ଆଚାର୍ଯ୍ୟ ହରିହର ଦାସ

ଆବିର୍ଭାବ :- ୦୮-୦୩-୧୮୭୯
ତିରୋଧାନ :- ୨୧-୦୨-୧୯୭୧
ଜନ୍ମସ୍ଥାନ :- ଶ୍ରୀରାମଚନ୍ଦ୍ରପୁର, ପୁରୀ

ଆଚାର୍ଯ୍ୟ ହରିହର ଆଧୁନିକ ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ଥିଲା ଶ୍ରଦ୍ଧାଦେବୀ ଓ ପିତାଙ୍କ ନାମ ଥିଲା ମହାଦେବ ବ୍ରହ୍ମା । ବାଲ୍ୟକାଳରୁ ମାତୃବିୟୋଗ ଯୋଗୁଁ ସେ ତାଙ୍କ ଜେଜେମା’ ଓ ସାବତମା’ଙ୍କଦ୍ଵାରା ଲାଳିତପାଳିତ ହୋଇଥିଲେ । ତାଙ୍କର ବାଲ୍ୟଶିକ୍ଷା ଗାଁ ଚାହାଳୀରେ ହୋଇଥିଲା ଓ ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ଅଧ୍ୟୟନ କରିଥିଲେ । ରେଭେନ୍ସା କଲେଜରୁ ଏଫ. ଏ. ପାସ୍‌ କଲା ପରେ ଆଇନ ଶିକ୍ଷା ପାଇଁ ସେ କଲିକତା ଯାଇଥିଲେ, ମାତ୍ର ସେଠାରେ ପ୍ରତିକୂଳ ପରିବେଶ ଯୋଗୁଁ ଅଧାରୁ ପାଠ ଛାଡ଼ି ପଳାଇ ଆସିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, କୃପାସିନ୍ଧୁ ଓ ଅନନ୍ତ ପ୍ରଭୃତି ତାଙ୍କର ବାଲ୍ୟବନ୍ଧୁ । ଓଡ଼ିଶାରେ ସେ ଶିକ୍ଷକ ବୃତ୍ତିରେ ମନୋନିବେଶ କରିଥିଲେ ଓ ପରବର୍ତ୍ତୀକାଳରେ ଜଣେ ମହାନ୍ ଓ ଆଦର୍ଶ ଗୁରୁଭାବେ ପରିଚିତ ହୋଇପାରିଥିଲେ । ପ୍ରଥମେ ନୀଳଗିରି, ପରେ ରେଭେନ୍ସା କଲିଜିଏଟ ସ୍କୁଲ ଓ ଶେଷରେ ପ୍ୟାରୀମୋହନ ଏକାଡେମୀରେ ଶିକ୍ଷକତା କରିଥିଲେ । ‘ମଣିଷ ଗଢ଼ା କାରଖାନା’ ସତ୍ୟବାଦୀ ବନବିଦ୍ୟାଳୟରେ  ଉତ୍ସର୍ଗୀକୃତ ସେବାଦାନ ସମୟରେ ନିଜର ଛାତ୍ର-ବତ୍ସଳତା ଯୋଗୁଁ ଛାତ୍ରମାନେ ଅନ୍ୟ ଶିକ୍ଷକମାନଙ୍କୁ ପଣ୍ଡିତ ବୋଲି କହୁଥିଲେ ମଧ୍ୟ ହରିହରଙ୍କୁ ଆଚାର୍ଯ୍ୟ ବୋଲି ସମ୍ବୋଧନ କରୁଥିଲେ । ଆଚାର୍ଯ୍ୟ ହରିହର ଏତେ ସଚ୍ଚୋଟ ଓ ସତ୍ୟବାଦୀ ଥିଲେ ଯେ  କିଛି ଖେଳ ସାମଗ୍ରୀ କିଣିବା ପାଇଁ ଅର୍ଥ ଅଭାବ ହେବାରୁ ଲଟେରି ଜରିଆରେ ଅର୍ଥ ବ୍ୟବସ୍ଥା ସକାଶେ ପ୍ରଧାନ ଶିକ୍ଷକଙ୍କ ପ୍ରସ୍ତାବକୁ ଏହା ଏକପ୍ରକାର ଅସାଧୁ କାର୍ଯ୍ୟ ଓ ପିଲାଙ୍କୁ ପ୍ରଭାବିତ କରିବ ବୋଲି କହି ପ୍ରତ୍ୟାଖ୍ୟାନ କରିଦେଇଥିଲେ । ସେ ‘Child’s easy first grammar’ ଲେଖି ଛାତ୍ରଛାତ୍ରୀମାନଙ୍କ ଇଂରାଜୀ ଶିକ୍ଷାର ମୂଳଦୁଆ ସ୍ଥାପନ କରିଥିଲେ ।

ଦେଶକୁ ବ୍ରିଟିଶ ଶାସନ କବଳରୁ ମୁକ୍ତ କରିବା ଓ ସେଥିପାଇଁ ଉତ୍ସର୍ଗୀକୃତ ହେବାଭଳି ମଣିଷ ଗଢ଼ିବା ପିଲାଦିନରୁ ତାଙ୍କର ସ୍ୱପ୍ନ ଥିଲା, ଯାହା ପୂରଣ କରିବା ପାଇଁ  ସତ୍ୟବାଦୀ ବନବିଦ୍ୟାଳୟରେ  ତାଙ୍କୁ ସୁଯୋଗ ମିଳିଥିଲା ।

ପୂର୍ବରୁ ପୁରୀରେ  ଅଧ୍ୟୟନ ସମୟରେ ମଶା ଓ ମଇଳା ଦାଉରୁ ପୁରୀ ସହରକୁ ରକ୍ଷା କରିବା ପାଇଁ ସାଥୀମାନଙ୍କୁ ନେଇ ବୁଲି ବୁଲି ସେ ପୋଖରୀଗୁଡ଼ିକର ଦଳ ସଫା କରୁଥିଲେ ।  ପରେ ଗୋପବନ୍ଧୁଙ୍କ ପରାମର୍ଶକ୍ରମେ ସେ ପୁରୀରେ ପ୍ରତିଷ୍ଠିତ ଏକ ବିଧବା ଆଶ୍ରମ ଦାୟିତ୍ୱରେ ରହିଥିଲେ ।  ସେଠାରେ ୫/୬ ବର୍ଷ ବୟସର ବିଧବା ଝିଅମାନେ ଆଶ୍ରୟ ନେଇଥିଲେ । ସେମାନଙ୍କ ଶିକ୍ଷା, ନୈତିକ ଓ ମାନସିକ ବିକାଶ ପାଇଁ ଆଚାର୍ଯ୍ୟ ବରାବର ଉଦ୍ୟମ କରିଥିଲେ । କିନ୍ତୁ କେତେକ କାରଣରୁ ବିଧବାଶ୍ରମଟି ଦୁଇବର୍ଷ ବାଦ୍‍ ବନ୍ଦ ହୋଇଯିବା ପରେ ସ୍ୱାଧୀନତା ସଂଗ୍ରାମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ନେଇ ସେ ଏକ ସେବା ସମିତି ଗଠନ କଲେ । ଏହି ସେବା ସମିତି ମାଧ୍ୟମରେ ସଭ୍ୟମାନେ ରୋଗୀସେବା ସହ ଖଦୀ ଆନ୍ଦୋଳନ, ନିଶା ନିବାରଣ ଓ ଅନ୍ୟାନ୍ୟ ସମାଜ ସଂସ୍କାର କାର୍ଯ୍ୟରେ ମନୋନିବେଶ କରିଥିଲେ । ଗୋପବନ୍ଧୁ ଜେଲ୍ ଯିବାପରେ ଆଚାର୍ଯ୍ୟ ହରିହର ସମାଜର ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

ଉତ୍କଳମଣିଙ୍କ ପରଲୋକଗମନ ପରେ ସ୍ୱରାଜ ଆନ୍ଦୋଳନର ଅନ୍ୟତମ ରଥୀ ଗୋପବନ୍ଧୁ ଚୌଧୁରୀ ତାଙ୍କୁ କଟକରେ ସ୍ୱରାଜ ଆଶ୍ରମର ଦାୟିତ୍ୱ ନେବାପାଇଁ ଅନୁରୋଧ କରିଥିଲେ । ୧୯୩୦ ମସିହାରେ ସମଗ୍ର ଦେଶରେ ଲବଣ ସତ୍ୟାଗ୍ରହ ପାଇଁ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଓଡ଼ିଶାରେ ସତ୍ୟାଗ୍ରହୀମାନଙ୍କ ନେତୃତ୍ୱ ନେଇ ଗୋପବନ୍ଧୁ ଚୌଧୁରୀ କଟକରୁ ଇଞ୍ଚୁଡ଼ି ଯାତ୍ରା କଲାବେଳେ କାକତିଆ ଗ୍ରାମ ନିକଟରେ ପୋଲିସ ତାଙ୍କୁ ଗିରଫ କଲା । ତେଣୁ ଆଚାର୍ଯ୍ୟ ମହାଶୟ ସତ୍ୟାଗ୍ରହୀମାନଙ୍କ ନେତୃତ୍ୱ ନେଇ ଇଞ୍ଚୁଡ଼ିରେ ପହଞ୍ଚିଲେ । ସେଠାରେ ଅପେକ୍ଷା କରିଥିବା ପୋଲିସ ତାଙ୍କୁ ଏବଂ ଅନ୍ୟ ସତ୍ୟାଗ୍ରହୀମାନଙ୍କୁ ମଧ୍ୟ ଗିରଫ କରି ହଜାରିବାଗ ଜେଲ୍‍କୁ ପଠାଇଦେଲେ । ଛ’ ମାସ ବନ୍ଦୀ ଜୀବନ ବିତାଇ ସେ କଟକ ଫେରିଥିଲେ । ଏହାପରେ ବ୍ରିଟିଶ ସରକାର ବିରୁଦ୍ଧରେ କାମ କରି ସେ ଅନେକ ବାର କାରାବରଣ କରିଥିଲେ ।

୧୯୩୬ ଏପ୍ରିଲ ପହିଲାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେବାପରେ ବହୁ ନେତା କ୍ଷମତା ରାଜନୀତିରେ ମାତିଥିଲେ ମଧ୍ୟ ଆଚାର୍ଯ୍ୟ ହରିହର ସେ ସବୁରୁ ନିଜକୁ ଦୂରେଇ ରଖି ଗ୍ରାମବିକାଶ କାମରେ ମନୋନିବେଶ କରିଥିଲେ । ଥରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ମନୋନୟନକୁ ନେଇ କନ୍ଦଳର ସୂତ୍ରପାତ ହେବାରୁ ଗୋପବନ୍ଧୁ ଚୌଧୁରୀ ଏବଂ ନୀଳକଣ୍ଠ ଦାସଙ୍କ ମଧ୍ୟରୁ କାହାକୁ ସଭାପତି ନ କରି ଆଚାର୍ଯ୍ୟ ହରିହରଙ୍କୁ କରାଯାଉ ବୋଲି ଗୋଟିଏ ଗୋଷ୍ଠୀ ମତ ଦେବାରୁ ତାହା ବିନା ପ୍ରତିବାଦରେ ଗୃହୀତ ହୋଇଥିଲା । ୧୯୩୮ ଦଳୀୟ ନିର୍ବାଚନ ପୂର୍ବରୁ କଂଗ୍ରେସର ଯୁବଗୋଷ୍ଠୀ ଦାରିଦ୍ର୍ୟ ହ୍ରାସପାଇଁ ଧନିକ ଶ୍ରେଣୀର ଲୋକମାନଙ୍କ ଉପରେ ନୈତିକ ଚାପ ପ୍ରୟୋଗ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ । କିନ୍ତୁ ତାହା ପ୍ରତ୍ୟାଖ୍ୟାତ ହୋଇଯାଇଥିଲା । ଏହି ଗୋଷ୍ଠୀ କଂଗ୍ରେସ ସମାଜବାଦୀ କମିଟି ନାମରେ ଏକ ଗୋଷ୍ଠୀ ଗଠନ କରିଥିଲେ । ସେମାନେ ହରିହରଙ୍କୁ ଆଚାର୍ଯ୍ୟ ହରିହର ବୋଲି ସମ୍ୱୋଧନ କରୁଥିଲେ । କିନ୍ତୁ ନିର୍ବାଚନବେଳେ ଆଚାର୍ଯ୍ୟ ମହାଶୟଙ୍କୁ ଏଇ ଆଦର୍ଶବାଦ ବିଚାରର ଶିକାର ହେବାକୁ ପଡ଼ିଥିଲା ଏବଂ ତାଙ୍କର ଜଣେ ପୂର୍ବତନ ଛାତ୍ର ନୂଆପଡ଼ାର ମୋହନ ଦାସଙ୍କ ପାଇଁ ତାଙ୍କୁ ନିର୍ବାଚନରେ ହାରିବାକୁ ପଡ଼ିଥିଲା ।

