ଗୋପାଳ ଛୋଟରାୟ

ଆବିର୍ଭାବ :- ୦୧-୦୧-୧୯୧୬
ତିରୋଧାନ :- ୦୨-୦୧-୨୦୦୩
ଜନ୍ମସ୍ଥାନ :- ପୁରୁଣାଗଡ଼, ଜଗତସିଂହପୁର

ନାଟ୍ୟକାର ଗୋପାଳ ଛୋଟରାୟ ଓଡ଼ିଶାର ପୁରପଲ୍ଲୀରେ ବେଶ୍‌ ପରିଚିତ । ଜଣେ ସ୍ୱନାମଧନ୍ୟ ସ୍ରଷ୍ଟା ତଥା ବହୁଭାଷାବିତ୍‌ଭାବେ ସେ ସମଗ୍ର ଭାରତବର୍ଷରେ ସୁବିଦିତ । ଶ୍ରୀ ଛୋଟରାୟ ତତ୍‍କାଳୀନ କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁରର ପୁରୁଣାଗଡ଼ ଗ୍ରାମରେ ଜନ୍ମଗ୍ରହଣ କରି ଉତ୍କଳମାଟିକୁ ଗୌରବାନ୍ଵିତ କରିଯାଇଛନ୍ତି । ତାଙ୍କ ପିତା ଥିଲେ ହଳଧର ଛୋଟରାୟ ଓ ମା'ଙ୍କ ନାମ ଥିଲା ଇନ୍ଦୁମତୀ । ୧୯୩୦ ମସିହା ଲବଣ ସତ୍ୟାଗ୍ରହରେ ଯୋଗଦେଇ ଛାତ୍ରାବସ୍ଥାରେ କାରାବରଣ କରିଥିଲେ । ନବଯୁଗ ସାହିତ୍ୟ ସଂସଦର ସେ ଜଣେ ସକ୍ରିୟ ସଭ୍ୟ ଥିଲେ । ସ୍କୁଲ ଛାଡ଼ିବା ପରେ ସେ କାହ୍ନୁଚରଣଙ୍କ ‘ନିଷ୍ପତ୍ତି’ ଉପନ୍ୟାସର ପ୍ରଥମ ନାଟ୍ୟାୟନ କରିଥିଲେ ।୧୯୪୨-୪୩ ଆଡ଼କୁ ଏକାଙ୍କିକା ଲେଖି ପ୍ରଥମ ପୁରସ୍କାର ଲାଭ କରିଥିଲେ ଏବଂ  ତାହା ବ୍ରଜସୁନ୍ଦର ଦାସଙ୍କଦ୍ୱାରା ସମ୍ପାଦିତ ‘ମୁକୁର' ପତ୍ରିକାରେ ପ୍ରକାଶିତ ହୋଇଥିଲା । ‘ସହଧର୍ମିଣୀ’ ଏକାଙ୍କିକା କଟକରେ ମଞ୍ଚସ୍ଥ ହେବା ସମୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କଠାରୁ ସେ ୩୫ ଟଙ୍କା ପାରିତୋଷିକ ଲାଭ କରିଥିଲେ ।

ନିଜର ଉତ୍କୃଷ୍ଟ ଚିନ୍ତନଶୈଳୀ ଓ ଲିଖନଶୈଳୀରେ ବିଭିନ୍ନ ଶ୍ରେଣୀର ନାଟକ ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟର ବିକାଶ ଧାରାରେ ଗୋପାଳବାବୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ । ସାଧାରଣ ମଣିଷର ଜୀବନଧାରଣ ଓ ନିତିଦିନିଆ ଚଳଣି ଥିଲା ତାଙ୍କ କାଳଜୟୀ ସୃଷ୍ଟିମାନଙ୍କର ଭିତ୍ତିଭୂମି । ସେ ଶତାଧିକ ମଞ୍ଚ ଓ ବେତାର ନାଟକ ଲେଖିବା ସହ ଅନେକ ଚଳଚ୍ଚିତ୍ରରେ ସଂଳାପ ରଚନା କରିଛନ୍ତି । ସେ ମଧ୍ୟ ଅନେକ ହିନ୍ଦୀ, ମରାଠୀ ଓ ଗୁଜରାଟୀ ନାଟକକୁ ଓଡ଼ିଆ ଭାଷାରେ ରୂପାନ୍ତରିତ କରିଛନ୍ତି । ‘ପଥିକ’ ଶୀର୍ଷକ ତାଙ୍କର ଆତ୍ମଚରିତ ବହୁ ଲୋକପ୍ରିୟତା ଅର୍ଜନ କରିଛି । ୧୯୪୬ ମସିହାରେ 'ଫେରିଆ' ନାଟକ ପେସାଦାର ରଙ୍ଗମଞ୍ଚରେ ଅଭିନୀତ ହେଲାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ । ୧୯୪୯ ମସିହା ଜୁନ ୧୫ ତାରିଖରେ ଆକାଶବାଣୀ କଟକ କେନ୍ଦ୍ରରୁ ତାଙ୍କର ପ୍ରଥମ ଗୀତିନାଟ୍ୟ ‘ସମ୍ରାଟନନ୍ଦିନୀ ଜାହାନ୍ନାରା’ ପ୍ରସାରିତ ହୋଇଥିଲା ।  

