ଗ୍ରୀଷ୍ମର ଏକ ଗୋଧୂଳି ଲଗନେ,
କପିଳବାସ୍ତୁ ଊର୍ଦ୍ଧ୍ୱେ ସଘନେ,
ଶାନ୍ତି, ସ୍ନିଗ୍ଧ ସୁନୀଳ ଗଗନେ
ବିସ୍ତାର କରି ପକ୍ଷ ।
ହଂସ-ଯୁଗଳ ଉତ୍ତରାପଥେ,
ଯାତ୍ରା ବିରଚୁ ଥିଲେ ଅବିରତେ,
ବର୍ଷୁକ ବାରିବାହ ଉପଗତେ,
ମାନସରେ କରି ଲକ୍ଷ୍ୟ ।୧।
ଗର୍ଭାଳସା ସେ ମରାଳୀ ମନ୍ଦ୍ର ସୁରେ,
ପକ୍ଷ ହଲାଇ ପ୍ରିୟ ମରାଳର ଉରେ,
ପୁଚ୍ଛିଲା, ‘‘କହ କହ ଆଉ କେତେଦୂରେ,
ଘୁଞ୍ଚିବ ପଥ ଶ୍ରାନ୍ତି
ଦୀର୍ଘ ଏ ପଥ ଯାତ୍ରା ନ ପାରେ ସହି,
ବକ୍ଷ ବେଦନା ନ ପାରେ ଆଉ ଗୋ କହି,
ଅଜ୍ଞାତ ଭୟେ ଅନ୍ତର ହୁଏ ଦହି,
ମାନସେ ମୋ ଜାଗେ ଭ୍ରାନ୍ତି’’ ।୨।
ଉତ୍ତରିଲା ସେ ମରାଳ ପ୍ରଣୟ ଭରେ,
‘‘ଅମ୍ବର ଶୋଭା ବିଲୋକ ସଜନି । ଥରେ,
ଗ୍ରୀଷ୍ମ ସରିଲା, ବର୍ଷା ଆସିବ ଖରେ,
ମାନସରେ ରଚି ବାସ ।
ପକ୍ଷ ମେଲାଇ ଆସ ଗୋ ତୁରିତ,
ସ୍ୱର୍ଣ୍ଣ କମଳେ ସେ ସର ପୂରିତ,
ଦର୍ଶନେ ହେବ ଦୁଃଖ ଦୂରିତ,
ବଞ୍ଚିବା ଚାରି ମାସ ।୩।
ଜନ୍ମଭୂମି ସେ ଚିରବନ୍ଦ୍ୟ ଗୋ ଆମ,
ଅଙ୍ଗେ ପରଶି ହେବା ଗୋ ପୂର୍ଣ୍ଣକାମ,
ଦଣ୍ଡେ ମଣିବା ତହିଁ ଗୋ ସଜନି । ଯାମ,
ଦର୍ଶନେ ସଖା, ମିତ୍ର ।
ଅଭ୍ରପରଣୀ ହିମାଳୟର ସେ ଶୃଙ୍ଗ,
ଶୁଭ୍ରବରଣ, ଉଜ୍ଜ୍ୱଳ ତଥା ତୁଙ୍ଗ,
ସ୍ୱର୍ଣ୍ଣ କମଳ ବଦନ ଚୁମ୍ବେ ଭୃଙ୍ଗ,
ମୁଗ୍ଧକର ସେ ଚିତ୍ର ।’’ ।୪।
ମୃଦୁ ଆଶ୍ୱାସେ ମରାଳୀ ମରାଳ ସଙ୍ଗେ,
ଯାତ୍ରା ଯେବେ ସେ ବିରଚଇ ନାନା ରଙ୍ଗେ,
ତୀକ୍ଷଣ ସାୟକ ବିଦ୍ଧ ହେଲା ତା ଅଙ୍ଗେ,
ପକ୍ଷ ତାହାର ସ୍ଥିର ।
ଉଲ୍କା ପରାୟେ ଭୂତଳେ ପଡ଼ିଲା ଖସି,
ଉଦ୍ୟାନେ ଯହିଁ ବୁଦ୍ଧ ଥିଲେକ ବସି,
କୃତକାର୍ଯ୍ୟତା ଦେଖି ଆପଣାର ହସି,
ସେ ଦେବଦତ୍ତ ବୀର ।୫।
ସସ୍ମିତ ମୁଖେ, ହଂସୀ ପତନେ ଲକ୍ଷ୍ୟ,
ଶର ସଂଧାନେ ପୁଲକି ଉଠେ ତା’ ବକ୍ଷ,
ମଣେ ସେ ନିଜକୁ ବାଣ-ସଂଯୋଗେ ଦକ୍ଷ,
ଚଣ୍ଡ ସେ ଦେବଦତ୍ତ ।
ବୁଦ୍ଧ ସମୀପେ ମିଳିଲା ତୁରିତେ ଯାଇଁ,
ପୁଚ୍ଛିଲା, ‘‘କୁହ ହଂସୀକୁ କାହିଁ ପାଇଁ,
ଅଙ୍କେ ଧରିଛ କାହାର ଆଦେଶ ଭାଇ !’’
ଗର୍ବେ ହୋଇଣ ମତ୍ତ ।୬।
ହଂସୀର ଦେଖି ମରଣାନ୍ତକ ବ୍ୟଥା,
ବୁଦ୍ଧଦେବର ଭାଜିଲା ତନ୍ମୟତା,
ବଜ୍ର କି ଅବା ଭେଦିଲା ତାଙ୍କ ମଥା,
ସହସା ଆବେଗ ଭରେ ।
ପୁଷ୍କରିଣୀର ସଲିଳ ତା ଦେହେ ସଞ୍ଚି,
ପଟ୍ଟବସନ ଅଞ୍ଚଳେ ଧୀରେ ବିଞ୍ଚି,
ପକ୍ଷୁଁ ତାହାର ରକ୍ତ ପ୍ରବାହ ମୁଞ୍ଚି,
ଆଶ୍ୱସି ନିଜ କରେ ।୭।
ଦର୍ଶନେ ତାହା ମରାଳ ମର୍ମାହତ,
ଚିତ୍କାର ଡାକେ କାନ୍ତାରେ ଅବିରତ,
ପକ୍ଷ ଲୋଟାଇ ଗ୍ରୀବାଦେଶ କରି ନତ,
ବୁଦ୍ଧ ଅନତିଦୂରେ ।
ଅଶ୍ରୁ ଝରଣା ଯାଏ ତା ନେତ୍ରେୁଁ ବହି,
କାନ୍ଦେ ଅଧୀରେ ମରାଳ ଲୋଟିଣ ମହୀ,
ମର୍ମ ବେଦନା ନ ହୁଏ ତାହାର କହି,
ବିଳପେ କରୁଣ ସୁରେ ।୮।
ଜଗବନ୍ଦନ, ଭବନନ୍ଦନ ବୁଦ୍ଧ,
ଦେବଦତ୍ତର ଉତ୍ତରେ ନୋହି କ୍ରୂଦ୍ଧ,
ଶାନ୍ତିରେ ଯା’ର ଅନ୍ତା ଚିର ଶୁଦ୍ଧ,
ପୁଚ୍ଛିଲେ ରାଜସୁତେ ।
‘‘ଶାନ୍ତି ଆଚରି ଶୁଣ ଭାଇ ଦେବଦତ୍ତ !
କାର୍ମୁକୀ ବୋଲି ନ ହୁଅ ଗର୍ବେ ମତ୍ତ,
ଅଜ୍ଞ ତୁମେ ହେ ଜାଣନି ଜୀବନ-ତତ୍ତ୍ୱ,
ବଞ୍ଚାଇ ପାର ମୃତେ ? ।୯।
ସୃଷ୍ଟି ଯାହାରେ ନ ପାରିବ ତୁମେ କର,
କିମ୍ପାଇ ନେବ ବାହୁବଳେ ତାକୁ ହରି,
ମୂର୍ଖ ଅଛି କେ ଏ ଜଗତେ ତୁମ ସରି,
ଶାନ୍ତି ଆଚର ଭାଇ !’’
ମୃଦୁ ଶିହରଣେ ହଂସୀ ମେଲାଇ ପକ୍ଷ,
ଏସନ ସମୟେ ପୁଲକିତ କରି ବକ୍ଷ,
ବୁଦ୍ଧ-ଉରସୁଁ ଅମ୍ବରେ କରି ଲକ୍ଷ୍ୟ,
ତ୍ରସ୍ତେ ରହିଲା ଚାହିଁ ।୧୦।
ବୃଦ୍ଧ ସହସା ଦେବଦତ୍ତରେ ଚାହିଁ,
ପୃଚ୍ଛିଲେ, ‘‘ସତେ, କ୍ଷୁବ୍ଧ ହେଲ କି ଭାଇ ।
ହଂସୀ ଏ ଦୁଃଖ ଲଭି ତ ଥିବ କାହିଁ,
କମ୍ପେନା ତୁମ ବକ୍ଷ ?
ଦେଖ ଏ ହଂସ ବିରହ-କରୁଣ-ସୁରେ,
ଅକୁହା, ଅଜଣା ଶଙ୍କା ବହିଣ ଉରେ,
ମର୍ମ ଫଟାଇ କାନ୍ଦେ ସେ ଶୋକାତୁରେ,
ଭ୍ରଷ୍ଟ ଯେଣୁ ତା ଲକ୍ଷ୍ୟ ।୧୧।
‘‘କ୍ଷତ୍ରିୟର ଏ ଅଟଇ ବଂଶ-ଧର୍ମ,
ଯୁଦ୍ଧ, ଶିକାର ସିନା ତା’ ନିତ୍ୟକର୍ମ,
ଜାଣନି କି ଭାଇ ! କ୍ଷତ୍ରିୟତ୍ୱର ମର୍ମ,
ନୁହେଁ ମୁଁ ଗର୍ବେ ମତ୍ତ ।
ରକ୍ଷଣ ଆଶେ ପିତୃ ପାଳିତ ରାଜ୍ୟ,
ଯୁଦ୍ଧ ଚରଚା ଅଟେ ତା ମୁଖ୍ୟ କାର୍ଯ୍ୟ,
ଶାନ୍ତି, ଅହଂସା କ୍ଷତ୍ରିୟର ତ ତ୍ୟାଜ୍ୟ,
ଉତ୍ତରେ ଦେବଦତ୍ତ ।୧୨।
ସସ୍ମିତ ମୁଖେ ପ୍ରଶ୍ନ କରିଲେ ବୁଦ୍ଧ,
‘‘କାମ୍ୟ କି ଏକା କ୍ଷତ୍ରିୟର ଏ ଯୁଦ୍ଧ ?
ଶାନ୍ତି ସତ୍ୟେ ଅଙ୍ଗ ହୁଅଇ ଶୁଦ୍ଧ,
ନଶ୍ୱର ଏହି ବିଶ୍ୱ ।
ଯୁଦ୍ଧ, ହିଂସା ଏ ଜଗତେ ସିନା ଘୃଣ୍ୟ,
ରାଜ୍ୟକ୍ଷମତା ମିଥ୍ୟା, ଅଳୀକ, ଶୂନ୍ୟ,
ଈଶ୍ୱର-ପ୍ରୀତି, ଜୀବେ ଦୟା ସିନା ପୁଣ୍ୟ,
ଜନ୍ମେ ମରଣ ନିଃସ୍ୱ ।୧୩।
ଝରିଛି ଅଶ୍ରୁ ଜନ୍ମ ଲଭିବା ସାଥେ,
ମୃତ୍ୟୁ ଭାଇରେ ! ଆସିବ ଲୋତକ ପାତେ,
ପୂର୍ଣ୍ଣ ଜୀବନ ଝଞ୍ଜର ଅମା ରାତେ,
କାହିଁରେ କାହିଁରେ ଶାନ୍ତି ?
ଯାତ୍ରୀ ଆମେରେ ଅଢ଼େଇ ଦିନର ଲାଗି,
କିମ୍ପା ହେବାରେ ହିଂସାପାପରେ ଭାଗୀ,
ସତ୍ୟ, ଶାନ୍ତି ପଥରେ ଚଳିବା ଜାଗି,
ତୁଟିବ ମାନସୁଁ ଭ୍ରାନ୍ତି’’ ।୧୪।
‘‘ଆସିନି ମୁଁ ଏଥି କରିବାକୁ ନୀତି ଶିକ୍ଷା,
ମନ୍ତ୍ରେ ତୁମର ନ ଚାହେଁ ନେବାକୁ ଦୀକ୍ଷା,
ହାସୀ ଏ ମୋର ଦାବୀ- ନ କରେ ମୁଁ ଭିକ୍ଷା,
ଦର୍ବାର ମୋର ପଣ ।
ଶର ସନ୍ଧାନେ ସିଦ୍ଧ ପ୍ରଥମ ଲକ୍ଷ୍ୟ,
ଚିନ୍ତିବେ ପିତା ଆଜ ମୁଁ କେସନ ଦକ୍ଷ,
ଦର୍ଶନେ ଏହା ପୁଲକିବ ତାଙ୍କ ବକ୍ଷ,
ନ ଦେଲେ କରିବି ରଣ’’ ।୧୫।
ସାନ୍ଧ୍ୟ ଲଗନେ ରାଣୀ ମାୟାଦେବୀ ସଂଗେ,
ପ୍ରମୋଦ-କାନନେ ବୁଲୁଥିଲେ ରାଜା ରଙ୍ଗେ
ହଂସକଳହେ ଆସିଲେ ଶାନ୍ତି ଭଂଗେ,
ମୁକ୍ତି ଦେବାକୁ ହଂସେ,
ଶୁଦ୍ଧ ଉଦନେ ସମ୍ମୁଖେ ହେରି ବୁଦ୍ଧ,
ପଦ ବନ୍ଦନେ ଚିତ୍ତ କରିଲେ ଶୁଦ୍ଧ,
ପୁଚ୍ଛିଲେ, ‘‘ପିତ ! କାମ୍ୟ କି ଏକା ଯୁଦ୍ଧ
କ୍ଷତ୍ରିୟ ରାଜବଂଶେ’’ ? ।୧୬।
ଶାନ୍ତ ବଦନେ ମାୟାଦେବୀ ମୁଖ ଚାହିଁ
ପୁଚ୍ଛିଲେ ପୁଣି, ‘‘କହ ମାତ ! କାହିଁପାଇଁ,
ନିର୍ଦ୍ଦୟ ଏତେ ମୋ ଦେବଦତ୍ତ ଭାଇ ?
ଦେଖ ଏ କ୍ଷୁଦ୍ର ହଂସୀ ।
ଉଡ଼ି ଯାଉଥିଲା ସରାଗେ ହଂସ ସାଥେ,
ଦେବଦତ୍ତର ତୀକ୍ଷ୍ଣ ଶାୟକ ପାତେ,
ସ୍ପର୍ଶିଲା ମହୀ ଯେହ୍ନେ ସହସା ରାତେ,
ଉଲକା ପଡ଼ଇ ଖସି ।୧୭।
ସମ୍ମୁଖେ ଦେଖ ସାଥି ହଂସଟି ତା’ର,
ତ୍ରସ୍ତ ପରାଣେ କାନ୍ଦେ ଗୋ ବାରବାର,
ମର୍ମଫଟାଏ ଏ ଦୃଶ୍ୟେ ମା । ନୀରଧାର,
ନେତ୍ରୁଁ ଯାଏ ମୋ ବହି ।
ଅନ୍ତର କା’ର ଦେବଦତ୍ତର ସମ,
ପ୍ରସ୍ତରେ ଗଢ଼ା, ଚଣ୍ଡ ସେ ନିରିମମ,
ଦୁର୍ବାର ତା’ର ହୃଦୟେ ହିଂସା, ତମ,
ଚିତ୍ତ ତା’ ନୋହେ ଦହି’’ ।୧୮।
ନମ୍ର ବଦନେ ସେ ଦେବଦତ୍ତ ବୀର,
ଦଣ୍ଡକ ପାଇଁ ହୋଇଗଲେ ଧୀର ସ୍ଥିର,
ସାଙ୍ଗ ହୁଅନ୍ତେ ବୁଦ୍ଧଦେବର ଗିର,
ଉନ୍ନତ କରି ବକ୍ଷ ।
କହିଲେ, ‘‘ପିଅର ! ସର ସନ୍ଧାନେ ମୁହିଁ,
ହଂସୀକୁ ସିନା ଛୁଆଇଁ ଦେଇଛି ଭୂଇଁ;
ସମ୍ମୁଖେ ଦେଖ ଶାୟକ ମୋ ନଭ ଛୁଇଁ,
ଭେଦିଛି ଏହାର ପକ୍ଷ ।୧୯।
ଶର ସନ୍ଧାନେ ହେବି ମୁଁ ଶତ୍ରୁ-ଧ୍ୱଂସୀ,
କର୍ମେ ଏ ମୋର ଜନନି ଗୋ ! ପରଶଂସି,
ତୁଟାଅ ବିବାଦ ଦେଇ ମୋର କରେ ହଂସୀ,
ଆଦ୍ୟ ବିଜୟେ ମମ’’ ।
ସସ୍ମିତେ ରାଣୀ ହଂସୀକୁ ଧରି କରେ,
ଅମ୍ବରେ ଛାଡ଼ି, କହିଲେ ସେନେହ ଭରେ,
‘‘ବିଜୟୀ କେବଳ କାରୁଣିକ ଧରା ପରେ,
ନୁହେଁ କେବେ ନିରିମମ ।୨୦।’’
ରଣ ବାଦ୍ୟ ସଗର୍ବେ ଜୟଭେରୀ ବାଇ ମନ୍ଦ୍ର ତାନେ,
ପ୍ରକଂପିତ କରି ମହୀ ଆସେ ଦର୍ପେ ବୀର ସିକନ୍ଦର,
ସ୍ୱର୍ଣ୍ଣପ୍ରସୂ ଭାରତରେ ଯୁଦ୍ଧ ଅଭିଯାନେ ।
କିବା ଭୂମିକମ୍ପ ହେଲା ଭାରତର ଶାନ୍ତ ସ୍ନିଗ୍ଧ ଉରେ,
ଜାଗ୍ରତ ପଞ୍ଜାବ ଆଜି, ରଣସଜ୍ଜା ହେଲା ପୁରେ ପୁରେ ।
ରଣସଜ୍ଜା ବିଲୋକ ନୟନେ, ତକ୍ଷଶିଳା ରାଜ୍ୟ ନରପତି
ଅମ୍ଭି ମନେ ଜାଗିଲାକ ଶଂକା ନିଜକୁ ସେ ମଣି ତୁଚ୍ଛ ଅତି ।
ସିକନ୍ଦର ସମର ଆହ୍ୱାନେ, ହୃଦେ ତା’ର ଜାଗିଲା ସ୍ପନ୍ଦନ,
ପ୍ରାଣରଙ୍କା ଦୁର୍ବଳ ସେ କଲା, ସିକନ୍ଦର ଚରଣ ବନ୍ଦନ ।
ପ୍ରାଣ ରକ୍ଷା ଲାଗି ନୀଚ ଅମ୍ଭି,
ମଣୁଥିଲା ନିଜକୁ ଯେ ଦମ୍ଭୀ,
କରବାଳେ ଯବନର ପଦ କରି ପୂଜା;
ୟୁନାନୀ ପତାକା ତଳେ, ନତ କଲା-
ଭାରତର ଜାତିଜୈତ୍ରୀ ଧ୍ୱଜା ।
ମୃଦୁହାସେ ସିକନ୍ଦର ଧରି ତା’ର ହସ୍ତ,
ଉଚ୍ଚାରିଲେ, ‘‘ଉଠ ଅମ୍ଭି । ନୁହଁ ଆଉ ତ୍ରସ୍ତ,
ରକ୍ଷାକଲି ରାଜ୍ୟ ପ୍ରାଣ ତବ,
କିନ୍ତୁ-ସର୍ତ୍ତ ଭାରତ ବିଜୟେ,
ସାହାଯ୍ୟ କରିବ ମୋତେ ସୈନ୍ୟ ସମାବେଶେ
ଯୁଝିବ ହେ ମୋ ପକ୍ଷେ ନିର୍ଭୟେ’’ ।
ଦୁର୍ଦ୍ଧର୍ଷ ସେ ଦର୍ପୀ ସିକନ୍ଦର ଦେଶଦ୍ରୋହୀ ଅମ୍ଭିର ସାହାଯ୍ୟେ,
ଆତଙ୍କ ସୃଷ୍ଟି କରାଇ କଲା କରଗତ,
ତକ୍ଷଶୀଳା ପ୍ରତିବେଶୀ ରାଜ୍ୟେ ।
ସମ୍ମାନରେ ବଳି ଦେଇ ରାଜ୍ୟ ପ୍ରାଣ ଆଶେ,
ପଶିଲା ଶରଣ ଅମ୍ଭି ଯବନର ପାଶେ ।
ରାଜ୍ୟ ପରେ ରାଜ୍ୟ ଧ୍ୱଂସି, ସିକନ୍ଦର ବାଏ ଜୟଭେରୀ;
ହାୟ ଦେଶଦ୍ରୋହି ଅମ୍ଭି! ଏ ଦୃଶ୍ୟକୁ ପାରିଲୁ ତୁ ହେରି ?
