୧। |
ସ୍ୱାଧୀନତା ଓ କବିତା ସଙ୍କଳନ ସମ୍ପର୍କରେ କିଞ୍ଚିତ୍ |
|
୨। |
ଗୋପବନ୍ଧୁ ଦାସ (୧୮୭୬ - ୧୯୨୮) |
ବନ୍ଦୀର ଆତ୍ମକଥା (କିୟଦଂଶ) |
୩। |
ବୈଷ୍ଣବ ପାଣି (୧୮୮୨ - ୧୯୫୬) |
ଭାଙ୍ଗିଲାଣି ଆଜି ଗୋରାଙ୍କ ଜିଅଲଖାନା ହେ ଭାରତବୀରେ ବିରତ ନୁହେଁ |
୪। |
ଆନନ୍ଦ ଚନ୍ଦ୍ର ଜେନା (୧୮୮୪ - ୧୯୪୬) |
ଦୁଃଖିନୀ କନିକା (କିୟଦଂଶ) |
୫। |
ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮ - ୧୯୫୩) |
ଆସିଚିରେ ଆଜି ଭାରତ ବର୍ଷେ ଯୁଗାବତାର |
୬। |
ଦୟାନିଧି ମିଶ୍ର (୧୮୯୧ - ୧୯୫୫) |
ଜନନୀ ଉତ୍କଳ (କିୟଦଂଶ) |
୭। |
ବୀର କିଶୋର ଦାସ (୧୮୯୨ - ୧୯୫୪) |
କମାଣ ପରାଏ କଲମ ଧର / ରଣ ଦୁନ୍ଦୁଭି/ ଉଦ୍ବୋଧନ/ ମୁଁ ଯେ ବିଦ୍ରୋହୀ/ ଭାଇ, ତମେ କେତେ ଜଣ / ଡାକେ ବନ୍ଧୁ କାଶିବିରେ/ ସରକାର ଶବଦାହ ହେବ କେବେ ? / କାରାପାଚେରୀ/ ଆମେ ହିନ୍ଦୁ, ଆମେ ମୁସଲମାନ |
୮। |
ବାଞ୍ଛାନିଧି ମହାନ୍ତି (୧୮୯୭ -୧୯୩୮) |
ସଂସାରର ସାର ଜନ୍ମ ଅଧିକାର/ କହ କେଉଁ ଜାତି ପାଇଛି ମୁକତି ?/ କାହୁଁ ଅଇଲେ ବିଦେଶରୁ ବେପାରୀ ?/ ଭାବୁ ନାହୁଁ ଭାଇ ମହାତ୍ମା କାପାଇଁ/ ରେ ପତାକା ଜାତିର ଗରବ/ ଆଚ୍ଛା ଗୋଲଟେବଲ ପାଲା ଲାଗିଲାରେ/ କେତେଦିନ ଆଉ ଦୁଃଖିନୀ କନିକା/ ଯେବେ ମୋର ନ ପୂରେ ପେଟ |
୯। |
ଗୋଦାବରୀଶ ମହାପାତ୍ର (୧୮୯୮-୧୯୬୬) |
ସାବରମତୀର ମହାମାନବର ଚରଣ ତଳେ |
୧୦। |
ହରେକୃଷ୍ଣ ମହତାବ (୧୮୯୯ - ୧୯୮୭) |
ନେତା ସେ ପ୍ରକୃତ / ଦେଶ ଦେଶ ବୋଲି କାହାକୁ ଡାକୁଚୁ ? |
୧୧। |
କୁନ୍ତଳା କୁମାରୀ ସାବତ (୧୯୦୦ -୧୯୩୮) |
ଆହ୍ୱାନ (କିୟଦଂଶ) |
୧୨। |
କାଳିନ୍ଦୀ ଚରଣ ପାଣିଗ୍ରାହୀ (୧୯୦୧ - ୧୯୯୧) |
ଜାଗ ଜାଗ ଗାନ୍ଧୀ |
୧୩। |
ଭଗବାନ ପତି (୧୯୦୩ - ୧୯୮୪) |
କଙ୍କାଳର ବାପୁଜୀ |
୧୪। |
ବୈକୁଣ୍ଠନାଥ ଦାସ (୧୯୦୩ - ୧୯୭୫) |
ପନ୍ଦର, ଘେନ ବନ୍ଦନ (କିୟଦଂଶ) |
୧୫। |
ବୈକୁଣ୍ଠନାଥ ପଟ୍ଟନାୟକ (୧୯୦୪ - ୧୯୭୯) |
ମାଙ୍ଗଳିକ /ସେନା ସଙ୍ଗୀତ |
୧୬। |
ମାୟାଧର ମାନସିଂହ (୧୯୦୫ - ୧୯୭୩) |
ବାପୁଜୀ |
୧୭। |
ଅନନ୍ତ ପଟ୍ଟନାୟକ (୧୯୧୦ - ୧୯୮୭) |
ଜାଗ ଜାଗ ଦେଶବାସୀ/ ଫୁଟାଇବୁ ଆଜି ରକ୍ତ ପ୍ରଭାତ |
୧୮। |
ରାଧାମୋହନ ଗଡ଼ନାୟକ (୧୯୧୧-୧୯୯୯) |
ଉଦ୍ଦାମ ସିଂ/ ଅଦ୍ଭୁତ ସେ ମାନବପଦେ/ ଚାଖିଖୁଣ୍ଟିଆ/ ରାଇଜ ଛାଡ଼ି ଯେ ପଳାଇ ଆସିଚୁ ଆମେ |
୧୯। |
କୃଷ୍ଣଚନ୍ଦ୍ର ତ୍ରିପାଠୀ (୧୯୧୧-୧୯୯୭) |
ଏ ମାଟିର ଅମର ସହିଦ |
୨୦। |
ଘନଶ୍ୟାମ ମହାନ୍ତି (୧୯୧୧-୧୯୮୪) |
ଦଶହରା ଭେଟି (କିୟଦଂଶ) |
୨୧। |
ନିତ୍ୟାନନ୍ଦ ମହାପାତ୍ର (୧୯୧୨) |
ଗାନ୍ଧିଜୀ/ ପାଞ୍ଚଜନ୍ୟ |
୨୨ |
କୁଂଜବିହାରୀ ଦାଶ (୧୯୧୪-୧୯୯୪) |
ବିଦ୍ରୋହୀ ମଙ୍ଗଳ ସିଂହ |
୨୩। |
ବୈଷ୍ଣବ ଚରଣ ପଟ୍ଟନାୟକ (୧୯୧୪-) |
କୋଟି ଜନତାରେ ଦେଇଛି ଶପଥ |
୨୪। |
ସଚିଦାନନ୍ଦ ରାଉତରାୟ (୧୯୧୮-) |
ବାଜିରାଉତ/ମାର୍ ତୁ ଯେତେ ଗୁଳି |
୨୫। |
ମନମୋହନ ମିଶ୍ର (୧୯୨୦-୨୦୦୦) |
ଏକହୁଅ |
୨୬। |
ରଘୁନାଥ ଦାସ (୧୯୨୦-୧୯୮୪) |
ଆହ୍ୱାନ |
୨୭। |
ଦୁର୍ଗାଚରଣ କୁଅଁର (୧୯୨୫-) |
ଶହୀଦ |
୨୮। |
ଶ୍ରୀବତ୍ସ ନାୟକ (୧୯୨୫-) |
ଲାଲକିଲ୍ଲା ଖୋଲିଦିଅ |
୨୯। |
ମହମ୍ମଦ ମୁସାଖାଁ (୧୯୨୭ -୧୯୮୧) |
ତସଲିମ୍/ ଶତବାର୍ଷିକା |
୩୦। |
ଜାନକୀ ବଲ୍ଲଭ ପଟ୍ଟନାୟକ (୧୯୨୭ -) |
ଶତାବ୍ଦୀର ଆହ୍ୱାନ |
୩୧। |
ସତ୍ୟାନନ୍ଦ ଚମ୍ପତିରାୟ (୧୯୨୭ -) |
ଫିରିଙ୍ଗି ଶାସନ ଥରିଲାଣି |
୩୨। |
ଚିନ୍ତାମଣି ବେହେରା (୧୯୨୭-) |
ଆଜିଠାରୁ ଶହେ ବର୍ଷ ତଳେ |
୩୩। |
ଯଦୁନାଥ ଦାଶ ମହାପାତ୍ର (୧୯୨୮-) |
ସହିଦ ରଘୁ ବେହେରା(ରକ୍ତମୁଖୀର କିୟଦଂଶ) |
ସ୍ଵାଧୀନତା-ପରବର୍ତ୍ତୀ ସମାଜ ଓ ଜନଜୀବନର ଉଜ୍ଜ୍ୱଳ ଚିତ୍ର ବହନ କରିଥିବା ପ୍ରଖ୍ୟାତ ରାଜନୀତିକ. ଉପନ୍ୟାସ ‘ଅଂଧ ଦିଗନ୍ତ’ ରେ ସ୍ଵନାମଧନ୍ୟ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି ଦୁଇଟି ଚରିତ୍ର ମାଧ୍ୟମରେ ସ୍ଵାଧୀନତାର ଗୋଟିଏ ସଂଜ୍ଞା ନିର୍ଣ୍ଣୟ କରିବାକୁ ଚେଷ୍ଟା କରିଛନ୍ତି । ଜୀବନରେ ଅଗ୍ନିଯୁଗର ଇତିହାସ ବହନ କରିଥିବା ଏକଦା ସ୍ଵାଧୀନତା-ସଂଗ୍ରାମୀ ନିଧି ଦାସ ପରବର୍ତ୍ତୀ ଜୀବନରେ ‘କମ୍ୟୁନିଷ୍ଟ’ ମାର୍କାଧରି ଜେଲ ଫେରନ୍ତା କୟଦୀ ପରି ଫେରୁଥିବା ସମୟରେ ପାଗଳ ପରି ଉଚ୍ଚକଣ୍ଠରେ ଚିତ୍କାର କରିଛନ୍ତି, ‘‘ମଣିଷ ସ୍ଵାଧୀନ ହେବା ପାଇଁ ତଥାପି ଆଉରି ଅନେକ ଡେରି, ଅନେକ ଡେରି ! ସେ ଲଢ଼େଇର ଶେଷ ନାହିଁ, କିନ୍ତୁ ତମର, ମୋର ଜୀବନର ଶେଷ ଅଛି । ଆମର ସମୟ ଅଳ୍ପ !’’ ଅନ୍ୟ ଚରିତ୍ର ଜଣକ ହେଉଛନ୍ତି ବାବାଜୀ ଅବଧୂତାନନ୍ଦ । ସେ ନିଧିଦାସଙ୍ଗୁ ଲକ୍ଷ୍ୟକରି କହିଛନ୍ତି, ‘‘ଦେଶ ସ୍ଵାଧୀନ ହୁଏ ନାହିଁ । ମଣିଷ ହୁଏ ସ୍ଵାଧୀନ ! କିନ୍ତୁ ମାଟିର ସ୍ଵାଧୀନତା ମଣିଷର ସ୍ଵାଧୀନତା ନୁହେଁ । ତାହା ଦାସତ୍ଵର ଏକ ରୂପାନ୍ତର, ଏକ ଘଟାନ୍ତର ମାତ୍ର !’’ ପୁନଶ୍ଚ ସେ କହିଛନ୍ତି, ‘‘ମଣିଷର କପାଳରେ ସ୍ୱାଧୀନତା ଲେଖି ନାହାନ୍ତି, କଳ୍କୀ- ମହାରାଜ ! ମଣିଷ ଏପରି ଏକ ବିଚିତ୍ର ଜୀବ ତା’ର ଲୋଡ଼ା ବନ୍ଧନର ଶୃଙ୍ଖଳ । ବନ୍ଧନର ଶୃଙ୍ଖଳ ନ ରହିଲେ, ଅନାହତ ମୁକ୍ତି ମଧ୍ୟରେ ମନୁଷ୍ୟର ଅପମୃତ୍ୟୁ ଘଟିବ-ସେ ଶୃଙ୍ଖଳ ଲୁହାର ହେଉ ବା ସୁନାର ହେଉ । କିନ୍ତୁ ଶୃଙ୍ଖଳ-ବଦଳ ସ୍ଵାଧୀନତୀ ନୁହେଁ ବା ସ୍ୱରାଜ୍ୟ ନୁହେଁ ।’’ ଉଭୟ ଚରିତ୍ରଙ୍କ ଉଚ୍ଚାରଣ ଆପାତ ବିରୋଧୀ ମନେ ହେଉଥିଲେ ହେଁ ଦୁହିଁଙ୍କ ଅନୁଭୂତି ଓ ବକ୍ତବ୍ୟରେ ଗଭୀର ସତ୍ୟ ଓ ତାପର୍ଯ୍ୟ ନିହିତ ।
କବି ବ୍ରଜନାଥ ରଥ ‘ସ୍ଵାଧୀନତା’ ଶବ୍ଦଟିର ସୁଦୂର ପ୍ରସାରୀ ତାତ୍ପର୍ଯ୍ୟ ସୂଚାଇବାକୁ ଯାଇ କହିଛନ୍ତି, ‘‘ଶବ୍ଦଟିଏ ‘ସ୍ୱାଧୀନତା’/ ଶବ୍ଦରେ-ଧ୍ୱନିରେ ଯାର/ କମ୍ପିଉଠେ ଆଦିଗନ୍ତ ଆକାଶ ଅବନୀ, ଶବ୍ଦଟିଏ ; ‘ସ୍ଵାଧୀନତା’/ ଉଚ୍ଚାରଣ ମାତ୍ରେ ଯାହା/ ପ୍ରତିଟି ଅନ୍ତର ତଳେ/ କାଳେ କାଳେ, ତାଳେ ତାଳେ/ ତୋଳେ ପ୍ରତିଧ୍ଵନି’’ । ‘‘ଛନ୍ଦେ ଛନ୍ଦେ / ମୁକ୍ତିର ଆନନ୍ଦେ/ଶରୀରର ପ୍ରତି ରନ୍ଧେ/ ପ୍ରତି ତନ୍ତ୍ରୀ ହୁଅଇ ସ୍ପନ୍ଦିତ,/ ଶବ୍ଦଟିଏ : ‘ସ୍ୱାଧୀନତା/ ମୃତ୍ୟୁକୁ ଅମୃତ କରେ/ କାନେ କାନେ ଗାଇଯାଏ/ ଉଦ୍ଦୀପିତ ଜୀବନ-ସଂଗୀତ ।।’’ ‘‘ସ୍ୱାଧୀନତା ଶବ୍ଦଟିଏ ନୁହଁଇ ତ ଖାଲି/ ‘ସ୍ୱାଧୀନତା’ ଏକ ଅନୁଭବ/ ‘ସ୍ୱାଧୀନତା’ ମଧୁମୟ ଜୀବନର ସ୍ୱାଦ/ ‘ସ୍ୱାଧୀନତା’ ସ୍ୱପ୍ନର ବିଭବ।।’’ (ଶବ୍ଦଟିଏ : ସ୍ୱାଧୀନତା-ହେ ମହାଜୀବନ’)
‘ସ୍ଵାଧୀନତା’ ଶବ୍ଦଟିର ଅର୍ଥବ୍ୟଞ୍ଜନା କିପରି ଆତ୍ମାଶ୍ରୟୀ ଓ ଅନ୍ତର୍ମୁଖୀ, ପୁଣି ଆଲୋକବାହୀ ଓ ଦିଗନ୍ତବ୍ୟାପୀ, ତାହା ଉଲ୍ଲିଖତ ଉଦ୍ଧୃତିଗୁଡ଼ିକ ବକ୍ତବ୍ୟ ମଧ୍ୟରେ ସ୍ପଷ୍ଟ । ‘ସ୍ୱାଧୀନତା’ର ପ୍ରତିଶବ୍ଦ ଭାବରେ ଆମେ ‘ମୁକ୍ତି’ ଶବ୍ଦଟି ମଧ୍ୟ ଅନେକ ସମୟରେ ବ୍ୟବହାର କରିଥାଉଁ । କିନ୍ତୁ ସୂକ୍ଷ୍ମ ବିବାରରେ ଦୁଇଟି ଶବ୍ଦ ମଧ୍ୟରେ କିଛି ଅର୍ଥ ପାର୍ଥକ୍ୟ ନିହିତ । ‘ମୁକ୍ତି’ କହିଲେ ‘‘ବନ୍ଧନରୁ ମୁକ୍ତି’, ‘ଶୃଙ୍ଖଳରୁ ମୁକ୍ତି’ ବା ‘ଶୃଙ୍ଖଳମୋଚନ’, ‘ପରାଧାନତାର ନିଗଡ଼ ବା ଶୃଙ୍ଖଳରୁ ମୁକ୍ତି’ ଇତ୍ୟାଦି ଆମେ ବୁଝିଥାଉଁ । କିରୁ ‘‘ସ୍ଵାଧୀନତା’ କେବଳ ପରାଧୀନତାର ହିଁ ବିପରୀତ ଶବ୍ଦକୁ ସୂଚାଇ ଥାଏ । ଅବଶ୍ୟ ‘ବାକ୍ସ୍ଵାଧୀନତା’, ‘ଗ୍ରନ୍ଥ ପ୍ରକାଶନର ସ୍ଵାଧୀନତା’, ‘ରୀଜନୀତିକ ବା ରାଷ୍ଗ୍ରୀୟ ସ୍ଵାଧୀନତା’ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ‘ସ୍ଵାଧୀନତା’ ଶବ୍ଦଟିର ବହୁଳ ପ୍ରୟୋଗ ଦେଖାଯାଏ । କିନ୍ତୁ ଯଥାର୍ଥରେ ‘ସ୍ଵାଧୀନ’ ହେବା, କାୟମନୋବାକ୍ୟରେ ସ୍ଵାଧୀନ ହେବା, ଘରେ ଓ ବାହାରେ ସ୍ୱାଧୀନତାର ସ୍ଵାଦ ଅନୁଭବ କରିବା, ଏତେ ସହଜସାଧ୍ୟ ବ୍ୟାପାର ନୁହେଁ-ତାହା ଦୁର୍ଲ୍ଲଭ ଓ ଦୁଷ୍କର ତପସ୍ୟାସାପେକ୍ଷ । ସେଥିପାଇଁ କବିଗୁରୁ ଗ୍ୟେଟେ କହିଛନ୍ତି, ‘‘ଜୀବନ ହେଉଛି ତାଆରି ଭୋଗ୍ୟ, ଯେ ପ୍ରତ୍ୟହ ଜୟକରି ଜାଣିଛି ଜୀବନକୁ । ସ୍ୱାଧୀନତା ତାଆରି ହେଉଛି ଲଭ୍ୟ, ଯିଏ ପ୍ରତ୍ୟହ ଜୟ କରି ନେବାକୁ ଜାଣେ ସ୍ଵାଧୀନତା’’ । (ଫାଉସ୍ଟ) - (He only earns his freedom and existence who daily conquers them anew.) ଏ ଦୃଷ୍ଟିରୁ ଗୋଟିଏ ଦେଶ ବିଦେଶୀ ଶାସନର ଶୃଙ୍ଖଳରୁ ମୁକ୍ତିଲାଭ କଲେ ମଧ୍ୟ ହୁଏତ ଯଥାର୍ଥ ‘ସ୍ଵାଧୀନତା’ ର ସ୍ୱାଦ ଆସ୍ୱାଦନ କରିବାକୁ ଅସମର୍ଥ ହୋଇପାରେ ଅଥବା ଶକ୍ତି ଅର୍ଜନ କରିବାକୁ ଅକ୍ଷମ ହୋଇଥାଏ।
କବି ମିଲଟନ ତେଣୁ ତାଙ୍କର ‘ଅ୍ୟାରିଓପ୍ୟାଗିଟିକା’ ଗ୍ରନ୍ଥରେ ମନୁଷ୍ୟର ବ୍ୟକ୍ତି- ସ୍ଵାଧୀନତାର ପ୍ରସଙ୍ଗ ଉଚ୍ଚ କଣ୍ଠରେ ଘୋଷଣା କରିବା ସଙ୍ଗେ ତାର ଚିତ୍ତ-ମୁକ୍ତିକୁ ଅନ୍ୟ ସକଳ ମୁକ୍ତିଠାରୁ ଉର୍ଦ୍ଧ୍ୱରେ ବୋଲି ଉଲ୍ଲେଖ କରି କହିଛନ୍ତି - ‘‘ସମସ୍ତ ସ୍ୱାଧୀନତାର ଉର୍ଦ୍ଧ୍ୱରେ ନିଜର ବିବେକ ଅନୁଯାୟୀ ଜାଣିବାର, କହିବାର ଏବଂ ଅପ୍ରତିହତ ଭାବରେ ଯୁକ୍ତି-ତର୍କ କରିବାର ସ୍ଵାଧୀନତା ମୋତେ ଅର୍ପଣ କର ।’’ ମାତ୍ର ‘ମୁକ୍ତି’ ବା ‘ସ୍ୱାଧୀନତା’ର ଗଭୀର ଓ ବୃହତ୍ତର ଅର୍ଥ – ବ୍ୟଞ୍ଜନା ପ୍ରତି ଦୃଷ୍ଟି ନ ଦେଇ ଆମେ ମୁଖ୍ୟତଃ ଦେଶମାତୃକାର ମୁକ୍ତି ବା ରାଷ୍ଟ୍ରର ସ୍ଵାଧୀନତା ଅର୍ଥରେ ଶବ୍ଦ ଦୁଇଟିକୁ ଗ୍ରହଣ କରିଥାଉଁ । ସେଥିପାଇଁ ବିଦେଶୀ ଶାସନର ଶୃଙ୍ଖଳରୁ ଦେଶକୁ ମୁକ୍ତ କରିବା ପାଇଁ ଜାତୀୟତାର ଜାଗରଣ ଓ ସ୍ଵଦେଶ ପ୍ରୀତିମୂଳକ ବହୁ କବିତା ସାଧାରଣତଃ ରଚିତ ହୋଇଥାଏ । ଦେଶ ଓ ଜନ୍ମଭୂମି ପ୍ରତି ଅନୁରକ୍ତ ଓ ଶ୍ରଦ୍ଧାବନତ ରହିବାକୁ ଏହି ସକଳ ରଚନାର ମୌଳିକ ପ୍ରେରଣା ଓ ଆହ୍ଵାନ । ସାର୍ୱାଲଟାର ସ୍ମଟ୍ଙ୍କର ସେଇ ପ୍ରସିଦ୍ଧ ଫକ୍ତିଗୁଡ଼ିକ- ‘‘Breathes there the man with soul so dead/ who never to himself hath said, /This is my own, my native land -’’
କିମ୍ବା କ୍ୟାମ୍ପବେଲ୍ଙ୍କର,-
‘‘Freedom ! there is something dear
E’en in thy very name,
That lights the alter of the soul
With everlasting flame,
Success attend the Patriot sword
that is unsheathed for thee !
