ଭକ୍ତକବି ମଧୁସୂଦନ ରାଓ

ଆବିର୍ଭାବ :- ୧୯-୦୧-୧୮୫୩
ତିରୋଧାନ :- ୨୮-୧୨-୧୯୧୨
ଜନ୍ମସ୍ଥାନ :- ପୁରୀ

ଉତ୍କଳଭାରତୀ ଯେଉଁ କତିପୟ ସାହିତ୍ୟ-ସାଧକଙ୍କୁ ନେଇ ଗର୍ବିତ, ସେମାନଙ୍କ ମଧ୍ୟରେ ଆଧୁନିକ ସାରସ୍ୱତ ଜଗତର ଅନ୍ୟତମ ଅଗ୍ରଦୂତ ଭକ୍ତକବି ମଧୁସୂଦନ ରାଓ ଅନ୍ୟତମ । ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ଆଦୃତ ମଧୁସୂଦନ ୧୮୫୩ ମସିହା ଜାନୁଆରି ୧୯ ତାରିଖରେ ତତ୍କାଳୀନ ଅବିଭକ୍ତ ପୁରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଭାଗିରଥି ସିଂହ ଓ ମାତାଙ୍କ ନାମ ଥିଲା ଅମ୍ବିକା ଦେବୀ । ସେ ବ୍ରାତ୍ୟ ମରହଟ୍ଟା ପରିବାରର ହୋଇଥିଲେ ମଧ୍ୟ ପରେ ବ୍ରାହ୍ମଧର୍ମରେ ଦୀକ୍ଷିତ ହୋଇଥିଲେ ।

ମଧୁସୂଦନଙ୍କ ବାଲ୍ୟଶିକ୍ଷା ଓ ଏଣ୍ଟ୍ରାନ୍ସ ପୁରୀ ଜିଲ୍ଲାସ୍କୁଲରେ ସମାପନ ହୋଇଥିଲା । ସେ ୧୮୬୯ ମସିହାରେ ଦ୍ୱିତୀୟ ଶ୍ରେଣୀରେ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ୧୮୭୧ ମସିହାରେ କଟକ କଲେଜରୁ ପ୍ରଥମ ଶ୍ରେଣୀରେ  କଳା ବିଭାଗରେ ଏଫ.ଏ ଶିକ୍ଷା ସମ୍ପୂର୍ଣ୍ଣ କରିଥିଲେ ।  ତାଙ୍କର  ଜୀବନକାଳ ଶିକ୍ଷା ବିଭାଗରେ ହିଁ ବିତିଥିଲା । ପ୍ରଥମେ ଯାଜପୁର ମଧ୍ୟ-ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକରୂପେ ଦେଢ଼ବର୍ଷ କାର୍ଯ୍ୟ କରି ୧୮୭୩ ଅକ୍ଟୋବର ୨୯ ତାରିଖରେ ବାଲେଶ୍ଵର ଜିଲ୍ଲାସ୍କୁଲର ଦ୍ଵିତୀୟ ଶିକ୍ଷକ, ୧୮୭୬ରେ କଟକ କଲେଜିଏଟ୍ ସ୍କୁଲର ସହକାରୀ ଶିକ୍ଷକ, ପରେ ଡେପୁଟି ଇନ୍ସପେକ୍ଟର, ୧୮୯୩ରେ କଟକ ଟ୍ରେନିଂ ସ୍କୁଲର ହେଡ଼ମାଷ୍ଟର, ପରିଶେଷରେ ଅତିରିକ୍ତ ଇନ୍ସପେକ୍ଟରରୂପେ ଅବସ୍ଥାପିତ ହୋଇ ୧୯୦୯ ମସିହା ଜୁଲାଇ ମାସରେ ଶିକ୍ଷା ବିଭାଗରୁ ଅବସର ଗ୍ରହଣ କରିଥିଲେ । ଓଡ଼ିଶାରେ ଆଧୁନିକ ଶିକ୍ଷା, ବିଶେଷତଃ ରୁଚିନିଷ୍ଠ ମନୋଭୂମି ଗଠନରେ ତାଙ୍କର ଭୂମିକା ଏକାନ୍ତଭାବେ ସ୍ମରଣୀୟ ।

