ଡ. କୃଷ୍ଣଚରଣ ବେହେରା

ଆବିର୍ଭାବ :- ୦୨-୦୬-୧୯୩୨
ତିରୋଧାନ :- ୨୯-୦୭-୨୦୧୭
ଜନ୍ମସ୍ଥାନ :- ଅର୍ଜୁନବିନ୍ଧା, ତିହିଡ଼ି, ଭଦ୍ରକ

ବିଶିଷ୍ଟ ଓଡ଼ିଆ କଥାକାର, ପ୍ରାବନ୍ଧିକ ତଥା ସାହିତ୍ୟ ସମାଲୋଚକ ଡଃ କୃଷ୍ଣଚରଣ ବେହେରା ୧୯୩୨ ମସିହା ଜୁନ ୨ ତାରିଖରେ ଭଦ୍ରକ ଜିଲ୍ଲା ତିହିଡ଼ି ଅନ୍ତର୍ଗତ ଅର୍ଜୁନବିନ୍ଧା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପତିତପାବନ ବେହେରା ଓ ମାତା ଥିଲେ ପବିତ୍ରା ଦେବୀ । ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ଏମ୍.ଏ. (୧୯୫୨) ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟରୁ ‘ଓଡ଼ିଆ ଉପନ୍ୟାସ’ ସନ୍ଦର୍ଭ ପାଇଁ ପି.ଏଚ୍.ଡି. (୧୯୬୨) ଲାଭ କରିବା ପରେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଭାଷା ସାହିତ୍ୟ ଅଧ୍ୟାପକଭାବେ (୧୯୫୬-୧୯୮୧) କାମ କରି ପରିଶେଷରେ ରେଭେନ୍ସା ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ୧୯୮୨ ମସିହାରୁ ‘ଓଡ଼ିଆ ଗବେଷଣା ପରିଷଦ’ (କଟକ)ର ପ୍ରତିଷ୍ଠାତା ସଭାପତିଭାବେ ଗବେଷଣାତ୍ମକ ପତ୍ରିକା ‘ଏଷଣା’ର ସଂପାଦନା ଓ ପୁରାତନ ସାହିତ୍ୟର ସଂକଳନ କାର୍ଯ୍ୟରେ ନିରନ୍ତର ସକ୍ରିୟ ଥିଲେ । ଗବେଷଣା ଉପଲକ୍ଷେ ଏବଂ ପରିଦର୍ଶନକାରୀ ଅଧ୍ୟାପକଭାବେ ସେ ୧୯୯୫ରେ ୟୁ.କେ. ତଥା ମସ୍କୋ ଏବଂ ୧୯୯୮ରେ ବୁଲ୍‍ଗେରିଆ ଭ୍ରମଣ କରିଥିଲେ ।

 ଜୀବନକାଳ ମଧ୍ୟରେ ଡଃ ବେହେରାଙ୍କର ୫ ଖଣ୍ଡ କବିତା ପୁସ୍ତକ, ୧୧ ଖଣ୍ଡ ଗଳ୍ପ ପୁସ୍ତକ, ୨୦ ଖଣ୍ଡ ସାହିତ୍ୟ ସମାଲୋଚନା ଏବଂ ଖଣ୍ଡିଏ ଏକାଙ୍କିକା ଗ୍ରଛ ପ୍ରକାଶ ପାଇଛି । ୨୦ ଖଣ୍ଡ ଗ୍ରନ୍ଥ ମଧ୍ୟ ସେ ସଂପାଦନା କରିଛନ୍ତି । ‘ବିଥିକା’ ନାମରେ ତାଙ୍କର ସୁନିର୍ବାଚିତ ରଚନାର ଏକ ସଂକଳନ ଏବଂ ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଏକ ଅଭିନନ୍ଦନିକା ସଂକଳନ ପ୍ରକାଶିତ ହୋଇଛି । ‘ଏଷଣା’ ପତ୍ରିକାର ସଂପାଦନା ତାଙ୍କ ଗବେଷଣାନିଷ୍ଠ ସୃଷ୍ଟି-ମାନସର ପରିଚୟ ବହନ କରେ ।

