ପଣ୍ଡିତ କୃପାସିନ୍ଧୁ ମିଶ୍ର

ଆବିର୍ଭାବ :- ୨୭-୦୬-୧୮୮୭
ତିରୋଧାନ :- ୧୨-୦୨-୧୯୨୬
ଜନ୍ମସ୍ଥାନ :- ବୀରହରେକୃଷ୍ଣପୁର, ସାକ୍ଷୀଗୋପାଳ. ପୁରୀ

ପଣ୍ଡିତ କୃପାସିନ୍ଧୁଙ୍କ ଜନ୍ମସ୍ଥାନ ହେଉଛି ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମରେ । ସତ୍ୟବାଦୀ ଯୁଗର ଜଣେ ଅନନ୍ୟ ସାହିତ୍ୟିକ, ଐତିହାସିକ, ସମାଜସେବୀ ଓ ଉଚ୍ଚକୋଟୀର ଶିକ୍ଷକରୂପେ ସେ ଓଡ଼ିଆମାନଙ୍କ ନିକଟରେ ଚିରସ୍ମରଣୀୟ । ‘‘ମଣିଷ ଗଢ଼ା କାରଖାନା’’ ଭାବରେ ବହୁ ଜନପ୍ରିୟ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା ଓ ପ୍ରଧାନ ଶିକ୍ଷକତ୍ୱ ତାଙ୍କର ବ୍ୟକ୍ତିତ୍ଵକୁ ଏକ ଅସାଧାରଣ ମହାପୁରୁଷରୂପେ ଚିତ୍ରିତ କରିଥିଲା । ବାଲ୍ୟକାଳରୁ ପିତୃବିୟୋଗ କାରଣରୁ ନିଜ ମାଉସୀଙ୍କ ପାଖରେ ପାଳିତ ହେଲେ, ମାତ୍ର ସେଠାରେ ଅବହେଳିତ ହେବା କାରଣରୁ ପୁନଶ୍ଚ ନିଜର ମାତୁଳାଳୟକୁ ଯାଇଥିଲେ । ଗାଁ ସ୍କୁଲରୁ ପୁରୀ ଜିଲ୍ଲା ସ୍କୁଲ ଓ ତତ୍ପରେ ରେଭେନ୍ସା କଲେଜିଏଟ ସ୍କୁଲରେ ନିଜର ଶିକ୍ଷାଗ୍ରହଣ କରି ପରବର୍ତ୍ତୀ ସମୟରେ ସେ ରେଭେନ୍ସା ମହାବିଦ୍ୟାଳୟରୁ ଏଫ୍‍.ଏ. କରିଥିଲେ । ୧୯୧୪ ମସିହାରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟବାଦୀ ବନ ବିଦ୍ୟାଳୟରେ ସହକାରୀ ଶିକ୍ଷକରୂପେ ନିଜ ଶିକ୍ଷକ ଜୀବନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସଂସ୍କୃତ, ଓଡ଼ିଆ ଓ ଇଂରାଜୀ ଭାଷାରେ ଅଗାଧ ପାଣ୍ଡିତ୍ୟ ଯୋଗୁଁ ତାଙ୍କର ବାଗ୍ମୀ ପ୍ରତିଭା ଉଦ୍ଭାସିତ ହୋଇଉଠିଲା । ସରଳ ଓ ନିରାଡ଼ମ୍ବର ଜୀବନଯାପନକୁ ଜୀବନର ମାନଦଣ୍ଡଭାବେ ଗ୍ରହଣ କରିଥିବା ମହାନ୍‍ ଶିକ୍ଷକ କୃପାସିନ୍ଧୁ ସଦା ସର୍ବଦା ଧୋତି ଓ କୁର୍ତ୍ତା ପରିଧାନ କରୁଥିଲେ । ବାରବାଟୀ ଦୁର୍ଗ, କୋଣାର୍କ, ଓଡ଼ିଶାର ଇତିହାସ, ନବ ଯୌବନର ବିପଦ, କା, ଅଦୃଷ୍ଟବାଦ, ଲୀଳା, କବିତା, ରାଜଭକ୍ତି, ପ୍ରାଚ୍ୟ ଭୂଖଣ୍ଡର ଅଭ୍ୟୁତ୍‍ଥାନ, ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର, ଭାରତ ଇତିହାସରେ ବୈଦେଶିକ ଆକ୍ରମଣ, ହିନ୍ଦୁର ସମାଜ ବିଧାନ ପ୍ରଭୃତି ସାହିତ୍ୟିକ ଓ ଐତିହାସିକ ସଂରଚନା ପାଇଁ ସେ କାଳଜୟୀ ହୋଇ ରହିବେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll