ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀ

ଆବିର୍ଭାବ :- ୧୦-୦୮-୧୯୩୨
ତିରୋଧାନ :- ୨୫-୦୮-୨୦୧୩
ଜନ୍ମସ୍ଥାନ :- ଗୁଣପୁର, ରାୟଗଡ଼ା ଜିଲ୍ଲା

ଓଡ଼ିଶୀ ସଂଗୀତ ଗୁରୁ, କଣ୍ଠଶିଳ୍ପୀ ଏବଂ ସଂଗୀତ ନିର୍ଦ୍ଦେଶକ ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀ ରାୟଗଡ଼ା ଜିଲ୍ଲାର ଗୁଣପୁର ସହରରେ ୧୯୩୨ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କଠାରୁ ସେ ୫ବର୍ଷ ବୟସରେ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ୱନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଶର୍ମାଙ୍କଠାରୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପା ରାଓଙ୍କଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷାଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି. ପାଲୁସକରଙ୍କଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା କରି ଓଡ଼ିଶା ଫେରିଥିଲେ ।

୧୯୪୮ ମସିହାରେ ରଘୁନାଥ ପାଣିଗ୍ରାହୀ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ନିୟମିତ କଳାକାରଭାବେ ଯୋଗଦେଇଥିଲେ । ଓଡ଼ିଆ, ତେଲୁଗୁ ଓ କନ୍ନଡ଼ ଭାଷାର ବିଭିନ୍ନ ଚଳଚ୍ଚିତ୍ରରେ ସଂଗୀତ ରଚନା ସହ କଣ୍ଠଦାନ କରିଛନ୍ତି ଏବଂ ସଂଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଏତଦ୍‍ଭିନ୍ନ ବହୁ ଓଡ଼ିଆ ଭଜନ, ଜଣାଣ ଏବଂ ଓଡ଼ିଶୀ ଛାନ୍ଦ, ଚମ୍ପୁ ଓ ଗଜଲ ଗାନ କରି ଖୁବ୍‍ ଲୋକପ୍ରିୟତା ଅର୍ଜନ କରତଛନ୍ତି । ବିଶେଷକରି ଓଡ଼ିଶୀ ସଂଗୀତ ସହିତ ଜଗନ୍ନାଥ ସଂସ୍କୃତି ଓ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଚାର ଓ ପ୍ରସାରରେ ତାଙ୍କର ଭୂମିକା ଅନନ୍ୟ । ଶାସ୍ତ୍ରୀୟଶୈଳୀରେ ଗୀତଗୋବିନ୍ଦ ଗାନ କରିବା ସେ ତାଙ୍କ ପିତାଙ୍କଠାରୁ ଶିଖିଥିଲେ ଯାହାକୁ ଗାନ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ଏକାଧାରରେ ଓଡ଼ିଶୀ, ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଙ୍ଗୀତ ଗାନକରି ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ ।