ବାଲେଶ୍ଵରରେ ହିଁ ରାଧାନାଥ, ଫକୀର ମୋହନ ଓ ମଧୁସୂଦନଙ୍କ ସାରସ୍ୱତ ମିଳନ ଘଟିଥିଲା । ତେବେ ରାଧାନାଥ ରାୟ ପୁରୀ ଜିଲ୍ଲା ସ୍କୁଲରେ ମଧୁସୂଦନଙ୍କର ଶିକ୍ଷକ ଥିଲେ । ସେହିଠାରେ ହିଁ ସେ ରାଧାନାଥଙ୍କ ସାନ୍ନିଧ୍ୟ ଲାଭ କରିବା ପରେ ତାଙ୍କ ପ୍ରାଣରେ କବିଭାବର ଉଦ୍‌ବେଳ‌ନ ଘଟିଥିଲା । ଏହି କବିସତ୍ତା ବାଲେଶ୍ଵର ରହଣିକାଳରେ ଅଧିକ ଦୀପ୍ତ ହୋଇଥିଲା । କୁମାର ବୈକୁଣ୍ଠ ଦେଙ୍କ ସହାୟତାରେ ବାଲେଶ୍ଵରରୁ ୧୮୭୩ ମସିହାରେ ପ୍ରକାଶିତ ‘ଉତ୍କଳଦର୍ପଣ’ ପତ୍ରିକା ମଧୁସୂଦନଙ୍କ ସାରସ୍ୱତ ପ୍ରତିଭା ପ୍ରକାଶନର ମାଧ୍ୟମରେ ପରିଣତ ହୋଇଥିଲା । ୧୮୭୬ ମସିହାରେ ପ୍ରକାଶ ପାଇଥିଲା ମଧୁସୂଦନ ରାଓଙ୍କ ପ୍ରଥମ କବିତା ସଂକଳନ ‘ଯୌଥ କବିତାବଳୀ’ । ଏଥିରେ ରାଧାନାଥଙ୍କର ତିନିଟି ଓ ମଧୁସୂଦନଙ୍କର ସାତଟି କବିତା ସ୍ଥାନିତ ହୋଇଥିଲା । ଏହି ଯୌଥ ପ୍ରଚେଷ୍ଟାରୁ ଓଡ଼ିଆ ଗତାନୁଗତିକ କାବ୍ୟଧାରାରେ ନବଚେତନାର ଶୁଭାରମ୍ଭ ଘଟିଥିଲା । ଏଠାରେ ସ୍ମରଣ କରାଯାଇପାରେ ଯେ ମଧୁସୂଦନଙ୍କ କବିତାଗୁଡ଼ିକ ସଂକଳିତ ହେବା ପୂର୍ବରୁ ‘ଉତ୍କଳଦର୍ପଣ’ର ବିଭିନ୍ନ ସଂଖ୍ୟାରେ ସ୍ଥାନିତ ହୋଇଥିଲା । ‘ଶ୍ମଶାନ’ କବିତା ତାଙ୍କର ପ୍ରଥମ ସାରସ୍ୱତ ସୃଷ୍ଟି । ତାଙ୍କ କବିତାର ସଂକଳନଗୁଡ଼ିକ ହେଉଛି– ‘କବିତାବଳୀ’ (୧ମ ଓ ୨ୟ ଭାଗ), ‘ଛାନ୍ଦମାଳା’ (୧ମ ଓ ୨ୟ ଭାଗ), ‘କୁସୁମାଞ୍ଜଳି’, ’ବସନ୍ତ ଗାଥା’, ‘ଉତ୍କଳଗାଥା’, ଓ ‘ସଙ୍ଗୀତମାଳା’ । ଏହାବ୍ୟତୀତ ‘ହିମାଚଳେ ଉଦୟ ଉତ୍ସବ’ ପରି ଉଦାତ୍ତ କବିତା, ‘ସାବାସ୍ ସାହିତ୍ୟ ଚର୍ଚ୍ଚା, ସାବାସ୍ ସାବାସ୍’, ‘ଭଣ୍ଡ ରସାୟନ କାବ୍ୟ’ ପରି ବ୍ୟଙ୍ଗ ରଚନା ଏବଂ ‘ବିବିଧ କବିତା’ ଇତ୍ୟାଦି ତାଙ୍କ ଗ୍ରନ୍ଥାବଳୀରେ ସଂକଳିତ ହୋଇଛି ।

ମଧୁସୂଦନ ବସ୍ତୁତଃ ଆଧୁନିକ ଗୀତିକବିତାର ପ୍ରାଣ-ପ୍ରତିଷ୍ଠାତା । ତାଙ୍କ ଗୀତିକବିତାଗୁଡ଼ିକର ଆଧାର ମୁଖ୍ୟତଃ ଧର୍ମୀୟ ଚେତନା ହୋଇଥିବାରୁ  ତାଙ୍କୁ ଓଡ଼ିଆ ପାଠକମାନେ ‘ଭକ୍ତକବି’ ଉପାଧିରେ ଭୂଷିତ କରିଛନ୍ତି । ସେ ଓଡ଼ିଆ କବିତାରେ ପାଶ୍ଚାତ୍ୟ କାବ୍ୟକଳାର ପ୍ରବର୍ତ୍ତନ କରାଇ ନୂତନ କାବ୍ୟରୀତିର ସନ୍ଧାନ ଦେଇଛନ୍ତି । ଓଡ଼ିଆରେ ସନେଟ୍, ଏଲିଜି (ଶୋକଗୀତି), ଓଡ଼୍‍ (ସମ୍ବୋଧଗୀତି), ନ୍ୟାରେଟିଭ୍ (ବର୍ଣନାତ୍ମକ କବିତା), ହାଇମନ୍ (ସ୍ତୋତ୍ର) ଆଦି କାବ୍ୟରୀତିର ସେ ସଫଳ ସ୍ରଷ୍ଟା ।

ମଧୁସୂଦନ ଆଧୁନିକ ଗଦ୍ୟ, ବିଶେଷତଃ ଅଭିଜାତ ଓଡ଼ିଆ ଗଦ୍ୟଶୈଳୀର ଜନକ । ‘ପ୍ରବନ୍ଧମାଳା’ର ବିଭିନ୍ନ ପ୍ରବନ୍ଧ, ଏଯାବତ୍ ସଂକଳିତ ହୋଇନଥିବା ‘କବିର କୌଶଳ’, ‘ଭାରତୀୟ ସମାଜ’, ‘ଅନନ୍ତ ଆମ୍ଭମାନଙ୍କର ଆଦର୍ଶ’, ‘ପୂର୍ଣ୍ଣଧର୍ମ’, ‘ଧର୍ମର ବଳ’, ‘କବିତା ଅଧ୍ୟୟନ’, ‘ଅଧ୍ୟାତ୍ମତତ୍ତ୍ଵ ଚିନ୍ତା’, ‘ଓଡ଼ିଆ ଭାଷା’ ପରି ଗଦ୍ୟକୃତି ତାଙ୍କ ଅଭିଜାତ ଗଦ୍ୟଶୈଳୀର ପରିଚାୟକ । ବସ୍ତୁତଃ ଓଡ଼ିଆ ପ୍ରବନ୍ଧ ସାହିତ୍ୟର ପ୍ରଥମ ପିଢ଼ିର ଲେଖକଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ ପ୍ରତିଭା । ସେ ଗଳ୍ପ ଉପନ୍ୟାସ ଲେଖିନଥିଲେ ମଧ୍ୟ ‘ପ୍ରଣୟର ଅଭୁତ ପରିଣାମ’ ପରି ଅନୁବାଦ କୃତି ସହ ‘ହେମମାଳା’ ପରି ଗଳ୍ପଟିଏ ଲେଖିବାର ପ୍ରୟାସ କରିଛନ୍ତି ।

