ଶ୍ରୀ ବିନୋଦ କାନୁନ୍‌ଗୋ

ଆବିର୍ଭାବ :- ୦୬-୦୬-୧୯୧୨
ତିରୋଧାନ :- ୨୨-୦୬-୧୯୯୦
ଜନ୍ମସ୍ଥାନ :- ମଲ୍ଲିପୁର, କଟକ

ଓଡ଼ିଆରେ ‘ଜ୍ଞାନମଣ୍ଡଳ’ ବା ଓଡ଼ିଆ ବିଶ୍ୱକୋଷ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା ଯୁଗପ୍ରବର୍ତ୍ତକ ସାହିତ୍ୟସ୍ରଷ୍ଟା ବିନୋଦ କାନୁନଗୋ ତତ୍କାଳୀନ ଅବିଭକ୍ତ କଟକ ଜିଲା ଅନ୍ତର୍ଗତ ମଲ୍ଲିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କେଶବ ଓ ମାତାଙ୍କ ନାମ ପିର । ପରିବାରର ଆର୍ଥିକ ଦୁଃସ୍ଥିତି ହେତୁ ବାଲ୍ୟକାଳରୁ ନାଗଣପୁରସ୍ଥ ମାମୁଁ ଘରେ ରହୁଥିଲେ । ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ତାଙ୍କ ମାମୁଁ । ତାଙ୍କରି ତତ୍ତ୍ଵାବଧାନରେ ବାଲ୍ୟଶିକ୍ଷା ସମାପ୍ତ କରି ରେଭେନ୍ସା କଲିଜିଏଟ୍ ସ୍କୁଲରେ ଅଧ୍ୟୟନ କରିବା ସମୟରେ ହିଁ ସେ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ କରିଥିଲେ । ମାତ୍ର ୧୮ବର୍ଷ ବୟସରେ ତାଙ୍କ ଆନୁଷ୍ଠାନିକ ଶିକ୍ଷାର ପରିସମାପ୍ତି ଘଟିଥିଲା ।

ବିନୋଦ କାନୁନଗୋ ସ୍ୱାଧୀନତା ସଂଗ୍ରାମରେ ସୈନିକ ହେବାପାଇଁ ସେ ସ୍କୁଲ ଛାଡ଼ିଥିଲେ ସତ, କିନ୍ତୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପଢ଼ାପଢ଼ି ଛାଡ଼ିନଥିଲେ । ବହି ତାଙ୍କର ଗୁରୁ ଓ ଲାଇବ୍ରେରୀ ତାଙ୍କର ବିଶ୍ଵବିଦ୍ୟାଳୟ ଥିଲା । ସ୍ଵାଧୀନତା ସଂଗ୍ରାମୀ ଭାବରେ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା । କର୍ମୀ ଭାବରେ ତାଙ୍କୁ ବିଭିନ୍ନ ସଂଗଠନରେ କାର୍ଯ୍ୟ କରିବାକୁ ପଡ଼ିଥିଲା । ୧୯୫୧-୫୨ ପ୍ରଥମ ସାଧାରଣ ନିର୍ବାଚନରେ ସେ ବିଧାନସଭା ପାଇଁ ସୋସାଲିଷ୍ଟ ଦଳ ତରଫରୁ  ପ୍ରାର୍ଥୀ ହୋଇଥିଲେ । କିନ୍ତୁ ପରାଜିତ ହେବାପରେ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଲୋକଶିକ୍ଷା କାର୍ଯ୍ୟକ୍ରମରେ ମନୋନିବେଶ କରିଥିଲେ । ସେହିଠାରୁ ହିଁ ସେ ଲୋକଶିକ୍ଷା ପାଇଁ ସୁଖପାଠ୍ୟ ପୁସ୍ତକ ରଚନା ଓ ଓଡ଼ିଆ ଏନସାଇକ୍ଳୋପେଡ଼ିଆ ବା ବିଶ୍ୱକୋଷ ପ୍ରଣୟନର ପରିକଳ୍ପନା କରିଥିଲେ ।

