ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ

ଆବିର୍ଭାବ :- ୧୯-୦୮-୧୮୯୩
ତିରୋଧାନ :- ୧୧-୦୪-୧୯୭୧
ଜନ୍ମସ୍ଥାନ :- ବୈଦ୍ୟପୁର, ମୟୂରଭଞ୍ଜ

ପ୍ରତ୍ନତାତ୍ତ୍ୱିକ ଖୋଦନ, ପୁନରୁଦ୍ଧାର, ସଂଗ୍ରହ ଓ ଗବେଷଣା କ୍ଷେତ୍ରର ଅସାମାନ୍ୟ ପ୍ରତିଭା ଓ ସଫଳତାର ଅଧିକାରୀ ପରମାନନ୍ଦ ଆଚାର୍ଯ୍ୟ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟ ଅନ୍ତର୍ଗତ ବୈଦ୍ୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ ପ୍ରତ୍ନଜଗତ ଏବଂ ଓଡ଼ିଶାର ଇତିହାସ ପ୍ରତି ତାଙ୍କର ଅବଦାନ ଇତିହାସରେ ଲିପିବଦ୍ଧ ହୋଇ ରହିବ ।

ପରମାନନ୍ଦ ଅମର୍ଦା ଏମ୍‍.ଇ. ସ୍କୁଲ ଓ ବାରିପଦା ହାଇସ୍କୁଲରେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ କଲିକତା ବିଶ୍ୱବିଦ୍ୟାଳ‌ୟରୁ ୧୯୨୩ରେ ଅନର୍ସ ସ‌ହିତ ଉଦ୍ଭିଦ ବିଜ୍ଞାନରେ ସ୍ନାତକ ହୋଇ ଉଚ୍ଚଶିକ୍ଷା ସମାପନ କରିଥିଲେ । ତତ୍କାଳୀନ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପରାମର୍ଶ ଅନୁଯାୟୀ ସେ ମାଷ୍ଟର ଡିଗ୍ରୀ କରିବା ଅଭିଳାଷ ତ୍ୟାଗ କରି ବିଖ୍ୟାତ ପ୍ରତ୍ନତ‌ତ୍ତ୍ୱବିତ୍ ରାୟ ବାହାଦୂର ରାମ‌ପ୍ରସାଦ ଚାନ୍ଦଙ୍କ ପ୍ରତ୍ନ-ଗବେଷକ ଦଳରେ ଜଣେ ସହଯୋଗୀଭାବେ ଯୋଗ ଦେଲେ । ମୟୂରଭଞ୍ଜ ରାଜ୍ୟରେ ପ୍ରତ୍ନତ‌ତ୍ତ୍ୱ ବିଭାଗ ସ୍ଥାପିତ ହେବାପରେ ସେଥିରେ ପରମାନନ୍ଦ ଗବେଷକ ନିଯୁକ୍ତ ହେଲେ । ତାଙ୍କର ପ୍ରଥମ କାର୍ଯ୍ୟଭାବେ ଖିଚିଂ ଓ କୀଚକେଶ୍ୱରୀ ମନ୍ଦିରର ରକ୍ଷଣାବେକ୍ଷଣ କାମ ହାତକୁ ନେଇଥିଲେ । ଏହାପରେ ସେ ପ୍ରତ୍ନତତ୍ତ୍ୱ ବାବଦରେ ଅବିଭକ୍ତ ବଙ୍ଗଳାର ରାଜଶାହୀ ଜିଲା ଅନ୍ତର୍ଗତ ପାହାଡ଼ପୁରଠାରେ ଚାଲିଥିବା ସରକାରଙ୍କ ପ୍ରତ୍ନତାତ୍ତ୍ୱିକ ଖନନ ସ୍ଥଳରେ ଏକ ମାସ ପ୍ରଶିକ୍ଷଣ ଲାଭ କରିଥିଲେ । ସେ ଖିଚିଂ ପାଖାପାଖି ଅଞ୍ଚଳରେ ଖନନ କରି ଅନେକ ମଧ୍ୟଯୁଗୀୟ ପୁରାତନ ମୂର୍ତ୍ତି ଉଦ୍ଧାର କରିଥିଲେ । ତାଙ୍କ ସଫଳତାର ଫଳସ୍ୱରୂପ ଖିଚିଂ ସଂଗ୍ରହାଳୟ ଆରମ୍ଭ କରାଯାଇଥିଲା । ୧୯୨୪ ଏପ୍ରିଲ ପହିଲାରେ ସେ ସେହି ସଂଗ୍ରହାଳୟର ବରିଷ୍ଠ ପ୍ରତ୍ନତତ୍ତ୍ୱବିତ୍‍ ଭାବରେ ନିଯୁକ୍ତ ହୋଇଥିଲେ । ତତ୍ପରେ  ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନିର୍ଦ୍ଦେଶରେ ସେ ହରିହରପୁର ପ୍ରାସାଦର ପୁନରୁଦ୍ଧାର ଦାୟିତ୍ୱ ନେଇଥିଲେ । ତାଙ୍କ ତତ୍ତ୍ୱାବଧାନରେ ଖିଚିଂର ନୂତନ ମନ୍ଦିର ନିର୍ମିତ ହେବା ସହ ଭଗ୍ନ ହର ମନ୍ଦିରର ପଥର ଓ ମୂର୍ତ୍ତିଖଣ୍ଡମାନ ଯତ୍ନସହକାରେ ଯୋଡ଼ି ଠାକୁରାଣୀଙ୍କ ମନ୍ଦିର ନିର୍ମାଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶା ସହିତ ମୟୂରଭଞ୍ଜ ରାଜ୍ୟର ମିଶ୍ରଣ ପରେ ପରମାନନ୍ଦ ରେଭେନ୍ସା ମହାବିଦ୍ୟାଳୟରେ ଥିବା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ । ଏହି ବିଭାଗର କାର୍ଯ୍ୟ ଧୀରେ ଧୀରେ ବୃଦ୍ଧି ପାଇବା ଫଳରେ ତାହାକୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା ଓ ସେହି ପଦବୀରୁ ସେ ୧୯୫୦ ମସିହାରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକଭାବେ ପୁନଃନିଯୁକ୍ତି ପାଇଥିଲେ । ପରବର୍ତ୍ତୀ କାଳରେ ସେ ପୁନର୍ବାର ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ପ୍ରତ୍ନତତ୍ତ୍ୱ ବିଭାଗର ଅଧୀକ୍ଷକ ଭାର ଗ୍ରହଣ କରିଥିଲେ ।

ବ୍ୟାପକ ପ୍ରତ୍ନତାତ୍ତ୍ୱିକ ଗବେଷଣାକୁ ନେଇ ସେ ଲେଖିଥିବା ପ୍ରବନ୍ଧଗୁଡ଼ିକ ‘Essays in History, Culture, Archaeology of Odisha’ରେ ପ୍ରକାଶିତ ହୋଇଛି । ତାଙ୍କ ରଚିତ ଏକ ଅମୂଲ୍ୟ ଗ୍ରନ୍ଥ ହେଉଛି– Studies in Orissan History, Archaeology and Archives ।  ତାଙ୍କର ବିଭିନ୍ନ ଲେଖାକୁ ନେଇ ୧୯୮୪ରେ ଏକ ସ୍ମାରକୀ ଗ୍ରନ୍ଥ ପ୍ରକାଶିତ ହୋଇଥିଲା– Life and culture in Orissa । ତାଙ୍କର ପ୍ରତ୍ନତାତ୍ତ୍ୱିକ ଗବେଷଣା ପାଇଁ ଏବଂ ଓଡ଼ିଶା ଇତିହାସକୁ ତାଙ୍କର ଅମୂଲ୍ୟ ଅବଦାନ ପାଇଁ କେନ୍ଦ୍ର ସରକାର ୧୯୬୪ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ । ୧୯୭୧ ମସିହା ଏପ୍ରିଲ ୧୧ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

 


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll