ଶ୍ରୀ କୃପା ସାଗର ସାହୁ

ଆବିର୍ଭାବ :- ୧୬-୦୭-୧୯୫୨
ଜନ୍ମସ୍ଥାନ :- ମଠକରଗୋଳା, କାମାକ୍ଷାନଗର, ଢେଙ୍କାନାଳ

ବିଂଶ-ଏକବିଂଶ ଶତାବ୍ଦୀ ଓଡ଼ିଆ ଭାଷା-ସାହିତ୍ୟର ଅନନ୍ୟ ଅଗ୍ରଣୀ ପୁରୋଧା କୃପାସାଗର ସାହୁ ତତ୍କାଳୀନ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସବ୍‌ଡିଭିଜନର ମଠକରଗୋଳା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଶିବଚରଣ ସାହୁ, ମାତାଙ୍କ ନାମ ଥିଲା ସୀତା ଦେବୀ ।

ମଠକରଗୋଳା ହାଇସ୍କୁଲରୁ ମାଟ୍ରିକ ଓ ରେଭେନ୍ସା କଲେଜରୁ ସ୍ନାତକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ କୃପାସାଗର ଉତ୍କଳ ବିଶ୍ଵବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ହାସଲ କରି ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରେ ୧୯୭୫ ମସିହାରେ ଅଧ୍ୟାପକଭାବେ ଯୋଗଦାନ କରିଥିଲେ । ୧୯୭୮ ମସିହାରେ ସେ ସର୍ବଭାରତୀୟ ପ୍ରାଶାସନିକ ସେବା ପରୀକ୍ଷାରେ ସଫଳଭାବେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ରେଳବାଇ ଟ୍ରାଫିକ୍ ସର୍ଭିସ (ଆଇଆରଟିଏସ୍)ରେ ଯୋଗଦାନ କରିଥିଲେ ଏବଂ ୨୦୧୨ ମସିହାରେ ରେଳସେବାରୁ ଅବସର ନେଇଥିଲେ । ସ୍କୁଲରେ ଅଧ୍ୟୟନ କାଳରୁ ତାଙ୍କଠାରେ କବି ପ୍ରତିଭାର ସ୍ଫୁରଣ ଘଟିଥିଲା ।

ଛାତ୍ରଜୀବନରେ ଗଙ୍ଗାଧର ମେହେରଙ୍କ କାବ୍ୟ ‘ତପସ୍ଵିନୀ’ ପ୍ରଭାବରେ ‘ନିର୍ଝରିଣୀ’ ଖଣ୍ଡକାବ୍ୟ ରଚନା କରି ସେ ଆଦୃତି ଲାଭ କରିଥିଲେ । ରେଭେନ୍ସାରେ ଛାତ୍ର ଥିବାବେଳେ ପଶ୍ଚିମ ଛାତ୍ରାବାସ ମୁଖପତ୍ର ଉର୍ମି ସହ ମୀନାବଜାର, ସୌରଭ ଆଦି ପତ୍ରିକାରେ ତାଙ୍କ ଲେଖା ପ୍ରକାଶ ପାଇଥିଲା । ଦୈନିକ ସଂବାଦପତ୍ର ‘କଳିଙ୍ଗ’ରେ ତାଙ୍କର ପ୍ରଥମ ଆଧୁନିକ କବିତା ‘ଶାମୁକାର କକ୍ଷଚ୍ୟୁତି’ ପ୍ରକାଶିତ ହୋଇଥିଲା ।  

ଅନ୍ତଃଛାତ୍ରାବାସ ଗଳ୍ପଲିଖନ ପ୍ରତିଯୋଗିତାରେ ସେ ‘ଜ୍ୟୋତି ଓ ତମସା’ ଗଳ୍ପ ପାଇଁ ପ୍ରଥମ ପୁରସ୍କାର ପାଇବା ସହ ‘ପରିଜା କପ୍’ ଲାଭ କରିଥିଲେ । ଲେଖକୀୟ ଜୀବନର ପ୍ରାରମ୍ଭିକ ପର୍ବରେ କବିତା ଓ ଶିଶୁସାହିତ୍ୟ ରଚନାରେ ବିଶେଷ ଆଗ୍ରହ ରଖିଥିବା କୃପାସାଗର ପରେ କଥାସାହିତ୍ୟ ରଚନାରେ ବ୍ରତୀ ହୋଇଥିଲେ ।