ସୁରମଣି ରଘୁନାଥ ୧୨ଟି ଭାଷାରେ ପ୍ରବୀଣ ସଙ୍ଗୀତଜ୍ଞ ଥିଲେ । ଶାସ୍ତ୍ରୀୟ ସଙ୍ଗୀତ ଗାଇବାରେ ସେ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ସମେତ ଅନେକ ରାଜ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲେ । ଏକଦା ପଶ୍ଚିମବଙ୍ଗର ରବୀନ୍ଦ୍ର ସଦନଠାରେ ତାଙ୍କ ପତ୍ନୀ ଓଡ଼ିଶୀ ନୃତ୍ୟ ପଟ୍ଟୀୟସୀ ପଦ୍ମ ଶ୍ରୀ  ସଂଯୁକ୍ତା ପାଣିଗ୍ରାହୀ ନୃତ୍ୟ ପ୍ରଦର୍ଶନ କରୁଥିବାବେଳେ ମଞ୍ଚ ଆଢ଼ୁଆଳରୁ ଭାସି ଆସୁଥିଲା ରଘୁନାଥଙ୍କ ଯାଦୁକରୀ ସ୍ୱର, ଯାହା ଶୁଣିବା ପରେ ଉପସ୍ଥିତ ଶ୍ରୋତା ଓ ଦର୍ଶକମଣ୍ଡଳୀ ଏକ ସ୍ୱରରେ କହିଉଠିଥିଲେ – ପ୍ରଥମେ ଗାୟକଙ୍କୁ ମଞ୍ଚ ଉପରକୁ ଅଣାଯାଉ । ରଘୁନାଥ ଆସିବା ପରେ ଦର୍ଶକ ମଣ୍ଡଳୀ ନାଚ ଦେଖିବା ବନ୍ଦ କରି ଓଡ଼ିଶୀ ସଙ୍ଗୀତ ଶୁଣିବାକୁ ଜିଦ୍ ଧରି ବସିଥିଲେ ଓ ରଘୁନାଥ ଗୀତ ପରିବେଷଣ କରିଥିଲେ ।

ପଣ୍ଡିତ ରଘୁନାଥ ୧୯୬୩ ମସିହାରେ ପ୍ରଥମ କରି ଓଡ଼ିଆ କଥାଚିତ୍ରରେ ତାଙ୍କର କଣ୍ଠଦାନ କରିଥିଲେ । ୧୯୬୩ରେ 'ଶ୍ରୀ ଶ୍ରୀ ପତିତପାବନ', ୧୯୭୬ରେ ‘ସିନ୍ଦୂର ବିନ୍ଦୁ’, ୧୯୭୭ରେ ‘ମୁକ୍ତି’, ୧୯୯୮ରେ ‘ଅହଲ୍ୟା’ କଥାଚିତ୍ରରେ ସେ କଣ୍ଠଦାନ କରିଥିଲେ । ‘ଅଭିନେତ୍ରୀ’ କଥାଚିତ୍ରରେ ସେ ୧୯୬୫ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୭୭ରେ ‘ମୁକ୍ତି’ ଚଳଚ୍ଚିତ୍ର ପାଇଁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବରେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ଲାଭ କରିଥିଲେ । ସେହିପରି ‘ଅହଲ୍ୟା’ ଚଳଚ୍ଚିତ୍ର ପାଇଁ ୧୯୯୮ରେ ଶ୍ରେଷ୍ଠ ସଙ୍ଗୀତ ସଂଯୋଜନା ନିମିତ୍ତ ରାଜ୍ୟ ପୁରସ୍କାର ପାଇଥିଲେ । ୧୯୬୮ ମସିହାରେ ମୁମ୍ବାଇର ସୁର୍ ସିଙ୍ଗାର ସଂସଦ (କାଲ୍‌କୋ କଳାକାର) ତରଫରୁ ତାଙ୍କୁ ସୁରମଣି ଉପାଧିରେ ଭୂଷିତ କରାଯାଇଥିଲା । ସେହିଦିନଠାରୁ ସେ ସୁରମଣିଭାବେ ପରିଚିତ ହେଲେ ।

‘କଳାକ୍ଷେତ୍ର’ ନୃତ୍ୟ ବିଦ୍ୟାଳୟ ସହ ସଂପୃକ୍ତ ହେବା ପରେ ରଘୁନାଥଙ୍କର ଓଡ଼ିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କ ସହ ଭେଟ ହୋଇଥିଲା । ୧୯୬୦ ମସିହାରେ ସେ ୨୬ବର୍ଷ ବୟସରେ ସଂଯୁକ୍ତାଙ୍କୁ ବିବାହ କରିଥିଲେ । ସଂଯୁକ୍ତାଙ୍କ ନୃତ୍ୟରେ ୧୯୭୦ ମସିହାରୁ ଦୁଇଦଶନ୍ଧି ବ୍ୟାପି ସେ ସଙ୍ଗୀତକାର ଭାବେ ନିଜକୁ ନିୟୋଜିତ କରିଥିଲେ । ଏସିଆ ଓ ୟୁରୋପ ମହାଦେଶର ବିଭିନ୍ନ ଦେଶ ଗସ୍ତ କରି ଏହି ଦମ୍ପତି ଓଡ଼ିଶୀ ନୃତ୍ୟ ସଙ୍ଗୀତ ପରିବେଷଣପୂର୍ବକ ଓଡ଼ିଆ ସଂସ୍କୃତିର ମହାନତା ପ୍ରତିପାଦିତ କରିଥିଲେ । ସଂଯୁକ୍ତାଙ୍କ ସହିତ ମିଶି ରଘୁନାଥ ଓଡ଼ିଶୀ ନୃତ୍ୟର ପଲ୍ଲବୀ, ଅଭିନୟ ଓ ନୃତ୍ୟନାଟିକା ଭଳି ବିଭିନ୍ନ ବିଭାବର ସଙ୍ଗୀତ ସଂଯୋଜନା କରିଥିଲେ ଯାହା ଏବେ ବି ମଞ୍ଚସ୍ଥ ହେଉଛି । ଆଜି ଓଡ଼ିଶୀ ନୃତ୍ୟର ଯେଉଁ ଅର୍ଦ୍ଧନାରୀଶ୍ୱର ବିଭବ ନୃତ୍ୟାଙ୍ଗନାମାନଙ୍କଦ୍ୱାରା ପରିବେଷିତ ହେଉଛି, ରଘୁନାଥ ଥିଲେ ତାହାର ସଙ୍ଗୀତସ୍ରଷ୍ଟା । ଏହାଛଡ଼ା ସେ ଅଭିନୟ, ବର୍ଷା ଭଳି ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ପ୍ରସ୍ତୁତ କରିଯାଇଛନ୍ତି । ୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡ଼ିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢ଼ିଥିଲେ ଯାହାର ନାମ ‘ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ’ । ୨୦୦୧ରୁ ଏହି ଟ୍ରଷ୍ଟ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି । ଏହା ବ୍ୟତୀତ ସେ ପ୍ରତିମା ଦେବୀଙ୍କ ନୃତ୍ୟ ଅନୁଷ୍ଠାନ 'ନୃତ୍ୟଗ୍ରାମ' ସହିତ ସଂଶ୍ଳିଷ୍ଟ ରହି ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

ପଣ୍ଡିତ ରଘୁନାଥଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (୨୦୦୬), ଉତ୍କଳ ବିଶ୍ୱବିଦ୍ୟାଳୟ (୨୦୦୯) ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ (୨୦୧୩) ସମ୍ମାନସୂଚକ  ଡି.ଲିଟ ଉପାଧିରେ ଭୂଷିତ କରିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମ ଶ୍ରୀ ଉପାଧି (୨୦୧୦)ରେ ସମ୍ମାନିତ କରାଯାଇଥିଲା-। ସୁରମଣି ଉପାଧି ବ୍ୟତୀତ ସେ ଗଣ କଳାନିଧି ସମ୍ମାନ (୧୯୭୨), କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୬), ଅଲ ଇଣ୍ଡିଆ କ୍ରିଟିକ୍ସ ପୁରସ୍କାର (୧୯୭୭), ଗ୍ରାଁ ପ୍ରି ପୁରସ୍କାର (୧୯୮୨), ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୯୩) , ସେବା ପୁରସ୍କାର (୧୯୯୪), ରାଜ୍ୟପାଳ ସମ୍ମାନ (୧୯୯୫), କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ (୧୯୯୯) ଏବଂ ଜୟଦେବ ସମ୍ମାନ (୨୦୦୮) ପ୍ରଭୃତି ଅଗଣିତ ସମ୍ମାନ ଓ ଉପାଧିରେ ଭୂଷିତ ହୋଇଥିଲେ ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll