Unknown

 

 

 

 

 

 

 

 

୮୭ତମ ସଂଖ୍ୟା କୋଣାର୍କ ୧୯୯୩

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

କୋଣାର୍କ

ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର

 

୮୭ ତମ ସଂଖ୍ୟା ଜାନୁୟାରୀ ୧୯୯୩

 

ସଂପାଦକ : ବିନୋଦଚନ୍ଦ୍ର ନାୟକ

ପରିଚାଳନା ସଂପାଦକ : ଶ୍ରୀ ଇନ୍ଦୁ ଭୂଷଣ କର

 

ମୁଦ୍ରଣ : ସପ୍ତର୍ଷି ପ୍ରିଣ୍ଟର୍ସ, କଟକ-୧୦

ପ୍ରଚ୍ଛଦପଟ :

ମୂଲ୍ୟ ଟ. ୫-୦୦

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

 

“କୋଣାର୍କ” ପ୍ରକାଶନର ନିୟମାବଳୀ

୧.

ପ୍ରତି ବର୍ଷ କୋଣାର୍କର ଚାରି ଗୋଟି ସଂଖ୍ୟା ନିୟମିତ ଭାବେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ. ୫/- ରହିବ । ବାର୍ଷିକ ଗ୍ରାହକ ଦେୟ ୧. ୧୬/- ହେବ । ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ଵତନ୍ତ୍ର ଭାବରେ ନିରୂପିତ ହେ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହମମାନଙ୍କୁ ଯୋଗାଇବାକୁ ଥିବା ଚାରି ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବ ନାହିଁ ।

 

୨.

କୋଣାର୍କରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସୃଜନଶୀଳ ଏବଂ ଆଲୋଚନାତ୍ମକ ରଚନାମାନ ସ୍ଥାନ ପାଇବ । ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ଵର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ଏଥିରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ସାହିତ୍ୟିକଙ୍କ ସହ ସାକ୍ଷାତ୍‍କାର୍‍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟିକୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଞ୍ଛନୀୟ । ସମାଲୋଚନା ପାଇଁ ଦୁଇଖଣ୍ଡ ପୁସ୍ତକ ସମ୍ପାଦକଙ୍କ ନିକଟକୁ ପ୍ରେରିତ ହେବା ଉଚିତ ।

 

୩.

ନିବନ୍ଧଗୁଡ଼ିକ ନାତିଦୀର୍ଘ ହେବା ଆବଶ୍ୟକ, ଯଦ୍ଦ୍ଵାରା କି ଏହା ରୟାଲ ୧/୮ ଆକାର ବିଶିଷ୍ଟ କୋଣାର୍କର ୧୦ ପୃଷ୍ଠ ମଧ୍ୟରେ ସୀମିତ ରଖାଯାଇ ପାରିବ ।

 

୪.

କୋଣାର୍କରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗଡ଼ିକର ନକଲ ଲେଖକ/ଲେଖିକାମାନେ ନିଜ ପାଖରେ ରଖିବା ପାଇ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ହେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ଵରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

 

୫.

କୋଣାର୍କରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠିନକ ମତାମତରୂପେ ଗୃହୀତ ନ ହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତରୂପେ ବିବେଚିତ ହେବ ଓ ଏହା କୋଣାର୍କର ପ୍ରତି ସଂଖ୍ୟାର ସୂଚୀପତ୍ର ତଳେ ମୁଦ୍ରିତ ହେବ ।

 

 

ସୂଚୀ ନିବନ୍ଧ

୧.

ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନ :

ଏକ ସ୍ପଷ୍ଟୀକରଣ

ଡକ୍ଟର ନଟବର ସାମନ୍ତରାୟ

୨.

ଖୋରଧା ରାଜବଂଶକାଳୀନ କବି ଓ କାବ୍ୟକୃତି

ଡକ୍ଟର ଗୋପାଳକୃଷ୍ଣ ଶ୍ରୀଚନ୍ଦନ

୩.

ମାଦଳାପାଞ୍ଜି : ଏକ ଭାଷାତାତ୍ତ୍ୱିକ ଅଧ୍ୟୟନ

ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ

୪.

ଉପନ୍ୟାସରେ ଚେତନା ପ୍ରବାହ ପଦ୍ଧତି

ଡକ୍ଟର ଲାବଣ୍ୟ ନାୟକ

୫.

ଓଡ଼ିଆ ଲୋକ-ନାଟକରେ ଆନଦ୍ଧ ବାଦ୍ୟଯନ୍ତ୍ର

ଡକ୍ଟର ମନୀନ୍ଦ୍ର ମହାନ୍ତି

୬.

ଜୀବନ, ସଂଭୋଗ ନିଃସଙ୍ଗତା ଓ ନିର୍ବାଣ :

ସୁରେନ୍ଦ୍ର କଥା-ସାହିତ୍ୟର ବଳୟ

ଶ୍ରୀ ରମାକାନ୍ତ ରାଉତ

୭.

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ : ଏକ ଆକଳନ

ଶ୍ରୀ ଗୌରାଙ୍ଗ ଚରଣ ଦାଶ

 

ତାରାପୁରଗଡ଼

ଡକ୍ଟର ପବିତ୍ର ମୋହନ ନାୟକ

 

ବଙ୍ଗୀୟ ସାହିତ୍ୟକୁ ଉତ୍କଳୀୟ କବିଙ୍କ ଅବଦାନ

ଡକ୍ଟର ବିଷ୍ଣୁପଦ ପଣ୍ଡା

 

ଆଧୁନିକ ଗଳ୍ପ-ଗତି ଓ ପ୍ରବୃତ୍ତି

ଶ୍ରୀ ଶରତ୍ ଚନ୍ଦ୍ର କର

 

ଓଡ଼ିଶା ସାହିତ୍ୟ ଏକାଡେମୀ

ଏକାଡେମୀ ସମାଚାର

ଭୁବନେଶ୍ଵର

ସଂପାଦକୀୟ

 

 

Unknown

ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନ : ଏକ ସ୍ପଷ୍ଟୀକରଣ ।।

ଡକ୍ଟର ନଟବର ସାମନ୍ତରାୟ

 

ପ୍ରାଗ୍‌ଭାଷା :

ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନ ସମ୍ପର୍କରେ ସରକାରୀ ଉପାଦାନ ଅବଲମ୍ବନରେ ଯେଉଁ କେତୋଟି ଆଲୋଚନା ବର୍ତ୍ତମାନ ଦେଖିବାକୁ ମିଳେ ସେଥିରେ ନିର୍ଦ୍ଦିଷ୍ଟ ମୂଳ ଉପାଦାନ ଅଳ୍ପ-ବହୁତ ଆଲୋଚକମାନଙ୍କ ନିଜ ନିଜ ଦୃଷ୍ଟିକୋଣରୁ ଆହୃତ ଓ ବ୍ୟବହୃତ ହୋଇ ଥିବାରୁ ସେ ସବୁ ଉପାଦାନ ସେମାନଙ୍କ ପରବର୍ତ୍ତୀ ଆଲୋଚକମାନଙ୍କୁ ସ୍ଥଳବିଶେଷରେ ଯଥାର୍ଥ ମାର୍ଗରେ ପରିଚାଳିତ କରୁ ନଥିବାର ଅନୁଭୂତ ହୁଏ । ମୂଳ ଉପାଦାନରୁ ସଂଗୃହୀତ ହୋଇ ନଥିବା କେତେକ ମୂଲ୍ୟବାନ ଉପାଦାନ ଆଲୋଚନାରେ ନୂତନ ଆଲୋକପାତ କରି କେତେକ ବିଭ୍ରାନ୍ତିର ବିଶୋଧନ ଦିଗରେ କିପରି ସହାୟକ ହେବାର ସମ୍ଭାବନା ଅଛି ତାହା ଦେଖାଇ ଦେବା ପାଇଁ ବର୍ତ୍ତମାନ ପ୍ରବନ୍ଧଟି ପ୍ରସ୍ତୁତ କରାଯାଇଛି । ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ପ୍ରଚଳନପାଇଁ ବଙ୍ଗ ସରକାର ଯେଉଁ ଆଦେଶ ପ୍ରଚାର କରିଥିଲେ ତାହା ପ୍ରଥମେ ଉପସ୍ଥାପନ କରା ଯାଉଅଛି ।

 

ବଙ୍ଗ ସରକାରଙ୍କ ୧୮୬୯ ନଭେମ୍ବରର ପତ୍ର :

୧.

FROM RIVERS THOMPSON. ESO, Officiating Secretary to the Government of Bengal, General Dept, to the Director of Public Instruction-No. 3686-dated Fort William, the 8th November, 1869.

 

I am directed to acknowledge the receipt of your letter No. 3405 dated the 1st August with its enclosure, relative to the study of Uriya in the schools of Orissa. The correspondence on the subject originated in certain remarks of the Commissioner of the division (Mr. Ravenshaw) in his report on the state of education in that province in the year 1865, in which he called the particular attention of Government to the almost entire neglect of Uriya language in the advanced classes of the schools in the districts in his jurisdiction.

 

୨.

The views which you entertained upon the subject were communicated to Government in your letter No. 3691, dated 26th August, 1867, in which, in forwarding a report from Mr. Martin, the Inspector of schools of the South-West Division, you expressed the opinion that the ‘study of Bengali should be made compulsory in all the middle and high class schools’ and that ‘not much was to be gained carrying further the study of a tongue which was almost without a literature.’

 

୩.

This correspondence was sent to the Commissioner for further report, which he was requested to submit after consultation with any persons who were in a position to give any opinion which might be valuable upon the subject, and the Lieutenant Governor has now before him the result of these enquiries as embodied in. the reports of local officers and other residents in these districts. From these and the later letter received from yourself, the Lieutenant Governor finds that a great difference of opinion prevails among the authorities who have been consulted on this important subject.

 

୪.

The views (* marginal note ; communicated to you with endorsement No, 3505, dated the 16th July, 1868) of the Commissioner of Orissa are exclusively in favour of establishing Uriya as a recognised language of all schools in Orissa X X X

 

No. 3687.

Copy of the letter and of the one to which it is a reply, with its enclosure, forwarded to the Commissioner of Orissa Division, for information, with reference to Mr. Ravenshaw’s letter No. 99 dated the 4th May, 1868.

 

ବଙ୍ଗ ସରକାରଙ୍କ ଆଲୋଚ୍ୟ ପତ୍ରର ପ୍ରଥମ ଅନୁଚ୍ଛେଦ (Paragraph)ରେ ଡିରେକ୍ଟରଙ୍କ ଦ୍ୱିତୀୟ ପତ୍ର (ତା ୧-୮-୧୮୬୯) ଇନିସ୍‌ପେକ୍ଟରଙ୍କ ଦ୍ୱିତୀୟ ପତ୍ର (ସମୟ ଅନୁଲ୍ଲିଖିତ) ଏବଂ କମିଶନରଙ୍କ ପ୍ରଥମ ପତ୍ର (୧୮୬୫ ସାଲ)ରୁ ଓଡ଼ିଆ ଭାଷା ଅବହେଳିତ ହେବାର ପ୍ରଥମ ସୂଚନା; ଦ୍ୱିତୀୟ ଅନୁଚ୍ଛେଦରେ କମିଶନରଙ୍କ ପ୍ରଥମ ପତ୍ର ଉପରେ ଡିରେକ୍ଟରଙ୍କ ପ୍ରଥମ ପତ୍ର (ତା- ୨୬.୮.୧୮୬୭) ଓ ମାର୍ଟିନ ସାହେବଙ୍କ ପ୍ରଥମ ପତ୍ର (ସମୟ ଅନୁଲ୍ଲିଖିତ)ର ସଙ୍କେତ ସହ ବିଦ୍ୟାଳୟରେ ଓଡ଼ିଆ ପରିବର୍ତ୍ତେ ବଙ୍ଗ ଭାଷା ପ୍ରଚଳନର ପ୍ରସ୍ତାବ; ତୃତୀୟ ଅନୁଚ୍ଛେଦରେ ଡିରେକ୍ଟର-ଇନିସ୍‌ପେକ୍ଟରଙ୍କ ପତ୍ର ଉପରେ ମତାମତ ଦେବାପାଇଁ କମିଶନରଙ୍କୁ ପତ୍ର ପ୍ରଦାନ ଓ କମିଶନରଙ୍କ ଉତ୍ତର (ତା- ୪-୫-୬୮ ବୋଲି ସର୍ବଶେଷରେ ସୂଚିତ); ୪ର୍ଥ ଠାରୁ ୮ମ ଅନୁଚ୍ଛେଦ ପର୍ଯ୍ୟନ୍ତ ଅଂଶରେ ଭାଷା-ପ୍ରଚଳନ ଉପରେ ଆଲୋଚନା ଓ ବଙ୍ଗ ସରକାରଙ୍କ ସିଦ୍ଧାନ୍ତ ସ୍ଥାନ ପାଇଛି । ସର୍ବଶେଷରେ ଡିରେକ୍ଟରଙ୍କୁ ଲିଖିତ ଉକ୍ତ ପତ୍ରର ଏକ ନକଲ ସହ ତାହାଙ୍କ (ଡିରେକ୍ଟରଙ୍କ) ପତ୍ରର ଏକ ନକଲ କମିଶନରଙ୍କ ଅବଗତି ନିମିତ୍ତ ପ୍ରେରଣ-ଏ ସବୁ ଅନୁଧ୍ୟାନ କଲେ ୧୮୬୫ ସାଲରୁ ତା ୮-୧୧-୬୯ସାଲ ଭିତରେ ସରକାରୀ ସ୍ତରରେ ଭାଷା-ପ୍ରଚଳନ ସମ୍ପର୍କିତ ଘଟଣାବଳୀର ଏକ ସଂକ୍ଷିପ୍ତ ଚିତ୍ର ଦେଖିବାକୁ ମିଳେ । ତେଣୁ ଭାଷା-ବିଲୋପ ଆନ୍ଦୋଳନର ଇତିହାସ ପ୍ରସ୍ତୁତ କଲାବେଳେ ଏଇ ତିନିଟି ଅନୁଚ୍ଛେଦ ଓ ଏ ପତ୍ରର ଶେଷାଂଶ (No. 3687 ପତ୍ର ଯାହା କମିଶନରଙ୍କ ପାଇଁ ଉଦ୍ଦିଷ୍ଟ) ପରି ଦୁର୍ଲ୍ଲଭ ଉପାଦାନର ଉପାଦେୟତା ସର୍ବଦା ସ୍ୱୀକାର୍ଯ୍ୟ । ଏହାର ଅଭାବରେ ଆଲୋଚନାରେ ବହୁବିଧ ଅସମ୍ପୂର୍ଣ୍ଣତା କିପରି ରହିଯାଏ ତା’ର ଉଦାହରଣ ଦେଖନ୍ତୁ ।

 

ବଙ୍ଗ ସରକାରଙ୍କ ଶିକ୍ଷା ବିଭାଗର ୧୮୬୯-୭୦ ସାଲ ବାର୍ଷିକ ରିପୋର୍ଟରେ ପୂର୍ବୋକ୍ତ ପତ୍ରର ପ୍ରଥମ ତିନିଟି ଅନୁଚ୍ଛେଦ ବ୍ୟତିତ ଅବଶିଷ୍ଟ (୪ର୍ଥ ଠାରୁ ୮ମ ପର୍ଯ୍ୟନ୍ତ) ଅନୁଚ୍ଛେଦ ସ୍ଥାନ ପାଇଛି । ସରକାରଙ୍କର ଏଇ ପତ୍ରଟି ନଭେମ୍ବର ତା ୨୦ ସୁଦ୍ଧା ଓଡ଼ିଶା କମିଶନରଙ୍କ ହସ୍ତଗତ ହୋଇଥିଲା ବୋଲି ମନେହୁଏ ନାହିଁ । କାରଣ, ତା ୨୦-୧୧-୬୯ର ‘ଦୀପିକା’ ପାଠ୍ୟପୁସ୍ତକ ନିର୍ବାଚନ କମିଟୀର କଥା ଉଲ୍ଲେଖ କରି ଶେଷରେ କହିଛି, ‘‘ସଂପ୍ରତି ଅବଗତ ହେଲୁଁ ଯେ ଲେଫନେଣ୍ଟ ଗବର୍ଣ୍ଣର ସାହେବ ତଳ ଲିଖିତ ବ୍ୟକ୍ତିଙ୍କୁ ଉକ୍ତ ସଭାର ସଭ୍ୟ ଭାବରେ ନିଯୁକ୍ତ କରି ଅଛନ୍ତି । x x x x ଆଉ କି ନିୟମ ସ୍ଥିର ହୋଇଅଛି ଗବର୍ଣ୍ଣମେଣ୍ଟକୁ ଚିଠି ଦେଖିଲେ ଜଣାଇବୁ ।’’ ପର ସପ୍ତାହ ତା ୨୭. ୧୧. ୬୯ର ଦୀପିକାରେ ‘ଉତ୍କଳ ଭାଷାରେ ଶିକ୍ଷା ଦେବାର ବିଧାନ’ ଶିରୋନାମା ଲେଖାରେ ଅଛି, ‘‘ଗବର୍ଣ୍ଣମେଣ୍ଟ ବଙ୍ଗାଲ ଏ ବିଷୟରେ ଡାଇରେକ୍ଟରଙ୍କ ନିକଟକୁ ଯେଉଁ ପତ୍ର ପଠାଇଛନ୍ତି, ସେଥିରେ ଉତ୍କଳ ଭାଷା ଶିକ୍ଷା ପ୍ରସ୍ତାବ ଆରମ୍ଭଠାରୁ ଅଦ୍ୟାବଧି ଯେଉଁ କର୍ମଚାରୀ ଯେ ପ୍ରକାର ମତ ପ୍ରକାଶ କରି ଅଛନ୍ତି ତାହା ସମସ୍ତ ବର୍ଣ୍ଣିତ ହୋଇଅଛି । ଏ ଜିଲ୍ଲାର କମିଶନର ରେଭେନଶା ସାହେବ ଗତ ସନ ୧୮୬୫ ମସିହାରେ ଏ ପ୍ରସ୍ତାବର ଅବତାରଣା କରିଅଛନ୍ତି । ତଦୁତ୍ତାରୁ ଏ ବିଷୟରେ ଯେଉଁ କର୍ମଚାରୀ ଯେ ମତ ପ୍ରକାଶ କରିଅଛନ୍ତି ତାହା ସମୁଦାୟ ସମୟ ସମୟରେ ଏ ପତ୍ରିକାରେ ପ୍ରକାଶ ହୋଇଥିବାରୁ ବର୍ତ୍ତମାନ ଲେଖିବାର ଆବଶ୍ୟକ ନାହିଁ ।’’-ବେଶ୍, ଏତିକି ହେଉଛି ସରକାରଙ୍କ ପୂର୍ବୋକ୍ତ ପତ୍ରରେ ଥିବା ପ୍ରଥମ ତିନିଟି ଅନୁଚ୍ଛେଦର ସାରାଂଶ । ଦେଖିବାର କଥା, ଦୀପିକାର ପରବର୍ତ୍ତୀ ଅଂଶରେ ପୂର୍ବୋକ୍ତ ପତ୍ରର ଅନୁସରଣ, ଏପରି କି କେତେକ ସ୍ଥଳରେ ଅବିକଳ ଅନୁବାଦ ସ୍ଥାନ ପାଇଅଛି ।

 

ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ‘କର୍ମଯୋଗୀ ଗୌରୀଶଙ୍କର’ (୧୯୨୮) ପୁସ୍ତକର ପୃ ୩୭ରେ ଅଛି, ‘‘୧୮୬୫ ଖ୍ରୀଷ୍ଟାବ୍ଦରେ ସର୍ବପ୍ରଥମେ ଏହି ରେଭେନ୍‌ସା ବଙ୍ଗେଶ୍ୱରଙ୍କ ଦୃଷ୍ଟି ବିଶେଷ ଭାବରେ ଆକର୍ଷଣ କରିଥିଲେ ।’’ ଏଇ ଉପାଦାନ ଦୀପିକାର ପୂର୍ବ ଲେଖାରୁ ହିଁ ସଂଗୃହୀତ । ୧୯୫୧-୫୬ ସାଲ ଭିତରେ ‘ଓଡ଼ିଆ ଭାଷା ବିଲୋପ ଆନ୍ଦୋଳନ’ ପରିଚ୍ଛେଦ ଲେଖିବା ପାଇଁ ଉପାଦାନ ସଂଗ୍ରହ କଲାବେଳେ ଦୀପିକା ଓ ପଣ୍ଡିତ ରଥଙ୍କ ୧୮୬୫ ଖ୍ରୀଷ୍ଟବ୍ଦ ସୂଚନା ସର୍ବାଦୌ ଅସମ୍ପୂର୍ଣ୍ଣ ଥିବାରୁ ତାହାକୁ ଆମ ଆଲୋଚନାରେ ସ୍ଥାନ ଦେଇ ନଥିଲୁ । ଅଧ୍ୟାପକ ପ୍ରଭାତ ମୁଖାର୍ଜୀ ‘Promotion of Education in Orissa by Ravenshaw (1966) ପ୍ରବନ୍ଧରେ ରେଭେନ୍‌ସାଙ୍କ ଦୁଇଟି ଦୁର୍ଲ୍ଲଭ ପତ୍ର ବିନିଯୋଗ କରିଥିଲେ ହେଁ ବଙ୍ଗ ସରକାରଙ୍କ ପତ୍ରର ପୂର୍ବୋକ୍ତ ତିନୋଟି ଅନୁଚ୍ଛେଦ ଦେଖିଥିବା ପରି ମନେହୁଏ ନାହିଁ । ଡଃ ଜେ. କେ. ସାମଲ ‘Orissa under British crown’ (1971) ପୁସ୍ତକରେ ଏଇ ତିନିଟି ଅନୁଚ୍ଛେଦକୁ ଏପରି ସଂକ୍ଷିପ୍ତ କରି ଲେଖିଛନ୍ତି ଯେ ଜଣେ ମୂଳ ପାଠକୁ ଦେଖି ନ ଥିଲେ ତାକୁ ବୁଝି ନ ପାରି ଭୁଲ କରିବା ସମ୍ପୂର୍ଣ୍ଣ ସମ୍ଭବପର । ୧୯୮୮ ସାଲରେ ଆମେ ଅନ୍ୟ ଏକ ପ୍ରବନ୍ଧ ପ୍ରସ୍ତୁତ କଲାବେଳେ ଏଇ ତିନିଟି ଅନୁଚ୍ଛେଦକୁ ନ ପଢ଼ିଥିବା ହେତୁ ଯେଉଁ ପ୍ରମାଦ କରିଥିଲୁ ତାହା ଯଥା ସ୍ଥାନରେ ପରେ ଦେଖାଇ ଦେବୁ । ବର୍ତ୍ତମାନ ଡିରେକ୍ଟରଙ୍କ ପତ୍ର ଦେଖନ୍ତୁ ।

 

ଡିରେକ୍‌ଟର ଆଟକିନସନଙ୍କ ଦ୍ୱିତୀୟ ପତ୍ର :

୧.

From W. S. Atkinson, Esq, M. A. Director of Public Instruction to the Secretary to the Govt of Bengal, General Department, (No. 3045, dated Fort William, the 1st August, 1869).

 

I have the honor to reply to your letter No. 3505, dated July, 1868, and at the same time to forward a copy of Mr. Martin’s letter No. 2625 dated 30th March 1868, regarding the use of the Uriya dialect in the schools of Orissa.

 

୨.

The question discussed in the papers before me is a very difficult one x x x x

 

୮.

I submit these views with considerable diffidence, but are the result of much reflection and enquiry. The policy I have suggested is certainly the right one, if only circumstances make it possible, It is the possibility of it which is doubtful.

 

ଆଲୋଚ୍ୟ ପତ୍ରର ଅବଶିଷ୍ଟ ୬ଟି ଅନୁଚ୍ଛେଦ (୨ୟ ଠାରୁ ସପ୍ତମ ପର୍ଯ୍ୟନ୍ତ) ଶିକ୍ଷା ବିଭାଗର ୧୮୬୯-୭୦ ବାର୍ଷିକ ରିପୋର୍ଟରେ ସ୍ଥାନ ପାଇଛି । ଉତ୍‌ଧିତାଂଶରେ ବଙ୍ଗ ସରକାରଙ୍କ ତା ୧୬. ୭. ୧୮୬୮ର ପତ୍ର (ଯାହା ବଙ୍ଗ ସରକାରଙ୍କ ପୂର୍ବ ପତ୍ରରେ ମଧ୍ୟ ଅଛି) ଓ ମାର୍ଟିନ ସାହେବଙ୍କ ତା ୩୦-୩-୧୮୬୮ର ଦ୍ୱିତୀୟ ପତ୍ର ସୂଚିତ । ମାର୍ଟିନ ସାହେବଙ୍କ ଯେଉଁ ପତ୍ର ଦୀର୍ଘ ଏକ ବର୍ଷ ଚାରି ମାସ ପରେ ଡିରେକ୍ଟର ବଙ୍ଗ ସରକାରଙ୍କ ନିକଟକୁ ପଠାଇଥିଲେ ତାହାର ପରିଚୟ ବର୍ତ୍ତମାନ ଦେଖନ୍ତୁ ।

 

ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ର ଭାଷାନୀତି : ନିର୍ଦ୍ଧାରଣର ସର୍ବପ୍ରଧାନ ଉପାଦାନ :

From R. L. Martin, Esq. Inspector of schools, South-West Divission to the Director of Public Instruction : (No. 2625, dated Midnapore, the 30th March, 1868)

 

When I wrote my letter No. 632 of the 10th August. 1867, I stated that I did not feel sure that I had sufficient intercourse with the Province of Orissa and its population to enable me to report satisfactorily regarding the more extended study of the Uriya language in the schools in that province.

 

I have, however, lately made another tour through the districts which comprise it, and during the time so occupied I have had the question constantly before my mind, I now entertain opinions on the subject which I feel convinced I shall not alter. I have, therefore, the honor to add the present report to that which I previously made.

 

I am glad to say that I have made but little change in the opinion previously expressed, still there is sufficient to make me wish to report my opinion now distinctly on all points to which I have directed my attention,

      x            x            x            x

ଏହାପରେ ପତ୍ରରେ ଥିବା ବିଷୟବସ୍ତୁକୁ ଦୁଇଭାଗରେ ବିଭକ୍ତ କରାଯାଇ ପାରେ । ଯଥା-(କ) ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ପରିସର ତଥା ବଙ୍ଗଳା-ତେଲୁଗୁ ଭାଷାଭାଷୀ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଅବହେଳାର ବର୍ଣ୍ଣନା ଓ (ଖ) ଓଡ଼ିଶାରେ ପ୍ରଚଳିତ ଚାରି ଶ୍ରେଣୀର ବିଦ୍ୟାଳୟଗୁଡ଼ିକରେ ଶ୍ରେଣୀ-ଅନୁଯାୟୀ ଓଡ଼ିଆ ଭାଷାର ପ୍ରବର୍ତ୍ତନ ପାଇଁ ପ୍ରସ୍ତାବ ।

 

ଦେଖିବାର କଥା, ପୂର୍ବୋକ୍ତ ପତ୍ରରେ ମାର୍ଟିନ ସାହେବଙ୍କ ପ୍ରଥମ ପତ୍ରର ସମୟ ହେଉଛି ତା ୧୦-୮-୬୭ ଯାହା ବଙ୍ଗ ସରକାରଙ୍କ ତା ୮-୧୧-୬୯ ପତ୍ରରେ ସୂଚିତ ହୋଇ ନଥିଲା । ମାର୍ଟିନ ସାହେବଙ୍କ ପ୍ରଥମ ପତ୍ର (୧୦- ୮- ୬୭) ଓ ଡିରେକ୍ଟରଙ୍କ ପ୍ରଥମ ପତ୍ର (ତା ୨୬- ୮-୬୭)-ଏ ଉଭୟ ପତ୍ରକୁ ବଙ୍ଗ ସରକାର କମିଶନରଙ୍କ ମତାମତ ପାଇଁ ପଠାଇ ଥିଲେ, ଯାହାର ଏକ ତୀବ୍ରତର ପ୍ରତିକ୍ରିୟା ଦୀପିକାର ତା ୪-୧-୬୮ ସଂଖ୍ୟାରେ ଦେଖିବାକୁ ମିଳେ । କମିଶନରଙ୍କ ଯେଉଁ ପତ୍ରଟି ହେଉଛି ଭାଷା-ପ୍ରଶ୍ନ-ଉତ୍‌ଥାପନର ମୂଳ ଉତ୍ସ ତାହାର ପରିଚୟ ବର୍ତ୍ତମାନ ଉପସ୍ଥାପନ କରା ଯାଉଅଛି ।

 

କମିଶନର ରେଭେନ୍‌ସାଙ୍କ ପ୍ରଥମ ପତ୍ର :

From T.E. Ravenshaw, Esq, officiating Commissioner of Cuttack Divison to the Secretary to the Govt. of Bengal : (No. 369 dated the 12th September. 1865)

 

With reference to your letter No. 4808 of 8th August, 1865, I have the honor to submit the following report of the state and progress of education in the Divison for the year 1864-65 x x x

 

୧୩.

I am to apologise for delay in submitting this report, which has been occasioned by my only having joined this office two months ago, and I was anxious to obtain a little local knowledge before venturing to send my report.

 

୧୪.

I have received much information and assistance from my assistant Mr. Taylors formerly in the educational Department, Baboo W. C. Haldar, Deputy Inspector of schools in Cuttack and Balasore and Baboo Koylas Chunder Turkalonkar, Deputy Inspector of schools in pooree and Ungool, to whom my thanks are due.

 

ବଙ୍ଗ ସରକାରଙ୍କ ଯେଉଁ ପତ୍ରର ଉତ୍ତର ସ୍ୱରୂପ କମିଶନରଙ୍କ ଏହି ପତ୍ର ଲିଖିତ ତାହାର ସମୟ ତା ୮.୮.୬୫ ଓ କମିଶନରଙ୍କ ପତ୍ରର ସମୟ ତା ୧୨. ୯. ୧୮୬୫ ବୋଲି ଏ ପତ୍ରରେ ସୂଚିତ । ପୁନଶ୍ଚ, ତାଙ୍କର ନୂତନ ନିଯୁକ୍ତି ହେତୁ ଉତ୍ତର ଦେବାରେ ସାମାନ୍ୟ ବିଳମ୍ବ ପାଇଁ ସେ କ୍ଷମା ମାଗିବା ସଙ୍ଗେ ସଙ୍ଗେ ଶ୍ରୀ ଉମାଚରଣ ହାଲଦାର ଓ ଅନ୍ୟ ଦୁଇଜଣଙ୍କ ସାହାଯ୍ୟ ପାଇଁ ସେମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସ୍ଥୂଳତଃ, ତା ୮-୮-୬୫ ର ସମୟ ସୂଚନା ଓ ଉମାଚରଣଙ୍କ ଭୂମିକା ଆମର ପରବର୍ତ୍ତୀ ଆଲୋଚନାରେ ଯେଉଁ ନୂତନ ଆଲୋକପାତ କରିଛି ତାହା ଆପଣମାନେ ପରେ ଦେଖିବାକୁ ପାଇବେ ।

 

ଆଲୋଚ୍ୟ ଚାରିଟି ପତ୍ରର ସାରାଂଶ :

ବଙ୍ଗ ସରକାର (ତା ୮-୧୧-୬୯), ଡିରେକ୍ଟର (ତା୧-୮-୬୯), ମାର୍ଟିନ ସାହେବ (ତା ୩୦-୩-୬୮) ଓ କମିଶନର (ତା ୧୨-୯-୬୫)-ଏଇ ଚାରି ଜଣଙ୍କ ପତ୍ରାବଳୀକୁ କ୍ରମାନ୍ୱୟରେ ସଜାଇ ସେଥିରେ ଥିବା ସମୟ-ସୂଚନାକୁ ଦେଖାଇ ଦିଆଗଲା । କିନ୍ତୁ, କମିଶନରଙ୍କ ଠାରୁ ବଙ୍ଗ ସରକାରଙ୍କ ପର୍ଯ୍ୟନ୍ତ ପତ୍ରାବଳୀକୁ ବିଶ୍ଳେଷଣ କଲେ ଯେଉଁ ଚିତ୍ର ହେବ ତାହା ବର୍ତ୍ତମାନ ଉପସ୍ଥାପନ କରା ଯାଉଅଛି ।

 

ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା-ପ୍ରଚଳନର ସ୍ଥିତି ଓ ତା’ର ଉନ୍ନତି ଦିଗରେ କେତେକ ପ୍ରସ୍ତାବ ବିଷୟରେ କମିଶନର ତା ୧୨-୯-୬୫ ରେ ଯେଉଁ ପତ୍ର ଦେଇଥିଲେ ତାହା ଉପରେ ମାର୍ଟିନ ସାହେବଙ୍କ ଅଭିମତ (ପ୍ରଥମ ପତ୍ର : ତା ୧୦-୮-୬୭) ସହିତ ଡିରେକ୍ଟର ନିଜର ଅଭିମତ ବଙ୍ଗ ସରକାରଙ୍କୁ ତା ୨୬.୮.୬୭ (ପ୍ରଥମ ପତ୍ର) ରେ ପ୍ରେରଣ କରିଥିଲେ । ବଙ୍ଗ ସରକାର ଏ ଦୁଇଟି ପତ୍ର ଉପରେ ମତାମତ ଦେବାପାଇଁ କମିଶନରଙ୍କୁ ଯେଉଁ ପତ୍ର ଦେଇଥିଲେ ତା’ର ପ୍ରତିକ୍ରିୟା ଦୀପିକାର ୩୪.୧.୬୮ ସଂଖ୍ୟାରେ ଦେଖିବାକୁ ମିଳେ । ଇତି ମଧ୍ୟରେ ମାର୍ଟିନ ସାହେବ ତାହାଙ୍କ ପ୍ରଥମ ପତ୍ରର କେତେକ ପରିବର୍ତ୍ତନ ଓ ପରିବର୍ଦ୍ଧନ ପାଇଁ ତା ୩୦. ୩. ୬୮ରେ ଅନ୍ୟ ଏକ ପତ୍ର ବା ଦ୍ୱିତୀୟ ପତ୍ର ଲେଖନ୍ତି । ଡିରେକ୍ଟର-ଇନିସ୍‌ପେକ୍ଟରଙ୍କ ପ୍ରଥମ ପତ୍ର ଉପରେ କମିଶନର ତାଙ୍କର ଦ୍ୱିତୀୟ ପତ୍ର ତା ୪-୫-୬୮ରେ ପ୍ରେରଣ କରନ୍ତି ଓ କମିଶନରଙ୍କ ଏ ପତ୍ର ଉପରେ ମତାମତ ଦେବା ପାଇଁ ବଙ୍ଗ ସରକାର ତା ୧୬-୭-୬୮ରେ ଡିରେକ୍ଟରଙ୍କୁ ଅନୁରୋଧ କରନ୍ତି । ଡିରେକ୍ଟର ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ର ସହିତ ନିଜର ଅଭିମତ ସମ୍ବଳିତ ଦ୍ୱିତୀୟ ପତ୍ର (ତା ୧.୮.୬୯) ବଙ୍ଗ ସରକାରଙ୍କୁ ପ୍ରେରଣ କରନ୍ତି । ଓଡ଼ିଆ ଭାଷା-ପ୍ରତିଷ୍ଠା-ସୂଚକ ବଙ୍ଗ ସରକାରଙ୍କ ପତ୍ର (ତା ୮-୧୧-୬୯) ହେଉଛି ଏ ସମସ୍ତ ପତ୍ରର ଅନ୍ତିମ ପରିଣତି । ତେଣୁ ବଙ୍ଗ ସରକାରଙ୍କ ଏଇ ଶେଷୋକ୍ତ ପତ୍ରର ତିନିଟି ଅନୁଚ୍ଛେଦ (ଯାହା ପୂର୍ବରୁ ଆମେ ଉଦ୍ଧାର କରି ଦେଇଛୁ)ରେ ସରକାରୀ ସ୍ତରରେ ଆଲୋଚିତ ଓ ୧୮୬୫-୬୯ ସାଲ ଭିତରେ ସଂଘଟିତ ଘଟଣାବଳୀର ସାରାଂଶ ଉପସ୍ଥାପିତ ହୋଇଅଛି, ଯାହା ପ୍ରତି ଆଲୋଚକମାନଙ୍କ ଦୃଷ୍ଟି ଆକୃଷ୍ଟ ହୋଇ ନାହିଁ । ପୂର୍ବ ଆଲୋଚନାରୁ ତିନିଟି ବିଷୟ ସ୍ପଷ୍ଟ ଉପଲବ୍‌ଧ ହୋଇଥାଏ । ଯଥା-(କ) ଭାଷା ବିଲୋପ ଆନ୍ଦୋଳନର ଇତିହାସ ରଚନାରେ ଏ ପତ୍ର ଓ ଘଟଣାବଳୀର ସମୟ ତଥା ବିଷୟବସ୍ତୁର ମାନ୍ୟତା ଓ ଅପରିହାର୍ଯ୍ୟତା ଏକାନ୍ତ ଆବଶ୍ୟକ । ଏ ସବୁକୁ ପ୍ରାଧାନ୍ୟ ନ ଦେଲେ କିମ୍ବା ଏଥିରୁ କାହାକୁ ବାଦ୍‌ଦେଇ ଦେଲେ ଆଲୋଚନାରେ ବିଭ୍ରାନ୍ତି ତଥା ଅସମ୍ପୂର୍ଣ୍ଣତା ସମ୍ପୂର୍ଣ୍ଣ ସମ୍ଭବ । (ଖ) ଏ ଘଟଣାବଳୀ ଓଡ଼ିଆ ଭାଷା-ବିଲୋପ ଆନ୍ଦୋଳନର ଶେଷ ପର୍ଯ୍ୟାୟର ଅନ୍ତର୍ଗତ । କାରଣ ୧୮୬୫ ସାଲ ପୂର୍ବରୁ ମଧ୍ୟ ଭାଷା-ପ୍ରଚଳନ ଉପରେ ବହୁ ବାଦାନୁବାଦ ହୋଇଥିବାର ଦେଖିବାକୁ ମିଳେ । ତେଣୁ ଭାଷା-ଆନ୍ଦୋଳନର ପରିସରକୁ କେବଳ ୧୮୬୫-୬୯ ସାଲ ଭିତରେ ସୀମିତ କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ । ବଙ୍ଗ ସରକାରଙ୍କ ତା ୮.୧୧.୬୯ ପତ୍ରରେ ଏପରି କୌଣସି ଅଯୌକ୍ତିକ ଅଭିମତ ସ୍ଥାନ ପାଇ ନାହିଁ । (ଗ) ୧୮୬୯ ସାଲର ଆରମ୍ଭରୁ ଦୀପିକାରେ ପ୍ରକାଶିତ ଓଡ଼ିଆ-ବଙ୍ଗାଳୀଙ୍କ ଜାତିଗତ-ବିଦ୍ୱେଷ ସୂଚକ ବାଦାନୁବାଦ ସରକାରୀ ସ୍ତରରେ ଥିବା ଉପାଦାନ ସହିତ ସମ୍ପୂର୍ଣ୍ଣ ଅସଂପୃକ୍ତ ଥିବାରୁ ଭାଷା-ଆନ୍ଦୋଳନର ଇତିହାସରେ ଏପରି ବାଦାନୁବାଦର ସ୍ଥାନ ସମ୍ପୂର୍ଣ୍ଣ ଗୌଣ, ଉପେକ୍ଷଣୀୟ ମଧ୍ୟ ।

 

ଏଠାରେ ପ୍ରାସଙ୍ଗିକ ଭାବେ ଗୋଟିଏ ବିଷୟ ପ୍ରତି ବର୍ତ୍ତମାନ ପ୍ରବନ୍ଧର ପାଠକ ପାଠିକାମାନଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁ । ଆଲୋଚକମାନଙ୍କ ମଧ୍ୟରେ କେବଳ ଦୀପିକା ସମ୍ପାଦକ ଓ ପରବର୍ତ୍ତୀ ସମୟରେ ଡକ୍ଟର ସାମଲ ହିଁ ବଙ୍ଗ ସରକାରଙ୍କ ଆଲୋଚ୍ୟ ପତ୍ର (ତା ୮.୧୧.୬୯) ଅଧ୍ୟୟନ କରିଛନ୍ତି । କିନ୍ତୁ ଏ ଉଭୟେ ନିଜ ନିଜ ଆଲୋଚନାକୁ ଏପରି ସଂକ୍ଷିପ୍ତ ଓ ଅସମ୍ପୂର୍ଣ୍ଣ କରିଛନ୍ତି ଯେ ତାହା ପରବର୍ତ୍ତୀ ଆଲୋଚକମାନଙ୍କୁ ଉଚିତ ମାର୍ଗରେ ନେବା ଅପେକ୍ଷା ବିଭ୍ରାନ୍ତ ଦେବାରେ ସାହାଯ୍ୟ କରିଛନ୍ତି ମାତ୍ର । ୧୯୮୮ ସାଲରେ ଅନ୍ୟ ଏକ ପ୍ରବନ୍ଧ ପ୍ରସ୍ତୁତ କଲାବେଳେ ଆମେ ସେଇପରି ଏକ ବିଭ୍ରାନ୍ତି କରିବାକୁ ବାଧ୍ୟ ହୋଇଥିଲୁ । ଓଡ଼ିଶାର ସ୍କୁଲମାନଙ୍କରେ ଓଡ଼ିଆ ଭାଷା ପରିବର୍ତ୍ତେ ବଳାତ୍‌କାରରେ ବଙ୍ଗଳା ଭାଷା ପ୍ରଚଳନ ପାଇଁ ଡିରେକ୍‌ଟର ଓ ଇନିସ୍‌ପେକ୍ଟର ପ୍ରସ୍ତାବ ଦେଇଥିବାର ଏକ ସମ୍ବାଦ ଦୀପିକାର ତା ୪. ୧. ୬୮ ସଂଖ୍ୟାରେ ପ୍ରକାଶିତ ହୋଇଛି । ଇନିସ୍‌ପେକ୍ଟର ମାର୍ଟିନସାହେବ ଓଡ଼ିଆ ଭାଷାକୁ ଉଠାଇବା ଦେବାର ପ୍ରସ୍ତାବ କେଉଁଠି କରିଥିବାର ଦୃଷ୍ଟାନ୍ତ ଆମେ ପ୍ରବନ୍ଧ ପ୍ରସ୍ତୁତ ବେଳେ ଦେଖିନଥିବାରୁ ଏ ଇନିସ୍‌ପେକ୍ଟରଙ୍କ ନାମ ହାରିସନ ଓ ତାଙ୍କର ଡେପୁଟୀ ଇନିସ୍‌ପେକ୍ଟର ଉମାଚରଣଙ୍କ ପ୍ରସ୍ତାବକୁ ଏ ସ୍ଥଳରେ ଗ୍ରହଣ କରି ନେଇଥିଲୁ । କାରଣ, ଓଡ଼ିଆ ଭାଷା ଉଠାଇ ଦେବାର ପ୍ରସ୍ତାବ ଏ ଉଭୟେ କରିଥିବାର ଦେଖିବାକୁ ମିଳେ । ପୁନଶ୍ଚ, ଦୀପିକା ସମ୍ପାଦକଙ୍କ ଅଭିମତ ବଙ୍ଗ ସରକାରଙ୍କ ତା ୮-୧୧-୬୯ ପତ୍ରର ଦ୍ୱିତୀୟ ଅନୁଚ୍ଛେଦର ଉପାଦାନ ଉପରେ ପ୍ରତିଷ୍ଠିତ । କିନ୍ତୁ ଏ ଅନୁଚ୍ଛେଦରେ କେବଳ ଡିରେକ୍ଟର ଓଡ଼ିଆ ପରିବର୍ତ୍ତେ ବଙ୍ଗଳା ପ୍ରଚଳନର ପକ୍ଷପାତୀ ଥିବାର କୁହାଗଲେ ହେଁ ମାର୍ଟିନ ସାହେବଙ୍କ ମତାମତର କିଛି ସଙ୍କେତ ନାହିଁ । ତେଣୁ ଦୀପିକା ସଂପାଦକ ଏ ଅନୁଚ୍ଛେଦକୁ ଠିକ୍‌ଭାବେ ଅନୁଧ୍ୟାନ କରିନଥିବାର ବିଶ୍ୱାସ ହୁଏ । ତେଣୁ ଆମର ପ୍ରମାଦ ଦୀପିକା ସମ୍ପାଦକଙ୍କ ପ୍ରମାଦ ଠାରେ ନିରୀକ୍ଷଣ କରାଯାଇପାରେ । ବର୍ତ୍ତମାନ ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ରର ବିଷୟ ଆଲୋଚନା କରାଯାଉଅଛି ।

 

ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ରର ଜନ୍ମ ପୃଷ୍ଠଭୂମି :

‘‘ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାର ଅଧିକ ଅଧ୍ୟୟନ ପାଇଁ ଗୋଟିଏ ସନ୍ତୋଷଜନକ ରିପୋର୍ଟ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ପ୍ରଦେଶ ଓ ଓଡ଼ିଆ ଲୋକଙ୍କ ସହିତ ଯେତିକି ଅଭିଜ୍ଞତା ଥିବା ଆବଶ୍ୟକ ସେ ବିଷୟରେ ମୁଁ ସ୍ଥିର ନିଶ୍ଚିତ ବୋଲି ଅନୁଭବ କରିପାରୁ ନାହିଁ ।’’-ଏହା ହେଉଛି ତା ୧୦-୮-୬୭ରେ ଲିଖିତ ମାର୍ଟିନ ସାହେବଙ୍କ ପ୍ରଥମ ପତ୍ରରେ ସୂଚିତ ମନ୍ତବ୍ୟ, ଯାହା ତାହାଙ୍କ ଦ୍ୱିତୀୟ ପତ୍ର (ତା ୩୦-୩-୬୮)ରେ ସ୍ୱୀକୃତ । ପ୍ରଥମ ପତ୍ରର କେତେ ମାସ ପରେ ଓଡ଼ିଶାର ସ୍କୁଲ ପରିଦର୍ଶନ ପାଇଁ ଆସି ସେ ଯେଉଁ ନୂତନ ଅନୁଭୂତି ଲାଭ କଲେ ତାହା ଫଳରେ ସେ ତାଙ୍କ ପୂର୍ବ ଅଭିମତ କେତେକାଂଶରେ ପରିବର୍ତ୍ତନ କରି ଅନ୍ୟ ଏକ ରିପୋର୍ଟ (ଦ୍ୱିତୀୟ ପତ୍ର : ତା ୩୦-୩-୬୮) ପ୍ରସ୍ତୁତ କଲେ ଓ ଏହାକୁ ପୂର୍ବ ପତ୍ର ସହିତ ମିଶାଇ ଓଡ଼ିଆ ଭାଷାର ଅଧିକ ଅଧ୍ୟୟନ ଦିଗରେ ଏହା ତାଙ୍କର ଯଥାର୍ଥ ଅଭିମତ ବୋଲି ବିଚାର କରିବାକୁ ଡିରେକ୍ଟରଙ୍କୁ ଅନୁରୋଧ କଲେ । ଆମ ପାଖରେ ଏଇ ପ୍ରଥମ ପତ୍ରଟି ନଥିବାରୁ ଦ୍ୱିତୀୟ ପତ୍ରରେ ସେ କ’ଣ ପରିବର୍ତ୍ତନ ଓ ଅଧିକ ସଂଯୋଜନ କଲେ ତାହା ନିର୍ଣ୍ଣୟ କରିବା ସହଜ ନୁହେଁ । ଡିରେକ୍ଟର ନିଜର ପ୍ରଥମ ପତ୍ର (ତା ୨୬-୮-୬୭) ସହିତ ମାର୍ଟିନ ସାହେବଙ୍କ ପ୍ରଥମ ପତ୍ରକୁ ବଙ୍ଗସରକାରଙ୍କ ବିଚାର ପାଇଁ ପଠାଇଦେଲେ । ବଙ୍ଗସରକାରଙ୍କ ପତ୍ର (ତା ୮-୧୧-୬୯)ର ଦ୍ୱିତୀୟ ଅନୁଚ୍ଛେଦରେ ଏ ଉଭୟଙ୍କ ପତ୍ରର ଉଲ୍ଲେଖ ଅଛି । ଏଥିରେ ଡିରେକ୍ଟରଙ୍କ ଦୁଇଟି ପ୍ରଧାନ ଅଭିମତ ଦେଖିବାକୁ ମିଳେ । ଯଥା-(କ) ଓଡ଼ିଶାର ସମସ୍ତ ମଧ୍ୟମ ଶ୍ରେଣୀ ଓ ହାଇସ୍କୁଲରେ କେବଳ ବଙ୍ଗଳା ଭାଷା ବାଧ୍ୟତା ମୂଳକ ଭାବେ ପ୍ରଚଳିତ ହେବ ଓ (ଖ) ଓଡ଼ିଆଭାଷାରେ ପ୍ରାୟ କୌଣସି ଓଡ଼ିଆ ସାହିତ୍ୟ (ଅର୍ଥାତ୍ ଓଡ଼ିଆ ପାଠ୍ୟ ପୁସ୍ତକ) ଉପଲବ୍‌ଧ ହୁଏ ନାହିଁ । ଦେଖିବାର କଥା, ବଙ୍ଗ ସରକାରଙ୍କ ପତ୍ରର ଏଇ ଅନୁଚ୍ଛେଦରେ ଡିରେକ୍ଟରଙ୍କ ମନ୍ତବ୍ୟ ଥିଲା ବେଳେ ମାର୍ଟିନସାହେବଙ୍କ ପ୍ରଥମ ପତ୍ରରେ କ’ଣ ଥିଲା ତା’ର କିଛି ମାତ୍ର ସୂଚନା ନାହିଁ । ଏ ଦୁଇଟି ପତ୍ରର ପ୍ରତିକ୍ରିୟା ଦୀପିକାର ତା୪-୧-୬୮ ସଂଖ୍ୟାରେ ଏଇ ପରି ଅଛି, ‘‘ଶିକ୍ଷା ବିଭାଗର ଡିରେକ୍ଟର ଏବଂ ଏ ପ୍ରଦେଶର ଇନିସ୍‌ପେକ୍ଟର ଗବର୍ଣ୍ଣମେଣ୍ଟରେ ପ୍ରସ୍ତାବ କରିଅଛନ୍ତି ଯେ ଓଡ଼ିଶାର ସ୍କୁଲ ସମୂହରେ ବଙ୍ଗ ଭାଷାର ଅଧ୍ୟୟନ ବଳାତ୍‌କାରରେ ଚଳନ ହେଉ ଓ ବଙ୍ଗଳା ପୁସ୍ତକମାନ ଏ ସମସ୍ତ ବିଦ୍ୟାଳୟର ପାଠ୍ୟ ପୁସ୍ତକ ବୋଲି ଧାର୍ଯ୍ୟ ହେଉ ।’’ ପୁନଶ୍ଚ, ଇନିସ୍‌ପେକ୍ଟରଙ୍କ ମତରେ ‘‘ଉତ୍କଳ ଭାଷା ଭାଷା ନୁହଁଇ ।’’ ବଙ୍ଗ ସରକାରଙ୍କ ପୂର୍ବ କଥିତ ପତ୍ର ଓ ଦୀପିକାର ବର୍ତ୍ତମାନ ଏଇ ଲେଖାକୁ ତୁଳନାତ୍ମକଭାବେ ଏକତ୍ର ଅନୁଧ୍ୟାନ କଲେ ଏ ଉଭୟ ଲେଖାରେ ଭାଷା-ଅଧ୍ୟୟନ ବିଷୟରେ ଡିରେକ୍ଟରଙ୍କ ଅଭିମତ ସମାନ ଓ ଅତିଶୟ ସ୍ପଷ୍ଟ ଥିବାର ଅନୁଭୂତ ହୁଏ । କିନ୍ତୁ ଓଡ଼ିଆ ଭାଷା ଭାଷା ନୁହେ, ତେଣୁ ତା’ ସ୍ଥାନରେ ବଙ୍ଗଭାଷାର ବଳାତ୍‌କାର ପ୍ରଚଳନ ଏକାନ୍ତ ଆବଶ୍ୟକ-ଏପରି ପ୍ରସ୍ତାବ ମାର୍ଟିନ ସାହେବଙ୍କ ପ୍ରଥମ ପତ୍ରରେ ଥିବ ବୋଲି ବିଶ୍ୱାସ ହେଉନାହିଁ । କାରଣ, ମାର୍ଟିନ ସାହେବଙ୍କ ପ୍ରଥମ ପତ୍ରର ଯେତେ କିଛି ପରିବର୍ତ୍ତନ ହେଉନା କାହିଁକି ଭାଷା ପ୍ରଚଳନର ଯାହା ମୌଳିକ ଆବଶ୍ୟକତା-ଭାଷା ଶିକ୍ଷା-ତାହା ତାହାଙ୍କ ପ୍ରଥମ ପତ୍ରରେ ସ୍ଥାନ ନପାଇବା ସଂପୂର୍ଣ୍ଣ ଅସମ୍ଭବ ଓ ଅବାସ୍ତବ ବୋଲି ମନେହୁଏ । କେଉଁ ଶ୍ରେଣୀର ବିଦ୍ୟାଳୟରେ ଓଡ଼ିଆ ଭାଷା କେତେ ପରିମାଣରେ ପ୍ରଚଳିତ ହେବ, ଏ ବିଷୟର ଏକ ସ୍ପଷ୍ଟ ଚିତ୍ର ତାହାଙ୍କ ଦ୍ୱିତୀୟ ପତ୍ରରେ ସ୍ଥାନ ପାଇଛି । ଏପରି ଏକ ଚିତ୍ର, ତାହା ଯେତେ ଅସମ୍ପୂର୍ଣ୍ଣ ହେଉନା କାହିଁକି, ପ୍ରଥମ ପତ୍ରରେ ଥିବାର ସମ୍ଭାବନା କରାଯାଇପାରେ । ତା’ ନହେଲେ ଡିରେକ୍ଟରଙ୍କ ପରି ସେ ମଧ୍ୟ ପ୍ରଥମରୁ କେବଳ ବଙ୍ଗଭାଷାର ଅଧ୍ୟୟନ ପାଇଁ ପ୍ରସ୍ତାବ ଦେଇଥାନ୍ତେ, ଯାହା ବଙ୍ଗସରକାରଙ୍କ ଲେଖାରେ ସ୍ଥାନ ପାଇଥାନ୍ତା । କିନ୍ତୁ ଏହାତ ତାଙ୍କରି ଭାଷାରେ ‘‘I have made but little change in the opinion previously expressed’’ ଅଭିମତର ସଂପୂର୍ଣ୍ଣ ବିପରୀତ ।

 

ମାର୍ଟିନ ସାହେବ ଦ୍ୱିତୀୟ ପତ୍ରରେ ନିଜ ଅଭିମତକୁ ପରିବର୍ତ୍ତନ କଲେ କାହିଁକି ? ଏପରି ଏକ ପ୍ରଶ୍ନର ସମାଧାନ ପାଇଁ ତାହାଙ୍କ ପତ୍ରରେ ଥିବା ଗୋଟିଏ ସୂଚନାକୁ ଏ କ୍ଷେତ୍ରରେ ଗ୍ରହଣ କରାଯାଇପାରେ । ତାହା ହେଉଛି ‘‘I have however, lately made another tour through the districts...........’’ ଅର୍ଥାତ୍ ୧୮୬୮ ସାଲ ମାର୍ଚ୍ଚ ତା ୩୦ର କିଛି ଦିନ ପୂର୍ବରୁ ସେ ଓଡ଼ିଶା ଗସ୍ତରେ ଆସି ତଦାନୀନ୍ତନ ଶିକ୍ଷିତ ଲୋକଙ୍କ ସଂସ୍ପର୍ଶ ହେତୁ ଓଡ଼ିଆ ଭାଷା ଉପରେ ଯେଉଁ ନୂତନ ଅଭିଜ୍ଞତା ଲାଭ କରିଥିଲେ ତାହାର ଫଳରେ ତାହାଙ୍କ ପୂର୍ବ ଅଭିମତ କେତେକାଂଶରେ ପରିବର୍ତ୍ତିତ ହୋଇଯିବା ଏକାନ୍ତ ସ୍ଵାଭାବିକ | ତାହାଙ୍କ ଓଡ଼ିଶା ଗ୍ରସ୍ତର ସମୟ ୧୮୬୮ ସାଲ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ବୋଲି ଧରିନିଆଗଲେ ୧୮୬୮ ଜାନୁୟାରୀ ଓ ଫ୍ରେବୁୟାରୀ ମାସର କୌଣସି କୌଣସି ଘଟଣା ତାହାଙ୍କ ମତ ପରିବର୍ତ୍ତନ ପାଇଁ ଏକାନ୍ତ ଦାୟୀ ବୋଲି ସ୍ୱୀକାର କରିବାକୁ ପଡ଼ିବ । ଏଠାରେ ଭାଷା-ପ୍ରଶ୍ନ-ସମ୍ବଳିତ ତା୪-୧-୬୮ ଦୀପିକାର ‘ଓଡ଼ିଶାରେ ବଙ୍ଗ ଭାଷାର ଶିକ୍ଷା-ଦାନ’ ଲେଖାରୁ କିଛି ଅଂଶ ଉଦ୍ଧାର କରାଯାଉଛି । ଯଥା-

 

‘‘ବ୍ରିଟିଶ ଅଧିକାର ଏଠାରେ ସ୍ଥାପନ ହେଲା ଦିନୁଁ ସେମାନଙ୍କ ସୁଶାସନ ପ୍ରଣାଳୀରୁ ଲୋକମାନେ ନାନା ପ୍ରକାର ବିଦ୍ୟା ଓ ଜ୍ଞାନ ଶିକ୍ଷା କଲେ ଓ ଯେ ଯେ ସ୍ଥାନରେ ସୁଦ୍ଧା ଲେଖା ପଢ଼ା ଜାଣୁ ନଥିଲେ ସେ ସମସ୍ତ ସ୍ଥାନରେ ସୁଦ୍ଧା ବିଦ୍ୟାଳୟ ସ୍ଥାପନ ଓ ସ୍ଥାନୀୟ ଭାଷାର ପୁସ୍ତକାଦି ରଚନା ଓ ଲିଖନ ପଠନ ହେଉଅଛି । ସେହି ଗଭର୍ଣ୍ଣମେଣ୍ଟ ଓଡ଼ିଶା ଦେଶର ଉପକାରାର୍ଥେ ବିଦ୍ୟାଳୟ ସ୍ଥାପନ କରି ଆପଣା ପ୍ରଜାଙ୍କୁ ଶିକ୍ଷିତ କରିବା କାରଣ ବିସ୍ତର ଅର୍ଥ ବ୍ୟୟ କରୁଅଛନ୍ତି । କିନ୍ତୁ ଯାହାଙ୍କର ଉପରେ ଶିକ୍ଷାର ଭାର ଅଛି ସେମାନେ ଦେଶର ଭାଷାକୁ ଉଠାଇ ଦେବାକୁ ଯତ୍ନ କରୁଅଛନ୍ତି, ଏହା କି ସାମାନ୍ୟ ଦୁଃଖର ବିଷୟ । ଶିକ୍ଷା ଦେବା ନିମିତ୍ତ ନିଯୁକ୍ତ ଥିବା ବ୍ୟକ୍ତିମାନେ ବିପରୀତ ଆଚରଣ କରି କିରୂପେ ବେତନ ଜୀର୍ଣ୍ଣ କରୁଅଛନ୍ତି ଆମ୍ଭମାନଙ୍କୁ ଏହିମାତ୍ର ଚମତ୍‌କାର ବୋଧ ହେଉଅଛି । ବଙ୍ଗ ଦେଶରେ ଯେତେବେଳେ ପ୍ରଥମ ବିଦ୍ୟା ଶିକ୍ଷାର ଆରମ୍ଭ ହେଲା ଓ ଗଭର୍ଣ୍ଣମେଣ୍ଟ ବିଦ୍ୟାଳୟମାନ ସ୍ଥାପନ କଲେ ସେତେବେଳେ କି ପାଠୋପଯୋଗୀ ପୁସ୍ତକମାନ ସେ ଦେଶରେ ଥିଲା ? ସେଠାରେ ତ ଅନ୍ୟ ଭାଷା ଶିକ୍ଷା ଦେବାର କେହି ପ୍ରସ୍ତାବ ଦେଲେ ନାହିଁ । ତେବେ ଏଠାରେ ଏ ରୂପ ହେବାର କାରଣ କି ? ଗଭର୍ଣ୍ଣମେଣ୍ଟଙ୍କ ଇଚ୍ଛା ଯେ ଆପଣା ଅଧୀନ ସକଳ ଦେଶର ଲୋକଙ୍କୁ ସୁଶିକ୍ଷିତ କରିବେ ଏବଂ ତହିଁରେ ଯେ ସମସ୍ତ ବାଧା, ବ୍ୟତିକ୍ରମ ଘଟିବ ତାହା ଖଣ୍ଡନ କରିବେ । ମାତ୍ର ଯାହାଙ୍କୁ ଏ କର୍ମର ଭାର ଦେଇ ଅଛନ୍ତି ସେମାନେ ଖଣ୍ଡନ ବିଷୟରେ ଅକ୍ଷମ ଥିବାରୁ କୌଣସିରୂପେ ଆପଣା ଅନ୍ନ ରକ୍ଷା ନିମିତ୍ତ ସୁବିଧା କରୁଅଛନ୍ତି । ଏତେ ଦିନ ଏଠାରେ ବିଦ୍ୟାଳୟ ସ୍ଥାପନ ହେଲା ଓ ଉତ୍କଳ ପୁସ୍ତକର ଅଭାବ ବିଷୟ ପୁନଃ ପୁନଃ ଡେପୁଟୀ ଇନିସ୍ପେକ୍ଟରମାନେ ଇନିସ୍ପେକ୍ଟର ଓ ଡାଇରେକ୍ଟରଙ୍କୁ ଜଣାଇଲେ, କିନ୍ତୁ ଅଦ୍ୟାବଧି ସେମାନେ ଭାଷା ପୁସ୍ତକ ରଚନା ବିଷୟରେ କିଛିମାତ୍ର ଉପାୟ କରି ନାହାନ୍ତି ଏବଂ ଯଦ୍ୟପି ମିଶନାରୀମାନେ ଏ ଦେଶକୁ ଆସିନଥାନ୍ତେ, ତେବେ ପ୍ରାୟ ଏକ ଖଣ୍ଡ ପୁସ୍ତକ ଉତ୍କଳ ଭାଷାରେ ଥାନ୍ତା ନାହିଁ । କୌଣସି ବିଷୟ ସାଧନା ପକ୍ଷରେ ଉପାୟ ନକରି ପରିତ୍ୟାଗ କରିବା କାପୁରୁଷର କର୍ମ ଅଟଇ । ମାତ୍ର ଦୁଃଖର ବିଷୟ ଜ୍ଞାନବାନ କର୍ମଚାରୀମାନେ ପାଠ ଚୋରି ପିଲାର ଆଚରଣ ଧରିଅଛନ୍ତି । ଅର୍ଥାତ୍, ସେମାନେ ଯେରୂପ ଖଡ଼ି ନଥିବା ବାହାନାରେ ଚାଟଶାଳୀକୁ ଯିବା ପାଇଁ ଅସ୍ୱୀକାର କରନ୍ତି ଏ କର୍ମଚାରୀମାନେ ମଧ୍ୟ ସେହିରୂପ ଉପଯୁକ୍ତ ପୁସ୍ତକ ନଥିବା ବାହାନା କରୁଅଛନ୍ତି ।’’

 

ପ୍ରାସଙ୍ଗିକ ଭାବେ ଏଠାରେ ଅନ୍ୟ ଏକ ଉଦ୍ଧରଣ ଦିଆଯାଉଅଛି । ଯଥା- ‘‘ଓଡ଼ିଶାରେ ବଙ୍ଗ ଭାଷାର ଶିକ୍ଷା’’ ଲେଖାର ଦ୍ୱିତୀୟ ଭାଗ ଦୀପିକାର ତା୧-୨-୬୮ ସଂଖ୍ୟାରେ ପ୍ରକାଶ ପାଏ । ଏଥିରେ ଅଛି, ‘‘ଏ ପ୍ରସ୍ତାବରେ ଅସ୍ମଦ୍ଦେଶୀୟ ଲୋକମାନେ କି ପର୍ଯ୍ୟନ୍ତ ବ୍ୟସ୍ତ ଓ ଶଙ୍କାଯୁକ୍ତ ହୋଇଅଛନ୍ତି ତାହା ସହଜରେ ଜଣାଯାଉଅଛି । ଗତ ସପ୍ତାହ (ତା ୨୫-୧-୬୮) ଅତିରିକ୍ତ ପତ୍ରିକାରେ ବାଲେଶ୍ୱରର ଜଣେ ପତ୍ରପ୍ରେରକଙ୍କର ପତ୍ରରେ ତତ୍ରତ୍ୟ ଲୋକଙ୍କର ଅଭିପ୍ରାୟ ଉତ୍ତମରୂପେ ପ୍ରକାଶ ପାଇଅଛି । x x x ଏହି ନଗରରେ ମଧ୍ୟ ଗତ ରବିବାର (ତା ୨୬-୧-୬୮) ଏ ସ୍ଥାନର ପ୍ରଧାନ ପ୍ରଧାନ ବ୍ୟକ୍ତିମାନେ ଏକ ସଭା କରି ଶିକ୍ଷା ବିଭାଗର କର୍ମଚାରୀଙ୍କ ପ୍ରସ୍ତାବ ବିରୁଦ୍ଧରେ କମିଶନରଙ୍କ ନିକଟରେ ଆବେଦନ କରିବାର ସ୍ଥିର କରିଅଛନ୍ତି । ଏ ସମସ୍ତ ଲୋକଙ୍କ ନିବେଦନ କି ଗ୍ରାହ୍ୟର ଉପଯୁକ୍ତ ନୁହଁଇ ? ଶିକ୍ଷା ବିଭାଗର କର୍ମଚାରୀମାନେ ଯାହା କହିବେ ସେହି କଥା କି ସତ୍ୟ ହେବ ? ଏମାନେ ଉଚ୍ଚପଦ ପାଇଲେ ବୋଲି କି ଏମାନଙ୍କ ବୁଦ୍ଧି ସର୍ବାପେକ୍ଷା ଶ୍ରେଷ୍ଠ ହେଲା । ଦେଶୀୟ ଲୋକଙ୍କର ଏ ବିଷୟରେ ଯେରୂପ ମନର ଗତି ଦେଖା ଯାଉଅଛି ତଦ୍ଦ୍ଵାରା ସ୍ପଷ୍ଟ ପ୍ରକାଶ ଯେ ଏମାନେ ମାତୃଭାଷାର ମୋହ କଦାଚ ତ୍ୟାଗକରି ପାରିବେ ନାହିଁ । ସୁତରାଂ ଏ ଦେଶରେ ବଙ୍ଗ ଭାଷାରେ ଶିକ୍ଷା ଦେଲେ ଅପବ୍ୟୟ ମାତ୍ର ସାର ହେବ, ଅତ୍ରତ୍ୟ ଲୋକଙ୍କର ଉପକାର ହେବ ନାହିଁ । ଯେବେ କୌଣସି ଉପକାରର ସମ୍ଭାବନା ଥାଆନ୍ତା ତାହେଲେ ଏମାନେ କିଂପା ଆପତ୍ତି କରନ୍ତେ । ଇଂରାଜୀ କି ପାରସି ଶିକ୍ଷା ଦେବାକୁ ତ କାହାରି ଆପତ୍ତି ନାହିଁ ।’’

 

ଓଡ଼ିଶା ଗସ୍ତ ବେଳେ ମାର୍ଟିନ ସାହେବ ଯଦି ଏଇ ଲେଖା ପଢ଼ିଥିବେ କିମ୍ବା ଏ ଲେଖା ପ୍ରକାଶ ପରେ ପରେ ବଙ୍ଗ ଭାଷା ଶିକ୍ଷା ବିରୋଧରେ ସେତେବେଳର ଯେଉଁ ଶିକ୍ଷିତ ଲୋକଙ୍କ ମନରେ ଘୋର ଆଲୋଡ଼ନ ସୃଷ୍ଟି ହୋଇଥିଲା, ଏପରି କି ଯେଉଁମାନେ ସଭାକରି ଏ ପ୍ରସ୍ତାବ ବିରୋଧରେ କମିଶନରଙ୍କ ନିକଟରେ ଆବେଦନ କରିଥିଲେ, ସେମାନଙ୍କ ମଧ୍ୟରୁ ସେ ଯଦି କାହା କାହା ସଂସ୍ପର୍ଶରେ ଆସିଥିବେ, ତାହାହେଲେ ବଙ୍ଗ ଭାଷା ପ୍ରଚଳନ ଯେ ଏକ ଅବାସ୍ତ ପ୍ରସ୍ତାବ ଓ କର୍ତ୍ତବ୍ୟ ପାଳନ ନ କରି ସରକାରୀ ଅର୍ଥଜୀର୍ଣ୍ଣକାରୀ ଏ ଦେଶର ଶିକ୍ଷକ ଓ ଶିକ୍ଷା ପରିଦର୍ଶକମାନେ ଯେ ଏକାନ୍ତ ଦାୟୀ, ସେ ବିଷୟରେ ତାଙ୍କର ଖୁବ୍ ବାସ୍ତବ ଅନୁଭୂତି ନିଶ୍ଚୟ ଆସିଯାଇଥିବ । କାରଣ, ଏଇ ଲେଖା ଥିଲା ସେଇ କର୍ମଚାରୀମାନଙ୍କ ଆଚରଣର ବିରୋଧରେ ଏକ ତୀବ୍ରତର ପ୍ରତିକ୍ରିୟା ମାତ୍ର । ତେଣୁ ପ୍ରଥମ ପତ୍ରରେ ଥିବା କୌଣସି ଅଭାବ ଅଥବା ଅସଂପୂର୍ଣ୍ଣତାକୁ ଏଇ ଅନୁଭୂତିର ମାନଦଣ୍ଡରେ ଦ୍ୱିତୀୟ ପତ୍ରରେ ପରିବର୍ତ୍ତନ କରିବାକୁ ସେ ବାଧ୍ୟ ହୋଇଛନ୍ତି ବୋଲି ବିଶ୍ୱାସ କରିବାକୁ ଇଚ୍ଛା ହୁଏ । ଏଠାରେ ସ୍ପଷ୍ଟ ମନେରଖିବା ଉଚିତ ଯେ ଏଇ ଦ୍ୱିତୀୟ ପତ୍ରଟି ଲେଖିବାକୁ ପ୍ରଥମ ପତ୍ର ଲେଖାପରି ଡିରେକ୍ଟରଙ୍କଠାରୁ କୌଣସି ସ୍ୱତନ୍ତ୍ର ପତ୍ର ସେ ପାଇନଥିଲେ । ନିଜର ପୂର୍ବ ଲେଖାର ବିଶୋଧନ ତଥା ଓଡ଼ିଆ ଭାଷା ଶିକ୍ଷାର ଏକ ପରିବର୍ତ୍ତିତ ରୂପ ଉପସ୍ଥାପନପାଇଁ ସେ ଏଇ ଦ୍ୱିତୀୟ ପତ୍ରଟି ସ୍ୱତଃପ୍ରବୃତ୍ତ ହୋଇ ଲେଖିଥିଲେ ।

 

ମାର୍ଟିନ୍‌ ସାହେବଙ୍କ ଭାଷା-ପ୍ରସ୍ତାବର ମୂଳଭିତ୍ତି :

ବିଦ୍ୟାଳୟରେ ଓଡ଼ିଆ ଭାଷାର ଅଧିକ ଅଧ୍ୟୟନପାଇଁ ମାର୍ଟିନସାହେବ କେତୋଟି ଅତ୍ୟନ୍ତ ବଳିଷ୍ଠ ଓ ଯୁକ୍ତିଯୁକ୍ତ କାରଣ ଦର୍ଶାଇଛନ୍ତି । ତାଙ୍କ ମତରେ, ‘‘ଓଡ଼ିଆ ଓ ବଙ୍ଗ ଭାଷା ଉଭୟେ ମୂଳ ସଂସ୍କୃତ ଭାଷାରୁ ଉଦ୍‌ଭୂତ ହୋଇଥିବାରୁ ଏକ ଜାତୀୟ ବା ଏକବଂଶୋତ୍‌ପନ୍ନ । କିନ୍ତୁ ବିଶେଷପଦର ବିଭକ୍ତି ଓ ଧାତୁପ୍ରତ୍ୟୟ ଦୃଷ୍ଟିରୁ ଏ ଉଭୟେ ପରସ୍ପରଠାରୁ ଭିନ୍ନ ଓ ସ୍ୱତନ୍ତ୍ର । ତେଣୁ ଓଡ଼ିଆ ଭାଷା ବଙ୍ଗଭାଷାର ପ୍ରଭାବ ବା ଚାପରେ ଦବିଯିବା ଅଥବା ତାର ବଶୀଭୂତ ହୋଇ ପଡ଼ିବାର ସାମାନ୍ୟତମ ସମ୍ଭାବନା ନାହିଁ । ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଲୋକମାନଙ୍କ କଥିତ ଭାଷା ହେଉଛି ଓଡ଼ିଆ ଭାଷା । ଓଡ଼ିଆ ଭାଷା-ଭାଷୀ ଅଞ୍ଚଳର ଏକ ଦଶମାଂଶ ସୀମାରେ ଲୋକଙ୍କ କଥିତ ଭାଷା ହେଉଛି ବଙ୍ଗଳା । ଅନ୍ୟ ସମସ୍ତ ସୀମାରେ ତେଲୁଗୁ, ସାନ୍ତାଳୀ, ହିନ୍ଦୀ ସହିତ କୋହ୍ଲ, କନ୍ଧ ଓ ଅନ୍ୟ ପାର୍ବତୀୟ ଭାଷା-ଭାଷୀ ଲୋକ ବାସ କରନ୍ତି । ପୁନଶ୍ଚ, ଓଡ଼ିଶା ପରି ବଙ୍ଗଦେଶ, ମାନ୍ଦ୍ରାଜ ପ୍ରଦେଶ ଓ ମଧ୍ୟପ୍ରଦେଶର ବିଭିନ୍ନ ଜିଲାରେ ଓଡ଼ିଆ ଭାଷା-ଭାଷୀ ଲୋକ ମଧ୍ୟ ଅଛନ୍ତି । ଦୁଃଖର କଥା, ଏ ସବୁ ପ୍ରଦେଶମାନଙ୍କର ଶିକ୍ଷା-ବିଭାଗଦ୍ୱାରା ଓଡ଼ିଆ ଭାଷା ସମାଦୃତ ହୁଏନାହିଁ । ଓଡ଼ିଶାର ଉତ୍ତରରେ ଥିବା ଜିଲା ବଙ୍ଗ ପ୍ରଦେଶର ଇନ୍‌ସ୍ପେକ୍‌ଟର ଓ ଦକ୍ଷିଣରେ ଥିବା ଜିଲା ମାନ୍ଦ୍ରାଜ ପ୍ରଦେଶର ଇନ୍‌ସ୍ପେକ୍‌ଟରଙ୍କଦ୍ୱାରା ପରିଚାଳିତ ହେଉଥିବାରୁ ଏଇ କର୍ମଚାରୀମାନେ ଯଥାକ୍ରମେ ବଙ୍ଗଳା ସ୍କୁଲ ଓ ତେଲୁଗୁ ସ୍କୁଲ ପ୍ରତି ଅଧିକ ଯତ୍ନ ନେଇଥାନ୍ତି; ଫଳରେ ସେ ସ୍ଥାନମାନଙ୍କରେ ବଙ୍ଗଳା ଓ ତେଲୁଗୁ ଭାଷାର ଉନ୍ନତି ହେଉଥିବା ବେଳେ ଓଡ଼ିଆ ଭାଷା ଶିକ୍ଷାର ଅବନତି ଘଟିଥାଏ । ଓଡ଼ିଆମାନେ ଶିକ୍ଷାଦୃଷ୍ଟିରୁ ବଙ୍ଗଳା ଓ ତେଲୁଗୁ ଭାଷା-ଭାଷୀ ଲୋକଙ୍କ ଠାରୁ ନିମ୍ନରେ ରହିଯିବାକୁ ବାଧ୍ୟ ହୋଇଥାନ୍ତି । ଏହାର ପରିଣତି ସ୍ୱରୁପ ଓଡ଼ିଶାର ସମସ୍ତ ଚାକିରୀ ଏଇ ଉଚ୍ଚଶିକ୍ଷିତ ବଙ୍ଗାଳୀ ଓ ତେଲୁଗୁ ଲୋକଙ୍କର ହସ୍ତଗତ ହୋଇଥାଏ ।’’ ସ୍ଥୂଳତଃ, ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ, ଓଡ଼ିଆ ଭାଷା-ପ୍ରଚଳନର ଏକ ବିସ୍ତୃତ ପରିସର ଓ ଓଡ଼ିଆ ଭାଷା-ଶିକ୍ଷାର ଅବହେଳା-ଏ ସବୁକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷାର ଉନ୍ନତିପାଇଁ ମାର୍ଟିନ ସାହେବ କହିଥିଲେ, ‘‘What’ after consideration, seems to be really necessary is to strike at the root of the matter and do in Orissa what has been, and is being done in Bengal.’’

 

ମାର୍ଟିନ ସାହେବଙ୍କ ଏଇ ଉକ୍ତିରେ ଥିବା ଦୁଇଟି ବିଷୟ ଉପରେ ବର୍ତ୍ତମାନ କିଛି ଆଲୋଚନା କରାଯାଉଅଛି । ଯଥା ;-

 

(କ) ତାହାଙ୍କ ଲେଖାରେ ଅଛି, ‘‘There is not the slightest chance of the Uriya language giving way to Bengali’’ ଏହାର ଅନୁବାଦ ପୂର୍ବରୁ ଦିଆଯାଇଛି । ମାର୍ଟିନ ସାହେବଙ୍କ ଏଇ ବଦ୍ଧମୂଳ ଧାରଣା ହେଉଛି ତାହାଙ୍କ ପତ୍ରର ଯଥାର୍ଥ ମୂଳପିଣ୍ଡ । କାରଣ ଓଡ଼ିଆ ଭାଷା ଯଦି ସ୍ୱତନ୍ତ୍ର ଓ ବଙ୍ଗ ଭାଷାର ସମସ୍ତ ଆକ୍ରମଣର ପ୍ରତିରୋଧପାଇଁ ସମର୍ଥ, ତାହାହେଲେ ତା’ର ଦୁରବସ୍ଥାର କାରଣ (ଯାହା ପୂର୍ବରୁ କୁହାଯାଇଛି) ଓ ତା’ର ଉନ୍ନତିର ପଥ-ନିର୍ଦ୍ଦେଶ (ଯାହା ପରେ କୁହାଯିବ) ଏକାନ୍ତ ଆବଶ୍ୟକ । କିନ୍ତୁ ଏହାଙ୍କ ଏପରି ଯୁକ୍ତିଯୁକ୍ତ ଅଭିମତର ବିପରୀତରେ ଡିରେକ୍ଟର କହିଛନ୍ତି, ‘‘Diversity of speech is a great evil. It obstructs intercourse and offers a serious obstacle to the advance of civilisation. Whenever, possible, it must clearly be desirable to remove this barrier between neighbouring population, X X X X X The immediate difficulty is to decide whether it is hopeless to look for the removal of this separating barrier between Bengal and Orissa.’’ ଏ ଉଭୟ ମାର୍ଟିନ ସାହେବ ଓ ଡିରେକ୍‌ଟରଙ୍କ ଅଭିମତ ଭିତରେ ଫୁଟି ଉଠୁଛି ଓଡ଼ିଆ ଭାଷା ପ୍ରତି ସେମାନଙ୍କ ମାନସିକ ଆଭିମୁଖ୍ୟ ଯାହା ସେମାନଙ୍କ ପ୍ରସ୍ତାବର ଅନ୍ତଃସ୍ୱରରେ ମଧ୍ୟ ଆତ୍ମପ୍ରକାଶ କରୁଅଛି । ତେଣୁ ମାର୍ଟିନ ସାହେବ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ବିଚାରରେ ଓଡ଼ିଆ ଭାଷାର କ୍ରମବିକାଶ ସକାଶେ ବିଭିନ୍ନ ଶ୍ରେଣୀରେ ଓଡ଼ିଆ ଭାଷାର ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଡିରେକ୍ଟର ଓଡ଼ିଆ-ବଙ୍ଗଳା ଭାଷା ଭିତରେ ଥିବା ତାରତମ୍ୟକୁ ଲୋପ କରି ସ୍କୁଲରେ କେବଳ ବଙ୍ଗଳା ଭାଷାର ଅଧ୍ୟୟନପାଇଁ ମତପ୍ରକାଶ କରିଥିଲେ । କେବଳ ଏଇ ଅଭିମତରେ ନୁହେଁ, ନିଜ ଆଚରଣ ଓ କ୍ରିୟାକଳାପରେ ମଧ୍ୟ ଡିରେକ୍‌ଟର ତାଙ୍କର ଏଇ ଅଭିମତକୁ ରୂପାୟିତ କରିବାରେ ପଶ୍ଚାତ୍‌ପଦ ହୋଇ ନାହାନ୍ତି । ଏହାର ଦୁଇଟି ଉଦାହରଣ ଦେଖନ୍ତୁ । ପୂର୍ବରୁ କୁହାଯାଇଛି ଯେ ମାର୍ଟିନ ସାହେବଙ୍କ ପ୍ରଥମ ପତ୍ର (ତା୧୦। ୮। ୬୭) ସହିତ ଡିରେକ୍‌ଟର ନିଜର ପ୍ରଥମ ପତ୍ର (ତା ୨୬। ୮। ୬୭)କୁ ବଙ୍ଗ ସରକାରଙ୍କ ନିକଟକୁ ପଠାଇଥିଲେ । କିନ୍ତୁ ଏହାର ପ୍ରାୟ ସାତମାସ ପରେ ନିଜର ପୂର୍ବମତ ପରିବର୍ତ୍ତନ କରି ମାର୍ଟିନ ସାହେବ ଯେଉଁ ଦ୍ୱିତୀୟ ପତ୍ର ଲେଖିଥିଲେ ତାକୁ ପ୍ରଥମ ପତ୍ର ସହିତ ମିଶାଇ ତାଙ୍କର ଏଇ ଅଭିମତକୁ ବିଚାର କରିବାପାଇଁ ଅନୁରୋଧ କରିଥିଲେ ହେଁ ଡିରେକ୍‌ଟର ତାକୁ ତା ୧। ୮। ୬୯ରେ ବଙ୍ଗ ସରକାରଙ୍କ ନିକଟକୁ ପ୍ରେରଣ କରିଥିଲେ । ପୁନର୍ବାର ବଙ୍ଗ ସରକାର ତା ୧୬। ୭ । ୬୮ରେ କମିଶନରଙ୍କ ଦ୍ୱିତୀୟ ପତ୍ର (୪ । ୫ । ୬୮) ଉପରେ ମତାମତପାଇଁ ଲେଖିଥିଲେ ହେଁ ଡିରେକ୍‌ଟର ତା’ର ଉତ୍ତର ତା ୧।୮।୬୯ରେ ଦେଇଥିଲେ । ଗୋଟିଏ ଗୋଟିଏ ପତ୍ରର ଉତ୍ତର ଦେବାରେ ଡିରେକ୍‌ଟର ଅତି ଜ୍ଞାତସାରରେ ଯେଉଁ ବିଳମ୍ବ କଲେ ତାହା ଏ ଉଭୟ କ୍ଷେତ୍ରରେ ପୂର୍ଣ୍ଣତଃ ସମାନ । ବର୍ତ୍ତମାନ ଆପଣମାନେ ବିଚାର କରନ୍ତୁ । ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ର (ତା ୩୦। ୩ । ୬୮) ଓ ଏହାର ଏକ ମାସ ଚାରଦିନ ପରେ ପ୍ରେରିତ କମିଶନରଙ୍କ ଦ୍ୱିତୀୟ ପତ୍ର (ତା ୪। ୫। ୬୮) ସହାୟତାରେ ବଙ୍ଗ ସରକାର ତାଙ୍କର ଭାଷା-ନୀତିକୁ ୧୮୬୮ ସାଲ ଡିସେମ୍ବର ସୁଦ୍ଧା ପ୍ରଚାର କରି ପାରିଥାନ୍ତେ କି ନାହିଁ । ପୁନର୍ବାର ବଙ୍ଗ ସରକାରଙ୍କ ତା ୧୬। ୭। ୬୮ ପତ୍ରର ଉତ୍ତର ଯଥାସମୟରେ ଡିରେକ୍‌ଟର ଦେଇଥିଲେ ପୂର୍ବପତ୍ର ପରି ସରକାରଙ୍କ ଭାଷା-ନୀତି ୧୮୬୮ ମସିହା ଶେଷ ସୁଦ୍ଧା ପ୍ରଚାରିତ ହେବାରେ ବାଧା କିଛି ନଥିଲା । କିନ୍ତୁ ଏ କ୍ଷେତ୍ରରେ ଡିରେକ୍‌ଟରଙ୍କ ଉଦ୍ଦେଶ୍ୟ ଥିଲା ସମ୍ପୂର୍ଣ୍ଣ ଭିନ୍ନ, ଯାହା ତାହାଙ୍କ ଦ୍ୱିତୀୟ ପତ୍ରରେ ଏଇପରି ପ୍ରକାଶିତ ହୋଇଅଛି, ‘‘The question in the papers before me X X X X X must be left to settle itself and the policy of the Government should be to wait,’’ ବିଦ୍ୟାଳୟରେ ଦ୍ୱିଭାଷୀ-ପ୍ରଚଳନ-ପରମ୍ପରା ଉପରେ ପ୍ରତିଷ୍ଠିତ ଭାଷା-ନୀତି ସ୍ୱତଃ ମୀମାଂସିତ ହେବାପାଇଁ ଛାଡ଼ି ଦେବା ଓ ଏ କ୍ଷେତ୍ରରେ ସରକାର କେବଳ ନୀରବ ଦ୍ରଷ୍ଟା ହୋଇ ଏହାକୁ ଅପେକ୍ଷା କରିବା-ଏ ନୀତିର ଅପର ନାମ ହେଉଛି କାଳକ୍ଷେପଣ-ନୀତି, ଯାହା ସମସ୍ତ ଅନୀତିର ମୂଳବୀଜ ବ୍ୟତୀତ ଅନ୍ୟ କିଛି ନୁହେଁ ଓ ଯାହାକୁ ଇଂରାଜୀରେ କହନ୍ତି, ‘Justice delayed Justice denied’ ବର୍ତ୍ତମାନ ଦ୍ୱିତୀୟ ବିଷୟର ଆଲୋଚନା କରାଯାଉଅଛି ।

 

(ଖ) ପୂର୍ବ ଆଲୋଚନାରେ ମାର୍ଟିନ ସାହେବଙ୍କ ପତ୍ରର ଏକ ଅଂଶ, ‘What, after consideration’, ଇତ୍ୟାଦି ଉଦ୍ଧାର କରି ଦିଆଯାଇଛି । ଡକ୍ଟର ଜେ. କେ. ସାମଲ ତାହାଙ୍କ ପୁସ୍ତକ ‘Orissa under British crown’ ପୁସ୍ତକର ପୃ. ୩୦୦-୩୦୧ ରେ ଆଲୋଚ୍ୟ ପତ୍ରର ପ୍ରଥମାଂଶ ବାକ୍ୟତଃ ଉଦ୍ଧାର କରି, ‘What, after consideration,....’ ବାକ୍ୟର ଶେଷରେ ନିଜ ଆଲୋଚନାକୁ ଶେଷ କରିଛନ୍ତି । ମାର୍ଟିନ ସାହେବ ସେ ପତ୍ରରେ ଆଉ କ’ଣ ଲେଖିଥିଲେ ଡକ୍ଟର ସାମଲଙ୍କ ପୂର୍ବୋକ୍ତ ପୁସ୍ତକରେ ନ ଥିବାରୁ ଆମେ ଅନ୍ୟ ଏକ ପ୍ରବନ୍ଧରେ ଲେଖିଥିଲୁ, ‘‘ବଙ୍ଗ ଦେଶରେ ଯାହା ପୂର୍ବରୁ ହେଉଥିଲା ଓ ବର୍ତ୍ତମାନ ମଧ୍ୟ ଯାହା ହେଉଛି, ତାହା ହିଁ ଓଡ଼ିଶାରେ ହେବା ଉଚିତ- ଏହା ଯଦି ମାର୍ଟିନ ସାହେବଙ୍କ ଅଭିପ୍ରାୟ, ତା’ହେଲେ ବଙ୍ଗଦେଶରେ କେବଳ ବଙ୍ଗଭାଷା ଶିକ୍ଷାର ପ୍ରଚଳନ ପରି ଓଡ଼ିଶାର ଶିକ୍ଷାନୁଷ୍ଠାନରେ କେବଳ ଓଡ଼ିଆ ଭାଷା-ଶିକ୍ଷା ଦେବା ଉଚିତ । କିନ୍ତୁ ବଙ୍ଗ ସରକାରଙ୍କ ଶିକ୍ଷା-ନୀତିରେ ଏହାର ପ୍ରତିଫଳନ କେଉଁଠି ଦେଖିବାକୁ ମିଳେ ନାହିଁ ।’’ କିନ୍ତୁ ବର୍ତ୍ତମାନ ଉପଲବ୍‌ଧ ନୂତନ ଉପାଦାନ ବଳରେ ଏହା ସ୍ୱତଃ ପ୍ରମାଣିତ ହୋଇଯାଏ ଯେ ଏଇ ଅଭିମତ ‘‘ବଙ୍ଗସରକାରଙ୍କ ଶିକ୍ଷା-ନୀତିରେ ଏହାର ପ୍ରତିଫଳନ କେଉଁଠି ଦେଖିବାକୁ ମିଳେ ନାହିଁ’’ କେବଳ ଅସ୍ପଷ୍ଟ ନୁହେଁ, ବରଂ ତାହା ସମ୍ପୂର୍ଣ୍ଣ ପ୍ରମାଦପୂର୍ଣ୍ଣ ମଧ୍ୟ । ମାର୍ଟିନ୍‌ ସାହେବଙ୍କ ପତ୍ରର ଗୋଟିଏ ଅଂଶ ଉଦ୍ଧାର କରି ତା’ର ଅବଶିଷ୍ଟ ଅଂଶ ଉପରେ ଡକ୍ଟର ସାମଲ କିଛି ନ କହି ଥିବାରୁ ଆମର ଏପରି ପ୍ରମାଦ ଯେ ଘଟିଛି ତାହା ନିଃସନ୍ଦେହରେ କୁହାଯାଇପାରେ । ଯେଉଁ ଅଂଶକୁ ସେ ବାଦ୍‌ ଦେଇଛନ୍ତି ତାହା ହେଉଛି ଆମର ପୂର୍ବ କଥିତ ‘‘ତା’ର ଉନ୍ନତିର ପଥନିର୍ଦ୍ଦେଶ’’ । ଏହାର ପରିଚୟ ଦେଖନ୍ତୁ ।

 

In the first instance, school books suited to the students of all capacities must be immediately prepered in history, geography, grammer and arithmetic; there are some books in these subjects, which will be of use; there are also easy Uriya Readers and in course of time many more difficult literary books will be translated into the language; meanwhile for boys for whom the present books in literature are not sufficiently advanced the study of the Bengali language must still continue, but I would substitute Uriya literature for Bengali as soon as the former language becomes rich enough and undoubtedly in time, though it may be a work of years, it will as a language be quite equal to the Bengali.

 

ଉକ୍ତ ଉଦ୍ଧୃତିରେ ଓଡ଼ିଆ ପାଠ୍ୟପୁସ୍ତକ ଉନ୍ନତିର ମାର୍ଗ ନିର୍ଦ୍ଦେଶିତ ହୋଇଅଛି । ବିଭିନ୍ନ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ପାଠ-ଗ୍ରହଣ ଯୋଗ୍ୟତାକୁ ସମ୍ମୁଖରେ ରଖି ବିଭିନ୍ନ ଶ୍ରେଣୀର ପୁସ୍ତକ ନିର୍ବାଚନ ଓ ତା’ର ଓଡ଼ିଆ ଅନୁବାଦ ହେଉଛି ଏ ଦିଗରେ ଏକ ନିର୍ଭରଯୋଗ୍ୟ ପ୍ରଥମ ପଦକ୍ଷେପ । ଏଥିପାଇଁ ଇତିହାସ, ଭୂଗୋଳ, ବ୍ୟାକରଣ ଓ ଗଣିତ ପରି ବିଷୟମାନଙ୍କ ଉଚ୍ଚମାନର ଅନୁବାଦ ଗ୍ରନ୍ଥ ଶୀଘ୍ର ପ୍ରସ୍ତୁତ ହେବା ଏକାନ୍ତ ଆବଶ୍ୟକ । ଉଚ୍ଚମାନର ଓଡ଼ିଆ ସାହିତ୍ୟ ପୁସ୍ତକର ଅଭାବ ହେତୁ ସେଗୁଡ଼ିକ ସ୍ଥାନରେ ପ୍ରଚଳିତ ନିୟମ ଅନୁସାରେ ବଙ୍ଗଳା ସାହିତ୍ୟ ପୁସ୍ତକ ବ୍ୟବହୃତ ହେବ । କିନ୍ତୁ ସମୟକ୍ରମେ ତଦନୁରୂପ ଓଡ଼ିଆ ପୁସ୍ତକ ରଚିତ ହେଲେ ବଙ୍ଗଳା ପୁସ୍ତକ ପରିବର୍ତ୍ତେ ଓଡ଼ିଆ ପୁସ୍ତକ ପ୍ରଚଳିତ ହେବ । ଏଇ ନିୟମାନୁଯାୟୀ ପୁସ୍ତକ ରଚନାପାଇଁ ଯେତେ ବର୍ଷ ଲାଗୁନା କାହିଁକି ଦିନେ ଏପରି ସମୟ ଆସିବ ଯେତେବେଳେ ପାଠ୍ୟ କ୍ରମରେ ବଙ୍ଗଳା ପୁସ୍ତକର ସ୍ଥାନ ଆଉ ନଥିବ; ଫଳରେ ଓଡ଼ିଆ ପାଠ୍ୟପୁସ୍ତକ ବଙ୍ଗଳା ପାଠ୍ୟପୁସ୍ତକ ପରି ଉନ୍ନତ ଓ ତା’ର ସମକକ୍ଷ ହୋଇଯିବ । ଦେଖିବାର କଥା, ଏହାର ଶେଷ ବାକ୍ୟଟି (ଓଡ଼ିଆ ପୁସ୍ତକ ବଙ୍ଗଳା ପୁସ୍ତକର ସମକକ୍ଷ ହେବା) ହେଉଛି ମାର୍ଟିନ ସାହେବଙ୍କ ‘‘ବଙ୍ଗ ଭାଷାରେ ଯାହା ହେଉଥିଲା ଓ ବର୍ତ୍ତମାନ ଯାହା ହେଉଅଛି, ଓଡ଼ିଆ ଭାଷାରେ ତାହା ହିଁ କରିବା ଉଚିତ ।’’ ଉକ୍ତିର ପରିଣତ ମାତ୍ର । ପ୍ରକୃତ କଥା ହେଉଛି ବଙ୍ଗଳା ପାଠ୍ୟପୁସ୍ତକ ଏଇ ଅନୁବାଦ ମାଧ୍ୟମରେ ସମୟକ୍ରମେ ଉନ୍ନତ ଅବସ୍ଥାରେ ଉପନୀତ ହୋଇଥିଲା; ମାର୍ଟିନ ସାହେବଙ୍କ ଏ ପ୍ରସ୍ତାବ ସେଇ ନୀତିର ଅନୁସରଣ ମାତ୍ର । ଏଇ ପ୍ରକ୍ରିୟାରେ ଯେଉଁ ନୂତନ ଓଡ଼ିଆ ପାଠ୍ୟପୁସ୍ତକ ପ୍ରକାଶିତ ହେବ ସେ ସବୁ ଯେଉଁ ଯେଉଁ ଶ୍ରେଣୀରେ ପଢ଼ାଯିବ ସେ ବିଷୟରେ ମାର୍ଟିନ ସାହେବଙ୍କ ପ୍ରସ୍ତାବ ବର୍ତ୍ତମାନ ଆଲୋଚନା କରାଯାଉଅଛି ।

 

ମାର୍ଟିନ ସାହେବଙ୍କ ଭାଷା-ପ୍ରସ୍ତାବରେ ଓଡ଼ିଆ ଭାଷାର ସ୍ଥାନ :-

ସେ ସମୟରେ ଓଡ଼ିଶାରେ ପାଞ୍ଚ ପ୍ରକାର ଶିକ୍ଷାନୁଷ୍ଠାନ ଥିଲା । ଯଥା :- (୧) କଟକ ହାଇସ୍କୁଲ ସହ ସଂଯୁକ୍ତ ଏଫ. ଏ. ଶ୍ରେଣୀ (First Arts class ଯାହା ତା ୧ । ୧ । ୧୮୬୮ରେ ପ୍ରତିଷ୍ଠିତ); (୨) ପୁରୀ ଓ ବାଲେଶ୍ୱର ଜିଲା ସ୍କୁଲ; (୩) ମଧ୍ୟ ଇଂରାଜୀ ଭର୍ଣ୍ଣାକୁଲାର ସ୍କୁଲ (Middle Anglo-Vernacular School); (୪) ମଧ୍ୟ-ଭର୍ଣ୍ଣାକୁଲାର ସ୍କୁଲ (Middle class Vernacular School) ଓ (୫) ନିମ୍ନ ଶ୍ରେଣୀର ସ୍କୁଲ (Lower class Vernacular school) କଲେଜ ଶ୍ରେଣୀ ନୂତନ ହୋଇ ଖୋଲିଥିବା ହେତୁ ତାହା ଉପରେ ପ୍ରାଧାନ୍ୟ ନଦେଇ ଆମେ ଏଠାରେ ଅବଶିଷ୍ଟ ଚାରିଶ୍ରେଣୀର (ହାଇସ୍କୁଲ ଓ ଜିଲ୍ଲାସ୍କୁଲକୁ ଏକତ୍ର ନେଇ) ବିଦ୍ୟାଳୟ ଉପରେ ମାର୍ଟିନ ସାହେବଙ୍କ ଅଭିମତ ଉଦ୍ଧାର କରି ଦେଉଅଛୁ ।

 

In all these classes of schools, expect the last one, the course of study is regulated by the examinations which the most advanced students of the schools have to pass. The studies in High School and in the Zilla schools are regulated by the University First Arts and Entrance Examinations, and pupils of the highest classes are obliged to pass in Sanskrit instead of Bengali Vernacular language. Most of the pupils in these schools are Bengali, the sons of Amlas in courts; it is true that majority of the lads will live and die in Orissa, and therefore for them an acquaintance with Uriya will be more useful than with the Bengali; but a few are mere residents for a few years in Orissa, whilest their fathers and guardians are there on duty. I, therefore, think so long as in (high and Zilla schools the options of learning either Bengali or Uriya is given) the government will be doing its duty.

 

(In the middle class schools-Anglo Vernacular and Vernacular-I think all subjects, save languages, should be taught in Uriya, the literature of Orissa being also taught as far as it extends, English will, of course, be taught as language in the Anglo-Vernacular schools, and I would leave the study of Bengali optional) though I would assign little or no value to proficiency in that language at the Minor Scholarship Examination. (In the Middle class Vernacular schools, until Uriya really has a fair literature of its own, I would have Bengali taught as a language) and would assign three- fourth of the marks allotted to literature to proficiency in that language. (In the lower class of Vernacular Schools, I think Uriya only should be taught,) but I regret to say there are very few schools of this class worthy of name in Orissa, I have already submitted a proposition for the introduction for the instruction into the province of the Guru Training system as now work in Bengal, and if my proposal be sanctioned I shall hope to extend educational operations largely there-in.

 

ମାର୍ଟିନ ସାହେବଙ୍କ ଉପରୋକ୍ତ ଲେଖାର ଚାରୋଟି ସ୍ଥାନରେ ବନ୍ଧନୀ ମଧ୍ୟରେ ଯେଉଁ ଚାରୋଟି ପାଠ ଅଛି, ତାହା ହେଉଛି ବଙ୍ଗ ସରକାରଙ୍କ ତା ୮-୧୧-୬୯ ପତ୍ରରେ ଥିବା ଚାରି ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷା- ନୀତିର ପାଠ୍ୟକ୍ରମ ବ୍ୟତୀତ ଅନ୍ୟ କିଛି ନୁହେଁ । ଏ କ୍ଷେତ୍ରରେ କେତୋଟି ପ୍ରଧାନ ବିଷୟ ଉପରେ କିଛି କୁହାଯାଇଛି । ପ୍ରଥମ ବନ୍ଧନୀ ଭିତରେ ଥିବା ପାଠ (ଯାହା ହାଇସ୍କୁଲ ଓ ଜିଲାସ୍କୁଲପାଇଁ ଉଦ୍ଦିଷ୍ଟ)ରେ ଥିଲା Bengali or Uriya; କିନ୍ତୁ ବଙ୍ଗ ସରକାରଙ୍କ ପତ୍ରରେ ଏହା ସହିତ ‘Or, Lieutenant Governor would add both.’ ଅଧିକ ସଂଯୋଜିତ । ଦ୍ୱିତୀୟ ବନ୍ଧନୀ ଭିତରେ ଥିବା ପାଠ (ଯାହା ମଧ୍ୟ ଇଂରାଜୀ ଓ ଭର୍ଣ୍ଣାକୁଲାର ସ୍କୁଲ ପାଇଁ ଉଦ୍ଦିଷ୍ଟ)ରେ ଥିଲା ‘save languages’; ଏହାକୁ ବଙ୍ଗ ସରକାରଙ୍କ ପତ୍ରରେ ଉଠାଇ ନିଆଯାଇଛି । ଫଳରେ ଓଡ଼ିଆ ଛାତ୍ରମାନେ ପ୍ରତ୍ୟେକ ବିଷୟ ଓଡ଼ିଆ ଭାଷା ମାଧ୍ୟମରେ ଓ ସ୍ୱତନ୍ତ୍ର ଭାବେ ଓଡ଼ିଆ ସାହିତ୍ୟ ଅଧ୍ୟୟନ କଲାବେଳେ ବଙ୍ଗାଳୀ ଛାତ୍ରମାନେ କେଉଁ ଭାଷା ମାଧ୍ୟମରେ ଅନ୍ୟ ସମସ୍ତ ବିଷୟ (Subject) ସହିତ କେଉଁ ଭାଷାର ସାହିତ୍ୟ ଅଧ୍ୟୟନ କରିବେ ?-ଏ ପ୍ରଶ୍ନର ସମାଧାନ ସରକାରୀ ଭାଷା-ନୀତିରେ ସ୍ପଷ୍ଟ ନୁହେଁ । ‘Save language’ ଥିଲେ ଓଡ଼ିଆ ଛାତ୍ରମାନଙ୍କ ପରି ବଙ୍ଗାଳୀ ଛାତ୍ରମାନେ ସେମାନଙ୍କ ନିଜ ଭାଷା ମାଧ୍ୟମରେ ଅନ୍ୟାନ୍ୟ ସମସ୍ତ ବିଷୟ ଓ ନିଜ ଭାଷାର ସାହିତ୍ୟ ଅଧ୍ୟୟନ କରିବାର ଅର୍ଥ ହୋଇଥାନ୍ତା ଯାହା ମାର୍ଟିନ ସାହେବଙ୍କ ଲେଖାର ଲକ୍ଷ୍ୟ ଥିଲା । ପୁନଶ୍ଚ, ମାର୍ଟିନ ସାହେବଙ୍କ ଲେଖାରେ ମଧ୍ୟ-ଇଂରାଜୀ ଓ ମଧ୍ୟ-ଭର୍ଣ୍ଣାକୁଲାର ସ୍କୁଲର ପାଠ୍ୟ ବିଷୟ ଏକତ୍ର ଉପସ୍ଥାପିତ ହୋଇଛି-। ବଙ୍ଗ ସରକାରଙ୍କ ପତ୍ରରେ ଏ ଉଭୟକୁ ପୃଥକ୍ ପୃଥକ୍ କରିଦେବାଦ୍ୱାରା ମଧ୍ୟ ଭର୍ଣ୍ଣାକୁଲାର ପାଠ୍ୟକ୍ରମ ବିକୃତ ହୋଇଯାଇଛି । ଏ ଶ୍ରେଣୀର ଛାତ୍ରମାନେ, ସରକାରଙ୍କ ପତ୍ର ଅନୁସାରେ, ‘‘ଓଡ଼ିଆ ଭାଷାରେ ଉନ୍ନତ ପାଠ୍ୟ ସାହିତ୍ୟ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ବଙ୍ଗଳାକୁ ଏକ ଭାଷାରୂପେ ଛାତ୍ରମାନେ ଅଧ୍ୟୟନ କରିବେ ।’’ ବର୍ତ୍ତମାନ ପ୍ରଶ୍ନ ହେଉଛି, ଏ ଶ୍ରେଣୀର ଓଡ଼ିଆ ଛାତ୍ରମାନେ କ’ଣ ଆଉ କିଛି ଅଧ୍ୟୟନ କରିବେ ନାହିଁ । କିନ୍ତୁ ମାର୍ଟିନଙ୍କ ମତରେ କେବଳ ଇଂରେଜୀ ବ୍ୟତୀତ ମଧ୍ୟ-ଇଂରାଜୀ ସ୍କୁଲ ଛାତ୍ରଙ୍କପରି ମଧ୍ୟ- ଭର୍ଣ୍ଣାକୁଲାର ଛାତ୍ରମାନେ ଅନ୍ୟ ସମସ୍ତ ବିଷୟ ଓଡ଼ିଆ ଭାଷା ମାଧ୍ୟମରେ ଅଧ୍ୟୟନ କରିବେ । ଦେଖିବାର କଥା, ମାର୍ଟିନ ସାହେବଙ୍କ ଯୁକ୍ତିଯୁକ୍ତ ପ୍ରସ୍ତାବ ଓ କମିଶନରଙ୍କ ପ୍ରସ୍ତାବ ଅନୁକୂଳ କିଛି ପରିବର୍ତ୍ତନକୁ ନେଇ ଶିକ୍ଷା-ନୀତି ପ୍ରସ୍ତୁତ କରାଯାଇଛି ବୋଲି ବଙ୍ଗ ସରକାରଙ୍କ ପତ୍ରରେ ସ୍ୱୀକାର କରାଯାଇଛି । କିନ୍ତୁ ଯଥାର୍ଥତଃ, ଏ ଶିକ୍ଷା-ନୀତି ମାର୍ଟିନ ସାହେବଙ୍କ ମୌଳିକ ଅବଦାନ । ତାହାଙ୍କ ମୂଳ ଲେଖାଟିରେ କେତେକ ପରିବର୍ତ୍ତନ କରିଦେବାଦ୍ୱାରା ସରକାରଙ୍କ ଭାଷା-ନୀତି କେତେକାଂଶରେ ଅସ୍ପଷ୍ଟ ହୋଇଯିବାରେ ଆଶ୍ଚର୍ଯ୍ୟ କିଛି ନାହିଁ ।

 

ମାର୍ଟିନ ସାହେବଙ୍କ ପତ୍ରର ପରିତ୍ୟକ୍ତ ଅଂଶ ଓ ତା’ର ଯଥାର୍ଥ ଭୂମିକା-

ମାର୍ଟିନ ସାହେବଙ୍କ ପତ୍ରର କେତେକାଂଶ ଗ୍ରହଣ ଓ ଅନ୍ୟ ଅଂଶ ପରିତ୍ୟାଗଦ୍ୱାରା ସରକାରଙ୍କ ଭାଷା-ନୀତି ମାର୍ଟିନଙ୍କ ଶିକ୍ଷ୍ୟା-ନୀତିର ଏକ ରୂପହୀନ ମୂର୍ତ୍ତି ଧାରଣ କରିଥିବାର ଅନୁଭୂତ ହୁଏ । ଏ ନୀତିର କେତେକ ଦୁର୍ବଳତା ପୂର୍ବରୁ ଆଲୋଚିତ ହୋଇଛି; ବର୍ତ୍ତମାନ ଆଉ ଦୁଇଟି ପ୍ରଧାନ ବିଫଳତାର ଦୃଷ୍ଟାନ୍ତ ଦିଆଯାଉଅଛି । ଯଥା-

 

ପ୍ରଥମ : ହାଇସ୍କୁଲ ଓ ଜିଲାସ୍କୁଲର ଛାତ୍ରମାନେ ବଙ୍ଗଳା କିମ୍ବା ଓଡ଼ିଆ ଭାଷା, ଏପରିକି ଏକତ୍ର ଏ ଦୁଇ ଭାଷା ମାଧ୍ୟମରେ ଶିକ୍ଷା ପାଇ ପାରିବେ-ଏହା ଯଦି ହୁଏ ବଙ୍ଗ ସରକାରଙ୍କ ଶିକ୍ଷା-ନୀତି, ତା ହେଲେ ଓଡ଼ିଆ ଛାତ୍ରମାନେ ଏ କ୍ଷେତ୍ରରେ ବଙ୍ଗାଳୀ ଭାଷା ନିର୍ବାଚନ କଲେ କ୍ଷତି ତ କିଛି ନାହିଁ । ସେ ସମୟରେ ବଙ୍ଗାଳୀ ଛାତ୍ରଙ୍କର ସଂଖ୍ୟା ଓ ବଙ୍ଗାଳୀ ଶିକ୍ଷକଙ୍କ ଏ ଭାଷା ପ୍ରତି ଗଭୀର ଅନୁରାଗ ବିଚାରରେ ଅତ୍ୟଳ୍ପ ସଂଖ୍ୟକ ଓଡ଼ିଆ ଛାତ୍ରଙ୍କ ସ୍ୱାଧୀନ ଭାଷା-ନିର୍ବାଚନର କୌଣସି ମୂଲ୍ୟ ରହେ ନାହିଁ । କିନ୍ତୁ ଓଡ଼ିଆ ଭାଷାର ଉନ୍ନତି ପାଇଁ ଯେଉଁ ଶିକ୍ଷା-ନୀତି ଅଭିପ୍ରେତ, ସେଥିରେ ଏପରି ବିପରୀତମୁଖୀ ଭାଷା-ନିର୍ବାଚନ ନୀତି ସଂପୂର୍ଣ୍ଣ ଅସଂଗତ ଓ ଅହିତକର । ଦେଖିବାର କଥା, ମାର୍ଟିନ ସାହେବଙ୍କ ଏହା କ’ଣ ଲକ୍ଷ୍ୟ ଥିଲା ? ତାହାଙ୍କ ମତରେ ଉଚ୍ଚ ଶ୍ରେଣୀମାନଙ୍କରେ ପଢ଼ୁଥିବା ଅଧିକାଂଶ ଛାତ୍ର ହେଉଛନ୍ତି ବଙ୍ଗାଳୀ । ଏମାନଙ୍କ ଅଭିଭାବକମାନେ ଏଠା କୋଟ କଚେରୀରେ ଚାକେରୀ କରନ୍ତି । ଏଇମାନଙ୍କ ମଧ୍ୟରୁ ଅଧିକାଂଶ ଏଠାରେ ସ୍ଥାୟୀ ବାସିନ୍ଦା । ଏମାନେ ଏଇ ମାଟିରେ ଜନ୍ମ ନେଇ ଏଇ ମାଟିରେ ଦେହ ତ୍ୟାଗ କରିବେ । ତେଣୁ ଏଇ ଛାତ୍ରମାନେ ନିଜ ନିଜ ହିତ ଦୃଷ୍ଟିରୁ ବଙ୍ଗଳା ଅପେକ୍ଷା ଓଡ଼ିଆ ଭାଷାରେ ଶିକ୍ଷା ପାଇବା ଉଚିତ । ଅବଶିଷ୍ଟ ବଙ୍ଗାଳୀ ଛାତ୍ରଙ୍କ ଅଭିଭାବକମାନେ ଏଠାରେ ଅସ୍ଥାୟୀ ବାସିନ୍ଦା । ଏଇ ଅଭିଭାବକମାନେ ଚାକିରି ଶେଷରେ ବଙ୍ଗ ଦେଶକୁ ଫେରିଯିବେ । ତେଣୁ ଏଇ ଛାତ୍ରମାନେ କେବଳ ବଙ୍ଗଳା ଭାଷା ମାଧ୍ୟମରେ ଅଧ୍ୟୟନ କରିବା ଉଚିତ । ମାର୍ଟିନ ସାହେବଙ୍କ ଭାଷା-ନୀତିରୁ ଏ ସବୁ ଉଠାଇ ନେବାଦ୍ୱାରା, ସରକାରଙ୍କ ଭାଷା-ନୀତି ଯେଉଁ ଅହିତକର ରୂପ ନେଇଥିଲା ତାହା ପ୍ରତି ହୁଏତ କେହି କେହି ଆପତ୍ତି କରିଥିବେ କିମ୍ବା ଖୋଦ ମାର୍ଟିନ ସାହେବ କର୍ମ କ୍ଷେତ୍ରରେ ଅନୁଭବ କରୁଥିବେ । କାରଣ, ଦୀପିକାର ତା ୨-୪-୧୮୭୦ ସଂଖ୍ୟାରେ ଅଛି, ‘‘ଇନ୍‌ସ୍ପେକ୍‌ଟର ମାର୍ଟିନ ସାହେବ ଓଡ଼ିଶା ସ୍କୁଲ ସମୂହରେ ଗବର୍ଣ୍ଣମେଣ୍ଟ ଆଜ୍ଞା ପ୍ରଚଳନ କରିବାପାଇଁ ସମୁଚିତ ଚେଷ୍ଟା କରୁଥିବାର ଶୁଣି ଆମ୍ଭେମାନେ ବଡ଼ ଆନନ୍ଦିତ ହେଲୁଁ । ସଂପ୍ରତି ସେ ଏକ ସର୍କୁଲାରଦ୍ୱାରା ଜଣାଇ ଅଛନ୍ତି କି ଯେ ସମସ୍ତ ବିଦ୍ୟାଳୟରେ ବଙ୍ଗଳା ଭାଷା ପଢ଼ିବା ସ୍ୱେଚ୍ଛାଧୀନ ଅଟଇ ତାହା କେବଳ ବିଦେଶୀୟ ଛାତ୍ରଙ୍କ ପ୍ରତି ହୋଇଅଛି । ନତୁବା ଓଡ଼ିୟା କିମ୍ବା ଏଠାରେ ପୂର୍ବରୁ ବାସ କରୁଥିବା ବଙ୍ଗାଳୀଙ୍କ ପକ୍ଷରେ ନୁହଁଇ; ଏମାନଙ୍କୁ କେବଳ ଓଡ଼ିଆ ପଢ଼ିବାକୁ ହେବ ।’’ ଫଳରେ ହାଇସ୍କୁଲ ଓ ଜିଲାସ୍କୁଲ ସହିତ ମଧ୍ୟ-ଇଂରାଜୀ ସ୍କୁଲରେ ମଧ୍ୟ କୌଣସି ଓଡ଼ିଆ ଛାତ୍ର ଓ ସ୍ଥାୟୀ ବାସିନ୍ଦା ବଙ୍ଗାଳୀ ଛାତ୍ର ବଙ୍ଗଳା ଭାଷାରେ ଅଧ୍ୟୟନ କରିପାରିବେ ନାହିଁ । ତେଣୁ ମାର୍ଟିନ ସାହେବଙ୍କ ମୂଳ ପ୍ରସ୍ତାବରୁ ଯାହା ବାଦ୍ ପଡ଼ିଥିଲା ତାକୁ ହିଁ ସେ ଏକ ସର୍କୁଲାରରୂପେ କେବଳ ପ୍ରଚାର କରିଅଛନ୍ତି ।

 

ଦ୍ୱିତୀୟ :- ମଧ୍ୟ ଇଂରାଜୀ ସ୍କୁଲରେ ଯେଉଁ ବଙ୍ଗାଳୀ ଛାତ୍ରମାନେ ‘ବଙ୍ଗଳା ଭାଷା’ ଇଚ୍ଛାଧୀନ ବିଷୟରୂପେ ନିର୍ବାଚନ କରିବେ ‘ବୃତ୍ତି ପରୀକ୍ଷାରେ ଏ ଭାଷାର ଦକ୍ଷତା ଉପରେ ଗୁରୁତ୍ଵ ନଦେବା’ ନୀତି ସେମାନଙ୍କ ପକ୍ଷରେ ଏକ ଅମୃତ ସୁଯୋଗ । କାରଣ, ଅନ୍ୟାନ୍ୟ ବିଷୟର ପାରଦର୍ଶିତା ଉପରେ ସେମାନଙ୍କ ପାଶ କିମ୍ବା ବୃତ୍ତି ନିର୍ଭର କରୁଥିବାରୁ ଏହାକୁ ନେବା ଅଥବା ନନେବା ଉଭୟ ସମାନ । କିନ୍ତୁ ମଧ୍ୟମ ଶ୍ରେଣୀ ଭର୍ଣ୍ଣାକୁଲାର ବିଦ୍ୟାଳୟରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳାକୁ ଏକ ଭାଷା ଓ ସମୁଦାୟ ମୋଟ ମାର୍କରୁ ଶତକଡ଼ା ୭୫ମାର୍କ କେବଳ ବଙ୍ଗଳା ଭାଷାର ଦକ୍ଷତାପାଇଁ ସ୍ଥିର କରିବା (ମାର୍ଟିନ ମୂଳ ପ୍ରସ୍ତାବ) ନିୟମ ଓଡ଼ିଆ ଛାତ୍ରମାନଙ୍କପାଇଁ ଅତିଶୟ କଠିନ ଥିଲା । ଏହା ବିରୋଧରେ ସେ ସମୟରେ କେହି କେହି ସ୍ୱର ଉତ୍ତୋଳନ କରିଥିବାର ଦେଖିବାକୁ ମିଳେ । କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା କେତେକ ପରିମାଣରେ କିପରି କୋହଳ କରାଯାଇଥିଲା ତାହା ଆମେ ୧୮୭୦-୭୧ ସାଲ ଶିକ୍ଷା ବିଭାଗର ବାର୍ଷିକ ରିପୋର୍ଟରେ ଥିବା ଭର୍ଣ୍ଣାକୁଲାର ବୃତ୍ତି ପରୀକ୍ଷା ଉପରେ ମାର୍ଟିନ ସାହେବଙ୍କ ମନ୍ତବ୍ୟରୁ ଅବଗତ ହୋଇଥାଉ । ସେଥିରେ ଅଛି, ‘‘The course for the Orissa districts differs considerably from that fixed for Bengal. The examination in history, geography, mathematics and all such subjects is conducted in the Uriya language only, while marks are given for proficiency in both Uriya and Bengali literature.’’ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପାଠ୍ୟକ୍ରମ ବଙ୍ଗ ଦେଶଠାରୁ ଓଡ଼ିଶାରେ ଭିନ୍ନ କରିବା, ଅର୍ଥାତ୍ ସାମାନ୍ୟ ସହଜ ପାଠ୍ୟକ୍ରମ ପ୍ରସ୍ତୁତ କରିବା; ଇତିହାସ, ଭୂଗୋଳ, ଗଣିତ ପରି ଅନ୍ୟାନ୍ୟ ବିଷୟକୁ ଓଡ଼ିଆ ଭାଷାରେ ପରୀକ୍ଷା କରିବା; ଓଡ଼ିଆ ଓ ବଙ୍ଗଳା ସାହିତ୍ୟରେ ପୃଥକ ଭାବେ ଛାତ୍ରଙ୍କ କୃତିତ୍ତ୍ୱ ବା ପାରଦର୍ଶିତା ମାନଦଣ୍ଡରେ ମାର୍କ ଦେବା-ଏଥିରୁ ପ୍ରଥମଟି ହେଉଛି ପାଠ୍ୟକ୍ରମର ସାଧାରଣ ଆଭିମୁଖ୍ୟ; କିନ୍ତୁ ଦ୍ୱିତୀୟ ଓ ତୃତୀୟ ହେଉଛି ମାର୍ଟିନ ସାହେବଙ୍କ ମୂଳ ପ୍ରସ୍ତାବ, ଯାହା ବଙ୍ଗ ସରକାରଙ୍କ ଭାଷା-ନୀତିରେ ପ୍ରଥମେ ସ୍ଥାନ ପାଇ ନଥିଲା । ସେ ସମୟର ଭର୍ଣ୍ଣାକୁଲାର ବୃତ୍ତି ପରୀକ୍ଷାପାଇଁ ଉଦ୍ଦିଷ୍ଟ ପାଠ୍ୟକ୍ରମ ଉପରେ ଜନ ବୀମସ୍ କହିଥିଲେ, ‘‘The reward is only Rs. 41-a month for four years and to gain this a boy is to pass on six subjects, including the abstruse area of Physical Geography, Botany, Physical Science and Natural Philosophy. It is absurd to suppose that such a standard can produce anything but a shallow showy kind of knowledge, crammed for the occasion and forgotten a month afterwards.’’ ଏହା ଉପରେ ମାର୍ଟିନ ସାହେବ ଏଇପରି କହିଛନ୍ତି, ‘‘Very few English boys could be able to pass such an examination, if strictly conducted. Candidates are asked to pass in one subject only in science, the examination in which is of the simplest description.’’ (୧୮୭୨-୭୩ ସାଲ ଶିକ୍ଷାବିଭାଗର ବାର୍ଷିକ ରିପୋର୍ଟ) ଏଇ ଦୁଇଟି ଉତ୍‌ଧୃତିକୁ ଏକତ୍ର ନେଇ ବିଚାର କଲେ ଜଣାଯାଏ ଯେ ମାର୍ଟିନ ସାହେବଙ୍କ ମୂଳ ପ୍ରସ୍ତାବର କେତେକ ଅଂଶ ସରକାରଙ୍କଦ୍ୱାରା ପରିତ୍ୟକ୍ତ ହୋଇଥିଲେ ହେଁ କାର୍ଯ୍ୟକ୍ଷେତ୍ରରେ ସେ ନିଜ ପ୍ରସ୍ତାବକୁ କାର୍ଯ୍ୟକାରୀ କରିଥିଲେ ।

 

ଓଡ଼ିଆ ଭାଷାର ଉନ୍ନତି ଲକ୍ଷ୍ୟରେ ସେ ନିଜ ପ୍ରସ୍ତାବ ଉପରେ ଏତେଦୂର ନିଶ୍ଚିତ ଥିଲେ ଯେ ୧୮୬୭-୬୮ ସାଲ (ଯାହା ୧୮୬୭ ଏପ୍ରିଲ- ୧୮୬୮ ମାର୍ଚ୍ଚର ବିଷୟ ଉପରେ ପ୍ରସ୍ତୁତ) ବାର୍ଷିକ ରିପୋର୍ଟରେ ସେ ନିମ୍ନଲିଖିତ ମନ୍ତବ୍ୟ ଦେବାକୁ ସାହସ କରିଥିଲେ, ‘‘I do not myself see any reason why the province of Orissa should not be in ten years as far advanced as the Bengal districts now are; but at first it will be an uphill and discouraging work, I think, however I see my way before me.’’ ଦେଖିବାର କଥା, ଏଇ ଉକ୍ତିର ପ୍ରଥମାଂଶ ତାହାଙ୍କ ଦ୍ୱିତୀୟ ପତ୍ର (ତା ୩୦ । ୩ । ୬୮)ରେ ଥିବା ‘‘though it may be a work of years, it will as a language be quite to the Bengali’’ର ପୁନରୁକ୍ତି ମାତ୍ର । ପୁନଶ୍ଚ, ପୂର୍ବ ଉତ୍‌ଧୃତିରେ ଅଛି, ‘‘I see my way before me.’’ ୧୮୬୮ ସାଲରେ ମାର୍ଟିନ ସାହେବ ନିଜ ସମ୍ମୁଖରେ ଯେଉଁ ବାଟଟି ଦେଖୁଥିଲେ ତାହା ହେଉଛି ନିଜ ପ୍ରସ୍ତାବର ସଫଳ ରୂପାୟନ, ଯାହା ଏଇ ବିଭାଗରେ ପୂର୍ବରୁ ଆଲୋଚିତ ହୋଇଅଛି ।

 

ସମସାମୟିକ ବାତାବରଣରେ ମାର୍ଟିନ ସାହେବଙ୍କ ପ୍ରସ୍ତାବର ମୂଲ୍ୟାଙ୍କନ :-

ମାର୍ଟିନ ସାହେବ ଓଡ଼ିଶା ଗସ୍ତବେଳେ ସେ ସମୟର ଆଲୋଚନାରୁ ଯେଉଁ ଅଭିଜ୍ଞତା ଅର୍ଜନ କରିଥିଲେ ତାହାରି ବଳରେ ତାଙ୍କର ଦ୍ୱିତୀୟ ପତ୍ର ପ୍ରସ୍ତୁତ ହୋଇଥିବା ସମ୍ଭାବନାର କଥା ଆମେ ପୂର୍ବରୁ ଦେଖାଇ ଦେଇଛୁ । ତାହାଙ୍କ ପ୍ରତ୍ୟାବର୍ତ୍ତନ ପରେ ଓଡ଼ିଶାରେ ଯାହାସବୁ ଘଟିଯାଇଥିଲା, ସେଥିରୁ ପ୍ରାସଙ୍ଗିକ ଭାବେ କେବଳ ଦୁଇଟି ଲେଖା-ଦୀପିକା ଓ କମିଶନରଙ୍କ ଲେଖା-ଏଠାରେ ଉପସ୍ଥାପନ କରିବାକୁ ଯାଉଁଛୁ । ଦୀପିକା (ତା ୪ । ୪ । ୧୮୬୮)ରେ ‘ଉତ୍କଳ ଭାଷାର ଉନ୍ନତି କିରୂପେ ସମ୍ଭବ’ ଶିରୋନାମାରେ ଗୌରୀଶଙ୍କର ଚାରିଟି ସମ୍ବନ୍ଧାନ୍ୱିତ ପ୍ରସ୍ତାବ ଦେଇଛନ୍ତି । ଯଥା :-(କ) ଓଡ଼ିଶାର ସମସ୍ତ ପ୍ରକାର ବିଦ୍ୟାଳୟରୁ ବଙ୍ଗଳା ଭାଷାକୁ ଏକାବେଳକେ ଉଠାଇ ଦେବା; (ଖ) ଉତ୍କଳ ଭାଷାରେ ପୁସ୍ତକ ଲେଖିବାକୁ ଇଚ୍ଛା କରୁଥିବା ବ୍ୟକ୍ତିମାନଙ୍କୁ ଗବର୍ଣ୍ଣମେଣ୍ଟ ସମୁଚିତ ଆର୍ଥିକ ସାହାଯ୍ୟ ଦେବା; (ଗ) ପାଠୋପଯୋଗୀ ପୁସ୍ତକ ନିର୍ବାଚନ ଇନ୍‌ସ୍ପେକ୍‌ଟରଙ୍କଦ୍ୱାରା ନହୋଇ ତାହା ଏ ଦେଶର ଦୁଇ ତିନିଜଣ ସଂଭ୍ରାନ୍ତ ବ୍ୟକ୍ତିଙ୍କ ଉପରେ ଅର୍ପଣ କରିବା ଓ (ଘ) ଶିକ୍ଷା ବିଭାଗର ସମସ୍ତ ବିଜ୍ଞାପନ ଓ ସରକାରୀ ଆଜ୍ଞା ଜନସାଧାରଣଙ୍କ ଗୋଚରାର୍ଥେ ସମ୍ବାଦପତ୍ରରେ ପ୍ରକାଶ କରିବା । ଏଥିରୁ ପ୍ରଥମ ପ୍ରସ୍ତାବ-ସମସ୍ତ ସ୍କୁଲରୁ ବଙ୍ଗଳା ଭାଷାର ଉଚ୍ଛେଦ-ହେଉଛି ସର୍ବପ୍ରଧାନ । କାରଣ, ଗୌରୀଶଙ୍କରଙ୍କ ମତରେ, ‘‘ବଙ୍ଗଭାଷା ଉଠିଗଲେ ଶିକ୍ଷା ବିଭାଗର କର୍ମଚାରୀମାନେ ଉତ୍କଳ ଭାଷାର ଉନ୍ନତି କରିବାକୁ ବାଧ୍ୟ ହେବେ । ବର୍ତ୍ତମାନ ଏ କର୍ମଚାରୀମାନେ ବଙ୍ଗ ଦେଶରୁ ଆସୁଥିବାରୁ ଏ ଦେଶୀୟ ଭାଷା ଜାଣନ୍ତି ନାହିଁ ଏବଂ ବିଦ୍ୟାଳୟରେ ବଙ୍ଗଳା ପଠନ ହେଉଥିବାରୁ ଉତ୍କଳ ଭାଷା ପକ୍ଷରେ ଆସ୍ଥା ଦିଅନ୍ତି ନାହିଁ । କେବଳ ଉତ୍କଳ ଭାଷା ପଠନ ହେଲେ ସେମାନେ ଅବଶ୍ୟ ଉତ୍କଳ ବିଦ୍ୟା ଶିକ୍ଷା କରିବେ ନତୁବା କର୍ମ ତ୍ୟାଗ କରିବେ ।’’ କମିଶନର ରେଭେନ୍‌ସା ତାହାଙ୍କ ଦ୍ୱିତୀୟ ପତ୍ର (ତା ୪ । ୫ । ୬୮)ରେ ଯାହା ଲେଖିଥିଲେ ସେସବୁ ଗୌରୀଶଙ୍କରଙ୍କ ଲେଖାର କେବଳ ଅନୁସରଣ ନୁହେଁ, ତାହା ଅନୁବାଦ ମାତ୍ର-। ତାହାଙ୍କ ଲେଖାର ସାରମର୍ମ ହେଉଛି, ‘‘ବିଦ୍ୟାଳୟରେ ବଙ୍ଗଳା ଭାଷା ଇଚ୍ଛାଧୀନ ବିଷୟରୂପେ ପଠିତ ହେଲେ ବଙ୍ଗାଳୀ ଶିକ୍ଷକମାନେ ସର୍ବଦା ବଙ୍ଗଳା ଶିକ୍ଷା ପ୍ରତି ଆକୃଷ୍ଟ ହେବେ । ଓଡ଼ିଶାରେ ଶିକ୍ଷା-ବିସ୍ତାର ଯଦି ମୌଳିକ ଲକ୍ଷ୍ୟ ହୁଏ, ବଙ୍ଗ ଭାଷାର ପ୍ରଚଳନ (ତାହା ଯେଉଁରୂପେ ହେଉନା କାହିଁକି)ଦ୍ୱାରା ସେ ଲକ୍ଷ୍ୟ ସାଧନ ସର୍ବଥା ବ୍ୟାହତ ହେବ । ଯେତେଦିନ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟରେ ଓଡ଼ିଆ ଏକମାତ୍ର ସ୍ୱୀକୃତ ଭାଷାର ସମ୍ମାନ ନ ପାଇଛି ସେତେଦିନ ପର୍ଯ୍ୟନ୍ତ ଓଡ଼ିଆ ଭାଷାର ଉନ୍ନତି ଆଶା କରାଯାଇ ନପାରେ । ଓଡ଼ିଶାର ବିଦ୍ୟାଳୟମାନଙ୍କପାଇଁ ପାଠୋପଯୋଗୀ ବଙ୍ଗଳା ପୁସ୍ତକର ଅନୁବାଦ ଦିଗରେ ଯଥାଶୀଘ୍ର ଆନ୍ତରିକ ଉଦ୍ୟମ କରିବା ଏକାନ୍ତ ଆବଶ୍ୟକ । ବହୁ ସଂଖ୍ୟକ ନୂତନ ଓଡ଼ିଆ ଅନୁବାଦ ପୁସ୍ତକ ହୋଇଗଲେ ଓଡ଼ିଆ ପାଠ୍ୟପୁସ୍ତକ ବଙ୍ଗଳା ପାଠ୍ୟ ପୁସ୍ତକର ସମକକ୍ଷ ହୋଇପାରିବ । ପାଠ୍ୟ କ୍ରମରେ ଓଡ଼ିଆ ଭାଷାର ସ୍ଥାନ ସର୍ବୋଚ୍ଚ ହେବା ଏକାନ୍ତ ବାଞ୍ଛନୀୟ । ଓଡ଼ିଆ ଭାଷା ଶିକ୍ଷା ସହିତ ହୁଏତ ବଙ୍ଗଭାଷା ଏକ ଅତିରିକ୍ତ ଭାଷାରୂପେ ଗୃହୀତ ହୋଇପାରେ । ଓଡ଼ିଶାର ସମସ୍ତ ବିଦ୍ୟାଳୟରେ ଓଡ଼ିଆ ଏକ ଜାତୀୟ ଭାଷାର ମର୍ଯ୍ୟାଦା ନ ପାଇଲେ ଏ ଦେଶରେ ଶିକ୍ଷାର ବିସ୍ତାର ଓ ଅଗ୍ରଗତି ସମ୍ପୂର୍ଣ୍ଣ ଅସମ୍ଭବ ।’’

 

ବର୍ତ୍ତମାନ ମାର୍ଟିନ ସାହେବ, ଗୌରୀଶଙ୍କର ଓ କମିଶନର, ଏ ତିନିଜଣଙ୍କ ଚିନ୍ତାଧାରା ବିଶ୍ଳେଷଣ କରାଯାଉଅଛି । ଓଡ଼ିଆ ଭାଷାକୁ ଏକ ସ୍ୱତନ୍ତ୍ର ଜାତୀୟ ଭାଷାର ମର୍ଯ୍ୟାଦା ଦେଇ ସମସ୍ତ ବିଦ୍ୟାଳୟର ସବୁ ଶ୍ରେଣୀରେ ଓଡ଼ିଆ ଭାଷା ଶିକ୍ଷାର ପ୍ରବର୍ତ୍ତନ ବିଷୟରେ ଏ ତିନିହେଁ ସହମତ ହୋଇଥିଲେ ହେଁ ଏ ଲକ୍ଷ୍ୟର ସାଧନ କ୍ଷେତ୍ରରେ ସେମାନଙ୍କ ମାନସିକ ଆଭିମୁଖ୍ୟରେ କିଛି କିଛି ପ୍ରଭେଦ ଥିବାର ଦେଖିବାକୁ ମିଳେ । ଗୌରୀଶଙ୍କର (ଜନ୍ମ ୧୮୩୮ ମସିହା ଜୁଲାଇ) ୧୮ବର୍ଷ ବୟସରେ ଅର୍ଥାତ୍ ୧୮୫୬ସାଲରେ ହାଇସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ହୁଗୁଳି କଲେଜରେ ଦୁଇବର୍ଷ ଅଧ୍ୟୟନ କରନ୍ତି । ୧୮୫୯ ନଭେମ୍ବର ମାସରୁ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୁଏ । ଏଇ ସମୟଠାରୁ ୧୮୭୨ ସାଲ ଭିତରେ ସେ ପ୍ରଥମେ କମିଶନର ସାହେବଙ୍କ ଅଫିସରେ କିରାଣି ଓ ପରେ କଟକ କଲେକ୍‌ଟରଙ୍କ ଅଫିସରେ ଅନୁବାଦକ ହିସାବରେ କାମ କରନ୍ତି । ତାହାଙ୍କ ଜନ୍ମ ସମୟଠାରୁ ୧୮୭୨ସାଲ ଭିତରେ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାର କ୍ରମ-ତିରୋଧାନ ଓ ବଙ୍ଗଳା ଭାଷାର କ୍ରମ-ପ୍ରବର୍ତ୍ତନ କିପରି ହୋଇ ଆସୁଥିଲା ତାହା ସେ ତାଙ୍କ ନିଜ ଅନୁଭୂତିରେ ଉପଲବ୍‌ଧି କରିଥିବା ଏକାନ୍ତ ସ୍ୱାଭାବିକ । ୧୮୬୮ ସାଲର ଆରମ୍ଭରୁ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାର ପ୍ରଚଳନକୁ ସେ ଯେପରି ପ୍ରତିରୋଧ କରିଥିଲେ ସେଥିରେ ତାହାଙ୍କ ଅତୀତାନୁଭୂତିର ସ୍ପଷ୍ଟ ସ୍ୱାକ୍ଷର ଦେଖିବାକୁ ମିଳେ । ତେଣୁ ବିଦ୍ୟାଳୟରେ ବଙ୍ଗଭାଷା ପ୍ରଚଳନର ମୂଳୋତ୍ପାଟନ ହିଁ ଓଡ଼ିଆ ଭାଷା ଉନ୍ନତିର ଏକମାତ୍ର ନିର୍ଭରଯୋଗ୍ୟ ପନ୍ଥାରୂପେ ସେ ସ୍ଥିର କରି ଦେଇଥିଲେ । ଗୌରୀଶଙ୍କର ଥିଲେ ଜଣେ ସୁଦକ୍ଷ ସର୍ବଗୁଣ ସମ୍ପନ୍ନ ନାଗରିକ, ଗୋଟିଏ ଖ୍ୟାତନାମା ପତ୍ରିକାର ସମ୍ପାଦକ ମଧ୍ୟ । ନାଗରିକ ହିସାବରେ ଯାହା ସେ ଅନୀତି ଓ ଅବିଚାର ବୋଲି ଅନୁଭବ କରୁଥିଲେ, ସମ୍ପାଦକ ହିସାବରେ ପତ୍ରିକାରେ ତାହାକୁ କଠୋର ଭାବେ ସମାଲୋଚନା କରିବାକୁ ତିଳେମାତ୍ର କୁଣ୍ଠିତ ହେଉ ନଥିଲେ । ସେଥିପାଇଁ ତାହାଙ୍କ ଲେଖାରେ ଚିନ୍ତାର ମୌଳିକତା ସହ ଶାସକ ତଥା ପ୍ରଶାସନିକ ନୀତି-ନିୟମ, ଏପରି କି ଶିକ୍ଷା ବିଭାଗର ଡିରେକ୍ଟର-ଇନ୍‌ସ୍ପେକ୍‌ଟର-ଶିକ୍ଷକଙ୍କ ବିରୋଧରେ କଠୋର ମନ୍ତବ୍ୟମାନ ଦିଆଯାଇ ଥିବାର ଦେଖିବାକୁ ମିଳେ । ଅପର ପକ୍ଷରେ ମାର୍ଟିନ ସାହେବ ଓ କମିଶନରଙ୍କ ପକ୍ଷରେ ଏପରି କର୍ମ କରବା ସମ୍ଭବପର ନଥିଲା । ତେଣୁ ଏ ଉଭୟଙ୍କ ଲେଖାରେ କେବଳ କେତେକ ବାସ୍ତବମୁଖୀ ପ୍ରସ୍ତାବ ଅତି ସରଳ ଭାଷାରେ ଅଭିବ୍ୟକ୍ତି ଲାଭ କରିଅଛି । ପୁନର୍ବାର ଗୌରୀଶଙ୍କରଙ୍କ ବିବେଚନାରେ ବଙ୍ଗ ଭାଷାର ପୂର୍ଣ୍ଣ ବର୍ଜନ ହିଁ ଓଡ଼ିଆ ଭାଷା ଉନ୍ନତିର ଏକମାତ୍ର ସୁଗମ ପନ୍ଥା; କିନ୍ତୁ ଶାସନ କର୍ତ୍ତା ହିସାବରେ ମାର୍ଟିନ ସାହେବ ଓ କମିଶନର କେତେକ ସର୍ତ୍ତରେ ବଙ୍ଗଭାଷା-ଅଧ୍ୟୟନର ଆବଶ୍ୟକତା ଅନୁଭବ କରିଥିଲେ । ଗୌରୀଶଙ୍କର ଓ କମିଶନର ପ୍ରତ୍ୟକ୍ଷ ଭାବେ ଶିକ୍ଷା-ବିଭାଗ ସହିତ ସଂଶ୍ଳିଷ୍ଟ ନଥିଲେ । ତେଣୁ ଏ ଉଭୟଙ୍କ ଲେଖାରେ ଓଡ଼ିଆ ଭାଷା ଶିକ୍ଷାର ଏକ ବିଧିବଦ୍ଧ ଯୋଜନା ପରିଦୃଷ୍ଟ ହୁଏ ନାହିଁ, ଯେପରି ମାର୍ଟିନ ସାହେବଙ୍କ ପ୍ରସ୍ତାବରେ ରୂପାୟିତ ହୋଇଅଛି ।

 

ବର୍ତ୍ତମାନ ମନରେ ଗୋଟିଏ ପ୍ରଶ୍ନ ସ୍ୱତଃ ଜାତ ହୋଇଥାଏ ଯେ ମାର୍ଟିନ ସାହେବ (ତା ୩୦। ୩ । ୬୮), ଗୌରୀଶଙ୍କର (ତା ୪ । ୪ । ୬୮) ଓ କମିଶନର (ତା ୪ । ୫। ୬୮) ପ୍ରାୟ ଏକମାସ ମଧ୍ୟରେ ଏ ତିନିଜଣଙ୍କ ମନରେ, ଓଡ଼ିଆ ଭାଷା-ଉନ୍ନତିର ଏକମାତ୍ର ପନ୍ଥା ଏକ ରୂପରେ ଜାତ ହେଲା କିପରି ? ଏ ପ୍ରଶ୍ନର ସମାଧାନ ପାଇଁ ଆମେ ବର୍ତ୍ତମାନ କମିଶନରଙ୍କ ପ୍ରଥମ ପତ୍ର ଉପରେ ଆଲୋକପାତ କରିବାକୁ ଯାଉଅଛୁ ।

 

କମିଶନରଙ୍କ ପ୍ରଥମ ପତ୍ରର ଭିତ୍ତିଭୂମି ଓ ତା’ର ଅବଦାନ :

ଓଡ଼ିଶାର କମିଶନର ରେଭେନ୍‌ସା ପ୍ରଥମ ପତ୍ର (ତା ୧୨.୯.୬୫) ପ୍ରସ୍ତୁତ କଲାବେଳେ ତାହାଙ୍କ ସହକାରୀ ତଥା ଶିକ୍ଷା ବିଭାଗର ପୂର୍ବତନ କର୍ମଚାରୀ ମିଷ୍ଟର ଟେଲର ଓ ଦୁଇଜଣ ସ୍କୁଲ ଡେପୁଟୀ ଇନ୍‌ସପେକ୍ଟର-ଶ୍ରୀ ଉମାଚରଣ ହାଲଦାର ଓ ପଣ୍ଡିତ କୈଳାସ ଚନ୍ଦ୍ର ତର୍କାଳଙ୍କାର-ଏ ଉଭୟଙ୍କ ଠାରୁ ଯଥୋଚିତ ସାହାଯ୍ୟ ପାଇଥିବାର ତାହାଙ୍କ ପତ୍ରରେ ସ୍ୱୀକାର କରି ଅଛନ୍ତି । ୧୮୬୪-୬୫ ସାଲର ଶିକ୍ଷା-ସଂପର୍କୀୟ ବାର୍ଷିକ ରିପୋର୍ଟଟି ସେମାନଙ୍କ ପ୍ରଦତ୍ତ ଉପାଦାନର ଫଳଶ୍ରୁତି ମାତ୍ର । କଟକରେ କଲେଜ ଶ୍ରେଣୀ ଖୋଲାଯିବାର ଆବଶ୍ୟକତା ଓ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା-ଶିକ୍ଷାର ବହୁଳ ବ୍ୟବହାର, ଏ ଉଭୟ ବିଷୟରେ ଯେଉଁ ଦୁଇଟି ସୁଚିନ୍ତିତ ପ୍ରସ୍ତାବ ଏଇ ରିପୋର୍ଟରେ ସ୍ଥାନ ପାଇଛି ତାହାକୁ ଓଡ଼ିଶା ସହିତ ସମ୍ପୂର୍ଣ୍ଣ ଅପରିଚିତ ଜଣେ ନବାଗତ କମିଶନରଙ୍କ ଠାରୁ ଆଦୌ ଆଶା କରାଯାଇ ନ ପାରେ । ତେଣୁ ସେ ଏ ତିନି ଜଣଙ୍କ ଠାରୁ ଯଥାର୍ଥ ପରାମର୍ଶ ପାଇଥିବା ସଂପୂର୍ଣ୍ଣ ସ୍ୱାଭାବିକ ।

 

ପ୍ରାସଙ୍ଗିକ ଭାବେ ୧୮୬୫ ସାଲର ଦୁଇ ବର୍ଷ ପୂର୍ବରୁ ଓଡ଼ିଶାର ଶିକ୍ଷା-କ୍ଷେତ୍ରରେ ଯାହା ଘଟି ଯାଇଥିଲା ତାହା ଏଠାରେ ଉପସ୍ଥାପନା କରାଯାଉଅଛି । ଓଡ଼ିଆ ଏକ ଆଞ୍ଚଳିକ କଥିତ ଭାଷା, ଏହାର ସାହିତ୍ୟ ନାହିଁ କହିଲେ ଚଳେ । ତେଣୁ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଭାଷା ପରିବର୍ତ୍ତେ ଓଡ଼ିଆ ଛାତ୍ରମାନେ ବଙ୍ଗଳା ଭାଷାକୁ ଦ୍ୱିତୀୟ ଭାଷାରୂପେ ଗ୍ରହଣ କରିବା ଉଚିତ-ଏପରି ଏକ ପ୍ରସ୍ତାବ ଦେଇଥିଲେ ଶିକ୍ଷା ବିଭାଗର ସର୍ବୋଚ୍ଚ କର୍ତ୍ତା ଇନ୍‌ସପେକ୍ଟର ମେଡ୍‌ଲିକାଟ ଓ ତାକୁ ସମର୍ଥନ କରିଥିଲେ ଖୋଦ୍‌ ଡିରେକ୍ଟର ଆଟକିନସନ । ଓଡ଼ିଶାର ତଦାନୀନ୍ତନ କମିଶନର ମିଷ୍ଟର ଆର. ଏନ. ଶୋର, କିନ୍ତୁ ଏହାର ଘୋର ପ୍ରତିବାଦ କରିଥିଲେ । ତାହାଙ୍କ ମତରେ ‘‘ଓଡ଼ିଆ ଭାଷା ବଙ୍ଗଳା ଭାଷା ପରି ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ଭାଷା । ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରମାନଙ୍କୁ ବଙ୍ଗଳା ଭାଷାରେ ପରୀକ୍ଷା ଦେବାକୁ ବାଧ୍ୟ କରାଗଲେ ବଙ୍ଗାଳୀ ଛାତ୍ରଙ୍କ ବ୍ୟତୀତ ସମସ୍ତ ଓଡ଼ିଆ ଛାତ୍ରଙ୍କ ପାଇଁ ବିଶ୍ୱ ବିଦ୍ୟାଳୟର ଦ୍ୱାର ଚିରଦିନ ପାଇଁ ବନ୍ଦ ହୋଇଯିବ । ଏ ଦେଶର ଶିକ୍ଷା-ପ୍ରସାର ଓ ଅଗ୍ରଗତି ପ୍ରତି ଏପରି ପ୍ରଚଣ୍ଡ ଧକ୍‌କାକୁ ବଙ୍ଗ ସରକାରଙ୍କର ପ୍ରଶୟ ଦେବା ଆଦୌ ଉଚିତ ନୁହେଁ ।’’ କେବଳ ଦୁଇବର୍ଷ ତଳେ ବଙ୍ଗ ସରକାର ଡିରେକ୍ଟର ଆଟକିନ୍‌ସନ, ଇନ୍‌ସ୍ପେକ୍ଟର ମେଡ୍‌ଲିକଟ ଓ କମିଶନର ଆର. ଏନ୍‌. ଶୋରଙ୍କ ମଧ୍ୟରେ ଯେଉଁସବୁ ପତ୍ର ବିନମୟ ହୋଇଥିଲା ଓ ଯାହାର ନକଲମାନ କମିଶନରଙ୍କ ଅଫିସରେ ଥିଲା, ତାହାଙ୍କ ସହକାରୀ ମିଷ୍ଟର ଟେଲର ସେ ସବୁ କମିଶନରଙ୍କ ଦୃଷ୍ଟିକୁ ଆଣିଥିବା ଆଦୌ ଅସମ୍ଭବ ନୁହେଁ । ଶିକ୍ଷା ବିଭାଗର ସର୍ବୋଚ୍ଚ ଅଧିକାରୀମାନେ ଏ ଦେଶର ଭାଷାକୁ ଅସ୍ୱୀକାର କରି ଶିକ୍ଷା-ବିସ୍ତାର ଦିଗରେ କିପରି ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ସେଥିପ୍ରତି କମିଶନର ରେଭେନ୍‌ସା ପୂର୍ଣ୍ଣ ଅବହିତ ହୋଇଥିବା ଅଧିକ ବିଶ୍ୱାସଯୋଗ୍ୟ । କାରଣ, ଡିରେକ୍ଟର- ଇନ୍‌ସ୍ପେକ୍ଟର କମିଶନର ଶୋରଙ୍କ ପତ୍ରର ଭାଷା, ଭାବ ଓ ଯୁକ୍ତି ସହିତ ରେଭେନ୍‌ସାଙ୍କ ଏଇ ପ୍ରଥମ ପତ୍ରର ବହୁ ସାମ୍ୟ ପରିଦୃଷ୍ଟ ହେବା ଆଦୌ ଏକ ଆକସ୍ମିକ ଘଟଣା ବୋଲି ବିବେଚନା କରାଯାଇ ନପାରେ ।

 

ବର୍ତ୍ତମାନ ଉମାଚରଣ ହାଲଦାରଙ୍କ ହାଲ ଶୁଣନ୍ତୁ । ସେ ଜଣେ କର୍ତ୍ତବ୍ୟ ପରାୟଣ, ବହୁ ଅଧ୍ୟବସାୟୀ ଓ ସୁଦକ୍ଷ ଅଫିସର ହୋଇଥିବା ଦୃଷ୍ଟିରୁ ସର୍ବୋଚ୍ଚ ପାହ୍ୟାକୁ ଉନ୍ନୀତ ହୋଇଥିବାର ସମ୍ୱାଦ ୧୮୬୩-୬୪ ସାଲ ଶିକ୍ଷା ବିଭାଗର ବାର୍ଷିକ ରିପୋର୍ଟରେ ଦେଖିବାକୁ ମିଳେ । ୧୮୬୪-୬୫ ସାଲର ବାର୍ଷିକ ରପୋର୍ଟରେ ତାହାଙ୍କ ଉପରେ ଏକ ବିଶେଷ ବିବରଣୀ ଲିପିବଦ୍ଧ ହୋଇଅଛି । ପ୍ରଥମେ ମେଦିନୀପୁର ଜିଲ୍ଲାରେ ସେ ୧୮୫୫ ସାଲରେ ଡେପୁଟୀ ଇନ୍‌ସପେକ୍ଟର ଭାବେ ନିଯୁକ୍ତ ହୁଅନ୍ତି । ୧୮୬୪ ସାଲରେ ଡିରେକ୍ଟର ତାଙ୍କର କୌଣସି ଖରାପ କାର୍ଯ୍ୟ ହେତୁ ତାଙ୍କୁ ତଳ ପାହ୍ୟାକୁ ଖସାଇ ଦେଇ ସେହି ବର୍ଷ ଏପ୍ରିଲ ମାସରେ ଓଡ଼ିଶାକୁ ବଦଳି କରି ଦିଆହୁଏ । ଓଡ଼ିଶାର ଶିକ୍ଷା-ପ୍ରସାରରେ ତାଙ୍କର ଯେଉଁ ବାସ୍ତବ ପ୍ରତ୍ୟକ୍ଷ ଅନୁଭୂତି ଆସିଥିଲା ତାହା ୧୮୬୪-୬୫ ସାଲ ବାର୍ଷିକ ରିପୋର୍ଟରେ ସ୍ଥାନ ପାଇଛି । ଦେଖିବାର କଥା, ଶିକ୍ଷାସମ୍ପର୍କୀୟ ତାଙ୍କର ବାର୍ଷିକ ରିପୋର୍ଟଟି ସେ ଇନ୍‌ସପେକ୍ଟର ହାରିସନ ସାହେବଙ୍କ ନିକଟକୁ ସିଧାସଳଖ ପଠାଇଥିଲେ । ଏ ରିପୋର୍ଟଟି ବୋଧହୁଏ ୧୮୬୫ ସାଲ ଏପ୍ରିଲ-ମେ ମାସରେ ପ୍ରସ୍ତୁତ ହୋଇଥିବା ସମ୍ଭବପର । ଏହାର ପ୍ରାୟ ଚାରିମାସ ପରେ କମିଶନର ରେଭେନ୍‌ସା ସାହେବ ତାଙ୍କର ପ୍ରଥମ ପତ୍ର ( ସେପ୍‌ଟେମ୍ୱର, ୧୮୬୫) ପ୍ରସ୍ତୁତ ପାଇଁ ଏଇ ହାଲଦାର ମହାଶୟଙ୍କ ସାହାଯ୍ୟ ନିଅନ୍ତି । ତେଣୁ ସେଇ ୧୮୬୫ ସାଲ ଏପ୍ରିଲ-ମେ ମାସରେ ସେ ନିଜ ବାର୍ଷିକ ରିପୋର୍ଟରେ ଯାହା ଲେଖିଥିଲେ ତାକୁ ହିଁ କମିଶନରଙ୍କ ନିକଟରେ ଉପସ୍ଥାପନ କରିଥିବା ସଂପୂର୍ଣ୍ଣ ବିଶ୍ୱାସଯୋଗ୍ୟ । ତାହାଙ୍କ ଏଇ ବାର୍ଷିକ ରିପୋର୍ଟରେ ଅଛି, ‘‘ଓଡ଼ିଶାରେ ଶିକ୍ଷାର ଅନଗ୍ରସରତା ତଥା ଶିକ୍ଷାର ଯଥାର୍ଥ ଉଚ୍ଚମାନଦଣ୍ଡର ଉନ୍ନତି ଓ ଅଭିବୃଦ୍ଧି ସମ୍ପାଦନା ଦିଗରେ ସର୍ବତ୍ର ବଙ୍ଗଳା ଓ ଓଡ଼ିଆ ଭାଷାର ଏକତ୍ର ଅଧ୍ୟୟନ ଓ ପ୍ରଚଳନ ହେଉଛି ଏକ ପ୍ରକୃତ ପ୍ରତିବନ୍ଧକ । ଓଡ଼ିଆ ଭାଷାରେ ବ୍ୟାକରଣ ଓ ଅନ୍ୟାନ୍ୟ ପାଠ୍ୟ ପୁସ୍ତକର ଅଭାବ ଥିବା ହେତୁ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ବଙ୍ଗଳା ଭାଷାର ପ୍ରଚଳନ ଓ ଅଧ୍ୟୟନ ଅନିବାର୍ଯ୍ୟ ହୋଇପଡ଼ିଅଛି ।’’ ସେଥିପାଇଁ ଶିକ୍ଷା କ୍ଷେତ୍ରର ପ୍ରଧାନ ପ୍ରତିବନ୍ଧକ (ଦ୍ୱିଭାଷିକ ଶିକ୍ଷା-ନୀତି)ର ପରିବର୍ତ୍ତନ ପାଇଁ ସେ ଦୁଇଟି ପ୍ରସ୍ତାବ ଦେଇଥିଲେ । ପ୍ରଥମ, ବଙ୍ଗଳା ଭାଷାକୁ ସରକାରୀ ଭାଷାରୂପେ ସ୍ୱୀକାର କରି ସର୍ବତ୍ର ବଙ୍ଗ ଭାଷାରେ ଲିଖିତ ବଙ୍ଗଳା ପୁସ୍ତକର ପ୍ରଚଳନ । ଦ୍ୱିତୀୟ, ବଙ୍ଗଳା ପୁସ୍ତକ ପ୍ରଚଳନର ପ୍ରସ୍ତାବ ଯଦି ସଂପୂର୍ଣ୍ଣ ପରିତ୍ୟକ୍ତ ହୁଏ ଅଥବା ଏ ପ୍ରସ୍ତାବ ବେଶୀ ଦିନ ସ୍ଥାୟୀ ହେବ ନାହିଁ ବୋଲି ଗ୍ରହଣ କରାଯାଏ, ତା’ ହେଲେ ଓଡ଼ିଆ ଭାଷାର ଅନୁଶୀଳନ ଓ ଅଭିବୃଦ୍ଧି କରି ସେ ଭାଷାରେ ଉପଯୁକ୍ତ ବ୍ୟାକରଣ, ଅଭିଧାନ ଓ ଅନ୍ୟାନ୍ୟ ପାଠ୍ୟପୁସ୍ତକ ରଚନା ଦିଗରେ ବିଶେଷ ଉପାୟ ଅବଲମ୍ୱନ । ସହକାରୀ ଟେଲର ସାହେବ ଓ ଡେପୁଟୀ ଇନ୍‌ସପେକ୍ଟର ଉମାଚରଣଙ୍କ ପରାମର୍ଶର ପ୍ରଭାବ କମିଶନରଙ୍କ ଉପରେ କିପରି ପଡ଼ିଛି ତାହା ଜାଣିବା ପାଇଁ ଆମେ ଏଠାରେ ତାହାଙ୍କ ପ୍ରଥମ ପତ୍ର (ତା ୧୨.୯.୬୫)ର ୧୨ଶ ଅନୁଚ୍ଛେଦ ଉଦ୍ଧାର କରି ଦେଉଛୁ ।

 

I would lastly call attention of the Education Department to the almost entire neglect of the Ooryah language in the more advanced classes. This may have originated in the want of proper Ooryah text books, but many have since been printed; there is already a Press attached to Cuttack Mission capable of running out excellent Vernacular books, and were there a demand for Ooriyah translation of all the best books, I have no doubt, the supply would be forth-coming. The Ooryah language possesses the same capacity as Bengalee, being derieved for the same service, but is a distinct dialect, and spoken over a tract of country extending from Midnapore to Ganjam and from Bay of Bengal to the confines of Sumbalpure, within which limits it is exclusively spoken by the people. To this neglect of Ooryah Vernacular, attribute the small success attained by native Ooryahs. Moreover, were the Ooryah language exclusively used in Orissa schools, education would have found more favour with the people than at present. The present proportion of Ooryah to Bengalee boys in all the schools I have visited is almost one to five, and so far as I have had an opportunity of observing, Ooryah lads are by no means in furor in intellect to Bengalees. The subject is one deserving consideration, and measures should be taken for introducing whenever possible, Ooryah books to the entire exclusion of Bengalee. Many of the masters are already will acquainted with Ooriya, and were the High school or Collegiate class established, there would soon be a supply of properly educated Ooryah lads competent to become teachers.

 

ଓଡ଼ିଆ ପାଠ୍ୟ ପୁସ୍ତକର ଅଭାବ ହେତୁ ବିଦ୍ୟାଳୟର ସର୍ବୋଚ୍ଚ ଶ୍ରେଣୀରେ ଓଡ଼ିଆ ଭାଷା-ଶିକ୍ଷା ସମ୍ପୂର୍ଣ୍ଣ ଅବହେଳିତ; ଏଇ ଅବହେଳାର ପରିଣତି ସ୍ୱରୂପ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଛାତ୍ରମାନେ ସଫଳତା ଅର୍ଜ୍ଜନ କରିବାରେ ଅସମର୍ଥ ହେଉଛନ୍ତି । ଅଧିକନ୍ତୁ, ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ କେବଳ ଓଡ଼ିଆ ଭାଷା ପ୍ରଚଳିତ ହେଲେ ଆଧୁନିକ ଶିକ୍ଷା ଏ ଦେଶ ଲୋକଙ୍କ ମଧ୍ୟରେ ବର୍ତ୍ତମାନ ଅପେକ୍ଷା ଅଧିକ ଆଦୃତ ହୁଅନ୍ତା-କମିଶନର ରେଭେନ୍‌ସାଙ୍କ ଏ ଅଭିମତ ଭିତରେ ମିଷ୍ଟର ଟେଲରଙ୍କ ମାଧ୍ୟମରେ ପ୍ରାପ୍ତ କମିଶନର ଆର.ଏନ. ଶୋରଙ୍କ ୧୮୬୩ ସାଲ ଜୁନ ତା ୯ ପ୍ରସ୍ତାବର ପ୍ରତିଧ୍ୱନି ଶୁଣିପାରିବା ଆଦୌ ଅସମ୍ଭବ ନୁହେଁ । ଦେଖିବାର କଥା, କମିଶନରଙ୍କ ଆଲୋଚ୍ୟ ପତ୍ରର ୨ୟ ଓ ୧୦ମ ଅନୁଚ୍ଛେଦରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଙ୍କ ସଂଖ୍ୟା ସୂଚିତ ହୋଇଅଛି । ୧୮୬୪ ସାଲ ସୁଦ୍ଧା କଟକ ହାଇସ୍କୁଲ ଓ ପୁରୀଜିଲା ସ୍କୁଲରୁ ଯଥାକ୍ରମେ ୧୯ ଜଣ ଓ ୯ଜଣ, ଏଇପରି ସର୍ବମୋଟ ୨୮ ଜଣ ପାଶ କରିଥିଲା ବେଳେ ବାଲେଶ୍ୱର ଜିଲାସ୍କୁଲରୁ କେହି ଉତ୍ତୀର୍ଣ୍ଣ ହୋଇ ନଥିଲେ । (କିନ୍ତୁ ଶେଷୋକ୍ତ ତଥ୍ୟଟି ସମ୍ପୂର୍ଣ୍ଣ ଠିକ୍‌ ବୋଲି ମନେହୁଏ ନାହିଁ । କାରଣ, ବାଲେଶ୍ୱର ଜିଲାସ୍କୁଲର ଶତବାର୍ଷିକ ସ୍ମାରକୀ ପତ୍ରିକାରେ ୧୮୬୦ରେ ଆଶୁତୋଷ ନାଗ, ୧୮୬୩ରେ ରାଧାନାଥ ରାୟ-ପ୍ରଥମ ଶ୍ରେଣୀ, ରାମପ୍ରସାଦ ବୋଷ ଓ ମହମଦ ଅବଦୁଲ କାଦେର-୨ୟ ଶ୍ରେଣୀରେ ପାଶ୍‌ କରିଥିବାର ଉଲ୍ଲେଖ ଅଛି।) ପୁନଶ୍ଚ, ଏଇ ପାଶ କରିଥିବା ସମସ୍ତ ଛାତ୍ର ହେଉଛନ୍ତି ବଙ୍ଗୀୟ ପରିବାରର ସନ୍ତାନ । ତେଣୁ କମିଶନରଙ୍କ ଭାଷା-ସମ୍ପର୍କିତ ଅଭିମତ ଏକାନ୍ତ ଯଥାର୍ଥ । ଆଲୋଚ୍ୟ ପତ୍ରର ୧୦ମ ଓ ୧୧ଶ ଅନୁଚ୍ଛେଦରେ ଓଡ଼ିଶାରେ କଲେଜ ଶ୍ରେଣୀ ଖୋଲିବା ବିଷୟରେ ପ୍ରସ୍ତାବ ଦିଆ ଯାଇଅଛି । ୧୨ଶ ଅନୁଚ୍ଛେଦରେ ବିଦ୍ୟାଳୟରେ ଓଡ଼ିଆ ଭାଷାର ଅବସ୍ଥା କଥା ଥିଲେ ହେଁ ଏହା ପୂର୍ବର ଦୁଇଟି ଅନୁଚ୍ଛେଦ ସହିତ ସଂପୃକ୍ତ । ତେଣୁ ୧୨ଶ ଅନୁଚ୍ଛେଦରେ ଥିବା ‘the Ooryah language in the more advanced class’ ପୂର୍ବର ଦୁଇଟି ଅନୁଚ୍ଛେଦର କଲେଜ ଶ୍ରେଣୀ ପ୍ରସ୍ତାବ ସହିତ ସମ୍ୱନ୍ଧାନ୍ୱିତ । ବର୍ତ୍ତମାନ ଓଡ଼ିଆ ଭାଷା ଓ ତାର ପ୍ରସାର ଉପରେ କମିଶନରଙ୍କ ଅଭିମତ ବିଚାର କରାଯାଉଅଛି । ତାହାଙ୍କ ମତରେ ବଙ୍ଗଳା ଭାଷା ପରି ଓଡ଼ିଆ ଭାଷାର ଅନୁରୂପ ଭାବପ୍ରକାଶିକା ଶକ୍ତି ଅଛି; ତେଣୁ ଏହା ଏକ ସ୍ୱତନ୍ତ୍ର ଭାଷା । ଓଡ଼ିଶାର ଏକ ବିସ୍ତୃତ ଅଞ୍ଚଳରେ ଲୋକଙ୍କର ଏହା ହେଉଛି ଏକ କଥିତ ଭାଷା । ପୁସ୍ତକ ପ୍ରକାଶପାଇଁ ଏଠାରେ ଗୋଟିଏ ମୁଦ୍ରାଯନ୍ତ୍ର ମଧ୍ୟ ଅଛି । ଯେ କୌଣସି ସମୟରେ ଚାହିଁଲେ ଏହା ପୁସ୍ତକ ମୁଦ୍ରଣ କରି ଯୋଗାଇ ପାରିବ । ଓଡ଼ିଶାର ସମସ୍ତ ଛାତ୍ରଙ୍କ ମଧ୍ୟରେ ଓଡ଼ିଆ ଛାତ୍ରଙ୍କ ସଂଖ୍ୟା ଏକ ଷଷ୍ଠାଂଶ । ଓଡ଼ିଆ ଛାତ୍ରମାନେ ବିଦ୍ୟା-ବୁଦ୍ଧି ଦୃଷ୍ଟିରୁ ବଙ୍ଗାଳୀ ଛାତ୍ରଙ୍କଠାରୁ ନ୍ୟୂନ ନୁହନ୍ତି-। ତେଣୁ ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଯଥା ସମ୍ଭବ ବଙ୍ଗଳା ପରିବର୍ତ୍ତେ ଅନ୍ୟ ସର୍ବତ୍ର ଓଡ଼ିଆ ପୁସ୍ତକ ପ୍ରଚଳିତ ହେବା ଉଚିତ । ତାହାଙ୍କ ଭାଷାରେ ‘‘measures should be taken for introducing wherever possible, Ooryah books to the entire exclusion of Bengalee,’’ ଦେଖିବାର କଥା ଏ ଉକ୍ତିଟି ହେଉଛି ଉମାଚରଣ ହାଲଦାରଙ୍କ ‘‘But if this idea is entirely abandoned or untenable, it is time that some measures were taken, to cultivate and enrich the Ooryah language and prepare grammar dictionaries and other text books”-ଉକ୍ତିର ପ୍ରତିଧ୍ୱନି ମାତ୍ର । ପରିଶେଷରେ ଉକ୍ତ ପତ୍ରର ଶେଷ ଦୁଇଟି ବାକ୍ୟ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଆ ପୁସ୍ତକ ପ୍ରଚଳିତ ହେଲେ ଓଡ଼ିଆ ଭାଷା ସହିତ ପରିଚିତ ବଙ୍ଗାଳୀ ଶିକ୍ଷକମାନେ ସହଜରେ ଶିକ୍ଷା ଦେଇ ପାରିବେ ଓ କଟକ ହାଇସ୍କୁଲ ସହିତ କଲେଜ କ୍ଳାସ ଖୋଲାଗଲେ ସେଥିରୁ ଉତ୍ତୀର୍ଣ୍ଣ ଓଡ଼ିଆ ଛାତ୍ରମାନେ ଭବିଷ୍ୟତରେ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ । ଶିକ୍ଷା-ପ୍ରସାରରେ ସହାୟକ ହେବାପାଇଁ ଯେଉଁ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ଏକାନ୍ତ ଆବଶ୍ୟକ, ଦେଶରେ ସେ ଶ୍ରେଣୀର ଅଭ୍ୟୁଦୟ ଏଇ କଲେଜ ପ୍ରତିଷ୍ଠାଦ୍ୱାରା ହିଁ ସମ୍ଭବ ହେବ ଓ ଏ ଶ୍ରେଣୀ ଶିକ୍ଷା ପ୍ରସାରରେ ମଧ୍ୟ ଉପଯୁକ୍ତ ଭୂମିକା ଗ୍ରହଣ କରିପାରିବ ।

 

କମିଶନରଙ୍କ ପ୍ରଥମ ପତ୍ରର ବୈଶିଷ୍ଟ୍ୟ ଓ ତା’ର ଅନ୍ତିମ ପରିଣତି :-

ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ଓ ତା’ର ଭାବ ପ୍ରକାଶିକା ଶକ୍ତି, ଏକ ସୁବିସ୍ତୃତ ଅଞ୍ଚଳରେ ଲୋକଙ୍କଦ୍ୱାରା ଏ ଭାଷାର ବ୍ୟବହାର, ଛାତ୍ରର ବିଦ୍ୟା-ଗ୍ରହଣ ଶକ୍ତି, ପୁସ୍ତକ ପ୍ରକାଶନ ଓ ବିତରଣର ସମସ୍ତ ସୁଯୋଗ, ଶିକ୍ଷକଙ୍କର ଓଡ଼ିଆ ଭାଷାଜ୍ଞାନ- ଏ ସମସ୍ତ ଦୃଷ୍ଟିରୁ ଲିଖିତ କମିଶନରଙ୍କ ପତ୍ରସ୍ଥ ୧୨ଶ ଅନୁଚ୍ଛେଦର ବିଷୟ ପରିକଳ୍ପନା ଓ ତା’ର ଉପସ୍ଥାପନା ଏକାନ୍ତ ବୈଶିଷ୍ଟ୍ୟପୂର୍ଣ୍ଣରୂପେ ପ୍ରତିଭାତ ହୋଇଥାଏ । ଶିକ୍ଷାର ଅଧିକ ପ୍ରସାର ଓ ଓଡ଼ିଆ ଭାଷାର ଅଧିକ ପ୍ରଚଳନ ଉପରେ ପରବର୍ତ୍ତୀ ସମୟର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଲେଖା-ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ର, ଗୌରୀଶଙ୍କର ମନ୍ତବ୍ୟ (ତା ୪ । ୪ । ୬୮), ଏପରିକି କମିଶନରଙ୍କ ଦ୍ୱିତୀୟ ପତ୍ର-ଅଧ୍ୟୟନ ଓ ସାମଗ୍ରିକ ଭାବେ ଏମାନଙ୍କ ବିଚାର କଲେ ଏ ପ୍ରତ୍ୟେକଟିରେ ଆଲୋଚ୍ୟ କମିଶନରଙ୍କ ପ୍ରଥମ ପତ୍ରର ଦୃଷ୍ଟିଭଙ୍ଗୀ ସ୍ଫଷ୍ଟତଃ ଅନୁଭୂତ ହୋଇଥାଏ । ଏମାନଙ୍କ ଦୃଷ୍ଟିକୋଣରେ ଏପରି ସାମ୍ୟ ପରିଦୃଷ୍ଟ ହେବାର କାରଣ ଏହି ଯେ ସେମାନଙ୍କ ସମ୍ମୁଖରେ ଥିଲା ଗୋଟିଏ ନିର୍ଦ୍ଦିଷ୍ଟ ସମସ୍ୟା, ଏକ ନିର୍ଦ୍ଦିଷ୍ଟ ପରିବେଶ ଭିତରୁ ମଧ୍ୟ ଜନ୍ମ ନେଇଥିଲା ସେଇ ସମସ୍ୟା । ଏଇ ସମସ୍ୟାର ସମାଧାନ ପାଇଁ ସେମାନେ ବାଛି ନେଇଥିଲେ ଗୋଟିଏ ମାତ୍ର ମାର୍ଗ । ତେଣୁ ସେମାନଙ୍କ ଚିନ୍ତାଧାରାରେ ଐକ୍ୟ ବା ସମାନତା ଦେଖାଯିବା ସର୍ବାଦୌ ସ୍ୱାଭାବିକ । ଓଡ଼ିଆ ପୁସ୍ତକର ଅଭାବ ହେତୁ ପ୍ରଥମେ ବଙ୍ଗଳା ପୁସ୍ତକ ବିଦ୍ୟାଳୟରେ ପ୍ରବେଶ କଲା । କିନ୍ତୁ ସମୟ କ୍ରମେ କୌଣସି ନୂତନ ଓଡ଼ିଆ ପୁସ୍ତକ ରଚିତ ନ ହେବାରୁ ବଙ୍ଗଳା ପୁସ୍ତକ ପାଠ୍ୟକ୍ରମରେ ଏକ ସ୍ଥାୟୀ ଆସନ ଅଧିକାର କରି ବସିଲା, ଯଦିଓ ଏପରି ହେବାପାଇଁ ଶାସନର ନୀତି ଦୃଷ୍ଟିରୁ କୌଣସି ସରକାରୀ ଆଦେଶ ନଥିଲା । ଫଳରେ, ଦିନେ ଏପରି ଅବସ୍ଥା ଉପସ୍ଥିତ ହେଲା ଯେ ଓଡ଼ିଆ ଛାତ୍ରମାନେ ବଙ୍ଗଳା ଓ ଓଡ଼ିଆ ଭାଷା ଭିତରୁ କେଉଁଥିରେ ଦକ୍ଷତା ଲାଭ କରିପାରିଲେ ନାହିଁ । ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ସେମାନଙ୍କ ପକ୍ଷରେ ଏକମାତ୍ର ସାର ହେଲା । ଦେଖିବାର କଥା, ଏଇ ଦ୍ୱିଭାଷିକ ବ୍ୟବସ୍ଥା ପ୍ରଥମେ ସମସ୍ୟା (ଓଡ଼ିଆ ପୁସ୍ତକର ଅଭାବ) ସମାଧାନର ଏକ ସହଜ ପନ୍ଥା ହୋଇଥିଲେ ହେଁ ପରୀକ୍ଷାରେ ଓଡ଼ିଆ ଛାତ୍ରମାନଙ୍କ ଅକୃତକାର୍ଯ୍ୟତା ହେତୁ ତାହା ଏକ ଅହିତକର ବ୍ୟବସ୍ଥାରୂପେ ବିବେଚିତ ହେଲା । ଦେଶରେ ଶିକ୍ଷାର ବିସ୍ତାର ଓ ଓଡ଼ିଆ ଭାଷାର ଉନ୍ନତି ଦିଗରେ ଏଇ ଦ୍ୱିଭାଷିକ ବ୍ୟବସ୍ଥା, ଥିଲା ଏକ ପ୍ରଧାନ ପ୍ରତିବନ୍ଧକ । ଯେତେଦୂର ମନେହୁଏ ଶ୍ରୀ ଉମାଚରଣ ହାଲଦାର ହିଁ ସର୍ବପ୍ରଥମେ ଏଇ ସମସ୍ୟାର ସମାଧାନପାଇଁ ଦୁଇଭାଷା ଭିତରୁ ଗୋଟିଏ ନିର୍ବାଚନ କରି ତାହା ଉପରେ ପ୍ରାଧାନ୍ୟ ଦେଇଥିଲେ । ପରବର୍ତ୍ତୀ ସମୟରେ ଯେଉଁମାନେ ଏଇ ମାର୍ଗର ପଥିକ ହେଲେ ସେମାନଙ୍କୁ ସାଧାରଣତଃ ଚାରିଭାଗରେ ବିଭକ୍ତ କରାଯାଇପାରେ । ଯଥା :-

 

୧.

ବିଦ୍ୟାଳୟରେ ଏକମାତ୍ର ବଙ୍ଗଳା ଭାଷାର ବ୍ୟବହାର । ଡିରେକ୍ଟର ପ୍ରାଥମିକ ସ୍ତରରେ ଓଡ଼ିଆ ଭାଷାକୁ ସୀମିତ କରିଥିଲେ ହେଁ ଏ ସ୍ତରରେ ମଧ୍ୟ ବଙ୍ଗଳା ଅକ୍ଷର-ଶିକ୍ଷାକୁ ମଧ୍ୟ ସ୍ଥାନ ଦେଇଥିଲେ । ତାହାଙ୍କ ଏ ଶିକ୍ଷା-ନୀତିର ଆଭିମୁଖ୍ୟ ହେଉଛି ଓଡ଼ିଆ ଭାଷାର କ୍ରମ-ସଙ୍କୋଚନ ମାଧ୍ୟମରେ ଏ ଭାଷାର ସମ୍ପୂର୍ଣ୍ଣ ବିଲୋପ ସାଧନ ।

 

୨.

ବଙ୍ଗଳା ଓ ଓଡ଼ିଆ, ଏ ଉଭୟ ଭାଷାର ପ୍ରଚଳନ । କମିଶନରଙ୍କ ପ୍ରଥମ ପତ୍ର ଓ ଯଥା ସମ୍ଭବ ମାର୍ଟିନ ସାହେବଙ୍କ ପ୍ରଥମ ପତ୍ର । ନୂତନ ପୁସ୍ତକର ରଚନା ସହ ସମୟ କ୍ରମେ ବଙ୍ଗଳା ପୁସ୍ତକର କ୍ରମପ୍ରତ୍ୟାହାର ଓ ଓଡ଼ିଆ ପୁସ୍ତକର କ୍ରମ ପ୍ରବର୍ତ୍ତନ ।

 

୩.

କେବଳ ଓଡ଼ିଆ ପୁସ୍ତକର ପ୍ରଚଳନ । ବଙ୍ଗଳା ଛାତ୍ରଙ୍କପାଇଁ ବିଦ୍ୟାଳୟରେ ବଙ୍ଗଳା ଭାଷାର ଆଂଶିକ ସଂରକ୍ଷଣ । କମିଶନରଙ୍କ ଦ୍ୱିତୀୟ ପତ୍ର, ଯେଉଁଥିରେ ବଙ୍ଗ ଭାଷାକୁ ଅତିରିକ୍ତ ଭାଷାରୂପେ ଅନୁମୋଦନ; ମାର୍ଟିନ ସାହେବଙ୍କ ଦ୍ୱିତୀୟ ପତ୍ର ଓ ଡିରେକ୍ଟରଙ୍କ ଅଭିମତ, ଯେଉଁଥିରେ ମଧ୍ୟ-ଭର୍ଣ୍ଣାକୁଲାର ପରୀକ୍ଷାରେ ବଙ୍ଗଳାକୁ ଏକ ଭାଷାରୂପେ ଅଧ୍ୟୟନ କରିବାର ବ୍ୟବସ୍ଥା ଥିଲା ।

 

୪.

ବଙ୍ଗଳା ପୁସ୍ତକର ସମ୍ପୂର୍ଣ୍ଣ ବହିଷ୍କାର ଓ କେବଳ ଓଡ଼ିଆ ଭାଷା ଓ ଓଡ଼ିଆ ପୁସ୍ତକର ପ୍ରଚଳନ । ଦୀପିକା ସମ୍ପାଦକ ଗୌରୀଶଙ୍କର ଥିଲେ ଏ ଅଭିମତର ଏକମାତ୍ର ପ୍ରବକ୍ତା, ଯାହା ଦ୍ୱିଭାଷିକ ବ୍ୟବସ୍ଥା ଉଚ୍ଛେଦ ଦିଗରେ ସେ ସମୟରେ ଥିଲା ଏକମାତ୍ର ଅପରିହାର୍ଯ୍ୟ ଆବଶ୍ୟକତା ।

 

ଏଇ ଚାରିଶ୍ରେଣୀ ମଧ୍ୟରୁ ଚତୁର୍ଥଟି ଅତିଶୟ ସ୍ପଷ୍ଟ, କିନ୍ତୁ ପ୍ରଥମଟି ଅସ୍ପଷ୍ଟ ହେଲେ ହେଁ ସ୍ପଷ୍ଟ ମଧ୍ୟ । ଏ ଉଭୟେ ପରସ୍ପର ବିପରୀତମୁଖୀ ଭାବନାର ଦ୍ୟୋତକ । ଏଥିରୁ ଚତୁର୍ଥଟି ଓଡ଼ିଆ ଭାଷାର ଗୌରବ ପ୍ରତିଷ୍ଠାପକ କିନ୍ତୁ ପ୍ରଥମଟି ଓଡ଼ିଆ ଭାଷା କ୍ରମବିଲୟର ପରିଚାୟକ । ଅବଶିଷ୍ଟ ଦୁଇଟି ବାହ୍ୟତଃ ଏକ ବୋଲି ଅନୁମତି ହେଉଥିଲେ ହେଁ ଆଭିମୁଖ୍ୟରେ ଥିଲେ ସାମାନ୍ୟ ପୃଥକ୍‌ । ଦ୍ୱିତୀୟଟି ହେଉଛି ଓଡ଼ିଆ ଭାଷା ପ୍ରତିଷ୍ଠା ସାଧନର ଉପାୟ, ଯାହା ଓଡ଼ିଆ ପୁସ୍ତକର ଦୈନ୍ୟ ଉପରେ ପ୍ରତିଷ୍ଠିତ । ତୃତୀୟଟି ପ୍ରଶାସନିକ ଦୃଷ୍ଟିକୋଣ ଓ ପାରମ୍ପରିକ ପରୀକ୍ଷା ନୀତି ଉପରେ ଗଠିତ । କିନ୍ତୁ ଏ ଉଭୟର ଲକ୍ଷ୍ୟ ଥିଲା ଏକ, ଅର୍ଥାତ୍‌ ଓଡ଼ିଆ ଭାଷାର କ୍ରମ-ପ୍ରବର୍ତ୍ତନ, ଯାହାର ଶେଷ ପରିଣତି ହେଉଛି ବଙ୍ଗ ଭାଷାର ସମ୍ପୂର୍ଣ୍ଣ ବହିଷ୍କାର-ଗୌରୀଶଙ୍କରଙ୍କ ଅଭିମତର ପରିପୂର୍ଣ୍ଣ ପରିପ୍ରକାଶ । ଦେଖିବାର କଥା, ବଙ୍ଗ ସରକାରଙ୍କ ତା ୮ । ୧୧ । ୬୯ ଲେଖାରେ ଅଛି ଏ ସମସ୍ତ ଅଭିମତର (କେବଳ ଡିରେକ୍ଟରଙ୍କ ବ୍ୟତୀତ), ଏକତ୍ର ସମାହାର, ଯାହା କେତେକ ପରିମାଣରେ ଅସ୍ପଷ୍ଟ ମଧ୍ୟ-ଅତି ଅପ୍ରିୟ ହେଲେ ହେଁ ସତ୍ୟ, ବର୍ଣ୍ଣଶଙ୍କର ମାତ୍ର ।

 

ଏଠାରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଦ୍ୱିଭାଷିକ ବ୍ୟବସ୍ଥା ରୂପକ ସୁଦୃଢ଼ ଦୁର୍ଗର ମୂଳୋତ୍‌ପାଟନପାଇଁ ପ୍ରଥମେ ପ୍ରସ୍ତାବ ଦିଅନ୍ତି ଡେପୁଟୀ ଇନ୍‌ସ୍ପେକ୍ଟର ଶ୍ରୀ ଉମାଚରଣ ହାଲଦାର । ତାହାଙ୍କ ଦ୍ୱିତୀୟ ପ୍ରସ୍ତାବରେ ଯାହାର ସାମାନ୍ୟ ସୂଚନା ଥିଲା, କମିଶନରଙ୍କ ପ୍ରଥମ ପତ୍ରରେ ତାହାର ବିଶଦୀକରଣ ଅଥବା ବିସ୍ତୃତ ବ୍ୟବସ୍ଥା କେବଳ ଦେଖିବାକୁ ମିଳେ । ପରବର୍ତ୍ତୀ ସମୟରେ ଇନ୍‌ସ୍ପେକ୍ଟର ମାର୍ଟିନଙ୍କ ଦ୍ୱିତୀୟ ପତ୍ରରେ ତାହା ଏକ ସୁଚିନ୍ତିତ ପାଠ୍ୟକ୍ରମର ଯୋଜନା ଭିତରେ ରୂପାୟିତ ହୋଇଥିଲା । କିନ୍ତୁ ଉମାଚରଣଙ୍କ ପୂର୍ବରୁ ଶିକ୍ଷାୟତନରେ ଏପରି ଏକ ଅବାଞ୍ଛନୀୟ ବ୍ୟବସ୍ଥା ବିରୋଧରେ କେହି କ’ଣ କେବେ ସ୍ୱର ଉତ୍ତୋଳନ କରି ନ ଥିଲେ ? ଆମେ ଏଠାରେ ଓଡ଼ିଶାପାଇଁ ନବନିଯୁକ୍ତ ଇନ୍‌ସ୍ପେକ୍ଟର ଡକ୍ଟର ଇ. ରୋରଙ୍କ ୧୮୫୭-୫୮ ସାଲ ବାର୍ଷିକ ରିପୋର୍ଟରେ ଥିବା ମନ୍ତବ୍ୟ ଉପସ୍ଥାପନ କରୁଅଛୁ । ସେ ଲେଖିଥିଲେ : ‘‘The Ooryah language cannot be considered as a dialect of Bengali, though nearly related to it; but it is a language of its own, which has its own grammatical forms, idioms, signs of the letters and mostly of translations from Puran, the Hitopadesh, Battish Sinhasan etc, For this reason the Ooryah schools could not use themselves of the class books in Bengali, but require a set in their own language.” ସେଇ ରିପୋର୍ଟର ପରେ ପରେ ଓଡ଼ିଆ ପାଠ୍ୟ ପୁସ୍ତକର ଆଦ୍ୟ ପ୍ରଣେତା ଆମସ ସଟନ, ପଣ୍ଡିତ ବିଶ୍ୱମ୍ଭର ବିଦ୍ୟା ଭୂଷଣ ଓ ଲେସି ସାହେବଙ୍କ ରଚିତ ପୁସ୍ତକ ପାଇଁ ସେମାନଙ୍କୁ ଅଶେଷ ପ୍ରଶଂସା ଦିଆଯାଇଛି । ସେ ସମୟ ସୁଦ୍ଧା ପ୍ରକାଶିତ ଓଡ଼ିଆ ପୁସ୍ତକର ଏକ’ ତାଲିକା ମଧ୍ୟ ରୋର ସାହେବ ଦେଇଛନ୍ତି, ଯେଉଁଥିରେ ପ୍ରକାଶିତ ୨୬ଟି ପୁସ୍ତକର ନାମ, ଲେଖକଙ୍କର ନାମ, ପ୍ରକାଶ ସମୟ, ପୃଷ୍ଠା ସଂଖ୍ୟାର ସୂଚନା ଅଛି । ଉକ୍ତ ତାଲିକାରେ ତଦାନୀନ୍ତନ ପ୍ରଚଳିତ ପାଠ୍ୟପୁସ୍ତକଗୁଡ଼ିକର ନାମ ମଧ୍ୟ ଦେଖିବାକୁ ମିଳେ । ପରବର୍ତ୍ତୀ ସମୟରେ ଯେଉଁମାନେ ଦ୍ୱିଭାଷିକ ବ୍ୟବସ୍ଥା ଉପରେ କିଛି ଆଲୋଚନା କରିଛନ୍ତି ସେମାନଙ୍କ ଭିତରୁ କେହି ଏହି ମୂଲ୍ୟବାନ୍‌ ତାଲିକାଟି ଦେଖିଥିବାର ବିଶ୍ୱାସ ହେଉନାହିଁ । ତେଣୁ ଉମାଚରଣ ଯଦି ହୁଅନ୍ତି ଦ୍ୱିଭାଷିକ ବ୍ୟବସ୍ଥା ଉଚ୍ଛେଦର ପ୍ରଥମ ପଥ-ପ୍ରଦର୍ଶକ, ତା’ହେଲେ ସେ ବ୍ୟବସ୍ଥାର ଆଦ୍ୟ ସମୀକ୍ଷକ ହେଉଛନ୍ତି ଇନ୍‌ସ୍ପେକ୍ଟର ଡକ୍ଟର ଇ. ରୋର ।

 

ଉପସଂହାର :

ଓଡ଼ିଶାର ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷାର ପ୍ରଚଳନ ସମ୍ପର୍କରେ ୧୮୬୫ ସେପ୍‌ଟେମ୍ୱର ମାସରୁ ୧୮୬୯ ନଭେମ୍ୱର ମାସ ମଧ୍ୟରେ ଯେତେ ପତ୍ର ସବୁ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ଆଦାନ ପ୍ରଦାନ ହୋଇଥିଲା ସେଥିରୁ ସାତୋଟି ପତ୍ର ଆଲୋଚନାପାଇଁ ଏକାନ୍ତ ଆବଶ୍ୟକ-। ଯଥା : (୧) କମିଶନରଙ୍କ ପ୍ରଥମ ପତ୍ର (୧୨.୯.୬୫) (୨) ଇନ୍‌ସ୍ପେକ୍ଟରଙ୍କ ପ୍ରଥମ ପତ୍ର (ତା ୧୦.୮.୬୭) ; (୩) ଡିରେକ୍ଟରଙ୍କ ପ୍ରଥମ ପତ୍ର (ତା ୨୬.୮.୬୬); (୪) ଇନ୍‌ସପେକ୍ଟରଙ୍କ ଦ୍ୱିତୀୟ ପତ୍ର (ତା ୩୦.୪.୬୮) ; (୫) କମିଶନରଙ୍କ ଦ୍ୱିତୀୟ ପତ୍ର (ତା ୪.୫.୬୮); (୬) ଡାଇରେକ୍ଟରଙ୍କ ଦ୍ୱିତୀୟ ପତ୍ର (ତା ୧.୮.୬୯) ଓ (୭) ବଙ୍ଗ ସରକାରଙ୍କ ପତ୍ର (ତା ୮.୧୧.୬୯)-। ଏଥିରୁ ତିନିଟି ପତ୍ର (ନମ୍ୱର ୨, ୩, ଓ ୫) ର ମୂଳଲେଖା ଅଧ୍ୟୟନ କରିବାର ସୁଯୋଗ ଆମେ ପାଇପାରି ନାହୁଁ । ଏଇ ତିନିଟି ପତ୍ରର ଆବଶ୍ୟକତା ଦୁଇଟି ଦୃଷ୍ଟିରୁ ଅନୁଭୂତ ହୋଇଥାଏ । ଯଥା : (କ) ଇନ୍‌ସ୍ପେକ୍ଟର ଓ ଡିରେକ୍ଟରଙ୍କ ପ୍ରଥମ ପତ୍ରର ଅଭାବ ହେତୁ ସେ ଉଭୟ ପତ୍ରର ବିଷୟବସ୍ତୁ ଉପରେ ପୂର୍ଣ୍ଣ ଧାରଣା କରିବା ସମ୍ଭବ ନୁହେଁ । (ଖ) ଏ ପତ୍ରଗୁଡ଼ିକର ଲେଖାର ସମୟ ଜଣାଗଲେ ହେଁ ସେଗୁଡ଼ିକ ଯେଉଁ ପତ୍ରର ଉତ୍ତର ସ୍ୱରୂପ ଲେଖା ଯାଇଛି ସେ ପତ୍ରର ସମୟ (ଯାହା ଉତ୍ତର ପତ୍ରରେ ଥିବା କଥା) ଅଜ୍ଞାତ ହୋଇ ପଡ଼ୁଛି । ଯେପରି, ଡିରେକ୍ଟରଙ୍କ ପ୍ରଥମ ପତ୍ରରେ ବଙ୍ଗ ସରକାରଙ୍କ ପତ୍ରର ସମୟ-ସୂଚନା ନିଶ୍ଚୟ ଥିବ । ପୁନଶ୍ଚ କମିଶନରଙ୍କ ଦ୍ୱିତୀୟ ପତ୍ରରେ ବଙ୍ଗ ସରକାରଙ୍କ ପତ୍ରର ସମୟ-ସୂଚନା ନିଶ୍ଚୟ ଥିବ । ଏପରି କହିବାର କାରଣ କହି ଦେଉଛୁ । କମିଶନରଙ୍କ ପ୍ରଥମ ପତ୍ରରେ ଥିବା ଦୁଇଟି ପ୍ରସ୍ତାବ ଉପରେ ବଙ୍ଗ ସରକାର ନିଶ୍ଚୟ କାର୍ଯ୍ୟାନୁଷ୍ଠାନ କରିଥିବେ । ଆମେ ଦେଖୁଛୁ, କଟକରେ କଲେଜ ଖୋଲିବା ପ୍ରସ୍ତାବ ଉପରେ ବଙ୍ଗ ସରକାର ଡିରେକ୍ଟରଙ୍କୁ ତା୧୫-୧-୧୮୬୬ରେ ଯେଉଁ ପତ୍ର ଦେଇଥିଲେ ତା’ର ଉତ୍ତର ଡିରେକ୍ଟର ଦୀର୍ଘ ସାଢ଼େ ଏଗାର ମାସ ପରେ ଅର୍ଥାତ୍‌ ତା୨୮।୧୨।୬୬ରେ ଦେଇଛନ୍ତି । ବଙ୍ଗ ସରକାର ଡିରେକ୍‌ଟରଙ୍କ ଏଇପତ୍ର ଉପରେ ତା ୧୪।୧।୬୭ରେ ଅନ୍ୟ ଏକ ପତ୍ର ଲେଖନ୍ତି ଯାହାର ଉତ୍ତର ଡିରେକ୍‌ଟର ତା୨୮।୧।୬୭ ରେ ଦିଅନ୍ତି । ଡିରେକ୍ଟରଙ୍କ ଏଇ ପତ୍ର ସହିତ ବଙ୍ଗ ସରକାର ନିଜର ଅନୁକୂଳ ଅଭିମତ ତା ୧୫।୨।୬୭ରେ ଭାରତ ସରକାରଙ୍କ ପାଖକୁ ପଠାନ୍ତି ଓ ଏହାର କେତେ ମାସ ପରେ କଟକରେ କଲେଜ ଶ୍ରେଣୀ ଖୋଲା ଯିବାର ଘୋଷଣା କରାଯାଏ । କଟକରେ କଲେଜ ଶ୍ରେଣୀ ଖୋଲିବା ସହିତ ଓଡ଼ିଆ ଭାଷା-ପ୍ରଚଳନର ପ୍ରସ୍ତାବ (ଯାହା କମିଶନରଙ୍କ ପ୍ରଥମ ପତ୍ରରେ ଥିଲା) ଉପରେ ଅଭିମତ ଦେବାପାଇଁ ବଙ୍ଗ ସରକାର ତା ୧୫।୧।୬୬ରେ ଡିରେକ୍ଟରଙ୍କୁ ନିଶ୍ଚୟ ଲେଖିଥିବେ । କଲେଜ ସମ୍ପର୍କୀୟ ଘଟଣାରେ ସେ ଯେପରି ସାଢ଼େ ଏଗାର ମାସ ବିଳମ୍ବ କଲେ ଓଡ଼ିଆ ଭାଷା ସମ୍ପର୍କରେ ଡିରେକ୍ଟର ଏଇପରି ବିଳମ୍ୱ କରି ନାହାନ୍ତି କି ? ତା’ ନ ହୋଇଥିଲେ ଇନ୍‌ସପେକ୍ଟର ତାଙ୍କର ପ୍ରଥମ ପତ୍ର ତା ୧୦।୮।୬୭ ଲେଖିଲେ କିପରି ? ତେବେ ଏ ସମ୍ପର୍କରେ ପ୍ରଶ୍ନ ହୋଇପାରେ ଡିରେକ୍ଟର ଓଡ଼ିଆ ଭାଷା ଉପରେ ଅଭିମତ ଦେବାପାଇଁ ବଙ୍ଗ ସରକାରଙ୍କ ଠାରୁ କେବେ ପତ୍ର ପାଇଥିଲେ ?-ଏହାର ସୂଚନା ଡିରେକ୍ଟରଙ୍କ ପ୍ରଥମ ପତ୍ରରେ ନିଶ୍ଚୟ ଅଛି । ପୁନଶ୍ଚ ଇନ୍‌ସ୍ପେକ୍ଟର ତାହାଙ୍କ ପ୍ରଥମ ପତ୍ରପାଇଁ ଡିରେକ୍ଟରଙ୍କ ଠାରୁ କେବେ ପତ୍ର ପାଇଲେ-ଏହାର ସୂଚନା ଇନ୍‌ସ୍ପେକ୍ଟରଙ୍କ ପ୍ରଥମ ପତ୍ରରେ ନିଶ୍ଚୟ ଅଛି । ଏ ଦୁଇଟି ପତ୍ର ମିଳିଲେ ଡିରେକ୍ଟର ଅତି ସଚେତନତାର ସହ କାର୍ଯ୍ୟକ୍ଷେପଣ ନୀତି ଅନୁସରଣ କରିଛନ୍ତି କି ନାହିଁ, ତାହା ଜଣା ପଡ଼ିବ । *

 

* ଏ ପ୍ରବନ୍ଧରେ ବ୍ୟବହୃତ ଚାରୋଟି ପତ୍ର ମୋର ଅନୁରୋଧ କ୍ରମେ ଡକ୍ଟର ରାମଚନ୍ଦ୍ର ନାୟକ ଯୋଗାଇ ଦେଇ ଥିବାରୁ ତାଙ୍କଠାରେ ଗଭୀର କୃତଜ୍ଞତା ପ୍ରକାଶ କରୁଅଛି । (ପ୍ରାବନ୍ଧିକ)

 

 

ବାଣୀ ଭବନ

ସାମନ୍ତରାପୁର

***

 

Unknown

ଖୋରଧା ରାଜବଂଶକାଳୀନ କବି ଓ କାବ୍ୟକୃତି

(ଖ୍ରୀ : ଅ : ୧୫୬୮- ୧୮୦୩)

ଡକ୍ଟର ଗୋପାଳକୃଷ୍ଣ ଶ୍ରୀଚନ୍ଦନ

 

ରାଜନୈତିକ ଦୃଶ୍ୟପଟ୍ଟ :

୧୫୬୮ ଖ୍ରୀଷ୍ଟାବ୍ଦରେ ମୁକୁନ୍ଦଦେବଙ୍କ ମୃତ୍ୟୁ ପରେ ଓଡ଼ିଶା ଯେତେବେଳେ ଆଫଗାନଙ୍କ ଶାସନାଧୀନ ହେଲା ସେତେବେଳକୁ ଓଡ଼ିଶାରେ ପ୍ରତିଷ୍ଠିତ ଶାସନ ବୋଲି କିଛି ନ ଥିଲା । ଚାରିଆଡ଼େ ବିଭ୍ରାଟ ଓ ଅଧୋଗତି । ବଙ୍ଗର ଆଫଗାନ ଶାସକମାନେ କିଛି ଦିନ ଓଡ଼ିଶାରେ ରାଜତ୍ୱ କଲାପରେ ଆଫଗାନ ଓ ମୋଗଲମାନଙ୍କ ମଧ୍ୟରେ ସଂଘର୍ଷ ଲାଗିଲା । ଆକବର ବଙ୍ଗର ଆଫଗାନ ଶାସକ ଦାଉଦ ଖାଁକୁ ୧୫୭୪ ଖ୍ରୀଷ୍ଟାବ୍ଦରେ ପରାସ୍ତ କଲେ । ତୋଡ଼ରମଲ୍ଲ ୧୫୭୫ରେ ସୁବର୍ଣ୍ଣରେଖା କୂଳସ୍ଥ ତୁକରୋଇ ଠାରେ ତାଙ୍କୁ ଶେଷଥର ପାଇଁ ପରାସ୍ତ କରିଥିଲେ । ପର ବର୍ଷ (୧୫୭୬) ମୋଗଲମାନେ ବଙ୍ଗ ଓ ଓଡ଼ିଶାକୁ ଅଧିକାର କଲେ । ଆକବରଙ୍କ ମୃତ୍ୟୁ ପରେ ଓଡ଼ିଶାରେ ବିଧିବଦ୍ଧ ମୋଗଲ ଶାସନ ଚାଲିଲା । ଓଡ଼ିଶା ମୋଗଲ ସାମ୍ରାଜ୍ୟର ଏକ ସୁବା ହୋଇ ରହିଲା ଓ ହାସିମ୍‌ ଖାଁ ଓଡ଼ିଶାର ପ୍ରଥମ ସୁବାଦାର ନିଯୁକ୍ତ ହେଲେ । ହାସିମ୍‌ ଖାଁଙ୍କ ଶାସନ କାଳରେ ଓଡ଼ିଶାରେ ଯେଉଁ ଅତ୍ୟାଚାର ଓ ଲୁଣ୍ଠନ ହୋଇଥିଲା ତାହା ଅକଥନୀୟ ।

 

ଓଡ଼ିଶା ରାଜନୈତିକ ଦୃଷ୍ଟିରୁ ଆଫଗାନ ଓ ପରେ ମୋଗଲମାନଙ୍କ ଅଧୀନସ୍ଥ ହୋଇ ଥିଲେ ମଧ୍ୟ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏକ ସାଂସ୍କୃତିକ ତଥା ସାରସ୍ୱତ ଶୃଙ୍ଖଳର ନିୟନ୍ତ୍ରଣାଧୀନ ହେଲା । ଖ୍ରୀ ୧୫୩୪ରୁ ଖ୍ରୀ ୧୫୫୯ ପର୍ଯ୍ୟନ୍ତ ସ୍ୱାଧୀନ ଗଜପତିମାନଙ୍କ ଅଧୀନରେ ଦୀର୍ଘ ୨୫ ବର୍ଷାବଧି ଓଡ଼ିଶା ଶାସନର କର୍ଣ୍ଣଧାରରୂପେ ବିବେଚିତ ଜନାର୍ଦ୍ଧନ ବିଦ୍ୟାଧର (ଦନେଇ ବିଦ୍ଧାର)ଙ୍କ ପୁତ୍ର ରାମାଇ ରାଉତରା ଓରଫ ରାମଚନ୍ଦ୍ର ଦେବ (ପ୍ରଥମ)ଙ୍କଦ୍ୱାରା ଗଜପତି ହୋଇ ବଙ୍ଗ ଓଡ଼ିଶାର ଏହି ସାଂସ୍କୃତିକ ସିଂହାସନରେ ଅଧିଷ୍ଠିତ ହୁଏ ଏବଂ ଖ୍ରୀ ୧୫୭୨ ରେ ତାଙ୍କଦ୍ୱାରା ଖୋରଧା ବା କ୍ଷୁରଧାରଗଡ଼ ନିର୍ମିତ ହୁଏ । ସେ ୧୫୭୫ ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମ କ୍ଷେତ୍ରକୁ ଆଫଗାନ ସୈନ୍ୟଙ୍କ ହସ୍ତରୁ ଉଦ୍ଧାର ପୂର୍ବକ ସେଠାରେ ବିଶାଳ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମୂର୍ତ୍ତୀତ୍ରୟ ପୁନର୍ବାର ବିଜୟୋଲ୍ଲାସରେ ପ୍ରତିଷ୍ଠା କରି ‘ଦୁତି ଇନ୍ଦ୍ରଦ୍ୟୁମ୍ନ’ ଭାବେ ସୁଖ୍ୟାତି ଅର୍ଜନ କରନ୍ତି । ସୁତରାଂ ଖ୍ରୀ ୧୫୭୨ ରୁ ଖ୍ରୀ ୧୮୦୩ (ଇଂରେଜମାନଙ୍କଦ୍ୱାରା ଓଡ଼ିଶା ଅଧିକାର) ପର୍ଯ୍ୟନ୍ତ ଦୀର୍ଘ ୨୩୧ ବର୍ଷ ଧରି ଖୋରଧାଗଡ଼ ଓଡ଼ିଶା ଗଜପତିମାନଙ୍କର ରାଜଧାନୀ ଥାଇ ଉତ୍କଳୀୟ ପାରମ୍ପରିକ ସଂସ୍କୃତିର ପ୍ରାଣକେନ୍ଦ୍ର ଥିଲା । ସେତେବେଳେ ଓଡ଼ିଶା କହିଲେ ଖୋରଧା ରାଜ୍ୟକୁ ବୁଝାଉଥିଲା ।

 

ଆଫଗାନମାନଙ୍କ ସାହାଯ୍ୟ ନେଇ ରାମଚନ୍ଦ୍ରଦେବ ଓଡ଼ିଶା ସିଂହାସନର ଅଧିକାରୀ ହୋଇ ରହିଥାନ୍ତି । ଆଫଗାନମାନେ ସଂପୂର୍ଣ୍ଣ ପରାସ୍ତ ହେବାପରେ ରାମଚନ୍ଦ୍ର ଦେବ ମାନସିଂହ ଅନୁଗ୍ରହ ଭାଜନ ହୋଇ ରହିଲେ । ଏହି ସମୟରେ ତେଲେଙ୍ଗା ମୁକୁନ୍ଦ ହରିଚନ୍ଦନ ଯେ କି ଓଡ଼ିଶାର ଶେଷ ସ୍ୱାଧୀନ ଗଜପତି, ତାଙ୍କ ଦୁଇପୁଅ ଓଡ଼ିଶା ସିଂହାସନ ପାଇବାପାଇଁ ଦାବୀ କଲେ । ଶେଷରେ ମାନସିଂହ ନିଷ୍ପତ୍ତି କରିଦେଲେ ଯେ ରାମଚନ୍ଦ୍ର ଦେବ ପୁରୁଷୋତ୍ତମ କ୍ଷେତ୍ର ସହ ଖୋରଧାର ରାଜା ହେବେ ଏବଂ ମୁକୁନ୍ଦଦେବଙ୍କ ଦୁଇ ପୁଅ ଆଳି ଓ ପଟିଆର ଅଧିକାରୀ ହେବେ । ଅବଶ୍ୟ ଆକବରଙ୍କ ପରେ ଖୋର୍ଦ୍ଧା ରାଜବଂଶର ସମ୍ମାନ ରହିଲା ନାହିଁ; ମାତ୍ର ଖୋର୍ଦ୍ଧା ରାଜବଂଶ ପରମ୍ପରା କ୍ରମେ ପୁରୀ ଜଗନ୍ନାଥ ମନ୍ଦିରର ପରିଚାଳକ ହେଲେ ଓ ଗଜପତି ରାଜା ଭାବରେ ଲୋକଙ୍କ ଭିତରେ ସମ୍ମାନିତ ହେଲେ ।

 

ଭୋଇ ବଂଶର ପ୍ରତିଷ୍ଠାତା ପ୍ରଥମ ରାମଚନ୍ଦ୍ର ଦେବ ୧୫୬୮ରୁ ୧୬୦୦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ଅନ୍ତେ ତାଙ୍କର ପୁତ୍ର ପୁରୁଷୋତ୍ତମଦେବ ୧୬୦୦ ଖ୍ରୀଷ୍ଟାବ୍ଦରୁ ୧୬୨୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜପଣ କରିଥିଲେ । ଏହି ସମୟରେ ଓଡ଼ିଶାରେ ଜାୟଗିରି ପାଇ ରହିଥିବା ରାଜପୁତ ଶାସକ କେଶୋଦାସ ମାରୁ (୧୬୦୭) ମୋଗଲମାନଙ୍କଦ୍ୱାରା ଜଗନ୍ନାଥ ମନ୍ଦିର ଲୁଣ୍ଠନ କରିବାର ନେତୃତ୍ୱ ନେଇଥିଲେ । କେଶୋଦାସ ତୀର୍ଥଯାତ୍ରା କରିବା ବାହାନାରେ ପୁରୀ ଯାଇ ଜଗନ୍ନାଥ ମନ୍ଦିର ଭିତରେ ପ୍ରବେଶ କରିଥିଲେ ଓ ମନ୍ଦିର ଅଧିକାର କରି ଭିତରୁ ଦୁଆର ବନ୍ଦ କରି ଦେଇଥିଲେ । ପୁରୁଷୋତ୍ତମଦେବ ୧୦ ହଜାର ଅଶ୍ୱାରୋହୀ ଓ ବହୁ ସଂଖ୍ୟକ ପଦାତିକ ସେନା ସହ ସେଠାରେ ପହଞ୍ଚିଲେ । ମାତ୍ର କେଶୋଦାସଙ୍କ ସୈନ୍ୟମାନେ ମନ୍ଦିର ଭିତରୁ ନିଆଁ ପିଣ୍ଡୁଳା ଫୋପାଡ଼ିଲେ, ଫଳରେ ପୁରୁଷୋତ୍ତମଦେବଙ୍କ ସୈନ୍ୟମାନେ ମନ୍ଦିର ଭିତରକୁ ଯାଇପାରିଲେ ନାହିଁ । ଜଗନ୍ନାଥଙ୍କ ନୀତି ବନ୍ଦ ହୋଇଗଲା । ତେଣୁ ରାଜା ପୁରୁଷୋତ୍ତମଦେବ ଅତି ଅପମାନଜନକ ସର୍ତ୍ତରେ ସନ୍ଧି ସ୍ଥାପନ କରିବାକୁ ବାଧ୍ୟ ହୋଇଥିଲେ । କଥିତ ଅଛି–ସନ୍ଧିର ସର୍ତ୍ତ ସ୍ୱରୂପ ପୁରୁଷୋତ୍ତମଦେବଙ୍କ କନ୍ୟାକୁ (?) ସମ୍ରାଟ ଜାହାଙ୍ଗିରଙ୍କ ଅନ୍ତଃପୁରକୁ ପଠାଗଲା ଏବଂ କେଶୋଦାସ ରାଜାଙ୍କର ଭଗିନୀଙ୍କୁ ବିବାହ କରିଥିଲେ ।

 

ଏହି ସମୟରେ ଆଉ ଏକ ଘଟଣା ଘଟିଥିଲା । ବଙ୍ଗର ସୁବେଦାର ଲାଲବାଗ ପୁରୀ ମନ୍ଦିର ଆକ୍ରମଣ କରିବାକୁ ଆସିବା ବାଟରେ ଦାଣ୍ଡମୁକୁନ୍ଦପୁରଠାରେ ଜଣେ ସୁନ୍ଦରୀ ବିଧବା ବ୍ରାହ୍ମଣୀ ଯୁବତୀଙ୍କୁ ବଳପୂର୍ବକ ଧରିନେଇ ପତ୍ନୀରୂପେ ରଖିଲେ । ତାଙ୍କରି ଗର୍ଭରୁ ଭକ୍ତ କବି ସାଲବେଗଙ୍କ ଉଦୟ । ମୋଗଲ ବେଟା ଥାଇ ମାତାଙ୍କର ପ୍ରଭାବରେ ସାଲବେଗ ଜଗତର ନାଥ ଜଗନ୍ନାଥଙ୍କର ପରମ ଭକ୍ତ ପାଲଟି ଯାଇଥିଲେ । ଓଡ଼ିଆ ଭକ୍ତି ସାହିତ୍ୟ ଓ ସଙ୍ଗୀତକୁ ସାଲବେଗଙ୍କ ଦାନ ଅତୁଳନୀୟ । ‘ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ, ମୋ ଆରତ୍ତ ନଳିନୀ ବନକୁ କର ଦଳନ’ ଏବଂ ଏହିପରି ଅସଂଖ୍ୟ ସୁଲଳିତ ଭକ୍ତି ସଙ୍ଗୀତ ତାଙ୍କରି ରଚନା ।

 

ଓଡ଼ିଶା ଇତିହାସରେ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ, ଲୁଣ୍ଠନ ଓ ଜୁଲମ ମୋଗଲ ଶାସନର ଧାରାବାହିକ ଘଟଣା । ଜଗନ୍ନାଥ ମନ୍ଦିରର ଏହି ଲୁଣ୍ଠିତ ଧନ ଓ ମନ୍ଦିରର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ମୋଗଲ ବାଦଶାହାଙ୍କୁ ଉପହାର ଦିଆଯାଇଥିଲା । ହାସିମ ଖାଁଙ୍କ ପରେ ତୋଡ଼ର ମଲ୍ଲଙ୍କ ପୁଅ କଲ୍ୟାଣ ସିଂହ ଓଡ଼ିଶାର ସୁବାଦାର ହୋଇ ଆସିଲେ । ହିନ୍ଦୁ ହୋଇ ସେ ମଧ୍ୟ ଲୁଣ୍ଠନ ଓ ଜୁଲମର ଆଶ୍ରୟ ନେଲେ । ସେ ବାରମ୍ବାର ଖୋର୍ଦ୍ଧା ଉପରେ ଆକ୍ରମଣ କରିଥିଲେ । ଉତ୍ତରରେ ମୋଗଲ ଓ ଦକ୍ଷିଣରେ ଗୋଲକୁଣ୍ଡା ସୁଲତାନଙ୍କ ଆକ୍ରମଣ ଫଳରେ ଖୋରଧା ରାଜା ପୁରୁଷୋତ୍ତମଦେବଙ୍କର ଘୋର କ୍ଷତି ଘଟିଥିଲା । ତେଣୁ ସେ ବାଧ୍ୟ ହୋଇ ଆତ୍ମସମର୍ପଣ କଲେ । ମାତ୍ର ତାଙ୍କ ଉପରେ ପୁଣି ଆକ୍ରମଣ ହେବାରୁ ସେ ଖୋର୍ଦ୍ଧା ଛାଡ଼ି ରାଜମହେନ୍ଦ୍ରୀ ପଳାୟନ କଲେ; ଖୋର୍ଦ୍ଧା ମୋଗଲ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା ଏବଂ ପୁରୁଷୋତ୍ତମଦେବଙ୍କ ବଂଶଧରକୁ ଅଳ୍ପ କିଛି ରାଜ୍ୟ ଦିଆ ଯାଇଥିଲା । X X X X

 

ଖୋରଧାଗଡ଼ର ରାଜା ଦ୍ୱିତୀୟ ରାମଚନ୍ଦ୍ରଦେବ କଟକ ସୁବେଦାରଙ୍କଦ୍ୱାରା ବନ୍ଦୀ ହୋଇ ବାରବାଟୀ ଦୁର୍ଗରେ ଅଟକ ରହିଥିଲେ । ସେ ଯବନୀ ରାଜକୁମାରୀଙ୍କୁ ବିବାହ କରିଥିଲେ । ଏହି ଯୁବରାଣୀଙ୍କ ନାମ ମୋହନାଙ୍ଗୀ (?) ରଖାଯାଇଥିଲା । ମାତ୍ର ରାମଚନ୍ଦ୍ରଦେବ ନବାବ ତକିଖାଁଙ୍କ ଝିଅକୁ ବିବାହ କରି ମୁସଲମାନ ହୋଇ ଯାଇଥିଲେ ଏବଂ ତାଙ୍କର ନାମ ହାଫିଜ୍‌ କାଦରବେଗ୍‌ ହୋଇଥିଲା । ମୁସଲମାନ ନବାନ କନ୍ୟାକୁ ବିବାହ କରିବାଦ୍ୱାରା ରାମଚନ୍ଦ୍ର ଦେବ ଜଗନ୍ନାଥଙ୍କ ପ୍ରଥମ ରାଉତ ହିସାବରେ ଗଜପତି ସେବାପୂଜା ଅଧିକାରକୁ ଅଯୋଗ୍ୟ ବିବେଚିତ ହୋଇଥିଲେ । ଶ୍ରୀମନ୍ଦିରରେ ପ୍ରବେଶ ତାଙ୍କପାଇଁ ମନା ହେଲା । ନିତ୍ୟ ଜଗନ୍ନାଥଙ୍କ ଦର୍ଶନ ପାଇଁ ବ୍ୟାକୁଳିତ ଗଜପତିଙ୍କ ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ୱାରସ୍ଥ ଗୁମୁଟିରେ ପତିତପାବନଙ୍କୁ ପ୍ରତିଷ୍ଠା କରାଗଲା । ଜଗନ୍ନାଥଙ୍କୁ ରକ୍ଷା କରିବାକୁ ଯାଇ ସେ ମୁସଲମାନ ହେଲେ, ରାଜପଦ ହରାଇଲେ । ଜାତିଭ୍ରଷ୍ଟ ହେଲେ । ‘ନୀଳଶୈଳ’ ଉପନ୍ୟାସରେ ସୁରେନ୍ଦ୍ର ମହାନ୍ତି ଏହି ସମୟର ଘଟଣା ବର୍ଣ୍ଣନା କରିଛନ୍ତି କଳ୍ପନାର ପୁଟଦେଇ ।

 

ଗଜପତିମାନେ ଜଗନ୍ନାଥ ଓ ଜଗନ୍ନାଥଙ୍କ ଦେଶ ଓଡ଼ିଶାକୁ ରକ୍ଷା କରିବାପାଇଁ ନିଜର କନ୍ୟା ଓ ଭଗିନୀମାନଙ୍କୁ ଆକ୍ରମଣକାରୀ ରାଜାମାନଙ୍କ ହସ୍ତରେ ଅର୍ପଣ କରିଛନ୍ତି । ଏଥିପୂର୍ବରୁ ଗଜପତି ପ୍ରତାପରୁଦ୍ର ମଧ୍ୟ ନିଜର ଝିଅ ଜଗନ୍ମୋହିନୀଙ୍କୁ ବିଜୟନଗରର ରାଜା କୃଷ୍ଣଦେବ ରାୟଙ୍କୁ ବିବାହ ଦେଇ ସନ୍ଧି ସ୍ଥାପନ କରିଥିଲେ । ପୁଣି ତାର ପୁନରାବୃତ୍ତି ହେଲା ଭୋଇବଂଶୀ ଗଜପତି ପୁରୁଷୋତ୍ତମ ଦେବଙ୍କ ଭାଗ୍ୟରେ । ଶେଷକୁ ଦ୍ୱିତୀୟ ରାମଚନ୍ଦ୍ରଦେବ ପରିସ୍ଥିତି ଚାପରେ ଯବନ କନ୍ୟାକୁ ବିବାହ କଲେ ।

 

ସାହିତ୍ୟିକ ଉତ୍ତରଣ :

ଓଡ଼ିଶାର ଉପର୍ଯ୍ୟୁକ୍ତ ରାଜନୈତିକ ଅବସ୍ଥା ଏହାର ସାମାଜିକ ଚଳଣି ଉପରେ ଯଥେଷ୍ଟ ପ୍ରଭାବ ପକାଇଥିଲା । ଆଫଗାନ୍‌ ଓ ମୋଗଲ ଶାସନର ପ୍ରଭାବରେ ନାରୀ ସ୍ୱାଧୀନତା ବ୍ୟାହତ ହେଲା ଓ ନାରୀ ଅନ୍ତଃପୁର ବାସିନୀ ହୋଇଗଲା । ସମାଜରେ ବହୁ ବିବାହ ବଳବତ୍ତର ରହିଲା ଏବଂ ନାରୀ ଭୋଗ ଓ ବିଳାସ ସାମଗ୍ରୀରେ ପରିଣତ ହେଲା । ଖୋରଧା ରାଜବଂଶ ସମୟକୁ ଓଡ଼ିଆ ସାହିତ୍ୟରେ ପ୍ରାକ୍‌ରୀତି ଏବଂ ରୀତିଯୁଗୀୟ କବିମାନଙ୍କର ଆବିର୍ଭାବ ଘଟିଛି । ଦିବ୍ୟସିଂହ ଦେବଙ୍କ ଠାରୁ ମାହାଳିଆ ମୁକୁନ୍ଦ ଦେବଙ୍କ ପର୍ଯ୍ୟନ୍ତ ସମୟ ହେଉଛି ଓଡ଼ିଆ ସାହିତ୍ୟର ରୀତିଯୁଗ । ସପ୍ତଦଶ ଶତାବ୍ଦୀର ଶେଷଭାଗ ଓ ଅଷ୍ଟାଦଶ ଶତାବ୍ଦୀର ପ୍ରଥମଭାଗ ଏହି ଏକଶତ ବର୍ଷ ରୀତିଯୁଗୀୟ ଓଡ଼ିଆ ସାହିତ୍ୟର ସୁବର୍ଣ୍ଣ ଯୁଗ । ଏହି ସମୟ ମଧ୍ୟରେ ଅର୍ଥାତ୍‌ ଦିବ୍ୟସିଂହ ଦେବଙ୍କ ରାଜତ୍ୱ କାଳରେ ଉପେନ୍ଦ୍ର, ଦୀନକୃଷ୍ଣ, ଲୋକନାଥ ବିଦ୍ୟାଧର, ଭୂପତି ପଣ୍ଡିତଙ୍କ ଭଳି ବିଦଗ୍‌ଧ କବି ପ୍ରତିଭା ଉନ୍ମେଷ ଘଟି ଓଡ଼ିଆ ସାହିତ୍ୟ ଉନ୍ନତିର ଚରମ ସୀମାରେ ଉପନୀତ ହୋଇଥିଲା । ଏହି କବିମାନଙ୍କର କାବ୍ୟାବଳୀ ଓଡ଼ିଶାର ରାଜଦରବାର, ରାଜପରିବାର ଓ ବିଦଗ୍‌ଧ ମଣ୍ଡଳରେ ବିପୁଳ ଆଦର ଓ ଅଭ୍ୟର୍ଥନା ଲାଭ କରିଥିଲା । ତେବେ ଏହି ରୀତିଯୁଗୀୟ କାବ୍ୟ ମଧ୍ୟରେ ପ୍ରତିଫଳିତ ଐତିହ୍ୟ ଓ ସଂସ୍କୃତିର କେନ୍ଦ୍ରବିନ୍ଦୁ ହେଉଛି ଜଗନ୍ନାଥ ସଂସ୍କୃତି; ଯାହାର ପ୍ରାଣକେନ୍ଦ୍ର ଥିଲା ଉତ୍କଳ ଗଜପତି ବଂଶର ଶେଷ ସ୍ୱାଧୀନ ଦୁର୍ଗ କ୍ଷୁରଧାର କଟକ । ନୀଳ ସବୁଜ ବରୁଣାଈ ପାହାଡ଼ ପଶ୍ଚିମ ପାଦଦେଶରେ ଅବସ୍ଥିତ ସେହି ଅଭେଦ୍ୟ ରାଜବାଟୀ ଆଜି ଧ୍ୱଂସ ସ୍ତୂପରେ ପରିଣତ । ମାତ୍ର ଅଢ଼େଇ ଶତାବ୍ଦୀ ଧରି ତାହା ଓଡ଼ିଆ ଭାଷା, ସାହିତ୍ୟ ସମୃଦ୍ଧି ଓ ବିକାଶର ଯେ ହୃତପିଣ୍ଡ ଥିଲା ଏହା କେହି ଅସ୍ୱୀକାର କରିପାରିବେ ନାହିଁ । ଖୋରଧା ଦରବାରର ସାହିତ୍ୟ ସଭା ଓ ତାର ଅନତି ଦୂରରେ ଅବସ୍ଥିତ ରାଜବାଟୀ ରଥୀପୁରଗଡ଼ର ରାଜସଭାକୁ ମଣ୍ଡିତ କରିଥିଲେ-କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବି ଦୀନକୃଷ୍ଣ ଦାସ, ଭୂପତି ପଣ୍ଡିତ ଓ କବି ବ୍ରଜନାଥ ବଡ଼ଜେନା ପ୍ରଭୃତି ଉତ୍କଳ ଭାରତୀଙ୍କ ବରପୁତ୍ରମାନେ । ସେହି ଖୋରଧା ଅଞ୍ଚଳର ବହୁ କବି, ସାହିତ୍ୟିକ, ଲେଖକ, ସଙ୍ଗୀତଜ୍ଞ ବଣର ମାଳତୀ ପରି ଅଜଣା ଅଶୁଣା ଭାବେ ମଉଳି ପଡ଼ିଛନ୍ତି । ସେମାନଙ୍କର ଆବିଷ୍କାର ଓ ସ୍ମୃତିରକ୍ଷା ପାଇଁ କୌଣସି ଉଦ୍ୟମ ହୋଇପାରି ନାହିଁ । ତେବେ ଏହି ସମୟ ମଧ୍ୟରେ ଯେଉଁ ଲିଖିତ ଓଡ଼ିଆ ଭାଷା ଗଢ଼ି ଉଠିଛି ତାହାହିଁ ଖୋରଧା ଅଞ୍ଚଳରେ ପ୍ରଚଳିତ କଥିତ ଭାଷାର ପ୍ରତିବିମ୍ୱ ଏଥିରେ ସନ୍ଦେହ ନାହିଁ ।

 

ମୋଗଲମାନଙ୍କ ପରେ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିଥିଲେ (୧୭୫୧) । ସେମାନେ ହିନ୍ଦୁ ଧର୍ମାବଲମ୍ୱୀ ଥିବାରୁ ବର୍ଗୀମାନଙ୍କର ସମସ୍ତ ଅତ୍ୟାଚାର ସତ୍ତ୍ୱେ ଓଡ଼ିଶାର ମଠ, ମନ୍ଦିରଗୁଡ଼ିକ ସୁରକ୍ଷିତ ଥିଲା । ତେଣୁ ଧର୍ମ, ସାହିତ୍ୟ ଓ ସଂସ୍କୃତିର ବିକାଶରେ ମରହଟ୍ଟା ସମୟ ପୂର୍ବାପେକ୍ଷା ଅନୁକୂଳ ହୋଇଥିଲା । ମାତ୍ର ଓଡ଼ିଶା ତାର ସାର୍ବଭୌମତ୍ୱ ହରାଇ ବସିଥିଲା । ଏହି ଅବକ୍ଷୟ କଳାର ଯୁଗଚେତନା ସ୍ୱରୂପ ସଂସ୍କୃତିରୁ ଓଡ଼ିଆ ଭାଷାର ଉତ୍ତରଣ, ଓଡ଼ିଆ ଓ ସଂସ୍କୃତ ଉଭୟ ଭାଷାର ସମାବେଶରେ କାବ୍ୟ ରଚନା, ଯାହାକି, କବିସୂର୍ଯ୍ୟଙ୍କ ପର୍ଯ୍ୟନ୍ତ ଚଳି ଆସିଛି । ଏ କଥା ନିଶ୍ଚିତ, ଏକ ଅବକ୍ଷୟଗ୍ରସ୍ତ ପରାଧୀନ ଜାତି ‘କରବାଳ’ରୁ ‘ହରତାଳ’କୁ ଉତ୍ତରଣ ପର୍ଯ୍ୟାୟରେ ‘ସୀତାରାମ’ ‘ରାଧାକୃଷ୍ଣ’ ଭାବଧାରାଦ୍ୱାରା ବିମୋହିତ ହୋଇ ଆଶ୍ରୟ ନେଇଛି ଭାଗ୍ୟବାଦଦ୍ୱାରା ପରିପୃଷ୍ଟ ଆଧ୍ୟାତ୍ମିକ ଭାବ ରାଜ୍ୟରେ ଶାନ୍ତି ଓ ଆଶ୍ୱସ୍ତି ପାଇବା ଆଶାରେ ।

 

ଭାରତ ବର୍ଷରେ ସର୍ବଶେଷରେ ଓଡ଼ିଶା ଇଂରେଜ ଶାସନର ଅଧୀନତା ସ୍ୱୀକାର କରିଥିଲେ ହେଁ ଏହି ଅବକ୍ଷୟଗ୍ରସ୍ତ ସମୟ ମଧ୍ୟରେ ମୋଗଲ ଓ ମରହଟ୍ଟା ଶାସନ ଛତ୍ରତଳେ ଓଡ଼ିଶାର କଳା, କୃଷ୍ଟି, ଭାଷା, ସାହିତ୍ୟ ସବୁଥିରେ ସେହି ସେହି ଶାସନ କାଳୀନ କେତେକ ଛାପା କିଛି ପରିମାଣରେ ରହିଯାଇଛି । ଏ ହେଉଛି ଖୋରଧା ଗଜପତି ବଂଶ ସମୟର (ଅର୍ଥାତ୍‌ ୧୫୬୮ ରୁ ୧୮୦୩ ପର୍ଯ୍ୟନ୍ତ) ଓଡ଼ିଆ ସମାଜ, ଭାଷା ଓ ସାହିତ୍ୟର ପ୍ରଭାବ ।

 

ସେ ଯାହା ହେଉ, ସ୍ୱାଧୀନତା ହରାଇ ମଧ୍ୟ ଓଡ଼ିଆ ଜାତି ନିଜର ରାଷ୍ଟ୍ର ଦେବତା ଜଗନ୍ନାଥଙ୍କ ମଧ୍ୟରେ ନିଜର ଆତ୍ମସତ୍ତା ଖୋଜିଛି । ସର୍ବଧର୍ମ ସମନ୍ୱୟର ନିବାସସ୍ଥଳୀ ଶ୍ରୀଜଗନ୍ନାଥଙ୍କ ମଧ୍ୟରେ ସେ ପାଇଛି ଅବତାରୀ ମାଧୁର୍ଯ୍ୟ ପୁରୁଷୋତ୍ତମ (କୃଷ୍ଣସ୍ତୁ ଭଗବାନ୍‌ ସ୍ୱୟଂ) ଏବଂ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କୁ ।

 

୧୬ଶରୁ ୧୮ଶ ଶତାବ୍ଦୀ ମଧ୍ୟରେ ବିକଶିତ ଭକ୍ତି ସାହିତ୍ୟର ୪ଟି ଆଭିମୁଖ୍ୟ ସ୍ୱତନ୍ତ୍ରଭାବେ ରୂପାୟିତ-

 

(୧)

ପାରମ୍ପରିକ ଭକ୍ତି ଭାବନା (ବ୍ୟାସକୃତ ଭାଗବତ)

(୨)

ସ୍ୱକୀୟା ପ୍ରୀତି ଭିତ୍ତିକ ରାଗାନୁଗା ପ୍ରେମ ଦର୍ଶନ ଯାହା ଗୌଡ଼ୀୟ ଦର୍ଶନର ସ୍ପଷ୍ଟ ଅନୁକୃତି ।

(୩)

ଶୁଦ୍ଧାଭକ୍ତି ମୂଳକ ବୈଷ୍ଣବ ଭାବନା (ଶ୍ରୀଚୈତନ୍ୟ ଓ ତାଙ୍କ ଅନୁଗାମୀଙ୍କ ପ୍ରବର୍ତ୍ତିତ ଧର୍ମଭାବନା)

(୪)

କର୍ମ-ଜ୍ଞାନ-ଯୋଗ-ତଥା ତନ୍ତ୍ର-ମନ୍ତ୍ର-ଯନ୍ତ୍ର ସମନ୍ୱିତ ନିରାକାରଧର୍ମୀ ଭକ୍ତି ଭାବନା ଯାହା ପୂର୍ବ ପ୍ରଚଳିତ ଧର୍ମ ଧାରଣାର ନବୀକରଣ ମାତ୍ର । ଏହି ଚତୁର୍ବିଧ ଭକ୍ତି ଧାରାର ପ୍ରବାହ ରୀତି ଯୁଗୀୟ କାବ୍ୟାବଳୀରେ ଦେଖିବାକୁ ମିଳେ । ମାତ୍ର ମୁଖ୍ୟତଃ ଭକ୍ତିର ପୂଣ୍ୟ ତ୍ରିବେଣୀରୂପେ ଏହା ପ୍ରବାହିତ ହେଲା-ଗୋଟିଏ ଧାରା ଜଗନ୍ନାଥଙ୍କୁ କେନ୍ଦ୍ରକରି, ଦ୍ୱିତୀୟ ଧାରା କୃଷ୍ଣ-ବିଷ୍ଣୁ-ନାରାୟଣଙ୍କୁ କେନ୍ଦ୍ର କରି ଏବଂ ତୃତୀୟ ଧାରା ରାମଚନ୍ଦ୍ରଙ୍କୁ କେନ୍ଦ୍ରକରି । ଭୋଇ ରାଜବଂଶ ସମୟକୁ ଉତ୍କଳର ଭକ୍ତିର ଏହି ପୁଣ୍ୟ ତ୍ରିବେଣୀ ପ୍ରବଳ ଭାବେ ପ୍ରବାହିତ ହେବାକୁ ଲାଗିଲା ।

 

ସାହିତ୍ୟ ସୃଷ୍ଟି ପରିପ୍ରେକ୍ଷୀରେ ପରାଧୀନ ଓଡ଼ିଶାର ଏହି ସମୟକୁ ଦୁଇ ଭାଗରେ ବିଭକ୍ତ କରା ଯାଇପାରେ । ପ୍ରାକ୍‌ରୀତିଯୁଗ (୧୫୫୦-୧୬୫୦) ଏବଂ ରୀତିଯୁଗ (୧୬୫୦-୧୮୫୦)-। ୧୬୫୦-୧୮୫୦ ସମୟ ଓଡ଼ିଆ ସାହିତ୍ୟରେ ମଧ୍ୟଯୁଗରୂପେ ମଧ୍ୟ ଅବହିତ ।

 

ସଂସ୍କୃତ ଓ ପ୍ରାକୃତ ଭାଷାର ସଂଘର୍ଷରୁ ଓଡ଼ିଆ ଭାଷାକୁ ସଂସ୍କୃତ କାବ୍ୟ ସମକକ୍ଷ କରାଇବାକୁ ଓଡ଼ିଆ କବିଗଣଙ୍କର ଦୁର୍ବାର ପ୍ରଚେଷ୍ଟା ମଧ୍ୟରୁ ଓଡ଼ିଆ ରୀତିଯୁଗର ଉଦ୍ଭବ ଘଟେ ।

 

ଏଠାରେ ଲକ୍ଷଣୀୟ ଖୋରଧା ଭୋଇବଂଶ ୧୫୬୮ରେ ସ୍ଥାପିତ ହେଲାବେଳକୁ ଏହାର ଦୁଇ ଦଶନ୍ଧି ପୂର୍ବରୁ ପ୍ରାକ୍‌ରୀତି ଯୁଗର ଅୟମାରମ୍ଭ । ପ୍ରାକ୍‌ରୀତି ଯୁଗର ଆଦ୍ୟ ପୁରୋଧା ହେଉଛନ୍ତି ଅର୍ଜ୍ଜୁନ ଦାସ-‘ରାମ ବିଭା’ କାବ୍ୟର ରଚୟିତା । କାର୍ତ୍ତିକ ଦାସ, ଦେବ ଦୁର୍ଲଭ ଦାସ, ପ୍ରତାପ ରାୟ, ପଣ୍ଡିତ ବିଷ୍ଣୁଦାସ ପ୍ରମୁଖ ଏହି ସମୟର ଅନ୍ତର୍ଭୁକ୍ତ ।

 

ଏହାପରେ ସମୃଦ୍ଧ ରୀତି କାବ୍ୟ ପରମ୍ପରାର ପଟ୍ଟପୁରୋଧା, ଅନ୍ୟତମ ପ୍ରବକ୍ତା ରାଜକବି ଧନଞ୍ଜୟ ଭଞ୍ଜ । ତାଙ୍କର କାବ୍ୟ ‘‘ରଘୁନାଥ ବିଳାସ’’ । ପ୍ରାକ୍‌ରୀତି ଓ ରୀତିଯୁଗ ଅର୍ଜୁନ ଦାସଙ୍କ ଠାରୁ ଯଦୁମଣି ମହାପାତ୍ରଙ୍କ ପର୍ଯ୍ୟନ୍ତ ପ୍ରଲମ୍ବିତ । ଏ ଯୁଗର ପ୍ରଧାନ ପ୍ରଧାନ କବି ହେଲେ-ଅର୍ଜୁନ ଦାସ, ଶିଶୁ ଶଙ୍କର ଦାସ, ନରସିଂହ ସେଣ, ରଘୁନାଥ ହରିଚନ୍ଦନ, ଦେବଦୁର୍ଲ୍ଲଭ ଦାସ, କାର୍ତ୍ତିକ ଦାସ, ଧନଞ୍ଜୟ ଭଞ୍ଜ, ତ୍ରିବିକ୍ରମ ଭଞ୍ଜ, ଦୀନକୃଷ୍ଣ ଦାସ, ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଅଭିମନ୍ୟୁ ସାମନ୍ତ ସିଂହାର, ଭକ୍ତଚରଣ ଦାସ, ଗୋପାଳକୃଷ୍ଣ ପଟ୍ଟନାୟକ, ବନମାଳୀ ଦାସ, ଯଦୁମଣି ମହାପାତ୍ର ।

 

ଏ ଯୁଗର ଅଧିକାଂଶ କାବ୍ୟ ସଂସ୍କୃତ କାବ୍ୟ ଅନୁସରଣରେ ଲିଖିତ ଓ ରଚିତ । କାବ୍ୟର ଆତ୍ମା, ଦେହ, ଅଙ୍ଗପ୍ରତ୍ୟଙ୍ଗ ବିଭିନ୍ନ ପ୍ରକାର ଅଳଙ୍କାରରେ ଭରପୁର । କାବ୍ୟ କବିତା ମୁଖ୍ୟତଃ ସଙ୍ଗୀତ-ମୁଖରା । କାବ୍ୟ ରଚନାର କ୍ରମିକତା-ମଙ୍ଗଳାଚରଣ, ଅଷ୍ଟସ୍ତୁତି, ଖଳନିନ୍ଦା, ସାଧୁସ୍ତୁତି, ନାୟକ ନାୟିକାଙ୍କ ପୂର୍ବଜନ୍ମ ଅବତାରଣା, ସେମାନଙ୍କ ଜନ୍ମ, ଶୈଶବ ପୌଗଣ୍ଡ, କୈଶୋର, ଯୌବନ, ଏବଂ ସୌନ୍ଦର୍ଯ୍ୟଶ୍ରୀର ବିପୁଳ ବର୍ଣ୍ଣନା, ସ୍ୱପ୍ନଦର୍ଶନ, ପୂର୍ବାନୁରାଗ, ପ୍ରୀତି, ପ୍ରଣୟ, ବିବାହ, ମାନ, ଅଭିମାନ, ରାଗରୁଷାଦି, ପ୍ରକାଶ, ବିଚ୍ଛେଦ, ବିରହ, ପୁନର୍ମିଳନ ଏବଂ ସମ୍ଭୋଗ ଶୃଙ୍ଗାର ତଥା ରତିକ୍ରୀଡ଼ା ଇତ୍ୟାଦି । ଏହି ଶ୍ରେଣୀର କାବ୍ୟ ସାହିତ୍ୟର ଅନ୍ୟତମ ବୈଶିଷ୍ଟ୍ୟ-ପ୍ରେମର ଏକନିଷ୍ଠତା ବା ସ୍ୱକୀୟାପ୍ରୀତି ।

 

‘‘ପରଦ୍ରବ୍ୟ ପରସ୍ତ୍ରୀ ହରଣକୁ, ଲେଖୁଁ ଶୁଭ କରି ତହୁଁ ମରଣକୁ’’-ଉପେନ୍ଦ୍ର ଭଞ୍ଜ । ଏ ଯୁଗର ସାହିତ୍ୟ ସମାଜକୁ ପ୍ରତ୍ୟାଖ୍ୟାନ କରଛି । ଏଥିରେ ସମାଜ-ଚିତ୍ର ଅସ୍ପଷ୍ଟ । ଆଦର୍ଶ ଦାମ୍ପତ୍ୟ ଜୀବନର ପ୍ରତିଷ୍ଠା ହେଉଛି ଏ ଯୁଗର କାବ୍ୟ-ଧର୍ମ ।

 

ତଥାପି ନାରୀକୁ ସମୟୋପଯୋଗୀ ହୋଇ ବିଭିନ୍ନ ସାମାଜିକ ସ୍ଥିତିରେ ପତ୍ନୀ, ପ୍ରେମିକା, ଭଗିନୀ, କନ୍ୟା, ମାତା ଓ ବେଶ୍ୟା ପ୍ରଭୃତି ବିଭିନ୍ନ ଭୂମିକାରେ କର୍ତ୍ତବ୍ୟ ନିର୍ବାହ କରିବାକୁ ପଡ଼ିଛି । ଗୋଟିଏ କଥା ଖୁବ୍‌ ସୁସ୍ପଷ୍ଟ ଭାବେ ବାରି ହୋଇଯାଏ ଯେ, ନିଜର ସମସ୍ତ ରୂପ ବିଭବରେ ନାରୀ ହୋଇ ଯାଇଛି ପୁରୁଷ-ଲାଳସାର ସୌଖିନ ସାଧନ ମାତ୍ର । ଏ ଦୃଷ୍ଟିରୁ ତତ୍‌କାଳୀନ କବିମାନେ ନାରୀଠାରେ ଦେବତ୍ୱ ଆରୋପ ନକରି ମାନବତ୍ୱ ଆରୋପ କରିଛନ୍ତି । ସେ ହୋଇଛି ପୁରୁଷର ସୌଖ୍ୟ ପ୍ରଦାନ କାରିଣୀ । ରୀତିଯୁଗୀୟ କବିମାନେ ନାରୀକୁ ପ୍ରେମମୟ ରୂପରେ ଦେଖିଛନ୍ତି । ତେଣୁ ସେମାନଙ୍କ ବର୍ଣ୍ଣନାରେ ପ୍ରେମ, ପ୍ରଣୟ ଓ ଶୃଙ୍ଗାରର ଆତିଶଯ୍ୟ ପରିଲକ୍ଷିତ ହୁଏ । କଳ୍ପଲତା, ପରିମଳାବତୀ, ଲୀଳାବତୀ, ପ୍ରେମଲୋଚନା, ହଂସବତୀ, ପଦ୍ମାବତୀ, କଳାବତୀ, ସର୍ବାଙ୍ଗସୁନ୍ଦରୀ, ମଦନ ମଞ୍ଜରୀ, ରତ୍ନ ମଞ୍ଜରୀ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡସୁନ୍ଦରୀ ପ୍ରଭୃତି କାବ୍ୟର ନାୟିକାମାନେ କେବଳ ଜନ୍ମ ହୋଇଛନ୍ତି ପ୍ରେମପାଇଁ । ସେମାନଙ୍କ ଠାରେ ନାହିଁ ଜରା, ନାହିଁ ବ୍ୟାଧି । ରାଜମହଲର ତୂଳୀ ତଳ୍ପରେ ସେମାନଙ୍କର ଜନ୍ମ । ଆଭିଜାତ୍ୟର ଆଡ଼ମ୍ୱର ମଧ୍ୟରେ ସେମାନେ ଚନ୍ଦ୍ରକଳା ପରି ବରିବର୍ଦ୍ଧିତ ଏବଂ ପୁଷ୍ପିତ । ଚିନ୍ତା, ଚେତନା, ଆହାର, ବିହାର, ସ୍ୱପନ, ଜାଗରଣ ତନ୍ଦ୍ରା, ନିଦ୍ରା ସବୁ ଅବସ୍ଥାରେ ସେମାନଙ୍କଠାରେ ପ୍ରେମମୟତା, ବିରହ ମିଳନ ବ୍ୟଗ୍ରତା ପରିଲକ୍ଷିତ । କବିମାନଙ୍କ ଲେଖନୀରେ ନାରୀ ପ୍ରାଧାନ୍ୟ ଲାଭ କରି ତ୍ୟାଜ୍ୟ ପରିବର୍ତ୍ତେ ଉପଭୋଗ୍ୟରୂପେ ବର୍ଣ୍ଣିତ । ସେ ହୋଇ ଉଠିଛି ପ୍ରଲୋଭନ ଓ ପ୍ରେମର ସାମଗ୍ରୀ ।

 

ପ୍ରାକ୍‌ରୀତି ଓ ରୀତିଯୁଗୀୟ ଓଡ଼ିଆ କାବ୍ୟମାନଙ୍କରେ ଆମର ପରମ୍ପରାଗତ ଧର୍ମୀୟ ଧାରଣା ପ୍ରତିପାଦିତ । ଦୃଷ୍ଟାନ୍ତ ସ୍ୱରୂପ ଖ୍ରୀଷ୍ଟ ଧର୍ମାନୁଯାୟୀ ଆଦମ୍‌ ଓ ଇଭ୍‌ଙ୍କ ପାପ କର୍ମ ଯୋଗୁଁ ଧରାପୃଷ୍ଠରେ ମାନବର ସୃଷ୍ଟି, ଅର୍ଥାତ୍‌ ଇହଲୋକରେ ମାନବର ଆବିର୍ଭାବ ପାପସମ୍ଭୂତ । ଅଥଚ ସନାତନ ବୈଦିକ ପରମ୍ପରାନୁଯାୟୀ ମାନବକୁ କୌଣସି ପାପ କର୍ମରୁ ସୃଷ୍ଟି ବୋଲି କଳ୍ପନା ନକରି ‘ଅମୃତ ସନ୍ତାନ’ ବୋଲି ଧାରଣା ଦିଆଯାଇଛି । ସେ ଯାହାହେଉ ସାଂସାରିକ ଲୀଳା ଖେଳା କରିବା ପାଇଁ ଜୀବାତ୍ମାର ଧରାବତରଣ ଏବଂ ମାନବ ଯୋନିରେ ଜନ୍ମ ପରିଗ୍ରହ ଅପରିହାର୍ଯ୍ୟ । ଏଠାକୁ ଆସି ନାରୀ ଓ ପୁରୁଷ ଉଭୟ ପ୍ରେମରେ ପଡ଼ନ୍ତି । କାରଣ ଯୌନ ପ୍ରବୃତ୍ତି ଓ ଦୈହିକ ପ୍ରେମ ମାନବର ଆଦିମ ପ୍ରବୃତ୍ତି । ଦୈହିକ ପ୍ରେମ ଆତ୍ମିକ ପ୍ରେମରେ ପରିଣତ ହୁଏ । ବରଂ ଦୈହିକ ସମ୍ପର୍କ ପୂର୍ବରୁ ଆତ୍ମିକ ପ୍ରେମ ବିରହ ମିଳନର ଉତ୍‌ଥାନ ପତନ ପ୍ରକ୍ରିୟା ମଧ୍ୟରେ ଗତି କରେ । ଏହାହିଁ ପ୍ରଣୟ । ପରିଣୟ ପୂର୍ବରୁ ଏହି ପ୍ରଣୟ ବେଭାର, ବିରହ ମିଳନ, ବ୍ୟଥା ଆନନ୍ଦ ଶୃଙ୍ଗାର ରସ ମାଧ୍ୟମରେ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟାବଳୀରେ ବର୍ଣ୍ଣିତ । ବିଗ୍ରହ ବିଚ୍ଛେଦ ଅଗ୍ନିଦାହ ମଧ୍ୟ ଦେଇ ଉନ୍ନତ ଦାମ୍ପତ୍ୟ ଜୀବନ ସହ ବ୍ୟକ୍ତିର ପ୍ରାଣିକ ତଥା ମାର୍ମିକ ବିକାଶ ସାଧନ ଏହାର ପରୋକ୍ଷ ଲକ୍ଷ୍ୟ । ସମାଜକୁ ରସାସ୍ୱାଦନ କରାଇବା ମଧ୍ୟ ସେ ସମୟରେ ରଚିତ କାବ୍ୟଗୁଡ଼ିକର ଅନ୍ତର୍ନିହିତ ଉଦ୍ଦେଶ୍ୟ ।

 

ଏ ଦୃଷ୍ଟିରୁ ଖୋରଧାର ଭୋଇ ରାଜବଂଶ ସମୟରେ ଓଡ଼ିଆ ଭାଷାରେ ବିରଚିତ ପ୍ରାକ୍‌ରୀତି ଓ ରୀତି କାବ୍ୟଗୁଡ଼ିକୁ ନିର୍ଦ୍ଦିଷ୍ଟ ୩ଟି ବିଭାଗରେ ବିଭକ୍ତିକରଣ କରା ଯାଇପାରେ ।

 

କାବ୍ୟିକ ସୃଷ୍ଟିର ତ୍ରିଧାରା :

ସେଗୁଡ଼ିକ ହେଲା-

(କ)

ରାମ (ସୀତା ରାମ) କାବ୍ୟ

(ଖ)

ଶ୍ୟାମ (ରାଧେଶ୍ୟାମ) କାବ୍ୟ

(ଗ)

ପ୍ରେମ (କାଳ୍ପନିକ-ଦାମ୍ପତ୍ୟ ପ୍ରେମ) କାବ୍ୟ ।

 

ଏହି ରାମ, କୃଷ୍ଣ ଓ ପ୍ରେମ ପ୍ରଧାନ କାବ୍ୟଗୁଡ଼ିକରେ ରୀତିଯୁଗୀୟ କବିମାନେ କାବ୍ୟର ମଙ୍ଗଳାଚରଣରେ ନିଜର ଇଷ୍ଟଦେବ ଓ ଅନ୍ୟାନ୍ୟ ଦେବଦେବୀଙ୍କ ବନ୍ଦନା କରିବା ସଙ୍ଗେ ସଙ୍ଗେ ଉତ୍କଳର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ବନ୍ଦନା କରିଛନ୍ତି । ପଞ୍ଚ ଦେବତାଙ୍କ ବନ୍ଦନା ବା ସ୍ମାର୍ତ୍ତମତବାଦୀ ଉପାସନା ସହ ବୈଷ୍ଣବ ମତବାଦୀ ଉପାସନା ଏହି ସମୟ ମଧ୍ୟରେ ଓଡ଼ିଶାରେ ଚାଲି ଆସିଛି ଏବଂ ତତ୍‌କାଳୀନ କାବ୍ୟାବଳୀ ଏହାର ଯଥେଷ୍ଟ ପ୍ରମାଣ । ମୁଖ୍ୟତଃ ରାମ, ଶ୍ୟାମ ଓ ପ୍ରେମ ହିଁ ଖୋରଧା ରାଜବଂଶ ସମୟର ପ୍ରାକ୍‌ରୀତି ଓ ରୀତିଯୁଗୀୟ କବିମାନଙ୍କଦ୍ୱାରା ରଚିତ କାବ୍ୟ ସମୂହର ମୁଖ୍ୟ ଉପଜୀବ୍ୟ । ଭକ୍ତି, ଆନନ୍ଦ ଓ ଭୋଗବାଦର ସହାବସ୍ଥାନ ତଥା ସମନ୍ୱୟ ଏହି କାବ୍ୟ ସାହିତ୍ୟରେ ପରିଲକ୍ଷିତ ।

 

ରାମ ଏବଂ କୃଷ୍ଣ ଗାଥା ଭାରତୀୟ ସମାଜକୁ ବହୁ ଦିନରୁ ବିମୋହିତ କରି ରଖିଛି । ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟରେ ଭଗବାନଙ୍କର ଲୀଳାରୂପ ପ୍ରାଧାନ୍ୟ ଲାଭ କରିବାରୁ ରାମ ଓ କୃଷ୍ଣଙ୍କ ଗୁଣ ଓ ମହିମା ହେଲା କୀର୍ତ୍ତିତ । ଯେତେ କାବ୍ୟ ସୃଷ୍ଟି ହୋଇଛି ସେଗୁଡ଼ିକ ଏହି ଦୁଇ ଅବତାର ପୁରୁଷଙ୍କ ଜୀବନ ଆଲେଖ୍ୟକୁ ନେଇ ରଚିତ କିମ୍ୱା ତଦ୍ଦ୍ୱାରା ପ୍ରଭାବିତ । ଯେତେ କାଳ୍ପନିକ କାବ୍ୟ ରଚିତ ସେ ସମସ୍ତ ରାମାୟଣ ଓ ମହାଭାରତ ଚରିତ୍ରାବଳୀ ଛାୟାରେ ରଚିତ ଏବଂ ବିକଶିତ ।

 

ଓଡ଼ିଶା ପରିପ୍ରେକ୍ଷୀରେ ପରାଧୀନ ଉତ୍କଳୀୟ ସମାଜରେ ଯେତେବେଳେ ସ୍ୱାଭିମାନ ଓ ପୁରୁଷାକାର ପ୍ରତିହତ ଶ୍ରୀରାମଙ୍କ ସତ୍ୟନିଷ୍ଠା, ତ୍ୟାଗପୂତ ବୀରତ୍ୱ ବ୍ୟଞ୍ଜକ ଜୀବନ, ସୀତା, ଲକ୍ଷ୍ମଣ, ଭରତ ଓ ହନୁମାନ ଚରିତ୍ରାବଳୀର ଆଦର୍ଶ ବିଶେଷତଃ ରାମାୟଣସ୍ଥ ଦାସ୍ୟଭକ୍ତି ଅବକ୍ଷୟଗ୍ରସ୍ତ ଓଡ଼ିଆ ପ୍ରାଣରେ ଆଶାର ଆଲୋକ ଏବଂ ଆଶ୍ୱସ୍ତିର ପ୍ରଲେପ ପ୍ରଦାନ କରିଛି ।

 

(କ) ରାମ କାବ୍ୟ :

ମତ୍ତ ବଳରାମଦାସ କୃତ ଦାଣ୍ଡୀ ବା ଜଗମୋହନ ରାମାୟଣ ଓ କାର୍ତ୍ତିକ ଦାସଙ୍କ କାବ୍ୟିକ ସ୍ଫୁରଣ ‘ରାମ ବିଭା’ ପରେ ଖୋରଧା ରାଜବଂଶ ସମୟରେ ରଚିତ ନିମ୍ନଲିଖିତ ରାମ କାବ୍ୟ ବା ରାମାୟଣ ଦୃଷ୍ଟି ପଥାରୁଢ଼ ହୁଏ ।

 

୧.

ପୁରୀ ରାମଲୀଳା ବା ବିଚିତ୍ର ରାମାୟଣ-ପୁରୀ ଶ୍ରୀଜଗନ୍ନାଥଙ୍କ ସେବକ ବିଶ୍ୱନାଥ ଖୁଣ୍ଟିଆ କୃତ (ଖ୍ରୀ ୧୬୮୦-୧୭୦୦) ।

୨.

ପ୍ରାଚୀ ତଟବର୍ତ୍ତୀ ସୁନ୍ଦର ଗ୍ରାମ ବାସିନ୍ଦା ରଘୁନାଥ ଦାସ କୃତ ରାମଲୀଳା-ଖ୍ରୀ୧୭୨୦ ମଧ୍ୟରେ ରଚିତ ।

୩.

ଚିକିଟି ରାମଲୀଳା-କୃଷ୍ଣଚନ୍ଦ୍ର ରାଜେନ୍ଦ୍ରଙ୍କ ନାମରେ ଭଣିତ-ଖ୍ରୀ୧୭୩୦-୧୭୬୦ ମଧ୍ୟରେ ରଚିତ ।

୪.

ଖୋରଧା ରାମଲୀଳା-ବଶ୍ୟ ସଦାଶିବଙ୍କଦ୍ୱାରା ରଚିତ ଗଜପତି ଦିବ୍ୟସିଂହ ଦେବଙ୍କ ରାଜତ୍ୱ କାଳ ।

୫.

ରଣପୁର ରାମଲୀଳା-ରଣପୁର ରାଜ୍ୟର କାଙ୍କେଇଗଡ଼ (ପିଚୁକୁଳି ନିକଟ) ନିବାସୀ ଅନଙ୍ଗ ନରେନ୍ଦ୍ରଙ୍କଦ୍ୱାରା ରଚିତ । ସମୟ-ବୀର କେଶରୀ ଦେବଙ୍କ ରାଜତ୍ୱ କାଳ (ଖ୍ରୀ୧୭୩୬-୧୭୯୨) ।

୬.

ନୃତ୍ୟ ରାମାୟଣ-ଲେଖକ କେଶବ ପଟ୍ଟନାୟକ ଖୋରଧା ଅଞ୍ଚଳ ବାସିନ୍ଦା ଥିଲେ ଖ୍ରୀ୧୮ଶ ଶତାବ୍ଦୀ ।

୭.

ରାମଚନ୍ଦ୍ର ବିହାର-ଲେଖକ ମାଗୁଣୀ ପଟ୍ଟନାୟକଙ୍କର ବାସସ୍ଥାନ ଖୋରଧା ନିକଟବର୍ତ୍ତୀ ଗ୍ରାମ କୋଟପଲ୍ଲୀ । ସମୟ- ୧୮ଶ ଶତାବ୍ଦୀ ।

୮.

‘ସୀତାଈଶ ବିଳାସ’-କବି ହରେକୃଷ୍ଣ ଜେନା । ଜଟଣୀ-ବଡ଼ତୋଟା ନିକଟ ଦ୍ୱାର ଖୋଲ ଗ୍ରାମବାସୀ ଜନ୍ମ-ଅଷ୍ଟାଦଶ ଶତାବ୍ଦୀ ।

୯.

ରାମଲୀଳାମୃତ-ଉପେନ୍ଦ୍ର ଭଞ୍ଜ ।

 

ଏତଦ୍‌ବ୍ୟତୀତ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କ ‘ରଘୁନାଥ ବିଳାସ’ କମିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ‘ବୈଦେହୀଶ ବିଳାସ’ ଏବଂ ନୟାଗଡ଼ ଇଟାମାଟି ନିବାସୀ ଯଦୁମଣି ମହାପାତ୍ରଙ୍କ ‘ରାଘବ ବିଳାସ’ ପ୍ରଭୃତି ରାମ କାବ୍ୟ ଏହି ସମୟର ରଚନା । ମୋଗଲମାନଙ୍କ ପରେ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିଥିଲେ । ସେମାନେ ହିନ୍ଦୁ ଧର୍ମାବଲମ୍ବୀ ଥିବାରୁ ବର୍ଗୀମାନଙ୍କର ସମସ୍ତ ଅତ୍ୟାଚାର ସତ୍ତ୍ୱେ ଓଡ଼ିଶାରେ ମଠ ମନ୍ଦିରଗୁଡ଼ିକ ସୁରକ୍ଷିତ ଥିଲା । ତେଣୁ ଧର୍ମ, ସାହିତ୍ୟ ଓ ସଂସ୍କୃତିର ବିକାଶରେ ମରହଟ୍ଟା ସମୟ ପୂର୍ବାପେକ୍ଷା ଅନୁକୂଳ ହୋଇ ଥିଲାବୋଲି ଐତିହାସିକମାନେ ମତ ଦିଅନ୍ତି ।

 

ଏହି ସମୟରେ ରଚିତ ରାମ କାବ୍ୟଗୁଡ଼ିକରେ ‘ଇଷ୍ଟ ନିଷ୍ଠା’, ସ୍ୱକୀୟା ପ୍ରୀତି ଓ ଏକ ପତ୍ନୀବ୍ରତ ଉପରେ ଗୁରୁତ୍ୱ ଦିଆ ଯାଇଅଛି । ଏକ ଅବକ୍ଷୟ ଗ୍ରସ୍ତ ଜାତିର ଶୁପ୍ତ ଧମନୀରେ ସଂଜୀବନୀ ଧାରା ପ୍ରବାହିତ କରି ଗୌରବୋଜ୍ଜ୍ୱଳ ମହାନ ଉତ୍କଳୀୟ ସଂସ୍କୃତିର ପୁନରୁଦ୍ଧାର କରିବା ପାଇଁ ।

 

ଏ ଯୁଗର ଲକ୍ଷଣ ସ୍ୱରୂପ ନିମ୍ନ ବର୍ଣ୍ଣରେ ଜନ୍ମଗ୍ରହଣ କରି କାବ୍ୟ ଲେଖାରେ ହାତ ଦେଇ ଥିବାରୁ ଯଦୁମଣି ଓ ହରେକୃଷ୍ଣ ଜେନା ଅଷ୍ଟାଦଶ ଶତାବ୍ଦୀରେ ମଧ୍ୟ ନ୍ୟୂନତା ପ୍ରକାଶ କରି ପାଠକ ମଣ୍ଡଳୀଙ୍କର ସହାନୁଭୂତି ପ୍ରତ୍ୟାଶା କରିଛନ୍ତି ।

 

୧-ଶୂଦ୍ର ମୁଖୁଁ ଏ ହୋଇଛି ବାହାର

ରୌଦ୍ରତା ବହି କେହି ନ ବିଚାର ।-ଯଦୁମଣି

୨-ଶୂଦ୍ର ମୁଖୁ ଉତ୍‌ପନ୍ନ ହେବାର ଚିତ୍ତେ ନଘେନ

X      X      X      X      X

ଶାମୁକାରୁ ମୁକୁତା ପ୍ରାୟେ

ସୁଜନେ ଦୋଷ ନ ବାଛି ଘେନ ହୃଦୟେ ।-ହରେକୃଷ୍ଣ ଜେନା ।

 

ତେଣୁ ତତ୍‌କାଳୀନ ସମାଜରେ କୁଳୀନମାନଙ୍କର ପ୍ରାଧାନ୍ୟ ଏଥିରୁ ସୂଚିତ ହୁଏ । ଏତଦ୍‌ବ୍ୟତୀତ ରାମ କାବ୍ୟ ରଚନାରେ ପୂର୍ବ ସୂରୀଙ୍କ ପ୍ରଭାବ ମଧ୍ୟ ପରିଲକ୍ଷିତ ହୁଏ । କବି ହରେକୃଷ୍ଣଙ୍କ ‘ଶ୍ରୀ ସୀତାଈଶ ବିଳାସ’ କାବ୍ୟରେ ‘ବୈଦେହୀଶ ବିଳାସ’ର ପ୍ରଭାବ ନିମ୍ନ ଉଦ୍ଧୃତିରୁ ଅନୁମେୟ ।

 

୧-‘‘ଶଙ୍କା ଉପୁଜେ ଶୁଣି ମୋ ତରଣୀ

ତରୁଣୀ ହୋଇଲେ ବୁଡ଼ିବଟି ଭେଳାରେ ।’’

୨-ସେ ପାଦ ତୋ ନ ଧୋଇ,      ନ ଦେବିଟି ବସାଇ,

ବୃତ୍ତି ଏ କୁଟୁମ୍ୱ ପୋଷୁଛି X X X X ଧାତାରେ ଧୌତ ଯା ନୋହିଛି ସେ ।’’

 

ରାମ କାବ୍ୟମାନଙ୍କରେ ତତ୍‌କାଳୀନ ସାମାଜିକ ଚିତ୍ର ପରିସ୍ଫୁଟ । କବିମାନେ ସୀତାଙ୍କୁ ଓଡ଼ିଆଣୀ ବେଶଭୂଷା ଅଳଙ୍କାର ପିନ୍ଧାଇ ଓଡ଼ିଆ ଘରର ବୋହୂ ରୂପରେ ବର୍ଣ୍ଣନା କରିଛନ୍ତି । ସେତେବେଳେ ବୋହୂମାନେ ଶାଶୁମାନଙ୍କର ଉପଦେଶ ଗ୍ରହଣ କରୁଥିଲେ । ବନକୁ ଗମନ କରିବା ପୂର୍ବରୁ ଶାଶୁ କୌଶଲ୍ୟା ବୋହୂ ସୀତାଙ୍କୁ ନିମ୍ନ ପ୍ରକାରେ ଉପଦେଶ ଦେଇଛନ୍ତି ।

 

୧-‘‘ବିପିନରେ ପୀନଉରଜା ଅପୂର୍ବ ଦ୍ରବ୍ୟ ନ ମାଗିବୁ ।’’-ଉପେନ୍ଦ୍ର ଭଞ୍ଜ

୨-ସୀତାଙ୍କୁ କୌଶଲ୍ୟା କହନ୍ତି

      ଅପୂର୍ବ ପଦାର୍ଥ ଦେଖିଲେ

ଶ୍ରଦ୍ଧା ନ କରିବୁ : ଅସଂନ୍ଧେ ଥିବା ବା, X X X

      କହୁଛି ମୁଁ ଭଲେ ।’’

 

କବିମାନେ ହିନ୍ଦୁଧର୍ମର ପାରମ୍ପରିକ ପୂର୍ବ ଜନ୍ମର ବିଶ୍ୱାସ ନିଜ ନିଜ କାବ୍ୟରେ ପ୍ରକଟ କରିଛନ୍ତି । ଇଷ୍ଟଦେବଙ୍କ ପ୍ରତି ମଧ୍ୟ ଜନ୍ମ ଜନ୍ମାନ୍ତରେ ଭକ୍ତି ନିବେଦନ କରିଛନ୍ତି :

 

‘‘ଉପଇନ୍ଦ୍ର ଅଙ୍ଗ ଭୟ ଉପଇନ୍ଦ୍ର ହର

ଜନମ ଜନମ କର ଭକତ ପବର ।

 

ଆଗରୁ କୁହାଯାଇଛି, ରାମକାବ୍ୟ ପରି ସଂଶିତ କାଳର କବିମାନେ ସମାନ୍ତରାଳ ଭାବେ କୃଷ୍ଣ କାବ୍ୟ ବି ରଚନା କରିଛନ୍ତି । ଏଠାରେ ଗୋଟିଏ କଥା ବିଶେଷ ପ୍ରଣିଧାନଯୋଗ୍ୟ । ପୂର୍ବରୁ କୁହାଯାଇଛି, ସମୁଦାୟ ଭକ୍ତି (କରତାଳ) ଯୁଗୀୟ ସାହିତ୍ୟରେ ହିନ୍ଦୁମାନଙ୍କର ଦୁଇ ମୁଖ୍ୟ ଅବତାର ପୁରୁଷ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଏବଂ ମାଧୁର୍ଯ୍ୟ ପୁରୁଷୋତ୍ତମ, ଗୋପ ବା ବୃନ୍ଦାବନର ଶ୍ରୀ କୃଷ୍ଣଚନ୍ଦ୍ରଙ୍କର ଲୀଳା ବିଭିନ୍ନ ରୂପରେ ପରିବେଷିତ ହୋଇଛି । ଶ୍ରୀରାମଚନ୍ଦ୍ର ସ୍ୱକୀୟ-ପ୍ରେମ-ଭକ୍ତି ପ୍ରତୀକ ହୋଇଥିବା ସ୍ଥଳେ ବୃନ୍ଦାବନର ଶ୍ରୀରାଧିକା-ହୃଦୟ-ଚିନ୍ତାମଣି ଶ୍ରୀକୃଷ୍ଣଚନ୍ଦ୍ର ପରକୀୟା ପ୍ରେମ ଭକ୍ତିର ସାକାର ବିଗ୍ରହ । ଉଭୟ ଶ୍ରେଣୀୟ ରଚନାବଳୀରେ ସଗୁଣ ବ୍ରହ୍ମ ଉପାସନାର ପ୍ରାଧାନ୍ୟ ପରିଲକ୍ଷିତ ହୁଏ । କେବଳ ତତ୍‌କାଳୀନ ମଧ୍ୟଯୁଗୀୟ ସାହିତ୍ୟିକ ରୁଚିକୁ ଚାହିଁ ଏହାର କାବ୍ୟିକ ପରିପ୍ରକାଶ ଉଭୟ କ୍ଷେତ୍ରରେ ଶୃଙ୍ଗାରାତ୍ମିକା ହୋଇ ଉଠିଛି । କବିମାନଙ୍କ ଲେଖାରେ ଶ୍ରୀମଦ୍‌ ଭଗବତ ବର୍ଣ୍ଣିତ ମହାଭାବର ନିର୍ଯ୍ୟାସ ପରକୀୟା ପ୍ରେମ ମୁଖ୍ୟରୂପେ ଗୃହୀତ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଏବଂ ମଥୁରା-କୁରୁକ୍ଷେତ୍ର ତଥା ଦ୍ୱାରକାର ଶ୍ରୀକୃଷ୍ଣ (ଯାହାଙ୍କୁ ମହାଭାରତ ବା ଶ୍ରୀମଦ୍‌ ଭଗବତ ଗୀତା ଶ୍ରୀକୃଷ୍ଣରୂପେ ଅବହିତ କରାଯାଇ ପାରେ) ହେଉଛନ୍ତି ଉତ୍କଳୀୟ ବୈଷ୍ଣବ ମତବାଦର ସ୍ୱକୀୟା ପ୍ରେମ-ଭକ୍ତି ସମ୍ବଳିତ କାବ୍ୟ ସାହିତ୍ୟର ମୁଖ୍ୟ ଉପଜୀବ୍ୟ-। ଏହିପରି ଭକ୍ତିବାଦର ଦୁଇଟି ଧାରା ଶ୍ରୀଜୟଦେବ (ଦ୍ୱାଦଶ ଶତାବ୍ଦୀ) ସମୟରୁ ସମାନ୍ତରାଳ ଭାବେ ଓଡ଼ିଆ କରତାଳ-ସାହିତ୍ୟକୁ ଉତ୍‌ପ୍ଳାବିତ କରିଛି । ପରିଶେଷରେ ଏହାହିଁ ପରିଦୃଷ୍ଟ ହୁଏ ଯେ, ଏହି ଉଭୟ ଭାବଧାରା ଉତ୍କଳର ସର୍ବଧର୍ମ ସମନ୍ୱୟବାଦୀ ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥଙ୍କ ଠାରେ ନିଃଶେଷ ଏବଂ ନିମଜ୍ଜିତ ହୋଇ ଆଧ୍ୟାତ୍ମିକ ତଥା ଧର୍ମୀୟ ସହାବସ୍ଥାନର ଜୟଗାନ କରିଚି ।

 

(ଖ) ଶ୍ୟାମ କାବ୍ୟ-

ଯେଉଁ ରାଧାକୃଷ୍ଣଙ୍କୁ ନେଇ ସମଗ୍ର ମଧ୍ୟଯୁଗୀୟ, ରୀତିଯୁଗୀୟ ଏବଂ ଚଳିତ ଶତାବ୍ଦୀର ପ୍ରଥମ ପାଦର କାବ୍ୟକୃତି ପ୍ଳାବିତ, ତାହା ଅନ୍ୟ ପ୍ରଦେଶରୁ ଓଡ଼ିଶାକୁ ଆନୀତ-ଏହା ଐତିହାସିକମାନଙ୍କ ମତ । ଅନ୍ଦାଜ ୧୨ଶ ଶତାବ୍ଦୀରେ ନିମ୍ୱାର୍କ ପ୍ରଥମେ ଶ୍ରୀରାଧାଙ୍କୁ ଶ୍ରୀକୃଷ୍ଣଙ୍କ ସହଚରୀରୂପେ ବର୍ଣ୍ଣନା କରନ୍ତି । ଏହା ପୂର୍ବରୁ ଅବଶ୍ୟ ସାଂଖ୍ୟ ଦର୍ଶନର ପୁରୁଷ ପ୍ରକୃତି ତତ୍ତ୍ୱର ପ୍ରଭାବ, ବୌଦ୍ଧତନ୍ତ୍ରଯାନ ଏବଂ ସର୍ବୋପରି ରାମାନୁଜଙ୍କ ଦ୍ୱୈତବାଦ ଏହି ଭାବଧାରାକୁ କ୍ରମପରିଣତି ଦାନ କରିଛି । କିନ୍ତୁ ଦ୍ୱାଦଶ ଶତାବ୍ଦୀରେ ଶ୍ରୀଜୟଦେବ ଗୋସ୍ୱାମୀ କୃତ ଗୀତଗୋବିନ୍ଦ ପରବର୍ତ୍ତୀ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ସମସ୍ତ ସାହିତ୍ୟ ଓ ସଙ୍ଗୀତ କୃତିକୁ ଏହି ମହାଭାବ ଧାରାରେ ବୁଡ଼ାଇ ରଖିଲା । ଶ୍ରୀରାଧିକା ‘ଜୀବାତ୍ମା’ର ପ୍ରତୀକ ଏବଂ ଶ୍ରୀକୃଷ୍ଣ ‘ପରମାତ୍ମା’ର ସ୍ୱରୂପ । *

 

କବିତା-୧୯୬୨ (ପୃ. ୪୧୩)-ସଚ୍ଚି ରାଉତରାୟ ।

 

ଶ୍ରୀଜୟଦେବ ଗୀତଗୋବିନ୍ଦରେ ଯେଉଁ ପରକୀୟା ପ୍ରେମଭକ୍ତି (ମହାଭାବ) ତତ୍ତ୍ୱ ରାଧାକୃଷ୍ଣ ରାସଲୀଳା ମାଧ୍ୟମରେ ବର୍ଣ୍ଣନା କଲେ, ତଦ୍ଦ୍ୱାରା ସେ ତିନୋଟି ଧାରା ଯଥା-(୧) ସଙ୍ଗୀତର ମଧୁର ମୂର୍ଚ୍ଛନା, (୨) ଶୃଙ୍ଗାର ରସର ପରିବେଷଣ ଏବଂ (୩) ସର୍ବୋପରି ଭାଗବତ ଗ୍ରନ୍ଥ ପ୍ରତିପାଦିତ ବୈଷ୍ଣବ ଭାବଧାରାର ସମନ୍ୱୟ ପ୍ରତିପାଦନ କରିପାରିଲେ । ଏହା ପରବର୍ତ୍ତୀ କବିମାନେ ସେମାନଙ୍କ କାବ୍ୟରେ ତାହା ରାମ କାବ୍ୟ ହେଉ ବା କୃଷ୍ଣ କାବ୍ୟ ହେଉ ଅନୁକରଣ କରିଛନ୍ତି । ‘ଏଥିର ପ୍ରତ୍ୟେକ ବିଶେଷତ୍ୱ ଓଡ଼ିଶାର ସାମାଜିକ ଜୀବନର ଗୋଟିଏ ଗୋଟିଏ ବିଭାବ ଉପରେ ତତ୍ତ୍ୱର ଆଲୋକ ପ୍ଳାବନ କରେ । ଯେତେବେଳେ ମୁଦ୍ରା ଯନ୍ତ୍ର ନଥିଲା, ସେହି ସମୟରେ ଗଦ୍ୟ ରଚନାର ବ୍ୟାପକ ପ୍ରସାର ଲାଗି ଅବକାଶ ନ ଥିଲା । ଛନ୍ଦୋବଦ୍ଧ ରଚନା ସହଜରେ ମନେରଖି ହୁଏ । ପୁଣି ତାହା ଯଦି ସଙ୍ଗୀତମୟ ହୁଏ, ତେବେ ସୁବର୍ଣ୍ଣ ସୁମନରେ ସୌରଭର ସଞ୍ଚାର ପରି ମହନୀୟ ହୋଇ ଉଠେ । * *

 

* * ଭୂମିକା-ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସ (ପ୍ରଥମାର୍ଦ୍ଧ)-ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା ।

 

ଜୟଦେବଙ୍କ କାବ୍ୟକୃତିରେ ସମ୍ବନ୍ଧାତୀତଙ୍କୁ ସମ୍ୱନ୍ଧିତ, ସତ୍ୟକୁ ସୁନ୍ଦର ଏବଂ ସୌନ୍ଦର୍ଯ୍ୟକୁ ସତ୍ୟ ସମ୍ମିତ କରାଇବାରେ ଅନନ୍ୟ ପରାକାଷ୍ଠା ଓ ସାଫଲ୍ୟ ପ୍ରକଟିତ ହୋଇଛି ।

 

ଶ୍ରୀଜୟଦେବଙ୍କ ନିଜସ୍ୱ ଭାଷାରେ-

‘‘ଯଦି ହରି ସ୍ମରଣେ ସରସଂମନୋ

ଯଦି ବିଳାସ କଳାସୁ କୁତୂହଳ

ମଧୁର-କୋମଳ କାନ୍ତ ପଦାବଳୀଂ

ଶୃଣୁ ତଦା ଜୟଦେବ ସରସ୍ୱତୀମ୍‌ ।’’

 

ଈଶ୍ୱରଙ୍କ ସ୍ମରଣରେ ଅନୁରାଗ ଏବଂ ବିଳାସ କଳାରେ କୌତୁହଳ-ଏହି ଉଭୟବିଧ ସୁଖର ସାନ୍ଧ୍ର ସମନ୍ୱୟ ଘଟିଛି ଗୀତଗୋବିନ୍ଦରେ, ତେଣୁ ଭୋଇବଂଶୀ ଗଜପତି ନରପତିମାନଙ୍କ ଅମଳରେ ରଚିତ କୃଷ୍ଣ କାବ୍ୟମାନଙ୍କରେ ଏହି ଧାରା ପ୍ରାୟ ଅବ୍ୟାହତ ରହିଛି । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଭାବଧାରାରେ ଏହି ଧାରା ଅନୁରଣିତ ଯଦିଓ ସେ ଦାସ୍ୟ ଭାବରେ କବି ଏବଂ ସ୍ୱକୀୟ ପ୍ରେମ ତଥା ଏକପତ୍ନୀ ବ୍ରତର ପ୍ରବକ୍ତା । ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଭାବଧାରାରେ ସର୍ବଶେଷ ବ୍ରହ୍ମଭାବ, ଦୀନକୃଷ୍ଣ ଦାସଙ୍କ ଭାବଧାରାରେ ବୈକୁଣ୍ଠନାଥଙ୍କ ନିତ୍ୟଲୀଳା ଭାବ ଗୁମ୍ଫିତ ହୋଇଥିବା ବେଳେ କବିସୂର୍ଯ୍ୟ ବଳଦେବ ରଥଙ୍କ ଭାବଧାରାରେ ଉଜ୍ଜ୍ୱଳ ରସ ଅତି ସ୍ପଷ୍ଟ । ଶେଷୋକ୍ତ ତିନି କବି ପରକୀୟା (ମହାଭାବ) ଭାବ- ଯେଉଁଥିରେ ଶ୍ରୀରାଧା ‘ଜୀବାତ୍ମା’ ଏବଂ ଶ୍ରୀକୃଷ୍ଣ ପରମାତ୍ମାରୂପେ ଗୃହୀତ-ତହିଁରେ ଅନୁପ୍ରାଣିତ ବୈଷ୍ଣବ ଭକ୍ତ ଏବଂ ସଫଳ ସାରସ୍ୱତ ଶିଳ୍ପୀ-

 

ଶୃଙ୍ଗାର ଓ ପ୍ରେମ ହିଁ ପ୍ରାକ୍‌ରୀତି ଓ ରୀତିକାବ୍ୟର ଆଧାର । ସାହିତ୍ୟରେ ସବୁ ଯୁଗରେ ଶୃଙ୍ଗାର ରସର ପ୍ରାଧାନ୍ୟ ଅସ୍ତିତ୍ୱ ସ୍ୱୀକୃତ ହୋଇ ଆସିଛି । ଶୃଙ୍ଗାର ଓ ବିଳାସର ଚିତ୍ର ଅଙ୍କନକାରୀ ରୀତିକାବ୍ୟକାରମାନେ ରାଧାକୃଷ୍ଣ ଭକ୍ତିକୁ ହିଁ ନିଜର ଆଦର୍ଶରୂପେ ଗ୍ରହଣ କରି ନାୟକ ନାୟିକାମାନଙ୍କ ବିଭିନ୍ନ ବିଳାସ ବ୍ୟସନାମୟୀ କ୍ରୀଡ଼ା ରୂପରେ ରାଧାକୃଷ୍ଣଙ୍କ କେଳିକୁ ଆରୋପ କରିଥିଲେ । ଅପରପକ୍ଷେ, କୃଷ୍ଣ କାବ୍ୟର ରାଗାନୁଗା ଧାରାରେ ମର୍ଯ୍ୟାଦା ଅତିକ୍ରମକ୍ଷମ ନଥିଲା । ବିଶିଷ୍ଟ ନାରୀଙ୍କ ରୂପରେ, ଗୋପୀମାନଙ୍କର କୁଳ ତଥା ଲୋକ ମର୍ଯ୍ୟାଦା ତ୍ୟାଗର ଗୁଣଗାନକାରୀ କବି ସାମାନ୍ୟ ନାରୀପାଇଁ ସାମାଜିକ ପରମ୍ପରା ତଥା ପ୍ରତିବନ୍ଧନକୁ ପାଳନ କରିବା ଶ୍ରେୟସ୍କର ମଣିଛନ୍ତି । ସେମାନଙ୍କ ଆଚରଣପାଇଁ କଠୋର ଆଦର୍ଶ ଅନୁସରଣର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଏହି କୃଷ୍ଣଭକ୍ତ କବିବର୍ଗ ନାରୀକୁ ମାୟାର ଆକର୍ଷଣ ଫାଶ, କାମ ତଥା କାମନା-ବିଷରୁ ପୃଥକ କରିପାରି ନାହାନ୍ତି ଯଦିଓ ଏହି କୃଷ୍ଣଭକ୍ତ କାବ୍ୟକାରଗଣ ନାରୀର ଭୋଗମୂଳକ ଶୃଙ୍ଗାରମୟ ରୂପମାନଙ୍କୁ ଗର୍ହିତ ତଥା ତ୍ୟାଜ୍ୟ ବିଚାରିଛନ୍ତି; ତଥାପି ସଗୁଣ କବିମାନଙ୍କ ମତାନୁସାରେ ନାରୀଙ୍କର ବାସନାମୟ ରୂପକୁ ନିନ୍ଦନୀୟ ମନେ କରିଛନ୍ତି ।

 

ଏଣୁ ସନ୍ଥ ତଥା ପରବର୍ତ୍ତୀ ସୁଫି କାବ୍ୟମାନଙ୍କରେ ନାରୀପ୍ରତି ଅବଜ୍ଞା ଏବଂ ହୀନମନ୍ୟତାର ଭାବ ସ୍ପଷ୍ଟ ହୋଇଛି । ନାରୀର ଆଦର୍ଶ ଏବଂ କର୍ତ୍ତବ୍ୟ ପଥରେ ତିଳେମାତ୍ର ବିଚଳିତ ହେବା କବିବର୍ଗଙ୍କ ବିଚାରରେ ଅସହ୍ୟ ହୋଇ ପଡ଼ିଛି ।

 

ନାୟିକା କୁଳବଧୂ । ତଥାପି ସେ ଇହପର କାଳକୁ ଉପେକ୍ଷା କରି ଅନ୍ୟ ଏକ ଧର୍ମ୍ମ ସ୍ୱୀକୃତ ନାୟକ ପ୍ରତି ଅନୁରାଗିଣୀ ହୋଇ ଆପଣା ହୃଦୟ ଅର୍ପଣ କଲେ ତାହାକୁ ପରକୀୟା ନାୟିକା କୁହାଯାଏ । ଏହି ପରକୀୟ ନାୟକ-ନାୟିକା ରାଧାକୃଷ୍ଣ ପ୍ରେମ-ଭକ୍ତି ତତ୍ତ୍ୱ ଉପରେ କାବ୍ୟ ରଚନା କରିଥିବାରୁ ଉପେନ୍ଦ୍ରଭଞ୍ଜଙ୍କ ସମସାମୟିକ ଗୌଡ଼ୀୟ ବୈଷ୍ଣବ ନାରୀକବି ତାଙ୍କର ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’ କାବ୍ୟରେ ନିମ୍ନ ପ୍ରକାରେ ସ୍ପଷ୍ଟୀକରଣ ଦେଇଛନ୍ତି :

 

‘‘ମୁଁ ତ ସ୍ୱଭାବେ ନାରୀଜନ

ଧୈର୍ଯ୍ୟ ବିରୋଧ ମତିହୀନ

।।

କହନ୍ତେ ଚରିତ କୃଷ୍ଣର

ସାତ୍ତ୍ୱିକ ହୋଇଲା ମୋହର

।।

ତୁମେ ତ କହିବ ବିଚାରି

ଏତ ଅଟଇ କୁଳନାରୀ

।।

କୁଳ ନାରୀଙ୍କର ଲକ୍ଷଣ

ପର ପୁରୁଷ ରୂପଗୁଣ

।।

କହିବା ନୋହଇ ସୁନ୍ଦର

ଏ କୁଳ ନାରୀଙ୍କ ବେଭାର

।।

ସୁଜନେ ଶୁଣିବା ଯୁକତେ

କହୁଛି ତୁମ୍ଭର ଅଗ୍ରତେ

।।

ସେ ମୋର ନୁହଇ ଯେ ପର

ପତିଙ୍କ ସଖା ପ୍ରଭୁ ମୋର

।।

ସେ ଘେନି ପତିଙ୍କ ସମାନେ

ଧ୍ୟାନ କରଇ ତାଙ୍କୁ ମନେ

।।

ତେଜି କୁଟୁମ୍ୱ ବନ୍ଧୁଗଣ

ଗୃହ ସମ୍ପତ୍ତି ଧନଜନ

।।

ଭଜିଲେ ଚରଣ ତାଙ୍କର

ବନ୍ଧୁଙ୍କୁ ଦେଖିଣ ସୁନ୍ଦର

।।

 

ଏଠାରେ ଶ୍ୱେତାଶ୍ୱେତର ଉପନିଷଦ ବର୍ଣ୍ଣିତ ‘ପରମାତ୍ମା’ର ସଂଜ୍ଞା ନିହିତ ତଥା ‘ଜୀବାତ୍ମା-ପରାତ୍ମା’ ସମ୍ପର୍କ ପ୍ରକଟିତ-ସଗୁଣ ରାଗାନୁଗା କବି-ମାନସର ସାକାର ପ୍ରଷ୍ଫୁଟନ ଏବଂ ବ୍ୟଞ୍ଜନାରେ-

 

ଏଇ ଶ୍ରେଣୀର ପରକୀୟା ପ୍ରେମ ସମ୍ୱଳିତ କାବ୍ୟ-କବିତାର ପ୍ରଭାବରେ ଗଜପତି ପ୍ରତାପରୁଦ୍ରଙ୍କ ପରେ ଓଡ଼ିଆ ଜାତି ଅବକ୍ଷୟଗ୍ରସ୍ତ ହୋଇ ପଡ଼ିଲା ବୋଲି କେତେକ ଆକ୍ଷେପ କରନ୍ତି । କିନ୍ତୁ ଐତିହାସିକ ପର୍ଯ୍ୟାଲୋଚନା କଲେ ଏହା ଅମୂଳକ ବୋଲି ପ୍ରମାଣିତ ହୁଏ । ବରଂ ହତ୍ୟା ରାଜନୀତି ‘ଜୋରଯାର ମୂଲକ ତାର’-ଯାହା ହିନ୍ଦୁ ରାଷ୍ଟ୍ରନୀତିର ଅନ୍ତର୍ଗତ ନୁହେଁ-ତାହା ଯବନୀୟ ପଠାଣ-ଆଫଗାନ-ମୋଗଲ ରାଜନୀତିରୁ ଓଡ଼ିଶାର ତତ୍‌କାଳୀନ ରାଷ୍ଟ୍ରନୀତିରେ ଅନୁପ୍ରବେଶ କରି ଓଡ଼ିଆମାନଙ୍କର ରାଷ୍ଟ୍ରୀୟ ଏକତାକୁ ପଙ୍ଗୁ କରିଦେଲା । ଏହାର ପ୍ରଭାବରେ ଓଡ଼ିଆମାନେ ଦୀର୍ଘ ଚାରିଶତ ବର୍ଷ ଧରି ଅବକ୍ଷୟଗ୍ରସ୍ତ ହୋଇ ଖଣ୍ଡବିଖଣ୍ଡିତ ହୋଇଗଲେ । ଅନ୍ତର୍ଦ୍ୱନ୍ଦ୍ୱ ହେତୁ ଓଡ଼ିଆମାନେ ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ ସ୍ୱାଧୀନତା ହରାଇ ଆତ୍ମବିଶ୍ୱାସ ଶୂନ୍ୟ ହୋଇ ପଡ଼ିବାଦ୍ୱାରା ‘ଆନନ୍ଦବାଦ’ର ଆପାତ ପ୍ରତୀୟମାନ ପଳାୟନବାଦୀ ଛତ୍ରଛାୟା ତଳେ ଆଶ୍ରୟ ଗ୍ରହଣ କରିଥିଲେ ବୋଲି ଐତିହାସିକମାନଙ୍କର ମତ । ପରାଙ୍ଗପୁଷ୍ଟ ଏକ ଭୋଗବାଦୀ ସମ୍ପ୍ରଦାୟ ଏହି ସମୟର ସୃଷ୍ଟି । ଏହି ବିଷମ ପରିସ୍ଥିତିର ସାମ୍‌ନା କରିବାପାଇଁ ସେହି ସମୟ ମଧ୍ୟରେ ଆବିର୍ଭୂତ କବିକୁଳ ସୃଷ୍ଟ । ସ୍ୱକୀୟା ଓ ପରକୀୟା ପ୍ରୀତି ସମ୍ୱଳିତ ଭକ୍ତି ସାହିତ୍ୟ ରସାୟନ ସେବନ କରି ଓଡ଼ିଆ ଜାତି କାଳର କୁରାଳ ଚକ୍ର ପ୍ରହାରକୁ ସଧୀରେ ସହ୍ୟ କରିନେଲେ । ଅଧିକନ୍ତୁ ଭବିଷ୍ୟତର ଅଭ୍ୟୁଦୟ ଓ ଓଡ଼ିଆ ଜାତିର ଭାଷା ତଥା ସଂସ୍କୃତି ଭିତ୍ତିକ ଏକୀକରଣପାଇଁ ଏହି ଶ୍ରେଣୀର ସାହିତ୍ୟିକ କୃତିଗୁଡ଼ିକରୁ ଶକ୍ତି ଆହରଣ କଲା ।

 

(ଗ) ପ୍ରେମକାବ୍ୟ :

ରାମକାବ୍ୟ ଓ କୃଷ୍ଣକାବ୍ୟ ସାଙ୍ଗକୁ ଏହି କାଳର କବିମାନେ କାଳ୍ପନିକ ପ୍ରେମ (ପ୍ରଣୟ-ଶୃଙ୍ଗାର) କାବ୍ୟ ରଚନା କରିଥିଲେ ରାଜାରାଣୀ, ରାଜପୁତ୍ର ରାଜକୁମାରୀ ଚରିତ୍ରକୁ ଉପଜୀବ୍ୟ କରି-। କାବ୍ୟକୃତି ଓ କବିମାନେ ହେଲେ-

 

କାବ୍ୟ

କବି

୧.

କଳ୍ପଲତା

ଶିଶୁଶଙ୍କର ଦାସ

୨.

ପରିମଳା

ନରସିଂହ ସେଣ

୩.

ପ୍ରେମଲୋଚନା, କଳାବତୀ,

ହଂସବତୀ, ଇଚ୍ଛାବତୀ

ବିଷ୍ଣୁଦାସ (ରଣପୁର ଓ

ବାଣପୁରରାଜଙ୍କ ସଭାକବି)

୪.

ଲୀଳାବତୀ

ରଘୁନାଥ ହରିଚନ୍ଦନ

(ବାଣପୁର ରାଜା)

୫.

କଳାବତୀ

ପାର୍ଥ ଶ୍ରୀଚନ୍ଦନ (ରଣପୁର ରାଜା)

୬.

ଶଶିସେଣା

ପ୍ରତାପ ରାୟ

୭.

ଚିତ୍ରକଳା, ରସକଳା, ସର୍ବାଙ୍ଗ

ସୁନ୍ଦରୀ, ପଦ୍ମାବତୀ ପରିଣୟ

ଲୋକନାଥ ବିଦ୍ୟାଧର

୮.

ଚାଟ ଇଚ୍ଛାବତୀ

ବନମାଳୀ ଦାସ

୯.

ଇଚ୍ଛାବତୀ, ମଦନ ମଞ୍ଜରୀ, ତ୍ରିପୁର

ସୁନ୍ଦରୀ, ରତ୍ନମଞ୍ଜରୀ,

ଅନଙ୍ଗରେଖା

ଧନଞ୍ଜୟ ଭଞ୍ଜ (ଘୁମୁସର ରାଜା) (ଅନଙ୍ଗ ରେଖା କାବ୍ୟର ଆରମ୍ଭରେ ଜଗନ୍ନାଥ ବନ୍ଦନା କରିଛନ୍ତି)

୧୦.

କଳାବତୀ ପରିଣୟ

ଗୋକୁଳ ନରେନ୍ଦ୍ର (ନୟାଗଡ଼ ରାଜା)

୧୧.

ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ

ସୁନ୍ଦରୀ, ପ୍ରେମସୁଧାନିଧି ଓ

ଆହୁରି ଅନେକ

ଉପେନ୍ଦ୍ର ଭଞ୍ଜ

୧୨.

କାଳ୍ପନିକ କାବ୍ୟ ପଦ୍ମାବତୀ ଅଭିଳାଷ

ନିଶଙ୍କ ରାୟ ରାଣୀ

(ବୁଢ଼ାରସିଂହ ରାଣୀ)

 

ଏ ସମସ୍ତ ନାରୀ ବା ନାୟିକା ପ୍ରଧାନ କାବ୍ୟ । ଏଗୁଡ଼ିକର ନାମକରଣରୁ ହିଁ ସୁସ୍ପଷ୍ଟ । ଭାରତୀୟ କବିକୁଳ ନାରୀର ପ୍ରଶସ୍ତି ଗାନରେ ଶତମୁଖ । ଏହି କାଳ୍ପନିକ ଶୃଙ୍ଗାରଧର୍ମୀ ପ୍ରେମ ବା ପ୍ରଣୟ କାବ୍ୟଗୁଡ଼ିକରେ ସାଧାରଣତଃ ବିଷୟବସ୍ତୁ ନିମ୍ନ ପ୍ରକାରେ ଉପସ୍ଥାପିତ ହୋଇଥାଏ । ସ୍ୱର୍ଗର କୌଣସି ଅପ୍‌ସରା ଓ ଗନ୍ଧର୍ବ ନିଜ ତ୍ରୁଟି ଯୋଗୁଁ ଇନ୍ଦ୍ର ବା ଅନ୍ୟ ଦେବତାଙ୍କଦ୍ୱାରା ଶାପଗ୍ରସ୍ତ ହୋଇ ମର୍ତ୍ତ୍ୟରେ କୌଣସି ରାଜ ଦମ୍ପତିଙ୍କ କୋଳରେ ରାଜକନ୍ୟା ଓ ରାଜକୁମାରରୂପେ ଅବତୀର୍ଣ୍ଣ ହୁଅନ୍ତି-। ମହା କବି କାଳିଦାସଙ୍କ ‘ମେଘଦୂତମ୍‌’ ଖଣ୍ଡ କାବ୍ୟରେ ଅଳକାପୁରୀ ନିବାସୀ ସଦ୍ୟ ବିବାହିତ ପକ୍ଷ ନବ ବିବାହିତା ପତ୍ନୀର ପ୍ରଣୟ ମୋହଗ୍ରସ୍ତ ହୋଇ ନିଜ କର୍ତ୍ତବ୍ୟରେ ଅବହେଳା କରିବାରୁ କୁବେରଙ୍କଦ୍ୱାରା ଶାପଗ୍ରସ୍ତ ପୂର୍ବକ ବିନ୍ଧ୍ୟ ପର୍ବତର ରାମଦରି ଠାରେ ନିର୍ବାସନ ଦଣ୍ଡ ଭୋଗ କରିବା ପ୍ରସଙ୍ଗ ସହିତ ଓଡ଼ିଆ ରୀତିଯୁଗୀୟ କାବ୍ୟ ବର୍ଣ୍ଣିତ ଅପ୍‌ସରା ଓ ଗନ୍ଧର୍ବମାନଙ୍କ ଧରାବତରଣ ଓ ନର ଯୋନୀରେ ଜନ୍ମଗ୍ରହଣ ବୃତ୍ତାନ୍ତର ସାମଞ୍ଜସ୍ୟ ପରିଲକ୍ଷିତ ହୁଏ ।

 

ହିନ୍ଧୁ ଧର୍ମର ପାରମ୍ପରିକ ପୁନର୍ଜନ୍ମ ଓ କର୍ମଫଳ ଏହି କାବ୍ୟ ଗୁଡ଼ିକରେ ସ୍ୱୀକୃତ । ସ୍ୱର୍ଗ, ଯାହା ଏକ ଅତିମାନବୀୟ ରାଜ୍ୟ, ମର୍ତ୍ତ୍ୟର ଊର୍ଦ୍ଧ୍ୱରେ ଅବସ୍ଥିତ ଯାହା ବେଦ ପୁରାଣ, କୋରାଣ ଓ ବାଇବେଲରେ ମଧ୍ୟ ପରିକଳ୍ପିତ । ସେହିପରି ଚିର ଆନନ୍ଦମୟ ରାଜ୍ୟର ବାସିନ୍ଦା ଗନ୍ଧର୍ବ ଓ ଅପ୍‌ସରା ନିଜ ଭାଗ୍ୟ ଦୋଷରୁ ତତ୍‌ ଫଳ ସ୍ୱରୂପ ଧରାବତରଣ ସ୍ୱରୂପ ମର୍ତ୍ତ୍ୟରେ ଦେହଧାରୀ ମାନବ ମାନବୀରୂପେ ଜନ୍ମ ଗ୍ରହଣ କରନ୍ତି ଏବଂ ପ୍ରଣୟ ଫାଶରେ ଆବଦ୍ଧ ହୁଅନ୍ତି, ଯୌବନର ମଧୁ ଗନ୍ଧରେ ପରସ୍ପର ପ୍ରତି ଆକର୍ଷିତ ହୋଇ । ମାନବର ଆଦିମ ପ୍ରବୃତ୍ତି-ଶୃଙ୍ଗାର ଓ ପ୍ରେମ ଏହି କାବ୍ୟକୃତ୍ତିଗୁଡ଼ିକର ଅନ୍ତଃସ୍ୱର । ସେ ଶୃଙ୍ଗାର ଓ ପ୍ରେମ ନିଶ୍ଚୟ ସ୍ପକୀୟା ହେବ । କାବ୍ୟରେ ନାରୀ ବା ନାୟିକା ପ୍ରାଧାନ୍ୟ ସୂଚିତ ହେଲେ ମଧ୍ୟ ପୁରୁଷ ପ୍ରଧାନ ସମାଜରେ ପୁରୁଷର ବହୁ ବିବାହ, ଆଦିମ ଯୌନ ପ୍ରବୃତ୍ତି ଓ ଦୈହିକ ଉପଭୋଗର ସାଧନ ଓ ସାମଗ୍ରୀରୂପେ ନାୟିକା ରୂପାୟିତ । କବିମାନେ ନାରୀ ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବା ବେଳେ ସୁନ୍ଦରର ଅବସ୍ଥିତି ସୁସ୍ପଷ୍ଟ ହେଲେ ମଧ୍ୟ ସତ୍ୟ ଓ ଶିବର ଅବସ୍ଥିତି ବର୍ଣ୍ଣନା ପରିସରରୁ ଅନେକ ଦୂରରେ ରହିଛି । ଆତ୍ମିକଭାବ ପରିବର୍ତ୍ତେ ଶାରୀରିକ ସୌନ୍ଦର୍ଯ୍ୟକୁ କାବ୍ୟମାନଙ୍କରେ ପ୍ରାଧାନ୍ୟ ଦିଆ ଯାଇଛି ।

 

ଏପରି କାବ୍ୟଧାରା ଓଡ଼ିଆ ମଧ୍ୟଯୁଗୀୟ ତଥା ପ୍ରାକ୍‌-ଆଧୁନିକ ସାହିତ୍ୟକୃତିରେ କାହିଁକି ପ୍ରକାଶ ପାଇଲା ?-ଏ ପ୍ରଶ୍ନ ସ୍ୱତଃ ପାଠକ ମନରେ ଜାଗ୍ରତ ହୁଏ । ଏହାର କାରଣ ପୂର୍ବରୁ ସୂଚିତ ହୋଇଛି । ରାଜ୍ୟ ରାଜ୍ୟ ମଧ୍ୟରେ ଯୁଦ୍ଧ ବିଗ୍ରହ ବନ୍ଦ କରି ଶାନ୍ତି ଓ ସୌହାର୍ଦ୍ଦ୍ୟ ସ୍ଥାପନପାଇଁ ନାରୀକୁ ପରମ୍ପରା କ୍ରମେ ବ୍ୟବହାର କରାଯାଇଛି । ଏହି ନାରୀ ମଧ୍ୟ ଯୁଦ୍ଧ ବିଗ୍ରହର କାରଣ ହୋଇଛି । ସନ୍ଧି ସ୍ଥାପନର ସର୍ତ୍ତ ସ୍ୱରୂପ ସୁନ୍ଦରୀ ରାଜକନ୍ୟାକୁ ବିଜେତା ରାଜପୁରୁଷଙ୍କ ଅନ୍ତଃପୁରକୁ ପଠା ଯାଇଛି । ତେଣୁ ଆଦିମ କାଳରୁ ନାରୀ ଜାୟା ଭାବରେ ପୁରୁଷର ପ୍ରେୟସୀ ତଥା ଭୋଗ୍ୟାରୂପେ ବ୍ୟବହୃତ ହୋଇ ଆସିଛି । ବିଶେଷତଃ ଏକ ପରାଧୀନ ଜାତି ଭାଗ୍ୟରେ ଭାଗ୍ୟବାଦଦ୍ୱାରା ପରିପୁଷ୍ଟ ଆନନ୍ଦ ବାଦ ଓ ଭୋଗବାଦ ଅବତରି ଆସିଛି । ପରାଧୀନ ସାମନ୍ତ ରାଜାମାନେ ଯୁଦ୍ଧ ବିଗ୍ରହରେ ଲିପ୍ତ ନରହି ଆନନ୍ଦବାଦ ତଥା ଭୋଗବାଦରେ ନିମଜ୍ଜିତ ରହିଛନ୍ତି ସେମାନଙ୍କ ଚିନ୍ତା ଓ ଚେତନା ସ୍ତରରେ-। ସେମାନଙ୍କ ଉପରେ ସମସାମୟିକ ଯବନୀୟ ନାରୀ ଭୋଗ ଲିପ୍‌ସାର ପ୍ରଭାବ ମଧ୍ୟ ପଡ଼ିଛି । ଉପରେ ବିକୃତ କାବ୍ୟର ରଚୟିତା ହେଉଛନ୍ତି ରାଜା ବା ରାଜବଂଶଜ କିମ୍ୱା ସେମାନଙ୍କର ସଭାକବି ଓ ରାଜ ପରିପୁଷ୍ଟ ରସିକ ସାରସ୍ୱତ ବ୍ୟକ୍ତି ସମୂହ ଯେଉଁମାନଙ୍କ ଦୃଷ୍ଟିରେ ନାରୀ ହିଁ କାମିନୀରୂପେ ପ୍ରତିଭାତ । ପରମ୍ପରା ଓ ଲୋକ-ରୀତି ଅନୁସାରେ ନାରୀକୁ ସର୍ବଦା କାମିନୀ ରୂପରେ ସେ ସମୟର କାବ୍ୟକୃତିରେ ରୂପାୟିତ କରାଯାଇଛି । ଧର୍ମର ଆଖିରେ ନାରୀ ମାୟାର ଅଭିରାମ ଅଭିବ୍ୟକ୍ତି ସମଗ୍ର ବିଶ୍ୱରେ ନାରୀର କଟାକ୍ଷପାତ ପୁରୁଷ ହୃଦୟରେ କାମଭାବ ଜାଗ୍ରତ କରିଛି । ତାକୁ ବଶୀଭୂତ କରିଛି । ତେଣୁ ସମସାମୟିକ ମଧ୍ୟଯୁଗୀୟ ରୁଚି, ନୀତି ଓ ପ୍ରବୃତ୍ତି ପ୍ରଭାବରେ କବିମାନେ ନାରୀକୁ ବିଳାସ ବ୍ୟସନର ହତିଆରରୂପେ ବିବେଚନା କରିଛନ୍ତି ଏବଂ ସେମାନଙ୍କ କାବ୍ୟକୃତିରେ ନାରୀର କାମିନୀ ରୂପ ବହୁଳ ଭାବେ ବର୍ଣ୍ଣିତ ହୋଇଛି ।

 

ଏତେ ଶୃଙ୍ଗାର ଧର୍ମୀ ପ୍ରେମ ଓ ଦୈହିକ ପ୍ରଣୟର ସେହି ଉତ୍‌ପ୍ଳାବନ ସତ୍ତ୍ୱେ କାବ୍ୟର ଆରମ୍ଭରେ କବି ଇଷ୍ଟ ଦେବତାକୁ ସ୍ମରଣ କରିବାକୁ ଭୁଲି ନାହିଁ । ଏଥିରୁ ସମାଜର ଇଷ୍ଟ ନିଷ୍ଠା ଓ ଇଷ୍ଟଦେବ ପ୍ରତି ଭକ୍ତି ଓ ଅନୁରକ୍ତି ସୂଚିତ ହୁଏ । ଧନଞ୍ଜୟ ଭଞ୍ଜଙ୍କ ‘ଅନଙ୍ଗରେଖା’ କାବ୍ୟରେ ମଙ୍ଗଳାଚରଣରେ ଜଗନ୍ନାଥ ବନ୍ଦନା ସ୍ଥାନିତ ହୋଇଛି । ବନ୍ଦନା ପରେ ସ୍ୱର୍ଗର ଇନ୍ଦ୍ର ସଭାରେ ମଦାଳସୀର ନୃତ୍ୟ ପୁଷ୍ପଦନ୍ତ ସଙ୍ଗେ ଚାକ୍ଷୁସ ପ୍ରେମ ଓ ନୃତ୍ୟ କଳାରେ ସ୍ଖଳନ ହେତୁ ଇନ୍ଦ୍ରଙ୍କ ଶାପ ବିଷୟ ବର୍ଣ୍ଣିତ ହୋଇଛି । ରଣପୁର ରାଜା ପ୍ରାର୍ଥ ଶ୍ରୀଚନ୍ଦନ କୃତ ‘କଳାବତୀ’ ଓ ନୟାଗଡ଼ ରାଜା ଗୋକୁଳ ନରେନ୍ଦ୍ରଙ୍କ ‘କଳାବତୀ ପରିଣୟ’ ମଧ୍ୟରେ ତୁଳନା କଲେ ଜଣାଯାଏ, କବି ନରେନ୍ଦ୍ର ନିଜ କାବ୍ୟର ଆରମ୍ଭରେ ମଙ୍ଗଳାଚରଣର ବ୍ୟବସ୍ଥା କରି ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ବନ୍ଦନା କରିଛନ୍ତି । କିନ୍ତୁ ପାର୍ଥ ଶ୍ରୀଚନ୍ଦନ ମଙ୍ଗଳାଚରଣରେ ଶ୍ରୀରାମଙ୍କ ବନ୍ଦନା କରିଛନ୍ତି । ପାର୍ଥ ଶ୍ରୀଚନ୍ଦନଙ୍କ ‘କଳାବତୀ’ କାବ୍ୟ ଓ ଗୋକୁଳ ନରେନ୍ଦ୍ରଙ୍କ ‘କଳାବତୀ ପରିଣୟ’ କାବ୍ୟ ପ୍ରାୟ ସମକାଳରେ ରଚିତ ହୋଇଥିଲେ ହେଁ ପାର୍ଥ ଶ୍ରୀଚନ୍ଦନଙ୍କ ‘କଳାବତୀ’କୁ ଗ୍ରନ୍ଥ କଳେବର ଓ ଭାଷା ବିନ୍ୟାସ ଆଦି ଦୃଷ୍ଟିରୁ ବିଚାର କଲେ ଏହା ଗୋକୁଳ ନରେନ୍ଦ୍ର ରଚିତ ‘କଳାବତୀ ପରିଣୟ’ ରଚନାର ପୂର୍ବବର୍ତ୍ତୀ ବୋଲି ମନେହୁଏ ।

 

ତିରିଶ ଛାନ୍ଦ ବିଶିଷ୍ଟ ‘କଳାବତୀ ପରିଣୟ’ କାବ୍ୟ ଓଡ଼ିଆ ସାହିତ୍ୟରେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ରଚିତ କାବ୍ୟମାନଙ୍କ ମଧ୍ୟରେ ଏକ ଅନନ୍ୟ ସାଧାରଣ କାଳ୍ପନିକ ପ୍ରେମକାବ୍ୟ-। କବି ଗୋକୁଳ ନରେନ୍ଦ୍ର କଥାବସ୍ତୁ ପରିକଳ୍ପନାରେ ଶ୍ରୀହର୍ଷଙ୍କ ‘ନୈଷଧୀୟ ଚରିତ’ ନରସିଂହ ସେଣଙ୍କ ‘ପରିମଳା’ କାବ୍ୟ, ଶିଶୁ ବନମାଳୀଙ୍କ ‘ଚାଟ ଇଚ୍ଛାବତୀ’ ଏବଂ ଶିଶୁ ଶଙ୍କରଙ୍କ ‘ଉଷାଭିଳାଷ’ କାବ୍ୟମାନଙ୍କରେ ଘଟିଥିବା ଦୈବୀଶକ୍ତିର ଭୂମିକା ପରି ‘କଳାବତୀ ପରିଣୟ’ରେ ଦେବୀ ବ୍ରାହ୍ମଣୀ ଓ ତାଙ୍କର ବାହନ ଦିବ୍ୟହଂସୀ ପ୍ରସଙ୍ଗ ସାହାଯ୍ୟରେ ନାୟକ ନାୟିକାଙ୍କ ମିଳନ ସମ୍ଭବ କରାଇଛନ୍ତି । କବି ଗୋକୁଳ ନରେନ୍ଦ୍ର କଳାବତୀର ସ୍ୱପ୍ନରେ ନାୟକ ଦର୍ଶନ ପରିକଳ୍ପନା କରିଥିବାବେଳେ ଶିଶୁ ଶଙ୍କରଙ୍କ ‘ଉଷାଭିଳାଷ’ କାବ୍ୟରୁ ପ୍ରେରଣା ପାଇଥିବା ମନେହୁଏ । କିନ୍ତୁ କବି ଲୋକନାଥ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ଯଥାକ୍ରମେ ‘ସର୍ବାଙ୍ଗ ସୁନ୍ଦରୀ’ ଓ ଲାବଣ୍ୟବତୀ କାବ୍ୟରେ ନାୟିକାର ସ୍ୱପ୍ନ ଦର୍ଶନ ପ୍ରସଙ୍ଗରେ ସଂଯୋଜନା ଏହି ପ୍ରକାରେ ପରିକଳ୍ପିତ । ଏଥିରୁ ସୂଚିତ ହୁଏ କବି ଧନଞ୍ଜୟ, କବି ଉପେନ୍ଦ୍ର ଭଞ୍ଜ ଗୋକୁଳ ନରେନ୍ଦ୍ରଙ୍କଦ୍ୱାରା ବହୁ ଭାବରେ ପ୍ରଭାବିତ-

 

ଅଧିକନ୍ତୁ ଭଞ୍ଜ ସାହିତ୍ୟରେ ନାରୀ ଜନନୀ, ଭଗିନୀ, ମାତା, କନ୍ୟା, ସହଚରୀ, ଅନୁଚରୀ, ସଙ୍ଗିନୀ, ମାୟାବିନୀ, ସନ୍ନ୍ୟାସିନୀ, ସହପାଠିନୀର ଏକ ସ୍ନିଗ୍‌ଧ ସମାହାର । ଉପେନ୍ଦ୍ର ଦାମ୍ପତ୍ୟ ଆଦର୍ଶର ଶ୍ରେଷ୍ଠ ଓ ଅଦ୍ୱିତୀୟ ରୂପକାର । ଉପେନ୍ଦ୍ରଙ୍କ ନାୟିକାମାନେ ପରମା ସତୀ । ଭଞ୍ଜଙ୍କ ରଚନାରେ ପ୍ରେମ କେନ୍ଦ୍ରବିନ୍ଦୁ ଓ ଏହାର ପରିଣତି ବିବାହ । ଏହି ପ୍ରେମ ବାସ୍ତବତାର ଜୟଗାନ କରିଛି । ଜୀବନ ପୁଷ୍ପରେ ପ୍ରେମ ମଧୁ ସ୍ୱରୂପ (ଭିକ୍ଟର୍‌ହ୍ୟୁଗୋ) । ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ ହିଁ ପ୍ରେମ ।

 

ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ କାବ୍ୟଦ୍ୱାରା ପ୍ରଭାବିତ ହୋଇ କାବ୍ୟ ରଚନା କରିଥିବା ନାରୀକବି ନିଶଙ୍କ ରାୟ ତାଙ୍କ କାବ୍ୟ ‘ପଦ୍ମାବତୀ ଅଭିଳାଷ’ର ଉପକ୍ରମଣିକାରେ ବାକ୍‌ଦେବୀ ବନ୍ଦନା କରି ଛାନ୍ଦର ଶେଷରେ ସ୍ୱାମୀ ବଂଶର ଇଷ୍ଟଦେବତା ସୀତାରାମଙ୍କୁ ସ୍ମରଣ କରିଛନ୍ତି । ଉକ୍ତ ବ୍ୟତିକ୍ରମରୁ ଅନୁମିତ ହୁଏ କବି ବିଦ୍ୟାନୁରାଗିଣୀ ଥିଲେ ଏବଂ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀଙ୍କୁ ଇଷ୍ଟଦେବଙ୍କ ଅପେକ୍ଷା ଅଧିକ ଭକ୍ତି ଓ ସମ୍ମାନ ପ୍ରଦାନ କରୁଥିଲେ । ଐଶୀଶକ୍ତି ଓ ଈଶ୍ୱର ବିଶ୍ୱାସ ଥିଲା କାବ୍ୟ ବଲ୍ଲରୀ ବିବର୍ଦ୍ଧନର ମାତ୍ର ଅବଲମ୍ୱନ :

 

‘‘ସେ ରାମଙ୍କୁ ଈଶ କରିଣ ନରେଶ

 

କାନ୍ତା ଏ ରସେ ଭଣିଲେ ହେ

କିଛି କରିନାହିଁ ପାଠ ପଠନ

 

ସ୍ତିରୀ ସ୍ୱଭାବେ ଅଟେ କର୍ମହୀନ

ରାଜଗୃହେ ବନ୍ଦୀ ପ୍ରାୟେ ହୋଇ ଧନ୍ଦି

 

ଜଞ୍ଜାଳ ଜାଲେ ହେ ସୁଜନେ ।

 

ରୀତିଯୁଗୀୟ ଓଡ଼ିଆ କାବ୍ୟ ଆକାଶର ପ୍ରଭାକର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମଧ୍ୟ ତାଙ୍କ ରଚିତ ‘ଛାନ୍ଦଭୂଷଣ’ରେ ଲେଖିଛନ୍ତି-

 

‘‘ତାରକ ମନ୍ତ୍ର ନାମ ଯାହାର

ତ୍ରାଣ ସେହି ଉପେନ୍ଦ୍ର ଭଞ୍ଜର ।’’

 

ତାରକ ମନ୍ତ୍ର ହିଁ ଏହି ଉପସ୍ଥିତ ସଙ୍କଟରୁ (ବୈଦେହୀଶ ବିଳାସ ରଚନା କରିବାପାଇଁ ପିତାମହ ଧନଞ୍ଜୟ ଭଞ୍ଜଙ୍କ ସହ ଯେଉଁ ସ୍ପର୍ଦ୍ଧା ପ୍ରଦାନ କରିଥିଲେ ତହିଁରୁ) ତାଙ୍କୁ ତ୍ରାଣ କରିପାରିବ ଉପେନ୍ଦ୍ରଭଞ୍ଜ ଦୃଢ଼ ବିଶ୍ୱାସ କରୁଥିଲେ । ସଂସ୍କୃତ ନୈଷଧ କାବ୍ୟର ଲେଖକ ଶ୍ରୀହର୍ଷ ଖୋଲା ଖୋଲି ଭାବେ କହିଛନ୍ତି ଚିନ୍ତାମଣି ମନ୍ତ୍ରରେ ସିଦ୍ଧିଲାଭ କରିବା ପରେ ତାଙ୍କର କବିତ୍ୱର ଉଦ୍‌ଗମ ହୋଇଥିଲା । ଶୁଦ୍ରମୁନି ଶାରଳା ଦାସଙ୍କ ପକ୍ଷରେ ମଧ୍ୟ ଦେବୀ ଶାରଳାଙ୍କ କୃପା କବିତ୍ୱ ପ୍ରକାଶରେ ସହାୟକ ଥିଲା ବୋଲି ଆଦିକବି ବାରମ୍ୱାର ତାଙ୍କ ରଚିତ କାବ୍ୟମାନଙ୍କରେ ପ୍ରକାଶ କରିଛନ୍ତି । ତେଣୁ ନିଜର ଅଭିଷ୍ଟ ପୂରଣପାଇଁ ଅଦ୍ଭୁତ ଦୈବୀଶକ୍ତି ପ୍ରାପ୍ତି ଉଦ୍ଦେଶ୍ୟରେ ସେ କାଳରେ କବି ଓ ସାଧକମାନେ ଦେବଦେବୀ ଉପାସନା ଓ ମନ୍ତ୍ର ଜପ କରୁଥିବାର ପ୍ରମାଣ ମିଳେ ।

 

ଏହି କବିମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚବର୍ଗର କୁଳୀନ ରାଜପରିବାରର । ପରାଧୀନତା ବରି ନେଇଥିବା ହେତୁ ସାମନ୍ତ ରାଜ୍ୟଗୁଡ଼ିକରେ ଯୁଦ୍ଧ ବିଗ୍ରହର ଅଗ୍ନିଦାହ ବହୁ ପରିମାଣରେ ଅପସାରିତ । ରାଜକୁଳୀନ ଏବଂ ରାଜଦରବାରଦ୍ୱାରା ପରିପାଳିତ କବିକୁଳର କଳ୍ପନାମାନସରେ ଆଦର୍ଶ ଚରିତ୍ରରୂପେ ସମାଜର ଊର୍ଦ୍ଧ୍ୱସ୍ଥଳୀରେ ଅବସ୍ଥାପିତ ରାଜପୁତ୍ର ଓ ରାଜକନ୍ୟା ବ୍ୟତୀତ ଆଉ କଣ ପ୍ରତିଭାତ ହୋଇପାରେ ? ପୂର୍ବଜନ୍ମରେ ସେମାନେ ନିଶ୍ଚୟ ସ୍ୱର୍ଗରେ ବିଚରଣକାରୀ ଗନ୍ଧର୍ବ ଓ ଅପ୍‌ସରା, କିନ୍ନର ଓ କିନ୍ନରୀ ହେବା ସ୍ୱାଭାବିକ । ଶାପଗ୍ରସ୍ତ କର୍ମଫଳ ସ୍ୱରୂପ ମର୍ତ୍ତ୍ୟରେ ନରଦେହ ଧାରଣ କରିବା ଭାରତୀୟ ଧର୍ମ ଧାରଣାର ଖୁବ୍‌ ଅନୁବର୍ତ୍ତୀ । ଭାରତୀୟ ଧର୍ମ ଦର୍ଶନରେ ପରିକଳ୍ପିତ ଧର୍ମ, ଅର୍ଥ, କାମ, ମୋକ୍ଷ ଏ ଚତୁର୍ବର୍ଗ ଲାଭପାଇଁ ମାନବ ଜୀବନର ଉପଯୋଗ ସ୍ୱରୂପ ଦାମ୍ପତ୍ୟ ଜୀବନର ପ୍ରେମ ବିରହ ଓ ପ୍ରଣୟ ସାଧନାର ଉତ୍‌ଥାନ-ପତନ ଭିତ୍ତିକ କାହାଣୀକୁ ନେଇ କାବ୍ୟ ରଚନା କରିବା ଏହି ଶ୍ରେଣୀର କବିମାନଙ୍କ ପକ୍ଷେ ସ୍ୱାଭାବିକ ଘଟଣା । ଏମାନେ ସମାଜର ନେତୃସ୍ଥାନୀୟ ହୋଇଥିବାରୁ ସେମାନଙ୍କ ରଚିତ କାବ୍ୟକୃତିର ଆବେଦନ ଜନ-ସମାଜରେ ସ୍ୱତଃ ସମଧିକ । ଏହି କାବ୍ୟଗୁଡ଼ିକର ନିର୍ଯ୍ୟାସ-ଜୀବନ ପ୍ରତି ମମତାବୋଧ, ଆନନ୍ଦାନୁରକ୍ତି, ମନୋରଞ୍ଜନ ପ୍ରବଣତା ଏବଂ ଜୀବନର ଆଦିମ ପ୍ରବୃତ୍ତି ମେଣ୍ଟାଇବା ପାଇଁ ଭୋଗ ବିଳାସର ପ୍ରାଚୁର୍ଯ୍ୟ ତତ୍‌କାଳୀନ ସମାଜରେ ଆଦୃତ ହେଉଥିଲା ବିଶେଷତଃ ବିଭିନ୍ନ ରାଗରାଗିଣୀ ସମ୍ୱଳିତ ସୁଲଳିତ ଗୀତିଧର୍ମୀ କାବ୍ୟ ପରିପ୍ରକାଶରେ । ସେ ସମୟରେ ସମାଜର ମନୋରାଜ୍ୟରେ ରାଜକୀୟ ତଥା ସାମନ୍ତବାଦୀ ଭାବ ପ୍ରତି ବହୁଳ ଆସକ୍ତି ଥିଲା । ତାହାର ଦୃଷ୍ଟାନ୍ତ ଜହ୍ନ ଓଷାର ପାରମ୍ପରିକ ସ୍ୱରରେ ସୁସ୍ପଷ୍ଟ-

 

ଜହ୍ନିଲୋ ଜହ୍ନି ପୂଜିଲି ତୋତେ

କି ବର ମାଗୁଛି ଦେବୁକି ମତେ ?

ହାତକୁ ଶଙ୍ଖା, ମୁଣ୍ଡେ ସିନ୍ଦୂର

ସ୍ୱାମୀ ହୋଇଥାନ୍ତୁ ରାଜକୁମାର ।

 

ତେବେ କାବ୍ୟ ସର୍ଜନାରେ କ୍ଷେତ୍ର ବିଶେଷରେ ବି ବ୍ୟତିକ୍ରମ ପରିଲକ୍ଷିତ ହୁଏ । ଗଜପତି ବୀରକେଶରୀ ଦେବ (୧ମ) (୧୭୩୭-୧୭୯୩)ଙ୍କ ସମସାମୟିକ କବି (ବଡ଼ମ୍ୱା ବେବର୍ତ୍ତା କୁଳ ସମ୍ଭୂତ) ରାମଚନ୍ଦ୍ର ପଟ୍ଟନାୟକଙ୍କ କାବ୍ୟ ‘ହାରାବତୀ’ ଏହିପରି ଏକ ବ୍ୟତିକ୍ରମ । ଏହାର ନାୟକ ନାୟିକା କୌଣସି ରାଜକୁମାର ଓ ରାଜକୁମାରୀ ନୁହନ୍ତି । ଗୁଡ଼କାରବାଳୀ ବା ଗୁଡ଼ିଆ ଘର ଝିଅ ହାରାବତୀ ଏହାର ନାୟିକା ଓ ଗ୍ରାମର ଜଣେ ରସିକ ଯୁବକ ଏହାର ନାୟକ । ଉଭୟଙ୍କର ପ୍ରଥମ ମିଳନ ଘଟିଥିଲା ଖୁଦୁରୁକୁଣୀ ଓଷା ଦିନ ନିଜ ଗାଁ ପୋଖରୀ କୂଳରେ । କାବ୍ୟଟି ରସପୂରିତ ଓ ଚିତ୍ତାକର୍ଷକ । ଏହା ପାଠ କଲେ ଖୁଦୁରୁକୁଣୀ ଓଷା ଅଷ୍ଟାଦଶ ଶତାବ୍ଦୀ ବେଳକୁ ଓଡ଼ିଶାରେ ଅତ୍ୟନ୍ତ ଲୋକପ୍ରିୟ ହୋଇଥିବାର ଜଣାଯାଏ ।

 

ତତ୍‌କାଳୀନ ପ୍ରେମକାବ୍ୟଗୁଡ଼ିକରେ ଅତିମାନସ ଶକ୍ତିସମ୍ପନ୍ନ ଚରିତ୍ରମାନଙ୍କର ସମାବେଶ ଦେଖିବାକୁ ମିଳେ ।

 

୧.

କବି ନରସିଂହ ସେଣଙ୍କ ‘ପରିମଳା’ କାବ୍ୟରେ ଘୋଟକୀ ଶାବକ ସାହାଯ୍ୟରେ କୁମାର ସ୍ୱର୍ଗକୁ ଯିବା ଓ ସେଠାରେ କାର୍ଯ୍ୟସିଦ୍ଧି କରିଥିବା କଥାର ଅବତାରଣା ।

୨.

କବି ବନମାଳୀ ଦାସଙ୍କ ‘ଚାଟ ଇଚ୍ଛାବତୀ’ କାବ୍ୟରେ ବେତାଳର ଭୂମିକା ।

୩.

କବି ଧନଞ୍ଜୟ ଭଞ୍ଜଙ୍କ ‘ଇଚ୍ଛାବତୀ’ କାବ୍ୟରେ ଦେବୀ ବ୍ରାହ୍ମଣୀ ଓ ତାଙ୍କର ବାହନ ଦିବ୍ୟ ହଂସୀର ଭୂମିକା ପ୍ରାୟ ଏକ ପ୍ରକାରର ହୋଇଛି । ଏହି ଅତି ମାନୁଷିକ ଉପାଦାନ ଭିତ୍ତିରେ ସମସ୍ୟା ସମାଧାନ ଦିଗରେ ହଂସୀ ଭୂମିକାର ପରିକଳ୍ପନା ସହ ଶ୍ରୀହର୍ଷଙ୍କ ‘ନୈଷିଧୀୟ ଚରିତ’ର ହଂସଦୂତ ପ୍ରସଙ୍ଗ ତୁଳନୀୟ ଏବଂ ତାହାର ଛାୟାରେ ଲିଖିତ ହୋଇଥିବା ପରି ପ୍ରତୀୟମାନ । ଏତାଦୃଶ ଦୈବୀ ଶକ୍ତି ଉପଯୋଗ ନ କରିଥିଲେ ନାୟକ ନାୟିକାଙ୍କ ମିଳନ ବ୍ୟାପାର ସମାହିତ ହେବାରେ ସମସ୍ୟା ସୃଷ୍ଟି ହୋଇଥାଆନ୍ତା । ଏଥିରେ ନାୟିକାର ସ୍ୱପ୍ନ ଦର୍ଶନ ଓ ହଂସୀଦ୍ୱାରା ସ୍ୱପ୍ନ ଦୃଷ୍ଟ ନାୟକର ଆନୟନ ତଥା ନାୟକ-ନାୟିକାଙ୍କ ମିଳନ ଘଟିଛି ।

୪.

ଲାବଣ୍ୟବତୀ କାବ୍ୟରେ ହର ଦୁର୍ଗାଙ୍କ ଅନୁଗ୍ରହରୁ ଯୋଗିନୀଦ୍ୱାରା ସ୍ୱପ୍ନରେ ଲାବଣ୍ୟବତୀ ଓ ଚନ୍ଦ୍ରଭାନୁଙ୍କ ମିଳନର କଳ୍ପନା କବି ଗୋକୁଳ ନରେନ୍ଦ୍ରଙ୍କ ବ୍ରାହ୍ମଣୀ ଅନୁଗ୍ରହରେ ପ୍ରଥମେ ସ୍ୱପ୍ନରେ ଓ ପରେ ବାସ୍ତବରେ ମିଳନ ସମ୍ପାଦନର ଅନୁରୂପ ହୋଇଛି ।

 

ଏତଦ୍‌ବ୍ୟତୀତ ସଂଶିତ କାଳର କାବ୍ୟମାନଙ୍କରେ ବିଳାସ କଳାର କୁତୁହଳ ରଖିଥିବା ବ୍ୟକ୍ତିମାନଙ୍କ ମନତୋଷପାଇଁ କାମ-ଶାସ୍ତ୍ରର ଅବତାରଣା : ନାୟିକା ଭେଦର କଳ୍ପନା, ଜ୍ୟୋତିଷ ଶାସ୍ତ୍ର, ବୈଦ୍ୟ ଶାସ୍ତ୍ରଆଦିର ପ୍ରାସଙ୍ଗିକତା ଦୃଷ୍ଟିରୁ ଉଲ୍ଲେଖ ବିଶେଷ ପ୍ରଣିଧାନଯୋଗ୍ୟ । ମୋଟାମୋଟି ଆଲୋଚନା କଲେ ଜଣାଯାଏ ଏହି ସମୟର କାଳ୍ପନିକ କାବ୍ୟକୃତି ପାର୍ଥିବତାର ଊର୍ଦ୍ଧ୍ୱକୁ ଯାଇପାରି ନାହିଁ । କୃଷ୍ଣ କାବ୍ୟଗୁଡ଼ିକରେ ଦାର୍ଶନିକତା ଏପରି ଗୂଢ଼ ଏବଂ ଶ୍ଳେଷାତ୍ମକଭାବେ ସନ୍ନିବେଶିତ ଯେ ସାଧାରଣ ପାଠକ ଏହାର ଦାର୍ଶନିକ ଦିଗଟି ବୁଝିବା ଆୟାସସାଧ୍ୟ । କାବ୍ୟର ରାଗ ରାଗିଣୀ, ତାଳ ଲୟ ପରିପ୍ରକାଶ ଓ ସ୍ୱର ବିନ୍ୟାସ ମଧ୍ୟରେ ପାଠକ ଶ୍ରୋତା ନିର୍ବିଶେଷରେ ଆତ୍ମହରା ହୋଇଯାନ୍ତି । ତେଣୁ କାବ୍ୟ ମଧ୍ୟରେ ନିହିତ ଥିବା ଭାବଗତ ଓ ଅର୍ଥଗତ କ୍ଳୀଷ୍ଟତା ଠାରୁ ପାଠକ ଓ ଶ୍ରୋତାର ଦୃଷ୍ଟି, ହୃଦୟ ଓ ମନ ସ୍ୱତଃ ଅପସାରିତ ହୋଇ କାବ୍ୟର ସାମଗ୍ରିକ ରସମୟତା ଆଡ଼କୁ ଆକର୍ଷିତ ହୁଏ । କାବ୍ୟ ଥିଲା ‘କାନ୍ତା ସମ୍ମିତ ବାଣୀ’ ଏବଂ ଜନକଲ୍ୟାଣକାରୀ ଉପାଦାନ ଓ ଐଶ୍ୱର୍ଯ୍ୟରେ ବିମଣ୍ଡିତ ।

 

ପରକୀୟା ପ୍ରୀତି ସମ୍ୱଳିତ ଶ୍ରୀଚୈତନ୍ୟ ପ୍ରଚାରିତ ଗୌଡ଼ୀୟ ପ୍ରେମ-ଭକ୍ତି-ଧର୍ମ ଯାହାର ପ୍ରଭାବରେ କବିକୁଳ କାବ୍ୟ ରଚନା କରିଥିଲେ ଦାର୍ଶନିକ ଦୃଷ୍ଟିରୁ ତାହା ଶରୀର ପ୍ରେମ-ଧର୍ମର ବହୁ ଊର୍ଦ୍ଧ୍ୱରେ । ସେହିପରି ସ୍ୱକୀୟା-ବିପ୍ରଲମ୍ଭ ଏବଂ କିଛି ପରିମାଣରେ ପରକୀୟା ଦୁଷ୍ଟ କାଳ୍ପନିକ କାବ୍ୟାବଳୀରେ ବର୍ଣ୍ଣିତ ନାରୀ-ପୁରୁଷ ସମ୍ପର୍କ ଶୃଙ୍ଗାରଧର୍ମୀ ହେଲେ ମଧ୍ୟ ଅଶ୍ଳୀଳ ନୁହଁ । ସ୍ୱକୀୟା ସାନ୍ଦ୍ର ପ୍ରେମ ମାଧ୍ୟମରେ ଆଦର୍ଶ ଗାର୍ହସ୍ଥ୍ୟ ଜୀବନ ଓ ସୁସ୍ଥ ସାମାଜିକ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ଥିଲା ରୀତିଯୁଗୀୟ ସାହିତ୍ୟ କୃତିର ଅନ୍ତର୍ନିହିତ ଉଦ୍ଦେଶ୍ୟ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଏହି ଧାରାର ଅପ୍ରତିଦ୍ୱନ୍ଦୀ ସଂସ୍ଥାପକ ।

 

କହିବା ବାହୁଲ୍ୟ ଶ୍ରୀଜଗନ୍ନାଥଙ୍କ ପତିତପାବନ ବାନା ସର୍ବଧର୍ମ ସର୍ବମତର ଆଶ୍ରୟସ୍ଥଳୀ । କେବଳ ସେତିକି ନୁହେଁ, ଜଗନ୍ନାଥ ଦେଶର କଳା, ସଙ୍ଗୀତ, ସାହିତ୍ୟ ମଧ୍ୟ ସମନ୍ୱୟବାଦୀ ମନ୍ତ୍ରରେ ଅଭିମନ୍ତ୍ରିତ । ଓଡ଼ିଆ କାବ୍ୟ ସାହିତ୍ୟ କୃତିରେ ରୀତିଯୁଗର ଶେଷ ବେଳକୁ ବିଶେଷତଃ କବିସୂର୍ଯ୍ୟଙ୍କ ରଚନା (କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ )ରେ ଏଭଳି ଆହରଣ ଓ ସଂଯୋଜନା ପରିଦୃଷ୍ଟ ହୁଏ । କବିସୂର୍ଯ୍ୟଙ୍କ ଚମ୍ପୂର ‘ଝ’ ‘ଫ’ ଏବଂ ‘ଯ’ ବର୍ଣ୍ଣରେ ରଚିତ ଗୀତି କବିତାଗୁଡ଼ିକ ଏହାର ପ୍ରକୃଷ୍ଟ ଦୃଷ୍ଟାନ୍ତ-

 

ସମସାମୟିକ ବଂଶୀ ବଲ୍ଲଭ ଗୋସ୍ୱାମୀ (୧୭୬୦-୭୦)-କୃତ ‘ମୋଗଲ ତାମସା’ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦ୍ଦୁ ଭାଷା ପ୍ରଭୃତିର ସମ୍ମିଶ୍ରଣ ଓ ସମନ୍ୱୟରେ ରଚିତ ଏକ ସୁଆଙ୍ଗ ଯାହାର ରଚନା ଜାତୀୟ ସଂହତି ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ।

 

ଜଗନ୍ନାଥ ଓ ନୀଳାଚଳ କ୍ଷେତ୍ରର ମାହାତ୍ମ୍ୟ ଅପୂର୍ବ କାବ୍ୟିକ ଛଟାରେ ବର୍ଣ୍ଣିତ ହୋଇଛି ଦେବ ଦୁର୍ଲଭ ଦାସଙ୍କ ‘ରହସ୍ୟ ମଞ୍ଜରୀ’, ଦୀନକୃଷ୍ଣ ଦାସଙ୍କ ‘ରସ ବିନୋଦ’, (ଦୀନ) କୃଷ୍ଣ ଦାସଙ୍କ ‘ରସ କଲ୍ଲୋଳ’, ଉପେନ୍ଦ୍ର ଭଞ୍ଜଙ୍କ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘ରସିକ ହାରାବଳୀ’, ‘ସୁଭଦ୍ରା ପରିଣୟ’, ଦାସରଥି ଦାସଙ୍କ ‘ବ୍ରଜବିହାର’, ପଦ୍ମନାଭ ଶ୍ରୀଚନ୍ଦନଙ୍କ ‘ଶଶିରେଖା’ ଓ କବିସୂର୍ଯ୍ୟ ବଳଦେବ ରଥଙ୍କ ‘ଚନ୍ଦ୍ର କଳା’ରେ ।

 

ପରାଧୀନ (ବରଂ ଅର୍ଦ୍ଧ ସ୍ୱାଧୀନ ) ଓଡ଼ିଶାରେ ଖୋରଧା ଗଜପତି ରାଜବଂଶର ଶାସନ କାଳ (୧୫୬୮ ରୁ ୧୮୦୩ ) ଏହିପରି ଓଡ଼ିଆ ସାହିତ୍ୟ, ସଂସ୍କୃତି ଓ ଭାଷାର ସଂରକ୍ଷଣ ତଥା ପୁନନିର୍ମାଣରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

 

ଆଲୋଚନାକୁ ସୀମିତ ରଖିବା ଦୃଷ୍ଟିରୁ କେବଳ ଓଡ଼ିଆ କବି ଓ କାବ୍ୟକୃତି ଉପରେ କିଞ୍ଚିତ୍‌ ଆଲୋକପାତ କରାଗଲା । ସମାନ୍ତରାଳ ଭାବେ ଅନେକ ସଂସ୍କୃତ କବି ଓ କାବ୍ୟକୃତି ଏହି ସମୟର ଉତ୍କଳୀୟ ସାରସ୍ୱତ ଭଣ୍ଡାରକୁ ରୁଦ୍ଧିବନ୍ତ କରିଛନ୍ତି । ଏହି ସମସ୍ତ କାବ୍ୟ କୃତିରେ ‘ରାମ-ଶ୍ୟାମ-ପ୍ରେମ’-ଏହି ତ୍ରିଧାରା ପୁଷ୍କଳ ଭାବେ ପ୍ରବାହିତ । ଉପସ୍ଥାପନା, ପ୍ରକାଶଭଙ୍ଗୀ ଓ ଶୈଳୀ ପ୍ରାୟ ପାରମ୍ପରିକ-ଏକ ପ୍ରକାରର ।

 

ସୂଚନା :

୧.

ପ୍ରାକ୍‌ ଓଡ଼ିଆ ପ୍ରେମାଖ୍ୟାନ କାବ୍ୟରେ ନାରୀ ଭାବନା (୧୯୮୯), ଡଃ (ଶ୍ରୀମତୀ ) ମୀନାକ୍ଷୀ ଦାସ, ଏମ୍‌ : ଏ : ବି : ଇଡି : ପିଏଚ୍‌ଡି ।

୨.

କବିତା-୧୯୬୨ (ପୃ ୪୧୩ )-ସଚ୍ଚି ରାଉତରାୟ ।

୩.

ଉପେନ୍ଦ୍ର ଭଞ୍ଜ କୃତ ‘ବୈଦେହୀଶ ବିଳାସ’ (ପ୍ରଥମାର୍ଦ୍ଧ) ଭୂମିକା-ଅଧ୍ୟାପକ ଗୌରୀ କୁମାର ବ୍ରହ୍ମା ।

୪.

କରବାଳ କରତାଳ ହରତାଳ-ନ : ଶ୍ରୀଚନ୍ଦନ ଓ ଡ : ଗୋ : କୃ : ଶ୍ରୀଚନ୍ଦନ ।

୫.

ଓଡ଼ିଆ ସାହିତ୍ୟରେ ଲେଖିକା-ଡ : ଗୋପାଳକୃଷ୍ଣ ଶ୍ରୀଚନ୍ଦନ ।

୬.

ଓଡ଼ିଶାର ରାଜନୈତିକ ଇତିହାସ-ଶ୍ରୀ ବଳରାମ ମହାନ୍ତି ।

୭.

ଶ୍ରୀ ସୀତାଈଶ ବିଳାସ ଓ ଭକ୍ତ କବି ହରେକୃଷ୍ଣ ଜେନା ‘‘କ୍ଷୁରଧାର ଇତିହାସର ଏକ ବିସ୍ମିତ ଅମଳିନ ପ୍ରତିଭା’ ଧ୍ରୁବ ଚରଣ ଜୟସିଂହ ପାଇକରାୟ-ପ୍ରତୀକ-୧୯୮୯-୯୦ (ମୁଖପତ୍ର : ପ୍ରାଣନାଥ ମହାବିଦ୍ୟାଳୟ, (ଖୋରଧା) ।

୮.

ଖୁରୁଧା ଇତିହାସ-କେଦାରନାଥ ମହାପାତ୍ର ।

 

ବି ଦ୍ର : ଭୁବନେଶ୍ୱରସ୍ଥ କେଦାରନାଥ ଗବେଷଣା ପ୍ରତିଷ୍ଠାନର ମାସିକ ଆଲୋଚନା ଚକ୍ରରେ ପଠିତ ଓ ଆଲୋଚିତ ।

 

 

ଉପଶାସନ ସଚିବ

ସଂସ୍କୃତି ବିଭାଗ, ସଚିବାଳୟ, ଭୁବନେଶ୍ୱର ।

 

***

 

Unknown

ମାଦଳାପାଞ୍ଜି : ଏକ ଭାଷାତାତ୍ତ୍ୱିକ ଅଧ୍ୟୟନ

ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ

 

ମାଦଳାପାଞ୍ଜି ରଚନାର ଆରମ୍ଭ ସମୟ ନିରୂପଣ ଏକ ବିବଦମାନ ବିଷୟ । ଆର୍ତ୍ତବଲ୍ଲଭ ମହାନ୍ତି, ସୂର୍ଯ୍ୟନାରାୟଣ ଦାଶ ପ୍ରମୁଖ ଆରମ୍ଭ ସମୟକୁ ଏକାଦଶ-ଦ୍ୱାଦଶ ଶତାବ୍ଦୀ ବା ଚୋଡ଼ଗଙ୍ଗ ଦେବଙ୍କ ରାଜତ୍ୱକାଳ (୧୦୭୫-୧୧୫୦)ରେ ଅବସ୍ଥାପିତ କଲାବେଳେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ହରେକୃଷ୍ଣ ମହତାବ ପ୍ରମୁଖ ଏହା ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଲିଖିତ ବୋଲି ପ୍ରମାଣ ଦେଇଛନ୍ତି । ଓଡ଼ିଶା ଇତିହାସ ରଚନାର ପ୍ରାରମ୍ଭିକ କାଳରେ ଷ୍ଟର୍ଲିଂ, ହଣ୍ଟର ଓ ପ୍ୟାରୀମୋହନ ଆଚାର୍ଯ୍ୟ ପ୍ରମୁଖ ଏହାକୁ ଓଡ଼ିଶା ରାଜତ୍ୱର ଏକ ଧାରାନୁବଦ୍ଧ ଇତିହାସ ଭାବରେ ଗ୍ରହଣ କରି ନେଇଥିଲେ । ପରେ ରମାପ୍ରସାଦ ଚନ୍ଦ୍ର ଏହାର କପୋଳ କଳ୍ପନା, ଅସତ୍ୟ ଓ ଅର୍ଦ୍ଧସତ୍ୟଗୁଡ଼ିକ ଉପସ୍ଥାପନ କରି ଏହାକୁ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଲିଖିତ ବିବରଣୀ ବୋଲି ସିଦ୍ଧାନ୍ତ ଦେଲେ । ଅବଶ୍ୟ ଦ୍ୱିତୀୟୋକ୍ତ ଇତିହାସକାରମାନଙ୍କ ମତ ଆଜି ସାଧାରଣ ମତଭାବେ ଗୃହୀତ ହୋଇ ଯାଇଥିଲେ ମଧ୍ୟ ଓଡ଼ିଶାରେ ପାଞ୍ଜି ଲେଖାର ପରମ୍ପରା ଯେ ଅତି ପ୍ରାଚୀନ, ତାହା ଅନୁମେୟ-। ପାଞ୍ଜିଲେଖା ଗଙ୍ଗ ବଂଶର ପ୍ରଥମ ସମ୍ରାଟ ଚୋଡ଼ଗଙ୍ଗଙ୍କ ଠାରୁ, ନଚେତ୍‌ ସୂର୍ଯ୍ୟ ବଂଶର ପ୍ରଥମ ସମ୍ରାଟ କପିଳେନ୍ଦ୍ର ଦେବଙ୍କ (୧୪୩୫-୧୪୬୭) ଠାରୁ ଆରମ୍ଭ ହୋଇଥିବ ବୋଲି ଅନୁମାନ କରାଯାଇ ପାରେ । ବର୍ତ୍ତମାନ ମିଳୁଥିବା ପାଞ୍ଜି ୧୬ଶ ଶତାବ୍ଦୀରେ ଲିଖିତ ହୋଇଥିଲେ ମଧ୍ୟ ଏହା ଏକ ସୁଦୃଢ଼ ପ୍ରାଚୀନ ପରମ୍ପରା ଉପରେ ପ୍ରତିଷ୍ଠିତ । ପ୍ରାଚୀନ ପାଞ୍ଜି ଯବନ ଆକ୍ରମଣ ହେତୁ ହେଉ କିମ୍ୱା ରକ୍ଷଣାବେକ୍ଷଣ ଅଭାବରୁ ତଥା ସମୟ ପ୍ରଭାବରୁ ହେଉ କୌଣସି କାରଣରୁ କୀଟଦଷ୍ଟ ହୋଇ ୧୬ଶ ଶତାବ୍ଦୀ ବେଳକୁ ନଷ୍ଟ ହୋଇ ଯାଇଥିଲା । ତେଣୁ ପରବର୍ତ୍ତୀ କାଳରେ ଏହି ପରମ୍ପରାକୁ ପୁନର୍ବାର ଆରମ୍ଭ କରାଯିବାର ଆବଶ୍ୟକତା ଅନୁଭବ କରାଯାଇଛି । ଷୋଡ଼ଶ ଶତାବ୍ଦୀରେ ରାମଚନ୍ଦ୍ର ଦେବଙ୍କ ରାଜତ୍ୱ କାଳ (୧୫୬୮ ପରବର୍ତ୍ତୀ ସମୟ)ରେ ଏହି ପାଞ୍ଜିଲେଖା ଦାୟିତ୍ୱରେ ଯେଉଁ ଅର୍ଦ୍ଧଶିକ୍ଷିତ କରଣମାନେ ଥିଲେ ସେମାନେ ଅତୀତର ଇତିହାସକୁ ଜନଶ୍ରୁତି ଓ ଉଦ୍ଭଟ କଳ୍ପନା ସହଯୋଗରେ ଉପସ୍ଥାପନ କରିବାର ଚେଷ୍ଟା କରିଛନ୍ତି । ବିଭିନ୍ନ ରାଜାଙ୍କ ରାଜତ୍ୱର କାଳକ୍ରମ ସଜ୍ଜା ଅଧିକାଂଶ ସ୍ଥଳରେ ତ୍ରୁଟିଶୂନ୍ୟ ଥିବାରୁ ଏହାର ଇତିହାସ-ସତ୍ତାକୁ ଉପେକ୍ଷା କରାଯାଇ ନପାରେ ମୂଳତଃ ଇତିହାସ ନହେଲେ ମଧ୍ୟ ଏହା ଇତିହାସ ରଚନାଲାଗି ଯଥେଷ୍ଟ ଉପାଦାନ ଯୋଗାଇଛି । ପ୍ରଥମ ବିଧିବଦ୍ଧ ବିପୁଳକାୟ ଓଡ଼ିଶା ଇତିହାସ (History of Orissa)ର ପ୍ରଣେତା ରାଖାଲ ଦାସ ବାନାର୍ଜି ମାଦଳାପାଞ୍ଜିର କେତେକ ତଥ୍ୟ ଉପରେ ନିର୍ଭର କରିଛନ୍ତି । ଅବଶ୍ୟ ତାଙ୍କଠାରୁ ଆରମ୍ଭ କରି ପରବର୍ତ୍ତୀ ଇତିହାସକାରମାନେ ଅଭିଲେଖ ଆଦି ପ୍ରାମାଣିକ ଉପାଦାନଗୁଡ଼ିକ ସାହାଯ୍ୟରେ ମାଦଳାପାଞ୍ଜି ତଥ୍ୟର ସତ୍ୟାସତ୍ୟ ନିରୂପଣ କରିଛନ୍ତି ।

 

ଭାଷାତାତ୍ତ୍ୱିକ ବିଚାରରେ ସମୟର ଗୁରୁତ୍ୱ ଅପରିହାର୍ଯ୍ୟ ହୋଇଥିବା ହେତୁ କାଳ ନିରୂପଣ ସମ୍ପର୍କିତ ଉପକ୍ରମଣିକାର ଅବତାରଣା କରାଯାଇଛି । ମାଦଳାପାଞ୍ଜିର ଭାଷାତାତ୍ତ୍ୱିକ ଦିଗର ଏହି ଆଲୋଚନାରେ ଆର୍ତ୍ତବଲ୍ଲଭ ମହାନ୍ତି ସମ୍ପାଦିତ, ପ୍ରାଚୀ ସମିତି ପ୍ରକାଶିତ ମାଦଳାପାଞ୍ଜି (୧୯୪୦) ଆକାର ଗ୍ରନ୍ଥ ଭାବରେ ଗୃହୀତ । ଏହି ଗ୍ରନ୍ଥର ଭାଷା ୧୬ଶ ଶତାବ୍ଦୀର ଓଡ଼ିଆ ଗଦ୍ୟ ଭାଷାରୂପେ ପ୍ରମାଣସିଦ୍ଧ । ଏଥିରେ କେତେକ ଯାବନିକା ଓ ଇଂରେଜୀ ଶବ୍ଦର ପ୍ରୟୋଗ ଥିବା ସତ୍ତ୍ୱେ ବହୁ ପ୍ରାଚୀନ ଓଡ଼ିଆ ଶବ୍ଦର ପ୍ରୟୋଗ ମଧ୍ୟ ରହିଛି । ୫ଶ ଶତାବ୍ଦୀରେ ଲିଖିତ ସାରଳା ମହାଭାରତରେ ବ୍ୟବହୃତ କେତେକ ଅପ୍ରଚଳିତ ଶବ୍ଦ ମଧ୍ୟ ଏଥିରେ ପରିଲକ୍ଷିତ ହୁଏ । ପାଞ୍ଜିର ପରମ୍ପରା ଯେହେତୁ ୧୬ଶ ଶତାବ୍ଦୀର ପରବର୍ତ୍ତୀ, ଏଥିରେ ପ୍ରୀଚୀନ ଓଡ଼ିଆ ଶବ୍ଦର ପ୍ରୟୋଗ ସ୍ୱାଭାବିକ । ଓଡ଼ିଆ ଭାଷାର ବିକାଶ କାଳ (୧୧ଶ ଶତାବ୍ଦୀ) ଠାରୁ ଆରମ୍ଭ କରି ୧୬ଶ ଶତାବ୍ଦୀ ମଧ୍ୟରେ କୌଣସି ସମ୍ପୂର୍ଣ୍ଣ ଗଦ୍ୟଭାଷା ଲିଖିତ ରଚନା ମିଳୁ ନଥିବାରୁ ପ୍ରାଚୀନ ଓଡ଼ିଆ ଗଦ୍ୟର ସ୍ୱରୂପ ନିରୂପଣ ଲାଗି ମାଦଳାପାଞ୍ଜିର ଭାଷାତାତ୍ତ୍ୱିକ ଅଧ୍ୟୟନ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ।

 

କେହି କେହି ମତପ୍ରକାଶ କରନ୍ତି ଯେ ମାଦଳାପାଞ୍ଜି ଏକ ସାହିତ୍ୟିକ ରଚନା ନ ହୋଇଥିବାରୁ ଏହାର ଗଦ୍ୟ ଭାଷାରେ ସାହିତ୍ୟିକ କୌଳିନ୍ୟ ଓ ସୌକୁମାର୍ଯ୍ୟ ଦେଖାଯାଏ ନାହିଁ । ପୁଣି ଏହାକୁ ପୂର୍ଣ୍ଣରୂପେ କଥିତ ଭାଷା ଭାବେ ଗ୍ରହଣ କରିବା ମଧ୍ୟ ଯୁକ୍ତିଯୁକ୍ତ ନୁହେଁ । ଏହାର ଲେଖନକାରମାନେ ସାଧରଣ ସ୍ତରର ଲୋକ ହେଲେ ମଧ୍ୟ ସେମାନଙ୍କୁ ଆଧୁନିକ ନବସିନ୍ଧା (ଦଲିଲ ଦସ୍ତାବିଜ ଲେଖକ)ମାନଙ୍କ ପରି ଏକ ନିର୍ଦ୍ଧିଷ୍ଟ ଶୈଳୀର ବ୍ୟବହାର କରିବାକୁ ପଡ଼ୁଥିଲା । କାରଣ ପାଞ୍ଜି ଠାକୁର ଓ ରାଜାଙ୍କ ସମ୍ପର୍କିତ ବିବରଣୀ ହୋଇଥିବାରୁ ଏହାର ଏକ ସ୍ୱତନ୍ତ୍ର ରାଜଦରବାରୋଚିତ ଶୈଳୀ ଥିଲା । ଏ କଥା ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ ହେଲେ ମଧ୍ୟ ଗୋଟିଏ କଥା ଲକ୍ଷ୍ୟ କରିବାକୁ ହେବ ଯେ ପ୍ରତ୍ୟେକ ରାଜାଙ୍କ ରାଜତ୍ୱ ବିବରଣୀର ଆରମ୍ଭ ଓ ଶେଷରେ ନିର୍ଦ୍ଧିଷ୍ଟ ଭାଷାର ପ୍ରୟୋଗ ରହିଛି । ଏହି ପାରମ୍ପରିକ ଶୈଳୀଟି ସର୍ବତ୍ର ପ୍ରାୟ ସମାନ । ବାକୀ ଅଂଶରେ ଯେଉଁ ବିସ୍ତୃତ ବିବରଣୀ ରହିଛି ସେଥିରେ ସାଧୁ ଶବ୍ଦର ବ୍ୟବହାର ଅପେକ୍ଷା ଚଳିତ ଶବ୍ଦର ବ୍ୟବହାର ବହୁ ପରିମାଣରେ ଅଧିକ । ପୁଣି ଯେଉଁଠାରେ ଲୋକ କାହାଣୀ କିମ୍ୱଦନ୍ତୀ ବା କଳ୍ପିତ କାହାଣୀର ଅବତାରଣା କରାଯାଇଛି, ତାହା ସମ୍ପୂର୍ଣ୍ଣଭାବେ ଲୋକ କାହାଣୀର କଥନ ଶୈଳୀରେ ଲିଖିତ । ତେଣୁ ଷୋଡ଼ଶ ଶତାବ୍ଦୀର କଥିତ ଭାଷା ତଥା ସ୍ଥଳ ବିଶେଷରେ ସାହିତ୍ୟିକ ଭାଷାର ସ୍ୱରୂପ ଯେ ଏଥିରେ ଉପଲବ୍‌ଧ ଏହା ସ୍ୱୀକାର୍ଯ୍ୟ । ଧ୍ୱନିତତ୍ତ୍ୱ ଧ୍ୱନିତାତ୍ତ୍ୱିକ ବୈଶିଷ୍ଟ ଦୃଷ୍ଟିରୁ ମାଦଳାପାଞ୍ଜିର ଭାଷା ପ୍ରାଚୀନ ମଧ୍ୟଯୁଗୀୟ କାବ୍ୟ ପୁରାଣ, ରୁଦ୍ରସୁଧାନିଧି ପରି ଗଦ୍ୟ ପଦ୍ୟାତ୍ମକ ରଚନା ଏବଂ ଅଷ୍ଟାଦଶ ଶତାବ୍ଦୀରେ ରଚିତ ଗଦ୍ୟ ସାହିତ୍ୟ ଚତୁର ବିନୋଦ ଇତ୍ୟାଦିର ଭାଷା ସହ ତୁଳନୀୟ । ପ୍ରଥମତଃ ସାମ୍ପ୍ରତିକ କାଳରେ ବ୍ୟବହୃତ ସମସ୍ତ ସ୍ୱରବର୍ଣ୍ଣ, (ଅ, ଆ, ଇ, ଈ, ଉ, ଊ, ଋ, ଏ, ଐ, ଓ, ଔ,) ଓ ବ୍ୟଞ୍ଜନ ବର୍ଣ୍ଣ (କ ଠାରୁ ହ ପର୍ଯ୍ୟନ୍ତ)ର ପ୍ରୟୋଗ ମାଦଳାପାଞ୍ଜିରେ ଲକ୍ଷ୍ୟ କରାଯାଏ । ବହୁ ସ୍ଥଳରେ ‘ଈ’ ସ୍ଥାନରେ ‘ଇ’ର ବ୍ୟବହାର ଏବଂ ସାଧରଣ ଭାବରେ ‘ଶ’ ଓ ‘ଷ’ ସ୍ଥାନରେ ‘ସ’ର ବ୍ୟବହାର ରହିଛି । ଯଥା : ବରସ, ଦସଦିସ, ଦ୍ୱାଦସ, ପୁରୁସୋତମ, ନାସ, ସେଜ୍ଜା, ସୋଇଲେ, ସୋଭନ, ପ୍ରସୁରାମ, ଓଡ଼ିସା, ତିରିସ, ପଚିସ, ପରମେସର, ଧର୍ମସିଳ ଇତ୍ୟାଦି । ଅବଶ୍ୟ ‘ଈ’, ‘ଊ’ ଏବଂ ‘ଶ’,‘ଷ’ ର ବ୍ୟବହାର ମଧ୍ୟ ଅଛି (ଯଥା-ପରୀକ୍ଷା, ପୂରୋଇ, ଶ୍ରୀଛାମୁ, କୃଷ୍ଣବେଣୀ, ସତ୍ୟବାଦୀ,ରୂପେ, ସୂର୍ଯ୍ୟ, ପରପୂର୍ଣ୍ଣ, ବନ୍ଦୀ, ତୃତୀୟା, ଶ୍ରୀପୁରୁଷୋତ୍ତମ, ବୈଶାଖ, ଦରଶନ, ରୋଷ ପ୍ରଭୃତି) ତେବେ ଏହି ବ୍ୟବହାର ଅପେକ୍ଷାକୃତ ଅନେକ କମ୍‌ । ସେ ଦୃଷ୍ଟିରୁ ‘ଇ’ ବା ‘ସ’ର ବ୍ୟବହାରକୁ ଧ୍ୱନିତତ୍ତ୍ୱ ସମ୍ମତ ବ୍ୟବହାର ବୋଲି କୁହାଯାଇ ପାରେ । କାରଣ ଓଡ଼ିଆରେ ସ୍ୱରଧ୍ୱନିର ଦୀର୍ଘ ଉଚ୍ଚାରଣ ବା ତାଲବ୍ୟ ‘ଶ’ ଓ ମୂର୍ନ୍ଧନ୍ୟ ‘ଷଉଚ୍ଚାରଣର ବିଧି ନାହିଁ । ଆମେ ସାଧାରଣତଃ ‘ଇ’ ଓ ‘ଈ’, ‘ଉ’ ଓ ‘ଊ’ ମଧ୍ୟରୁ ହ୍ରାସ ଧ୍ୱନି ‘ଇ’ ଓ ‘ଉ’ ଏବଂ ‘ଶ’ ‘ଷ’ ‘ସ ମଧ୍ୟରୁ ଦନ୍ତ୍ୟଧ୍ୱନି ‘ସ’ ର ଉଚ୍ଚାରଣ କରିଥାଉ । ଏହିପରି ଭାବେ ଧ୍ୱନିତତ୍ତ୍ୱ ସମ୍ମତ ଲିଖନ ପ୍ରଣାଳୀ ମଧ୍ୟ ଅନ୍ୟ କେତେକ କ୍ଷେତ୍ରରେ ଲକ୍ଷିତ ହୁଏ । ଯଥା-ଆଜ୍ଞା, ପ୍ରତିଜ୍ଞା, ସର୍ବଜ୍ଞ, ଜ୍ଞାତବ୍ୟ ସ୍ଥାନରେ ଆଗ୍ୟାଂ, ପ୍ରତିଗ୍ୟାଂ, ସର୍ବଗୀଁ, ଗ୍ୟାଁତବ, କ୍ଷୀରି, ଦକ୍ଷିଣ, ଅରକ୍ଷିତ ସ୍ଥାନରେ ଖିରି, ଦଖିଣ, ଅରଖିତ, ଏବଂ ଉଡ଼ାସିଂହ, ମାନସିଂହ, ସିଂହଦ୍ୱାର, ସିଂହାସନ ସ୍ଥାନରେ ଉଡ଼ାସିଘଂ, ମାନସିଘଂ, ସିଘଂଦ୍ୱାରା, ସିଘାଂସନ ଇତ୍ୟାଦି ରହିଛି । ହ୍ରସ୍ୱ ଓ ଦୀର୍ଘ ସ୍ୱର ଧ୍ୱନିର ବ୍ୟବହାରରେ କୌଣସି ଭିନ୍ନତା ଲକ୍ଷିତ ହୁଏନାହିଁ । ହ୍ରସ୍ୱ ଧ୍ୱନି ସ୍ଥାନରେ ଦୀର୍ଘ ଧ୍ୱନି ଓ ଦୀର୍ଘ ଧ୍ୱନି ସ୍ଥାନରେ ହ୍ରସ୍ୱଧ୍ୱନିର ବହୁଳ ପ୍ରୟୋଗ ରହିଛି । ସ୍ୱାଭାବିକ ଭାବେ ଓଡ଼ିଆରେ କେବଳ ହ୍ରସ୍ୱ ଧ୍ୱନି ଉଚ୍ଚାରିତ ହେଉଥିବାରୁ, ଲିଖନ ପ୍ରଣାଳୀ ଅଧିକାଂଶ ସ୍ଥଳରେ ହ୍ରସ୍ଵ ଧ୍ୱନିଦ୍ୱାରା ନିୟନ୍ତ୍ରିତ । ମାଦଳା ପାଞ୍ଜିର ଭାଷାରେ ଯେଉଁ ବିଶେଷ ଧ୍ୱନି ତାତ୍ତ୍ୱିକ ନିୟମଗୁଡ଼ିକ ବର୍ତ୍ତମାନ, ସେଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଉଛି ।

 

ସମୀଭବନ : ଯୁଝ (ଯୁଦ୍ଧ ଶବ୍ଦଜ), ଦଖିଣ(ଦକ୍ଷିଣ ଶବ୍ଦଜ), ଖିରି (କ୍ଷୀରି), ଅରଖିତ (ଅରକ୍ଷିତ) ଖୁଣ (କ୍ଷୁଣ୍‌ଣ ଶବ୍ଦଜ) । ଏ ଦୁଇଟି କ୍ଷେତ୍ରରେ ଦ୍ଧ (ଦ + ଧ) ଏବଂ କ୍ଷ (କ +ଷ) ପରି ଦୁଇଟି ଯୁକ୍ତ ବ୍ୟଞ୍ଜନ ପରସ୍ପରକୁ ସମୀଭୂତ କରି ଝ ଓ ଖରେ ପରିଣତ ହୋଇଛନ୍ତି ।

 

ବିଷମୀଭବନ : ସନମତ (ସମ୍ମତ ଶବ୍ଦଜ) ଏଠାରେ ସନ୍ନିହିତ ଦୁଇଟି ‘ମ’ ଧ୍ୱନି ମଧ୍ୟରୁ ଗୋଟିଏ ବଦଳି ଯାଇ ‘ନ’ ଧ୍ୱନି ହୋଇଛି ।

 

ସ୍ୱର ଭକ୍ତି : ବାରତା, ଗଉଡ଼େଶ୍ୱର, କଳବରଗେଶ୍ୱର, ଅରଜିତ, ସରପ ଦେବ, ସ୍ପରସ, ଦୋରେହା, ଜନମେଜୟ, ଦରସନ, ବରସ, ବଉଧ ଇତ୍ୟାଦି ଶବ୍ଦଗୁଡ଼ିକ ବାର୍ତ୍ତା, ଗୌଡ଼େଶ୍ୱର, କଳବର୍ଗେଶ୍ୱର, ଅର୍ଜିତ, ସର୍ପଦେବ, ଜନ୍ମେଜୟ, ଦର୍ଶନ, ବର୍ଷ, ବୌଦ୍ଧ ଇତ୍ୟାଦି ଶବ୍ଦରୁ ଉଦ୍ଭୂତ, ଉଚ୍ଚାରଣର ସରଳତା ସମ୍ପାଦନା ଯୋଗୁଁ କଷ୍ଟଚାରିତ ଯୁକ୍ତ ଧ୍ୱନି ଗୁଡ଼ିକର ମଧ୍ୟ ଭାଗରେ ସ୍ୱରର ଆଗମ ଘଟି ଏଗୁଡ଼ିକୁ ବିଶ୍ଳିଷ୍ଟ କରିଛି ।

 

ସ୍ୱରସଙ୍ଗତି : ମାହାରାଜା (ମହାରାଜା ଶବ୍ଦଜ), ମାହାପଶୁ (ମହାପଶୁ ଶବ୍ଦଜ), ଗୁପୁତି (ଗୁପତି ଶବ୍ଦଜ), କୁରୁମ (କୁରମ, କୁର୍ମ) ପ୍ରଥମୋକ୍ତ ଶବ୍ଦ ଦୁଇଟିରେ ‘ହା’ ର ‘ଆ’ ଧ୍ୱନି ସହିତ ସଂଗତି ରକ୍ଷା କରିବାକୁ ଯାଇ ‘ମ’ ର ‘ଅ’ ଧ୍ୱନି ‘ଆ’ ଧ୍ୱନିରେ ପରିଣତ ହୋଇଛି । ସେହିପରି ‘ଗୁ’ ର ସନ୍ନିହିତ ‘ପ’ ଧ୍ୱନି (ପ୍‌+ଅ) ‘ଗୁ’ର ସ୍ୱର ସହିତ ସଂଗତି ରକ୍ଷାକରି ‘ପୁ’ରେ ପରିଣତ ହୋଇଛି ।

 

ମଧସ୍ୱର ଲୋପ ଯୋଗେ ସଂକ୍ଷିପ୍ତୀକରଣ : କେତେକ ଶବ୍ଦର ବ୍ୟଞ୍ଜନ ସହିତ ଯୁକ୍ତ ସ୍ୱରଧ୍ୱନି ମଧ୍ୟଭାଗରୁ ଲୋପ ପାଇଯିବା ଫଳରେ ଶବ୍ଦଟି ସଂକ୍ଷିପ୍ତ ହୋଇଯାଏ । ଏହି ପ୍ରକ୍ରିୟା କଥ୍ୟ ଭାଷା ଅପେକ୍ଷା ପ୍ରାଚୀନ ଓଡ଼ିଆ ଲେଖ୍ୟ ଭାଷାରେ ବିଶେଷ ଭାବେ ପରିଦୃଷ୍ଟ ହୁଏ । ମାଦଳାପାଞ୍ଜିରେ ଏହାର ଉଦାହାରଣ : ଗଜପ୍ତି (ଗଜପତି), ପ୍ରସୁରାମ (ପରଶୁରାମ), ପ୍ରମେଶ୍ୱର (ପରମେଶ୍ୱର), ପୃଷୋତ୍ତମ (ପୁରୁଷୋତ୍ତମ)

 

ମହାପ୍ରାଣୀ ଭବନ : ଧୁର (ଦୂର), କଣାରଖ (କଣାରକ), ଭିଆଣ (ବିଧାନ), ହାଥ (ହାତ), ସୁରଥାନ (ସୁଲତାନ)-ଏଠାରେ ‘ଦ’, ‘କ’, ‘ବ’, ‘ତ’, ଧ୍ୱନି ମହାପ୍ରାଣତା ଯୁକ୍ତ ହୋଇ ‘ଧ’, ‘ଖ’ , ‘ଭ’ , ‘ଥ’ରେ ପରିଣତ ହୋଇଛି ।

 

ଅଳ୍ପପ୍ରାଣୀ ଭବନ : ଜୁଜେଷ୍ଟି (ଯୁଝେଷ୍ଟି), କାକୁସ୍ତ (କାକୁସ୍ଥ), ତବଦ (ସ୍ତବ୍‌ଧ)-ଏଠାରେ ‘ଷ୍ଠ’ ର ମହାପ୍ରାଣତା ଲୋପ ପାଇଥିବାରୁ ମହାପ୍ରାଣ ‘ଷ୍ଠ’ ଅଳ୍ପପ୍ରାଣ ‘ଷ୍ଟ’ରେ ପରିଣତ ହୋଇଛି । ଦ୍ୱିତୀୟ ଶବ୍ଦରେ ‘ସ୍ଥ’ ସ୍ଥାନରେ ‘ସ୍ତ’ ଏବଂ ତୃତୀୟ ଶବ୍ଦରେ ‘ଧ’ ସ୍ଥାନରେ ‘ଦ’ ହୋଇଛି ।

 

ବର୍ଣ ବିପର୍ଯୟ : ବାଣରାସି (ବାରାଣାସି ଶବ୍ଦଜ)-ଏଠାରେ ‘ର’ ଓ ‘ଣ’ ପରସ୍ପର ସ୍ଥାନ ପରିବର୍ତ୍ତନ କରିଛନ୍ତି ।

 

ମୂର୍ଦ୍ଧନ୍ୟୀ ଭବନ : ଡିଲି (ଦିଲ୍ଲୀ), ବଣ (ବନ), ମତ୍ତଭାଣୁ (ମତ୍ତଭାନୁ), ଚଉଠି (ଚତୁର୍ଥୀ), ପଢ଼ିଆରି (ପ୍ରତିହାରୀ), ପାଡ଼ି (ପାତି)-ଏଠାରେ ‘ଦ’, ‘ନ’, ‘ତ’,-ଏହି ଦନ୍ତ୍ୟ ଧ୍ୱନିଗୁଡ଼ିକ ମୂର୍ଦ୍ଧନ୍ୟ ‘ଡ଼’, ‘ଣ’ ଓ ‘ଢ଼’ରେ ରୂପାନ୍ତରିତ ।

 

ତାଲବ୍ୟୀ ଭବନ : ଚଏ (ବଏ<ବ୍ୟୟ), ବିକ୍ରମାଜିତ (ବିକ୍ରମାଦିତ୍ୟ)-ଏଠାରେ ଓଷ୍ଠ୍ୟ ‘ବ’ ଦନ୍ତ୍ୟ ‘ଦ’ ଯଥାକ୍ରମେ ତାଲବ୍ୟ ‘ଚ’ ଓ ‘ଜ’ରେ ପରିଣତ ।

 

ଘୋଷୀ ଭବନ : କବାଟ (କପାଟ), କବାଡ଼ (କପାଟ), ପୀଢ଼ (ପୀଠ)-ଏଠାରେ ଅଘୋଷ ଧ୍ୱନି ‘ପ’ ଘୋଷଧ୍ୱନି ‘ବ’ରେ ରୂପାନ୍ତରିତ ।

 

ଶ୍ରୁତିଧ୍ୱନି : ବିମ୍ବଲାଈ (ବିମଳାଈ), ବିମ୍ବଳାକ୍ଷୀ (ବିମଳାକ୍ଷୀ)-ଏଠାରେ ‘ମ’ ଓ ‘ଳ’ ମଧ୍ୟରେ ‘ବ’ ଶ୍ରୁତିଧ୍ୱନିର ଆଗମ ଘଟିଛି ।

 

ମଧ୍ୟସ୍ୱର ଲୋପ : ପ୍ରାଶ୍ଚିତ (ପ୍ରାୟଶ୍ଚିତ>ପ୍ରାଏଶ୍ଚିତ<ପ୍ରାଶ୍ଚିତ)

ଅର୍ଦ୍ଧସ୍ୱରର ସ୍ୱରରେ ପରିଣତି : ବିଜଏ (ବିଜୟ), ବିସ୍ମଏ (ବିସ୍ମୟ), ଅନିତି (ଅନିତ୍ୟ), ବଏ (ବ୍ୟୟ), ଆଏ (ଆୟ), ରାଉତରାଏ (ରାଉତରାୟ) ଏଠାରେ ଅର୍ଦ୍ଧସ୍ୱର ‘ୟ’ ସ୍ୱରଧ୍ୱନି ‘ଏ’ ରେ ପରିଣତି ଲାଭ କରିଛି ।

 

ଅନୁସ୍ୱାର ଓ ଚନ୍ଦ୍ରବିନ୍ଦୁରେ ଅଭିନ୍ନତା : ଅଧିକାଂଶ ସ୍ଥଳରେ ଚନ୍ଦ୍ରବିନ୍ଦୁ ଓ ଅନୁସ୍ୱାରର ପ୍ରୟୋଗରେ କୌଣସି ପାର୍ଥକ୍ୟ ରକ୍ଷା କରାଯାଇ ନାହିଁ । ତାଳପତ୍ରରେ ଲେଖିବାର ସୁବିଧାପାଇଁ ବୋଧହୁଏ ବହୁସ୍ଥଳରେ ଚନ୍ଦ୍ରବିନ୍ଦୁ ସ୍ଥାନରେ ଅନୁସ୍ୱାର ବ୍ୟବହୃତ । ଯଥା-ମୁହଂ, ଯାଇଂ, ନାହିଂ, ଆଗ୍ୟାଂ ଇତ୍ୟାଦି ।

 

ବହୁ ସ୍ଥଳରେ କଥିତ ଭାଷା ବ୍ୟବହୃତ ହୋଇଥିବାରୁ ଶୁଦ୍ଧଧ୍ୱନି ଉଚ୍ଚାରଣରେ ଅକ୍ଷମତା ବଶତଃ ଗୋଟିଏ ଧ୍ୱନି ସ୍ଥାନରେ ଅନ୍ୟ ଧ୍ୱନି ଉଚ୍ଚାରିତ । ଅବଶ୍ୟ ଏହି ଧ୍ୱନିଗୁଡ଼ିକ ସମଜାତୀୟ ଧ୍ୱନି ବା ସନ୍ନିହିତ ଧ୍ୱନି ହୋଇଥିବାରୁ ସହଜ ଉଚ୍ଚାରଣରେ ପରିବର୍ତ୍ତନ ଲାଭ କରିଛି ।

 

ଅ>ଓ ଏବଂ ଭ>ଓ-ସୋମୋଦ୍ର (ସମୁଦ୍ର)

ଆ>ଓ-ପୂରୋଇ (ପୂରାଇ)

ଏ>ଇ-ଖାଇ (ଖାଏ) ଯାଇ (ଯାଏ), କରିଥାଇ (କରିଥାଏ),ଉପୁଜାଇ (ଉପୁଜାଏ), ବସଇ (ବସେ)

ଅ>ଏ-କୋଣାରେଖ (କୋଣାରକ)

ଅ>ଓ-ମୋଣ୍ଡୋଅ (ମଣ୍ଡପ)

ଆ>ଇ-ମୁଖଶିଆଳି (ମୁଖଶାଳା)

ଓ>ଉ-ମୁଗଲ (ମୋଗଲ), ଚୁଡ଼ଙ୍ଗ (ଚୋଡ଼ଗଙ୍ଗ)

ବ>ଅ-(ବ୍ୟଞ୍ଜନଧ୍ୱନି ଲୋପ) ଦେଅ (ଦେବ)

ଶ>ସ-ସକ୍ତି, ନାସ, କେସରୀ, ଓଡ଼ିସା, ସିଦ୍ଧେସର

ଷ>ସ-ପୁରୁସୋତମ, ପୁରୁସ, ବରସ,

ଇ>ଏ-ଏତେକି (ଏତିକି)

ଏ>ଅ-ହଉ (ହେଉ)

ଏ>ଆ-ଚଡ଼ାଇ (ଚଢ଼େଇ )

ଅ>ଉ-ମୁଣୋହି, ଅ>ଓ-ମୋଣୋହି(ମଣୋହି)

ଲ>ଳ-ଶୁକଳ

ନ>ଣ-ମତ୍ତଭାଣୁ

 

ରୂପତତ୍ତ୍ୱ : ରୂପତତ୍ତ୍ୱଗତ ଆଲୋଚନାରେ ଅନ୍ୟାନ୍ୟ ସମସ୍ତ ପ୍ରତ୍ୟୟକୁ ବାଦ୍‌ଦେଇ ଦୁଇଟି ମୁଖ୍ୟ ବିଭାବ ବିଭକ୍ତି ପ୍ରତ୍ୟୟ ଓ ବିଭିନ୍ନ କାଳର କ୍ରିୟାରେ କ୍ରିୟା ପ୍ରତ୍ୟୟଗୁଡ଼ିକୁ ଆଲୋଚନାର ପରିସରଭୁକ୍ତ କରାଯାଇଛି । ଆଧୁନିକ ଓଡ଼ିଆ ଭାଷାର ରୂପତତ୍ତ୍ୱ ସହିତ ମାଦଳାପାଞ୍ଜି ଭାଷାର ରୂପତତ୍ତ୍ୱରେ ବିଶେଷ କିଛି ପାର୍ଥକ୍ୟ ଦେଖାଯାଏ ନାହିଁ ।

 

ବିଭକ୍ତି ପ୍ରତ୍ୟୟ

 

ଏକବଚନ

ବହୁବଚନ

୧ମା

ଏ (ରାଜାଏ, ହମୀରେ, ଗୋବିନ୍ଦ

ହରିଚନ୍ଦନେ ପୁରୁଷୋତ୍ତମଦେବେ,

ପାତ୍ରେ, ମାନସିଙ୍ଗେ)

ଏ (ରାଣୀଏ, ବଉଧେ, ବ୍ରାହ୍ମଣେ)

ମାନେ (ମହାରାଜାମାନେ,

ହମିରରାଏମାନେ, ତୁମ୍ଭେମାନେ,

ଗୋସାଇଁମାନେ)

 

(ଏଥିକି, ଇଥିକି, ସରିକି,

ରାଜନୀତିକି)କୁ (ଏଥକୁ, ସ୍ଥାନକୁ,

ଏହାକୁ, କଟକକୁ, ପଶୁପାଳକକୁ,

ଗୁଡ଼ିଆକୁ, ଭେଟକୁ ଶ୍ରୀଚରଣକୁ,

ମଲକାକୁ, ପୁରିଆକୁ)ଙ୍କୁ

(ମହାପ୍ରଭୁଙ୍କୁ, ହମୀରଙ୍କୁ,

ପୁରୁଷୋତ୍ତମଦେବଙ୍କୁ, ତାହାଙ୍କୁ,

ଆଚାର୍ଯ୍ୟଙ୍କୁ)

ମାନଙ୍କୁ (ବ୍ରାହ୍ମଣମାନଙ୍କୁ, ବଉଧମାନଙ୍କୁ,

ରାଜାମାନଙ୍କୁ, ରାଜ୍ୟମାନଙ୍କୁ,

ସେବକମାନଙ୍କୁ, ହମୀରମାନଙ୍କୁ

ଯୋଗାଡ଼ମାନଙ୍କୁ । ଙ୍କୁ

(ବ୍ରାହ୍ମଣଙ୍କୁ, ବଉଧଙ୍କୁ) ଙ୍କି (ଦୁହିଁଙ୍କି)

୩ୟା

 

ଏ (ସୁଖେ, ପ୍ରକାରେ, ପ୍ରମାଣେ,

ସାପେ) ରେ (ଭୁଜରେ,

ଦିବସରେ, ମହରଗରେ,

ଲୋଭ ବସରେ, ଖଣ୍ଡାରେ)

 

୪ର୍ଥୀ

 

କୁ (କପିଳରାଉତକୁ, ଏଥକୁ) ଙ୍କୁ (ପରମେଶ୍ୱରଙ୍କୁ)

ଙ୍କୁ (ଦେବତା ବ୍ରାହ୍ମଣଙ୍କୁ) ମାନଙ୍କୁ

(ସାଆନ୍ତମାନଙ୍କୁ, ମାହୁନ୍ତମାନଙ୍କୁ,

ପାଇକମାନଙ୍କୁ, ସେବକମାନଙ୍କୁ)

୫ମୀ

 

ରୁ (ପ୍ରସାଦରୁ, ରାଜ୍ୟରୁ, ଗଛରୁ, ଗର୍ଭରୁ,

କୂଳରୁ, ପୂର୍ବରୁ, ସେଠାରୁ ଭିତରୁ, ମଝିରୁ,

ଦ୍ରୋହ କଲାରୁ)ଉ (ଘରୁ, ଦିନୁ,

ଦଖିଣୁ) ଉଁ (ଆଦ୍ୟୁଁ) ଠାରୁ

(ସୋମୋଦ୍ର ତୀରଠାରୁ, କାଆଁ

ସାବାଆଁସାଠାରୁ)କୁ (ଚିହ୍ନିଲାକୁ,

ଦେଲାକୁ, ଖାଇଲାକୁ )

 

୬ଷ୍ଠୀ

 

ର (ଆମ୍ଭର, ମୋହର, ତୁମ୍ଭର,

ବ୍ରାହ୍ମଣର) ଙ୍କ (ପ୍ରମେଶ୍ୱରଙ୍କ,

ଏହାଙ୍କ, ଠାକୁରଙ୍କ, ହମୀରଙ୍କ)ଙ୍କର

(ମହାପ୍ରଭୁଙ୍କର, ରାଜାଙ୍କର,

ଠାକୁରଙ୍କର, ପାତିସାଙ୍କର,

ସତ୍ୟବାଦୀଙ୍କର )      

ଙ୍କର (ସେବକଙ୍କର) ମାନଙ୍କର

(ଦେବତାମାନଙ୍କର) ମାନଙ୍କ (ପୁଅମାନଙ୍କ)

୭ମୀ

 

ଏ (ମୂଳେ, ଦକ୍ଷିଣତୀରେ, ରାଇଜେ,

ଗର୍ଭେ, ନଦୀକୂଳେ, ଭିତରେ,

ଦକ୍ଷିଣେ)ରେ (ଭୂଇଁଭଳିରେ,

ନାଳରେ, ଆଡ଼ତିରେ, ପତରରେ,

ମୁହଁରେ, କଟକାଇରେ, ଛାମୁରେ,

ମାଠିଆରେ, ରାଜ୍ୟରେ) ଠାରେ

(ଏଠାରେ, ଗଉଡ଼ୁଣୀଠାରେ,

ଆମ୍ଭଠାରେ, ସେହିଠାରେ) ଠାକୁ

(ସବୁଠାକୁ) କୁ (ଉପରକୁ) କୁ

(ଭାବେ ସପ୍ତମୀ) ହୋଇଲାକୁ,

ପଡ଼ିଲାକୁ, ଅଇଲାକୁ

ଙ୍କେ (ମାନଙ୍କେ)

 

ସମ୍ବୋଧନ-ଭୋ

ମାଦଳାପାଞ୍ଜିର ସମସ୍ତ ବିଭକ୍ତି ପ୍ରତ୍ୟୟ ବର୍ତ୍ତମାନ ମଧ୍ୟ ଆମ ଭାଷାରେ ପ୍ରଚଳିତ । ପଞ୍ଚମୀ ବିଭକ୍ତିରେ ‘କୁ’ ପ୍ରତ୍ୟୟ ୭ମୀ ବିଭକ୍ତିରେ ‘କୁ’ ଓ ‘ଙ୍କେ’, ‘ଠାକୁ’ ପ୍ରତ୍ୟୟ ପ୍ରାୟ ଅପ୍ରଚଳିତ । ଭାବେ ୭ମୀ ‘କୁ’ ପ୍ରତ୍ୟୟର ବ୍ୟବହାର ପ୍ରାଚୀନ ଓଡ଼ିଆ ଭାଷାର ଏକ ବୈଶିଷ୍ଟ୍ୟ ।

 

 

ପୁରୁଷ

 

ଏକବଚନ

ବହୁବଚନ

୧ମ ପୁରୁଷ

ମୁଂ, ମୁଁ, ଆମ୍ଭେ      ଆମ୍ଭେ

ଆମ୍ଭେମାନେ, ଆମ୍ଭ, ଆମ୍ଭର

୨ୟ ପୁରୁଷ

ତୁମ୍ଭେ, ତୁମ୍ଭଙ୍କୁ, ତୁ, ମୋତେ

ତୁମ୍ଭେମାନେ, ତୁମ୍ଭର

୩ୟ ପୁରୁଷ

ସେ, ଏ, ରଜାଏ, ତାହାଙ୍କୁ

ସେମାନେ, ବ୍ରାହ୍ମଣେ, ବଉଧେ, ବ୍ରାହ୍ମଣମାନଙ୍କର

 

କ୍ରିୟାର କାଳ :

 

ବର୍ତ୍ତମାନ କାଳ

ସାମାନ୍ୟ

(ସାଧାରଣ, ନିତ୍ୟବୃତ୍ତ)-ଆସଇ, ହୋଇ, ହୋଅଇ, ବୋଲାଇ, ଯାଇ, ଘୋଟଇ, ଅଛି, ବୋଲନ୍ତି, କହନ୍ତି, ଜାଣନ୍ତି, ଅଛନ୍ତି, ଛନ୍ତି, ଯାନ୍ତି, କରିଥାଇ, କରିଥାନ୍ତି, ତେଜନ୍ତି ।

ଘଟମାନ

ଲଗାଉଛି, ଦେଉଅଛି, ଗିଳୁଅଛି, ଜାଳୁଅଛି, ରାନ୍ଧୁଅଛି, ଜଣାଉଅଛି, ଚରୂଅଛି ।

ପୂର୍ଣ୍ଣଘଟିତ

ହୋଇଅଛି, ଆସିଅଛି, ଦେଇଅଛନ୍ତି, କରିଅଛି, ଖାଇଅଛୁ, ବସିଅଛ ।

ଅନୁଜ୍ଞା

ରହ, ଖାଉ, ହଉ, ଖାଆ, କର, କହ, ହୋଉ, ଦିଅ ।

 

ଅତୀତ କାଳ

ସାମାନ୍ୟ

କହିଲା, ପଚାରିଲା, ଆଣିଲେ, ଲାଗିଲା ଜଣାଇଲେ (ପ୍ରଯୋଜକ) ବୋଲାଇଲା (ପ୍ରଯୋଜକ), ଘେନିଲେ, ହେଲା, ହୋଇଲେ, କରାଇଲେ (ପ୍ରଯୋଜକ), ବାହାର କଲେ, ଖୋଳାଇଲେ (ପ୍ରଯୋଜକ), ହାରିଲେ, ପଚାରିଲେ, ବିଚାରିଲେ, ଗଲେ, ଥିଲେ, କଲେ, ଯାଇଥିଲେ, ମୁଦାଇଲେ (ପ୍ରଯୋଜକ), ହୋଇଲା, ଦେଲା, ପକାଇଲେ (ପ୍ରଯୋଜକ), ବସାଇଲେ (ପ୍ରଯୋଜକ), ଦେଖାଇଲେ (ପ୍ରଯୋଜକ) ।

ଘଟମାନ

ହୋଉଥିଲା, ହେଉଥିଲା ।

ପୂର୍ଣ୍ଣଘଟିତ

ହୋଇଥିଲେ, ପୋତିଥିଲେ, ଲେଖିଥିଲା ।

 

ଭବିଷ୍ୟତ କାଳ

ସାମାନ୍ୟ

ଦେଖିବୁ, ହେବ, ରହିବ, ଖୋଳାଯିବ (ପ୍ରଯୋଜକ), କରାଇବୁ (ପ୍ରଯୋଜକ) କରିବେ, ହେବ, ରହିବ, ଚାହିଁବ, ହରିବ, ହୋଇବ, ଯିବ, ବୋଲିବ, ପାଇବ, ତୋଳାଇବ (ପ୍ରଯୋଜକ), ଲାଗିବ, ଦେଖିବୁ ।

ଘଟମାନ

ଶୁଣୁଥିବ, କରୁଥିବ, ପୋଷୁଥିବ, କୋରୁଥିବ,

ପୂର୍ଣ୍ଣଘଟିତ

କରିଥିବୁ

ଅନୁଜ୍ଞା

ଯିବୁ, କରୁଥିବ, ଦେଖାଇବ, ଯିବ, କରିବ ।

 

 

ବିଶେଷ୍ୟର କ୍ରିୟା ଭାବରେ ବ୍ୟବହାର :

ପ୍ରବୋଧିଲେ (ପ୍ରବୋଧ + ଇଲେ)

ଉହାଡ଼ିଲେ (ଉହାଡ଼+ଇଲେ)

 

କ୍ରିୟା ପ୍ରତ୍ୟୟ ଯୋଗରେ ବିଶେଷ୍ୟ ଶବ୍ଦ ପ୍ରବୋଧ ଓ ଉହାଡ଼ ନାମଧାତୁ କ୍ରିୟାରୂପେ ବ୍ୟବହୃତ ।

 

ସମାପିକା-ଅସମାପିକା କ୍ରିୟା :

ସମାପିକା

ଏ ରାଜା ବଡ଼ ବୈଷ୍ଣବ ଆଚରଣ କଲେ ।

 

ରାଜା ବଡ଼ ସଙ୍କୋଚ ପାଇଲେ ।

 

ରାଜା ବିଦ୍ୟାନଗରୁ ଆସି ମହପ୍ରଭୁଙ୍କୁ ଦରଶନ କରି ଶ୍ରୀ ନବରେ ବିଜେ କରିଥିଲେ ।

 

(ଧାଇଁଲେ, ମାରିବୁ, ରଖିଥାନ୍ତି, ଗୋଡ଼ାଉ ଅଛି, ହୋଇଲେ, ଆଣିଲେ, ଫେଡ଼ିବୁ, ଦର୍ଶନ କଲେ ଇତ୍ୟାଦି)

 

ସମାପିକା

ଚୁଡ଼ଙ୍ଗ ସାହିରୁ ବିଜେ କରାଇଲେ ।

ପ୍ରୟୋଜକ କ୍ରିୟା

ଗୋଡ଼ ଗୋଟିଏ ଜାଳୁଅଛି ।

 

ଅସମାପିକା

ତହୁଁ ରାଜା ବାହୁଡ଼ି ଆସି କଟକ ପ୍ରବେଶ ହୋଇଲେ ।

 

ଏହା ଡାକ ସୁଣି କୋଡ଼ ପୁଅକୁ ଚୂଲିରେ ଦେଇ ଏହାକୁ କଥା କହିଲା ।

 

(କରି, ଧାଇଁ, ଥାଉଁ, ଜାଣି, ମାଡ଼ି, ବୋଲି, ଫେଡ଼ି, ଶୁଣି, ଦେଖି ଇତ୍ୟାଦି)

 

ଅସମାପିକା ପ୍ରୟୋଜକ କ୍ରିୟା

ଦେଅମାନଙ୍କୁ ଲୁଗା ଗୁଡ଼ିଆଇ ମୁଣାରେ ପୂରୋଇ ମୁଦାଇଲେ ।

 

ବାକ୍ୟରୀତି

ମାଦଳାପାଞ୍ଜିରେ କେତେକ ସ୍ଥାନରେ ଅତି ଦୀର୍ଘ ବାକ୍ୟ ତ କେତେକ ସ୍ଥାନରେ ଅତି କ୍ଷୁଦ୍ର ବାକ୍ୟ ବ୍ୟବହୃତ । କର୍ତ୍ତା, କର୍ମ, କ୍ରିୟାର କ୍ରମ ସର୍ବତ୍ର ସମାନ ନୁହେ । ‘ସଂସାର ଯେ ଭିଆଇଲେ ବେଦବର’ ପରି ବାକ୍ୟର ଶେଷରେ କର୍ତ୍ତା ଅଛି । ସେହିପରି ‘ତେବେ ସେ ନିଦ୍ରାଯାନ୍ତି ବେଦପତି’ ଏ ଯୁଗ ଭୋଗ କଲେ ଛଅ ରାଜା’ ପ୍ରଭୃତି ବାକ୍ୟରେ କର୍ତ୍ତା, କର୍ମ, କ୍ରିୟାର କ୍ରମ କର୍ମ କ୍ରିୟା କର୍ତ୍ତା କ୍ରମରେ ପରିଣତ ହୋଇଛି ।

ବାକ୍ୟଗଠନ ଓ ଶ୍ରେଣୀ ବିଭାଗ :

ସରଳ ବାକ୍ୟ

ମତ୍ତଭୋଳ ହୋଇ ରାଜା ଦିନ ନେଲେ ।

 

ଏ ରାଜା ବଡ଼ ଧର୍ମିଷ୍ଠ କର୍ମିଷ୍ଠ ।

 

ସେ ତ ନ ମରିବ ।

 

ବେଦ ଶାସ୍ତ୍ରମାନଙ୍କରେ ପଣ୍ଡିତ ହେଲେ ।

 

ମୁଗଲ ଗୋଳ ହୋଇଲାକୁ ସୋମୋଦ୍ର ମାଡ଼ି ।

 

 

ଅଇଲାକୁ ଅପାର ଦିନ ହୋଇଲା ।

ଉପରୋକ୍ତ ବାକ୍ୟଗୁଡ଼ିକରେ ଗୋଟିଏ ଲେଖାଏଁ କର୍ତ୍ତା ଓ କ୍ରିୟା ରହିଛି । ଦ୍ୱିତୀୟ ବାକ୍ୟରେ କ୍ରିୟା ଊହ୍ୟ ଏବଂ ଚତୁର୍ଥ ବାକ୍ୟରେ କର୍ତ୍ତା ଊହ୍ୟ ।

ଜଟିଳ ବାକ୍ୟ

(କ)

ମୁଂ ଯାହା ଯଉଂ ପ୍ରକାରେ ଭିଆଣ କରି ଦେଇଅଛି ଦେବତା ବ୍ରାହ୍ମଣଙ୍କୁ ଭୋଗ କରାଇ ସେ ପ୍ରକାରେ ପରିପାଳନ କରୁଥିବ ।

(ଖ)

ଏଥକୁ ତୁମ୍ଭେମାନେ ଯେବେ ବଳିୟାର ପଣକରି ଲୋଭ ବଶରେ ହରିବ ତେବେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଚରଣକୁ ଦ୍ରୋହ କଲାରୁ ଯେ ପାପ ତାହା ହୋଇବ ।

(ଗ)

ଯେତେବେଳେ ବ୍ରହ୍ମା ନାସ ଯାଇ ତେତେବେଳେ ପ୍ରଳୟ ହୋଅଇ ।

(ଘ)

କୋଟି ବ୍ରହ୍ମା ପ୍ରଳୟ ଯେବେ ହୋଇ ତେବେ ହେଁ

 

ଶ୍ରୀ ପୁରୂସୋତମ ନ ତେଜନ୍ତି ଦେବରାଏ ।

 

ଉପରୋକ୍ତ ବାକ୍ୟଗୁଡ଼ିକରେ ଗୋଟିଏ ଗୋଟିଏ ପ୍ରଧାନ ବାକ୍ୟ ଏବଂ ଅନେକ ନିର୍ଭରଶୀଳ ବାକ୍ୟ ରହିଛି ।

 

ଯୌଗିକ ବାକ୍ୟ

(କ)

ଦରଶନ କରି ପ୍ରତିଗ୍ୟାଁ କରି ବୋଇଲେ ପୁରିଆକୁ ଆଉ ତୁମ୍ଭେ ରଖି ନ ପାରିବ, ଶଙ୍ଖେ ପୂରୋଇ ତକ୍ରେ ଉହାଡ଼ିଲେ ଅବଶ୍ୟ ମାରିବୁ ଗୋସାଇଁ ।

(ଖ)

ପଢ଼ିଆରି ବୋଇଲା ଠାକୁରଙ୍କ ଆଗ୍ୟାଁ ନାହିଁ,

 

କେମନ୍ତେ କବାଟ ଫେଡ଼ିବୁ ଗୋସାଇଁ ।

 

ଏଠାରେ ଏକାଧିକ ସ୍ୱାଧୀନ ବାକ୍ୟର ସମନ୍ୱୟ ପରିଲକ୍ଷିତ ।

 

ବାକ୍ୟର ଅର୍ଥଗତ ଶ୍ରେଣୀ ବିଭାଗ :

 

ଅସ୍ତ୍ୟର୍ଥକ ବା ନିର୍ଦ୍ଦେଶକ ବା ବର୍ଣ୍ଣନାତ୍ମକ ବାକ୍ୟ :

(କ)

ତରଳା ଖଣ୍ଡାଇତ ସରସ୍ୱତୀଙ୍କ ମୋହନ କଲେ ।

(ଖ)

ଧଉଳିଗଡ଼ ଘେନି ରଥିପୁର ଘେନିଲା ।

(ଗ)

ଏ ପଳାଇ ଆଛି ।

(ଘ)

ଧରା ପଡ଼ିଲେ ଦେବୁ ।

(ଙ)

ବ୍ରାହ୍ମଣ କପିଳିଠାରେ ବଡ଼ ସୁଖ କରିଥାଇ ।

 

ନାସ୍ତ୍ୟର୍ଥକ ବା ନିଷେଧାତ୍ମକ ବାକ୍ୟ :

(କ)

ବ୍ରାହ୍ମଣେ କହିଲେ ଏଥକୁ ପ୍ରାଶ୍ଚିତ ନାହିଁ ।

(ଖ)

ଏହାଂକ ବଚନ ମିଥ୍ୟା ନୋହଇ ।

(ଗ)

ଶରୀର ନିତ୍ୟ ନୋହଇ ।

(ଘ)

କାହାରି ମୁଖ ନ ଚାହିଁ ବ ।

(ଙ)

ଏଡ଼େ ହୋଇ ତ କଥା ନାହିଁ ।

(ଚ)

ଏଥିକି ତୁମ୍ଭେମାନେ ନ ପୁଣି ବୋଲ ସେ ଦେଇଗଲେ ଆମ୍ଭର କି ହୋଇଲା, ଆମ୍ଭେ କିମ୍ପା ଦବୁ ଏମନ୍ତ ନ ବୋଲିବ ।

(ଛ)

ତେବେ ହେଁ ଶ୍ରୀ ପୁରୁସୋତମ ନ ତେଜନ୍ତି ଦେବରାଏ ।

(ଜ)

ଆମ୍ଭେ ଗାଁ ତବ ନୋହୁ ।

(ଝ)

ସେ ତ ନ ମରିବ ।

 

ପ୍ରଶ୍ନାତ୍ମକ ବା ଜିଜ୍ଞାସାସୂଚକ ବାକ୍ୟ :

(କ)

ଠାକୁରାଣୀଂକ ପ୍ରସାଦରୁ କିଛି ପାଇବ କି ।

(ଖ)

ସିବାଇ ସାନ୍ତରା କିପରି ଦେଉଳ ତୋଳାଇଲା କି ।

(ଗ)

ଓଡ଼ିଶାର ପ୍ରଭୁ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ, ସେ କାହିଁଛନ୍ତି ।

(ଘ)

ଧୋବଣୀ ପଚାରିଲା, କେତେ ଖାଇଲୁ ।

(ଙ)

ବଉଧଙ୍କୁ ପଚାରିଲେ, ଏ ମାଠିଆରେ କି ଅଛି ।

 

ଇଚ୍ଛାବୋଧକ ବାକ୍ୟ :

(କ)

ଏଥକୁ ଠାକୁରେ ଆଗ୍ୟାଂ ଦେଲେ ହୋଉ ।

(ଖ)

ନଉ ହାଥ ଉଚ୍ଚେ ପ୍ରାସାଦ ହୋଉ ।

 

ବିସ୍ମୟସୂଚକ ବାକ୍ୟ :

ଦେଖ ବ୍ରାହ୍ମଣମାନଙ୍କ ବଚନ ।

 

ଅନୁଜ୍ଞା ସୂଚକ ବାକ୍ୟ :

(କ)

ରାଜ୍ୟ ଯେଉଁ ପ୍ରକାର ଭୂଇଁ ଭଳିରେ ମାଢ଼ ମୂଳ କରି ସୁନା ଭିଆଇଲା ଅଛି, ସେହି ପ୍ରକାରେ ପୁଷ୍ଟି ନଷ୍ଟି ଦେଖି କର ଘେନି ପରଜାଙ୍କୁ ପରିପାଳନ କରି ସୁଖେ ସ୍ୱର୍ଗକୁ ଯିବ ।

(ଖ)

ଭୋ ମହାରାଜାମାନେ ତୁମ୍ଭେମାନେ ଏହା ଅନ୍ୟଥା ନ କରିବ ।

(ଗ)

ଏଥକୁ ଠାକୁର ଆଗ୍ୟାଂ ଦେଲେ ହୋଉ, ନଉ ହାଥ ଉଚ୍ଚେ ପ୍ରାସାଦ ହୋଉ ।

(ଘ)

ମୁଂ ଯାହା ଯଉଂ ପ୍ରକାରେ ଭିଆଣ କରି ଦେଉଅଛି ଦେବତା ବ୍ରାହ୍ମଣଙ୍କୁ ଭୋଗ କରାଇ ସେ ପ୍ରକାରେ ପରିପାଳନ କରୁଥିବ ।

(ଙ)

କୀର୍ତ୍ତିମାନ କର ।

(ଚ)

ଏ କହିଲା ବାରିରେ କଦଳୀମାନ ଅଛି ଖାଆ ।

(ଛ)

ଯଉଁରୂପେ ପୋଡ଼ ପିଠା କରୁଥିଲେ ସେରୂପେ କରିବ ।

(ଜ)

ବ୍ରାହ୍ମଣଙ୍କୁ କହିଲେ ତୁମ୍ଭେ କହ ।

 

କାର୍ଯ୍ୟକରଣାତ୍ମକ ବାକ୍ୟ :

(କ)

ସେ ମାଠିଆ ଫେଡ଼ି ଦେଲା ବେଳକୁ ତହିଂ ଭସ୍ମ ବାହାର ହୋଇଲା ।

(ଖ)

ସେ ଟୋକା ଚୋର ଗଙ୍ଗାଙ୍କୁ କହିଲାକୁ ଖପରାରେ ଖପରା ଖଣ୍ଡିଏ ଲେଖି ସେ ଟୋକା ମୂଳେ ଦେଲା ।

(ଗ)

ଆଉ ଥରେ ପଠାଣ ଜଣକୁ ଲେଖି ଦେଲାକୁ ଏ ବାସୁଦେବ ରଥ ରାଜାଂକୁ କହିଲେ ।

(ଘ)

ମୁଗଲ ଗୋଳ ହୋଇଲାକୁ ସୋମୋଦ୍ର ମାଡ଼ି ଅଇଲାକୁ ଅପାର ଦିନ ହୋଇଲା ।

 

 

କ୍ରିୟାହୀନ ବାକ୍ୟରୀତି :

(କ)

ଏମାନେ ସର୍ବଗ୍ୟଁ ।

(ଖ)

ଏ ରାଜା ବଡ଼ ସୁରବନ୍ତ ମହାଦାନୀ ।

(ଗ)

ବ୍ରହ୍ମାଙ୍କୁ ଦିବସକେ ବିଷ୍ଣୁ ଦ୍ୱାଦଶ ଅବତାର ।

 

ଶବ୍ଦ ଭଣ୍ଡାର : ମାଦଳାପାଞ୍ଜିର ଶବ୍ଦଗୁଡ଼ିକୁ ତତ୍‌ସମ, ତଦ୍‌ଭବ, ଦେଶଜ, ବୈଦେଶିକ ଭେଦରେ ଚାରି ଭାଗରେ ବିଭକ୍ତ କରାଯାଇ ପାରେ । ଏଥିରେ ସଂସ୍କୃତ ଭାଷାର ପ୍ରଭାବ ପୁଷ୍ଟ ତତ୍‌ସମ ଶବ୍ଦ ଏବଂ ସଂସ୍କୃତ ଶବ୍ଦରୁ ଉଦ୍ଭୂତ ତଦ୍‌ଭବ ଶବ୍ଦ ବ୍ୟତୀତ ଦେଶଜ ଶବ୍ଦର ବ୍ୟବହାର ବହୁଳ ଭାବେ ପରିଲକ୍ଷିତ । କେତେକ ସ୍ଥାନରେ ଯାବନିକ ଓ ଇଂରେଜୀ ଶବ୍ଦର ବିକୃତ ରୂପ ମଧ୍ୟ ଲକ୍ଷଣୀୟ । ତତ୍‌ସମ ଓ ତଦ୍‌ଭବ ଶବ୍ଦଗୁଡ଼ିକ ବର୍ତ୍ତମାନ ମଧ୍ୟ ଓଡ଼ିଆ ଭାଷାରେ ପ୍ରଚଳିତ, କିନ୍ତୁ ଦେଶଜ ଶବ୍ଦ ମଧ୍ୟରୁ ବହୁ ଶବ୍ଦ ବର୍ତ୍ତମାନ ଅପ୍ରଚଳିତ । ଅବଶ୍ୟ କେତେକ ତଦ୍‌ଭବ ଶବ୍ଦ ମଧ୍ୟ ଅପ୍ରଚଳିତ ।

 

ତତ୍‌ସମ : ବୀର, ପ୍ରତାପୀ, ନିର୍ମାଣ, ଇଚ୍ଛା, ପ୍ରତିଷ୍ଠା, ପ୍ରସାଦ, ମହାପ୍ରଭୁ, ଦେବ, ନିର୍ବେଦ, ସର୍ପ, ଶୀତଳ, ଗର୍ଭ, ସୁକୃତ, ମୂର୍ତ୍ତି, ଶୁଦ୍ଧି, କ୍ରିୟା, ସ୍ନେହ, ଆଶ୍ଚର୍ଯ୍ୟ ଜୀବନ, ପରିପାଳନ, ରାଜ୍ୟ, ବିଷୟ, କ୍ଷେତ୍ର, ସେବକ, କୋପ, ବିସ୍ମୟ, ସୁଖ, ସୀମା, ପ୍ରମାଣ, ଯାତ୍ରା, ଅଗ୍ନି, ଅନ୍ୟାୟ, ଆବାହନ, ଭୋଗ, କଟକ, ତତ୍‌କାଳ, ବିଘ୍ନ, ନଦୀ, ମୂଳ, ସ୍ୱର୍ଗ, ବନ୍ଦୀ-

 

ତଦ୍‌ଭବ : ହାଥୀ (ହସ୍ତୀ), ନଭ (ନବତି), ଭିତର (ଅଭ୍ୟନ୍ତର), ଭଜ (ଉଦ୍ୟମ), ସୁନା (ସ୍ୱର୍ଣ୍ଣ), ଦେଉଳ (ଦେବକୁଳ), ପାହାନ୍ତୀ (ପ୍ରଭାତୀ), ପାରୁଶ (ପାର୍ଶ୍ୱ), ମୋଣ୍ଡୋଅ (ମଣ୍ଡପ), ସପନ (ସ୍ୱପ୍ନ), ଫୁଲ (ପୁଷ୍ପ), ବଏ (ବ୍ୟୟ), ରାଉତ (ରାଜପୁତ୍ର), ବାଛୁରୀ [ବତ୍ସତରୀ], ଚଉଠୀ [ଚତୁର୍ଥୀ], ଶୁକଳ [ଶୁକ୍ଳ], ସ୍ନାହାନ [ସ୍ନାନ], ମହରଗ [ମହାର୍ଘ], ରାଇଜ [ରାଜ୍ୟ], ଯୁଝ [ଯୁଦ୍ଧ], ପାତାଳୀ [ପାତାଳ+ଈ], ଉଦିଷ୍ଠାଣି [ଅଧିଷ୍ଠାନ], ଗୋପନ୍ଥ [ଗୋପଥ, ଗୋପନ୍ଥା], ବିଜେ (ବିଜୟ), ଦେଅ [ଦେବ], ଉଲାଗି (ଉଲଗ୍ନ), ଉଢ଼ାଳ (ଅନ୍ତରାଳ)-

 

ଦେଶଜ : ମୁରାଟି, ନିଉଛାଳି, ଶିଲୋଭ, ହକରା, କଣିଆ, ଉଣିଆ, ମଇଲମ, ରୁହାଇ, ଫେଡ଼ାଇ, ଆଡ଼ତି, ମୁଦଲ, ଖଟଣି, ଫଡ଼ିକାର, ଇଟିକାର, ତେରଟିଆ, ତାଡ଼, ତୋଡ଼ର, ଉଚ୍ଛାଦି, ଭେଉଂଆ, ମୁଣୋହି, କିଳତା, ମନିନ୍ତ, ମଡ଼ଫୁଲି, ଓହୋରି, ମାଖୁନା, ତଣ୍ଡା, ନଗୁତି, ପଳାଭଣି, ଢୁଆଇ, ଟୋକା, ପିଣ୍ଡି, ଅଣସର, ପହଣ୍ଡ, ତଳୁଛୋ-

 

ବୈଦେଶିକ :

(କ) ଯାବନିକ (ପାର୍ସୀ, ଆରବୀ) ଶବ୍ଦଜ :

ଫଉଜ, ଫଉଦ, ଡେରା, ଅମୁରା, ପାତିସା, ସୁରଥାନ, ପରିସା, ନଜିକ, ମଳକା, ଟାରା, ନସ୍କର, ଉଲ୍ଲର, ଦିଆନ, ନାଏବ, ସୁବା, ନବାବ, ଫଉଦାର, ପେସ୍‌କସ୍‌, ନସ୍‌କର, ଲସ୍କର, କଚେରୀ, କିଲା, ମୁକୁସୁଜାବାଦ-

 

(ଖ) ଇଂରେଜୀ ଶବ୍ଦଜ : ଇଂଗ୍ରାଜି, ମିଲିମିଲି, ଜନରଳ, ହାଇକୋଟ୍‌, ଗଭର୍ଣ୍ଣମେଣ୍ଟ

ଧ୍ୱନିତତ୍ତ୍ୱ, ରୂପତତ୍ତ୍ୱ, ବାକ୍ୟତତ୍ତ୍ୱ ଓ ଶବ୍ଦତତ୍ତ୍ୱ ଦୃଷ୍ଟିରୁ ମାଦଳାପାଞ୍ଜି ଭାଷାର ବୈଶିଷ୍ଟ୍ୟ ନିରୂପଣ ମୂଳରେ ରହିଛି ପ୍ରାଚୀନ ଓଡ଼ିଆ ଭାଷାର ସ୍ୱରୂପ ଅଧ୍ୟୟନ । ପ୍ରାଚୀନ ଓଡ଼ିଆ ଭାଷାର ଏହି ଗଦ୍ୟ ରଚନାରେ ଶବ୍ଦ ପ୍ରୟୋଗ ଓ ବାକ୍ୟ ନିର୍ମାଣ ଶୈଳୀରେ ଯେଉଁ ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠିତ ହୋଇଛି, ତାହା ଅନ୍ତତଃ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଲିଖିତ ଓଡ଼ିଆ ଗଦ୍ୟରେ ପରିଲକ୍ଷିତ । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଲିଖିତ ଆଧୁନିକ ଗଦ୍ୟଶୈଳୀ ସହିତ ଏହାର ସେପରି ଯୋଗ ନାହିଁ । ମାଦଳାପାଞ୍ଜି ବ୍ୟବହୃତ ବହୁ ପ୍ରାଚୀନ ଶବ୍ଦ ବର୍ତ୍ତମାନ ଅପ୍ରଚଳିତ ହେଲେ ମଧ୍ୟ ଏଗୁଡ଼ିକର ଅର୍ଥବହତାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ । ସଂଯୋଜକ ଅବ୍ୟୟହୀନତା ଏହାର ଏକ ବୈଶିଷ୍ଟ୍ୟ । ‘ଓ’, ‘ଏବଂ’ ପରି ସଂଯୋଜକ ଅବ୍ୟୟ ନ ଥିବାରୁ ବାକ୍ୟ ଗଠନରେ ସାବଲୀଳତା ରକ୍ଷିତ ହୋଇ ପାରିଛି । ସ୍ଥଳ ବିଶେଷରେ କ୍ରିୟାହୀନ ବାକ୍ୟର ପ୍ରୟୋଗ ଅନ୍ୟ ଏକ ଲକ୍ଷଣୀୟ ବୈଶିଷ୍ଟ୍ୟ । ମାଦଳାପାଞ୍ଜିର ଭାଷା ଓ ଶୈଳୀରୁ ପ୍ରାଚୀନ ଓଡ଼ିଆ ଭାଷା ଶୈଳୀର ଏକ ସ୍ପଷ୍ଟ, ସାବଲୀଳ ରୂପ ଉପଲବ୍‌ଧ ।

 

 

୨୫, ଆଣ୍ଡୃଜ ପଲ୍ଲୀ

ଶାନ୍ତିନିକେତନ-୭୩୧୨୩୫

(ପଶ୍ଚିମବଂଗ)

 

***

 

ଉପନ୍ୟାସରେ ଚେତନା ପ୍ରବାହ ପଦ୍ଧତି ।।

ଡକ୍ଟର ଲାବଣ୍ୟ ନାୟକ

 

ପ୍ରଥମ ପର୍ଯ୍ୟାୟରେ ରଚିତ ଉପନ୍ୟାସକୁ ବର୍ତ୍ତମାନର ପରିପ୍ରେକ୍ଷୀରେ ବିଚାର କଲେ ଆଙ୍ଗିକ ଓ ଆତ୍ମିକ, ଉଭୟ ଦିଗରୁ ପାର୍ଥକ୍ୟ ପରିଲକ୍ଷିତ ହୁଏ । ଏହାର ବିଷୟବସ୍ତୁ ତଥା ଥୀମ୍‌ ଯେପରି ଭିନ୍ନ ରୂପ ଗ୍ରହଣ କରିଛି, ଚରିତ୍ରମାନଙ୍କର ଚିତ୍ରଣ କଳା, ଭାଷା ଓ ଶୈଳୀରେ ମଧ୍ୟ ସେହିପରି ନୂତନତା ଦେଖା ଦେଇଛି । କାରଣ ଯେ କୌଣସି କଳାର ମୂଲ୍ୟାୟନ, କ’ଣ କହୁଛି ଓ କିପରି କହୁଛି ଏହି ଦୁଇଟି ବିଷୟ ଉପରେ ନିର୍ଭର କରେ । କିପରି କହୁଛି କଥାଟି ଭାଷା ଓ ଶୈଳୀ ସହିତ ସଂପୃକ୍ତ । ଆଜିର ସାହିତ୍ୟିକ ତା’ର ସୃଷ୍ଟିପାଇଁ ବିଭିନ୍ନ ପ୍ରକାର ଶୈଳୀର ସାହାଯ୍ୟ ନେଉଛି । ଏହି କ୍ରମରେ ଚେତନା ପ୍ରବାହ ପଦ୍ଧତିର ସୃଷ୍ଟି ।

 

ବିଂଶ ଶତାବ୍ଦୀରେ ବିଜ୍ଞାନର ବିଭିନ୍ନ ଉଦ୍‌ଭାବନ, ଯନ୍ତ୍ର ଶିଳ୍ପର ବିକାଶ, ଡାରଉଇନ୍‌ଙ୍କ ବିବର୍ତ୍ତନ ବାଦ ଓ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ମଣିଷର ନିଃସଙ୍ଗବୋଧ ଇତ୍ୟାଦି ଯୋଗୁ ମଣିଷ କ୍ରମେ ବ୍ୟକ୍ତିନିଷ୍ଠ ହୋଇ ପଡ଼ିଲା । ତେଣୁ ସାହିତ୍ୟିକଗଣ ବ୍ୟକ୍ତିମୁଖୀ ମଣିଷର ଅନ୍ତର୍ନିହିତ ମାନସ-ରାଜ୍ୟର ଉଦ୍‌ଘାଟନ ପାଇଁ ପ୍ରୟାସୀ ହେଲେ । କାରଣ ସାହିତ୍ୟିକଗଣ ଅନୁଭବ କଲେ ଯେ ମାନବର କେବଳ ଚେତନ ମନର ପୁଙ୍ଖାନୁପୁଙ୍ଖ ବର୍ଣ୍ଣନା କିମ୍ୱା ଅନୁଭୂତିର ସର୍ବାଙ୍ଗ ଚିତ୍ରାଙ୍କନ କରି ନିଜର କର୍ତ୍ତବ୍ୟ ଶେଷ ହୋଇଗଲା ମନେ କରିବା ଉଚିତ ନୁହେଁ । ମାନବ ଚେତନା ଆତ୍ମବିସ୍ତାର ଓ ଅନ୍ତର୍ଲୀନ ମାଧ୍ୟମରେ ହିଁ ସାମଗ୍ରିକତା ଲାଭ କରେ । ମଣିଷର ଚେତନ ମନର ଅନ୍ତରାଳରେ ଅବଚେତନ ମନ ବୋଲି ଅନ୍ୟ ଗୋଟିଏ ଦିଗ ରହିଛି । ଏହାରି ମାଧ୍ୟମରେ ମାନବର ସାମଗ୍ରିକ ରୂପ ଅଙ୍କନ ଓ ମାନବୀୟ ସତ୍ୟ ଉଦ୍‌ଘାଟନ କରାଯାଇ ପାରେ ।

 

ତେଣୁ କେତେଜଣ କଥାଶିଳ୍ପୀଙ୍କ ମନରେ ନୂତନ ଜିଜ୍ଞାସା ସୃଷ୍ଟି ହେଲା ଓ ସେମାନେ ଅନୁଭବ କଲେ ଯେ ଉପନ୍ୟାସର ମୋଡ଼ ପରିବର୍ତ୍ତିତ ହେବା ପ୍ରୟୋଜନ । ଖ୍ରୀ ୧୮୮୦ରେ ଉଇଲିୟମ୍‌ ଜେମ୍‌ସ Principles of Psychology ଗ୍ରନ୍ଥରେ ପ୍ରଥମେ ଚେତନା ପ୍ରବାହ କଥାଟିର ଉଲ୍ଲେଖ କରିଥିଲେ । ଏ ପ୍ରସଙ୍ଗରେ ହେନରୀ ଜେମ୍‌ସଙ୍କୁ ସ୍ମରଣ କରାଯାଇ ପାରେ । ଖ୍ରୀ ୧୮୮୮ରେ ପ୍ରକାଶିତ ତାଙ୍କ Partial Portrait ଗ୍ରନ୍ଥରେ ଔପନ୍ୟାସିକମାନଙ୍କ କଳାଦର୍ଶ ଓ ରଚନା ପଦ୍ଧତି ସମ୍ପର୍କରେ କେତୋଟି ମୌଳିକ ପ୍ରଶ୍ନ ଉତ୍‌ଥାପନ କରିବା ସହିତ କେତେକ ମୂଲ୍ୟବାନ୍‌ ତତ୍ତ୍ୱ ମଧ୍ୟ ଉପସ୍ଥାପିତ କରିଥିଲେ । ଖ୍ରୀ ୧୯୧୮ରେ ପ୍ରକାଶିତ ତାଙ୍କର ଏକ ପ୍ରବନ୍ଧ ସାହିତ୍ୟିକ ଚିନ୍ତାଧାରା ଓ ଜୀବନ ଦୃଷ୍ଟିର ମୂଲ୍ୟବୋଧ ଦିଗରୁ ସାହିତ୍ୟ ଜଗତରେ ବେଶ୍‌ ପ୍ରଭାବ ପକାଇ ପାରିଥିଲା । ଏଚ. ଜି. ଓୟେଲ୍‌ସଙ୍କ ପରି କେତେ ଜଣ ବାସ୍ତବବାଦୀ ଔପନ୍ୟାସିକଙ୍କ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କର ଯୁକ୍ତି ଥିଲା ଯେ ବାସ୍ତବବାଦୀ ଔପନ୍ୟାସିକମାନଙ୍କର ଜୀବନର ଅତଳ ଗହ୍ୱରକୁ ପ୍ରବେଶ କରିବାର କ୍ଷମତା ନଥାଏ । ତେଣୁ ଅନ୍ତର୍ନିହିତ ପ୍ରଦେଶର କୋଣ ଅନୁକୋଣଗୁଡ଼ିକ ଅନ୍ଧାରୀ ମୂଲକ ହୋଇ ରହିଯାଏ । ଏମାନେ ମାନବ ଜୀବନର ପରିଚୟ ଦେବାରେ ଖୁବ୍‌ ତତ୍ପର । କିନ୍ତୁ ଏଗୁଡ଼ିକ ଉପନ୍ୟାସର କେବଳ କଳେବର ବଢ଼ାନ୍ତି ସିନା ସତ୍ୟ ଉଦ୍‌ଘାଟନ କରିପାରେ ନାହିଁ ବୋଲି ସେ ଆକ୍ଷେପ କରନ୍ତି । ଏମାନେ ମଣିଷର ବାହ୍ୟ ଜୀବନର ଟିକିନିଖି ଚିତ୍ର ଅଙ୍କନ କରିବାରେ ପ୍ରାଣପଣେ ଯତ୍ନଶୀଳ ହୁଅନ୍ତି-। କିନ୍ତୁ ମଣିଷ ନିଜ ମନ ସହିତ ଲୁଚୁକାଳି ଖେଳ ସବୁବେଳେ ଖେଳୁଥାଏ । ଅନ୍ତରରେ ଯାହା ଅନୁଭବ କରେ ବାହାରେ ଅନ୍ୟ ରୂପରେ ନିଜକୁ ପ୍ରକାଶ କରେ । ତେଣୁ ହେନ୍‌ରୀ ଜେମ୍‌ସ ଏହାକୁ କେବଳ ଟିପ୍‌ପଣୀ ବୋଲି କହନ୍ତି । ଏଚ. ଜି ଉଏଲ୍‌ସ୍‌ କିନ୍ତୁ ଏହି ଯୁକ୍ତିକୁ ସମର୍ଥନ କରନ୍ତି ନାହିଁ । ତାଙ୍କ ମତରେ ମାନବ ଜୀବନର ସାମଗ୍ରିକ ଚିତ୍ର ପ୍ରଦାନ କରିବା ଔପନ୍ୟାସିକର କର୍ତ୍ତବ୍ୟ । ଦୂରରୁ ଥାଇ ଜୀବନର ବାହାର ଛବି ଅଙ୍କିବାରେ ଯେପରି ଉପନ୍ୟାସର ସଫଳତା ଆସେ ନାହିଁ, ସେହିପରି କେବଳ ମାନବର ଚେତନା ବା ଅନୁଭବର ବାହନ ହେବାରେ ଉପନ୍ୟାସର କର୍ତ୍ତବ୍ୟ ଶେଷ ହୁଏନାହିଁ । ହେନରୀ ଜେମ୍‌ସ୍‌ଙ୍କର ଏହି ଚିନ୍ତାଧାରା ଔପନ୍ୟାସିକମାନଙ୍କୁ ଅନ୍ତର୍ମୁଖୀ କଲା । ଖ୍ରୀ ୧୯୧୮ରେ ଇଂରାଜୀ ଲେଖିକା ମେସିନ୍‌ କ୍ଳେୟାର୍‌ ଡରୋଥି ରିଚାର୍ଡସନ୍‌ଙ୍କ Pointed Rootsର ସମାଲୋଚନା ପ୍ରସଙ୍ଗରେ ତାଙ୍କ ରଚନାକୁ ଚେତନା ପ୍ରବାହ ବୋଲି ସଂଜ୍ଞା ଭାବରେ ଗ୍ରହଣ କଲେ । ସାହିତ୍ୟ ବିଚାରରେ ଚେତନା ପ୍ରବାହ କ୍ରମେ ପ୍ରତିଷ୍ଠା ଲାଭ କଲା । ଅବଶ୍ୟ ୧୮ଶ ଶତାବ୍ଦୀରେ ଷ୍ଟାର୍ଣ୍ଣ, ଫିଲଡ଼ିଂ, ରିଚାର୍ଡସନ୍‌ ଜେନ୍‌ ଅଷ୍ଟିନ୍‌ ଇତ୍ୟାଦି କେତେ ଜଣଙ୍କ ଲେଖାରେ ଚେତନା ପ୍ରବାହ ସ୍ରୋତର ସାମାନ୍ୟ ପରିଚୟ ମିଳିଥିଲା । ଫଳରେ ଚେତନା ପ୍ରବାହ ପଦ୍ଧତିର ଉପନ୍ୟାସ ରଚନା ପ୍ରତି ଲେଖକଗଣ ଆଗ୍ରହୀ ହେଲେ ।

 

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସିଗ୍‌ମଣ୍ଡ ଫ୍ରୟେଡ୍‌(୧୮୫୬-୧୯୩୯), ଆଲଫ୍ରେଡ୍‌ ଆଡ୍‌ଲର୍‌(୧୮୭୦-୧୯୩୬) କାର୍ଲଜଙ୍ଗ୍‌(୧୮୭୫-୧୯୬୧) ପ୍ରଭୃତି କେତେ ଜଣ ମନସ୍ତତ୍ତ୍ୱବିତ୍‌ଙ୍କର ଗବେଷଣା ଲବ୍‌ଧ ସିଦ୍ଧାନ୍ତଦ୍ୱାରା ପ୍ରଭାବିତ ହୋଇ ଲେଖକଗଣ ମନୋବିଶ୍ଳେଷଣ ମୂଳକ ସାହିତ୍ୟ ରଚନା କରିବାରେ ନିଯୁକ୍ତ ହେଲେ । ଏହି ମନସ୍ତାତ୍ତ୍ଵିକମାନେ ଦର୍ଶାଇ ଦେଲେ ଯେ ମନର କେତୋଟି ସ୍ତର ରହିଛି । ଇଜ୍‌ ସ୍ତରରେ ମଣିଷ ମନର ଅବଦମିତ କାମନା-ବାସନା ସବୁ ରହିଥାଏ । ପୁଣି ମଣିଷ ବାହ୍ୟତଃ ଯାହା ଆଚରଣ କରେ ଅନ୍ତର୍ଗତ ତାହା ଅନୁଭବ କରେ ନାହିଁ । ମଣିଷ ତା’ ମନ ଭିତରେ ଗୁପ୍ତ ଭାବରେ ଇର୍ଷା, ଲୋଭ, ଦ୍ୱେଷ, ଯୌନ ପ୍ରବୃତ୍ତି ପ୍ରଭୃତି କେତେ ପ୍ରକାର କୁଟିଳ ଗୁଣ ଲୁକ୍‌କାୟିତ ରଖିଥାଏ । ଫ୍ରୟେଡଙ୍କର ମତାନୁସାରେ ମାନବର ବିଭିନ୍ନ କ୍ରିୟା କଳାପ ତା’ର ମଗ୍ନ ଚୈତନ୍ୟ ସଂପୃକ୍ତ କାମପ୍ରବୃତ୍ତିର ପ୍ରେରଣାରୁ ଜାତ । କାମପ୍ରବୃତ୍ତିର ଦୁର୍ବାର ଶକ୍ତି ସହଜରେ ଏଡ଼ାଇ ହୁଏ ନାହିଁ । ପୁଣି ଅହଂ ପ୍ରତିଷ୍ଠା ପ୍ରତ୍ୟେକ ବ୍ୟକ୍ତିର ସହଜାତ ପ୍ରବୃତ୍ତି । ମଣିଷ ନିଜକୁ ହିଁ ସବୁଠାରୁ ଅଧିକ ଭଲ ପାଏ । ତେଣୁ କାମଶକ୍ତି ସହିତ ଈର୍ଷା ପ୍ରତ୍ୟେକ ମଣିଷ ଠାରେ ନିଶ୍ଚୟ ରହିବ । ମନୋବିଶ୍ଳେଷଣ ବା ସାଇକୋଏନାଲିସିସ୍‌ ମାଧ୍ୟମରେ ତାହାକୁ ଜାଣିହୁଏ । ତେଣୁ ଜୀବନର ସତ୍ୟ ଉଦ୍‌ଘାଟନ କରିବାରେ ମନୋବିଶ୍ଳେଷଣ ପଦ୍ଧତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

 

ତେଣୁ ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକରେ କେତେ ଜଣ ଔପନ୍ୟାସିକ ମନସ୍ତତ୍ତ୍ୱ ଭିତ୍ତିକ ଉପନ୍ୟାସ ସୃଷ୍ଟି ଦିଗରେ ମନୋନିବେଶ କଲେ । ଫ୍ରାନ୍‌ସର ମାର୍ସେଲ୍‌ ପ୍ରାଉଷ୍ଟଙ୍କ ‘‘Remembrance of things past’ (୧୯୧୩), ଜେମସ୍‌ ଜୟସ୍‌ଙ୍କ ‘A Portrait of the Artist as a young man (୧୯୧୪) ଓ ରିଚାର୍ଡସନ୍‌ଙ୍କ ‘Pilgrimage’ ଏ କ୍ଷେତ୍ରରେ ଉଲ୍ଲେଖନୀୟ ସୃଷ୍ଟି । କଥାସାହିତ୍ୟରେ ମନସ୍ତାତ୍ତ୍ୱିକ ରୀତି ପ୍ରାୟତଃ ଏଇ ସମୟରୁ ଆରମ୍ଭ ହେଲା ଓ ପରବର୍ତ୍ତୀ ସମୟରେ ଏହା ଚେତନା ପ୍ରବାହ ପଦ୍ଧତିର ରୂପ ଗ୍ରହଣ କଲା । ତେଣୁ ମନସ୍ତାତ୍ତ୍ୱିକ ଓ ଚେତନା ପ୍ରବାହ ପଦ୍ଧତିର ଉପନ୍ୟାସର ସ୍ୱରୂପ-ପ୍ରକୃତି ଦୃଷ୍ଟିରୁ ସାମ୍ୟ ରହିଲା । ପ୍ରାଥମିକ ପର୍ଯ୍ୟାୟରେ ମନସ୍ତାତ୍ତ୍ୱିକ ଉପନ୍ୟାସର ସ୍ୱରୂପ ଭିନ୍ନ ପ୍ରକାରର ଥିଲା, ଯାହାକୁ ବର୍ତ୍ତମାନ ସମୟରେ ମନସ୍ତାତ୍ତ୍ଵିକ ଉପନ୍ୟାସ ବୋଲି କୁହା ଯାଉଛି, ତହିଁରେ ପ୍ରକୃତ ପକ୍ଷେ ମନର ତାତ୍ତ୍ୱିକ ବିଶ୍ଳେଷଣ ହେଉ ନଥିଲା । କେବଳ ମାତ୍ର ମନର ଅବସ୍ଥାର ଚିତ୍ର ପ୍ରକଟ କରା ଯାଉଥିଲା । ରାମଙ୍କ ବନବାସ ସମୟରେ କୌଶଲ୍ୟାଙ୍କ ମାନସିକ ଅବସ୍ଥା କିମ୍ୱା କୃଷ୍ଣ ଗୋଧନ ଧରି ବଣକୁ ଗଲାପରେ ଯଶୋଦାଙ୍କ ମନୋଭାବ କିଂବା କୃଷ୍ଣଙ୍କର ମଥୁରାଗମନ ପରେ ଗୋପାଙ୍ଗନାମାନଙ୍କର ବିଳାପ କେବଳ ତତ୍‌କାଳୀନ ମନର ଅବସ୍ଥାକୁ ହିଁ ସୂଚାଏ । ଏଠାରେ ମନର ବିଚାର ତାତ୍ତ୍ୱିକ ନୁହେଁ, କେବଳ ଅବସ୍ଥାର ରୂପାୟନ ମାତ୍ର ।

 

ପରବର୍ତ୍ତୀ ସମୟର ଉପନ୍ୟାସରେ କିଛି ମୌଳିକ ପରିବର୍ତ୍ତନ ପରିଲକ୍ଷିତ ହେଲା । ବିଶେଷ ଭାବରେ ଚରିତ୍ରମାନଙ୍କ ଠାରେ ଦେଖା ଯାଉଥିବା ଦ୍ୱନ୍ଦ୍ୱର ଚିତ୍ର ଏହି ଉପନ୍ୟାସମାନଙ୍କରେ ପ୍ରତିଫଳିତ ହେଲା । ଏହା ପୁଣି ବାହ୍ୟ ସଂଘର୍ଷ ଜନିତ ନ ହୋଇ ଅନ୍ତର୍ଦ୍ୱନ୍ଦ୍ୱ ହୋଇ ଥିବାରୁ ଚରିତ୍ରମାନଙ୍କର ଆଭ୍ୟନ୍ତରୀଣ ରୂପ ପ୍ରକଟନରେ ସାହାଯ୍ୟ କଲା । ଗୋପାଳବଲ୍ଲବ ଦାସଙ୍କ ରଚିତ ‘ଭୀମଭୂୟାଁ’ରେ ବିଭିନ୍ନ ଚରିତ୍ରଙ୍କର ମାନସିକ ଦ୍ୱନ୍ଦ୍ୱ ଦେଖା ଯାଇଛି । ଏହି ଲେଖକଗଣ କ୍ରମେ ମାନସିକ ଅବସ୍ଥାର ଚିତ୍ରାଙ୍କନ ପ୍ରତି ଅଧିକ ଗୁରୁତ୍ୱ ଦେଲେ । ଫଳରେ ମନସ୍ତାତ୍ତ୍ୱିକ ଉପନ୍ୟାସରେ ଏହା ଏକ ବିଶିଷ୍ଟ ଗୁଣ ହୋଇ ଉଠିଲା ।

 

ଏ ଧରଣର ଉପନ୍ୟାସରେ ଗଳ୍ପାଂଶ ପ୍ରତି ଲେଖକମାନେ ଅଧିକ ସଚେତନ ନୁହନ୍ତି । କାରଣ ଏହା ଶୈଳୀପ୍ରଧାନ ହୋଇଥିବାରୁ ଭାଷା, ଶୈଳୀ ଓ ସଂଯୋଜନା ପ୍ରତି ଅଧିକ ଗୁରୁତ୍ୱ ଦିଆ ଯାଇଥାଏ । ଓଡ଼ିଆ ସାହିତ୍ୟରେ ଗୋପୀନାଥ ମହାନ୍ତିଙ୍କର ‘ଲୟ ବିଲୟ’ (୧୯୬୧), କାହ୍ନୁଚରଣ ମହାନ୍ତିଙ୍କର ‘ଢେଉଢ଼େଉକା’ (୧୯୬୩), ଗଣେଶ୍ୱର ମିଶ୍ରଙ୍କର ‘ଆରୋହୀ’ (୧୯୭୩) ଇତ୍ୟାଦିକୁ ଏହାର ଦୃଷ୍ଟାନ୍ତ ସ୍ୱରୂପ ଗ୍ରହଣ କରାଯାଇ ପାରେ । ଏହି ପଦ୍ଧତିର ଲେଖକଗଣ ଉପନ୍ୟାସରେ ବହୁ ଚରିତ୍ର ସୃଷ୍ଟିର ପ୍ରୟୋଜନୀୟତା ଅନୁଭବ କରନ୍ତି ନାହିଁ । ସ୍ୱଳ୍ପ କେତୋଟି ଚରିତ୍ରଙ୍କର ମନର ତାତ୍ତ୍ୱିକ ଅନ୍ୱେଷଣରେ ଉପନ୍ୟାସର ସାର୍ଥକତା ପ୍ରତିପାଦିତ ହୁଏ ।

 

ଲେଖକଗଣ ପ୍ରାୟତଃ ଫ୍ରୟେଡୀୟ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇ ଚରିତ୍ରମାନଙ୍କର ଯୌନ ପ୍ରବୃତ୍ତି ସମ୍ପର୍କୀୟ ଚିତ୍ର ଅଙ୍କନ କରିବାପାଇଁ ପ୍ରୟାସୀ ହୋଇଥାନ୍ତି । ଯୌନ ପ୍ରବୃତ୍ତି ସହିତ ଈର୍ଷା ଓ ପ୍ରତିଦ୍ୱନ୍ଦିତା ଆଦି କେତେକ ପ୍ରବୃତ୍ତି ଓ କ୍ରିୟା ସଂଶ୍ଳିଷ୍ଟ ହୋଇଥିବାରୁ ମନର ଅନ୍ଧାରୀ ମୂଲକକୁ ସ୍ପଷ୍ଟ କରିବାରେ ଏମାନେ ସାହାଯ୍ୟ କରନ୍ତି । ଶାନ୍ତନୁ ଆଚାର୍ଯ୍ୟଙ୍କ ‘ନରକିନ୍ନର’ (୧୯୬୨), ମହାପାତ୍ର ନୀଳମଣୀ ସାହୁଙ୍କର ‘‘ଧରା ଓ ଧାରା’’ (୧୯୬୧), ବିଭୂତି ପଟ୍ଟନାୟକଙ୍କର ‘କେଶବତୀ କନ୍ୟା’ ଇତ୍ୟାଦି ବହୁ ଉପନ୍ୟାସକୁ ଏ ପ୍ରସଙ୍ଗରେ ଉଦାହରଣ ସ୍ୱରୂପ ଗ୍ରହଣ କରା ଯାଇପାରେ ।

 

ମନସ୍ତାତ୍ତ୍ୱିକ ଉପନ୍ୟାସରେ ଚରିତ୍ରଗଣ ଅତୀତର ସ୍ମୃତିଚାରଣ ମାଧ୍ୟମରେ ନିଜ କଥା ନିଜେ ବ୍ୟକ୍ତ କରିଥାନ୍ତି । ତେଣୁ ଲେଖକଗଣ ଆତ୍ମଜୀବନୀ ରୀତିରେ ମନସ୍ତାତ୍ତ୍ୱିକ ଉପନ୍ୟାସ ରଚନା କରିବାକୁ ଶ୍ରେୟ ମଣନ୍ତି । ମାର୍ସେଲ ପ୍ରାଉଷ୍ଟଙ୍କ ଉପନ୍ୟାସ ପ୍ରଥମ ପୁରୁଷରେ ରଚିତ । ଏପରିକି ଚରିତ୍ରର ନାମକରଣ ମଧ୍ୟ ମାର୍ସେଲ୍‌ କରା ହୋଇଛି । କାରଣ ଲେଖକ ଅନୁଭବ କରନ୍ତି ସତେ ଯେପରି ସେ ନିଜର ଆତ୍ମଜୀବନୀ ଲେଖୁଛନ୍ତି । ଏପରି ଉପନ୍ୟାସରେ ପାଠକ ଚରିତ୍ରମାନଙ୍କ ଜରିଆରେ ଲେଖକଙ୍କୁ କେତେକାଂଶରେ ଚିହ୍ନିବାର ସୁବିଧା ପାଏ ଓ ଲେଖକ ଏ ପଦ୍ଧତିଦ୍ୱାରା ଚରିତ୍ରମାନଙ୍କର ଚେତନା ସ୍ରୋତର ସଫଳ ରୂପାୟନ କରି ପାରନ୍ତି ।

 

ମନସ୍ତାତ୍ତ୍ୱିକ ଉପନ୍ୟାସର ଏହି କେତୋଟି ମୌଳିକ ଗୁଣକୁ ଲକ୍ଷ୍ୟ କଲେ ଜଣାଯାଏ ଚେତନା ପ୍ରବାହ ମୂଳକ ଉପନ୍ୟାସରେ ମଧ୍ୟ ଏହା ସଂରକ୍ଷିତ ହୋଇଥାଏ । କାରଣ ଚେତନା ପ୍ରବାହ ମୂଳକ ଉପନ୍ୟାସ, ମନସ୍ତତ୍ତ୍ୱ ଭିତ୍ତିକ ଉପନ୍ୟାସର ବିକଶିତ ଓ ଆଧୁନିକତମ ବିଭାବ ।

 

ଏତଦ୍‌ବ୍ୟତୀତ ଆଉ କେତୋଟି ଦିଗରୁ ଚେତନା ପ୍ରବାହ ପଦ୍ଧତି ଉପନ୍ୟାସର ସ୍ୱାତନ୍ତ୍ର୍ୟ ବିଚାର କରା ଯାଇପାରେ । ଏହି ପର୍ଯ୍ୟାୟର ଉପନ୍ୟାସରେ ସ୍ୱଳ୍ପ ଚରିତ୍ର ସ୍ଥାନ ପାଉଥିବାରୁ ଲେଖକ ନିର୍ଦ୍ଦିଷ୍ଟ ଗୋଟିଏ ଗୋଟିଏ ଚରିତ୍ରର ଚେତନା ରାଜ୍ୟକୁ ଉନ୍ମିଳିତ କରନ୍ତି ଏବଂ ଚେତନାର ପ୍ରତ୍ୟେକ ଦିଗ ସହିତ ପାଠକକୁ ପରିଚିତ କରାନ୍ତି । ‘ଲୟବିଲୟ’ ଏ ଦିଗରେ ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ । ଲେଖକ ତରୁଣ ରାୟର ଚେତନା ରାଜ୍ୟରେ ବିଶେଷ ଭାବରେ ବିଚରଣ କରିଛନ୍ତି ଏବଂ ଯେତେବେଳେ କାନ୍ତିମୟୀ ବା ଛଳନାର ମାନସ ରାଜ୍ୟରେ ପ୍ରବେଶ କରିଛନ୍ତି ସେତେବେଳେ ତରୁଣ ରାୟଠାରୁ ଇଚ୍ଛା କରି ଦୂରେଇ ଯାଇଛନ୍ତି ।

 

କିନ୍ତୁ ପାରମ୍ପରିକ ରୀତିରେ ଚରିତ୍ରମାନଙ୍କର ସମ୍ପୂର୍ଣ୍ଣ ଜୀବନ ଚିତ୍ର ପ୍ରକାଶ କରିବାର ପ୍ରୟୋଜନ ହୁଏ ନାହିଁ । କେତୋଟି ଦିନର ଘଟଣା ମାଧ୍ୟମରେ ପାଠକ ଚରିତ୍ରମାନଙ୍କର ସମୁଦାୟ ଜୀବନକୁ କଳନା କରି ପାରନ୍ତି । ‘ଢେଉ ଢେଉକା’ ଚାରିଦିନ ଓ ‘ଲୟ ବିଲୟ’ ତିନି ଦିନର ଘଟଣା ଉପରେ ପର୍ଯ୍ୟବସିତ । ଚରିତ୍ରମାନଙ୍କର ବିସ୍ତୃତ ଜୀବନ କାହାଣୀ ମଧ୍ୟ ଏଥିରୁ ମିଳେ ନାହିଁ, କିଂବା ବହୁ ଚରିତ୍ର ସ୍ଥାନ ଲାଭ କରନ୍ତି ନାହିଁ, ବରଂ ସେମାନଙ୍କର ଚେତନାର ଗଭୀରତା ସହିତ ପରିଚୟ ହୁଏ । ଗୋପୀନାଥ ମହାନ୍ତିଙ୍କ ‘ରାହୁର ଛାୟା’କୁ ଦୃଷ୍ଟାନ୍ତ ସ୍ୱରୂପ ଗ୍ରହଣ କରାଯାଇ ପାରେ । ପୁନଶ୍ଚ ଏଥିରେ ସମୟ ଓ କାଳର ଗତାନୁଗତିକତା କିଂବା ପୂର୍ବାପର ସମ୍ପର୍କକୁ ସମର୍ଥନ କରାଯାଇ ନ ପାରେ । ‘ଜୀଅନ୍ତା ମଣିଷ’ (୧୯୪୬) ରେ ଚପଳା, ବିଭୂତି ଓ ଭିକାରୀ ଏଇ ତିନି ଗୋଟି ଚରିତ୍ର ହିଁ ମୁଖ୍ୟ ସ୍ଥାନ ଅଧିକାର କରିଛନ୍ତି ଓ ସେମାନଙ୍କ ଚେତନ ରାଜ୍ୟରେ କୌଣସି ଗତାନୁଗତିକତା ରକ୍ଷା କରାଯାଇ ନାହିଁ ।

 

ବିଶେଷ ଭଙ୍ଗୀରେ ଚରିତ୍ରର ରୂପାୟନ ଚେତନା ପ୍ରବାହ ଭିତ୍ତିକ ଉପନ୍ୟାସର ଅନ୍ୟତମ ଲକ୍ଷଣ । ତେଣୁ କେତେକ ଲେଖକ ଏକାଧିକ ଚରିତ୍ରଙ୍କର ମିଳିତ ଚିନ୍ତାଧାରା ମାଧ୍ୟମରେ ଉପନ୍ୟାସର କାହାଣୀ ଓ ଅନ୍ୟ ଚରିତ୍ରଗୁଡ଼ିଙ୍କୁ ପରିସ୍ଫୁଟ କରିଥାନ୍ତି । ଏଇ ଶିଳ୍ପରୀତିକୁ ସମାଲୋଚକମାନେ ସାଙ୍ଗଠନିକ ରୂପନିର୍ମାଣ କରିଥାନ୍ତି । ସାମୁଏଲ୍‌ ବାଟଲାରଙ୍କ The way of all fresh ଉପନ୍ୟାସରେ ଏହି ରୀତି ଅବଲମ୍ୱନ କରାଯାଇଛି ।

 

ଏ ଦିଗରୁ ଲିଓ ଟଲଷ୍ଟୟ ଓ ଡସ୍କଭଷ୍କିଙ୍କ ନାମ ସ୍ମରଣୀୟ । ସେମାନେ ଗ୍ରହଣ କରିଥିବା ରଚନା ପଦ୍ଧତିକୁ Search light ବା ଆଲୋକ ସମ୍ପାତ ରୀତି କୁହାଯାଇ ପାରେ । ଏଥିରେ ଗୋଟିଏ ବା ଏକାଧିକ ଚରିତ୍ରଙ୍କର ମାନସିକ ଅବସ୍ଥା କିମ୍ୱା ନିର୍ଦ୍ଦିଷ୍ଟ ଏକ ଘଟଣା ଉପରେ ଆଲୋକପାତ କରାଯାଇଥାଏ ।

 

ଏହି ଲେଖକଗଣ ବହିର୍ଜଗତ୍‌ର ବାସ୍ତବତାର ଚିତ୍ର ଅଙ୍କନ କରିବାରେ ପ୍ରୟାସୀ ନୁହନ୍ତି । ବରଂ ଅନ୍ତରର ବାସ୍ତବରୂପ ଆଙ୍କିବାରେ ଆଗ୍ରହୀ । ତେଣୁ ଚେତନା ପ୍ରବାହ ଭିତ୍ତିକ ଔପନ୍ୟାସିକମାନଙ୍କୁ ଅନ୍ତର୍ମୁଖୀ ନବବାସ୍ତବତାର ପ୍ରବର୍ତ୍ତକ ବୋଲି କୁହାଯାଏ । ଅନ୍ତରର କଥା ବ୍ୟକ୍ତ କରିବାପାଇଁ ଲେଖକ ଚରିତ୍ରମାନଙ୍କଠାରେ ଆତ୍ମକଥନ ବା ସ୍ୱଗତୋକ୍ତିର ପ୍ରୟୋଗ କରିଥାନ୍ତି-। ଚରିତ୍ରମାନେ ନିଜ କଥା ନିଜେ କହନ୍ତି କିମ୍ୱା ସ୍ୱଗତୋକ୍ତି ରୀତିରେ ନିଜ ମୁଖରେ କଥାଗୁଡ଼ିକ ଉଚ୍ଚାରଣ କରନ୍ତି । ବେଳେ ବେଳେ ପୁଣି ଏହି ଚରିତ୍ରମାନେ ନିଜ କଥା ପ୍ରକାଶ କଲାବେଳେ ବିଷୟକୁ ମୁଖରେ ଉଚ୍ଚାରଣ କରନ୍ତି ନାହିଁ । ଏହାକୁ ଅନୁଚ୍ଚାରିତ ଆତ୍ମ-କଥନ କୁହାଯାଇଥାଏ । ଚରିତ୍ରମାନେ ଅତୀତର ସ୍ମୃତିଚାରଣ କଲାବେଳେ ସାଧାରଣତଃ ଏହି ରୀତି ଗ୍ରହଣ କରିଥାନ୍ତି । ତେଣୁ ସ୍ମୃତିଚାରଣ, ମନସ୍ତାତ୍ତ୍ୱିକ ତଥା ଚେତନା ପ୍ରବାହ ମୂଳକ ଉପନ୍ୟାସର ମୌଳିକ ଗୁଣ କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ୱପ୍ନାଳୁତା ମଧ୍ୟ ଏହାର ଅନ୍ୟ ଏକ ଗୁଣ । ଚରିତ୍ରଗଣ ଭବିଷ୍ୟତର ଦିବାସ୍ୱପ୍ନରେ ମଜ୍ଜିଗଲା ବେଳେ କିମ୍ୱା କୌଣସି ଘଟଣା ବା ମୁହୂର୍ତ୍ତ ପ୍ରତି ଭାବବିହ୍ୱଳ ହୋଇଗଲା ବେଳେ ଲେଖକ ପ୍ରାୟତଃ ଏହି ରୀତି ଅବଲମ୍ୱନ କରିଥାନ୍ତି । ସ୍ୱପ୍ନାଳୁତାର ଅନୁରୂପ ଭାଷା ଓ ଭଙ୍ଗୀ ମଧ୍ୟ ଗୀତିମୟ ହୋଇଉଠେ । ତେଣୁ ସମାଲୋଚକମାନେ ଏହାକୁ Lyricism ବୋଲି କୁହନ୍ତି ।

 

ପାରମ୍ପରିକ କଥା-ସାହିତ୍ୟର ଭାଷା ଓ ପ୍ରକାଶ ଭଙ୍ଗୀଠାରୁ ଏହା ପୃଥକ୍‌ । ସାଧାରଣତଃ ତିର୍ଯ୍ୟକ ବିନ୍ୟାସଭଙ୍ଗୀ ଏଥିରୁ ଅନୁସୃତ । ଏଇ ପ୍ରସଙ୍ଗରେ ଲେଖକ ବିଭିନ୍ନ ରୂପକ, ରୂପକଳ୍ପ, ମିଥ୍‌, ପ୍ରଭୃତିର ପ୍ରୟୋଗ କରିଥାଏ । ବ୍ୟାକରଣଗତ ଯତିସ୍ଥାପନ ଓ ଆଭିଧାନିକ ଅର୍ଥକୁ ଅତିକ୍ରମ କରି ଲେଖକ ବ୍ୟଞ୍ଜନାରେ ନିଜର ବକ୍ତବ୍ୟ ପ୍ରକାଶ କରିଥାନ୍ତି । ପ୍ରାୟତଃ ଆଧୁନିକ ଉପନ୍ୟାସମାନଙ୍କରେ ଏହି ରୀତି ଅନୁସୃତ । ଗୋପୀନାଥ ମହାନ୍ତିଙ୍କ ଲେଖାରେ ବିଶେଷ ଭାବରେ ଏହାର ଦୃଷ୍ଟାନ୍ତ ମିଳେ । ଅଇଁଠୁ ଚାଲିଗଲା ପରେ ତରୁଣ ରାୟ ତା’ ସ୍ତ୍ରୀ ଓ ଝିଅକୁ ଲକ୍ଷ୍ୟ କରି ଯେପରି ଚିନ୍ତା କରିଛି ତାକୁ ସେ ବ୍ୟଞ୍ଜନାତ୍ମକ ଭଙ୍ଗୀରେ ପ୍ରକାଶ କରିଛି । ‘‘ନାଁ, ଢେଉ ଉଭେଇ ଗଲାଣି, ଜୀବନ ଉଙ୍କି ମାରିଥିଲା, ପୁଣି ସେ ସାମାଜିକ ସମ୍ୱନ୍ଧମୟ ସାଧାରଣ ଠାଣି ଉହାଡ଼ରେ ଛପି ଯାଇଛି । ଚଢ଼େଇ ଉଡ଼ି ଯାଇଛି, ଫୁଲର ପାଖୁଡ଼ା ଝଡ଼ି ପଡ଼ିଛି, ସଙ୍ଗୀତ ନିସ୍ତବ୍‌ଧ ହୋଇଛି ।’’ (ଲୟବିଲୟ-ପୃ ୧୩୧) ତରୁଣ ରାୟ ମନରେ ଦେଖା ଦେଇଥିବା ଆଶାର ଉତ୍‌ଥାନ ପତନ ସାଙ୍ଗୀତିକ ଭାଷା ଓ ରୂପକଳ୍ପ ମାଧ୍ୟମରେ ପ୍ରକାଶିତ ହୋଇଛି । ଏହା ଗୋପୀନାଥଙ୍କ ସୃଷ୍ଟିକୁ କଳାଗୌରବରେ ମଣ୍ଡିତ କରିଛି ।

 

ଅନ୍ତର ଭିତରେ ଚେତନାର ଯେଉଁ ସ୍ରୋତ ପ୍ରବାହିତ ତାହାକୁ ଯେତେ ଅନୁଭବ କରିହୁଏ ସେତିକି ପ୍ରକାଶ କରିହୁଏ ନାହିଁ । ତାହାକୁ ପ୍ରକାଶ କରିବାପାଇଁ ବ୍ୟଞ୍ଜନାତ୍ମକ ଭାଷା ଉପଯୁକ୍ତ ମନେହୁଏ । ସେଥିପାଇଁ ଚେତନା ପ୍ରବାହ ଉପନ୍ୟାସରେ ଏହି ରୀତି ସର୍ବତ୍ର ପ୍ରଚଳିତ ଏବଂ ଏଥିପାଇଁ ହିଁ ଏହା ସର୍ବତ୍ର ଆଦୃତ ହେବାକୁ ଲାଗିଛି । ‘ଜୀଅନ୍ତା ମଣିଷ’ରେ ନିତ୍ୟାନନ୍ଦ ମହାପାତ୍ର ପ୍ରେମର ବିଭିନ୍ନ ରୂପର ବ୍ୟାଖ୍ୟା କରିଛନ୍ତି । ବିଭୂତି ବା ଚପଳା ବଞ୍ଚିଛନ୍ତି ତାଙ୍କର ଦେହ ଓ ମନକୁ ନେଇ । କିନ୍ତୁ ଭିକାରି ଜୀବନବ୍ୟାପୀ ଭୋଗ କରିଛି ପ୍ରେମର ବ୍ୟଥାକୁ । ଭାଷାର ଲାଳିତ୍ୟ, ପ୍ରେମର ନିରସ ଦାର୍ଶନିକତାକୁ ଗୀତିମୟ ଓ ହୃଦୟସ୍ପର୍ଶୀ କରି ପାରିଛି । ସେମାନଙ୍କ ଉଦ୍ଦେଶ୍ୟରେ ଲେଖକ କହିଛନ୍ତି-‘‘ଭଲ ପାଇବା ଲୋକ ମରୁ ବା ବଞ୍ଚୁ-ଜୀବନପାଇଁ ମଣିଷ ଭଲ ପାଉ ବା ଭଲ ପାଇବାପାଇଁ ମଣିଷ ଦେହଧରି ରହୁ, ସେ ଆଉ ଲୋକଙ୍କ କଥା-ଏଇ ଜୀଅନ୍ତା ମଣିଷ ଭଳି କଥାର କଥା-ହୁଏତ ଗପର ଗପ । କିନ୍ତୁ ମୁଁ ଏତିକି କହିବି ଯିଏ ଭଲ ପାଇବାର ଯନ୍ତ୍ରଣାଟାକୁ ସହିବାପାଇଁ ଭଲ ପାଇବାର ବ୍ୟଥାର ଦାନକୁ ଖଟୁଲିରେ ଥାପି ପୂଜା କରିବାପାଇଁ ଜୀବନକୁ ସଞ୍ଚି ରଖେ-ସେଇ ମୋର ପୂଜ୍ୟ । ସେଇ ମୋର ଆଦର୍ଶ ।’’ (ଜୀଅନ୍ତା ମଣିଷ-ପୁଚ୍ଛାଗ୍ର-ପୃ୩)

 

ଚେତନା ପ୍ରବାହ ପଦ୍ଧତି ଉପନ୍ୟାସର ଉନ୍ମେଷ ମୁଖ୍ୟତଃ ପାଶ୍ଚାତ୍ୟ ସାହିତ୍ୟରେ ଘଟିଥିଲେ ହେଁ ସାମ୍ପ୍ରତିକ କାଳରେ ଏହା ବିଶ୍ୱବ୍ୟାପୀ ହେବାକୁ ଲାଗିଲାଣି । ଜେମ୍‌ସ୍‌ ଜୟେସ୍‌ଙ୍କ ‘Ulysses’ (୧୯୨୨) ଏକ ସଫଳ ଚେତନା-ପ୍ରବାହ ଉପନ୍ୟାସ । ପ୍ରଭାକର ମାଚବେଙ୍କ ‘ପରନ୍ତୁ’ (୧୯୪୦)କୁ ହିନ୍ଦୀ ସାହିତ୍ୟର ପ୍ରଥମ ଚେତନା ପ୍ରବାହ ଉପନ୍ୟାସ ଭାବରେ ଗ୍ରହଣ କରାଯାଇ ପାରେ । ନିତ୍ୟାନନ୍ଦ ମହାପାତ୍ରଙ୍କ ‘ଜୀଅନ୍ତା ମଣିଷ’ (୧୯୪୫) ଓ ବୁଦ୍ଧଦେବ ବସୁଙ୍କ ‘ଲାଲମେଘ’ (୧୯୩୪)କୁ ଯଥାକ୍ରମେ ଓଡ଼ିଆ ଓ ବଙ୍ଗଳାର ପ୍ରଥମ ଚେତନା ପ୍ରବାହ ଉପନ୍ୟାସ ଭାବେ ଗ୍ରହଣ କରାଯାଇ ପାରେ । ଏ ଦୁଇଟି ଉପନ୍ୟାସ ନିଜ ଭାଷାର ପ୍ରଥମ ସୃଷ୍ଟି ହୋଇ ମଧ୍ୟ ବିଶେଷ ସଫଳତା ଅର୍ଜନ କରିଛି । ସାମ୍ପ୍ରତିକ ପ୍ରତ୍ୟେକ ଭାଷାରେ ଚେତନା ପ୍ରବାହ ମୂଳକ ଉପନ୍ୟାସ ସୃଷ୍ଟିର ପ୍ରତୁଳତା ପରିଦୃଷ୍ଟ ହେଉଛି । ଏହା ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ଦିଏ ।

 

 

ଗଭର୍ଣ୍ଣମେଣ୍ଟ କଲେଜ

ସୁନ୍ଦରଗଡ଼

***

 

ଓଡ଼ିଆ ଲୋକ-ନାଟକରେ ଆନଦ୍ଧ ବାଦ୍ୟଯନ୍ତ୍ର

ଡକ୍ଟର ମନୀନ୍ଦ୍ର ମହାନ୍ତି

 

।। ଏକ ।।

‘ବାଦ୍ୟ ଶବ୍ଦର ବ୍ୟୁତ୍ପତ୍ତି ହେଲା-‘ବାଦି’-‘ଯ’ । ଏହାର ଅର୍ଥ-ବାଜଣା ବା ବାଦ୍ୟ । ଅର୍ଥାତ୍‌ ଯାହାକୁ ବଜାଯାଏ । ଏହି କ୍ରିୟାର ନାମ-‘ବାଦ୍‌ନ’ । ବାଦନ’ର ଅର୍ଥ ବଜାଇବା (ବାଦି-ଅନ) । ଏହି ବାଦ୍ୟକୁ ଯିଏ ‘ବାଦନ’ କରେ ସେ ହେଉଛନ୍ତି-‘ବାଦକ’ (ବଦ୍‌-ଣିଚ୍‌-ଅକ) । ଅତଏବ୍‌, ସଂଗୀତରେ ଯାହା ବାଦନ କରା ଯାଇଥାଏ, ତାହା ବାଦ୍ୟ । କେତେକ ସମୟରେ ଏଥିରେ ‘ଯନ୍ତ୍ର’ ଶବ୍ଦଟି ଯୋଗ କରି ‘ବାଦ୍ୟଯନ୍ତ୍ର’ ଶବ୍ଦଟି ଗଢ଼ା ଯାଇଥାଏ । ଏହି ବାଦନ କାର୍ଯ୍ୟଟି ଏକ ସହକ୍ରିୟା । ଅର୍ଥାତ୍‌ ଏହା ‘ସଂଗୀତ’ ର ଏକ ଅଂଶ ବିଶେଷ ।

 

‘ସଂଗୀତକୁ ଆଳଂକାରିକ ତଥା ସଙ୍ଗୀତ ବିଶେଷଜ୍ଞମାନେ ତିନିଗୋଟି ଭାଗରେ ବିଭକ୍ତ କରିଥାନ୍ତି । ସେଗୁଡ଼ିକ ହେଲା-(କ) ଗୀତ ବା ଗାନ (ଖ) ବାଦ୍ୟ ବା ବାଦନ (ଗ) ନୃତ୍ୟ । ‘ସଂଗୀତ ଦର୍ପଣ’ ଗ୍ରନ୍ଥରେ ସ୍ପଷ୍ଟ ଉଲ୍ଲେଖ ରହିଛି-‘‘ଗୀତଂ ବାଦ୍ୟଂ ନର୍ତ୍ତନଂ ଚ ତ୍ରୟଂ ସଂଗୀତ ମୁଚ୍ୟତେ ।’’ ଅର୍ଥାତ୍‌ ଗୀତ, ବାଦ୍ୟ ଓ ନୃତ୍ୟ-ତିନିଗୋଟି ଏକତ୍ର ମିଶିଲେ ତାହା ‘ସଂଗୀତ’ରେ ପରିଣତ ହୁଏ । ଏହି ତିନିଗୋଟି ଉପାଦାନ ପରସ୍ପର ସହିତ ଜଡ଼ିତ । ପୁଣି ପ୍ରତ୍ୟେକଟିର ପୂର୍ଣ୍ଣତାପାଇଁ ଅନ୍ୟଟିର ସାହାଯ୍ୟ ଲୋଡ଼ା ପଡ଼ିଥାଏ । ଅର୍ଥାତ୍‌ ପ୍ରତ୍ୟେକଟି ପରସ୍ପରର ପରିପୂରକ ।

 

ପ୍ରଥମତଃ ‘ଗୀତ’ ହେଉଛି ମୂଳ । ସେହି ଗୀତ ଅନୁସାରେ ‘ବାଦ୍ୟ’ ବାଦନ କରାଯାଏ । ତେଣୁ ‘ବାଦ୍ୟ’ ଏକ ସହାୟକ କାର୍ଯ୍ୟ ସଂପନ୍ନ କରେ ଏବଂ ସେହି ‘ଗୀତ’ ଓ ‘ବାଦ୍ୟ’ ଅନୁସାରେ ‘ନୃତ୍ୟ’ କରା ଯାଇଥାଏ । ଏଣୁ ପ୍ରଥମେ ଗୀତ ଓ ପରେ ‘ବାଦ୍ୟ’ ଏବଂ ଶେଷରେ ‘ନୃତ୍ୟ’ରେ ସଂଗୀତ ସଂପୂର୍ଣ୍ଣ ହୋଇଥାଏ ।

 

‘ଗୀତ’ ଏବଂ ‘ନୃତ୍ୟ’ ମଧ୍ୟରେ ‘ବାଦ୍ୟ’ ଏକ ସଂଯୋଜନକାରୀ କାର୍ଯ୍ୟ କରିଥାଏ । ‘ଗୀତ’ ହେଉଛି ‘ବାଚନିକ’ ଅଭିନୟ କଳା ଏବଂ ‘ନୃତ୍ୟ’ ହେଉଛି ଆଙ୍ଗିକ ଅଭିନୟ କଳାର କାର୍ଯ୍ୟ ସଂପନ୍ନ କରିଥାଏ । ଏହି ଦୁହିଁଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା କରିବାରେ ସାହାଯ୍ୟ କରେ ‘ବାଦ୍ୟ’ ।

 

ସଂଗୀତର ମୂଳ-‘ଗୀତ’ । ଗୀତର ମୂଳ ଉପାଦାନ ହେଲା ‘ନାଦ’ । ‘ବାଦ୍ୟ’ ହେଉଛି ଏହି ନାଦବ୍ରହ୍ମ । ‘‘ଏହି ନାଦ ବ୍ରହ୍ମକୁ ଯଥାରୀତି ରୂପ ଦେବାକୁ ହେଲେ ବାଦକକୁ ସେହି ନାଦବ୍ରହ୍ମଙ୍କର ଅନନ୍ତ ସତ୍ତା ଭିତରେ ହଜାଇ ଦେବାକୁ ପଡ଼େ ।’’ (୧) ଏଥିରୁ ସଂଗୀତରେ ‘ବାଦ୍ୟ’ର ଭୂମିକା ସୁସ୍ପଷ୍ଟ ହୁଏ । ଏଥିରୁ ସୁସ୍ପଷ୍ଟ ହୁଏ ଯେ ‘ବାଦ୍ୟ’ ଏକ ‘ସହଯୋଗୀ’ ଉପାଦାନ ବା ସଂଯୋଜକ ଉପାଦାନ ହେଲେ ମଧ୍ୟ ତା’ର ଭୂମିକା କିଛି କମ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

 

(୧)

ଓଡ଼ିଶୀ ନୃତ୍ୟ ଆଲୋଚନା-ସଂପାଦନା : ଡକ୍ଟର କାଳୀଚରଣ ପଟ୍ଟନାୟକ-ଓଡ଼ିଶା ସଂଗୀତ ନାଟକ ଏକାଡେମୀ-୧୯୭୮-ଓଡ଼ିଶୀ ନୃତ୍ୟରେ ଗୀତବାଦ୍ୟ ଉପଯୋଗ-ଶ୍ରୀ କେଳୁଚରଣ ମହାପାତ୍ର-ପୃ : ୧୩୦ ।

 

ବାଦ୍ୟର ପ୍ରକାର ଭେଦ :

ଭାରତୀୟ ଅଳଂକାର ଶାସ୍ତ୍ରରେ ବାଦ୍ୟକୁ ଚାରିଗୋଟି ବିଭାଗରେ ବିଭକ୍ତ କରାଯାଇଛି । ଯଥା-(କ) ତତ୍‌ (ଖ) ଆନଦ୍ଧ (ଗ) ଘନ (ଘ) ସୁଷିର । ତେଣୁ ‘ସଂଗୀତ ରତ୍ନାକର’ରେ ଉଲ୍ଲେଖ ଅଛି-

 

‘‘ତତଂ ଯେନାବନଦ୍ଧଂ ଚ ଭୁବନଂ ନିଜ ମାୟୟା,

ଆନନ୍ଦ ଘନ ମଧ୍ୟେ ମିତଂ ବ୍ରହ୍ମ ସୁଷିରେ ହରମ୍‌ ।’’

 

ଏହି ଚାରିପ୍ରକାର ବାଦ୍ୟ ଦେବତା, ଗନ୍ଧର୍ବ, ରାକ୍ଷସ ଏବଂ ମାନବମାନଙ୍କପାଇଁ ଉଦ୍ଦିଷ୍ଟ । ‘କବି କଳ୍ପଦ୍ରୂମ’ରେ ମଧ୍ୟ ଠିକ୍‌ ସେହିପରି ଉଲ୍ଲେଖ ଅଛି-

 

‘‘ଚତୁର୍ବିଧ ମିଦଂ ପ୍ରୋକ୍ତଂ ବାଦିତ୍ରଂ ମୁନି ପୁଙ୍ଗନ ଦୈବ ।

ତତ୍‌ମାନଦ୍ଧ ମିତ୍ୟେବଂ ଶୁଷିରଂ ଘନ ମେବଚ ।।୨୧।।

ତତଂ ବାଦ୍ୟଂ ଦେବାନାଂ ଗନ୍ଧର୍ବାଣାଂ ଚ ଶୌଷିରିମ୍‌ ।

ଆନଦ୍ଧଂ ରାକ୍ଷସାଣାଂ ଚ ନରାଣଂ ଚ ଘନ ବିଦୁଃ ।।୨୧।।

 

ଅର୍ଥାତ୍‌, ମୁନିମାନେ ବାଦ୍ୟକୁ ତତ୍‌, ଆନଦ୍ଧ, ଶୁଷିର ଓ ଘନ ନାମରେ ଚାରି ଭାଗରେ ବିଭକ୍ତ କରିଛନ୍ତି । ଦେବତାମାନଙ୍କପାଇଁ ‘ତନ୍ତ୍ର’ ବାଦ୍ୟ, ଗନ୍ଧର୍ବମାନଙ୍କପାଇଁ ‘ଶୁଷିର’ ରାକ୍ଷସମାନଙ୍କପାଇଁ ‘ଆନଦ୍ଧ’ ଏବଂ ମାନବପାଇଁ ‘ଘନ’ ବାଦ୍ୟ ଉଦ୍ଦିଷ୍ଟ ।

 

ଏହି ଚାରିପ୍ରକାର ବାଦ୍ୟଯନ୍ତ୍ରର ପରିଚୟ ପ୍ରଦାନ କରିବା ଆବଶ୍ୟକ ।

(କ)

ତତ୍‌ ବାଦ୍ୟଯନ୍ତ୍ର-ଏହି ପ୍ରକାର ବାଦ୍ୟରେ ତାର ଖଚିତ ହୋଇଥାଏ । ଯଥା-ବୀଣା

(ଖ)

ଆନଦ୍ଧ ବାଦ୍ୟଯନ୍ତ୍ର-ଚମଡ଼ା ଖଚିତ ବାଦ୍ୟ ଏହି ଶ୍ରେଣୀୟ । ଯଥା-ଢୋଲ, ମୃଦଙ୍ଗ ।

(ଗ)

ଶୁଷିର ବାଦ୍ୟଯନ୍ତ୍ର-ବାଦକ ପାଟିରେ ଫୁଙ୍କିକରି ଏହି ବାଦ୍ୟ ବଜାଇଥାନ୍ତି । ଯଥା-ବଂଶୀ, କାହାଳୀ ।

(ଘ)

ଘନ ବାଦ୍ୟଯନ୍ତ୍ର-ଏହି ପ୍ରକାର ବାଦ୍ୟଯନ୍ତ୍ର ଧାତୁରେ ନିର୍ମିତ । ଯଥା-କରତାଳ, ଘଣ୍ଟା ।

 

ଓଡ଼ିଆ ଲୋକନାଟକରେ ବ୍ୟବହୃତ, ବିଭିନ୍ନ ବାଦ୍ୟଯନ୍ତ୍ର ମଧ୍ୟରୁ ଏଠାରେ କେବଳ ଆନଦ୍ଧବାଦ୍ୟ ଯନ୍ତ୍ରର ଚର୍ଚ୍ଚା କରାଯାଇଛି । ପୂର୍ବରୁ ଆଲୋଚନା ପ୍ରସଙ୍ଗରେ ଉଲ୍ଲେଖ କରା ଯାଇଛି ଯେ ଯେଉଁ ବାଦ୍ୟ ଯନ୍ତ୍ର ଚମଡ଼ା ଖଚିତ, ତାକୁ ‘ଆନଦ୍ଧ ବାଦ୍ୟଯନ୍ତ୍ର’ କୁହାଯାଏ । ବର୍ତ୍ତମାନ ଏହି ଶ୍ରେଣୀୟ କେତୋଟି ବାଦ୍ୟଯନ୍ତ୍ରର ସୂଚନା ପ୍ରଦାନ କରାଯାଉଛି ।

 

(୧) ଢୋଲ :

ଢୋଲ ଚର୍ମ ନିର୍ମିତ ବାଦ୍ୟଯନ୍ତ୍ର ମଧ୍ୟରେ ଏକ ପ୍ରାଚୀନ ବାଦ୍ୟଯନ୍ତ୍ର । ଏହାର ସୃଷ୍ଟି ସମ୍ପର୍କରେ କିମ୍ୱଦନ୍ତୀ ଅଛି ଯେ, ତ୍ରିପୁର ଦୈତ୍ୟକୁ ବଧ କରିବା ପରେ ଆନନ୍ଦରେ ନୃତ୍ୟ କରିବା ଆରମ୍ଭ କରିଦେଲେ । ସେହିଦିନ ଠାରୁ ‘ନୃତ୍ୟ କଳା’ର ସୃଷ୍ଟି ହେଲା । ବ୍ରହ୍ମା ତ୍ରିପୁର ଦୈତ୍ୟ ବଧ ହେଲାପରେ ସେହି ରକ୍ତଭିଜା ମାଟିରେ ଢୋଲର ଖୋଳ ତିଆରି କଲେ । ତ୍ରିପୁର ରାକ୍ଷସର ଚର୍ମକୁ ଆଣି ଢୋଲର ଦୁଇ ମୁହଁରେ ମଢ଼େଇ ଦେଲେ । ସେ ଶିବଙ୍କ ପୁତ୍ର ଗଣପତିଙ୍କୁ ‘ତାଳ’ ଦାନ କରିବାକୁ କହିଲେ (୨) । ଗଢ଼ବାଲ୍‌ ଓ କୁମାରୁଁ ପର୍ବତାଞ୍ଚଳରେ କେଶବ ‘ଅନୁରାଗୀ’ ଏକ ପ୍ରାମାଣିକ ଗ୍ରନ୍ଥ ‘ଢୋଲ ସାଗର’ ଉଦ୍ଧାର କରିଛନ୍ତି (୩) । ସେଥିରେ ଢୋଲର ନିର୍ମାଣ କୌଶଳ ଓ ସୃଷ୍ଟି ସମ୍ପର୍କରେ ଲେଖା ଯାଇଛି । ସେଥିରେ ଉଲ୍ଲେଖ ଅଛି ଯେ ପ୍ରଳୟ ପରେ ସୃଷ୍ଟି ପାଇଁ ବ୍ରହ୍ମା ବିଷ୍ଣୁ, ମହେଶ୍ୱର ତଥା ପାର୍ବତୀ ଏହାକୁ ସୃଷ୍ଟି କରିଥିଲେ । ମହେଶ୍ୱର ଏହାକୁ ପ୍ରଥମେ ଧାରଣ କରି ସୃଷ୍ଟିର ମନୋରଞ୍ଜନ କରିଥିଲେ ।

 

(୨)

ଲୋକ ନୃତ୍ୟ ଔର ଲୋକ୍‌ ବାଦ୍ୟୋଁ ମେଁ ଲୋକଜୀବନ କୀ ବ୍ୟାଖ୍ୟା-ଶାନ୍ତି ଅବସ୍ତୀ-ସଂଗୀତ (ହିନ୍ଦୀ)-ଲୋକ ସଂଗୀତ ଅଙ୍କ ୧୯୬୬-ଜାନୁୟାରୀ ସଂଖ୍ୟା-ପୃ : ୪୧ ।

(୩)

ତତୈବ-ପୃ : ୭୯ ।

 

ଏହି ଢୋଲ ହେଉଛି-ସମଗ୍ର ବିଶ୍ୱର ପ୍ରତୀକ । ଏହାର ଉତ୍ତର-ମୂଳ, ପଶ୍ଚିମ-ଶାଖା, ଦକ୍ଷିଣ-ପେଟ, ଏବଂ ପୂର୍ବ ହେଉଛି-ଆଖି । ‘ଢୋଲ ସାଗର’ ରେ ଲେଖାଅଛି-

 

‘‘ଢୋଲୀ ! ଉତ୍ତର ଢୋଲ୍‌କା ମୂଲଂ

 

ଢୋଲୀ ! ପଶ୍ଚିମ୍‌ ଢୋଲକା ଶାଖା ।

ଢୋଲୀ ! ଦକ୍ଷିଣ ଢୋଲ୍‌କା ଫେଁଟ୍

 

ଢୋଲୀ ! ପୂରବ୍‌ ଢୋଲକା ଆଁଖ୍‌ ।।’’

 

ଏହାର ବିଭିନ୍ନ ଅଂଶରେ ବିଭିନ୍ନ ଦେବଦେବୀ ଅବସ୍ଥାନ କରୁଥିବାର ଉଲ୍ଲେଖ ରହିଛି, ସେହି ‘ଢୋଲ ସାଗର’ର ‘ସ୍କନ୍ଧ ପଟ୍ଟିକା’ ଅଂଶରେ-

 

‘‘ସ୍ୱୟଂ ପୁତ୍ରଂ ଭବେ ଢୋଲଂ

 

ବ୍ରହ୍ମ-ପୁତ୍ରଂ ଚ ଡୋରିକା ।

ପୌନ ପୁତ୍ରଂ ଭବେ ନାଦଂ,

 

ଭୀମ-ପୁତ୍ରଂ ଗଜା ବଲମ୍‌ ।।

ବିଷ୍ଣୁ-ପୁତ୍ରଂ ଭବେ ପୁଡ଼ଂ,

 

ନାଗ-ପୁତ୍ରଂ କୁଣ୍ଡଲିକା ।

କୁରୁମ-ପୁତ୍ରଂ କଂ ଦୋଟିକା,

 

ଗୁଣୀ-ପୁତ୍ରଂ କସ୍‌ଣିକା ।।’’ (୪)

 

(୪)

ସଂଗୀତ-ପୃ : ୭୯ ।

 

ବ୍ରହ୍ମା-ଡୋରିକା, ପବନ-ନାଦ, ଭୀମ-ଗଜାବଲ୍‌ ବା ବଜାଇବା କାଠି, ବିଷ୍ଣୁ-ପୁଡ଼ି, ଗୁଣଜ୍ଞ-କସ୍‌ଣିକା, କୁରୁମ୍‌-ସ୍କନ୍ଧ ପଟ୍ଟିକା, ନାଗପୁତ୍ର-କୁଣ୍ଡଳୀରେ ବାସ କରନ୍ତି ।

 

ଓଡ଼ିଶାର ଚଇତି ଘୋଡ଼ା ନାଟର ମୂଳଗ୍ରନ୍ଥ ‘କୈବର୍ତ୍ତ ଗୀତା’ (କବି ଅଚ୍ୟୁତାନନ୍ଦ ଦାସ)ରେ ଉଲ୍ଲେଖ ଅଛି ଯେ ଯିଏ ଢୋଲ ବଜାଏ ସେହି ହାଡ଼ି ହେଉଛନ୍ତି ନିଜେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ସେ ହାତୀରୂପ ଧାରଣ କରି ଢୋଲ ବଜାନ୍ତି ।

 

‘‘ଶ୍ରୀହରି ବୋଇଲେ ତୁ ହୋ ଶୁଣ ବୀର ପାର୍ଥ,

ତ୍ରିବୀଜରୁ ମୁହିଁ ପୁଣି ହୋଇଲି ସଂଭୂତ ।।

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମୁହିଁଟି ଅଟଇ,

ମାଳିର ସ୍ୱରୂପ ଘେନି ମାଳା ଯେ ଗୁନ୍ଥଇ ।।

 

ହାଡ଼ି ବୋଲିକରି ଯାହା ପୁଚ୍ଛିଲୁ ଅର୍ଜୁନ,

ମୋହରି ବ୍ୟତ୍ରକେ ସେହୁ ନୁହଇଟି ଭିନ୍ନ ।।

ଈଶ୍ୱର ଯେ ହାଡ଼ି ହୋଇ ଢୋଲ ବଜାଇଲେ,

ଡିବି ଡିବି ଡମ୍ବରୁ ଯେ ପୁଣି ନାଦ କଲେ ।।’’ (୫)

 

(୫)

କୈବର୍ତ୍ତ ଗୀତା-ତ୍ରୟୋଦଶ ଅଧ୍ୟାୟ-ନୂତନ ମୁଦ୍ରଣ-ଧର୍ମଗ୍ରନ୍ଥ ଷ୍ଟୋର-ପୃ : ୪୭ ।

 

ଏହି ଢୋଲର ଖୋଳ କାଠରେ ତିଆରି ଏବଂ ଏହାର ଦୁଇ ପାର୍ଶ୍ୱରେ ଗୋରୁ ଚମଡ଼ାର ମଢ଼ ଲାଗିଥାଏ । ଏହି ଦୁଇଟି ଚମଡ଼ା ଦଉଡ଼ିରେ ଛନ୍ଦା ଯାଇ ପରସ୍ପରକୁ ଟାଣି ରଖିଥାଏ । ବାମ ଦିଗଟି ଊର୍ଦ୍ଧ୍ଵ ଧ୍ଵନି ଏବଂ ଦକ୍ଷିଣ ଦିଗଟି ଅଧଃଧ୍ଵନି ନିସୃତ କରିଥାଏ | ଦକ୍ଷିଣ ପାର୍ଶ୍ୱଟିକୁ ଖଣ୍ଡେ କାଠିରେ ବଜାଯାଏ । ଏହି ପାର୍ଶ୍ୱରେ ଲାଠି ଚାଳନା ଓ ତା’ର ଧ୍ୱନି ବାଦନରେ ମୁଖ୍ୟ ଅଂଶ ଗ୍ରହଣ କରିଥାଏ । ବାମ ପାର୍ଶ୍ୱଟି କେବଳ ଏହି ମୁଖ୍ୟ ଧ୍ୱନିକୁ ବାଳକର ବାମ ଆଙ୍ଗୁଳିରେ ବାଜିଥାଏ । ଏହି ଦୁଇ ପାର୍ଶ୍ୱର ମିଶ୍ରଣରେ ଊର୍ଦ୍ଧ୍ୱ ଓ ଅଧଃଧ୍ୱନି ନିସୃତ ହୋଇଥାଏ ।

 

ଓଡ଼ିଆ ଲୋକ-ନାଟକର ‘ପାଟୁଆ ନାଟ’ରେ ଏହି ଢୋଲର ସୃଷ୍ଟି ପ୍ରସଙ୍ଗରେ ବୋଲା ଯାଇଛି-

 

‘‘କାକିରିକି ବ୍ରହ୍ମା ସର୍ଜ୍ଜନା କଲେ

କହ ଭଗତ, ଈଶ୍ୱର ବାଦ୍ୟ ଛେଇଲେ

ତିରିଶି ଆଙ୍ଗୁଳି କଲେ

କପିଳା ଚର୍ମରେ ତାହା ଛିଆଇଲେ,

କହ ଗାୟକ ପୁଣି କାଠି ବ୍ରହ୍ମା ଦେଲେ ।’’ (୬)

 

(୬)

ପୀରହାଟ-ବାଲେଶ୍ୱରରୁ ସଂଗୃହୀତ ।

 

ଓଡ଼ିଶାରେ ଯେଉଁସବୁ ଲୋକ-ନାଟକର ପ୍ରଚଳନ ରହିଛି, ସେଥି ମଧ୍ୟରୁ ଅଧିକାଂଶରେ ଏହି ଢୋଲର ପ୍ରୟୋଗ ହେଉଥିବାର ଲକ୍ଷ୍ୟ କରାଯାଏ । କେବଳ ଓଡ଼ିଆ ଲୋକ-ନାଟକ କାହିଁକି ସମଗ୍ର ଭାରତର ବିଭିନ୍ନ ଲୋକ-ନାଟକ ମଧ୍ୟରେ ଏହି ଢୋଲର ବ୍ୟବହାର ସବୁଠାରୁ ଅଧିକ ଏବଂ ଏହା ଅନ୍ୟ ବାଦ୍ୟଯନ୍ତ୍ର ଗୁଡ଼ିକର ଧ୍ଵନିକୁ ଏକତ୍ର କରିଥାଏ | (୭)

 

(୭)

‘‘Drum music is the over tune, the basic orchestra and the unfailing prompter all rolled into are for Indian folk drama.’’-Drama in Rural India-J. C. Mathur-Asia Publishing House-Bombay-1964-P. 105.

 

ଏହି ଢୋଲ ବାଦ୍ୟ ପ୍ରଚଳନର ପ୍ରାଚୀନତା ଦିଗରେ ‘ସାରଳା ମହାଭାରତ’ରେ (ଚତୁର୍ଦ୍ଦଶ ଶତାବ୍ଦୀ) ତା’ର ପ୍ରଚଳନ ଦେଖିବାକୁ ମିଳେ । ଯଥା-

 

‘‘ବାଜଇ ଅନେକ ଢୋଲ ଦମା ଶଙ୍ଖ ବାଦ୍ୟ,

ରଥ ଗଜ କିବା ତହିଁ ଅଗାଧ ସମୁଦ୍ର ।’’

(ମଧ୍ୟପର୍ବ-ପୃ : ୨୨୩)

 

ଅନ୍ୟତ୍ର-

‘‘ସହଦେବ ପ୍ରବେଶିଲେ ସେହି ରାଜ୍ୟେ,

ବୀରତ୍ୱର ଢୋଲ ଗହଳରେ ବାଜେ ।’’

(ସଭାପର୍ବ-ପୃ : ୨୧୩) (୮)

 

(୮)

ରାଧାରମଣ ପୁସ୍ତକାଳୟ ପ୍ରକାଶିତ-ସାରଳା ମହାଭାରତର ପୃଷ୍ଠା ବ୍ୟବହୃତ । ସାରଳା ମହାଭାରତରେ ଲୋକନୃତ୍ୟ-ନବପତ୍ର-୧୯୮୧-ଡିସେମ୍ବର-ପୃ : ୫୨-୭୦ ।

 

ଓଡ଼ିଆ ଲୋକନାଟକରେ ଅଭିନୟ ପୂର୍ବରୁ ଏବଂ ଅଭିନୟ ପରେ ଏହାର ବ୍ୟବହାର କରାଯାଇଥାଏ । ପ୍ରଥମ ଶ୍ରେଣୀୟ ଲୋକନାଟକ ଅଙ୍ଗୁଳିମେୟ । କିନ୍ତୁ ଦ୍ୱିତୀୟ ଶ୍ରେଣୀୟ ଲୋକନାଟକର ସଂଖ୍ୟା ଅଧିକ ।

 

(କ) ଅଭିନୟ ପୂର୍ବରୁ ଢୋଲ ବାଦନ :

ଭଦ୍ରକ ଅଞ୍ଚଳରେ ପ୍ରଚଳିତ ତାମସାର କେବଳ ‘ମୋଗଲ ତାମସା’ରେ ଏହାର ବ୍ୟବହାର ରହିଛି । ସାତଟି ଦିନରେ ସାତଗୋଟି ତାମସା ଅଭିନୀତ ହୁଏ । ଶେଷଦିନ ‘ମୋଗଲ ତାମସା’ ଅଭିନୀତ ହୁଏ । ଏହି ଶେଷଦିନ ‘ମୋଗଲ ତାମସା’ର ଅଭିନୟ ପୂର୍ବରୁ ଗାଁର ଶେଷ ମୁଣ୍ଡରୁ ମଧ୍ୟସ୍ଥଳ ବା ଅଭିନୟସ୍ଥଳ ପର୍ଯ୍ୟନ୍ତ ମୋଗଲ ରାଜା ମୀର୍ଜା ସାହେବ ପାଲିଙ୍କିରେ ଶୋଭାଯାତ୍ରାରେ ଆସନ୍ତି । ଏହି ଶୋଭାଯାତ୍ରାରେ ଆତସବାଜି ହୋଇଥାଏ । ଢୋଲ ବାଜିଥାଏ । ଏହି ରଙ୍ଗମଞ୍ଚକୁ ‘ଜନପଦ’ ରଙ୍ଗମଞ୍ଚ କୁହାଯାଏ (୯) । ଏହି ଢୋଲ ସାଙ୍ଗକୁ ମହୁରୀ ବା ଯୋଡ଼ି ମହୁରୀ ବାଜିଥାଏ । ଶିବମନ୍ଦିର ପରିସର ବା ଅଭିନୟ ସ୍ଥଳରେ ପହଞ୍ଚିଲା ପରେ ଆଉ ତାମସା ନାଟରେ ଢୋଲର ବ୍ୟବହାର ହୁଏ ନାହିଁ ।

 

(୯)

ଓଡ଼ିଶାର ଲୋକମଞ୍ଚ : ଏକ ଚାହାଣୀ-ଝଙ୍କାର-୧୯୮୦ ମାର୍ଚ୍ଚ-ପୃ : ୯୫୯ ।

 

(ଖ) ଅଭିନୟ ପୂର୍ବରୁ ଏବଂ ମଧ୍ୟଭାଗରେ ବ୍ୟବହୃତ ଢୋଲ :

ଓଡ଼ିଶାର ଏକ ବଡ଼ ପର୍ବ ଝାମୁଯାତ୍ରା ବା ଉଡ଼ାଯାତ୍ରା । ଏଥିରେ ଢୋଲର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଭକ୍ତା (ଭକ୍ତ) ବା ପାଟୁଆମାନେ ଏହି ଢୋଲର ତାଳେ ତାଳେ ନାଚନ୍ତି ଓ ଗାୟକ ମଧ୍ୟ ଗାନ କରିଥାଏ । ପ୍ରଥମରେ ଗାୟକ ପଦେ ଗାଇ ଦିଅନ୍ତେ, ସେତେବେଳେ ଢୋଲ ଖୁବ୍‌ କ୍ଷୀଣ ସ୍ୱରରେ କେବଳ ତାଳର ସୂଚନା ଦେବାପାଇଁ ବାଦନ କରାଯାଇଥାଏ । ପଦେ ଗୀତ ଗାନ ପରେ ଢୋଲଟି କମ୍ପି ଉଠେ ଏବଂ ତା’ ସହିତ ମହୁରୀ ମଧ୍ୟ । ସେହି ଢୋଲର ତାଳେ ତାଳେ ପାଟୁଆ ବା ଭକ୍ତମାନେ ପାଦ ପକାଇ ନୃତ୍ୟ କରିଥାନ୍ତି । ପ୍ରତି ନୃତ୍ୟର ଶେଷରେ ଢୋଲଟି ହଠାତ୍‌ ବନ୍ଦ ହୋଇଯାଇ ଏକ ନିରବତାର ବାତାବରଣ ସୃଷ୍ଟି କରେ । ତା’ପରେ ଗାୟକ ତା’ର ସ୍ୱର ମେଲିଲେ ପୁଣି କ୍ଷୀଣ ଧ୍ୱନିରେ ଢୋଲ ବାଦନ କରାଯାଏ । ଏହି ହଠାତ୍‌ ନିରବତା-ଏହା ଶ୍ରୁତିକଟୁ ନହୋଇ ବରଂ ଶ୍ରୁତି ମଧୁର ହୋଇଥାଏ । (୧୦)

 

(୧୦)

‘ପରିଶିଷ୍ଟ’ରେ ଏହାର ତାଳ ଦ୍ରଷ୍ଟବ୍ୟ ।

 

ଠିକ୍‌ ଏହିପରି, ‘ଚଇତି ଘୋଡ଼ା ନାଟ’ରେ ମଧ୍ୟ ଢୋଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାର ପ୍ରଥମାଂଶରେ ଢୋଲର ଆବଶ୍ୟକତା ସବୁଠାରୁ ଅଧିକ । ଢୋଲର ତାଳ ଘୋଡ଼ା ନାଟୁଆ (ଦିହୁରୀ ବା ଦେହୁରୀ)ର ପାଦପାତକୁ ନିୟନ୍ତ୍ରିତ କରିଥାଏ । ତେଣୁ ପୁରପଲ୍ଲୀର ଦର୍ଶକମାନଙ୍କ ମନରେ ଏକ ମୃଦୁ କମ୍ପନ ସୃଷ୍ଟି କରିଥାଏ । ଢୋଲର ଉଗ୍ରଧ୍ୱନି ସହିତ ଚଇତି ଘୋଡ଼ା ଶରୀରର ଥାକ ଥାକ ଲୁଗା ବା ଝାଲର ଲୁଗା ଓ ଲାଞ୍ଜର କେରା କେରା ବାଳ ପବନରେ ଲହର କାଟି ଉଡ଼ିବା ମଧ୍ୟରେ ଏକ ମନୋରମ ପରିବେଶ ସୃଷ୍ଟି ହୋଇଥାଏ । ଏହି ଘୋଡ଼ା ସହିତ କେତେକ ସ୍ଥଳରେ ଚଢ଼େଇଆ-ଚଢ଼େଇଆଣୀ, ରାଉତ-ରାଉତାଣୀ, କେତେକ ସ୍ଥଳରେ ପାଟୁଆ ମଧ୍ୟ ନର୍ତ୍ତନ କରିଥାନ୍ତି-। ଗାୟକ ମହାଶୟଙ୍କ ଗୀତ ପଦକରେ ପୁଣି ଢୋଲ ବାଜେ ଓ ନୃତ୍ୟ ଚାଲେ ଠିକ୍‌ ପାଟୁଆ ନାଟପରି । (୧୧)

 

(୧୧)

ଚଇତି ଘୋଡ଼ା ନାଟ-ସମାବେଶ-୧୯୮୦-ଜୁନ୍‌-ଜୁଲାଇ, ପୃ: ୮୫ ।

 

ସେହିପରି ଛଉନାଟରେ ମଧ୍ୟ ଢୋଲ ବାଦନର ପ୍ରଚଳନ ରହିଛି । ଏଥିରେ ତିନି/ଚାରିଗୋଟି ଢୋଲ ବାଜେ । ଏହି ଢୋଲବାଲା ବା ଢୋଲିଆ ଏକ ବିଶେଷ ଭୂମିକାରେ ଅବତୀର୍ଣ୍ଣ ହୁଏ । ବେଳେ ବେଳେ ସେ ରଙ୍ଗମଞ୍ଚରେ ଆସି ଦଣ୍ଡାୟମାନ ହୁଏ । କେତେକ ସମୟରେ ଏକକ ନୃତ୍ୟ ସେ ନୃତ୍ୟକାରୀଙ୍କ ଚାରି ଦିଗରେ ଘୂରି ଆସନ୍ତି । ବେଳେ ବେଳେ ସେ ଚିତ୍କାର କରି ‘ବୋଲ୍’ ଗାଆନ୍ତି । ଏହା ବ୍ୟାଲେଟ୍‌(Ballet) ଶ୍ରେଣୀୟ ହେତୁ ଶାରୀରିକ କୌଶଳ ବା ପଦପାତରେ ତାଳପାଇଁ ଢୋଲର ଆବଶ୍ୟକତା ହୋଇଥାଏ ।

 

ଏହି ଛଉନୃତ୍ୟର ଅନ୍ତରଙ୍ଗ ଭାବଟି ବୀରରସ । ତେଣୁ ଶରୀରରେ ଉତ୍ତେଜନା ବା ରୋମାଞ୍ଚ ସୃଷ୍ଟିପାଇଁ ଢୋଲ (ରଙ୍ଗ ଢୋଲ)ର ସାହାଯ୍ୟ ଆବଶ୍ୟକ ପଡ଼ିଥାଏ । (୧୨)

 

(୧୨)

‘‘ଛୌ ନାଚର ଅନ୍ତରଙ୍ଗ ଭାବଟି ବୀରରସ । ଏହି ବୀର ରସାଶ୍ରିତ ନୃତ୍ୟଟି ଓଡ଼ିଆ ଜାତିର ପୂର୍ବ ଅଥଚ ଲୁପ୍ତ ବୀରତ୍ୱର ସୂଚନା ଦିଏ । X X X ଢୋଲ, ମହୁରୀ ଓ ତାଙ୍କର ଏକତ୍ରିତ ସ୍ୱରରେ ସାଧାରଣ ଲୋକର ଶରୀରରେ ରୋମାଞ୍ଚ ଓ ଉନ୍ମାଦନା ଖେଳିଯାଏ । ପରେ ଏହି ନାଚକୁ ବୀର ପାଇକମାନେ ନିଜର ଅବସର ବିନୋଦନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିନେଇ ଏଥିରେ ଆଂଶିକ ଓ ଆତ୍ମିକ ପରିବର୍ତ୍ତନ ସଂଯୋଜନ କରାଇଥିବେ ।’’-ଛଉ-ଶ୍ରୀ ନଗେନ୍ଦ୍ର ମହାପାତ୍ର-ଆସନ୍ତାକାଲି-୧୯୭୯-ମଇ-ପୃ: ୪୧ ।

 

ଠିକ୍‌ ଏହିପରି ଏକ ଉତ୍ତେଜନାପୂର୍ଣ୍ଣ ନୃତ୍ୟ ହେଲା-ଗୋପାଳଙ୍କ ଓଗାଳରେ ଥିବା ‘ଲହୁଡ଼ି’ ନାଚରେ । ଏହି ଲହୁଡ଼ି ନାଚରେ ଗୋପାଳମାନେ ଲହୁଡ଼ି ବା ଲାଠି ଧରି ବିଭିନ୍ନ ଖେଳ (ଧୂଳିଆ ବାଡ଼ି, ଚିତାବାଡ଼ି, କରବାଡ଼ି, ଢାଲବାଡ଼ି ଆଦି) ଖେଳିଥାନ୍ତି । ଠିକ୍‌ ସମୟ (ତାଳ)ରେ ଏମାନେ ଲହୁଡ଼ି ନବୁଲାଇଲେ ପରସ୍ପର ସହିତ ବାଜିବ ନାହିଁ । ତେଣୁ, ଏହି ସମୟର ନିର୍ଦ୍ଦିଷ୍ଟତା ପାଇଁ ‘ତାଳ’ର ଆବଶ୍ୟକତା ପଡ଼ିଥାଏ । ‘ଢୋଲ’ ଏଠାରେ ଏହି କାର୍ଯ୍ୟ ସମ୍ପାଦନା କରିଥାଏ । ଢୋଲଟିର ସ୍ୱର ପ୍ରବଳ ଏବଂ ଏହା ଉଦ୍ଦୀପନା ସୃଷ୍ଟି କରୁଥିବା ହେତୁ ତାହା ଖେଳାଳୀମାନଙ୍କୁ ଉତ୍ସାହିତ କରିଥାଏ । (୧୩)

 

(୧୩)

ଗୋପାଳଙ୍କ ଓଗାଳ-ନବପତ୍ର-୧୯୮୦-ନଭେମ୍ବର, ପୃ: ୧-୨୧ ।

 

ରଣପା ନୃତ୍ୟରେ ମଧ୍ୟ ଢୋଲ ବାଦନର ପ୍ରଚଳନ ରହିଛି । ସାରଳା ଠାକୁରାଣୀଙ୍କ ପ୍ରତୀକ ‘ଘଟ’ ଯେତେବେଳେ ପଣା ସଂକ୍ରାନ୍ତି ପୂର୍ବରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଘୂରିବୁଲେ, ସେତେବେଳେ ତାହାର ସେବକମାନେ ରଣପା ନୃତ୍ୟ କରିଥାନ୍ତି । ସେବକ ନିଜେ ଭକ୍ତା ବା ପାଟୁଆ ପୋଷାକ ପରିଧାନ କରି ଘଣ୍ଟା ଓ ଢୋଲ ବାଦନ କରି ତାହାର ତାଳେ ତାଳେ ନୃତ୍ୟ କରିଥାନ୍ତି । ସେବକ ଗୋଡ଼ରେ ରଣପା (Stilt) ବାନ୍ଧି ବିଭିନ୍ନ ଅଙ୍ଗଭଙ୍ଗି ଦେଖାଇ ନୃତ୍ୟ କରିଥାନ୍ତି-। ଏହି ଘଟ କାଠରେ ନିର୍ମିତ । ଉଚ୍ଚତା ପ୍ରାୟ ଦୁଇହାତ । ଏହାର ଶେଷ ଅଂଶଟି ସରୁ ହୋଇ ବୈଠକୀ ଲାଗିଥାଏ । ଏହି ଘଟର ଚାରିପାଖରେ ସାରଳା ଠାକୁରାଣୀ ସିନ୍ଦୂର ପ୍ରଲେପ ଥାଏ ଏବଂ ଏହାର ଚାରିପାଖରେ କାଠଚମ୍ପା ବା ଅର୍କଫୁଲ କଞ୍ଚିକାଠିରେ ଗୁନ୍ଥାଯାଇ ଫୁଲଝରା ଦିଆଯାଇଥାଏ-। ସେବକ ମୁଣ୍ଡରେ ମୁଚୁଳା ରଖି ତା’ ଉପରେ ଘଟର ବୈଠକୀ ରଖି ନୃତ୍ୟ କରେ । ଢୋଲ ଓ ଘଣ୍ଟର ତାଳେ ତାଳେ ସେ ଭାରସାମ୍ୟ ରଖି ନୃତ୍ୟ କରେ । ଏହିପରି ନୃତ୍ୟ ମହୀଶୂର ଅଞ୍ଚଳରେ ମଧ୍ୟ ପ୍ରଚଳିତ ଥିବାର ଲକ୍ଷ୍ୟ କରାଯାଏ । (୧୪)

 

(୧୪)

ଓଡ଼ିଶାର ପଲ୍ଲୀନୃତ୍ୟ-ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ-ଚିତ୍ରପୁରୀ-ରଜତ-ଜୟନ୍ତୀ ସଂଖ୍ୟା-କଳାବିକାଶ କେନ୍ଦ୍ର-୧୯ଶ ବର୍ଷ-୧ମ ସଂଖ୍ୟା-୧୯୭୭-ପୃ: ୩୬ ।

 

ଦକ୍ଷିଣ ଓଡ଼ିଶାର ଗୋପାଳ ଜାତିରେ ରଣପା ନୃତ୍ୟର ପ୍ରଚଳନ ରହିଛି । ଶ୍ରୀକୃଷ୍ଣଙ୍କ ସହିତ ଯେଉଁ ଗୋପାଳ ବାଳକମାନେ କ୍ରୀଡ଼ା କରୁଥିଲେ, ଏଥିରେ ତାହାର ଅଭିନୟ କରାଯାଏ । ପ୍ରାୟ ୬ ଫୁଟ ଲମ୍ବର ସରୁ ବାଉଁଶ ଦୁଇଟି ତଳୁ ଦେଢ଼ଫୁଟ ଉଚ୍ଚରେ ଗୋଟେ ଖିଲ ଦିଆଯାଇଥାଏ । ଏହି ଖିଲକୁ ସୁଦୃଢ଼ କରିବାପାଇଁ ତା’ତଳେ ବଙ୍କା ଭାବରେ ସେହି ଖିଲର ଅଗ୍ରଭାଗରେ ଲଗାଇ ଦିଆଯାଇଥାଏ । ମୁଖ୍ୟ ଖିଲରେ ଗୋପାଳ ବାଳକ ପାଦଦେଇ ରଖି ଠିଆହୁଏ ଏବଂ ଦୁଇ ହାତରେ ସେହି ବାଉଁଶର ଅଗ୍ରଭାଗ ଧାରଣ କରେ । ଢୋଲର ତାଳେ ତାଳେ ବିଭିନ୍ନ ଅଙ୍ଗଭଙ୍ଗୀ କରି ନୃତ୍ୟ କରେ ଏହା Ballet ପରି । ତେଣୁ, ଶାରୀରିକ କୌଶଳ ପ୍ରଦର୍ଶନ କରିବା ପାଇଁ ଢୋଲର ବାଦନ ଏକାନ୍ତ ଆବଶ୍ୟକ ହୋଇଥାଏ । (୧୫) ଆଠରୁ ବାରଜଣ ଲୋକ ରଣପା ଲଗାଇ ନୃତ୍ୟ କରିଥାନ୍ତି-। ଏମାନେ କେବଳ ପୁରୁଷ ଏବଂ ଏମାନେ ଖଦି ଓ ଗାମୁଛା ପିନ୍ଧନ୍ତି । ଏଥିରେ ବିଭିନ୍ନ ଛାନ୍ଦ, ଚୌପଦୀ ବୋଲାଯାଏ । ଢୋଲ ସହିତ କାଠ କରତାଳି, ମହୁରୀ ମଧ୍ୟ ବାଜିଥାଏ । ଏଥିରେ କେବଳ ଗୋଡ଼ର ବିଭିନ୍ନ ଭଙ୍ଗୀ ପ୍ରଦର୍ଶନ କରାଯାଏ । ‘ଆକାଶଫୁଟି’ ପାଦପାତ ପ୍ରକୃତରେ ସବୁଠାରୁ କଷ୍ଟକର ଭଙ୍ଗୀ । ଗୋଟିଏ ପିଲା ଛଅମାସ ଭାରସାମ୍ୟ ଶିକ୍ଷାପରେ ତାଳ ଅନୁସାରେ ନୃତ୍ୟ କରେ । ପ୍ରଥମରେ ଏକ ତାଳ ଏବଂ ଦ୍ୱିତୀୟରେ ଆଠତାଳ ହୁଏ । ଗୀତ ପରେ ନାଚ ହୁଏ । (୧୬)

 

(୧୫)

The Repertory-D. N. Pattnaik-Narendra kala vikash kendra-Silver Jubilee celebration-1980-P. 21.

 

ଲୋକନୃତ୍ୟ ଓ କ୍ରୀଡ଼ା-ଶ୍ରୀ ଶିବପ୍ରସାଦ-ତତୈବ-ପୃ : ୨୬ ।

 

(୧୬)

ଆକାଶବାଣୀ-କଟକର ଏକ ସାକ୍ଷାତ୍‍କାର୍‍ କାର୍ଯ୍ୟକ୍ରମ-ଶ୍ରୀ ଭଗବାନ ସାହୁ-ନରେନ୍ଦ୍ରପୁର-ଗଞ୍ଜାମ, ସହିତ ଶ୍ରୀ ବ୍ରଜମୋହନ ମହାନ୍ତି-ତା ୧୫। ୫ ।୭୯ ରିଖ ସଂଧ୍ୟା-୫.୩୫ମି ।

 

ବାଲେଶ୍ୱର ଅଞ୍ଚଳରେ ଦୀପାବଳୀ ଅମବାସ୍ୟାର ପରଦିନକୁ ‘ପଡ଼ିଅଁ’ କୁହାଯାଏ । ସେଦିନ ହାଡ଼ିମାନେ ଢୋଲ ଓ ମହୁରୀ ବଜାଇ ନୃତ୍ୟ କରିଥାନ୍ତି । ଜଣେ ପୁରୁଷ ସ୍ତ୍ରୀ ବେଶ ହୁଏ ଏବଂ ସେ ମଧ୍ୟ ଗୋଟିଏ ଢୋଲ ଧରି ବଜାଏ । ଅନ୍ୟ ପୁରୁଷମାନେ ତା’ ସହିତ ଗୀତ ଗାଇ ଢୋଲ ବଜାଇ ନୃତ୍ୟ କରିଥାନ୍ତି । ସେମାନେ ଚାଉଳ, ପଇସା ଆଦି ମାଗଣ କରିଥାନ୍ତି । (୧୭)

 

(୧୭)

ଓଡ଼ିଶାର ପଲ୍ଲୀନୃତ୍ୟ-ଡ: ଦେବୀପ୍ରସନ୍ନ ପଟ୍ଟନାୟକ-ଚିତ୍ରପୁରୀ-ରଜତ ଜୟନ୍ତୀ ସଂଖ୍ୟା-୧୯୭୭-ପୃ : ୩୬ ।

 

ଦଣ୍ଡନାଟରେ ମଧ୍ୟ ଢୋଲର ବ୍ୟବହାର ଅଛି । ‘ଦଣ୍ଡ’ ଶିବଙ୍କ ପ୍ରତୀକ । ଗୋଟିଏ ଦଳରେ ତେର ଜଣ ଭୋକତା (ଭକ୍ତା) ଥାନ୍ତି । ମୁଖ୍ୟକୁ ପାଟଭୋକତା କୁହାଯାଏ । ଗାଁ ଭିତରେ ଗଲାବେଳେ ସେମାନେ ତାତିଲା ବାଲିରେ ଗଡ଼ି ଓ ଅନ୍ୟ ଶାରୀରିକ କୌଶଳରେ ଶିବଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଫକୀର-ଫକୀରାଣୀ, କେଳା-କେଲୁଣୀ, ସନ୍ନ୍ୟାସୀ-ସନ୍ନ୍ୟାସିନୀ, ପତ୍ର ସୁଆର-ପତ୍ର ସଉରାଣୀ, ଚଢ଼େଇଆ-ଚଢ଼େଇଆଣୀ ଦ୍ୱୈତ ନୃତ୍ୟ ମଧ୍ୟ ଏହି ସମୟରେ ବ୍ୟବହାର ଏବଂ ଢୋଲର ତାଳେ ତାଳେ ସେମାନେ ନୃତ୍ୟ କରନ୍ତି ଓ ଗୀତ ବୋଲନ୍ତି ।

 

ମେଳା ଓ ଶୋଭାଯାତ୍ରାରେ ‘ବାଘନାଟ’ ଅଭିନୀତ ହୁଏ । ଜଣେ ବାଘ ମୁଖା ପିନ୍ଧି, ବାଘ ଛାଲ ପିନ୍ଧି, ବାଘ ପରି ଅଭିନୟ କରିଥାଏ । ତା ଦେହକୁ ହଳଦିଆ, ଗେରୁଆ ଓ କଳା ରଙ୍ଗ ଦେଇ ବାଘପରି ଚିତ୍ର କରା ଯାଇଥାଏ । ସେ ଗର୍ଜ୍ଜନ କରି ବିଭିନ୍ନ ପ୍ରକାର ଶାରୀରିକ କୌଶଳ ଢୋଲର ତାଳେ ତାଳେ ପ୍ରଦର୍ଶନ କରିଥାଏ । ଗୋଟିଏ ବାଳକର ଅଣ୍ଟାରେ ଦଉଡ଼ି ବାନ୍ଧି ଶୁଆଇ ଦିଆଯାଏ ଓ ତାକୁ ବାଘ ଦନ୍ତାରେ କାମୁଡ଼ି ଉଠାଇ ନିଏ । ଶିକାରୀଟିଏ ଆସି ତାକୁ ଆହତ କଲାପରେ ସେ ନାଚ ବନ୍ଦ କରେ । ଏଥିରେ ଢୋଲ ମୁଖ୍ୟତଃ ପ୍ରଧାନ ଭୂମିକାରେ ଅବତୀର୍ଣ୍ଣ ହୁଏ ।

 

ଡାଲଖାଇ, ମାୟଲା ବଡ଼, ରସରକେଲି, ଜାମୁଡ଼ାଳି, କରମା ଆଦି ନୃତ୍ୟଗୁଡ଼ିକ ପ୍ରାୟ ଏକ ପ୍ରକାର । ଢୋଲ ଓ ମହୁରୀର ତାଳେ ତାଳେ ପୁରୁଷ ଓ ସ୍ତ୍ରୀ ନୃତ୍ୟ କରିଥାନ୍ତି ଓ ଗୀତ ଗାଇଥାନ୍ତି । ଢୋଲବାଲା ବୁଲି ବୁଲି ବାଜା ବଜାଇଥାନ୍ତି ।

 

ଦେବୀପୂଜା ସମୟରେ ଯେଉଁ ‘ଡଁ ଡ୍‌’ ନାଟ ହୁଏ, ସେଥିରେ ଜଣେ ପୁରୁଷ ଓ ଜଣେ ସ୍ତ୍ରୀ ନାଚନ୍ତି । ପୁରୁଷ ଜଣକ ଘୁଙ୍ଗୁର ଲଗା ଛୋଟ ବାଡ଼ିରେ ତାଳ ରଖି ନାଚିଥାନ୍ତି । ଢୋଲର ସମତାଳରେ ସେମାନେ ନୃତ୍ୟ କରିଥାନ୍ତି ।

 

ଖୋର୍ଦ୍ଧା ଅଞ୍ଚଳର ପାଇକ ନାଟ, ରୁକୁମାର ନାଟ, ଫରୀ ନାଟ, କେଉଁଝରର ପାଇକାଳୀ ନାଟ ପ୍ରଭୃତି ସମର ନୃତ୍ୟ । ଏଥିରେ ଢୋଲ ହେଉଛି ପ୍ରଥମ ସ୍ତରର ବାଦ୍ୟ । କାରଣ ଢୋଲ ହୃତକମ୍ପ ସୃଷ୍ଟି କରିଥାଏ ।

 

‘ବଣ୍ଡିନାଟ’ରେ ‘‘ଢୋଲବାଦ୍ୟ ସମୁଦାୟ ନାଟ୍ୟ ପରିବେଶକୁ ବେଶ୍‌ ସରଗରମ କରିଦିଏ-।’’ (୧୮) ବଣ୍ଡି (ବନ୍ଦୀ) ହେଉଛି ଶ୍ରୀରାଧାଙ୍କ ସ୍ୱାମୀ ଚନ୍ଦ୍ରସେଣାଙ୍କର ଭଉଣୀ । ଏହା କୃଷ୍ଣଲୀଳାର ଏକ ଅଂଶ । ପଶ୍ଚିମ ଓଡ଼ିଆ ଏବଂ ମଧ୍ୟ ଓଡ଼ିଶାରେ ଏହାର ପ୍ରଚଳନ ରହିଛି । ବିଶେଷତଃ ଢେଙ୍କାନାଳ ଜିଲ୍ଲାର ଅନୁଗୋଳ ଅନ୍ତର୍ଗତ ମଝିକା ଗ୍ରାମ, ଭାଲିଆବସ, ବାମଣ୍ଡାର ତୁଙ୍ଗାମାଲ, ବେଣାଗାଡ଼ିଆ, ପରତରା, ବାଳକଟା, ପିମ୍ପଲ ବାହାଲ, ବାଦୀ ବାହାଲ୍‌ରେ ଏହି ଲୋକ-ନାଟକ ପ୍ରଚଳିତ । (୧୯)

 

(୧୮)

ଲୋକନାଟ୍ୟ-ଶ୍ରୀ ଅସୀମ ବସୁ-ଓଡ଼ିଶାର ଲୋକସଂସ୍କୃତି-ସମ୍ପାଦନା-ଓଡ଼ିଶା କଲ୍‌ଚରାଲ ଫୋରମ୍‌-ଭୁବନେଶ୍ୱର, ଗ୍ରନ୍ଥମନ୍ଦିର ୧୯୭୮-ପୃ: ୧୦୮ ।

(୧୯)

ଢେଙ୍କାନାଳର ପାରମ୍ପରିକ ଲୋକନୃତ୍ୟ-ବଣ୍ଡୀ-ଶ୍ରୀ ସୁଧାଂଶୁ ମୋହନ ଦ୍ୱିବେଦୀ-ଓଡ଼ିଆ ଯୁବ ଲେଖକ ସମ୍ମେଳନ ସ୍ମରଣିକା (ଅଭ୍ୟର୍ଥନା ସମିତି-୧୯୮୦-ଢେଙ୍କାନାଳ) ପୃ: ୩୦-୩୨ ।

 

‘ଶବ୍ଦସ୍ୱର’ ନାଟରେ ଏହି ଢୋଲର ପ୍ରଚଳନ ସବୁଠାରୁ ଅଧିକ । କାରଣ, ଏହି ନୃତ୍ୟର ଶୈଳୀ-ତାଣ୍ଡବ । ସମ୍ବଲପୁର ଜିଲ୍ଲାର ବରଗଡ଼ ସବ୍‌ଡିଭିଜନ୍‌ ଅନ୍ତର୍ଗତ ବିରାଟ ‘କୁମ୍ଭାରୀଗ୍ରାମ’ର ‘ପୂର୍ଣ୍ଣମାସୀ’ (ମନ୍ଦିର)ରେ ପରମ୍ପରାକ୍ରମେ ପ୍ରଚଳିତ ହୋଇଛି । କଥିତ ଅଛି, ପୁରୀଜିଲ୍ଲାର କଣ୍ଟିଲୋ ଗ୍ରାମ ନିବାସୀ ଶ୍ରୀ ଭଜମନ ଦାସ ନାମକ ଜଣେ ନୃତ୍ୟ ଶିଳ୍ପୀ ୧୮୫୦ ମସିହାରେ ଏହି ନୃତ୍ୟକୁ ସେଠାରେ ପ୍ରବର୍ତ୍ତନ କରିଥିଲେ । (୨୦) ଏଥିରେ କୃଷ୍ଣଲୀଳା ବର୍ଣ୍ଣିତ ହୋଇଥିଲେ ମଧ୍ୟ ଏହା ତାଣ୍ଡବ ଲୀଳା ଉପରେ ଆଧାରିତ ହେତୁ ଏହା ଢୋଲର ତାଳକୁ ଆଶ୍ରୟ କରିଥାଏ ।

 

(୨୦)

ଲୋକନାଟ୍ୟ-ଓଡ଼ିଶାର ଲୋକସଂସ୍କୃତି-ପୃ: ୧୦୯

 

ବରଗଡ଼ ଅଞ୍ଚଳର ସୁପ୍ରସିଦ୍ଧ ଲୋକନାଟକ ଧନୁଯାତ୍ରାରେ ଏହି ଢୋଲ ବାଦନର ପ୍ରଚଳନ ରହିଛି । କଂସ ରାଜାର ଶୋଭାଯାତ୍ରାରେ ଏହା ମୁଖ୍ୟ ବାଦ୍ୟଯନ୍ତ୍ରରୂପେ ବ୍ୟବହୃତ । (୨୧)

 

(୨୧)

ବରଗଡ଼ର ଧନୁଯାତ୍ରା-ଅଧ୍ୟାପକ ଶ୍ରୀ ଗୌରାଙ୍ଗ ଚରଣ ଦାଶ-ଏଷଣା-ପଞ୍ଚମ ଖଣ୍ଡ-୧୯୮୨-ପୃ: ୧୨୭-୧୩୬ ।

 

ସିଂହଭୂମିର ‘ଫରିଖଣ୍ଡା’ ଏକ ସାମରିକ ନୃତ୍ୟ । ବାଘର ଜଳପାନ, ଶିକାର ଉପରେ ଲମ୍ଫ ପ୍ରଦାନ ଆଦି ଅଭିନୟ କରାଯାଇ ଥାଏ । ଢୋଲ ଏଠାରେ ମୁଖ୍ୟ ବାଦ୍ୟଯନ୍ତ୍ର । (୨୨)

(୨୨)

ଓଡ଼ିଶାର ପଲ୍ଲୀନୃତ୍ୟ-ଡଃ ଦେବୀପ୍ରସନ୍ନ ପଟ୍ଟନାୟକ-ପୃ. ୪୦-କ ।

 

ଢୋଲକି (ଢୁଲ୍‌କି) :

ଢୋଲର କ୍ଷୁଦ୍ରରୂପକୁ ‘ଢୋଲକି’ କୁହାଯାଏ । କେତେକ ସ୍ଥଳରେ ଚମଡ଼ା ଦଉଡ଼ି ପରିବର୍ତ୍ତେ ମୋଟା ସୁତୁଲି ମଧ୍ୟ ଟଣାଯାଇ ପିତଳର ମୁଦିଦ୍ୱାରା ଶକ୍ତ କରାଯାଇଥାଏ । ଢୁଲୁକି ତେଲେଙ୍ଗା ବାଦ୍ୟରେ ବ୍ୟବହାର କରାଯାଏ । ତାମସା ଦେଶିଆ ନାଟ ଓ ଝୁମର ନୃତ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ ।

 

ନାଗରା :

ଏହା କାଷ୍ଠରେ ନିର୍ମିତ ଏବଂ ପ୍ରାୟ ଏକ ଫୁଟ ବ୍ୟାସର ଗୋଲାକୃତିର ଏହି ବାଦ୍ୟ ଯନ୍ତ୍ରରେ ଗୋଟିଏ ପାର୍ଶ୍ୱରେ ଚମଡ଼ା ମଢ଼ କରାଯାଇଥାଏ । ଏହା ଚମଡ଼ା ଦଉଡ଼ିଦ୍ୱାରା (ସ୍ଥଳବିଶେଷରେ ମୋଟା ସୁତୁଲି) ଟଣା ଯାଇଥାଏ । ଦୁଇଟି କାଠିଦ୍ୱାରା ଏହାକୁ ବାଦନ କରାଯାଏ-। ଦୁଇଟି ନାଗରା ବଜାଇଲେ ଏହାକୁ ଯୋଡ଼ି ନାଗରା କୁହାଯାଏ । ଏଥି ମଧ୍ୟରୁ ବାଦକର ବାମ ଦିଗସ୍ଥ ନାଗରାଟି ଉଚ୍ଚସ୍ୱର ବିଶିଷ୍ଟ ଏବଂ ଦକ୍ଷିଣ ଦିଗସ୍ଥ ନାଗରାଟି ଅଧଃସ୍ୱର ବିଶିଷ୍ଟ-। ଏହାର ଧ୍ୱନି ବେଶ୍‌ ଉତ୍ତେଜନା ମୂଳକ ।

 

ଏହି ବାଦ୍ୟର ପ୍ରାଚୀନତା ସାରଳା ମହାଭାରତ ପୃଷ୍ଠାରୁ ଦ୍ରଷ୍ଟବ୍ୟ-

 

‘‘ନାଗରା ଶବଦ ଶୁଣି ବ୍ରାହ୍ମଣୀ ବୋଇଲା,

କାଲି ପୁଣି କାହା ଘରେ ପାଳି ଯେ ପଡ଼ିଲା ।’’

(ଆଦିପର୍ବ-ପୃ: ୨୩୧)

ଏହା ଛଉ ଏବଂ ନାଗାନୃତ୍ୟ (ଶଠରା)ରେ ବ୍ୟବହାର କରାଯାଇଥାଏ ।

 

ନିଶାଣ :

ଏହା ନାଗରା ସଦୃଶ ହେଲେ ମଧ୍ୟ ବାଦକର କମୋରରେ ଫିତାଦ୍ୱାରା ବନ୍ଧା ଯାଇଥାଏ । ବାଦକ ଦୁଇଟି କାଠିଦ୍ୱାରା ଏହାକୁ ବଜାଇଥାନ୍ତି । ଏହାର ସୃଷ୍ଟି ପ୍ରସଙ୍ଗରେ କିମ୍ବଦନ୍ତୀ ଅଛି ଯେ ଏହାର ସ୍ରଷ୍ଟା ହେଉଛନ୍ତି-ଚନ୍ଦ୍ରଚୂଡ଼ । ନିଶାଣର ଜନ୍ମ ଚୈତ୍ରମାସ ପଞ୍ଚମୀ ତିଥି ଗୁରୁବାର ଦିନ । ନୀଳପର୍ବତରେ ବଉଳା ଗାଈ ଥିଲା । ବିଶ୍ୱାବସୁ ଗନ୍ଧର୍ବ ତାକୁ ଆଣି ତା’ ଚର୍ମରେ ଏହାର ଛିଆଣି କଲେ । ବ୍ରହ୍ମା ଏହାକୁ ଇନ୍ଦ୍ରସଭାରେ ରଖିଥିଲେ ଏବଂ ସତ୍ୟଯୁଗରେ ସୁରାସର ସ୍ୱର୍ଗକୁ ଯାଇ ଏହାକୁ ମର୍ତ୍ତ୍ୟପୁରକୁ ନେଇ ଆସିଲା । ବାଦକମାନେ ଦୁର୍ଗାଙ୍କଠାରୁ ଏହି ବାଦ୍ୟଯନ୍ତ୍ର ପାଇଛନ୍ତି ଓ ସେମାନେ ଅଣ୍ଟାରେ ବାନ୍ଧି କାଳିକାଙ୍କୁ ସ୍ମରଣ କରି ବଜାଇଥାନ୍ତି ।

 

‘‘ତୋଷେ ଦୁର୍ଗାଦେବୀ ଘାଟ ଦେଲେ ମୋତେ

ଅଣ୍ଟାରେ ବାନ୍ଧିଛି ଆଣି,

ଅଠର ଆଙ୍ଗୁଳି ଦଉଡ଼ି ଲାଗିଛି କହିଦେଲି ପରିମାଣି

କାଳିକାଙ୍କୁ ସୁମରି

କଟିପରେ ବାନ୍ଧିଅଛି ଭିଡ଼ି ହେ ।’’ (୨୩)

 

(୨୩)

ଘୁମୁରାର ଜନ୍ମ-ତାକମୁଦିଆପାଲ-ବଡ଼ଫୁର୍ଲା, ଧର୍ମଗଡ଼-କଳାହାଣ୍ଡି-ଧର୍ମଗ୍ରସ୍ଥ ଷ୍ଟୋର-୧ମ ସଂ:-ପୃ; ୬ ।

 

ଛଉ, ପାଇକାଳି ନାଟ, ରଣପା ନାଟ, ଫରୀଖଣ୍ଡା ଖେଳ, ପୁରୀର ସାହିଯାତର ବିଭିନ୍ନ ନୃତ୍ୟ (ଶିବତାଣ୍ଡବ, ଶଠରା ନୃତ୍ୟ ଆଦି)ରେ ଏହି ବାଦ୍ୟର ପ୍ରଚଳନ ଅଛି । ବିଶେଷତଃ ଏହା ରଣବାଦ୍ୟ । ଏହାର ଧ୍ୱନି ତୀବ୍ର ଓ ପ୍ରଚଣ୍ଡ ।

 

ମର୍ଦ୍ଦଳ, ମାଦଳ, ପଖାଉଜ :

ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିରର ଭୋଗମଣ୍ଡପର ସମ୍ମୁଖ ଓ ପାର୍ଶ୍ୱଦେଶରେ ବିଭିନ୍ନ ନୃତ୍ୟରେ ନାୟିକାମୂର୍ତ୍ତି ସହିତ ଶ୍ରୀକୃଷ୍ଣ ବିଭିନ୍ନ ଭଙ୍ଗୀରେ ନୃତ୍ୟ କରିବାର ନୃତ୍ୟ ରହିଛି । ସେଠାରେ ମର୍ଦ୍ଦଳବାଦ୍ୟର ବ୍ୟବହାର ଦେଖାଯାଏ । (୨୪)

 

(୨୪)

ଓଡ଼ିଶୀ ନୃତ୍ୟ-ଶ୍ରୀ ଧୀରେନ୍ଦ୍ର ନାଥ ପଟ୍ଟନାୟକ-ପୃ: ୩୧ ।

 

ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କ ମନ୍ଦିରର ନାଟମଣ୍ଡପର ଓ ଜଗମୋହନର ଊର୍ଦ୍ଧ୍ୱରେ ଯେଉଁସବୁ ମୂର୍ତ୍ତି ଦେଖାଯାଏ, ସେଥିରେ ମର୍ଦ୍ଦଳ ବାଦନର ବ୍ୟବହାର ଦେଖାଯାଏ । (୨୫)

 

(୨୫)

ତତ୍ରୈବ-ପୃ: ୩୯ ।

 

ସାରଳା ମହାଭାରତରେ (୧୪ଶ ଶତାବ୍ଦୀ) ପଖୋଜର ବର୍ଣ୍ଣନା ରହିଛି । ଯଥା-

 

‘‘ବାଜଇ ପଖୋଜମାନ ବିବିଧ ତାଳରେ ।

ଜଗଜ୍ଜନଙ୍କ ପାସେ ମୋହନ୍ତି ନୃତ୍ୟରେ ।’’

(ସଭାପର୍ବ/ପୃ ୧୩୯)

 

ପଞ୍ଚସଖା ଯୁଗର କବି ବଳରାମ ଦାସ ‘ସୁନ୍ଦର କାଣ୍ଡ’ରେ ଲେଖିଛନ୍ତି-

 

‘‘ବ୍ରହ୍ମା ମର୍ଦ୍ଦଳ କଂସାଳ ଦେବବାଇ

ପବନ ଯେ ଫୁଙ୍କାନାମ କାହାଳୀ ବଜାଇ ।’’ (୨୬)

 

(୨୬)

ତତ୍ରୈବ-ପୃ: ୬୫ ।

 

‘ଶବ୍ଦସ୍ୱର ପାଟ’ ବା ‘ଶବ୍ଦନୃତ୍ୟ’ରେ ମର୍ଦ୍ଦଳ ବାଦକ ନିଜେ ବଜାଇ ନିଜେ ଗାନ କରିଥାନ୍ତି । (୨୭) ଭଦ୍ରକର ‘ଚଇତି ତାମସା’ ଏବଂ ବାରିପଦା, ଢେଙ୍କାନାଳ ଆଦି ଅଞ୍ଚଳର ଝୁମରନାଟ, କରମା, ଡାଲଖାଇ, ରସରକେଲି ପ୍ରଭୃତିରେ ପଖାଉଜ (ପଖୋଜ)ର ବ୍ୟବହାର ରହିଛି । ଏହି ମାଦଳ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସେବାରେ ମଧ୍ୟ ବ୍ୟବହୃତ । ଯେଉଁ ସେବକ ସମ୍ପ୍ରଦାୟ ମାଦଳ ବଜାଉଥିଲେ, ତାଙ୍କୁ ‘ମାଦେଳୀ’ କୁହାଯାଏ । ସେମାନେ ପଟୁଆର ସମୟରେ ‘ମାଦଳ’ ବଜାନ୍ତି । (୨୮)

 

(୨୭)

ଓଡ଼ିଶୀ ନୃତ୍ୟ-ପୃ: ୯୭ ।

(୨୮)

ଜଗନ୍ନାଥ ମନ୍ଦିର ଓ ଜଗନ୍ନାଥ ତତ୍ତ୍ୱ-ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ-ଫ୍ରେଣ୍ଡସ୍‌ ପବ୍ଳିଶର୍ସ-୨ୟ ସଂସ୍କରଣ-୧୯୭୬-ପୃ: ୧୯୩ ।

 

ମୃଦଙ୍ଗ :

‘ମର୍ଦ୍ଦଳ’ରୁ ‘ମୃଦଙ୍ଗ’ର ସୃଷ୍ଟି ବୋଲି ନାଟ୍ୟ ସମୀକ୍ଷକମାନେ ମତପ୍ରକାଶ କରିଥାନ୍ତି । ଏହାର ଖୋଳଟି ମାଟିରେ ଏବଂ ଗୋଟିଏ ଦିଗରେ ପ୍ରାୟ ଆଠଇଞ୍ଚ ବ୍ୟାସର ଚମଡ଼ା ପଡ଼ିଥାଏ ଓ ଏଥିରେ କିରଣ ଲଗାଇ ଅଧଃସ୍ୱର ସୃଷ୍ଟି ହୋଇଥାଏ । ଏହାର ଅପର ଦିଗଟିର ପ୍ରାୟ ଚାରି/ପାଞ୍ଚ ଇଞ୍ଚ ବ୍ୟାସର ଚମଡ଼ା ମଢ଼ ଥାଏ, ଏବଂ ଏଥିରେ କିରଣ ଲଗାଇ ଉଚ୍ଚସ୍ୱର ସୃଷ୍ଟି ହୁଏ । ଏହି ଦୁଇ ଦିଗରେ ମଢ଼କୁ ଖୋଳରେ ଟାଣିକରି ବାନ୍ଧି ରଖିବାପାଇଁ ଚମଡ଼ାର ଫିତାପରି ଦଉଡ଼ି ବ୍ୟବହାର କରାଯାଇଥାଏ ।

 

‘କୈବର୍ତ୍ତଗୀତା’ (ଅଚ୍ୟୁତାନନ୍ଦ ଦାସ)ରେ ଏହାର ସୃଷ୍ଟି ସମ୍ପର୍କରେ ଲେଖାଅଛି-

 

‘‘ତିନିଶ ବାସ୍ତରି ପୁଣି ତହିଁ ଥିଲା ନାଡ଼ି ।

ପାର୍ବତୀ ନେଇଣ ତାକୁ ମୃଦଙ୍ଗ ଯେ ଭିଡ଼ି ।।

ମୃଦଙ୍ଗ ଭିଡ଼ିଣା ସେ ଗାନ୍ଧାରୀ ଯାତ୍ରା କରି ।

ଦେବଆଳେ ମୃଦଙ୍ଗକୁ ନେଇ ପୂଜାକରି ।’’ (୨୯)

 

(୨୯)

କୈବର୍ତ୍ତଗୀତା-ଧର୍ମଗ୍ରନ୍ଥଷ୍ଟୋର-ନୂତନ ମୁଦ୍ରଣ-ବିଂଶ ଅଧ୍ୟାୟ-ପୃ: ୪୩ ।

 

କିମ୍ବଦନ୍ତୀ ଅଛି ଯେ ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁ ହେଉଛନ୍ତି ଏହି ମୃଦଙ୍ଗର ସ୍ରଷ୍ଟା । (୩୦) ଅବଶ୍ୟ ଏହା ମର୍ଦ୍ଦଳର ଗଠନ ପ୍ରଣାଳୀରୁ ଆନୀତ ଏହି ମର୍ଦ୍ଦଳରୁ ଡିଗିତବାଲା ବାଦ୍ୟଯନ୍ତ୍ରର ମଧ୍ୟ ସୃଷ୍ଟି ହୋଇଛି । ଏହାକୁ ଭାରତ ସମ୍ରାଟ ଦିଲ୍ଲୀଶ୍ୱର ଆକବର ନିର୍ମାଣ କରିଥିଲେ ବୋଲି କୁହାଯାଏ । (୩୧)

 

(୩୦)

ବୃହତବାଦ୍ୟ ରତ୍ନାବଳୀ-ବାବାଜୀ ଶ୍ରୀ ବୈଷ୍ଣବ ଚରଣ ଦାସ ଗୋସ୍ୱାମୀ-ଓଡ଼ିଶା ଜଗନ୍ନାଥ କମ୍ପାନୀ-୬ଷ୍ଠ ସଂସ୍କରଣ-୧୯୭୨-ପୃ: ୧୨ ।

(୩୧)

ତତ୍ରୈବ-ପୃ: ୧୨ ।

 

ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ଖୋଦିତ ଭୁବନେଶ୍ୱରର ଉଦୟଗିରିର ରାଣୀଗୁମ୍ଫାର ଦକ୍ଷିଣ ଦିଗରେ ପୁରୁଷ ଓ ନାରୀମାନେ ଯେଉଁସବୁ ବାଦ୍ୟଯନ୍ତ୍ର ବାଦନକରି ନୃତ୍ୟ କରିଛନ୍ତି, ସେଥିରେ ମୃଦଙ୍ଗର ବ୍ୟବହାର ପରିଲକ୍ଷିତ ହୁଏ । (୩୨)

 

(୩୨)

ଓଡ଼ିଶୀ ନୃତ୍ୟ-ପୃ: ୭ ।

 

ସାରଳା ଦାସଙ୍କ ମହାଭାରତରେ (୧୪ଶ ଶତାବ୍ଦୀ) ମୃଦଙ୍ଗ ବାଦ୍ୟର ପ୍ରସଙ୍ଗ ବହୁଥର ରହିଛି ।

 

‘‘ମୃଦଙ୍ଗ ତାଳ କଂସାଳ ଶଙ୍ଖ ତନ୍ତ୍ର ବୀଣା,

ଧରି ମର୍ତ୍ତ୍ୟ ଅପସରା ବଜାନ୍ତି ବାଜଣା ।’’

(ଆଦ୍ୟପର୍ବ-ପୃ: ୧୮)

 

ଭାଗବତରେ ମଧ୍ୟ ମୃଦଙ୍ଗର ଏକାଧିକବାର ବ୍ୟବହାର ରହିଛି । ଯଥା-

 

‘‘ତାଳ ମୃଦଙ୍ଗ ଯନ୍ତ୍ରବୀଣା

ସ୍ୱର ମୂର୍ଚ୍ଛନା ନିର୍ଘୋଷଣା ।’’

(ଚତୁର୍ଥସ୍କନ୍ଧ-୨୪ଶ ଅଧ୍ୟାୟ-ପୃ: ୧୧୬)

 

ଷୋଡ଼ଶ ଶତାବ୍ଦୀର କବି ନରସିଂହ ସେଣ ତାଙ୍କର ‘ପରିମଳା’ କାବ୍ୟରେ ଲେଖିଛନ୍ତି-

 

‘‘ଗାଇଲେ ଗାୟେଣୀ ମୁଦୁରସ ଗୀତ ।

ସଭାରେ ସମସ୍ତଙ୍କ ବଳିଅଛି ଚିତ୍ତ ।।

ମୃଦଙ୍ଗ ବଂଶୀ କଂସାଳ ଦୋସରୀ କାହାଳ ।

ଉପାଙ୍ଗ ତାଳ ବୀଣାର ଶବଦ ଚହଳ ।।’’ (୩୩)

 

(୩୩)

ଓଡ଼ିଶୀ ନୃତ୍ୟ-ପୃ. ୬୯ ।

 

ଏହି ମୃଦଙ୍ଗ ସଂକୀର୍ତ୍ତନରେ ମୁଖ୍ୟ ବାଦ୍ୟଯନ୍ତ୍ର । (୩୪) ଏହା ସଂକୀର୍ତ୍ତନର ଏପରି ନିଜସ୍ୱ ଯେ କୀର୍ତ୍ତନରେ ଏହାର ମଧ୍ୟ ନାମୋଲ୍ଲେଖ ଦେଖିବାକୁ ମିଳେ । ଯଥା-

 

(୩୪)

ସଂକୀର୍ତ୍ତନ : ଏକ ବିବେଚନ-କୋଣାର୍କ-୫୫ଶ ସଂଖ୍ୟା-୧୯୮୫ ।

 

‘‘ରାଧା ମାଧବ ବାଜତ କରୋରେ ବୋଇତ ଶଚୀ ନନ୍ଦନ ।

ଘୋଟ ତ୍ରିପୁର ମୃଦଙ୍ଗ ମାଧୁର ଶୁନ୍‌ଶୁନ୍‌ ଭାଇ କୀର୍ତ୍ତନ ।।’’ (୩୫)

 

(୩୫)

ବୃହତ ବାଦ୍ୟ ରତ୍ନାବଳୀ-ପୃ. ୩୭ ।

 

କେବଳ ସେତିକି ନୁହେଁ, ଏହାର ତାଳ (ବୋଲ)ରେ ମଧ୍ୟ ମୃଦଙ୍ଗର ନାମ ଶୁଣିବାକୁ ମିଳେ । ଯଥା-

 

‘‘ଧ୍ରୀମି ଧ୍ରୀମି ତା ତା ଖୀଟା ବାଜତ ମୃଦଙ୍ଗ ।

ଥେଇ ଥେଇ ଗୌରାଙ୍ଗ ନାଚତ ରଙ୍ଗେ ।।’’ (୩୬)

 

(୩୬)

ତତ୍ରୈବ-ପୃ: ୩୬ ।

 

ସଂକୀର୍ତ୍ତନର ଶେଷରେ ଯେଉଁ ଉଦଣ୍ଡ ବାଦ୍ୟ ବାଜିଥାଏ, ତାହା ସଂକୀର୍ତ୍ତନରେ ମୃଦଙ୍ଗର ସ୍ଥିତି ଓ କାର୍ଯ୍ୟକାରିତାକୁ ଅଧିକ ଗୁରୁତ୍ୱ ଦେଇଥାଏ ।

 

ମୃଦଙ୍ଗ ବିନା ‘ଠିଆପାଲା (ଷୋହଳ ପାଲା) ଅଭାବିତ । ‘ବାହାଣ’ ଏହି ମୃଦଙ୍ଗ ବାଦନ କରିଥାନ୍ତି ଓ ସେ ଗାହାଣ (ଗାୟକ)ଙ୍କ ଦକ୍ଷିଣହସ୍ତ ପାଖରେ ଦଣ୍ଡାୟମାନ ହୋଇଥାନ୍ତି । ଗୀତ ଗାଇ ସେ ଇଙ୍ଗିତ ଦେଲେ ବାହାଣ ସେହି ଅନୁସାରେ ଗୀତର ତାଳକୁ ପରିଚାଳିତ କରିଥାନ୍ତି । ଗାହାଣ ଆସିବା ପୂର୍ବରୁ ବାହାଣ ଓ ପାଳିଆମାନେ ପ୍ରାୟ ଅଧଘଣ୍ଟାଏ ବିଭିନ୍ନ ପ୍ରକାର ଶୈଳୀର ମୃଦଙ୍ଗ ଓ କରତାଳ ବାଦନ ସହ ନୃତ୍ୟ ପରିବେଷଣ କରି ନିଜର ବାହାଦୁରୀ ଦେଖାଇଥାନ୍ତି (୩୭)-

 

(୩୭)

ଓଡ଼ିଆ ପାଲା : ଏକ ଦୃଷ୍ଟିପାତ-ଅଧ୍ୟାପକ ଶ୍ରୀରାମଚନ୍ଦ୍ର ପଣ୍ଡା-ସ୍ରଷ୍ଟା-୪-୧୯୮୧- ପୃ: ୨୩-୨୭ ।

 

ମୃଦଙ୍ଗର ବିଭିନ୍ନ ତାଳ ବଜାଇ ଦର୍ଶକଙ୍କ ମନ ଆକର୍ଷଣ କରିବାପାଇଁ ଢଗ ମଧ୍ୟ ବୋଲନ୍ତି-। ଯଥା-

 

‘‘ତାକ୍‌ ଧିନା-ଧିନ୍‌-ତାକ୍‌ ଧିନା-ଧିନ୍‌

ଚୂଡ଼ାକୁ କଦଳୀ-ପକାଉଥା ଦଳି......’’ ଇତ୍ୟାଦି ।

 

‘ଦଧିନାଟ’ (ବାଲେଶ୍ୱର ଜିଲ୍ଲାର ସୁଆଁ, ବଚ୍ଛଦା ଓ ଚୂଡ଼ାମଣି ଆଦି ଅଞ୍ଚଳ)ରେ ମୃଦଙ୍ଗର ବ୍ୟବହାର ମଧ୍ୟ ସୁପ୍ରଚୁର । (୩୮) ଏଥିରେ ଅଧାରୁ ଅଧିକ କୀର୍ତ୍ତନସ୍ୱର ବ୍ୟବହୃତ ହେଉଥିବାରୁ ମୃଦଙ୍ଗର ବାଦନ ଆବଶ୍ୟକ ହୋଇପଡ଼େ ।

 

(୩୮)

ଦଧିନାଟ-କୋଣାର୍କ-୪୪-୧୯୮୧-ପୃ. ୪୦-୫୪ ।

 

ଉତ୍ତର ଓଡ଼ିଶାରେ ଅଭିନୀତି ‘ଲଳିତ ପାଲା’ରେ ମୃଦଙ୍ଗର ବ୍ୟବହାର ରହିଛି । ଏହା ବିନା ଲଳିତାପାଲାର ଅଭିନୟ ମଧ୍ୟ ଅସମ୍ଭବ । (୩୯) ସେହିପରି ଭଦ୍ରକ ଅଞ୍ଚଳରେ ପ୍ରଚଳିତ ଚଇତି ତାମସାରେ ମଧ୍ୟ ଏହା ବ୍ୟବହାର କରାଯାଏ ।

 

(୩୯)

ଲଳିତା ପାଲା-ସଂ: ଅଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ-ଏଷଣା/୨-୧୯୮୧- ପୃ: ୭୧-

 

ସମ୍ପ୍ରଦା :

ସମ୍ପ୍ରଦା ହେଉଛି ମୃଦଙ୍ଗ ଜାତୀୟ ଏକ ବାଦ୍ୟଯନ୍ତ୍ର, ମୃଦଙ୍ଗଠାରୁ ଏହା ବୃହତ୍‌। ଏଥିରେ ଶାସ୍ତ୍ରୀୟ ତାଳ, ମାନ, ଲୟ ମଧ୍ୟ ଅନୁସୃତ ହୋଇଥାଏ । (୪୦)

 

(୪୦)

ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ-ଶ୍ରୀ ନରସିଂହ ଗୁରୁ-ରାଜ୍ୟସ୍ତରୀୟ ଲୋକସଙ୍ଗୀତ ସମ୍ମେଳନ ସ୍ମରଣିକା-୧୯୭୬-ଭବାନୀପାଟଣା-ପୃ: ୪୩ ।

 

ଘୁମୁରା :

ଏହି ବାଦ୍ୟଯନ୍ତ୍ର ଘୁମ୍‌ଘୁମ୍‌ ଧ୍ୱନିକରି ବାଜୁଥିବାରୁ ଏହାର ନାମ ‘ଘୁମୁରା’ ହୋଇଛି । ଏହା ଦେଖିବାକୁ ସୋରେଇ ପରି । ସୋରେଇର ମୁହଁଟି ସାନ । କିନ୍ତୁ ଘୁମୁରାର ମୁହଁ ବଡ଼ । ଏହାର ମୁହଁ ସତର ଆଙ୍ଗୁଳି ଏବଂ ଭର୍ଗ-ବାର ଆଙ୍ଗୁଳି ରହିବ ବୋଲି ପ୍ରମାଣ ଅଛି-

 

‘‘ବାର ଆଙ୍ଗୁଳି ଗର୍ଭ            ଅଟଇ ପ୍ରମାଣରେ

ସତର ଆଙ୍ଗୁଳ ମୁହଁ ଫେର ଅଟଇ ।’’ (୪୧)

 

(୪୧)

ଘୁମୁରା ଜନ୍ମ-ନାକମୁଦିଆପାଲା-ପୃ: ୩ ।

 

ଏହାର ମୁହଁରେ ଗୋଧି ଚମଡ଼ାର ଢାଙ୍କୁଣି ଦିଆଯାଇଥାଏ । ଏହି ଢାଙ୍କୁଣିକୁ ଦୃଢ଼ ଭାବରେ ବାନ୍ଧି ରଖିବାପାଇଁ ଏହାର ଚାରି ପାଖରେ ଚମଡ଼ା ଦଉଡ଼ିରେ ଏହାକୁ ଟାଣିକରି ବନ୍ଧାଯାଇଥାଏ ଠିକ୍‌ ଢୋଲପରି । ଏହି ଦଉଡ଼ିର ସଂଖ୍ୟା-ବାର ।

‘‘ଦ୍ୱାଦଶ ଖିଅ ଡୋର      ତହିଁରେ ଲାଗିଛି,

ନାଚିବାର ଘୁମୁରା            ନାମକୁ ବହିଛି ।’’ (୪୨)

 

(୪୨)

ତତ୍ରୈବ-ପୃ: ୪ ।

 

ଏହାକୁ ଉପର ମୁହଁ କରି ବାଦ୍ୟକାରୀ ଛାତିରେ ଦଉଡ଼ି ସହିତ ବାନ୍ଧିଥାଏ । ଦୁଇ ହାତରେ ବିଭିନ୍ନ ଆଙ୍ଗୁଳିର ଆଘାତରେ ଏହାକୁ ବାଦନ କରାଯାଏ । ଏହା ସହିତ ନିଶାଣ ଓ ତାଳ (କରତାଳ) ବାଦନ କରାଯାଏ ।

 

ଘୁମୁରା ବାଦ୍ୟକାରୀମାନେ ଏକ ପ୍ରକାର ପୋଷାକ ପରିଧାନ କରିଥାନ୍ତି । ରଙ୍ଗ ବେରଙ୍ଗ ଚିପା ପାଇଜାମା ଓ ଢିଲା କୁରୁତା, ମୁଣ୍ଡରେ ଝାଲର ଲମ୍ବିତ ଶିରସ୍ତ୍ରାଣ, ଶିରସ୍ତ୍ରାଣର ଅଗ୍ରଭାଗରେ ମୟୂର ପୁଚ୍ଛର ମୁକୁଟ । ନାଚିଲା ବେଳେ ଏହି ମୟୂର ପୁଚ୍ଛର ମୁକୁଟ ଦୋହଲି ଦୋହଲି ଅପୂର୍ବ ଶୋଭା ଧାରଣ କରିଥାଏ । କେତେକ ସ୍ଥାନରେ କଲଙ୍ଗି ଝୁମ୍ପା ମଧ୍ୟ ଏହି ସ୍ଥାନରେ ଦିଆଯାଇ ଥାଏ-। ବାଦ୍ୟକାରୀର କପାଳରେ ଲମ୍ବ ସିନ୍ଦୂର ଚିତା ଧାରଣ କରନ୍ତି । ମୁହଁରେ ପଟାପଟା ନିଶ । ଗାୟକ (ଜଣେ ବା ଦୁଇଜଣ ) ସାଧାରଣ ପୋଷାକ ପିନ୍ଧିଥାନ୍ତି । ଗୀତ ପଦକ ଶେଷରେ ଘୁମୁରା ବାଜେ । ନୃତ୍ୟ ହୁଏ । ଗୀତ ଗାନ କଲାବେଳେ ଅବଶ୍ୟ କ୍ଷୀଣ ସ୍ୱରରେ ଏହା ବାଜିଥାଏ । ଗୀତର ତାଳକୁ ସଂଯତ କରିବାପାଇଁ ଏହା ଏକ ବୀରବାଦ୍ୟ ।

 

ଏପରି ଲୋକନାଟ୍ୟରେ ‘ଘୁମୁରା’ ପ୍ରଧାନ ଭୂମିକା ଗ୍ରହଣ କରିଥିବାରୁ ଏହାର ନାମ ବାଦ୍ୟଯନ୍ତ୍ର ଘୁମୁରାକୁ କେନ୍ଦ୍ରକରି ହୋଇଛି । ଏହି ଲୋକନାଟକ କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗିର ଜିଲ୍ଲାରେ ପ୍ରଚଳିତ ଅଛି । ଏହାର ସୃଷ୍ଟି ପ୍ରସଙ୍ଗରେ ବିଭିନ୍ନ କିମ୍ୱଦନ୍ତୀ ରହିଛି । କେତେକ କହନ୍ତି-ଏହି ଘୁମୁରା ବାଦ୍ୟର ସ୍ରଷ୍ଟା ହେଉଛି-ରାବଣ । ଏହି ବାଦ୍ୟ ଶୁଣି ଶ୍ରୀରାମଚନ୍ଦ୍ର ମେଘର ଗୁରୁଗର୍ଜନ ବୋଲି ଅନୁମାନ କରିଥିଲେ । ମାତ୍ର ବିଭୀଷଣ ଏହାକୁ ରାବଣର ବୀରବାଦ୍ୟ ବୋଲି ପରିଚୟ ଦେଇଥିଲେ (୪୩) । ଅନ୍ୟ ଏକ କିମ୍ୱଦନ୍ତୀରେ କୁହାଯାଇଛି-ପୂର୍ବେ କାଞ୍ଚି ନଗରରେ ‘ଘମୁକଣ୍ଠ’ ବୋଲି ଏହି ‘ଘୁମୁରା’ ପରିଚିତ ଥିଲା । ଚନ୍ଦ୍ରଧ୍ୱନି ଏହାର ବିନ୍ଧାଣି । ଏହି ଘୁମୁରା ବାଦ୍ୟର ମାତା ଉରଗି ଓ ପିତା ପୂର୍ବୋକ୍ତ ଚନ୍ଦ୍ରଧ୍ୱଜ । ବ୍ରହ୍ମାଙ୍କ ଆଦେଶରେ ଏମାନେ ଘୁମୁରାକୁ ସୃଷ୍ଟି କଲେ । ରୈବତ ପର୍ବତରେ ଯେଉଁ ଗୋଧି ରହିଥିଲା, ତା’ଚମଡ଼ାରେ ଏହାର ମୁହଁ ବନ୍ଧାଗଲା । ଚବିଶ ପଳ ମାଟିରେ ଏହାର ଦେହ ଗଠନ କରାଗଲା । (୪୪)

 

(୪୩)

ଗଣନୃତ୍ୟ: ଘୁମୁରା-ଏକ ଦିଗ୍‌ଦର୍ଶନ-ଶ୍ରୀ ପର୍ଶୁରାମ ମୁଣ୍ଡ-ରାଜସ୍ତରୀୟ ଲୋକସଂଗୀତ ସମ୍ମେଳନ (୧ମ)-ସ୍ମରଣିକା-୧୯୭୬-ପୃ : ୫

(୪୪)

ଘୁମୁରାର ଜନ୍ମ-ପୃ : ୨-୩ ।

 

ଅନ୍ୟ ଏକ ସୂତ୍ରରୁ ଶୁଣାଯାଏ-କାର୍ତ୍ତବୀର୍ଯ୍ୟ ରାଜା ସ୍ୱର୍ଗ ଜୟକରି ସ୍ୱର୍ଗରୁ ଏହି ଘୁମୁରା ବାଦ୍ୟକୁ ମାଗଧକୁ ଆଣିଲେ ଏବଂ ଏହା କ୍ଷତ୍ରିୟମାନଙ୍କ ଘରେ ରହିଲା । ଯୁଦ୍ଧକାଳରେ ସେମାନେ ଏହାକୁ ବଜାନ୍ତି । ଅର୍ଥାତ୍‌ ଏହା ଏକ ବୀରବାଦ୍ୟ ।

କାର୍ତ୍ତବୀର୍ଯ୍ୟ ରାଜା ଦିଗ୍‌ବିଜୟ କଲା,

ଘୁମୁରାକୁ ଘେନି ମର୍ତ୍ତ୍ୟପୁରେ ଆସିଲା ।

ରହିଲା ମର୍ତ୍ତ୍ୟପୁରେ                  ଶୁଭିଲା ଘରେ ଘରେ,

ଯାତ୍ରୀମାନେ ତାହାକୁ                  ନ୍ୟନ୍ତି ଯୁଦ୍ଧ କାଳରେ । (୪୫)

 

(୪୫)

ଘୁମୁରାର ଜନ୍ମ-ପୃ : ୪ ।

 

ସେଥିପାଇଁ କଳାହାଣ୍ଡିର ବଙ୍କା ଜାତି ବା ‘ପାଇକ ଜାତି’ ଏହି ଘୁମୁରାବାଦ୍ୟ ବାଦନ କରିବାରେ ପ୍ରସିଦ୍ଧ । ଲୋକ-ସାହିତ୍ୟରେ କାନ୍ଦଣା ପର୍ଯ୍ୟାୟରେ ଘୁମୁରାର ନାମ ଶୁଣିବାକୁ ମିଳେ । ଯଥା-

 

‘‘ପର୍ବତ ଉପରେ ଘୁମୁରା ବାଜେ-ମାଁ ଗୋ,

ମୁଁ କି ସହିବି ନଣନ୍ଦ ଜାଳା-ମାଁ ଗୋ ।’’(୪୬)

 

(୪୬)

ପଲ୍ଲୀଗୀତି ସଂଚୟନ-୩ୟ-ଚକ୍ରଧରପୁର-ସିଂହଭୂମି ଅଞ୍ଚଳ ।

 

ଡ: କୁଞ୍ଜବିହାରୀ ଦାଶ-ପୃ : ୧୦୦ ।

 

ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ କୋଣାର୍କ ସୂର୍ଯ୍ୟ ମନ୍ଦିରର ନାଟ-ମଣ୍ଡପରେ ଗୋଟିଏ ସ୍ଥାନରେ ‘ଘୁମୁରା’ ଜଣେ ଲୋକବାଦନ କରୁଥିବାର ପ୍ରମାଣ ମିଳେ । (୪୭)

 

(୪୭)

ଓଡ଼ିଶୀ ନୃତ୍ୟ-ପୃ : ୩୯ ।

 

ସାରଳାଦାସଙ୍କ ‘ମହାଭାରତ’ରେ ମଧ୍ୟ ଏହାର ବହୁବାର ନେମୋଲ୍ଲେଖ ରହିଛି । ସାଧାରଣତଃ ଯୁଦ୍ଧ ବା ଯୁଦ୍ଧର ବିଜୟ ଅବସ୍ଥାରେ ଏହି ଘୁମୁରା ବାଦ୍ୟର ବାଦନ ଏଥିରେ ପରିଲକ୍ଷିତ ହୁଏ । ଯଥା-କପିଳା ବଧ ପ୍ରସଙ୍ଗରେ ଅଛି-

 

‘‘ଡିବି ଡିବି ଡମ୍ୱରୁ ବାଦ୍ୟ ଗୁରୁଘୋଷ

ଘୁମୁ ଘୁମୁ ଘୁମୁରାରେ ପୂରଇ ଆକାଶ ।’’

(ଆଦ୍ୟପର୍ବ / ପୃ : ୧୯୦)

 

ଯୁଧିଷ୍ଠିର ହରଣ ପ୍ରସଙ୍ଗରେ ଅଛି-

 

‘‘କଡ଼ା ଘୁମୁରା ବାଜଇ ଆବର ଦାଉଣ୍ଡି,

କାଦମ୍ୱରୀ ତାନେ ନୃତ୍ୟ କଲେ ଚିତ୍ତମଣ୍ଡି ।’’

(ବନପୂର୍ବ / ପୃ :୯୬)

 

କୁନ୍ତୀଙ୍କର ଧିକ୍‌କାର ଓ ଭୀମଙ୍କ ପ୍ରତିଜ୍ଞା ପ୍ରସଙ୍ଗରେ ଉଲ୍ଲେଖ ଅଛି-

 

‘‘ବଜାବନ୍ତି ବିଜିଘୋଷ ଘୁମୁରା ଦାଉଣ୍ଡି,

ଗାଇ ନାଚନ୍ତି ଖେମଟା ତାଳେ ନାଟ ଖଣ୍ଡି ।’’

(ଗଦାପର୍ବ / ପୃ : ୬)

 

ଦଶହରା, ନୂଆଖାଇ ଏବଂ ବାଲିଯାତ୍ରାରେ ଏହି ଘୂମୁରା ବାଦ୍ୟ ବଜାଇ ନୃତ୍ୟ କରାଯାଏ-। ପ୍ରତିବର୍ଷ ଅଥବା ପ୍ରତି ତିନି ବର୍ଷ କିମ୍ବା ଛଅ ବର୍ଷରେ ଥରେ ଜୟପୁର ଅଞ୍ଚଳରେ ‘ବାଲିଯାତ୍ରା’ ପାଳିତ ହୁଏ ।

 

ଭାଦ୍ରବ ମାସର ଶୁଭ ଦିନରେ ରାଜଦରବାର ନିକଟରେ କୁଡ଼ିଆଟିଏ ନିର୍ମାଣ କରି ସେହି ଘର ଚଟାଣରେ ବାଲି ବିଛାଯାଏ । ବାଲିରେ ଧାନ, ଗହମ ବୁଣି ଗୀତରେ ଇନ୍ଦ୍ର ଦେବତାଙ୍କୁ ଆହ୍ୱାନ କରାଯାଏ । ଧାନ ଗଜାହେଲେ ସେ ଘରେ ଲକ୍ଷ୍ମୀ ସ୍ଥାପନ କରାଯାଇ ପୂଜା କରାଯାଏ । ନଅଦିନ ବ୍ୟାପୀ ଘୁମୁରା ବଜାଇ ନୃତ୍ୟ ଚାଲେ (୪୮) ।

 

(୪୮)

ଲୋକସଂଗୀତ ଓ ଲୋକନୃତ୍ୟରେ କୋରାପୁଟ-କଲଚରାଲ ଏକାଡେମୀର ଭ୍ରାମ୍ୟମାଣ ପ୍ରତିନିଧି-ଓଡ଼ିଆ ଲୋକନାଟ୍ୟ-

 

ସଂ-ଶ୍ରୀ ରଜନୀକାନ୍ତ ଦାସ-୧୯୭୭-ପୃ : ୩୨୩ ।

 

ଗହ୍ମା ପୂର୍ଣ୍ଣିମାର ଦଶ ପନ୍ଦର ଦିନ ପୂର୍ବରୁ ଶଅରମାନେ ଘୁମୁରା ବଜାଇ ନାଚନ୍ତି ଏବଂ ସେହିଦିନ ନୃତ୍ୟ ଶେଷ ହୁଏ (୪୯) । ପୁରୁଷ ଓ ସ୍ତ୍ରୀ ଉଭୟ ନୃତ୍ୟ କରନ୍ତି । କେତେକ ସ୍ଥଳରେ ବିବାହ ଉତ୍ସବରେ ମଧ୍ୟ ଘୁମୁରା ନୃତ୍ୟ ଅନୁଷ୍ଠିତ ହୋଇଥାଏ ।

 

(୪୯)

ଓଡ଼ିଶାର ପଲ୍ଲୀନୃତ୍ୟ-ଚିତ୍ରପୁରୀ-୧୯ଶ ବର୍ଷ-୧ମ ସଂ-ପୃ : ୪୦ ।

 

ଘୁଡ଼ୁକି (ଧୁଡ଼ୁକି) :

ଏହି ବାଦ୍ୟଯନ୍ତ୍ରଟି ଘୁଡ଼ୁ ଘୁଡ଼ୁ (ଧୁଡ଼ୁ ଧୁଡ଼ୁ) ଧ୍ୱନି କରି ବାଜୁ ଥିବାରୁ ଏହାର ଏପରି ନାମକରଣ ହୋଇଛି । ପ୍ରାୟ ୬ ଇଞ୍ଚ ବ୍ୟାସର କାଠ ଖୋଳର ପଛପଟେ ଚମଡ଼ା ଛିଆଣି ହୋଇଥାଏ । ସେହି ଖୋଳର ଅନ୍ୟ ଦିଗଟି ଖୋଲାଥାଏ । ଗୋଟିଏ ଚମଡ଼ା ଦଉଡ଼ି ଚମଡ଼ା ମଢ଼ର ମଧ୍ୟଭାଗରୁ ବନ୍ଧାଯାଇ କାଠ ଖୋଲ ମଧ୍ୟରୁ ବାହାରକୁ ଆସିଥାଏ ଏବଂ ଏହା ଖଣ୍ଡେ ଛୋଟ କାଠିରେ ବନ୍ଧା ଯାଇଥାଏ । ଏହି ଖୋଳକୁ ବାଦକ ବାମ କାଖରେ ଜାକି ଧରି, ବାମ ହାତରେ ସେହି ଚମଡ଼ା ଦଉଡ଼ି ଲାଗିଥିବା କାଠିଟିକୁ ଧରେ ଏବଂ ଦକ୍ଷିଣ ହାତରେ ଖଣ୍ଡେ କାଠିରେ ସେହି ଚମଡ଼ା ଦଉଡ଼ି ଉପରେ ଚଳାଇ ଘୁଡ଼ୁ ଘୁଡ଼ୁ କରି ଶବ୍ଦ କରେ । ବାମ ହାତରେ ଥିବା କାଠିକୁ ଖୁବ୍‌ ଟାଣି ଧରିଲେ ଏଥିରୁ ଉଚ୍ଚ ସ୍ୱର ଏବଂ ହୁଗୁଳା କରିଦେଲେ ଅଧଃସ୍ୱର ନିସୃତ ହୁଏ ।       

 

ଏହା ‘ପତରା ସଉରା’ ନୃତ୍ୟରେ (କୋରାପୁଟ ଅଞ୍ଚଳରେ) ବାଦନ କରାଯାଏ । ଜଣେ ଯୁବତୀ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି ନୃତ୍ୟ କରେ ଓ ପୁରୁଷଟିଏ ଘୁଡ଼ୁକି ବଜାଇ ନାଚିଥାଏ । ଏହାର ପ୍ରବଳ ଓ ଖଣ୍ଡିତ ସ୍ୱର ଯେପରି କର୍ଣ୍ଣକୁ ଆକର୍ଷଣ କରେ ସେହିପରି କର୍ଣ୍ଣ ପଟହର ପର୍ଦ୍ଦାକୁ ମଧ୍ୟ ପ୍ରକମ୍ପିତ କରିଥାଏ (୫୦) ।

 

(୫୦)

ଓଡ଼ିଆ ଲୋକନାଟ୍ୟ-ପୃ : ୩୨୨ ।

 

ଏହି ନୃତ୍ୟରେ ଚୌପଦୀ ସାଙ୍ଗକୁ ଠାକୁର ଠାକୁରାଣୀଙ୍କ ବନ୍ଦନା, ବାରମାସୀ ଗୀତ (କାନ୍ତ ବାରମାସୀ, କୃଷି ବାରମାସୀ, କାନ୍ତ ବିରହୀ ବାରମାସୀ), ପୁରୁଷ ଓ ସ୍ତ୍ରୀର ଆଦିରସାତ୍ମକ କଥୋପକଥନ ଆଦି ବୋଲା ଯାଇଥାଏ । ଗୀତ ପଦକ ପରେ ନୃତ୍ୟ ସହିତ ଘୁଡ଼ୁକି ବାଜିଥାଏ । ଏହାର ତାଳ ଏପରି ତୀବ୍ର ଯେ ତାହା ଗୀତ ମଧ୍ୟରେ ବି ପ୍ରକାଶ ପାଇଥାଏ । ଯଥା-

 

‘‘ଧୁଡ଼ୁକି ଦଉଡ଼ି ରଶି

ପାଣି କାଢ଼ୁଥିବ ବାଉରାଣୀ ଝିଅ

ଯୋଡ଼ି ନନ୍ଦ ଦିହେ ବସି ।

ଧି-ଧି-କିରି ଧିକିରି ଧିକିରି

ମେଘ ଉଠେଇଲା ରାମ ସୋରିଆରେ

ବିଜୁଳି କଢ଼ାଏ ବାଟ,

କେଉଁ ରାଇଜରେ ମାରିଚ ଗୋଠରେ

ଦିଶୁନାହିଁ ହିଡ଼ବାଟ ।’’

(କେଉଁଝର)

 

ଝାମ୍ପ, ଚଡ଼ଚଡ଼ି ବା ତଡ଼ତଡ଼ି :

ପ୍ରାୟ ଦେଢ଼ଫୁଟ ବ୍ୟାସର ଗୋଲାକୃତି କାଠ ଖୋଳର ଦୁଇ ପାଖରେ ଚମଡ଼ା ମଢ଼ ଦେଇ ଚମଡ଼ା ଦଉଡ଼ିରେ ଟଣା ଯାଇଥାଏ । ବାଦକ ଏହାର ଓସାରିଆ ମୁହଁଟିକୁ ଉପରକୁ ରଖି ତାକୁ ପେଟ ପାଖରେ ଦଉଡ଼ିରେ ବାନ୍ଧିଥାଏ ଏବଂ ସରୁ ଲିମ୍ବ କାଠିରେ ଦୁଇ ହାତରେ ତଡ଼ ତଡ଼ କରି ବଜାଇଥାନ୍ତି । ଏହା ଢୋଲ ଓ ମହୁରୀ ସହିତ ସମୂହ ବାଦ୍ୟରେ ବାଜିଥାଏ ।

 

ଖଞ୍ଜଣୀ :

ଗୋଲାକୃତି ଦେବଦାରୁ, ପଣଶ ବା ଗମ୍ଭାରୀ କାଷ୍ଠରେ ଏହି ବାଦ୍ୟଯନ୍ତ୍ରଟି ନିର୍ମିତ । ଏହାର ବ୍ୟାସ ପ୍ରାୟ ଛଅ ଇଞ୍ଚ ହେବ । ଏହା ଗୋଟିଏ ପାର୍ଶ୍ୱରେ ଖୋଲା ରହେ ଏବଂ ଅନ୍ୟ ପାର୍ଶ୍ୱରେ ଗୋଧି ଚମଡ଼ା ମଢ଼ କରା ଯାଇଥାଏ । ଏହି କାଷ୍ଠ ଖୋଳରେ ଛୋଟ ଛୋଟ ଗିନି ଗୋଟିଏ ତାରଦ୍ୱାରା ଦୁଗୁଳା ଭାବରେ ଖଚିତ ହୋଇଥାଏ । ଏପରି ଲାଗିଥାଏ ଯେ ଖଞ୍ଜଣୀ ସାମାନ୍ୟ ଟିକେ ହଲିଲେ ଏହି ଗିନି ଦୁଇଟି ପରସ୍ପର ସହିତ ଆଘାତ ପାଇ ଶବ୍ଦ କରିଉଠେ । ସମୟ ସମୟରେ ଏହି ଗିନିର ଦୁଇ ପାଖରେ ଚାରି / ପାଞ୍ଚଟି ଘାଗୁଡ଼ି ମଧ୍ୟ ଲଗା ଯାଇଥାଏ । ବାଦକ ଏହାକୁ ବାମ ହାତରେ ଧରନ୍ତି ଏବଂ ଦକ୍ଷିଣ ହାତରେ ବିଭିନ୍ନ ଆଙ୍ଗୁଳି ସାହାଯ୍ୟରେ ଚମଡ଼ା ଉପରେ ଆଘାତ କରି ବଜାଇଥାନ୍ତି । ବାମ ହାତରେ ମଧ୍ୟମା ଆଙ୍ଗୁଳିକୁ ସାମାନ୍ୟ ଚାପାଦେଲେ ଖଞ୍ଜଣୀରୁ ଉଚ୍ଚସ୍ୱର ଏବଂ ଚାପା ନ ଦେଲେ ଅଧଃସ୍ୱର ନିସୃତ ହୁଏ । ତମ୍ବୁରା ବା ତମ୍ବୁରାଇନର ଏହା କ୍ଷୁଦ୍ର ସଂସ୍କରଣ ବୋଲି କେତେକ ସଂଗୀତ ସମୀକ୍ଷକ ମତପ୍ରକାଶ କରିଥାନ୍ତି (୫୧) । ତମ୍ବୁରାଇନ ଖଞ୍ଜଣୀ ଠାରୁ ବଡ଼ ଏବଂ ତିନି / ଚାରିଗୋଟି ସ୍ଥାନରେ ସାନ ସାନ ଗିନି ଏହାର ଫ୍ରେମ୍‌ରେ ଲାଗିଥାଏ । ଏହି ଲୋକବାଦ୍ୟର ବଦନରୀତି ପରମ୍ପରାକ୍ରମେ ଲୋକମାନଙ୍କ ଉପରେ ନିର୍ଭର କରିଥାଏ । (୫୨)

 

(୫୧)

Music of Eastern India-S. Ray, P. 106.

(୫୨)

ଖଞ୍ଜଣୀ ଗୀତିକା-ଡକ୍ଟର ଜାନକୀବଲ୍ଲଭ ମହାନ୍ତି-ମୂର୍ଚ୍ଛନା-(ସ୍ମରଣିକା)-୧୯୭୪-୭୫-ଗୋଦାବରୀଶ ସାହିତ୍ୟ ସଂସଦ, ଭୁବନେଶ୍ୱର-ପୃ : ୬୫ ।

 

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ରେ ଏହି ଖଞ୍ଜଣୀ ବର୍ଣ୍ଣନା ରହିଛି । ଯଥା-

 

‘‘କୋକିଳ ଗାୟକ ଉଦେଖା ଏ ଗୀତ,

ଝିଙ୍କାରୀ ଝଙ୍କାର ଖଞ୍ଜରୀଟି ପ୍ରାନ୍ତ ହୁତ

       ସୁବାଦ୍ୟରେ ବିଦିତ ।’’

 

ନାଥ ଓ ମହିମାଧର୍ମ ସଂପ୍ରଦାୟର ଭକ୍ତମାନେ ଏହି ଖଞ୍ଜଣୀକୁ ଅଧିକ ପରିମାଣରେ ବ୍ୟବହାର କରିଥାନ୍ତି । ନାଥ ବା ଯୋଗୀମାନେ ଗାଁ ଗହଳରେ ଦ୍ୱାର ଦ୍ୱାର ବୁଲି ଭିକ୍ଷାବୃତ୍ତି କଲାବେଳେ ଗୀତ ଗାଇ ଖଞ୍ଜଣୀ ବଜାନ୍ତି (୫୩) । ବହୁ ସମୟରେ ସେମାନେ ବାମ ହାତରେ ଖଞ୍ଜଣୀ ଓ ଦକ୍ଷିଣ ହାତରେ ସଖୀ କଣ୍ଢେଇ ନଚାଇ ଏବଂ ସଖୀ କଣ୍ଢେଇର ଦକ୍ଷିଣ ହାତରେ ଅର୍ଥାତ୍‌ ବାଦକର ଦକ୍ଷିଣ ହାତର ମଧ୍ୟମା ଆଙ୍ଗୁଳିରେ ଖଞ୍ଜଣୀ ବଜାଇଥାନ୍ତି । ଗୀତ ପଦେ ଗାନ କଲାପରେ ଖଞ୍ଜଣୀ ବାଦନ କରା ଯାଇଥାଏ । ଏଥିରେ କେବଳ ପାଞ୍ଚଗୋଟି ସ୍ୱର (ସା ରି ଗା ମା ପା) ଜାତ ହୋଇଥାଏ ବୋଲି ସଂଗୀତ ସମୀକ୍ଷକମାନେ ମତ ପ୍ରକାଶ କରିଥାନ୍ତି ।

 

(୫୩)

ଆର୍ତ୍ତୁଂ (ବାଲେଶ୍ୱର) ଅଞ୍ଚଳ ।

 

ମହିମା ସଂପ୍ରଦାୟର ଭଜନ ବା ଜଣାଣ ମଧ୍ୟରେ ଏହି ଖଞ୍ଜଣୀ ଏକ ଅଙ୍ଗରେ ପରିଣତ ହୋଇ ଯାଇଛି ।

 

ଡମ୍ବରୁ :

ଏହାର ଖୋଳ କାଠରେ ତିଆରି । ଏହା ଗୋଟିଏ ହାତରେ ଧରିହୁଏ । ଏହାର ଦୁଇ ଦିଗରେ ଚମଡ଼ାର ମଢ଼ ଥାଏ ଏବଂ ମଧ୍ୟ ଭାଗଟି ସରୁ ହୋଇଥାଏ । ଏହି ଦୁଇ ପାଖର ଚମଡ଼ାକୁ ଟାଣି ରଖିବା ପାଇଁ ଚମଡ଼ା ଦଉଡ଼ି ଅଥବା କେତେକ ସ୍ଥଳରେ ମୋଟା ସୁତୁଲି ମଧ୍ୟ ବ୍ୟବହାର କରା ଯାଇଥାଏ । ଏହାର ମଧ୍ୟ ଭାଗରେ ଦୁଇଟି ମୋଟା ସୂତା ଝୁଲିଥାଏ । ଏହାର ଅଗ୍ରଭାଗ ଗଣ୍ଠି ପକାଇ ଯାଇଥାଏ । ଡମ୍ବରୁର ମଧ୍ୟ ଭାଗ (ବା ବକ୍ରଭାଗ)କୁ ଧରି ନିଜ ହାତକୁ କେନ୍ଦ୍ରକରି ବୁଲାଇଲେ ଏହି ଗଣ୍ଠି ଦୁଇଟି ଦୁଇପାଖ ଚମଡ଼ାରେ ବାଡ଼େଇ ହୋଇଯାଇ ଡମ୍‌-ଡମ୍‌-ଶବ୍ଦ କରେ । ଏହି ଡମ୍‌-ଡମ୍‌-ଶବ୍ଦ ନିସୃତ ହୋଇଥିବାରୁ ଏହାର ନାମ ଡମ୍ବରୁ ହୋଇଛି । ଏହାର ଧ୍ୱନି ତୀବ୍ର ଓ ଖଣ୍ଡିତ ହୋଇଥିବାରୁ ଏହାର ବାରମ୍ବାର ଧ୍ୱନି ଶ୍ରୋତାର କର୍ଣ୍ଣ ପଟହକୁ ବରମ୍ବାର ଆଘାତ କରୁଥିବାରୁ ଆମ ସ୍ନାୟୁମଣ୍ଡଳକୁ ଅଧିକ ଆକର୍ଷିତ ହୋଇଥାଏ । ଏହା ଏକ ଉନ୍ମାଦକ ବାଦ୍ୟଯନ୍ତ୍ର । ଏଥିପାଇଁ ଶିବ ତାଙ୍କର ତାଣ୍ଡବ ନୃତ୍ୟରେ ଏହାକୁ ବ୍ୟବହାର କରିଥିଲେ ।

 

ଏହି ଡମ୍ବରୁର ସୃଷ୍ଟି ପ୍ରସଙ୍ଗରେ ‘କୈବର୍ତ୍ତ ଗୀତା’ରେ ଉଲ୍ଲେଖ ଅଛି-ବାଉଁଶକୁ ଦାସରାଜା ଚିରିଲେ ଏବଂ ଏହାର ମଝି ଶିରାରୁ ଡମ୍ବରୁର ସୃଷ୍ଟି ହେଲା ।

 

‘‘ମଝି ଶିରା ଷୋଳ ଡମ୍ବରୁ ଯେ ତାର ଥାଇ,

ସେ ଡମ୍ବରୁ ଈଶ୍ୱର ଯେ ରଖି ହେବ ନେଇ ।

ମର୍କଟର ଛାଲ ପୁଣି ତହିଁରେ ଛାଲେ,

ଡିବି ଡିବି ଡମ୍ବରୁ ତାଙ୍କର ବୋଇଲେ ।

ସେ ଡମ୍ବରୁ ଶବ୍ଦ ଯେତେ ଦୂରକୁ ଶୁଭଇ,

ଭୂତ ପ୍ରେତ ପିଶାଚ ଯେ ଛାଡ଼ିଣ ପଳାଇ ।’’ (୫୪)

 

(୫୪)

କୈବର୍ତ୍ତ ଗୀତା-ବିଂଶ ଅଧ୍ୟାୟ-ପୃ : ୪୩ ।

 

ଓଡ଼ିଶାରେ ଡମ୍ବରୁ ବାଦ୍ୟର ପ୍ରଚଳନ ବହୁ ପ୍ରାଚୀନ ବୋଲି ଜଣାଯାଏ । କେଉଁଝର ଜିଲ୍ଲାର ଅସନପାଟ ଗ୍ରାମରୁ ଯେଉଁ ଅଷ୍ଟଭୁଜ ନଟରାଜ ମୂର୍ତ୍ତି ଆବିଷ୍କାର ହୋଇଛି, ତାହା ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର । ତାଙ୍କର ଦକ୍ଷିଣ ଦିଗସ୍ଥ ତୃତୀୟ ହସ୍ତରେ ଡମ୍ବରୁ ସ୍ଥାନ ପାଇଛି (୫୫)

 

(୫୫)

ଓଡ଼ିଶୀ ନୃତ୍ୟ-ପୃ : ୧୦ ।

 

ସାରଳାଦାସଙ୍କ ମହାଭାରତରେ (ଖ୍ରୀ: ଚତୁର୍ଦ୍ଦଶ ଶତାବ୍ଦୀ) ଡମ୍ବରୁ ବାଦନର ବହୁଳ ବ୍ୟବହାର ରହିଛି । ପ୍ରୌଢ଼ାସୁର ବଧ ପ୍ରସଙ୍ଗରେ ଲେଖାଯାଇଛି-

 

‘‘ଏମନ୍ତ ସମୟେ ତହିଁ ବିଜେକଲେ ହର,

ଡିବି ଡିବି ଡମ୍ବରୁ ଯେ ବଜାଇ ଶୂନ୍ୟର ।’’

(ବନପର୍ବ / ପୃ : ୨୮୪)

 

ଏହି ଡମ୍ବରୁ ଶବ୍ଦ ମର୍ଦ୍ଦଳ ଓ କଂସାଳ ଠାରୁ ଅଧିକ ତୀବ୍ର ।

‘‘ମର୍ଦ୍ଦଳ କଂସାଳ ଆଦି ଯେତେ ମହାଶବ୍ଦ,

ସମସ୍ତଙ୍କ ବଳେ ତୋର ଡମ୍ବରୁର ନାଦ ।’’

(ଦ୍ରୋଣପର୍ବ / ପୃ : ୭)

 

‘‘ଛଉ’’ ନୃତ୍ୟର ଶିବ ତାଣ୍ଡବ ନୃତ୍ୟରେ ଏହା ବାଦନ କରା ଯାଇଥାଏ । ପୁରପଲ୍ଲୀର ଦାଣ୍ଡରେ ‘ବହୁରୂପା’ ଅଭିନୟରେ ଏହି ‘ବହୁରୂପା’ର ବ୍ୟବହାର ରହିଛି । ଏହି ବାଦ୍ୟ ‘ବହୁରୂପା’ର ଶୁଭାଗମନର ସୂଚନା ଦିଏ । ତେଣୁ ଘର ଭିତରୁ ପରିବାରର ଲୋକେ ଦାଣ୍ଡକୁ ଚାଲି ଆସନ୍ତି, ସେହି ଦିନର ରୂପକୁ ଦେଖିବାପାଇଁ । କଣ୍ଢେଇ ନାଟରେ ଅନ୍ୟ ବାଦ୍ୟଯନ୍ତ୍ର ସହିତ ଡମ୍ବରୁ ବାଦନର ମଧ୍ୟ ପ୍ରଚଳନ ରହିଛି ।

 

ପରିଶିଷ୍ଟ :

(କ) ପାଟୁଆ ନାଟରେ ଢୋଲ ବାଦନର ତାଳ

ଗାୟକ ପାଟୁଆଗୀତ ଗାନ ପରେ ଏହି ତାଳରେ ଢୋଲ ବାଜିବ ଏବଂ ପାଟୁଆମାନେ ନାଚିବେ-

ଡିଜାଗ୍‌-ଡିଜାଗ୍‌-ଡିଜାଗ୍‌-ଧିନିକିତା-

ଧିନାକିଟି-ତାକ୍‌ ଦିଧାଧିନି-ତାକ୍‌ ଦିଧାଧିନି-ତାକ୍‌ ଦିଧାଧିନି-

ତାକିଟି-ତାକିଟି (୩ ଥର ବାଜିବ)

ଦିଧାକ-ଦିଧାକ ଧା- ।

(ତଥ୍ୟଦାତା-ଶ୍ରୀବନମାଳୀ ଗୋଛାୟତ-ତିହିଡ଼ି-ବାଲେଶ୍ୱର)

 

(ଖ) ଉପାଦାନ ଓ ତଥ୍ୟ ସଂଗ୍ରହର ସ୍ଥାନ-

ମାଲପୁର, ପୀରାହାଟ, ଗୋରାମାଟି, ସାବରଙ୍ଗ, ନାୟକାଣୀ ଡିହ, ଗୋକୁଳପୁର, (ବାଲେଶ୍ୱର) ନରେନ୍ଦ୍ରପୁର (ଗଞ୍ଜାମ) ।

 

(ଗ) ସହାୟକ ପୁସ୍ତକ ଓ ପତ୍ରପତ୍ରିକା-

୧.

କବି କଳ୍ପଦ୍ରୁମ-କବି ଯଦୁମଣି ରାଉତରାୟ-ସଂ ଡକ୍ଟର ଭଗବାନ ପଣ୍ଡା-ସାଂସ୍କୃତିକ ବିଭାଗ ନିର୍ଦ୍ଦେଶାଳୟ-ଓଡ଼ିଶା-୧ମ ସଂସ୍କରଣ-୧୯୭୨

୨.

ଓଡ଼ିଶୀ ନୃତ୍ୟ ଆଲୋଚନା-ସଂପାଦନା-ଡକ୍ଟର କାଳୀଚରଣ ପଟ୍ଟନାୟକ-ଓଡ଼ିଶା ସଂଗୀତ ନାଟକ ଏକାଡେମୀ-୧୯୭୮ ।

୩.

ଓଡ଼ିଆ ଲୋକନାଟ୍ୟ-ସଂ-ଶ୍ରୀ ରଜନୀକାନ୍ତ ଦାସ-ରାଉରକେଲା-କଲଚରାଲ ଏକାଡେମୀ-୧୯୭୭ ।

୪.

ଓଡ଼ିଶାର ଲୋକ ସଂସ୍କୃତି-ସଂପାଦନା-ଓଡ଼ିଶା କଲଚରାଲ ଫୋରମ-ଭୁବନେଶ୍ୱର-ଗ୍ରନ୍ଥମନ୍ଦିର-୧୯୭୮ ।

୫.

ଓଡ଼ିଶୀ ନୃତ୍ୟ-ଶ୍ରୀ ଧୀରେନ୍ଦ୍ରନାଥ ପଟ୍ଟନାୟକ-ଓଡ଼ିଶା ସଂଗୀତ ନାଟକ ଏକାଡେମୀ-ପରିମାର୍ଜିତ ସଂସ୍କରଣ-୧୯୭୪ ।

୬.

ପଲ୍ଲୀଗୀତି ସଂଚୟନ-(୩ୟ ଭାଗ)-ଡକ୍ଟର କୁଞ୍ଜବିହାରୀ ଦାଶ । ପ୍ର-ଶ୍ରୀମତୀ ପ୍ରେମଲତା ଦାଶ-୧୯୭୪ ।

୭.

ଓଡ଼ିଆ ଲୋକନାଟକ-ଡକ୍ଟର ହେମନ୍ତ କୁମାର ଦାସ-ଗ୍ରନ୍ଥ ମନ୍ଦିର-୧୯୮୩-

 

ପତ୍ର/ପତ୍ରିକା/ସ୍ମରଣିକା :

୧.

ଝଙ୍କାର- ୧୯୮୧-ଡିସେମ୍ବର-(ଓଡ଼ିଶାର ଲୋକମଞ୍ଚ ଏକ ଚାହାଣୀ)

୨.

ସମାବେଶ-୧୯୮୦-ଜୁନ୍‌-ଜୁଲାଇ-(ଚଇତି ଘୋଡ଼ାନାଟ)

୩.

ଆସନ୍ତାକାଲି-୧୯୭୯-ମଇ-(ଛଉ)

୪.

ଚିତ୍ରପୁରୀ-କଳା ବିକାଶ କେନ୍ଦ୍ରର ରଜତ ଜୟନ୍ତୀ ସଂଖ୍ୟା-୧୯ଶ ବର୍ଷ-୧ମ ସଂଖ୍ୟା-୧୯୭୭(ଓଡ଼ିଶାର ପଲ୍ଲୀନୃତ୍ୟ)

୫.

ଓଡ଼ିଆ ଯୁବ ଲେଖକ ସମ୍ମେଳନର ସ୍ମରଣିକା (୧୯୮୦-ଢେଙ୍କାନାଳ-(ପାରମ୍ପରିକ ଲୋକନୃତ୍ୟ-ବଣ୍ଡୀ)

୬.

ଏଷଣା / ୨-୧୯୮୧ (ଲଳିତା ପାଲା)

 

ଏଷଣା / ୫-୧୯୮୨-(ବରଗଡ଼ର ଧନୁଯାତ୍ରା)

୭.

କୋଣାର୍କ / ୫୫ଶ ସଂଖ୍ୟା-୧୯୮୫ (ସଂକୀର୍ତ୍ତନ : ଏକ ବିବେଚନ)

 

କୋଣାର୍କ / ୪୪ଶ ସଂଖ୍ୟା / (୧୯୮୧ (ଦଧିନାଟ)

୮.

ସ୍ରଷ୍ଟା / ୪-୧୯୮୧(ଓଡ଼ିଆ ପାଲା : ଏକ ଦୃଷ୍ଟିପାତ)

୯.

ରାଜ୍ୟସ୍ତରୀୟ ଲୋକସଂଗୀତ ସମ୍ମେଳନ ସ୍ମରଣିକା-୧୯୭୬-ଭବାନୀପାଟଣା (ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ-ଗଣନୃତ୍ୟ-ଘୁମୁରା)

୧୦.

ମୂର୍ଚ୍ଛନା-ଗୋଦାବରୀଶ ସାହିତ୍ୟ ସଂସଦର ସ୍ମରଣିକା-୧୯୭୪-୭୫-(ଖଞ୍ଜଣୀ ଗୀତିକା)

 

ନୂଆବଜାର, ଭଦ୍ରକ

***

 

ଜୀବନ, ସଂଭୋଗ ନିଃସଙ୍ଗତା ଓ ନିର୍ବାଣ :

Unknown

ସୁରେନ୍ଦ୍ର କଥା-ସାହିତ୍ୟର ବଳୟ

ଶ୍ରୀ ରମାକାନ୍ତ ରାଉତ

 

‘ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ’ରେ ସଙ୍କଳିତ ‘ସୁନାରୀ ଆମ୍ବ’ ଏକ ଚମତ୍କାର ଗଳ୍ପ । ଏହାର କଳାତ୍ମକ ସାଫଲ୍ୟ ଗଳ୍ପରୁ ସ୍ପଷ୍ଟ ବାରିହୁଏ । ଏଥିରେ ମଣିଷର ସେଇ ନିଃସଙ୍ଗତା, ଅସାମର୍ଥ୍ୟ ଓ ଅସହାୟତାର ଦୂରନ୍ତ ଚିତ୍ର ନିହିତ । କିନ୍ତୁ ସବୁଠୁଁ ଆର୍କଷଣୀୟ ହେଉଛି ଏଥି ନିହିତ ମାନବିକତାର ଅବକ୍ଷୟ, ମୂଲ୍ୟବୋଧର ଖର୍ବତ୍ୱ ଓ ବଂଶ ବ୍ୟବଧାନ ବା ‘generation gap’ । ଏହା ଆମ ସମୟ ଓ ସାଂପ୍ରତିକ ଦୁନିଆର ସବୁଠୁଁ ବଡ଼ ଘଟଣା, ଯାହା ଭାରତୀୟ ସଂସ୍କୃତିର ଅବକ୍ଷୟ ଆଣି ଆମର ସୌହାର୍ଦ୍ଦ୍ୟ, ନିବିଡ଼ ଅନ୍ତରଙ୍ଗତା ଏବଂ ଲୌକିକ ସମ୍ପର୍କକୁ ତିକ୍ତ କରି ଦେଇଛି । ଜରା, ବ୍ୟାଧି ଓ ବୃଦ୍ଧାବସ୍ଥାରେ ମଣିଷ କେଡ଼େ ଅନ୍ତରୀଣ, କେତେ ଉପେକ୍ଷିତ ଆଉ କେଡ଼େ ଅସହାୟ ସତେ ! ସୁରୁଜୀମା ବୁଢ଼ୀ ତିନି ପୁଅର ମା’ ହୋଇବି ଦୁନିଆ ଆଗରେ ତ୍ୟଜ୍ୟ, ତ୍ୟକ୍ତ ଓ ବିବିକ୍ତ ହୋଇ ପଡ଼ିଛନ୍ତି । ସେ ସ୍ୱଗତୋକ୍ତି କରନ୍ତି : ‘‘ଗଛଟା ବି ବୁଢ଼ା ଅକାମୀ ହୋଇଗଲାଣି ।’’ ନିଜର ବେଦନା ବୋଧକୁ ସେ ନିଜ ଭିତରେ ଚାପିରଖି ରୋମନ୍ଥନ କରନ୍ତି ନିଜକୁ ନିଜେ : ‘‘ସିଏ ଏ ସଂସାରରେ ଉପେକ୍ଷିତା ଦାଣ୍ଡ ମଣିଷ ପୁରସ୍ତମକୁ ଜଣାଇ ଲାଭ କ’ଣ ?’’(୩୪)

 

* (ସୁରେନ୍ଦ୍ର ବିଶେଷାଙ୍କ) ‘କୋଣାର୍କ’ରେ ପ୍ରକାଶିତ ପ୍ରବନ୍ଧର ଉତ୍ତରାର୍ଦ୍ଧ ।

 

(୩୪)

ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ ।

 

ସୁନାରୀ ଆମ୍ବଗଛ, ଚୌଧୁରାଣୀ ଓରଫ ସୁରୁଜୀମା ଏମାନେ ସବୁ ପ୍ରାଚୀନ ମୂଲ୍ୟବୋଧର ପ୍ରତୀକ-। ସୁନାରୀ ଆମ୍ୱଗଛ, ଯାହାକୁ ଦିନେ କାଟିଦେବାର ନିଷ୍ପତ୍ତି ନିଆଯାଇଥିଲା, ସେଇ ଥୁଣ୍ଟା ଆମ୍ବ ଗଛରେ ବଉଳ।’’ ବଉଳ ସେଇ ମୂଲ୍ୟବୋଧର ବିକାଶ ବା ବଂଶବୃଦ୍ଧି (regeneration)ର ସୂଚନା ଦିଏ, ଏହା degeneration ବଂଶକ୍ଷୟ ନୁହେଁ ଏବଂ ସେଇ ସୁନାରୀ ଆମ୍ବ ଡାଳର ବଉଳ ବାସ୍ନାବୋଳା ଡାଳରେ ହଳଦୀ ବସନ୍ତ ଡେଇଁ ଡେଇଁ ଉଡ଼ିବା ସନ୍ତକ ଶୁଭ ମାଙ୍ଗଳିକର ସୂତ୍ରଧର । ଗଛ ହାଣିବାକୁ କୁରାଢ଼ୀ କାନ୍ଧରେ ଝୁଲାଇ ଆସିଥିବା ଧନିଆ ଧୋବାର ଦ୍ୱିଧା ମିଶ୍ରିତ ଅନିଚ୍ଛା : ‘‘ମୁଁ ତ ଏ ଫଳନ୍ତୀ ଗଛକୁ ହାଣିବି ନାଇଁ ?’’ ତାପରେ ଅନ୍ୟ ସମସ୍ତଙ୍କ ମୁହଁରେ ସେଇ ଏକା କଥା : ‘‘ନାଁ, ନାଁ ଏ ଫଳନ୍ତି ଗଛକୁ ହାଣିବ କିଏ ?’’ (୩୫) ଗାଁରେ କୋଉ ଗଛରେ ବଉଳଟିଏ ନଥିବା ବେଳେ ବତାଶୀ ଭଙ୍ଗା ପୁରୁଣା ଆମ୍ବଗଛ, ଯିଏକି ବହୁବାର ହଣାହେବାରୁ ବଞ୍ଚିଯାଇଛି ଏବଂ ପରିଶେଷରେ ସୁରୁଜୀମାଙ୍କ ଚିତା ନିମନ୍ତେ ନିଶ୍ଚିତ ହଣା ହେବାରୁ ରହିଗଲା- ପ୍ରାଚୀନ ମୂଲ୍ୟବୋଧର ଚିରନ୍ତନତାକୁ ଜାହେର କରୁଛି । ସୁରୁଜୀମାଙ୍କ ସଙ୍ଗେ ସୁନାରୀ ଆମ୍ବଗଛଟି ହଣା ହେବାର ଆସନ୍ନ ସମ୍ଭାବନାରେ ପ୍ରାକ୍ତନତାର କବର ଦେବା କଥାଟାକୁ ଏଡ଼େଇ ଦିଆଯାଇଛି । ସୁରେନ୍ଦ୍ର ମହାନ୍ତିଙ୍କ ବହୁତ ପରେ ଏମିତି ଅବକ୍ଷୟର ଦୟନୀୟ ଚିତ୍ର ସବୁ ରହିଛି । ପରିବର୍ତ୍ତିତ ପରିବେଶରେ ମଣିଷର ଚିନ୍ତାଧାରା, ରୁଚି ସଂଗେ ମୂଲ୍ୟବୋଧ ଭୁଷୁଡ଼ି ପଡ଼ୁଛି । ଏମିତି ଅସଂଖ୍ୟ ଅବକ୍ଷୟର ଚିତ୍ର ସୁରେନ୍ଦ୍ର ମହାନ୍ତିଙ୍କ ଗପରେ ପରିପୂର୍ଣ୍ଣ । ପୁଷ୍ୟାଭିଷେକ ଗଳ୍ପରେ, ‘ସାହୀ ଖାନ୍ଦାନ’ରେ ଜେମାଦେଈଙ୍କ ମାଜଣା ଓ ‘ଅଦିନର ଅତିଥି’ ଇତ୍ୟାଦି ଗଳ୍ପରେ କ୍ଷୟୀଷ୍ଣୁ ରାଜା, ଜମିଦାର, ନବାବ ଓ ଦରବାରର ମୁମୂର୍ଷୁ ଚିତ୍ର ଅତି ବାସ୍ତବ ରୂପ ନେଇ ପ୍ରକଟିତ । ନବାବ ରସୁଲମୀର୍ଜା ଓ ବୁଦ୍ଦୁମିଆଁ, ୱାଜିଦ୍‌ ଅଲ୍ଲୀସା ପ୍ରିନ୍‌ସ ଆଖ୍‌ତାର ମୀର୍ଜା ମହମ୍ମଦ ଅଲ୍ଲୀ ବାହାଦୂର ପ୍ରମୁଖ ଗତାୟୁ ଦରବାରୀ ସଭ୍ୟତାର ପ୍ରତୀକ । ପ୍ରିଭିପର୍ସ ପ୍ରଚଳନ ପରେ ଏମାନେ ଦରିଦ୍ରରୁ ଦରିଦ୍ରତର ହୋଇ ଅତି ଦୟନୀୟ ଜୀବନଯାପନ କରୁଛନ୍ତି । ଅବଶ୍ୟ କେତେକ ପରିବର୍ତ୍ତିତ ପରିବେଶ ସଂଗେ ପାଦମିଳାଇ ନିଜର ଆର୍ଥିକ ମାନଦଣ୍ଡକୁ ଖାପଖୁଆଇ ନେଇଛନ୍ତି । କିନ୍ତୁ ନବାବ ରସୁଲମୀର୍ଜାଙ୍କ ଖାନ୍ଦାନୀରେ ମିଜାଜ ସେମିତି ରହିଯାଇଛି ନବାବୀ ଆଦବ କାୟେଦାର ଏକ ଅନ୍ତଃସାରଶୂନ୍ୟ ଥାଟ ଧରି । ପେନସନ ମାସକୁ ତେରଟଙ୍କା ସାତଅଣା ଛପାହି ଆଣିବା ସକାଶେ ନବାବ ସାହେବ କଚେରୀଗସ୍ତ ଖର୍ଚ୍ଚ କରନ୍ତି ପନ୍ଦର ଟଙ୍କା । ସେଥିରୁ ସେ ବିରତ ହୁଅନ୍ତି ନାହିଁ । ତାହା ତାଙ୍କ ଖାନ୍ଦାନୀ ପ୍ରତୀକ । ଶେରୱାନୀ ଧଡ଼ିଛିଣ୍ଡା ଅଚକନ ଜରୀଦାର ଜୋତା, ଜରୀଦାର ଟୋପି, ଖୁସୁବ ପାନ ମସଲା ଓ ଅତରତ୍ୱଳା ଇତ୍ୟାଦି ସଂଗେ ବନ୍ଧୁ ମିଳନ, ଅବଦୁଲ୍‌ ମଲିକର ମଟ୍‌କା ‌ଭର୍ତ୍ତି କୁଲଫି ସେବନ କଚୁଆନ ଭଡ଼ା ଓ ସର୍ବଶେଷରେ ବୁଦ୍ଦୁମିଆଁକୁ ବକ୍‌ସିସ ଦେବାରେ ପ୍ରାୟ ପନ୍ଦର ଟଙ୍କା ଚାଲିଯାଏ । ତାପରେ ପୁଣି କୁକୁଡ଼ା ପାରା ଆଉ ବଟେରା ଲଢ଼େଇ । ଏସବୁ ନବାବୀ ଆଦାବ । ଏଇ ଅତୀତକୁ ନେଇ ଏମାନେ ବଞ୍ଚିଛନ୍ତି । ପୁତ୍ର ବଧୁ ମମତାଜର ଅନୁଭବ ଭିତରେ ବେଶ ଏକ ସହାନୁଭୂତିଶୀଳ ଦରଦ ଫୁଟି ଉଠିଛି ସେଇ ସାହୀ ଖାନ୍ଦାନମାନଙ୍କ ପ୍ରତି : ‘‘ଦୟା ସହାନୁଭୂତି ଆସେ ଏଇ ବୃଦ୍ଧଙ୍କ ପ୍ରତି, ଯିଏ ବଞ୍ଚି ରହିଛନ୍ତି ଗୋଟାଏ ଗତାୟୁ ଅତୀତକୁ ଆଶ୍ରୟ କରି । ବେଶ୍‌ ବୁଝିପାରେ ମମତାଜ ଏଇ ଅନ୍ଧ ଆର୍କଷଣ । ସିଏ ବି ପୁଣି ଜାଫ୍‌ରୁଲା ମୀର୍ଜାବେଗମଙ୍କ ଖାନ୍ଦାନ ଝିଅ...। ସେମାନେ ମଧ୍ୟ ସାହୀ ଖାନ୍ଦାନ (୩୬)

 

(୩୫)

ସୁନାରୀ ଆମ୍ବ-ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ-ପୃଷ୍ଠା ୪୭ ।

(୩୬)

ସାହୀ ଖାନ୍ଦାନ-ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ-ପୃଷ୍ଠା ୧୩୭ ।

 

ୱାସିକ ପାଇବା ଦିନ ପାରା, କୁକୁଡ଼ା ଏବଂ ବଟେରା ଳଢ଼େଇ ନବାବମାନଙ୍କ ଖାନ୍ଦାନୀ ସ୍ୱଭାବ ଫମ୍ପା ବିଳାସିତାର ଆଉ ଏକ ନଗ୍ନ ପରିପ୍ରକାଶ । ଏ ସବୁରେ ନବାବମାନେ ଏତେ ମସଗୁଲ ହୋଇ ପଡ଼ିଲେ ଯେ ଇଷ୍ଟଇଣ୍ଡିଆ କମ୍ପାନୀ ଗୋଟିକ ପରେ ଗୋଟିଏ ରାଜ୍ୟ ଜିଣି ଭାରତରେ ବ୍ରିଟିଶ ଶାସନ ପ୍ରତିଷ୍ଠା କଲେ । ଇଉରୋପରେ ମଧ୍ୟ ଅନୁରୂପ ଷଣ୍ଢ ଲଢ଼େଇରେ ବହୁ ଶକ୍ତି, ସମୟ ଓ ଅର୍ଥ ବିନଷ୍ଟ ହେଉଥିଲା । ହେମିଂୱେଙ୍କ ‘Fiesta’ ଉପନ୍ୟାସର Bull Fight ସୁରେନ୍ଦ୍ର ମହାନ୍ତିଙ୍କ କକ୍‌ଫାଇଟ୍‌ ସଂଗେ ତୁଳନା କରାଯାଇ ପାରେ । ଲେଖକ ଏପରି ଏକ କୁକୁଡ଼ା ଲଢ଼େଇର ଚିତ୍ର ଦେଇଛନ୍ତି ; ‘‘ଏକ ଚକ୍ଷୁସିରାଜ ତା’ର ଇନ୍ଦ୍ରଧନୁରଂଗୀ ଗଳା ଫୁଲାଇ ଦୃଷ୍ଟି ହାଣିଲା କରାମତ୍‌ ମିଆଁର ଉପରେ । ସେଥିରୁ ଝରୁଥିଲା ଯେପରି ନିଆଁ ର ଫୁଲ୍‌କୀ । ସିରାଜ ଲମ୍ଫ ଦେଲା କରାମତ୍‌ ମିଆଁ ଗଞ୍ଜା ଉପରକୁ । ମାତ୍ର କେଇ ଚୋଟ ଖୁମ୍ପା ଆମ୍ପୁଡ଼ା ପରେ ହଟି ଆସିଲା ପଛକୁ । ତା’ର ବେକ ତଳୁ ଧାର ଧାର ହୋଇ ନିଗିଡ଼ି ପଡ଼ୁଥିଲା କଳା ରକ୍ତଧାର । ନବାବ ସାହେବଙ୍କ ମୁଣ୍ଡକୁ କିନ୍ତୁ ରକ୍ତ ଚଢ଼ିଥିଲା । ଏଇ କରାମତ ମିଆଁର ଗଞ୍ଜା ପୁଣି ହରାଇ ଦେବ ତାଙ୍କ ପେଶୱାରୀ ସିରାଜକୁ ? (୩୭) ସେ ଦୁଇ ହାତରେ ତାଳିପିଟି ଚିକ୍ତାର କରୁଥିଲେ...‘‘ଲଡ଼ୋ, ଲଡ଼ୋ, ବେଟା ସିରାଜ’’ ହେମିଂୱେଙ୍କ ବୁଲ୍‌ ଫାଇଟର ଏକ ବର୍ଣ୍ଣନା : ‘‘Then without taking a step forward he became one with the bull, the sword was in high between the shoulders, the bull had followed, the low-swung flannel, that disappeared as Romero lunched clear to the left and it was over. The bull tried to go forward, his legs commenced to settle, he swung from side to side, hesitated, then went down on his knees and Romero’s older brother leaned forward behind him and drove a short knife into the bull’s neck at the base of the horns. the first time he missed. He drove the knife in again and the bull went over turtching and rigid. Romero’s brother, holding the bull’s horn in one hand, the knife in the other looked up at the president’s box. Handkerchiefs were the waving all over the bull ring. the president looked down from the box and waved his handkerchief. The brother cut the black ear from the dead bull and trotted over with it Romero. The bull lay heavy and black on the sand, his tongues out.” (୩୮) ଏହା ଏକ ବିଭତ୍ସ ଓ ନିର୍ମମ ଦୃଶ୍ୟ ଯେଉଁଥିରୁ ମଣିଷ ଏକ ଜାନ୍ତବ ଆନନ୍ଦ ଅନୁଭବ କରେ । ଏହା ଏକ ପରଭରସନ ବା ସ୍ଖଳନ ଓ ମିଥ୍ୟା ଅଭିରୁଚିର ଔପଚାରିକତା ଯାହାକୁ ହେମିଂୱେ କହନ୍ତି : ‘‘The false aesthetics of the bull fighters of the decadent period.” (୩୯) ଯୁଦ୍ଧୋତ୍ତର ପୃଥିବୀର Waste land କାନଭାସରେ ଏପରି ବିଭତ୍ସ ଜାନ୍ତବ ଓ ନିର୍ମମ ମାନବୀୟ ଅଭିରୁଚିର ଉଦ୍ରେକ ନିଶ୍ଚିତ ଭାବେ ଚେତନାର ଅବକ୍ଷୟ, ମାନବିକତାର ଖର୍ବତ୍ୱ ଓ ମୂଲ୍ୟବୋଧର ପତନ । ଏଲିଏଟଙ୍କ କବିତା ପରି ହେମିଂୱେଙ୍କ କଥାସାହିତ୍ୟରେ ସେଇ ଡେକାଡେନ୍‌ସର ନିଚ୍ଛକ ଚିତ୍ର ବଳିଷ୍ଠ ଭାବେ ପ୍ରତିଫଳିତ ହେଇଛି । ଉଦବାସ୍ତୁ ପାଶ୍ଚାତ୍ୟ ଯୁବକପାଇଁ ଏହା ଏତେ ଆକର୍ଷଣୀୟ ହୋଇ ଥିଲା ଯେ ‘‘He never cared about anything but bull fighting”. ସମରସେଟ ମମଙ୍କ ଗପରେ ହର୍ବର୍ଟ ଏପରି ଏକ ଅତୁଟ ନିଶା kite ପ୍ରତିପୋଷଣ କରିଥିଲା ଏବଂ ଏହାକୁ ନଷ୍ଟ କରିଦେବା କାରଣରୁ ସେ ବେଟିକୁ ଛାଡ଼ପତ୍ର ଦେଲା । ଏସବୁ ଉଦବାସ୍ତୁ ଭାବନା, ନୈତିକ ସ୍ଖଳନ ଓ ଉଦ୍ଭଟ ଆଚରଣ ଛଡ଼ା ଅନ୍ୟ କିଛି ନୁହେଁ । କୁକୁଡ଼ା ଲଢ଼େଇ ନବାବଙ୍କ ଏମିତି ଅସ୍ଥିମଜ୍ଜାଗତ ହୋଇ ଯାଇଥିଲା । କିନ୍ତୁ କରାମତ୍‌ଠାରୁ ଶୋଚନୀୟ ପରାଜୟ ପରେ ନବାବ ମୀର୍ଜାଙ୍କ ଚିନ୍ତାଧାରାର ଢେର ପରିବର୍ତ୍ତନ ଘଟିଛି । ୱାସିକା ବିକ୍ରି କରିବାର ଆଗ୍ରହ ସେ ପ୍ରଦର୍ଶନ କରିଛନ୍ତି । ‘‘ଦିନ କାଳ ବଦଳି ଗଲାଣି । ୱାସିକାର କି ଦାମ ଅଛି ଆଜି ।’’ ପରିବର୍ତ୍ତନ ସଙ୍ଗେ ଆଜି ଯେପରି ଏକାତ୍ମ ହୋଇ ପଡ଼ିଛନ୍ତି ରସୁଲ ମିଆଁ । ମହାକାଳର ଭ୍ରୂକୁଟିରେ ରସୁଲମୀର୍ଜା କେଡ଼େ ଖର୍ବ, କେତେ ହୀନ, ଅପାଙ୍‌ତେୟ ହୋଇ ପଡ଼ିଛନ୍ତି ସତେ ! ସେଇ ସମୟ କଷଟିରେ ତାଙ୍କ ନବାବତ୍ୱର ଖୋଳପା, ତାଙ୍କ ଖାନ୍‌ଦାନୀ ସବୁ ଉପେକ୍ଷିତ ହୋଇଛି । ସିରାଜର ମୃତ୍ୟୁ ଏକ ମାମୁଲି କୁକୁଡ଼ାର ମୃତ୍ୟୁ ନୁହେଁ, ନବାବ ରସୁଲଙ୍କ ମୃତ୍ୟୁ ଏବଂ ସମଗ୍ର ଦରବାରୀ ଖାନ୍ଦାନୀର ବିଲୋପ ଘଟିଛି । ତେଣୁ ସମୟ ବଦଳିବା କଥାଟା ତାଙ୍କ ମଗଜକୁ ଧରିଛି । ବୁଦ୍ଦୁମିଆଁର ଅଭିବ୍ୟକ୍ତି ସମୟ ବଦଳିବା ସଙ୍ଗେ ସଙ୍ଗେ ‘ଇନ୍‌ସାନି’ ବି ବଦଳି ଯାଇଛି । ତେଣୁ ୱାସିକାର କି ଦାମ୍‌ ! ସମସ୍ତ ପରାଜୟ ଗ୍ଳାନିରେ ମୂହ୍ୟମାନ ନବାବରସୁଲ ମୀର୍ଜାଙ୍କ ପ୍ରତି ଲେଖକଙ୍କର ବହୁ ଦରଦ, ବହୁ ସମ୍ବେଦନା ଓ ବହୁ ସମ୍ମାନବୋଧ ରହିଛି । ଅତି ସୂଚନାତ୍ମକ ଭାବେ ତାଙ୍କ ପରାଜୟର ଚିତ୍ରକଳ୍ପ ଆଙ୍କିଛନ୍ତି : ‘‘ଅଗଣାର ନିମ୍ବଗଛ ଚୂଡ଼ାରେ ଶେଷ ଅପରାହ୍ନର ମେଞ୍ଚାଏ ନାଲିଚା ଆଲୁଅ । ବଡ଼ ବିଷଣ୍ଣ । ବଡ଼ କରୁଣ । ଭିତରକୁ ଯିବା ପାଇଁ ନବାବ ମୀର୍ଜାଙ୍କର ମନ ଡାକୁ ନଥାଏ ।

 

(୩୭)

ସାହୀଖାନ୍ଦାନ-ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ-ପୃଷ୍ଠା-୧୪୨ ।

(୩୮)

FIESTA (Sun Also Rises)-Earnest Hemingway London, Jonathan.

(୩୯)

Ibid

 

ସୁରେନ୍ଦ୍ର ମହାନ୍ତି ଗଳ୍ପ ଉପନ୍ୟାସରେ ଦୁଇପୀଢ଼ିର ଚରିତ୍ରମାନଙ୍କ ସମାବେଶ ଘଟିଛି । ‘ଅନ୍ଧଦିଗନ୍ତ’ର ନିଧିଦାସ ବରଜା, ଭୈରବାନନ୍ଦ ‘ଖାଦାନୀ’ର ଜାମନ୍‌ମୁଣ୍ଡା, ‘କାଳାନ୍ତର’ର ଅନାମ ଦାସ ‘ସାହୀଖାନ୍ଦାନ’ର ନବାବରସୁଲ ମୀର୍ଜା ଓ ବୁଦ୍ଦୁମିଆଁ, ‘ନେତିନେତି’ର ଅଜା, ‘ସୁନାରୀ ଆମ୍ବ’ର ଚୌଧୁରାଣୀ ପ୍ରମୁଖ ଗୋଟିଏ ଯୁଗ ଓ ଆଦର୍ଶର ପ୍ରତିନିଧିତ୍ୱ କରନ୍ତି । ହୁଏତ ଏମାନେ ଗୋଟିଏ ଆଦର୍ଶ ପଛରେ ଧାଇଁ ଜୀବନକୁ ଉତ୍ସର୍ଗ କରିଗଲେ ଔପନ୍ୟାସିକଙ୍କ ଭାଷାରେ, ‘‘ଏମାନେ ଇତିହାସପାଇଁ ଉଦ୍ଦିଷ୍ଟ ବ୍ୟକ୍ତି ନୁହନ୍ତି । କ୍ଷମତା ଲାଭ ଓ ନେତୃତ୍ୱପାଇଁ, ଅଗଣିତ ସଂଗ୍ରାମ ଓ ସଂଘର୍ଷ ଯଜ୍ଞରେ ଏମାନେ ଗୋଟିଏ ଗୋଟିଏ ବଳିମାତ୍ର । ଅଧିଷ୍ଠାତାମାନଙ୍କର ଐହିକ କଲ୍ୟାଣପାଇଁ, ଏହିପରି ଅସଂଖ୍ୟ ବରଜା ଚମ୍ଭାରଙ୍କୁ କାଳେ କାଳେ ନେତୃତ୍ୱର ଯୂପ କାଠରେ ବଳି ଦିଆଯାଇ ଆସିଛି ।......... ତେଣୁ ବରଜା ଚମ୍ଭାର ଶହୀଦଟିଏ ସୁଦ୍ଧା ହୋଇପାରିଲା ନାହିଁ । ସତୀଦହ ହୁଡ଼ା ମଶାଣିପଦାରେ ସେ କେବଳ ଭୂତଟିଏ ହୋଇ ରହିଲା ।’’ (୪୦) ନିଧିଦାସଙ୍କୁ କମ୍ୟୁନିଷ୍ଟ ବା ସନ୍ତ୍ରାସବାଦୀ ତାଲିକାରେ ରଖି ଜେଲ ଦିଆଗଲା । ଅନାମ ଦାସ ଗଧ ପିଠିରେ ବସି ଚରମ ଲାଞ୍ଛନା ଓ ଅପମାନ ଭୋଗିଲେ । ଜାମନ୍‌ ମୁଣ୍ଡା ଅନାହାରରେ ବାରଓଳି ଶୁଣ୍ଢିପିଣ୍ଡା ହେଲା । ହୁଏତ ପରିବର୍ତ୍ତିତ ପରିବେଶ ସଙ୍ଗେ ସେ ମୋଟେ ଖାପ ଖୁଆଇ ପାରିଲା ନାହିଁ । ସେ ଖୋଜୁଥିଲା ମଉଲର ବାସ୍ନା, ବୀରଜଙ୍ଗାର ଆଶୀର୍ବାଦ, ବନ୍ୟପ୍ରକୃତିର ଚିର ଆନନ୍ଦ ଯେଉଁଠି ‘‘ମୟୁର ନାଚୁଥିଲା, ମହାବଳ ଗର୍ଜୁଥିଲା......ବୀରଜଙ୍ଗା ରାତି ଅଧରେ ବଂଶୀ ଫୁଙ୍କୁଥିଲା । ଆଜି ସେଠି ଶୁଭୁଛି ଖାଲି ଗଛ ଦେହରେ କୁରାଢ଼ୀ ଚୋଟ/ସାରନା ଗଲା, ଜମି ଗଲା, ପାହାଡ଼ ଗଲା, ରାୟମନି ଫୁଲମନି ଗଲେ । ଆଗରୁ ଯାଇଥିଲା ସେମାନଙ୍କ ମାଆ ।’’ (୪୧) ଜୀବନରେ ସବୁ ହରେଇଛି, କିନ୍ତୁ କିଛି ପାଇନି । ତଥାପି ସେ ନିଜକୁ ଛୋଟ କରି ଦେଇନି । ଧର୍ମାନ୍ତର ଗ୍ରହଣରେ କରୁଣା ଭିକ୍ଷା କରିନି । ଖାଦାନରେ ନିଜକୁ ବିକି ଦେଇନି । ସେ ରହିଯାଇଛି ସେମିତି ପ୍ରକୃତିର ସନ୍ତାନ ହୋଇ ଚାଲିଛି ପତ୍ର ଗହଳି ଭିତରେ ଛପି ଛପି ଜଙ୍ଗଲୀ ରାସ୍ତା ଆଡ଼େ ମୁଣ୍ଡିଆ ପରେ ମୁଣ୍ଡିଆ ଅତି କେଉଁ ଲକ୍ଷ୍ୟହୀନ ସରଣୀ ଓ ଅନ୍ତହୀନ ଦିଗନ୍ତ ଆଡ଼େ । ଝଡ଼ଭଙ୍ଗା ଆମ୍ବଗଛ ପରି ବୃଦ୍ଧା ବୟସରେ ଚୌଧୁରାଣୀ ବହୁ ଗଞ୍ଜଣା ଓ ଉପେକ୍ଷାର ଶତଲାଞ୍ଛନାକୁ ନିଜ ଭିତରେ ସହି ନେଇଛନ୍ତି । ‘ନେତିନେତି’ ଉପନ୍ୟାସର ଅଜା ଜଣେ କ୍ଳାସିକ ଚରିତ୍ର । ତାଙ୍କ କଥାରେ, ହସରେ, ଚାଲିରେ, ତେଲ ଲଗାଇବା ଓ ଗାଧୋଇବା ସବୁଥିରେ ଏକ ନିଜସ୍ୱ ଠାଣି ଥିଲା, ଯାହା ଆମ ସଂସ୍କୃତି ପରମ୍ପରା ସିଦ୍ଧ । ନିଧିଦାସ ସେହିପରି ନିଷ୍ଠାବାନ ଆଦର୍ଶ ପୁରୁଷ । ମହାଦେବଙ୍କ ପରି ଗରଳ ପାନ କରିଛନ୍ତି ସେ । ଅନ୍ୟ ଦୋଷକୁ ଢାଙ୍କିବା ଲାଗି ନିଜ ଉପରକୁ ନେଇଛନ୍ତି ସମସ୍ତ ପାପ ଓ କଳଙ୍କର ବୋଝ । ମୃଦଙ୍ଗ ପରି ଦୁଇପଟୁ ବାଡ଼ିଆ ଖାଇଛନ୍ତି ସେ, କିନ୍ତୁ ନିଜ କର୍ମ ଓ ଆଦର୍ଶରୁ ସାମାନ୍ୟ ବିଚ୍ୟୁତ ହୋଇ ନାହାନ୍ତି । ଏମିତି ଅନେକ ଆଦର୍ଶବାଦୀ ଓ ନୀତିନିଷ୍ଠ ପୁରୁଷଙ୍କ ରୋଷଣୀ ଚାଲିଛି ସୁରେନ୍ଦ୍ର ମହାନ୍ତିଙ୍କ କଥା କାହାଣୀରେ ।

 

(୪୦)

ଅନ୍ଧ ଦିଗନ୍ତ-ପୃଷ୍ଠା ୨୫୮-ସୁରେନ୍ଦ୍ର ମହାନ୍ତି, କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର, ବାଲୁବଜାର, କଟକ ୧୯୬୪ ।

(୪୧)

ଖାଦାନୀ-ଶେଷକବିତା-ପୃଷ୍ଠା-୧୪୫-ସୁରେନ୍ଦ୍ର ମହାନ୍ତି, ଇଉନିଭରସିଟି ବୁକ୍‌ ଷ୍ଟୋରସ୍‌, କଟକ-୧୯୬୪ ।

 

ପରବର୍ତ୍ତୀ ବଂଶଧରଙ୍କ ଅବକ୍ଷୟର ତୀବ୍ର ଛାପା ରହିଛି । ‘ନେତିନେତି’ର କାନ୍ତା ଚରିତ୍ର ବା ଅନ୍ଧଦିଗନ୍ତର ନିରଞ୍ଜନକୁ ସାମ୍ପଲ୍‌ ଭାବେ ନିଆ ଯାଇପାରେ । ଏ ଦୁହେଁ ସେମାନଙ୍କ ପିତାମାନଙ୍କର ଠିକ୍‌ ବିପରୀତ । ହୁଏତ ଏ ଦୁଇ ପୀଢ଼ି ମଧ୍ୟରେ ଅନେକ ଫାଙ୍କ (generation gap) ଏ ଭିତରେ ସୃଷ୍ଟି ହୋଇ ଯାଇଛି । ଅଜାଙ୍କର ଏକଦା ଅତି ପ୍ରିୟ ନାତି ମାନା ମଧ୍ୟ ଠିକ୍‌ ହାଇସ୍କୁଲ ଛୁଇଁବା ବେଳକୁ କିମିତି ଅଜାଙ୍କ ଠାରୁ ଦୂରେଇ ଯାଇଛି । ଅଜା ଆସିଲେ ଯିଏ କାଖରେ ରସୁଣ ଜାକି ଜର ହେବାର ବାହାନା କରି ସ୍କୁଲକୁ ଯାଉ ନଥିଲା ଏବଂ ବୃତ୍ତି ପାଇଲେ ଅଜାଙ୍କ ଠାରୁ ବଂଇଶୀଟାଏ ନେବାର ଫର୍ମାସ କରିଥିଲା, ସେ କିମିତି ବିତସ୍ପୃହ ଓ ଆନମନା ଲେଖକ ଯଥାର୍ଥରେ କହିଛନ୍ତି । ମାନବେନ୍ଦ୍ରର ଉକ୍ତିରେ ବେଶ କଳାତ୍ମକ ଭାବେ ଫୁଟି ଉଠିଛି ସେ ଚେତନା : ‘‘ଅଜା ପୁଣି ହଜିଗଲେ, ମହଳନ ମୁହଁ ସଞ୍ଜ ଭିତରେ । ଅଜା ସେଦିନ ଆସୁଥିଲେ, ହୁଏତ ତାଙ୍କ ହଜିଲା ଶୈଶବର ସନ୍ଧାନରେ । ମୁଁ ମଧ୍ୟ ସନ୍ଧାନ କରୁଥିଲି ଶୈଶବର ଐଶ୍ୱର୍ଯ୍ୟ । ସେହି ରହସ୍ୟଲୋକର ଚାବିକାଠି ଦୁଇଟି ବୃତ୍ତର ଚ୍ଛେଦ ବିନ୍ଦୁରେ ଆମର ହୋଇଥିଲା ଭେଟାଭେଟି ।

 

ଆମ ଦୁହିଁଙ୍କ ଭିତରେ କିନ୍ତୁ ଦୁର୍ଲ୍ଲଙ୍ଘ୍ୟ ଦୂରତ୍ୱ । ଶୈଶବର ଐଶ୍ୱର୍ଯ୍ୟ ଆଜି ନିଃଶେଷିତ । ରକ୍ତରେ ମୋର ଦୁରନ୍ତ ଯୌବନର ଆହ୍ୱାନ । (୪୨) ତେଣୁ ଶୈଶବ, ଗୁଡ଼ି, ବଂଇଶୀ ଓ ଅଜା ସବୁକିଛି ଦୂରକୁ ଠେଲିଦେଇଛି ମାନା । ଏହା ସମୟର ପ୍ରଭାବ ।

 

(୪୨)

ନେତି ନେତି-ପୃ-୨୧ । ସୁରେନ୍ଦ୍ର ମହାନ୍ତି, ଶିବାନୀ ପ୍ରକାଶନୀ । କଟକ-୮, ୧୯୮୨

 

କାନ୍ତା ମାମୁଁଙ୍କ ପରିଭାଷାରେ ‘‘ରକ୍ତ ଦେବା ନୋହିଲେ ରକ୍ତ ନେବା ହେଲା ଜୀବନ । (୪୩) ଆଉ ଟିକିଏ ପରବର୍ତ୍ତୀ ପୀଢ଼ିର ଲୋକ ମାନା ଜୀବନର ଏ ଭୟଙ୍କରିତାକୁ ସହଜରେ ଗ୍ରହଣ କରି ପାରିନି । ତା ମନରେ ଅନେକ ଅସମାହିତ ପ୍ରଶ୍ନର ପ୍ରଶ୍ନବାଚୀ : ଏହା ଯଦି ଜୀବନ ହୁଏ ତେବେ ଅଜା କାହିଁକି ପିମ୍ପୁଡ଼ିମାନଙ୍କୁ ଗୁଡ଼ ଖୁଆନ୍ତି । ସେଦିନ ହଳଦୀବସନ୍ତକୁ ଲାଖ କରୁଥିବା ଦେଖି ଅଜା ଛିଟିକିନିଟା ଛଡ଼େଇ ନେଇ କହିଲେ : ‘‘ଛି, ଛି ଏଇ ପାଠ ତୁ ପଢ଼ିଛୁ ? ଏମିତି ସୁନ୍ଦର ଚଢ଼େଇମାନଙ୍କୁ ଗଛ ଡାଳରେ ଦେଖନ୍ତି ସିନା । କଣ ମାରନ୍ତି ? ମାରିଲେ ଏମିତି ଚଢ଼େଇଟାଏ ଗଢ଼ି ପାରିବୁ ?’’ ଅଥଚ କାପ୍ତାମାନଙ୍କୁ ବିନା ଦ୍ୱିଧାରେ କାନ୍ତା ମାମୁଁ ମାରି ନିଜ ହାତରେ କାଟି ମାଂସ ବନାଇ ଦେଲେ । ପାଶବିକତାର ମାତ୍ରା ପରବର୍ତ୍ତୀ ପୀଢ଼ିରେ ତୀବ୍ରତର ହୋଇଛି । ନିର୍ମମ ହୃଦୟହୀନତା ଓ ଜାନ୍ତବ ଜୈବିକ ଚେତନା ଆଜି ଅନେକ ବଢ଼ିଯାଇଛି । ହତ୍ୟା, ଧର୍ଷଣ, ରକ୍ତପାତ ସବୁ ମାମୁଲି କଥା । ଏଥିପାଇଁ ତିଳାର୍ଦ୍ଧ ଅନୁଶୋଚନା ନାହିଁ ।

 

(୪୩)

ତତ୍ରୈବ-ପୃଷ୍ଠା ୩୧

 

ନିଧିଦାସଙ୍କ ମୃତ୍ୟୁର ସପ୍ତମ ଦିନରେ ତାଙ୍କ ପୁତ୍ର ନିରଂଜନ ନିର୍ବିକାର ଭାବେ ମାଂସ ଚପ୍‌ ଭକ୍ଷଣରୁ ନିବୃତ୍ତ ହେବାର ଲୌକିକତା ପ୍ରଦର୍ଶନର ଶାଳୀନତା ଦେଖାଇବାରେ ବି କାର୍ପଣ୍ୟ ; ଶୋକ ପ୍ରକାଶ ତ ଢେର ଦୂର । ନିଧିଦାସଙ୍କ ସମ୍ପର୍କରେ ତାର ଟିପ୍‌ପଣୀ : ‘‘ଏ ଦେଶରେ ସେହି ଇମାରତମାନଙ୍କର ଅଧିବାସୀ ଓ ଅଧିକାରୀମାନେ ହିଁ କହିବେ ଗୋଟାଏ ବିରାଟ ବିପ୍ଳବ ପରେ ଏକ ସ୍ୱର୍ଣ୍ଣ ଯୁଗର ସୂତ୍ରପାତ ହୋଇଛି । ଆଉରି ପୁଣି ତାହା ସମର୍ଥନ କରିବେ ସେହିମାନେ, ସ୍ୱାଧୀନତାର ଉତ୍ତର କାଳରେ ଶାସନ ଓ ସମାଜବ୍ୟବସ୍ଥା ଯେଉଁମାନଙ୍କୁ ରାତାରାତି ବଡ଼ଲୋକ ହେବାପାଇଁ ଖୋଲି ଦେଇ ଯାଇଛି ଆରବ୍ୟ ଉପନ୍ୟାସର ‘‘ଆଲିବାବା ଓ ଚାଳିଶ ଦସ୍ୟୁ’’ଙ୍କର ଗହ୍ୱର । ନିଧିଦାସ ସେହିମାନଙ୍କ ଇତିହାସରେ ପରମ ବିପ୍ଳବୀ । ମାତ୍ର ଅନ୍ଧକାରର ଏହି ସନ୍ତାନମାନଙ୍କ ପାଇଁ ବିପ୍ଳବର ସୂର୍ଯ୍ୟୋଦୟ ତଥାପି ବିଳମ୍ବ ଅଛି ।’’ କେବଳ ନିରଞ୍ଜନ ନୁହେଁ, ନୂତନ ପୀଢ଼ିର ଲୋକମାନଙ୍କର ପୂର୍ବ ସୂରୀମାନଙ୍କ ପ୍ରତି ସମ୍ପର୍କର ଏ ଏକ ନମୂନା । ଦାମରଥ, ଶୁଦ୍ଧୋଦନ, ଦର୍ପ ନାରାୟଣ ସମସ୍ତେ ନିଧିଦାସଙ୍କୁ ଏମିତି ଦୃଷ୍ଟିରେ ଦେଖୁଥିଲେ, ତାଙ୍କର ବଞ୍ଚି ରହିବାରେ କିଛି ଆବଶ୍ୟକତା ଥିବା କଥା ସେମାନେ ଅନୁଭବ କରୁ ନଥିଲେ । ସତରେ ସ୍ୱାଧୀନତା ପରେ ଏହି ସ୍ୱାଧୀନତା ସଂଗ୍ରାମୀମାନେ ଏକାନ୍ତ ଅବାଞ୍ଛିତ । ତେଣୁ ଲେଖକ କହିଛନ୍ତି : ‘‘ନିଧିଦାସ ମଲେ ତ୍ରାହି ପାଇଗଲେ । ନମରି ଥିଲେ ଆଉରି ଦୁଃଖ ପାଇଥାନ୍ତେ । ଆଉରି ଲାଞ୍ଛିତ ହୋଇଥାନ୍ତେ-।’’ (୪୪) ‘‘ଖାଲି ଶୋକସଭା ଓ ଖବର କାଗଜରେ ଔପଚାରିକତାର ଫମ୍ପା ବିବୃତି ଆଜିର ପାଥେୟ ହୋଇଛି ।’’ ‘ବାସାଂସି ଜୀର୍ଣ୍ଣାନି’ରେ ଲେଖକ ଶବ ମୁହଁରେ କୁହାଇଛନ୍ତି : ‘‘ଏ ଶୋକ ତାର ଅହଂ ପ୍ରୀତି । ......ଇଏ କିଛିଟା ଆନ୍ତରିକତା କିଛିଟା ଅଭିନୟ । ମୁଁ ବୁଝୁଚିରେ ବୁଝୁଛି । ଆଉରି ବୁଝୁଚି ଇଏ ଲୋକାଚାର ମୋ ପ୍ରତି ଭକ୍ତି, ସରାଗ ଯାହା ଥାଉ-ଇଏ ଲୋକାଚାର ପାଳନ କରିବା ପାଇଁ ପଡ଼ିବ ।’’ ଅବଶ୍ୟ ନିରଞ୍ଜନ ଲୌକିକତା, ଭାବପ୍ରବଣ ଆବେଗର ସାମାନ୍ୟ ଦୁର୍ବଳତା ପ୍ରଦର୍ଶନ କରିନାହିଁ । ଅତି ଚରମବାଦୀ ଓ ସ୍ୱେଚ୍ଛାଚାରୀ ଅସାମାଜିକ ସ୍ତରକୁ ଖସି ଯାଇଛି । ପିତାର ନୈପଥ୍ୟରେ ଅମର ମନୁଷ୍ୟତ୍ମାର ଯେଉଁ ସ୍ୱୀକୃତି ନିହିତ ଏବଂ ଜନ୍ମ ଓ ମୃତ୍ୟୁର ପୌନ ପୌନିକତାର ଯେଉଁ ଚଳଚଞ୍ଚଳ ପ୍ରବାହ ମୃତ୍ୟୁହୀନ ଜୀବନର ଯେଉଁ ପରିକଳ୍ପନା କରାଯାଇଛି ତାହା ମାମୁଲି ଅନ୍ଧବିଶ୍ୱାସ ବା କୁସଂସ୍କାର ବୋଲି ଉଡ଼େଇ ଦେଇ ହେବ ନାହିଁ । ବିବେକ ଏହାକୁ ସମର୍ଥନ କରିବ ନାହିଁ । ପଶୁତ୍ୱର ଇତର ସୋପାନକୁ ଆମେ ଏତଦ୍ୱାରା ଖସି ଆସିବା ।

 

(୪୪)

ଅନ୍ଧଦିଗନ୍ତ-ପୃଷ୍ଠା-୨୪

 

‘ବାସାଂସି ଜୀର୍ଣ୍ଣାନି’-ଏକ ନୂତନ ସ୍ୱାଦର ଗଳ୍ପ । ଗଳ୍ପନାୟକ ମୃତଦାର ହୋଇ ନିଜ ଶବ ଶୋଭାଯାତ୍ରା ବିଷୟ ବର୍ଣ୍ଣନା କରିଛନ୍ତି । ହୁଏତ ଆତ୍ମୀୟମାନଙ୍କ ହିପୋକ୍ରିସିର ମୁଖା ତାଙ୍କ ପାଖରେ ଧରାପଡ଼ି ଯାଇଛି ଯେପରି କିଶୋରୀଚରଣ ଦାସ ‘ଠାକୁର ଘର’ ଗପରେ ଦେଖାଇଛନ୍ତି । ବର୍ଟାଣ୍ଡ ରଶେଲଙ୍କ ‘obituary’ ଷ୍ଟାଇଲରେ ‘ବାସାଂସି ଜୀର୍ଣ୍ଣାନି’ ଲେଖା ଯାଇଥିଲେ ହେଁ ରଶେଲଙ୍କ ଲେଖା ମାତ୍ର ଏକ ରିପୋଟିଂ ଏବଂ ତାଙ୍କ ଜୀବିତାବସ୍ଥାରେ ହିଁ ପ୍ରକାଶିତ ହୋଇଥିଲା । ଲେଖକଙ୍କ ଟିପପ୍‌ଣୀ :-This obituary will (or will not) be published in ‘The Times’ for june 1st 1962 on the occasion of my lamented but belated death. It was printed Prophetically in the Listener in 1937 (୪୫) ବର୍ଣ୍ଣାଡ଼ଶଙ୍କ Obituary ରେ ବିଦ୍ରୂପ ଓ ଜର୍ଣ୍ଣାଲିଜମ୍‌ ଥିବାବେଳେ ‘ବାସାଂସି ଜୀର୍ଣ୍ଣାନି’ରେ ବ୍ୟଙ୍ଗ ବିଦ୍ରୂପ ସଙ୍ଗେ ଜୀବନର ଏକ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଚିତ୍ର ରହିଛି । ଜୀବନ ପ୍ରତି ଏକ ନିର୍ଦ୍ଧିଷ୍ଟ ଦୃଷ୍ଟିକୋଣ ରହିଛି । କିନ୍ତୁ ଶେଷ ବେଳରେ ଜ୍ଞାତି ପରିବାର ଓ ବଂଧୁ ପରିଜନମାନଙ୍କର ଯେଉଁ ଅଦୌଉତି ଜୁଲୁମ ତାହା ମୃତ୍ୟୁଠାରୁ ବି ଯନ୍ତ୍ରଣାପ୍ରଦ । ଲେଖକ ଯଥାର୍ଥରେ ସେମାନଙ୍କ ଛଦ୍ମବେଶର ଆବ୍ରୁ ଖୋଲି ଦେଇ କହନ୍ତି : ‘‘ସ୍ୱଜନମାନଙ୍କ ମଧ୍ୟରେ ପ୍ରତିଯୋଗିତା, ମୋତେ ବଞ୍ଚାଇବା ପାଇଁ ଯେତେ ନୁହେଁ ସେତେ ପୁରୁଷାର୍ଥର ପ୍ରଜ୍ଞାପନ ପାଇଁ । କ’ଣ ନ କରିଛନ୍ତି ସେମାନେ ବୁଢ଼ାଙ୍କୁ ବଞ୍ଚାଇବା ପାଇଁ ?.......ଆରେ ଏ ସବୁ ତମ ପାଇଁ, ମୋ ପାଇଁ ନୁହେଁ । (୪୬) ଏପରିକି ମଡ଼ାଚଣ୍ତିଆ ଜଗି ରହିଛି କିମିତି ଲୁଗାପଟା ସପ ମଶିଣା ନେଇ ସେ ତା ସ୍ତ୍ରୀ କି ସନ୍ତୁଷ୍ଟ କରିବ, ଟିକିଏ ଆରାମ କରିବ । ବାସ୍ତବିକ ଜୀବନର ଏକ ଚରମ ଆଇରନି ଲେଖକ ଅଙ୍କିଛନ୍ତି । ଝିଅ ବୋହୁମାନେ ମାଣିଆବନ୍ଦୀ ଓ ଫରାସଡ଼ିଙ୍ଗା ଧୋତି ଏବଂ ମଖମଲି ପଞ୍ଜାବୀ ପିନ୍ଧେଇ, କପାଳରେ ଟିପି ଟିପି ଚନ୍ଦନ ବିନ୍ଦୁ ଟାଣି, ଅସୁମାରି ଫୁଲରେ ଶବାଧାରକୁ ସଜେଇଛନ୍ତି । ସିଏ ଯିମିତି ବର ବେଶ ଧରିଛନ୍ତି । ରବୀନ୍ଦ୍ରନାଥ ପରା ମୃତ୍ୟୁକୁ କହିଥିଲେ :

 

(୪୫)

Unpopular Essays-By-Betrand Russel London Unwin Books-1969-Page. 157

(୪୬)

ବାସାଂସି ଜୀର୍ଣ୍ଣାନୀ-ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ-ପୃଷ୍ଠା-୨୦

 

‘‘କବେ ନୀରବ ହାସ୍ୟୋମୁଖେ ଆସବ ବରେର ସାଜେ ।

ନିଖିଳରାତେ ପତିର ସାଥେ ଚଲବେ ପତିବ୍ରତା

ମରନ ତୁମି ମରନ ଅମାର କୟୋ ଆମାକେ କଥା ।’’(୪୭)

 

(୪୭)

ମୃତ୍ୟୁଗୀତି-ସଂଚୟିତା-ରବୀନ୍ଦ୍ରନାଥ ଠାକୁର

 

ଫଟୋ ଉଠା ଚାଲିଛି । ବଡ଼ବଡ଼ୁଆମାନେ ଆସୁଛନ୍ତି ଶେଷ ଦର୍ଶନ ଲାଗି । ଖବର କାଗଜବାଲା ଛାପିବେ ଅନ୍ତେଷ୍ଟିକ୍ରିୟା ବିବରଣୀ । କିନ୍ତୁ ଏ ଉଲ୍ଲଙ୍ଘ ଆତ୍ମା ଓ ନିଃସଙ୍ଗ ଯାତ୍ରୀପାଇଁ ଏ ଆଡ଼ମ୍ବରର ଅର୍ଥ କ’ଣ ? ତା’ପରେ ‘ରାମନାମ ସତ୍ୟ ହେ’ର ପହେଳି । ଶାଶ୍ୱତ ଆନନ୍ଦମୟଙ୍କ ନାମ କ’ଣ ଏଇ ଅମୁହୂର୍ତ୍ତମାନଙ୍କ ପହେଳି ?’’ ଶବର ସ୍ୱଗତୋକ୍ତି ‘‘ମୋ’’ ଅସୀମ ଯାତ୍ରାପଥକୁ କାହିଁକି ଏପରି ବିଭତ୍ସ ହାସ୍ୟୋଦ୍ଦୀପକ କରିଦେଲ ? କାହିଁକି ତାକୁ କରିପାରିଲ ନାହିଁ ଟ୍ରାଜେଡୀ ପରିଚାୟୀର ଭାବଦ୍ୟୋତକ ? ଅଭିସାରିକାର ମିଳନ ପରି ଆନନ୍ଦମୟ ?’’ (୪୮) ଶବ ପାଇଁ ଏ ସବୁ ଅବାନ୍ତର-। ତାଙ୍କ ମତରେ ଜୀବନ ‘‘ମନବୋଧ ଚଉତିଶା ନୁହେଁ । ମରୀଚିକା ପଛରେ ଆଣ୍ଠୁଗଣ୍ଠି ଛିଣ୍ତାଇ ଧାଇଁବା ଇ ଜୀବନ । ଛଅ ଖଣ୍ତି କାଠ ମୋର ଶେଷ ପ୍ରୟୋଜନ ହୋଇପାରେ, କିନ୍ତୁ ସେଥିପାଇଁ ଛଅଟା ସାମ୍ରାଜ୍ୟ ଯେ ଆବଶ୍ୟକ । କାଠ ଛଅଛଣ୍ତକୁ ଦେଖ ନାହିଁ ରେ, ଦେଖ ସେଥିପାଇଁ ସଂଗ୍ରାମକୁ ।’’ ଏଇ ସାମାନ୍ୟ ଅନ୍ତିମ ଆବଶ୍ୟକତା ଯଦି ଜୀବନର ପରିଣତି ହୁଏ, ତେବେ ମଣିଷ କେତେ ନ ଧାଏଁ, କେତେ ଜୀବନ ମୂର୍ଚ୍ଛା ଲଢ଼େଇ ନ କରେ ! କାଠ, ସଂଗ୍ରାମ ଏ ସବୁ ଉପଲକ୍ଷ୍ୟ ମାତ୍ର । ‘‘ସତ୍ୟ ହେଉଛି ଜୀବନ ।’’ ସେଇଥିପାଇଁ ତ ମଣିଷର ଜୀବନ ପ୍ରତି ଏତେ ମୋହ, ବଞ୍ଚିବା ପାଇଁ ଏତେ ଆସକ୍ତି, ଏତେ ଚେଷ୍ଟା ଏତେ ସଂଗ୍ରାମ । ପ୍ରତ୍ୟହ ମୃତ୍ୟୁ ଦେଖିବା ପରେ ବି ମଣିଷ ଏକ ଚିରନ୍ତନ ଜୀବନ ବାଞ୍ଛା କରେ : ‘‘ଶେଷା ସ୍ଥିରତ୍ୱମିଚ୍ଛନ୍ତି କିମାଶ୍ଚର୍ଯ୍ୟ ଅତଃ ପରମ୍‌ ।’’ (୪୯) ମୃତ୍ୟୁ ପରେ ବି ପୁନର୍ଜନ୍ମର କାମନା ମଣିଷ ଭିତରେ ଚେଇଁ ଉଠେ । ବାରମ୍ବାର ଦୁନିଆରେ ଜନ୍ମି ଜାଗତିକ ଭୋଗ ବିଳାସକୁ ଆସ୍ୱାଦନ କରିବାରେ ତା’ର ପ୍ରବଳ ଆନନ୍ଦ ଓ ଅଶେଷ ତୃପ୍ତି । ତେଣୁ ମୃତ୍ୟୁକାମୀ ବ୍ୟକ୍ତିର ଅନ୍ତିମ ସଂଳାପ : ‘‘ମୋକ୍ଷ ମୋର କ’ଣ ହେବ ? ମୁଁ ଚାହେଁ ଜୀବନ, ମୁଁ ମାଗେ ସଂଗ୍ରାମ, ବାରମ୍ବାର, ବାରମ୍ବାର ।................ମୁଁ ଭଲ ପାଏ ଏଇ ମରଣଶୀଳ ପୃଥିବୀ ।’’ ପୃଥିବୀରେ ବଞ୍ଚି ରହିବାପାଇଁ କି ଦୁର୍ବାର ଅଭୀପ୍‌ସା । କି ଦୁର୍ଲ୍ଲଙ୍ଘ୍ୟ ଅଙ୍ଗୀକାର ଓ ନିରବଚ୍ଛିନ୍ନ ସଂଗ୍ରାମ ।

 

(୪୮)

ବାସାଂସି ଜୀର୍ଣ୍ଣାନୀ-ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ-ପୃଷ୍ଠା-୨୫

(୪୯)

ମହାଭାରତ

 

କୁତ୍ସିତ ବ୍ୟାଧି ଓ ଯନ୍ତ୍ରଣାର ଭଗ୍ନସ୍ତୂପ କୁଷ୍ଠୀ, ଯାହାର ନାକରୁ ଚେନାଏ ଖସି ପଡ଼ିଛି, ଆଙ୍ଗୁଠି ସବୁ ଥୁଣ୍ଟା, ଫୁଲା ପାଦରେ ପରସ୍ତ ପରସ୍ତ କନାର ଆସ୍ତରଣର ଏକ କୁତ୍ସିତ ଅବୟବକୁ ପ୍ରଜ୍ଞାପିତ କରି ସମସ୍ତଙ୍କର ଘୃଣା, ବିରକ୍ତି ସତ୍ତ୍ୱେ ସେ ବଞ୍ଚିବାପାଇଁ ସଂଗ୍ରାମ କରୁଛି । ଖାଲି ମଣିଷ ନୁହେଁ, ଜୀବଜନ୍ତୁ, ଗଛଲତା ସମସ୍ତଙ୍କର ଯେପରି ବଞ୍ଚିବା ସକାଶେ ଏକ ନିରବଚ୍ଛିନ୍ନ ସଂଗ୍ରାମ ଚାଲିଛି । ପୃଥିବୀର କୌଣସି ଶକ୍ତି ତାକୁ ଏ ସ୍ଥିତିବାଦୀ (existentialism) ଆତ୍ମ ପ୍ରତ୍ୟୟରୁ ନିବୃତ୍ତ କରି ପାରିବ ନାହିଁ । ସୁନାରୀ ଆମ୍ବ ଗପରେ ଲେଖକଙ୍କ ଅଭିବ୍ୟକ୍ତି ପ୍ରଣିଧାନ ଯୋଗ୍ୟ : ‘‘ସୁନାରୀ ଆମ୍ବ ବଉଳିଛି । ଝଡ଼ର ଝଙ୍କାର, ମଣିଷର କୁରାଢ଼ୀ ତାକୁ ଧ୍ୱଂସ କରିପାରି ନାହିଁ । ସେ ପୁଣି ନୂଆପତ୍ର ବଉଳ ମେଲି, ଜାଗି ଉଠିଚି । (୫୦) ଖାଲି ବଞ୍ଚିବା ପାଇଁ ନୁହେଁ, ସର୍ଜନା ତା’ର ସହଜାତ ପ୍ରବୃତ୍ତି । ହୁଏତ ରକ୍ତ ମାଂସର ସୃଷ୍ଟି ହେଉ ନତୁବା ପାଷାଣର ମନ୍ଦିର ପ୍ରାସାଦ ହେଉ । କୃଷ୍ଠୀ ତା ପରିସର ମଧ୍ୟରେ ଇନ୍ଦ୍ରଦ୍ୟୁମ୍ନ ସାଜିଛି । ଦିଅଁ ସ୍ୱପ୍ନାଦେଶ କରିଛନ୍ତି ତା’ରି ପାଖେ ପାଖେ ରହିବେ । ତେଣୁ ପାଗଳା ସାକରେଦ ବିଶ୍ୱକର୍ମା ପରି ଦୁଇହାତ ଉଞ୍ଚର ଗୋଟାଏ ଅଧାକାନ୍ଥି ମନ୍ଦିର ତିଆରି କଲା । ଠଣାରେ ଆଖଣ୍ତଳମଣିଙ୍କ ଫଟୋ, ଧ୍ୱପାତି ଲୁହା ଚିମୁଡ଼ା-ଇଏ କୁଷ୍ଠୀର ଦେବାୟତନ । ଏମିତି ସ୍ୱପ୍ନ,କଳ୍ପନା ଓ ଆଶା ନେଇ ମଣିଷ ବଞ୍ଚେ । ଗାଳ୍ପିକଙ୍କ କଥାରେ : ‘‘ମନୁଷ୍ୟ ବଞ୍ଚେ ନାହିଁ କେବଳ ଦେହରେ । ସାର୍ଥକତର ଭାବେ ସେ ମଧ୍ୟ ବଞ୍ଚେ ତା’ର ସ୍ୱପ୍ନ ଆଉ ବେଦନା ମଧ୍ୟରେ ।’’ (୫୧) ଶୈବ ମନ୍ଦିର ଥାପନା ପରିପ୍ରେକ୍ଷୀରେ ଇନ୍ଦ୍ରଦ୍ୟୁମ୍ନ ରୂପକଳ୍ପଟି ଅପ୍ରାସଙ୍ଗିକ ବୋଧ ହେଲେ ହେଁ ଲେଖକ ଏହାକୁ ଏକ ପ୍ରତୀକ ଭାବେ ଗ୍ରହଣ କରିଥିବା ଢେର ସମ୍ଭବ । ଇନ୍ଦ୍ରଦ୍ୟୁମ୍ନ-ବିଗ୍ରହ ଓ ମନ୍ଦିରର ପ୍ରତିଷ୍ଠାତା, ଜଣେ ଏକନିଷ୍ଠ ଭକ୍ତ ଓ ସୃଜନଶୀଳ ବ୍ୟକ୍ତି ।

 

(୫୦)

ସୁନାରୀ ଆମ୍ବ-ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ, ପୃଷ୍ଠା-୪୪ ।

(୫୧)

ଇନ୍ଦ୍ରଦ୍ୟୁମ୍ନ-ଓ ! କାଲ୍‌କାଟା-ପୃ: ୧୧୩ ସୁରେନ୍ଦ୍ର ମହାନ୍ତି, କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର ୧୯୮୬ ।

 

‘ଗୁରୁ’ ଗପରେ ଦାରୁଣ ବ୍ୟାଧିଗ୍ରସ୍ଥ ଏକ କୁଷ୍ଠୀ ଅନ୍ଧର ସଂଗୀତର ପ୍ରାଣସ୍ପର୍ଶୀ ଆନ୍ତରିକତାରେ ଜନ୍‌, ଜୀନ ଓ ଜେନୀ ପ୍ରକୃତର ଆଧ୍ୟାତ୍ମିକତାର ସ୍ପର୍ଶ ଅନୁଭବ କରିଥିଲେ । ମାନହାଟାନ, କେଣ୍ଟ, କାଲିଫର୍ଣ୍ଣିଆ ଓ ଓହିଓରୁ କାଠମାଣ୍ତୁ, ଋଷିକେଶ ଓ ବାରାଣସୀରୁ ବିଫଳ ହୋଇ ପୁରୀ ଆସିଥିବା ତିନିଜଣ ହିପୀ, ଯେଉଁମାନେ ହେତୁବାଦ, ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକତାର ଉତ୍ପୀଡ଼ନରେ ଅତିଷ୍ଠ, ଯାହାଙ୍କର ପ୍ରବ୍ରଜ୍ୟା ଥିଲା ପ୍ରାଚ୍ୟ ଭୂଖଣ୍ତରେ ବିଚାର ବିବର୍ଜିତ ବିଶ୍ୱାସ ତଥା ସମ୍ପୂର୍ଣ୍ଣ ସମର୍ପଣ ମଧ୍ୟରେ ଆନନ୍ଦର ଅନୁସନ୍ଧାନ, ଯୋଗୀ ମହାରାଜ ଓଁକାର ନାଥଙ୍କ କୃତ୍ରିମତା ଓ କପଟଚାରିତାର ପ୍ରବଞ୍ଚନା ଜାଲରୁ ଖସିଆସି ଶ୍ରୀମନ୍ଦିର ସାମ୍‌ନାରେ ଭଜନ ଗାଇ ଆତ୍ମହରା ହେଉଥିବା ଅନ୍ଧକୁ ଗୁରୁ ବୋଲି କାୟମନୋବାକ୍ୟରେ ଗ୍ରହଣ କରିନେଲେ । ଭଜନ ସଙ୍ଗୀତର ଅର୍ଥ ବା ଖଞ୍ଜଣୀର ତାଳମାନ ସେମାନଙ୍କ ବୋଧ ପରିଧି ଭେଟିପାରୁ ନଥିଲେ ହେଁ ସେମାନେ ନିଜ ନିମଜ୍ଜିତ ଅବଚେତନରେ ବେଶ ଉପଲବ୍‌ଧି କରୁଥିଲେ ଅନ୍ଧଟିର ଭକ୍ତି ତନ୍ମୟ ସଙ୍ଗୀତ ଆବେଦନ । ‘‘ସବୁ ପରିଚିତ ଭାଷା ଓ ଶବ୍ଦ ହଠାତ୍‌ ସେମାନଙ୍କପାଇଁ ଶୂନ୍ୟ ଓ ଅର୍ଥହୀନ ହୋଇ ପଡ଼ିଥିଲା ।’’ ସେକ୍‌ସପିୟରଙ୍କ କଥାରେ କହିଲେ ‘‘They understand the furry of the sounds.’’

 

ସେହିପରି ଆଉ ଏକ ବିଫଳ ପ୍ରୟାସର ପ୍ରତିନିଧି ହଂସଗୀତିର ନାୟକ ଜନ୍‌ । ଜନ୍‌ ମତରେ ‘‘ଜୀବନଟା ଗୋଟାଏ ଶେଷହୀନ ଅନ୍ୱେଷଣ । ଅଖିଳ ମୋହନ ପଟ୍ଟନାୟକ ଜୀବନର ସଂଜ୍ଞା ସମ୍ପର୍କରେ କହନ୍ତି : ‘‘ମଣିଷ ଏକ ଚିର ରହସ୍ୟମୟ ଶେଷହୀନ ଗ୍ରନ୍ଥ, ଯାହାକୁ ଆମେ ଓ ଆମ ପୂର୍ବପୁରୁଷମାନେ ଆଜି ପର୍ଯ୍ୟନ୍ତ ଅଧ୍ୟୟନ କରି ଆସିଛେଁ ଓ ଆମର ପରବର୍ତ୍ତୀ ପୁରୁଷମାନଙ୍କ ପାଇଁ ତଥାପି ଏତେ ପ୍ରଚୁର ଅବିଶିଷ୍ଟାଂଶ ଗଚ୍ଛିତ ରହିବ ଯେ ଯାହାକୁ ସେମାନେ ସେମାନଙ୍କର ଉତ୍ତର ଦାୟାଦମାନଙ୍କ ପାଇଁ ଛାଡ଼ିଯିବାକୁ ବାଧ୍ୟ ହେବେ ।’’ (୫୨) ମଣିଷ, ଜୀବନ ଓ ସମାଜର ନିରବଧି ଅନ୍ୱେଷଣ ସତ୍ତ୍ୱେ ବି ତା’ର ବିରାମ ନାହିଁ । ପାଶ୍ଚାତ୍ୟ ଛାଡ଼ି ପ୍ରାଚ୍ୟକୁ ଆସିଥିଲା ଜନ୍‌ କିଛି ନୂତନତାର ସନ୍ଧାନ ପାଇ, ମାନସିକ ଶାନ୍ତି ଓ ସନ୍ତୋଷ ନିମନ୍ତେ ।

 

(୫୨)

ମୁଖବନ୍ଧ-ଝଡ଼ର ଇଗଲ ଓ ଧରଣୀର କୃଷ୍ଣସାର-ଅଖିଳ ମୋହନ ପଟ୍ଟନାୟକ ।

 

କିନ୍ତୁ ଭାରତ ଯେ ଇତି ମଧ୍ୟରେ ନୈତିକତାର କେତେ ତଳକୁ ଖସିଗଲାଣି ଏବଂ ଏହା ଯେ ଇଉରୋପର ଏକ ନକଲି ଚେହେରା ନେଇ ଅନ୍ତଃସାର ଶୂନ୍ୟ ଥାଟ ଧରି ବସିଛି ସେକଥା ବୁଝିଲା ଅନେକ ପରେ । ଜୀବନ ଅନ୍ୱେଷଣ ପଥରେ ପ୍ରାପ୍ତି ଆଉ ପ୍ରବଞ୍ଚନାର ଗୋଟିଏ ମୁଦ୍ରାର ଦୁଇଟି ପାଖ ଏହା ବୁଝିବାକୁ ଜନ୍‌କୁ ବହୁତ ଦିନ ଲାଗିଗଲା । ତେଣୁ ତା’ର ଚରମ କ୍ଷୋଭ : ଆଃ ମୁଁ ଯଦି ଜାଣିଥାନ୍ତି ଏଇ ସମାଜ ଆଜି ତିଷ୍ଠି ରହିଛି ଗୋଟାଏ ‘ହୋକ୍‌ସ’-ପ୍ରବଞ୍ଚନା-ଧପ୍‌ପାବାଜୀ ଉପରେ, ତାହେଲେ କାହିଁକି ଆସିଥାନ୍ତି ଭାରତ ? ଆତ୍ମହତ୍ୟା କରିବାପାଇଁ ? ମୁଁ ଭାବିଥିଲି ଭାରତ ମୋତେ ଦେଖାଇବ ପରିପୂର୍ଣ୍ଣ ଜୀବନର ପଥ । କିନ୍ତୁ ସବୁ ହୋକ୍‌ସ-ସବୁ ଧପ୍‌ପାବାଜୀ ।’ (୫୩) ପାନ୍ନାଲାଲମାନଙ୍କ କଳାପୁଞ୍ଜି, ମୋହନ ଓବରାଇମାନଙ୍କ ପଶୁବଳ ଓ ଆତ୍ମାନନ୍ଦମାନଙ୍କ ପ୍ରାଣାୟମ ଆଉ ମେଡିଟେସନ ରାକେଟ ମଧ୍ୟରେ ପଡ଼ି ଜନ୍‌ ଭାରତର ନାଡ଼ୀ ଚିପି ସାରିଥିଲା । କିନ୍ତୁ ସେଥିରୁ ଉଦ୍ଧାର ପାଇବାର ବାଟ ତା ପାଇ ବନ୍ଦ ଥିଲା । ଏହା ଆଉ ଏକ ‘ଭାରତ ଆବିଷ୍କାର’ ।

 

(୫୩)

ହଂସଗୀତି-ପୃଷ୍ଠା-୧୦୬ ସୁରେନ୍ଦ୍ର ମହାନ୍ତି, ଗ୍ରନ୍ଥମନ୍ଦିର, ବିନୋଦ ବିହାରୀ କଟକ-୨, ୧୯୮୫ ।

 

ଆଭିଜାତ୍ୟ ଓ ପ୍ରାଚୁର୍ଯ୍ୟରେ ସୁନାଚାମୁଚ ମୁହଁରେ ଧରି ଜନ୍ମିଥିବା ରମେଶ ମଧ୍ୟ ଗ୍ରାସ୍‌, ହାସିସ୍‌, ଏଲ୍‌; ଏସ୍‌. ଡି. କୋକେନ ଓ ହିରୋଇନ ନିଶାରେ ନିଜକୁ ଜାଳିପୋଡ଼ି ନିଃଶେଷ କରି ଜୀବନର ଶେଷ ସଙ୍ଗୀତ ଗାଇଛି : ମୋ ପକ୍ଷେ ବର୍ତ୍ତମାନ ସବୁ ରାସ୍ତା ସମାନ । ସବୁ ରାସ୍ତା ଶେଷରେ ଶୂନ୍ୟତା......ନିର୍ଜନତା । (୫୪) ଅରୁଣ ବି ସମଦଶାପନ୍ନ, ଚରମ ବୈଫଲ୍ୟ ହତାଶା ମଧ୍ୟରେ ସେ ଶତାବ୍ଦୀର ଗରଳ ପାନକରି ଆତ୍ମଘାତୀ ହୋଇଛି । ସୁବ୍ରତ ନିଜକୁ ସାମିଲ କରିଛି ମହାନଗରୀର ମାୟା ପ୍ରହେଳିକାରେ । ବ୍ଳାକ୍‌ ଟିକେଟ୍‌ରୁ ପାନ୍ନଲାଲର ନାରକୋଟିକ ସଂସ୍ଥାରେ ସେ ୧୫ ପରସେଣ୍ଟ କମିସନ ବିନିମୟରେ ବହୁ ତରୁଣ ଓ କିଶୋରମାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖକୁ ଠେଲି ଦେବାର ଅଗ୍ନି ସଂଯୋଗ କରି ସେହି ଅଗ୍ନିରେ ଜାଳିପୋଡ଼ି ହୋଇଛି । ତା’ର ଏକମାତ୍ର ଆଶ୍ୱାସନା ସୁମିତ୍ରାକୁ ଚିଠିଲେଖି ମନକଥା କହିଛି : ‘‘ସଭ୍ୟତାର ଏଇ ମହାନଗରୀକୁ ଆସିଥିଲି ଜୀବନ ଆଉ ଜୀବିକା ସନ୍ଧାନରେ । କଳା ଟଙ୍କାର ଏଇ କୁବେରପୁରୀରେ ଜୀବିକା ଅଛି ନିଶ୍ଚୟ; କିନ୍ତୁ ଜୀବନ ନାହିଁ ଏଠାରେ । ଏହାର ଆକାଶରେ ପୋଡ଼ା ପେଟ୍ରୋଲର ଧୂଆଁ ଆଉ ପବନରେ ପ୍ରାଣକ୍ଷୟୀ ବିଷ ମୁଁ ବରଂ ଫେରିଯିବାକୁ ଚାହେଁ ଦାରିଦ୍ର୍ୟ ସୀମାରେଖା ତଳେ ସଙ୍କୁଚିତ ହୋଇ ପଡ଼ିଥିବା ସେଇ ଛୋଟ ମଫସଲି ସହରକୁ । ମୁଁ ଜାଣେ ସେଠାରେ ଜୀବନ ମିଳିବ ନାହିଁ-ସେଠାରେ ଆଁ ମେଲି ରହିଛି ଦାରିଦ୍ର୍ୟ ।’’ (୫୫) ଏମାନେ ସମସ୍ତେ ହତାଶ ଦଳ, ଜୀବନ-ଯୁଦ୍ଧରେ ପରାହତ ସୈନିକ । ଏ ଶତାବ୍ଦୀରେ ମାନବର ପ୍ରତିନିଧି ଏମାନେ । ହତ୍ୟା ନ ହେଲେ ଆତ୍ମହତ୍ୟା ଏମାନଙ୍କ ଜୀବନ ଦୀପ ନିର୍ବାପିତ କରେ । ପାନ୍ନାଲାଲମାନଙ୍କ କଳାପୁଞ୍ଜିର ଅସ୍ତ୍ର ଏମାନେ । ‘‘ଗୋଟିଏ ପୀଢ଼ି ଗୋଟିଏ ଜେନେରେସନର ଜହ୍ଲାଦ ।’’ ନିୟୂର୍କରୁ ବମ୍ବେ, ଦିଲ୍ଲୀ, କଲିକତା ଏବଂ ନିପଟ ମଫସଲ-ସବୁଠିଁ ଏକା ନାଟକର ଅଭିନୟ । ‘ଓଃ ! କାଲ୍‌କାଟା’ର ଗୁରୁଗ୍ୟାଙ୍ଗ ଦାଦାମାନଙ୍କ ଠୁଁ ଆରମ୍ଭ କରି ଆନ୍‌କାଜାଇଟୀ, ନିରୋସିସ୍‌ ସେନିଲିଟୀ ରୋଗଗ୍ରସ୍ଥ କମ୍ବଲ ତମ୍ବୁର ନାୟକ ସନ୍ତୋଷ ଅନ୍ତଃସାର ଶୂନ୍ୟ ଥାଟ ଧରି ବିବର୍ଣ୍ଣ ଦେହ, ଭଟ୍ଟା ନଈର ଶୂନ୍ୟ ଗର୍ଭ କର୍ଦ୍ଦମ ପଙ୍କପରି ତା’ ଅସ୍ତିତ୍ୱ ଏବଂ ମାନସିକ ଯନ୍ତ୍ରଣାରେ ମାଛପରି ଛାଟିପିଟି ହୋଇ ଆଗାମୀ ଦିନର ଉତ୍ପୀଡ଼କ ଶୂନ୍ୟଗର୍ଭକୁ ମୁକାବିଲା କରିବା ଲାଗି ଯା’ର ଆଲୋକ-ଭୀରୁ ଆଖି ଆପେ ଆପେ କ୍ଳାନ୍ତିରେ ମୁଦିହୋଇ ପଡ଼ୁଥିଲା ଏବଂ କମ୍ବଳ ତମ୍ବୁ ମଧ୍ୟରୁ ନିବୃତ୍ତି ଲାଗି ଯାହାର ମାନସିକ ବା ଶାରୀରିକ ପ୍ରସ୍ତୁତି ନଥିଲା-। ସେ ଅନୁଭବ କରୁଥିଲା ; ‘‘ତାକୁ ଯେପରି ହଠାତ୍‌ ପକ୍ଷାଘାତ ଗ୍ରାସ କରିଥିଲା । ଏ ପକ୍ଷାଘାତ.......ଏକ ବ୍ୟାଧିତ ବୌଦ୍ଧିକତାର ଜୀବନ ସହିତ ଅପରିଚୟର ।’’ (୫୬) ଚମତ୍କାର ଏକ ଉପସଂହାର ଗାଳ୍ପିକଙ୍କର । ଆଜିର ଅପୁରୁଷାକାରର ଏ ଶ୍ରେଷ୍ଠ ଲକ୍ଷଣ । ରାଧା ବିନୋଦ ନାୟକଙ୍କ ଭାଷାରେ ପୁରୁଷମାନେ ଜଣେ ଜଣେ ବୃହନ୍ନଳା । ଆମ ଶତାବ୍ଦୀର ବଡ଼ ଦୁର୍ଗୁଣ ଆମେ ଜୀବନକୁ ଚିହ୍ନିପାରିଲୁ ନାହିଁ, ଧରିପାରିଲୁ ନାହିଁ, ତା ସଙ୍ଗେ ହାତ ମେଳେଇ ପାରିଲୁ ନାହିଁ । ତେଣୁ ଆମର ଏ ଅଶାନ୍ତି ଓ ଦୁର୍ଗତି । ଚତୁଃପାର୍ଶରେ ଚକ୍‌କର କାଟୁଛି ଅଶାନ୍ତି, ଭ୍ରଷ୍ଟାଚାର, ଶୂନ୍ୟତା ଓ ବିଫଳତାର ଘୂର୍ଣ୍ଣି । ହତ୍ୟା, ଲୁଣ୍ଠନ, ଧର୍ଷଣ ଓ ରକ୍ତପାତର ହୋରିଖେଳ ଚାଲିଛି ଏଠି ଅହରହ । ସମସ୍ତ ପ୍ରାଚୀନ ମୂଲ୍ୟବୋଧ, ଆଦର୍ଶ, ବୈଶିଷ୍ଟ୍ୟ ଓ ମାନବିକତାର ଜଳାଞ୍ଜଳି ଦେଇ ଏକ ଅନ୍ତଃସାରଶୂନ୍ୟ ଥାଟ ଧରି ଖାଲି ପଡ଼ି ରହିଛି ଭାରତ । ସବୁ ଦେଇ କାଙ୍ଗାଳ ଆଜି ସେ । ବିନିମୟରେ ସବୁ ଗରଳ ଓ ଅଶାନ୍ତିର ଔପଚାରିକତାକୁ ସେ ପାଶ୍ଚାତ୍ୟରୁ ଗ୍ରହଣ କରିଛି । ଅର୍ଥ ଲୋଭରେ ଭାରତୀୟମାନେ ସେମାନଙ୍କ ପୂର୍ବପୁରୁଷଙ୍କ ଅମର କୀର୍ତ୍ତି ଶିଳ୍ପ ଭାସ୍କର୍ଯ୍ୟକୁ ମନ୍ଦିର ଗାତ୍ରରୁ, ମ୍ୟୁଜିୟମରୁ ବ୍ୟବଚ୍ଛେଦ କରି ଅମାନୁଷିକ ଭାବେ ବିକି ଚାଲିଛନ୍ତି, ଯେତେବେଳେ କି ପୁରାତନ ଗ୍ରୀସ୍‌ ଏବେ ସୁଦ୍ଧା ଶ୍ରଦ୍ଧା ଓ ସମ୍ମାନର ସହିତ ସ୍ମରଣ କରୁଛି ଏଥେନା ମୂର୍ତ୍ତିର ନିର୍ମାତା ଫିଡିଆସ ବା ହରମିସର ଶିଳ୍ପୀ ପ୍ରକ୍‌ସିଟିଲସ୍‌ଙ୍କୁ ସେମାନଙ୍କ ଶିଳ୍ପ ସୃଷ୍ଟିର ଅପୂର୍ବ ସମାଦର କରି । କିନ୍ତୁ ଭାରତର ପଥପ୍ରାନ୍ତରେ ଏମିତି ଅନେକ ବିସ୍ମୃତ ଯୁଗର ନାମହୀନ ସୃଷ୍ଟି କଳାବଜାରୀ ମୂର୍ତ୍ତିଚୋରଙ୍କ ଅର୍ଥପୁଞ୍ଜି ବଢ଼ାଉଛନ୍ତି । ଏହି ମୂର୍ତ୍ତି ବ୍ୟବଚ୍ଛେଦର ଏକ ନିର୍ମମ ପାଶବିକ ଚିତ୍ର, ‘‘ନିହାଣ ପରି ଗୋଟାଏ ଧାରୁଆ ଅସ୍ତ୍ର ଟ୍ରାଉଜର ପକେଟରୁ କାଢ଼ି ସେ ମୂର୍ତ୍ତିର ବେକ ଉପରେ ଚାପି ଧରିଲା । ତାପରେ ନିହାଣ ଉପରେ ଗୋଟାଏ ହାତୁଡ଼ି ପିଟି ମୂର୍ତ୍ତି ଦେହରୁ ସେ ମୁଣ୍ତଟାକୁ ଅଲଗା କରିଦେଲା । ଶାଳ ଭଞ୍ଜିକାର ଚ୍ଛିନ୍ନ କବନ୍ଧ ଉପରେ କଟା ପଥରର ଦନ୍ତୁରିତ ରେଖା କୁହୁଡ଼ି ବୋଳା ଜହ୍ନ ଆଲୁଅରେ ଦେଖାଯାଉଥିଲା ପ୍ରେତର ଦାନ୍ତ ପାଟି ପରି ।’’ (୫୭) ଏପରି ଏକ ପୈଶାଚିକ ପରିବେଶ ଭାରତୀୟ କଳା, ସାହିତ୍ୟ, ସଂସ୍କୃତି, ଚିତ୍ର, ଦର୍ଶନ ସବୁଠିଁ ବିଦ୍ୟମାନ । ଅତୀତ କୀର୍ତ୍ତି, ସ୍ମୃତି ଓ ଗୌରବର ଖାଲି କବନ୍ଧ ସବୁ ନୃତ୍ୟ କରୁଛନ୍ତି ଏବଂ ଏ ହିନ୍ଦୁସ୍ଥାନ ଏକ ବିରାଟ ଶ୍ମଶାନ ବା ଫଟାଭୁଇଁ Waste Land ଭାବେ ଜରାଜୀର୍ଣ୍ଣ ଦେହକୁ ନେଇ ପଡ଼ି ରହିଛି । ଭାରତୀୟ ସଂସ୍କୃତି କବନ୍ଧ ପରି ବିଭତ୍ସ ଓ ଭୟଙ୍କର ।

 

(୫୪)

ତତ୍ରୈବ ।

(୫୫)

ତତ୍ରୈବ ।

(୫୬)

କମ୍ବଳର ତମ୍ଭୁ-ଓଃ କାଲ୍‌କାଟା-ପୃଷ୍ଠା-୭୩ ।

(୫୭)

କବନ୍ଧ- ଓ ! କାଲ୍‌କାଟା, ପୃଷ୍ଠା-୧୦୪-୧୦୫

 

‘ଓ ! କାଲକାଟା’, ‘ହଂସଗୀତି’, ‘ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ’ ‘ଦୁଇ ସୀମାନ୍ତ’ ପ୍ରଭୃତିରେ ଜୀବନ ଓ ମୂଲ୍ୟବୋଧର ସେଇ ଅବକ୍ଷୟର ଚିତ୍ର ପରିପୂର୍ଣ୍ଣ । ‘ହଂସଗୀତି’ ଏକ ପ୍ରାଚୀନ ରୂପକଳ୍ପ ଉପରେ ବିସ୍ତାରିତ, ଏହାର ଅର୍ଥ ଜୀବନ ସଙ୍ଗୀତ । ଜୀବନ ଅନ୍ୱେଷଣ, ଉପଲବ୍‌ଧି ଓ ଉପଭୋଗର ବିଭିନ୍ନ ପନ୍ଥା ଅବଲମ୍ବନ କରି ବିଫଳତାର ଶୋଣିତ ଶଯ୍ୟାରେ ହତ୍ୟା ବା ଆତ୍ମହତ୍ୟାର ଶୀକାର ହୋଇଛନ୍ତି ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଳବାୟୁ ପୁଷ୍ଟ ବିଫଳ ପ୍ରୟାସୀ ଉଦବାସ୍ତୁ ଯୁବ ସଂପ୍ରଦାୟ । ‘ଓ ! କାଲକାଟା’ରେ ପୌରୁଷର ଅବକ୍ଷୟ ପ୍ରଦର୍ଶିତ ହୋଇଛି, ଯଦିଓ ଜୀବନ ଅନ୍ୱେଷଣ ଓ ଆଧ୍ୟାତ୍ମିକତା ପାଇଁ ବ୍ୟାକୁଳତା ପ୍ରକାଶ ପାଇଛି । ‘କମ୍ବଳ ତମ୍ବୁ’ ଗଳ୍ପରେ ଯେଉଁ ‘ବ୍ୟାଧିତ ବୈଦ୍ଧିକତା’ କଥା ଆଲୋକପାତ କରାଯାଇଛି, ତାର ବିକାଶ ଘଟିଛି ‘ଦୁଇ ସୀମାନ୍ତ’ରେ । ଏହାର ଅଧିକାଂଶ ଗଳ୍ପ ଫ୍ରୟେଡୀୟ ‘ଲିବିଡୋ’ ବା ଯୌନତତ୍ତ୍ୱ ଉପରେ ପର୍ଯ୍ୟବସିତ । ‘କ୍ଳାନ୍ତ ଚୈତାଳି’, ‘କାଠଘୋଡ଼ା’, ‘ଦୁଇସୀମାନ୍ତ’ ଓ ‘ଶେଷ ରାତିର ଏକ୍‌ସପ୍ରେସ’ ଗଳ୍ପଗୁଡ଼ିକ ବାସ୍ତବଧର୍ମୀ ଓ ଅନୁଭୂତି ସିଦ୍ଧ । ବିବୃତ୍ତିମୂଳକ ହେଲେ ହେଁ ‘୨୦୬୭’ ଗଳ୍ପଟି ସୂଚନାଧର୍ମୀ ଓ ନୂତନତାର ବାର୍ତ୍ତାବହ । ଏଥିରେ ସେହି ବ୍ୟାଧିତ ବୌଦ୍ଧିକତାର ଅବକ୍ଷୟ କଥା କୁହାଯାଇଛି ଯାହା ୨୦୬୭ ବେଳକୁ ଚରମ ସୋପାନରେ ପହଞ୍ଚିଥିବ । ଜର୍ଜଅରଓ୍ୱେଲଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘୧୯୮୪’ ଗୋଟାଏ ଶତାବ୍ଦୀ ପୂର୍ବର ବୌଦ୍ଧିକ ଦାସତ୍ୱ ବା ‘ Intellectual slavery’ (୫୮) ସମ୍ପର୍କରେ ଏକ ହାଇପଥେସିସ ଯାହାର ସତ୍ୟତା ଭଲଭାବେ ପରୀକ୍ଷିତ ହେଲା । ଅଚ୍ୟୁତାନନ୍ଦ ପ୍ରମୁଖଙ୍କ ମାଳିକା ମଧ୍ୟ ସେହି ଭାବେ ଭବିଷ୍ୟତର ଦିବ୍ୟଦର୍ଶନକୁ ସୁରେନ୍ଦ୍ର ମହାନ୍ତି ଗଳ୍ପ ଉପନ୍ୟାସରେ ପ୍ରୟୋଗ କରିଛନ୍ତି । ‘କାଳାନ୍ତର’ର ଅନାମ ଦାସ ବାବାଜୀଙ୍କ ପ୍ରଫେସି ବା ମାଳିକା ଉଦ୍ଧୃତିରୁ ପ୍ରଳୟ ଘୋଷଣା : ‘‘ସୀତା ଠାକୁରାଣୀ ଅସତୀ ହୋଇବେ, ପର୍ବତେ ଫୁଟିବ କଇଁ’’ ବା ‘‘ଚେତିଲା ପୁରୁଷ ଚେତାରେ ତରିବେ, ବିହନ୍ତା ପୁରୁଷ ମଲା/ମୋର ମୋର ହୋଇ ମରିବେ ସମସ୍ତେ ଅଚ୍ୟୁତର କିସ ଗଲା ?’’ ନେତି ନେତିରେ ବରା ଦୋକାନୀ ମୁହଁରେ ମାଲିକାର ପହେଳି, ‘‘ମୋହନା ମୁଗଲ ମାତିବ ।’’ ଅନୁରଣିତ । ଏ ସବୁର ଚର୍ଚ୍ଚା ଗଣଚେତନାରେ ସାନ୍ଦ୍ର ଓ ନିବିଡ଼ ଭାବେ ଜର୍ଜରିତ । ଦୁଇ ସୀମାନ୍ତର ୨୦୬୭ ଗଳ୍ପ ଓ ‘ନେତି ନେତି’ ବା ‘କାଳାନ୍ତର’ରେ ଗାଳ୍ପିକ ଏହି ଦିବ୍ୟ ଦର୍ଶନକୁ କଳାତ୍ମକ ଭାବେ ଉପସ୍ଥାପନ କରି ଓଡ଼ିଆ କଥାସାହିତ୍ୟରେ ନୂତନ ଦିଗ ଉନ୍ମୋଚନ କରିଛନ୍ତି ।

 

(୫୮)

Ninteen Eighty Four-George Orwell, Penguine Books.

 

ଜୀବନର ବ୍ୟାପକ ପରୀକ୍ଷା କରିଛନ୍ତି ଗଳ୍ପ-ସାହିତ୍ୟରେ ସୁରେନ୍ଦ୍ର ମହାନ୍ତି । ତାଙ୍କ କଥା-ସାହିତ୍ୟର ପରିଧି ବଡ଼ ବ୍ୟାପକ, ତାଙ୍କ ଜୀବନର ସଂଜ୍ଞା ବିରାଟ, ତାଙ୍କ ଅନୁଭୂତିର ମାତ୍ରା ଅତି ସାନ୍ଦ୍ର । ସେ ଅତି ସିରିୟସ ଆର୍ଟିଷ୍ଟ । ଜୀବନର ଟ୍ରାଜିକ ଦିଗକୁ ସେ ମାର୍ଲ୍ୟେ, ସେକ୍‌ସପିୟର ଓ ଶରତଚନ୍ଦ୍ରଙ୍କ ପରି ହାଡ଼େ ହାଡ଼େ ଉପଲବ୍‌ଧି କରିଛନ୍ତି । ତେଣୁ ତାଙ୍କ ଗଳ୍ପ ଉପନ୍ୟାସ ଗୋଟିଏ ଗୋଟିଏ ଟ୍ରାଜେଡୀ ଏବଂ ତାଙ୍କ ବାକ୍ୟ ବିନ୍ୟାସରେ ବୌଦ୍ଧିକ ବିଦ୍ରୂପର ଶାଣିତ ଛଟା ବିଦ୍ୟମାନ । ଚରିତ୍ରମାନଙ୍କ ପ୍ରତି ଯେତିକି ଶ୍ଳେଷୋକ୍ତି ତାଙ୍କ ଗଳ୍ପ ଉପନ୍ୟାସରେ ପରିଲକ୍ଷିତ ହୁଏ ତତୋଽଧିକ ସମ୍ବେଦନାର ମାତ୍ରା ବି ଭରପୂର । ହୁଏତ ଟ୍ରାଜେଡୀ ବିଧି ନିର୍ଦ୍ଦିଷ୍ଟ ହୋଇଥାଏ । କିନ୍ତୁ ଅନେକ ସମୟରେ ଚରିତ୍ରମାନେ ହିଁ ଟ୍ରାଜେଡୀପାଇଁ ପଥପ୍ରସ୍ତୁତ କରିଥାନ୍ତି । ଏକ ବିକୃତ ମସ୍ତିଷ୍କର ବିଚିତ୍ର ଚିନ୍ତାଧାରା ବା ‘abnormal conditions of mind’ ଯାହା ସୁରେନ୍ଦ୍ର ମହାନ୍ତିଙ୍କ ଗଳ୍ପ ଉପନ୍ୟାସରେ ବହୁଧା ପରୀକ୍ଷା କରାଯାଇଛି । ‘ହଂସଗୀତି’ତ ଏମିତି ଏକ ଟ୍ରାଜେଡୀ ଏବଂ ଏହାର ପ୍ରତ୍ୟେକ ଚରିତ୍ର ଟ୍ରାଜେଡୀ ମହାସ୍ରୋତକୁ ତ୍ୱରାନ୍ୱିତ କରିଛନ୍ତି । ‘ନୟନପୁର ଏକ୍‌ସପ୍ରେସ’ରେ ଖଳନାୟକ ନରେନ୍ଦ୍ର ମେଘାବ୍ରିଜରେ ଲାଇନସ୍ଳାବ ଉଠାଇ ଦେଇ ଫାଇଭ ଡାଉନ ନୟନପୁର ଏକ୍‌ସପ୍ରେସର ନିଶ୍ଚିତ ଦୁର୍ଘଟଣା ନିମନ୍ତେ ସମସ୍ତ ବ୍ୟବସ୍ଥା କରିଦେବା ପରେ ସେ ଟ୍ରାଜେଡୀର ଭୟଙ୍କରିତାକୁ ଉପଲବ୍‌ଧି କରିଛି ନରେନ୍ଦ୍ର : ‘‘ନାରୀକଣ୍ଠର ଆର୍ତ୍ତକ୍ରନ୍ଦନ, ଶିଶୁର ଚିତ୍କାର, ବୃଦ୍ଧର ଆର୍ତ୍ତନାଦ, ବୃଦ୍ଧାର ମୃତ୍ୟୁ ଯନ୍ତ୍ରଣା.........ମୃତ୍ୟୁର ଅଟ୍ଟହାସ ।’’ (୫୯) ଏ ହତ୍ୟା ନିର୍ମମ, ପାଶବିକ, ଜଘନ୍ୟ ବୋଲି ତା ସୁପ୍ତ ଚେତନାରେ ଉଖାରି ଉଠିବା ଆଗରୁ ସୈତାନୀ ମନ ତାର ଇତିହାସର ପ୍ରାମାଣିକ ତଥ୍ୟ ଯୋଗାଇ ସମର୍ଥନ ଜଣାଉଛି ‘‘ଇତିହାସର ପୃଷ୍ଠା ଲେଉଟାଇ ଦେଖ, ଦେଖିବ ଯେ ଯେତିକି ନିର୍ମମ ନରହନ୍ତା, ତାପାଇଁ ସେତିକି ବେଶୀ ଜୟଗାନରେ ପୃଷ୍ଠାପରେ ପୃଷ୍ଠା ମୁଖରିତ ହୋଇ ଉଠିଛି । ଆଲେକ୍‌ଜାଣ୍ତାର, ଅଶୋକ, ଖାରବେଳ, ଶିବାଜୀ, ନେପାଲିୟନ, ହିଟ୍‌ଲର ।’’ କିନ୍ତୁ ସେଇ ବର୍ଷଣ ମୁଖର ରାତ୍ରିର ନରେନ୍ଦ୍ର ବସାରେ ପହଞ୍ଚି ଯେତେବେଳେ ଦେଖେ ପତ୍ନୀ ମଞ୍ଜୁର ଚିଠି ‘ନୟନପୁର ଏକ୍‌ସପ୍ରେସରେ ଜୁଲାଇ ୨୫ ତାରିଖ ଦିନ ମୁଁ ମନୀକୁ ସାଙ୍ଗରେ ଧରି ଯାଉଛି । ତମେ, ମୋ ରାଣଟି ଷ୍ଟେସନକୁ ଆସିଥିବ ନିଶ୍ଚୟ ।’’ (୬୦) ପାଗଳ ପରି ଧାଇଁଯାଇ କାନ୍ଥ କାଲେଣ୍ତର ଦେଖିଲା ଆଜି, ଆଜି ଜୁଲାଇ ୨୫ ତାରିଖ । ସମୟ ସେତେବେଳେ ୨ଟା ସତଚାଳିଶ-। ଆଉ ମାତ୍ର ଦଶମିନିଟ ବାକି ଜୀବନର ସେ ମହାନ ଟ୍ରାଜେଡୀ ସଂଘଟନ ଲାଗି । ‘‘ନରେନ୍ଦ୍ର ମୁହଁମାଡ଼ି କାନଭାସ ଖଟଟା ଉପରେ ପଡ଼ିଗଲା । ନୟନପୁର ଏକସ୍‌ପ୍ରେସ ନରେନ୍ଦ୍ରର ମୁଣ୍ତ ଭିତରେ ଯେମିତି ଛୁଟି ଚାଲିଛି । ଘଣ୍ଟାକୁ ଅଶୀମାଇଲ ବେଗରେ.......ନିର୍ମମ, ନିଷ୍କରୁଣ ନିଷ୍ଠୁର-। (୬୧) ଏଇତ ମହାନାଟକର ଟ୍ରାଜେଡୀ ମଣିଷର ନିଜ ହାତଗଢ଼ା ଯାହାକୁ ବ୍ରାଡ୍‌ଲେ କହନ୍ତି : ‘‘The tragic world is a world of action, and action is the translation of thought into reality , (୬୨) ସଗୀତିରେ ସମସ୍ତେ ଜଣେ ଜଣେ ଟ୍ରାଜିକ ହିରୋ ଏବଂ ସେମାନେ ନିଜ ହାତରେ ନିଜ ଜୀବନର ଯବନୀକା ଟାଣିଛନ୍ତି । କିନ୍ତୁ ‘କାଳାନ୍ତର’ର ପରିବେଶ ଭିନ୍ନ । ଟ୍ରାଜେଡୀ ପାଇଁ କୌଣସି ଚରିତ୍ରର କିଛି ହାତ ନାହିଁ ବା ତାହା ତା ଅକ୍ତିୟାରର ଢେର ଊର୍ଦ୍ଧ୍ୱରେ । ହୁଏତ ‘ଯଦୁବଂଶ’ରେ ଚରିତ୍ରମାନେ ଟ୍ରାଜେଡୀ ଭିଆଇଛନ୍ତି । କିନ୍ତୁ ତାହା ଇଚ୍ଛାକୃତ ନୁହେଁ । ସେମାନେ ଏକ ଐଶୀଶକ୍ତି ବା ‘Super natural Force’ଦ୍ୱାରା ପରିଚାଳିତ । ଯଦୁବଂଶରେ ନିଜେ କୃଷ୍ଣ ସେହି ଭୂମିକା ଗ୍ରହଣ କରିଥିବା ବେଳେ କାଳାନ୍ତରରେ ‘ପ୍ରକୃତି ବିୟୋଗାନ୍ତକ ନାଟକ ସୂତ୍ରପାତ କରିଛି । Uiysses ପରି ଏହାର ସମୟ ପରିସୀମା ଚବିଶ ଘଣ୍ଟା । କିନ୍ତୁ ହୋମରଙ୍କ ଇଉଲିସିଜ୍‌ ୨୪ ଘଣ୍ଟାରେ ଭୌଗୋଳିକ ପରିକ୍ରମଣ କାରିଥିବା ବେଳେ ଜେମସ୍‌ ଜୟସଙ୍କ ଇଉଲିସିଜ ମାନସିକ ରୋମନ୍ଥନ (Mental Wandering) କରିଛି । (୬୩) କିନ୍ତୁ ‘କାଳାନ୍ତର’ର ନାୟକ ଉଭୟ ‘ଭୌଗୋଳିକ ଜଗତ’ ଓ ମାନସିକ ପରିକ୍ରମା କରିଛି । କିନ୍ତୁ ଜୟସଙ୍କ ପରି କଳାର ସଂଯୋଗକାରୀ ଶକ୍ତିଭାବେ ସ୍ଥାନ ଓ କାଳ (Time and space) କୁ ଗ୍ରହଣ କରିଛନ୍ତି ଏବଂ ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ସଂହତି ପୂର୍ନଅନ୍ୱେଷଣ ଦିଗରେ ଯତ୍ନଶୀଳ । ସମୟର ଚଉତରା ଉପରେ ତାଙ୍କ କଥା-ସାହିତ୍ୟର ବୃତ୍ତ ଅଙ୍କିତ ହୋଇଛି । ତାଙ୍କର ଅଧିକାଂଶ ଚରିତ୍ର ସମୟ ସଚେତନ । ସେମାନେ ଏ ଶତାବ୍ଦୀର ଯନ୍ତ୍ରଣାକୁ ହାଡ଼େ ହାଡ଼େ ଅମଜେଇଛନ୍ତି । ସମୟ ବୃତ୍ତର ଚତୁର୍ପାର୍ଶ୍ଵରେ ପରିକ୍ରମା କରି ସେମାନେ ତାଙ୍କ ଜୀବନକୁ ତନଖିଛନ୍ତି, ଅନ୍ୟମାନଙ୍କ ସଙ୍ଗେ ପ୍ରତିଦ୍ୱନ୍ଦିତା କରି ଆଗକୁ ପାହୁଣ୍ତ ପକେଇଛନ୍ତି । ସେ ବ୍ୟସ୍ତମୁଖର ପରିବେଶ ମଧ୍ୟରେ ବି ମଣିଷ ଚାହେଁ ସମୟର ପ୍ରତ୍ୟେକ ଭଗ୍ନାଂଶକୁ ସଦୁପଯୋଗ କରି ଜୀବନର ସ୍ୱାଦ ରଖିବ । ‘ମୁହୂର୍ତ୍ତ’ ଗଳ୍ପରେ ସମୟରେ ଏକ ଅସ୍ଥିର ଚିତ୍ର ବେଶ କଳାତ୍ମକଭାବେ ଟଣା ଯାଇଛି-ରେଳର କ୍ଷୁଦ୍ର କଂପାର୍ଟମେଣ୍ଟ ଭିତରେ ବି ସଦ୍ୟ ବିବାହିତା ଦମ୍ପତି ଶ୍ରୀ ଓ ଶ୍ରୀମତୀ ସୋମ ଜୀବନର ଲଘୁ ମୁହୂର୍ତ୍ତଗୁଡ଼ିକ ଉତ୍ତେଜନାମୟ କରିବା ଲାଗି ବ୍ୟଗ୍ର ହୋଇ ଉଠିଛନ୍ତି । ସମୟର ଅସ୍ଥିର ଓ ଅନିଶ୍ଚିତ ଚୌହଦୀରେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ରଙ୍ଗୀନ୍‌ ହେଉ, ଉପଭୋଗ୍ୟ ହେଉ । ରେଳର ଅସମାନ୍ତର ଗତିରେ ହୁଏତ ସେମାନଙ୍କ ଆଲିଙ୍ଗନ, ଆଶ୍ଳେଷ ଓ ଚୁମ୍ବନ ଆଦି ବାଧାପ୍ରାପ୍ତ ହେଉଛି ; ତଥାପି ସେଇ ତନ୍ମୟ ବିଭୋର ମୁହୂର୍ତ୍ତକୁ ସେ ଉପଭୋଗ କରି ଚାଲିଛନ୍ତି । କିଏ ଜାଣେ କେଉଁ ଏକ ଅସତର୍କ ମୁହୂର୍ତ୍ତରେ ସେମାନଙ୍କର ଏ ଜୀବନ, ଟ୍ରେନ ବା ପୃଥିବୀ ହଠାତ୍‌ ବିସ୍ଫୋରିତ ହୋଇ ନ ଯିବ ? ତେଣୁ ଜୀବନର ଶେଷ ମୁହୂର୍ତ୍ତକୁ ବି ଅପୂର୍ଣ୍ଣ ସମ୍ଭୋଗର ଚରିତାର୍ଥ ସମୟ ସଙ୍ଗେ ସମତାଳଭାବେ କରାଯିବା ଲାଗି ସେମାନେ ସତତ ବ୍ୟଗ୍ର ।

 

(୫୯)

ନୟନପୁର ଏକ୍‌ସପ୍ରେସ-କୃଷ୍ଣଚୂଡ଼ା ।

(୬୦)

ତତ୍ରୈବ ।

(୬୧)

ତତ୍ରୈବ ।

(୬୨)

Shakespearean Tragedy-by A. C. Bradley, Macmillan, London, 1969.

(୬୩)

Ulysses-James Joyce-Penguine classic.

 

ତାହା କରିପାରି ନ ଥିବାରୁ ‘କୃଷ୍ଣଚୂଡ଼ା’ ଗଳ୍ପର ନାୟକ ଅପୂର୍ଣ୍ଣ ପ୍ରୟାସ ଓ ଚରମ ଗ୍ଳାନି ଭିତରେ ପ୍ରକାଶ କରିଛନ୍ତି : ‘‘ମଣିଷ ମରିଯାଏ, କୋଉଦିନ ନିଜ ଅଲକ୍ଷିତରେ ମରିଯାଏ । ତା’ପରେ ଯେଉଁ ଅବଶିଷ୍ଟ ଜୀବନ ପଡ଼ିରହେ, ସେ ଖାଲି କ୍ରୀତଦାସର ବୈଚିତ୍ର୍ୟହୀନ ବଞ୍ଚିବା’’ (୬୪) କିନ୍ତୁ ସବୁ ଯନ୍ତ୍ରଣା ସତ୍ତ୍ୱେ ମଣିଷ ଯେପରି ବଞ୍ଚିବାର ଆଗ୍ନେୟ ଶପଥ ନିଏ । ସେଥିପାଇଁ ‘ହଂସଗୀତି’ର ଯନ୍ତ୍ରଣା ଜର୍ଜର ଅରୁଣର ଅଭିବ୍ୟକ୍ତି ‘‘ଏଇ ବଞ୍ଚିବାର ମୋହ ତ କମ୍‌ ନୁହେଁ । ସେଥିପାଇଁ ଆତ୍ମହତ୍ୟାକୁ ମଧ୍ୟ ମୁଁ ଭୟ କରେ ସୁବ୍ରତ ।’’ ଏବଂ ଅରୁଣ ହର୍‌ ମେନ୍‌ ହେସଙ୍କୁ ଉଦ୍ଧାର କରି କହେ : ଯନ୍ତ୍ରଣାକୁ ସହ୍ୟ କରିବା ମଧ୍ୟଦେଇ ଫୁଟିଥାଏ ଜୀବନର ମହିମା ।’’ (୬୫) ଯଦିଓ ‘କୃଷ୍ଣଚୂଡ଼ା’ର ନାୟକ ପାଇଁ ‘‘ମନେହେଲା ଏ ପୃଥିବୀ ମରି ଯାଇଛି । ସଦାନନ୍ଦ ମରିଯାଇଛି । କୃଷ୍ଣଚୂଡ଼ା କେବଳ ସେଇ ଏକଦା ଛବିଳ ଜୀବନର ଅଶ୍ରୁଳ ସ୍ମାରକୀ ।’’ (୬୬) କାନ୍ତମାମୁଁଙ୍କଠୁଁ ମାନବେନ୍ଦ୍ର, ରମେଶ, ଅରୁଣ ଓ ସୁବ୍ରତମାନେ ସମସ୍ତେ ଜୀବନ ଖୋଜିଛନ୍ତି ଯେଝା ପରିଧିରେ, କିନ୍ତୁ କେତେଜଣ ପାଇଛନ୍ତି ସେ ଜୀବନର ସ୍ୱାଦୁ ? ‘କୃଷ୍ଣଚୂଡ଼ା’ର ସମ୍ପାଦକ ପରି ‘ବାବିତା’ ଗଳ୍ପର ପ୍ରୋଟାଗନିଷ୍ଟ କହନ୍ତି ‘‘ମହାନଗରୀର ସବୁ କୋଳାହଳ ମଧ୍ୟରେ ମନୁଷ୍ୟ କେତେ ନିଃସଙ୍ଗ ସବୁ କର୍ମ ବ୍ୟସ୍ତତା ମଧ୍ୟରେ ତା’ର ଜୀବନ କେଡ଼େ ଶୂନ୍ୟ ଗର୍ଭ !’’ ଏହା ଏକ ଦୁର୍ବିସହ ବେଦନାବୋଧ, ଯାହା ଏକ ସିନିସିଜମ୍‌ ବା ଅସୁସ୍ଥ ମସ୍ତିଷ୍କର ପ୍ରତିଫଳନ । ଏହା ହୁଏତ ସେଇ ପପ୍‌କଲଚର ଯାହାକୁ ଲେଖକ କହନ୍ତି, ‘‘ପପ୍‌କଲ୍‌ଚର କିନ୍ତୁ ସଂସ୍କୃତି ନୁହେଁ, ଏକ ସୌଦାଗରୀ କୌଶଳ ଅପସଂସ୍କୃତି ।’’ (୬୭) କିନ୍ତୁ ମାନବେନ୍ଦ୍ର ଜୀବନକୁ ମିଶ୍ରଭାବେ ତଉଲିଛି । ସେ କହେ ‘‘ଆଶ୍ଚର୍ଯ୍ୟ ଏ ଜୀବନ । ଯେଉଁ ପର୍ଯ୍ୟନ୍ତ ଜୀବନ ଅଛି, ସେ ପର୍ଯ୍ୟନ୍ତ ଏମିତି ଖୁମ୍ପା ଖୁମ୍ପି ହେବାପାଇଁ ପଡ଼ିବ ।’’ (୬୮) ଜୀବନପାଇଁ ସଂଗ୍ରାମ, ଆକ୍ରମଣ ଓ ପ୍ରତିଆକ୍ରମଣ ନିଶ୍ଚିତ । ହୁଏତ ଜୀବନ ବିଭତ୍ସ ବା ଭୟଙ୍କର ବି ହୋଇପାରେ । ତଥାପି ସେଇ ଭୟାନକ ପରିବେଶରୁ ବି ଜୀବନକୁ ତିଳେ ତିଳେ ଉପଭୋଗ କରିବାପାଇଁ ଆମେ ବଞ୍ଚି ରହୁ । କାନ୍ତ ମାମୁଁ ବି କିଛି ବନ୍ଧନ ନ ଥାଇ ଖଞ୍ଜ ପାଦରେ ଏମିତି ପ୍ରତୀକ୍ଷାରେ ବଞ୍ଚି ରହିଛି । ମନୋଜ ଦାସଙ୍କ ‘ମଧୁବନର ମେୟର’ଙ୍କ ପରି ମଧ୍ୟ ଜୀବନ ଚରମ ଗ୍ଳାନି, କ୍ଷୋଭ ଓ ଲଜ୍ୟାକର ପରିସ୍ଥିତି ପରେ ବି ଅନ୍ୟଠୁଁ ବସ୍ତ୍ର ଭିକ୍ଷା କରି ମଣିଷ ସବୁ ଗ୍ଳାନି ଓ କାଳିମାକୁ ଝାଡ଼ିଝୁଡ଼ି ଏକ ଶୁଚିବନ୍ତ ସଭ୍ୟ ଲୋକ ଭାବେ ଦେଖା ଦିଏ । ଆଧୁନିକ ସଭ୍ୟତା ଓ ମଣିଷ ପ୍ରତି ଏହା ଚରମ ବିଦ୍ରୂପ ଏବଂ ନିଃସଙ୍ଗ ଓ ନିଃସହାୟ ଜୀବନର ପ୍ରତିଛବି । ନେତିନେତିର ଉପସଂହାରରେ ମାନବେନ୍ଦ୍ର ଜୀବନର ଏକ ସଂଜ୍ଞା ନିରୂପଣ କରେ । ‘‘ଜୀବନ ନଦୀ ନୁହେଁ । ଜୀବନ ଏକ ସ୍ଥିର ବିନ୍ଦୁ ।’’ (୬୯) କିନ୍ତୁ ସଂସାର ନଦୀର ସ୍ରୋତ, ତରଙ୍ଗ ଓ ଆବର୍ତ୍ତରୁ ଜୀବନ-ତରୀକୁ ସ୍ଥିର ଭାବରେ ପଝାରୀ ଧରି ନିରାପଦ ସ୍ଥାନକୁ ବାହି ନେବାକୁ ହେବ । ‘ପାଗଳା ଗାରଦର କାହାଣୀ’ରେ ସୋମନାଥ ‘କୃଷ୍ଣଚୂଡ଼ା’ର ନାୟକ ପରି ଏ ଶତାବ୍ଦୀର ଗତାନୁଗତିକ ଔପଚାରିକତା ଓ କୃତ୍ରିମ ଜୀବନଧାରାରେ ଶ୍ୱାସରୁଦ୍ଧ ହୋଇ ଅବସର ଜୀବନରେ ଚାହିଁଛନ୍ତି ଟିକିଏ ମୁକ୍ତ ଆମୋଦ ଓ ସ୍ୱାଭାବିକ ଜୀବନର ଖୋଲା ଉପଭୋଗ । ଆଧୁନିକ ଜୀବନର ହିପୋକ୍ରିସର ଆବ୍ରୁ ଖୋଲିଦେବା ସକାଶେ ସୋମନାଥ ଶୈଶବକୁ ଫେରି ଯାଇଛନ୍ତି । ମନକୁ ହାଲ୍‌କା କରିବା ପାଇଁ, ଅବସର ଜୀବନର ସ୍ୱାଦୁ ଚାଖିବାପାଇଁ ସେ ସ୍ୱଭାବ ସାରଲ୍ୟ ଭାବରେ ମନଖୋଲା ଅଭିନୟ କରିଛନ୍ତି ଡ୍ରଇଂରୁମ୍‌ର ଗୋଟିଏ ମୁଖା ନିଜ ମୁହଁରେ ଏବଂ ଅନ୍ୟଟି ନାତି ମଣ୍ଟୁ ମୁହଁରେ ଲଗାଇ । ଆରମ୍ଭ ହୋଇଛି ଆଦିମାନବର ସ୍ୱାଭାବିକତାର ପୁନରାବୃତ୍ତି । କିନ୍ତୁ ପରିବାରର ପୁତ୍ର, ସ୍ତ୍ରୀ ପୁତ୍ରବଧୂ ଠିଁ ଆରମ୍ଭ କରି ସମସ୍ତେ ତାଙ୍କୁ ପାଗଳ ବୋଲି ସାବ୍ୟସ୍ତ କରି ହାତକଡ଼ା ଓ ଗୋଡ଼ରେ ବେଡ଼ୀ ପିନ୍ଧେଇଛନ୍ତି । ଏକ ଅବରୁଦ୍ଧ କୋଠରୀରେ ବନ୍ଦୀ ସୋମନାଥ କାନ୍ଥରେ କେତେ କ’ଣ ଚିତ୍ର ଆଙ୍କି ମନକୁ ମନ ଆବୃତ୍ତି କରିଛନ୍ତି : ମୁଁ ପାଗଳ ନୁହେଁ, ମୋତେ ପାଗଳ କହୁଥିବା ସବୁ ଲୋକ ପାଗଳ । ଆଜି ଦୁନିଆ ଅବସ୍ଥା ତଦ୍ରୂପ । ଆମେ ସମସ୍ତେ ନିଜକୁ ଢାଙ୍କିବାପାଇଁ ଅନ୍ୟ ଠିଁ ଦାଗ ଦେଉଛୁ । ସୋମନାଥ ଜୀବନର ସଂଜ୍ଞା ଖୋଜିବାକୁ ଯାଇ ପାଗଳା ଗାରଦରେ ବନ୍ଦୀ । ସାରା ଜଗତ ଏକ ପାଗଳା ଗାରଦ ଓ ଆମେ ସମସ୍ତେ ଜଣେ ଜଣେ ନ୍ୟୁରୋଟିକ ପାସେଣ୍ଟ । ସେହିପରି ‘କୁବେର କବିତା’ ‘ତୃଷ୍ଣା ବିତୃଷ୍ଣ’ ‘ନୀଳଜ୍ୟୋତ୍ସ୍ନା’ ସର୍ବତ୍ର ସେଇ ଜୀବନର ବ୍ୟର୍ଥତାର ଅର୍କେଷ୍ଟ୍ରା ବାଜିଛି, ଶତାବ୍ଦୀର ଚରମ ବିଫଳତା ରୂପାୟିତ ହୋଇଛି । ‘ମରାଳର ମୃତ୍ୟୁ’ର ଅନ୍ତରାଳରେ ମାଳିକାର କଙ୍କାଳ ବିଦ୍ୟମାନ । ନୀଳ କଳ୍ପବଟ ମୂଳରୁ ସିଦ୍ଧ ନିରଞ୍ଜନଙ୍କ ଖଞ୍ଜଣିର ଆକସ୍ମିକ ଉଦ୍ଧାର ପୁଣି ଥରେ ଲୋକମାନଙ୍କ ମନରେ ଏକ ବିଶ୍ଵାସ, ଏକ ପ୍ରତ୍ୟୟ ଆଣି ଦେଇଛି | ଇଂଜିନିୟର ସୁବୋଧ ସୁଚିତ୍ରା ଓ ମରାଳ ମଧ୍ୟରେ ବିଭେଦ ବାରି ପାରିନି । ତା’ର ଅବଚେତନ ମାନସରେ ଉଭୟ ଆସିଛନ୍ତି । ଗୁଳିମାରି ସେ କେତେବେଳେ ସୁଚିତ୍ରା ତ କେତେବେଳେ ମରାଳକୁ ବଧ କରିଛି । ମରାଳର ମୃତ୍ୟୁ ପରମ୍ପରାର ବିଲୋପ, ମୂଲ୍ୟବୋଧର ମୃତ୍ୟୁ ଏବଂ ସୁଚିତ୍ରା ପ୍ରେମର ପ୍ରତୀକ । ଆଧୁନିକ ଜୀବପରିଧିରେ ମୂଲ୍ୟବୋଧ, ପ୍ରେମ, ଐତିହ୍ୟ ଓ ମାନବିକତାର ସଂପୂର୍ଣ୍ଣ ବିଲୋପ ଘଟିବାର କଳାତ୍ମକ ପ୍ରତିଫଳନ ‘ମରାଳମୃତ୍ୟୁ’ ଗଳ୍ପରେ ଘଟିଛି ।

 

(୬୪)

କୃଷ୍ଣଚୂଡ଼ା-ପୃଷ୍ଠା-୧୧୩

(୬୫)

ହଂସଗୀତି-ପୃଷ୍ଠା-୧୧୭

(୬୬)

କୃଷ୍ଣଚୂଡ଼ା-ପୃ- ୧୧୪

(୬୭)

ବାଚିତା-ଯଦୁବଂଶ ଓ ଅନ୍ୟାନ୍ୟ କବିତା, ପୃଷ୍ଠା-୧୨୧

(୬୮)

ନେତିନେତି-ପୃଷ୍ଠା-୨୫୯

(୬୯)

ନେତିନେତି-ପୃଷ୍ଠା-୨୯୦

 

ସାଂପ୍ରତିକ ସମୟ ଓ ସମାଜର ରୂପ ସୁରେନ୍ଦ୍ର କଥା-ସାହିତ୍ୟରେ ସାନ୍ଦ୍ରଭାବେ ପ୍ରକଟିତ । ତାଙ୍କ ଗଳ୍ପ ଉପନ୍ୟାସର ଅଧିକାଂଶ ନାୟକ ନାୟିକା ବ୍ୟାଧିତ ମାନସିକ ବିକାରଗ୍ରସ୍ଥ, ସିନିକ୍‌, ମାତାଲ, ନିରୋଟିକ୍‌ ଓ ସ୍ଳିପିଂ ପିଲ ଖାଇ ସୁନିଦ୍ରା ନିମନ୍ତେ ରାତିରାତି ଅପେକ୍ଷା କରନ୍ତି । ‘କମ୍ବଳର ତମ୍ବୁ’ ଭିତରେ ଗତାୟୁ ଯୌବନ ଓ ପୌରୁଷକୁ ଖୋଜନ୍ତି । ଲେଖକ ନିଜେ ସ୍ୱୀକାର କରନ୍ତି ଏଇ ସିନିସିଜ୍‌ମ୍‌ର ନିଗଡ଼ରୁ ରିଜନ ବା ହେତୁବାଦର ଜନ୍ମ ଏବଂ ‘‘ସିନିସିଜ୍‌ମ୍‌ ନୂତନ ମୂଲ୍ୟବୋଧ ଓ ନୂତନ ମାନଦଣ୍ତର ପ୍ରସୂତିବେଦନା, ଏକ ଦୁଃସହ ଆଧ୍ୟାତ୍ମିକ ଯନ୍ତ୍ରଣା’’ ଯୋଉଥିପାଇଁ ଲେଖକଙ୍କର ଏ ନିରବଚ୍ଛିନ୍ନ ସାଧନା ଏ ଦୁର୍ବିସହ ଯନ୍ତ୍ରଣା ଜର୍ଜର ତପସ୍ୟା । ଇଉଲିସିସ୍‌ ପରି ଜୀବନର ବୃତ୍ତ ଖୋଜି ଖୋଜି ନୟାନ୍ତ ହୋଇଛି ମାନବେନ୍ଦ୍ର ଏବଂ ଏକ ସନ୍ଦିଗ୍‌ଧ ଚିତ୍ତରେ ନିଜକୁ ନିଜେ କହିଛି : ‘‘ସେଇ ରାସ୍ତା ମୁଁ ବି ତ ଖୋଜୁଛି । କିନ୍ତୁ ପାଉଛି କେଉଁଠି ?’’ ଏବଂ ‘‘ମୋର ଲକ୍ଷ୍ୟ କ’ଣ ? କେଉଁ ଘାଟରେ ମୁଁ ଲାଗିବି ?’’ ଇତ୍ୟାଦି ଇତ୍ୟାଦି । ‘ସବୁଜ ପତ୍ରର ଧୁସର ଗୋଲାପ’ ଠାରୁ ‘ମାଂସର କୋଣାର୍କ’ ଯାଏ ସର୍ବତ୍ର ଜୀବନାୟନ, ଜୀବନାନ୍ୱେଷର ନହବତରେ ସୁରେନ୍ଦ୍ର ସାହିତ୍ୟ ମୁଖରିତ : ମଧୁମତ୍ତାର ଯେଉଁ ଶ୍ରମଣକୁ ଉତ୍ପୀଡ଼ନ ପ୍ରଶ୍ନ : ‘‘ଏ ଜନ୍ମ ପରେ ଆଉ ପୁନର୍ଜନ୍ମ ଅଛି ଶ୍ରମଣ ?’’ ସଂଯମ, ସାଧନା ଓ ସିଦ୍ଧିର ସୋପାନ ଅତିକ୍ରମ କରିଥିବା ବୌଦ୍ଧଶ୍ରମଣ ମନରେ ସଂଶୟର ବିକ୍ଷୁବ୍‌ଧ ବାତ୍ୟା : ‘‘ସବୁ ଯଦି ମାୟା ସବୁ ଯଦି ଅଳୀକ, ତାହେଲେ ନିର୍ବାଣ କିପରି ସତ୍ୟ ହେଲା ?’’ ଏସବୁ ଅସମାହିତ ପ୍ରଶ୍ନ ସମୟର ବିତର୍କିତ ଅପରାହ୍‌ଣରେ ସମାଧାନର ଖିଅ ଖୋଜୁଛନ୍ତି । ସମୟ ନଦୀରେ ଜୀବନ ଚକ୍‌କର କାଟୁଛି । ମହାକାଳର ବହ୍ନି ବଳୟରେ ଜୀବନ, ସଂଭୋଗ, କୁଚ୍ଛ୍ର ସାଧନ ଓ ନିର୍ବାଣ ସବୁ ଏକାକାର ହୋଇ ଯାଉଛି । ତଥାପି ସେ ଖୋଜାର ଅନ୍ତ ନାହିଁ । ସଂଶୟ କୁହେଳି ଭିତରେ ବି କୋଉ ସୁଦୂର ବତୀଘରର ଆଲୁଅ ଦିକ୍‌ ଦିକ୍‌ ହୋଇ ଦେଖାଯାଉଛି, ଜୀବନରେ ବ୍ୟଗ୍ରତା, ଚଞ୍ଚଳତା, ନୂଆ ବ୍ୟାକୁଳତା, ପାଦରେ ତୀବ୍ର ଆବେଗ । ‘‘ଦୁଇ ଆଖିରେ ହଠାତ୍ ଖୋଲି ଯାଇଛି ଗୋଟିଏ ନୂଆ ଦିଗନ୍ତ’’, ସମାଧାନର ସବୁଜିମା । ଆଶା ସଙ୍କେତର ଏକ ଦୁରନ୍ତ ଝଲକ ।

 

* ସୁରେନ୍ଦ୍ର ସ୍ମୃତି ସଂଖ୍ୟାରେ ପ୍ରକାଶିତ ଜୀବନ, ସଂଭୋଗ, ନିଃସଙ୍ଗତା ଓ ନିର୍ବାଣ : ସୁରେନ୍ଦ୍ର କଥା-ସାହିତ୍ୟର କେନ୍ଦ୍ରବିନ୍ଦୁର ଅନୁକ୍ରମ ।

 

 

ଅଧ୍ୟକ୍ଷ,

ସରକାରୀ ଉଚ୍ଚମାଧ୍ୟମିକ ବୃତ୍ତିଭିତ୍ତିକ

ଶିକ୍ଷାୟତନ, ତପୋବନ,

ଭୁବନେଶ୍ୱର -୩

 

 

***

 

Unknown

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ : ଏକ ଆକଳନ

ଶ୍ରୀ ଗୌରାଙ୍ଗ ଚରଣ ଦାଶ

 

।। ଏକ ।।

ଆପଣାର ବିଚାରଧାରାକୁ ସମଗ୍ର ସୃଷ୍ଟିର ଜୀବନ ନାଟିରେ ସତେଜ କରି ରଖିବା ଏତେ ସାଧାରଣ କଥା ନୁହେଁ । ବିଶେଷତଃ ଭାଷାତତ୍ତ୍ୱ ପରି ନିହାତି ଗଣ୍ଠିଆ, ଚୋପାଛଡ଼ା ବିଷୟରେ କିଛି କହିଲା ବେଳେ ବା ଲେଖିବାବେଳେ ସେଇ ସୂତାଟିକୁ ଜାବୁଡ଼ି ଧରିବା କାଠିକର ପାଠ । ଗୋପାଳଚନ୍ଦ୍ର ପ୍ରହରାଜ ନିଜ ଜୀବନର ଆରମ୍ଭରୁ ଶେଷପର୍ଯ୍ୟନ୍ତ, ଏପରିକି ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଆପଣା ଆଦର୍ଶର ଗରୁ ଛାପଟିକୁ ଅମଳିନ ରଖିବା ଲାଗି ରୀତିମତ ସାଧନା କରିଥିଲେ ଏବଂ କ୍ଷମ ହୋଇ ପାରିଥିଲେ, ତାହାହିଁ ତାଙ୍କ ସୂକ୍ଷ୍ମ ଅବବୋଧର ବିଶେଷତ୍ୱ ।

 

ପ୍ରହରାଜଙ୍କ ଭାଷା, ଭାଷା ସଂଯୋଜନା ଓ ରଚନାର ରୀତି ସାଧାରଣ ଧାରାଠାରୁ ଅଲଗା-। ବିଶେଷତଃ ସାଧାରଣ ଲୋକମୁଖର ଭାଷାକୁ ସାହିତ୍ୟର ଭାଷା ଭାବରେ ସ୍ୱୀକୃତି ଦେବାପାଇଁ ସେ କିଛି କମ ସାଧନା କରି ନାହାନ୍ତି, କମ୍‌ ସମାଲୋଚନାର ପାତ୍ର ହୋଇ ନାହାନ୍ତି । କଲିକତାରୁ ପାଠପଢ଼ା ଶେଷକରି, ଓଡ଼ିଶାରେ ଆପଣାର ବୃତ୍ତି ଓ ସାଧନାନିଷ୍ଟ ଜୀବନର ଆରମ୍ଭ କାଳରେ ହିଁ ତାଙ୍କର ସ୍ୱାତନ୍ତ୍ର୍ୟ ଅନ୍ୟମାନଙ୍କୁ ଚକିତ କରି ଦେଇଥିଲା । ଫକୀରମୋହନ ସେନାପତିଙ୍କ ଆତ୍ମପ୍ରକାଶନର ଛାଞ୍ଚଟିକୁ ସେ ଆପଣାର କରି ନେଇଥିଲେ ଏବଂ ସେଇ ଧାରାକୁ ଅଧିକରୁ ଅଧିକ ରୁଚି ସମ୍ପନ୍ନ କରିବାକୁ କ୍ଷମ ହୋଇ ପାରିଥିଲେ । ତାଙ୍କ ରସିକତା ପୂର୍ଣ୍ଣ କଥନ ରୀତି ଓ ଭାଷା ପ୍ରୀତିର ପ୍ରଥମ ସଙ୍କେତ ଶୁଣିବାକୁ ମିଳିଥିଲା ‘ଭାଗବତ ଟୁଙ୍ଗୀରେ ସନ୍ଧ୍ୟା’ ଓ ‘ଉତ୍କଳ କାହାଣୀ’ର କଥାଗୁଡ଼ିକ ଭିତରେ ।

 

ଫକୀରମୋହନ, ଗୋବିନ୍ଦ ରଥଙ୍କ ପରି ମାତ୍ର କେତେ ଜଣଙ୍କୁ ଛାଡ଼ିଦେଲେ, ପ୍ରହରାଜଙ୍କ ସାହିତ୍ୟିକ ଜୀବନର ପ୍ରଥମ ଭାଗର, ଗଦ୍ୟକାରଙ୍କ ରଚନାରେ ଓଡ଼ିଆ ପ୍ରାଣର ସ୍ୱର କ୍ଷୀଣ ଥିଲା । ବିଦେଶୀ ମସଲାର ବାସ ଭିତରେ ତଥାକଥିତ ଶିକ୍ଷିତ ଓ ସାହିତ୍ୟିକମାନେ ନାକ ପର୍ଯ୍ୟନ୍ତ ବୁଡ଼ି ରହିବାକୁ ଆପଣା ଆପଣାର ଗୌରବ ବୋଲି ଅନୁଭବ କରୁଥିଲେ । ସାହିତ୍ୟିକ ଓ ସାହିତ୍ୟ କହିଲେ କ’ଣ ନାଇଁ କ’ଣ ଭାବୁଥିଲେ । ନିଜର ଗୁରୁତ୍ୱକୁ ପ୍ରତିପାଦନ କରିବାପାଇଁ କେତେ ତାମସା ଭିଆଉଥିଲେ । ଅନେକ ଶିକ୍ଷିତଙ୍କ ଦୃଷ୍ଟିରେ ଓଡ଼ିଆ ଥିଲା ଗୋଟିଏ ଗନ୍ଧିଆ ଭାଷା । ଇଂରାଜୀ ଶବ୍ଦ ଓ ଭାବର ଛୁଙ୍କ ନଦେଲେ ଏ ଭାଷା ଓ ସାହିତ୍ୟ କାଳେ ଜମାରୁ ସୁଆଦିଆ ଲାଗୁ ନଥିଲା । ଭାଗବତ ଟୁଙ୍ଗୀର ମାଷ୍ଟର ମହାଶୟ ଏହି ଗୋଷ୍ଠୀର ଜଣେ ପ୍ରତିନିଧି । ସିଏ ମାଇନର ବି ଡେଇଁ ପାରି ନଥିଲେ । ଗୁରୁ ବିଭାଗ ପାସ୍‌ କରି ଘରେ ଯାହା ଗୁଡ଼ାଏ ଇଂରାଜୀ ଶବ୍ଦକୁ ଆୟତ୍ତ କରି ପାରିଥିଲେ । (ଭା. ଟୁ. ସଂ-ପୃ-୧) କେତେକ ଲୀଳା ଓ ସୁଆଙ୍ଗ କବିମାନଙ୍କର ରଚନା ଚାତୁରୀ ଥିଲା ହିନ୍ଦୀ, ବଙ୍ଗଳା ଓ ଓଡ଼ିଆ ଭାଷା ଓ ବ୍ୟାକରଣର ଏକ ଏକ ଅଦ୍ଭୁତ ଘାଣ୍ଟ ତିଅଣ । ଏଗୁଡ଼ିକ ଥିଲା ଭାଷାଶୈଳୀର ଝାଟୁଆ । (ଭା.ଟୁ. ସଂ-ପୃ-୧୮) ବଙ୍ଗ ଭାଷାର କୀର୍ତ୍ତନଗୁଡ଼ାକ ମଧ୍ୟ ଓଡ଼ିଶାରେ ମୂର୍ଖ ଚେଲାମାନଙ୍କ ମୃଦଙ୍ଗ ଓ ଝାଞ୍ଜର ଉଦ୍ଦଣ୍ତ ମାଡ଼ରେ କେତେ ବିକୃତ ରୂପ ନଉଥିଲା-। ଠିଆ ଓ ବାଦୀପାଲା ଗୁଡ଼ାକରେ ମଧ୍ୟ ଓଡ଼ିଆମାନଙ୍କ ମୁହଁରେ ବଙ୍ଗଭାଷାର ଗୀତ, ତା ଭିତରେ ଓଡ଼ିଆ ଭାଷାର ଦାଇକା, ଚଉପଦୀ, ଯମକ, ମେଷଯୁଦ୍ଧ,ଚାମର ଗେଞ୍ଜା, ମାଙ୍କଡ଼ ଡିଆଁର ଘଣ୍ଟ ଶବ୍ଦ ଅନେକଙ୍କୁ ରୀତିମତ ମୋହଗ୍ରସ୍ତ କରି ରଖିଥିଲା । ଆମ ଘରର ମାଲ ପୃଥିବୀରେ ଆଉ କୋଉଠି ନାହିଁ ବୋଲି କିଳିକିଳା ରଡ଼ି କରି ଦାଣ୍ତ ଫଟୋଉଥିଲେ । ପ୍ରହରାଜଙ୍କ ଭାଷାରେ ଏ ପ୍ରହସନ ଥିଲା ପୃଥିବୀରେ ଅକଥନୀୟ, ଅଚିନ୍ତନୀୟ ଓ ଅତୁଳନୀୟ । (ଭା. ଟୁ. ସଂ-ପୃ-୧୮)

 

ଅନ୍ୟ ପକ୍ଷରେ ସଂସ୍କୃତ ଅଭିମାନୀ ପଣ୍ତିତମାନେ ମଧ୍ୟ ସାହିତ୍ୟଭୂମିର ଏ ଆଧୁନିକ ରୂପକୁ ଅର୍ବାଚୀନ କହି ଟାପରା କରୁଥିଲେ । ନୂତନତାକୁ ଗ୍ରହଣ କରିବା ତ ଦୂରର କଥା-ତା’ର ଗନ୍ଧରେ ସେମାନେ ବାୟା ହେଇ ଯାଉଥିଲେ । କୌମାରୀ ପୂର୍ଣ୍ଣିମାରେ ଜଳଦଗଣ ବିନା ନିର୍ମଳାକାଶ ଦେଖେ / ପୂର୍ଣ୍ଣେନ୍ଦୁ ମୁଖେ ବିରାଜେ ଜୀବଗଣ ମୁଦକ ବିଚରେ ଦେଶେ ଦେଶେ/ପରି ବିଚିତ୍ର କବିତା ରଚନା କରିବା ଥିଲା ପଣ୍ତିତମନ୍ୟ ସାହିତ୍ୟିକମାନଙ୍କର ଆଦର୍ଶ । ସମାଲୋଚକମାନଙ୍କୁ ସେମାନେ ବାତୁଳ ବାଚାଳ ଅଭିଧାରେ ଚିହ୍ନଟ କରୁଥିଲେ । ‘‘ସଂସ୍କୃତ ଆମ୍ଭମାନଙ୍କର ଭାଷାର ମାତୃଭାଷା ପରନ୍ତୁ ଦେବଭାଷା, X X ଉତ୍କଳୀୟ ଭାଷାକୁ ଯଥାଶକ୍ତି ମାତୃଭାଷା ସଙ୍ଗେ ମିଳନ କରିବା ଅସ୍ମାଦୁଦ୍ଦେଶ୍ୟ ବୋଲି ପଣ୍ତିତମାନେ ବେଶ୍‌ ଗର୍ବର ସହିତ ଘୋଷଣା କରୁଥିଲେ । ଗୀବାଣ ହେବାର ଗୌରବ ହରେଇ ମ୍ଳେଚ୍ଛ ରୂପରେ ତାମ୍‌ସା କରିବା ପାଇଁ ସେମାନେ ଆଦୌ ପ୍ରସ୍ତୁତ ନଥିଲେ । ଏପରିକି ସେମାନଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କର ଅଦ୍ଭୁତ ଶାବ୍ଦିକ ରୂପ ନିର୍ଣ୍ଣୟ କରିବାକୁ ପଛୋଉ ନଥିଲେ । ସେ ଥିଲେ ଜଗତର ନଟ । (ଭା: ଟୁ: ସଂ-ପୃ-୧୦) ତେଣୁ ଓଡ଼ିଆ ଭାଷା, ପଣ୍ତିତମନ୍ୟ ସଂସ୍କୃତି ସମ୍ପନ୍ନ ଦେବଅଂଶୀ ଓ ଆଧୁନିକ ସଭ୍ୟ ଇଂରେଜମାନଙ୍କର ଅନୁକରଣ ପ୍ରିୟନୂଆ ପାଠୁଆ ଦଳଙ୍କର ଦିଆଡ଼ୁଆ ମାଡ଼ରେ ଗୋଟାଏ ନିହାତି ବିଚିତ୍ର ଅସହାୟ ପରିସ୍ଥିତି ଭିତର ଦେଇ ଗତି କରୁଥିଲା । ପ୍ରହରାଜ ଏଇଭଳି ଏକ ଦୁଃସମୟରେ ଉଭୟ ପକ୍ଷର ମୁହଁରେ ଚେଙ୍କ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ‘‘ଓଡ଼ିଆ ଭାଷା ଶୁଖିଲା ନୁହେଁ । ହାତ ଅଳସେ ନିଶ ବଙ୍କା ବୋଲି ଆଜି ଓଡ଼ିଆ ଭାଷା ପ୍ରତି ଆସ୍ଥା ନାହିଁ । ଅନ୍ତତଃ ଏହା ବଙ୍ଗଭାଷାର ସମକକ୍ଷ ହେବାପାଇଁ ଯୋଗ୍ୟ’’ X X X ଏ ଭାଷାର ନାଯ୍ୟ ପ୍ରାପ୍ୟ ତାକୁ ଦିଅନ୍ତୁ । X X X କହିବାକୁ ଗଲେ ଅଧିକାଂଶ ଓଡ଼ିଆଙ୍କ ଘରେ ଛାନ୍ଦମାଳାର ଭାଷା ଘରୋଇ ଭାଷା ହୋଇ ଯାଇଛି ବୋଲି ସେ ଦୃଢ଼ତାର ସହିତ ଘୋଷଣା କରିଥିଲେ ଏବଂ ନନ୍ଦକିଶୋର ବଳଙ୍କ ‘ମେଘ ବଲଛଇ ତପଲ ତପଲ କେଛୁଲ ମାଇଲା ଗଜା’କୁ ସାହିତ୍ୟରେ ଆବର୍ଜନା ବୋଲି କହି ହସରେ ଉଡ଼େଇ ଦେଇ ନାକ ଟେକୁଥିବା କୃତବିଦ୍ୟ ଆଧୁନିକ ଶିକ୍ଷାପ୍ରାପ୍ତ ଯୁବକମାନଙ୍କ ରୁଚିକୁ ଛିଗୁଲେଇଥିଲେ । (ଭା. ଟୁ. ସଂ-ପୃ-୧୯ ଓ ୮୩) ପ୍ରହରାଜ ଆପଣାର ପ୍ରତ୍ୟେକ ରଚନାରେ ଏହି ଆଦର୍ଶକୁ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ନାକ ଟେକାକୁ ଆଡ଼ ଆଖିରେ ଅନିଷା ନକରି ସେମାନଙ୍କୁ ଛିଗୁଲେଇଥିଲେ । ଆପଣାର ଶୈଳୀ ଭିତରେ ଓଡ଼ିଆ ଆତ୍ମାର ସ୍ୱରର ଛନ୍ଦ ସୃଷ୍ଟି କରିବାପାଇଁ ତପସ୍ୟା କରିଥିଲେ । ଫକୀରମୋହନ ସେନାପତିଙ୍କ ଛ’ମାଣ ଆଠଗୁଣ୍ଠ ଓ ତାରାଶଙ୍କରଙ୍କ ଯୁଗଧର୍ମ ଗ୍ରନ୍ଥ ଏବଂ ବିଶୁଦ୍ଧ ଭାଷା ସଂକ୍ରାନ୍ତୀୟ ଆଲୋଚନା ପ୍ରସଙ୍ଗରେ ଭାବ ପ୍ରକାଶନରେ ଭାଷାର ସ୍ୱାତନ୍ତ୍ର୍ୟ’ ଓ ଭାଷାର ଶୁଦ୍ଧତା ପ୍ରସଙ୍ଗରେ ନିଜର ସୂକ୍ଷ୍ମ ଅଭିଦୃଷ୍ଟିର ସଙ୍କେତ ଦେଇଥିଲେ । ଭାଷାର ଶୁଦ୍ଧତା ଓ ଅଶୁଦ୍ଧତା, ପ୍ରଚଳନ ଉପରେ ନିର୍ଭର କରେ । ଘରୋଇ ଭାଷା ଓ ପୁସ୍ତକଗତ ଭାଷା ସାହିତ୍ୟର ଗୋଟିଏ ଗୋଟିଏ ଅଙ୍ଗ । ଛୋଟଲୋକଙ୍କ ଭାଷାକୁ ନାସନା କହି ସେମାନଙ୍କ ନାକ ଟେକା ଅଭିରୁଚିକୁ ସେ ବିରୋଧ କରୁଥିଲେ । (ବିଶୁଦ୍ଧ ଭାଷା-ଉ: ସା: ୧ମ ଭାଗ/୫ମ ସଂ./୧୩୧୧)

 

ମାତ୍ର ଏକଥା ଭାବିବା ଉଚିତ ନୁହେଁ ଯେ, ସେ ସଂସ୍କୃତ ଭାଷାର ବିରୋଧୀ ଥିଲେ । ଆପଣା ଭାଷାକୁ ସୁବାସିତ, ସଂସ୍କୃତ ଓ ଅନ୍ୟ ଭାଷାଗୁଡ଼ିକୁ ଗନ୍ଧିଆ ବୋଲି କହୁ ନଥିଲେ । ପ୍ରତ୍ୟେକ ଭାଷା ପ୍ରତି ତାଙ୍କର ମାର୍ଜିତ ଓ ରୁଚି ସମ୍ପନ୍ନ ଦୃଷ୍ଟିଭଙ୍ଗୀ ଥିଲା । ଜଣେ ଭାଷାତତ୍ତ୍ୱବିଦ୍‌ର ଆକ୍ଷି ଓ ମନ ନେଇ ସେ ଅନ୍ୟ ଭାଷାର ପରିଶୀଳନ କରୁଥିଲେ । ସଂସ୍କୃତ, ଇଂରାଜୀ, ବଙ୍ଗଳା, ହିନ୍ଦୀ ଓ ପାର୍ଶି ଭାଷାରେ ସେ ବିଦ୍ୱାନ ଥିଲେ । ତା ହୋଇ ନଥିଲେ ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’’ ପରି ଏକ ଚତୁର୍ଭାଷିକ କୋଷଗ୍ରନ୍ଥ ସଙ୍କଳନ ତାଙ୍କ ପକ୍ଷେ ଆଦୌ ସମ୍ଭବ ହୋଇ ନଥାନ୍ତା । ୧୯୪୭ ମସିହାରେ କଟକ ଟେନିଂସ୍କୁଲର ପାଠ୍ୟନିର୍ଘଣ୍ଟରୁ ସଂସ୍କୃତ ଭାଷାକୁ ଉଠେଇ ଦିଆଯିବାରୁ ସେ ଏ ମନମୁଖୀ ଓ ଅବୈଧାନିକ ସିଦ୍ଧାନ୍ତର ଘୋର ବିରୋଧ କରିଥିଲେ । ‘‘ଓଡ଼ିଆ ଭାଷାର ଶତକଡ଼ା ପ୍ରାୟ ୭୫ ଭାଗ ଶବ୍ଦ ସଂସ୍କୃତ ଭାଷାରୁ ତତ୍‌ସମ ଓ ତଦ୍‌ଭବରୂପେ ଗୃହୀତ ହୋଇଛି ଏବଂ ସଂସ୍କୃତରେ ଯେଉଁମାନଙ୍କର ଜ୍ଞାନ ନାହିଁ ସେମାନଙ୍କର ଓଡ଼ିଆ ସାହିତ୍ୟରେ ଶିକ୍ଷକତା କରିବା ଅସମ୍ଭବ ବ୍ୟାପାର ବୋଲି ପ୍ରକାଶ କରିଥିଲେ । (କଟକ ଟ୍ରେନିଂ ସ୍କୁଲର ପାଠ୍ୟ ନିର୍ଘଣ୍ଟ-ଉ.ସା. ୧୩୪୬ ସାଲ ଚୈତ୍ର-ପୃ-୪୮୨/୪୮୩) ଏପରିକି ‘‘ବିଶୁଦ୍ଧ ଘରୋଇ ବା ଦେଶ୍ୟ ଭାଷାରେ ଭାବ ପ୍ରକାଶ କରିବା କଷ୍ଟକର ହୋଇପଡ଼େ । ତେଣୁ ଯେଉଁଠାରେ ଉପାୟନ୍ତର ନାହିଁ କିମ୍ବା ନକଲେ ଶୋଭନୀୟ ହେବ ନାହିଁ, ସେଠାରେ ମାର୍ଜିତ ଆମଦାନୀ ଓ Convertional (ଆଡ଼ମ୍ବରଯୁକ୍ତ) ଭାଷା ବ୍ୟବହାର କରିବା ଯୁକ୍ତିଯୁକ୍ତ’’ ବୋଲି ଘୋଷଣା କରିଥିଲା । (ଦୁଇଖଣ୍ତି ଓଡ଼ିଆ ପୁସ୍ତକ-ଉ: ସା: ୬ଷ୍ଠ/ ୪ର୍ଥ/୧୩୧୦ ୬ଷ୍ଠ/୬ଷ୍ଠ/୧୩୧୦ ପୃ: ୧୭୧ ଏବଂ ଉ. ସା: ୮ମ/ ୫ମ/ ୧୩୧୧)

 

ଭାଷାକୋଷ ପାଇଁ ଶବ୍ଦ ସଂଗ୍ରହ କାଳରେ ପ୍ରହରାଜ ବିଶୁଦ୍ଧ ଘରୋଇ ଭାଷା ପ୍ରତି ଅଧିକରୁ ଅଧିକ ଆସକ୍ତ ହୋଇ ପଡ଼ିଥିଲେ । ୧୯୦୧ରେ ପ୍ରକାଶିତ ଉତ୍କଳ କାହାଣୀର ମୁଖବନ୍ଧରେ ଭାଷା ସଂକ୍ରାନ୍ତୀୟ ତାଙ୍କର ବିଚାରଧାରା ପ୍ରତିଫଳିତ ହୋଇଥିଲା କାହାଣୀଗୁଡ଼ିକର ମୁଖ୍ୟପାଠ୍ୟ ରୂପ ଭିତରେ । (ଉ:କା: ଭୂମିକା) ମାତ୍ର ସମକାଳୀନ ବିଖ୍ୟାତ ସମ୍ବାଦପତ୍ର ଉତ୍କଳଦୀପିକା, କାହାଣୀର ଭାଷାକୁ ଲଘୁଦୃଷ୍ଟିରେ ବିଚାର କରିଥିଲା । (ଶ୍ରୀନିବାସଙ୍କ ପ୍ରବନ୍ଧରୁ ଗୃହୀତ-ପ୍ର: ପରିକ୍ରମା ପୃ: ୧୩୬) ଯାହାର ପ୍ରତିବାଦ କରିଥିଲେ ପ୍ରହରାଜ ବିଶୁଦ୍ଧ ଭାଷା ପ୍ରବନ୍ଧରେ । ଏହି ପ୍ରତିବାଦ ଅଧିକ ଗରୁ ରୂପରେ ପ୍ରତିଭାତ ହୋଇଥିଲା ଢଗଢମାଳି ବଚନର ମୁଖବନ୍ଧରେ । ସମାଲୋଚକମାନେ ତାଙ୍କ ବ୍ୟବହୃତ ଭାଷାକୁ ବାହ୍ମଣିଆ, ଇତର, ଅମାର୍ଜିତ, ଗ୍ରାମ୍ୟ ମାଇପଙ୍କ କଥା ଆଦି ବିଶେଷଣରେ ଅଳଙ୍କରଣ କରୁଥିଲେ, ମାତ୍ର ସେ ସେଥିପ୍ରତି ଆଦୌ ନିଘା ଦଉନଥିଲେ । ଶିକ୍ଷିତମାନେ ଏ ଭାଷାକୁ ହେୟ ମନେ କରିପାରନ୍ତି । ୟାରି ଭିତରେ ଥାଏ ଗୋଟିଏ ଜାତିର ଯୁଗ ଯୁଗର ସାଇତା ବିଭବ ଏବଂ ଏଇ ଭାଷାରେ ଆପଣାକୁ ପ୍ରକାଶ କରିବା ସହଜ ନୁହେଁ, ଏକ ଗହନ କାର୍ଯ୍ୟ । ସେଥିପାଇଁ ଲୋକମାନଙ୍କ ଗହଣକୁ ଯିବାକୁ ପଡ଼େ । ଗଣ ଆଉ ଜଣର ମନ ଗହନକୁ ଆପଣେଇ ନବାକୁ ପଡ଼େ । ନିଜକୁ ସମର୍ପି ଦେବାକୁ ପଡ଼େ । ଗଣ ଆଉ ଜାତିର ଯୁଗ ଯୁଗର ସାଇତା ବିଭବକୁ ତାର ଅସଲ ରୂପରେ ଆତ୍ମପ୍ରକାଶ କରେ । ଆଧୁନିକତାର ନାଁରେ ଯେଉଁମାନେ ନୂଆ ଭାଷାଟି ଭିତରେ କିଛି କିଛି ପାଇବାର ଆଶା ନେଇ ନିଜ ନିଜକୁ ବେଶ କରନ୍ତି, ସେମାନେ ସେ ଭାଷାର ବାଗ ଓ ଭାବକୁ ଅନୁଭବ କରିବା ସମ୍ଭବ ନୁହେଁ । କାରଣ ଭାଷାର ବାହାର ରୂପ ସବୁ କିଛି ନୁହେଁ । ତା ଭିତରେ ପରମାଣୁ ରୂପରେ ଅନେକ କିଛି ଥାଏ । ସେଇ ସଞ୍ଚିତ ବିଭବ ଭିତରେ ବିଦେଶୀ ଜଣେ ବୁଡ଼ିଯିବା ଏତେ ସହଜ ନୁହେଁ । ଢଗଢ଼ମାଳି ବଚନ-ପ୍ରଥମ ଭାଗ-ଅବତରଣିକା-୧, ୪, ୧୨, ୧୫ ପୃଷ୍ଠା) ଗୋପାଳ ପ୍ରହରାଜ ଜଣେ ସମଝଦାର, ପୋଖଦ ଭାଷାବିଜ୍ଞାନୀ ପରି, ଶବ୍ଦର ଆବରଣକୁ ନିରାବରଣ କରି, ତାର ଭାବ ଓ ବାଗକୁ ଖୋଜିବାକୁ ଚେଷ୍ଟା କରିଥିଲେ । ଶ୍ରଦ୍ଧାଶୀଳ ହୃଦୟ ନେଇ ଆପଣାର ସୃଷ୍ଟି ସମ୍ଭାରକୁ ସମୃଦ୍ଧ କରିଥିଲେ ।

 

ଶବ୍ଦପରି ଭାଷାର ବ୍ୟାକରଣକୁ ଗବେଷକର ଆକ୍ଷିନେଇ ମୂଲ୍ୟାୟନ କରିବାର ଶକ୍ତି ତାଙ୍କର ଥିଲା । ଭାଗବତ ଟୁଙ୍ଗୀର କେତେକ ସ୍ଥଳରେ ଦୁନିଆର ହାଲଚାଲର ଓଡ଼ିଆ ବ୍ୟାକରଣ, ବଚନ, ସନ୍ଧି, ଲିପି ସଂସ୍କାର (ଦୁ: ହା-ପୃ ୧୬୦) ଓ ଧାରତା ବନ୍ଧାର ପୁଞ୍ଜି ପାଣ୍ଠିରେ ଲିଙ୍ଗ, ସମାସ ଆଦି ବିଷୟରେ ନିଜର ଦୃଷ୍ଟିଭଙ୍ଗୀକୁ ଉପସ୍ଥାପନ କରୁଥିଲେ ଏବଂ ଆପଣାର ସ୍ୱାଭାବିକ ଶୈଳୀରେ ‘‘ଓଡ଼ିଆ ବ୍ୟାକରଣରତ ମା ବାପା ନାହିଁ, ତାର ମା ବାପା, ସାର୍ଟିଫିକେଟ ପ୍ରାପ୍ତ ମହାଫିସ ହେଲେ ଆଧୁନିକ ସଭ୍ୟ ଲେଖକମାନେ, ସେମାନେ ଓଡ଼ିଆରେ ଯାହା ବିଳି ବିଳୋଉଛନ୍ତି, ତାହା ହେଉଛି ବେଦର ଗାର । ସେହି କେତେ ଜଣ ଓଡ଼ିଆ ଭାଷାର କ୍ଷମତାପ୍ରାପ୍ତ ମହାଫିସ ସ୍ତ୍ରୀଲିଙ୍ଗର ମନର ରକ୍ଷାଲାଗି ଉପରୋକ୍ତ ନଜିରର ଦ୍ୱାହିଦେଇ ହସୁରୀ ମୁହିଁ, ଜଳଜଳୀ ମୁହିଁ, ଓ ଲେଫଡ଼ି ମୁହିଁ ଶବ୍ଦ ପ୍ରୟୋଗ କରନ୍ତୁ ବୋଲି ଉଲ୍ଲେଖ କରିଥିଲେ ଏବଂ ବେଶ୍‌ ରସିକତାପୂଣ୍ଣ ରୀତିରେ ଶବ୍ଦଗୁଡ଼ିକର ବ୍ୟାଖ୍ୟା ଆଳରେ ଅନ୍ୟମାନଙ୍କୁ ପରିହାସ କରିଥିଲେ (ଧାରତା ବନ୍ଧାର ପୁଞ୍ଜିପାଣ୍ଠି-ବା. ବୁ. ପୃ-୧୨) । ଭାଷାକୋଷର ସଙ୍କଳନ କାଳରେ ମଧ୍ୟ ଶବ୍ଦ ଉଚ୍ଚାରଣ ଓ ଲିଖନକୁ ଆଧାର କରି ଯେଉଁ ଗୁରୁ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଥିଲେ ତାହାର ସମାଧାନ ପାଇଁ ପାଠକମାନଙ୍କର ମତାମତ ଆଶା କରୁଥିଲେ । ଭାଷା ଶାସ୍ତ୍ରର ବୈଜ୍ଞାନିକ ପଦ୍ଧତି ଉପରେ ତାଙ୍କ ଶବ୍ଦ ପ୍ରୟୋଗ ଓ ବିଶ୍ଳେଷଣର ବିଚାରଧାରା ନିର୍ଭରଶୀଳ ଥିଲା । (ଓଡ଼ିଆ ଭାଷାର କେତେକ ବିଭ୍ରାଟ ନବଭାରତ-୧ମ ବର୍ଷ-୪ର୍ଥ ସଂଖ୍ୟା-ପୃ: ୩୦୫/୩୦୬)

 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ସ୍ରଷ୍ଟା ହୃଦୟର ଶ୍ରଦ୍ଧାଶୀଳ ଅବବୋଧର ବିଜ୍ଞାନ ସମ୍ମତ ପରିପ୍ରକାଶ । ଏକ ଖାଣ୍ଟି ଓଡ଼ିଆ ଶବ୍ଦକୋଷ ସଙ୍କଳନ କରିବାପାଇଁ ୧୯୧୩ ମସିହାରେ ପ୍ରହରାଜଙ୍କ ମନରେ ପ୍ରଥମ ତରଙ୍ଗ ସୃଷ୍ଟି କରିଥିଲେ କଟକ କଲେଜିଏଟ୍‌ ସ୍କୁଲର ପ୍ରଧାନ ଶିକ୍ଷକ ହଣ୍ଡରସନ୍‌ ସାହେବ । ତାଙ୍କ ପୂର୍ବରୁ ଆମ୍‌ସସଟନ୍‌ଙ୍କ ଓଡ଼ିଆ ଭାଷାର୍ଥାଭିଧାନ, ଜଗନ୍ନାଥ ରାଓଙ୍କ ଉତ୍କଳ ଅଭିଧାନ, ମଧୁସୂଦନ ରାଓଙ୍କ ସୁଖ-ବୋଧ ଅଭିଧାନ ଓ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ଶବ୍ଦତତ୍ତ୍ୱବୋଧ ଅଭିଧାନ ପରି କେତେଗୋଟି ରୁଚିପୂର୍ଣ୍ଣ କୋଷଗ୍ରନ୍ଥ ସଂକଳିତ ହୋଇଥିଲା । ପଣ୍ଡିତ ଗୋପୀନାଥଙ୍କ ଅଭିଧାନଟି ଥିଲା ଏଗୁଡ଼ିକ ମଧ୍ୟରେ ଅଧିକ ଉପାଦେୟ । ମାତ୍ର ଗ୍ରନ୍ଥଗୁଡ଼ିକରେ ଖାଣ୍ଟି ଓଡ଼ିଆ ଶବ୍ଦର ଅଭାବ, ପ୍ରହରାଜଙ୍କୁ ସଚେତନ ହୃଦୟରେ ଗାର ଟାଣି ଦେଇଥିଲା । ହଣ୍ଡରସନ୍‌ ତାଙ୍କ ହୃଦୟାଳବାଳରେ ବୀଜବପନ କରିଥିଲେ ଏବଂ ତାହା କ୍ରମଶଃ ଅଙ୍କୁରିତ, ପଲ୍ଲବିତ ଓ କୁସୁମିତ ହେବାରେ ଲାଗିଲା । ସେ ଶବ୍ଦ-ଭୂମିରେ ମୁଣ୍ଡ ଗୁଞ୍ଜିଦେଲେ । ତାଙ୍କ ଜୀବନ-ଧାରାର ଗତି ଅଲଗା ମୋଡ଼ ନେଲା ।

 

ସଂସ୍କୃତ ତତ୍‌ସମ ଓ ତଦ୍‌ଭବ ଶବ୍ଦ ସଂଗ୍ରହ କରିବା ପ୍ରହରାଜଙ୍କ ପକ୍ଷେ ବିଶେଷ କଷ୍ଟକର ନଥିଲା । ସେତେବେଳକୁ ସଂସ୍କୃତ କୋଷଗ୍ରନ୍ଥ ମଧ୍ୟ ସଂକଳିତ ହୋଇ ସାରିଥିଲା । ଜର୍ମାନ, ଇଂଲଣ୍ଡ ଓ ଭାରତର ପଣ୍ଡିତମାନେ ପ୍ରାଚ୍ୟ ବିଦ୍ୟାର ଲୁପ୍ତତତ୍ତ୍ୱର ଉଦ୍ଧାର ଓ ସେଗୁଡ଼ିକର ଗବେଷଣା କାର୍ଯ୍ୟରେ ଅନୁବ୍ରତୀ ଥିଲେ । ଓଡ଼ିଆ ଭାଷାରେ ସଂକଳିତ ଜଗନ୍ନାଥ ଓ ଗୋପୀନାଥଙ୍କ ଅଭିଧାନ ଦୁଇଟିରେ ସଂସ୍କୃତ ଶବ୍ଦର ପ୍ରାଚୁର୍ଯ୍ୟ ମଧ୍ୟ କମ୍‌ ନଥିଲା । ଶବ୍ଦଗୁଡ଼ିକର ପ୍ରୟୋଗବିଧି ଉପସ୍ଥାପନ କରିବା ଲାଗି ସେମାନେ ଆଦୌ କୃପଣ ନଥିଲେ । ସଂସ୍କୃତ, ପ୍ରାକୃତ ଓଡ଼ିଆ ସାହିତ୍ୟରେ ପ୍ରକାଶିତ ଓ ଅପ୍ରକାଶିତ ଗ୍ରନ୍ଥର ଉଦ୍ଧୃତିରେ, କୋଷଗ୍ରନ୍ଥଗୁଡ଼ିକ ସମୃଦ୍ଧ ଥିଲା । ତଥାପି ପ୍ରକାଶିତ ଓ ଅପ୍ରକାଶିତ ବହୁ ସଂସ୍କୃତ ଓ ଓଡ଼ିଆ ଗ୍ରନ୍ଥ, ପୋଥିପତ୍ର ତାଙ୍କୁ ଓ ତାଙ୍କ ସହଯୋଗୀମାନଙ୍କୁ ପଢ଼ିବାକୁ ପଡ଼ିଥିଲା । ଶବ୍ଦଗୁଡ଼ିକ ଉତ୍ପତ୍ତି ପ୍ରୟୋଗ ବିଧି ସଂକ୍ରାନ୍ତୀୟ ତଥ୍ୟଗୁଡ଼ିକୁ ସେମାନେ ଅଧ୍ୟୟନ କାଳରେ ସଂଗ୍ରହ କରି ନେଉଥିଲେ । କ୍ରମଶଃ ଅଧିକରୁ ଅଧିକ ଗ୍ରନ୍ଥ, ପତ୍ରପତ୍ରିକା ପ୍ରକାଶିତ ହେଉଥିଲା । ପାଣ୍ଡୁଲିପି ଲୋକଲୋଚନକୁ ଆସୁଥିଲା ଏବଂ ସଂଗୃହୀତ ଶବ୍ଦର ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା ।

 

ମାତ୍ର ପ୍ରହରାଜଙ୍କ ପ୍ରଧାନ ଉଦ୍ଦେଶ୍ୟ ଥିଲା, ଓଡ଼ିଆ ପୁଅର ମୁଖର ଭାଷା ସଂଗ୍ରହ କରିବା-। ଅଭିଧାନର ମୁଖବନ୍ଧରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଥିଲେ-‘‘ମୁଁ ଚିରଦିନ ସରଳ, ଖାଣ୍ଟି ଓଡ଼ିଆ ଶବ୍ଦ ବ୍ୟବହାରର ପକ୍ଷପାତୀ । ମୋ ଭାଷାରେ ଅବୋଧ୍ୟ ଓଡ଼ିଆ ଶବ୍ଦ ମୁଁ ଯଥାଶକ୍ତି ବର୍ଜନ କରିଥାଏ । ଅବଶ୍ୟ ଭାବପ୍ରକାଶରେ ଖାଣ୍ଟି ଓଡ଼ିଆ ଶବ୍ଦର ଅଭାବ ଦେଖିଲେ ମୁଁ ଯଥା ସମ୍ଭବ ସରଳ ସଂସ୍କୃତଶବ୍ଦ ବ୍ୟବହାର କରେ । ମାତ୍ର ଇଚ୍ଛାକରି ଶବ୍ଦ ଆଡ଼ମ୍ବରମୟ କରିବାକୁ ବା ରଚନା ରୀତିକୁ ବାଗ୍‌ବହୁଳ କରିବାକୁ ସଂସ୍କୃତ ଶବ୍ଦ ପ୍ରୟୋଗ କରେ ନାହିଁ । (ପୂ; ଓ: ଭା: ୧ମ ଖଣ୍ଡ ମୁଖବନ୍ଧ ।) ଏପରି ଶବ୍ଦ ସଂଗ୍ରହ ଆଦୌ ସହଜ କଥା ନୁହେଁ । ସାହିତ୍ୟରେ ବ୍ୟବହୃତ ଶବ୍ଦଗୁଡ଼ିକୁ ସଂଗ୍ରହ କରିବା ପାଇଁ ଅନ୍ୟ ନିର୍ଭରଯୋଗ୍ୟ ଉପାଦାନ ଓ ସହଜ ମାର୍ଗ ରହିଛି । ମାତ୍ର ବିଭିନ୍ନ ଅଞ୍ଚଳର ସାଧାରଣ ଅଶିକ୍ଷିତ ଜନତା ନିଜର ଉଚ୍ଚାରଣର ସୁବିଧା ଦୃଷ୍ଟିରୁ ଶବ୍ଦଗୁଡ଼ିକୁ ଯେଉଁପରି ବିଚିତ୍ର ବାଗରେ ଉଚ୍ଚାରଣ କରେ, ସେ ସବୁର ବୈଚିତ୍ର୍ୟ ସମ୍ପର୍କରେ ସଚେତନ ହେବାକୁ ହେଲେ ନିର୍ଦ୍ଦିଷ୍ଟ ଭାଷାଭାଷୀ ଅଞ୍ଚଳ ବୁଲି ସେଗୁଡ଼ିକ ସମ୍ପର୍କରେ ନୋଟ୍‌ ପ୍ରସ୍ତୁତ କରିବାର ଆବଶ୍ୟକତା ଥାଏ-ଏଥିପାଇଁ ଅବଶ୍ୟ ବିଭିନ୍ନ ଅଞ୍ଚଳର ଶବ୍ଦ ସଚେତନ ବ୍ୟକ୍ତିବିଶେଷ ତଥା ବିଦ୍ୱାନମାନଙ୍କର ସାହାଯ୍ୟ ନିଆଯାଇ ପାରେ । ମାତ୍ର ଏହା ସତ୍ତ୍ୱେ ଏକ ଜୀବନ୍ତ ଭାଷାର ସମସ୍ତ ଶବ୍ଦ ସଂଗ୍ରହ ଅସମ୍ଭବ ବ୍ୟାପାର । ୧୯୧୩ରୁ ୧୯ ମସିହା ପର୍ଯ୍ୟନ୍ତ ପ୍ରହରାଜ ଆପଣାର ବିଚାରଧାରା ଓ ଯୋଜନାକୁ ରୂପ ଦେବାପାଇଁ ବାହାରି ପଡ଼ିଲେ । ଓକିଲାତି ତଥା ଅନ୍ୟାନ୍ୟ କାର୍ଯ୍ୟରେ ତାଙ୍କୁ ବିଭିନ୍ନ ଜାଗାକୁ ଯିବାକୁ ପଡ଼ୁଥିଲା । ଯେଉଁଠି ଯାହା ପାଖରୁ ଯେମିତି ଶବ୍ଦଟିଏ ଶୁଣୁଥିଲେ, ତାକୁ ଅବିକଳ ଭାବରେ ନିଜ ପକେଟରେ ଥିବା ଛୋଟ ଟିପା ଖାତାରେ ଲେଖି ରଖୁଥିଲେ । ରାସ୍ତାଘାଟ, ମେଳା ମଉଚ୍ଛବ, ରାଜଦରବାର ସବୁଠି, ସବୁ ଲୋକଙ୍କ ପାଖରେ ନିଜକୁ ଭିକାରୀ ବେଶରେ ଠିଆ କରୁଥିଲେ । ଶବ୍ଦର ଅର୍ଥ ସେମାନଙ୍କ ମୁହଁରୁ ସଂଗ୍ରହ କରୁଥିଲେ । ଗୋଟିଏ ଗୋଟିଏ ଶବ୍ଦକୁ, ବିଭିନ୍ନ ଅଞ୍ଚଳ ଓ ପାଟକ ବା ଜାତିର ଲୋକେ ଯେଉଁ ବିଚିତ୍ର ଭଙ୍ଗୀରେ ଉଚ୍ଚାରଣ କରୁଥିଲେ, ସେଗୁଡ଼ିକୁ ମଧ୍ୟ ଯତ୍ନର ସହିତ ସାଇତି ରଖୁଥିଲେ । ଗଉଡ଼, କମାର, କେଉଟ, ବ୍ରାହ୍ମଣ, ତନ୍ତୀ, ଚଷା, କରଣ, ତେଲି ତଥାକଥିତ ଅଚ୍ଛବ ଜାତିର ଲୋକମାନଙ୍କଦ୍ୱାରା ସ୍ୱତନ୍ତ୍ର ଭାବରେ ବ୍ୟବହୃତ ଶବ୍ଦଗୁଡ଼ିକୁ ମଣିମାଣିକ୍ୟ ତୁଲ୍ୟ ସେ ଜ୍ଞାନ କରୁଥିଲେ । କୌଣସି ଗୋଟିକୁ ହେୟ ମଣୁ ନଥିଲେ । ଶବ୍ଦ ସଂଗ୍ରହର ଏଇ ଆଦର୍ଶକୁ ସେ ପରିପାଳନ କରିଥିଲେ ମୃତ୍ୟୁ ପର୍ଯ୍ୟନ୍ତ । ତାଙ୍କୁ ଆନ୍ତରିକ ଭାବରେ ସାହାଯ୍ୟ କରିଥିଲେ ରପେଁଲାର ଭକ୍ତଚରଣ ପତି, ସମ୍ବଲପୁରର ଗୋପୀନାଥ ଶତପଥୀ, ଗଙ୍ଗପୁରର ଚୂଡ଼ାମଣି ନାୟକ ଓ ନଟବର ପାଣ୍ଡେ, ମେଦିନୀପୁରର ରାଧାନାଥ ପତି, ସିଂହଭୂମିର କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଜୟପୁରର ବିକ୍ରମଦେବ ବର୍ମା, ଗଞ୍ଜାମର ଜୟକୃଷ୍ଣ ଚ୍ୟାଉପଟ୍ଟନାୟକ, ଡାକ୍ତର ରାଧାଚରଣ ପଣ୍ଡା, ନୟାଗଡ଼ର ଗୋଦାବରୀଶ ମହାପାତ୍ର, ରାୟବାହାଦୂର ଅଜୟ ଚନ୍ଦ୍ର ଦାସ, କଟକ ବ୍ୟାପଟିଷ୍ଟ ମିସନାରୀ ପାତ୍ରୀ ହାବେଲ ସାହେବ ଓ ଅନ୍ୟମାନେ ଏ ପ୍ରସଙ୍ଗରେ ନିଜର ଦାରିଦ୍ର୍ୟ ସଂକ୍ରାନ୍ତରେ ସୂଚନା ଦେବାକୁ ଯାଇଁ ସେ ପ୍ରକାଶ କରିଛନ୍ତି-‘‘ବହୁ ସହସ୍ର ଶବ୍ଦ ମୁଁ ଯୋଗ କରି ପାରିଲି ନାହିଁ ବୋଲି ମୋର ଗଭୀର କ୍ଷୋଭ ରହିଗଲା । ସମୟ ଅଭାବରୁ, ଧନ ଅଭାବରୁ, ଉପଯୁକ୍ତ କର୍ମୀ ଓ ସହକାରୀ ଅଭାବରୁ, ଉତ୍ସାହ ଓ ସାହାଯ୍ୟ ଅଭାବରୁ, ଦେଶର ଅଭିଜ୍ଞାନ ଗ୍ରନ୍ଥ ଓ ପୁସ୍ତିକାଗାର ଅଭାବରୁ ବହୁ ସହସ୍ର ଘରୋଇ ଶବ୍ଦ, ଦେଶାଂଶ ପ୍ରଚଳିତ ଶବ୍ଦ, ଭିନ୍ନ ଭିନ୍ନ ବ୍ୟବସାୟ ଓ ସମାଜ ପ୍ରଚଳିତ ଶବ୍ଦ ବିଜ୍ଞାନ ଓ କଳାର ନାନା ପାରିଭାଷିକ ଶବ୍ଦ ମୁଁ ସଂଗ୍ରହ କରିପାରିଲି ନାହିଁ । X X X X ଉତ୍କଳଭାଷୀ ଅଞ୍ଚଳର ପୁରପଲ୍ଲୀମାନ ବୁଲିପାରିଲି ନାହିଁ X X ଉତ୍କଳ ଭାଷା ଅଞ୍ଚଳରେ ଘରେ ଘରେ ଠାଏଁ ଠାଏଁ ସାଇତା ହୋଇ ପୋକ ଖାଉଥିବା, ଉଈ ଧରୁଥିବା ସହସ୍ର ସହସ୍ର ପୁରୁଣା ପୋଥି ଦେଖି ପାରିଲି ନାହିଁ । ଗଞ୍ଜାମ ଓ ବିଶାଖା ପାଟଣା ଅଞ୍ଚଳରେ ଓଡ଼ିଆମାନଙ୍କଦ୍ୱାରା ବ୍ୟବହୃତ ଶବ୍ଦମାନଙ୍କ ଉପରେ ତେଲୁଗୁମାନଙ୍କର ପ୍ରଭାବ ଓ ବସ୍ତର ରାଜ୍ୟ ପ୍ରଚଳିତ ଉଡ଼ରୀ ଭାଷା ଉପରେ ମରହଟ୍ଟୀ ଭାଷାର ପ୍ରଭାବ ଦେଖେଇ ପାରିଲି ନାହିଁ X X X ନେପାଳ, ଚୀନ, ଜାଭା, ବାଲୀ ଦ୍ୱୀପ, ଶ୍ୟାମ, ବର୍ମା ଓ କାମ୍ବୋଡ଼ିଆ, ଆସାମ, ସିଂହଳ ଆଦି ଦେଶମାନ ପୁରାକାଳରେ ଯେଉଁ ଓଡ଼ିଆ (କଳିଙ୍ଗ) ସଂସ୍ରବରେ ଆସିଥିଲେ, ସେ ଦେଶମାନଙ୍କର ଭାଷାରେ ଓଡ଼ିଆ ଭାଷା କି ଚିହ୍ନ ଛାଡ଼ି ଯାଇଛି, ଏହା ସ୍ଥିର କରି ପାରିଲି ନାହିଁ ।’’ (ଭା: କୋ ୨ୟ-ଖଣ୍ଡ ମୁଖବନ୍ଧ ।)

 

ଭାଷାକୋଷରେ ବିଭିନ୍ନ ପାଟକର ଲୋକମାନଙ୍କଦ୍ୱାରା ବ୍ୟବହୃତ ଶବ୍ଦର ସଂଖ୍ୟା ପ୍ରାୟ ପାଞ୍ଚ ହଜାରରୁ ଅଧିକ । ଏତଦ୍‌ବ୍ୟତୀତ ସାନ୍ତାଳୀ, କନ୍ଧ, କୋହ୍ଲ, ଦ୍ରାବିଡ଼ ଆଦି ଆଦିବାସୀ ଭାଷା ସହିତ ଉତରୀ, ଲରିଆ, ସମ୍ବଲପୁର, ଚାଳିଶଗଡ଼ି ଆଦି ଓଡ଼ିଆ ଭାଷାର ଔପଭାଷିକ ଶବ୍ଦ ମଧ୍ୟ ସ୍ଥାନ ପାଇଛି । ମାତ୍ର ସଙ୍କଳିତ ଶବ୍ଦଗୁଡ଼ିକ ବ୍ୟତୀତ ଆପଣାର ଟିପାଖାତାରେ ଢ ଓ ତ ଅକ୍ଷରାଦି ପ୍ରାୟ ପାଞ୍ଚ ହଜାର ଦେଶାଂଶ ପ୍ରଚଳିତ, ବ୍ୟାବସାୟିକ, ଗ୍ରାମ୍ୟ ଓ ବୈଜ୍ଞାନିକ ଶବ୍ଦ ଅମୁଦ୍ରିତ ଅବସ୍ଥାରେ ରହି ଯାଇଥିବା କଥା ସେ ପ୍ରକାଶ କରିଛନ୍ତି । ଏପରିକି ବଙ୍ଗ, ବିହାର, ମାନ୍ଦ୍ରାଜ, ମଧ୍ୟପ୍ରଦେଶ ଓ ଓଡ଼ିଆଗଡ଼ଜାତମାନଙ୍କରେ କନ୍ଦି ବିକନ୍ଦି ଖୋଜିଲେ ଅନ୍ତତଃ ଦଶହଜାର ପ୍ରାଦେଶିକ, ଦେଶାଂଶ-ପ୍ରଚଳିତ, ଗ୍ରାମ୍ୟ, ପ୍ରାଚୀନ, ବୈଜ୍ଞାନିକ, ଓ ବ୍ୟାବହାରିକ ଶବ୍ଦ ସଂଗୃହୀତ ହୋଇ ପାରିବ ଏବଂ ତାଙ୍କ ନିକଟରେ ଅନ୍ୟୂନ ୧୫ ହଜାର ଶବ୍ଦ ସଂଗୃହୀତ ହୋଇ ରହିଛି ବୋଲି ସେ ପ୍ରକାଶ କରିଥିଲେ । (ପୂ: ଓ: ଭା-୭ମ ମୁଖବନ୍ଧ) ଈଶ୍ୱରଙ୍କ ଅନୁକମ୍ପା ଥିଲେ ପରିଶିଷ୍ଟ ଖଣ୍ଡରେ ସେଗୁଡ଼ିକ ମୁଦ୍ରିତ କରିବାର ଭରସା ବି ରଖିଥିଲେ । ମାତ୍ର ତାଙ୍କ ସ୍ୱପ୍ନ ଜୀବଦଶାରେ ସଫଳ ହୋଇ ପାରି ନଥିଲା ଏବଂ ମୃତ୍ୟୁ ପର୍ଯ୍ୟନ୍ତ ସଂଗୃହୀତ ଶବ୍ଦଗୁଡ଼ିକୁ ସଂରକ୍ଷଣ ଓ ଯୋଗ୍ୟ ଉତ୍ତରାଧିକାରୀ ଅଭାବରୁ ନଷ୍ଟ ହୋଇଗଲା । ଶବ୍ଦସଂଗ୍ରହ କାର୍ଯ୍ୟରେ ପ୍ରହରାଜ କେତେ ସଚେତନ ଓ କର୍ତ୍ତବ୍ୟନିଷ୍ଠ ଥିଲେ ତାହା ଉପର୍ଯ୍ୟୁକ୍ତ ଉଦ୍ଧୃତିଗୁଡ଼ିକରେ ସ୍ପଷ୍ଟ ହୋଇଯାଏ ।

 

୧୯୧୩ରୁ ୧୯୧୯ ମସିହା ପର୍ଯ୍ୟନ୍ତ ସାତବର୍ଷ ମଧ୍ୟରେ ଶବ୍ଦଗୁଡ଼ିକ ସଂଗୃହୀତ ହୋଇଥିଲା । ସଙ୍କଳନ କାର୍ଯ୍ୟ ଆରମ୍ଭ ହୋଇଥିଲା ତା ୩ । ୧୦ । ୧୯୧୯ ମସିହାରେ ଏବଂ ସଜ୍ଜୀକରଣ କାର୍ଯ୍ୟ ଚାଲିଥିଲା ୧୯୨୭ ମସିହା ପର୍ଯ୍ୟନ୍ତ । ସେହିବର୍ଷ ପାଣ୍ଡୁଲିପି ପ୍ରସ୍ତୁତିର ପ୍ରାଥମିକ କାର୍ଯ୍ୟ ସରିଗଲା ପରେ ଏହାର ସମାର୍ଜନ ବା ସାଫିକାର୍ଯ୍ୟ ଆରମ୍ଭ ହେଲା ୧୯୨୮ ମସିହାରୁ । ଏ କାର୍ଯ୍ୟରେ ଦୁଇଜଣ ଓଡ଼ିଆ ଭାଷା ଅଭିଜ୍ଞ ପଣ୍ଡିତ, ଦୁଇଜଣ ଅଣ୍ଡର ଗ୍ରାଜୁଏଟ୍‌, ଦୁଇଜଣ ସଂସ୍କୃତ ଭାଷା ଓ ସାହିତ୍ୟର ବିଦ୍ୱାନ ଏବଂ ପୀତାମ୍ବରୀ ଦେବୀ ତାଙ୍କୁ ସାହାଯ୍ୟ କରୁଥିଲେ-। ପୀତାମ୍ବରୀ ଦେବୀ ହିଁ ଥିଲେ ତାଙ୍କର ପ୍ରଧାନ ସହକର୍ମିଣୀ । ତାଙ୍କ ବ୍ୟତୀତ ଓଡ଼ିଶା ତଥା ଓଡ଼ିଶା ବାହାର ବହୁ ବିଦ୍ୱାନ ଏ କାର୍ଯ୍ୟରେ ପ୍ରହରାଜଙ୍କୁ ଆନ୍ତରିକ ସାହାଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରେ ପଣ୍ଡିତ କୁଳମଣି ଦାସ କାବ୍ୟତୀର୍ଥ, କୃଷ୍ଣଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ରଥ, ନରସିଂହ ମହାପାତ୍ର, କବି ଗୋଲକଚନ୍ଦ୍ର ପ୍ରଧାନ, ନାରୀକବି ଅପର୍ଣ୍ଣା ଦେବୀ, ରାଧାନାଥ ରଥ, ଶଶିଭୂଷଣ ରଥ, ଔପନ୍ୟାସିକ ରାମଚନ୍ଦ୍ର ଆଚାର୍ଯ୍ୟ, ରାଜା ବିକ୍ରମଦେବ ଶର୍ମା ଡି: ଲିଟ୍‌ ଆଦିଙ୍କ ନାମ ଉଲ୍ଲେଖନୀୟ । କଟକ ଟ୍ରେନିଂ କଲେଜର ଅଧ୍ୟକ୍ଷ ଦୁଇଟି ମୋର (ଅ ଅକ୍ଷର) କଟକର କଲେକ୍‌ଟର ସାହେବ ମାରଉଡ ଓ ଫିଲପ୍‌ସ । ରେଭେନ୍‌ସା କଲେଜର ଇଂରାଜୀ ବିଭାଗର ପ୍ରଫେସର ନିରଞ୍ଜନ ନିୟୋଗୀ, ଓଡ଼ିଆ ବିଭାଗର କମିସନର ଶ୍ରୀଯୁକ୍ତ ଏ, ଆର୍‌, ଟପ୍ଳିସ୍‌, ପ୍ରମୁଖ ବ୍ୟକ୍ତି ବିଶେଷ ଇଂରାଜୀ, ସତୀନ୍ଦ୍ର ନାରାୟଣ ରାୟ ଏମ୍‌. ବି, ଏଲ୍‌ ଓ ପଣ୍ଡିତ ସତ୍ୟ ଶଙ୍କର ମୁଖାର୍ଜୀ ବଙ୍ଗଳା, ପଣ୍ଡିତ ସୁରେଶ ଚନ୍ଦ୍ର ଝା ଓ ରାମଲୋଚନ ଶରଣ ହିନ୍ଦୀ ଶବ୍ଦଗୁଡ଼ିକର ଶୁଦ୍ଧ ପାଠ ନିର୍ଣ୍ଣୟ କରୁଥିଲେ । ଓଡ଼ିଆଭାଷା ସଂକ୍ରାନ୍ତୀୟ ସମସ୍ୟାଗୁଡ଼ିକର ସମାଧାନ କରୁଥିଲେ ଆର୍ତ୍ତବଲ୍ଲଭ ମହାନ୍ତି, ଅଗଣି ଦାସ, ପଣ୍ଡିତ କୁଳମଣି ଦାଶ, ଭିକାରୀ ଚରଣ ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ସେନଗୁପ୍ତ, ଚିନ୍ତାମଣି ମହାନ୍ତି ଓ ପ୍ରୁଫ୍‌ ସଂଶୋଧନ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ବାଗ୍ମୀ ବିଶ୍ୱନାଥ କର, ପଦ୍ମଚରଣ ଦାଶ, ରାମଚନ୍ଦ୍ର ରଥ, କୁଳମଣି ଦାଶ, ପଣ୍ଡିତ ନୀଳକଣ୍ଠ ଦାସ ଓ ପଣ୍ଡିତ କୃଷ୍ଣଚନ୍ଦ୍ର କରଙ୍କ ପରି ବିଦ୍ୱାନମାନେ । ଗ୍ରନ୍ଥର ତ୍ରୁଟିଶୂନ୍ୟ ମୁଦ୍ରଣ ନିମିତ୍ତ ଏହା ମୁଦ୍ରିତ ହେଉଥିଲା ବିଶ୍ୱନାଥ କରଙ୍କ ପ୍ରତ୍ୟକ୍ଷ ଏବଂ ରାମଚନ୍ଦ୍ର ରଥଙ୍କ ପରୋକ୍ଷ ତତ୍ତ୍ୱାବଧାନରେ ଉତ୍କଳ ସାହିତ୍ୟ ପ୍ରେସ୍‌ରେ । ୧୯୩୫ ମସିହାରେ ବାଗ୍ମୀକରଙ୍କ ମୃତ୍ୟୁ ଘଟିବାରୁ ଏ କ୍ଷେତ୍ରରେ ପ୍ରହରାଜଙ୍କୁ ଅଧିକ ସଚେତନ ହେବାକୁ ପଡ଼ିଥିଲା ଏବଂ ପରେ କୃଷ୍ଣଚନ୍ଦ୍ର କର ହିଁ ତାଙ୍କୁ ମାନସିକ ସନ୍ତୁଳନରୁ ମୁକ୍ତି ଦେଇଥିଲେ । ମାତ୍ର ଅନ୍ୟମାନଙ୍କ ଉପରେ ଭାଷାକୋଷର ଦାୟିତ୍ୱ ପୂର୍ଣ୍ଣଭାବରେ ଦେଇପାରୁ ନଥିଲେ । ଶବ୍ଦ ସଂଗ୍ରହଠାରୁ ଆରମ୍ଭ କରି, ସଜ୍ଜୀକରଣ, ଅର୍ଥଲିଖନ, ସମାର୍ଜନ ଓ ବନ୍ଧେଇ ହେବା ପର୍ଯ୍ୟନ୍ତ ସବୁ କାମ ସେ ନିଜେ ତଦାରଖ କରୁଥିଲେ । ଭାଷାକୋଷର ମେରି ଖୁଣ୍ଟରେ ବେଙ୍ଗଳା ବୁଲୁଥିଲେ ଗୋଟାଏ ଦିନରେ ପ୍ରାୟ ଅଠର ଘଣ୍ଟା । ଅୟସ, ମଉଜମଜଲିସ୍‌, ଅର୍ଥ ଉପାର୍ଜନ ସବୁକିଛିକୁ ସେ ମହାନଦୀକୁ ଫୋପାଡ଼ି ଦେଇଥିଲେ । (ଭାଷାକୋଷ ପାଇଁ ସଫର୍‌-୪ ଉ: ସା)

 

ଭାଷାକୋଷ ଏକ ଚତୁର୍ଭାଷିକ ଅଭିଧାନ ଥିବାରୁ ଏଥିରେ ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷାର ପଣ୍ଡିତମାନେ ପ୍ରତ୍ୟକ୍ଷ ଭାବରେ ଅଂଶ ଗ୍ରହଣ କରିଥିଲେ । ଗ୍ରନ୍ଥରେ ସଂଯୋଜିତ ଓଡ଼ିଆ ଶବ୍ଦଗୁଡ଼ିକର ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଲିପିରେ ଉଲ୍ଲେଖ କରାଯିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ପାରିଭାଷିକ ଅର୍ଥ ସଂକ୍ରାନ୍ତରେ ମଧ୍ୟ ସୂଚନା ରହିଛି । ପ୍ରାୟ ପ୍ରତ୍ୟେକ ଶବ୍ଦକୁ ଇଂରାଜୀ ଲିପିରେ ଲେଖାଯିବା ସଙ୍ଗେ ସଙ୍ଗେ, ସେ ସମସ୍ତର ପାରିଭାଷିକ ଅର୍ଥ ପ୍ରଦତ୍ତ ହୋଇଥିଲେ ସୁଦ୍ଧା, ଅନ୍ୟ ଦୁଇଟି ଭାଷାପ୍ରତି ସମାନରୀତି ଅନୁସୃତ ହୋଇନାହିଁ । ଉପର୍ଯ୍ୟୁକ୍ତ ଭାଷା ବ୍ୟତୀତ ଅନ୍ୟ କେତେକ ଭାରତୀୟ ଭାଷାର ପାରିଭାଷିକ ଶବ୍ଦ ଉଲ୍ଲେଖ କରିବାପାଇଁ ସଂକଳନ ଆଶା ପୋଷଣ କରିଥିଲେ-। ମାତ୍ର ଶ୍ରମ, ସମୟ, ତଦ୍‌ବିଧ ଓ ଅର୍ଥ ଅଭାବରୁ ପ୍ରହରାଜଙ୍କର ଏ ଆଶା ଦୁରାଶାରେ ପରିଣତ ହୋଇ ଯାଇଥିଲା । ମାତ୍ର ଭାଷାକୋଷକୁ ଚତୁର୍ଭାଷିକ ନକରି, ଓଡ଼ିଆ-ବଙ୍ଗଳା, ଓଡ଼ିଆ-ହିନ୍ଦୀ, ଓଡ଼ିଆ-ଇଂରାଜୀ ଭେଦରେ ତିନୋଗୋଟି ସ୍ୱତନ୍ତ୍ର ଗ୍ରନ୍ଥ ଭାବରେ ସଙ୍କଳନ କରିଥିଲେ । ସାଧାରଣ ଜନତା ଏହାଦ୍ୱାରା ଅଧିକ ଉପକୃତ ହୋଇ ପାରିଥାନ୍ତେ ବୋଲି କେତେକ ଗବେଷକ ମତପ୍ରକାଶ କରିଥାନ୍ତି । କାରଣ ଗ୍ରନ୍ଥର ବିରାଟ କଳେବର ଓ ମୂଲ୍ୟ ସାଧାରଣ ଜନତା ମନରେ ଭୟ ସୃଷ୍ଟିକରେ-। ମାତ୍ର ତାହା ଭିନ୍ନ ଭିନ୍ନ ଖଣ୍ଡରେ ପ୍ରକାଶିତ ହୋଇଥିଲେ, ଭାଷାକୋଷର ମହତ୍ତ୍ୱ କ୍ଷୁଣ୍ଣ ହୋଇଥାନ୍ତା-। ବିଶ୍ୱ ଦରବାରରେ ଏକ ଉଲ୍ଲେଖନୀୟ କାଳଜୟୀ କୃତି ଭାବରେ ସ୍ୱୀକୃତ ହୋଇ ନଥାନ୍ତା ।

 

ପୁନଶ୍ଚ ଭାଷାକୋଷର ୬ଷ୍ଠ ଓ ସପ୍ତମ ଭାଗ ଗୋଟିଏ ଗୋଟିଏ ଜ୍ଞାନକୋଷ ରୂପ ପାଇଛି-। ଜ୍ଞାନ ବିଜ୍ଞାନର ବିଭିନ୍ନ ବିଭାଗରେ ପାଣ୍ଡିତ୍ୟ ଅର୍ଜନ କରିଥିବା ତଦ୍‌ବିଦ୍‌ମାନେ ନିର୍ଦ୍ଦିଷ୍ଟ ବିଷୟରୁ ଆଲୋଚନାମାନ ପ୍ରସ୍ତୁତ କରୁଥିଲେ । ସେମାନଙ୍କ ମଧ୍ୟରେ ପଣ୍ଡିତ ବାଇକୋଳି ମହାପାତ୍ର, ଜ୍ୟୋତିଷ ବିଶାରଦ ଜଗନ୍ନାଥ ତ୍ରିପାଠୀ, ବିକ୍ରମଦେବ ବର୍ମା, ବିଚ୍ଛନ୍ଦ ଚରଣ ପଟ୍ଟନାୟକ, କେଦାରନାଥ ମହାପାତ୍ର, ଜଗବନ୍ଧୁ ସିଂ, ଚନ୍ଦ୍ର ଶେଖର ଦାଶ, ନାରାୟଣ ପ୍ରସାଦ ଷାଠିଆ, ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ, ବଂଶୀଧର ମହାନ୍ତି, ପଣ୍ଡିତ ରାମଚନ୍ଦ୍ର ମିଶ୍ର, ବିପିନ ବିହାରୀ ରାୟ, ସୁନ୍ଦରାନନ୍ଦ ବିଦ୍ୟା ବିନୋଦ ମହା ମହୋପଦେଶକ, ପଣ୍ଡିତ କୁଳମଣି ଦାଶ କାବ୍ୟତୀର୍ଥ, ଲକ୍ଷ୍ମୀ ନାରାୟଣ ସାହୁ, ବ୍ରାହ୍ମ ଅବଧୂତ ବିଶ୍ୱନାଥ ବାବା, ଯୋଗେନ୍ଦ୍ର ନାଥ ଦାଶ ପ୍ରମୁଖ ବ୍ୟକ୍ତିଙ୍କ ନାମ ଉଲ୍ଲେଖନୀୟ । ଗ୍ରନ୍ଥର ପ୍ରଥମ ଖଣ୍ଡଠାରୁ ପଞ୍ଚମ ଖଣ୍ଡ ପର୍ଯ୍ୟନ୍ତ ସଙ୍କଳକ ଏହି ବିଶେଷ ଦିଗଟି ସଂକ୍ରାନ୍ତରେ ଏତେ ବେଶି ନିଘା ଦେଇ ନଥିଲେ । ସେଗୁଡ଼ିକରେ ଅବଶ୍ୟ କେତେକ ଶବ୍ଦ ସଂକ୍ରାନ୍ତରେ ଦୀର୍ଘ ଆଲୋଚନା ମାନ ପ୍ରକାଶ ପାଇଛି । ମାତ୍ର ତାହା ପର୍ଯ୍ୟାପ୍ତ ନୁହେଁ, ସମ୍ଭବତଃ ସଂକଳକ ନିଜେ ଆଲୋଚନାଗୁଡ଼ିକ ପ୍ରସ୍ତୁତ କରୁଥିଲେ । ତେଣୁ ପ୍ରଥମ ପାଞ୍ଚଗୋଟି ଖଣ୍ଡରେ ସ୍ଥାନିତ ବିଶେଷ ଶବ୍ଦଗୁଡ଼ିକ ସଂକ୍ରାନ୍ତୀୟ ଆଲୋଚନାଗୁଡ଼ିକ ତଦ୍‌ବିଦ୍‌ମାନଙ୍କଦ୍ୱାରା ପ୍ରସ୍ତୁତ ହୋଇଥିଲେ ଭାଷାକୋଷ ଅଧିକ ଉପାଦେୟ ହୋଇ ପାରିଥାନ୍ତା । ମାତ୍ର ଏକଥା ନିଶ୍ଚିନ୍ତ ଯେ, ସାତ ଖଣ୍ଡରେ ଭାଷାକୋଷର ମୁଣ୍ଡିମାରିବା ସଙ୍କଳକଙ୍କ ପକ୍ଷେ ସମ୍ଭବ ହୋଇ ନଥାନ୍ତା । ଅଧିକ ଅର୍ଥ ସଂଗ୍ରହ ପାଇଁ ଭିକ୍ଷାର୍ଥୀ ବେଶରେ ପୁଣି ତାଙ୍କୁ ଓଡ଼ିଶାର ରାଜଦରବାର, ଗଳିକନ୍ଦି ବୁଲିବାକୁ ପଡ଼ିଥାନ୍ତା । ତେଣୁ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ନିରୁତା ଅଭିଧାନ ଗ୍ରନ୍ଥ ନୁହେଁ, ଜ୍ଞାନକୋଷ ଭିତ୍ତିକ ଏକ କୋଷଗ୍ରନ୍ଥ ଏବଂ ଏହାର ଗଢ଼ଣ କାର୍ଯ୍ୟରେ ଓଡ଼ିଶା ତଥା ବାହାରର ପଣ୍ଡିତମାନଙ୍କର ଅବଦାନ ମଧ୍ୟ ଉଲ୍ଲେଖନୀୟ ।

 

।। ଦୁଇ ।।

୧୯୨୮ରେ ଆରମ୍ଭ ହୋଇଥିବା ସାଫିକାର୍ଯ୍ୟ ଶେଷ ହୋଇଥିଲା ୧୯୩୦ ମସିହାରେ ଏବଂ ସେତେବେଳେ ଏହାର ଆକାର ଥିଲା ଫୁଲ୍‌ସ୍କେପ କାଗଜରେ ପ୍ରାୟ ୩୦,୦୦୦-ପୃଷ୍ଠାର । ୧୯୩୦ ମସିହାରେ ନମୁନା ସ୍ୱରୂପ ୧୮ ପୃଷ୍ଠାର ଏକ ପୁସ୍ତିକା ଓ ଅର୍ଡର ଫର୍ମ ପ୍ରକାଶ ପାଇଲା ଏବଂ ଉକ୍ତ ପୁସ୍ତିକାଟି ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ବାଣ୍ଟି ଦିଆଯାଇଥିଲା, ସେମାନଙ୍କ ଅବଗତି ନିମନ୍ତେ ।

 

୧୯୨୭ ମସିହାର ଫେବୃୟାରୀ ମାସ ୨୬ ତାରିଖରେ ପ୍ରାଦେଶିକ ଭାଷା ବିବର୍ଦ୍ଧିନୀ ସମିତି (Vernacular Development Committee) ର ପ୍ରଥମ ଅଧିବେଶନ କଟକରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ସାର-ଅଲି-ଇ-ମାମ୍‌ ଏବଂ ସଭାକୁ ନିମନ୍ତ୍ରିତ ହୋଇଥିଲେ ବିଶିଷ୍ଟ ଗବେଷକ ବିଜୟ ଚନ୍ଦ୍ର ମଜୁମ୍‌ଦାର । ଅଧିବେଶନରେ ‘‘ଉତ୍କଳ ଭାଷା ଅଞ୍ଚଳର ସର୍ବଜନ ବ୍ୟବହୃତ ଶବ୍ଦ ସମନ୍ୱିତ ଏକ କୋଷଗ୍ରନ୍ଥ ସଙ୍କଳନପାଇଁ ସିଦ୍ଧାନ୍ତ ନିଆଗଲା । ଏହି ସୁଯୋଗରେ ପ୍ରହରାଜ ଆପଣ ଅଭିଧାନର ପାଣ୍ଡୁଲିପିକୁ ସାହିତ୍ୟ ବିବର୍ଦ୍ଧିନୀ ସଭାର କର୍ମକର୍ତ୍ତାମାନଙ୍କ ନିକଟରେ ଉପସ୍ଥାପନ କଲେ । ପାଣ୍ଡୁଲିପିଟିକୁ ପରୀକ୍ଷା କରି ରେଭରେଣ୍ଡ ଏଚ୍‌: ଡବ୍ଳିଉ: ପେକ୍‌ (Rev Mr. H. W. Pike) ମନ୍ତବ୍ୟ ଦେଇଥିଲେ-It is a monumental work partaking of the nature of an encyclopaedia built on the line of some of our larger dictionary. It aims being exhaustive including words, use in all parts of Orissa as well as words incorporated in the language form other language X X X X As a monument of Oriya language and a standard work of reference on that subject, I believe the dictionary as well-worth printing.’’ ରେଭରେଣ୍ଡ୍‌ ପେକ୍‌ ସାହେବ କିଛି କମ୍‌ ଲୋକ ନଥିଲେ । ଓଡ଼ିଆ ଭାଷାରେ ତାଙ୍କର ବେଶ୍‌ ଦକ୍ଷତା ଥିଲା । ଉଇଲ୍‌କିନ୍‌ସ (Cardon S. Willikins) ଓ ପେକ୍‌ଙ୍କ ଯୁଗ୍ମ ଉଦ୍ୟମରେ English Oriya Dictionary ଗ୍ରନ୍ଥ କଟକ ମିସନ ପ୍ରେସ୍‌ରେ ମୁଦ୍ରିତ ହୋଇ ଦୁଇଗୋଟି ଭାଗରେ ଯଥାକ୍ରମେ ୧୯୧୬ ଓ ୧୯୨୩ ମସିହାରେ ପ୍ରକାଶ ପାଇଥିଲା । ତେଣୁ ପେକ୍‌ ସାହେବଙ୍କ ଭାଷାକୋଷ ସଂକ୍ରାନ୍ତୀୟ ଉପର୍ଯ୍ୟୁକ୍ତ ମନ୍ତବ୍ୟକୁ ଓଡ଼ିଶାର ଭିତର ଓ ବାହାରର ପଣ୍ଡିତମାନେ ସମର୍ଥନ କଲେ, ଗ୍ରହଣ କରିନେଲେ । ଶିକ୍ଷା ବିଭାଗର ନିର୍ଦ୍ଦେଶକ ଲମ୍ବର୍ଟ ସାହେବ, କାକା କାଲେଲ୍‌କର, ବାଗ୍ମୀ ବିଶ୍ୱନାଥ କର, ଉତ୍କଳମଣି ଗୋପବନ୍ଧୁ ଦାସଙ୍କଦ୍ୱାରା ମଧ୍ୟ ପାଣ୍ଡୁଲିପି ଉଚ୍ଚ ପ୍ରଶଂସିତ ହୋଇଥିଲା (ସମାଜ ତା ୨୭ । ୮ । ୧୯୨୭) ଗୋପବନ୍ଧୁଙ୍କ ସହ ପ୍ରହରାଜଙ୍କ ଘନିଷ୍ଠ ସମ୍ପର୍କ ଥିଲା । ଫାଲ୍‌ଗୁନ ପୂର୍ଣ୍ଣିମାରେ ପୂର୍ଣ୍ଣ ହୋଇଥିବାରୁ ଗୋପବନ୍ଧୁ ତା ୨୭ । ୮ । ୧୯୨୭ ରିଖର ସମାଜର ସମ୍ପାଦକୀୟରେ ‘‘ପୂର୍ଣ୍ଣମୀରେ ପୂର୍ଣ୍ଣ’’ ଶିରୋନାମାରେ ବେଶ୍‌ ଚମତ୍‌କାର ମନ୍ତବ୍ୟ ପ୍ରକାଶ କରିଥିଲେ । ଓଡ଼ିଶାର ସମସାମୟିକ ପତ୍ରପତ୍ରିକା, ଉତ୍କଳ ସାହିତ୍ୟ, ଆଶା,ଗଡ଼ଜାତ ବାସିନୀ, ୟଙ୍ଗ୍‌ ଉତ୍କଳ, ଶକ୍ତି, ପଲ୍ଲୀବାସୀର ପୃଷ୍ଠାଗୁଡ଼ିକରେ ସଂକଳକଙ୍କୁ ଉତ୍ସାହ କଲାପରି ମନ୍ତବ୍ୟମାନ ପ୍ରକାଶ ପାଇଲା । ମହାତ୍ମାଗାନ୍ଧୀ ୧୯୨୭ ମସିହାରେ କଟକ ଆସିଥିଲା ବେଳେ, ଭାଷାକୋଷ ଆଶ୍ରମରେ ରାତି କଟେଇଥିଲେ । ବିଶ୍ୱବିଖ୍ୟାତ ଆଣ୍ଡ୍ରୁଜ ସାହେବ, ରାଜେନ୍ଦ୍ର ନାରାୟଣ, କଲିକତାର ପାଦ୍ରୀ ଶ୍ରୀଯୁକ୍ତ ଟପ୍ଳି ଓ ଟକ୍‌କର, ଗୁଜୁରାଟ ବିଦ୍ୟାପୀଠର ଅଧ୍ୟକ୍ଷଙ୍କ ପରି ମନୀଷୀମାନେ ଭାଷାକୋଷ ଆଶ୍ରମ ପରିଦର୍ଶନ କରିଥିଲେ । ପ୍ରହରାଜଙ୍କ ମନୋବଳର ପ୍ରଶଂସା କରିଥିଲେ । ଆର୍ଥିକ ଅନଟନ ଭିତରେ ନଇଁ ପଡ଼ୁଥିବା ମନରେ ଶକ୍ତି ଭରି ଦେଇଥିଲେ ।

 

ପାଣ୍ଡୁଲିପି ପ୍ରସ୍ତୁତ ହୋଇ ସାରିବା ପରେ ଏହାର ପ୍ରକାଶନ ପାଇଁ ‘ଅର୍ଥ’ ଥିଲା ସବୁଠାରୁ ବଡ଼ ସମସ୍ୟା । ଅଭିଧାନର ସମ୍ମାର୍ଜନ କାର୍ଯ୍ୟ ଚାଲିଥିବା ବେଳେ ପ୍ରହରାଜଙ୍କ ଓକିଲାତି ବ୍ୟବସାୟ ପୂରାପୂରି ବନ୍ଦ ହୋଇ ଯାଇଥିଲା କହିଲେ ଚଳେ । ଯେଉଁ କେତେକ ମହକିଲ ଆସୁଥିଲେ, ସେମାନଙ୍କୁ ସେ କୃଷ୍ଣଚନ୍ଦ୍ର ମିଶ୍ର ଓ ହରିହର ମହାପାତ୍ରଙ୍କୁ ଧରେଇ ନେଉଥିଲେ । ତେଣେ ଜମିଦାରୀର ମଧ୍ୟ ଦେଖାଶୁଣା କରିବା ସମ୍ଭବ ହେଉନଥିଲା । ଦିନକୁ ଅଠର ଘଣ୍ଟାରୁ ଅଧିକ କାଳ ସେ ଶାରୀରିକ ଓ ମାନସିକ ଶ୍ରମରେ ବୁଡ଼ି ରହୁଥିଲେ । ରାତିରେ ଖାଇବା ମଧ୍ୟ ଛାଡ଼ି ଦେଇଥିଲେ । ଦୁଇ ତିନି ସେର କ୍ଷୀର ସିଝି ସିଝି ଯାହା ଅଧସେର ସରିକି ରହୁଥିଲା, ତାହାହିଁ ଥିଲା ତାଙ୍କର ରାତିର ଖାଦ୍ୟ । ରାତି ୮ରୁ ୯ଟା ଭିତରେ ବିଛଣା ଧରୁଥିଲେ । ଉଠୁଥିଲେ ୩ଟା ସରିକି । ଉଠିଲା ପରେ କିଛି ସମୟ ଭଜନ କରୁଥିଲେ, ମୃଦଙ୍ଗ, ଗିନି, ବେହେଲା ପରି ବାଦ୍ୟ ଯନ୍ତ୍ରରେ ବି ହାତ ଦଉଥିଲେ-। ତାପରେ ସକାଳ ପର୍ଯ୍ୟନ୍ତ ଲାଗି ଯାଉଥିଲେ ଆପଣା କାମରେ, ଶଶିଭୂଷଣ ରାୟ ତାଙ୍କ ଘରକୁ ଆସିବା ପର୍ଯ୍ୟନ୍ତ । ଦୁଇ ବନ୍ଧୁଙ୍କର ସକାଳର କିଛି ସମୟ ଚା’, ଭୁବନେଶ୍ୱର କୋରା ଓ ମଧୁର ଅନ୍ତରଙ୍ଗ ଗୋପନୀୟ ଆଳାପରେ କଟୁଥିଲା । ସେମାନେ ପୁଣି ଦୂରେଇ ଯାଉଥିଲେ ନିଜ ନିଜଠାରୁ ପରବର୍ତ୍ତୀ ସକାଳ ପର୍ଯ୍ୟନ୍ତ । ପଣ୍ଡିତମାନେ ଆସି କାମରେ ଲାଗି ଯାଉଥିଲେ । ପ୍ରହରାଜେ ବି ଲୋଟି ପଡ଼ୁଥିଲେ ନିଜ ଆସନରେ । ଭାଷାକୋଷର ସମ୍ମାର୍ଜନ କାର୍ଯ୍ୟ ଆରମ୍ଭ ଦିନଠାରୁ ଶେଷଦିନ ପର୍ଯ୍ୟନ୍ତ ପ୍ରତିଦିନ ଗାଧୋଇ ସାରି ଯଜ୍ଞକୁଣ୍ଡରେ ଘୃତାହୁତି ଦେଉଥିଲେ । ଆମିଷ ଭୋଜନ ଛାଡ଼ି ଦେଇଥିଲେ । ମଝିରେ ମଝିରେ ପୀତାମ୍ବରୀ ଦେବୀଙ୍କ ପ୍ରସ୍ତୁତ ଶତପୂଟ ଅଫିମ ନିଶାରେ ସେ ସତେଜ ହୋଇ ଉଠୁଥିଲେ । ଅଣ୍ଟାରୁ ଗୋଟିଏ କରାଟ ସରିଯିବା ସମୟରେ ପୀତାମ୍ବରୀ ଦେବୀ ଅସଲ ଜାଗାରେ ଅନ୍ୟ କରାଟଟି ଗୁଞ୍ଜି ଦଉଥିଲେ । ତାଙ୍କ ଜୀବନ ଥିଲା ଜଣେ ସାଧକର ଜୀବନ ।

 

କାମ ଯେତିକି ଯେତିକି ବଢ଼ୁଥିଲା, ସେ ସେତିକି ବେଶି ଅଭାବର ସମ୍ମୁଖୀନ ହେଉଥିଲେ-। ସମ୍ମାର୍ଜନ କାର୍ଯ୍ୟର ବ୍ୟୟଭାର ପାଇଁ ମାସକୁ ଅନ୍ୟୁନ ତିନିଶହ ଟଙ୍କା ଆବଶ୍ୟକ ହେଉଥିଲା । କର୍ମଚାରୀମାନଙ୍କୁ ମାସର ପ୍ରଥମ ସପ୍ତାହରେ ବେତନ ଦେଉଥିଲେ । ନିଜେ ଏବଂ ପୀତାମ୍ବରୀ ଦେବୀ ମଧ୍ୟ ପାରିଶ୍ରମିକ ବାବଦକୁ ଅର୍ଥ ନେଉଥିଲେ । ୟା ବ୍ୟତୀତ ମେସ୍, ଯାତାୟତ, ଡାକ, କାଗଜ, ସ୍ୟାହି କିଣା ବାବଦକୁ ତାଙ୍କୁ ଅନେକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଶେଷକୁ ସେ ଏତେ ଆର୍ଥିକ ଅନଟନର ସମ୍ମୁଖୀନ ହୋଇଥିଲେ ଯେ, ଆପଣାର ଘରଟିକୁ ମଧ୍ୟ ଜନୈକ ଧନୀବ୍ୟକ୍ତିକୁ ଭଡ଼ା ଦେଇଦେବା ପାଇଁ ବାଧ୍ୟ ହେଲେ । ଏଣେ ସରକାରଙ୍କ ଠାରୁ ହଠାତ୍ ଆର୍ଥିକ ସାହାଯ୍ୟ ପାଇବା ମଧ୍ୟ ସମ୍ଭବ ନଥିଲା । ଏପରି ଏକ ସଙ୍କଟମୟ ଅବସ୍ଥାରେ ୧୯୨୮ ମସିହା ଅକ୍ଟୋବର ମାସରେ କଳାହାଣ୍ଡିର ରାଜା ବ୍ରଜମୋହନ ଦେବଙ୍କ ଠାରୁ ଟ୧,୦୦୦ଙ୍କା ଓ ପରେ ପରେ ବର୍ଦ୍ଧମାନର ରାଜା ବିଜୟ ଚନ୍ଦ୍ର ମହାତାପ, ଚିକିଟିର ବାନପ୍ରସ୍ଥ ରାଜା ରାଧାମୋହନ ରାଜେନ୍ଦ୍ରଙ୍କ ଠାରୁ ଯଥାକ୍ରମେ ଟ୨୫୦ଙ୍କା ଓ ଟ୬୦୦ଙ୍କା ସାହାଯ୍ୟ ପାଇଲେ । ପ୍ରହରାଜଙ୍କୁ ସାହାଯ୍ୟ କରିବା ପାଇଁ ‘ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ’ର ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଆପଣାର ବିଶ୍ୱକୋଷ ସଙ୍କଳନର ପରିକଳ୍ପନା ତ୍ୟାଗ କରି ନିଜେ ସଞ୍ଚୟ କରିଥିବା ଟ୧୨୦ଙ୍କା ମଧ୍ୟ ତାଙ୍କୁ ଦାନ କରିଦେଲେ । ୧୯୨୯ ମସିହାରେ ପେକ୍‌ ସାହେବ ସରକାରଙ୍କ ଦପ୍ତରରେ ଅଭିଧାନର ମୁଦ୍ରଣ ବ୍ୟୟର ଏକ ଆନୁମାନିକ ହିସାବ ପେସ୍‌ କଲେ । ସେତେବେଳର ଶିକ୍ଷା ବିଭାଗର ନିର୍ଦ୍ଦେଶକ ଫକ୍‌ସ ସାହେବ, ଶିକ୍ଷାମନ୍ତ୍ରୀ ମାନ୍ୟବର ସାର୍‌ ଫକିରୁଦ୍ଦିନ, ଅର୍ଥ ବିଭାଗର ସଦସ୍ୟ ରାଜା ରାଜେନ୍ଦ୍ର ନାରାୟଣ, ସେକ୍ରେଟେରୀ ଗୋଗେଲ, ଅର୍ଥ ସଦସ୍ୟ ମାନ୍ୟବର ସିଫଟନ୍ ଓ ଲାଟ ସାହେବ ସାର୍ ଷ୍ଟିଫେନ୍‌ସଙ୍କ ସୁପାରିସ କ୍ରମେ ବିହାର-ଓଡ଼ିଶା ସରକାରଙ୍କୁ ଏକ ହଜାର କପିର ମୁଦ୍ରଣ ଖର୍ଚ୍ଚ ପାଇଁ ଅର୍ଥ ସାହାଯ୍ୟ ଦେବାକୁ କେନ୍ଦ୍ର ସରକାରଙ୍କଠାରୁ ନିର୍ଦ୍ଦେଶ ଆସିଲା । ସରକାର ମୁଦ୍ରଣ ଖର୍ଚ୍ଚ ବାବଦ ଟ୧୪,୦୦୦ଙ୍କା ଓ ସମ୍ମାର୍ଜନ ଖର୍ଚ୍ଚ ବାବଦ ଟ୫,୦୦୦ଙ୍କାର ବ୍ୟବସ୍ଥା କଲେ-। ଅଭିଧାନର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପାଇଁ ଅନ୍ୟୂନ ଟ୩୦,୦୦୦ଙ୍କା ଆବଶ୍ୟକ ହେବ ବୋଲି ଅଟକଳ କରାଯାଇଥିଲା । ସରକାରୀ ସାହାଯ୍ୟ ବ୍ୟତୀତ ଅନ୍ୟ ଆବଶ୍ୟକୀୟ ଅର୍ଥ ପୁସ୍ତକ ବିକ୍ରୀ ଓ ଅନ୍ୟାନ୍ୟ ବଦାନ୍ୟ ବ୍ୟକ୍ତି, ରାଜା ମହାରାଜାଙ୍କ ସାହାଯ୍ୟରେ ଭରଣା କରାଯାଇପାରିବ ବୋଲି ଆଶା କରାଯାଇ ଥିଲା ।

 

ତାତ୍କାଳିକ ବିହାର-ଓଡ଼ିଶା ଶିକ୍ଷା ବିଭାଗର ନିର୍ଦ୍ଦେଶକ ମାନ୍ୟବର ଫକ୍‌ସ ସାହେବ ପ୍ରତିସାର ଗ୍ରନ୍ଥକୁ ଟ୩୫ଙ୍କା ମୂଲ୍ୟ ହିସାବରେ ୧୧୪ ସାର, ମାନ୍ଦ୍ରାଜ ଶିକ୍ଷା ବିଭାଗ ୫୦ସାର, ବଙ୍ଗ ଶିକ୍ଷା ବିଭାଗ ୧୦ ସାର, ଚିକିଟି, କେନ୍ଦୁଝର, ଧରାକୋଟ, ସୋନପୁର, ଖରସୁଆଁ, ମୟୂରଭଞ୍ଜ ଆଦି ରାଜ୍ୟର ରାଜାମାନେ ଶକ୍ତି ମୁତାବକ ଅଭିଧାନ କ୍ରୟ କରିବା ପାଇଁ ପ୍ରତିଶ୍ରୁତି ଓ ଅର୍ଥ ସାହାଯ୍ୟ କରିଥିଲେ । ଅର୍ଥ ସାହାଯ୍ୟକାରୀଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଥିଲା ଏବଂ ପ୍ରତିଶ୍ରୁତି ଦେଇ ମଧ୍ୟ ଅନେକ ବ୍ୟକ୍ତି ବଚନ ରକ୍ଷା କରିବାକୁ କ୍ଷମ ହୋଇପାରୁ ନଥିଲେ । ତେଣୁ ଗ୍ରନ୍ଥର ମୁଦ୍ରଣ କାଳରେ ପ୍ରହରାଜ ମହାଶୟଙ୍କୁ ବାରମ୍ବାର ଗୁରୁତ୍ୱର ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଏଥିପାଇଁ ସାରା ଓଡ଼ିଶାରଗଡ଼ଜାତ ରାଜ୍ୟ ବହୁ ବଦାନ୍ୟ ଧନାଢ଼୍ୟ ବ୍ୟକ୍ତି ସମେତ, ଦିଲ୍ଲୀ ଦରବାର, ଏପରିକି ଭାରତ ବାହାରକୁ ମଧ୍ୟ ତାଙ୍କୁ ହାତ ବଢ଼େଇବାକୁ ପଡ଼ୁଥିଲା । କଲିକତାର ଇମ୍ପିରିଆଲ ଲାଇବ୍ରେରୀ ପାରିସ୍ ପ୍ରାଚ୍ୟ ସମିତି, ଢାକା ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ, ମୁଙ୍ଗେରର ରାଜା, ଜର୍ମାନ, ନରଓଏ ଓ ଇଟାଲୀ ଆଦି ଦେଶର ପଣ୍ଡିତମାନେ ଅର୍ଥ ସାହାଯ୍ୟ ଦେବା ସଙ୍ଗେ ସଙ୍ଗେ, କାଉନ୍‌ସିଲର ପ୍ରେସିଡେଣ୍ଟ୍ ଲକ୍ଷ୍ମୀ ନାରାୟଣ ମହାନ୍ତି ଆଡଭୋକେଟ, ବିହାର-ଓଡ଼ିଶା ଶିକ୍ଷା ବିଭାଗର ଡେପୁଟି ଡାଇରେକ୍‌ଟର ଶ୍ୟାମଚରଣ ତ୍ରିପାଠୀ (ଆଇ: ଇ: ଏସ୍) ମୟୂରଭଞ୍ଜର ମହାରାଜ ପ୍ରତାପ ଚନ୍ଦ୍ର ଭଞ୍ଜଦେବ, ପୁରୀର ବିଖ୍ୟାତ ଏମାର ମଠର ମହନ୍ତ ମହାରାଜ ଗଦାଧର ରାମାନୁଜ ଏବଂ ପୁରୀର ସରକାରୀ ପ୍ଳିଡର ଲୋକନାଥ ମିଶ୍ରଙ୍କ ସାହାଯ୍ୟ, ସହାନୁଭୂତି ଓ ଆନ୍ତରିକ ପ୍ରେରଣା ପ୍ରହରାଜଙ୍କୁ ଆପଣା କାର୍ଯ୍ୟରେ ଆଗେଇ ନଉଥିଲା । ପରେ ପରେ ମୟୂରଭଞ୍ଜର ମହାରାଜା ଦୁଇବର୍ଷ ପରେ ଟ୮,୦୦୦ଙ୍କା ସାହାଯ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାଙ୍କ ଇଚ୍ଛା ଅନୁସାରେ ବଡ଼ଭାଇ ସ୍ୱର୍ଗତଃ ପୂର୍ଣ୍ଣଚନ୍ଦ୍ରଙ୍କ ନାମରେ ଅଭିଧାନର ନାମକରଣ କରାଗଲା । ଏ ସମ୍ପର୍କରେ ନିଜେ ପ୍ରହରାଜ ‘‘ଏହି ସାହାଯ୍ୟ ଲାଗି କୃତଜ୍ଞତା ଜ୍ଞାପନର୍ଥେ ନାମ ଭାଷାକୋଷର ନାମ ମହାରାଜାଙ୍କ ଜ୍ୟେଷ୍ଠଭ୍ରାତା ସ୍ୱର୍ଗତଃ ପୂର୍ଣ୍ଣଚନ୍ଦ୍ର ନାମ ସଙ୍ଗେ ସଂଯୁକ୍ତ ହୋଇଛି ବୋଲି ଉଲ୍ଲେଖ କରିଛନ୍ତି ।’’ ପ୍ରକୃତ ପକ୍ଷେ କହିବାକୁ ଗଲେ ମୟୂରଭଞ୍ଜର ରାଜା ଥିଲେ ପ୍ରହରାଜଙ୍କ ଅର୍ଥ କୋଷ । ଭାଷାକୋଷର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ପ୍ରହରାଜଙ୍କୁ ସେ ଆର୍ଥିକ ସାହାଯ୍ୟ ଓ ମାନସିକ ପ୍ରେରଣା ଦେଇନଥିଲେ କୋଷଗ୍ରନ୍ଥଟି ବୋଧହୁଏ ଅସମ୍ପୂର୍ଣ୍ଣ ରହିଯାଇଥାନ୍ତା-

 

ଅଭିଧାନର କଳେବର ବୃଦ୍ଧି ଭାଷାକୋଷ ପାଇଁ ସୃଷ୍ଟି ହେଉଥିବା ଆର୍ଥିକ ଅନଟନର ପ୍ରଧାନ କାରଣ । ୧୯୩୦ ମସିହାରେ ନମୁନା ସ୍ୱରୂପ ଉତ୍କଳ ସାହିତ୍ୟ ପ୍ରେସରେ ବାଗ୍ମୀ ବିଶ୍ୱନାଥକରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ମୁଦ୍ରଣ କାର୍ଯ୍ୟ ଆରମ୍ଭ ହେଲା, ରୟାଲ କ୍ୱାଟରସାଇଜରେ ୩୬.୦୦ ପୃଷ୍ଠା ଏବଂ ଦୁଇଟି ଖଣ୍ଡରେ ଏହାର ମୁଦ୍ରଣ ସମାପ୍ତ ହେବ ବୋଲି କରାଗଲା । ମାତ୍ର ପ୍ରଥମ ଖଣ୍ଡରେ ତେରଗୋଟି ସ୍ୱର ବର୍ଣ୍ଣାଦ୍ୟ ଶବ୍ଦ ସ୍ଥାନ ପାଇଥିଲା ଏବଂ ଏହାର ପୃଷ୍ଠା ସଂଖ୍ୟା ଥିଲା ୧୧୯୩ । ସେହିପରି ଦ୍ୱିତୀୟ ଖଣ୍ଡରେ ମାତ୍ର ଛ’ଗୋଟି ବ୍ୟଞ୍ଜନ ବର୍ଣ୍ଣାଦ୍ୟ ଶବ୍ଦ ସ୍ଥାନ ପାଇବାରୁ ସମଗ୍ର ଅଭିଧାନଟି ପାଞ୍ଚଗୋଟି ଖଣ୍ଡରେ ସମାପ୍ତ ହେବ ବୋଲି କଳ୍ପନା କରାଗଲା-। ତେଣୁ ପୃଷ୍ଠାସଂଖ୍ୟା ଯଥେଷ୍ଟ ବୃଦ୍ଧି ଘଟିବାରୁ ଅଧିକ ଅର୍ଥ ଆବଶ୍ୟକ ହେବା ସ୍ୱାଭାବିକ । ଦ୍ୱିତୀୟଖଣ୍ଡର ମୁଦ୍ରଣପରେ ପାଞ୍ଚସାରର ମୁଦ୍ରଣ ଖର୍ଚ୍ଚ ନିମିତ୍ତ ଅନ୍ୟୁନ ଓ ୬୦୦୦୦ ଟଙ୍କାର ବ୍ୟୟ ଅଟକଳ କରାଗଲା । ତେଣୁ ଗ୍ରନ୍ଥର କଳେବରକୁ ସଂକୋଚନ କରିବାପାଇଁ ନାନା ପକାର ପଦକ୍ଷେପ ନିଆଗଲା ।

 

୧.

ଧ୍ୱନିରେ ସାମଞ୍ଜସ୍ୟ ଥିବା ଦୁଇଟି ଏକାର୍ଥ ବାଚକ ଶବ୍ଦକୁ ଦୁଇଟି ସ୍ଵତନ୍ତ୍ର ମୂଳଶବ୍ଦରୂପେ ନଲେଖି ବନ୍ଧନୀ ସାହାଯ୍ୟରେ ଗୋଟିଏ ଶବ୍ଦ ପରି ଲେଖାଯାଇଛି ‘‘ଖୋଜାଇବ, ଖୋଜେଇବା’’ ଇତ୍ୟାଦି ।

୨.

ଏକ ପ୍ରକୃତି ନିଷ୍‌ପନ୍ନ ଏକାଧିକ ଶବ୍ଦକୁ ସ୍ୱତନ୍ତ୍ରରୂପେ ନରଖି ସେଥିରୁ ଗୋଟିକୁ ମୂଳଶବ୍ଦରୂପେ ଓ ଅନ୍ୟମାନଙ୍କୁ ସେହି ଶବ୍ଦର ତଳେ ନୋଟ୍ ଦିଆଯାଇଛି ।

୩.

ଯେଉଁ ଶବ୍ଦମାନ ଭାଷାରେ ଏକାଧିକ ଆକାରରେ ବ୍ୟବହୃତ ହୁଏ, ତହିଁରୁ ଗୋଟିକୁ ମୂଳରୂପେ ରଖାଯାଇ ଅନ୍ୟ ଆକାରରମାନଙ୍କୁ ତହିଁ ତଳେ ଅନୁରୂପ ଭାବରେ ନୋଟ କରାଯାଇଛି’’ । କାରଣ ଅଭିଧାନକୁ ମୁଦ୍ରଣ ଦୃଷ୍ଟିରୁ ଶୋଭାବନ୍ତ କରିବା ଥିଲା ପ୍ରହରାଜଙ୍କ ଅନ୍ୟ ଏକ ଉଦ୍ଦେଶ୍ୟ ।

ଯଥା : ଡମାଉଲ>ଡମାଡ଼ୌଲ>ଡମାଡ଼େଲ ।

୪.

‘‘ପ୍ରଥମ କେତେଗୋଟି କାଣ୍ଡରେ ପ୍ରତ୍ୟେକ ପୃଷ୍ଠାର ଶିରୋନାମାରେ ବର୍ଣ୍ଣମାଳା ସମ୍ପର୍କରେ ଯେଉଁ ସାଧାରଣ ସଂକେତମାନ ସୂଚିତ ହୋଇଥିଲା ପରବର୍ତ୍ତୀ କାଳରେ ସଂକେତ ମାଳାକୁ ପ୍ରତ୍ୟେକ ପୃଷ୍ଠାରେ ଉଲ୍ଲେଖ ନ କରି ୫୦ ବା ୧୦୦ ପୃଷ୍ଠା ପ୍ରଦାନ କରାଯାଇଛି ।’’ ଅଭିଧାନରେ ଏପରି ସଂକେତ ସୂଚୀ ପ୍ରଦାନ କରିବା ଓଏବଷ୍ଟର ଇଂରାଜୀ ଅଭିଧାନର ପ୍ରତ୍ୟକ୍ଷ ପ୍ରଭାବପରି ଜଣାଯାଏ ।

 

ମାତ୍ର ଏପରି କେତେକ ପଦକ୍ଷେପ ନେବା ସତ୍ତ୍ୱେ ଅଭିଧାନର ପୃଷ୍ଠା ସଂଖ୍ୟା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଥିଲା । ଚତୁର୍ଥ ଖଣ୍ଡ ପ୍ରକାଶନ ପରେ ଦେଖାଗଲା ଯେ, ଏଥିରେ ମାତ୍ର ଦ, ଧ, ନ, ପ ବ୍ୟଞ୍ଜନ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ସ୍ଥାନ ପାଇଛି । ତେଣୁ କୋଷଗ୍ରନ୍ଥ ୫ମ ଖଣ୍ଡରେ ସମାପ୍ତ ନ ହୋଇ ୬ଷ୍ଠରେ ସମାପ୍ତ ହେବ ବୋଲି ଆଶା ପୋଷଣ କରାଗଲା । ୬ଷ୍ଠ ଖଣ୍ଡରେ ଯ, ଷ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ସ୍ଥାନ ପାଇବାରୁ ସମାପ୍ତି ନିମିତ୍ତ ୭ମ ଖଣ୍ଡର ଆବଶ୍ୟକତା ପଡ଼ିଲା ଏବଂ ‘ସ’ ଓ ‘ହ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ଶେଷ ଖଣ୍ଡରେ ସଂଯୋଜିତ ହେଲା । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ଅଭିଧାନର ପୃଷ୍ଠା ସଂକୋଚନ କରିବା ପାଇଁ କେବଳ ପଦକ୍ଷେପ ନିଆଯାଇନଥିଲା ।

 

ଟେବୁଲ

Webster Dictionary

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

 

Fāte, Far, Fall, Fināl, Cāve, At, mēte, Prey, Her, Met, Pine, Marine, Bild, Pin, Nōte, Mōve, Fot, Atōn, Not, Moon, Book,

 

Use, Bull, Brute, Tūrn, up, Cry ̅, Myth, Cat, machine, Ace, Churuch, chord, Gem, Añger, (Fr) Bari, As, This, Thin, azure,

 

ā,-Fāte, ā-Far, a-Fast, a-Fall, ā-Fināl, ā-Cāre, ā-at, ō, o ,o, o Oʹ,o ଇତ୍ୟାଦି ।

 

ଓଏବଷ୍ଟର ଡିକ୍ସିନାରୀର ପ୍ରତ୍ୟେକ ପୃଷ୍ଠାର ଉପର ଭାଗରେ ଉପଯୁକ୍ତ ଟେବୁଲ ପ୍ରଦତ୍ତ ।

 

ଭାଷାକୋଷରେ ପ୍ରଦତ୍ତ ନିର୍ଦ୍ଦେଶ

ଗ୍ରନ୍ଥର ବାମ ପୃଷ୍ଠାରେ-

ସାଧାରଣ ଲୋକେ ଅପର ପୃଷ୍ଠାରେ ସୂଚିତ ୧ ଚିହ୍ନିତ ଅକ୍ଷର ଓ ମାତ୍ରା ଏବଂ ୨ ଚିହ୍ନିତ ଅକ୍ଷର ଓ ମାତ୍ରା ମଧ୍ୟରେ ପ୍ରଭେଦ ରକ୍ଷା କରନ୍ତି ନାହିଁ । ଅତଏବ ୧ ବା ୨ ଚିହ୍ନିତ କୌଣସି ବର୍ଣ୍ଣ ବା ମାତ୍ରା ଯୁକ୍ତ ଶବ୍ଦ ଖୋଜିଲେ ଯେବେ ଏ ଭାଷାକୋଷାରେ ନ ମିଳିବ, ତେବେ ସେହି ଶବ୍ଦପାଇଁ ଯଥାକ୍ରମେ ତହିଁର ବିପରୀତ ୨ ବା୧ ଚିହ୍ନିତ ବର୍ଣ୍ଣ ବା ମାତ୍ରା ଯୁକ୍ତ ଶବ୍ଦ ଖୋଜିବାକୁ ହେବ । ଗାଇ ନମିଳିଲେ ଗାଈ ଖୋଜିବେ, କୁଅ ନମିଳିଲେ କୂଅ ଦେଖିବେ । ବଂଧୁ ନମିଳିଲେ ବନ୍ଧୁ ଦେଖିବେ, ଆଗ୍ୟାଁ ନପାଇଲେ ଆଜ୍ଞା ଦେଖିବେ, ଅଲବତ ନପାଇଲେ ଅଲ୍‌ବତ୍ ଦେଖିବେ ।

 

-ଗ୍ରନ୍ଥର ଦକ୍ଷିଣ ପାର୍ଶ୍ଵରେ-

é            ହସନ୍ତ      ଅନୁନାସିକ      କ୍ଷ                  ଜ୍ଞ      ଇୟ      ଉଅ      ହ୍ନ

୧-                                    ବର୍ଣ୍ଣ      ଯୁକ୍ତାକ୍ଷର                  

 

ଅନୁସାର

ଅକାରନ୍ତ ବା      ଖ୍ୟ                  ଗ୍ୟଁ      ଇଅ      ଓ୍ୱ      

୨-                  ରୁ      କୁ      ୟେ      ବର୍ଣ୍ଣ      ଚନ୍ଦ୍ରବିନ୍ଦୁ

 

ଯୁକ୍ତବର୍ଣ୍ଣ

 

ପାଞ୍ଚଗୋଟି ଖଣ୍ଡରେ ସମାପ୍ତ କରିବାର ଆଶାକରି ଚତୁର୍ଥ ଖଣ୍ଡଠାରୁ ପୃଷ୍ଠା ସଂଖ୍ୟାକୁ ବାରଶହରୁ ଷୋହଳ ଶହକୁ ବୃଦ୍ଧି କାରାଗଲା । ମାତ୍ର ପ୍ରହରାଜଙ୍କ ଯୋଜନା ସବୁ ନିଷ୍‌ଫଳ ହୋଇ ଯାଇଥିଲା ।

 

ଗ୍ରନ୍ଥର କଳେବର ବୃଦ୍ଧି ପାଇବା ସମସ୍ୟା ସାଙ୍ଗକୁ ଅର୍ଥ ସାହାଯ୍ୟ ନିମିତ୍ତ ପ୍ରତିଶ୍ରୁତି ଦେଇଥିବା ରାଜା,ଜମିଦାର ତଥା ବିଶିଷ୍ଟ ବ୍ୟକ୍ତିମାନଙ୍କ ନିରବତା ଓ ତା ସାଙ୍ଗକୁ ଅଭିଧାନ ସନ୍ତୋଷଜନକ ଭାବେ ବିକ୍ରୀ ନହେବା ଆଦି ନାନା କାରଣ ଯୋଗୁଁ ସେ ବାରମ୍ବାର ବିଚଳିତ ହୋଇ ପଡ଼ୁ୍ଥିଲେ । ଅର୍ଥ ସମସ୍ୟା ଅଭିଧାନ ପ୍ରକାଶନର ନିୟମିତତାରେ ମଧ୍ୟ ଘୋର ଅନ୍ତରାୟ ସୃଷ୍ଟିକଲା-। ଗ୍ରନ୍ଥର କଳେବର ସଂକୋଚନ ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ତାଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥହୋଇ ପଡ଼ିଥିଲା । ପରିଶେଷରେ ସାତଗୋଟି ଖଣ୍ଡର ମୋଟ ବ୍ୟୟ ବରାଦ ୧ଲକ୍ଷ ୧୫ହଜାର ଟଙ୍କାକୁ ବୃଦ୍ଧି ପାଇବ ବୋଲି ପ୍ରହରାଜ ମହାଶୟ ଆପଣାର ଶୁଭେଚ୍ଛୁମାନଙ୍କ ନିକଟରେ ବ୍ୟକ୍ତ କଲେ । ଅଭିଧାନର ଆରମ୍ଭ କାଳରେ ଯେଉଁ ପରିମାଣର ଅର୍ଥବ୍ୟୟର ଅଟକଳ କରାଯାଇଥିଲା, ସେହି ଅନୁପାତରେ ଗ୍ରନ୍ଥର ମୂଲ୍ୟ ବୃଦ୍ଧିପାଇବା ମଧ୍ୟ ସ୍ୱାଭାବିକ । ପ୍ରଥମେ ପ୍ରତିସାରକୁ ଟ୪୦.୦୦ରେ ବିକ୍ରୀ କରାଯିବାର ବିଜ୍ଞାପନ ପ୍ରକାଶ ପାଇଥିଲା । ମାତ୍ର ପ୍ରତିଖଣ୍ଡ ପ୍ରକାଶ ପାଇବା ପରେ ପରବର୍ତ୍ତୀ ଖଣ୍ଡର ମୂଲ୍ୟ ସଂପର୍କରେ ଘୋଷଣା କରା ଯାଉଥିଲା । ଶେଷ ଖଣ୍ଡରେ ସାତଖଣ୍ଡର ଅବନ୍ଧା ମୂଲ୍ୟ ୧୫୦ ଟଙ୍କା ଓ ବନ୍ଧେଇ ୧୭୦ ଟଙ୍କା ଏବଂ ଅବନ୍ଧା ଏକ ଖଣ୍ଡକୁ ୨୦ ଟଙ୍କା ଓ ବନ୍ଧେଇ ଏକ ଖଣ୍ଡକୁ ୨୫ ଟଙ୍କା ଭାବରେ ରଖାଗଲା । ପୁସ୍ତକର ଏତାଦୃଶ୍ୟ ମୂଲ୍ୟବୃଦ୍ଧି ଯୋଗୁଁ ସାଧାରଣ ଲୋକେ ଗ୍ରନ୍ଥ କ୍ରୟ କରିବା ମଧ୍ୟ ସମ୍ଭବ ହେଉ ନଥିଲା । ଏପରିକି ସେ ସମୟର ବିଶିଷ୍ଟ ବ୍ୟକ୍ତି, ରାଜା ମହାରାଜା, ପ୍ରଦେଶିକ ସରକାର ଅଭିଧାନ କିଣିବା ପାଇଁ ଆପଣା ଆପଣାର ସ୍ୱୀକୃତି ପ୍ରଦାନ କରି ପରବର୍ତ୍ତୀ କାଳରେ ପ୍ରତ୍ୟାହାର କରି ନେଇଥିବା କଥା ଜଣାଯାଏ । ଗ୍ରନ୍ଥର ବିକ୍ରୀ ସମ୍ପର୍କୀୟ ବିବରଣୀକୁ ଅନୁଶୀଳନ କଲେ ଜଣାଯାଏ, ସେ ସମୟରେ ମୋଟ ୩୮୦ଜଣ ଅଗ୍ରୀମ ଗ୍ରାହକ ସଂଗୃହୀତ ହୋଇଥିଲେ ଏବଂ ସାତସାର ପୁସ୍ତକ ଉପହାର ସ୍ୱରୂପ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ କାଳରେ କ୍ରମଶଃ ଗ୍ରାହକମାନଙ୍କ ସଂଖ୍ୟା ଆଶାତୀତ ଭାବରେ ହ୍ରାସ ପାଇବାରେ ଲାଗିଲା । ଫଳରେ ସଂକଳକ ସମସାମୟିକ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ବିଦ୍ୟାଳୟକୁ ଅଭିଧାନ ସାହାଯ୍ୟ ସ୍ୱରୂପ ପ୍ରଦାନ କରିବାକୁ ସିଦ୍ଧାନ୍ତ ଦେଇଥିଲେ ।

 

ଆର୍ଥିକ ଅନଟନ ଯୋଗୁଁ ଭାଷାକୋଷ ମଧ୍ୟ ପୂର୍ବ ନିର୍ଦ୍ଧାରିତ ସମୟରେ ପ୍ରକାଶ ପାଇବା ସମ୍ଭବ ହେଉ ନ ଥିଲା । ବିଭିନ୍ନ ଭାଗର ପ୍ରକାଶନର ସମୟ ସୂଚୀକୁ ଲକ୍ଷ୍ୟକଲେ ଜଣାଯାଏ, ପଞ୍ଚମ, ଷଷ୍ଠ ଓ ସପ୍ତମ ଭାଗକୁ ସମାପ୍ତ କରିବାକୁ ତାଙ୍କୁ ଅଧିକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଥିଲା । ପ୍ରଥମ ଭାଗ ପ୍ରକାଶନର ପ୍ରତି ୧୦ ମାସ ଅନ୍ତରରେ ଅନ୍ୟଗୁଡ଼ିକ ପ୍ରକାଶନ କରିବାର ଯୋଜନ କରାଯାଇଥିଲା । ତେଣୁ ଉକ୍ତ ହିସାବ ଅନୁସାରେ ୧୯୩୫ ମସିହା ସୁଦ୍ଧା ଅଭିଧାନ ସମାପ୍ତ ହେବା କଥା । ପୃଷ୍ଠା ସଂଖ୍ୟା ବୃଦ୍ଧି ଯୋଗୁଁ ଆବଶ୍ୟକ ପରିମାଣ ଅର୍ଥର ଭରଣା କରିବାପାଇଁ ଗ୍ରାହକ ସଂଗ୍ରହ କରିବା ଠାରୁ ଆରମ୍ଭକରି ଭାରତର ଗଭର୍ଣ୍ଣର ଜେନେରାଲ, ଭାଇସରାଏଙ୍କ ପର୍ଯ୍ୟନ୍ତ ତାଙ୍କୁ ଯିବାକୁ ପଡ଼ିଥିଲା ।ଗଡ଼ଜାତ ଅଞ୍ଚଳ ବୁଲି ବୁଲି ସେ ରାଜା ଓ ଜମିଦାରମାନଙ୍କ ଠାରୁ ଅର୍ଥ ସାହାଯ୍ୟ ଲୋଡ଼ିଥିଲେ । ମାତ୍ର କେତେକ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁଗଡ଼ଜାତ ଭ୍ରମଣ ସଫଳ ହୋଇ ନଥିଲା । ମାତ୍ର ଅର୍ଥ ସଂଗ୍ରହ କାର୍ଯ୍ୟରେ ଯାଉଥିଲେ ସୁଦ୍ଧା, ଭାଷାକୋଷ ପାଇଁ ସେ ଏତେ ଟିକିଏ ବି ସମୟ ଅଯଥାରେ ଖର୍ଚ୍ଚ କରୁ ନଥିଲେ । ପାଣ୍ଡୁଲିପିଗୁଡ଼ିକ ପ୍ରେସକୁ ଯିବା ପୂର୍ବରୁ, ସେଗୁଡ଼ିକର ଶେଷଥର ପରୀକ୍ଷଣ କାର୍ଯ୍ୟ ବିଶ୍ରାମ ସମୟରେ ପରଖି ନଉଥିଲେ । ବିଭିନ୍ନ ବନ୍ଧୁ ତଥା ସାଧାରଣ ଜନତାର ମୁଖରୁ ସେମାନଙ୍କ କଥିତ ଶବ୍ଦଗୁଡ଼ିକ ସଂଗ୍ରହ କରୁଥିଲେ । ଭାଷାକୋଷ ପାଇଁ ସେ ଥିଲେ କୁମ୍ଭାର ଘର ବୋହୂ, ବଡ଼ ସରକାରୀ ଅଫିସରଙ୍କର ଅର୍ଦ୍ଦଳୀ ପରି । On his majesty’s service କୁ ଜୀବନର ବ୍ରତଭାବରେ ସେ ଗ୍ରହଣ କରି ନେଇଥିଲେ । ଭାଷାକୋଷ ପାଇଁ ସଫର (ଉ. ସା ଆଷାଢ଼ ୧୩୪୩ ସାଲ) ସାହାଯ୍ୟକାରୀ ବ୍ୟକ୍ତିମାନଙ୍କ ମଧ୍ୟରେ ମୟୂରଭଞ୍ଜର ରାଜା ପ୍ରତାପଚନ୍ଦ୍ର ସିଂହଦେଓ, ପାଟଣା ଷ୍ଟେଟର ରାଜାସାହେବ ରାଜେନ୍ଦ୍ର ନାରାୟଣ ସିଂହଦେଓ, ପାରଳାର କୃଷ୍ଣଚନ୍ଦ୍ର ଗଜପତି ଏବଂ ଜୟପୁରର ବିକ୍ରମଦେବ ବର୍ମ୍ମାଙ୍କ ନାମ ଆଦ୍ୟ ସ୍ମରଣୀୟ । ଓଡ଼ିଶାର ତାତ୍‌କାଳିକ ଶିକ୍ଷା ବିଭାଗର ଇଂରେଜ କର୍ମକର୍ତ୍ତାମାନେ ମଧ୍ୟ ସଂକଳକଙ୍କୁ ଆର୍ଥିକ ସାହାଯ୍ୟ ଦେବା ସଙ୍ଗେ ସଙ୍ଗେ ମନୋବଳକୁ ଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଇଂରେଜ ବିଦ୍ୱାନମାନଙ୍କ ମଧ୍ୟରେ ଓଡ଼ିଶାର ଭୂତପୂର୍ବ ଗଭର୍ଣ୍ଣର / ବ୍ରହ୍ମପୁରର ଲାଟ ମାନ୍ୟବର ହିଉ ଷ୍ଟିଫେନ୍‌ସନ, ବିହାର ଓଡ଼ିଶାର ଗଭର୍ଣ୍ଣର (ତାତ୍‌କାଳିକ) ସାର୍‌. ଜେ. ଡି. ସିଫଟନ, ପାଟନା ହାଇକୋର୍ଟର ଚିଫ୍ ଜଷ୍ଟିସ୍ ସାର୍ କୋଟନୀ ଟେଲର୍, ବିହାର ଓଡ଼ିଶା ଶିକ୍ଷା ବିଭାଗର କର୍ଣ୍ଣଧାର ଜି. ଆଇ. ଫକସ୍, ଭାରତର ଗଭର୍ଣ୍ଣର ଜେନେରାଲ ଜି. ଆର୍ ହବାକ, କଟକ ଟ୍ରେନିଂ କଲେଜର ପ୍ରିନିସ୍‌ପାଲ ହୁଇଟ୍‌ମୋର, କଟକର କଲେକ୍‌ଟର ମାରଉଡ୍‌ ଓ ଫିଲିପ୍ ସାହେବ ରେଭେରେଣ୍ଡ ପେକ୍ ସାହେବଙ୍କ ନାମ ସେ ବାରମ୍ବାର ଉଲ୍ଲେଖ କରୁଥିଲେ ।

 

।। ତିନି ।।

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ସ୍ଥାନ ପାଇଥିବା ମୋଟ ଶବ୍ଦ ସଂଖ୍ୟା ପ୍ରାୟ ୧ଲକ୍ଷ ୮୫ ହଜାର ଏବଂ ସାତଗୋଟି ଖଣ୍ଡର ମୋଟ ପୃଷ୍ଠା ସଂଖ୍ୟା ୯୫୦୩, ଓଡ଼ିଆ ଭାଷାର ପ୍ରଚଳିତ, ଅପ୍ରଚଳିତ, ଲୋକ-କଥିତ, ଆଞ୍ଚଳିକ, ତତ୍‌ସମ ବୈଦେଶିକ ଶବ୍ଦଗୁଡ଼ିକର ଏହା କୋଠଘର । ଗୋଟିଏ ଉନ୍ନତ ଅଭିଧାନରେ ସଙ୍କଳିତ ଶବ୍ଦଗୁଡ଼ିକର ପ୍ରକାର ସଂକ୍ରାନ୍ତରେ ପଣ୍ଡିତମାନେ ଭିନ୍ନ ଭିନ୍ନ ମତ ଦେଇଥାନ୍ତି । କେତେକ ସାଂପ୍ରତିକ ସାହିତ୍ୟରେ ପ୍ରଚଳିତ ଓ ଅନ୍ୟ କେତେକ ଗୋଟିଏ ଜୀବନ୍ତ ଭାଷାରେ ପ୍ରଚଳିତ, ଅପ୍ରଚଳିତ, ପ୍ରାଚୀନ ଆଦି ସମସ୍ତ ଶବ୍ଦ ସ୍ଥାନ ପାଇବା ଉଚିତ୍ ବୋଲି ଯୁକ୍ତି ଦେଖେଇଥାନ୍ତି । ଏ କ୍ଷେତ୍ରରେ କୌଣସି ଗୋଟିଏ ଗୋଷ୍ଠୀର ମତ ପୂରାପୂରି ଗ୍ରହଣୀୟ ନୁହେଁ । ଗୋଟିଏ ଭଲ ଭାଷାକୋଷରେ ସେ ଭାଷାରାଜ୍ୟର ସମସ୍ତ ଶବ୍ଦ, ସେଗୁଡ଼ିକର ଉତ୍ପତ୍ତି କ୍ରମବିକାଶ, ଜାତି, ବ୍ୟବହାର, ଇତିହାସର ଟିକିନିଖି ବିବରଣୀ ସ୍ଥାନ ପାଇବା ଉଚିତ୍ । ଫଳରେ ଜଣେ ପାଠକ ଭାଷାର ଶବ୍ଦାବଳୀର ରୁଚିପୂର୍ଣ୍ଣ ରୂପ ସମ୍ପର୍କରେ ସଚେତନ ହୋଇ ପାରିବ ।

 

ଭାଷା ଏକ ଚିରସ୍ରୋତା ନଦୀ, ବଢ଼ନ୍ତା ବୃକ୍ଷ । ଜୀବନ୍ତ ଭାଷାର ଶବ୍ଦ ସଂଖ୍ୟା ବଢ଼ି ବଢ଼ି ଚାଲେ । ଲିଖିତ ଭାଷା ଲୋକମୁଖରେ କେତେ ବାଗରେ ବଦଳି ଯାଏ । ବଦଳି ଯାଉଥିବା ଭାଷାର ରୂପ ପୁଣି ଲିଖିତ ରୂପ ନିଏ । ‘‘ଲୋକ ମୁଖରେ ହେଉ ବା ପୁସ୍ତକରେ ହେଉ, ଦେଶ ବିଶେଷରେ ହେଉ ବା ଜାତି ବିଶେଷରେ ହେଉ’ ଯେଉଁଠାରେ ସେ ଗୋଟିଏ ଶବ୍ଦ, ଏକାଧିକ ବ୍ୟକ୍ତିଙ୍କଦ୍ୱାରା ବ୍ୟବହୃତ ହେଉଥିବାର ଦେଖିବେ, ତାହା ସଂଗ୍ରହ କରି ଆଣି ଅଭିଧାନରେ ରଖିଦେବେ । x x x ଅଭିଧାନର ଶବ୍ଦ ସଂକଳୟିତାଙ୍କର କେବଳ ମାତ୍ର ଶବ୍ଦ ସଂଗ୍ରହ ଓ ଶବ୍ଦାର୍ଥ ଲିପିବଦ୍ଧ କରିବା କର୍ତ୍ତବ୍ୟ x x x କିଏ ଶୁଦ୍ଧ, କିଏ ଅଶୁଦ୍ଧ, କେଉଁ ନିୟମ ଅନୁସାରେ(Principles) ବା କେଉଁ ଆଦର୍ଶ ଅନୁସାରେ (Standard) ଶବ୍ଦର ଶୁଦ୍ଧି ଓ ଅଶୁଦ୍ଧି ନିର୍ଣ୍ଣିତ ହେବ ତାହା ଅଭିଧାନକାରଙ୍କର ଇଲାକା ନୁହେଁ । x x x ଦେଶାଂଶ ପ୍ରଚଳିତ ଓ ଇତରଜନ ବ୍ୟବହୃତ ଶବ୍ଦମାନ ସାଧାରଣ ଯାହାକୁ x x x ଉଚ୍ଚାରଣ ବା ଅର୍ଥ ଦୃଷ୍ଟିରେ ଅଶୁଦ୍ଧି x x (ଚାଉର, ବଉର,ଚେପା,ଗଢ଼, ପରଚଛୁ, ଚରୁ, x x ଗୁଡ଼(ଗୋଡ଼), ସେଗୁଡ଼ିକ ସ୍ଥାନ ପାଇବା ଉଚିତ୍‌ । x x ଉକ୍ତ ଶବ୍ଦଗୁଡ଼ିକ ସମ୍ବନ୍ଧରେ ଅର୍ଥ ସଙ୍ଗେ ତହିଁର ନୋଟ୍ ଦେବା ଉଚିତ୍ । ପରନ୍ତୁ ଏପରି ପ୍ରୟୋଗକୁ ଅଶୁଦ୍ଧ କହିବାରେ ଆପତ୍ତି ନାହିଁ । କିନ୍ତୁ ଗୋଟିଏ ପ୍ରଚଳିତ ଶବ୍ଦକୁ ଏକାବେଳକେ ଅଭିଧାନର ହତାରୁ ବାହାର କରିଦେଲେ ଉକ୍ତ ଅଭିଧାନଟି ଅସଂମ୍ପୂର୍ଣ୍ଣ ରହିଯିବ ବୋଲି ପ୍ରହରାଜେ ଦୃଢ଼ଭାବରେ ଘୋଷଣା କରିଥିଲେ । (ପୂ. ଓ. ଭା.୧ମ ଖଣ୍ଡ ମୁଖବନ୍ଧ)

 

କଥିତ ଭାଷାରେ ଓ ଲିଖିତ ସାହିତ୍ୟରେ ଯେଉଁ ଶବ୍ଦଗୁଡ଼ିକ ସାଧାରଣତଃ ବ୍ୟବହୃତ ହେବାର ଦେଖାଯାଏ, ସେଗୁଡ଼ିକର ଆକ୍ଷରିକ, ପ୍ରାକୃତିକ ଓ ପ୍ରଚଳିତ ଅର୍ଥ, ବ୍ୟବହାର, ଇତିହାସ, ପ୍ରକୃତି ଆଦି ଲିପିବଦ୍ଧ କରି ରଖିବା ଅଭିଧାନ ସଂକଳକଙ୍କ କର୍ତ୍ତବ୍ୟ ଏବଂ ଶବ୍ଦଗୁଡ଼ିକର ଅଶୁଦ୍ଧତା ଓ ବିଶୁଦ୍ଧତା ନିରୂପଣ ଭାଷାତତ୍ତ୍ୱବିଦ୍ ଓ ସାହିତ୍ୟିକମାନଙ୍କର ଧର୍ମ’ ଭାବରେ ସେ ଗ୍ରହଣ କରିଥିଲେ-। (ପୂ ଓ ଭା. ୧ମ, ମୁଖବନ୍ଧ) ଦେଶର ଶବ୍ଦଗୁଡ଼ିକର ସଂଯୋଜନା କାଳରେ ସେଗୁଡ଼ିକୁ ଗ୍ରାମ୍ୟ ବ୍ୟବହାର, କଥାବାର୍ତ୍ତାରେ ବା ଲେଖାରେ ବ୍ୟବହୃତ, ଅଶୁଦ୍ଧ ଉଚ୍ଚାରଣ, ମାର୍ଜିତ ସାହିତ୍ୟରେ ପରିହାର୍ଯ୍ୟ ଆଦି ଉପ ବିଭାଗରେ ବିଭକ୍ତ କରିଥିଲେ । ତେଣୁ ଧ୍ୱନିତାତ୍ତ୍ୱିକ ଓ ପ୍ରୟୋଗବିଧି ଆଧାରରୁ ବିଚାର କରିବାକୁ ପ୍ରହରାଜଙ୍କ ଯୁକ୍ତି ବହୁଭାବରେ ବିଜ୍ଞାନ ସମ୍ମତ ।

 

ଗ୍ରାମ୍ୟ ଶବ୍ଦଗୁଡ଼ିକ ବ୍ୟତୀତ ପ୍ରହରାଜ ତତ୍‌ସମ, ତଦ୍‌ଭବ ଓ ବୈଦେଶିକ ଶବ୍ଦଗୁଡ଼ିକର ଉତ୍ପତ୍ତି, ପ୍ରୟୋଗ, ବ୍ୟାକରଣିକ ଓ ଆଭିଧାନିକ ତଥା ବ୍ୟଞ୍ଜିତ ରୂପ ସଂକ୍ରାନ୍ତରେ ଉଲ୍ଲେଖ କରିଛନ୍ତି-। ଉଦାହରଣ ମାଧ୍ୟମରେ ଅନେକ ଶବ୍ଦ ପ୍ରୟୋଗ ବୈଚିତ୍ର୍ୟ ମଧ୍ୟ ପ୍ରତିପାଦନ କରିଛନ୍ତି । ମୁଖ୍ୟତଃ ଆରବୀ, ଇଂରାଜୀ, ଇତାଲୀୟ, ଊର୍ଦ୍ଦୁ, ଗୁଜୁରାଟୀ, ଗ୍ରୀକ୍, ଜର୍ମାନୀ, ତୁର୍କୀ, ତେଲୁଗୁ, ତାମିଲ, ଦ୍ରାବିଡ଼, ପର୍ତ୍ତୁଗୀଜ, ଫରାସୀ, ବଙ୍ଗଳା, ଗୁଜୁରାଟୀ, ମରହଟ୍ଟା, ହିନ୍ଦୀ, ହିବ୍ରୂ ଆଦି ଭାଷାର ଶବ୍ଦଗୁଡ଼ିକର ଓଡ଼ିଆ ରୂପାନ୍ତର ସମ୍ପର୍କରେ ନୋଟ୍ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ଗଣିତ, ଜ୍ୟୋତିଷ, ଆଇନ, ପ୍ରାଣୀ ବିଜ୍ଞାନ, ଜୀବ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଜ୍ୟାମିତି, ଭୂଗୋଳ, ତର୍କ, ଦର୍ଶନ, ଶାସ୍ତ୍ର ଆଦି ଜ୍ଞାନବିଜ୍ଞାନର ବିଭିନ୍ନ ବିଭାଗର ଶବ୍ଦଗୁଡ଼ିକ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିପାଇଁ ସେ ସଂପୃକ୍ତ ବିଷୟକ କୋଷଗ୍ରନ୍ଥ ଓ ପଣ୍ଡିତମାନଙ୍କର ହିଁ ସାହାଯ୍ୟ ନେଉଥିଲେ । କୋର୍ଟ କଚେରୀରେ ପ୍ରଚଳିତ ଶବ୍ଦଗୁଡ଼ିକର ସଂକଳନ, ଭାଷାକୋଷର ଅନ୍ୟ ଏକ ବିଶେଷତ୍ୱ । ନିଜେ ଜଣେ ଓକିଲ ଥିବାରୁ କଚେରିଆ ଭାଷା ସହିତ ତାଙ୍କର ଅନ୍ତରଙ୍ଗ ପରିଚୟ ଥିଲା । ତେଣୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ୁ ନଥିଲା । ଏହା ବ୍ୟତୀତ କାବ୍ୟ ନାଟକରେ ବିଶେଷ ଭାବରେ ବ୍ୟବହୃତ ଶବ୍ଦ ଏବଂ କେତେକ ଶବ୍ଦର ବିପରୀତ ଅର୍ଥ ସମ୍ପର୍କୀୟ ନୋଟ ମଧ୍ୟ ଭାଷାକୋଷରେ ସ୍ଥାନ ପାଇଛି । ତେଣୁ ଅଭିଧାନ ତତ୍ତ୍ୱ ଆଧାରରେ ବିଚାର କରିବାକୁ ଗଲେ ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’’କୁ ଓଡ଼ିଆ ଭାଷା ଓ ଜାତିର ଆଧୁନିକ କୋଣାର୍କ ଭାବରେ ପରିଚିତ୍ରଣ କରିବା ଯୁକ୍ତିଯୁକ୍ତ । ଡଃ ଫରଗୁସନ୍‌ଙ୍କ ହିନ୍ଦୁସ୍ଥାନୀ ଇଂରାଜୀ ଅଭିଧାନ, ମେଆଓଏବଷ୍ଟରଙ୍କ ଓଏବଷ୍ଟର ଡିକିସ୍‌ନାରୀ କିମ୍ବା ଅକ୍‌ସଫୋର୍ଡ଼ ଡିକ୍‌ସନାରୀ ସହିତ ଏହା ତୁଳନୀୟ । ସମଗ୍ର ଭାରତବର୍ଷରେ ସଂକଳିତ ଅଭିଯାନ ଗୁଡ଼ିକ ମଧ୍ୟରେ ଏହାର ସ୍ଥାନ ସ୍ୱତନ୍ତ୍ର । ଭାରତୀୟ ଭାଷାଗୁଡ଼ିକରେ ସଂକଳିତ ବହୁଭାଷୀ ଅଭିଧାନଗୁଡ଼ିକ ମଧ୍ୟରେ ଗୁଜୁରାଟୀ ଭାଷାର ଏଚ୍‌ ଏଚ୍‌ ଶିବାଜୀ ରାଓ ଗାଇକ୍‌ଉଆଡଙ୍କଦ୍ୱାରା ସଂକଳିତ ‘‘ଶିବାଜୀ ଶାସନ କଳ୍ପତରୁ’’ (୧୯୩୧) ଏକ ଅଷ୍ଟଭାଷିକ ଅଭିଧାନ । ମାତ୍ର କଳେବର ଓ ଗୁଣାତ୍ମକ ଦୃଷ୍ଟିରୁ ବିବେଚନା କଲେ, ପ୍ରହରାଜଙ୍କ ଚତୁର୍ଭାଷିକ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଠାରୁ ଏହା ଏକ ଭିନ୍ନ ରୁଚିର ଗ୍ରନ୍ଥ । (Lexicongraphy in India-P-24)ସାତଗୋଟି ଖଣ୍ଡରେ ପ୍ରକାଶିତ (୧୯୩୫-୪୦) ଏବଂ ପ୍ରାୟ ୧ଲକ୍ଷ ୮୫ ହଜାର ଶବ୍ଦ ଏବଂ ୯୫୦୩ଟଙ୍କା (୨୫୦+୯୨୫୩) ପୃଷ୍ଠା ବିଶିଷ୍ଟ ଉକ୍ତ ଗ୍ରନ୍ଥକୁ ସମ୍ପୂର୍ଣ୍ଣ କରିବାପାଇଁ ପ୍ରହରାଜଙ୍କୁ ୨୭ବର୍ଷ ସମୟ ଲାଗିଥିଲା । ପ୍ରାୟ ୧ଲକ୍ଷ ୨୫ ହଜାର ଟଙ୍କା ବ୍ୟୟ କରିବାକୁ ପଡ଼ିଲା । ଭିକାରୀ ବେଶରେ ବାର ଦୁଆରେ ହାତ ପାତିବାକୁ ପଡ଼ିଥିଲା ଜଣେ ବିଶିଷ୍ଟ ଆଇନଜୀବୀ ଓ ଜମିଦାରକୁ ।

 

ମାତ୍ର ସୁବିପୁଳ ଭାଷାକୋଷର ପ୍ରକାଶନ କାଳରେ ଏବଂ ପରେ ପ୍ରହରାଜଙ୍କୁ ଅପବାଦକୁ ଆପଣାର କରିନେବାକୁ ପଡ଼ିଥିଲା । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ପଣ୍ଡିତମାନଙ୍କ ଅପେକ୍ଷା ଭାରତ ତଥା ଭାରତ ବାହାରର ବିଦ୍ୱାନମାନଙ୍କର ପ୍ରେରଣା ପ୍ରହରାଜଙ୍କ ମନରେ ଗିରିଲଙ୍ଘନ କରିବା ଭାବକୁ ଚିଆଁଇ ଦେଇଥିଲା । ଇଟାଲୀ ବିଶ୍ୱବିଦ୍ୟାଳୟର ମୁଖପତ୍ରରେ ଗ୍ୟୁସେଫଟକ୍ଳୀ ଉଲ୍ଲେଖ କରିଥିଲେ-The dictionary is an account of its size and wealth of documentation the most complete that could be designed x x Gopal Praharaj has highly deserved well of his country and the rebirth of vernacular studies in India. x x This work will facilitate the study of a literature which has also many points of contact with the literature of Bengal and is not any mean, one of the least interesting in India (ପୂ. ଓ. ଭା-୩ୟ-ମୁଖବନ୍ଧ) ଓଡ଼ିଆ ଭାଷାକୁ ଟିକିଏ ଭିନ୍ନ ଆକ୍ଷିରେ ଦେଖୁଥିବା ବିଶ୍ଵକବି ରବୀନ୍ଦ୍ରନାଥ ମଧ୍ୟ ଏକ ପତ୍ରରେ “The Purnachandra Odia Bhasakosha is an encyclopaediatic Dictionary which has been useful for the work of our research department in the Viswa-Bharati.

 

ଟେବୁଲ-୨

ଖଣ୍ଡ

ପ୍ରକାଶକାଳ

ବର୍ଣ୍ଣ ସଂଖ୍ୟା

ଶବ୍ଦ ସଂଖ୍ୟା

ପୃଷ୍ଠା ସଂଖ୍ୟା ମୁଖବନ୍ଧ+ଶବ୍ଦ

ଉତ୍ସର୍ଗ

ପୃଷ୍ଠପୋଷକ

ବ୍ୟୟିତ ଅର୍ଥ

୧ମ

୧୯୩୧ ସେପଟେମ୍ବର

ଅ-ଔ ସ୍ୱରବର୍ଣ୍ଣ ୧୩

 

୨୩+୧୧୯୩

ସାର ଜନ. ଅ.ହବାକ

ସାର୍‌ ଷ୍ଟିଫେନସନ ବିହାର-ଓଡ଼ିଶା ଗଭର୍ଣ୍ଣର

ପ୍ରାୟ ଏକ ଲକ୍ଷ ପଚିଶ ହଜାର ଟଙ୍କା

୨ୟ

୧୯୩୨ ଜୁଲାଇ

କ-ଚ ୬      

ପ୍ରାୟ

୬୨ ହଜାର

୧୯+୧୨୬୮

ଏନ୍‌.ଏଫ୍‌. ପେକ୍‌

ସାର୍‌ ଗିଫଟନ ବିହାର- ଓଡ଼ିଶା ଗଭର୍ଣ୍ଣର

 

୩ୟ

୧୯୩୩ ମେ

ଛ-ଥ ୧୨

 

୨୩+୧୧୬୨

ନାରାୟଣ ପ୍ରସାଦ ଦେବ

ନାରାୟଣ ପ୍ରସାଦ ଦେବ ବୈଦ ରାଜା

 

୪ର୍ଥ

୧୯୩୪ ଜୁନ୍‌

ଦ-ପ ୪

ପ୍ରାୟ ୩୪ ହଜାର

୩୧+୧୫୬୨

ବିକ୍ରମଦେବ ବର୍ମା

ଗିବସନଗଡ଼ଜାତ ଏଜେଣ୍ଟ

 

୫ମ

୧୯୩୬ ମାର୍ଚ୍ଚ

ଫ-ମ ୪

ପ୍ରାୟ ୩୯ ହଜାର

୨୩+୧୪୪୬

କୃଷ୍ଣଚନ୍ଦ୍ର ନାରାୟଣ ଦେବ

ବିକ୍ରମଦେବ ବର୍ମା ମହାରାଜା-ଜୟପୁର

 

୬ଷ୍ଠ

୧୯୩୭ ଜୁନ୍‌

ଯ-ଶ ୬      

ପ୍ରାୟ ୨୫ ହଜାର

୫୧+୧୨୬୭

ରାଜେନ୍ଦ୍ର ନାରାୟଣ ସିଂହଦେଓ

ରାଜେନ୍ଦ୍ର ନାରାୟଣ ସିଂହଦେଓ ପାଟଣା ରାଜା

 

୭ମ

୧୯୪୦ ସେପ୍‌ଟେମ୍ବର

ସ-ହ ୨

ପ୍ରାୟ ୨୫ ହଜାର

୮୦+୧୩୪୫

ମାନ୍ୟବର ଲର୍ଡ ଲିନ୍‌ଲିଥ ଗୋ ବଡ଼ଲାଟ

ମାନ୍ୟବର ବଡ଼ଲାଟଙ୍କ ପତ୍ନୀ

 

ସାତ ଖଣ୍ଡ

ପ୍ରାୟ

୧୦ ବର୍ଷ

୪୭

ପ୍ରାୟ ୧ ଲକ୍ଷ ୮୫ ହଜାର

୨୫୦+୯୨୫୩

+୯୫୦୩

 

 

 

                              

The compiler Mr. G. C. Praharaj and his elaborators deserve our sincere thanks for the excellent work they have doneରେ ପ୍ରହରାଜଙ୍କ ଶତମୁଖ ପ୍ରଶଂସା କରିଥିଲେ । ପୃଥିବୀ ବିଖ୍ୟାତ ଭାଷାତତ୍ତ୍ୱବିଦ୍ ଡଃ ସୁନୀତ କୁମାର ଚାଟାର୍ଜୀଙ୍କ ମନ୍ତବ୍ୟ ଭାଷାକୋଷ ମୂଲ୍ୟାୟନର ଏକ ବଳିଷ୍ଠ ପ୍ରମାଣପତ୍ର । ମହାତ୍ମାଗାନ୍ଧୀ, କାକା ସାହେବ କଲେଲକର ମଧ୍ୟ ସଂକଳନ କାଳରେ ଭାଷାକୋଷ ଆଶ୍ରମ ପରିଦର୍ଶନ କରି ଆପଣା ଆପଣାର ମୂଲ୍ୟବାନ ମନ୍ତବ୍ୟ ପ୍ରଦାନ କରିଥିଲେ । ଭାଷାକୋଷର ସଂକଳକ ଏବଂ ଓଡ଼ିଆ ଭାଷାର ଅନ୍ୟତମ ବିଦ୍ୱାନ ଭାବରେ ୧୯୩୩ମସିହା ସେପ୍ଟେମ୍ବର ମାସ ୧୬ ତାରିଖରେ ତାଙ୍କୁ କୌଶୋର-ଇ-ହିନ୍ଦ୍ ଓ ଆନ୍ଧ୍ରଭାରତୀ ତୀର୍ଥ ବିଶ୍ୱବିଦ୍ୟାଳୟର ଚାନ୍ସେଲର୍ଙ୍କଦ୍ୱାରା ସାହିତ୍ୟବିଶାରଦ, ଭାରତ ସରକାରଙ୍କଦ୍ୱାରା ୧୯୩୬ ମସିହାରେ ରାୟବାହାଦୂର ଉପାଧିରେ ଭୂଷିତ ହୋଇଥିଲେ । ୧୯୩୪ ମସିହା ଏପ୍ରିଲ ମାସର ୧୫ ଓ ୧୬ ତାରିଖରେ ଧରାକୋଟର ରାଜା ସାହେବ ମଦନମୋହନ ସିଂ ବାହାଦୂରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନିଖିଳ ଉତ୍କଳ କବି ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ତାଙ୍କୁ ସମ୍ବର୍ଦ୍ଧନା କରା ଯାଇଥିଲା ।

 

ପ୍ରହରାଜଙ୍କ ସମାଲୋଚକମାନଙ୍କର ସଂଖ୍ୟା ମଧ୍ୟ କିଛି ଊଣା ନଥିଲା । ବିଭିନ୍ନ କାରଣରୁ ସେ ଇଂରେଜମାନଙ୍କର ଥିଲେ ଜଣେ ମୁଗ୍‌ଧ ସ୍ତାବକ । କିଛି ପାଇବାକୁ ଓ କରିବାକୁ ହେଲେ, ସେ କାଳରେ ଇରେଂଜମାନଙ୍କୁ ତୋଷାମଦି କରିବାର ଆବଶ୍ୟକତା ମଧ୍ୟ ଥିଲା । ପୁଣି ସେ ଥିଲେ ଜଣେ ଜମିଦାର ଓ ଓକିଲ । ତେଣୁ ବିଭିନ୍ନ କାରଣରେ ଭାରତରେ ସ୍ୱାଧୀନତା ଆନ୍ଦୋଳନରେ ଡେଇଁ ପଡ଼ିଥିବା ତଥାକଥିତ ନେତାମାନଙ୍କର ଅସଲ ଗୁମର ଗୁଡ଼ାକୁ ସେ ଖୋଲି ଦଉଥିଲେ । ସେମାନଙ୍କୁ ସମାଲୋଚନା କରୁଥିଲେ । ଦେଶୀନେତାମାନଙ୍କର ଗୋଇ ତାଡ଼ିବା, ରାଜା ଜମିଦାର ଓ ଇଂରେଜମାନଙ୍କ ଗୁଣଗାନ କରିବା, ସାଧାରଣ ଜନତା ଓ ଜନତାର ମଙ୍ଗୁଆଳମାନଙ୍କ ପକ୍ଷେ ଅସହ୍ୟ ଥିଲା । ପ୍ରହରାଜ ବେଶ୍ ଖୋଲାଖୋଲି ଭାବରେ ସେମାନଙ୍କର ଅସଲି ଜାଗାରେ ଚାମର ଗୁଞ୍ଜି ଦଉଥିଲେ । ନାକଟେକା ଓ ବୋଲୁଅ ମାଡ଼ ନିଜ ପିଠି ଆଡ଼କୁ ଡାକି ଆଣୁଥିଲେ ।

 

ମାତ୍ର ଭାଷାକୋଷ ଉପରେ ଆକ୍ଷି ପକେଇଲେ ଯାହା ଜଣାଯାଏ, ଏ ନାକଟେକା ମାଡ଼ଖିଆ କାମଗୁଡ଼ାକ କରି ନଥିଲେ, କୋଷ ରଚନା ଆଦୌ ସମ୍ଭବ ହୋଇ ନଥାନ୍ତା । ଏତେ ଗାଳିମନ୍ଦ, ନିନ୍ଦାର ଚେଙ୍କ ଖାଇବି ସେ ଆଦୌ ନଇଁ ପଡ଼ୁ ନଥିଲେ । ଆଗରୁ ଆଗକୁ ଅଧିକ ବେଗରେ ମାଡ଼ି ଚାଲୁଥିଲେ । ନିଜ ପକ୍ଷେ ଯାହା ସମ୍ଭବ, ଯେତେ ପ୍ରତିରୋଧ ଆସୁନା କାହିଁକି, ତାହା ଲାଭ କରିବାପାଇଁ ସେ ପ୍ରବଳ ଆଗ୍ରହରେ ଆଗେଇ ଯାଉଥିଲେ । ଭାଷାକୋଷ ପରି ଏତେ ମୂଲ୍ୟବାନ ଗ୍ରନ୍ଥ ସଂକଳନ ଏତେ ଛୋଟ କାମଟିଏ ନୁହେଁ । ପୃଥିବୀର ଅନ୍ୟ କୌଣସି କୋଣରେ ଏକକ ଉଦ୍ୟମରେ ଏପରି ଗ୍ରନ୍ଥ ସଂପାଦନ କରା ଯାଇଥିବାର ମଧ୍ୟ ଜଣା ଯାଏ ନାହିଁ । କୋଷଗ୍ରନ୍ଥ ସଂକଳନ ଯେ କେତେ ଛେନା ଚୋପାଛଡ଼ା ଥୋବରା କାମ, ଅକସଫୋର୍ଡ ବା ଓଏବଷ୍ଟର ସଂକଳନର ଇତିହାସ ପଢ଼ି ପ୍ରହରାଜ ସେ କଥା ଜାଣିଥିବେ । କେତେ ବିଦ୍ୱାନଙ୍କ ଶାରୀରିକ ମାନସିକ ଶ୍ରମ, କେତେ ବ୍ୟକ୍ତି, ଅନୁଷ୍ଠାନର ଅର୍ଥବ୍ୟୟରେ କିପରି ସେଗୁଡ଼ିକ ଜନ୍ମ ନେଲା, ତାର ଇତିହାସ ଜାଣି ଆକ୍ଷି ତାଙ୍କର ଖୋସି ହୋଇ ଯାଇଥିବ । ନିଜର ଗୋଡ଼ର ଫାଟଗୁଡ଼ାକ ମଧ୍ୟ ତାଙ୍କ ଆକ୍ଷି ଆଗରେ ଜଳଜଳ ହୋଇ ଦୁଶି ଯାଉଥିବ । ସତକୁ ସତ ସେଗୁଡ଼ାକ ସେ ଦେଖି ପାରୁଥିଲେ । ପୁଞ୍ଜୀଭୂତ ସମସ୍ୟାଗୁଡ଼ିକ ଦେଖି ଚମକି ପଡ଼ୁଥିଲେ । ତେଣୁ ଦୀନତାର ସହିତ ସେ ଲେଖିଥିଲେ-It is not the work of a single individual of splendour means and scanty acquirements like the present compiler. The new standard dictionary of the English language in four volumes recently published represents the labour of over 380 specialists and scholars 400 professional readers and the expenditure of over 40 lakhs of rupees as given out by the Publisher. x x x May that day come when the civilized world will realise how rich phonetics and ancient Oriya language is and when the Oriya language will be given its legitimate place of honour among the cultured modern language (ପୂ . ଓ. ଭା.୨ୟ introduction) ସମାଲୋଚକମାନଙ୍କ ଧକ୍‌କାରେ ଟିକିଏ ଅଟକି ଯାଉଥିବା ମଣିଷଟିର ସଚେତନ ବଚନ ଭାବରେ ଉପର୍ଯ୍ୟୁକ୍ତ ଉକ୍ତିକୁ ହୁଏତ ଗ୍ରହଣ କରା ଯାଇପାରେ ।

 

ଭାଷାକୋଷ ପାଇଁ ଶବ୍ଦ ସମାର୍ଜନ କାର୍ଯ୍ୟ ଆରମ୍ଭ କରିସାରିଲା ପରେ ସେ ଯେଉଁ ଗୁରୁ ସମସ୍ୟାଗୁଡ଼ିକର ମୁକାବିଲା କରୁଥିଲେ, ସେ ସମ୍ପର୍କରେ ସେ ନିଜେ ଉଲ୍ଲେଖ କରିଛନ୍ତି, ଏକ ଅଭିଧାନ ସଂକଳନ କରିବା ଲାଗି ଯେଉଁ ଭାଷା ବିଜ୍ଞତା, ଅନୁସନ୍ଧିତ୍ସା, ଅଧ୍ୟବସାୟ, ଶବ୍ଦ ପାଣ୍ଡିତ୍ୟ, ଭ୍ରମଣଶୀଳତା, ନାନା ସ୍ଥାନ ଓ ପୁସ୍ତକରୁ ଶବ୍ଦ ସଂଗ୍ରହ କରିବାର ଶକ୍ତି ଓ ସମୟ ଆବଶ୍ୟକ, ତାହା ମୋର ନାହିଁ x x x କେତେକ ସାହିତ୍ୟିକ ବନ୍ଧୁଙ୍କୁ ଏହା ଗ୍ରହଣ କରିବା ଲାଗି ଅନୁରୋଧ କଲି । କିନ୍ତୁ ଫଳତଃ ଏ କ୍ଷେତ୍ରରେ କାହାରିକୁ ନିଷ୍ଠାର ସହିତ ଅଗ୍ରସର ହେବା ଦେଖିଲି ନାହିଁ । ଏପରି ସ୍ଥଳରେ, ଅଗତ୍ୟା ଏ ଗୁରୁ ଦାୟିତ୍ୱରେ ହସ୍ତକ୍ଷେପ କଲି ଓ ଉତ୍କଳଭାଷୀ ଅଞ୍ଚଳରେ ଅଭିଜ୍ଞ ଓ ସାହିତ୍ୟନିଷ୍ଠ ବନ୍ଧୁମାନଙ୍କୁ ଦେଖାଇ ଏ ଶବ୍ଦ କୋଷକୁ ଓଡ଼ିଆ ଭାଷାରେ Comprehensive ଶବ୍ଦକୋଷ ରୂପରେ ସର୍ବସାଧାରଣଙ୍କ ହସ୍ତରେ ଅର୍ପଣ କରିବି ବୋଲି ଇଚ୍ଛାକରି ଶ୍ରୀ ପରାତପରଙ୍କ ନାମରେ ଏ ଦୁରୂହ କାର୍ଯ୍ୟରେ ହସ୍ତକ୍ଷେପ କରୁଅଛୁ । ସତକୁ ସତ ଏଇ ଦୁରୂହ କାର୍ଯ୍ୟକୁ ଆକାର ଦେବାପାଇଁ ସେ ଆପଣା ଓକିଲାତି ବୁଦ୍ଧିକୁ ହିଁ ଖଟେଇ ଥିଲେ । ବିଜ୍ଞ ଇଂରେଜ ଶାସକମାନଙ୍କର ଦ୍ୱାରସ୍ଥ ହେଲେ । ନିଜ ସାଧନାର ସଙ୍କେତକୁ ସେମାନଙ୍କ ଆଗରେ ଥୋଇଦେଇ ରୂପ ଦେବାପାଇଁ ହାତ ପାତିଲେ । ଅନୁଦାନ ରୂପରେ ଅର୍ଥ ଆଣିଲେ । ଅଧିକରୁ ଅଧିକ ଅର୍ଥ କିପରି ଆସିବ, ସେଥିପାଇଁ ସେ ଫନ୍ଦି ଫିକର କଲେ । ରାଜା ମହାରାଜା, ଧନୀ ଗୁଣୀ ବ୍ୟକ୍ତି ବିଶେଷଙ୍କ ଦ୍ୱାରସ୍ଥ ହେଲେ । ସେମାନଙ୍କଠାରୁ କିପରି ଅଧିକ ପାଇବେ ଏଥିପାଇଁ ଉପରୁ ଚାପ ପକେଇଲେ । ସେମାନଙ୍କ ନାଁ ରେ ଖଣ୍ଡଗୁଡ଼ାକୁ ପାଣି ଛଡ଼େଇ ଦେଲେ । ସାର୍‌ ଜନ୍‌ ହବାକ୍, ଏମ୍. ଏଫ୍‌ ପେକ୍, ରାଜେନ୍ଦ୍ର ପ୍ରସାଦ ଦେବ, ବିକ୍ରମଦେବ ବର୍ମା, କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ରାଜେନ୍ଦ୍ର ନାରାୟଣ ସିଂହଦେଓ, ମାନ୍ୟବର ଲର୍ଡ଼ ଲିନ୍‌ନିଥ୍‌ ଗୋଙ୍କୁ ପ୍ରଥମ ଠାରୁ ସପ୍ତମ ପର୍ଯ୍ୟନ୍ତ ବିଭିନ୍ନ ଖଣ୍ଡଗୁଡ଼ିକୁ ଉତ୍ସର୍ଗ କରିଥିଲେ । ସାହାଯ୍ୟକାରୀ, ସହକର୍ମୀ, ପୃଷ୍ଠପୋଷକ ଉତ୍ସାହଦାତା ସମସ୍ତଙ୍କ ଫଟୋ ଛାପିଲେ । ତେଣୁ ପ୍ରତି ଖଣ୍ଡରେ ସୁଦୀର୍ଘ ମୁଖବନ୍ଧ ସହ ଏତେ ସଂଖ୍ୟକ ଫଟୋଚିତ୍ର ପ୍ରକାଶଯୋଗୁଁ ବିପୁଳ ପରିମାଣର ଅର୍ଥ ତାଙ୍କୁ ବ୍ୟୟ କରିବାକୁ ପଡ଼ିଥିଲା । ମାତ୍ର ଏହାକୁ ଅପବ୍ୟୟ ବୋଲି କୁହାଯିବା ମଧ୍ୟ ଉଚିତ ନୁହେଁ । ଭାଷାକୋଷର ସହୃଦୟମାନଙ୍କୁ ଜନସାଧରଣରେ ପରିଚିତ କରେଇବା, ସେମାନଙ୍କ ଭାଷା ପ୍ରୀତି ଭାବକୁ ସ୍ୱୀକୃତି ଦେବା ଏବଂ ଅନ୍ୟମାନଙ୍କ ମନରେ ଏଥିପାଇଁ ଆଗ୍ରହ ସୃଷ୍ଟି କରିବା ଥିଲା ପ୍ରହରାଜଙ୍କ ପ୍ରଥମ ଉଦ୍ଦେଶ୍ୟ । ଭାଷାକୋଷର ଷଷ୍ଠଭାଗ ପ୍ରକାଶ ପରେ ପ୍ରହରାଜ ଏତେ ଅଭାବୀ ହୋଇ ପଡ଼ିଲେ ଯେ, ଏହାର ମୁଣ୍ଡି ମାରିବା ଏବଂ ରାଜ ସ୍ୱୀକୃତିଲାଭ କରିବା ଆଶାରେ ବଡ଼ଲାଟ ଲିନ୍‌ଲିଥ୍ ଗୋଙ୍କୁ ସାକ୍ଷାତ କରିଥିଲେ । ସପ୍ତମ ଖଣ୍ଡଟି ତାଙ୍କୁ ହିଁ ଉତ୍ସର୍ଗ କରିଥିଲେ । ତାଙ୍କର ସହକର୍ମିଣୀ ଭାବରେ ଯୋଗ ଦେଇଥିଲେ ପୀତାମ୍ବରୀ ଦେବୀ ଏବଂ ତାଙ୍କର ଉଦ୍ୟମ ସଫଳ ହୋଇଥିଲା ।

 

ରାଜା ମହାରାଜା, ରାଜକୋଷରୁ ଯେଉଁ ବିପୁଳ ପରିମାଣର ଅର୍ଥ ସାହାଯ୍ୟ ସ୍ୱରୂପ ସେ ଆଣୁଥିଲେ, ଏଇ ମାଗନ୍ତା କାମରେ ସେ ସବୁଠାରେ ସଫଳ ହେଉ ନ ଥିଲେ । ଅନେକ ଜାଗାରୁ ଅପମାନ ପାଇ ନେଉଟି ଆସୁଥିଲେ । ନିଜ ଭାଗ୍ୟକୁ କେଉଁଠୁ ପାଉଥିଲେ ‘‘ଟଙ୍କାବିଡ଼ା, କାହୁଁ ହାତୀ ଘୋଡ଼ା x x କାହୁଁ ହୁକୁମ ବିଡ଼ା x x କାହୁଁ ବୁଢ଼ା ହଡ଼ା x x କାହୁଁ ଘସି ଫଡ଼ା, କାହୁଁ କୁଣ୍ଡା ନଡ଼ା, କାହୁଁ ଖାରିଆ ଖଡ଼ା, କାହୁଁ କହୁଣୀ କୋରଣା, କାହୁଁ ଲେଉଟା ନାକ ଫୋଡ଼ା, କାହିଁ ଟଣା ଭିଡ଼ା, କାହିଁ ଢିଙ୍କି ମଡ଼ା, କାହିଁ ଘଣାପେଡ଼ା, କାହିଁ ଜାଉଁଳି ଭିଡ଼ା, କାହିଁ ଶିଙ୍ଘି ବୁଡ଼ା, କେତେଠେଇଁ ଭେଟିଲି ଓଲଟା ଗଧ ଚଢ଼ା, ହୁକୁମ କଡ଼ା, ରସ ଚିପୁଡ଼ା, ଚୋପାଛଡ଼ା, ହଂସାଉଡ଼ା ।’’ (ଭାଷାକୋଷ ପାଇଁ ସଫର୍‌-ଭ-ସା-ଆଷାଢ଼ ୧୩୪୩) ମାତ୍ର କେଉଁମାନଙ୍କ ଠାରୁ କେତେ ପରିମାଣର ଅର୍ଥ ସେ ସଂଗ୍ରହ କରୁଥିଲେ, ତାହାର ହିସାବ ସେ ଦାଖଲ କରୁଥିଲେ ଭାଷାକୋଷର ମୁଖବନ୍ଧରେ । ତାଙ୍କ ମାସିକ ବ୍ୟୟର ଟିକିନିଖି ହିସାବ ସେ ରଖୁଥିଲେ ସ୍ୱତନ୍ତ୍ର ଭାବରେ । ଏହା ବ୍ୟତୀତ ଆପଣାର ଶାଳୀ ପିତାମ୍ବରୀ ଦେବୀଙ୍କୁ ସହକର୍ମିଣୀ ଭାବରେ ପାଖରେ ରଖିବାର ଚିତ୍ର ପ୍ରହରାଜଙ୍କ ବ୍ୟକ୍ତିକ ଜୀବନକୁ ଅପବାଦର ବଜାରରେ ଥୋଇ ଦେଇଥିଲା । ପିତାମ୍ବରୀ ନାଁ କୁ ମାତ୍ର ସହକର୍ମିଣୀ ଥିଲେ, ଭିତରେ ଥିଲେ ଅନ୍ୟ କିଛି । ସମାଜ ଆଖିରେ ବ୍ୟକ୍ତିର ଏ ଜୀବନ ଚିତ୍ରଟି ଅଲିଭା ଦାଗଟିଏ ହୋଇପାରେ, ମାତ୍ର ପିତାମ୍ବରୀଙ୍କ ସାନ୍ନିଧ୍ୟ, ସାହଚର୍ଯ୍ୟ ତାଙ୍କପରି ଏକ କର୍ମକ୍ଳାନ୍ତ ମଣିଷକୁ ଯେ କାର୍ଯ୍ୟପ୍ରତି ଅଧିକରୁ ଅଧିକ ଅନୁରାଗୀ କରୁଥିଲା, ଦେହ ଓ ମନର ଅନ୍ୟ ଏକ ଆବଶ୍ୟକତାକୁ ପୂରଣ କରୁଥିଲା, ନିରାପଦ ଖୁଆଡ଼ ଭିତରେ ବାନ୍ଧି ରଖିପାରୁଥିଲା, ଏପରି ଏକ ସମ୍ଭାବନାକୁ ଏଡ଼େଇ ଦିଆଯାଇ ନ ପାରେ ।

 

ଭାଷାକୋଷର ସମାଲୋଚକମାନଙ୍କ ମଧ୍ୟରେ ଗୋଦାବରୀଶ ମହାପାତ୍ର ଓ ଶରତଚନ୍ଦ୍ର ମୁଖାର୍ଜୀ ଥିଲେ ଅଗ୍ରଗଣ୍ୟ । ଗୋଦାବରୀଶ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସମ୍ପର୍କରେ କେତୋଟି କଥା (ସହକାର : xiv.10-1341) ଓ ବସନ୍ତ କୁମାର ବେହୁରା ‘‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଭୁଲ ଶୀର୍ଷକ ପ୍ରବନ୍ଧରେ (ନ. ଭା. vol iv-1940) ଭାଷାକୋଷର ତ୍ରୁଟି ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ଭାଷାକୋଷର ଗୋଇ ତାଡ଼ିବାକୁ ସେ ପ୍ରୟାସ କରିଥିଲେ । ‘‘ପଣ୍ଡିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପାଳକୋଷ କାମ ଶେଷ ହୋଇଛି । ଏଣିକି ସେ ଦେଶର ନେତା କୋଷ କାମରେ ହାତ ଦେଲେ ନିଶ୍ଚୟ କୃତକାର୍ଯ୍ୟ ହେବେ । ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାଷାରେ ସହାୟ କରିବାକୁ ତଳେ କେତୋଟି ସୂଚନା ଦିଆଗଲା’’ (ନିଆଁ ଖୁଣ୍ଟା-ପ୍ରଥମ ବର୍ଷ, ୨୬ଶ ସଂଖ୍ୟା ୧-୧୦-୧୯୩୮) କିମ୍ବା ଅମରକୋଷର ଏବଂ ପ୍ରହରାଜଙ୍କ ପାଳକୋଷରେ ଏତେ ନାଁ ଥାଉଁ ଥାଉଁ ନିଆଁ ଖୁଣ୍ଟା ନାଁ ଉପରେ ଯେ ଏତେ ପ୍ରେମ କାହିଁକି ବର୍ଷିଗଲା ତା’ର କୈଫିୟତ୍ ଯେତେବେଳେ ଲୋକେ ପଚାରିଲେଣି ସମସ୍ତଙ୍କୁ ମୌଖିକ ଉତ୍ତର ଦେଲେ, କବିବରଙ୍କ ଅଶୁଂପା ହ୍ରଦ କଥା ତେଣିକି ଥାଉ, ଖୋଦ କାସ୍ପିୟାନ ସାଗର ମଧ୍ୟ ଶୁଖିଯିବାକୁ ପଡ଼ିବ । (ନିଆଁ ଖୁଣ୍ଟା-ତା ୨୩-୩-୧୯୩୮) ପରି ଅନେକ ବାକ୍ୟରେ ଗୋଦାବରୀଶଙ୍କ ସ୍ୱର ସୁସ୍ପଷ୍ଟ । ଭାଷାକୋଷକୁ ପାଳକୋଷ ବୋଲି ସେ ରୀତିମତ ସମାଲୋଚନା କରୁଥିଲେ । ପତ୍ରିକାର ୨ୟ ବର୍ଷ ୧୮ଶ ସଂଖ୍ୟା (ଅକ୍‌ଟୋବର ୨,୧୯୪୦)ର ମୁଖ୍ୟ ପୃଷ୍ଠାରେ ପ୍ରହରାଜ ଓ ପୀତାମ୍ବରୀ ଦେବୀଙ୍କ ଦିଲ୍ଲୀ ଯାତ୍ରାର ବ୍ୟଙ୍ଗ୍ୟ ଚିତ୍ର ଏବଂ ଚିତ୍ରଟି ପାଖରେ ଦିଲ୍ଲୀ ଯାତ୍ରା ଶିରୋନାମାରେ କବିତାଟିଏ ମଧ୍ୟ ପ୍ରକାଶ ପାଇଲା ।

 

(କଳା କଳେବର କହ୍ନେଇ ବୃତ୍ତେ ଗୀୟତେ)

ପାଳକୋଷ ପ୍ରାୟ ପାଳକେ ପଦେ ରଖ ହେ ଚିତ୍ତ,

କରନ୍ତି ଶ୍ରୀ ଦିଲ୍ଲୀ ବିଜୟ ଦାଣ୍ଡେ ଦେଖ ସଙ୍ଗାତ । X X X

ପାଳକୋଷ ପିତାମାତା ଏ ଦେଖ ଯାଆନ୍ତି ଦାଣ୍ଡେ

ଓଡ଼ିଆକୁ ଲେଖି ପାରନ୍ତି ଭାରବାହୀ ଯେ ଚାଣ୍ଡେ ।

 

ଏ ଦେଶ ଧନରେ ପାଳିତ ପ୍ରାୟ ଏ ପାଳକୋଷ,

ଘର ନିଆଁ ଏ ଯେ ଅଣ୍ଟିରେ ରଖ ନାହିଁ କି ଦୋଷ । X X X

ଜାତି ନାଁ ପକା ବୀର ଏ ଦେଇ ଜାତିକି ଗାଳି,

ତଥାପି ବୋଲନ୍ତି ଏ ଦେଶେ ଜ୍ଞାନ ବିଭବଶାଳୀ-

 

ପ୍ରହରାଜ ଭାଷାକୋଷରେ ଓଡ଼ିଆମାନଙ୍କୁ ଭାରବାହକ ବୋଲି ଉଲ୍ଲେଖ କରିଥିବାରୁ ଦେଶପ୍ରେମୀମାନଙ୍କ ମନରେ ଦାରୁଣ ଆଘାତ ଲାଗିଥିଲା । ସମାଲୋଚକମାନଙ୍କର ଆକ୍ଷେପର ଉତ୍ତର ଦେବାରେ ମଧ୍ୟ ପ୍ରହରାଜ ଏତେ ଟିକିଏ ବି ହେଳା କରି ନଥିଲେ । ଭାଷାକୋଷ ସଂକଳନ ସଂକ୍ରାନ୍ତୀୟ ଆପଣାର ଅନୁଭୂତି ବେଶ୍ ରମ୍ୟରୀତିରେ ପ୍ରକାଶ କରିଥିଲେ । ଉତ୍କଳ ସାହିତ୍ୟର ପତ୍ରିକାର ପାଞ୍ଚଗୋଟି ଅଧ୍ୟାୟରେ ଭାଷାକୋଷ ପାଇଁ ସଫର୍‌ ଶିରୋନାମାରେ ସେ ଆପଣା ମାଗନ୍ତା ପଣର କଥା କହିଥିଲେ, ସମାଲୋଚକମାନଙ୍କୁ ଆପଣାର ସ୍ୱାଭାବିକ ଶୈଳୀରେ ପରିହାସ କରିଥିଲେ । ଏ ପରିହାସର ନିଆଁ ପ୍ରତ୍ୟକ୍ଷ ଭାବରେ ଶରତଚନ୍ଦ୍ର ମୁଖାର୍ଜୀ ଓ ପରୋକ୍ଷ ଭାବରେ ଗୋଦାବରୀଶ ଓ ଅନ୍ୟ ସମାଲୋଚକମାନଙ୍କ ଭିତରେ ଚିଆଁ ଲଗେଇ ଦେଇଥିଲା । ‘‘ଏ ସମ୍ପର୍କୀୟ ଗସ୍ତରେ ମୋର ଯେଉଁ ଅନୁଭୂତି ହୋଇଛି, ଉତ୍କଳରେ ଭବିଷ୍ୟତରେ ଏହିପରି ଦୂରୁହ କର୍ମରେ ହାତ ଦେବା ବ୍ୟକ୍ତିକ ଅବଗତି ଓ ଅନୁଶାସନ (guidance) ନିମନ୍ତେ ମୁଁ ସେହିସବୁ ଅନୁଭୂତିକୁ ଭାଷାକୋଷରେ ସଫର ଶିରୋନାମା ଦେଇ ଉତ୍କଳ ସାହିତ୍ୟରେ ଧାରାବାହିକ ଲେଖୁଛି । ମୁଁ ସେ ବିବୃତିମାନଙ୍କରେ ବ୍ୟକ୍ତିଗତ ଆକ୍ଷେପ ଓ ଆକ୍ରମଣକୁ ଯଥାଶକ୍ତି ଏଡ଼େଇବାକୁ ଚେଷ୍ଟା କରିଛି । କାରଣ ବ୍ୟକ୍ତି ବିଶେଷଙ୍କୁ ଗାଳିଦେବା କିମ୍ବା ଲୋକଙ୍କୁ ଚିହ୍ନେଇବା ମୋର ଉଦ୍ଦେଶ୍ୟ ନୁହେଁ । କେବଳ ଭବିଷ୍ୟତ କର୍ମୀମାନଙ୍କୁ କି କି ପ୍ରକାର ବୋଲୁଅ ମାଡ଼ରୁ ଆପଣା ଦିହକୁ ବଞ୍ଚେଇ କାମ କରିବାକୁ ହେବ, ତାହା ହିଁ ସୂଚନା ଦେବା ମୋର ଉଦ୍ଦେଶ୍ୟ ଅଟେ । ଆପେ କାମ କରିବା ନାହିଁ, କିନ୍ତୁ ଅନ୍ୟ ଯେ କରିବ ତାକୁ ଶୋଧିବା, ତାର ଅନିଷ୍ଟ ଚିନ୍ତା କରିବା, ତାର ଦୁର୍ନାମ କରିବା, ତା ନାଁ ରେ ଚୁଗୁଲି କରିବା, ଦେଶ ସେବକ ମୁଖା ବାନ୍ଧି ତା କାର୍ଯ୍ୟରେ ପ୍ରକାଶ୍ୟରେ ଓ ପ୍ରଚ୍ଛନ୍ନଭାବରେ ବାଧା ଜନ୍ମାଇବା ରୂପକ ବ୍ରତରେ ମୋର ଗୁଡ଼ାଏ ବନ୍ଧୁ ଆଜକୁ ୫ । ୭ବର୍ଷ ହେଲା ଲାଗିଛନ୍ତି । X X X ଗତ କୋଡ଼ିଏ ବର୍ଷରେ ଭାଷାକୋଷ ଆଶ୍ରମରେ ଥରେ ମୁହଁ ବା ଟାପୁ ମାରି ନାହାନ୍ତି, କିମ୍ବା ଭାଷାକୋଷର ସଂକଳନ, ଶବ୍ଦ ସଂଗ୍ରହ, ଅର୍ଥ ସଂଗ୍ରହ, ଗ୍ରାହକ ସଂଗ୍ରହ ବିଷୟରେ ମୋତେ ସାହାଯ୍ୟ କରି ନାହାନ୍ତି କିମ୍ବା ମୋ ପାଖକୁ ଆସି ଭାଷାକୋଷରେ ପରିଲକ୍ଷିତ କୌଣସି ଭ୍ରାନ୍ତି ବା ପ୍ରମାଦ ବା ଦୋଷ ପ୍ରତି ମୋ ଦୃଷ୍ଟି ଆକର୍ଷଣ କରି ନାହାନ୍ତି । କିନ୍ତୁ ଭାଷାକୋଷର ପ୍ରଥମ ଓ ପରବର୍ତ୍ତୀ ଖଣ୍ଡମାନ ପ୍ରକାଶିତ ହେବାର ଦେଖି ସେମାନଙ୍କ ପିଳେହି ପାଣି ହୋଇ ଯାଉଛି । ପାଠକେ ଅବଧାନ । କ୍ଷମା କରିବେ ଏ ବାକ୍ୟଟା ପୁଣି କୁରୁଚି ବା ଅଶ୍ଳୀଳତା ଆଡ଼କୁ ମୁହାଁଇଲା ବୋଲି ଆପଣ ନାକ ଟାଉଁ ଟାଉଁ କରନ୍ତୁ ନାହିଁ । କାରଣ ଏ ବାକ୍ୟକୁ ଶ୍ଳୀଳ, ସୁରୁଚିମୟ ସାଧୁ ଶବ୍ଦରେ ବା କଥାନ୍ତର କଲେ ଏହା ‘‘ପ୍ଳୀହା ଜଳିଭୂତ ହେଉଅଛି ହେବ । ପ୍ଳୀହା ଜଳୀଭୂତ ହେବା ବାକ୍ୟ ବା ତହିଁର ଅର୍ଥ କି ଭାଷାକୋଷ, କି ପାଳକୋଷ, କି ବୈଦିକ କୋଷ, କାହିଁରେ ମିଳିବ ନାହିଁ X X X ଆଉ ଜଣେ ଶୁକ୍ରାଚାର୍ଯ୍ୟ ବିଳିବିଳେଇଲେ କି ଭାଷାକୋଷକୁ ଭ୍ରମକୋଷ ବୋଲା ଯାଇପାରେ । (ଭାଷାକୋଷ ପାଇଁ ସଫର-୪) ଇତ୍ୟାଦି ଉପର୍ଯ୍ୟୁକ୍ତ ଦୀର୍ଘ ବୟାନ ଭିତରେ ପ୍ରହରାଜଙ୍କ ହୃଦୟର ଗଭୀର କ୍ଷତର ସଂକେତ ହିଁ ପ୍ରକାଶିତ ।

 

କେବଳ ଗୋଦାବରୀଶ ନୁହଁନ୍ତି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମଧ୍ୟ ପରବର୍ତ୍ତୀ କାଳରେ ଆପଣା ସମ୍ପାଦିତ ‘ଡଗର’ ସାହିତ୍ୟ ପୃଷ୍ଠାରେ, ଶ୍ରୀ ଶ୍ରୀ ହନୁମନ୍ତ କପିବର ନକଲ ନବିସ୍ ଛଦ୍ମ ନାମରେ ବହୁ ଶବ୍ଦର ଲାକ୍ଷଣିକ ଅର୍ଥ ପ୍ରକାଶ କରୁଥିଲେ । ସଙ୍କଳିତ ଶବ୍ଦଗୁଡ଼ିକ ଥିଲା ଲାଳିକା ବା ପାରୋଡ଼ି ଶ୍ରେଣୀର । ସଂକଳନ ଶିରୋନାମା ରଖା ଯାଇଥିଲା ‘ଅର୍ଦ୍ଧଚନ୍ଦ୍ର’ ଦେଢ଼ିଆ ଭାଷାକୋଷ’ । ପ୍ରହରାଜଙ୍କ ନିଃସ୍ୱାର୍ଥପର ଏକକ ଉଦ୍ୟମରେ ସଂକଳିତ ଭାଷାକୋଷ ଯେ ଜାତୀୟ ସମ୍ମାନ ଓ ଶ୍ରୀବୃଦ୍ଧିରେ ସହାୟକ ହେବ ଏ ସତ୍ୟକୁ ତୁଚ୍ଛା ଆଦର୍ଶାନ୍ଧ ବ୍ୟକ୍ତିବିଶେଷମାନ ପାସୋରି ପକେଇଥିଲେ । ପ୍ରହରାଜଙ୍କ ଅନ୍ୟ କୃତିଗୁଡ଼ିକରେ ଚମତ୍‌କାର ରୀତିରେ ରୂପ ପାଉଥିବା ତାଙ୍କ ସଂସ୍କୃତ ସଂସ୍କୃତି ପ୍ରୀତି ମାନସିକତାକୁ ହୁଏତ କୌଣସି କାରଣରୁ ନିଘା ଦଉ ନ ଥିଲେ । ମାତ୍ର ବିନ୍ଧାନ୍ୱେଷୀମାନଙ୍କର ତିକ୍ତ କଷାୟ ସମାଲୋଚନାରେ ପ୍ରହରାଜେ ‘‘ଗର୍ତ୍ତ ନିପତିତଃ’’ ହେଉ ନଥିଲେ-। ବରଂ ଆପଣା କାର୍ଯ୍ୟପ୍ରତି ସେ ହୋଇ ପଡ଼ୁଥିଲେ ଅଧିକ ଅନୁରକ୍ତ ଓ ବିଶ୍ୱସ୍ତ । ଦୃଢ଼ମନା ସଙ୍କଳକ, ଗ୍ରନ୍ଥର ମୁଖବନ୍ଧରେ ଏହି ଚରମ ସତ୍ୟକୁ ବାରମ୍ବାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପ୍ରକାଶ କରୁଥିଲେ । ଉଭୟ ସମାଲୋଚକ ଓ ପ୍ରଶଂସକଙ୍କୁ ସେ ସମାନ ଭାବରେ ବିବେଚନା କରୁଥିଲେ । ସେ ଅନୁଭବ କରିଥିଲେ କୌଣସି ବ୍ୟକ୍ତିର ଆତ୍ମଜୀବନ ଚରିତ ପରି, ଜୀବନ୍ତ ଭାଷାର ପୂର୍ଣ୍ଣାଙ୍ଗ କୋଷଗ୍ରନ୍ଥ ସଙ୍କଳନ ମଧ୍ୟ ଅସମ୍ପୂର୍ଣ୍ଣ । ଯାହା ଥିଲା ସବୁକିଛି ସାଉଁଟି ଆଣିବା ମଧ୍ୟ ଅସମ୍ଭବ । (ପୂ.ଓ.ଭା.୩ୟ ଖଣ୍ଡ, ମୁଖବନ୍ଧ) ଅସମ୍ପୂର୍ଣ୍ଣତା, ଅପରିପୂର୍ଣ୍ଣତା ଓ ଅତୃପ୍ତିବୋଧ ହିଁ ଜୀବନର ଅଭିଧର୍ମ ।

 

।। ଚାରି ।।

ଭାଷାକୋଷରେ ସଂକଳନ ଶବ୍ଦଗୁଡ଼ିକର ଉତ୍ପତ୍ତିତତ୍ତ୍ୱ ଓ ରୂପତତ୍ତ୍ୱ ନିରୂପଣରେ ଗୁରୁତ୍ୱ ଦେଇଥିବାର ଜଣାଯାଏ । ଶବ୍ଦଗୁଡ଼ିକର ବ୍ୟାକରଣ ନିର୍ଦ୍ଧାରିତ ରୂପ ସମ୍ପର୍କରେ ସୂଚନା ଦେବାକୁ ଯାଇ ବିଭକ୍ତି, କ୍ରିୟା, ସର୍ବନାମ, ବଚନ, ଲିଙ୍ଗ, କାରକ, ଅବ୍ୟୟ, କ୍ରିୟାଜ-ବିଶେଷଣ, ବିଶେଷଣର ବିଶେଷଣ, ସନ୍ଧି, ସମାସ ଆଦି ରୂପର ବ୍ୟାଖ୍ୟା କରିଛନ୍ତି । ମାତ୍ର ସବୁଠାରୁ ବଡ଼ କଥା, ଅଭିଧାନରେ ପାଲି ଓ ପ୍ରାକୃତ ଭାଷା ସମ୍ପର୍କରେ ସୂଚନା ରହିଥିଲେ ସୁଦ୍ଧା ତତ୍‌ଭବ ଶବ୍ଦଗୁଡ଼ିକ, କେଉଁ କେଉଁ ସ୍ତର ଦେଇ, ଲୋକମୁଖରେ କିପରି ଭାବରେ ବିବର୍ତ୍ତିତ ହୋଇ ଆଜିର ରୂପ ପରିଗ୍ରହ କରିଛି, ସେ ସମସ୍ତ ବିଷୟରେ ଆଦୌ ସୂଚନା ଦେଇ ନାହାନ୍ତି । ତେଣୁ ଭାଷାକୋଷର ଶବ୍ଦଗୁଡ଼ିକର ଯଥାର୍ଥ ରୂପଗତ-ଐତିହାସିକ ଅନୁଶୀଳନ କରା ଯାଇନାହିଁ କହିଲେ ଚଳେ । ମାତ୍ର ଶବ୍ଦଗୁଡ଼ିକର ଅର୍ଥଗତ ପରିବର୍ତ୍ତନ ସମ୍ପର୍କର ବହୁ ସ୍ଥଳରେ ସୂଚନା ପ୍ରଦତ୍ତ ହୋଇଛି । ଉଭୟ ଗଦ୍ୟ, ପଦ୍ୟ, ସଂସ୍କୃତ ଶ୍ଳୋକଗୁଡ଼ିକର ଉଦ୍ଧୃତିମାନ ଦିଆ ଯାଇଛି । ପୂର୍ବରୁ ଜଗନ୍ନାଥ ରାଓ, ମଧୁସୂଦନ ରାଓ ଓ ଗୋପୀନାଥ ନନ୍ଦଶର୍ମାଙ୍କ ଅଭିଧାନଗୁଡ଼ିକରେ ଉଦ୍ଧୃତି ସଂଖ୍ୟା ତୁଳନାରେ ଭାଷାକୋଷରେ ଉଦ୍ଧୃତିର ସଂଖ୍ୟା ଯଥେଷ୍ଟ ଅଧିକ ।

 

ଶବ୍ଦଗୁଡ଼ିକର ବର୍ଣ୍ଣାନୁକ୍ରମିକ ସଜ୍ଜୀକରଣ ରୀତିରେ ସଙ୍କଳକଙ୍କର କେତେକ ବୈଶିଷ୍ଟ୍ୟ ରହିଛି । ଅଭିଧାନରେ ଓଡ଼ିଆ ଭାଷାର ପ୍ରତ୍ୟେକ ବର୍ଣ୍ଣର ସୂଚନା ଦିଆ ଯାଉଛି । ‘କ’ ବର୍ଣ୍ଣର ଶେଷରେ ‘କ୍ଷ’ (କ+ଷ) ‘ଜ’ ବର୍ଣ୍ଣର ଶେଷରେ ‘ଜ୍ଞ’ (ଜ+ଞ୍ଜ) ଓ ‘ଯ’ ବର୍ଣ୍ଣର ଶେଷ ଭାଗରେ ‘ୟ’ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକ ସଙ୍କଳିତ ହୋଉଛି । ମାତ୍ର ‘ଅବର୍ଗ୍ୟ’ ‘ବବର୍ଣ୍ଣାଦ୍ୟ ଶବ୍ଦ ନିର୍ବାଚନ କ୍ଷେତ୍ରରେ ସଙ୍କଳକଙ୍କ ଦୃଷ୍ଟି କୋଣ ଅନ୍ୟ ଅଭିଧାନକାରମାନଙ୍କ ଠାରୁ ସ୍ୱତନ୍ତ୍ର | ସଂସ୍କୃତ ଭାଷାରେ “ଅବର୍ଗବ” ପରି ଓଡ଼ିଆ ଭାଷାରେ ଏହାର ସ୍ଵତନ୍ତ୍ର ଲିପି (ʹd) ନାହିଁ ଏବଂ ବର୍ଣ୍ଣାଦ୍ୟ ଏକକ ଧ୍ୱନି କିମ୍ବା ଏକକ ବର୍ଣ୍ଣଭାବରେ ଏହା ଉଚ୍ଚାରିତ ଓ ଲିଖିତ ହୁଏ ନାହିଁ । ଅଥଚ ବର୍ଣ୍ଣମାଳାର ଏକ ବର୍ଣ୍ଣ, ଧ୍ୱନି ଓ ଫଳାଭାବରେ ଏହାର ସ୍ଥାନକୁ ଅସ୍ୱୀକାର କରାଯାଇ ନପାରେ । ମୁଖ୍ୟତଃ ଯୁକ୍ତବର୍ଣ୍ଣ ଭାବରେ ‘ଅବର୍ଗ୍ୟବ’ ଶବ୍ଦର ଆଦ୍ୟ, ମଧ୍ୟ ଓ ଅନ୍ତରେ ଉଚ୍ଚାରିତ ହୋଇଥାଏ । ପୂର୍ବରୁ ଅଭିଧାନକାରମାନେ ସଂସ୍କୃତ ଭାଷାର ପ୍ରଭାବରେ ଓଡ଼ିଆ ଭାଷାରେ ‘ବ’ ଧ୍ୱନି ଭାବରେ ଉଚ୍ଚାରିତ ହେଉଥିବା ଶବ୍ଦଗୁଡ଼ିକୁ ‘ଅବର୍ଗବ’ ବର୍ଣ୍ଣାଦ୍ୟ ଶବ୍ଦମାଳାର ପରିସରଭୁକ୍ତ କରିଥିଲା ବେଳେ, ପ୍ରହରାଜ ସେପରି କରି ନାହାନ୍ତି-। ମୁଖ୍ୟତଃ ଇଂରାଜୀ ଓ ଅନ୍ୟ ବୈଦେଶିକ ଭାଷାଗୁଡ଼ିକରେ ‘ଅବର୍ଗ୍ୟବ’-ଉଅ’ ଭାବରେ ଉଚ୍ଚାରିତ ବର୍ଣ୍ଣାଦ୍ୟ ଶବ୍ଦଗୁଡ଼ିକୁ ଓଡ଼ିଆ ଭାଷାରେ ‘ଅବର୍ଗ୍ୟବ’ ଶବ୍ଦମାଳାର ପରିସରଭୁକ୍ତ କରିଛନ୍ତି ।

 

‘ଅବର୍ଗ୍ୟବ’ ର ସ୍ୱତନ୍ତ୍ର ଲିପି ବା ବର୍ଣ୍ଣ ଓଡ଼ିଆ ଭାଷାରେ ନାହିଁ । ମାତ୍ର ସଙ୍କଳକ ଉକ୍ତ ଧ୍ୱନିପାଇଁ ଏକ ସ୍ୱତନ୍ତ୍ର ଲିପି ‘‘ୱ’’ ସୃଷ୍ଟି କରିଛନ୍ତି । ଭାଷାତତ୍ତ୍ୱର ନିୟମ ଅନୁସାରେ କୌଣସି ସ୍ୱରବର୍ଣ୍ଣରେ ଅନ୍ୟ କୌଣସି ମାତ୍ରା ବା ଫଳାଯୁକ୍ତ ହେବା ଦୋଷ ଦୁଷ୍ଟ । (ପାଣିନି ଅଷ୍ଟାଧ୍ୟାୟୀ) ଏ ତ୍ରୁଟି ସମ୍ପର୍କରେ ସମ୍ପୂର୍ଣ୍ଣଭାବରେ ସଚେତନ ଥାଇ ମଧ୍ୟ ସଂଙ୍କଳକ ଉକ୍ତ ନୂତନ ବର୍ଣ୍ଣର ସୃଷ୍ଟି ସମ୍ପର୍କରେ ଏକ ଦୀର୍ଘ ଆଲୋଚନା ଉପସ୍ଥାପନ କରିଛନ୍ତି । ଆପଣାର ଯୁକ୍ତିକୁ ପ୍ରଭାବଶାଳୀ କରିବାପାଇଁ ଅନ୍ୟ ଯେଉଁ ଭାରତୀୟ ଭାଷାଗୁଡ଼ିକରେ ‘ଅବର୍ଗବ’ ପାଇଁ ସ୍ୱତନ୍ତ୍ର ଲିପି ନାହିଁ ଏବଂ ସମ୍ପୃକ୍ତ ଭାଷାର ତତ୍‌ବିଦମାନଙ୍କଦ୍ୱାରା ଲିଖିତ ନୂତନ ଲିପିକୁ ବୈଧାନିକ ଭାବରେ ଗ୍ରହଣ କରାଯାଇଛି, ତାହାର ଉଦାହରଣ ପ୍ରଦାନ କରିଛନ୍ତି । ମାତ୍ର ଏତେ ଯୁକ୍ତି ଓ ଗୌର ଚନ୍ଦ୍ରିକାର ଅବତାରଣା ନ କରି, ‘‘ଅବର୍ଗ୍ୟବ’’ ଆଦ୍ୟ ଶବ୍ଦଗୁଡ଼ିକୁ ଉଆ, ଓଆ ଓ ଓଏ ଭାବରେ ଉଲ୍ଲେଖ କରିଥିଲେ ବୋଧହୁଏ ସଂକଳକଙ୍କୁ ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନଥାନ୍ତା । ଯଥା-

 

ୱେବଷ୍ଟର >ଓଏବଷ୍ଟର, ୱାର >ଉଆଚ,

ୱାରେଣ୍ଟ >ଉଆରେଣ୍ଟ, ୱାଜିବ୍ >ଉଆଜିବ,

ୱାପସ୍ >ଉଆପସ, ୱେଷ୍ଟ > ଓଏଷ୍ଟ୍ ଇତ୍ୟାଦି ।

 

ଫଳରେ ସ୍ୱର ଧ୍ୱନିରେ ଅନ୍ୟ କୌଣସି ମାତ୍ରା ଯୁକ୍ତ ନ କରି ‘‘ଉଅ’’ ଧ୍ୱନିକୁ ପ୍ରକାଶ କରାଯାଇ ପାରିଥାନ୍ତା । ସଂପ୍ରତି ସାଧାରଣ ଜନତା ପ୍ରହରାଜଙ୍କ ସୃଷ୍ଟ ଉକ୍ତ ନୂତନ ବର୍ଣ୍ଣଟିକୁ ବହୁଳଭାବରେ ବ୍ୟବହାର କରୁଥିବାର ଲକ୍ଷ୍ୟ କରାଯାଉଛି । ପୁନଶ୍ଚ ‘ବର୍ଗ୍ୟବ’ ଓ ‘ଅବର୍ଗ୍ୟବ’ର ସାଙ୍କେତିକ ଚିହ୍ନରେ ମଧ୍ୟ କୌଣସି ପ୍ରାର୍ଥକ୍ୟ ନାହିଁ । ଯଥା-

 

ଆମ୍ବ-ଆମ୍+ବ      ,      ପକ୍ୱ-ପକ୍+ଉଅ

ବିମ୍ବ-ବିମ୍+ବ      ,      ଅଶ୍ୱ-ଅଶ୍+ଉଅ

କଦମ୍ବ-କଦମ୍+ବ      ,      ଭାସ୍ୱ-ଭାସ୍‌+ଉଅ ଇତ୍ୟାଦି-

 

ଅନୁରୂପ ଭାବରେ ନଶ୍ୱର, ଶ୍ୱଶୁର, ଚତ୍ୱର ଆଦି ବହୁ ଶବ୍ଦର ଲିଖନ ଓ ଉଚ୍ଚାରଣରେ ପ୍ରାର୍ଥକ୍ୟ ଅନୁଭୂତ ହୋଇଥାଏ । ‘ବ’ କିମ୍ବା ‘ଉଅ’ ଫଳା ବ୍ୟତୀତ ଓଡ଼ିଆ ଭାଷରେ ବର୍ଗ୍ୟଜ ଏବଂ ଅବର୍ଗ୍ୟ ଯ (ୟ?) ଫଳା ସମାନ ସମସ୍ୟା ସୃଷ୍ଟି କରିଥାନ୍ତି । ଯଥା-ମତ୍ସ୍ୟ, ହାସ୍ୟ, ଦାସ୍ୟ, ସଖ୍ୟ, ଧନ୍ୟ, ମାନ୍ୟ, କାରୁଣ୍ୟ, ହିରଣ୍ୟ, ମୂର୍ଦ୍ଧନ୍ୟ, ରମ୍ୟ, ହର୍ମ୍ୟ ଇତ୍ୟାଦି, ‘ର’ ( ã) ଫଳା (ଶତ୍ରୁ, ଭାତ୍ରୁ, ତ୍ରୁଟି, ଅଶ୍ରୁ, ସ୍ମଶ୍ରୁ) ଏବଂ ‘ଋ’ ( é ) କାର (ନେତୃତ୍ୱ, କର୍ତ୍ତୃତ୍ୱ, ତୃଣ, ତୃଷା, ଜମାତୃ, ଦାତୃ)ର ଲିଖନ ଓ ଉଚ୍ଚାରଣ କ୍ଷେତ୍ରରେ ସମାନ ସମସ୍ୟା ରହିଛି | ଓଡ଼ିଆ ଧ୍ଵନିତତ୍ତ୍ଵ ଓ ଲିଖନ ତତ୍ତ୍ଵରେ ଉପର୍ଯ୍ୟୁକ୍ତ ସମସ୍ୟା ପରି ହ୍ରସ୍ୱ ‘ଇ’( ò) ଦୀର୍ଘଈ (ú), ହ୍ରସ୍ୱ ‘ଉ’ ( ê), ଦୀର୍ଘ ‘ଉ’ ( í ) ମାତ୍ରାତାଳବ୍ୟ ‘ଶ’, ମୂର୍ଦ୍ଦନ୍ୟ ‘ଷ’ ଓ ଦନ୍ତ୍ୟ ‘ସ’କୁ ନେଇ ବହୁ ସମସ୍ୟା ରହିଛି । ଲିଖନରେ ଏତାଦୃଶ ରୀତି ଅର୍ଥତତ୍ତ୍ୱକୁ ପ୍ରଭାବିତ କରୁଥିବାରୁ ସାଧାରଣ ଜନତା ଫଳା ଓ ମାତ୍ରାର ବ୍ୟବହାରରେ ଅଭ୍ୟସ୍ତ ହୋଇ ଗଲେଣି । ତଥାପି ସମସ୍ୟା ଯେ ସମ୍ପୂର୍ଣ୍ଣରୂପେ ଲୋପ ପାଇଯିବ ଏକଥା ନୁହେଁ । କେବଳ ଓଡ଼ିଆ ଭାଷାରେ ନୁହେଁ ଭାରତର ଅଧିକାଂଶ ଭାଷାରେ ଉପର୍ଯ୍ୟୁକ୍ତ ସମସ୍ୟା ରହିଛି । ଧ୍ୱନିତତ୍ତ୍ୱ ଓ୍ୱ ଲିଖନତତ୍ତ୍ୱ ଭିତରେ ଥିବା ବୈଶାଦୃଶ୍ୟ ବନାନ ବିଭ୍ରାଟ ସୃଷ୍ଟି କରେ । ମାତ୍ର ଏ ସମସ୍ତ ସତ୍ତ୍ୱେ ଟିକିଏ ସଚେତନ ହେଲେ, ଯେଉଁଠି ସମସ୍ୟାକୁ ଏଡ଼େଇ ଦିଆଯାଇ ପାରିବ ସେଠି ସମସ୍ୟା ସୃଷ୍ଟି କରିବାର ଆଦୌ କିଛି କାରଣ ନାହିଁ । ପ୍ରହରାଜ ମହାଶୟଙ୍କ ‘ୱ’ ବର୍ଣ୍ଣ ସୃଷ୍ଟି ସମ୍ପର୍କରେ ଅନୁରୂପ ଯୁକ୍ତିର ଅବତାରଣା କରା ଯାଇପାରେ । ‘ୱ’ ଲିଖନର କାରଣ ସମ୍ପର୍କରେ ଏକ ଦୀର୍ଘ ପ୍ରବନ୍ଧ ଅବତାରଣା ନ କରି ‘ଉଅ’ ଆଦ୍ୟରେ ରଖି ଶବ୍ଦଗୁଡ଼ିକୁ ଉଲ୍ଲେଖ କରିଥିଲେ, ବିଶେଷ କିଛି ଅସୁବିଧା ସୃଷ୍ଟି ହୋଇ ନଥାନ୍ତା । ମାତ୍ର ଇଂରାଜୀ ତଥା ବୈଦେଶିକ ଭାଷାଗୁଡ଼ିକରେ ‘ଉଅ’ ଧ୍ଵନି ଆଦ୍ୟରେ ଉଚ୍ଚାରିତ ହେଉଥିବା ଶବ୍ଦଗୁଡ଼ିକୁ ଓଡ଼ିଆ ଶବ୍ଦମାଳାର ‘ଅବର୍ଗ୍ୟବ’ ବର୍ଣ୍ଣାଦ୍ୟ ଶବ୍ଦ ସ୍ଥାନରେ ପତ୍ରସ୍ଥ କରିବା ଯୁକ୍ତିଯୁକ୍ତ ଓ ବୈଜ୍ଞାନିକ ।

 

ଭାଷାକୋଷରେ ଓଡ଼ିଆ ଶବ୍ଦଗୁଡ଼ିକର ଇଂରେଜୀ ଉଚ୍ଚାରଣ ସହିତ, ଇଂରାଜୀ ପ୍ରତିଶବ୍ଦ ପ୍ରଦାନ ଓଡ଼ିଆ ଲିପି ସହିତ ଅପରିଚିତ ବ୍ୟକ୍ତିମାନଙ୍କର ସାହାଯ୍ୟରେ ଆସିବା ସଙ୍ଗେ ସଙ୍ଗେ ଅନୁବାଦ କ୍ଷେତ୍ରରେ ପଣ୍ଡିତମାନଙ୍କୁ ଭାଷା ସମ୍ପର୍କୀୟ ଉପାଦେୟ ତଥ୍ୟ ଯୋଗେଇ ଥାଏ । ପ୍ରସଙ୍ଗକ୍ରମେ ଗୋଟିଏ ମାତ୍ର ଶବ୍ଦର ଉଦାହରଣ ଦିଆ ଯାଇପାରେ-

 

ଯଥା-

ଅଇଘରା-ଦେ.ବି(ସଂ. ଅଗ୍ନି ଉତ୍ସବ, ସଂ ଅଗ୍ନି+ହରିକା=ରାକ୍ଷସୀ ବିଶେଷ) Aigharā

୧.ମାଘ ପୂର୍ଣ୍ଣିମା

 

(ଏ ଦିନ ରାତିରେ ଗ୍ରାମ ମଣ୍ଡପରେ କୁଟା ଆଦି ଗଦା କରାଯାଇ ଅଗ୍ନି ଉତ୍ସବ ହୁଏ । ଏହି ନିଆଁକୁ ଅଗି ଓ ନିଆଁ ଜଳେଇବାକୁ ଅଗିଜଳା କୁହାଯାଏ ।)

 

୧.

The full moon of the month of Magha on night of which villagers light a bonfire at the extremity of the village.

୨.

ଅଗି, ମାଘ ପୂର୍ଣ୍ଣିମା ରାତିରେ ଗାଁ ମୁଣ୍ଡରେ ଜଳାଯିବା ନିଆଁ ଗଦାର ।

 

Bon fire lighted on the fullmoon at the the month of Magha.

୩.

ଦୋଳ ପୂର୍ଣ୍ଣିମାର ପୂର୍ବ ରାତ୍ରି ।

 

The night preceeding the fullmoon of the month of Magha.

୪.

ଦୋଳ ପର୍ଣ୍ଣିମାର ପୂର୍ବ ରାତ୍ରିରେ ସନ୍ଧ୍ୟାଠାରୁ ରାତି ପାହିବା ପର୍ଯ୍ୟନ୍ତ ଗ୍ରାମ ମୁଣ୍ଡରେ କରାଯିବା ଅଗ୍ନି ଉତ୍ସବ।

 

Bon fire lighted at the end of the village on the night preceeding the full moon of the month of Faguna .

 

ଉପର୍ଯ୍ୟୁକ୍ତ ଉଦ୍ଧୃତିରୁ ଜଣାଯାଏ, ଭାଷାକୋଷରେ ଶବ୍ଦର ବ୍ୟାଖ୍ୟା କାଳରେ ବହୁ ଅନାବଶ୍ୟକ କଥା ଉଲ୍ଲେଖ କରାଯାଇଛି । ପୁନଶ୍ଚ ଅନେକ ସ୍ଥଳରେ ଏହା ଜ୍ଞାନକୋଷର ଭୂମିକା ଗ୍ରହଣ କରିଛି । ଏହି ରୀତି ସାଧାରଣ ଜନତାକୁ ବହୁ ଭାବରେ ଯେ ସାହାଯ୍ୟ କରେ ଏହା ଅନସ୍ୱୀକାର୍ଯ୍ୟ । ମାତ୍ର ଶବ୍ଦ ସଂକଳନ କ୍ଷେତ୍ରରେ ‘‘ତାଙ୍କର ପଦ୍ଧତି ବୈଧାନିକ (Preserptive) ନୁହେଁ, ବସ୍ତୁପରକ ଓ ବର୍ଣ୍ଣନାତ୍ମକ । ତେଣୁ ସମକାଳିକ (Synchronic) ଓ କାଳକ୍ରମିକ ଉଭୟ ସ୍ତରରେ ଉପଲବ୍‌ଧ ଯାବତୀୟ ରୂପ ସେ ଗ୍ରହଣ କରିଛନ୍ତି । ସାମୁଏଲ୍ ଜୋନସନ, ନୋଆଓଏଷ୍ଟରଙ୍କ ପରି ସେ ଆଦୌ ବିଚାରି ନାହାନ୍ତି ଯେ, ମାନବ (Standard) ଭାଷାର ଶୁଦ୍ଧତା ରକ୍ଷା କରିବା ଅଭିଧାନ ସଙ୍କଳୟିତାର ଅନ୍ୟତମ କର୍ତ୍ତବ୍ୟ । (ଓଡ଼ିଆ ଲିପି ଓ ଭାଷା ପୃ ୩୦) ଡକ୍ଟର ଖଗେଶ୍ୱର ମହାପାତ୍ରଙ୍କ ଉପର୍ଯ୍ୟୁକ୍ତ ଯୁକ୍ତି ସମ୍ପୂର୍ଣ୍ଣରୂପେ ଗ୍ରହଣୀୟ ହୋଇ ନ ପାରେ । ଭାଷାକୋଷର ଗ୍ରାମ୍ୟ, ଆଞ୍ଚଳିକ ବା ଲୋକକଥିତ ଶବ୍ଦଗୁଡ଼ିକୁ ଉପଲକ୍ଷ୍ୟ ଭାବରେ ଗ୍ରହଣ କରି ଭାଷାର ମାନକ ବା ଶୁଦ୍ଧତା ସମ୍ପର୍କରେ ଯେଉଁ ଯୁକ୍ତିର ଉପସ୍ଥାପନା କରିଛନ୍ତି, ଆଧୁନିକ ସାହିତ୍ୟରେ ବହୁଳ ଭାବରେ ବ୍ୟବହୃତ ଶବ୍ଦର ଲୋକକଥିତ ରୂପକୁ ଅନୁଶୀଳନ କଲେ ଆଲୋଚକଙ୍କ ଉକ୍ତିର ବଳିଷ୍ଠତା ସମ୍ପର୍କରେ ସହଜରେ ଆନୁମାନ କରା ଯାଇପାରେ । ପ୍ରହରାଜଙ୍କ ପୂର୍ବରୁ ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଦେଶୀୟ ବା ଲୋକମୁଖର ଶବ୍ଦ ସଂକଳନ କ୍ଷେତ୍ରରେ ଯେଉଁ ଆଦର୍ଶ ଗ୍ରହଣ କରିଥିଲେ, ପ୍ରହରାଜ ସେହି ଆଦର୍ଶକୁ ଅଧିକ ବିକଶିତ କରିବାପାଇଁ ଚେଷ୍ଟା କରିଛନ୍ତି । ଡକ୍ଟର ଖଗେଶ୍ୱର ମହାପାତ୍ରଙ୍କ ଭାଷାରେ କହିବାକୁ ଗଲେ, ପ୍ରହରାଜଙ୍କ ଶବ୍ଦ ଅନୁଶୀଳନ ପଦ୍ଧତି ଯେ ବସ୍ତୁପରକ ଓ ବର୍ଣ୍ଣନାତ୍ମକ, ଏହା ସ୍ୱୀକାର୍ଯ୍ୟ । ମାତ୍ର ଏଥିରେ ଶବ୍ଦଗୁଡ଼ିକର ଐତିହାସିକ ବିକାଶଧାରା ଉପରେ ପ୍ରାଧାନ୍ୟ ଦିଆଯାଇ ଥିବାରୁ, କୋଷ ଗ୍ରନ୍ଥଟି ବର୍ଣ୍ଣନାତ୍ମକ ହୋଇପଡ଼ିଛି ।

 

ସମ୍ପ୍ରତି ପ୍ରହରାଜଙ୍କ ଭାଷାକୋଷର ପୁନଃମୁଦ୍ରଣର ଆବଶ୍ୟକତା ପ୍ରାୟ ଅନୁଭୂତ ହୁଏ ନାହିଁ । ଏହା ଆଶାତୀତ ବ୍ୟୟବହୁଳ ହୋଇପଡ଼ିବ । ସର୍ବୋପରି ଛାତ୍ର ଓ ସାଧାରଣ ପାଠକଙ୍କ ଉପଯୋଗୀ ଏହାର ଏକ ସଂକ୍ଷିପ୍ତ ସଂସ୍କରଣ ଏକାନ୍ତ ଆବଶ୍ୟକ । ନିଜେ ସଙ୍କଳକ ମଧ୍ୟ ଆପଣାର ଜୀବଦ୍ଦଶାରେ ଏପରି ଏକ ଅଭିଳାଷ ପୋଷଣ କରିଥିଲେ । (ପୂ. ଓ. ଭା ୪ର୍ଥ, ଉପସଂହାର) ମାତ୍ର ସେ ବଞ୍ଚିଥିଲା ଭିତରେ ତାହା ସମ୍ଭବ ହୋଇ ପାରିଲା ନାହିଁ । ସଙ୍କଳକଙ୍କ ତିରୋଧାନ (?) ପରେ ତାଙ୍କ ସହଯୋଗୀ ଭାବରେ କାର୍ଯ୍ୟ କରୁଥିବା ତଦ୍‌ବିଦମାନେ ହୁଏତ ଏହା କରି ପାରିଥାନ୍ତେ । ସେମାନଙ୍କ ମଧ୍ୟରେ ପଣ୍ଡିତ କୁଳମଣି ଦାଶ କାବ୍ୟତୀର୍ଥ, ଶ୍ରୀଜଗନ୍ନାଥ ତ୍ରିପାଠୀ ଆଦି ଅଭିଧାନବିଶେଷଜ୍ଞ ନିଜେ ଗୋଟିଏ, ଦୁଇଗୋଟି କରି ଗ୍ରନ୍ଥ ସଙ୍କଳନ କଲେ । ଅନ୍ୟ କୌଣସି ପଣ୍ଡିତ ମଧ୍ୟ ଉକ୍ତ କଷ୍ଟକର ଓ ବ୍ୟୟସାପେକ୍ଷ କାର୍ଯ୍ୟ ହାତକୁ ନେବାପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ । ସଙ୍କଳକଙ୍କ ମୃତ୍ୟୁପରେ (୧୯୪୫) ଦୀର୍ଘଦିନ ବିତି ଯାଇଥିଲେ ସୁଦ୍ଧା, ତାଙ୍କ ଆଶା ଫଳବତୀ ହେବାର ସମ୍ଭାବନା ଖୁବ୍ କ୍ଷୀଣ । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ସାଧାରଣ ଜନତାର କ୍ରୟ ଶକ୍ତି ଓ ଆବଶ୍ୟକତାକୁ ଆଖି ଆଗରେ ରଖି ବିପୁଳକାୟ ଅକ୍‌ସଫୋଡ ଓ ଓଏବଷ୍ଟର ଆଦି ପୃଥିବୀ ପ୍ରସିଦ୍ଧ ଅଭିଧାନଗୁଡ଼ିକର ସାଧାରଣ (Popular) ଓ ଛାତ୍ର (Student Edition) ସଂସ୍କରଣ ଆଦି ପ୍ରକାଶ ପାଇଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସରକାରୀ ଅନୁଦାନ ଦ୍ଵାରା ସୁଚାରୁରୂପେ ସମ୍ପନ୍ନ ହେବା ସମ୍ଭବ ହୋଇ ପାରିଛି । ମାତ୍ର ଆମ ସରକାର ଏ କ୍ଷେତ୍ରରେ କ’ଣ ପାଇଁ ନିଜର ଏତେ ଚରମ ଉଦାସୀନତା ପ୍ରକାଶ କରୁଛନ୍ତି ତାହା ବୁଝା ପଡ଼େନାହିଁ । ପୁନଶ୍ଚ ବର୍ତ୍ତମାନ ଭାଷାକୋଷର ଏକ ଆଧୁନିକ ସଂସ୍କରଣର ଆବଶ୍ୟକତା ଅନୁଭବ କରାଯାଉଛି । ପ୍ରାୟ ଦୀର୍ଘ ପଚାଶ ବର୍ଷ ଭିତରେ ଓଡ଼ିଆ ଶବ୍ଦଭଣ୍ଡାରକୁ ସମୃଦ୍ଧ କରିଥିବା ବହୁ ଦେଶଜ ତଥା ବୈଦେଶିକ ଶବ୍ଦ ଏବଂ ପ୍ରହରାଜଙ୍କ ତୀକ୍ଷ୍‌ଣ ଦୃଷ୍ଟିର ଅନ୍ତରାଳରେ ରହି ଯାଇଥିବା ବହୁ ଦରକାରୀ ଶବ୍ଦକୁ ପରିମାର୍ଜିତ ସଂସ୍କରଣଭୁକ୍ତ କରିପାରିଲେ, ସାଧାରଣ ଜନତାର ଅଭାବ ପୂରଣ ଦିଗରେ ସହାୟକ ହୋଇ ପାରିବ । ଡକ୍ଟର ଖଗେଶ୍ୱର ମହାପାତ୍ରଙ୍କ ନିର୍ଦ୍ଦେଶିତ ନିୟମଗୁଡ଼ିକୁ ଅବଶ୍ୟ ଏ କ୍ଷେତ୍ରରେ ମାନଦଣ୍ଡ ଭାବରେ ଗ୍ରହଣ କରା ଯାଇପାରେ । * (ଓଡ଼ିଆ ଲିପି ଓ ଭାଷା ପୃ ୩୦) ଏତଦ୍‌ବ୍ୟତୀତ ଭାଷାକୋଷକୁ ଆଧାର କରି ଓଡ଼ିଆ ଆଞ୍ଚଳିକ ଶବ୍ଦକୋଷୀ, ବୈଦେଶିକ ଶବ୍ଦ ପରି ଦୁଇଟି ମୂଲ୍ୟବାନ କୋଷ ଗ୍ରନ୍ଥ ସଂକଳିତ ହୋଇପାରନ୍ତା । ପ୍ରହରାଜଙ୍କ ପରି ଜଣେ ଏକନିଷ୍ଠ ତ୍ୟାଗୀ ସାଧକଙ୍କପାଇଁ ଏହା ଓଡ଼ିଆ ଜାତିର ସବୁଠାରୁ ମୂଲ୍ୟବାନ ଉପହାର ହୋଇ ପାରିବ । ତେବେ ଆବଶ୍ୟକ ସ୍ଥଳେ କେତେକ ଶବ୍ଦର ଫଟୋଚିତ୍ରର ଅଭାବ ଭାଷାକୋଷର ଏକ ଉଲ୍ଲେଖନୀୟ ତ୍ରୁଟି ବୋଲି ସ୍ପଷ୍ଟତଃ କୁହାଯାଇ ପାରେ ।

 

* ୧

ପ୍ରାତ୍ୟହିକ ବ୍ୟବହାର ଅନୁପଯୋଗୀ ସଂସ୍କୃତିଆ ଶବ୍ଦଗୁଡ଼ିକ ବର୍ଜନୀୟ । ଯେଉଁ ଗୁଡ଼ିକ ପ୍ରାଚୀନ ସାହିତ୍ୟରେ ପ୍ରଜଳିତ, ତାହା ସ୍ୱତନ୍ତ୍ର, ନିର୍ଘଣ୍ଟ (Concordance) ସଙ୍କଳନୀୟ ।

୨.

ଧାତୁ ବା ପ୍ରତିପଦିକକୁ ମୁଖ୍ୟରୂପେ ଅନ୍ତର୍ଭୁକ୍ତ କରି ଯାବତୀୟ ବ୍ୟୁତ୍ପାଦିତ ରୂପଗୁଡ଼ିକ ଏକତ୍ର ସଙ୍କଳିତ ହୋଇପାରେ । ଏହିସବୁ ରୂପ ଅକ୍ଷରାନୁକ୍ରମିକ ସୂଚୀରେ କେବଳ ପ୍ରାସଙ୍ଗିକ ଭାବେ ଉଲ୍ଲେଖନୀୟ ।

୩.

ନିୟମିତ ଧରଣର ରୂପଗତ ବିଭିନ୍ନତା ପାଇଁ ସ୍ୱତନ୍ତ୍ର ଅନ୍ତର୍ଭୁକ୍ତ ଅନାବଶ୍ୟକ ।

୪.

ସମନାମକ (Homonym) ଓ ବହୁ ଅର୍ଥକ (Polyhym) ଶବ୍ଦ ସମୂହ ସ୍ୱତନ୍ତ୍ରଭାବେ ଅନ୍ତର୍ଭୁକ୍ତ ହେବା ପରିବର୍ତ୍ତେ ଅକ୍ଷର ଓ ସଂଖ୍ୟା ସଙ୍କେତଦ୍ୱାରା ଚିହ୍ନିତ ହୋଇପାରେ ।

୫.

ଅର୍ଥ ପର୍ଯ୍ୟାୟ ବିଶ୍ୱକୋଷୀୟ ବିସ୍ତାର ପରିବର୍ତ୍ତେ କେବଳ ଶଦ୍ଦିତାର ଉପାଧି ନିର୍ଦ୍ଦେଶିତ ହେବା ଆବଶ୍ୟକ । ଏଥିରେ ରହିପାରେ କେବଳ ସଂଜ୍ଞା ବା ବର୍ଣ୍ଣନା ଓ ପ୍ରୟୋଗାତ୍ମକ ଦୃଷ୍ଟାନ୍ତ ।

 

ଭାଷାକୋଷର ଆକଳନ ଓ ପ୍ରହରାଜଙ୍କ ବିବାଦମାନ କୋଷ କୈନ୍ଦ୍ରିକ ଜୀବନଚର୍ଯ୍ୟାର ଚିତ୍ର କେବଳ ତାଙ୍କରି ଭାଷାରେ ଥୋଇବାକୁ ଗଲେ, ଏତିକି କୁହାଯାଇ ପାରେ ଯେ-ଏ ଯଜ୍ଞର ସଂକଳ୍ପ ବାକ୍ୟ ବୋଲା ହେଲାବେଳେ ମହାତ୍ମାଗାନ୍ଧୀ ପୁରୋଧା ହୋଇଥିଲେ । ଯଜ୍ଞ ପରେ ବତ୍ତୃଥ ସ୍ଥାନ ବେଳକୁ ସମ୍ରାଟ ପ୍ରତିନିଧି ଭାଇସ୍‌ରାୟ ପୌରୋହିତ୍ୟ ଗ୍ରହଣ କଲେ । x x x ଉତ୍କଳମଣି ଗୋପବନ୍ଧୁ ସ୍ୱସ୍ତି ବାଚକ କଲେ । ଓଡ଼ିଶା ପ୍ରଦେଶର ଗଭର୍ଣ୍ଣର ଶାନ୍ତି ବାଚନ କଲେ, କଂଗ୍ରେସ ସରକାର ସପ୍ତମ ଖଣ୍ଡରେ ଲହଡ଼ି ବସେଇଥିଲେ | ବେକଂଗ୍ରେସୀ ସରକାର ଏଥିରେ ଲହଡ଼ି ମୁଦ କଲେ । ମହାମତି ସାର୍‌ଜନ୍‌ ହବାକ୍‌ ଓଡ଼ିଶା ବିଭାଗର କମିଶନରରୂପେ ଏ ସାରସ୍ୱତ ମନ୍ଦିରରେ ଶୁଭ ଦେଇଥିଲେ । ସେଇ ସ୍ଥପତିରତ୍ନ ଆଜି ଏଥ ଉପରେ ନୀଳଚକ୍ର ବସେଇଲେ x x ବିହାର ଓ ଓଡ଼ିଶା ସରକାର ଏ ଗ୍ରନ୍ଥରେ ତଳି ରୋଇଲେ । ଉତ୍କଳର ଏକତମ ପ୍ରସିଦ୍ଧ ରାଜବଂଶୀୟ ମୟୂରଭଞ୍ଜାଧୀଶ୍ୱର ଗଛ ମୂଳରେ ମାଠିଆରେ ପାଣି ଦେଲେ ଓ ଏ ଗଛକୁ ତାଙ୍କ ସ୍ୱର୍ଗତଃ ଜ୍ୟେଷ୍ଠଭ୍ରାତା ପୂର୍ଣ୍ଣଚନ୍ଦ୍ରଙ୍କ ନାମ ଦିଆଇଲେ ।ଗଡ଼ଜାତ ଓ ମୋଗଲ ବନ୍ଦୀର ସାହିତ୍ୟାନୁରାଗୀ ରମାବରପୁତ୍ରମାନେ କ୍ଷେତରେ ସିଆର କାଟି ଗଛ ମୂଳରେ ପାଣି ମଡ଼େଇଲେ । ( ପୂ. ଓ. ଭା. ୭ମ ଖଣ୍ଡ ମୁଖବନ୍ଧ) ସତକୁ ସତ ସେଇ ଗଛ ମୂଳରେ ନିଜର ରକତ ଢାଳି ଦେଇଥିବା ପ୍ରହରାଜରୂପୀ ମଣିଷଟି ବିଷ ଜ୍ୱାଳାରେ ଜୀବନ ତର୍ପଣ କରି ସାରିଲା ପରେ ସ୍ରଷ୍ଟାର ଆତ୍ମା ନେଇ ସେ ସେଠିକି ଗଲେ ଯେ, ତାଙ୍କୁ କେହି ଆଡ଼ ଆଖିରେ ବି ପଚାରିଲେନି ।

ସହାୟକ ପୁସ୍ତକ ଓ ପତ୍ରିକା ସୂଚୀ

 

ଭାଗବତ ଟୁଙ୍ଗୀରେ ସନ୍ଧ୍ୟା-(ଭା. ଟୁ. ସଂ) ଗୋପାଳ ଚନ୍ଦ୍ର ପ୍ରହରାଜ, ନିଉ ଷ୍ଟୁଡେଣ୍ଟସ୍ ଷ୍ଟୋରସ, କଟକ-୨

 

ଉତ୍କଳ କାହାଣୀ-ପ୍ରଥମ ଭାଗ (ଉ. କା) ଗୋପାଳ ଚନ୍ଦ୍ର ପ୍ରହରାଜ, ଜଗନ୍ନାଥ କମ୍ପାନୀ-୧୦ମ ସଂସ୍କରଣ-୧୯୪୬

 

ଢଗ ଢମାଳି ବଚନ-(ଢ. ଢ. ବ)-ଗୋପାଳ ଚନ୍ଦ୍ର ପ୍ରହରାଜ ଓ ପିତାମ୍ବରୀ ଦେବୀ-କଟକ ଟ୍ରେନିଂ କମ୍ପାନୀ, ପ୍ରଥମ ପ୍ରକାଶ-୧୯୨୬ ଓ ୨୭

 

ଆମ ଘରର ହାଲଚାଲ (ଆ. ଘ. ହା.)-ଗୋପାଳ ଚନ୍ଦ୍ର ପ୍ରହରାଜ, ଉତ୍କଳ ସାହିତ୍ୟ ପ୍ରକାଶନୀ-କଟକ-ପ୍ର. ପ୍ର.୧୯୭୧

 

ବାଇ ମହାନ୍ତି ପାଞ୍ଜି-(ବା. ମ. ପା.)-ଗୋପାଳ ଚନ୍ଦ୍ର ପ୍ରହରାଜ, ୪ର୍ଥ ସଂ. ଓଡ଼ିଶା ଜଗନ୍ନାଥ କମ୍ପାନୀ-୧୯୮୩

 

ଦୁନିଆର ହାଲଚାଲ-(ଦୁ. ହା.)-ସଂଗ୍ରାହକ ଓ ପ୍ରକାଶକ-ଉତ୍କଳ ସାହିତ୍ୟ ବିକାଶ-କଟକ-୨

 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ-(ପୂ. ଓ. ଭା.) ଗୋପାଳ ଚନ୍ଦ୍ର ପ୍ରହରାଜ-୧ମ ରୁ ୭ମ ଖଣ୍ଡ-ଭାଷାକୋଷ ଲିଖନ କଟକ-୨, ପ୍ରକାଶ କାଳ-୧୯୩୧-୪୦

 

ପ୍ରହରାଜ ପରିକ୍ରମା-ପୂଜ୍ୟପୂଜା ସଂସଦ-କଟକ ପ୍ର. ପ୍ର. ୧୯୭୦

 

ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ-ଡକ୍ଟର ଶ୍ରୀନିବାସ ମିଶ୍ର, ବିଦ୍ୟାପୁରୀ-କଟକ-୨

 

ଓଡ଼ିଆ ଲିପି ଓ ଭାଷା-ଡକ୍ଟର ଖଗେଶ୍ୱର ମହାପାତ୍ର, ଗ୍ରନ୍ଥ ମନ୍ଦିର କଟକ-୨ ପ୍ର. ପ୍ର. ୧୯୬୭

 

Lexicography in India-Ed. by, B. G. Mishra, C. I. I. L. Manas Gangotri, Mysore.

 

Webster Dictionary-World Publishing Company-1949

 

Oxford Dictionary-LoI. I. Ed. by J. A. H Murray, H. Bradley, W. A. Craigie,

 

C.Tomons-Oxford Press XXVII edition, August-1961.

 

ବିଶୁଦ୍ଧ ଭାଷା-ଗୋପାଳ ଚନ୍ଦ୍ର ପ୍ରହରାଜ-ଉତ୍କଳ ସାହିତ୍ୟ (ଉ. ସା.) ୮ମ ବର୍ଷ, ୫ମ ସଂ. ୧୩୧୧

 

ଦୁଇଖଣ୍ଡି ଓଡ଼ିଆ ପୁସ୍ତକ-ଗୋପାଳ ଚନ୍ଦ୍ର ପ୍ରହରାଜ-ଉ. ସା. ୬ଷ୍ଠ. ୪ର୍ଥ ସଂଖ୍ୟା ୧୩୧୦ କଟକ ଟ୍ରେନିଂ ସ୍କୁଲର ପାଠ୍ୟ ନିର୍ଘଣ୍ଟ-ଉ. ସା., ଚୈତ୍ର-୧୩୪୬

 

ଭାଷାକୋଷ ପାଇଁ ସଫର-ଗୋପାଳ ଚନ୍ଦ୍ର ପ୍ରହରାଜ-ପ୍ରହରାଜ ବିଚିତ୍ରା-ଉତ୍କଳ ସାହିତ୍ୟ ବିକାଶ-କଟକ-୨

 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ସଂକ୍ରାନ୍ତରେ କେତୋଟି କଥା-ଗୋଦାବରୀଶ ମହାପାତ୍ର-ସହକାର-୧୪ଶ ବର୍ଷ, ୧୦ମ ସଂଖ୍ୟା ୧୩୪୧ ସାଲ

 

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ଭୁଲ-ବସନ୍ତ କୁମାର ବେହୁରା, ନବଭାରତ LoI. IV. 1940

ସାଜ-ତା ୨୭-୮-୧୯୨୭ ସଂଖ୍ୟା

 

ନିଆଁ ଖୁଣ୍ଟା-ତା ୧-୧୨-୧୯୩୮, ତା ୨୩-୩-୩୮, ତା ୨୩-୧୧-୩୮ ଓ ତା ୨-୧୦-୪୦ ତମ ସଂଖ୍ୟା ଦ୍ରଷ୍ଟବ୍ୟ ।

 

ଗୋପାଳ ପ୍ରହରାଜଙ୍କ ଉଇଲ୍-ସଂଗ୍ରାହକ ବିଜୟ କୁମାର ଚୌଧୁରୀ-ଚୟନିକା-୬ଷ୍ଠ ସଂଖ୍ୟା-୧୯୮୪ ବିଶେଷ ଅଙ୍କ ।

 

 

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ

ସରକାରୀ କଲେଜ,

ଅନୁଗୋଳ

 

***

 

Unknown

ତାରାପୁରଗଡ଼

ଡକ୍ଟର ପବିତ୍ର ମୋହନ ନାୟକ

 

ଜମ୍ବୁକୁଞ୍ଜବିଶୋଭନଂ ବହୁତରଂ ମାର୍ଗଂ କ୍ରମାତ୍‌ ସଂବ୍ରଜନ୍‌

ନ୍ୟାଗ୍ରୋଧଦ୍ରୂମରାଜିରାଜିତତଟଂ ପାପକ୍ଷୟସ୍ୟାନ୍ତିକମ୍‌

ଗତ୍ୱା ଭୂମିପତିଃ ପ୍ରଜାଚୟଯୁତୋ ଭକ୍ତ୍ୟାଂ ଚ ସଂପୂଜୟନ୍‌

ଦୁର୍ଗଂ ପ୍ରାବିଶଦାଶୁ ଭୂଧରନିଭଂ ତାରାପୁରାଖ୍ୟଂ ହି ଯତ୍‌ ।

 

ଭୂଭୃତ୍‌କଳ୍ପଂ ପ୍ରାଂଶୁତାଂ ସଂଦଧାନଂ

ଭଗ୍ନପ୍ରାୟଂ ଭୀମଦୃଶ୍ୟଂ ସମନ୍ତାତ୍‌

ପାନ୍ଥାନ୍‌ ତାବତ୍‌ଭୀଷୟତ୍ୟେବ ଦୂରାତ୍‌

ଖ୍ୟାତଂ ଦୁର୍ଗଂ ଶିଳ୍ପୀକଳ୍ପ୍ୟଂ ବିଚିତ୍ରମ୍‌ ।

 

ପୁରାଣମେତତ୍‌ ସୁବିଚିନ୍ତ୍ୟ ମାନସେ

ନିରୀକ୍ଷମାଣଃ କ୍ଷଣମେବ ସଂସ୍ଥିତଃ

ତତଃ ଫଳୈଃ ଶୋଭିତମାମ୍ର କାନନଂ

ହ୍ୟନନ୍ଦୟତ୍‌ ବୀକ୍ଷ ସମନ୍ତତୋ ନୃପଃ ।(୧)

 

ସୋନପୁର ମହାରାଜା ବୀରମିତ୍ରୋଦୟ ସିଂହଦେବ (୧୯୦୨-୩୭) ମହାରୁଦ୍ର ଯଜ୍ଞାନୁଷ୍ଠାନ ପାଇଁ ବାରାଣସୀ ଯିବା ବାଟରେ ବିନିକା ନିକଟରେ ଇତିହାସର ମୁକସାକ୍ଷୀ ବୀର-ରକ୍ତ ପ୍ଳାବିତ ଏହି ପୁରାତନ ତାରାପୁରଗଡ଼ର ଧ୍ୱଂସାବଶେଷ ଦେଖି କିଛିକ୍ଷଣ ଅଟକି ଯାଇଥିଲେ । ବିନିକା ଠାରୁ ପ୍ରାୟ ତିନି କି. ମି. ଦକ୍ଷିଣରେ ତାରାପୁରଗଡ଼ ମହାନଦୀର ଦକ୍ଷିଣ ତୀରରେ ଅବସ୍ଥିତ-। ପ୍ରାୟ କିଲୋମିଟର ବ୍ୟାପୀ ଏକ ବିରାଟ ଅଞ୍ଚଳରେ ଏ ପ୍ରାଚୀନ ଦୁର୍ଗ ଥିବାର ଭଗ୍ନାବଶେଷରୁ ଜଣାପଡ଼େ । ତେବେ ଏ ଦୁର୍ଗ ଦିନେ ‘‘ଶିଳ୍ପୀକଳ୍ପ୍ୟ ବିଚିତ୍ରଂ’’ ଥିଲା କି ନା ତାର ସୂଚନା ଆଜିର ଐତିହାସିକ ଏ ବିସ୍ତୀର୍ଣ୍ଣ ମାଟିଗଦାର ବାଲିଗୋଡ଼ି ଗଣି ଜାଣି ପାରେନା । ସୋନପୁର ଦରବାର ପ୍ରକାଶିତ କେତେକ ଦୁଷ୍ପ୍ରାପ୍ୟ ଗ୍ରନ୍ଥର କୀଟଦଷ୍ଟ ପୃଷ୍ଠା ଓଲଟାଏ, କିନ୍ତୁ ସେଠି ବି ଗବେଷଣା ପାଇଁ ବିଶେଷ କିଛି ଉପାଦାନ ପାଏନି । ଧନ୍ୟ ତାରାପୁର ! ଧନ୍ୟ ତୁମ ରହସ୍ୟ !

 

କବି ଗୋପୀନାଥ ପାଣିଗ୍ରାହୀଙ୍କ ମତରେ ସପ୍ତଦଶ ଶତକର ଶେଷ ଭାଗରେ ସୋନପୁରର ତୃତୀୟ ଚୌହାଣ ରାଜା ପୁରୁଷୋତ୍ତମ ସିଂହଦେବ ଏଗଡ଼ ଗଢ଼ିଥିଲେ ତାଙ୍କ ଦ୍ୱିତୀୟ ରାଜଧାନୀ ବିନିକା ସହର ସରହଦରେ-

 

ଚିତ୍ରୋତ୍ପଳା ନଦୀତୀରେ ବିଲଙ୍କା ନାମ ପତ୍ତନଂ

ଦ୍ୱିତୀୟ ରାଜଧାନୀ ତ ରାଜତେ ରାଜସଦ୍ମନା

ତତ୍ର ତାରାପୁରଂ ନାମା ଦୁର୍ଗଂ ନିର୍ମାୟ ଯତ୍ନତଃ

ସ୍ଥାପୟାମାସ ତନ୍ମଧ୍ୟେଽଧର୍ଷଣୀୟାଂ ବରୁଥିନୀଂ

 

ନଗର୍ଯ୍ୟାଂ ରାଜସଦନଂ ସ୍ଥିତ୍ୟର୍ଥଂ ଦୁର୍ଗମୁତ୍ତମଂ

ଦ୍ୱିତୀୟଂ କାରୟାମାସ ବିଳସତ୍‌ ପରିଖାବୃତଂ

ତତ୍ର ତାରାପୁରେ ତାରା ନାମ୍ନି ମାହେଶ୍ୱରୀ ପୁରା

ଅର୍ଚ୍ଚ୍ୟତେ ଜନସଂହାତୈଃ ସଂଯୁତୋ ବିଜୟପ୍ରଦା । (୨)

 

କିନ୍ତୁ ଯେଉଁ ସୋମଗୁପ୍ତମାନଙ୍କ ଝଣ୍ଡା ଏ ବିନୀତପୁର (ବିନିକା)ରେ ଦିନେ ଫରଫର ଉଡ଼ୁଥିଲା, ତାଙ୍କ ରାଜଧାନୀର ରାଜନଅର ହୁଏତ ଏଠି ଠିଆ ହୋଇଥିଲା ହଜାର ବର୍ଷ ପୂର୍ବେ । ତାରାପୁରଗଡ଼ର ଉତ୍ତରରେ ବିନିକା ସହର । ଯେଉଁ ବିନୀତପୁରରୁ ମହାରାଜାଧିରାଜ, ପରମ ମାହେଶ୍ୱର, ପରମ ଭଟ୍ଟାରକ, ତ୍ରିକଳିଙ୍ଗାଧିପତି, ସୋମକୁଳତିଳକ ଚଣ୍ଡୀହାର ବେଦଜ୍ଞ ବ୍ରାହ୍ମଣଙ୍କୁ ଗ୍ରାମଦାନ କରିଥିଲେ, (୩) ପୂର୍ବରେ ମହାନଦୀ ଯାହାର ଭଙ୍ଗିଳ ତୁଙ୍ଗ ତରଙ୍ଗସିକ୍ତ ଶୀକର ପରଶରେ ରତିକ୍ଳାନ୍ତା ରମଣୀର ଶ୍ରମ ଅପନୋଦନ କରୁଥିଲା (୪) ପଶ୍ଚିମରେ ଚରଦାର କପିଳେଶ୍ୱର ମନ୍ଦିର ଓ ଦକ୍ଷିଣରେ ପାପକ୍ଷୟ ଘାଟ ଯେଉଁଠି ଅବଗାହନ କରି ପୁରୀ ଗଜପତି ତୃତୀୟ ଅନଙ୍ଗଭୀମଦେବ ଦୁର୍ବାର ରୋଗରୁ ମୁକ୍ତିଲାଭ କରିଥିଲେ-

 

ପ୍ରାସୀତ୍‌ ଶ୍ରୀମଦନଙ୍ଗଦେବ ନୃପତିଃ ଶ୍ରୀଗଙ୍ଗବଂଶୋଦ୍ଭବଃ

ଗୌଡ଼େଶଃ ପୁରୁଷୋତ୍ତମେ ଜନରଭୁତ୍‌ ଶ୍ରୀରୁତ୍କଳାଖଣ୍ଡଳଃ

ସୋୟଂ ଦୁଷ୍ଟଗଦପ୍ରପୀଡ଼ିତ ତୟା ଗନ୍ତୁଂ ନ ଶକ୍ତସ୍ତତଃ

ରୋଗାନ୍ମୁକ୍ତଃ ବଭୁବ ବୀଣାମପରାଂ ଶ୍ରତ୍ୱା ଶରୀରଂ ମୁଦଃ ।

 

ଚିତ୍ରୋତ୍ପଳା ପୟସି ପୁଣ୍ୟମୟେଽବଗାହ୍ୟ

ଶ୍ରୀଗଙ୍ଗବଂଶ ବିଭବୋ ନରପାଳମୋଳିଃ

ପାପକ୍ଷୟାତ୍ସପଦି ସୌଖ୍ୟମବାପ ତସ୍ମାତ୍‌

ପାପକ୍ଷୟଞ୍ଚ ବିବୁଧାଃ ପରିକୀର୍ତ୍ତୟନ୍ତି । (୫)

 

ଆଜିର ଏ ବିଶାଳ ମାଟିହୁଡ଼ା ଦିନେ ଏ ଦୁର୍ଗର ଦୁର୍ଭେଦ୍ୟ ପ୍ରାଚୀର ଥିଲା । ପାଚେରୀ ତିନି ପଟରେ ଗଭୀର ପରିଖା ପୂର୍ବ ଦିଗରେ ମହାନଦୀ ସହ ସଂଯୁକ୍ତ ଥିଲା । ମଧ୍ୟସ୍ଥଳରେ ଏକ ପୁଷ୍କରିଣୀ ତଟରେ ତାରାଦେବୀଙ୍କ ପାଷାଣ ପ୍ରତିମା । ତାରାଦେବୀ ଏ ଦୁର୍ଗର ଅଧିଷ୍ଠାତ୍ରୀ ଦେବୀ ଥିଲେ । ତେଣୁ ଏହାର ନାମ ତାରାପୁରଗଡ଼ । ପଣ୍ଡିତ ଗୋପୀନାଥ ପାଣିଗ୍ରାହୀ ବିଦ୍ୟାରତ୍ନଙ୍କ ଭାଷାରେ-‘ତାରାପୁରଗଡ଼ ବିନିକା ବସତିର ଦକ୍ଷିଣରେ ମହାନଦୀର ପଶ୍ଚିମ ତୀରରେ ଅବସ୍ଥିତ । ଦୁର୍ଗ ମଧ୍ୟରେ ଗୋଟିଏ ଜଳାଶୟ । ଜଳାଶୟ ନିକଟରେ ଗୋଟିଏ ବୃକ୍ଷ ମୂଳରେ ତାରାଦେବୀ ଅଛନ୍ତି । ପୂର୍ବେ ତାରାଦେବୀଙ୍କ ମନ୍ଦିର ଥିବା ଅନୁମିତ ହୁଏ । ଦୁର୍ଗର ସଙ୍ଗେ ମନ୍ଦିର ମଧ୍ୟ ବିଧ୍ୱସ୍ତ ହୋଇ କେବଳ ସ୍ମୃତି ଚିହ୍ନ ରୂପରେ ମୃତ୍ତିକା ଢିପ ରହିଅଛି.....ଏଠାରେ ମରହଟ୍ଟାମାନେ ସ୍ୱର୍ଣ୍ଣପୁରର ଭୂତପୂର୍ବ ଦିବାନ୍‌ ଗୋବିନ୍ଦ ରାୟଙ୍କ ସହିତ ଯୁଦ୍ଧ କରିଥିବା ପ୍ରବାଦ ଅଛି । (୬)

 

ଅଷ୍ଟାଦଶ ଶତାବ୍ଦୀର ସେ ଥିଲା ଏକ ବିଷଣ୍ଣ ସନ୍ଧ୍ୟା । ମରହଟ୍ଟାବର୍ଗୀଙ୍କ ଅଶ୍ୱକ୍ଷୁରୋତ୍‌ଥିତ ଧୂଳି ପଟଳରେ ଦୂର ଦିଗ୍‌ବଳୟ ନିଷ୍ପ୍ରଭ ଦିଶୁଥିଲା । ବିନିକାର ମହୀପର୍ବତଶୀର୍ଷ ପତ୍ରବିରଳ ଶାଖାମାନଙ୍କରେ ତିମିରିତ ସନ୍ଧ୍ୟାର ପ୍ରାଣହୀନ ହାହାକାର ଗୁଞ୍ଜରିତ ହୋଇ ଉଠୁଥିଲା । ବର୍ଗୀ ଅଗ୍ନିର ଧାସରେ ଚରଦା ମନ୍ଦିର ଚୂଳ ରକ୍ତ-ଲୋହିତ ଦିଶୁଥିଲା । ଆଉ ମହାନଦୀର ଅଥଳ ଜଳରେ ପ୍ରଳୟର ଡମ୍ବୁର ବାଜୁଥିଲା । ଠିକ୍‌ ସେତିକିବେଳେ କିନ୍ତୁ ମରହଟ୍ଟା ଛାତିରେ ତାରାପୁରଗଡ଼ର କମାଣ ଗୁଡ଼ୁମ୍ ଗୁଡ଼ୁମ୍ ଗର୍ଜି ଉଠିଥିଲା । ତିନିତିନି ବର୍ଷଧରି ସୋନପୁରଗଡ଼ ଓ ତାରାପୁରଗଡ଼ ଦୁର୍ଦ୍ଧର୍ଷ ମରହଟ୍ଟା ବାହିନୀଦ୍ୱାରା ଅବରୁଦ୍ଧ ହୋଇଥିଲା । ତଥାପି ରାଜା ପୃଥ୍ୱୀ ସିଂ ପେଶ୍‌କୁଶ୍‌ ପାଇଁ ରାଜି ହୋଇ ନଥିଲେ । ତେଣୁ ଆଜି ଗୋବିନ୍ଦ ଦେୱାନ୍‌ କମାଣ ମୁହଁରେ ମରହଟ୍ଟା ସଙ୍ଗେ ବଳ କଷୁଥିଲେ । ମା’ ତାରାଦେବୀଙ୍କ ମଥାରେ ସିନ୍ଦୂର ଦେଇ, ଓଠରେ ରକ୍ତ ଢାଳି ଷୋଡ଼ଶୋପଚାର ପୂଜା କରି ବର୍ଗୀ ବିରୋଧରେ ସଂଗ୍ରାମ ଅବ୍ୟାହତ ରଖିଥିଲେ । ରଘୁଜୀ ଭୋଁସଲାଙ୍କ ଶାଣିତ ତରବାରୀ ନଇଁଗଲା । ଦୁର୍ଭେଦ୍ୟ ତାରାପୁରଗଡ଼ର ରକ୍ତ ପତାକା ମହାନଦୀବାହିତ ଶୀତଳ ସମୀରଣରେ ଫରଫର ଉଡ଼ିଲା-

 

ଏତଦେବ ପୁରା କିଳ ରଘୁଜୀ ଭୋଁସଲା ନାମା

କଶ୍ଚିତ୍‌ ମହାରାଷ୍ଟ୍ରୀୟଃ ବୀରଃ ବହୁ ସୈନ୍ୟୈଃ ସହ

ଆଗତ୍ୟ ଆକ୍ରମ୍ୟତଂ ନଗରୀମିମାମ୍‌ । ତତଃ ସ୍ୱର୍ଣ୍ଣପୁର-

ମହାରାଜେନ ପୃଥ୍ୱୀସିଂହେନ ପରାଜିତଃ ସନ୍‌ ଲଜ୍ଜୟା

ପ୍ରତ୍ୟାବର୍ତ୍ତତଃ ସ୍ୱଦେଶମ୍‌ । ତଦବଧି ଅସ୍ୟ ମହତଃ

ଦୁର୍ଗଃ ତାରାପୁର ଗଡ଼ଃ ଇତି କଥୟନ୍ତି ଜନାଃ । (୭)

 

କାବ୍ୟତୀର୍ଥ ବିଶ୍ୱନାଥ ରଥଶର୍ମା ସ୍ୱରଚିତ ପାଣିଗ୍ରହଣ ପାଦପଃ କାବ୍ୟରେ ମଥା ପୋତି ପଡ଼ିଥିବା ତାରାପୁରଗଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲାବେଳେ ଏଗଡ଼ର ଗୌରବୋଜ୍ଜଳ ଐତିହ୍ୟ ସ୍ମରଣ କରିଛନ୍ତି-

 

ଅଗ୍ରେ ଭାତିତରାଂ ତାରାପୁରମିତି ଖ୍ୟାତିପ୍ରଦଂ ଦୁର୍ଗକଂ

ଜେତୁଂ ଯଦ୍‌ ଯତେତେ ସ୍ମ ବୀରରଘୁଜିତ୍‌ ସୈନ୍ୟାବୃତି ଭୋଂସଳଃ

ତଂ ବୀରେଶମତାଡ଼ୟତ୍‌ ଯତଇଦଂ ସ୍ୱସ୍ୱାମୀବୀରତ୍ୱତୋ

ଲୋକେଷୁ ପ୍ରଥିତଂ ତତଃ ପୁରମିହାନ୍ୱର୍ଥାଭିଧାନଂ ପ୍ରିୟେ । (୮)

 

ଆଜି କିନ୍ତୁ ସେ ଦିନ ଚାଲି ଯାଇଛି । ଭଗ୍ନଜାନୁ ତାରାପୁର ଏକ ଚିହ୍ନହୀନ ମାଟି ସ୍ତୂପରେ ପରିଣତ ହୋଇଛି । ତାରାଦେବୀଙ୍କ ନଗ୍ନ ପାଷାଣ ମୂର୍ତ୍ତି ଶୁଷ୍କ ସରୋବରତୀର ଶାଖାହୀନ ଗଛତଳେ ଏକାକୀ ଠିଆ ହୋଇଛି । ନାହିଁ ସେହି କମାଣ ଗର୍ଜନ, ଗୁଳିଗୋଳା ବାରୁଦରେ ଆଗ୍ନେୟ କମ୍ପନ । ନାହିଁ ରଣ ଦୁନ୍ଦୁଭିର ସେହି ଦୃପ୍ତ ଆହ୍ୱାନ । ନାହିଁ ସେହି ଦୁର୍ଭେଦ୍ୟ ଦୁର୍ଗ ପ୍ରାଚୀର ଯାହା ଦିନେ ଦୁର୍ନିବାର ମରହଟ୍ଟା ଶକ୍ତିର ସାମ୍ନା କରିଥିଲା । ଆଜି ଚାରିପଟେ ମାଟିର ବିରାଟ ଆଡ଼ି । ମଝିରେ ପୋତିହେଇ ପଡ଼ିଥିବା ନିର୍ଜନ ବିଶାଳ ପୁଷ୍କରିଣୀ । ଆଜି ପ୍ରାଣହୀନ ପରିଖା ଉପରେ ଉଲ୍ଲେର ଲଙ୍ଗଳ ବୁଲୁଛି । କମାଣ ମୁହଁରେ ମାଣ୍ତିଆ ଫଳୁଛି । ପାଚେରୀ ଉପରେ ଛେଳି ଚରୁଛି । ଆଉ ବେଳେ ବେଳେ ଖୋଜୁ ଖୋଜୁ ମେଷ ପାଳକ ଭାଗ୍ୟରେ ଯୁଟୁଛି ପୁରାତନ ଚୌହାଣ ସ୍ୱର୍ଣ୍ଣମୁଦ୍ରା ।

 

କାଳର ଗଡ଼୍‌ଡ଼ାଳିକା ପ୍ରବାହରେ ତାରାପୁରଗଡ଼ ଗାଢ଼ ନିଦରେ ଶୋଇଛି । ଏ ଐତିହାସିକଗଡ଼ର ପତନ ନେଇ କବି ଧର୍ମାନନ୍ଦ ମେହେର ଏକ ଆକର୍ଷଣୀୟ ବିବରଣୀ ଦେଇଛନ୍ତି ତାଙ୍କ ଲିଖିତ ତାଳପତ୍ର ପୋଥିରେ । ତାରାପୁରଗଡ଼ର ଜଣେ କୈବର୍ତ୍ତ ସେଦିନ ଜାଲ ପକାଉ ପକାଉ ଏକ ପାଷାଣ ପ୍ରତିମା ପାଏ ମହାନଦୀ ଗର୍ଭରୁ । ଅଜ୍ଞାନ କୈବର୍ତ୍ତ ତାକୁ ଫିଙ୍ଗିଦିଏ ସିନା ବାରବାର ସେ ପ୍ରତିମା ଜାଲ ଭିତରକୁ ଫେରିଆସେ । ଶେଷରେ ତାକୁ ନେଇ ଗୋଟିଏ ତେନ୍ତୁଳି ଗଛ ମୂଳରେ ଥାପିଦିଏ । ଆଉ ସେ କାଳରାତ୍ରିରେ ତାରାପୁରଗଡ଼ର ‘ବିଶାଶହେ’ ବାଳକ ଅକାଳ ମୃତୁ ବରଣ କରନ୍ତି । ଚରଦା କପିଳେଶ୍ୱରଙ୍କ ଦକ୍ଷିଣରେ ହିଁ ତାର ଅବସ୍ଥାନ ହେବା ଦରକାର । ‘ପାଣ୍ଡେ’, ‘ପାଣ୍ଡିଆଣୀ’ ପ୍ରଭାତ ପ୍ରହରୁ ମୂର୍ତ୍ତିଟିକୁ ନେଇ ଶିବଲିଙ୍ଗର ଦକ୍ଷିଣରେ ଏକ ନିମ୍ବ ଗଛ ମୂଳେ ଥାପନା କରନ୍ତି-

 

ଫେରି ଆସନ୍ତେ ହାତ ଲମ୍ବାଇ ମହାମାଈ

ମୋତେ ଛାଡ଼ି ତୁମ୍ଭେ କାହିଁ ଯାଉଛ ପଳାଇ ।

ରହ ବୋଲି ମସ୍ତକରେ ଠୁକନ୍ତେ ରହିଲେ

ପାଣ୍ଡେ ପାଣ୍ଡିଆଣୀ ଯେ ପାଷାଣ ତନୁ ହେଲେ ।

 

ଦେବୀଙ୍କର ନିକଟରେ ଅଛନ୍ତି ସେ ରହି

ପୂଜା ଖାଉ ଅଛନ୍ତି ସେ ପତିପତ୍ନୀ ଦୁଇ ।

ସ୍ୱର୍ଣ୍ଣପୁର ରାଜା ପୃଥ୍ୱୀ ସିଂହଙ୍କ ଦୁଆନ

ନାମ ତାହାଙ୍କର ଯେ ଅଟଇ ଲଇଛନ ।

 

ତାଙ୍କୁ ଦେବୀ ଆଜ୍ଞା ଦେଲେ ଦେଉଳ କରାଅ

ଲିମ୍ବ ବୃକ୍ଷମୂଳେ ରହି ପିତା ହେଲା ଦେହ ।

ନୃପତିଙ୍କୁ ଜଣାଇ ଦୁଆନ ଲଇଛନ

ଲିମ୍ବ ବୃକ୍ଷ କାଟି କଲେ ଦେଉଳ ନିର୍ମାଣ । (୯)

 

ଏଇଠୁ ଆରମ୍ଭ ହୁଏ ତାରାପୁରଗଡ଼ର ପତନ । ଶହେକୋଡ଼ିଏ ପିଲାଙ୍କ ଅପମୃତ୍ୟୁର କୋକୁଆ ଭୟରେ ଲୋକେ ତାରାପୁରଗଡ଼ ଛାଡ଼ି ବିନିକାର କମିରାଗଡ଼ ଓ ବିକଟାଇ ପୁରକୁ ପଳାୟନ କରନ୍ତି । କାଳକ୍ରମେ ସମୟର ଧ୍ୱଂସମୁଖୀ ପ୍ରଭାବରୁ ହେଉ ଅବା ମରହଟ୍ଟାମାନଙ୍କ ଆଖିବୁଜା ପୋଡ଼ାଜଳାରେ ହେଉ, ଏଗଡ଼ ଟଳି ପଡ଼ିଲା । ରହିଗଲା କାବ୍ୟତୀର୍ଥ ଆଦିତ୍ୟ ଗୁରୁଙ୍କ ଅପ୍ରକାଶିତ ଗ୍ରନ୍ଥ ‘‘ତାରାପୁରଗଡ଼’ର ପାଂଶୁଳ ପୃଷ୍ଠାରେ, ବିସ୍ମରଣଶୀଳ ଶିଥିଳ ବୃଦ୍ଧର ଅସ୍ପଷ୍ଟ କାହାଣୀରେ ।

ଏ ଦୁର୍ବାର ଦୁର୍ଗର ଲୁପ୍ତ ଇତିହାସର ଉନ୍ମୋଚନପାଇଁ ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ଖଣତି ପଡ଼ିବ ତ !

 

ସହାୟକ ଗ୍ରନ୍ଥସୂଚୀ

(୧)

ଶାସ୍ତ୍ରୀ ଦାମୋଦର ମିଶ୍ର : ମହାରୁଦ୍ର ଯଜ୍ଞ କାବ୍ୟମ୍‌ (କଟକ, ୧୯୨୧), ପୃ. ୧୨

(୨)

ପାଣିଗ୍ରାହୀ ଗୋପୀନାଥ : ସ୍ୱର୍ଣ୍ଣପୁର ରାଜବଂଶାନୁଚରିତମ୍‌ (ଅପ୍ରକାଶିତ), ତୃତୀୟସର୍ଗ, ଶ୍ଳୋକ ୨୮-୩୧

(୩)

ରାଜଗୁର ସତ୍ୟନାରାୟଣ : Inscriptions of Orissa (Vol. iv), pp. 159-187.

(୪)

ରାଜଗୁରୁ ସତ୍ୟନାରାୟଣ : Inscriptions of Orissa (Vol. iv), P.78

(୫)

ଶାସ୍ତ୍ରୀ ଦାମୋଦର ମିଶ୍ର : ସ୍ୱର୍ଣ୍ଣପୁର ଗୁଣାଦର୍ଶଃ (ବାଲେଶ୍ୱର, ୧୯୨୧), ପୃ. ୨୮

(୬)

ପାଣିଗ୍ରାହୀ ଗୋପୀନାଥ : କୁମାରଜନ୍ମୋତ୍ସବ କାବ୍ୟ (ସମ୍ବଲପୁର, ୧୯୨୭). ପୃ. ୯୯

(୭)

ଶାସ୍ତ୍ରୀ ଦାମୋଦର ମିଶ୍ର : ସ୍ୱର୍ଣ୍ଣପୁର ଗୁଣାଦର୍ଶଃ (ବାଲେଶ୍ୱର, ୧୯୨୧), ପୃ. ୨୬

(୮)

ଶର୍ମା ବିଶ୍ୱନାଥ ରଥ : ପାଣିଗ୍ରହଣ ପାଦପଃ (ପୁରୀ, ୧୯୧୮), ପୃ. ୧୦-୧୧

(୯)

ମେହେର ଧର୍ମାନନ୍ଦ : ପାପକ୍ଷୟ ମାହାତ୍ମ୍ୟ ( ଅପ୍ରକାଶିତ)

 

 

ଏସ. ସି. ଏସ କଲେଜ,

ପୁରୀ

 

***

 

ବଙ୍ଗୀୟ ସାହିତ୍ୟକୁ ଉତ୍କଳୀୟ କବିଙ୍କ ଅବଦାନ

ଡକ୍ଟର : ବିଷ୍ଣୁପଦ ପଣ୍ଡା

 

ଉତ୍କଳର କେତେ ଜଣ କବି ବଙ୍ଗଳା ଭାଷାରେ କେତୋଟି ବୈଷ୍ଣବ ପଦାବଳୀ ରଚନା କରିଛନ୍ତି-ଏତିକି ତଥ୍ୟ ହିଁ ଆଜିଯାଏ ଆମର ସମ୍ବଳ ଥିଲା । ପରବର୍ତ୍ତୀ କାଳରେ ଏହା ସଙ୍ଗେ ଆହୁରି ଯୋଡ଼ା ଯାଇଛି ଯେ,-କବି ପିଣ୍ଡିକ ଶ୍ରୀଚନ୍ଦନ ଗୀତଗୋବିନ୍ଦର ଅନୁବାଦ ଏବଂ ଭାଷ୍ୟ ବଙ୍ଗଭାଷାରେ ରଚନା କରିଛନ୍ତି । କିନ୍ତୁ ଯାହାକୁ ଭାସମାନ ବରଫ ସ୍ତୂପର ଶୀର୍ଷଦେଶ କୁହନ୍ତି ଏହା ସେତିକି ମଧ୍ୟ ନୁହେଁ । ଏହା ଜାଣିବାକୁ ପାଇଲି ଷଷ୍ଠ ଦଶକରେ ଯେତେବେଳେ ରାଜ୍ୟ ସଂଗ୍ରହାଳୟର କିଛି ପୋଥି ଦେଖିବାର ସୌଭାଗ୍ୟ ମୋର ହୁଏ । ଏହି ପୋଥିଗୁଡ଼ିକର ମାନ ନିର୍ଣ୍ଣୟ ନିମନ୍ତେ ଅନୁସନ୍ଧାନ କରିବାପାଇଁ ଉପଯୁକ୍ତ ଗବେଷକଙ୍କୁ ନିଯୁକ୍ତ କରିବାକୁ ପଶ୍ଚିମବଙ୍ଗର କେତେଜଣ ଦାୟିତ୍ୱଶୀଳ ବ୍ୟକ୍ତି ପୋଥିଶାଳାର ତତ୍‌କାଳିନ ଅଧ୍ୟକ୍ଷ, ଏପରିକି ଓଡ଼ିଶାର କୌଣସି ଜଣେ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁରୋଧ କରିଥିଲେ; କିନ୍ତୁ ଏ ସମ୍ବନ୍ଧରେ କେହି କୌଣସି ପଦକ୍ଷେପ ନେଇନାହାନ୍ତି । ଅବଶ୍ୟ ଏ କାର୍ଯ୍ୟ ଆରମ୍ଭ କରିବାରେ ପଶ୍ଚିମ ବଙ୍ଗର ଗବେଷକମାନଙ୍କର ପ୍ରଧାନ ସମସ୍ୟା ଥିଲା ଓଡ଼ିଆ ଲିପିରେ ଲିଖିତ ପୋଥିଗୁଡ଼ିକର ପାଠୋଦ୍ଧାର କରିବା । ଏତଦ୍‌ବ୍ୟତୀତ ଏହି ବିଶେଷ ଶ୍ରେଣୀର ଗବେଷକମାନଙ୍କର କେବଳ ବଙ୍ଗଳା ସାହିତ୍ୟରେ ନୁହେଁ, କିଛି ପରିମାଣରେ ଓଡ଼ିଆ ସାହିତ୍ୟର ଇତିହାସ ସମ୍ପର୍କରେ ମଧ୍ୟ ଅବହିତ ହେବା ପ୍ରୟୋଜନ ଥିଲା ।

 

ରିଜିଓନାଲ୍‌ କଲେଜ୍‌ ଅଫ୍‌ ଏଡୁକେଶନରେ ବଙ୍ଗଳା ଭାଷା ଏବଂ ସାହିତ୍ୟର ଅଧ୍ୟାପକ ଭାବେ ନିଯୁକ୍ତ ହେବାପରେ, ୧୯୬୬-୬୭ ମସିହା ଠାରୁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୋଥିବିଭାଗ ମୋତେ ଆକୃଷ୍ଟ କରେ । ସରକାରଙ୍କର ସଂଶ୍ଳିଷ୍ଟ ବିଭାଗର ଅନୁମତି ଏବଂ ସଂଗ୍ରହାଳୟ ଓ ପୋଥିବିଭାଗର ସମସ୍ତ କର୍ମଚାରୀଙ୍କର ଅକୁଣ୍ଠ ସହଯୋଗ ଲାଭ କରି ମୁଁ ବହୁପୋଥି ପରୀକ୍ଷା କରିପାରିଛି । ଉକ୍ତ ପୋଥିଗୁଡ଼ିକର ଭାଷା ବଙ୍ଗଳା ଅଥବା ଓଡ଼ିଆ ମିଶ୍ରିତ ବଙ୍ଗଳା, ମାତ୍ର ରଚୟିତାମାନେ ସମସ୍ତେ ଓଡ଼ିଆ ଅଟନ୍ତି । ଏହି ପୋଥିଗୁଡ଼ିକ ଷୋଡ଼ଶରୁ ଊନବିଂଶ ଶତାବ୍ଦୀ ମଧ୍ୟରେ ରଚନା ହୋଇଥିବାର ଜଣାଯାଏ, ଏବଂ ଏହାର ବିଷୟବସ୍ତୁ ମୂଳତଃ କୃଷ୍ଣଲୀଳା ଏବଂ ଚୈତନ୍ୟ ଓ ତାଙ୍କର ପାର୍ଶଦମାନଙ୍କର ଲୀଳା ସମ୍ପର୍କିତ । ଏହାର ଏକ ବୃହତ ଅଂଶକୁ ସତ୍ୟପୀର ସାହିତ୍ୟ କୁହାଯାଇ ପାରେ । ଏହା ବ୍ୟତୀତ ଅନ୍ୟାନ୍ୟ ଲୋକକଥାଶ୍ରୟୀ ଦେବଦେବୀ ବିଷୟକ କାବ୍ୟ ମଧ୍ୟ ଏହି ପୋଥି ବିଭାଗରେ ଦେଖିବାକୁ ମିଳେ ।

 

ପୋଥି ବିଭାଗରୁ ପୋଥିଗୁଡ଼ିକର ଅନୁଲିପି ପ୍ରସ୍ତୁତ କରାଇନେବା ପରେ ମୂଳ ପୋଥି ସଙ୍ଗେ ସେଗୁଡ଼ିକୁ ମିଳାଇ ଦେଖିବା ଏବଂ ସମ୍ଭାବ୍ୟ ସ୍ଥଳେ ପାଠାନ୍ତର ସହ ଗୋଟିଏ ଶୁଦ୍ଧ ରଚନା ସମ୍ପାଦନ କରିବାର କାର୍ଯ୍ୟ କେବଳ ଯେ ସମୟ ଓ ଶ୍ରମ ସାକ୍ଷେପ ଥିଲା ତାହା ନୁହେଁ, ଅର୍ଥର ପ୍ରୟୋଜନ ମଧ୍ୟ ଯଥେଷ୍ଟ ଥିଲା । ମୋର ସୌଭାଗ୍ୟ ଯେ ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ସାହାଯ୍ୟ, ମାଧ୍ୟମିକ ସ୍ତରରେ NCERT ର ସାହାଯ୍ୟ ଓ ଶେଷ ଭାଗରେ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନର ସାହାଯ୍ୟ ପାଇଛି ଏବଂ ଏହା ଫଳରେ ପ୍ରାୟ ଚାଳିଶ ଗୋଟି ପୋଥିର ସମ୍ପାଦନା ମୋଦ୍ୱାରା ସମ୍ଭବ ହୋଇଛି ।

 

ଓଡ଼ିଆ ଲିପିରେ ଲିଖିତ ବଙ୍ଗଳା ଭାଷାର ଯେଉଁ ପୋଥିଗୁଡ଼ିକ ଏଠାରେ ଅଛି, ତାହାର ଏକ ବଡ଼ ଅଂଶ ହେଲା ବଙ୍ଗଳା ରଚନାର ଓଡ଼ିଆ ଲିପ୍ୟନ୍ତର । ଏହା ମଧ୍ୟରେ କୃତିବାସଙ୍କ ରାମାୟଣ, କାଶୀରାମଙ୍କ ମହାଭାରତ, ବୃନ୍ଦାବନ ଦାସଙ୍କର ଚୈତନ୍ୟ ଭାଗବତ, କୃଷ୍ଣଦାସ କବିରାଜଙ୍କର ଚୈତନ୍ୟ ଚରିତାମୃତ, ମୁକନ୍ଦ ରାମଙ୍କର ଚଣ୍ଡିମଙ୍ଗଳ, କେତକା ଦାସଙ୍କର ମନସା ମଙ୍ଗଳ ପ୍ରଭୃତି ବଙ୍ଗୀୟ ରଚନାବଳୀ ଦେଖିବାକୁ ମିଳେ । କହିବା ବାହୁଲ୍ୟ ଯେ ଏହି ଲିପ୍ୟନ୍ତରିତ ପୋଥିଗୁଡ଼ିକର ପାଠକ ଥିଲେ ଉତ୍କଳର ଜନସମାଜ । ଏତଦ୍ଦ୍ୱାରା ପ୍ରମାଣିତ ହୁଏ ଯେ କାବ୍ୟଗୁଡ଼ିକର ରସାସ୍ୱାଦନ କ୍ଷେତ୍ରରେ ବଙ୍ଗଳାଭାଷା ବାଧା ସୃଷ୍ଟି କରୁ ନଥିଲା, ବାଧା ଥିଲା କେବଳ ବଙ୍ଗଳା ଲିପି; ଏବଂ ଏହି ସିଦ୍ଧାନ୍ତ ଓଡ଼ିଆ କବିମାନଙ୍କଦ୍ୱାରା ରଚିତ ବଙ୍ଗଳା ଭାଷାର କାବ୍ୟଗୁଡ଼ିକଦ୍ୱାରା ବିପୁଳ ଭାବରେ ସମର୍ଥିତ ହୁଏ ।

 

କବିମାନଙ୍କ ନାମକୁ ଆଶ୍ରୟ କରି କାଳ ବିଚାର କଲେ ଦେଖାଯାଏ ଯେ ଷୋଡ଼ଶ ଶତାବ୍ଦୀର କବି ରାୟ ରାମାନନ୍ଦ, ଜଗନ୍ନାଥ ଦାସ ଏବଂ ଅନନ୍ତ ଦାସଙ୍କ ରଚନାବଳୀ ପୋଥି ବିଭାଗରେ ଅଛି । ସପ୍ତଦଶକର କବିମାନଙ୍କ ମଧ୍ୟରେ ଦ୍ୱାରିକା ଦାସ, ଧନଞ୍ଜୟ ଭଞ୍ଜ, ଦ୍ୱିଜ ଲୋକନାଥ, ମାଧବ ରଥ, ପୁରୁଷୋତ୍ତମ ଦାସ, ଯଦୁନନ୍ଦନ ଦାସ, ଶେଖର ଦାସ, ମଧୁ ଦାସ, କବି ପ୍ରସାଦ, କବି କର୍ଣ୍ଣ ପ୍ରଭୃତିଙ୍କର ରଚନା ଉଲ୍ଲେଖନୀୟ । ଅଷ୍ଟାଦଶ ଶତାବ୍ଦୀର ଯେଉଁସବୁ କବିଙ୍କର ବଙ୍ଗଳା ରଚନା ଅଛି, ସେମାନେ ହେଲେ ଭୃଙ୍ଗବର ରାୟ, ବ୍ରଜବଂଧୁ ସିଂହ, ପିଣ୍ଡିକ ଶ୍ରୀଚନ୍ଦନ, ରାମଚନ୍ଦ୍ର ଦେବ, ଶ୍ୟାମ ସୁନ୍ଦର ଭଞ୍ଜ, ଦିବ୍ୟସିଂହ ଦେବ, ନାରାୟଣ ମର୍ଦରାଜ, ସନାତନ ଏବଂ ଅନ୍ୟ କେତେ ଜଣ । ଅବଶ୍ୟ କବିମାନଙ୍କର କାଳ ବିଚାର ନିମନ୍ତେ ସେମାନଙ୍କଦ୍ୱାରା ରଚିତ ଓଡ଼ିଆ କାବ୍ୟଗୁଡ଼ିକର ସହାୟତା ନେଇଛି । ଯେଉଁମାନେ ଓଡ଼ିଆ ଭାଷାରେ କାବ୍ୟ-କବିତା ରଚନା କରି ଯଶସ୍ୱୀ ହୋଇଅଛନ୍ତି ସେମାନଙ୍କର ନାମ ଓଡ଼ିଆ ସାହିତ୍ୟରେ ଅନ୍ତର୍ଭୁକ୍ତ ହୋଇ ରହିଛି । ଏହା ବ୍ୟତୀତ ମଧ୍ୟଯୁଗୀୟ ଶୈଳୀ ଅନୁସରଣ କରି ଏମାନଙ୍କ ମଧ୍ୟରୁ ଅନେକେ ନିଜର ବିଶଦ ଆତ୍ମପରିଚୟ ଲିପିବଦ୍ଧ କରି ଯାଇଛନ୍ତି । ଉପର ତାଲିକା ଅନ୍ତର୍ଭୁକ୍ତ ଅଳ୍ପ କେତେ ଜଣ କବି ଅଛନ୍ତି, ଯେଉଁମାନଙ୍କର ଓଡ଼ିଆ ଭାଷାରେ ରଚିତ କୌଣସି କାବ୍ୟନେଇ ଓଡ଼ିଆ ସାହିତ୍ୟର ଇତିହାସ ଲେଖକମାନେ ଆଲୋଚନା କରି ନାହାନ୍ତି । ଭବିଷ୍ୟତରେ ଆହୁରି ପୋଥି ଆବିଷ୍କୃତ ହେଲେ ଯେପରି ନୂତନ କାବ୍ୟର ସନ୍ଧାନ ମିଳିବ ସେହିପରି କାଳ ବିଚାର ଦୃଷ୍ଟିରୁ ଆମର ଧାରଣାର ପରିବର୍ତ୍ତନ ଘଟିବ । ଏହା ହିଁ ସ୍ୱାଭାବିକ ରୀତି ଏବଂ ନୀତି ହିସାବରେ କାମ୍ୟ ।

 

ଯେଉଁ ପୋଥିଗୁଡ଼ିକର ସମ୍ପାଦନା ସମାପ୍ତ ହୋଇଅଛି ସେଗୁଡ଼ିକରୁ ସଂକ୍ଷିପ୍ତ ଉଦ୍ଧୃତି ଦେଇ ସେମାନଙ୍କର ବଙ୍ଗଳା ରଚନାର କିଛି ପରିଚୟ ଏହି ପ୍ରବନ୍ଧରେ ଉଲ୍ଲେଖ କରିବା ଆଗରୁ ସବିନୟ ନିବେଦନ କରୁଛି ଯେ କ୍ଷୁଦ୍ର ଗୋଟିଏ ପ୍ରସ୍ତର କିମ୍ବା ଦୁଇ ଅଞ୍ଜୁଳା ଜଳ ଦେଖାଇ ଯେପରି ପର୍ବତ ବା ସମୁଦ୍ରର ଧାରଣା ଦିଆଯାଇ ପାରେନା, ଠିକ୍‌ ସେହିପରି କୌଣସି କାବ୍ୟରୁ ଦୁଇଚାରି ପଦ ଉଦ୍ଧୃତି ଦେଇ ତାହାର ରଚନା ଶୈଳୀ ବା ରସ ସୃଷ୍ଟି କ୍ଷେତ୍ରରେ ସାର୍ଥକତା ବୁଝାଇବା ଅସମ୍ଭବ । ପୁନଶ୍ଚ ଏହା ବି ସ୍ୱୀକାର କରେ ଯେ, ଏପରି କେତେ ଜଣ ଶକ୍ତିମାନ ଓ ଚିନ୍ତାଶୀଳ ପାଠକ ଅଛନ୍ତି, ଯେଉଁମାନେ କି ବିନ୍ଦୁରେ ସିନ୍ଧୁ ଦର୍ଶନ କରି ପାରନ୍ତି ଅଥବା ପ୍ରତିପଦାର ଚନ୍ଦ୍ରକୁ ଅବଲୋକନ କରି ପୂର୍ଣ୍ଣିମାର ଆନନ୍ଦ ଉପଭୋଗ କରି ପାରନ୍ତି । ସେମାନେ ଏହି ପ୍ରବନ୍ଧ ମାଧ୍ୟମରେ ଅବଶ୍ୟ ଓଡ଼ିଆ କବିମାନଙ୍କର ବଙ୍ଗଳା ରଚନା ସମ୍ପର୍କରେ କିଛି ଧାରଣା କରି ନେଇ ପାରିବେ ।

 

ରାୟ ରାମାନନ୍ଦଙ୍କର ଭଣିତାଯୁକ୍ତ ପଦଗୁଡ଼ିକର ବିଶଦ ବିଚାର କଲେ, ଏଗୁଡ଼ିକ ଜଗନ୍ନାଥବଲ୍ଲଭ ନାଟକ ରଚୟିତା ରାୟ ରାମାନନ୍ଦଙ୍କ ରଚନା କି ନୁହେଁ ସେ ସମ୍ପର୍କରେ ସନ୍ଦେହ ଜାତ ହୁଏ । କିନ୍ତୁ ତାଙ୍କରି ନାମାଙ୍କିତ ପଦଗୁଡ଼ିକ ଯେ ତାଙ୍କର ରଚନା ନୁହେଁ ଏହା ମଧ୍ୟ କହିବା ପାଇଁ ମୋର ଯୋଗ୍ୟତା ନାହିଁ । ବଙ୍ଗଳା ଏହିସବୁ କବିମାନଙ୍କର ମାତୃଭାଷା ନଥିଲା, ଏପରିକି ବଙ୍ଗଳା ଭାଷାରେ କାବ୍ୟ ରଚନାର ଅନୁଶୀଳନ ମଧ୍ୟ ସେମାନେ ଦୀର୍ଘଦିନ ଧରି କରି ନାହାନ୍ତି । ଅଥଚ କୌଣସି ଏକ ବିଶେଷ ମନୋଭାବ ସେମାନଙ୍କୁ ବଙ୍ଗୀୟ ଭାଷାରେ କାବ୍ୟ ରଚନା କରିବା ପାଇଁ ଅନୁପ୍ରାଣିତ କରିଥିଲା । ଏହିସବୁ କବିଙ୍କର ବଙ୍ଗଳା ରଚନାରେ ବଙ୍ଗୀୟ କବିମାନଙ୍କ ପରି ସମାନ କୁଶଳତା ପ୍ରତ୍ୟାଶା କରିବା ବାତୁଳତା । ଅନ୍ୟ ପକ୍ଷରେ ପରମ ଶ୍ରଦ୍ଧା ସହିତ ସ୍ମରଣ କରାଯାଇ ପାରେ ଯେ ଉତ୍କଳୀୟ କବିମାନେ ସେମାନଙ୍କର ବହୁ ଶାଖା ପ୍ରଶାଖାରେ, ବିସ୍ତୃତ ଓଡ଼ିଆ ସାହିତ୍ୟର ପ୍ରାୟ ସମାନ୍ତରାଳ ଏକ ବଙ୍ଗୀୟ ସାହିତ୍ୟ ଧାରାର ସୃଜନା କରିଥିଲେ । ମୋଦ୍ୱାରା ଏହି ସଂକ୍ଷିପ୍ତ କେତୋଟି ବର୍ଷ ମଧ୍ୟରେ ଯେତିକି ଦେଖିବା ସମ୍ଭବ ହୋଇଛି ସେଥିରେ ନିଃସନ୍ଦେହରେ କହିପାରେ ଯେ ଉତ୍କଳୀୟ କବିମାନଙ୍କର ଏହି ବଙ୍ଗୀୟ ସାହିତ୍ୟ ଧାରାଟି ମଧ୍ୟ ଯଥେଷ୍ଟ ପରିପୁଷ୍ଟ ଏବଂ କାବ୍ୟ ଗୁଣାନ୍ୱିତ । ମଧ୍ୟଯୁଗୀୟ ବଙ୍ଗ ସାହିତ୍ୟର କୌଣସି ଆଲୋଚନା ଆଜି ଆଉ ବିଚ୍ଛିନ୍ନଭାବେ କରିବା ସମ୍ଭବ ନୁହେଁ । ସେହିସବୁ ଆଲୋଚନାରେ ଏତେଦିନ ଯେପରି ରୋସାଂ ରାଜଦରବାରରେ ବଙ୍ଗଳା ରଚନାର ଉଲ୍ଲେଖ ରହି ଆସିଛି, ବର୍ତ୍ତମାନ ସେହିପରି ଓଡ଼ିଶାର କବି ମାନଙ୍କର ରଚନାଗୁଡ଼ିକୁ ଉଲ୍ଲେଖ କରିବାକୁ ପଡ଼ିବ । ଏହି ତ୍ରିବିଧ ରଚନାଗୁଡ଼ିକୁ ଏକତ୍ରିତ ଭାବରେ ଗ୍ରହଣ କରି ଆଜି ବଙ୍ଗଳା ସାହିତ୍ୟର ମଧ୍ୟଯୁଗକୁ ବିଚାର କରିବାକୁ ପଡ଼ିବ । ବଙ୍ଗଳାରେ ରଚିତ ମଙ୍ଗଳ କାବ୍ୟ, କୃଷ୍ଣଲୀଳା ବିଷୟକ କାବ୍ୟ, ଚୈତନ୍ୟ ଚରିତ ଏବଂ ବୈଷ୍ଣବ ପଦାବଳୀ ନେଇ ଆଲୋଚନା କରିବାକୁ ହେଲେ ଆଜି ଓଡ଼ିଆ କବିମାନଙ୍କର ବଙ୍ଗଳା ଭାଷାରେ ରଚିତ ଏହି ଶ୍ରେଣୀର କାବ୍ୟ କବିତା ନେଇ ଆଲୋଚନା ବାଧ୍ୟତାମୂଳକ । ଆନନ୍ଦର କଥା ମୋର ଏହି ଅଭିମତ କଲିକତା ବିଶ୍ୱବିଦ୍ୟାଳୟଙ୍କ ବିଚାରରେ ସମର୍ଥିତ ହୋଇଛି । ସେମାନେ ମୋର ସମ୍ପାଦିତ ଦ୍ୱାରିକା ଦାସଙ୍କର ‘ମନସା ମଙ୍ଗଳ’ ଏବଂ ରଘୁନାଥ ଦାସଙ୍କର ‘ଭୁବନ ମଙ୍ଗଳ’ ପ୍ରକାଶ କରିଛନ୍ତି ଏବଂ ଓଡ଼ିଆ କବିମାନଙ୍କର ବଙ୍ଗଳା ରଚନା ନେଇ ସାମଗ୍ରୀକ କାର୍ଯ୍ୟଟି ପାଇଁ ୧୯୮୬ ମସିହାର ସରୋଜିନୀ ବସୁ ପଦକ ପ୍ରଦାନ କରି ସମ୍ମାନ ଜଣାଇଛନ୍ତି ।

ରାୟ ରାମାନନ୍ଦଙ୍କ ରଚିତ କାବ୍ୟ କବିତାଗୁଡ଼ିକ ‘ବ୍ରଜବୁଲି ଗୀତ’ ଏବଂ ‘କୃଷ୍ଣଲୀଳା’ ନାମକ ଏହି ଦୁଇ ପୋଥିରେ ଅଛି । ଏହି ଦୁଇଟି ପୋଥିରେ କୃଷ୍ଣଲୀଳା ବିଷୟକ ରଚନା ଅଛି, କିନ୍ତୁ ‘କୃଷ୍ଣଲୀଳା, ନାମକ ପୋଥିରେ ‘ରାଧାଜନ୍ମ’ ଏବଂ ‘ଗୌରଜନ୍ମ’ ଶୀର୍ଷକ ଦୁଇଗୋଟି ଅତିରିକ୍ତ ରଚନା ଅଛି । ଏହି ଦୁଇଗୋଟିର ରଚନା ଶୈଳୀ ଅତି ଦୁର୍ବଳ । ‘ରାଧାଜନ୍ମ’ କାବ୍ୟର ସୂତ୍ରପାତ ଏହିଭାବେ ହୋଇଅଛି-

 

ଏକ ଦିନ ବୃଷଭାନୁ ପାରଧିତେ ଗେଲ ।

ଭ୍ରମିତେ ଭ୍ରମିତେ ଯମୁନା କୂଲେତେ ମିଲିଲ ।।

ଯମୁନା ସୋହତି ବହେ ଅତ୍ୟନ୍ତ ପ୍ରଖରେ ।

ଏକ ପଦ୍ମ ଭାସିଯାଏ ତେଜ ଦିବାକରେ ।।

 

ଗୌରଜନ୍ମର ବର୍ଣ୍ଣନା ଏହିଭାବେ ଆରମ୍ଭ ହୋଇଅଛି-

 

ନିତ୍ୟସ୍ଥଲ ତେଜି ପ୍ରଭୁ ନିତ୍ୟ ରାସ ସ୍ଥାନେ ।

ଶଚୀର ଉଦରେ ବାସ ଗୌରାଙ୍ଗ ଚରଣେ ।।

ସବ ଭକ୍ତଗନ ନଦୀୟାତେ ଜନମିଲ ।

ଶଚୀର ଉଦର ତବେ ଶୋଭା ଯେ ପାଇଲ ।।

 

‘କୃଷ୍ଣଲୀଲା’, ଏହି ନାମ ପୋଥି ବିଭାଗଦ୍ୱାରା ଦିଆଯାଇଛି ଏବଂ ମୁଁ ମଧ୍ୟ ଏହା ଗ୍ରହଣ କରିଛି । ଏହି ପୋଥିଟି ‘ଦଣ୍ଡବେଲା’ ଓ ‘ଲଲିତା କୁଞ୍ଜେ ମିଲନ’ ନାମକ ଦୁଇଟି ଭାଗରେ ବିଭକ୍ତ । ପ୍ରଥମଟିରେ ବତିଶଟି ଦଣ୍ଡପାଇଁ ବତିଶଟି ପଦ ଏବଂ ଦ୍ୱିତୀୟଟିରେ ଆଠଗୋଟି ପଦ ଅର୍ଥାତ୍‌ ସର୍ବମୋଟ ଚାଳିଶ ଗୋଟି ପଦ ଲିପିବଦ୍ଧ ଅଛି ।

 

‘ଦଣ୍ଡବେଲା’ ଭାଗର ଗୋଟିଏ ପଦାଂଶ ଏହି ପ୍ରକାର-

 

ତରଲ ମୁରଲୀ ଶ୍ୟାମ ନିଜ କରେ ଧରି ।

ରାଧେ ରାଧେ ରାଧେ ବୋଲି ଡାକେ ଉଚ କରି ।।

ସେ ଧୁନି ସୁନିଲ ତବେ ସୁନ୍ଦରୀ ରାଧିକା ।

ବିଶାଖାକେ ବଲେ ଚଲ ଯାବ ଅଟ୍ଟାଲିକା ।।

 

ଅଟ୍ଟାଲିକା ପରେ ରାଇ ନିହାରେ ନୟାନେ ।

କୁମୁନ୍ଦ ପାଇଲ ଯେନ ଚାନ୍ଦେର ଦର୍ଶନେ ।।

ରାୟ ରାମାନନ୍ଦ ବଲେ ମନେତେ ଭାବିୟା ।

ଚରଣେ ରାଖିଅ ରାଧା ଦେୟ ପଦଛାୟା ।।

 

ଜଗନ୍ନାଥ ଦାସ ଭଣିତାରେ ‘ଗଙ୍ଗା ମାହାତ୍ମ’ ଏବଂ ‘ଗଙ୍ଗା ମଙ୍ଗଲ’ ଦୁଇଗୋଟି ପୋଥି ପୋଥିଶାଳାରେ ଅଛି । ଉପରୋକ୍ତ ପୋଥି ଦୁଇଟିର ବିଷୟବସ୍ତୁକୁ ମିଳାଇ ମୁଁ ଯେଉଁ ପୋଥିଟିର ସମ୍ପାଦନା କରିଛି ତାହାର ନାମ ‘ଗଙ୍ଗାମଙ୍ଗଲ’ ହିଁ ରଖିଛି । ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆଣିବାର କାହାଣୀ ବାଲ୍ମୀକି ରାମାୟଣରେ ଯେଉଁଭାବେ ବର୍ଣ୍ଣିତ ହୋଇଅଛି ନାନା ପୁରାଣ ଓ ଉପପୁରାଣରେ ମଧ୍ୟ ସେହିପରି ବର୍ଣ୍ଣିତ ହୋଇଅଛି । ସାରଳା ଦାସଙ୍କ ମହାଭାରତରେ ମଧ୍ୟ ଏହି କାହାଣୀ ଅଛି । ଯେତେଦୂର ମନେହୁଏ ଜଗନ୍ନାଥ ଦାସ ମଧ୍ୟ ସାରଳା ଦାସଙ୍କୁ ଅନୁସରଣ କରିଛନ୍ତି, ତେବେ କେତେଗୁଡ଼ିଏ ବିଶେଷ କ୍ଷେତ୍ରରେ ପରିବର୍ତ୍ତନ କରିଛନ୍ତି । ଉଦାହରଣ ସ୍ୱରୂପ ସାରଳା ଦାସ ଲେଖିଛନ୍ତି ଯେ ଗଙ୍ଗା ମର୍ତ୍ତ୍ୟକୁ ଅବତରଣ କରିଲା ବେଳେ ଅସ୍କନ୍ଦ ନାମକ ଗୋଟିଏ ଗ୍ରାମରେ-ଏକ ଶୁଣ୍ଢି ନୀର ସୁରା ଭାଣ୍ଡରେ ପ୍ରବେଶ କରି ଆତ୍ମଗୋପନ କରିଥିଲେ । ଏହିଯୋଗୁଁ ଗଙ୍ଗା ‘ସୁରାସୁରି’ ନାମ ଧାରଣ କରନ୍ତି । କିନ୍ତୁ ଜଗନ୍ନାଥ ଦାସ ଗଙ୍ଗାକୁ ସୁରାଭାଣ୍ଡ ମଧ୍ୟକୁ ନ ନେଇ ଆଲିଶା ନାମକ ଏକ ଗଉଡ଼ୁଣୀର କ୍ଷୀର ଭାଣ୍ଡ ମଧ୍ୟକୁ ନେଇଛନ୍ତି । ବହୁ ସାଧ୍ୟ ସାଧନା ପରେ ଗଙ୍ଗା ସେଠାରୁ ‘ମାହେନ୍ଦ୍ରୀ’ ଏବଂ ‘ସୁରଭୀ’ ନାମରେ ବହିର୍ଗତ ହୋଇଛନ୍ତି । ଜଗନ୍ନାଥ ଦାସ ଏହିପରି କେତେକ ବିଶେଷ ଧରଣର ପରିବର୍ତ୍ତନ କରିଛନ୍ତି, ଯାହା ସାଧାରଣ ଭାବେ ଉଲ୍ଲେଖଯୋଗ୍ୟ ନ ହେଲେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିକୋଣରୁ ଏହା ଏକ ବିଶେଷ ଧରଣର ଆଧ୍ୟାତ୍ମିକ ମାନସିକତାର ପରିଚାୟକ ଅଟେ । ତେଣୁ ଜଗନ୍ନାଥ ଦାସଙ୍କୁ ଷୋଡ଼ଶ ଶତାବ୍ଦୀର ମହାଭାଗବତ, ପଞ୍ଚସଖାଙ୍କର ଅନ୍ୟତମ ଏବଂ ଶ୍ରୀଚୈତନ୍ୟଙ୍କର ପାର୍ଷଦ ଭାବେ ଚିହ୍ନିତ କରାଯାଇଛି ।

 

ଜଗନ୍ନାଥ ଦାସ ଗଙ୍ଗାଙ୍କ ରୂପ ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି-

 

ମାଥାୟ ସିନ୍ଦୂର ସାଜେ ଆର ସାଜେ ବେନୀ ।

ଉପମା କି ଦିବତାରେ ଖଞ୍ଜନୀ ନୟନୀ ।।

ନାସାତେ ବେସର ଦୁଲେ ହୀରା ନୀଲା ଫୁଲ ।

ଚନ୍ଦ୍ରମା ଜିନିଆ ମୁଖ କରେ ଢଲମଲ ।।

 

ଗଲେ ଗଜମୋତି ହାର ବିଚିତ୍ର କାଞ୍ଚଲି ।

ମେଘେ ଯେନେ ସାଜିଆଛେ ଏ ନବ ବିଜୁଲି ।।

ଧବଲ ବସନ ଗାୟରୂପେ ମନୋହାରୀ ।

କତ ଶତ ଲାଗିଆଛେ ମୁକୁତାର ଝାରି ।।

 

ଆଉ ଜଣେ ଜଗନ୍ନାଥଙ୍କର ରଚିତ ‘ନାରଦ ଗୀତା’ ଏବଂ ‘ଏକାଦଶୀ ମାହାତ୍ମ୍ୟ’ ନାମକ ଦୁଇଟି ବଙ୍ଗଳା ରଚନା ପାଇଛି । କିନ୍ତୁ କବି ସର୍ବତ୍ର ତାଙ୍କର କୌଳିକ ଉପାଧି ‘ମିଶ୍ର’ ବ୍ୟବହାର କରିଛନ୍ତି । ଉପରୋକ୍ତ ରଚନା ଦୁଇଟି ଯଥେଷ୍ଟ ଦୁର୍ବଳ; ଏବଂ ଏହି ଜଗନ୍ନାଥଙ୍କର ଭାଷାଭଙ୍ଗୀ ଏବଂ ବକ୍ତବ୍ୟ ଦ୍ୱୟକୁ ମିଳାଇ ଦେଖିଲେ ଏହାଙ୍କୁ ସହଜରେ ଅଷ୍ଟାଦଶ ଶତାବ୍ଦୀର କବି ବୋଲି ଚିହ୍ନିତ କରିହୁଏ । କିନ୍ତୁ ଅପର ପକ୍ଷରେ ଗଙ୍ଗା ମଙ୍ଗଳର କବି ନିଜକୁ ଦାସ ଉପାଧିଯୁକ୍ତ ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କର ରଚନାଗୁଡ଼ିକ ସଂଯତ ଏବଂ ଯଥେଷ୍ଟ ପରିମାଣରେ ଆଧ୍ୟାତ୍ମିକ ଭାବ ସମନ୍ୱିତ ।

 

ଯଦି ଷୋଡ଼ଶ ଶତାବ୍ଦୀକୁ ଉତ୍କଳୀୟ କବିମାନଙ୍କର ବଙ୍ଗଳା କାବ୍ୟ ରଚନାଧାରାର ଆଦିପର୍ବ କୁହାଯାଏ, ତା’ହେଲେ ସପ୍ତଦଶ ଶତାବ୍ଦୀକୁ ଏହାର ମଧ୍ୟପର୍ବ ବା ବିସ୍ତୃତିର ଯୁଗ ବୋଲି କହିବାକୁ ହେବ । ଏହି ଶତାବ୍ଦୀରେ ବହୁ କବି ଭକ୍ତ ବିଶିଷ୍ଟ ଧାରା ପ୍ରତି ଆକୃଷ୍ଟ ହୁଅନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏମାନଙ୍କର ବଙ୍ଗଭାଷାର ଜ୍ଞାନ ଯଥେଷ୍ଟ ଗଭୀର ଥିଲା କିନ୍ତୁ ସମଗ୍ର କାବ୍ୟକୁ ବଙ୍ଗ ଲିପିରେ ରଚନା କରିବାପାଇଁ ଉପଯୁକ୍ତ ଲିପି ଦକ୍ଷତା ଏମାନଙ୍କର ନଥିଲା । ସେହି ପର୍ଯ୍ୟାୟରେ ଏହା ବ୍ୟତୀତ ଓଡ଼ିଶାର ପାଠକମାନଙ୍କର ରସ ଉପଭୋଗ ନିମନ୍ତେ ଯେଉଁସବୁ କାବ୍ୟ ରଚିତ ହୋଇଅଛି ସେଗୁଡ଼ିକର ଲିପିରୂପ ଓଡ଼ିଆ ହେବା ହିଁ ଯୁକ୍ତିଯୁକ୍ତ । ତେଣୁ ଏହି ଶ୍ରେଣୀର ସମସ୍ତ କବି ସେମାନଙ୍କର ରଚିତ ବଙ୍ଗଳା କାବ୍ୟରେ ଓଡ଼ିଆ ଲିପି ବ୍ୟବହାର କରିଛନ୍ତି ।

 

ଓଡ଼ିଆ ସାହିତ୍ୟରେ ସପ୍ତଦଶ ଶତାବ୍ଦୀର କବି ସାଧକ ଦ୍ୱାରିକା ଦାସ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଛନ୍ତି । କବିଙ୍କର ‘ମନସା ମଙ୍ଗଳ’ କାବ୍ୟରେ ଏପରି କିଛି କିଛି ବିବୃତି ଅଛି ଯେଉଁଥିରୁ ସ୍ପଷ୍ଟ ବୁଝାଯାଏ ଯେ ସେ ଯେତେବେଳେ ମେଦିନୀପୁର ଜିଲ୍ଲାର ନନ୍ଦୀ ଗ୍ରାମ ଅଞ୍ଚଳକୁ ଯାଇଥିଲେ ସେତେବେଳେ ସେଠାରେ ତାଙ୍କର ପୂର୍ବବର୍ତ୍ତୀ କବି କେତକା ଦାସଙ୍କର ‘ମନସା ମଙ୍ଗଳ’ ଗୀତ ହେଉଥିବା ଶୁଣି ଏକ କାବ୍ୟ ରଚନାର ପ୍ରେରଣା ପାଇଥିଲେ । ଏହି କବି ଗୃହୀ ହୋଇଥିଲେ ମଧ୍ୟ ଜଣେ ପରମ ଧାର୍ମିକ ଏବଂ ହିନ୍ଦୁ ଶାସ୍ତ୍ରରେ ସୁପଣ୍ଡିତ ଥିଲେ, ଏହା ତାଙ୍କର ଓଡ଼ିଆରେ ରଚିତ ‘ପରଚେ ଗୀତା’ ‘ପ୍ରେମରସ ଚନ୍ଦ୍ରିକା’, ‘ବ୍ରହ୍ମଜ୍ଞାନ ପଟଳ ମାଳିକା’ ପ୍ରଭୃତି ରଚନା ମଧ୍ୟରେ ସୁସ୍ପଷ୍ଟ ।

 

ଦ୍ୱାରିକା ଦାସଙ୍କର ‘ମନସା ମଙ୍ଗଳ କାବ୍ୟଟି ବଙ୍ଗଳା’ ମଙ୍ଗଳ କାବ୍ୟ ଧାରାରେ ଗୋଟିଏ ବିଶିଷ୍ଟ ସଂଯୋଜନ ଅଟେ । ଏହାକୁ ବିଶିଷ୍ଟ ଆଖ୍ୟା ଦେବାର ପ୍ରଧାନ କାରଣ ହେଲା ବଙ୍ଗଳା କବିମାନଙ୍କଦ୍ୱାରା ରଚିତ ମନସା ମଙ୍ଗଳ କାବ୍ୟଗୁଡ଼ିକରେ ସ୍ଥୂଳତା ଲକ୍ଷ୍ୟ କରାଯାଏ । ଦ୍ୱାରିକା ଦାସଙ୍କ କାବ୍ୟରେ ତାହା ଅନୁପସ୍ଥିତ । ଏପରିକି ପୂର୍ବବଙ୍ଗୀୟ ନାଉରୀମାନଙ୍କ ସମ୍ପର୍କରେ କେତକା ଦାସ ଯେ ସମସ୍ତ ଶ୍ଳେଷୋକ୍ତି ବ୍ୟବହାର କରିଛନ୍ତି ଦ୍ୱାରିକା ଦାସ ତାହା କରି ନାହାନ୍ତି । ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ଗ୍ରନ୍ଥରେ ଏ ସମ୍ପର୍କରେ ବିଷଦ ଆଲୋଚନା କରାଯାଇଛି ।

 

ଧନଞ୍ଜୟଙ୍କ ରଚିତ କାବ୍ୟ ‘ଦ୍ୱାରିକା ପାଲା’ ମୂଳତଃ ପୂର୍ବବର୍ତ୍ତୀ କବି ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’ ଅବଲମ୍ବନରେ ରଚିତ ହୋଇଥିଲେ ମଧ୍ୟ କବି ବ୍ରତକଥା ରଚନା ନକରି ଗୋଟିଏ କାବ୍ୟ ସୃଷ୍ଟି କରିଛନ୍ତି । ତେଣୁ ଦ୍ୱାରିକା ପାଲାର ଲକ୍ଷ୍ମୀ ବଳରାମ ଦାସଙ୍କ ଲକ୍ଷ୍ମୀ ନହୋଇ ହୋଇଛନ୍ତି ଜଗନ୍ନାଥ ଗୃହିଣୀ ଏବଂ ମୂଳ କାହାଣୀରେ ଏକ ବିଶିଷ୍ଟ ଚରିତ୍ର ହୋଇ ରହିଛନ୍ତି । କାହାଣୀଟି କୌତୁକ ରସରେ ପରିପୂର୍ଣ୍ଣ । ଲକ୍ଷ୍ମୀଙ୍କୁ ଏକ ନୀଚ ଜାତିର ନାରୀ ଗୃହରେ ଦେଖି ରେବତୀଙ୍କ ପ୍ରରୋଚନା ଏବଂ ବଳରାମଙ୍କ ନିର୍ଦ୍ଦେଶରେ ଜଗନ୍ନାଥ ତାଙ୍କୁ ମନ୍ଦିରରୁ ବାହାର କରି ଦେଇଛନ୍ତି । ଏହା ଫଳରେ ଜଗନ୍ନାଥ ଓ ବଳରାମ ବିପନ୍ନ ହୋଇଛନ୍ତି ଏବଂ ଭିକ୍ଷା କରିବାକୁ ଯାଇ ଶେଷରେ ଲକ୍ଷ୍ମୀଙ୍କ ସଙ୍ଗେ ମିଳିତ ହୋଇଛନ୍ତି । ଦେବଚରିତ୍ର ଗୁଡ଼ିକରେ ମାନବତା ଆରୋପ କରି ସେମାନଙ୍କୁ ଅତ୍ୟନ୍ତ ବାସ୍ତବ କରି ତୋଳିବାରେ ଯେଉଁ ପ୍ରଚେଷ୍ଟା ଧନଞ୍ଜୟ କରିଛନ୍ତି ତାହା ପ୍ରଶଂସନୀୟ ।

 

କବିଙ୍କ କାବ୍ୟରେ ରେବତୀ ଯେତେବେଳେ ଲକ୍ଷ୍ମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି, ସେତେବେଳେ ସେ କହୁଛନ୍ତି-

 

ତୋମାର ନାରୀର କଥା ଆମି ଭାଲ ଜାନି ।

ଶୁନହେ ସକଲ କଥା ଦେବ ଚକ୍ରପାନି ।।

ନିତି ନିତି ଯାଏ ମାୟା ଶୈଣ୍ଡିକେର ବାଡ଼ୀ ।

ଦୁୟାରେ ବସିୟା ତାର ଖାୟେ ଚିଡ଼ା ମୁଢ଼ି ।

 

ଆର କିଛୁ କଥା ତୁମି ଶୁନ ଦେବରାୟ ।

ଛ ମାନ ଚାଉଲେର ଭାତ ଏକ ଗ୍ରାସେ ଖାୟେ ।।

ଯେ ଦିନ ରସୁଇ ସାଲେ କରୟେ ରନ୍ଧନ ।

ଆପନି ରାନ୍ଧିୟା ଆଗେ କରୟେ ଭୋଜନ ।।

 

ଏପରି ଚରିତ୍ରର ନାରୀକୁ ଗୃହରେ ରଖିବା ଅସଙ୍ଗତ ବିଚାରରେ ଲକ୍ଷ୍ମୀ ବିତାଡ଼ିତ ହୋଇଥିଲେ | ସିଏ ଚାଲିଯିବା ଆଗରୁ କହିଥିଲେ ଯେ କାହାକୁ ଚଣ୍ଡାଳୁଣୀ ବୋଲି ବିତାଡ଼ିତ କରାଯାଉଛି ଦିନେ ସେହି ଚଣ୍ଡାଳୁଣୀ ହାତରେ ଖାଇ ତାକୁ ମନ୍ଦିରକୁ ଫେରାଇ ଆଣିବାକୁ ପଡ଼ିବ । ପ୍ରକୃତରେ ବଳରାମ ଓ ଜଗନ୍ନାଥଙ୍କୁ ତାହା ହିଁ କରିବାକୁ ପଡ଼ିଥିଲା ।

 

ଧନଞ୍ଜୟ ଭଣିତା ପ୍ରାପ୍ତ ଏହି କାବ୍ୟଟିର କବିଙ୍କୁ ମୁଁ ‘ମଦନ ମଞ୍ଜରି’, ‘ଇଚ୍ଛାବତୀ’, ‘ଅନଙ୍ଗ ରେଖା’ ପ୍ରଭୃତି ଓଡ଼ିଆ କାବ୍ୟର ପ୍ରଣେତା କବି ନୀଳକଣ୍ଠଙ୍କ ପିତା ତଥା କବିସମ୍ରାଟ ଉପେନ୍ଦ୍ରଙ୍କ ପିତାମହ ଧନଞ୍ଜୟ ଭଞ୍ଜ ବୋଲି ଚିହ୍ନିତ କରିଛି । ଏହି ସିଦ୍ଧାନ୍ତର ସମର୍ଥନରେ, କବିଙ୍କ କାବ୍ୟରୁ ଦୁଇଟି ପଦ ଉଦ୍ଧାର କରୁଛି-

 

ସଭାକାର ଘରେ ଲକ୍ଷ୍ମୀ ଥାକ ନିରନ୍ତର ।

ରାଜନ୍ୟକେ କର ଦୟା ମାତା ଦଣ୍ଡେଶ୍ୱର ।।

 

ଅନ୍ୟ କୌଣସି ଧନଞ୍ଜୟ ନିଜକୁ ‘ରାଜନ୍ୟ’ ବିଶେଷଣରେ ଚିହ୍ନିତ କରି ନିଶ୍ଚୟ ଲକ୍ଷ୍ମୀଙ୍କ କୃପା ପ୍ରାର୍ଥନା କରିବେ ନାହିଁ ।

 

କବି କର୍ଣ୍ଣଙ୍କର, ‘ଷୋଳପାଲା’ ଓଡ଼ିଶାରେ ଅତ୍ୟନ୍ତ ପରିଚିତ ଏବଂ ତାଙ୍କର ରଚନାର ବିଷୟ ସମ୍ପର୍କରେ ଅଳ୍ପ ବହୁତ ଧାରଣା ଓଡ଼ିଶାର ସମସ୍ତ ଶିକ୍ଷିତ ସମାଜର ଅଛି । ଏହି ଷୋଳପାଲା ଜନପ୍ରିୟତାର ଶୀର୍ଷଦେଶକୁ ଆସି ପ୍ରାୟ ପଞ୍ଚତିରିଶ ଗୋଟି ପାଲାରେ ପରିଣତ ହୋଇଅଛି । ମୂଳ ବଙ୍ଗଳା ରଚନା ଓଡ଼ିଆ ମିଶ୍ରିତ ବଙ୍ଗଳାରେ ଏବଂ ଅବଶେଷରେ ପରିଚ୍ଛନ୍ନ ଓଡ଼ିଆ ଭାଷାରେ ପରିଣତ ହୋଇଅଛି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ କେବଳ କବି କର୍ଣ୍ଣଙ୍କର ତିନିଶତ ଗୋଟି ପୋଥି ଅଛି । ପୋଥିଗୁଡ଼ିକ ତାଳପତ୍ର ଉପରେ ଓଡ଼ିଆ ଲିପିରେ ଲିଖିତ । ମୁଁ ସାହିତ୍ୟ ପରିଷଦର ମେଦିନୀପୁର ଶାଖାରୁ ‘ମଦନ ସୁନ୍ଦର ପାଲା’ ଏବଂ କଲିକତା ବିଶ୍ୱବିଦ୍ୟାଳୟର ଏକ ନାମହୀନ ପାଲାରୁ କବି କର୍ଣ୍ଣଙ୍କର ଭିଣିତାଯୁକ୍ତ ଗୋଟିଏ ପୋଥିର କିଛି ପୃଷ୍ଠାର ଅନୁଲିପି ପାଇଛି । ଏଗୁଡ଼ିକ ଖଣ୍ଡିତ କାଗଜର ପୋଥି କିନ୍ତୁ ବଙ୍ଗଳା ଲିପିର ଲେଖା । ମୁଁ କିଛିଦିନ ହେଲା ଢାକା ବିଶ୍ୱବିଦ୍ୟାଳୟ ଠାରୁ କବି କର୍ଣ୍ଣଙ୍କର ‘ଅକ୍ଷୋଟୀ ପାଲା’ର ପ୍ରତିଲିପି ସଂଗ୍ରହ କରିଛି । ଏହା ଏକ ସମ୍ପୂର୍ଣ୍ଣ ପୋଥି ଏବଂ ଏଥିରୁ କବି କର୍ଣ୍ଣଙ୍କ ପରିଚୟ ସମ୍ପର୍କରେ କେତେକ ନୂତନ ତଥ୍ୟର ସନ୍ଧାନ ପାଇଛି । ବର୍ତ୍ତମାନ ସେହି ତଥ୍ୟଗୁଡ଼ିକୁ ପୋଥିର ଉଲ୍ଲିଖିତ ସ୍ଥାନ ସହିତ ମିଳାଇ ଦେଖିବାର ଚେଷ୍ଟା ଅବ୍ୟାହତ ରହିଛି । ଯେତେବେଳଯାଏଁ ପ୍ରାପ୍ତ ତଥ୍ୟ ସପକ୍ଷରେ ଐତିହାସିକ ସମର୍ଥନ ନମିଳୁଛି ସେତେବେଳଯାଏଁ ସେଗୁଡ଼ିକୁ ପ୍ରକାଶ କରିବା ସଙ୍ଗତ ନୁହେଁ । ଏତଦ୍‌ବ୍ୟତୀତ କେନ୍ଦ୍ରୀୟ ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶ କ୍ରମେ ମୁଁ ବର୍ତ୍ତମାନ କବି କର୍ଣ୍ଣଙ୍କ ପାଲାଗୁଡ଼ିକର ସମ୍ପାଦନା କରୁଛି । ଆଶା କରେ ଯେ ଯଥାସମୟରେ ଏହି ବିଶିଷ୍ଟ କବି ଏବଂ ତାଙ୍କର କାବ୍ୟ ସମ୍ପର୍କରେ କିଛି ଅଜ୍ଞାତ ତଥ୍ୟ ପରିବେଷଣ ସମ୍ଭବ ହେବ ।

 

ଯେଉଁ ସବୁ କବିମାନଙ୍କର କାବ୍ୟ ମୋ ଦ୍ଵାରା ସମ୍ପାଦିତ ହୋଇଛି ସେଗୁଡ଼ିକର ସମ୍ୟକ୍ ଆଲୋଚନା ଏ ପ୍ରବନ୍ଧରେ କରିବା ସମ୍ଭବ ନୁହେଁ । ସେହି ଆଲୋଚନା କିଛି ପରିମାଣରେ ଦୁଇଟି ଗ୍ରନ୍ଥରେ (‘ମଧ୍ୟଯୁଗେର ବାଂଲା ସାହିତ୍ୟେ ନତୁନ ଦିଗନ୍ତ’ ଏବଂ Orissan Culture-An Unknown Profile’ ଦ୍ର.) ଏବଂ ବହୁ ପ୍ରବନ୍ଧରେ କରାଯାଇଛି । ବର୍ତ୍ତମାନ କବି ରଘୁନାଥ ଦାସଙ୍କର ‘ଭୁବନ ମଣ୍ଡଳ’ ସମ୍ପର୍କରେ କିଛି ତଥ୍ୟ ନିବେଦନ କରୁଛି ।

 

ରଘୁନାଥ ଦାସ ମୂଳତଃ ସଂସ୍କୃତ ଭାଷାର ଲେଖକ । ଓଡ଼ିଆ ଓ ସଂସ୍କୃତ ଭାଷାରେ ରଚିତ ଏହାଙ୍କର ପ୍ରାୟ ତିରିଶ ଗୋଟି ପୋଥି ରାଜ୍ୟ ପୋଥିଶାଳାରେ ସଂଗୃହୀତ ହୋଇଅଛି । ତାହା ସାଙ୍ଗରେ ଭୁବନ ମଙ୍ଗଳ ନାମରେ ବଙ୍ଗଭାଷାରେ ରଚିତ କାବ୍ୟଟି ମଧ୍ୟ ମିଳିଛି ।

 

ଭୁବନ ମଙ୍ଗଳ କାବ୍ୟଟି ଶ୍ରୀମଦ୍‌ଭାଗବତର ଦଶମ ସ୍କନ୍ଧରେ ଯେଉଁ କୃଷ୍ଣଲୀଳା ବର୍ଣ୍ଣିତ ଅଛି ତାହାକୁ ଆଶ୍ରୟ କରି ହିଁ ରଚିତ ହୋଇଅଛି । କାବ୍ୟଟି ରଚନା କରିବା ସମୟରେ କବି ଗ୍ରହଣ ବର୍ଜନର ଯେଉଁ ନୀତି ଅନୁସରଣ କରିଛନ୍ତି, ସେଥିରୁ ସ୍ପଷ୍ଟ ବୁଝାଯାଏ ଯେ କବି ଶ୍ରୀକୃଷ୍ଣଙ୍କର ମାଧୁର୍ଯ୍ୟମୟ ସତ୍ତାଟି ହିଁ ପ୍ରକଟ କରିବାକୁ ଚାହିଁଛନ୍ତି, ଐଶ୍ୱର୍ଯ୍ୟମୟ ସତ୍ତା ନୁହେଁ । ଏହି ବିଚାରରେ ଉକ୍ତ କୃଷ୍ଣକଥା ମୂଳକ ବଙ୍ଗଳା କାବ୍ୟଟି ଗୋଟିଏ ଅନୁପମ ରଚନା । ତାହା ଛଡ଼ା ଏହି କାବ୍ୟଟିର ଏକ ଐତିହାସିକ ମୂଲ୍ୟ ଅଛି । କବି ରଘୁନାଥ ପୁରୁଷାନୁକ୍ରମେ ପ୍ରାଚୀ ନଦୀର ଉତ୍ତର ତୀରବର୍ତ୍ତୀଗଡ଼ଗଡ଼ା ଗ୍ରାମର ଅଧିବାସୀ ଥିଲେ । ପୂର୍ବେ କୁହାଯାଇଛି ଯେ ସେ ସଂସ୍କୃତରେ ସୁପଣ୍ଡିତ ଥିଲେ । ଓଡ଼ିଆ ତାଙ୍କର ମାତୃଭାଷା ଥିଲା । ଏହି କବିଙ୍କର ବଙ୍ଗଳା ଭାଷାଜ୍ଞାନ ସେପରି ଭଲ ନଥିଲା, ତଥାପି ସେ ବଙ୍ଗଳା ଭାଷାରେ ଗୋଟିଏ କାବ୍ୟ ରଚନା କରି ଯାଇଛନ୍ତି । ସେ ନିଜେ ପଣ୍ଡିତ ଥିଲେ, ତେଣୁ ତାଙ୍କର ବଙ୍ଗଳା ଭାଷାଜ୍ଞାନ ଯେ ବଙ୍ଗଳା କାବ୍ୟ ରଚନା ପାଇଁ ଯଥେଷ୍ଟ ନୁହେଁ-ସେ ବିଷୟରେ ତାଙ୍କର ସ୍ପଷ୍ଟ ଧାରଣା ଥିଲା । ସେଥିପାଇଁ ସେ ବାରମ୍ବାର ଭଣିତା ମଧ୍ୟରେ ପାଠକବର୍ଗଙ୍କୁ ଭାଷାଜନିତ ଦୋଷ ନ ଧରିବାକୁ ଅନୁରୋଧ କରିଛନ୍ତି । ଗ୍ରନ୍ଥ ସମାପ୍ତି ସମୟରେ କବିଙ୍କ ଉକ୍ତିଟି ବିଶେଷ ଭାବରେ ଲକ୍ଷଣୀୟ । ସେ କହିଛନ୍ତି-

 

ଅବନୀ ଆନନ୍ଦ ହୈଲ ଦିଗ ପରିମଲ ।

ରଘୁନାଥ ଦାସ ଭନେ ଭୁବନ ମଙ୍ଗଲ ।।

ଓଡ଼୍ରଦେଶୀ ହୈୟା କୈଲ ବଙ୍ଗଲା ବର୍ଣ୍ଣନ ।

ନା ଲୈବେ ବଚନ ଦୋଷ ସବ ସାଧୁଜନ ।।

 

ଯଇସନେ ତୁଲସୀ ଗାନ୍ଥିୟା ନିଜ ପଟେ ।

ନା ଲୟେ ତା ଦୋଷ ଦେବେ ଭୁଷଣ ମୁକୁଟେ ।।

ତୈଛେ ବ୍ରଜଲୀଳା ଗାନ୍ଥି ଓଡ଼ିୟା ବଙ୍ଗାଲେ ।

ଏକତ୍ୱ କରିୟା ଏହୁ ଭୁବନ ମଙ୍ଗଲେ ।।

 

ଏହି ଭାବରେ ଉତ୍କଳ ଏବଂ ବଙ୍ଗଦେଶ ମଧ୍ୟରେ ଐକ୍ୟ ସ୍ଥାପନ କରିବା ନିମନ୍ତେ ଓଡ଼ିଶାର କବିଗଣ ବଙ୍ଗଳା କାବ୍ୟଧାରାର ଏକ ଐତିହ ପ୍ରାୟ ତିନିଶତ ବର୍ଷ ଧରି ଗଢ଼ି ତୋଳିଥିଲେ । ସେମାନେ ପ୍ରମାଣ କରିଥିଲେ ଯେ ମଣିଷ ବା ଗୋଷ୍ଠୀ ଭେଦରେ ବ୍ୟକ୍ତିଗତ ସ୍ଵାର୍ଥ କିମ୍ବା ସମଷ୍ଟିଗତ ସ୍ଵାର୍ଥ ସଙ୍ଘତିର ପରିପନ୍ଥୀ ହେଉଥିଲେ ମଧ୍ୟ, ଭାଷା ଏବଂ ସାହିତ୍ୟ ସବୁକାଳେ ଶ୍ରେଣୀ ନିର୍ବିଶେଷରେ ମନୁଷ୍ୟର ଉପଭୋଗର ବସ୍ତୁ ଅଟେ । ସେମାନେ ଏହା ମଧ୍ୟ ପ୍ରମାଣ କରିଥିଲେ ଯେ କୌଣସି ଏକ ଭାଷା ବ୍ୟବହାରର ଅଧିକାର ଭୌଗୋଳିକ ସୀମାରେ ଆବଦ୍ଧ କୌଣସି ଏକ ବିଶେଷ ସମ୍ପ୍ରଦାୟର ଏକଚାଟିଆ ଅଧିକାର ହୋଇ ପାରେନା; ଭାଷାର ଯଥାଯଥ ବ୍ୟବହାର ଯାହାଙ୍କର କ୍ଷମତାର ଅଧୀନ ସେ ସେହି ଭାଷା ବ୍ୟବହାର କରି ସାହିତ୍ୟକୁ ସମୃଦ୍ଧ କରିପାରନ୍ତି । ଓଡ଼ିଆ କବିମାନଙ୍କ ଦ୍ଵାରା ସୃଷ୍ଟ ବଙ୍ଗଳା କାବ୍ୟଗୁଡ଼ିକ ଏହି ଆଦର୍ଶର ସମୁଜ୍ଜ୍ୱଳ ନିଦର୍ଶନ ।

 

***

 

Unknown

ଆଧୁନିକ ଗଳ୍ପ-ଗତି ଓ ପ୍ରବୃତ୍ତି

ଶ୍ରୀ ଶରତ୍ ଚନ୍ଦ୍ର କର

 

ଓଡ଼ିଆ ଗଳ୍ପ ସାହିତ୍ୟ ଆଧୁନିକ କାଳର ସାମଗ୍ରୀ । ଫକୀର ମୋହନ ସେନାପତି ଏହାର ଜନ୍ମଦାତା । ରେବତୀ ଓଡ଼ିଆ ଭାଷାର ପ୍ରଥମ କ୍ଷୁଦ୍ରଗଳ୍ପ । ସମସାମୟିକ ସାହିତ୍ୟ-ପତ୍ର ଉତ୍କଳ ସାହିତ୍ୟ ପୃଷ୍ଠାରେ ଏହାର ପ୍ରକାଶ । ବିଂଶ ଶତାବ୍ଦୀର ଭାବ-ସମୃଦ୍ଧ କାଳ ପୃଷ୍ଠଭୂମିରେ ଏହାର ସଞ୍ଚାର । ଯୁଗ ଓ ଜୀବନର ସନ୍ଦେଶ ବହନ କରି ସେଗୁଡ଼ିକ ଜୀବନ୍ତ । ‘ରେବତୀ’ ଠାରୁ ଆରମ୍ଭ କରି ‘ମାଗୁଣିର ଶଗଡ଼’ ପର୍ଯ୍ୟନ୍ତ ଓଡ଼ିଆରେ ଅନେକ ଗଳ୍ପ ରଚନା କରାଯାଇଛି । ସାହିତ୍ୟର ଚିରନ୍ତନ ଆବେଦନ ଦୃଷ୍ଟିରୁ ସେଗୁଡ଼ିକ ନିତ୍ୟ ନୂତନ ଓ ଗର୍ବ-ଗୌରବ ବିଷୟ । ଏହି ଗଳ୍ପଗୁଡ଼ିକର କାଳଜୟୀ ସ୍ରଷ୍ଟା ଫକୀର ମୋହନ, ଲକ୍ଷ୍ମୀକାନ୍ତ, ଭଗବତୀ, ଗୋଦାବରୀଶ (ମହାପାତ୍ର), କାଳିନ୍ଦୀଚରଣ ଅମର ସ୍ମରଣୀୟ । କିନ୍ତୁ ଏହି ଆଲୋଚାରେ ସ୍ଵାଧୀନତା ପରବର୍ତ୍ତୀ କାଳରେ ରଚିତ ଓଡ଼ିଆ ଗଳ୍ପର ଗତି ଓ ପ୍ରବୃତ୍ତି ଉପରେ ଆଲୋକପାତ କରାଯାଇଛି ।

 

ସାହିତ୍ୟର ଅନ୍ୟାନ୍ୟ ବିଭାଗ ଅପେକ୍ଷା ଗଳ୍ପ ସାହିତ୍ୟ ଆଧୁନିକତାର ଅଧିକ ନିକଟବର୍ତ୍ତୀ-। ଆଧୁନିକ ସାହିତ୍ୟର ପ୍ରଧାନ ଅବଲମ୍ବନ ହେଉଛି ଜୀବନ-ଯୁଦ୍ଧ । ସାମ୍ପ୍ରତିକ ସାହିତ୍ୟ ଏହି ଯୁଦ୍ଧର ପ୍ରଲମ୍ବିତ ପରମ୍ପରାକୁ ଅଙ୍ଗୀକାର କରିଛି । ଏହି ଯୁଦ୍ଧ ସମାଜ ସହିତ ବ୍ୟକ୍ତିର, ବ୍ୟକ୍ତି ସହିତ ବ୍ୟକ୍ତିର-। ଏ ଯୁଦ୍ଧ ପ୍ରତିକୂଳ ପରିବେଶ ଓ ପରିସ୍ଥିତି ସହିତ । ସୁସ୍ଥତା ବିରୋଧୀ ଶକ୍ତି ସହିତ ଜୀବନ ଶକ୍ତିର-। ଏ ଯୁଦ୍ଧ ଅଭାବ-ଅନଟନ ସହିତ, ରୋଗ-ଶୋକ ସହିତ, ଅଜ୍ଞତା-ଅନ୍ଧବିଶ୍ଵାସ ସହିତ । ନିଜ ମଧ୍ୟରେ ଥିବା ପରସ୍ପର ପରିପନ୍ଥୀ ପ୍ରବୃତ୍ତିଗୁଡ଼ିକ ସହିତ ଅହରହ ଚାଲିଛି । ଜୀବନର ପ୍ରୟୋଜନ ବଢ଼ିବା ସଙ୍ଗେ ଜୀବନ ସ୍ପୃହା ବଢ଼ିଛି । ସମବେଦନାର ନୂତନପ୍ରସ୍ତ ଖୋଲି ଯାଇଛି । ଆଧୁନିକ ମାନବର ହୀନ-ହେୟ ଜୀବନାଚରଣ ସାହିତ୍ୟର ସାମଗ୍ରୀ ହୋଇଛି । ମନୁଷ୍ୟର ଅନନୁଭୂତ ମହତ୍ତ୍ୱ ଉପଲବ୍‌ଧିପାଇଁ ଆଗ୍ରହ ପ୍ରକାଶ ପାଇଛି । ଭଗ୍ନ କୋଣାର୍କର କାରୁକଳାରେ ଅତୀତର ରୂପଶ୍ରୀ ସନ୍ଧାନ ଆଧୁନିକ ଶିଳ୍ପୀର ଲକ୍ଷ୍ୟ ହୋଇ ରହିନାହିଁ । କୋଟି କୋଟି ଜନତାର ପ୍ରାଣ ପାତରେ ଜଣକର କୀର୍ତ୍ତିର ଜୟଗାନ କରିବା ଆଧୁନିକ ସାହିତ୍ୟର ଧର୍ମ ବା ପ୍ରବୃତ୍ତି ହୋଇ ନାହିଁ । ଅନ୍ୟ ପକ୍ଷରେ, ମୃତ, ହତ ସର୍ବସ୍ଵ, ଅସଫଳ କାମ, ନିଗୃହୀତ ଶ୍ରମିକର ଦୁଃଖ ଦୀର୍ଣ୍ଣ ଜୀବନଚର୍ଯ୍ୟା ପର୍ଯ୍ୟାଲୋଚନା କ୍ରମେ ମାନବିକ ସହାନୁଭୂତିର ଦ୍ଵାରୋଦ୍‌ଘାଟନ କରିବା ଆଧୁନିକ ଶିଳ୍ପ ଚେତନାର ବୈଶିଷ୍ଟ୍ୟ ହୋଇଛି । ଆଧୁନିକ ଓଡ଼ିଆ ଗଳ୍ପ ସାହିତ୍ୟ ଏହି ମୂଲ୍ୟବୋଧ ଦ୍ଵାରା ଅନୁପ୍ରାଣିତ ।

 

ଆଧୁନିକ ସାହିତ୍ୟ ଦୁଃଖର ସାହିତ୍ୟ-ବିଷାଦର, ଅପ୍ରାପ୍ତି ଓ ଜ୍ୱାଳାର ସାହିତ୍ୟ । ଅନ୍ତର୍ଜ୍ୱଳନର ତୀବ୍ର ତେଜରେ ଜଳି ଯାଉଥିବା, ପରିଶୁଷ୍କ ହୋଇ ଯାଉଥିବା ଯନ୍ତ୍ରଣାକ୍ରାନ୍ତ ମଣିଷର ଆକୁତି ଓ ପରିବେଦନାର ମର୍ମଲିପି । ରାଷ୍ଟ୍ର ନୁହେଁ, ସମାଜ ନୁହେଁ, ବ୍ୟକ୍ତି ମଣିଷଟିର ଜୀବନାଭୂତି ଆଜିର ସାହିତ୍ୟର ଧ୍ୟେୟ । ସାହିତ୍ୟ ଜୀବନର ଚିତ୍ର ଓ ଜୀବନ୍ତ ଚଳମାନ ସମାଜର ଆଲେଖ୍ୟ । ତେଣୁ ଏହା ବାସ୍ତବ ହେବାକୁ ବାଧ୍ୟ । ଏହିହେତୁ ସାହିତ୍ୟପାଇଁ କେଉଁଟି ହୀନ, ହେୟ, ଅପାଙ୍‌କ୍ତେୟ କିମ୍ବା ଉପେକ୍ଷଣୀୟ ନୁହେଁ । ବିଷାଦ ଆଧୁନିକ ସାହିତ୍ୟର ପ୍ରାଣବସ୍ତୁ । ଆଧୁନିକ ସାହିତ୍ୟିକ ଦୁଃଖଗୁରୁଙ୍କର ପଟ୍ଟଶିଷ୍ୟ । ଦୁଃଖ ଦତ୍ତ ଜ୍ଞାନ ପକ୍ଷରେ ଜଗତ୍ ଓ ଜୀବନକୁ ଦେଖିବାରେ ଅଭ୍ୟସ୍ତ । ଜୀବନ ସଂଗ୍ରାମରେ ବିଜେତାର ଆନନ୍ଦ ଶିଳ୍ପୀର କାମ୍ୟ ନୁହେଁ । ଏହି ଆନନ୍ଦ ପରାଜିତର ଦୁଃଖକୁ ଘନୀଭୂତ କରେ । ପରପୀଡ଼ନେଚ୍ଛୀ ଶିଳ୍ପୀ ସ୍ଵଭାବର ପ୍ରତିକୂଳ । ଜୀବନର ଦୁଃଖର ନଗ୍ନରୂପ, ରିକ୍ତତାର ବିଶ୍ୱମୂର୍ତ୍ତି, ଅବ୍ୟବସ୍ଥାର ଉଲ୍ଲାସ, ପାରମ୍ପରିକତାର ନିଗଡ଼ ବନ୍ଧନ, ସମାଜର ସର୍ବଗ୍ରାସୀ ବିଭତ୍ସତା, ମାନବ ମନର ଅନ୍ତଃପୁରର ରହସ୍ୟମୟତା ଶିଳ୍ପୀର ଅବଲମ୍ବନ । ଏହାର ଉତ୍ତରଣରେ ତା’ର ଶିଳ୍ପ-ଚେତନାର ସାର୍ଥକତା । ଓଡ଼ିଆ ଗଳ୍ପକଳା ଏହାର ପରପନ୍ଥୀ ନୁହେଁ ।

 

ଆଧୁନିକ ଓଡ଼ିଆ ଗଳ୍ପର ଶିଳ୍ପ-ଚେତନା ପ୍ରାକ୍ ସ୍ଵାଧୀନତା କାଳରେ ରଚିତ ଗଳ୍ପ ସାହିତ୍ୟର ଶିଳ୍ପ ଚେତନାରୁ ସମ୍ପୂର୍ଣ୍ଣ ମୁକ୍ତ ନୁହେଁ । ପ୍ରାକ୍ ସ୍ଵାଧୀନତା କାଳର ଓଡ଼ିଆ ଗଳ୍ପର ଦୁଇଟି ବଳିଷ୍ଠ ବିଭାବ (୧) ସବୁଜ ଚେତନା (୨) ପ୍ରଗତି ଚେତନା ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ଗଳ୍ପ-ସାହିତ୍ୟର ଭାବକୁ ପରିପୁଷ୍ଟ କରିଛି । ପ୍ରଥମ ଚେତନାଟି ଯୌବନ ଓ ସ୍ଫୁର୍ତ୍ତିର-ଚିରାୟତ୍ତ ମାନବ କଳ୍ପନାର ରସରେ ଜୀବନ୍ତ ଓ ସମ୍ଭାବନାମୟ । ଏହି ପ୍ରେରଣାର ମୂଳ ଉତ୍ସ ରବୀନ୍ଦ୍ରନାଥଙ୍କ ପ୍ରେମମୂଳକ ଜୀବନାଦର୍ଶ, ଯାହା ମାନବିକ ଚେତନାର ପୃଷ୍ଠଭୂମିରେ ଅସୀମ ପ୍ରୀତିକୁ ସାଂସାରିକ ପ୍ରେମୋଚ୍ଛ୍ୱାସର ଊର୍ଦ୍ଧ୍ୱରେ ସ୍ଥାପନ କରି ତା’ର ପ୍ରତୀକୀ ସାର୍ଥକତା ବାଞ୍ଛା କରିଛି । ମାନବ ପ୍ରୀତି ଓ ପାର୍ଥିବ ଜୀବପ୍ରତି ମୋହମୁଗ୍‌ଧ ଆକର୍ଷଣ ଏହି ପ୍ରଭାବର ଫଳ । ପ୍ରଗତି ଚେତନା ଉତ୍ସାରିତ ହୋଇଛି ୧୯୧୭ ମସିହାରେ ବିଜୟଶ୍ରୀ ମଣ୍ଡିତ ହୋଇଥିବା ଋଷୀୟ ସାମ୍ୟବାଦୀ ବିପ୍ଳବରୁ । ମାନବ ଇତିହାସରେ ଏହାଠାରୁ ବଳି ମହତ୍ତ୍ୱପୂର୍ଣ୍ଣ ଘଟଣା ଥିବା ପରି ମନେ ହୁଏନାହିଁ । ଅତ୍ୟାଚାରୀ ଜାର୍‌ଙ୍କ ଶାସନର ଧ୍ଵଂସସ୍ତୂପ ଉପରେ ଲେନିନ୍‌ଙ୍କ ସମାଜବାଦର ପ୍ରତିଷ୍ଠା ବିଶ୍ଵରେ ମାନବିକବାଦର ପ୍ରଶସ୍ତ ମାର୍ଗ ଉନ୍ମୋଚନ କରିଛି । ସର୍ବହରାର ସ୍ଵାର୍ଥ ସିଦ୍ଧିପାଇଁ ଅନ୍ତଃହୀନ, ସଚେତନ ଜୀବନ ସଂଗ୍ରାମପାଇଁ ମାନସିକ ପ୍ରେରଣାର ଉତ୍ସ ହୋଇଛି ଏହି ବିପ୍ଳବ । ଏହି ପ୍ରଭାବ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଆନ୍ତର୍ଜାତିକ ସାହିତ୍ୟର ଭାବଧର୍ମକୁ ନିୟନ୍ତ୍ରଣ କରିଥିଲେ ହେଁ ଉତ୍କଳୀୟ ସ୍ରଷ୍ଟାମାନସ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପର୍ଯ୍ୟନ୍ତ ଏହି ଚେତନାକୁ ଅଙ୍ଗୀକାର କରି ପାରି ନଥିଲା-। କମ୍ରେଡ୍‌ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଉଦ୍ୟମରେ ‘‘ନବଯୁଗ ସାହିତ୍ୟ ସଂସଦ’’ ପ୍ରତିଷ୍ଠା ପରେ ଏହି ବିଶ୍ଵଭାବ ସ୍ରୋତ ଉତ୍କଳୀୟ ଭାବଭୂମିକୁ ସ୍ପର୍ଶ କଲା । ମାର୍କସ୍ ଓ ଏଙ୍ଗଲସ୍‌ଙ୍କ ସାମ୍ୟବାଦୀ ଦର୍ଶନ ବଞ୍ଚିତ, ନିପୀଡ଼ିତ, ନିଗୃହୀତର ସ୍ଵାର୍ଥରକ୍ଷା ପାଇଁ ମୌଳିକ ପ୍ରେରଣା ଯୋଗାଇଲା । ଅନ୍ତର୍ଜାତ ମାନବିକ ସହାନୁଭୂତି ଆନୁଷ୍ଠାନିକ ପୃଷ୍ଠପୋଷକତା ଲାଭ କରି ଯୁଗ ଓ ଜୀବନର ପୃଷ୍ଠଭୂମିରେ ବିଚ୍ଛୁରିତ ହୋଇ ସର୍ବହରାର ସ୍ଵାର୍ଥକୁ ସାବ୍ୟସ୍ତ କରିବା ପାଇଁ ମସୀ ଧାରାରେ ଲେଖିଲା ନୂତନ ଜୀବନର ଇସ୍ତାହାର । ଜୀବନ ଯୁଦ୍ଧରେ ପରାହତ, ବ୍ୟକ୍ତି, ଅନୁଷ୍ଠାନ ଓ ଦୈବୀ ଦୁର୍ବିପାକ ଦ୍ଵାରା ପୀଡ଼ିତ ମାନବାତ୍ମା ପ୍ରତି ସହାନୁଭୂତିର ସୁଦୂର ପ୍ରସାରୀ ପରମ୍ପରାର ଆରମ୍ଭ ଏହିଠାରୁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଫ୍ରୟେଡୀୟ ଯୌନ ଚେତନା ଓ ମାର୍କସ୍ ଦର୍ଶନ ଯଥାକ୍ରମେ ସବୁଜ ଚେତନା ଓ ପ୍ରଗତି ଚେତନାକୁ ପରିପୁଷ୍ଟ କରିଛି । କେଉଁଠି କେଉଁଠି ଏହି ଦୁଇଟି ଭିନ୍ନାଦର୍ଶ ସାଙ୍ଗୋପାଙ୍ଗ ଭାବରେ ଆମର ଶିଳ୍ପ-ଚେତନାକୁ ଦେଇଛନ୍ତି ନୂତନ ସ୍ଫୁର୍ତ୍ତି । ଏହି ମୁଖ୍ୟ ଚେତନା ସହିତ ଦେଶ-ମୁକ୍ତି-ଆନ୍ଦୋଳନ ଜନିତ ଦେଶାତ୍ମବୋଧ ଓ ସାମ୍ପ୍ରଦାୟିକ ମୈତ୍ରୀ ଭାବନା ପ୍ରାକ୍ ସ୍ୱାଧୀନତା ଗଳ୍ପ-ଶୈଳୀର ଅବଲମ୍ବନ ।

 

ସ୍ୱାଧୀନତା ପରବର୍ତ୍ତୀ କାଳରେ ପୂର୍ବୋକ୍ତ ଦୁଇଟି ଚେତନା ଗଳ୍ପ-ସାହିତ୍ୟ କ୍ଷେତ୍ରରେ ଭିନ୍ନ ପରିବେଶ ଓ ପରିସ୍ଥିତିରେ ଆତ୍ମପ୍ରକାଶ କରିଛି । ପ୍ରଥମଟି ରୋମାଣ୍ଟିକ୍, ଖାଣ୍ଟି ରୋମାଣ୍ଟିକ୍ ବ୍ୟକ୍ତି ଚେତନାଧର୍ମୀ ଗଳ୍ପରେ ପରିବ୍ୟାପ୍ତ ରହିଛି । ମାର୍କସ୍‌ବାଦ ବିଜଡ଼ନ ଆତ୍ମିକ ସହାନୁଭୂତିରେ ରୂପାନ୍ତରିତ ହୋଇଛି । ରାଜନୀତିକ ସ୍ଵାଧୀନତା ଆମର ଆଶା, ଆକାଙ୍‌କ୍ଷା ଓ ସ୍ଵପ୍ନ ସମ୍ଭାବନାକୁ ଅତୃପ୍ତ ରଖିଛି । ଗାନ୍ଧିଜୀଙ୍କ ମୃତ୍ୟୁପରେ ତାଙ୍କର ଈପ୍‌ସିତ ରାମରାଜ୍ୟ ପ୍ରତିଷ୍ଠାର ପରିକଳ୍ପନା ବ୍ୟର୍ଥତାରେ ପର୍ଯ୍ୟବସିତ ହୋଇଛି । କର୍ମୀଗଣ ନେତାର ଭୂମିକା ଗ୍ରହଣ କରିଛନ୍ତି । ଗଣତନ୍ତ୍ର, ରାଜନୀତି ଗଣଭୋଟର ଅର୍ଥ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଜନତାକୁ ପ୍ରତାରିତ କରି ଚତୁରମାନେ ଦେଶର ଶାସନକଳ ଅଧିକାର କରି ବସିଛନ୍ତି । ନିର୍ବାଚନ ଏକ ପ୍ରହସନରେ ପରିଣତ ହୋଇଛି । ପ୍ରାଣବନ୍ଧୁ କରଙ୍କ ‘‘ନିଶିଥର ପ୍ରେତାତ୍ମା’’ କିମ୍ବା ବାମାଚରଣ ମିତ୍ରଙ୍କ “ନିର୍ବାଚନ” ଗଳ୍ପରେ ଏ ପ୍ରକାର ପ୍ରତାରଣାର ସ୍ଵରୂପ ଉଦ୍‌ଘାଟିତ । ଦୁରାରୋଗ୍ୟ ବ୍ୟାଧି ପୀଡ଼ିତ ଅସୃଶ୍ୟ ମଣିଷଟି ଭୋଟ କେନ୍ଦ୍ରକୁ ବୁଝାହୋଇଛି ପ୍ରଥମ ଗଳ୍ପରେ । ‘‘ନିର୍ବାଚନ’’ ଗଳ୍ପରେ ଭୋଟ ଦେବାକୁ ଯାଇଥିବା ଦୁଲୀ ଦେଇ କାହାକୁ ଭୋଟ ଦେଇଛନ୍ତି, ତାଙ୍କୁ ମଧ୍ୟ ଜଣା ନଥିଲା ।

 

ସ୍ଵାଧୀନତା ଲାଭ ପରେ ରାଜନୀତି ନାଟକର ପଟ୍ଟ ପରିବର୍ତ୍ତନ ହୋଇଛି । କିନ୍ତୁ ଘଟନାନୁକ୍ରମ ଓ କୁଶୀଲବ ଯୋଜନାର ବିଶେଷ କିଛି ପରିବର୍ତ୍ତନ ଘଟିନାହିଁ । ନାମ ଓ କର୍ମର ପରିସରଗତ ପରିବର୍ତ୍ତନ ଘଟିଛି । ପୂର୍ବପରି ଶୋଷଣ, ପେଷଣ, କଷଣର ଅନ୍ତହୀନ ନାଟକାଭିନୟ ସମାଜ ରଙ୍ଗମଞ୍ଚରେ ଚାଲିଛି । ଶେଷ ହେବାର ସୂଚନା ଏ ଯାଏ ମିଳିନାହିଁ । ସାମ୍ପ୍ରତିକ ପରିପ୍ରେକ୍ଷୀରେ ଅତୀତର ‘‘ଶ୍ରେଣୀକ, ସନ୍ଧି-ବିଗ୍ରହକ, ମହାମାତ୍ୟ ବୁଢ଼ା ଲେଙ୍କା, ମାଣ୍ଡଳିକ, ନବାବ, ସୁବେଦାର, ସିପାହୀ-ସଲାର, କାଜୀ, କଟ୍ୱାଳ’’ ବାସ୍ତବତାର ବାଟ ଦେଇ ‘‘ଇତିହାସ’’ ଗର୍ଭରୁ ଉଠି ଆସିଛନ୍ତି ଆଧୁନିକ ସାହିତ୍ୟର ରାଜଦାଣ୍ଡକୁ-ମନ୍ତ୍ରୀ, ସେକ୍ରେଟାରୀ, କଲେକ୍‌ଟର, ଏସ୍. ପି., ଆଇ. ଜି., ଏସ୍‌. ଡି ଓ. ରୂପରେ । ନେତା, କୁଜୀନେତା, ଗୁଣ୍ଡା, ଟାଉଟର, ସରପଞ୍ଚ, ଓ୍ୱାଡ୍‌ମେମ୍ବରଙ୍କ ପରି ରାଜନୀତିକ ଏଜେଣ୍ଟ, ବିଧର୍ମୀ, ଧାର୍ମିକ, ନିନ୍ଦୁକ, ପ୍ରଶଂସକ, ପାଷଣ୍ଡ, ପୁଣ୍ୟାତ୍ମା, କର୍ମବୀର, ବାକ୍ୟବୀର, କୁକର୍ମୀ, କର୍ମୀମାନଙ୍କର ଶୋଭାଯାତ୍ରା ଆଧୁନିକ ସାହିତ୍ୟର ପ୍ରଶସ୍ତ ପଥରେ ଅବ୍ୟାହତ ରହିଛି । ଅଧ୍ୟାପକ, ଛାତ୍ର, ବିଚାରକ, ଓକିଲ, କବି, ଡାକ୍ତର, ଇଞ୍ଜିନିୟର, କିରାଣୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି । ଜନନୀ, ଭଗିନୀ, ଜାୟା, ପ୍ରେମିକା, ଗଣିକା, ପତିତା, ପରିତ୍ୟକ୍ତା, ବିଧବା, ନର୍ତ୍ତକୀ, ସେବାଦାସୀ ଓ କର୍ମଜୀବୀ ମହିଳା ରୂପରେ ନାରୀମାନେ ଏଥିରେ ଯୋଗ ଦେଇଛନ୍ତି । ସାହିତ୍ୟର ରାଜମାର୍ଗ ଏମାନଙ୍କ ପାଇଁ ମୁକ୍ତ ଓ ଅବାରିତ । ରୁଚିକୁ ଚାହିଁ ସମସ୍ୟା ଓ ସମସ୍ୟାର ପ୍ରକଟନ ପାଇଁ ଚରିତ୍ର ନିର୍ବାଚନ-କେଉଁଟି ଦୁର୍ଲଭ ହୋଇନାହିଁ, ଆଜିର ସାହିତ୍ୟିକ ପାଇଁ ।

 

ବିଶ୍ଵ-ବିଶ୍ରୁତ କଳା ଆନ୍ଦୋଳନଗୁଡ଼ିକ ସମ୍ପର୍କରେ ଆମର ଗାଳ୍ପିକମାନେ ଏହି କାଳରେ ସଚେତନ ହୋଇଛନ୍ତି । ସାମ୍ୟବାଦର ପୃଥିବୀ ପରିକ୍ରମା କଥା ପୂର୍ବରେ କୁହାଯାଇଛି । ଫ୍ରୟେଡ୍‌ଙ୍କ ଯୌନ ଦର୍ଶନର ପ୍ରଚାର ଫଳରେ ଆମର ପ୍ରେମାନୁଭୂତିରେ ଏକ ପ୍ରକାର ଭାବାନ୍ତର ଜାଗ୍ରତ ହୋଇଛି । ଅସ୍ତିତ୍ୱବାଦ, ଅତିବାସ୍ତବବାଦ, ମୁହୂର୍ତ୍ତବାଦ, ବାସ୍ତବବାଦ ଓ ପ୍ରକୃତିବାଦ ପ୍ରଭୃତି ଭାବ ତାତ୍ତ୍ୱିକ ଗୋଷ୍ଠୀର ପ୍ରଭାବ ସ୍ୱାଧୀନତା ଉତ୍ତର କାଳରେ ଆମ ସାହିତ୍ୟରେ ପଡ଼ିଛି । ଆଧୁନିକ ମାନବର ସ୍ଥିତି ଓ ତା’ର ମନ ଗହନର ଗୋପନ କଥା କହିବାପାଇଁ ଗାଳ୍ପିକ ମନରେ କୌତୂହଳ ସୃଷ୍ଟି ହୋଇଛି । ବିଶ୍ଵ ସାହିତ୍ୟର ପ୍ରବୀଣ କଥାକାର ଗୋଗଲ୍‌, ଗର୍କୀ, ଟଲଷ୍ଟୟ, ତୁର୍ଗନେଭ, ଚେକଭ୍, ଏଲେନ୍ ପୋ, ଲରେନ୍‌ସ, ଓ’ ହେନେରୀ, ଷ୍ଟେପେନ୍ କ୍ରେନ୍, ହେମିଙ୍ଗ ଓ୍ୱେ, ମୋପାଶାଁ, ଓ୍ୱଲ୍‌ସ ପ୍ରଭୃତିଙ୍କ ଗଳ୍ପ ସହିତ ଯୋଗସୂତ୍ର ସ୍ଥାପିତ ହୋଇଛି । ଜୋଲା, କ୍ୟାମୁ ଓ କାଫକାଙ୍କ ଶୈଳୀର ପ୍ରଭାବ ମଧ୍ୟ ଏହି କ୍ଷେତ୍ରରେ ବିସ୍ମରଣୀୟ ନୁହେଁ । ବିଶେଷ କରି ଓଡ଼ିଆ ଗଳ୍ପ-ଶୈଳୀ ଚେକଭ୍ ଓ ମୋପାଶାଁଙ୍କ ଦ୍ଵାରା ପ୍ରଭାବ ପୁଷ୍ଟ ହୋଇଛି ।

 

ସ୍ୱାଧୀନତା ଲାଭର ଅବ୍ୟବହିତ ପରେ ନୂତନ ପରିପ୍ରେକ୍ଷୀରେ ବହୁ ସାମାଜିକ, ବ୍ୟକ୍ତିକ, ଜାତୀୟ, ଆନ୍ତର୍ଜାତିୟ, ମାନସିକ, ଅତି ମାନସିକ ବୌଦ୍ଧିକ ସମସ୍ୟା ଆମର ମୋହଭଙ୍ଗର କାରଣ ହୋଇଛି । ରୂପ ଓ ପ୍ରକୃତି ଦୃଷ୍ଟିରୁ ଏହି ସମସ୍ୟାଗୁଡ଼ିକ ମଧ୍ୟରେ ବିଷମତା ବିଦ୍ୟମାନ । ଆଲୋଚନାର ସୁବିଧା ଦୃଷ୍ଟିରୁ ଏହି ସମସ୍ୟାବଳୀକୁ ବାହ୍ୟିକ ଓ ଆତ୍ମିକ ସମସ୍ୟା-ଏହି ଦୁଇଟି ଭାଗରେ ବିଭକ୍ତ କରା ଯାଇପାରେ । ବାହ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ରହିଛି-ଅନ୍ନ, ବସ୍ତ୍ର ଓ ବାସଗୃହର ସମସ୍ୟା, ଯାହା ମାନବ ସଭ୍ୟତାର ବିକାଶର ଆଦିକାଳରୁ ତା’ର ପ୍ରାଥମିକ ଆବଶ୍ୟକତାରୂପେ ଅନୁଭୂତ ହୋଇ ଆସିଛି । ସ୍ଵାଧୀନତା ପୂର୍ବବର୍ତ୍ତୀ କାଳରେ ରଚିତ ଗଳ୍ପଗୁଡ଼ିକରେ ଏପରି ସମସ୍ୟାର ଚିତ୍ରଣ ଆଦୌ ଦୁର୍ଲଭ ନୁହେଁ । ସେତେବେଳେ ଆମର ବିଶ୍ଵାସ ଥିଲା, ଏହି ଅଭାବର ହେତୁ ହେଉଛି ଆମର ପରାଧୀନତା । ଆକୁଳ ଆକାଙ୍‌କ୍ଷାରେ ଆମେ ଚାହିଁ ବସିଥିଲୁ ସେହି ଦିନକୁ, ଯେଉଁ ଦିନ ଭାରତର ସ୍ଵାଧୀନ ଆକାଶରେ ନବୀନ ସୂର୍ଯ୍ୟର ଆଲୋକପାତ ହେବ । ବାସ-ବସ୍ତ୍ର ବୁଭୁକ୍ଷାର ଗ୍ଳାନି ଦୂରୀଭୂତ ହେବ । କିନ୍ତୁ ସ୍ଵାଧୀନତା ଲାଭର ଦୀର୍ଘ ଚାଳିଶି ବର୍ଷ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଲୋକପ୍ରିୟ ସରକାର ଆମର ପ୍ରାଥମିକ ତଥା ସର୍ବନିମ୍ନ ଆବଶ୍ୟକତା ପୁରଣ କରିପାରି ନାହାନ୍ତି । ପ୍ରାଣବନ୍ଧୁକରଙ୍କ ‘‘ସୁଅ ମୁହଁରେ ପତର’’ ଗଳ୍ପର ନିମ୍ନ ମଧ୍ୟବିତ୍ତ ‘‘ଅପର୍ତ୍ତି’’ର ମୋହଭଙ୍ଗ ଆମପାଇଁ ଚେତାବନୀ । ଗୁରେଇର ଦେହ ଢାଙ୍କିବା ପାଇଁ ସାହୁ ଦୋକାନରୁ କସ୍ତା ଖଣ୍ଡିଏ ଚୋରୀ କରିବାର ଅପରାଧରେ ସ୍ଵାଧୀନ ଭାରତର ଦଣ୍ଡବିଧି ଆଇନ୍ ତାକୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡ ଦିଆଇଛି । ସ୍ଵାଧୀନତା ଦିବସ ପାଳନ ଅବସରରେ ସଭାସମିତି, ସ୍ଳୋଗାନ୍, ମିଷ୍ଟାନ୍ନ ବଣ୍ଟନ ମାଧ୍ୟମରେ ବଡ଼ ବଡ଼ୁଆମାନେ ପାରମ୍ପରିକ ଜାତୀୟ ଉତ୍ସବ ପାଳନ କରିବା ଅବସରରେ ଲଙ୍ଗଳା ପିଲାଟା କେହି ନଥିବାର ସୂଚନା ପାଇ ତ୍ରିରଙ୍ଗ ପତାକାକୁ ପିନ୍ଧି ପଳାଇ ଯାଇଛି । ଯୌନାଙ୍ଗ ଢାଙ୍କିବାର ଆବଶ୍ୟକତା ଯେଉଁ ଦେଶରେ ପୂରଣ ହୋଇପାରି ନାହିଁ, ସେ ଦେଶରେ ଶୀତରେ ଥରୁଥିବା, ବର୍ଷାରେ ତିନ୍ତୁଥିବା ଲୋକର ଶରୀର ବେଷ୍ଟନ କରିବାର ଆଶା ଦୁରାକାଙ୍‌କ୍ଷା ବ୍ୟତୀତ ଆଉ କ’ଣ ହୋଇପାରେ ।

 

ବସ୍ତ୍ର କଷ୍ଟଠାରୁ ଆହୁରି ଉତ୍କଟ ବସବାସ କରି ରହିବା ଗୃହର ସମସ୍ୟା । ସହରଠାରୁ ନିପଟ ମଫସଲ ଯାଏ ବାସହୀନ କାଙ୍ଗାଳ ଦଳ ବ୍ୟାପି ରହିଛନ୍ତି । ଭଡ଼ାଘରଟିଏ ସନ୍ଧାନରେ ଗୋପୀବାବୁଙ୍କ ‘ଘର’ ଗଳ୍ପର ସଦାଶିବ କଟକ ସହରର ଗଳି-ଉପଗଳି ଘୂରି ବୁଲିଛି । ଏଡ଼େ ବଡ଼ ସହରରେ ସେ ଯେପରି ଏକ ଛିନ୍ନମୂଳ, ଅବ୍ୟବସ୍ଥିତ ମଣିଷଟିଏ । ଆତ୍ମପରିଚୟ ହଜି ଯାଇଛି ଯେମିତି ତାର । ନିଜେ ରହିଥିବା ଘରଟିକୁ ମଧ୍ୟ ସେ ଚିହ୍ନି ପାରିନାହିଁ । ମଣିଷ ପାଖରେ ମଣିଷ ଅଚିହ୍ନା ହୋଇଯାଇଛି-‘‘ଅମୁକଙ୍କ ଘରେ କେଉଁଠି’’ ? ଉତ୍ତର-‘‘ଆଗରେ ଦେଖ ।’’ ମହାପାତ୍ର ନୀଳମଣି ସାହୁଙ୍କ ‘‘ସୈରିନ୍ଦ୍ରୀ ଦେବୀ ଓ ଢାବଲ ଉପାଖ୍ୟାନ’’ରେ ଏହି ସମସ୍ୟାର କରୁଣ ରୂପ ଉପସ୍ଥାପିତ । ଗୋଡ଼ ବୁଲାଇବାକୁ ଥାନ ନଥିବା ଘରେ ବନ୍ଧୁଙ୍କ ପରିତ୍ୟକ୍ତ ଢାବଲ ଗୁଡ଼ିକ ସ୍ଥାନ ମାଡ଼ି ବସିଛନ୍ତି । ସରକାରୀ ବାସଗୃହଗୁଡ଼ିକ ମଣିଷ ମନରେ କି ପ୍ରକାର ହୀନମନ୍ୟତା ସୃଷ୍ଟି କରେ ତା’ର ସ୍ଵରୂପ ପ୍ରକଟିତ ହୋଇଛି ‘‘ଟାଇପ୍ ଫୋର’’ ଗଳ୍ପରେ । କଥାକାର ଅନନ୍ତ ପ୍ରସାଦ ନିମ୍ନ ମଧ୍ୟବିତ୍ତ ରମେଶବାବୁ ଓ ତାଙ୍କର ସରଳା ସ୍ତ୍ରୀ ମନୋରମାର ପ୍ରତିକ୍ରିୟାର ସୂଚନା ଦେଇଛନ୍ତି । ଏ ସମସ୍ୟା ଆଜି ମଧ୍ୟ ଦୂରହୋଇ ପାରିନାହିଁ ।

 

ଖାଦ୍ୟ ସମସ୍ୟା ଆହୁରି ଉତ୍କଟତର । ମଣିଷର ମୌଳିକ ଦୁଃଖର କାରଣ ହେଉଛି କ୍ଷୁଧା-। ପେଟ ଚାଖଣ୍ଡକ ପୂରାଇବା ପାଇଁ ମଣିଷ କୁଲୀ କରୁଛି, ରିକ୍‌ସା ଟାଣୁଛି, ଚୋରୀ କରୁଛି, ଭିଟାମାଟି ଛାଡ଼ି ରେଙ୍ଗୁନ୍, ଆସାମ ଓ କଳାମାଟି ଯାଉଛି । ବୁଭୁକ୍ଷିତ ପାପ-ପୁଣ୍ୟର ବିଚାର କରେ ନାହିଁ । ମନୋଜ ଦାସଙ୍କ ଗଳ୍ପ ‘‘ଆବିଷ୍କାର’’ ଓ ‘‘ଏକ ଚୋରୀର ବୃତ୍ତାନ୍ତ’’ କ୍ଷୁଧାତୁର ମଣିଷର ବିକଳ ଜୀବନାଲେଖ୍ୟ । ‘‘ଆବିଷ୍କାର’’ ଗଳ୍ପରେ ଶିଶୁ ମୁଖରୁ ଖାଦ୍ୟ ଛଡ଼ାଇ ନେଇଛି ତରୁଣ, ବୃଦ୍ଧ ବାପାର ଆହାର ନେଇ ବଞ୍ଚିବାର ପ୍ରୟାସ କରୁଛି ଯୁବକ ପୁତ୍ର । ଆଉ ମାନେ ଲାଲ ଟୁକୁଟୁକୁ ସଦ୍ୟଜାତ ମୂଷା ଛୁଆଗୁଡ଼ାକୁ ଟପାଟପ୍ ଗିଳି ପକାଉଛନ୍ତି । ‘‘ହାଅନ୍ନ’’ର ଉପନ୍ୟାସରେ ମୃତ ମାଆର ବକ୍ଷରେ ପଡ଼ି ଶୁଷ୍କ ସ୍ତନ ଶୋଷଣ କରୁଥିବା ଶିଶୁ କିମ୍ବା ମୃତ ସନ୍ତାନର ମାଂସ ଭକ୍ଷଣ କରି ବଞ୍ଚିବାର ପ୍ରୟାସ କରୁଥିବା ମା’ର ଚିତ୍ର ଆମ ମନରୁ ଲିଭିନାହିଁ । ‘‘ଆବିଷ୍କାର’’ ଏହି ଚେତନାକୁ ଅତି ନିଷ୍ଠୁର ଭାବରେ ଉଦ୍ରେକ କରିଛି । ‘‘ଏକ ଚୋରୀର ବୃତ୍ତାନ୍ତ’’ ଗଳ୍ପରେ ଖାଦ୍ୟାଭାବ ପୀଡ଼ିତା ସେହି ବିବାହିତା ଝିଅଟି ଲୁଗା କାନିରେ ଚାଉଳ ଗଣ୍ଡାଏ ଚୋରିକରି ବାପଘରୁ ପଳାଇ ଯାଉଥିବା ଅବସ୍ଥାରେ ଧରାପଡ଼ି ଅଶ୍ରୁ ଗଡ଼ାଇଛି । ଏ କାରୁଣ୍ୟର ପଟ୍ଟାନ୍ତର ଦୁର୍ଲଭ ।

 

ଏ ସବୁ ସାଧାରଣ ସମସ୍ୟା ବ୍ୟତୀତ ବହୁ ପାରିବାରିକ, ସାମାଜିକ, ନୈତିକ ଓ ବ୍ୟକ୍ତିଗତ ସମସ୍ୟାର ଚିତ୍ର ଆମର ଗଳ୍ପଗୁଡ଼ିକରେ ଅଙ୍କିତ । ଶିଳ୍ପାଞ୍ଚଳଗୁଡ଼ିକୁ କେନ୍ଦ୍ରକରି ସହରଗୁଡ଼ିକ ଗଢ଼ି ଉଠିଲା । ଗ୍ରାମ୍ୟ ଜୀବନ ସହିତ ସମ୍ପର୍କ ତୁଟାଇ ଆଧୁନିକ ମଣିଷମାନେ ସହରରେ ବାସକଲେ । ଗାଁରେ ପଡ଼ି ରହିଲେ ରାଣ୍ଡୀ, ଖଣ୍ଡୀ, ବୃଦ୍ଧ, ଅକର୍ମଣ୍ୟ ଓ ଚାଷୀ ମୂଲିଆ ଶ୍ରେଣୀର ଲୋକେ । ସହର ଜୀବନର ଅନାତ୍ମୀୟତା ବହୁଦିନ ଧରି ପଲ୍ଲୀର ଶାନ୍ତ ଜୀବନଧାରାକୁ ବ୍ୟାଧିତ କରି ନଥିଲା । କିନ୍ତୁ ସହର ଜୀବନ ଠାରୁ ପଲ୍ଲୀ ଆଉ ବେଶୀ ଦିନ ବିଚ୍ଛିନ୍ନ ହୋଇ ରହିଲା ନାହିଁ । ଗମନାଗମନ ସୁବିଧା ପାଇଁ ଧୂଳି ମାଟିର ପଲ୍ଲୀ ଭୂଇଁରେ ପଡ଼ିଲା କଳା ମଚମଚ ପିଚୁରାସ୍ତା-। ସତେ ଅବା ‘ମୃତ୍ତିକାର ଆତ୍ମା’ ହୋଇଉଠିଲା କଳୁଷିତ । ଆଧୁନିକତାର ଅତ୍ୟାଚାରରେ ଅତିଷ୍ଠ ପଲ୍ଲୀ ଜୀବନର ଦୁର୍ଦ୍ଦଶା ସୁରେନ୍ଦ୍ରବାବୁଙ୍କ ‘‘ମୃତ୍ତିକାର ଆତ୍ମା’’ ଗଳ୍ପରେ ସୂଚିତ-। ସାଂପ୍ରତିକ ଗଳ୍ପରେ ସହରୀ ଜୀବନର ଛନ୍ଦହୀନତା ବହୁଳ ଭାବରେ ରୂପାୟିତ ।

 

ଏକାନ୍ନବର୍ତ୍ତୀ ପରିବାରର ସଂସ୍ଥିତି ଭାଙ୍ଗିଛି । ପିତା-ପୁତ୍ରର ସମ୍ପର୍କର ସ୍ଵର୍ଗୀୟଭାବ ବିପର୍ଯ୍ୟସ୍ତ ହୋଇଛି । ବୃଦ୍ଧ ପିତା-ମାତା ପାରିବାରିକ ଜୀବନର ବୋଝ ହୋଇ ପଡ଼ିଛନ୍ତି । ପୁତ୍ର ଓ ପୁତ୍ରବଧୂର ପରିବାରରେ ଏମାନେ ଯେପରି ଦୈବଦତ୍ତ ବୋଝ । ଫକୀର ମୋହନଙ୍କ ‘‘ଡାକ ମୁନସୀ’’ ଗଳ୍ପରେ ଅର୍ଦ୍ଧଶିକ୍ଷିତ ପୁଅ ଗୋପାଳଚନ୍ଦ୍ର ବୃଦ୍ଧ ହରିସିଂହକୁ ଇଂରାଜୀ ଘୁସି ଦେଇ କିଆବଣରେ ପକାଇବାର ଆଦେଶ ଦେଇଛି । କିନ୍ତୁ ଗୋପୀନାଥଙ୍କ ‘‘ରୁଖା’’ ଗଳ୍ପରେ ଶିକ୍ଷିତା ବୋହୂ ବୁଢ଼ା ଶ୍ଵଶୁରକୁ ସରମନ୍ ଶୁଣାଇଛି-‘‘ବୋହୂର ଚାକର, ନାତିର ଘୋଡ଼ା / ରାଜି ହେଲେ ଏଠି ରହରେ ବୁଢ଼ା ।’’ ତରୁଣ ଗାଳ୍ପିକ ନାରୁ ମହାନ୍ତିଙ୍କ ‘‘ବୁଢ଼ା’’ ଗଳ୍ପରେ ଏହାର ଅନୁରୂପ ଚିତ୍ର ଫୁଟିଛି । ରମେଶ ଚନ୍ଦ୍ର ଜରା-ଜର୍ଜର, ପକ୍ଵକେଶ ତଥା ଜୀବନ-ମୃତ୍ୟୁର କଳବରେ ପଡ଼ି ଛଟପଟ ହେଉଥିବା ବୃଦ୍ଧ ପିତାଙ୍କ ପ୍ରତି ଅନୁଦାର ହୋଇ ଉଠିଛି । ତା’ର ସୁସ୍ଥ ପାରିବାରିକ ଜୀବନରେ ବୃଦ୍ଧର ଅବସ୍ଥିତି ଯେପରି ଏକ ଅବାଞ୍ଛିତ ବ୍ୟବସ୍ଥା ।

 

ସାମ୍ପ୍ରତିକ ସମାଜରେ ଦୁର୍ନୀତିର ଅନ୍ତଃହୀନ ପ୍ରସାର । ଦୁର୍ନୀତିଗ୍ରସ୍ତ ବ୍ୟକ୍ତି, ଅନୁଷ୍ଠାନ ଓ ଆମର ଅର୍ଥନୀତି ଏହାର ପୃଷ୍ଠପୋଷକତା କରି ଆସିଛି । ସରକାରୀ କଳ, ସାମାଜିକ ନୀତି, ଦୁର୍ନୀତି ନିବାରଣ ସଂସ୍ଥା, ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା କର୍ମଚାରୀ, ଦେଶପାଇଁ ବିଧାନ ଗଢ଼ୁଥିବା ନେତା, ଦେଶସେବା ପାଇଁ ଅଗ୍ରସର ସାମାଜିକ, ଜନସାଧାରଣ ଏହି ଦୁର୍ନୀତି ହାତରୁ ନିଜକୁ ମୁକ୍ତ କରିପାରି ନାହାନ୍ତି । ତଥାକଥିତ ଚତୁରମାନଙ୍କର ସୌଭାଗ୍ୟ ଉଦୟ ପାଇଁ ମାନବିକତା, କର୍ତ୍ତବ୍ୟବୋଧ ଓ ସହାନୁଭୂତି ଦୁର୍ନୀତି ପୀଠରେ ବଳିଦତ୍ତ । ‘‘ଦେଶ ଉନ୍ନତି କରୁଛି’’ ଗଳ୍ପରେ କଥାକାର ବିଭୂତି ପଟ୍ଟନାୟକ ଦୁର୍ନୀତିର କ୍ରମୋନ୍ନତିର ସୂଚନା ଦେଇଛନ୍ତି । ଲୋକଙ୍କୁ ଉନ୍ନତିର ମିଥ୍ୟା ପ୍ରତିଶ୍ରୁତି ଦେଇ ସ୍ଵାଇଁ ସପ୍ଳାଇ ଏଜେନ୍‌ସିର ମାଲିକ ସନାତନବାବୁ, ରେଳ ଓ୍ୱାଗନରୁ ମାଲ୍ ହରଣଚାଲ୍ କରିବା, ଲୋକଙ୍କର ଧନଜୀବନ ହରଣ କରିବା ସହିତ ଓଡ଼ିଶାର ବହୁମୂଲ୍ୟ ଦେବାଦେବୀ ମୂର୍ତ୍ତି ବିଦେଶକୁ ଚାଲାଣ କରିବା କାର୍ଯ୍ୟରେ ଲିପ୍ତ ରହିଛନ୍ତି । ସରଳା ପତ୍ନୀ ରତ୍ନମଣିଙ୍କୁ ଦେଶ ଉନ୍ନତିର ବିଚିତ୍ର ଲକ୍ଷଣ ସମ୍ପର୍କରେ ସୂଚନା ଦେଇଛନ୍ତି । ମୂର୍ତ୍ତି ଚୋରୀ ଅପରାଧରେ ଧରାପଡ଼ିବା ମୂଳରେ ସ୍ତ୍ରୀଙ୍କର ବୋକାମୀ ସମ୍ପର୍କରେ ତାଙ୍କର ସ୍ଵୀକାରୋକ୍ତି ‘‘ସ୍ୱାଇଁ ସପ୍ଳାଇ ଏଜେନ୍‌ସି ସେ ଅଞ୍ଚଳର ସବୁ ଲୋକଙ୍କ ଚରିତ୍ର ଭିତରକୁ ଭେଜାଲ୍ ସପ୍ଳାଇ କରି ଦେଇଥିଲା-କିନ୍ତୁ ମୋ ସ୍ତ୍ରୀର ଚରିତ୍ରରେ ସେ ଅପମିଶ୍ରଣ ହୋଇପାରିଲା ନାହିଁ । ଏଠାରେ ଷ୍ଟେସନ୍ ହେଲାପରେ ସମସ୍ତେ ସହରୀ ହୋଇଗଲେ, ସେ ଏକା ଗାଉଁଲୀ ହୋଇ ରହିଲା ।’’ ଦୁର୍ନୀତିର ସର୍ବଗ୍ରାସିତାକୁ ସ୍ଵୀକାର କରିଛି । ବିଭୂତି ଭୂଷଣଙ୍କ ‘‘ଅନ୍ୟ ଏକ ଗେଗର୍’’ ଗଳ୍ପରେ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀଙ୍କ ପୁଅ ଅବିନାଶ ସ୍ଵାଧୀନଚେତା ପିତାଙ୍କର ଆଦର୍ଶର ପରିପନ୍ଥୀ ଅବସରପ୍ରାପ୍ତ ପୋଲିଶମାମୁଙ୍କର ଚକ୍ରାନ୍ତର ଶିକାର ହୋଇଛି । ମାମୁ ପରୋପକାରୀ ଭଣଜାକୁ ଆଧୁନିକ ଜୀବନର ମନ୍ତ୍ର ଶୁଣାଇଛନ୍ତି-ଲୋକଙ୍କ ପାଇଁ କାମ କରିବା ମନ୍ତ୍ରୀଙ୍କ କାମ । କିନ୍ତୁ ଧୁରନ୍ଧର ମାମୁଙ୍କ ଭଣଜାର ଭାଗ୍ୟ ମାଡ଼ୁଆ ସତ୍ୟାଗ୍ରହୀର ପୁଅପରି ବଜାରରେ ନିଲାମ ହେବା ଅନୁଚିତ । ଲୋକଙ୍କ ପାଇଁ କାମ କରାଇ ପାରିତୋଷିକ ହାସଲ କରିବା ହିଁ ‘‘ସ୍ୱାଧୀନ ଭାରତ ବର୍ଷରେ ସବୁଠାରୁ ଲାଭ-ଜନକ ବ୍ୟବସାୟ ।’’ ଏ ପ୍ରତ୍ୟୟ ଆଜି ସ୍ୱୟଂସିଦ୍ଧ । ବୁଝି ବୁଝାଇବାର ଆବଶ୍ୟକତା ନାହିଁ ।

 

ଆମର ପ୍ରଶାସନିକ ବ୍ୟବସ୍ଥା ଦୁର୍ନୀତିର ଲୀଳାଭୂମି ହୋଇଛି । କର୍ତ୍ତବ୍ୟନିଷ୍ଠା, ଜନତାର ସେବା, ମାନବିକ ଦୃଷ୍ଟିକୋଣରୁ କୌଣସି ବିଷୟର ବିଚାର କରି ସିଦ୍ଧାନ୍ତ ଗ୍ରହଣ କରିବାର ଉଚ୍ଚାକାଙ୍‌କ୍ଷା ପୋଷଣ କରିବା ଯେଉଁ ନିଷ୍ଠାର ଅପେକ୍ଷା ରଖେ ତାହା ଆମର ପ୍ରଶାସନ ଦାୟିତ୍ୱ ତୁଲାଉଥିବା ଅଧିକାଂଶଙ୍କ ପାଖରେ ସୁଲଭ ନୁହେଁ । କର୍ତ୍ତବ୍ୟରେ ମନୋନିବେଶ ଏକ ଅନିଚ୍ଛାକୃତ ବାଧ୍ୟବାଧକତା । ସରକାରୀ ଫାଇଲ୍ ଭିତରେ କାହାର ଭାଗ୍ୟଲିପି ଅସ୍ପଷ୍ଟ ହୋଇଯାଏ । ଜରୁରୀ, ଅତି ଜରୁରୀ ଶବ୍ଦ ସୂଚିତ ଚିଠାଗୁଡ଼ିକର ମୁଲ୍ୟ ରହେ ନାହିଁ । ଶାନ୍ତନୁ ଆଚାର୍ଯ୍ୟଙ୍କ ‘‘ପେନ୍‌ସନ୍ ଫାଇଲ୍’’ ଓ ପୂର୍ଣ୍ଣାନନ୍ଦ ଦାନୀଙ୍କର ‘‘ଧୂଆଁ’’ ଗଳ୍ପରେ ଅବସରପ୍ରାପ୍ତ କର୍ମଚାରୀର ପେନ୍‌ସନ୍ ବ୍ୟବସ୍ଥା ବିଳମ୍ବନର କରୁଣ କାହାଣୀ ବିବୃତ୍ତ । ପ୍ରଶାସକର ବିସ୍ମୟକର ମନୋନିବେଶ ପୁଣି ଆକସ୍ମିକ ଓ ଛଳନାମୟ । ‘‘କିଶୋରୀ ଚରଣ ଦାସଙ୍କ ‘‘ମୁଁ ପାରିବି’’ ଗଳ୍ପରେ ମନ୍ଦରଧର ମହାପାତ୍ରଙ୍କୁ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତିବଦ୍ଧ ପ୍ରଶାସନିକ ଅଫିସର ଜଣକ ପର ମୁହୂର୍ତ୍ତରେ ଭୁଲି ଯାଇଛନ୍ତି ତାଙ୍କର କର୍ତ୍ତବ୍ୟ-କର୍ମ । ମୁଁ ତରବର ହୋଇ କାଗଜ କଲମ ଆଣି ପଚାରିଲି, ‘‘ପୁଅର ନାଁ ?... ସେତେବେଳେ ମୋ ମନରେ ନିର୍ଦ୍ଦିଷ୍ଟ ଧାରଣା ନଥିଲା ଯେ ମୁଁ କେଉଁଥିପାଇଁ ଏସବୁ ଲେଖୁଛି-ଚାକିରୀ, ଲାଇସେନ୍‌ସ, ପରିମିଟ୍ ନା ଆଉ କଅଣ ? କିନ୍ତୁ ମୋ ମନରେ ସଫଳତାର ଶାନ୍ତି ଥିଲା-ମୁଁ ଉତ୍ତର ଦେଇଛି, ନିଆଁ ଲିଭିଛି ।’’

 

‘‘ଘେରାଉ’’ ଗଳ୍ପରେ ଏହିପରି ଏକ ଅନାତ୍ମୀୟ ପରିବେଶର ଚିତ୍ର ଆଙ୍କିଛନ୍ତି କିଶୋରୀ ଚରଣ । ଧର୍ମଘଟ ପାଇଁ ଦାବୀପତ୍ର ଦେଇ ସାରିଥିବା ଶ୍ରମିକମାନଙ୍କ ଦ୍ଵାରା ଘେରାଉ ହେବା ପୂର୍ବରୁ ରମାବଲ୍ଲଭ ନାୟକଙ୍କ ମାନସିକ ପ୍ରସ୍ତୁତି ମଧ୍ୟରେ ଶ୍ରମିକ, ଶ୍ରମିକ ନେତା ଓ ପ୍ରଶାସକର ସମ୍ପର୍କ ସୂତ୍ର ଆବିଷ୍କାର କରୁଛନ୍ତି ଗାଳ୍ପିକ ଶ୍ରୀ ଦାସ । କୌଣସି ମତେ ସନ୍ତୋଷଜନକ ଉତ୍ତରଟିଏ ଦେଇ ଶ୍ରମିକମାନଙ୍କର ପ୍ରତିଜ୍ଞା ଭଗ୍ନ କରିବାର ଉପାୟ ଉଦ୍‌ଭାବନ ତାଙ୍କ ପକ୍ଷରେ ଥିଲା ଏକମାତ୍ର କର୍ତ୍ତବ୍ୟ । ସ୍ଵକ୍ତି ଓ ସଦୁକ୍ତି ବଳରେ ଶ୍ରମିକମାନଙ୍କୁ ପ୍ରତାରିତ କରିବା ଲକ୍ଷ୍ୟ ସେ ପୋଷଣ କରିଛନ୍ତି । ‘‘ବୋନସ୍, ଚିକିତ୍ସା ଭତ୍ତା, ରହିବାର ଦାବୀ ଯାହା ବିବର୍ତ୍ତନର ଦାବୀ-ଏ ଦାବୀକୁ ମେଣ୍ଟାଇବାକୁ ହେବ, ନହେଲେ ଚକ ଧିମେଇ ଯିବ,

ଗତିର ଆନନ୍ଦ କମି କମି ଯିବ’’-ଏ ଅନୁଭବ ତାଙ୍କର ବ୍ୟକ୍ତିଗତ ଅନୁଭବ-କିନ୍ତୁ ଏହା ପୂରଣ କରିବା ପଛରେ ତାଙ୍କର ଆନ୍ତରିକତାର ସଦ୍ଭାବ ନାହିଁ ?

