ଧନର ପ୍ରାଚୁର୍ଯ୍ୟ ଓ ଭୋଗବିଳାସର ଆକର୍ଷଣକୁ ହେୟଜ୍ଞାନ କରି ବୃହତ୍ତର ମାନବସମାଜ ଓ ପୂର୍ଣ୍ଣତର ସାମାଜିକ ଜୀବନର ପ୍ରତିଷ୍ଠା-ଯଜ୍ଞରେ ଆତ୍ମାହୁତି ଦେଇଥିବା ସାମ୍ୟବାଦୀ ଚିନ୍ତକ ଓ ବିପ୍ଳବୀ କବି, ଲେଖକ ତଥା ଅନୁବାଦକ ଅନନ୍ତ ପଟ୍ଟନାୟକ ଅବିଭକ୍ତ ପୁରୀ ଜିଲ୍ଲାର ଚଟାହଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜୟକୃଷ୍ଣ ଓ ମାତାଙ୍କ ନାମ ଥିଲା ମହାଦେଈ ।
ଅନ୍ୟାନ୍ୟ ଓଡ଼ିଆ କବିଙ୍କ ଜୀବନତୁଳନାରେ ଅନନ୍ତ ପଟ୍ଟନାୟକଙ୍କ ଜୀବନ ଥିଲା ବହୁ ଦୃଷ୍ଟିରୁ ଏକ ବ୍ୟତିକ୍ରମ । ଯୌବନରେ ସମଗ୍ର ସମାଜର ପୁନରୁତ୍ଥାନର ଶପଥ ନେଇ କବି ଭାରତର ମୁକ୍ତିସଂଗ୍ରାମରେ ଝାସ ଦେଇଥିଲେ । ଆଦ୍ୟ ଯୌବନରେ ମାର୍କ୍ସ ଓ କାଳକ୍ରମେ ଗାନ୍ଧିଜୀଙ୍କ ବିଚାର ଅନନ୍ତ ପଟ୍ଟନାୟକଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା । ଅସଂଖ୍ୟ ନିରୀହ ମଣିଷ ଉପରେ ଦଳେ ଚତୁର ମଣିଷଙ୍କ ରାଜୁତି, ଧର୍ମ ନାମରେ ଧନିକ ଓ ବ୍ରାହ୍ମଣମାନଙ୍କର ଶଠତା ତାଙ୍କୁ ବିଦ୍ରୋହୀ କରି ଗଢ଼ିତୋଳିଥିଲା । ସମାଜର ଜୀବନଧାରାରୁ ବିଷମତା ଦୂର କରିବାପାଇଁ ଏକମନା ହୋଇ ଭଗବତୀରଣ ପାଣିଗ୍ରାହୀ, ଗୁରୁଚରଣ ପଟ୍ଟନାୟକ, ଗୋକୁଳ ମୋହନ ପଟ୍ଟନାୟକ, ମାଳତୀ ଚୌ଼ଧୁରୀ ଓ ନବକୃଷ୍ଣ ଚୌଧୁରୀ ଆଦିଙ୍କ ସହ ହାତ ମିଳାଇଥିଲେ ଅନନ୍ତ ପଟ୍ଟନାୟକ ଏବଂ ଗଠନ କରିଥିଲେ ‘ନବଯୁଗ ସାହିତ୍ୟ ସଂସଦ’ । ସ୍ଵାଧୀନତା ସଂଗ୍ରାମ ଓ ସାହିତ୍ୟ ପଥରୁ ଆମରଣ ସେ ବିଚ୍ୟୁତ ହୋଇନାହାନ୍ତି । ତାଙ୍କର ଆନ୍ଦୋଳନାତ୍ମକ ଚିନ୍ତାଧାରାରୁ ସୃଷ୍ଟି ହୋଇଛି 'ଛାଇର ଛିଟା', 'ଅଲୋଡ଼ାଲୋଡ଼ା, ‘ଅଋତୁ ଋତୁ', 'ଅବାନ୍ତର', ‘କିଞ୍ଚିତ୍', 'ଶାନ୍ତିଶିଖା, ‘ତର୍ପଣ କରେ ଆଜି' ଇତ୍ୟାଦି କବିତା ଗ୍ରନ୍ଥ ଓ ଅନେକ ନିବନ୍ଧ, ସମାଲୋଚନା ସାହିତ୍ୟ, ଅନୁବାଦ ସାହିତ୍ୟ ତଥା ଶିଶୁସାହିତ୍ୟ । ସେ ‘ଚିରି ଅନ୍ଧାର ରାତି', “ପଞ୍ଚଶୀଳ' ଓ 'ରାବଣ” ଭଳି ଲୋକପ୍ରିୟ ନାଟକର ରଚନା କରିଥିଲେ । ସେ ‘ମୃଚ୍ଛକଟିକ’ (ଶୂଦ୍ରକ), ‘ମା’ (ଗର୍କୀ), ‘ଲଭ୍ ଅଫ୍ ଗ୍ରାସ୍ (ଟି ହୁଇନ୍), ‘ଭାଗ୍ୟରୁ ଖିଏ' (ସୋଲୋକୋଭ), ‘ଶିକ୍ଷାନବୀଶ (ଗର୍କୀ) ଭଳି ସୁନ୍ଦର ସଙ୍କଳନର ଅନୁବାଦ କରିଥିଲେ । ‘ଛବିଟିଏକୁ ଗପଟିଏ', 'ଲାଲ ଗୁଲୁଗୁଲୁ ସୂରଜଟିଏ', 'ଗୀତଟିଏ ରଚିତ ହେଲା କିପରି’ ଓ ‘ମୋ ଛବି ବହି’ ପରି ସେ ଅନେକ ଶିଶୁ ସାହିତ୍ୟର ରଚନା କରିଥିଲେ ।
