ଆବିର୍ଭାବ :- ୦୫-୦୯-୧୯୪୧
ଜନ୍ମସ୍ଥାନ :-
କବି ଶ୍ରୀ ସୌଭାଗ୍ୟ କୁମାର ମିଶ୍ର ଓଡ଼ିଆ କବିତାରେ ଆଧୁନିକୋତ୍ତର କାବ୍ୟ ଯୁଗର ଅନ୍ୟତମ ଅଗ୍ରଦୂତ ଭାବରେ ସୁପରିଚିତ । ଶ୍ରୀ ମିଶ୍ର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଶ୍ରୀ ଦାମୋଦର ମିଶ୍ର ଓ ମାତାଙ୍କ ନାମ ସାବିତ୍ରୀ ମିଶ୍ର । ୧୯୫୫ ମସିହାରୁ ଲେଖନୀ ଚାଳନା କରିଆସୁଥିବା ଶ୍ରୀ ମିଶ୍ର ୨୫ରୁ ଊର୍ଦ୍ଧ୍ୱ କବିତା ଗ୍ରନ୍ଥର ସ୍ରଷ୍ଟା । ଇଂରାଜୀ ଭାଷା ସାହିତ୍ୟରେ ପ୍ରଥମ ଶ୍ରେଣୀରେ ଶୀର୍ଷ ସ୍ଥାନ କରି ସ୍ନାତକୋତ୍ତର ଡିଗ୍ରୀ ଓ ପରେ ଡକ୍ଟରେଟ ଉପାଧି ହାସଲ କରିବା ପରେ କଲେଜରେ ଅଧ୍ୟାପନା କରିଥିଲେ । ବିଜେବି କଲେଜ ଓ ରେଭେନ୍ସା ମହାବିଦ୍ୟାଳୟ ଆଦିରେ ଶିକ୍ଷାଦାନ କରିବା ପରେ, ୧୯୭୮ରୁ ୨୦୦୧ ଯାଏଁ ବହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ତଥା ଅଧ୍ୟକ୍ଷ ପଦରେ ଥାଇ ସେବାନିବୃତ୍ତ ହୋଇଥିଲେ । ୧୯୮୬ ମସିହାରେ ତାଙ୍କ କବିତା ସଂକଳନ ‘ଦ୍ୱା ସୁପର୍ଣ୍ଣା' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଆଜୀବନ ସାହିତ୍ୟ ସାଧନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ରାଜ୍ୟପାଳଙ୍କ ସମ୍ମାନ ଫଳକ, ବିଷୁବ ପୁରସ୍କାର, ସାରଳା ସମ୍ମାନ, ଗଙ୍ଗାଧର ଜାତୀୟ ସମ୍ମାନ, ସଚ୍ଚି ରାଉତରାୟ କବିତା ସମ୍ମାନ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଥମ ରାଇଟର-ଇନ୍-ରେସିଡେନ୍ସ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ରଚନାବଳୀ- ଆତ୍ମନେପଦୀ, ମଧ୍ୟପଦଲୋପୀ, ନଈ ପହଁରା, ଅନ୍ଧ ମହୁମାଛି, ବଜ୍ରଯାନ, ଦ୍ୱା ସୁପର୍ଣ୍ଣା, ମଣିକର୍ଣ୍ଣିକା, ଅନ୍ୟତ୍ର, ଚରାଚର, ଉଜ୍ଜୟିନୀ, ମାତୃସ୍ପର୍ଶ, ପୁନର୍ବସୁ, କଥା ଚାରିପଦ ଇତ୍ୟାଦି