ଜାତୀୟ କବି ବୀରକିଶୋର ଦାସ

ଆବିର୍ଭାବ :- ୨୩-୧୧-୧୮୯୬
ତିରୋଧାନ :- ୨୮-୦୪-୧୯୭୩
ଜନ୍ମସ୍ଥାନ :- ପୁନଙ୍ଗ, ଜଗତସିଂହପୁର

ବୀରକିଶୋର ଦାସ ଜାତୀୟକବିଭାବେ ଓଡ଼ିଶାର ପ୍ରତ୍ୟେକଟି ସଚେତନ ନାଗରିକ ନିକଟରେ ପରିଚିତ । ସ୍ୱତନ୍ତ୍ର ଓଡ଼ିଶା ଆନ୍ଦୋଳନ ଏବଂ ଭାରତୀୟ ମୁକ୍ତି ସଂଗ୍ରାମ ସମୟରେ ତାଙ୍କର ଗଭୀର ପ୍ରେରଣାଦାୟୀ କବିତା ଓଡ଼ିଆ ପ୍ରାଣରେ ଉନ୍ମାଦନା ଭରିଦେଇଥିଲା ।

ବୀରକିଶୋର ୧୮୯୮ ମସିହାରେ ଆଧୁନିକ ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ପିତା ଗୋପାଳ ଚନ୍ଦ୍ର ଦାସଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ଗ୍ରାମ ଚାଟଶାଳୀରେ ବାଲ୍ୟଶିକ୍ଷା ସମାପନ କରି ସେ କଟକ ଭିକ୍ଟୋରିଆ ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କଲେ ଓ ତତ୍ପରେ କଟକ କଲେଜରେ ଏଫ୍.ଏ ପଢ଼ିଥିଲେ । ୧୯୨୩ ମସିହାରେ ବୀରକିଶୋର ସ୍ୱାଧୀନତା ସଂଗ୍ରାମୀ ଧର୍ମାନନ୍ଦ ପଟ୍ଟନାୟକଙ୍କ କନ୍ୟା ଶାରଦାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

କଟକର ପ୍ୟାରୀମୋହନ ଏକାଡେମୀରେ କିଛି ଦିନର ଶିକ୍ଷକତା ପରେ ବୀରକିଶୋର ସରକାରୀ କିରାଣୀ ବୃତ୍ତିରେ ନିଜକୁ ନିୟୋଜିତ କରିଥିଲେ  । ପରବର୍ତ୍ତୀ କାଳରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ସେ ନିଜର ସରକାରୀ ବୃତ୍ତିକୁ ପଦାଘାତ କରିଥିଲେ । ୧୯୩୦ରେ ଲବଣ ସତ୍ୟାଗ୍ରହରେ ଯୋଗଦେଇଥିଲେ ଏବଂ ସଂଗ୍ରାମୀ ଜୀବନରେ ତାଙ୍କୁ ସାତଥର ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିଥିଲା । ପୁଲିସର ଅକଥନୀୟ ଅତ୍ୟାଚାର ଭିତରେ ତାଙ୍କର ଅନେକ ପାଣ୍ଡୁଲିପି ନଷ୍ଟ ହୋଇଯାଇଥିଲା ।

ସ୍ୱାଧୀନତା ଆସିବା ପରେ ବୀରକିଶୋର କଟକ ସଦର ଲୋକାଲ୍ ବୋର୍ଡ଼ ଚେୟାରମ୍ୟାନ ପଦ ଗ୍ରଦଣ କରିଥିଲେ । ସେ ଦ୍ୱିତୀୟ ବିଧାନସଭା ପୁସ୍ତକ ଜାତୀୟକରଣ କମିଟିର ସଭ୍ୟ ରହିଥିଲେ । କଟକସ୍ଥିତ ସ୍ୱରାଜ ଆଶ୍ରମରେ ସେ ୧୯୭୩ ଏପ୍ରିଲ ୨୮ ତାରିଖରେ ଶେଷନିଶ୍ଵାସ ତ୍ୟାଗ କରିଥିଲେ ।

‘ମୋହନବଂଶୀ’ ଥିଲା ବୀରକିଶୋରଙ୍କ ପ୍ରଥମ କବିତା ପୁସ୍ତକ । ଏହା ବାପୁଜୀଙ୍କ କଥା ଓ ବାଣୀ ଉପରେ ଆଧାରିତ ଥିଲା । କବିତା ପୁସ୍ତକ ‘ରଣ ଦୁନ୍ଦୁଭୀ’, ‘ରଣଭେରୀ’, ‘ବିଦ୍ରୋହୀବୀଣା’, ‘ମୋହନବେଣୁ’, ‘ସବୁଜସାଥି’, ‘ସମର ଯୁଗର ଅମର ଗୀତ’, ‘ସାତଦୀପ’ ଇତ୍ୟାଦି ରଚନା କରି ସେ ଅମର ହୋଇଯାଇଛନ୍ତି । ବୀରକିଶୋର ପାଠ୍ୟପୁସ୍ତକ ‘ମୋ ଛବିବହି’ ଓ ‘ନୂଆ ଛବିବହି’ ମଧ୍ୟ ରଚନା କରିଥିଲେ । ସେ ମାସିକ ଶିଶୁସାହିତ୍ୟ ପତ୍ରିକା ‘ମୋ ଦେଶ’ ପ୍ରକାଶ କରିଥିଲେ । ସରକାରଙ୍କଦ୍ୱାରା ପ୍ରକାଶିତ ଶିଶୁଲେଖା ପତ୍ରିକା ତଙ୍କ ନିଷ୍ଠାପର ଉଦ୍ୟମର ଫଳ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll