ଡ. ହରେକୃଷ୍ଣ ମହତାବ

ଆବିର୍ଭାବ :- ୨୧-୧୧-୧୮୯୯
ତିରୋଧାନ :- ୦୨-୦୧-୧୯୮୭
ଜନ୍ମସ୍ଥାନ :- ଆଗରପଡା, ଭଦ୍ରକ

ପ୍ରଖ୍ୟାତ କୁଶଳୀ ରାଜନୀତିଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ଲେଖକ ତଥା ସଂବାଦପତ୍ର ସଂପାଦକ ଡଃ ହରେକୃଷ୍ଣ ମହତାବ ଓଡ଼ିଶାର ତତ୍କାଳୀନ ବାଲେଶ୍ୱର ଜିଲ୍ଲାର ଆଗରପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ଥିଲା ତୋହଫା ଦେବୀ । ତାଙ୍କର ବାଲ୍ୟଶିକ୍ଷା ଉପରେ ଆଲୋକପାତ କଲେ ଜଣାଯାଏ ଯେ ସେ ଭଦ୍ରକ ହାଇସ୍କୁଲରୁ ମାଟ୍ରିକ ପାଠ ସମ୍ପୂର୍ଣ୍ଣ କରିବା ପରେ କଟକର ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ମାତ୍ର ଅଧାରୁ ପାଠପଢ଼ା ଛାଡ଼ି ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇଥିଲେ ।

ରାଜନୀତି, ସାହିତ୍ୟ, ସାମ୍ବାଦିକତା ଓ ସର୍ବୋପରି ଆଧୁନିକ ଓଡ଼ିଶାର ନିର୍ମାଣ ଆଦି ବହୁକ୍ଷେତ୍ରରେ ଡଃ ମହତାବ ନିଜର ଗଭୀର ତଥା ଅବିସ୍ମରଣୀୟ ପଦଚିହ୍ନ ଛାଡ଼ିଯାଇଛନ୍ତି । ସେ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଶାର ରାଜନୀତିର ମଙ୍ଗ ଧରି ତା’ର ବିକାଶର ମାର୍ଗଦର୍ଶନ କରିଥିଲେ । ଓଡ଼ିଶାକୁ ଏକ ପ୍ରଗତିଶୀଳ ଓ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ସେ ନିଷ୍ଠାପର ଉଦ୍ୟମ କରିଥିଲେ ।

୧୯୨୩-୨୪ରେ ଡଃ ମହତାବ ଓଡ଼ିଶା ପ୍ରଜା ଆନ୍ଦୋଳନର ମୁଖ୍ୟ ନାୟକଭାବେ ନେତୃତ୍ୱ ନେଇ କାରାବରଣ କରିଥିଲେ । ୧୯୨୪-୧୯୨୮ ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲାବୋର୍ଡ଼ର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ । ୧୯୨୪ ମସିହାରେ ସେ ତତ୍କାଳୀନ ବିହାର-ଓଡ଼ିଶା ପ୍ରଦେଶ ବିଧାନ ପରିଷଦର ସଭ୍ୟରୂପେ ନିର୍ବାଚିତ ହୋଇଥିଲେ । ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନ ପରିଚାଳନା କରି ଦୁଇଥର କାରାବରଣ କରିଥିଲେ ।

ଡଃ ମହତାବ ୧୯୩୬ ମସିହାରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ରହିଥିଲେ । ୧୯୩୭ରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ।

ଡଃ ମହତାବ ୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୁନର୍ବାର ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ୧୯୫୦ରୁ ୧୯୫୨ ପର୍ଯ୍ୟନ୍ତ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଓ ଯୋଗାଣ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ । ୧୯୬୨ରେ ଅପ୍ରତିଦ୍ୱନ୍ଦ୍ୱିଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଓ ୧୯୬୬ରେ କଂଗ୍ରେସ ଦଳ ଛାଡ଼ିଥିଲେ । ୧୯୬୭, ୧୯୭୧ ଓ ୧୯୭୪ ମସିହାରେ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ଡଃ ମହତାବଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି ।

ଡଃ ମହତାବ ୧୯୨୩ ମସିହାରେ ସାପ୍ତାହିକ ସଂବାଦପତ୍ର ‘ପ୍ରଜାତନ୍ତ୍ର’ ପ୍ରତିଷ୍ଠା କରିଥିଲେ । ଇଂରାଜୀ ଦୈନିକ ଓ ସାପ୍ତାହିକ ଇଷ୍ଟର୍ଣ୍ଣ ଟାଇମ୍ସର ମଧ୍ୟ ସେ ପ୍ରତିଷ୍ଠାତା । ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ପ୍ରକାଶିତ ମାସିକ ସାହିତ୍ୟ ପତ୍ରିକା ‘ଝଙ୍କାର’ ଏକଦା ଏକ ସମ୍ଭ୍ରାନ୍ତ ପତ୍ରିକାର ମାନ୍ୟତା ଅର୍ଜନ କରିଥିଲା । ସେ ଆରମ୍ଭ କରିଥିବା ବାର୍ଷିକ ବିଷୁବ ମିଳନ ଉତ୍ସବ ଏବେ ମଧ୍ୟ ଓଡନିଆ ସାହିତ୍ୟିକମାନଙ୍କର ଏକ ବାର୍ଷିକ କୁମ୍ଭମେଳା ହିସାବରେ ପରିଗଣିତ ହୋଇଥାଏ । ‘ଓଡ଼ିଶା ଇତିହାସ’ ଓ ‘ପ୍ରତିଭା’ ଉପନ୍ୟାସ ଡଃ ମହତାବଙ୍କ ସାରସ୍ୱତ କୃତି ମଧ୍ୟରେ ଅନ୍ୟତମ । ଡଃ ମହତାବ ଦୈନିକ ପ୍ରଜାତନ୍ତ୍ରରେ ନିୟମିତଭାବେ ଲେଖୁଥିବା ‘ଗାଁ ମଜଲିସ’ ସ୍ତମ୍ଭ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଏଭଳି ଯୁଗପୁରୁଷଙ୍କ ପାଇଁ ଓଡ଼ିଶା ଗର୍ବିତ ।


ରଚନାବଳୀ
କବିତା ସଂକଳନ
ଉପନ୍ୟାସ
ଏକାଙ୍କିକା

Copyright © 2024 Odia Virtual Academy. All rights reserved      Total Visitors-   1

scroll