ପଣ୍ଡିତ ନୀଳମଣି ବିଦ୍ୟାରତ୍ନ

ଆବିର୍ଭାବ :- ୧୪-୧୨-୧୮୬୭
ତିରୋଧାନ :- ୨୬-୦୭-୧୯୨୪
ଜନ୍ମସ୍ଥାନ :- ବୈଦେଶ୍ୱର, ବାଙ୍କୀ, କଟକ

ଉନ୍ନବିଂଶ ଶତାବ୍ଦୀର ଜଣେ ନିର୍ଭୀକ ତଥା ସ୍ୱାଧୀନଚେତା ପତ୍ରିକା ସମ୍ପାଦକ,  ଓଡ଼ିଆ ଭାଷା ଏବଂ ଓଡ଼ିଆ ଜାତିର ଜାଗ୍ରତପ୍ରହରୀ, ଓଡ଼ିଆ ଭାଷା ତଥା ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏକତ୍ରୀକରଣ ଆନ୍ଦୋଳନର ଆଦି-ପୁରୋଧା, ଲେଖକ ଓ ସମାଜ ସଂସ୍କାରକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ପିଲାଦିନେ ଦାରିଦ୍ର୍ୟର ତାଡ଼ନାରେ ବିଦ୍ୟାଳୟ ପାଠ ଶେଷ କରିପାରି ନ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଷ୍ଠା ଓ ଅଧ୍ୟବସାୟ ବଳରେ ଉଭୟ ଓଡ଼ିଆ ଓ ଇଂରାଜୀ ସାହିତ୍ୟରେ ହାସଲ କରିଥିଲେ ଅସାଧାରଣ ବ୍ୟୁତ୍ପତ୍ତି । ଅର୍ଦ୍ଧଶତକରୁ ଅଧିକ କାଳଜୟୀ କାବ୍ୟ, କବିତା ଓ ପ୍ରବନ୍ଧ ରଚନା କରି ସେ ନିଜ ଅସାଧାରଣ ପ୍ରତିଭାର ସ୍ୱାକ୍ଷର ଛାଡ଼ି ଯାଇଛନ୍ତି । ସମାଜ ସଂସ୍କାରକ ଭାବରେ ସମାଜରୁ ରୁଢ଼ିବାଦୀ ଚିନ୍ତାଧାରାର ବିରୋଧ କରି ସେ ହୋଇଥିଲେ ବୃହତ୍ତର ବ୍ରାହ୍ମଣସମାଜର ଚକ୍ଷୁଶୂଳ ।

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟାଭାବ ଥିଲା, ତାହା ବିରୁଦ୍ଧରେ ଲଢ଼େଇ କରି ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ମଧ୍ୟ ମହାଶତ୍ରୁ ପାଲଟି ଯାଇଥିଲେ ।

୧୮୮୭ ମସିହାରେ ସମ୍ବଲପୁରରେ ହିତୈଷିଣୀ ପତ୍ରିକାର ସମ୍ପାଦନା କାଳରେ ନୀଳମଣି ବିଦ୍ୟାରତ୍ନ, ଧରଣୀଧର ମିଶ୍ର, ଶ୍ରୀପତି ମିଶ୍ର, ବଳଭଦ୍ର ସୁପକାର, ବୈକୁଣ୍ଠନାଥ ପୂଜାରୀ, ଉମାବଲ୍ଲଭ ଦାସ ଇତ୍ୟାଦି ଭାଷାସଂଗ୍ରାମୀମାନଙ୍କ ସହାୟତାରେ ସମ୍ବଲପୁର କୋର୍ଟରେ ସାର୍ ଉଡ଼ବଣ୍ଟଙ୍କଦ୍ୱାରା ଲଦାଯାଇଥିବା ହିନ୍ଦୀଭାଷା ପରିବର୍ତ୍ତେ ୧୯୦୩ ଜାନୁୟାରୀ ୧ ତାରିଖଠାରୁ ଓଡ଼ିଆ ଭାଷାର ପ୍ରଚଳନ କରାଇଥିଲେ 

ନୀଳମଣିଙ୍କ ଉଚ୍ଚକୋଟୀର ବାଗ୍ମିତା ଏବଂ ନେତୃତ୍ୱରେ ସମ୍ବଲପୁର ଭାଷା ଆନ୍ଦୋଳନ ସଫଳ ହୋଇଥିଲା । ଭାରତ ସରକାରଙ୍କ ଗୃହସଚିବ ରିସେଲ୍ ମଧ୍ୟପ୍ରଦେଶର ଛତିଶଗଡ଼ ଡିଭିଜନରୁ ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର, ବାମଣ୍ଡା, ରେଢ଼ାଖୋଲ, ସୋନପୁର ଏବଂ ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଓ ବଣାଇ ଅଞ୍ଚଳକୁ ଓଡ଼ିଶାକୁ ହସ୍ତାନ୍ତର କରିବାକୁ ସର୍କୁଲାର୍ ଜାରି କରିଥିଲେ 

ବ୍ରିଟିଶ ସରକାରର ଚକ୍ରାନ୍ତରେ କଟକର ପ୍ରେସ ବନ୍ଦ ହେବା, ବ୍ରାହ୍ମଣ, ହିନ୍ଦୀଭାଷୀ, ତେଲେଙ୍ଗାମାନଙ୍କଦ୍ଵାରା ବାରମ୍ବାର ଧମକଚମକ ଏବଂ ମରଣାନ୍ତକ ଆକ୍ରମଣ ନୀଳମଣିଙ୍କ ମନୋବଳକୁ ଦୋହଲାଇ ପାରି ନ ଥିଲା । ବରଂ ନୂତନ ପ୍ରେରଣାରେ ସେ ସଂସ୍କାର, ବିଜୁଳି, ଆଲୋଚନା, ପ୍ରଜାବନ୍ଧୁ, ଗଞ୍ଜାମ ଗୁଣଦର୍ପଣ, ଉତ୍କଳମଧୂପ, ସମ୍ବଲପୁର ହିତୈଷିଣୀ, ଉତ୍କଳ ଦୀପିକା ପରି ପତ୍ରିକାଗୁଡ଼ିକରେ ନିର୍ଭୀକଭାବେ ସାମାଜିକ ସଂସ୍କାର, ବିଧବା ବିବାହ, ଶିକ୍ଷା ସଂସ୍କାର, ଓଡ଼ିଆ ଭାଷାପ୍ରଚାର ଏବଂ ସର୍ବୋପରି ସାହିତ୍ୟ ତଥା ସାହିତ୍ୟିକମାନଙ୍କ ପ୍ରୋତ୍ସାହନ ଦିଗରେ ସେ ନିରନ୍ତର ଯୁଦ୍ଧ କରିଚାଲିଥିଲେ ।

୧୯୦୩ ମସିହା ଜାନୁଆରୀ ୯ ତାରିଖରେ ମହାରାଜା ହରିହର ମର୍ଦ୍ଦରାଜଙ୍କ ନେତୃତ୍ୱରେ ଗଞ୍ଜାମର ରମ୍ଭାଠାରେ ଅନୁଷ୍ଠିତ ଗଞ୍ଜାମ ଜାତୀୟ ସଭାରେ ସ୍ୱାଗତ ଭାଷଣ ଦେଇ ନୀଳମଣି ବିଦ୍ୟାରତ୍ନ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ସଂଗ୍ରାମ ହେବା ବିଧେୟ ବୋଲି ପ୍ରକାଶ କରିବା ସହିତ ଜୟ ଉତ୍କଳ ଜନନୀ ଉଦଘୋଷ କରି ଓଡ଼ିଶା ପରିବର୍ତ୍ତେ ଉତ୍କଳ ନାମ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଦେଇଥିଲେ । ମଧୁବାବୁଙ୍କ ସମେତ ସଭାରେ ଥିବା ସମସ୍ତେ ସାଦରେ ଏ ପ୍ରସ୍ତାବକୁ ଗ୍ରହଣ କରିନେଇଥିଲେ ।

ଆଦର୍ଶ ଦେଶପ୍ରେମୀ ସମ୍ପାଦକ ବ୍ୟତୀତ ନୀଳମଣି ବିଦ୍ୟାରତ୍ନ ଥିଲେ ପ୍ରତଣ୍ଡ ଗୁଣଗ୍ରାହୀ । ଯେଉଁ କବିବରଙ୍କ ପାଇଁ ସେ ଦିନେ କଲମ ଧରିଥିଲେ, ସେଇ କବିବରଙ୍କୁ ‘କବିବର’ କରାଇବାରେ ପ୍ରଚ୍ଛନ୍ନ ହାତ ଥିଲା ନୀଳମଣିଙ୍କର । କେବଳ କବିବର ନୁହନ୍ତି, ବ୍ୟାସକବି, ଭକ୍ତକବି, ଗଙ୍ଗାଧର, ବାଗ୍ମୀ ବିଶ୍ଵନାଥ, ଚିନ୍ତାମଣି ମହାନ୍ତିଙ୍କ ସମେତ ବହୁ ପ୍ରତିଷ୍ଠିତ ସାହିତ୍ୟିକଙ୍କର ସେ ଥିଲେ ପୃଷ୍ଠପୋଷକ; ସେ ମଧ୍ୟ ସୃଷ୍ଟି କରାଇଥିଲେ ଅଗଣିତ ନୂତନ ସାହିତ୍ୟିକ । ପଠାଣି ସାମନ୍ତଙ୍କ ଅନବଦ୍ୟ ଗ୍ରନ୍ଥ ସିଦ୍ଧାନ୍ତଦର୍ପଣ ନିମନ୍ତେ ଗବେଷଣା ଜନିତ ଖର୍ଚ୍ଚ ମଧ୍ୟ ତୁଲାଇଥିଲେ ନୀଳମଣି । ସିଦ୍ଧାନ୍ତ ଦର୍ପଣକୁ ଓଡ଼ିଆରେ ଅନୁବାଦ କରି ସେ ନିଜ ଅଗାଧ ପାଣ୍ଡିତ୍ୟର ପରିଚୟ ଦେଇଥିଲେ ।

କଟକ ଜିଲ୍ଲାର ସାହିତ୍ୟ ଓ ସଂସ୍କୃତିର ଅନ୍ୟତମ ସଙ୍ଗମସ୍ଥଳ ବାଙ୍କୀର ବୈଦେଶ୍ୱର ଗ୍ରାମରେ ୧୮୬୭ ସାଲ ଡିସେମ୍ବର ୧୪ ତାରିଖରେ ଜନ୍ମିତ ନୀଳମଣିଙ୍କୁ ତାଙ୍କର ଅସାମାନ୍ୟ ପାଣ୍ଡିତ୍ୟ, ଧୀଶକ୍ତି, କାଳଜୟୀ ସୃଷ୍ଟି, ଅଦମ୍ୟ ସାହସ, ନିଷ୍ଠାପରତା, ପରୋପକାରିତା, ପ୍ରଗାଢ଼ ଦେଶପ୍ରେମ, ସଂସ୍କାରଧର୍ମୀ ଚେତନା, ଜନଜାଗରଣର ଅଖଣ୍ଡ କୌଶଳ, ଭାଷାପ୍ରୀତି ଇତ୍ୟାଦି ନିମନ୍ତେ ତତ୍କାଳୀନ ବଡ଼ମ୍ବା ରାଜ୍ୟର ଗୁଣଗ୍ରାହୀ ମହାରାଣୀ କୁସୁମବତୀ ଏବଂ ମହାରାଜା ଦାଶରଥି ମଙ୍ଗରାଜ ନୀଳମଣିଙ୍କୁ ‘ବିଦ୍ୟାରତ୍ନ’ ଉପାଧିରେ ଭୂଷିତ କରିଥିଲେ । ସାହିତ୍ୟ ସଂସ୍କୃତି ପ୍ରତି ସମର୍ପିତ ବାମଣ୍ଡାର ମହାରାଜା ସୁଢଳଦେବଙ୍କ ସହ କେତେ କେତେ ରାଜାମହାରାଜାଙ୍କଠାରୁ ସେ ଅସୁମାରୀ ସମ୍ମାନ ଲାଭ କରିଥିଲେ ।

୧୯୨୩ ମସିହା ଜୁଲାଇ ୨୬ ତାରିଖରେ ଓଡ଼ିଶା ମାଟିର ସେଇ ମହାନ ଯୁଗପୁରୁଷଙ୍କ ଦେହାବସାନ ଘଟିଥିଲା ।

 


ରଚନାବଳୀ
ପ୍ରବନ୍ଧ

Copyright © 2024 Odia Virtual Academy. All rights reserved      Total Visitors-   1

scroll