ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ

ରାମକୃଷ୍ଣ ନନ୍ଦ

 

ସୂଚୀ

ପୂର୍ବାଭାସ

ଲୋକଗୀତ ଶିଶୁସଙ୍ଗୀତର ପ୍ରକାର ଭେଦ ଓ ବର୍ଗୀକରଣ - ପାଠରେ ବିଭିନ୍ନତା - ଇତିହାସର ଅମୂଲ୍ୟ ସମ୍ପଦ - ଖେଳ କୌତୁକ ଗୀତ - ଶିକ୍ଷା ଗୀତ - ଓଡ଼ିଶାର ଉପାନ୍ତ ଅଞ୍ଚଳର ଗୀତ - ନାନାବାୟା ଗୀତର ଛନ୍ଦ - ଆଧୁନିକ ଶିଶୁସଙ୍ଗୀତ -ନାନାବାୟା ଗୀତରେ ହାସ୍ୟରସ - ଓଡ଼ିଆ ଶିଶୁସଙ୍ଗୀତର ଭବିଷ୍ୟତ - ଉପସଂହାର ।

 

ପ୍ରଥମ ଭାଗ

ପ୍ରାଚୀନ ନାନାବାୟା ଗୀତ

୧. ଗେଲ କରିବା, ଝୁଲାଇବା ଓ ନଚାଇବା ଗୀତ

୨. କାନ୍ଦୁଥିଲେ ବୁଝାଇବା ଗୀତ

୩. ଖୁଆଇବା ଗୀତ

୪. ଶୁଆଇବା ଗୀତ

୫. ଖେଳ କୌତୁକ ଗୀତ

୬. ଶିକ୍ଷା ଗୀତ ଓ କଥାଣୀ

୭. ବିବିଧ

 

ପ୍ରଥମ ଧାଡ଼ିର ବର୍ଣ୍ଣାନୁକ୍ରମିକ

ସୂଚୀପୃଷ୍ଠା

 

ଅକଲ ମକଲ ଚଇକି ଚକଲ

ଅକଲ ମକଲ ଟକଲ ଟାଇଁ...

ଅକଲ ମକଲ ଟକଲ ଟିଆ...

ଅକା ମକା ତିନି ଲେକା ...

ଅଞ୍ଜୁ ମଞ୍ଜୁ ସଞ୍ଜୁ ......

ଅଟର ମଟର କାଉଁରିଆ

ଅରଗଡ଼ ମରଗଡ଼ (୧) ...

ଅରଗଡ଼ ମରଗଡ଼ (୨)...

ଅରଟ ଗାଇଁ ଗୁଇଁ ଲୋ ବୁଢ଼ୀ...

ଅଲ୍‌ ମଲ୍‌ ଢିଙ୍କି ଡଲ୍‌...

ଆ’ ଆ’ ରେ କୋକମୁନ...

ଆ’ରେ ଆ’ରେ ଜହ୍ନମାମୁଁ...

ଆ’ରେ ଆ’ରେ ଜହ୍ନମାମୁଁ...

ଆଇ ଆଇ ରେ କଜଳପାତୀ...

ଆଇକମ୍‌ ବାଇକମ୍‌...

ଆଇତ ଆଇରେ ନିଦମାଉସୀ ...

ଆଇ ରେ ବାଇଆ ଖାଇବୁ ...

ଆଏବୁ ଆଏବୁ ରେ ଜହ୍ନମାମୁଁ ...

ଆକାଶରେ ମେଘ ଲୋ ...

ଆଖି ନାହିଁ କାନ ନାହିଁ...

ଆ ଜହ୍ନମାମୁଁ ସରଗଶଶୀ (୧)....

ଆ ଜହ୍ନମାମୁଁ ସରଗଶଶୀ (୨)....

ଆ ଜହ୍ନମାମୁଁ ଶରଦଶଶୀ...

ଆନିଆ ମାଆ ଲୋ ...

ଆପଟ ବାପଟ କାନ ମଡ଼କା...

ଆବୋରି କିରେ ବୋରି...

ଆମ କୁନା ବାବୁ ବନେ...

ଆମ୍ବ ପାଚେ ପଣସ ପାଚେ...

ଆୟରେ ଆୟ ଚେତାବଣି

ଆ’ରେ ବାଇଆ ଆ ...

ଆସ ରେ ଜହ୍ନମାମୁଁ...

ଆସରେ ପିଲାଏ କଥା କହିବା

ଆସରେ ପିଲାଏ ଜାମୁକୋଳି

ଆସରେ ପିଲେ ବଣକୁ ଯିବା...

ଆସ ଲୋ କବତୀ ...

ଆସିଲାଣି ମେଘ ...

ଇକନ୍‌ ମିକନ୍‌ ଚାଇଁକି ଚିକନ୍‌...

ଇଞ୍ଚିଡ଼ି ମିଞ୍ଚିଡ଼ି...

ଇଚିରି ମିଚିରି......

ଇଟିଲି ମିଟିଲି...

ଈଲି ମିଲି ଖିଲିକାତି...

ଉଦୁ ଉଦୁମା ତାଳଗୋଟମା...

ଏଉଟି ମୋ ଧନ ତ..

ଏକ ତରା ଦୁଇ ତରା (୧)...

ଏକ ଚରା ଦୁଇ ତରା (୨)...

ଏକ ତରା ଦୁଇତରା ତିନି ତରା....

ଏକ ତରା ଭାଇ ଦୁଇ ତରା ...

ଏକ ତରା ଗଲା ପାଇକପରା ...

ଏକ ତରା ମଣିଷମରା ...

ଏକ ଦୁଇ ତିନି ଚାରି ...

ଏକନ୍‌ ଦୋକାନ୍‌...

ଏକ ପୁତ ଦୁଇ ସଙ୍ଗାତ ...

ଏକ ବିଲେଇ ଲାଙ୍ଗୁଡ଼ ସେକ ...

ଏକମା ଦୁକମା ତିନକେ ବାଡ଼ି...

ଏକି ଫୁଲ ସେକି ଫୁଲ ...

ଏକେ ତାଉଁ ମେକେ ଡାଉଁ ...

ଏତେ ଏତେ ପାଣି ...

କିଏ ମାଇଲାରେ କିଏ ଧଇଲା (୧)

କିଏ ମାଇଲାରେ କିଏ ଧଇଲା (୨)

କିଏ ସେ ମାରିଲା କିଏ ଗାଳିଦେଲା

କୁଆ କେମିତି ବେଙ୍ଗ ନିଏ...

କଇଞ୍ଚି କାକୁଡ଼ି ନଳିତାପିତା

କକ କାଳିନ୍ଦୀ ତୀରେ...

କକରବାଇରେ କକରବାଇ

କକରମିନାରେ ବାଇଚଢ଼େଇ

କଖାରୁ ଫୁଲ ଫୁଟିଲା

କଥାଟିଏ କହୁଁ...

କଦଳୀଗଛରେ କୁଆମଇତା

କଲକବତାରେ କଲକବତା ....

କଳା ନାଇ ଦେବି ...

କାଇଁଚ କେରିଏ ଦଉଁ...

କାଉ କାଉରେ ...

କାଟିଗଲି ତହୁକ ତୁମେର...

କାଠିକି କାଠି ପବନ କାଠି...

କାନ୍ଦନା କାନ୍ଦନା କଳାମାଣିକ

କାନ୍ଦୁଲ ବାଡ଼ିକି ଯାଏ ...

କାର୍ତ୍ତିକ ଶୀତ କରେ ରାତିକି...

କାହିଁକି କାନ୍ଦୁରେ ....

କିଆ ବନେ ବନେ ଲୋ ...

ଗହମ ଚଲେଇ ଦେଲି...

ଗାଈ ଚରିଗଲେ ହିଡ଼ି ହିଡ଼ିକା

ଗିଲି ଗିଲି ଗୁଣ୍ଡି...

ଗୁଆ ଗଛ ଧାଡ଼ିକି ଧାଡ଼ି...

କୁଆ ମୋର ବେଙ୍ଗକୁ ନେଲା ...

କୁଉ କୁଉ କଜଳ...

କୁଉ କୁଉ କୁ’ କୁ’....

କୁକୁଡ଼ା ନଖାଏ ଖୁଦ...

କୁନା ଆଉ କାନ୍ଦ ନାଇଁରେ ...

କୁନିକି ଶୋଇଦେ ମା’ ...

କୁନା ବାହା ହେବ ଆଳିରେ...

କୁନି ମୁନି ପଡ଼ ଶୋଇ...

କୁନୁ ମୁନୁ ବାଇଆ...

କୁଅ ମୂଳ ଦଉଡ଼ି....

କେରାଣ୍ଡି ମାଛର କାତି...

କୋଇଲି ତୁ କେଇଲା...

କୋକବାୟା ନନା ରେ

ଗଡ଼ିଆର ଚାରିପାଖେ...

ଝୁଲୁ ହାତୀ ଝୁଲୁ ହାତୀ...

ଟିକି ଟିକି ଚଢ଼େଇମାନେ...

ଟିକି ଟିକି ଧାନ ଓଲଟବେଣୀ...

ଟିକି ଟିକି ଧାନ ଶହେଭରଣ...

ଟୁକୁ ମୂଷିରେ ଟୁକେଇମୂଷି...

ଡାମରା କାଉରେ ଡାମରା କାଉ...

ତିବି ତିବି ବାଜେ...

ଡେଇଁ ଡେଇଁ ଗଲା ବଣି...

ଗୁଗୁ ଗୁଗୁ ପାଞ୍ଚି...

ଗୁଗୁପାଞ୍ଚି, ଗୁଗୁପାଞ୍ଚି ...

ଘୋର ନିଶା ଗରଜେ...

ଚକା ଚକା ଭଉଁରୀ (୧)...

ଚକା ଚକା ଭଉଁରୀ...

ଚାଇଁ ଚାଇଁ ମୁଠି

ଚାଲୁଣି ଚଲଉଁ ଚଲଉଁ...

ଛଟାକୁ ଛଟା...

ଛିଲୋ ଲାଇ...

ଜଗ ଜଗ ନାରୀ...

ଜହ୍ନ ପାଖେ ପାଖେ ତରା

ଜହ୍ନିଫୁଲ ଠୋ ଠା

ଝୁଲ ପଣ୍ଡା ଝୁଲ୍‌ପଣ୍ଡା

ଝୁଲ୍‌ରେ ହାତୀ ଝୁଲ୍‌

ଦୁଲି ତଲେ ଗଲା ଜନ୍ଦା

ଦେ ଧେଇକି ନାଟ...

ଦୋଳି କରେ ରଟମଟ...

ଦୋଳି ତ ଦୋଳି ପବନଦୋଳି

ଧାନ କୁଟିବୁ ରେ ବଗ...

ଧୋଓ ରେ ବାୟା ଧୋ

ଧୋ ବାଇ ରେ ଧୋ ବାଇ (୧)

ଧୋ ବାଇରେ ଧୋ ବାଇ (୨)

ତାଇ ତାଇ ତାଇ (୧)...

ତାଇ ତାଇ ତାଇ (୨)...

ତାକ୍‌ଧିନା ଧିନ୍‌(୧)....

ତାକ୍‌ଧିନା ଧିନ୍‌(୨)...

ତାକ୍‌ବଦନ ଥୈୟା....

ତା ଥେଇକି ତା ଥେଇକି...

ତାଳି ତାଳି ବନମାଳୀ...

ତୁ ମୋ କଳାକାଇଁଚ...

ତୋ ରୋ ରେ ରେ...

ଥୋଲ୍‌ ଥନ୍ତଲପେଟା...

ଦଶ କୋଡ଼ିଏ ଆଡ଼ି ମୁଢ଼ି...

ନିଦ ଘର ପୁଇ ରେ

ନିଦମାଉସୀ ନିଦମାଉସୀ

ନିଦମାଉସୀ ଲୋ ନିଦମାଉସୀ (୧)

ନିଦମାଉସୀ ରେ ନିଦମାଉସୀ

ନେ ବଳଦ ଟାଣିଟୁଣି

ପାଟିଲା ଆମ୍ୱରୁ ଫାଳେ

ପାଚେ ପାଚେ ରେ

ପାଠ ପଢ଼ିବି

ପାଠ ପଢ଼ିବୁ ତୁ

ପିତା ଶାଗ ବୁଦି ବୁଦି

ପୁଞ୍ଚି ଲୋ ଘୁଞ୍ଚି ଯା

ଧୋ ବାଇଆ ଧୋ (୧)...

ଧୋ ବାଇଆ ଧୋ (୨)...

ନଈ ତଳେ ତଳେ କିଏ ଯାଉଛି

ନ କାନ୍ଦ ନ କାନ୍ଦରେ...

ନଡ଼ିଆର ଖଣ୍ଡି...

ନାଇଁ କାନ୍ଦନାରେ ବାପ ମୋ...

ନାଇଁ ନାଇଁରେ ଧନମାଲୀ....

ନାଚି ନାଚି କେତେ ଝାଳ

ନାନାବାୟା ତାନାରେ

ନାନାବାୟା ଧର ରେ

ନାହିଁ ଲୋ ନାହିଁ

ବାଇଚଢ଼େଇରେ ବାଇଚଢ଼େଇ (୧)

ବାଇଚଢ଼େଇରେ ବାଇଚଢ଼େଇ (୨)

ବାଇଚଢ଼େଇରେ ବାଇଚଢ଼େଇ (୩)

ବାଇଚଢ଼େଇରେ ବାଇଚଢ଼େଇ (୪)

ବାଇଧର ମଣି ବାଇଧର ମଣି

ବାଇମୁଣ୍ଡ ବାଇମୁଣ୍ଡ

ବାପଧନ ଦୟାନିଧି

ବାଘ ପାଣି ପିଏ

ବାୟା ଚଢ଼େଇ ରେ ବାୟା ଚଢ଼େଇ

ବିଲୁଆ ନନା ରେ ବିଲୁଆନନା

ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେ

ପୁଞ୍ଚି ଲୋ ପୁଞ୍ଚି ଲୋ

ପେଚାରେ ପେଚା

ଫିକି ଦିଅରେ

ବଗ ଯାଇଥିଲା ବଗ ବଣକୁ

ବଗୁଲୀ କାନ୍ଦନା ଲୋ

ବନା ମା ତା ଧେଇକି

ବାଇଆ ଫେରି ଯା ରେ

ବାଇଆ ମା ଯେ ନ ଖାଏ ଖୁଦ

ବାଇଚଢ଼େଇ ତୁ ନ କର ଗୋଳ

ମୋର ଗଣ୍ଠିଧନ...

ମୋର ଧନ ଶୁଇ ପଡ଼ିଲା...

ମୋ ହେଲୀ ଦେଖ

ମୋ ଗେଲୀ ଦେଖ...

ଯେଉଁ ଡାଲେ କୁଇଲି ବସେ

ରଜା ଯେ ରାଉତିଆ...

ରୋ ରୋ ରୋ...

ସବୁ ପିଲାଏ ତ ଖେଳି ଅଇଲେ

ସାତ ତାଳ ପାଣି...

ଶଙ୍ଖଚିଲ ମହାବିଲ...

ଶୁଖିଲା ପାନକୁ ଶୁଖିଲା ଚୂନ

ବେଙ୍ଗୁଲୀ ବେଙ୍ଗୁଲୀ ମାଉସୀ ମଲା

ମେଘ ବରଷିଲା ଟୁପୁରୁ ଟୁପୁରୁ

ମେଘ ବରଷିଲା ଟୁପୁରୁ ଟୁପୁରୁ

ମୋ କଥାଟି ସରିଲା

ମୋ କୁନି କାନ୍ଦନା ଲୋ

ମୋ କୁନିକୁ କିଏ

ମୋ କୃଷ୍ଣ ନାଚୁଥିବେ

ମୋ ଧନପରି କିଏ ହବରେ

ମୋ ପେଏଁ କାଳି ବାଜେ

ଶୋଇପଡ଼ ଶୋଇପଡ଼...

ଶୋଇପଡ଼ କୁନା ଶୋଇପଡ଼

ଶୋଇପଡ଼ ରେ ବାଇଆ ମୋର

ଶୋଇପଡ଼ ରେ ଧନ...

ଶୋଇଯା’ ଶୋଇଯା’...

ହାତୀ ଝୁଲୁଚିରେ...

ହାତୀଟି କାଳିଆ (୧)...

ହାତୀଟି କାଳିଆ (୨)...

ହୁପେଣ୍ଡି ବାଇସ୍‌କୋପ୍‌...

ହୋ ଗୋ ମୁନା କାଉ କାଉ

 

ଦ୍ୱିତୀୟ ଭାଗ

ଆଧୁନିକ ନାନାବାୟା ଗୀତ

ସୂଚୀ

୧। ଗୋପାଳ ଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫)

ଝୁଲ୍‌ ହାତୀ ଝୁଲ୍‌....

ବାୟା ମା...

ଟୁକୁ ମୂଷି...

ବେଙ୍ଗୁଲୀ ନାନୀ...

 

୨। ନନ୍ଦକିଶୋର ବଳ (୧୮୭୫୧୯୨୮)

ବାୟା ଚଢ଼େଇ...

ଚୁଟିଆ ମୂଷା...

ହୋଓ ରେ ବାଇଆ ହୋଓ...

ନିଦମାଉସୀ....

ବେଙ୍ଗୁଲୀ ରାଣୀ

 

୩। ନୀଳକଣ୍ଠ ଦାସ (୧୮୮୪-୧୯୬୭)

ମୋ ରଜା...

ଜହ୍ନମାମୁଁ...

 

୪। ଗୋଦାବରୀଶ ମିଶ୍ର (୧୮୮୬-୧୯୫୬)

ତୁନି ହୁଅ...

 

୫। ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩)

ଆ ଜହ୍ନମାମୁଁ...

 

୬। ମଦନମୋହନ ପଟ୍ଟନାୟକ (୧୮୯୦-୧୯୬୭)

ଚକା ଚକା ଭଉଁରୀ...

 

୭। ଚକ୍ରଧର ମହାପାତ୍ର (୧୮୯୫-୧୯୬୬)

ଆବୁ-ତାବୁ....

ଖରା ମା...

ଧାଇଁ ଗୁଡୁ ଗୁଡୁ...

 

୮। କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)

ବାଇଆ ହାତୀ...

ଆ ଜହ୍ନମାମୁଁ...

ଧୋ’ରେ ବାଇଆ ଧୋ’...

ଚଉବାହା ତୋର ସାହା...

 

୯। ଚନ୍ଦ୍ରଶେଖର ମିଶ୍ର (୧୯୦୦-)

ଶିଶୁର ଶୟନ ସଙ୍ଗୀତ...

 

୧୦। ଲୋକନାଥ ପଟ୍ଟନାୟକ (୧୯୦୦-୧୯୬୫)

ମୋର ସୁନାପୁଅରେ...

 

୧୧। ରଘୁନାଥ ମହାନ୍ତି (୧୯୦୦)

ପୁଅ ଖେଳାଇବା ଗୀତ...

 

୧୨। ଉପେନ୍ଦ୍ର ତ୍ରିପାଠୀ (୧୯୦୩)

ମା’ର ଶିଶୁଶୁଆ ଗୀତ...

ଟୁଉକୁ ମୂଷି ଗୀତ...

ବାଇଚଢ଼େଇ...

ଗା’ଲୋ ବେଙ୍ଗୁଲୀ ଗା’...

 

୧୩। ଉଦୟନାଥ ଷଡ଼ଙ୍ଗୀ (୧୯୦୫)

ଚକା ଚକା ଭଉଁରୀ...

ବାଇଚଢ଼େଇ....

ରାତି ପାହିଲା...

 

୧୪। ରାମକୃଷ୍ଣ ନନ୍ଦ (୧୯୦୬-)

ଚକା ଚକା ଭଉଁରୀ...

ହାତୀ ନେ, ଘୋଡ଼ା ନେ...

ଆସନ୍ତା ମାସର ପହିଲା...

ଚୁଟିଆ ମୂଷାର ଚାତର...

 

୧୫। ଅନନ୍ତ ପଟ୍ଟନାୟକ (୧୯୨୦-)

ହୋଓରେ ବାଇଆ ହୋ...

 

୧୬। ନିତ୍ୟାନନ୍ଦ ମହାପାତ୍ର (୧୯୧୨-)

ନାନାବାଇ...

 

୧୭। କୁଞ୍ଜବିହାରୀ ଦାଶ (୧୯୧୪-)

ଉଦୁଉଦୁମା...

କଳାକାହ୍ନୁ ମୋର ପଡ଼ିବ ଶୋଇ...

 

୧୮। ଗୋପାଳଚନ୍ଦ୍ର ମିଶ୍ର (୧୯୨୫)

ଗୋଧନ...

 

୧୯। ରାମପ୍ରସାଦ ମହାନ୍ତି (୧୯୨୬)

ମିଟୁ ଆମର...

ଗୋଟିକି ଗୋଟି...

କାରିଗର...

ପାକୋଈ ବୁଢ଼ୀ...

ଟିକି ଓ ନିଖି...

ଜାପାନ୍‌ ଦେଶର ଲୋଲୀ...

 

୨୦। ନଦିୟା ବିହାରୀ ମହାନ୍ତି (୧୯୩୧-)

କୁନିକି ଶୋଇଦେ...

ଉଠ ସକାଳ ହେଲା...

 

୨୧। ସ୍ନେହଲତା ମହାନ୍ତି (୧୯୩୨-)

ବାଇଆ ମାଆ ଲୋ...

 

୨୨। ନାରାୟଣ ପ୍ରସାଦ ସିଂହ (୧୯୩୩-)

କଇଁଚି କାକୁଡ଼ି ନଳିତା ପିତା...

ଟୁଉକୁ ମୂଷି....

 

୨୩। କ୍ଷୀରୋଦ ଚନ୍ଦ୍ର ପୋଥାଳ (୧୯୩୭-)

ବାଇଆ ରଜା...

କଣ୍ଢେଇ ବାହାଘର...

 

୨୪। ବିରଞ୍ଚି ମଲ୍ଲିକ (୧୯୩୯-)

ଆରେ ଜହ୍ନମାମୁଁ...

 

୨୫। ନିରଞ୍ଜନ ବେହେରା (୧୯୩୯-)

ନିଦମାଉସୀ...

 

୨୬। ଶ୍ରୀପତି ପାଣିଗ୍ରାହୀ (୧୯୪୦-)

ଲେରୀ (ସମ୍ବଲପୁରୀ ଗୀତ)

 

୨୭। ପ୍ରସନ୍ନ କୁମାର ମିଶ୍ର (୧୯୪୧-)

ଛୁଇଁ ଛୁଇଁ ଯା...

ଉଠ୍‌ ଉଠ୍‌ ଉଠ୍‌...

 

୨୮। ଗଣେଶ୍ୱର ମିଶ୍ର (୧୯୪୨-)

ଟିକି ରବିନ୍‌...

ଟିକି ଝିଅ ମଫ୍‌ପେଟ୍‌...

 

୨୯। ଗୋପା ଦାସ (୧୯୪୯-)

ଧୋ’ରେ ବାଇଆ ଧୋ

 

୩୦। ରାଜକିଶୋର ରାଜ (୧୯୫୪-)

ମୋ ଧନ ପଡ଼ିବ ଶୋଇ...

 

୩୧। ଅଜ୍ଞାତ...

ଚକା ଚକା ଭଉଁରୀ

 

ପୂର୍ବାଭାସ

ମାନବ ସଭ୍ୟତାର ପ୍ରଥମ ଉନ୍ମେଷ ଘଟିଥିଲା ପଲ୍ଲୀରେ । ପଲ୍ଲୀ ପ୍ରକୃତିର ସରଳ ଶାନ୍ତିପ୍ରଦ କ୍ରୋଡ଼ରେ ଆଦିମ ମନୁଷ୍ୟର ଜୀବନଧାର ବହି ଚାଲିଥିଲା କଳନାଦିନୀ ନିର୍ଝରିଣୀ ପରି । କିନ୍ତୁ ସେଥିରେ ସେ ତୃପ୍ତ ନହୋଇ ଖୋଜିଲା ଅଧିକ ସୁଖ, ଅଧିକ ସମ୍ପଦ । ପଲ୍ଲୀକୁ ଛାଡ଼ି ଦେଇ ନିଜ ଜ୍ଞାନ ଓ କଳନାର ସମସ୍ତ ସାମଗ୍ରୀକୁ ଠୁଳକରି ଗଢ଼ିଲା ସହର । ପୃଥିବୀର ସବୁ ଦେଶରେ ଏହି କ୍ରମରେ ଜନବସତି ଗଢ଼ି ଉଠିଥିଲା- ଆଗ ପଲ୍ଲୀ, ପରେ ସହର । ସେଥିପାଇଁ କୁହାଯାଏ - ଭଗବାନଙ୍କ ସୃଷ୍ଟି ପଲ୍ଲୀ, ମନୁଷ୍ୟର ସୃଷ୍ଟି ସହର । ମାନବସଭ୍ୟତା ଯେତିକି ବିକାଶୋନ୍ମୁଖୀ ହୋଇଛି, ସହରସଂଖ୍ୟା ସେତେ ବଢ଼ିବାରେ ଲାଗିଛି । ଆଜିର ଶିଳ୍ପ ଓ ବିଜ୍ଞାନ ମନୁଷ୍ୟକୁ କରିଛି ଅଗ୍ରଦର୍ଶୀ; ସେ ପଛକୁ ଫେରିବାକୁ ଚାହେଁନା । ଅତୀତକୁ ପାଦରେ ଠେଲିଦେଇ ସେ ଆଗେଇଚାଲିଛି ତା’ର କଳ୍ପିତ ଅମରବତୀର ସନ୍ଧାନରେ ।

 

