କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

ଆବିର୍ଭାବ :- ୧୬ଶ ଶତାବ୍ଦୀ
ତିରୋଧାନ :- ୧୭ଶ ଶତାବ୍ଦୀ
ଜନ୍ମସ୍ଥାନ :- ଘୁମୁସର, ଗଞ୍ଜାମ

ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀ ରୀତିଯୁଗର ଶ୍ରେଷ୍ଠ ସାହିତ୍ୟ ସାଧକ ହେଉଛନ୍ତି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ । ରାଜବଂଶରେ ଜାତ ହୋଇ ମଧ୍ୟ ସେ ସଦାସର୍ବଦା ସମସ୍ତ ପ୍ରକାର ରାଜକୀୟ ବିଳାସବ୍ୟସନରୁ ଦୂରରେ ରହି ସାହିତ୍ୟ ସାଧନାକୁ ଜୀବନର ଏକମାତ୍ର ବ୍ରତରୂପେ ଗ୍ରହଣ କରିନେଇଥିଲେ । ରଘୁନାଥ ବିଳାସ, ତ୍ରିପୁର ସୁନ୍ଦରୀ, ଇଚ୍ଛାବତୀ, ମଦନମଞ୍ଜରୀ ଆଦି କାବ୍ୟସମ୍ଭାରର ରଚୟିତା ରାଜା ଶ୍ରୀ ପ୍ରତାପ ଧନଞ୍ଜୟ ଭଞ୍ଜଙ୍କର ସେ ଥିଲେ ସୁଯୋଗ୍ୟ ପ୍ରପୌତ୍ର । ଆଧୁନିକ ଗଞ୍ଜାମ ଜିଲା ଅନ୍ତର୍ଗତ ତତ୍କାଳୀନ ଘୁମୁସର-ରାଜ୍ୟାଧିପତି ନୀଳକଣ୍ଠ ଭଞ୍ଜ ତଥା ରାଣୀ ମନ୍ଦାଦେବୀଙ୍କ ଔରସରୁ ଉପେନ୍ଦ୍ର ଭଞ୍ଜ କୁଲାଡ଼ଗଡ଼ରେ ଜନ୍ମଗ୍ରହଣ କରିଥିଲେ ।

ନିଜର ଅଦମ୍ୟ ପ୍ରଚେଷ୍ଟା, ଅନନ୍ୟ ଲିଖନଶୈଳୀ, ଗଭୀର ଭାଷାଜ୍ଞାନ, ଉପମା-ଅଳଙ୍କାରର ଚାତୁର୍ଯ୍ୟପୂର୍ଣ୍ଣ ବିନିଯୋଗ ମାଧ୍ୟମରେ ଅନବଦ୍ୟ କାବ୍ୟମାନ ରଚନା କରି ସେ କବିସମ୍ରାଟ ଉପାଧିରେ ଭୂଷିତ ହୋଇଥିଲେ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ପ୍ରଗାଢ଼ ରୁଚି, ରାଜ ଦରବାରରେ ନିୟମିତ କବିତା ପାଠ ଓ ସାହିତ୍ୟ ଆଲୋଚନା ତଥା ପ୍ରସିଦ୍ଧ ରାମତାରକ ମନ୍ତ୍ର ସାଧନାର ପରିଣତିସ୍ୱରୂପ ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ତାଙ୍କ ଅତୁଳନୀୟ ଅବଦାନ ଉପେନ୍ଦ୍ର ଭଞ୍ଜଙ୍କୁ କେବଳ ଜଣେ କାଳଜୟୀ କାବ୍ୟସ୍ରଷ୍ଟା ନୁହେଁ, ଜଣେ ଯୁଗପ୍ରବର୍ତ୍ତକଭାବେ ପରିଚିତ କରାଇପାରିଛି ।

ଓଡ଼ିଆ ସାହିତ୍ୟ ଇତିହାସରେ ତାଙ୍କ କାବ୍ୟକାଳକୁ ଭଞ୍ଜଯୁଗରୂପେ ଅଭିହିତ କରାଯାଇଛି । ସଂସ୍କୃତ ସାହିତ୍ୟର ଗଭୀର ଅଧ୍ୟୟନ ସହ ଉପେନ୍ଦ୍ର ଭଞ୍ଜ ଅମରକୋଷ, ତ୍ରିକାଣ୍ଡ କୋଷ ଓ ମେଦିନୀ କୋଷ ଆମଦି ଅଭିଧାନ କଣ୍ଠସ୍ଥ କରିପାରିଥିଲେ । କୁହାଯାଏ ତାଙ୍କ ବିଦୁଷୀ ପତ୍ନୀ ଭଞ୍ଜଙ୍କ କାବ୍ୟସାଧନାର ପୃଷ୍ଠଭୂମିରେ ରହି ପ୍ରେରଣାର ଉତ୍ସଭାବେ କାର୍ଯ୍ୟ କରିଥିଲେ । ଫଳସ୍ଵରୂପ ସେ ଲାବଣ୍ୟବତୀ, ବୈଦେହୀଶ ବିଳାସ ଓ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ପରି ଅଗଣିତ ଦୁର୍ମୂଲ୍ୟ ଗ୍ରନ୍ଥ ଉପହାର ଦେଇ ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିପାରିଛନ୍ତି । ତାଙ୍କ ରଚିତ ଗୀତାଭିଧାନ ଏକ ଦୁର୍ମୂଲ୍ୟ କୃତି । କାବ୍ୟକଳା ଓ ସାହିତ୍ୟିକ ମାନ ଦୃଷ୍ଟିରୁ ଭଞ୍ଜରଚିତ ଉଚ୍ଚକୋଟିର ସାହିତ୍ୟ ସମଗ୍ର ବିଶ୍ୱରେ ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ ।


ରଚନାବଳୀ
ଗୀତିକବିତା
ଗୀତିକବିତା ସଂକଳନ
ଏକାଙ୍କିକା

Copyright © 2024 Odia Virtual Academy. All rights reserved      Total Visitors-   1

scroll