ଶ୍ରୀମତୀ ସରଳା ଦେବୀ

ଆବିର୍ଭାବ :- ୧୯-୦୮-୧୯୦୪
ତିରୋଧାନ :- ୦୪-୧୦-୧୯୮୬
ଜନ୍ମସ୍ଥାନ :- ନରିଲୋ, ବାଲିକୁଦା, ଜଗତସିଂହପୁର

ଯୁଗପ୍ରବର୍ତ୍ତିକା ସରଳା ଦେବୀ ତତ୍କାଳୀନ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ବାସୁଦେବ କାନୁନଗୋ ଓ ମା’ଙ୍କ ନାମ ଥିଲା ପଦ୍ମାବତୀ ଦେବୀ । ଜନ୍ମ ହେବା ପରେ ସେ ନିଜର ବାଲ୍ୟ ଜୀବନ ହେମନ୍ତ କୁମାରୀ ଓ ବାଳମୁକୁନ୍ଦଙ୍କ ତତ୍ୱାବଧାନରେ କାଟିଥିଲେ । ସେ ଥିଲେ ଗଡ଼ଜାତମାନଙ୍କର ସୁପରିଣ୍ଟେଣ୍ଡେଣ୍ଟଭାବେ କାର୍ଯ୍ୟ କରୁଥିବା ସ୍ୱନାମଧାନ୍ୟ ନନ୍ଦକିଶୋର ଦାସଙ୍କ ନାତୁଣୀ । ସେ ସମୟରେ ସେ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିଥିଲେ। ଘରର ମୁରବୀମାନେ ତାଙ୍କର ହାଇସ୍କୁଲ ପଢ଼ା ବନ୍ଦ କରିଦେଇଥିବାରୁ ହେମନ୍ତ କୁମାରୀ ଜଣେ ଖ୍ରୀଷ୍ଟିଆନ୍ ଶିକ୍ଷୟିତ୍ରୀ ନିଯୁକ୍ତ କରି ତାଙ୍କର ଇଂରାଜୀ ଓ ବଙ୍ଗଳା ପଢ଼ିବାର ବ୍ୟବସ୍ଥା କରିଥିଲେ । ତୀକ୍ଷ୍ଣ ସ୍ମୃତିଶକ୍ତିର ଅଧିକାରିଣୀ ହୋଇଥିବାରୁ ସେ ଶିକ୍ଷାରେ ବହୁ ଉନ୍ନତି କରିଥିଲେ ।

ସ୍ୱାଧୀନତା ସଂଗ୍ରାମରେ ଭାଗନେବା ସହ ସରଳା ଦେବୀ ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ କାର୍ଯ୍ୟକୁ ଓଡ଼ିଶାରେ ଆଗେଇନେଇଥିଲେ ଏବଂ ସମାଜ ସଂସ୍କାର କାମରେ ବ୍ରତୀ ହୋଇଥିଲେ । ସେ ପିଲାବେଳୁ ସମାଜରେ ପ୍ରଚଳିତ କୁପ୍ରଥା ବିରୁଦ୍ଧରେ ସଂଗ୍ରାମ କରିଥିଲେ । ୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହେବାପରେ ପ୍ରାଦେଶିକ ସ୍ୱାୟତ୍ତ ଶାସନ ପ୍ରବର୍ତ୍ତନ ହେତୁ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନ ସଭା ନିର୍ବାଚନ ପାଇଁ ତାଙ୍କୁ ପ୍ରାର୍ଥୀ କରାଯାଇଥିଲା ଏବଂ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଥିଲେ ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବିଧାୟକ । ବିଧାନ ସଭାରେ ‘ବାଲ୍ୟବିବାହ ଆଇନର ସଂଶୋଧନ’ ଓ ‘ପୋଇଲି ପ୍ରଥା’ର ଉଚ୍ଛେଦ ପାଇଁ ଆଇନ ପ୍ରଣୟନ କରିବାକୁ ସରଳା ଦେବୀ ବିଲ୍ ଆଗତ କରିଥିଲେ । ଏହି ବିଲ୍‍ଦ୍ୱୟ ବିଧାନ ସଭାରେ ଗୃହୀତ ହୋଇଥିଲା । ସେ ସମାଜରେ ପ୍ରଚଳିତ ବହୁବିଧ କୁପ୍ରଥା ବିରୋଧରେ ମଧ୍ୟ ବିଧାନସଭାରେ ସ୍ୱର ଉଠାଇଥିଲେ । ସେ ବିଧାନସଭାରେ ଗୋଟିଏ ଦିନ ବାଚସ୍ପତି ଦାୟିତ୍ୱ ତୁଲାଇଥିଲେ । ଓଡ଼ିଆ ଭାଷାକୁ ସରକାରୀ ଭାଷାରୂପେ ଗ୍ରହଣ କରିବା ପ୍ରୟାସରେ ସେ ଥିଲେ ପ୍ରଥମ ଓ ଅଗ୍ରଗଣ୍ୟ ମହିଳା ।

୧୯୪୨-୧୯୫୨ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଓ ଉପସଭାପତିଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେ ସମବାୟ ବ୍ୟାଙ୍କର ପ୍ରଥମ ମହିଳା ନିର୍ଦେଶକ ଥିଲେ । ସରଳା ଦେବୀ ଅଳ୍ପବୟସରୁ ସାହିତ୍ୟ ଚର୍ଚ୍ଚା ଆରମ୍ଭ କରିଥିଲେ । ସେ ଯୁଗରେ ‘ପରିଚାରିକା’ ନାମକ ଗୋଟିଏ ମାସିକ ପତ୍ରିକା ୧୩୨୫ରୁ ୧୩୨୭ ପର୍ଯ୍ୟନ୍ତ ପ୍ରକାଶିତ ହୋଇଥିଲା ।  ଏଥିରେ ସରଳା ଦେବୀଙ୍କର ବହୁ ରଚନା ଦେଖିବାକୁ ମିଳେ । ସେଗୁଡ଼ିକ ଭିତରୁ ‘ଧୈର୍ଯ୍ୟଶାଳୀ ସାମ୍ରାଜ୍ଞୀ – ଶୈବ୍ୟା’ , ‘କଳ୍ପିତ ମୃତ୍ୟୁ’ ଓ ‘ପ୍ରତୀକ୍ଷା’ ଅନ୍ୟତମ । ଅଳକା ଆଶ୍ରମରୁ ପ୍ରକାଶିତ ହାତଲେଖା ପତ୍ରିକା ‘ଅଳକା’ଠାରୁ ଆରମ୍ଭ କରି ‘ସହକାର’, ’ନବ ଭାରତ’ ଇତ୍ୟାଦି ଓଡ଼ିଶାର ବିଶିଷ୍ଟ ପତ୍ରପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଉଥିଲା । ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପଲବ୍ଧି କରି ଲୋକଶିକ୍ଷା ଉଦ୍ଦେଶ୍ୟରେ ଗାଁ ଲୋକଙ୍କ କଥା, ନାରୀର ଆଇନଗତ ଅଧିକାର ଆଦି ବିଷୟରେ ଛୋଟ ଛୋଟ ପୁସ୍ତକ ରଚନା କରି ତାହାର ପ୍ରଚାର-ପ୍ରସାର କରିଥିଲେ । ‘ହିନ୍ଦୁସ୍ତାନ ଗ୍ରନ୍ଥମାଳା’ ନାମକ ସଂସ୍ଥା ସ୍ଥାପନ କରି ସେ ତା'ର ସମ୍ପାଦିକା ରହିଥିଲେ । ସେ ‘ସବିତା’ ନାମକ ଗୋଟିଏ ପତ୍ରିକାର ସମ୍ପାଦନା ସହ ସେଥିରେ ନିଜର ମତାମତ ମଧ୍ୟ ପ୍ରକାଶ କରୁଥିଲେ । ୧୯୩୫ ମସିହାରେ ‘ଭାରତୀୟ ମହିଳା ପ୍ରସଙ୍ଗ’ ଓ ‘ନାରୀ ଜଗତ’ ନାମକ ତାଙ୍କର ଦୁଇଟି ପ୍ରବନ୍ଧ ପୁସ୍ତକ ହିନ୍ଦୁସ୍ତାନ ସାହିତ୍ୟ ମନ୍ଦିର ପ୍ରକାଶ କରିଥିଲା । ଏଥିରେ ବିଭିନ୍ନ ଦେଶରେ ଦେଖାଦେଇଥିବା ନାରୀ ଜାଗରଣ ବିଷୟରେ ଆଲୋଚନା କରାଯାଇଥିଲା । ୧୯୫୮ ମସିହାରେ ‘ବିଶ୍ୱ ବିପ୍ଲବିନୀ’ ନାମକ ତାଙ୍କର ଏକ ପୁସ୍ତକ ‘କଟକ ପବ୍ଲିସିଂ ହାଉସ୍’ ପ୍ରକାଶ କରିଥିଲା । ଏହାବ୍ୟତୀତ ‘ରାୟ ରାମାନନ୍ଦ’ ,’ସାରଳା ମହାଭାରତରେ ନାରୀ ଚରିତ୍ର’, ‘ବାସନ୍ତୀ’ ପ୍ରଭୃତି ଗ୍ରନ୍ଥ ଓ ଉପନ୍ୟାସ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅବଦାନ ।


ରଚନାବଳୀ
ସମାଲୋଚନା
ଜ୍ଞାନବିଜ୍ଞାନ
ଆଲୋଚନା ଓ ସମାଲୋଚନା

Copyright © 2024 Odia Virtual Academy. All rights reserved      Total Visitors-   1

scroll