କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର

ଆବିର୍ଭାବ :- ୦୯-୧୨-୧୮୮୮
ତିରୋଧାନ :- ୨୪-୦୨-୧୯୫୩
ଜନ୍ମସ୍ଥାନ :- ତାଳପଦା, ତିହିଡ଼ି, ଭଦ୍ରକ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଆଧୁନିକ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ଭାଗବତ ପ୍ରସାଦ ସାମନ୍ତରାୟ ଓ ମାତା ରାଧାମଣିଙ୍କ ଔରସରୁ ଜନ୍ମଗ୍ରହଣ କରି ଉତ୍କଳର ପବିତ୍ର ଭୂମିକୁ ଗୌରବାନ୍ଵିତ କରିଥିଲେ । ଏକାଧାରେ କବି, ସ୍ଵାଧୀନତା ସଂଗ୍ରାମୀ, ଗାଳ୍ପିକ, ବ୍ୟଙ୍ଗ ସାହିତ୍ୟିକ ଥିଲେ ଲକ୍ଷ୍ମୀକାନ୍ତ । ଲକ୍ଷ୍ମୀପୂଜା ଦିନ ଜନ୍ମଗ୍ରହଣ କାରଣରୁ ତାଙ୍କ ନାମ ଦିଆଯାଇଥିଲା ଲକ୍ଷ୍ମୀକାନ୍ତ । ରେଭେନ୍ସା କଲେଜରୁ ସ୍ନାତକ ଲାଭ କରିବା ପରେ ନିଜର ଦେଶପ୍ରେମ ଯୋଗୁଁ ସେ ବହୁବାର ଇଂରେଜ ସରକାରଙ୍କଦ୍ଵାରା କାରାବରଣ କରିଥିଲେ । ତାଙ୍କ ରଚିତ ଦେଶାତ୍ମବୋଧ କବିତାମାନ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଏକତ୍ରିତ କରିବାରେ ବେଶ ସହାୟକ ହୋଇଥିବାରୁ ତାଙ୍କୁ ସମ୍ମାନନୀୟ “କାନ୍ତକବି” ଉପାଧିରେ ବିଭୂଷିତ କରାଯାଇଥିଲା । ତାଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ” ଓଡ଼ିଶାର କୋଣ ଅନୁକୋଣରେ ସ୍ଵାଧିନଚେତନାର ଅଦମ୍ୟ ବହ୍ନି ଜଳାଇଥିଲା । ତାଙ୍କର ସମଗ୍ର ପରିବାର ଇଞ୍ଚୁଡି ଲବଣ ସତ୍ୟାଗ୍ରହରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ତାଙ୍କ ରଚିତ “ଆର୍ଯ୍ୟବାହିନୀ” କବିତା ଦେଇଥିଲା ଦେଶପ୍ରେମର ଏକ ଅନନ୍ୟ ଉଦାହରଣ । କାଳକ୍ରମେ ତାଙ୍କର ସମସ୍ତ ଦେଶପ୍ରେମୀ କବିତାମାନ କାନ୍ତ ସାହିତ୍ୟାୟନ ଖଣ୍ଡ-୧ ଓ ୨ ଭାବେ ପ୍ରକାଶିତ ହୋଇଥିଲା । ସେ ତାଙ୍କର ଅସମ୍ପୂର୍ଣ୍ଣ ଉପନ୍ୟାସ ‘କଣାମାମୁ’ ଓ କ୍ଷୁଦ୍ରଗଳ୍ପ ‘ବୁଢ଼ା ଶଙ୍ଖାରୀ’ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ । ରାଜନୈତିକ ଅସ୍ଥିରତାକୁ ନେଇ ‘‘ଡିମ୍ବକ୍ରେସି ସଭା’’, ‘‘ହନୁମନ୍ତ ବସ୍ତ୍ରହରଣ’’, ‘‘ସମସ୍ୟା’’ ଆଦି ନାଟକ ରଚନା କରିଥିଲେ । କଳାରେ କେଳେଙ୍କାରୀକୁ ନେଇ ସେ ରଚନା କରିଥିଲେ ବ୍ୟଙ୍ଗନାଟକ ‘‘ଫିଲ୍ମଷ୍ଟାର’’ । ବାସ୍ତବରେ କାନ୍ତକବି ଥିଲେ ଜଣେ ବିବିଧ ପ୍ରତିଭାଧାରୀ ସାରସ୍ଵତ ସାଧକ ।


ରଚନାବଳୀ
କବିତା
ଗୀତିକବିତା ସଂକଳନ
ଏକାଙ୍କିକା

Copyright © 2024 Odia Virtual Academy. All rights reserved      Total Visitors-   1

scroll