ମଧୁସୂଦନଙ୍କ ରଚିତ ‘ସାହିତ୍ୟ କୁସୁମ’, ‘ସାହିତ୍ୟ ପ୍ରସଙ୍ଗ’, ‘ଶିଶୁବୋଧ’, ‘ବାଳବୋଧ’ ପରି ପାଠ୍ୟପୁସ୍ତକରେ କିଶୋର ଓ ଶିଶୁଙ୍କୁ ଶିକ୍ଷାଦେବା ନିମିତ୍ତ କେତେକ ଗଳ୍ପଧର୍ମୀ ରଚନା ରହିଥିଲା । ତାଙ୍କ ରଚିତ ‘ବର୍ଣ୍ଣବୋଧ’ ୧୮୯୫ ଖ୍ରୀଷ୍ଟାବ୍ଦରେ ପ୍ରଥମେ ପ୍ରକାଶିତ ହୋଇଥିଲା  । ଏଥିରେ ଆଧୁନିକ ଭାଷା ଓ ସାହିତ୍ୟର ଅବବୋଧପାଇଁ ଇଙ୍ଗିତ ରହିବା ସହିତ ଶିଶୁର ଭାଷାପରିଚୟ, ଭାଷାଶିକ୍ଷା, ଶବ୍ଦ-ଶୁଦ୍ଧତା ସମ୍ପର୍କରେ ତାଲିମ ଦେବାର ପ୍ରଚେଷ୍ଟା କରାଯାଇଥିଲା ।

ମୌଳିକ ରଚନା ପରି ଅନୁବାଦ କ୍ଷେତ୍ରରେ ମଧ୍ୟ ମଧୁସୂଦନଙ୍କ ଦକ୍ଷତା ବେଶ୍ ପ୍ରଶଂସନୀୟ । ଇଂରାଜୀରୁ ଅନୂଦିତ କୃତିଗୁଡ଼ିକ ମଧ୍ୟରେ ‘ନିର୍ବାସିତର ବିଳାପ’ ‘କବିତାର ଜନ୍ମମରଣ’ ଓ ‘ଆତ୍ମସମର୍ପଣ’ ମୁଖ୍ୟ । ତେବେ ମଧୁସୂଦନ ସଂସ୍କୃତରୁ ମଧ୍ୟ ‘ଉତ୍ତର ରାମଚରିତ’ ସହିତ କେତେକ କାବ୍ୟକୃତି ଅନୁବାଦ କରିଛନ୍ତି । ‘ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ’ ରଘୁବଂଶର ତ୍ରୟୋଦଶ ସର୍ଗର ଓଡ଼ିଆ ରୂପାନ୍ତର । ‘ସୀତା ବନବାସ’, ‘ଶ୍ରୀରାମ ବନବାସ’ ଓ ‘ବାଳ ରାମାୟଣ’ ବାଲ୍ମୀକି ରାମାୟଣର ଅନୁକୃତି । ଏତଦ୍‌ବ୍ୟତୀତ, ସେ ଛାତ୍ର ଓ ଶିକ୍ଷକମାନଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ୧୯୧୨ରେ ‘ସୁଖବୋଧ ଅଭିଧାନ’ ମଧ୍ୟ ସଂକଳନ କରିଥିଲେ ।

ଭକ୍ତକବି ମଧୁସୂଦନ ରାଓଙ୍କ ସମ୍ପର୍କରେ ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ସେ ଥିଲେ ଜଣେ ପ୍ରତିଭାଧର ସ୍ରଷ୍ଟା ଏବଂ ଏହି ସୃଷ୍ଟିକୁ ଅମୃତମୟ ଭାବେ ପରିକଳ୍ପନା କରିବାରେ ତାଙ୍କର କବିତା ଶତଜିହ୍ଵ ଥିଲା । ମଧୁସୂଦନ ୧୯୧୨ ମସିହା ଡିସେମ୍ବର ୨୮ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।


ରଚନାବଳୀ
ଗୀତିକବିତା ସଂକଳନ
ଗଳ୍ପ ସଂକଳନ
ପ୍ରବନ୍ଧ ସଂକଳନ
ଶିଶୁ ସାହିତ୍ୟ
ପ୍ରବନ୍ଧ

Copyright © 2024 Odia Virtual Academy. All rights reserved      Total Visitors-   1

scroll