ସନ୍ଥ ଅରକ୍ଷିତ ଦାସ

ଆବିର୍ଭାବ :- ୧୭୭୨ରୁ ୧୭୮୨ ମସିହା ମଧ୍ୟରେ
ତିରୋଧାନ :- ୧୮୩୫ ମାଘ କୃଷ୍ଣପକ୍ଷ ଏକାଦଶୀ
ଜନ୍ମସ୍ଥାନ :- ବଡ଼ଖେମୁଣ୍ଡିର ବିଜୟନଗର, ଗଞ୍ଜାମ

ଓଡ଼ିଶା ପ୍ରଦେଶସ୍ଥ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡ଼ଖେମୁଣ୍ଡି ରାଜବଂଶରେ ସିଦ୍ଧପୁରୁଷ ଶ୍ରୀ ଅରକ୍ଷିତ ଧରାବତରଣ କରିଥିଲେ ଏବଂ ଆଜୀବନ ଜନସମାଜକୁ ସତ୍ୟ, ଧର୍ମ ଓ ନ୍ୟାୟ ମାର୍ଗରେ ପରିଚାଳିତ ହେବାକୁ ମାର୍ଗଦର୍ଶନ କରି ଅଧୁନା ଯାଜପୁର ଜିଲ୍ଲାସ୍ଥ ଓଳାଶୁଣି ପର୍ବତରେ ନିଜର ପାର୍ଥିବ ଶରୀରକୁ ବିଦାୟ ଦେଇଥିଲେ । ତାଙ୍କ ପୂର୍ବପୁରୁଷଗଣ ଗଙ୍ଗବଂଶୀୟ ଥିଲେ । ଶ୍ରୀ ଭୀମଦେବ ବା ସୁନାମଧାନ୍ୟ ପୁରୁଷୋତ୍ତମ ଅନଙ୍ଗଭୀମ ଦେବ ତାଙ୍କର ପିତାମହ ଥିଲେ । ପିତା ମଣିଦେବ ତାଙ୍କୁ ବଳଭଦ୍ର ଦେବ ନାମରେ ନାମିତ କରିଥିଲେ । ଶ୍ରୀ ମଣିଦେବ ୧୭୭୪ରୁ ୧୮୦୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିଛନ୍ତି । ବାଲ୍ୟବୟସରୁ ଶ୍ରୀ ଅରକ୍ଷିତଙ୍କର ସନ୍ନ୍ୟାସ ପ୍ରତି ଆହେତୁକ ଆକର୍ଷଣ ଥିଲା । ପ୍ରାୟ ୧୭ ବର୍ଷ ବୟସରେ ଗୃହ ତ୍ୟାଗକରି ସନ୍ନ୍ୟାସୀ ଜୀବନର ଅୟମାରମ୍ଭ କରିଥିଲେ । ପ୍ରଥମେ ଗଞ୍ଜାମ ଜିଲ୍ଲାର କେରାଣ୍ଡିମାଳ ଓ ପରେ ଓଡ଼ିଶାର ବିଭିନ୍ନ ଗୁମ୍ଫା, ପର୍ବତ, ତୀର୍ଥସ୍ଥାନ ଭ୍ରମଣକରି ସାଧନା କରିଥିଲେ । ନିଜର ନିଶ୍ଚଳ ଭକ୍ତି ଓ ପରମାତ୍ମା ପ୍ରାପ୍ତି ନିମନ୍ତେ ଦୃଢ ଇଛାଶକ୍ତିର ଫଳସ୍ଵରୂପ ସେ ସିଦ୍ଧିଲାଭ କରିଥିଲେ । ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନକରି ଓଡ଼ିଶାର ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ ଓ ଜୀବନର ଅନ୍ତିମ ପର୍ଯ୍ୟାୟ ଓଳାଶୁଣି ଗିରିକନ୍ଦରରେ ଅବିବାହିତ କରିଛନ୍ତି । କେନ୍ଦ୍ରାପଡ଼ାର ଜମିଦାରଙ୍କଠାରୁ ଅନୁମତି ନେଇ ସେ ସେଠାରେ ଗୁମ୍ଫା-ଆଶ୍ରମ ସ୍ଥାପନ କରିଥିଲେ । ଜୀବନବ୍ୟାପୀ ସାଧନା ଓ ଅନୁଭବକୁ ଆଧାରକରି ସେ କାଳଜୟୀ “ମହୀମଣ୍ଡଳ ଗୀତା” ସର୍ଜନା କରିଥିଲେ । ଏତଦ୍‍ବ୍ୟତୀତ ‘ବାଲ୍ୟବୋଧ', 'ଶକାବ୍ଦ', ‘ବ୍ରହ୍ମାଣ୍ଡ ଗୀତା’, ଅବଧୂତ ସଂହିତା', ‘ଭକ୍ତି ଟୀକା’, ‘ଗୁପ୍ତଟୀକା’ ଭଳି ଭକ୍ତିଭାବାପୂର୍ଣ୍ଣ ସର୍ଜନା କରି ଓଡ଼ିଶାବାସୀଙ୍କ ହୃଦୟରେ ଭକ୍ତିର ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଆଜି ମଧ୍ୟ ଓଡ଼ିଶାର ସନ୍ଥମାନଙ୍କ ନିକଟରେ ସିଦ୍ଧପୁରୁଷ ଶ୍ରୀ ଅରକ୍ଷିତ ବିରଚିତ ‘ମହୀମଣ୍ଡଳ ଗୀତା’ ଏଯାବତ୍‍ ଭଗବତ ଚର୍ଚ୍ଚାରେ ମୁଖ୍ୟ ଭୂମିକା ଗ୍ରହଣ କରେ । ଅରକ୍ଷିତ ନିରାକାର ବ୍ରହ୍ମ ଉପାସକ ଥିଲେ । ଜୀବ ଓ ବ୍ରହ୍ମର ଏକତ୍ଵକୁ ସେ ଉପଲବ୍ଧ କରିଥିଲେ । ମୂର୍ତ୍ତିପୂଜାରେ ସେ ଆଦୌ ବିଶ୍ଵାସ କରୁନଥିଲେ ହେଁ ଶ୍ରୀ ଜଗନ୍ନାଥ, ମା’ସାରଳା, ମା’କଟକଚଣ୍ଡୀ ଆଦି ଦେବଦେବୀଙ୍କୁ ଉଭୟ ସାକାର ଓ ନିରାକାର ବ୍ରହ୍ମରୂପେ ଦେଖିଛନ୍ତି । ନାମବ୍ରହ୍ମର ସାଧନା ଉପରେ ଗୁରୁତ୍ଵ ଦେଇଥିବା ସତ୍ୱେ ଗୌଡୀୟ ବୈଷ୍ଣବମାନଙ୍କ ପରି ଆଡମ୍ବରପୂର୍ଣ୍ଣ ଓ ଲୋକଦେଖାଣିଆ ନାମଭକ୍ତିକୁ ସେ ଆଦୌ ପ୍ରଶ୍ରୟ ଦେଇନଥିଲେ । ଓଳାଶୁଣିସ୍ଥ ଗୁମ୍ଫାରେ ଏବେ ସୁଦ୍ଧା ସାଧକ ଶ୍ରୀ ଅରକ୍ଷିତଙ୍କ ସମାଧି ପୂଜା ପାଇଆସୁଛି ଓ ତାଙ୍କ ପ୍ରବର୍ତ୍ତିତ ପନ୍ଥାର ସାଧକଗଣ ମଠର ମହନ୍ତ ଭାବରେ ସମ୍ମାନିତ ହେଉଛନ୍ତି ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll