ଶ୍ରୀମତୀ ଅପର୍ଣ୍ଣା ଦେବୀ

ଆବିର୍ଭାବ :- ୨୮-୦୧-୧୮୯୯
ତିରୋଧାନ :- ୨୩-୦୧-୧୯୬୩
ଜନ୍ମସ୍ଥାନ :- ବୀରଭଦ୍ରପୁର, ପୁରୀ

କବୟିତ୍ରୀ ଅପର୍ଣ୍ଣା ଦେବୀ ତତ୍କାଳୀନ ପୁରୀଜିଲ୍ଲାର ବୀରଭଦ୍ରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ବୈଦ୍ୟନାଥ ମିଶ୍ର ଓ ମାତାଙ୍କ ନାମ ଥିଲା ଦୁର୍ଗା ଦେବୀ । ସେ ମାତ୍ର ପ୍ରାଇମେରୀ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । କହିବା ବାହୁଲ୍ୟ ଯେ ତତ୍କାଳୀନ ସାମାଜିକ କଟକଣା ଯୋଗୁଁ ସେ ଉଚ୍ଚଶିକ୍ଷା ଲାଭରୁ ବଞ୍ଚିତ ହୋଇଥିଲେ । ଏହାସତ୍ତ୍ଵେ କାବ୍ୟ ରଚନାରେ ତାଙ୍କର ସିଦ୍ଧି ବେଶ୍‍ ଉଚ୍ଚ କୋଟୀର ଥିଲା । ଏପରିକି ସାଂସାରିକ ଜଞ୍ଜାଳ ତାଙ୍କୁ ସାରସ୍ୱତ ସାଧନାରୁ ବଞ୍ଚିତ କରିପାରିନଥିଲା ।

ଅପର୍ଣ୍ଣା ଦେବୀଙ୍କର ପ୍ରଥମ ପୌରାଣିକ କାବ୍ୟ ଥିଲା ‘ଇନ୍ଦୁମତୀ’ । ଏଇ ସୁନ୍ଦର ରଚନାପାଇଁ ସେ କେନ୍ଦୁଝର ରାଜଦରବାରରେ ‘କବିତା କଳ୍ପଲତା’ ଉପାଧିରେ ଭୂଷିତ ହୋଇଥିଲେ ଏବଂ ରାଜାନୁଗ୍ରହରୁ ପୁରୀ ପଥୁରିଆ ସାହିରେ ତାଙ୍କୁ ଉପହ।ରସ୍ୱରୂପ ଏକ ବାସସ୍ଥାନ ମିଳିଥିଲା ।

ବିଭିନ୍ନ ଶ୍ରେଣୀର କାବ୍ୟକବିତା ରଚନା କରିବାରେ ଅପର୍ଣ୍ଣା ଦେବୀ ପାରଙ୍ଗମ ଥିଲେ । ସେ  ‘ଚିନ୍ତା’, କାଳ୍ପନିକ କାବ୍ୟ ‘ଆର୍ଯ୍ୟଲଳନା’ ଓ ‘ବନମାଳିନୀ’, ପ୍ରକୃତି ସମ୍ପର୍କିତ ‘ବାରମାସୀ’, ପୌରାଣିକ କାବ୍ୟ ‘ସାବିତ୍ରୀ ଚରିତ’ ଓ ‘ଦେବୀରାଣୀ’, ଏକଶହ ଖଣ୍ଡକାବ୍ୟର ସମାହାର ‘ଶତଦଳ’, ଶିଶୁକିଶୋର-ଉପଯୋଗୀ ‘ଦଶକୁମାର ଚରିତ’ ଓ ଅପ୍ରକାଶିତ ରଚନା ଅମିତ୍ରାକ୍ଷରୀ କାବ୍ୟ ‘ସଂଯୁକ୍ତା’, ଖଣ୍ଡକାବ୍ୟ ‘ବୀରମତୀ’ ଏବଂ ଚାରିଭାଗରେ ବିଭକ୍ତ ‘କବିତାବଳୀ’ ତାଙ୍କର ଅମୂଲ୍ୟ ସାରସ୍ଵତ ସୃଷ୍ଟି ।

ପୁରୀରେ ସ୍ଵାମୀ ଶିକ୍ଷକତା କରୁଥିବାରୁ ଅପର୍ଣ୍ଣା ଦେବୀ ବହୁଦିନ ଧରି ପୁରୀରେ ବସବାସ କରିଥିଲେ । ନାରୀସମାଜର ପୁନରୁଦ୍ଧାର ପାଇଁ ସେ ଆମରଣ ପ୍ରଚେଷ୍ଟା ଜାରି ରଖିଥିଲେ । ଜୀବନର ଅନ୍ତିମ ପର୍ଯ୍ୟାୟ  ସେ କଟକରେ ତାଙ୍କ ପୁତ୍ର ଜଗନ୍ନାଥ ମିଶ୍ରଙ୍କ ପାଖରେ ବିତାଇଥିଲେ । ସାହିତ୍ୟ କ୍ଷେତ୍ରରେ ତାଙ୍କର ଏହି ଅତୁଳନୀୟ ଅବଦାନ ପାଇଁ ସମଗ୍ର ଓଡ଼ିଶାବାସୀଙ୍କର ସେ ଚିରନମସ୍ୟ ହୋଇ ରହିବେ ।


ରଚନାବଳୀ
କାବ୍ୟ

Copyright © 2024 Odia Virtual Academy. All rights reserved      Total Visitors-   1

scroll