ଶ୍ରୀମତୀ ବିଦ୍ୟୁତ୍‍ପ୍ରଭା ଦେବୀ

ଆବିର୍ଭାବ :- ୧୨-୦୭-୧୯୨୬
ତିରୋଧାନ :- ୨୮-୦୧-୧୯୭୭
ଜନ୍ମସ୍ଥାନ :- ଝଙ୍କଡ଼, ଜଗତସିଂହପୁର

ଆଧୁନିକ ଓଡ଼ିଆ କବିତାରେ ଜଣେ ମରମୀ କବିଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ଅନ୍ୟତମ ଓଡ଼ିଆ ନାରୀକବି ବିଦ୍ୟୁତ୍‍ପ୍ରଭା ଦେବୀ ଜଗତ୍‍ସିଂହପୁର ଜିଲ୍ଲା ଝଙ୍କଡ଼ସ୍ଥିତ ମାମୁଘରେ ୧୯୨୬ ଜୁଲାଇ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନିମାଇଁ ଚରଣ ଦାସ ଓ ମାତାଙ୍କ ନାମ ଥିଲା ରେଖା । ବିଦ୍ୟୁତ୍‍ପ୍ରଭାଙ୍କ ସ୍ଵାମୀ ଥିଲେ ପଞ୍ଚାନନ ମହାନ୍ତି । ବିଦ୍ୟୁତ୍‍ପ୍ରଭା ଦେବୀ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ମଧ୍ୟ କାବ୍ୟକବିତା ପଠନ ସ୍ପୃହା ହେତୁ କବିତା ଲିଖନ ପ୍ରତି ଆକର୍ଷିତ ହୋଇ ଜଣେ ପ୍ରତିଭାଧର କବୀଭାବେ ଯଶସ୍ୱିନୀ ହୋଇପାରିଥିଲେ ।

ବିଦ୍ୟୁତ୍‍ପ୍ରଭା ଦେବୀଙ୍କ ସାରସ୍ଵତ କୃତି ମଧ୍ୟରେ ଅନ୍ତର୍ଭୁକ୍ତ ‘ସବିତା’ (୧୯୪୭), ‘ଉତ୍କଳ ସାରସ୍ଵତ ପ୍ରତିଭା’ (୧୯୪୭), ‘କନକାଞ୍ଜଳି’ (୧୯୪୮), ‘ମରୀଚିକା’ (୧୯୪୮), ‘ବିହାୟସୀ’ (୧୯୪୯), ‘ବନ୍ଦନିକା’ (୧୯୫୦), ‘ସ୍ଵପ୍ନଦୀପ’ (୧୯୫୧), ‘ଝରାଶିଉଳୀ’ (୧୯୫୨), ‘ଯାହାକୁ ଯିଏ’ (୧୯୫୭), ‘ସଞ୍ଚୟନ’ (୧୯୫୭) ।

ସ୍ଵାଧୀନତାର କିଞ୍ଚିତ୍ ପ୍ରାକ୍‍କାଳରେ ଓଡ଼ିଆ ନାରୀ-ଲେଖନୀର ଅଭାବ ପୂରଣ କରିଥିଲେ ସ୍ମରଣୀୟ ପ୍ରତିଭା ବିଦ୍ୟୁତ୍‍ପ୍ରଭା ଦେବୀ । ତାଙ୍କର ଶୈଶବ ମନୋରମ ପଲ୍ଲୀପରିବେଶ ମଧ୍ୟରେ ଅତିବାହିତ ହୋଇଥିଲା । କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ବ୍ରାହ୍ମଣୀ ଓ କାଣୀନଦୀ-ବିଧୌତ ଗ୍ରାମାଞ୍ଚଳର ସରଳ ସୁନ୍ଦର ପ୍ରକୃତି ତାଙ୍କ ପ୍ରାଣରେ କବିତାର ଉନ୍ମେଷ କରାଇଥିଲା ଓ ପଲ୍ଲୀପ୍ରକୃତି ଚିତ୍ରଣରେ ସେ ପଲ୍ଲୀକବି ନନ୍ଦକିଶୋରଙ୍କର ଯଥାର୍ଥ ଦାୟାଦ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ଜୀବନର ପ୍ରାରମ୍ଭରେ ଅତୀତର ବରେଣ୍ୟ ସାରସ୍ୱତ ପ୍ରତିଭାମାନଙ୍କ ରଚନାଦ୍ଵାରା ପ୍ରଭାବିତ ହୋଇ ସେମାନଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣପୂର୍ବକ ପରବର୍ତ୍ତୀ ଅବସ୍ଥାରେ ‘ଉତ୍କଳ ସାରସ୍ଵତ ପ୍ରତିଭା’ ରଚନା କରିଥିଲେ ଯାହା ଏକ ପାଠ୍ୟପୁସ୍ତକରୂପେ ପ୍ରଚଳିତ ହୋଇଥିଲା । ତାଙ୍କ ‘ଭକ୍ତିମାଲ୍ୟ’ (ସଞ୍ଚୟନ)ର କବିତାବଳୀରେ ଏକାଧାରରେ ଭକ୍ତି, ସମର୍ପଣ, ଦ୍ଵନ୍ଦ୍ୱ, ଜିଜ୍ଞାସା ଓ ଆତ୍ମନିବେଦନର ସ୍ଵର ପ୍ରକାଶ ପାଇଛି ।