୧୯୪୨ ମସିହାରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଡାକରା ସ୍ୱାଧୀନତା-ଆନ୍ଦୋଳନକାରୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଭରି ଦେଇଥିଲା । ଅଗଣନ ସଂଖ୍ୟାରେ ଛାତ୍ରମାନେ ସ୍କୁଲ-କଲେଜ ଛାଡ଼ି ଆନ୍ଦୋଳନରେ ଝାସ ଦେଇଥିଲେ । ଆଚାର୍ଯ୍ୟଙ୍କ ସମେତ ବହୁ ନେତାଙ୍କ ସହ ଛାତ୍ରନେତାମାନଙ୍କୁ ମଧ୍ୟ ଗିରଫ କରି ବ୍ରହ୍ମପୁର ଜେଲ୍‌ରେ ଭର୍ତ୍ତି କରାଯାଇଥିଲା । ଆଚାର୍ଯ୍ୟ ଜେଲ୍ ଭିତରେ ସେମାନଙ୍କ ଶିକ୍ଷାର ଦାୟିତ୍ୱ ନେଇଥିଲେ ଏବଂ ସେଥିପାଇଁ ବହୁ ପରିଶ୍ରମ କରିଥିଲୋ । ଏହିଠାରେ ସେ ଶ୍ରୀମଦ୍ଦ୍‍ ଭଗବତ୍‍ ଗୀତାର ଓଡ଼ିଆ ଅନୁବାଦ କରି ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।

୧୯୪୪ରେ ଜେଲ୍‍ରୁ ଖଲାସ ହେଲାପରେ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସହ ମିଶି ଆଚାର୍ଯ୍ୟ ହରିହର ପୁରୀରୁ ମଶା ନିରାକରଣ ପାଇଁ ଜିଲା ବୋର୍ଡ଼ର ଅସହଯୋଗ ସତ୍ତ୍ୱେ ଏକ ନିର୍ଦ୍ଧାରିତ ଦିନରେ ପୋଖରୀମାନଙ୍କରୁ ଦଳ ନିଷ୍କାସନ କରି ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ପରେ ଭୂଦାନ ଆନ୍ଦୋଳନର ସକ୍ରିୟ ସଭ୍ୟ ହୋଇ ୧୯୫୫ ମସିହାରେ ବିନୋବାଜୀଙ୍କ ସହ ସମଗ୍ର ଓଡ଼ିଶାରେ ଗ୍ରାମକୁ ଗ୍ରାମ ବୁଲି ଭୂଦାନ ଓ ଗ୍ରାମଦାନ ପାଇଁ କାର୍ଯ୍ୟ କରିଥିଲେ । ୧୯୬୦ ମାର୍ଚ୍ଚ ୨୬ ତାରିଖ (ତାଙ୍କ ୮୩ତମ ଜନ୍ମଦିନ)ରେ ସେବାଗ୍ରାମଠାରେ ଅନୁଷ୍ଠିତ ଦ୍ୱାଦଶ ବାର୍ଷିକ ସର୍ବୋଦୟ ସମ୍ମିଳନୀରେ ଅଧ୍ୟକ୍ଷତା କରି ଆଚାର୍ଯ୍ୟ ମହାଶୟ କହିଥିଲେ, “ସ୍ୱାଧୀନତା ମିଳିଯାଇଛି ସତ, କିନ୍ତୁ ତାହା ଗାଁ’ରେ ପହଞ୍ଚିପାରିନାହିଁ । ପୂର୍ବଦିଗରେ ସୂର୍ଯ୍ୟୋଦୟ ଘଟିସାରିଛି, କିନ୍ତୁ ଦୁଆର ଝରକା ବନ୍ଦ ରଖିଥିବାରୁ ଆମେ ଆଲୋକ ଦେଖିପାରୁନାହୁଁ ’’ । ଗ୍ରାମୋଦୟ ପାଇଁ ଅନବରତ ଉଦ୍ୟମ କରି ଆଚାର୍ଯ୍ୟ ମହାଶୟ ୧୯୭୧ ଫେବୃଆରି ୨୧ ତାରିଖରେ ତାଙ୍କର ମରଦେହ ତ୍ୟାଗ କରିଥିଲେ । କିନ୍ତୁ ତାଙ୍କର ନିରଳସ ସେବା ଓ ନିସ୍ୱାର୍ଥ ତ୍ୟାଗପୂତ ଜୀବନ ପାଇଁ ଆଚାର୍ଯ୍ୟ ହରିହର ପ୍ରତିଟି ଓଡ଼ିଆ ହୃଦୟରେ ଅମର ହୋଇ ରହିଥିବେ । 

 


ରଚନାବଳୀ

Copyright © 2023 Odia Virtual Academy. All rights reserved      Total Visitors-   1

scroll