ଅନନ୍ତ ପଟ୍ଟନାୟକ ଥିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ମାସିକ ଶିଶୁସାହିତ୍ୟ ପତ୍ରିକା ‘ଶିଶୁଲେଖା’ର ପ୍ରଥମ ସଂପାଦକ । ୧୯୫୪ ମସିହାରେ ସେ ଚତୁର୍ଥ ଓଡ଼ିଆ ଚଳଚ୍ଚିତ୍ର ‘ସପ୍ତଶଯ୍ୟାର କାହାଣୀ’ର ଚିତ୍ରନାଟ୍ୟ, ସଂଳାପ, ସଙ୍ଗୀତ ରଚନା ସହ ସହଯୋଗୀ ନିର୍ଦ୍ଦେଶକର ଦାୟିତ୍ଵ ମଧ୍ୟ ସମ୍ପାଦନ କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ମାଣ ଅବସରରେ ସେ ବଙ୍ଗଳାର ବହୁ ଲୋକପ୍ରିୟ ଲେଖକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ନିକଟତର ହୋଇଥିଲେ । ସେ ୧୯୫୪ରେ ‘ଆଇ.ପି.ଟି.ଏ’ର ଓଡ଼ିଶା ଶାଖା ‘ଉତ୍କଳ ଲୋକସଂସ୍କୃତି ମଣ୍ଡଳ’ର ଉପସଭାପତି ଥିଲେ । ବିପ୍ଲବରୁ କବିତା, କବିତାରୁ ସଙ୍ଗୀତ, ନାଟକ, ଗଦ୍ୟ, ଶିଶୁସାହିତ୍ୟ ଇତ୍ୟାଦି ଇତ୍ୟାଦି ମଧ୍ୟଦେଇ କ୍ରମଶଃ ଚାକିରି, ଶିକ୍ଷକତା, ସମ୍ପାଦକତ୍ଵ, ସମାଜସେବା ଓ ସକ୍ରିୟ ରାଜନୀତି– ସବୁ କ୍ଷେତ୍ରରେ ସେ ନିଜକୁ ପ୍ରତିପାଦିତ କରିଥିଲେ । ‘ସମାଜ'ରେ ସାମ୍ବାଦିକ ଥିବାବେଳେ ଐତିହାସିକ ‘ଝିଟିପିଟି କହେ‘ ସ୍ତମ୍ଭର ସେ ସୂତ୍ରପାତ କରିଥିଲେ ଓ 'ଅଣାକାର' ଛଦ୍ମନାମରେ ସେ ନିୟମିତ ଲେଖୁଥିଲେ । 'ସଂଜୟ’ ଛଦ୍ମନାମରେ ଦୀର୍ଘକାଳ ଧରି ଦୈନିକ ପ୍ରଜାତନ୍ତ୍ରରେ ଲେଖୁଥିଲେ ।
ଆଫ୍ରୋଏସୀୟ ଲେଖକ ସମିଳନୀରେ ଯୋଗଦେବାପାଇଁ ସେ ୧୯୫୮ରେ ତାସ୍କେଣ୍ଟ ଯାଇଥିଲେ । ଅନୁବାଦକଭାବେ କଲିକତାର ସୋଭିଏତ୍ ତଥ୍ୟ ବିଭାଗରେ ଯୋଗଦେଇଥିଲେ ଓ 'ସୋଭିଏତ୍ ଦେଶ’ ପତ୍ରିକାର ଓଡ଼ିଆ ପ୍ରକାଶନର ଦାୟିତ୍ଵ ବହନ କରିଥିଲେ । ଚିରକାଳ ଆତ୍ମବିଜ୍ଞପ୍ତି ଓ ନିଜ ବନ୍ଦନା ପ୍ରତି ବିମୁଖ ଅନନ୍ତ ପଟ୍ଟନାୟକଙ୍କ ପାଦତଳକୁ ସ୍ଵୀକୃତି ଓ ପୁରସ୍କାର ଆପେ ଆପେ ଆସିଥିଲା । ୧୯୬୭ରେ ତାଙ୍କୁ 'ମଦର’ ଉପନ୍ୟାସ ଅନୁବାଦ ପାଇଁ ‘ସୋଭିଏତ୍ ଲ୍ୟାଣ୍ଡ ନେହେରୁ ପୁରସ୍କାର ମିଳିଥିଲା । ସାହିତ୍ୟ ସୃଷ୍ଟି ଓ ଅନୁବାଦ କର୍ମପାଇଁ ସାମଗ୍ରିକଭାବେ ପୁନଶ୍ଚ ୧୯୮୨ରେ ତାଙ୍କୁ 'ସୋଭିଏତ୍ ଲ୍ୟାଣ୍ଡ ନେହେରୁ ପୁରସ୍କାର’ ଓ ରୁଷିଆ ସହ ଅନ୍ୟାନ୍ୟ ରାଷ୍ଟ୍ର ଭ୍ରମଣର ସୁଯୋଗ ମିଳିଥିଲା । ଉଭୟ କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ ସମ୍ମାନ, ସାରଳା ସମ୍ମାନ ପ୍ରାପ୍ତି ସହ ବହୁ ଜାତୀୟ ଓ ଆନ୍ତର୍ଜାତିକ ସାହିତ୍ୟ ସମ୍ମିଳନୀରେ ଯୋଗଦାନପାଇଁ ତାଙ୍କୁ ନିମନ୍ତ୍ରଣ ମଧ୍ୟ ମିଳିଥିଲା ।
Copyright © 2024 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ ଏକାଡେମୀ