ପ୍ରକାଶକ : ଓଡ଼ିଶା ସାହିତ୍ୟ ଏକାଡ଼େମୀ, ସଂସ୍କୃତି ଭବନ, ଭୁବନେଶ୍ୱର-୧୪
ଅକ୍ଷରସଜା ଦିବ୍ୟ ମୁଦ୍ରଣୀ, ସାମନ୍ତରାପୁର, ଭୁବନେଶ୍ୱର ପ୍ରଥମ ସଂସ୍କରଣ : ୨୦୧୮
ମୁଦ୍ରଣ ଦିବ୍ୟ ପ୍ରକାଶନୀ, ସାମନ୍ତରାପୁର, ଭୁବନେଶ୍ୱର- ୨
ମୂଲ୍ୟ ୨୦୦/- (ଦୁଇଶହ ଟଙ୍କା) ମାତ୍ର
JATIYABADI ODIA KABITA Edited by : Sakuntala Baliarsingh Published by : Odisha Sahitya Akademi
Sanskruti Bhawan, Bhubaneswar-14 DTP
Divya Mudrani, Samantarapur, Bhubaneswar First Edition 2018 । Printed at
Divya Prakashani, Samantarapur, Bhubaneswar
Price - Rs. 200 /- ( Rupees Two Hundred) only.
ISBN - 978-93-87637-16-0
ଅଗ୍ରଲେଖ
ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ଜାତୀୟବାଦୀ ଓଡ଼ିଆ ସଂକଳନଟିଏ ଡକ୍ଟର ଶକୁନ୍ତଳା ବଳିଆରସିଂହଙ୍କ ଦ୍ୱାରା ସମ୍ପାଦିତ ହୋଇ ପ୍ରକାଶ ପାଉଥିବାରୁ ଏଦିଗରେ ଏ ଜାତି ସେହି ଜାତୀୟ ଚେତନାର କବିମାନଙ୍କ ପାଖରେ ଚିରଋଣୀ ରହିବ । ଜାତି ଓ ଜାତୀୟ ସଂସ୍କୃତି ପରିକଳ୍ପନାର ଭିତ୍ତିଭୂମି ହେଉଛି ଏହାର ଭୂମି ଖଣ୍ଡରେ ନିବଦ୍ଧ ଭାଷା । ସମାଜ ଓ ସାହିତ୍ୟର ଏହା ହିଁ ମୂଳ । ଏହାରି ଉପରେ ଗଢ଼ା ହୁଏ ରାଷ୍ଟ୍ରୀୟତାବୋଧ ଜାତୀୟତାବୋଧ କଦାପି ବିଶ୍ଵବୋଧର ବାଧକ ନୁହେଁ । ଉତ୍କଳମଣି ଗୋପବନ୍ଧୁଙ୍କ ଦୃଷ୍ଟିରେ
‘ସ୍ଵଦେଶ ମମତା ବିଶ୍ଵ ଜନ ପ୍ରୀତି
ଉତ୍କଳବାସୀର ହେଉ ଏହା ନୀତି’
ସାର୍ବଭୌମିକ ଚେତନାର ବଶବର୍ତ୍ତୀ ହୋଇ ଯଦି କେହି ରାଷ୍ଟ୍ର ସାମ୍ରାଜ୍ୟବିସ୍ତାରର ସ୍ଵପ୍ନ ଦେଖେ, ତେବେ ତାହା ସର୍ବନାଶୀ ମହାଯୁଦ୍ଧକୁ ନିମନ୍ତ୍ରଣ କରି ଆଣିବା ନିଶ୍ଚିତ । ତେଣୁ ଏ ପ୍ରକାର ଜାତୀୟଭାବନା ଧ୍ୱଂସାତ୍ମକ । ଓଡ଼ିଶା ପାଇଁ ଦୁଇଆଡ଼ୁ ବିପଦଥିଲା । ପରାଧୀନ ଭାରତ ଓ ସ୍ୱତନ୍ତ୍ର ଉତ୍କଳ ପାଇଁ ଆନ୍ଦୋଳନ ଓଡ଼ିଶାରେ ପ୍ରକାଶ ଲାଭ କରିବାକୁ ବାଧ୍ୟ ହୋଇଥିଲା । ତେଣୁ ୧୫ ଅଗଷ୍ଟ ୧୯୪୭ ମସିହାର ଭାରତ ସ୍ୱାଧୀନତା ପୂର୍ବରୁ ଓ ୧ ଅପ୍ରେଲ ୧୯୩୬ର ଓଡ଼ିଶା ସ୍ୱତନ୍ତ୍ରତା ଲାଭ କରିବା ପୂର୍ବରୁ, ଗୋଟିଏ ପଟେ ଭାଷାର ସୁରକ୍ଷା, ଅନ୍ୟପଟେ ତତ୍କାଳୀନ ସ୍ଵାଧୀନତା ଆନ୍ଦୋଳନ ପାଇଁ ଆଗଭର ହୋଇଥିଲା ଏ ଓଡ଼ିଆ ଜାତି । ଏ ଅବସ୍ଥା ୧୫୬୮ ମସିହାରୁ ଆରମ୍ଭ ହୋଇ ଭାରତ ସ୍ୱାଧୀନତା ଲାଭ କରିବା ପର୍ଯ୍ୟନ୍ତ ପ୍ରଲମ୍ବିତ ହୋଇଥିଲା । କିନ୍ତୁ ସ୍ୱାଧୀନତା ଲାଭ ପରେ ପରେ ଆରମ୍ଭ ହେଲା ଜାତୀୟତାବୋଧର ଦ୍ୱିତୀୟ ଫସଲ ।
ନାନାଦି ବିପର୍ଯ୍ୟୟର ସମ୍ମୁଖୀନ ଓଡ଼ିଶା ପକ୍ଷରେ ଏକ ପାଖରେ ରାଜନୈତିକ ଓ ଅନ୍ୟ ପାଖରେ ପାଇକ ବିଦ୍ରୋହ ଭଳି ବୀରୋଚିତ ଆନ୍ଦୋଳନ ପ୍ରଜ୍ବଳିତ କଲା ଔପନିବେଶିକ ଶକ୍ତି ବିରୁଦ୍ଧରେ ଅଗ୍ନି ମଶାଲ । ଆଧ୍ୟାତ୍ମିକ ବଳରେ ଲଢ଼େଇ କରିବା ପାଇଁ ସ୍ଵସଂସ୍କୃତିର ପୁନର୍ମୂଲ୍ୟାୟନ କରାଗଲା ସତ୍ୟବାଦୀ ଗୋଷ୍ଠୀଙ୍କ ଜାତୀୟବାଦୀ ଚେତନାରେ । ଗାନ୍ଧିଜୀ, ଭଗତ୍ସିଂହ, ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶରେ ମାର୍କ୍ସବାଦୀ ପ୍ରଗତିଶୀଳ ଚେତନାର ନୂତନ ସ୍ୱର ଜାତୀୟ ଚେତନାକୁ ମଧ୍ୟ ଉଜ୍ଜୀବିତ କରିଦେଲା ।
ପରମ୍ପରାର ବଳିଷ୍ଠତା, ପରିସ୍ଥିତିର ସମୀକ୍ଷଣ, ପ୍ରଗତିର ପ୍ରଚୋଦନା, ପରିବର୍ତ୍ତିତ ଜୀବନ ଧାରାର ଶୈଳ୍ପିକ ବିକାଶ ପରିପ୍ରେକ୍ଷାରେ ପ୍ରକାଶ ପାଇଲା ପ୍ରତିବାଦର ସ୍ୱର ।
ଏ ସମସ୍ତ ସ୍ୱର ମିଳିତ ହୋଇ ଏହି ସଂକଳନଟିରେ ଏକ ରୁଦ୍ରବୀଣାର ଐକ୍ୟୁତାନ ସୃଜିଛି । ଏହାର ହୁଏତ ଆହୁରି କଳେବର ବୃଦ୍ଧି ପାଇଥାନ୍ତା କିନ୍ତୁ ଚଉଷଠିଟି ଜାତୀୟବାଦୀ ଗୀତିକାରେ ଏହି ସଂକଳନକୁ ସୀମିତ ହେବାକୁ ପଡ଼ିଛି । ଆଶା ଏହା ଆମ ପାଠକମାନଙ୍କ ଭିତରେ ଜାତୀୟବାଦୀ ଚେତନା ସୁଜିବାରେ ସହାୟକ ହେବ।
ହରିହର ମିଶ୍ର
ସଭାପତି, ଓଡ଼ିଶା ସାହିତ୍ୟ ଏକାଡ଼େମୀ
ଜାତୀୟବାଦୀ ଓଡ଼ିଆ କବିତା : ଏକ ଦୃଷ୍ଟିପାତ
ଓଡ଼ିଆ ସାହିତ୍ୟରେ ଜାତୀୟବାଦୀ ଚେତନାର ଉନ୍ମେଷ ଓ ବିକାଶ ଏକ ବିଶେଷ ସାରସ୍ୱତ ପ୍ରବାହର ଧାରା ସୃଷ୍ଟିକରିଛି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାବରେ ଏହାର ଆତ୍ମପ୍ରକାଶ ଅନୁଭୂତ ହେଉଥିଲେ ହେଁ ମୁଖ୍ୟତଃ କବିତାରେ ଏହାର ମହତ୍ତ୍ୱ ବିଶେଷଭାବେ ପ୍ରକଟିତ ହୋଇଥିବା ଲକ୍ଷ୍ୟ କରାଯାଏ । ଆଧୁନିକ ରାଜନୀତିତତ୍ତ୍ୱବିତ୍ମାନଙ୍କ ମତାନୁଯାୟୀ ଜାତୀୟ ଚେତନାର ଉଭବ ସପ୍ତଦଶ-ଅଷ୍ଟାଦଶ ଶତାବ୍ଦୀରେ ହୋଇଅଛି । ସ୍ୱଦେଶାନୁରାଗ ପ୍ରଣୋଦିତ ସର୍ବୋତ୍ତମ ଅଭିଳାଷ, ସଚେତନଭାବେ ଭାଷା ଓ ସଂସ୍କୃତିର ସମାବେଶରେ ଏକ ରାଜନୈତିକ ସଂହତି ପ୍ରତିଷ୍ଠା କରିବାର ଆକାଂକ୍ଷାହିଁ ଯଥାର୍ଥତଃ ଜାତୀୟତାବାଦ ।
ସ୍ୱଦେଶପ୍ରୀତି ମାନବସମାଜର ଏକ ମୌଳିକ ଚେତନା । ଯେକୌଣସି ଦେଶ ଓ ଜାତି ନିଜ ଐତିହ୍ୟ, ପରମ୍ପରା, ମୌଳିକତା ଓ ଐଶ୍ୱର୍ଯ୍ୟକୁ ନେଇ ଗର୍ବ କରେ । ଏହା ଏକ ସହଜାତ ଭାବପ୍ରବଣତା। ଏହି ଭାବପ୍ରବଣତା ଜାତି, ସମାଜ ଓ ରାଷ୍ଟ୍ରୀୟତାକୁ ବାନ୍ଧି ରଖେ । ଜାତିକୁ ଆଗକୁ ଅଗ୍ରସର ହେବା ପାଇଁ ମାର୍ଗଦର୍ଶନ କରାଏ, ପ୍ରେରଣା ଦିଏ ଓ ଶକ୍ତିସଂଚାର କରେ । ବେଦ ଓ ପୁରାଣ ଯୁଗରେ ମଧ୍ୟ ସ୍ୱଦେଶପ୍ରୀତିର ପ୍ରସିଦ୍ଧିବର୍ଣ୍ଣନାର ଉଲ୍ଲେଖ ଅଛି । ବୈଦିକ ଋଷିପ୍ରବର ମଧ୍ୟ ଯଜୁର୍ବେଦରେ ମାତୃଭୂମି ଭାରତବର୍ଷର ପ୍ରଶସ୍ତିଗାନ କରିଛନ୍ତି । ସେହିପରି ବ୍ରହ୍ମପୁରାଣ, ଗରୁଡ଼ପୁରାଣ, ସ୍କନ୍ଦପୁରାଣ, କପିଳସଂହିତା ଆଦି ଗ୍ରନ୍ଥରେ ଭାରତ ତଥା ଉତ୍କଳର ଭୂରିଭୂରି ବର୍ଣ୍ଣନା ରହିଛି, ଯେଉଁଥିରେ ଏକ ଉନ୍ନତ ଐଶ୍ୱର୍ଯ୍ୟବନ୍ତ ଜାତିର ଯଥାର୍ଥ ପରିଚୟ ମିଳିଥାଏ । ଓଡ଼ିଆ କବି ସାରଳା ଦାସ, କାବ୍ୟଯୁଗର ପ୍ରଥିତଯଶା ମହାକବି ଉପେନ୍ଦ୍ରଭଞ୍ଜ ମଧ୍ୟ ସ୍ୱରଚିତ କାବ୍ୟମାନଙ୍କରେ ଉତ୍କଳଖଣ୍ଡର ଚମତ୍କାର ବର୍ଣ୍ଣନା ପ୍ରଦାନ କରି ଜାତୀୟ ଚେତନାର ଝଲକ ସୃଷ୍ଟି କରିଛନ୍ତି । ଆଦିକବି ସାରଳା ଦାସ ମହାଭାରତ ଗ୍ରନ୍ଥରେ ପୁରୀ, ଯାଜପୁର, ଝଙ୍କଡ଼, କୋଣାର୍କ ଓ ଏକାମ୍ର କ୍ଷେତ୍ର ଆଦିର ବର୍ଣ୍ଣନା ପ୍ରଦାନ କରିଛନ୍ତି । ଉପେନ୍ଦ୍ରଭଞ୍ଜ ଉତ୍କଳର ପ୍ରାଚୀନ ନୌବାଣିଜ୍ୟ, ସମରକଳା, ବୟନକଳା ଓ ସାଂସ୍କୃତିକ ବିଭବ ତଥା ସାମାଜିକ ଚଳଣିର ଅନନ୍ୟତା ସୂଚାଇ ଜାତୀୟତା ଭାବର ଉଦ୍ରେକ କରିଛନ୍ତି । କିନ୍ତୁ ଏସବୁ ବର୍ଣ୍ଣନା ସ୍ଥୁଳ ନୁହେଁ, ବରଂ ସଂକ୍ଷିପ୍ତ । ଆଧୁନିକ ଅର୍ଥରେ ଏହି ଚେତନାଭିତ୍ତିକ ରାଷ୍ଟ୍ରୀୟ ଭାବନା, ସ୍ୱଦେଶ ପ୍ରେମ ଓ ଜାତୀୟତାବାଦର କଥା ଯାହା ଆଜି ବିଶେଷ ଚର୍ଚ୍ଚାର ବିଷୟ ପାଲଟିଛି, ତାହା ସେସବୁରେ ପ୍ରଚୁର ପରିମାଣରେ ଉପଲବ୍ଧ ହୁଏ ନାହିଁ ।
ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଆ କାବ୍ୟଜଗତରେ ଯୁଦ୍ଧ ସାହିତ୍ୟ ବା ଯୁଦ୍ଧ ବର୍ଣ୍ଣନାଭିତ୍ତିକ କାବ୍ୟ ରଚନାର ସୂତ୍ରପାତ ହୋଇଥିଲା । ଏ ଦିଗରେ ଅଗ୍ରଣୀ କବି ଥିଲେ ଢେଙ୍କାନାଳର କବି ବ୍ରଜନାଥ ବଡ଼ଜେନା । ବ୍ରଜନାଥଙ୍କ ‘ସମର ତରଙ୍ଗ’ ଏକ ଉଚ୍ଚକୋଟିର ସମରକାବ୍ୟ ଭାବରେ କେବଳ ଓଡ଼ିଆ ସାହିତ୍ୟ କାହିଁକି, ସମଗ୍ର ଭାରତୀୟ ସାହିତ୍ୟରେ ଏକ ବିରଳ ଗ୍ରନ୍ଥର ମାନ୍ୟତା ଲାଭ କରିଛି । ସେହିପରି ଖଲ୍ଲିକୋଟ ଯୁଦ୍ଧକାବ୍ୟ ମଧ୍ୟ ଆଠଗଡ଼-ଖଲ୍ଲିକୋଟ ମଧ୍ୟରେ ହୋଇଥିବା ଯୁଦ୍ଧ ଓ ସଂଘର୍ଷର ଲୋମହର୍ଷଣକାରୀ ବିବରଣୀକୁ ନେଇ କବି ଚୈତନ୍ୟ ଦାସ ରଚନା କରିଛନ୍ତି । ଏହି ଉଭୟ ଗ୍ରନ୍ଥ ନିଜ ରାଜ୍ୟ ଓ ଜନ୍ମମାଟିର ସୁରକ୍ଷା ପାଇଁ ହୋଇଥିବା ସାମରିକ କାର୍ଯ୍ୟକଳାପକୁ ଅବତାରଣା କରୁଥିବାରୁ କେହି କେହି ଗବେଷକ ଜାତୀୟବାଦୀ କାବ୍ୟ ଭାବରେ ଏହି ଦୁଇ କାବ୍ୟକୁ ଗୁରୁତ୍ବ ପ୍ରଦାନ କରିଥାଆନ୍ତି । ‘ସମର ତରଙ୍ଗ’ କାବ୍ୟ ମରହଟ୍ଟା ସେନାବାହିନୀର ଓଡ଼ିଶା ଆକ୍ରମଣ, ଢେଙ୍କାନାଳର ରାଜା ତ୍ରିଲୋଚନ ମହେନ୍ଦ୍ର ବାହାଦୂରଙ୍କ ବୀରତ୍ୱ, ସ୍ୱଦେଶାନୁରାଗ, ଯୁଦ୍ଧରତ ସୈନ୍ୟମାନଙ୍କ ପ୍ରତି ତାଙ୍କର ଉଦ୍ବୋଧନ ବାଣୀ ଉପରେ ଆଧାରିତ ହୋଇଥିବା ଦୃଷ୍ଟିରୁ ଏହାକୁ ଓଡ଼ିଆ କାବ୍ୟ ଜଗତରେ ଜାତୀୟତାବାଦର ପ୍ରଥମ ସୁବର୍ଣ୍ଣ ତୋରଣ ବୋଲି କୁହାଗଲେ ଭୁଲ୍ ହେବ ନାହିଁ ।
ଭାରତର ବିଭିନ୍ନ ପ୍ରାନ୍ତ ତୁଳନାରେ ଓଡ଼ିଶା ଅପେକ୍ଷାକୃତ ଅଧୁକ କାଳ ଆପଣାର ସ୍ଵାଧୀନତା ରକ୍ଷାରେ ସମର୍ଥ ଥିବାରୁ ଇଂରେଜମାନେ ବିଳମ୍ବରେ ଓଡ଼ିଶାକୁ ଅଧିକାର କରିଥିଲେ । ବିଳମ୍ବରେ ଓଡ଼ିଶା ବିଦେଶୀ ଶାସନାଧୀନ ହୋଇଥିବାରୁ ଇଂରାଜୀ ଚିନ୍ତା ଓ ଚେତନାରୁ ସୃଷ୍ଟି ସୁସଂହତ ପାଶ୍ଚାତ୍ୟ ଜାତୀୟତାବାଦୀ ଚିନ୍ତାଧାରା ଓ ଦେଶପ୍ରେମ ଭାବନା ଅନ୍ୟାନ୍ୟ ପ୍ରାନ୍ତୀୟ ସାହିତ୍ୟ ତୁଳନାରେ ଏଠାରେ ବିଳମ୍ବରେ ପ୍ରକାଶିତ ହୋଇଥିଲା । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ହିଁ କେବଳ ଏତାଦୃଶ ଚେତନା ପ୍ରତି ଉତ୍କଳବାସୀ ସଚେତନ ହୋଇଥିଲେ।
ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ସମଗ୍ର ଭାରତୀୟ ସାହିତ୍ୟରେ ଜାତୀୟ ଚେତନାର ଯଥାର୍ଥ ଅନୁବର୍ତ୍ତନ ଘଟିଛି । ସ୍ୱାଧୀନତା ହରାଇଥିବା ଭାରତୀୟ ଜନସାଧାରଣ ମୁକ୍ତି ପ୍ରୟାସୀ ହେବା ସଙ୍ଗେ ସଙ୍ଗେ ଏକ ନବଜାଗରଣର ମହାସ୍ରୋତରେ ଝାସ ଦେଇଛନ୍ତି । ଦେଶସେବାବ୍ରତୀ ରାଜା ରାମମୋହନ ରାୟ, ବଙ୍କିମଚନ୍ଦ୍ର ଚାଟାର୍ଜୀ, ବାଲ୍ ଗଙ୍ଗାଧର ତିଲକ, ବୀରେଶ ଲିଙ୍ଗମ୍, ପି. ଆନନ୍ଦାଚାରୁଲୁ, ସି. ଶଙ୍କରନ୍ ନାୟାର, ଟି. ମାଧବ ରାଓ, କେଶବ ଚନ୍ଦ୍ର ସେନ ପ୍ରଭୃତିଙ୍କ ଆହ୍ୱାନରେ ଭାରତବର୍ଷର ବିଭିନ୍ନ ପ୍ରାଦେଶିକ ସାହିତ୍ୟରେ ଜାତୀୟବାଦୀ ଚେତନାର ଶୁଭାରମ୍ଭ ଘଟିଛି । ବଙ୍ଗୀୟ କବି ହେମଚନ୍ଦ୍ର ବାନାର୍ଜୀ, ଈଶ୍ୱର ଗୁପ୍ତା, ରଙ୍ଗଲାଲ ବାନାର୍ଜୀ ସର୍ବପ୍ରଥମେ ଉଗ୍ରଜାତୀୟତାବାଦକୁ ନେଇ ବଙ୍ଗଳାରେ କବିତା ରଚନା କରି ଜାତୀୟବାଦୀ କବିତାର ଏକ ନୂତନ ପରମ୍ପରା ସୃଷ୍ଟି କରିଛନ୍ତି ।
ବଙ୍କିମଚନ୍ଦ୍ରଙ୍କ ‘ବନ୍ଦେ ମାତରମ୍' କବିତା ଭାରତୀୟ ସାହିତ୍ୟରେ ଜାତୀୟବାଦୀ କବିତାର ଏକ ସ୍ମରଣୀୟ ପ୍ରୟାସ ପରି ମନେହୁଏ, ନୂତନ ଜାତୀୟବାଦୀ ଚେତନାର ଶ୍ରେଷ୍ଠ ଭାଷ୍ୟକାର ଭାବରେ ବଙ୍ଗଳା ସାହିତ୍ୟରେ ବଙ୍କିମଚନ୍ଦ୍ରଙ୍କ ଆବିର୍ଭାବ ସହିତ ଅସମୀୟା ସାହିତ୍ୟରେ ଲକ୍ଷ୍ମୀକାନ୍ତ ବେଜବରୁଆ, କନ୍ନଡ଼ ସାହିତ୍ୟରେ ଏନ୍ ଗୋବିନ୍ଦ ପାଇ ଓ କୁଭେମ୍ପୁ, ମାଲୟାଲି ସାହିତ୍ୟରେ କୁମାରନ ଆଶାନ, ତାମିଲ୍ ସାହିତ୍ୟରେ ରାମଲିଙ୍ଗମ୍ ସ୍ୱାମିଗଲ ଓ ଶୁଭ୍ରମନ୍ୟମ୍ ଭାରତୀ, ହିନ୍ଦୀ ସାହିତ୍ୟରେ ଭାରତେନ୍ଦୁ ହରିଶ୍ଚନ୍ଦ୍ର, ମୈଥିଲୀ ଶରଣ ଗୁପ୍ତ, ଉର୍ଦ୍ଦୁ ସାହିତ୍ୟରେ ଇକବାଲ, ପଞ୍ଜାବୀ ସାହିତ୍ୟରେ ବୀରସିଂହ ପ୍ରମୁଖ ବହୁ କବି ଭାରତୀୟ ଜନଜୀବନରେ ଦେଶାତ୍ମବୋଧ ଓ ଜାତୀୟତାର ଭାବ ସଂପ୍ରସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଭାରତବର୍ଷର ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟରେ ଦେଶଭକ୍ତିର ଯେଉଁ ନବଉନ୍ମାଦନା ଦେଖାଦେଇଥିଲ; ଓଡ଼ିଆ ସାହିତ୍ୟରେ ତା’ର ପ୍ରଭାବ ଓ ସଫଳ ରୂପାୟନ ପ୍ରଥମେ ପତ୍ରପତ୍ରିକାରେ ଅନୁଭୂତ ହୋଇଥିଲା । ବିଗତ ପ୍ରାୟ ସାର୍ଦ୍ଧ ଏକଶତାବ୍ଦୀ ମଧ୍ୟରେ ଓଡ଼ିଆ କାବ୍ୟକବିତାରେ ଜାତୀୟ ଚେତନା କିପରି ପ୍ରତିଫଳିତ ହୋଇଥିଲ, ତାହାକୁ ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇପାରେ । ୧୮୬୬ରୁ ୧୯୦୩ ମସିହା କାଳଖଣ୍ଡକୁ ଆଧୁନିକ ଓଡ଼ିଆ କବିତାରେ ଜାତୀୟବାଦୀ ଚେତନାର ଆଦିପର୍ବ ଭାବରେ ବିବେଚନା କରାଯାଇପାରେ । ଏହାର ମୁଖ୍ୟ ପ୍ରବୃତ୍ତି ଥିଲା ଐତିହ୍ୟ ପ୍ରୀତି, ମାତୃଭୂମି ବନ୍ଦନା, ଜାତୀୟ ଉଦ୍ବୋଧନ, ଭାଷା ସଙ୍କଟର ପ୍ରତିକ୍ରିୟା ଓ ସ୍ୱଦେଶୀ ଶିଳ୍ପାନୁରାଗ ।