କିନ୍ତୁ...ଭାରତ ଜନନୀ ବକ୍ଷେ ଧରି ଥିଲା ବୀର ପୁତ୍ର ଏକ,
ପ୍ରତାପୀ ସେ ପୁରୁ ରାଜା, ରଖିବାକୁ ଜନ୍ମଭୂମି ଟେକ,
ଧନ, ପ୍ରାଣ ମୋହ ତେଜି, ଅରି ସାଥେ କରିବାକୁ ଯୁଦ୍ଧ,
ଆହ୍ୱାନେ ଆହ୍ୱାନ ଦେଇ ଅମ୍ଭିପରେ ହେଲେ ବହୁ କ୍ରୁଦ୍ଧ ।
ଝେଲମ୍-ଚେନାବ୍ ନଦୀ, ଉପତ୍ୟକା ରାଜ୍ୟ ନରପତି,
ବୀର ପୁରୁ ସିକନ୍ଦରେ ମଣିଲେକ ହେୟ ତୁଚ୍ଛ ଅତି ।
ବୀର ଦର୍ପେ ବାଇ ଜୟଭେରୀ,
ଉତ୍ତରିଲେ ସିକନ୍ଦର ଦୂତେ, ‘‘ଯାଅ ଯାଅ ରାଜ୍ୟୁଁ ମୋର ଫେରି ।
ନ ଚାହେଁ ମୁଁ ସନ୍ଧି, ସେ ତ ଦୁର୍ବଳର ଅଟଇ ପ୍ରତୀକ,
ଭାରତମାତାର ମୁହିଁ ଅଟଇ ସନ୍ତାନ,
ସମ୍ମାନ ନିକଟେ ପ୍ରାଣେ ମଣେ ମୁଁ ଅଳୀକ ।
ଯାଉ ରାଜ୍ୟ, ଯାଉ ପ୍ରାଣ, ଯାଉ ମୋର ଧନରତ୍ନରାଜି,
ଶତ୍ରୁର ନିକଟେ ନମ୍ର ହେବ ବୀର ପୁରୁ ?
ଶିର ତା’ର ପଡ଼ିବନି ଭାଜି ।
ବୀର ରକ୍ତ ପ୍ରବାହିତ ମୋର ଧମନୀରେ,
ବିନା ଯୁଦ୍ଧେ ଶିର ମୋର ନ କରିବି ନତ,
ହିନ୍ଦୁସ୍ଥାନ ସନ୍ତାନ ମୁଁ ବୀର ରକ୍ତେ ଗଢ଼ା
ଯବନ ପଦ ବନ୍ଦନେ ନ ହୋଇବି ରତ’’ ।
ସିକନ୍ଦର ରାଜଦୂତ ବାହୁଡ଼ିଲା ବିମର୍ଷେ ଶିବିରେ,
ଜଣାଇଲା ପ୍ରଭୁ ଆଗେ ପୁରୁ ରାଜା ପ୍ରତ୍ୟାଖ୍ୟାନ ଧୀରେ ।
ହୁଙ୍କାରେ କମ୍ପାଇ ଦିଗ ବୀର ସିକନ୍ଦର,
ଉଚ୍ଚାରିଲା, ‘‘ଏତେ ଦମ୍ଭ, ଏତେ ସ୍ପର୍ଦ୍ଧା, ଏତେ ଅହଂକାର
ପୁରୁରାଜ୍ୟ ଆକ୍ରମଣେ ରଣସଜ୍ଜା କର ।’’
ଝେଲମ୍ ନଦୀର ବେନି ତୀରେ,
ରଣସଜ୍ଜା ବେନିପକ୍ଷ ରଚିଲେ ଅଚିରେ ।
ରଣଶିଙ୍ଗା ଉଛୁଳାଇ ଗଗନେ ପବନେ,
ସିକନ୍ଦର ସେନାପତି ସଂଗେ,
ସଜାଡ଼ିଣ ରଣ ଥାଟ ସଗର୍ବ ଉରସେ,
ବିଚରଇ ହର୍ଯ୍ୟକ୍ଷର ରଙ୍ଗେ ।
ଭାରତର ଜୈତ୍ରୀବାନା ଅମ୍ବରେ ଉଡ଼ାଇ,
ଅଶ୍ୱ, ରାଜ, ପଦାତିକ, ଧନୁର୍ଦ୍ଧାରୀ ସାଥେ ।
ଯୁଦ୍ଧ ଆକ୍ରମଣ ଲାଗି ହେଲେ ସଳ୍ମୀଭୂତ,
ଝେଲମ୍ ତଟିନୀ ତୀରେ ଅନ୍ଧକାର ରାତେ ।
ନଦୀ ତଟୁଁ ସିକନ୍ଦର ହେରି ପୁରୁ ସୈନ୍ୟ ସମାବେଶ,
ପ୍ରକଂପିତ ହେଲା ତାର ବକ୍ଷ, ନିଜ ସୈନ୍ୟସଂଖ୍ୟା ମଣି ଲେଶ ।
ଅନ୍ଧକାର ନିବିଡ଼ ନିଶୀଥେ, ଗୁପ୍ତ ପଥେ ହୋଇ ନଦୀ ପାର,
ଅତର୍କିତେ ଆକ୍ରମିଣ ଖରେ ପୁରୁ ସୈନ୍ୟେ କଲା ଛାରଖାର ।
ଅବିରତ ବୃଷ୍ଟି ପାତେ ଆର୍ଦ୍ର ଥିଲା ସମତଳ ଭୂମି,
ପୁରୁପକ୍ଷ ସୈନିକ ସାୟକ, ନ ପାରିଲା ଶତ୍ରୁ ଶିର ଚୁମି ।
ଆତର୍କିତ ଆକ୍ରମଣ ଫଳେ ଛତ୍ରଭଙ୍ଗ ଦେଲେ ସୈନ୍ୟଗଣ,
ଏକମାତ୍ର ବୀର ପୁରୁ ଆଶା ତେଜି କଲେ ରଣ ।
ୟୁନାନୀ ସୈନିକ ସାଥେ ଏକା ପୁରୁ ଲଢ଼ିଲେ ନିର୍ଭୟେ,
ଅସ୍ତ୍ର କରେ ଧରି ଏକ ଲୟେ ।
କିନ୍ତୁ ହାୟ ! ଦୈବଗତି ହୋଇଲା ଅନ୍ୟଥା,
ବୀର ପୁରୁ ହୋଇଲେକ ବନ୍ଦୀ,
ସିକନ୍ଦର ଦର୍ପ ଭରୋଉତ୍ତଳିଲା ମଥା ।
ସୁଦୃଢ଼ ଲୌହ କଙ୍କଣେ ବେନି ପାଣି ଛନ୍ଦି,
ଘେନିଗଲେ ଗ୍ରୀସ୍ସୈନ୍ୟେ ସିକନ୍ଦର ପାଶେ,
ପୁରୁଙ୍କୁ ସେ କରି ହାୟ ! ବନ୍ଦୀ ।
ଦିଗ୍ ବିଦିଗ କମ୍ପାଇଣ ସିକନ୍ଦର ଦୀର୍ଘ ଅଟ୍ଟହାସେ
ପୁଚ୍ଛିଲେ, ‘‘କହ କେସନ ବ୍ୟବହାର ଚାହିଁ ମୋର ପାଶେ ।’’
ଶ୍ରବଣେ ଏ ଉକ୍ତି ପୁରୁ ଉତ୍ତରିଲେ ଗମ୍ଭୀର ବଚନେ,
ଫୁଲାଇ ପ୍ରଶସ୍ତ ବକ୍ଷ ବିସ୍ଫାରିଣ ହର୍ଯକ୍ଷ-ଲୋଚନେ ।
‘‘ବୀର ମୁହିଁ, ଯୋଦ୍ଧା ମୁହିଁ, ଏବେ ସୁଦ୍ଧା କରିବାକୁ ଯୁଦ୍ଧ,
ତବ ସାଥେ ଅଛି ମୋର ଶକ୍ତି, ଭୟେ ଚିତ୍ତ ନୋହିଛି ମୋ ରୁଦ୍ଧ ।
ହେବା ପୁର୍ବୂନତ ମୋର ଶିର, ଖଡ଼୍ଗଧାରେ ଲୋଟିପାରେ ଭୂମି,
ବୀର ପୁରୁ ଉନ୍ନତ ମସ୍ତକ, ନ ପାରିବ ଶତ୍ରୁ ପଦ ଚୁମି ।
ବନ୍ଦୀ ସିନା ଭାଗ୍ୟ ଦୋଷେ ପ୍ରକୃତିର ନିର୍ଦ୍ଦୟ ପର୍ଯ୍ୟାୟେ,
ଗୁପ୍ତ ପଥେ ତସ୍କର ସମାନ ଅତିର୍କିତେ ଅତ୍ରମି ଅନ୍ୟାୟେ ।
ପୁରୁଜୟୀ ହୋଇଛ ହେ ଆଜି,
ଦିବା ଯୁଦ୍ଧେ କିମ୍ପା ତୁମେ ରହିଲ ମଉନ ?
ନ ଥିଲେ କି ତବ ସୈନ୍ୟ ରାଜି ?
ଉଦୟେ ସବିତା ରକ୍ତ, ରକ୍ତ ବର୍ଣ୍ଣ ତଥା ଅସ୍ତ କାଳେ,
ଜୟେ ପରାଜୟେ ତଥା ଏକ ରୂପ ଥାଏ ବୀରଠାରେ ।
ଭାଗ୍ୟଲକ୍ଷ୍ମୀ ହେଲେ ପ୍ରତିକୂଳା, ଜୈତ୍ରୀବାନା ପଡ଼ିଲା ମୋ ଖସି,
କିନ୍ତୁ ଅଛି ଏବେ ସୁଦ୍ଧା ଶକ୍ତି,
ଚଳାଇବି ବୀର ଦର୍ପେ ଅସି ।
ରାଜା ମୁହିଁ ଧମନୀରେ କ୍ଷତ୍ରିୟର ଉଷ୍ଣ ରକ୍ତ ଧାର,
ପ୍ରବାହିତ ଏବେ ସୁଦ୍ଧା, ରାଜା ସମ ଚାହେଁ ବ୍ୟବହାର ।’’
ଦିଗ୍ବିଜୟୀ ସିକନ୍ଦର ପଡ଼ିଲା ଚମକି,
ଦେଖି ପୁରୁବୀର ଦମ୍ଭ ପଣ,
ଆଲିଙ୍ଗିଲା ଗାଢ଼ତରେ ବୀର ପୁରୁରାଜେ,
ଶୃଙ୍ଖଳାକୁ କରିଣ ମୋଚନ ।
ଉଚ୍ଚାରିଲା, ‘‘ଧନ୍ୟ ବନ୍ଧୁ ! ଧନ୍ୟ ତୁମ ଶୌର୍ଯ୍ୟ ପରିଚୟ,
ତବ ଶୌର୍ଯ୍ୟ ବୀର୍ଯ୍ୟ ପାଶେ, ବିକ୍ରମ ମୋ ଭଜିଛି ବିଲୟ ।
ଭାରତ ଜନନୀ ଧନ୍ୟ ଅଙ୍କେ ଯା’ର ଶୋହେ ପୁରୁବୀର,
ଆତଙ୍କିତ ନୋହେ ଯେହୁ ଶତ୍ରୁର ସମ୍ମୁଖେ,
ମହା ପଦେ ଅଟେ ଯେ ଗମ୍ଭୀର ।
ଆସ ବନ୍ଧୁ ! ଆଉ ଥରେ କରି ଆଲିଙ୍ଗନ,
ସାର୍ଥକ ମୁଁ ମଣେ ଏ ଜୀବନେ ।
ଅର୍ଦ୍ଧ ବିଶ୍ୱ ଜୟ କରି ନ ଦେଖିଲେ ନେତ୍ରେ,
ତୁମ୍ଭ ସମ ବୀର କେହୁ ଜଣେ ।
କି ଚାହିଁ କି ଚାହିଁ ବନ୍ଧୁ ! ମୋର ପାଶୁଁ ଏବେ,
କହ ବାରେ ନ କର ଶୋଚନା,
ବନ୍ଧୁ ପାଶେ ବନ୍ଧୁର ଯେ ପୂର୍ଣ୍ଣ ଅଧିକାର
ତା କି କେବେ ବୋଲାଏ ଯାଚନା ?’’
ସ୍ମିତ ହାସ୍ୟ ଉକୁଟାଇ ଅଧର ପଲ୍ଲବେ
ଉତ୍ତରିଲେ ପୁରୁ ହୋଇ ସ୍ଥିର,
‘‘ନ ଚାହେଁ ମୁଁ ରାଜ୍ୟଧନ, ନ ଚାହେଁ ମୁଁ ପ୍ରାଣ,
କାଳଗର୍ଭେ ଏ ସବୁ ଅଚିର ।
ନିଃସ୍ୱ ହୋଇ ବିଶ୍ୱେ ପଛେ ବୁଲିବି ମୁଁ ଘୁରି,
ତେଜି ରାଜ୍ୟ ଧନ ସବୁ ମୋର,
କିନ୍ତୁ ଜାତି ଜୈତ୍ରୀ ବାନା, ମାତୃଭୂମି ନିନ୍ଦା
ଦେବ ମୋର ହୃଦେ ଦୁଃଖ ଘୋର ।
ବୀର ତୁମେ ସୁଦୂର ଗ୍ରୀସ୍ର ମୁହିଁ ଏହି ଭାରତ ସନ୍ତାନ,
ଅର୍ଦ୍ଧ ବିଶ୍ୱ କରିଛ ବିଜୟ,
ତେଣୁ ଲଭ ବୀରର ସମ୍ମାନ ।
ଭାରତ ଜନନୀ ବକ୍ଷେ ସଦା ମୁହିଁ ଲାଲିତ ପାଳିତ,
ଭାରତୀୟ ପୁତ ରକ୍ତ ଧମନୀରେ ମୋର ପ୍ରବାହିତ ।
ବନ୍ଧୁ ବୋଲି ସଂବୋଧିଣ ଚାହିଁ ଯେବେ ରଖି ବନ୍ଧୁ ମାନ,
ଜାତୀୟ ବାନାକୁ ମୋର ଦିଅ ଦିଅ ଉଚିତ ସମ୍ମାନ ।
ଗ୍ରୀସ ଜୈତ୍ରୀ ପତାକାର ସଙ୍ଗେ
ଭାରତୀୟ ଧ୍ୱଜା ଉଡ଼ୁ ରଙ୍ଗେ ।’’
ବୀର ପୁରୁ ବଚନ ଶ୍ରବଣେ ସିକନ୍ଦର ହେଲେ ସମ୍ଭୀଭୂତ,
ଉତ୍ତରିଲେ, ‘‘ଧନ୍ୟ ତୁମେ ଜନ୍ମଭୂମି ଉପଯୁକ୍ତ ସୁତ ।
ବୀର ତୁମେ ବୀରର ସମ୍ମାନ-
ପ୍ରଦାନେ ତୁମକୁ ଆଜି ଦେଲି ମୁକ୍ତିଦାନ ।
ଭୁଲିପାରେ ସବୁ କିଛି କିନ୍ତୁ ତବ ଶୌର୍ଯ୍ୟ ବୀର୍ଯ୍ୟ କଥା,
ଶିଳାଲେଖ ସମ ତାହା ମାନସେ ମୋ ରହିବ ସର୍ବଥା ।
ରାଜ୍ୟ ତବ ଦେଉଛି ଫେରାଇ,
ବନ୍ଧୁତାର ଦୃଢ଼ ସମର୍ଥନେ,
ଶୌର୍ଯ୍ୟ ଲାଗି ଅନ୍ୟ କେତେ ରାଜ୍ୟ,
ଅର୍ପୁଛି ମୁଁ ନ ଘେନିବି ମନେ ।
କିନ୍ତୁ ବନ୍ଧୁ ! ନ ଶୋଚିବ ତିଳେ,
ପାରିବି କି ପ୍ରଶ୍ନ ଏକ ପୁଚ୍ଛି ?’’
ଉତ୍ତରିଲେ ବୀର ପୁରୁ ଆଲିଙ୍ଗିଣ ଉରେ,
‘‘କହ ବନ୍ଧୁ ! ସଂଶୟ ମୁରୁଛି ।’’
ଦୀର୍ଘ ଶ୍ୱାସ ଫେଇ ବାରେ ବୀର ସିକନ୍ଦର,
ପୁରୁ ଆଗେ ମୃଦୁମନ୍ଦ ସୁରେ ।
ପ୍ରଶ୍ନ କଲେ, ‘‘ଭାରତ ଜନନୀ
ରଖିଅଛି ଯେହୁ ତା’ର ଉରେ,
ତୁମ୍ଭ ସମ ଗୌରବ-ସନ୍ତାନ,
ଯା’ ଲାଗି ଭାରତବର୍ଷ ଇତିହାସ ହୋଇଲା ମହାନ,
ତା’ର ଅଙ୍କେ ଅମ୍ଭି ସମ ନୀଚ ଦେଶଦ୍ରୋହୀ,
କହ କେହ୍ନେ ଲଭିଲା ଜନମ,
ରାଜ୍ୟ ପ୍ରାଣ ଭୟେ ବିନା ଯୁଦ୍ଧେ ମୋର ପଦେ
ଶିର ଥାପି ମାଗିନେଲା ଆଶ୍ରୟ ଯେ ମମ ।
ପଞ୍ଜାବ ବିଜୟେ ଯେହୁ ଦକ୍ଷ କର ସମ
ପ୍ରତିବେଶୀ କ୍ଷୁଦ୍ର ରାଜ୍ୟ ଧ୍ୱଂସେ,
ବହ୍ନି ପ୍ରାୟ ଜଳିଲା ନିର୍ମମ ।
ସେହି ସେ ଭାରତଭୂମେ ସମ୍ଭବିଲା ଜନମ ତୁମ୍ଭର,
ଶୌର୍ଯ୍ୟ ବୀର୍ଯ୍ୟ ଧୌର୍ଯ୍ୟର ପ୍ରତୀକ
ସ୍ପର୍ଶେ ଶିର ଦର୍ପେ ଯା’ ଅମ୍ବର ।
କହ ବନ୍ଧୁ କିରେ ସମ୍ଭବ,
ଏକ ଦିଗେ ନୀଚ ଅମ୍ଭି ବିନା ଯୁଦ୍ଧେ ମାନେ ପରାଭବ ।
ଦେଶ ଆକ୍ରମଣକାରୀ ପଦେ କରେ ସହସ୍ର ପ୍ରଣାମ,
କିନ୍ତୁ ତୁମେ ଯୁଝିଲ ହେ ପ୍ରାଣ ମୂର୍ଚ୍ଛି,
ରଖିବାକୁ ଦେଶ ଜାତି ନାମ ।
ତୁମ ପରି ରତ୍ନ ଯେଉଁ ଜନ୍ମଭୂମି ଧରିଅଛି ଅଙ୍କେ,
କହ ହେ ନିଃଶଙ୍କେ,
କେସନ ଧରିଲା ବକ୍ଷେ ଅମ୍ଭି ସମ ଦେଶଦ୍ରୋହୀ ଭୀରୁ,
ନ ପାରେ କଳି ମୁଁ କିଛି,
ଭାରତରେ ବୈଚିତ୍ର୍ୟ ଏଥିରୁ ।’’
ଉତ୍ତରିଲେ ବୀର ପୁରୁ ସସ୍ମିତ ବଦନେ,
‘‘ଶୁଣ ବନ୍ଧୁବର ! ତୁମେ ଉତ୍ତର ଏହାର,
ରତ୍ନପ୍ରସୂ ବସୁନ୍ଧରା ଅସୀମିତ ଗର୍ଭୁ,
ସ୍ୱର୍ଣ୍ଣ ସାଥେ ପିତ୍ତଳ କି ନୁହଇ ବାହାର ??’’
ଦର୍ପେ ବଜାଇ ରଣ-ଡିଣ୍ଡିମ ମଗଧର ନରପତି,
ଚଣ୍ଡ ଅଶୋକ ତାଣ୍ଡବେ ଆସି ନିର୍ମମ ବୁକେ ଅତି;
ବଙ୍ଗ ରାଇଜେ ପଶି,
ନିର୍ଦ୍ଦୟ ମନେ ଧ୍ୱଂସିଲା ଧରା ଚଳାଇ ତୀକ୍ଷ୍ଣ ଅସି ।୧।
ଆକ୍ରମିଣ ସେ ବିକ୍ରମ ପଣେ ତ୍ରସ୍ତ କରିଲା ଧରା,
ଉତ୍ତରାପଥ ଜିଣି ସେ ପୂରବେ ରଚେ ଅଭିଯାନ ପରା;
ଦୁର୍ଦ୍ଦମନୀୟ ପଣେ,
ଅନ୍ତରେ ଥାପି ବିଜୟଲିପ୍ସା ପ୍ରାଣମୂର୍ଚ୍ଛିତ ରଣେ ।୨।
ଏକ ପରେ ଏକ ରାଜ୍ୟ ତାହାର ହୋଇଲା ହସ୍ତଗତ,
ଜୈତ୍ରୀ ପତାକା ଉଡ଼ାଇଣ ନଭେ ବିଜୟ ଗର୍ବେ ମତ୍ତ;
ବଙ୍ଗର ସମତଟ,
ପୁଣ୍ଡ୍ର ରାଇଜ କରି କରଗତ ଆସିଲା ଗଙ୍ଗା ତଟ ।୩।
ବଙ୍ଗ ଶାସକେ ଶରଣ ପଶିଲେ ଧନ ଜୀବନର ଲାଗି,
ନମ୍ର କରିଣ ଜାତୀୟପତାକା ଆଶ୍ରୟ ନେଲେ ମାଗି;
ଶଂକିତ ପ୍ରାଣ ଜାଣି,
ସ୍ୱର୍ଣ୍ଣ ପ୍ରଦୀପେ ବନ୍ଦି ନବରେ ନେଲେକ ପୁଣ୍ଡ୍ର ରାଣୀ ।୪।
ମଗଧ ସୈନ୍ୟ ଜୈତ୍ରୀପତାକା ଉଡ଼ାଇ ହର୍ଷେ ନଭେ,
‘‘ଜୟ ଅଶୋକ’’ ଗମ୍ଭୀର ନାଦେ କମ୍ପାଇ ଦେଲେ ଭବେ;
ଜୟ-ଉତ୍ସବେ ମାତି,
ସୁନେଲି ସପନେ ସୋମରସ ପାନେ ପୁହାଇଲେ ସାରା ରାତି ।୫।
ସ୍ୱର୍ଣ୍ଣ ରତନ ମଣି ମାଣିକ୍ୟେ ସମତଟ ଭରି ଥାଳ,
ଅର୍ପିଲା ଭେଟି ଅଶୋକ ପୟରେ ନତ କରି କରବାଳ;
ପାଛୋଟି ଅନ୍ତଃପୁରେ,
ସୁନ୍ଦରୀ ଜେମା କର ଅର୍ପଣେ ସନ୍ଧି ରଚିଲା ଖରେ ।୬।
ବିଜୟଗର୍ବେ ମତ୍ତ ଅଶୋକ ଗଙ୍ଗା ତଟନୀ ପାରେ,
ଶସ୍ୟ-ଶ୍ୟାମଳା ଦୃଶ୍ୟ-ବହୁଳା ଦେଶ କଳିଙ୍ଗଠାରେ;
ନିବେଶିଲା ତାର ଦୃଷ୍ଟି,
ବୀର ଦର୍ପରେ ରଚି ଅଭିଯାନ କଲା ଆତଙ୍କ ସୃଷ୍ଟି ।୭।
ବୀର ସନ୍ତାନ ବୁକେ ଥିଲା ଭରି ଏହି କଳିଙ୍ଗ ଭୂମି,
ଗଙ୍ଗା ଯାହାର ଶୀର୍ଷେ ବିରାଜେ, କୃଷ୍ଣା ଚରଣ ଚୁମି;
ଦୃପ୍ତ ଉରସେ ଆଜି,
ଦୁର୍ଗମ ଗିରି ଦୁର୍ଗେ ଉଡ଼ାଏ ଜୈତ୍ରୀପତାକା ରାଜି ।୮।
ବଙ୍ଗ ଯା’ ପଦେ ଶରଣ ପଶିଲା ବାହୁଡ଼ି ଗଙ୍ଗା ପାରେ,
ସନ୍ଧି ରଚିଣ ନତ କରିଥିଲା ଜାତୀୟପତାକା ବାରେ;
ଆଜି ସେ ବଙ୍ଗବାସୀ,
କରେ ଅଭିଯାନ ଅଶୋକ ସଙ୍ଗେ ଦେବେ କଳିଙ୍ଗ ଗ୍ରାସି ।୯।
ଗ୍ରାମେ ଗ୍ରାମେ ହେଲା ସହସା ଘୋଷିତ ଅଶୋକର ଅଭିଯାନ,
ସିନ୍ଧୁ ସମାନ ମଗଧ ସୈନ୍ୟେ ନେବାକୁ ଓଡ଼ିଆ ପ୍ରାଣ;
ବୀର ଦର୍ପରେ ମାତି,
ଗର୍ବେ ଆସନ୍ତି ସତେ କି ଲୁପ୍ତ ହୋଇବ ଉଡ଼୍ର ଜାତି ।୧୦।
ପଡ଼ୋଶୀ ରାଜ୍ୟ ବଙ୍ଗର ଦେଖି କପଟ ଏ ଆଚରଣ,
ଦର୍ପେ ଉଠାଇ ଖଡ଼୍ଗ ସହସା କଲା କଳିଙ୍ଗ ପଣ;
‘‘ଶେଷ ମୁହୂର୍ତ୍ତ ଲାଗି,
ପ୍ରାଣ ବଳି ଦେଇ ଯୁଝିବୁଁ ସମରେ ନ ନେବୁ ଆଶ୍ରା ମାଗି ।୧୧।’’
ମୁଖରିତ ହେଲା ଅସ୍ତ୍ର ନିନାଦେ ଦଇଆ ନଦୀର କୂଳ,
ସମରରଙ୍କା ପାଇକେ ହୋଇଲେ ଯୁଦ୍ଧଭୂମିରେ ଠୁଳ;
ତୋଷାଳୀ ଦୁର୍ଗ ପାଶେ,
କମ୍ପାଇ ଦେଲେ ଦେଖି ଶତ୍ରୁର ସୈନ୍ୟେ ଅଟ୍ଟହାସେ ।୧୨।
ଦଇଆ ନଦୀର ବାଲୁ ପ୍ରାନ୍ତରେ ନିର୍ମମ ଏହି ଯୁଦ୍ଧ,
ନେତ୍ର ପଲକେ ଘଟିଗଲା ହାୟ । ବକ୍ଷ ତା’ ହେଲା ରୁଦ୍ଧ;
ଦୃଶ୍ୟବହୁଳ ତୀରେ,
ମୃତ୍ୟୁ ଲଭିଲେ ସଂଖ୍ୟା ଅତୀତ ଏହି କଳଳିଙ୍ଗ ବୀରେ ।୧୩।
ଅନାଥ ବିଧବା କ୍ରନ୍ଦନ ରୋଳେ କମ୍ପି ଉଠିଲା ଧରା,
ଲକ୍ଷ ପାଇକ ବକ୍ଷ ରକତେ ରଂଜିତ ଭୂମି ପରା;
ଅର୍ତ୍ତନାଦରେ କିବା,
ନଭମଣ୍ଡଳ ବିଦାରିଣ ଦେବେ କୁହାଟି ରାତ୍ରି ଦିବା ।୧୪।
ଉଷ୍ମ ରକତେ ଦଇଆ ତଟନୀ ଧରିଲା ରକ୍ତ ବର୍ଣ୍ଣ,
ବକ୍ଷ ଫଟା ସେ ଚିତ୍କାର ଶୁଣି ସ୍ତବ୍ଧ ହୋଇଲା କର୍ଣ୍ଣ,
ଦଇଆ ନଦୀର ବାଲି,
ପୂର୍ଣ୍ଣ ହୋଇଲା ଛିନ୍ନ ଶରୀରେ ଭବନ ପଡ଼ିଲା ଖାଲି ।୧୫।
ଗଗନେ ପବନେ ଆର୍ତ୍ତ ନିନାଦ ବ୍ୟାପ୍ତ ହେଲାକ ଖରେ,
ତଥାପି ତିଳେହେଁ ନମ୍ର ନ ହେଲେ ଅଶୋକ ପୟରେ ଥରେ;
କରେ ଧର କରବାଳ,
ହେଲେ ଆଗଭର ରଣପ୍ରାଙ୍ଗଣେ ବୃଦ୍ଧବନିତାବାଳ ।୧୬।
ଦମ୍ଭ ନିରେଖି ଓଡ଼ିଆ ସେନାର ଚଣ୍ଡ ଅଶୋକ ମନ,
ତ୍ରସ୍ତ ହୋଇଣ ଉଠିଲା ଚମକି କଲା ସେ ଉଚ୍ଚାରଣ;
‘‘ଧନ୍ୟ ସିନା ଏ ଜାତି,
ମୃତ୍ୟୁ ଦୁଆରେ ହୁଏ ଆଗଭର ଉନ୍ନତ କରି ଛାତି ।୧୭।
ଜନ୍ମଭୂମିର ଟେକ ରଖିବାକୁ ଜୀବନକୁ ଦେଇ ବଳି,
ସମ୍ମୁଖେ ଦେଖି ଲକ୍ଷ ଶବକୁ ବକ୍ଷ ନ ପଡ଼େ ଢଳି;
ଗର୍ବର ସୀମା ଛୁଇଁ,
ହେବ କଳିଙ୍ଗ ଜନହୀନ କିବା ଶୂନ୍ୟ ହେବ ଏ ଭୂଇଁ ।୧୮।
ଧନ୍ୟ ଏ ଜାତି ଜୈତ୍ରୀପତାକା ଜନ୍ମଭୂମି ଏ ଧନ୍ୟ,
ଏ ଜାତି ମୋହର ଗୁରୁ ଗୌରବ ଏ ଜାତି ଅଗ୍ରଗଣ୍ୟ;
ବୀରରକ୍ତର ଧାରା,
ଧମନୀରେ ସିନା ପ୍ରବାହିତ ଏଥି ଜନତା ଅଙ୍ଗସାରା ।୧୯।
ଯୁଦ୍ଧ ନ ଲୋଡ଼େ ରାଜ୍ୟେ ମୋହର ନାହିଁ ଆଉ ପ୍ରୟୋଜନ,
ସୃଷ୍ଟିର ଏହି ଶ୍ରେଷ୍ଠ ମାନବ ହାୟ ! ମୁଁ କଲି ନିଧନ;
କାହା ପଦେ ଶିର ଥାପି,
ଶାନ୍ତି ଆଚରି ଦୀର୍ଘ ଜୀବନ ପାରିବି କେହ୍ନେ ଯାପି ।୨୦।
ମଗଧର ଆନ ପଡ଼ୋଶୀ ରାଜ୍ୟେ ବଢ଼ାଇ ଯୁଦ୍ଧକ୍ଷୁଧା,
ନର୍କ ପଥରେ ଟାଣିନେଲେ ମୋତେ ସୁରାକୁ ମଣିଲି ସୁଧା;
ହାୟରେ । ମାନବ ରକ୍ତେ,
ବୁହାଇ ଧରାରେ ଆର୍ଦ୍ର କରିଛି ସାମ୍ରାଜ୍ୟ ଲୋଭାଶକ୍ତେ ।୨୧।
ସମର ଯାତ୍ରା ଆଦ୍ୟେ ମୁଁ ଯଦି ପରାଜୟ ଥା’ଏ ଲଭି,
ହୋଇଥାନ୍ତା ସେ ମଙ୍ଗଳ ମୋର ଥାନ୍ତି ମୁଁ ଅନୁଭବି,
ଶାନ୍ତିର ମଧୁଧାରା,
ହ୍ରସ୍ୱ ହୁଅନ୍ତା ମୋର ଏ ଦୁଃଖ ନ ଭୋଗି ଜୀବନ ସାରା ।୨୨।