And glory to the breast that bleeds
Bleeds nobly to be free !’’
(As the slave departs the Man returns.)
-କବିତା-ଫକ୍ତି ଗୁଡ଼ିକ ଆମ ମନ-ପ୍ରାଣରେ ଶିହରଣ ସୃଷ୍ଟି କରି ଦେଶାତ୍ମବୋଧ ଜାଗ୍ରତ ଜରିବାକୁ ସମର୍ଥ । ଅଭିଧା ବା ଲକ୍ଷଣା ବ୍ୟତୀତ ଏଇ ପଙ୍କ୍ତି ଗୁଡ଼ିକରେ ବକ୍ତବ୍ୟର ଯେଉଁ ତୃତୀୟ ପର୍ଯ୍ୟାୟର ଅର୍ଥବ୍ୟଞ୍ଜନ ଅର୍ଥାତ୍ ଧ୍ୱନିର ଅନୁରଣନ, ଭାବର ତୀର୍ଯ୍ୟକ୍ଗତି ଓ ଅନୁକ୍ତିର ଅନୁରଞ୍ଜନ ଇତ୍ୟାଦି ଅନୁପସ୍ଥିତ କହିଲେ ଚଳେ । ତଥାପି ଦେଶ-କାଳ-ପାତ୍ର ବିଶେଷରେ ଏହି ପକ୍ତିଗୁଡ଼ିକ ମନ୍ତ୍ରର ସ୍ତରକୁ ଉତ୍ତୀର୍ଣ୍ଣ ହୋଇ ଉଠିଥାନ୍ତି । କାବ୍ୟ ଓ ମନ୍ତ୍ର ସ୍ଵରୂପତଃ ଏକ ନ ହେଲେ ମଧ୍ୟ କୀବ୍ୟ ସ୍ତରକୁ ଉନ୍ନୀତ ହୋଇପାରେ ଏବଂ ମନ୍ତ୍ର ମଧ୍ୟ କାବ୍ୟର ଆକାର ଓ ଭାବଭଙ୍ଗୀ ମଧ୍ୟରେ ନିଜକୁ ପ୍ରକାଶ କରିପାରେ । ମନ୍ତ୍ର କହିଲେ କେବଳ ଅଧ୍ୟାତ୍ମ-ସାଧନାର କଥା ବା ଧର୍ମ-ତତ୍ତ୍ୱର କଥା ବୁଝିଲେ ଭୁଲ୍ ହେବ; ଲୋକାୟତ ବା ଐହିକ ଅନୁଭୂତି-ଉପଲବ୍ଧିକୁ ମଧ୍ୟ ମନ୍ତ୍ରବଦ୍ଧକରି ପ୍ରକାଶ କରାଯାଇପାରେ । ସେ ଅନୁଭୂତି ଓ ଉପଲବ୍ଧିର ଯେଉଁ ମୂଳ ସତ୍ୟ, ଯେଉଁ ନିଜସ୍ୱ ରସମୟ ସତ୍ୟ, ବାକ୍ୟ ଯଦି ତାଆରି ଆତ୍ମ ପ୍ରକାଶ ଓ ଯଥାଯଥ ବିଗ୍ରହ ହୋଇଥାଏ, ତେବେ ସେ ଲୌକିକ ବାକ୍ୟ ମଧ୍ୟ ମନ୍ତ୍ରରେ ପରିଣତ ହୋଇଯାଏ । ଏ ଦୃଷ୍ଚିରୁ ଉଲ୍ଲିଖିତ ସ୍ୱଦେଶ ପ୍ରୀତି ମୂଳକ କବିତା-ପଂକ୍ତି ଗୁଡ଼ିକ ମନ୍ତ୍ର ଶକ୍ତିର ବାହନ ହୋଇ ଉଠିବାରେ ଏବଂ ଜନ ଚେତନାକୁ ସକ୍ରିୟ ଓ ସନ୍ଦିପିତ କରିବାରେ ବିସ୍ମିତ ହେବାର କିଛି ନାହିଁ । ଏ ଦିଗରୁ ଆମର ସ୍ଵାଧୀନତା-ସଂଗ୍ରାମର ସ୍ଵପ୍ନ-ସମ୍ବଳିତ କବିତାବଳି କେଉଁ ପରିମାଣରେ ମନ୍ତ୍ର ଶକ୍ତିର ଅଧିକାରୀ, ତା’ର ବିଚାର-ବିଶ୍ଲେଷଣ ମଧ୍ୟ କରାଯାଇପାରେ । ଆମ ଭାରତୀୟ ସ୍ୱାଧୀନତା- ସଂଗ୍ରାମର ମହାନ୍ ସାରଥି ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟିରେ ସ୍ଵାଧୀନତାର ଅର୍ଥ କେବଳ ବିଦେଶୀ ଇଂରେଜ ଶାସନର ଶୃଙ୍ଖଳ ବା ଅଧୀନତାରୁ ମୁକ୍ତି ମାତ୍ର ନ ଥିଲା, ତାହା ଥିଲା ଗୋଟିଏ ଦେଶ ଓ ଜାତିର ଆତ୍ମିକ, ନୈତିକ ଓ ଆଧ୍ୟାତ୍ମିକ ଉତ୍ତରଣ ଓ ଉତ୍କର୍ଷ-ସାଧନ ପାଇଁ ତପଶ୍ଚରଣର ଆଦ୍ୟ ସର୍ତ୍ତ ଓ ସାଧନାର ଉପକରଣ । ଅହିଂସା ଓ ସତ୍ୟାଗ୍ରହ ଥିଲା ତାଙ୍କ ସଂଗ୍ରାମର ମନ୍ତ୍ର ଓ ଆୟୁଧ । ମାତ୍ର ମୈତ୍ରୀ ଓ ଏକତା ପରିବର୍ତ୍ତେ ଦେଶ ଦ୍ଵିଧା-ବିଭକ୍ତ ହୋଇ ଅଶ୍ରୁପାତ ଓ ରକ୍ତସ୍ନାନ ମଧ୍ୟରେ ସ୍ଵାଧୀନତା କିପରି ଅର୍ଜନ କଲା ଏବଂ ସ୍ଵାଧୀନତା- ପ୍ରାପ୍ତିପରେ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଅତିକ୍ରାନ୍ତ ହୋଇଥିଲେ ହେଁ ଆମେ ଓ ଆମର ଗଣତନ୍ତ୍ର କେଉଁ ସ୍ତରରେ ଆଜି ଉପନୀତ, ‘ସ୍ୱାଧୀନତା’ ଶବ୍ଦଟିର ପ୍ରୟୋଗ ଆମର ଜନନେତାମାନେ କିପରି କରୁଛନ୍ତି ବା ଦେଶର ଜନସାଧାରଣ କିପରି ବୁଝୁଛନ୍ତି, ଗାନ୍ଦିଜୀଙ୍କ ‘ସ୍ୱାଧୀନତା’ର ଲକ୍ଷ୍ୟ ଓ ଆଭିମୁଖ୍ୟ ଠାରୁ ଆମେ କେତେ ନିକଟବର୍ତ୍ତୀ ବା ଦୂରରେ, ତାହା ଦିବାଲୋକ ପରି ଏତେ ସ୍ପଷ୍ଟ ଯେ ସେଥିପାଇଁ ଭାଷ୍ୟ ରଚନା କରିବାର କୌଣସି ଆବଶ୍ୟକତା ନାହିଁ । ସେଇ ଗାନ୍ଧୀ-ବିପ୍ଲବର ଯୁଗରେ ଆଉ ଜଣେ କବି-ମନୀଷୀ ରବୀନ୍ଦ୍ରନାଥ ଅନୁରୂପ ସ୍ୱପ୍ନ ଦେଖି କବିତାରେ ନିଜର ‘ପ୍ରାର୍ଥନା’ ଜଣାଇ ଲେଖିଥିଲେ,-
‘‘ଚିତ୍ତ ଯେଥା ଭୟଶୂନ୍ୟ, ଉଚ୍ଚ ଯେଥା ଶିର,
ଜ୍ଞାନ ଯେଥା ମୁକ୍ତ, ଯେଥା ଗୃହେର ପ୍ରାଚୀର
ଆପନ ପ୍ରାଙ୍ଗଣତଲେ ଦିବସଶର୍ବରୀ
ବସୁଧାରେ ରାଖେ ନାଇ ଖଣ୍ଡ କ୍ଷୁଦ୍ରକରି,
ଯେଥା ବାକ୍ୟ ହୃଦୟେର ଉତ୍ସମୁଖ ହତେ
ଉଚ୍ଛ୍ୱସିୟା ଉଠେ, ଯେଥା ନିର୍ବାରିତ ସ୍ରୋତେ
ଦେଶେ ଦେଶେ ଦିଗେଦିଗେ କର୍ମଧାରା ଧାୟ
ଅଜସ୍ର ସହସ୍ରବିଧ ଚରିତାର୍ଥତାୟ,
ଯେଥା ତୁଚ୍ଛ ଆଚାରେର ମରୁବାଲିରାଶି
ବିଚାରେର ସ୍ରୋତଃପଥ ଫେଲେ ନାଇ ଗ୍ରାସି-
ପୌରୁଷେରେ କରେନି ଶତଧା ନିତ୍ୟ ଯେଥା
ତୁମି ସର୍ବ କର୍ମ ଚିନ୍ତା ଆନନ୍ଦେର ନେତା,
ନିଜେ ହସ୍ତେ ନିର୍ଦୟ ଆଘାତ କରି, ପିତଃ,
ଭାରତେରେ ସେଇ ସ୍ଵର୍ଗେ କର ଜାଗରିତ ।।’’ (ପାର୍ଥନା - ‘ନୈବେଦ୍ୟ’) କେବଳ ଜଣେ ସ୍ୱାଧୀନ ବା ସ୍ଵଦେଶୀ ମନୁଷ୍ୟ ନୁହେଁ, ଯଥାର୍ଥ ପୌରୁଷସମ୍ପନ୍ନ ଜଣେ ସ୍ଵାଧୀନଚେତା ଓ ଆତ୍ମଦର୍ଶୀ ସାର୍ବଭୌମିକ ବିଶ୍ଵମାନବର ଅଭ୍ୟୁଦୟ ଥିଲା ରବୀନ୍ଦ୍ର ନାଥଙ୍କର ସ୍ୱପ୍ନ ଓ ପରିକଳ୍ପନା । ଗୋଟିଏ ଯୁଗର ଜଣେ ମହାମାନବ ଓ ଜଣେ ମହାକବିଙ୍କର ସଂଗ୍ରାମ ଓ ସାଧନାର ସ୍ଵପ୍ନ ଆଜି କେବଳ ଆମ ଦେଶରେ ନୁହେଁ, ସାରା ବିଶ୍ଵରେ ମଧ୍ୟ କିପରି ପ୍ରତିହତ ଓ ପରାଭୂତ, ତାହା ଅଙ୍ଗେନିଭା ସତ୍ୟ ଓ ଅନୁଭୂତିରେ ଏବେ ପରିଣତ ।
ତଥାପି ଦିନ ଥିଲା, ଯେତେବେଳେ ଭାରତର ଜନଗଣ-ମନ-ଅଧିନାୟକ ମହାତ୍ନା ଗାନ୍ଧୀଙ୍କ ଅହିଂସା-ସଂଗ୍ରାମର ମନ୍ତ୍ର ଓ ଆହ୍ୱାନରେ ଆକୁମାରୀ-ହିମାଚଳ ଭାରତୀୟ ଜନତା ଉଦ୍ଦୀପିତ ଓ ଅଭିମନ୍ତ୍ରିତ ହୋଇ ବିଦେଶୀ ଶାସନର ଶୃଙ୍ଖଳରୁ ଦେଶମାତୃକାକୁ ମୁକ୍ତ ଓ ସ୍ଵାଧୀନ କରିବା ପାଇଁ ବଜ୍ର-ଶପଥ ଗ୍ରହଣ କରିଥିଲା ଏବଂ ଅବଶେଷରେ ଅଗଷ୍ଟ ପନ୍ଦର ୧୯୪୭ ମସିହାରେ ଦେଶକୁ ସ୍ଵାଧୀନ ମଧ୍ୟ କରିଥିଲା । ସେତେବେଳେ ‘ସ୍ଵାଧୀନତା’ର ଅର୍ଥ ଜନସାଧାରଣରଙ୍କ ନିକଟରେ ଥିଲା କେବଳ ମାତ୍ର ରାଷ୍ଟ୍ରୀୟ ବା ରାଜନୀତିକ ସ୍ଵାଧୀନତା । ଏଇ ଗାନ୍ଧୀ-ବିପ୍ଲବର ଯୁଗ ଭାରତ ଇତିହାସର ଆଜି ଏକ ସ୍ଵତନ୍ତ୍ର ଓ ସ୍ୱର୍ଣ୍ଣାଭ ଅଧ୍ୟାୟ । କେତେ ପୀଡ଼ନ, କଷଣ, ଅତ୍ୟାଚାର, କାରାବରଣ ଓ ଆତ୍ମାହୁତି ମଧ୍ୟରେ ଏଇ ରାଷ୍ଟ୍ରିୟ ସ୍ଵାଧୀନତା ଅର୍ଜିତ ହୋଇଥିଲା, ଇତିହାସ ହିଁ ଆଜି ତାର ସାକ୍ଷ୍ୟ ବହନ କରି ଆମ ନିକଟରେ ପ୍ରତିଭାତ । କେବଳ ଜନସାଧାରଣ ନୁହନ୍ତି, କେତେ ବିଦ୍ୱାନ୍, ଜନନେତା ଓ ଜନସେବକ ଏବଂ କବି ଓ କଳାକାର ଏଇ ସଂଗ୍ରାମରେ ହୋଇଥିଲେ ସାମିଲ ।
ଧର୍ମାନ୍ଧତା ଓ କୁସଂସ୍କାର ବିରୁଦ୍ଧରେ ବିଦ୍ରୋହ କରି, ଲେଖନୀ ଚାଳନା କରି କେତେ ଗୁଣୀ, ବିଦ୍ଵାନ, ଓ ଲେଖକ ଧର୍ମଦ୍ରୋହିତା ନାଆଁରେ କିପରି ନିର୍ମମ ଅତ୍ୟାଚାର, ଏପରିକି ମୃତ୍ୟୁଦଣ୍ଡ ମଧ୍ୟ ଭୋଗିଛନ୍ତି, ସେ ପ୍ରସଙ୍ଗ ବାଦ୍ ଦେଲେ ବି କେବଳ ରାଜତନ୍ତ୍ରର ସ୍ଵୈରାଚାର ଓ ଶାସକଗୋଷ୍ଠୀର ଦମନ-ନିପୀଡ଼ନ ବିରୁଦ୍ଧରେ ବିଦ୍ରୋହର ସ୍ଵର ଉତ୍ତୋଳନ କରି ଏବଂ ମନୁଷ୍ୟର ସ୍ଵାଧିକାର ଓ ସ୍ଵାଧୀନତାର ପ୍ରତିଷ୍ଠା ପାଇଁ ଗ୍ରନ୍ଥରଚନା ବା ଲେଖା ପ୍ରକାଶ କରି ବିଶ୍ଵର ବହୁ ବରେଣ୍ୟ ଲୋକ କିପରି ରାଜରୋଷ - ବହ୍ନିର ଶରବ୍ୟ ହୋଇଛନ୍ତି, ସେଥିପାଇଁ ଶାରୀରିକ ଅତ୍ୟାଚାରଠୁଁ ଆରମ୍ଭ କରି କାରାଦଣ୍ଡ, ନିର୍ବାସନ ଓ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ଭୋଗିଛନ୍ତି, ତା’ର ଅସଂଖ୍ୟ ଦୃଷ୍ଟାନ୍ତ ଇତିହାସରେ ଆଜି ଲିପିବଦ୍ଧ । ଭଲତେୟାର, ଋଷୋ, ଟମାସ ପେଇନ (ଦି ରାଇଟସ୍ ଅଫ୍ ମ୍ୟାନ୍’ର ଲେଖକ), ରାଦିଶ୍ଚେଫ, ଫ୍ରାଁସୋୟା ନୋୟେଲ ବାବ୍ୟୋଫ, ଆଁଦ୍ରେ ଶେନିଏ ପ୍ରଭୃତି ଲେଖକଗଣ ଏହାର ଉଦାହରଣ । ରାଦିଶ୍ଚେଫଙ୍କ ମୃତ୍ୟୁଦଣ୍ଡ ଦେଇଥିଲେ ରୁଷିଆର ଦ୍ୱିତୀୟ କ୍ୟାଥାରିନ-ଅଭିଯୋଗ ଥିଲା ତାଙ୍କ ଗ୍ରନ୍ଥରେ ଫରାସୀ ବିପ୍ଳବର ସ୍ଵପ୍ନ ଓ ପରିକଳ୍ପନା ନିହିତ । ପରେ ଅବଶ୍ୟ ମୃତ୍ୟୁଦଣ୍ଡରୁ ରିହାତି ପାଇ ଦଶବର୍ଷ ସାଇବେରିଆରେ ନିର୍ବାସନ ଦଣ୍ଡ ଭୋଗି ସେ ନିଷ୍କୃତିଲାଭ କରିଥିଲେ । ଫ୍ରାଁସୋୟା ନୋୟେଲ ରାଜ-ବିଚାରରେ ଗିଲୋଟିନ୍ରେ ପ୍ରାଣ ଦେବା ପୂର୍ବରୁ ନିଜେ ଛୁରିକାଘାତରେ ଆତ୍ମହତ୍ୟା କରିଥିଲେ । ବିଶ୍ଵର ସହସ୍ର ସହସ୍ର ଶ୍ରମିକ - ଜାଗରଣର କାରଣ ହେଉଛନ୍ତି ବାବ୍ୟୋଫ ; ତାଙ୍କ ରଚନାର ବାଣୀ ହେଉଛି, ‘ପୃଥିବୀର ଯାବତୀୟ ସମ୍ପଦରେ ପ୍ରତି ମନୁଷ୍ୟର ସମ-ଅଧିକାର ହେଉଛି ପାକୃତିକ ବିଧାନ’ । ‘ଆତଙ୍କର ରାଜତ୍ୱ’ (ରେଇନ୍ ଅଫ୍ ଟେରାର)ର ତୀବ୍ର ପ୍ରତିବାଦର ରଚନା ପାଇଁ ଆଁଦ୍ରେ ଶେନି ଏଙ୍କୁ ପ୍ରଥମେ କାରାବରଣ କରିବାକୁ ପଡ଼ିଥିଲା ଏବଂ ପରେ ଷଡ଼ଯନ୍ତ୍ରର ମିଥ୍ୟା ଅଭିଯୋଗରେ ଗିଲୋଟିନରେ ସେ ପ୍ରାଣବଳି ଦାନ କରିଥିଲେ । ବିଦେଶ-ଭୂଇଁରେ ଲେଖକମାନଙ୍କ ଉପରେ ସଂଘଟିତ ନିଗ୍ରହ- ନିପୀଡ଼ନ ତୁଳନାରେ ଆମ ଦେଶରେ ଘଟିଥିବା ବିଦେଶୀ ଶାସକଗୋଷ୍ଠୀ ଓ ରାଜତନ୍ତ୍ରର ଅତ୍ୟାଚାର ମାତ୍ରାରେ ନ୍ୟୂନ ଥିଲା ନିଶ୍ଚୟ ଏବଂ ତାହା ଆମର ମୁକ୍ତି-ସଂଗ୍ରାମ ଓ ସ୍ୱାଧୀନତାର କଣ୍ଠସ୍ଵରକୁ ପ୍ରତିହତ କରିବା ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ ଥିଲା । ତଥାପି ସ୍ଵାଧୀନତା-ସଂଗ୍ରାମ ସମ୍ପର୍କରେ ଲେଖା ବା ପୁସ୍ତକାବଳୀର ବାଜ୍ୟାପ୍ତି କେବଳ ନୁହେଁ, ସେଥିପାଇଁ ବହୁ ଲେଖକଙ୍କୁ ମାନସିକ ଲାଞ୍ଛନାଭୋଗ ସହ କାରାବରଣ କରିବାକୁ ମଧ୍ୟ ପଡ଼ିଥିଲା । ଗୋପବନ୍ଧୁ ଦାସ, ବୀରକିଶୋର ଦାସ, ବାଞ୍ଛାନିଧି ମହାନ୍ତି, ଦୟାନିଧି ମିଶ୍ର, ହରେକୃଷ୍ଣ ମହତାବ, ଅନନ୍ତ ପଟ୍ଟନାୟକ, ନିତ୍ୟାନନ୍ଦ ମହାପାତ୍ର, ସଚ୍ଚିଦାନନ୍ଦ ରାଉତରାୟ, ମନମୋହନ ମିଶ୍ର ପ୍ରଭୃତି ଲେଖକମାନଙ୍କର ନାମ ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ । ଇଂରେଜ ସରକାରଙ୍କ କୋପଦୃଷ୍ଟି ସତ୍ତ୍ଵେ ଏଇ ଲେଖକବୃନ୍ଦ ସ୍ଵାଧୀନତା-ସଂଗ୍ରାମକୁ ତୀବ୍ର ଓ ତେଜୀୟାନ୍ କରିବା ପାଇଁ ନିଜ ରଚନା ମାଧ୍ୟମରେ ଉଦ୍ୟମ ଜାରି ରଖିଥିଲେ । ଗଡ଼ଜାତ ରାଜାମାନଙ୍କର ଅନ୍ଧାରୀ ଶାସନ ଓ ଅତ୍ୟାଚାର ବିରୁଦ୍ଧରେ ଠିକ୍ ଏଇ ସମୟରେ ପ୍ରଜା-ଆନ୍ଦୋଳନ ମଧ୍ୟ ମଥା ଟେକି ଉଠିଥିଲା ଏବଂ ତାହା ମଧ୍ୟ ଥିଲା ସ୍ଵାଧୀନତା-ଆନ୍ଦୋଳନର ଏକ ଅଭିନ୍ନ ଅଙ୍ଗ । ନୀଳଗିରି, କନିକା, ରଣପୁର, ଢେଙ୍କାନାଳ ଓ ତାଳଚେର ପ୍ରଭୃତି କରଦରାଜ୍ୟ ଓ ଜମିଦାରୀ ଗୁଡ଼ିକରେ ପ୍ରଜାବିଦ୍ରୋହ ଓ ‘ପ୍ରଜାମଣ୍ଡଳ’ ସଙ୍ଗଠନ ଏ ପ୍ରସଙ୍ଗରେ ସ୍ମରଣୀୟ । ଭାରତୀୟ ମ୍ବାଧୀନତା- ସଂଗ୍ରାମର ଇତିହାସ ଓ ମାନଚିତ୍ରରେ ଓଡ଼ିଶାର ସ୍ଥାନ କୌଣସି ଦୃଷ୍ଟିରୁ ନ୍ୟୂନ ବା ନଗଣ୍ୟ ନୁହେଁ, ବରଂ ସ୍ୱାଧୀନ ଭାରତ ସହ ଗଡ଼ଜାତ ଓ ଅନ୍ୟାନ୍ୟ କରଦ ରାଜ୍ୟ ଗୁଡ଼ିକର ମିଶ୍ରଣରେ ଓଡ଼ିଶା ଯେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି, ତାହା ଇତିହାସ-ସଚେତନ ବ୍ୟକ୍ତି ନିକଟରେ ଆଜି ବେଶ୍ ଅବଗତ । ‘ସ୍ଵରାଜ୍ୟ’ ଓ ‘ସ୍ଵାଧୀନତା’ର ଅଧିକାର ପାଇଁ ଯେଉଁ ସଂଗ୍ରାମ ୧୯୨୦ ମସିହାଠୁଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତୀୟ ଜାତୀୟ କଂଗ୍ରେସ’ ଦ୍ଵାରା ପରିଚାଳିତ ହୋଇଥିଲା, ସେଥିରେ ଓଡ଼ିଶାର ବହୁ ନେତୃସ୍ଥାନୀୟ ବ୍ୟକ୍ତି, ସାଧାରଣ କର୍ମୀ, କବି ଓ କଳାକାର ଯୋଗଦାନ କରି ସତ୍ୟାଗ୍ରହ ଓ ଅସହଯୋଗ ଆନ୍ଦୋଳନ ମାଧ୍ୟମରେ ସଂଗ୍ରାମକୁ ଯ଼େପରି ଉଜ୍ଜୀବିତ ରଖୁଥିଲେ, ସ୍ଵାଧୀନତାର ସ୍ୱପ୍ନକୁ ସାକାର କରିବା ପାଇଁ କବିବୃନ୍ଦ ନିଜର କବିତା-ରଚନା ଦ୍ଵାରା ଜନ ସାଧରଣକୁ ସେହିପରି ଉଦ୍ବୋଧନ ମଧ୍ୟ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ମଧ୍ୟ ବହୁ ଉଚ୍ଚକୋଟୀର କବିତା ଓଡ଼ିଆ କବିମାନେ ସେତେବେଳେ ରଚନା କରିଛନ୍ତି । ସ୍ୱାଧୀନତା-ସଂଗ୍ରାମର ଏଇ ମହାନ୍ ସେନାପତିଙ୍କ ମହତ୍ତ୍ଵ ଓ ବ୍ୟକ୍ତିତ୍ୱ ପ୍ରତି ଜନସାଧାରଣଙ୍କୁ ସଚେତନ କରାଇବା ସହ ନିଜ କବି-ହୃଦୟର ଶ୍ରଦ୍ଧାର୍ଘ୍ୟ ତାଙ୍କୁ ସମର୍ପଣ କରିବା, ଏଇ ସକଳ କବିତା-ରଚନାର ଥିଲା ମୁଖ୍ୟ ଉଦ୍ଦେଶ୍ୟ । ତତ୍ସହିତ ସ୍ୱାଧୀନତା-ସଂଗ୍ରାମରେ ଜଣେ ସୈନିକ ରୂପେ ଅଂଶଗ୍ରହଣ କରିବା ପାଇଁ ଅଧିକାଂଶ କବିତାର ଥିଲା ଅନ୍ତଃସ୍ଵର ଓ ଆହ୍ଵାନ । କବିତାଗୁଡ଼ିକରେ କବିର ବକ୍ତବ୍ୟ ଓ ଉଚ୍ଚାରଣ ହୁଏ ତ ଥିଲା ସ୍ଵଚ୍ଛ ଓ ସ୍ପଷ୍ଟ; ନ ଥିଲା କିଛି ତିର୍ଯ୍ୟକତା ବା ବକ୍ରୋକ୍ତି; ମାତ୍ର ପ୍ରତିଟି ଶବ୍ଦ ଓ ଉଚ୍ଚାରଣ ଏପରି ଉଚ୍ଛ୍ୱାସ, ଆବେଗ ଓ ଉତ୍ତାପ ବହନ କରିଥିଲେ ଯେ ଭାବୈକ୍ୟଜନିତ ମାନସିକ ସ୍ଥିରତା, କବିପ୍ରାଣର ତଲ୍ଲୀନତା ଓ ତଦାତ୍ମିକତା ସେଗୁଡ଼ିକୁ ମନ୍ତ୍ରଶକ୍ତିର ଅଧିକାରୀ କରାଇବାରେ ସମର୍ଥ କରି ପାରିଥିଲା । ଉତ୍କଳମଣି ଗୋପବନ୍ଧୁ, ଜାତୀୟ କବି ବୀରକିଶୋର ଦାସ, ବାଞ୍ଛାନିଧି ମହାନ୍ତି ଓ କୁନ୍ତଳା କୁମାରୀ ସାବତଙ୍କ ରଚନାବଳୀରୁ ଏହାର ଦୃଷ୍ଟାନ୍ତ ଗ୍ରହଣ ଜରାଯାଇପାରେ । ଶକ୍ତି ଓ ବ୍ୟୁତ୍ପତ୍ତିର ତାରତମ୍ୟ ହେତୁ ଅନ୍ୟାନ୍ୟ ଅନେକ କବିଙ୍କ ରଚନାରେ ଏହି ମନ୍ତ୍ରଶକ୍ତିର ଅଭାବ ଊଣା-ଅଧିକ ହୁଏତ ପରିଲକ୍ଷିତ ହୋଇପାରେ; କିନ୍ତୁ ସକଳ କବିଙ୍କର ଲକ୍ଷ୍ୟ ଓ ଆଭିମୁଖ୍ୟ ଥିଲା ଏକ- ଦେଶମାତୃକାର ମୁକ୍ତି ପାଇଁ ସ୍ଵାଧୀନତା-ସଂଗ୍ରାମର ଆହ୍ଵାନ । ଗୋଟିଏ ମନ୍ଦିରର ନିର୍ମାଣରେ ପ୍ରତିଭାଶାଳୀ ଶିଳ୍ପୀଙ୍କଠୁଁ ଆରମ୍ଭ କରି ଅଳ୍ପ ଦକ୍ଷତା ସମ୍ପନ୍ନ ଓ ସାଧାରଣ ଶିଳ୍ପୀଙ୍କ କାରିଗରୀ ଓ କଳା କୌଶଳ ଯେପରି ରହିଥାଏ, ଠିକ୍ ସେହିପରି ଭାରତର ମୁକ୍ତି-ମନ୍ଦିର ନିର୍ମାଣରେ ଅନ୍ୟାନ୍ୟ ଅଞ୍ଚଳପରି ଆମ ରାଜ୍ୟର ମଧ୍ୟ ବହୁ କବି - ଲେଖକଙ୍କର ଅବଦାନ ରହିଛି । ସେହି ସକଳ କବିଙ୍କର ଲେଖାବଳୀରୁ କିଛି ପ୍ରତିନିଧି ସ୍ଥାନୀୟ କବିତା ନିର୍ବାଚନ କରି ଏଇ ସଙ୍କଳନଟିର ପ୍ରସ୍ତୁତି ଓ ଆତ୍ମପ୍ରକାଶ ।
ଏଠି ଆମର ସ୍ମରଣ ରଖିବା ଉଚିତ ହେବ ଯେ ଭାରତର ମୁକ୍ତି-ସଂଗ୍ରାମର ଇତିହାସ ପ୍ରଥମେ ଆରମ୍ଭ ହୋଇଥିଲା ୧୮୫୭ ମସିହାରେ, ଯେତେବେଳେ ବିଦେଶୀ ଇଂରେଜ ଶାସନ ବିରୁଦ୍ଧରେ ବିଦ୍ରୋହର ସୂତ୍ରପାତ ହୋଇଥିଲା ଏବଂ ସେ ବିଦ୍ରୋହ ‘ସିପାହୀ ବିଦ୍ରୋହ’ ନାମରେ ଥିଲା ଅଭିହିତ । ମାତ୍ର ୧୯୪୭ ମସିହାରେ ଭାରତର ସ୍ୱାଧୀନତାପ୍ରାପ୍ତି ପରେ ୧୯୫୭ ମସିହାରେ ଭାରତ ସରକାରଙ୍କ ଦ୍ଵାରା ସ୍ଵାଧୀନତା-ସଂଗ୍ରମର ଶତବାର୍ଷିକୀ ପାଳିତ ହୋଇଥିଲା ଏବଂ ‘ସିପାହୀ ବିଦ୍ରୋହ’ ପାଇଥିଲା ସ୍ଵାଧୀନତା-ସଂଗ୍ରାମର ଆଦିପର୍ବର ଐତିହାସିକ ଗୌରବ । ସେଇ ୧୯୫୭ରେ ଓଡ଼ିଶା ସରକାରଙ୍କ ଦ୍ଵାରା ଶତବାର୍ଷିକୀ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସେହି ଉପଲକ୍ଷେ ରାଜ୍ୟସ୍ତରୀୟ ଏକ କବିତା- ପ୍ରତିଯୋଗିତାର ଆୟୋଜନ କରାଯାଇ ତିନୋଟି ପୁରସ୍କାର ଘୋଷଣା କରାଯାଇଥିଲା । ପ୍ରତିଯୋଗିତାକୁ ଆସିଥିବା କବିତାବଳୀ ମଧ୍ୟରୁ ୨୧ଟି କବିତା ନିର୍ବାଚନ କରାଯାଇ ପ୍ରତିଯୋଗିତାକୁ ଆସିଥିବା କବିତାବଳୀ ମଧ୍ୟରୁ ୨୧ଟି କବିତା ନିର୍ବାଚନ କରାଯାଇ ‘‘ଶତାବ୍ଦୀ-ସ୍ମରଣେ’’ ନାମରେ ଏକ ସଙ୍କଳନ ସରକାରଙ୍କ ଲୋକସମ୍ପର୍କ (ଘରୋଇ) ବିଭାଗ ଦ୍ଵାରା ସେଇ ମସିହାରେ ପ୍ରକାଶିତ ହୋଇଥିଲା । ପଣ୍ଡିତ ନୀଳକଣ୍ଠ ଦାସ ଏଇ କବିତାଗୁଡ଼ିକର ବିଚାରକ ଓ ପରୀକ୍ଷକ ଥିବା କଥା ହରେକୃଷ୍ଣ ମହତାବ ସଙ୍କଳନର ‘ପ୍ରାରମ୍ଭିକ’ରେ ଉଲ୍ଲେଖ କରିଛନ୍ତି । ବର୍ତ୍ତମାନର ସଙ୍କଳନରେ ତେଣୁ ସେହି ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା କବିତାକୁ ମୁଁ ସ୍ଥାନ ଦେଇଛି । ସେ ତିନୋଟି କବିତାର ଶୀର୍ଷକ ହେଉଛି ‘ପନ୍ଦର, ଘେନ ବନ୍ଦନ’, ‘ଆଜିଠାରୁ ଶତବର୍ଷ ତଳେ’ ଏବଂ ‘ଶତବାର୍ଷିକୀ’ । ପ୍ରଥମ କବିତାଟି ଅତି ଦୀର୍ଘ ଥିବାରୁ ତା’ର ଅଂଶବିଶେଷ କେବଳ ଏଥିରେ ସ୍ଥାନିତ ହୋଇଛି । ଆଗ୍ରହୀ ପାଠକବୃନ୍ଦ ମୂଳ କବିତାଟିକୁ ‘‘ଶତାଦ୍ଦୀ-ସ୍ମରଣେ’’ ସଙ୍କଳନରେ ଅନୁସନ୍ଧାନ କରିପାରନ୍ତି । ସେଇ ୧୯୫୭ ମସିହାର ଅନ୍ୟ ଏକ ମହତ୍ତ୍ଵପୂର୍ଣ୍ଣ କାବ୍ୟ ସଙ୍କଳନ ହେଉଛି ‘‘ଗାନ୍ଧୀ ତର୍ପଣ’’ । ଏହା ଓଡ଼ିଶା ସରକାର ‘ସାମାଜିକ ଶିକ୍ଷା ବିଭାଗ ‘ଆନୁକୂଲ୍ୟରେ ‘ଲୋକ କଲ୍ୟାଣ - ଗ୍ରନ୍ଥ ମାଳାର ଦ୍ୱିତୀୟ ଖଣ୍ଡ ରୂପେ ପ୍ରକାଶିତ ହୋଇଥିଲା ଏବଂ ସଂକଳୟିତା ଥିଲେ ସ୍ଵନାମଧନ୍ୟ କବି ରାଧାମୋହନ ଗଡ଼ନାୟକ । ଅନ୍ୟତମ ବରେଣ୍ୟ କବି ମାୟାଧର ମାନସିଂହ ଲେଖିଥିବା ଏହାର ସଂକ୍ଷିପ୍ତ ମୁଖବନ୍ଧଟି ଆଗାମୀ କାଳର ରସଗ୍ରାହୀ ପାଠକପାଠିକାମାନଙ୍କ ପାଇଁ ମୁଁ ଏଠାରେ ସମ୍ପୂର୍ଣ୍ଣ ଉଦ୍ଧାର କରୁଛି ।
‘‘ସେ ଯେଉଁ ଆଡ଼େ ଯାଇଥିଲେ ସେ ମାଟିରେ ପଦ୍ମ ଫୁଟିଯାଉଥିଲା । ଜଡ଼ ଜୀବନ୍ତ ହେଉଥିଲା, ମୂକ କଥା କହୁଥିଲା । ତାଙ୍କର ମୃତ୍ୟୁରେ ଏ ଦେଶ କେବଳ ନୁହେଁ ସମଗ୍ର ପୃଥିବୀର ମାଟି, ପଥର ବି କାନ୍ଦିଛି, କୋଟି ମାନବର ‘କ୍ଷତବିକ୍ଷତ ହୃଦୟ କଥା ଛାଡ଼ିଦିଅ ।
ଓଡ଼ିଶାର କବିବୃନ୍ଦ ସେହି ମହାମାନବଙ୍କର ଜୀବନ ଓ ମୃତ୍ୟୁ ନାନା ବର୍ଣ୍ଣରେ, ନାନା ରସରେ, ନାନା ଉତ୍ସାହରେ ଗାଇଛନ୍ତି। ଆଗାମୀ ଯୁଗ ଦେଖିବ ଯେ ପୁଣ୍ୟଶ୍ଳୋକ ବାପୁଜୀଙ୍କୁ ପ୍ରକୃତ ସମ୍ମାନ ଦେଇଛି ଓଡ଼ିଶାର କବି, ଓଡ଼ିଶାର ରାଜନୈତିକ ନେତା ବା କର୍ମୀ ନୁହେଁ ।
ଓଡ଼ିଶାର କବି ସମାଜର ପ୍ରାଣଫଟା ଗାନ୍ଧୀ-ତର୍ପଣର ଏହି ସାମାନ୍ୟ ସମାହାର ଆମେ ଆଜି ଦେଶବାସୀଙ୍କ ସମ୍ମୁଖରେ ଉପହାର ରୂପେ ଥୋଇଛୁ, ଏଇ ଉଦ୍ଦେଶ୍ୟରେ ଯେ, ବୁଦ୍ଧ, ରାମ, କୃଷି, ଯୀଶୁ ଖ୍ରୀଷ୍ଟଙ୍କ ପରି, କବିଲେଖନୀର ପରମ ଉପାଦାନୀଭୂତ ବାପୁଜୀଙ୍କର ପୁଣ୍ୟ ଚରିତ ଦେଶର ଜନସାଧାରଣ ଭିତରେ କାବ୍ୟର ଶକ୍ତି ଓ ମାଧୁର୍ଯ୍ୟ ଦେଇ ଚିରନ୍ତନ ପ୍ରତିଷ୍ଠା ଲାଭ କରୁ ।’’
ପୁନଶ୍ଚ, ୧୯୮୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଶତବାର୍ଷିକୀ ଉତ୍ସବ ଉପଲକ୍ଷେ ପ୍ରାକ୍-ସ୍ଵାଧୀନତା ଯୁଗର କ୍ରାନ୍ତିକାରୀ ଓଡ଼ିଆ କବିମାନଙ୍କର କେତେକ କବିତାର ଏକ ସଙ୍କଳନ ‘‘ସ୍ୱାଧୀନତାର ଚଲାପଥେ’’ ନାମରେ ‘ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି’ ଏବଂ ସଂକ୍ଷିପ୍ତ ମୁଖବନ୍ଧଟିଏ ସେଥିରେ ଲେଖିଛନ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ । ସ୍ଵାଧୀନତାର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଅଗଷ୍ଟ ପନ୍ଦର ୧୯୯୭ ମସିହାରେ ‘ନ୍ୟାସନାଲ ବୁକ୍ ଟ୍ରଷ୍ଟ’ କର୍ତ୍ତୃକ ଅନ୍ୟ ଏକ ସଙ୍କଳନ ‘ମୁକ୍ତି ଗୀତିକା’ ନାମରେ ଆତ୍ମପ୍ରକାଶ କରିଛି । ଏହାର ସଂକଳୟିତା ହେଉଛନ୍ତି ଡ଼କ୍ଟର ସୁଦର୍ଶନ ଆଚାର୍ଯ୍ୟ । ବର୍ତ୍ତମାନର ସଙ୍କଳନଟିର ପ୍ରସ୍ତୁତି ପାଇଁ ପୂର୍ବ ପ୍ରକାଶିତ ସକଳ ସଙ୍କଳନର ସାହାଯ୍ୟ ସ୍ଥଳ ବିଶେଷରେ ଆବଶ୍ୟକତା ଅନୁଯାୟୀ ମୁଁ ଗ୍ରହଣ କରିଛି । ତେଣୁ ପୂର୍ବର ସମସ୍ତ ସଙ୍କଳୟିତାଙ୍କ ନିକଟରେ ମୁଁ କୃତଜ୍ଞ ।
ସ୍ଵାଧୀନତାର ସୁବର୍ଣ୍ଣଜୟନ୍ତୀ ପାଳନ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡ଼େମା’ ଯେଉଁ ସବୁ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ, ତା’ ଭିତରେ ଏପରି କେତୋଟି ସଙ୍କଳନର ପ୍ରକାଶନ ଥିଲା ଅନ୍ତର୍ଭୁକ୍ତ । କିନ୍ତୁ ସେତେବେଳେ କର୍ତ୍ତୃପକ୍ଷଙ୍କ ଅନାଗ୍ରହ ଓ ଔଦାସୀନ୍ୟ ହେତୁ କୌଣସି ପ୍ରକାଶନ ସମ୍ଭବପର ହୋଇ ନ ଥିଲା ଏବଂ ମୁଁ ଦାୟିତ୍ୱ ନେଇଥିବା କବିତା- ସଙ୍କଳନଟିର କାର୍ଯ୍ୟ ମଧ୍ୟ ତେଣୁ ଶିଥିଳ ହୋଇପଡ଼ିବା ସ୍ଵାଭାବିକ । ମାତ୍ର କବି ଶ୍ରୀମାନ୍ ଅଶ୍ଵିନୀ କୁମାର ମିଶ୍ର ଏକାଡ଼େମୀର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବାପରେ ଏଇ ସଙ୍କଳନଟିର ପ୍ରକାଶନ ପାଇଁ ଆଗ୍ରହୀ ଓ ଯତ୍ନବାନ୍ ହେଲେ । ତାଙ୍କରି ତାଗିଦା ଫଳରେ ଯାହା କିଛି କାର୍ଯ୍ୟ ଏ ଦିଗରେ ସେତେବେଳେ କରିଥିଲି ତା’କୁ ସଂପୂର୍ଣ୍ଣ କରି ବିଳମ୍ଭରେ ହେଲେ ବି ଏବେ ଦେଶବାସୀଙ୍କ ହାତରେ ତାହା ଅର୍ପଣ କରି ସ୍ଵପ୍ନସିଦ୍ଧିର ପରିତୃପ୍ତି ପ୍ରାଣରେ ଅନୁଭବ କରୁଛି । ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରକାଶିତ ହେବାକୁ ଥିବାରୁ ସଙ୍କଳନର ନାମ ସେତେବେଳେ ‘‘ସୁବର୍ଣ୍ଣଲେଖା’’ ରଖିବାକୁ ଏକାଡ଼େମୀଙ୍କୁ ଜଣାଇଥିଲି । ମାତ୍ର ଏବେ ତା’ର ନାମ ପରିବର୍ତ୍ତନ କରି ‘‘କବିତା ଯେବେ ଥିଲା ମନ୍ତ୍ର’’ ରଖିବାକୁ ସ୍ଥିର କଲି । ସ୍ଵାଧୀନତା ପାଇଁ କବି ପ୍ରାଣର ବ୍ୟାକୁଳତା, ସଂଗ୍ରାମ ଓ ସାଧନା ସହିତ ସଂକଳିତ କବିତାବଳୀ ଯଦି ପାଠକ-ପାଠିକାଙ୍କୁ ପରିଚିତ କରାଇବାରେ ସମର୍ଥ ହୁଅନ୍ତି, ସେଦିନର ମୁକ୍ତି ମନ୍ତ୍ରର ଶକ୍ତିକୁ କବିତାରେ ଅନୁଭବ କରି ନୂତନ ସଂଗ୍ରାମର ପ୍ରେରଣା ଯୁବପୀଢ଼ିକୁ ଯଦି ଆଜି ଦିଅନ୍ତି ତେବେ ମୋର ଏ ଉଦ୍ୟମ ଫଳପ୍ରସୂ ହୋଇଛି ବୋଲି ମନେକରିବି । କିମଧିକଂ ।
ଶ୍ରାବଣ ପୂର୍ଣ୍ଣମା, |
ଚିନ୍ତାମଣି ବେହେରା |
୨୨ ଅଗଷ୍ଟ, ୨୦୦୨ ମସିହା |
|
‘‘ଦେଶବାସୀ ବନ୍ଧୁ ଆତ୍ମୀୟ ସୋଦର
କାରାଦଣ୍ଡେ ମୋର ହେଲ କି କାତର ?
ଥିଲା ଏହା ଆଗୁ ଜଣାଶୁଣା କଥା,
ସେଥିପାଇଁ ତେବେ କିପାଁ ମନେ ବ୍ୟଥା ?
କାତରତା ସିନା କାପୁରୁଷ ପଣ,
ବୀର ମାରେ ଅବା ମରେ କରି ରଣ ।
ପଛଘୁଞ୍ଚା ନାହିଁ ବୀରର ଜାତକେ,
ନ ମରେ ସେ କେଭେଁ ପରାଣ ଆତଙ୍କେ ।
ଜାଣିଛି ଲାଗିଛି ଏ ଶାନ୍ତି-ସମର,
ନାହିଁ ଏଥି ତୋପ ହାତହତିଆର ।
ବଳ ବା ବିଭବ ନାହିଁ ଏଥି ଲୋଡ଼ା,
ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା ।
ଆଧ୍ୟାତ୍ମିକ ବଳେ ଲାଗିଛି ଲଢ଼ାଇ,
ଭାଙ୍ଗିବାକୁ ପଶୁବଳର ବଡ଼ାଇ ।
ଛାଡ଼ି ଧନ-ଆଶା ଘରଦ୍ୱାର-ମାୟା
ଅସଙ୍ଗ-ଶସ୍ତ୍ରେ ଯେ ସାଜିଅଛି କାୟା,
ଅହିଂସା-ବଳରେ ଯେହୁ ବଳୀୟାନ,
ଏ ରଣ ପ୍ରାଙ୍ଗଣେ ତା’ର ଏକା ସ୍ଥାନ ।
ଏଥିରେ ପଥମ ଫଳ କାରାଦଣ୍ଡ,
ପଛେ ହୋଇପାରେ ଦେହ ଖଣ୍ଡ ଖଣ୍ଡ,
ବୁଝି ଏହା ମୁହିଁ ପଶିଛି ସଂଗ୍ରାମେ,
ନାହିଁ ମୋ ବିଚାର ମାନ ଅପମାନେ ।
ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।
ଦେଶର ସ୍ଵରାଜ୍ୟ-ପଥେ ଯେତେ ଗାଡ଼
ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼ ।
ସ୍ୱାଧୀନତା-ପଥେ ତିଳେ ହେଲେ ନର
ମୋ ଜୀବନ ଦାନେ ହେଉ ଅଗ୍ରସର ।
ମଙ୍ଗଳମୟଙ୍କ ସୁମଙ୍ଗଳ ଇଚ୍ଛା
ପୂରୁ ଏ ପରାଣେ ଏହି ଶେଷ ଭିକ୍ଷା ।’’
‘‘ମୋ ଭାଇ ଭଉଣୀ ହେ ଉତ୍କଳବାସୀ,
ସ୍ଵରାଜ୍ୟ-ସାଧନେ ନ ହୁଅ ଉଦାସୀ ।
ସେ ଦୀକ୍ଷାରେ ଥରେ କରିଛି ବିଶ୍ଵାସ,
ନ ଛାଡ଼ ତା ଥିବା ଯାଏଟି ନିଃଶ୍ୱାସ ।
ସ୍ଵରାଜ୍ୟ ମାନବ ଜନ୍ମ ଅଧିକାର,
ଏହା ବିନେ ଦେଶ ହୁଏ ଛାରଖାର ।
ଅଙ୍ଗେ ନିଭାଉଛ କେତେ କି ଅବସ୍ଥା,
ଅନ୍ନ ବସ୍ତ୍ର ଆଉ ହେବ କି ହେ ଶସ୍ତା ।
ବନ୍ଦୋବସ୍ତ ପରେ ଆସେ ବନ୍ଦୋବସ୍ତ,
ପ୍ରଜାକୁଳ କ୍ରମେ ଭଜିଲେଣି ଅସ୍ତ ।
କେତେ ମାସେ କେତେ ପ୍ରକାରରେ କର,
ଦେଇ ପ୍ରଜାଙ୍କର ଭାଙ୍ଗିଲାଣି ଘର ।
ଖାଇବା ବାସନ ହେଉଛି ନିଲାମ,
ତେବେ ହେଲେ ନାହିଁ କରମ ବିରାମ ।
ସହି ନାନା ଦୁଃଖ ଯାତନା ସନ୍ତତ,
ନାହିଁ ଆଉ ତୁମ୍ଭ ଶରୀରେ ରକତ ।
ଜାଣେ ମୁଁ କରୁଛ ନାନା ଆତୁ ଭୀତି,
ଡ଼ରାଇ ଶାସିବା ହୀନ ରାଜନୀତି ।’’
‘‘ରହିବ ନାହିଁ ଏ ନୀତି କାଳେ କାଳେ,
ନାଶଯିବ ସତ୍ୟ-ନ୍ୟାୟ କରବାଳେ ।
ପ୍ରଜା ଲାଗି କଲେ ପ୍ରଜାପତି ସୃଷ୍ଟି,
ପ୍ରଜା ଲାଗି ଇନ୍ଦ୍ର କରେ ଜଳ ବୃଷ୍ଟି ।
ପ୍ରଜା ଲାଗି ଉଦେ ରବି ଶଶି ତାରା,
ପ୍ରଜା ଲାଗି ବହେ ଶତ ନଦୀ ଧାରା ।
ପ୍ରଜା ଲାଗି ରାଜ୍ୟ, ପ୍ରଜାର ଶାସନ,
ଯୁଗେ ଯୁଗେ ଏହା ଶାସ୍ତ୍ରର କଥନ ।
ଭାରତର ରାଜଧର୍ମ ସନାତନ-
ପରଜା ରକ୍ଷଣ ପାଳନ ରଞ୍ଜନ ।
ସ୍ଵରାଜ୍ୟେ ଏ ନୀତି ହୋଇବ ପ୍ରଚାର,
ନ ରହିବ ଆଉ ଦୁଃଖ ଦୁରାଚାର ।
ନ ସହିବ କଷ୍ଟ କେହି ଅନାହାରେ,
ନ ମରିବ ଦୁଃଖୀ ଧନୀଙ୍କ ପ୍ରହାରେ ।
ଡ଼ରାଇ ଶାସିବା ନୀତି ଭାଙ୍ଗିଯିବ,
ପ୍ରଜାଙ୍କ ମତରେ ଶାସନ ଚାଲିବ ।
ଏହି ନବ ଯୁଗ ଆଣିବା ସକାଶେ,
ଗାନ୍ଧୀ ରହିଛନ୍ତି ସିନା କାରାବାସେ ।
ଭାରତର କେତେ କେତେ ମହାଜନ,
ବନ୍ଦୀଶାଳେ ଏବେ କଟାନ୍ତି ଜୀବନ ।
ମୁଁ ଅତି ସାମାନ୍ୟ ତାଙ୍କ ଅନୁଚର,
ତୁମ ଅକିଞ୍ଚନ ଆତ୍ମୀୟ ସୋଦର ।
ଉତ୍କଳ ମାତାର ଆଉ କେତେ ସୁତ-
ସଙ୍ଗେ କାରାଗାରେ କଲି ପିଣ୍ଡ ପୂତ ।
ବସି ଏଥି ସଦା ରହିଛି ଅନାଇଁ
କାରାଗାର ଛିଦ୍ରେ ତୁମ ଆଡ଼େ ଭାଇ !
ଅରଟ ଚଳାଅ ପ୍ରତି ଘରେ ଘରେ,
ଗ୍ରାମର କଳହ ତୁଟାଅ ଗ୍ରାମରେ ।
ଚାଲ ସତ୍ୟପଥେ ନାହିଁ ଡ଼ର ଭୟ,
ଅସହଯୋଗରେ ବିଜୟ ନିଶ୍ଚୟ ।
ଛାଡ଼ ଉଚ୍ଚ ନୀଚ୍ଚ ଭେଦ ଅହଙ୍କାର,
ହେଉ ନୀଳାଚଳୁଁ ସମତା ପଚାର ।
ଖଣ୍ଡଗିରି ଭେଦି ଅହିଂସା-ମନ୍ତର,
ଜାଗୁ ପୁଣି ଥରେ ଉତ୍କଳ-ଅନ୍ତର ।
ନୀଳାଚଳ ନାଥ ପ୍ରଭୁ ଶ୍ରୀନିବାସ
ପୂରାଇବେ ଆଶା ରଖ ଏ ବିଶ୍ଵାସ ।’’
ଭାରତେ ଉତ୍କଳ ମହା ପୁଣ୍ୟଧାମ,
ଭାରତ ପାଞ୍ଜିରେ ନ ଥିଲା ତା ନାମ,
ସାହସ, ସାହିତ୍ୟ, ଧନ, ମାନ ବଳେ
ଉତ୍କଳର ନାମ ସମସ୍ତଙ୍କ ତଳେ ।
ଭାରତ ଜାତୀୟ ମହାସମ୍ମିଳନେ
ନ ବସେ ଉତ୍କଳ ସ୍ଵତନ୍ତ୍ର ଆସନେ,
ତେଣୁ ଜଗନ୍ନାଥ କରୁଣାନିଧାନ
କରୁଣା କଟାକ୍ଷେ କଲେ ଅବଧାନ ।
ଅସହଯୋଗର ପବିତ୍ର ସରିତ
ଉତ୍କଳର ବକ୍ଷେ ହେଲା ପ୍ରବାହିତ ।
ଗାନ୍ଧି ଭଗୀରଥ ନିଜ ପୁଣ୍ୟବଳେ
ଆଣିଲେ ଅସଙ୍ଗ-ଜାହ୍ନବୀ ଉତ୍କଳେ ।
ହିମାଚଳ ଠାରୁ ସୀମାଚଳ ଧରି
କୁମାରିକାଯାଏ ଖେଳିଲା ଲହରୀ ।
ଉତ୍କଳେ ସେ ପୁଣ୍ୟ ସ୍ରୋତ ଶତ ଧାରେ
ବହେ ପୁରପଲ୍ଲୀ କାନ୍ତାରେ ପ୍ରାନ୍ତ ରେ ।
ଉତ୍କଳେ ଅସଙ୍ଗ - ପ୍ରବାହେ ତ୍ଵରିତ
ବାହୁଛନ୍ତି ଯେହୁ ସ୍ଵରାଜ୍ୟ - ବୋଇତ,
ସେ ଦଳରେ ମୁହିଁ ଅକିଞ୍ଚନ ଜଣେ
ମୋଡୁଥିଲି ନାବ-ମଙ୍ଗ ପ୍ରାଣପଣେ ।
ସ୍ଵରାଜ୍ୟ ବଇରୀ ଦଳ ହାତେ ପଡ଼ି
ମୋ ହାତେ ଲାଗିଛି ଏବେ ଲୁହାକଡ଼ି ।
ଆଉ କେତେ ଜଣ ନାଉରିଆ ଭାଇ
ମୋ ସଙ୍ଗତେ ସମଦଶା ଛନ୍ତି ପାଇ ।
ଉତ୍କଳନିବାସୀ ଏ ଦଶା ଦେଖିଣ
ନିରାଶରେ ବଳ କର କି ହେ କ୍ଷୀଣ ?
କର କି ଭାବନା କାଣ୍ଡାରି ବିହୁନେ
ଚାଲିବ ସ୍ଵରାଜ୍ୟ-ବୋଇତ କେସନେ ?
ନ ଅଟକେ କର୍ମ ନେତାର ଅଭାବେ,
ଧର୍ମ-ନାବ ଚଳେ ଧର୍ମର ପ୍ରଭାବେ ।
ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ,
ଉତ୍କଳର ନେତା ନିଜେ ନାରାୟଣ ।
ଦେଖ ଦେଖ ଭାଇ ଭାଙ୍ଗିଲାଣି ଆଜି
ଗୋରାଙ୍କ ଜିଅଲଖାନା ହେ
କାଲିର କାଇଦା ନାହିଁ ଆଜି ଆଉ
ପଶନ୍ତି ସ୍ୱରାଜ ସେନା ହେ ।
ଚିହ୍ନିଲାଣି ସରକାର,
ଲାଭହାନି ପୁଣି କେତେ କାର ହେ ।
ଜଗବନ୍ଧୁଙ୍କର ଦେଉଳ-ଦରଜା
ହୋଇଛି କାରା-ଫାଟକ ହେ
ପଶୁଛନ୍ତି, ଆସୁଛନ୍ତି ନିତିନିତି
ଯାତ୍ରୀଙ୍କ ସମାନ ଦେଖ ହେ
ଆମ୍ଭ ରାଜବନ୍ଦୀ ଗଣ
ଆଉ ନାହିଁ ସେ ପୂରୁବ ଟାଣ ହେ ।
ବଣିଆ ଟୋକାଟା ଉଠାଇ ଦେଲାଣି
ଜିଅଲଖାନାର ଡ଼ର ହେ
ଦେଶ କାମକରି ପଶ ଯା’ ତହିଁରେ
ବରଷକେ ଦଶ ଥର ହେ
ସରକାର ବିଷ ଦାନ୍ତ ଏକା
ଝାଡ଼ିବାର ସେହି ପଥ ହେ ।
ଭାରତ ବୀରେ ବିରତ ନୁହଁ ତୁରିତେ ଭିଡ଼ ଅଣ୍ଟା
ଚିର ତ ନୁହେଁ କାହାର ଦେହ ବଜାଅ ବିଜୟ ଘଣ୍ଟା ।
ବର୍ଜନ କର ପ୍ରାଣ ମମତା ଅର୍ଜନ କର ଯଶ
ଅହିଂସାଭେରୀ ଗର୍ଜନ ଶୁଣ କମ୍ପଇ ଦଶଦିଶ ।
ଦୁର୍ଜନ ଏତ ଶ୍ଵେତ ବଣିକ ସଜ୍ଜନ ନୁହେଁ କାଳେ
କ୍ରୂର ପାପୀର ଚୂରରେ ଦର୍ପ ଦୂରେ ପଳାଉ ଢ଼ାଳେ ।
ରକ୍ତ କେତନ ଶକ୍ତ ହୃଦୟେ ଦୀପ୍ତ ଆଲୋକେ ଟେକ
ସପ୍ତବେନି ଲୋକ ଦେଖନ୍ତୁ ‘ମୁକ୍ତ’ ‘ମୁକ୍ତ’ ଲେଖ ।
+ + +
କୃପଣ ନୋହି ତର୍ପଣ କର ବୈରୀ-ଶୋଣିତ-ସାଗରେ
ତେତ୍ରିଶ କୋଟି ଭାରତବୀରେ ଜାଗ ଜାଗ ଜାଗରେ ।
ଜୀବନ ଯଦି ଯିବ ଯାଉ |
ପଛକୁ ନ ଘୁଞ୍ଚିବି ଆଉ । |
ପ୍ରକୃତ କହୁଁ କହୁଁ ଯେବେ, |
ମୋ ପ୍ରାଣ ଯାଇପାରେ ତେବେ । |
ମଙ୍ଗଳ ହେବ ଭାଇଙ୍କର, |
ଏଥିକି କାହିଁପାଇଁ ଡ଼ର । |
ମରଣ ମୋତେ ପଛେ ହେଉ, |
କାହାରି ବିପଦ ନ ରହୁ । |
|
|
କହୁଛି କାତର ନୁହନ୍ତୁ, |
ନିର୍ଭୟ ହୋଇଣ ରହନ୍ତୁ । |
ଉଚିତ କଥା କହିବାକୁ, |
ନ ଡ଼ର ନ ଡ଼ର କାହାକୁ । |
ଡ଼ରିବ ଯଦି ଭାଇମାନେ, |
କନିକା ବୁଡ଼ିବ ଅଜ୍ଞାନେ । |
ଆହୁରି ବିପଦ ବଢ଼ିବ, |
ଆମ୍ଭର ମୂଳ ଉପାଡ଼ିବ । |
|
|
ପଦ ଦଳିତ ହୋଇଯିବା, |
କିଛି ହିଁ କରି ନ ପାରିବା । |
ସରବେ କନିକା ସନ୍ତାନ, |
ନ ଧର ଭେଦାଭେଦ ଜ୍ଞାନ । |
ଭାଇଙ୍କୁ ହିଂସା ନ କରନ୍ତୁ, |
ଅନ୍ୟାୟ ପଥେ ନ ଗମନ୍ତୁ । |
ଭାଇକି ଭାଇ ହିଂସା କଲେ, |
ବିପଦ ମେଣ୍ଟିବ କି ଭଲେ । |
|
|
ନିଜର ସାମାନ୍ୟ ଲାଭରେ, |
ନ ଯାଅ କିଲା ବିରୁଦ୍ଧରେ । |
ଏ କାର୍ଯ୍ୟେ ସାମ୍ୟ ନ ରହିବ, |
ଆମ୍ଭର ଦୁଃଖ ନ ମେଣ୍ଟିବ । |
ଏକତ୍ରେ ଆମ୍ଭେ ନ ରହିଲେ, |
ନତୁବା ମତ ନ ମିଳିଲେ । |
ବିପଦ ହୋଇବ ଆମ୍ଭର, |
ବୃଥାରେ ହେବା ହରବର । |
|
|
ସର୍ବ ସମ୍ପଦ ହେବ ଜୂର, |
ସକଳେ ଏହା ମନେକର । |
ମମତା ଅଭାବରୁ ଭାଇ, |
ଆଜି ଏ ଦୁଃଖ ପଡ଼ିଥାଇ । |
ଏକାଠି ବସି ଏକ ମେଳେ, |
ନିଜକୁ ନିଜେ ନ ବୋଧିଲେ । |
କାହାରି ଗତି ନ ରହିବ, |
ଚିନ୍ତାଗ୍ନି ଶରୀର ଦହିବ । |
|
|
ସେ ଯୋଗେ କହୁଅଛି ସିନା, |
ସମସ୍ତେ ଏକଭାଇ କିନା ? |
ନୁହଇ ଯାହା ଜଣକରେ, |
ସେ ସିଦ୍ଧ ହୁଏ କୌଶଳରେ । |
ସେ ହେତୁ ଜହେ ଭାଇମାନେ |
ସକଳେ ଆସି ଏକ ସ୍ଥାନେ । |
ସାହସେ ସ୍ଥିର ହୋଇବସ |
ଗୋଟିଏ ଗୋଟିଏ ନ ଖସ । |
|
|
ଶରୀର ପଛେ ବିଧା ଖାଉ, |
କଥନେ ନ ଡ଼ରନ୍ତୁ ଆଉ । |
ରକତ ମାଂସ ଦେହ ଏହି, |
ଏଥିରେ ନାନା ବାଧା ଦେଇ । |
ନିଶ୍ଚିନ୍ତ ହେଲେ ଏ କାଳରେ, |
ରହିବ କିପରି ସଂସାରେ । |
ଭୟକୁ ଛାଡ଼ ଛାଡ଼ ଭାଇ, |
ଅଭୟ ପଦ ଧ୍ୟାୟି ଧ୍ୟାୟି । |
କାହାକୁ କେ ହିଂସା ନ କର, |
ମନରେ କୁଭାବ ନ ଧର ।* |
* (‘ଦୁଃଖିନୀ କନିକା’ ପୁସ୍ତକର କିୟଦଂଶ - ୧୯୨୨ ମସିହାରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା ।)
ଜାଗରେ ଜାଗରେ ଭାରତବାସୀ
ମଙ୍ଗଳ କ୍ଷଣେ ଆଜି
ମୁକ୍ତ ଗଗନ ତଳେ ହୁଅ ଉଭା
ଉଷାର ଆଲୋକ ସାଜି ।
ସୁପ୍ତ ଶକତି, ଲୁପ୍ତ ବିଭବ,
ଭାରତେ ଫେରାଇ ଆଣି,
ଆସିଛି ରେ ଆଜି ଭାରତବର୍ଷେ
ଗୁପ୍ତ ଭାରତ-ବାଣୀ ।
(ତାର) ଜୀର୍ଣ୍ଣ ତରୀଟି ଦେଇଛି ଭସାଇ
ଅତଳ ଜଳଧି ପାରେ,
ଜୟ ଡ଼ିଣ୍ଡିମ ବଜାଇ ଆସିଛି
ଭାରତ କୁଟୀର ଦ୍ଵାରେ
ବଜାଉଛି ତୂରୀ, ବିଷାଣ, ଭେରୀ
ସଘନେ ସମୟ ଜାଣି,
ଆସିଛି ରେ ଆଜି ଭାରତବର୍ଷେ
ଗୁପତ ଭାରତ-ବାଣୀ ।
ଆଣି ନାହିଁ ତାର ଧବଳ କମଳ ।
ମଳୟ ମନ୍ଦ ମନ୍ଦ,
ଆଣି ନାହିଁ ତାର ଲଳିତ ରାଗିଣୀ
ମଧୁର ମଧୁର ଛନ୍ଦ,
ଆଣିଛି ଦୀପ୍ତ ପ୍ରଖର କିରଣ
ସୌରମଣ୍ଡଳ ଛାଣି,
ଆସିଛି ରେ ଆଜି ଭାରତବର୍ଷେ
ଗୁପତ ଭାରତ-ବାଣୀ ।
ବାତ୍ସଲ୍ୟ ପ୍ରେମେ ଜନନୀର ସ୍ତନୁଁ
କ୍ଷୀରଧାର ଯାଏ ଭାସି,
କିଏ କାହିଁ ଅଛ ଅମୃତ-ସନ୍ତାନ
ପିଅ ରେ ପିଅ ରେ ଭାସି,
ଜ୍ଞାନର ଖଡ଼ଗେ ଅଜ୍ଞାନତା ରୂପୀ
ଅସୁରେ ପକାଅ ହାଣି
ଆସିଛି ରେ ଆଜି ଭାରତବର୍ଷେ
ଗୁପତ ଭାରତ-ବାଣୀ ।
ଦୁଷ୍କୃତି ବିନାଶ, ସନ୍ଥଜନ ପରିତ୍ରାଣ
କାରଣ ଧରାରେ ଅବତରି ମହାପ୍ରାଣ ।
ସ୍ଵର୍ଗର ବାରତା ଘେନି, ଆହେ ଦେବଦୂତ !
ପୁଣ୍ୟଭୂମି ଭାରତକୁ କରିଅଛ ପୂତ,
ଧର୍ମସଂସ୍ଥାପନ ହେତୁ ଯୁଗେ ଯୁଗେ ଯହିଁ
ଅବତରି ଐଶୀ ଶକ୍ତି ଉଶ୍ୱାସଇ ମହୀ ।
ସବ୍ୟସାଚୀ କରିଅଛ ସ୍ତମ୍ଭିତ ଜଗତ,
ଲଭିଛ ତପସ୍ୟାବଳେ ଅସ୍ତ୍ର ପାଶୁପତ ।
ଅଜେୟ ଅହିଂସା-ବାଣ, ମହାଶକ୍ତି ଧରି
କରେ ଶତ୍ରୁ ସମ୍ମୋହନ ଜଲ୍ୟାଣ ବିତରି ।
ଭାରତର ଯେତେ ଦୁଃଖ ଯେତେକ ବେଦନା,
ଯେତେକ ଆକାଂକ୍ଷା, ଆଶା , କର୍ମ ବା ସାଧନା ।
ଯେତେ ଭୂତ, ଭବିଷ୍ୟତ ଯେତେକ ଅତୀତ
ଠୁଳ ହୋଇ ତୁମ୍ଭଠାରେ ହେଲା ରୂପାୟିତ ।
‘ବିପଦ’ ପାରିନି କରି ଚିତ୍ତକୁ ଦୁର୍ବଳ,
‘ଭୀତି’ ହରି ନାହିଁ ତବ ହୃଦୟର ବଳ ।
ଛୁଇଁନି କଳ୍ପନା ସୀମା କେବେହେ ହତାଶା,
ନୁହେଁ କି ବ୍ୟର୍ଥତା ଭୀରୁ କାପୁରୁଷ ଭାଷା ।
ଜାଣିଛି ନିଃସଙ୍ଗଂ କର୍ମେ ନାହିଁ ପରାଜୟ,
ରଖିଛି ଈଶ୍ଵରେ ଯେଣୁ ଜୀବନ୍ତ ପ୍ରତ୍ୟୟ ।
ହେ ମୋହନ, କି ମୋହନ ମନ୍ତ୍ର ଦେଇ ଚାଳି,
ଭାରତର ବକ୍ଷେ ଦେଲ ଅଗ୍ନିଶିଖା ଜାଳି,
ଜଗାଇଲ କୋଟି କୋଟି ପ୍ରାଣେ ଉଦ୍ଦୀପନା,
ଖେଳିଗଲା ସାରା ଦେଶେ ତପ୍ତ ଉନ୍ମାଦନା ।
ତୁମ୍ଭରି ସାଧନା ଫଳେ ଆହେ ଭଗୀରଥ,
ପ୍ରେମ-ମନ୍ଦାକିନୀ-ଧାରା ପ୍ଲାବିତ ଭାରତ,
ହିମାଚଳୁ କୁମାରିକା ଅଖଣ୍ଡ ମଣ୍ଡଳେ,
ମହାମୁକ୍ତି-ମନ୍ତ୍ର କର୍ମ ଉଠିଲା ଉଜ୍ଜ୍ୱଳେ,
ବିନ୍ଧ୍ୟଗିରି ଶୃଙ୍ଗେ ତାର ମନ୍ଦ୍ର ପ୍ରତିଧ୍ୱନି
ଗମ୍ଭୀରେ ଉଠିଲା ଗର୍ଜି ବିଦ୍ୱନ୍ଦି ଅଶନି !
ଗହନ ମାନବଧର୍ମ ଆଚରି ଆପଣେ,
ଶିଖାଇଲ ମାନବର ଆଦର୍ଶ ଜୀବନେ ;
ସତ୍ୟର ମହିମା ଆପେ କରିଲ ପରୀକ୍ଷା,
ଜଗତଜନଙ୍ଗୁ ଦେଲ ସେହି ମନ୍ତ୍ର ଦୀକ୍ଷା;
ବିଭାସିଲା ଦିଶି ଦିଶି ସତ୍ୟର ଆଲୋକ,
ଅମୃତେ ଉଠିଲେ ପୂରି ଦ୍ୟୁଲୋକ ଭୂଲୋକ ।
ହିଂସାଦ୍ଵେଷତାପକ୍ଲିଷ୍ଟ ମାନବସନ୍ତାନ
ଲଭିଲା ପରମ ଶାନ୍ତି କରି ତହିଁ ସ୍ନାନ ।
ହେ ମହର୍ଷି, ଜଗଦ୍ଗୁରୁ, ହେ ମହାମାନବ,
ଅମର, ଅକ୍ଷୟ ଯଶଃ ଏ ଜଗତେ ତବ ।
ଆଜି ସ୍ୱାଧୀନତା- ଅମର-ସଙ୍ଗୀତ
ଉଚ୍ଛ୍ୱସିତ ଘରେ ଘରେ,
ଆଜି ସ୍ଵାଧୀନତା- ନାଟକାଭିନୟ
ପ୍ରତି ଭାରତୀୟ ଦ୍ଵାରେ ।
ଅସୂର୍ଯ୍ୟଂପଶ୍ୟା ଭାରତୀୟ ଯୋଷା
ନିଷ୍କଳଙ୍କ କୁଳଶିରୀ
ସମ୍ତମର ଭ୍ରାନ୍ତ ପଟଳ ଫିଟାଇ
ଲଜ୍ଜାର ଜଳଧି ପାରି ।
ସ୍ଵୟଂ ସହିଷ୍ଣୁତା ଅବତରି ପୁଣି
ତ୍ୟାଗର ଚରମ ଛବି
ଦର୍ଶାଇ ସ୍ତମ୍ଭିତ କରିଛି ଜଗତ
ଢାଳି ଯଜ୍ଞେ ପ୍ରାଣହବି ।
ଅହିଂସ-ସଂଗ୍ରାମେ ଅସହଯୋଗୀର
ଲାଗିଛି ସତ୍ୟର ଯୋଗ,
ଧର୍ମର କର୍ମରେ ବିଭୂଷିତ ଅଙ୍ଗ
ଅରିର ତାଡ଼ନା ଭୋଗ ।
ରାଜନୀତି କ୍ଷେତ୍ରେ ଶାନ୍ତିର ସମର
ଅପୂର୍ବ ସାତ୍ତ୍ୱିକ ଦୀକ୍ଷା
ରାକ୍ଷସ ଦଳର ସମ୍ମୁଖେ ଦେବତା-
ଶକ୍ତିର ମହାପରୀକ୍ଷା ।
ଜୀବନର କୋଟି ଜଟିଳତା ମଧ୍ୟେ
ସରଳ ମୁକ୍ତି-ସରଣୀ
ଆଜି ଏ ଚରମ- ସତ୍ୟର ରଶ୍ମିରେ
ଉଜ୍ଜ୍ୱଳୀକୃତ ଧରଣୀ ।
+ + + +
ସ୍ମରୁନାହିଁ କି ମା’ ତୋର ବୀରଙ୍କର
ଅମର ଅତୀତ ଗାଥା
ଉଠୁଛି ଅନନ୍ତ- ଯୁଗର ଜଠରୁ
କୋଟି କଣ୍ଠର ବାରତା ।
ଜଳଦ ଗମ୍ଭୀର ଉଦ୍ବୋଧନ ବାଜେ
ବଧିର କର୍ଣ୍ଣ କୁହରେ,
ଖେଳୁନାହିଁ କି ମା’ ପ୍ରଖର ତଡ଼ିତ
ସରିତ ତୋର ଶରୀରେ ।
+ + + +
ଗାନ୍ଧୀଙ୍କର ମନ୍ତ୍ରେ ଗୋପବନ୍ଧୁ ଆଜି
ଅହିଂସା ଧର୍ମର ବ୍ରତୀ,
ଆଳସ୍ୟ ତେଜିଣ ଜାଗ ଉତ୍କଳୀୟ
ଦେଶ ପ୍ରେମେ ଯାଅ ମାତି ।
ଅଳୀକ ଜୀବନ ସ୍ୱାର୍ଥ ପରିହରି
ଲମ୍ପଦିଅ ମହାରଣେ,
ଉଲ୍ଲସିତ ହେଉ ଉତ୍କଳ ଜନନୀ
ସ୍ୱାଧୀନତା-ବାଣୀ ଗାନେ *
କବି, ବାଜେ.କବିତା ବନ୍ଦ କର, କମାଣ ପରାଏ କଲମ ଧର,
ଥରେ ବଜାରେ ସମର-ଭେରୀ,
ତରୁଣ ଯେତେ ସେଇ ସଙ୍କେତେ ଆସନ୍ତୁ ତୋତେ ହର୍ଷେ ଘେରି ।
ଗୋଲାପୀ ଅଧର ଯାଉଛି ଶୁଖି, କବିତା ଲେଖିଚୁ କାହାକୁ ଦେଖି
ଚାନ୍ଦ ବଦନେ ନାହିଁରେ ହସ,
ଶରଦ ରାସ ଦେଖିବ କିଏ ଚାଖିବ କିଏ ବସନ୍ତ ରସ ।
କଣ୍ୱ ମୁନିର ନାହିଁ ତପୋବନ, ମୁଗ୍ଧ କଲା ଯେ ନରପତି ମନ,
ବନ ଛବି ତୋର ଜୀର୍ଣ୍ଣ ବେଶ,
ଯଜ୍ଞ ଧୂମ ସପନ ସମ ବିଷ ବାଷ୍ପରେ ଥରଇ ଦେଶ ।
ଦମୟନ୍ତୀ ପ୍ରେମ ଆସିବ କାହୁଁ, ବିଳାସ-ଦାନବ ଶୋଷଇ ଲହୁ,
ସଂଯମ ଚିନ୍ତା ଗଲାଣି ଚାଲି,
ଶିକ୍ଷା ଏଥି ଭିକ୍ଷା ପାଇଁ କି ବିବେକ ପଙ୍ଗୁ ବଢ଼ନ୍ତି ଖାଲି ।
ଗୀତା ଗୀତାଜ୍ଜଳି ପଡ଼ୁଛି କିଏ, କୁଟୁମ୍ବ ଜଞ୍ଜାଳ କମ୍ପାଇ ଦିଏ,
ପଲ୍ଲୀ ହୃଦୟ ଜଳଇ ନିତି,
କଙ୍କାଳ ବୁକେ ଲୋଡ଼ିବ କିଏ ଅଭିସାରିକାର ଗୁପ୍ତ ପ୍ରୀତି ।
ସାବିତ୍ରୀ ଜଠର ଉଠଇ ଜଳି ଯମ ସଙ୍ଗେ କିଏ କରିବ କଳି,
ଅର୍ଣ୍ଣବ ପୋତେ ଯାଉଛି ଅନ୍ନ,
ତ୍ରିଶ କୋଟି ଦ୍ୱିପଦ ସାଥିରେ ଥାଆନ୍ତି ଏଠି ବସ୍ତ୍ରହୀନ ।
ମସୀଧାର ଆୟୁ ନେଉଛି ହରି ଅସିଧାର ଦେଖି ଉଠନ୍ତି ଥରି,
ଆତ୍ମ ସମ୍ମାନ ପାଇଛି ବଳି,
ରସିଧାର-ବନ୍ଧା, ପଶୁଦଳ ପରି ଆପଣା ଭିତରେ ଲଗାନ୍ତି କଳି ।
ନାଜୀର ଯାହାର ଲୁଣ୍ଠନ ଭଲ, ମରହଟ୍ଟା ପଛେ କରୁ କଲବଲ,
ଏ ରକ୍ତଶୋଷୀ ଶାସନ ନୀତି,
ହୀରା ଠାରୁ ଜିରା ସବୁ ଶୋଷି ନିଏ ପୁତନା ପରାଏ ଦେଖାଇ ପ୍ରୀତି ।
କବି ବାଜେ କବିତା ବନ୍ଦକର କମାଣ ପରାଏ କଲମ ଧର
ଥରେ ବଜାରେ ସମର-ଭେରୀ,
ତରୁଣ ଯେତେ ସେହି ସଙ୍କେତେ ଆସନ୍ତୁ ତୋତେ ହର୍ଷେ ଘେରି । (ବିଦ୍ରୋହୀ ବୀଣା)
ଭାଇ ହେ, ରଣ ସମୟରେ ବହି ଧରିବାକୁ
ମୋତେ ଆଉ ତୁମେ କହନା
ଛାତିର ରକତ ତାତି ଉଠେ ମୋର
ବାଜିବାରୁ ଯୁଦ୍ଧ ବାଜଣା,
ଭାଇ ହେ......... ।
ଘନ ଘନ ବାଜି ଉଠେ ରଣଭେରୀ
ମଦମତ୍ତ ଆଜି ଆମର ବଇରୀ
ମୋ ଦେଶ ଦେବତା ଛାତି ରକ୍ତ ଲାଗି
ଲହ ଲହ ତାର ରସନା,
ଭାଇ ହେ ......... ।
କି ବହି ଘୋଷିବି ପଢ଼ିବି କି ପାଠ
କି ଅଙ୍କ କଷିବି ହୋଇ ଗବ କାଠ
ଯୁବକ ହୋଇକି ବକ ହୋଇବି ମୁଁ
ବିବେକକୁ କରି ବଞ୍ଚନା,
ଭାଇ ହେ......... ।
ଟଙ୍କା ନୁହେଁ ମୋର ଜୀବନର ଲକ୍ଷ୍ୟ
ଶଙ୍କା ନୁହଇ ତ ଯୁବକ ପୋଷାକ
ଆଖିରେ ଲଗାଇ ଅନ୍ଧ ପୋଟଳିକି
ଦେଖୁଥିବି ଦେଶ ଯାତନା,
ଭାଇ ହେ .......... ।
କୁଳବଧୂମାନେ ମରୁଛନ୍ତି ଖଟି
ସାନ ସାନ ପିଲା ସହୁଛନ୍ତି ଲାଠି
ଗାନ୍ଧୀ, ଗୋପବନ୍ଧୁ ଚାହିଁଛନ୍ତି ମୋତେ
ନାହିଁକି ମୋ ହୃଦେ କରୁଣା,
ଭାଇହେ ........ ।
ଯୁଦ୍ଧ ଇତିହାସ ହୋଇଲେ ପଠିତ
ଶୁଣି ବଂଶଧର ହୋଇବେ ଲଜ୍ଜିତ
ନରହନ୍ତାର କଂସେଇଶାଳେ ମୁଁ
ଲେଖୁଥିଲି ବସି ରଚନା,
ଭାଇ ହେ......... ।
ହିମାଳୟ ଶିରୁ ଡାକନ୍ତି ଦେବତା
ଦ୍ଵାରେ ଉଭା ତବ ଜଗତ କରତା
ଉଠ ହେ ଯୁବକ ତେଜି ମନୁ ଦକ
ଡେରି ନାହିଁ ଆଉ ଡରନା,
ଭାଇ ହେ ..........।
ସତ୍ୟର ବିଜୟ ଦେଖ ଯୁଗେ ଯୁଗେ
ହସି ହସି କଷ୍ଟ ସତ୍ୟାଗ୍ରହୀ ଭୋଗେ
ସେ ସତ୍ୟ କାରଣେ ପ୍ରାଣ ଢାଳିଦେବି
ଭୁଲି ଆଗ ପଛ ଭାବନା,
ଭାଇ ମୋତେ ଆଉ ତୁମେ କହନା ।
ତୋ ବିଜୟ ବାଦ୍ୟ ବଜାରେ ସୈନିକ
(ଆଜି) ଭାରତ ସ୍ୱାଧୀନ ଋଣ,
ସ୍ଵାଧୀନ ଯୁଗର ଶୁଭ କୁମ୍ଭ ବସା ଶିବିରେ ଉଡ଼ା କେତନ ।
ଦମନ ନୀତିର ଘନ ଗରଜନ
ବଧିର କଲାଣି ମରଣର କାନ
କାରାଗାରଠାରୁ ପାରାବାର ଯାଏ ଲୁଣ୍ଠିତ ଜୀବନ ଧନ ।
ଜାଳୁ ପଛେ ଅରି ଅନୀତି ଅନଳ
ଭକତ ତୁ ରଖ ରକତ ଶୀତଳ
ଗଗନେ ପବନେ ଲଗା ତୋ ଆଳତି ସାଜ ତୁ ପୁନେଇଜହ୍ନ ।
ଧ୍ରୁବ ପରି ବାରେ ଦେଖା ତୋ ଭକତି
ଭୀଷ୍ମ ପରି ଜଗି ରଖ ତୋ ଶକତି
ଚଇତନ ପରି ସବୁ ଦୁଃଖ ସହି ଟଳାଅ ଜଗତ ମନ ।
ଅହିଂସା ନୀତିକି ଜୀବନରେ ଧରି
ଯୁଗ ଅତ୍ୟାଚାର ଦିଅ ଭାଇ ଦଳି
ଶବ ପ୍ରାଣେ ଶିବ ତାଣ୍ଡବ ଦେଖାଅ ଏ ଶୃଙ୍ଖଳ ହେଉ ଛିନ୍ନ ।
ପଲାସୀ ଯୁଦ୍ଧର ରକତର ଛିଟା
ପୃଥିବୀ ଉପରୁ ହସି ହସି ଉଠା
ଉଲସି ଉଠନ୍ତୁ ରବି ଶଶୀ ତାରା ହେଉ ସେ ମହାତ୍ମା ଧନ୍ୟ ।
୧
ମୁଁ ଯେ ବିଦ୍ରୋହୀ ଚିର ବିଦ୍ରୋହୀ
ଚିର ରଣଜୟୀ ରଣବିଦ୍ରୋହୀ
ରଣ ମାନବ ରଣ ଦାନବ
ରଣ ରକ୍ତ ମୁଖରୁ ମୁକ୍ତ କରିବି ମୋର ମହୀ ।
୨
ତୋପ ବନ୍ଧୁକ ଯେତେ ହରିବି
ବିଷ-କନ୍ଦୁକ ଯେତେ ଚୂରିବି,
ରଣ ଅସ୍ତ୍ର ଯେତେ ମୁଁ ଭାଙ୍ଗ ଭୁଙ୍ଗି ଦେଇ
ଗଢ଼ିବି ଲଙ୍ଗଳ, ମଇ ।
୩
ଶ୍ରମ ସଞ୍ଚିତ ଧନ କିଞ୍ଚିତ
କେବେ କରାଇ ନ ଦେବି ବଞ୍ଚିତ
ଏ ଲୁଣ୍ଠନ ଚିନ୍ତା ଦରବାର ଲାଗି
ଗୁଣ୍ଠେ ନ ଦେବି କାହିଁ ।
୪
ନରହତ୍ୟାରେ ନର ଗୌରବ
ନର ବନ୍ଧନେନ ର ବୈଭବ
ଗୌରବ ପ୍ରଥା ରଖିବି ନାହିଁ ମୁଁ
ଦେଇ ବୀରତ୍ୱର ଦ୍ୱାହି ।
୫
ଯୁଗ ଅତ୍ୟାଚାର ମୁଁ ଦଳିବି
ସତ ଶାନ୍ତି ପତାକା ମୁଁ ତୋଳିବି,
ମୃତ୍ୟୁ ଆସନ ଟଳମଳ ହେବ
ହେବି ମୁଁ ଜଗତ-ଜୟୀ ।
ଭାଇ,
ତମେ କେତେ ଜଣ
ଜୀବନକୁ ପାଣି
ଛଡାଇ ନ ଦେଲେ ଚଳିବ କି ?
ଦଧୀଚିର ହାଡ଼
ଉଜାଡ଼ି ନ ଦେଲେ
ଜଗତର ଭାଗ୍ୟ ଫେରିବ କି ?
ଶେଷ ଯବନିକା ହେଲାଣି ପତନ
ବଦଳି ଯିବ ଏ ଶୋଷକ ଶାସନ
ଶୋଷଣ ନୀତିର ବତୀ ଲିଭି ଆସେ
ଜଳାଇଲେ ଦୀପ ଜଳିବ କି ? ୧ ।
ଆଖି ଆଗେ ସଫା ଦିଶେ ଢଳ ଢଳ
ସ୍ଵାଧୀନତା ସ୍ରୋତ ଆସଇ ପ୍ରବଳ
ପହିଲି ଆଷାଢ଼ ନଈ ବଢ଼ି ପାଣି
ତମେ ତାକୁ ଲୋଭେ ପିଇବ କି ? ୨ ।
ଧନୀ, ମହାଜନ, ରାଜା, ଜମିଦାର
ତ୍ୟାଗ ମାଳିଧରି ହୋଇବେ ବାହାର
ଗେରୁଆ ବସନ ମଧୁର ବଚନ
ଶୁଣି ନିଜ ନୀତି ଭୁଲିବ କି ? ୩ ।
ଧଳା ବଦଳରେ କଳା ହେଲେ ଯୋକ
ମେଣ୍ଟିବ କି କୋଟି ଗରିବଙ୍କ ଦୁଃଖ
ଚାଷୀ, ମୂଲିଆଙ୍କ ଖପୁରିକି ଚୂରି
ଦିଲ୍ଲୀ ଦରବାର ତୋଳିବା କି ? ୪ ।
ତମରି ରକ୍ତରେ ଜାତୀୟ ପତାକା
ରଙ୍ଗାଇବ ଯେବେ ସହି ଶତ ଧକା
ମାନବ ଜାତିକି ବଞ୍ଚାଇ ରଖିବ
ପୃଥିବୀରେ ଯିବ ନାଆଁ ରଖି । ୫ ।
୧
ଡାକେ ବନ୍ଧୁକ, ଡାକେ ତରବାରୀ,
ବନ୍ଧୁକ ମୁଖେ ଗର୍ଜେ କମାଣ
ଉଡ଼େ ବ୍ୟୋମଯାନ ଧାଡ଼ି ଧାଡ଼ି ।
୨
ମୃତ୍ୟୁ ସଙ୍ଗତେ ଯୁଝିବ କେ ଆସ
ସୌର ଜଗତେ ଅରଜିବ ଯଶ,
ଆସ ପ୍ରହଲାଦ ପରି ଦମ୍ଭ ଧରି ।
୩
ଚଇତନ ପରି ସଙ୍ଗୀତ ତୋଳି
କର୍ତ୍ତବ୍ୟ ପଥୁ କଣ୍ଟକ ଦଳି
ମଥା ରକ୍ତ ଧରାରେ ଦିଅ ଢାଳି ।
୪
ସଂଯତ କର ପ୍ରକୃତି ବର୍ଗ
ମୁକ୍ତ କର ତୋ ସ୍ୱଦେଶ ଦୁର୍ଗ
ହୋଇ ଗୋବର୍ଦ୍ଧନ ଗିରିଧାରୀ ।
ଅରି ଫେରି ନାହିଁ, ଯୁଦ୍ଧ ସରି ନାହିଁ ।
ଆସ ମୋ ଶିବିରେ ଆସ ଭାଇ !
ହିମାଚଳ ଶିରେ ଶବଦ ଶୁଭଇ ଡର ନାହିଁ ଆଉ ଡେରି ନାହିଁ । ୦ ।
ସଉର ଜଗତୁଁ ରଣ ବିଜ୍ଞାନର
ବିଷ ପୂରାପୂରି ହରି ନାହିଁ ।
ପ୍ରକୃତି ସୁନ୍ଦରୀ ବିଜୟ ଚନ୍ଦ୍ରିକା
ବିଶ୍ୱ ଗଗନରେ ଭରି ନାହିଁ । ୧ ।
ଭାରତର ନବ ମନ୍ତର ଉଚ୍ଚାଟେ
ଶିବ ନାଚିଲାଣି ଶବ ପାଇଁ,
ମାନବ ମୁକତି ଗଙ୍ଗା ଆସୁଛନ୍ତି
ବାରେ ଚଉଦିଗ ଦେଖ ଚାହିଁ । ୨ ।
ଜତ ଚେତନର ବଳ କଷାକଷି
ଅସ୍ତ୍ର ଜବତ୍ରଣ ଏହି
ତରଙ୍ଗ ଏହାର ରୋଧିବ କିଏ ସେ
ଯୁଗ ଯୁଗାନ୍ତର ଯିବ ବହି । ୩ ।
ଭକତ ଯେ ଅଛ ଦେବୀ ପୂଜା କର
ରକତ ମନ୍ଦାର ଢାଳି ଦେଇ,
ତରୁଣ କେ ଅଛ ମରଣକୁ ଦଳି
ଦେବତା ପରାଏ ଉଠ ଚେଇଁ । ୪ ।
ଚାଷୀ କାରିଗର ପ୍ରାଣ ରକ୍ଷା କର
ଆଜି ଫୁଲ ପାଣି ସିଞ୍ଚି ଦେଇ,
ଅଚିରେ ଧରଣୀ ସରଗ ସାଜିବ
କଳି ଚାଲିଯିବ ବଳି ପାଇଁ । ୫ ।
ଦିନ ରାତି ମୋର ସେହି ଚିନ୍ତା,
ବନ୍ଧୁ, ସେହି ଚିନ୍ତା ।
(ଏ) ସରକାର ଶବ ଦାହ ହେବ କେବେ
ଦେଖିବି ମୁଁ ତାର ଶେଷ ଚିତା,
ବନ୍ଧୁ, ସେହି ଚିନ୍ତା ।
ପଞ୍ଜାବଠାରେ ସେ ଯାହା କଲା
କେତେ ନିର୍ଦ୍ଦୋଷଙ୍କର ପ୍ରାଣ ନେଲା
ଗର୍ଭିଣୀ ନାରୀଙ୍କି ଗୋଇଠା ପାହାର
ମନୁ ଲିଭିବ କି କେବେ ସେହି ବ୍ୟଥା
ବନ୍ଧୁ, ସେହି ଚିନ୍ତା ।
ଭଗତ ସିଂହକୁ ଦେଲା ଫାଶି
ମାଇଲା ଯତୀନ୍ଦ୍ର ଉପବାସୀ
ଲାଲା ଲଜପତ ମରିବା ଦିନରୁ
(ସଦା)ଅନ୍ନଜଳ ମୋତେ ଲାଗେ ପିତା,
ଏ ବନ୍ଧୁ, ସେହି ଚିନ୍ତା ।
ହିଜିଲି ଜିଏଲ ହତ୍ୟାକାଣ୍ଡ
କୁଳବଧୂଙ୍କର କାରାଦଣ୍ଡ
ମୋ ସାନଭାଇଙ୍କ ମୁଣ୍ଡେ ଲାଠିମାଡ଼
(ଆହା) କି କହିବି ସେହି କଂସ କଥା,
ବନ୍ଧୁ, ସେହି ଚିନ୍ତା ।
ଯୁଗ ଅବତାର ମୋର ଗାନ୍ଧୀ
ଧର୍ମ ଡାକ ଦେଇ କଲା ସନ୍ଧି
ବନ୍ଦୀକଲା ତାଙ୍କୁ ବିନାଶ କାରଣେ
ନ ବୁଝିଲା ତାଙ୍କ ସରଳତା,
ବନ୍ଧୁ, ସେହି ଚିନ୍ତା ।
ପଟେଲ, ତୟାବ୍ଜି ଆଦି ବୃଦ୍ଧ
ହେଲେଣିତ କେତେ କାରାରୁଦ୍ଧ
ତାଙ୍କ ନିଶ୍ଵାସରୁ ଯେ ନିଆଁ ଆସୁଚି
ନ ରହିବ କେବେ ତାର ସତ୍ତା,
ବନ୍ଧୁ, ସେହି ଚିନ୍ତା ।
ଆଇନ ଜାରି ସେ କରେ ନିତି
ମରଣକୁ ଆଉ ନାହିଁ ଭୀତି
ଲକ୍ଷ ଲକ୍ଷ ଲୋକ ଜାଗି ଉଠିଲେଣି
ଗୁଳିକୁ ପତାଇ ନିଜ ମଥା,
ବନ୍ଧୁ, ସେହି ଚିନ୍ତା ।
ମାରିବ ସେ କେତେ ମାରୁ ବଳେ
ବାହାରିବୁ ଆମେ ଦଳେ ଦଳେ
ଜୀବନକୁ ଆମେ ପାଣି ଛଡ଼ାଇଛୁ
ନ ଛାଡ଼ିବୁ କେବେ ଆମ ପନ୍ଥା,
ବନ୍ଧୁ, ସେହି ଚିନ୍ତା ।
କଚେରୀ କରିବୁ ଛତାତଳେ
ସଭା ବସାଇବୁ ଗଛ ମୂଳେ
ସତ୍ୟାଗ୍ରହ ନୀତି ଦାଣ୍ଡେ ପ୍ରଚାରିବୁ
ଭାଙ୍ଗିବୁ ବେପାରୀ ଲୁହା ଯନ୍ତା,
ବନ୍ଧୁ, ସେହି ଚିନ୍ତା ।
କଂସାଥାଳୀ ପଛେ ନେଉ କାଢ଼ି,
କୋରିଖି କରୁ ସେ ଜମିବାଡ଼ି
ବିଲାତି ଦରବ ଖିଏ ନ ଛୁଇଁବୁ
ପିନ୍ଧିବୁ ଖଦଡ଼ ଛିଣ୍ଡା କନ୍ଥା,
ବନ୍ଧୁ, ସେହି ଚିନ୍ତା ।
ଅହିଂସା ଆମର ଧର୍ମନୀତି,
ସାହସ ଆମର କର୍ମଭିତ୍ତି,
ଚରିତ୍ର ଆମର ପରମ ଦେବତା
ଜୀବନର ବ୍ରତ ସ୍ଵାଧୀନତା,
ବନ୍ଧୁ, ସେହି ଚିନ୍ତା ।
କାରା ପାଚେରୀ !
କହ କେତେ ଦିନ ଲଗାଇ ବନ୍ଧନ
ରହିବୁ ତୁ ମୋତେ ଗରବେ ଘେରି ।
ଚାହିଁଲେ ତୋ ଆଡ଼େ ମନ ଭାଙ୍ଗିପଡ଼େ ।
ହୃଦୟ ଭିତର ହୁଏ ବିଦାରି । ୧ ।
ମୋ ଭାଇ ଭଉଣୀ ଡାକୁଛନ୍ତି ମୋତେ
ଶୁଭୁ ନାହିଁ କିରେ ସେ ଶବଦ ତୋତେ
ପାଷାଣରୁ ବଳି ହେଲୁ ତୁ ପାଷାଣ
ବଇରୀ କଥାରେ ହେଲୁ ବଇରୀ । ୨ ।
କେତେ ଓଷା ବ୍ରତ ପୁନେଇ ପରବ
ସ୍ମୃତି ପଟେ ନିତି କରେ ଅନୁଭବ
କେତେ ଜହ୍ନ ରାତି କେତେ ମନ ସାଥୀ
ମନ ବିରସରେ ଯାଆନ୍ତି ଫେରି । ୩ ।
କେଉଁ ଦୋଷ ଆମେ କରିଥିଲୁ କା’ର
ମାଗୁଥିଲୁ ଆମେ ଆମ ହୃଦହାର
ଆମ ଘର ଚାବି ଆମେ କଲୁ ଦାବି
ବିନା ବିଚାରେ ତ ଆଣିଲେ ଧରି । ୪ ।
ସତ କଥା କହି ସେନାପତି ମୋର
ପୃଥିବୀର ସାଧୁ ଆଜି ବଡ଼ ଚୋର
ଏ ବୃଦ୍ଧ ବୟସେ ଭୀଷ୍ମଙ୍କ ପରାୟେ
ଶର ଶେଯେ ରହି ପଡ଼ଇ ଝରି । ୫ ।
ତୋ ଖଟ ମାଠରେ ନାହିଁ ମୋର ଶାନ୍ତି
ସପନ ଦେଖେ ମୁଁ ନିତି ଅଧ ରାତି
ଜଣେ କିଏ ଆସି ଦର ଦର ହସି
କହେ ମୋତେ କିରେ ଦେଲୁ ପାସୋରି । ୬ ।
କାଇପଡ଼ା ରକ୍ତ କୋରାପୁଟ ଲୁହ
ଇରମ କୃଷକ ଘରଣୀର କୋହ
ଆଖି ଆଗେ ଆସି ଛବି ପରି ଭାସି
ହୃଦୟ ମୋହର ଦିଅଇ ଘାରି । ୭ ।
ପ୍ରଳୟ ଅନଳ ଆସିଲାଣି ଝଳି
ତୋ ଶିଳା ହୃଦୟ ପଡ଼ିବ ତରଳି
ସ୍ଵାଧୀନତା-ପଥେ ଚାଲିବୁ ସମସ୍ତେ
ମୁକତି ପତାକା ଗଗନେ ଭରି । ୮ ।
ଆମେ ହିନ୍ଦୁ, ଆମେ ମୁସଲମାନ
ଭାରତ ଆମର ଜନ୍ମ ମାଟି
କବର ଆମର ହିନ୍ଦୁସ୍ତାନ,
ଆମେ ହିନ୍ଦୁ, ଆମେ ମୁସଲମାନ ।
ଆମେ କୋଟି କୋଟି ଭାରତବାସୀ
ଚାଟ କାରିଗର ମୂଲିଆ ଚାଷୀ
ଆମେ ଅଟୁ ଶିଖ, ବୌଦ୍ଧ, ପାର୍ଶୀ,
ଆମେ ରେ ଜଇନ, ଖିରସ୍ତାନ
ଆମେ ହିନ୍ଦୁ, ଆମେ ମୁସଲମାନ ।
ମସ୍ଜିଦ୍ଯେଉଁ ମାଟିରେ ଗଢ଼ା
ଗୀରିଜା ମନ୍ଦିର, ତହିଁରେ ଛିଡ଼ା
ଏକା ପାଣି ଏକା ପବନେ ବଞ୍ଚୁ
ଏକା ରକ୍ତରେ ଗଢ଼ା ଆମରି ଜାନ୍।
ଆମେ ହିନ୍ଦୁ, ଆମେ ମୁସଲମାନ ।
ଆମ ହିମଗିରି ଆମରି ଗଙ୍ଗା
ଯେତେ ଭାଙ୍ଗିଲେ ସେ ନୋହିବେ ଭଙ୍ଗା
ସତ୍ୟ ଅହିଂସା ଆମ ଦେବତା
(ଆମେ) ତାରି ତେଜରେ, ତେଜୀୟାନ
ଆମେ ହିନ୍ଦୁ, ଆମେ ମୁସଲମାନ ।
ଆମ ଇତିହାସ ଗଢ଼ିଛୁ ଆମେ
ବିଶ୍ଵ ଚମକାଇ ଆମରି ନାମେ
ଡରିନାହୁଁ କେବେ ଡରିବୁ ନାହିଁ
ଜୀବନ କରିବୁ କୋରବାନ୍
ଆମେ ହିନ୍ଦୁ, ଆମେ ମୁସଲମାନ ।
ଆମ ଦେଶକୁ ଯେ କରିବ ଲୋଭ
ତିଳେ ହେଲେ ତାର ନୋହିବ ଲାଭ
ଇଞ୍ଚେ ହେଲେ ଜାଗା ଛାଡ଼ିବୁ ନାହିଁ
ନୋହିବୁ କଦାପି ବେ’ଇମାନ,
ଆମେ ହିନ୍ଦୁ, ଆମେ ମୁସଲମାନ ।
ସଂସାରର ସାର ଜନ୍ମ ଅଧିକାର ସବୁରି ସମ୍ପତ୍ତି ସ୍ଵାଧୀନତା ଭାଇ
ଚିର ପରାଧୀନ ନୁହଇ କେହିତ କାହା ଭାଗ୍ୟେ ଧାତା ଏହା ଲେଖିନାହିଁ ।
ହେବାକୁ ସ୍ଵାଧୀନ ପଶୁପକ୍ଷୀ ନରେ
ସଚୁରି ପରାଣେ ଆଶା ତ ସଞ୍ଚରେ
ପିଞ୍ଜରାରେ ଶୁଆ ଅବା ସିଂହଛୁଆ କି ବେଦନା ଭୋଗେ ସେ ସିନା ଜାଣଇ ।
ମାନବ ତ ସବୁ ପରାଣୀର ସାର
ସ୍ଵାଧୀନତା ଦାବୀ ଅଧିକ ତାହାର
ମାନବ ଜଗତେ ଯେ ଜାତି ଆଲୋକ ସେ କି ରହିଥିବ ପରକୁ ଅନାଇ ?
ପରାଧୀନ ବୋଲି ଭାରତ ସନ୍ତାନ
ହୋଇଥିବୁ କି ହେ ଚିର ଉଦାସୀନ
ଆମ୍ଭେ ପରା ଅଛୁ ତ୍ରେତ୍ରିଶକୋଟି ହେ ତେବେ କିପାଁ ଚିନ୍ତା ଭାବନା କା’ ପାଇଁ ।
ଦିନକେ ଏକାଠି ଲାଗିଲେ ସରବେ
ଅହିଁସା ମନ୍ତର ଜପିଲେ ନୀରବେ
ସ୍ୱାଧୀନତା ଦେବୀ ଉଭା ହେବେ ଆସି ଘେନି ଶୁଭାଶିଷ ସଫଳତା ପାଇଁ ।
କହ କହ କେଉଁ ଜାତି ପାଇଛି ମୁକତି
କରି ହୁରି ହାରି ଗୁହାରି;
କହ ପାଇଛି କେ ସୁଖ ଲିଭାଇଛି ଦୁଃଖ
ମାଗି ମାଗି ପଥ ଭିକାରୀ (ଧ୍ରୁବ) । ୦ ।
ଯେବେ ବାଘ ମୁହେଁପଡ଼େ ଶିକାର
ମିନତିରେ ପାଏ କି ସେ ଉଦ୍ଧାର
ଛାଡ଼ିକି ଦିଏ କେବେ ଧୀବର ଜାଲରୁ
ନ ଗଲେ ମୀନ ଆପେ ବାହାରି । ୧ ।
ଦେଖ ଆଇରିସ୍, ଚାଇନା, ଜାପାନ
ଆମେରିକା, ଆଫଗାନ ପଠାନ
ପରାଣ ପାତି ହେଲେ ମୁକତ
ଜୀବନ-ମରଣ ନ ବିଚାରି । ୨ ।
(ଆଜି) ଅଭିମନ୍ୟୁ ପରି ଘେରି ଚଉଦିଗୁଁ ଜନନୀ କୁମାରୀ
ଆତ୍ମଶକ୍ତି ସୁବିକାଶ ସୁଦର୍ଶନ ଚକ୍ରଟି କରିଦେବ ପାରି । ୩।
କାହୁଁ ଅଇଲେ ବିଦେଶରୁ ବେପାରୀ
ସବୁ ସାଇଲେ ହେଲୁ ଆମେ ଭିଖାରୀ ।୦।
ଇଂରାଜି - ଇରାନୀ-ଜର୍ମାନୀ-ଜାପାନୀ
ଚିନା, କାବୁଲି ଏ ଦେଶ ସେ ପାରି ।୧।
ଚକ ଚକ ଚାଇନା ମାଟିର ବାସନ
ସାରିଦେଲା ବୃତ୍ତି ଦେଶ କଂସାରି ।୨।
ଫରାସୀର ଫେନ୍ସି କାମ - ଜାପାନର ଶସ୍ତା ନାମ
କଟ୍ଲେରି ହୁଇସେରି ସୁଇଟ ସେଣ୍ଟ ପରଫ୍ୟୁମେରି
କାଚ ଶଂଖା ମାରିଦେଲା ଶଂଖାରୀ ।୩।
ନକଲି ଖଦର ଜାପାନୀ ଚଦର
ଗାନ୍ଧି ଲୁଗାକୁ ହେଲା ଭଗାରି ।୪।
ଭାବୁନାହୁଁ ଭାଇ ମହାତ୍ମା କା’ ପାଇଁ କିମ୍ପା ଏତେ ଦୁଃଖ ସହୁଛିରେ
ସହି ସହି ସେତ ପଥର ହେଲାଣି ତିଳେ ତୋ ଚେତନା
ନୋହୁଛି ରେ । ଘୋଷା ।
କି ପାଇଁ ତେଜିଣ ଏ ସୁଖ ସଂସାର
ତୁଚ୍ଛ କଲେ ଯେତେ ଆୟ ଅଳଙ୍କାର
ଘେନ ସଙ୍ଗେ ଦାରା ପୁତ୍ର ପରିବାର ସନ୍ନ୍ୟାସେ ଆଶ୍ରମେ ରହୁଛି ରେ ।୧।
କେତେ କେତେ ଶିଷ୍ୟ ଅନୁଚର ପୁଣି
ଦେଶ-ସେବୀ ସାଧୁ ସନ୍ନ୍ୟାସୀ ସୁଗୁଣୀ
ପଡ଼ନ୍ତି ଅନଳେ ମାତା ଡାକ ଶୁଣି ମାତାଦୁଃଖ ତାଙ୍ଗୁ ଦହୁଛିରେ ।୨।
ଅପମାନ ଗାଳି ଗୋଇଠା ପ୍ରହାର
ଭୋଗୁଛନ୍ତି ଦଣ୍ଡ କେ କେତେ ପ୍ରକାର
ଖାଇ ସେ ପ୍ରହାର କରନ୍ତି ଜୁହାର ପ୍ରବୋଧି ଯେ ଦଣ୍ଡ ବିହୁଛି ରେ ।୩।
ଦେଶବନ୍ଧୁ ଦାସ ଲାଲା ଲାଜପତ
ଆଲି ମହମ୍ମଦ ନେହେରୁ ସୌକତ
ଦେଶପାଣ୍ଡେ ଦେଶଭକ୍ତ ପ୍ରତିଶ୍ରତ ଯାବତ ଦୁଃଖ ନ ଯାଉଛି ରେ ।୪।
ନିଜ ଲାଗି ନୁହେ ସାଧନା ଯାହାର
ପର ମୁକତିରେ ମୁଜତି ଯାହାର
ଅହିଂସା ଯାହାର ସଦା ଗଳାହାର, ତା ଦେହେଁ କି ରକ୍ତ ବହୁଛି ରେ ।୫।
ମାନବତା ପ୍ରୀତି ଯାର ମୂଳମନ୍ତ୍ର
ଜାତୀୟ ଗୌରବ ଯାର ଏକତନ୍ତ୍ର
ଧରି ସେ ଅସହଯୋଗ ବୀଣାଯନ୍ତ୍ର ସ୍ୱାଧୀନତା ସୁରେ ଗାଉଛି ରେ ।୬।
କୃପାମୟ ନିରଞ୍ଜନ କୃପାକର
ଝରୁ ବସୁଧାରୁ ସୁଧା ସୁଧାକର
ଶୁଖାଇ ଦିଅ ମା ସନ୍ତାପ ସାଗର ଦୀନ ଦୁଃଖୀ ଗୀତେ ଗାଉଛି ରେ ।୭।
ରେ ପତାକା ଜାତିର ଗରବ ଜାତିର ଜୀବନ ପରାଣ ତୁହିରେ
ଏକତା-ପୀରତି - ଶାନ୍ତି-ମୁରତି ସୁନ୍ଦର ତୋହର ସମାନ ନାହିଁରେ (ଧ୍ରୁବ)
ତୋହରି ଲାଗି କେତେ ଯେ ସମର
ଲାଗିଛି ଜାଗିଛି କୀରତି ଅମର
ତୋହରି ଲାଗି କେତେ କାରାଗାର ବରିଲେ ମରିଲେ ସମର ଭୂଇଁରେ ।୧।
ତୋହରି ଲାଗି ଦେଶେ ଦେଶେ
ପୀରତି ହୋଇଛି ବଇରି ଶେଷେ
ତୋହରି ଲାଗି ଅରିର ଖଡ଼ଗ ଶରୀର ରକତେ ଦେଲେ ରଞ୍ଜାଇ ରେ ।୨।
ଜାଣିଛି ଯେ ଥରେ ଜାତୀୟତା ସ୍ୱାଦୁ
ଚାଖିଛି ଯେ ଥରେ ସ୍ଵାଧୀନତା ମଧୁ
ପାରିଛି ଦେବାକୁ ଜୀବନ ଯୌବନ ମାନ ସନମାନ ବିମନ ନୋହିରେ ।୩।
ଉଡ଼ିଛୁ, ଉଡୁଛୁ, ଉତୁଥିବୁ ପରା
ଯାବତ ଏ ଦେଶ ଧରିଥିବ ଧରା
ଯାବତ ଜାତିର ଜଣିଏ ପରାଣେ ଥିବ ତୁ ରାଜିବୁ ଗଗନ ଛୁଇଁରେ ।୪।
ଧନ୍ୟ ଧନ୍ୟ ତୁହି ତିନି ରଙ୍ଗିଆରେ
ଧରିଛୁ ଅଙ୍ଗରେ ସୁଖ ସାଙ୍ଗିଆରେ
ଚରଖା ଦରିଦ୍ର-ସେବା-ଅବତାର ବକ୍ଷରେ ସେ ଚିହ୍ନ ନମୁଛି ମୁହିଁରେ ।୫।
ଆଚ୍ଛା ଗୋଲଟେବୁଲ ପାଲା ଲାଗିଲାରେ
ବାବା ସତ୍ୟପୀର ପୂଜା ମାଗିଲାରେ ।
ପାର୍ଲ୍ୟାମେଣ୍ଟ ସତ୍ୟପୀର ମ୍ୟାକ୍ଡ଼ୋନାଲ ଗାଉଣୀ ଶିର
କିଂସଲି (kingsly) ହଲରେ ପୀର ଆସ୍ଥାନ ।
ସାଜସଜ୍ଜା ଭାରି ମସ୍ତାନ, କେତେ ରଙ୍ଗେ ପ୍ରଜାବାଜା ବାଜିଲାରେ ।୧।
ଗାଉଣୀ ବାଉଣୀ ପାଳିଆ, ମିଶିଗଲେ ଯେତେ କଳିଆ
ଶିଖ ହିନ୍ଦୁ ମୁସଲମାନ, ଜୈନ ବୌଦ ଖ୍ରୀଷ୍ଟିୟାନ
ପିଟାପିଟି ତାଳ ଖୋଳ ଭାଙ୍ଗିଲାରେ ।୨।
ମଡ଼ରେଟ ସାପୁ ଜୟକାର, ନିଜାମ, ଆଲୁୱାର, ଗାଇକୋୱାଡ଼
କାନ୍ଦି କାନ୍ଦି ଗାନ୍ଧୀ ବୁଢ଼ା ଫେରିଲାରେ ।୩।
ବାରେ ନୁହଁ ତିନିବାର ଯାଇଥିଲେ ଦରିଆପାର
କେତେ ଲକ୍ଷ ଗଲା ବୋହି, ଶେଷେ ଶିରିଣୀ କଦଳୀ ଖୋଇ
ସିଧା ବିଦାକଲେ ପାଲା ଭାଙ୍ଗିଲାରେ ।୪।
ପାଲା ହୋଇଲା ଶେଷ, ଓଡ଼ିଶା ସିନ୍ଧୁ ପ୍ରଦେଶ
ଶିରିଣୀ ବାଣ୍ଟିଲେ ବସି, ଓଡ଼ିଆ ହୋଇଲେ ଖୁସି
ସୁନା ଫଳିବ ଭାଗ୍ୟେ ପାଲା ଭଣିଲାରେ ।୫।
କେତେଦିନ ଆଉ ଦୁଃଖିନୀ କନିକା ଅନୀତି ଯାତନା ସହିବ,
ଦୁଃଖ ସହିବାକୁ ଦୁଃଖିନୀ ଲଲାଟେ ଲିହିଥିଲା କିବା ଦଇବ ।ପଦ।
କର ଦେଇ ଦେଇ ସାରିଛି ସମ୍ବଳ
ମାଡ଼ ଖାଇ ଖାଇ ହରାଇଛି ବଳ
ଆହା ବୋଲିବାକୁ ସାହା କେହି ନାହିଁ କାହା ଆଗେ ଦୁଃଖ କହିବ ।୧।
ପଞ୍ଜାବ କାହାଣୀ ଶୁଣୁଥିଲ କାନେ
କନିକାର ଲୀଳା ଦେଖୁଛ ନୟନେ
ଶତ ଅତ୍ୟାଚାର କନିକାର ତୁଲେ ପଞ୍ଜାବକି ସରି ହୋଇବ ।୨।
କନିକା ରାଇଜ ଜମିଦାରୀ ଛାର
ଏତେ ଅତ୍ୟାଚାର ଏତେ ବଳାତ୍କାର
ହୋଇଥାନ୍ତା ଯଦି ମହୀସୁର ଜୈପୁର କି ହୁଅନ୍ତା କିଏ କହିବ ।୩।
ଅତ୍ୟାଚାରୀ ନର ପିଶାଚ ମାନସ
ଅତ୍ୟାଚାରେ ସିନା ଲଭଇ ସନ୍ତୋଷ
ପାପୀ ପାପ-କର୍ମ ଦିନେ ନ କରିଲେ ଆହାର କି ତାକୁ ରୁଚିବ ।୪।
ଦୁଃଖ ସହି ସହି କନିକା ରମଣୀ
ଅହଲ୍ୟା ସୁନ୍ଦରୀ ହୋଇଲା ପାଷାଣୀ
ନାହିଁକି ଭାରତେ କେହି ବୀର ରାମ- ପାଦ ପରଶେ ଉଦ୍ଧାରିବ ।୫।
ତା ଦୁଃଖ ଫେଇବା ପାଇଁ ଗୋପବନ୍ଧୁ
ଉତ୍କଳର ପ୍ରାଣ ଦୀନଜନ ବନ୍ଧୁ
ବରି ନେଲେ ଦୀର୍ଘ କାରାଗାର ଦଣ୍ଡ ନାହିଁ କେହିଏହା ହେଜିବ ।୬।
ନାହିଁକି ଉକୁଳେ ଦଶଟି ଅକାଳୀ
ବାଇବାକୁ ବୀର ବାଇଦ କାହାଳୀ
ହୁଅନ୍ତା ଦିନକେ ନାଗପୁର ନାଭା ଗୁରୁଦ୍ଵାର ମହା ଆହବ । ୭।
କି ହେବ ସେ ସ୍ୱରାଜ୍ୟ ଘେନି ଯେବେ ମୋର ନପୂରେ ପେଟ
ଖଟି ଖଟି ମଲେଣି ମୁଲିଆ ଚାଷୀ ଚଷି ଦାନା-କନା ନିଅଣ୍ଟ (ଧ୍ରୁବ)
ଅଧମାଣେ ଜମି ଜଣକା
କୋରଖରେ ସେ ପୁଣି ବିକା
ଗାଁର ସଭିଏଁ କରଜ କରନ୍ତି ଜଣେ ଦୁଇଜଣ ବମ୍ବେଇ ସେଠ ।୧।
ବସ ପଛେ ଲାଟ୍ ଆସନେ
ମନ୍ତ୍ରୀ ହୁଅ ନୂଆ ଶାସନେ-
ଚାଷୀ ଯେ ତିମିରେ ଚାଷୀ ସେ ତିମିରେ ସୁଖ ସଙ୍ଗେ କେବେ ହେବନି ଭେଟ ।୨।
ଧଳା ସ୍ଥାନେ କଳା କରତା
ହୁଅ ପଛେ ଦୈବ ବିଧାତା
ଧନୀ କି ଦରିଦ୍ର ଭେଦ କି ଘୁଞ୍ଚିବ ବଡ଼ ବଡ଼ିଆଙ୍କ ନଜର ହେଟ ।୩।
ମୋ ଭାଇର ବାଟିକୁ ବାଟି
ଅମାର ତ ପଡୁଛି ଫାଟି
ମୋର ଚାଳେ ନାହିଁ ଛପର କୁଟାଟି ମୋ ଭାଇ ଶୋଇଛି ଛପର ଖଟ ।୪।
ସାବରମତୀର ମହାମାନବର ଚରଣ ତଳେ
କୋଟି ଜନ ମନ ବନ୍ଦନା ଗାନ ପ୍ରବାହ ବଳେ ।
ତଳେ ହିମାଚଳ, ଉଛୁଳେ ସାଗର, ବିନ୍ଧ୍ୟ ଲସେ
ନିବିଡ଼ ତିମିର ଭେଦି କି ତରୁଣ ତପନ ହସେ ।
ଏଇ ସନାତନ ଦୃଶଦ୍ବତାର ଶାନ୍ତ ତଟେ
କେତେ ହୋମାନଳ ଜଳିଲା ମାନବ ମୁକ୍ତି ପଥେ ।
ବନ ଗିରି ନଭ ଶୁଣିଲା ମାନବ-ମାଙ୍ଗଳିକ
ଏଇ ପଥେ ପଥେ ଘେନି ଗଲେ କେତେ ଜୟ ତିଳକ ।
ଲାଗିଲା ସମର ଜାଗିଲେ ଦ୍ଵାରକା ଦେବତା ଥରେ,
ମାଗିଲେ ଭିକ୍ଷା କପିଳବାସ୍ତୁ ତେଜି କେ ଦୂରେ ।
ପୂର୍ବ ସାଗର ତୀର ଚହଲାଇ କେଉଁ ନିମାଇଁ
ବିତରି ଚାଲିଲେ ପରମ କାମ୍ୟ ମାନବ ପାଇଁ ।
ସବୁରି ଭିତରେ ଗାନ୍ଧି ହେ ! ତୁମ ବରଣ ଆଜି -
ଡ଼ାକଇ ଦଳିତ, ପର ପଦାନତ ମାନବରାଜି ।
ପାଲଟିଗଲା ସେ ଦୃଶଦ୍ବତୀ ଏ ସାବରମତୀ
ସବୁରି ମରମେ ଜଳଇ ତୁମର ଜୀବନ - ବତୀ ।
କୋଟି ଗରିବର ଅଶ୍ରୁ କରିଲ କଣ୍ଠମାଳା
ବକ୍ଷେ ବହିଲ ନିର୍ଯ୍ୟାତନର ଦହନ ଜାଳା,
ନିଷ୍ପେଷିତର ଆସନ କରିଲ କୁସୁମମୟ
ପୁଲକେ ବିତରି ସତ୍ୟ, ଶାନ୍ତି - କି ବରାଭୟ !
ସାବରମତୀର ତଟ ତରୁତଳ କୁଟୀର ପାଶେ
ହେ ଦୀନବନ୍ଧୁ, ଚରଖାତନ୍ତ୍ର ଧରି ଏ ଦେଶେ
କଟିତଟେ ଦୀନ କୌପୀନ ନିହି ହୋଇଲ ଉଭା,
ଧାଇଁଲେ ଆବାଳ -ବୃଦ୍ଧ-ବନିତା-ତରୁଣୀ-ଯୁବା ।
ପଥ ହେଲା ତବ କଣ୍ଟକମୟ, ଘୋଟିଲା ତମ
ବିଘ୍ନ ଆସିଲା ସମ୍ମୁଖେ ଭୀମ କୁଳିଶ ସମ ।
ସେ କାଳେ ହେ ଯୋଗୀ, କି ଅବା ମନ୍ତ୍ର ଗାଇଲ ବସି
ଚମକି ଚାହିଁଲେ ଏଇ ସୁବିପୁଳ ବିଶ୍ୱବାସୀ ।
ସୁମେରୁ କୁମେର୍ ପୂରି ଦୂବ ଦାରୁ ଶୁଣିଲେ ଡ଼ାକ
ପ୍ଲାବିଲା ତୁମରି ସତ୍ୟବଚନ ଧରଣୀଯାକ ।
ବନ୍ଧୁକ, ତୀର, ତରବାରୀ ମୁନ ହୋଇଲା ଜଡ଼
ତବ ଅଙ୍ଗୁଳି ନିର୍ଦ୍ଦେଶେ ଜାଗି ଭୀଷଣ ଝଡ଼ ।
ଯୁଗେ ଯୁଗେ ତବ ଅବତାର ଏଇ ଧରଣୀ ପଥେ,
ଯୁଗେ ଯୁଗେ ତୁମେ ମରମେ ମାରିଚ ବଜ୍ରାଘାତେ ।
ଆଜି ଏ ଯୁଗର ଅର୍ଘ୍ୟ-ପ୍ରଦୀପ ମରମେ ଜଳେ
ସାବରମତୀ ର ମହାମାନବର ଚରଣ ତଳେ ।
ଏକେ ଅମାନିଶି ତହିଁ ଅଛି ମିଶି ଭରା ମେଘ ଆକାଶର,
ବରଷା ପ୍ରଚଣ୍ଡ ପବନ ଉଦ୍ଦଣ୍ଡ ଝଂଝା ବହୁଅଛି ଖର ।
ଗରଜେ ସାଗର ମହୀ ଥରହର ପ୍ରଳୟ ଆସୁଛି ମାଡ଼ି
ଉଠୁଛି ଲହରୀ ପରବତ ପରି ଆସୁଛି ଧାଡ଼ିକି ଧାଡ଼ି ।
ଏ ଘୋର ସଙ୍କଟେ କିଏ ସିନ୍ଧୁତଟେ ସାହସେ ହୋଇଛି ଠିଆ ?
ନୁହେଁ ତ ସବଳ ଅଥବା ପାଗଳ ଟାଣ ଭାରି ତାର ହିଆ ।
ସଜାଡ଼ିଛି ପରା ନାହାଟି ଦଦରା ବାହିବ ନିଜେ ସେ ତରୀ
ଅଟେ କି ନିର୍ବୋଧ ? ଦେଇ କେତେ ବୋଧ କହୁଛି ଯିବ ସେ ତରି ।
ହେବ ସିନ୍ଧୁପାର, ନ ମାନି ଅନ୍ଧାର ପବନ ବରଷା ଝଡ଼ !
ଅତଳ ସାଗର ଲହରୀ ପ୍ରଖର ସାହସ ତ ତା’ର ବଡ଼ !!
ପାଇଛି ସନ୍ଦେଶ ଅଛି ଏକ ଦେଶ ଝଂଝା ଅନ୍ଧକାର ପାରେ ଚିର ଆଲୋକିତ ଶାନ୍ନି ପ୍ରତିଷ୍ଠିତ ଶୁଣାଯାଏ ସେହିଠାରେ ।
* * * * *
ରେ ରେ ରେ, - ନାଉରି ବୁଦ୍ଧି ଗଲା ହୁଡ଼ି ଚଢ଼ିଲା ଦଦରା ନାବେ;
ଧୀରେ ଧାରେ ବାହେ ଚାରି ଆଡ଼େ ଚାହେଁ ଗଲାକି ମରଣ ଠାବେ ।
ମାରେ ସେ କୁହାଟ ବଚନ ଉଚ୍ଚାଟ “ଆସ କେ ହୋଇବ ପାରି,
ନେଇଯିବି ନିଜେ ଶାନ୍ତିର ରାଇଜେ ସଙ୍କେତ ପାଇଛି ତା’ରି !”
ଅଦଭୁତ ଏତ ବାୟା କଲା ସେତ - ହଜାର ହଜାର ଜନେ -
ଧାଇଁଲେ ସକଳେ ଯେହ୍ନେ ମନ୍ତ୍ର ବଳେ ସନ୍ଦେହ ନ କରି ମନେ ।
ଆସିଲେ ଗ୍ରାମରୁ ଆସିଲେ ନଗରୁ ପଣ୍ଡିତ ମୂରୁଖ ସର୍ବେ -
ଧନିକ ନିର୍ଧନ ସବୁ ଶ୍ରେଣୀ ଜନ ନ ମାନିଲେ ବାଧା ଲବେ ।
ଉନ୍ମତ୍ତ ଜନତା ହାରିଲା କି ମଥା ଚଢ଼ିଲେ ସରବେ ଡ଼ଙ୍ଗା
ତୋଫାନ ପିଟୁଛି ନାହା ଦୋହଲୁଛି ତହିଁକି ନଉକା ଭଙ୍ଗା ।
ଭଲା ସେ ନାଉରି କିବା ତା ଚାତୁରୀ ତଥାପି ସାହସ ଧରି -
ବାହେ ନିରଭୟ ନ ହୋଇ ଅଥୟ ପ୍ରଚଣ୍ଡ ସାଗରେ ତରୀ ।
ଦିଗ ନ ଦିଶଇ ଜେଣେ ନିଏ ବାହି ନ ଜାଣନ୍ତି କିଛି କେହି -
ନାଉରି ଭରସା ତାରିବ ସହସା ଏକାନ୍ତ ବିଶ୍ୱାସ ଏହି ।
ସନ୍ଦେହୀ କୂଳରେ ଭୟେ ଥରଥରେ ଡ଼ାକ ମାରେ ଉଚ୍ଚ ସ୍ଵରେ
‘‘ହୋ ହୋ ହୋ ନାଉରି ! ରଖ ବାହାଦୁରୀ ଫେରାଅ ନଉକା ଖରେ ।
କୁଆଡ଼େ ଚାଲିଛ କୁହୁକେ ମାତିଛ ରେ ମୂର୍ଖ ଜନତା ଫେର,
ପାଗଳ ବଚନ ଶୁଣ ଅକାରଣ ଟାଣି ନେବ ମୃତ୍ୟୁ ଘେର ।’’
ସତର୍କ ବଚନ ଶୁଣି ଏକଜନ ଉଚ୍ଚସ୍ଵରେ ଦେଲା କହି,
‘‘ନ ଡରୁ ମରଣ କରିଅଛୁ ପଣ ଗଢ଼ିବୁ ନୂତନ ମହୀ ।
ପାରି ହେବୁ ଯେବେ ଲାଗିଯିବୁଁ ତେବେ ସ୍ଵପନ ରାଇଜେ ଯାଇ
ବୁଡ଼ିଗଲେ ଯିବୁ ଆଉ ନ ଫେରିବୁ ପୁରୁଣା ଦୁନିଆ ପାଇଁ ;”
ନାଉରି ଶୁଣାଏ ମଧୁର କଥାଏ ଗମ୍ଭୀର ସାହସ ସ୍ଵରେ
‘‘ବାହି ନେବି ନାଆ ପ୍ରଭୁ ମୋର ସାହା ମୁଁ ତ କାହାକୁ ନ ଡରେ,
ଘଟିବାର ଯାହା ଘଟି ଯାଉ ତାହା ଡଙ୍ଗା ନ ବୁଡ଼ିବ ଜାଣ ;
ନ ଡରେ ଅନ୍ଧାର, ଚମକ ଝଞ୍ଜାର ଆହୁଲା ମୁଠି ମୋ ଟାଣ ।
ଚିନ୍ତାର ଜଗତେ ଆସିଛି ପରତେ, ଅଛି ମୋ ନୂଆ ରାଇଜ -
ବାଟ ମୋତେ ଜଣା ହେବି ନାହିଁ ବଣା ବିଶ୍ଵାସ ଏହି ମୋ ନିଜ ।’’
କି ଜାଣେ କେ ଜଣେ ତୋଫାନ, ପବନେ ଉପକୂଳେ ଦେଲା କହି
‘ନେତା ସେ ପ୍ରକୃତ, ଶକ୍ତି ଅଦଭୁତ’ ବ୍ୟାପିଗଲା କଥା ମହୀ । ।
ଦେଶ ଦେଶ ବୋଲି କାହାକୁ ଡାକୁଛୁ
କହ ଦେଶ ତୋର କାହିଁରେ
ଦେଶ ତ ବିଦେଶୀ ଶୃଙ୍ଖଳରେ ବନ୍ଧା
ଖୋଜିଲେ ମିଳିବ ନାହିଁରେ ।୦।
ରାଜା ବୋଲି ରାଜା - ଭୂତଟାକୁ ଡରି
ଓ ମିଛୁଟାରେ ହେଲୁ ବାଇ ରେ
ଡରି ତରି ସାରା ଜୀବନଟା ଯିବ
ନୀରବରେ ଥିବୁ ଚାହିଁରେ ।୧।
ତୁ ଏ ଦେଶ ରାଜା, ତୁ ଏ ଦେଶ ପ୍ରଜା
ତୋ’ ଉପରେ କେହି ନାହିଁରେ
ସ୍ୱରାଜ-ପଥରେ ଆଗେଇ ଗଲେ ତୁ
ସ୍ୱଦେଶକୁ ଯିବୁ ପାଇରେ ।୨।
ଜାତୀୟ ପତାକା ତୋଳିଧର ଉଚ୍ଚେ
ଭାରତର ଜୟ ଗାଇ ରେ
ସେହି ତୋର ପିତା ସେହି ତୋର ମାତା
ସେହି ତୋର ବନ୍ଧୁ ଭାଇରେ ।୩।
ସେନାପତି ଆଜି ଦେଇଛନ୍ତି ଡାକ,
ଉଠ ଭାରତର ବୀରପୁତ୍ରଯାକ
ଅପୂର୍ବ ଅସହଯୋଗ ରଣାଙ୍ଗନେ
ଆଣ୍ଟେ ଅଣ୍ଟା କଷି ପରା ଜଣେ ଜଣେ ।
ଭାରତର ଯେତେ ବୀର ଗୁଣମଣି,
ଚାଲିଆସ ସେନାପତି ଡାକ ଶୁଣି,
ଗାନ୍ଧି ଯୋଗୀବୀର ତୁମର ଅଗ୍ରଣୀ,
ଶିବ ସ୍ମରି ଉଠ ତରୁଣ ତରୁଣୀ ।
ନାହିଁ ଏଥି ଲୋଡ଼ା ବନ୍ଧୁକ, କମାଣ,
ହତିଆର ଏଠି ଏକା ତୁମ ପାଣ,
ତୁମ ରକ୍ତବିନ୍ଦୁ ଗୁଳି ବାରୁଦର,
ଏହି ଅସ୍ତ୍ରେ ଆଜି ହୁଅ ହେ ହାଜର ।
ସେନାପତି ତବ କଲେଣି ଆହ୍ଵାନ,
ଆସ ଆଗେ କିଏ ଦେବ ପ୍ରାଣଦାନ,
ଆସ ଏକସଙ୍ଗେ ହିନ୍ଦୁ, ମୁସଲମାନ,
ଶିଖ୍, ପାର୍ଶୀ, ବୌଦ, ଇହୁଦୀ, ଖ୍ରୀଷ୍ଟାନ ।
ଏହି ହିନ୍ଦୁସ୍ଥାନେ ତୁମ ବାସସ୍ଥାନ,
ତାର ଅପମାନେ ତୁମ ଅପମାନ ।
ଧର୍ମଯୁଦ୍ଧେ ତବ ଆସିଛି ଆହ୍ଵାନ,
ବାଜେ ରଣଶିଙ୍ଘା ଶୁଣ ଡେରି କାନ ।
+ + + +
ଆଇନ ଅମାନ୍ୟ ତପ୍ତ ଅଗ୍ନିକୁଣ୍ଡ,
ମୁଣ୍ଡମାଳା ତବ ହେବ ତହିଁ ରୁଣ୍ଡ ।
ପୁରୋହିତ ନିଜେ ଗାନ୍ଧି ଯଜ୍ଞାସନେ,
କେ ଦେବ ଆହୁତି ଆସ ହେ ବହନେ ।
କେତେ ବେତମାଡ଼, କେତେ କାରାବାସ,
ଦ୍ଵୀପାନ୍ତର, ରାଜ୍ୟାନ୍ତର, ପ୍ରାଣନାଶ,
କ୍ଷୁଧା, ହରତାଳ, ପୋଲିସର ଲାଠି,
ମୃଷ୍ଟିପଦାଘାତ ସହିବ ଏକାଠି ।
କଳି ନୋହିବ ହେ ଯନ୍ତ୍ରଣା ତୁମର,
ସହିବାକୁ ବୀରେ ହୁଅ ଅଗ୍ରସର ।
+ + + +
ସେନାପତି ତବ କଲେଣି ଆହ୍ୱାନ,
ଆତ୍ମ ଅରପଣେ ହୁଅ ଆଗୁଆନ ।
ବାଜିଉଠିଲାଣି ରଣତୂରୀ, ଭେରୀ,
ନ ଅନାଅ ଆଉ ପଛପଟେ ଫେରି ।
ସାଜ ରଣସାଜେ ସୁର ପରାକ୍ରମୀ,
ତୁମ ଶକ୍ତି କେହି ନପାରିବ ଦମି ।
ମହାଯୋଗୀ କର୍ମଚାନ୍ଦ ଗାନ୍ଧିଙ୍କର ।
ଫଳିବ ତପସ୍ୟା, ମୁକ୍ତ ଭାରତର
ନୀଳାକାଶ ତଳେ ତୁମ ରକ୍ତାଙ୍କିତ
ଉଡ଼ିବ ପତାକା, ଜୟ ସୁନିଶ୍ଚିତ ।
+ + + +
ସ୍ଵରାଜ୍ୟ ଆମର ଜନ୍ମ ଅଧିକାର,
ନମିଳେ ଯଦି ତା’ ଧ୍ୱଂସ ଆପଣାର
ସାଧି ନିଜ ହାତେ ମର ଏକାଥରେ,
ମିଶୁ ହିନ୍ଦୁସ୍ଥାନ ସିନ୍ଧୁ ଗରଭରେ ।
ତୁଙ୍ଗ ହିମଶୃଙ୍ଗଂ ପାରାବାର ଅଙ୍ଗେ
ଖସି ମିଶିଯାଉ ଅଗଣ୍ୟ ତରଙ୍ଗେ ।
ହେ ପୁରୁଷେ ଯଦି ନଉଠ ଏଥର,
ଆମେ ରଣବେଶେ ହେବୁଁ ଅଗ୍ରସର ।
ତୁମେ ଯଦି ଭୟେ ଦିଅ ପଛଘୁଞ୍ଚା,
ଆମେ ତେଜି ଯିବୁଁ ଆମ ଲାଜ ଲୁଚା ।
ଆମେ ନାରୀଗଣ କୋଣରୁ ବାହାରି
ଧରିବୁଁ ଅସହଯୋଗ ତରବାରୀ ।
ଶାନ୍ତି ସତ୍ୟାଗ୍ରହ ମହାରଣସ୍ଥଳେ
ଶୋଭାଯାତ୍ରା କରିଯିଚୁଁ ଦଳେବଳେ ।
ଆମେ ଭାରତର ଶକତି ସଂହତି,
ତିଳେ ଭୀତି ଚିତ୍ତେ ନାହିଁ ବୈରୀ ପ୍ରତି ।
ଦେଉ ସେ ଆମ୍ଭଙ୍କୁ ଧରି କାରାଦଣ୍ଡ,
କରୁ ସୁକୋମଳ ଦେହ ଖଣ୍ଡ ଖଣ୍ଡ,
ଟାଙ୍ଗୁଥାଉ ଫାଶିଖୁଣ୍ଟେ ଆମ ମୁଣ୍ଡ,
ଆମେ ଯେ ନ ଡରୁଁ ଚିତା ଅଗ୍ନିକୁଣ୍ଡ ।
ଉଠିବୁଁ ଗୋ ଚଣ୍ଡୀ ଚାମୁଣ୍ଡା ପ୍ରଚଣ୍ଡ,
ବୈରୀଶକ୍ତି ନିଶ୍ଚେ ହେବ ଲଣ୍ଡଭଣ୍ଡ ।
ହେ ପୁରୁଷେ ଉଠ ପାର୍ଥ, ପୃଥ୍ୱୀରାଜ,
ଭୀମ, ରାମ, କୃଷ୍ଣ ସାଜ ସାଜ ସାଜ ।
ବାନ୍ଧିଦେବୁଁ ଶିରେ ରକ୍ତ ଶିରତାଜ,
ପିନ୍ଧାଇବୁଁ ପୂତ ହାତେ ରଣସାଜ ।
ସତୀତ୍ୱ ଦେବୀତ୍ୱ ତେଜେ ଅଗ୍ନିଶିଖା,
ପତିବ୍ରତାପଣ ଆମ ଜୟଟୀକା ।
ଆମ ଆଗେ କିଏ ଠିଆ ହେବ ଭବେ,
ତୁମ ସଙ୍ଗେ ଆମେ ମିଶିବା ଆହବେ ।
ଯାଉ ପଛେ ପ୍ରାଣ ଥାଉ ଦେଶ ମାନ,
ରଖିଜାଣୁଁ ଆମେ ସ୍ଵଧର୍ମ ସମ୍ମାନ ।
+ + + +
ଆଜି ହୋଲିଖେଳେ ଆସିଛି ଆହ୍ୱାନ,
ଫଗୁଖେଳେ ଆଉ ନ ବଳେ ପରାଣ ।
ଢ଼ାଳି ସ୍ଵରୁଧିର ଅବିର ବଦଳେ
ନୂଆ ଫଗୁଖେଳେ ମାତିବା ସକଳେ ।
ଲାଲେ ଲାଲ୍ ହେବ ରଙ୍ଗ ଭାରତର,
ତହିଁ ଲୁଚିଯିବ ଲାଲ୍ ବ୍ରିଟେନର ।
ପୂର୍ବେ କହିଥିଲେ ରାଜା ରଣଜିତ,
ହେବ ସବୁ ଲାଲ ବ୍ରିଟିଶବିଜିତ;
ହିନ୍ଦୁସ୍ତାନ ଭୂମି ସେହି ଚିହ୍ନମାନ
ଘୁଞ୍ଚାଅ ଶୋଣିତେ ଦେଶ ଅପମାନ ।
ବୀର ଦେଶରକ୍ତ ତବ ରକ୍ତ ବିନା
କେଉେଁ ନ ଲିଭିବ ଏ ଗାଢ଼ ରକ୍ତିମା ।
‘ଦିଅ ରକ୍ତ’ ବୋଲି ଶୁଭଇ ଚିତ୍କାର
କମ୍ପାଇ ଦିଅନ୍ତ ଗିରିପାରାବାର ।
‘ଜୟ ଜଗନ୍ନାଥ’ ଉଚ୍ଚେ ଦେଇ ଡାକ
ଉଠ ଭାରତର ବୀରପୁତ୍ରଯାକ ।
ଉତ୍ତୁଙ୍ଗ, ତୁଷାରାବୃତ ଅଚଞ୍ଚଳ ଶୀତଳ ଅତଳ
ଉପଶମ କରେ ଯେହୁ ବିଶ୍ଵର ବିରାଟ କାଳାନଳ
ହିମାଳୟ ଶୃଙ୍ଗଂ ସମ ସ୍ପର୍ଶି ଉର୍ଦ୍ଧ୍ୱେ ଅସୀମ ନୀଳିମା
ଉଭା ତୁମେ ଏଥି ତଥା ତ୍ୟାଗ ତିତିକ୍ଷାର ଶେଷ ସୀମା ।
ଉଭା ହେଲ ହେ ମାନବ ! ଉଚ୍ଚତମ ଗିରିରୂପେ ଆଜି
ମୌସୁମୀ ସମାନ ତହିଁ ଶତ ଯୁକ୍ତି ଲେଉଟଇ ବାଜି ।
କେତେ ବଜ୍ର ଜେତେ ଝଞ୍ଜା ଅଙ୍ଗେ ତବ କରିଛି ନିନାଦ
ଜଳ ହୋଇ ଫେରିଅଛି କେତେ ତର୍କ କେତେ ପ୍ରତିବାଦ ।
ପ୍ରାସାଦ କୁଟାର ଭେଦି ମମତାର ବନ୍ଧନରେ ବାନ୍ଧି
ସକଳ ସଂଘର୍ଷ ପରେ ଶାନ୍ତି ଢ଼ାଳି ଜାଗ ଜାଗ ଗାନ୍ଧି
ଜାଗ ଜାଗ ଯୁଗେ ଯୁଗେ କହି ତବ କଲ୍ୟାଣ ବାରତା-
ଲଭି ପାରେ ଶାନ୍ତି ଧରା ନ ଗଡ଼ାଇ ଫୁଜିପତି ମଥା ।
ଶକତିର ସେବୀ ସୁଦ୍ଧା ଶୁଣିପାରେ ଯୁକତିର ବାଣୀ
ବଦଳାଇ ପାରେ ହୃଦ ମଥା ତାର ଲୋଡ଼ା ନାହିଁ ହାଣି
ମାଲିକ ଶ୍ରମିକ ପ୍ରଜା ନିଷ୍ପେଷିତ ଦୀନ ଧନବାନ
ବିନା ରକ୍ତେ ସମ୍ଭବଇ ସକଳ ଭେଦର ଅବସାନ ।
କହ କହ ଆଉ ଥରେ ଶୁଣିବାକୁ ଉତ୍କର୍ଣା ଧରଣୀ
ଜ୍ୱଳନ୍ତ ତା କ୍ଷତ ପରେ ଲାଗୁ ତବ ବିଶଲ୍ୟକରଣୀ
ଶୁଣାଅ ଶୁଣାଅ ପୁଣି କିଏ ମିଥ୍ୟା କିଏ ପଥଭ୍ରାନ୍ତ
ହେ ଅଟଳ ସତ୍ୟସନ୍ଧ ! ହେ କଠୋର ସାଧକ ଅଶାନ୍ତ ।
ଜଡ଼ତାର ଅବସାଦ ପ୍ରାଣର ପ୍ରେରଣାଘାତେ ଚୂର୍ଣ୍ଣି
ଭାରତର ପଥେ ଗ୍ରାମେ ଚଳ ଆହେ ବେଗବାନ ଘୂର୍ଣ୍ଣି
ତୁମରି ବିଗ୍ରହେ ଶତ ଶତାଦ୍ଦୀର ସଂଚିତ ବିଦ୍ୟୁତ
ଚମକାଇ ଦେଉ ବିଶ୍ଵ ପୁଣି ଥରେ ହୋଇ କକ୍ଷଚ୍ୟୁତ ।
ହେଲେହେଁ ପ୍ରାଚୀନତମ ତବ ସତ୍ୟ ହେଉ ପଛେ ଜୀର୍ଣ୍ଣ
ଆଣିଛି ସେ ଭୂମିକମ୍ପ ଧରଣୀକୁ କରିଛି ବିଦୀର୍ଣ୍ଣ
ଭାରତ ଗଗନ ପରେ ଶୁଭେ ସେହି, ଅନାହତ ଧ୍ୱନି
ଶ୍ମଶାନର ଶବ କାନେ ଫୁଙ୍କି ଦେଇ ମୃତ୍ୟୁ ସଞ୍ଜୀବନୀ ।
ସେହି ମନ୍ତ୍ରେ ପ୍ରକମ୍ପିତ ସ୍ପନ୍ଦନବିହୀନ କେତେ ଛାତି
ଚମକିବ ଅକସ୍ମାତ ଘୋଷି ଉଠି ଜାତି ! ଜାତି ! ଜାତି !
ମୂକ ମାନବର ମୁଖୁଁ ମୁଖରିତ ହେଉ ପୁଣି ଭାଷା
ଦଳିତର ପୀଡ଼ିତର ତେଜି ଦିଅ ଜ୍ଵଳନ୍ତ ପିପାସା ।
କ୍ଷୁଧିତକୁ ଶିଖାଅ ହେ ଭାଗ୍ୟ ତାର ନୁହେଁ ଅନାହାର
ଅପର ନେଇଛି କାଢ଼ି ଜନ୍ମଗତ ସର୍ବ ଅଧିକାର
ବସ୍ତ୍ରହୀନେ ବତାଅ ହେ ନିଜ ହାତେ ନିର୍ମିବାକୁ ବସ୍ତ୍ର
ନିରସ୍ତ୍ରକୁ ଦିଅ ଆଣି ଅଦଭୁତ ଅହିଂସାର ଅସ୍ତ୍ର ।
ମରଣର ପଥ ଚାହିଁ ବସିରହେ ଯେତେ ଅସହାୟ
ଉଠୁ ସେ ସାହସ ଭରେ ପାଇବାକୁ ଫେରି ନିଜ ନ୍ୟାୟ
ଶ୍ରେଷ୍ଠତମ ମର୍ଯ୍ୟାଦା ହେ ଭାରତର ଗର୍ବ ଅଭିମାନ
ସକଳ ସମସ୍ୟା ଲୀଗି ଦିଅ ଆଣି ନବ ସମାଧାନ ।
ଉଚ୍ଚାରିଲ ଯେଉଁ ମନ୍ତ୍ର ଉଚ୍ଚେ ତୋଳି କୋଟି ଅଭିଳାଷ
ଠୁଳ ହେଲା ତୁମ ତହିଁ ସହସ୍ର ବର୍ଷର ଇତିହାସ
ସେହି ମନ୍ତ୍ର ଜଗତରେ ଆଣିବ କଲ୍ୟାଣ ସ୍ରୋତ ବହି
ଲୋଡ଼ା ତୁମେ ଯୁଗେ ଯୁଗେ ଜାଗ ଜାଗ ଆହେ ସତ୍ୟାଗ୍ରହି !