‘ପୂରାପୂରି ପାରିବାରିକ’ (୧ମ ଓ ୨ୟ), ‘ଭରସା’, ‘ଦଳବେହେରା’, ‘ଅର୍ଦ୍ଧାଙ୍ଗିନୀ’, ‘ଅମଡ଼ାବାଟ’, ‘ଘଟକ’, ‘ଶଙ୍ଖାସିନ୍ଦୂର’, ‘ପଥିକବନ୍ଧୁ’, ‘ନଷ୍ଟ ଉର୍ବଶୀ’, ‘ଅଭାଗିନୀର ସ୍ୱର୍ଗ’, ‘ନୂଆବୋଉ’, ‘ଶାଖା ପ୍ରଶାଖା’, ‘ପଦ୍ମାଳୟା’, ‘ଶ୍ରୀହରିଙ୍କ ସଂସାର’, ‘ସହଧର୍ମିଣୀ’, ‘ହାସ୍ୟରସର ନାଟକ’, ‘ଜନଶତ୍ରୁ’, ‘ଶତରଞ୍ଜି’, ‘ଡାକ୍ତର ବାବୁ’, ‘ବିଭ୍ରାଟ’, ‘ଦିଗନ୍ତ’, ‘ବଧୂ ନିରୂପମା’, ‘ଶୋଭା’, ‘ଶେଷ ପର୍ଯ୍ୟାୟ’, ‘ରାମାୟଣ’, ‘ମୀରାବାଇ’, ‘ଗାଁ ପରିମଳ’ ଓ ‘ଶୁକ ଉବାଚ’ ଇତ୍ୟାଦି ୩୫ ଖଣ୍ଡ ନାଟକ ସେ ରଚନା କରିଛନ୍ତି ।

୧୯୬୪ ମସିହାରେ ଅକାଶବାଣୀ, କଟକରେ ‘ରଙ୍ଗସଭା’ ଶୀର୍ଷକ ଗୀତିନାଟ୍ୟର ପ୍ରସାରଣ ଏତେ ଜନପ୍ରିୟ ହେଲା ଯେ, ପରବର୍ତ୍ତୀ ସମୟରେ ସେ ‘ଗଣେଶ’, ‘ନ ପାହୁ ରାତି’, ‘ମହିଷାମର୍ଦ୍ଦିନୀ’, ‘ଶ୍ରୀଜଗନ୍ନାଥ’, ‘ଶ୍ରୀମତୀ ସମାର୍ଜନୀ’, ‘ଜନ୍ମାଷ୍ଟମୀ’, ‘ସୀତା-ଲବକୁଶ’, ‘ସମ୍ପୂର୍ଣ୍ଣ ରାମାୟଣ’, ‘କପଟପାଶା’, ‘ମୀରାବାଈ’, ‘ଅଯୋଧ୍ୟାକାଣ୍ଡ’, ‘ପଞ୍ଚବଟୀ’, ‘ବିନ୍ଦୁସାଗର’, ‘ବୋଲେ ହୁଁଟି’ ଓ ‘ଘର-ବର ବେଶ’ ପ୍ରଭୃତି ଗୀତିନାଟ୍ୟ ଲେଖି ଉଦ୍ଭଟ ନାଟକର ପାଣିପବନକୁ ସମ୍ପୂର୍ଣ୍ଣ ଓଲଟାଇ ଦେଇଥିଲେ । ଆକାଶବାଣୀ ପାଇଁ ଗୋପାଳ ବାବୁ ୫୦୦ରୁ ଉର୍ଦ୍ଧ୍ୱ ଗୀତିନାଟ୍ୟ ରଚନା କରିଥିଲେ ।  ପରବର୍ତ୍ତୀ ଦର୍ଶକ-ସମାଜକୁ ମଞ୍ଚ ନାଟକର କାହାଣୀ ଆକର୍ଷଣ କରୁନଥିବା ଲକ୍ଷ୍ୟ କରି ସେ ୧୦ଟି ଲୋକପ୍ରିୟ ଓଡ଼ିଆ ଗପ ଓ ଉପନ୍ୟାସକୁ ନାଟ୍ୟରୂପ ଦେଇଥିଲେ ।  ସେଗୁଡ଼ିକ ହେଲା– ‘ମାମୁ’, ‘ଛମାଣ ଆଠଗୁଣ୍ଠ’, ‘ଧୂଳିଆବାବା’, ‘ପରଦା’, ‘ମୁକ୍ତାଗଡ଼ର କ୍ଷୁଧା’, ‘ଝଞ୍ଜା’, ‘ମଲାଜହ୍ନ’, ‘ବଧୂ ନିରୂପମା’ ଓ ‘ପ୍ରତିଭା’ ଇତ୍ୟାଦି ।

