|
କବି |
ବିଷୟ |
୦ |
ହୁସେନ୍ନ ରବିଗାନ୍ଧୀ |
ଗ୍ରନ୍ଥପ୍ରବେଶ |
୧ |
ଅନନ୍ତ ପଟ୍ଟନାୟକ |
ଉଦ୍ବୋଧନ ସଂଗୀତ |
ସର୍ବହରା |
||
ଆସିଚି ମୁ ଆସିଚି |
||
ନିଜ ବନ୍ଦନା ପଢ଼େ |
||
ସକାଳଟିଏ ଚାହେଁ ମୁଁ |
||
୨ |
ସଚ୍ଚିଦାନନ୍ଦ ରାଉତରାୟ |
ଲେନିନ୍ |
ପତାକା ଓହ୍ଲାଅ ନାହିଁ |
||
ଲାଲ ଝଂଡ଼ା |
||
ହେ ବଂଧୁ ମିଳାଅ ହାତ |
||
ଏକତା |
||
ଖାଦ୍ୟ |
||
୩ |
ମନମୋହନ ମିଶ୍ର |
ହେ ମୋର ଲେଖନୀ |
ମୋର ପରିଚୟ |
||
ଆହେ ଓଡ଼ିଶାର ଜନତା |
||
ଏକ ହୁଅ |
||
ଭଗବତୀ ପ୍ରିୟ ସାଥୀ |
||
୪ |
ରଘୁନାଥ ଦାସ |
ଆମେ ଜନସାଧାରଣ |
ଜଟାୟୁ |
||
୫ |
ରାମଲକ୍ଷ୍ମଣ ଦାଶ |
ରକ୍ତ ସୂର୍ଯ୍ୟ |
ଏକ ଶୀତାର୍ତ୍ତ ସଂଧ୍ୟାର.... |
||
୬ |
ରବି ସିଂ |
ଜନ୍ମଗ୍ରାମ : ପ୍ରଣାମ, ପ୍ରଣାମ |
ଆଗୋ ପ୍ରେମଶୀଳା |
||
ବ୍ୟାଘ୍ର ପ୍ରଣାମ |
||
ଶିଖାମୟୀ |
||
୭ |
ବ୍ରଜନାଥ ରଥ |
ପ୍ରତିବାଦ କର |
ସ୍ଵାଧୀନତା ତୁମ ହେଉ.... |
||
୮ |
ପ୍ରସନ୍ନ କୁମାର ମିଶ୍ର |
ସନାତନକୁ ରକ୍ତଦିଅ |
ବହିଯାଉ ଲାଲ ରକତ |
||
ହିସାବକର |
||
୯ |
ପ୍ରସନ୍ନ କୁମାର ପାଟ୍ଟଶାଣୀ |
ରକ୍ତପଥ |
ତମେ ବା ଜାଣିବ କେବେ.... |
||
ନୀରବ ଶବ୍ଦର ସ୍ଵର |
||
୧୦ |
ଭଗବାନ ମହାପାତ୍ର |
କଳାହାଣ୍ଡି |
ମହାମୁକ୍ତି |
||
୧୧ |
ସଦାଶିବ ଦାଶ |
ସ୍ଵାଧୀନତା |
କେବେ ଫେରିବ ସମରେନ୍ଦ୍ର |
||
ଜନ ଗର୍ଜନ ଶୁଭିଲାଣି |
||
୧୨ |
ବିବେକାନନ୍ଦ ନାୟକ |
ଦାସୁ ମାଲେକା |
|
ଗୃଧ୍ର |
|
୧୩ |
ଗୌନ୍ତିଆ ମହମ୍ମଦ ଜମିଉଲ୍ଲା |
ଅନୁଭୂତି |
ନିଜ ସକାଳ |
||
ଜୀବନ୍ମୟ |
||
ପାହାଡ଼ଚଢ଼ା |
||
୧୪ |
ଆଶୁତୋଷ ପରିଡ଼ା |
ଭୂମି |
ଉତ୍ସବ |
||
ବୃତ୍ତାନ୍ତ ମନୋହର, ପୁର |
||
୧୫ |
ହୁସେନ ରବିଗାନ୍ଧୀ |
ଭିଟାମାଟିର ଭୂଗୋଳରେ |
ବର୍ଷା |
||
ସଂବଲପୁରର ଗୋପବଂଧୁ ଉଦ୍ୟାନ... |
||
୧୬ |
ଅମରେଶ ପଟ୍ଟନାୟକ |
ଆକାଶ ଭାସି ନଯାଉ |
ସୂର୍ଯ୍ୟବନ୍ଦନା |
||
ମହାରାସ ଏରସମା |
||
୧୭ |
ବିଜୟ ଉପାଧ୍ୟାୟ |
ମୃତ୍ୟୁହୀନ ମୁଁ କ୍ରାନ୍ତି |
ଭାରତବର୍ଷ |
||
୧୮ |
ସମରେନ୍ଦ୍ର ନାୟକ |
କୋରାପୁଟ |
ବର୍ଷାରେ ମାଲକାନଗିରି |
||
୧୯ |
ହରପ୍ରସାଦ ପରିଛା ପଟନାୟକ |
ଶୋଷ ମାରିବାକୁ ଯାଉଛି ମା |
ବାଘ ମାତିଛି |
||
୨୦ |
କୁଳମଣି ଜେନା |
ରକ୍ତଛୁରି |
କବିତାରେ କେବେ ବିପ୍ଳବ.... |
||
ଭାରତବର୍ଷ |
||
୨୧ |
ଗିରିଜା କୁମାର ବଳିୟାରସିଂହ |
ଭାରତବର୍ଷ |
୨୨ |
ପ୍ରଶାନ୍ତ ମିଶ୍ର |
ରକ୍ତସ୍ରାବର ଛନ୍ଦ |
ସାଥୀ |
||
ଭୋର୍ ଆକାଶର ତାରା |
||
୨୩ |
ବସନ୍ତ ମୁଦୁଲି |
ରାଜଧାନୀ |
୨୪ |
ପୀତାମ୍ବର ତରାଇ |
ଅସୁର ଅକାରଣ |
ଇସ୍ପାତ କଂପାନି |
||
ଭଲ ଲୋକ ତ ଆପଣ |
||
୨୫ |
କୁମ୍ଭାର ହସନ୍ |
ମ୍ୟାଜିକାଲ୍ ଚେୟାର |
ମରୁଡି ପଡ଼ିଲା ବୋଲି |
||
କବିତା ପାଠ |
||
୨୬ |
ପିନାକୀ ସିଂ |
ପଟୁଆର |
ଛାଇ ଓ ଈଶ୍ୱର |
||
୨୭ |
ରକ୍ଷକ ନାୟକ |
ମୁକ୍ତଛନ୍ଦ |
ନିଆଁ |
||
ଲୁଂଠନ |
||
୨୮ |
ବାସୁଦେବ ସୁନାନୀ |
ଅନୁମତି |
ଘରଟେ ବନେଇବି |
||
ହଜୁ ତାଣ୍ଡିର ଶ୍ରମକଥା |
||
୨୯ |
ସୁଚେତା ମିଶ୍ର |
ଦିନେ ଦିନେ |
ବଡ଼ଦାଣ୍ଡ |
||
୩୦ |
ଲେନିନ୍ କୁମାର |
ଚୁପ୍ ଷଡଯଂତ୍ର |
ଟେଳାଏ ନିଦ ଦେ |
||
ଛଡେଇ ଆଣିବାକୁ ଅଛି ..... |
||
୩୨ |
ଅମିୟ ରଞ୍ଜନ ମହାପାତ୍ର |
ଜରି ଗୋଟାଉଥିବା ଛୁଆର... |
ଏ ଦେଶ କନ୍ଧମାଳ |
||
ଛିଣ୍ଡିପଡ଼ିଥିବା ପଦ୍ମ ପାପୁଲିରେ |
||
୩୩ |
ସରୋଜ |
ଆଦିବାସୀ ଓ ଜନଜାଗରଣ |
କବି ଓ କବିତା |
||
୩୪ |
ପବିତ୍ର ମୋହନ ଦାଶ |
ରାଷ୍ଟ୍ରଦ୍ରୋହ |
ବୀଜରୋପଣ |
||
୩୫ |
ଅଖିଳ ନାୟକ |
ଏଣିକି ଆଉ ନିସ୍ତାର ନାହିଁ |
ମୁକ୍ତିଦୂତ |
||
ମୂଢ ମାଇପି ମୁଁ ନିଶାପ ..... |
||
୩୬ |
ଭାରତ ମାଝୀ |
ଲକ୍ଷ୍ମୀନାନୀ |
ଜୁନାଗଡ଼ ବ୍ଲକ୍ ଅଫିସ୍ .. |
||
ରଜନୀ ମାଝି |
||
୩୭ |
ଅରୂପ ଅଭିଷେକ |
ବଞ୍ଚବାକୁ କଳା କରି..... |
ପୃଥିବୀକୁ ବଦଳାଇ ଦିଅ |
||
୩୮ |
ନରେନ୍ଦ୍ର ଭୋଇ |
ଇତିହାସ |
ପାପୀ ପଇତାର ପଦ୍ୟ |
||
ଗାଁ ଟାଉଟର ଗହଦୁ .... |
||
୩୯ |
ବିଜୟାନନ୍ଦ ସିଂହ |
କଳିଙ୍ଗନଗର |
ଫରାସୀ ରାଷ୍ଟ୍ରବିପ୍ଳବ ଓ ୟୁରୋପରେ ନବଜାଗରଣ ପୂର୍ବରୁ ବିଶ୍ଵ, ସାମନ୍ତବାଦୀ ଶୋଷଣ ଓ ବର୍ବରତାର ଶୀକାର ଥିଲା । ସାମନ୍ତବାଦୀ ସମାଜରେ ସମାଜକୁ ବଦଳାଇବାର ପ୍ରୟାସ ଥିଲା ସୀମିତ ।
ବସ୍ତୁତଃ ଶିଳ୍ପ ବିପ୍ଳବ ଓ ଫରାସୀ ରାଷ୍ଟ୍ର ବିପ୍ଳବ ପରେ ବିକଶିତ ବୁର୍ଜୁୟାଶ୍ରେଣୀ କର୍ତ୍ତୃକ ପଣ୍ୟ ଉତ୍ପାଦନ (Comodity Prouduction) ବିଶ୍ୱର ପ୍ରେକ୍ଷାପଟ୍ଟକୁ ବଦଳାଇ ଦେଲା । ଗଣତନ୍ତ୍ର ଓ ସମାଜବାଦ ପାଇଁ ଲଢେଇ ପଥ ପରିଷ୍କାର ହେଲା ।
୧୯୧୭ ମସିହାରେ ରୁଷରେ ଅକ୍ଟୋବର ବିପ୍ଳବ ବିଶ୍ଵ ଇତିହାସ ଓ ରାଜନୀତିରେ ଏକ ଚ୍ଛେଦ ବା ପରିବର୍ତ୍ତନର ବିନ୍ଦୁ ହୋଇ ଉଭା ହେଲା ।
ଅକ୍ଟୋବର ବିପ୍ଳବର ପରବର୍ତ୍ତୀ କାଳରେ ଉପନିବେଶବାଦ ବିରୁଦ୍ଧରେ ଲଢ଼ୁଥିବା ବିଭିନ୍ନ ଜାତି ସମାଜ ନିର୍ମାଣ ପାଇଁ ଗଣତନ୍ତ୍ର ଓ ସମାଜବାଦ ପ୍ରତି ସ୍ଵତଃ ଆକୃଷ୍ଟ ହେଲେ । ଏହି ଉଭୟ ଚିନ୍ତାଧାରାକୁ ଭିତ୍ତିକରି ଲଢୁଥିବା ବିଭିନ୍ନ ଜାତିମାନଙ୍କ ମଧ୍ୟରୁ , ଯେଉଁଠି କୃଷକ ଓ ଶ୍ରମିକ ଶ୍ରେଣୀ ପରିବର୍ତ୍ତନର ଅଗ୍ରଭାଗରେ ରହିଲେ, ସେଠାରେ ସମାଜବାଦ ପ୍ରତିଷ୍ଠିତ ହେଲା । ଭାରତରେ କୃଷକ ଓ ଶ୍ରମିକ ଶ୍ରେଣୀ ବିପ୍ଲବର କର୍ଣ୍ଣଧାର ସାଜି ନପାରିବାରୁ ଏଠାରେ ସାମ୍ରାଜ୍ୟବାଦୀ ଶକ୍ତିର ସହଯୋଗରେ ବିକଶିତ ବୁର୍ଜୁଆଶ୍ରେଣୀ କ୍ଷମତା ଦଖଲ କଲା । ୧୯୪୭ ପରଠାରୁ ଏ ଯାବତ୍ ଭାରତବର୍ଷରେ ଧନୀକ ବର୍ଗ ମାର୍ଫତରେ ଏକ ସୀମିତ ଗଣତନ୍ତ୍ରର ବୈଷମ୍ୟପୂର୍ଣ୍ଣ ସମାଜ ବିରାଜିତ । ଏହି ବୈଷମ୍ୟପୂର୍ଣ୍ଣ ବ୍ୟବସ୍ଥା ବିରୁଦ୍ଧରେ ମେହନତି ମଣିଷ, ଆଦିବାସୀ, କୃଷକ ଓ ଶ୍ରମିକର ଲଢେଇ ଏବେ ବି ବିଦ୍ୟମାନ । ଭାରତ ବର୍ଷରେ ମେହନତି ବର୍ଗର ଲଢେଇକୁ ଆଧାର କରି, ପ୍ରଚଳିତ ମୁଖ୍ୟ ଧାରାର ସାହିତ୍ୟର ବିକଳ୍ପଭାବରେ ପ୍ରଗତିବାଦୀ ସାହିତ୍ୟ, ଭାରତର ସବୁ ପ୍ରାଦେଶିକ ଭାଷାମାନଙ୍କରେ ପରିଦୃଶ୍ୟ ମାନ।
ଓଡିଆ ଭାଷାରେ ସେହି ଧାରାର ସାହିତ୍ୟର ଦୃଢ ଭିତ୍ତି ଦେଖିବାକୁ ମିଳିଥାଏ । ସମ୍ପ୍ରତି ଓଡ଼ିଆ ଭାଷାରେ ସ୍ଥିତାବସ୍ଥା ବିରୋଧୀ ଯେଉଁ ସାହିତ୍ୟ ସୃଷ୍ଟି ହେଉଛି, ତାହା ମୁଖ୍ୟତଃ ଦଳିତ ବର୍ଗ ଓ ଆଦିବାସୀ ତଥା ଶ୍ରମିକ ବର୍ଗର ମୁକ୍ତି ସଂଗ୍ରାମକୁ କଳାତ୍ମକ ଭାବେ ରୂପଦାନ କରୁଛି । ସମ୍ପ୍ରତି ଓଡିଆ ସାହିତ୍ୟରେ ପ୍ରଗତିଚେତନା ଏକ ବିଚ୍ଛିନ୍ନ ଏକକ ନୁହେଁ ବା ଛିନ୍ନ ମୂଳ ଚିନ୍ତାଧାରା ନୁହେଁ । ଭୀମଭୋଇ, ଫକୀର ମୋହନ, ଭଗବତୀ ପାଣିଗ୍ରାହୀ, ସର୍ଚ୍ଚି ରାଉତରାୟଙ୍କ ଠାରୁ ଏହା ସାମ୍ପ୍ରତିକ ସମୟର ପ୍ରଗତିଶୀଳ କବି ମାନଙ୍କ ଦେଇ ପ୍ରଲମ୍ବିତ । ପୂର୍ବସୁରୀ ମାନଙ୍କ ପ୍ରଦତ୍ତ ଧାରାର ଏହା ଏକ ଧାରାବାହିକତା ।
ପ୍ରଗତି ସାହିତ୍ୟର ଯୁଗୀୟ ଭିନ୍ନତା ଅନସ୍ଵୀକାର୍ଯ୍ୟ । ଭୀମଭୋଇ ଯେତେବେଳେ ଜାତି-ଧର୍ମର ଉର୍ଦ୍ଧ୍ୱରେ ଏକ ମାନବ ଧର୍ମର କଥା ତାଙ୍କ ସାହିତ୍ୟରେ କହୁଛନ୍ତି, ସେହି ସମୟର ବା’ ତା’ପୂର୍ବର ଓଡ଼ିଆ ସାହିତ୍ୟ ମଧ୍ୟଯୁଗୀୟ ରୋମାଞ୍ଚବାଦ (Mediaval Romansticism) ଦ୍ୱାରା ଆଚ୍ଛାଦିତ ।
ଭୀମଭୋଇ ତାଙ୍କ ସମୟରେ ମଧ୍ୟଯୁଗୀୟ ରୋମାଞ୍ଚବାଦ କବଳରୁ ଓଡିଆ ସାହିତ୍ୟକୁ ମୁକ୍ତକରାଇ ପ୍ରଥମକରି ଦଳିତ-ମୁକ୍ତି ଭାବନାକୁ ପ୍ରକଟିତ କଲେ, ତାଙ୍କ ପରେ ଫକୀର ମୋହନ ନାରୀମୁକ୍ତି (ନାରୀମାନେ ବି ସମାଜର ଦଳିତ ବର୍ଗଙ୍କଠାରୁ କମ ନିଷ୍ପେଷିତ ନୁହଁନ୍ତି) ଓ ସମାଜର ସମସ୍ତ ନିଷ୍ପେଷିତ ବର୍ଗସପକ୍ଷବାଦୀ ରେବତୀ, ସାରିଆ, ଭଗିଆ, ରାଣ୍ଡିପୁଅ ଅନନ୍ତା ଭଳି ଚରିତ୍ରକୁ ରୂପଦାନ କଲେ ।
ଓଡ଼ିଆ ସାହିତ୍ୟରେ ବିଧିବଦ୍ଧ ଭାବରେ ପ୍ରଗତିସାହିତ୍ୟ ବା ପ୍ରଗତିଯୁଗର ଆରମ୍ଭ ହେଲା -‘ନବଯୁଗ ସାହିତ୍ୟ ସଂସଦ’ ମାଧ୍ୟମରେ । ଏହାଥିଲା ବିଂଶ ଶତାଦ୍ଦୀର ଚତୁର୍ଥ ଦର୍ଶକ । ବିଂଶ ଶତାଦ୍ଦୀର ତୃତୀୟ ଦଶକର ଓଡ଼ିଶାର କିଛି ପ୍ରଖ୍ୟାତ ସାହିତ୍ୟିକମାନେ (କାଳନ୍ଦୀ ପାଣିଗ୍ରାହୀ, ଅନ୍ନଦାଶଙ୍କର ରାୟ ଓ ବୈକୁଣ୍ଠନାଥ ପଟ୍ଟନାୟକ ପ୍ରମୁଖ) ନଭଙ୍କ ଭାଷାରେ - ‘‘ରୋମାଣ୍ଟିକତାର ନିଗଡରେ ଶରଣାର୍ଥୀ’’ (Refugees of Romanticism) । ଏହି ସମୟରେ ଗଡ଼ଜାତ ପ୍ରଜା ଆନ୍ଦୋଳନ ଓ ଓଡ଼ିଶାର କୃଷକ ଆନ୍ଦୋଳନର ଆହ୍ୱାନରେ, ସର୍ବୋପରି ମଣିଷର ସ୍ଵାଧୀନତା, ସାମ୍ୟ ଓ ମୁକ୍ତିର ନୂତନ ବାର୍ତ୍ତା ମାଧ୍ୟମରେ ରଚିତ ହେଲା ନୂତନ ସାହିତ୍ୟ । ତାହାହିଁ ହେଲା ଓଡ଼ିଆ ସାହିତ୍ୟର ପ୍ରଗତିବାଦୀ ଧାରା ବା ପ୍ରଗତି ଯୁଗ । ସଚ୍ଚି ରାଉତରାୟଙ୍କ ବାଜିରାଉତ, ପାଣ୍ଡୁଲିପି, ଅଭିଯାନ ଇତ୍ୟାଦି କାବ୍ୟ ଗ୍ରନ୍ଥର ବହୁ କବିତାରେ ପ୍ରଗତିଶୀଳ ଚେତନାର ବଳିଷ୍ଠ ସ୍ଵରର ଆତ୍ମପ୍ରକାଶ ଘଟିଲା । ସେହିପରି ନବଯୁଗ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା, ପ୍ରଗତିବାଦୀ ସାହିତ୍ୟର ପ୍ରଥମ ସଂଜ୍ଞା ପ୍ରଦାନକାରୀ ପତ୍ରିକା ‘ଆଧୁନିକ’ର ସଂପାଦକ ଓ ଓଡ଼ିଶା କମ୍ୟୁନିଷ୍ଟ ପାର୍ଟିର ଆଦ୍ୟ ପ୍ରତିଷ୍ଠାତା, ଭଗବତୀ ଚରଣ ପାଣିଗ୍ରାହୀଙ୍କର ‘ଶିକାର’ ଗଳ୍ପ ପ୍ରଗତି ସାହିତ୍ୟର ଏକ ଶ୍ରେଷ୍ଠ ନମୁନା ହୋଇ ଦେଖା ଦେଲା ।
ତା ୨୯.୧୧.୧୯୩୫ ଠାରୁ ତା ୪.୧୨,୧୯୩୫ ଯାଏ କଟକର ଶ୍ରୀରାମ ଚନ୍ଦ୍ର ଭବନରେ ଛଅଦିନ କାଳ ନବଯୁଗ ସାହିତ୍ୟ ସଂସଦର ଯେଉଁ ପ୍ରାରଂଭିକ ଅଧିବେଶନ ବସିଥିଲା, ତାହାଥିଲା ଓଡ଼ିଆ ସାହିତ୍ୟରେ ପ୍ରଗତିବାଦୀ ଯୁଗର ପ୍ରଥମ ସାଂଗଠନିକ ପଦକ୍ଷେପ । ଏହି ସାଂଗଠନିକ ପଦକ୍ଷେପର ଅନ୍ୟ ଏକ ସୋପାନ ହେଲା ସଂଗଠନର ମୁଖପତ୍ର ‘ଆଧୁନିକ’ ପତ୍ରିକାର ପ୍ରକାଶନ । ୧୯୩୬ ମସିହା ମଇ ମାସରେ ‘ଆଧୁନିକ’ର ପ୍ରଥମ ସଂଖ୍ୟା ପ୍ରକାଶିତ ହୁଏ । ପଣ୍ଡିତ ନୀଳକଣ୍ଠ ଦାସଙ୍କ ସଂପାଦିତ ‘ନବଭାରତ’ ପତ୍ରିକାରେ ‘ଆଧୁନିକ’ ପତ୍ରିକାର ବିଜ୍ଞାପନ ନିମ୍ନରୂପରେ ଦେଖାଦିଏ ।
-‘ଓଡ଼ିଶାର ପତ୍ରିକା ରାଜ୍ୟରେ ଯୁଗାନ୍ତର, ନବଯୁଗର ବାର୍ତ୍ତାବହନ କରି ଆସୁଛି ‘ଆଧୁନିକ’, ସଂଚାର କରିବ ଆଧୁନିକ ହୃଦୟରେ ଆଧୁନିକ ଜାଗରଣ । ଧ୍ୱଂସ କରିବ ଅପସାହିତ୍ୟର ଘୃଣ୍ୟ ଆବର୍ଜନା । ସୃଷ୍ଟି କରିବ ଉଚ୍ଚ ଚିନ୍ତାର ଯୁଗୋପଯୋଗୀ ଲେଖା ସନ୍ଦର୍ଭ । ପ୍ରଚାର କରିବ ଦେଶବିଦେଶର ପ୍ରଗତିଶୀଳ ସଜୀବ ଚିତ୍ର, ଶୁଣାଇବ ବାସ୍ତବକଥା, କବିତାର ମଧୁର ମଳୟ ସିଞ୍ଚନୀ ।’
ଆଧୁନିକ ପତ୍ରିକାର ଆଭିମୁଖ୍ୟ ସଂପର୍କରେ ‘ନିଜକଥା’ ଶିରୋନାମାରେ ଏହି ଘୋଷଣା ନାମା ପ୍ରକାଶ ପାଇଥିଲା- ‘‘ଜଗତର ସବୁ ଅଂଶରେ ଏକ ତୁମୂଳ ପରିବର୍ତ୍ତନର ଆଭାସ ମିଳୁଛି ଏବଂ ଏହି ପରିବର୍ତ୍ତନ ନାନାସ୍ଥଳରେ ଯେଭଳି ବିବିଧ ଉପାୟରେ ଆତ୍ମପ୍ରକାଶ କରୁଛି , ଓଡ଼ିଶାରେ ଆଧୁନିକର ଆବିର୍ଭାବ ସେହିପରି ଗୋଟିଏ ପ୍ରାଥମିକ ଉପାୟର ଚିହ୍ନ ମାତ୍ର । ଏହି ପରିବର୍ତ୍ତନର ଆହ୍ୱାନ ଯେ ଓଡ଼ିଶାର ଯୁବ ପ୍ରାଣକୁ ଚଞ୍ଚଳ କରିଛି, ‘ଆଧୁନିକ’ ତାହାର ନିଦର୍ଶନ ।’’
ସାହିତ୍ୟ ଯେ କେବଳ ଆବେଗର ସ୍ଵତଃସ୍ପୃତ ସ୍ଫୁରଣ ନୁହେଁ, ତାହା ସମାଜ ପରିବର୍ତ୍ତନ ଓ ସମାଜ ନିର୍ମାଣ ତଥା ଇତିହାସର ସଚେତନ ପ୍ରୟାସ- ୧୯୩୦ ରୁ ୧୯୫୦ ଯାଏ ଓଡ଼ିଶାରେ ଚଳଚଞ୍ଚଳ ଥିବା ଓଡିଆ ପ୍ରଗତିବାଦୀ ସାହିତ୍ୟ ତାହା ପ୍ରମାଣିତ କରିଥାଏ । ୧୯୩୦ ରୁ ଏଯାବଦ୍ ସୃଷ୍ଟି ହୋଇଥିବା, ସମଗ୍ର ଓଡ଼ିଆ ସାହିତ୍ୟ ମଧ୍ୟରୁ ୧୯୩୦ରୁ ୧୯୪୦ ମଧ୍ୟରେ ସୃଷ୍ଟି ପ୍ରଗତି ସାହିତ୍ୟର ଅବଦାନ, ସର୍ବଶ୍ରେଷ୍ଠ । ଏହାର ଏକମାତ୍ର କାରଣ, ପ୍ରଗତି ସାହିତ୍ୟର ବସ୍ତୁନିଷ୍ଠତା, ଇତିହାସ ବୋଧ-ଶ୍ରେଣୀ ଚେତନା-ପ୍ରଗତି ଓ ପରିବର୍ତ୍ତନ ପ୍ରତି ଆଗ୍ରହ-ସର୍ବୋପରି ମଣିଷକୁ ସାମ୍ୟ, ମୈତ୍ରୀ, ସ୍ୱାଧୀନତା ସଂପର୍କରେ ସଚେତନତା ସୃଷ୍ଟିର ପ୍ରୟାସ ।
ସାମ୍ପ୍ରତିକ କାଳରେ ଆମ ଭାଷାରେ ସୃଷ୍ଟି ହୋଇଥିବା ବ୍ୟକ୍ତିବାଦୀ ସାହିତ୍ୟ ସହ ପ୍ରଗତିବାଦୀ ସାହିତ୍ୟର ତୁଳନା କଲେ ସେହି ଏକା କଥା ଲକ୍ଷ୍ୟ କରିବା । ଯଥା- ବ୍ୟକ୍ତିବାଦୀ ସାହିତ୍ୟଠାରୁ ବସ୍ତୁନିଷ୍ଠ ସାହିତ୍ୟର ମୂଲ୍ୟ ଅଧିକ । ଯୁଗେ ଯୁଗେ କ୍ରାନ୍ତିକାରୀ ସାହିତ୍ୟ ହିଁ କାଳଜୟୀ ସାହିତ୍ୟ ।
ସମ୍ପ୍ରତି ଯେଉଁ ସାହିତ୍ୟିକମାନେ ସମାଜକୁ ଆଧାର କରି କବିତା, ଗଳ୍ପ, ଉପନ୍ୟାସ ସୃଷ୍ଟି କରୁଛନ୍ତି, ସେମାନଙ୍କର କେତୋଟି ପ୍ରତିନିଧି ସ୍ଥାନୀୟ କବିତା ଏହି ସଙ୍କଳନରେ ସ୍ଥାନିତ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ, ସ୍ଵାଧୀନତା ପ୍ରାପ୍ତି ପରେ ପରେ ଭାରତବର୍ଷରେ ସାମାଜିକ ଓ ରାଜନୈତିକ ଜୀବନରେ ବେଶ୍ କିଛି ନିସ୍ତରଙ୍ଗତା ଲକ୍ଷ୍ୟ କରାଗଲା । ସମାଜର ମୂଳ ଉତ୍ପାଦିକା ଶକ୍ତିମାନଙ୍କୁ ସଂଗଠିତ କରୁଥିବା ଆନୁଷ୍ଠାନ ଗୁଡ଼ିକ କ୍ରମଶଃ ଦୁର୍ବଳ ହୋଇଗଲେ । ବ୍ୟବସ୍ଥା ପ୍ରତି ମୋହ ହେତୁ ଜନଗଣଙ୍କର ଲଢେଇ ପ୍ରତି ଏମାନଙ୍କର ସ୍ପୃହା ମଧ୍ୟ କମିଗଲା । ଫଳତଃ, ପ୍ରଗତିଶୀଳ ସାହିତ୍ୟ ତା’ର ଅଭିବ୍ୟକ୍ତିର ସଫଳତା ହରାଇଲା । ପ୍ରଜା ଆନ୍ଦୋଳନ, କୃଷକ ଆନ୍ଦୋଳନ ଓ ଉପନିବେଶ-ବାଦ ବିରୋଧୀ ସ୍ଵାଧୀନତା ଆନ୍ଦୋଳନ, ଯାହା ଓଡ଼ିଆ ସାହିତ୍ୟକାରମାନଙ୍କୁ ପ୍ରଗତି ପଥରେ ଯିବାପାଇଁ ଅନୁପ୍ରେରିତ କରୁଥିଲା, ସ୍ଵାଧୀନତା ପରେ ସେହି ଆନ୍ଦୋଳନରେ ଭଟ୍ଟା ପଡ଼ିଗଲା ।
ସାମାଜିକ ଆନ୍ଦୋଳନର ନିସ୍ତରଙ୍ଗତା ହେତୁ ସାହିତ୍ୟିକ ଅଭିବ୍ୟକ୍ତି ମଧ୍ୟ ଶିଥିଳ ହେଲା । ଏସବୁ ସତ୍ତ୍ୱେ ସ୍ଵାଧୀନତା ପରେ ଓଡ଼ିଶାରେ ଜନଗଣଙ୍କର ସୀମିତ ଲଢାଇର ପରିସର ଭିତରୁ ରବିସିଂଙ୍କ ଭଳି ପ୍ରତିଭାର ମଧ୍ୟ ଉଦ୍ଭବ ଘଟିଥିଲା ।
୧୯୬୭ ମସିହାରେ ଭାରତବର୍ଷରେ ଆଉ ଏକ ରାଜନୈତିକ ଘନଘଟା ଦେଖାଗଲା, ତାହାହେଲା ନକ୍ସଲବାଦୀ ଆନ୍ଦୋଳନ । ଆଜିର ମାଓବାଦୀ ଆନ୍ଦୋଳନ ସେହି ନକ୍ସଲ ବାଦୀ ଆନ୍ଦୋଳନର ଧାରାବାହିକତା । ୧୯୬୭ ମସିହାରେ ନକ୍ସଲବାଦୀ ଆନ୍ଦୋଳନର ପ୍ରଭାବରେ ବ୍ୟକ୍ତିଗତ ଭାବରେ ରବି ସିଂଙ୍କ କବିତାରେ ଜନବାଦୀ ଧାରା ଅଧିକ ବଳିଷ୍ଠ ହେବା ସହ ‘ଆଭା’, ‘ବେଳା’ ଓ ‘ସ୍ପୁଲିଙ୍ଗ’ ଗୋଷ୍ଠୀ ମାଧ୍ୟମରେ ପ୍ରଗତିଶୀଳ ସାହିତ୍ୟ ଯଥେଷ୍ଟ ବିସ୍ତାରିତ ହୋଇଥିଲା । ଆଜିର ନିସାନ୍ ପତ୍ରିକା ତା’ର ସୁଦୂର ପ୍ରତିଧ୍ଵନୀ । ମଧ୍ୟବର୍ତୀ କାଳରେ ‘ଅଗ୍ନିବୀଣା’ ଓ ‘ଅଭିଯାତ୍ରୀ’ ଓଡ଼ିଶାର ପ୍ରଗତିଶୀଳ ସାହିତ୍ୟ ଆନ୍ଦୋଳନକୁ ବେଶ୍ ବଳିଷ୍ଠ କରିଥିଲା । ଏହି ସଂକଳନ-ମଧ୍ୟସ୍ଥ କବିତା ଉପରୋକ୍ତ ସାଂସ୍କୃତିକ ଆନ୍ଦୋଳନର ଫଳଶୃତି । ଏହିସବୁ ସାଂସ୍କୃତିକ ଆନ୍ଦୋଳନ ପରିସରରୁ ଗୋଟାଏ ସମୟରେ ପ୍ରସନ୍ନ ପାଟ୍ଟଶାଣୀ, ହୁସେନ ରବିଗାନ୍ଧୀ, ସଦାଶିବ ଦାଶ , ସମରେନ୍ଦ୍ର ନାୟକ ପ୍ରମୁଖ ସାହିତ୍ୟିକ ଜନ୍ମ ନେଇଥିଲେ । ପରବର୍ତ୍ତୀ ସମୟରେ ଆଶୁତୋଷ ପରିଡ଼ା,୰ ବସନ୍ତ ମୁଦୁଲି, କୁଳମଣି ଜେନା, ବିଜୟ ଉପାଧ୍ୟାୟ,ପୀତାମ୍ବର ତରାଇ , ଭାରତ, ଅଖିଳ, ଅରୂପ ଅଭିଷେକ, ଲେନିନ୍ କୁମାର, ବାସୁଦେବ ସୁନାନୀ ଇତ୍ୟାଦି ମଧ୍ୟ ସେହି ପରିସରର ପ୍ରତିଧ୍ଵନୀ ।
ଅଧୁନା ଓଡ଼ିଶାର ଜାତୀୟ ସାହିତ୍ୟ ଅବକ୍ଷୟମୁଖୀ । ଏକଦା ଓଡିଆ ଜାତିକୁ ଏକ ବଳିଷ୍ଠ ଆତ୍ମପରିଚୟ ଦେବା ସକାଶେ ଫକୀର ମୋହନ, ଗଙ୍ଗାଧର, ମଧୁରାଓ, ରାଧାନାଥ ଇତ୍ୟାଦି କଲମ ଧରିଥିଲେ । ସେମାନଙ୍କ ସାହିତ୍ୟରେ ଜାତୀୟତାବାଦୀ ଆଭିମୁଖ୍ୟ ସ୍ପଷ୍ଟ ଥିଲା । ତା’ପରେ ଉପନିବେଶବାଦ ବିରୋଧୀ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା, ସାହିତ୍ୟରେ ପ୍ରତିଫଳିତ ହୋଇଥିଲା । ତାହାଥିଲା ଆଧୁନିକ ଓଡ଼ିଆ ସାହିତ୍ୟର ସୁବର୍ଣ୍ଣ ଯୁଗ । ସେହି ସୁବର୍ଣ୍ଣଯୁଗର ମହାନ୍ ଅଧିକାରୀ ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ସତ୍ୟବାଦୀର ପଞ୍ଚସଖା ଗଣ।
ସ୍ଵାଧୀନତା ପରେ ସାହିତ୍ୟରେ ବ୍ୟକ୍ତିବାଦ ଆଭିମୁଖ୍ୟ ପ୍ରାଧାନ୍ୟ ଲାଭ କଲା । ସାମାଜିକ ଅବସ୍ଥା, ମଣିଷ ସମାଜର ସମସ୍ୟା , ଦେଶ ବା ଜାତିର ଆଶା, ସ୍ଵପ୍ନ, ସାହିତ୍ୟରେ ରୂପାୟିତ ହେଲାନି । ସାମ୍ପ୍ରତିକ ଓଡ଼ିଆ ସାହିତ୍ୟର ଅଧିକାଂଶ ସ୍ରଷ୍ଟା ନିଜର ବ୍ୟକ୍ତିଗତ ଆଶା ବା ସ୍ୱପ୍ନକୁ (ଯାହା ସାମାଜିକ ଆଶା, ସ୍ଵପ୍ନଠାରୁ ଭିନ୍ନ) ପ୍ରକାଶ କରୁଛନ୍ତି- ଯାହା ଜାତୀୟ ସାହିତ୍ୟ ପଦବାଚ୍ୟ ହୋଇପାରୁନାହିଁ । ସ୍ଥିତାବସ୍ଥାର ଅନ୍ଧ ଅନୁସରଣକାରୀ ସାଜି ଆଜିର ଓଡ଼ିଆ ସାହିତ୍ୟିକ ଓ ତାଙ୍କର ସାହିତ୍ୟ (ଅଧିକାଂଶ କ୍ଷେତ୍ରରେ) ପଳାୟନ ପନ୍ଥୀ-ଭୂମିକାରେ ଅବତୀର୍ଣ୍ଣ ହୋଇଯାଉଛି । ଚିତ୍ରୋତ୍ପଳା ନଦୀ ଯେତେବେଳେ ଶୁଷ୍କ, ମଣିଷ ଜଳକଷ୍ଟ ଜର୍ଜରିତ ଓ ଶ୍ରୀରାଧା ନାମ୍ନୀ ଝିଅଟି ଯେତେବେଳେ ଅଧସ୍ତନ ଲିଙ୍ଗ (ସବଅର୍ତିନେଟ ଜେଣ୍ଡର) ଭାବରେ ସାମାଜିକ ନିପୀଡନର ଶୀକାର, ସେତେବେଳେ ପୁନରୁତ୍ଥାନବାଦ (Revivalism) ଓଡ଼ିଶାର ପ୍ରମୁଖ କବିଙ୍କର ମୁଖ୍ୟ ସାହିତ୍ୟିକ ଆଭିମୁଖ୍ୟ ହୋଇଛି । ଓଡ଼ିଶାର ପ୍ରମୁଖ କବିମାନେ ନିଜ ସାମାଜିକ ପ୍ରତିପରି ବା ପଦପଦବୀ ହେତୁ ରାଷ୍ଟ୍ରଦ୍ଵାରା ଶ୍ରେଷ୍ଠ କବିର ସ୍ଵୀକୃତି ପାଇ ପାରିଲେବି, ସତରେ କ’ଣ ସେମାନେ ଆମ ଭାଷା ସାହିତ୍ୟର ଶ୍ରେଷ୍ଠ କବି ? ଏ ପ୍ରଶ୍ନ ପଚାରିବାର ପ୍ରକୃଷ୍ଟ ସମୟ ଏବେ ଉପସ୍ଥିତ ।
ଅବଶ୍ୟ ସମାଜ କହିଲେ - ସମ୍ଭ୍ରାନ୍ତ କେବଳ ସ ବା ଏଲିଟ୍ ମାନଙ୍କୁ ବୁଝାଏ ନାହିଁ । ଏହି ସମ୍ଭ୍ରାନ୍ତ ବା ଏଲିଟ୍ ମାନଙ୍କର ପାଦତଳର ସମାଜଟି ପ୍ରକୃତ ସମାଜ । ସେହି ସମାଜର ମଣିଷମାନେ ଇତିହାସ ନିର୍ମାଣରେ ବ୍ରତୀ ଥାଆନ୍ତି ତାଙ୍କର ସଂଗ୍ରାମ ଓ ସ୍ୱପ୍ନକୁ ରୂପ ଦିଅନ୍ତି । ଅସମ୍ଭ୍ରାନ୍ତ, ପ୍ରକୃତ ମଣିଷର କବି । ଯଥାର୍ଥ କବିଟି ହୁଏତ ନିଜ ସମୟରେ କବିର ମର୍ଯ୍ୟାଦା ନପାଇଲେବି ପରବର୍ତ୍ତୀ କାଳରେ ନିଶ୍ଚିୟ ତାହା ପାଇଥାନ୍ତି । ଏହାର ଜ୍ଵଳନ୍ତ ଉଦାହରଣ ମହାକବି ଭୀମ ଭୋଇ, ଯିଏ ନିଜ ସମୟରେ ନିଜ ଜୀବନକୁ ନର୍କରେ ଅକୁଣ୍ଠ ଭାବେ ନିପତିତ କରି ଜଗତକୁ ଉଦ୍ଧାର କରିବା ପାଇଁ ସାହିତ୍ୟ ସାଧନାରେ ତଲ୍ଲୀନ ହୋଇ ଏକ ମହାଯୁଗ ସୃଷ୍ଟି କରିବାରେ ସକ୍ଷମ ହେଲେ ।
ମଣିଷ ହିଁ ସାହିତ୍ୟର ଶ୍ରେଷ୍ଠ ଉପାଦାନ । ସମାଜର ଦଳିତ, ପତିତ, ନିଷ୍ପେସିତ ମଣିଷର ସ୍ଵରହିଁ ଆଜିର ଓଡିଆ ପ୍ରଗତିବାଦୀ ସାହିତ୍ୟ । ଆଜିର ପ୍ରଗତି ସାହିତ୍ୟର ଅଗ୍ରଭାଗରେ ଯେଉଁମାନେ ଅଛନ୍ତି, ସେମାନେ ଇତିହାସ ସଚେତନ, ଶ୍ରେଣୀ ସଚେତନ ଓ ସମାଜ ସଟେତନ । ସମ୍ପ୍ରତ୍ତି ଓଡିଆ ପ୍ରଗତିବାଦୀ ସାହିତ୍ୟ ହିଁ ପ୍ରକୃତ ସମାଜ ନିଷ୍ଠ ସାହିତ୍ୟ । ଏହି ସାହିତ୍ୟରେ ସାମାଜିକ ଦୁରାବସ୍ଥାର ଛବି ପ୍ରତିଫଳିତ, ସାମାଜିକ କ୍ରାନ୍ତିର ବାର୍ତ୍ତା ପ୍ରସାରିତ । ଓଡ଼ିଶାର ପ୍ରଗତିସାହିତ୍ୟ ବିଶ୍ୱବ୍ୟାପୀ ଧନବାଦୀ ସାଂସ୍କୃତିକ ଆଧିପତ୍ୟ ବିରୁଦ୍ଧରେ ପ୍ରତିବାଦର ସାମାନ୍ୟ ପ୍ରୟାସ ।
ଆଜିର ପ୍ରଗତିବାଦୀ ସାହିତ୍ୟକୁ ଅନେକ ସ୍ଥିତାବସ୍ଥା ସପକ୍ଷବାଦୀ ଓ ପ୍ରତିକ୍ରିୟାଶୀଳ ଚିଂତାରବାହକ ଆଲୋଚକମାନେ ମାଓବାଦୀ ପ୍ରଚାରଧର୍ମୀ ସାହିତ୍ୟର ସଂଜ୍ଞା ଦେଇ ନିହିତ ସ୍ଵାର୍ଥର ସେବା ପାଇଁ ବିଶ୍ଵସ୍ତ ଭାବେ ପ୍ରଚାର କରିଚାଲିଥାନ୍ତି । ଏହି ଆଲୋଚକମାନେ ପ୍ରଗତିବାଦୀ ସାହିତ୍ୟକୁ ସାଧାରଣତଃ ଅସ୍ପୃଶ୍ୟ କରି ରଖିବା ପାଇଁ ସବୁ ପ୍ରକାର କୌଶଳ ଅବଲମ୍ବନ କରିଚାଲିଛନ୍ତି ଆଜି ଯାଏଁ । ମାତ୍ର ପ୍ରଗତିବାଦୀ ସାହିତ୍ୟରେ ଜନବାଦୀ ଦୃଷ୍ଟିଭଙ୍ଗୀ ହେତୁ ଏହା ଗ୍ରହଣୀୟ ଏବଂ ଏହାର ଆଲୋଚନା ଅପରିହାର୍ଯ୍ୟ ।
ଜନବାଦୀ ସାହିତ୍ୟରେ ଜମି, ଜଳ, ଜଙ୍ଗଲ- ସାହିତ୍ୟର ବିଷୟ ବସ୍ତୁ ପାଲଟି ସାରିଛି । ଫକୀର ମୋହନ ଥିଲେ ସାଧାରଣ ମଣିଷର କଥାକାର । ଭଗିଆ-ସାରିଆ ଥିଲେ ସାମନ୍ତବାଦୀ ଶୋଷଣର ପ୍ରତୀକ । କିନ୍ତୁ ଭଗବତୀଙ୍କୀ ଘିନୁଆ ଚରିତ୍ର ଥିଲା ଶ୍ରେଣୀ ସଂଘର୍ଷର ପ୍ରତୀକ, ଜଙ୍ଗଲ ଭିତର ମଣିଷର ଆତ୍ମିକ ପରିପ୍ରକାଶ । ଜମି ଓ ଜଙ୍ଗଲକୁ ଅତିକ୍ରମ କରି ବର୍ତମାନ ଦାନବାନ୍ଧୁ ଥିବା ଭବିଷ୍ୟତର ପ୍ରଗତିବାଦୀ ଓଡିଆ କବିତା ପାଉଁସତଳରୁ ନିଆ ଝଟକିଲା ପରି ସମୁଦାୟ ଜନବାଦୀ ସଂସ୍କୃତିର ଅତୃପ୍ତି ଓ ଆକାଂକ୍ଷାକୁ ସାକାର କରି ଅକ୍ଷର ଭିତରେ ଅବତରଣ କରାଇବା ପାଇ ଅଂଗୀକାରବଦ୍ଧ । ତା’ର ପ୍ରଥମ ପରିଣାମ ସ୍ଵରୂପ ଦଳିତ ସାହିତ୍ୟର ଉଦ୍ଗୀରଣ ଏବଂ ଜନବାଦୀ ଦର୍ଶନର ଉଦ୍ଘୋଷଣ । ସମକାଳୀନ ରାଜନୈତିକ ବ୍ୟବସ୍ଥାରେ ଏହାର ପ୍ରତିରୋଧ ହୁଏତ କରାଯାଉଛି, ମାତ୍ର ନବପ୍ରଜନ୍ମର ପ୍ରଗତିବାଦୀ ସାହିତ୍ୟ ବା ନବ୍ୟ ପ୍ରଗତିବାଦା ସାହିତ୍ୟ ଏହି ଭାବଧାରାକୁ ସ୍ଵାଗତ କରିବାକୁ ସାହସ ପ୍ରକଟ କରିଛି ଏବଂ ଏହି ଜନବାଦୀ ସାହିତ୍ୟ ଭବିଷ୍ୟତର ପରିବର୍ତ୍ତନକାମୀ ସମାଜର ଐତିହାସିକ ଅନୁପ୍ରେରଣା ରୂପେ ସ୍ଵୀକୃତ ହେବାକୁ ବାଧ୍ୟ ।
ପ୍ରଗତିବାଦୀ ସାହିତ୍ୟ ପ୍ରତିବାଦର ଏକ ବଳିଷ୍ଠ ସାରସ୍ଵତଧାରା । ଏହି ଧାରାକୁ ଅଧିକ ବେଗବତୀ କରାଇ ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଜନବାଦୀ ତଟିନୀର ନିର୍ମଳ ଜଳରେ ଗଙ୍ଗାସ୍ନାନ ଉପାରାନ୍ତେ ପବିତ୍ର ହେବା ପରି ଅବସ୍ଥାକୁ ଘେନିଯିବା ପାଇଁ ଏହି ସଂକଳନ ପ୍ରକାଶର ପରିକଳ୍ପନା । ଇତିହାସରେ ଏହି ଧାରାର ସାହିତ୍ୟର ଏକ ବିଶେଷ ଗୁରୁତ୍ଵ ଥିବା ହେତୁ, ଏହି ସଂକଳନର ପ୍ରକାଶ ଏକ ଐତିହାସିକ ଉଦ୍ୟମ, ଯାହା ସାହିତ୍ୟ ଏକାଡେମୀ ତରଫରୁ ଏହାର ସଂସ୍ଥାପନାର ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱ ଅବଧି ମଧ୍ୟରେ କରିବା ପାଇଁ କେହି ବି ଉଦ୍ୟମ କରି ନ ଥିଲେ ।
ଏହି ଉଦ୍ୟମ ପନ୍ଥରେ କବିବଂଧୁ ପୀତାମ୍ବର ତରାଇ, ଅଧ୍ୟାପକ କୁଳମଣି ଜେନା ଓ ଓଡ଼ିଶା ସାହିତ୍ୟ ଏକାଡେମୀର ଅନେକ ସଦସ୍ୟଙ୍କ ସହଯୋଗ ସ୍ମରଣୀୟ ହୋଇ ରହିଥିବ ।
ସଂକଳନରେ ସ୍ଥାନୀତ ସ୍ରଷ୍ଟା ଓ ସୃଷ୍ଟି ସଂପର୍କରେ ମୁଁ କୌଣସି ଆଲୋଚନା କରି ନାହିଁ । କାରଣ ପ୍ରଗତିବାଦୀ ବା ଜନବାଦୀ ଧାରାର ସାହିତ୍ୟର ଵିଚାର ପାଠକମାନଙ୍କ ଉପରେ ନ୍ୟସ୍ତ କରୁଛି ।
ଭୁବନେଶ୍ୱର (ଡକ୍ଟର ହୁସେନ ରବିଗାଂଧୀ)
ମେ’ ପହିଲା ୨୦୦୯ ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ
ଅବିଭକ୍ତ ପୁରୀ ଜିଲ୍ଲାର ଚଣାହଟ୍ଟ ଗ୍ରାମର ଚଉଧୁରୀ ଜୟକୃଷ୍ଣ ପଟ୍ଟନାୟକ ଓ ମହାଦେଈ ଦେବୀଙ୍କ ଔରସରୁ ଜ୍ୟେଷ୍ଠପୁତ୍ର ଭାବେ ୧୯୨୨ ମସିହା, ପ୍ରଥମ ରଜ ଦିନ ଭୂମିଷ୍ଠ ହୋଇଥିଲେ କବି ଅନନ୍ତ ପଟ୍ଟନାୟକ ।
ଏହି କ୍ରାନ୍ତିକାରୀ କବି କମ୍ୟୁନିଷ୍ଟ ଆନ୍ଦୋଳନରେ ମହାନ୍ ପ୍ରବକ୍ତା, ସାମ୍ୟବାଦୀ ସାହିତ୍ୟର ବିଦ୍ରୋହୀ ବାର୍ତ୍ତାବହଙ୍କ କୈଶୋର କାଳରେ ପୁରୀଠାରେ ଅନୁଷ୍ଠିତ ହୋଇଥିବା ଉତ୍କଳ ସମ୍ମିଳନୀରେ ଉପସ୍ଥିତ ଦେଶପ୍ରେମୀମାନଙ୍କ ଭାଷଣପ୍ରତି ଆକୃଷ୍ଟ ହୋଇ କୈଶୋର ଜୀବନରୁ ହିଁ ବାଛି ନିଅନ୍ତି ସଂକଳ୍ପର ଅଗ୍ନିପଥ । ସେବେଠାରୁ ସାମନ୍ତବାଦ, ଶୋଷଣ, ଅତ୍ୟାଚାର, ଅନ୍ୟାୟ-ଅନାଚାର ବିରୁଦ୍ଧରେ ଉତ୍ସର୍ଗିତ କରିଦିଅନ୍ତି ଯୌବନକାଳର ଅୟଆରମ୍ଭ ।
ଆଉ ପଛକୁ ଫେରିନାହାନ୍ତି ସେ । ଦେଖିଛନ୍ତି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ସ୍ୱପ୍ନ, ସ୍ୱପ୍ନକୁ ଆହୁରି ଶାଣିତ କରିଛନ୍ତି ସ୍ୱାଧୀନତା ସଂଗ୍ରାମରେ ନିଜକୁ ସାମିଲ୍କରି । ଜାତୀୟ କଂଗ୍ରେସରେ ଯୋଗଦାନ କରି ସ୍ୱରାଜ୍ୟ ହାସଲପାଇଁ କେବେ ଯାଇଛନ୍ତି ଜେଲ୍ ତ କେବେ ଦେଇଛନ୍ତି ଜରିମାନା । କେବଳ ଦେଶର ମୁକ୍ତିପାଇଁ ନୁହେଁ, ଓଡ଼ିଆ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କର ଯେଉଁ ଅନବଦ୍ୟ ଅବଦାନ ରହିଚି ତାହା କାଳକାଳ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସାମ୍ୟବାଦୀ ବିଚାରଧାରର ଅନ୍ୟତମ ପ୍ରବର୍ତ୍ତକଭାବେ ‘ନବଯୁଗ ସାହିତ୍ୟ ସଂସଦ’ ଗଠନ ର ପ୍ରତିଷ୍ଠାତା ସଦସ୍ୟ ଭାବେ ପ୍ରଗତୀଶୀଳ ସାହିତ୍ୟର ଉତ୍ତର ଦାୟାଦମାନଙ୍କ ପାଇଁ ସେ ଏବେ ମଧ୍ୟ ପ୍ରେରଣାର ଉତ୍ସ । ପତ୍ରପତ୍ରିକା ସଂପାଦନା ସହିତ ନାଟକ, ପ୍ରବନ୍ଧ ରଚନା ଓ ଅନୁବାଦ ସାହିତ୍ୟରେ କବିଙ୍କ ସୁନାମ ଶୀର୍ଷରେ ରହିଥିବାବେଳେ ଶିଶୁମାନଙ୍କ ପାଇଁ ଅଜସ୍ର ଶିଶୁଲେଖା ସୃଜି ଶିଶୁସାହିତ୍ୟକୁ ସମୃଦ୍ଧି କରିଛନ୍ତି ।
ଜୀବନର ଶେଷ ପର୍ଯ୍ୟନ୍ତ ଏହି ମହାନ ବିପ୍ଲବୀ କବି, ସ୍ୱାଧୀନତା ସଂଗ୍ରାମୀ ସାହିତ୍ୟର ଯେପରି ସାରଥି ସେହିପରି ସମାଜସେବା କ୍ଷେତ୍ରରେ ନିଜକୁ ଉତ୍ସର୍ଗିତ କରି ଜାତି ଓ ଦେଶ ପାଇଁ ଆଦର୍ଶ ହେବା କମ୍ କଥା ନୁହେଁ । ୨୫.୬.୧୯୮୭ ମସିହାରେ କବିଙ୍କ ମହାପ୍ରୟାଣ ଆଜି ବି ଓଡ଼ିଆ ପ୍ରଗତିଶୀଳ ସାହିତ୍ୟ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ହୋଇ ରହିଚି ଓ ରହିଥିବ ।
ନବୀନ ଯୁଗର ତରୁଣ, ଜାଗରେ
ଜାଗ ବଂଧନହରା.... !
(ଭାଜୁ, ବନ୍ଧନ ଭାରା...!)
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଆଲୋକ ଧାରା !
ଛିନ୍ନ କରରେ ବଂଧନରାଜି, କ୍ରନ୍ଦନ ହେଉ ଶେଷ
ଲୁପ୍ତ ହେଉରେ ଜାତି ଉପଜାତି, ଖଣ୍ଡିତ ଶତ ଦେଶ-
ମହାମାନବର ଶଙ୍ଖ ଶବଦେ
ଶମୁରେ ଦୁଃଖ ଜ୍ଵାଳା ।୧।
ନବୀନ......
ମରଣ ଦୁଆରେ ଚରଣ ଅରପି
ଗାଅରେ ଅମର ଗାନ ।
ପୋଛିଦିଅ ଆଜି ମାନବ ଶିରରୁଁ
ସଂଚିତ (ବଞ୍ଚନା) ଅପମାନ ।
ଲଂଘି ବନାନୀ ଶୈଳ କାନନ
ଚୂରରେ ତିମିର କାରା ।୨।
ନବୀନ.... ,
ମରୁ ପଥେ ପଥେ ନିର୍ଝର ସୃଜି
ଯାତ୍ରା କର ହେ (ରେ) କର !
ସ୍ପନ୍ଦନ ବହି ଅନ୍ତରୁ କୋଟି
ପ୍ରଦୀପ ଉଚ୍ଚେ ଧର
ଶଂକିତ ହେଉ କଂପିତ ପ୍ରାଣେ
ଚନ୍ଦ୍ର ତପନ ତାରା ।୩।
ନବୀନ.......
ସଂଧାନୀ ତବ (ତମ) ସଂଧାନ ପଥେ
କଂଟକ ଟେକେ ଶିର
ସମ୍ମୁଖେ ତବ (ତମ) କୁହେଳି ରୂପର
ମୋହ ମମତାର ନୀର
ଭିନ୍ନ କରି ସେ ତନ୍ଦ୍ରା-ପରଶ
ହସାଅ ଭୁବନ ସାରା ।୪।
ନବୀନ...
ଚିରି ଅତୀତର ଜୀର୍ଣ୍ଣ ଜୀବନ
ଜାଗ ଆରେ (ଜାଗ) ଭବିଷ୍ୟତ !
ଚୂର୍ଣ୍ଣ କରୁରେ ସ୍ୟନ୍ଦନ ତବ (ତୁମ)
ପୀଡ଼ନର ପରବତ !
ଭାଜିପଡ଼ୁ ଆଜି ଅର୍ଗଳରାଳି ଘେନ ବିଜୟର ମାଳା ।୫।
ନବୀନ...
‘ନବଯୁଗ ସାହିତ୍ୟ ସଂସଦ’ ର ଆଦ୍ୟାତ୍ମକ ଉପଲକ୍ଷେ ରଚିତ । ମିଳିତ କଂଠରେ ଗାଇଥିଲେ ଶ୍ରୀମତୀ ମାଳତୀ ଚୌଧୁରୀ, ଅଶୋକ ରାଓ ଓ ଖୋକନ୍ ଜୋଆରଦାର ପ୍ରମୁଖ । ୧୯୩୫, ନଭେମ୍ବର ୨୯ ତାରିଖ ।
ସର୍ବହରା
ଜୀବନ ଧରି ହେ ଢାଳିଲୁ ରକ୍ତ ତୋଳିଲୁ ସଉଧମାଳା
ଆମରି ଲାଗିରେ ଶାସନ ଶକ୍ତ ଆମେଇ ସର୍ବହରା ।
ଝାଂଝି ପବନ ସହିରେ ସଘନ ଗହିରେ ରୋଇଲୁ ଧାନ
ବରଷା କାଦୁଅ ଚକଟି କେତେରେ ଖିନ୍ନ କରିଲୁ ପ୍ରାଣ ।
ପଉଷ ପ୍ରଭାତେ କାଟିଲୁ ଶସ୍ୟ ହସିଲେ ନିଖିଳବାସୀ
ଶସ୍ତିଶାଳୀର କରାଳ କବଳ ନେଲାରେ ସକଳ ଗ୍ରାସୀ ।
କେତେ ଯେ ଦେଏଣା କେତେ ଯେ ପାଉଣା ମହାଚ୍ଚନ ଜମିଦାର
ନେଲେଟି ଶୋଷିରେ ଚାହିଁଲୁ ନୀରବେ ଘେନି କଙ୍କାଳମାଳ
ସନ୍ତାନ ଆମ ଆମରି ଆଗେରେ ଶମଶାନେ ପଡ଼େ ଟଳି
ମୂକ ପାଷାଣର ପରାଣ ବହିରେ ରହିଛୁ ସଭୟେ ଥରି ।
ଯେ ଯୁଗେ ମାନବ ଉଡ଼ଇ ଆକାଶେ ବୁଡ଼ଇ ସାଗର ଜଳେ
ସେ ଯୁଗେ ଆମେରେ ‘ହା ଅନ୍ନ ହା ଅନ୍ନ’ ଡାକି ବୁଲୁ ନତଶିରେ ।
ଭାଗ୍ୟ ଆଦରି ଦେଉଳ ଦୁଆରେ ମୁଣ୍ଡ ପିଟୁରେ ବସି
କରଭାର ସହି ଦୀନ ଦୁର୍ବଳ ନ ପାରୁ ଜୀବନେ ହସି,
ଆମେଇ ଗଢିଲୁ ବନ୍ଧୁକ, ତୋପ ତରବାରୀ ଆମ ପାଇଁ
ଆମେଇ ତୋଳୁରେ କାରାର ପ୍ରାଚୀର ବନ୍ଧନ ଗୀତ ଗାଇ
ସାମଜର ଶତ ଶୃଙ୍ଖଳ ଜାଲେ ଛନ୍ଦି ଆପଣା ଛାଏଁ
ଆଲୋକର ପଥ ରୁଦ୍ଧ କରୁରେ ଯୁଗ ଯୁଗାନ୍ତ ଯାଏ ।
ପୁଞ୍ଜିଚ ରୋଷେ ବଞ୍ଚିତ ଆମେ ଦୀପ୍ତ ଚେତେନା ବହି
ନ ବୁଲିବୁ ଆଉ ଭିକ୍ଷୁକ ଵେଶେ ଦୁଃଖ ବେଦନା ସହି ।
ପ୍ରାପ୍ୟ ଆମର ନେବୁରେ ମୁକର ଆମେ ଶ୍ରମିକର ଜାତି
ଫୁଟାଇବୁ ଆଜି ରକ୍ତ ପ୍ରଭାତ ଚିରି ଅନ୍ଧାର ରାତି ।
ନିଃସ୍ଵ ଯେତେକ ବିଶ୍ଵର କୋଳେ ସକଳ ଶ୍ରମିକ ଚାଷୀ
ମିଳିତ ହୁଅରେ ଆମରି ସଙ୍ଗେ ଶଙ୍କା ଜଡ଼ତା ନାଶି ।
ଥରୁ ରେ ଧରଣୀ ଆକାଶ ପବନ ଥରୁ ରେ ଶୋଷକ କୁଳ
ହସିଉଠୁ ଆଜି ସମତା ଜଗତେ ଭାଜୁରେ ପାହାଡ ଚୂଳ ।
ଆସିଚି ମୁଁ ଆସିଚି
ଆସିଚି ମୁଁ ଆସିଚି !
ଦୁଃଖର ଦୁର୍ଭେଦ୍ୟ ପ୍ରାଚୀର ଭାଙ୍ଗି
ମୁଁ ଆସିଚି,
ରକ୍ତର ଦୁସ୍ତର ପାରାବାର ଲଙ୍ଘି
ମୁଁ ଆସିଚି,
କୃମିକୀଟର ଉଲ୍ଲଙ୍ଗ ଉଲ୍ଲାସ ଚିରି
ମୁଁ ଆସିଚି,
ଲଲାଟରେ ଭବିଷ୍ୟର ଉତ୍କୀର୍ଣ୍ଣ ଲିପି ଘେନି
ସ୍ପୁଲିଙ୍ଗର ଚଳୋର୍ମ୍ମି
ମୁଁ ଆସିଚି,
ପ୍ରାଣର ଅଧିପ ମୁଁ ସୂର୍ଯ୍ୟ,
ସ୍ନେହର ପ୍ରତିଭୂ ମୁଁ ଚନ୍ଦ୍ର,
ପର୍ବତର ସ୍ରୋତ ଦି’ଭାଗ କରି ଆସିଚି !
ମୁଁ ଧ୍ୱଂସ କରିବି
ବତ୍ସହରା ନାରୀର ଦଗ୍ଧ ଚକ୍ଷୁର ଜ୍ଵାଳା
ମୁଁ ବର୍ଷିବି,
ସହସ୍ରଧାରା ଅଶ୍ରୁର ଏକ ବିନ୍ଦୁ !
ଲୌହଗର୍ଭା ଧରିତ୍ରୀର ନାଭିପଦ୍ମ ଓଟାରି
ମୁଁ ଆସିଚି,
ତା’ର ଆତ୍ମା ଶୋଷଣ କରି ମୁଁ ଆଣିଚି ସ୍ତନ୍ୟ,
ନାରୀ ! ତୁମର ସ୍ତନାଗ୍ରଚୂଡ଼ାରେ ଟଳମଳ କରୁ
କ୍ଷୀରବ୍ଧିର ବୀଚି !
ଶିଶୁଃ ! ତୁମର ସ୍ପୂର୍ତ୍ତି ମୁଁ ଆସିଚି !
ପ୍ରୀତିର କନ୍ଦୁକ ମୁଁ ଚନ୍ଦ୍ର,
ଜ୍ୟୋତିର ମନ୍ଦାର ମୁଁ ସୂଯ୍ୟ !
ଆସିଚି ମୁଁ ଆସିଚି !
କବନ୍ଧର ନୃତ୍ୟ ରଚନା କର କିଏ ? -ବନ୍ଦ କର !
ବିକୃତିର ବିଗ୍ରହ ରଚନା କର କିଏ ?- ତଫାତ୍ ହୁଅ !
ବନ୍ଧୁକର ବର୍ତ୍ତ୍ମ ରୋଧ କରି ମୁଁ ଆସିଚି ।
ବେକାର ପ୍ରତ୍ୟୁଷର ଚିତ୍କାର ଆଜି ପୋଛ,
କିରାନି ରାତ୍ରିର ପ୍ରଳାପ ଆଜି ପୋଛ
ପଶୁତ୍ଵର ବିବରମୁଖୀ ବନ୍ଧ୍ୟା ପ୍ରୀତିର ଭ୍ରୂଣ
ମୁଁ ଆସିଚି !
ପିଙ୍ଗଳ ଆକାଶରେ ତୁମର ଛିନ୍ନ ନଥିର ପତ୍ର
ଏଇ ଉଡେ,
ଶରତର ଶୁଭ୍ର ବାଦଲ
ଆଜି ସ୍ତବ୍ଧ !
ଆପଣାକୁ ଆପେ ଉଜାଡ କରି
ଜଳଧିର ମନ୍ଦ୍ର ନିନାଦ ଭଳି
ଭଲ ପାଅ, ମତେ ଭଲପାଅ
ମୁଁ ଆସିଚି
ଶସ୍ୟର ଶାଶ୍ୱତୀ ବାଣୀ, ମୁଁ ପ୍ରଜ୍ଞା !
ଚିମ୍ନିର ଆଲିମ୍ପନ ଲେଖି
କାର୍ପାସ୍ର ଚୂର୍ଣ୍ଣ କଥାରେ
କାଶ କିଏ ? କାଶ !
କାଶହାସରେ ଲୌହ- ଲାବଣ୍ୟ ଆଣି
କାଶ କିଏ ? କାଶ !
ତୁମର ପିଷ୍ଟ ପେଶୀରେ ବଜ୍ରର ବିଳାପ
ବାଜୁ !
ଅକାଳ ପକ୍ଵ କେଶରାଶିରେ ଚୀନାଂଶୁକର ସ୍ପର୍ଶ
ଲାଗୁ !
ଯୁଗର ବକ୍ଷରେ ମୁଁ ଅକାଳ ବସନ୍ତର ତିତିକ୍ଷା ।
ମୁଁ ପୁରୁ !
କପାଳର ଘର୍ମ ତୁମର ଓଷ୍ଠପୁଟରେ ନଇଁ
ମୁଁ ଆସିଚି, ମୁଁ ଆସିଚି !
ଯନ୍ତ୍ର-ମୁଖର ଦିବାକୁ ନିନିମେଷ ନୀରବତାରେ
ଦୀର୍ଣ୍ଣ କରି
ଆସିଚି, ମୁଁ ଆସିଚି !
ଆଣବିକ ଖଡ଼ଗ ଧର କିଏ ? - ଦୂର ହୁଅ !
ବୈଦ୍ୟୁତିକ ବାତ୍ୟା ଆଣ କିଏ ? -ଦୂର ହୁଅ !
ଆସିଚି, ମୁଁ ଆସିଚି !
ଯାଚ୍ଞ୍ଜାର ଅର୍ଜି-ସ୍ତୂପ ଠେଲି ମୁଁ ଆସିଚି !
ସ୍ଥବିରତାର ମର୍ମ ଭେଦ କରି
ମୁଁ ଆସିଚି,
ତାରୁଣ୍ୟର ଅଭିମାନ ମୁଁ !
ଲଙ୍ଗଳର ପଥ ରୋଧ କର କିଏ ?- ପ୍ରସ୍ତର
ଶସ୍ୟର ସ୍ମିତ ରୋଧ କର କିଏ ?-ପଙ୍ଗପାଳ !
ଆତ୍ମାର କଣ୍ଠ ରୋଧ କର କିଏ ?- ଆତତାୟି !
ଅନିରୁଦ୍ଧ ସ୍ମିତ ମୋର ଛୁଟେ
ଦିକ୍-ଦିଗନ୍ତ ଛୁଟେ ।
ପ୍ରାଣର ପ୍ରଣବରେ ଦୂର ହୁଅ
କାତରାଶ୍ରୁର ପ୍ରେତ,
ମାତୃଘାତୀର ପ୍ରୀତି !
ଆସିଚି ମୁଁ ! ଆସିଚି
ହୃତ୍କମ୍ପର ଜ୍ଵଳଦର୍ଚ୍ଚି ବର୍ତ୍ତି !
ନିଜ ବନ୍ଦନା ପଢ଼େ
ନିଜ ବନ୍ଦନା ପଢ଼େ, ସଜନି ରେ !
ନିଜ ବନ୍ଦନା ପଢେ,
ରଶ୍ମି-ଲୁଳିତ ରସ-ଉତ୍ସବେ
ଝୁମି ଝୁମି ଆଜି ପ୍ରୀତି-ସଞ୍ଜରେ
ନବ ତୃଷ୍ଣାର ଝଡ଼େ ।
ବିଦ୍ରୂପି ତମେ ମୁହଁ ମୋଡ଼ି ଯାଅ
ମୁହଁ ମୋଡି ରହ ଚାହିଁ
ମୁଗ୍ଧ୍ ମୋ ଧରା
ପ୍ରୀତି-ଅମ୍ୱରା,
ରସ-ଶୃଙ୍ଗାରେ ସଙ୍ଗୀତ-ଝରା,
ରଚେ ଅଭିସାର କାହିଁ !
ଶ୍ରମଶିଞ୍ଜନୀ ଘର୍ମିଳ ଛାୟା
ମନଅଙ୍ଗନେ ପଡ଼େ
ନିଜ ବନ୍ଦନା ପଢ଼େ !
ଏଇ ରାଜଧାନୀ ରାଜଘାଟ ତଳେ
ରୁଧିରେ ରୁଧିରେ ମର୍ମ ପଖାଳି
ନିଭୃତେ ଜଳେ
କେତେ ଉଷସୀର ଉଷା,
କେତେ ସଂଶୟ ମୁଦିରେ, ମୁଦିରେ
ତାର ବିଦ୍ୟୁତ-ଭୂଷା ।
ନିଜ ବନ୍ଦନା ପଢ଼େ, ସଜନି ରେ !
ଅନୁକମ୍ପାରେ ହସ !
ନିଜ କ୍ଷୁଦ୍ରତା ଅଞ୍ଚଳେ ଭୀରୁ !
ସୁର-ବିଭ୍ରମେ ପଶ !
ତମେ କି ଜାଣୁଚ ? ସେ ପାଖେ ଖଡ଼୍ଗ
ଏ ପାଖେ ଅଶ୍ରୁଧାରା,
ପଶ୍ଚାତେ ନାଚେ ମରୁ !
ସମ୍ମୁଖେ ଥରେ ଘନ-କୁଝ୍ଝଟି ରଣ-ଉଦ୍ଜାନ-ତାରା
ଧୀର ଅସ୍ଥିରେ
ହୃଦ-ବସ୍ତିରେ
ବୁଲେ ନିର୍ଭୀକ ବୋଧ୍କଳ୍ପର ତରୁ !!
ଶତ ଦର୍ଶନ ଶାଖାରେ ଶାଖାରେ !
ଆଶା -ଆଗ୍ନେୟ କଢେ
ନିଜ ବନ୍ଦନା ପଢ଼େ !
ଝଲମଲ କରେ ସମୀପେ, ସୁଦୂରେ
କେତେ ହତ୍ୟାର ପ୍ରେତ,
ମର୍ମରି ଉଡ଼େ ପ୍ରାଣ-ଉର୍ମିର ନେତ !
କେତେ ଉଦ୍ଧତ ସ୍ଵର୍ଣ୍ଣର ହ୍ରେଷା, ମତ୍ତ ବାରଣ ଚାଲି,
କାହିଁ ନିଭିଗଲା...କାହିଁ !
ଇତିହାସ - କୂଳେ ଛିନ୍ନ, ସଜନି !
ଭ୍ରାତୃ-ବିବାଦେ ଅକ୍ଷକ୍ରୀଡାର ପାଲି,
ନିଃଶ୍ୱାସେ ମୋର
ନାହିଁ, ବାନ୍ଧବି ନାହିଁ !
ଠୁକ୍ ଠୁକ୍ବାଜେ ମୈତ୍ରୀ- ନିହଣ
ନିରୋଳ କର୍ମ-ନୀଡ଼େ
ସ୍ଵଚ୍ଛ ସ୍ଵପନ ସଂକେତେ ଅବଗାହି,
ଜରା-ଯୌବନ- ପକ୍ଷ-ଭହାଡେ
ଦରୋଟି ବାର୍ତ୍ତା ବିଡ଼େ ରେ ଚିତ୍ତ, ବିଡେ ।
କେତେ ବ୍ୟର୍ଥତା ବାଲିର ପାହାଡ଼େ
ଇସ୍ପାତୀ କୁହୁ ଵଢେ !
ନିଜ ବନ୍ଦନା ପଢେ !
ନିଜ ବନ୍ଦନା ପଢେ, ସଜନି ରେ !
କୁଞ୍ଚିତ କର ନାସା !
ରୋଷ-କମ୍ପିତ ପକ୍ଷ୍ମରୁ ଢାଳ
ହୀନ ହିଂସୁକୀ ଭାଷା !
ନିଜ ବନ୍ଦନା ପଢ଼େ ସ୍ପର୍ଦ୍ଧାରେ,
ଗୀତି-ଶ୍ରଦ୍ଧାରେ,
ନବ-ଶୌର୍ଯ୍ୟର ସ୍ନେହ-ଶାଦ୍ବଳ ଗଡ଼େ ।
ନିଜ ବନ୍ଦନା ପଢେ !
ମୁଁ କି ଢାଳୁ ନାହିଁ କୁସୁମ- ଅର୍ଘ୍ୟ
ଦଗ୍ଧ ନୟନ-ପଥେ ?
ମୁଁ କି ଜାଳୁ ନାହିଁ ସୂର୍ଯ୍ୟ-ରୋଶନି
ହିମ-କୋଣାର୍କ-ରଥେ ?
ମୁଁ କି ତୋଳୁ ନାହିଁ ମୈତ୍ରୀ- ମୀନାର,
ମମତା-ସେତୁରେ ଅଶ୍ରୁ-ଝରଣେ ତାଜ୍?
ମୁଁ କି ଗୋଳୁ ନାହିଁ ଗହମ୍ ହସରେ
ବିସ୍ମୃତ ଏସ୍ରାଜ୍?
ମୁଁ କି ରେ ଦଳୁନି ନଥିରେ, ନଥିରେ
ଦୁର୍ନିତି- ବ୍ରତ
ଚିତ୍ରିତ ତନୁ,
ଦୁଃଖର କ୍ଷତ ?
ମୁଁ କି ରେ ଚାହୁ ନି
ଧୂଳି-ଘରଣୀର ଧୀର ଶର୍ମିଳ ଗାନ ?
ମୁଁ କି ରେ ଲୋଡ଼ୁନି
ବାହାରେ ଆକାଶ, ଭିତରେ ଆକାଶ,
ଅନ୍ତ୍ରନାଡିର ମଣିପଦ୍ମରେ ଭୃଙ୍ଗର ହାସ,
ମୁଁ କି ରେ ମାନିଚି
ବ୍ୟବଧାନ କଥା ସମ୍ମାନ-ଅବିଧାନ ?
ମୁଁ କିରେ ଖୋଳୁ ନି ମର୍ମର ଖଣି,
ମରୁ-ଖର୍ଜ୍ଜୂରେ ଫୁଲ- ଫଲ୍ଗୁର- ଧାରା,
ମୁଁ କି ରେ ବୁଣୁ ନି
ଜଗନ୍ନାଥର ବୀଜ ଓଁ କାରେ
‘ଜାରା’-ଜୀବନର କେତେ ଝୁମୁରୁର ଜ୍ଵାଳା ?
କାଶ୍ମିରୀ ବଧୂ-ରକ୍ତ- କପାଳେ,
ମୁଁ ଯେ ସତର୍କ,
ପ୍ରୀତି-ବିତର୍କ,
କେତେ ବିକରାଳ ନିଶି ଅଶ୍ଳେଷେ
ଅରାଳ ଲକ୍ଷ୍ମୀ, ମରାଳର ଅଭିଯାନ,
ସଂଗ୍ରାମୀ ମୁଁ ତ କାଳ-ତିତୀର୍ଷା,
ଚିର ଚଳିଷ୍ଣୁ ବୀର-ଚିକୀର୍ଷା,
ଅଣୁ-ଗର୍ଭରେ
ନିମିଷୁ ନିମିଷେ
ଜୀବନର ଅଭିଜ୍ଞାନ ।
ଲଢେ ମୁଁ ନୀରବେ
ଲଢ଼େ ମୁଁ ଧୀରବେ,
ମୃତ୍ୟୁର ସହ ଲଢେ !
ନିଜ ବନ୍ଦନା ପଢ଼େ, ସଜନି ରେ,
ନିଜ ବନ୍ଦନା ପଢେ !
ବର୍ଣ୍ଣାଳି-ପୁରେ ଯେ ହାତ ନଚାଏ
ବର-ବର୍ଣ୍ଣିନୀ ବିଭା,
ଯେ ହାତ-ଆତ୍ମା
ଋତ-ଯନ୍ତ୍ରୀର
କୃତି- ମନ୍ତ୍ରୀର,
ଗଢେ ମୁଁ, ଗର୍ବେ ଗଢେ ।
ଜେତେ କରବୀର କର୍ଣ୍ଣିକାରର
ବକ୍ଷେ ଜଳି ରେ
କ୍ଷୁବ୍ଧେ ଢଳି ରେ,
ରଣ-ଉତ୍ସବ ଦଳି ମୁଁ, ଦଳି ରେ
ନିଜ ବନ୍ଦନା ପଢେ !
ତୃପ୍ତି ବିହୀନ ତୃଣର ତୃଷାରେ
ସ୍ନେହ-ଶୀତ୍କାରେ ପଢେ,
ଭାଷା-ବିଭାଷାର ବନ୍ଧନ ଚିରି
ତୋର ଚୁମ୍ବନ-ଝଡେ
ସଜନି ଲୋ !
ତୋର ଚୁମ୍ବନ ଝଡ଼େ ।
ଚୁପ୍କର ! ଚୁପ୍କର !
ମୋ ବୁଟ୍ ବାଜିଲା
କପାଳେ, କପାଳେ,
ଠକ୍,ଠକ୍ ଏଇ
ସାମ୍ୟର ତାଳେ
ହୃଦୟେ ହୃଦୟେ
ଶାନ୍ତି ଉଦୟେ,
ଏ ପ୍ରୀତି- ଉଦ୍ବାହେ
ନିର୍ମମ ଥର ଥର !
ଚୁପ୍କର ! ଚୁପ୍କର !
ମୋ ବୁଟ୍ ବାଜିଲା ଠକ୍ ଠକ୍ ଏଇ,
ସୁନ୍ଦରତମ ସୃଷ୍ଟିରେ ଝର୍ଝର୍!
ସକାଳଟିଏ ଚାହେଁ ମୁଁ
ସକାଳ ! ସକାଳଟିଏ ଚାହେଁ ମୁଁ,
ଆଜିର ନୁହେଁ, କାଲିର ନୁହେଁ,
ସକାଳଟିଏ ଚାହିଁ ମୁଁ !
କାଳର ଘୂର୍ଣ୍ଣନରେ ସ୍ତବ୍ଧ ଯିଏ, ଶୁଣ !
ହଳୀର କର୍ଷଣରେ ମୃତ୍ତିକାରେ ମର୍ମରଣ ମୁଁ, ଶୁଣ !
ଚାହେ ମୁ ସକାଳ, ସେମିତି ଗୋଟିଏ ସକାଳ,
ଶ୍ରମର ବିଳାସରେ ହସିବାର ଦାୟିତ୍ୱ ନେଇ ଆସିବ ଯିଏ,
ବଲ୍ଗା-ଛାଡ ସୃଜନୀର ବାର୍ତ୍ତାରେ
ବସନ୍ତର ବ୍ୟାକୁଳତା ଭଳି-
ନିଷ୍କାମ କାମନାରେ ଓଲଟ ପଦ୍ମର ପାଖୁଡାରେ
ଆସିବ ଯିଏ
ପେଚକଷ୍ର ଫୁର୍ତ୍ତିରେ, ଗଇଁତିର ଗୀତିରେ-
ଆଗ୍ନେୟ ବାସନାରେ ବିହ୍ୱଳ କରି ନୁହେଁ,
ସଚେତ କରି ସତେଜ କରି ଯୁଗକୁ,
ଚାହେଁ, ମୁଁ ସେମିତି ଗୋଟିଏ ସକାଳ-
ମୁଁ ଚାହେଁ ସେମିତି ଗୋଟିଏ ସକାଳ-
ଯାହା ପାଇଁ ଆତ୍ମଘାତୀ କି ଶହୀଦ ହେବାକୁ ହେବ ନାହିଁ
ଖ୍ୟାତ କି ଅଖ୍ୟାତ କେତେ ଗାନ୍ଧୀ କି କିଙ୍ଗ୍କୁ,
ଘୃଣ୍ୟ ଯେତେ ଧର୍ମାନ୍ଧତାର ଚୋଟରେ
ଲୋଟିବ ନାହିଁ ରକ୍ତରେ-ଲୋଟିବ ନାହିଁ
ଇନ୍ଦିରାର ଇନ୍ଦୁ !
ଶଙ୍କିତ ଭାବନାରେ ଯାହା ପାଇଁ
ନିଦ୍ରିତ ମୁହୂର୍ତ୍ତରେ ନିତି,
ହିଂସାର ଶୃଙ୍ଗାରରେ ବୀଭତ୍ସ
ଛାଡିବ ନାହିଁ ଥୋଲାକୁ ଥୋଲା
ମୈତ୍ରୀର ମାଂସ-
ଗଡିବ ନାହଁ ଗୋଟାକୁ ଗୋଟା
ବର୍ଣ୍ଣିଳ ଯେତେ ବାରୁଦମୟ ଆକାଶ,
ଜନୟତ୍ରୀ ଧରିତ୍ରୀ ଆମର-ଆଃ
ନା, ହେବ ନାହିଁ - ଧର୍ଷିତା !
ଚାହେଁ ମୁଁ ସେମିତି ଗୋଟିଏ ସକାଳ !
ନିର୍ମାଣର ଚରମତମ ବିନ୍ଦୁରେ
ମୀମାଂସିତ ସମସ୍ୟାର ପ୍ରହେଳି !
ରୋମାଞ୍ଚିତ କରିବ ଆତ୍ମାକୁ ଯାହା ତୁମର ଆଉ ମୋର-
ଚମତ୍କୃ ତ କରିବ
ଗ୍ରହ ଆଉ ଗ୍ରହାଣୁର ପୁଞ୍ଜଳ !
ତାହିଁ ମୁଁ ସେମିତି ଗୋଟିଏ ସକାଳ !
ବିଦ୍ୟୁନ୍ମୟ ଚୁମ୍ବକର ଅଧରରେ ଯାହାର
ଥରିବି ମୁଁ ସଜାଗ ହୋଇ ବିହ୍ୱଳ ତାର ଚୁମ୍ବନରେ
ପ୍ରୀତିର ପଲ୍ଲବମୟ ଶଯ୍ୟାରେ ପ୍ରଗାଢ -
ପ୍ରଳୟଙ୍କର ଆଣବିକ ବକ୍ଷରେ ଯାହାର
ଝରିବି ମୁଁ ଶୀକରିଳ ସ୍ମୃତିରେ
ରାତ୍ରିର
ଉଷାର ଉଲ୍ଲାସ ।
ଚାହେଁ ମୁଁ, ନୂତନତମ ସକାଳ-
ବର୍ତ୍ତମାନର ଆବର୍ତ୍ତରେ-
ଭବିଷ୍ୟର ବିବର୍ତ୍ତମାନ କୃତି ମୁଁ ନିଜର-
ଅଣୁର ଅରଣ୍ୟରେ
ରଶ୍ମିର,
ଲତା ପତ୍ରର ଉତ୍ସବ ହେବ ଯାହା,
ନା, ନିଭିବ ନାହିଁ, ନିଭିବ ନାହିଁ
କୁସୁମର କ୍ରାନ୍ତିରେ
ଆମର ଅଶ୍ଲେଷରେ, ବନ୍ଧୁ !
ପ୍ରାଣର କନ୍ଦରରେ ଆମର- !
ଚାହେଁ ମୁଁ ସକାଳଟିଏ,
ତୁମେ କ’ଣ ଚାହଁ ନା ?
ଚାହଁ ନିଶ୍ଚୟ ସେମିତି ! !
ଆଧୁନିକ ଓଡ଼ିଆ କବିତାର ଆଦିକବି ପଦ୍ମଶ୍ରୀ ସଚ୍ଚି ରାଉତରାୟ ଆମ ସମୟରେ କିମ୍ବଦନ୍ତୀ ଓ ସମଗ୍ର ଭାରତବର୍ଷରେ ବିରଳ ବ୍ୟକ୍ତିତ୍ୱର ବିସ୍ମୟ । ମାଟିର ମହାକବି ଓଡ଼ିଆ ଭାଷା ସାହିତ୍ୟର ସେ ହେଉଛନ୍ତି ପ୍ରବାଦ ପୁରୁଷ, ଅଗଣିତ ଓଡ଼ିଆଙ୍କ ପାଇଁ ପ୍ରାତଃସ୍ମରଣୀୟ ।
ବିଂଶଶତାବ୍ଦୀର ଯୁଗସ୍ରଷ୍ଟା କାବ୍ୟକାର, ସଂଗ୍ରାମର ସାରଥୀ ସଚ୍ଚି ରାଉତରାୟ ଛାଡ଼ିଯାଇଛନ୍ତି ଅଜସ୍ର କବିତାର ଅଗ୍ନିଫୁଲ, ରକ୍ତର ରଚନା, ସର୍ଜନାର ସତ୍ୟପାଠ, କ୍ରାନ୍ତିର କାଳଜୟୀ ମୁକ୍ତି ଗୀତ ଓ ଆନ୍ଦୋଳନର ଆଣ୍ଟପଣ । ଏଇଥି ପାଇଁ କେବେ ହୋଇଛି ତାଙ୍କ ପ୍ରକାଶିତ ପୁସ୍ତକର ବାଜ୍ୟାପ୍ତ, କେବେ ସେ ଷଡଯନ୍ତ୍ରର ଶୀକାର ତ କେବେ ମିଳିଛି ତାଙ୍କୁ କାରାବାସ କେବେ ପୁଣି କର୍ମ କ୍ଷେତ୍ରରୁ ବିତାଡ଼ନ ।
‘ନବଯୁଗ ସାହିତ୍ୟ ସଂସଦ’ ରୁ ‘ଗଡ଼ଜାତ ପ୍ରଜାଆନ୍ଦୋଳନ’ ଯାଏ ଜଡିତ ଏହି ବରପୁତ୍ର ନିଜ ଜୀବନର ଶେଷ ପର୍ଯ୍ୟନ୍ତ ହାତଛାଡ଼ା କରିନଥିଲେ ପ୍ରାୟ କଲମ, କବିତାର ଆଲିଙ୍ଗନ ଓ ନିମ୍ନବିତ୍ତ ମଣିଷମାନଙ୍କ ସହିତ ଶବ୍ଦଗତ ସଂପର୍କ । ଏକାଧାରାରେ ଏକ ନୂତନ ସମୟର ପୁରୋଧା, ଯୁଗ ପ୍ରବର୍ତ୍ତନକାରୀ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରବାନ୍ଧିକ ଓ ଚିର ସଂଗ୍ରାମୀ ମଧ୍ୟ । ଦୀର୍ଘ ବର୍ଷର ସାରସ୍ଵତ ସାଧନା ବଳରେ ଓଡିଆ ସାହିତ୍ୟରେ ଯେଉଁ ସ୍ଥାପତ୍ୟ ନିର୍ମାଣ କରିଯାଇଛନ୍ତି, ତା ଉପରେ ଆଜି ଆଧୁନିକ କ୍ରାନ୍ତକାରୀ କବିତାର ଜୟଯାତ୍ରା ଜାରି ରହିଛି ଯୋଜନାରୁ ଯୋଜନ ଯାଏ ।
୨୦୦୪ ମସିହାର ଏହି ମହାକବିଙ୍କ ଅନ୍ତିମ ବିଦାୟ ଆମ ସାହିତ୍ୟ ଜଗତ ପାଇଁ ଅରୂପଣୀୟ କ୍ଷତିର କାରଣ ହୋଇଥିଲେ ବି ତଥାପି ସ କୋଟି କୋଟି ଓଡ଼ିଆଙ୍କ ପ୍ରାଣରେ ବଞ୍ଚିଛନ୍ତି ଛୋଟ ମୋର ଗାଁଆ ଟିଏ...ର ମଧୁର ମୂର୍ଚ୍ଛନା ହୋଇ ।
ଲେନିନ୍
ଲେନିନ୍ ଲେନିନ୍ ଡାକେ ମୋ’ ? ଲେଖନୀ
ଯେତେବେଳେ ଯେତେଥର
ତୃପ୍ତି ମିଳେନା, ପୁଣି ଡାକିବାକୁ
ଇଚ୍ଛା ହୁଏ ବାରବାର
ଏ ଯେଉଁ କବିତା ଲେଖିଥିଲି ମୁହିଁ
ସତୁରି ସାଲରେ ଦିନେ
ଆଜି କିଆଁ ତାହା କୁହୁଳି ଉଠୁଛି
ଅଂତରେ ମୋର
ନୂଆସ୍ଵରେ, ନୂଆଗାନେ
ରହିଛି ଲେନିନ୍ରହିଛି ଦୁନିଆ
ମଣେ ନିରାପଦ ମହୀ
ସେହି ଲେନିନ୍କୁ କେଉଁଠି ଥାପିବ ଲାଲ ଚଉକରୁ ନେଇ
କହ କେଉଁ ଯାଦୁଘରେ ?
ସାରା ବିଶ୍ଵରେ ଛଡ଼େଇ ପଡିଚି ଯିଏ
ସାରା ଚେତନାରେ ଛୁଉଁ ଛୁଉଁ ମିଶିଯାଏ
ତାକୁ ଉତାରିବ କାହୁଁ ?
ଲାଲ ପତାକାକୁ ରଖିବ କେଉଁଠି କହ
ଚାହୁଁ ଚାହୁଁ ସେ’ତ ଆକାଶେ ଉଡ଼ିବ
ଲାଲ ଛକେ ଆଖି ଆଗେ,
ସେ ପୁଣି ରଚିବ ସାମ୍ୟର ସମାରୋହ
ଗଢିବ ପୁଣି ସେ ଶାଂତିର ବୁନିଆଦ,
ଆକାଶେ ଆକାଶେ ଶୁଭେ ତାର ଜୟନାଦ
କୋଟି ମଣିଷର ଲହୁ ଲୁହେ ଯାହା ଆର୍ଦ୍ର
ପବିତ୍ର ସେଇ ପତାକା କ'ଣ ମରେ-
ଇତିହାସ ବୁଝ ? କହ କହ ପିଲେ
କାହୁଁ ତମ ଗ୍ରଂଥାଗାର
ଘରେ ଘରେ ଯାହା ଉଠିଥିଲା ଗଢି,
ସାମ୍ୟବାଦୀର ଘର
ସବୁ ଭୁଲିଲଣି, କିଛି ତ ଜାଣୁନା
ଯାହା ଜାଣ ମନେ ନାହିଁ ।
ଭୁଲିଗଲ ସବୁ ସ୍ମୃତି
ଯେ ସ୍ମୃତି ପାଲଟେ ଉପକଥା, କିଂବଦଂତୀ
ଜାତିର ମାନସ ରୂପ
ଦେବାକୁ ପ୍ରେରଣା
ନୂତନ ପିଢିକି ତାହା,
ଚେତନାର ଆଦିରୂପ,
ହୁଏ ଯାହା ଅତିକଥା ସମୟର ତୂଳିକାରେ
ସ୍ଥାନ ନିଏ ଯାହା
କାଳୁ ଯାଇ କାଳାଂତରେ ।।
ମାତିଛ ବାହାର ରଂଗେ
ବ୍ୟକ୍ତିର ତୁମେ ଚାହଁ ସ୍ଵାଧିକାର,
ଭାଂଗିଦେଇ ଗଣ-ସଂଘେ,
ଚାହଁ ସ୍ଵାଧୀନତା, ଭଲ କଥା ବାବୁ
ମୋତେ କହ ଦେବି ଆଣି
ଭୋକ ଓ ଅଭାବ ବେକାରୀରୁ ମୁକ୍ତି,
ସଂସ୍କୃତିର ଅବସର,
ବ୍ୟକ୍ତିର ବିକାଶମୂଳ ସ୍ଵାଧୀନତା ଯାହା
ସେହି ସ୍ଵାଧୀନତା ଲୋଡା ନା ଆହୁରି କିଛି,
ଦୁଃଖେ ଅଭାବେ ମରିବା ସ୍ଵାଧୀନ ହୋଇ
ମୁକ୍ତିର ଜୟ ଗାଇ !!
କେଉଁ ସ୍ଵାତଂତ୍ର୍ୟ ଚାହଁ ?
ଦେଖିଥିବ ତୁମେ ଲୁହାର ପରଦା ଠେଲି
ସୁନା ପରଦାର ଆରପାଖେ ବହୁ ଦୃଶ୍ୟ,
ଇହୁଦୀ ଚମରେ ଗଢ଼ା ଲ୍ୟାଂପ ସେଡ଼୍
ହିଟ୍ଲର ଟେବୁଲରେ,
ଦେଖିଥିବ ତୁମେ ମଣିଷ ଖାଇବା
ମଣିଷର କଂଚା ମାଂସ
ଶୋଷଣର ଦରବାରେ
କେଫେ ଓ କାବାରେ ଦେଖିଥିବ ବହୁ ବଣ ମଣିଷଂକ ନାଚ
ଦେଖିଥିବ ତୁମେ ଜୀବନଟା ଯହିଁ ବିଳାସର ଏକ ମଂଚ,
ଦେଖୁନାହଁ ତୁମେ ଆଜି ଆଖି ମେଲି ସାରା ଦେଶେ ନାଚି ବୁଲେ
ହଜାର ହଜାର ନାତ୍ସିର ମଡା ଅସଭଂବ ଉତ୍ଫୁଲେ
ଷ୍ଟାଲିନ୍ଗ୍ରାଡ୍ର ସଡକରେ...କବରରେ
ସେ ଦିନର କଥା ହେଜି
ଅବରୋଧ କରି ଲାଲ ବାହିନୀକୁ
ମାସ ମାସ ଥିଲେ ରଖି
ଖଂଡେ ସିଗାରେଟ୍ ବାଂଟି ଶୋଷୁଥିଲେ
ଦଶ ଜଣ ଲାଲରକ୍ଷୀ,
ରୁଟି, ପାଣି କଥା ଛାଡ
ଝଡ ବରଫରେ ମରୁଥିଲେ ଶହ ଶହ
ୠଷିଆର ପୁଅଝିଅ
ଟାନିଆର ବୁକୁ ତଳେ ଲୋଟିଥିଲା
ନାତ୍ସି ବୁଲେଟ୍ମାଡ଼େ
ସେଦିନର କଥା ଭାଳ
ଜାଣେ ପଛେଇଚ ଟେକ୍ନୋଲୋଜିର ରଣେ
ମାଂଦା ପଡ଼ିଛି ଦେଶର ଅର୍ଥନୀତି
କମି ଯାଇଅଛି ଉତ୍ପାଦନର ଅଂକ ପରିମାଣ ଆଉ ଗୁଣ
କାହାର ଏ ଗଫ୍ଲତି ।
ଶୃଂଖଳାକୁ ତ ଶୃଂଖଳ ମଣ ଶେଷେ ହେଲା ସବୁ ଇତି
ଯାହା ଥିଲା ତ୍ରୁଟି ସୁଧାରି ପାରଂତ
ସାମ୍ୟବାଦର ବାଟେ
ତା ନ କରି ବୁଦ୍ଧି ନାଶ
ଆମଦାନୀ କଲ ଦର୍ଶନ ପୁଣି ରୁଷ୍! !
ବୁଝ ଯଦି ଇତିହାସ
ଦେଖ ଭଲକରି ମେସ୍କୋର ଶିରେ
ଉଡୁଅଛି ଧ୍ଵଜା ଲାଲ,
ବିସ୍ମିତ ରାଜଧାନୀ,
ବିସ୍ମୟ ମଣେ ଯେତେ ଦର୍ଶକ,
ଯାତ୍ରୀ, ପର୍ଯ୍ୟଟକ
ମାର୍କିଣ୍ଦେଶ ଲୋକ ଧରି ଡଲାଲର ଜାଲ,
ରହିଛଂତି ଯେ ହୋଟେଲ୍ବଜାର ଭରି
ଭାଗ୍ୟ-ଶିକାରୀ ଦଳ ।
ବିଭ୍ରମୀ ! ହୁସିଆର ।।
ପତାକା ଓହ୍ଲାଅ ନାହିଁ
ପତାକା ଓହ୍ଲାଅ ନାହିଁ
ଏ ପତାକା ନୁହେଁ ସାଲୁକନା,
କୋଟି କୋଟି ମଣିଷର ରକ୍ତେ ତାହା ଲାଲ,
ଭୋକୀ ଦୁଃଖୀ, ଶୋଷିତର ଆଶାର ମଶାଲ,
ସେ ମୁକ୍ତିର ବାନା,
ପୃଥିବୀର ଭାରସାମ୍ୟ
ସାମ୍ୟର ବୈରଖ,
ଶତାବ୍ଦୀର ଶେଷ ସାଲିଆନା,
ମେହନତୀ ମଣିଷର ଝଣ୍ଡା
ଅଦଦୂତ ଚିରାଳ
ଏ ପତାକା ସକାଳର
ଭିଜାଅନା ତାକୁ ମୋ ଲୁହରେ
ବିନିଦ୍ର ରାତିରେ ।
ମୁଁ ନୁହେଁ କାହାର ଲୋକ,
ନୁହେଁ କେଉଁ ଦଳର ଗ୍ରାହକ
ମୁଁ ଏକ ସାଦାସିଧା ନିରୋଳା ମଣିଷ
(ବରଂ ଝଗଡା କରେ ଏକଚ୍ଛତ୍ର ସଙ୍ଗେ)
ତଥାପି ମୁଁ ମଣେ ଅସହାୟ
ବଡ଼ ଏକୁଟିଆ ସାରାଟା ସଂସାରେ ।
ଅବନତ ନାଜୀସେନା ଓଳଗି ଯାହାରେ
ଯାଇଥିଲା ହଟି,
ଦୁର୍ଦ୍ଧର୍ଷ ପୁଂଜିର ହାତ ଛୁଇବାକୁ ଖୁଂଟି
ଯାର ଦିନେ ପାରିନି ଭରସି
ତାକୁ ତୁମେ ହଟାଅନା, ଲୋଟାଅନା ତଳେ...
ଦାଣ୍ଡେ ବା ବଜାରେ ।
ଏ ପତାକା ଲେନିନ୍ର
ଏ ପତାକା ମାକ୍ସିମ୍ ଗର୍କିର
ଗଙ୍ଗାଠୁ ଭଲ୍ଗା ଯାଏ
ସାରା ସଂସାରର ଏହା ଇତିହାସ
ଏ ସାରା ମଣିଷ ଜାତିର ଦିବ୍ୟ ଉଆରସ ।
ତା ଲାଂଛନ ଦାଆ ଓ ହାତୁଡି
ଗାଇଅଛି ପୃଥୁବୀର ସର୍ବହରା
ହରାଇବ କେବଳ ଶିକୁଳି,
ଉଠାପଡା ଗଣ ସଂଗ୍ରାମରେ
ଏ ପତାକା ମୋ ହାତରୁ ନେଇଛି ସଲାମ
ଦେଇଛି ସଲାମ ତାହା ଅଗଣିତ
ଲାଲ ଫଉଜର, ବିଶ୍ୱ ସାରା
ଲାଲ ନଭେମ୍ବରେ ।
କହିଥିଲି ଝିଅକୁ ମୁଁ ମା’ଲୋ
ବରିନେବୁ ସେହି ଜନେ ବକ୍ଷେ ଯା ଅଂକା ଧ୍ଵଜା ଲାଲ
ତୋର ପାଣି ପ୍ରାର୍ଥୀ ହୋଇ ଆସିବେ ଯେଦିନ
ଯମ,ଅଗ୍ନି, ବରୁଣ ସମେତ
ବ୍ରହ୍ମା ଓ କୁବେର
ଚିହ୍ନିନେବୁ କେ ତୋହର ନଳ,
ସେ ପତାକା କଢାହୁଏ ନାହିଁ,
ତାର ଜନ୍ମ ଚିରକାଳ ଉଡିବାର ପାଇଁ
ହୃଦୟେ ହୃଦୟେ ଅସ୍ତ ଓ ଉଦୟେ
ଆଜି କାଲି ସବୁଦିନ ପାଇଁ ।
ପତାକା ଓହ୍ଲାଅ ନାହିଁ, କାହକିଁ ଓହ୍ଲାଅ,
ମୁଁ ଦିଏ ଆଦେ
ଛାଡିଦିଅ, ତାକୁ ଛାଡିଦିଅ, ଉଡିବାକୁ ଦିଅ-
ଉଦାର ଆକାଶେ ।
ସେ ପତାକା ଆକାଶର
ଉଡୁଥାଉ ଫରଫର ଚୂରି ଅବକ୍ଷୟ
ସେ ପତାକା ଅମର ଅକ୍ଷୟ ।
ଲାଲ ଝଂଡ଼ା
ପୁଣି ଲାଲ ଝଣ୍ଡା ଖେଳିଲାଣି ଆକାଶରେ,
ହସୁଛି ଦେଖି ସେ ମଣିଷଂକ ଆପଣାରେ ।
ମାଆ ପରି ସେ ତ ଦେଇଥିଲା କେତେ କ୍ଷୀର
ମଣିଷ ଜାତିକୁ ଯୁଗ ଯୁଗ ବାରବାର,
କାହିଁ ଚାଲିଗଲା ବିତିଲାଣି ଦୁଇ ସାଲ ।
ହଠାତ୍ ଦେଖେ ମୁଁ ଲାଲ ହଂସ ପରି ଡେଣା
ମେଲାଇ ସେ ଆସେ, ଚାଲିଛି ତା ବନ୍ଦାପନା
ଆକାଶେ ଆକାଶେ, ମାଟିରେ ତା ଆବାହନୀ
ମଣିଷକୁ କରେ ଉତ୍ତଳା, ସ୍ଵାଭିମାନୀ ।
ଚାରିଆଡେ ଶୁଭେ ସାମ୍ୟର ଜୟ-ଘୋଷ,
ଶାନ୍ତି ସିଞ୍ଚିଇକଲ୍ୟାଣ ବାରି, ଦୁସମନ୍
ହା ହତାଶ ।
ଫେରି ଆସୁଛି ମୋ ମାଆ ।
ମଙ୍ଗଳ ଗୀତ ଗାଆରେ ମଣିଷ
ମଙ୍ଗଳ ଗୀତ ଗାଆ ।
ଶିଶୁପା ବୃକ୍ଷର ଡାଳେ -
ମୁଁ ଦେଖେ ମାଆର ଫେରିବାର ପଥ
ଭରିଛି ପଦ୍ମ ଫୁଲେ ।।
ହେ ବଂଧୁ ମିଳାଅ ହାତ
ହେ ବଂଧୁ ମିଳାଅ ହାତ
ମୈତ୍ରୀ ଆମର ଆଣିବଯେ ଡାକି
ଶାଂତିର ସୁପ୍ରଭାତ ।
ସାମ୍ୟର ତାହା ଆଣିବ ନୂତନ ଯୁଗ
ଆକାଶରେ ପୁଣି ଜଳିବ ଲାଲ୍ତାରା
ଲାଲ୍ପତକା ଯେ ପୁଣି ଉଡ଼ିବ
ଆକାଶେ ବିଶ୍ଵସାରା ।
ଫାସିବାଦ ଆଜି.
ବିଶ୍ୱରେ ତୋଳେ ମଥା
ଶୋଷଣ ବାଦର
ତାହାହିଁ ତ ଶେଷ ଆସ୍ଥା ।
ଆସିଲାଣି ବେଳ
ଉଠିଯିବ ତାର ଡେରା
ଏହି ତ ହେ ବଂଧୁ
ଦୁଗ ପତନ ବେଳା ।
ମଣିଷର ଯୁଗ ପୁଣି ଆସିବ
ଖେଳାଇ ତା ପତିଆରା
ସମୟ ଆସିଛି, ସମୟ ଆସିଛି ଆଜି .
ଡାକେ ମୁକ୍ତିର ଦୂତ ।
ଏକତା
ଏକତାର ଭୁର୍ଜପତ୍ରେ ‘ଏକ ବିଶ୍ୱ ଲେଖା,
ପୃଥିବୀ ଗୋଟିଏ, ସବୁଠାରୁ ବଡ଼ ମାନବତା ।
ସମଗ୍ର ମଣିଷ ମିଳି ଗୋଟିଏ ସଭ୍ୟତା ।
ତେଣୁ ତମେ ସବୁ ଯିଏ ଗଢୁଅଛ ଭେଦର ପ୍ରାଚୀର,
ପୃଥିବୀ କି କରୁଅଛ ଖଂଡ଼ ଖଂଡ଼,
ବୃତ୍ତି ଯାର ମୁନାଫା ଶିକାର ।
ଉଦ୍ବୃତ୍ତଜୀବୀର ଦଳ ଯେତେ ପଂଗପାଳ,
ତମର ବିଲୟ ଧ୍ରୁବ ଜନ୍ମି ଅଛ ଯେତେ ଭସ୍ମାସୁର ।
ମଣିଷ ମଣିଷ ସଦା ନୁହେଁ ସେ କିଂକର,
ଧନତନ୍ତ୍ରୀ-ବଣିକ ବାଦର ।
ସେ ଗଢୁଛି ଏକ ବିଶ୍ଵ ପ୍ରତି ମୁହୂର୍ତ୍ତରେ,
ତମେ ତାହା ଦେଖ ବା ନ ଦେଖ ଅବିଭାଜ୍ୟ ସମସ୍ତ ସଂସାର ।
ଖାଦ୍ୟ
ଖାଦ୍ୟ ଥାଉ ଯେଉଁଠାରେ ତାହା ମୋର,
ଯେଣୁ ମୁଁ କ୍ଷୁଧିତ,
ଥାଉ ତାହା ପୁଲିସ ଘେରରେ
ଅବା କାହା ଖାଦାନ ଖମାରେ
ତାହା ମୋ କ୍ଷୁଧାର ଅନ୍ନ, ଅଗ୍ର ଦାବି ମୋର ।
ଯେହେତୁ ବଂଚିବା ମୋର ଜୀବନର ସର୍ତ ।
ମୋତେ ବଂଚିବାକୁ ଦିଅ, ମୁଁ ଏକ ମଣିଷ
ତଳେ ମାଟି ଉପରେ ଆକାଶ ।
ତା ମଧ୍ୟରେ ମୁହିଁ ଛିଡା, ଧୁବ ମୋର ସ୍ଥିତି,
ଏଠାରୁ ହଟିବି ନାହିଁ,ନିଜେ ମୁହଁ ମୋର ନିୟତି ।
ଖାଦ୍ୟ କାହିଁ ? ଲୁଚାଇଛ କହ କେଉଁଠାରେ ?
ମୂଷା ଓ ଅସ୍ରପା ଯାହା ଜାଣେ ନାହିଁ ।
ମଣିଷର ଶିଶୁ ଜାଣେ ନାହିଁ ।
ପିଲାଦିନୁ ହୋଇଅଛି କୁହା -
ଏଟା ନୁହେଁ ମୋର, ସେଟା ତାର, ତାହା ଅନ୍ୟ କାର,
ମୋର ତେବେ କ'ଣ ?
ଜମି, ପାଣି, ପବନ,ଆଲୁଅ
ନାହିଁ ମୋର କିଛି ଅଧିକାର,
ଉପୁଜାଇ ସବୁ ଶସ୍ୟ, ଧନ ଆଉ ପଣ୍ୟ
ମୁଁ ମରୁଛି ଭୋକ ବିକଳରେ ।
ମୁଁ କ’ଣ ଆସିଛି ଉଡ଼ି
ଫୁଂକି ଦେଲେ ଉଡ଼ିଯିବ ଯେପରି ପିଂପୁଡି ?
ଏଠାରୁ ହଟିବି ନାହ
ଆସିନି ମୁଁ ହଟିଯିବା ପାଇଁ ।
ଆସିଛି ମୁଁ କରିବାକୁ ଏଠାରେ ସାବ୍ୟସ୍ତ
ମୋର ଜନ୍ମ ଅଧିକାର ।
ଖାଦ୍ୟ ଥାଉ ଯେଉଁଠାରେ ତାହା ମୋର,
ଯେଣୁ ମୁଁ କ୍ଷୁଧିତ ।।
କବି ମନମୋହନ ମିଶ୍ର ମୁଖ୍ୟତଃ ମେହନତୀ ମଣିଷଙ୍କ ମଙ୍ଗୁଆଳ ଓ ମଙ୍ଗଳ ମାନସୀ କବି । ତାଙ୍କର କବିତା କହିବାଠାରୁ ଗାଇବାରେ ଥିଲା ଗୀତମୟତା, ଯାହାର ସ୍ୱର ଖୁବ୍ ଶଣିତ ଓ ସ୍ୱର୍ଗୀୟ । ଉପକୂଳ ଠୁ ପଶ୍ଚିମାଞ୍ଚଳ ଯାଏ ସେ ଥିଲେ ଜନଗଣମନଙ୍କର ଗାୟକ-କବି, ତାଙ୍କ ରଚିତ ମୁକ୍ତଗୀତିର ଗାୟନ ଶୈଳୀରେ ବିଭୋର ହୋଇପଡ଼ୁଥିଲେ ଉପସ୍ଥିତ ସଭାସଦ୍ବର୍ଗ ।
୨୦୦୦ ନଭେମ୍ୱର ୧୯ ତାରିଖ ଶୀତ ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ଏହି ମହାନ ବିପ୍ଲବୀ କବି କେବଳକ ଆଧୁନିକ ଯୁଗର ଜଣେ ଯଶସ୍ୱୀ ସାହିତ୍ୟକ ନ ଥିଲେ, ସେ ଏକାଧାରରେ ଥିଲେ ବରିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଗଡ଼ଜାତ ପ୍ରଜା ଆନ୍ଦୋଳନ ପଛରେ ପ୍ରେରଣାଦାୟକ ଶକ୍ତି, ବାମପନ୍ଥୀ ଆନ୍ଦୋଳନର ଏକ ସ୍ପର୍ଦ୍ଧିତ ସ୍ତମ୍ଭ ।
ପ୍ରଗତିଶୀଳ କବି ରୂପେ ଅତି ଆଦୃତ ମନମୋହନ ମିଶ୍ରଙ୍କ ଦ୍ୱାରା ରଚିତ ବୈପ୍ଲବିକ ଉଦ୍ଦୀପନାରେ ଭରପୁର ସଙ୍ଗୀତ ଓଡ଼ିଶାର ଗ୍ରାମ - ନଗରର ଜନସାଧାରଣଙ୍କୁ ପ୍ରଭାବିତ କରିଥିଲା ଏବେ ମଧ୍ୟ କରୁଅଛି । ତାଙ୍କ ଦ୍ୱାରା ରଚିତ କବିତା ସଂଗ୍ରହ ‘କୋଟି କଣ୍ଠେ’ (ସରକାର ଦ୍ୱାରା ବାଜ୍ୟାପ୍ତ) ମୁକ୍ତି ଡାକରା, ଜୀବନର ଜୟଜାନ, ଜନତାର ଡାକ,ଲୁହକୁ ତୋର ସମ୍ଭାଳ, ଆବାଜ ପ୍ରଭୁତି ଅଶେଷ ଲୋକପ୍ରିୟ । ସଚ୍ଚି ରାଉତରାୟ, ଅନନ୍ତ ପଟ୍ଟନାୟକଙ୍କ ସଙ୍ଗେ ମିଶି ମନମୋହନ ପ୍ରଗତି ଯୁଗର କ୍ରାନ୍ତିକାରୀ ସାହିତ୍ୟର ଧାରାକୁ ଆଗକୁ ବଢାଇ ନୂତନ ପୀଢ଼ିପାଇଁ ସେ ହୋଇଛନ୍ତି ପ୍ରେରଣାପ୍ରଦ ।
ଏହି ମହାନ୍ କବିଙ୍କ ପାଇଁ ସାହିତ୍ୟ ସେବା ଏକ ସୌଖୀନ କଳା କର୍ମ ନଥିଲା, ଥିଲା ତାଙ୍କ ଜୀବନର ନିର୍ଯ୍ୟାସ ବିଶ୍ୱାସ । ଆଜିମଧ୍ୟ ଛାତ୍ର, ଯୁବକ, ଶ୍ରମିକ ଆନ୍ଦୋଳନ ମାନଙ୍କରେ ତାଙ୍କ କାଳଜୟୀ କ୍ରାନ୍ତିର କବିତା ‘ଏକହୁଅ’ ରକ୍ତ ତତାଏ, ଜାଗ୍ରତ କରାଏ ଏବଂ ସଂଗ୍ରାମ ପାଇଁ ଉତ୍ସାହିତ କରେ ।
ହେ ମୋର ଲେଖନୀ
ହେ ମୋର ଲେଖନୀ
ମୋହରି ଆରତତ୍ରାଣ
ମୋହରି ପଞ୍ଚପ୍ରାଣ
ଆଜି ତୋତେ ମୋର ଏହି ରାଣ ।
ମିଳାଇଛୁ ମୋତେ
ଏ ମାଟିର କୋଟି କୋଟି
ମଣିଷର ସାଥେ
ମୋର ଏହି ଭଙ୍ଗା ହୃଦୟର
ରଙ୍ଗା ରାକ୍ଷୀ ଟିକୁ
ବାନ୍ଧିଛୁ ତୁ ସର୍ବହରା
ଶ୍ରମିକର ହାତେ ।
ଏ ଜନନୀ ଉତ୍କଳର
ମହେନ୍ଦ୍ରରୁ ମେଘାସନ ଗିରି
ବିନ୍ଧ୍ୟାଚଳୁ ମହୋଦଧି ବାଲି
ଅସ୍ତରଙ୍ଗ ଧୀବରର ମାଛଧରା ଜାଲି
ବଡ଼ବିଲ ଖଣିର ଅଳନ୍ଧୁ ଯେତେ
ତାଳଚେର କୋଇଲା କଟାଳି
ଇବନଦୀ, ଇନ୍ଦ୍ରାବତୀ ଆଉ ନାଗାବଳୀ
ଗହନ କାନନ ଘେରା
ବକ୍ସାଇଟ ଖଣି ଭରା
ମାଲକାନଗିରି ।
ପାବନି ବ୍ରାହ୍ମଣୀ ତଟ ଇସ୍ପାତ ଶ୍ରମିକର ମେଳା
ଧୂମ ଧୂସରିତ ଧାମ ସେ ରାଉରକେଲା,
ଗିରିଜନ ପଲ୍ଲୀମାଳ ବୀରମିତ୍ରପୁର ।
ହେ ମୋର ଲେଖନୀ ନୁହଁ ବାଟବଣା
ପ୍ରତି ହୃଦେ ଅଙ୍କିତ ତୋ ତୋଫାନୀ ମୂର୍ଚ୍ଛନା ।
ବହୁ ଶତ ବର୍ଷତଳେ
ବୃକ୍ଷ ଡାଳେ ଶୁଣିଥିଲା
କ୍ରୋଞ୍ଚର ବନିତା ।
ଆଦି କବି ଅଶ୍ରୁଳ କବିତା ।
ଅଶୋକ ବନେ ବନ୍ଦିନୀ ଏ ଭାରତ ସୀତା
ତା’ର କର୍ଣ୍ଣେ ତୁହିଥୁଲୁ ବାଲମିକ ତୂରୀ
ଏ ମାଟିର ଦେଓମାଳି ଠାରୁ ଦେବଗଡ଼
ତୋ’ର ଧ୍ଵନି ରହିଅଛି ପୂରି
ସେହି ମୋର ବିନୀତ ସ୍ଵାକ୍ଷର
ଦଳିତ ଶୋଷିତ ପ୍ରାଣ
ରକ୍ତ ଇସ୍ତାହାର ।
ହେ ଲେଖନୀ !
ଫେରି ନାହିଁ ଅରି,
ସରି ନାହିଁ ଯୁଦ୍ଧ
ବିଶ୍ରାମ ନାହିଁ ତୋହରି ହେ ମୋର ଆୟୁଧ,
ଘେନ ଏ ପ୍ରଣାମ, ହେବୁ ନାହିଁ ଆତୁର ତୁ’
ସାହୁକାର ତରାଜୁରେ ହେବାକୁ ନିଲାମ
ଏବେ ଯାଏ ସରିନି ସଂଗ୍ରାମ ।
ମୋର ପରିଚୟ
ମୁଁ ଏକ ବେଗବାନ୍ ଜାତିର ପ୍ରତିନିଧି
ଏକ ବେଗବାନ୍ ଏକଚକ୍ରର ସାରଥି,
ଏକ ରହସ୍ୟମୟୀ, ହାସ୍ୟମୟୀ,
ଜନ୍ମ ମାଟିର
ରଙ୍ଗା କଳାକାର ।
କେତେ ଖଣ୍ଡ ଛୋଟ ବଡ଼ ପର୍ବତମାଳା ।
କେତୋଟି ଜୀର୍ଣ୍ଣ ମୁଗୁନିର ଅଶ୍ଳୀଳ ମୂର୍ତ୍ତି
ଦୁଇ ପଇସା ଡାକ ଟିକଟର ସୁଦର୍ଶନ ଘୋଡ଼ା
ପାଷାଣରେ ଲତାୟିତା କେତୋଟି କାମରତା
ପଦ୍ମବନର ପକ୍ଷ- ବତୀ-ପରୀ-
ମୋର ପରିଚୟ ନୁହେଁ ।
ଛୋଟ ବଡ କେତୋଟି ନଦୀ
ଏବଂ ସେହି ନଦୀର ରୋଷ-ବହ୍ନିକୁ ଅଟକ ରଖିଥିବା
ଜଉଗଡ଼ର ଫାଟକ ମୁଁ ନୁହେଁ
ଇତିହାସର ଯାତ୍ରାପଥରେ ଝରୁଥିବା
ମାଇଲ ପାଷାଣର
ମିଶିାଣ ମୁଁ ନୁହେଁ-
ମୁଁ ଏକ ବେଗବାନ୍ ଜାତିର ପ୍ରତିନିଧି
ମୁଁ ସ୍ରଷ୍ଟା
ମୋ ବିନା ଆଜିର ଏ ସୃଷ୍ଟି ସାଧ୍ୟ ନୁହେଁ
ମୁଁ ଖଟୁଲିରେ ପୋକର ଖାଦ୍ୟ ନୁହେଁ
କୌଣସି ମୁନି-ଅତୀତର ମନ୍ତ୍ର-ବିଧିରେ
ମୁଗ୍ଧ ନୁହେଁ, ବାଧ୍ୟ ନୁହେଁ
ତୁମର କି ଅଧିକାର ଅଛି
ଅତୀତର ମନୁମେଣ୍ଟର ଆଢୁଆଳରେ
ମୋତେ ଖୋଜିବାକୁ
ଏଭରେଷ୍ଟ୍ର ଉନ୍ନତ ଚୂଡ଼ାର
ଅଚଳାୟତନ ମୁଁ ନୁହେଁ
ହୀରାକୁଦର
ପ୍ରତି ବୁଦ୍ବୁଦର
ମୁଁ ଅସ୍ଥିରତା ।
ପ୍ରତି ମୁହୂର୍ତ୍ତରେ ମୁଁ ଶକ୍ତି ରୂପେ
ବର୍ତ୍ତୀ ରୂପେ ଜନ୍ମ ହୁଏ
ପ୍ରତି କୂଟୀରର ଆଲୋକ -ଠଣାରେ
ଇସ୍ପାତର ଚଞ୍ଚଳ ରଶ୍ମି-କଣାରେ
ଅହରହ ମୋର କ୍ଷୟ ଆଉ ଜନ୍ମ
ଜନ୍ମ ଆଉ କ୍ଷୟ-
ସେହି ମୋର ପରିଚୟ ।
ମୋର ପ୍ରଚଣ୍ଡ ଦାହନର ନିଶ୍ଵାସରେ
ଅତୀତର ଯାହା ସ୍ୱର୍ଣ୍ଣ ରହେ
ତାହା ସ୍ୱର୍ଣ୍ଣ ହୁଏ
ମୋର ମାନଦଣ୍ଡର ଉଦ୍ଭାସରେ
ଅତୀତର ଯାହା ଚୂର୍ଣ୍ଣ ହୁଏ
ତାହା ଚୂର୍ଣ୍ଣ ହୁଏ
ଏକାମ୍ର କୋଣାର୍କର
ସ୍ମାରକ ମୁଁ, ବାହକ ମୁଁ
ବସୁଧାର, ତୂଳିର, ରଞ୍ଜନର
ନୂପୁର ସିଂଜନର
ଆଖିର ଅଞ୍ଜନର
ପାଠକ ମୁଁ ଗ୍ରାହକମୁଁ
ମୋର ଜନ୍ମଭୂଇଁର ବକ୍ଷ ଛୁଇଁ
ଯେତେ ଅଭାବ ଜଳେ
ଦୁଃଖ ବଳେ,
ତାର ଦାହକ ମୁଁ
କର୍ମ-ମୁଖର, ଚରମ ସୁଖର ଗାୟକ ମୁଁ,
ନାୟକ ମୁଁ
ଭବିଷ୍ୟତର ପୌର୍ଣ୍ଣମାସୀର ଶଶାଙ୍କ ମୁଁ
ମୁଁ ଶାନ୍ତିଜୟୀ
ଶାନ୍ତିମୟୀ ସୃଷ୍ଟିର ଭାରତୀ
ମୁଁ ଏକ ବେଗବାନ୍ ଏକଚକ୍ରର ସାରଥି,
ମୁଁ ଏକ ସ୍ଵପ୍ନିଳ ବାସ୍ତବର କର୍ମ-ବିଧି,
ମୁଁ ଏକ ବେଗବାନ୍ ଜାତିର ପ୍ରତିନିଧି ।
ଆହେ ଓଡ଼ିଶାର ଜନତା
ଆହେ ଓଡ଼ିଶାର ଜନତା
ପୋଡ଼ିଯାଉ ମୋର ଲେଖକ ହେବାର
ନଗଲା ଯଦି ମୋ ବାରତା ।
ପୋଡିଯାଉ ମୋର ସଳଖ ସୁନ୍ଦର
ନାନା କାରୁକାମ ଶବଦ,
ପୋଡ଼ିଯାଉ ମୋର ସଜଫୁଟା ଫୁଲ
ଭଳି ସନାତନ ଦରଦ ।
ମୋ ଗୀତ ପଦିକେ ତୁମର କାହାଣୀ
ତୁମେ ଯଦି ବୁଝି ନ ପାର,
ଧିକ ଧିକ ମୋର କବି ବୋଲାଇବା
ଧିକ ମୋ ଲେଖକ ହେବାର
ତୁମେ ଯଦି ହେଲ କଚେରୀ ଦୁଆରେ
ସାହୁକାରେ ହାତେ ନିଲାମ
ବାଲି ଗରଡ଼ାଟି ପାଲଟିଲା ସିଏ
ମଣିଥିଲ ଶାଳଗିରାମ ।
ଆଠ କାଳି ବାରମାସି ଖଟି ଖଟି
ପେଟକୁ ଦାନା ନ ଯୁଟିଲା
ସେହି ପେଟ ଲାଗି ଏକଠୁଳ ହେନ
ଏକଥା ଯେବେ ନ ଫୁଟିଲା,
ଯାଏ ଆସେ କେଡ଼େ କେତେଟା ପତ୍ରିକା
ମୋ କବିତା ଲେଖା ଛାପିଲେ
ଯାଏ ଆସେ କେତେ କେଉଁ ଗୁଣିଆ ସେ
ମୋ କବିତା ଗୁଣ ମାପିଲେ,
ଆହେ ଓଡ଼ିଶାର ଜନତା
ତୁମକୁ କରିଲି ଅବ୍ୟୟ ମୁହିଁ ଆପେ ବୋଲାଇଲି କରତା ।
ମୋତେ ବହଲାଇ କେତେ ବଚନିକା
କରି ନାହିଁ ମୁହଁ ତିଆରି !
‘କବିତା କି ତୁଚ୍ଛା ଅଦାର ବେପାର
ମୁରୂଖର ସାଗ କିଆରି ?’
ତୁମକୁ କରିଲି ଅଳ୍ପ ମୂରୁଖ
ମୋ ଲେଖାକୁ କଲି ଆରସି
ତୁମକୁ ବିଚାରେ ଅରସିକ ଜନ
ମୋ ଗୀତକୁ ନାହିଁ ପରଶି ।
ମୋ କବି ପଣିଆ ରହିଲା ମୋ ପାଶେ
ତୁମେ କଲ ଦୂରୁଁ ଜୁହାର
ଢାଳେ ନ ଢାଳିଲ କରୁଣା ପଲକ
ଯେତେ ବହି କଲି ବାହାର ।
ନବ ଯଉବନୀ ଛବି ଚମକାଇ
କେତେ ପତ୍ରିକା ଛାପିଲି
କେତେ ନାଗରୀର ଚରଣ ଅଳତା
ଲେଖି ଲେଖି କାଳ ଯାପିଲି ।
ନୂଆ ରସକେଳି ନବ ନଟୁଚୋରୀ
ଯେତେ ଯେତେ କଲି ବାହାର
ଜନନୀ ଭଗିନୀ ଅପମାନେ ମଲେ
ତେବେ ନ ଚଳିଲା ବେପାର !
କିଏ ମନ କଲୁଁ ବିଲାତର କବି
ଏଲିଏଟ୍ ହେବୁ ଏ ଦେଶେ
ନବୀନ ଭଞ୍ଜ ସମରାଟ ହେବୁଁ
ଜନତାକୁ ଦେବୁ ଆଦେଶେ ।
କିଏ ସେ ସାଜିଲୁଁ ବଢିଆ କଥକ
ମୋ-ପାସାଁ ବନିଲୁ କଟକେ
କିଏ ସେ ମାଜିଲୁ କଲମ ମୂନରେ
ନୋବେଲ ପ୍ରାଇଜ ଝଟକେ ।
ଆପେ ଲେଖି ଆପେ ଗ୍ରାହକ ହୋଇଲୁ
ପରସ୍ପରେ ଦେଲୁ ବଧାଇ,
ଆମେ ପାଲଟିଲୁ ଶିରୀ ଚଇତନ
ଆମେ ହିଁ ଜଗାଇ ମାଧାଇ ।
ତଥାପି ତୁମର ଚେତନା ନୋହିଲା
ହେଲ ଅଗୁଆଁର ଏତିକି
ଶାରଳା ଭାରତ, ଭାଗବତ ପୋଥି
ଲଗାଇଲା କେଉଁ ଭେଳିକି ।
ସୁଖେ ଖାଇପିଇ ମୁଖ ପୋଛେ ଯିଏ
ସେ ଲେଖେ ଭୋକର ବେଦନା,
ହେ ଭୋକିଲା ଦଳ, ତୁମେ ନ ପଢିଲ
ଏଥୁ ବଳି ଅଛି ଶୋଚନା ?
ଆହେ ଓଡ଼ିଶାର ଜନତା
ତୁମର କବିଏ ଘୋଷଣା କରୁଛି
ଅକାତରେ ଏଇ ବାରତା
ନହେଉ ପଛେ ମୋ ରବୀନ୍ଦ୍ର ହେବାର
ଭାବ ବିନୋଦିଆ ପରବ
ନ ହେଉ ପଛେ ମୋ ଅଭିଜାତ ପୁର
କବି ତୁମେ ଗଣା ଗରବ ।
ନ ପଡ଼ୁ ପଛେ ସେ ଏକାଡ଼େମୀ ଘରେ
ମୋ ନାଆଁର ଗାର ନ ପଡ଼ୁ,
ଭାନୁମତୀ ଦେଶ ଉପମା ଫସଲେ
ମୋ ଭାବ ଅମାର ନ ବଢ଼ୁ ।
ଯେତିକି ପାରିବି ସେତିକି ତୁମକୁ
ଯେସନେ ପାରେ ମୁଁ ଫୁଟାଇ,
ସେଥିପାଇଁ ଯେତେ ପୋଲା ବାହାଦୁରି
ସବୁ ତକ ଦେଲି ଉଡ଼ାଇ ।
ଆହେ ଓଡ଼ିଶାର ଜନତା
ଏତିକି ମାଗୁଣି ମୋହରି ବାଣୀରେ
ତୁମେ ହୁଅ ଚିର କରତା ।
ଏକ ହୁଅ
କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ
ଏକ ହୁଅ
ଏକ ହୁଅ ତୁ ଭାରତ ଜନତା
ସଂଗ୍ରାମର ମଇଦାନରେ ।
ନାରୀ ବା ପୁରୁଷ, ତୁବା ହିନ୍ଦୁ ମୁସଲମାନରେ
ଭାତ, ଭୁଇଁ, ସ୍ଵାଧୀନତା
ଦାବୀ ତୋ ସମାନରେ
ହେଉ ପଛେ ଶତ ପାର୍ଟି, ଶତ ଅନୁଷ୍ଠାନରେ
ଏକ ହୁଅ,
ଏକ ହୁଅ ତୁ ଭାରତ ଜନତା
ସଂଗ୍ରାମର ମଇଦାନରେ । ୧ ।
ହପ୍ତାକ ଖୋରାକେ ସାରି ମାସକ ମଜୁରୀରେ
ମରନା ମରନା ତୁହି ପଡ଼ି ପାଇଁ ଝୂରୀରେ
ଗୋରା କଳା ସେଠ ଦଳ ବୁନିୟାଦ ଚୂରିରେ
ଉଠା ଉଠା ବଦ୍ଧ ମୁଠା ହାଣୁ ଆସମାନରେ
ଏକ ହୁଅ
ଏକ ହୁଅ ତୁ ଭାରତ ଜନତା
ସଂଗ୍ରାମର ମଇଦାନରେ । ୨ ।
କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ... ।
ଭୁଲନା ତୁ ଭୁଲନା ।
ନିପୁଳ ତୋ ଲଢ଼ାଇର ମୁକତିର ମୂର୍ଚ୍ଛନା,
ଭୁଲନା ତୁ ଭୁଲନା
ଯେ କୌଣସି ଜାତି ତୁଲେ
ହୁଏ ତୋର ତୁଳନା,
ଭୁଲନା ତୁ ଭୁଲନା
ବନ ଭୂମି ଜନପଦେ ରକତର ଝରଣା
ଅକାତରେ ବୁହାଇଛୁ ନକରି ତୁ ଶୋଚନା,
ଭୁଲନା ତୁ ଭୁଲନା
ଧନ୍ୟ ତୋର ଜନ୍ମମାଟି ବୀର ବଳିଦାନରେ
ହେଉ ହେଲେ କେତେ ଜଣ
ଲୋଚା ବେଇମାନରେ
ବିଦେଶୀ ଦଲାଲ ସିଏ ଜାତି ଅପମାନରେ
ଝୁଠା ସିଏ, କୁଟାଖିଏ ମୁକତି ତୋଫାନରେ
ଏକ ହୁଅ
ଏକ ହୁଅ ତୁ ଭାରତ ଜନତା
ସଂଗ୍ରାମର ମଇଦାନରେ ।୩।
ଏ ଦେଶ ମାଲିକ ହୋଇ ରହିଲୁ ଗୋଲାମ
ଦର ବଢ଼ଇ ମଜୁରୀ ନ ବଢ଼େ ଛଦାମ
ଫସଲ ଫଳାଇ ଚାଷୀ ଦୁଃଖେ କାଟେ ଯାମ,
ଜିନିଷ ପତ୍ର ଭରିଛି ବିରଳା ଗୋଦାମ
ଭିଟାହରା କୁଳାବାଳା ମାଉଁସ ନିଲାମ
ମାନ୍ୟବର ସାଆନ୍ତଙ୍କ ଭୋଜି ଧୁମ୍ ଧାମ୍
ଭୋକି ତୁଣ୍ଡେ ଭରି ଦିଏ ରଘୁ ରାଜା ରାମ
ମନେ କରେ ଅନ୍ଧ ତୁ’ରେ ନାହିଁ ଆଖି କାନରେ
ନିଶବଦେ ଜଳେ ଜୁଇ
କୋଟି କୋଟି ପ୍ରାଣରେ ।
ଏସିଆର ପଥେ ଘାଟେ ମୁକତି ନିଶାଣରେ
କଲୋନୀର ଯୁଗଯୁଗ ରାତି ଅବସାନରେ
ଏକ ହୁଅ
ଏକ ହୁଅତୁ ଭାରତ ଜନତା
ସଂଗ୍ରାମର ମଇଦାନରେ ।
କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ ।୪।
ଦୁନିଆର ଜନତାରେ ଜୁହାରରେ ଜୁହାର
ମୁହାଣରେ ଲାଗିଛି ତୋ ଜୁଆରରେ ଜୁଆର
ଶାନ୍ତିର କପୋତ ଉଡ଼େ ଦୁଆରରେ ଦୁଆର
ଚାଇନା ଜନତା ମାଡ଼େ ହୋଇଲାଣି କାବାର
ଆମେରିକା ଯୁଦ୍ଧ ପେଚା ହୋଇଲାଣି ବାହାର
ତୋରି ବୁକେ ଅବଶେଷେ ଲୋଡ଼ିମରେ ଥାନରେ
ଏକ ହୁଅ...
ଏକ ହୁଅ ତୁ ଭାରତ ଜନତା
ସଂଗ୍ରାମର ମଇଦାନରେ ।
କାରଖାନା, ଖଳାବାଡ଼ି, ଖାଦାନ, ବାଗାନରେ....
ଏ ଆକାଶ ଏହି ବାୟୁ
ଯେବେ ତୁହି ଭଲପାଉ,
ଏକ ହୁଅ, ଏକ ହୁଅ
ମଣିଷର ପରମାୟୁ
ଯେବେ ତୁହି ଭଲପାଉ,
ଏକ ହୁଅ, ଏକ ହୁଅ
ଶାନ୍ତିକାମୀ, ମୁକ୍ତିକାମୀ
ଏକ ହୁଅ, ଏକ ହୁଅ
ତୋ’ଭୋକିଲା ପେଟ ଡାକେ,
ଏକ ହୁଅ, ଏକ ହୁଅ
ତୋ ଫସଲ ଲକ୍ଷ୍ମୀ ଡାକେ,
ଏକ ହୁଅ,ଏକ ହୁଅ
ତୋ ଖଣି, ଖାଦାନ ଡାକେ
ଏକ ହୁଅ, ଏକ ହୁଅ
ତୋ ବନ ଜଙ୍ଗଲ ଡାକେ,
ଏକ ହୁଅ,ଏକ ହୁଅ
ତୋ କୁଟିର ରାଣୀ ଡାକେ
ଏକ ହୁଅ, ଏକ ହୁଅ
ତୋ କୋଣାର୍କ, ତାଜ ଡାକେ
ଏକ ହୁଅ, ଏକ ହୁଅ
ତୋ ସ୍କୁଲ, କଲେଜ ଡାକେ
ଏକ ହୁଅ, ଏକ ହୁଅ
ତୋ ବଡ଼ ଦେଉଳ ଡାକେ
ଏକ ହୁଅ, ଏକ ହୁଅ
ଗିର୍ଜା, ଗୁରୁଦ୍ୱାର ଡାକେ
ଏକ ହୁଅ, ଏକ ହୁଅ
ମନ୍ଦିର,ମସ୍ଜିଦ୍ ଡାକେ
ଏକ ହୁଅ, ଏକ ହୁଅ
ତୋ ପିଲା କବିଲା ଡାକେ
ଏକ ହୁଅ, ଏକ ହୁଅ
ତୋ ଜନମ ମାଟି ଡାକେ
ଏକ ହୁଅ, ଏକ ହୁଅ
ମଣିଷକୁ ମାରିବାର ପରମାଣୁ ବାଣରେ
ଯେହୁ ଗଢ଼ି ଗଦା କରେ ମେରୁ ପରିମାଣରେ
ଅୟୁତ ଯୋଜନୁ ଯିଏ ଏ ମାଟି ଚଟାଣରେ
ମୁନାଫା ବଜାର ଲାଗି ଅସ୍ତ୍ର କରେ ଶାଣରେ
ତା’ବିନାଶେ ନିର୍ବିଶେଷେ ହୁଅ ତୁ ନିଶାଣରେ
ହେଉ ପଛେ ଶତ ମତ
ଏକ ଅଭିଯାନରେ....
ଏକହୁଅ,
ଏକ ହୁଅ ତୁ ଭାରତ ଜନତା
ସଂଗ୍ରାମର ମଇଦାନରେ
କାରଖାନା, ଖଳାବାଡ଼ି,ଖାଦାନ,ବାଗାନରେ....
ଭଗବତୀ ପ୍ରିୟ ସାଥୀ
ଭଗବତୀ ପ୍ରିୟ ସାଥୀ
ସେ ଦିନ ନିର୍ଜନ ରାତି
ଆଦିବାସୀ ଛୁଆ ଘିନୁଆ ବାଣୁଆ
ପାରିଧିରେ ଥିଲା ମାତି ।
ପଶୁ ମହାବଳ ପଶିଥିଲା ଗୋଠେ
ମଣିଷ ରକତ ଭରି ନିଶ ଓଠେ
ମାଇଲା ଘିନୁଆ ବନ୍ଧୁକ ଚୋଟେ
ହୁକୁମ ହୋଇଲା ଦଶଟଙ୍କା ମୋଟେ
ତଥାପି ସେ ଗୋରା ପ୍ରଶଂସା ପତର
ଲେଖି ଦେଲା ହାତ କାଟି ।
କେତେ ଦିନ ଗଲା ବିତି
ମଣିଷ-ବାଘର ହୋଇଲେ ଶିକାର
କେତେ ଲୋକ ନିତି ନିତି ।
କାହା ଭୂଇଁ ଗଲା, ଗଲା କାହା ଘର
କା’ହଳ ଫିଟିଲା କେ ଗୋତି ଚାକର
କୁଳ ଭୂଆଷୁଣି ଝିଅ ବୋହୂଙ୍କର
ମହତ ହୋଇଲା ତୁଠର ପଥର
ଜଣେ ଅଧେ ନୁହେ ଶହ ଶହ ଘର
ହା’ହା’କାରେ ଗଲା ଫାଟି ।
ସେ ଦିନ ନିର୍ଜନରାତି !
ଲହୁ ସର ସର ଗାମୁଛା ଗୁଡ଼ାଇ
ଚାଲିଛି ଘିନୁଆ ତରବର ହୋଇ
ପହିଲି କଚେରୀ ସକାଳ ବସଇ
ହାକିମ ଆସିବା ମଟର ଶୁଭଇ
ଜମା ହେଲେ ଲୋକେ କିଭଳି ବାଘ ସେ
ବାଣୁଆ ଆଣିଛି କାଟି ।
ହଟିଗଲେ ଲୋକେ ଏତ ରାମ କାର୍ଜି !
କେତେ ଭୂଇଁ ବାଡ଼ ବାହୁ ବଳେ ଅର୍ଜୀ
ଥିଲା ଲୋକଟାଏ ଥିଲା ପରି ଥିଲା
ଆବ୍ବା, ଆବ୍ବା! କେହ୍ନେ ଏଡ଼େ କଥା ହେଲା !
ଶୁଣିବୁ ସାହେବ କହିଲା ଘିନୁଆ
ବାଘ ମହାବଳ ହେଲେ ପଶୁଛୁଆ
ମଣିଷ ପେଟରୁ ଜନମି ଏ ଶଳା
ମଣିଜ ସର୍ବଦା ନିତି ପଦା କଲା
ଶହେ ବାଘ ଠାରୁ ଅଧିକ ଏ ଶଳା
ବଧାଇ ନ ଦେବୁ କାଟି
ଏଥର ତାଲୁକା ଉଶ୍ୱାସ ହୋଇଛି
ଉଶ୍ୱାସ ହୋଇଛି ମାଟି ।
ଗରଜେ ନିର୍ଜନ ରାତି,
ଭଗବତୀ ପ୍ରିୟ ସାଥୀ !
ବଧାଇ ବେଳର ଘଣ୍ଟି ବାଜିଲା
ହାତ ଗୋଡ଼ ବେଡ଼ି ଛନ୍ଦ ଶୁଭିଲା
ତେଲ ସରସର ଚିକ୍କଣ ସେ ରସି
ବଧାଇ ପାଗଳ ସେ ବାଣୁଆ ହସି
ହସି ଛାତି ଦେଲା ପାତି,
ପେଶଳ ବୁକୁର ଶିରା ଫୁଲି ଫୁଲି
ଚୁମିଲା ଜନମ ମାଟି ।
ଗରଜିଲା ନିଶାରାତି ।
ବାଘର ପାରିଧି ଆଉ ହୁଏ ନାହିଁ
କାହାର ନ ପାଏ ଛାତି
ବହୁ ଦିନ ତଳେ ଥରେ
ଫାଶି ପାଇଥିଲା ଲେନିନ୍ର ଭାଇ
ରୁଷିଆର ବନ୍ଦୀ ଘରେ ।
ପୋଛି ପୁତ୍ରହରା ଜନନୀର ଚକ୍ଷୁଲୁହ
ପୁକାରିଲା ଦମ୍ଭେ ମଣିଷର ଶ୍ରେଷ୍ଠ ପୁଅ
ନୁହେଁ ଏଇ ବାଟ ବଜାରେ ଦଳିତ ବାଜା
ତୋ ବୁକୁ ଲୁହରେ ତୋ ନିଶାଣ ତୁହି ଭିଜା ।
ଜାଗରେ ସର୍ବହରା,
ହାରିବାକୁ ହେବ ବନ୍ଧନ ଫାଶ
ଜିଣିବାକୁ ହେବ ଧରା ।
ଘିନୁଆ ଛାଡ଼ିଛି ଡାକ
ବିପୁଳ ମୋ କାନ୍ଧ ଉପରେ ଏ ପଟେ
ମୋ ଜାତି ନିଶାଣ ଟେକ ।
ଶିଆଳର ପରି ପଳାଉ ଶେଠଜୀ
ମରୁ ମହାରାଜା ବିଲାତକୁ ଭଜି
ଜାତିର ସମରୁ ଯାଇଅଛି ହଜି
କଂଗ୍ରେସୀ ବୁର୍ଜୁଆ ରଜା ।
ଆଜି ନୂଆ କରି ଜାତି ଗଢ଼ା ହେବ
ବଜାଅ ସମର ବାଜା ।
ଭଗବତୀ ପ୍ରିୟ ସାଥୀ
ଫୁଲି ଫୁଲି ଉଠେ ଲହୁର ଲହରି !
ତୋଳି ଏ ମହାନ୍ ଜାତି ।
ଘିନୁଆର ଏବେ ହେବ ଦିନେ ଅଭିଷେକ
ସାଥୀ ଭଗବତୀ ନୂଆ ଗପଟିଏ ଲେଖ ।
ଖୋର୍ଦ୍ଧା ଜିଲ୍ଲାର ଷଣ୍ଢପୁର ଗ୍ରାମରେ ୩-ଜୁଲାଇ ୧୯୧୯ ରେ ରଘୁନାଥ ଦାସଙ୍କ ଜନ୍ମ । ବାଲ୍ୟ କାଳରେ ମାତୃ ବିୟୋଗ ଓ ହାଇସ୍କୁଲ ଶିକ୍ଷା ସମୟରେ ପିତାଙ୍କ ଦେହାନ୍ତ ହେବାରୁ ପିତୃମାତୃହୀନ କବି ରଘୁନାଥ ଆପଣା ଉଦ୍ୟମରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ମାତ୍ର ଦଶ ବର୍ଷ ବୟସରେ କବିତା ଲେଖା ଆରମ୍ଭ କରି ପରବର୍ତ୍ତୀ ସମୟରେ ପ୍ରଗତିଶୀଳ ସାହିତ୍ୟକୁ ସମୃଦ୍ଧ କରିବା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ।
କଟକର ରେଭେନ୍ସା କଲେଜରେ ପାଠ ପଢୁଥିବା ସମୟରେ ୧୯୩୫ ସାଲରେ ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ନବଯୁଗ ସାହିତ୍ୟ ସଂସଦ’ର ଜଣେ ସକ୍ରିୟ ସଦସ୍ୟ ହେବା ସହ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ମାର୍କ୍ସବାଦୀ, ପ୍ରଗତିବାଦୀ କବିତା ରଚନାରେ ବ୍ରତୀ ହୋଇଥିଲେ ।
ପରେ ଓକିଲାତି ବୃତ୍ତିରେ ପ୍ରବେଶ କରି ଦୀର୍ଘ ଦିନ ସାରସ୍ୱତ ସାଧନାରୁ ନିବୃତ୍ତ ରହି ଜୀବନର ଅନ୍ତିମ ବର୍ଷମାନଙ୍କରେ ପୁନରାୟ ସେ ସାହିତ୍ୟ ସାଧନାରେ ତଲ୍ଲୀନ ହୋଇଥିଲେ ।
ଏହି ମହାନ ବିପ୍ଲବୀ କବିଙ୍କ ୧୯୮୪ ମସିହାରେ ଦେହାବସାନ ପ୍ରଗତି ଶୀଳ ସାହିତ୍ୟର ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଥିଲେ ମଧ୍ୟ ଉତ୍ତରପିଢି ପାଇଁ ଆଜି ବି ଏହି ମହାନ୍ କବି ପ୍ରେରଣାର ପ୍ରଗଣାରେ ପଲ୍ଲବିତ ତରୁର ପ୍ରତୀକ ।
ଆମେ ଜନସାଧାରଣ
ଅନାହତ ପଥେ କାର ପଦଧ୍ୱନି-
ଚମକି ଚାହିଁଲା ଚକିତ ବନାନୀ,
ଚରଣ ପରଶେ ବିକାଶେ ପାଷାଣୀ
ଆମର କାହାଣୀ ପୁରାତନ ଅତି,
ରଚିଥିଲୁ ରାମାୟଣ
ଆମେ ଜନସାଧାରଣ ।
ଧମନୀରେ ଛୁଟେ ଯୌବନ ଉଦ୍ଦାମ,
ଏ ଧରଣୀ ହେଉ ସୁନ୍ଦର ସୁଠାମ,
ଛବିଳ ନଗର ସୁଗଠିତ ଗ୍ରାମ,
ମହାୟସୀ ଗ୍ରୀସ୍, ମନୋରମ ରୋମ,
ଉଷାର ସ୍ଵର୍ଣ୍ଣ ତୋରଣ
ଆମେ ଜନସାଧାରଣ ।
କୁଠାର ଆଘାତେ ନିପାତ ଜଙ୍ଗଲ,
ମୁଠାରେ ଲଙ୍ଗଳ, ଉଠାରେ ଫସଲ,
ଆମ ହାତେ କିଆଁ, ଜଡ଼ିତ ଶୃଙ୍ଖଳ ?
ହାଣ ଅମଙ୍ଗଳ, ଜାଗ ପ୍ରମିଥସ୍,
ମୁକ୍ତିର ଦୃପ୍ତ ସପନ
ଆମେ ଜନସାଧାରଣ ।
କେତେ ଯେ ଅମୀର ଜାର ବାଦଶାହ
କାଳସ୍ରୋତେ ଫୁଲି ବୁଦବୁଦ ପ୍ରାୟ
ଝଟକି କ୍ଷଣକେ ଫାଟିଗଲେ ହାୟ
ବିପୁଳ ପ୍ରବାହେ ଆମ ଜୀବନର
ଅବିନଶ୍ୟ ଚିରନ୍ତନ ।
ଆମେ ଜନସାଧାରଣ ।
ଦଳିତର ଗଣ୍ଡେ ତପ୍ତ ଅଶ୍ରୁଧାରା,
ନିରନ୍ନ ଜଠର ତୀବ୍ର ବହ୍ନିଜ୍ଜାଳା,
ବଞ୍ଚିତ ଲାଞ୍ଚିତ ଆମେ ସର୍ବହରା,
ବିଷାଦ ଜଡ଼ିତ ଜଡ଼ ବାଷ୍ଟାଇଲ,
ନିଃସ୍ଵର ମହାକ୍ରନ୍ଦନ
ଆମେ ଜନସାଧାରଣ ।
ଶ୍ରମୁଁ ବଳି କାହିଁ ଅଛିରେ ପୁନିଅଁ ?
ମାଟିରେ ରୋପିଲା ରସାଳ ଅମୀୟ,
ଜୀବନେ ରଚିଲା କଳା କମନୀୟ
ପ୍ରଗତି ପୀଠର ପ୍ରିୟ ମହାଯାଗେ
ଅସ୍ଥିକୁ କରୁ ଇନ୍ଧନ
ଆମେ ଜନସାଧାରଣ ।
ଖେତେ ଖେତେ ଘନ ଶିହରଣ ଲାଗେ,
ସୃଜନର ବାଣୀ ବାଜେ ଅନୁରାଗେ,
ମୃଦୁ କଳରବେ କେହୁ କିରେ ଡାକେ !
କୋଟି ପ୍ରାଣେ ଜାଗେ ଗୋଟିଏ ସେ ଛନ୍ଦ
ବିଶ୍ଵବୁକୁର ସ୍ପନ୍ଦନ
ଆମେ ଜନସାଧାରଣ ।
ପ୍ରେମ-ଯମୁନାର ଆମେ ନୀଳ ସ୍ରୋତ,
ଦେଶେ ଦେଶେ ଉଡ଼େ ଶାନ୍ତି କପୋତ,
ରଣ ଓ ମରଣ କରିବୁ ବିରୋଧ,
ମାନବିକତାର ବୋଧେ ବଳିୟାର
ନାହିଁ ଚାହୁଁ ଆକ୍ରମଣ ।
ଆମେ ଜନସାଧାରଣ ।
ଆମେ ଚିକାଗୋର ଲୋହିତ ନିଶାଣ,
ଭଲ୍ଗା ତଟ ଛୁଇଁ ଛୁଟେ ଯେ ତୋଫାନ,
ନୂଆ ଚାଇନାର ବିପ୍ଳବୀ କିଷାନ
ଆମ ଅଭିଯାନେ ଦଳିତ ଜାତିର
ଛିନ୍ନ କରିବୁ ବନ୍ଧନ
ଆମେ ଜନସାଧାରଣ ।
ମାଳୟ ବଣର ପ୍ରଳୟ ଝଟିକା
କୋରିଆର ବୀର ସମର ଗୀତିକା
ଆମେ ରକ୍ତନଦୀ ଦୁର୍ଗମ ପରିଖା
ଆମେ ଲାଲଶିଖା ନବୀନ ଆଶାର,
ଏସିଆର ଜାମରଣ
ଆମେ ଜନସାଧାରଣ ।
ଜୀବନପଥରେ କୋଟିଏ ପାହାଚ
ପଦେ ପଦେ ପୁଣି ନୂଆ ନୂଆ ନାଚ
ସ୍ମୃତି, ଅନୁଭୂତି, କାଲି ଲାଗି ପାଞ୍ଚ,
ବିପୁଳ ରୋମାଞ୍ଚେ ଗଢ଼ା ଆମ ପାଞ୍ଜି
ସବୁଜ ନିତ୍ୟ ନୂତନ
ଆମେ ଜନସାଧାରଣ ।
ଜଟାୟୁ
ଶିହରୁଛି ପଞ୍ଚବଟୀ
କାହାର ଏ ବିକଳ କ୍ରନ୍ଦନେ ?
ଶିହରୁଛି ବନଲତା-
ବିଶ୍ୱପିତା ଥରେ ଯଥା
ଆଶ୍ରିତର ଆର୍ତ୍ତ ନିବେଦନେ ।
କାହା ନେତ୍ରୁ ଝରିପଡ଼େ
ବିନ୍ଦୁ ବିନ୍ଦୁ ଉଷ୍ଣ ଏ ଲୋତକ ?
ପତ୍ରେ ପତ୍ରେ ରଖିଯାଏ
ବେଦନାର ନିଶ୍ଚିତ ସନ୍ତକ ।
କରେ କେ ଘର୍ଘର ନାଦ ଉର୍ଦ୍ଧ୍ୱନଭେ ?
ଅଶ୍ଳୀଳ ଶବଦ !
ପ୍ରକମ୍ପିତ କରେ ଦର୍ପେ ?
ବନସ୍ଥଳୀ ହେଉଛି ବିକ୍ଷୁବ୍ଧ ।
ଛୁଟିଆସେ ଉତ୍ତରରୁ
ପଳାତକ ପୁଷ୍ପକ ବିମାନ
ଶୋକାକୁଳା ସତୀ ସୀତା,
ପାଶେ ତାଙ୍କ ବସିଛି ରାବଣ ।
ଯତିବେଶେ ଲଙ୍କାପତି
ନେଉଛି ତ ସତୀଙ୍କୁ ଚୋରାଇ,
ଅସହାୟେ ସତୀ ଡାକେ ‘ପତି’ ‘ପତି’
ପତି ପାଶେ ନାହିଁ ।
ଜଡ଼ ହେଲା ପଞ୍ଚବଟୀ ?
ବ୍ୟର୍ଥ ଯିବ ଏତେ ଅଶ୍ରୁପାତ ?
ନଗ୍ନ ବ୍ୟଭିଚାରେ ଏଥି
କରିବେନି କେହି ପ୍ରତିବାଦ ?
ଆପଣାର ହୀନ ବଳେ
ମନେ ବୁଥା ଜାଗିଛି ସଂଶୟ
ବପୁର ଶକ୍ତି ମୋ କ୍ଷୀଣ,
କିନ୍ତୁ ମୋର ଆତ୍ମା ଯେ ଅଜେୟ ।
ମୁଁ ଛାର ଜଟାୟୁ ପକ୍ଷୀ
ପ୍ରତିପକ୍ଷ ପ୍ରବଳ ପ୍ରତାପୀ
ନୁହେଁ ତାର ସମକକ୍ଷ
ପ୍ରତିବାଦ କରିବି ତଥାପି ।
ପାରେ ବା ନ ପାରେ ମୁହିଁ,
ଅନୀତିର ରୋଧିବି ଗତିକୁ,
ସତ୍ୟ ଲାଗି ଯୁଝିବି ମୁଁ,
ଆଶ୍ଵାସନା ହେବ ସେ ସତୀକୁ ।
ଛୁଟିଲି ଆକାଶ ମାର୍ଗେ-
ଦୁରାଚାରି ! ରଥନୁଆଁ ତଳେ,
ନୋହିଲେ ରୁଧିରସିକ୍ତ
କରିବ ହିଁ ତୀକ୍ଷ୍ମ ମୋ ନଖରେ ।
ଅବଜ୍ଞା କରିଲୁ ମୋତେ !
ରାବଣରେ ପ୍ରଥମ ଆଘାତ
କରେ ଆଜି ଶକ୍ତିହୀନ ପକ୍ଷୀ ଏକ
ଅଜ୍ଞାତ ଅଖ୍ୟାତ
କରେ ରକ୍ତସ୍ନାତ ।
ମୋ ଲାଗି ଧରିଛି ଖଡ଼୍ଗ ଲଙ୍କାପତି,
-ଏକ ପକ୍ଷ ଛେଦେ
ବିଚ୍ଛୁରିତ ହୁଏ ସତ୍ୟ- ରକ୍ତବୀଜ
ଆକାଶର ଖେତେ ।
ଆନ ପକ୍ଷେ ପ୍ରତିରୋଧ କରିବି ମୁଁ
ଛାଡିବିନି ବାଟ,
ମୋର ପଦାଘାତ ଶିରେ ତାର
ବହିବ ହିଁ ଲଙ୍କାର ସମ୍ରାଟ ।
ବେନିପକ୍ଷ ଛିଡିଗଲା
ଛିଡିଯାଇ, ନାହିଁ ମୋ ଶୋଚନା
ମୁଁ ରହିବି ଯୁଗେ ଯୁଗେ ଯୁଯୁସ୍ ର
ଜ୍ଵଳନ୍ତ ପ୍ରେରଣା ।
ଲେଖିବ ବାଲ୍ମୀକି ,ସତୀ ଲାଗି ପକ୍ଷୀ ଏକ
ରାମ ଆଗୁଁ ଯୁଝିଥିଲା ବିଂଶବାହୁ ପ୍ରତିପକ୍ଷେ
ଯୁଝିଛି ଏକାକୀ ।
ଏକକ ସେ ସେନା
ପକ୍ଷେ ସତ୍ୟ, ପକ୍ଷେ ନ୍ୟାୟ
ଅବିନୀତ ଜଟାଯୁର ଡେଣା ।
କୈଶୋରାବସ୍ଥାରୁ ଅନ୍ୟାୟର ଦୃଢ ପ୍ରତିବାଦ କରିବା କବିଙ୍କ ପ୍ରବୃତ୍ତ । ଜଣେ ଅପ୍ରତିଦ୍ୱନ୍ଦୀ ଜନନାୟକ ଭାବେ ବେଶ୍ ପରିଚିତ କବି ରାମଲକ୍ଷ୍ମଣ ଦାଶ ଚାଷୀ, ମୂଲିଆ ଓ ଅଭାବ ଅସୁବିଧା ଭିତରେ ପେଶି ହେଉଥିବା ମାମୁଲି ମଣିଷଙ୍କ ଅଧିକାର ପାଇଁ ସଂଗ୍ରାମ କରି ଜେଲ୍ ଆଉ ଜରିମାନାରେ ବିତିଛି ତାଙ୍କ ଜୀବନକାଳ । ଯୌବନର ଆଦ୍ୟ ଭାଗରୁ ସେ କମ୍ୟୁନିଷ୍ଟ ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇ ବିଭିନ୍ନ ସଭାସମିତିରେ ଆଶୁ କବି ଓ ସଂଗ୍ରାମୀ ଭାବରେ ଏବେ ବି ଜନସାଧାରଣ ସ୍ମରଣରେ ଉଦ୍ଭାସିତ ।
ଯଦିଓ ନିଜର ସ୍ୱାଧିନଚେତା ପ୍ରକୃତି ଯୋଗୁଁ ସେ କମ୍ୟୁନିଷ୍ଟ ପାର୍ଟିରେ ଶେଷଯାଏଁ ସଦସ୍ୟ ହୋଇ ରହି ନଥିଲେ, ମାତ୍ର ସେ ଶେଷ ନିଶ୍ୱାସ ତ୍ୟାଗ କରିବା ଯାଏଁ ମାର୍କସବାଦୀ ଚିନ୍ତନରୁ ବିଚ୍ୟୁତ ହୋଇନଥିଲେ ।
ଅତିସରଳ, ଅମାୟିକ, ସାଦାସିଧା ଏହି ସୃଜନ ସାଧକ ସାଲିସ୍ବିହୀନୀ ସଂଗ୍ରାମୀ ମଣିଷ ଭାବେ ସମଗ୍ର ପଶ୍ଚିମ ଓଡ଼ିଶାରେ ସେ ଥିଲେ ବେଶ୍ ପରିଚିତ । ଏହି କବିଙ୍କର ୨୦୦୩ ସାଲ୍ରେ ବିୟୋଗ ହେତୁ ଓଡ଼ିଶା ଜଣେ ଶ୍ରେଷ୍ଠପୁତ୍ରକୁ ହରାଇ ନିଜ କୋଳରେ ସାଇତିଛି ଶୋକର ସ୍ୱାକ୍ଷର ।
ରକ୍ତ-ସୂର୍ଯ୍ୟ
ବିଶ୍ୱ-ପ୍ରାଚୀ- ଗଗନ- କ୍ଷେତ୍ରେ
ରକ୍ତ-ସୂର୍ଯ୍ୟ ଉଠେ
ବିଶ୍ୱ-ଶୋଷିତ- ମନ- ସରୋବରେ
ରକ୍ତ-ପଦ୍ମ ଫୁଟେ ।
ମୁକୁଳା-କେଶର- ବିନ୍ୟାସେ ନାରୀ
ରକ୍ତ - ଓଢଣା ଟାଣି
ରକ୍ତ-ଡାଲାରେ ରକ୍ତ -ଗୋଲାପ
ପାରିଜାତ ରଖେ ଆଣି ।
ରକ୍ତ-ମାନସେ ହୃଦୟ- ହରଷେ
ରକ୍ତ -ଝୁଣା-ସୁଗନ୍ଧେ
ରକ୍ତ -ପ୍ରଦୀପ ଜଳାଏ ସରାଗେ
ରକ୍ତ-ନୃତ୍ୟ-ଛନ୍ଦେ ।
ରକ୍ତ -ନୂପୁର ବାଜି ଉଠେ ତାର
ରକ୍ତ -ବାଜଣା ଶୁଣି
ରକ୍ତ-ଲାସ୍ୟେ ରକ୍ତ-ମାନବ
ରକ୍ତ-ହୁଦୟ ଝୁଣି...
ରକ୍ତ- ବିଭୂତି ବୋଳି ସେ ରକ୍ତ
ତାଣ୍ଡବେ-ମାତି ଚଳେ
ରକ୍ତ- ସୂର୍ଯ୍ୟ- ରକ - ଆଲୋକେ
ରକ୍ତ-ଅଗ୍ନି ଜଳେ ।
ଏକ ଶୀତାର୍ତ୍ତ ସାଂଧ୍ୟାର ଷ୍ଟାଣ୍ଡାର୍ଡ କବିତା
ବିରଳା ନାତୁଣୀ କାନର ହଜିଛି ଦୁଲ୍
ଖବର କାଗଜ ହକର୍ ଗଳିରେ ଡାକେ
ସୁନା ହଜିଗଲେ ସବୁଠି ଚହଳ ପଡେ,
ମଣିଷ ହଜିଲେ କିଏ କି ଖବର ରଖେ ?
ଟ୍ରେନ୍ ପଛରେ ମଟର୍ ମେଲିଛି ଧାଡି
ଫାଙ୍କ ପଡିଲେ ଚଲା ମଣିଷର ଭିଡ
ଯିବା ଆସିବାର ଗହଳି ଭିତରେ ପଶି
ଜୀବନ ଚାଲିଛି ମଣିଷକୁ କୁଦି ମାଡି-
ବିଡି ବୋଳା ପିଲା କାମରୁ ପାଇଣ ଛୁଟି
ସିନେମା ଟିକଟ୍ ତରତରେ କିଣି ନିଏ
ଜୀବନ ହଜାଇ କେନ୍ଦୁ ପତର ମାଳେ
ଛବି ପରଦାରୁ ସପନ ଟିକିଏ ପାଏ-
ରାସ୍ତା କଡର ଅଇଁଠା ପତର ଖୁଣ୍ଟି
ଭୋକ ବିକଳେ କେ ଉଦର ପୁରେଇ ନିଏ
ମଣିଷଟି ଯାଏ ଜନ୍ତୁଟି ପଡିଥାଏ
ମଣିଷଟି ଗଲେ ଜନ୍ତୁ କିଆଁ ପଡିଥାଏ-
ମାଇଲ -ମାଇଲ ସମୟର ନଈବାଲି
ମଣିଷର ହାଡ କୁଢ କୁଢ ଅଛି ଜମା
ମଣିଷତ ଆହା ହଜି ଯାଇଅଛି କାହିଁ
ହାଡ ଗଦା ଡେଇଁ ଡେଇଁ ନଈବାଲି ସୀମା-
ରାସ୍ତାରେ ଆସେ ଜନତାର ପଟୁଆର୍
ସାମ୍ୟ ମୈତ୍ରୀ ପ୍ରଗତୀ ନିଶାଣ ତୋଳି
ଝଡର ଆବାଜ କଣ୍ଠୁଁ ନିରତ ଛୁଟେ
ହଜିଲା ମଣିଷ ସତେ କି ଆସିଛି ଫେରି
ମନ୍ତ୍ରୀ ଭବନେ ସିପାହୀ ପହରା ଦିଏ
ମନ୍ତ୍ରୀ ନବରେ ମଣିଷ ପଶିବେ କାଳେ
ମଣଷ ରହେନା, - ମନ୍ତ୍ରୀ ରହନ୍ତି ଏଠି
କ୍ଷମତାର ତୋଡେ ମଣିଷ ହଜିଛି ଦୂରେ
କ୍ଷମତାର ତୋଡେ ମଣିଷ ହଜିଲା କିଆଁ
ଆମେ ଦେଇଛୁ ନା କ୍ଷମତା ହାତକୁ ଟେକି
ମଣିଷକୁ ଇୟେ ମଣିଷ କରିବେ ବୋଲି
ଚୁପ୍ କର ତୁମେ କହି ନ ପାରିବ କିଛି
ପାଇ ହଜିବାର ଲୁଚୁକାଳି ଖେଳ ତଳେ
ହଜାଇ ପାଇବା ମଣିଷ କରିଛି ଆଶା
ଆଶାର ସଳିତା ନିରାଶାରେ ପଛେ ମିଶୁ
ଆଶାରେ ତ ଥାଏ ମଣିଷ ମନର ଭାଷା ।
ରବି ସିଂ
୧୯୩୩-
ସଦ୍ୟ ସ୍ୱାଧୀନତା ପରବର୍ତ୍ତି ପ୍ରାରମ୍ଭରୁ କବି ରବି ସିଂ ପ୍ରଗତିବାଦୀ କାବ୍ୟ ଆନ୍ଦୋଳନର ଅନ୍ୟତମ ଅଗ୍ନି-ପୁରୁଷ, ମାର୍କ୍ସବାଦୀ ଓଡ଼ିଆ ସାହିତ୍ୟର ମହାନ ମଂତ୍ରଗୁରୁ । ଆଜି ବି ଚଳଚଞ୍ଚଳ, ସୃଷ୍ଟିମଗ୍ନ ।
ଦୀର୍ଘ ଅର୍ଦ୍ଧଶତାବ୍ଦୀରୁ ଅଧିକକାଳ ‘ନିଃସଙ୍ଗ ନିବାସ’ ର ଏହି କ୍ରାନ୍ତିକାରୀ କବି ସାହିତ୍ୟ, ସାମ୍ୱାଦିକତା ଓ ସମାଜସେବା କ୍ଷେତ୍ରରେ ସମସାମୟିକ ମାନଙ୍କଠୁଁ ଅନନ୍ୟ, ଭିନ୍ନ ଭାବନର ଭାବନା ଭୁଇଁରେ ବିରଳ ବ୍ୟକ୍ତିତ୍ବ । ବାରିହୋଇପଡନ୍ତି ପ୍ରଚଳିତ ବିଧି, ବିଧାନ ଓ ବ୍ୟବସ୍ଥାର ଆରପାରିରୁ ପ୍ରତିବାଦର ପ୍ରଜ୍ଵଳିତ ବତୀଘର ସମ । ଭାଗ୍ୟ,ଭୋଗ, ଭଗବାନର ସମାଧି ଉପରେ ତାଙ୍କ ନିରବଚ୍ଛିନ୍ନ ସାରସ୍ୱତ ସର୍ଜନା ପ୍ରତିଘାତର.....ବସ୍ତୁତଃ କ୍ରନ୍ତିର କବିତା । ସେ କ୍ରାନ୍ତି ଏକ ନୂତନ ସମାଜ ବ୍ୟବସ୍ଥାର....ଆଗ୍ନେୟ ଆଦ୍ୱାନରେ ଜର୍ଜରିତ ।
ଦଶକ ପରେ ଦଶକ ହେଲାଣି ଅତିକ୍ରାନ୍ତ । ଓଡ଼ିଆ ପ୍ରଗତିବାଦୀ ସାହିତ୍ୟର ମଂଚରୁ କ୍ରମେ ଅନ୍ତର୍ହିତ ହୋଇଛନ୍ତି ତାଂକ ସମୟର ଅନେକ ଚରିତ୍ର ଅଚାନକ । ନିରବୀ ଯାଉଛି ସେମାନଙ୍କ ଶାଣିତ ସ୍ୱର ଓ ସଂଭାବନାର ସକାଳ । ବଦଳିଯାଇଛି କାହାର ନା କାହାର ପଥ ଓ ପାନିପଥ । କିନ୍ତୁ ରବି ସିଂ ସେହି ଅପରିବର୍ତ୍ତିତ ସତ୍ୟ ଓ ପ୍ରତ୍ୟେୟର ସ୍ପର୍ଦ୍ଧିତ ସ୍ୱୁଲିଙ୍ଗ ପରି ଆଜି ବି ଅନିର୍ବାଣ, ଆଜି ବି ଚର୍ଚ୍ଚିତ...... । ଆଜି ବି ଅନେକ ତରୁଣ ସାଧକ କବିଙ୍କର କ୍ରାନ୍ତିକାରୀ କାବ୍ୟଧାରା ଓ ଧାରଣାକୁ ଧାୟୀ ଧ୍ୟାନରତ ।
ଜନ୍ମଗ୍ରାମ : ପ୍ରଣାମ, ପ୍ରଣାମ !
ଏ କବିର ଉତ୍ସଭୂମି, ଜନ୍ମଗ୍ରାମ, ହେ ନବାପାଟଣା,
ତମେ ତ ଦେଇଛ ମୋତେ ଜନ୍ଜଲଗ୍ନୁଁ, ରୁଦ୍ର-ଅଗ୍ନିବୀଣା ।
ଦେଇଅଛ ତ୍ୟାଗ- ଦୀକ୍ଷା,ଭୋଗବାଦ ବିରୋଧୀ-ମାନସ,
ହୃଦୟକୁ କରିଛ ମୋ ସୀମାହୀନ ଉଦାର ଆକାଶ
ଜନ୍ମ ପରେ ପୃଥିବୀର ପାଠଶାଳେ ଭର୍ତ୍ତି ଅଛ କରି,
ସେଠୁ ମୁଁ ଶିଖିଛି ମୋର ଧନୁର୍ବିଦ୍ୟା ଏକଲବ୍ୟ ପରି ।
ମଣିଷକୁ କରିଛି ମୁଁ ଜୀବନରେ ମହାଗୁରୁ ଦ୍ରୋଣ,
ଜ୍ଞାନର ଭଣ୍ଡାର ମୋତେ ଦେଇଛନ୍ତି ଜନସାଧାରଣ ।
ଦଳିତର ଦୀର୍ଘଶ୍ଵାସ ପାଲଟିଛି ମୋର ଅଗ୍ନି-ତୂଣୀ
ଦେଇଛନ୍ତି ଅଭିଶାପ ସମାଜର ଯେତେ ଜ୍ଞାନୀ, ଗୁଣୀ ।
ସେହି ଅଭିଶାପ ମୋତେ ଆୟୁଷ୍ମାନ କରିଛି ସଂଗ୍ରାମେ
ଘୂରିଛି ମୁଁ ଯାଯାବର ଜନାରଣ୍ୟେ ଗ୍ରାମେ ଗ୍ରାମେ ଗ୍ରାମେ ।
ମଣିଷକୁ ପଡିଛି ମୁଁ ଗ୍ରଂଥବତ୍ ଆଖିର ଆଲୋକେ,
ଅନୁଭୂତି, ଅନୁଭବ ଅର୍ଜିଛି ମୁଁ ଅନଶନେ,ଉପବାସେ, ଭୋକେ ।
ଆଗୋ ଜନ୍ମ- ଗ୍ରାମ,
ଯୁଦ୍ଧ କରି ବୃଦ୍ଧ ହେଲି
ବହୁଦୁରୁଁ ଘେନ ମୋ ପ୍ରଣାମ ।
ଯେଉଁ ଯୁଦ୍ଧେ ଲଢୁଥିଲି
ଶେଷହୀନ ସେ ମହାସମର,
ଥିଲି ତା’ର ସେନାପତି
ଅଜେୟ ମୁଁ ବୀର ମହାବଳ ।
କୋଷବଦ୍ଧ ହୋଇନାହିଁ
ଦିନେ ହେଲେ ତରବାରି ମୋର,
ଆଜି ବି ରହିଛି ଦେହେ
ସାମରିକ ପୋଷାକ ଧୂସର ।
ଆଗୋ ମୋର ଜନ୍ମଗ୍ରାମ, ନିର୍ଝରର ହେ ଗିରି-ଜନନୀ,
ପଳାତକ ସ୍ରୋତ- ଶିଶୁ ମୁହିଁ ତବ, ପାରୁଛ ତ ଚିହ୍ନି ?
ପାର୍ବତ୍ୟ ଝରଣା କେବେ ଫେରେ ନାହିଁ ପର୍ବତର କୋଳେ,
ଅବିରତ ଧାବମାନ ସମ୍ମୁଖକୁ, କାୟା ସେ ବିସ୍ତାରେ ।
ବେଦନାର ଆବର୍ତ୍ତରେ ପାଲଟେ ସେ ସୁଗଭୀରା ନଦୀ,
ଆତ୍ମଦାନ କରେ ସେ ତ ସାଗରରେ ଧାଇଁ ନିରବଧି ।
ମୁଁ ସେହି ବିଶାଳ ନଦୀ, ପଳାତକ ତମରି ଝରଣା
ଆଗୋ ମୋର ଉତ୍ସଭୂମି, ଜନ୍ମଗ୍ରାମ ହେ ନବାପାଟଣା ।
ପିଲାଦିନେ ଯେ ଧୂଳି ମୁଠାକ-
ଧରିଥିଲି ଖେଳିବାକୁ, ତାକୁ ଆସି ସେ ରୁଦ୍ର-ବୈଶାଖ-
ଛଡାଇ ତ ନେଲା ପରେ, ଆସିଥିଲା ନୀଡଭଂଗା ଝଡ,
ସେ ଝଡର ପକ୍ଷପୁଟ ହେଲା ପରେ ମୋର ମାତୃକୋଳ ।
ଶିଖାଇଲା ଭାଂଗିବାକୁ ଯାହାକିଛି ସ୍ଥିତ, ବ୍ୟବସ୍ଥିତ,
ଅଶିବ ଓ ଅମଂଗଳ, ଯାହାକିଛି ଅଶ୍ଳୀଳ, କୁତ୍ସିତ ।
ଜନ୍ମଗ୍ରାମ, ତମେ ଅଛ ନାହିଁ ସେଠି ମୋ ପୈତୃକ ଗୃହ,
ଅଛି ତ ପୈତୃକ-ଭିଟା ସ୍ଵାଧୀନତା ସଂଗ୍ରାମର ବ୍ୟୂହ ।
ଏକସ୍ତରୀ ବର୍ଷତଳେ ସରସ୍ଵତୀ ପୂଜା ପ୍ରତ୍ୟୁଷରେ,
କୁଆଁ କୁଆଁ ରବ ମୋର ଶୁଭିଥିଲା ଏଇ ପୃଥିବୀରେ ।
ପ୍ରଭାତର ଲୋହିତ - ଭୈରବୀ ।
ବିଦ୍ରୋହର ଦୀକ୍ଷା ମୋତେ ଦେଇଥିଲା, କରିଥିବା କବି ।
ଶୁଣିଥିଲି ମହାଧ୍ଵନି
ଦେଖିଥିଲି କାବ୍ୟଦେବୀ ରୂପ,
ଧରଣୀର ନାଭିପଦ୍ମୁ
ଆସିଥିଲା ଛଂଦର ଉତ୍ତାପ ।
ମଣିଷର କଂଠ-ଭାଷା
ହେଲା ମୋର ଭାଷାର ଭାରତୀ,
ମାନବ ଜାତିର ମୁକ୍ତି
ହେଲା ମୋର ବିଦ୍ରୋହର ଗୀତି ।
ଯୌବନ ଆସିଲା ନେଇ
ମୋ ପାଖକୁ ରକ୍ତଧ୍ଵଜ-ରଥ,
ପ୍ରଣୟ ଆସିଲା ନେଇ
ତା’ର ତୀବ୍ର ଭୀମ କଷାଘାତ ।
‘ବଂଧୁ’ ରୂପେ ପ୍ରତାରକ
ଆସିଲେ ତ ହାତେ ଧରି ଛୁରା,
ଆସିଲାତ ରାଜରୋଷ
ଆସିଲାତ କାରା ବଂଦୀଶାଳା ।
ଆସିଲା ତ ନିଂଦା, କୁତ୍ସା
ଷଡ଼ଯନ୍ତ୍ର ପୁଣି ଆକ୍ରମଣ,
ହତ୍ୟାର ଉଦ୍ୟମ ଆସି
ପରାଜିତ ହୋଇଲା ମରଣ ।
ସବୁ ସତ୍ତ୍ଵେ ଥମିଲାନି
ମୋ ବିଦ୍ରୋହୀ ରଥର ଘର୍ଘର,
ମୋ ଅଶ୍ଵ ଇସ୍ପାତ ଖୁରା
ଉଖାରିଲା ପଥ କଂକରିଳ ।
ରକ୍ତ -ପଦ୍ନାସୀନୀ ମୋର ଦେବୀ ବୀଣାପାଣି-
ଯୌବନେ ଦେଇଛି ମୋତେ ଅବିଜିତ ଦୁର୍ଜୟ ଲେଖନୀ ।
ଆଖିରେ ଦେଇଛି ମୋର ଆଦିକବି ବାଲ୍ମିକୀର ଲୁହ,
ଚେତନାରେ ଦେଇଛି ମୋ ଅସାମ୍ୟର ବିରୋଧୀ-ବିଦ୍ରୋହ ।
ସମାଜର ହୃଦୟରୁ ପୋଛିବାକୁ ଶ୍ରେଣୀ-କ୍ଷତ-ଜ୍ୱାଳା,
ବଜାଇବା ପାଇଁ ମୋତେ ଶିଖାଇଛି ଝଡ଼ର ବେହେଲା ।
ସଂଗ୍ରାମ ଦେଇଛି ମୋତେ ସାଧନାର ରୁଦ୍ର ଧ୍ୟାନ- ଗୁହା,
ମୃତ୍ୟୁକୁ କରିଛି କବି ଗୃହବଧୂ, ଭଗବାନେ ସ୍ଵାହା-
ହୋଇଛି ମୋ ହୋମକୁଣ୍ଡେ, ସୃଜିଛି ମୁଁ ନୂଆ ଭଗବାନ,
ସମାଜର ସିଂହାସନେ ପୂଜ୍ୟ ସେତ ମଣିଷର ଶ୍ରମ,
ମେହନତ- ମହାକାବ୍ୟ, ତାର ଯେଉ ଛଂଦର ଉତ୍ତାପ,
ସାରିବାକୁ ହୁଃଖ, ଦୈନ୍ୟ, ପୋଛିବାକୁ ଶୋଷଣର ପାପ
ମୋ ଗଦ୍ୟର ହାତୁଡିରେ ଚୁନାକରି ଅପସଂସ୍କୃତିକୁ,
କଳା ସୃଷ୍ଟି ନିହଣ ମୋ ଆଜିଯାଏ ବାଜେ ଠୁକୁଠୁକୁ ।
ଆଜି ବି ନହେଲେ କାଲି ଲୀନ ହେବ ଜାଣେ ମୋର ଦେହ,
ବସ୍ତୁର ସେ ରୂପାନ୍ତର, ସେପାଇଁ ମୁଁ ସଦା ବେପର୍ବାୟ ।
ଯୌବନର ଫୁଲଧନୁ ଫିଂଗିଛି ମୁଁ ସଂଗ୍ରାମ - ଅନଳେ,
ବିଶ୍ୱପ୍ରେମେ ମତ୍ତ କବି,ଥିଲି ଥିବି ଜନାରଣ୍ୟ ତଳେ ।
ଆଗୋ ମୋର ଜନ୍ମଗ୍ରାମ
ମୋର ପୂର୍ବପୁରୁଷର
ଥିଲ ତମେ ଥିଲ ଯୁଦ୍ଧଘାଟି,
ସେ ଘାଟିରୁ ଆସିଛି ମୁଁ
ଚୁମି ତାର ଝଡଧୌତ ମାଟି ।
ସେ ମାଟିର ଲୁପ୍ତ ଇତିହାସ,
ପଢିବାକୁ କେହି ନାହିଁ
ଧଡିବାଜ୍, ଯେତେ ବଦମାସ୍
ବସିଛନ୍ତି ସିଂହାସନେ
ଚଳୁ କରି ଭାଷା ଓ ସଂସ୍କୃତି,
ତାଂକୁ ମୁଁ ଧିକାର କରେ
ଗଣିକାଏ ସାଜିଛନ୍ତି ସତୀ ।
ଆଗୋ ମୋର ଜନ୍ମଗ୍ରାମ, ତବ ସ୍ମୃତି ପଡ଼ିବାରୁ ମନେ,
ଉନ୍ନତଶିର ମୋ ନତ ହୋଇଯାଏ ନିରବେ ମଉନେ ।
ମୁଁ ତ୍ୟକ୍ତ-ଅନଳକଣା, ବୁକୁରେ ମୋ ଧରି ଦାବାନଳ,
ତମକୁ ପ୍ରଣାମ କରେଁ ଦୂରୁଁ ତମ ବିଚ୍ଛିନ୍ନ ଦୁଲାଳ ।
ଆଗୋ ପ୍ରେମଶୀଳା !
ପ୍ରେମଶୀଳା ଭୋଇ,
ଉପବାସେ ରହିରହି
ସ୍ଵାମୀ ତବ ମରିଥିଲା
ତମେ ମଲ, ପାରିଲେନି
କେହି ବି ବଞ୍ଚାଇ ।
ଜୀବନ ପାରିଲା ନାହିଁ
ମୃତ୍ୟୁ ସାଥେ କରି ମୁକାବିଲା,
ମରଣର ବେଦୀ ମୂଳେ
ଥୁଆ ହେଲ ହୋଇ ଫୁଲଡାଲା ।
ଅସହ୍ୟ ସେ ଛବି,
ସମ୍ବାଦପତ୍ରରୁ ଦେଖି ଦୀର୍ଘଶ୍ଵାସେ
ସେ କରୁଣ ଦୃଶ୍ୟ ମୁହିଁ କବି
ତମରି ଶବକୁ ଲାଗି ତମରି ସେ
ଦୁଇଗୋଟି ଶିଶୁ -ଭୋଳାନାଥ
ବସିଥିଲେ ଅସହାୟ
ଅତର୍କିତେ ହୋଇ ତ ଅନାଥ ।
ନେତ୍ରପ୍ରାନ୍ତ ଲୋତକର ରେଣୁ -
ଝରୁଥିଲା ତମଦେହେ
ବାଜୁଥିଲା କାରୁଣ୍ୟର ବେଣୁ ।
ନିହତର କଟାମୁଣ୍ଡ ଭଳି,
ମୃତ୍ୟୁର କୁଠାରଘାତେ
ଛିଡି ତମେ ପଡିଲତ ନାରି !
ତମରି ଅନାଥ ସେହି
ଅସହାୟ ଦୁଇଟି ଶାବକ,
କେମିତି ଅଛନ୍ତି କାହିଁ
କାନ୍ଦୁଥିବେ ହୋଇବାରୁ ଭୋକ ।
କୋଳକୁ ନେବାକୁ ଟାଣି
କେହିନାହିଁ ଶୂନ୍ୟ- ଉପତ୍ୟକା,
ଶୀତର ଲହରି ସାଥେ
ନଗ୍ନ ଦେହ ଶୋକ ଓ ବୁଭୁକ୍ଷା ।
ମଣିଷ ପଳାଉଛନ୍ତି
ପୁରପଲ୍ଲୀ ଛାଡି ଭିଟାମାଟି
ବେଛପରି ଚାଳତଳେ
ଅସମର୍ଥ ମଣିଷ କେତୋଟି ।
ବୁଢା-ବୁଢୀ, ନାରୀ, ଶିଶୁ
କଂକାଳ ଓ ନିଃସ୍ଵ ସର୍ବହରା
ଦେଖି ତାକୁ ଡରିଗଲ
ନାଗରିକା ଆଗୋ ପ୍ରେମଶୀଳା ।
ଧିକ୍ ଆମ ‘ଗଣତନ୍ତ୍ର’
ଧିକ୍ ଧିକ୍ ଆମ ସ୍ଵାଧୀନତା,
ଧୂକ୍ ରାମରାଜ୍ୟ ଆମ
ଲାଜରେ ତ ନଇଁ ଯାଏ ମଥା ।
ତମ ଅନାହାର ମୃତ୍ୟୁ
ଜାତି ପାଇଁ ମହା ଅଭିଶାପ
ଏ ଏକ ଜାତୀୟ ଲଜ୍ଜା
ଯନ୍ତ୍ରଣାର ଭୀମ ଅନ୍ଧକୂପ ।
ଅନାହାରେ ମରିନାହଁ, ମରିଥିଲେ ହୋଇବ ‘ତଦନ୍ତ’
ମରିଛ ଅଖାଦ୍ୟ ଖାଇ ବୋଧହୁଏ ! ଖାଉ ଦଳବନ୍ତ
ସଂଦେହ କରନ୍ତି ବସି ଶୀତତାପନିୟନ୍ତ୍ରିତ ଘରେ
‘ମଲେ କ’ଣ ଭାସିଗଲା ? ସେ କଥା କି ଅଛି କା’ହାତରେ
ବାତ୍ୟା, ବନ୍ୟା, ମରୁଡି ତ ଦୈବ ହାତକଥା
ଏତେ ପାଟିତୁଣ୍ଡ କିଆଁ ? ଧୈର୍ଯ୍ୟଧର, ବୁଝିବା ସେ’କଥା !‘
ଧନ୍ୟ ପଙ୍ଗପାଳ !
ଧନ୍ୟ ତମ ରାଜନୀତି, ଦୁର୍ନୀତିର ମହାବାହୁ ଦଳ !
ଗଣ୍ଡି ନାହିଁ, ମୁଣ୍ଡ ଅଛି, ହେ ରାକ୍ଷସ ରାହୁ ।
ନୀତି, ନୈତିକତା ଯେତେ ମୂଲ୍ୟବୋଧ କର ତା’ର ଭାଉ
କିଲୋ ନୁହେଁ, କୁଇଣ୍ଟାଲ୍ ଦରେ,
କାଢିଛ ଥନ୍ତଲ ପେଟ, ଛିନ୍ନକନ୍ଥା ଦେଇଛ ଜାତିରେ,
ନିଶାଚର ହେ ପିଶାଚ, ଚୋରିକର ଶବକୁ ରାତିରେ ।
ବ୍ୟାଭିଚାର- ମଧୁଶଯ୍ୟା ପରେ ଯେତେ ଅନୀତି - ଗଣିକା,
ତମରି ଅସୀମ କ୍ଷୁଧା, ତାର ଯେଉଁ ଲେଲିହାନ ଶିଖା,
ଜାଳିଦେଲା, ଭସ୍ମକଲା ମଣିଷର ଆଶା, ଭାଷା, ଗୀତ,
ବୁଲାଇଲା କଳାକନା ଘରେ ଘରେ ବାଳକ ଅନାଥ,
ଟୋକାଙ୍କୁ ବେକାରୀ ଦେଲ, ନାରୀକୁ ତ କଲରେ କୁଳଟା
ମୁନାଫା ଲୁଟିବ ବୋଲି କ୍ଷମତାର ଯେତେ ଖଲିଚଟା ।
କଥାବାର୍ତ୍ତା କିଛିନାହିଁ ନିସ୍ତୁକ ତ ଦରକାର ମାଡ଼
ଗାଆଁ ଦାଣ୍ଡେ, ରାସ୍ତାକତେ ଛେଚା ହେବା ଚାହି ହାତଗୋଡ ।
ପ୍ରହାର ଭିତରେ ପ୍ରଶ୍ନ କରିଉଠେ ମଶାଣିରୁ ହାଡ
ପଚାରେ ତ ଭୋକୀ, ଦୁଃଖୀ, ବୃଦ୍ଧ, ଯୁବା, ନିରନ୍ନ କଂକାଳ
ଦୁନିଆର ଦେଶସବୁ ଯେ ସାହାଯ୍ୟ ବାତ୍ୟା ପାଇଁ ଦେଲା,
ଚାଉଳ, କମ୍ବଳ, ଲୁଗା, ପଲିଥିନ୍ କେଉଁଆଡେ ଗଲା ?
କାହିଁଗଲା ଗୁଣ୍ଡଦୁଧ, ଗହମ ଓ ମାର୍କିନ୍ ଲହୁଣି ?
ପଚାରୁ, ପ୍ରହାର କରୁ ଖାଉଙ୍କୁ ତ ଘରୁ ଟାଣି ଆଣି ।
ବର୍ଷାହେଉ ଅବିରାମ ପ୍ରହାରର ରସ,
ତରଳିବ ଚର୍ବି, ମେଦ, ଦେଖିବ ଗୋ ହୋଇ ମୁକ୍ତକେଶ ।
ହେ ସ୍ଵର୍ଗତା ପ୍ରେମଶୀଳା ହୋଇ ଯାଜ୍ଞସେନୀ
ଥିଲ ତମେ ଆମରି ତ ଜଣେ ମାତା,ଗୋଟିଏ ଭଗିନୀ ।
ଏ ଜାତିର ଜନସିନ୍ଧୁ ହୋଇନି ଉଦ୍ବେଳ,
କ୍ଷମାକର ଏ କାତିକୁ, ଯାହାଥିଲା କଳିଙ୍କ, ଉତ୍କଳ ।
ପ୍ରଚୁର ସଂପଦ ଥାଉ ଓଡ଼ିଶାର ହାତେ ଭିକ୍ଷାଥାଳି,
ଓଡ଼ିଆଙ୍କ ପରିଚୟ ଦାଦନ ସେ ମାଳି ଅବା କୁଲି !
ଦିଲ୍ଲୀର କରଦ ରାଜ୍ୟ, ରାଜ୍ୟବାସୀ ସମସ୍ତେ ଖାତକ
ବିହାର, ବଂଗଳା, ଆନ୍ଧ୍ର ସମସ୍ତେ ତ ଆମରି ଘାତକ ।
ତମ ଅନାହାର ମୃତ୍ୟୁ
ପ୍ରେମଶୀଳା ରହିଗଲା ଜମା
ତା'ର ଚକ୍ରବୃଦ୍ଧି ସୁଧ
କଡାକ୍ରାନ୍ତି ହେବ ଗୋ ତର୍ଜମା !
ଏ ଜାତି ଅନ୍ତରେ-
ଶୋକର ଦରିଆ ହୋଇ ଗହିଗଲ ତମେ କାଳେ କାଳେ ।
ଜୀବନଯୁଦ୍ଧରେ ତମେ ହାରିଗଲ ପରାସ୍ତ ସୈନିକା
ମୃତ୍ୟୁ ତ ହାରିବ ଦିନେ, ଜୀବନର ସବୁଜ ପର୍ଣ୍ଣିକା
ଫସଲର ଉଦ୍ଗତ ଅଂକୁର,
ତମ ବେଦିମୂଳେ ଅର୍ଘ୍ୟ ଢାଳିବ ସେ ତା’ର ନମସ୍କାର ।
ହେ ଭଗିନୀ, ଆଗୋ ମାତା
ଘେନ ଏଇ କବିର ପ୍ରଣାମ ।
ତମେ ନାହୁଁ, ତୀବ୍ର ହୁଏ
ବେଳୁବେଳ ଜୀବନ ସଂଗ୍ରାମ ।
ଆଜି ନହେଲେ କାଲି
ମରିବେ ତ କୁରୁ ଶତଭାଇ
ମାନବଜାତିର ଶେଷ-
ହାତାହାତି ଆସୁଛି ଘନାଇଁ ।
ତମରି ଏ ଶହୀଦତ୍ଵ ପ୍ରେମଶୀଳା ହେ ନିରପରାଧୀ ।
ବଂକାକୁ ଅଲନତ୍ ଦିନେ କରିବ ସେ ସିଧା ।
ତମରି ସେ ଦୀର୍ଘଶ୍ୱାସେ ସବୁକଥା ହେବ ସମାଧାନ
ମରିବତ କଂସାସୁର, ଜରାସନ୍ଧ,କୁରୁ ଦୁଃଶାସନ ।
ଆକାଶରେ ହୋଇ ରକ୍ତତାରା,
ରାତିର ଆକାଶେ ତମେ ଜଳୁଥିବ ଆଗୋ ପ୍ରେମଶୀଳା ।
ତମରି ସେ ଅକାଳ ମରଣ-
ହୋଇକମାଣର ଗୋଳା, ଭାଙ୍ଗିବ ସେ ଦୁର୍ଗର ତୋରଣ ।
ସିଂହାସନ,ସୁନାବାଡି, ପାଟଛତା ଯିବ ସବୁଜଳି
ପ୍ରତିଶୋଧ ନିଆଁ ଦିନେ ଦାଉଦାଉ ଉଠିବ ମୋ ଜଳି,
ଅନଳ-ନନ୍ଦିନୀ ହୋଇ, ଲହଲହ କରି ନିଜ ଜିଭ,
ନିରନ୍ନର ରକ୍ତମାଂସେ ଠୁଳ ଯେତେ ବିପୁଳ ବିଭବ,
ସବୁକୁ ଲେହନ କରି ଶାନ୍ତ ହେବ, କ୍ଲାନ୍ତ ଏଇ ଜାତି
ସେହି ଯୁଦ୍ଧେ ପ୍ରେମଶୀଳା ତମେ ହେବ ତା’ର ସେନାପତି ।
ବ୍ୟାଘ୍ର - ପ୍ରଣାମ
ଗୁଳିରେ ମରିନ, ଶୂଳୀରେ ଚଢିନ, ଅଥବା ଖଡ଼ଗାଘାତେ -
ତମେ ମରିନାହଁ, ମରିଛ ନୀରବେ ଜଂଗଲୁ ଆସି ଏଥେ ।
ବିନା ଅପରାଧେ, ବିନା ବିଚାରରେ ଭୋଗୁଥିଲ କାରାବାସ,
ଅକାଳ- ମରଣ, ନତୁବା ହତ୍ୟା କଲା ତ ତମକୁ ଗ୍ରାସ ।
କରି ତ ନଥିଲ ମହାବଳୀ ତମେ କାହାକୁ ଆକ୍ରମଣ,
ବିନାକାରଣରେ ମହାବଳୀ ଦେଲ ଜୀବନ ବିସର୍ଜନ ।
ସ୍ଵାଭାବିକ ନୁହେଁ, ଅସ୍ଵାଭାବିକ ଏ ଏକ ହତ୍ୟାଲୀଳା ।
ବିଧାନସଭାରେ ସେପାଇଁ ଲାଗିଛି ଦିନଯାକ ବାଦୀପାଲା ।
ତମ ହତ୍ୟାର ପ୍ରମାଣ ମିଳୁନି, ପ୍ରମାଣ ଗାଏବ୍ ସବୁ,
ଫେରି ତ ଗଲେଣି ପ୍ରାଣୀ ବିଷାରଦ, ଅବାକ୍ ତ ଆମେ ସବୁ ।
ଅଦାଲତ ମନେ ଉଦ୍ବେଗ- ଝଡ଼, କିଛି ଆଉ ଲାଭ ନାହିଁ,
ପିଞ୍ଜରା ଆଜି ଶୂନ୍ୟ ନୀରବ, ଖୋଜେ ଶିଶୁ ମାଆ କାହିଁ
ତମେ ସିନା ହେଲ ବାଘ,
ଖାଦ୍ୟ ପାଇଁ କି ତମେ ତ ହିଂସ୍ର କରିବାକୁ ଉପଭୋଗ
ଦୀନ- ଦଳିତର ଅର୍ଜିତ ଧନ କରିବାଳୁ ଲୁଂଠନ,
ଗଢିତ ନଥିଲ ଶାସନର କଳ, ଆଇନ, ବିଧାନ ମାନ ।
ତମେ କରୁଥିଲ ଖାଦ୍ୟ ଯୋଗାଡ଼ ଅରଣ୍ୟେ ବୁଲିବୁଲି
ଜମାଉଁ ନଥିଲ ମୁନାଫା ପୁଞ୍ଜି କାଲିକି ଚଳିବ ବୋଲି ।
ଆମ ଏ ଦେଶରେ ଇଟା, ସିମେଣ୍ଟର ଲୁହାଛଡ ଜଙ୍ଗଲ
ଖାଲି କଂକ୍ରିଟ୍-ଘନ-ଅରଣ୍ୟ, ତା’ଭିତରେ ମହାବଳ-
ମଉଜେ ଛନ୍ତି ହାରମ୍ଖୋରର ଦିଗୋଡିଆ ବାଘଜାତି
ମଣିଷକୁ ମାରି, ଦେଶଟାକୁ ସାରି, ସରିନାହିଁ ବଜ୍ଜାତୀ ।
ତାରି ଫଳେ ଆଜି ସବୁ ତ ବିକଳ, ବିକୃତ ସବୁ କିଛି,
ଜୀବନ ତ ନାହିଁ, ମରଣ ବି ନାହିଁ, ଯନ୍ତ୍ରଣା ଖାଲି ଅଛି ।
ମଖମଲଦେହୀ-ବାଘ-ବାଘୁଣୀର ଭୀମରତି ଏ ଭାରତେ-
ଚାଲିଥିଲା ବେଳେ ଦିବସ-ରଜନୀ ପ୍ରେତ-ପଟୁଆର ପଥେ,
ଭୀଷଣ-ଭାଷଣ, ଢିଲା ପଞ୍ଜାବୀ, ଚାରିଦିଗେ ସଂତ୍ରାସ,
ଆଜି ବି ଆକାଶେ ଲୋଟୁଛି ଯାଜ୍ଞସେନୀର ମୁକୁଳାକେଶ ।
କୁରୁସଭା ତଳେ ବଧୂ ବିବସନା, ଧର୍ଷିତା କୁଳବାଳା,
ଉଦ୍ଗତ ଫସଲର ଅଂକୁରେ ପଙ୍ଗପାଳର ଜ୍ଵାଳା ।
କଟାହୋଇ ଲୁଟି ହୋଇସାରିଲାଣି ଅରଣ୍ୟ ବନଭୂମି
କଂକ୍ରିଟ୍- ବନ ଚତୁର୍ଦ୍ଦିଗରେ ଉଠୁଛି ଆକାଶ ଚୁମି ।
ସେହି କଂକ୍ରିଟ୍ ବନେ-
ବାସ କରନ୍ତି ଯେ ନରପିଶାଚ, ଯେ ନରବ୍ୟାଘ୍ରମାନେ-
ସେମାନେ ଭୀଷଣ, ଅତି ଭୟାନକ; ଜନମରୁ ବଦ୍ମାସ୍
ଆଖିରେ ତାଂକ ଯେଉଁ ନିଆଁ ଜଳେ, ସେ ନିଆଁରେ ସବୁ ଶେଷ ।
ପିଶାଚ ବୀର୍ଯ୍ୟୁଁ ଜନ୍ମ ସେମାନେ, ବାପ ନାଆଁ ନାହିଁ ଜଣା
ସେମାନେ ଦେଶର ‘ଭାଗ୍ୟବିଧାତା’ ତସ୍କରୀ ସବୁ ଜଣା ।
ବାଘ ଠାରୁ ବଳି ବିପଜ୍ଜନକ,ସାପ ଠାରୁ ବିଷଧର
ସମାଜ-ଜୀବନୁ ଏମାନେ ନ ମଲେ ଶାନ୍ତି ଓ ସାମ୍ୟର
ସୂଚନା ହେବନି, ତେଣୁ ତ ୟାଙ୍କ ଶିକାର ନିହାତି ଲୋଡା
ଏଇକଥା କହେ କାଲିର ସରଣୀ, କହେ ଇତିହାସ- ବୁଢା ।
କହେ ତୋଫାନର ଭାଷା,
ସେ ଭାଷାକୁ ବୁଝେ ଝଡର କବି ମୁଁ ଅମାଅନ୍ଧାର ନିଶା-
କଟିବ ତ ଦିନେ ପୂର୍ବଗଗନେ ଉଦିବ ତ ନବରବି,
ଅଂକିତ ହେବ ନୂଆ ଦୁନିଆର ସାମ୍ୟ- ସମାଜ ଛବି ।
ତଳଟା ଆସିବ ଉପରକୁ ଉଠି, ଉପରଟା ଯିବ ତଳେ
ଦୈତ୍ୟଭୂବନ ହେବ ଶୂନ୍ଶାନ୍ ମରଣର ମହିମାରେ ।
ହାତେ ରାଇଫଲ୍,ଶାଣିତ ଛୁରୀକା ଧରି ଶିକାରୀର ଦଳ
ଶିକାର କରିବେ ଯେଉଁ ବାଘ ସିଏ ଶତ୍ରୁ ତ ମଣିଷର ।
ପ୍ରାସାଦ, ସୌଧ, ଶୟନମହଲ,କଂକ୍ରିଟ୍ କଂଦର-
ଭିତରୁ ଶୁଭିବ ବାଘମୃତ୍ୟୁର ଗର୍ଜନ, ହାହାକାର ।
ନମାରିଲେ ସେହି ବାଘ ମରିବେନି, ମରିବେ ସର୍ବହରା,
ସେ ବାଘଶିକାର ଅତି ଦରକାର, ସେ ବାଘ ଏ ଦେଶସାରା-
ଛାଇତ ଗଲେଣି ସହରେ ନଗରେ ଗ୍ରାମେ ଗ୍ରାମେ ସର୍ବତ୍ର
ସେ ବାଘ ଲାଂଜେ ଅଙ୍କା ତ ହୋଇଛି ମଶାଣିର ମାନଚିତ୍ର ।
ସେ ବାଘ ଶିକାର ଲାଗି,
ବିପ୍ଲବୀ ମହାଶିକାରୀ ଫଉଜ କେବେ ତ ଉଠିବେ ଜାଗି ।
ଜୀବନ ତମାମ ତାଙ୍କରି ବାଟ ଚାହିଁ ମୋ ଉମର ଗଲା,
ଆସିବେ ସେମାନେ ସ୍ଥିର ନିଶ୍ଚିତ, ଥାଏ ମୁଁ ନଥାଏ ଭଲା ।
ତମେ ଯେ ନିରୀହ ବାର ଗୋଟି ବାଘ ନୀରବେ ବନ୍ଦୀଶାଳେ,
ଟଳିତ ପଡ଼ିଲ ମୃତ୍ୟୁ ନତୁବା ହତ୍ୟାର ବେଦୀମୂଳେ,
ଏଥିରୁ ପ୍ରମାଣ ମିଳି ତ ଗଲାହେ ମଣିଷ ତମଠୁଁ ପଶୁ
ୟାଙ୍କ ମାଲିକ ଦିଗୋଡିଆ ବାଘ ଦେଶକୁ କରିଛି ଖାସୁ ।
ତମେ ତ ମହାନ୍ ବ୍ୟାଘ୍ର-ଶହୀଦ୍ ତମ ହତ୍ୟାର ପ୍ରେତ -
ମୋକ୍ଷ ହେବନି, ଗର୍ଜନ କରି ଚାଲିବ ତ ଅବିରତ ।
କଂକ୍ରିଟ୍- ବଣ- ବାଘର ମରଣ ଯେଦିନ ହୋଇବ ସୁରୁ
ତମ ହତ୍ୟାର ପ୍ରେତ ତା ଦେଖିବ ‘ନନ୍ଦନକାନନ’ରୁ ।
ଲୁହର ଦରିଆ କୂଳେ ହୋଇ ଠିଆ ବ୍ୟାଘ୍ରକେତନ ଧରି
ଦେଉଛି କବି ମୁଁ ତମକୁ ମେଲାଣି
ବ୍ୟାଘ୍ର- ପ୍ରଣାମ କରି ।
ପ୍ରତିହିଂସାର ନାମ ହେଉ ‘କ୍ଷମା’ ତମରି ସତ୍ତା କହୁ,
ଅକଲ୍ୟାଣ ଓ ଯାହାଟା ଅଶିବ ସବୁ ଜଳିପୋଡି ଯାଉ ।
ଶିଖାମୟୀ
ହେ ମୋର କାବ୍ୟ- ଅଗ୍ନି କନ୍ୟା, ଶିଖାମୟୀ ସୁଂଦରୀ,
ତମେ ମୋର ଦେବୀ, ମୁହିଁ ତମ କବି, ତମ ପାଇଁ ମହାବଳୀ ।
ଭାଷା ଭାରତୀର ତମେ ତ ରସନା
ତମେ ଛଂଦର ଉତ୍ତାପ, ବୀଣା
ଜୀବନର ଯେତେ କ୍ଷତ, ଯନ୍ତ୍ରଣା ଭୁଲିଛି ତମରି ଲାଗି,
ତମରି ମହିମା ମନ୍ତ୍ରେ ହୋଇଛି ଭୋଗୀ ବଦଳରେ ତ୍ୟାଗୀ ।
ହରାଇବାର ତ ଦେଇଛ ଦୀକ୍ଷା ବାଲ୍ୟ- ଜୀବନ ଦିନୁ,
ଭଂଗା-ଗଢାର ଖେଳ ଶିଖାଇଛ ଜୀବନ-ରଣାଂଗନୁ
ନୈତିକତାର ଖଡ଼୍ଗ କୃପାଣ
ଦେଇ ଶିଖାଇଛ ଅଗ୍ରଗମନ
ଲଢିଛି-ହାରିଛି, ପୁଉଣି ଲଢିଛି, ବଳାଇ ମୋ ବିଷ- ବେଣୁ,
ଅଗ୍ନିଗିରିର ଘୁତ୍କାର ଘେନି ବିଦ୍ରୋହୀ - ଯଉବନୁ ।
ଲାଭା-ଜାହ୍ନବୀ ସ୍ରୋତ ସମ୍ମୁଖେ ପାଲଟିଛି ଭଗୀରଥ,
ସାମଜ-ବଦଳା ଅଗ୍ନି-ଶଂଖ ବଜାଇଛି ଅବିରତ ।
ଜୀବନ ତମାମ୍ ଝଡ଼ ଓ ତୋଫାନ
ତାହାରି ଭିତରେ ମୁହିଁ ବେଗବାନ୍
ତମେ ତ ଦେଇଛ ଅଗ୍ନି -କୁଳନ, ଦେଇଛ ସୂର୍ଯ୍ୟ-ରଥ,
ଶାଶ୍ଵତୀ ତମେ ବୀର୍ଯ୍ୟବତୀ ଗୋ, ତମେ ମୋର ସୁର୍, ଗୀତ ।
ଆଗୋ ଅଲକ୍ଷ୍ମୀ, ତମେ ମୋ ଲକ୍ଷ୍ମୀ ତମେ ମୋ ଅଗ୍ନିବେଦ,
ତମେ ସନା ମୋର ଯୁଦ୍ଧଜୟର ନବ ନବ ସଂବାଦ ।
ଆଜି ସେ ଯୁଦ୍ଧ ସରି ନାହିଁ ଦେବୀ
ପୂର୍ବରେ ବାଜିନାହିଁ ଭୈରବୀ
ପ୍ରତିଭାର ଦୀପ ଯାଇନି ମୋ ନିଭି, ତମରି ମରାଳ-ହ୍ରଦ
ପଲ୍ୱଳେ ତମେ ରକ୍ତ - ପଦ୍ମ, ତମେ ମୋର ସଂପଦ ।
ଆଧୁନିକ ଓଡ଼ିଆ କାବ୍ୟଧାରାକୁ ଔପନିବେଶିକ ମାନସିକତାର ଅଂନ୍ଧଗଳିରୁ ଉଦୀୟମାନ ଅଗ୍ନିଯୁଗର ଉତ୍ତରଣ - ପର୍ବରେ ଉପନୀତ କରାଇବା ଦିଗରେ ଯେଉଁ କତିପୟ କ୍ରାନ୍ତିକାରୀ କାବ୍ୟକାର ଆମମାନଙ୍କର ଅଗ୍ର ସ୍ମରଣୀୟ, ସେମାନଙ୍କ ମଧ୍ୟରେ କବି ବ୍ରଜନାଥ ରଥ ସୁନାମଧନ୍ୟ ସାର୍ଥକ ସ୍ରଷ୍ଟା ।
ବାଲିଆପାଳ ଘାଟୀ ସ୍ଥାପନର ଜନବିରୋଧୀ ଆଂଦୋଳନରେ କବିଙ୍କର ପ୍ରତ୍ୟେକ୍ଷ ସଂପୃକ୍ତି ଓ ସାମାଜ୍ର୍ୟବାଦୀ - ବିରୋଧରେ କବିଙ୍କ ରକ୍ତର ରଚନା ପ୍ରଗତିଶୀଳ ସାହିତ୍ୟକୁ କରିଛି ଅତିମାତ୍ରାରେ ଶାଣିତ, ବ୍ୟାପକ ଉର୍ବର । ଦେଶ, ଜାତି ଓ ଗଣ ଜୀବନ ପାଇଁ କବିଙ୍କର ରହିଛି ଅର୍ଦ୍ଧଶତାବ୍ଦୀର ସାଲିସ୍ ବିହୀନ ସାରସ୍ୱତ ସାଧନା । ପ୍ରକାଶିତ ପ୍ରଥମ କବିତା ପୁସ୍ତକ ‘ମରୁଗୋଲାପ’ ଠାରୁ ଆରମ୍ଭ କରି ‘ହେ ମୋର ସ୍ୱଦେଶ’ ପର୍ଯ୍ୟନ୍ତ ଅନେକ କବିତା ପୁସ୍ତକ ଓଡ଼ିଆ କାବ୍ୟଭୂମିକୁ କଳା ଓ କ୍ରାନ୍ତିରେ ଚେତନା ଓ ଚମକରେ କରଛି ରସସିକ୍ତ । କବିଙ୍କ ସ୍ୱକୀୟ ଶୈଳୀ ସ୍ୱତନ୍ତ୍ର, ଯାହା ତାଙ୍କୁ ସମସାମୟିକ ମାନଙ୍କ ଠାରୁ ଅଲଗା ଭାବରେ ଉଭା କରିଥାଏ ।
ବୟସର ଅନ୍ତିମ ଅପରାହ୍ନରେ ଏବେ ବି କବି ବ୍ରଜନାଥ ରଥ ଚଳଚଞ୍ଚଳ, ସୃଜନମଗ୍ନ-ଧୂସର ମରୁରେ ସୃଷ୍ଟି କରିଚାଲିଛନ୍ତି ଅଜସ୍ର ରକ୍ତଗୋଲାପ ।
ପ୍ରତିବାଦ କର
ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ !
ଶୟତାନ ପାଇଁ ସ୍ତୁତିଗାନ କର ବନ୍ଦ
ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ
ପ୍ରତିବାଦେ ସିନା ମୁକ୍ତିର ମଧୁଛନ୍ଦ ॥
ଅତ୍ୟାଚାରକୁ ସହିବାର ନାମ ମୃତ୍ୟୁ
ଅନ୍ୟାୟ-ପଦ ବନ୍ଦନା କରେ ମୂର୍ଖ
ମୁକ୍ତିର ପଥେ ପ୍ରତିବାଦ ଚିର ସତ୍ୟ
ଭୀରୁ ମରେ ନିତି ନ କରି ଯୁକ୍ତି-ତର୍କ ॥
ଦୁର୍ବଳ ସହେ ଆତ୍ମାର ଅପମାନ
ନପୁଂସକର ମୁଖେ ଝୁଲୁଥାଏ ଚାବି
କାପୁରୁଷ କରେ କ୍ଷମତାର ଜୟଗାନ
ମୁକ୍ତି ଖୋଜଇ ପାଷଣ୍ଡ-ପଦ ସେବି ॥
ପ୍ରତିବାଦ କରି ଜାଣେନାହିଁ ଯେଉଁ ବ୍ୟକ୍ତି
ଆଖି ବୁଜି ଯିଏ ମିଥ୍ୟାକୁ କହେ ସତ୍ୟ
ସେ କାହୁଁ ଜାଣିବ ଆଲୋକର ମହାଶକ୍ତି
ହୀନ-ସ୍ୱାର୍ଥର ସେତ ପଦସେବୀ ଭୃତ୍ୟ ॥
ପ୍ରତିବାଦ ଏକ ଲୋହିତ ଅଗ୍ନିଶିଖା
ଅତ୍ୟାଚାରୀର ଦୁର୍ଗକୁ ପାରେ ଜାଳି
ଅନ୍ଧାରେ ଟାଣେ ମୁକ୍ତି-ଆଲୋକରେଖା
ଭଗ୍ନ ହୃଦୟେ ବଜାଏ ବଜ୍ର-ତାଳି ॥
ଦଳିତ-ମଥିତ-ଅତ୍ୟାଚାରିତ ଯେତେ
ଭାଗ୍ୟ ଆଦରି ନୀରବେ ରହିଛ ଶୋଇ
ଝରୁଅଛ ନିତି ବିଶ୍ଵର ପଥେ ପଥେ
ପ୍ରତିବାଦ-ସ୍ଵର କଣ୍ଠେ କି ଫୁଟେନାହିଁ ??
ରକ୍ତ-ଚାବୁକେ ଖାଉଚ ଶକ୍ତ ମାଡ଼
ଶକ୍ତି ନାହିଁକି ଖୋଲିବାକୁ ଟିକେ ପାଟି ?
ନୁହେଁ ନୁହେଁ ଏତ ଜୀବନ ମୁକ୍ତିପଥ
ଏ ଯେ ମରଣର ଦୁର୍ଗମ ଗିରିଘାଟୀ ॥
ତୁମେକି ଜାଣିନ ବୀରର ମୃତ୍ୟୁ ନାହିଁ
ଦୁର୍ବଳ ନିତି ମରଇ ଲକ୍ଷେ ଥର
ଭୀରୁର ଜୀବନେ ମରଣେ ତଫାତ୍ କାହିଁ ?
ଜୀଇବା ମରିବା ସବୁ ତାର ଏକାକାର ॥
ସ୍ତୁତିଗାନେ କେବେ ଫିଟେନି ମୁକ୍ତିବାଟ
ନୀରବେ ସହିବା ଆତ୍ମଘାତୀର ନୀତି
ଅନ୍ଧରାଜାର ଦରବାରେ ଯେତେ ଭାଟ
ଜାଣିରଖ କେବେ ଚାଟୁରେ ପାହେନା ରାତି ॥
ପ୍ରତିବାଦ କର, ପ୍ରତିବାଦ କର ବନ୍ଧୁ !
ଅନ୍ୟାୟ ଆଗେ ଶାଣିତ ଖଡ୍ଗ ତୋଳ
ପ୍ରତିବାଦେ ଥରୁ ଉଚ୍ଛଳ ଜନ-ସିନ୍ଧୁ
ଗଣସଂଗ୍ରାମେ ପ୍ରାଣ ହେଉ ଉଦ୍ବେଳ ॥
‘ସ୍ୱାଧୀନତା’ ତୁମ ହେଉ ନବ ଅଭିଷେକ
॥ ଏକ ॥
ତୁମକୁ ଆଜି ମୁଁ ବନ୍ଦନା କରେ
ସ୍ୱାଧୀନତା ମୋନ ପ୍ରିୟ !
ଅଭିନନ୍ଦନ ନିଅ ତୁମେ ମୋର
ଅଭିନନ୍ଦନ ନିଅ ।
ଘେନ ଆଜି ମୋର ଲୋହିତ ଅର୍ଘ୍ୟ
ବୁକୁର ରକ୍ତ-ଧାରେ
ଆଖିର ଅଶ୍ରୁ-ଗାରେ ॥
॥ ଦୁଇ ॥
ମନେପଡ଼େ ମୋର ମନେପଡ଼େ ଆଜି
ପଚାଶ ବର୍ଷ ତଳେ
ସେହି ଅଗଷ୍ଟ ପନ୍ଦର ରାତି
ଘନ ଅନ୍ଧାର କୋଳେ
ମୋ ଦେଶର ପ୍ରତି ଗ୍ରାମେ ଓ ନଗରେ
ହର୍ମ୍ୟ- କୁଟୀର ଦ୍ୱାରେ
ତୁମେ ଯେବେ ଆସି କରାଘାତ କଲ
ତୁମରି ପରଶ ଲାଗି
ହିମାଳୟ ଠାରୁ କନ୍ୟାକୁମାରୀ
ସହସା ଉଠିଲା ଜାଗି
ଜାଗିଲା ଆକାଶ, ଜାଗିଲା ଧରଣୀ
ପବନେ ଉଡ଼ିଲା ନେତ
ସ୍ୱାଧୀନ ଭାରତ ନେତ
ପ୍ରତିଟି ମନର ନନ୍ଦନ-ବନେ
ଫୁଟିଗଲା ପାରିଜାତ
ସ୍ଵପ୍ନର ପାରିଜାତ ।
ଶତେକ ଯୁଗର ପରାଧୀନତାର
ନିଗଡ଼ ପଡ଼ିଲା ଚଳି
ଶତେକ ପ୍ରାଣର ଦିଗ୍ବଳୟରେ
ଆଶାର ଆଲୋକ ଜାଳି
ମୁକ୍ତିର ନୂଆ ରକ୍ତ-ସୂର୍ଯ୍ୟ
ଉଠିଲା ଉଠିଲା ଜଳି ॥
॥ ତିନି ॥
ସେହି ଅରୁଣର ଲୋହିତ କିରଣେ
ଚହଟିଲା ସାରା ଦେଶ
ଧରିଲା ନୂତନ ବେଶ,
ଗଙ୍ଗା, ଯମୁନା ଉଚ୍ଛୁଳି ଉଠିଲେ
ଉଛୁଳି ଉଠିଲା ପୁଣି
ଗୋଦାବରୀ ନୀଳ ପାଣି,
ଉଚ୍ଛୁଳି ଉଠିଲା ବ୍ରହ୍ମପୁତ୍ର,
ସିନ୍ଧୁନଦୀର ଜଳ
ମହାନଦୀ ଆଉ କୃଷ୍ଣା-କାବେରୀ ବେଣୀ ॥
॥ ଚାରି ॥
ଗଗନେ ପବନେ ମନ୍ଦ୍ରିତ ହେଲା
‘ଜୟ ସ୍ୱାଧୀନତା ଜୟ’
ବନ୍ଧନ କାଟି ଉଠିଲା ଭାରତ
ତୁଟିଲା ମନରୁ ଭୟ ।
ନବୀନ ଛନ୍ଦେ, ନବୀନ ସ୍ଵପ୍ନେ ମାତି
ନବ ଉତ୍ସାହେ ଜାଗିଲା ମହାନ ଜାତି
ଯୁଗାନ୍ତର ଶୃଙ୍ଖଳ ତେଜି
ତେଜି ଶତ ଅବସାଦ
ଦୃପ୍ତ ଚରଣେ ନବ ଉନ୍ମାଦେ ଥରି
ବଢ଼ାଇଲା ସିଏ ଆଗକୁ ଆଗକୁ
ଆହୁରି ଆଗକୁ ପାଦ ॥
॥ ପାଞ୍ଚ ॥
ଆଜି ଏତେବେଳେ ମନେପଡ଼େ ମୋର
ପ୍ରିୟ ମୋର ସ୍ଵାଧୀନତା
ତୁମ ପାଇଁ କେତେ ବୁକୁରୁ ରୁଧିର
ଅକାତରେ ଗଲା ଝରି
କେତେ ଅଶ୍ରୁଳ ଆଖିର ଚାହାଣି
ନୀରବେ କହିଲା କଥା ।
କେତେ ‘ଇଞ୍ଚୁଡି’ ‘ଇରମ’ର ମାଟି
କେତେ ‘ଜାଲିଆନାବାଗ’
ସ୍ମୃତିର ଶୁଭ୍ର ମର୍ମ୍ମର ପରେ
ରଖିଲେ ରକ୍ତଦାଗ ।
‘ଚଷାଖଣ୍ଡ’ର ଶାନ୍ତ, ସରଳ
ଶ୍ୟାମଳ ପଲ୍ଲୀଭୂଇଁ
ଅମର ସହିଦ ବାଘା ଯତୀନର
ଶୋଣିତରେ ଅବଗାହି
ଯୁଗଯୁଗ ପାଇଁ ଗଲା ଯେ ଧନ୍ୟ ହୋଇ ।
ପ୍ରିୟ ମୋର ସ୍ଵାଧୀନତା !
ତୁମ ପାଇଁ ଜଳି ଉଠିଲା କେତେ ଯେ
‘ବାଜିରାଉତ’ର ଚିତା ।
ଆଦିବାସୀ ନେତା କେତେ ‘ଲକ୍ଷ୍ମଣ’
ଜୀବନ କରିଲେ ପାଣି
କେତେ ‘ଉଦ୍ଦାମ’ ‘ଭଗତ ସିଂହ’
କେତେ ‘ଖୁଦିରାମ’ ପୁଣି
ବକ୍ଷ ଣୋଣିତେ ରୁଧିର-ଅର୍ଘ୍ୟ ରଚି
କାଳକାଳ ପାଇଁ ଲେଖିଦେଇଗଲେ
ମହାମୁକ୍ତିର ଲୋହିତ ସୂର୍ଯ୍ୟ-ସୂଚୀ ।
॥ ଛଅ ॥
ମୁଠାଏ ଲୁଣରେ ଅଧିକାର ପାଇଁ
ଦାଣ୍ଡିର ଅଭିଯାନ
ଭରିଲା ଜାତିର ଭଗ୍ନ-ହୃଦୟେ
ଜୀବନର ସ୍ଵାଭିମାନ ।
ମହାନାୟକ ସେ ନେତାଜୀର ଖର-
ଖଡ଼ଗ-କୃପାଣ ଝଳି
ସୀମାନ୍ତ ପଥେ ବିଦ୍ୟୁତ୍ ସମ ଜଳି
ଦୁର୍ବଳ-ଭୀରୁ ବକ୍ଷରେ ଦେଲା
ମୁକ୍ତି-ଅନଳ ଜାଳି ।
‘ସୁଦର୍ଶନ’ ର ପରି
ହିମାଚଳ ଠାରୁ ସୀମାଚଳ ଯାଏ
ଚରଖା-ଚକ୍ର ଘୂରି
କାଟିକାଟି ଗଲା ଶତବର୍ଷର
ବିଦେଶୀ ଶାସନ ଫାଶ
ଲୁହରେ ଲହୁରେ ରଚନା ହୋଇଲା
ନୂଆ ଏକ ଇତିହାସ
ନବ ଭାରତର ମୁକ୍ତିର ଇତିହାସ ॥
॥ ସାତ ॥
ସେଦିନର ସେହି ସ୍ୱପ୍ନଭିଜା ଏ
ମୁଗ୍ଧ ନୟନ ତୀରେ
କିନ୍ତୁ ଆଜି କି ଚିତ୍ର ଦେଖେ ମୁଁ
ପଚାଶ ବର୍ଷ ପରେ ?
ଜୀବନ-ବିଳାସୀ, ମୁକ୍ତି-ଲାଳସୀ କବି
ଦେଖେ ମୁହିଁ କେଉଁ ନବଭାରତର
ବର୍ଣ୍ଣିଳ ଚାରୁ ଛବି ?
ମୁଁ ଦେଖିଛି ମୋର ସମ୍ମୁଖ ଭାଗେ
ଲମ୍ବି ଯାଇଛି ଦୂରେ -
ମାଇଲ ମାଇଲ ବ୍ୟାପୀ
କୂଟଚକ୍ରୀର ହୀନ ସ୍ଵାର୍ଥର
ବିସ୍ତୃତ ରାଜପଥ,
ଗଡ଼ି ପାରୁନାହିଁ ଆଗକୁ ଆଗକୁ
ଜନତାର ଜୟରଥ ।
ଭ୍ରାତୃବିବାଦେ ମତ୍ତ-ବିକଳ
ରକ୍ତ-ପାଗଳ ଜାତି
ଧର୍ମ୍ମ ନାମରେ, ଗୋଷ୍ଠୀ ନାମରେ
ଅନ୍ଧ ଆବେଗେ ମାତି
ଦିନର ଦୀପ୍ତ ଆଲୋକେ ଚଳାଏ
ଭାଇରେ ଶାଣିତ କାତି ॥
॥ ଆଠ ॥
ଆକାଶଚୁମ୍ବୀ ନୀତିର ତୁଙ୍ଗ
ଦେଉଳ ପଡୁଛି ଭାଜି
ଦୁର୍ନୀତି-ନଦୀ କୂଳେ କୂଳେ ଆଜି
ଜଳୁଛି ଆତସବାଜି ।
ଶୋଷଣବାଦର ତଥାପି ହୋଇନି ଶେଷ,
ସ୍ୱଜନ ପୋଷଣେ,
ଶୋଷଣ-କଷଣେ
ମତ୍ତ ଏ ସାରା ଦେଶ ।
ଶ୍ରମର ମୂଲ୍ୟ କିଏବା ପାଉଛି
କିଏବା ଦେଉଛି କାହିଁ ?
ଲୁଣ୍ଠିତ ଧନେ କୀର୍ତ୍ତି-ମୀନାର
ଯାଉଛି ଆକାଶ ଛୁଇଁ ।
କ୍ଷୁଧାର ଖଡ୍ଗେ ବିଦ୍ଧ ଜଠର
ହୃଦୟେ ଅଗ୍ନି ଜଳେ
ଆସନ କଳିରେ ମତ୍ତ ନେତାର
ରାଜନୀତି-ପଶା ଗଡ଼େ
ମହାଭାରତର ଶୋଣିତ ସିକ୍ତ
ସ୍ନିଗ୍ଧ ଚଟାଣ ପରେ ॥
॥ ନଅ ॥
ଆଜି ଏତେବେଳେ କୋଟି ଜନତାର
ଚିର ଈପ୍ସିତ ପ୍ରିୟ
ଶତ ସହିଦର ରକ୍ତେ ପଖଳା
‘ସ୍ୱାଧୀନତା’ ତୁମେ କୁହ !
କେଉଁ ଧର୍ଷିତା ଲୁଣ୍ଠିତା ନାରୀ
ଛିନ୍ନ ବସନ ତଳେ
କେଉଁ ଅନାହାରୀ ଶିଶୁ ସନ୍ତାନ
ଆର୍ତ୍ତ ଆକୁଳ ସୁରେ
ଦୂର ରାଜଘାଟ ପୁଣ୍ୟପୀଠେ ବା
ବୋଧିଦ୍ରୁମର ତଳେ
ଚପାଇ ଆପଣା ଦରଦୀ ବୁକୁରେ
ନିଖିଳ ମର୍ମଦାହ
ତୁମେକି ଢାଳୁନ ଗୁମୁରି ଗୁମୁରି
ରକ୍ତ ଅତୀତେ ସୁମରି ସୁମରି
ଆଖିର ତପ୍ତଲୁହ ??
॥ ଦଶ ॥
ତୁମେ ଏତେବେଳେ ତର୍ଜନୀ ଚାଳି
ଦେଖାଇ ଦିଅହେ ବାଟ,
ଉତ୍ତାନପାଦେ ଆଗକୁ ଯିବାର ବାଟ
କହିଦିଅ ପୁଣି କାନେ କାନେ ଆଜି
ଭିକ୍ଷାଝୁଲିରେ କେବେ
ଚିରଦିନ ପାଇଁ ପୂରେନି କାହାରି
ଶୂନ୍ୟ-ଭୋକିଲା ପେଟ ।
‘ସ୍ଵାଧୀନତା’ ନୁହେଁ ହର୍ମ୍ୟବାସୀର ଖାଲି
ରାଜନୀତି ନୁହେଁ ସ୍ଵାର୍ଥ-ଦଲାଲି
ପୁଞ୍ଜିର ପଶାପାଲି ।
‘ମୁକ୍ତି’ ନୁହଁଇ ପୋଥିର ଗୋପନ ତତ୍ତ୍ୱ
‘ପ୍ରଗତି’ ନୁହଁଇ ନଥିର ଅଳୀକ ତଥ୍ୟ,
ଘର୍ମଜୀବୀର ସମ ଅଧିକାରେ
ଦୀନ-ଦଳିତର ଜୀବନେ ହେଉ ତା’ ସତ୍ୟ ।
ହେଉ ଏ ଦେଶର ସିଂହାସନରେ
ମହାଜନତାର ନବତମ ଅଭିଷେକ,
‘ସ୍ୱାଧୀନତା’ ତୁମେ ଅନ୍ଧାର ତଳୁ
ଆଉଥରେ ଶିର ଟେକ ॥
ପ୍ରସନ୍ନ କୁମାର ମିଶ୍ର
୧୯୪୧-
ଅସ୍ପୃଶ୍ୟ, ଅନ୍ଧବିଶ୍ୱାସ, କୁସଂସ୍କାର, ସାମାଜିକ ବୈଷମ୍ୟ, ଓ ପ୍ରଶାସନିକ ଅବିଚାର ଆଦି ବିରୁଦ୍ଧରେ ପ୍ରସନ୍ନ କୁମାର ମିଶ୍ରଙ୍କ କବିତା ସହଜ ସରଳ ଶବ୍ଦ ସଂଯୋଜନା ସମୃଦ୍ଧ । ଏହି ପ୍ରତିଷ୍ଠିତ କବି କବିତାରେ ଚରିତ୍ର ଚିତ୍ରଣରେ କେବେ ସାଲିସ୍ କରିନାହାଁନ୍ତି ନିଜ ସହିତ ।
ଶାସକ, ପ୍ରଶାସକ, ପ୍ରସନ୍ନଙ୍କ କବିତାରେ ଲହୁଲୁହାଣ ହୋଇଥିବା ବେଳେ ଚାଳ, ଚୂଲି, ଚାଉଳ ସନ୍ଧାନରେ ଡହଳ ବିକଳ ହେଉଥିବା ନିରୁପାୟ ମଣିଷଙ୍କ ଅବସାଦ, ଜମି ଜଳ ଜଙ୍ଗଲ ଲୁଟ୍ପାଟରେ ଉଜୁଡି ଯାଉଥିବା ପ୍ରକୃତିର ଶ୍ମଶାନ ଦୁଃଖ, ଶିଳ୍ପବିକାଶ ଅନ୍ତରାଳେ ବିନାଶର ଘଟଣା ପ୍ରବାହ - ତାଙ୍କ ସର୍ଜନାରେ ଅତି ସ୍ପଷ୍ଟ ଓ ସଫଳ ଭାବରେ ସଂଯୋଜିତ । ଏହା ପ୍ରଗତିଶୀଳ ସାହିତ୍ୟକୁ ଅଧିକରୁ ଅଧିକ କରିଛି ସ୍ପଷ୍ଟ ଓ ପରିଷ୍କାର ।
କେବଳ କବିତାରେ ସୀମାବଦ୍ଧ ନୁହଁନ୍ତି କବି, ଆଧୁନିକ ଓଡ଼ିଆ ନାଟକ, ଉପନ୍ୟାସ ରଚନା ସହିତ ଶିଶୁସାହିତ୍ୟ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ବହୁମୁଖୀ ପ୍ରତିଭାର ଅଧିକାରୀ କବି ପ୍ରସନ୍ନ ମିଶ୍ର ଏବେ ମଧ୍ୟ ସ୍ୱପ୍ନବିଭୋର ଓ ସୃଜନମଗ୍ନ ।
ସନାତନକୁ ରକ୍ତ ଦିଅ
ଭାଇ ! ଶୁଣିପାରୁଚ ତ ବୁ ବୁଟ୍ର ଆଓ୍ୱାଜ୍ ?
ରାଇଫେଲ୍ ବଟ୍ର ଉଚ୍ଚାରଣ
ଲୁହବୁହା ସେଲ୍ର ପଛେ ପଛେ
ବନ୍ଧୁକର ଧମଳ- ଶୁଣି ପାରୁଛ ତ ଭାଇ ?
ସନାତନ ଉପରେ ପୁଣି ଏକ ଆକ୍ରମଣ ।
ଆଜି ଆଉ ପଛରେ ଲୁଚି ରୁହନା
ବଟଗଛକୁ ଆଶ୍ରା ମାଗନା
ଜଉତିଷକୁ ହାତ ଦେଖାଅନା
ଆଜି ରେ-ରେ-କାର କରିବାକୁ ହେବ ।
ସେମାନେ ସନାତନର ରକ୍ତ ନେବେ
ଆମକୁ ସନାତନକୁ ରକ୍ତ ଦେବାକୁ ହେବ ।
ନ ହେଲେ ଚକରା ବିଷୋଇ ପରି ସେ ମରିଯିବ
ବକ୍ସି ପରି ବନ୍ଦୀ ହେବ
ଜୟୀ ପରି ଫାଶି ପାଇବ
ପଡିରହିବ ସନାତନର ଶବ ।
ନା ଭାଇ ! ଆଜି ସେମିତି ହେବନି
କସ୍ମିନ୍ କାଳେ ହେବନି
ସେମାନେ ସନାତନର ମୁଣ୍ଡ ନେଲେ
ଆମେ ନିଜର ମୁଣ୍ତ ଲଗେଇ ଦେବା ସନାତନର କାନ୍ଧରେ
ଜଣ ଜଣ କରି ।
ଆସ ମୋର ଝୁମ୍ପୁଡିବାସୀ ଭାଇମାନେ !
ଆସ ମୋର ଶୁଷ୍କ-ବିଲର ମୂଲିଆମାନେ
ଖଣିରୁ ଆସ, ଖଳାରୁ ଆସ
ବଣରୁ ଆସ, ପାହାତରୁ ଆସ
ଗାଁରୁ ଆସ, ନଗରରୁ ଆସ
ଆସ ଉତ୍ତରରୁ, ଦକ୍ଷିଣରୁ, ପୂର୍ବରୁ, ପଶ୍ଚିମରୁ
ଆସ ଆଫ୍ରିକାରୁ, ଅଷ୍ଟ୍ରେଲିଆରୁ, କାମ୍ପୁଚିଆରୁ
ଆସ ଆସ, ଆସ ଆସ ।
ଦଳ ଦଳ ଆସ
ପାହାଡରୁ ନିର୍ଝର ଝରିବା ପରି ଆସ
ଲଂଜାତାରା ଖସିବା ପରି ଆସ
ଝଂଜା ବହିବା ପରି ଆସ
ଆଜି ସନାତନକୁ ରକ୍ତଦେବାକୁ ହେବ ।
ଅଦୁର୍ଦ ଅର୍ବୁଦ ବାହୁରୁ ରକ୍ତ ନେଇ
ଅର୍ବୁଦ ଅର୍ବୁଦ ମୁଣ୍ଡ ଲଗେଇ
ଠିଆହେବ ସନାତନ
ଦୁର୍ଜୟ ନଶାଣ ।
ଆସ ଭାଇ ! ତୁମର ରକ୍ତ ମିଶାଇ ଦିଅ
ସନାତନର ଧମନୀରେ ।
ଆସ ମା ସ୍ତନ୍ୟ ଦିଅ ସନାତନକୁ
ଆସ ଭଉଣୀ ! ଦିଅ ତୁମର ଗୁମ୍ଫିତ କ୍ରୋଧ
ସନାତନର ଛାତିକୁ ।
ଦିଅ ଦିଅ
ଦିଅ ଦିଅ
ଲକ୍ଷେ ମଶାଲ ଦିଅ
ସନାତନର ହାତକୁ ।
ସନାତନ ଆମର ବିଶ୍ଵ
ତା’ର ଛାତି ଆମର ଛାତି
ଆମେ ଭାଇ ! ସନାତନର ଭାଇ
କୌଣସି ଆକ୍ରମଣକୁ କେବେ ସନାତନ ଡରିନାହିଁ
ଆମେ ବି ଡରିବା ନାହିଁ ।
ବହିଯାଉ ଲାଲ ରକତ
ଭାଇରେ କଲୁ କି ଶପଥ, ହଟିବୁ ନାହିଁ ତୁ ପଛକୁ
ଢାଳି ଦେବୁ ପଛେ ରକତ ।
ଧୋବଧାଉଳିଆ ଆସିବେ
ହସି ହସି ପାଖେ ବସିବେ
କେତେ କଥା ଦେବେ ଶିଖେଇ
ବନେଇ ଚୁନେଇ ମନେଇ
ତୋର ଭିଟାମାଟି ନେଇଯିବେଟି
ତୋତେ ଥାନାକୁ ପଠେଇ ଦେବେଟି ।
ଥାନାରେ ଥିବରେ ପୁଲିସି
ଖାଉଥିବ ମାଛ ଇଲିସି
ଲାଛି ଦେବ ତୋତେ ପେଟରେ
ଧୋବଧାଉଳିଆ ବଗୁଲା
ସବୁତ ପୁଲିସି ପଟରେ
ଖାଇଯିବେ ତୋତେ ମିଶିକି
ଉଠେଇ ଦେବେରେ ଫାଶୀକି
ତୁ ଆଉ କିସ କରିବୁ
ଯଦି ତେଣ୍ଟା ନ ଧରୁ ହାତରେ
ଯଦି ଟାଙ୍ଗିଆ ନ ଥାଏ କାନ୍ଧରେ
ବିନା ଦୋଷେ ସିନା ମରିବୁ ।
ତେଣୁ କାହାରି ଆଦେଶ ନ ମାନି
କରି ନେ ଭାଇ ଶପଥ,
ମୂଲ ଲାଗି ମୂଲ ଲାଗିବୁ
ଭିଟାମାଟି ନାହିଁ ଛାଡ଼ିବୁ
ପଛେ ବହିଯାଉ ଲାଲ ରକତ ॥
ହିସାବ କର
ହିସାବ କର,
ଆଜି ହିସାନ କର, ମାଲିକ ହେ....
ଲାଭରେ ଅଛି ଆମ ଅଧିକାର ।
ମୁଣ୍ଡ ଝାଳ ଆମେ ତୁଣ୍ଡେ ମାରି
କରୁଁ ଉତ୍ପାଦନ,
ମିଥ୍ୟା ଅଭାବର ମିଛ ହିସାବ
କରି ଉଦ୍ଭାବନ
ହେଉନି ଲାଭ ବୋଲି ଘୋଷଣା କର ।
ୟେ’ କି କାରବାର ? ମାଲିକ ହେ
ଆଜି ହିସାବ କର ... ... ... ।
ଚଳାଇ କଳ ଆମେ ସାରିଲୁ ବଳ
ବଢିଲା ତୁମ ଧନ ଅଚଳାଚଳ,
ଖଟି ଖଟି ଆମେ ହେଲୁ ଦୁଃଖୀ ମଳୁ
ଆମର ଲହୁ ତୁମେ କରିଲ ଚଳୁ ।
ପିନ୍ଧି ବୁଲ
ରତ୍ନ ହାର
ଦିଶେ ଚମତ୍କାର .....
ୟେ’ କି କାରବାର, ମାଲିକ ତା’ ...?
ଆଜି ହିସାବ କର... ।
ଧନ ବଳେ ନେଲ କେତେ ମୁଣ୍ଡ କିଣି
ବଡ଼ ବଡ଼ କାଗଜର ତୁଣ୍ଡ କିଣି
ଆମ ପାଉଣା ଦେଇ ଅନ୍ୟ ହାତେ
‘ଧନ୍ୟବାଦ’ ତୁମେ କିଣ ଯେ କେତେ,
ତୁମ କରମର
ତୁମ ଧରମର,
କାହିଁ ପଟାନ୍ତର ? ମାଲିଳ ହେ
ଆଜି ହିସାବ କର... ।
ପରିବାର ଧରି ସୁଖେ ଆକାଶେ ଉଡ଼
ଦୂର ସମୁଦ୍ରରେ ଯାଇ ପକାଅ ବୁଡ
ପୋଷୁଚ ବଣୀ, କେତେ ଦେଉଳ ଗଢ଼
ଆମକୁ ଦେବା ବେଳେ ଆଇନି କାଢ଼
କେତେ ଆଇନି କାଢ଼
ଖୋଇ ପୋଲିସି ମାଡ଼,
ଦୂରକୁ ତଡ଼,
ଖାଲି ପକାଅ ବାଡ଼ - ମାଲିକ ହେ
ଆଜି ହିସାବ କର...
ଖବର କାଗଜ କରେ ତୁମକୁ ବଡ଼
ଲୋକ-ସେବକ, ଆମେ ନିପଟ ମୂଢ଼
ଆମର ଦାବୀ ଶୁଣି ତୁମେ ଯେ କାଲ
ଜାଣିରଖ ଆମେ ନୋହୁଁ ମେଣ୍ଢା ପଲ
ନୋହୁଁ ଖତର କୁଢ଼
ମାଗୁ ଉଚିତ ମୂଲ,
କର ପ୍ରତିକାର - ମାଲିକ ହେ
ଆଜି ହିସାବ କର ... ... ।
ପଙ୍କେ ଫୁଟେ ବୋଲି ପଦ୍ମ ଫୁଲ
ତୁମେ କହି ତ ବୁଲ
ଭାଷଣ କର ଆମ ମୂଲିଆ କୁଳ
କାଳେ ଧରମା ତୁଲ ।
ମାନୁଚୁ ଆମେ ଏଇ ପଙ୍କେ ଥାଉ
ଉଚିତ ମୂଲ ଲାଗି ରଙ୍କ ହେଉ,
ଫୁଟାଉ ଆମେ ଯେତେ ପଦ୍ମ ଫୁଲ
ଗଣି ଗଣି ଗୋଟି ଗୋଟି ତୁମେ ଇ ତୋଳ
ଲାଭର ବେଳ
ହେଲେ ଚାବୁକ୍ ଧର
ୟେ’ତ ଚମତ୍କାର- ମାଲିକ ହେ
ଆଜି ହିସାବ କର ......।