ଶ୍ରୀ ବିଶ୍ୱନାଥ ବାବା

ଆବିର୍ଭାବ :- ୧୯୦୦
ତିରୋଧାନ :- ୧୯୯୨
ଜନ୍ମସ୍ଥାନ :-

ମହିମାଧର୍ମ ଓ ଦର୍ଶନର ପ୍ରଚାର ଓ ପ୍ରସାରରେ ଏବଂ ଯୋରନ୍ଦାସ୍ଥିତ ମହିମାଗାଦିର ମୁଖ୍ୟ ମନ୍ଦିର ନିର୍ମାଣରେ ଅଗ୍ରଗଣ୍ୟ ବ୍ୟକ୍ତିତ୍ଵ ଭାବେ ସାଧକ ବିଶ୍ଵନାଥ ବାବା ଓଡ଼ିଶାର ଅଗଣିତ ଜନମାନସଙ୍କ ନିକଟରେ ଚିରନମସ୍ୟ ଅଟନ୍ତି। ମହିମା ଗୋସେଇଁଙ୍କ ଦ୍ଵାରା ପ୍ରବର୍ତ୍ତିତ ମହିମାଧର୍ମକୁ ସନ୍ଥକବି ଭୀମଭୋଇ, ବିଶ୍ଵନାଥ ବାବା ଓ ଗୋବିନ୍ଦ ବାବା ପ୍ରମୁଖ ସିଦ୍ଧସାଧକମାନେ ଓଡ଼ିଶାର କୋଣାନୁକୋଣରେ ବ୍ୟାପ୍ତ କରାଇ ଉକ୍ତଧର୍ମର ମହନୀୟତା ଓ ଶ୍ରେଷ୍ଠତାକୁ ଖୁବ ଉତ୍କୃଷ୍ଟ ଭାବେ ଉପସ୍ଥାପିତ କରିଛନ୍ତି । ସଂସାରବୈରାଗୀ ଓ ଗୃହୀସନ୍ୟାସୀ ଭେଦରେ ମହିମାଧର୍ମର ସାଧକମାନେ ଦୁଇଟି ଶ୍ରେଣୀରେ ବିଭକ୍ତ ।  ଶରୀରକୁ ଏକ ମନ୍ଦିର ଭାବରେ ପରିକଳ୍ପନା କରି, ଶୂନ୍ୟ ଅଲେଖ ନିରାଜନାରେ ଏମାନେ ବ୍ରତୀ । ଜାତିପ୍ରଥା, ପ୍ରତିମାପୂଜା, ବ୍ରାହ୍ମଣ୍ୟବାଦ ଓ ଧର୍ମନାମରେ ଘଟୁଥିବା ଅଗଣିତ ବ୍ୟଭିଚାର ପ୍ରତି ସେ ଅସହିଷ୍ଣୁ ମନୋଭାବ ପୋଷଣ କରିଥିଲେ । ନିରାକାର ବ୍ରହ୍ମ ଉପାସନା ମାଧ୍ୟମରେ ଐହିକ ଓ ପାରତ୍ରିକ କଲ୍ୟାଣରେ ସେ  ବିଶ୍ଵାସୀ ଥିଲେ । ବିଂଶ ଶତାବ୍ଦୀରେ ବିଶ୍ଵନାଥ ବାବା ମହିମାଧର୍ମର ଉପାଦେୟତା, ଭକ୍ତିମାର୍ଗ ଧର୍ମ ସାଧନା ସମ୍ପର୍କରେ ଆଲୋକପାତ କରି ଜନସମାଜରେ ଏହି ଧର୍ମ ଓ ଆଦର୍ଶର ବହୁମୂଖୀ ପ୍ରଚାର ତଥା ପ୍ରସାର କରିଛନ୍ତି । କୁଚ୍ଛ୍ର ସାଧନା ଓ ଅଲୌକିକ ବିଭୂତି ପ୍ରଦର୍ଶନ ସହ ଧର୍ମତତ୍ତ୍ଵ ସମ୍ବଳିତ କେତେକ ଗୁରୁତ୍ଵପୂର୍ଣ୍ଣ ରଚନାପାଇଁ ସେ ସୁପରିଚିତ ଅଟନ୍ତି । ତନ୍ମଧ୍ୟରୁ ‘ସତ୍ୟମହିମାଧର୍ମ ପ୍ରତିପାଦକ', ‘ସିଦ୍ଧସାଧୁଚରିତାମୃତ', ‘ଶ୍ରୀଚିନ୍ମୟ ବ୍ରହ୍ମଗୀତା', ‘ସାଧୁଗୀତି', ମହିମା ବାଲ୍ୟଲୀଳା’ ଇତ୍ୟାଦି ସାଧକ ବିଶ୍ଵନାଥଙ୍କର ଉଲ୍ଲେଖନୀୟ ସୃଷ୍ଟି ବୋଲି ବିବେଚନା କରାଯାଏ । ବାବା ବିଶ୍ଵନାଥ ଆପଣାର ପ୍ରତିଭା, ପାଣ୍ଡିତ୍ୟ, ସଂସ୍କାରପ୍ରବଣତା, ଧର୍ମଦର୍ଶନ ସମ୍ବଳିତ ତତ୍ତ୍ଵ ଓ ତଥ୍ୟପାଇଁ ସୁପରିଚିତ ଅଟନ୍ତି । ଏକ ଲୋକଧର୍ମକୁ ଶାସ୍ତ୍ରାୟିତ କରିବାରେ ବିଶ୍ଵନାଥ ବାବାଙ୍କ ଉଦ୍ୟମ ବାସ୍ତବତଃ ସ୍ମରଣୀୟ ଅଟେ । ବାସ୍ତବିକ ଏହିପରି ଜଣେ ସିଦ୍ଧସାଧକଙ୍କୁ ପାଇ ଓଡ଼ିଶା ମାଟି ଧନ୍ୟ ଅଟେ ।


ରଚନାବଳୀ
କବିତା

Copyright © 2024 Odia Virtual Academy. All rights reserved      Total Visitors-   1

scroll