ଡ. ସତ୍ୟନାରାୟଣ ରାଜଗୁରୁ

ଆବିର୍ଭାବ :- ୧୯-୦୮-୧୯୦୩
ତିରୋଧାନ :- ୧୧-୦୬-୧୯୯୭
ଜନ୍ମସ୍ଥାନ :- ପାରଳାଖେମୁଣ୍ଡି, ଗଜପତି

ଯଶସ୍ଵୀ ଲିପିତତ୍ତ୍ଵବିତ୍, ଐତିହାସିକ, ପ୍ରତ୍ନତତ୍ତ୍ଵବିତ୍‍, ଗବେଷକ, କବି, ନାଟ୍ୟକାର, ପ୍ରାବନ୍ଧିକ, ସମାଜସେବୀ, ସ୍ୱଦେଶପ୍ରେମୀ, ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ଏବଂ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନର ସକ୍ରିୟ କର୍ମୀ ସତ୍ୟନାରାୟଣ ରାଜଗୁରୁ ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡିରେ ୧୯୦୩ ମସିହା ଅଗଷ୍ଟ ୧୯ ତାରିଖ ଦିନ ପିତା ହରିକୃଷ୍ଣ ରାଜଗୁରୁଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତା ଥିଲେ ସୁନାମଣିଦେବୀ । ବିଶେଷତଃ ଲିପିତତ୍ତ୍ଵବିତ୍‍ ଭାବରେ ସମଗ୍ର ଭାରତରେ ଖୁବ୍ କମ୍ ବିଦ୍ଵାନ୍‍ ତାଙ୍କର ସମକକ୍ଷ । ଇଂରାଜୀ, ଓଡ଼ିଆ, ତେଲୁଗୁ, ସଂସ୍କୃତ, ପାଲି, ପ୍ରାକୃତ, ବଙ୍ଗଳା ଏବଂ ହିନ୍ଦୀ ଭାଷାରେ ସେ ସମାନ ବ୍ୟୁତ୍ପତ୍ତିର ଅଧିକାରୀ ଥିଲେ ।

ଘରୋଇଭାବେ ଆନ୍ଧ୍ର ବିଶ୍ଵବିଦ୍ୟାଳୟରୁ ‘ଇଣ୍ଡୋଲଜି’ ପାଶ୍‍ କରିବା ପରେ ତାମ୍ରଲିପି ଓ ଶିଳାଲେଖ ଅଧ୍ୟୟନ କରି ତତ୍‍-ସଂପର୍କୀୟ ଗବେଷଣାରେ ମନୋନିବେଶ କରିଥିଲେ । ଯୁବକ ରାଜଗୁରୁ ଭାଷା ଆନ୍ଦୋଳନ ଓ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ସହ ସଂପୃକ୍ତ ଥିଲେ । ଆନ୍ଦୋଳନର ବିଭିନ୍ନ ପର୍ଯ୍ୟାୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କଦ୍ଵାରା ପ୍ରସ୍ତୁତ ସ୍ମାରକପତ୍ରର ସହଯୋଗୀ ଭାବରେ ସେ ଐତିହାସିକ ତଥ୍ୟ ଯୋଗାଇବା ସହ ମହାରାଜାଙ୍କ ଭାଷଣଗୁଡ଼ିକର ଚିଠା ପ୍ରସ୍ତୁତ କରୁଥିଲେ ।

୧୯୪୭ ମସିହାରେ କଳାହାଣ୍ଡିରେ ‘କଳିଙ୍ଗ ହିଷ୍ଟ୍ରିକାଲ ରିସର୍ଚ୍ଚ ସୋସାଇଟି’ରେ ଗବେଷକରୂପେ ତାଙ୍କର ଚାକିରିଜୀବନ ଆରମ୍ଭ ହୋଇଥିଲା । ୧୯୫୦ ମସିହାରୁ ରାଜ୍ୟ ସଂଗ୍ରହାଳୟରେ ଏପ୍ରିଗ୍ରାଫି (ଅଭିଲେଖ) ବିଭାଗର କ୍ୟୁରେଟରଭାବେ ଯୋଗଦେଇଥିଲେ । ଅବସର ଗ୍ରହଣ ପରେ ପୁନଃନିଯୁକ୍ତି ପାଇ ୧୯୭୦ ମସିହା ପର୍ଯ୍ୟନ୍ତ ରାଜ୍ୟ ସଂଗ୍ରହାଳୟରେ କାର୍ଯ୍ୟ କରିଥିଲେ । ଜର୍ମାନୀର ହାଇଡେଲ୍‌ବର୍ଗ ବିଶ୍ୱବିଦ୍ୟାଳୟର ‘ଦକ୍ଷିଣପୂର୍ବ ଏସିଆ ରିସର୍ଚ୍ଚ ପ୍ରୋଜେକ୍ଟ’ରେ ଡକ୍ଟର ହେରମାନ କୁଲ୍‍କେଙ୍କ ଗବେଷଣା ପ୍ରକଳ୍ପରେ ସହଯୋଗୀ ଭାବରେ କାର୍ଯ୍ୟ କରିଥିଲେ । ଜୀବନର ଅନ୍ତିମ ଭାଗରେ ୧୯୮୯ରେ ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ଜଗନ୍ନାଥ ରିସର୍ଚ୍ଚ ପ୍ରୋଜେକ୍ଟର ଗବେଷକରୂପେ କାର୍ଯ୍ୟରତ ଅବସ୍ଥାରେ ୧୯୯୭ରେ ଶ୍ରୀକ୍ଷେତ୍ରରେହିଁ ପରଲୋକଗମନ କରିଥିଲେ ।

ରାଜଗୁରୁ ମହାଶୟଙ୍କ ରଚନାବଳୀ ମଧ୍ୟରେ ‘ରାଧାଭିଷେକ’, ‘ଗଜପତି’, ‘ଶ୍ରୀଜୟଦେବ ଓ ଗୀତଗୋବିନ୍ଦ’ ନାଟକ, ‘ଜନନୀ ଉତ୍କଳ’ ଖଣ୍ଡକାବ୍ୟ, ‘ନାଗ ଇତିହାସ’ (୧ମ ଭାଗ), ‘ମନୋରମା’ (ଐତିହାସିକ କାବ୍ୟ), ‘ଓଡ଼ିଶାର ଇତିହାସ’, ‘ଓଡ଼ିଶାର ସାଂସ୍କୃତିକ ଇତିହାସ’ (୩ୟ ଓ ୪ର୍ଥ ଭାଗ), ଗୋପବନ୍ଧୁ ଗଦ୍ୟ ସାହିତ୍ୟ (ସଂପାଦନା), ‘ଓଡ଼ିଆଲିପିର କ୍ରମବିକାଶ’, ‘ଓଡ଼ିଆ ଉପଭାଷା’, ‘ଓଡ଼ିଆ ଭାଷା ଓ ଲିପି’, ‘ଶ୍ରୀପୁରୁଷୋତ୍ତମ ଓ ଶ୍ରୀମନ୍ଦିର’, ‘ଓଡ଼ିଶାର ସଂକ୍ଷିପ୍ତ ଇତିହାସ’, ‘ପ୍ରସ୍ତାବ ଚିନ୍ତାମଣି’ (ସଂ), ‘ମହାକବି ଜୟଦେବ ଓ ଗୀତ ଗୋବିନ୍ଦ’, ‘ମୋ ଜୀବନ ସଂଗ୍ରାମ (ଆତ୍ମଜୀବନୀ-୧ମ ଭାଗ), ‘ପ୍ରାଚୀନ ଉତ୍କଳ ରାଜପ୍ରଶସ୍ତିମାଳା’ (ସଂସ୍କୃତ), ‘କଳିଙ୍ଗର ଆତ୍ମକଥା’, ‘Inscriptions of Orissa’ (vol.1 to vol.V in Eight Parts), ‘History of the Gangas’ (parts 1 and 2), ‘Invocatory Verses from the Inscriptions’ (vol.1 and 2), ‘Chandrakala Natika’ (Ed), ‘Inscriptions of the Temples of Puri and Origin of Lord Purushottama-Jagannath’ (vol. 1 and 2), ‘Sri Jagannath Sthala Bruttantam’ (Translated from Telugu to English) ପ୍ରଭୃତି ଉଲ୍ଲେଖଯୋଗ୍ୟ ।

ଏହା ବ୍ୟତୀତ, ତାଙ୍କର ଅନେକ ସାରସ୍ଵତ କୃତି, ଯଥା- ‘କୃଷି ପରାଶର’ (ସଂସ୍କୃତ), ‘ହଳାୟୁଧ କାବ୍ୟ’ (ସଂସ୍କୃତ), ‘ନାଗ ଇତିହାସ’ (୨ୟ ଭାଗ), ‘ମୋ ଜୀବନ ସଂଗ୍ରାମ (ଆତ୍ମଜୀବନୀ-୨ୟ ଭାଗ) ତଥା ‘ଚିତ୍ରା’, ‘କର୍ଣ୍ଣାଟକୁମାରୀ’, ‘ଖାରବେଳ’, ‘ଧର୍ମ ଅବତାର’, ‘ଅଶୋକ’, ‘କଳିଙ୍ଗବିଜୟ’ ପ୍ରଭୃତି ନାଟକ ପ୍ରକାଶିତ ହୋଇନାହିଁ । ୫୦୦ରୁ ଊର୍ଦ୍ଧ୍ଵ ଗବେଷଣାମୂଳକ ଇଂରାଜୀ ଓ ଓଡ଼ିଆ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି ।

ଜଣେ ସମାଜସେବୀ- ତଥା ସଂସ୍କାରକଭାବେ ରାଜଗୁରୁଙ୍କ ଭୂମିକା ପ୍ରଶଂସନୀୟ । ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ସଭ୍ୟ, ଗଞ୍ଜାମ ଜିଲ୍ଲା ଶିକ୍ଷାବୋର୍ଡ଼ର ସଭ୍ୟ, ଉତ୍କଳ ହିତୈଷିଣୀ ସମାଜର ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଆଜୀବନ ସିନେଟ୍ ସଭ୍ୟ, ଶ୍ରୀଜଗନ୍ନାଥ ଗବେଷଣା ପରିଷଦ, ପୁରୀର ଆଜୀବନ ସଭ୍ୟଭାବେ ତାଙ୍କର କାର୍ଯ୍ୟ ଉଲ୍ଲେଖନୀୟ । ସେ ବାଲ୍ୟବିବାହ ବିରୋଧରେ ଏବଂ ବିଧବା ବିବାହ ସପକ୍ଷରେ ବଳିଷ୍ଠ ସ୍ୱର ଉତ୍ତୋଳନ କରିଥିଲେ ।

ସାରସ୍ଵତ କୃତିତ୍ଵପାଇଁ ସେ ୧୯୭୪ରେ ପଦ୍ମଶ୍ରୀ ସମ୍ମାନ, ୧୯୭୫ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଡି.ଲିଟ୍. ଉପାଧି, ଆନ୍ଧ୍ରପ୍ରଦେଶରୁ ଭାରତୀଭୂଷଣ, ଉତ୍କଳ ସାହିତ୍ୟ ସମାଜର ‘ଉତ୍କଳରତ୍ନ’ ଉପାଧି, ୧୯୮୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୭ରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକାମ୍ର ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସାରଳା ସମ୍ମାନ ଆଦି ଅଗଣିତ ପୁରସ୍କାରରେ ଭୂଷିତ ହୋଇଥିଲେ ।


ରଚନାବଳୀ

Copyright © 2023 Odia Virtual Academy. All rights reserved      Total Visitors-   1

scroll