ଜୀବନର ପରବର୍ତ୍ତୀ ପର୍ଯ୍ୟାୟରେ ମଣିଷର ବ୍ୟଥା-ବେଦନା, ବିଶେଷତଃ ନାରୀମନର ଅକୁହା ଅନୁଭବପାଇଁ ସେ ବିଶେଷ ସମ୍ବେଦନଶୀଳ ହୋଇପଡ଼ିଥିଲେ । ଏହି ପର୍ଯ୍ୟାୟର କବିତାରେ ତାଙ୍କର ମାନବବାଦୀ ଓ ବାସ୍ତବବାଦୀ ଦୃଷ୍ଟିକୋଣ ପ୍ରତିଫଳିତ ।

ପୁରପଲ୍ଲୀର ନିତିଦିନିଆ ଦୃଶ୍ୟ ଏବଂ ସଜଳ ପ୍ରକୃତିର ସରଳ ଆବେଦନ ତାଙ୍କ କବିତାର ଅନ୍ୟତମ ବିଭବ । ପଲ୍ଲୀର ରଜପର୍ବ, ମାଣବସା, ଦୀପାବଳି, ପ୍ରଥମାଷ୍ଟମୀ, କୁଆଁର ପୁନେଇଁଠାରୁ ଆରମ୍ଭ କରି ବର୍ଷା, ଦିଅଁଦେବତା ନଈପୋଖରୀ, ସଞ୍ଜ ସକାଳ, ଆଲୁଅ ଅନ୍ଧାର ତାଙ୍କ କବିତାଗୁଡ଼ିକରେ ଖୁବ ସୁକୁମାର ଭାବରେ ଉତ୍କୀର୍ଣ୍ଣ । ‘କନକାଞ୍ଜଳି’ ଓ ‘ସ୍ଵର୍ଣ୍ଣ ଦୀପ' ଆଦି କବିତାଗୁଛ ପଲ୍ଲୀପ୍ରକୃତି ଓ ପଲ୍ଲୀଲଳନାର ମାର୍ମିକ ଓ ସୂକ୍ଷ୍ମ ଚିତ୍ରଣ । ନାରୀ ତାଙ୍କ କବିତାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

ପୁରୁଷ, ନାରୀ, ପଲ୍ଲୀପ୍ରକୃତି ଓ ଜୀବନର ବାସ୍ତବତାକୁ କବିତାରେ ରୂପ ଦେଉ ଦେଉ କବିଙ୍କର କାବ୍ୟସତ୍ତା କ୍ରମଶଃ ଉତ୍ତରଣମୁଖୀ ହୋଇଥିଲା । ସରଳ, ଆବେଗପ୍ରଣୋଦିତ ପ୍ରକାଶଭଙ୍ଗୀରେ ଧୀରେ ଧୀରେ ଗଭୀର ଦାର୍ଶନିକତାର ସ୍ଫୁରଣ ଘଟିଥିଲା ତାଙ୍କ କବିତାରେ । ‘କାଳଧର୍ମ’, ‘ଧୁନି’, ‘ମଶାଣିର ସ୍ମୃତି’, ‘ଦୁର୍ଗା’, ‘ସୃଷ୍ଟିର ବୈଚିତ୍ର୍ୟ’ ଓ ‘କବିର ଭଗବାନ’ ଆଦି କବିତା ତାଙ୍କ ଦାର୍ଶନିକ ଚିନ୍ତାଧାରାର ପ୍ରତିଫଳନ । ବିଦ୍ୟୁତ୍‍ପ୍ରଭା ଦେବୀଙ୍କ କବିତା ମୁଖ୍ୟତଃ ଗୀତିଧର୍ମୀ । କିନ୍ତୁ ଆଧୁନିକତାକୁ ଅନୁସରଣ କରି ସେ ମୁକ୍ତଛନ୍ଦରେ ମଧ୍ୟ କେତେକ କବିତା ରଚନା କରିଛନ୍ତି ।

କବିଙ୍କର ବହୁ ଲେଖା ଅପ୍ରକାଶିତ । ସାରସ୍ଵତ ସାଧନାବଳରେ ସେ ଓଡ଼ିଆ ସାହିତ୍ୟର ମରମୀ କାବ୍ୟ-ପାଠକଙ୍କ ପ୍ରାଣରେ ଏକ ସମ୍ମାନାସ୍ପଦ ଆସନର ଅଧିକାରିଣୀ ହୋଇପାରିଛନ୍ତି ।


ରଚନାବଳୀ
କବିତା ସଂକଳନ

Copyright © 2023 Odia Virtual Academy. All rights reserved      Total Visitors-   1

scroll