୧୯୫୦ରେ ‘ଶ୍ରୀଜଗନ୍ନାଥ’ ଚଳଚ୍ଚିତ୍ର ଓ ପରେ ‘ଅମଡ଼ାବାଟ’, ‘ଅଭିନେତ୍ରୀ’, 'ଅଦିନମେଘ', 'ମାଟିର ମଣିଷ', 'ବଧୂ ନିରୂପମା', ଓ 'ସ୍କୁଲମାଷ୍ଟର’ ଚଳଚ୍ଚିତ୍ରଗୁଡ଼ିକର ସେ ଚିତ୍ରନାଟ୍ୟ ରଚନା କରିଥିଲେ ।

ଓଡ଼ିଆ ନାଟ୍ୟ ସମାଲୋଚନାରେ ‘ପରକଲମ' (୧୯୫୪) ନାଟକକୁ ଉଚ୍ଚସ୍ଥାନ ଦିଆଯାଇଛି । ଏହା ଏକ ରାଜନୀତିକ ବ୍ୟଙ୍ଗ । ମହାପାତ୍ରଙ୍କ ଛତାଦଳକୁ ହରାଇ ଆଚାର୍ଯ୍ୟଙ୍କ ପରକଲମ ଦଳ କ୍ଷମତାସୀନ ହେଲାପରେ କିପରି ଜନତାଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଯାଇ ଏକାନ୍ତ ସ୍ୱାର୍ଥସାଧନରେ ବ୍ରତୀ ହେଇଯାଇଛି, ଏହି ନାଟକରେ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରାଯାଇଛି । ଲବଣ ସତ୍ୟାଗ୍ରହରେ ଯୋଗଦେଇ ଜେଲ୍ ଯାଇଥିବା ନାଟ୍ୟକାର ଶ୍ରୀ ଛୋଟରାୟ ନିଜ ଆଦର୍ଶର ପ୍ରତିରୂପ ଯୁବମନ୍ତ୍ରୀ ରାଜେନ୍ଦ୍ର ଚରିତ୍ର ମାଧ୍ୟମରେ ବିଦ୍ରୋହ ଓ ସଂସ୍କାରର ସ୍ୱର ଉଠାଇଛନ୍ତି ଏବଂ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ପରିଶେଷରେ ବରଖାସ୍ତ କରାଇଛନ୍ତି ।

ଓଡ଼ିଆ ନାଟ୍ୟ-ସାହିତ୍ୟଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ଗୋପାଳ ଛୋଟରାୟଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ଉପାଧି (୨୦୦୨), କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୮୨), ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୧୯୭୪), ଶାରଳା ପୁରସ୍କାର (୨୦୦୦) ଓ ବିଷୁବ ପୁରସ୍କାର (୧୯୯୩)ରେ ସମ୍ମାନିତ କରାଯାଇଥିଲା ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll