ଓଡ଼ିଆ ଭାଷା-ସାହିତ୍ୟର ଅନନ୍ୟ ଯୋଗଜନ୍ମା ପ୍ରତିଭା ତଥା ସର୍ବନମସ୍ୟ ସନ୍ଥକବି ଭୀମଭୋଇ ଉନବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିଲେ ବୋଲି ଜନଶ୍ରୁତିରୁ ଜଣାଯାଏ । ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ତାଙ୍କ ସମ୍ପର୍କରେ ଚର୍ଚ୍ଚା ଆରମ୍ଭ ହୁଏ ସତ, ମାତ୍ର ସେତେବେଳକୁ ସେ କିମ୍ବଦନ୍ତୀରେ ରୂପାନ୍ତରିତ ହୋଇସାରିଥିଲେ । କିମ୍ବଦନ୍ତୀ ଏତେ ଜଟିଳ ଓ ରହସ୍ୟମୟ ଯେ, ତାଙ୍କ ସମ୍ପର୍କରେ ଏକ ସର୍ବଜନଗ୍ରାହ୍ୟ ମନ୍ତବ୍ୟ ନିର୍ଦ୍ଧାରଣ ସମ୍ଭବ ହୋଇନାହିଁ । ଫଳତଃ, କବିଙ୍କ ଜନ୍ମତାରିଖ, ଜନ୍ମସ୍ଥାନ, ସାଧନା କ୍ଷେତ୍ର ଓ ଜୀବନ—ସବୁକିଛି ବିତର୍କିତ । ତାଙ୍କ ଜନ୍ମ ସଂକ୍ରାନ୍ତ କିମ୍ବଦନ୍ତୀ ଏହିପରି: ତାଙ୍କର ଜନ୍ମ ସମ୍ଭବତଃ ୧୮୫୦ ମସିହା ମଧ୍ୟରେ, କୌଣସି ଏକ ବୈଶାଖ ପୂର୍ଣ୍ଣିମାରେ ହୋଇଥିଲା । ପ୍ରସବ ପରେ ମା’ ତାଙ୍କୁ ପୋଖରୀ କୂଳରେ ଛାଡ଼ିଦେଇଥିଲେ । ତେଣୁ ଶୁଦ୍ଧବାଦୀମାନଙ୍କ ଭାଷାରେ କହିଲେ- ଅବୈଧ ସନ୍ତାନ ଏବଂ ଭକ୍ତମାନଙ୍କ ଶବ୍ଦରେ ଦିବ୍ୟ-ପ୍ରସାଦ । ଜନାର୍ଦ୍ଦନ (ଜନା ଭୋଇ) ଏବଂ ମହରଗୀ କନ୍ଧଦମ୍ପତି ତାଙ୍କୁ ଉଦ୍ଧାର କରିଥିଲେ ଓ ସ୍ୱଜନ୍ମିତ ସନ୍ତାନ ଭଳି ପାଳନ କରିଥିଲେ ।
ଭୀମଭୋଇ ବାଳୁତ କାଳରେ କାକଣପଡ଼ାର ଚୈତନ୍ୟ ପ୍ରଧାନଙ୍କ ଘରେ ଗାଈ ଜଗିଥିଲେ । ଗାଈ ଚରାଉ ଚରାଉ ଦିନେ ଏକ ପରିତ୍ୟକ୍ତ କୂଅରେ ଖସିପଡ଼ିଥିଲେ । କୂଅଟି କନ୍ଦରା ଗାଁରେ । ଉଦ୍ଧାର କରିବାପାଇଁ ସେ ଡାକ ପକାଇଥିଲେ ଓ ଲୋକେ ପହଞ୍ଚିଥିଲେ । ମାତ୍ର ତାଙ୍କୁ ଯିଏ କୂଅରେ ପକାଇଛି, ସେ ନିଜେ ନ ଉଠାଇଲେ, ଆଉ କାହା ସାହାଯ୍ୟରେ ଉଠିବେ ନାହିଁ ବୋଲି କହିଥିଲେ । ଶେଷରେ ମହିମା ଗୋସାଇଁ ତାଙ୍କ ପାଖରେ ପହଞ୍ଚିଥିଲେ ଏବଂ ସର୍ତ୍ତ ରଖିଥିଲେ ଯେ ସେ ତାଙ୍କ ବିଚାରକୁ ଜନସାଧାରଣରେ ପ୍ରଚାର କରିବେ । ସେ କେବଳ କହିନଥିଲେ, ବାଳକ ଭୀମଭୋଇଙ୍କୁ କବିତ୍ଵ-ଶକ୍ତି ମଧ୍ୟ ପ୍ରଦାନ କରିଥିଲେ । ଏକଥା ମଧ୍ୟ କୁହାଯାଏ ଯେ ସେ ଜନ୍ମାନ୍ଧ ଥିଲେ । ନିଜ ରଚନାରେ ସେ ନିଜକୁ ଅନ୍ଧ ବୋଲି ଘୋଷଣା କରିନାହାନ୍ତି । ଏକଥା କିମ୍ବଦନ୍ତୀରେ ରହିଛି । କେତେକ ଗବେଷକ, ତାଙ୍କୁ ଜନ୍ମାନ୍ଧ ପରିବର୍ତ୍ତେ କୌଣସି ବୟସରେ ଦୃଷ୍ଟିଶକ୍ତି ହରାଇଥିବା ଅନୁମାନ କରିଥା'ନ୍ତି । ସେମାନେ ଦାବି କରନ୍ତି, ଅନ୍ଧ ପିଲାଟିଏ ଜଙ୍ଗଲରେ ଗାଈ ଜଗିବା କ'ଣ ସମ୍ଭବ ନୁହେଁ । ସିଦ୍ଧିଲାଭ ପରେ ମହିମା ଗୋସାଇଁଙ୍କ ମହତ୍ତ୍ୱ ପ୍ରଚାର ପାଇଁ ଭୀମଭୋଇ ଜନପଦରୁ ଜନପଦ ଯାତ୍ରା ଆରମ୍ଭ କରିଥିଲେ ୧୮୬୬ ମସିହାରେ । ସେହି ଏକା ସମୟରେ ଏକ ପରିତ୍ୟକ୍ତ କୂଅରୁ ମହିମା ଗୋସାଇଁ ଯଦି ଭୀମଙ୍କୁ ଉଦ୍ଧାର କରିଥିଲେ, ତାଙ୍କୁ ଜନ୍ମାନ୍ଧ କହିବା ତାତ୍ତ୍ୱିକ ଭ୍ରମ ବ୍ୟତୀତ ଅନ୍ୟ କିଛି ହୋଇନପାରେ ।
ଜନ୍ମସ୍ଥାନ, ବାପା-ମା’ ଓ କବିତ୍ଵ ପ୍ରାପ୍ତିପରି ଭୀମଭୋଇଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁ ବିରୋଧାଭାସର ସମାହାର । ତରୁଣ ଭୀମଭୋଇ କୌଣସି ସୂତ୍ରରୁ ମହିମା ଗୋସାଇଁଙ୍କ ସମ୍ପର୍କରେ ଅବଗତ ହୋଇ ମାଳବିହାରପୁର ଅଥବା ଖୁଣ୍ଟୁଣିରେ ତାଙ୍କୁ ସାକ୍ଷାତ କରିଥିଲେ, ତତ୍ପରେ ତାଙ୍କଠାରୁ ଦୀକ୍ଷିତ ହୋଇ ନିଜ ଅଞ୍ଚଳକୁ ଫେରିଥିଲେ । ତାଙ୍କ କବିତ୍ଵ ମହିମା ଗୋସାଇଁଙ୍କ ବ୍ୟକ୍ତିତ୍ଵ ଓ ବିଚାରର ମାଧ୍ୟମ ହୋଇଛି । ଗୃହୀଭକ୍ତ ଓ ଗୃହତ୍ୟାଗୀ ସନ୍ନ୍ୟାସୀମାନେ ତାଙ୍କ ଗୀତକୁ ନିଜର କରିଥିଲେ । ଫଳତଃ ତାଙ୍କ କବିତ୍ଵ ବାଙ୍କୀ, ଆଠଗଡ଼, ଢେଙ୍କାନାଳରୁ ଆରମ୍ଭ କରି ବଲାଙ୍ଗୀର, ସମ୍ବଲପୁର, ସୋନପୁର, ବଉଦ, ରେଢ଼ାଖୋଲ ଆଦି ଅନ୍ୟ ଗଡ଼ଜାତ ଓ ଯାଜପୁର ଆଦି ଅଞ୍ଚଳରେ ସାଂସ୍କୃତିକ ଶୂନ୍ୟତାର ପରିପୂରକ ହୋଇଥିଲା ।
ପ୍ରକାଶଥାଉକି, ସମକାଳରେ ମହିମାଧର୍ମ ସଂକ୍ରାନ୍ତ ପ୍ରାମାଣିକ ଗ୍ରଛ ନାହିଁ । ଶୁଣାଯାଏ, ତାଙ୍କ ସାଙ୍ଗଠନିକ ଶକ୍ତି ପ୍ରଥମେ ରେଢ଼ାଖୋଲର ରାଜା ଗୌରଚନ୍ଦ୍ରଙ୍କ ଅହଂକାରର ସମ୍ମୁଖୀନ ହୋଇଥିଲା । ରାଜା ତାଙ୍କୁ ବନ୍ଦୀ କରିଥିଲେ । ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କ ପ୍ରରୋଚନାରେ ରାଜ୍ୟ ତ୍ୟାଗ କରିବାକୁ ଆଦେଶ ଦେଇଥିଲେ । ଭୀମଭୋଇ ରେଢ଼ାଖୋଲ ତ୍ୟାଗ କରି ଗୁଲୁଣ୍ଡା ଓ ଭୁର୍ଷାପାଲିରେ କେତେବର୍ଷ ରହଣି ପରେ ପ୍ରାୟ ୧୮୭୭ ବେଳକୁ ସୋନପୁର ରାଜ୍ୟର ଖଲିଆପାଲିରେ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଏହି କାର୍ଯ୍ୟରେ ତାଙ୍କୁ ସୋନପୁରର ରାଜା, ଗୌନ୍ତିଆ, ସ୍ଵଚ୍ଛଳ ପରିବାର ହରି ପଣ୍ଡା, ବାସୁ ପଣ୍ଡା ଓ ଅନ୍ୟ ଭକ୍ତମାନେ ସାହାଯ୍ୟ କରିଥିଲେ । ଦାନ ସୂତ୍ରରେ ଆଶ୍ରମକୁ ପ୍ରାୟ ୬୦ ଏକର ଜମି ମିଳିଥିଲା ।
ଜନଶ୍ରୁତିରୁ ଜଣାଯାଏ ଯେ ପ୍ରଚାରକ ଭୀମଭୋଇ ଜଣେ ସାମନ୍ତ ଅବସ୍ଥାକୁ ଆସିଯାଇଥିଲେ । ସେ ଘୋଡ଼ା ରଖିଥିଲେ, ହାତୀଦାନ୍ତଖଚିତ ପାଲିଙ୍କିରେ ବସି ଗାଁକୁ ଗାଁ ବୁଲୁଥିଲେ । ନିରାପତ୍ତାପାଇଁ ଅସ୍ତ୍ରଶସ୍ତ୍ର ବି ରଖିଥିଲେ । ଏକାଧିକ ନାରୀଙ୍କ ସ୍ଵାମୀ ହୋଇଥିଲେ । ସେମାନଙ୍କ ମଧ୍ୟରୁ ସୁମେଧାଙ୍କ ଗର୍ଭରୁ ୧୮୯୨ ମସିହାରେ ଝିଅ ଓ ପୁଅ ଜନ୍ମ ହୋଇଥିଲେ । ଅଧ୍ୟାତ୍ମ ଭାଷାରେ ସେହି ନାରୀମାନେ ସାଧିକା ବା ସାଧନା- ସଙ୍ଗିନୀ ବା କର୍ମଯୋଗିନୀ ଥିଲେ । ସେମାନଙ୍କ ମଧ୍ୟରେ ରହିଥିଲେ ମଢ଼ି ଗ୍ରାମର ବ୍ରାହ୍ମଣୀ କନ୍ୟା ଓ ମହିମା ଗୋସାଇଁଙ୍କ ନିର୍ଦ୍ଦେଶରେ ସେବାପାଇଁ ପ୍ରେରିତ ଅନ୍ନପୂର୍ଣ୍ଣା ଏବଂ ଗୌନ୍ତିଆ ମୋହନ ଦାସଙ୍କ ଝିଅ ସୁମେଧା । ମୋହିନୀ ଥିଲେ ବଲାଙ୍ଗୀରର ଜନୈକ ବୈଶ୍ୟଙ୍କ ଝିଅ, ସରସ୍ଵତୀ ଓ ସୁବର୍ଣ୍ଣା ଥିଲେ ସ୍ଥାନୀୟ ଦୁଇଜଣ ଭକ୍ତଙ୍କ ଝିଅ । ଭକ୍ତମାନେ ସକାଳେ ଭୀମଭୋଇ ଓ ଅନ୍ନପୂର୍ଣ୍ଣାଙ୍କୁ ଖଟୁଲିରେ ବସାଇ ପଞ୍ଚାମୃତରେ ପାଦ ଧୋଇଦେବା ସହିତ ବନ୍ଦାପନା ଓ ପୂଜା କରୁଥିଲେ । ଫଳତଃ, ଜଣେ ନିମ୍ନଜାତିର ସାଧକଙ୍କର ଏହି ରାଜକୀୟ ଜୀବନଚର୍ଯ୍ୟା ହେତୁ ସୋନପୁରର ରାଜା ନୀଳଧର ସିଂହଦେଓ ପ୍ରତିକ୍ରିୟାଶୀଳ ହୋଇ ପବିତ୍ରତା ପରୀକ୍ଷା ପାଇଁ ଭୀମଭୋଇଙ୍କୁ ଅଗ୍ନି-ପ୍ରବେଶ ପରି ଅମାନବୀୟ ଆଦେଶ ଦେଇଥିଲେ । ମାତ୍ର ଆଶ୍ଚର୍ଯ୍ୟର ବିଷୟ, ଅଗ୍ନିପରୀକ୍ଷାର ପୂର୍ବଦିନ କୌଣସି ଏକ କୀଟ-ଦଂଶନଜନିତ ଜ୍ୱରରେ ରାଜାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ଦୈବୀଶକ୍ତି ଆକ୍ରୋଶର ପରିଣତି ବୋଲି ଲୋକେ ବୁଝିନେଲେ । ଭୀମଭୋଇ ମହିମା ଗୋସାଇଁଙ୍କ ଜୀବନ୍ତ ପ୍ରତିନିଧି ଏବଂ ଐଶ୍ଵରିକ ଶକ୍ତିର ଅଧିକାରୀ ବୋଲି ସେମାନେ ଗ୍ରହଣ କରିନେଲେ । ଏପରିକି, ତାଙ୍କ ରଚିତ ଗୀତକୁ ସ୍ଥାନୀୟ ଲୋକେ ସାପକାମୁଡ଼ା, ଡାଆଣୀ ବା ଭୂତପ୍ରେତ ଗ୍ରାସରୁ ଆରୋଗ୍ୟ ଲାଗି ମନ୍ତ୍ର ଭାବରେ ମଧ୍ୟ ପ୍ରୟୋଗ କରିଥିଲେ । ଅର୍ଥାତ୍, ଜଣେ କବି ଓଡ଼ିଶାର ଏକ ବିସ୍ତୃତ ଅଞ୍ଚଳର ଦଳିତବର୍ଗର ମୁକ୍ତିଦାତା, ପ୍ରତିନିଧି ଏବଂ ସମକାଳର ସାଂସ୍କୃତିକ, ରାଜନୀତିକ ଓ ଧର୍ମୀୟ ଶୂନ୍ୟତାର ପରିପୂରକ ହୋଇପାରିଥିଲେ ।
