୧ |
ତୀର୍ଥବାରି |
୨ |
ଉତ୍କଳ |
୩ |
ସୁଖ କାହିଁ ? |
୪ |
ଜରା |
୫ |
ଭିକ୍ଷା |
୬ |
ବାୟୁ |
୭ |
ନୈତିକ ସାହସ |
୮ |
ପଞ୍ଚମାତା |
୯ |
ମନ |
୧୦ |
ପ୍ରଭାତ ପ୍ରାର୍ଥନା |
୧୧ |
ଦୁର୍ବର୍ଷ |
୧୨ |
ବାଳକ |
୧୩ |
ସମୟ |
୧୪ |
ଯଜ୍ଞପୁର |
୧୫ |
ବୃକ୍ଷ |
୧୬ |
ଦୁର୍ବାସା ଋଷି |
୧୭ |
ଦାରିଦ୍ର୍ୟ |
୧୮ |
ବିନୟ |
୧୯ |
ଉପେନ୍ଦ୍ର ଭଞ୍ଜ |
୨୦ |
ଖଦ୍ୟୋତ |
୨୧ |
ଶ୍ରୀପଞ୍ଚମୀ |
୨୨ |
ସଙ୍ଗୀତ |
୨୩ |
ମୟୂର |
୨୪ |
ସନ୍ତୋଷ |
୨୫ |
ଆତ୍ମଶ୍ଳାଘା |
୨୬ |
କିଏ ମୋର ? |
୨୭ |
କୃପଣ |
୨୮ |
ଆଶା |
୨୯ |
ରାମାୟଣ ମହାଭାରତ |
୩୦ |
କ୍ଷୁଦ୍ର |
୩୧ |
ବନ୍ଧୁ |
୩୨ |
ଅନୁତାପ |
୩୩ |
ଶତ୍ରୁ |
୩୪ |
ସଭ୍ୟତା |
୩୫ |
ପରଦୋଷ |
୩୬ |
ନିବେଦନ |
୩୭ |
ବର୍ଷବୃଦ୍ଧି ସମ୍ବଦ୍ଧନା |
୩୮ |
ହଳଦୀବସନ୍ତ |
୩୯ |
ନେପୋଲିୟନ |
୪୦ |
ଦରିଦ୍ର |
୪୧ |
ସତ୍ୟବାଦୀ ବିଦ୍ୟାଳୟ |
୪୨ |
ସଂସ୍କୃତ ଭାଷା |
ପିତାମାତା ଜଗତର ଜୀବନ୍ତ ଦେବତା,
ପ୍ରତ୍ୟକ୍ଷ ନିଶ୍ଚିତ ସ୍ୱର୍ଗ, ତୀର୍ଥ ତାଙ୍କ ପାଦ,
ପାଦୋଦକ ତୀର୍ଥବାରି, କଳୁଷହାରକ ।
ସ୍ୱାର୍ଥଶୂନ୍ୟ, ଦେଶପ୍ରାଣ ଯେ ମହାପୁରୁଷ,
ଜନ୍ମଭୂମି ସ୍ତନ୍ୟଧାର ମଣେ ସ୍ୱରୁଧିରେ,
ମାତୃସେବା-କ୍ଲାନ୍ତ ଦେହୁଁ ତାର ବିନିଃସୃତ
ଯେଉଁ ଘର୍ମବିନ୍ଦୁ, ତାହା ମହାତୀର୍ଥବାରି ।
ମହାପୁରୁଷଙ୍କ ବ୍ରତ, ସତ୍ୟ ଧର୍ମ ପୂଜା,
କରୁଣାର ଉପାଦାନେ ହୃଦୟ ଗଠିତ,
ତାଙ୍କ ନେତ୍ରୁଁ ଝରେ ଯେଉଁ ଅଶ୍ରୁ, ପରଦୁଃଖେ,
କୋଟି ତୀର୍ଥବାରି ନୁହେଁ ତାହା ସଙ୍ଗେ ସରି ।
ଭକ୍ତ ଭାବାବେଶ ଜାତ ପ୍ରେମାଶ୍ରୂ କଣିକା
ସର୍ବଶ୍ରେଷ୍ଠ ପୁଣ୍ୟତୀର୍ଥବାରି, ଭରି ତାକୁ
ସ୍ୱର୍ଣ୍ଣପାତ୍ରେ, ଭକ୍ତିସହ ପୂଜିବା ଉଚିତ ।
ମା ଉତ୍କଳ, ପୁଣ୍ୟଶ୍ଲୋକେ, ମୋର ଜନ୍ମଭୂମି,
ମର୍ତ୍ତ୍ୟର ବୈକୁଣ୍ଠଧାମ, କୋଟିତୀର୍ଥମୟି,
ଧନ୍ୟା ତୁ ଭାରତେ, ଦେବି, ମାନ୍ୟା ତୁ ଭାରତେ,
ଶୋଭନ୍ତି ତୋ ବକ୍ଷେ ପ୍ରଭୁ ନୀଳମଣି, ଯଥା
ମଣିବର କଉସ୍ତୁଭ ତାଙ୍କରି ବକ୍ଷରେ,
ତପସ୍ୱିନି, ଅପ୍ରତିମ ତପସ୍ୟା ତୋହର,
କି ମହିମା-ମୁକୁଟ ମା ବହିଛି ମସ୍ତକେ ।
ତୋହର ସ୍ତୁତିକୁ ଆର୍ଯ୍ୟେ ମୁକ୍ତି ମନ୍ତ୍ର ମଣି
କରନ୍ତି ଆବୃତ୍ତି ନିତି, ଆର୍ଯ୍ୟପୁରାଣରେ
ନିବଦ୍ଧ ତୋହର ପୂତ-ଗୌରବ-ଗୀତିକା,
ଆକୁମାରୀ ହିମାଳୟ ସମଗ୍ର ପ୍ରଦେଶୁଁ ।
ଆସି ଯାତ୍ରିଦଳ, ଶିରେ ଲଗାଇ ତୋ ରେଣୁ
ମଣନ୍ତି କୃତାର୍ଥ, ପୁଣି ନିଷ୍ପାପ ନିଜକୁ,
ଘଟୁ ପଛେ ଭାଗ୍ୟଦୋଷେ ଯେତେ ଅବନତି,
ମାତ୍ର ତୋ ମହିମା-ସୂର୍ଯ୍ୟ ଅନସ୍ତ ସର୍ବଦା,
ଜଗତନମସ୍ୟା ତୁହି ଥିବୁ ଚିରକାଳ ।
ହେଉ ପଛେ ସୁଧାସ୍ୱାଦୁ ସୁଖାଦ୍ୟ ସୁପେୟ,
ଜିହ୍ୱାରୁ ଅନ୍ତର ହେଲେ କି ସୁଖ ତହିଁରେ ?
ଶୟନ ନିଶ୍ଚେଷ୍ଟାବସ୍ଥା, ନ ହେଲେହେଁ ତାହା
ଚିରମୃତ୍ୟୁ, ଅଟେ କ୍ଷଣସ୍ଥାୟୀ ଜୀବନର
କ୍ଷଣିକ ମରଣ, ଅତଃ କାହିଁ ତହିଁ ସୁଖ ?
ବୋଲ ଯଦି ସୁଖ ଅଛି ଭୋଗବିଳାସରେ,
ଭୋଗୀ ତ ଆଳସ୍ୟ-ଦାସ, ସଜାଗ୍ରତ ମୃତ,
ସୁଖ ତାର ସେବ୍ୟ ନୁହେଁ, ସେବ୍ୟ ସେ ସୁଖର,
ତେବେ କି ସଂସାରେ ସୁଖ ଏକାନ୍ତ ଦୁର୍ଲ୍ଲଭ ?
ନା, ନା, ସୁଖଶବ୍ଦ ସୃଷ୍ଟି ନୋହେ ନିରର୍ଥକ,
ଅଛି ସୁଖ ପରିଶ୍ରମେ, ବିପୁଳ, ବାସ୍ତବ,
ଓଗାଳି ଯେ ପାପପଥ, ଶରୀର ସହିତ
ସାଧେ ଆତ୍ମାର ଉନ୍ନତି, ସେହି ସିନା ସୁଖ,
ଭୁଞ୍ଜେ ନିତ୍ୟସୁଖ ଏକା ନିତ୍ୟ ଶ୍ରମଜୀବୀ ।
ଭୀଷଣ ରାକ୍ଷସୀ ଜରା, ମୃତ୍ୟୁଅଗ୍ରଦୁତୀ,
ବୀଭତ୍ସା, ବିରୂପା, ଶୋଷି ସାମର୍ଥ୍ୟ, ସାହସ
ସଶୋଣିତ, ଆଣି ଦିଏ କର୍ମ-ବିମୁଖତା,
ଆଳସ୍ୟ, ଦୌର୍ବଲ୍ୟ, ଦୁଃଖ, କଳେବର ସହ
କରିଦିଏ ମନୋବୃତ୍ତି ନିସ୍ତେଜ ଆସାଢ଼ ।
ଅବଶ ଇନ୍ଦ୍ରିୟବର୍ଗ, କାମନା ଶିଥିଳ,
ଆହାରେ ବିହାରେ କିମ୍ବା ଶୟନେ ଅରୁଚି,
ବାର୍ଦ୍ଧକ୍ୟର ଧର୍ମ ଏହା, ପଡ଼ି ତା ହାବୁଡ଼େ
ଜୀବନ୍ତ ମରଣ ଦଶା ଭୁଞ୍ଜେ ଭବେ ଜୀବ ।
ପ୍ରଭୋ, ଜୀବକୁଳ ପରା ତୁମ୍ଭରି ପ୍ରେରିତ
ତବ କାର୍ଯ୍ୟ ସାଧନାର୍ଥେ, ମହୀ-କର୍ମଶାଳେ,
କିପାଁ କର ଜରାଜୀର୍ଣ୍ଣ ତେବେ, ହେଲେ ସେହୁ
ଶକ୍ତିସ୍ଫୁର୍ତ୍ତିହୀନ, ଭଲା କେବନ୍ତେ ପାଳିବ
ସେ ମହାକର୍ତ୍ତବ୍ୟ, ତବ ପାବନ ଆଦେଶ ?
ଛି ଛି ବଡ଼ ନିନ୍ଦନୀୟ ଭିକ୍ଷୁକ ଜୀବନ,
ନାହିଁ ସ୍ଥାନ ତାହା ପାଇଁ ମାନବ ସମାଜେ,
ସଦା ପରଗଳଗ୍ରହ, ଉପବୃକ୍ଷ ପ୍ରାୟ ।
ହସ୍ତପଦସତ୍ତ୍ୱେ ଯେହୁ ସ୍ୱାବଲମ୍ବହୀନ,
ସେ ନିଖଟୁ, କର୍ମଭୀରୁ, କୀଟ ବଳି ହେୟ,
ଦଗ୍ଧୋଦର ପୋଷଣାର୍ଥେ କୁବୃତ୍ତି ଯେତେକ
ଅଛି ଏ ସଂସାରେ, ଭିକ୍ଷା ଜଘନ୍ୟ ସର୍ବହୁଁ ।
ପରଦ୍ୱାରେ ଉଭା ହେବା ପିନ୍ଧାକାନି ପାତି,
ଈଶ୍ୱରଦତ୍ତ ଶକ୍ତିର ଅପବ୍ୟବହାର,-
ବିଶେଷତଃ ଅସମ୍ମାନ ସିନା, କହେ କାକୁ
ଯେ ନିର୍ଲଜ୍ଜ ମୃଷ୍ଟିଭିକ୍ଷା ପାଇଁ, ଶ୍ୱାନ ସେହୁ,
ଧିକ୍, ଶତଧିକ୍ ତାର ଲାଞ୍ଛିତ ଜୀବନ;
ମାତା ତାର ଚିରବନ୍ଧ୍ୟା, ସେ ନରପାଂଶୁଳ
ଧରିତ୍ରୀକୁ ମହାଭାର ପ୍ରଦାନେ କେବଳ ।
ହେ ଅନିଳ ସଦାଗତି, ହେ ସର୍ବତ୍ରଗତି,
ତୁମ୍ଭର କ୍ଷମତା ଦେବ ଅକଳ୍ପ୍ୟ, ଅସୀମ,
ଇଚ୍ଛାମାତ୍ରେ ଧରିପାର ରୁଦ୍ର-ଧୀର-ରୂପ,
ତୁମ୍ଭେ ସମଦଶୀ, ତବ କୃପାରୁ ବଞ୍ଚିତ
ନୁହନ୍ତି ସୃଷ୍ଟିରେ କେହି ନାହିଁ ଭେଦଜ୍ଞାନ
ରାଜହର୍ମ୍ୟେ, ଦରିଦ୍ରର ଜୀର୍ଣ୍ଣୋଟଜେ ତବ ।
ଜଗତ୍ପ୍ରାଣ, କ୍ଷଣେ ତୁମ୍ଭେ ଭଜିଲେ ବିଶ୍ରାମ,
ଭାଙ୍ଗିଯିବ ଜୀବସୃଷ୍ଟି ଏ ବିରାଟ ମେଳା,
ହେବ ପ୍ରକୃତି, ଶ୍ମଶାନ, ଘଟନାବିହୀନ;
ଅବସ୍ଥାନ କରି ତୁମ୍ଭେ ଅନ୍ତରେ ବାହାରେ
ଚଳାଉଛ ଦେହ-ଯନ୍ତ୍ର, କେବେ ଅର୍ପି ତାପ,-
କେବେ ଅର୍ପି ଶୈତ୍ୟ ଅବା, ଆବଶ୍ୟକମତେ ।
ନ୍ୟସ୍ତ ତୁମ୍ଭ ପ୍ରତି ସ୍ରଷ୍ଟା ସୃଷ୍ଟିରକ୍ଷା ଭାର,
ପ୍ରତ୍ୟକ୍ଷ ଦେବତା ତୁମ୍ଭେ ବହ୍ନି, ବାରି ସମ ।
ପୁରୁଷର ପୁରୁଷତ୍ୱ ନୈତିକ ସାହସ,
ସତ୍ୟ, ନ୍ୟାୟ, ଧର୍ମ ଏହି ତିନିହେଁ ତାହାର
ପ୍ରାଣ, ପିଣ୍ଡ, ଆତ୍ମା, ସଦା ସକଳ ସ୍ଥାନରେ
ସ୍ୱକୀୟ ସ୍ୱାଧିନ ମତ ପ୍ରକାଶ ଉଚିତ,
ଯୁକ୍ତିଯୁକ୍ତ, ନିର୍ବିକାରେ ଆଦର ନିର୍ଭୟେ;
ନରୋତ ଧର୍ମ ଏହା, ଅନ୍ୟଥା ଅନ୍ୟର
ପାଦ-ପଦ୍ମେ ସମର୍ପଣ ଆତ୍ମମତ ବଳି,
ଅତି କାପୁରୁଷପଣ, ସ୍ତାବକଲକ୍ଷଣ ।
ସ୍ତାବକ ଦୁର୍ବଳମନା, ବଡ଼ ହୀନଚେତା,
ପ୍ରତ୍ୟୁତ ଊର୍ଦ୍ଧ୍ୱରେ ତାର ପଶୁର ଆସନ ।
ହୁଏ ଯଦି ବିସର୍ପିତ ନୈତିକ ସାହସ
ଦାମ୍ଭିକତା-ବିଷେ, ତେବେ ଦୁଷ୍ୟ, ଅବଜ୍ଞାତ,
ସ୍ୱଭାବେ ଅମୃତ ଦୁଗ୍ଧ, ମିଶିଲେ ତହିଁରେ
ଲୁଣ, ଧରେ ସେହୁ ପୂର୍ଣ୍ଣ ବିପରୀତ ଗୁଣ ।
ପ୍ରକୃତି ପରମା ମାତା, ଶାଶ୍ୱତୀ, କଲ୍ୟାଣୀ,
ବାରମ୍ବାର ଜାତ କରି ଦେହୁ ଆପଣାର,
ମିଶାଏ ଅନ୍ତିମେ ଅଙ୍କେ, ଆଦିମାତା ସେହୁ ।
ଦ୍ୱିତୀୟା ମା ଗର୍ଭଧାରୀ, ଭବ-ମରୁ ସ୍ଥଳେ
ଶାନ୍ତି-ସ୍ନେହ-ତରଙ୍ଗିଣୀ, ସନ୍ତତିକୁଳର ।
ମହାସ୍ୱର୍ଗ, ମହାତୀର୍ଥ ତୃତୀୟା ଜନନୀ
ଜନ୍ମଭୂମି, ଯା ଅମୃତ କ୍ରୋଡ଼େ ସାଧେ ଜୀବ
ଆତ୍ମୋନ୍ନତି, ଆତ୍ମପୁଷ୍ଟି । ଦେବୀ ମାତୃଭାଷା
ଚତୁର୍ଥୀ ମାତୃକା -ମହାମହିମା-ମଣ୍ଡିତା ।
ପଞ୍ଚମା ପ୍ରସୂତି ବିଦ୍ୟା, ଚତୁର୍ବର୍ଗପ୍ରଦା,
ଗଢ଼େ ସେ ଚରିତ୍ର-ତନୁ, ପାରଇ ସେ କରି
ମାନବେ ଅମର, ଲୌହେ ସ୍ୱର୍ଣ୍ଣ, ଜ୍ୟୋତ୍ସ୍ନା ତମେ,
ଏ ପଞ୍ଚମାତୃକାପଦ ସେବେ ଯେ ତନ୍ମୟେ,
ସେହି ଏକା ଭାଗ୍ୟଧର ମାନବ ସମାଜେ ।
କ୍ଷୁଦ୍ର ଦେହ, ମହାକାୟ ମନର ବସତି,
ଚିନ୍ତା କଲେ ମନୋରାଜ୍ୟ ବିପୁଳ ବିସ୍ତୃତି,
ପ୍ରତେ ହୁଏ ବିନ୍ଦୁଗର୍ଭେ ସିନ୍ଧ କି ନିହିତ ?
