ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର

ଆବିର୍ଭାବ :- ୦୮-୦୧-୧୭୮୧
ତିରୋଧାନ :- ୦୨-୦୭-୧୮୬୬
ଜନ୍ମସ୍ଥାନ :- ଆଠଗଡ଼ ପାଟଣା, ଗଞ୍ଜାମ

ଅନନ୍ୟ ସାହିତ୍ୟ-ପ୍ରତିଭାଧର, ଓଡ଼ିଶାର ଗାଁ’ଗହଳିରେ ନିଜ ଦ୍ୱୈତାର୍ଥ-ବୋଧକ ପଦାବଳୀ ପାଇଁ ସୁପରିଚିତ, ହାସ୍ୟରସ-ପାରଙ୍ଗତ ଆଶୁକବି ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସାରସ୍ୱତ-ପାବନଭୂମି ଆଠଗଡ଼ର ଆଠଗଡ଼ ପାଟଣା ଗ୍ରାମରେ ୧୭୮୧ ମସିହା ଜାନୁଆରୀ ୮ ତାରିଖରେ ଏକ ସୂତ୍ରଧର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଯଦୁମଣିଙ୍କ ବାଲ୍ୟଶିକ୍ଷା ଆଠଗଡ଼ ପାଟଣାରେ ହୋଇଥିଲା । ୧୦-୧୨ ବର୍ଷ ବୟସର ହୋଇଥିବା ବେଳେ ତାଙ୍କ ପିତା ମୁକୁନ୍ଦ ମହାପାତ୍ର ସପରିବାର ନୟାଗଡ଼ ରାଜ୍ୟକୁ ଯାଇ  ଇଟାମାଟିରେ ସ୍ଥାୟୀ ଭାବରେ ରହିଯାଇଥିଲେ । ଯଦୁମଣି ମାନ୍ଧାତାପୁରର ବିଦ୍ୟାଧର ମହାପାତ୍ର, ଦଶପଲ୍ଲା କୁଞ୍ଜବନର ପିଣ୍ଡିକ ରାୟଗୁରୁ ଓ ପୁରୀର ହରିହର ନନ୍ଦଙ୍କଠାରୁ ସଂସ୍କୃତ ଅଭିଧାନ, ବ୍ୟାକରଣ, କାବ୍ୟଶାସ୍ତ୍ର ଆଦି ଶିକ୍ଷା କରି ଏହିସବୁ ବିଷୟରେ ଧୂରୀଣ ହୋଇଉଠିଥିଲେ । ସେ ୨୦ ବର୍ଷ ବୟସରେ କୁଞ୍ଜବନର ରଘୁନାଥ ସୂତ୍ରରାୟଙ୍କ ୧୨ ବର୍ଷୀୟ କନ୍ୟା ଖଞ୍ଜନାଙ୍କୁ ବିବାହ କରିଥିଲେ ।

ବାଲ୍ୟକାଳରୁ ଯଦୁମଣି କଥାରେ କଥାରେ ସୁନ୍ଦର ଢଙ୍ଗରେ ବିଦ୍ରୂପାତ୍ମକ ଓ ହାସ୍ୟରସମୂଳକ କବିତା ପଦେ ପଦେ ମନରୁ ଭାଙ୍ଗି ଶୁଣାଇଦେଉଥିଲେ । ସ୍ୱକୀୟ କାବ୍ୟକବିତାର ବର୍ଣ୍ଣନା ଅନୁସାରେ ଯଦୁମଣି ଭଗବାନ ହୟଗ୍ରୀବଙ୍କ ମନ୍ତ୍ରସାଧନା କରି ଜୀବନରେ ଜଣେ ଅତୁଳନୀୟ ହାସ୍ୟ-ରସିକ କବି ହେବାର ବର ଲାଭ କରିଥିଲେ । କିନ୍ତୁ ଆଜୀବନ ତାଙ୍କୁ ଅଭାବ ଓ ଦାରିଦ୍ର୍ୟ ଲାଗିରହିବ ବୋଲି ଭଗବାନ ହୟଗ୍ରୀବ ତାଙ୍କୁ କହିଥିଲେ ।

ଯଦୁମଣି ନୟାଗଡ଼ ରାଜା ବିନାୟକ ସିଂହ ମାନ୍ଧାତାଙ୍କ ରାଜଦରବାରରେ ଦରବାରୀ କବିଭାବେ ନିଯୁକ୍ତି ପାଇ ରାଜକୃପାଲବ୍ଧ ଯତ୍‍କିଞ୍ଚିତ୍‍ ଅର୍ଥରେ ଯେନ-ତେନ-ପ୍ରକାରେଣ ପରିବାର ପ୍ରତିପୋଷଣ କରୁଥିଲେ । ଯଦୁମଣିଙ୍କର ରହସ୍ୟ-ସାମର୍ଥ୍ୟ ଏବଂ ଚତୁର ଆଶୁକବିତା ରଚନାରେ ପଟୁତା ରାଜା ବିନାୟକ ସିଂହ ମାନ୍ଦାତାଙ୍କ ପ୍ରଶଂସାଭାଜନ ହୋଇପାରିଥିଲା । ରାଜାଙ୍କ ନାମରେ ଯଦୁମଣିଙ୍କଦ୍ୱାରା ରଚିତ ୧୨-୧୩ଟି ଚଉପଦୀ ପ୍ରକାଶ ପାଇଥିଲା । ରାଜାଙ୍କ ନାମରେ ଭଣତି ହୋଇଥିବା କେତେକ ଚଉପଦୀ ଉତ୍କଟ-ଆଦିରସାତ୍ମକ ବୋଲି କେତେକ ସମାଲୋଚକ ମତ ଦେଇଛନ୍ତି ।

