କବି ଶେଖର ଚିନ୍ତାମଣି ଗ୍ରନ୍ଥାବଳୀ
ଓଡିଶା ସାହିତ୍ୟ ଏକାଡେମୀ
ଭୁବନେଶ୍ଵର
କବି ଶେଖର ଚିନ୍ତାମଣି ଗ୍ରନ୍ଥାବଳୀ
ସଂକଳନ : ଅପୂର୍ବ ରଞ୍ଜନ ନାୟକ
ପ୍ରକାଶକ : ଓଡିଶା ସାହିତ୍ୟ ଏକାଡେମୀ ସଂସ୍କୃତି ଭବନ ,ଭୁବନେଶ୍ଵର-୧୪
ପ୍ରଥମ ସଂସ୍କରଣ : ୨୦୧୮
ମୁଦ୍ରଣ : ଦିବ୍ୟ ପ୍ରକାଶନୀ ,ସାମନ୍ତରାପୁର, ଭୁବନେଶ୍ଵର-୧୨
ମୂଲ୍ୟ : ଟ.୬୦୦/-(ଛଅ ଶହ ଟଙ୍କା ମାତ୍ର )
_________________________________________________
Kabisekhar Chintamani Granthabali
Compiled by : Apurba Ranjan Ray
Published by : Odisha Sahitya Academic
Sanskruti Bhawan, Bhubaneswar-14
First Edition : 2018
Printed at :Divya Prakasani, Samantarapur
Bhubaneswar-14
Price : ₹600/- (Rupees Six Hundred only)
ISBN : 978-93-87637-04-7
ପ୍ରାଗ୍ ଭାଷ
କବି ଶେଖର ଚିନ୍ତାମଣି ମହାନ୍ତି ଓଡିଆ ଗଦ୍ୟ ଓ ପଦ୍ୟ ସାହିତ୍ୟକୁ ସମୃଦ୍ଧଶାଳୀ କରିବା ଦିଗରେ ଯଥେଷ୍ଠ ପରିଶ୍ରମ କରିଛନ୍ତି,ଏହା ଯେ କେହି ସ୍ୱୀକାର କରିବାକୁ ବାଧ୍ୟ । ଭଦ୍ରକ ଜିଲ୍ଲାସ୍ଥିତ ଅସ୍ତଳରେ ଜନ୍ମିତ ଏଇ ସାରସ୍ୱତ ସାଧକଙ୍କ ଜୀବନକାଳ ଥିଲା ୧୮୬୭ ରୁ ୧୯୪୩ ମସିହା ପର୍ଯନ୍ତ। ଶିକ୍ଷକତା ସାଙ୍ଗକୁ ସାହିତ୍ୟ ସାଧନା ଥିଲା ତାଙ୍କ ଜୀବନର ବ୍ରତ । ଉଭୟ ଉପନ୍ୟାସ ଓ କାବ୍ୟ-କବିତାରେ ସମଭାବରେ ପଦଥାପି ସେ ନିଜର ଉଲ୍ଲେଖନୀୟ ସୃଷ୍ଟିକର୍ମକୁ ବର୍ଣ୍ଣାଢ୍ୟ ଶବ୍ଦଛଟା ଓ ତରଙ୍ଗାୟିତ ଭାବନରେ ଦୀପ୍ତିମନ୍ତ କରିଛନ୍ତି | ‘ଜୟପୁର’ ଭଳି ଗଦ୍ୟ ରଚନାରେ ସେ ଯେଉଁଭଳି ପ୍ରାକୃତିକ ବୈଭବ ଓ ପରିବେଶ ଚିତ୍ରଣ କରିଛନ୍ତି ,ତାହା ଯଥାର୍ଥରେ ତାଙ୍କ ଶୈଳ୍ପିକ କାରିଗରୀର ସୂଚନା ଦିଏ | ମଣିଷର ପ୍ରବହମାନ ଜୀବନଯାତ୍ରାକୁ ସେ ଖୁବ୍ ନିକଟରୁ ନିରେଖିଛନ୍ତି |ସେଥିପାଇଁ ତାଙ୍କ ସାମଗ୍ରିକ ସର୍ଜନା ପାଠକୀୟ ଅନୁରାଗର ଯଥେଷ୍ଟ ନିକଟବର୍ତ୍ତୀ | ଓଡିଶାର ନଦ,ନଦୀ ,ପର୍ବତ,ଅରଣ୍ୟ,ଧରିତ୍ରୀ ଆକାଶ ତାଙ୍କ ହୃଦୟକୁ ଯଥେଷ୍ଟ ଭାବରେ ଆପ୍ଲୁତ କରିଛି |ତାଙ୍କୁ ପଢିବା,ବୁଝିବାମାନେ ଓଡିଶାର ସେଇ ସମୟର ଗତିଚିତ୍ରକୁ ଆଖି ଆଗରେ ଦେଖିନେବା |
ତେବେ ଏହି ସଂକଳନ ପାଇଁ ଯିଏ ପ୍ରୟାସୀ ଥିଲେ,ତାଙ୍କର କଠିଣ ପରିଶ୍ରମ ଏଭଳି ସୁନ୍ଦର ଗ୍ରନ୍ଥଟିର ପ୍ରସ୍ତୁତରେ ପ୍ରମୁଖ ଭୂମିକା କରେଇଥିଲା ସେଇ ମହାନ୍ ସାରସ୍ୱତ ପୁରୁଷ ଓଡିଶାର ଅନ୍ୟତମ ଗର୍ବ ଓ ଗୌରବ ଅପୂର୍ବ ରଞ୍ଜନ ରାୟ ତାଙ୍କ ସମ୍ପାଦନା ଦାୟିତ୍ଵ ସାରିଲା ବେଳକୁ ଆମ ଗହଣରୁ ଚିରବିଦାୟ ନେଇଛନ୍ତି | ଏହା ଆମ ପାଇଁ ବିଶେଷ ଭାବରେ ଦୁଃଖାବହ । ମୁଁ ଏହି ପ୍ରତିଭାଧରଙ୍କୁ ଆଜି ପୁନଃସ୍ମରଣ ସ୍ୱରୂପ ତାଙ୍କ ଆତ୍ମାର ସଦ୍ଗତି କାମନା କରୁଛି |
ଆଶା ,ଏହି ସଂକଳନ ପାଠକ ପାଠିକାଙ୍କ ସମର୍ଥନ ପାଇବା ଦିଗରେ ସମର୍ଥ ହେବ |
ଅଶ୍ଵିନୀ କୁମାର ମିଶ୍ର
ସଚିବ ,ଓଡିଶା ସାହିତ୍ୟ ଏକାଡେମୀ
କବିଶେଖର ଚିନ୍ତାମଣି :ଜୀବନ,ସାଧନା ଓ ସିଦ୍ଧି
ରାଧାନାଥ ଯୁଗର ଶେଷ ପ୍ରଦୀପ୍ତ ପ୍ରତିଭା କବିଶେଖର ଚିନ୍ତାମଣି ମହାନ୍ତି |ଫକୀରମୋହନଙ୍କ ଦାୟାଦ ଭାବରେ ଗଳ୍ପ, ଉପନ୍ୟାସ , ଭ୍ରମଣ କାହାଣୀ ସବୁଥିରେ ଚିନ୍ତାମଣିଙ୍କର ଦକ୍ଷତା ଥିଲା ତଥା କାବ୍ୟ କବିତାରେ ମଧ୍ୟ କୁଶଳୀ ହସ୍ତର ସ୍ୱାକ୍ଷର ଦେଖିବାକୁ ମିଳେ |ଜଣେ ସୁଦକ୍ଷ ସମ୍ପାଦକ,ଶିକ୍ଷକ ତଥା ସମୀକ୍ଷକ ଭାବେ ସେ ସୁବିଦିତ |ତାଙ୍କର ସମଗ୍ର କୃତୀ ଏକ ବିଶାଳ ରୂପନେଇ | ‘କବିଶେଖର ଛିନ୍ତାମଣି ଗ୍ରନ୍ଥାବଳୀ ’ନାମରେ ସ୍ୱନାମଧନ୍ୟ ସାହିତ୍ୟିକ ଅପୂର୍ବ ରଞ୍ଜନ ପ୍ରସ୍ତୁତ କରିଥିଲେ | ଏହା ଦ୍ୱାରା ଓଡିଶାର ବିବୁଧ ସମାଜ ଚିନ୍ତାମଣି ଙ୍କ ପ୍ରତିଭାର ସମ୍ୟକ ପରିଚୟ ପାଇପାରିବେ | ଯଥାର୍ଥରେ ଓଡିଶା ସାହିତ୍ୟ ଏକାଡେମୀ ଏହି ଗୁରୁଦାୟିତ୍ଵ ବହନ କରି ଓଡିଆ ସାହିତ୍ୟର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି |
କବିଶେଖର ଚିନ୍ତାମଣି ମହାନ୍ତି ୧୮୬୭ ମସିହା ମାର୍ଚ୍ଚ ମାସ ୧୬ ତାରିଖରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ନରିପୁର (ଅସ୍ତଳ)ଠାରେ ଭୂମିଷ୍ଠ ହୋଇଥିଲେ | ତାଙ୍କ ପିତା ମଦନମୋହନ ମହାନ୍ତି ଭଦ୍ରକ କଚେରୀରେ ମୁକ୍ତାର କାର୍ଯ୍ୟ କରୁଥିଲେ ତାଙ୍କ ମାତାଙ୍କ ନାମ ନେତ୍ରାପ୍ରଭା ଦେବୀ | ଚିନ୍ତାମଣି ଅତିମାତ୍ରାରେ ମାତୃଭକ୍ତ ଥିଲେ | ତାଙ୍କ ସମୟରେ ଭଦ୍ରକ ଆଖପାଖରେ କୌଣସି ବିଦ୍ୟାଳୟ ନଥିବାରୁ ତାଙ୍କପାଇଁ ସାତବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟ ଯିବା ସମ୍ଭବ ହୋଇନଥିଲା | ନରିପୁର ଠାରେ ଇଂରେଜ ସରକାରଙ୍କ ତତ୍ତ୍ଵାବଧାନରେ ଗୋଟିଏ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବାରୁ ସେଠାରେ ତାଙ୍କ ନାମ ଲେଖାଯାଇଥିଲା |ପରବର୍ତ୍ତୀ କାଳରେ ଏହି ବିଦ୍ୟାଳୟଟି ଊଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନିତ ହୋଇଥିଲା | ତାଙ୍କର ସ୍ମୃତିଶକ୍ତି ଥିଲା ପ୍ରଖର | ଘୋଷି ଘୋଷି ମନେ ରଖିବାକୁ ସେ ପସନ୍ଦ କରୁନଥିଲେ |ଘଟଣାଟିକୁ ମନେରଖି ନିଜ ଭାଷାରେ ପ୍ରକାଶ କରିପାରୁଥିଲେ |ତାଙ୍କର ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ | ପ୍ରାଥମିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଲା ପରେ ସେ ଚକ୍ଷୁ ରୋଗରେ ଆକ୍ରାନ୍ତ ହୋଇ ପଡିଥିଲେ |ସେଥିପାଇଁ ତାଙ୍କୁ ଦୀର୍ଘ ଦୁଇବର୍ଷ କଷ୍ଟ ସହିବାକୁ ପଡ଼ିଥିଲା | ଠିକ ତା’ର ଦୁଇ ବର୍ଷ ପରେ ତାଙ୍କ ଘରଠାରୁ ଦୁଇ କି.ମି ଦୂରରେ ଥିବା ବାଗୁରାଇ ଭର୍ଣ୍ଣାକୁଲାର ସ୍କୁଲରେ ନାମ ଲେଖାଇବା ସମୟରେ
ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା | ସେଥିପାଇଁ ଆର୍ଥିକ ଅନଟନ ସହିତ ତାଙ୍କୁ ଅନେକ ଦୁଃଖ କଷ୍ଟ ସହ୍ୟ କରିବାକୁ ପଡିଥିଲା | ସହପାଠୀମାନଙ୍କ ଠାରୁ ପାଠ୍ୟ ପୁସ୍ତକ ମାଗିଆଣି ପଢିବାକୁ ପଡିଥିଲା | ଚିନ୍ତାମଣିଙ୍କର ପ୍ରଖର ବୁଦ୍ଧି ଓ ଅଧ୍ୟୟନ ପିପାସା ପାଇଁ ତତ୍କାଳୀନ ଶିକ୍ଷାବିଭାଗ ସବ୍ଇନ୍ସପେକ୍ଟରଙ୍କ ସୁପାରିସ୍ କ୍ରମେ ତାଙ୍କୁ ବିନା ପଇସାରେ ପଢିବାର ସୁଯୋଗ ମିଳିଥିଲା |ସେତେବେଳେ ବହୁ ପାଠ ତାଳପତ୍ର ପୋଥିରେ ଲିଖିତ ହେଉଥିଲା | ସେଗୁଡିକୁ ସଂଗ୍ରହ କରି ସେ ଅଧ୍ୟୟନ କରିଥିଲେ | ରାମାୟଣ ଓ ମହାଭାରତ ସ୍ୱଳ୍ପ ବୟସରେ ସେ ଅଧ୍ୟୟନ କରି ସାରିଥିଲେ ଏକ ଅମରକୋଷ ଅଭିଧାନକୁ ମଧ୍ୟ ସେ ଆୟତ୍ତ କରିଥିଲେ |
ତାଙ୍କୁ ଷୋହଳ ବର୍ଷ ହୋଇଥିଲା ବେଳେ ସେ ଭର୍ଣ୍ଣାକୁଲାର ପାଶ୍ କଲେ । ସେତେବେଳେ ଘରର ଆର୍ଥୀକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ତାଙ୍କୁ ଗୃହ ଦାୟିତ୍ଵ ବହନ କରିବାକୁ ପଡିଥିଲା ଏବଂ ତାଙ୍କର ଅଧିକ ଅଧ୍ୟୟନ ପିପାସା ମଉଳି ଯାଇଥିଲା | ସେ ଦୁଶ୍ଚିନ୍ତାରେ ଗ୍ରସ୍ତ ଥିଲାବେଳେ ସବ୍ଇନ୍ସପେକ୍ଟର ଦ୍ୱାରକାନାଥ ଘୋଷ ଚିନ୍ତାମଣିଙ୍କ ଜ୍ଞାନ ଗରିମାରେ ସନ୍ତୋଷ ଲାଭ କରି ତାଙ୍କ ପ୍ରତି ସଦୟ ହୋଇ ତାଙ୍କୁ ସାମୟିକ ଭାବରେ ଭଦ୍ରକରେ ଫ୍ରେଜର ବାଳିକା ସ୍କୁଲରେ ଶିକ୍ଷକତା କରିବାର ସୁଯୋଗ ଦେଇଥିଲେ | ମାତ୍ର ଭଦ୍ରକର ତତ୍କାଳୀନ ସବ୍ଡିଭିଜନାଲ ଅଫିସର (ଏସ୍.ଡ଼ି.ଓ) ଜଣେ ଇଂରେଜ ସାହେବ ସ୍କୁଲର ସମ୍ପାଦକ ଥିଲେ | ସେ ଷୋହଳ ବର୍ଷର କିଶୋର ଚିନ୍ତାମଣିଙ୍କୁ ଦେଖି ଏତେ ଅଳ୍ପ ବଯସର ବ୍ୟକ୍ତି ପ୍ରଧାନଶିକ୍ଷକ ଦାୟିତ୍ଵ ତୁଲାଇବା ସମ୍ଭବ ନୁହେଁ ବୋଲି ମାନେ କଲେ | ସବ୍ଇନ୍ସପେକ୍ଟର ଘୋଷଙ୍କ ନିଯୁକ୍ତି ପତ୍ରକୁ ସମ୍ପାଦକ ଗ୍ରହଣ ନ କରିବାକୁ ଚିନ୍ତାମଣି ଆହୁରି ଚିନ୍ତାଗ୍ରସ୍ତ ହୋଇପଡ଼ିଲେ | ଏହି ସମୟରେ ‘କବିତା କୁସୁମ’ ନାମକ ପୁସ୍ତକଟିଏ ପାଠ୍ୟପୁସ୍ତକ ଭାବେ ଗୃହୀତ ହୋଇଥିଲା | ଶିକ୍ଷକମାନଙ୍କ ପାଇଁ ଏହାର ସରଳ ବ୍ୟାଖ୍ୟା କରି ଚିନ୍ତାମଣି ପୁସ୍ତକଟିଏ ପ୍ରସ୍ତୁତ କରିଥିଲେ | ଶିକ୍ଷା ବିଭାଗର ସବ୍ଇନ୍ସପେକ୍ଟର ଏହି ପୁସ୍ତକଟି ପଢି ସନ୍ତୋଷ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଏହାକୁ ଅଧ୍ୟୟନ କରିବା ପାଇଁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ | ସେହି ବ୍ୟାଖ୍ୟା ପୁସ୍ତକଟି ପାଇଁ ଚିନ୍ତାମଣି ଜଣେ ବିଜ୍ଞ ବ୍ୟକ୍ତିଭାବେ ଶିକ୍ଷକ ମହଲରେ ପରିଚିତ ହୋଇଥିଲେ ଏବଂ ବିଭିନ୍ନ ବିଦ୍ୟାଳୟରେ ସାମୟିକ ଭାବେ ଶିକ୍ଷକତା କରି ଦୀର୍ଘ ଦୁଇବର୍ଷ ବିତାଇଥିଲେ ଓ ପରିବାରର ଗୁଜୁରାଣ ମେଣ୍ଟାଇଥିଲେ |
ପରବର୍ତ୍ତୀ କାଳରେ ଭଦ୍ରକ ଜିଲ୍ଲା ଗୁଆମାଳ ନିକଟବର୍ତ୍ତୀ ହରିଶଙ୍କର ଖାସମାହାଲ ପ୍ରାଥମିକ ବିଦ୍ୟାଳୟରେ ତାଙ୍କୁ ସ୍ଥାୟୀ ଶିକ୍ଷକ ଭାବେ ନିଯୁକ୍ତି ମିଳିଥିଲା | ତାଙ୍କର ଶିକ୍ଷାଦାନ ପ୍ରତି ଦୃଢ ନିଷ୍ଠା ପାଇଁ ବିଦ୍ୟାଳୟର ଫଳାଫଳ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିଥିଲେ | କିନ୍ତୁ ସେଠାରେ ଛାତ୍ରାଭାବ ଯୋଗୁଁ ତାଙ୍କୁ କୁମାରପୁରକୁ ସ୍ଥାନାନ୍ତର କରଯାଇଥିଲା | ତାଙ୍କର ଶିକ୍ଷକତା ପାଇଁ ସେଇ ବିଦ୍ୟାଳୟରୁ ପ୍ରତିବର୍ଷ ପିଲାମାନେ ବୃତ୍ତି ପାଉଥିବାରୁ ଏହା ଶୀଘ୍ର ଏକ ଖ୍ୟାତନାମା ବିଦ୍ୟାଳୟରେ ପରିଣତ ହୋଇଥିଲା | ସେଠାରେ ସେ ପ୍ରସିଦ୍ଧି ଅର୍ଜନ |
କରିବା ସହିତ ତାଙ୍କ ସାହିତ୍ୟ ସାଧନାର ଆଧାରଶିଳା ପ୍ରସ୍ତୁତ ହୋଇଥିଲା | ତାଙ୍କର ପ୍ରଥମ ରଚନା ‘ସୁଗ୍ରୀବ ସହିତ ରାମଚନ୍ଦ୍ରଙ୍କ ମିତ୍ରତା ’କରିତା ଆତ୍ମପ୍ରକାଶ କରିଥିଲା |ଏହା ତତ୍କାଳୀନ ଶିକ୍ଷାବିଭାଗ ସବ୍ଇନ୍ସପେକ୍ଟର ରମାନାଥ ଦାସଙ୍କ ଦୃଷ୍ଟିଗୋଚର ହୋଇଥିଲା ଏବଂ ରଚନାଟି ତାଙ୍କର ହୃଦୟକୁ ସ୍ପର୍ଶ କରିଥିଲେ | ସେ ଚିନ୍ତାମଣିଙ୍କୁ ଭୂୟସି ପ୍ରଶଂସା କରିବା ସଙ୍ଗେ ସଙ୍ଗେ ନିୟମିତ ଲେଖିବା ପାଇଁ ଊତ୍ସାହିତ କରିଥିଲେ | ସେତେବେଳେ ଦେବଗଡ଼ରୁ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ୱାରା ସମ୍ପାଦିତ ‘ସମ୍ବଲପୁର ହିତୈଷିଣୀ’ ପ୍ରକାଶ ପାଉଥାଏ | ସମ୍ପାଦକଙ୍କ ସହିତ ତାଙ୍କର ଲେଖା ବିନିମୟ ମାଧ୍ୟମରେ ପରିଚୟ ହୋଇଥିଲା | ଧୀରେ ଧୀରେ ଏହି ପତ୍ରିକାରେ ପ୍ରବନ୍ଧ ,କବିତା ଲେଖି ସେ ଜଣେ ପ୍ରତିଭାଶାଳୀ ଲେଖକ ଭାବେ ନିଜର ପରିଚୟ ଦେଇଥିଲେ | ଚିନ୍ତାମଣି ତାଙ୍କର ‘ଜୀବନ ପଞ୍ଜିକା ’ରେ ଏହା ଉଲ୍ଲେଖ କରିଯାଇଛନ୍ତି |
‘ସମ୍ବଲପୁର ହିତୈଷିଣୀ’ରୁ ଚିନ୍ତାମଣିଙ୍କ ର ଲେଖା ପଢି କବି ରାଧାନାଥଙ୍କର ତାଙ୍କ ପ୍ରତି ଆନ୍ତରିକତା ବୃଦ୍ଧି ପାଇଥିଲା | ପୁନଶ୍ଚ ରାଧାନାଥ ଶିକ୍ଷା ବିଭାଗର ଜଣେ ପଦସ୍ଥ ଅଧିକାରୀ ଥିବାରୁ ତାଙ୍କ ସହିତ ପୂର୍ବରୁ ପରିଚୟ ମଧ୍ୟ ଥିଲା | ମାତ୍ର ‘ହିତୈଷିଣୀ’ ରୁ ଲେଖା ପଢିବା ପରେ ରାଧାନାଥ ତାଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ପତ୍ର ଲେଖିଥିଲେ | ଭାବର ଆଦାନ ପ୍ରଦାନ ପାଇଁ ଭଦ୍ରକ ଗସ୍ତରେ ଆସିଲାବେଳେ ସେ ଚିନ୍ତାମଣିଙ୍କୁ ଡାକବଙ୍ଗଳାକୁ ଡକାଉଥିଲେ | ଥରେ କୁମାରପୁର ବିଦ୍ୟାଳୟ ପରିଦର୍ଶନରେ ଆସି କହିଥିଲେ –‘‘ଆପଣ ଅଳ୍ପ ବୟସରେ ସାହିତ୍ୟ କ୍ଷେତ୍ରରେ ପ୍ରବେଶ କଲେ | ମୁଁ ଆପଣଙ୍କୁ ମନା କରିପାରୁନାହିଁ | ତେବେ ଖୁବ୍ ସାବଧାନ ଥିବେ ଯେପରି କୌଣସି କଠିନ ପୀଡ଼ାରେ ଆକ୍ରାନ୍ତ ନ ହୁଅନ୍ତି | ଆପଣ ବୋଧହୁଏ ଜାଣନ୍ତି ,ମୋର ସେହି ଦଶା |’’ ଅଗ୍ରଜ ଭାବରେ ତାଙ୍କୁ ସଂସ୍କୃତ ଭାଷାର ଭଲ ଭଲ ପୁସ୍ତକ ପଢିବା ପାଇଁ ପରାମର୍ଶ ଦେଇଥିଲେ | ଏଥିରୁ କବି ରାଧାନାଥଙ୍କର ତାଙ୍କ ପ୍ରତି ଥିବା ଶ୍ରଦ୍ଧାର ପରିଚୟ ମିଳିଥାଏ | ତାଙ୍କର ସୁଖ୍ୟାତି ବୃଦ୍ଧି ପାଇବାରୁ ଶିକ୍ଷାବିଭାଗ ତାଙ୍କୁ ଇନ୍ସିପେକ୍ଟିଂ ପଣ୍ଡିତ ଭାବେ ନିଯୁକ୍ତି ଦେଇଥିଲେ | ତାଙ୍କ ଦକ୍ଷତାରେ ସନ୍ତୁଷ୍ଟ ହୋଇ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ | ମାତ୍ର ଜଣେ ଆଦର୍ଶବାଦୀ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିଭାବେ ସେ ଉତ୍ତର ଦେଇଥିଲେ –‘‘ନବୁଲି ଘରେ ବସି ଡାଏରୀ ଲେଖିଲେ ପାପ ହେବ ,ବୁଲିଲେ ଆତ୍ମୋନ୍ନତି କରିବା ଦୂରେଥାଉ, ଦୈନିକ କ୍ରିୟାକଳାପ ପାଇଁ ମଧ୍ୟ ସମୟ ଅଣ୍ଟିବ ନହିଁ |’’ଏଥିରୁ ତାଙ୍କ ଚରିତ୍ରର ମହନୀୟ ଦିଗଟି ପ୍ରସ୍ଫୁଟିତ ହୋଇଥାଏ |ପରିବାରର ଅସ୍ୱଚ୍ଛଳତା ସତ୍ତ୍ୱେ ଚାକିରିରେ ନିଯୁକ୍ତି ପାଇଲେ ସାହିତ୍ୟ ଚର୍ଚ୍ଚାଓ କିଛି ସୃଷ୍ଟି କରିବା ପାଇଁ ସମୟ ମିଳିବ ନାହିଁ ତଥା ଚାକିରିରେ ଅବହେଳା କରିବାର ସେ ପକ୍ଷପାତୀ ନ ଥିଲେ | ସେଥିପାଇଁ ସେ ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ | ଶେଷରେ ବନ୍ଧୁ ଓ ସହକର୍ମୀମାନଙ୍କ ପ୍ରରୋଚନାରେ ସେ କାଉପୁର ଭର୍ଣ୍ଣାକୁଲାର ସ୍କୁଲରେ ନିଯୁକ୍ତି ପାଇଥିଲେ | ସେ କେବଳ ଗୋଟିଏ ବର୍ଷ ପାଇଁ ସର୍ତ୍ତ ରଖି ସେଠାରେ ଯୋଗ ଦେଇଥିଲେ | ଏହିଭଳି ଭାବରେ ୧୮୮୪ ମସିହାରେ ଚିନ୍ତାମଣି ଶିକ୍ଷକତା ଆରମ୍ଭ କରି ୧୯୦୩ ମସିହା ପର୍ଯ୍ୟନ୍ତ ଶିକ୍ଷା ବିଭାଗରେ ଶିକ୍ଷକତା ଓ ଶିକ୍ଷାଧିକାରୀ ରୂପେ କାର୍ଯ୍ୟ କରିଥିଲେ | ଜଣେ ସାଧୁ ,ସତ୍ ଚରିତ୍ରବାନ ଶିକ୍ଷକ ଏବଂ ଶିକ୍ଷାଧିକାରୀ ଭାବେ ସେ ସୁନାମ ଅର୍ଜନ କରିଥିଲେ | ଏହା ଭିତରେ ମଣିମାଳାଙ୍କ ସହିତ ତାଙ୍କର ବିବାହ ହୋଇଯାଇଥିଲା |
ବିଶିଷ୍ଟ ଶିକ୍ଷାବିତ୍ ଶତ୍ରୁଘ୍ନନାଥ ଚିନ୍ତାମଣିଙ୍କ ଶିକ୍ଷକ ଜୀବନ ଉପରେ କହିଥିଲେ- ‘‘ସେ ତାଙ୍କ ଜୀବନରେ ଆଦର୍ଶ ଛାତ୍ର ଗଢିବା ପାଇଁ ଆପ୍ରାଣ ଚେଷ୍ଟା କରିଛନ୍ତି ଏବଂ ତାଙ୍କ ବେତ ଯାହା ପିଠିରେ ବାଜିଛି ,ସେ ପ୍ରକୃତ ମନୁଷ୍ୟ ହୋଇପାରିଛି | ସ୍କୁଲର ଛାତ୍ରମାନଙ୍କୁ ପଢାଇବା ପାଇଁ ସେ ପ୍ରାଣପଣେ ଚେଷ୍ଟା କରୁଥିଲେ | ସ୍କୁଲର ଗୌରବ ଆକ୍ଷୁଣ୍ଣ ରଖିବା ପାଇଁ ରାତିରେ ସୁଦ୍ଧା ସେ ପିଲାମାନଙ୍କୁ ପାଠ ପଢାଉଥିଲେ |ଭଲ ଶିକ୍ଷକ ରୂପେ ତାଙ୍କର ଶିକ୍ଷା ବିଭାଗରେ ଯଥେଷ୍ଟ ସମ୍ମାନ ଥିଲା ଏବଂ ସେଥିପାଇଁ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ପଦ ପାଇଁ ତାଙ୍କୁ ଆହ୍ଵାନ ଆସିଥିଲା ,କିନ୍ତୁ ସେ ସେପରି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ |ଭଗ୍ନ ସ୍ଵାସ୍ଥ୍ୟରେ ସେ ରାତ୍ରି ଉଜାଗର ରହି ପୁସ୍ତକ ଓ ପତ୍ରିକା ପଥରେ ନିମଗ୍ନ ରହୁଥିଲେ | ଭାତ ଖାଇ ଉଜାଗର ରହିଲେ ପେଟ ଖରାପ ହେବ ଓ ଲେଖନ ପଠନରୁ ବଞ୍ଚିତ ହେବା ଭୟରେ ସେ ରାତ୍ରିଭୋଜନ ପରିତ୍ୟାଗ କରିଥିଲେ | ଏହିପରି ଏକାଦିକ୍ରମେ ତିନିବର୍ଷ କାଳ ରାତ୍ରି ଅନାହାର ଓ ଅନିଦ୍ରାରେ କଟାଇ ସେ ବାତରକ୍ତ ପୀଡାରେ ଆକ୍ରାନ୍ତ ହେଲେ | ମାତ୍ର ଆଶ୍ଚର୍ଯ୍ୟର କଥା ଏ ରୂପ ଅସାଧ୍ୟ ରୋଗରେ ପଡ଼ି ସୁଦ୍ଧା ସେ କେବେହେଲେ ଲେଖନ ପଠନରୁ କ୍ଷାନ୍ତ ହେଉନଥିଲେ |’’