ହେଉ ପଛେ ଅଦ୍ଭୁତୋକ୍ତି ଅଳଙ୍କାର ଏହା,
ମାତ୍ର ଉପମାସଙ୍ଗତ । ଗତି ପୁଣି ତାର
ଅଚିନ୍ତନୀୟ, ନ ପୁରୁଁ ମୁହୂର୍ତ୍ତ, ପାରେ ସେ
ଚରାଚର ସୀମା ଭ୍ରମି, ଅଛନ୍ତି ଜଗତେ
ଯେତେ ଦ୍ରୁତଗତିଶୀଳ, ଶବ୍ଦ ଆଲୋକାଦି,
କିଣିପାରେ ସେ ସକଳେ ଅବହେଳେ ମନ ।
ବଳ ବି ସାମନ୍ୟ ନୁହେଁ, କଳ୍ପନା-ଅତୀତ,
ନୁହଇ ଅସାଧ୍ୟ ତାର ଆକାଶେ ଉଡ଼୍ଡ଼ୀନ,
କିମ୍ବା ବୀଚିବି କ୍ଷୋଭିତ ସିନ୍ଧୁସନ୍ତରଣ;
ଭାବିଲେ ଏକାନ୍ତେ ମହାମହିମା ମନର,
ବୁଡ଼ିଯାଏ ମନ ସୁଦ୍ଧା ବିସୟ-ସଲିଳେ ।
ହେ ଅନନ୍ତ ଭୁମା ହରି, ତୁମ୍ଭରି କୃପାରୁ
କଲି ଯାମିନୀ ଯାପନ, ନିର୍ବିଘ୍ନେ, ନିଦ୍ରାରେ
ଥିଲି ଅଚେତନ ରାଳେ, ନ ଥିଲା ସେବା କ
ଆତ୍ମରକ୍ଷାର ଉପାୟ, ପ୍ରଭୋ, ଦୟା ବହି
ଜଗିବସି ତୁମ୍ଭେ ଶିରପରେ, ରଖିଅଛ
ବିବିଧ ଆପଦୁ ମୋତେ, ଅଜ୍ଞାତ ସେ ମୋର ।
କର୍ମକ୍ଳାନ୍ତ ଅବସ୍ଥାରେ ମଧ୍ୟାହ୍ନେ ଆବର
ତବ ଦତ୍ତ ଦିବ୍ୟ ଅନ୍ନେ, ଅମୃତ ପାନୀୟେ
କରିବି ସଂତୃପ୍ତ ଆତ୍ମା, ମୋର ଏ ଶରୀର
ଗଠିତ ତୁମ୍ଭରି ଖାଦ୍ୟ, ଜଳ, ପବନରେ,
ଏମନ୍ତ କି, ପ୍ରଭୋ, ମୁହିଁ ତୁମ୍ଭମୟ ଖାଲି ।
ତୁମ୍ଭର ଏ ଚକ୍ଷୂ କର୍ଣ୍ଣ ହସ୍ତ ପଦ ଆଦି,
ଦେଇଅଛି ତାହା ମୋତେ ବ୍ୟବହାର ପାଇଁ,
ଦେଇଅଛ ସବୁ, ମାତ୍ର ମାଗୁଛି ତଥାପି
ଆଉ ଏକ ଦ୍ରବ୍ୟ, ଯେହ୍ନେ ପାଦପଦ୍ମେ ତବ
ନ ହୁଏଁ କୃତଘ୍ନ, ଦିଅ ଏହି ଶୁଭଜ୍ଞାନ ।
କି କୁକ୍ଷଣେ ଆସିଥିଲା ବିଂଶ ଶତାବ୍ଦୀର
ଚତୁର୍ଦ୍ଦଶ ବର୍ଷ, ବହି ଅଶୁଭ-ପସରା
ଶିରେ, ଆଦ୍ୟେ ଅତିବୃଷ୍ଟି, ଶେଷେ ଅବଗ୍ରହ,-
ଦୁର୍ଭିକ୍ଷ, ତହିଁରେ ମିଶି ଭୀଷଣ ଆହବ
ସମଗ୍ର ଧରଣୀବ୍ୟାପୀ, ହାୟ, ଘଟାଇଲା
ମହାକ୍ଷତି, ମହାନିଷ୍ଟ ! ସୃଷ୍ଟିରାଣୀ ଦେହେ
ହେଲା ଯେ ଗଭୀର କ୍ଷତ, ବହୁ ଯୁଗ ଯାଏ
ନ ପୂରିବ ନ ଶୁଖିବ ତାହା, କି କଠୋର
ପରୀକ୍ଷା, ମାନବଭାଗ୍ୟେ ଅହୋ ବହିଗଲା
ରକ୍ତନଦୀ ଖରବେଗେ, ଶୋକନଦୀସହ ।
ବିଗତ ବର୍ଷର ନାମ ରହିଲା ଅଙ୍କିତ
ଇତିହାସ-ବକ୍ଷେ ନର-ରୁଧିର-ମସୀରେ,
କାର୍ତ୍ତିପରି ଅକୀର୍ତ୍ତିବି କରେ ନାମେ ସ୍ଥାୟୀ,
ଅର୍ଜିଲେ ଅମର ନାମ ଶ୍ରୀଅନଙ୍ଗଭୀମ
ସ୍ଥାପି ଦେବଦେବୀ ମୂର୍ତ୍ତି, ମାତ୍ର ଭାଙ୍ଗି ତାହା
ରଖିଲା କଳାପାହାଡ଼ କଳଙ୍କିତ ନାମ ।
‘‘ବାଳକ’’ ଏ ଶବ୍ଦ ଯଥା କୋମଳ ମଧୁର,
ତଥା ତାର ବ୍ୟବହାର, ବାକ୍ୟ, ଅବୟବ,
ସକଳ ଆନନ୍ଦମୟ, ଆନନ୍ଦ ପ୍ରତିମା,
ଧରେ ପ୍ରାଣେ କି ଗଭୀର ଅମାୟିକ ଭାବ ।
ବାଳକ କୁସୁମ ତୁଲ୍ୟ ପବିତ୍ର ସୁନ୍ଦର,
ସ୍ନେହ ପ୍ରତି ଆକର୍ଷଣଯନ୍ତ୍ର-ସ ଜୀବିତ,
ମାନ୍ତ୍ର ଅଦଂଷ୍ଟ ସେ ଫୁଲ, ଭେଦନୀତି-କୀଟେ,
କିମ୍ୱା ସେ ନୀରସ ନୁହେଁ ଭାବନା-ଭଙ୍ଗର
ସୁତୀବ୍ର ଶୋଷଣେ, ଏଣୁ ଫୁଲ୍ଲ, ମଧୁମୟ ।
ରେ ବାଳକ, ଜୀବନର ମଧୁକାଳ ତୋର,
ଏ ଅନ୍ତେ ଯୌବନ-ଗ୍ରୀଷ୍ମ ଆସି ଯଥାକାଳେ
ଦହିବ ହୃଦୋପବନ, ଥାଅ ଅବହିତ ।
ଥିଲି ମୁଁ ତୋ ପରି ଦିନେ ଅନାବିକ ସୁଖୀ,
ମାତ୍ର ହରାଇ ସେ ସୁଖ ପାଉ ନାହିଁ ଖୋଜି ।
ସମୟ ଅନାଦି, ପୁଣି ମହାପୁରାତନ,
କେବେ ଯେ ଘଟନା-ଉର୍ମି ସମୟ-ସାଗରେ
ଉଠି ଅନୁକ୍ଷଣ ଶେଷେ ମିଶୁଅଛି ତହିଁ,
ଭାବିଲେ ତା, ହୁଏ ଚିତ୍ତ ବିସୟେ ଅବଶ ।
ସମୟର ମହାମୁଲ୍ୟ ଅତି ଅନୁପମ,
ଅଛି ଯେତେ ରତ୍ନରାଜି ସପ୍ତରତ୍ନାକରେ,
ଆବର ବସୁଧାଗଭେ, କରେ ଠୁଳ ତାହା,
ହେବ ସେ ଉଶ୍ୱାସ ନିଶ୍ଚେ ମୁହୁର୍ତ୍ତକଠାରୁ ।
ନିମେଷ ସମୟମାତ୍ରେ ହୋଇପାରେ ଭବେ
କେତେ କେତେ ମହା କାର୍ଯ୍ୟ ସଂସାଧିକ,
ତାହା ଏକା ସ୍ରଷ୍ଟା ପାତା ନିୟନ୍ତା ବିଶ୍ୱର ।
ସମୟ ଚଞ୍ଚଳ ବଡ଼, ଯାଏ ଧରୁ ଧରୁ
ଉଡ଼ି, ପୁଷ୍ପସାର ପ୍ରାୟ, ଜଗେ ଯେ ତାହାକୁ
ବୃଷ୍ଟି ହୁଏ ତାହା ପ୍ରାଣେ ଦେବ-ଆଶୀର୍ବାଦ ।
ଉତ୍କଳର ଆଦ୍ୟ ପୀଠ ଯଜ୍ଞପୁର ମହୀ
ସ୍ରଷ୍ଟା-ଯଜ୍ଞବେଦୀ * ଖ୍ୟାତ ନାଭିଗୟାନାମେ,
ଦ୍ୱିତୀୟ ନାଳାଦ୍ରି ଧାମ ଉତ୍କଳ ମଣ୍ଡଳେ ।
ପ୍ରଚାରେ ନୀରବ-କଣ୍ଠେ ଯା’ ପୁଣ୍ୟ ମହିମା
* ଯାଜପୁରରେ ବ୍ରହ୍ମାଙ୍କ ଦଶ ଅଶ୍ୱମେଧ ଯଜ୍ଞ ବିଷୟ ପୁରାଣପ୍ରସିଦ୍ଧ ।
ଗଭୀରେ ପୂରାଣ, ଶାସ୍ତ୍ର ଅକଳିତ କାଳୁ,
ତାହାରି ସ୍ୱବକ୍ଷଶୋଭା ଜାହ୍ନବୀପ୍ରତିମ
ଜଳନିନାଦିନୀ ପୁତ ବୈତରଣୀ ତୁଲେ;
ବାଢ଼ିଲେ ଯା’ ତାରେ ପୀଣ୍ଡ, ପିତୃଗଣୋଦ୍ଦେଶେ,
ନ ହୁଏ ସାକ୍ଷାତ ତପ୍ତ ବୈତରଣୀ ସହ ।
ଅମର-ବିଳାସ ସ୍ଥଳୀ, ଦେଉଳମାଳିନୀ,
ନିବସନ୍ତି ତହିଁ ମୃଦେ ପ୍ରକୃତିରୂପିଣୀ
ହୋମାନଳ-ସମୃଭୂତ ବିରଜା ସୁନ୍ଦରୀ ।
ଗଦାକ୍ଷେତ୍ରେ ରେଣୁ ପୁତ, ତୀର୍ଥରେଣୁ ସମ,
କଲେ ତା ତିଲକ, ଲାଭ କୈବଲ୍ୟ ଅନ୍ତିମେ ।
ଓଃ ! କି ମହାପ୍ରାଣତାର ଚୁଡ଼ାନ୍ତ ଦାଇକା
ପ୍ରଦର୍ଶେ ପାଦପ, ଧୈର୍ଯ୍ୟ, ସହିଷ୍ଣୁତା, କ୍ଷମା,
ନିଃସ୍ୱାର୍ଥପରତା, ନିଷ୍ଠା ସମଦର୍ଶିତାରେ
ମହୀ ତୁଲ୍ୟ ମହୀରୁହ ମହିମା-ମଣ୍ଡିତ ।
ଶିର ପାତି ସହି ଶୀତ-ଗ୍ରୀଷ୍ମ-ପ୍ରାଦୁର୍ଭାବ,
ବୃଷ୍ଟି, ବାତ୍ୟା, ବଜ୍ରାଘାତ, ଧରେ ପର ପାଇଁ
ପ୍ରାଣ, ପରାର୍ଥପରତା ଚିରଯଜ୍ଞ ତାର ।
ନାହିଁ ଶନ୍ତ୍ରୁ ମିତ୍ର ଭେଦ, ଅର୍ପେ ସୁଦ୍ଧା ସେହୁ
ସୁଧାଫଳ ସ୍ନିଗ୍ଧ ଛାୟା ଶ୍ରଦ୍ଧାରେ ଛେଦକେ ।
ନର, ପଶୁ, ପକ୍ଷୀ, କୀଟ, ପତଙ୍ଗ ପ୍ରଭୁତି
ଜୀବସୃଷ୍ଟି ଯେତେ, ନୁହେଁ କିଏ ଅବା ଋଣୀ
ତାହା ପାଶେ ? ଆଜୀବନ କୃପାକାଙକ୍ଷୀ ତାର ?
ଜଡ଼ପ୍ରାଣ ତରୁ, ମାତ୍ର କେଉ ସଚେତନ,
ସଚେତନ ତାହା ଭକ୍ତି ପରାର୍ଥେ ସତକ ?
ହେ ଦୁର୍ଭାଷୀ ଅହମିକା-ମନ୍ଦିର ଦୁର୍ବସା,
କ୍ରୋଧ ଅଭିଶାପେ ଭରା ଉଦର ତୁମ୍ଭର,
କଥାକେ କଥାକେ ଧର ଅଗ୍ନିଶର୍ମା ରୁପ,
ଏହା କି ହେ ଶାନ୍ତିପ୍ରିୟ ବ୍ରାହ୍ମଣ ଲକ୍ଷଣ ?
ଅକ୍ଷମା-ସର୍ବସ୍ୱ ତୁମ୍ଭେ, ଆବର ନିର୍ଦ୍ଦୟ,
ନୁହେଁ ଏହା ସୂସଂଯମୀ ଯତି ଆଚରଣ ।
କ୍ରୋଧ ମହାଦୃଷ୍ଟି ରିପୁ, ଆହୁତି ସ୍ୱରୁପେ
ସମର୍ପେ ଯେ ଯଜ୍ଞାନଳେ ସର୍ବାଗ୍ରେ ତାହାକୁ
ସେ ତପୀ, ତାହା ତପସ୍ୟା, ତପସ୍ୟା ପ୍ରକୃତ,
ପ୍ରଧାନ ତପସ୍ୟା ସିନା ଅହିଂସା, ଅକ୍ରୋଧ ।
ନତୁବା ସତତ ହେବା କ୍ରୋଧ ଜର୍ଜରିତ
ନୁହେଁ ଋଷିଧର୍ମ, ତାହା ହଳାହୁଜୋଦ୍ଗାରୀ
ନାଗସର୍ପର ସ୍ୱଭାବ, ଧରୁ ପଛେ ନର
ଦେବକଳ୍ପଗୁଣ, ମାତ୍ର ପଣ୍ଡ ତାହା କ୍ରୋଧେ ।
ଦାରିଦ୍ର୍ୟ ଦଶମ ଗ୍ରହ, ଅନ୍ଧକାରମୟ
ଅମଙ୍ଗଳ ଧୂମକେତୁ ହୁଏ ଅଧିଷ୍ଠିତ
ଯାର କୋଷ୍ଠି-କେନ୍ଦ୍ରେ ଦୁଷ୍ଟ, ଜୀବନ ତାହାର
ଚିର ହାହାକାରପୂର୍ଣ୍ଣ, ଅଭାବ-ଆଳୟ,
ଯେତିକି ସେ କରେ, ହାୟ, ଆଶା ଆରାଧନା,
ତେତିକି କାହାକୁ ଆଶା ଠେଲେ ପଦେ ଦୁରେ ।
ବାସନ ଅପୂର୍ଣ୍ଣ ତାର, ଭ୍ରମେ ସେ ସଂସାରେ
ସଙ୍କଳ୍ପ-ମୋଦକେ ସଦା ପୂରାଇ ଉଦର ।
ହେଉ ଯେତେ ଜ୍ଞାନୀ, ଯେତେ ପ୍ରତିଭା-ପିହିତ,
ଢାଙ୍କିଦିଏ ସବୁ ଗୁଣ ଦାରିଦ୍ର୍ୟ-କାଳିମା,
ଛୁଏଁ ନାହିଁ ନାମ ତାର ଉପାଧି ତାଲିକା ।
ହେବାକୁ ଦରିଦ୍ରବନ୍ଧୁ ମଣନ୍ତି ଧନିକେ
ମହା ମାନହାନି କିମ୍ବା ଭୀଷଣ ପାତକ,
ଅତଃ ଅବଜ୍ଞା ତାହାର ଦୁର୍ଭାଗ୍ୟ-ସୁଲଭ ।
ବିନୟ ମାନବ ପ୍ରାଣେ ଅମର ବିଭୂତି,
ପୂଜନ୍ତି ତ ପଦ ପ୍ରାଜ୍ଞେ ପୂଜାରୀପଣରେ,
ବିନୟୀ ଅଜାତଶତ୍ରୁ, ସର୍ବେ ତାର ବଶ,
ଏଣୁ ଅଳ୍ପ ଝୁଣ୍ଟେ ସେହୁ ବନ୍ଧୁର ସଂସାରେ ।
ଭୁଞ୍ଜେ ଯେଉଁ ସୁଖଶାନ୍ତି ଦରିଦ୍ର ବିନୟୀ,
ଦୁର୍ବିନୀତ ଧନିଭାଗ୍ୟେ ସ୍ୱପ୍ନାତୀତ ତାହା,
ବିନୟ ବିପଦସାଞ୍ଜୁ, ଭୀମ ପ୍ରଭଞ୍ଜନ
ନାଶେ ଊର୍ଦ୍ଧ୍ୱଶିର ତରୁ, ମାତ୍ର ଭୂମିନତ
ଦୁବର ତ କରେ ନାହିଁ କେବେ କିଛି କ୍ଷତି ।
ବିନୟ ମାହାତ୍ସ୍ୟ ବୁଝେ ବିନୟ-ସେବକ,
ମେଘର ସ୍ୱଭାବ ଧର୍ମ, ହୋଇ ସେ ଆନକ
ମର୍ତ୍ତ୍ୟରେ ଅମୃତଧାରୀ ଢାଳେ ପ୍ରାବୃଟରେ,
କେତେ ଲୋକ ପାରାବାର, ମାତ୍ର ସେ ସତତ
ସବିନୟେ ବେଳା ପଦେ ହୁଏ ବିଲୁଣ୍ଠିତ ।
ହେ ଉତ୍କଳ ମହାକବି ଅଦ୍ଭୁତ ଶାର୍ବ୍ଦିକ,
ହେ ଅମର ପୁଣ୍ୟଯଶା, ଏ ପୁଣ୍ୟ ଉତ୍କଳେ
ତବ ପ୍ରତିଭାର ମୂର୍ତ୍ତି ରାଜେ ପ୍ରତିଗୃହେ ।
ଗତ ତୁମ୍ଭେ, ମାତ୍ର ତବ ବୀଣାର ମୂର୍ଚ୍ଛନା
(କୋବିଦ-ମାନସ-ମୃଗ-ବନ୍ଧନ-ବାଗୁର)
ରହିଛି ଉତ୍କଳ ମାଟି ବାୟୁ ନଭେ ମିଶି ।
ତବ କବିତାର କୋଷ୍ଠୀ କୌମୁଦୀ ରେଖାରେ
ଅଙ୍କା ଇତିହାସେ, କାରୁକଳା-ବିମଣ୍ଡିତ,
ଗଣି ତାହା ଜଗତର ପ୍ରବୀଣ ଗଣକେ,
କରି ଉପଲବ୍ଧି ତାର ପୂର୍ଣ୍ଣତା, ଶ୍ରେଷ୍ଠତା,
ସମର୍ପନ୍ତି ପୁଷ୍ପାଞ୍ଜଳି ତବ ଉଦ୍ଦେଶ୍ୟରେ ।
ବାଣୀଶିଷ୍ୟ, ଲମ୍ବାଇଛ ମାତୃଭୂମିଗଳେ
ଯେ ମହିମା-ମଣି-ମାଳା, ଅପ୍ରତିମ ତାହା,
ସେହି ତମ ସ୍ୱର୍ଣ୍ଣ ସୃତି-ସୁବର୍ଣ୍ଣ-ମୁରତି ।
ଦରିଦ୍ରର ଆଶା ପ୍ରାୟ ଖଦ୍ୟୋତ ଆଲୋକ
କ୍ଷଣେ ଦୀପ୍ତ, କ୍ଷଣେ ଲୁପ୍ତ, ସେ ଆଲୋକଟିକ
ଖଦ୍ୟୋତର ନିଜପାଇଁ । ଯାହାର ଆଲୋକ
ନିଖିଳ ଜଗତ ପାଇଁ, ସେ ସୁଦ୍ଧା ଖଦ୍ୟୋତ,
ଉଭୟକୁ ଏକ ଆଖ୍ୟା ଦେଲା ଯେ ଶାବ୍ଦିକ
ଅଭିଧାନ ଗ୍ରନ୍ଥେ, କେଡ଼େ ଅବିବେକ ସେହୁ,
ଅର୍ପିଲା ଗୋଷ୍ପଦେ ସିନା ମହାବଧି ଆସନ ।
ନୀଚ, ଉଚ୍ଚୋପାଧି ଲାଭେ ହୁଏ ଗର୍ବେ ସ୍ଫୀତ,
ଏହା ପ୍ରାକୃତିକ, ତଥା ସେ ନଗଣ୍ୟ କୀଟ,
ଦେଖି ଦୀପଶିଖା ମଣି ନିକୃଷ୍ଟ ତାହାକୁ
ନିଜଠାରୁ, ଦର୍ପଭରେ ଝାମ୍ପିଦିଏ ତହିଁ,
ଫଳେ ଭସ୍ମୀଭୂତ ହୋଇ ହରାଏ ଜୀବନ,
ଗର୍ବ ପରିଣାମ ଫଳ ମହାମାରାତ୍ମକ,
ନ ଛୁଅନ୍ତି ସାଧୁତେଣୁ ତ୍ରିସୀମା ତାହାର ।
ଆଜି ମହାଦିବା, ପୁଣ୍ୟ ଶୁଭ ଶ୍ରୀପଞ୍ଚମୀ,
ଉତ୍କଳ-ଭାରତୀଙ୍କର ଆଗମନୀ ତିଥି,
ଏକେ ମଧୁଋତୁ, ମୋଦେ ହସୁଛି ଧରଣୀ,
ମିଶି ପୁଣି ଦୁଯେ ତହିଁ ବିଶ୍ୱଜ୍ଞାନରାଣୀ-
ବାଣୀ ଦେବୀ ମଧୁମୟ ହାସ୍ୟ-ସୁଧାରାଗ,
ହେଉଛି ଅମୃତେ ଆହା ଅମୃତ ବର୍ଷଣ !
ଉଠ ଉଠ ଉତ୍କଳୀୟେ, ମୋହିନିଦ୍ରା ତେଜି,
ଡାକୁଛନ୍ତି ମାତା ଆସି, ଅମୃତ ଆହ୍ୱାନେ,
ଦେଖ ଦେଖ ମାତୃମୂର୍ତ୍ତି, ଆହା କି ସୁନ୍ଦର,
ସମାସୀନା ଦେବୀ, ଶ୍ୱେତ-ଶତଦଳୋପରି,
ବାମ କର ଶୋହେ ବୀଣା, ବାମେତର କର
ରହିଛି ବିସ୍ତତ, ପଦ୍ମ ପାଖୁଡ଼ା ପରାୟେ,-
ଅଭୟ, ଉନ୍ନତି, ଜ୍ଞାନ-ବରଦାନ ପାଇଁ
ପୂଜ ତାଙ୍କ ପାଦ, ଛାଡ଼ି ଆଳସ୍ୟ, ଜଡ଼ତା ।
କି ମହାମୋହିନୀ ଶକ୍ତି ଆହା ସଙ୍ଗୀତର,
ଆକର୍ଷେ ସେ ବନୁ ମୃଗେ, ବିଳୁ ବିଜେଶୟେ
ଅନାୟାସେ, ମରଣର ଭୀଷଣ ସମ୍ମୁଖେ ।
କେ ନୁହେ ସଙ୍ଗୀତବଶ, ଦୁର୍ଲ୍ଲଭ କା ମୁଖେ
ସଙ୍ଗୀତର ଯେହାବୃତ୍ତି, ପୀୟୁଷ ପଟିତ ।
ସୁରୁ ସୁରୁ ସ୍ୱରେ ସଦା ଗାଉଛି ସମୀର
ବିଶ୍ୱଭୂମା ଈଶ୍ୱରଙ୍କ ଅନନ୍ତ କବିତା,
ପ୍ରକୃତି-ଅମରସ୍ତୁତି ଗାଏ କଲ୍ଲୋଳିନୀ
କୁଳ କୁଳୁ କଳନାଦେ, ଆବର ଗାଉଛି
ମହାସିନ୍ଧୁ ଜଗତର ସଜୀବ-ସଙ୍ଗୀତ,
ମାନବର ଅନ୍ତରାତ୍ମା ନୀରବ ଭାଷାରେ
କରିଛି ଆବୃତ୍ତି ସଦା କି ମହାଗୀତିକା
କେବଣ ଉଦ୍ଦେଶ୍ୟେ, ତାହା ଅଜ୍ଞାତ ତାହାର,
ମାତ୍ର ସେ ଅଲକ୍ଷ୍ୟେ ତହିଁ ହେଉଛି ମୋହିତ ।
ଶିଖଣ୍ଡି, ତୁ ନଟରାଜ ବନ-ରଙ୍ଗାଳୟେ,
ନିରେଖି ପ୍ରକୃତିରାଣୀ ତୋ ଲାସ୍ୟ ରୁଚିର,
(ମାନସ-ଉଲ୍ଲାସକାରୀ, ଦିଦୃକ୍ଷାବର୍ଦ୍ଧକ)
ଫୁଲ୍ଲ ଫୁଲଦଳ ଛଳେ ହସନ୍ତି ପ୍ରମୋଦେ ।
ଧରୁ କି ମୋହନ ମୂର୍ତ୍ତି ଲଳିତ ମଧୁର,
ମାତ୍ର ସ୍ୱର ବିପରୀତ-ଅପ୍ରିୟ, କର୍କଶ,
ଶୋଭାର ପୂର୍ଣ୍ଣ ବିକାଶ କାହିଁବା ରୂପରେ,
ବଚନ ସୁନ୍ଦର ଯାର ସେ ସିନା ସୁନ୍ଦର ।
ଗଢ଼ିଛି ଯେ ଚିତ୍ରକାର ସୁତନୁ ତୋହର
ଶବଲିତ ରତ୍ନରାଜି-ରଶ୍ମି ଉପାଦାନେ,
ଭୁଲି ତାକୁ, ରେ ବିହଙ୍ଗ, କିପାଁଉଚୁ ଘନେ ?
ପ୍ରୀତିପୂର୍ଣ୍ଣ ନେତ୍ରେ ତାକୁ ଦେଖୁ ତୁ ଯେପରି,
ସେପରି ସେ ଦେଖେ କିରେ ତୋତେ ? ନାହିଁ ଯହିଁ
ପ୍ରାଣର ବିଦ୍ୟୁତାବେଗ, ପ୍ରୀତି ନୁହେଁ ତାହା ।
ସନ୍ତୋଷ, ଅମୂଲ୍ୟ ଧନ, ଅନାବିଳ ସୁଖ,
ଝରେ ତହୁଁ ଶାନ୍ତି-ପ୍ରୀତି-ଅମୃତ-ନିର୍ଝର ।
ସମଜ୍ଜ୍ୱଳ ଯେ ଆଗାର ସନ୍ତୋଷ-ରତନେ,
ସେ ତ୍ରିଦିବ, ବର୍ଷେ ତହିଁ ସ୍ୱର୍ଗ-ଶୁଭଧାରା ।
ସନ୍ତୋଷ-ଚନ୍ଦ୍ରିକା ଯୋଗେ ଶୀତଳ ଯା ହୃଦ,
ସେ ଜୀବିତ, ଜୀବନ୍ମୁକ୍ତ, ଚିରପ୍ରଫୁଲ୍ଲତା
କରେ ଆଲିଙ୍ଗନ ତାକୁ, ପ୍ରିୟ ସଖୀ ପ୍ରାୟ,
ପକ୍ଷାନ୍ତେ ଯା ଅନ୍ତସ୍ତଳେ ବହେ ଖରତରେ
ଅସମ୍ପୂର୍ଣ୍ଣ-ବାସନର କର୍ମନାସା ସୋତ,
ତାହାର ଜୀବନ ନୁହେଁ ଜୀବନ ଆଖ୍ୟାତ,
ଜୀବନ୍ତ ମରଣ ତାହା, ଯନ୍ତ୍ରଣା-ଜର୍ଜର ।
ସନ୍ତୋଷ, ମାନବ ପ୍ରାଣେ ଦେବାବତରଣ,
ଆବର ମହାତପସ୍ୟା, ସାଧିଲେ ସେ ତପ
ହୁଏ ପ୍ରାଣ ସୁପବିତ୍ର, ସଦା ମଧୁମୟ ।
ଆତ୍ମଶ୍ଳାଘା ମୃତ୍ୟୁଠାରୁ ବଳି ଭୟଙ୍କରୀ,
ହୁଏ ନାହିଁ ବଡ଼ କେହି ଗାଇ ନିଜ ସ୍ତୁତି
ନିଜ ମୁଖେ, କାହା ନୀଚ ଅଧମ ସ୍ୱଭାବ;
ଥାଉ ଆନ କଥା, ମଣେ ଯେ ନିଜକୁ ହୀନ
ନିଜ କତି ସୁଦ୍ଧା, ବଡ଼ ବାସ୍ତବ ସେ ଏକା ।
ଆତ୍ମଶ୍ଳାଘା ପତନର ଅମୋଘ ମନ୍ତର,
ବଖାଣି ଆତ୍ମପ୍ରଶସ୍ତି ସୁନାସୀର ପାଶେ
ନହୁଷ ନୃପଣ, ପୂର୍ବେ, ଲଭିଲେ ଯେ ଜଜ୍ଞ,
ଲିଖିତ ତା’ କାଳବକ୍ଷେ-ପୁରାଣ ବକ୍ଷରେ,
ହୋଇ କ୍ଷୀଣପୁଣ୍ୟ ରାଏ, ହେଲେ ଅଧୋଗତ,
ଆତ୍ମଶ୍ଳାଘା ପାପ, ଶୋକ, ନରକପ୍ରସୁତି ।
ନୁହେଁ ସେ ପ୍ରଶଂସ୍ୟ କେବେ ଖୋଜେ ଯେ ପ୍ରଶଂସା
ଖୋଜି ଖୋଜି ଆଶ୍ରାକରେ ପ୍ରତିଷ୍ଠା ଯାହାକୁ
ବଳେ ବଳେ, ସେହି ଧନ୍ୟ, ସେହି ପ୍ରଶଂସିତ ।
ଉଠୁଅଛି ପ୍ରାଣୁ ସଦା ମୋର ମୋର ଧ୍ୱନି,
କାହାର ସେ ଭାଷା, ତାହା ଅଜ୍ଞାତ ମୋହର,
ତଥା କିଏ ମୋର ଭବେ, ସେ ସୁଦ୍ଧା ଅଜ୍ଞାତ;
ଅଥଚ ଜଗତ ସାରା ମୋହର କେବଳ ।
ଜାତି ପରିଜନେ ଜନେ ବୋଲନ୍ତି ଯା ମୋର,
ମୋହର ମୋହନ ମନ୍ତ୍ର ଖାଲି ତାହା ସିନା,
ଖସିଗଲେ ପାନୁ ଚୁନ, କେ ଆଉ କାହାର ?
ଧନ ସମ୍ପତ୍ତି ତ ଜଡ଼, ବର୍ଜିତ ତା କଥା ।
ଆକାଶ, ପର୍ବତ, ବନ ପଚାରେ ଯାହାକୁ
କିଏ ମୋର, କେହି ଦେଇ ନ ପାରି ଉତ୍ତର
ଫେରାଇ ଦିଅନ୍ତି ମୋର ପ୍ରଶ୍ନକୁ ତକ୍ଷଣେ
ପ୍ରତିଧ୍ୱନି-ମୁଖେ, ତହୁଁ ଉଚ୍ଚେ ମୁଁ ନିରାଶା ।
କେବଳ ଏତିକି ଜାଣେ, କରେଁ ଯେତେବେଳେ
ଯାର ମନରକ୍ଷା, ହୁଏ ସେ କାଳେ ସେ ମୋର ।
କିପାଁ ନିନ୍ଦା ରଟେ ଭବେ କୃପଣ ନାମରେ
କିଏ ତାର ସମକକ୍ଷ, ମହାଦାତାପଣେ ?
ନ ଖାଇ ସେ ସଞ୍ଚେ ଧନ ପରଭୋଗ ପାଇଁ ।
ନୋହିଥିଲେ ମଧୁମକ୍ଷୀ ସଞ୍ଚୟ-ନିପୁଣ,
ମିଳନ୍ତା କି ସୁଧା ତୁଳ ଦେବଭୋଗ୍ୟ ମଧୁ ?
ଧରେ ବୃକ୍ଷ ବହୁ ଫଳ, ନ ଖାଏ ବୋଲି କି
ହେବ କୃପଣ ଆଖ୍ୟାତ ? ଅହୋ ! କି ଅଦ୍ଭୁତ
ସିଦ୍ଧାନ୍ତ ! ଦାତାର ଲକ୍ଷ୍ୟ, କୃତ୍ରିମ ଉପାଧି
ଲାଭ, (ନ ଖଟୁ ଏ ଭକ୍ତି ପଛେ ସାଧାରଣ
ଦାତୃକୁଳ ପକ୍ଷେ, ମାତ୍ର ନିଶ୍ଚେ ସମୀଚୀନ
ଅନେକଙ୍କ ପକ୍ଷେ) କିନ୍ତୁ କୃପଣ କଦାଚ
ଲୋଡ଼େ ନାହିଁ ତାହା, ସ୍ୱପ୍ନେ ଅବା କଳ୍ପନାରେ;
ତାର ସେହି ଚିରପ୍ରିୟ ଶାଶ୍ୱତୀ ପଦବୀ,
କଳଙ୍କ-ମୁକୁଟରୂପେ ଶିରେ ବହେ ସଦା ।
ଚିର ଆଶାମୁତବୋଳା ମାନବ ଜୀବନ
ଆଶାଦ୍ୱାରା ସଂଗଠିତ, ଆଶା ନିର୍ଭରିତ;
ବିରାଟ ମାନବ-ବିଶ୍ୱ ଆଶାରେ ଚାଳିତ,
ବାସ୍ପେ ବାସ୍ପରଥ ଯଥା, ତାହା ବ୍ୟତିରେକେ
ମାନବ ଶିଥିଳ ସ୍ଥିର । ଟାଣିଆଣେ ଆଶା
ମାନବକୁ କର୍ମପଥେ ମାନସ ସହିତ,
ଆଶା ଶୁଭଙ୍କରୀ, ଦେବୀ, ଅବିଶ୍ରାମବତୀ,
ଅପୂର୍ବ ଲାବଣ୍ୟମୟୀ ଅରୁପା ରୂପସୀ ।
ଶୁଣି ତାର ବଂଶୀଧ୍ୱନି-ଲଳିତ, ମଧୁର,
ଜୀଇଉଠେ ମୃତପିଣ୍ଡ, ଜନ୍ମପଙ୍ଗୁ ଧରେ
ବାରିଧି-ମେଖଳା ଧରା ଭ୍ରମଣେ ସାହସ ।
ସ୍ନେହ ସୁଖମୟ ଅଙ୍କ ପରଶେ ତାହାର
ଭୁଲିଯାଏ ନର ହେଲେ; ସଂସାର ଆଘାତ,
ବିପନ୍ନର ସଦା ସେହି ଆଶ୍ୱାସଦାୟିନୀ ।
ସୃଜିଲେ ବାଲ୍ମୀକି ବ୍ୟାସ କି ମାହେନ୍ଦ୍ର କ୍ଷଣେ
କାବ୍ୟ-କାମଧେନୁ ଯୁଗ, ଯୁଗଯୁଗବ୍ୟାପୀ
ଦୋହନେ ନ ସରେ ତାର ସୁଧା-ଦୁଗ୍ଧ-ଧାର ।
ସେ ଦୁର୍ଲଭ ଦିବ୍ୟ ଦୁଗ୍ଧ ଆଜୀବନ ପାନେ
ନ ଜନ୍ମେ ଅରୁଚି, ବରଂ ପ୍ରବର୍ଦ୍ଧେ ପିପାସା ।
ଧନ୍ୟ ବେନି ମହାକବି ଅମର ଚୂଳିକା,
ଅଙ୍କିଲା ସେ ଯେ ଆଲେଖ୍ୟ, ସପ୍ତବର୍ଣ୍ଣୋଜ୍ଜ୍ୱଳ,
ସତ୍ୟ, ଶିବ, ସୁନ୍ଦର ସେ, ନିତ୍ୟ ଅଭିନବ ।
ଧରିଛି ମହଦାଦର୍ଶ ଜଗତ ସମ୍ମୁଖେ
ସେ ମହା ଆଲେଖ୍ୟ, ତଥା ଧରିଥିବ ସଦା;
ମହୀରେ ଭାରତ ସାର, ଭାରତେ ଭାରତ,-
ରାମାୟଣ, ଯାହା ନାହିଁ ତହିଁ, ତାହା ନାହିଁ,
ସେ ମହାପୁରାଣଦ୍ୱୟ, ଆର୍ଯ୍ୟ-ଗୌରବର
ରବିଶଶୀ ପ୍ରାୟ, ରତ ବିତରଣେ ପ୍ରଭା ।
କ୍ଷୁଦ୍ର ନୁହେଁ ଅବଜ୍ଞାତ, ମହିମା ତାହାର
ମହୀୟସୀ; ବୃହତ୍ତର କ୍ଷୁଦ୍ରରୁ ସଂଜାତ ।
ରେଣୁ ସମ ବୀଜୁ ଜାତ ପ୍ରବଣ୍ଡ ନ୍ୟଗ୍ରୋଧ,
ଘନଚୁମ୍ବୀ ହିମାଚୟ, ଶିଖରି-ସମ୍ରାଟ,
ଧୂଳିକଣାର ସମଷ୍ଟି, ତଥା ପାରାବାର
ଭାବୁକ-କଳ୍ପନାତୀତ ଅନନ୍ତ-ବିସ୍ତୃତ,
କ୍ଷୂଦ୍ରତମ ବାରିବିନ୍ଦୁ ସଂଯୋଗେ ଗଠିତ ।
ତରୁ ତୁଳନାରେ ଲତା କ୍ଷୁଦ୍ରପ୍ରାଣ ଅତି,
ମାତ୍ର ସେ ପ୍ରସବେ ଫଳ ତରୁଠାରୁ ବଡ଼;
ସାମାନ୍ୟ ସ୍ଫୁଲିଙ୍ଗ ପାରେ ଚରାଚରେ ଦହି ।
ମଣିବ ନିଜକୁ କ୍ଷୁଦ୍ର, କିନ୍ତୁ କ୍ଷୁଦ୍ର ବୋଲି
ବଡ଼ କାର୍ଯ୍ୟ ସାଧନାରେ ନ ହେବ ହୃତାଶ,
ସାନେ ବଡ଼ କରେ କର୍ମ, ଆଜି କ୍ଷୁଦ୍ର ଯେହୁ
କାଲି ସେ ହେଉଛି ଶ୍ରେଷ୍ଠ ନିୟତି-ନିୟମେ ।
କାହିଁ ଚିରବନ୍ଧୁ, ମହୀ-ଅବନ୍ଧୁ-ପ୍ରବାସେ ?
ବାନ୍ଧିପାରେ ହୃଦୟେ ଯେ ପ୍ରୀତି-ପାଟଡ଼ୋରେ
ପକାଇ ଅଫିଟା ଗଣ୍ଠି, କିମ୍ବା ପ୍ରେମ-ମୁଲେ
ଚିରବନ୍ଧା ରଖେ ପ୍ରାଣେ ଯେ ପ୍ରଣୟୀ ପାଶେ,
ସେ ଏକା ପ୍ରକୃତ ବନ୍ଧୁ, ଜୀବନ-ଦୋସର;
ନୀଚ ସ୍ୱାର୍ଥ, ସଂକୀର୍ଣ୍ଣତା ବା ଦୌର୍ବଲ୍ୟ ଦୋଷେ
ମଳିନ ନୁହେଁ ତା ହୃଦ, ଅବା କଳଙ୍କିତ ।
ସ୍ୱାର୍ଥ ଯା ପ୍ରାଣର ପ୍ରାଣ, ସ୍ୱାର୍ଥ ବିନିମୟ
ଯାର ଲକ୍ଷ୍ୟ, ସେ ବନ୍ଧୁତା କୃତ୍ରିମ, ଭଙ୍ଗୁର,
ଉପକାର ଆଦାନର ଆଗତୁରା ଭଡ଼ା ।
ସଂସାର ବିଚ୍ଛେଦଭୂମି, କାହାରି ବନ୍ଧୁତା,
ନ ହୁଏ ପୂର୍ଣ୍ଣତାପ୍ରାପ୍ତ ଏଥି କେଉଁକାଳେ,
ନିସର୍ଗ ବନ୍ଧୁତା ଏକା ଧର୍ମର ବନ୍ଧୁତା,
ଧର୍ମ ବେନି ଲୋକେ ସଙ୍ଗୀ, ପ୍ରକୃତ ବନ୍ଧୁ ସେ ।
କି ଭୀଷଣ ଅନୁତାବ-ଅଗ୍ନି, ଅନିର୍ବାଣ,
ସଲିଳେ ଅନଳ ଶାନ୍ତ, ମାତ୍ର ଏ ଜଗତେ
ନାହିଁ ଏମନ୍ତ ସଲିଳ, ପାରିବ ସେ ଶମି
ଅନୁତାପ ପାବକର ମହା ଉଗ୍ରଶିଖା ।
ଅହୋ, କେଡ଼େ ଅବିବେକୀ ମୁହିଁ, ଅର୍ବାଚୀନ,
ଭସ୍ମସ୍ତୁପେ ଢାଳି ଆଦ୍ୟ କଲି ସିନା ତାର
ଅପବ୍ୟବହାର; ଦେଇ ଶାଳଗ୍ରାମ ଟେକି
ମ୍ଳେଚ୍ଛହାତେ, କଲି ତାକୁ ଅପବିତ୍ର ହାୟ !
ସେହି ଅଦୁରର୍ଶିତା-ବିଷମୟ ଫଳ
ଭୁଞ୍ଜି ମୁଁ ଆକ୍ରାନ୍ତ ଏବେ ଅନୁତାପ-ଜ୍ୱରେ ।
ହେଉ ପଛେ ଅନୁତାପ ଶୂନ୍ୟଗର୍ଭ, ବୃଥା,
ମାତ୍ର ଯୋଗ୍ୟ ପ୍ରାୟଶ୍ଚିତ୍ତ ସେ ମୋ ଦୁଷ୍କୃତିର
ଅବିମୃଷ୍ୟକାରିତାର ପୁରସ୍କାର ମଣି,
ପିନ୍ଧଥିବି ଆଜୀବନ ସେ ମାଟି-ପଦକ ।
ମାନବ, ଶତ୍ରୁବେଷ୍ଟିତ ଆଜୀବନ ଭବେ,
ଅଭ୍ୟନ୍ତରେ ରୋଗ ଶତ୍ରୁ, ପୁଣି ଷଡ଼ରିପୁ,
ବାହ୍ୟେ ଜଳେ ସ୍ଥଳେ ସ୍ଥିତ କୁମ୍ଭୀର ଶ୍ୱାପଦ,
ଆକାଶେ କରକା, ବଜ୍ର, ରୁଦ୍ଧ ସର୍ବପଥ ।
ଆଉ ଏକ ମହାଶତ୍ରୁ ଅଛି ମାନବର,
ସେ ମାନବ, ମାତ୍ର ବୁଷ୍ଟ ପିଶାଚ ଆଚାରୀ;
ଦମିତ ଔଷଧେ ରୋଗ, ସଂଯମ ସାଧନେ
ରିସୁକୁଳ, ଶ୍ୱାପଦାବି ଅସ୍ତ୍ରେ ସାତର୍କ୍ୟରେ
କରିବାକୁଳିନିଶାଘାତୁ ଆତ୍ମରକ୍ଷା ନୀତି,
ମାତ୍ର ନାହିଁ ନର-ଶତ୍ରୁ ପାଲରୁ ନିସ୍ତାର ।
ତୀବ୍ର ହୁଳାହଳସିକ୍ତ ଦୁର୍ଜନ ରସନା,
ହୃଦ ପୂର୍ଣ୍ଣ ପରନିଷ୍ଟ-ପାପ-କଳ୍ପନାରେ,
ଦୂରାତ୍ମା-ଦୌରାତ୍ସ୍ୟ ମୁକ୍ତ ଯେଉଁ ଭାଗ୍ୟଧର
ସୁଲଭ ଜୀବନେ ତାର ସୁଖ-ଶାନ୍ତି-ସୁଧା ।
ନୁହେଁ କ୍ରେୟ ଦ୍ରବ୍ୟ, କିମ୍ବା ଅଯତ୍ନ-ସୁଲଭ
ସଭ୍ୟତା, ଭପାର୍ଜନର ସାପେକ୍ଷ ସେ ଏକା,
କୁନ୍ତଳ ବିନ୍ୟାସେ ଅବା ରମ୍ୟ ପରିଚ୍ଛଦେ,
ଅଥବା ଜାତୀୟତାର ବିରୁଦ୍ଧ ଭୋଜନେ,
ହୁଏ ନାହିଁ ସଭ୍ୟତାର ସାରତ୍ୱ ଉନ୍ମେଷ,
ଅସ୍ୱାଭାବିକତାର ସେ ହୀନ ଅନୂକୃତି;
ଦିଅଁ ଗଢ଼ା ଛଳ ସିନା ସେ ଅନୁକରଣେ,
ମାତ୍ର ପ୍ରକୃତରେ ହୁଏ ବାନର ଗଠିତ ।
ସଭ୍ୟତା, ସତ୍ଶିକ୍ଷା ଆଉ ସତ୍ସଙ୍ଗସମ୍ଭୁତ,
କରିଦିଏ ଚରିତ୍ରେ ସେ ସଂଯତ, ମାର୍ଜିତ,
ଯଦ୍ଦ୍ୱାରା ଶରୀର, ମନ, ବିଶେଷେ ଆତ୍ମାର
ସମ୍ପୂର୍ଣ୍ଣ ବିକାଶ ଘଟେ, ସତ୍ୟ, ସଦାଚାରୁ,
ଔଦାର୍ଯ୍ୟ, ସମଦର୍ଶିତା, ସ୍ୱଧର୍ମପାଳନ,
ଯାର ଦୃଢ଼ ମୂଳଭିର୍ତ୍ତି, ସେହି ତ ସଭ୍ୟତା ।
ପରଦୋଷ ଅନ୍ୱେଷଣ ନିର୍ଗୁଣୀ ସ୍ୱଭାବ,
ବିଘୃଣ୍ୟ ଅସ୍ପର୍ଶ୍ୟ ତାହା, ଉପେକ୍ଷ୍ୟ ସର୍ବଥା;
ଭାଙ୍ଗିନିଏ ମଧୁଫଣା ମଧୁ -ସଂଗ୍ରାହକ,
ମାତ୍ର ନିମ୍ନ କୀଟଚତ୍ରେ * ଛୁଏଁ ନାହିଁ କେବେ ।
ଖୋଜି ଆତ୍ମ ଦୋଷ ଯେହୁ କରେ ସଂଶୋଧନ,
ଆବର ଯେ ଭୃଙ୍ଗଧର୍ମୀ, (ଭ୍ରମର ଯେସନ
ଶୋଷେ ଖାଇ ମଧୁବିନ୍ଦୁ ଚମ୍ପକ କୁସୁମ,
ଛାଡ଼ି ତାର ତିକ୍ତ ରସ) ସେହି ସାରଗ୍ରାହୀ,
ପ୍ରକୃତ ଧାର୍ମିକ, ଜ୍ଞାନୀ, ଆତ୍ମଦର୍ଶୀ, ସାଧୁ,
ପୁତ ତାହା ପଦରେଣୁ, ତୀର୍ଥରେଣୁ ସମ ।
ଧରନ୍ତି ଉନ୍ନତି ଦେବୀ ସାଦରେ ତାହାକୁ
ସୁଖମୟ ଶାନ୍ତିମୟ ସୁଧାମୟ କ୍ରୋଡ଼େ ।
ପରଗୁଣ-ପ୍ରପୂଜକ ପ୍ରଯୁଜ୍ୟ ଗୁଣର,
କରନ୍ତି ଆଶ୍ରୟ ତାକୁ ନିଖିଳ ସଦ୍ଗୁଣେ ।
ଶମ ପ୍ରଭୋ, ମୋ ଅତୃପ୍ତ-ପିପାସା-ଯନ୍ତ୍ରଣା,
ବେଦନା-ବିକ୍ଷତ ପ୍ରାଣେ ତାଳି କୃପା-ସୁଧା,
ସୃଜି ସେ ପିପାସା ମୁହିଁ, ନ ପାରେଁ ସମ୍ଭାଳି,
ଘନୁ ଜାତ ଇରମ୍ମଦ, ମାତ୍ର ଘନଜଳେ
ନୁହେଁ ସେ ନିର୍ବାଣ । ହରି, ତବ କୃପା ବିନା
ଅସମର୍ଥ ନିବାରଣେ ଜଗତ ସେ ତୃଷ୍ଣା,
ବନ୍ୟାର କାରଣ ବୃଷ୍ଟି, ନୁହେଁ ତ ତୁଷାର ।
ଶିଖାଅ ହେ ପ୍ରେମଛନ୍ଦେ ତଳ ପ୍ରେମଗୀତି,
ହେବି ପ୍ରେମମତ୍ତ ଗାଇ ସେ ମହାଗୀତିକା,
ହେ ସୁନ୍ଦର, କର ମୋତେ ସ୍ୱାଭବ-ସୁନ୍ଦର,
ଶୁଭ ! କର ଶୁଭମୟ ପ୍ରାଣ, ପୁଣ୍ୟ ! ତବ
ପୁଣ୍ୟ-ଜ୍ୟୋତି-ଜଳେ ଧୋଇଯାଉ ମୋ କପାଳ
କଳୁଷ-କଳଙ୍କ, ଦିଅ ଆଦେଶ ପାଳନେ
ଶକ୍ତି; ଶ୍ରୀପଦ ପୁଜନେ ଭକ୍ତି, ପୁଣି ପ୍ରୀତି
ସକ୍ୟ ସଂସାଧନେ, ଏହି ତ୍ରିବେଣୀ ସଲିଳେ
ପଖାଳିବି ପଦ ତବ, ଆନନ୍ଦାଶ୍ରୁ ସହ ।
(ଉତ୍କଳ ଦୀପିକାର ଅର୍ଦ୍ଧ ଶତାବ୍ଦୀ ଅତୀତ ଉପଲକ୍ଷେ)
ଘେନ ଭକ୍ତି ସମ୍ବର୍ଦ୍ଧନା ଉତ୍କଳଦୀପିକେ,
ଦେବି, ନବସମ୍ବତ୍ସରେ, ପବିତ୍ର ମଙ୍ଗଳ
ତବ କର୍ଷବୃଦ୍ଧି ଦିନେ, ତୁମ୍ଭେ ପୁଣ୍ୟମୟୀ,
ସ୍ୱଦେଶର ଶିକ୍ଷୟିତ୍ରୀ, ମହା କର୍ମ-ଯାଗେ,
ସଂଯାପି ଯଞ୍ଚାଶ ବର୍ଷ ପୁଣି କର୍ମେ ରତ ।
ଧନ୍ୟ ତବ ପ୍ରଜ୍ଞା, ନିଷ୍ଠା, ସାହସ, ପ୍ରତିଭା,
ଔଦାର୍ଯ୍ୟ, ମହାପ୍ରାଣତା, ନମସ୍ୟେ, ତୁମ୍ଭରି
ପ୍ରାଣ-ପାଞ୍ଜିର ଅତୀତ ପ୍ରତ୍ୟେକ ପତର
ଦେଶହିତ-ଶୁଭ-ଶ୍ଲୋକ-ନିର୍ଘଣ୍ଟେ ପୁରିତ
ଉନ୍ନତି-ଅଗସ୍ତ୍ୟ ତାରା ତୁମ୍ଭେ ଉତ୍କଳର ।
ନୁହେଁ ଏକା ତୁମ୍ଭ ପକ୍ଷେ ଶୁଭଦିନ ଆଜି,
ସୌଭାଗ୍ୟ ସୁଦିନ ଆଜି ଉତ୍କଳ ପକ୍ଷରେ,
ନବ ଚନ୍ଦ୍ରୋଦୟେ ସିନା ସୃଷ୍ଟି ହୁଏ ସୁଖୀ,
ମାତ୍ର ଚନ୍ଦ୍ର ପକ୍ଷେ ଯଥା ପୂର୍ବ ତଥା ପର ।
କାହାକୁ କରାଉ ଏତେ ନିତ୍ୟ ସାବଧାନ,
ରେ ସ୍ୱର୍ଣ୍ଣବିହଙ୍ଗ, ‘‘ଶାଶୁ କୁଳେ ଗୋ’’ ବୋଲିଣ ?
କେତେବେଳେ କହୁ ପୁଣି ‘‘ଚିଟଉ ପଢ଼ ଗୋ’’
କାହା ଉଦ୍ଦେଶ୍ୟେ ଏ ଭକ୍ତି ? କେ କହିବ ମୋତେ ?
କି ସୁନ୍ଦର ତନୁ ତୋର ରତନେ ରଚିତ,
ହରିଣ୍ମୟ କଳେବର, କଣ୍ଠ ଇନ୍ଦ୍ରନୀଳ,
ଚଞ୍ଚୁ ପଦ୍ମରାଗ, ଏତେ ରତ୍ନ ଖଞ୍ଜି ବିହି
ବରାଙ୍ଗେ ତୋହର, ହେଲା ନାହିଁ ତୃପ୍ତ ତେବେ,
ଚଢ଼ାଇଲା କଣ୍ଠେ ତାର ଅମୃତେ ସିକତି,
ପ୍ରିୟ ବାଦ୍ୟଯନ୍ତ୍ର ତୁ କି ବିଶ୍ୱବିଧାତାର ?
ନୋହୁ ଖାଲି ଗୁଣଶ୍ରେଷ୍ଠ ପିକ ପରି ତୁହି,
ରୁପ ଗୁଣ ଉଭେ ତୋର ରୁଚିର-ମଧୁର,
କି ସ୍ୱର୍ଣ୍ଣସୌଭାଗ୍ୟ ଏହା, ଅମର ହିଂସିତ,
ଏକାଧାରେ ଏ ସମୃଦ୍ଧି ଦୁର୍ଲ୍ଲଭ ଜଗତେ ।
ଦିଗ୍ବିଜୟୀ ବୀରବର ହେ ନେପୋଲିୟମ,
ଥିଲା ଅହୋ ତୁମ୍ଭର କି ଦୁର୍ବାର ଲାଳସା,
ବିସ୍ତୀର୍ଣ୍ଣ ସାମ୍ରାଜ୍ୟ ଲାଭେ, ନ ତୁଟିଲା ତିଳେ
ଅତୃପ୍ତ-ବାସନା-ନିଶା, ଦୁଇ ଦିନ ପାଇଁ
ହେଲା କି ନିଅଣ୍ଟ ଭଲା ସେ ବିଶାଳ ସ୍ଥଳୀ
ତବ ବାସ ପକ୍ଷେ ? କରେ ଧରିଲ କୃପାଣ,
ସୀମାବୃଦ୍ଧି ଅର୍ଥେ, କଲ ଅଭିଷିକ୍ତ ଧରା
ମାନବ-ଶୋଣିତେ, ବହି ମାନବ ଶୋଣିତ,
ମାତ୍ର ନେଲ କେତେ ଭୂମି ମର୍ତ୍ତ୍ୟୁ ଗଲାବେଳେ ?
ସାର୍ଦ୍ଧ ତିନି ହସ୍ତ ସ୍ଥାନ ଆବଶ୍ୟକ ତବ,
ତାହା ସୁଦ୍ଧା ପାରିଲ କି ସଙ୍ଗେ ନେଇ ବୀର,
କେତେ ଦିନ ପାଇଁ ଆହା କଲ କେଡ଼େ କଥା
ହୋଇ ମହାରଣ-ଯାଗେ ପ୍ରଧାନ ପୁରୋଧା,
ସମର୍ପିଲ ପୂର୍ଣ୍ଣାହୁତି କୋଟି କୋଟି ନରେ,
ବୀରହୃଦ କି ନିଷ୍ଠୁର ଅଦୟା-ଶ୍ମଶାନ,
ପଡ଼େ ନାହିଁ ତହିଁ ମାୟାମମତାର ଛାୟା,
ନୁହେଁ କି ହେ ବୀରହୃଦ, ନରହୃଦ, ବୀରେ
ନୁହନ୍ତି କି ନର ? ହାୟ ଶ୍ୱାପଦ ସଦୃଶ
ବିଦାରିବ ନରବକ୍ଷ ନର, ଏହା କି ହେ
ବୀରଧର୍ମ, ଲୋକରକ୍ଷୀ ? ଲୋକଭକ୍ଷୀ କିଏ ?
ଭଣେ ଯେଉଁ ଧର୍ମ,-ହତ୍ୟା, ପରରାଷ୍ଟ୍ର ଗ୍ରାସ,
ସେ ଭୀଷଣ ଧର୍ମେ ଦୁରୁ କୋଟିଏ ଜୁହାର ।
କେ ଦରିଦ୍ର ? ନ କରେ ଯେ ମୁଠେ ଶସ୍ୟ, ଅବା
ଦୁଇଖଣ୍ଡ ସୁନାରୁପା-ଚକି ଉପାସନା,
ସେହି କି ଦରିଦ୍ର ? ନା, ନା, ଏ ଭ୍ରାନ୍ତି ବିଶ୍ୱାସ ।
ଅପାର୍ଥିବ ଜ୍ଞାନ-ରତ୍ନେ ହୀନ ଯେ ମାନବ,
ଧର୍ମରୁପ ଆଭାମୟ ସ୍ୱର୍ଣ୍ଣ-ଦୀପଶିଖା
ନ କରେ ଉଜ୍ଜ୍ୱଳ ଯାର ତାମସ ହୃଦୟ,
ସେ ହୃଦୟ ହୀନ, ତାର ଦରିଦ୍ର ଉପାଧି
ସମୀଚୀନ ! ମୁଢ଼ ରାଜା, ଦରିଦ୍ର ପରମ,
ମାତ୍ର ଯେ ଧାର୍ମିକ ଜ୍ଞାନୀ, ହେଉ ସେ ପଛକେ
ତୀର୍ଣ୍ଣ-କୌପୀନସମ୍ବଳ, ମହାଧନୀ ସେହୁ ।
ଧନ, ସ୍ୱର୍ଗୀୟ, ପବିତ୍ର, ଅମୃଲ୍ୟ, ଦୁର୍ଲଭ,
ପ୍ରଦାନେ ସଂସାର ଯାକୁ ଧନ ଅଭିଧାନ,
ନୁହେଁ ସେ ତ ଧନ, ତାହା ବିଷୟ ବିକାର
ତୀବ୍ରତାରେ ପରାତେ ସେ ବିଷାଦର ବିଷେ ।
ଛୁରିଅନା-ବିଚ୍ଛୁରିତ ମଞ୍ଜୁ କୁଞ୍ଜବନେ,
ଏ କି ଭାରତୀ-ଆଶ୍ରମ, ଆଦର୍ଶ, ପାବନ,
ପ୍ରବୀଣ ଆଚାର୍ଯ୍ୟଠାରୁ ଲଭି ସାଧୁ ସନ୍ଥ
ବାଳ ବ୍ରହ୍ମଚାରିକୁଳ, ରତ ଏଥି ଆହା
ସଂସାର ସାଧନା-ଯଜ୍ଞେ, ତନ୍ମୟ ମାନସେ
ଯୁଗେ ଯୁଗେ ତପୋବନ ଉନ୍ନତି-ଜନକ,
ଏ ଆଶ୍ରମ-ହିମାଳୟୁ ହୋଇ ପ୍ରବାହିତା
ଲୁପ୍ତ ଆର୍ଯ୍ୟ ସଭ୍ୟତାର ମନ୍ଦାକିନୀ ଧାରା,
କରିବ ସମାଜ-ବକ୍ଷ ଶୀତଳ, ସରସ ।
ସ୍ୱୀୟ ଉଚ୍ଚ ଆଦର୍ଶରେ ସତ୍ୟଶିବମୟ,
କରି ଅନୁପ୍ରାଣାୟିତ ଅସଂଖ୍ୟ ଆଶ୍ରମେ
ଏ ଆଶ୍ରମ, ସଂସ୍ଥାପିବ ସ୍ୱଦେଶେ ଅଦୁରେ,
ଦିଶିଲାଣି ଦିଶିଲାଣି ଏ ମହା ସୂଚନା,
ଘନ ଦୃଷ୍ଟେ ବାରି ଆଶା ନୁହେ ଅସଙ୍ଗତ ।
ଗଢ଼ିବ ଏ ଆଶ୍ରମ ଯେ ନୈତିକ ଜୀବନ,
ଜାତୀୟ ଜୀବନ ତାହା, ନୁହେଁ ବ୍ୟକ୍ତିଗତ ।
ଭାଷାରାଣୀ ଦେବଭାଷା ଦିବ୍ୟଭାବପ୍ରାଣା
ରତ୍ନଗର୍ଭା, ମାତଃ, ଗର୍ଭେ ତୋର ଏକାଧାରେ
ନିହିତ ଅନନ୍ତ ରତ୍ନ, ମର୍ଜ୍ଜିଛି ଯେ କୃତୀ
ସେ ଅଗାଧ ସିନ୍ଧୁ ମଧ୍ୟେ, କୋଟିପତି ସେହୁ ।
ତୋହ ପରି ଗୁଣବତୀ ତୋ ଉତ୍କଳ ସୂତା,
ତୋ ଭଳି ସୁନ୍ଦରୀ, ତୋହୋ କେତେ ତେଜସ୍ୱିନୀ,
ମାତା ଯାର ରୁପବତୀ, ବିଶ୍ୱବନ୍ଦନୀୟା,
କିପା ବା ତା କନ୍ୟା ହେବ ଦୁର୍ଗୁଣା, କୁତ୍ସିତା ?
କିନ୍ତୁ ମା ଗୋ ଏହି ବଡ଼ ମର୍ମାନ୍ମିକୀ ବ୍ୟଥା,
ନିଖିଳ ଜଗତେ ତୁହି ବିତରୁ ସୁଜ୍ଞାନ,
ମାତ୍ର ତୋ ସନ୍ତାନଗଣେ ଜ୍ଞାନ ଅନ୍ୱେଷଣେ
ଭ୍ରମୁଛନ୍ତି ଇତସ୍ତତଃ, ଜନନୀ ଯାହାର
ସ୍ୱୟଂ ଅନ୍ନପୂର୍ଣ୍ଣା, ହାୟ, ତା ସୁତେ ଭିକାରୀ !
ତୋ ସେବା ଉପେକ୍ଷି ସିନା ଏହି ଅଧୋଗତି ।