ଶ୍ରୀ ବଳରାମ ଦାସ

ଆବିର୍ଭାବ :- ୧୪୭୩
ତିରୋଧାନ :- ୧୫ଶ ଶତାବ୍ଦୀ
ଜନ୍ମସ୍ଥାନ :-

ସମୃଦ୍ଧ ଓଡ଼ିଆ ସାହିତ୍ୟର ଷୋଡ଼ଶ ଶତାବ୍ଦୀର ସୁନାମଧାନ୍ୟ କବି ତଥା ‘ଜଗମୋହନ ରାମାୟଣ’ର ପ୍ରଣେତା ଶ୍ରୀ ବଳରାମ ଦାସ ୧୪୭୩ ମସିହାରେ ଜନ୍ମ ବୋଲି କୁହାଯାଏ । ପିତା ସୋମନାଥ ମହାପାତ୍ର ଓ ମାତା-ମନୋମାୟା ଦେବୀଙ୍କ ସୁଯୋଗ୍ୟ ସନ୍ତାନ ରୂପେ ଜନ୍ମଗ୍ରହଣ କରି ଉତ୍କଳ ସାହିତ୍ୟାକାଶରେ ଏକ ଜାଜ୍ଵଲ୍ୟମାନ ଜ୍ୟୋତିଷ୍କ ରୂପେ ଉଦ୍ଭାସିତ ହୋଇଥିଲେ ଓ କୋଟି କୋଟି ଜନମାନସର ମନ ଜିଣିଥିଲେ  । ସୋମନାଥ ମହାପାତ୍ର ତତ୍କାଳୀନ ରାଜାଙ୍କର ମହାମନ୍ତ୍ରୀ ଥିଲେ । ତେଣୁ କବିଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ଥିଲା କହିବା ବାହୁଲ୍ୟ ଅଟେ ।   ଅନେକ ମନେକରନ୍ତି, ଶ୍ରୀମନ୍ଦିରର ଜଗମୋହନରେ ବସି ସେ ରାମାୟଣ ଲେଖିଥିଲେ- କଥାଟା କିନ୍ତୁ ଅମୂଳକ । ଶ୍ରୀକ୍ଷେତ୍ରରେ ରାମାୟଣ ଲେଖାହେବା କଥା କବି କେଉଁଠି କହିନାହାନ୍ତି । ସ୍ଵୟଂ ଜଗମୋହନ ଜଗନ୍ନାଥ ଏହି ରାମାୟଣରେ କବି ହୋଇଥିବାରୁ, ଏହାର ନାମ “ଜଗମୋହନ ରାମାୟଣ” । ଜଗମୋହନ “କବିଙ୍କ ହୃଦୟରେ ବିଜେ କରିଥାନ୍ତି- ଆପଣାର ଚରିତ ଆପଣେ ଖୋଜନ୍ତି’ । ଷୋଡ଼ଶ ଶତାବ୍ଦୀ ବେଳକୁ ରାମ, କୃଷ୍ଣ ଓ ଜଗନ୍ନାଥ ଏକ ଓ ଅଭିନ୍ନ ହୋଇଉଠିଥାନ୍ତି । ରାମଜଗନ୍ନାଥଙ୍କ କୃପାରୁ ରାମାୟଣ ସୃଷ୍ଟି । ଜଗନ୍ନାଥଙ୍କ କୃପାରୁ ସିଦ୍ଧି ଅର୍ଜିଥିବାରୁ, ସେ କୃପାସିଦ୍ଧ ବୋଲି ଅଭିହିତ ହୋଇଥିଲେ ।

ଜଗମୋହନ ରାମାୟଣର ନାମାନ୍ତର ଦାଣ୍ଡି ରାମାୟଣ । ଏହା ପ୍ରାଚୀନ ଦାଣ୍ଡି ବୃତ୍ତରେ ରଚିତ ବୋଲି ତାହା “ଦାଣ୍ଡି ରାମାୟଣ” ନାମରେ ନାମିତ । ଦାଣ୍ଡି ବୃତ୍ତ କବି ସାରଳା ଦାସଙ୍କର ଆବିଷ୍କାର ତଥା ଏହା ତାଙ୍କ ମହାଭାରତର ଅନ୍ୟତମ କାବ୍ୟ କୌଶଳ । ବଳରାମ ଦାସ ଦାଣ୍ଡିବୃତ୍ତକୁ ସ୍ଵୀକାର କରିଥିଲେ । କେବଳ ଛନ୍ଦ ନୁହେଁ ଭାଷାଶୈଳୀରେ ବି ବଳରାମ ଦାସ ଶ୍ରୀସାରଳା ଦାସଙ୍କ ସୁଯୋଗ୍ୟ ଦାୟାଦ ରୂପେ ନିଜକୁ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି । କଥିତ ଭାଷାରେ ଚିତ୍ର ନିର୍ମାଣ କରିବାରେ ଓ ଲୋକ ଜୀବନ ନିର୍ବାହ କରାଯାଉଥିବା ଭାଷାରେ ରସାନୁଭୂତିକୁ ଅଭିବ୍ୟକ୍ତି ଦେବାରେ ସାରଳା ଦାସ ଯେଉଁ କୃତିତ୍ଵ ଅର୍ଜିଥିଲେ, ବଳରାମ ସେହି ଆଦର୍ଶକୁ ଅତୀବ ସୁନ୍ଦର ଭାବରେ ଜନସମାଜକୁ ଅର୍ପିତ କରିଛନ୍ତି । ସାରଳା ଦାସ ମହାଭାରତକୁ ଓଡ଼ିଶାର ଲୋକକଥା, ଲୋକବିଶ୍ୱାସ, ପ୍ରକୃତି ଓ ସାମସମୟିକ ସମାଜ ଜୀବନସ୍ତରକୁ ଏମିତି ନେଇ ଆସିଥିଲେ ଯେ ଚିତ୍ର, ଚରିତ୍ର, ଘଟଣାସବୁ ଆମର ଆତ୍ମୀୟ ହୋଇଉଠିଥିଲେ । ବଳରାମ ଦାସ ରାମାୟଣ ରଚନା କ୍ଷେତ୍ରରେ ସମାନ ପନ୍ଥା ହିଁ ଅବଲମ୍ବନ କରିଥିଲେ । ଓଡ଼ିଶାର ଲୋକାଚାର, ପାରିବାରିକ ଜୀବନଚର୍ଯ୍ୟା, ରାଜାପ୍ରଜାଙ୍କ ସଂପର୍କ, ସମାଜରେ ନାରୀପୁରୁଷଙ୍କ ସ୍ଥାନ, ଜୀବନାଦର୍ଶ ଓ ମୂଲ୍ୟବୋଧମାନ ଏଥିରେ ଖୁବ ନିଖୁଣ ଭାବରେ ଚିତ୍ରିତ ହୋଇଛି । କେବଳ ବିଷୟବସ୍ତୁ ଉପସ୍ଥାପନାରେ ନୁହେଁ, ନିଜର ଅସ୍ତିତ୍ଵ ପ୍ରତିପାଦନରେ ବଳରାମ ଦାସ ଯେ ସାରଳା ଦାସଙ୍କ ପଦାଙ୍କ ଅବଲମ୍ବନ କରିଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ସାରୋଳଚଣ୍ଡୀ ଥିଲେ ମହାଭାରତର କବି- “ସେ ଯାହା କହଇ ମୁଁ (ସାରଳା ଦାସ) ତାହା ଲେଖଇ ।

ପ୍ରଭୁ ଶ୍ରୀ ନୀଳଗିରି ଜଗନ୍ନାଥ କବିରୂପେ ମାର୍ଗଦର୍ଶନ କରନ୍ତେ ବଳରାମ ଦାସ ତାକୁ ସର୍ଜନାର ରୂପପ୍ରଦାନ କରନ୍ତି । ସାରଳା ଦାସ ସ୍ଵୟଂକୁ ଶୂଦ୍ରମୁନି ନାମେ ଅଭିହିତ କରିଥିଲେ ହେଁ ବଳରାମ ଦାସ ତାଙ୍କୁ ଅନୁଗମନ କରିଥିଲେ । ପ୍ରଖ୍ୟାତ ଶୂଦ୍ରମୁନିଙ୍କ ଶୂଦ୍ର ଓ ପ୍ରାକୃତ ଭାଷାର ଉପଯୁକ୍ତ ବିନିଯୋଗ କରି ଶ୍ରୀ ବଳରାମ ଅଗଣିତ କାଳଜୟୀ ସର୍ଜନା କରିଛନ୍ତି । ବଳରାମ ଦାସ ରାମାୟଣ ପାରିବାରିକ ଜୀବନର ସରଳ କର୍ତ୍ତବ୍ୟବୋଧ ଓ ଆଦର୍ଶନିଷ୍ଠା ସହିତ ପରିଚୟ କରାଇଥିଲେ । ଜଗମୋହନ ରାମାୟଣ ଓଡ଼ିଆ ଭାଷାର ଅନ୍ୟତମ ଶ୍ରେଷ୍ଠ ଗ୍ରନ୍ଥ । ଜନପ୍ରିୟତା କ୍ଷେତ୍ରରେ ଠିକ୍ ଜଗନ୍ନାଥ ଦାସଙ୍କ ଭାଗବତ ପରେ ତା’ର ସ୍ଥାନ । ଅଧିକନ୍ତୁ ଓଡ଼ିଆ କାବ୍ୟକବିତାର ଅସରନ୍ତି ଉତ୍ସ ଭାବରେ ଜଗମୋହନ ରାମାୟଣର କୃତିତ୍ଵ ମଧ୍ୟ ଶହଶହ ବର୍ଷ ଧରି ଅବ୍ୟାହତ ରହିଛି, ଅନେକ କାବ୍ୟ କବିତା ଲେଖାଯାଇଛି;- ବୈଦେହୀଶ ବିଳାସ’ଠାରୁ ‘ବିଚିତ୍ର ରାମାୟଣ’, ‘ବାରମାସୀ କୋଇଲି’ଠାରୁ ଆରମ୍ଭ କରି ‘ସୀତାନୁଚିନ୍ତା ଚଉତିଶା ପର୍ଯ୍ୟନ୍ତ ମଧ୍ୟଯୁଗୀୟ କାବ୍ୟରେ ନାରୀରୂପ ବର୍ଣ୍ଣନା ଦାଣ୍ଡି ରାମାୟଣରୁ ଅନୁପ୍ରାଣିତ ହୋଇଛି। ଏ କ୍ଷେତ୍ରରେ ଉପମାନ ପ୍ରୟୋଗରେ ବଳରାମ ଦାସଙ୍କ କବିତ୍ଵ ଯେଉଁ ଉତ୍ତୁଙ୍ଗ ଶିଖରମାନ ସ୍ପର୍ଶ କରିଛି, ତାହା ହିଁ ରୀତିକାବ୍ୟର ସର୍ବଧାତ୍ରୀ ପ୍ରେରଣା ହୋଇଛି । ଗ୍ରନ୍ଥର ପ୍ରଭାବ ଓ ପ୍ରତିଷ୍ଠା ଅସାମାନ୍ୟ । ବାସ୍ତବିକ ଏଭଳି ପ୍ରତିଭାଦୀପ୍ତ ସାରସ୍ଵତ ସାଧକଙ୍କୁ ପାଇ ଓଡ଼ିଶା ମାଟି ଓ ଓଡ଼ିଶା ଭାଷା ସମୟର ଅନନ୍ତ କାଳ ଯାଏଁ ଅମର ହୋଇ ରହିଛି । 


ରଚନାବଳୀ
କାବ୍ୟ
ପ୍ରାର୍ଥନା

Copyright © 2023 Odia Virtual Academy. All rights reserved      Total Visitors-   1

scroll