ଶିକ୍ଷକତା ସମୟରେ ଶିକ୍ଷା ବିଭାଗର ହାକିମ କବି ରାଧାନାଥ ରାୟ ,ଡେପୁଟି ଇନ୍ସପେକ୍ଟର ଭକ୍ତକବି ମଧୁସୂଦନ ରାଓ ଓ ଡେପୁଟି ଇନ୍ସପେକ୍ଟର ଶିକ୍ଷକ ଓ ସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ ସହିତ ତାଙ୍କର ପରିଚୟ ହୋଇଯାଇଥିଲା । ୧୮୯୫ ମସିହାରେ ଚିନ୍ତାମଣିଙ୍କ ପ୍ରଥମ କାବ୍ୟ ‘ମୋହିନୀ’ ଆତ୍ମପ୍ରକାଶ କଲା | ତାଙ୍କର ଏହି କାବ୍ୟ ଉପରେ ମନ୍ତବ୍ୟ ଦେଇ ରାଧାନାଥ ଲେଖିଥିଲେ –‘ଉତ୍କଳ ସାହିତ୍ୟରେ ଏହାଙ୍କର ଯେପରି ବ୍ୟୁତ୍ପତ୍ତିର ପରିଚୟ ପାଇଲି ,ତାହା ଅସାଧାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ | ଜଣେ ଛାତ୍ରବୃତ୍ତି ପରିକ୍ଷୋତ୍ତୀର୍ଣ୍ଣ ବ୍ୟକ୍ତି ପକ୍ଷରେ ଏହା ସାମାନ୍ୟ ଗୌରବାବହ ନୁହେଁ |’
୧୯୦୩ ମସିହାରେ ଉତ୍କଳ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀ ଗଠନ କଲେ ଏବଂ ଭାଷାଭିତ୍ତିକ ପ୍ରଦେଶ ପାଇଁ ଏବଂ ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟରେ ପରିଣତ କରିବା ନିମନ୍ତେ ଦାବି ହେଲା | ସେଇ ବର୍ଷ କବି ଚିନ୍ତାମଣି ‘ଗଞ୍ଜାମ ଓଡିଆ ହିତବାଦିନୀ’ ପାକ୍ଷିକ ପତ୍ରିକାର ସଂପାଦକ ଭାବେ ନିଯୁକ୍ତି ପାଇଲେ | ଏହି ଗଞ୍ଜାମର ବ୍ରହ୍ମପୁରରୁ ପ୍ରକାଶିତ ହେଉଥିଲା | ଏହାର ସ୍ୱତ୍ଵାଧିକାରୀ ଥାନ୍ତି ରଙ୍ଗାଭଟଲ ଗୁନ୍ନୟା ଶାସ୍ତ୍ରୀ | ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେ ଜଣେ ସୁଦକ୍ଷ ଓଡ଼ିଆ ଭାଷାର ସାହିତ୍ୟିକ ଖୋଜୁଥିଲେ | ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପରମର୍ଶକ୍ରମେ ଚିନ୍ତାମଣିଙ୍କ ସହିତ ତାଙ୍କର ଯୋଗାଯୋଗ ଆରମ୍ଭ ହୋଇଥିଲା| ସେତେବେଳେ ତାଙ୍କୁ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ୍ ସବ୍-ଇନ୍ସପେକ୍ଟର ଭାବେ ନିଯୁକ୍ତି ଦେବା ପାଇଁ ମନସ୍ଥ ହୋଇଥିଲେ ବି ସେ ସେହି ପତ୍ରିକାର ସଂପାଦକ ହୋଇଥିଲେ | ଚିନ୍ତାମଣିଙ୍କ ପ୍ରସ୍ତାବ କ୍ରମେ ଏହି ପତ୍ରିକାର ନାମ ‘ହିତବାଦିନୀ’ ରଖାଯାଇଥିଲା ସେଥିରେ ଦେଶମିଶ୍ରଣ ପ୍ରସଙ୍ଗ ପ୍ରକାଶ ନ ପାଉ ବୋଲି ତେଲୁଗୁ ଭାଷାଭାଷୀ ଲୋକମାନେ ପ୍ରକାଶକଙ୍କ ଉପରେ ଚାପ ପକାଇଲେ | ସେତେବେଳେ ଓଡିଶାରେ ବିଚ୍ଛିନ୍ନାଞ୍ଚଳର ମିଶ୍ରଣ ପାଇଁ ଉଦ୍ୟମ ହେଉଥାଏ |ରାଜା ମହାରାଜା ମାନେ ମଧ୍ୟ ଏହାକୁ ସମର୍ଥନ କରୁଥାନ୍ତି | ସଂପାଦକ ଚିନ୍ତାମଣି ସାମୂହିକ ସ୍ୱାର୍ଥକୁ ସମ୍ବାଦପତ୍ରରେ ଲୁଚାଇ ରଖିବାକୁଆଗ୍ରହୀ ହେଲେ ନାହିଁ | କିନ୍ତୁ ପ୍ରକାଶକ ଏଥିରେ ଓଡିଶାର ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପ୍ରସଙ୍ଗଜନିତ ସମ୍ବାଦ ପ୍ରକାଶ ନ କରିବା ପାଇଁ କହିଲେ | ମାତ୍ର ‘ହିତବାଦିନୀ’ରୁ ସ୍ୱଇଚ୍ଛାରେ ବିଦାୟ ନେଇଥିଲେ | ସେତେବେଳେ ଗଞ୍ଜାମର ଇଚ୍ଛାପୁରରୁ ‘ଉତ୍କଳବାସୀ’ ନାମରେ ଅନ୍ୟ ଏକ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ ପାଇଲା |ସୁରଙ୍ଗୀର ନରପତି ଚନ୍ଦ୍ରଚୂଡାମଣି ଦେବଙ୍କ ସହାୟତାରେ ତାହା ପ୍ରକାଶ ପାଇବାର ସିଦ୍ଧାନ୍ତ ନିଆଯାଇଥାଏ | ଚିନ୍ତାମଣି ତାହାର ସଂପାଦକ ଭାବେ ନିଯୁକ୍ତି ପାଇଲେ | ମାତ୍ର ଉପଯୁକ୍ତ ସହକାରୀ ନ ମିଳିବାରୁ ସମଗ୍ର କାର୍ଯ୍ୟ ନିଜେ ପରିଚାଳନା କରିବା କଷ୍ଟକର ମନେହେଲା | ତେଣୁ ସେ ଅସୁସ୍ଥତା ପାଇଁ ‘ଉତ୍କଳବାସୀ’ ସଂପାଦନା କାର୍ଯ୍ୟରୁ ନିବୃତ ହେଲେ |
ପରବର୍ତ୍ତୀ କାଳରେ ଗଞ୍ଜାମର ଇଚ୍ଛାପୁର ଆସି ସେଠାରେ ‘ସ୍ୱଦେଶ ଲକ୍ଷ୍ମୀ’ ନାମରେ ଏକ ମାସିକପତ୍ରିକା ପ୍ରକାଶନର ବ୍ୟବସ୍ଥା କଲେ | ଏହାର ମୁଖ୍ୟ ପୃଷ୍ଟପୋଷକ ଥିଲେ ଜଣେ ତେଲୁଗୁ ଭଦ୍ରବ୍ୟକ୍ତି |ଏଥିରେ ସାହିତ୍ୟ ସହିତ ଶିଳ୍ପ, ବାଣିଜ୍ୟ, କୃଷି ପ୍ରଭୃତି ବିଭିନ୍ନ ବିଷୟ ସ୍ଥାନ ପାଉଥିବାରୁ ଏହାର ଲୋକପ୍ରିୟତା ବଢିଥିଲା |ଏହି ସମୟରେ ମୟୂରଭଞ୍ଜରୁ ‘ମନୋରମା’ ନାମରେ ଓଡିଆ ସମ୍ବାଦପତ୍ରଟିଏ ସାପ୍ତାହିକ ଭାବରେ ପ୍ରକାଶ ପାଇଲା | ଏହାର ପୃଷ୍ଟପୋଷକ ଥିଲେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ |ଏହା ବାରିପଦାରୁ ପ୍ରକାଶ ପାଉଥିଲା | ପ୍ରଥମେ ବୈଦ୍ୟନାଥ ଦାଶଙ୍କ ସଂପାଦନାରେ ପ୍ରକାଶ ପାଉଥିବା ସମ୍ବାଦପତ୍ରଟି କିଛି ଦିନ ପରେ ଆଉ ପ୍ରକାଶ ପାଇଲା ନାହିଁ | ଏହାର ପରିଚାଳନା ପାଇଁ ମହାରାଜା ଦୁଇଶହ ଏକର ଜମି ଦାନ କରିଥିଲେ | ବଙ୍ଗାଳୀମାନଙ୍କର ଚକ୍ରାନ୍ତରୁ ଏହା ବନ୍ଦ ହୋଇଯିବା ଫଳରେ ଉଦ୍ୟୋକ୍ତାମାନେ ନୂତନ ସଂପାଦକ ଭାବେ ବ୍ୟାସକବି ଫକୀରମୋହନଙ୍କୁ ନେବାପାଇଁ ମନସ୍ଥ କରିଥିଲେ | ମାତ୍ର ଫକୀରମୋହନ ଏହି ଗୁରୁଦାୟିତ୍ଵକୁ ବହନ ନ କରି ଏଥିପାଇଁ ଚିନ୍ତାମଣିଙ୍କ ନାମ ପ୍ରସ୍ତାବ ଦେଇଥିଲେ |ତାଙ୍କ ପ୍ରସ୍ତାବ କ୍ରମେ ସେ ‘ମନୋରମା’ର ସଂପାଦକ ହୋଇଥିଲେ | ଏତେ ଜମି ଥାଉଥାଉ ମନୋରମାର ପ୍ରକାଶନ ମଧ୍ୟ ବନ୍ଦ ହୋଇଯାଇଥିଲା | ଉତ୍କଳମଣି ଗୋପବନ୍ଧୁ ଦାସ ୧୯୧୯ ମସିହାରେ ସତ୍ୟବାଦୀରୁ ‘ସମାଜ’ ପ୍ରକାଶ କରିବା ସମୟରେ ‘ମନୋରମା’ ପ୍ରେସ୍ ଓ ତା’ର ଉପକରଣମାନ ପାଇଯାଇଥିଲେ | ଏହି ସମୟରେ ଧରାକୋଟରୁ ‘ଜ୍ଞାନଦର୍ଶନ’ ନାମରେ ଗୋଟିଏ ମାସିକ ପତ୍ରିକା ପ୍ରକାଶ ପାଇଥିଲା | ଧରାକୋଟର ରାଜା ମଦନମୋହନ ସିଂହଦେବ ଏହାର ପୃଷ୍ଟପୋଷକତା କରିଥିଲେ | ରାଜାଙ୍କ ପରାମର୍ଶ ଅନୁସାରେ ଚିନ୍ତାମଣି ଏହାର ସଂପାଦକ ହୋଇଥିଲେ | ସେଥିରେ ଦେଶାତ୍ମବୋଧ ରଚନା ସହିତ ସାହିତ୍ୟ,ବାଣିଜ୍ୟ,ଶିଳ୍ପ କୃଷି ଆଦି ଲେଖା ରଖାଯାଇଥିଲା | ପତ୍ରିକାଟି ଲୋକପ୍ରିୟ ହୋଇଆସୁଥିବା ବେଳେ କେତୋଟି ସଂଖ୍ୟା ପରେ ଏହାର ପ୍ରକାଶନ ମଧ୍ୟ ବନ୍ଦ ହୋଇଗଲା | ତାହାର ମୁଖ୍ୟ କାରଣ ଥିଲା –ଅଣଓଡିଆମାନଙ୍କର ଭାଷା ବିରୋଧୀ ଚକ୍ରାନ୍ତ | ମାତ୍ର ପୃଷ୍ଟପୋଷକମାନେ ବିରୋଧକୁ କର୍ଣ୍ଣପାତ ନ କରି ଚିନ୍ତାମଣିଙ୍କୁ ଉତ୍ସାହ ପ୍ରଦାନ କରିଥିଲେ | ଏହିସବୁ ପତ୍ରପତ୍ରିକାର ସଂପାଦନ ବେଳେ ସେ ବିଭିନ୍ନ ସ୍ଥାନରେ ଭ୍ରମଣ କରିବାର ସୁଯୋଗ ପାଇଥିଲେ | ଫଳରେ ଭ୍ରମଣ ସାହିତ୍ୟ ସୃଷ୍ଟି କରିବା ପାଇଁ ତାଙ୍କୁ ଅଖଣ୍ଡ ସୁଯୋଗ ମିଳିଥିଲା | ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚାନ୍ଦ୍ର ଗଜପତି ନାରାୟଣଦେବ (୧୯୩୭ ମସିହା ଏପ୍ରିଲ ୧ ତାରିଖରେ ପ୍ରଧାନମନ୍ତ୍ରୀ )ଓ ଲାଞ୍ଜିଗଡ଼ର ରାଜା ମାହେଶ୍ଵରୀ ପ୍ରସାଦ ଦେବ ତାଙ୍କ ସାହିତ୍ୟ ସାଧନାର ପୃଷ୍ଟପୋଷକ ଥିଲେ |
କବି ଥିଲେ ଅଧ୍ୟୟନ ପିପାସୁ |ଆଡମ୍ବର ଠାରୁ ସେ ଥିଲେ ଦୂରରେ |ତାଙ୍କର ନିରାଡମ୍ବର ଜୀବନଯାପନ ତାଙ୍କୁ ଅସାଧାରଣ ପ୍ରତିଭା ସଂପନ୍ନ ଭାବେ ପରିଚିତ କରିଥିଲା | ତାଙ୍କର ବିନୟଭାବ, ବନ୍ଧୁବତ୍ସଳତା, ସୌଜନ୍ୟ ତଥା ସରଳ ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରୁଥିଲା | ସେତେବେଳେ ଜଣେ ରାଜା ତାଙ୍କ ପ୍ରତିଭାରେ ମୁଗ୍ଧ ହୋଇ ତାଙ୍କୁ ଗୋଟିଏ ସମ୍ମାନଜନକ ଉପାଧି ଦେବାକୁ ପ୍ରସ୍ତାବ ଦେଇଥିଲେ | ମାତ୍ର ସେ ଏ ପ୍ରସ୍ତାବକୁ ସ୍ଵୀକାର ନ କରି ବରଂ ପ୍ରତିବାଦ ଛଳରେ କରିଥିଲେ ,’ମୋର ସେ ଶୂନ୍ୟଗର୍ଭ ଶବ୍ଦସମ୍ଭାର ଆବଶ୍ୟକ ନାହିଁ | ସାଇନବୋର୍ଡ଼ର ଭାର ମୋ ଦୁର୍ବହ |’ ସେ ବରାବର କହନ୍ତି –‘ମୁଁ ପର୍ବତ ସହିତ ଆତ୍ମତୁଳନା କରିବା ସକାଶ ପର୍ବତ ଦେଖିବାକୁ ଯାଏଁ | ତାକୁ ଚାହିଁ ମୁଁ ମୋତେ ଚାହିଁଲେ ମୋର ଅସ୍ତିତ୍ଵର କଲ୍ପନା ସୁଦ୍ଧା ପାଏ ନାହିଁ | ଏପରି ଅବସ୍ଥାରେ ମନୁଷ୍ୟ କେଉଁ ମୁଖର ଶ୍ରେଷ୍ଠତ୍ଵର ଗର୍ବ କରେ ?’
ଚିନ୍ତାମଣିଙ୍କ ବଙ୍ଗଳା ଭାଷାରେ ରଚିତ କବିତାଗୁଡିକ ତତ୍କାଳୀନ ‘ଭାରତବର୍ଷ ‘ନାମକ ବଙ୍ଗଳା ମାସିକ ସାହିତ୍ୟ ପତ୍ରିକାରେ ପ୍ରକାଶ ପାଉଥିଲା | ବନ ,ପର୍ବତରେ ଆନନ୍ଦରେ ବିଚରଣ କରିବା ଦ୍ୱାରା ତାଙ୍କୁ ତୃପ୍ତି ମିଳୁଥିଲା |ତାଙ୍କର ସରଳ ପୋଷାକ ଓ ଅତ୍ୟନ୍ତ ବିନୟ ସ୍ୱଭାବକୁ ଲକ୍ଷ୍ୟ କରି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ଡଗର’ର ଚିନ୍ତାମଣି ସ୍ମୃତି ସଂଖ୍ୟା (୭ମ ବର୍ଷ ,୧୫ ଶ ସଂଖ୍ୟା,୧୯୪୪ )ରେ ଲେଖିଥିଲେ –‘ନାମଜାଦା କବି ଜଣେ ସେ କିପରି ହୋଇଥିବେ ବୋଲି ମୁଁ ଯେଉଁସବୁ କଲ୍ପନା କରି ଯାଇଥିଲି ,ଯାଇ ଦେଖିଲା ବେଳକୁ ଓଲଟା | ଜୀର୍ଣ୍ଣଶୀର୍ଣ୍ଣ ଲୋକଟିଏ ,ଅତି ଦୀନ ବେଶରେ ପିନ୍ଧା କାନିଟି ଘୋଡେଇ ହୋଇ ,ମସିଣା ଖଣ୍ଡେ ବିଛାଇ ମାଟି ପିଣ୍ଡାଟି ଉପରେ ବସିଛନ୍ତି | ଏଇନା ଏଡ଼େ ବଡ଼ କବି ! ଟୋକା ବୟସ ,ତହିଁକି କଲେଜ ପଢୁଆ –ମନଟା ଟିକିଏ ଆମ୍ବିଳା ଧରିଗଲା | ମୁଁ ଦିନେ ଶୁଣିନାହିଁ ତାଙ୍କର କାହାରି ଉପରେ ଆକ୍ଷେପ ବା ଅଭିଯୋଗ | ସଂସାରରେ ଘର କରି ବିଦ୍ଵେଷ ,ଶତ୍ରୁତା ପ୍ରଭୃତି ନିଶ୍ଚୟ ଥିବ ,କିନ୍ତୁ କେବେ ହେଲେ କାହାରି ସମ୍ବନ୍ଧରେ ସେ କିଛି କହନ୍ତି ନାହିଁ | ଜଗତଯାକ ଯେପରି ପରମ ମିତ୍ର,ପ୍ରତ୍ୟେକ ଲୋକ ଯେପରି ଭଲ ଓ ଗୁଣୀ | କବି ହେଲେ ବ୍ୟକ୍ତିଗତ ବିରାଗ ଯେ ପ୍ରାଣରୁ ଉଭେଇଯାଏ,କବି କାହାରିକୁ ସାନକାରି ଦେଖିପାରେ ନାହିଁ,କାହାରିକୁ ହେୟଜ୍ଞାନ କରେ ନାହିଁ –ଏକଥା ଚିନ୍ତାମଣିଙ୍କ ଠାରେ ମୁଁ ଦେଖିଛି | ଦୂରାରୋଗ୍ୟ ବ୍ୟାଧିରେ ଜର୍ଜରିତ ,ଦାରିଦ୍ର୍ୟର ଯନ୍ତ୍ରଣାରେ ପ୍ରପୀଡ଼ିତ,ସାଂସାରିକ ଅଶାନ୍ତି ଓ ଦୁଶ୍ଚିନ୍ତାଦିରେ ବିପନ୍ନ ହୋଇ ସୁଦ୍ଧା ସେ ବରାବର ଧୀରସ୍ଥିର ; ଆପଣାର ଅବସ୍ଥାରେ ଆପେ ସନ୍ତୁଷ୍ଟ |’
ଚିନ୍ତାମଣିଙ୍କ ବହୁତ ଗ୍ରନ୍ଥ ରାଜନ୍ୟବର୍ଗଙ୍କ ପୃଷ୍ଟପୋଷକତାରେ ପ୍ରକାଶିତ ହୋଇଛି | ବସ୍ତୁତଃ ସେମାନେ ଥିଲେ ସାହିତ୍ୟ ରସିକ | ସେଥିପାଇଁ ବାରଣ୍ଡାର ରାଜା ସଚ୍ଚିଦାନନ୍ଦ ଦେବ ଯୁବରାଜ ଥିବା ଅବସ୍ଥାରେ ଚିନ୍ତାମଣିଙ୍କ ପ୍ରତିଭାରେ ଆକୃଷ୍ଟ ହୋଇ ତାଙ୍କର ପ୍ରଥମ କାବ୍ୟ ‘ମୋହିନୀ’ ପ୍ରକାଶ କରିଦେଇଥିଲେ (୧୯୦୧) | ଚିନ୍ତାମଣିଙ୍କ ଗ୍ରନ୍ଥାବଳୀର ଚାରୋଟି ଭାଗ ଓଡିଶାର ବଦାନ୍ୟବ୍ୟକ୍ତିମାନଙ୍କର ଅର୍ଥ ସହାୟତାରେ କବିଙ୍କ ପ୍ରତିଷ୍ଠିତ ଭଦ୍ରକ ବାଣୀସାହିତ୍ୟ ମନ୍ଦିର ଦ୍ୱାରା ପ୍ରକାଶିତ ହୋଇଥିଲା | କଳାହାଣ୍ଡିର ମହାରାଜା ବ୍ରଜମୋହନ ଦେବ,ଆଠମଲ୍ଲିକର ମହାରାଜା କିଶୋର ଚନ୍ଦ୍ର ସିଂହଦେବ, ଲାଞ୍ଜିଗଡ଼ର ରାଜା ମାହେଶ୍ଵରୀ ପ୍ରସାଦ ଦେବ,ଜୟପୁରର ମହାରାଜା ବିକ୍ରମଦେବ ବର୍ମା,ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ,ପଟଣାଧୀଶ୍ଵର ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦଦେଓ ପ୍ରମୁଖଙ୍କ ଉଦାର ସହାୟତାରେ ଏହା ପ୍ରକାଶିତ ହୋଇଥିଲା |
ଚିନ୍ତାମଣି କାବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପଟ୍ଟଶିଷ୍ୟ ଥିଲେ | ସେ ପ୍ରତିଦିନ ତାଙ୍କର କାବ୍ୟ କବିତା ପାଠ କରୁଥିଲେ | ୧୯୧୩ ମସିହାରେ ଚିନ୍ତାମଣିଙ୍କୁ କବିବର ଉପାଧି ଦିଆଯାଇଥିଲା | ‘ସମ୍ବଲପୁର ‘ହିତୈଷିଣୀ’ ରେ ସୁପରିଚିତ ପଣ୍ଡିତ ସୋମନାଥ କାବ୍ୟତୀର୍ଥ ଚିନ୍ତାମଣିଙ୍କ କାବ୍ୟ ପ୍ରତିଭାରେ ମୁଗ୍ଧ ହୋଇ ,ତାଙ୍କୁ ‘କବିବର’ ଉପାଧି ଦିଆଯିବା ପାଇଁ ସେହି ବର୍ଷ ପ୍ରସ୍ତାବ ଦେଇଥିଲେ | ସେପରି ସୁଚିନ୍ତିତ ପ୍ରସ୍ତାବକୁ ବ୍ୟାସକବି ଫକୀରମୋହନ ସେନାପତି, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ,ନାଟ୍ୟକାର ରାମଶଙ୍କର ରାୟ ଓ ଓଡିଆ ଅନୁବାଦକ ମଧୁସୂଦନ ଦାସ ପ୍ରମୁଖ ସାହିତ୍ୟିକମାନେ ସମର୍ଥନ କରିଥିଲେ | ସେହି ବର୍ଷଠାରୁ ଓଡିଶାରେ ସେ କବିବର ରୂପେ ପରିଚିତ | ୧୯୩୫ ମସିହାରେ ଆନ୍ଧ୍ର ଗବେଷଣା ବିଶ୍ୱବିଦ୍ୟାଳୟ ପକ୍ଷରୁ ଚିନ୍ତାମଣିଙ୍କୁ କବିଶେଖର ଉପାଧି ପ୍ରଧାନ କରାଯାଇଥିଲା | ମହାରାଜା ବିକ୍ରମଦେବ ବର୍ମା ଏ ଦିଗରେ ବିଶ୍ଵବିଦ୍ୟାଳୟକୁ ପ୍ରସ୍ତାବ ଦେଇ,ତାହା ଅନୁମୋଦିତ କରାଇଥିଲେ | ୧୯୪୩ ମସିହା ଡିସେମ୍ବର ୧୭ ତାରିଖରେ କବିଙ୍କର ସ୍ୱର୍ଗାରୋହଣ ହୋଇଥିଲା | ୧୯୩୮ ମସିହା ବେଳକୁ କବିଙ୍କ ସମଗ୍ର ରଚନାବଳୀକୁ ନେଇ ‘ ଚିନ୍ତାମଣି ଗ୍ରନ୍ଥାବଳୀ’ର ୪ଟି ଭାଗ ପ୍ରକାଶ ପାଇ ସାରିଥିଲା |
କବିଶେଖର ଚିନ୍ତାମଣି ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଜୀବଦ୍ଦଶାରେ ସମ୍ବର୍ଦ୍ଧିତ ହୋଇଥିଲେ | ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସଂଗଠନର ୨୯ ଶ ବାର୍ଷିକ ସମାରୋହରେ କଟକ କାର୍ଯ୍ୟଳୟଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ସବୁଜ ସାହିତ୍ୟ ସମିତି କବିଙ୍କୁ ସଙ୍ଗଠନ ପ୍ରକାଶିତ କେତୋଟି ପୁସ୍ତକ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲା | ସମ୍ରାଟ ଷଷ୍ଠ ଜର୍ଜଙ୍କ ରାଜ୍ୟାଭିଷେକ ସମାରୋହ ଅବସରରେ ଓଡ଼ିଶା ସରକାର, ତାଙ୍କୁ ‘କାରୋନେସନ୍ ମେଡ଼େଲ୍’ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ | ସ୍ୱର୍ଗତ ମହାମାନ୍ୟ ସାମ୍ରାଟଙ୍କ ରଜତ ଜୟନ୍ତୀ ଅବସରରେ ସରକାର ରଜତ ସ୍ମାରକୀ ପଦକ ପ୍ରଦାନ କରିଥିଲେ | ୧୯୩୨ ମସିହାରେ ଭଦ୍ରକ ହାଇସ୍କୁଲଠାରେ ତତ୍କାଳୀନ ଏସ୍.ଡ଼ି. ଓ ଦୁର୍ଗାଚରଣ ଦାସ,ଲକ୍ଷ୍ମୀନାରାୟଣ ସାହୁ (ସମାଜସେବୀ ) ଓ ସବୁଜ ଯୁଗର ଅନ୍ୟତମ ସାହିତ୍ୟସ୍ରଷ୍ଟା ଶରତ ଚନ୍ଦ୍ର ମୁଖାର୍ଜୀ (ତତ୍କାଳୀନ ସମବାୟ ବିଭାଗର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର)ଙ୍କ ଉଦ୍ୟମରେ କବିଙ୍କ ପାଇଁ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା | ସେଥିରେ କବି ସମାଲୋଚକ ପ୍ରଫେସର ନାରାୟଣ ମୋହନ ଦେ ସଭାପତିତ୍ଵ କରିଥିଲେ | କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ | ଭଦ୍ରକର ୟୁନିଅନ୍ ବୋର୍ଡ଼, ସ୍ଥାନୀୟ ମୁସଲମାନ ସମାଜ,ଭଦ୍ରକ ହାଇସ୍କୁଲ ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ କବିବରଙ୍କୁ ସମ୍ମାନିତ କରଯାଇଥିଲା | ୧୯୩୪ ମସିହା ମାର୍ଚ୍ଚ ମାସରେ ଜୟପୁର ହାଇସ୍କୁଲ ପରିସରରେ ଚିନ୍ତାମଣିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା | ସାହିତ୍ୟପିପାସୁ ମହାରାଜା ବିକ୍ରମଦେବ ତାଙ୍କୁ ନିମନ୍ତ୍ରଣ କରି ଭଦ୍ରକରୁ ନେଇ ଯାଇଥିଲେ | ମହାରାଜାଙ୍କ ଅନୁରୋଧ କ୍ରମେ ସେଠାରେ ସେ ଏଗାର ଦିନ କଟାଇଥିଲେ | ଏହି ସମୟ ଭିତରେ ଜୟପୁରର ବିଭିନ୍ନ ଅଞ୍ଚଳ ଭ୍ରମଣ କରିବା ସହିତ , ଏହାର ଐତିହ୍ୟ ଓ ପରମ୍ପରା ଉପରେ ଅନୁଧ୍ୟାନ କରିବାର ସୁଯୋଗ ପାଇଥିଲେ | ଫଳରେ ସେ ‘ଜୟପୁର’ ନାମକ ଏକ ଭ୍ରମଣ ବୃତ୍ତାନ୍ତ ରଚନା କରିବାଲାଗି ସମର୍ଥ ହୋଇଥିଲେ | ଏହା ଏକ ଉପାଦେୟ ଗ୍ରନ୍ଥ ହୋଇଥିଲେ ହେଁ ,ସ୍ୱତନ୍ତ୍ର ରୂପେ ଏହା ପ୍ରକାଶ ପାଇ ନଥିଲା |୧୯୪୨ ମସିହାରେ ପ୍ରକାଶିତ ‘ଚିନ୍ତାମଣି ଗ୍ରନ୍ଥାବଳୀ’ର ତୃତୀୟ ଭାଗରେ ଏହା ସ୍ଥାନିତ ହୋଇଥିଲା | ‘ବିକ୍ରମଦେବ ବର୍ମା ରଚନବଳୀ’ର ଦ୍ବିତୀୟ ଭାଗରେ ଏହି ଗ୍ରନ୍ଥଟି ପ୍ରକାଶ ପାଇଥିଲା | ୧୯୪୬ ମସିହାରେ ପ୍ରଖ୍ୟାତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଉଦ୍ୟମ ଯୋଗୁ ଏହି ରଚନବଳୀ ପ୍ରକାଶିତ ହୋଇଥିଲା |
ତାଙ୍କ ଲେଖନୀ ଥିଲା ଅଜସ୍ରସ୍ରାବୀ | ବିବିଧ ରଚନାରେ ତାଙ୍କ ସ୍ରଷ୍ଟା ମାନସ ଗୁଞ୍ଜରିତ ହୋଇଥିଲେ | ସେ ଲେଖିଥିବା ୪୮ଟି କାବ୍ୟ-କବିତା ବିଭବକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇପାରେ | ୧. ବର୍ଣ୍ଣନାତ୍ମକ, ୨. ପୌରାଣିକ ଓ ଐତିହାସିକ ପୃଷ୍ଟଭୂମି ଆଧାରିତ, ୩. ଖଣ୍ଡକବିତା ଓ ୪.ବିବିଧ କବିତା | ବର୍ଣ୍ଣନାତ୍ମକ କାବ୍ୟ ୧୯୦୮ ମସିହାରେ ପ୍ରଥମେ ରଚିତ ହୋଇଥିଲା | ତାହା ହେଉଛି ’ଉଦ୍ୟାନ ଖଣ୍ଡ’ | ସେହି ବର୍ଷ କବି ରଚନା କରନ୍ତି ‘ମେଘସନ’ | ୧୯୦୯ରେ ‘ଧରାକୋଟ ଦର୍ଶନ’ ଓ ‘ସେବା ବ୍ରତ ’ ,୧୯୧୦ରେ ‘ପ୍ରକୃତି ପେଟିକା’,୧୯୧୧ରେ ‘ସାଳନ୍ଦୀ’ ଓ ‘ସମାଧି କ୍ଷେତ୍ର’ ,୧୯୧୨ରେ ‘ସୁରଙ୍ଗୀ କାବ୍ୟ’,’୧୯୧୪ରେ ‘ସିଂହରାଜ’, ୧୯୧୮ରେ ‘ଉତ୍କଳ କମଳା’, ‘ମହୋଦଧି’ ଓ ‘ମହେନ୍ଦ୍ର’ ରଚିତ ହୋଇଥିଲା | ୧୯୨୩ରେ’ ’ପ୍ରଣୟ ଚିଟାଉ ‘ ଓ ୧୯୬୩ରେ ‘ଘୁମୁଷର କାବ୍ୟ’ କବି ରଚନା କରିଥିଲେ | ‘ବିଶ୍ଵଚିତ୍ର ’ ୧୯୧୯ରେ ରଚିତ ହୋଇଥିବାବେଳେ,୧୯୩୫ରେ ‘ଉତ୍କଳମିଳନ’ ଲେଖା ଯାଇଥିଲା |
କବି ପୌରାଣିକ ଓ ଐତିହାସିକ କାବ୍ୟ ରଚନାରେ ଥିଲେ ଅଭିଜ୍ଞ |୧୯୦୯ ମସିହାରେ ତାଙ୍କର ପ୍ରଥମ ଐତିହାସିକ କାବ୍ୟ ‘ଶିଶୁପାଳ ବଧ’ ରଚିତ ହୁଏ | ୧୯୧୧ରେ ‘ସପ୍ତରଥୀ’, ୧୯୧୨ରେ ‘ସପ୍ତଶତୀ’, ୧୯୧୪ରେ ‘ଆର୍ଯ୍ୟବାଳା’ ଓ ‘ଭାରତ ଲଳନା’ ରଚିତ ହୋଇଥିଲା | ୧୯୧୫ରେ ‘କଳ୍ପାଳତା’ ଓ ‘ଶଶିପ୍ରଭା’,୧୯୧୬ରେ ‘ବିକ୍ରମଦିତ୍ୟ’, ୧୯୨୦ରେ ‘ସୁଭଦ୍ରା’,୧୯୨୩ରେ ‘ଶ୍ରୀ ମୁକୁନ୍ଦଦେବ’ କବି ଚିନ୍ତାମଣି ରଚନା କରିଥିଲେ |
ବିବିଧ କାବ୍ୟସ୍ୱର ପର୍ଯ୍ୟାୟରେ ୧୯୦୧ରେ ‘ମୋହିନୀ’, ୧୯୧୨ରେ ‘କୈବଲ୍ୟ କଣିକା’, ୧୯୧୮ରେ ‘ପ୍ରତିଲେଖ’, ‘ବିଶ୍ୱଚିତ୍ର’,୧୯୧୯ରେ ଲିଖିତ ହୋଇଥିଲା | ଏହା ସହିତ ‘ନୀତିକୁସୁମ, ‘ରାଜଭକ୍ତି’, ‘ଶିଶୁଧର୍ମ ନୀତିଶିକ୍ଷା’ ,‘ଜଗନ୍ନାଥ ଜଣାଣ’, ‘ତୁଳସୀମାଳ’ ଓ ‘ବିବିଧ କବିତା’ ପ୍ରଭୃତି ଅନ୍ତର୍ଭୁକ୍ତ | ଖଣ୍ଡ କବିତାର ସମାହାରରେ କବିତା ଗ୍ରନ୍ଥ ‘ପତ୍ରପୁଷ୍ପ ’ (୧୯୧୮),ସନ୍ଧ୍ୟତାରା (୧୯୨୦), କଳ୍ପନାକୁଞ୍ଜ(୧୯୧୪), ଫୁଲଡ଼ଲା (୧୯୧୫) ରଚନା କରିଥିଲେ | ଏହା ସହିତ ‘ଜନନୀ’, ‘ଶତଦଳ’, ‘ପୁଷ୍ପବାଟିକା’ ଓ ‘ବ୍ରଜରେଣୁ’ କବିଙ୍କ ଦ୍ୱାରା ରଚିତ ହୋଇଛି | ‘ପୁର୍ଣ୍ଣଚନ୍ଦ୍ର ଭାଷାକୋଷ" ର ସଂକଳୟିତା ବିଦ୍ଵାନ ଗୋପାଳଚନ୍ଦ୍ର ପ୍ରହରାଜ ତାଙ୍କ କାବ୍ୟ କବିତାକୁ ଏହିପରି ବିଭକ୍ତ କରିବା ସଙ୍ଗେ ସଙ୍ଗେ କହିଛନ୍ତି -‘ଚିନ୍ତାମଣିଙ୍କ କବିତାରେ ବିଶ୍ୱଭାବରେ ଯଥେଷ୍ଟ ପ୍ରାଚୁର୍ଯ୍ୟ ଅଛି | ତାଙ୍କ କବିତାର ଛତ୍ରମାନ ଦେଶକାଳ ନିର୍ବିଶେଷରେ ନାନା ଉପଲକ୍ଷରେ ପ୍ରସଙ୍ଗ କ୍ରମେ ଅବାଧରେ ଉଦ୍ଧାର କରାଯାଇପାରେ | ତାଙ୍କର ଓଡିଆ ଭାଷା ଉପରେ ଅସାଧାରଣ କ୍ଷମତା ଅଛି | ଭାବପ୍ରକାଶ ନିମନ୍ତେ ସେ କେଉଁଠାରେ ଯେ ଉପଯୁକ୍ତ ଭାଷାର ଅଭାବ ବୋଧ କରିଅଛନ୍ତି,ଏହାର ନିଦର୍ଶନ ତାଙ୍କ କବିତାରେ ଆଦୌ ଦୃଷ୍ଟ ହୁଏ ନ।ହିଁ |ବହୁ ଶାସ୍ତ୍ରଦର୍ଶିତା ନଥିଲେ କବିଙ୍କର ଏ ଯୋଗ୍ୟତା ଥାଆନ୍ତା ନାହିଁ | କୌଣସିଠାରେ ତାଙ୍କ କାବ୍ୟ କବିତାରେ ଭାଷା ଦୈନ୍ୟ ନଦେଖି ମନେହୁଏ ଯେ , ମା’ ସାରଦା ତାଙ୍କ କରୁଣା ଚିନ୍ତାମଣି ଉପରେ ଅଦୌ ଊଣା କରିନାହାନ୍ତି | '
କ୍ରମ ଅନୁସାରେ ଚିନ୍ତାମଣିଙ୍କ ଗ୍ରନ୍ଥ ସମୂହରେ ତାଲିକା ଏହିପରି | ପଦ୍ୟଗ୍ରନ୍ଥ-ମୋହିନୀ,ଶତଦଳ,ଶଶିପ୍ରଭା (ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ୧୮୯୭ ମସିହାରେ ‘ସୁଲକ୍ଷଣା’ ନାମରେ ଧାରାବାହିକ ରୂପେ ପ୍ରକାଶିତ ହୋଇଥିଲା | ପରେ ୧୯୧୬ ମସିହାରେ ‘ଶଶିପ୍ରଭା’ ନାମରେ ପୁସ୍ତକକାରରେ ପ୍ରକାଶିତ ହେଲା | ) ଗଞ୍ଜାମ ଭ୍ରମଣ,ମେଘାସନ,ଶିଶୁପାଳ ବଧ,ଧାରାକୋଟ,ଦର୍ଶନ,ଜନନୀ,ରାଜଭକ୍ତି,ଉତ୍କଳକମଳା,ପ୍ରକୃତିପେଟିକା,ସମାଧିକ୍ଷେତ୍ର,ଅଭିଷେକ,ସାଳନ୍ଦୀ,ସପ୍ତରଥି,
ଉଦ୍ୟାନଖଣ୍ଡ,ସପ୍ତଶତୀ ସୁରଙ୍ଗୀ- କାବ୍ୟ ,କୈବଲ୍ୟ-କଣିକା,ବନମାଳତୀ, ମାତୃପୂଜା(୧୯୧୩ମସିହାରେ ଲିଖିତ ହୋଇଥିଲା, ପରେ ୧୯୧୯ ମସିହାରେ ‘ପତ୍ରପୁଷ୍ପ’ ପୁସ୍ତିକାରେ ଏହା ପ୍ରକାଶ ପାଇଥିଲା)କଳ୍ପନାକୁଞ୍ଜ,ଆର୍ଯ୍ୟବାଳା,ସିଂହରାଜ,ଭାରତଲଳନା,ଫୁଲଡଳା,ତୀର୍ଥବାରି,କଳ୍ପଲତା,ବିକ୍ରମାଦିତ୍ୟ,ବିଶ୍ଵଚିତ୍ର,ମହେନ୍ଦ୍ର,ପ୍ରତିଲେଖ,ମହୋଧି,ପତ୍ରପୁଷ୍ପ,ସାନ୍ଧ୍ୟତାରା,ସୁଭଦ୍ରା,ପ୍ରଣୟଚିଟାଉ,ଶ୍ରୀମୁକୁନ୍ଦଦେବ,ସେବାବ୍ରତ,ତୁଳସୀମାଳା,ଜଗନ୍ନାଥଜଣାଣ,ଶିଶୁଧର୍ମନୀତି ଶିକ୍ଷା,ବ୍ରଜରେଣୁ,ପୁଷ୍ପବାଟିକା,ଖୁଦ ମଳୁଖ,(ଏକପଦ ଦୁଇପଦ ବିଶିଷ୍ଟ ଶୁକ୍ତି କବିତା ବିଭିନ୍ନ ସମୟରେ ଲିଖିତ ହୋଇ ପାଣ୍ଡୁଲିପି ଆକାରରେ ଥିଲା, ପରେ ଗ୍ରନ୍ଥାବଳୀରେ ପ୍ରକାଶ ପାଇଲା |) ଉତ୍କଳ ମିଳନ ଘୁମୁଷର କାବ୍ୟ ଓ କାବ୍ୟ ଓ ନବୋତ୍କଳ କାବ୍ୟ |
ଗଦ୍ୟ ଗ୍ରନ୍ଥ ପ୍ରକାଶର କ୍ରମ-ସଂଯମ ଶିକ୍ଷା, ନାମ ମହାତ୍ମ୍ୟ, କୃଷି ପୁସ୍ତକାବାଳୀ, ଯୁଗଳମଠ, ବୁଲା ଫକୀର,ପୁଣ୍ୟପୀଠ,ପାଚକ(ଇନ୍ଧନ ଶିକ୍ଷା),ଚିତ୍ର ମଞ୍ଜୁଷା,ଚିଲିକା ଭ୍ରମଣ, ଯୁଧିଷ୍ଟିର, ଟଙ୍କାଗଛ, ରୂପାଚୂଡି ,ତ୍ରିବେଣୀ,ଶନିସପ୍ତା ବିବିଧଚିନ୍ତା,ରାମଚନ୍ଦ୍ର,ଆଲିବାବା,ନନ୍ଦନକାନନ,ଧର୍ମଜୀବନ,ବ୍ରଜପ୍ରହାର,ବିବିଧ ପ୍ରବନ୍ଧ,କଟକରେ ଚାରିଦିନ,ଜଯପୁର,କଳାହାଣ୍ଡି
ଭ୍ରମର,ଲାଞ୍ଜିଗଡ ଦର୍ଶନ,ବ୍ୟଞ୍ଜନସୁଧା,ବିଦୂଷକ,ଧର୍ମ ବିଷୟକ ପ୍ରବନ୍ଧାବଳୀ,ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୀବନୀ ଓ ଜୀବନ ପଞ୍ଜିକା |
କବିଙ୍କର ଏକମାତ୍ର ପୁତ୍ର ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର(ଦିଲୀପ‘ ପାଇଁ )ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ମହାନ୍ତି ରୋଜଗାରକ୍ଷମ ହେଲାପରେ କବି ଚିନ୍ତାମଣି ତାଙ୍କ ଘରେ ରହି ସାହିତ୍ୟ ପଠନ ଓ ରଚନାରେ ଅଧିକ ମନୋନିବେଶ କରିଥିଲେ | ଧୀରେ ଧୀରେ ତାଙ୍କ ଚକ୍ଷୁରୁ ଦୃଷ୍ଟିଶକ୍ତି ଚାଲିଯିବାରୁ ସେ ପ୍ରାୟ ସମ୍ପୂର୍ଣ ଅନ୍ଧ ହୋଇଯାଇଥିଲେ ଏବଂ ତାଙ୍କ ଶ୍ରବଣ ଶକ୍ତି ମଧ୍ୟ ହ୍ରାସ ପାଇଥିଲା |ସେତେବେଳେ ଓଡିଶାର ରାଜା ମହାରାଜାମାନେ ତାଙ୍କୁ କିଛ ମାସିକ ସହାୟତା ଦେଉଥିଲେ ଏବଂ ତାଙ୍କୁ ରାଜପ୍ରସାଦରେ ରଖି ତାଙ୍କ ଖାଦ୍ୟପେୟର ସୁବନ୍ଦୋବସ୍ତ କରୁଥିଲେ | ସେମାନଙ୍କମଧ୍ୟରେ ସୁରଙ୍ଗୀର ସ୍ୱର୍ଗତ ଚନ୍ଦ୍ରଚୂଡାମଣି ହରିଚନ୍ଦନ ଜଗଦ୍ଦେବଙ୍କ ନାମ ପରିଧାନଯୋଗ୍ୟ | ସେ ତାଙ୍କୁ ମାସିକ ତିରିଶ ଟଙ୍କା ସାହିତ୍ୟିକ ବୃତ୍ତି ପ୍ରଦାନ କରୁଥିଲେ | ସୁରୁଚି,ସୁନତି ଥିଲା ଚିନ୍ତାମଣିଙ୍କ ଜୀବନଦର୍ଶନ | ସେଥିପାଇଁ ସେ ଉତ୍ତମ ସାହିତ୍ୟ ରଚନା କରି ଧ୍ରୁବ ପଦରେ ଅବସ୍ଥିତ ହେବାପାଇଁ ଉପଯୁକ୍ତ ଥିଲେ | ଆଦର୍ଶ ଓ ରୁଚିବୋଧ ତାଙ୍କ ସାହିତ୍ୟ ସାଧନକୁ ପରିପୁଷ୍ଟ କରିଥିଲେ | ସ୍ୱଦେଶପ୍ରେମ ଥିଲା ତାଙ୍କର ଅଭିଜାତ ଗରିମା | କବି ତାଙ୍କ ‘କିଏ ତୁମେ ଚିହ୍ନିଛକି ଉତ୍କଳୀୟମାନଙ୍କୁ ଆପଣଙ୍କୁ ଆପେ ‘ କବିତାରେ ସମ୍ବୋଧିତ କରି କହିଛନ୍ତି –
‘ଯେ ଦେଶରେ ଯଶୋଗୀତି ଭାଷା ଅତିକ୍ରମେ
ଜଗତ ଯା ‘ ଯା ପାଦମୂଳେ ନମେ ସସମ୍ଭ୍ରମେ |
ଜନ୍ମିଲ ସେ ଦେଶେ ତୁମ୍ଭେ ତା’ର କେଉଁ ପାପେ ,
କିଏ ତୁମ୍ଭେ ଚିହ୍ନିଛ କି ଆପଣଙ୍କୁ ଆପେ ?’
ଏହି କବିତାରେ ତାଙ୍କର ଦେଶ ପ୍ରତି ରହିଥିବା ମମତ୍ଵବୋଧ ପରିସ୍ପୁଟ |
ସେମିତି ଜରଗ୍ରସ୍ତ ବାର୍ଦ୍ଧକ୍ୟ କାଳର ବର୍ଣ୍ଣନାରେ ଯେଉଁ ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ
ତାହା ତାଙ୍କ ଲେଖନୀ ଗାମ୍ଭାର୍ଯ୍ୟର ଏକ ସ୍ପଷ୍ଟ ନିଦର୍ଶନ –
“ଓହଳି ପଡିଲାଣି ଶରୀର ଚର୍ମ
ଆସୁଛି ଊଣା ହୋଇ ଇନ୍ଦ୍ରିୟ ଧର୍ମ |
ନିଷ୍ପ୍ରଭ ନେତ୍ର ତାରା ରଙ୍ଗ ଫ।ପସା,
ଦିନ କୁହୁଡି ପ୍ରାୟେ ଦିଶେ ଝାପସା |
ଝଡିଗଲାଣି ଦନ୍ତ କଟି ଅନତ
ମୁଖ-ନାସିକା-ପଥେ ଶ୍ଲେଷ୍ମା ନିର୍ଗତ |
କେଡେ ବିଭତ୍ସ ଦିଶେ ତନୁ ପୁରୁଣା
ଲଗାଇ ନିଜ ଦେହ ନିଜକୁ ଘୃଣା |
ଏଡେ ନିଛୁଣା ଯେବେ ମାନବ ଦେହ
କିମ୍ପା କରନ୍ତି ଜନେ ତାହାକୁ ସ୍ନେହ ?”
ଏହିପରି ତାଙ୍କ ମନୋଜ୍ଞ କବିତାର ଅନେକ ଦୃଷ୍ଟାନ୍ତ ଦିଆଯାଇପାରେ |
କବି ଶେଖରଙ୍କ ପ୍ରତିଭାର ବିଭିନ୍ନ ଦିଗନ୍ତକୁ ସମାଲୋଚକମାନେ ଯେଉଁ ଦୃଷ୍ଟିରେ ବିବେଚନା କରିଛନ୍ତି ତାହାର ସାମାନ୍ୟ ପରିଚୟ ଦେବା ଏଠାରେ ସମୀଚୀନ ହେବ |
ବିଶିଷ୍ଟ ଲେଖକ ଉଦୟ ନାରାୟଣ ମହାନ୍ତିଙ୍କ ଅନ୍ତରଙ୍ଗ ଭାଷାରେ – “ତାଙ୍କ ନିକଟରେ ପ୍ରତ୍ୟହ ଅନେକ ଗୁଡିଏ ପାଣ୍ଡୁଲିପି ପଡିଥିବାର ଦେଖାଯାଏ | ଦିବସରେ ନିର୍ଦିଷ୍ଟ ଏକ ଅଂଶ ସେ ଅନ୍ୟ ଲେଖକମାନଙ୍କର ପାଣ୍ଡୁଲିପି ସଂଶୋଧନ ପାଇଁ ରଖିଥାନ୍ତି |କୌଣସି ଲେଖକଙ୍କୁ ନିରୁତ୍ସାହିତ କରିବା ତାଙ୍କର ନୀତି ବିରୁଦ୍ଧ ପରି ଜଣାଯାଏ | କୌଣସି ରଚନାରେ
ଦୋଷ ଥିଲେ, ତାହା ନିଜେ ସଂଶୋଧନ କରିଦିଅନ୍ତି ଏବଂ ଯେଉଁଥିରେ ସାମାନ୍ୟ ଗୁଣ ଦେଖନ୍ତି, ତାକୁ ଶତକଣ୍ଠରେ ପ୍ରଶଂସା କର କର୍ମ ପଥରେ ସାଧନା ଅବିଳଚିତ ରଖିବା ପାଇଁଉପଦେଶ ତଥା ପ୍ରେରଣା ଦିଅନ୍ତି |
ଗବେଷକ ପ୍ରଫେସର ଡାଃ.ନରେନ୍ଦ୍ର ନାଥ ମିଶ୍ର ତାଙ୍କ ରଚନା ସମ୍ବନ୍ଧରେ କହନ୍ତି-"ତାଙ୍କ ଧାରଣା ଥିଲା ଆଧୁନିକ ଯୁଗର ଜ୍ଞାନ ଚେତନା, କର୍ମକୁଶଳତା ଓ ପ୍ରାଚୀନ ଯୁଗର ଶୁଦ୍ଧାଚାର ଏ ଉଭୟରେ ସମନ୍ଵୟରେ ପ୍ରଗତି ସମ୍ଭବ | ସେ ଅନୁଭବରୁ ଜାଣିଥିଲେ ଯେ ପ୍ରାଚୀନ ପନ୍ଥୀ ଗ୍ରାମ୍ୟ ସମାଜ ଶୁଦ୍ଧାଚାର ହରାଇଅଛି | ନବୀନପନ୍ଥୀ ନଗର ଜୀବନରେ ଆଧୁନିକତା ନାମରେ ଉଚ୍ଛୃଙ୍ଖଳତାର ଦାନା ବାନ୍ଧୁଅଛି | ଏହି ତ୍ରିଶଙ୍କୁ ଅବସ୍ଥାରୁ ସମାଜକୁ ରକ୍ଷା କରିବାକୁ ଧର୍ମ ଓ ବିଜ୍ଞାନ ସମ୍ମତ ପନ୍ଥାକୁ ସେ ବିଶ୍ଵାସ-ଦୃଷ୍ଟିରେ ଦେଖିଛନ୍ତି | ଏହି ବିଶ୍ଵାସର ଭୂମିରେ ସେ ସାହିତ୍ୟ ଓ ଜୀବନ ସବୁ କିଛିର ଦୃଢ ପ୍ରତିଷ୍ଠା ଚାହିଁଛନ୍ତି | ତାଙ୍କର ଏ ପ୍ରୟାସ ସୌଖୀନ ବୁଦ୍ଧିଜୀବୀର ନୁହେଁ-ସଫଳ କର୍ମୀର |"
ସୁସମାଲୋଚକ ଅଧ୍ୟାପକ ଚିନ୍ତାମଣି ବେହେରା ତାଙ୍କ ସାହିତ୍ୟ ସମ୍ବନ୍ଧରେ କହନ୍ତି -"ରାଧାନାଥ ଯୁଗର ସର୍ବକନିଷ୍ଟ ଶିଳ୍ପୀ ଓ ରାଧାନାଥ ପ୍ରତିଭାର ଶେଷ ରଶ୍ମିରେଖା ହେଉଛନ୍ତି ସ୍ରଷ୍ଟା ଚିନ୍ତାମଣି | ତେଣୁ ରାଧାନାଥ ଯୁଗର ମଧ୍ୟାହ୍ନ ମାର୍ତ୍ତଣ୍ଡର ପ୍ରଖର ରଶ୍ମି ପରିବର୍ତ୍ତେ ଅସ୍ତଗାମୀ ସୂର୍ଯାର ନିର୍ବାଣୋନ୍ମୁଖ ରଶ୍ମିକାଳ ଚିନ୍ତାମଣି ସାହିତ୍ୟର ବର୍ତ୍ତମାନ | ସାହିତ୍ୟକ-ଯୁଗ ନାଟକର ଶେଷ ଅଙ୍କର ଶେଷ ଦୃଶ୍ୟ ଚିନ୍ତାମଣି ସାହିତ୍ୟରେ ଅଭିନୀତ | ଚିନ୍ତାମଣିଙ୍କ ସୃଷ୍ଟି ପର୍ଯ୍ୟାପ୍ତ,, ତେଣୁ ତାଙ୍କର ଧ୍ୟାନ ଏକନିଷ୍ଟ ନହୋଇ ବହୁନଷ୍ଟ ହୋଇପଡିଛି |"
କବି ଓ ଗବେଷକ ପ୍ରଫେସର ଡକ୍ଟର କୁଞ୍ଜବିହାରୀ ଦାଶ କବିଙ୍କ ସାହିତ୍ୟ କିପରି ସର୍ବତୋମୁଖୀ ତାହା ସମ୍ବନ୍ଧରେ କହିଛନ୍ତି – ‘‘ବିଷୟ ବଛାବଛିରେ ତାଙ୍କର କଟକଣା ନାହିଁ | ବିଷୟର ମୂଲ୍ୟବୋଧର ରୂପାଙ୍କନ ଆବଶ୍ୟକ | କିନ୍ତୁ ଚିନ୍ତାମଣିଙ୍କ ଦୃଷ୍ଟିରେ ଯେ କୌଣସି ବିଷୟ କାବ୍ୟରେ ଉପଜୀବ୍ୟ ହୋଇପାରେ | ପଖାଳଠାରୁ କାଞ୍ଜି ଓ ସପ୍ତଫେଣୀ କଣ୍ଟା ପର୍ଯ୍ୟନ୍ତ ଯେ କୌଣସି ବିଷୟରେ ସେ କବିତା ଲେଖିଛନ୍ତି ଓ ଯେ କୌଣସି ବିଷୟ ବର୍ଣ୍ଣନାରୁ ନୀତିତତ୍ତ୍ଵ ବାହାର କରିଛନ୍ତି |"
କବିଙ୍କ ବାସିନ୍ଦା ତଥା ଭଦ୍ରକ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ନାୟକ ତାଙ୍କର ବ୍ୟକ୍ତିଗତ ଜୀବନକୁ ଅନୁଧ୍ୟାନ କରି ଲେଖିଛନ୍ତି -"କଲ୍ପନା ରାଜ୍ୟରେ ବିଚରଣ କରି ସେ ଏପରି ଦିବ୍ୟନନ୍ଦ ପାଉଥିଲେ,ଯାହାକି ସାଧାରଣ ଲୋକଚକ୍ଷୁରେ ଅଗୋଚର ଥିଲା ପୁରାକାଳରେ ଯୋଗୀ ଋଷିମନେ ଯେପରି ତପୋବନରେ ଧ୍ୟାନମଗ୍ନ ଅବସ୍ଥାରେ ଦିବ୍ୟାନନ୍ଦ ଉପଭୋଗ କରୁଥିଲେ ,କବିଶେଖର ମଧ୍ୟ ତାଙ୍କର ବୃକ୍ଷଲତା ବେଷ୍ଟିତ ଗୋଟିଏ କୂଟୀରରେ ବାସକରି ଈଶ୍ଵରଙ୍କ ବିଚିତ୍ର ସୃଷ୍ଟିରେ ତାଙ୍କର ଐଶ୍ଵର୍ଯ୍ୟ ଉପଲବ୍ଧି କରି ତାଙ୍କୁ ଲେଖନୀ ସାହାଯ୍ୟରେ ଅଙ୍କନ କରି ଜନସାଧାରଣଙ୍କୁ ମୁଗ୍ଧ କରୁଥିଲେ |
ଚିନ୍ତାମଣିଙ୍କ ଚିନ୍ତା ଚେତନାରେ ଭକ୍ତକବି ମଧୁସୂଦନ ରାଓଙ୍କ ଆଧ୍ୟାତ୍ମିକତା, କବି ରାଧାନାଥଙ୍କ ବିଷାଦବାଦ ସହିତ ସଂସ୍କାରପ୍ରିୟ ବ୍ୟାସକବି ଫକୀରମୋହନଙ୍କ ସଂସ୍କାର ଚିନ୍ତା ସମ୍ବଳିତ ବାସ୍ତବବାଦ ଭାବଧାରା ପରିଲକ୍ଷିତ ହୁଏ | ତାଙ୍କର ଧର୍ମ,ଚିନ୍ତା ଓ ଆଚରଣରେ ଏହାର ପ୍ରଭାବ ସ୍ପଷ୍ଟ ପ୍ରତିଫଳିତ ହୁଏ | ପ୍ରଫେସର ଡକ୍ଟର ନରେନ୍ଦ୍ର ନାଥ ମିଶ୍ରଙ୍କର ଏହା ସମ୍ବନ୍ଧୀୟ ଉକ୍ତି ହେଉଛି –“ଦାରିଦ୍ର୍ୟ ପୀଡିତ ଶିକ୍ଷକ ଜୀବନରେ ବି ସେ ଏ ପ୍ରୟାସରୁ କ୍ଷାନ୍ତ ହୋଇନାହାନ୍ତି |”
ସାହିତ୍ୟ ସମ୍ବନ୍ଧରେ ଚିନ୍ତାମଣିଙ୍କ ନିଜସ୍ୱ ଅଭିବ୍ୟକ୍ତି ହେଉଛି – “ଯହିଁରେ ସାର୍ବଜନୀନ ବିଶ୍ୱପ୍ରେମ ନାହିଁ,ମୋହ ମାଦକତାର ତୀବ୍ର ଆକର୍ଷଣ ନାହିଁ , ଅନୁଭୂତିର ସମୁଜ୍ଜ୍ଵଳ ଚିତ୍ର ନାହିଁ , ଅକ୍ଳାନ୍ତିକର ସୌନ୍ଦର୍ଯ୍ୟ ନାହିଁ, ଅଲୌକିଳ କଳା କୌଶଳ ନାହିଁ,ଯହିଁରେ ହୃଦୟ ଆର୍ଦ୍ର ହୁଏ ନାହିଁ ,ତାହା ସାହିତ୍ୟ ନାମରେ ଉପଯୁକ୍ତ ନୁହେଁ | “(‘ଚିନ୍ତାମଣି ଗ୍ରନ୍ଥାବଳୀ ‘ ୪ର୍ଥଭାଗ ,ପୃଷ୍ଟା-୨୬୪) | ସାହିତ୍ୟ ସର୍ବଜନବୋଧ୍ୟ ହେଉ,ଏଥିରେ ଚିନ୍ତାମଣି ବିଶ୍ଵାସୀ ଥିଲେ | ଲେଖକ ନିଜେ ଅନୁଭୂତି ବର୍ଣ୍ଣନା କରୁ, କଲ୍ପନାର ଚିତ୍ର ଉପସ୍ଥାପନ କରୁ ,ଉପାଖ୍ୟାନ ବା ବଚନିକା ତା’ ରଚନାରେ ପ୍ରୟୋଗ କରୁ ,ଏଥିପାଇଁ ଆପତ୍ତି ଅଭିଯୋଗ ନାହିଁ,ମାତ୍ରେ ସୃଷ୍ଟି ଯେପରି ଅନ୍ୟ ପାଇଁ ବୋଧଗମ୍ୟ ହେବ , ପାଠକ ଠାରୁ ତାହା ଯେମିତି ଦୂରେଇ ନଯାଏ, ଏଥିପ୍ରତି ଲେଖକ ଧ୍ୟାନ ଦେବା ଏକାନ୍ତ ଜରୁରୀ |
ବହୁ ବର୍ଷ ଧରି କବି ସାମ୍ବାଦିକତା ଭିତରେ ଆପଣଙ୍କୁ ବୁଡେଇ ନେଇଥିବାରୁ ସମ୍ବାଦିକତାର ଧର୍ମ ଓ ଆଦର୍ଶ ତାଙ୍କୁ କିପରି ଆଚ୍ଛନ୍ନ କରିଥିଲା ତାହାର ସୂଚନା ଦେବାକୁ ଯାଇ ଅଧ୍ୟାପକ ଡକ୍ଟର କୃଷ୍ଣଚରଣ ବେହେରା କହିଥାନ୍ତି –“ସାମ୍ବାଦିକ ରୀତିରେ ପରିଚାଳିତ ହୋଇ କବି ଶେଖର ଚିନ୍ତାମଣି ବହୁବିଧ ବିଷୟରେ ଲେଖନୀ ଚାଳନା କରିଛନ୍ତି | ଆବଶ୍ୟତାର ତାଡନାରେ ସାମ୍ବାଦିକକୁ ଜଗତର ନାନା କଥା ଜାଣିବା ପାଇଁ ହୁଏ – ବହୁ ବିଷୟରେ ଜ୍ଞାନ ଅର୍ଜନ କରିବାକୁ ପଡେ | ଶିକ୍ଷା,ସ୍ଵସ୍ଥ୍ୟ,କୃଷି,ଶିଳ୍ପ,ବାଣିଜ୍ୟ,ବିଜ୍ଞାନ,ଧର୍ମ।,ଅର୍ଥନୀତି,ସାହିତ୍ୟ,ଚିତ୍ରକଳା ଆଦି ଏକହଜାର ଏକ ବିଷୟରେ ସାଧାରଣତଃ ସାମ୍ବାଦିକ ଅନୁସନ୍ଧିତ୍ସୁ ହୋଇଥାଏ | ସେହି ସାମ୍ବାଦିକର ଅନୁସନ୍ଧିତ୍ସା ଘେନି କବି ଶେଖର ପୁରାଣ,ଇତିହାସ,ଲୋକ ପ୍ରଚଳିତ କିମ୍ବଦନ୍ତୀ ଆଲୋଡନ କରିଛନ୍ତି |
ସାହିତ୍ୟ,ଜୀବନ ଓ ସମାଜ ଅଙ୍ଗାଙ୍ଗୀଭାବେ ଜଡ଼ିତ | ଏହାକୁ ଅସ୍ୱୀକାର କରି ହେବ ନାହିଁ | ସାହିତ୍ୟକୁ ଭିତ୍ତି କରି ଯେତେ ସଂଗଠନ ହେଉନା କାହିଁକି,ପ୍ରଚାରକ ସୃଷ୍ଟି ହୁଅନ୍ତୁନା କାହିଁକି ସାହିତ୍ୟର ଜୀବନ ଉପରେ ପ୍ରଭାବ ରହିଛି ଏବଂ ରହିଥିବା | ଏହାକୁ ଲକ୍ଷ୍ୟ କରି ବିଶିଷ୍ଟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ମତ ଦିଅନ୍ତି –“ମନୁଷ୍ୟ ସାହିତ୍ୟ ଠାରୁ ଦୂରେଇ ଯାଉଥିବାରୁ ,ସାହିତ୍ୟ ମନୁଷ୍ୟ ଜୀବନରେ ତାହର ଆଦିମ ସମ୍ବେଦନଶୀଳତା ହରାଇଅଛି | ସେଥିପାଇଁ ବୋଧହୁଏ ଆଜି ସୃଷ୍ଟି ଧର୍ମୀ ଲେଖକମାନଙ୍କ ପରିବର୍ତ୍ତେ ସାହିତ୍ୟ ସଂଗଠକ ଓ ପ୍ରଚାରକମାଙ୍କର ପ୍ରାଧାନ୍ୟ ବେଶୀ | ମାତ୍ର ସାହିତ୍ୟ ତା’ର ଉତ୍ସ,ମୂଳ ଖୋଜି ନ ପାଇବା ପର୍ଯ୍ୟନ୍ତ ମନୁଷ୍ୟର ଜୀବନ ଉପରେ ଯେ କୌଣସି ପ୍ରଭାବ ବିସ୍ତାର କରିପାରିବ ନାହିଁ ଏହା ନିଶ୍ଚିତ କଥା ।’’
ଡଃ. ନଟବର ସାମନ୍ତରାୟଙ୍କ –“ ଦାରିଦ୍ର୍ୟ ଭିତରେ ସାହିତ୍ୟ ସୃଷ୍ଟି ପାଇଁ ଅନନ୍ତ ସାଧନା ଓ ଅଧ୍ୟବସାୟ ହିଁ ଚିନ୍ତାମଣିଙ୍କର ସର୍ବଶ୍ରେଷ୍ଟ ପରିଚୟ | ସେ ଅପୂର୍ବ ସାଧନା ସର୍ବାଦୌ ବନ୍ଦନୀୟ | ସେଇ ବିରାଟ ସାଧନା ନିକଟରେ ମସ୍ତକ ସ୍ୱତଃ ଅବନତ ହୋଇପଡେ | ପର୍ଯ୍ୟଟନାନୁଭୂତି ପଦ୍ୟ ଓ ଗଦ୍ୟ ଉଭୟ ସାହିତ୍ୟ ଭିତରେ ଆତ୍ମପ୍ରକାଶ କରିଥିଲେ ସୁଦ୍ଧା ଗଦ୍ୟ ଏ ସାହିତ୍ୟ ସୃଷ୍ଟିର ଯଥାର୍ଥ ମାଧ୍ୟମ ଥିବାରୁ, ଏକ ସମୟରେ ଓଡିଆରେ ଗଦ୍ୟାତ୍ମକ ଭ୍ରମଣ ସାହିତ୍ୟ ବିଶେଷ ପରିମାଣରେ ଦେଖିବାକୁ ମିଳେ | ଚିନ୍ତାମଣି ମହାନ୍ତିଙ୍କ “ସମୁଦ୍ର ଯାତ୍ରା “ (୧୯୧୨) ଓ “ଚିଲିକା ଭ୍ରମଣ “(୧୯୨୪) ପ୍ରଭୃତି ଏହି ଶ୍ରେଣୀୟ ସୃଷ୍ଟି ଭାବରେ ଉଲ୍ଲେଖନୀୟ |”
କବି ବ୍ରଜନାଥ ରଥ କହନ୍ତି – “ ଆଧୁନିକ ଓଡିଆ ସାହିତ୍ୟର ଦୁଇ ଅଗ୍ରଣୀ ସ୍ରଷ୍ଟା ରାଧାନାଥ ଓ ବ୍ୟାସକବି ଫକୀରମୋହନଙ୍କ ପରବର୍ତ୍ତୀ ଅନ୍ୟତମ କୃତି ଲେଖକ ବରପୁତ୍ର କବିଶେଖର ଚିନ୍ତାମଣି ମହାନ୍ତି | ଚିନ୍ତାମଣି କାବ୍ୟ ସାହିତ୍ୟ ଯେଉଁ ନୈପୁଣ୍ୟ ଦେଖାଇ ଯାଇଛନ୍ତି, ତା’ର ପଟାନ୍ତର ନାହିଁ | କଥାସମ୍ରାଟ ଫକୀରମୋହନ ଏବଂ କବିବର ରାଧାନାଥ ,ସତେ ଯେପରି ଚିନ୍ତାମଣି ମହାନ୍ତିଙ୍କ ରୂପରେ ଏକ ସମନ୍ଵିତ ପ୍ରତିଭା ଭାବରେ ଆତ୍ମପ୍ରକାଶ କରିଥିଲେ |”
ସାହିତ୍ୟିକ ଅଧ୍ୟାପକ ମହାପାତ୍ର ନୀଳମଣି ସାହୁ ଚିନ୍ତାମଣିଙ୍କୁ ଗଭୀର ବିଶ୍ଳେଷଣ କରି କହିଛନ୍ତି – “ତାଙ୍କର ଦେଶ ପ୍ରେମ ସହିତ ଈଶ୍ୱର ପ୍ରେମ ଏବଂ ସମାଜ ସଚେତନତାର ଗଭୀର ସମନ୍ଵୟ ଘଟିଥିଲା | ଜୀବନ ପ୍ରତି ସେ ଥିଲେ ଖୁବ୍ ଆଶାବାଦୀ ଏବଂ ଏକ ବୃହତ୍ତର ଭାବାବୃତ୍ତରେ ସେ ଭ୍ରମଣ କରୁଥିଲେ | ତାଙ୍କ କବିତା ରାଧାନାଥ,ଗଙ୍ଗାଧର,ମଧୁସୂଦନ ପ୍ରମୁଖଙ୍କ କବିତାର ପ୍ରତିଧ୍ୱନି ନୁହେଁ ନ କିନ୍ତୁ ତାଙ୍କ କବିତା ପାଠ କଲେ ,ମନେହୁଏ ଊନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀର ଏକ ଶୂନ୍ୟ ମୁହୂର୍ତ୍ତରେ ତାଙ୍କର ବଂଶୀ ବାଜି ଉଠିଲା |”
ସମାଲୋଚକ ଅଧ୍ୟାପକ ଡଃ. ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ କବିଙ୍କୁ ସମୀକ୍ଷା କରି କହନ୍ତି-“ହିତୈଷିଣୀ (୧୮୮୯) ସେତେବେଳେ ଯେଉଁ ନୂତନ ଲେଖକ ଗୋଷ୍ଟୀ ସୃଷ୍ଟି କରିଥିଲା ,ତା’ ମଧ୍ୟରେ କବିଶେଖର ଚିନ୍ତାମଣି ମହାନ୍ତି ଜଣେ ବିଶିଷ୍ଟ ଲେଖକ | ସମ୍ବାଦପତ୍ର ସମ୍ପାଦକ ରୂପେ ତାଙ୍କର ଯାହା ପରିଚୟ ରହିଅଛି , ତଦପେକ୍ଷ। ସେ ଜଣେ ପ୍ରକୃତି କବି ଏବଂ ଔପନ୍ୟାସିକ ରୂପେ ଓଡିଶାର ପାଠକ ସମାଜରେ ବିଶେଷ ଆଦରଲ।ଭ କରିଅଛନ୍ତି | ଖଣ୍ଡକବିତା ରଚନାରେ ତାଙ୍କର ପାରଦର୍ଶିତା ପ୍ରମାଣିତ ହୋଇଥାଏ | ତାଙ୍କ କାବ୍ୟ କବିତାରୁ ଅନେକତ୍ର ଆପଣାର ଭ୍ରମଣ କାହାଣୀ ଓ ପର୍ଯ୍ୟଟନ ଅନୁଭୂତିର ପରିଚୟ ମିଳିଥାଏ |
ତାଙ୍କୁ ବୁଦ୍ଧିମାନ, ବିଚକ୍ଷଣତା ସମ୍ପନ୍ନ ଓ ସାର୍ଥକ ପୁରୁଷ ପୁଙ୍ଗବ ଶିକ୍ଷକ ରୂପେ ଚିତ୍ରଣ କରି ଅଧ୍ୟାପକ ସୁଧାଂଶୁ ଶେଖର ରାୟ ମତ ଦିଅନ୍ତି –“ ଶିକ୍ଷକତା, ସମ୍ବାଦିକତା ଓ କବିତ୍ଵର ପବିତ୍ର କ୍ଷେତ୍ରରେ ତାଙ୍କର ସାଧନା ଓ କୀର୍ତ୍ତିର ଉଜ୍ଜ୍ଵଳ ପ୍ରସାର ଘଟିଥିଲା | ପ୍ରାଥମିକ ଶିକ୍ଷକର ସାମାନ୍ୟ ପଦବୀରେ ସେ ଅଧିରୂଢ ଥିଲେ ମଧ୍ୟ ତପସ୍ୱୀ ସୁଲଭ ନିଷ୍ଠା ଓ ହୃଦୟବତ୍ତ। ଦ୍ୱାରା ସେ ଶିକ୍ଷାକୁ ଏକ ଅନୁପମ କଳାରେ ରୂପଦାନ କରିବାରେ ସମର୍ଥ ହୋଇଥିଲେ |’’
ମାନବିକତାର ମନ୍ତ୍ରରେ ଦୀକ୍ଷିତ ହୋଇଥିବା ଚିନ୍ତାମଣିଙ୍କ ସମ୍ବନ୍ଧରେ ଡକ୍ଟର ଭାଗିରଥି ନାୟକ ତାଙ୍କର ଅଭିବ୍ୟକ୍ତି ପ୍ରକାଶ କରି କହିଛନ୍ତି – “ସମକାଳୀନ ସମାଜର କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ସହିତ ଯାହା ରୁଚି ଓ ସୁଚିସ୍ନିଗ୍ଧ, ତାହା ହିଁ ଥିଲା ତାଙ୍କ ସୃଷ୍ଟି ତପସ୍ୟାର କଲ୍ୟାଣ ବୀଜ | ବିଶ୍ଵକଲ୍ୟାଣ ଭାବନା ତାଙ୍କ କାବ୍ୟରେ ଯେଭଳି ପ୍ରତିଫଳିତ,ସେହିଭଳି ପ୍ରତିଫଳିତ ଦୁର୍ବିନିତ ଅଶିବ ଶକ୍ତି ବିରୁଦ୍ଧରେ ସଂଗ୍ରାମ କରିବା | ଏକ ପଚନଶୀଳ ସମାଜ ବ୍ୟବସ୍ତା ବିରୁଦ୍ଧରେ ବିଦ୍ରୋହ ଥିଲା,ତାଙ୍କ ଉବ୍ଦ।ତ୍ତ କଥା-ଭାବନାର ମର୍ମବାଣୀ |ତାଙ୍କ କାବ୍ୟ ଚିନ୍ତନ ହେଉଛି ଦୃଶ୍ୟ ମୋହର ବର୍ଣ୍ଣିଳ ପୃଷ୍ଟଭୂମି, ଯାହା ବିଂଶ ଶତକର ପ୍ରଥମ ଭାଗରେ ଥିଲା ଆବଶ୍ୟକତା |”
ବିଶିଷ୍ଟ କବି ଓ ସମାଲୋଚକ ଡଃ ମାୟାଧର ମାନସିଂହଙ୍କ ଭାଷାରେ –“ଓଡିଆ ସାହିତ୍ୟର ଏଯାବାତ୍ ସର୍ବଯୁଗରେ ସର୍ବାଧିକ ସଂଖ୍ୟକ ପୁସ୍ତକର ରଚୟିତା ହେବେ ଚିନ୍ତାମଣି ମହାନ୍ତି | ପ୍ରାୟ ଏକଶତ ଭିନ୍ନ ଭିନ୍ନ ପୁସ୍ତକର ସେ ଲେଖକ | ସମ୍ରାଟ ବିକ୍ରମାଦିତ୍ୟଙ୍କଠୁ ଆରମ୍ଭ କରି ଲଙ୍କାମରିଚ ଓ ଭୂଇଁଚଣା ଚାଷ ପର୍ଯ୍ୟନ୍ତ ,ରବି ବିମ୍ବତଳେ ଏପରି କୌଣସି ବିଷୟ ବୋଧହୁଏ ନାହିଁ , ଯାହା ଉପରେ ସେ କଲମ ଚଳାଇ ନାହାନ୍ତି | ‘ପଖାଳ’,ହଳଦୀ କାଠୁଆ’,’ଟଙ୍କା’ ପ୍ରଭୃତି ଅକାବ୍ୟ ବସ୍ତୁମାନଙ୍କୁ ନେଇ ଯେଉଁ କବିତା ଲେଖି ଯାଇଛନ୍ତି, ଯାହା ପୂର୍ବେ କୌଣସି କବିର କଲ୍ପନାକୁ ମଧ୍ୟ ଆସିନଥିଲା | ସଂସାରର ବୈଚିତ୍ର୍ୟ ଓ ଅସାରତା ବୁଝେଇବା ପାଇଁ ତାଙ୍କର ଗଳ୍ପ କବିତାର ଗୁଚ୍ଛ ‘ବିଶ୍ଵଚିତ୍ର’ ଏକ ଚିତ୍ତାକର୍ଷକାରୀ ପୁସ୍ତକ |”
‘ନନ୍ଦନବନ’ ଓ ‘ପଞ୍ଚବଟୀ’ ନାମରେ ଦୁଇଟି ଗଳ୍ପପୁସ୍ତକ ‘ଯୁଗଳମଠ’ ‘ଶନିସପ୍ତା’, ‘ଟଙ୍କାଗଛ’, ‘ରୂପାଚୂଡି’, ‘ବୁଲାଫକୀର’, ‘ତ୍ରିବେଣୀ’, ‘(୩ଟି ଉପନ୍ୟାସ-ରକ୍ତଦାନ, କଠୋର ପ୍ରତିଶୋଧ ଓ ଯୋଗବିଦ୍ୟା) ଚିନ୍ତାମଣିଙ୍କ ରଚିତ କଥାସାହିତ୍ୟ | ସମାଲୋଚକ ଅଧ୍ୟାପକ ପଠାଣି ପଟ୍ଟନାୟକ ସମୀକ୍ଷକ ଭାବେ ମତ ଦିଅନ୍ତି –“ଗଳ୍ପ ଓ ଉପନ୍ୟାସର ଶିଳ୍ପରୀତି ଯାହା ହେଉନା କାହିଁକି ,ଆଧୁନିକ କ୍ଷୁଦ୍ରଗଳ୍ପର ମାନଦଣ୍ଡରେ ଚିନ୍ତାମଣିଙ୍କ ଗଳ୍ପଗୁଡ଼ିକର ବିଚାର କରିବା ସମୀଚୀନ ହେବ ନାହିଁ
କ୍ଷୁଦ୍ର ରଚନା ପ୍ରତି କବି ଚିନ୍ତାମଣି ପରାଙ୍ମୁଖ ଥିଲେ ହେଁ ଯୁଗଧର୍ମ ପ୍ରବାହରେ ଅନୁପ୍ରାଣିତ ହୋଇ ସେ କେତେ ଗୋଟି ଗଳ୍ପ ରଚନା କରିଥିଲେ | ଏ ଗୁଡିକରୁ ଅଧିକାଂଶ କଳେବର ଦୃଷ୍ଟିରୁ ଅତ୍ୟନ୍ତ ବଡ ଏବଂ ବର୍ଣ୍ଣନାର ବିଳାସରେ ଉପନ୍ୟାସଧର୍ମୀ | ତାଙ୍କ କଥା ସାହିତ୍ୟରେ ଭାବନାର ମୂଲ୍ୟବୋଧ ଏବଂ ସାମାଜିକ ଆବେଦନକୁ କୌଣସି ପାଠକ ଅସ୍ଵୀକାର କରିପାରିବେନାହିଁ |”
ବିଶିଷ୍ଟ ଶିଶୁ ସାହିତ୍ୟିକ ଉଦୟନାଥ ଷଡଙ୍ଗୀ,ଚିନ୍ତାମଣିଙ୍କ ଶିଶୁ ସାହିତ୍ୟକୁ ଅନୁଧ୍ୟାନକରି କହିଛନ୍ତି –“ଚିନ୍ତାମଣି ଏହି ବିଭାଗର ଯେଉଁ ସିଂହଦ୍ଵାର ଫେଡି ଦେଇ ଯାଇଛନ୍ତି, ତବ୍ଦ୍ୱାରା ପରବର୍ତ୍ତୀ ଯୁଗର ବହୁ ଲେଖକ , ସାହିତ୍ୟକ, କବି ରାଜଉଆସ ମଧ୍ୟକୁ ପ୍ରବେଶ କରିବାର ସୁବିଧା ସୁଯୋଗ ପାଇଛନ୍ତି ଏବଂ ତା’ ଫଳରେ ଓଡ଼ିଶାର ଶିଶୁ ସାହିତ୍ୟକୁ ସମୃଦ୍ଧ କରିଛନ୍ତି |” ଏହିସବୁ ବିଶ୍ଲେଷଣରୁ ଜଣାପଡେ କବିଙ୍କର ମାନସିକ ଉଚ୍ଚତା ଏବଂ ତାଙ୍କ ରଚନର ଦିଗ୍ବଳୟ |
କ୍ରମ ଅନୁସାରେ ଚିନ୍ତାମଣିଙ୍କ ଗ୍ରନ୍ଥ ସମୂହର ତାଲିକା | ପଦ୍ୟଗ୍ରନ୍ଥ- ମୋହିନୀ,ଶତଦଳ, ଶଶିପ୍ରଭା (ସମ୍ବଲପୁର ହିତୈଷିଣୀ’ ପତ୍ରିକାରେ ୧୮୯୭ ମସିହାରେ ‘ସୁଲକ୍ଷଣା’ ନାମରେ ଧାରାବାହିକ ରୂପେ ପ୍ରକାଶିତ ହୋଇଥିଲା । ପରେ ୧୯୧୬ମସିହାରେ ‘ଶଶିପ୍ରଭା’ ନାମରେ ପୁସ୍ତକାକାରରେ ପ୍ରକାଶିତ ହେଲା |) ଗଞ୍ଜାମ ଭ୍ରମଣ, ମେଘାସନ,ଶିଶୁପାଳବଧ, ଧରାକୋଟଦର୍ଶନ, ଜନନୀ ରାଜଭକ୍ତି, ଉତ୍କଳକମଳା, ପ୍ରକୃତି,ପେଟିକା ,ସମାଧିକ୍ଷେତ୍ର,ଅଭିଷେକ,ସାଳନ୍ଦୀ,ସପ୍ତରଥି, ଉଦ୍ୟାନଖଣ୍ଡ, ସପ୍ତଶତୀ, ସୁରଙ୍ଗିକବ୍ୟ ,କୈବଲ୍ୟକଣିକା,ବଣମାଳତୀ,ମାତୃପୂଜା(୧୯୧୩ ମସିହାରେ ଲିଖିତ ହୋଇଥିଲା ପରେ ୧୯୧୯ ମସିହାରେ ‘ପତ୍ରପୁଷ୍ପ’ ପୁସ୍ତିକାରେ ଏହା ପ୍ରକାଶ ପାଇଥିଲା) କଳ୍ପନାକୁଞ୍ଜ,ଆର୍ଯ୍ୟବାଳା, ସିଂହରାଜ, ଭାରତଲଳନା, ଫୁଲଡଲା, ତୀର୍ଥବାରି, କଳ୍ପଲତା, ବିକ୍ରମାଦିତ୍ୟ, ବିଶ୍ଵଚିତ୍ର, ମହେନ୍ଦ୍ର, ପ୍ରତିଲେଖ, ମହୋଦଧି, ପତ୍ରପୁଷ୍ପ, ସାନ୍ଧ୍ୟତାରା, ସୁଭଦ୍ରା, ପ୍ରଣୟ ଚିଟାଉ, ଶ୍ରୀମୁକୁନ୍ଦଦେବ, ସେବାବ୍ରତ, ତୁଳସୀମାଳା, ଜଗନ୍ନାଥ ଜଣାଣ,ଶିଶୁଧର୍ମନୀତି ଶିକ୍ଷା, ବ୍ରଜରେଣୁ ,ପୁଷ୍ପବାଟିକା ଖୁଦ ମଳୁଖ,( ଏକପଦ ଦୁଇପଦ ବିଶିଷ୍ଟ ସୁକ୍ତି କବିତା ବିଭିନ୍ନ ସମୟରେ ଲିଖିତ ହୋଇ ପାଣ୍ଡୁଲିପି ଆକାରରେ ଥିଲା, ପରେ ଗ୍ରନ୍ଥାବଳୀରେ ପ୍ରକାଶ ପାଇଲା |) ଉତ୍କଳ ମିଳନ, ଘୁମୁଷର କାବ୍ୟ ଓ ନବୋତ୍କଳ କାବ୍ୟ |
ଗଦ୍ୟ ଗ୍ରନ୍ଥ ପ୍ରକାଶର କ୍ରମ – ସଂଯମ ଶିକ୍ଷା, ନାମ ମାହାତ୍ମ୍ୟ,କୃଷି ପୁସ୍ତକାବଳୀ, ଯୁଗଳମଠ, ବୁଲା ଫକୀର, ପୁଣ୍ୟପୀଠ, ପାଚକ(ଇନ୍ଧନଶିକ୍ଷା), ଚିତ୍ର ମଞ୍ଜୁଷା, ଚିଲିକା ଭ୍ରମଣ, ଯୁଧିଷ୍ଟିର, ଟଙ୍କାଗଛ, ରୂପାଚୁଡି, ତ୍ରିବେଣୀ, ଶନିସପ୍ତା, ବିବିଧ ଚିନ୍ତା,ରାମଚନ୍ଦ୍ର, ଆଲିବାବା, ନନ୍ଦନକାନନ,ଧର୍ମ ଜୀବନ,ବଜପ୍ରହାର;,ବିବିଧ ପ୍ରବନ୍ଧ, କଟକରେ ଚାରିଦିନ, ଜୟପୁର,କଳାହାଣ୍ଡି ଭ୍ରମଣ,ଲାଞ୍ଜିଗଡ ଦର୍ଶନ, ବ୍ୟଞ୍ଜନସୁଧା, ବିଦ୍ୱଷକ,ଧର୍ମ ବିଷୟକ ପ୍ରବନ୍ଧାବଳୀ ,ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୀବନୀ ଓ ଜୀବନ ପଞ୍ଜିକା |
କବିଶେଖର ସୁପୁତ୍ର କବି ଉପେନ୍ଦ୍ର ପ୍ରସାଦ ମହାନ୍ତି ପିତାଙ୍କ ସ୍ମୃତି ଚିହ୍ନ ସ୍ୱରୂପ କବିଙ୍କର ‘ଜୀବନ ପଞ୍ଜିକା’ ପୁସ୍ତକଟିକୁ ଲୋକଲୋଚନକୁ ଆଣିଥିଲେ | କବିଙ୍କ ମହାର୍ଘରଚନାକୁ ଆକଳନ କରିବାକୁ ଯାଇ ସେ ଲେଖିଛନ୍ତି –“କେତେବେଳେ ମହୋଦଧିର ଗୁରୁଗମ୍ଭୀର ଆହ୍ଵାନ ଶୁଣି ସେ ପାଗଳ ହୋଇଛନ୍ତି, କେତେବେଳେ ସିଂହରଜ ବା ମେଘସନର ଅପରୂପ ସୌନ୍ଦର୍ଯ୍ୟ ମଦିରାପାନ କରିବା ଆଶାରେ ସେ ତୃଷାର୍ତ୍ତ ପ୍ରାଣରେ ଧାଇଁଛନ୍ତି, ପୁଣି କେତେବେଳେ ବା ଉଦ୍ୟାନ ଖଣ୍ଡର ଶାନ୍ତ କମନୀୟ ଶୋଭା ତାଙ୍କୁ ଆଦରରେ ନିଜ କୋଳକୁ ଟାଣି ନେଇଛି | କବି ଯେ ପ୍ରକୃତିର ସନ୍ତାନ, ପ୍ରକୃତି ଯେ ତା’ର ଆଦରଣୀୟା ମାତା, ଏହା ଚିନ୍ତାମଣିଙ୍କ ଜୀବନରେ ପରିସ୍ଫୁଟ | ଉତ୍କଳ ପ୍ରକୃତିକୁ ସେ ତନ୍ନ ତନ୍ନ କରି ବୁଝିଛନ୍ତି | ଗିରି ଗଭାମୟୀ କାନନ କୁନ୍ତଳା ଉତ୍କଳମାତାର ମୋହିନୀ ମୂର୍ତ୍ତି ତାଙ୍କଠାରେ କେବଳ ଉପାସନାର ବସ୍ତୁ ନୁହେଁ – ପ୍ରାଣର ପ୍ରିୟଜନ ସଦୃଶ |”
କବି ଚିନ୍ତାମଣି ତାଙ୍କ ପ୍ରତିଭା ପାଇଁ ଏତେ ପରିଚିତ ହୋଇଯାଇଥିଲେ ଯେ, ଏକଦା ତାଙ୍କ ନାମରେ ନିର୍ଦ୍ଦିଷ୍ଟ ଯୁଗର ନାମକରଣ କରିବା ପାଇଁ ଦାବି ହୋଇଥିଲା | ଏହି ପ୍ରସଙ୍ଗରେ ସମାଲୋଚକ ଡଃ ସୁଦର୍ଶନ ଆଚାର୍ଯ୍ୟ ମତ ଦିଅନ୍ତି- “କବିଶେଖରଙ୍କୁ ନେଇ ଓଡ଼ିଆ ସାହିତ୍ୟର ଯୁଗ ବିଭାଗର ପରମ୍ପରାରେ ଏକଦା ରାଧାନାଥଙ୍କ ପରବର୍ତ୍ତୀ ସାହିତ୍ୟ ଯୁଗକୁ ଗଙ୍ଗାଧର ମେହେର ନା ଚିନ୍ତାମଣି ମହାନ୍ତିଙ୍କ ନାମରେ ନାମିତ କରାଯିବ ଦିନେ ଏନେଇ ଏକ ବିବାଦ ମୁଣ୍ଡ ଟେକି ଉଠୁଥିଲା | ସେ ଓଡିଶାର ବହୁ ସ୍ଥାନ ବୁଲିଛନ୍ତି | ସେ ଦେଖିଥିବା ଗୌରବାବହ କୀର୍ତ୍ତିରାଜି ଆଜି ବିଲୁପ୍ତ, ସେ ଶୁଣିଥିବା ଜନଶ୍ରୁତି ଆଜି ଅଶ୍ରୁତ, ସେ ଦେଖିଥିବା ପ୍ରାକୃତିକ ସୌନ୍ଦର୍ଯ୍ୟରାଜି ଆଜି ବିଧ୍ଵସ୍ତ ଏବଂ ସେ ଜାଣିଥିବା ବ୍ୟକ୍ତିମାନେ ଆଜି ବିସ୍ମୃତ | ସେହିପରି ତାଙ୍କ ରଚନାବଳୀ ଦୁର୍ଲଭ |”
ଦିବଂଗତ ସାହିତ୍ୟିକ , କବି, ସମାଲୋଚକ, ଗାଳ୍ପିକ ଅପୂର୍ବ ରଞ୍ଜନ ରାୟ ‘କବିଶେଖର ଚିନ୍ତାମଣି ଗ୍ରନ୍ଥାବଳୀ’ର ପରିକଳ୍ପନା କରିଥିଲେ | ତାଙ୍କରି ଅବର୍ତ୍ତମାନରେ ଓଡିଶା ସାହିତ୍ୟ ଏକାଡେମୀ ଏହି ମହାର୍ଘ କର୍ମର ଦାୟିତ୍ଵ ବହନ କରିଛନ୍ତି | ଶ୍ରୀଯୁକ୍ତ ରାୟଙ୍କର ବିଚାରଧାରାକୁ ପାଥେୟ କରି ଏହି ଅଲେଖ୍ୟଟି ବାଢି ଦିଆଯାଇଛି ଯାହା କବିଶେଖରଙ୍କ ରଚନା, ଜୀବନଦର୍ଶନ ଏବଂ ବିଚାରଧାରା ଉପରେ ଯଥାର୍ଥ ଆଲୋକପାତ କରିପାରିବ | ସିନ୍ଧୁ ଦର୍ଶନ କଲା ଭଳି କବିଙ୍କ ବିପୁଳ ସୃଷ୍ଟିର ସମ୍ଭାର ଭିତରେ ଏହା ସମ୍ୟକ୍ ହେଲେ ମଧ୍ୟ ଆଗାମୀ ଭବିଷ୍ୟତ ପାଇଁ ଏହି ସଂକଳନଟି ଏକ ପ୍ରତୀକାତ୍ମକ ସଙ୍କେତ ବହନ କରିବ | ଶେଷରେ ସାହିତ୍ୟ ଏକାଡେମୀ ସଭାପତି ଶ୍ରୀଯୁକ୍ତ ହରିହର ମିଶ୍ର, ସମ୍ପାଦକ ଅଶ୍ଵିନୀ କୁମାର ମିଶ୍ରଙ୍କର ଆଗ୍ରହ କ୍ରମେ ଏ ମୁଖବନ୍ଧ ଲେଖିବାର ସୁଯୋଗ ଦେଇଥିବାକୁ ମୁଁ ସେମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି |
ରମେଶ ଦାସ
ପ୍ରାକ୍ତନ ପ୍ରାଧ୍ୟାପକ
ବି.ଜେ.ବି ମହାବିଦ୍ୟାଳୟ
ଭୁବନେଶ୍ଵର
ସୂଚୀପତ୍ର
କ୍ଷୁଦ୍ରକବି
ସାଗର
ଧର୍ମ
ଜନ୍ମଭୂମି
ଇନ୍ଦ୍ରଧନୁ
ବସନ୍ତ
ପାନ୍ଥ୍ଶାଳା
ବନ୍ଧୁ
କବି
କବିତା ଦେବୀ
ଶବ୍ଦପୂଜା
ସିନ୍ଧୁ
ଶ୍ରୀମନ୍ଦିର
ଦେବାଳୟର ଅଶ୍ଳୀଳ ଚିତ୍ର
ପୂଜା
ପ୍ରାଣ ବୀଣା
ଆନନ୍ଦ
ପୀଡା
ପଖାଳ
କବି ଭାଗ୍ୟରେ ଅଭିଶାପ
ପ୍ରେମ
ପ୍ରଦୀପ
କିଏ ତୁମ୍ଭେ ଚିହ୍ନିଛ କି ଆପଣକୁ ଆପେ ?
ଦେବତା
ଭକ୍ତି ସାହିତ୍ୟ
ଜଗନ୍ନାଥ ଜଣାଣ
କୈବଲ୍ୟ-କଣିକା
ପୀୟୂଷ-ଧାରା
ଅମୃତ କଥନ
କାବ୍ୟ-ସମ୍ଭାର
ସୁରଙ୍ଗୀ କାବ୍ୟ
ବିଶ୍ଵଚିତ୍ର
ଶଶୀପ୍ରଭା
ଘୁମୁସର କାବ୍ୟ
ମୋହିନୀ
ଉଦ୍ୟାନଖଣ୍ଡ
ଶିଶୁପାଳ-ବଧ
ମୋହିନୀ
ଭ୍ରମଣ-କାବ୍ୟ
ପାଟଣା-କାବ୍ୟ
ପଞ୍ଚଧାନ
ଋଷି- ରାଜ୍ୟ
ପ୍ରବନ୍ଧ ଓ ଅଭିଭାଷଣ
ସାଧନା ସିଦ୍ଧିର ଜନନୀ
ପ୍ରଳାପ
ପଖାଳଭାତ
ପୂଜା
ସ୍ଵାବଲମ୍ବନଶୀଳତା
ଚିରଜୀବୀ
ମାୟା
ବିଚିତ୍ରଲୀଳା
ମନ
ଖୁସି ଗପ
ଉପାର୍ଜନ
ପ୍ରାର୍ଥନା
ପ୍ରଲୋଭନ
ଜପ, ସ୍ତୁତି ଓ ଧ୍ୟାନ
କର୍ମଫଳ
ବାସ୍ତୁବ୍ରହ୍ମ
ଅଭିଭାଷଣ:ଏକ
ଅଭିଭାଷଣ:ଦୁଇ
କଥା ଓ କାହାଣୀ
ମାଧୁରୀ
ବେଦୀ ବାହୁଡା
ଜୀଅନ୍ତା ଭୂତ
ସାରିଆ
ଶୁକ-ଶାରୀ ବିବାହ
ଉପନ୍ୟାସ
ରକ୍ତଦାନ
ଶନିସପ୍ତା
ଭ୍ରମର କାହାଣୀ
ଜୟପୁର
ପୁଣ୍ୟପୀଠ
କଟକରେ ଚାରିଦିନ
କଳାହାଣ୍ଡି-ଭ୍ରମଣ
ଚିଲିକା-ଭ୍ରମଣ
କ୍ଷୁଦ୍ରକବିତା
ସାଗର
କି ଅତ୍ୟନ୍ତ ମହାଶକ୍ତି ଧରୁରେ ସାଗର,
ଇଚ୍ଛାକଲେ ଗ୍ରାସିପାରୁ ଏବେ ଚରାଚର |
ମାତ୍ର ଲଂଘୁ ନାହୁଁ ଗାଁରେ ବେଳାଭୂମି ସୀମା,
ଧନ୍ୟ ତୁହିଁ ସତ୍ୟସନ୍ଧ ଧନ୍ୟ ତୋ ମହିମା |
ରତ୍ନାକର ହେଲେ ସୁଦ୍ଧା ସେ ରତ୍ନା ସହିତ ,
ନାହିଁ ପାରାବାର ତୋର ସଂପର୍କ କିଞ୍ଚିତ |
ତାହା ଯୋଗେ ଆନ ହୁଏ ପୂଜ୍ୟ ଭଗ୍ୟବାନ
ସାଧୁ ସିନା ଅର୍ଜେ ଧନ କରିବାକୁ ଦାନ
ନୋହିଲେ କି ଦାମ୍ବିନୀ ଶୋଷି ତୋର ପୟ,
ରଖନ୍ତା ସଯତ୍ନେ ଗର୍ଭରେ ସଞ୍ଚୟ |
ବିପୁଳ କୁଟୁମ୍ବୀ ସିନ୍ଧୁ, ସର୍ବ ପରିବରେ,
ପାଳୁଅଛୁ ନିତ୍ୟ ତୁହି ସମାନ ପ୍ରକାରେ |
କହ କହ ତୀର୍ଥରାଜ ପ୍ରାଣମନ ସହ,
କାହାକୁ ତୁ ଡାକୁଆଛୁ ଉଚ୍ଚେ ଅହରହ |
କାହା ଭାବେ ତନ୍ମୟ ତୁ ଅସମ୍ଭାଳ ବେଶେ,
ଶୁଭେ କି ତୋ ଡାକ ସେହି ଅନୁଦ୍ଦେଶ୍ୟ ଦେଶେ |
ଡାକୁଥା ଡାକୁଥା ସଦା ଅତି ଉଚ୍ଚ ସ୍ଵରେ
କେବେହେଲେ ଶୁଭିବ ତୋ ଡାକ ନିଶ୍ଚେ ଥରେ |
ଧର୍ମ
ମାନବକୁଳର ଧର୍ମ ପ୍ରଧାନ-ବନ୍ଧନୀ,
କ୍ଷିପ୍ତମନେ ଶାସେ ସେହୁ କମ୍ପାଇ ତର୍ଜନୀ
ବାତୁଳ-ବାରଣ-ମନ ଭ୍ରମେ ଯଥାତଥା,
ଧର୍ମ ତା’ର ତୀକ୍ଷ୍ଣଣଲୌହ ଆଙ୍କୁଶ ସର୍ବଥା |
କାୟମନୋବାକ୍ୟେ ଯେହୁ ପ୍ରତିପଳେ ଧର୍ମ,
ତାହାର ଶରୀରେ ଧର୍ମ ହୁଏ ବଜ୍ରବର୍ମ |
ଅନିତ୍ୟ ପଦାର୍ଥ ନୁହେଁ ଧନପଦେ ଲେଖା,
ଧର୍ମ ନିତ୍ୟ ଅପାର୍ଥିବ ମହାଧନ ଏକା |
ସର୍ବଧର୍ମ ଏକ, ନାହିଁ ପ୍ରବଳ ଦୁର୍ବଳ,
ଲାଗେ କି ଶ୍ଵପଚଗୃହ ଅନଳ ଶୀତଳ|
ମିଳନ୍ତି ମହୀରେ ବହୁ ସଖା ପ୍ରିୟତର,
ମହିରେ ଆବଦ୍ଧ ମାତ୍ର ପ୍ରୀତି ତାହାଙ୍କର
ଧର୍ମ ଏକା ନିତ୍ୟସଖା ଇହ ପରକାଳେ,
ଛାୟା ପ୍ରାୟ ସତତ ସେ ସଙ୍ଗେ ସଙ୍ଗେ ଚାଲେ
ଧର୍ମୋ ପରି ପ୍ରତିଷ୍ଟିତ ଜଗତର ପ୍ରାଣ,
ତା’ ବିନା ସେ ହୋଇଯିବ ଭୀଷଣ ଶ୍ମଶାନ |
ଜନ୍ମଭୂମି
ଜନ୍ମଭୂମି, ଜନୟିତ୍ରୀ ସମାନ ଉଭୟ,
ପୋଷନ୍ତି ସନ୍ତାନେ କରି ନିଜ-ତନୁ-କ୍ଷୟ |
ଉଭୟ ନାମରୁ ହୁଏ ଯେ ରସ ନିଃସୃତ,
କି ଛାର ଅମୃତ ? ତାହା ମର୍ତ୍ତ୍ୟେ ମହାମୃତ |
ମାତୃଭୂମି, କି ବର୍ଣ୍ଣିବି ତୋ ମହାମହିମା,
ବଳଇ ତା’ ସିନା ଦେବି ! ବର୍ଣ୍ଣନାର ସୀମା |
କି ସ୍ଥାବର କି ଜଙ୍ଗମ ତୋ ଦେହୁଁ ଜନ୍ମିଣ,
ହୋଇଯାଉଛନ୍ତି ପୁଣି ଶେଷେ ତହିଁ ଲୀନ |
ସୃଜନ ପାଳନ ନାଶ ଏହି ଦୃଶ୍ୟତ୍ରୟ,
କରୁଅଛୁ ଅନୁକ୍ଷଣ ତୁହି ଅଭିନୟ |
ତୋ ସୃଷ୍ଟର ଦ୍ରବ୍ୟର ତୁହି ଯଥା ରୂପାନ୍ତର,
ତଥା ପ୍ରତିରୂପ ସର୍ବେ ଅଟନ୍ତି ତୋହର |
କେବଣ ରତନ ରେଣୁ ତୋ ରେଣୁ ସମାନ,
ତୁଳନାରେ କଦାଚିତ ନୁହେଁ ମୁଲ୍ୟବାନ |
ନିରନ୍ତର ସମସ୍ତଙ୍କ ଆଶ୍ରୟ ସେ ଯେଣୁ,
ସରି ନୁହେଁ ତାହା ସଙ୍ଗେ କେଉଁ ତୀର୍ଥ-ରେଣୁ |
ତୋହ ଜଳ ତୋହ ବାୟୁ ଶାନ୍ତିସୁଖପ୍ରଦ,
ମଣେ ମୁଁ ନ ଥିବ ସ୍ଵର୍ଗେ ସେ ରୂପ ସମ୍ପଦ |
ଜୀବନେ ମରଣେ ତୁହି ଜୀବର ସମ୍ବଳ,
ତୋ’ ପଦସେବାରେ ମିଳେ ଚତୁର୍ବର୍ଗ ଫଳ |
ଇନ୍ଦ୍ରଧନୁ
କେଡେ ବାହାରିଆ ଦିଶେ ନଭେ ଇନ୍ଦ୍ରଧନୁ,
ସପ୍ତରଙ୍ଗ ସୁରଞ୍ଜିତ ଢଳ ଢଳ ତନୁ
କିପାଇଁ ରଚିଛି କିଏ ଏ ଚାରୁ ତୋରଣା,
ଭାବି ଏହା ମହାଭାବେ ହୁଏ ବୁଦ୍ଧି ବଣା |
ସପତ ମୁରୁଜେ କିବା ଦିଗ ତପସ୍ଵିନୀ,
କାଟିଛି ତ୍ରିବନ୍ଦି-ଚିତା ଭାଲେ ଓଜସ୍ଵିନୀ,
ଏହାର ଉଦୟ ଅସ୍ତ ବାଦ୍ୟସ୍ୱର ପ୍ରାଏ,
ଜାଣି ନୁହେଁ କାହୁଁ ଆସି କାହିଁ ଚାଲିଯାଏ |
ଜୀବନ ସ୍ଫୁଲିଙ୍ଗ ପ୍ରଭା ଦେଖାଇ ଏସନ,
ମୁହୂର୍ତ୍ତକେ କାହିଁ ମିଶି ହୁଏ ଅଦର୍ଶନ |
ଜୀବନ-ପ୍ରଭାତୁ ଧନୁ- ଶୋଭା ଦେଖି ଦେଖି,
ତଥାପି ନ ପାରେ କିପାଁ ଦିଦୃକ୍ଷା ଉପେକ୍ଷି |
ବୁଝିଲ ବୁଝିଲ ଏବେ ବୁଝିଲି ଏ ତତ୍ତ୍ଵ,
ଉଦେ ହୁଏ ଘେନି ସେହୁ ନିତ୍ୟ ନୂତନତ୍ୱ |
ବସନ୍ତ
ମଧୁ, ତୋର ରୂପଗୁଣ ନାମ ମଧୁମେୟ,
ଖିଳ ସୁଷମାର ତୁହି ପରମ ଆଶ୍ରୟ ।
ଫଳେ ଫୁଲେ କିଶଳୟେ ତୋ ଆତ୍ମପ୍ରକାଶ,
ପିକସ୍ଵରେ ଫୁଟିଉଠେ ଗରିମା ଆଭାସ |
ଶୀତଶୀର୍ଣ୍ଣା ଜରାଜୀର୍ଣ୍ଣ ପ୍ରକୃତି ସତୀର
ତୁ ଅଦ୍ଭୁତ ଚିକିକ ମହିମା-ମିହିର |
ଲାଗି ତୋ ଅମୃତ ହସ୍ତୀରେ ଅମୃତହସ୍ତା,
ହୁଏ ସେ ଯୁବତୀ, ବର୍ଜି ସ୍ଥବିର ଅବସ୍ଥା |
ମ୍ରିୟମାଣ ବିଶ୍ଵପ୍ରଣେ, ବିଶ୍ଵବାସି- ପ୍ରାଣେ
ସମର୍ଥ ତୁ ନବଶକ୍ତି ନବାନନ୍ଦ ଦାନେ |
ସୃଷ୍ଟିରାଜ- ପ୍ରତିନିଧି,ଋତୁରାଜ ରୂପେ
ଅବତରି ଢାଳୁ ଶାନ୍ତି ସୃଷ୍ଟି ଲୋମକୂପେ |
ଦୁଇ ଦିନ ସୁଖ ଦେଇ ଚାଲିଯାଉ କାହିଁ
ଜଣାଉ ସଙ୍କେତ ପରା ଚିର ସୁଖ ନାହିଁ |
ପାନ୍ଥଶାଳା
ନ ପୋଷୁ ସଂକୀର୍ଣ୍ଣ ଭାବ ତୁହି ପନ୍ଥାଳୟ,
ଶୁଦ୍ଧ-ସାମ୍ୟ-ନୀତି ସଦା କରିଛୁ ଆଶ୍ରୟ |
ଦୁଃଖୀ ଧନୀ ରୋଗୀ ସୁସ୍ଥ ମୂର୍ଖ ଜ୍ଞାନିଜନେ,
ସମଭାବେ ପରିଚର୍ଯ୍ୟା କରୁ ସଯତନେ
ଦେଖାଉଛୁ ଅଭିନୟ ସଦା ସଂସାରର,
ଆସୁଛନ୍ତି ଯାଉଛନ୍ତି କେତେ ନିରନ୍ତର |
ଦଣ୍ଡେ ପରିଚୟ ପରେ କେ ଯାଉଛି କାହିଁ
କାହାରି ସଂପର୍କ କିଛି କାହା ସଙ୍ଗେ ନାହିଁ |
ଭବ-ପାନ୍ଥଶାଳେ ରୁଣ୍ଡ ତଥା ପରିବାର,
ସକାଳେ ସ୍ଵତନ୍ତ୍ର ଶେଷେ କେ ନୁହେଁ କାହାର |
ମଣନ୍ତି ତୋ ଅଧିକାରୀ ହୋଇଣ କୁଣିଆ,
ହସୁଥାଉ ଦେଖି ତୁ ଏ ବାତୁଳ ପଣିଆ |
ସେ ନୀରବ ମହାହାସ୍ୟ ଦେଖେ ଯେ ମାନବ,
ବୁଝିଛି ସେ ପ୍ରଭୁତ୍ଵର ଅସ୍ଥାୟୀ ଗୌରବ |
ଭ୍ରମେ ଆପଣାର ବୋଲି ମଣେ ତୋର ନର,
ମାତ୍ର ତୁ କାହାର ନୋହୁ , ନିଜେ ତୁ ନିଜର |
ବନ୍ଧୁ
କାହିଁ ଚିରବନ୍ଧୁ, ମହୀ-ଅବନ୍ଧୁ ପ୍ରବାସେ ?
ବାନ୍ଧିପାରେ ହୃଦୟେ, ଯେ ପ୍ରୀତି-ପାଟଡୋରେ
ପକାଇ ଅଫିଟା ଗଣ୍ଠି, କିମ୍ବା ପ୍ରେମ-ମୂଲେ |
ଚିରବନ୍ଧା ରଖେ ପ୍ରାଣ ଯେ ପ୍ରଣୟୀ ପାଶେ,
ସେ ଏକା ପ୍ରକୃତ ବନ୍ଧୁ,ଜୀବନ-ଦୋସରେ,
ଜୀବ ସ୍ବାର୍ଥ, ସଂକୀର୍ଣ୍ଣତା ବା ଦୌର୍ବଲ୍ୟ ଦୋଷେ
ମଳିନ ନୁହେଁ ତା’ ହୃଦ, ଅବା କଳଙ୍କିତ |
ସ୍ବାର୍ଥ ଯା ପ୍ରାଣର ପ୍ରାଣ, ସ୍ବାର୍ଥ ବିନିମୟ
ଯାର ଲକ୍ଷ୍ୟ, ସେ ବନ୍ଧୁତା କୃତ୍ରିମ, ଭଙ୍ଗୁର,
ଉପକାର ଆଦାନର ଆଗତୁରା ଭଡା |
ସଂସାର ବିଚ୍ଛେଦଭୂମି, କାହାରି ବନ୍ଧୁତା,
ନହୁଏ ପୂର୍ଣ୍ଣତାପ୍ରାପ୍ତ ଏଥି କେଉଁ କାଳେ,
ନିସର୍ଗ ବନ୍ଧୁତା ଏକା ଧର୍ମର ବନ୍ଧୁତା,
ଧର୍ମ ବେନି ଲୋକେ ସଙ୍ଗୀ, ପ୍ରକୃତ ବନ୍ଧୁ ସେ |
କବି
ହେ ପ୍ରକୃତିଶିଷ୍ୟ ଧନ୍ୟ ତୁମ୍ଭର ପ୍ରତିଭା,
ଶବଦେ ଶବଦେ ତୁମ୍ଭେ ଦିଅ ଶୁଭବିଭା |
ପ୍ରଭୂତ ପ୍ରବାଳ ଭବେ କଳ୍ପନା ତୁମ୍ଭର,
ଦୁର୍ବାରଗମନା,କ୍ଷଣେ ଭ୍ରମେ ଚରାଚର |
ଆଲୋକ ପବନ ଢଳ ପଶେ ନାହିଁ ଯହିଁ,
ସେ ଅଗମ୍ୟ ସ୍ଥାନୁ ଧନୀ ଆଣେ ବାର୍ତ୍ତା ବହି |
ଫୁଟାଏ ଆକାଶେ ଫୁଲ, ତୋଳେ ଅଟ୍ଟାଳିକା,
କୀଟଦଷ୍ଟ ଶୁଷ୍କବୃକ୍ଷେ ଧରାଏ କଳିକା |
ନୀରସେ ସରସ କରେ କୁତ୍ସିତ ସୁନ୍ଦର,
କାହାକୁ ହସାଏ କା’କୁ କନ୍ଦାଏ ଆକର |
ଚିର ମରୀଚିକା-ବାସ ତପ୍ତ ମରୁସ୍ଥଳେ,
ଶୀତତୋୟା ତରଙ୍ଗିଣୀ ଚଳାଏ ଚଞ୍ଚଳେ |
ଶୋଭେ ତୁମ୍ଭ ଶିରେ କବି, କୀରତି-କିରୀଟ,
ନ ପାରଇ ତାହା କେବେ ଦଂଶି କାଳ-କୀଟ |
କି ଅଦ୍ଭୁତ ଶକ୍ତି ତବ, ଭାରତୀ-ନନ୍ଦନ,
ମର୍ତ୍ତ୍ୟକୁ ଓଟାରି ଆଣ ନନ୍ଦନକାନନ |
ଆକାଶ ସୁନ୍ଦରୀ – ଶମ୍ପା ତୁମ୍ଭରି ଆଦେଶେ,
କୁତୁହଳେ ବସୁଧାରେ ଖେଳେ ନବବେଶେ |
ଯୋଗୀ ରୋଗୀ ପ୍ରାୟ ତୁମ୍ଭେ କୋଳାହଳ-ଦ୍ୱେଷୀ,
ଭ୍ରମ ସଦା ନିକାଞ୍ଚନ ପ୍ରଦେଶ ଅନ୍ଵେଷି |
ଭାବ ଭାଷା ଅଳଙ୍କାର ତବ ପରିକର,
ପୁଣି ତୁମ୍ଭେ ନାନାରସ ଛନ୍ଦର ଆକାର |
ମରଧାମେ କେ ଅମର ତୁମ୍ଭ ପରି କବି,
ନେତ୍ର-ଲୀଳାଭୂମି ତବ ପ୍ରକୃତିର ଛବି |
କଳ୍ପ-ସିଂହାସନେ ତୁମ୍ଭେ ଦୀନବେଶୀ ରାଜା,
ଚିରକାଳ ବାଜୁଥିବ ତବ ନାମେ ବାଜା |
ଆଜୀବନ ମନେ ପ୍ରାଣେ ଜପି ବାଣୀ ନାମ ,
ଅନ୍ତେ ଲଭ ଦେବବନ୍ଦ୍ୟ ସାରସ୍ୱତ ଧାମ |
କି ଗାଇବି ବାଣୀପୁତ୍ର ତବ ଯଶୋଗୀତି,
ନ ଜାଣେ ମୁଁ ଜଡ଼କଣ୍ଠ କବିତାର ରୀତି |
ଧ୍ୟାୟି ତବ ଶକ୍ତି ,ଲଭି ବିସ୍ମୟ ଅପାର,
ସେ ମହାଶକ୍ତିକୁ କରେ କୋଟି ନମସ୍କାର |
କବିତା ଦେବୀ
କବିର ମାନସ-କନ୍ୟା ଗୋ କବିତା ଦେବୀ,
ସର୍ବାଙ୍ଗ ସୁନ୍ଦରୀ ତୁମ୍ଭେ କି ଉପମା ଦେବି |
ଶବ୍ଦମୟୀ ତୁମ୍ଭେ, ତୁମ୍ଭ ଶରୀର ଶବ୍ଦ,
ମସ୍ତକ ନିଶ୍ଚୟ ରସ, ଯଦି ହସ୍ତପଦ |
ଭାବ ପ୍ରାଣ, ଅଳଙ୍କାର ଭୂଷଣ ଅଙ୍ଗର,
ମଧୁର ଶାଶ୍ଵତୀ ଶୋଭା ଛନ୍ଦ ମିତ୍ରାକ୍ଷର |
ରଖିଛ ସମ୍ପାଦି କବି-କଳ୍ପନା-ସମ୍ପଦ ,
ଇହେ ପରେ ମାନବର ଯାହା ଶିବପ୍ରଦ |
ମୋହିପାର ତୁମ୍ଭେ ସର୍ବ ମନ ସର୍ବ ଶ୍ରୁତି,
ଲାଗିଛି ସଂସାରେ ସଦା ତୁମ୍ଭର ଆବୃତ୍ତି |
ଆଦିକବି ବିଧାତାଙ୍କ ମାନସ- କଳ୍ପିତ
ଏ ବିରାଟ ବିଶ୍ଵକାବ୍ୟ କବିତା ପୂରିତ |
ଗାଉଛି ସମୀର ମୃଦୁ, ସୂରୁ,ସ୍ଵରୁ ସ୍ୱରେ,
ଗାବନ୍ତି ବାରିଦମାଳା ସୁନୀଳ ଅମ୍ବରେ |
ସାଗର ସହିତ ନଦୀ ସାଗର-ବନିତା,
ଗାବନ୍ତି ସତତ ମହା ଅମର କବିତା |
ବଂଶୀ-ବିନିନ୍ଦିତ ସ୍ୱରେ ଗାଏ ଗିରିଗୁହା,
ଗାଉଛି ନିର୍ଝର ବିଶ୍ଵ-ଗ୍ରନ୍ଥକର୍ତ୍ତା ଦୁହା |
ଗାଆନ୍ତି ଅବୋଧ୍ୟ ସ୍ୱରେ ବିହଙ୍ଗମପନ୍ତି,
ଆବର ଜଗତେ ଯହିଁ ଯେତେ ଜୀବ ଛନ୍ତି |
ବିଶ୍ଵ ପ୍ରତିରନ୍ଧ୍ରେ ଦେବି, ତୁମ୍ଭେ ବିଦ୍ୟମାନ,
କୋଟି ଧନ୍ୟ ଶକ୍ତି ତବ ଅନନ୍ତ ମହାନ |
ଶବ୍ଦପୂଜା
ବସ ମା’ ମାନସ-ହଂସେ ଦେବୀ ଶ୍ଵେତଭୁଜା ,
ଅର୍ପିବି ପୟରେ ତବ ଦ୍ରବ୍ୟହୀନ ପୂଜା ।
ସ୍ୱଭାବେ ମୁଁ ଦୀନ , ଦ୍ରବ୍ୟ ପାଇବି ବା କାହୁଁ,
ଧରିଛି ଆକଟି ଦୈନ୍ୟ ଭିଡି ବେନି ବାହୁ |
ଶବ୍ଦମୟି, ଶବ୍ଦେ ଆଜି ପୂଜି ତବ ପାଦ ,
ଲଭିବି ବାଳକ ପ୍ରାୟ ଆତ୍ମ-ପରସାଦ |
ସଜାଡିବି ଶ୍ରଦ୍ଧାଭରେ ଶବ୍ଦେ ଅର୍ଘ୍ୟଥାଳୀ,
ଶବ୍ଦ-ଗଙ୍ଗାଜଳେ ଦେବି ପୟର ପଖାଳି |
ଶବ୍ଦ ହେବ ଧୂପଦୀପ ଶବ୍ଦ ହିଁ ଆସନ,
ଶବ୍ଦ ଏକ ଅହ୍ମଣିଆ କୁସୁମ ଚନ୍ଦନ |
ମଙ୍ଗଳ ଆଳତି ସୁଦ୍ଧା କରିବି ଶବଦେ,
ଭେଟି ରୂପେ ସମର୍ପିବି ନିଜକୁ ତୋ ପଦେ |
କେବଳ ଏତିକି ଭିକ୍ଷା ଶକ୍ତି ସନତନି !