୧୯୯୦ ମସିହାରେ ତାଙ୍କର ପ୍ରଥମ କବିତା ସଂକଳନ ‘ଉପରେ ଫର୍ଚ୍ଚା ଆକାଶ’ ପ୍ରକାଶ ପାଇଥିଲା । ଏହା ପରେ କବିତା ସଂକଳନ ‘ତଳେ ବସୁମାତା’ (୧୯୯୧), ଶିଶୁ କବିତା ସଂକଳନ ‘ହିଅ ଟିଇ ଟିଇ’(୧୯୯୨) ଓ ‘ନାଆଁ ମୋ’ ରେଳଗାଡ଼ି’ (୧୯୯୪) ପ୍ରକାଶିତ ହୋଇଥିଲା । ପ୍ରଥମ ଗଳ୍ପ ସଂକଳନ ‘ଜ୍ୟୋତି ଓ ତମସା’ ୧୯୯୦ରେ ପ୍ରକାଶିତ ହୋଇଥିଲା ।

 କବିତାରେ ଜୀବନର ବାସ୍ତବତାକୁ ସେ ପ୍ରକାଶିତ କରିଥିଲେ । ସମାଜରେ ପ୍ରତିଟି ମଣିଷ ସାମ୍ନା କରୁଥିବା ସମସ୍ୟା, ଉଭୟ ମଣିଷ ଓ ଉଦ୍ଭିଦଜଗତ ପାଇଁ ସୃଷ୍ଟି ହୋଇଥିବା ଆହ୍ଵାନ ତାଙ୍କ ସୃଷ୍ଟିସମଗ୍ରରେ ରୂପ ପାଇପାରିଛି । ମୂଳଭିତ୍ତିକୁ ଏଡ଼ାଇ ଯାଇ ଆଗକୁ ବଢୁଥିବା ମଣିଷର ମାନସିକତା ଏଥିରେ ପ୍ରତିବିମ୍ବିତ ହୋଇଛି । କଥାସାହିତ୍ୟ କ୍ଷେତ୍ରରେ ସେ ଅଧିକ ସକ୍ରିୟ ରହିଛନ୍ତି ।

କ୍ଷୁଦ୍ରଗଳ୍ପ ସଂକଳନ ‘କାହାଣୀ ୧୯୯୮’(୧୯୯୮), ‘ଅରଣ୍ୟର ଅଜଗର ଓ ଅନ୍ୟାନ୍ୟ କାହାଣୀ’ (୨୦୦୦), ‘ହଂସଧ୍ଵନି’ ( ୨୦୦୨), ‘କାହାଣୀ ୨୦୦୫’ (୨୦୦୫), ‘ଶୁଆ କହେ ଶାରୀଲୋ’ (୨୦୦୮), ‘ଗଡ଼ଜାତ ଗପ’ (୨୦୦୯), ‘କୃପାସାଗର ସାହୁଙ୍କ ରେଳଗପ’ (୨୦୧୧), ‘କଇଁ ପୋଖରୀରେ ପ୍ରେମ’ (୨୦୧୧) ଓ ‘କୃପାସାଗର କ୍ଲାସିକ୍’ (୨୦୧୩) ଏବଂ ଉପନ୍ୟାସ ‘ଶେଷ ଶରତ’ (୨୦୦୬), ‘ଶ୍ରାବଣର ସକାଳ’ (୨୦୦୯) ଓ ଝରାପତ୍ରରେ ଝଡ଼ (୨୦୧୨) ଇତ୍ୟାଦିର ପ୍ରକାଶ ତାଙ୍କୁ ଓଡ଼ିଆ କଥାସାହିତ୍ୟରେ ପ୍ରତିଷ୍ଠିତ କରାଇପାରିଛି ।