ଶାନ୍ତି କାହିଁରେ ଶାନ୍ତି କାହିଁରେ ନରହନ୍ତା ଯେ ମୁହିଁ,
ପାପର ଗର୍ତ୍ତ ପୂର୍ଣ୍ଣ ହୋଇଛି ରକ୍ତେ ଲୋହିତ ଭୂଇଁ;
ଧରଣୀ ବକ୍ଷପୁଟେ,
ମୋର ଲାଗି ସିନା ମାନବ ରକ୍ତପ୍ରବାହ ତୀବ୍ରେ ଛୁଟେ ।୨୩।
ପଥଦ୍ରଷ୍ଟାକେ ସମ୍ମୁଖେ ଆସ ମାର୍ଗ ଦେଖାଅ ବାରେ,
ରାଜ୍ୟ ବିଜୟେ ଶତ ପଦାଘାତ ମନ ମୋ ମୁକ୍ତିଠାରେ;
ମୁକ୍ତି କେବଳ କାମ୍ୟ,
ଧରାର ବକ୍ଷେ ଜେତା-ବିଜିତକୁ ମଣାଇବି ଆଜି ସାମ୍ୟ’’ ।୨୪।
‘‘ଶାନ୍ତି ଲୋଡ଼ୁଛ ମଗଧ ନରେଶ ! ହୃଦକନ୍ଦରେ ଆଜି,
ଦମ୍ଭ ତୁମର ମନମନ୍ଦିରୁଁ ଯାଇଛି କି ସତେ ଭାଜି;
ହିଂସା ତେଜିଛି ମନୁଁ,
ରାଜ୍ୟ-ବିଜୟ-ଅଭିଳାଷ-ମଦ ବର୍ଜିତ ତବ ତନୁ ?’’ ।୨୫।
ଶୁଭ୍ରବରନା ଚୈରିକବାସା ଶାନ୍ତିର ଅବତାର,
ସନ୍ୟାସିନୀଏ ରିକ୍ତଭୂଷଣା ହର୍ଷବିଷାଦୁଁ ପାର;
ତମ୍ୱୁ ସମୀପେ ଉଭା,
ଅମା ଅନ୍ଧାରେ ଜ୍ୟୋସ୍ନା ପରାୟ କାନ୍ତି ପାଉଛି ଶୋଭା ।୨୬।
ନିର୍ଜନବେଳ, ଗର୍ଜଇ ନିଶା, ସୁପ୍ତ ସଇନକୁଳ,
ଭାବନାଗ୍ରସ୍ତ ଅଶୋକ ହସ୍ତ ନିବେଶି ଗଣ୍ଡମୂଳ,
ଦର୍ଶନେ ପୁରୋଭାଗେ
ସନ୍ୟାସିନୀକୁ, ଚମକି ସହସା ପଦ ବନ୍ଦିଲେ ଆଗେ ।୨୭।
ଶାନ୍ତିର ବାଣୀ ଶ୍ରବଣେ ତାଙ୍କ ଶାନ୍ତ ହୋଇଲା ତନୁ,
ପୁଚ୍ଛିଲେ, ‘‘ମାତ ! ପୋଛି କି ପାରିବ ଚିନ୍ତା ମୋହର ମନୁଁ;
ମୂଢ଼ ମୁହିଁ ନରହନ୍ତା,
ମାନବଧର୍ମେ ପାଶୋରି ଆଜି ମୁଁ ବରିଛି ନର୍କପନ୍ଥା ।୨୮।
ପ୍ରାଣୀହିଂସାର ପ୍ରତୀକ ମୁହିଁ ଯେ ଆଜି ଘୋର ଅନୁତପ୍ତ,
ଜଗତଲୋଚନେ ସମ୍ରାଟ ସିନା, କିନ୍ତୁ ମୁଁ ଅଭିଶପ୍ତ;
ଅଟଇ ମୁଁ ମହାପାପୀ,
କେସନ କହ ମା । ଶାନ୍ତି ଆଚରି ପାରିବି ଜୀବନ ଯାପି ।୨୯।
ଜନଶୂନ୍ୟ ମୁଁ କରିଛି ଆଜି ମା । ଏହି କଳିଙ୍ଗ ସାରା,
ଲକ୍ଷ ଜନର ବକ୍ଷ ଫଟାଇ ସ୍ରବିଛି ରକ୍ତଧାରା;
ଶୁଷ୍କ ଦଇଆ ବାଲି,
ନରରକ୍ତରେ ରଂଜିତ ହୋଇ ବର୍ଣ୍ଣ ହୋଇଛି ନାଲି ।୩୦।
ତଥାପି ଓଡ଼ିଆ ପାଇକେ ମୋ ପାଶେ ନ ମାନିଲେ ପରାଜୟ,
କରଗତ ହେଲା ସିନା କଳିଙ୍ଗ, କିନ୍ତୁ କରିନି ଭୟ;
ସବୁତ ଶୂନ୍ୟ ଘୋର,
ଜନଶୂନ୍ୟ ଏ ଶୁଷ୍କ ଭୂମିରେ ରାଜ୍ୟଶାସନ ମୋର ।୩୧।
ଅନାଥ ଶିଶୁର କ୍ରନ୍ଦନେ ଆଜି ଗୁଂଜିତ ସାରା ବିଶ୍ୱ,
ଯୁବତୀ ହସ୍ତୁଁ ହେମ କଙ୍କଣ ଫେଇ ମୁଁ କରିଛି ନିଃସ୍ୱ;
ସମୃଦ୍ଧ ଭୂମି ଆଜି,
ଶମଶାନ ସମ ଦିଶେ ଚଉଦିଗ ଶୂନ୍ୟ ମାନବରାଜି ।୩୨।
ରାଜ୍ୟେ ଧନେ ମୋ ନାହିଁ ପ୍ରୟୋଜନ ଲୋଡ଼େ ମୁଁ କେବଳ ଶାନ୍ତି,
ଦମ୍ଭ ଯାଇଛି ହଜି ମୋ ମାନସୁଁ ତୁଟିଛି ସକଳ ଭାନ୍ତି;
ଜୈତ୍ରୀ ବାନା ମୋ ଆଜି,
ଏ ଦେଶ ଶୌର୍ଯ୍ୟ ନିକଟେ ଆନତ ଦର୍ପ ଯାଇଛି ଭାଜି’’ ।୩୩।
ଅନୁତପ୍ତ ସେ ଅଶୋକ ରାଜନ ଅନ୍ତରେ ପାରି ଜାଣି,
ସନ୍ୟାସିନୀ ଯେ ଧୀରଗମ୍ଭୀରେ ଉଚ୍ଚାରିଲେ ଏ ବାଣି;
‘‘ଶାନ୍ତିର ଅବତାର,
ବୁଦ୍ଧଚରଣ ଏ ଅବଶିଷ୍ଟ ଜୀବନେ ଆଶ୍ରେ କର ।୩୪।
ତେଜ କ୍ରନ୍ଦନ, ଜଗବନ୍ଦନ, ଭବନନ୍ଦନ ବୁଦ୍ଧ,
ପଦପଙ୍କଜେ କର ହେ ଆଶ୍ରା ଅନ୍ତର କରି ଶୁଦ୍ଧ;
ମେଣ୍ଟିବ ମନ ତାପ,
ଅନୁତପ୍ତର ଅଶ୍ରୁ ମୋଚନ କ୍ଷମିବେ ସକଳ ପାପ ।୩୫।
ରାଜ୍ୟ ବିଜୟେ ହିଂସାର ଲୀଳା ରଚଇ ବିଶ୍ୱେ କ୍ରାନ୍ତି,
ଦାମ୍ଭକ ମୂଢ଼ ମାନସେ ଜଗାଏ ବିଜୟଲିପ୍ସା ଭ୍ରାନ୍ତି;
ଘନ ଅନ୍ଧାର ରାତେ,
ଗିରି ଗହ୍ୱରେ ପଥିକ ସମାନ ଘୂରେ ସେ ଘୂର୍ଣ୍ଣୀବାତେ ।୩୬।
ଯଜ୍ଞ ବିଧିରେ ନିନ୍ଦିଲେ ଦେଖି ପଶୁର ରକ୍ତଧାରା,
ହିଂସା ମୋଚନେ ଧର୍ମ ପ୍ରଚାରି ଭ୍ରମିଲେ ଭାରତସାରା;
ଶାନ୍ତିର ଜୟଗାନ,
ପ୍ରଚାରିଲେ ସିନା ଭୁବନେ ଭୁବନେ ବନ୍ଦ୍ୟ ସେ ସୁମହାନ ।୩୭।
କପିଳବାସ୍ତୁ ସିଂହାସନକୁ ଫିଙ୍ଗି ଚରରଘାତେ,
ସୁନ୍ଦରୀ ବଧୂ ଶିଶୁପୁତ୍ରକୁ ତେଜି ନିର୍ଜନ ରାତେ;
ସମ୍ୱଳହୀନ ପରି,
ସତ୍ୟ ଆଲୋକ ସନ୍ଧାନେ ଯେହୁ ଦୈନ୍ୟେ ନେଲେକ ବରି ।୩୮।
ସେହି ସେ ବୁଦ୍ଧ, ହୃଦୟଶୁଦ୍ଧ, ସତ୍ୟର ମହାବାଣୀ,
ପ୍ରଚାରି ଜଗତେ ଶିଷ୍ୟଗହଣେ ସନ୍ତୋଷ ଦେଲେ ଆଣି;
ସେହି ମନ୍ତ୍ରର ଦୀକ୍ଷା,
ଘେନି ଅନ୍ତରେ ଚିର ଶାନ୍ତିର କର ମହତ୍ତ୍ୱ ଶିକ୍ଷା’’ ।୩୯।
ଜୈଷ୍ଠର ଏକ ପ୍ରଖର ଦିବସେ ତପ୍ତ ଶରୀର ପରେ,
ଚୁଆ ଚନ୍ଦନ ମିଶ୍ରିତ ନୀର ପତନ ପରାୟ ଖରେ;
ସନ୍ୟାସିନୀର ପଦେ,
ପ୍ରଣିପାତ କରି ମଗଦ ନରେଶ ପୁଚ୍ଛିଲେ ଗଦଗଦେ ।୪୦।
‘‘କୁହ ମା ! କୁହ ମା ! ଏତେଦିନ କାହିଁଥିଲ ଏ ତୋଷଳିକୋଣେ,
ଦୁର୍ଦ୍ଦିନେ ମୋର ଦର୍ଶନ ଦେଲ ଶେଷ ମୁହୂର୍ତ୍ତେ ଏଣେ;
ପାପର ଗର୍ତ୍ତ ସିନା,
ପୂର୍ଣ୍ଣ ମୋହର ହାୟ । ବହୁଦିନୁଁ, ମହତ ଶିକ୍ଷା ବିନା ।୪୧।
ମଗଧର ମୁହିଁ ସୀମିତରାଜ୍ୟେ ହର୍ଷେ ଆଜି ମୁଁ ଥାନ୍ତି,
ରାଜ୍ୟବିଜୟ ମଦ ମୋ ମାନସୁଁ ହଜାଇ ଦେଇଛି ଶାନ୍ତି;
ଦୁର୍ବଳ ପ୍ରତିବେଶୀ,
ରାଜ୍ୟେ ବିଜୟ ରଣଯଜ୍ଞେ ମୋ ଆହୁତି ଢାଳିଛି ବେଶି ।୪୨।
ଜଳିଛି ଜଳିଛି ସମର ଯଜ୍ଞ କରିଛି ଊର୍ଦ୍ଧ୍ୱ ଭେଦ,
ଅଗ୍ନିଶିଖାରେ କୋଟି ପରିବାର ଲଭିଛି ପୂର୍ଣ୍ଣଚ୍ଛେଦ;
ମାନବରକ୍ତ ହବି,
ଅନାଥ ବିଧବା ଗୁରୁ କ୍ରନ୍ଦନ, ମନ୍ତ୍ର ପଠନ ଛବି’’ ।୪୩।
‘‘ଏତେ ଦିନ ଯାଏ ବିବେକ ତୁମର ହୋଇଥିଲା ସିନା ସୁପ୍ତ,
ଏହି ଏ ରାତ୍ରେ ଚଳ ଚଞ୍ଚଳେ ଭେଟିବାକୁ ଉପଗୁପ୍ତ;
ମେଣ୍ଟିବ ମନ ତାପ,
ଅନୁତପ୍ତ ଚକ୍ଷୁ ଲୋତକ ଧୌତ ସକଳ ପାପ’’ ।୪୪।
ସନ୍ୟାସିନୀର ଆଶ୍ୱାସନାରେ ଅଶୋକ ଲଭିଲେ ଶାନ୍ତି,
କହିଲେ, ‘‘ଜନନି ! ତୁଟାଇଛ ତୁମେ ମାନସୁଁ ମୋହର ଭ୍ରାନ୍ତି;
ପଦ ପଙ୍କଜେ ତବ,
ବନ୍ଦେ ଭକତି ସହକାରେ ପାଇ ଶିକ୍ଷା ଏ ଅଭିନବ ।୪୫।
ଧଉଳି ପାହାଡ଼େ ଖୋଳାଇବି ମୁହିଁ ଶାନ୍ତି ମହିମା କଥା,
ଗୁରୁ ମୋର ସିନା ଏହି କଳିଙ୍ଗ ନତ ତା’ ପୟରେ ମଥା;
ଚିନ୍ତା ଆଉ ମୋ କିସ,
ବୁଦ୍ଧଚରର ବନ୍ଦନେ ଯିବ ଅନ୍ତରୁ କିଳୁବିଷ’’ ।୪୬।
ତିଷ୍ୟରକ୍ଷିତା-କୁନାଳ
ଭାରତମୁକୁଟମଣି ଚକ୍ରବର୍ତ୍ତୀ ଅଶୋକ ରାଜର୍ଷି,
ଦିଗ୍ବିଦିଗେ ଉଡ଼ାଇଣ ଶାନ୍ତି-ମୈତ୍ରୀ-ସାମ୍ୟ-ଜୈତ୍ରୀ-ବାନା,
ତେଜି ମନୁଁ ହିଂସା, ପାପ, ପ୍ରଲୋଭନ କୁବସନାମାନ,
କରିଲେ ସେ ଧର୍ମ ଚର୍ଚ୍ଚା, ଜନସେବା ଆଦି ବ୍ରତ ନାନା ।୧।
ଇତିହାସ ପୃଷ୍ଠା ତେଣୁ ଦେଲା ପୋଛି ‘‘ଚଣ୍ଡାଶୋକ’’ ନାମ,
ପ୍ରଜାତୋଷେ ନିଜକୁ ସେ ବିସର୍ଜ୍ଜିଲେ ତିଳ ତିଳ କରି;
ରାମରାଜ୍ୟ ବିରାଜିଲା ଚଉଦିଗେ ଭାରତଭୂମିରେ,
‘‘ଦେବପ୍ରିୟ’’ ଉପାଧିରେ ପୂର୍ବଦୋଷ ଗଲା ଅପସରି ।୨।
କିନ୍ତୁ ହାୟ ! ବିଧାତାର ବିଡ଼ମ୍ୱନା କେ ପାରିବ କଳି,
ଚନ୍ଦନ ପାଦପେ ଅହି, ଅମ୍ୱୁଧିରେ ଦେଲେ ଯେ ଲବର;
କଳଙ୍କ ଲିହିଲେ ଚନ୍ଦ୍ରେ, ସୁବାସିତ ଗୋଲାପେ କଣ୍ଟକ,
ଗୁଞ୍ଜାସହ ତୁଳାଯୋଗ ସ୍ୱର୍ଣ୍ଣେ ଯେହୁ କଲେ ନିରୂପଣ ।୩।
ସ୍ୱୟଂ ବିଷ୍ଣୁ ଅବତରି ରାମ ରୂପ ଏହି ମର୍ତ୍ତ୍ୟଧାମେ,
ପତିବ୍ରତା ଅନ୍ତଃସତ୍ତ୍ୱା ପତ୍ନୀତ୍ୟାଗେ ହେଲେ କଳୁଷିତ;
ମାନବ ଅଶୋକ ପକ୍ଷେ କଳଙ୍କ କି ହୋଇବ ବିଲୁପ୍ତ ?
ସ୍ତୁତି ନିନ୍ଦା ପାପପୁଣ୍ୟେ ସିନା ଏହି ମର୍ତ୍ତ୍ୟ ମୁଖରିତ ।୪।
ଯୌବନର ଉଷ୍ଣରକ୍ତେ ଥିଲେ ଧୀର, ଶାନ୍ତ ସିନ୍ଧୁ ସମ,
କାମମଦେ ନୋହି ଘାରି- କିନ୍ତୁ ହାୟ ଅଶୋକ ରାଜନ;
ପ୍ରାସାଦର ଅସାମାନ୍ୟା ରୂପବତୀ, ସାମାନ୍ୟା ରମଣୀ,
ତିଷ୍ୟରକ୍ଷିତାର ପ୍ରେମେ ବୃଦ୍ଧକାଳେ ହୋଇଲେ ମଜ୍ଜନ ।୫।
ରୂପେ ଥିଲା ରମ୍ଭାସମ, ଗୌରକାନ୍ତି, ଖଞ୍ଜନନୟନା,
କ୍ଷୀଣକଟୀ, କମ୍ୱୁଗ୍ରୀବା, ତନ୍ୱୀ, ସୁଭ୍ରୁ, ଚାରୁଚନ୍ଦ୍ରନନା,
ଶିରୀଷକୋମଳଗାତ୍ରୀ, ବିଦ୍ୟୁତ୍ପ୍ରଭା, ପକ୍ୱବିମ୍ୱାଧରୀ,
ଆଗୁଳ୍ଫ-ଲମ୍ୱିତ-କେଶା, ଗର୍ଭାଳସା-ମରାଳୀ ଗମନା ।୬।
ଅନ୍ତଃପୁର ପରିଚାରୀ ମଦମତ୍ତା ସେ ତିଷ୍ୟରକ୍ଷିତା,
ବୀଣାଜିଣା କଣ୍ଠେ ଗାଇ, ଦୋଳାଇଣ ଚାରୁ ଅପଘନ;
ଅନ୍ତରେ କପଟ ଭରି, ‘‘ବିଷକୁମ୍ଭ ପୟୋମୁଖ’’ ସମ,
କରିଥିଲା କରଗତ ରାଜ୍ୟ ଆଶେ ବୃଦ୍ଧପତି ମନ ।୭।
ସେଦିନ ସେ କେଉଁ ଏକ ଦିବସର ଅଶୁଭ ମୁହୂର୍ତ୍ତେ,
ଭେଦିଲା ତା ତୀକ୍ଷ୍ମ ଦୃଷ୍ଟି ରାଜପୁତ୍ର କୁନାଳ ଶରୀରେ;
ପିତ୍ରାଦେଶେ ଅନ୍ତଃପୁରେ ମାତା ପାଶେ ଅର୍ଘ୍ୟ ଥାଳି ଘେନି,
ଚଳିଲେ କୁନାଳ ଯେବେ ସ୍ୱନକ୍ଷତ୍ର ଦିବସେ ସଧୀରେ ।୮।
ସୁକୁମାର ରାଜପୁତ୍ର ନ ଜାଣଇ ମାତୃସ୍ନେହ ସ୍ୱାଦ,
ପିତୃସ୍ନେହେ ଲାଳିତ ସେ ମାତୃହରା ବାଲ୍ୟକାଳୁଁ ଅତି;
ଏକବିଂଶ ବୟସର ପଦାର୍ପଣେ ଅର୍ଘ୍ୟ ଥାଳି ଧରି,
ବନ୍ଦି ମାତୃପଦ ଚଳେ ଭକ୍ତିପୂତ ଅନ୍ତରେ ଝଟତି ।୯।
ସ୍ୱର୍ଣ୍ଣଜରି ପଟ୍ଟବାସ ପରିଧାନ ଯୁବରାଜ ଆଜ,
କେୟୁର କୁଣ୍ଡଳ ମାଳା ସୁଶୋଭିତ ସୁଶ୍ରୀ କଳେବରେ;
ଗମ୍ଭୀର ଅମ୍ୱୁଧିସମ, ନିଷ୍କଳଙ୍କ ଚନ୍ଦ୍ର ପ୍ରାୟ ମୁଖ,
ଭକ୍ତିପୂତ ଚିତ୍ତେ ମୋଦେ ବନ୍ଦିଲେ ସେ ଜନନୀ ପୟରେ ।୧୦।
କିନ୍ତୁ ହାୟ । ଏକି ହେଲା ଶାନ୍ତି ତିଷ୍ୟରକ୍ଷିତାର ଉରେ,
ଜାଗିଲା ସ୍ପନ୍ଦନ ଆଜି ହୃତ୍କମ୍ପ ତା’ ହେଲା ଅନୁକ୍ଷଣ;
ସମ୍ମୁଖେ ବିଲୋକି ସୁଶ୍ରୀ ଯୁବରାଜ ସୁଲଳିତ ବପୁ,
ଘାରିଲା ଅତନୁ ତନୁ, ଉର୍ଦ୍ଧ୍ୱଶ୍ୱାସ ତେଜିଲା ସଘନ ।୧୧।
ଶ୍ରବଣ ଗହ୍ୱରେ ତାର ପ୍ରବେଶନ୍ତେ ଜନନୀର ଡାକ,
ମୁଦିଲା ସହସା ବେନି କର୍ଣ୍ଣ ତ୍ୱରା ତା’ କର ପଲ୍ଲବେ;
ମାଦକତାପୂର୍ଣ୍ଣ ବକ୍ଷ, କଣ୍ଟକିତ ଅଙ୍ଗଲୋମାବଳୀ,
ଉଠ ଉଠ ବୋଲି କହି ପୁଚ୍ଛିଲା ସେ ଯୁବରାଜେ ଲବେ ।୧୨।
କହ କି କାରଣେ ଆଜି ପ୍ରବେଶିଲ ମୋର ଅନ୍ତଃପୁରେ,
ଉଜ୍ଜ୍ୱଳିଲା ଭବନ ମୋ ଯୁବରାଜ । ତବ ଆଗମନେ;
ନୟନୁଁ ଝରାଇ ଧୀର ଦର ଦର ଆନନ୍ଦ ଲୋତକ,
କୋଳ କଲା ଯୁବରାଜେ ସସ୍ନେହେ ସେ ଆଦ୍ୟ ସନ୍ଦର୍ଶନେ ।୧୩।
ଜୀବନେ ଚାଖିନି ଯେହୁ ମାତୃସ୍ନେହ ଅମିୟ ସୁରସ,
ଜନନୀର କୋଳାଗ୍ରତେ ନିଜକୁ ସେ ମଣେ କୃତକୃତ୍ୟ,
କିନ୍ତୁ ହାୟ ! ମଦମତ୍ତା କାମାତୁରା ସେ ତିଷ୍ୟରକ୍ଷିତା,
ହୃଦ ଅନ୍ତରାଳେ ଏକ ପିଶାଚିନୀ କରୁଥିଲା ନୃତ୍ୟ ।୧୪।
ଆଗମନ ପ୍ରଶ୍ନ ଶୁଣି ଜନନୀର ଶାନ୍ତ ଯୁବରାଜ,
ଉତ୍ତରିଲେ, ଆଜ ମାତ ! ମୋର ଏକବିଂଶତି ବରଷେ;
ସ୍ୱନକ୍ଷତ୍ର ଦିବସରେ ଆଚମିଲି ବନ୍ଦିବାକୁ ପଦ,
ଆଶୀର୍ବାଦ ଦିଅ ବାରେ ଜନନି ! ଏ ସନ୍ତାନେ ହରଷେ ।୧୫।
‘‘ସାମ୍ରାଜ୍ଞୀ ପଦରେ ମୁହିଁ ବିଭୂଷିତା ହୋଇବା ଦିନରୁ,
ନ ପାଇଥିଲି ମୁଁ କେବେ କୁନାଳରେ ! ତୋର ଦରଶନ’’;
ଉତ୍ତରିଲା ରାଜରାଣୀ, - ‘ଆଜ ଦେଖି ତୋ ଚନ୍ଦ୍ରବଦନ,
ମଧୁର ଭାଷଣେ ତୁହି କଲୁ ସିନା ମଧୁ ବରଷଣ ।୧୬।
ଦୀର୍ଘଜୀବୀ ହୁଅ ତୁହି ତୋଷ ମନେ ପାଳ ପ୍ରଜାକୁଳେ,
ପିତୃସମ ଚିଉଦିଗେ ବିରାଜ ତୋ ବିଜୟନିଶାଣ;
ରାଜ୍ୟ ଭୋଗ କର ସୁଖେ ହର୍ଷମନେ ଏ ଧରାମଣ୍ଡଳେ,
ଅମ୍ୱର ଉଡ଼ୁରେ ତୋର ଜୈତ୍ରୀବାନା ଲଭରେ ସମ୍ମାନ ।୧୭।
ମୋହଠାରେ ଏତେ ଯେବେ କୁନାଳରେ ଅଛି ତୋ ଭକତି,
କହି ବାରେ ସ୍ପର୍ଶି ତନୁ ରକ୍ଷା କିରେ କରିବୁ ମୋ କଥା;
ଯେ ମୁହୂର୍ତ୍ତେ ଯେ କାର୍ଯ୍ୟେ ବା ଲୋଡ଼ିବିରେ ସାହାଯ୍ୟ ତୋହର
ଆସିବୁକି ମୋର ପାଶେ ନ କରିଣ ତିଳେ ମନ ବ୍ୟଥା ।୧୮।
ଉତ୍ତରିଲେ ଯୁବରାଜ, ‘‘ଏ ସନ୍ତାନେ ରଖ ମା’’ ବିଶ୍ୱାସ,
ତୁମ୍ଭର ଜଠରୁଁ ମୁହିଁ ଜନ୍ମି ନାହିଁ ନ ଘେନିବ ମନେ;
ପିତାର ସହଧର୍ମିଣୀ ମାତୃରୂପେ ମାନ୍ୟା ଶାସ୍ତ୍ରମତେ,
ନିର୍ବିବାଦେ ତେଣୁ ମାତ ! ରଖିବାକୁ ତୁମ୍ଭର ବଚନେ ।୧୯।
ଶପଥ କରୁଛି ମୁହିଁ ଇନ୍ଦ୍ର, ଚନ୍ଦ୍ର, ସୂର୍ଯ୍ୟ କରି ସାକ୍ଷୀ,
ଇଚ୍ଛା ଅନୁସାରେ ତବ ନିୟୋଜିବି ଏ ମୋର ପରାଣ;
କୁହ କୁହ ଜନନି ଗୋ ତେଜି ମନୁଁ ଶଙ୍କା ଲଜ୍ଜା ବାରେ,
ପୁତ୍ର ପାଶେ ଜନନୀର ଭିକ୍ଷା କିବା, ଦାବୀ ବୋଲି ଜାଣ ।୨୦।
ଅନ୍ତରର ଦୁର୍ବାସନା ବକ୍ଷ ତଳେ ଚାପି ସେ ରମଣୀ,
କୁନାଳ ପ୍ରଶସ୍ତ ଭାଲେ ସସଂଭ୍ରମେ ଦେଲା ଜୟଟୀକା;
ଦୁର୍ବାକ୍ଷତ ଦେଲା ବିଂଚି ଯୁବରାଜ କୁନାଳ ମସ୍ତକେ,
କିନ୍ତୁ ତାର ହୃଦ ହେଲା ଯୁବରାଜ ରୂପରାଜ୍ୟେ ବିକା ।୨୧।
ଯୁବରାଜ ବାହୁଡ଼ନ୍ତେ ଅନ୍ତଃପୁରୁଁ ସସ୍ମିତ ବଦନେ,
ଜନନୀର ଜୟଟୀକା ସୁଶୋଭିତ ଚାରୁ ଭାଲଦେଶେ;
ଅନ୍ତଃପୁର ନାରୀବର୍ଗ ବାଇ ମନ୍ଦ୍ରେ ଜୟଶଙ୍ଖ ମୋଦେ,
ସମ୍ୱର୍ଦ୍ଧିଲେ ଯୁବରାଜେ ପୁଷ୍ପାଞ୍ଜଳି ଅରପିଣ ଶେଷେ ।୨୨।
ଏକଦିଗେ ଯୁବରାଜ ପୁଲକିତବକ୍ଷ ମାତୃସ୍ନେହେ,
ହର୍ଷମୁଖ ଲଭି ଆଜ ଜନନୀର ଅମିୟ ଆଶ୍ଳେଷ;
କିନ୍ତୁ ହାୟ ! ଅନ୍ୟଦିଗେ ମଦମତ୍ତା ତିଷ୍ୟରକ୍ଷିତାର,
ପ୍ରକମ୍ପିତ ଅପଘନ ଉଜ୍ଜୀବିତ ତା’ର କାମକ୍ଳେଶ ।୨୩।
ବହିଲା ପ୍ରଖର ଝଞ୍ଜା ନାସାପୁଟୁଁ,ହେଲା ଅଚେତନ,
ଯୌବନ ସଞ୍ଚାର କାଳୁ ଏଲଭି ଆଜି ଆଶ୍ଲଷ ମଧୁର;
ବୃଦ୍ଧ ପତି ବରିଥିଲା ଧନ, ରାଜ୍ୟ ପ୍ରଲୋଭନେ ସିନା,
ନବ ଯଉବନୀ ବାଳା ପ୍ରାଣ ଥିଲା ପ୍ରଣୟ-ବିଧୁର ।୨୪।
ବାର୍ଦ୍ଧକ୍ୟ ଗ୍ରାସିତ ଅଙ୍ଗ ଅଶୋକ ସେ ଧର୍ମେ କର୍ମେ ମନ,
ନେଇଥିଲା କାଳ ହରି କଳେବର ମଧୁର ସୁଷମା;
ପତ୍ନୀ ବିରହ ମୋଚନ ବରିଥିଲେ ତିଷ୍ୟରକ୍ଷିତାରେ,
ଥିଲା ସୁଶ୍ରୀ ତନ୍ୱୀ ବାଳା କିନ୍ତୁ ହାୟ ବୟସେ ଅସମା ।୨୫।
ଯୌବନ ଆହ୍ୱାନେ ସଦା ଯୌବନରେ, ନ ଲୋଡ଼େ ସମ୍ପଦ,
ନଲୋଡ଼େ ସେ ରାଜ୍ୟ ଖ୍ୟାତି, ପରଶଂସା ଅବା ଗତି ମୁକ୍ତି;
ଅଦମ୍ୟ ବାସନା ତାର କରିବାକୁ ପୂର୍ଣ୍ଣ ମନସାଧ,
ନିର୍ଭୟେ ରଚଇ ଗତି ନିର୍ବିକାରେ, ନ ଶୁଣେ କା’ ଉକ୍ତି ।୨୬।
ଏକେତ ଅଟଇ ନାରୀ, ନାହିଁ ତା’ର ଧର୍ମାଧର୍ମ ଜ୍ଞାନ,
ଦୁଜେ ସେ ପୂର୍ଣ୍ଣଯୌବନା ମେଣ୍ଟିନାହିଁ ଯୌବନ ପିପାସା;
ତୃତୀୟେ ବର୍ଣ୍ଣସଙ୍କରା, ନୀଚଜନ୍ମା ସମ୍ରାଟ ପ୍ରେୟସୀ,
ଅସାଧ୍ୟ ତା ପକ୍ଷେ କିବା ମେଣ୍ଟାଇବା ଲାଗି ହୃଦଆଶା ।୨୭।
ବିବେକ ଅଙ୍କୁଶ ତା’ର ନ ପାରିଲା, ନ ପାରିଲା ରୋଧି,
ମଦମତ୍ତ କରୀ ପ୍ରାୟ ତାହାର ସେ କାମମତ୍ତ ମନ;
ପାପ ନିନ୍ଦା ଅପବାଦ ଶିରେ ଥାପି ଚରଣ ସଗର୍ବେ,
ପଦ୍ମବନେ ହସ୍ତୀ ଯଥା ପଦଚାପେ କରେ ବିଧ୍ୱଂସନ ।୨୮।
ଝର ଝର ଅଶ୍ରୁପାତେ ତିନ୍ତିଲା ତା’ ପିନ୍ଧିଲାବସନ,
ଉନ୍ନତ କନକ ବକ୍ଷ; ଦୀର୍ଘଶ୍ୱାସେ କମ୍ପିଲା ସଘନେ;
ପ୍ରଶାନ୍ତ ଉରସେ ତା’ର ଖେଳିଗଲା ଉତ୍ତାଳ ତରଙ୍ଗ,
ଯୁବା-ଅଶ୍ଳେଷ-ଉଷ୍ଣତା ଉପଲବ୍ଧି କଲା ଆଜି ମନେ ।୨୯।
ଭାରତ ସାମ୍ରାଜ୍ଞୀ ରୂପେ ଗର୍ବପର୍ବତର ଶିଖ ଦେଶେ,
ପଦ ରଖି ବିଚରଣ କରୁଥିଲା ଯେ ତିଷ୍ୟରକ୍ଷିତା;
ଜାଗିଲା ଜାଗିଲା ଆଜି ଅନ୍ତରେ ତା’ ଯୌବନଲାଳସା,
ନିଜକୁ ମଣିଲା ଏବେ ଦୀନା ହୀନା ଅବା ଉପେକ୍ଷିତା ।୩୦।
ପବିତ୍ର ସେ ମାତୃସେହେ ଦ୍ୱାହି ଦେଇ କୁନାଳ ଅନ୍ତରେ,
ଜଗାଇଣ ମାତୃଭକ୍ତି ବାଲ୍ୟକାଳୁଁ ଥିଲା ଯାହା ଶୂନ୍ୟ;
ଅନ୍ତସ୍ଥଳେ ରଖି ଏକ ଭୟାବହ ଦୁର୍ବହ ବାସନା,
ନ ବିଚାରି ତିଳେ ହେଲେ ନର୍କ, ସ୍ୱର୍ଗ ଅବା ପାପପୁଣ୍ୟ ।୩୧।
ରହିଲା ମଉନ ପୁରେ ଖୋଜି ଏକ ସୁବର୍ଣ୍ଣ ସୁଯୋଗ,
ଭେଟିବାକୁ ଏକାକିନୀ ରାଜପୁତ୍ରେ ମଧୁର ଲଗନେ;
ମେଣ୍ଟାଇବା ଆଶେ ତା’ର ଅନ୍ତରର ଅଦମ୍ୟ ବାସନା,
ଶୟନେ ସ୍ୱପନେ ଅବା ଜାଗରଣେ ଅଙ୍ଗ ଶିହରଣେ ।୩୨।
‘‘କାଳର କୁଟିଳା ଗତି’’ ପାରେ କି କେ କେବେ ତାକୁ ରୋଧି,
ପଡ଼ିଲା ମାହେନ୍ଦ୍ରବେଳା ଆଜି ଅବା ତିଷ୍ୟରକ୍ଷିତାର;
ବୈଶାଖ ପୂର୍ଣ୍ଣିମା ଯୋଗେ ଦରଶନେ ବୁଦ୍ଧ ଶ୍ରୀଚରଣେ,
ଗମିଲେ ଅଶୋକ ହର୍ଷେ, ଲୁମ୍ୱିନିକୁ ଦେଖି ଶୁଭ ବାର ।୩୩।
ସଙ୍ଗେ ଯିବା ଲାଗି ଯେବେ ଲୁମ୍ୱିନିକୁ ପୁଚ୍ଛିଲେ ଅଶୋକ,
ତିଷ୍ୟରକ୍ଷିତାକୁ ସ୍ନେହେ, ସହସା ସେ ଅଶ୍ରୁଳନୟନେ;
ଉତ୍ତରିଲା କପଟତା ଆଚରିଣ ଅନ୍ତରେ ରମଣୀ,
‘‘ଅସୁସ୍ଥ ଶରୀରେ କାନ୍ତ ! ସଙ୍ଗେ ତବ ଗମିବି କେସନେ’’ । ୩୪।
ସାମନ୍ତ ଗହଣେ ହର୍ଷେ ଶୁଦ୍ଧମନେ ଲୁମ୍ୱିନି ଉଦ୍ୟାନେ,
ଚଳିଲେ ଅଶୋକ ଯେବେ ବନ୍ଦିବାକୁ ବୁଦ୍ଧ ଶ୍ରୀଚରଣ;
ଯୁବରାଜ କୁନାଳ ସେ ପିତ୍ରାଦେଶେ ରାଜ୍ୟ ରକ୍ଷାଲାଗି,
ରହିଲେ ପାଟଳୀପୁତ୍ରେ ଦାୟିତ୍ୱରେ କରିଣ ବରଣ ।୩୫।
କିନ୍ତୁ ହାୟ ! ଏ ସମୟେ ପିଶାଚିନି ତିଷ୍ୟରକ୍ଷିତାର,
ବୃଦ୍ଧିହେଲା ଦୁର୍ବାସନା ବର୍ଷାକାଳ ତଟିନୀ ପରାୟ;
ନିର୍ଭୟ ମାନସେ ରାଜସିଂହାସନେ ହୋଇ ଉପବିଷ୍ଟା,
ଯୁବରାଜ ଅଙ୍ଗ ସଙ୍ଗ ବାସନାରେ ହେଲା କ୍ଷୀଣକାୟ ।୩୬।
ବୈଶାଖ ପୂର୍ଣ୍ଣିମା ରାତ୍ରି, ଚଉଦିଗ ଜ୍ୟୋତ୍ସା-ପୁଲକିତ,
ସଜ ବନମଲ୍ଲି ଫୁଲେ ସୁବାସିତ ଭବନ ଭୂବନ;
କି ଅବା ପ୍ରକୃତିରାଣୀ ଶୁକ୍ଳବାସ ପିନ୍ଧିଣ ସରାଗେ,
ମୁକ୍ତା ଆଭୂଷଣ ଘେନି ଅଙ୍ଗେ, ରଙ୍ଗେ କରେ ବିଚରଣ ।୩୭।
ବାସିତ ପନୀର ଜଳେ ସାୟଂସ୍ନାନ ରଚି ରାଜରାଣୀ,
କସ୍ତୁରୀ କୁଙ୍କୁମ ଚିତ୍ରେ ଭାଲପଟ କରିଣ ଚିତ୍ରିତ;
ଚତୁଃସମ ବିଲେପନେ ଅଙ୍ଗ କରି ସୁବାସ ମଧୁର,
ରଚାଇଲା ପୁଷ୍ପଶଯ୍ୟା ହୃଷ୍ଟମନେ ହୋଇ ଉତ୍କଣ୍ଠିତ ।୩୮।
ସେ ଦିନ ପ୍ରମୋଦବନେ ସାନ୍ଧ୍ୟକାଳେ କୁନାଳ ହରଷେ,
ଭ୍ରମୁଥିଲେ ନିରେଖିଣ ପ୍ରକୃତିର ଅପରୂପ ଶୋଭା;
ମଳୟ ଝଙ୍କାର ସାଥେ ଅଳିର ସେ ମଧୁ ଗୁଂଜରଣ,
କୁମୁଦିନୀ ମୁଖୁଁ ମଧୁ ଆହରଣ ଦୃଶ୍ୟ ମନଲୋଭା ।୩୯।
ପ୍ରାସାଦ ଗବାକ୍ଷ ଭେଦି ତୀକ୍ଷ୍ଣ ଦୃଷ୍ଟି ତିଷ୍ୟରକ୍ଷିତାର,
ପଡ଼ିଲା କୁନାଳ ଅଂଗେ ସହସା ସେ ପଡ଼ିଲା ଚମକି;
ଉଜ୍ଜୀବିତ ହେଲା ତାର ସେ ଦିନର ସୁପ୍ତ ଯେ ବାସନା,
ଦୂରେ ରାଜା, -ମଧୁରାତ୍ରି -ବକ୍ଷ ତାର ଉଠିଲା ଦମକି ।୪୦।
ଅନ୍ତଃପୁର ପରିଚାରୀ ଦେଲା ବାର୍ତ୍ତା ଆସି ଯୁବରାଜେ,
ରାଜକାର୍ଯ୍ୟେ ମହାରାଣୀ ଲୋଡ଼ିଛନ୍ତି ସାହାଯ୍ୟ ତୁରିତ;
ପ୍ରମଦା-ପ୍ରମୋଦ-ବନେ ରହିଛନ୍ତି ଅସୁସ୍ଥ ଶରୀରେ,
ଆସନ୍ନବିପଦେ ଯେଣୁ ହୃଦ ତାଙ୍କ ଆଶଙ୍କା-ପୂରିତ ।୪୧।
ଜନନୀର ଅସୁସ୍ଥତା ଯୁବରାଜ ଶ୍ରବଣେ ସହସା,
ପ୍ରମଦା-ପ୍ରମୋଦ-ବନେ ପ୍ରବେଶିଲେ ପ୍ରକ୍ଷିପ୍ତ ମାନସେ;
ସତୃଷ୍ଣନୟନେ ରାଣୀ ଯୁବରାଜ ଆଗମନପଥେ,
ଚାହିଁ ଥିଲେ ନିର୍ନିମେଷ ନୟନେ ସେ ଉଦ୍ୟାନେ ହରଷେ ।୪୨।
ପୁଚ୍ଛିଲେ କୁନାଳ ଧୀରେ ତ୍ରସ୍ତମନେ ସଂତ୍ରସ୍ତହୃଦୟେ,
‘‘କୁହ ମାତ । କିବା କାର୍ଯ୍ୟେ ପ୍ରୟୋଜନ ଏ ଅଧମ ତବ;
ଉତ୍ତରିଲେ ମୃଦୁ ହସ ଅନ୍ତସ୍ତଳେ ଚାପି ରାଜରାଣୀ,
‘‘ପାଉଛି ପାଉଛି ମୁହିଁ ବକ୍ଷେ ମମ ବ୍ୟଥା ଅଭିନବ ।୪୩।
କିପରି ବଞ୍ଚିବି ଦିନେ ଅନ୍ତଃପୁରୁଁ ରାଜାଛନ୍ତି ଦୂରେ,
ଜ୍ୟୋତ୍ସ୍ନାପୁଲକିତ ରାତ୍ରି ଦୁର୍ବିସହ ବ୍ୟଥା ପାଏ ବକ୍ଷେ;
ଏକାକିନୀ ସିନା ମୁହିଁ ଉପବନେ ବସିଛି ମଉନେ,
ସୁକୋମଳ ପୁଷ୍ପଶଯ୍ୟା କଣ୍ଟକିତ ଆଜି ମୋର ପକ୍ଷେ’’ ।୪୪।
ରମଣୀର ମାୟାଜାଲ ନ ପାରିଲା ବୁଝି ସେ କୁନାଳ,
ଶ୍ଳେଷବାକ୍ୟେ ନ ପାରିଲେ ତିଳେହେଲେ ମର୍ମସ୍ଥଳେ ହେଜି;
ତିଷ୍ୟରକ୍ଷିତାର ପଦେ ସସଂଭ୍ରମେ ଚାଳି ବେନି କର,
କରିଲେ ଚରଣ ସେବା ଯୁବରାଜ ଅହଂଭାବ ତେଜି ।୪୫।
ପୂର୍ଣ୍ଣିମା ନିଶିଥ ସେ ଯେ ଚଉଦିଗ ମଂଜୁଳ ବଂଜୁଳ-
ସୁବାସେ ମହକେ ମହୀ, ମଳୟରେ ଉଉଳେ ମୁଲକ;
ବନମଲ୍ଲୀ ଫୁଲ ଶେଟ ସୁବାସିତ ଜଳେ ଅଛି ସିକ୍ତ,
ଯୁବରାଜ କର ସ୍ପର୍ଶ- ରାଣୀ ଅଙ୍ଗେ ଜାଗିଲା ପୁଲକ ।୪୬।
ନିର୍ବିକାର ଚିତ୍ତେ ଯେବେ ଯୁବରାଜ ରାଣୀପଦସେବା,
କରୁଥିଲେ ଅକୁଣ୍ଠିତେ ମାତୃସମ ମଣି ନିଜ ମନେ;
ଆଚମ୍ୱିତେ ତେଜି ଶଯ୍ୟା, ମଦମତ୍ତେ ସେ ତିଷ୍ୟରକ୍ଷିତା,
ଆଲିଙ୍ଗିଲା ଯୁବରାଜେ ଗାଢ଼ତର ବାହୁର ବଂଧନେ ।୪୭।
ବକ୍ଷେ ବକ୍ଷେ ଥାପି ବାଳା ଭୁଜେ ଭୁଜ ଦେଇ ଦୃଢ଼େ ଛନ୍ଦି,
ମଦୋନ୍ମତ୍ତାସମ ଚୁମ୍ୱି ଯୁବରାଜ ପୂର୍ଣ୍ଣଚନ୍ଦ୍ରାନନ;
ସ୍ୱେଦ, କମ୍ପ, ରୋମାଞ୍ଚରେ ଜର୍ଜରିତ ହେଲା ତାର ତନୁ,
ହୋଇଗଲା ସ୍ୱରଭଙ୍ଗ, କମ୍ପିଗଲା ତା’ର ଅପଘନ ।୪୮।
ବିବର୍ଣ୍ଣ ହୋଇଲା କାନ୍ତି, ଅଶ୍ରୁଧାରା ସ୍ରବିଲା ନୟନୁଁ,
ହଜାଇଲା ଆତ୍ମଜ୍ଞାନ, ହରାଇଲା ବିବେକଚେତନା;
ପୁଷ୍ପଶଯ୍ୟା ପରେ ଭିଡ଼ି ନିବିଡ଼େ ସେ ଯୁବରାଜ ତନୁ,
ଆକୁଳପରାଣେ କଲା ସହସା ସେ ପ୍ରଣୟ ଯାଚନା ।୪୯।
ହେଲେ ତ୍ରସ୍ତ ଯୁବରାଜ ଫେରିବାକୁ ସେ ବାହୁବଂଧନେ,
ଲୌହର ଶୃଙ୍ଖଳ ସମ ସୁଦୃଢ଼ ସେ ହେଲା ଅସମ୍ଭବ;
ଜନନୀ କରଇ ଭିକ୍ଷା ପୁତ୍ର ପାଶେ ପାଶବିକ ପ୍ରେମ ।
ଏ କି ବିଡ଼ମ୍ବନା ଆଜ ଅବା ସୃଷ୍ଟିମାନେ ପରାଭବ ? ।୫୦।
ନିବିଡ଼ ବନ୍ଧନେ ରାଣୀ ବିସ୍ମରିଣ କୁଳ ମାନ ଲଜ୍ଜା,
ଆଲିଙ୍ଗିଣ ଯୁବରାଜେ ଉଚ୍ଚାରିଲେ ଆକୁଳ ଅନ୍ତରେ;
‘‘ନ ପାରୁକି ବୁଝି ତୁରେ ମୋ ହୃଦର କରୁଣ ଆହ୍ୱାନ,
ଦୀକ୍ଷିତ ନୋହୁ କି ତୁହି ଉଚ୍ଚାଟ ସେ ପ୍ରଣୟ-ମନ୍ତରେ ।୫୧।
ନୁହେଁ ତୋର ଗର୍ଭଧାରୀ ଜନନୀ ସୁଁ, ଦେଖି ନାହିଁ କେବେ,
ସନ୍ତାନ ଦୃଷ୍ଟିରେ ତୋତେ କହ କହ ହୃଦଖୋଲି ଥରେ;
ପାରିବୁକି ପୂର୍ଣ୍ଣକରି ଆଜି ମୋର ଶୂନ୍ୟ ଭିକ୍ଷାଥାଳ,
ଅର୍ଦ୍ଧମୃତା ସିନା ମୁହିଁ ଯୌବନର ତୀବ୍ର ଆଘାତରେ ।୫୨।
ଯେ ଦିନ ଦେଖିଲି ନେତ୍ରେ ସୁଶ୍ରୀ ଅଙ୍ଗ ତୋର ଅନ୍ତଃପୁରେ,
ଅଙ୍ଗେ ମୋ ଅନଙ୍ଗ ବାଣ ପଡ଼ିଲାରେ ଅକସ୍ମାତେ ଖସି;
କେତେ ଯେ ବିନିଦ୍ର ନିଶି ପୁହାଇଛି ମୁଞ୍ଚି ଉଷ୍ଣ ନୀର,
ମାନସପଟଳେ ତୋର ପ୍ରତିକୃତି ଭାଳିଛିରେ ବସି ।୫୩।
ଦୁର୍ବାର ବାସନା ମୋର ପରିପୂର୍ଣ୍ଣ କର ରେ କୁନାଳ !
ନୁହେଁ ଦୋଷ, ନର୍କଭୋଗ ମେଣ୍ଟାଇଲେ ମଦୋନ୍ମତ୍ତା ଆଶା;
‘‘ମାତା ଶବ୍ଦ ପରିହରି ମାତ ଆଜି ମଦନ ଆହବେ,
ଶିଥିଳ ନକରି ବାହୁ ଭିଡ଼ି ବକ୍ଷେ କହ ମଞ୍ଜୁଭାଷା’’ ।୫୪।
ବହୁ ଦମ୍ଭେ ଚାପିରଖି ଦୁର୍ବିସହ ହୃଦୟ-ସ୍ପନ୍ଦନେ,
ତିଷ୍ୟରକ୍ଷିତା କବଳୁଁ କୁନାଳ ସେ ହୋଇଲେକ ମୁକ୍ତ;
ଦୂରେ ଅପସରି ନମ୍ରେ, ଯୋଡ଼ିକର ପୁଚ୍ଛିଲେ, ଜନନି !
‘‘ସନ୍ତାନ ପକ୍ଷର ତବ ଏହି କର୍ମ, କିବା ଯୁକ୍ତିଯୁକ୍ତ ? ।୫୫।
ଜନନୀର ଶୁଭ୍ରାସନେ ବସାଇଛି କେତେ ଗଉରବେ,
ଅଟେ ବାଲ୍ୟକାଳୁଁ ଯେଣୁ ମାତୃହରା ଦୀନ ଅକିଂଚନ;
ଥିଲା ଆଶା ପୂର୍ଣ୍ଣହେବ ସେ ବାସନା ତୁମ୍ଭରି ନିକଟେ,
ମାତୃସ୍ନେହ ବାରି ହେବ ହତଭାଗ୍ୟ ଶରୀରେ ସିଂଚନ ।୫୬।
କିନ୍ତୁ ହାୟ ! ଦୁର୍ଭାଗ୍ୟ ମୋ ସନ୍ତାନରେ ମାଗଇ ଜନନୀ,
ପାଶବିକ ପ୍ରେମ ଭିକ୍ଷା ଅସମ୍ଭବ ଏ ମୋହର ପକ୍ଷେ;
ପୁରିତ ଜନନୀ ବକ୍ଷ ସନ୍ତାନର ସ୍ତନ୍ୟପାନ ଲାଗି,
କିନ୍ତୁ ମାତ ! ହଳାହଳ ପୂରିତ କି ଏ ତୁମର ବକ୍ଷେ ?’’ ।୫୭।
ଭାଜିଗଲା ତନ୍ମୟତା, ହଜିଗଲା ହୃଦୟବାସନା,
ଆବେଗେ ବାତୁଳୀ ପ୍ରାୟେ ରାଜରାଣୀ ପୁଚ୍ଛିଲା କୁନାଳେ;
‘‘ପ୍ରେମଧନେ ତୁମେ ଧନୀ କିନ୍ତୁ ମୋର ଶୂନ୍ୟ ପ୍ରେମଥାଳ-
କିବା ପ୍ରୟୋଜନତା’ରେ ଯୋନ ବୁଝେ ଆର୍ତ୍ତୀର କଟାଳେ’’ ।୫୮।
‘‘ସନ୍ତାନ ସେନେହେ ଆଗେ ଭରିଦିଅ ତୁମର ସେ ବକ୍ଷ,
ମାତୃସ୍ନେହ ଧନେ ତୁମେ ପରିପୂର୍ଣ୍ଣ । ସିନ୍ଧୁସୂତାସମ;
କିନ୍ତୁ ମୋର ଆର୍ତ୍ତନାଦ ନ ଶୁଣୁଛ ବଧିର ପରାୟ,
ବାହୁଡ଼ାଇ ଦିଅ ପୂତ୍ରେ ବହୁ ଦୂରେ ହୋଇ ନିରିମମ’’ ।୫୯।
ପ୍ରମଦା-ପ୍ରମୋଦ-ବନୁଁ କ୍ଷିପ୍ରଗତି କରି ଯୁବରାଜ,
ବାହୁଡ଼ିଲେ ପ୍ରଣମିଣ ନତଶିରେ ଜନନୀ ପୟରେ;
ମାନସେ ନ ବହି ତଳେ ରାଜରାଣୀ ପରେ କ୍ରୋଧଭାବ,
ମଉନେ ଭାଳିଲେ ବସି ସାରାନିଶି ରହି ଉଜାଗରେ ।୬୦।
ଫୁତ୍କାରି ସର୍ପିଣୀସମ ମଦମତ୍ତା ମଦନବିହ୍ୱଳା,
ଅପୂର୍ଣ୍ଣ କାମନା ଯେଣୁ କୁନାଳର ଶାନ୍ତି ଆଚରଣେ;
ଦନ୍ତ ଚାପି, ଭିଡି ମୁଷ୍ଟି କରିଲା ସେ ଅଟଳ ପ୍ରତିଜ୍ଞା,
କଉଶଳେ ଯୁବରାଜ କୁନାଳର ଅନିଷ୍ଟ ସାଧନେ ।୬୧।
ଦିନ ପରେ ଦିନ ଆହା ଯାଏ ରହି ଜଳସ୍ରୋତ ସମ,
ପୁଣ୍ୟାତ୍ମା ଦିଅଇ ପୋଛି ଆନ ଦୋଷ ଧୀରେ ଧୀରେ ମନୁଁ;
କିନ୍ତୁ ଅପରାଧୀ ପକ୍ଷେ ଦୁର୍ଦ୍ଦିନ ଯେ ମାଡ଼ିଆସେ ବେଗେ,
ଅଜଣା ଆଶଙ୍କା କାହୁଁ କଂପାଇଣ ଦିଏ ତା’ର ତନୁ ।୬୨।
ରାଣୀ ଯୁବରାଜ ପକ୍ଷେ ପୂର୍ଣ୍ଣମୀ ସେ କାଳରାତ୍ରି ସିନା,
କିନ୍ତୁ ଦେଲା ମନୁଁ ପୋଛି କୁନାଳ ସେ କାଳିମା ବହନ;
ତିଷ୍ୟରକ୍ଷୀତାର ପକ୍ଷେ ବେଳୁଁ ବେଳ ହେଲା ଦୁର୍ବିସହ,
ଯୁବରାଜ ପ୍ରତ୍ୟାଖ୍ୟାନ ଅପମାନ ଲଭିଲା ଯୌବନ ।୬୩।
ବାହୁଡ଼ିଲେ ମହାରାଜ ବୃଦ୍ଧ ପଦ କରିଣ ବନ୍ଦନ,
ସୁଦୂର ଲୁମ୍ବିନି ପ୍ରାନ୍ତୁଁ, ଆଣିଥିଲେ ମଣିମୁକ୍ତାମାଳ;
ପିନ୍ଧାଇଲେ ହର୍ଷଭରେ ପ୍ରିୟା ତିଷ୍ୟରକ୍ଷିତାର ଗଳେ,
କିନ୍ତୁ ଏ କି ଅଘଟଣ ! ମହାରାଣୀ ନେତ୍ରେ ନୀରଧାର ? ।୬୪।
ବିଷାଦ କାରଣ ପୁଚ୍ଛି ସ୍ନେହଭରେ କରି କୋଳାଗ୍ରତ,
ପୁଚ୍ଛନ୍ତେ ଥରକୁ ଥର, ସୁଚତୁରୀ ହୋଇଣ ବିବଶ;
ଝରାଇ କପଟଅଶ୍ରୁ କୁହୁକିନୀ ଦର ଦର ନେତ୍ରୁଁ,
ଆକର୍ଷିଲା ଅନାୟାସେ ମହାରାଜ ଅଶୋକ ମାନସ ।୬୫।
ନିବେଦିଲା ଦୁଃଖ ତା’ର ବାରମ୍ବାର ଉଠାଇଣ କୋହ,
ମୁକ୍ତାବିନ୍ଦୁସମ ବହି ଅଶ୍ରୁବିନ୍ଦୁ ପଟ୍ଟକଞ୍ଚୁକରେ;
ଉନ୍ନତବକ୍ଷ ପରଶି ଝରିପଡ଼େ ମହାର୍ହ ବସନେ,
ବିଲୋକ ଅଶୋକ ଏହା ବିଚଳିତ ହୋଇଗଲେ ଖରେ ।୬୬।
ନାରୀ ନେତ୍ରୁଁ ଅଶ୍ରୁପାତ ! ତାହା ପୁଣି ପୂର୍ଣ୍ଣଯୌବନାର !!
ହୋଇଛି ସେ ତଦୁପରି ଯୁବଜାନି ଅଶୋକ ସଂଖାଳି;
ସଦର୍ପେ ପୁଚ୍ଛିଲେ, ‘‘କୁହ ଶଙ୍କା ତେଜି ବିଷାଦ କାରଣ,
ଦିଅନା ମୋ ପ୍ରାଣେ ଦୁଃଖ ମୃଗନେତ୍ରୀ ନେତ୍ରୁଁ ନୀର ଢାଳି’’ ।୬୭।
ନତମୁଖେ ନିବେଦିଲା ମହାରାଜେ ସେ ତିଷ୍ୟରକ୍ଷିତା,
‘‘ଅନୁପସ୍ଥିତିରେ ତବ ଯୁବରାଜ କୁନାଳ ମୋ ପ୍ରତି;
କରିଛି ପାପାଚରଣ-ମୋର ଏହି ପ୍ରମୋଦକାନନେ,
ତେଣୁ ପ୍ରଭୋ ! ଦଣ୍ଡାଦେଶ ତା’ର ପ୍ରତି ଲୋଡ଼େ ମୁଁ ସଂପ୍ରତି’’ ।୬୮।
‘‘କୁନାଳକୁ ଦଣ୍ଡାଦେଶ । ମାତୃହରା ବାଲ୍ୟକାଳୁ ଯେହୁ,
ଲକ୍ଷ୍ୟ କରି ନାହିଁ ତା’ର ଏସନ ମୁଁ ମଦ ଆଚରଣ;
ନ ପାରୁଛି ଏଣେ ତବ ବାକ୍ୟ ଟାଳି, କଲି ସମାଧାନ,
ବଙ୍ଗ-ବିଦ୍ରୋହ ଦମନେ ପ୍ରେରିବି ମୁଁ’’- କହିଲେ ରାଜନ ।୬୯।
ପରଦିନ ପ୍ରତ୍ୟୁଷରେ ରାଜଆଜ୍ଞା ଶିରୋଧାର୍ଯ୍ୟ କରି,
ସେନ୍ୟସମାବେଶେ ବଙ୍ଗ ଅଭିମୁଖେ ଚଳିଲେ କୁନାଳ;
ବିଦ୍ରୋହ ଦମନ, ପିତୃରାଜ୍ୟ ରକ୍ଷା ରାଜାର କର୍ତ୍ତବ୍ୟ,
ଦୃପ୍ତବୁକେ ଯୋଦ୍ଧୁବେଶେ ଚଳିଲେ ସେ ଧରି କରବାଳ ।୭୦।
ବିଦ୍ରୋହ ଦଳର ନେତ କୁନାଳର ସୁଗୁଣ ବିଲୋକି,
ପଶିଲା ଶରଣ ପଦେ, ଯୁଦ୍ଧ ତେଜି, ବନ୍ଧୁ ପ୍ରୀତିମାଲ୍ୟେ-
କରିଲା ଭୂଷିତ, ସାଙ୍ଗ ହେଲା ଯୁଦ୍ଧ ବିନା ରକ୍ତପାତେ,
ପାଇ ଏ ସମ୍ବାଦେ ରାଜା ଆହ୍ୱାନିଲେ ମଗଧେ କୁନାଳେ ।୭୧।
ପାଞ୍ଚିଥିଲା ମନେ ମନେ ନୀଚମନା ସେ ତିଷ୍ୟରକ୍ଷିତା,
ବଙ୍ଗ-ବିଦ୍ରୋହେ କୁନାଳ ଶତ୍ରୁ ହାତେ ହୋଇବ ନିଧନ;
ଧର୍ମଜୈତ୍ରୀବାନା କିନ୍ତୁ ଉଡ୍ଡୀନ ଯେ ସତତ ଅମ୍ବରେ,
କୁନାଳ ସମ୍ରାଟ ହେବା ଶୁଣି ତା’ର ଘାରି ହେଲା ମନ ।୭୨।
‘‘ଭାରତ ସମ୍ରାଟ ପଦେ ଅଭିଷିକ୍ତ ହୋଇବ କୁନାଳ ?
ପତ୍ନୀ ତା’ର ଲଭିବ ଯେ ଭାରତର ସାମ୍ରାଜ୍ଞୀ ପଦବୀ ??
ବାନପ୍ରସ୍ଥବ୍ରତ ପାଳି ଯିବେ ଚୈତ୍ୟେ ଅଶୋକ ସମ୍ରାଟ ???’’
ତିଷ୍ୟରକ୍ଷିତାର ଶିରେ ବିନା ମେଘେ ପଡ଼ିଲା କି ପବି ?।୭୩।
କପଟେ ଭୁଲାଇ କାନ୍ତେ ମାୟାବିନୀ ଚରିଣ କୌଶଳ,
ଅଶୋକ ସନ୍ତକ ଦେଇ ଦେଲା ପତ୍ର କୁନାଳର ପାଶ;
‘‘ପିତାର ଆଦେଶ ଶୀଘ୍ର ଉତ୍ପାଟନ କର ବେନି ଚକ୍ଷୁ,
ତାହାହେଲେ ପିତୃଆଶା ପୂର୍ଣ୍ଣ ହେବ, ଲଭିବେ ଆଶ୍ୱାସ ।୭୪।
ବଙ୍ଗ ଶାନ୍ତି ଆନୟନେ ସୁଖେ ଯିବେ କାଟୁଥିଲେ କାଳ,
‘‘ଭାରତସମ୍ରାଟ ପଦ’’ ଦେଖୁଥିଲେ ମଧୁର ସପନ;
ସହସା ଏ ପତ୍ର ହେଲା କରଗତ କୁନାଳର ଯେବେ,
ପଠନେ ନୟନୁଁ ନୀର ଅବାରିତ ସ୍ରବିଲା ବହନ ।୭୫।
ଅନ୍ତରର କୋହ ଚାପି ଯୁବରାଜ କୁନାଳ ଅନ୍ତରେ,
ପିତୃଅଜ୍ଞା ଶିରେ ରଖି ତପ୍ତଲୌହ ଶଳାକା ପରଶେ;
ସ୍ୱହସ୍ତେ ନେତ୍ରଯୁଗଳ ଅକୁଣ୍ଠିତେ କରି ଉତ୍ପାଟନ,
ପତ୍ନୀର ସମୀପେ ଯାଇ ପରିବେଶି ଭାଷିଲେ ହରଷେ ।୭୬।
‘‘ଦେଖ ରେ ସଜନି ! ଆଜି ପିତ୍ରାଦେଶେ ହୋଇଛି ମୁଁ ଅନ୍ଧ,
ନ କରିବୁ ଶୋଚନା ଗୋ ଭାଗ୍ୟେ ମୋର ଥିଲା ଏହି ଦଣ୍ଡ;
ହୋଇଥାନ୍ତି ଅଳ୍ପଦିନେ ଭାରତର ରାଜଚକ୍ରବର୍ତ୍ତୀ,
କିନ୍ତୁ ଚକ୍ଷୁହୀନ ଏବେ-ଭବିଷ୍ୟତ ଆଶା ହେଲା ପଣ୍ଡ’’ ।୭୭।
ଚିତ୍କାର ଉଠିଲେ ଖରେ କୁନାଳର ପ୍ରାଣପ୍ରିୟା ସତୀ,
ପୁଚ୍ଛିଲେ, ‘‘କି ଲାଗି କାନ୍ତ ! କଲ ଏହି ଦୁର୍ଗତି ବରଣ ?’’
ଉତ୍ତରିଲେ ଧୀର ଶାନ୍ତ ଯୁବରାଜ, ‘‘ନ ହୁଅ ଗୋ ଘାରି,
ଦଇବ କରିଛି ମୋର ସବୁ ସୁଖ ସମୃଦ୍ଧି ହରଣ’’ ।୭୮।
ପତ୍ନୀ କର ଧରି ଧୀରେ ଯୁବରାଜ ରାଜପରିଚ୍ଛଦ୍ୟୁ;
ଅଙ୍ଗୁତେଜି ଭିକ୍ଷୁବେଶେ ଭ୍ରମୁଥାନ୍ତି ଦେଶେ ଦେଶେ ସିନା;
ଭିକ୍ଷାଥାଳ ଧରି କରେ ଜନ-ମନ-ମୋହୀ ବଂଶୀ ତାନେ,
ନିର୍ବିକାର ଦୁଃଖ-ଶୂନ୍ୟ ଚିତ୍ତେ ସଦା ଚିନ୍ତା ଶୋକ ବିନା ।୭୯।
ପୁତ୍ରର ଏସନ ଦଶା ଶୁଣି କର୍ଣ୍ଣେ ଅଶୋକ ବିହ୍ୱଳେ,
ପୁଚ୍ଛିଲେ କେସନ ଏହା ଘଟିଗଲା ଇନ୍ଦ୍ରଜାଲ ପ୍ରାୟ;
ତିଷ୍ୟରକ୍ଷିତାର ମାୟାଜାଲ କେହି ନ ପାରିଲେ ଭେଦି,
ପୁତ୍ରଶୋକେ ଦୁଃଖେ କାଳ ବିତାଇଲେ ହୋଇ ନିରୁପାୟ ।୮୦।
ବୁଦ୍ଧ ପୂର୍ଣ୍ଣିମାର ଏକ ଜ୍ୟୋତ୍ସ୍ନାରାତ୍ରି, ପାଟଳୀପୁତ୍ରରେ,
ଚକ୍ଷୁହୀନ କୁନାଳ ସେ ବଂଶୀତାନେ ହରୁଥିଲେ ଶୋକ;
ପ୍ରଣୟପୁଲକ ପ୍ରାଣେ ବିଚ୍ଛୁରାଉଥିଲେ ମଧୁ ତାନ,
ରାଜଅଟ୍ଟାଳିକା ପରେ ବସିଥିଲେ ସମ୍ରାଟ ଅଶୋକ ।୮୧।
ସହସା ପଡ଼ନ୍ତେ କର୍ଣ୍ଣେ ମର୍ମସ୍ପର୍ଶୀ ମୃଦୁ ବଂଶୀତାନ,
ଜାଗିଲା ମାନସପଟେ ହାୟ ! ପୁତ୍ର କୁନାଳର କଥା;
ଏହିପରି ଦିନେ ଏକ ବୁଦ୍ଧ ପୂର୍ଣ୍ଣମୀର ଲୁମ୍ବିନିରେ,
ଦରଶନେ ଯାଇଥିଲେ ବୁଦ୍ଧ ପଦ........ ଘୂରିଗଲା ମଥା ।୮୨।
ତିଷ୍ୟରକ୍ଷିତା ମାନସେ ଭାସିଗଲା ସେଦିନ ଘଟଣା,
କାମ-ବୃତ୍ତି ଦମନାର୍ଥେ କରିଥିଲା ସିନା ନର୍କଭୋଗ;
ପୁତ୍ର-ସ୍ନେହ-ପାତ୍ରେ ଭରି ହଳାହଳ, କଲା କଳୁଷିତ,
କୁନାଳର ଭବିଷ୍ୟତେ କରିଥିଲା ପୂର୍ଣ୍ଣଚ୍ଛେଦ ଯୋଗ ।୮୩।
ବଂଶୀତାନେ ହୋଇ ମୁଗ୍ଧ କୁନାଳର ପୂର୍ବସ୍ମୃତି ଆଶେ,
ଆହ୍ୱାନିଲେ ମହାରାଜ ଦୂତ ହସ୍ତେ ବଂଶୀବାଦକରେ;
ନତଶିରେ, ଯୋଡ଼ହସ୍ତେ ଚକ୍ଷୁହୀନ କୁନାଳ ତୁରିତେ;
ଉଭାହୋଇ ପୁରୋଭାଗେ ବନ୍ଦିଲେ ସେ ଅଶୋକପୟରେ ।୮୪।
କଣ୍ଠସ୍ୱର ଶୁଣି ତା’ର ମହାରାଜ ପଡ଼ିଲେ ଚମକି,
ରୂପ ଦେଖି ପୁତ୍ରବଧୂ ପରିଚୟ ପାଇଲେ ବହନ;
ପୁତ୍ରବଧୁଠାରୁ ଶୁଣି କୁନାଳର ଏସନ ଦୁର୍ଦ୍ଦଶା,
ତିଷ୍ୟରକ୍ଷିତାର ପରେ କ୍ରୋଧବଶେ କଲେ ଗରଜନ ।୮୫।
ପାଇ ପିତୃ ପରିଚୟ ହର୍ଷମନେ କୁନାଳ ସହସା,
ଅର୍ପିଲେ ପ୍ରଣତି ପୁଣି ମାତୃପଦେ ସହର୍ଷ ବଦନେ;
ଉଚ୍ଚାରିଲଷ ଜନକ ହେ ! ଏହା ମୋର ଲଲାଟଲିଖନ,
ଶାନ୍ତି କି ମିଳଇ ଏକା ରହି ସୁଖେ ଏ ରାଜସଦନେ ? ।୮୬।
ଏତେଦିନେ ପୁତ୍ର ଆଜି ପିତା ପାଶେ କରୁଅଛି ଅଳି,
ଦେଇ କି ପାରିବ ପିତ ! କର କର ସତ୍ୟ ମୋର ପାଶେ;
ତା’ପରେ ଯା ଦେବ ଦଣ୍ଡ ଜନନୀକୁ ନ କରିବି ମନା,
ଶ୍ରବଣେ ତିଷ୍ୟରକ୍ଷିତା ଆତ୍ମଭୟେ ରହିଲା ସଂତ୍ରାସେ ।୮୭।
ଉତ୍ତରିଲେ ମହାରାଜ, ‘‘କହ ପ୍ରାଣପ୍ରିୟ ମୋ କୁନାଳ,
ରାଜ୍ୟ ପ୍ରାଣ ଆଦି ମୋର ତୋର ପାଶେ ତୁଚ୍ଛ ସିନା ଅତି ।
ବୃଦ୍ଧକାଳେ ରାଜ୍ୟଚିନ୍ତା ମୋର ପକ୍ଷେ ଦୁବସହ ସନା,
ବୃଦ୍ଧପିତା ମହାରାଜା, ଯୁବରାଜ ହାୟ ! ଅନ୍ଧଯତି ।୮୮।
ସ୍ମିତହାସ ଉକୁଟାଇ ଭିକ୍ଷାକଲେ କୁନାଳ ତପୀ,
ଜନନୀରେ କ୍ଷମ ପିତ ! ନୁହନ୍ତି ସେ ମୋ ଦୁଃଖ କାରଣ;
ନେଇଛନ୍ତି କାଢ଼ି ସେହି ବାହ୍ୟନେତ୍ର ସିନା ମୋ କପଟେ ?
କିନ୍ତୁ ଜ୍ଞାନନେତ୍ରେ ଦେଖେ ସଦା ବୁଦ୍ଧ ଜଗତ ତାରଣ ।୮୯।
ଅଶ୍ରୁ ପୋଛି ବେନିନେତ୍ରୁଁ ଉତ୍ତରିଲେ ଅଶୋକ ରାଜନ,
‘‘କ୍ଷମାଗୁଣେ କୁନାଳ ତୁ ମୋତେ ଅରେ ଗଲୁ ସିନା ବଳି;
ହୃଦୟ ତୋହର ଆହା କି ପବିତ୍ର କେସନ ଉଦାର,
ତିଳେ ହେଲେ ପ୍ରତିହିଂସା ବହ୍ନି ତହିଁ ନ ଉଠଇ ଜଳି ।୯୦।
ପ୍ରତିହିଂସା କାହାପାଶେ ? ଜନନୀ ଯେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷା,
ଉଦ୍ଦାମ ଯୌବନ ସିନା କରିଥିଲା ପ୍ରଳୟ-ସର୍ଜ୍ଜନ;
ବିଧିର ବିଧାନ ପିତ ! ଅଲଙ୍ଘ୍ୟ ଏ ଭୁମଣ୍ଡଳେ ସିନା,
ଭାଗ୍ୟଦୋଷୁଁ ରାଜଲକ୍ଷ୍ମୀ କରିଲେକ ଏ ଦୀନେ ବର୍ଜ୍ଜନ ।୯୧।
ତିଷ୍ୟରକ୍ଷିତାର କାନେ ଭେଦିଗଲା କୁନାଳ ବଚନ,
ସହର୍ଷେ ଆସନ ତେଜି କୋଳକରି କୁନାଳେ ସହସା;
ଉଚ୍ଚାରିଲା, ‘‘କହ ପୁତ୍ର କି କାରଣେ ନ ଦେଲୁ ରେ ଦଣ୍ଡ,
ପାପୀୟସୀ ନର୍କଗତି ମୁହିଁ ସିନା, ତୁହି ପୃଥୁ ଯଶା ।୯୨।
କ୍ଷମ ମୋର ଅପରାଧ, ତୁଚ୍ଛ ମୁହିଁ ହୀନ ପ୍ରେମଲାଗି,
ଉତଫଣ ସର୍ପିଣୀସମ ପ୍ରାଣେ ତୋର କରିଛି ଦଂଶନ;
କିନ୍ତୁ ତୁରେ ମହାମନା କ୍ଷମିଲୁ ଏ ଅପରାଧିନୀରେ,
କ୍ଷମା ସିନା ସୁମହତେ, ମୁଁ ନୁହେଁ ରେ କ୍ଷମାର ଭାଜନ ।୯୩।
ଉତ୍ତରିଲେ ଯୁବରାଜ ନମ୍ରସ୍ୱରେ ଶୁଣ ଗୋ ଜନନି ।
‘‘କୁପୁତ୍ର ସମ୍ଭବ ସିନା ଏ ଜଗତେ, କହ କୁହ ବାରେ;
କୁମାତା ଶବ୍ଦ କି କେବେ ଶୁଣିଅଛ କାହାରି ମୁଖରୁ,
ନ ରଖ ମା ! ଆତ୍ମଗ୍ଲାନି ଅକିଞ୍ଚନ ତବ ପୁତ୍ରଠାରେ ।୯୪।
‘‘ଦିଲ୍ଲୀପତି ଅବା ଜଗତ୍ପତି’’ ଉପାଧିରେ ହୋଇଣ ଭୂଷିତ,
ଆକବର ହିନ୍ଦୁଧର୍ମେ କଲା କଳୁଷିତ;
ହୃଦେ ତାର ହଳାହଳ ମୁଖେ ମଧୁ ଗୀର,
ଉଚ୍ଚ ମହାମନା ଆଖ୍ୟାଧାରୀ ରାଜନୀତି ପାରଙ୍ଗମ ବୀର ।୧।
ଛଳେ ବଳେ କଉଶଳେ ଅବା, ରାଜ୍ୟ ଜୟ ଯାହାର ଆଦର୍ଶ,
ପ୍ରତିବେଶୀ ରାଜ୍ୟେ ଧ୍ୱଂସି ଲଭେ ଯେହୁ ହର୍ଷ;
ଧର୍ମଶାନ୍ତି କରୁଣାର ପୂର୍ଣ୍ଣ ଅବତାର,
ରାଜକବି ଆବୁଲ ଫାଜଲ କରେ ଆକବରର ପ୍ରଚାର ।୨।
ରାଜପଦ, ଧନରତ୍ନ ଦାନେ, ଅବା କହି ସୁମିଷ୍ଟ ବଚନେ,
ସାମ, ଦାନ, ଦଣ୍ଡ, ଭେଦ ନୀତି ଆଚରଣେ;
ଭାରତର ରାଜପୁତ ରାଜନ୍ୟମଣ୍ଡଳୀ,
ତୋଷ କୃପାଭିକ୍ଷୁ ହୋଇ ଦିଲ୍ଲୀ, ଦରବାରେ ଯାଉଥିଲେ ଚଳି ।୩।
ଦୁର୍ନିବାର ରଣରଙ୍କାବୀର, ଉଷ୍ଣରଙ୍କ ରାଜପୁତ ଜାତି,
ଯୁଦ୍ଧେ ମୃତ୍ୟୁ ଲାଗି ଯେହୁ ପାତି ଦିଏ ଛାତି;
ନ ପାରିଲା ତିଳେ ବୁଝି ଆକବରୀମାୟା,
ବିଧର୍ମୀ ସେ ଯବନର କରେ, ସମର୍ପିଲା ଆଶି ହିନ୍ଦୁଜାୟା ।୪।
ଶୁଦ୍ଧପୂତା ହିନ୍ଦୁନାରୀ ହେଲେ ଯବନର ପ୍ରାଣପ୍ରିୟତମା,
ଭାରତ-ଅମ୍ବରେ ଘୋଟେ ନୈରାଶ୍ୟର ଅମା;
ହିନ୍ଦୁନାରୀ ମଣ୍ଡେ ମୋଦେ ଯବନର ଅଙ୍କ,
ହାୟରେ ! ଦୁର୍ଦ୍ଦିନ କିମ୍ପା ହେଲା ସୃଷ୍ଟି ଦେଶେ ଏସନ ଆତଙ୍କ ।୫।
ବିହାରିମଲ୍ଲ ସେ ହୀନବୀର୍ଯ୍ୟ, ଜନ୍ମେ ତାର ଧିକ ଶତ ଧିକ,
ଅମ୍ବର-ଦୁର୍ଗ-ଦୁର୍ବଳ-ବଂଶଜ-ପ୍ରତୀକ;
ତ୍ରସ୍ତମନେ କନ୍ୟା ଅର୍ପି ଯବନର କରେ,
ମାନେ ଧର୍ମେ ଦେଇ ଜଳାଞ୍ଜଳି ଦୁର୍ଗେ ବାସ କରେ ନିର୍ଭୟରେ ।୬।
ରଣଭୀରୁ ବିହାରିମଲ୍ଲର, ସୁତ ନୀଚ ଘୃଣ୍ୟ ମାନସିଂହ,
କର୍ମେ ସେ ଜମ୍ବୁକ ସିନା ନାମେ ମାତ୍ର ସିଂହ;
ସେନାପତିରୂପେ ରାଜଦରବାରେ ଥାଇ,
ଆକବର ଅଙ୍ଗୁଳି ନିର୍ଦ୍ଦେଶେ, ପୋଷା ଶ୍ୱାନ ସମ ଥାଏ ଚାହିଁ ।୭।
ବିଧର୍ମୀ ସେ ଯବନର ଅଙ୍କେ, ଭଗିନୀକୁ କରି ସମର୍ପଣ,
ଭାରତେ କଲା ମୋଗଲ-ମାତୁଳ ସଦନ;
ନିର୍ଲ୍ଲଜ ସେ ଆପଣାକୁ ମଣେ କୃତକୃତ୍ୟ,
କଳଙ୍କିତ କରି ହିନ୍ଦୁ ଧର୍ମେ, ବୋଲାଇଲା ମୋଗଲର ଭୃତ୍ୟ ।୮।
ଇତିହାସ ପୃଷ୍ଠା ଦେଲା ପୋଛି, ତାହାର ଦେ ରାଜ ଆଭୂଷଣ,
ଅବା ତା’ର ଆକଳନ ସୁବର୍ଣ୍ଣ ରତନ;
ରାଜପୁତ ଜାତିର ସେ କଳଙ୍କପସରା,
ଅମ୍ବରର ଦୁର୍ଗପତି ଆଜି ମୋଗଲର ସେନାପତି ପରା ।୯।
ମୋଗଲର ରାଜ୍ୟବୃଦ୍ଧି ଇଚ୍ଛି, ଉତ୍କଣ୍ଠିତ ବିଶ୍ୱସ କୁକୁର,
ପ୍ରତିବେଶୀ ହିନ୍ଦୁରାଜ୍ୟମାନ କଲା ଯୂର;
ମୋଗଲ ସମ୍ରାଟ ପଦ ବନ୍ଦନେ ଆସକ୍ତ,
ମାନସିଂହ ନିଗାଡ଼ିଲା କେତେ ରାଜପୁତ ଭ୍ରାତୃ ବକ୍ଷ ରକ୍ତ ।୧୦।
ରାଜଦତ୍ତ ପଦବୀ ସମ୍ପଦ, ତୁଚ୍ଛ, ଜଳ ବୁଦ୍ବୁଦ୍ର ସମ,
ମାନସିଂହ ନ ପାରିଲା କରି ହୃଦଙ୍ଗମ;
ମାତିଲା ସେ ଦର୍ପଭରେ ହିନ୍ଦୁରକ୍ତପାତେ,
ହିନ୍ଦୂରାଜ୍ୟେ ଭଜିଲେ ବିଲୟ, ମୋଗଲର ଆକ୍ରମଣ ଘାତେ ।୧୧।
ଅନ୍ୟ ପକ୍ଷେ ସମସାମୟିକ ରଣରଙ୍କା ମେବାର ନୃପତି,
ଧାର୍ମିକ ଉଦୟସିଂହ ଉଚ୍ଚମନା ଅତି;
ମୋଗଲର ପତ୍ନୀରୂପେ ନ ଅପିଲେ ସୁତା,
ପରିଣୟ ସୁତ୍ର ମାଧ୍ୟମରେ, ନ ଲୋଡ଼ିଲେ ମୋଗଲ ବନ୍ଧୁତା ।୧୨।
ଶୌର୍ଯ୍ୟଶାଳୀ ସେ ଉଦୟସିଂହ ଉଦୟାର୍କ ସମ ତେଜସ୍କର,
ଶତ୍ରୁ ପାଶେ ନମ୍ର ହେବା ତା ପାଶେ ଦୁଷ୍କର;
ବିହାରୀମଲ୍ଲର ସମ ଯବନ ସୟରେ,
ଶରଣ ସେ ନ ପାରିଲେ ପଶି ଅର୍ପି କନ୍ୟା ବିଧର୍ମିର କରେ ।୧୩।
ଉପଯୁକ୍ତ ଜନକ ସନ୍ତାନ ମହାରାଣା ଦୁର୍ଦ୍ଧର୍ଷ ପ୍ରତାପ,
ଶତ୍ରୁ ଭୟ କରେ ରଣେ ଦେଖି ଯାହା ତାପ;
ଭୀରୁ ମାନସିଂହ ସମ ନଥିଲାକ ତ୍ରାସ,
ଯବନର ବୀରତ୍ୱ ଗାରିମା କଲେ ସେ ଯେ ବହୁବାର ହ୍ରାସ ।୧୪।
ଆକବର ପଦତଳେ ଯେବେ ନିର୍ବିବାଦେ ସମଗ୍ର ଭାରତ,
ରାଜା ମହାରାଜା ଶିର କରିଲେକ ନତ;
ଏକମାତ୍ର ବୀର ମାନୀ ଦୁର୍ଦ୍ଧର୍ଷ ପ୍ରତାପ,
ଦିଲ୍ଲୀପତି ଚକ୍ରୀ ଆକବର ଆଜ୍ଞାପତ୍ରେ କଲେ ପଦଚାପ ।୧୫।
କମ୍ପିଗଲା ଦିଲ୍ଲୀଦରବାର ଏକା ରାଣା ପ୍ରତାପର ଲାଗି,
କୁକୁର ସେ ମାନସିଂହ ଉଠିଲାକ ଜାଗି;
ଉତ୍ତରିଲା, ‘‘ଏତେ ସ୍ପର୍ଦ୍ଧା ସମ୍ରାଟ ଆଦେଶ,
ପଦକ୍ଷେପେ ଫିଙ୍ଗିଲା ପ୍ରତାପ ନାହିଁ ନାହିଁ ତାର ଭ୍ରାନ୍ତି ଲେଶ ।୧୬।
ଯୁଦ୍ଧ ଯୁଦ୍ଧ ଅନିର୍ବାର୍ଯ୍ୟ ଏବେ ଉଦ୍ଧତ ସେ ପ୍ରତାପର ସଙ୍ଗେ,
ଦେଖିବି ତା ଶୌର୍ଯ୍ୟ, ବୀର୍ଯ୍ୟ ଆଜି ରଣରଙ୍ଗେ;
ନତ କରାଇବି ତା’ର ବିଜୟକେତନ;
ଦିଲ୍ଲୀପତି ସମୀପେ ଉଦ୍ଧତ କରାଇବି ତାକୁ ସଚେତନ’’ ।୧୭।
ରାଜଲକ୍ଷ୍ମୀ ହେଲେ ପ୍ରତିକୂଳା ହାରିଗଲେ ସେ ରାଣା ପ୍ରତାପ,
ଚିତୋର ଦୁର୍ଗର ପରେ ଏ କି ଅଭିଶାପ !
ଅନୀକିନି ଅକୁପାରେ ଜଳାବର୍ତ୍ତ ସମ,
ଚିତ୍ତୋରର ଗୌରବ ବିଲୁପ୍ତ ହିନ୍ଦୁ ପକ୍ଷେ ସମସ୍ୟା ବିଷମ ।୧୮।
ଶିଶୁପୁତ୍ର କନ୍ୟା ପତ୍ନୀ ଧରି ମହାରାଣା ଘୂରି ରାଜପଥେ,
ଦୀର୍ଘପଥ ଅତିକ୍ରମି ହତମନୋରଥେ;
ସୁବିଶ୍ୱସ୍ତ ରୈତକର ପୃଷ୍ଠ ଆରୋହଣେ,
ଆରାବଳୀ ପର୍ବତମାଳାରେ ବିବରଣ କରନ୍ତି ଗୋପନେ ।୧୯।
ଗୁପ୍ତତଥ୍ୟ ପାଇ ଦୂତମୁଖୁଁ ମାନକ ଆକବର ପାଶେ,
ନିବେଦିଲା ପ୍ରତାପର ଠାବ ସ୍ମିତହାସେ;
ରାଣା ପ୍ରତାପ ବିରୁଦ୍ଧେ ପୁଣି ଆକ୍ରମଣ,
ମାତୃଭୂମି ଚିତୋର ଦୁର୍ଗର ନ ହୋଇବ କିବା ଉଦ୍ଧାରଣ ।୨୦।
ଦେଖିଲା ସେ ରଣସଜ୍ଜା ସିନା ପୁଣ୍ୟପୀଠ ସେ ହଳଦୀଘାଟ,
ରକ୍ତଧାରା ସ୍ରବି ନଦୀ ପାଲଟିଲା ବାଟ;
ଅଗଣିତ ରଜାପୁତସେନା ଗଲେ ଭାସି,
ଚିରକାଳ ମୁଦିଲେ ନୟନ ପ୍ରତାପ ସେ ରଣକ୍ଷେତ୍ରେ ଝାସି ।୨୧।
ଜନ୍ମଭୂମି ଭାରତମାତାର ଏକମାତ୍ର ସ୍ୱାଧୀନ-ସନ୍ତାନ,
ଜନ୍ମଭୂମି ମୁକ୍ତି ଲାଗି ବିସର୍ଜିଲେ ପ୍ରାଣ;
କିନ୍ତୁ ଭୟେ ଯବନର ପଦତଳେ ଶିର,
ଥାପି କେବେ କହି ନାହିଁ ପଦେ ପ୍ରାଣ ଭୟେ ତେଷାମୋଦୀ ଗିର ।୨୨।
ହିନ୍ଦୁମାନ ରଖିଲେ ପ୍ରତାପ ଯୁଦ୍ଧକରି ପ୍ରାଣ ବିନିମୟେ,
ନ କରିଣ ଚିନ୍ତା କେବେ ଜୟେ ପରାଜୟେ;
ପାଳିଲେ ସେ ଜନ୍ମଭୂମି ରକ୍ଷା ପୂଣ୍ୟବ୍ରତ,
ହିନ୍ଦୁ ସନ୍ତାନର ଯାହା କାମ୍ୟ ପୂର୍ଣ୍ଣ ପ୍ରାଣେ ପାଳିଲେ ସତତ ।୨୩।
ଦେଶଦ୍ରୋହୀ ମାନସିଂହ ସମ ଯବନର ଚରଣ ଲେହନେ,
ଲୋଡ଼ିଲେ ନି ପଦବୀରେ ଅବା ରାଜ୍ୟଧନେ,
ମାଟିର ଏ କଳେବର ମାଟିର ଉରସେ,
ମିଶିଯାଏ ସିନା ଇତିହାସ ନ ପାଶୋରେ ଯଶେ ଅପଯଶେ ।୨୪।