ଉଠୁ ମୋ’ ହୃଦୟୁ ତବ ବୀଣା ପ୍ରତିଧ୍ଵନି |
ସିନ୍ଧୁ
କି ପୁଣ୍ୟ ଅନନ୍ତ ବେଦ ଦୁର୍ବୋଧ୍ୟ ଭାଷାରେ
କରୁଛୁ ଆବୃତ୍ତି ସିନ୍ଧୁ , କେବଣ ଆଶାରେ ?
ତରଙ୍ଗ ଆକାରେ ଭାବ ବୁଲୁଅଛି ଖେଳି ,
ଖଣ୍ଡିବୁ ସେ ଭାବେ କାହା ଅଜ୍ଞାନ-କୁହେଳୀ ?
ବିପୁଳ ବିସ୍ତୃତ ତୋର ବୁଡାଇଛି ଆଡି,
ବିଲୋଚନମାତ୍ରେ ପଡେ ନୟନ ପିଞ୍ଛାଡି |
ଏହି ତ ତୋ ବିଶେଷତ୍ଵ, ପ୍ରଦାନେ ଜଗତେ,
ସଂଯମର ମହାଦୀକ୍ଷା ଚିର ଅବିରତେ |
ବୁଝିଲି ତୋ ଭାବ , ତୁହି ଅଥୟ ପ୍ରେମରେ ,
ଗାଢେ ଆଲିଙ୍ଗନ ଆଶେ ଅନନ୍ତ ଅମ୍ବରେ,
ରହିଛୁ ପ୍ରସାରି ବାହୁ ଯୁଗ ଯୁଗାନ୍ତରୁ
ଲଭିବୁ ତୁ ମିଳନର ବାଞ୍ଛା-କଳ୍ପତରୁ |
ଆକାଶର ସମଧର୍ମୀ ତୁ ମହାସାଧକ,
‘ଯୋଗ୍ୟେ ଯୋଗ୍ୟେ ଚିହ୍ନେ ସିନା’ ଏ ବାଣୀ ସାର୍ଥକ |
ଶ୍ରୀମନ୍ଦିର
ଏ କି ଦେବାଳୟ, ନା,ନା ,ପୁଣ୍ୟ ଉତ୍କଳର
ମହିମାର ମାନଦଣ୍ଡ ସୁବିଶାଳତର |
ଏହାର ପ୍ର ତ୍ୟେକ ଶିଳା ପ୍ରତ୍ୟେକ ଇଷ୍ଟକ
ଜାତୀୟ-ଗୌରବ-ଧନ-ମହାର୍ହ-ହୀରକ |
ବ୍ୟକ୍ତ କରି ଗତ ସ୍ମୃତି ଅବ୍ୟକ୍ତ ଭାଷାରେ
ବର୍ଷୁଛି ସାନ୍ତ୍ଵନା-ସୁଧା ମୁମୂର୍ଷୂ ଆଶାରେ |
ବିକ୍ଷିପ୍ତ ବିରାଟ ଅଙ୍ଗେ କେତେ ଇତିହାସ,
ଆଣେ ପ୍ରାଣେ ଯୁଗପତ ମହୋଲ୍ଲାସ ପ୍ରାସ |
ଧନ୍ୟ ଶିଳ୍ପୀ , ଦର୍ଶ।ଇଛି ଏଥି ଦେହ ଚିତ୍ର,
ବାହ୍ୟେ ରକ୍ତ ମାଂସ ଅସ୍ଥି ବୀଭତ୍ସ ଘୃଣିତ |
ବିଜେ ଆତ୍ମାରୂପୀ ବ୍ରହ୍ମ ମନ୍ଦିର ଭିତରେ ,
ଅଙ୍କିତ ଏ ମହାଲେଖ୍ୟ ଜୀବନ୍ତ ସତ୍ୟରେ |
ସ୍ୱର୍ଗ ମର୍ତ୍ତ୍ୟ ଯୋଗସ୍ତମ୍ଭ ଏ ଦେଉଳବର ,
ଜାତୀୟ ଉନ୍ମେଷ ଦିନେ ଆଣିବ ନିକର |
ଦେବାଳୟର ଅଶ୍ଲୀଳ ଚିତ୍ର
ଅଶ୍ଲୀଳ ଅଶ୍ଲୀଳ ବୃଥା ପଡୁଅଛି ହୁରି
କେ ଅଶ୍ଲୀଳ, ଏ ଯେ ଗୂଢ ଜ୍ଞାନର ଚାତୁରୀ ।
ନୀରବେ କହୁଛି ଚିତ୍ର ଶୁଣ ଯାତ୍ରିଗଣ ,
ଇଚ୍ଛା ଯଦି କରିବାକୁ ଦେବତା ଦର୍ଶନ ,
ତେଜି ତେବେ ଜ୍ଞାନଦର୍ପ ,ଅଭିମାନ ଦୀକ୍ଷା
ଦିଅ ଆଗେ ଏହିଠାରେ ସଂଯମ ପରୀକ୍ଷା ।
ହେବ ଯଦି ଅଧିକାରୀ ,ନିର୍ଭୟ ଚିତ୍ତରେ
ପ୍ରବେଶିବ ତେବେ ଯାଇ ମନ୍ଦିର ଭିତରେ ।
ନ କଲେ ପବିତ୍ର ଆତ୍ମା, ଇନ୍ଦ୍ରିୟ ଦମନ,
କେବେ କାହିଁ ଘଟେ ନାହିଁ ଦେବ ଦରଶନ ।
ଗ୍ରାମ୍ୟ ସୁଖେ ଦେହ ମନ ଯାର କଳୁଷିତ ,
ବାହାରେ ନିର୍ମଳ ଯେହୁ ଅନ୍ତରେ କୁତ୍ସିତ ।
ବିଷୟ-ପରଳେ ଯାର ମୁଦ୍ରିତ ନୟନ,
ନୁହେଁ ସେ କଦାପି ଦେବ –ଦର୍ଶନେ ଭାଜନ ।
ପୂଜା
ମାତୃ ମହାମନ୍ତ୍ର ଉଚ୍ଚାରି ଉଚ୍ଚରେ
ମାତିଛି ମାତୃପୂଜାର ,
ମାଆ ମାଆ ବୋଲି କି ହେବ ଡାକିଲେ
ବରଷକେ ମାତ୍ର ବାରେ ।
ଜନନୀ କଷଣ ମାନସ –ନୟନେ
ଦେଖୁଛ କି କେହି ଚାହିଁ ,
ବର୍ଷାନ୍ତରେ ଥରେ ଧୋଇଦେଲେ ଦୁଷ୍ଟ
କ୍ଷତ ବା ଶୁଖିବ କାହିଁ ।
ଆଣ ମାତୃପୀଡା ନିଜ ଶରୀରକୁ
ଜପ ସଦା ମାତୃନାମ ,
ସେହି ମୁକ୍ତିମନ୍ତ୍ର ସେହି ଶକ୍ତି ତନ୍ତ୍ର
ସେହି ଗତି ତୀର୍ଥଧାମ ।
ଡାକିଲେ ଡାକିବା - ଭଳି ଯନନୀକି
ଆତ୍ମାରେ ମିଶାଇ ବ୍ୟଥା ,
ସ୍ନେହ –ପ୍ରସ୍ରବଣ ମାତୃପ୍ରାଣ ସ୍ଥିର
ହେବ କି ନ କହି କଥା ।
ମନ ଦେଇ ସଦା ଏଣେ ତେଣେ , ହାତ
ପାତିଲେ ଗୁଣିଆଣୀକି ,
ବଳେ ବଳେ ଆଣି ଅଞ୍ଜଳି ଭରି ସେ
ଖଜାମୁଆଁ ଦେବଟିକି ।
ପ୍ରାଣ ବୀଣା
ବାଜ ବାଜ ବୀଣା ବାଜ ଉଚ୍ଚସ୍ୱରେ
ଉଠାଇ ମୂର୍ଚ୍ଛନା ମଧୁରତର,
କେତେ ମୁଁ ମାଜିବି ପୁରୁଣା ତାରକୁ
ଛିଡିଯିବ କାଳେ ମାଡୁଛି ଡର ।
ନ ବାଜି ଧୌବତେ ବାଜରେ ପଞ୍ଚମେ
କର ପରିତୃପ୍ତ ଶ୍ରୋତା –ଶ୍ରବଣ,
ନ ବାଜିବୁ ଯେବେ ଅବାଧ୍ୟ ପଣରେ
ସହିବୁ ରଞ୍ଜନ ତୀବ୍ର ଘର୍ଷଣ ।
ଛିଡିଗଲେ ତୋର ଜୀର୍ଣ୍ଣ ଶୀର୍ଣ୍ଣ ତାର
ମାଟିରେ ଯିବ ତୋ ସତ୍ତା ମିଳାଇ ,
ସରି ଆସୁଅଛି ପଶ୍ଚିମ ଜୀବନ
ଅନା ଅନା ଥରେ ପଛକୁ ଚାହିଁ ।
ବେଳ ଥାଉଁ ଥାଉଁ ହୁଅ ସଜାଗ୍ରତ
ନ ମଣରେ ଆଉ ହିତକୁ ପିତା ,
ଗାଇ ଯା ଗାଇ ଯା ପ୍ରାଣମୟ ସ୍ୱରେ
ଆଜୀବନ ପୋଷା ଆଶା –କବିତା ।
ନିଅରେ ମେଣ୍ଟାଇ ମନ ଆରିମାନ
ଧରି ଜନ –ସେବା ପାବନ ବୃତ୍ତି ,
ମିଶିଯିବ ମୂର୍ତ୍ତି ମହାକାଳ ନୀରେ
ଭାସୁଥିବ ସଦା ସୁଗୁଣ ସ୍ମୁତି ।
ଆନନ୍ଦ
ପରମ ଆନନ୍ଦ ଲାଭ ସୁବନ୍ଧୁ ମିଳନେ ,
ଅନାଥ –ଆତୁର –ଦୁଃଖି –ଦୁଃଖାପନୋଦନେ ।
ସାଧୁ ସଜ୍ଜନଙ୍କ ସେବା , ଶିଷ୍ୟ ଶିକ୍ଷାଦାନ ,
ସୁଗ୍ରନ୍ଥ ପଠନ, ପୂଣ୍ୟ –ଆନନ୍ଦ –ନିଦାନ ।
ପ୍ରାଣପଣେ ନିରତେ ଯେ ସ୍ଵୀୟ କର୍ତ୍ତବ୍ୟରେ
ଆନନ୍ଦ –ନନ୍ଦନ –ବନେ ନିତ୍ୟ ସେ ବିହରେ ।
ନ ଭୁଞ୍ଜି ଅପରେ ଅର୍ପେ ପୁଷ୍ପ ମକରନ୍ଦ ,
ଭୋଗରେ ଆନନ୍ଦ ନାହିଁ –ତ୍ୟାଗରେ ଆନନ୍ଦ ।
ରିପୁଶୂନ୍ୟ , ନିରିନ୍ଦ୍ରିୟ ଯେଉଁ ଭାଗ୍ୟଧର ,
ଆନନ୍ଦ ସତତ ତା’ର ପୟରେ କୋୟର ।
ଉତ୍ସବର ପୂର୍ବ ଦିନେ ସତ୍କାର୍ୟ୍ୟ ଶେଷରେ ,
ସ୍ଵଭାବତଃ ହୃଦୟରେ ଆନନ୍ଦ ସଞ୍ଚାରେ ।
ଭାଗ୍ୟଦୋଷ ନିର୍ବାସିତ ଆଶାହୀନ ଜନ ,
ଦୈବବଶେ ଦେଖେ ଯେବେ ସ୍ଵଦେଶ ବଦନ ,
ଯେ ଆନନ୍ଦ ଉଛୁଳେ ତା’ ବିଶୁଷ୍କ ଅନ୍ତରେ ,
ସେଭଳି ଆନନ୍ଦ ପ୍ରାୟ ନ ଥିବ ସ୍ୱର୍ଗରେ ।
ବହୁ ଦୂର ନିବସେ ଯେ ଏକାକୀ ପ୍ରବାସେ ,
ମିଳିଲେ ଆତ୍ମୀୟ ଜନ ଆସି ତାହା ପାଶେ ,
ଲଭେ ସେ ଯେ ମହାନନ୍ଦ , ଅପହୃତ ଆଶା,
ସେ ଆନନ୍ଦ ପ୍ରକାଶର ନାହିଁ ଯୋଗ୍ୟ ଭାଷା ।
ପୀଡା
ପରମ ସହଚରୀ ତୁହି ଲୋ ପୀଡା ,
ଆବାଲ୍ୟୁ ହୋଇଛୁ ମୋ ହୃଦୟେ ଛିଡା ।
ବିଧାତା ମୋ ସହିତ ତୋତେ ପେତୁଣି ,
କରିଦେଇଛି ଚିରସଙ୍ଗିନୀ ପୁଣି ।
ଶୋଷିଲୁ ତୁହି ମୋର ଜୀବନ ବଳ ,
ଉତ୍ସାହ କ୍ରମେ କ୍ରମେ କଲୁ କବଳ ।
ଦୁଖଃ ଦହନେ ପୁଣି ସଦା ସନ୍ତୁଳି
ରଖିଛୁ କରି ମୋତେ କ୍ରୀଡାପିତୁଳି ।
ଅସହ୍ୟ ହୁଏ ଯେବେ ତୋ ଆକ୍ରମଣ ,
ପଶେ ମୁଁ ମାତୃଭାଷା ପଦେ ଶରଣ ।
ପାସୋରେ ତୋ ଯନ୍ତ୍ରଣା ତାଙ୍କ ଅଶ୍ଵାସେ ,
କିବା ସ୍ୱଗୃହେ କିମ୍ବା ଦୂର ପ୍ରବାସେ ।
ଔଷଧ ନ ପାରିଲା ତୋତେ ଶାସନି ,
ଭବେ ଦୁର୍ଜୟା ତୁହି ଯଥା ଅଶନି ।
ପରାସ୍ତ ଏକା ଭାଷା ଜନନୀ ପାଶେ
ଦୁର୍ବୃତ୍ତ ବୃଷେ ସିନା କୃଷକ ଶାସେ ।
ପକ୍ଷାନ୍ତେ କଲୁ ବହୁ ହିତ ମୋହର ,
ତୋ ଅଭିଶାପ ହେଲା ମୋ ଭାଗ୍ୟ ବର ।
ଲଗାଇ ନ ଥିଲେ ତୁ ଚିରବିବାଦ ,
ଲଭନ୍ତି କାହୁଁ ମୁହିଁ ଭାରତୀ –ପାଦ ।
ପଖାଳ
ପଖାଳ ଉତ୍କଳେ ସଞ୍ଜିବନୀ –ସୁଧା ,
ହରେ ଏକ କାଳେ କ୍ଳାନ୍ତି ତୃଷ୍ଣା କ୍ଷୁଧା ।
ମଧୁର ଶୀତଳ ପରିପୁଷ୍ଟିକାର,
ଯଥା ବିଜ୍ଞ ଜନ ଲଘୁ ତିରସ୍କାର ।
ଓଡିଆ ଜାତିର ପରମ ସମ୍ବଳ ,
ବହେ ତରଳାଙ୍ଗେ ଅମାନୁଷୀ ବଳ ।
ବର୍ଣ୍ଣ ନୁହେଁ ତା’ର ମହିମାର ଟେକ ।
ଗଙ୍ଗା ଗୋଦାବରୀ କରିଥିଲା ଏକ ।
ନୁହେ ଅତି ସ୍ତୁତି , ଆଣ୍ଠୁ ତୁ ପଖାଳ ,
ଜୀବନ –ସାୟାହ୍ନେ ଜୀବନ –ସକାଳ ।
କୋହରି ପ୍ରସାଦେ ଦରିଦ୍ର ମାନବ
ଭୁଞ୍ଜେ ଶାନ୍ତି –ପ୍ରୀତି ସାଫଲ୍ୟ –ଗୌରବ ।
ଦେଖାଇ ସାହିତ୍ୟଶିଳ୍ଳ୍ପାଦି ସମ୍ପଦ
କରିଥିଲୁ କାଳେ ଜଗତେ ସ୍ତବଧ ।
ଜୀବନ ଅଦୃଷ୍ଟ ମସ୍ତିଷ୍କ ଗଠନ ,
ତିନି କାର୍ଯ୍ୟ ତୁହି ନିର୍ବାହେ ଭାଜନ ।
ଉତ୍କଳ କରଣୀ ଉତ୍କଳର କୀର୍ତ୍ତି ,
ପ୍ରତ୍ୟେକରେ ତୋର ପୂର୍ଣ୍ଣ ଅବସ୍ଥିତି ।
ଅସମ୍ମାନ କଲେ ତୋ ମହା ମହତ୍ତ୍ଵ ,
ଉତ୍କଳର ଯିବ ସରି , ଉତ୍କଳତ୍ଵ ।
କବି ଭାଗ୍ୟରେ ଅଭିଶାପ
ଉତ୍କଳ କବିଙ୍କ ଭାଗ୍ୟେ ଏ କି ଅଭିଶାପ
ନାହିଁ ଆନ ଲାଭ , ଲାଭ ଦୁଖଃ ମନସ୍ତାପ ।
ଦେଇଛନ୍ତି ଏ ଦେଶକୁ ଶାପ କେଉଁ ଦେବ ,
ଯେ ସବିବ ବାଣୀପଦ ସେ ଦରିଦ୍ର ହେବ ।
ଶୋଷିବେ ଶୋଣିତ ତା’ର ସଦା ରୋଗ ଶୋକ ,
କଠୋର ଶୋଷଣେ ଯଥା ଶୋଷେ କ୍ରୂର ଜୋକ ।
ତାହା ଦଗ୍ଧ ଦୂରଦୃଷ୍ଟେ ଯଶ ମାନ ଧନ ,
ପ୍ରଦାନ ବିଷୟେ ବିହି ଏକାନ୍ତ କୃପଣ ।
ଅନର୍ଗଳ ଗାଳି ନିନ୍ଦା ଦାରିଦ୍ର୍ୟ ଆବର ,
ଏ ଦେଶ କବିଙ୍କ ଚିର ପ୍ରିୟ ସହଚର ।
ଜାଳିଣ ଉଦର –ଚିନ୍ତା କବି ହୃଦେ ଚିତା ,
ପୋଡି ଭସ୍ମ କରିଦିଏ ଆସନ୍ନ କବିତା ।
ଧୌର୍ଯ୍ୟ –ଜଳ ସିଞ୍ଚି ତହିଁ ବହୁ କଷ୍ଟେ କବି,
କଳ୍ପନା –ତୁଳିକା ଧରି ଅଙ୍କେ ନବ ଛବି ।
ଅଭାବ ଗ୍ରାହକ କିନ୍ତୁ ଦେଖିବାକୁ ତାହା ,
ଦେଖିଲେ ହେଁ କେହି ମୂଲ୍ୟ ନ ବୁଝନ୍ତି ଆହା !
ନ ବୁଝୁନ୍ତୁ ପଛେ, ଦିନେ ବୁଝିବେ ନିଶ୍ଚୟ ,
ସେ ଦିନ ରଟିବା ଧ୍ଵନି କବି ନାମେ ଜୟ ।
କବି-ପ୍ରତିଭାର ହେବ ସେ ଦିନ ଆଦର ,
ଅର୍ପିବେ ତାହାଙ୍କୁ ପୂଜା ସର୍ବ ନାରୀନର ।
ବୁଝିବେ କୋବିଦେ କବି –କାବ୍ୟରସାସ୍ଵାଦ,
ଉଠିବ କବିଙ୍କ ନାମେ ଉଚ୍ଚେ ଧନ୍ୟବାଦ ।
ପ୍ରେମ
ମହାବଳୀ ପ୍ରେମ ଜଗଜ୍ଜୟୀ ବୀର,
ହେଳେ ଭେଦ କରେ ସକଳ ଶରୀର ।
ତୁଚ୍ଛା ହାତେ ପ୍ରେମ ନିଏ ମନ କିଣି,
ଶତ ବାଧାବିଘ୍ନ ଲବେ ପାରେ ଜିଣି ।
ଥାଉ ଆନ ବାଧା ଜଳେ ବା ଅନଳେ
ନିର୍ଭଯେ ପଶଇ ଅପୂର୍ବ କୌଶଳେ ।
ଅଦ୍ଭୁତେ ବିଦ୍ୟା ଜାଣେ ପ୍ରେମଚୋର ,
ଅଲକ୍ଷ୍ୟେ ବାନ୍ଧଇ ଗୋଡ ମାୟା–ଡୋର ।
ଜଳ ପ୍ରଭଞ୍ଜନ ନ ପଶଇ ଯହିଁ ,
ପ୍ରେମ ପଶି ତହିଁ ରାଜତ୍ଵ କରଇ ।
ବିଚିତ୍ର କରଣୀ ତା’ର ଅତିଶୟ,
ପରେ ପରେ ଦିଏ କରି ପରିଚୟ ।
ନଥାଉ ପଛକେ ଥରେ ଦେଖାଚୁହାଁ ,
ଘଡିକେ କରଇ ପ୍ରେମ ଏକମୁହାଁ ।
ରୋଗ ଶଯ୍ୟାଶାୟୀ ଅତୀବ ଦୁର୍ବଳ ,
ପ୍ରେମ ପ୍ରଭାବରେ ହୁଏ ସେ ପ୍ରବଳ ।
ମାନେ ନାହିଁ ପ୍ରେମ ଜାତିକୁଳ ମାନ ,
କିମ୍ବା ଲୋକଲଜ୍ଜା ସାଧ୍ୱସ ମହାନ ।
ଅସାଧ୍ୟ ସାଧନ ଅଟେ ତା’ ଧରମ ,
ପାଷାଣେ ତରଳ କରଣେ ସେ କ୍ଷମ ।
ମାନବ ଦାନବ ଭୂଚର ଖେଚର ,
ସର୍ବେ ଚାଟ ଏକା ପ୍ରେମ ଗୁରୁଙ୍କର ।
ସର୍ବ ଶାସ୍ତ୍ରଜ୍ଞାତା ମହାଜ୍ଞାନବାନ
ପ୍ରେମଫାନ୍ଦେ ପଡି ହୁଏ ହତଜ୍ଞାନ ।
ଯେଉଁ ଅଗ୍ନି ସେହୁ ଦିଏ ହୃଦେ ଜାଳି,
ସପ୍ତସିନ୍ଧୁ –ନୀରେ ନୁହେଁ ତା’ ସମ୍ଭାଳି ।
ଅମୂଲ୍ୟ ଜୀବନ ପ୍ରେମ ପାଶେ ଛାର,
ଅତୀବ ଇତର, ନୁହେଁ ଦ୍ଵିକଡାର ।
ଏହି ପ୍ରେମ ଘେନି ନନ୍ଦିକା ସୁନ୍ଦରୀ,
ପୁଣି ହେମାଚଳେ ଗୌରୀ କୃଶୋଦରୀ ,
ଭୀରୁ ନାମ ବହି ନ ମାନି ଅନ୍ଧାର ,
ନିଶା ଅର୍ଦ୍ଧଯାମେ ହୋଇଣ ବାହାରେ ।
ଲଙ୍ଘି କୁଳମାନ - ମର୍ଯ୍ୟାଦା ନିକର
ଜୀବନ ଦେବାକୁ ନୋହିଲେ କାତର ।
ସ୍ବାର୍ଥପ୍ରେମ ଏହା ନୁହେଁ ବିଶ୍ଵପ୍ରେମ,
ଗୁଞ୍ଜ ସଙ୍ଗେ କାହିଁ ତୁଳା ଶୁଦ୍ଧ ହେବ !
ଭାଗବତ-ପ୍ରେମ ପ୍ରେମ ମଧ୍ୟେ ସାର,
ପ୍ରସ୍ତର ମଧ୍ୟରେ ହୀରକ ପ୍ରକାର ।
ଶ୍ରୀ ଶଙ୍କରାଚାର୍ଯ୍ୟ ଚଇତନ୍ୟ ବୁଦ୍ଧ,
ଧରି ଯେଉଁ ପ୍ରେମ ଅମ୍ଳାନ ବିଶୁଦ୍ଧ,
ନିଜେ ମାତି ତହିଁ ମତାଇ ଅପରେ
ରଖିଲେ ବିମଳ କୀର୍ତ୍ତି ଚରାଚରେ,
ସେହି ପ୍ରେମ ଏକା ମହିରେ ଅତୁଳ
ଆନ ପ୍ରେମ ମାୟା ବିପଦର ମୂଳ ।
ପ୍ରଦୀପ
ଅନ୍ଧକାରହାରୀ ତୁହି ଅଟୁରେ ପ୍ରଦୀପ ,
ସଂସାରେ ସକଳ ଲୋକେ ରଣୀ ତୋ ସମୀପ ।
ଅନ୍ୟର ଗମନ ପଥ କରୁ ତୁ ଉଜ୍ଜ୍ଵଳ,
ମାତ୍ର ଘୋର ଅନ୍ଧକାର ବ୍ୟାପ୍ତ ତୋର ତଳ ।
ସ୍ବାର୍ଥ ଲେଶ ନାହିଁ ତୋର ଆଦର୍ଶ ଜୀବନେ,
ପାଳୁଛୁ ପ୍ରଭୁଙ୍କ ଆଜ୍ଞା ସଦା ସ୍ଥିର ମନେ ।
ତୋ ଯୋଗୁଁ ଆଲୋକେ ତମଃ ହୁଏ ପରିଣତ,
ପାରିବୁ କି ପୂର୍ଣ୍ଣ କରି ମୋର ମନୋରଥ ।
ଭୀଷଣ ତମସାଚ୍ଛନ୍ନ ମୋ ଜୀବନ-ରାହା ,
ତୋ ଆଲୋକେ ଆଲୋକିତ ହେବକିରେ ତାହା ?
ନାହିଁରେ ପ୍ରଦୀପ ତୋର ସେ କ୍ଷମତା ଏକା,
କେବଳ ତହିଁକି କ୍ଷମ ଧର୍ମାଲୋକରେଖା ।
ଖର ବାତେ କିମ୍ବା ନର କରାଘାତ ବାତେ,
ନିର୍ବାଣ ଅବସ୍ଥା ତୁହି ଭଜୁ ଅକସ୍ମାତେ ।
ସେହି ପରା ତୋର ଗୂଢ ଉପଦେଶ ସାର,
“ପ୍ରଚ୍ଛନ୍ନେ ନିୟତି ହୃଦ କରିବ ଅନ୍ଧାର ।’’
ଜୀବନ-ପ୍ରଦୀପ ଶିଖା ନିଭିଯିବ ଖରେ ,
କ୍ରୂର କାଳ-ଚିମିଣୀର ପକ୍ଷ ଆଘାତରେ ।
ମୋ ଜୀବନେ ପ୍ରତିବିମ୍ବୁ ତୋ ନିଗୂଢ ନୀତି,
ଜାଗୁ ସଦା ମନେ ବିଶ୍ଵ ଉପକାର ପ୍ରୀତି ।
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ମହତୀର୍ଥ ମହାସ୍ୱର୍ଗ ଉତ୍କଳ ପ୍ରଦେଶ,
ବିହରନ୍ତି ସଦା ଯହିଁ ହଳୀ ହୃଷୀକେଶ,
ଜନ୍ମିଲେ ଯା ’ ଅଙ୍କେ ତୁମ୍ଭ ବାପେ ଗୋସବାପେ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ସୁଧାକଳ୍ପ ପୃଷ୍ଟିକର ଯାର ଜଳବାୟୁ
ପ୍ରବର୍ନ୍ଧନ କରେ ନିତ୍ୟ ଜୀବ ପରମାୟୁ ,
ଏକାଳେ ସେ ଅବନତ ତୀବ୍ର ବହ୍ମଶାପେ ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ବିଶୁଦ୍ଧ ଓଡିଆ ପୂର୍ବ ପୁରୁଷେ ତୁମ୍ଭର,
ଆକୁମାରୀ ହିମାଳୟ ହୋଇ ଥରହର,
କମ୍ପି ଉଠୁଥିଲା ଦିନେ ତାହାଙ୍କ ପ୍ରତାପେ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ପୂଣ୍ୟପୂତ ଦେବସ୍ତୁତ ସ୍ଵାଧୀନତାଧାତ୍ରୀ,
ଚିର ରତ୍ନପ୍ରସବିନୀ ରତ୍ନୋଜ୍ଜ୍ୱଳଗାତ୍ରୀ,
ସଙ୍କୁଚିତ ସେହି ଦେଶ ପ୍ରତିବେଶୀ ଚାପେ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ଯେଦେଶର ଯଶୋଗୀତି ଭାଷା ଅତିକ୍ରମେ,
ଜଗତ ଯା ପାଦମୂଳେ ନମେ ସସମ୍ଭ୍ରମେ,
ଜନ୍ମିଲେ ସେ ଦେଶେ ତୁମ୍ଭେ ତା ’ ର କେଉଁ ପାପେ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ଜ୍ଞାନ ଧର୍ମ ବିତରଣେ ସଦା ଯେ ଅକୁଣ୍ଠ,
ଶାସ୍ତ୍ରୀୟ ଅଭିଧା ଯାର ମର୍ତ୍ତ୍ୟବଇକୁଣ୍ଠ,
ସନ୍ତାପିତ ଏବେ ହାୟ ଅଭାବ-ସନ୍ତାପେ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ସ୍କନ୍ଦକଳ୍ପ ଉତ୍କଳୀୟ ବୀର ଜଣେ ଜଣେ,
ନକରନ୍ତି ଭୟ ରଣେ ଅଥବା ମରଣେ,
ନମାରି ଅରି ଯା ଖଣ୍ଡା ଫେରେ ନାହିଁ ଖାପେ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ବୀରତ୍ଵର ବରଭୁଷା ଯେଉଁ ବୀରମାନେ,
ନଥିଲା ଅସାଧ୍ୟ ଶବ୍ଦ ଯାଙ୍କ ଅଭିଧାନେ,
ତାଙ୍କରି ବଂଶଜ ମତ୍ତ ଆଳସ୍ୟ ଆଳାପେ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ଥିଲେ ଦେଶଦାସ ତୁମ୍ଭ ପିତାମହଗଣ,
ମାତ୍ର ତୁମ୍ଭେ ମୋହ-ମଦେ ମୁଦ୍ରିତ ନୟନ,
କହ ତାଙ୍କ ସମକଚ୍ଛ ତୁମ୍ଭେ କେଉଁମାପେ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ତାହାଙ୍କର ରୋଷ-ଦୀପ୍ତ ଆରକ୍ତ ନୟନ,
କରୁଥିଲା ଶତ୍ରୁ ପିଣ୍ଡୁ ଜୀବନେ ଶୋଷଣ,
ମାତିଅଛ ତୁମ୍ଭେ ହାୟ ବିଫଳ ପ୍ରଳାପେ,
କିଏ ତୁମ୍ଭେ ଚିହ୍ନିଛ କି ଆପଣାକୁ ଆପେ ?
