ଶ୍ରୀ ବ୍ରଜନାଥ ବଡ଼ଜେନା

ଆବିର୍ଭାବ :- ୧୭୨୯
ତିରୋଧାନ :- ୧୭୯୯
ଜନ୍ମସ୍ଥାନ :- ଢେଙ୍କାନାଳ

ଓଡ଼ିଆ ସାହିତ୍ୟ ସମୀକ୍ଷାରେ ବହୁଳଭାବେ ଉଦ୍ଧୃତ ସମରକାବ୍ୟ ସମରତରଙ୍ଗ ଓ ଉପନ୍ୟାସ ଚତୁର ବିନୋଦର ଯଶସ୍ୱୀ କବି ଓ କଥାକାର ବ୍ରଜନାଥ ବଡ଼ଜେନା ଆନୁମାନିକ୧୭୩୦-୧୮୦୦ଖ୍ରୀଷ୍ଟାବ୍ଦର ମଧ୍ୟବର୍ତ୍ତୀ ସମୟର ଲେଖକ ବୋଲି ଅନୁମାନ କରାଯାଇଛି । ଢେଙ୍କାନାଳରେ ଜନ୍ମିତ ଶ୍ରୀ ବଡ଼ଜେନା ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀର ଭକ୍ତକବି ଅରକ୍ଷିତଙ୍କ ବଂଶଧର ଏବଂ ତାଙ୍କ ପୂର୍ବପୁରୁଷ ଶ୍ରୀକ୍ଷେତ୍ର ପୁରୀରୁ ଆସି ଢେଙ୍କାନାଳରେ ବସବାସ କରିଥିଲେ। ସେ ଢେଙ୍କାନାଳ ରାଜା ତ୍ରିଲୋଚନ ମହୀନ୍ଦ୍ର ବାହାଦୁର ଓ ମରହଟ୍ଟା ସୁବାଦାରଙ୍କ ମଧ୍ୟରେ ଘଟିଥିବା ଯୁଦ୍ଧ ବର୍ଣ୍ଣନା କରି ଲେଖିଥିବା ‘ସମର ତରଙ୍ଗ’ କାବ୍ୟ ତ୍ରିଲୋଚନ ମହୀନ୍ଦ୍ର ବାହାଦୁରଙ୍କୁ ଭେଟିଦେଇ ନୂଆଗାଁ ନାମକ ଗ୍ରାମଟି ପୁରସ୍କାର ସ୍ଵରୂପ ପାଇଛନ୍ତି । ପିତାଙ୍କର ନାମ ବାଲୁଙ୍କେଶ୍ଵର ପଟ୍ଟନାୟକ । ସେ ଶୈଶବରୁ ପିତାମାତାଙ୍କୁ ହରାଇଥିଲେ । ଦାରିଦ୍ର୍ୟ ହେତୁ ଢେଙ୍କାନାଳ, ଖୋର୍ଦ୍ଧା, ଦର୍ପଣୀ, କେନ୍ଦୁଝର ପ୍ରଭୃତି ରାଜ୍ୟର ରାଜା ଓ ଜମିଦାରଙ୍କ ନିକଟରେ ତାଙ୍କୁ ଭିକ୍ଷାର୍ଥୀ ହେବାକୁ ପଡ଼ିଥିଲା । ଏପରିକି ସେ ଅର୍ଥାନ୍ୱେଷଣରେ କଲିକତା ଓ ଭିଲିଙ୍ଗି (ଆନ୍ଧ୍ର ପ୍ରଦେଶ) ପର୍ଯ୍ୟନ୍ତ ଯାଇଥିବା ଜଣାପଡ଼େ ।

ବ୍ରଜନାଥ ଶାସ୍ତ୍ରଦର୍ଶୀ ପଣ୍ଡିତ । ଓଡ଼ିଆ ସହିତ ସଂସ୍କୃତ, ପ୍ରାକୃତ, ଖୋରଠା (ହିନ୍ଦୀ), ବଙ୍ଗଳା ଓ ତେଲୁଗୁ ଭାଷାରେ ତାଙ୍କର ପ୍ରବେଶ ରହିଥିଲା ।  'ଚତୁର ବିନୋଦ କଥା’ (ଗଦ୍ୟଶୈଳୀରେ ଲିଖିତ ଏକମାତ୍ର କଥାଗ୍ରନ୍ଥ), କାବ୍ୟ-କବିତା ‘ସମରତରଙ୍ଗ' (ଯୁଦ୍ଧ ବର୍ଣ୍ଣନାତ୍ମକ), ‘ଶ୍ୟାମରାସୋତ୍ସବ', ‘କେଳିକଳାନିଧି', 'ବିଚକ୍ଷଣା’ (ଅସଂପୂର୍ଣ), ‘ବିଦେଶ ଅନୁଚିନ୍ତା, 'ଦଶପୋଈ', ‘ଗୋପୀବିଳାପ', 'ଚଣ୍ଡୀମାଳଶ୍ରୀ’, ‘ରାଜନଙ୍କୁ ଛଳ ଉକ୍ତି’, ‘ରାଜସଭା’, ଗୁଣ୍ଡିଚା ବିଜେ (ଖୋର ଭାଷାରେ ଲିଖିତ) ଇତ୍ୟାଦି ତାଙ୍କର ରଚନାବଳୀର ଅନ୍ତର୍ଭୁକ୍ତ ।

ଏକଚାଳିଶ ଛାନ୍ଦବିଶିଷ୍ଟ ‘ଅ-ଆଦ୍ୟାନୁପ୍ରାସଯୁକ୍ତ ଅମ୍ବିକା ବିଳାସ’ କାବ୍ୟ କେନ୍ଦୁଝର ରାଜା ବଳଭଦ୍ର ଭଞ୍ଜଙ୍କ ନାମରେ ଭଣିତ ହୋଇଥିଲେଲେହେଁ ତାହା ବ୍ରଜନାଥଙ୍କଦ୍ଵାରା ରଚିତ । ଢେଙ୍କାନାଳ ଓ କେନ୍ଦୁଝରରୁ କାବ୍ୟଟିର ଦୁଇଟି ପୋଥି ଉଦ୍ଧାର କରାଯାଇଥିବାବେଳେ ପୋଥିଦ୍ୱୟର ଆଧାରରେ ଦୁଇଟି ସମ୍ପାଦିତ ଗ୍ରନ୍ଥ ପ୍ରକାଶିତ ହୋଇପାରିଛି । କିନ୍ତୁ କାବ୍ୟର ସ୍ରଷ୍ଟା କିଏ, ସେ ନେଇ ବିତର୍କର ସୂତ୍ରପାତ ହୋଇଛି । କାବ୍ୟରେ ଅମ୍ବିକା (ଗୌରୀ) ଓ ଶିବଙ୍କ ପ୍ରଣୟ ଓ ପରିଣୟର ବର୍ଣ୍ଣନା ସ୍ଥାନ ପାଇଛି । ରୀତିଯୁଗୀୟ ଶୈଳୀରେ ରଚିତ ଏହି କାବ୍ୟ ଅନେକାଂଶରେ ଦୁର୍ବୋଧ୍ୟ । କିନ୍ତୁ ସ୍ଥଳବିଶେଷରେ ସେ ସରଳ ଓ ସାବଲୀଳ ଶୈଳୀର ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିଛନ୍ତି ।

ରୀତିଯୁଗର କବି ହେଲେହେଁ ‘ସମର ତରଙ୍ଗ’ କାବ୍ୟ, ‘ଚତୁର ବିନୋଦ’ ତଥା ‘ରାଜନଙ୍କୁ ଛଳଉକ୍ତି', 'ରାଜସଭା' ଆଦି କବିତାରୁ କବିଙ୍କ ବାସ୍ତବବାଦୀ ଓ ସମାଜ-ସଚେତନ ଚିନ୍ତାଧାରା ସଂପର୍କରେ ସ୍ପଷ୍ଟ ସୂଚନା ମିଳେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll