Unknown


ଧୂପ

ମାୟାଧର ମାନସିଂହ

 

 

 

ପ୍ରକାଶକ–

ପ୍ରଗତି ସଂଘ

କଟକ

 

 

ପ୍ରଥମ ମୁଦ୍ରଣ

୧୯୩୧–

 

 

 

 

 

 

 

ମୁଦ୍ରାକର–

ଶ୍ରୀ ବିଶ୍ୱନାଥ କର

ଉତ୍କଳ ସାହିତ୍ୟପ୍ରେସ

କଟକ ।

 

 

 

 

 

 

 

ଧୂପ

ଉପହାର

 

ଉତ୍ସର୍ଗ

 

ଶ୍ରୀମତୀ ହେମଲତା ଦେବୀ

କାନ୍ତ କରେଷୁ

ଲେଖକ

 

ବିଜ୍ଞପ୍ତି

ଏଇ କବିତାଗୁଡିକ ମଧ୍ୟରୁ କେବଳ ତିନୋଟି କବିତା ‘ଉତ୍କଳସାହିତ୍ୟ’ରେ ପ୍ରକାଶିତ ହୋଇଥିଲା । ଅନ୍ୟ ସମସ୍ତ ହିଁ ଅପ୍ରକାଶିତ ଥିଲା ।

 

ଏ ପୁସ୍ତକର ମୁଦ୍ରଣ କାର୍ଯ୍ୟରେ ମୋର ବନ୍ଧୁ ଶ୍ରୀମାନ ସାଧୁଚରଣ ମହାନ୍ତି ଓ ଶିଶୁସାହିତ୍ୟ ଲେଖକ ଶ୍ରୀମାନ ଉଦୟନାଥ ଷଡ଼ଙ୍ଗୀ ମୋତେ ବିଶେଷ ସାହାଯ୍ୟ କରିଛନ୍ତି । ମୁଁ ସେମାନଙ୍କ ନିକଟରେ ଅନ୍ତରର କୃତଜ୍ଞତା ଜଣାଉଅଛି । ଇତି ।

 

 

ଲେଖକ

 

 

 

 

ତରୁଣ କବିର ଆଶା

ଏଡ଼େ ବିରାଟ ସେ, ପାଏ କି ଭାଷା,

ହାୟ ରେ ତରୁଣ କବିର ଆଶା

ଭାବିଥିଲି ଯିବି ଅସୀମ ପଥେ

ସୁରଭି-ଶୀତଳ-ମଳୟରଥେ

କୁସୁମ-ଫଗୁଳ- ଫଗୁଣ-ପୁରେ

ବାହି ଗୋ ଦୂରେ !

 

ଅଶୋକକଳିକା ଶ୍ରବଣେ ଗୁଞ୍ଜି

ଚରମେ ଝୁଲାଇ ବଉଳ-ପୁଞ୍ଜି

ପରିମଳ ପରି ଯାଆନ୍ତି ମିଶି

ମୁଁ ଦଶଦିଶି ।

 

ପରିମଳ ସମ ଗଗନେ ଭାସି

ପାଗଳ କରନ୍ତି ଜୋଛନାରାଶି,

ଜୋଛନା ଡାକନ୍ତା ‘ଆସ ହେ ପ୍ରିୟ,

ଚୁମ୍ବନ ନିଅ !

 

ଚଇତ-ପବନ ସଙ୍ଗୀତ ଧରି

ସେ ପାର ଆକାଶେ ଯାଆନ୍ତି ଚଳି,

ମୁକତି ଲଭନ୍ତା ପରାଣ ମମ

ବିହର୍ଗ ସମ !

 

କୋକିଳ ଡାକନ୍ତା ‘ଆସ ହେ ଭାଇ’

ତରୁଣ ସେ କବି ହୁଅନ୍ତା ବାଇ,

ଗୋଲାପ କହନ୍ତା ‘ଆସିଲ ସତେ

ଏତେ ଦିନକେ !

 

ଭାବିଥିଲି ଘନ ବକୁଳ ତଳେ

ସୁରଭି କୁସୁମଶୟନ ପରେ

ଯାପିବି ଜୀବନ ପ୍ରେୟସୀ ଧରି

ସ୍ୱପନ ପରି !

 

ବାଛି ନେଇଥିଲି ମୋର ପ୍ରେୟସୀ

ଲାବଣ୍ୟ ପ୍ରତିମା, ସମବୟସୀ,

ଭାବିଥିଲି ତାରେ କରିବି ସାଥୀ

ପରାଣ ପାତି!

 

ଭାବିଥିଲି ଛାଡ଼ି ପୃଥିବୀ ବାଧା

ସୁଜିବି ସେ ମୋର ହୃଦୟ-ରାଧା

ବଜାଇ ମୁରଲୀ ମୁଁ ଅହରହ,

କାହିଁ ବିରହ ?

 

ଅମର ଚାନ୍ଦିନୀ ଯାମିନୀ ତଳେ

ସେ ରାଧା କୋମଳ ଜଘନପରେ

ଜୀବନ ମରଣ ଯାଆନ୍ତି ଭୁଲି

ସପନ ପରି !

 

ବିଜନ ତଟିନୀ ବେତସ ଗେହେ

ତାଳି ଦେଇଥାନ୍ତି ଅଳସ ଦେହେ,

ଚମକନ୍ତି ଶୁଣି ନୁପୁରଧ୍ୱନି

ପ୍ରେୟସୀମଣି !

 

ମାନସୀ ଆସନ୍ତା ହଲାଇ ବେଣୀ

ଚତୁରେ ଚଳାଇ ନୟନ ବେନି,

ଲଗାଇ ଦିଅନ୍ତା ପ୍ରିୟରେ ତାର

କୁସୁମ ହାର !

 

ପାଶରେ ଥାଆନ୍ତା ରସ କବିତା

ଚିର-ଯଉବନ ପ୍ରଣୟ-ଗୀତା

ପ୍ରେୟସୀ ଗାଆନ୍ତା, ଚୁମନ୍ତି ମୁଖ,

ପୁରନ୍ତା ବୁକ !

 

ହାଇ ରେ ତରୁଣ କବିର ଆଶା

ଏଡ଼େ ବିରାଟ ସେ, ପାଏ କି ଭାଷା,

ଆକାଶ ବସୁଧା କେତେ ସେ କରେ

ନିମିଷକରେ

 

କାହିଁ କଳପନା କାହିଁ ଜୀବନ,

ତରୁଣ କବିର ଜଳଇ ମନ,

ଚାରିଆଡ଼ୁ ବାଜେ ଦାରୁଣ ବାଧା,

କାହିଁ ତା ରାଧା !

 

ନାହିଁ ରାଧା ନାହିଁ ବେତସ-ଲୀଳା,

ନାହିଁ ପାଶେ ବେଣୀହଲା ଛଇଳା,

ପ୍ରଣୟରେ ମାତି ହେବାକୁ ଗେଲ

କାହିଁ ତା ବେଳ !

 

ବାଳୁତର ସାଥୀ ନାହିଁ ତା ପାଶେ,

ବାଳିକା ସେ ଗଲା ଆନର ଆଶେ,

କାହା ଗଳେ ସୁଖେ ଛନ୍ଦିବ ବାହୁ

କହ ସେ ଆଉ ?

 

ରସିକ ହେବାର ଛାଡ଼ିଛି ଆଶ,

କେ ବାଳା ବାନ୍ଧଇ ପ୍ରଣୟ-ପାଶ

କେବଳହିଁ ପ୍ରାଣ- ପୀରତି ଲଭି;

ଗରିବ କବି !

 

ଗରିବ କଚିରେ ସଂସାର ପୀଡ଼େ,

କବିତାକୁ ବେଳ ନାହିଁ ଏ ଭିଡ଼େ,

ଫଗୁଣ ଚଲଇ ଚଇତ ଆସେ,

କି ଯାଏ ଆସେ !

 

ପ୍ରଣୟ-କବିତା-ସ୍ୱପନ ନାହିଁ,

ନିମଷେ ନିମିଷେ ଗଲେ ଉଭାଇ,

ମଣିଷ ବେଭାରେ ଯାଉଛି ଦ୍ରବି

ତରୁଣ କବି !

 

ମଣିଷ ହୋଇ ତା ଏଡ଼େ ବିଚାର

ଧରାରେ ସରଗ ସୃଚ୍ଚନା ତାର,

ଏ କଳପନାକୁ ପାଏ କି ଭାଷା,

ହାଇ ରେ କରୁଣ କବିର ଆଶା !

 

ପାପ ଓ ପ୍ରେମ

 

ହେ ସମବୟସି, ତୁମର ମୋର ଯେ ପୀରତି

ନିଷ୍ଠୁର କେତେ ବୋଲୁଛଁତି ପାପ କୀରତି !

ତୁମରେ ବୋଲଁତି କୁଳଟା ଅସତୀ ରମଣୀ

ମୋତେ ବା ବୋଲଁତି ବ୍ୟଭିଚାରୀ ନୀତ ବ୍ୟସନୀ

 

ବ୍ୟବହାର ଦେଖି ନିର୍ବୋଧ ଜନତାର ଗୋ

ବୁଝେ ଅବା ନାହିଁ ବଞ୍ଚିବା ଅଧିକାର ଗୋ

ଏଡ଼େ ଅପରାଧ ଜୀବନେ କରିବା ପୀରତି

ହୃଦୟେ ହୃଦୟ ମିଶିବାକୁ ଗଲେ

ଧର୍ମ ରହେନା ପୁଣି ମହୀତଳେ

 

ଏକ ଆନ ପାଇଁ ଭାବିବା ଗୋ ପାପ-କୀରତି

ହେ ସମବୟସି, ତୁମର ମୋର ଯେ ପୀରତି

ପ୍ରଣୟ କି କଥା ଜାଣିଥିଲେ ଏହା କହି କି ?

ପରାଣ ମିଳିଲେ ପାପ କିପାଁ ଆସେ ମହୀକି ?

 

ଚିରଉପବାସୀ କି ଜାଣିବ ଏହି ଜନତା

କି ପୀୟୁଷ ଢାଳେ ପରାଣେ ପ୍ରଣୟ-ମମତା ?

ଦରିଦ୍ର ୟେ ଗୋ ଜାଣିବେ କେସନେ ଜୀବନେ

କିବା ଅନୁଭବ ପୀରତି-ପୀୟୁଷ ସେବନେ;

 

ପ୍ରିୟତମ ବୋଲି ଡାକିବା କି ସୁଖ ସହିକି

ଏକ ହୃଦ କଥା ଆନ କାନ ପାଶେ

ଗୋପନେ କହିବା ଚୁପି ଚୁପି ଭାଷେ

ନୟନ ଲୋତକେ ସ୍ୱର୍ଗ କରିବା ମହୀକି

ପ୍ରଣୟ କି କଥା ଜାଣିଥିଲେ ଏହା କହି କି ?

 

ଜନତା କି କେବେ ସୁଖ ମୋର ଜାଣିବ

ନୟନୁ ଲୋତକ ପୋଛିବାକୁ କର ଆଣିବ

ପାପେ ତେବେ ମୋର କିପାଇଁ ଏ ବ୍ୟଥା କହତ

ସେନେହ ଖୋଜିଲେ ସରେ କି ଧରମ ମହତ ?

 

ପରାଣେ ପରାଣ ମିଶିଲେ କି ନାରାୟଣ ହେ

ଶୁଣିଛ କେ କାହିଁ କରିବାର ପଳାୟନ ହେ

ସେ କଥା ମୁର୍ଖସମାଜ ତ ନାହିଁ ଜାଣିବ

ନିର୍ମମ ଖାଲି ଖୋଜି ଅପରାଧ

ସୃଷ୍ଟି କରିବ ମିଛ ଅପବାଦ

ଈଶ୍ୱର ନାମେ ହିଂସାରେ ବାଣ ହାଣିବ !

 

ନୟନୁ ଯାହାର ଲୋତକ ମୋ ପାଇଁ ବହିଲା

ମୋ’ ନୟନେ ସେ ତ ପରମ ପୂଜ୍ୟ ମହିଳା,

ସତୀଶିରୋମଣି ନ ହେଲା ବା ସେହି କାମିନୀ

ଅସତୀର କିହେ ନାହିଁଛି ପ୍ରଣୟ-ଯାମିନୀ ?

 

ସତୀ ଅସତୀରେ ଭିନ୍ନ କି ହୁଏ ପରାଣ ?

ପ୍ରାଣ ଯଦି ଅଛି, ଅଛି ହେ ପ୍ରଣୟ-ଧିଆନ

ସତୀରେ ତା’ ଗୁଣ, ଅସତୀରେ ଦୋଷ ହୋଇଲା

ମୂର୍ଖ ଜନତା କର ତା’ବିଚାର

ପ୍ରଣୟକୁ ଦିଅ ତାର ଅଧିକାର

 

ନ କହ ପୁରୁଣା ପୋଥି ଏଥେ କିବା କହିଲା,

ମୋ ନୟନେ ସେ ତ ପରମ ପୂଜ୍ୟ ମହିଳା ।

ନୟନ-ବାରିରେ ସିକ୍ତ ଯା’ ପ୍ରୀତି-ସରଣୀ

ଘୃଣ୍ୟ କି ହେଲା କୁଳଟା ବୋଲି ସେ ଘରଣୀ ?

 

ମଙ୍ଗଳ-ଦୀପ ଜାଳିଲା ଯେ ଏକ ଭବନେ

ସଙ୍ଗୀତମୟ କରିଲା ଯେ ଏକ ଜୀବନେ

ଛାୟାତଳେ ଯାର ପାଇଲା ଶାନ୍ତି ମଧୁର

ଆଉ ଏକ ପ୍ରାଣ କ୍ଳାନ୍ତ ବ୍ୟଥିତ ବିଧୁର

 

ସେ ଜୀବନେ ମୂଲ ଦେବନି’କି ଏଇ ଧରଣୀ ?

ପ୍ରଣୟ କି ହାୟ ଏଡ଼େ ଅପରାଧ ?

ହିୟା ଖୋଲି ଦେଲେ ମିଳେ ଅପବାଦ

ମନର ମଣିଷେ ମନ ଦେଲେ ହାୟ, ଘୃଣ୍ୟ ହୋଇବ ଘରଣୀ ?

 

ମୂର୍ଖ ଜନତା ବୁଝେ ନାହିଁ ମନ-ଯାଚନା

ଏକ ଆନ ପାଇଁ ବିଳପିବା କିବା ଘଟଣା

ଜୀବନ-ଦୁଆର ରୁନ୍ଧ ଗୋ ନୀତି-ପାଷାଣେ

ଜୀବନ-ଦେଉଳେ ଉଡ଼ାଏ ଗୋ ନୀତି-ନିଶାଣେ;

 

ସ୍ନେହର ମୁଲ୍ୟ ନିର୍ବୋଧ ଦେଇ ପାସୋରି

ଦେହର ମୁଲ୍ୟେ ଧରିଅଛି ସେ ଗୋ ଆବୋରି

ସ୍ନେହ ଯେ ଜୀବନେ କରିଦିଏ ପାପ ମାଜଣା;

ନାହିଁ ଜାଣେ ସଖି ମୂର୍ଖ ଜନତା

ପାପ ବୋଲି କହେ ପ୍ରଶୟ-ମମତା !

 

ଅଶ୍ରୁ-ଧଉତ-ପୀରତିକି ପାପ-ଘଟଣା

ମୂର୍ଖଜନତା ବୁଝେ ନାହିଁ ପ୍ରୀତି-ରଚନା ।

ତେବେ ଲାଞ୍ଚିତା ସୁନ୍ଦରି ପ୍ରାଣ-ସଜନି,

ସ୍ନେହେ ତବ ହେଉ ଆର୍ଦ୍ର ନିତି ମୋ ରଜନୀ

 

ମୂର୍ଖ ଜନତା କହୁଥାଉ ପାପ ବୋଲି ଗୋ

ତବ କରତଳ ଦିଅ ମୋ କପାଳେ ବୋଳି ଗୋ

ଈଶ୍ୱର ଆଗେ ଏ ପାପ ଅଶ୍ରୁ-ଲଳିତ

ଦେଖାଇବା, ହେଉ ପାପ ଓ ପ୍ରଣୟ କଳିତ

 

ନର ଯା ବୁଝେ ନା ଦେବତା ବୁଝଇ ସଜନି,

ଏହି ପାପ ଦେଇ ବେନି ପ୍ରାଣେ ସଖି

ଜୀବନ ଯାଉ ତା’ ରସ-ଧାରା ରଖି

ଆଦରେ ଆର୍ଦ୍ର ହେଉ ମୋର ପାପ-ରଜନୀ

ପାପ ଦେଇ ମତେ ପୀୟୁଷ ପିଆଅ ସଜନି !

 

ଗୋପନ-କଥା

ନ କହିବାକୁ ଯାହା ତମେ ଗୋ ଥିଲ କହି ତମର ମୋର ସବୁ ଘଟିଛି ଯାହା ସହି, ପାରିନି କଥା ରଖି, କ୍ଷମିବ ମତେ ସଖି ମୋ ସାଥୀ-ଜନେ ରାଣି, ଦେଇଛି ତାହା କହି ନ କହିବାକୁ ଯାହା ତମେ ଗୋ ଥିଲ କହି

କେସନେ ଏଡ଼େ କଥା ଗୋପନେ ରଖି କହ

ଏଡ଼େକ ଗଉରବ, ନିବିଡ଼ ଏ ପ୍ରଣୟ;

ରାଣୀର ଏ ଯେ ମାନ, ପ୍ରିୟାର ଏ ଯେ ଦାନ

କାହାକୁ ନ ଦେଖାଇ ରହିବା ଦୁରୁବହ

କେସନେ ଏଡ଼େ କଥା ଗୋପନେ ରଖି କହ ।

 

ଜୀବନେ ଯଦି କିଛି ଥାଏ ମୋ’ ଗଉରବ

ଶ୍ରେଷ୍ଠ ତହିଁ ରାଣି, ପ୍ରଣୟ-ଦାନ ତବ;

ତା’ ଘେନି ଏ ଜଗତେ ଜାଣିବେ ଲୋକେ ମତେ

ନ କହି ତାହା କେହ୍ନେ ରହିବି ମୁଁ ନୀରବ

ସେ ପରା ହେଲା ମୋର ଶ୍ରେଷ୍ଠ ଗଉରବ ।

 

କ୍ଷମିବ ସଖି ମୋର ଏକ ଏ ଅପରାଧ

କ୍ଷମିବ ଯଦି କିଛି ଘଟେ ଗୋ ପରମାଦ

ସନ୍ଧେ ସହି ଭାର, ରଖ ତ ହେମ-ହାର

ସେପରି ଏ ଦୋଷୀରେ ଦେବ ଗୋ ପରସାଦ,

ତୁମରି ଗୁଣ ଗାଇ ସିନା ଏ ଅପରାଧ ।

 

ପ୍ରିୟ ଗୋ ପ୍ରିୟ ଯାଇ ରହିଲ କାହିଁ

ଜୀବନେ ମିଳିବାର ସୁଯୋଗ ନାହିଁ

ଦୁହିଙ୍କ ଇତିହାସ

ଉଦରେ କରି ଗ୍ରାସ

ରହିଲା ତେଣେ ପଥ ପ୍ରବାସ-ବାହୀ

ଦୁହେଁ ଯେ ଦୁଇ ଦେଶେ ରହିଲେ କାହିଁ ।

 

ପ୍ରିୟାକୁ ଲଭିବାର ନାହିଁ ତ ଆଶ

ପ୍ରିୟା-ପାବନ ପଥେ ହୁଏ ମୁଁ ଘାସ

ସେ ପଥ-ରେଣୁ ତଳେ

ଶୋଣିତ ସମ ଥରେ

ପ୍ରିୟାର ସୁକୋମଳ-ଚରଣ-ବାସ

ସେ ଲାଭେ ହେବି ମୁହିଁ ସେ ପଥେ ଘାସ ।

 

ଅପ୍ରତ୍ୟୟ

ଜଗତ ଯାଏ ନା ପ୍ରତେ

ଏତେ ଦାନ ତମେ ରାଣି ଯାହା ଦେଲ ମତେ

ରାଣୀ ତମେ, ତବ ପୂଜାରୀ ଗୋ ଶତ ଶତ

ଅଗୁରୁଗନ୍ଧେ ଆମୋଦିତ ତବ ପଥ

ପ୍ରାଙ୍ଗଣେ ତବ ମେଲା କେତେ ରସିକର

ଧନିକ, ସୁଭଗ;–ଲଭିବାକୁ ତବ କର

ସେ ସକଳୁ ବାଛି ଦରିଦ୍ର ଅନୁଗତେ

ସେ ମୋହନକର କଣ୍ଠେ ମୋ ଢାଳି

ବହ୍ନି ଅଧରେ ଗାଢ଼େ ଦେଇ ଜାଳି

ସମ୍ରାଟ ଯାହା କରିଦେଲ ରାଣି ମତେ

ଜଗତ ଯାଏ ନା ପ୍ରତେ ।

 

ଅପଦାର୍ଥର ଥିଲା କିବା ଅଧିକାର

ପ୍ରଣୟେ ଗୋ ତବ, ଅୟି ଦୟା- ଅକୂପାର

ରାଣୀ ତମେ ବାଣୀ ନ ଆସେ ରୂପକୁ ତବ

ହାଣି ଆଖି ଢାଳି ଦିଅ ଶୀରି-ଗଉରବ,

କେତେ ତ ଭିଖାରୀ ଘେରିଥିଲେ ତବ ରଥେ

କଲ ଯା ସକଳେ ଦୂରେ ପରିହାର

ଡାକି ନେଇ ପାଶେ ଦେଇ ଅଧିକାର

ଗୁରୁ ଗୌରବେ ଗର୍ବିତ କଲ ମତେ

ଜଗତ ଯାଏ ନା ପ୍ରତେ ।

 

ଦୂରୁ ଦେଖି ଗୁରୁ ପରାୟେ ପ୍ରଣତି ବିହି

ତବ ପଥ-ରେଣୁ କପାଳେ ଥିଲି ମୁଁ ଲିହି ।

ତବ ରାଜସଭା ଉତ୍ସବ ଘନ ରବ

ଆଣୁଥିଲା ରାଣି, ବିମୁଗ୍ଧ ଅନୁଭବ

ଦୂରୁ ଦେଖି ଖରେ ବରି ନେଲ ଯାହା ପଥେ

ପ୍ରେମ-ମଧୁ ଦେଇ ପରାଣ-ପିପାସା

ନିବାରି, ବଢ଼ାଇ ଦେଇ ମୋର ଆଶା

‘ସଖି’ ବୋଲି ମୁଖେ ଡକାଇଲ ଯାହା ମତେ

ଜଗତ ଯାଏ ନା ପ୍ରତେ ।

 

ତା’ପରେ ମଧୁରେ ପୁହାଇଲ କେତେ ରାତି

ଶୁଣାଇ ମୋ’ ଆଗେ ପ୍ରଣୟ-ପେଲବ ଛାତି

କହିଲ ‘ହେ ମୋର ସଖା ଅନ୍ତରତମ

ଅନ୍ତରୁ ଦୂର ନ କରିବ ସ୍ନେହ ମମ’

ଜୀବନର ଦାନ ଢାଳି ଦେଇ ମୋର ପଥେ

 

ପରାଣେ ଯା’ଢାଳି ଦେଇଗଲ ମଧୁ

ଅତି ଲୋଭନୀୟ ଅୟି ବରବଧୁ

ଚିରକାଳ ଲାଗି ଧନବାନ କରି ମତେ

ଜଗତ ଯାଏ ନା ପ୍ରତେ

 

ଏ ଯେ ଗୌରବେ ଯୋଗ୍ୟ ମୁଁ ନିକି ସଖି

ସରମେ ସଳଖେ ଚରଣ ନ ପାରେ ରଖି

ଦୀନେ ହୀନେ ଏଇ ମହାସମ୍ମାନ ଢାଳି

ଚଉଦିଗେ ଖାଲି ଉଠାଇଛ କରତାଳି

ଅୟି ରାଣି ଏବେ ପଣତେ ଲୁଚାଅ ମତେ

ଜନତାର ଏଇ ରୂଢ଼ ପରିହାସ

କଥା କହିବାର ଧରି ଦରହାସ

ବଡ଼ ବ୍ୟଥା ଦିଏ, କି କରିବି କହ ସତେ

ଜଗତ ନ ଯାଏ ପ୍ରତେ ।

 

ଦେଖା ହେଲା କିପାଁ

ଦେଖା ହେଲା କିପାଁ            ଦେଖା ହେଲା କିପାଁ

ହେ ସହଚରି,

ବାଜିଲା କିପାଇଁ            ଅପବାଦ କହ

ଜଗତ ଭରି ।

 

ତୁମେ କାହିଁ ଥିଲ,            ମୁହିଁ ଥିଲି କାହିଁ

ଥିଲା କି ଚିହ୍ନା ?

ଦୁହିଙ୍କ ଜୀବନ            ସୁଖେ ଚଳୁଥିଲା

ଦୁହିଙ୍କ ବିନା ।

 

ପରିହାସେ କିଗୋ                  ଦୁହିଙ୍କି ବିଧାତା

ଦେଲା ଭେଟାଇ ?

ଭେଟୁ ଭେଟୁ ଦୁହେଁ                  ପରମ ଛାଡ଼ିଲୁ

ପ୍ରଣୟ ପାଇଁ ।

 

ବହୁକାଳୁ ମତେ            ଚାହିଁ ବସିଥିଲ

ଯେସନେ ସହି

ଯୁଗଯୁଗାନ୍ତ–            ପ୍ରଣୟ-ପିପାସା

ହୃଦୟେ ବହି ।

 

ଅତି ପରିଚିତ            ସମ ତେଣୁ ମତେ

ଡାକିଲ ପାଶେ

ଗୁରୁ ଅପମାନ            ବରିନେଲ ମୋର

ପୀରତି ଆଶେ ।

 

ମନା ମାନିଲନି,            ବନ୍ୟା-ନଦୀର

ପ୍ରବାହ ସରି

ମୋ ପାଶେ ଆସିଲ,      କୁଳ, ମାନ, ଖ୍ୟାତ

କା’ରେ ନ ଡରି ।

 

ସକଳେ ଜାଣିଲେ            ନିନ୍ଦା ରଟିଲେ

ମାରିଲେ ତାଳି

ଗୁରୁଜନେ ଦେଲେ            ଲାଞ୍ଚ୍ଥନା ଶତ

ଉପରେ ଢାଳି ।

 

କୁସୁମ-କୋମଳ            ତନୁରେ ଲାଗିଲା

କଠିନ ବ୍ୟଥା

ନିଠୁର ସରମେ            ଇତରଙ୍କ ଆଗେ

ନଇଁଲା ମଥା ।

 

ଆହା ଏତେ କଥା            ହେବ ବୋଲି କହ

କେ ଭାବିଥିଲା

ପ୍ରଥମେ ଯେ ଦିନ            ସେ ଆଖିରେ ମୋର

ଆଖି ମିଶିଲା ।

 

ଦେଖୁ ଦେଖୁ ହାୟ,                  ଚୁମ୍ବକ ସମ

ହୋଇଲେଁ ଟାଣି

ପ୍ରଣୟେ ବିପଦ            ଯାହା ସବୁ ତାହା

ଜାଣି ଗୋ ରାଣି !

 

ଫଳେ ତାର ରାଣି            ସମାଜ ରଖିଛି

ଦୁହିଙ୍କି ବାରି

ଦେଖା ହେଲେ ଜନେ      କହିଥାଁତି କଥା

ନୟନ ଠାରି ।

 

ହାୟ ରାଣି ଦୁଇ            ଅଚିହ୍ନା ସେଦିନ

ମିଳିଲେ କାହୁଁ

ଜୀବନଟାଯାକ            ସହିବାକୁ ହେଲା

ମିଳନ-ଦାଉ

 

ଅଶ୍ରୁର ଆନନ୍ଦ

ଥର ଥର କରି ଅଶ୍ରୁ ଯେ ବହିଯାଏ

ପ୍ରିୟ ଗୋ ମୋର

ତହିଁରେ ମୁଁ ତବ ଗଭୀର ପରଶ ପାଏ।

ପୀରତି ତୁମର ନିବିଡ଼ ଦେଉଛି ବ୍ୟଥା,

ଗଭୀର ପ୍ରବେଶ, ବ୍ୟଥା ନାହିଁ ପାଏ କଥା,

ପ୍ରିୟ ଗୋ ମୋର

ଏକ ଭାଷା ତାର ଅଶ୍ରୁ ଓ ନୀରବତା ।

 

ସେହି ଭାଷା ଘେନି ହୃଦୟ ମୋ ଥରେ ଥରେ

ତରଳ-ବ୍ୟଥାରେ ଗଣ୍ଡ ମୋ ଓଦା କରେ

ପ୍ରିୟ ଗୋ ମୋର

ପ୍ରଣୟ ତୁମର ପାଏ ସେ ଅଶ୍ରୁ ତଳେ ।

 

ପୀରତିରେ ଏତେ ବେଦନା ନ ଥିଲି ଜାଣି

ବେଦନାରେ ପୁଣି ସୁଖ ମିଳେ ଏତେ ରାଣି

ପ୍ରିୟ ଗୋ ମୋର

କିବା ଦେଲ ମତେ ପ୍ରଣୟର ବାଣ ହାଣି !

ବ୍ୟଥା ତଳୁ ମତେ ଆନନ୍ଦ ଅଛ ଦେଇ

ଏଡ଼େ ଦାନ ମତେ ଜୀବନେ ଦେଇନି, କେହିଁ

ପ୍ରିୟ ଗୋ ମୋର

ଜୀବନ ମୋହର କିଣୁଅଛ ବ୍ୟଥା ଦେଇ ।

 

 

ପ୍ରତି ନୀରଧାରେ ନିକଟତର ଗୋ ଆସ

ସେତେ ଆପଣାର ଯେତେ ଦିଅ ପ୍ରାଣେ ପ୍ରାସ,

ପ୍ରିୟ ଗୋ ମୋର

କ୍ରିନ୍ଦନେ ପାଏ ପୀରତି ମୋ ଆବକାଶ ।

 

ଅଶ୍ରୁ-ଆହୁତି, ପ୍ରଣୟ-ଯଜ୍ଞେ ମମ

ବ୍ୟଥାର ଅଗ୍ନି ଜଳୁଅଛି ନିର୍ମମ

ପ୍ରିୟ ଗୋ ମୋର

ଭାବୁଛ କି ମୁହିଁ ଚାହେଁ ତା’ର ଉପଶମ ?

ନାହିଁ ସଖି ନାହିଁ । ଚାହେଁ ମୁଁ ପରମ ବ୍ୟଥା

ନୟନେ ଲୋତକ, ମୁଖେ ଅବ୍ୟକ୍ତ କଥା

ପ୍ରିୟ ଗୋ ମୋର

ତହିଁରେ ପାଏ ମୁଁ ପୀରତିର ସଫଳତା ।

 

 

ପ୍ରଣୟ-ବ୍ୟଥା

ଅୟି ପ୍ରିୟେ,

ଜାଣ କି ଗୋ ପ୍ରେମ ତବ କିବା ବ୍ୟଥା ଦିଏ ?

ଅକାରଣ ଶତବାର ନେତ୍ରୁଁ ମୋର ନୀର ବହି ପଡ଼େ

ଅକାରଣ ବାର ବାର ବକ୍ଷତଳୁ କି ବିଳାପ ଝରେ ।

ବୈଶାଖ କାନନ ସମ ଦଗ୍ଧ ମତେ କରେ ନିଜ ନିଆଁ ।

ଏକଇ ତାରଣ ବୋଲି ହିଆ ମୋର ଡାକେ ‘ପ୍ରିୟା’‘ପ୍ରିୟା’।

ମନେ ହୁଏ ଧୂପ ସମ ଦଗ୍ଧ ହୋଇ ବାଷ୍ପ ଯିବି ହୋଇ

ପ୍ରଣୟର ଅଗ୍ନି ଶେଷେ ପ୍ରଣୟର ଭସ୍ମ ଯିବ ଥୋଇ ।

 

ବକ୍ଷେ ମୋର ଯଜ୍ଞ ଜଳେ, ତୁମେ ତହିଁ ଜୀବନ-ଦେବତା

ଆତ୍ମା ମୋର ଯଜ୍ଞ-କାଷ୍ଠ, ଘୃତାହୁତ ତୁମର ମମତା ।

ଅହରହ ଏହି ଯଜ୍ଞ ଜଳୁଅଛି ଅନ୍ତରେ ମୋହର

ମୋ ଜୀବନ ଶୋଷୁଅଛି ତା’ ଶିଖାରେ ନିତ୍ୟ ପଳ ପଳ ।

ଅନନ୍ତ ବେଦନା ମୋର, ପ୍ରତିରକ୍ତେ ଅନନ୍ତ ପିପାସା

ଶରୀର ବନ୍ଧନ ଭେଦି ତୁମ ସଙ୍ଗେ ମିଶିବାର ଆଶା ।

 

ସେ ଆଶା ତ ବାଧା ପାଏ; ବାଧା ପାଇ କରଇ ଗର୍ଜନ ।

ଶୋଣିତ-ତାଣ୍ଡବ ତଳେ ଚିତ୍ତ ମୋର ଲଭଇ ମଜ୍ଜନ ।

ମୁଖ ପାତି ଶଯ୍ୟା ପରେ ଶୋଇ ରହେ ଅଚେତନ ପରି

ତୁମ ନାମ ଘୋଷି ହୁଏ ଆତ୍ମା ମୋର ଆକୁଳେ ଗୁମରି ।

ଯେତେ ଡାକେ ତେତେ ଦୂରେ ପ୍ରିୟା ତୁମେ କର ପଳାୟନ

ବ୍ୟାକୁଳ ଅନ୍ତର ମୋର ବ୍ୟର୍ଥ ବୋଲି ଭାବଇ ଜୀବନ ।

 

ଅହରହ ଆଶଙ୍କାରେ ଚିତ୍ତ ମୋର ପୂର୍ଣ୍ଣ ଅଛି ରହି ।

‘ଭ୍ରାନ୍ତ ତୁମେ’ ବୋଲି ଯେହ୍ନେ କିଏ ମତେ ଦେଉଅଛି କହି

କେବେ ବା ଭାବଇ ନିଜେ ଦୀନ ହୀନ ଅକିଞ୍ଚନତମ

ତୁମର ପ୍ରଣୟ ଖାଲି ଦେଖାଉଛି ମୁହିଁ କି ଅକ୍ଷମ ।

 

ଆହତ ଭୁଜଙ୍ଗ ପରି ଚିତ୍ତ ମୋର କ୍ରୁଦ୍ଧ ହୋଇ ଉଠେ

ଫିଙ୍ଗିବାକୁ ସ୍ନେହ ତବ ଅଭିଶାପ ଉଠେ ମୋର ଫୁଟେ ।

କେବେ ବା ବିବେକ ମୋର ଚେଇଁ ଉଠି କରଇ ଧିକାର

‘ପାପ’ ‘ପାପ’ ବୋଲି କ୍ଷଣେ କରେ ପ୍ରାଣେ ବିଦ୍ରୋହ ପ୍ରଚାର ।

 

କେତେ ଆଶା, କେତେ ବ୍ୟଥା କି ବିଷାଦ, ଆଶଙ୍କା କି ଅବା

ସବୁ ମିଶି ଚିତ୍ତେ ମୋର ଅହରହ କରିଛନ୍ତି ସଭା ।

ପାଗଳ ମୁଁ ହୋଇ ଉଠେ ଏ ଅର୍ଗଳ ଫିଙ୍ଗିବାକୁ ମନ

ପ୍ରିୟେ, ମତେ ପ୍ରେମ ଦେଇ କିପାଁ । ଏତେ କରୁଛ ଉନ୍ମନ ।

ତେଣୁ କହେ ପ୍ରିୟେ,

ପ୍ରେହ ତବ ଏ ପ୍ରେମିକେ ବଡ଼ ବ୍ୟଥା ଦିଏ ।

 

ପ୍ରଣୟ– ସାଧନା

ସଖି, ମୋହ ଲାଗି ଲକ୍ଷ ନୟନ ତଳେ

ଦ୍ରୌପଦୀ ସମ ପାଅ ଯଦି ଅପମାନ

ପ୍ରଣୟ-ଭିଖାରୀ ନୟନେ ମୋ ଚାହିଁ ଥରେ

ହେଉ ଗୋ ତୁମର ଲଜ୍ଜାର ଅବସାନ ।

 

ସଖି, ରାଜପଥେ ହେଲ ଯଦି ଉଭା ଆସି

ଶ୍ରମ-ଶଙ୍କିତ ହେଲେ କି ସରିବ ପଥ ?

ମତେ ଚାହିଁ ଭୁଲ ପଥର ଯାତନାରାଶି

ସୁଭଦ୍ରା ସମ ବାହ ଗୋ ପ୍ରଣୟି-ରଥ ।

 

ସଖି, ସତୀ ସମ ଲାଞ୍ଚ୍ଥନା ଯଦି ସହ

ଶିବ ସମ ମୁହିଁ ପ୍ରଣୟ-ସାଧନା ଜାଣେ

ଅପମାନ ଭାରେ ପଥେ ଯଦି ଥକି ରହ

ମସ୍ତକେ ବହି, ମହୀ ମୁଁ ଭରିବି ଗାନେ ।

 

ପ୍ରିୟାର ସାଧନା

ଅପମାନ ସହି                  ପୁଣି ଆସେ ପାଶେ

ଯେ ସହଚରୀ

ନ ଦେବି ତାକୁ ମୁଁ                   ପ୍ରାଣ ଚିରି ପ୍ରେମ

କହ କିପରି ?

 

ମସ୍ତକ ତା’ର                   ନଇଁଅଛି କୋଟି-

ନୟନ ତଳେ

ସବୁ ସହେ ପ୍ରିୟା                  ନୟନ ରଖି ମୋ’

ଚରଣ ପରେ ।

 

ପାସୋରିଲେ ମିଶେ      ପ୍ରେମ ଦିଏ ମୋର

ଶକୁନ୍ତଳା

ପାସୋରିବ ମନ                  କହ କେସନେ ସେ

ସୁକୁନ୍ତଳା ।

 

ଗୌରବ ତାର                  ହରାଇଲା ସବୁ

ମୋହରି ଲାଗି

କୁଳ ମାନ ସବୁ                  ପଦେ ଦେଲା ମୋର

ପ୍ରଣୟ ମାଗି ।

 

ଅପଥ କଣ୍ଟା                  ବାଜିଲା ରାଣୀର

ଚରଣ ତଳେ

ମୋ ଲାଗି ବାହାରୁ            ପ୍ରେମ-ପିପାସିନୀ

ଜନତା ଡରେ ।

 

ନିଷ୍ଠୁର କରୁ                  ପାଇଅଛି ରାଣୀ

ନିର୍ଯାତନା

ମୋହଲାଗି ଗଲା            ସୁକୁମାରୀ ଭୁଲି

ସେ ଲାଞ୍ଚ୍ଥନା ।

 

କେଉ ଲାଞ୍ଚ୍ଥନା                   ମାନି ନାହିଁ ପ୍ରିୟା

ପୀରତି ଲାଗି

ସବୁ ଦେଲା ତାର                  ସୁଖ ମାନ ମୋର

ପ୍ରଣୟ ମାଗି ।

 

ଅକିଞ୍ଚନ ମୁଁ                  ଦେଇଛି ମୋହର

ଥିଲା ଯା’ଘରେ,

ପ୍ରୟା ଦାନ ସାଥେ            ତାହାର କି ଆଉ

ତୁଳନା ଚଳେ !

 

ତାହା ଜାଣି ମିଶେ            ପ୍ରିୟା ତା’ ପାତ୍ର

ଭରଇ ନିତି

କହିଲେ ସେ କହେ            ‘ନାରୀ-ପ୍ରଣୟର

ଏଇ ଯେ ରୀତି ।’

 

ନାରୀ ହୋଇ ପ୍ରିୟା                  ଶିଖାଇଛି ମତେ

ପ୍ରେମ କିପରି ?

ସାଧନାର ତଳୁ                  ପୀୟୁଷ କେସନେ

ପଡ଼ଇ ଝରି ।

 

ପାପ କି ପୁଣ୍ୟ                  ବୁଝେ ନାହିଁ ପ୍ରିୟା

ପ୍ରଣୟ ତାର,

ସେ ଖାଲି ଜାଣଇ            ପ୍ରିୟଲାଗି ତାର

ଲୁହ ଦେବାର ।

 

ଲୁହ ଦେଇ ପ୍ରିୟା,            ଲୁହ ଦିଆଇଛି

ନୟନୁ ମୋର,

ପ୍ରେମ ଦେଇ ମତେ            କରି ପକାଇଛି

ପ୍ରଣୟ-ଭୋର ।

 

ଆଜି ତେଣୁ ସବୁ                  ଦୂର ଓ ନିକଟ

ଭୂଲି ମୋ ହିୟା,

ପ୍ରତି ନିଶ୍ୱାସେ                  ଉଚ୍ଚାରି ଉଠେ

‘ପ୍ରିୟା ଗୋ ପ୍ରିୟା ।’

 

ବନ୍ଦିନୀ ପ୍ରିୟା

ଧନ୍ୟ ସେ ଗୃହ-କାରା

ସୁବୁରେ      ଯହିଁ ଗୋ ବନ୍ଦିନୀ ମୋର

ଜୀବନର ଧ୍ରୁବ-ତାରା ।

ତାହାରି ପ୍ରାଚୀରେ             ବାଜି ହୁଏ ଲୀନ

ରୁଚିର ବଚନ ତାର

ଚବର-ତଳ-ପାଷାଣ      ଲଭେ ତା’

ଚରଣର ଚାରୁଭାର ।

 

ସେଇ ଅଙ୍ଗନ–            ଗଗନେ ମିଶେ ତା’

ଶରୀରର ସଉରଭ

ସେଇ ପରିସରେ                  ଲୁଚିଯାଏ ତା’ର

ଚରଣ ନୁପୁର ରବ ।

ରୂପ-ଗୌରବ-ଲୀଳା

ପ୍ରିୟାର ମୋହର            ଲଭି ହେଉଥିବ

ଜୀବନ୍ତ ଗୃହ-ଶିଳା ।

 

କାରାର କକ୍ଷେ                  କ୍ଷୟ ହୁଏ ପ୍ରିୟା–

କଙ୍କଶ କଣ-କଣ

ବହୁଦୂର-ବାସୀ                  ଶୁଣିବି କେସନେ

କହ ମୁଁ ତା’ପ୍ରିୟଜନ !

 

ଶତକ୍ରୋଶ ଦୂରେ                  ଆଉ କେଉଁ ପୁରେ

ବନ୍ଦୀ ମୁଁ ପ୍ରିୟ ତାର

ପୋଛିବି କେସନେ            କଳା ଆଖିରୁ ତା’

ଆକୁଳ ଲୋତକ ଧାର !

ଏ କିବା ବିଡ଼ମ୍ବନା

ଦୁଇ ଦେଶେ ଦୁଇ            ହୃଦ ରଖି କେ ଗୋ

ମିଳନ କରିଲା ମନା ।

 

ମିଳନ-ବାଧାରେ            ରାଧା ମୋର ସଢେ

ଦୂରେ ରାକ୍ଷସପୁରେ

ମିଳନ ନ ପାଇ                  କରେ ହାଇ ହାଇ

ପ୍ରିୟ ତା’ର ବହୁଦୂରେ ।

 

ଦେବତା କେ ଅଛି            ଦେବ ନିକି ଦେହ

ମୋହର ମଳୟ କରି

ପ୍ରିୟତମ ପାଶେ                  ଉଡ଼ି ମୁଁ ଯାଆଁତି

କାରା-ବାତାୟନ ଧରି ।

 

ଗଣ୍ଡେ ଅଶ୍ରୁ-ଧାର,

ପୋଛି ମୁଁ ଦିଅଁତି;            ଗୋଟାଇ ରଖଁତି

କପାଳେ ବିନ୍ଦୁ-ଝାଳ !

ଧନ୍ୟ ମୁଁ ହେବି                   ପ୍ରିୟା ଯହିଁ ଅଛି

ହେଲେ ତହିଁ ଶିଳା-ତଳ

ତା’ ପଦ-ପରଶେ            ପାଷାଣେ ମୋ ହିୟା

କଂପିବ ଥର ଥର ।

 

କରତଳ ତା’ର            ମୋର ଦେହେ ରଖି

ବସିଲେ ଶରମ ପାଇ

ପ୍ରତି ରେଣୁ ସେହି            ଶିଳାତଳେ କି ଗୋ

ଜୀବନ୍ତ ହେବ ନାହିଁ ?

ଭାଗ୍ୟ ସେ ମୋର କାହିଁ ?

ଜନ୍ମ ମୋହର।                  ଜୀବନ-ବିରହେ

ଅଶ୍ରୁ ତେଜିବା ପାଇଁ ।

 

ଅଶ୍ରୁ ଯେ ତେଜେ                  ନିତି ନିଶା-ଶେଯେ

ଜାଣିବ କେସନେ ପ୍ରିୟା ?

ଯିବ ହେ କୋକିଳ ?      ଯିବ ହେ ମଳୟ ?

ଜଣାଇବ ମୋର ହିୟା ?

ପ୍ରିୟା ମୋର ଠିଆ            ହୋଇଥିବ କିଆ-

କଳିକା ଜୁଡ଼ାରେ ମାରି

କେହି ଜଣେ ଯାଇ            କହନା ବୁଝାଇ

ସୁଖୀ ହେବ ସୁକୁମାରୀ ।

 

କହିବ ତାହାରେ ଡାକି

‘କିଆଫୁଲ ଯାର                  ପ୍ରିୟ ଗୋ ତାହାର

ନିତ୍ୟ ସଜଳ ଆଖି ।’

କହିବ ହେ ପୁଣି                  ‘ତୋର ଗୁଣ ଗୁଣି

ନ ସରଇ ତାର ଦିନ

ଯହିଁ ବସେ ଖାଲି                  ତୋର ନାମ ଲେଖି

ଶୋକ କରେ ତାର କ୍ଷୀଣ ।

 

ତୋର ପରିଧେୟ            ଦେହେ ଯାକି ଧରି

ଅସୀମ ସେ ସୁଖ ପାଏ

ତୋର ନାମ ପୁଣି                  ଖୋଳି ଦେଉଅଛି

ଶରୀରର ଠାଏ ଠାଏ ।

 

ଜାଣି ରଖ ବରାନନୀ

ଭୁଲେ ନାହିଁ କେବେ            ପ୍ରିୟ ଗୋ ତୋହର

କି ଦିବସ କି ରଜନୀ ।’

କିଆଫୁଲ-କାଢ଼ି                  କବରୀରୁ କାଢ଼ି

ଚୁମ୍ବିବ ପ୍ରିୟତମା

ଚାରୁ ଆଖି ଧରି                  ତିଳ ତିଳ କରି

ସଲିଳ ହୋଇବ ଜମା ।

 

ବଦନ ନଇଁବ                   ନାସିକା ଫୁଲିବ

ଅଧର ଥରିବ ହେଳେ

 

ନୀର ପୋଛୁ ଧୀରେ      ବଳୟ ବାଜିଚ

ପ୍ରିୟାର ପ୍ରଳୟ ବେଳେ ।

ମୁହିଁ ତ ନ ଥିବି ତହିଁ

ଗୁରୁ ଶୋକେ ପ୍ରିୟା            ବାତାୟନ ପରେ

ସଧୀରେ ପଡ଼ିବ ନଇଁ ।

 

ମୋ ପାଇଁ ମଳୟ            ପ୍ରିୟାର କପାଳେ

ବୁଲାଇ ଦେବୁ ରେ ହାତ

ପୋଛିଦେବୁ ଧୀରେ            –ଭାଗ୍ୟ ତୋହର–

ଗଣ୍ଡ ଅଶ୍ରୁ-ସ୍ନାତ ।

 

କୃଷ୍ଣ ଚିକୁର                  ବ୍ୟସ୍ତ ଆକୁଳ

ବକ୍ଷେ ପଡ଼ିଲେ ଖସି

ମୋ ଲାଗି ମଳୟ             ଗତି କରି,ଥିର

ସଜାଡ଼ିବୁ ଜୁଡ଼ା ବସି ।

 

ଉପାୟ କି ଅଛି କହ,

ଭୋଟିବାକୁ ହେବ            ସିନା ଏହିପରି

ଦୁହେଁଯାକ ଏ ବିରହ !

ଦୂରବାସୀ ପ୍ରିୟ–             ଉରେ ନିତି ବ୍ୟଥା

ତୁମ ପାଇଁ ବନ୍ଦନୀ

ଉପାୟ କି ଅଛି                  ନେଇଛି ତ ଆନ

ଶରୀର ତୁମର କିଣି ।

 

ରୂପ ତା’ରେ ଦିଅ                  ସ୍ନେହ ମାଗେ ପ୍ରିୟ

ଲକ୍ଷ ଯୋଜନ ଦୂରୁ

ଦିନେ ଦିନେ ଖାଲି            ମଙ୍ଗଳ-ଧୂପ

ମୋ ନାମେ ଉଠୁ ସେ ପୁରୁ ।

ଉପଭୋଗ ପ୍ରଣୟର,

ତାହାଠାରୁ ବଳି                  ନାହିଁ ପ୍ରିୟତମ

ସବିତ୍ର ମନୋହର ।

 

ଆଷାତ-ଅଭିସାର

ଏଇ ଆସେ ଏଇ ସୁନ୍ଦରୀ, ଧୀର

ଗମନେ

ଭେଟିବାକୁ ପ୍ରିୟେ ତେଜି ତା’ର ନିଜ

ଭବନେ ।

 

କୃଷ୍ଣା ରଜନୀ, ଘନ ମେଘମାଳା

ଆକାଶେ

ବିରଳ ତାରକା, ମେଘେ ବିଦ୍ୟୁତ୍

ପ୍ରକାଶେ ।

 

ନୀରବ ନଗର, ଜନହୀନ ରାଜ–

ସରଣୀ

ଘରେ ଘରେ ଦୀପ ନିଭାଇ ଦେଲେଣି

ଘରଣୀ ।

 

ଆର୍ଦ୍ର ଧରଣୀ, ଶୀକର-ଶୀତଳ

ପବନ

ଭେକ ଡାକି ଉଠେ ‘ଜୀବନ ଆଉ ଗୋ,

ଜୀବନ ।’

 

ଭବନ-ପ୍ରଦୀପ ନିଭାଇ ଏକାଳେ

ପ୍ରେୟସୀ

ଏଇ ଆସେ ମୋର ଅଭିସାରେ ସମ-

ବୟସୀ ।

 

ଚାରୁ ମୁଖ ତାର ଦୂରୁ ଦେଖା ନାହିଁ

ଯାଉଛି

ଛାୟା ଖାଲି ତାର, ଶୁଭ ଅଭିସାର

କହୁଛି ।

 

ଏଇ ପାଖ ହେଲା, ନୁପୂର ଚରଣେ

ଶୁଭିଲା

କବରୀ-କୁସୁମ ଗଂଧ ମୋ ନାକେ

ଲାଗିଲା ।

 

ଆରେ ପଥ-ଘାସ ପ୍ରିୟା-ପଦ ପ୍ରାସ

ପାଇବ

ନୋଇଁ ଦେବୁ ମଥା ପ୍ରିୟା ଯେବେ ପାଦ

ଥୋଇବ ।

 

ଶରୀର ତୋହର କୋମଳ କର ରେ

ସରଣୀ

ପ୍ରଥମେ ତା’ପଦ ଛୁଉଁଛି କଠିଣ

ଧରଣୀ ।

 

ଆଷାଢ଼-ପବନ ଲୋଭେ ଚୁମ୍ବନ

ପ୍ରିୟାରେ

ଦେବୁ ନାହିଁ; ଭୀରୁ ଥରି ଯେ ଉଠିବ

ହିୟାରେ ।

 

ବିଦ୍ୟୁତ ତୁମେ ନିଭତେ ରହ

ଟିକିଏ

ଥରେ ଖାଲି ପ୍ରିୟା ଦେଉ ତା’ଅଧର

ବିକି ହେ ।

 

ନୁପୂର ନୀରବ, ପାଖେ ଏବେ ଠିଆ

ପ୍ରେୟସୀ

ମୋ ଗାଲେ ସୁରଭି ନିଃଶ୍ୱାସ ତାର

ବରଷି ।

 

ଘର ଛାଡ଼ି ଏଇ ପରପାଖେ ଠିଆ

ତରୁଣୀ

ପ୍ରେମ ଲାଗି ସେ’ତ ଆଷାଢ଼-ଆକାଶ

ଡରୁନି’।

 

ଉପରେ ଭୀଷଣ ବାରିଦର ମାଳା

ଗରଜେ

ଉତ୍ତରା ବାୟୁ ଉତ୍ତଳ ହୋଇ

ତରଜେ।

 

ନଗର ନୀରବ, ନିର୍ଜନ ସାରା

ସରଣୀ

ଭେକ-ଝିଂକାରୀ ଚିତକାରେ ପୁରେ

ଧରଣୀ ।

 

ଏକାଳେ ଏକାକୀ ପଥ ପାଶେ ଉଭା

ତରୁଣୀ

ପ୍ରେମ ଲାଗି ସେ ତ ଆଷାଢ଼ ରଜନୀ

ଡରୁନି’ ।

 

ବଂଧୁ ହେ ମୋର, ଦେଖୁଛ କି ଘୋର

ରଜନୀ

ଏ ରାତିରେ କିପାଁ ଭବନ ଛାଡ଼ିଲ

ସଜନି !

 

ପ୍ରିୟା ତହୁଁ କହେ ‘ପରାଣ ନ ସହେ

ପ୍ରିୟ ହେ

ତୁମର ବିରହ; ତିକ୍ତ ଲାଗଇ

ଗେହ ହେ ।

 

ନାହିଁ ଲାଗେ ମନ କେବେ ହେଲେ ଗୃହ-

କରମେ

ପ୍ରିୟତମ, ଖାଲି ତମ କଥା ଶୁଣେ

ମରମେ ।

 

ତେଣୁ ଆଜି ପ୍ରିୟ ଖୋଜିଲି ବାହାର-

ଧରଣୀ

ତୁମର ଆଲୋକ ପାଇଁ ନେଲି ରାଜ-

ସରଣୀ ।

 

ବୁକେ ଅନ୍ଧାର, ଅନ୍ଧାର ପୁଣି

ବାହାରେ

ଆଲୋକ ମାଗିଲେ, ଫେରାଇ ଦେଇଛ

କାହାରେ ?

 

ସୃଷ୍ଟିରେ ଆଜି ପ୍ରଳୟ ହେଉଛି

ରଚନା

ହୃଦୟେ ପ୍ରଳୟ ଭୋଗଇ ମଧୁର-

ବଚନା ।

 

ପ୍ରଳୟରେ ପୁଣି ସୃଷ୍ଟିର ହୁଏ

ପ୍ରକାଶ

ବିଦ୍ରୋହେ ହୁଏ ତରୁଣ-ଜୀବନ

ବିକାଶ ।

 

ଘର ଛାଡ଼ି ତେଣୁ ଏ ତରୁଣୀ ଆଜି

ଆସିଲା

ପ୍ରାଣ-ଭୋଗ ପାଇଁ ବିଦ୍ରୋହୀ ହେଲା

ସୁଣୀଳା ।

 

ନୀଡ଼େ ନ ପାଏ ଯା’ବିହଗ ତା’ବୁଲି

ଖୋଜଇ

ନୀଡ଼ ଛାଡ଼ି ତେଣୁ ସୀମାହୀନ ମେଘେ

ହଜଇ ।

 

ତେଣୁ ପ୍ରିୟା ମୋର କୁସୁମ-କୋମଳା

ତରୁଣୀ

ନ-ପାଇବା-ଧନ ଖୋଜି ଏ ରଜନୀ

ଡରୁନି’

 

‘କିବା ମାଗ ମତେ କହ ଥରେ ମଧୁ-

ବଚନା’

ପ୍ରିୟା କହେ ‘ପ୍ରିୟ, ସ୍ନେହ ଖାଲି ମୋର

ଯାଚନା ।’

 

ମତେ ଚାହିଁ ଥରେ ଭଲ ପାଅ ବୋଲି

କହ ହେ

ଆଶ୍ରୟ ପାଉ ତରୁଣୀ ତା’ଗୁରୁ-

ବିରହେ ।’

 

କହୁ କହୁ ପ୍ରିୟା ସହସା ମଉନ

ହୋଇଲା

ବିଶାଳ ନୟନୁ ଉଷ୍ଣ ଲୋତକ

ବହିଲା ।

 

ତାର ଚାରୁ ମୁଖ ଦୁଇହାତେ ଧୀରେ

ଧଇଲି

କାନ୍ଦନା ପ୍ରିୟେ ବୋଲି ଉର୍ତ୍ସନେ

କହିଲି ।

 

‘ଯାହା କିଛି ମୋର ଅଛି; ସବୁ ଦେବି

ତୁମରେ

ନିଖିକ ହୃଦୟ ତାଳିବି ଏ କର-

କମଳେ ।

 

ଯାଅ ସଖି ଏବେ ଘରେ ଯାଅ ଫେରି

ତରୁଣୀ

ନାରୀ ଲାଗି ନୁହେ ଜାଣ ଗୋ ଏ ରାଜ–

ସରଣୀ ।

 

ଆକାଶ-ବିହାରୀ ମୁହିଁ ଯାଏ ଦୂର-

ଗଗନେ

ତୁମେ ଥାଅ ତୁମ ନୀଡ଼ ରଚି ନିଜ-

ଭବନେ ।

 

ବେଳେ ବେଳେ ଯେବେ ସଖା ଖୋଜି ଉଠେ

ପରାଣ

ଦୂରସ୍ଥ ମତେ ପ୍ରେୟସୀ କରିବ

ଧିଆନ ।’

 

ବାରିଦ ବାଜିଲା ଗଭୀରେ ଆଷାଢ଼-

ଆକାଶେ

ସୁପ୍ତ-ନଗରୀ ହସଇ ଦାମିନୀ

ବିକାଶେ ।

 

 

ଭେକ ଝିଂକାରୀ ଚିତକାରେ ପୂରେ

ଧରଣୀ

ଭୀଷଣ, ବିଜନ, ଅନ୍ଧାର ରାଜ-

ସରଣୀ ।

 

ପ୍ରିୟାର ଭବନ ଦୂରେ ଦେଖାଯାଏ

ଅଳପେ

ପ୍ରାବୃଟବାୟୁ ସନ୍ ସନ୍ କିବା

ଜକପେ ।

 

ଚାହିଁ ନିଜ ନୀଡ଼େ ମତେ ଚାହେଁ ପୁଣି

ପ୍ରେୟସୀ

ଧରେ ମୋର କର କୋମଳ-ସରଶେ

କରଷି ।

 

ମତେ ଚାହିଁ କହେ ‘ପ୍ରିୟତମ ଏ କି

କର ହେ’

ଭାବନା କି ଖାଲି ଶମିବ ମୋର ଏ

ବିରହେ ?

 

ସେ ନୀଡ଼ ଛାଡ଼ିଛି ତମ ନୀଡ଼-ସୁଖ

ପାଇଁକି

ମତେ ରଖିବାକୁ ପକ୍ଷ ତୁମର

ନାହିଁ କି ?

 

କହି ଏହା ପ୍ରିୟା ପରଶେ କଣ୍ଠେ

କୋମଳେ

ମୋ ମୁଖ ଲାଗିଲା ସୁନ୍ଦରୀ-ମୁଖ-

କମଳେ ।

 

ଅଷାଢ଼-ପବନ ସନ୍ ସନ୍ ବହି

କହିଲା,

‘କି କଲ ତରୁଣୀ ! ଦୁଃଖ ଯେ ସାଥୀ

ପାଇଲା’ ।

 

ଏଇ ସହକାର ତଳେ

ଏଇ ସହକାର ତଳେ

ସେଦିନ ପ୍ରିୟାର କର-କଂକଣ ଭିଡ଼ିଥିଲା ମୋର ଗଳେ ।

ଚାନ୍ଦିନୀ ରାତି                  ଉଠିଥିଲା ମାତି

ମଳୟ ପରଶ ପାଇ

ବନପଖୀ ଦୂରେ                  କରୁଣ ମଧୁରେ

ଯାଉଥିଲା କିବା ଗାଇ ।

 

ଜ୍ୟେତ୍ସ୍ନା ଓ ଛାୟା             ରଚିଥିଲା ମାୟା-

ଚିତ୍ର ଏ ତରୁତଳେ

ସହଚରୀ ମୋର                  ପ୍ରଣୟ-ବିଭୋର

ଭିଡ଼ିଥିଲା ମୋର ଗଳେ

ଏଇ ସହକାର ତଳେ ।

 

ନଗରେ ପ୍ରଦୀପ                  ନିଭି ଆସୁଥିଲା

ନିଶୀଥ-ନିଦ୍ରା ପାଇଁ

ପ୍ରାନ୍ତର ଭରି                  ଝାଂକାରି କରି

ଉଠୁଥିଲା ସାଇଁ ସାଇଁ ।

 

ଶଂକିତେ ଗୋରୀ                  ଥର ଥର କରି

ଚଉଦିଗେ ଚାହୁଁଥାଏ

ପ୍ରତିଥର ମୁହିଁ                  ସହଚରୀ ମୁଖୁ

ଅଧର-ମଦ୍ୟ ପାଏ ।

 

ଭୟେ, ଭୟେ, ତରତରେ

ଏଇ ସହକାର ତଳେ ।

ଦୁହେଁ ଦୁଇଠାରେ             ଘନେ ମିଶିବାରେ

ପ୍ରାଣ ମନ ଧରି ଚେଷ୍ଟା

ଜିଣିବ କେ କାରେ            ପ୍ରାଣ ବିକିବାରେ

ଏଥିଲାଗି ଭାରି ନିଷ୍ଠା ।

 

ସକଳ ଜଗତ                  ଦୂର ଓ ନିକଟ

ପାସୋରି ସେ ମହାକ୍ଷଣେ

ଶୁଣୁଥାଇ ମହ:–                  ସଂଗୀତ, ପ୍ରିୟା

କଂକଣ କଣ-କଣେ ।

ବାଜେ ଯେବେ ତାର କରେ

ଏଇ ସହକାର ତଳେ ।

ପିଆଉ ମଦିରା                  ଥରେ ସେ ଅଧୀରା

ଚମକିଲା ମୋର ବକ୍ଷେ

ବାହୁପାଶ ତା’ର                   ଶୀଥିଳିତ କରି

ଚାହିଁଲା ମୋହର ଚକ୍ଷେ ।

 

ମୋ ନୟନେ ଚାହିଁ            ଅଧର ଥରାଇ

କହିଲା ମୋ ଆଡ଼େ ଚାହିଁ

ତମ ଲାଗି ଯେହୁ                  କଳଂକ ବହେ

ସତେ ତାକୁ ଭଲ ପାଅ ?

 

ଉତ୍ତରେ ବାହୁ ଭିଡ଼ିଲି ତାହାର ଗଳେ

ଏଇ ସହକାର ତଳେ ।

ସହକାର ତଳ-                  ବାୟୁ ଉତୁଳ

ହୋଇଗଲା ପ୍ରିୟା ଗଂଧେ

ଶୀଥିଳ ଚିକୁର                  ଚୁମ୍ବନାକୁଳ

ପଡ଼ିଲା ରୂପସୀ ସୁନ୍ଧେ ।

 

ନିଶୀଥ ଜ୍ୟୋତ୍ସ୍ନା                   ଧୀରେ କଲା ମନା

ପ୍ରାନ୍ତରେ ରହିବାକୁ

ମଳୟ କହିଲା                  ମଦିରା ସରିଲା ?

ଯାଅ ତେବେ ଶୋଇବାକୁ ।

 

ମିଶିବତ କେତେ ଥରେ

ଏଇ ସହକାର ତଳେ ।

ସହକାର ତଳ                  ଆଉ କେତେ ଥର

ଦେଖିଲା ଆମ୍ଭ ରାସ ?

ଜ୍ୟେତ୍ସ୍ନା ନିଶାରେ                  ଦେଖିଲା କି ଆଉ

ଉଡ଼ିବାର ପ୍ରିୟା ବାସ ?

 

ମିଳିନାହୁଁ ଆଉ,                  ମିଶି ନାହିଁ ବାହୁ

ରୋମାଞ୍ଚ କରି ଜାତ

ଦୁହେଁ ଦୂରେ ଦୂରେ;            ଭିନ୍ନ କରିଛି

ସମାଜ ଦଣ୍ଡ-ଘାତ ।

ଭେଟି ନାହୁଁ ତାହା ପରେ

ଏଇ ସହକାର ତଳେ ।

ଜ୍ୟୋତ୍ସ୍ନା ରଜନୀ                  କେତେ ଥିବ ସାହି

ସେଦିନୁ ତୋହର ଶିରେ

ପଲ୍ଲବ ତୋର                  ଉଠିଥିବ ଥରି

କେତେ ବାର ପିକ ଶିରେ

ଚୁତ ! ତୋର ତଳେ ପୁଣି କେତେ କରେ

କଂକଶ ଥିବ ବାଜି

ଚୁମ୍ବନ-ରାଗେ                  ହୋଇଥିବ କେତେ-

ନାଗରିକା ଓଠ ମାଜି ।

 

ବାହୁ ଭିଡ଼ିଥିବ ଗଳେ

ଏଇ ସହକାର ତଳେ ।

କହ ଚୁତ କହ                  ସେପରି କି ଆଉ

ଦେଖିଛୁ କାହାରେ ଚକ୍ଷେ

ଗୁରୁ ସୁରାମୟ                  ସେପରି ପ୍ରଣୟ

ଗଭୀର କାହାର ବକ୍ଷେ ?

 

ପ୍ରିୟା ସମ ମୋର            ପୀରତି ବିଭୋର

ଦେଖିଛୁ କାହାରେ ଆଉ ?

ନିବିଡ଼େ ସେପରି                  କହ ପ୍ରିୟେ ଧରି

ବାନ୍ଧୁଛି କିଏ ବାହୁ ?

ମିଶିଅଛ ପ୍ରାଣତଳେ

ଏଇ ସହକାର ତଳେ ।

 

ସାକ୍ଷୀ ତୁ କହ                  ମୋହର ପ୍ରଣୟ

ସମାନ ଜଗତେ ନାହିଁ

ମୋର ପ୍ରିୟା ସରି            ନାହିଁ ସୁନ୍ଦରୀ

ନାହିଁ ଓ ପ୍ରଣୟ-ଦାୟୀ।

 

କ୍ଷଣକର ସୁଖେ                  ଦରିଦ୍ର ମୁହିଁ

ସମ୍ରାଟ ହୋଇ ଉଠେ

କେହି ପାଇ ନାହିଁ ଦଣ୍ଡେ ଯା’ଦେଲା

ପ୍ରିୟା ମତେ ଓଠ-ପଟେ ।

 

ସେ କଥା କହ ତୁ ଥରେ

ଏଇ ସେହି ତୋର ତଳେ ।

ଭୁଲିଯିବି ମୁହିଁ, ପ୍ରିୟା ନ ଦେଖିବା-

ଦୁଃଖ ଏ ଜୀବନରେ ।

 

ବିରହୀ

ଦୂରେ ଦୂରେ ଦୂରେ

ପରାଣ-ପ୍ରିୟା      ରହିଲା ଯାଇ

କାହାର ଅନ୍ତଃପୁରେ ।

ଜୀବନ ସାରା ଅଗ୍ନି ଜଳେ

ବିରହୀର ଏ ବକ୍ଷତଳେ

କପୋତ ପରି ଚିତ୍ତ ମୋର ଝୁରେ

ଦୂରେ ଦୂରେ ଦୂରେ ।

 

ଏକା ଏକା ଏକା

ମୋ ଲୁହ ମୋର            ହାତରେ ପୋଛି

ଭୂଇଁରେ କାଟେ ରେଖା ।

ତା’ଛଡ଼ା ମୋର ପ୍ରିୟା ଯେ ନାହିଁ

ନୟନ ମୋର ପୋଛିବା ପାଇଁ

ସେ ପ୍ରିୟା ସାଥେ ନାହିଁ ଯେ ହୁଏ ଦେଖା

ଏକା ଏକା ଏକା ।

 

ପ୍ରିୟା ପ୍ରିୟା ପ୍ରିୟା

ଯହିଁ ମୁଁ ଯାଏ,                  ଯହିଁ ମୁଁ ଥାଏ

ଡାକଇ ମୋର ହିୟା ।

ପ୍ରିୟା ଯେ ମୋର ସୁଦୂର ତୁମେ

ଆଉ କା ଓଠ ଘୃଣାରେ ଚୁମେ

କୁଣ୍ଠିତରେ କରଲ ଓଠ- ପିଆ

ପ୍ରିୟା ପ୍ରିୟା ପ୍ରିୟା ।

 

ସଖି ସଖି ସଖି

ତୁମରି ଲାଗି                  ଆଉ କା ପ୍ରେମ

ପାରୁ ନାହିଁ ମୁଁ ରଖି ।

ତୁମେ ତ ଗଲ ଅନ୍ୟ ସାଥେ

ମୋ କାଳ ମୁହିଁ କିପରି କାଟେ

କଲ ଯେ ମତେ                  ନଷ୍ଟ-ନୀଡ଼ ପଖୀ

ସଖି ସଖି ସଖି ।

 

ହରି ହରି ହରି

ଜୀବନ ମୋର                  ଭୋଗିବି ସିନା

ଦଗ୍ଧ ବୃକ୍ଷ ପରି ।

ଯେ ଯାହା ପ୍ରିୟ ରହିଲେ ନେଇ

ମୋ ପ୍ରିୟତମେ କାହାରେ ଦେଇ

ଏକଲା ବୁଲେ                  ଦିବସ ଶର୍ବରୀ

ହରି ହରି ହରି

କହ କହ କହ

ପ୍ରଣୟ ଦେଇ                  ବିରହ କିପାଁ

ଭୋଗିଲି ଅହରହ ।

 

ସ୍ରଷ୍ଟା ତୋର ବିଚାର ନାହିଁ

କାହାର ସୁଖ ଥୋଇଲୁ କାହିଁ

ଜୀବନ ମୋର                  କରିଲୁ ଦୁର୍ବିଷହ

କହ କହ କହ ।

 

ବସନ୍ତ-ବିରହୀ

ବସନ୍ତେ ଆଜି ପ୍ରିୟା ମୋର ନାହିଁ ପ୍ରିୟା

ବହୁଦୂରେ ସେ ତ ବନ୍ଦିନୀ ପରକିୟା ।

ମଳୟ ପବନ                  ତେବେ ଅକାରଣ

ବୋଲି କାଁଦେ ମୋର ହିୟା

ବନ୍ଦିନୀ ଯଦି ପ୍ରିୟା ।

 

ମନ୍ଦାର ତେବେ ଫୁଟିଲା କିପାଇଁ ଆଜି

ତା ଘେନି କାହାର କବରୀ ମୁଁ ଦେବି ସାଜି ?

ତୁଳନା ତାହାର                  ସଙ୍ଗେ କାହାର

ଅଧର ହୋଇବ ଆଜି

ଫୁଟିଲା କିପାଁଇ ବନେ ମନ୍ଦାରରାଜି ?

କନକ-ଚମ୍ପା ବନେ କିପାଁ ବିକଶିଲା

ବାସ ତୁଳିବାକୁ ନାହିଁ ପାଶେ ଚାରୁଶୀଳା

ଯୋଜନଗନ୍ଧା                  କା’ପୁରେ ବନ୍ଧା

ସୁରଭାଇ ଗୃହଶିଳା

କନକ-ଚମ୍ପା ଏଥି କିପାଁ ବିକଶିଲା ?

ବନେ ଏତେ ଫୁଲ ଫୁଟିଲା କିପାଇଁ କହ

ପ୍ରାଣ ଯଦି ଯାଏ ଭୋଗି ଭୋଗି ଏ ବିରହ ।

 

ପ୍ରିୟା ଯଦି ଦୂରେ                  ମୁହିଁ ଏଥି ଝୁରେ

ମୁଖ ତାର ଅହରହ

ବନେ ଏତେ ଫୁଲ ଫୁଟିଲା କିପାଇଁ କହ ।

ପ୍ରିୟା ଥିଲେ ପାଶେ ଚଟୁଳ ତା ମୁଖ ଧରି

ଫୁଲ୍ଲ ବକୁଳେ କବରୀ ଦିଅଁତି ଭରି

ବକୁଳରୁ ମହୁ            ଚାଟୁ କରି ବହୁ

ଚଖାଁତି ଆଦର କରି

ପ୍ରିୟା ଥିଲେ ପାଶେ ଚଟୁଳ ତା’ମୁଖ ଧରି ।

 

କୁଂକୁମ ଆଉ ପଡ଼ି କି ରହଁତା ଡାଳେ

ବିଂଦୁ ରଚନା କରି ମୁଁ ଦିଅଁତି ଭାଲେ

ବକ୍ଷରେ ତାର            ଚିତ୍ର ତିଆର

କରଁତି ମୁଁ ସେହି ଗାରେ

କୁଂକୁମ ଆଉ ପଡ଼ି କି ରହଁତା ଡାଳେ ?

କେତକୀ-କଳିକା ଜୁଡ଼ାରେ ଦିଅଁତି ମାରି

ଚାହାଁତା ପ୍ରେୟସୀ ସୁଖେ ମତେ ଲାଜ ଛାଡ଼ି

କହଁତି ମୁଁ ହସି                  ଆଜି ମୁଖ-ଶଶୀ

ସଜାଇବି ଭଲ କରି ।

କେତକୀ ତେଣୁ ମୁଁ ଜୁଡ଼ାରେ ଦେଲି ଗୋ ମାରି ।

 

ପ୍ରିୟା କାହିଁ ଆଜି, ବସନ୍ତେ କାହିଁ ପ୍ରିୟା

ବନ୍ଦିନୀ ଦୂରେ ପର ପୁରେ-ଘାରି ହିୟା

ତେବେ ମଧୁମାସ,             ଖାଲି ପରିହାସ

ବୋଲି କହେ ମୋର ହିୟା

ପ୍ରିୟା ନାହିଁ ପରା, ପ୍ରିୟା ନାହିଁ ପାଶେ ପ୍ରିୟା ।

 

ମଧୁମାସ ଦେଇ ବଧୁ ପାଶେ ନାହିଁ ଦେଲା

ସ୍ରଷ୍ଟାର ଏ କି ନିଷ୍ଠୁର ଅବହେଳା

କାରେ ସାଥେ ଧରି            ମନଭରା କରି

ଅବିର କରିବି ଖେଳା

ମଧୁମାସ ଦେଇ ବଧୁ ପାଶେ ନାହିଁ ଦେଲା ।

 

ସକଳେ ମାତିଲେ ପ୍ରାଣ-ପୁରା ଅନୁରାଗେ

ନିଖିଳ ବିଶେ ମିଳନ-ଗନ୍ଧ ଜାଗେ

ମୁହିଁ ଏକା ଖାଲି            ପ୍ରଣୟ ଭିଖାରୀ

ବିଫଳେ ଭିକ୍ଷା ମାଗେ

ସକଳେ ମାତିରେ ପ୍ରାଣ-ପୁରା ଅନୁରାଗେ ।

 

ପ୍ରିୟା ଯହିଁ ଅଛି ବସନ୍ତ ଆସିଥିବ

ବିରହରେ ସେ ତ ଡାକୁଥିବ ଶିବ ଶିବ

ମଳୟ ସମୀର            ନୟନର ନୀର

ବହି ଗୁରୁ ହେଉଥିବ

ବିରହରେ ସେ ତ ଡାକୁଥିବ ଶିବ ଶିବ ।

 

ଦୁହେଁ ଦୁଇ ଦେଶେ, ବ୍ୟର୍ଥ ଏ ମଧୁ ମାସ

ପ୍ରଣୟ ପାଇଁକି ନ ମିଳିଲା ଅବକାଶ

ବିଧାତା କହ ତ            କିପାଁ ଅବିରତ

ଜଗତେ ଏ ପରିହାସ

ପ୍ରଣୟ ବିହିନେ ଗଲା ଚାଲି ମଧୁ ମାସ ।

 

ପ୍ରଣୟୀ

ବକ୍ଷଭରା ଏ ପ୍ରଣୟ ମୁଁ କାରେ ଦେବି ଗୋ,

ବଡ଼ ଉଚ୍ଚାଟ କରେ ମତେ ଦିନ ରାତି,

ଅଶ୍ରୁ ନିଭାଇ, କାହାର ଚରଣ ସେବି ଗେ !

ସକଳ ଲୋମ ମୋ ପୁଲକିବ ଡାକି ‘ସାଥୀ’।

 

ପିଆଲା ଉବୁରି ଉଛୁଳେ ମମ ଜୀବନ,

କାହା କର-ପୁଟେ ଢାଳିଦେବି ସଖା-ସୋହାଗେ,

କାହାରେ ପାଇ ମୁଁ ଭୁଲିଯିବି ଜରା-ମରଣ,

ଜୀବନ ଲାଗିବ ମଧୁର, ଗଭୀର-ସରାଗେ ।

 

ବସନ୍ତ ଆଜି ମଧୁର କରିଛି ଧରଣୀ

ମଳୟ ମତ୍ତ, ଚୁମ୍ବି କୁସୁମ-ସୁରଭି ।

ଆମ୍ର-ବକୁଳ- ମଦାଳସୀ ପିକ-ରମଣୀ

ପ୍ରଣୟୀ ପାଇଁକି ଛାଡ଼ିଛି ମତ୍ତୁଆ ପରବୀ ।

 

ବାତାୟନ ଦେଇ ଗନ୍ଧ-ବିଧୁର ଦଖିଣା

ପରଶି ଅଙ୍ଗ, ଥରାଏ ନିଖିଳ ଛାତି,

ଅନ୍ତର-ପୁରେ ଖୋଜଇ ତରୁଣୀ ନବୀନା

ଏ ମଧୁର କାଳେ ଲୁହ-ଚିହ୍ନିରା ସାଥୀ ।

 

ତରୁଣୀ ଜୀବନ ଝରଇ ପରା ଗୋ ଲୋତକେ

ଆଦ୍ୟ-ମଳୟେ କାନ୍ଦେ ମୋ ବୁକୁ-ଷୋଡ଼ଶୀ,

ସେ ଚାହେଁ ଜୀବନ ବିକିଦେବ କଥା ପଦକେ

କହିବ ଯେ ଖାଲି “ତୁମରି ମୁଁ ସମବୟସି !”

 

ବସନ୍ତେ ଆଜି କେ ଅଛ ଆସ ଗୋ ନାଗର

ପ୍ରଣୟ-ବିଧୁରା ତରୁଣୀର ନେବ ସୁଆଗ,

ତବ ଅବଗାହେ ଧନ୍ୟ ହେଉ ଏ ସାଗର,

ତୁମରି ଶ୍ରବଣେ ଧନ୍ୟ ହେଉ ତା ବେହାଗ ।

 

ସନ୍ଧ୍ୟା ଯେ ହେଲା, ନଇଲେ ତ କେହି ପ୍ରଣୟୀ,

କ୍ଳାନ୍ତ-କଣ୍ଠ କୋକିଳ ଚଳଇ ନୀଡ଼େ,

ଦିଗନ୍ତେ ଦିଗ-ମଧୁରା ମଳୟ ଚଳଇ,

କେଳି-ସାଥୀ ଘେନି ହଂସ ଫେରାଇ ତୀରେ ।

 

ଅଗଣ-ସନ୍ଧ୍ୟା ଯାପିଛି ଏକାକୀ ଦୀନ ମୁଁ,

କେହି ନ ଆସିଛି କଣ୍ଠେ ମୋ ବାବୁ ଭିଡ଼ନେ,

ମରଣ ନିକି ଗୋ ସୁଖର ଏ ଘୋର-ସରମୁଁ ?

ସାଥୀ-ସଙ୍ଗାତ କାହାର ନାହିଁ ଏ ଭୁବନେ ?

ଜଣ ଜଣ କରି ବରି ମୁଁ ଆଣିଛି ଦେବତା

ଜଣ ଜଣ କରି କହିଛି ବୁକୁରେ ଥିଲା ଯା,

ଜଣକର ହେଲେ ନ ହେଲା ମୋଠାରେ ମମତା,

ସକଳେ ତେଜିଲେ ଦୀନ ଦରିଦ୍ର ପରି ଯା !

କେତେଥର ଆହା ବୁଝାଇଲି ନିଜେ ନିଜରେ,

“ଅପଦାର୍ଥର ବାନ୍ଧବ କାହିଁ ଜଗତେ !”

ଗୁମରି ବିଳପେ ବୁକୁ-ବଧୁ ଅଭିମାନରେ–

“କିପାଁ ତେବେ ବିଧି ଦେଲା ଏ ବିଳାପ ରକତେ ?”

ପରିହାସ ସେ ଗୋ ! ବଡ଼ ପରିହାସୀ ଦଇବ,

ଲୁହ ରଖି ଲୁହ ପୋଛିବାର ନାହିଁ ବିଧାନ,

ପତିତର କିପାଁ ଦେବ-ଭୋଗ ଆଶା ହୋଇବ,

ନିଜ ଇଚ୍ଛାମତେ ବିଧାତାର ସବୁ ଭିଆଣ !

ସବୁ ଭିଆଣରୁ ପୀରତି-ଭିଆଣ ଜଟିଳ,

ବିଳପି ବସିଲେ ବୋଧିବାର ଲୋକ ନ ଥାଏ,

କଠିନ ଆହୁରି ବାନ୍ଧିବା ଲୁହ ଆଖିର,

ଯେତେ ପୋଛ ପୁଣି, ସେତିକି ଗୋ ବୁକୁବଥାଏ ।

 

ସକଳ ସନ୍ଧ୍ୟା ପରି ମୁଁ ଆଜି ଗୋ ବିଳପେ

ବସନ୍ତେ ଏଇ ନବଜାତ-ଘାସ-ଆସନେ,

ଅଙ୍ଗ ଚାହେ ଏ କାନ୍ତ-କୋମଳ ତଳପେ

ଆରେକ ଦେହର ସରସ ନିବିଡ଼ ମିଳନେ ।

 

ବନ୍ଧୁ କେ ଚାହିଁ, ଅଭିସାର କର ଏଠାବେ,

ବାସକ-ସଜ୍ଜା ରହିବି ମୁଁ ସାରା ଯାମିନୀ,

ଆସ କେ ଆସିବ, କବରୀ-କୁସୁମ ପରାଟେ

ଉଦବେଳ କରି ହୃଦୟ ଏ, ବର-କାମିନୀ ।

 

ତରୁଣ ଆସିଲେ କଂକଣଧ୍ୱନି ଶୁଣିବି,

ତରୁଣୀ ଆସିଲେ ନୂପୁର ବାଜିବ ଅଦୂରେ,

ତରୁଣ ଆସିଲେ ଗୀତେ ଗୁଣ ତାର ଗୁଣିବି,

ତରୁଣୀ ଆସିଲେ ତୋଳି ନେବି ତାକୁ ବୁକୁରେ ।

 

ଯେ ଆସିବ ଆସୁ, ନିଃଶେଷ କରି ପାତ୍ର

ପିଆଇବି ତାକୁ ସରସ ଜୀବନ ମଦିରା,

ସାଥୀ ଖୋଜେ ଆଜି ପ୍ରାଣ ମୋର, ଏ ମୋ ଗାତ୍ର

ଉତସ୍ଳାବି ଉଠେ ରସର ତଟିନୀ ଗଭୀରା ।

 

ବିରହ

ମିଳନର କାଳେ                  ଯେତେ ପାଖେ ଆସ

ଥାଏ ଦେହ ବ୍ୟବଧାନ

ବିରହରେ ପ୍ରିୟେ                  ହୋଇଅଛି ଆଜି

ଶରୀରର ଅବସାନ ।

 

ଶୋଣିତର ସ୍ରୋତେ            ସାରା ଦେହେ ଆଜି

ତୁମର ପରଶ ପ୍ରିୟା

ଦେହମୟ ଆଜି                  ହୋଇଅଛି ତୁମେ

ଆବରି ରହିଛ ହିୟା ।

 

ବାହାରେ ଭିତରେ            ସବୁଆଡ଼େ ତମେ

ଅଭିନବ ଅନୁଭବ

ନିଜ ଦେହେ ଯା କି            ପାଉଛି ବିରହୀ

ମଧୁର ପରଶ ତବ ।

 

ଯହିଁ ଯାଏ ମୁହିଁ                  ଯହିଁ ଅବା ଥାଏ

ମୋର ଏ ପରାଣ ତଲେ

ବୀଣା-ତାର ତଳେ            ମଧୁଗୀତ ସମ

ତୁମର ଛାୟାଟି ଚଳେ ।

 

ସବୁକାମ ତଳେ                  ତୁମ କଥା ସଖି

ବାଜୁଥାଏ ରହି ରହି

ଆଖି ଯାହା ଦେଖୁ            ମନ ଭାବୁଥାଏ

ଦିନେ ଗୋ କି ଥିଲ କହି ।

 

ବିରହ-ବିଧର                  ବିରହ ମଧୁର

ଭାବେ ମୋ’ ବିରହୀ ହିୟା

ବିରହ ଯେ ଦେଲା            ଯୋଗ ଭୋଗିବାକୁ

ଦେହ ସାରା ମୋର ପ୍ରିୟା ।

 

ବର୍ଷା-ବିରହ

ଆଷାଢ଼ୀ ପ୍ରାତେ                  କୃଷ୍ଣ ଆକାଶ ତଲେ

ପରାଣେ ଯେତେ ଦରଜ ଉଠେ ଫୁଟି

ପାଉଛି କାହି            ପରାଣ-ପ୍ରିୟ ମମ

ଯାହାର କାନେ କହିବି ମୁଖ ତୁଟି ।

 

ସରମ ନି’କି            ଲାଗିବ ମତେ ତିଳେ

ସକଳ ଆଗେ କହିବି ମୋର କଥା

କାହାର ଅବା            ଗରଜ ଅଛି କିସ

ଶୁଣିବ ବସି ମୋହର ଦୁଃଖ-କଥା ।

 

ପ୍ରିୟ ଯେ ସିନା            ତା’ପାଶେ କହି ଆସେ

ପ୍ରାଣର ଯେତେ କ୍ଷୁଦ୍ର ଅଳି ଦୁଳି

ପର କି ତାହା             ବୁଝିବେ କେବେ ହେଲେ

କହିବେ– ‘ଆହେ, କି କହ ନିଆଁ ଚୁଲି !”

 

ମରମ କଥା            ମରମୀ ସିନା ଜାଣେ

ମରମୀ ମୋର ସାଥୀରେ ନାହିଁ ମୋର

କେସନେ କହ            କାଟିବି ଏଇ କାଳ

ଆସାର-ଓଦା ମେଦୁର-ମୁଦିର ।

 

ମେଘୁଆ ଦିନେ            ବୃଷ୍ଟି-ମୁଖର କାଳେ

ମନଟା କିପାଁ ହୁଅଇ ଛଳ ଛଳ

ପରାଣ ଖୋଜେ             ଆହୁରି ଏକ ପ୍ରାଣ

ହସ୍ତ ଲୋଡ଼େ ଆଉ କା’କରତଳ ।

 

ଏପରି ଏକ             ଆଷାଢ଼ ବୃଷ୍ଟି ଭରା–

ସକାଳେ ପ୍ରାଣ ଉଠିଲା ଯେଣୁ ଥରି

ମନ୍ଦାକ୍ରାନ୍ତେ             ଗାଇଲେ କାଳିଦାସ

ପ୍ରୋଷିତଭର୍ତ୍ତା ପ୍ରିୟାରେ ଅନୁସରି ।

 

ଦରଜ ସେଇ            ବାଜଇ ପ୍ରାଣେ ମମ

ଆଜି ଯେ ଏଇ ବର୍ଷା-ମୁଖର ପ୍ରାତେ

କେଉଁ ପ୍ରିୟାରେ            ଦେବି ମୁଁ ସନ୍ଦେଶ

ଜଳଦ ସମ କେଉଁ ବା ଦୂତ ହାତେ ?

 

ମୋ ପାଇଁ କେହି            ପ୍ରିୟା କି ନାହିଁ ବସି

କରଜ-ଗାରେ ବିରହ-ରାତି ଗଣି

ଦରଜ ମୋର            ଶୁଣିବ କିଏ କହ

ଉଠିଲା ଯଦି ହୃଦୟ ରଣରଣି ।

 

ବୃଷ୍ଟି ଧାରା            ପଡ଼ଇ ଅବିରତ

ଦୁର୍ବାଦଳ ପଡ଼ଇ ନଇଁ ଲାଜେ

ବର୍ଷା, ଘାସ            ଆଲିଙ୍ଗନ ଦେଖି

ପରାଣେ ମମ ବ୍ୟଥାର ବୀଣା ବାଜେ ।

 

ଶୀକର-କଣା            ଛିଡ଼ିକି ଗବାକ୍ଷରେ

କପାଳେ ମୋର ମୁକ୍ତାସମ ଲାଗେ

ପାଖରେ ମୋର             ନାହିଁ ଯେ ପ୍ରିୟତମା

ଦେଖିବ ତାହା ପରମ ଅନୁରାଗେ ।

 

ଜଳଦ ଡାଳେ             ଶୁଣିଛି ଏଇ ଦିନେ

ଫୁଟଇ ଉଠି କଦମ୍ବ-ମୁକୁଳ

ଆଷାଢ଼େ ମୋର            ବ୍ୟଥିତ ନିଃଶ୍ୱାସେ

ଗଣ୍ଡ କା’ର ହେବନି’ ବ୍ୟାକୁଳ ?

 

ସାଥୀ ତ ନାହିଁ            ଆଜି ଏ ଆଷାଢ଼ ପ୍ରାତ

କଟିବ ସିନା ବ୍ୟଥିତ ନିଃଶ୍ୱାସେ

ଦରଜ ମୋର            ହୃଦୟେ ଉଠି ମରୁ

ଚାହିଁ ମୁଁ ରହେ ଆଷାଢ଼-ଆକାଶେ ।

 

ମୌନ–ବିଦାୟ

ବିଦାୟ ବେଳ ଯେବେ ଆସିଲା ସଖି

ରହିଲ କିପାଁ ତୁନୀ; ନୟନ ରଖି

ଧରଣୀ ତଳେ । ନଖେ କାଟିଲ ଗାଇ,

ଚିବୁକ ଓଦା କଲା ନୟନ- ଧାର।

 

‘ବିଦାୟ ଦିଅ ମତେ ଯାଉଛି ମୁହିଁ’

କିପାଇଁ ନ କହିଲ ଭଲା ସୁମୂହିଁ

ମଉନ ରହି ଯାହା କହିଛ କଥା

ପ୍ରିୟରେ ତବ ଚିର ଦେଉଛି ବଥା ।

 

‘ଯାଉଛି’ ବୋଲି କହି ପାରିଲା ନାହିଁ

ଯେହୁ, ତାହାରେ ମନୁଁ କେହ୍ନେ ଭୂଲାଇ,

ଯାଇ ସେ ନ ଯାଇଛି; ରହିଛି ବୁକେ

ବିଦାୟ ଦେଇ ନିତି ଦେଖେ ତା’ ମଖେ ।

 

ମନେ କି ଥାଏ ?

ଯହି ମୁ ଥାଏ ବା ଯହିଁ ମୁଁ ଯାଏ

କାନେ ବାଜେ ତବ ‘ମନେ କି ଥାଏ’

ହେ ପ୍ରିୟତମ

ସ୍ୱସନେ ଶୁଣିବା ମୁରଲୀ ସମ ।

 

ଓଠ ଧରି ଛୋଟ ଚଟୁଳ ହାତେ

ନୟନ ମିଶାଇ ନୟନ ସାଥେ

ପଚାରିବାର

ପାଶୋର ଜୀବନେ ଯିବ କାହାର ?

ପଚାରିବା ସେଇ ‘ମନରେ ଥାଏ’?

ବାହୁ-ଲତା ରଖି ଏ ମୋର କାୟେ

ନିବିଡ଼ କରି

ନିଦାଘ ରଜନୀ ଜ୍ୟୋତ୍ସା ସରି ।

 

ଗୋଟିଏ କଥାରେ କେତେ ସେ କଥା

କହି ବିରହୀର ହରିଲା ବ୍ୟଥା

ଜାଣ କି ପ୍ରିୟେ

ସ୍ମରିଲେ ପରାଣେ ଅମିୟ ଦିଏ ।

 

ସେଇ ଓଠ-ଧରା ଚଟୁଳ କରେ

ଅଙ୍ଗୁଳି ଲାଜ-ଆଦର ଥରେ

ପଚାରିବା ସେ

‘ମନରେ କି ଥାଏ’ ଚାହିଁ ମୋ ଆଶେ ।

 

ସବୁ ମନେ ପଡ଼େ ସବୁ ଗୋ ପ୍ରିୟା

ଏମାନ କି କେବେ ଭୁଲେ ଗୋ ହିୟା

ଭୁଲି କି ତାରେ

ଯେ ରାଣୀର ଏତେ ଦୟା ମୋଠାରେ ?

ମନରେ ଥାଅ ଗୋ, ମନରେ ଥାଅ

ତମେ ପୁଣି ମନୁ ପାଶୋର ଯାଅ ?

ହେ ପ୍ରିୟତମ

ମିଶି ଯେ ଯାଇଛ ଚିତ୍ତେ ମମ ।

 

 

ପ୍ରଣୟ–ଗର୍ବ

ସକଳେ କରନ୍ତି ଗର୍ବ ପ୍ରିୟ- ପ୍ରିୟା ଘେନି

ମୋ ଆଗେ । ତା’ ଶୁଣି ପ୍ରିୟେ ମୋର ଆଖି ବେନି

ଛଳ ଛଳ ହୋଇ ଆସେ ଗୁରୁ ଅପମାନେ।

 

ମୋର କି ଗୋ ପ୍ରିୟ ନାହିଁ ? ସ୍ନେହ- ଅଭିମାନେ

ଚଟୁଳ- ଶ୍ରୀକରେ ଧରି ଓଠ ମୋର ସ୍ନେହେ

ସନ୍ନିଧିରେ କଣ୍ଟକିତ କରି ମୋର ଦେହେ,

ମତେ କେ କି କହି ନାହିଁ, “କ୍ଷମା କର ମତେ;

ରାଣ ମୋର ରାଗ ଛାଡ଼ି, କଥା କହ ସତେ” ?

 

ମତେ କେ କି ବରାନନୀ ବ୍ରୀଡାନତ ମୁଖ

ଧୀରେ ତୋଳି; ନୟନେ ମୋ ଦେଇ ମହାସୁଖ,

କର୍ଣ୍ଣମୂଳେ ଲଜ୍ଜାବତୀ ଓଠ ରଖି ତାର

ପଚାରିନି ‘ଭଲ ପାଅ’ ବୋଲି ବାର ବାର ?

ତୁମେ ତାର ସାକ୍ଷୀ ପ୍ରିୟେ ! ଦୂରେ ବହୁଦୂରେ

ଅଛ ଯାଇ ଗଣ୍ଡବନେ ବନ୍ଦିନୀ କା’ପୁରେ,

 

ପ୍ରିୟ-ଅଭିମାନୀ ଏଇ ଇତରଙ୍କ ଆଗେ

କେମନ୍ତେ ଦେଖାଇ ଗର୍ବେ ମୋର ଅନୁରାଗେ ?

କେମନ୍ତେ ଜଗତ ଆଗେ କହିବି ଶୁଣାଇ

ତବ- ମମ ପ୍ରେମ ସମ ନାହିଁ ପ୍ରେମ ନାହିଁ !

 

କେମନ୍ତେ ଜନତା ଆଗେ କହେ ଗର୍ବ କରି

ମୋ ପାଇଁ ସୁଦୁରେ କାନ୍ଦେ ପରମା ସୁନ୍ଦରୀ

ଗୃହ କର୍ମ ତେଜି ତାର, ବାତାୟନ ପାଶେ

ପ୍ରାଣର ପ୍ରାର୍ଥନା ଲୁହେ ଦେଇ ମୋହ ଆଶେ !

 

ଭାବେ ପୁଣି, ଗର୍ବ ପଛେ କରନ୍ତୁ ଇତର,

ଭାବନ୍ତୁ ପଛକେ ମତେ ଅକିଞ୍ଚିତକର

ତୁମରି ମୋହରି ମଧ୍ୟେ ତୁମ ମୋର କଥା

ରହୁ ପ୍ରିୟେ; ନ ଜାଣୁ ତା’ ଇତର ଜନତା ।

ସଂସାର ତା’ ଗର୍ବ ଦେଇ କରୁ ତା’ବିଚାର

ତୁମ ବକ୍ଷତଳେ ମୋର ସକଳ ସଂସାର ।

 

ରାସ–ସ୍ଥଳୀ

ପଥିକ, ଯେ ପଥେ ଚାଲ

ସେହି ପଥେ ଜାଣ ପ୍ରଣୟିନୀ ଏକ

ରଚୁଥାଇ ଅଭିସାର ।

ଚରଣ-ପରଶେ ତାର,

କଠିଣ- ସରଣୀ-ପାଷାଣ ଅଙ୍ଗେ

ଉଠୁଥାଇ ଶୀତୁକାର ।

 

ତା’ଜୁଡ଼ା- ଗନ୍ଧ ପାଇ

କ୍ଷୁଧିତ ମଳୟ ଭୋଜନ ସରମେ

ଉଡ଼ି ଯେ ପାରଇ ନାହିଁ ।

ଶରୀର- ଆଲୋକ ତାର

ଘୋଡ଼ାଇ ନ ପାରି ଲଜ୍ଜିତ ହୁଏ

ରଜନୀ ଅନ୍ଧକାର ।

 

ଶଂକିତେ ଯେବେ ଆସେ

ସାରା- ପଥେ ପରା ସେ ପ୍ରିୟତମାର

ରୂପ ଓ ଗନ୍ଧ ଭାସେ ।

ପଥ- ପାଶ ସହକାର

ପ୍ରିୟା ଆଉ ପ୍ରିୟ ମିଳନ ପାଇଁକି

ଦିଏ ତା’ ଅନ୍ଧକାର ।

 

ଏଇ ସହକାର ତଳେ

ଏଇ ପଥ ପାଶେ ଭିଡ଼ିଥିଲା ବାହୁ

ପ୍ରିୟା ତା’ପ୍ରିୟର ଗଳେ ।

ତଳେ ଏଇ ପଥ- ଘାସ

ଉପରେ ତାରକା ମନେ ରଖିଛଁତି

ସେ ପ୍ରିୟ- ପ୍ରିୟାର ରାସ ।

 

ପ୍ରଣୟ କି କଥା ଜାଣ ?

ତେବେ କି ପଥିକ ଏ ଚାଲିବା- ପଥେ

ନ କରିବ ସମ୍ମାନ ?

ଏ ପଥର ରେଣୁ ତଳେ,

ମନେ ରଖ ଏକ ରୂପସୀ ପ୍ରିୟାର

ପ୍ରଣୟ ନିତ୍ୟ ଥରେ ।

 

ଏଇ ସହକାର ତଳେ

ମନେ ରଖ ଏକ ସୁନ୍ଦରୀ ଦେଲା

ପ୍ରାଣ ତା’ର ପ୍ରିୟ କରେ

ଏ ସରଣୀ- ରେଣୁରାଶି

ଖୋଜୁଛଁତି ଆଜି, କାହିଁ ଗଲା କାହିଁ

ସେ ଦିନ ମତ୍ତକାଶୀ ?

 

ପଥିକ ଏ ସବୁ ଜାଣି

ଗଲାବେଳେ ଏଥି, ଧରିବ ନାହିଁ କି

ଚରଣ- ବସନ ଟାଣି ?

ସେ ବେନି ପ୍ରଣୟୀ ଆଉ

ମିଳିବେ ନି’ ଏଥି, ମିଳାଇବେ ନାହିଁ

ନିବିଡ଼େ ଦୁଇଟି ବାହୁ ।

 

ଦୁହେଁ ଦୁଇ ଦେଶେ ରହି

ଦୁହିଁକ କପୋଳେ ବିରହର ଜଳ

ନିତ୍ୟ ଯାଉଛି ବହି ।

ତେଣୁ ହେ ପଥିକ କହେ,

ସମ୍ମାନ କର, ସମ୍ମାନ କର

ବିରହିତ ସେ ପ୍ରଣୟେ ।

 

ତୀର୍ଥ କରିଛି କି ହେ ?

ତୀର୍ଥଟି ତହି, ମାନବର ହିୟା

ଯହିଁ ଦିଏ ଆଉ ନିଏ ।

ଏ ପଥ ତୀର୍ଥ ଜାଣ,

ଏଇ ପଥେ ପରା ମିଶି ଯାଉଥିଲା

ଚୁମ୍ବନେ ଦୁଇ ପ୍ରାଣ !

 

ଏଇ ପଥ ରେଣୁ ପରେ,

ପଥିକ ଜାଣ କି, ପ୍ରେମିକର ଇଚ୍ଛା

ଯେହ୍ନେ ତା’ ଚିତା ଜଳେ !

ତେଣୁ ହେ ପଥିକ କହେ,

ସମ୍ମାନ କର ଏ ପଥେ, ଯା’ ତଳେ

ପ୍ରେମ ଓ ବିରହ ବହେ ।

 

ଜଣେ ମତେ ଭଲ ପାଏ

ଦୁର୍ଦ୍ଦନେ ପ୍ରାଣ ଆଉ ଡର ନାହିଁ ପାଏ

ଜାଣିଲିଣି ଯେଣୁ ଜଣେ କେହି ଭଲ ପାଏ ।

ଥାଉ ସେ ସୁଦୂରେ ଲକ୍ଷ ଯୋଜନ ପାରେ

ବନ୍ଦନୀ କାରାଗୃହର ଅନ୍ଧକାରେ

ବାଜେ ମୋର ଏଇ ହୃଦୟର ଏକଠାଏ

କେ ଜାଣି କାହିଁକି ପ୍ରିୟତମ ସମ

ମତେ ସେ ଗୋ ଭଲ ପାଏ

 

ଗୃହିଣୀ ସେ; ତାର ଜଞ୍ଜାଳ ଶତ ଶତ

ମାନିବାକୁ ହୁଏ ବହୁଜନ- ମନୋରଥ ।

ତଥାପି ପାଇଲେ କ୍ଷଣକର ଅବସର

ଘରଣୀର ଘୋର ଜଂଜାଳୁ ଦିବସର

ନୀର ତେଜି ଥରେ ପୋଛିଦିଏ ମୋହ ଲାଗି

ଦେବତାଠୁଁ ନିଏ ମୋର ମଂଗଳ ମାଗି

ମୋହ କଥା ଭାବି ଶୟନେ ନିଦ୍ରା ଯାଏ

କେ ଜାଣେ କାହିଁକି ବିଶାଳ ଜଗତେ

ମତେ ଏତେ ଭଲ ପାଏ !

 

ସେଇ ମଂଗଳେ ବିଶ୍ୱାସ ମୋର ବଡ଼

ସେଇ ସ୍ନେହୁ ଆଉ ନାହିଁ ପବିକ୍ରତର ।

ସେଇ ପ୍ରେମ ମତେ ଜୀବନ ଦେଇଛି ଆଜି

ବୀର ସମ ବାହିଯିବି ଦୁର୍ଦ୍ଦିନରାଜି

ଗଗନେ ମୋହର ହେଲେ ଘୋର ଘନଘଟା

ବଦନ ତାହାର ହେବ ବିଦ୍ୟୁତ ଛଟା,

 

ସଂଗ୍ରାମେ ଯଦି ଶୀଥିଳ ହୁଏ ଏ କର

ଦୂରୁ ସେ ଡାକଇ ‘ମତେ ଚାହଁ, ଅସି ଧର’

ସ୍ନେହ ତାର ମତେ ଦେଲା ନୁଆ ଅବତାର

ପରାଣ ମୋ’ କହେ, ସବୁ ମୁଁ କରିବି

ହେବାକୁ ଯୋଗ୍ୟ ତାର ।

 

ଦୁର୍ଦ୍ଦିନେ ତେଣୁ ଆଉ ଡର ନାହିଁ ପାଏ

ଜାଣିଲିଣି ଠିକେ ଯେଣୁ ଜଣେ ଭଲ ପାଏ ।

ସକଳ କରମେ ପଛେ ମୋର ସେ ଗୋ ରହି

ଇଂଗିତ ଦିଏ ସମରେ ହେବାକୁ ଜୟୀ ।

 

ସଚୀବ ସେ ମୋର, ଜନନୀ, ଭଗିନୀ, ପ୍ରିୟା

ସବୁ ରୂପେ, ସବୁ ଭାବେ ସେ କିଣିଲା ହିୟା ।

ତାହାରି କଥା ମୁଁ ଭାବୁଥାଏ, ଗାଉଥାଏ

ଲାଜ ନାହିଁ ମୋର, ଡର ନାହିଁ ମୋର;

ସେ ଯେ ମତେ ଭଲ ପାଏ ।

 

ସ୍କୃତି

ବହୁତ ଦିନ ହେଲା            ତୁମର କଥା କିମ୍ପା

ପଡ଼ିନି’ ମନେ

ବ୍ୟସ୍ତ ଥିଲି ପରା                  ବିଗତ ଦିନଯାକ

ସକଳ କ୍ଷଣେ

କରମ ଅବସରେ                  ଆଜି ଏ ପ୍ରଭାତରେ

ଅଳସେ ବସି

ଜୀବନ- କଥା ଭାବୁ            ପଡ଼ିଲା ମନେ ତବ

ବଦନ-ଶଶୀ ।

 

ତୁମର ପରି ଆଉ                  ପ୍ରିୟ ତ ମୋର ନାହିଁ

ଜୀବନେ ସଖି

ନୟନ ଲୁହେ କିଏ            ପ୍ରଣୟ ହୃଦେ ମୋର

ଯାଇଛି ରଖି ?

ଆଉ କେ ମୋର ପାଇଁ      ନିଜର ଭୁଲି ମତେ

ଦେଇଛି ସ୍ନେହ ?

କଳଙ୍କ ମାଥେ ବହି            ହସି କେ କହ ମତେ

ଡାକିଛି ‘ପ୍ରିୟ’ !

 

କେହି ଗୋ ଦେଇ ନାହିଁ      ତୁମର ପରି ପ୍ରେମ

ଜାଣ ଏ ଦୀନେ

ଯଦିବା ସଖା- ସଖୀ      ମେଳ ଏ ଜୀବନରେ

ଛାଡ଼ିନି ଦିନେ ।

 

ତୁମର କିପରି ମୁଁ                  ଭୁଲିବି କହ ସଖି

ଭୁଲିବି କହ

ସକଳ ସୁଖ ମେଳେ            ପ୍ରିୟ ଗୋ ବାଧେ ମତେ

ତୁମ ବିରହ ।

 

ଆଜି ଏ ପ୍ରଭାତରେ            କରମ ଅବସରେ

ପଡ଼ିଛ ମନେ

ସକଳ ଅବସରେ                  ପରାଣ- ପ୍ରିୟ ତମେ

ପଡ଼ ଗୋ ମନେ ।

 

ଆଉ ତ ଦେଖା ନାହିଁ      ଜୀବନେ ହେବ ରାଣି

ଜୀବନ ଥାଉ

ସ୍କୃତିରେ ନିଧି କରି            ଧରଣୀ ପରେ ଶେଷ

ଜୀବନ ଯାଉ ।

 

ତୁମେ କି ପ୍ରିୟ ମତେ      ଭାବ ଗୋ ବେଳେ ବେଳେ

ମୋହରି ପରି

ଅତୀତ କଥା ଭାଚି            ବିଶାଳ ଦୁଇ ଆଖେ

ଲୋତକ ଭରି ?

 

ପଚାରୁଁ କହିଥିଲ                  ‘ନିରତେ ତମେ ମନେ

ପଡ଼ୁ ଯେ ଥାଅ’

ସେ ବାଣୀ ଭରସାରେ            ଲିଭଇ ଆପେ ଆପେ

ବିରହ- ଦାହ ।

 

ଜାଣେ ମୁଁ ଜାଣେ ସଖି            ଭୁଲି ନ ଥିବ ମତେ

ନୁହ ସେପରି

ଜାଣେ ମୁଁ ଏ ଜଗତେ            ପ୍ରେମିକା ନାହିଁ ମୋର

ପ୍ରିୟାର ସରି ।

 

ପାଶୋର- ପ୍ରଣୟ

ଜୀବନେ ଯାକୁ ଭଲ ପାଇଲି ବାରେ

ସରତେ ନାହିଁ ଆସେ

ନିଜକୁ ନିଜ ଭାଷେ

କହିବି ଯଦି ଆଜି ଭୁଲିଛି ତାରେ

ଜୀବନେ ଯାକୁ ଭଲ ପାଇଲି ବାରେ ।

 

ବିବେକ କହେ ଡାକି ଆହେ ରସିକ

ଥରେ କି ଭଲ ପାଇ

ଭୁଲିବା ଶୋଭା ପାଇ

ନିଠୁର- ପ୍ରାଣ ତବ, ପ୍ରଣୟ ଧିକ

ବିବେକ କହେ ଡାକି ଆହେ ରସିକ ।

 

ଏ ଛାତି ତଳେ ଯାଏ ପରାଣ ମରି

ପାଇ ଏ ଉଲୁଗୁଣା

ପୁଣି ପ୍ରେମ, ପୁରୁଣା–

ହେଲା କେମନ୍ତେ ସେଇ କଥା ସୁମରି:

ଏ ଛାତି ତଳେ ଯାଏ ପରାଣ ମରି ।

 

କେମନ୍ତେ କିପାଇଁ ବା ଭୁଲିଲି ତାରେ,

ନିଜେ ତ ନାହିଁ ଜାଣେ

କେମନ୍ତେ ମୋର ପ୍ରାଣେ

ପଡ଼ିଲା ବାରିଧାରା ପ୍ରେମ- ଶିଖାରେ

କେମନ୍ତେ କିପରି ବା ଭୁଲିଲି ତାରେ

ମନେ ତ ଅଛି ସେଇ ଲୀଳା ଆଗର

ପରାଣ ଦିଅ ଦେଇ

ସକଳ ପଥ ଦେଇ;

ମୋ ପାଇଁ କାଟିବାର ନିଶି ଜାଗର

ମନେ ତ ଅଛି ସେଇ ଲୀଳା ଆଗର ।

 

ନୟନେ ନୟନେ ସେ କହିବା କଥା

ନିରତ ମୁଖେ ଚାହିଁ

ଇଷିତ ପୁରେ ନାହିଁ

ଟିକିଏ ଆଡ଼ ହେଲେ ଲାଗଇ ବଥା

ନୟନେ ନୟନେ ସେ କହିବା କଥା ।

 

ସବୁ ତ ଅଛି ମନେ ପ୍ରିୟ ଗୋ ମମ

ସେ ଦୀପ ଆଉ ଜଳେ

ନାହିଁ ଏ ପ୍ରାଣ ତଳେ

କିପାଇଁ କରି ପ୍ରାଣେ ଫଗୁଣ ସମ ।

ସବୁ ତ ଅଛି ମନେ ପ୍ରିୟ ଗୋ ମମ ।

 

ଭାବିବ ଆନ ଅବା ନୟନ ଢାଳି

ନେଲାଣି କିଣି ମତେ

ଚାହିଁଛି ମୋର ପଥେ

କୁଟୀରେ ତା’ର ପ୍ରେମ- ଜାଗର ଜାଳି

ଭାବିବ ଅବା ଆନ ନୟନେ ଢାଳି ।

 

ନାହିଁ ଗୋ ନାହିଁ ସଖି ସେପରି କେହି

ମୋ ପଥେ ମୁଁ ଏକାକୀ

ନାହିଁ ତ କେହି ସାଥୀ

ଆପଣା କରିବ ଯେ ପ୍ରଣୟ ଦେଇ

ନାହିଁ ଗୋ ନାହିଁ ସଖି ସେପରି କେହି ।

 

ତଥାପି ହାୟ ସଖି ଯାଏ ନା ମନ

ତବ ସେ ପ୍ରେମ ପାଶେ

ସେ- ଦିନ- ସୁଖ ଆଶେ

ଚାଖିବା ପାଇଁ ଚିହ୍ନା- ପୀୟୁଷ- କଣ

ତଥାପି ହାୟ ସଖି ଯାଏ ନା ମନ ।

 

ଭାବିବ ନାହିଁ ପ୍ରିୟେ ନିଠୁର ମତେ

ଯତନ ଯେବେ କରି

ପାରିଲି ନାହିଁ ଧରି

ପ୍ରଣୟ ତବ ହୃଦେ; କି ଦୋଷ ସତେ

ଭାବିବ ନାହିଁ ପ୍ରିୟେ ନିଠୁର ମତେ !

ପ୍ରଣୟ ହାୟ ସଖି ଚପଳ ଅତି

ବତାସି ପରି ଆସେ

ନିଖିଳ- ପ୍ରାଣ ଗ୍ରାସେ

ଫେରିଲା ବେଳେ ଯାଏ ନିଭାଇ ବତୀ;

ପ୍ରଣୟ ହାୟ ସଖି ଚପଳ ଅତି ।

 

ତୁମର ଦୀପ- ଶିଖା ଲିଭିଛି ପ୍ରାଣେ

ବିରାଗେ ପ୍ରାଣ- ବଧୁ

ନ ପିଏ ତବ ମଧୁ

ନିରତ ଆନ ଫୁଲେ ଯିବାରେ ଟାଣେ

ତୁମର ଦୀପ- ଶିଖା ଲିଭିଛି ପ୍ରାଣେ ।

 

ଜୀବନେ ଥିଲେ ସଖି ଖୋଜିବି ଫୁଲ

ପ୍ରଣୟ- ମଧୁ ବିନା

ପରାଣ- ବଧୁ ସିନା

କଠିନ- ଉପବାସେ ହେବ ଆକୁଳ

ଜୀବନ ଥିଲେ ସଖି ଖୋଜିବି ଫୁଲ ।

 

ତେବେ ଗୋ ପ୍ରିୟେ ମତେ ଦିଅ ମେଲାଣି

ପାଶୋର- ପ୍ରେମେ ରାଇ

କି ସୁଖ ଲେଉଟାଇ

ଭୁଲିଛି ମୁଁ ତ, ମତେ ଭୁଲ ଗୋ ରାଣି,

ତେବେ ଗୋ ପ୍ରିୟେ ମତେ ଦିଅ ମେଲାଣି ।

 

ପ୍ରେମର ପରିମାପ

ପ୍ରେମ କି ଥରେ ଆସି, ଥରକେ ହୁଏ ଶେଷ,

ଜଣକୁ ଦେଲେ ସଁପି, ନ ରହେ ଅବଶେଷ ?

ପ୍ରଥମ ଭେଟ ସାଥେ ସରେ କି ସଂଚୟ,

ଆଉ କି ଥରେ ବୁକୁ ନ ହୁଏ ରସମୟ ?

ପଛେ ଯେ ଆସେ ତାର ଆଖିରେ ନୀର ଭରି,

ସେ କି ଗୋ ଦେଖିଯିବ ଶୁଖିଲା ହୃଦ- ଝର ?

ପ୍ରଥମ ଯଦି ନିଏ, ଦ୍ୱିତୀୟ ନେବ ନିକି,

ବିଶାଳ ହୃଦ- ପୁରେ ସାଜେ କ ଏକ ସଖୀ ?

 

ଏକଇ ଫାଲଗୁନେ ଲକ୍ଷ ଫୁଲ ଫୁଟେ,

ଭ୍ରମର ଗୋଟିକରୁ ଗୋଟିକୁ ଚୁମି ଛୁଟେ,

ଗୋଟିଏ ପ୍ରାଣେ ତାର କୋଟିଏ ସଖୀ- ଡାକ,

କାହାକୁ ଦୂରେ ରଖି ଯିବ ସେ କାହା ପାଖ ?

ସବୁରି ଓଠେ ଓଠେ ଲଗାଏ ମୁଖ ତାର,

ସବୁରି ପ୍ରାଣ- ପୁଟେ ଢାଳଇ ଯା ଦେବାର ।

ଜଣେ କି ଖାଲି ନେବ ଜୀବନ ସୁଖ- ପାନେ,

ଆଉ କି ସବୁ ଯିବେ ମଉନ- ଅପମାନେ ?

ଜୀବନ ପଥ ପଚେ ଅନେକ ସାଥୀ ଡାକ,

କାହାକୁ ଦୂରେ ଠେଲି ଯିବି ମୁଁ କାହା ପାଖ ?

ଜଣକ ଉପହାର ରଖିଲି ବୁକେ ତୋଳି

କ୍ଷୁଦ୍ର ଅଧର ତା ସାରାଟି ମୁଖେ ବୋଳି ।

 

ଆରେକ ଯଦି ଆସେ, ଧରି ତା ଉପହାର

କି ଦୋଷ ତାକୁ କହ ରୋଧିବି ମୁଁ ଦୁଆର ?

ଦୁଆର ପଥ ପରେ ସରଳା ଆଖି ଲୁହ

ପୋଛିବ କାହା ନାମେ ପାଟପଣତେ କୁହ ?

ସବୁରି ଆଖି- ଲୁହ ସମାନ ନିକି ଭବେ,

ସକଳ ବୁକୁ ଏକା ବେଦନା- ଗଉରବେ ?

କି ଦାବୀ ତେବେ କହ ଏ ବୁକେ ଜଣକର,

ଅନେକ ପାଇଁ ଯଦି ଅଛି ଗୋ ଉପହାର ?

 

ଏକଇ ଜୀବନେ ଗୋ ଅନେକ ଡାକ ଆସେ,

କାହାକୁ ଫେରାଇବି, ଡାକିବି କାରେ ପାଶେ ?

ପ୍ରଥମା ଦେଖା ଦେଲା ପଥର ଧୂଳି ପରେ

ଧୂଳିର ଗୃହ ପାତୁଁ କିଶୋର ବୟସରେ,

ଧୂଳିର ସଂସାରେ ସେ ଥିଲା ଛୋଟ ରାଣୀ.

ଦେଇଛି ସେହିଦିନୁ ଆସନ ତାର ଟାଣି

ଏ ବୁକେ । ଯହିଁ ଯାଏ ସେ କହେ‘ମତେ ନିଅ,

ସକଳ ବିତରଣେ ମତେ ମୋ ଭାଗ ଦିଅ ।’

 

ଦ୍ୱିତୀୟା ଦେଲା ଦେଖା, ସକାଳ- ଯଉବନେ

କୁମାରୀ ଅଭିଜାତା; ଗୋଲାପ, ରୂପବନେ

ତରୁଣୀ ନ ଡାକୁ: ମୁଁ ଅର୍ଘ୍ୟ ଉପହାର

ଦେଇ ମାଗିଲି ତାର ମୋ ଘରେ ଅଭିସାର ।

 

ଆସିଛି ସେ ରୂପସୀ ତା ପାଇଁ ଆୟୋଜନ

କରିବି ନିକି ? ପାତି ନ ଦେବି ମୁଁ ଆସନ ?

ତୃତୀୟା ପୁଣି ଅଛି, ନୁହେ ସେ ରୂପବତୀ,

ତଥାପି ରାତି କାଟେ ମୋ ପାଇଁ ଜାଳି ବତୀ;

ଭିକ୍ଷା କିଛି ନାହିଁ; ଦେବାରେ ସୁଖ ତାର,

ମୋହର ସୁଖ ପାଇଁ ତା ନେତ୍ରେ ଲୁହଧାର ।

 

ଆସନ ମାଗେ ନା ସେ, ତଥାପି ଆୟୋଜନ;

ମୋ ସେବା ନ ମାଗୁଁ ସେ; ମୁଁ ତାର ପରିଜନ ।

କେତେ ଗୋ ଏଇପରି ପ୍ରଣୟ- ଭିଖାରିଣୀ

ଭିକ୍ଷା କରି ମୋର ପ୍ରାଣକୁ ନେଲେ କିଣି ।

 

ସବୁରି ଦାବୀ ଅଛି, ଫେରି ଗୋ ଯିବେ କିପାଁ,

ପ୍ରଣୟ ସରେ କି ଗୋ, ସରେ କି ଅନୁକମ୍ପା ?

ଅତଳ ଜଳଧି ଏ ରହିଛି କୂଳ ଭରି,

କହିବ ବୁକୁପରେ ଲକ୍ଷ କୋଟି ତରୀ,

ଲକ୍ଷ କୋଟି ଜୀବ ପାରିବେ ଅବଗାହି,

କି ଲାଭେ କାରେ କିପାଁ କରିବି ନାହିଁ ନାହି !

ସଖା ସଜନୀ ଯେତେ ମିଳିବେ ମୋ ଦୁଆରେ,

ସକଳେ ହେବେ ତୋଷ ମୋ ପ୍ରୀତି ଉପଚାରେ ।

 

ଭଲ ପାଅ ?

ଭଲ ପାଅ ? ଭଲ ପାଅ ?

କେତେ ପଚାରିଲି ତେବେ ବରବଧୁ

କିପାଇଁ ମଉନ ଥାଅ ?