ମୁଁ କିଏ ପାସୋରି ମତ୍ତ, ମୁଁ ତ୍ଵରେ କେବଳ,
କର୍ମ ତେଜି କପାଳକୁ କରିଛ ସମ୍ବଳ,
ଚିହ୍ନିନାହଁ ଛି ଛି ନିଜ ପଣଗୋସବାପେ,
କି ରୂପେ ଚିହ୍ନିବ ଭଲା ଆପଣଙ୍କୁ ଆପେ ?
ନିବିଡ ସନ୍ଧ୍ୟାକୁ ଭ୍ରମେ ମଣୁଅଛ ଉଷା,
ଅନୁକର ପରଭାଷା ପର ବେଶଭୂଷା,
ମଣୁଅଛ ହାସ୍ୟରୋଳ ବ୍ୟାକୁଳ ବିଳାପେ,
କେମନ୍ତେ ଚିହ୍ନିବ ହାୟ ଆପଣଙ୍କୁ ଆପେ !
ଦେବତା
କିପାଇଁ କହନ୍ତି ଜନେ ଦେବେ ଅଶରୀରୀ,
ମିଥ୍ୟା କଥା,ଦେଖିଛି ମୁଁ ଶରୀରୀ ଦେବତା
ମହୀତଳେ,ମୂର୍ତ୍ତିମନ୍ତ କୃପା-ଅକୃପାର,
ଆନ ପାଇଁ କଷ୍ଟଭୋଗ ବିଶୁଦ୍ଧ ଦେବତ୍ଵ ।
ବସି ଯେଉଁ ମହାଜନ ରୋଗୀ ଶଯ୍ୟାପାଶେ
ସେବାବ୍ରତ,ସେବାରତ ନିର୍ବିକାର ମନେ,
ସାମ୍ୟ-ପୂତ ଦୃଷ୍ଟି ଯାର ନ କରେ ବାରଣ
ପର କିମ୍ବା ଆପଣାର, ପୋଛିଦେଇ ସ୍ନେହେ,
ଅଶ୍ରୁ ଆନ ନେତ୍ର,କରେ ଲୋତକ ପଙ୍କିଳ
ନିଜ ନେତ୍ର ଆନ ଦୁଃଖେ, ସେହି ତ ଦେବତା,
ସୁଖ ମଣେ ଦୁଃଖେ, ଦୁଃଖେ ବାଞ୍ଛିତ ତାହାର ।
ସୁଖ ସିନା କାଳ୍ପନିକ,ବିଦ୍ୟୁପୁଷ୍ପ ପ୍ରାୟ,
ଶୂନ୍ୟଗର୍ଭ ସ୍ୱପ୍ନ ତାହା ଆସାର ଅଳୀକ ।
ହେଉ ପଛେ ଗଛମୂଳ ନିବାସ ତାହାର
ମାତ୍ର ସେ ପବିତ୍ର ସ୍ୱର୍ଗ-ସତ୍ୟ ଶିବଧାମ ।
ଦେବତାନିବାସ ସ୍ୱର୍ଗ ନୁହେଁ ତ କେବଳ,
ସତ୍ୟ ସାମ୍ୟ ପ୍ରୀତି ମୈତ୍ରୀ ପୂଣ୍ୟରପୁର ସେ ।
ଉଦେ ଯହିଁ ନିତ୍ୟ ସ୍ନେହ-ଇନ୍ଦୁ-ସିନ୍ଧୁନିଧି,
ବହେ ଶାନ୍ତି-ମନ୍ଦାକିନୀ ମଧୁରେ ମଧୁରେ,
ନିବସନ୍ତି ଧର୍ମ,ନ୍ୟାୟ-ରାଜାମନ୍ତ୍ରୀ ରୂପେ ।
ମାତ୍ର ନୁହେଁ ବିଷଦିଗ୍ଧ ସ୍ୱାର୍ଥ-ତୀବ୍ର ବିଷେ,
କିମ୍ବା ନୁହେଁ ରଙ୍ଗାଳୟ ଆଶା, ବାସନାର,
ନ ବଢାଏ ଯହିଁ ଆଶା ଆଶାକୁ କଦାଚ,
ସେହି ତ ସ୍ୱର ଗ-ପୂଣ୍ୟ ଅମୃତଆକାର ।
ଯେଉଁ ଦିନ ପ୍ରତିଗୃହ ବହିବ ଏସନ
ସ୍ୱର୍ଗର ସୁଷମା ଭୂଷା,ଖେଳିବ ସେ ଦିନ
ମର୍ତ୍ତ୍ୟରେ ଅମରପୂଜା ଅମର ମହିମା ।
ଯେ ଗୃହର ପରିବାର ସମସ୍ତେ ମୁରବି
ପୁଣି ମହାଅଭିମାନୀ,ଈର୍ଷାର ଦୁର୍ଗନ୍ଧେ,
ଦୁର୍ଗନ୍ଧିତ ଯେଉଁ ଗୃହ, ପିଶାଚାଗାର ସେ,
ଅସୁଲଭ ସୁଖ ତହିଁ, ସୁଲଭ ଯନ୍ତ୍ରଣା ।
ଭକ୍ତ ସାହିତ୍ୟ
ଭକ୍ତ ସାହିତ୍ୟ
ଜଗନ୍ନାଥ ଜଣାଣ
ଖେଳି ବିଫଳ ଖେଳ ବିଅର୍ଥେ ଗଲାବେଳ
ଆଉ ତ ନାହିଁ ଅବସର,
ବାନ୍ଧୁ ବାନ୍ଧୁ ପଗଡି ଗଲାଣି ଲଗ୍ନ ଗଡି
ଏ କ୍ଷୋଭ ଦହୁଛି ଅନ୍ତର ହେ, ମହାପ୍ରଭୁ !
ଏ ଘାନ୍ତି ମୃତ୍ୟୁ ଘଟିପାରେ,
କିବା ବିଶ୍ଵାସ ତାହାଠାରେ,
ଅନିଶ୍ଚିତ ଜୀବନ ସୁନିଶ୍ଚିତ ମରଣ
ସଂଶୟ କି ଏ କଥାରେ ହେ, ମହାପ୍ରଭୁ !
ଦେଇ ପୀଡା ଅଧିକ ସହିଦା ଶକ୍ତିଚିକ
ନେଉଛ ସବଳେ ଛଡାଇ ,
ପଚା କଖାରୁ ପରି ଉପର ରକ୍ଷା କରି
ଭିତର ଦେଉଛ ସଢାଈ ହେ, ମହାପ୍ରଭୁ !
ଭୁଞ୍ଜୁଛି ଅସହ୍ୟ ଯନ୍ତ୍ରଣା,
ବିବେକ ହୋଇଯାଏ ବଣା ,
କିସ କହିବି ଆଉ ଦୁର୍ଗତି ମହାବାହୁ
କି ଅବା ତୁମ୍ଭଙ୍କୁ ଅଜଣା ହେ , ମହାପ୍ରଭୁ !
ସଙ୍କଟ ବେଳେ ଆହା ନହେଲ ଯେବେ ସାହା
ହେବ ବା କେଉଁ କାଳେ ଆଉ ,
ଦର୍ଶନ ଦିଅ ହରି ଆତୁରେ କୃପାକରି ,
ପିଣ୍ଡରେ ପ୍ରାଣ ଥାଉଁ ଥାଉଁ ହେ , ମହାପ୍ରଭୁ !
ବାରେକ ଦେଖିଲେ ଶ୍ରୀମୁଖ ,
ପାସୋରିଯିବି ସବୁ ଦୁଃଖ ,
ହରିଯିବ ଆବର ଯନ୍ତ୍ରଣା ଗୁରୁତର
ମଣିବି ଦୁଃଖେ ମହାସୁଖ ହେ , ମହାପ୍ରଭୁ !
ଏତେବେଳେ ଦାରୁଣ ହେଲେ ହେ ପ୍ରଭୁ ଶୁଣ
ଆଶ୍ରିବି ଯେବେ ମୃତ୍ୟୁଅଙ୍କ ,
ତେବେ ତୁମ୍ଭର ହରେ ଦୟାମୟ ନାମରେ
ନିଶ୍ଚୟ ଲାଗିବ କଳଙ୍କ ହେ , ମହାପ୍ରଭୁ !
ମୁଖେ କେ ପତିତ ତାରଣ ,
କରିବେ ନାହିଁ ଉଚ୍ଚାରଣ ,
ଉଠିଯିବ ସୁଖଦ ଆର୍ତ୍ତତ୍ରାଣ ଶବଦ
ଅଭିଧାନରୁ ନାରାୟଣ ହେ , ମହାପ୍ରଭୁ !
ତୁମ୍ଭେ ତ ଶିଶୁପରି ଖେଳୁଛ ମୋତେ ଧରି
ମୁଁ ସିନା ଖେଳଦ୍ରବ୍ୟ ତବ ,
ତୁମ୍ଭର ହୁଏ କ୍ରିଡା କିନ୍ତୁ ମୁଁ ଭୁଞ୍ଜେ ପୀଡା
କର କି ଏହା ଅନୁଭବ ହେ , ମହାପ୍ରଭୁ !
ତୁମ୍ଭେ ତ ବିବେକ ଆଧାର ,
ଚିତ୍ତରେ କର ହେ ବିଚାର ,
ଏକର ସର୍ବନାଶ ଆନର ପୌଷମାସ
ଏ ନିକି ପ୍ରଭୁଙ୍କ ବେଭାର ହେ ମହାପ୍ରଭୁ |
ସତ୍ୟ ଶିବ ସୁନ୍ଦର ହେ ପ୍ରଭୁ ନିରୀଶ୍ଵର
ଘଟାଅ ମୋ ଭାଗ୍ୟେ ଏସନ
କୁସୁମ ସୁଷମାରେ ପଲ୍ଲବ ନୀଳିମାରେ
ପାଇବି ତୁମ୍ଭରି ଦର୍ଶନ ହେ , ମହାପ୍ରଭୁ !
ସୂତୀକ୍ଷ୍ଣ ରବି ରଶ୍ମିଧାରେ ,
ଚନ୍ଦ୍ରର ଶୀତଳ ଜ୍ୟୋସ୍ନାରେ ,
ମହାମହିମା ତବ ସର୍ବଦା ଅନୁଭବ
କରିବି ଯେହ୍ନେ ସବୁଠାରେ ହେ , ମହାପ୍ରଭୁ !
ବୃଥାରେ ବକି ବକି ପଡିଲିଣି ମୁଁ ଥକି
ରହିବି ଏବେ ହୋଇ ତୁନି ,
ଘଟୁ ଯା’‘ ଘଟିବାର ଅନ୍ତରେ ବାରମ୍ବାର
ଜାଳିବି ନାହିଁ ଶୋକଧୂନି ହେ , ମହାପ୍ରଭୁ !
ଏ ମୋର ପ୍ରତିଜ୍ଞା ଅଟଳ ,
କେବେ ହେଁ ନ ହେବ ବିଫଳ ,
ନିଶ୍ଚିନ୍ତ ଚିନ୍ତାମଣି ଏ କଥା ଧ୍ରୁବମଣି
ଦୃଢତା ଦୁର୍ବଳର ବଳ ହେ , ମହାପ୍ରଭୁ !
(କବିଶେଖର ଚିନ୍ତାମଣି ଙ୍କ ରଚିତ ‘ଜଗନ୍ନାଥ ଜଣାଣ ‘ ପୁସ୍ତକରୁ ଅବିକଳ ଗୃହିତ)
କୈବଲ୍ୟ – କଣିକା
(୧)
(ଖଣ୍ଡ କୁମ୍ଭକାମୋଦୀ)
ନ କରୁରେ ମନ ବିପଦ – ବାରଣେ
କିପାଁ ଭାବନା ,
ମିଛେ ମଣି ସତ ରହିଛୁ ନିଶ୍ଚିନ୍ତ
କି ବିଡମ୍ବନା ।
ଫେଡ ମୋହ ନେତ୍ର ସଂସାର କୁହୁକେ
ଆଉ ଭୁଲନା,
ଅସାରେ ଉପେକ୍ଷି ସାରେ ଭଜ ଯିବ
ଭବ – ଯାତନା ।
ଆଚରରେ ମନ ଜଗତ – ତାରଣ
ଧ୍ୟ୍ୟାନ ଧାରଣା ,
ଶୟନେ ଚେତନେ ସଦା କର ତାଙ୍କ
ନାମ ଘୋଷଣା ।
ଭବ-ପାରାବାରୁ ତରିବାକୁ ଯଦି
ଅଛି କାମନା,
ଦେହ ମନ ପ୍ରାଣ ଅର୍ପି ତାଙ୍କୁ ତେବେ
କର ସାଧନ ।
(୨)
(ରାମକେରୀ)
ଉଡ଼ାଇ ପତିତପାବନ
ବାନା ହେ ଶିରୀଶ୍ଵର ,
ପତିତ ଡାକ ନ ଶୁଣିବା
ଉଚିତ କି ତୁମ୍ଭର ।
ଅନୁତାପ – ତପ୍ତ – ଲୋତକ
ପଡ଼ି ତବ ଚରଣେ ,
ନ ଦିଏ କି ବ୍ୟଥା କିଞ୍ଚିତେ
କେବେ ହେଲେ ହେଁ କ୍ଷଣେ ।
ନୌରାଶ୍ୟ – ପାବକ – ପ୍ରତପ୍ତ
ମୋର ଖର ପ୍ରଶ୍ଵାସ ,
ସୁଶୀତଳ ହୃଦେ ତୁମ୍ଭର
ଦିଏ ନାହିଁ କି ପ୍ରାସ ।
କର୍ଣ୍ଣପାତ ପଛେ ନ କର
ଏବେ ମୋହ ଡାକରେ ,
ଡାକି ଡାକି କଲେ ବିରକ୍ତ
ନିଶ୍ଚେ ଶୁଣିବ ଥରେ ।
ବାନ୍ଧି ଏ ଭରସା ହୃଦୟେ
ଡାକୁଅଛି ସତତ ,
ଚିର – ଘନ – ନୀର – ପିପାସୁ
ଦୀନ ଚାତକବତ ।
(୩)
(ଶଙ୍କରାଭରଣ)
ସକଳ ତୁମ୍ଭର ଇଚ୍ଛା ଇଚ୍ଛାମୟ ହରି
ତୁମ୍ଭ କର୍ମ ତୁମ୍ଭ କର ମୁଁ ବୋଲେ ମୋହରି ,
ତୃଣେ ବଦ୍ଧକର କରୀ ,
ପଙ୍ଗୁକୁ ଲଂଘାଇ ପାର ଊତ୍ତୁଙ୍ଗ ଶିଖରୀ ।
ସର୍ବଶକ୍ତିମାନ ତୁମ୍ଭେ ପରାତ୍ପର ଈନ ,
ଦରିଦ୍ରେ କୁବେର କର କୁବେରକୁ ଦୀନ
ଧନ୍ୟ ତୁମ୍ଭର ମହିମା ,
ନ ପାରନ୍ତି ହର ବ୍ରହ୍ମା କଳି ଯାର ସୀମା ।
ବୋଲାଅ ଯେ ବାକ୍ୟ ତୁମ୍ଭେ ବୋଲଇଁ ମୁଁ ତାହା
କାୟା ତୁମ୍ଭେ ତୁମ୍ଭର ମୁଁ ଛାୟା ବିଶ୍ଵନାହା ,
ତୁମ୍ଭେ ଯନ୍ତ୍ରୀ ମୁହିଁ ଯନ୍ତ୍ର ,
ବାଈଲେ ବାଜିବି ନ ତୁ ରହିବି ସ୍ୱତନ୍ତ୍ର ।
ଭବ – ବ୍ୟାଳ ତୀବ୍ର ବିଷେ ଜର୍ଜର ମୋ ହିଆ ,
କର ହେ ନିର୍ବିଷ ତୁମ୍ଭେ ହୋଈଣ ଗୁଣିଆ ,
ଜ୍ଞାନ – ଗଦ କରି ଦାନ ,
ବିଷମ - ବିଷ ସନ୍ତାପୁଁ କର ପରିତ୍ରାଣ ।
(୪)
(ରାମକେରୀ)
ଅନନ୍ତ ନିତ୍ୟ ନିର୍ବିକାର
ଆହେ ମଙ୍ଗଳାଧାରା ,
ବୁଦ୍ଧି ବଚନକୁ ବଳଇ
ତବ ଶକ୍ତି ଅପାର ।
ତୁମ୍ଭେ ଦେଶକାଳ ଅତୀତ
ଧ୍ୟାନଧାରଣା – ସାଧ୍ୟ ,
ନିଖିଳ ଜୀବନ ଦେବତା
ଦେବଦେବ ଆରାଧ୍ୟ ।
ଅନାଥ ଆତୁର ତାରଣ
ଭବ - ଭୟ ବାରଣ ,
ଆତ୍ମାକଳ୍ପ-କୁଞ୍ଜ –ବିଳାସୀ
ଅଶରଣ –ଶରଣ
ସାରସ୍ୱତ ଚକ୍ଷୁ ନ ପାରେ
ଭେଦି ତୁମ୍ଭ ଶାମ୍ବରୀ
ଭବେ ତୁମ୍ଭ ଲଗ୍ନ ଅଲଗ୍ନ
ଜଳେ ଜଳଜ ପରି ।
ଦୀନ ମୁଁ ମୋଠାରେ ସାର୍ଥକ
ନାମ ହେ ଦୀନବନ୍ଧୁ ,
ଝାଡିଦେଇ ହୃଦ - ମନ୍ଦିରୁ
ପାପ ତାପ – ଅଲନ୍ଧୁ
ନୈରାଶ୍ୟ – ତପ୍ତାଶ୍ରୁ ଢାଲିଣ
ପ୍ରଭୁ ତୁମ୍ଭ ଶ୍ରୀପଦେ ,
କରୁଛି ଜଣାଣ ଯୋଡିଣ
କର ଭୟ – ଗଦ୍ ଗଦେ ।
ଅର୍ପିଲି ପାରଣ ଚରଣେ
ରକ୍ଷାକର ବା ମାର ,
ନିଶ୍ଚିନ୍ତ ରହିଲି ତୁମ୍ଭଙ୍କୁ
ଅର୍ପି ବିଚାର ଭାର ।
(୫)
(ଚୋଖୀ)
ହେ ପ୍ରଭୁ ସୁରାରି – ଅରି ବିପଦ କରି – କେଶରୀ
ଆଜୀବନ ମୁଁ ତୁମ୍ଭରି କ୍ରିଡା – ପୁତ୍ତଳୀ ,
ଯେତେବେଳେ ଯେଉଁପରି ନଚାଅ ତୁମ୍ଭେ ଶ୍ରୀହରି
ତବ ଆଜ୍ଞା ଅନୁସରି ନାଚେ ସେଭଳି ,
ମୁହିଁ ସିନା କମାରଯନ୍ତା ,
ଚଳାଉଛି ମୋତେ ତୁମ୍ଭ ମହାକ୍ଷମତା ।
ଥାଉଁ ତୁମ୍ଭ ପରି ପିତା ଦାରୁଣ ତ୍ରିତାପ – ଚିତା
ହୋଇ ହୃଦେ ଅଧିଷ୍ଠିତା ବଢେ ପ୍ରଖରେ ।
ନ କନ୍ଦାଅ ବାରମ୍ବାର ହେ କରୁଣା – ପାରାବାର
ଏ ପାମର ଦୁରାଚାର କିଣାକିଙ୍କରେ ,
ତବ ସୃଷ୍ଟ ମୁଁ , ମହାବାହୁ ,
ଆସିନାହିଁ ଆନ କାହା ସୃଷ୍ଟିରୁ କାହୁଁ ।
ଦେଖି ରଙ୍ଗ ମହାକାଳେ ନ ଭୁଲିବି ଆଉ ଢାଳେ
ଚାଖିଛ ତା’, ବାଳକାଳେ ବିଷାକ୍ତ ଅତି ,
କାଳେ ସେ ଫଳ ଅଶନେ ଦୂରଦୃଷ୍ଟର ଶାସନେ
ହରାଏଁ ବା ତୁମ୍ଭ ଧନେ ଆହେ ଶ୍ରୀପତି ,
ଏହି ଏକା ଚିନ୍ତା ମୋହର ,
ସେ ଚିନ୍ତା ହେ ଚିନ୍ତାମଣି କର ଅନ୍ତର ।
( କବିଶେଖର ଚିନ୍ତାମଣିଙ୍କ ରଚିତ ‘କୈବଲ୍ୟ କଣିକା ’ ରୁ ଆନୀତ )
ପୀୟୂଷ – ଧାରା
ନରର ନରତ୍ଵ ଦୟା , ଦୟା ମୁକ୍ତିପ୍ରସୂ ,
ନିର୍ଦ୍ଦୟ ଯେ ଲୋକ ସେହୁ ନରରୂପୀ ପଶୁ ।
କ୍ରୋଧ ପରି ରିପୁ ଆଉ ନାହିଁ ଏ ଜଗତେ ,
ଜୀବନେ ଅନିଷ୍ଟ ସେହୁ ସାଧଇ ସନ୍ତତେ ।
ଭ୍ରମେ ସୁଦ୍ଧା ସେ ରିପୁର ହୁଅ ନାହିଁ ବଶ ,
ଅଧୀନ ହୋଈଲେ ତା’ ର ଲଭିବ ଅଯଶ ।
ଯେଉଁ କାର୍ଯ୍ୟ ଆତ୍ମ , ପର ଉଭୟର ହିତ ,
ସେହିପରି ଶୁଭକାର୍ଯ୍ୟ କରିବା ଉଚିତ ।
ଯେ କର୍ମେ ମଙ୍ଗଳ ନାହିଁ ଅମଙ୍ଗଳ ଭିନ୍ନ,
ଯେ କର୍ମର ଇଚ୍ଛା ତ୍ୟାଗ ସୌଭାଗ୍ୟର ଚିହ୍ନ ।
ପରଠାରୁ ଆଶାକର ଯେପରି ବେଭାର ,
ପରପ୍ରତି ବ୍ୟବହାର କର ସେ ପ୍ରକାର ।
ପର କଟୁବାକ୍ୟେ ଯଦି ହୃଦେ ଲାଗେ ବ୍ୟଥା ,
ତେବେ କିପାଁ ଅପରକୁ କହ କଟୁ କଥା ।
ନିମ୍ବମୂଳେ କଲେ ସଦା ଅମୃତ ସେଚନ ,
ଛାଡିଯାଏ ନାହିଁ ତିକ୍ତଗୁଣ କଦାଚନ ।
ଧାନ୍ୟଠାରୁ ବଳି ଧନ ନାହିଁ କିଛି ଆନ ,
ଅନ୍ୟ ବଳ ନୁହେଁ ବାହୁବଳର ସମାନ ।
ବିଦ୍ୱାନ , ନୃପତି ଦୁହେଁ ନୁହନ୍ତି ସମାନ ,
ସ୍ଵଦେଶରେ ରାଜାଙ୍କର କେବଳ ସମ୍ମାନ ,
ମାତ୍ର ପଣ୍ଡିତର ଅଛି ପ୍ରଭେଦ ବିଶେଷ
ସର୍ବତ୍ର ମର୍ଯ୍ୟାଦା ତା’ ର ସ୍ଵଦେଶ ବିଦେଶ ।
କି ହେବ ଥାଇଣ ରୂପ କୁଳ ଯଉବନ ,
ବିଦ୍ୟାହୀନ ହେଲେ ହୁଏ ସବୁ ଅକାରଣ ।
ଦେଖ ଏ ପଳାଶ ଫୁଲ , ରୂପେ ଅଳଙ୍କୃତ ,
ସୁବାସ ନ ଥିବା ହେତୁ ଲୋକେ ଅନାଦୃତ ।
ନିର୍ଦ୍ଧନର ଧନ ବିଦ୍ୟା , ରୂପ କୁରୂପର ,
ଦୁର୍ବଳ ପକ୍ଷରେ ବିଦ୍ୟା ବଳ ମହତ୍ତର ।
ଅନାଥ ଜନର ବିଦ୍ୟା ସହାୟ କେବଳ ,
ପଣ୍ଡିତର ବିଦ୍ୟା ଅଟେ ଜୀବନ ସମ୍ବଳ ।
ସ୍ଵପୁତ୍ରର ଶୁଭାକାଙ୍ଂକ୍ଷୀ ନୁହେଁ ଯେଉଁ ଜନ ,
କୁପିତା ବୋଲିଣ ତାକୁ କରିବ ଗଣନ ।
ଜନକ ଜନନୀ ବଶେ ଯେ ପୁତ୍ର ନ ରହେ ,
କୁପୁତ୍ର ନାମକୁ ସେହି କୁଳାଙ୍ଗାର ବହେ ।
ତରଙ୍ଗିଣୀ ନିଜେ ଜଳ କରେ ନାହିଁ ପାନ ,
ଖାଏ ନାହିଁ ବୃକ୍ଷ ଫଳ , ପରେ କରେ ଦାନ ।
ବାରିଧର କୃଷକକୁ ଶସ୍ୟ ମାଗେ ନାହିଁ ,
ସଜ୍ଜନ ସମ୍ପଦ ସଞ୍ଚେ ପରହିତ ପାଇଁ ।
ପରଛିଦ୍ର ଖୋଜି ବୁଲେ ସଦା ଛିଦ୍ରବାନ ,
ସାକ୍ଷୀ ତା ‘ ର ସୂଚୀ , ଛିଦ୍ର କରଇ ସନ୍ଧାନ ।
ପରଛିଦ୍ର ଆବରଣ ନିଶଛିଦ୍ରର ଧର୍ମ ,
ସାକ୍ଷୀ ତା ‘ ର ସୂତା , ଧନ୍ୟ ତା’ ର ସାଧୁକର୍ମ ।
ଦୋଷଗୁଣ ଆପଣାର ଯାହାର ଯେପରି ,
ଅନାଦର ସମାଦର ତାହାର ସେପରି ।
ଅନଳୁ ଜନମ ବୋଲି ଭସ୍ମ ନୁହେଁ ଧନ୍ୟ ,
ଶୁକ୍ତିକା – ପ୍ରଭାବ ମୁକ୍ତା ନୁହଇ ନଗଣ୍ୟ ।
ହସ୍ତଦାହ କରେ ତପ୍ତ ହୋଇଲେ ଅଙ୍ଗାର
ଶୀତଳ ହୋଇଲେ ହାତେ ଲାଗେ କଳାଗାର ।
ରଣ ଅଗ୍ନି ପୁଣି ବ୍ୟାଧି ଏ ତିନିର ଶେଷ ,
ରହିଗଲେ ଘଟେ ଶେଷେ ବିପଦ ବିଶେଷ ।
ଶେଷ ଥିଲେ ବୃଦ୍ଧି ଲଭି କିଛି କାଳାନ୍ତର ,
ଧରଇ ଭୀଷଣ ଭାବ ମହାଭୟଙ୍କର ।
ବିଦ୍ୟାହୀନ ହେଲେ ସୁଦ୍ଧା ଜନକ ଯେ ଜନ ,
ପୁତ୍ର ପକ୍ଷେ ନିଶ୍ଚୟ ସେ ପୂଜ୍ୟ ଅନୁକ୍ଷଣ ।
ଆବର୍ଜ୍ଜନାମୟ ଯଦି ହୁଏ ତୀର୍ଥସ୍ଥାନ ,
କିଏ ସେ ନ କରେ ତା ‘ ର ଉଚିତ ସମ୍ମାନ ।
ରଜତ କଞ୍ଚନେ ସର୍ବେ ବୋଲନ୍ତି ଯେ ଧନ ,
ପୁଣି ଧନ ଆଖ୍ୟା ଲଭେ ମାଣିକ୍ୟ ରତନ ।
ସର୍ବଧନଠାରୁ କିନ୍ତୁ ଆଦର ବିଦ୍ୟାର ,
ବିଦ୍ୟାଧନ ମହାଧନ , ତୁଲ୍ୟ ନାହିଁ ତାର ।
କି ଫଳ ବକ୍ତାର ହିତ ଉପଦେଶ କଥା ,
ଶ୍ରୋତାଗଣ କର୍ଣ୍ଣପାତ ନ କଲେ ସର୍ବଥା ।
ଅନଳେ ସହସ୍ର ବାର ଦହିଲେ କାଞ୍ଚନ ,
ସ୍ୱଭାବ ଶୁଦ୍ଧତା ଛାଡେ ନାହିଁ କଦାଚନ ।
ପାଷାଣରେ ଲକ୍ଷେ ଥର କଲେକ ଘର୍ଷଣ ,
ନ ଛାଡ଼ଇ ଗୁରୁଗନ୍ଧ କଦାପି ଚନ୍ଦନ ।
ପୋଥିଗତ ବିଦ୍ୟା , ପର ହସ୍ତଗତ ଧନ ,
ସମୟରେ ଆସେ ନାହିଁ କାର୍ଯ୍ୟ କଦାଚନ ।
ସେ ଯେବେ ପଣ୍ଡିତ ପୋଥିଗତ ବିଦ୍ୟା ଯାର ,
ତେବେ ଆଉ କିଏ ହେବ ଅପଣ୍ଡିତ ସାର ।
ସ୍ୱଭାବତଃ ଚକ୍ଷୁହୀନ ଅଟେ ଯେଉଁ ଜନ ,
କି ଫଳ ସମ୍ମୁଖେ ତା’ର ଧଇଲେ ଦର୍ପଣ ?
ଯେ ଅଟଇ ସାଧୁ ଶିଷ୍ଟ , ଜ୍ଞାନୀ , ନିରଳସ ,
ଲଭଇ ସେ ଜଗତରେ ସୁବିମଳ ଯଶ ।
ଭଲକଥା , ଭଲ ବୁଦ୍ଧି , ଭଲ କାମ ଯାର ,
ପୁଣି ସଦା କରୁଥାଏ ପର ଉପକାର ,
ପ୍ରକୃତ ଶିକ୍ଷିତ ଆଖ୍ୟା ତାହାର ଉଚିତ୍ ,
ସୁଖ ମୋକ୍ଷ ଦ୍ୱାରା ତାହା ପାଇଁ ଅବାରିତ ।
ତ୍ରିପଣ୍ଡକାଳିଆ ରୂପ ଅଟେ କୋକିଳର ,
ସ୍ୱର ହେତୁ ଲଭେ ସେହି ଲୋକରେ ଆଦର ।
କି ହୋଇବ ବାହାରଟା ହେଲେ ଅସୁନ୍ଦର ,
ଭିତର ସୁନ୍ଦର ଯାର ସେ ସିନା ସୁନ୍ଦର ।
ଥାଏ ନାହିଁ ବିଦ୍ଵାନର ଗର୍ବ ଅଭିମାନ ,
ସ୍ୱଳ୍ପଜ୍ଞାନୀ , କରେ ସିନା ଧରା ସରା ଜ୍ଞାନ ।
ନାହିଁ ଗର୍ବ ମହାସିନ୍ଧୁ ସଞ୍ଚାରୀ ମୀନର ,
ଅଙ୍ଗୁଷ୍ଠ ଜଳେ ଶଫରୀ ହୁଏ ଫରଫର ।
କପାଳରେ ନାହିଁ ବୋଲି ନ ହୁଅ ହତାଶ ,
କର୍ମକ୍ଷେତ୍ରେ ପଶି କର ଉଦ୍ୟୋଗ ପ୍ରକାଶ ।
ଉଦ୍ୟୋଗବିହୀନେ ସିଦ୍ଧ ନୁହେଁ ମନୋରଥ ,
କେତେବେଳେ ଚଳି ନାହିଁ ବିନା ଚକ୍ରେ ରଥ ।
ନୈତିକ ସାହସ ନାହିଁ ଯେଉଁ ପୁରୁଷର ,
ତାହାର ଉନ୍ନତି ଆଶା ଅତୀବ ଦୁଷ୍କର ।
ନିଜ ସାଧୁତାରେ କରି ଏକାନ୍ତ ନିର୍ଭର ,
ପ୍ରକାଶେ ସ୍ଵାଧୀନ ମତ ନୋହିବ କାତର ।
ଲଗାଇବ ଯେଉଁ ଗଛ ଫଳିବ ସେ ଫଳ ,
ନିଜକୃତ କାର୍ଯ୍ୟ କେବେ ନୋହିବ ବିଫଳ ।
କୁ ବୃକ୍ଷ ଯଦ୍ୟପି କେହି କରଇ ରୋପଣ ,
ସୁଫଳ ପାଇବା ଆଶା ତା’ ର ବିଡ଼ମ୍ବନ ।
ଗୁରୁନିନ୍ଦା ମହାପାପ ଶାସ୍ତ୍ରୀୟ ଭକତି ,
ବିଶ୍ଵାସଘାତକ ସୁଦ୍ଧା ମହାପାତ ଅତି ।
ବର୍ଣ୍ଣ ନୁହେଁ ନାସ୍ତିକତା ମହାପାପ କଥା ,
ଆଉ ଏକ ମହାପାପ ଅଟେ କୃତଘ୍ଣତା ।
ବ୍ରାହ୍ମଣର ଧନ ବିଦ୍ୟା , କ୍ଷତ୍ରିୟର ରଣ ,
କୁଳସ୍ତ୍ରୀର ଧନ ଲଜ୍ଜା , ବେଶ୍ୟାର ଯୌବନ ।
ପାଦବର ଭୟ ବାୟୁ , ପଦ୍ମର ଶିଶିରେ ,
ପର୍ବତର ଭୟ ବ୍ରଜ , ମରଣ ପ୍ରାଣୀର ।
କୁଟ- କପଟ କର୍ତ୍ତରୀ ସଂଯୁକ୍ତ ହୃଦୟ ,
ଧୂର୍ତ୍ତକୁ ଚିହ୍ନିବ ଦେଖି ଏ ଲକ୍ଷଣତ୍ରୟ ।
ହେଉ ପଛେ ରୂପବନ୍ତ , ବିଦ୍ୟାରେ ନିପୁଣ ,
ଛାଡି ନ ପାରଇ ଖଳ କେବେ ନିଜ ଗୁଣ ।
କଦାପି ବହିବ ନାହିଁ ଜ୍ଞାନ ଅଭିମାନ ,
ନିଜକୁ ମଣିବ ସଦା ସବୁଠାରୁ ସାନ ।
ଜ୍ଞାନୀ ସାଧୁ ନ ବହନ୍ତି ଆଡ଼ମ୍ବର ଧ୍ଵଜ ,
ନୁହଇଟି ଏଣୁ ତାଙ୍କୁ ଚିହ୍ନିବା ସହଜ ।
ଥାଏ ନାହିଁ ମୁକ୍ତାଫଳ ସବୁ ଗଜଶିରେ
ନମିଳେ କସ୍ତୁରୀ ସର୍ବ କୁରଙ୍ଗ ନାଭିରେ ।
କ୍ଷୁଦ୍ରତା ଯେ ମହତ୍ତ୍ଵର ଅଟେ ରୂପାନ୍ତର ,
ଆଜି ଯେ କ୍ଷୁଦ୍ର , ସେ କାଲି ହେବ ମହତ୍ତର ।
ରେଣୁ ସମ ବଟବୀଜ , କିନ୍ତୁ ଅଲକ୍ଷ୍ୟରେ ,
ମହାବୃକ୍ଷ ଲୁକ୍ କାୟିତ ତା’ର ଅଭ୍ୟନ୍ତରେ ।
ଚାଲୁଣି ସମାନ ଅଟେ ଦୁର୍ଜ୍ଜନ ସ୍ୱଭାବ ,
ସାର ତେଜି ଦିଏ ହୃଦେ ଆସରକୁ ଠାବ ।
କିନ୍ତୁ ବିପରୀତ ଗୁଣ ଅଟଇ କୁଲାର ,
ଅସାରେ ଉଡ଼ାଇ ଧରେ ସାଧୁ ପ୍ରାୟେ ସାର ।
(କବିଶେଖର ଚିନ୍ତାମଣିଙ୍କ ‘ନୀତି କୁସୁମ’ ସଂକଳନରୁ ଗୃହୀତ)
ଅମୃତ କଥନ
ଗର୍ବି – ନର ଭାଗ୍ୟେ ଘଟେ ବିବିଧ ବିପଦ ,
ବିନୟୀ ଭୁଞ୍ଜଇ ସଦା ସୁଖ , ଶ୍ରୀ ସମ୍ପଦ ।
ଊର୍ଦ୍ଧ୍ଵଶିର ବୃକ୍ଷେ ଯଥା ନାଶେ ପ୍ରଭଞ୍ଜନ ,
ମାତ୍ର କ୍ଷୁଦ୍ର ତୃଣ ଥାଏ ଯେସନ ତେସନ ।
ଚୂର୍ଣ୍ଣ କରେ ଗିରିଶିର ବଜ୍ରେ ଆଖଣ୍ଡଳ ,
ପାରେ କି ଧୂଳିର କିଛି ସାଧି ଅମଙ୍ଗଳ ?
ଭୋଗରେ ଇନ୍ଦ୍ରିୟ କେବେ ନୁହଇ ଦମିତ ,
ଘୃତଯୋଗେ ଅଗ୍ନି ଯଥା ନୁହେଁ ନିର୍ବାପିତ ।
ଅଯୋଗ୍ୟ ପାତ୍ରରେ ହୁଏ ଶ୍ରମ ଅକାରଣ ,
କାକ କି ହୋଇବ ଶୁକ , କଲେ ହେଁ ଯତନ ?
ଉଚ୍ଚ କୁଳେ ନୀଚ ଜାତ ନୁହଇ କଦାଚ ,
ମଣି – ଖଣିରୁ ଯେସନ ନ ଉପୁଜେ କାଚ ।
କ୍ରୋଧାବେଶେ ସାଧୁ ମନ ନୁହେଁ କଳୁଷିତ ,
ବାଡ଼ବେ ନ ହୁଏ ଯଥା ସିନ୍ଧୁ ପ୍ରଜ୍ଜ୍ୱଳିତ ।
କ୍ରିୟାହୀନ – ଜ୍ଞାନ ଅଟେ ଶରୀରର ଭାର ,
ଅଭାଗିନୀ ରମଣୀର ଯଥା ଅଳଙ୍କାର ।
ବିଦ୍ବାନ ଯଦ୍ୟପି ଦୁଷ୍ଟ ତା’ ସଙ୍ଗ ନ କର ,
ମଣିଭୂଷିତ ଫଣି କି ନୁହେଁ ଭୟଙ୍କର ?
ବିପଦେ ଅଧୀର ହୁଏ ଯେହୁ କାପୁରୁଷ ,
ବିପଦ – କରୀକି ସିନା ଧଇର୍ଯ୍ୟଅଙ୍କୁଶ ।
ଗଜକୁ ଉଦ୍ଧାରେ ଗଜ ଯଥା ପଙ୍କ ସରୁ ,
ସାଧୁକୁ ଉଦ୍ଧାରେ ସାଧୁ ତଥା ସଙ୍କଟରୁ ।
ସୁନାର ପରୀକ୍ଷା ହୁଏ କଷଟି ପଥରେ ,
ବନ୍ଧୁର ପରୀକ୍ଷା ହୁଏ ବିପଦ କାଳରେ |
ତୁଚ୍ଛବସ୍ତୁ ଉପକାର ସାଧଇ ପ୍ରଚୁର ,
ତୁଷରୁ ଭିନ୍ନ,ତଣ୍ଡୁଳ ନ ହୁଏ ଅଙ୍କୁର |
ଗୃହସ୍ଥର ସାରଧର୍ମ ଅତିଥି-ସତ୍କାର ,
ହେଉ ପଛେ ଶତ୍ରୁ , ପାଦ ପୂଜିତ ତାହାର |
ଅଚେତନ ପାଦପର କେଡ଼େ-ବଡ଼ପଣ ,
ଛେଦକ ନିକଟୁ ଛାୟା ନ କରେ ହରଣ |
ଅହାର, ବିହାର, ନିଦ୍ରା, ଭୟ, ଏ ସକଳ,
ପଶୁମାନବର ଅଛି ସମ ଅବିକଳ,
କେବଳ ଜ୍ଞାନରେ ପଶୁ ନରଠାରୁ ସାନ,
ଏଣୁ ଜ୍ଞାନହୀନ ନର ପଶୁର ସମାନ |
ମାଟି ଘର ପରି ସିନା ଦୁର୍ଜନ ଅନ୍ତର
ଭାଙ୍ଗିବା ସହଜ ତାହା ଯୋଡିବା ଦୁଷ୍କର |
କିନ୍ତୁ ସ୍ଵର୍ଣ୍ଣମୟ ଅଟେ ସଧୁ ହୃଦ-ଘଟ,
ଯୋଡିବା ସହଜ ତାହା ଭାଙ୍ଗିବା ଦୁର୍ଘଟ |
ନାରିକେଳ ଫଳ ଯଥା ସାଧୁର ମାନସ,
ଭିତର ସରସ ତା’ର ବାହାର କର୍କଶ |
ପଦଲଗ୍ନ ଧୂଳି ପ୍ରାୟ କ୍ଷଣସ୍ଥାୟୀ ଧନ,
ନଦୀସ୍ରୋତ ବେଗ ସମ ଚଞ୍ଚଳ ଯୌବନ
ପଦ୍ମପତ୍ରେ ଜଳ ଯଥା ସଦା ଢଳଢଳ,
ଜୀବନ-ସଲିଳ ବିନ୍ଦୁ ତଥା ସଞ୍ଚଳ |
ପର ନିନ୍ଦା, ପର କୁତ୍ସା ନୁହଇ ଉଚିତ,
ନିଜର ଚରିତ୍ର ତହିଁ ହୁଏ କଳୁଷିତ |
ଯେସନ ଫିଙ୍ଗିଲେ ଲୋଷ୍ଟ୍ର ଦୁର୍ଗନ୍ଧ ଗୋବରେ,
ଛିଡ଼ିକି ପଡ଼ଇ ତାହା ଆପଣା ଉପରେ |
ବାନର ଗଳାରେ ଦେଲେ ନବ ରତ୍ନାହାର
ବୁଝିବ କି ମୂଲ୍ୟ କିମ୍ବା ମହତ୍ତ୍ଵ ସେ ତା’ର |
ବରାହର ନାମ ଦେଲେ ମତ୍ତମତଙ୍ଗଦ୍ଧଜ,
ବଢିଯିବ ବହୁଗୁଣ ତାହାର ମଗଜ |
ଚାକରକୁ ବାବୁ ବୋଲି ସମ୍ଭୋଧିଲେ ତଥା,
ଆକାଶକୁ ଭେଦୀଯାଏ ତା”ର କ୍ଷୁଦ୍ର ମଥା |
(କବିଶେଖର ଚିନ୍ତାମଣିଙ୍କ ‘ଶତଦଳ’ ଗ୍ରନ୍ଥରୁ ଗୃହୀତ)
କାବ୍ୟ ସମ୍ଭାର
କାବ୍ୟ ସମ୍ଭାର
ସୁରଙ୍ଗୀ କାବ୍ୟ
ସୁରଙ୍ଗୀ କାବ୍ୟ
ପ୍ରଥମ ସର୍ଗ
( ନଟବାଣୀ )
ଉତ୍କଳ-ଭାରତୀ ଚିର ପ୍ରିୟ ଧାମ,
ଶାଶ୍ଵତୀ-କୀରତି ମାଳିନୀ ଗଞ୍ଜାମ |
ରାଜେ ତାହା ବକ୍ଷେ ସୁରଙ୍ଗୀ ନଗରୀ,
ମାନସେ ମନୋଜ୍ଞ ସ୍ଵର୍ଣ୍ଣ ପଦ୍ମ ସରି |
ଗିରି –ଗଭାମୟୀ କାନନ-କୁନ୍ତଳା,
ସୁଷମାର ସୀମା ଶସ୍ୟ-ସୁଶ୍ୟାମଳା |
ନିତ୍ୟ ନବଚିତ୍ର କୁଶଳା ପ୍ରକୃତି,
ଆବର ନୀଳାଦ୍ରି ରାଜକବି କୃତି |
ଉଭେ ତାର ବେଶକାରୀ ବେଶକାର,
ତେଣୁ ଶୋଭାରାଜ୍ୟେ ଟେକ ଛତି ତା’ର
ଗିରି, ଉପତ୍ୟକା, ନଦ, ନଦୀ, ବନ
ଦିବ୍ୟ ଦେବାଳୟ ବିଶ୍ରାମ ଭବନ |
କ୍ରିଡାଗାର, ବେଦୀ, ଉପବନ, ସେତୁ,
ଏ ସକଳ ତାର ମଧୁରିମା ହେତୁ |
ନିସର୍ଗ କୃତିମ ଦୃଶ୍ୟ ଏକାଧାରେ,
ଦୁର୍ଲଭ ଏସନ ସିନା ଅନ୍ୟ ଠାରେ |
ବିଧୂବଂଶୀ ନୃପ ପାଳନେ ପବିତ୍ର,
ସର୍ବାଂଶେ ନଗରୀ ଗଞ୍ଜାମେ ସତୀର୍ଥ |
ସୁରଙ୍ଗୀ ସୁଷମା ନାହିଁ ପଟାନ୍ତର,
ମାତ୍ର ଜଳବାୟୁ କଟୂ ସ୍ୱଳ୍ପତର |
କେତକୀ କୁସୁମେ କେଜାଣି କିପାଇଁ,
ରଖିଲେ ବିଧାତା କଣ୍ଟକେ ଜଡ଼ାଇ |
ତାଙ୍କରି କରଣୀ ଜଣା ତାଙ୍କୁ ଏକା,
ଛାର ନର ତାହା ଭାବି ହୁଏ ଭେକା |
ସଂସାରେ କାହାକୁ ସର୍ବ ଗୁଣାନ୍ଵିତ
କରିବାକୁ ବିଧି ପ୍ରାୟଶଃ କୁଣ୍ଠିତ |
ଉତ୍ତରେ ବାହୁଦା ତଟିନୀ ସୁନ୍ଦରୀ,
ବଢିଯାଏ “ବଡ-ନଦୀ” ଆଖ୍ୟା ଧରି |
ମାର୍ଜ୍ଜିତ ହୀରକ ଚାପସରି ପ୍ରାୟେ,
କୈବେରୀ(୧) କଣ୍ଠେ ସେଦୂରୁ ଶୋଭାପାଏ |
ନିବସନ୍ତି ତୀରେ ଶ୍ରୀ ନନ୍ଦୀକେଶ୍ଵର,
ନୃସିଂହରାଜଙ୍କ ସଂସ୍ଥାପିତ ହର(୨) |
ମହିମା ତାଙ୍କର ଚୌଦିଗେ ବିଶ୍ରୂତ,
ପାଦୋଦକ ଯଥା ସାକ୍ଷାତ୍ ଅମୃତ |
ହତାଶ ରୋଗୀଏ ରୋଗମୁକ୍ତି ଆସେ,
ଦିଅନ୍ତି ଧାରଣା ଆସି ତାଙ୍କ ପାଶେ |
କଲେ ତାଙ୍କଠାରେ ମାନାସୀ ବୃଷଭ,
ପଳାଏ ପ୍ରମାଦ ହୋଇଣ ନିଷ୍ପ୍ରଭ |
ନାନା ବନସ୍ପତି ସୁମଞ୍ଜୁଳ କୁଞ୍ଜେ,
ବସନ୍ତି ଶଙ୍କର ଘେନି ବୃଷପୁଞ୍ଜେ |
(୧)ଉତ୍ତର ଦିଗ (୨) ନୃସିଂହରାଜ ନାମକ ଜନୈକ ରାଜାଙ୍କ ଦ୍ୱାରା ଏହି ଶିବଲିଙ୍ଗ ପ୍ରତିଷ୍ଟିତ |
ଦିତୀୟ ସର୍ଗ
(ବଙ୍ଗଳାଶ୍ରୀ)
କଇଁଫୁଲିଆର କର ଧରି ଉଭା
ଟାଙ୍ଗଣୀବେଣ୍ଟ ପର୍ବତ(୧)
ପ୍ରିୟ ବନ୍ଧୁ ବୋଲି ପରସ୍ପରେ କି ସେ
କର-ବିମର୍ଦ୍ଦନେ ରତ |
ସେ ଅଚଳ ଚୂଳେ ଆରୋହି ଚାହିଁଲେ
ଦୂରୁ ଦିଶେ ଦାରୁବଟା,
ରହିଛି କି ଗିରି- ପଦେ ବିସ୍ଫାରିତ
ସୁଚିକ୍କଣ କଳାପଟା ।
ବଟା ହେଉଥିଲା ପୂର୍ବେ ତହିଁ ଦାରୁ(୨)
ସମର କାଳେ ପ୍ରଚ୍ଛନେ,
ସାଧାରଣ ସଭା ରୂପେ ସେ ଖଟୁଛି
ଏବେ ବନ୍ୟ ପଶୁଗଣେ |
X X X
ପଛୁ ମୁଣ୍ଡଟେକି ବକ୍ରେ ଉଭା ହୋଇ
‘ସୁନାଲଙ୍ଗଳ” ପର୍ବତ,
ବାତ-ବିଦୁଳିତ ତରୁ-କରଯୋଡି
କରେ ହରେ(୩) ଦଣ୍ଡବତ |
ମଧୁର ଦର୍ଶନ ରମ୍ୟ ମଧୁ ବନ,
ରହି ଶସ୍ୟକ୍ଷେତ୍ର,ମଧ୍ୟେ
ନୀରବରେ ମହା ବିସ୍ମୃତି-ପୂରାଣ
ଗଉଅଛି ଅଧ୍ୟେ ଅଧ୍ୟେ
X X X
(1)ଏହି ପର୍ବତରେ ଅନେକ ଟାଙ୍ଗୀନୀ ଗଛ ଦେଖା ହୁଏ (2) ବାରୁହ (3) ମହାଦେବ
ନାକେଇ ଅଚଳ ଦିଶଇ ଓଲଟ
ନୀଳ ମେହେରାବି ତୁଲ୍ୟ,
ଟେକି ଉର୍ଦ୍ଧ୍ଵ ଦେଶେ ଚଟୁଳ ଚିକ୍କଣ
ବହୁଠାବେ ବହୁ ଚୂଳା
ସର୍ବୋଚ୍ଚ ଶିଖର ନାସିକା କୃତିରେ
ହୋଇଛି ନିମ୍ନେ ଲମ୍ବିତ,
ତେଣୁ ହୋଇଅଛି ନାକେଇ ନାମରେ
ଗିରି ନାମରେ ଅଭିହିତ |
ଶେ ବିଶାଳ ଶୃଙ୍ଗ ତଳେ ବିସ୍ତାରିତ
ପ୍ରସ୍ତର ଶଯ୍ୟା ବିଶାଳ (୪)
ସମହିଷ ପଲ ନିବସେ ତହିଁରେ
ବର୍ଷାକାଳେ ମହିଷାଳ |
X X X
ତୃତୀୟ ସର୍ଗ
(ମଙ୍ଗଳା ଚାର୍ଜରୀ)
ଅଛନ୍ତି ନୃସିଂହ ରାଜା ରାଜର୍ଷିପ୍ରତିମ,
ସମୁଦ୍ର ସମାନ ତାଙ୍କ ମହିମା ଅସୀମ |
ନଥିଲେ ମଣ୍ଡି ସେ ଖାଲି ରାଜସିଂହାସନ,
ଯଶଃ-ସିଂହାସନେ ସୁଦ୍ଧା ଥିଲେକ ରାଜନ ।
ମଣୁଥିଲେ ସଦା ରାଜମୁକୁଟେ ସେ ଭୂପ,
ପ୍ରଜାରଣ ରାଶିପୂର୍ଣ୍ଣ ପେଟିକା ସ୍ୱରୂପ |
ଖୋଳାଇଲେ ରାଜ୍ୟେ ବହୁ କୂପ ସରୋବର,
ସ୍ଵଭାବେ ଦେବେତା ମାତ୍ର ଦେହେ ଥିଲେ ନର |
କାହିଁଗଲା ହେ ସୁରଙ୍ଗୀ-ଗୌରବ-କେତନ,
ଉତ୍କଳ ଭାରତୀଙ୍କର ସ୍ନେହାସ୍ପଦ ଧନ |
ଉଠୁନାହିଁ କିମ୍ପା ଅଉ ତୁମ୍ଭ ବଂଶୀସ୍ଵନ,
କବିକର୍ଣ୍ଣ ରସାୟନ ହୃଦ ସମ୍ମୋହନ |
(4) ଏହି ବିଶାଳ ବପୁ ଶୀଳାଶଯ୍ୟା ମହୀଷି ଖଳ |
ଶ୍ରୀଚୈତନ୍ୟଚନ୍ଦ୍ର ରାଜା ନୃପତି ଅଗ୍ରଣୀ,
ସୁରଙ୍ଗୀ ବକ୍ଷର ଚିର ପ୍ରଗୌରବ-ମଣି
ସେ ନୃପତି ହୋଇ ଆହା କାଳରେ ଅଧୀନ,
ହୋଇଛନ୍ତି ଏ ଶ୍ମଶାନ ଧୂଳିରେ ବିଲୀନ |
ଚତୁର୍ଥ ସର୍ଗ
(ବଙ୍ଗଳାଶ୍ରୀ)
ସୁରଙ୍ଗୀ ପଶ୍ଚିମେ ନୂଆଗଡ଼ ନାମେ
ବିଦିତ ପ୍ରାଚୀନ ଦୁର୍ଗ,
ଉଦାଉଣ ଥିଲା ସମଜ୍ଞା-କେତନ
ଯାହାର ଅତୀତ ଯୁଗ |
ସୌଦର୍ଯ୍ୟ, ସମ୍ପଦ ସୌଭାଗ୍ୟ ସମୟେ
ଥିଲା ସେହୁ ରାଜଧାନୀ,
ଅନିତ୍ୟ ସେ ସର୍ବ, ତୁଟିଯାନ୍ତେ ଏବେ
ହୋଇଅଛି ଅରଣ୍ୟାନୀ |
X X X
ନୂଆଗଡ ପୂର୍ବେ ମହାରଣ୍ୟ ଭେଦି
ଚାଲନ୍ତି ଯାଉଁଳୀ ନଦୀ,
ଗମନ୍ତି କି ଆହା ସନ୍ନିଧି ଲଭିଣ
କଳନ୍ଦଜା(୧) ବିଷ୍ଣୁପଦୀ(୨) |
ଦକ୍ଷିଣ ଦିଗରେ ବହେ କେର ନଦୀ(୩)
ବିଷମ ଶିଳା-ଶେଯରେ,
କାହିଁ ବ୍ୟଗ୍ରେ ଗୌଣେ କାହିଁ ବା ସଳଖେ
କାହିଁ ବକ୍ରଗତି ଧାରେ |
ଗୋପନେ ଗୋପନେ ବହେ କାହିଁ ଭେଦି
ନୀରନ୍ଧ୍ର ବଂଶୀ ଅଟବୀ,
ସୁର-ପର ହର ଜଟାଜୁଟେ ଯଥା
ପ୍ରଚ୍ଛନ୍ନେ ବହେ ଜାହ୍ନବୀ |
ଏଲଗଲ ଗିରି ନିବାସୀ ଅନ୍ତ୍ୟଜ-
(୧) ଯମୁନା ନଦୀ (୨) ଗଙ୍ଗା (୩) ଏହି ଅଂଶରେ ବାହୁଦା ନଦୀ କେର ନଦୀ ନାମରେ ଅଭିହିତ |
ଶବର କନ୍ଧ ଜାତିର,
ଶରୀର ସଞ୍ଚାରେ ସେ ଗଣ୍ଡ ସଲିଳ
ବିଶୁଦ୍ଧଧାର ରୁଧିର |
ବନ୍ୟ ଫଳମୂଳ ଗଣ୍ଡ ଜଳ ବିନା
ଆରଣ୍ୟ ବର୍ବର ଗଣେ,
ନ ଚିହ୍ନନ୍ତି କିଛି ପୁଣି ରାଜା ଭିନ୍ନ
କାହାକୁ ମର ଭୁବନେ |
ପର୍ବତ ଉପରେ କରିଣ କର୍ଷଣ
କରନ୍ତି ବିବିଧ ଚାଷ,
ପରିଶ୍ରମ ତାଙ୍କ ଜୀବନର ବ୍ରତ
ପରିଶ୍ରମର ସେ ଦାସ |
ମୋଟା ଭାତ, ମୋଟା ଲୁଗାରେ ତାଙ୍କର
କଟିଯାଏ ସୁଖେ ଦିନ,
ନ ଧରନ୍ତି ଭ୍ରମେ ବାହ୍ୟ ପରିପାଟୀ
ନବ୍ୟ ସଭ୍ୟତାର ଚିହ୍ନ |
X X X
ନୂଆଗଡ ମଧ୍ୟେ ଠାବେ ଠାବେ ସ୍ଥିତ
ଅଦ୍ୟାପି ଦେବ ମନ୍ଦିର,
କେହି ଭଗ୍ନୋନ୍ମୁଖ କେହି ଅର୍ଦ୍ଧ ଭଗ୍ନ
କେ ଜରାଜୀର୍ଣ୍ଣ ସ୍ଥବିର |
ପ୍ରବେଶ ମାର୍ଗରେ ଦ୍ଵାରଶୁଣୀ ଦେବୀ
ବସିଛନ୍ତି ଦ୍ବାର ଜଗି,
ରଚିଛନ୍ତି ବଂଶ - କୁମ୍ଭେ ତାଙ୍କ କୁଞ୍ଜ
ଦୃଢେ ହୋଇ ଲଗାଲଗି |
ଗଡ ଚଉପାଶେ ବେଢିଛି ସଜଳ
ସଂକୀର୍ଣ୍ଣ ଗଭୀର ଖାଇ,
ଟାଙ୍କୁରି ଉଠଇ ଭୟେ ଲୋମାବଳି
ଦେଲେ ତା’ ତଳକୁ ଚାହିଁ |
X X X
ପଞ୍ଚମ ସର୍ଗ
(ରାମକେରୀ)
ଅକଳିତ ସିନ୍ଧୁ ସମାନ
ମର୍ତ୍ତେ୍ୟ ଯେ ଚନ୍ଦ୍ରବଂଶ
ଚନ୍ଦ୍ର ପ୍ରାୟ ଅଛି ବିସ୍ତାରି
ସଦା ବିମଳ ଯଶ;
ଗୋକୁଳା-ଗଗନ-ଚନ୍ଦ୍ରିମା
କୃଷ୍ଣ ଯେଉଁ ବଂଶରେ,
ଅବତରି ନର ରୂପରେ
କ୍ରୀଡା କଲେ ଦ୍ବାପରେ,
ସୁରଙ୍ଗୀ ରାଜନ୍ୟ ମଣ୍ଠଳୀ
ସେହି ବଂଶେ ଜନିତ,
ରାଜବଂଶାବଳୀ ଏଠାରୁ
ହେବ ସ୍ଥୁଳେ ବର୍ଣ୍ଣିତ ।
X X X
ହାରାବଳୀ ନାମେ ଲଭିଲା
ସେହି ନଗରୀ ଖ୍ୟାତି,
ସଂଗେ ଘେନି କୃଷ୍ଣ ରହିଲେ
ତହିଁ କୁଟୁମ୍ବ ଜ୍ଞାତି ।
X X X
ଯାମ୍ୟାଦିଗେ ସ୍ଥିତ ସୁରଙ୍ଗୀ
ନାମେ ବିସ୍ତୃତ ରାଜ୍ୟ,