଣ ରାସଲୀଳା (ବସନ୍ତରାସ) ଚଳଚ୍ଚିତ୍ର ଆନ୍ତର୍ଜାତିକ କ୍ଷେତ୍ରରେ ଓଡ଼ିଆ ଅସ୍ମିତାର ପ୍ରତୀକ ହୋଇ ରହିଛି । ତାଙ୍କ ସଂଗୀତର ଛତ୍ରେ ଛତ୍ରେ ସଂସ୍କୃତିର ଯାଦୁ ଭରି ରହିଥିଲା । ୧୯୭୫-୭୬ ପାଇଁ ତାଙ୍କୁ ଓଡ଼ିଶୀ କଣ୍ଠସଂଗୀତ ଲାଗି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସେ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷକଭାବେ କାର୍ଯ୍ୟ କରିଥିଲେ । 

 ସଂଗୀତସୁଧାକର ବାଳକୃଷ୍ଣ ଦାସ ବିଭିନ୍ନ ଅନୁଷ୍ଠାନଦ୍ୱାରା ସଂଗୀତସୁଧାକର, ସଂଗୀତଶିରୋମଣି, ସଂଗୀତରତ୍ନ, ସ୍ଵରସିଂହାରୀ ପ୍ରଭୃତି ଅନେକ ଉପାଧିରେ ଭୂଷିତ ହୋଇଥିଲେ । ଓଡ଼ିଶା ସଂଗୀତ ନାଟକ ଏକାଡେମୀ (୧୯୭୬), ଓଡ଼ିଶା ସାହିତ୍ୟ ଏକାଡେମୀ (୧୯୮୨), କେନ୍ଦ୍ର ସଂଗୀତ ନାଟକ ଏକାଡେମୀ (୧୯୮୫), ଇମ୍ଫା ଚାରିଟେବୁଲ୍ ଟ୍ରଷ୍ଟ (୧୯୮୫), କଳାବିକାଶ କେନ୍ଦ୍ର (୧୯୮୬), ସଂସ୍କୃତି ବିଭାଗ (ଜୟଦେବ ପୁରସ୍କାର: ୧୯୮୭) ସମେତ ବହୁ ସାଂସ୍କୃତିକ ଅନୁଷ୍ଠାନଦ୍ୱାରା ସେ ପୁରସ୍କୃତ ଓ ସମ୍ମାନିତ  ହୋଇଥିଲେ । ବାଳକୃଷ୍ଣ କର ଓଡ଼ିଶୀ ସଂଗୀତ ଜଗତର କତିପୟ ପ୍ରବାଦ ପୁରୁଷଙ୍କ ମଧ୍ୟରୁ ଅନ୍ୟତମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।


ରଚନାବଳୀ

Copyright © 2023 Odia Virtual Academy. All rights reserved      Total Visitors-   1

scroll