କିଛିକାଳ ସେ ‘ସମାଜ’ ଓ ‘କୃଷକ’ର ସମ୍ପାଦନା କରିଥିଲେ । ୧୯୫୪ରୁ ‘ଜ୍ଞାନମଣ୍ଡଳ’ ପ୍ରଣୟନ ଓ ଶିଶୁ ପୁସ୍ତକମାଳା ରଚନା ପାଇଁ ଦୁଃସାହସିକ କଠିନ ସାଧନା ଆରମ୍ଭ କରି ସେ କୃତକାର୍ଯ୍ୟ ହୋଇଥିଲେ । ଆର୍ଥିକ ଅନଟନ ଭିତରେ ଏତେ ବ୍ୟୟସାପେକ୍ଷ ବଡ଼ କାର୍ଯ୍ୟଟିଏ କରି ସେ ପ୍ରତିପାଦନ କରିଦେଇଥିଲେ ଯେ ଜୀବନବ୍ୟାପୀ ନିଷ୍ଠା, ସାଧନା ଓ ଅଧ୍ୟବସାୟ ବଳରେ ଯେକୌଣସି ଦୁଃସାଧ୍ୟ କାର୍ଯ୍ୟ ସମ୍ପନ୍ନ କରିବା ସମ୍ଭବ ।

‘ଜ୍ଞାନମଣ୍ଡଳ’ ତାଙ୍କର ଏହି ଅଭୂତପୂର୍ବ ନିଷ୍ଠାର ଫଳଶ୍ରୁତି । ଲୋକଶିକ୍ଷା କ୍ଷେତ୍ରକୁ ଏହି ମହତ୍‍ ଅବଦାନ ପାଇଁ ସେ ଓଡ଼ିଆ ଜାତିର  ଚିରନମସ୍ୟ ହୋଇ ରହିବେ । ଭାରତ ସରକାର ୧୯୮୬ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଥିଲେ । ଆତ୍ମଜୀବନୀ ‘ଋଣ ପରିଶୋଧ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଶିଶୁ ସାହିତ୍ୟ ‘ଛାତିକୁ ପଥର କରି’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।

ତାଙ୍କ ରଚିତ ପୁସ୍ତକ ମଧ୍ୟରେ ୪୨ ଖଣ୍ଡବିଶିଷ୍ଟ  ଜ୍ଞାନମଣ୍ଡଳ, ୩୬୫ ଦିନ ଶିଶୁ ପୁସ୍ତକମାଳାର ବିଭିନ୍ନ ବିଷୟରେ ୪୨ ଖଣ୍ଡ ପୁସ୍ତକ ବେଶ୍‍ ଲୋକପ୍ରିୟତା ହାସଲ କରିଥିଲା । ‘ଜ୍ଞାନମଣ୍ଡଳ’ ଓଡ଼ିଆ ଭାଷାର ବିରାଟ ବିଶ୍ଵକୋଷ । ପ୍ରଥମେ ଓଡ଼ିଆ ଭାଷାରେ ‘ଜ୍ଞାନକୋଷ’ ପ୍ରସ୍ତୁତ ହୋଇଥିଲା ଉତ୍କଳ ବିଶ୍ଵବିଦ୍ୟାଳୟ ଆନୁକୂଲ୍ୟରେ, କିନ୍ତୁ ଜଣେ ବ୍ୟକ୍ତିବିଶେଷଙ୍କ ଉଦ୍ୟମ ଏପରି ଚରିତାର୍ଥ ହେବା କ୍ଵଚିତ୍‌ ଦେଖିବାକୁ ମିଳେ । ତାଙ୍କର ଆଦର୍ଶ ଥିଲା ‘ଏନସାଇକ୍ଳୋପେଡ଼ିଆ ବ୍ରିଟାନିକା’ ।

ଲୋକଶିକ୍ଷାପାଇଁ ‘ଜ୍ଞାନମଣ୍ଡଳ’ର ବିକଳ୍ପ ନାହିଁ । ସେ ଓଡ଼ିଆ ଭାଷାର ମର୍ଯ୍ୟାଦା ବଢ଼ାଇଥିଲେ । ସେଦିନର ଗୋପାଳଚନ୍ଦ୍ର ପ୍ରହରାଜଙ୍କ ‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’-କୀର୍ତ୍ତିର ସମକକ୍ଷ ବିନୋଦ କାନୁନଗୋଙ୍କ ‘ଜ୍ଞାନମଣ୍ଡଳ’ର କୀର୍ତ୍ତି । ପରବର୍ତ୍ତୀକାଳରେ ଜ୍ଞାନମଣ୍ଡଳ ଫାଉଣ୍ଡେସନ୍ ଆନୁକୂଲ୍ୟରେ ଭୁବନେଶ୍ଵରଠାରେ ଜାତୀୟ ଏନସାଇକ୍ଳୋପେଡ଼ିଆ କେନ୍ଦ୍ର ପ୍ରତିଷ୍ଠିତ ହୋଇଥିଲା ।


ରଚନାବଳୀ
କବିତା

Copyright © 2024 Odia Virtual Academy. All rights reserved      Total Visitors-   1

scroll