ଜାତୀୟବାଦୀ ଓଡ଼ିଆ କବିତାର ଆଦିପର୍ବରେ ଆତ୍ମପ୍ରକାଶ କରିଥିବା ବିଶିଷ୍ଟ କବିମାନଙ୍କ ମଧ୍ୟରେ ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ରାଓ, ପଦ୍ମଚରଣ ପଟ୍ଟନାୟକ, ବାସୁଦେବ ସୁଢ଼ଳଦେବ, ଗଙ୍ଗାଧର ମେହେର, ଗୋବିନ୍ଦ ରଥ ପ୍ରଭୃତିଙ୍କ ନାମ ବିଶେଷ ସ୍ମରଣଯୋଗ୍ୟ । ଭାରତବର୍ଷର ଦୀର୍ଘକାଳ ବ୍ୟାପୀ ପରାଧୀନତା, ଅଶିକ୍ଷା ଓ ଅବସାଦରେ ପ୍ରପୀଡ଼ିତ ସ୍ୱଦେଶର ଦୁର୍ଗତ ଅବସ୍ଥା ବିଷୟରେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆଦିପର୍ବର କବିପୁରୁଷଗଣଙ୍କ ଲେଖନୀରେ ସଚେତନତା ଦେଖାଦେଇଥିଲା । ସେଥିପାଇଁ ରାଧାନାଥ, ମଧୁସୂଦନ, ଫକୀରମୋହନ ପ୍ରଭୃତି କବିଗଣ ଭାରତ ତଥା ଉତ୍କଳର ଅତୀତ ଗୌରବକୁ ନିଜ ନିଜର କାବ୍ୟକବିତାରେ ଉପସ୍ଥାପିତ କଲେ । ଭୀରୁତା, ଅଜ୍ଞତା, ଅବସାଦ ପୀଡ଼ିତ ଦେଶବାସୀଙ୍କର ମୋହଭଙ୍ଗ କରିବା ଥିଲା, ଏହି କବିମାନଙ୍କର ମୂଳଲକ୍ଷ୍ୟ। ରାଧାନାଥ ଶିବାଜୀଙ୍କ ଉତ୍ସାହ କାବ୍ୟ, ଅମର୍ଷିବାଣୀ ପରି ଉଚ୍ଚକୋଟିର ଉଦ୍ବୋଧନୀ କବିତା ରଚନା କରିବା ସଙ୍ଗେ ସଙ୍ଗେ ‘ଦରବାର’, ‘ଚିଲିକା’ ଓ ‘ମହାଯାତ୍ରା’ କାବ୍ୟରେ ଜାତିର ଅତୀତ ଐତିହ୍ୟ ଓ ଗରିମାର ସ୍ମୃତିଚାରଣ କରି ଉତ୍କଳବାସୀଙ୍କ ପ୍ରାଣରେ ସଚେତନତା ଜାଗ୍ରତ କରିଥିଲେ ।
ସେହିପରି ବାସୁଦେବ ସୁଢ଼ଳଦେବଙ୍କ ଭାରତ ଓ ଉତ୍କଳର ଇତିହାସପ୍ରସିଦ୍ଧ ଚରିତ୍ରମାନଙ୍କୁ କେନ୍ଦ୍ର କରି ‘ବୀର ବାମା’ ନାମରେ ଏକ ଜାତୀୟବାଦୀ କାବ୍ୟ ରଚନା କଲେ । ଇଂରେଜମାନଙ୍କ ବିରୁଦ୍ଧରେ ବୀରାଙ୍ଗନା ଲକ୍ଷ୍ମୀବାଇଙ୍କ ଯୁଦ୍ଧ ଓ ଆମ୍ବତ୍ୟାଗର ବନାସମ୍ବଳିତ ଏହି କାବ୍ୟରେ ଲକ୍ଷ୍ମୀବାଇଙ୍କ ଉଜ୍ଜ୍ୱଳ ଚାରିତ୍ରିକ ପରାକାଷ୍ଠା ପ୍ରଦର୍ଶିତ ହୋଇଛି । ଭାରତବର୍ଷ ତଥା ମାତୃଭୂମି ଉତ୍କଳର ବିପର୍ଯ୍ୟସ୍ତ ଅବସ୍ଥା ସହିତ ଭଗ୍ନଦୁର୍ଗ, ଦେବାଳୟ ଓ ଧ୍ୱଂସସ୍ତୁପ ପ୍ରଭୃତି ସନ୍ଦର୍ଶନ କରି ଅତୀତର ମହାନ ଗୌରବକୁ ସ୍ମରଣ କରିଛନ୍ତି ଭକ୍ତକବି ମଧୁସୁଦନ । ନିଶ୍ଚେଷ୍ଟ, ଉଦ୍ୟମହୀନ, ଆତ୍ମଦୈନ୍ୟ ପ୍ରପୀଡ଼ିତ ଦେଶବାସୀଙ୍କୁ ଅତୀତ ଗୌରବ କଥା ସ୍ମରଣ କରାଇ ସେମାନଙ୍କୁ ସକ୍ରିୟ, କର୍ମଠ ଓ ଆତ୍ମବିଶ୍ୱାସୀ କରାଇବା ଥିଲା ମଧୁସୂଦନଙ୍କ କବିତାସୃଜନର ବଳିଷ୍ଠ ଆଭିମୁଖ୍ୟ । ବିବେକାନନ୍ଦଙ୍କ ଭଳି ଭଗବତ୍ପ୍ରୀତି ଓ ଜାତିପ୍ରୀତିକୁ ଏକ ଓ ଅଭିନ୍ନ ଦର୍ଶାଇ ଜାତିର ଅମୃତ ସୋପାନ ଆରୋହଣର ପଥପ୍ରଦର୍ଶକ ଥିଲେ ମଧୁସୂଦନ । ଓଡ଼ିଆ ସାହିତ୍ୟରେ ଏ ପ୍ରକାର ଆଧାୟିକ ଜାତୀୟ ଭାବନାର ଧାରା ଏ ଜାତି ସମ୍ମୁଖରେ ଏକ ସୁସ୍ଥ ପରମ୍ପରା । ସୃଷ୍ଟିରେ ସହାୟକ ହୋଇଥିଲା ।
ଅତୀତର ଗୌରବ ରବି ଅସ୍ତମିତ ହୋଇଯାଇଥିବା ଅନୁଭବ କରି ବ୍ୟାସକବି ଫକୀରମୋହନ ସେନାପତି ମଧ୍ୟ ତାଙ୍କ ରଚିତ ବହୁ କବିତାରେ ଓଡ଼ିଶାର ଐତିହ୍ୟ, ପରମ୍ପରାର ଜୟଗାନ କରିଛନ୍ତି । ଜନନୀ ଓ ଜନ୍ମଭୂମି ପ୍ରତି ଗଭୀର ମମତ୍ଵପବୋଧରୁ ତାଙ୍କର ବହୁ ସାର୍ଥକ ଜାତୀୟବାଦୀ କବିତା ଜନ୍ମନେଇଛି । ‘ଉତ୍କଳ ଭ୍ରମଣ ଏ ଦୃଷ୍ଟିରୁ ଏକ କାଳଜୟୀ ରଚନା । ଏତଦ୍ବ୍ୟତୀତ ଫକୀରମୋହନଙ୍କ ରଚିତ ‘ମାତୃସ୍ତବ, ‘କଳାପାହାଡ଼', ‘ଜନନୀ ଉତ୍କଳ ଭାଷା’, ‘ମୋ ଜନନୀ ଜନ୍ମଭୂମି', ‘ଉତ୍ଥାନସଙ୍ଗୀତ, ‘ ଉତ୍କଳର ବିଗତ ଗୌରବ’ ଆଦି କବିତାଗୁଡ଼ିକରୁ ତାଙ୍କର ଗଭୀର ସ୍ୱଦେଶପ୍ରୀତିର ପରିଚୟ ମିଳିଥାଏ ।
ଉତ୍କଳୀୟ ଶିକ୍ଷିତ ଯୁବକମାନଙ୍କର ଦେଶୀୟ ସଂସ୍କୃତି ଓ ଭାଷା ପ୍ରତି ଅନାଦର ଓ ବିଦେଶୀ ଅନ୍ଧାନୁକରଣରୁ ସେମାନଙ୍କ ମଧ୍ୟରେ ଜନ୍ମଲାଭ କରିଥିବା ଲଘୁମନ୍ୟତା ଦୂରକରିବା ଓ ମାତୃଭାଷା ପ୍ରତି ଅନୁରାଗ ବୃଦ୍ଧି କରିବା ଲକ୍ଷ୍ୟରେ ଫକୀରମୋହନଙ୍କ ଶାଣିତ ଲେଖନୀ ଅନ୍ୟାନ୍ୟ କବିମାନଙ୍କୁ ମଧ୍ୟ ଗଭୀର ଭାବେ ପ୍ରଭାବିତ କରିଥିଲା । ସ୍ଵଭାବକବି ଗଙ୍ଗାଧର ମେହେର ଫକୀରମୋହନଙ୍କ ରଚନାବଳୀରେ ବିଶେଷ ପ୍ରଭାବିତ ହୋଇ ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପାଇଁ ଉତ୍କଳବାସୀ ଆଗେଇ ଆସିବା ପାଇଁ ଉଦ୍ବୋଧନ ଦେଇଛନ୍ତି । ତତ୍କାଳୀନ ଉତ୍କଳଦୀପିକା, ସମ୍ବଲପୁର ହିତୈଷିଣୀ ଆଦି ପତ୍ରିକାରେ ଫକୀରମୋହନ ଓ ଗଙ୍ଗାଧରଙ୍କ ଜାତୀୟବାଦୀ କବିତା ଓଡ଼ିଆ ଜନଜୀବନକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ଗଙ୍ଗାଧରଙ୍କ ‘ ଉତ୍କଳଭାରତୀଙ୍କ ଉକ୍ତି', ‘ଉଦ୍ବୋଧନ', ‘ ଉତ୍କଳଲକ୍ଷ୍ମୀ’ ଆଦି କବିତା ବେଶ୍ ପ୍ରଭାବଶାଳୀ । ସେହିପରି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଭାବନା ଗୋବିନ୍ଦ ରଥଙ୍କ ରଚନାବଳୀରେ ସୁସ୍ପଷ୍ଟ । ସମ୍ବଲପୁର କୋର୍ଟକଚେରିରେ ଓଡ଼ିଆ ଭାଷା ପ୍ରଚଳନ ଭାବନାକୁ ଆଧାରିତ କରି ସେ ରଚନା କରିଥିଲେ ‘ଲାଟ୍ ଦର୍ଶନ' ପୁସ୍ତିକା । ଊନବିଂଶ ଶତାବ୍ଦୀର ଏହି ପତ୍ରପତ୍ରିକାମାନଙ୍କରେ ବହୁ ଜାତୀୟବାଦୀ କବି-ଲେଖକ ସେମାନଙ୍କ ନାମ ଉଲ୍ଲେଖ ନ କରି ଛଦ୍ମନାମରେ ଉଗ୍ର ଜାତୀୟବାଦୀ କବିତା ରଚନା କରିଛନ୍ତି ।
ଓଡ଼ିଆ ଜାତୀୟବାଦୀ କବିତାର ଆଦିପର୍ବରେ ଭାଷା ସୁରକ୍ଷା ଓ ଭାଷା ଆନ୍ଦୋଳନ ତଥା ଜାତୀୟ ଉଦ୍ବୋଧନ ଯେପରି ସ୍ଥାନ ଅକାର କରିବସିଥିଲା, ସେହିପରି ସ୍ୱଦେଶୀ ଶିଳ୍ପାନୁରାଗର ଚିତ୍ର ମଧ୍ୟ ଏହି ପର୍ବର କବିତାରେ ସ୍ଥାନ ପାଇଛି । ପାଶ୍ଚାତ୍ୟ ଭୂଖଣ୍ଡରେ ତଥା ଇଂଲଣ୍ଡରେ ଶିଳ୍ପ ବିପ୍ଳବର ପରିଣାମସ୍ୱରୂପ ଯନ୍ତ୍ର ଶିଳ୍ପଜାତ ସାମଗ୍ରୀର ବହୁଳ ଉତ୍ପାଦନ ଏକ ସମସ୍ୟା ସୃଷ୍ଟିକରିଥିଲା । ଊନବିଂଶ ଶତାବ୍ଦୀରେ ଏହି ସାମଗ୍ରୀର ବିକ୍ରୟ ଲାଗି ଇଂଲଣ୍ଡ ଭାରତବର୍ଷକୁ ଏକ ପ୍ରକୃଷ୍ଟ କ୍ଷେତ୍ର ରୂପେ ବ୍ୟବହାର କରିଥିଲା । ଭାରତର ଶିଳ୍ପ ଉପରେ ଅଧିକ କର ବ୍ୟବସ୍ଥା ପ୍ରଚଳନ କରି ଓ ଏ ଦେଶରୁ ପ୍ରଚୁର କଞ୍ଚାମାଲ ଇଂଲଣ୍ଡକୁ ନେବା ଫଳରେ ଇଂଲଣ୍ଡ ତାହାର ଅର୍ଥନୀତିକ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଥିଲା ଅଥଚ ଭାରତୀୟ ଅର୍ଥନୀତି ଦୁର୍ବଳ ଓ ଶିକ୍ସ ମୁତପ୍ରାୟ ହୋଇପଡ଼ିଥିଲା । ଭାରତରୁ ପ୍ରେରିତ ଏହି କଞ୍ଚାମାଲ ଆମଦାନି କରି ପାଶ୍ଚାତ୍ୟ ଜଗତ ସମୃଦ୍ଧ ହେଲାବେଳେ ଆମ ଦେଶୀୟ ଶିଳ୍ପ ଓ କୁଟୀର ଶିଳ୍ପ ଧୂଳିସାତ୍ ହୋଇଗଲା । ଏ ଦେଶର ଆର୍ଥନୀତିକ ବିପର୍ଯ୍ୟୟରେ ମର୍ମାହତ ହୋଇ ଗାନ୍ଧିଜୀ ସ୍ୱଦେଶୀ ବସ୍ତ୍ର ପରିଧାନ ଓ ଲୁଣ ମାରିବା ପାଇଁ ଲବଣ ଆନ୍ଦୋଳନର ଡାକରା ଦେଇଥିଲେ । ଲବଣ ଶିଳ୍ପ ଓ ବୟନ ଶିଳ୍ପର ଘୋର ଦୁର୍ଦ୍ଦିନରେ ଫକୀରମୋହନ ନିଜ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି - ;
ଓଳି ତଳେ ଲୁଣ କୋଟିଏ ମହଣ ଥାଉ ମୋହ କଥା ଶୁଣ
ବୋଇଲେ କି ହେବ ଖାଇବାକୁ ହେବ ଲିଭରପୁର ଲୁଣ
ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି ତୁମ୍ଭମାନଙ୍କ ସକାସେ
ବୁଡୁ ତନ୍ତୀବଂଶ ହେଉ ସର୍ବନାଶ ଯାଆନ୍ତୁ ସେ ବନବାସେ ।
ବିଦେଶୀ ଶାସନ ଓ ଶାସକ ପ୍ରତି କଟାକ୍ଷ ଓ ତୀବ୍ର ବ୍ୟଙ୍ଗ ଓ ଉପହାସ ଏ ସମୟର କବିତାରେ ପ୍ରାଧାନ୍ୟ ବିସ୍ତାର କରିଥିଲା ।
୧୯୦୩ରୁ ୧୯୩୬ ପର୍ଯ୍ୟନ୍ତ ସମୟଖଣ୍ଡକୁ ଜାତୀୟବାଦୀ ଓଡ଼ିଆ କବିତାର ମଧ୍ୟପୂର୍ବ ରୂପେ ଅଭିହିତ କରାଯାଇପାରେ ଏହି ପର୍ବରେ ଆଞ୍ଚଳିକ ଜାତୀୟତାର ବିକାଶ ପରିଲକ୍ଷିତ ହୋଇଛି । ବିଂଶ ଶତକର ପ୍ରଥମରୁ ତୃତୀୟ ଦଶକ ଜାତୀୟ ଜାଗରଣ ଦୃଷ୍ଟିରୁ ଭାରତ ତଥା ଉତ୍କଳ ପକ୍ଷେ ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସମୟ । ଊନବିଂଶ ଶତାବ୍ଦୀର ଶେଷପାଦରେ ଯେଉଁ ଜାତୀୟବାଦୀ ଚେତନାର ଉନ୍ମେଷ ହୋଇଥିଲା, ତାହା ଏହି ସମୟ ମଧ୍ୟରେ ଜାତୀୟ ଐକ୍ୟ ପ୍ରତିଷ୍ଠା, ରାଜନୈତିକ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ, ଧର୍ମଘଟ, ସତ୍ୟାଗ୍ରହ ପ୍ରଭୃତି ମାଧ୍ୟମରେ ଅଧିକ ସବଳ ଓ ସକ୍ରିୟ ହୋଇଥିଲା । ବହୁ ସମସ୍ୟାବହୁଳ, ଅଶିକ୍ଷା, ଦାରିଦ୍ର୍ୟ ଓ କୁସଂସ୍କାର ପୀଡ଼ିତ ଭାରତବର୍ଷ ଯେ ସାମ୍ରାଜ୍ୟବାଦୀ ଇଂଲଣ୍ଡ ବିରୁଦ୍ଧରେ ସଂଗ୍ରାମ କରିବାକୁ ସମର୍ଥ, ତାହା ଏହି ସମୟ ମଧ୍ୟରେ ପ୍ରମାଣିତ ହୋଇଯାଇଥିଲା ।
ଓଡ଼ିଶାରେ ଜାତୀୟ ଚେତନାର ବିକାଶ କ୍ଷେତ୍ରରେ ୧୯୦୩ ମସିହା ଏକ ସ୍ମରଣୀୟ ବର୍ଷ । ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ, ଓଡ଼ିଶୀ ଶିଳ୍ପର ପୁନରୁଦ୍ଧାର ତଥା ଓଡ଼ିଶାର ସର୍ବାଙ୍ଗୀନ ବିକାଶ ସଙ୍ଗେ ସଙ୍ଗେ ସର୍ବାଞ୍ଚଳରେ ଯେଉଁ ସାର୍ବଜନୀନ ଐକ୍ୟ ଭାବର ବିକାଶ ଘଟିଥିଲା, ତାହା ସମକାଳୀନ କବିଚିତ୍ତକୁ ଆଲୋଡ଼ିତ କରିଥିଲା ଏବଂ ସ୍ୱଦେଶପ୍ରେମ ଓ ଜାତୀୟଭାବ ପ୍ରସାରଭିତ୍ତିକ ଶିକ୍ଷାଦାନ ଓ ସାହିତ୍ୟ ସୃଷ୍ଟିର ଉଦ୍ୟମକୁ ତ୍ୱରାନ୍ୱିତ କରିଥିଲା ଏହାର ପରବର୍ତ୍ତୀ ସତ୍ୟବାଦୀ ସାହିତ୍ୟ ଗୋଷ୍ଠୀର ସାଧନା। ଏହି ବିକାଶ ଯୁଗର ଦୁଇ ଉଜ୍ଜ୍ୱଳ ଜ୍ୟୋତିଷ୍କ ଥିଲେ ଉତ୍କଳଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସ । ସେମାନଙ୍କ ସାରସ୍ୱତ ପ୍ରୟାସ ଓଡ଼ିଆ କବିତାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା । ଉତ୍କଳ ସମ୍ମିଳନୀର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ଦାସ ଜଣେ ଅଗ୍ରଗଣ୍ୟ ନେତୃପୁରୁଷ ରୂପେ ପରିଚିତ ହେଲେ ହେଁ ତାଙ୍କ ରଚିତ ମାତ୍ର ଛଅଟି କବିତା ଜାତୀୟବାଦୀ ଓଡ଼ିଆ କବିତା ଭଣ୍ଡାରରେ ଚିରସ୍ମରଣୀୟ ହୋଇ ରହିବ । ଉତ୍କଳ ସନ୍ତାନ, ଜାତି ଇତିହାସ, ଜାତୀୟ ଗୀତ ପରି କବିତାର ତୁଳନା ଓଡ଼ିଆ ଜାତୀୟବାଦୀ କବିତା ଭଣ୍ଡାରରେ ବାସ୍ତବିକ ବିରଳ। ମଧୁସୂଦନଙ୍କ କବିତାର ସାରଲ୍ୟ ଓ ଆବେଗ ଏତେ ହୃଦୟସ୍ପର୍ଶୀ ଥିଲା ଯେ ତାହା ଅଗଣିତ ଉତ୍କଳୀୟ ଜନତାର ପ୍ରାଣରେ ଅଭୁତପୂର୍ବ ସ୍ପନ୍ଦନ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା । ମନସ୍ୱୀ ମଧୁସୂଦନଙ୍କ ଓଡ଼ିଶାବାସୀଙ୍କ ପ୍ରତି ଉଦାତ୍ତ ଆହ୍ଵାନ ଥିଲା
ଜାତି ପ୍ରେମ ବହ୍ନି ପ୍ରଜ୍ୱଳିତ କର ।
ସ୍ୱାର୍ଥକୁ ଦିଅ ଆହୁତି ।
ସ୍ଵାର୍ଥମେଧ ଯଜ୍ଞ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି ।
କୋଟିଏ ସନ୍ତାନ ଗୋଟିଏ ସ୍ୱରରେ
ଜନନୀ ଜନନୀ ଡାକ
ତୃଷ୍ଠାରେ କାତର ଗଗନକୁ ଚାହିଁ ।
ଯେସନେ ଡାକେ ଚାତକ ।
ସେହିପରି ପୁଣ୍ୟତ୍ମା ଗୋପବନ୍ଧୁ ଦାସଙ୍କ ଦ୍ଵାରା ସ୍ଥାପିତ ସତ୍ୟବାଦୀ ବନ ବିଦ୍ୟାଳୟର ଆଦର୍ଶ ଓ ପୃଷ୍ଠଭୂମିରେ ଥିବା ମୂଲ୍ୟବୋଧ ଗୋପବନ୍ଧୁଙ୍କ କବିତାରେ ଜାତୀୟ ଭାବନା ଓ ସ୍ୱଦେଶ ପ୍ରେମର ରୂପ ନେଇ ଆତ୍ମପ୍ରକାଶ କଲା । ଗୋପବନ୍ଧୁଙ୍କ ରଚିତ ‘କାରା କବିତା’, ‘ବନ୍ଦୀର ସ୍ଵଦେଶ ଚିନ୍ତା’, ‘ଅବକାଶ ଚିନ୍ତା, ‘ଧର୍ମପଦ’ରେ ପ୍ରକାଶ ପାଇଛି ଜଣେ ସ୍ୱଦେଶପ୍ରେମୀର ଜାତୀୟବାଦୀ କବିପ୍ରାଣର ଆବେଗ ଓ ଅନୁଚିନ୍ତା । ସେହିପରି ତାଙ୍କରି ଆଦର୍ଶରେ ବିଶେଷ ଭାବେ ଅନୁପ୍ରାଣିତ ସତ୍ୟବାଦୀ ଯୁଗର କବି ନୀଳକଣ୍ଡ ଦାସ, ଗୋଦାବରୀଣ ମିଶ୍ର ମଧ୍ୟ ଓଡ଼ିଆ କବିତାରେ ଜାତୀୟବାଦୀ ଭାବନାର ଅନୁରୂପ ସ୍ପର୍ଶ ଦେଇଛନ୍ତି । ଗୋଦାବରୀଶଙ୍କ ‘ଜନ୍ମଭୂମି’, ‘ତୁଙ୍ଗ ଶିଖରି ଚୂଳ’, ‘ବକୁଳବନ’ ପରି ବହୁ କବିତାରେ ସ୍ୱଦେଶ ପ୍ରୀତିର ଭାବନା ଯେପରି ସ୍ପଷ୍ଟ ହୋଇଛି, ସେହିପରି ନୀଳକଣ୍ଡ ଦାସଙ୍କ ‘କୋଣାର୍କ’, ‘ ମାୟାଦେବୀ', “ଖାରବେଳ’ ଆଦି କାବ୍ୟରେ ଓଡ଼ିଆ ଜାତିର ମର୍ମଗାଥା ଅନୁରଣିତ ହୋଇଛି ।
ଏହି ସମୟର ଅନ୍ୟାନ୍ୟ ଜାତୀୟବାଦୀ କବିଙ୍କ ମଧ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋଦାବରୀଶ ମହାପାତ୍ର, କୁନ୍ତଳା କୁମାରୀ ସାବତ, ବୀର କିଶୋର ଦାସ, ବାଞ୍ଛାନିଧି ମହାନ୍ତି, ବାଞ୍ଛାନିଧି ଦାସ, ଶ୍ରୀବତ୍ସ ପଣ୍ଡା, ନୀଳମଣି ବିଦ୍ୟାରତ୍ନ, ଅନ୍ନପୂର୍ଣ୍ଣା ପଟ୍ଟନାୟକ, କୃଷ୍ଣମୋହନ ପଟ୍ଟନାୟକ, ଭିକାରୀ ଚରଣ ପଟ୍ଟନାୟକ, ପଦ୍ମଚରଣ ପଟ୍ଟନାୟକଙ୍କ ସାରସ୍ୱତ ଅବଦାନ ଅବିସ୍ମରଣୀୟ । କାନ୍ତକବିଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଓ ‘ଜାତୀୟ ସଙ୍ଗୀତ', ଚିନ୍ତାମଣି ମହାନ୍ତିଙ୍କ ‘ଉତ୍କଳ କମଳା’, ନୀଳମଣି ବିଦ୍ୟାରତ୍ନଙ୍କ “ଜାତୀୟ ସଙ୍ଗୀତ’, କୃଷ୍ଣମୋହନଙ୍କ ‘ଜାତୀୟ ସଙ୍ଗୀତାବଳୀ’, ଗୋଦାବରୀଶ ମହାପାତ୍ରଙ୍କ ଉଠ କଙ୍କାଳ’, ‘ବାରବାଟୀ ବକ୍ଷେ’, ‘ଉତ୍କଳ ମା’ର ସନ୍ତାନ ଆମେ’, ‘ହେ ଦୁର୍ଗ ପଥେ', ‘ଜଳରେ ଅନଳ, ଦୁର୍ଗର ନିଦ୍ରାଭଙ୍ଗ', “ଶିଖି ମନାଇ’, ‘ଡାକ ହେ ଥରେ', ‘ବିପ୍ଳବ ପଥେ', ‘ଗରଜେ ବଜ୍ର’, ‘ନିଷ୍ପେଷିତର ଭଗବାନ’, ‘କଙ୍କାଳ ଲୀଳା”, “ଦେଖ କଙ୍କାଳ ମାଳିନୀ', “ପାହୁଚି ଗଭୀର ରାତି', ‘ ଦୁର୍ଗମ ଯାତ୍ରୀ’ ଆଦି କବିତାରେ ଉଗ୍ର ଜାତୀୟତାବୋଧର ସାର୍ଥକ ପ୍ରତିଫଳନ ପରିଲକ୍ଷିତ ହୁଏ ।
ଗୋଦାବରୀଶ ମହାପାତ୍ର ଓଡ଼ିଆ କବିତାରେ ଉଗ୍ର ଜାତୀୟତାବାଦର ପୂଜାରୀ । ଉଠ କଙ୍କାଳ’ରେ କଙ୍କାଳସାର ମୃତପ୍ରାୟ ନିଶ୍ଚେଷ୍ଟ ଓଡ଼ିଆ ଜାତିକୁ କବି ବୈପ୍ଳବିକ ଆବାହନୀ ଶୁଣାଇ ଲେଖିଛନ୍ତି
ଚିରବନ୍ଦିତା ବନ୍ଦିନୀ ମାଆ
ବନ୍ଧନ ଫେଇବାରେ
ସମ୍ବଲପୁର ସମ୍ବଳ ବୀର
ଦମ୍ଭ କି ନାହିଁ ଧରେ
ଗଙ୍ଗା ଧୋଇଲା ଚିକୁର ଯାହାର
କୃଷ୍ଣା ଚରଣ ତଳ
ଶମଶାନ ଆଜି ମଡ଼ାଦେଶ ଆଜି
ଏଇ ସେଇ ଉତ୍କଳ ।
ଜାଗ ଦୁର୍ବଳ, ଛିଡ଼ୁ ଶୃଙ୍ଖଳ
ଉଠ କଙ୍କାଳ ଆଜି
ଉଠୁ ଗତ ଗୌରବ ମୃତ ଗୌରବ
ଏ ହୃତ ଗୌରବ ରାଜି ।।
ଗୋଦାବରୀଶ ମହାପାତ୍ରଙ୍କ ଏଇ ଆହ୍ୱାନ ପରାଧୀନ ଉତ୍କଳର ଅଗଣିତ ନରନାରୀଙ୍କ ହୃଦୟରେ ବିପ୍ଳବର ସ୍ପନ୍ଦନ ସୃଷ୍ଟି କରିଥିଲା । ଗୋଦାବରୀଶ ମୁଖ୍ୟତଃ ଥିଲେ ଜାତୀୟତାବୋଧର ସାର୍ଥକ କବିପୁରୁଷ ।
ଉତ୍କଳ ସମ୍ମିଳନୀ ମାଧ୍ୟମରେ ୧୯୦୩ରୁ ୧୯୨୧ ପର୍ଯ୍ୟନ୍ତ ଆଞ୍ଚଳିକ ଜାତୀୟତାବୋଧ ଓଡ଼ିଶାରେ ବ୍ୟାପକତର ହୋଇଥିଲେ ହେଁ ମହାଭାରତୀୟ ଜାତୀୟ ଚେତନାଠାରୁ ଓଡ଼ିଶା ଦୂରେଇ ଯାଇନଥିଲା । ଏହି ସମୟ ମଧ୍ୟରେ ଜାତୀୟ କଂଗ୍ରେସରେ ମହାତ୍ମାଗାନ୍ଧିଙ୍କ ଆବିର୍ଭାବ ଏକ ଯୁଗାନ୍ତକାରୀ ଘଟଣା। ତାଙ୍କ ନେତୃତ୍ବରେ କଂଗ୍ରେସ ସଂଗଠନର ଆଭିମୁଖ୍ୟ ପରିବର୍ତ୍ତିତ ହୋଇଥିଲା । ଏହା ଆକୁମାରୀ ହିମାଚଳ ଜାତୀୟ ଜୀବନର ପ୍ରତ୍ୟେକ ସ୍ତରକୁ ସଂପ୍ରସାରିତ ହୋଇଥିଲା । ତାହାଙ୍କ ପ୍ରବର୍ତ୍ତିତ ଅହିଂସାତ୍ମକ ଆନ୍ଦୋଳନ ଓ ଅସହଯୋଗର ପ୍ରବାହକୁ ଭଗୀରଥ ପରି ଓଡ଼ିଶାରେ ପରିପ୍ଲାବିତ କରିଛନ୍ତି ଗୋପବନ୍ଧୁ । ଓଡ଼ିଶାର ଆଞ୍ଚଳିକ ଜାତୀୟତାର ସ୍ଵର ହଜିଯାଇଛି ମହାଭାରତୀୟ ଜାତୀୟତାର ମହାସ୍ରୋତ ମଧ୍ୟରେ । କବି ଗୋପବନ୍ଧୁଙ୍କ ଲେଖନୀରୁ ଝରିଆସିଛି ସ୍ଵରାଜ୍ୟ ଭାବନାର ମର୍ମସ୍ପର୍ଶୀ ଆବେଦନ ।
କବି ଲେଖିଛନ୍ତି ‘ବନ୍ଦୀର ଆତ୍ମକଥା’ରେ –
ମୋ ଭାଇଭଉଣୀ ହେ ଉତ୍କଳବାସୀ
ସ୍ଵରାଜ୍ୟ ସାଧନେ ନ ହୁଅ ଉଦାସୀ
ସ୍ଵରାଜ୍ୟ ସାଧନେ ରହୁ ମୋର ଧ୍ୟାନ
ଭାରତ ସ୍ୱରାଜ୍ୟ ଜଗତ କଲ୍ୟାଣ ।
ସେହିପରି ସ୍ଵରାଜ୍ୟପ୍ରାପ୍ତି ପାଇଁ ଜୀବନକୁ ବାଜି ଲଗାଇବାକୁ ଆହ୍ବାନ ଦେଇ ଲେଖିଛନ୍ତି -
ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼
ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।
ଗୋପବନ୍ଧୁ ଯଥାର୍ଥରେ କହିଥିଲେ ‘କାରା କବିତା’ରେ –
ସ୍ଵାଧୀନତା ମାନବର ଜନ୍ମ ଅଧିକାର
ସ୍ୱାଧୀନ ଭାଷଣ ଆଉ ସ୍ଵାଧୀନ ବିହାର
ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି
ଚାରିସ୍ତମ୍ଭ ମାନବର ସମାଜ ସଂସ୍ଥିତି।
ଗୋପବନ୍ଧୁଙ୍କ ଜାତୀୟତାର ମନ୍ତ୍ରରେ ଦୀକ୍ଷିତ ଗୋଦାବରୀଶ ମଧ୍ୟ ତାଙ୍କ ଗାଥା କବିତାମାନଙ୍କରେ ଶୁଣାଇଛନ୍ତି ଐଶ୍ୱର୍ଯ୍ୟବନ୍ତ ଉତ୍କଳର ଅପାସୋରା ଇତିହାସ, ‘ଗାଲମାଧବ’ ଠାରୁ ‘ଅଭିରାମ ସିଂହ’ ଯାଏ । କବି ନୀଳକଣ୍ଠ ରାମଚଣ୍ଡୀ ପୀଠରେ ସ୍ମୃତିଚାରଣ କରିଛନ୍ତି କୋଣାର୍କ ନିର୍ମାଣର ପୃଷ୍ଠଭୂମିରେ ଓଡ଼ିଆ ଜାତିର ସମୃଦ୍ଧି ସାଂସ୍କୃତିକ ବିଭବର ।
ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ ଗୋପବନ୍ଧୁଙ୍କ କାବ୍ୟାଦର୍ଶରେ ପ୍ରଭାବିତ ହୋଇ ଆହ୍ୱାନ ଦେଇଛନ୍ତି ଅଗଣିତ ଦେଶବାସୀଙ୍କୁ । ସେ ସ୍ଵରାଜ୍ୟ ପ୍ରାପ୍ତିର ଅପରିହାର୍ଯ୍ୟତା ଉପରେ ଗୁରୁତ୍ବ ଆରୋପ କରି ଲେଖିଛନ୍ତି --
ସ୍ଵରାଜ୍ୟ ଆମର ଜନ୍ମ ଅଧିକାର
କାମ୍ୟ ସ୍ଵାଧୀନତା ଧେୟ ଶ୍ରେଷ୍ଠ ସାର ।
କୁନ୍ତଳା କୁମାରୀ ମହାତ୍ମାଗାନ୍ଧିଙ୍କୁ ଜାତୀୟ ଆନ୍ଦୋଳନର ସେନାପତି ରୂପେ ଚିତ୍ରଣ କରି ତାଙ୍କ ରଚିତ ସୁଦୀର୍ଘ ‘ଆହ୍ୱାନ’ କବିତାରେ ଆବେଗଭରା କଣ୍ଠରେ ଗାଇଛନ୍ତି -
ସେନାପତି ଆଜି ଦେଇଛନ୍ତି ଡାକ
ଉଠ ଭାରତର ବୀର ପୁତ୍ରଯାକ
ଅପୂର୍ବ ଅସହଯୋଗ ରଣାଙ୍ଗନେ
ଆଣ୍ଟି ଅଣ୍ଟାକଷି ପରା ଜଣେ ଜଣେ
ଭାରତର ଯେତେ ବୀର ଗୁଣମଣି
ଚାଲିଆସ ସେନାପତି ଡାକ ଶୁଣି ।
ଜାତୀୟବାଦୀ ଚେତନାର ଅଗ୍ରଦୂତରୂପେ ଯଶସ୍ୱୀ ବୀର କିଶୋର ଦାସ ଓ ବାଞ୍ଛାନିଧି ମହାନ୍ତିଙ୍କର ଓଡ଼ିଆ କବିତାକୁ ଅବଦାନ ଅବିସ୍ମରଣୀୟ । ବୀରକିଶୋରଙ୍କ ଶତାଧିକ କବିତା କେବଳ ସ୍ଵଦେଶ ପ୍ରେମ ଓ ଜାତୀୟ ଚେତନା ଆଧାରିତ ହୋଇଥିବାରୁ ତାଙ୍କୁ ଓଡ଼ିଆ ସାହିତ୍ୟରେ ଜାତୀୟ କବିର ସ୍ୱୀକୃତି ପ୍ରଦାନ କରାଯାଇଛି । ବୀରକିଶୋରଙ୍କ ‘ବିଦ୍ରୋହୀବୀଣା, “ରଣଭେରୀ’ ଏବଂ ‘ରଣଦୁନ୍ଦୁଭି’, ମୁକ୍ତିଆନ୍ଦୋଳନର ପୃଷ୍ଠଭୂମିରେ ରଚିତ ଉଲ୍ଲେଖନୀୟ କବିତା ସଂକଳନ । ଦେଶଭକ୍ତିର ଆଦର୍ଶ ଓ ଆବେଗ ବୀରକିଶୋରଙ୍କ କବିତାକୁ ମହତ୍ତ୍ୱ ମଣ୍ଡିତ କରିଛି । ‘ପତାକା ତଳକୁ ଆସ କବିତାରେ ବୀରକିଶୋରଙ୍କ ଆହ୍ୱାନ ପାଠକକୁ ଆଲୋଡିତ କରିଥାଏ । ମୁକ୍ତିଆନ୍ଦୋଳନରେ ଝାସ ଦେବା ପାଇଁ
ଦେଶବାସୀଙ୍କ ଉଦ୍ଦେଶ୍ୟରେ କବି ଲେଖିଛନ୍ତି -
ଗାନ୍ଧୀ ନାମେ ଯଦି ବିଶ୍ୱାସ ଅଛି
ପତାକା ତଳକୁ ଆସରେ
ମୁକତି ଗଙ୍ଗାର ଢେଉ ଛୁଟି ଆସେ
ବେଗାବେଗି ଦିଅ ଝାସରେ ।
ଜଳିଲାଣି ଅରି ପ୍ରଳୟ ଅନଳ
ଥରି ଉଠେ ଆଜି ଅଷ୍ଟକୁଳାଚଳ
ଦେବତା ଦେଶରେ ଦାନବ ରାଜତ୍ୱ ।
ମେଲିଅଛି ନାଗଫାଶରେ ।
କବି ବାଞ୍ଛାନିଧି ମହାନ୍ତି ଜାତୀୟବାଦୀ ସଙ୍ଗୀତ ଓ ଗୀତିକା ରଚନା କରିବାରେ ଅଭୂତପୂର୍ବ ସଫଳତା ଅର୍ଜନ କରିଥିଲେ । ପରାଧୀନ ଭାରତବର୍ଷର ଜାତୀୟ ଦୁର୍ଦ୍ଦିନରେ ସେ ଗ୍ରାମ ଗ୍ରାମ ବୁଲି ମୁକ୍ତି ଆନ୍ଦୋଳନର ବାର୍ତ୍ତା ପ୍ରଚାର କରୁଥିଲେ କବିତାରେ । ଜଣେ ଜନପ୍ରିୟ କବି ଭାବରେ ବାଞ୍ଛାନିଧି ମହାନ୍ତିଙ୍କ ସଫଳତା ଥିଲା ବିସ୍ମୟକର । ତାଙ୍କୁ ମୁଖ୍ୟତଃ ଜଣେ ଚାରଣ କବିରୂପେ ଅଭିହିତ କରାଯାଉଥିଲା । ସାଧାରଣ ଜନତାକୁ ପ୍ରଭାବିତ କରିବାର ଆବେଦନ ତାଙ୍କ କବିତାର ମୁଖ୍ୟ ଆକର୍ଷଣ ଥିଲା । ବାଞ୍ଛାନିଧିଙ୍କ ଶତାଧିକ ଜାତୀୟବାଦୀ ଗୀତିକବିତା ଓ ସଙ୍ଗୀତରେ ଥିଲା ଅନନ୍ୟ ଚମତ୍କାରିତା । ତାଙ୍କ ଚର୍ଚ୍ଚିତ ଗୀତମାନଙ୍କ ମଧ୍ୟରେ ଉତ୍କଳବୀଣା, ପତାକା ସଂଗୀତ, କହ କେଉଁ ଜାତି, ଉତ୍କଳବନ୍ଦନା ଆଦି ଉଲ୍ଲେଖଯୋଗ୍ୟ । “କହ କେଉଁ ଜାତି କବିତାର ଆବେଦନ ବେଶ ମର୍ମସ୍ପର୍ଶୀ । ବାଞ୍ଛାନିଧି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି
କହ କେଉଁ ଜାତି ପାଇଛି ମୁକତି
କରି ଦୁରିହାରି ଗୁହାରି
କହ ପାଇଛି କେ ସୁଖ ଲିଭାଇଛି ଦୁଃଖ
ମାଗି ମାଗି ପଥ ଭିକାରି ।
ସ୍ଵରାଜସଂଗ୍ରାମୀମାନଙ୍କ କାର୍ଯ୍ୟାବଳୀକୁ ବୀରକିଶୋର ଓ ବାଞ୍ଛାନିଧିଙ୍କ ରଚିତ କବିତାବଳୀ ବିଶେଷ ପ୍ରେରଣା ପ୍ରଦାନ କରିଥିଲା । ସାଧାରଣ ଜନତାଙ୍କୁ ଉଚ୍ଚାଟିତ କରିବାରେ ଏହି କବି ଦ୍ୱୟଙ୍କ କବିତାର ଆବେଦନ ଥିଲା ଅନନ୍ୟ ।
ଉଗ୍ର ଦେଶପ୍ରେମରେ ଉତ୍ସାହିତ ହୋଇ ଏଇ ସମୟରେ ଦୁଇଜଣ ବିଶିଷ୍ଟ ନାଟ୍ୟକାର -ଗଣକବି ବୈଷ୍ଣବ ପାଣି ଓ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ମଧ୍ୟ ଜାତୀୟବାଦୀ କବିତା ରଚନାରେ ମନୋନିବେଶ କରି ଦେଶବାସୀଙ୍କୁ ମୁକ୍ତିସଂଗ୍ରାମ ପ୍ରତି ଗଭୀରଭାବେ ଆକୃଷ୍ଟ କରିଛନ୍ତି । ଗଣକବି ବୈଷ୍ଣବ ପାଣି ଓଡ଼ିଶାର ପୁରପଲ୍ଲୀରେ ଗୀତିନାଟ୍ୟର ଅଭିନୟ ପ୍ରଦର୍ଶନ ମାଧ୍ୟମରେ ସ୍ୱରାଜ୍ୟର ବାର୍ତ୍ତାର ପ୍ରଚାର କରିବାକୁ ଆଗେଇଆସିଥିଲେ । ତାଙ୍କ କବିତାର ସ୍ଵରସଂଯୋଜନା ବହୁ ନାଟ୍ୟ ଅଭିନୟପ୍ରେମୀ ଶ୍ରୋତାଙ୍କୁ ସ୍ୱାଧୀନତା ଆନ୍ଦୋଳନ ପ୍ରତି କିପରି ଆକୃଷ୍ଟ କରିଥିଲା, ତା’ର ସୂଚନା ତାଙ୍କ କବିତାରୁ ଲକ୍ଷ୍ୟ କରାଯାଇପାରେ । କବି ସାଧାରଣ ଜନତାକୁ ଉବ୍ଦୀପ୍ତ କରିବାକୁ ଯାଇ ଲେଖିଛନ୍ତି -
ଦେଖ ଦେଖ ଭାଇ ଭାଙ୍ଗିଲାଣି ଆଜି
ଗୋରାଙ୍କ ଜିହଲଖାନା ହେ
କାଲିର କାଇଦା ନାହିଁ ଆଜି ଆଉ
ପଳାନ୍ତି ସ୍ୱରାଜ୍ୟ ସେନା ହେ ।
ବଣିଆ ଟୋକାଟା ଉଠାଇଦେଲାଣି
ଜିହଲଖାନାର ଡର ହେ ।
ଦେଶ କାମ କରି ପଶିଯା ତହିଁରେ
ବରଷକେ ଦଶଥର ହେ ।
ବୈଷ୍ଣବ ପାଣିଙ୍କ ପରି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ମଧ୍ୟ ତାଙ୍କ ରଚିତ ବହୁ କବିତାରେ ଜାତୀୟବାଦୀ ଚେତନାର ଝଲକ ସୃଷ୍ଟିକରିଛନ୍ତି । ତାଙ୍କ ରଚିତ ‘ ଆମେ ଏ ଦେଶର ପୁଅ', “ଏଇ ମୋ ଜନମଭୂମି’, ‘ଜନନୀ ଉତ୍କଳ’ ଆଦି କବିତାବଳୀର ଆବେଦନ ବେଶ୍ ହୃଦୟସ୍ପର୍ଶୀ । ଓଡ଼ିଆମାନଙ୍କ ହୃତ ଗୌରବକୁ ମନେ ପକାଇ କବି ଲେଖିଛନ୍ତି -
ଆମେ ତ ଓଡ଼ିଆ ପୁଅ
ବାପ ଅଜାକାଳୁ ଆମେ ବୀର ଜାତି
ବିପଦରେ ପରା ଟାଣ ଆମ ଛାତି
ଏ ଦେଶେ ଜନମ, ଭାଗ୍ୟ ଆମର
ଦେଶ ଲାଗି ଝରେ ଲୁହ ||
କାଳୀଚରଣଙ୍କ ସମସାମୟିକ ବହୁ କବି ପରାଧୀନ ଭାରତବର୍ଷର ଦୁଃଖରେ ପ୍ରିୟମାଣ ହୋଇ ଦେଶବାସୀଙ୍କୁ ସମ୍ବୋଧିତ କରି ଚମତ୍କାର କବିତା ରଚନା କରିଛନ୍ତି । ସେମାନଙ୍କ ମଧ୍ୟରେ ବିଚ୍ଛନ୍ଦ ଚରଣ ପଟ୍ଟନାୟକ, ଅନନ୍ତ ପ୍ରସାଦ ପଣ୍ଡା, ସବୁଜ ଯୁଗର ପ୍ରବୀଣ କବି କାଳିନ୍ଦୀ ଚରଣ ପାଣିଗ୍ରାହୀ, ବୈକୁଣ୍ଠନାଥ ପଟ୍ଟନାୟକ ଓ ଶରତ ଚନ୍ଦ୍ର ମୁଖାର୍ଜୀ ଅନ୍ୟତମ । କାଳିନ୍ଦୀଚରଣଙ୍କ ‘ଭାରତ ଆସିବ ଫେରି', ହିମାଦ୍ରିର ଆହ୍ୱାନ', ‘ଆରେ ଦୁର୍ମଦ ଜାତି’ କବିତାରେ ଅସାମାନ୍ୟ ଦେଶପ୍ରୀତିର ଝଲକ ପ୍ରତିଫଳିତ । ସେହିପରି ବିଚ୍ଛନ୍ଦଚରଣଙ୍କ ‘ବାରବାଟୀ’, ‘ଖଣ୍ଡାୟତ’, ‘ଶସ୍ୟଶ୍ୟାମା’ ଆଦି କବିତାରେ ଦେଶପ୍ରୀତିର ପରିଚୟ ମିଳେ । କବି ବୈକୁଣ୍ଠନାଥ ‘ଅଗଷ୍ଟ ବିପ୍ଲବ', ‘ଶହୀଦ ବନ୍ଦନା', “ପଣରକ୍ଷା’ ପରି ଉଚ୍ଚକୋଟିର ଜାତୀୟବାଦୀ କବିତା ରଚନା କରିଛନ୍ତି ।
ସବୁଜ ଯୁଗର କବି ଶରତ ଚନ୍ଦ୍ର ମୁଖାର୍ଜୀଙ୍କ ଦୁଇଟି ସ୍ମରଣୀୟ ଜାତୀୟବାଦୀ କବିତା ମଧ୍ୟରେ ଉତ୍କଳ ଜନନୀ' ଓ “ଭାରତ ଜନନୀ’ ବେଶ୍ ହୃଦୟସ୍ପର୍ଶୀ । ସେହିପରି ଅନନ୍ତ ପ୍ରସାଦ ପଣ୍ଡା ‘ଉଦ୍ବୋଧନ', ‘ନିହାରିକା', ‘ସକଳ ଓଡ଼ିଆ ପୁଅ’ ଆଦି ସାର୍ଥକ ଜାତୀୟବାଦୀ କବିତା ରଚନା କରି ଦେଶଭକ୍ତିର ପରିଚୟ ଦେଇଛନ୍ତି । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା କୃଷକ ଆନ୍ଦୋଳନର ଅନ୍ୟତମ ସାରଥୀ ବନମାଳୀ ମହାରଣା ଅତି ନିର୍ଭିକ ଭାବରେ ଗୋରା ସରକାରଙ୍କୁ ତୀବ୍ର ଆକ୍ଷେପ କରିବା ସଙ୍ଗେ ସଙ୍ଗେ ‘ଆସୁଛି ସେଦିନ ଆସୁଛି', “ଅରି ଫେରିଲାଣି', ‘ଜନନୀ’ ଆଦି ବହୁ ଜାତୀୟବାଦୀ କବିତା ରଚନା କରି ପ୍ରଶଂସିତ ହୋଇଛନ୍ତି ।
ଜାତୀୟବାଦୀ ଓଡ଼ିଆ କବିତାକୁ ରୋମାଣ୍ଟିକ କବି ମାୟାଧର ମାନସିଂହଙ୍କ ଅବଦାନ ଉଲ୍ଲେଖଯୋଗ୍ୟ । ତାଙ୍କ ରଚିତ ବହୁ କବିତାରେ ଉତ୍କଳପ୍ରୀତିର ନିଦର୍ଶନ ମିଳେ । ପରାଧୀନ ଭାରତବର୍ଷରେ ଅନ୍ୟାନ୍ୟ କବିଙ୍କ ପରି ସେ ମଧ୍ୟ ‘ଉତ୍ତିଷ୍ଠ ଉତ୍କଳ’, ‘ବନ୍ଦେ ଉତ୍କଳ ଜନନୀ’, ‘ବାରବାଟୀ’, ‘ବାପୁଜୀ’, ‘ଗୋପ ପ୍ରୟାଣ’ ଆଦି କବିତାରେ ପ୍ରିୟଭୂମି ଉତ୍କଳର ଗୌରବଗାଥା ସମେତ ଭାରତୀୟ ମୁକ୍ତି ସଂଗ୍ରାମୀ ସେନାପତି ବାପୁଜୀଙ୍କ ପ୍ରତି ଭକ୍ତି ଅର୍ଘ୍ୟ ନିବେଦନ କରିଛନ୍ତି ।
କବି ମାନସିଂହଙ୍କ ସମକାଳୀନ ଅନ୍ୟତମ ବିଶିଷ୍ଟ କବି ରାଧାମୋହନ ଗଡ଼ନାୟକ ଦେଶପ୍ରେମର ଭାବନାକୁ ନେଇ ବହୁ କବିତା ରଚନା କରିଛନ୍ତି । ଛାନ୍ଦସିକତା ଓ ଅପୂର୍ବ ଶବ୍ଦ ସଂଯୋଜନାରେ ଗଡ଼ନାୟକଙ୍କ କବିତା ପୁଷ୍କଳ ହୋଇଥିବାରୁ ପାଠକ ହୃଦୟକୁ ସ୍ପର୍ଶ କରିଛି । ' ମାତଙ୍ଗିନୀ ଦେବୀ’, ‘ ଉଦ୍ଦାମ ସିଂ’ ଆଦି କବିତାର ବୈପ୍ଳବିକ ଆବେଦନ କବି ଗଡ଼ନାୟକଙ୍କ ସ୍ୱଦେଶପ୍ରୀତିର ସାର୍ଥକ ପରିଚାୟକ । ସେହିପରି ତାଙ୍କ ଦ୍ୱାରା ରଚିତ ଅନ୍ୟତମ କବିତାସଂକଳନ ‘ ଉତ୍କଳିକା’ ଓଡ଼ିଶାର ଶିଳ୍ପ, ସ୍ଥାପତ୍ୟ, ରାଷ୍ଟ୍ରୀୟ ସାଂସ୍କୃତିକ ଭାବାବେଗର ବଳିଷ୍ଠ କାବ୍ୟପ୍ରତିନିଧି । ଉତ୍କଳର ଗୌରବମୟ ଐତିହ୍ୟ ପ୍ରଖ୍ୟାପନ ଓ ଜାତିର ଆବେଦନକୁ ନେଇ ରଚିତ ଏଇ ଗାଥାକବିତା ସଂକଳନ ଜାତୀୟବାଦୀ ଓଡ଼ିଆ କବିତା ଭଣ୍ଡାରକୁ କବି ଗଡ଼ନାୟକଙ୍କ ଅନବଦ୍ୟ ଅବଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଓଡ଼ିଆ କବିତାରେ ଜାତୀୟବାଦୀ ଚେତନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୁଏ ୧୯୩୬ ମସିହାରେ । ଜାତୀୟ ଚେତନାର ଭିନ୍ନ ସ୍ୱର ମଧ୍ୟ ଓଡ଼ିଆ କବିତାରେ ଅନୁଭୂତ ହୁଏ । ଏହି ସମୟ ଥିଲା ଓଡ଼ିଆ କବିତାରେ ଏକ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ମାନ୍ୟତା ଲାଭ କଲା । ମାନ୍ଦ୍ରାଜ, ବିହାର ଓ ବଙ୍ଗଳାରେ ଖଣ୍ଡବିଖଣ୍ଡିତ ହୋଇ ରହିଥିବା ବିଚ୍ଛିନ୍ନାଞ୍ଚଳକୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଘୋଷଣା କଲେ ବ୍ରିଟିଶ ସରକାର । କିନ୍ତୁ ଅପରପକ୍ଷରେ ପରାଧୀନ ଭାରତବର୍ଷ ମୁକ୍ତି ପାଇନଥିଲା । ଗାନ୍ଧିଜୀଙ୍କ କର ଅବା ମର’ ଆହ୍ୱାନ, ଅସହଯୋଗ ଆନ୍ଦୋଳନ ସହିତ ଓଡ଼ିଶା ତଥା ଭାରତବର୍ଷର ରାଜନୀତିକ ପୃଷ୍ଠଭୂମିରେ କୃଷକ ଆନ୍ଦୋଳନ, ଶ୍ରମିକ ଆନ୍ଦୋଳନ କାୟାବିସ୍ତାର କରିବାକୁ ଆରମ୍ଭ କଲା ।
ଭାରତୀୟ ଜାତୀୟ କଂଗ୍ରେସର ଲକ୍ଷ୍ନୌ ଅଧିବେଶନରେ ପଣ୍ଡିତ ଜବାହରଲାଲ ନେହେରୁଙ୍କର ସଭାପତି ଅଭିଭାଷଣରେ ଶୋଷିତ ଶ୍ରମିକ ଓ କୃଷକମାନଙ୍କ ପ୍ରତି ଅଧିକ ସହାନୁଭୂତି ପ୍ରକାଶିତ ହେଲା । ଏତଦ୍ବ୍ୟତୀତ କଂଗ୍ରେସ-ସୋସିଆଲିଷ୍ଟ ପାର୍ଟି ସଂଗଠନ, କମ୍ୟୁନିଷ୍ଟ ରାଜନୀତିକ ଚିନ୍ତାଧାରାର ବହୁଳ ପ୍ରଚାର, କାର୍ଲମାର୍କସଙ୍କ ଶ୍ରେଣୀହୀନ ସାମ୍ୟବାଦୀ ଦର୍ଶନର ପ୍ରସାର, ମୁସଲିମ ଲିଗର ପାକିସ୍ତାନ ଗଠନ ଆନ୍ଦୋଳନ, ହିନ୍ଦୁ-ମୁସଲମାନ ଏକତା ପ୍ରଭୃତି ଏହି ବର୍ଷର ଉଲ୍ଲେଖଯୋଗ୍ୟ ଘଟଣା । ଏହାପରେ ଭାରତର ମୁକ୍ତିସଂଗ୍ରାମ ହୋଇଥିଲା ଅଧିକ ସଂଗ୍ରାମଧର୍ମୀ । ଭାରତୀୟ ସାହିତ୍ୟିକମାନଙ୍କୁ ଏହା କମ୍ ପ୍ରଭାବିତ କରିନାହିଁ ।
ଭାରତର କୃଷକ ସମାଜ ପ୍ରତି ଜାତୀୟ କଂଗ୍ରେସର ସହାନୁଭୂତି ଯୋଗୁ ୧୯୩୪ ମସିହାରେ କଂଗ୍ରେସ-ସୋସିଆଲିଷ୍ଟ ଦଳ ଗଠିତ ହୋଇଥିଲା । ଓଡ଼ିଶାରେ ଏହିପରିଭାବେ ଗଠିତ କଂଗ୍ରେସ-ସୋସିଆଲିଷ୍ଟ ଦଳର ନେତୃତ୍ୱ ନେଇଥିଲେ ନବକୃଷ୍ଣ ଚୌଧୁରୀ, ଭଗବତୀ ଚରଣ ପାଣିଗ୍ରାହୀ ଓ ପ୍ରାଣନାଥ ପଟ୍ଟନାୟକ । ଭଗବତୀଙ୍କଦ୍ଵାରା ପ୍ରତିଷ୍ଠିତ ହେଲା ପ୍ରଗତିଶୀଳ କାବ୍ୟଚେତନାର ପୃଷ୍ଠପୋଷକତା କରୁଥିବା ‘ନବଯୁଗ ସାହିତ୍ୟ ସଂସଦ’ । ଏହି ସଂସଦର କର୍ଣ୍ଣଧାରମାନେ ଥିଲେ ସମକାଳର ବିଶିଷ୍ଟ କବିବୃନ୍ଦ । ସେମାନେ ହେଲେ ଅନନ୍ତ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ, ମନମୋହନ ମିଶ୍ର ଓ ସୁନନ୍ଦ କର । ଏମାନଙ୍କ ବ୍ୟତୀତ ଅନ୍ୟ ଦୁଇଜଣ ବିଶିଷ୍ଟ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ କୁଞ୍ଜ ବିହାରୀ ଦାଶ- ଏହି ସଂସଦଭୁକ୍ତ ନ ହୋଇଥିଲେ ମଧ୍ୟ ଶୋଷିତ ସର୍ବହରା ଓ ଓଡ଼ିଆ ଜାତୀୟତାର ମୁଗ୍ଧ ପୂଜାରୀଭାବେ ସେମାନଙ୍କ ସାରସ୍ଵତ ଆଦର୍ଶକୁ ଜାହିର କରିବାକୁ ଯାଇ କବିତାରେ ଜାତୀୟତାର ସ୍ଵର ସହିତ ବୈପ୍ଳବିକ ଭାବନାର ଶାଣିତ ଚିତ୍ର ପରିବେଷଣ କଲେ |
ଏହି ନବ୍ୟ ପ୍ରଗତିଶୀଳ ଚେତନାର ବଳିଷ୍ଠ ପ୍ରବକ୍ତା ଥିଲେ ଅନନ୍ତ ପଟ୍ଟନାୟକ । ସେ ସାମ୍ୟବାଦୀ ଚେତନାର କବିତା ରଚନା ସହିତ କିଛି ଜାତୀୟବାଦୀ କବିତା ମଧ୍ୟ ରଚନା କଲେ । କବି ଅନନ୍ତ ପଟ୍ଟନାୟକଙ୍କ ରଚିତ କବିତା “ବରୁଣେଇ’, ଧନ୍ୟ ହୋଇଛି ବାରବାଟୀ ମୋର’ ଦେଶଭକ୍ତିର ଭାବନା ବହନ କରିଛି । ସେହିପରି କବି ସଚ୍ଚି ରାଉତରାୟ ତାଙ୍କ ରାଶି ରାଶି କବିତା ମଧ୍ୟରେ ମୁକ୍ତି ବନ୍ଦନା, ଇସ୍ତାହାର ପରି ସାର୍ଥକ ଜାତୀୟବାଦୀ କବିତା ରଚନା କରି ଯଶସ୍ୱୀ ହୋଇଛନ୍ତି । ଆଗାମୀ କାଲି’ ଓ ରକ୍ତଚିତା’ ସଂକଳନରେ ଅନ୍ୟ ଦୁଇ ସତୀର୍ଥ କବି ମନମୋହନ ମିଶ୍ର ଓ ସୁନନ୍ଦ କରଙ୍କର ରହିଛି କେତେକ ସାର୍ଥକ ଜାତୀୟବାଦୀ କବିତା । ଏହି ଚାରିଜଣ ପ୍ରଗତିଶୀଳ କବି ସାମ୍ୟବାଦୀ ଦର୍ଶନର ବିଶେଷ ପରିପୋଷକତା କରିବା ସାଙ୍ଗେ ସାଙ୍ଗେ କିଛି ଜାତୀୟବାଦୀ କବିତାର ରଚୟିତା ଭାବେ ଖ୍ୟାତି ଅର୍ଜନ କରିଛନ୍ତି ।
ବିପ୍ଳବୀ ଗୀତିକାର ମନମୋହନ ମିଶ୍ର ମୁକ୍ତି ପାଇଁ ଶପଥ କରିବାକୁ ଆହ୍ୱାନ ଦେଇ ଲେଖିଛନ୍ତି -
ଲକ୍ଷ ମରଣର ଢେଉ କାଟି
ବକ୍ଷରେ ଧରିଛି ଯେ ମାଆଟି
ସେ ତୋ ଜନମ ମାଟି
କଲ୍ୟାଣମୟୀ ପୁଣ୍ୟଭୂଇଁ
ତାରେ ଛୁଇଁ ଶପଥ କର
ଶପଥ କର ।।
ସେହିପରି କ୍ରାନ୍ତିର ନୂତନ ସମ୍ଭାବନା ନେଇ ସଚ୍ଚି ରାଉତରାୟ ଲେଖିଛନ୍ତି ‘ସ୍ଵାଧୀନ ସୂର୍ଯ୍ୟ’ କବିତାରେ-
ଦେଶର ଦଶର ଡାକ ଶୁଣି ଆଜି
ଜାଗରେ ଭାରତବାସୀ
ଗୌରବମୟ ଆର୍ଯ୍ୟଭୂମିର
ହେ ପ୍ରାଚୀନ ଅବାସୀ
ମୁକ୍ତ ତୋହର ଗଙ୍ଗାର ସ୍ରୋତ ।
କରେ ଯିଏ ଆଜି ଋଦ୍ଧ ତା’ ପଥ
ଶତ୍ରୁ ପତାକା ତଳେ ଅବନତ
ଆଜି ହିମାଳୟ ବାସୀ, ଜାଗରେ ଭାରତବାସୀ ।
ନୂତନ କ୍ରାନ୍ତିର ମହାନାୟକ କବି ଅନନ୍ତ ପଟ୍ଟନାୟକ ତାଙ୍କ ରଚିତ “ଧନ୍ୟ ହୋଇଚି ବାରବାଟୀ ମୋର’ କବିତାରେ ଲେଖିଛନ୍ତି -
ଧନ୍ୟ ହୋଇଚି ବାରବାଟୀ ମୋର
ଧନ୍ୟ ହେଲାରେ ଆଜି
ବହୁଦିନ ପରେ ମୁକ୍ତିର ପଥେ
ବକ୍ସିର କେତେ ପୁତ୍ର-ରକତେ
କନ୍ୟାର ଧୀର, ପୁଣ୍ୟ ଶପଥେ
ଜୀର୍ଣ୍ଣଯୁଗର ତୃଷ୍ଠା କାତର
ଶୁଷ୍ମ ହୃଦୟ ମାଜି ।
ଏହି ସମୟର ଅନ୍ୟ ପ୍ରବୀଣ ଜାତୀୟବାଦୀ କବିମାନଙ୍କ ମଧ୍ୟରେ କୁଞ୍ଜ ବିହାରୀ ଦାଶ, କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଜ୍ଞାନିନ୍ଦ୍ର ବର୍ମାଙ୍କ ଅବଦାନ ମଧ୍ୟ ପ୍ରଶଂସନୀୟ । କୁଞ୍ଜ ବିହାରୀଙ୍କ ‘କରିବୁ ଆମେ ଦିଗ୍ବିଜୟ’, ‘ଫାଶୀ’, ‘ବକ୍ସି ଜଗବନ୍ଧୁ ବିଦ୍ୟାଧର’ ଆଦି କବିତାରେ ବୈପ୍ଳବିକ ଆବାହନୀ ମଧ୍ୟରେ ଓଡ଼ିଆ ସ୍ୱାଭିମାନ ଓ ବୀରତ୍ୱର ଗାଥା ପ୍ରକାଶିତ । ସେହିପରି କବି ଜ୍ଞାନୀନ୍ଦ୍ର ବର୍ମାଙ୍କ ଲିଖିତ ‘ପାଇକ ବିଦ୍ରୋହ’ ଏକ ଉଦ୍ବୋଧନୀ କବିତାର ଗୌରବବହନ କରିଛି ।
ଓଡ଼ିଆ ଜାତିର ସାମରିକ ବୀରତ୍ୱର ଜୈତ୍ରଗାଥା, ବୀର ଓଡ଼ିଆ ପାଇକର ସମରନିପୁଣତା, ଖୋର୍ଦ୍ଧା ପାଇକର ସମର କଳା ଓ ସ୍ମୃତିକୁ ନେଇ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଉଚ୍ଚକୋଟିର ଜାତୀୟବାଦୀ କବିତାର ଝଙ୍କାର ତୋଳିଛନ୍ତି । ତାଙ୍କର ରଚିତ ପଚାଶରୁ ଊର୍ଦ୍ଧ୍ୱ କବିତାରେ ଓଡ଼ିଆଜାତିର ଶୌର୍ଯ୍ୟ ଓ ବୀରତ୍ୱର ହୃଦୟସ୍ପର୍ଶୀ ବର୍ଣ୍ଣନା ତାଙ୍କୁ ପାଇକ କବିର ଗୌରବ ପ୍ରଦାନ କରିଛି । ଜାତୀୟବାଦୀ ଚେତନାର ଉଦ୍ଦୀପ୍ତ କବିତା ରଚନାରେ ତାଙ୍କ ସମକକ୍ଷ କବି ବିରଳ କହିଲେ ଅତିଶୟୋକ୍ତି ହେବ ନାହିଁ । ତାଙ୍କର ଭାଷା ବିନ୍ୟାସ ଓ ଛାନ୍ଦ ସଂଯୋଜନା ବାସ୍ତବିକ ଓଡ଼ିଆ ଜାତୀୟବାଦୀ କବିତାରେ ଏକ ଅଭିନବ ପ୍ରୟାସ । ‘ ଲାଲମାଟିର ଖୋର୍ଦ୍ଧାଗଡ଼’ କବିତାର ଏକ ଉଦ୍ଧୃତିରୁ କବିଙ୍କ ବୈପ୍ଳବିକ ଦେଶପ୍ରୀତିର ଯଥାର୍ଥ ପରିଚୟ ମିଳେ ।
ଏଇ ଯେ ଦିଶୁଛି ଲାଲମାଟିର ଖୋର୍ଦ୍ଧାଗଡ଼
ବୀର ବକ୍ସିର ଅସି ଝଙ୍କାର ଦେଲା ଏ ଜାତିରେ ନବୀନ ବଳ
ଲକ୍ଷ ଲକ୍ଷ ପାଇକ ଟୋକାରେ ପାଇକ ଟୋକା
ନିଶ ମୋଡ଼ିଦେଇ ବୀର ହୁକାରେ ତଲବାର କରେ ଦେଲେରେ ଦେଖା
ଏଇ ଯେ ଦିଶୁଛି ଲାଲମାଟିର ଖୋଦ୍ଧାଗଡ
ବୀରବୀର୍ଯ୍ୟର ବିରାଟ ସାଧନା ଦେଖିଅଛି ପରା ବହୁତ ଥର
ସେଦିନ ଯାଇଛି ଅତୀତ ଗରଭେ ନୀରବେ ମିଶି
ଦେଖିଚି ଏ ବନ କାନନ ପାହାଡ଼ ଆକାଶ ପବନ ଦିବସ ନିଶି
ଦୁର୍ଗ ପଡ଼ିଛି ଭୂଇଁରେ ଟଳି, ସେ ବୀର ଦର୍ପ ଯାଇଛି ଜଳି
ବରୁଣେଇ ଖାଲି ଟେକିଛି ମଥା
ଅତୀତ କାହାଣୀ ଗରବ କଥା
କାନେ କାନେ ଆଜି ସାରା ଓଡ଼ିଶାର କହିଯାଏ କିବା ଲକ୍ଷ ଥର
ଏଇ ଯେ ଦିଶୁଛି ଲାଲମାଟିର ଖୋର୍ଦ୍ଧା ଗଡ଼ ।।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନିତ୍ୟାନନ୍ଦ ମହାପାତ୍ର, ବୈକୁଣ୍ଠନାଥ ଦାସ, ବୈକୁଣ୍ଠ ନାଥ ମହାନ୍ତି, ସ୍ଵାଧୀନତା ସଂଗ୍ରାମୀ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ପ୍ରଭୃତି ସ୍ଵାଧୀନତା ପୂର୍ବବର୍ତ୍ତୀ କାଳର ଚର୍ଚ୍ଚିତ କବିପ୍ରତିଭା ମଧ୍ୟରେ ଅନ୍ୟତମ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ପଞ୍ଚଜନ୍ୟ’ ଓ ‘ପତାକା ବନ୍ଦନା’ ଦୁଇଟି ସାର୍ଥକ ଜାତୀୟବାଦୀ କବିତା । ସେହିପରି ‘ସ୍ଵରାଜ୍ୟ ସଂହିତା’ ଓ ‘କାଳରଡ଼ି’ ଦୁଇଟି ଜାତୀୟ ଚେତନା ଆଧାରିତ କବିତାଗ୍ରନ୍ଥ । “କାଳରଡ଼ି’ ପ୍ରସାରଣକୁ ତତ୍କାଳୀନ ବ୍ରିଟିଶ ସରକାର ନିଷେଧ କରିଥିଲେ । ତାଙ୍କ କବିତାରେ ତୀବ୍ର ଜାତୀୟତାର ଆବେଦନ ବେଶ୍ ସ୍ପଷ୍ଟ ଓ ପ୍ରାଞ୍ଜଳ ।
ବୈକୁଣ୍ଠ ନାଥ ଦାସଙ୍କତ ‘ପଦର ଘନ ବନ୍ଦନ’ ଏକ ସୁଖପାଠ୍ୟ ଜାତୀୟ ଗୀତିକା । ସେହିପରି ବୈକୁଣ୍ଠନାଥ ମହାନ୍ତି ସ୍ୱରଚିତ ବହୁ କବିତାରେ ସ୍ୱଦେଶପ୍ରେମର ବାର୍ତ୍ତା ପ୍ରଚାର କରିଛନ୍ତି । ତାଙ୍କ ଲିଖିତ ଜନପ୍ରିୟ ଜାତୀୟ ଗୀତିକା ମଧ୍ୟରେ ‘ଚାଲ ଭାଇ ଲୁଣ ମାରିବା ଏବଂ ‘ବିଲାତିବାଲା’ ଉଲ୍ଲେଖଯୋଗ୍ୟ କୃତି । ‘ଚାଲ୍ ଭାଇ ଲୁଣ ମାରିବା କବିତାରେ କବି ଲେଖିଛନ୍ତି -
ଚାଲ ଭାଇ ଲୁଣ ମାରିବା
ଗାନ୍ଧୀଙ୍କ ଆଜ୍ଞା ପାଳନ କରିବା
ଆମ ଘର ପାଖରେ ଲୁଣ
ନ ଜାଣିଲୁ ତାହାର ଗୁଣ
ଲିଭରପୁଲ୍ର ଲୁଣ ଖାଇ ଖାଇ
କେତେ ଦିନ ଆଉ ଦେହ ଧରିବା ?
ଉଠାଇବା ନିମିକି କୋଠି
ଡରିବାନି ବନ୍ଧୁକ ଲାଠି
ଜେଲଖାନା ହେବ ଆମ ଶ୍ରୀମନ୍ଦିର
ଦେଶ ଲାଗି ହସି ହସି ବରିବା ।
ବହୁ ସ୍ୱାଧୀନତା ସଂଗ୍ରାମୀ ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠଭୂମିରେ କିଛି କିଛି କବିତା ରଚନା କରି ସମୟର ଆହ୍ୱାନକୁ ସ୍ୱାଗତ କରିଛନ୍ତି ଏବଂ ଗାନ୍ଧୀଙ୍କ ସ୍ୱରାଜ୍ୟ ସନ୍ଦେଶ ଓ ଅସହଯୋଗ ବାର୍ତ୍ତାକୁ ପୁରପଲ୍ଲୀରେ ପ୍ରଚାରିତ କରିଛନ୍ତି । ସେମାନଙ୍କ ସଂଖ୍ୟା ନଗଣ୍ୟ ନୁହେଁ ।
ସ୍ଵାଧୀନତା ପୂର୍ବବର୍ତ୍ତୀ କାଳର ଜାତୀୟବାଦୀ ନାରୀକବିମାନଙ୍କ ମଧ୍ୟରେ ନିର୍ମଳା ଦେବୀ, ହରିପ୍ରିୟା ଦେବୀ ଓ ଦେବହୁତି ଦେବୀ ଓ ସୁନ୍ଦରମଣି ପଟ୍ଟନାୟକଙ୍କ ଅବଦାନ ଅବିସ୍ମରଣୀୟ । ହରିପ୍ରିୟାଙ୍କ କବିତାରେ ଜାତୀୟ ଚେତନାର ଉଦାତ୍ତ ଆହ୍ୱାନ ଅନୁରଣିତ । ତାଙ୍କ ‘ଦୁନ୍ଦୁଭି’ କବିତା ଅତି ଉଚ୍ଚମାନର ଜାତୀୟଗୀତି । କବି ଲେଖିଛନ୍ତି-
ବାଜିଲାରେ ରଣ ଦୁନ୍ଦୁଭି
ଶୁଭିଲା ବିଜୟ ଭେରୀ
ଉଠରେ ଉଠରେ ଭାରତ ସନ୍ତାନ
ମୁକ୍ତି କେତନ ଧରି
ମୁକ୍ତି ପଥର ପଥିକ ଉଠରେ
ଚିର ଉନ୍ନତ ବକ୍ଷ
ଧୋଇଦିଅ ଆଜି ରକ୍ତେ ତୁମ୍ଭର
ମାତାର କାଳିମା ଦୁଃଖ ।
କବି ହରିପ୍ରିୟାଙ୍କ ‘ଜାଗରଣୀ’ ଏକ ସାର୍ଥକ ଜାତୀୟବାଦୀ କବିତାସଂକଳନ ।
ସେହିପରି ନିର୍ମଳା ଦେବୀଙ୍କ ରଚିତ ‘ଝାନ୍ସୀରାଣୀ’ ଏକ ସ୍ମରଣୀୟ ଜାତୀୟଗୀତି । କବି ସୁନ୍ଦରମଣି ପଟ୍ଟନାୟକ ମୁଖ୍ୟତଃ ଜଣେ ଜାତୀୟବାଦୀ କବି । ତାଙ୍କର ଚାରିଟି ପ୍ରସିଦ୍ଧ କବିତାଗ୍ରନ୍ଥ ସ୍ଵାଧୀନତା ପୂର୍ବବର୍ତ୍ତୀ କାଳର ଉଲ୍ଲେଖନୀୟ ରଚନା, ଯେଉଁଥିରେ ଜଣେ ବିପ୍ଳବୀ ନାରୀକବିଙ୍କ ସ୍ୱଦେଶପ୍ରୀତି ଓ ଦେଶପ୍ରେମର ଆବେଗ ପ୍ରତିଫଳିତ ହୋଇଛି । ‘ ଯୁଦ୍ଧବାଣୀ’, କୋଣାର୍କ, ‘ଉତ୍କଳ କାବ୍ୟ’, ‘ସ୍ୱର୍ଣ୍ଣରେଣୁ କବିତାରେ ଓଜସ୍ୱିନୀ ଶବ୍ଦ ସଂଯୋଜନାରେ ସେ ଥିଲେ ପ୍ରବୀଣା। ‘ଜାଗରଣ’ କବିତାର ଏକ ଉଦ୍ଧୃତି ଏହିପରି -
ବୀରଦର୍ପରେ ଆଗେଇ ଚାଲରେ
ସୁପ୍ତ କେଶରୀ ଜାତି
ଲୁପ୍ତ ଗୌରବ ଫେରାଇ ଆଣରେ
ରକ୍ତ ସମରେ ମାତି
ଦୃପ୍ତ ସିଂହର ଶାବକରେ ତୁମେ
ଗୁପ୍ତ ସମର ରଚ ରଣଭୂମେ
ରକ୍ତକମଳ ଏ ଦେଶର ତୁମେ ବିକଶ ଜୀବନେ ଭାତି
ସୁପ୍ତ କେଶରୀ ଜାତି ।।
ସ୍ଵାଧୀନତା ପ୍ରାପ୍ତିର ମାହେନ୍ଦ୍ର ବେଳାରେ ୧୯୪୭ ଅଗଷ୍ଟ ୧୫ ତାରିଖ ପ୍ରଭାତରେ ମୁକ୍ତି ସଂଗ୍ରାମର ଜୟଗୀତି ଓ ସ୍ଵାଧୀନତା ପ୍ରାପ୍ତିରେ ବଳିଦାନ ଦେଇଥିବା ମୁକ୍ତି ସଂଗ୍ରାମୀଙ୍କ ପବିତ୍ର ସ୍ମୃତିକୁ ସ୍ମରଣ କରିବା ସହିତ ଦେଶବାସୀଙ୍କ ଚିରଆକାଂକ୍ଷିତ ସ୍ୱାଧୀନତା ପ୍ରାପ୍ତିର ଆନନ୍ଦ ଉଲ୍ଲାସରେ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ‘ଚକ୍ର’ ପତ୍ରିକାର ସମ୍ପାଦକ ‘ସ୍ୱାଧୀନତାର ଦିନେ’ ପୁସ୍ତିକା ମାଧ୍ୟମରେ ସ୍ଵରଚିତ ଜାତୀୟବାଦୀ କବିତାର ଉପହାର ଦେଇଛନ୍ତି ଦେଶବାସୀଙ୍କୁ । ‘ସ୍ୱାଧୀନତାର ଦିନେ’ ଏକ ସାର୍ଥକ ଜାତୀୟବାଦୀ କବିତାର ଗୌରବ ବହନ କରିଛି ।
ସେହିପରି ସ୍ୱାଧୀନତା ସଂଗ୍ରାମୀ କବି ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ମଧ୍ୟ ‘ଜାତୀୟ ଜାଗରଣ ସଂଗୀତ’ ପୁସ୍ତିକାରେ କିଛି ଜାତୀୟବାଦୀ କବିତା ରଚନା କରି ପ୍ରକାଶ କରିଛନ୍ତି । କବି ବିନୋଦ ରାଉତରାୟଙ୍କ ରଚିତ “ମୋ ଦେଶ, ଏହି ମୋ ପୁଣ୍ୟମାଟି’, ‘ସୂର୍ଯ୍ୟମୁଖୀ', ‘ପ୍ରଣାମ କରେ’ ଆଦି କବିତାରେ ଜାତୀୟତା ଓ ସ୍ୱଦେଶପ୍ରୀତିର ସଙ୍କେତ ମିଳେ । କବି ଗୋପାଳଚନ୍ଦ୍ର ମିଶ୍ର ସ୍ୱରଚିତ ବହୁ କବିତାରେ ସ୍ୱଦେଶପ୍ରୀତିର ପରିଚୟ ପ୍ରଦାନ କରିଛନ୍ତି । ତାଙ୍କ ଲିଖିତ ‘ଜାତୀୟ ପତାକା’, “ଖୋର୍ଦ୍ଧା ପାଇକ’, ଅଗଷ୍ଟ ପନ୍ଦର ଆଦି କବିତାର ଜାତୀୟବାଦୀ ଆବେଦନ ବେଶ୍ ଉଚ୍ଚକୋଟିର ।
କବି ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ଵାଜ) ସ୍ଵଳ୍ପସଂଖ୍ୟକ ଜାତୀୟବାଦୀ କବିତା ରଚନା କରିଥିଲେ ମଧ୍ୟ ତାଙ୍କର ‘ନବ ଭାରତର ନାଗରିକ ଆମେ’, ଜଗନ୍ନାଥର ଦେଶେ’ ଆଦି କବିତାରେ ସ୍ୱଦେଶ ଭାବନା ଓ ଉତ୍କଳୀୟ ତଥା ଭାରତୀୟ ଭାବନାର ସ୍ପର୍ଶ ପ୍ରଦାନ କରିଛନ୍ତି । ସେହିପରି ରାଜନେତା, ସୁଲେଖକ ଓ କବି ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ଵାଧୀନତା ପରବର୍ତ୍ତୀ କାଳରେ କିଛି ଉଲ୍ଲେଖନୀୟ ଜାତୀୟବାଦୀ କବିତା ରଚନା କରି ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କ ଲିଖିତ ‘ସିନ୍ଧୁ ଉପତ୍ୟକା’ କାବ୍ୟଗ୍ରନ୍ଥ ଏକ ଉଲ୍ଲେଖନୀୟ ସୃଷ୍ଟି । କବିଙ୍କ ‘ ଖୋରଧାଗଡ଼’ କବିତା ଏକ ଉଚ୍ଚକୋଟିର ଜାତୀୟବାଦୀ କବିତାରୂପେ ବିବେଚିତ ହୋଇଥାଏ ।
ସ୍ୱାଧୀନତା ପରବର୍ତ୍ତୀ କାଳର ଅନ୍ୟାନ୍ୟ ଜାତୀୟତାବାଦୀ କବିତା ରଚୟିତା ଭାବରେ କବି ସୁଦର୍ଶନ ରଥ, ଫକୀର ହରିଚନ୍ଦନ, ବ୍ରଜନାଥ ରଥ, ରବି ସିଂ, ସୁଧ୍ୟଶ୍ର ରାଉତରାୟ, ଯଦୁନାଥ ଦାସ ମହାପାତ୍ର, ମଙ୍ଗୁଳୁ ଚରଣ ବିଶ୍ଵାଳ ପ୍ରଭୃତିଙ୍କ ଅବଦାନ ବିଶେଷ ସ୍ମରଣୀୟ ।
କବି ସୁଦର୍ଶନ ରଥଙ୍କର ‘ଦେଶାନୁଚିନ୍ତା’, ‘ପ୍ରେରଣାର ଉତ୍ସ” ଓ “ଚରିତ୍ରସଂହିତା’ କବିତା ଗ୍ରନ୍ଥରେ ବହୁ ଜାତୀୟବାଦୀ କବିତା ପ୍ରକାଶିତ । ବଙ୍ଗଳାଶ୍ରୀ ରାଗରେ ରଚିତ କବିଙ୍କ ଜାତୀୟବାଦୀ କବିତାବଳୀ ଅତ୍ୟନ୍ତ ସରଳ, ସରସ ଓ ହୃଦୟଗ୍ରାହୀ । ସେହିପରି ପ୍ରାବନ୍ଧିକ ଓ କବି ଫକୀର ହରିଚନ୍ଦନଙ୍କ ଲିଖିତ ‘ଦେଶର ଆହ୍ୱାନ’ ଓ ‘ଉତ୍କଳ ବନ୍ଦନା’ କବିତାରେ ଜାତୀୟତାବୋଧର ଝଙ୍କାର ପରିଲକ୍ଷିତ ।
ସ୍ଵାଧୀନତା ପରବର୍ତ୍ତୀ କାଳର ଅନ୍ୟାନ୍ୟ କବିଙ୍କ ମଧ୍ୟରେ ବ୍ରଜନାଥ ରଥ, କବି ରବି ସିଂ, ଯଦୁନାଥ ଦାସ ମହାପାତ୍ର, ମଙ୍ଗୁଳୁ ଚରଣ ବିଶ୍ୱାଳ, ସୁଧାଂଶୁ ମୋହନ ରାଉତରାୟ, ଦୁର୍ଗା ମାଧବ ମିଶ୍ର, ପ୍ରହ୍ଲାଦ ପଣ୍ଡା, ବିଭୁଦତ୍ତ ମିଶ୍ର, ଜୟାନନ୍ଦ ଗୋସ୍ୱାମୀ, ବୀର କିଶୋର ପାଢ଼ୀ ବିଭିନ୍ନ ସମୟରେ କିଛି କିଛି ସାର୍ଥକ ଜାତୀୟ ଗୀତିକା ରଚନା କରି ପାଠକୀୟ ଦୃଷ୍ଟି ଆକର୍ଷଣ କରିଛନ୍ତି । ବ୍ରଜନାଥ ଓ ରବି ସିଂ ପ୍ରଗତିଶୀଳ ତଥା ବାମପନ୍ଥୀ ଦର୍ଶନର ପରିପୋଷକତା କରିଥିଲେ ହେଁ ବ୍ରଜନାଥଙ୍କ ‘ହେ ମୋ ସ୍ଵଦେଶ’ କବିତା ସଂକଳନ ଏବଂ ରବି ସିଂଙ୍କ ‘ଇତିହାସକୁ ପଚାର ଭାଇରେ’, ‘ସ୍ୱାଧୀନତା ! ସ୍ଵାଧୀନତା’ ପରି କବିତାମାନଙ୍କରେ ଉଗ୍ର ଜାତୀୟ ଭାବନାର ସ୍ପଷ୍ଟ ଆବେଦନ ପରିଲକ୍ଷିତ ହୁଏ । ସେହିପରି ସୁଧାଂଶୁ ମୋହନ ରାଉତରାୟ ମୁଖ୍ୟତଃ ଜଣେ ରୋମାଣ୍ଟିକ କବି ହେଲେ ମଧ୍ୟ ତାଙ୍କର ‘ଶପଥ କର’ ଏକ ସାର୍ଥକ ଜାତୀୟବାଦୀ କବିତାର ଉଜ୍ଜ୍ୱଳ ଉଦାହରଣ । ପଶ୍ଚିମ ଓଡ଼ିଶାର ବିଶିଷ୍ଟ କବି ଶ୍ରୀ ମଙ୍ଗୁଳୁ ଚରଣ ବିଶ୍ୱାଳ ତାଙ୍କ କବିତା ସମ୍ଭାରରେ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାକୁ ସମୃଦ୍ଧ କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ‘ହେଁ ଶତାବ୍ଦୀ ଜାଗିଉଠ’ ପରି କିଛି ସାର୍ଥକ ଜାତୀୟ ଭାବାପନ୍ନ କବିତା ରଚନା କରି ଦୃଷ୍ଟି ଆକର୍ଷଣ କରିଛନ୍ତି । ସେହିପରି ଯଶସ୍ୱୀ ନାଟ୍ୟକାର ଓ କବି ଶ୍ରୀ ଯଦୁନାଥ ଦାସ ମହାପାତ୍ର ମଧ୍ୟ ‘ହେ ସହିଦ ହେ ସଂଗ୍ରାମୀ’ ପରି ସାର୍ଥକ ଜାତୀୟବାଦୀ କବିତା ରଚନା କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ବୀର କିଶୋର ପାଢ଼ୀ ଶିଶୁକବିତା ମାଧ୍ୟମରେ ଜାତୀୟ ଜାଗରଣର ଭାବନା ଉଦ୍ରେକ କରିବାରେ ସଫଳ ହୋଇଛନ୍ତି । ସେହିପରି କବି ଦୁର୍ଗାମାଧବ ମିଶ୍ରଙ୍କ ରଚିତ ‘ବିଜୟ ବାହୁଡ଼ା’ ଜୟାନନ୍ଦ ଗୋସ୍ୱାମୀଙ୍କ ରଚିତ ‘ରଣମ୍ ଦେହି’, ବିଭୁଦତ୍ତ ମିଶ୍ରଙ୍କ ‘ସମୟ ନାହିଁ’ ଓ ‘ରକ୍ତ ଦେଇ ରକ୍ଷାକର', ପ୍ରହ୍ଲାଦ ପଣ୍ଡାଙ୍କ ‘ଜୟମା କଳିଙ୍ଗ ଜନନୀ ମହାନ’ କବିତା ସ୍ୱାଧୀନତା ପରବର୍ତ୍ତୀ କାଳର କିଛି ସାର୍ଥକ ଜାତୀୟବାଦୀ ଗୀତିକବିତାରୂପେ ଗବେଷକ ତଥା ପାଠକମାନଙ୍କ ଦୃଷ୍ଟି ଆକର୍ଷଣ କରିଅଛି ।
ସ୍ଵାଧୀନତା ପରବର୍ତ୍ତୀ କାଳରେ ଯେଉଁ କେତେଜଣ ନାରୀ କବି ବିପୁଳ କବିତା ରଚନାରେ ମନୋନିବେଶ କରିବା ସହିତ କିଛି ସାର୍ଥକ ଜାତୀୟବାଦୀ କବିତା ରଚନା କରି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି, ସେମାନଙ୍କ ମଧ୍ୟରେ କବି ତୁଳସୀ ଦାସ, ବିଦ୍ୟୁତପ୍ରଭା ଦେବୀ, ବୀଣା ଦେବୀ, ମନୋରମା ମହାପାତ୍ର ଓ ଶୈଳବାଳା ଦେବୀଙ୍କ ନାମ ବିଶେଷ ରୂପେ ଉଲ୍ଲେଖଯୋଗ୍ୟ ।
ବିଦ୍ୟୁତ୍ପ୍ରଭା ଆଧୁନିକ ସମୟର ଜଣେ ଆଗଧାଡ଼ିର କବି ରୂପେ ସୁଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ କବିତାର ବିପୁଳ ସମ୍ଭାର ମଧ୍ୟରେ ‘ନବପ୍ରକାଶ, ‘ ଓଡ଼ିଆ ବୀର’, ଜନ୍ମଭୂମି’ ଆଦି କବିତା ଜାତୀୟବାଦୀ ଭାବନା ଓ ସ୍ୱଦେଶ ପ୍ରୀତିର ବାର୍ତ୍ତା ପ୍ରଚାର କରିବାରେ ସମର୍ଥ । ସେହିପରି ନାରୀ କବି ରୂପେ ବିପୁଳ ଖ୍ୟାତି ଅଧିକାରିଣୀ ତୁଳସୀ ଦାସ ବୈପ୍ଳବିକ ଭାବନା ଓ ଜାତୀୟବାଦୀ କବିତାରର ଜଣେ ବଳିଷ୍ଠ ଉଚ୍ଚାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ । କୁନ୍ତଳା କୁମାରୀଙ୍କ ପରେ ସେ ଦ୍ୱିତୀୟ ନାରୀ କବି ଯେ ବହ୍ନିମାନ କବିତା ରଚନା କରି ଜାଗରଣ ଓ ବିପ୍ଳବର ବାର୍ତ୍ତା ପ୍ରଚାର କରିବା ସହିତ ଦେଶ ଓ ଜନ୍ମଭୂମି ପାଇଁ ତ୍ୟାଗ ଓ ସମର୍ପଣର ଉଦାତ୍ତ ଆହ୍ୱାନ ପ୍ରଦାନ କରିଛନ୍ତି । ତୁଳସୀ ଦାସଙ୍କ ‘ଝଡ଼ର ଝଙ୍କାର', “ଆଦ୍ୟରଶ୍ମୀ’ କବିତା ସଂକଳନରେ ବହୁ ଜାତୀୟବାଦୀ କବିତା ସ୍ଥାନିତ ହୋଇଛି । ଓଡ଼ିଆ ଜାତୀୟବାଦୀ କବିତା ଭଣ୍ଡାରକୁ ତାଙ୍କର ସ୍ମରଣୀୟ ଅବଦାନ ବାସ୍ତବିକ ପ୍ରଶଂସନୀୟ ।
ସେହିପରି ଆଧୁନିକ କାଳର ଅନ୍ୟତମ ଚର୍ଚ୍ଚିତ କବି ମନୋରମା ମହାପାତ୍ର ପ୍ରଚୁର କବିତା ରଚନା ମାଧ୍ୟମରେ ଓଡ଼ିଆ କାବ୍ୟଜଗତକୁ ସମୃଦ୍ଧ କରିଥିବାବେଳେ ବିଭିନ୍ନ ସମୟରେ କିଛି କିଛି ଜାତୀୟବାଦୀ କବିତା ରଚନା କରି ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ତାଙ୍କର କେତୋଟି ଉଲ୍ଲେଖଯୋଗ୍ୟ ଜାତୀୟ ଗୀତିକା ମଧ୍ୟରେ ‘ବନ୍ଦନା କରେ ପାଦ’ ଓ ‘ ଭାରତବର୍ଷ ଏକ ସାରାଂଶ’ ବେଶ୍ ହୃଦୟଗ୍ରାହୀ ମନେହୁଏ ।
ସେହିପରି ବୀଣାଦେବୀ ବହୁ କବିତା ରଚନା କରିଛନ୍ତି । ତାଙ୍କ ଲିଖିତ ‘ମାତୃଭୂମି’ ଏକ ସାର୍ଥକ ଜାତୀୟଗୀତି ରୂପେ ଦୃଷ୍ଟି ଆକର୍ଷଣ କରିଅଛି । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କନ୍ୟା ଶୈଳବାଳା ଦେବୀ ମଧୁବାବୁଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟରେ ଆସି ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଆନ୍ଦୋଳନ, ଉତ୍କଳ ସମ୍ମିଳନୀର ଉଦାତ୍ତ ଆହ୍ୱାନ, ଉତ୍କଳୀୟ ଜାତୀୟତାର ଉଦ୍ଗିରଣ ପର୍ବରେ ସାମିଲ ହୋଇ ସ୍ଵଳ୍ପସଂଖ୍ୟକ ଜାତୀୟଗୀତି ରଚନା କରିଛନ୍ତି । ତାଙ୍କର ବହୁ କବିତା ଦୁଷ୍ପ୍ରାପ୍ୟ ହୋଇଥିଲେ ବି ପ୍ରାପ୍ତ କବିତା ମଧ୍ୟରେ ‘ଜୁନନୀ ପ୍ରତି’ ଏକ ସାର୍ଥକ ଜାତୀୟ ଗୀତିକା ରୂପେ ଗୃହୀତ । ଶୈଳବାଳା ଦେବୀଙ୍କ କବିତାର ଏକ ସ୍ମରଣୀୟ ଫକ୍ତି –
ଭୁଲିଯାଆ ଦୁଃଖ ଭୁଲିଯା ଜନନୀ
ବୀରପ୍ରସବିନୀ ତୁ ଭାଗ୍ୟବତୀ
ବୀର ଅଭିମନ୍ୟୁ କବି କାଳିଦାସ
ଋଷି ବେଦବ୍ୟାସ ତୋର ସନ୍ତତି ।।
ତୋହରି ଦୁହିତା ସୀତା, ସାବିତ୍ରୀ
ଯେ କୀରତି-ଦୀପ ଜଳିଲେ ଜୀବନେ
ଚିରଦିନ ଉଜ୍ଜ୍ୱଳିବ ଧରିତ୍ରୀ ।।
ସାମଗ୍ରିକ ଭାବରେ ଜାତୀୟବାଦୀ ଓଡ଼ିଆ କବିତାର ଉନ୍ମେଷ ଓ ବିକାଶ ପରାଧୀନ ଭାରତବର୍ଷର ଦୁର୍ଦ୍ଦିନରେ ସାତ ହୋଇଛି । ପରାଧୀନତାରେ ଅନ୍ଧକାରରେ ସନ୍ତୁଳିତ ଦେଶବାସୀଙ୍କ ପ୍ରତି ବିଦେଶୀ ଗୋରା ଶାସକମାନଙ୍କର ନିର୍ଯାତନା ଓ ଶୋଷଣ ସହିତ ଜନ୍ମଭୂମି ଉତ୍କଳର ବିକଳାଙ୍ଗ ସ୍ଥିତି, ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ରାଜନୀତିକ ଚକ୍ରାନ୍ତରେ ବିହାର, ବଙ୍ଗଳା, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜ ସହିତ ମିଶାଇ ଦେବାର ଚରମ ଅନ୍ୟାୟରେ ଓଡ଼ିଆ ଜାତି ଯେଉଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା, ତାହାର ସ୍ପଷ୍ଟ ପ୍ରତିଧ୍ୱନି ଜାତୀୟବାଦୀ ଓଡ଼ିଆ କବିତାମାନଙ୍କରେ ଅନୁରଣିତ ହୋଇଥିଲା । ମୁକ୍ତିସଂଗ୍ରାମର ଅବସାନ ଭାରତବର୍ଷର ସ୍ଵାଧୀନତା ପ୍ରାପ୍ତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଜାତୀୟବାଦୀ ଭାବନାରେ ଭଙ୍ଗା ପଡ଼ିବା ପରି ମନେହୁଏ । ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତାରେ ଦେଖାଦେଇଛି ସ୍ୱର ପରିବର୍ତ୍ତନ । ପାଶ୍ଚାତ୍ୟ ଭାବନା, ବସ୍ତ ବାଦୀ ଚିନ୍ତନ, ସ୍ଵାଧୀନତାର ମୋହଭଙ୍ଗ, ନିଃସଙ୍ଗତାବୋଧ, ସାମାଜିକ ବୈଷମ୍ୟ, ରାଜନୀତିକ ପ୍ରତାରଣା ଓ ଭଣ୍ଡାମି, ମୂଲ୍ୟବୋଧର ଅବକ୍ଷୟ, ଅବହେଳିତ ଜନତାର ଜୟଗାନ, ଈଶ୍ୱରହୀନତାର ଅନୁଭବ, ଅସ୍ତିତ୍ଵବାଦୀ , ଦର୍ଶନର ଆରୋପଣ, ପ୍ରଣୟ ଭାବନା, ଇନ୍ଦ୍ରିୟୋତ୍ତର ଉପଲବ୍ଧିର ପ୍ରତିଫଳନକୁ ନେଇ ଆଜି କବିତା ଗତିଶୀଳ । ଏଥିରେ କ୍ରମାଗତ ସଂକୁଚିତ ହୋଇଆସିଛି ସ୍ୱଦେଶପ୍ରେମର ଅନୁଭବ, ଜାତୀୟତାବୋଧର ଉନ୍ମାଦନା ।
ଓଡ଼ିଆ କବି ପାଇଁ ଜାତୀୟତାବୋଧ ଏକ ସାମୟିକ ଉନ୍ମାଦନା ଓ ଆନୁଷ୍ଠାନିକ ପ୍ରୟୋଜନୀୟତାରେ ପରିଣତ ହୋଇଛି । ଜାତୀୟ ଦିବସ ଅବସରରେ ଚର୍ଚ୍ଚା-ଆଲୋଚନା, ଉତ୍ସବ ଓ ସଂପାନରେ ଅତୀତର ଗୌରବମୟ ସ୍ମୃତିଚାରଣ ଭିତରେ ଐତିହ୍ୟ ଓ ସ୍ୱାଭିମାନର କଥା ଚିନ୍ତାକରି ସାମୟିକ ଭାବେ କିଛି କିଛି ଜାତୀୟବାଦୀ କବିତା ସର୍ଜନା ହେଉଥିବା ଲକ୍ଷ୍ୟ କରାଯାଏ । କିନ୍ତୁ ଏଥିରେ ନଥାଏ ସୁଦୂର ଅତୀତର ଉଗ୍ର ଜାତୀୟତା ଉଦ୍ଦାମବୋଧର ଉଚ୍ଚାରଣ ବା ସ୍ଵଦେଶପ୍ରେମର ପ୍ରତିଧ୍ୱନି ।
ଜାତୀୟବାଦୀ କବିତାସମ୍ଭାର ଆମ କାବ୍ୟଭଣ୍ଡାରର ଅମୂଲ୍ୟ ବିଭବ । ଏହି ବିଭବକୁ ନେଇ ଆମେ ଅତୀତକୁ ସ୍ମରଣ କରୁ । ଏଇ କବିତାର ଫକ୍ତିରେ ଫକ୍ତିରେ ଦେଖୁ ଅତୀତର ପ୍ରତିବିମ୍ବ । ସୁତରାଂ ଏଇ ମୂଲ୍ୟବାନ କବିତାବଳୀର ସୁରକ୍ଷା ଓ ସଂକଳନ ଏକ ଗରିମାମୟ ଅଧ୍ୟାୟ ଉନ୍ମୋଚନରେ ଅବଶ୍ୟ ସହାୟକ ହୋଇପାରିବ । ଏଇ କବିତାସମ୍ଭାରକୁ ମନେପକାଇ ଜାତି ନିଜକୁ ଓ ତା’ର ସଂଘର୍ଷମୟ ଅତୀତକୁ ଆବିଷ୍କାର କରିବ, ଆଗାମୀ ସଫଳତା ଓ ସମ୍ଭାବନାର ସ୍ଵପ୍ନ ଦେଖିବ, ନିଜ ଭିତରେ ଆତ୍ମପ୍ରତ୍ୟୟ ସଂଚାର କରିବାରେ ସମର୍ଥ ହୋଇପାରିବ ।
ଓଡ଼ିଆ କାବ୍ୟଜଗତରେ ଜାତୀୟବାଦୀ କବିତା ଏକ ଉଜ୍ଜ୍ୱଳ ଅଧ୍ୟାୟ ସୃଷ୍ଟି କରିଛି । ଜାତିପ୍ରାଣରେ ଜୀବନର ସଂଚାର କରିଛି । ସଂଘର୍ଷ ଓ ସଂଗ୍ରାମର ସମୟସ୍ରୋତରେ ଜାତିକୁ ପଥ ପ୍ରଦଶିତ କରିଛି, ଏଥିରେ ସନ୍ଦେହ ନାହିଁ । ଜୟହିନ୍ଦ୍ ।
ଶକୁନ୍ତଳା ବଳିଆର ସିଂହ
ସଂକଳକ
ସୂଚୀପତ୍ର
୧. ଉତ୍ଥାନ ସଙ୍ଗୀତ ଫକୀର ମୋହନ ସେନାପତି ୩୧
୨. ଶିବାଜୀଙ୍କର ଉତ୍ସାହ ବାକ୍ୟ ରାଧାନାଥ ରାୟ ୩୨
୩. ଉତ୍କଳ ସନ୍ତାନ ମଧୁସୂଦନ ଦାସ ୩୬
୪. ଜାତୀୟ ସଙ୍ଗୀତ ମଧୁସୂଦନ ରାଓ ୩୮
୫. ଉତ୍କଳ କମଳା ଚିନ୍ତାମଣି ମହାନ୍ତି ୩୯
୬. ସ୍ୱରାଜ୍ୟ ଶ୍ରୀବତ୍ସ ପଣ୍ଡା ୪୩
୭. ନିଜ ଘରେ ବସି ନିର୍ବାସନ ଦୁଃଖ ଗଙ୍ଗାଧର ମେହେର ୪୪
୮. ଉତ୍କଳ ଦଶା ନନ୍ଦକିଶୋର ବଳ ୪୫
୯. ବନ୍ଦୀର ଆତ୍ମକଥା ଗୋପବନ୍ଧୁ ଦାସ ୪୬
୧୦. ଭାରତ ବନ୍ଦନା କୃଷ୍ଣ ମୋହନ ପଟ୍ଟନାୟକ ୫୦
୧୧. ଆଜି ଆମ ଦେଶ ଭିକାରୀ ଚରଣ ପଟ୍ଟନାୟକ ୫୧
୧୨. କି ଥିଲା କି ହେଲା ବ୍ରଜ ସୁନ୍ଦର ଦାସ ୫୪
୧୩. ଭାଙ୍ଗିଲାଣି ଆଜି ଗୋରାଙ୍କ ଜିହଲ ଖାନା ବୈଷ୍ଣବ ପାଣି ୫୫
୧୪. ରାମଚରେ ରାତି ନୀଳକଣ୍ଠ ଦାସ ୫୬
୧୫. ଧଉଳି ପାହାଡ଼ ପଦ୍ମଚରଣ ପଟ୍ଟନାୟକ ୫୮
୧୬, ଜନ୍ମଭୂମି ଗୋଦାବରୀଶ ମିଶ୍ର ୬୫
୧୭. ବନ୍ଦେ ଉତ୍କଳ ଜନନୀ ଲକ୍ଷ୍ମୀକାନ୍ତ ମହାପାତ୍ର ୬୬
୧୮. ଉତ୍କଳ ବନ୍ଦନା ବାଞ୍ଛାନିଧି ମହାନ୍ତି ୬୮
୧୯. ପତାକା ତଳକୁ ଆସ ବୀରକିଶୋର ଦାସ ୬୯
୨୦. ଆମେ ଏ ଦେଶର ପୁଅ କାଳୀଚରଣ ପଟ୍ଟନାୟକ ୭୧
୨୧. ଉଠ କଙ୍କାଳ ଗୋଦାବରୀଶ ମହାପାତ୍ର ୭ ୨
୨୨. ଆହ୍ୱାନ କୁନ୍ତଳାକୁମାରୀ ସାବତ ୭୪
୨୩. ଭାରତ ଜନନୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ୮୪
୨୪. ଭାରତ ଆସିବ ଫେରି କାଳିନ୍ଦୀ ଚରଣ ପାଣିଗ୍ରାହୀ ୮୫
୨୫. ଭାରତ ଜନନୀ ଶରତ ଚନ୍ଦ୍ର ମୁଖାର୍ଜୀ ୮୭
୨୬. ପଣରକ୍ଷା ବୈକୁଣ୍ଠନାଥ ପଟ୍ଟନାୟକ ୮୯
୨୭. ବନ୍ଦେ ଉତ୍କଳ ଜନନୀ ମାୟାଧର ମାନସିଂହ ୯୦
୨୮. ସକଳ ଓଡ଼ିଆ ପୁଅ ଅନନ୍ତ ପ୍ରସାଦ ପଣ୍ଡା ୯୨
୨୯. ବରୁଣେଇ ଅନନ୍ତ ପଟ୍ଟନାୟକ ୯୪
୩୦, ଜନନୀ ବନମାଳୀ ମହାରଣା ୯୬
୩୧. ଆମ ଏ ଭାରତ ରାଦାମୋହନ ଗଡ଼ନାୟକ ୯୭
୩୨. ଆହୁତି କୃଷ୍ଣଚନ୍ଦ୍ର ତ୍ରିପାଠୀ ୯୯
୩୩. ପାଞ୍ଚଜନ୍ୟ ନିତ୍ୟାନନ୍ଦ ମହାପାତ୍ର ୧୦୬
୩୪. ପନ୍ଦର ଘନ ବନ୍ଦନ ବୈକୁଣ୍ଠନାଥ ଦାସ ୧୦୮
୩୫, କରିବୁ ଆମେ ଦିଗ୍ବିଜୟ କୁଞ୍ଜବିହାରୀ ଦାସ ୧୧୦
୩୬. ଉତ୍କଳ ବନ୍ଦନା ସୁଦର୍ଶନ ରଥ ୧୧୨
୩୭. ବିଶ୍ୱାସ ନାହିଁ ତାରେ ହରିପ୍ରିୟା ଦେବୀ ୧୧୪
୩୮, ପାଇକ ବିଦ୍ରୋହ ଜ୍ଞାନୀନ୍ଦ୍ର ବର୍ମା ୧୧୬
୩୯. ବିଲାତିବାଲା ବୈକୁଣ୍ଠନାଥ ମହାନ୍ତି ୧୨୦
୪୦, ସ୍ଵାଧୀନ ସୂର୍ଯ୍ୟ ସଚ୍ଚିଦାନନ୍ଦ ରାଉତରାୟ ୧୨୧
୪୧. ଜାଗରଣ ସୁନ୍ଦରମଣି ପଟ୍ଟନାୟକ ୧୨୩
୪୨. ମୋ ଜନମ ଭୂଇଁ ବାଞ୍ଛାନିଧି ଦାସ ୧୨୫
୪୩. ଶପଥ କର ମନମୋହନ ମିଶ୍ର ୧୨୭
୪୪. ଜାଗରଣ ବୈଦ୍ୟନାଥ ପାଣିଗ୍ରାହୀ ୧୨୮
୪୫, ଜାତୀୟ ପତାକା ଗୋପାଳଚନ୍ଦ୍ର ମିଶ୍ର ୧୨୯
୪୬, ନବ ଭାରତର ନାଗରିକ ଆମେ ଜାନକୀ ବଲ୍ଲଭ ମହାନ୍ତି ୧୩୧
୪୭, ଜନନୀ ଡାକେ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ୧୩୨
୪୮. ଆଗାମୀକାଲି ସୁନନ୍ଦ କର ୧୩୩
୪୯, ଖୋରଧା ଗଡ଼ ଜାନକୀ ବଲ୍ଲଭ ପଟ୍ଟନାୟକ ୧୩୪
୫୦, ସମର ସଙ୍ଗୀତ ତୁଳସୀ ଦାସ ୧୩୭
୫୧. ମାତୃଭୂମି ବୀଣା ଦେବୀ ୧୩୯
୫୨. ଜନ୍ମଭୂମି ଦିଦ୍ୟୁତପ୍ରଭା ଦେବୀ ୧୪୦
୫୩. ବିଜୟ ବାହୁଡ଼ା ଦୁର୍ଗାମାଧବ ମିଶ୍ର ୧୪୩
୫୪. ଉତ୍କଳ ବନ୍ଦନା ଫକୀର ହରିଚନ୍ଦନ ୧୪୫
୫୫. ସେଇ ଶାଶ୍ୱତ ପୁଅ ବୀର କିଶୋର ପାଢ଼ୀ ୧୪୭
୫୬. ଇତିହାସକୁ ତୋ ପଚାର ଭାଇରେ ରବି ସିଂ ୧୪୮
୫୭. ଶପଥ କର ସୁଧାଂଶୁ ମୋହନ ରାଉତରାୟ ୧୫୫
୫୮, ଭାରତବର୍ଷ ଏକ ସାରାଂଶ ମନୋରମା ମହାପାତ୍ର ୧୫୭
୫୯. ଜୟ ମା’ କଳିଙ୍ଗ ଜନନୀ ମହାନ ପ୍ରହଲ୍ଲାଦ ପଣ୍ଡା ୧୫୯
୬୦. ହେ ଶତାବ୍ଦୀ ! ଜାଗି ଉଠ ମଙ୍ଗଳୁ ଚରଣ ବିଶ୍ୱାଳ ୧୬୧
୬୧. ହେ ଉତ୍କଳ ! ଜନନୀ ଉତ୍କଳ ! ବ୍ରଜନାଥ ରଥ ୧୬୩
୬୨. ରକ୍ତ ଦେଇ ରକ୍ଷାକର ବିଭୁଦତ୍ତ ମିଶ୍ର ୧୬୯
୬୩, ଜନନୀ ପ୍ରତି ଶୈଳବାଳା ଦେବୀ ୧୭୦
୬୪. ଉତ୍କଳ ଜନନୀ ଲକ୍ଷ୍ମଣ କୁମାର ଜେନା ୧୭୧
| ଉତ୍ଥାନ ସଙ୍ଗୀତ ||
ଫକୀର ମୋହନ ସେନାପତି
ଉଠ ଭାଇମାନେ, ଚାହଁ ଆଖି ମଳି
ଜାତିର ଦୁର୍ଦ୍ଦଶା ପଡ଼ିଲା ଯେ ବଳି ।
ଶୁଣ ହାହାକାର ପଡ଼ିଛି ଦେଶରେ
ହା ଅନ୍ନ ! ହା ଅନ୍ନ ! ସକଳ ମୁଖରେ ।
ଗଞ୍ଜନା ଭର୍ସନା ଅନ୍ୟ ଜାତି ଠାରେ
ପାଇ ଶୁଣିକି ହେ ନ ଭାଳୁଚ ବାରେ ।
ପଢ଼ ରାଜଭାଷା ଅଛି ତହି ଲାଭ
ମାତ୍ର ନ ହରାଅ ଜାତୀୟ ସ୍ଵଭାବ
ହେବ ଭାଳ କାଳେ ସଭ୍ୟ, ଭବ୍ୟ ପରା ?
ଆବୋରି ନ ବସ ପରର ପସରା ।
ନ କରିଲେ ମାତୃଭାଷାର ଉନ୍ନତି
ଘୁଞ୍ଚିବ କି କେବେ ଦେଶର ଦୁର୍ଗତି ।
ଉଠ ଉଠ କର ସାହସ ସମ୍ବଳ
ସାଧିବ ସ୍ଵକାର୍ଯ୍ୟ ଆପଣେ କେବଳ ।
|| ଶିବାଜୀଙ୍କର ଉତ୍ସାହ ବାକ୍ୟ ||
ରାଧାନାଥ ରାୟ
ଉଠ ଉଠ ଆହେ ସମଯୋଧଗଣ
କରେ କରବାଳ ପଶ ସମରେ,
ଦେଖ ଦେଖ ଦୂରେ ଆସୁଛି ଯବନ
ଉଡୁଛି କେତନ ବାୟୁ ଲହରେ ।
ଆସୁଅଛି ଅଶ୍ଵ ଆସୁଛି ଦ୍ୱିରଦ ।
ଆସୁଛନ୍ତି ସେନା ଜିଣିବା ଆଶେ;
ବାଜେ ରଣଶିଙ୍ଗା, ଶୁଭୁଛି ଶବଦ
ମେଦିନୀ ସ୍ତବଧ ହେଉଛି ତ୍ରାସେ ।୨।
ବଜା ରଣଶିଙ୍ଗା , ଆରେ ଶୃଙ୍ଗଧର,
ଶତୁ ଶିଙ୍ଗା ଶୁଣି କେବେ ନିରବ
ମହାରାଷ୍ଟ୍ର ଶିଙ୍ଗା ? କେବେ ନିରୁତ୍ତର ।
ମହାରାଷ୍ଟ୍ର ଶୁଣି ଶତ୍ରୁ ନିରବ ? ୩
ଏ ଭାରତ ଭୂମି ଆମ୍ଭର ଜନନୀ
ପୁଣ୍ୟଭୂମି ନାହି ସରି ଏହାର;
ଅମୂଲ୍ୟ ଦୁର୍ଲ୍ଲଭ ରତନର ଖଣି ।
ସବୁ ଦେଶ ମଧ୍ୟେ ଏ ଦେଶ ସାର ।୪
ଏ ଦେଶ କୀରତି, ଏ ଦେଶ ଗୌରବ
ଏ ଦେଶ ବିଭବ ଏ ରବି ତଳେ
ଆଉ କାହିଁ ନାହିଁ ସମସ୍ତ ନିଷ୍ପ୍ରଭ
ହେଲାଟି ମନୁଷ୍ୟ କରମଫଳେ ।୫।
ଏମାନ ଆମ୍ଭଙ୍କୁ ପ୍ରଭୁ ଦେଇଥିଲେ,
ଦେଇଥିଲେ ବାହୁ ଦେଶ ରକ୍ଷଣେ,
ଯେଦିନୁ ହିନ୍ଦୁଏ ଏକତା ଛାଡ଼ିଲେ
ପ୍ରମାଦ ପାତିଲେ ଦୁଷ୍ଟ ଯବନେ ।୬।
ସେହିଦିନୁ ଆର୍ଯ୍ୟ- ଗୌରବ-ତପନ
ଦାସ-ତମ ସିନ୍ଧୁ ନୀରେ ବୁଡ଼ିଲେ
ସେହିଦିନୁ ଆର୍ଯ୍ୟେ ଲଭିଲେ ବନ୍ଧନ
ଅନ୍ଧ ହୋଇ ଆର୍ଯ୍ୟଧର୍ମ ହୁଡ଼ିଲେ ।୭।
ଦୁରନ୍ତ ଯବନ ହେଲା ଏକେଶ୍ଵର ।
କ୍ଷତ୍ରିୟ ପ୍ରଭାବ ହେଲା ଅଳୀକ,
ଆମ୍ଭର ସ୍ୱଦେଶ ନୁହେ ଏ ଆମ୍ଭର,
ଧୂକ ଧୂକ ଆୟ ବାହୁକୁ ଧିକ ।୮।
ନାହିଁ ଆମ୍ଭ ଲୋଭ ଅନ୍ୟ ଦେଶ ପରେ
ସ୍ଵଦେଶରେ ସୁଖ ଅଛି ପ୍ରଚୁର
ନିଜ ଘର ସୁଖ ଭୁଞ୍ଜିବାକୁ ଘରେ
ଇଚ୍ଛା ଯେବେ, କର ଯବନ ଦୂର ।୯୮
ସମସ୍ତ ଭାରତ କଲା କରଗତ
ଦୂରନ୍ତ ଯବନ ସବୁ ଗ୍ରାସିଲା,
ତେବେହେଁ ଅତୃପ୍ତ, ଜନ୍ମ-ପରବତ ।
ଆମ୍ଭର ନେବାକୁ ସେନା ପେଷିଲା ।୧୦।
ବାନ୍ଧ ହେ ସାହସ, ଉଠ ଅସି ଘେନି
ବୀରର ସମ୍ବଳ ସେତିକି ସିନା !
ମହାରାଷ୍ଟ୍ର ପାଶେ ଯାବତ ଏ ବେନି ,
ତାବତ ଏ ଭୂମି ନୋହେ ଅଧୀନା ।୧୧
ଶୁଣିଅଛି ଯୋଧେ ! ଦୁର୍ଗାବତୀ କଥା,
ଶୁଣି ତ ଅଛି ତା ଧୀର ସାହସ,
ନାରୀ ହୋଇ ଯୁଦ୍ଧେ ଦେଲା ନିଜ ମଥା
ଜୀବନ୍ତେ ନ ହେଲା ଯବନ ବଶ ।୧୨।
ସରିକି ନୋହିବ ସେହି ଅବଳାର ?
କ୍ଷତ୍ରିୟ ବୋଲାଅ ଅଟ ପୁରୁଷ !
ଦାସତ୍ୱ-ଶୃଙ୍ଖଳ ପିନ୍ଧିବ ଗଳାରେ ।
ଶିରେ କି ସହିବ ରିପୁ ଅଙ୍କୁଶ ।୧୩।
ଶୂର କୁଳେ ଜାତ ଅଟ ତୁମେ ଶୂର
ଶୂର କୁଳ ବିଧି ଅରାତିବଧ,
ନୋହିଲେ ମରଣ ଅଟଇ ମଧୁର
ବୁହାଇ ଅରାତି-ଶୋଣିତ ନଦ ।୧୪।
ସୋମନାଥ ତୀର୍ଥ ଦୁର୍ଦ୍ଦଶା ସୁମର, ।
କି ନ କଲେ ତହିଁ କ୍ରୂର ଯବନେ ?
ହରିଲେ ରତନ କାଞ୍ଚନ ବିସ୍ତର,
ଦେଖିନଥିଲେ ଯା କେବେ ସ୍ୱପନେ ।୧୫।
ସ୍ତ୍ରୀ ବାଳକ ଦଶା କି ହେବ ସୁମର,
ଶୂର ତୁମ୍ଭେ, ନିଜ ନାରୀ ଲାଞ୍ଚନା ।
କେମନ୍ତ ସହିବ ? ଏ ଜୀବ ଦେହର
ଥାଉଁ କି ଭୋଗିବ ଏଡ଼େ ଯନ୍ତ୍ରଣା ? |୧୬|
କୋମଳା କାମିନୀ- କୁନ୍ତଳ କରଷି
ନିଜ ଅନ୍ତଃପୁରେ ନେବ ଯବନ,
ଏ ଘୋର ଲାଞ୍ଛନା ଦେଖିବ କି ବସି
ସମ ଅଶ୍ରୁସିକ୍ତ କରି ନୟନ ? ।୧୭
ଅରାତିର ତେଜ କରିହେ ନିର୍ବାଣ
ଅରାତି ଶୋଣିତେ କର ତିଳକ,
ଅରାତି ଭବନ କରହେ ଶ୍ମଶାନ,
ଅରାତିକୁ ଆଶୁ ପ୍ରେର ନରକ ।୧୮।
ଆସୁଛି ଦୂରନ୍ତ ମହାଦମ୍ଭ ଭରେ,
ବୀର ସିଂହେ, କର ଚୂର୍ଣ୍ଣ ସେ ଦମ୍ଭ
ରଚ ରଣ ରଙ୍ଗେ ରଣଭୂମି ପରେ
ଅରାତି ମସ୍ତକେ ବିଜୟସ୍ତମ୍ଭ ।୧୯
ଉଠ ଉଠ ମହା ରାଷ୍ଟ୍ର ଶୂର କୁଳ
ଆର୍ଦ୍ରକର ମହୀ ରିପୁ ରକତେ,
ନନ୍ଦି ମହାବୀର ତ୍ରିଶୂଳି-ତ୍ରିଶୂଳ
କରେ ଘେନି ଯିବେ ଆମ୍ଭ ସଙ୍ଗତେ । ୨୦|
ସ୍ମରି ଦେବ ଦେବ ପଶରଣ ସ୍ଥଳେ
ତ୍ରିଶୂଳର ଛାୟା ଦେଖ ଆକାଶେ,
ଧୂମକେତୁ ପ୍ରାୟେ ଭୟଙ୍କର ଜ୍ୱଳେ
ଧୂମକେତୁ ଏହି ରିପୁ ବିନାଶେ ।୨୧।
ଯାବତ ଦେହରେ ବହେ ପ୍ରାଣ-ବାୟୁ
ଶୂରେ ! ନ ବିମୁଖ ହୁଅ ସମରେ,
ମାର ଅବା ମର ଏଥୁଁ ଅନ୍ୟ ଆଉ
ନ ଘଟୁ ଯେମନ୍ତ ତୁମ୍ଭ ଭାଗ୍ୟରେ ।୨୨।
ଏ ରେବା – ତଟିନୀ ଯାବତ ବହିବ,
ଯାବତ ଏ ଗିରି ଟେକିବ ଶିର,
ତୁମ୍ଭ ଶୁକ୍ଳ ଯଶଃ ତାବତ ରହିବ,
ମରି ଅମରତ୍ୱ ଲଭ ମହୀର ।୨୩।
|| ଉତ୍କଳ ସନ୍ତାନ ||
ମଧୁସୂଦନ ଦାସ
ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ ?
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ ? ।୧୮
ତୋ ପୂର୍ବ ପୁରୁଷେ ଜୟ କରିଥିଲେ
ଗଙ୍ଗା ଠାରୁ ଗୋଦାବରୀ,
ତାଙ୍କରି ଔରସେ ଜନ୍ମ ହୋଇ ତୁହି
କେଉଁ ଗୁଣେ ତାଙ୍କୁ ସରି ? |୨|
ତୁ ମନେ ଭାବୁଛୁ ତୋଷାମଦ କରି
ବଢ଼ାଇବୁ ଜାତି ମାନ ।
ତୋଷାମଦିଆର କୁକୁର ପ୍ରକୃତି
ଅଇଁଠା ପତରେ ଧ୍ୟାନ ।୩।
ତୋଷାମଦକାରୀ କ୍ଷିପ୍ର ଶ୍ୱାନ ପରି
ସହଜେ ଚିହ୍ନା ନ ଯାଏ
ଭୃତ୍ୟ ଭାବ ଧରି ଗୋଡ଼ ଚାଟୁ ଚାଟୁ
ବିଷ ଲେପି ଦେଇଥାଏ ।୪୮
ତୋଷାମଦ ଅଟେ ଅନ୍ଧାର ଗୋହିରି
ସ୍ଵାର୍ଥ ତହିଁ ଲୁଚି ବସେ,
ସରଳ ପଥିକ ବାଟରେ ଭେଟିଲେ
ଅଜ୍ଞାତରେ ତାକୁ ନାଶେ ।୫।
ଜାତିର ଉନ୍ନତି ହେବ କିରେ ଭାଇ
ସ୍ୱାର୍ଥକୁ ଜଗତ ମଣି ?
ଗୋଦର ଗୋଡ଼ରେ ମାଉଁସ ଲାଗିଲେ
ଦେହର କି ଶୁଭ ଗଣି ?୬
ଜାତିର ଉନ୍ନତି ସେ କାହୁଁ କରିବ
ସ୍ଵାର୍ଥ ଯାର ବ୍ୟସ୍ତ ମନ
ଶାଗୁଣା ବିଲୁଆ ଚିକିତ୍ସକ ହେଲେ
ଶବ କି ପାଇବ ପ୍ରାଣ ?୭।
ଜାତି-ନନ୍ଦିଘୋଷ ଚଳିବ କି ଭାଇ
ସ୍ୱାର୍ଥକୁ ସାରଥି କଲେ,
ଟାଣେ କି ଗାଡ଼ି ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ ? ।୮।
ସ୍ଵାର୍ଥର ବନିତା ଅଟେ ତୋଷାମଦ
ଭୟ ମିଥ୍ୟ ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ । ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର ।୯।
ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେଦିନେ,
ପୂରୁବ ଗୌରବ ପୂରୁବ ସାହସ
ପଡ଼ିବ କି କେବେ ମନେ ।୧୦।।
ତୋହର ଜନନୀ ବୀର ପ୍ରସବିନୀ
ଧୂଳିରେ ପଡ଼ିଛି ଦେଖ,
ଜନ ସମାଜରେ ଏ ମହୀ ମଧ୍ୟରେ
କିପରି ଦେଖାଉ ମୁଖ ? |୧୧|
ତୋ ପୂର୍ବପୁରୁଷ ସ୍ୱର୍ଗଧାମେ ଥାଇ
ଭୋଗୁଛନ୍ତି ମନସ୍ତାପ
ତାଙ୍କରି ଜୀବନ କରି ବିସ୍ମରଣ
କରୁଛୁ ତୁ ମହାପାପ ।୧୨।
। ଜାତୀୟ ସଙ୍ଗୀତ |
ମଧୁସୂଦନ ରାଓ
ବାଜୁ ମିଳନର ଶୁଭ ଶଙ୍ଖଧ୍ୱନି
ଜାଗୁ ଆନନ୍ଦରେ ଉତ୍କଳ ଧରଣୀ ।
ପାହିଲାଣି ଏବେ ନିରାଶା-ଶର୍ବରୀ
ଡାକୁଛନ୍ତି ମାତା କେତେ ଆଶା କରି ।
ଜାଗ ହେ ସରବେ ଉତ୍କଳ ସନ୍ତାନେ ।
ଏକତାର ମନ୍ତ୍ର ଜପି ପ୍ରାଣେ ପ୍ରାଣେ
ଗଞ୍ଜାମ ମୋଗଲ-ବନ୍ଦୀ ଗଡ଼ଜାତ
ସମ୍ବଲପୁର ଧରି ପରସ୍ପର ହାତ ।
ଭାଇ ଭାଇ ବୋଲି ପରସ୍ପର ପାଶେ
ଉଭା ହୁଅ ଏବେ ପ୍ରେମର ଉଲ୍ଲାସେ ।
ଭିନ୍ନ ଭିନ୍ନ ଅଙ୍ଗମାନ ଉତ୍କଳର
ସର୍ବେ ମିଳି ହୁଅ ଏକ କଳେବର ।
ପ୍ରେମ ବନ୍ଧନରେ ସର୍ବେ ମିଳି ଏକ
ନୀଚ ସ୍ଵାର୍ଥ ନାଶି ବିରାକୁ ବିବେକ ।
କୋଟି କଣ୍ଠ ମିଶିଯାଉ ଏକତାନେ
ଆନନ୍ଦ ଗାଅ ହେ ଉତ୍କଳ ସନ୍ତାନେ ।
ଜାଗୁ ନବ ଆଶା ଜାଗୁ ନବ ପ୍ରାଣ
ବିଧାତାର ବଳେ ହୁଅ ବଳୀୟାନ ।
| ଉତ୍କଳ କମଳା |
ଚିନ୍ତାମଣି ମହାନ୍ତି
ବତ୍ସ ! ଏ ଉତ୍କଳ ଭୂମି ନୁହଇ ମୃତ୍ତିକା
ଅଟେ ରତ୍ନ ରୂପାନ୍ତର, ପ୍ରଚ୍ଛନ୍ନ ତହିଁରେ
ଅଛି ନାନାବିଧ ରତ୍ନ, ଅମୂଲ୍ୟ ଦୁର୍ଲଭ ।
ଶଙ୍ଖ, ଚକ୍ର, ଗଦା, ପଦ୍ମ ଚାରିକ୍ଷେତ୍ରବର
ବିରାଜିତ ବକ୍ଷେ ମୋର ମହାତୀର୍ଥ ରୂପେ,
ଯେ ତୀର୍ଥ ପରଶେ ନର ମହାପାପ ରାଶି
ହୁଏ ଭସ୍ମୀଭୂତ, ଯଥା ଅନଳେ କାର୍ପାସ;
ଆର୍ଯ୍ୟର ଗୌରବଭୂମି କଳୁଷହାରିଣୀ ।
ଏ ଉତ୍କଳ ମହୀ, ତେଣୁ ସମଗ୍ର ଭାରତୁ ।
ଆସି ସଦା ଯାତ୍ରୀଦଳ ଏ ତୀର୍ଥ ସେବନେ
ଛଡ଼ାଇ କଳୁଷ-ମଳ ହୁଅନ୍ତି ନିର୍ମଳ ।
ଗତ ଶିଳ୍ପ ଗୌରବର ସ୍ମୃତି ସ୍ତମ୍ଭପ୍ରାୟ
ବିରାଜିତ ଠାବେ ଠାବେ ଛବିଳ ଦେଉଳ,
ନିବସନ୍ତି ତହିଁ ନାନା ଦେବଦେବୀ ମୁଦେ ।
ବୈଷ୍ଣବ ପ୍ରବର ବୀର ଶ୍ରୀ ଅନଙ୍ଗ ଭୀମ ।
ଗଙ୍ଗବଂଶ ଖ୍ୟାତ ନୃପ, ପ୍ରଚାରିଲେ ଯେହୁ
ଉଠାଇଣ ଶାକ୍ତ ଧର୍ମ ବୈଷ୍ଣବ ଧରମ
ଉତ୍କଳେ ତୋଳିଲେ ସେହୁ ନୀଳାଚଳ ଧାମେ
ତୁଙ୍ଗ ଚଟୁଳ ଦେଉଳ, ଅନିନ୍ଦ୍ୟ ସୁନ୍ଦର; ।
ଆହା ସେ ମନ୍ଦିର ଶୋଭା ମର୍ତ୍ତ୍ୟେ ଅତୁଳିତ ।
ନିବସନ୍ତି ତହୁଁ ଭାତୃଭଗ୍ନୀ ସଙ୍ଗେ ଘେନି
ସାକ୍ଷାତ କୈବଲ୍ୟଦାୟୀ ଦାରୁବ୍ରହ୍ମରୂପୀ
ଜଗନ୍ନାଥ, ଜଗତର ଅଭୟ ଆଶ୍ରୟ ।
ଏକାମ୍ରେ ପଳିତ ବୁଦ୍ଧି ଲଳିତ କେଶରୀ,
କେ ସରି ତାଙ୍କରି ମଣ୍ଡେ କେଶରୀ ବିକ୍ରମେ
ନିର୍ମାଣିଲେ ଯେଉଁ ଚାରୁ କାରୁକାର୍ଯ୍ୟାନିତ
ସମାନ ସମାନ ତୁଙ୍ଗ ସୁନ୍ଦର ମନ୍ଦିର,
ଦେଖି ତା’ ଶିଳ୍ପଚାତୁରୀ ମହାସୁପତିର
ହୋଇଯିବ ବୁଦ୍ଧିବଣା, ନିବସନ୍ତି ତହିଁ
ହର ଯେଣୁ, ତେଣୁ ତାହା କୈଳାସ ସମାନ ।
କୋଣାର୍କ ଅର୍କ ମନ୍ଦର ନରସିଂହ କୃତ
ଯାହାର ସୂକ୍ଷ୍ମଶିଳ୍ପର କୌଶଳ ବର୍ଣ୍ଣନେ
ମାତୃଭାଷା ବର୍ଣ୍ଣମାଳା ହେବ ଅନଟନ
ପୂତ-ପରିମଳ-ମଳୟଜ-ସୁଶୀତଳ ।
ଅଳତି ଶିଖରୀ, ବହୁତାପ ସାଧ୍ୟାସିତ
ଖଣ୍ଡଗିରି, ପୁରାକୀର୍ତ୍ତି-ଧବଳ ଧଉଳି
ଏ ଆଦି ପର୍ବତ ଦେହେ କୌଶଳେ ଅଙ୍କିତ
ହସ୍ତୀଗୁମ୍ଫା, ବ୍ୟାଘ୍ର ଗୁମ୍ଫା, ତପସ୍ୱୀ କୁଳର
ଧ୍ୟାନ, ଧାରଣା, ସାଧନା ଯୋଗ୍ୟ ଗୁମ୍ପାମାନ,
ଅତୀତ ଗଉରବର ମୂକସାକ୍ଷୀ ପ୍ରାୟ
ରହିଛନ୍ତି ବିଦ୍ୟମାନ ଅକଳିତ କାଳୁ ।
ଉତ୍କଳ ଆଦ୍ୟନଗରୀ ଯଯାତି ସ୍ଥାପିତ
ନାଭିଗୟା କ୍ଷେତ୍ର, ରାଜେ ଅସଂଖ୍ୟ ଦେଉଳ
ଉତ୍କଳର ପୂତ, ଶୁକ୍ଳ, ପୂର୍ବ ଯଶୋରାଶି
ଠୁଳହେଲାପ୍ରାୟ; ସେହୁ ମହାପୁଣ୍ୟସ୍ଥଳୀ,
ମେଖଳା ତା’ର ପାପହା ବୈତରଣୀ ନଦୀ;
ନିବସନ୍ତି ତହିଁ ଦେବ ଯଜ୍ଞ – ସମୁଭୂତା ।
ବିରଜା ସୁନ୍ଦରୀ ଘେନି, ନାନା ଦେବଦେବୀ;
ପୁଣ୍ୟତୀର୍ଥ ହେତୁ ତହିଁ ସ୍ଵୟଂ ପିତାମହ,
କରିଥିଲେ ଅନୁଷ୍ଠାନ ଦଶ ଅଶ୍ୱମେଧ,
‘ଦଶା ଶୁଣି ଘାଟ’ ନାମେ ସେହି ଯଜ୍ଞଭୂମି
ଅଦ୍ୟାପି ପ୍ରଥିତ ଲୋକେ, ବାରୁଣୀ ଯୋଗରେ
କଲେ ସେ ଘାଟରେ ସ୍ନାନ, ପଳାଏ ଛାଡ଼ିଣ
ପୂର୍ବକୃତ ପାପରାଶି, ପ୍ରଭାତ ଦର୍ଶନେ
ପଳାଏ ଯେସନ ଖରେ ତାମସୀ ରଜନୀ ।
ବିରାଜେ ଅଦୂରେ ତା’ର ଦିବ୍ୟ ଶୋଭାମୟୀ
ସପ୍ତମାତୃକା ମୂରତୀ ବିଲୋକିଲେ ତା’ର
ସୂକ୍ଷ୍ମଶିଳ୍ପ, ନରନେତ୍ର ହୁଏ ଅପଲକ ।
ଚଉଦ୍ଵାର, ବାରବାଟୀ, ରାଇବଣିଆଦି
ଦୁର୍ଗ ସମୂହର ଦେଖ୍ ନିର୍ମାଣ କୌଶଳ,
ଉନ୍ନତ ପାଶ୍ଚାତ୍ୟ ଖଣ୍ଡ ହୁଅଇ ଚକିତ !
ଧରଣୀରେ ଧନ୍ୟ ଯେହୁ ଜ୍ଞାନବିଜ୍ଞାନରେ
ସ୍ଥାପତ୍ୟ, ଗାର୍ହସ୍ଥ୍ୟ ଶିଳ୍ପେ ମୋର ସୁତଗଣ ।
ଥିଲେ ଅତି ଥୟକର;- ନବ ହୁନ୍ଦରିଆ,
ମୋହର ଗାର୍ହସ୍ଥ୍ୟ ଶିଳ୍ପ ଦେଶ ବିଦେଶରେ
ଲଭୁଥିଲା ସୁପ୍ରତିଷ୍ଠା, ଏବେ ଲୁପ୍ତ ତାହା ।
ଏକଦା ଥିଲା ଏ ଦେଶ ଅତୀବ ବିସ୍ତୃତ
ଆଜାହ୍ନବୀ, ଗୋଦାବରୀ, କଳିଯୁଗେ ଯଥା
ସଙ୍କୁଚିତ ଧର୍ମ ତଥା କାଳକ୍ରମେ ଆହା
ହୋଇଗଲା ସଙ୍କୁଚିତ ଏ ଦେଶର ବପୁ ।
ଔପନିବେଶିକ ରାଜ୍ୟ ଥିଲା ଉତ୍କଳର
ସୁଦୂର ବିସ୍ତୃତ ଯାଭା, ବାଲିଦ୍ୱୀପ ଯାଏଁ,
ଅଦ୍ୟାପି ସେ ସ୍ଥାନେ ପୁଣି ତାମ୍ରଲିପ୍ତ ପୁରେ
ନିବସନ୍ତି ଉତ୍କଳୀୟ, ଦିଏ ସାକ୍ଷ୍ୟ ତା’ର
ଇତିହାସ, ପୁଣି ତହିଁ ବିରାଜିତ ବହୁ
ଉତ୍କଳୀୟ ହିନ୍ଦୁ ଦେବଦେବୀ ପ୍ରତିରୂପ ।
ଏ ସକଳ ଦେଶେ ଆଉ ସାଗର ମେଖଳ
ସିଂହଳେ ସୁଲୁପେ ଚଢ଼ି ଉତ୍କଳ ବଣିକେ
ଗତାୟାତ କରୁଥିଲେ ବାଣିଜ୍ୟ ସକାସେ,
ଅହୋ ! କୁର ଦେଶାଚାର ଏବେ ସେ ସୁରୀତି
ରଖିଅଛି ଢାଙ୍କି, ଯଥା ପାଉଁଶ ଅନଳେ;
ଜ୍ଞାନାର୍ଜନ ପାଇଁ ସୁଦ୍ଧା ବିଦେଶ ନିବାସ
କଲେ ଏ କାଳରେ, ହୁଏ ହେବାକୁ ଅବାଧେ
ଜାତିଚ୍ୟୁତ, ସମାଜର କଠୋର ଶାସନେ !
ପରାଶର କୃଷିଶାସ୍ତ୍ରେ ହୋଇ ସୁପଣ୍ଡିତ
ଉତ୍କଳ କୃଷକକୁଳ ଜନମାଉଥିଲେ
ମୃତ୍ତିକାରୁ ସୁନା, ହାୟ ! ତାଙ୍କ ବଂଶଧରେ
ପାସୋରିଣ ଏବେ ସେହି ସ୍ଵାଧୀନତାମୟୀ
କୃଷିବିଦ୍ୟା, ଦୁଃଖ ସ୍ଵପ୍ନପରି, ଏଣେତେଣେ
ଭ୍ରମି ଅନ୍ୱେଷନ୍ତି ପେଟ ସକାଶେ ଆତୁରେ
ଦୁଃସହ ପରାଧୀନତା-ନିଗଡ଼ ଶୃଙ୍ଖଳ ||
| (ଉତ୍କଳ କମଳା’ କାବ୍ୟରୁ)
|| ସ୍ଵରାଜ୍ୟ ||
ଶ୍ରୀବତ୍ସ ପଣ୍ଡା
ଶୁଣ ଆମ୍ଭ ଗୁହାରି ହରି
କୃପା କରି ଦିଅ ସ୍ଵରାଜ୍ୟ ଶିରୀ,
ନିଅନ୍ତି ଜୁରି ଦରିଆ ପାରି
ବିଦେଶୀ ବେପାରୀ ସବୁ ଆମ୍ଭରି ||0 ||
ସବୁ କୁଲିଆ ପାଠ ପଢ଼ି
ଲୋକେ ଦେଲେ ସ୍ଵଧର୍ମ ଛାଡ଼ି
କଲେ ଚାକିରି କି ବାବୁଗିରି
ଇଂରାଜୀ ସଙ୍ଗରେ ନ ହେଲେ ସରି |୧|
ଭାଇମାନେ ହେଲେ ଭଗାରି
କଲେ ସଉଖୀନ ଚାକିରି,
ଦେଶ ଅବସ୍ଥା ନ କଲେ ଚିନ୍ତା
ଆମ ଘରେ ଆମେ ହେଲୁ ଭିକାରି ।। ୨ ||
ଧନ ଲୋଭେ ଦେଶୀ ବେପାରୀ
ବିକନ୍ତି ମଦ ଠିକା କରି
ଅଫିମ ମଦ ଅତି ଉନ୍ମାଦ
ଦେଲା ଆମ ସମ୍ପରି ସାରି ୩। ।
ଭାରତ ଦେଶ ନରବାରୀ
ଗ୍ରାମପଞ୍ଚାୟତ ନ କରି
ହାତରୁ ସାରି ମାମଲା କରି
କୋର୍ଟରେ କରନ୍ତି ଡିଗିରିଜାରି |୪||
ପୂର୍ବର ବସ୍ତ୍ର କାରିଗରି
ଆଜି ହେଲ କି ହତଶିରୀ
ଦେଶର ତନ୍ତୀ ନ ବୁଣି ଖଦି
ପର କୁଲି କରି ପାଏ ମଜୁରି |୫|
| ନିଜ ଘରେ ବସି ନିର୍ବାସନ ଦୁଃଖ ||
ଗଙ୍ଗାଧର ମେହେର
ନିଜ ଘରେ ବସି ନିର୍ବାସନ ଦୁଃଖ
ଆମ୍ବ କି ଲଲାଟ ଲିଖନ
ମାତୃଭାଷା – ମନା ଭାଇସଙ୍ଗ ବିନା
ବିକଳ ହେଉଛି ଜୀବନ ||o||
ଗୁହାରିଲେ ଦୁଃଖ ନୃପତି ଆଗରେ,
ତଡିଦେଉଛନ୍ତି ଛାମୁରୁ ରାଗରେ;
ନୁହେଁ ତାଙ୍କ ଦୋଷ, ବୁଝନ୍ତି ନାହିଁ ସେ
ଆମର କଥିତ ବଚନ || ୧ ||
ବିଦେଶୀ ସଦସ୍ୟ ଛନ୍ତି ନିକଟରେ,
କହିଦେଉଛନ୍ତି ଶ୍ରବଣ ପଟରେ
ହସୁଛନ୍ତି ବୋଲି ବୁଝାଉଅଛନ୍ତି
କରୁଅଛୁ ଯେତେ ରୋଦନ || ୨ ||
ପରଦେଶୁ ଆସି ପରଦେଶବାସୀ,
ଦେଉଛନ୍ତି ଆମ୍ଭ ଅନ୍ନଜଳ ଗ୍ରାସି,
ଭକୁଆ ପରାଏ ଭକ ଭକ ଚାହିଁ
ରହିଅଛୁ ତାଙ୍କ ବଦନ ।୩।
ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ,
ଆମ୍ଭରି ମସ୍ତକେ ଚରଣ ପ୍ରଦାନ
କରି ଉଠୁଛନ୍ତି ସମ୍ରାଟସଭାକୁ ।
ହରଷେ ବିକାଶି ରଦନ I୪I
ଆସିଅଛ ବଡ଼ ସୋଦର ସକଳ,
ଦେଖି ଦଶା, କରି ବୁଦ୍ଧି କଉଶଳ;
କୋଟି କଣ୍ଠେ ଗୋଟି ସ୍ଵରେ ଉଚ୍ଚ ଡାକ
କମ୍ପିଯାଉ ରାଜ ସଦନ |୫||
“କବିତାମାଳାରୁ’ ଗୃହୀତ
ଉତ୍କଳ ସମ୍ମିଳନୀ ଉପଲକ୍ଷେ ରଚିତ
| ଉତ୍କଳ ଦଶା ||
ନନ୍ଦକିଶୋର ବଳ
ଦେଖ ଶୁଭ ନବ ଯୁଗେ ବ୍ରିଟିଶ ସୁରାଷ୍ଟ୍ରେ
ପଞ୍ଜାବ ଦ୍ରାବିଡ ଆନ୍ଧ୍ର ବଙ୍ଗ ମହାରାଷ୍ଟ୍ରେ
ନବୀନ ଚେତନା ଲଭି ନବ କର୍ମେ ବ୍ରତୀ
ଉତ୍ସାହେ ମାତିଣ ସର୍ବେ କରନ୍ତି ଉନ୍ନତି
କେବଳ ଉତ୍କଳ ଦୂରେ-ଅତିଦୂରେ ପଡ଼ି
ଦାରିଦ୍ର୍ୟ-ଅଜ୍ଞାନ-ଅବସାଦେ ଅଛି ଜଡ଼ି
କୋଟି ସୁତେ ଥାଇଁ ଆଜି ଉତ୍କଳ ପତିତ
ଭାଇ ଭାଇ ଭିନ୍ନ ହୋଇ ଲାଞ୍ଛିତ ଦଳିତ ||
ଶିଳ୍ପ ବ୍ୟବସାୟ ଜ୍ଞାନ ଧର୍ମେ ସର୍ବେ ବଳୀ
ହୀନ ହୋଇପଡ଼ିଛନ୍ତି କେବଳ ଉତ୍କଳୀ
ଶ୍ରେଷ୍ଠ ଜ୍ଞାନୀ କବି ଶିଳ୍ପୀ ଥିଲେ ତ ଏଥିର
ପ୍ରମାଣ ପ୍ରାଚୀନ ସେତୁ, ସାହିତ୍ୟ, ମନ୍ଦିର
ଥିଲା ଦିନ ଯେବେ ଏହି ଉତ୍କଳ ଭାରତେ
ଲଭିଥିଲା ସ୍ଥାନ ଶ୍ରେଷ୍ଠ ଜାତିଙ୍କ ସଙ୍ଗତେ;
ପୁଣି କି ଫେରିବ ନାହିଁ ଗୌରବ ସମ୍ମାନ
ଉନ୍ନତ ସମାଜେ ଏହା ନ ପାଇବ ସ୍ଥାନ ?
|| ବନ୍ଦୀର ଆତ୍ମକଥା ||
। ଗୋପବନ୍ଧୁ ଦାସ
“ଦେଶବାସୀ ବନ୍ଧୁ ଆତ୍ମୀୟ ସୋଦର,
କାରାଦଣ୍ଡେ ମୋର ହେଲ କି କାତର ?
ଥିଲା ଆଗୁଁ ଏହା ଜଣାଶୁଣା କଥା,
ସେଥିପାଇଁ ତେବେ କିଆଁ ମନ ବ୍ୟଥା ।
କାତରତା ସିନା କାପୁରୁଷପଣ,
ବୀର ମାରେ, ଅବା ମରେ କରି ରଣ ।
ପଛଘୁଞ୍ଚା ନାହିଁ ବୀରର ଜାତକେ
ନ ମରେ ସେ କେବେ ପରାଣ ଆତଙ୍କେ ।
ଜାଣିଛ ଲାଗିଛି ଏ ଶାନ୍ତି ସମର,
ନାହିଁ ଏଥି ତୋପ ହାତହତିଆର ।
ବଳ ବା ବିଭବ ନାହିଁ ଏଥି ଲୋଡ଼ା,
ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା ।
ଆଧ୍ୟାତ୍ମିକ ବଳେ ଲାଗିଛି ଲଢ଼ାଇ
ଭାଙ୍ଗିବାକୁ ପଶୁବଳର ବଡ଼ାଇ ।
ଛାଡ଼ି ଧନ ଆଶା ଘରଦ୍ଵାର ମାୟା
ଅସଙ୍ଗ ଶସ୍ତ୍ରେ ଯେ ସାଜିଅଛି କାୟା,
ଅହିଂସା ବଳରେ ଯେହୁ ବଳୀୟାନ,
ଏ ରଣ ପ୍ରାଙ୍ଗଣେ ତା’ର ଏକା ସ୍ଥାନ ||
ଏଥିରେ ପ୍ରଥମ ଫଳ କାରାଦଣ୍ଡ,
ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ,
ବୁଝି ଏହା ମୁହିଁ ପଶିଛି ସଂଗ୍ରାମେ,
ନାହିଁ ମୋ ବିଚାର ମାନଅପମାନେ ।
ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।
ସ୍ଵାଧୀନତା-ପଥେ ତିଳେ ହେଲେ ନର
ମୋ ଜୀବନ ଦାନେ ହେଉ ଅଗ୍ରସର ।
ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା
ପୂରୁ ଏ ପରାଣ ଏହି ଶେଷ ଭିକ୍ଷା ।
ଭାରତେ ଉତ୍କଳ ମହାପୁଣ୍ୟ ଧାମ
ଭାରତ ପାଞ୍ଜିରେ ନ ଥିଲା ତା’ ନାମ ।
ସାହସ, ସାହିତ୍ୟ, ଧନ, ମାନ, ବଳେ
ଉତ୍କଳର ନାମ ସମସ୍ତଙ୍କ ତଳେ ।
ଭାରତ ଜାତୀୟ ମହାସମ୍ମିଳନେ
ନ ବସେ ଉତ୍କଳ ସ୍ଵତନ୍ତ୍ର ଆସନେ ।
ତେଣୁ ଜଗନ୍ନାଥ କରୁଣା ନିଧାନ
କରୁଣା କଟାକ୍ଷେ କଲେ ଅବଧାନ ।
ଅସହଯୋଗର ପବିତ୍ର ସରିତ
ଉତ୍କଳର ବକ୍ଷେ ହେଲା ପ୍ରବାହିତ ।
ଗାନ୍ଧୀ ଭଗୀରଥ ନିଜ ପୁଣ୍ୟବଳେ
ଆଣିଲେ ଅସଙ୍ଗ-ଜାହ୍ନବୀ ଉତ୍କଳେ ||
ହିମାଚଳଠାରୁ ସୀମାଚଳ ଧରି
କୁମାରିକାଯାଏ ଖେଳିଲା ଲହରୀ ।
ଉତ୍କଳେ ସେ ପୁଣ୍ୟ ସ୍ରୋତ ଶତ ଧାରେ
ବହେ ପୁରପଲ୍ଲି କାନ୍ତାରେ ପ୍ରାନ୍ତରେ ।
ଉତ୍କଳ ଅସଙ୍ଗ-ପ୍ରବାହେ ତ୍ୱରିତ,
ବାହୁଛନ୍ତି ଯେହୁ ସ୍ଵରାଜ୍ୟ-ବୋଇତ,
ସେ ଦଳରେ ମୁହିଁ ଅକିଞ୍ଚନ ଜଣେ
ମୋଡୁଥିଲି ନାବ-ମଙ୍ଗ ପ୍ରାଣପଣେ ।
ସ୍ଵରାଜ୍ୟ-ବଇରୀ ଦଳ ହାତେ ପଡ଼ି
ମୋ ହାତେ ଲାଗିଛି ଏବେ ଲୁହା କଡ଼ି ।
ଆଉ କେତେଜଣ ନାଉରିଆ ଭାଇ
ମୋ ସଙ୍ଗତେ ସମଦଶା ଛନ୍ତି ପାଇ ।
ଉତ୍କଳନିବାସୀ ଏ ଦଶା ଦେଖିଣ ।
ନିରାଶାରେ ବଳ କର କି ହେ କ୍ଷୀଣ ?
କର କି ଭାବନା କାଣ୍ଡାରି ବିହୁନେ
ଚାଲିବ ସ୍ୱରାଜ୍ୟ ବୋଇତ କେସନେ ?
ନ ଅଟକେ କର୍ମ ନେତାର ଅଭାବେ;
ଧର୍ମ-ନାବ ଚଳେ ଧର୍ମର ପ୍ରଭାବେ
ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ,
ଉତ୍କଳର ନେତା ନିଜେ ନାରାୟଣ
ଇତିହାସେ ଶୁଣିଅଛି ଜନଶ୍ରୁତି ।
କାଞ୍ଚି ଯୁଦ୍ଧ କାଳେ ଉତ୍କଳ ବିଭୂତି,
ଶୁଣିଛ ତ ପ୍ରଭୁ ନୀଳାଦ୍ରି ନାୟକ
ବିଜେ ଧରି ହାତେ କୃପାଣ ଶାୟକ,
ଉତ୍କଳ ପ୍ରଧାନ ସେନାପତିପଣେ
ହୋଇଥିଲେ ବିଜେ ସମର ପ୍ରାଙ୍ଗଣେ,
ଉଡ଼ିଲା ଉତ୍କଳ ଜୟବୈଜୟନ୍ତୀ
ଆଜିଯାଏ ଏହା ଗାଏ କିମ୍ବଦନ୍ତୀ ।
ଏବେ ସୁଦ୍ଧା ଦେଖ ନୀଳାଚଳେ ଯାଇ
କଳା ଧଳା ଘୋଡ଼ାପରେ ବେନି ଭାଇ,
ବୀର ମୂର୍ତ୍ତି ଦିଶେ ଯେହ୍ନ ଅଗ୍ନିଶିଖା ।
ଦଧିମୂଲ୍ୟ ମାଗେ ଛାମୁରେ ମାଣିକା ।
ଏ ଛବି ତ ନୁହେ ଶିଳ୍ପୀର କଳ୍ପନା
ଏ ସତ୍ୟର ସାକ୍ଷୀ ମାଣିକ ପାଟଣା ।
ଏହି ସେ ଉତ୍କଳ ପୁଣ୍ୟ ଦେବସ୍ଥଳୀ
ହୋଇଛନ୍ତି ଠୁଳ ଯହିଁ ତୀର୍ଥାବଳୀ ।
ତା’ ମଧ୍ୟେ ବିରାଜେ ପୁଣ୍ୟ ନୀଳାଚଳ
ଭାରତର ଧର୍ମ-ହୃଦ-ଶତଦଳ ।
ଏବେ ନୀଳାଚଳେ ବିଜେ ଜଗନ୍ନାଥ
ହେବେ କିମ୍ପା କହ ଉତ୍କଳ ଅନାଥ ?
ନାହିଁ ପୂର୍ବବଳ, ନାହିଁ ପୂର୍ବ ଧର୍ମ, ।
ନାହିଁ ପୂର୍ବ ସତ୍ୟ, ନାହିଁ ପୂର୍ବ କର୍ମ
ଉତ୍କଳବାସୀର ଦେଖି ଏ ଦୁର୍ଗତି ।
ଦାରୁଭୂତ ଏବେ ନୀଳାଚଳ-ପତି ।
ମାତ୍ର ବୁଝ ଭାଇ, ହେଲେ ଧର୍ମବଳ
ନବ ତେଜେ ପୁଣି ଜାଗିବ ଉତ୍କଳ ।
କ୍ଷୀଣ ହେଲେ କେବେ ଧାର୍ମିକ ଶକତି
ଆସନ୍ତି ଓହ୍ଲାଇ ପ୍ରଭୁ ବିଶ୍ଵପତି,
ନିତ୍ୟ ଧାମୁଁ ଛାଡ଼ି ରତ୍ନସିଂହାସନ
କରିବାକୁ ଧର୍ମପକ୍ଷ ସମର୍ଥନ
ଏ ବିଶ୍ୱାସେ ମନ ଦୃଢ଼କର ଭାଇ
ନେତାର ଅଭାବ ଲାଗି ଭାବ ନାହିଁ ।
କର୍ମଭୂମେ କିଏ ନେତା କେବା ନୀତ
ସରବେ ନିମିତ୍ତ ବିଧି ନିୟୋଜିତ ।
ଉତ୍କଳନିବାସୀ ସର୍ବେ ନରନାରୀ
ଘେନ ହେ ଏ ବନ୍ଦୀ ଭାଇର ଗୁହାରି,
ଦଗ୍ଧ ହେଉ ଦେହ, ଭସ୍ମ ହେଉ ଘର,
ସ୍ଵରାଜ୍ୟ ସାଧନେ କେବେ ହେଁ ନ ଡର ।
ନ ଛାଡ଼ ସାହସ, ନ ହୁଅ ନିରାଶ ।
ହେଲେ ହେଉ ପଛେ କାରାଗାରେ ବାସ ।
ନ ହୁଡ଼ ସ୍ଵରାଜ୍ୟ ଶାନ୍ତି-ସତ୍ୟ-ପଥ
ଲାଗୁ ସିଂହଦ୍ଵାରେ ନନ୍ଦିଘୋଷ ରଥ ।
|| ଭାରତ ବନ୍ଦନା |
କୃଷ୍ଣ ମୋହନ ପଟ୍ଟନାୟକ
ଆଜି ସାଗରେ ଭୂଧରେ ପ୍ରାନ୍ତରେ ଅମ୍ବରେ
ଶୁଭୁ ଉତ୍କଳର ଜୟଗୀତି |୦|
ଯାଇଛି ଅତୀତ ହଜିନାହିଁ ବୀଣା
ଦବି ନାହିଁ ତାନ ହେଲେ ହେଁ ପ୍ରାଚୀନା
ନବ ଜାଗରଣେ ନବ ଗୁଞ୍ଜରଣେ
ଉଠୁ ସେ ତନ୍ତୁରେ ନବ ସ୍ଫୀତି | ୧|
ଡାକି ହିମାଚଳ କହୁ ସୀମାଚଳେ
କି ସଙ୍ଗୀତ ସ୍ଫୁରେ ଚିଲିକା – କଲ୍ଲୋଳେ
ମୋ ହିମ ଗଳଇ ତୋ ସୀମା ଟଳଇ
ଦେଖି ଉତ୍କଳର ପୁଣ୍ୟପ୍ରୀତି ।୨।
ଶିଶୁ ଦେଉ ଉଷାରୁଣ ବିଭା
ଦେଉ ଯୁବାଜନ ମଧାହ୍ନ ପ୍ରତିଭା
ଜ୍ଞାନ-ରଶ୍ମି ଶେଷ ଦେଉ ପକ୍ୱକେଶ
ଭାଙ୍ଗୁ ସାଧନାର ଭ୍ରାନ୍ତଭୀତି । ୩ ।
ଶରତ ସଜାଉ ଚାରୁ ପକ୍ୱଶାଳୀ
ବସନ୍ତ ବଜାଉ ଦୋଳଘଣ୍ଟା ବଳି
ଶୁଭାଶିଷ ଘେନି ରବି ଶଶୀ ବେନି
ଉଠନ୍ତୁ ବୁଡ଼ନ୍ତୁ ନିତି ନିତି ।୪
ଅଛି ହୀରାଖଣ୍ଡ ଅଛି ସ୍ଵର୍ଣ୍ଣରେଖା
ମନ୍ଦିରେ ମନ୍ଦିରେ ଇତିହାସ ଲେଖା
କୈବଲ୍ୟ ବିଧାନେ ଏବେ ହେଁ ଶ୍ରୀଧାମେ
ଅଛି ପ୍ରଚାରିତ ସାମ୍ୟନୀତି ।୫।
| | ଆଜି ଆମ ଦେଶ ।
ଭିକାରୀ ଚରଣ ପଟ୍ଟନାୟକ
ଆମ ଦେଶ ପରି ଦେଶଟି ଆଉ ଜଗତେ ନାହିଁ
ଆମ ଦେଶ ପାଣିପବନ ଆଉ ନଥିବ କାହିଁ ।
ଆମରି ଦେଶରେ ଜନମି କେତେ ବୀର କୁମର
କବିଙ୍କ ଭାଷାରେ ରହିଲେ ହୋଇ ଚିରିଅମର ।
ଖାରବେଳଙ୍କର ପ୍ରତାପ ହିମାଳୟ ସୀମାକୁ
ମାଡ଼ିଯାଇଥିଲା କେ ପୁଣି ନ ମାନିବ ଏହାକୁ
ସୁମାତ୍ରା, ଜାଭାରେ ଅଦ୍ୟାପି କୀର୍ତ୍ତି ଓଡ଼ିଆଙ୍କ ତର
ରହିଛି ରହିବ ଲୁଚିବ ନାହିଁ ତିଳେ ମାତର ।
ଆମରି ବୀରତ୍ୱ ଅଦ୍ୟାପି ଦେଖ ବଙ୍ଗ ଦେଶରେ
ଜ୍ୱଳନ୍ତ ଅକ୍ଷରେ ରାଜୁଛି ଜଗନ୍ନାଥଘାଟରେ ।
ତମଲୁକ ଥିଲା ଆମରି ଆମ ଓଡ଼ିଆ ରଜା
ପଠାଣଙ୍କୁ ଜିଣି ଉଡ଼ାଇଥିଲେ ସେଠାରେ ଧ୍ୱଜା ।
ଦାକ୍ଷିଣାତ୍ୟ ଆମ ବୀରତ୍ୱ ଭୁଲିପାରିବ ନାହିଁ
ଇତିହାସ ସତ୍ୟ ବଚନ କହ ଘୁଞ୍ଚିବ କାହିଁ
ଘରେ ଘରେ ଆମ ଗ୍ରାମରେ ବଂଶଗତ ଉପାଧି
ଚେତାଇଦେଉଛି ସମରେ ଆମ କି ଥିଲା ଆଧି ।
“ରଣ ବାଜ ସିଂହେ” ଆମର ଥିଲେ ରଣରେ ବାଜ,
ସେଭଳି ବୀରତ୍ୱ ଜଗତେ କାହିଁ ନ ଥିବ ଆଜ ।
ପଟ୍ଟାୟତ୍ତ ଗଡ଼ନାୟକ ଆମ ଛୁଆଳ ସିଂହ ।
ମହାପାତ୍ର, ପଟ୍ଟନାୟକ ଗୋଟିଗୋଟିକେ ସିଂହ ।
ଆମରି ଉତ୍ତର କବାଟ କିବା ପୂର୍ବ କବାଟ,
ଲୁହା କବାଟରୁ ବଳି ସେ ଥିଲେ ଅଧ୍ୟକ ଆଣ୍ଟ ।
ଏହିଭଳି ଯେତେ ଉପାଧ ଯେତେ ଘରେ ଦେଖିବ,
ଗୋଟିକେ ଗୋଟିଏ ସମର-କଉଶଳୀ ବୁଝିବ ।
ବୀରଜାତି ଆମ ବୀରତ୍ୱ ପ୍ରତି ଅଙ୍ଗରେ ଭରି
ରଖିଛୁଁ କଦାପି କେ ତା’କୁ ନେଇ ନପାରେ ହରି ।
ଦରକାରବେଳେ ଆମରି ସେହି ବୀରତ୍ୱ ରକ୍ତ
ଭରଭର କରି ଉତୁରି ହୋଇ ଉଠିବ ତପ୍ତ ।
ଇଂରାଜ ରାଜତ୍ୱ ଅମଳେ ଆମ ବୀରତ୍ଵ ଗୁଡ଼ି
ଧରିଅଛି ଭିନ୍ନ ଆକାର ଯାଇନାହିଁ ତ ଉଡ଼ି ।
ସମର ଅଭାବେ ଆପଣା ଘରେ ଆପଣା ଚୁଟି ।
ଧରାଧରି ହୋଇ ଆପଣେ ହେଉ ଯା କୁଟାକୁଟି
ଅରାତି ନ ପାଇ ପାଖରେ ପ୍ରାଣ ହାରିବା ପାଇଁ
ଆପଣା ଭାଇଙ୍କ ଗଳାରେ ଛୁରୀ ଦେଉ ବସାଇ ।
ରାଜ୍ୟ ପରେ ରାଜ୍ୟ ଜିଣିବା ବେଳେ ଯେତେ କୌଶଳ
ପିତୃପିତାଙ୍କତର ଥିଲା ସେ ଆମ ଅଛି ସକଳ ।
ହିଡ଼ହଣା ବାଡ଼ବୁଜାରେ ଜମି ଚେନାକ ପାଇଁ ।
ଦେଖାଇ ଦେଉଁ ତ ଅଧୁକ ଶକ୍ତି ଆମରି ଭାଇ ।
କୋଦାଳ ଶାବଳ ମଣ୍ଡିତ ହସ୍ତେ ସେ ପରାକ୍ରମ
ଦେଖୁଦେଲେ ଥରେ ନ ହେବ କାହା ବିବେକ ଭ୍ରମ ।
ଶତ୍ରୁ ଅଭାବରୁ ବିଦ୍ରୋହ ସିନା ଆପଣା ଘରେ,
ବଞ୍ଚାଇରଖିଛୁ ଅଭ୍ୟାସ ଭାଇ ଭାଇ ମଧ୍ୟରେ ।
କଥା ଯୁଦ୍ଧ ପାଇଁ ଯେମନ୍ତେ ଆମ ମଥା ଖଟାଇ
ଟାଣ ହୋଇଅଛୁ ଆମ୍ଭଙ୍କୁ କିଏ ଦେବ ହଟାଇ ।
ପାଇଲେ ଜିଣିବୁ ଜଗତ କଥା ମାଡ଼ରେ ଖାଲି
ନାଚି ନାଚି ହାତ ହଲାଇ ଆଖି କରିବୁ ନାଲି ।
ଭୁରୁଡ଼ ଭୟରେ ହୁରୁଡ଼ି ଯିବେ ସ୍ଵର୍ଗ ଦେବତା
କି ଛାର ଏ ମହୀମଣ୍ଡଳେ କ୍ଷୁଦ୍ର ମାନବ କଥା ।
ନିଜ କଳବଳ ଭାଇ ହେ ଅପବ୍ୟୟ ନ କର
ବେଳ ପଡ଼ିଲାଣି ବାହାରି ଆସ ଭିଡ଼ି କମର ।
ନାଜି ଶକ୍ତି ଯେଉଁ ସମର କରିଅଛି ଭିଆଣ
ସାରା ଜଗତକୁ ଅବଜ୍ଞା କରି ଦେଖାଏ ଟାଣ ।
ଉଠହେ ଉଠହେ ଓଡ଼ିଆ ବୀରେ ଉଠହେ ମାତି
ଦେଶ ଲୋଡ଼ିଲାଣି ତୁମ୍ଭଙ୍କୁ ଉଠି ଫୁଲାଇ ଛାତି ।
ସୁମରି ତୁମରି ପୂରୁବ ଜନମାନଙ୍କ ଗୀତ
ଟାଣ କରିଦିଅ ପଥର କରି ଆପଣା ଚିତ୍ତ ।
ଅପବ୍ୟବହାର ନ କର ଆଉ ନିଜ ଶକତି
ବୀରପରି ଏବେ ବାହାରି ପଡ଼ ଫେରାଇ ମତି ।
ଭାଇ ଭାଇ କଳିକନ୍ଦଳ ଭୁଲିଯାଅ ସକଳ
ସର୍ବେ ମିଳିମିଶି ଦେଖାଇ ନିଜ ବଳ କୌଶଳ ।
ଦେଖାଅ ଏ ଜାତି ଧନରେ ଯେବେ ହୋଇଛି ଦୀନ
ବଳବୀର୍ଯ୍ୟ ପରାକ୍ରମରେ କେବେ ନୁହଇ ହୀନ ।
ଖଣ୍ଡାୟତେ ଖଣ୍ଡା ହରାଇ ଲଣ୍ଡା ହେଲେଣି ଯେବେ ।
ମଣ୍ଡାପିଠା ଖାଇ ଶକତି ଛାଡ଼ିନାହାନ୍ତି କେବେ ।
କ୍ଷତ୍ରିୟ ପୁଙ୍ଗବ ମାରନ୍ତି ବାଘ, ଭାଲୁ, ବିଲୁଆ
ବରାହ, ସମ୍ବର, କୁଟାରି କେତେ ମିରିଗ ଛୁଆ ।
କୁକ୍କୁଟ ସଂହାରେ ସମସ୍ତେ ହୋଇଗଲେଣି ବଳି
କିଏ ବୀର କିଏ ଅବୀର କିଛି ନୁହଇ କଳି ।
ଆମ ବୀରପଣ ଜଗତେ ସବୁ ଲୋକେ ଜାଣନ୍ତି
ଉଠ ଉଠ ବୀରପଣରେ ପୁଣି ଉଡ଼ାଅ ଛତି ।
। କି ଥିଲା କି ହେଲା ||
ବ୍ରଜ ସୁନ୍ଦର ଦାସ
ଚାହାଁରେ ଭାଇ ଦୀନହୀନ ଉତ୍କଳେ
କି ଥିଲା କି ହେଲା ଆସି କାଳ ବଳେ ||o||
ଯାର ଯଶରାଶି ସୌରଭ ବିକାଶ
ଜନ ମନ ହରୁଥିଲା ଭାରତ ମଣ୍ଡଳେ
ଯା ସ୍ମୃତି ପୁରାଣ କାବ୍ୟ ଉପାଖ୍ୟାନ
ଅମୂଲ୍ୟ ରତନମାଳ ବୀଣାପାଣି ଗଳେ || ୧ ||
ଯା ଶିଳ୍ପଚାତୁରୀ ପ୍ରକୃତି ମାଧୁରୀ
ବିସ୍ମୟ ଶାନ୍ତି ଜନ୍ମଏ ଆଜି ଏ ଭୂତଳେ
ଯାର ଶୁରଦଳ ଗଙ୍ଗାରୁ ସିଂହଳ
ଯାଏ ବଶ କରିଥିଲେ ନିଜ ଭୁଜବଳେ || ୨ ||
ଆଜି ଉତ୍କଳ ସନ୍ତାନ ପଙ୍ଗୁଠାରୁ ହୀନ
ହୋଇ କାଟୁଛନ୍ତି ଦିନ ଆତ୍ମ କର୍ମଫଳେ
ହେବେ କି ସଦୟ ପ୍ରଭୁ ଦୟାମୟ
ଫୁଟିବ ମୁଖ-କମଳ ଉତ୍କଳ ଅଚଳେ ।୩।
କି ଥିଲା କି ହେଲା ଆସି କାଳବଳେ
ଚାହାଁରେ ଭାଇ ଦୀନହୀନ ଉତ୍କଳେ ।
|| ଭାଙ୍ଗିଲାଣି ଆଜି ଗୋରାଙ୍କ ଜିହଲ ଖାନା ||
ବୈଷ୍ଣବ ପାଣି
ଦେଖ ଦେଖ ଭାଇ
ଭାଙ୍ଗି ଲାଣି ଆଜି
ଗୋରାଙ୍ଗ ଜିହଲ ଖାନା ହେ ||
କାଲିର କାଇଦା
ନାହିଁ ଆଜି ଆଉ
ପଶନ୍ତି ସ୍ଵରାଜ ସେନା ହେ ||
ଚିହ୍ନିଲାଣି ସରକାର
ଲାଭହାନି ପୁଣି କେ ନେବାର
ବଣିଆ ଟୋକାଟା ଉଠାଇ ଦେଲାଣି
ଜିହଲଖାନାର ଡର ହେ ||
ଦେଶ କାମ କରି ।
ପଶି ଯା ତହିଁରେ
ବରଷକେ ଦଶ ଥର ହେ ||
ସରକାର ବିଷଦାନ୍ତ ଏକା
ଝାଡ଼ିବାର ସେହି ପଥ ହେ ||
|| ରାମଚଣ୍ଡୀରେ ରାତି ।
ନୀଳକଣ୍ଠ ଦାସ
କହ ରାମଚଣ୍ଡୀ କହଗୋ, ସାକ୍ଷୀ ଏକା ତ ତୁହି ।
କେମନ୍ତେ ଏ ଭୁମି ଆସିଛି କାଳ-ତରଂଗେ ବହି ?
ଆସିଥିଲେ କି ସେ ଏ ଭୂମେ ଚୀନ-ପରିବ୍ରାଜକ ?
ଆବୁଲ ଫଜଲେ ଆଣି କି ଥିଲେ ଏଥି ବାହକ ?