ଭୁବନ ବୁଲି ମୁଁ                   ତୁମ ପାଶେ ବସେ ଆସି

କହିବି ତୁମର                  ଏ ପରାଣ- କଥାରାଶି

ସେ ସକଳ କଥା                  ଗୋଟିଏ କଥାରେ ସରେ

 

ପଚାରି ବସିଲେ କଣ୍ଠ ମୋ ଶୁଖେ,

ନିଖିଳ ମୋ ହିୟା ଥରେ,

ଏକ ସେ ପ୍ରଶ୍ନ– ଭଲ ପାଅ, ଭଲ ପାଅ

ବରବଧୁ ତମେ ନିଷ୍ଠୁର ଏଡ଼େ

କିପାଇଁ ମଉନ ଥାଅ ?

ନାହିଁ କର ଯଦି                   ମୃତ୍ୟୁ ଖୋଜିବି ସଖି

ନୀଡ଼ ତେଜି ନଭେ            ଉଡ଼ିବ ପାଗଳ ପଖୀ

ଜୀବନ- ପାତ୍ରୁ                   କ୍ଷଣକେ ଶୁଖିବ ରସ

ଚିରକାଳ ପାଇଁ କ୍ଷୁଦ୍ର କରିବ

ମତେ ଏହି ଅପଯଶ,

ଜାଣିକି ଏ ସବୁ                   ମଉନ ତୁମେ ହେ ଥାଅ

ବରବଧୁ ଏତେ ପଚାରୁଁ ପୂଜାରୀ

ଭଲ ପାଅ ? ଭଲ ପାଅ ?

ପୁରୁଷ ମୁଁ ସଖି                   ସମରରୁ ଆସେ ଫେରି

ଜୟ- ଗୌରବେ                   ବଜାଇ ବିଜୟ- ଭେରି

ଦେଖିବି ବୋଲି ସେ       କଜଳ- ଆଖିରେ ସୁଖ

ମୋ ଗରବେ କ୍ଷଣେ ପୁରି ଉଠିବାର

ସେ ଛୋଟ କନକ ମୁଖ

ସେ ମୁଖ ଦେଖିଲେ            ଏ ବୁକେ ଲିଭଇ ଦାହ;

ତେଣୁଁ ମୁଁ ପଚାରେ ଏତେ ବରବଧୁ

ଭଲ ପାଅ ? ଭଲ ପାଅ ?

ଯହି ଯାଏ ମୁହିଁ                  ସେ ମୁଖ ପଡଇ ମନେ

ସେ ଆଖି- ଯୁଗଳ            ଜଳୁଥାଇ ପ୍ରତିକ୍ଷଣେ;

ଭାବୁଥାଇ ଖାଲି                  କୁଟୀରେ ଆସିଲି ଛାଡ଼ି

ଯାହାର, ସେ କି ମୋ’ ଜୟ ଶୁଣିବାକୁ

ରହିଅଛି କାନ ପାରି ?

ତୁମ ଲାଗି ଖାଲି,                  ତୁମ ଲାଗି ଅବଗାହ

ଜଗତ- ଯୁଦ୍ଧେ; ତେଣୁ ମୁଁ ପଚାରେ

ଭଲ ପାଅ ? ଭଲ ପାଅ ?

ବୁଝି ପାରୁ ନାହିଁ                  ପୂଜାରୀର ଆରାଧନା

କାହିଁକି ହେ ଦେବି ?      ପଡ଼ୁ- ନାହିଁ କି ହେ ଜଣା,

ଉଷ୍ଣତା ମୋର                  ପ୍ରଣୟର ବରବଧୁ ?

ଅଯାଚିତେ ତେଣୁ ଢାଳି ପାରୁ ନାହିଁ

ପରାଣ ପ୍ରଣୟ- ମଧୁ ?

ତେଣୁ କି ମଉନେ ଥାଅ ?

ଯେତେ ପଚାରିଲେ ପ୍ରସ୍ତରମୟୀ,

ଭଲ ପାଅ ? ଭଲ ପାଅ ?

ହେ ପାଷାଣି, ତୁମେ            ଦେଖି କି ପାରୁଛ ହିୟା,

ଜାଣି କି ପାରୁଛ                  ପରାଣେ ଜଳେ କି ନିଆଁ ?

ପୁରୁଷ ରକ୍ତ            ତରଳ ଅଗ୍ନି ପରି

ଜାଳିଦିଏ ମତେ; ବୈଶାଖ ବନେ

କାନନ ଅଗ୍ନି ସରି ।

ପ୍ରଣୟର ବାରିବାହ

ଅଜାଡ଼ି ଶାନ୍ତ            କରିବାକୁ ସଖି

ପଚାରଇ ‘ଭଲ ପାଅ ?

ତୋଳ ଗୋ ଓଢ଼ଣା,      ଅନାଅ ନୟନେ ମୋର

ଗଣ୍ଡେ ମୋ ଲାଗୁ                  ତୁମର କର୍ଣ୍ଣ- ଦୋଳ ।

ପ୍ରେମ କର ସଖି,                  କର ପୁଣି ଅଭିମାନ

ହିୟାର ଗୋପନ କଥା ଶୁଣିବାକୁ

କର ମୋତେ ଆହ୍ୱାନ ।

ତେବେ ସିନା ଲିଭେ ଦାହ

କଥା କହ ଏବେ                  କଥା କହ ସଖି

ପଚାରିଲେ ‘ଭଲ ପାଅ’ ?

 

ଦୂରେ ରହ

ଦୂରେ ରହ            ଦୂରେ ରହ

ସନ୍ନିଧି ତବ            ହେ ପ୍ରିୟ କିଶୋରୀ

ହୋଇ ଉଠେ ଦୁର୍ବହ ।

 

ତବ ଯୌବନେ                  ଜୁଆର ଆସିଛି

ରୂପର ଊମ୍ମି ଧରି

ଲୋମେ ଲୋମେ ତବ ସୁଷମା ଜାଗଇ

ଚେତନା ଉଠଇ ଥରି ।

 

ମଦ୍ୟ ଝରଇ ଅଧରରୁ ଅହରହ

ଦୂରେ ରହ, ଦୂରେ ରହ ।

ଶରୀର ଗଂଧେ                  ସୁରା ଅଛି ଲାଗି

ପାଗଳ କରାଏ ମତେ

ନୟନ ଟାଣୁଛି                  ବଡ଼ଶୀ ପରି ଗୋ

ନିତ୍ୟ ତୁମରି ପଥେ

କେ ଜାଣେ କି ହେବ ଭାବି ଲାଗେ ମତେ ଭୟ

ଦୂରେ ରହ ଦୂରେ ରହ ।

 

ରୂପସି, ତୁମର                  ରୂପ ସାଗରରେ

ଦେବି ଯଦି ଅବଗାହ

କହି କି ପାରିବ                  ଶେଷ ହେବ ମୋର

ଜୀବନର ସବୁ ଦାହ ?

ପରିଣାମ ଯେଣୁ ନାହିଁ            ପାରେ କରି ଥୟ

ଦୂରେ ରହ ଦୂରେ ରହ ।

 

ତଥାପି ରୂପସି                  କିଶୋରୀ ତୁମର

ଉଚ୍ଛଳ ଯୌବନେ

ଏକ ଗଣ୍ଡୁଷେ                  ପାନ କରିବାର

ବାସନା ଜାଗଇ ମନେ

ରୂପ ତବ ସଖି,                  ବଡ଼ହିଁ ତୀବ୍ର

ବଡ଼ହିଁ ଦୁର୍ବଷହ

ଦୂରେ ରହ ଦୂରେ ରହ ।

 

ହାୟ ରେ ଭୟାଳୁ            ନିଜରେ ପଚାର

ଦୂରେ ସେ ରହିବ କାହିଁ ।

ଅନ୍ତରେ ଯାର ନିବାସ ତାର ତ

ଦୂର ବା ନିକଟ ନାହିଁ !

ତେଣୁ ସେ କିଶୋରୀ            ମରମରେ ରହି

ମାରୁଅଛି ଅହରହ

ବିଫଳ କହିବା ସିନା      ତାକୁ ସତେ

‘ଦୂରେ ରହ ଦୂରେ ରହ’ ।

 

ପ୍ରେମର ଭାଷା

ସକଳେ ଡାକନ୍ତି ‘ତମେ’ ‘ତମେ’ ବୋଲି

ସେ ‘ତମେ’ର ମୂଲ ନାହିଁ

ତମେ ଯେବେ ମତେ ‘ତମେ’ ବୋଲି କହ

ଏତେ ମିଠା କାହିଁ ପାଇଁ !

ଦୁଇଟି ଅକ୍ଷରେ କିଣି ନେଲା ପରି

କାନକୁ ମୋହର ଲାଗେ

ଓଠ ତବ ସଖି ଭରିଦିଏ ତାକୁ

କି ଗଭୀର ଅନୁରାଗେ ?

କେତେ ତ ଡାକନ୍ତି ଦିନ ରାତି ସଦା

‘ଶୁଣ’‘ଶୁଣ’ ବୋଲି ମତେ

ତମେ ଯେବେ ଆଖି ଠାରି ‘ଶୁଣ’ କହ

କେ ଜାଣି କି ପ୍ରାଣେ ଘଟେ !

କେତେ ନ ଶୁଣୁଛି ଦିନ ରାତି କହ

‘ହଇକିଓ’‘ହଇକିଓ’

ତମେ ଯଦି ପଛୁ ଡାକ ‘ହଇକିଓ’

ସୁଧା ଧାରା ଢାଳ କିଓ ?

ହେ ପ୍ରେମ- ଦେବତା ଏ ପ୍ରେମୀ- ଯୁଗଳେ

କରୁଣା ତମର ଥାଉ

‘ତମେ’- ‘ଶୁଣ’ ତଳେ ଦୁଇଟି ଛାତିର

ଡାକ ଦୁହେ ଯେହ୍ନେ ପାଉ ।

 

ଶଙ୍କିତ ସ୍ନେହ

ଚାରୁ- କେଶୀ ସେଇ ବାଳିକାର ପ୍ରେମ ପାଇଁ

ଏ ଜୀବନେ ମୋର ନ ଦେବାର କିଛି ନାହିଁ ।

 

ମୋର ସୁଖ ଦେବି ତା’ର ସୁଖ ପାଇଁ ବଳି

ପଦଧୂଳି ତାର ଝାଡ ଦେବି କରେ ଧରି

 

ସେ ଯଦି କହିବ ‘ଯାଅ ତୁମେ ମୋର ପାଖୁ’

ଚାଲି ଯିବି ଦୂରେ ତାକୁ ସୁଖୀ କରିବାକୁ ।

 

ସେ ଯଦି କହିବ ‘ଛାଡ଼ି ନାହିଁ ଯିବ ମତେ’

ଏ ଆଖି ରହିବ ଲାଖି ତା’ର ଭାଲପଟେ ।

 

ସେ ଯଦି କହିବ ‘ଏତେ ସେବା କାହିଁପାଇଁ’

ମୁଁ କହିବି ‘ରାଣି, ଏଥୁ ବଳି ସୁଖ ନାହିଁ’ !

 

ଏ ନୟନ- ନୀରେ ଆର୍ଦ୍ର ପ୍ରଣୟ ମମ

ଢାଳି ଦେବି ପଦେ ପୂଜାର ପୁଷ୍ପ ସମ ।

 

ମାନ ଗୌରବ ଯାହା କିଛି ଅଛି ମୋର

ଢାଳି ଦେବି କହି ‘ରାଣି ଗୋ ଏ ସବୁ ତୋର’ ।

 

ସବୁ ଦେବି ତାରେ । ଥରେ ଥରେ ଭାବେ ଖାଲି

ଏ ଜୀବନ ଯାର ଚରଣେ ମୁଁ ଦେବି ଢାଳି

ସେ ଯଦି ଖାତିରି କରେ ନା ଏ ମୋର ଦାନ

କିପରି ସେଦିନ ଲୁଚାଇବି ଅପମାନ ?

 

ପ୍ରେମ ଓ ଜରା

ତୁମରେ ପ୍ରିୟେ ଗୋ ପୁଣି ଦେଖିବି ଯେ ଦିନ

ଭାବେ ମୁଁ ଥିବ କି ସଖି ଯୌବନ ନବୀନ

ସେ ଦିନର ? ଅମଳିନ ଜବାପୁଷ୍ପ ସମ

ଆରକ୍ତ, କୋମଳ ସେଇ ଓଷ୍ଠ ଅନୁପମ,

 

ସଦ୍ୟସ୍ଫୁଟ ପୁଷ୍ପସରି ତରୁଣ- ମାଧୁରୀ

ସମସ୍ତ ବଦନ ସ୍ପର୍ଶି, ଅଙ୍ଗେ ଅଙ୍ଗେ ପରି

ଅଶ୍ୱିନ ଜୋଛନା ସମ ଲବଣ୍ୟ ସରସ,

ସୁଗୋଲ ପିଚ୍ଛଳ ବହୁ; ଚୁମ୍ବନ- ପରଶ

 

ଲୋମେ ଲୋମେ, ମୁଗ୍‍ଧ କରି ତରୁଣ ସୁଷମା

କେଶୁ ନଖ ଯାଏ; ତମେ ଭାବ କି ଉତ୍ତମା

ଏମାନ ଦେଖିବି ପୁଣି ? ଦେଖିବି କି ପୁଣ

ତରୁଣୀର ସେ ହୃଦୟ ପ୍ରଣୟ ନିପୁଣ ?

 

ରସବନ୍ତ ଓଷ୍ଠେ ଚାହିଁ ଚାହିଁ କି ଶର୍ବରୀ

ପୁହାଇ ପାରିବି ମୁହିଁ ସେଦିନର ପରି ?

ନାସିକାରେ ପାନ କରି ଚିକୁର ବାସନା

ଭୁଲି କି ପାରିବି ପୁଣି ଜୀବନ- ଯାତନା ?

 

ନାହିଁ ପରା ! ହାୟ ସଖି ଯଉବନ ଗତେ

ପ୍ରେମର ଉଷ୍ଣତା ତୁଟେ, କହୁଛନ୍ତି ମତେ

ଅଭିଜ୍ଞ ଜନେ ଗୋ ନିତି; ତେବେ କହ ସଖି

ସେ ପ୍ରେମ କେମନ୍ତେ ଆଉ ପାରିବା ଗୋ ରଖି

 

ଶୀତ- ରକ୍ତ ପ୍ରୌଢ଼ ଦେହେ ? ପଳିତ କପୋଳେ

ପ୍ରଣୟ ଫୁଟଇ କାହିଁ ? ତେଣୁ କହେ ତୋରେ

ପ୍ରିୟେ ଗୋ ଶୀଥିଳ- ପକ୍ଷୁ ଚାରି ଚକ୍ଷୁ ପାଇଁ

ଅଭିଳାଷ ନାହିଁ ରହୁ । ଘନ- ନୀର- ପାୟୀ-

 

ଚାତକ ଯେସନେ ତୁଷ୍ଟ ରହେ ବର୍ଷ ଧରି,

ଦିନକର- ନୀରପାନ- ସ୍କୃତି ନିଧି କରି

ଚାହିଁ ପୁଣି ବର୍ଷାନ୍ତରେ; ତୁମେ ସେଇପରି

ତୁଷ୍ଟ ରହ ସ୍ମରି ଦିନେ ପ୍ରାଣଭର କରି

 

ଭୋଗିଲା ଯେ ଅନୁପମ ପ୍ରେମ ଯଉବନେ,

ଆଶା ରଖି ଜନ୍ମାନ୍ତରେ । ପୁଣି ସଂଗୋପନେ

ସହକାର ତଳେ ଦେଖା ହେବ ଗୋ ସୁନ୍ଦରି,

ପୁଣି ସେ ଚଟୁଳ ଓଷ୍ଠ ଥରି ଥରି ଥରି

 

କହିବ ହୃଦୟ କଥା– ‘ସତେ ଭଲ ପାଅ’?

ପୁଣି ଗୋ ଅନ୍ଧାର- ପଥେ ହୃଦୟର ଦାହ,

ନିଭାଇବା ପାଇଁ ଦୁହେଁ ବାହାରିବା ସଖି;

ଚିକଣ- ଚିକୁରେ ତବ ନାସା ମୋର ରଖି

 

ପୁଣି ମୁଁ ନିବିଡ଼େ ଦେବି ସଖିରେ ଆଘ୍ରାଣ,

ନୂତନ ପ୍ରଣୟ ପୁଣି ଭୋଗିବ ପରାଣ

ଦୁହିଙ୍କର ସେଦିନ ଗୋ; ତେବେ ରୂପଗତା

ଦୁଃଖ କିବା ? ଜନ୍ମାନ୍ତରେ ପାଇବା ମମତା

 

ନୂଆ କରି, ଶୁଭ୍ରକେଶେ ଦେଖା କାହିଁପାଇଁ ?

ନୂତନ ପ୍ରଭାତ ଆଶେ ନିଶା ଯାଉ ପାହି ।

 

ପ୍ରେମ ଓ ମୃତ୍ୟୁ

ଶୁଣିବ ଯେବେ ପ୍ରିୟା ଗୋ ମୋର      ପ୍ରଣୟୀ ତବ ଜଗତେ ନାହିଁ

ଆସିବ ମୋର ଭସ୍ମ ପାଶେ            ଦେବ ହେ ତାରେ ଦେହର ଛାଇ,

ପାରିବ ଯଦି ଭସ୍ମପରେ            ପଦ୍ମପାଦ ଚାଳିବ ଧୀରେ

ଜୀବନ ପୁଣି ଲଭିବି ସଖି,            ନିଶ୍ଚୟ ମୁଁ ମରଣ- ତୀରେ ।