ଜଣେ ପରୀକ୍ଷାଧର୍ମୀ, ବାସ୍ତବବାଦୀ ଏବଂ କାଳାନୁସାରୀ କଥାକାରଭାବେ ଡଃ ବେହେରାଙ୍କର ବିଶେଷ ପ୍ରତିଷ୍ଠା ରହିଛି । ‘ବେଦୀ’ ଗଳ୍ପ (୧୯୬୨)ରେ ଅତିବାସ୍ତବବାଦୀ ଧାରାର ପ୍ରୟୋଗ ତାଙ୍କୁ ବହୁଚର୍ଚ୍ଚିତ କରିଥିଲା । ସେ ଟେଷ୍ଟଟ୍ୟୁବ୍ ବେବି, ସରୋଗେଟ୍ ମଦରହୁଡ଼ ଭଳି ବୈଜ୍ଞାନିକ ସଫଳତା ଆଧାରରେ ଯେମିତି ଚମତ୍କାର ଗଳ୍ପମାନ ଲେଖିଛନ୍ତି, ସେମିତି ନାରୀର ଅନ୍ତର୍ମାନସ ଦ୍ଵନ୍ଦ୍ଵ ଆଧାରରେ ଏବଂ ଦଳିତ ମଣିଷର ବୈପ୍ଳବିକ ସ୍ଫୂରଣ ପ୍ରସଙ୍ଗରେ ମଧ୍ୟ ଲେଖିଛନ୍ତି ।

ଡଃ ବେହେରାଙ୍କ କବିତାବଳୀରେ ତାରୁଣ୍ୟର ସ୍ଫୁଲିଙ୍ଗ, ମାନବତାବାଦର ମୈତ୍ରୀଗୀତି ଏବଂ ସମାଜ-ରାଜନୀତିର ପ୍ରତିଫଳନ ଦେଖିବାକୁ ମିଳେ । ପ୍ରବନ୍ଧ ରଚନାରେ ଯଶପ୍ରତିଷ୍ଠା ସହ ସାହିତ୍ୟ ସମୀକ୍ଷା କ୍ଷେତ୍ରରେ ସେ ସ୍ଵୟଂ ଏକ ପନ୍ଥା (ସ୍କୁଲ ଅଫ ଥଟ)ର ଦିଗ୍‌ଦର୍ଶକ । ‘୫୪ ଭାନୁବାଇ ଲେନ୍’, ‘ଲଘୁ ପଞ୍ଚକ’ (କବିତା), ‘ବେଦୀ’, ‘ସୃଷ୍ଟିର ସ୍ଵପ୍ନ’, ‘ଗୋପନ ପତ୍ର’, 'ନାରୀ ଏକ ନଦୀର ନାମ’, ‘ନାରୀମେଧ’, ‘ଇତର ଇତର’ (ଗଳ୍ପ), ‘ପ୍ରଗତି’ ସାହିତ୍ୟ (୧୯୫୮), ‘କଥା ସାହିତ୍ୟ (୧୯୬୦), ଅଶ୍ଳୀଳତା ସପକ୍ଷରେ (୧୯୬୬), ‘ଅଧ୍ୟାପକର ବେଦନା’ (୧୯୭୨), ଶ୍ରୀଜଗନ୍ନାଥ ଓ ଓଡ଼ିଆ ସାହିତ୍ୟ (୧୯୭୪), ନାଟ୍ୟ ସାହିତ୍ୟ ପରିଚୟ (୧୯୭୮), ‘ମଧ୍ୟସ୍ଥ ବାଣୀ’ (୧୯୮୦), ‘ପ୍ରସଙ୍ଗ: ଧର୍ମ ଓ ଶିକ୍ଷା’, ‘ପ୍ରସଙ୍ଗ: ଗଳ୍ପ ଓ ଉପନ୍ୟାସ’, ‘ପ୍ରସଙ୍ଗ: ନାଟକ ଓ ଏକାଙ୍କିକା', 'ଓଡ଼ିଆ ଉପନ୍ୟାସ', ଏକବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ' (ପ୍ରବନ୍ଧ ଓ ସମାଲୋଚନା); ‘ମୋଗଲ୍ ତାମସା', ‘ଚଇତି ତାମସା’ (ନାଟକ), ‘କବିସୂର୍ଯ୍ୟ ଗ୍ରନ୍ଥାବଳୀ’ ଓ ‘ଗୋପାଳକୃଷ୍ଣ ରଚନାବଳୀ’(ସଂପାଦନା) ତାଙ୍କର କେତୋଟି ଉଲ୍ଲେଖନୀୟ କୃତି ।

ଡଃ ବେହେରା ପ୍ରଜାତନ୍ତ୍ର ବିଷୁବ ପୁରସ୍କାର (୧୯୯୫), କେଦାରନାଥ ଗବେଷଣା ପ୍ରତିଷ୍ଠାନ ପୁରସ୍କାର (୧୯୯୫), ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୧) ଏବଂ ଗଙ୍ଗାଧର ରଥ ଫାଉଣ୍ଡେସନ ପୁରସ୍କାର (୨୦୧୦)ରେ ସମ୍ମାନିତ ହେବା ସହ ବହୁ ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନଦ୍ୱାରା ସଂବର୍ଦ୍ଧିତ ହୋଇଥିଲେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll