କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

ଆବିର୍ଭାବ :- ୨୩-୧୨-୧୮୯୭
ତିରୋଧାନ :- ୦୭-୦୧-୧୯୭୦
ଜନ୍ମସ୍ଥାନ :- ଖମାରଙ୍ଗ, ବାଙ୍କୀ. କଟକ

ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟକୁ ଦେଶ ଭିତରେ ଓ ଦେଶ ବାହାରେ ପ୍ରତିଷ୍ଠିତ କରାଇଥିବା ସାହିତ୍ୟସାଧକ, ଗବେଷକ ତଥା ସଙ୍ଗୀତଜ୍ଞ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ଓଡ଼ିଶାର ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବାରେ୧୮୯୭ ମସିହା ଡିସେମ୍ବର ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ନିଜ ପୈତୃକ ଗୃହ ବାଙ୍କୀ ନିକଟ ଖମାରଙ୍ଗ ହୋଇଥିଲେ ମଧ୍ୟ ଜନ୍ମ ସମୟରେ ବଡ଼ମ୍ବା ରାଜ୍ୟର ଦେୱ୍ୱାନ ଥିବା ପିତା ଦୁର୍ଗାଚରଣ ପଟ୍ଟନାୟକ ସପରିବାର ବଡ଼ମ୍ବାରେ ଅବସ୍ଥାନ କରୁଥିଲେ । ସେ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ ଥିଲେ ।

କାଳିଚରଣ ତାଙ୍କ ପ୍ରାଥମିକ ଶିକ୍ଷା ବଡ଼ମ୍ବାଗଡ଼ରେ ଓ ନିମ୍ନ ମାଧ୍ୟମିକ ଶିକ୍ଷା ଚର୍ଚ୍ଚିକାରେ ସମ୍ପନ୍ନ କରି  ଖୋର୍ଦ୍ଧା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ ପାସ୍‍ କରିଥିଲେ । ଉଚ୍ଚଶିକ୍ଷା ପାଇଁ ୧୯୧୬ ମସିହାରେ କଟକର ରେଭେନ୍ସା ମହାବିଦ୍ୟାଳୟରେ ନାମ ଲେଖାଇଥିଲେ ମଧ୍ୟ ୧୯୧୯ରେ ପିତାଙ୍କର ଅକାଳ ବିୟୋଗ କାରଣରୁ ସେ ଉଚ୍ଚତର ଶିକ୍ଷା ସମାପ୍ତ କରିପାରି ନ ଥିଲେ ।

ଏହାପରେ କାଳୀଚରଣ ଖଣ୍ଡପଡ଼ାରେ ସ୍କୁଲ ଏସ୍‍.ଆଇ.ଭାବେ ଯୋଗଦେଇ ଜୀବନାରମ୍ଭ କରିଥିଲେ । ପରେ କିଛି ମାସ ପାଇଁ ସେ ଉତ୍କଳ ଦୀପିକାର ସମ୍ପାଦନା ଦାୟିତ୍ୱ ତୁଲାଇଥିଲେ । କାଳୀଚରଣ ମୁକୁର ପତ୍ରିକାର ସହକାରୀ ସମ୍ପାଦକ ମଧ୍ୟ ଥିଲେ । ୧୯୨୨ ମସିହାରେ ମୟୂରଭଞ୍ଜ ଯାଇ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଙ୍କ ନିକଟରେ କାର୍ଯ୍ୟ କରିଥିଲେ । ସେଠାରେ ରହଣି କାଳରେ ତାଙ୍କ ଦିଗ୍‍ଦର୍ଶନରେ ଏକ  ନାଟ୍ୟଦଳ ସ୍ଥାପିତ ହୋଇଥିଲା ।

ବିବାହ ପରେ କାଳୀଚରଣ ପୁରୀରେ ଅବସ୍ଥାନ କଲେ । ସେଠାରେ ସେ ସଙ୍ଗୀତ ବୃତ୍ତି କରିବା ସହ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କର ଗୁପ୍ତ ପରାମର୍ଶଦାତାଭାବେ କାର୍ଯ୍ୟ କଲେ । ସେଠାରେ ମଧ୍ୟ ସେ ସାପ୍ତାହିକ ‘ପୁରୀବାସୀ’ ପତ୍ରିକାର ସମ୍ପାଦନା ଦାୟିତ୍ୱ ଗ୍ରହଣ କରିଥିଲେ । ପୁରୀ ସଙ୍ଗୀତ ପ୍ରଭା ନାମରେ ସେ ନିଜେ ପ୍ରଥମ ଥର ପାଇଁ ସଙ୍ଗୀତ ଉପରେ ଏକ ମାସିକ ପତ୍ରିକା ପ୍ରକାଶ କରିଥିଲେ । ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟରେ ନୂତନତା ଆଣିବା ପାଇଁ କାଳୀଚରଣ ପୁରୀରେ ଏକ ରାସଦଳ ପ୍ରତିଷ୍ଠା କରିଥିଲେ । ତାଙ୍କ ରାସଲୀଳା ଅଭିନୟ ୧୯୨୬ରୁ ୧୯୩୯ ପର୍ଯ୍ୟନ୍ତ ଖୁବ୍‍ ସଫଳତାର ସହିତ ଚାଲି ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା ।

କିନ୍ତୁ କାଳୀଚରଣ ଏହାପରେ ସାମାଜିକ ଓ ଐତିହାସିକ ନାଟକ ଅଭିନୟ ଉପରେ ମନୋନିବେଶ କରିଥିଲେ । ୧୯୩୯ ମସିହାରେ ସେ କଟକରେ ଓଡ଼ିଶା ଥିଏଟର୍ସ ପ୍ରତିଷ୍ଠା କଲେ । ଓଡ଼ିଶାରେ ଏହା ଥିଲା ପ୍ରଥମ ପେଶାଦାର ଥିଏଟର କମ୍ପାନୀ । ଏଥିରେ ତାଙ୍କ ନିଜ ଲିଖିତ ବହୁ ପୌରାଣିକ, ସାମାଜିକ ଓ ଐତିହାସିକ ନାଟକ ମଞ୍ଚସ୍ଥ ହୋଇ ଲୋକପ୍ରିୟ ହୋଇପାରିଥିଲା ।

ତାଙ୍କ ନାଟକଗୁଡ଼ିକ ମଧ୍ୟରେ ରହିଛି– ବନବିହାର, କୌତୁକ ଚିନ୍ତାମଣି, ବିଦ୍ୟାବତୀ, କିଶୋରଚନ୍ଦ୍ରାନନ୍ଦ ଚମ୍ପୂ, ଶ୍ରୀଗୀତଗୋବିନ୍ଦ, ପ୍ରୀତିସୁଧାକର, ମାନିନୀ, ଲକ୍ଷ୍ମୀ, ଧ୍ରୁବ, ମୃଗୟା, ଶକୁନ୍ତଳା, ହରିଶ୍ଚନ୍ଦ୍ର, ପ୍ରତିଶୋଧ, ଗାର୍ଲସ୍କୁଲ, ଆହୁତି, ପରିବର୍ତ୍ତନ, ଆଖିର ଦେଖା, ଚୁମ୍ବନ, ବନମାଳା, ଅତିବଡ଼ୀ ଜଗନ୍ନାଥ ଦାସ, ଅଭିଯାନ, ଚକ୍ରୀ ଓ ଭାତ ପରି ପ୍ରାୟ ୪୦ଟି ପୂର୍ଣ୍ଣାଙ୍ଗ ନାଟକ ସହିତ  ବହୁ ନୃତ୍ୟ ନାଟିକା, କାବ୍ୟ, ଖଣ୍ଡକାବ୍ୟ, ଗଳ୍ପ, ଉପନ୍ୟାସ, କବିତା, ଭଜନ, ଜଣାଣ, ଶିଶୁସଙ୍ଗୀତ ଓ ଜୀବନୀ । ଏହାଛଡ଼ା ସେ ରାଗଚିତ୍ର, ଅଭିନୟ ଦର୍ପଣ ପ୍ରକାଶ ଆଦି  ସଙ୍ଗୀତ, ନୃତ୍ୟ ଓ ନାଟକ ଉପରେ ବହୁ ବିରଳ ଓଡ଼ିଆ ପାଣ୍ଡୁଲିପିର ଆୟାସସାଧ୍ୟ ସମ୍ପାଦନା ମଧ୍ୟ କରିଛନ୍ତି ।

ସଙ୍ଗୀତ ଉପରେ କାଳୀଚରଣଙ୍କ ରଚିତ ଦୁଇଟି ଅମୂଲ୍ୟ ଗ୍ରନ୍ଥ ହେଉଛି ସପ୍ତସ୍ୱରୀ ଓ ସ୍ୱରଲେଖା । କୁମ୍ଭାରଚକ ନାମରେ ସେ ନିଜର ଆତ୍ମଜୀବନୀ ମଧ୍ୟ ଲେଖିଛନ୍ତି । ସେ ଲଳିତା ଓ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ସହ ସମ୍ପୃକ୍ତ ଥାଇ ସେଥିରେ ସଙ୍ଗୀତ ସଂଯୋଜନା କରିବା ସହ ନିର୍ଦ୍ଦେଶନା ଦେଇଥିଲେ ଓ ନିଜେ ଗୀତ ଗାଇଥିଲେ ।

୧୯୫୮ ମସିହାରେ କାଳୀଚରଣ ଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ନୃତ୍ୟ ସଙ୍ଗୀତ ସମ୍ମିଳନୀରେ ଯୋଗଦେଇ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କିଭଳି ଓଡ଼ିଶାର ମୌଳିକ ସୃଷ୍ଟି, ତାହା ଏକ ବିସ୍ତୃତ ନିବନ୍ଧ ଉପସ୍ଥାପନ ଜରିଆରେ ପ୍ରତିପାଦିତ କରିବାକୁ ଉଦ୍ୟମ କରିଥିଲେ ।

ପୁରୀ ଗଜପତି ରାମଚନ୍ଦ୍ର ଦେବ ତାଙ୍କୁ ‘କବିଚନ୍ଦ୍ର’ ଉପାଧିରେ ଭୂଷିତ କରିଥିଲେ । ଏହାପରେ ସେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ନାଟ୍ୟାଚାର୍ଯ୍ୟ, କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନଜନକ ଫେଲୋସିପ୍, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଡି.ଲିଟ୍. ଉପାଧି ଓ ଆତ୍ମଜୀବନୀ ଗ୍ରନ୍ଥ ‘କୁମ୍ଭାର ଚକ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

 


ରଚନାବଳୀ
ଉପନ୍ୟାସ
ଆତ୍ମଜୀବନୀ
ଆଲୋଚନା ଓ ସମାଲୋଚନା

Copyright © 2022 Odia Virtual Academy. All rights reserved      Total Visitors-   1

scroll