ଭୀମଭୋଇଙ୍କ କବିତ୍ଵ ସଂକ୍ରାନ୍ତ ଚର୍ଚ୍ଚା ମଧ୍ୟ ବିତର୍କିତ । କୁହାଯାଏ, ସେ ନିରକ୍ଷର, ମହିମା ଗୋସାଇଁଙ୍କ ଦିବ୍ୟସ୍ପର୍ଶରୁ ତାଙ୍କ କବିତ୍ଵର ସ୍ଫୁରଣ । ତେଣୁ ଗୋସାଇଁ ସମ୍ବଲପୁରର ବନହରପାଲି ଗ୍ରାମର ହରିପଣ୍ଡା ଓ ବାସୁ ପଣ୍ଡାଙ୍କୁ ତାଙ୍କ ଲିପିକାର ଭାବରେ ପଠାଇଥିଲେ । ମାତ୍ର ଏକଥା ସ୍ଵୀକାର୍ଯ୍ୟ ଯେ, ସେ ଥିଲେ ଆଶୁକବି ଓ ପ୍ରଚଣ୍ଡ ସ୍ମରଣଶକ୍ତିର ଅଧିକାରୀ; କିନ୍ତୁ ସେ ଲେଖିପଢ଼ି ଜାଣିନଥିଲେ ଏବଂ ପିଲାଦିନେ ଗାଁରେ ଭାଗବତ ଓ ଅନ୍ୟ ପୁରାଣଶାସ୍ତ୍ର ପାଠ ଓ ଚର୍ଚ୍ଚା ଶୁଣି ବୁଝିପାରିଥିଲେ ଏବଂ ମନେରଖିଥିଲେ ।
ତାଙ୍କଦ୍ୱାରା ରଚିତ ବହିଗୁଡ଼ିକ ହେଉଛି: ‘ହଲିଆ ଗୀତ’, ‘ଡାଲଖାଈ’, ‘ରସରକେଲି’, ‘ଜାଇଫୁଲ’, ‘ବ୍ରହ୍ମ ନିରୂପଣ ଗୀତା’, ‘ଆଦିଅନ୍ତ ଗୀତା’, ‘ଅଷ୍ଟକ ବିହାରୀ ଗୀତା’, ‘ନିର୍ବେଦ ସାଧନା’, ‘ଶ୍ରୁତିନିଷେଧ ଗୀତା’, ‘ମନୁସଭାମଣ୍ଡଳ’, ‘ଗୃହଧର୍ମ’, ‘ମହିମାବିନୋଦ’, ଶତାଧିକ ଭଜନ, ଜଣାଣ, ଚଉତିଶା ଓ ‘ସ୍ତୁତିଚିନ୍ତାମଣି’ ଇତ୍ୟାଦି । ବହିଗୁଡ଼ିକ ବିଂଶ ଶତାବ୍ଦୀରେ ମୁଦ୍ରିତ । ସେଗୁଡ଼ିକ ଲୋକମୁଖରେ ଓ ପୋଥି ରୂପରେ ମଧ୍ୟ ଗାଦିରେ ସୁରକ୍ଷିତ । ତାଙ୍କର ଅମର ପଙ୍କ୍ତି ହେଉଛି, “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” । ସେହି ନ୍ୟାୟରେ ଆମେ ତାଙ୍କୁ ମାନବତାବାଦର ଧ୍ୱଜାଧାରୀ ବୋଲି କହିବା ବାହୁଲ୍ୟ ହେବ ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