ଉତ୍କଳ ଗୌରବ ମଧୁସୂଦନ ଦାସ

ଆବିର୍ଭାବ :- ୨୮-୦୪-୧୮୪୮
ତିରୋଧାନ :- ୦୪-୦୨-୧୯୩୪
ଜନ୍ମସ୍ଥାନ :- ସତ୍ୟଭାମାପୁର, କଟକ

ଓଡ଼ିଆ ଭାଷାକୁ ସ୍ଵତନ୍ତ୍ର ଭାଷା ଓ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ଦେବାପାଇଁ ଯେଉଁ କେତେଜଣ ସାଧକ କାୟମନୋବାକ୍ୟରେ ଭୀଷ୍ମପ୍ରତିଜ୍ଞା କରିଥିଲେ ସେମାନଙ୍କ ମଧ୍ୟରୁ ମଧୁସୂଦନ ଦାସ ହେଉଛନ୍ତି ଅନ୍ୟତମ । କଟକ ଜିଲ୍ଲା ଅନ୍ତର୍ଗତ ସତ୍ୟଭାମାପୁରର ଏକ ଜମିଦାର ପରିବାରରେ ମାତା ପାର୍ବତୀ ଦେବୀ ଓ ପିତା ଚୌଧୁରୀ ରଘୁନାଥ ଦାସଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଏହି କାଳଜୟୀ ପୁରୁଷ ।

ମଧୁସୂଦନ ଥିଲେ ଓଡ଼ିଶାର ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‌, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ପ୍ରଥମ ଓଡ଼ିଆ ବାରିଷ୍ଟର, ପ୍ରଥମ ବିହାର-ଓଡ଼ିଶା ବିଧାନ ସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ ।

ଖ୍ରୀଷ୍ଟଧର୍ମାବଲମ୍ବୀ ମଧୁବାବୁ ଏକାଧାରରେ ଥିଲେ ଜଣେ କର୍ତ୍ତବ୍ୟନିଷ୍ଠ, କର୍ମତତ୍ପର, ଦୃଢ଼ମନା, ସଚ୍ଚୋଟ, ପ୍ରତିଭାବାନ୍‍ ଓ  ଭାଷାନୁରାଗୀ । ବଙ୍ଗଳା, ବିହାର ଓ ମାନ୍ଦ୍ରାଜ ଆଦି ବିଭିନ୍ନ ରାଜ୍ୟରେ ବିଚ୍ଛିନ୍ନଭାବେ ରହିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣପାଇଁ ଖଣ୍ଡିତଭାବେ ଚାଲିଥିବା ଆନ୍ଦୋଳନକୁ ସୁସମନ୍ୱିତ ତଥା ବଳିଷ୍ଠ କରିବା ଉଦ୍ଦେଶ୍ୟରେ ମଧୁସୂଦନ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ ଏବଂ କେତେଜଣ ଚକ୍ରାନ୍ତକାରୀ ବଙ୍ଗାଳୀଙ୍କ ଚକ୍ରାନ୍ତରୁ ଓଡ଼ିଆ ଭାଷାର ସୁରକ୍ଷାପାଇଁ ବ୍ୟାସକବି ଫକୀରମୋହନ, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ ପ୍ରମୁଖଙ୍କ ସହ ମିଶି ସେ ଯେଉଁ ଆନ୍ଦୋଳନ ଚଳାଇଥିଲେ, ତାହା ଶେଷରେ ବିଜୟ-ଗୌରବ-ମଣ୍ଡିତ ହୋଇଥିଲା ।

ରାଜ୍ୟର ବହୁମୁଖୀ ବିକାଶପାଇଁ ସେ ବଳିଷ୍ଠ ପଦକ୍ଷେପମାନ ଗ୍ରହଣ କରିଥିଲେ । ତାଙ୍କର ଏଭଳି ଉନ୍ନତିମୂଳକ ପ୍ରଚେଷ୍ଟା ଓଡ଼ିଶାକୁ ସମଗ୍ର ଭାରତବର୍ଷରେ ଏକ ସୁବର୍ଣ୍ଣରୂପ ପ୍ରଦାନ କରିଥିଲା । ଶିଳ୍ପୋନ୍ନତିପାଇଁ ‘ଉତ୍କଳ ଟ୍ୟାନେରୀ’ ଯୋତା କାରଖାନା ପ୍ରତିଷ୍ଠା କରିବା ସହ ବିଶ୍ଵପ୍ରସିଦ୍ଧ କଟକ ତାରକସି କାମର ପ୍ରତିଷ୍ଠା ବଜାୟ ରଖିବା ନିମନ୍ତେ ନିଜ ବାସଭବନରେ ସେ ସ୍ଥାପନ କରିଥିଲେ ତାରକସି ତାଲିମ କେନ୍ଦ୍ର ।

ଜଣେ କବି ଓ ଲେଖକ ହିସାବରେ ତାଙ୍କ ଲେଖାରେ ଦେଶପ୍ରେମର ଚରମ ପରାକାଷ୍ଠା ପରିଲକ୍ଷିତ ହୁଏ । ଓଡ଼ିଆ ଜନମାନସରେ ଲିପିବଦ୍ଧ ହୋଇ ରହିଥିବା କେତୋଟି ଉଲ୍ଲେଖନୀୟ କବିତା ହେଉଛି – ଉତ୍କଳ ସନ୍ତାନ, ଜାତି ଇତିହାସ, ଜନନୀର ଉକ୍ତି । ମଧୁସୂଦନ ଓକିଲାତି ବିଦ୍ୟାରେ ଯେଭଳି ଅସାମାନ୍ୟଭାବେ ପ୍ରଖର ଥିଲେ, ଅୂନୁରୂପଭାବେ ଜଣେ ପ୍ରଖର ବକ୍ତା ଓ ଲେଖକ ମଧ୍ୟ ଥିଲେ ।

ତାଙ୍କ ଜନ୍ମଦିବସ ଅପ୍ରେଲ ୨୮ ତାରିଖକୁ ଓଡ଼ିଶାରେ ଆଇନଜୀବୀ ଦିବସରୂପେ ପାଳନ କରାହୋଇଆସୁଛି । ସେ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ଦେଇ ଏବଂ ଏହାର ବହୁମୁଖୀ ବିକାଶ କରାଇ ଉତ୍କଳ-ଜନନୀର  ଗରିମାକୁ ବହୁଗୁଣିତ କରିଥିବାରୁ ତାଙ୍କୁ କୁଳବୃଦ୍ଧ ଓ ଉତ୍କଳଗୌରବ ଉପାଧିରେ ଭୂଷିତ କରାଯାଇଛି ।


ରଚନାବଳୀ
କାବ୍ୟ
ଶ୍ରାବ୍ୟ କବିତା

Copyright © 2024 Odia Virtual Academy. All rights reserved      Total Visitors-   1

scroll