ତାଙ୍କ ସୃଷ୍ଟିସମ୍ଭାରରେ ସମ୍ବେଦନଶୀଳ ଦୃଷ୍ଟିକୋଣ, ସୌନ୍ଦର୍ଯ୍ୟମୟ ପ୍ରକୃତି, ଜଗତୀକରଣ ଯୁଗର ବାସ୍ତବ ଚିତ୍ର ବେଶ୍ ପ୍ରଭାବଶାଳୀଭାବେ ରୂପାନ୍ୱିତ ହୋଇଛି । ନାଟକଧର୍ମୀ, ବର୍ଣ୍ଣନାଧର୍ମୀ, କାହାଣୀଧର୍ମୀ ଓ ରୂପକଧର୍ମୀ ଉପସ୍ଥାପନାରେ ତାଙ୍କ ଗଳ୍ପ ଓ ଉପନ୍ୟାସ ଋଦ୍ଧିମନ୍ତ । ମାନବ ଓ ମାନବେତର ଚରିତ୍ର ମାଧ୍ୟମରେ ନିଜ ଲେଖକୀୟ ବାର୍ତ୍ତା ଓ ବକ୍ତବ୍ୟକୁ ସେ ପ୍ରକାଶ କରିଛନ୍ତି । କେଉଁଠି ହାସ୍ୟରସାତ୍ମକ ପରିସ୍ଥିତି ଗୁରୁଗମ୍ଭୀର ପରିଣତିରେ ପରିବର୍ତ୍ତିତ ହୋଇଛି ତ କେଉଁଠି ମିଥ୍ ଓ ଚେତନାପ୍ରବାହ ମଧ୍ୟରେ ସୃଷ୍ଟିର ଭାବଧର୍ମ ସାନ୍ଧ୍ର ହୋଇଛି ।

ଇଂରାଜୀରେ ‘ଲିଲି ଲ୍ୟାଣ୍ଡ’ (କବିତା ସଂକଳନ, ୧୯୯୫), ‘ଅରେଞ୍ଜେସ ଫ୍ରମ ନାଗପୁର’ (ଗଳ୍ପ ସଂକଳନ, ୨୦୦୯) ଓ ‘ଚିଲିକା - ଏ ଲଭ ଷ୍ଟୋରି’; ବଙ୍ଗଳାରେ ‘ଅରଣ୍ୟର ଅଜଗର’ (ଗଳ୍ପ ସଂକଳନ, ୨୦୦୦), ‘ହଂସଧ୍ଵନି’ (ଗଳ୍ପ ସଂକଳନ, ୨୦୦୩) ଓ ‘ଶେଷ ଶରତ’ (ଉପନ୍ୟାସ, ୨୦୧୩) ଏବଂ ହିନ୍ଦୀରେ ‘ହଂସଧ୍ଵନି’ (ଗଳ୍ପ ସଂକଳନ, ୨୦୦୬) ଓ ‘ଶେଷ ଶରତ’ (ଉପନ୍ୟାସ, ୨୦୦୯) ପ୍ରକାଶିତ ହେବା ଫଳରେ ଶ୍ରୀ ସାହୁଙ୍କ ସୃଜନର ଦୀପ୍ତି ବୃହତ୍ତର ପାଠକ ସମାଜ ନିକଟରେ ପହଞ୍ଚିପାରିଛି ।

ସାହିତ୍ୟ ପତ୍ରିକା ‘ପ୍ରତିବେଶୀ’ର ସମ୍ପାଦକ (୧୯୯୭ରୁ ୨୦୦୦ ଓ ୨୦୦୬ରୁ ୨୦୦୯) ଦାୟିତ୍ଵ ନିର୍ବାହ କରିଥିବା ଶ୍ରୀ ସାହୁ ୨୦୦୧ ମସିହାରୁ ସାହିତ୍ୟ ପତ୍ରିକା ‘କୁସୁମିତା’ ପ୍ରକାଶନ ସହ ଏହାର ସମ୍ପାଦନା କରିଆସୁଛନ୍ତି । ସେ ‘ପ୍ରବାସୀ ବନ୍ଧୁ ସମ୍ମାନ’, କୋଲକାତା (୨୦୦୧), ‘ଅଖିଳଚକ୍ର ସମ୍ମାନ’ (୨୦୦୬), ‘ଶେଷ ଶରତ’ ଉପନ୍ୟାସ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୯), ‘ପ୍ରିୟପତ୍ର ଗଳ୍ପ ସମ୍ମାନ’ (୨୦୦୯), ‘ପୁନର୍ନବା ସମ୍ମାନ’ (୨୦୧୨), ‘ସତ୍ ସାହିତ୍ୟ ସମ୍ମାନ’ (୨୦୧୨), ‘ତପସ୍ଵିନୀ ସମ୍ମାନ’, ‘ବେଙ୍ଗାଲୁରୁ’ (୨୦୧୨) ଓ ‘ମଲ୍ଲିକା’ ସମ୍ମାନ, କୋଲକାତା (୨୦୧୩) ଲାଭ କରିଛନ୍ତି ।


ରଚନାବଳୀ
କବିତା ସଂକଳନ

Copyright © 2023 Odia Virtual Academy. All rights reserved      Total Visitors-   1

scroll