ସ୍ୱଭାବକବି ଗଙ୍ଗାଧର ମେହେର

ଆବିର୍ଭାବ :- ୦୯-୦୮-୧୮୬୨
ତିରୋଧାନ :- ୦୪-୦୪-୧୯୨୪
ଜନ୍ମସ୍ଥାନ :- ବରପାଲି, ବରଗଡ଼

ସ୍ୱଭାବ କବି ଗଙ୍ଗାଧର ମେହେର ୧୮୬୨ ଅଗଷ୍ଟ ୯ ତାରିଖ ଶ୍ରାବଣ ପୂର୍ଣ୍ଣିମା ଦିନ ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ଗ୍ରାମର ଏକ ଗରିବ ମେହେର ପରିବାରରେ ଜନ୍ମଗ୍ରହଣ କରି ସ୍ୱୀୟ ପ୍ରତିଭା ବଳରେ ଉତ୍କଳ ଭାରତୀଙ୍କ ସାରସ୍ୱତ ଭଣ୍ଡାରକୁ ଋଦ୍ଧିମନ୍ତ କରିଯାଇଛନ୍ତି । ନାନା ଘାତ ପ୍ରତିଘାତ ଭିତରେ ପିତାଙ୍କୁ ବୟନ କାର୍ଯ୍ୟରେ ସାହାଯ୍ୟ କରିବା ସହ ସେ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାକୁ ସମର୍ଥ ହୋଇଥିଲେ ।  ବାଲ୍ୟକାଳରୁ ତାଙ୍କର ପୁସ୍ତକ ପଠନ ପ୍ରତି ଅପ୍ରତିହତ ଆକର୍ଷଣ ରହିଥିଲା । ବଳରାମ ଦାସଙ୍କ ଜଗମୋହନ ରାମାୟଣ ପଠନ ଶୁଣି ଶୁଣି ସେ ନିଜେ ଏହା ପଢ଼ିବାର ଲୋଭ ସମ୍ବରଣ କରିପାରି ନ ଥିଲେ । ସାରଳା ଦାସଙ୍କ ଓଡ଼ିଆ ମହାଭାରତ ଓ ରଘୁବଂଶ ଭଳି ସଂସ୍କୃତ କାବ୍ୟ, ତୁଳସୀ ଦାସଙ୍କ ରାମଚରିତ ମାନସ ଅଧ୍ୟୟନ କରିବା ସହ ଏ ସବୁକୁ ଆୟତ୍ତ କରିଥିଲେ ଏବଂ ବଙ୍ଗଳା ପତ୍ରିକା ଓ ସମ୍ବାଦପତ୍ରମାନ ନିୟମିତଭାବେ ପାଠ କରୁଥିଲେ ।

ଗଙ୍ଗାଧରଙ୍କ ହସ୍ତାକ୍ଷର ଖୁବ୍‍ ସୁନ୍ଦର ଥିଲା । ତେଣୁ ଗାଁର ଲୋକମାନେ ତାଙ୍କଦ୍ୱାରା ଚିଠି ଓ ଦରଖାସ୍ତମାନ ଲେଖାଇ ନେଉଥିଲେ ଏବଂ କିଛି କିଛି ପାରିତୋଷିକ ଦେଉଥିଲେ । ଘର ଚଳାଇବାରେ ଏହା ପିତାଙ୍କୁ କିଞ୍ଚିତ୍ ମାତ୍ରାରେ ସାହାଯ୍ୟ କରୁଥିଲା । ବାଲ୍ୟକାଳରୁ କବିତା ଲେଖି ସାହିତ୍ୟ ପ୍ରତି ସେ ନିଜ ଆଗ୍ରହର ପରିଚୟ ଦେଇଥିଲେ । କିନ୍ତୁ ପୁରୁଣା ଶୈଳୀରେ ଲେଖୁଥିବାରୁ ତାହା ବଦଳାଇ ଆଧୁନିକ ଶୈଳୀରେ ଲେଖିବାକୁ ତାଙ୍କ ବନ୍ଧୁମାନେ ପରାମର୍ଶ ଦେଇଥିଲେ । ତେବେ ମେହେରଙ୍କ ଲେଖାରେ ରୀତିଯୁଗର ଶୈଳୀ ଓ ଆଧୁନିକ ଶୈଳୀର ସମ୍ମିଶ୍ରଣ ଘଟିଥିଲା ।

ଦଶବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା । ପୈତୃକ ଗୃହ ଅଗ୍ନିକାଣ୍ଡରେ ଜଳିଯିବାରୁ ପରିବାରର ସମସ୍ତେ ଚିନ୍ତିତ ଥିଲାବେଳେ ବରପାଲି ଜମିଦାର ଲାଲ୍‍ ନୃପରାଜ ସିଂହ ମେହେରଙ୍କୁ ଅମିନ ଚାକିରି ପାଇଁ ଡକାଇ ପଠାଇଥିଲେ । ତାଙ୍କ ବ୍ୟବହାର ଓ ଆଚରଣରେ ଖୁସି ହୋଇ ଜମିଦାର ଗଙ୍ଗାଧରଙ୍କୁ ମୋହରିରଭାବେ ପଦୋନ୍ନତି ଦେଇଥିଲେ । ସେହି ପଦରେ ତାଙ୍କୁ ସମ୍ବଲପୁର, ବିଜେପୁର, ପଦ୍ମପୁର ଓ ଶେଷରେ ବରପାଲିକୁ ବଦଳି କରାଯାଇଥିଲା । ସେତେବେଳେ ସେ ମାସକୁ ୩୦ ଟଙ୍କା ଦରମା ପାଉଥିଲେ ।    

ରସ ରତ୍ନାକର ଓ ଅହଲ୍ୟା ସ୍ତବ ପରି କାବ୍ୟ ଓ କବିତା ରଚନା କରି ବାଲ୍ୟକାଳରୁ ହିଁ ଗଙ୍ଗାଧର ସାହିତ୍ୟ କ୍ଷେତ୍ରରେ ନିଜ ପାରଦର୍ଶିତାର ପରିଚୟ ଦେଇସାରିଥିଲେ । କବିବର ରାଧାନାଥ ରାୟଙ୍କ ତତ୍ତ୍ଵାବଧାନରେ ଆଧୁନିକ ଶୈଳୀରେ ଇନ୍ଦୁମତୀ କାବ୍ୟ ରଚନା କରି ଓଡ଼ିଆ କାବ୍ୟ ରଚନା କ୍ଷେତ୍ରରେ ସେ ସୃଷ୍ଟି କରିଥିଲେ ନୂତନ ଅଧ୍ୟାୟ । ପ୍ରକୃତିର ଦୃଶ୍ୟମାନ ଚାରୁତାକୁ ଅତି ନିଖୁଣ ଭାବରେ ସେ ଆଙ୍କିଥିଲେ ନିଜର କାବ୍ୟ କବିତାମାନଙ୍କରେ । ଇନ୍ଦୁମତୀଉତ୍କଳ ଲକ୍ଷ୍ମୀକୀଚକ ବଧତପସ୍ୱିନୀପ୍ରଣୟ ବଲ୍ଲରୀକବିତା କଲ୍ଲୋଳଅହଲ୍ୟା ସ୍ତବ ତଥା ଅର୍ଘ୍ୟଥାଳୀ ପରି ବହୁଜନାଦୃତ କାବ୍ୟକବିତା ତାଙ୍କ ବଳିଷ୍ଠ ଲେଖନୀର ସ୍ୱାକ୍ଷର ବହନ କରେ । ତାଙ୍କ କବିତାରେ ଜାତୀୟତାର ସ୍ୱର ସ୍ପଷ୍ଟ ବାରି ହୋଇପଡ଼େ ।

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାଯାଏ ଯେ ପାଶ୍ଚାତ୍ୟ କବି ପି.ବି. ଶେଲି, ଲର୍ଡ଼ ବାଇରନ ଓ ଜନ କିଟ୍‍ସଙ୍କ କାବ୍ୟକବିତା ସହ ଗଙ୍ଗାଧରଙ୍କ କାବ୍ୟକବିତାର ବିଭିନ୍ନ ଦୃଷ୍ଟିରୁ ବହୁ ସାମଞ୍ଜସ୍ୟ ରହିଛି । ପ୍ରକୃତି ବର୍ଣ୍ଣନାରେ ମଧ୍ୟ ଅନୁରୂପ ସାମ୍ୟ ରହିଥିବା ଲକ୍ଷ୍ୟ କରାଯାଇଛି ।


ରଚନାବଳୀ
ଆତ୍ମଜୀବନୀ
ଲଳିତ ନିବନ୍ଧ
କ୍ଷୁଦ୍ରଗଳ୍ପ
କ୍ଷୁଦ୍ରଗଳ୍ପ ସଂକଳନ

Copyright © 2022 Odia Virtual Academy. All rights reserved      Total Visitors-   1

scroll