ଶ୍ରୀ ରାଧାନାଥ ରଥ

ଆବିର୍ଭାବ :- ୦୬-୧୨-୧୮୯୬
ତିରୋଧାନ :- ୧୧-୦୨-୧୯୯୮
ଜନ୍ମସ୍ଥାନ :- ରାଧାନାଥପୁର, ଆଠଗଡ଼, କଟକ

ସାମଭବାଦିକତା ଓ ସମାଜ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିବା ଯଶସ୍ୱୀ ପୁରୁଷ ଡଃ ରାଧାନାଥ ରଥ କଟକ ଜିଲ୍ଲା ଆଠଗଡ଼ର ରାଧାନାଥପୁର ଶାସନରେ ୧୮୯୬ ମସିହା ଡିସେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ରାଧାନାଥଙ୍କ ପିତାଙ୍କ ନାମ ଥିଲା ଜଗନ୍ନାଥ ରଥ ଓ ମାତାଙ୍କ ନାମ ଥିଲା କମଳୀ ଦେବୀ । ତାଙ୍କର ପ୍ରାରମ୍ଭିକ ଶିକ୍ଷା ବାଲେଶ୍ୱରର ଜୁବିଲି ସ୍କୁଲରେ ହୋଇଥିଲା । ପରେ ସେ କଟକର  ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ ପାସ କରିଥିଲେ ଓ ସେହି ସମୟରେ ସାବିତ୍ରୀ ଦେବୀଙ୍କୁ ବିବାହ କରିଥିଲେ ।

ରାଧାନାଥ ରଥ ନିଜ କର୍ମମୟ ଜୀବନ ବନ ବିଭାଗର ଏକ କିରାଣୀ ପଦରୁ ଆରମ୍ଭ କରିଥିଲେ । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆହ୍ୱାନରେ ଚାକିରି ଛାଡ଼ି ସେ ‘ସତ୍ୟବାଦୀ ପ୍ରେସ’ରେ ଯୋଗଦେଇଥିଲେ ଓ ସେଠାରେ ‘ସମାଜ’ ପତ୍ରିକାର ପ୍ରକାଶନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ୧୯୫୨ରୁ ୧୯୫୯ ପର୍ଯ୍ୟନ୍ତ ରାଧାନାଥ ରଥ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥ ଓ ଶିକ୍ଷାମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ୧୯୫୯ ମସିହାରେ ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳରେ ମଧ୍ୟ ବନ ବିଭାଗର ମନ୍ତ୍ରୀ ରୂପରେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଶ୍ରୀ ରଥ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ । ପରେ  ଲାଲା ଲଜପତ ରାୟଙ୍କଦ୍ୱାରା ପ୍ରତିଷ୍ଠିତ ଲୋକସେବକ ମଣ୍ଡଳର ସେ ଆଜୀବନ ସଭ୍ୟ ହେବା ସହ ଓଡ଼ିଶା ଶାଖାର ମୁଖ୍ୟରୂପେ ଦାୟିତ୍ଵ ନିର୍ବାହ  କରିଥିଲେ । ସେ ଭାରତ ସ୍କାଉଟ ଓ ଗାଇଡ଼୍‍ସ ଓଡ଼ିଶା ଶାଖାର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଏହାବ୍ୟତୀତ ସେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ଓ ହିନ୍ଦ କୁଷ୍ଠ ନିବାରିଣୀ ସଂଘ, ଭାରତ ସେବକ ସମାଜ, ଦିବ୍ୟ ଜୀବନ ସଙ୍ଘ, ରେଡକ୍ରସ, ଭାରତ-ଚୀନ ସାଂସ୍କୃତିକ ସଙ୍ଘ, ଭାରତ-ସୋଭିଏତ ମୈତ୍ରୀ ସଙ୍ଘ ଇତ୍ୟାଦି ଅନୁଷ୍ଠାନମାନଙ୍କ ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ । ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡେପୁଟି ଡିନ୍‌ ହିସାବରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।

ଶ୍ରୀ ରଥ ବହୁ କବିତା, ଗଳ୍ପ ଓ ଜୀବନୀ ଲେଖିଛନ୍ତି । କିନ୍ତୁ ‘ମୋ ଜେଲ୍‍ ସ୍ମୃତିଲିପି’ ତାଙ୍କର ଏକ ଉଲ୍ଲେଖନୀୟ କୃତି ।

୧୯୯୬ ଫେବୃଆରି ୧୨ ତାରିଖରେ ଶ୍ରୀ ରଥଙ୍କ କର୍ମମୟ ଜୀବନର ଅବସାନ ଘଟିଥିଲା ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦାସହକାରେ ପୁରୀ ଜିଲ୍ଲା ସତ୍ୟବାଦୀଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।    

ଶ୍ରୀ ରଥ ୧୯୬୮ରେ ପଦ୍ମ ଭୂଷଣ  ଉପାଧିରେ ଭୂଷିତ ହେବା ସହ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଏହାସହିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ସେ ଡକ୍ଟରେଟ ଉପାଧିରେ ସମ୍ମାନିତ ହୋଇଥିଲେ । ପରବର୍ତ୍ତୀ କାଳରେ ସେ  ‘କ୍ରିଟିକ ସର୍କଲ ଅଫ ଇଣ୍ଡିଆ ସମ୍ମାନ’, ‘ଅଖିଳ ଭାରତ ଅଣୁବ୍ରତ ସମ୍ମାନ’ ଓ ଉତ୍କଳ ସାହିତ୍ୟ ସମାଜ ତରଫରୁ ‘ଉତ୍କଳ ରତ୍ନ’ ସମ୍ମାନରେ ଭୂଷିତ ହୋଇଥିଲେ ।


ରଚନାବଳୀ
ଭ୍ରମଣ କାହାଣୀ
ପ୍ରବନ୍ଧ

Copyright © 2024 Odia Virtual Academy. All rights reserved      Total Visitors-   1

scroll