 

ଉପରିକର ପରିତୃପ୍ତି ବିଧାନ ପାଇଁ ଅଧସ୍ତନର ଧନ, ମାନ, ଶ୍ରମ ଏପରିକି ପତ୍ନୀକୁ ଭୋଜ୍ୟ ରୂପରେ ପ୍ରଦାନ କରିବା ଘଟଣାରେ ନୂତନତ୍ୱ ନାହିଁ । ଗୋପୀନାଥଙ୍କ ‘‘ଦାନାପାଣି’’ ଉପନ୍ୟାସର ନାୟକ ‘ବଳିଦତ୍ତ’ ଦାନାପାଣିର ଉନ୍ନତି ବିଧାନ ନିମନ୍ତେ ସ୍ତ୍ରୀ ସରୋଜିନୀକୁ ଉପରିକର ତୃପ୍ତି ପୀଠରେ ବଳି ଦେଇଛି । ବିଭୂତି ପଟ୍ଟନାୟକଙ୍କ ‘‘ଜ୍ଵଳନ୍ତ ଯତୁଗୃହ’’ ଗଳ୍ପର ଦୁଷ୍ମନ୍ତ ଭିଜିଲାନ୍‌ସ ଆଖିରେ ଧୂଳି ଦେବାପାଇଁ ଶାଳୀ ସୁମିତାକୁ ଉତ୍ସର୍ଗ କରିଛି ବିଭାଗୀୟ ଅଫିସରଙ୍କୁ । ଭିଣୋଇଙ୍କ ପ୍ରସାଦରୁ ବେକାର ସ୍ଵାମୀଙ୍କୁ ଚାକିରୀ ଦେବା ଆଶାୟୀ ସୁମିତାର ଉକ୍ତି, ‘‘ଏଥର ଭିଜିଲାନ୍‌ସ-ଗ୍ରାସରୁ ତାଙ୍କୁ ଯିଏ ରକ୍ଷା କରିପାରନ୍ତି, ସେ ସ୍କଚ୍ ହୁଇସ୍କି ଛୁଅନ୍ତି ନାହିଁ । ଟଙ୍କା ଖାଇ ଖାଇ ତାଙ୍କର ଅରୁଚି ଧରିଲାଣି । କେବଳ ମୁଁ କୁଆଡ଼େ ତାଙ୍କ ମତ ବଦଳାଇ ଦେଇପାରେ । ମୁଣ୍ଡ ଘୂରାଇ ଦେଇପାରେ’’- ସାମାଜିକ ବ୍ୟଭିଚାରର ଏକ ଜ୍ଵଳନ୍ତ ନମୁନା । ନାରୀ ଜୀବନର କରୁଣ କାହାଣୀ ଗାଳ୍ପିକା ବୀଣାପାଣି ମହାନ୍ତିଙ୍କ ଗଳ୍ପରେ ପ୍ରକାଶ ପାଇଛି ।

 

ମନୋଜ ଦାସଙ୍କ ‘‘ବିଷ କନ୍ୟାର କାହାଣୀ’’ ନାରୀ ଜୀବନର ଅନ୍ଧ ଗଳିର କଥା କହେ । ପୁରୁଷର ସ୍ଵାର୍ଥରକ୍ଷା ନାରୀର ପରମାର୍ଥ । ଜୀବନକୁ ତିଳ ତିଳ ଦଗ୍‌ଧ କରି ସେ ପୁରୁଷର ପ୍ରବୃତ୍ତି ମେଣ୍ଟାଏ । କିନ୍ତୁ ଉପଭୋଗର ପରିକ୍ଷଣରେ ଶୂନ୍ୟ ପାନପାତ୍ର ପରି ପୁରୁଷ ନାରୀକୁ ଭୂଲୁଣ୍ଠିତ କରେ-। ନାରୀ ଶିକ୍ଷା, ନାରୀ ଜାଗରଣ, ନାରୀ ପ୍ରଗତି କେବଳ ଆମ ମୁହଁର କଥା । କନ୍ୟାଶ୍ରମ, ଅବଳାଶ୍ରମ, ବାଳାଶ୍ରମ, ବିଧବାଶ୍ରମ, କର୍ମଜୀବୀ ମହିଳା ନିବାସ ନାମରେ କେତେ ସରକାରୀ, ବେସରକାରୀ ଅନୁଷ୍ଠାନରେ ସୁରକ୍ଷାର ବିଡ଼ମ୍ବନା ହେତୁ ନାରୀ ଲୁଣ୍ଠିତା ହୁଏ । ପରିସ୍ଥିତିର ତାଡ଼ନାରେ ପ୍ରେମିକା ହୀରା ବିଷକନ୍ୟାରେ ପରିଣତ ହୁଏ । ବସ୍ତିର ଗଣିକାର ଅନୁର୍ବର ନିଃଶ୍ୱାସ ପବନରେ କେତେ ନାରୀରଙ୍କ ନରଙ୍କର, ନିଦ୍ରା ଭାଙ୍ଗିଯାଏ । ଶୟନ କକ୍ଷର ନର୍ତ୍ତକୀ, ଯୌନ ଜୀବନର ସହଚାରୀ ଭାବରେ ନାରୀର ଲୀଳାମୟ ମୂର୍ତ୍ତିଟି ଆମର କାମପ୍ରବଣ ମନକୁ ସବୁବେଳେ ଆଚ୍ଛାଦିତ କରି ରଖିଛି ।

 

ସାତକୋଡ଼ି ହୋତାଙ୍କର ‘‘ପୃଥିବୀର ଲୁହ’’ ଗଳ୍ପରେ ଡାକ୍ତରଖାନାର ଅବ୍ୟବସ୍ଥାର ଚିତ୍ର ଅଙ୍କିତ । ଜନସାଧାରଣଙ୍କ ସେବାପାଇଁ ଉଦ୍ଦିଷ୍ଟ ସରକାରୀ ଚିକିତ୍ସାଳୟରେ ରୋଗୀ ଉପେକ୍ଷିତ ହୁଏ-। ଦୁରାରୋଗ୍ୟ ପ୍ରପୀଡ଼ିତା ଯମୁନାକୁ ନେଇ ମଧୁ ଆସିଛି ବଡ଼ ଡାକ୍ତରଖାନାକୁ ଚିକିତ୍ସାପାଇଁ । ଆଉଟଡୋର ଟିକେଟ ଖଣ୍ଡିଏ ଧରି ତାକୁ ଅପେକ୍ଷା କରିବାକୁ ପଡ଼ିଛି । କିନ୍ତୁ ଡାକ୍ତରଙ୍କ ସହିତ ପରାମର୍ଶ କରିବାର ସୁଯୋଗ ତାକୁ ମିଳିନାହିଁ । ତିନିଦିନ ଧରି ଡାକ୍ତରବାବୁଙ୍କ ଘରୋଇ ଚିକିତ୍ସାକେନ୍ଦ୍ରରେ ସେ ଅପେକ୍ଷା କରିବା ପରେ ଡାକ୍ତରଙ୍କ କଥା ‘‘ସବୁ ବ୍ୟବସ୍ଥା କର’’ର ଅର୍ଥ ସେ ବୁଝିପାରି ନାହିଁ । ଭିଟାମାଟି ବିକି ଆଣିଥିବା ତିନିଶହ ଟଙ୍କାରୁ ବାଟଖର୍ଚ୍ଚ ଓ ଅନ୍ୟାନ୍ୟ ବାବଦରେ କେତେ ଖର୍ଚ୍ଚ ଯାଇ ଆଉ ଯାହା ବଳିଥିଲା, ସେତକ ଡାକ୍ତରଙ୍କ ଫିସ୍‌କୁ ନିଅଣ୍ଟ । ‘‘ସରକାର ସବୁ ମାଗଣାରେ ଦିଅନ୍ତି ବୋଲି ଯେଉଁ କଥାଟା ସଭିଏଁ କହନ୍ତି, ସେଇଟା ତା’ହେଲେ ଖାଲି ଶୁଣିବ’’ ବୋଲି ସେ ଭାବିଛି । ତଥାପି ଡାକ୍ତରଙ୍କ ପ୍ରତି ତାର ଅସୂୟା କିମ୍ବା କ୍ରୋଧ ପ୍ରକାଶ ପାଇନାହିଁ । ଚିକିତ୍ସା ଅଭାବରୁ ଯମୁନାର ଜୀବନ ଯାଇଛି । ସବୁ ବ୍ୟବସ୍ଥା ହୋଇପାରି ନାହିଁ । ଯମୁନାର ଶବକୁ କାନ୍ଧରେ ବୋହି ନେବା ବେଳେ ଡାକ୍ତରଙ୍କ ପ୍ରତି ଶୁଭକାମନା କରିଛି ମଧୁ ‘‘ମଧୁ-ଯମୁନାର ସଲାମ ନବା ହେଉ । ହଜୁରଙ୍କ ହାତ ଯଶ ଆହୁରି ବଢ଼ୁ ।’’ ଆଧୁନିକ ପୃଥିବୀରେ ଲୁହର ବନ୍ୟା । ସତେଅବା ମାନବ ହୃଦୟର ଅନୁକମ୍ପାର ଧାର ଶେଷ ହୋଇଯାଇ ଲହୁ ଲୁହ ହୋଇ ଆଖି କୋଣରେ ଜକେଇ ଉଠିଛି ।

 

ଆଧୁନିକ ଜୀବନର ସମସ୍ୟା ଓ ସଂକଟର ସୀମା ନିରୂପଣ କରିବା ସହଜ ବ୍ୟାପାର ନୁହେଁ । ବ୍ୟକ୍ତି ଜୀବନର ସମସ୍ୟା ମଧ୍ୟ ବହୁରୂପୀ । ଲେଖକର ସମସ୍ୟା, ପ୍ରକାଶକର ସମସ୍ୟା, ପାଠକର ସମସ୍ୟା । ନିଃସଙ୍ଗ ମଣିଷର ସମସ୍ୟା ଆହୁରି ଭୟଙ୍କର । ଏହି ସମସ୍ୟାଗୁଡ଼ିକର ରୂପାୟନରେ ଓଡ଼ିଆ ଗଳ୍ପ ପଶ୍ଚାତ୍‌ପଦ ହୋଇନାହିଁ । ଏକାଡେମୀ ପୁରସ୍କାର ଲାଭର ଆଶାୟୀ ହୋଇ ଲେଖକ ଓ ପ୍ରକାଶକ ଯେଉଁପ୍ରକାର ସାହିତ୍ୟିକ ବୃତ୍ତି ଅବଲମ୍ବନ କରିଥାନ୍ତି, ତା’ର ଏକ ଆଭାସ ରହିଛି ‘ଜଗନ୍ନାଥ ପ୍ରସାଦ ଦାସଙ୍କ ‘ସାହିତ୍ୟକାର’ ଓ କୃଷ୍ଣପ୍ରସାଦ ମିଶ୍ରଙ୍କ ‘‘ଘର ଭିତରର ଶତ୍ରୁ’’ ଗଳ୍ପରେ । ସାହିତ୍ୟ ଏକ ମୂଲ୍ୟବୋଧ ଓ ସାହିତ୍ୟିକ ଏହି ମୂଲ୍ୟବୋଧର ଉପାସକ-ଏହି ଉଦାର ଚେତନା ସାମ୍ପ୍ରତିକ ସାହିତ୍ୟିକ ଓ ପ୍ରକାଶକଙ୍କଠାରୁ ଲୋପ ପାଇଯାଉଛି । ପରିସ୍ଥିତିର ଚାପରେ ପଡ଼ି ଅନେକ ସମୟରେ ମଣିଷ ତା’ର ମୂଲ୍ୟବୋଧ ହରାଇ ବସେ । ଆଦର୍ଶବାଦୀ ଅବସରପ୍ରାପ୍ତ ଶିକ୍ଷକ ସଦାଶିବବାବୁ ବି. ଏ. ପରୀକ୍ଷା ଦେଇଥିବା ପୁଅର ଖାତାରେ ଅଧିକ ନମ୍ବର ପାଇଁ ନିଜର ଛାତ୍ର-ଅଧ୍ୟାପକର ଦ୍ଵାରସ୍ଥ ହୁଅନ୍ତି । ଦୀପ୍ତ ସୂର୍ଯ୍ୟମଣ୍ଡଳ ସତେ ଅବା ‘‘ପୂର୍ଣ୍ଣ ପରାଗର ଦିନ’’ରେ ମଳିନ ହୋଇ ଉଠିଛି । ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା କରାଯିବା ପରେ ଅଧ୍ୟାପକ ନରହରି ଉପାଧ୍ୟାୟ ସଂସାର ଦୃଷ୍ଟିରେ ପାଗଳରେ ପରିଣତ ହୋଇ ଯାଆନ୍ତି ଓ ବୃକ୍ଷଗୁଡ଼ିକୁ ଛାତ୍ର ଭାବରେ ଗ୍ରହଣ କରି ଅଧ୍ୟାପନା କାର୍ଯ୍ୟରେ ବୃତ୍ତିର ସାର୍ଥକତା ଖୋଜନ୍ତି । ଦାଶ ବେନହୁରଙ୍କ ‘‘ଏକା ଏକା’’ ଗଳ୍ପରେ କର୍ମହୀନ ବୁଦ୍ଧିଜୀବୀର ଜୀବନର ସଙ୍କଟ ଉପସ୍ଥାପିତ ।

 

ପୂର୍ବାଲୋଚିତ ଗଳ୍ପଗୁଡ଼ିକର ଭାବ ଓ ଭାଷାରେ ପାରମ୍ପରିକତାର ଆଭାସିତ ରୂପ ଦୁର୍ଲକ୍ଷ୍ୟ ନୁହେଁ । ସମାଜର ନିତ୍ୟଦୃଷ୍ଟ ବ୍ୟଭିଚାର, ଅଭାବ, ଅନଟନର ଓ ବ୍ୟକ୍ତିଗତ ଜୀବନର ଦୁଃଖପୂର୍ଣ୍ଣ ଚିତ୍ରରେ ଏ ଗଳ୍ପଗୁଡ଼ିକ ଜୀବନ୍ତ । ଏଗୁଡ଼ିକର ଆକର୍ଷଣ ଏହାର କରୁଣା କୋମଳ ଭାଷା ଓ ଜୀବନାଗ୍ରହୀ ରସ ଚେତନା । ଏଗୁଡ଼ିକ ସହଜବୋଧ୍ୟ ଓ ସୁଖପାଠ୍ୟ । ବୌଦ୍ଧିକତା କିମ୍ବା ଦୁରାନ୍ୱୟ ଏହି ଗଳ୍ପଗୁଡ଼ିକରେ ସମଧିକ ପରିମାଣରେ ପ୍ରକାଶ ପାଇନାହିଁ । ସୁନିର୍ବାଚିତ ପୃଷ୍ଠଭୂମି ଯୋଜନା, ସୁପରିକଳ୍ପିତ ସମସ୍ୟା ଓ ବିଧିବଦ୍ଧ କାହାଣୀ ସଂଯୋଜନା ମାଧ୍ୟମରେ ସାମାଜିକ ଜୀବନର ଚିତ୍ରରୂପ ପ୍ରକଟନ ଏଗୁଡ଼ିକର ଲକ୍ଷ୍ୟ । ଏହି ଗଳ୍ପଗୁଡ଼ିକ ଆଧୁନିକ ଜୀବନର ଆଲେଖ୍ୟ । ଏଥିରେ ସନ୍ନିବିଷ୍ଟ ଚିତ୍ର-ଚରିତ-ଘଟନା ଆମର ପରିଚିତ ଜୀବନ, ଜଗତ୍ ଓ ଅନୁଭବରୁ ଦୂରବର୍ତ୍ତୀ ନୁହେଁ ।

 

ବ୍ୟଙ୍ଗ, ପ୍ରତୀକ, ମୀଥ୍, ରୂପକ ମାଧ୍ୟମରେ ଆଧୁନିକ ମଣିଷର ଅନ୍ତର୍ଲୋକର ସ୍ଵରୂପ ଉଦ୍‌ଘାଟନ ଆଧୁନିକ କଥାଶିଳ୍ପର ଏକ ପ୍ରଧାନ ପ୍ରବୃତ୍ତି । ସମସ୍ୟାର ଯଥାର୍ଥ ରୂପ ପ୍ରକଟନ ନିମନ୍ତେ ବର୍ଣ୍ଣନା ଅପେକ୍ଷା ସୂଚନା କିମ୍ବା ବ୍ୟଞ୍ଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଜିର ଶିଳ୍ପୀ ସଚେତନ-। ସାମାଜିକ, ସାଂସ୍କୃତିକ, ଅର୍ଥନୀତିକ, ରାଜନୀତିକ, ଆଧ୍ୟାତ୍ମିକ ଓ ବ୍ୟକ୍ତିଗତ ବିଭିନ୍ନ ସମସ୍ୟା ସାମ୍ପ୍ରତିକ ଜୀବନଧାରାକୁ ବିକ୍ଷୁବ୍‌ଧ କରିଛି । ତେଣୁ ସମସ୍ୟାର ଯଥାଦୃଷ୍ଟ ଓ ଯଥାପ୍ରାପ୍ତ ରୂପଟିର ଉପସ୍ଥାପନା ପାଇଁ ଗାଳ୍ପିକ ଅନାଗ୍ରହ ପ୍ରକାଶ କରି ଆସିଛି । ଆଧୁନିକ ଲେଖକର ଶିଳ୍ପ-ଚେତନା ତା’ର ଜୀବନ-ଶୈଳୀ ହୋଇ ଉଠିଛି । ଶବ୍ଦ ବିନ୍ୟାସ, ରୂପାଙ୍କନ ଆଦର୍ଶ, ଚରିତ୍ର ନିର୍ମାଣ, ଭାବ-ପ୍ରକାଶନ କ୍ଷେତ୍ରରେ ଲେଖକୀୟ ବୈଶିଷ୍ଟ୍ୟ ପ୍ରକାଶ ପାଉଛି । ମନୋଜ ଦାସଙ୍କ ବ୍ୟଙ୍ଗାତ୍ମକ-ଶୈଳୀ, ସୁରେନ୍ଦ୍ର ମହାନ୍ତିଙ୍କ ଆଭିଜାତ୍ୟପୂର୍ଣ୍ଣ ଶୈଳୀ, କୃଷ୍ଣ ପ୍ରସାଦ ମିଶ୍ରଙ୍କ ଦାର୍ଶନିକ ଶୈଳୀ, କିଶୋରୀ ଚରଣ ଦାସଙ୍କ ଚେତନାପ୍ରବାହ ଧର୍ମୀ ଶୈଳୀ, ରାଜକିଶୋରଙ୍କ ମନସ୍ତାତ୍ତ୍ୱିକ ଶୈଳୀ, ଗୋପୀନାଥ ମହାନ୍ତିଙ୍କ କାବ୍ୟିକ ଶୈଳୀ, ଅଖିଳ ମୋହନଙ୍କ ବିଶ୍ଳେଷଣାତ୍ମକ ଶୈଳୀ ଅନନ୍ୟାଶ୍ରିତ ବ୍ୟକ୍ତିତ୍ୱବୋଧର ପରିଚାୟକ । ଶୈଳୀର ଏହି ବିଶିଷ୍ଟତା ମହାପାତ୍ର ନୀଳମଣି ସାହୁଙ୍କ କଥାବଳୀରେ ଅନୁପଲଭ୍ୟ । ତାଙ୍କର ଶୈଳୀ ରୋମାଣ୍ଟିକ୍ ଆଣ୍ଟି ରୋମାଣ୍ଟିକ, କାବ୍ୟିକ, ବିଶ୍ଳେଷଣ ପ୍ରବଣ । କେଉଁଠି ଅତିମାନସ ମାୟାଲୋକର ସନ୍ଧାନରେ ଅନୁଭବମୟ କାବ୍ୟିକ ଆବେଗ ଦ୍ଵାରା ମୂର୍ଚ୍ଛିତ ଓ କେଉଁଠି ମାନବୀୟ ଭାବାନୁଭୂତିର ସ୍ପର୍ଶରେ କରୁଣା-କୋମଳ । ଗାଳ୍ପିକ ବସନ୍ତ କୁମାର ଶତପଥୀ ଓ ଭୁବନେଶ୍ଵର ବେହେରା କିମ୍ୱା ଚନ୍ଦ୍ରଶେଖର ରଥଙ୍କ ଶୈଳୀର ଏକ ନିର୍ଦ୍ଦିଷ୍ଟ ଦିଗ କିମ୍ୱା ବାଗ ସମ୍ପର୍କରେ କହିବା କଷ୍ଟକର । ଶୈଳୀ ଶିଳ୍ପର ଅନୁଶାସନ ଦ୍ଵାରା ପରିଚାଳିତ । ମିନି ଗଳ୍ପ, ଅଣୁଗଳ୍ପ, ଆଭାସ ଗଳ୍ପ ଇତ୍ୟାଦି ଗଳ୍ପର ଆଙ୍ଗିକ ପରୀକ୍ଷାରୁ ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ଉତ୍ତୀର୍ଣ୍ଣ ।

 

ସାମ୍ପ୍ରତିକ ଜୀବନର ବ୍ୟଙ୍ଗଚିତ୍ର ଅଙ୍କନ ଆଧୁନିକ କ୍ଷୁଦ୍ର ଗଳ୍ପର ଏକ ପ୍ରଧାନ ପ୍ରବୃତ୍ତି । ଦୁର୍ନୀତି ଓ ଦୁର୍ଗତିର ସଂପ୍ରସାରଣ ଏତେ ଦ୍ରୁତ ଗତିରେ ଚାଲିଛି ଯେ ଏହାର ନିରାକରଣ ଯେପରି ମନୁଷ୍ୟର ଶକ୍ତି ଓ ସାମର୍ଥର ଅନାୟତ୍ତ ହୋଇ ପଡ଼ିଛି । କିନ୍ତୁ ଚେତନାଶୀଳ ମନୁଷ୍ୟଟି ସେହି ଅବକ୍ଷୟର ପକ୍ଷ ସମର୍ଥନ କରି ପାରୁନାହିଁ କିମ୍ୱା ସେଥିରୁ ଚକ୍ଷୁ ଫେରାଇ ନେଇ ଆତ୍ମସ୍ଥ ହୋଇ ପାରୁନାହିଁ । କ୍ରୁଦ୍ଧମାନବର ବିଦ୍ରୋହ କିମ୍ୱା ଚିତ୍କାରରେ ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଆଚ୍ଛନ୍ନ କରି ରଖିଥିବା ଦୁର୍ନୀତି ହଟିବ ନାହିଁ । ଆମର ସମାଜ, ବ୍ୟକ୍ତି ଓ ଅନୁଷ୍ଠାନ ଏହା ପ୍ରତି କର୍ଣ୍ଣପାତ କରିବେ ନାହିଁ । ତେଣୁ ଆଧୁନିକ ସଚେତନଶୀଳ ସ୍ରଷ୍ଟା ଦୁର୍ନୀତିକୁ ବ୍ୟଙ୍ଗବାଣରେ ଜର୍ଜର କରିବାର ଶପଥ ଗ୍ରହଣ କରିଛି । ଦୁର୍ନୀତି, ଦୁରାଚାର, ଦୁର୍ଘଟଣା, ଅମାନବିକତା, ଅସଭ୍ୟତା ଓ ଅଶୋଭନୀୟତାକୁ ସେ ରାଜସଭାତଳେ ବିବସ୍ତ୍ର କରିବା ପାଇଁ ସଙ୍କଳ୍ପବଦ୍ଧ । ଲାଞ୍ଛିତ, ଅପମାନିତ ଓ ପଦଦଳିତ ପ୍ରତି ସହାନୁଭୂତି ବ୍ୟଞ୍ଜିତ ରହିଛି ଏହି ବ୍ୟଙ୍ଗଧର୍ମୀ ଗଳ୍ପରେ । ଗାଳ୍ପିକ ମନୋଜ ଦାସ ଏହି ବ୍ୟଙ୍ଗର ସଫଳ ରୂପକାର ।

 

ଅଙ୍ଗ ବିକୃତି, କପଟାଚାର, ଛଦ୍ମଗାମ୍ଭୀର୍ଯ୍ୟ, ଆତ୍ମପ୍ରୌଢ଼ୀ, ଅହମିକା, ବୃଥାଭିମାନ, ଅସ୍ଵାଭାବିକ ଆଚରଣ, ଅଯୌକ୍ତିକ ବାକ୍ୟ ବିନ୍ୟାସ, ବେଶଭୂଷାର ବିକୃତ ପରିପାଟୀ ଆମଠାରେ ହାସ୍ୟ ଉଦ୍ରେକ କରେ ଓ ଏହି ହାସ୍ୟ ହିଁ ବ୍ୟଙ୍ଗର ସାଧନ । ଅସାଧୁକୁ ସାଧୁ, ଅନ୍ଧକୁ ବିଜ୍ଞ, କ୍ଷୁଦ୍ରକୁ ମହତ୍‌ ରୂପରେ ପ୍ରତିପାଦନ କରିବାର ସ୍ଥୂଳ ବର୍ଣ୍ଣନା ମଧ୍ୟରୁ ଅସାରତା ବ୍ୟଞ୍ଜିତ ହେଲେ ବ୍ୟଙ୍ଗ ବା ବକ୍ରୋକ୍ତି ହୁଏ । ମନୋଜ ଦାସଙ୍କ ‘‘ଅପହୃତ ଟୋପିର ରହସ୍ୟ’’ ଗଳ୍ପରେ ନେତାଙ୍କର ଟୋପି ଅପହରଣ ଜନିତ ହଟ୍ଟଚମକ ଓ ତାଙ୍କର ସମ୍ମାନ ରକ୍ଷା ପାଇଁ ଟୋପି ଦାନର ପ୍ରଲମ୍ୱିତ ମହତ୍ତ୍ୱ ପ୍ରଚାର ପରେ ଟୋପି ସହିତ ଅପହୃତକାରୀ ମର୍କଟର ଆବିର୍ଭାବ ଘଟଣା ନାଟକୀୟ ବକ୍ରୋକ୍ତି (Irony of situation)ର ଏକ ନମୁନା । ବିକୃତ ବ୍ୟାଖ୍ୟା ଓ ପୁନରାବୃତ୍ତିର ସହାୟତାରେ ଏହି ବକ୍ରୋକ୍ତି ପୁଣି ଜୀବନ୍ତ । ବ୍ୟକ୍ତି ଓ ଅନୁଷ୍ଠାନର ଉପହାସ୍ୟକର ବର୍ଣ୍ଣନା ହାସ୍ୟ ଉତ୍ପାଦକ । ‘‘ବାବା ଚକ୍ରଧାରୀ ବୃତ୍ତାନ୍ତ’’ ଗଳ୍ପରେ ବାମନ ନଗରୀ କିମ୍ୱା ‘‘ଆବୁ ପୁରୁଷ’’ ଗଳ୍ପରେ ଶର୍ମାଙ୍କ ଆବୁର ଅତିରଞ୍ଜିତ ବର୍ଣ୍ଣନା ବ୍ୟଙ୍ଗର ସହାୟକ । ବାକ୍‌ବୈଦଗ୍‌ଧ୍ୟ ଓ ଭାଷା ବୈଚିତ୍ର୍ୟର ସମାରୋହରେ ମନୋଜଙ୍କ ବ୍ୟଙ୍ଗାତ୍ମକ ଶୈଳୀ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇ ଉଠିଛି । ସୁରୁଚି, ସଂଯମ ଓ ସଙ୍ଗତିବୋଧ ସହିତ କଳା ନିପୁଣତା ମନୋଜଙ୍କ ଗଳ୍ପର ବିଶେଷତ୍ୱ । ‘‘ବ୍ୟାଘ୍ରାରୋହଣ’’ ଗଳ୍ପରେ ବ୍ୟଙ୍ଗର ପ୍ରକାଶ ସମ୍ପୂର୍ଣ୍ଣ ବିପରୀତ-ମୁଖୀ । ଅଜ୍ଞରାଜା ଓ ଅଜ୍ଞବୋଧନକାରୀ ରଟୁଆଳ, କୁଟୁଆଳ, ମନ୍ତ୍ରୀ ଓ ସେନାପତିଙ୍କ ଦର୍ପିତ ଅହଙ୍କାରର ଶିକାର ହୋଇଛନ୍ତି ଜ୍ଞାନୀ-ବିବେକବନ୍ତ ରାଜପୁତ୍ର । ଅତୀତ ଓ ବର୍ତ୍ତମାନର ଅହଂସର୍ବସ୍ଵ ଅନ୍ଧ ଅବିବେକିତାର ପୃଷ୍ଠଭୂମିରେ ପ୍ରଜ୍ଞାମୟ ଭବିଷ୍ୟତ୍‌ର ବଳି ଅବିମୃଷ୍ୟକାରିତାର ପରିଚାୟକ । ଅଚ୍ୟୁତାନନ୍ଦ ପତିଙ୍କ ‘‘ଅଶୁଭ ପୁତ୍ରର କାହାଣୀ’’ରେ ଆଲୋକରାଜ୍ୟ ଜୟ କରିବାପାଇଁ ଉଦ୍ୟତ ପେଚାଛୁଆ ମୁମୂର୍ଷୁ ଅବସ୍ଥାରେ ପଡ଼ି ତା’ର ଆତୁରା ମାଆକୁ ଦେଇଥିବା ସନ୍ଦେଶ ‘‘ମାଆ ତୁ କାନ୍ଦନା । ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ, ତାଙ୍କ ଭାଇ ଆଲୋକରାଜ୍ୟ ଜୟ କରିବା ପାଇଁ ବୀର ପରି ମରିଛି ।’’-ଆଲୋକ ରାଜ୍ୟର ଚୌହଦୀରେ ଅନ୍ଧକାରର ବୀଭତ୍ସ ରୂପ ବ୍ୟଙ୍ଗ ମାଧ୍ୟମରେ ପ୍ରକଟିତ । ଗାଳ୍ପିକ ବିଜୟ ନାୟକଙ୍କ ‘‘କୁଆ’’ ଓ ‘‘ଦର୍ଦୁର’’ ଗଳ୍ପ ବ୍ୟଙ୍ଗକୁ ଉପଜୀବ୍ୟ କରି ରଚିତ । ପ୍ରଥମଟି ଆଧୁନିକ ମାନବ ଅନ୍ତରରେ ଥିବା ଆତ୍ମୀୟତା ଓ ସମ୍ପର୍କ ଶୂନ୍ୟତାର ଦୟନୀୟ ରୂପ ପ୍ରକଟନରେ ସାର୍ଥକ ହୋଇଥିବା ସ୍ଥଳେ ଦ୍ଵିତୀୟଟି ଆଧୁନିକ ରାଜନୀତିର ମର୍ମୋଦ୍‌ଘାଟନ କରିଛି । ବିଜୁଳି ତାର ଲାଗି ମରି ଝୁଲୁଥିବା କୁଆ ପ୍ରତି କୁଆ କୁଳର ସହାନୁଭୂତି ତାଙ୍କର ଆକୁଳ କୋଳାହଳ ମଧ୍ୟରେ ପ୍ରକାଶ ପାଇବା ସ୍ଥଳେ ରାତିର ସଡ଼କ ଦୁର୍ଘଟଣାରେ ମରି ପଡ଼ିଥିବା ମଣିଷର ପରିଚୟ ପାଇଁ କାହାଠାରେ ସାମାନ୍ୟତମ ବ୍ୟାକୁଳତା ପ୍ରକାଶ ପାଇନାହିଁ । ‘‘ଦର୍ଦୁର’’ ଗଳ୍ପରେ ପ୍ରଜାପିତାଙ୍କ ଆଶୀର୍ବାଦରୁ ଦର୍ଦୁରର ସର୍ପ ହେବା ଓ ସେହି ରୂପାନ୍ତରିତ ଦର୍ଦୁର-ସର୍ପ ସ୍ଵଜାତିକୁ ଭକ୍ଷଣ କରିବା ପ୍ରସଙ୍ଗ ବିବୃତ୍ତ । ‘‘ପୁନର୍ମୂଷିକ ଭବ’’ ଉପଖ୍ୟାନରୁ ଭାବ ଓ ପ୍ରାଚୀନ ସଂସ୍କୃତ ଭାଷାରୁ ପ୍ରାଣଶକ୍ତି ସଂଗ୍ରହ କରିଥିଲେ ବି ସାମ୍ପ୍ରତିକ ରାଜନୀତି ପରିପ୍ରେକ୍ଷୀରେ ‘‘ଦର୍ଦୁର’’ ଲୋକଶକ୍ତି ଦ୍ଵାରା ଶକ୍ତିମନ୍ତ ନେତାମାନଙ୍କର ଜନତା ଶୋଷଣ ବୃତ୍ତିକୁ ବ୍ୟଙ୍ଗାତ୍ମକ ଭାବରେ ବ୍ୟବଚ୍ଛେଦ କରିଛି ।

 

ପ୍ରତୀକ ବ୍ୟଞ୍ଜନା ଦୃଷ୍ଟିରୁ ଓଡ଼ିଆ କ୍ଷୁଦ୍ରଗଳ୍ପର ମହତ୍ତ୍ୱ ଅନସ୍ଵୀକାର୍ଯ୍ୟ । ଗୋପୀନାଥଙ୍କ ‘‘ପୋଳୁହ କଟା’’, ସୁରେନ୍ଦ୍ର ମହାନ୍ତିଙ୍କ ‘‘ମରାଳର ମୃତ୍ୟୁ’’, ଶାନ୍ତନୁ କୁମାରଙ୍କ ‘ଦୁର୍ବାର’ ‘‘ଅଦିନ ବଉଳ’’ ମନୋଜ ଦାସଙ୍କ ‘ଆବୁ ପୁରୁଷ’, ଚନ୍ଦ୍ର ଶେଖରଙ୍କ ‘‘ଅଶ୍ଵାରୋହୀ’’ ‘‘ଭୋଗ ଦଖଲ’’, ‘‘ତାସ୍‌ ଘର’’ ‘‘ମ୍ୟୁଜିୟମ୍‌’’ ଇତ୍ୟାଦି ଗଳ୍ପ ମହତ୍ତ୍ୱପୂର୍ଣ୍ଣ । ‘‘ପୋଳୁହ କଟା’’ର ଟିକମ୍‌ ଦାସ ଯଥାର୍ଥରେ ସଂସାରରୂପୀ ପୋଳୁହରୁ ନିଷ୍କୃତି ଲାଭ କରିଥିବା ଛନକା ମାଛଟିଏ । ସଂସାର ଲୀଳା ତା’ର ଅନନୁଭୂତ ବ୍ୟାପାର ନୁହେଁ । ସଂସାର-ଜାଲ, ମୀନରୂପୀ-ମାନବ, କାଳରୂପୀ-ଧୀବର ଏହି ପାରମ୍ପରିକ ପ୍ରତୀକଗୁଡ଼ିକ ଏଥିରେ ରୂପାୟିତ ହୋଇଛନ୍ତି । ‘‘ମରାଳର ମୃତ୍ୟୁ’’ରେ ନୀଳକଳ୍ପବଟ ତଳେ ଯମୁନାର ଜଳରେ ସନ୍ତରଣକାରୀ ହଂସ ଭାରତୀୟ ଅଧ୍ୟାତ୍ମ ଚେତନାର ପ୍ରତୀକ ପ୍ରାଣଶକ୍ତି ବା ଜୀବାତ୍ମା । ‘ଦୁର୍ବାର’ ଗଳ୍ପର ମୂଷା ଦୁନିର୍ବାର, ଦୁର୍ନୀତିର ପ୍ରତୀକ, ଏହାର ନିରାକରଣ ପାଇଁ ନିଷ୍ଠୁର କର୍ତ୍ତବ୍ୟବ୍ରତ ଓ ମୋହହୀନ ଏକାଗ୍ରତାର ଏକାନ୍ତ ପ୍ରୟୋଜନ । କର୍ତ୍ତବ୍ୟ ପୀଠରେ ତେଣୁ ପ୍ରିୟା-ପ୍ରୀତିକୁ ବଳି ଦେବାକୁ ପଡ଼ିବ । ଆସବାବପତ୍ରର ଭଙ୍ଗାକୁଢ଼ ଉପରେ ଦୁର୍ଦ୍ଦାନ୍ତ ମୂଷିକର ରକ୍ତାକ୍ତ ଦେହ ଆବିଷ୍କାର କରିଛନ୍ତି ଗଳ୍ପର ନାୟକ । ମୂଷାଟି କିନ୍ତୁ ପ୍ରାଣ ହରାଇଛି ପୁଅ ଧୀରର ମାଡ଼ରେ । ଭବିଷ୍ୟତ୍ ହାତରେ ଏହାର ଦାୟିତ୍ୱ ଛାଡ଼ିଛନ୍ତି ଲେଖକ । ‘ଅଦିନ ବଉଳ’ ଆମର ଅଦୂର-ଦୃଷ୍ଟିର ସୂଚନା ଦିଏ । ଉଚ୍ଚ ଶିକ୍ଷାର ଫେଶନୀ ସଂପ୍ରସାରଣ ଆମର ଉତ୍‌ଶୃଙ୍ଖଳତାର ସୀମା ବଢ଼ାଇଛି । ବିଖ୍ୟାତ କଟକରୁ ଅଖ୍ୟାତ ପଲ୍ଲୀ ପର୍ଯ୍ୟନ୍ତ ଛତୁ ଫୁଟିଲା ପରି କଲେଜ ଓ କୌଣସିମତେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବାଜେ ପିଲାଙ୍କର କଲେଜରେ ପ୍ରବେଶ ବୃକ୍ଷ ବିନାଶୀ ଅଦିନ ବଉଳର ଆବିର୍ଭାବ ପରି ଅଶୁଭଙ୍କରୀ ସୂଚନା । ‘ଅଶ୍ଵାରୋହୀ’ ଗଳ୍ପର ‘ରାଜଘୋଟକ’ ଓ ‘ଭୋଗ ଦଖଲ’ର ଛଅଫୁଟ ଲମ୍ୱର ଅଚ୍‌କନ୍‌ ଆଧୁନିକ ମଣିଷପାଇଁ କେବଳ ଦର୍ଶନୀୟ ବସ୍ତୁ । ଅଯୋଗ୍ୟର ଉତ୍ତରାଧିକାର ପ୍ରସଙ୍ଗ ଉପରେ ଏହାର ପ୍ରୟୋଗ ପ୍ରତିକାତ୍ମକ । ଖେଳୁଆଡ଼ ସିଂହପରି ଦୁର୍ବାର ରାଜଘୋଟକ ଉପରେ ସବାର ହେବାର ଅପରାଧରେ ଦଣ୍ଡିତ ହୋଇଛି ଶକ୍ତିମୟ ବରଜା । କିନ୍ତୁ ଯୋଗ୍ୟ ସବାରର ଅଭାବ ହେତୁ ପାଟଘୋଡ଼ାର ଆକାଙ୍‌କ୍ଷା ଅପୂର୍ଣ୍ଣ ରହିଛି ଚିରଦିନ । ରାଜା ଓ ତାଙ୍କର ଅଯୋଗ୍ୟ ଉତ୍ତରାଧିକାରୀ ରାଜଘୋଟକକୁ ପ୍ରଦର୍ଶନୀ ପୀଠରେ ଠିଆ କରିଛନ୍ତି । ‘ଭୋଗ ଦଖଲ’ ଗଳ୍ପରେ ଛଅଫୁଟିଆ ଅଚକନ୍‌ ପିନ୍ଧିବା ପାଇଁ ଆଧୁନିକ୍ ମଣିଷ ଖୁବ୍‌‌ ଛୋଟ ହୋଇ ଯାଇଥିବା ବିଷୟ ସୂଚିତ । ପାଟଘୋଡ଼ା ପରି ଅଚକନ୍‌ ରାଜକୀୟ ଦୀପ୍ତି ଓ ପୌରୁଷର ପ୍ରତୀକ । ସାତଫୁଟ ଲମ୍ବର ମଣିଷ ମାପକୁ ଚାହିଁ ତିଆରି ହୋଇଥିବା ଅଚକନ୍‌ ଆଜିର ଛଅ ନମ୍ବରିଆ ଯୋତାପିନ୍ଧା ମଣିଷପାଇଁ ଖୁବ୍‌ ଲମ୍ବା । ହାଇଦର୍ ଭାଷାରେ ‘‘ନେଇଁ ହଜୁର ଆମେ ୟାର୍ ଲାଏକ୍ ହୋଇ ପୈଦା ହୋଇ ନାହୁଁରେ’’ ଅଛି ଆମର ହୀନୀକୃତ ବ୍ୟକ୍ତିତ୍ୱର ଯଥାର୍ଥ ମୂଲ୍ୟାୟନ । ‘ତାସ୍‌ଘର’ ଗଳ୍ପରେ ଶକ୍ତିଧର କଳାପାନ ଟୀକା ଭିତରେ ଜଗନ୍ନାଥଙ୍କୁ ଦେଖିଛି । ଯଶୋଦା ଓ ନନ୍ଦଲାଙ୍କ ସୁସଜ୍ଜିତ ଗୃହାଙ୍ଗନ ପୁଅ କାହ୍ନାବାବୁଙ୍କ ବିୟୋଗରେ ହୋଇଛି ଏକ ଜୀବହୀନ ମ୍ୟୁଜିୟମ୍‌ । ସାପ ଓ ମାଛ ଯୌନ ପ୍ରତୀକ ଭାବରେ ଅନେକ ଗଳ୍ପରେ ଗୃହୀତ । ମନୋଜ ଦାସଙ୍କ ଆବୁପୁରୁଷ ଗଳ୍ପରେ ‘ଶର୍ମାଙ୍କ’ ଆବୁ ହିଁ ତାଙ୍କର ଚାରିତ୍ରିକ ଓ ବ୍ୟକ୍ତିଗତ ବିଶେଷତ୍ୱର ହେତୁ । ଏହା ମଣିଷର ଅଙ୍ଗ ନୁହେଁ, ନୁହେଁ ମଧ୍ୟ ଉପାଙ୍ଗ । ଅଙ୍ଗର ଅଶୁଭସୂଚକ ତଥା ଅଶୋଭନୀୟ ଅଙ୍ଗ ବିକୃତି ପ୍ରତି ମୋହ ଆମର ଆତ୍ମୀୟ ବିପର୍ଯ୍ୟୟର ସୂଚକ ହୋଇପାରିଛି । ପ୍ରତୀକ ସାହିତ୍ୟର ଏକ ଶାଶ୍ଵତ ବିଭବ । ଯୁଗ ଓ ଜୀବନର ପୃଷ୍ଠଭୂମିରେ ଏହା ଚିରକାଳୀନ ସାହିତ୍ୟର ଶୋଭନୀୟ ଆତ୍ମୀକ ଉପକରଣ ।

 

ଯୌନ ଜୀବନ ପ୍ରତି ଆକର୍ଷଣର ମାତ୍ରା ଓଡ଼ିଆ ଗଳ୍ପଗୁଡ଼ିକରେ କ୍ରମେ କମି ଆସୁଥିବା ବିଷୟ ଅନୁଭୂତ ହୁଏ । ଫ୍ରୟେଡ୍‌ଙ୍କ ଲିବିଡୋ ତତ୍ତ୍ୱ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ପ୍ରେମର ପାରମ୍ପରିକ ଧାରଣା ବଦଳି ଯାଇଛି । ପ୍ରେମ ଦେହ-ନିଭର୍ର ଯୌନ ବିକାର ହୋଇ ଉଠିଛି । ପ୍ରେମର ସଂଜ୍ଞା ନିରୂପଣ କରିଛି ସୁରେନ୍ଦ୍ର ବାବୁଙ୍କ ‘ନୀଳଜ୍ୟୋତ୍ସ୍ନା’ ଗଳ୍ପର ପ୍ରେମିକ । ‘‘ବଂଶରକ୍ଷା ଯେଉଁଦିନ ବିବାହର ଉଦ୍ଦେଶ୍ୟ ଥିଲା ସେଦିନ ଗର୍ଭ ଧାରିଣୀର ସତୀତ୍ୱ ସମାଜରେ ଏକ ସମ୍ମାନିତ ଆଦର୍ଶ ଓ ଆବଶ୍ୟକତା ଥିଲା । ମାତ୍ର ଆଜି ଜନ୍ମନିରୋଧ ଯୁଗରେ ବଂଶରକ୍ଷା ଅପେକ୍ଷା ଆତ୍ମରକ୍ଷା ବୃହତ୍ତର ପ୍ରଶ୍ନ । ଆଜି ତେଣୁ ବିବାହ ଏକ ଉଦ୍ଦେଶ୍ୟହୀନ ଦାୟିତ୍ୱ । ଏଥିରେ ମାତୃତ୍ଵର କ୍ଷୁଧା ମୋର ଶାନ୍ତ ହୋଇ ପାରିଥାଏ, ମାତ୍ର ମନ ମୋର ତୃଷାର୍ତ୍ତ, ନାରୀତ୍ୱ ମୋର କ୍ଷୁଧାର୍ତ୍ତ । ଏହି ଆଦିମ ପ୍ରବୃତ୍ତିର ଶିକାର ହୋଇ ସଚ୍ଚିବାବୁଙ୍କ ‘ପଣ୍ଡିତଙ୍କ ମୃତ୍ୟୁ’ ଗଳ୍ପରେ ପଣ୍ଡିତ ବିଶ୍ଵମ୍ଭର ନନ୍ଦ ମୂଲିଆଣୀ ଜାନକୀକୁ ଧର୍ଷଣ କରିଛନ୍ତି । ସୁରେନ୍ଦ୍ର ମହାନ୍ତିଙ୍କ ‘ଦୁଇସୀମାନ୍ତ’ ପୁସ୍ତକର ଦୁଇ ସୀମାନ୍ତ, କ୍ଳାନ୍ତ ଚୈତାଳୀ, କାଠଘୋଡ଼ା ଇତ୍ୟାଦି ଗଳ୍ପରେ ଯୌନ ବିକାରର ନଗ୍ନ ଚିତ୍ରଣ ରହିଛି । କିନ୍ତୁ ମାନବୀୟ ପ୍ରେମର ଏହା ଶେଷକଥା ନୁହେଁ । ମାତୃତ୍ୱ ଓ ପିତୃତ୍ୱ ସ୍ଵର୍ଗୀୟ ତଥା ଏକ ଅତି ମାନସିକ ଚେତନା । ମହାପାତ୍ର ନୀଳମଣି ସାହୁଙ୍କ ‘ମାତୃଦେବୀ ଭବ ପିତୃଦେବ ଭବ’ ଗଳ୍ପରେ ପ୍ରେମ ଦେହର ଆକର୍ଷଣରୁ ଊର୍ଦ୍ଧ୍ୱରେ ପ୍ରତିଷ୍ଠିତ ଏକ ମାନବୀୟ ଚେତନା । ସୁଜାତାର ଜାରଜ ସନ୍ତାନକୁ ପିତୃତ୍ଵର ଉଷ୍ମ ସ୍ପର୍ଶ ଦେଇ ପାଳିବା ସହିତ ପ୍ରେମକୁ ଦେହଜ ମିଳନର ପୃଷ୍ଠଭୂମିରୁ ଉତ୍ତୋଳିତ କରିଛି ଦୁଷ୍ମନ୍ତ-। ଏ ଆତ୍ମତ୍ୟାଗର ପଟ୍ଟାନ୍ତର ଦୁର୍ଲଭ । କିଶୋରୀ ଚରଣ ଦାସଙ୍କ ‘ମଣିହରା’ ଓ ‘ମୁନୁ ପାଇଁ ଗପଟିଏ’ରେ ଦୁଇଟି ମା’ର ଚିତ୍ର ଅଙ୍କିତ । ‘ମଣିହରା’ର ନିର୍ମଳା ଦେବୀ ପୁତ୍ର ବିରହ ଦୁଃଖରେ ଅଧୀରା । ତାଙ୍କ ପାଖରେ ଗୃହ, ଘରକରଣା, ସ୍ୱାମୀ ଓ ନିଜର ଦେହ ଓ ମନ ତୁଚ୍ଛ । ପାଇ ହରାଇବାର ବେଦନାମୟ ସ୍ମୃତି ତାଙ୍କୁ ମର୍ମାହତ କରିଛି । ଅନ୍ୟ ପକ୍ଷରେ ସନ୍ତାନ କାମନାରେ ମୁନୁ ପାପ-ପୁଣ୍ୟର ମଣିଷ ଗଢ଼ା ପାଚେରୀ ଉଲଂଘନ କରିଛି । ‘ଶେଷକୁ ଠିକ୍ କଲି ଯେ ମୋର ଗୋଟିଏ ପିଲା ଦରକାର । ମୋତେ ମାତୃତ୍ୱ ମଡ଼େଇଲା ତା’ ନୁହେଁ, ନିଜକୁ ଜିତେଇବା ପାଇଁ । ସଜ୍‌ଜୂ ଦେଇ ନ ପାରିଲେ ଆଉ କାହାଠୁ ଆଣିବି । x x x x ବୟସ ବଢ଼ି ଯାଉଛି, ପିଲା ଜନ୍ମ କରିବା ବେଳ ଗଡ଼ି ଯାଉଛି । x x ଘରଯାକ ମରନ୍ତୁ । ଏଇ ମୋର ନିଜର । ପାଜିକୁ ଯେତେ ଦେଲେ ବି’ ଯାଏ ଆସେ ନାହିଁ । ତାକୁ ମୋଟେ ମାଡ଼ି ପଡ଼ିବ ନାହିଁ । ସେ ଖାଲି ନେଉଥିବ, ରୁଚୁ କରି ଶୋଷି ନେଉଥିବ, ମୋଟେ ରାଗିବ ନାହିଁ ମୋ ଉପରେ ।’’ ମାତୃତ୍ୱର ଏହି ଶେଷହୀନ ଆତ୍ମ-ତ୍ୟାଗ ପ୍ରେମକୁ ନୂତନ ଜୀବନ୍ୟାସ ଦେଇଛି । ଜାନ୍ତବତାର ବୀଭତ୍ସତା ଉପରେ ସ୍ଵର୍ଗୀୟ ପ୍ରେମର ଏ ମହିମା ବିଚ୍ଛୁରିତ ।

 

ଆଧୁନିକ ଜୀବନ ପରି ଆଧୁନିକ ସାହିତ୍ୟରୁ ହାସ୍ୟରସର ପ୍ରାଚୁର୍ଯ୍ୟ ସରି ଆସୁଛି । ହାସ୍ୟରସ ଦରଦୀ ସହାନୁଭୂତିଶୀଳ ଅନ୍ତରରୁ ସୃଷ୍ଟି ଲାଭ କରେ । ଏହା ଆନନ୍ଦ ଓ ବିଧୂର ଭାବନାରେ ପ୍ରାଣବନ୍ତ । ଅସୁସ୍ଥ ମଣିଷ ହସେ ନାହିଁ । ଈର୍ଷ୍ୟା, ଅସୂୟା, ମତ୍ସର-ଭାବାପନ୍ନ ଦୁରାତ୍ମା ଅଟ୍ଟହାସ୍ୟ କରେ । ସଚେତନ ମଣିଷ ବକ୍ରୋକ୍ତି କରେ । ନିର୍ବୋଧ କୌତୁକ କରେ । ବିମଳ ହାସ୍ୟ କିନ୍ତୁ ସୁସ୍ଥ ମଣିଷର ଅଧିକାର । କିନ୍ତୁ ଆଜିର ମଣିଷଠାରେ ସରଳ, କ୍ଷମାମୟ, ସହାନୂଭୂତିଶୀଳ ପ୍ରାଣ-ପ୍ରାଚୁର୍ଯ୍ୟର ବଡ଼ ଅଭାବ । ନିଜେ ହସି, ଜଗତ୍‌କୁ ହସାଇବା ରହସ୍ୟର ଦ୍ଵାର ତା ପାଇଁ ଅନୁଦ୍‌ଘାଟିତ ରହିଛି । ମନୋଜ ଦାସଙ୍କ ‘ଅନେକ ସ୍ମିତ ହସ’ ଗଳ୍ପରେ ହାସମୟୀ ଝିଅଟି, ସଦା ବିଷଣ୍ଣ ଆଧୁନିକ ନିମ୍ନମଧ୍ୟବିତ୍ତ ବ୍ୟକ୍ତିକୁ ହାସ୍ୟ-ତତ୍ତ୍ୱ ବୁଝାଇ ଦେଇଛି ‘‘ମୁଁ କେତେବେଳେ ତୁମକୁ ଦେଖି ହସିଲି, ତୁମେ ମୋ ଆଡ଼କୁ ହସି ହସି ଆସୁଥିଲ’’ । ପୃଥିବୀରୁ ହସ ସରି ଆସୁଛି । ଦୁଃଖର ଆତିସହ୍ୟ ହେତୁ ସୁନ୍ଦର ଧରିତ୍ରୀ ଲହୁ ଓ ଲୁହରେ ସିକ୍ତ ହୋଇଛି । ହସରସ, ରଙ୍ଗ-ରହସ୍ୟ କରିବାପାଇଁ ଆମର ଅବସର ନାହିଁ । ଆଜିର ମଣିଷକୁ ନିଃସଙ୍ଗତା, ଅନାତ୍ମୀୟତା, ସ୍ଵାର୍ଥପରତା ଓ ବର୍ବରତା ଗ୍ରାସ କରିଛି । ଦ୍ଵିତୀୟ ବିଶ୍ଵଯୁଦ୍ଧ କାଳରେ ଗେଟେ, ହେଗେଲ୍‌, ପ୍ରଭୃତି ମହାମନୀଷୀମାନେ ଜନ୍ମଗ୍ରହଣ କରିଥିବା ଦେଶର ଲୋକେ ବନ୍ଦୀ ଇହୁଦୀମାନଙ୍କୁ ମାରି ତାଙ୍କ ଚର୍ବିରେ ସାବୁନ୍‌ ତିଆରି କରି ଉତ୍ସଙ୍ଗ ସ୍ନାନଲୀଳା ସମାପ୍ତ କଲେ । ଏହାଠାରୁ ବର୍ବରୋଚିତ କର୍ମ ଆଉ କ’ଣ ଥାଇପାରେ । ଓଡ଼ିଆ ସାହିତ୍ୟରେ ହାସ୍ୟରସର ପ୍ରାବଲ୍ୟ ନାହିଁ । ବ୍ରଜନାଥ ବଡ଼ଜେନା ଓ ଫକୀର ମୋହନ ସଜ୍ଞାନ ଚିତ୍ତରେ ଆମର ବିଷଣ୍ଣ ମନକୁ ହାସ୍ୟକଲ୍ଲୋଳରେ ରସାଣିତ କରିବାକୁ ଚାହିଁଥିଲେ । ଏହି ଶୀର୍ଣ୍ଣଧାରାକୁ କେତେକାଂଶରେ ପରିପୁଷ୍ଟ କରିଛନ୍ତି ଗାଳ୍ପିକ ଫତୁରାନନ୍ଦ, ଚୌଧୁରୀ ହେମକାନ୍ତ ଓ ସୁନୀଲ ମିଶ୍ର । ମହାପାତ୍ର ନୀଳମଣି ସାହୁଙ୍କ କେତେକ ଗଳ୍ପରେ ହାସ୍ୟ-କରୁଣରସର ଯୁଗପତ୍‌ ବିଳାସ ଲକ୍ଷ୍ୟ କରାଯାଇଥାଏ । ନିୟମ, ଶୃଙ୍ଖଳା ଓ ବ୍ୟବସ୍ଥିତ ଜୀବନ ବୃତ୍ତ ମଧ୍ୟରେ ଆବଦ୍ଧ ଆଜିର ବିଷୟୀ ବ୍ୟକ୍ତି-ମଣିଷଟି ହାସ୍ୟ-ସୌଭାଗ୍ୟରୁ ବଞ୍ଚିତ ହୋଇ ଦୀନ ହୋଇ ଯାଇଛି ।

 

ସାମ୍ପ୍ରତିକ ଓଡ଼ିଆ କବିତାର ଏକ ବଳିଷ୍ଠ ବିଭାବ ମୃତ୍ୟୁଚେତନା, ଓଡ଼ିଆ ଗଳ୍ପ କ୍ଷେତ୍ରରେ ତା’ର ପ୍ରଭାବ ବିସ୍ତାର କରିଛି । ଭକ୍ତଚରଣଙ୍କ ‘‘ମନବୋଧ ଚଉତିଶା’’ ବୈଚନ୍ଦ୍ର ଦ୍ଵିଜଙ୍କ ‘ଟୀକା ଗୋବିନ୍ଦଚନ୍ଦ୍ର’ ଓ କବି ବୈକୁଣ୍ଠ ନାଥଙ୍କ ‘ମୃତ୍ତିକା ଦର୍ଶନ’ ଶୀର୍ଷକ ଚତୁର୍ଦଶପାଦୀ କବିତାରେ ମୃତ୍ୟୁ-ଚେତନା ଅମୃତ-ଚେତନାରେ ରୂପାନ୍ତରିତ । ମୃତ୍ୟୁ ଜୀବନର ବନ୍ଧନରୁ ମୁକ୍ତି । ଦେହର ନିଗଡ଼ରୁ ଆତ୍ମାର ନିସ୍ତାର ସୂଚକ ଏକ ଅମୃତସ୍ଵାଦୀ ଅନୁଭୂତି ଭାବରେ ଏଠାରେ ଅଭିନନ୍ଦିତ । କିନ୍ତୁ ରମାକାନ୍ତଙ୍କ ‘ଅନନ୍ତ ଶୟନ’ କବିତାରେ ମୃତ୍ୟୁର ବିଭୀଷିକା ଆମର ପ୍ରାଣକୁ ଆକୁଳିତ ଓ ଆଲୋଡ଼ିତ କରେ । କବିତାର ଭାବାବେଶ ଗଦ୍ୟ ଭାଷାର ଆଶ୍ରୟରେ ଓଡ଼ିଆ ଗଳ୍ପ ସାହିତ୍ୟରେ ଆତ୍ମପ୍ରକାଶ କରିଛି । ଅଖିଳ ମୋହନ ପଟ୍ଟନାୟକ ପ୍ରତ୍ୟେକ ଗଳ୍ପରେ ସାଧାରଣ ଘଟଣା ହେଉଛି ଦୁର୍ଘଟଣା ଓ ମୃତ୍ୟୁ । କିନ୍ତୁ ଅବଚେତନ ମନର ବିଶ୍ଳେଷଣ-ପ୍ରବଣ ଶିଳ୍ପୀ ଅଖିଳ ମୋହନଙ୍କ ଗଳ୍ପରେ ମୃତ୍ୟୁର ଭୀତିପ୍ରଦ ଛାୟାପାତ ପ୍ରାୟ ନାହିଁ କହିଲେ ଚଳେ । ଏ କ୍ଷେତ୍ରରେ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କ କୃତିତ୍ୱ ଅସାଧାରଣ । ଜୀବନକୁ ମୃତ୍ୟୁ କବଳରୁ ମୁକ୍ତ କରିବା ପାଇଁ ତାଙ୍କର ଗଳ୍ପଗୁଡ଼ିକ ପରସ୍ପର ମଧ୍ୟରେ ପ୍ରତିଦ୍ଵନ୍ଦିତା କଲା ପରି ମନେହୁଏ । ଗାଳ୍ପିକ ବେହେରାଙ୍କର ‘ଅବଶିଷ୍ଟ ଆୟୁଷ’ ଗଳ୍ପ ସଂକଳନରେ ଶୀର୍ଷକାନୁସାରୀ ଗଳ୍ପଟିଏ ନାହିଁ । ‘ଗେଣ୍ତା’ ଗଳ୍ପ ବ୍ୟତୀତ ଅନ୍ୟ ଗଳ୍ପଗୁଡ଼ିକରେ ଆମର ଅବଶିଷ୍ଟ ଆୟୁଷକୁ ମୃତ୍ୟୁ-ଗ୍ରାସରୁ ରକ୍ଷା କରିବାର ପ୍ରୟାସ ଲକ୍ଷଣୀୟ । ସଂକଳନର ପ୍ରଥମ ଗଳ୍ପ ‘ଶୋଷ’ରେ ଜୀବନରଙ୍କ କଇଁ ଚଟିର ବଞ୍ଚିବା ପାଇଁ ଆପ୍ରାଣ ସଂଗ୍ରାମର ଚିତ୍ର ଉପସ୍ଥାପିତ । କୌତୂହଳୀ ବାଳକମାନଙ୍କର ଖେଳର ସାମଗ୍ରୀ ହୋଇଛି ବିଚିତ୍ର-ଦର୍ଶନ-କଇଁଚ-। ଅର୍ଦ୍ଧମୃତ ଅବସ୍ଥାରେ ବେଳାଭୂମିର ବିସ୍ତୀର୍ଣ୍ଣ ବାଲୁକାରାଶି ଉପରେ ସେ ପଡ଼ି ରହିଛି । ଆଗରେ ଗର୍ଜନ୍ତ, ଊର୍ମି ବିକ୍ଷୁବ୍‌ଧ ନୀଳାଭ ସାଗର, ସହସ୍ର ତରଙ୍ଗ ବାହୁ ବିସ୍ତାରିତ କରି ମୁମୂର୍ଷୁ କଇଁଚଟିକୁ କୋଳାଗ୍ରତ କରିବାପାଇଁ ଆକୁଳ ଆବେଗରେ ଚାହିଁ ରହିଛି । ଗୋଟିଏ ପଟରେ ଜୀବନର ଅନନ୍ତ ସମ୍ଭାବନା ଓ ଅନ୍ୟ ପକ୍ଷରେ ମୃତ୍ୟୁର ବିସ୍ତାରିତ ପଟ୍ଟଭୂମିରେ ଜୀବନର ଅବଶିଷ୍ଟ ଆୟୂଷ ନେଇ କଇଁଚଟି ଛଟପଟ ହେବାରେ ଲାଗିଛି । ‘‘ଦୁଇଟି ମୁର୍ଦ୍ଦାର ସମ୍ପର୍କରେ’’ ଓ ‘ଶିକାର’ ପ୍ରଭୃତି ଗଳ୍ପରେ ଶ୍ରୀ ବେହେରା ଜୀବନର ପୃଷ୍ଠଭୂମିରେ ମୃତ୍ୟୁର ବିଭୀଷିକାମୟ ଚିତ୍ର ଉପସ୍ଥାପନ କରିଛନ୍ତି ।

 

ଶିଶୁ ମନସ୍ତତ୍ତ୍ୱ ଉପରେ ଆଧାରିତ ବହୁ ଓଡ଼ିଆ ଗଳ୍ପ ମଧ୍ୟରେ ମନୋଜ ଦାସଙ୍କ ‘ଶେଷ ବସନ୍ତର ଚିଠି’, ଲକ୍ଷ୍ମୀର ଅଭିସାର’ ବାମାଚରଣ ମିତ୍ରଙ୍କର ‘ମିମିର ସାହିତ୍ୟ ଶିକ୍ଷା’ ‘ମିମିର ଭୂଗୋଳ ଶିକ୍ଷା’ ଓ ‘ମିମିର ସଭ୍ୟତା ଶିକ୍ଷା’ର ନାମ ଗ୍ରହଣ କରାଯାଇ ପାରେ । ‘ଶେଷ ବସନ୍ତର ଚିଠି’ ଦୌବ ଦୁର୍ବିପାକ-ପୀଡ଼ିତ ସରଳା ବାଳିକାଟିର ଦୁର୍ବିପାକର କଥା କହିଲା ସ୍ଥଳେ ‘ଲକ୍ଷ୍ମୀର ଅଭିସାର’ ନିଷ୍ପାପ ଶିଶୁ ଉପରେ ମନୁଷ୍ୟକୃତ ଅତ୍ୟାଚାରର ଶେଷକଥା ପ୍ରକାଶ କରିଛି । ଅନ୍ୟ ପକ୍ଷରେ ବାମାଚରଣଙ୍କ ତିନୋଟିଯାକ ଗଳ୍ପରେ ପୋଷାଶୁଆ ଓ ମାନବଶିଶୁ ମଧ୍ୟରେ ଥିବା ପାର୍ଥକ୍ୟର ପରିମାଣ ସୂଚିତ । ମାତୃଭୂମି ଓ ମାତୃଭାଷା ତଥା ତାର ସଭ୍ୟତା ଓ ସଂସ୍ମୃତିର ବିପରୀତରେ ସ୍ଥାପିତ ବିଦେଶୀୟ ସଂସ୍ମୃତି ଆମର ସହଜ ଅନୁକରଣର ବସ୍ତୁ ନୁହେଁ । ତେଣୁ ଜୀବନବାବୁଙ୍କ ତାଲିମ୍‌ ସତ୍ତ୍ୱେ ବିଜୟ ବାବୁଙ୍କ ଆଗରେ ମିମି-ଗୁଡ୍‌ନାଇଟ୍‌କୁ ଗୁଡ ନାଇଁ ଓ ଗୁଡ୍‌ ମର୍ଣ୍ଣିଂକୁ ସହଜ ସ୍ଵଭାବରେ ଗୁଡ ମଲାଣି ବୋଲି କହିବାକୁ ବାଧ୍ୟ ।

 

ସାଂପ୍ରତିକ ଓଡ଼ିଆ ଗଳ୍ପଶୈଳୀର ଅନ୍ୟ ଏକ ପ୍ରବୃତ୍ତି ମାନୁଷୀ ପ୍ରେମର ଜଡ଼ଜଗତ୍‌ ଆଡ଼କୁ ସଂପ୍ରସାରଣ । ଏ ପୃଷ୍ଠଭୂମିରେ ‘‘ମାଂସର ବିଳାପ’’ ଗଳ୍ପରେ କୃଷ୍ଣସାର ଜଲି ଓ କୁକୁର ଡୋରାର ସମ୍ପର୍କ ସ୍ମରଣୀୟ । ମାନବିକ ପଶୁ ଓ ପାଶବିକ ମାନବ ଚରିତ୍ରର ତୁଳନାତ୍ମକ ଭାବଚିତ୍ରଟିଏ ଗଢ଼ିଥିଲେ କାଳିନ୍ଦୀ ଚରଣ । ପରବର୍ତ୍ତୀ କାଳରେ ଗାଳ୍ପିକ ରାଜକିଶୋର ପଟ୍ଟନାୟକଙ୍କ ପଶୁ-ପକ୍ଷୀର ଜୀବନ-ବୈଚିତ୍ର୍ୟକୁ ନେଇ ଗଳ୍ପଗୁଡ଼ିକ ରଚନା କରିଛନ୍ତି । ଗୃହପାଳିତ କୁକୁରଟି ପ୍ରତି ତାଙ୍କର ଆକର୍ଷଣ ଦୁର୍ବାରିତ । ମୂକ ଓ ଅନୁଭୂତି ବିହୀନ ଇତର ପ୍ରାଣୀର ମନସ୍ତତ୍ତ୍ୱ ଅନୁଶୀଳନ ମାଧ୍ୟମରେ ମାନବ ପ୍ରକୃତିର ବିଶ୍ଳେଷଣାତ୍ମକ ଚିତ୍ର ରଚନା ତାଙ୍କର ପ୍ରବଣତା । ଅଖିଳ ମୋହନଙ୍କ ‘ଗୋଟିଏ କୁକୁରର କଥା’ର ଲାଇକା ଅମାନୁଷିକ ଅତ୍ୟାଚାରର ଶରବ୍ୟ ହୋଇ ବୃଦ୍ଧ, ରୁଗ୍‌ଣ, ରୁଦ୍ର ଓ ହିଂସକ ଜୀବରେ ପରିଣତ ହୋଇଛି । ବସନ୍ତ କୁମାର ଶତପଥୀଙ୍କ ‘କାଣୀଚିଆଁ’ ଓ ‘ଗୋଟିଏ ଆଳୁ’ ଗଳ୍ପରେ ଯଥାକ୍ରମେ ‘ଷଣ୍ଢ’ ଓ ‘ଚିଲ’ ପ୍ରତି ମାନବିକ ସହାନୁଭୂତି ପ୍ରକାଶିତ । ‘‘ଅଚ୍ୟୁତାନନ୍ଦ ପତିଙ୍କ ‘ଝାନସିଂ’ ଗଳ୍ପରେ ଜୀବିକାର୍ଜନ ପୃଷ୍ଠଭୂମିରେ ମନୁଷ୍ୟ-ଭଲ୍ଲୁକ ସଂପ୍ରୀତିର ଭାବମୁଦ୍ରା ଅଙ୍କିତ-। ଶେଷୋକ୍ତ ଗଳ୍ପ ବ୍ୟତୀତ ଅନ୍ୟତ୍ର ମନୁଷ୍ୟକୃତ ଅତ୍ୟାଚାରରେ ବ୍ୟସ୍ତ-ବିବ୍ରତ ନିରୀହ ଜୀବଗୁଡ଼ିକର କରୁଣ କାହାଣୀ କୁହାଯାଇଛି । ଲରେନ୍‌ସଙ୍କ ଗଳ୍ପପରି ଆମ ସାହିତ୍ୟରେ ପଶୁକୁ ଅନେକତ୍ର ପ୍ରତୀକ ରୂପରେ ମାନବ ମନର ଜାନ୍ତବତା ପ୍ରକାଶ କରିବାପାଇଁ ଏକ ଚରିତ୍ର ଭାବରେ ଗ୍ରହଣ କରାଯାଇଛି ।

 

ମାନବ ପ୍ରେମର ଉତ୍ତରଣ ପୃଷ୍ଠଭୂମିରେ ଭୂତ-ପ୍ରେତ କାହାଣୀଗୁଡ଼ିକର ମୂଲ୍ୟ ବିଚାର୍ଯ୍ୟ । ମନୋଜ ଦାସଙ୍କ ‘‘ଭୂତୁଣୀ ଏକ ବିଦାୟ’’ କିମ୍ୱା ‘ଧୂମ୍ରାଭ ଦିଗନ୍ତ’ ଗଳ୍ପରେ ମାନବୀୟ ସହାନୁଭୂତିର ବ୍ୟାପକ ଓ ପର୍ଯ୍ୟାପ୍ତ ପ୍ରସାରଣ ଦୁର୍ଲକ୍ଷ୍ୟ ନୁହେଁ । ସାହେବ ପିତା ଓ ଆଦିବାସୀ ଜନନୀର ଔରସଜାତ କୌଣସି ଅବୈଧ କନ୍ୟା, ତାକୁ ହତାଦର କରିଥିବା ତିନିଜଣ ଫିରିଙ୍ଗି ଯୁବକଙ୍କୁ ବିଷ ଦେଇ ମାରିବା, ଧନଲୋଭୀ ବଙ୍ଗଳା-ରକ୍ଷକ ହସ୍ତରେ ପ୍ରାଣ ଦେବା ଓ ଅତୃପ୍ତ ଆତ୍ମା ଭୂତୁଣୀ ଭାବରେ ଅତ୍ର-ତତ୍ର ବିଚରଣ କରିବା ଭଳି କପୋଳକଳ୍ପିତ କଥାକୁ ସ୍ଵକୀୟ ବ୍ୟକ୍ତିନିଷ୍ଠ ଶୈଳୀରେ ଜୀବନ୍ତ କରିଛନ୍ତି ମନୋଜ ଦାସ ‘‘ଭୂତୁଣୀ ଏକ ବିଦାୟ’’ ଗଳ୍ପରେ । ‘ଧୁମ୍ରାଭ ଦିଗନ୍ତ’ରେ ଡାକ୍ତର ଜଗତ୍‌ବନ୍ଧୁ ହିନ୍ଦୁ ବ୍ରାହ୍ମଣ ପରିବାର କୌଳିନ୍ୟରେ ଜଳାଞ୍ଜଳି ଦେଇ ଖ୍ରୀଷ୍ଟିଆନ୍‌ ନର୍ସଙ୍କୁ ବିବାହ କରିବା, ରକ୍ଷଣଶୀଳ ପିତାଙ୍କ ପରିବାରରୁ ବିଚ୍ଛିନ୍ନ ହୋଇ ପତ୍ନୀ ବିୟୋଗ ପୁତ୍ର ବିୟୋଗ କ୍ରମେ ଏକମାତ୍ର ନାତୁଣୀ ଲିଲିକୁ ନେଇ ପ୍ରତ୍ୟାବର୍ତ୍ତନ ଘଟଣା ସପ୍ରସଙ୍ଗ ଉପସ୍ଥାପିତ । ଗ୍ରାମର ତରୁଣ ହାଡ଼ୁ, ହଟୁ ଓ ଗଳ୍ପର ନାୟକଙ୍କ ସହିତ ଲିଲିର ପାହାଡ଼ର ଶୀର୍ଷ ଦେଶରେ ପହଞ୍ଚିବା ଓ ମେଘାଡ଼ମ୍ୱରମୟ ସନ୍ଧ୍ୟାର ଭୀତିପ୍ରଦ ପରିବେଶରେ ଲିଲିର ଚଷମା ଗଳି ପଡ଼ିବା ହେତୁ ତା’ର ମୃତ୍ୟୁ ଘଟିବା ପ୍ରସଙ୍ଗ ଆଦୌ କପୋଳକଳ୍ପିତ ନୁହେଁ । ହଟୁର ସନ୍ନ୍ୟାସ ଗ୍ରହଣ ଓ ହାଡ଼ୁର ପରୀକାହାଣୀ ରଚନା ଓ ଗଳ୍ପ ନାୟକର ନୀରବ ଅଶ୍ରୁପାତରେ ଲିଲିର ପ୍ରେତାତ୍ମା ପ୍ରତି ଶ୍ରଦ୍ଧା ନିବେଦିତ । ଉଭୟ ଗଳ୍ପରେ ସମାଜର ନିର୍ମମ ଓ ନଗ୍ନ ବୀଭତ୍ସତା, ଭୀରୁତା ଓ ହିପୋକ୍ରିସି ପ୍ରକଟିତ-। ଶୁଚିବାୟୁଗ୍ରସ୍ତ, ଅଚଳାୟତନ ସମାଜ ଜୀବନକୁ ସ୍ଵାଗତ କରିବାରେ କୁଣ୍ଠିତ ହୋଇଛି । କିନ୍ତୁ ଆମର ସଂସାର ମୁକ୍ତ ଆତ୍ମା ମୃତ୍ୟୁର କୃଷ୍ଣକବରୀ ତଳେ ଆତ୍ମଗୋପନ କରିଥିବା ଜୀବନକୁ ବରମାଲ୍ୟ ପିନ୍ଧାଇଛି ।

 

ଆଧୁନିକ ମାନବ ଏକ ବିଚିତ୍ର ମନସ୍ତତ୍ତ୍ୱର ଅଧିକାରୀ । ଚେତନମନ ଅପେକ୍ଷା ମାନବର ଅବଚେତନ ଆହୁରି ଶକ୍ତିଶାଳୀ । ମାନବ ଅବଚେତନର ସ୍ଵରୂପ ଉଦ୍‌ଘାଟନ ପାଇଁ ଓଡ଼ିଆ ଗାଳ୍ପିକର ମନୋଯୋଗ ବିସ୍ମୟକର । ସୁଖକର କିମ୍ୱା ଦୁଃଖକର ଅନୁଭୂତିର ଚିତ୍ରଣ ସାହିତ୍ୟର ଏକ ସାଧାରଣ ସାଧନ । ମାନବ ଅନ୍ତରରେ ଏହି ପରସ୍ପର-ବିରୋଧୀ ସତ୍ତାର କ୍ରିୟା-ପ୍ରତିକ୍ରିୟା ସମାହିତ । ସତ୍ୟାନୁଭୂତି ଏହି ଦୁଇଟି କ୍ରିୟାର ସମନ୍ୱୟରୁ ଉପଲବ୍‌ଧ । କିନ୍ତୁ ସତ୍ୟ ସର୍ବଦା ବାସ୍ତବର ପରିଭାଷା ନୁହେଁ । ବାସ୍ତବାନୁଭୂତି ସତ୍ୟଠାରୁ ଊର୍ଦ୍ଧ୍ୱରେ ଲୀଳା କରେ । ଦର୍ଶନେନ୍ଦ୍ରିୟଗ୍ରାହ୍ୟ ବହିରଙ୍ଗ ଦୃଶ୍ୟରେ ବାସ୍ତବତାର ସୂଚନା ନଥାଏ । ବାସ୍ତବତା କଳ୍ପନାଦ୍ଵାରା ପୂର୍ଣ୍ଣ ହୁଏ । ତେଣୁ ସାହିତ୍ୟର ବାସ୍ତବାନୁଭୂତି, ସ୍ଥୂଳ ଅନୁଭବ କିମ୍ୱା ଜାଗତିକ ସତ୍ୟର ପ୍ରତୀତି ସଂଜାତ ଏକ ସୀମାବଦ୍ଧ ଧାରଣା ନୁହେଁ । ଘଟନାନୁକ୍ରମ, କାର୍ଯ୍ୟକାରଣ ସଙ୍ଗତି, ଦେଶକାଳର ନିୟମାନୁଗତାକୁ ଏହା ଅସ୍ଵୀକାର କରେ । ଏଠାରେ ସତ୍ୟ ଓ ମିଥ୍ୟାର ପରିମାପରେ ବାସ୍ତବତାକୁ ମାପି ହୁଏ ନାହିଁ । ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ ‘ମିଥ୍ୟାଧିକ, ସତ୍ୟାଧିକ’ ଗଳ୍ପରେ ମିଥ୍ୟାବାଦକୁ ଆଜୀବନ ଘୃଣା କରି ଆସିଥିବା ଶିକ୍ଷକ ଡମ୍ୱରୁଧର ମହାନ୍ତି ଜ୍ଞାନପୀଠ ପୁରସ୍କାର ବିଜେତା ଛାତ୍ର ରମାନାଥଙ୍କ ଜୀବନ ଓ ସାହିତ୍ୟ ମଧ୍ୟରେ ସତ୍ୟ ଓ ମିଥ୍ୟାର ପରିମାଣ ନିରୂପଣ କରିପାରି ନାହାନ୍ତି । ବ୍ୟକ୍ତିଗତ ଓ ସାହିତ୍ୟିକ ଜୀବନରେ ସତ୍ୟ-ମିଥ୍ୟାର ପରିଭାଷା ଯେ ସଂପୂର୍ଣ୍ଣ ପୃଥକ୍‌-ଏହି ସତ୍ୟରେ ସେ ଶେଷପର୍ଯ୍ୟନ୍ତ ପହଞ୍ଚିପାରି ନାହାନ୍ତି ।

 

ଆଧୁନିକ ଗଳ୍ପ ଅନ୍ତର୍ମୁଖୀ । ସ୍ଵାଧୀନତା ପୂର୍ବବର୍ତ୍ତୀ ଗଳ୍ପର ଚିରତ୍ର ‘ରେବତୀ’ ‘ଘିନୁଆ’ ‘ମାଗୁଣି’, ‘ପହଲି’, ଶଙ୍ଗାରି ଆମର ପରିଚିତ ଜଗତର । ଏମାନଙ୍କର ସୁଖ-ଦୁଃଖର କାହାଣୀ ପ୍ରସୂତ-ଉଦ୍ଦୀପନାର ସୀମା ଅତିକ୍ରମ କରିନାହିଁ । ସ୍ଵାଧୀନତା ପରବର୍ତ୍ତୀ କାଳର ଅନେକ ଗଳ୍ପର ଚରିତ୍ର ଆମର ପରିଚିତ ଜଗତର । ଏମାନଙ୍କୁ ଚିହ୍ନି ଚିହ୍ନାଇବାର ଅସୁବିଧା ନାହିଁ । କିନ୍ତୁ ମାନବ ଅବଚେତନର ସଙ୍କେତବାହୀ ଗଳ୍ପର ଚରିତ୍ରଗୁଡ଼ିକ ଆମ ନିକଟରେ ଅପରିଚିତ । ସାଂପ୍ରତିକ ଗଳ୍ପର ଚରିତ୍ରଗୁଡ଼ିକ ଆତ୍ମବିଶ୍ଳେଷଣ-ପ୍ରବଣ । ଆତ୍ମାବିଷ୍କାର ଓ ଆତ୍ମାନ୍ୱେଷଣରେ ପ୍ରବୃତ୍ତ ଏହି ଚରିତ୍ରର ସ୍ଥିତି ଓ ପ୍ରବୃତ୍ତି ରହସ୍ୟମୟ । ଏକାଦିତ୍ରମେ ପାପ-ପୁଣ୍ୟ, ବିଷ-ଅମୃତ, ସ୍ଵର୍ଗ-ନର୍କ, ପଶୁତ୍ୱ-ମନୁଷ୍ୟତ୍ୱ, ଦେବତ୍ୱ-ଦାନବତ୍ଵ, ସ୍ଵାର୍ଥପରତା-ନିଃସ୍ୱାର୍ଥପରତା, କର୍ତ୍ତବ୍ୟ-ଅକର୍ତ୍ତବ୍ୟବୋଧ ଆଦି ବହୁ ବିପରୀତ ଧର୍ମୀ ପ୍ରବୃତ୍ତିର ଏକୀକରଣ ଓ ସମୀକରଣ ହେତୁ ଆଧୁନିକ ଗଳ୍ପର ଚିତ୍ର-ଚରିତ୍ର-ଘଟଣା ଅପରିଚିତ ହୋଇ ପଡ଼ିଛନ୍ତି ଆମ ନିକଟରେ । ଆପାତ ଦୃଷ୍ଟିରେ ନିରୁବ୍‌ବିଘ୍ନ, ବ୍ୟବସ୍ଥିତ ଉଚ୍ଚ ମଧ୍ୟବିତ୍ତ ଗୋଷ୍ଠୀର ଚରିତ୍ରଗୁଡ଼ିକର ବିଷାଦିତ ମନଶ୍ଚିତ୍ର ଉଦ୍‌ଘାଟନ ଲକ୍ଷ୍ୟରେ ପ୍ରବୃତ୍ତ କିଶୋରୀ ଚରଣ ଦାସଙ୍କ ଗଳ୍ପଗୁଡ଼ିକ ସ୍ଵତନ୍ତ୍ର ଆଲୋଚନାର ଅପେକ୍ଷା ରଖେ । ଭଦ୍ର ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତର ମାନସଲୋକରେ ସେ ବିଚରଣ କରିଛନ୍ତି । ଜୀବନର ବିକୀର୍ଣ୍ଣ ବିଷାଦମୟତା ମଧ୍ୟରେ ଶାଶ୍ଵତ ଜୀବନାନୁଭୂତିର ସନ୍ଧାନ ତାଙ୍କ ଗଳ୍ପର ଲକ୍ଷ୍ୟ । ଉଚ୍ଚ ମଧ୍ୟବିତ୍ତର ସଂଶୟ, ଆବେଗ, ସ୍ଥୂଳତା ଓ ଇତରତାର କରୁଣ କାହାଣୀ ସେ ଆମକୁ ଅତି ବିଶ୍ଵସ୍ତ ଭାବରେ ଶୁଣାଇଛନ୍ତି ।

 

ବାହାରକୁ ଭଦ୍ର, ବିନୀତ, ଉଦାର, ବ୍ୟବସ୍ଥିତ, ସୁଖୀ, ସମୃଦ୍ଧ, ବିବେକବନ୍ତ ବୋଧ ହେଉଥିବା ମଣିଷର ଅନ୍ତର କେଡ଼େ କୁତ୍ସିତ, ତା’ର ମନୋଭାବ କେଡ଼େ ରୁଗ୍‌ଣ, ତା’ର ଅନୁଭବ କେଡ଼େ ବିଷଣ୍ଣ, ସେ କେଡ଼େ ଆମକୈନ୍ଦ୍ରିକ ଓ ଏକାକୀ ସେ ଚିନ୍ତା କେବେ ଆମର ଭାବନାକୁ ଆସିନାହିଁ । କ୍ରୂର ଓ ସ୍ଵାର୍ଥପର ମନେ ହେଉଥିବା ମଣିଷର ମନରେ କେଉଁଠି ସହାନୁଭୂତି ଅନ୍ତଃସଲୀଳା ଫଲ୍‌ଗୁ ପରି ପ୍ରବାହିତ ତା’ର ରହସ୍ୟ ମଧ୍ୟ ଆମେ ଜାଣି ନାହୁଁ । ମହାପାତ୍ର ନୀଳମଣିଙ୍କ ହସନ୍ତ ସୁମିତ୍ରା ଓ କ୍ରନ୍ଦସୀ ସୁନନ୍ଦା ବିପରୀତ ଚେତନାର ଆଭାସ ଦିଅନ୍ତି । ସୁମିତ୍ରାର ହସରେ ଲୁହର ବନ୍ୟା ଓ ଅନ୍ତରରେ ଦୁଃଖର ଘନୀଭୂତ ଛାୟାପାତ ଓ ସୁନନ୍ଦାର ଲୁହର ଅନ୍ତରାଳରେ ସୁଖର ଛାୟାଚନ୍ଦ୍ରିକାର ଲୀଳା । ମନୋଜଙ୍କ ‘ଅବଲୋକରା’ ଗଳ୍ପରେ ଅବଲୋକରା ପ୍ରତି ‘ବାପା’ଙ୍କର ସହାନୁଭୂତିର ମହତ୍ତ୍ୱ ଉପଲବ୍‌ଧି ତାଙ୍କ ପିଲାଙ୍କ ବିଶ୍ୱାସରେ ନ ଆସିଲା ପରି ଆଧୁନିକ ମଣିଷ ଆମକୁ ଅଚିହ୍ନା ଲାଗେ । କିଶୋରୀବାବୁଙ୍କ ‘ଲକ୍ଷ ବିହଙ୍ଗ’ର ମିସେସ୍‌ ପୁରୀ କିମ୍ୱା ‘ଛକଡ଼ିର ଶ୍ରୀକୃଷ୍ଣ’ ଗଳ୍ପର ସୁରୁଚି ଯେମିତି ଗୋଟିଏ ଗୋଟିଏ ଅଜବ ଚରିତ୍ର । ଅତିକ୍ରାନ୍ତ ଯୌବନା ମିସେସ୍‌ ପୁରୀଙ୍କ ଶୂନ୍ୟ ସଂଚାରୀ ଚିନ୍ତା ମୁହୂର୍ତ୍ତ-ମୁହୂର୍ତ୍ତରେ ଆବେଗର ରଙ୍ଗ ବଦଳାଇ ଚାଲିଛନ୍ତି । ଆତ୍ମଗ୍ଳାନି ଓ ନିଃସଙ୍ଗତା ତାଙ୍କ ଚରିତ୍ରକୁ ଆକ୍ରାନ୍ତ କରିଛି । କେତେବେଳେ ଏହା ପରିପୀଡ଼ନେଚ୍ଛା (ଜୟରାମକୁ ଖରାରେ ପୋଟଳ ଆଣିବା ପାଇଁ ସୋନାଚାନ୍ଦ ବଜାରକୁ ପଠାଇବା) ଓ ପରଚ୍ଛିଦ୍ରାନୁସରଣ (ମିସେସ୍‌ ସ୍ତ୍ରୀ ବାସ୍ତବ ଢିଲା ବଡିଶ୍‌ ପିନ୍ଧନ୍ତି)ରେ ଉତ୍ତେଜିତ ହୋଇଛି ଓ କେଉଁଠି ଯୌନ ବିକାର ଗ୍ରସ୍ତତା (ଜୟରାମ ଟୋକା-ତା’ର ମାଂସପେଶୀ ଟାଣୁଆ) ଓ ମୁଗ୍‌ଧାନୁଭବ (ବିହଙ୍ଗଗୁଡ଼ିକ ତାଙ୍କର ମନର ସ୍ଥିତି ସୂଚକ) ତାଙ୍କର ଚେତନାକୁ ଅବ୍ୟବସ୍ଥିତ କରି ଦେଇଛି । ସୁରୁଚି ଆତ୍ମସମୀକ୍ଷା-ପରାୟଣ ଓ ନିଜର ଅସ୍ତିତ୍ୱ ସମ୍ପର୍କରେ ସଚେତନ । ଶ୍ରୀକୃଷ୍ଣ ମୂର୍ତ୍ତିଟି ପ୍ରତି ତାଙ୍କର ଆକର୍ଷଣର ହେତୁ ଗୋଟିଏ ଖିଆଲ । ତାଙ୍କ ସହିତ ରସିକତା କରିବା ପାଇଁ, ମହାମିଛକୁ ସତ୍ୟ ବୋଲି ସ୍ଵୀକାର କରିବାକୁ-ତାଙ୍କୁ ଚିଡ଼ାଇବା ପାଇଁ-ସୁରୁଚି ପି: ଏ: ଟୋକା ଆଣି ଦେଇଥିବା ଶ୍ରୀକୃଷ୍ଣକୁ ସେ ପାଖରେ ରଖିଛନ୍ତି । କିନ୍ତୁ ସୁକନ୍ୟାକୁ ମୂର୍ତ୍ତିଟି ପୂଜା କରିବାକୁ ଦେଇଦେବା ପାଇଁ ଇଚ୍ଛା ପ୍ରକାଶ କଲା ବେଳକୁ ‘‘କୋଉ ନିଆଁଲଗା ଲୁହ ଜକେଇ ଆସୁଥିଲା କାହିଁକି ?’’ ‘ବିଧର୍ମୀ’ ଗଳ୍ପର ନାୟକ ଚିରତ୍ରଟି ଆଦୌ ବିଧର୍ମୀ ନୁହେଁ । ‘ଖେଳର ନାମ ରଙ୍ଗ’ ଗଳ୍ପର ନାୟକର ଅନୁଭୂତି ବଡ଼ ବିଚିତ୍ର ‘ଦୁଃଖକୁ’ ଅପରେସନ୍‌ କରି ସୁଖ କରି ଦେଇ ହେବ, ବିଷାଦକୁ ଅପରେସନ୍‌ କରି ପ୍ରସାଦ କରି ହେବ, ହେଲେ ଆନନ୍ଦକୁ କାଟି ହେବ କେମିତି ? ମାନବିକତାର କେଉଁ ଉଦାର ମୁହୂର୍ତ୍ତରେ ଅପରିଚିତ ଝିଅ ମାନିକୁ ଜୀବନର ଅବଶିଷ୍ଟ ଆୟୁଷ ଦେଇ ବଞ୍ଚିବାର ଆଶୀର୍ବାଦ କରିଛି ଗଳ୍ପର ନାୟକ ତା’ର କାର୍ଯ୍ୟକାରଣ ସୂତ୍ରର ଅନୁସନ୍ଧାନ ଏକ ବ୍ୟର୍ଥତା । ନୀଳମଣି ବାବୁଙ୍କ ‘ଦାନ୍ତ ଓ ବେଦାନ୍ତ’ ଗଳ୍ପ ବାଳମୁକୁନ୍ଦ ବାବୁ ଦାନ୍ତ ଲଗାଇବା ପରେ ବୃଦ୍ଧର ସଂଯମ ଓ ସଂଭ୍ରମବୋଧ ହରାଇ ବସିଛନ୍ତି । ବୃଦ୍ଧର ଚତୁରଜ୍ଞାନ ଓ କୌଶଳ କର୍ମ ସେ ବିସ୍ମୃତ ହୋଇଛନ୍ତି । ଅକାଳ ବସନ୍ତର ଅତିପାତରେ ଅସହ୍ୟ ଓ ଅଶୋଭନୀୟ ମନୋବିକାରର ଶିକାର ହୋଇଛନ୍ତି । ଅବାଞ୍ଛିତ ଅସ୍ଵାଭାବିକ ତାରୁଣ୍ୟ ବଳରେ ସ୍ଥିତଧୀ ବୃଦ୍ଧର ସ୍ଵାଭାବିକ ମହିମା ତାଙ୍କର କାମ୍ୟ । ଗୋପୀନାଥଙ୍କ ‘ପିମ୍ପୁଡ଼ି’ ଗଳ୍ପରେ ସିଭିଲ୍‌ ସପ୍ଳାଇ ଅଫିସର ଜଣକ ସୀମାନ୍ତ ଅଞ୍ଚଳରେ ଚୋରା ଚାଉଳ କାରବାର ରୋକିବାକୁ ଯାଇ ଏକ ଅଭାବନୀୟ ଦୃଶ୍ୟ ଦେଖିଛନ୍ତି । ତାଙ୍କୁ ଜଣାପଡ଼ିଛି ଛୋଟ ବ୍ୟାଗ୍‌ ମାନଙ୍କରେ, ଗାମୁଛା ଟୋକେଇରେ ଗଣ୍ତିଏ ଗଣ୍ତିଏ ଖାଦ୍ୟ ଧରି ଓଡ଼ିଶାର ସୀମା ବାହାରକୁ ଦ୍ରୁତପଦରେ ପଳାଇ ଯାଉଥିବା ଲୋକମାନେ ଯେପରି ଗୋଟିଏ ଗୋଟିଏ ପିମ୍ପୁଡ଼ି । ତାଙ୍କଠାରେ ହଠାତ୍‌ ଏକ ମାନବିକ ଚେତନାର ଉଦୟ ଘଟିଛି । କର୍ତ୍ତବ୍ୟ ନିଷ୍ଠା ଓ ଅପରାଧ ନିରୋଧୀ ସଂକଳ୍ପବୋଧ ଉପସ୍ଥିତ ପରବେଶର କାରୁଣ୍ୟରେ ଜର୍ଜରିତ ହୋଇ ଯାଇଛି । ପାପ-ପୁଣ୍ୟ, କର୍ତ୍ତବ୍ୟାକର୍ତ୍ତବ୍ୟବୋଧ କଳ୍ପନା ଓ ବାସ୍ତବତାର ସମାନୁପାତିକ ମିଳନ ଭୂମିରେ ଦଣ୍ତାୟମାନ ଅଫିସରଟିର ଅସ୍ମିତା ବିଲୁପ୍ତ ହୋଇଛି ।

 

ସାଂପ୍ରତିକ ଓଡ଼ିଆ ଗଳ୍ପ ସାହିତ୍ୟର ଅନ୍ୟ ଏକ ପ୍ରବୃତ୍ତି ହେଉଛି ପ୍ରାଚୀନ ପ୍ରତି ସମ୍ମୋହନଶୀଳ ଦୃଷ୍ଟିପାତ । ପୁରାଣ କିମ୍ୱଦନ୍ତୀ, ଇତିହାସ, ଲୋକକଥା କିମ୍ୱା ସୁପ୍ରାଚୀନ କାହାଣୀଗୁଡ଼ିକୁ ଅଭିନବ ପରିବେଶ ଓ ପୃଷ୍ଠଭୂମିରେ ଜୀବନ୍ତ ରୂପ ଦେବାର ଆଗ୍ରହରୁ ଏଭଳି ରଚନା ସମ୍ଭବ ହୋଇଛି । ସୁରେନ୍ଦ୍ର ମହାନ୍ତି ଏହି ଚେତନାର ଶ୍ରେଷ୍ଠ ରୂପକାର । ‘ସାରଳାଙ୍କ ମହାଭାରତ’ର ଉପାଖ୍ୟାନ ଉପରେ ‘ଶ୍ରୀକୃଷ୍ଣଙ୍କ ଶେଷହସ’ ଗଳ୍ପର ପରିକଳ୍ପନା । ଗୁଣନିଧି ଜେନାଙ୍କ ‘ଶକୁନୀର ସଫେଇ’, ‘ଆହତ ମାତୃତ୍ୱ’ ଗଳ୍ପ ଦୁଇଟି ପୁରାଣ ପୃଷ୍ଠଭୂମିରେ ରଚିତ । କୁରୁବଂଶ ଧ୍ୱଂସର କାଳକେତୁ ଶକୁନୀର ଆତ୍ମପକ୍ଷ ସମର୍ଥନ ମୂଳକ ଯୁକ୍ତି ପ୍ରଥମ ଗଳ୍ପର ବିଷୟବସ୍ତୁ ହୋଇଥିଲା ବେଳେ ‘‘ଆହତ ମାତୃତ୍ୱ’’ରେ କର୍ଣ୍ଣକୁ ପ୍ରତାରିତ କରିଥିବା ଜନନୀ କୁନ୍ତୀଙ୍କର ମନସ୍ତାପ ବର୍ଣ୍ଣିତ । ବୌଦ୍ଧଯୁଗର ପୃଷ୍ଠଭୂମିରେ ରଚିତ ‘ସାରିପୁତ୍ତ’ର ମହତ୍ତ୍ୱ ଅନତିକ୍ରାନ୍ତ । ରୂପଶ୍ରୀର ରୁଢ଼ କଣ୍ଠରୁ ଶ୍ରମଣ ସାରିପୁତ୍ତ ପ୍ରତି ସ୍ଫୁରିତ ବାକ୍ୟ-‘‘ଫେରିଯାଅ ଭିକ୍ଷୁ ! କୋଟି କୋଟି ପ୍ରାଣରେ ଅଶାନ୍ତି ଓ ଅତୃପ୍ତିର ଦାବାନଳ ଜଳାଇ ଯେଉଁ ସଂଘର ପ୍ରତିଷ୍ଠା, ସେ ସଂଘ ରହିବ ନାହିଁ ଭିକ୍ଷୁ ! ଏ ମୋର ଅଭିଶାପ ।’’ ଜନ୍ମଭୂମି ଭାରତବର୍ଷରୁ ବୌଦ୍ଧଧର୍ମର ବିଲୁପ୍ତି ମୂଳରେ ଏହି ଅଭିଶାପର କାର୍ଯ୍ୟକାରିତା ସମ୍ପର୍କରେ ଇତିହାସର ସମ୍ମତି ଲୋଡ଼ିବା ବୃଥା ହୋଇପାରେ, କିନ୍ତୁ ଜନନୀର ହୃଦୟରୁ ନିର୍ଗତ ହତାଶାର ଦୀର୍ଘଶ୍ୱାସ ଆମର ହୃଦୟକୁ ମଥିତ କରେ । କିମ୍ବଦନ୍ତୀର କବି ଦୀନକୃଷ୍ଣ ଚରିତକୁ ନେଇ ‘କବି’ ଗଳ୍ପ । ‘‘ଚିତା ତିଳକ ଚିହ୍ନିତ ସମାଜ ବିରୁଦ୍ଧରେ ଦୀନକୃଷ୍ଣଙ୍କ ଦୁର୍ବିନୀତ ଯୁଦ୍ଧ ଘୋଷଣା, ଏକ ସାର୍ବଜନୀନ, ସର୍ବକାଳୀନ ଅଭିଜ୍ଞତା ।’’ ମହାକାବ୍ୟ ସଦୃଶ ଏଭଳି ରଚନାରେ ଇତିହାସ ରସର ପ୍ରାଚୁର୍ଯ୍ୟ । ମନୋଜ ଦାସଙ୍କ ‘ପ୍ରାପ୍ତ ବୟସ୍କର ପଞ୍ଚତନ୍ତ୍ର’ ଶୀର୍ଷକାଶ୍ରିତ ଗଳ୍ପତ୍ରୟ ବିଷ୍ଣୁଶର୍ମାଙ୍କ ମୂଳକଥାର କଙ୍କାଳ ଉପରେ ଆଧାରିତ ହେଲେ ହେଁ ଏଗୁଡ଼ିକ ଆଧୁନିକ ଜୀବନର ବ୍ୟଙ୍ଗମୟ ଭାଷ୍ୟ । ଭୁବନେଶ୍ୱର ବେହେରାଙ୍କ ‘‘ଗଙ୍ଗଦତ୍ତର ପ୍ରତ୍ୟାବର୍ତ୍ତନ’’ ଗଳ୍ପ ଅତୀତର କାହାଣୀ ଉପରେ ରଚିତ । ସୁରେନ୍ଦ୍ର ବାବୁଙ୍କ ‘‘କଳିଙ୍ଗର ପ୍ରତିଶୋଧ’’ ଗଳ୍ପ (ପ୍ରବନ୍ଧ ?) ଖାରବେଳଙ୍କ ଦିଗ୍‌ବିଜୟର ଐତିହାସିକ ପୃଷ୍ଠଭୂମି ଉପରେ ଗଢ଼ି ଉଠିଛି । ଐରବଂଶାବତଂଶ ମହାମେଘବାହନ ଖାରବେଳଙ୍କ କୀର୍ତ୍ତିର ସ୍ଵାକ୍ଷର ବହନ କରୁଥିବା ଶିଳାଲିପିର ଅନୁସରଣରେ ଏହି ଗଳ୍ପ ଲିଖିତ । ‘‘ସାଂପ୍ରତିକ କାଳର ଯନ୍ତ୍ରଣା ଦଗ୍‌ଧ ଚେତନାରୁ ପଳାୟନ ପ୍ରୟାସ’’ ଏ ପ୍ରକାର ଗଳ୍ପରେ ଅନାୟାସ ଲକ୍ଷ୍ୟ ।

 

ଜୀବନ ପରି ସାହିତ୍ୟରେ ନିର୍ଦ୍ଦିଷ୍ଟ ବିଭାଗ କିଛି ନାହିଁ । ସମସ୍ୟାର ବିଭିନ୍ନ ଦିଗ ଆଧୁନିକ ଓଡ଼ିଆ ଗଳ୍ପରେ ସମୁଦ୍‌ଘାଟିତ । ମଣିଷର ବିଚିତ୍ର ଜୀବନଧାରା ଚରିତ୍ରର ବାହ୍ୟାଭ୍ୟନ୍ତର ଚିତ୍ରରେ ଆମର ଆଧୁନିକ ଗଳ୍ପ ବିଚିତ୍ର । କେଉଁଠି ସାମାଜିକ ଓ ବ୍ୟକ୍ତିଗତ ସମସ୍ୟା, କେଉଁଠି ମାନବିକ ହୃଦୟାବେଗ, କେଉଁଠି ମଣିଷ ମନର ସଂଗୁପ୍ତ କାମନା ଓ ବାସନା ଗଳ୍ପର ବିଷୟବସ୍ତୁ । ଏସବୁ ସମସ୍ୟା ବାହାରେ ମଣିଷର ସୌଖିନ୍ ଭାବାନୁଭୂତିର ଜଗତ୍ ବିସ୍ତାରିତ ରହିଛି । ମାନବ ଜୀବନର ଏହି ସରଳ ଓ ସହଜ ପ୍ରବୃତ୍ତିକୁ ନେଇ କେତେକ ରସୋତ୍ତୀର୍ଣ୍ଣ ଗଳ୍ପ ରଚନା କରିଛନ୍ତି ଭୁବନେଶ୍ୱର ବେହେରା । ବିମଳ ହାସ୍ୟ, ନିର୍ବିକାର ମାନବତାବୋଧ, ଅସୂୟା ବର୍ଜିତ ସହାନୁଭୂତି ଓ ପ୍ରବଳ ପ୍ରାଣପ୍ରାଚୁର୍ଯ୍ୟ ତାଙ୍କର ଗଳ୍ପ କଳାର ବିଶେଷତ୍ୱ ପ୍ରତିପାଦକ । କଳ୍ପନାବିଳାସିତା ଓ ହୃଦୟାବେଗର ବିଳାସ ତାଙ୍କ ଗଳ୍ପଗୁଡ଼ିକୁ ସ୍ପର୍ଶକାତର କରିପାରିଛି । ଆନସାରୀ ଚାଚାଙ୍କ ପରି ଅଜବ ମଣିଷଟିର ପରିଚୟ ରହସ୍ୟାଚ୍ଛନ୍ନ । ସମଗ୍ର ମାନବ ସମାଜକୁ ପାରିବାରିକ ବନ୍ଧନରେ ବାନ୍ଧି ପାରିଥିବା, ପରର ଦାରିଦ୍ର୍ୟ ପ୍ରତି ସହାନୁଭୂତିଶୀଳ ଓ ସେବା ଶୁଶ୍ରୂଷା ପରାୟଣ ବୃଦ୍ଧ ଆନ୍‌ସାରୀ ଚାଚା କୁଟୁମ୍ବହୀନ, ସମ୍ବଳହୀନ ଓ ଆଶ୍ରୟହୀନ ଜୀବନର ବିରୋଧାଭାସ ଏଠାରେ ନିହିତ । ‘‘କାଳିଆ ପାଖରେ ବୁଧିଆ ବାଉରୀର ଗୁହାରି’’ ଏକ ବିବୃତ୍ତି ମୂଳକ ରଚନା । ଆବେଗମୟ ଭାଷା ଓ ବ୍ୟକ୍ତିନିଷ୍ଠ ଶୈଳୀରେ ରଚିତ ଏହି ଗଳ୍ପରେ ସରଳ ଭକ୍ତର ହୃଦୟରେ ଜଗନ୍ନାଥଙ୍କ ପ୍ରତି ପୋଷିତ ଅଭିମାନ ପ୍ରକାଶିତ । ଦକ୍ଷିଣ ଭାରତ ସହ ଆମର ସଂସ୍କୃତିକ ଯୋଗସୂତ୍ର ଏଥିରେ ଆବିଷ୍କାର କରାଯାଇଛି ।

 

ସାଂପ୍ରତିକ କ୍ଷୁଦ୍ର ଗଳ୍ପରେ ଜୀବନର ଗ୍ଳାନିରୁ ମୁକ୍ତିର ସୂଚନା ମିଳିଲାଣି । ଜୀବନ ପ୍ରତି ବିଷଣ୍ଣ ଭାବ ବି ଶେଷ ହୋଇ ଆସୁଛି । ଡାଏରୀରେ ଜୀବନର ଶେଷକଥା ଲେଖିଦେବାକୁ ବସିଥିବା ‘ଗୋଟିଏ ଡାଏରୀର ଇତିକଥା’ ଗଳ୍ପର ବିଦ୍ୟାଧର ବାବୁ ଜୀବନର ବିଚିତ୍ର ବିସ୍ତାର ଦେଖି ମୁଗ୍‌ଧ-ଚକିତ ହୋଇଛନ୍ତି । ଅନନ୍ତ ସମ୍ଭାବନାମୟ ଜୀବନର ରହସ୍ୟମୟ ତୋରଣ ତାଙ୍କର ବାସ୍ତବତା ପିହତ ଅନ୍ତର ତଳେ ଉନ୍ମୁକ୍ତ ହୋଇଛି । ପାଶ୍ଚାତ୍ୟ ଜଗତ୍ ପ୍ରତି ଆମର ସମ୍ମୋହନ କଟି କଟି ଆସୁଛି । ‘ପରମ ହଂସ’ ରୂପୀ ସନାତନ ଭାରତୀୟ ଚେତନା ସନ୍ତ୍ରାସବାଦୀ ଧ୍ୱଂସ ଲୀଳାକୁ ତାତ୍ସଲ୍ୟ କରି ମଣିଷକୁ ଆତ୍ମସ୍ଥ ହେବାକୁ ଆହ୍ୱାନ ଦେଉଛି । ଭାରତୀୟ ଆତ୍ମିକ ଚେତନାର ବାଣୀ ଶୁଣାଇଛନ୍ତି ଦାର୍ଶନିକ-କଥାକାର କୃଷ୍ଣ ପ୍ରସାଦ ମିଶ୍ର । ‘ସିଂହକଟୀ’ର ଅନୁଧାବନ ‘ନେପଥ୍ୟ’ରେ ‘ମୃଗତୃଷ୍ଣା’ର ଭ୍ରାନ୍ତି ଦୂର କରିବାର ପ୍ରୟାସ ତାଙ୍କର ଉପନ୍ୟାସର ଲକ୍ଷ୍ୟ । ଏହି ଲକ୍ଷ୍ୟରେ ଅନନ୍ୟ-ଦୃଷ୍ଟି ହୋଇ ସେ ଅଗ୍ରସର ହୋଇଛନ୍ତି ତାଙ୍କ ଗଳ୍ପରେ । ‘ସନାତନ ଓଝା’ଙ୍କୁ ଖୋଜି ଚାଲିଛନ୍ତି ଗାଳ୍ପିକ ଜୀବନର, ସମାଜର, ବ୍ୟକ୍ତିର ସମସ୍ୟା ଭିତରେ । ସବୁଠିଁ ଜୀବନର ଗ୍ଳାନିରୁ ମୁକ୍ତିର ପ୍ରୟାସ । ମଣିଷ ଆଜି ଧନ, ପ୍ରତିପତ୍ତିର ଅହଂକାରରେ ମୁଢ଼ ଅମନୁଷ୍ୟତାକୁ ହୃଦୟରୁ ବିଦାୟ ଦେବାକୁ ବସିଛି । ମିଲ୍‌ମାଲିକ ଗୋସ୍ୱାମୀ ପୁତ୍ରହରା ଜନନୀଟି ପାଖରେ ଅପଦସ୍ତ ହୋଇଛନ୍ତି । ଯାହାକୁ ସେ ବହୁଦିନ ତଳେ ତାଙ୍କ ମିଲ୍‌ର ଫାଟକ ପାଖରୁ ତଡ଼ି ଦେଇଥିଲେ, ତାରି ନିକଟରେ ସେ ନିଷ୍ଠୁର ଭାବରେ ପରାଜିତ ହୋଇଛନ୍ତି । ଅବଚେତନ ତାଙ୍କ ନିଷ୍ଠୁରତାକୁ କ୍ଷମା କରିନାହିଁ । ତାଙ୍କ ପାଦ ବାଜି ଭାଙ୍ଗି ପଡ଼ିଛି ଟଙ୍କାର ପ୍ରାଚୀର ଓ ସେ ରୁଦ୍ଧଶ୍ୱାସ ହୋଇ ମୃତ୍ୟୁର ଶିକାର ହୋଇଛନ୍ତି । ମୃତ୍ୟୁ ନୁହେଁ ଜୀବନର ଭୟଙ୍କରିତା ତାଙ୍କୁ ବ୍ୟାକୁଳ କରିଛି । ବିଭୂତି ଭୂଷଣ ତ୍ରିପାଠୀଙ୍କ ‘ନିଶାନ୍ତ’ ଗଳ୍ପର ବିଭବନ୍ତ ମାଲ୍‌ହୋତ୍ରା ଜୀବନର ସଞ୍ଚିତ ଅର୍ଥ ବିନିମୟରେ ମୁହୂର୍ତ୍ତର ସୁଷୁପ୍ତି ଭିକ୍ଷାକରି ଅପଦସ୍ତ ହୋଇ ପଡ଼ିଛନ୍ତି । କାଳିମାଗ୍ରସ୍ତ ଅନ୍ଧରାତି ଶେଷରେ ଜୀବନୋଚ୍ଛ୍ୱଳ, ବର୍ଣ୍ଣୋତ୍ସବମୟୀ ପ୍ରଭାତର ଶୁଭ ଆଗମନୀ ବାର୍ତ୍ତା ଆମର ଗାଳ୍ପିକମାନେ ଆମକୁ ଦେବାକୁ ତତ୍ପର । ଏ ଗଳ୍ପ ଆମର ଜୀବନାଗ୍ରହର ସୀମା ଓ ସମ୍ଭାବନାକୁ ସମ୍ପ୍ରସାରିତ କରିଛି । ଏ ପ୍ରଭାତ ଆମର ପାରିବାରିକ ଜୀବନରେ ଶାନ୍ତି, ସ୍ଵସ୍ତି ଓ ସଂପ୍ରୀତିର ପୁନଃପ୍ରତିଷ୍ଠାର ପ୍ରେରଣା ନେଇ ଆସିଛି । ଅନାତ୍ମୀୟତା ଦୂରୀକୃତ କରି ଆଣିଛି ଜୀବନାଗ୍ରହୀ ଉଦାର ପ୍ରେମମୟତା । ‘ଯମ’ ତା’ର ସୀମିତ କ୍ଷମତା ସମ୍ପର୍କରେ ସଚେତନ । ‘ତ୍ରୟୋବିଂଶ ମୃତ୍ୟୁ’ର ଗାନ୍ଧାରସେନ ବେଦବ୍ୟାସଙ୍କ କଥାରେ ହଁ ଭରିଲା ପରି ‘ବାସ୍ତବିକ୍ ଇତର ଜନ୍ମ-ମୃତ୍ୟୁ, ପ୍ରାଣୀ ଜଗତ୍‌ର ଧରାବନ୍ଧା ଶୂନ୍‌ଛକି, କ’ଣ ପ୍ରଭୁଙ୍କ ମଉଜଠାରୁ ଅଧିକ ମୂଲ୍ୟବାନ୍ ? ଯମ କ’ଣ ଜାଣେ ନାହିଁ ତା’ର ସ୍ଥାନ କେଉଁଠି ?’’ କିଶୋରୀବାବୁ ପୁରାଣର କଥାବସ୍ତୁ ଅନୁସରଣରେ ମୃତ୍ୟୁକୁ ଅପଦସ୍ତ କରିଛନ୍ତି । ସେଦିନ ଗାଳ୍ପିକ ସତ୍ୟମିଶ୍ର ‘ଯୀଶୁଖ୍ରୀଷ୍ଟ’ଙ୍କ ମାନବତା ପ୍ରତି ଅସତ୍ୟ-ପ୍ରତ୍ୟୟ ସ୍ଥାପନ କରି କ୍ରଶରେ ଚଢ଼ିବାପାଇଁ ଭୟଙ୍କର ଅନିଚ୍ଛାର କଥା ପ୍ରକାଶ କରିଥିଲେ ପିଟର୍‌ର ଅନୁଭୂତି ଭିତରେ । କିନ୍ତୁ ଆଜି ମାନବାତ୍ମାରୁ କ୍ରମେ ଏ ଭୀରୁତା କଟିବାକୁ ବସିଛି । ସମଗ୍ର ସଂସାରକୁ ଅବକ୍ଷୟରୁ ରକ୍ଷା କରିବା ପାଇଁ ଖର୍ବକାୟ ‘ପ୍ଳବୋ’ ଜୋକର୍‌ର ମୁଣ୍ଡ ଆକାଶକୁ ଉଠି ଯାଇଛି । ସମଗ୍ର ସଂସାରକୁ ଆର୍ତ୍ତି ଓ ଯନ୍ତ୍ରଣାରୁ ମୁକ୍ତ କରିବା ନିମନ୍ତେ ସେ ବଦ୍ଧପରିକର । ‘ଦୃଶ୍ୟାନ୍ତର’ ଏ ସମ୍ଭାବନା ସାଧାରଣ ଘଟଣା ନୁହେଁ । ଜଗନ୍ନାଥ ଧର୍ମ ଓ ଜଗନ୍ନାଥ ବିଗ୍ରହ ବିଧର୍ମୀ ଦ୍ଵାରା ବିଧ୍ୱସ୍ତ ହେବା ଅବସରରେ ସଂସ୍କୃତି ଓ ଧର୍ମକୁ ଧର୍ମାନ୍ଧତାର ଗ୍ରାସରୁ ରକ୍ଷା କରିବା ପାଇଁ ରବି ପଟ୍ଟନାୟକଙ୍କ ‘ବିଶର ମହାନ୍ତି’ ଅପେକ୍ଷା କରି ରହିଛନ୍ତି । ପୁରାଣ ପରମ୍ପରା ଓ ବିଶ୍ୱାସ ଉପରେ ପ୍ରତିଷ୍ଠିତ ସଂସ୍କୃତିର ଧ୍ୱସଂ ଅସମ୍ଭବ । ଏକଥା ମର୍ମେ ମର୍ମେ ଆମର ଗାଳ୍ପିକମାନେ ଅନୁଭବ କରିଛନ୍ତି । ଗାଳ୍ପିକ ଶାନ୍ତନୁ ଆଚାର୍ଯ୍ୟ ବିଶ୍ୱାସ କରନ୍ତି ଆମର ‘ହୃଦକୋଲପ’ ଦିନେ ନା ଦିନେ ଖୋଲିବ । ସଂସ୍କୃତି ଓ ଜୀବନର ପୁନରୁତ୍‌ଥାନ ପୃଷ୍ଠଭୂମିରେ ଆମେ ଜୀବନକୁ ପୁନର୍ବାର ଆବିଷ୍କାର କରିବୁ, ନୂତନ ପରିପ୍ରେକ୍ଷିତରେ । ସେଥିପାଇଁ ବାସ୍ତବାନୁଗ ତାଙ୍କର ଶୈଳୀ ଭିତରେ କେଉଁଠି କେଉଁଠି ଆଧ୍ୟାତ୍ମିକତାର ଅନୁଭବ ଜୀବନାଗ୍ରାହୀ ଆବେଗର ସ୍ପର୍ଶରେ ପ୍ରକଟିତ ହୋଇଛି । ‘ଆଦ୍ୟ ସକାଳ’, ‘ଭକ୍ତଲୋକ’ ‘‘ଚାଲ୍ ସେଇଠିକି ଯୋଉଠି ଭଗବାନ୍ ଅଛନ୍ତି’’ ଗଳ୍ପରେ ଗଭୀର ଅଧ୍ୟାତ୍ମ ଚେତନା ପ୍ରକଟିତ । ‘ଆଦ୍ୟ ସକାଳ’ର ଲାଲଫୁଲ ଶୋଭିତ ଶିମୁଳି ଗଛ, ବାଘ, ଜଙ୍ଗଲ ଓ ଲଙ୍ଗଳା ପିଲା ଓ ସେ ପିଲାର ଜୀବନ ବଞ୍ଚାଇବା ପାଇଁ ଅଧୀର ବୃକ୍ଷାଶ୍ରୟୀ ପକ୍ଷୀ ଗୋଟିଏ ଗୋଟିଏ ପ୍ରତୀକ । ପକ୍ଷୀଟି ଉପନିଷଦ୍‌ର ପରମାତ୍ମାରୂପୀ ସର୍ବଜ୍ଞାତା ଉଦାର ପକ୍ଷୀ ହୋଇପାରେ । ବ୍ୟାଘ୍ର କାଳର, ପୁଷ୍ପବତୀ ବୃକ୍ଷ ସାଂସାରିକ ମାୟା ଓ ଅଧାଲଙ୍ଗଳା ମଣିଷ ପିଲାଟି ସଂସାର-ଜାଲ-ବିମୁକ୍ତ ଜୀବାତ୍ମାର ପ୍ରତୀକ । ‘ଭକ୍ତ ଲୋକ’ ଗଳ୍ପରେ ବିଧର୍ମୀ ନାରେଣା ହୃଦୟରେ ଭକ୍ତିର ପ୍ଳାବନ ଆଦୌ ଆକସ୍ମିକ ନୁହେଁ । ‘‘ଚାଲ୍ ସେଇଠିକି ଯୋଉଠି ଭଗବାନ୍ ଅଛନ୍ତି’’ ଗଳ୍ପରେ ହାଇଜାକ୍ ହୋଇଥିବା ଆମେରିକୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣା ସୂଚିତ । ବନ୍ଧୁକଧାରୀ ପାଗଳ ଯୁବକ ପାଇଲଟ୍‌କୁ ନିର୍ଦ୍ଦେଶ ଦେଇଛି ଯେଉଁଠି ଭଗବାନ୍ ଅଛନ୍ତି ସେଠାକୁ ଯିବାପାଇଁ । ବିମାନଟି ଅବଲୀଳାକ୍ରମେ ଭାରତଭୂମିରେ ଅବତରଣ କରି ଧ୍ୱଂସ ହୋଇଯାଇଛି । ଏତଦ୍ଦ୍ୱାରା ଭାରତ ଭଗବାନଙ୍କ ଦେଶ ବୋଲି ସଂସ୍କୃତି, ଧର୍ମ ଓ ଜୀବନ-ପାଗଳ ୟୁରୋପୀୟମାନଙ୍କର ସ୍ଵୀକୃତି ପ୍ରକାଶ ପାଇଛି ।

 

ଆଧୁନିକ ଓଡ଼ିଆ ଗଳ୍ପରେ କ୍ରମେ କ୍ରମେ ଜୀବନ ଓ ଜଗତ୍‌ର ଆଲୋକମୟ ଚିତ୍ର ଉଦ୍‌ଘାଟିତ ହେଉଛି । ଘନ ତମିସ୍ରାମୟୀ କାଳରାତ୍ରି ଉଦ୍‌ଯାପିତ ଓ ସର୍ବତ୍ର ନବୀନ ଉଷାର ଆଲୋକ-ଉତ୍ସବ ସଂଘଟିତ । ଜୀବନର ଭ୍ରାନ୍ତି କଟିଛି, ସଂଶୟର କୂହେଳି-ପଟଳ ଉନ୍ମୋଚିତ । ଜୀବନ-ବେଦର ପ୍ରଣବ ଝଙ୍କାରର ଶାନ୍ତ ସମାହିତ ଆର୍ଯ୍ୟ ଜୀବନର ମଧୁଲଗ୍ନ ଉପସ୍ଥିତ । ସବୁ ଅମୃତମୟ । ବିଷାଦର ସୀମା ଆଧ୍ୟାତ୍ମିକ ଆନନ୍ଦର ସ୍ପର୍ଶରେ ସଙ୍କୁଚିତ ହୋଇଛି । ମଣିଷ ଆତ୍ମସ୍ଥ ହୋଇଛି । ତୁଚ୍ଛ ପାଶବିକ ଇତରତାକୁ ଦୂରୀଭୂତ କରି ମାନବିକତାର ମହତ୍ତ୍ୱ ପ୍ରକଟିତ ହେଉଛି । ଆଜିର ଗାଳ୍ପିକ ଆସ୍ଥାବାନ୍ ଯେ ‘‘ଏ ପୃଥିବୀ ନିଶ୍ଚେ ବଦଳିଯିବ । ଏ ଦାରିଦ୍ର୍ୟ ନିଶ୍ଚେ ଅପସରିଯିବ । ମଣିଷ ନୁହେଁ-ତା ଭିତରର ସୁପ୍ତ ମନୁଷ୍ୟତା ହିଁ ଦିନେ ଏ ପୃଥିବୀକୁ ରକ୍ଷା କରିବ ।’’ ଏହା ଆମର ମନର କଥା-ଆମର ସମାଜ ଓ ଜୀବନ କେବେ ଏହି ଆତ୍ମିକ-ଉପଲବ୍‌ଧିକୁ ବାସ୍ତବ କରିବ-ଏହା ପାଇଁ କିଛିଦିନ ହୁଏତ ଅପେକ୍ଷା କରିବାକୁ ପଡ଼ିବ ।

 

***

 

ଏକାଡେମୀ ସମାଚାର

ଅତିବଡ଼ୀ ଜୟନ୍ତୀ ସମାରୋହ

 

ରାଜ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁକୂଲ୍ୟରେ ତା ୪-୯-୯୨ରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ୫୦୨ତମ ଜୟନ୍ତୀ ଉତ୍ସବ ଭୁବନେଶ୍ଵରସ୍ଥ ରବୀନ୍ଦ୍ର ମଣ୍ଡପଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

 

ରାଜ୍ୟ ସଂସ୍କୃତି ଓ ସୂଚନା ମନ୍ତ୍ରୀ ଶ୍ରୀ ଶରତ କୁମାର କର ପ୍ରଦୀପ ଜାଳି ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ତଥା ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଭାଷଣ ପ୍ରସଙ୍ଗରେ କହିଲେ ଯେ ସଂସ୍କୃତ ଭାଗବତକୁ ଓଡ଼ିଆରେ ରଚନା କରିବା କ୍ଷେତ୍ରରେ ଅତିବଡ଼ୀ ଜଗନ୍ନାଥ ଅପୂର୍ବ ମୌଳିକତା ଫିଟାଇ ପାରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି କବି ବିନୋଦ ନାୟକ ଅତିବଡ଼ୀଙ୍କ ସମସ୍ତ ସାହିତ୍ୟ, ଭାଷା ଓ ଶୈଳୀର ନିଜତ୍ୱ ରହିଛି । ଅନ୍ୟାନ୍ୟ ରାଜ୍ୟରେ ପ୍ରତିଷ୍ଠିତ କବିମାନଙ୍କ ଜନ୍ମ ସ୍ଥାନକୁ ତୀର୍ଥ କ୍ଷେତ୍ରରେ ପରିଣତ କରାଯାଇଥିବା ସ୍ଥଳେ ଓଡ଼ିଶାରେ ଅତିବଡ଼ୀ ଜନ୍ମସ୍ଥାନ କପିଳେଶ୍ଵର ଅତ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି ।

 

ପ୍ରାରମ୍ଭରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଂପାଦକ ଶ୍ରୀ ଇନ୍ଦୁଭୂଷଣ କର ସ୍ଵାଗତ ଭାଷଣ ଦେଇ କହିଲେ ଯେ ଅଗାମୀ ବର୍ଷଠାରୁ ଅତିବଡ଼ୀଙ୍କ ଜନ୍ମସ୍ଥାନ ସମେତ ବିଭିନ୍ନ ଜିଲ୍ଲାରେ ତାଙ୍କର ଜୟନ୍ତୀ ପାଳିତ ହେବ । ଡିସେମ୍ବର ସୁଦ୍ଧା ଓଡ଼ିଆ ଭାଗବତର ୧୨ଟି ଶୁଦ୍ଧ ସଂସ୍କରଣ ପ୍ରକାଶ ପାଇବ ।

 

ଏହି ଅବସରରେ ମନ୍ତ୍ରୀ ଶ୍ରୀ କର ପଣ୍ଡିତ ନୀଳମଣି ମିଶ୍ରଙ୍କଦ୍ୱାରା ରଚିତ ଓଡ଼ିଆ ଭାଗବତର ଶୁଦ୍ଧ ସଂସ୍କରଣର ତୃତୀୟ ଖଣ୍ଡ ଉନ୍ମୋଚନ କରିଥିଲେ । ଏକାଡେମୀର ସହ ସମ୍ପାଦକ ଶ୍ରୀ କୈଳାସ ବିହାରୀ ଦାସ ଧନ୍ୟବାଦ ଦେଇଥିଲେ ।

 

କବିବର ରାଧାନାଥ ରାୟ ଜୟନ୍ତୀ ପାଳନ

ତା ୨୮-୯-୯୨ରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଧାନାଥ ପାଠାଗାର, ରାଧାନାଥ ସ୍ମୃତି ସଂସଦ ଏବଂ ଗାଁ ମଜଲିସ ସାହିତ୍ୟ ସଂସଦ ସହଯୋଗରେ କବିବର ରାଧାନାଥ ରାୟଙ୍କ ୧୪୫ ତମ ଜୟନ୍ତୀ ପାଳିତ ହୋଇଥିଲା । ପୂର୍ବାହ୍‌ଣ ସାଢ଼େ ନ’ଟାରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ରାଧାନାଥ ରାୟଙ୍କ ଜନ୍ମପୀଠ କେଦାରପୁରଠାରେ ରାଧାନାଥ ରାୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉତ୍ସବ ଉଦ୍‌ଘାଟନ କରିଥିଲେ ।

 

ଶ୍ରୀ ବିଶ୍ଵମ୍ଭର ଆଚାର୍ଯ୍ୟ ଭାରତୀ ବନ୍ଦନା ବୋଲିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଶ୍ରୀ ଇନ୍ଦୁଭୂଷଣ କର କହିଲେ ଯେ କବିମାନଙ୍କ ଜନ୍ମପୀଠରେ ତାଙ୍କର ଜୟନ୍ତୀ ପାଳନ କରିବାକୁ ଓଡ଼ିଶା ସାହିତ୍ୟ ଏକାଡେମୀ ନିଷ୍ପତ୍ତି କରିଛି । ଏହି ଉତ୍ସବରେ ସହଯୋଗ କରିଥିବାରୁ ସେ ରାଧାନାଥ ପାଠାଗାର ଓ ରାଧାନାଥ ସ୍ମୃତି ସଂସଦର କର୍ମକର୍ତ୍ତାମାନଙ୍କୁ ଏବଂ ଶ୍ରୀ ଗିରୀଶ ଚନ୍ଦ୍ର ରାୟଙ୍କୁ ଧନ୍ୟବାଦ ଦେଇଥିଲେ ।

 

ରାଧାନାଥ ସ୍ମୃତି ସଂସଦର ସଭାପତି ଶ୍ରୀ ଲକ୍ଷ୍ମୀନାରାୟଣ ନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏଠାରେ ଏକ ଗବେଷଣାଗାର ପ୍ରତିଷ୍ଠା କରିବାକୁ ନିବେଦନ କରିଥିଲେ । ଅଧ୍ୟାପକ ଡ. ରମାକାନ୍ତ ବେହେରା ଏବଂ ଡ: ସନାତନ ନାୟକ ପ୍ରମୁଖ ରାଧାନାଥ ରାୟଙ୍କ କାବ୍ୟ କୃତିକୁ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ ।

 

ଅପରାହ୍ନ ୪ଟାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଡଃ ବିନୋଦ ଚନ୍ଦ୍ରନାୟକ ସଭାପତି, ଶ୍ରୀ ବ୍ରଜନାଥ ରଥ ସମ୍ମାନିତ ଅତିଥି, ଶ୍ରୀ ଜ୍ଞାନେନ୍ଦ୍ର ବିଶ୍ଵାଳ ସଂଯୋଜକ, ଅଧ୍ୟାପକ ଡ: ରମାକାନ୍ତ ବେହେରା ସମୀକ୍ଷକ ଭାବେ ଯୋଗ ଦେଇଥିଲେ । ଏକାଡେମୀ ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ଏହାକୁ ଉଦ୍‌ଘାଟନ କରି ସ୍ଵରଚିତ କବିତା ବୋଲିଥିଲେ । ବତ୍ରିଶଜଣ କବି କବିତା ପାଠ କରିଥିଲେ । ଶ୍ରୀ ଇନ୍ଦୁଭୂଷଣ କର ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

ଲେଖକଙ୍କ ସହ ସାକ୍ଷାତ୍‌କାର କାର୍ଯ୍ୟକ୍ରମ

ପଞ୍ଜାବୀ ଓ ଉର୍ଦ୍ଦୁଭାଷାର ସ୍ଵନାମଧନ୍ୟ ଲେଖକ ଡଃ କର୍ତ୍ତାର ସିଂହ ଡୁଗଲ ଏବଂ ଓଡ଼ିଶାର ବରିଷ୍ଠ ସାହିତ୍ୟିକ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ସହ ଯଥାକ୍ରମେ ତା ୧୪-୧୧-୯୨ ଏବଂ ତା ୩୦-୧୧-୯୨ ତାରିଖ ଅପରାହ୍‌ଣ ୩ଘଣ୍ଟା ସମୟରେ ଏକାଡେମୀ କାର୍ଯ୍ୟାଳୟରେ ସାକ୍ଷାତ୍‌କାର କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ସମ୍ପାଦକ ଶ୍ରୀ ଇନ୍ଦୁଭୂଷଣ କର ଲେଖକ ଦ୍ଵୟଙ୍କୁ ସ୍ଵାଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଡ: କର୍ତ୍ତାର ସିଂହଙ୍କୁ ଶ୍ରୀ ଚନ୍ଦ୍ରଶେଖର ରଥ ଓ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଓ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କୁ ଡ: କୃଷ୍ଣ ଚରଣ ବେହେରା ଓ ଡ. ଲାବଣ୍ୟ ନାୟକ ସେମାନଙ୍କର ସାହିତ୍ୟିକ ଜୀବନ ଓ ସାହିତ୍ୟ କୃତି ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହି କାର୍ଯ୍ୟକ୍ରମରେ ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ଅଧ୍ୟକ୍ଷତା କରିଥିଲେ ।

 

ଅଷ୍ଟମ ଜାତୀୟ ପୁସ୍ତକ ସପ୍ତାହ ଉଦ୍‌ଘାଟନ

ଅଷ୍ଟମ ଜାତୀୟ ପୁସ୍ତକ ସପ୍ତାହର ଉଦ୍‌ଘାଟନ ଉପଲକ୍ଷେ ତା ୧୪-୧୧-୯୨ରିଖ ସଂଧ୍ୟା ୬-୩୦ ଘଣ୍ଟା ସମୟରେ ଭୁବନେଶ୍ଵରସ୍ଥ ଭଞ୍ଜକଳାମଣ୍ଡପ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ନ୍ୟାସନାଲ ବୁକ୍‌ଟ୍ରଷ୍ଟଙ୍କ ମିଳିତ ଆନୁକୂଲ୍ୟରେ ଏକ ସାହିତ୍ୟିକ ସମାରୋହର ଆୟୋଜନ କରାଯାଇଥିଲା । ପଞ୍ଜାବୀ ଓ ଉର୍ଦ୍ଦୁଭାଷାର ସ୍ଵନାମଧନ୍ୟ ଲେଖକ ଡ: କର୍ତ୍ତାର ସିଂହ ଡୁଗଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ଓଡ଼ିଆ ଲେଖକ ଶ୍ରୀ ଚନ୍ଦ୍ରଶେଖର ରଥ ଓ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।

 

ଏକାଡେମୀର ସମ୍ପାଦକ ଶ୍ରୀ ଇନ୍ଦୁଭୂଷଣ କର ସ୍ଵାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏକାଡେମୀ ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ ।

 

ଗଳ୍ପ ପାଠୋତ୍ସବର ଆୟୋଜନ

ତା ୧୫-୧୨-୯୨ରିଖ ସନ୍ଧ୍ୟା ୬ଘଣ୍ଟା ସମୟରେ କେନ୍ଦୁଝର ଟାଉନହଲଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ଗଳ୍ପ ପାଠୋତ୍ସବର ଆୟୋଜନ କରାଯାଇଥିଲା ।

 

ଏହି କାର୍ଯ୍ୟକ୍ରମରେ କେନ୍ଦୁଝରର ଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ କେନ୍ଦୁଝର ସହର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୮ଜଣ ପ୍ରବୀଣ ଓ ନବୀନ ଗାଳ୍ପିକ ସ୍ଵରଚିତ ଗଳ୍ପ ପାଠ କରିଥିଲେ । କାର୍ଯ୍ୟକ୍ରମର ସଫଳତା କାମନା କରି ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଶରତ କୁମାର କରଙ୍କ ଶୁଭେଚ୍ଛା ବାର୍ତ୍ତା ସଭାରେ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ଓଡ଼ିଆ କ୍ଷୁଦ୍ର ଗଳ୍ପର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ଓ ସମ୍ଭାବନା ସମୃଦ୍ଧ ବୋଲି କହିଥିଲେ । ବର୍ତ୍ତମାନ ଓଡ଼ିଶାର ଚାରିଆଡ଼େ ଯୁବ ଲେଖକମାନଙ୍କର ଲେଖନୀ ସତତ ସୃଷ୍ଟିତତ୍ପର ବୋଲି କହିଥିଲେ । ସାଧନା ବ୍ୟତୀତ ଉଚ୍ଚକୋଟୀର ସାହତ୍ୟ ରଚନା ସମ୍ଭବ ନୁହେଁ । ତେଣୁ ପ୍ରତ୍ୟେକ ଯୁବଲେଖକ ଉଚ୍ଚକୋଟୀର ସାହିତ୍ୟ ରଚନା ପାଇଁ ଅଭିଳାଷ ପୋଷଣ କରିବା ସଙ୍ଗେ ସଙ୍ଗେ ଜୀବନଧର୍ମୀ ଉଚ୍ଚମାନର ସାହିତ୍ୟ ସୃଷ୍ଟିହେବା ଉଚିତ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଜିଲ୍ଲାପାଳ ଶ୍ରୀ ଅରୁଣ କୁମାର ପଣ୍ଡା ସାହିତ୍ୟିକର ସମାଜ ପ୍ରତି ଏକ ନିର୍ଦ୍ଦିଷ୍ଟ ଦାୟିତ୍ୱ ରହିଛି ଏବଂ ଏହି କର୍ତ୍ତବ୍ୟ ପାଳନରେ ପ୍ରତ୍ୟେକ ସାହିତ୍ୟିକ ସର୍ବଦା ସଚେତନ ହୋଇ ଲେଖନୀ ଚାଳନା କରିବା ଉଚିତ ବୋଲି କହିଥିଲେ ।

 

ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥିମାନଙ୍କୁ କେନ୍ଦୁଝର ବାସୀଙ୍କ ପକ୍ଷରୁ ବୟୋଜ୍ୟେଷ୍ଠ ସାହିତ୍ୟିକ ପଣ୍ଡିତ ମଦନମୋହନ ମିଶ୍ର ସ୍ଵାଗତ କରିଥିଲେ । ଏକାଡେମୀର ସମ୍ପାଦକ ଶ୍ରୀ ଇନ୍ଦୁଭୂଷଣ କର କାର୍ଯ୍ୟକ୍ରମ ଆରମ୍ଭରେ ଏକାଡେମୀର ବିଭିନ୍ନ କାର୍ଯ୍ୟାବଳୀ ଓ ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଏବଂ ସହଯୋଗ କରିଥିବା ଗାଳ୍ପିକ ତଥା ଅନୁଷ୍ଠାନମାନଙ୍କୁ ଏକାଡେମୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସହାୟକ ସମ୍ପାଦକ ଶ୍ରୀ କୈଳାସ ବିହାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

ଗାଳ୍ପିକା ତଥା ସାହିତ୍ୟ ପତ୍ର ‘ସୁଚରିତା’ର ସମ୍ପାଦିକା ଶ୍ରୀମତୀ ଶକୁନ୍ତଳା ପଣ୍ଡା ପ୍ରଥମେ ସ୍ଵରଚିତ ଗଳ୍ପ ପାଠ କରିବା ପରେ ଗଳ୍ପ ପାଠୋତ୍ସବ ଆରମ୍ଭ ହୋଇଥିଲା । ଏହି ଉତ୍ସବରେ ମୋଟ ଛବିଶ ଜଣ ଗଳ୍ପ ପାଠ କରିଥିଲେ । କେନ୍ଦୁଝର ସହର ତଥା ଜିଲ୍ଲାର ବିଭିନ୍ନ ସାହିତ୍ୟାନୁଷ୍ଠାନ ଯଥା : କାକଳୀ ପ୍ରକାଶନ, ମିଳନୀ ସାହିତ୍ୟ ସଂସଦ, ଶୁଭଶ୍ରୀ ସାହିତ୍ୟ ସଂସଦ, ସଂଯୋଗୀ ସାହିତ୍ୟ ସଂସଦ, ସୃଜନୀ ସାହିତ୍ୟ ସଂସଦ, ବୈତରଣୀ ସାହିତ୍ୟ ସଂସଦ, ଶାଳନ୍ଦୀ ପ୍ରକାଶନୀ, ଉପାନ୍ତି ସାହିତ୍ୟ ସଂସଦ, ସବୁଜିମା ସାହିତ୍ୟ ସଂସଦ, ପ୍ରତିଧ୍ୱନି ସାହିତ୍ୟ ସଂସଦ, ଲୋକନାଥ ସାହିତ୍ୟ ସଂସଦ, ସମ୍ଭାବନା ସାହିତ୍ୟ ସଂସଦ, ବଉଳା ସାହିତ୍ୟ ସଂସଦ, ଗିରିଝର ସାହିତ୍ୟ ସଂସଦ, ଚିନ୍ତା ଓ ଚେତନା, ଜିଲ୍ଲାସ୍ତରୀୟ ଶିଶୁ ସାହିତ୍ୟ ସଂସଦ, ଜୀବନ ସାହିତ୍ୟ ମଞ୍ଚ, ସମନ୍ୱୟ ସାଂସ୍କୃତିକ ପରିଷଦ ଏହି କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନାରେ ଏକାଡେମୀ ସହିତ ସହଯୋଗ କରିଥିଲେ ।

 

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଜୟନ୍ତୀ

ପଲ୍ଲୀକବିଙ୍କ ୧୧୭ତମ ଜୟନ୍ତୀ ଅବସରରେ ତା ୨୨-୧୨-୯୨ ରିଖ ସନ୍ଧ୍ୟାରେ ସ୍ଥାନୀୟ ସୂଚନା ଭବନଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଲ୍ଲୀକବି ନନ୍ଦକିଶୋର ଫାଉଣ୍ଡେସନ ସହଯୋଗିତାରେ ଅନୁଷ୍ଠିତ ଏକ ଉତ୍ସବରେ କବିଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରାଯାଇଥିଲା ।

 

ସାହିତ୍ୟ ଏକାଡେମୀର ସଭାପତି ଶ୍ରୀମତୀ ମନୋରମା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ଶରତ କୁମାର କର ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଡ: ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ଵାଜ) ମୁଖ୍ୟବକ୍ତା ଓ ଡ: ଭାବଗ୍ରାହୀ ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । ଖ୍ୟାତନାମା ସାହିତ୍ୟିକ ଓ ଗବେଷକ ଡ: ନଟବର ସାମନ୍ତରାୟଙ୍କୁ ଏହି ଅବସରରେ ‘‘ପଲ୍ଲୀକବି ନନ୍ଦ କିଶୋର ସମ୍ମାନ ୯୨’’ ପ୍ରଦାନ କରାଯାଇଥିଲା । ପଲ୍ଲୀକବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ କବିଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାର କୁସୁପୁର ଠାରେ ଥିବା ହାଇସ୍କୁଲ ପରିସର ମଧ୍ୟରେ କବିଙ୍କର ଏକ ବ୍ରୋଞ୍ଚ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବା ସହ ମାହାଙ୍ଗାଠାରେ ଚାଳିଶ ଲକ୍ଷ ଟଙ୍କା ବ୍ୟୟରେ ଏକ ବରପୁତ୍ର ଭବନ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ କର ଏହି ଅବସରରେ ଘୋଷଣା କରିଥିଲେ ।

 

ଏକାଡେମୀ ସଭାପତି ଶ୍ରୀମତୀ ମନୋରମା ମହାପାତ୍ର ନନ୍ଦକିଶୋରଙ୍କ ସାହିତ୍ୟକୁ ଇଂରାଜୀ ଭାଷାରେ ଅନୁବାଦ କରି ଆନ୍ତର୍ଜାତୀୟ ସ୍ତରରେ ପ୍ରଚାରିତ କରାଯିବା ସହ ନନ୍ଦକିଶୋର ଗ୍ରନ୍ଥାବଳୀର ପୁନଃ ସୁଲଭ ସଂସ୍କରଣ ପ୍ରକାଶ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଡଃ ଜାନକୀ ବଲ୍ଲଭ ମହାନ୍ତି ନନ୍ଦକିଶୋର ସାହିତ୍ୟ ଉପରେ ଏକ ବିଶ୍ଳେଷଣାତ୍ମକ ଆଲୋଚନା କରିଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ପଲ୍ଲୀକବିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାହିତ୍ୟ ଏକାଡେମୀ ସମ୍ପାଦକ ଡଃ ଇନ୍ଦୁଭୂଷଣ କର ସ୍ଵାଗତ ଭାଷଣ ଦେଇଥିଲେ ଓ ସହସମ୍ପାଦକ ଶ୍ରୀ କୈଳାସ ବିହାରୀ ଦାସ ଧନ୍ୟବାଦ ଦେଇଥିଲେ ।

 

***

 

ସଂପାଦକୀୟ

କବିତା ଓ ଦିବ୍ୟ ଉନ୍ମାଦ

 

How can I know what I think

till I see what I say !- Karl Miller.

 

‘‘ଯେ ପର୍ଯ୍ୟନ୍ତ ନ ଦେଖିଛି-କେମିତି ଜାଣିବି ମୁଁ କଣ ଭାବୁଛି !’’-ଅର୍ଥାତ୍ ଅଦୃଶ୍ୟ ଶକ୍ତି ବସ୍ତୁ ମାଧ୍ୟମରେ ହିଁ ପରିଦୃଶ୍ୟମାନ ହୁଏ ! ଯନ୍ତ୍ର ପଦ୍ଧତି ଶକ୍ତିକୁ ଚାଳେନା, ଶକ୍ତି ଯନ୍ତ୍ର ପଦ୍ଧତିକୁ ଚାଲେ । କବି କବିତା ରଚନା କରେ ନାହିଁ, କବିତା କବି ରଚନା କରେ । ସ୍ଵୈରବାଦୀଙ୍କ ମତରେ ଏହି ଅଦୃଶ୍ୟ ଶକ୍ତି ହେଉଛି ଦିବ୍ୟ ଉନ୍ମାଦ (Divine Frenzy) ଦୈନନ୍ଦିନ ଜୀବନର ସଂଘାତ ଉପରେ ଏକ ପ୍ରଚ୍ଛନ୍ନ ସଞ୍ଚାରୀ ରହସ୍ୟ କବିକୁ ଆଚ୍ଛନ୍ନ କରିଦିଏ କାଳିସୀ ପରି ଏବଂ ସେ ଉନ୍ମାଦ ହୋଇ ଗୀତି ମୁଖର ହୋଇ ଉଠେ । ଉଆର୍ଡସ୍ ଉଆର୍ଥ ଏହି ଇନ୍ଦ୍ରଜାଲକୁ ନିମ୍ନରୂପେ ଅବତାରଣା କରିଛନ୍ତି :

 

The power so called

Through sad incompetence

of human speech.

 

ମାନବିକ ଅକ୍ଷମତା ମଧ୍ୟରେ ତେଜସ୍କ୍ରିୟତା ପ୍ରକ୍ଷେପ ପାଇଁ କ୍ଷମତା ପ୍ରାର୍ଥନାର ପ୍ରତୀକ ରୂପରେ ପ୍ରତିଷ୍ଠା ଲାଭ କରିଥିଲେ ବାକ୍‌ଦେବୀ ବୀଣାପାଣି ସରସ୍ଵତୀ, ଏପୋଲୋ ଓ ମ୍ୟୁଜ୍ । ଆଦି କବି ସାରଳା ଦାସ ଶକ୍ତି ସହିତ ବାକ୍‌ଦେବୀଙ୍କ ସମନ୍ୱିତା ଅଧିଷ୍ଠାତ୍ରୀ ରୂପରେ ଝଙ୍କଡ଼ ବାସିନୀ ସାରଳାଙ୍କୁ ତାଙ୍କ ମହାକାବ୍ୟରେ ଉଦ୍‌ବୋଧନ ଦେଇଛନ୍ତି ।

 

ପରବର୍ତ୍ତୀ କବିଗଣ ସ୍ଵ ସ୍ଵ ଇଷ୍ଟ ଦେବଦେବୀଙ୍କୁ କାବ୍ୟ ପ୍ରାକ୍ ଭୂମିକାରେ ଅଧିଷ୍ଠିତ କରିଥିଲେ ମଧ୍ୟ ରାଧାନାଥ ‘ମହାଯାତ୍ରା’ ମହାକାବ୍ୟରେ ରୀତି ରକ୍ଷାକରି ଲେଖିଛନ୍ତି :

 

ଝଙ୍କଡ଼ ବାସିନୀ ଦେବୀ ଉତ୍କଳ ଭାରତୀ

ସାରଳେ ! କିକଲେ କହ କୁରୁ ଚୂଡ଼ାମଣି ।

 

ମିଲ୍‌ଟନ୍ ସ୍ଵୟଂ ପିଉରିଟାନ୍ ଥିଲେ, କିନ୍ତୁ ସେ ମହାକାବ୍ୟ ପାରାଡାଇଜ୍ ଲଷ୍ଟ୍‌ରେ ଗ୍ରୀକ୍ ପରମ୍ପରା ଅନୁଯାୟୀ ‘ମ୍ୟୁଜ୍’ଙ୍କୁ କବିତ୍ୱ ସାଧନ ପାଇଁ ଆହ୍ୱାନ (Invoke) କରିଛନ୍ତି ।

 

ଥମାସ୍‌ ଗ୍ରେ ପ୍ରଥମେ ଦିବ୍ୟ ଉନ୍ମାଦ (Divine Frenzy)କୁ ପୟଗମ୍ବରର ପ୍ରଚଣ୍ଡ ଶକ୍ତି ରୂପରେ ଅବତାରଣା କରିଛନ୍ତି (a Prophet’s fire) ଏବଂ ରଚନା ପାଟବତା ବା ଶବ୍ଦ ଓ ଶୈଳୀ ପ୍ରକ୍ଷେପ କୁଶଳତାକୁ କବି ହସ୍ତ ଉପରେ ନ୍ୟସ୍ତ କରିଛନ୍ତି (a master’s hand)

 

And with a master’s hand

and Prophet’s fire

Struck the deep sorrows of his lyre.

 

ଅନ୍ୟ କଥାଟି କବିତାର ବିଷୟବସ୍ତୁ-the deep sorrows of his lyre-ବୀଣାତନ୍ତ୍ରୀର ଗଭୀର ଯନ୍ତ୍ରଣାର ଉତ୍ତରଣ । ଏହି ପରିସରଭୁକ୍ତ ବର୍ତ୍ତମାନ ନୁହେଁ ।

 

ମନସ୍ତାତ୍ତ୍ୱିକ ୟୁଙ୍ଗ୍ ଦିବ୍ୟ ଉନ୍ମାଦ (Divine Frenzy)ର ମୌଳିକ ବିଶ୍ଳେଷଣ କରି ସାମୂହିକ ନିର୍ଜ୍ଞାନତା (collective unconscious) ବିଷୟ ଉତ୍‌ଥାପନ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କର ଅବଚେତନା ତାଙ୍କ ପୂର୍ବପୁରୁଷଙ୍କ ଠାରୁ ଉତ୍ତରାଧିକାରୀ ସୂତ୍ରେ ପ୍ରାପ୍ତ ସଂପୃକ୍ତ ବିମ୍ବ (Images) ଏବଂ ପ୍ରତୀକ (symbols)ର ଏକ ଗନ୍ତାଘର, ଏବଂ ଏହି ସମସ୍ତର ନକ୍‌ସା (pattern) ତାର ଚେତନା ସ୍ତରକୁ ସ୍ଵପ୍ନ, ଉନ୍ମାଦନା, ଆବେଗ ମଧ୍ୟରେ ଅବତରଣ କରେ । କବିର ମନନ ସ୍ପର୍ଶକାତରତା ଅପେକ୍ଷାକୃତ ଅଧିକ ଥିବାରୁ ସେ ଏହି ଅବଚେତନକୁ ପରିପ୍ରକାଶ ଏବଂ ପ୍ରଚାର କରିବାକୁ ଉତ୍କଣ୍ଠିତ ହୋଇଉଠେ । କେବଳ କବି ନୁହେଁ-ସମସ୍ତ କଳାକାରଙ୍କ ଠାରେ ଏହି ଅବସ୍ଥାର ତାରତମ୍ୟ ପରିଲକ୍ଷିତ ହୋଇଥାଏ ।

 

ଏ ସମସ୍ତର ନିପାତନ କିପରି ସାଧିତ ହୁଏ, ଏହା ବ୍ୟାଖ୍ୟା କରିବା ଅସାଧ୍ୟ ବ୍ୟାପାର । ୟୁଙ୍ଗ୍ କହନ୍ତି-‘‘Any reaction to stimulus may be casually explained; but the creative act, which is the absolute antithesis of mere reaction, will for ever elude the human understanding.’’

 

କବି-ରଚନାର ରହସ୍ୟମୟ ସୃଜନଶୀଳତାକୁ ଯେ କୌଣସି ଅଭିଧାର ଅନ୍ତର୍ଭୁକ୍ତ କରାଯାଇ ପାରେ, କିନ୍ତୁ ଅନୁଶୀଳନ କରାଯାଇ ପାରେନା ଅଥଚ କେବଳ କବିକର୍ମର ଆଙ୍ଗିକ ଦିଗକୁ ଆମର ଦୃଷ୍ଟି ମାତ୍ର ଆକର୍ଷିତ ହୋଇଯାଏ ।

 

ଆପାତତଃ କବିଙ୍କ ପ୍ରକୃତି ଦ୍ଵିବିଧ-ଯେହେତୁ ଦୁଇଟି ଉତ୍ସରୁ ତାଙ୍କ କବିତାଧାରା ଉତ୍ସରିତ:- a mysterious inner compulsion and a fully conscious technical discipline.-ରହସ୍ୟମୟ ଅନ୍ତର୍ପ୍ରେରଣା ଓ ସଜ୍ଞାନ ଶୈଳ୍ପିକ ନିୟନ୍ତ୍ରଣ ।

 

ରବୀନ୍ଦ୍ରନାଥ ଏହି ଦ୍ଵୈତାବସ୍ଥାକୁ ବିଶ୍ଳେଷଣ କରି କହନ୍ତି :

I believe that there is an ideal hovering over and permeating the earth, an ideal of that paradise, which is not merely the outcome of fancy, but ultimate reality in which all things dwell and move.”

 

ସମଗ୍ର ପୃଥିବୀକୁ ଆଚ୍ଛାଦନ କରି ଏହାର ଊର୍ଦ୍ଧ୍ୱଭାଗରେ ଏକ ଆଦର୍ଶ ଆନନ୍ଦାଲୋକ ପରିଭ୍ରମଣ କରୁଛି । ଏହା କଳ୍ପନା ପ୍ରସୂତ ନୁହେଁ, ଏହା ଚରମ ବାସ୍ତବ । ଏହା ଭିତରେ ସମସ୍ତ ବସ୍ତୁର ଅବସ୍ଥାନ, ସମସ୍ତ ବସ୍ତୁ ବେଗବାନ । ଅର୍ଥାତ୍ ରବୀନ୍ଦ୍ରନାଥଙ୍କ ମତରେ ସମସ୍ତ ବସ୍ତୁକୁ ବେଗ (motion) ପ୍ରଦାନ କରେ ଏ ଅଦୃଶ୍ୟ ଆବେଗ (emotion) ଏବଂ ଏହା ସତ୍ୟ ଓ ସତ୍ୟ ।

 

ରବୀନ୍ଦ୍ରନାଥଙ୍କ ଏହି “an abstract world of relation of forces” ‘ଶକ୍ତି ସମ୍ପର୍କିତ ଆଲୋକ ପୃଥିବୀ’ ତର୍କକୁ ଅପେକ୍ଷା ରଖେ ସତ୍ୟ, କିନ୍ତୁ ବସ୍ତୁବୃତ୍ତକୁ ତଥା ଇତର ପ୍ରାଣୀ ଜଗତକୁ ପରିତ୍ୟାଗ କରି ମାନବ ସମାଜ ପ୍ରତି ଏହାର ପ୍ରୟୋଗ କେତେଟା ଆଲୋକ ସମ୍ପାତ କରେ ଯାହାକି ୟୁଙ୍ଗ୍ଙ୍କର ସାମୂହିକ ନିର୍ଜ୍ଞାନ ଏବଂ ଭୂୟୋଦର୍ଶୀ ମହାକବିଙ୍କ ଦିବ୍ୟ ଉନ୍ମାଦ ଉପଲବ୍‌ଧି ସହିତ ପ୍ରାୟ ସମାନ ।

କବିଙ୍କୁ ଏହି ଚେତନାର ପରିପ୍ରକାଶ ପାଇଁ ଅକ୍ଷମ ବାକ୍‌ ପଦ୍ଧତି (incompetence of human speech) ବ୍ୟତିବ୍ୟସ୍ତ କରେ । ଏହା ମାନସିଂହଙ୍କ ଆକୁତିମୟ ଅନୂକ୍ତିରେ :-

 

ଏଡ଼େ ବିରାଟ ସେ

ପାଏ କି ଭାଷା

ହାୟରେ ତରୁଣ କବିର ଆଶା ! [ ଧୂପ ]

 

ପ୍ରାୟଶଃ ସମ ପ୍ରକାର ଅଭିବ୍ୟକ୍ତି ପାଇଁ କବିତାର ପ୍ରେତାତ୍ମା (familiar compound ghost) ଏଲିୟଟ୍ ସମ୍ମୁଖରେ ଆସି ଶବ୍ଦ ରୂପାୟଣ ବିଷୟରେ କହୁଛି :

 

Our concern was speech

and speech impelled us

 

To purify the dialect of the tribe

And urge the mind

to after sight and foresight.

[Four Quartets]

 

ଏହି ଦିବ୍ୟ ଉନ୍ମାଦ କଣ ଏକ ମାୟାବୀ, ବ୍ରହ୍ମନ୍ ବା ଈଶ୍ଵରଙ୍କର ଛାୟା ? ବ୍ରହ୍ମସ୍ଵାଦ ସହୋଦର କିମ୍ବା ବ୍ରହ୍ମଜ୍ଞାନ ? ଏଥିପାଇଁ ଶବ୍ଦ କ’ଣ ଏପରି ପରିମିତ ଯେ ଅପରିମିତକୁ ପରିପ୍ରକାଶ କରିପାରେ ନାହିଁ ଯାହା ପାଇଁ କବିର ଏ ଉତ୍‌କଣ୍ଠା ? ତଥାପି କବିଙ୍କ ବିଷୟରେ ଉଲ୍ଲେଖ ଅଛି : ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତିଃ ।

 

ସେକ୍‌ସପିୟର୍‌ଙ୍କ ଟାଇମନ୍ ଇନ୍ ଏଥେନ୍‌ସରେ କବି କବିତା ବିଷୟରେ କିନ୍ତୁ ଦିବ୍ୟ ଉନ୍ମାଦ ବା ଆବେଗ କଥା ଉଲ୍ଲେଖ କରି ନାହାନ୍ତି :-

 

Our poesy is as a gum which oozes

From whence ’t is nourished;

the fire i’ the flint

 

Shows not till it be struck,

our gentle flame

Provokes itself,

and like the current flies

Each found it chafes.

 

କବିତା ସ୍ଵତଃ ଉତ୍ସରିତ ଏକ ରସ ଧାରା, ଏହା ଧାତୁପିଣ୍ଡ ସଂଘର୍ଷ ଜନିତ ଅଗ୍ନି ସ୍ଫୁଲିଙ୍ଗ ନୁହେଁ ଯେ ଶିଖା ପ୍ରଜ୍ଵଳନ କରିବ । ନିଜର ବାଧାବନ୍ଧନକୁ ପ୍ରତିହତ କରି ଏହା ଅବିରଳ ପ୍ରବାହିତ ।

 

ସଫୋକ୍ଳିସ୍‌ଙ୍କ ଓଡିପସ୍ ଏଟ୍ କୋଲୋନସ୍ ପଢ଼ାଇବାକୁ ଯାଇ ଜଣେ ଅବଧାନ ତାଙ୍କ ଛାତ୍ରମାନଙ୍କୁ କହିଥିବାର ଶୁଣାଯାଏ ଯେ ସଫୋକ୍ଳିସ୍‌ଙ୍କ କବିତ୍ୱ ହେଉଛି “a veritable treasure-trove of grammatical peculiarities.” ବ୍ୟାକରଣ ବୈଶିଷ୍ଟ୍ୟର ଭଣ୍ଡାର ଘର । ସେଇପରି ସତରେ ଆମ୍ଭମାନଙ୍କ ସମ୍ମୁଖରେ ଆଜି କବିତା ବ୍ୟାକରଣର କି ଏକ ଭଣ୍ଡାର ଘର ?

 

ବିନୋଦ ଚନ୍ଦ୍ର ନାୟକ

***

 

Issue : 87

Rs. 5-00

Jan. 1993

ଓଡ଼ିଶା ସାହିତ୍ୟ ଏକାଡେମୀର

ସଦ୍ୟ ପ୍ରକାଶିତ ପୁସ୍ତକାବଳୀ

 

୧.

ଶ୍ରୀମଦ୍‌ ଭାଗବତ ମହାପୁରାଣମ୍‌

ଶ୍ରୀ ସୁଶୀଳ କୁମାର ଦାସ

 

 

(ମୂଳଶ୍ଳୋକ ଓଡ଼ିଆ ଗଦ୍ୟାନୁବାଦ

ଦଶମ ସ୍କନ୍ଧ (୧ମ ଖଣ୍ଡ)

ଟ ୭୯-୦୦

 

ଶ୍ରୀଧରସ୍ଵାମିକୃତ ଟୀକା ସହିତ)

ଦଶମ ସ୍କନ୍ଧ (୨ୟ ଖଣ୍ଡ)

ଟ ୭୬-୦୦

 

 

ଦଶମ ସ୍କନ୍ଧ (୩ୟ ଖଣ୍ଡ)

ଟ ୭୨-୦୦

୨.

ବାଙ୍କନିଧି ରଚନାବଳୀ

ସ୍ଵର୍ଗତ ବାଙ୍କନିଧି ପଟ୍ଟନାୟକ

ଟ ୫୬-୦୦

୩.

ଓଡ଼ିଶାର ସାଂସ୍କୃତିକ ଇତିହାସ

ଡକ୍ଟର ସତ୍ୟନାରାୟଣ ରାଜଗୁରୁ

ଟ ୨୮-୦୦

 

(୩ୟ ଖଣ୍ଡ ୪୦୦ରୁ ୧୧୦୦ ଖ୍ରୀ:ଅ:)

 

 

୪.

ବିଚାର (କାଫ୍‌କାଙ୍କ The Trial

ଓଡ଼ିଆ ଅନୁବାଦ)

ଶ୍ରୀସୌରୀନ୍ଦ୍ର ବାରିକ

ଟ ୪୨-୦୦

୫.

ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ (ପୁନମୁଦ୍ରଣ)

ସଂପାଦନା-ଡଃ କରୁଣାକର କର

ଟ ୫୭-୦୦

୬.

କୋଣାର୍କ ପଞ୍ଚସଖା ବିଶେଷାଙ୍କ

(ପୁନମୁଦ୍ରଣ)

ସଂପାଦନା ଡକ୍ଟର ବଂଶୀଧର ମହାନ୍ତି

ଟ ୪୯-୦୦

୭.

Story of Freedom

Struggle in Orissa

Sri Susil Chandra De

ଟ. ୨୮-୦୦

୮.

Temple Legends of

Orissa

Dr. Ramesh Prasad Mohapatra

ଟ. ୨୨-୦୦

୯.

ଜଗନ୍ନାଥ ଦାସ କୃତ ଓଡ଼ିଆ

ଭାଗବତ (ଶୁଦ୍ଧ ସଂସ୍କରଣ)

(୧ମ ଓ ୨ୟ ସ୍କନ୍ଧ)

ସଂପାଦନା : ଶ୍ରୀ ନୀଳମଣି ମିଶ୍ର

ଟ ୨୦-୦୦

 

Printed, Published and owned by Sri Indubhusan Kar, Secretary, Orissa Sahity Akademi, Printed at Saptarshi Printers, Madhupatna, Cuttack and Published from Orissa Sahitya Akademi, Museum Building, Bhubaneswar-14 Editor Sri Binod Chandra Naik.

 

***