ବିଭିନ୍ନ ସମୟରେ ଅଭାବ ବଳିପଡ଼ିଲେ ଯଦୁମଣି କୁଳବୃତ୍ତି କରି ରୋଜଗାର କରୁଥିଲେ । ଅଭାବ ପୂରଣ ପାଇଁ ବିଭିନ୍ନ ସମୟରେ ସେ ନୟାଗଡ଼ରୁ ଦଶପଲ୍ଲା, ଖଣ୍ଡପଡ଼ା, ବଉଦ, ଖଲିକୋଟ, ରଣପୁର, ଆଠଗଡ଼, ନରସିଂହପୁର, ମହୁରୀ, ତିଗିରିଆ ପ୍ରଭୃତି ଅନ୍ୟାନ୍ୟ ରାଜ୍ୟର ରାଜାମାନଙ୍କ ନିକଟକୁ ଯାଇ ନିଜର କାବ୍ୟ-ପାଟବ ବଳରେ ସାହାଯ୍ୟ ସଂଗ୍ରହ କରୁଥିଲେ । କବି ଗାୟନ କଳାରେ ଧୂରନ୍ଧର ଥିଲେ ଓ ଛାନ୍ଦ-ଚଉପଦୀ ଗାଇ ରାଜାମାନଙ୍କ ମନୋହରଣ କରିପାରୁଥିଲେ ।

ପରବର୍ତ୍ତୀ ସମୟରେ ନୟାଗଡ଼ ରାଜା ରଘୁନାଥ ସିଂହଙ୍କ ଆଗ୍ରହରୁ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଅନୁସନ୍ଧାନ କରି ୧୮୯୭ରେ ‘ଯଦୁମଣି ରହସ୍ୟ ବାକ୍ୟାବଳୀ’ ପ୍ରକାଶ କରିଥିଲେ ।

କବିଙ୍କର ୫୦ଟି ଚଉପଦୀ 'ଯଦୁମଣି ପଦ୍ୟାବଳୀ’ ନାମରେ ୧୯୫୦ରେ ବୈଷ୍ଣବଚରଣ ଦାସ ଗୋସ୍ଵାମୀଙ୍କଦ୍ଵାରା ସଂଗୃହୀତ ଓ ପ୍ରକାଶିତ ହୋଇଥିଲା । ଗବେଷକ ତଥା ସଂଗ୍ରାହକ ଚକ୍ରଧର ମହାପାତ୍ରଙ୍କ କୃତ  ‘ଯଦୁମଣି ଗ୍ରନ୍ଥାବଳୀ’ରେ ତନ୍ମଧ୍ୟରୁ ମାତ୍ର ୨୮ଟି ସ୍ଥାନ ପାଇଛି ।

ଜଣାଣ ଓ ଚଉତିଶା ବ୍ୟତୀତ ତାଙ୍କର ପ୍ରମୁଖ ରଚନା ‘ରାଘବ ବିଳାସ’ ଓ ‘ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର’ ଯଦୁମଣିଙ୍କୁ ରୀତିଯୁଗର ଅନ୍ୟତମ ଶ୍ରେଷ୍ଠ କବିର ପରିଚିତି ପ୍ରଦାନ କରିଛି । ଶବ୍ଦଚାତୁରୀ, ଭାଷାଚାତୁରୀ ଓ ଅଳଙ୍କାର ପ୍ରୟୋଗ କ୍ଷେତ୍ରରେ ତାଙ୍କର ଗୁରୁନ୍ମନ୍ୟ ତଥା ପୂର୍ବସୂରୀ ଉପେନ୍ଦ୍ର ଭଞ୍ଜଙ୍କ ସହ ଯଦୁମଣିଙ୍କୁ ତୁଳନା କରାଯାଇଥାଏ ।

ଯଦୁମଣିଙ୍କ ଜୀବନ ଯେତିକି କୌତୁହଳପ୍ରଦ ଓ ରୋମାଞ୍ଚଭରା ଥିଲା, ତାଠାରୁ ଅଧିକ ଥିଲା ଦୁଃଖପୂର୍ଣ୍ଣ । ତାଙ୍କ ଜନ୍ମକାଳକୁ ନେଇ କେତେକ ସମାଲୋଚକ ଭିନ୍ନ ମତ ପୋଷଣ କରିବା ସହ ଏହା ପ୍ରାୟ ୧୭୭୬ ହୋଇପାରେ ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି । ସେମାନେ ବିଶ୍ଵାସ କରନ୍ତି ଯେ ନ’ଅଙ୍କ ଦୁର୍ଭିକ୍ଷ କାଳରେ ୧୮୬୬ରେ ସେ ପରଲୋକ ଗମନ କରିଥିଲେ ।

ଯଦୁମଣି ତାଙ୍କର ଶେଷ ଜୀବନ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣରେ କଟାଇଥିଲେ । କୁହାଯାଏ ପ୍ରଖ୍ୟାତଯଶା ମୁକ୍ତିଯୋଦ୍ଧା ତଥା ଜଗନ୍ନାଥଙ୍କ ସେବକ ଓ କବି  ଚନ୍ଦନ ହଜୁରୀ (ଚାଖି ଖୁଣ୍ଟିଆ) ତାଙ୍କ ଭରଣପୋଷଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ ।


ରଚନାବଳୀ
କବିତା ସଂକଳନ
ଗଳ୍ପ ସଂକଳନ

Copyright © 2024 Odia Virtual Academy. All rights reserved      Total Visitors-   1

scroll