କିନ୍ତୁ ମାନବସମାଜରୁ ପ୍ରାଚୀନତାର ଚିହ୍ନ ପୂରାପୂରି ଲିଭିଯିବା ଏତେ ସହଜ ନୁହେଁ । ପ୍ରତି ମନୁଷ୍ୟ ଦେହରେ ବୋହୁଛି ପୂର୍ବ ପୂରୂଷଙ୍କ ରକ୍ତ । ପରମ୍ପରାର ଦାଗ ତା’ ମନରୁ ଲିଭିପାରୁନାହିଁ । ରକ୍ଷଣଶୀଳ ସମାଜପତି ମାନେ ପଛକୁ ଫେରିଚାହୁଁଛନ୍ତି କେଡ଼େ ସରଳ ଥିଲା ମନୁଷ୍ୟର ଜୀବନ ! ସେମାନେ ଅତୀତର ଚଳଣିକୁ ବଞ୍ଚାଇରଖିବାକୁ ଚାହାଁନ୍ତି । ଧୋତି ଚାଦର, ଚିତା ମୁରୁଜ, ଶଙ୍ଖ ହୁଳହୁଳି, ଅଳତା ସିନ୍ଦୂର ଓ ଓଷାବ୍ରତର ମୋହ ସେମାନେ ଛାଡ଼ିପାରୁନାହାନ୍ତି । ଆଧୁନିକ ଯୁଗର ଆଚାରବିଚାର ସେମାନଙ୍କୁ ସୁଖ ଲାଗୁନାହିଁ । ଚିନ୍ତାଶୀଳ ମନୀଷୀମାନେ ଏ ସହରୀ ସଭ୍ୟତାର ପରିଣତି ଚିନ୍ତା ପରି ମଧ୍ୟେ ମଧ୍ୟ ଡାକ ଦେଉଛନ୍ତି ‘ପଲ୍ଲୀକୁ ଫେରିଯାଅ’ ; କିନ୍ତୁ ଅଣଲେଉଟା ରୁକୁଣାରଥ ପରି ନୂତନ ସଭ୍ୟତା ଦୁର୍ବାର ଗତିରେ ଆଗକୁ ଆଗକୁ ମାଡ଼ିଚାଲିଛି ।

 

ଗତ ଶହେ ବର୍ଷ ଭିତରେ ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାର ସାମାଜିକ ପରିସ୍ଥିତି ବିଶେଷ ରୂପେ ଦୋହଲିଯାଇଛି । ଇଂରେଜ ଶାସନ, ପାଶ୍ଚାତ୍ୟ ଶିକ୍ଷା ଓ ବିଜ୍ଞାନର ବିକାଶ ଆମର ଚିନ୍ତା ଓ ରୁଚିକୁ ଅନେକ ବଦଳାଇଦେଇଛି । ପୁଅମାନେ ଧୋତି ଓ ଝିଅମାନେ ଅଳଙ୍କାର ଛାଡ଼ିଦେଉଛନ୍ତି । ଧର୍ମଧାରଣା ଓ ଈଶ୍ଵରବିଶ୍ଵାସ ବଦଳିଯାଉଛି। ଲୋକମାନଙ୍କ ବୃତ୍ତି ଓ ଜୀବନଧାରା କ୍ରମେ ଜଟିଳତର ହେଉଛି । କଳକବ୍‌ଜା ଘରେ ଘରେ ପ୍ରବେଶ କଲାଣି ଛାପାକଳ ଓ ରେଡ଼ିଓ ଶିକ୍ଷାରାଜ୍ୟରେ ଆଣିଛି ବୈପ୍ଳବିକ ପରିବର୍ତ୍ତନ । ମନୁଷ୍ୟକୁ ଆଉ ପୂର୍ବପରି ଶୁଣି ଶୁଣି ମନେ ରଖିବାକୁ ପଡ଼ୁନାହିଁ । କ୍ୟାମେରା ଓ କମ୍ପ୍ୟୁଟର ତା’ ମସ୍ତିଷ୍କକୁ ଅମାପ ଶକ୍ତି ଯୋଗାଉଛନ୍ତି । ସବୁ ବିଦ୍ୟା, ସବୁ ଜ୍ଞାନ, ସବୁ ଭାବନା ଛାପି ହୋଇ ରହିଯାଉଛି କାଗଜ ଓ କାଳିରେ ।

 

ଲୋକଗୀତ

ମୁଦ୍ରାଯନ୍ତ୍ର ଆସିବା ପୂର୍ବରୁ ପ୍ରତ୍ୟେକ ଭାଷାରେ ସାହିତ୍ୟ ବଞ୍ଚିରହିଥିଲା ଲୋକମୁଖରେ, ଗୀତ ଓ କାହାଣୀ ଆକାରରେ। ସହଜ ଓ ଲୋଭନୀୟ ଛାପା ବହିର ପ୍ରବଳ ବନ୍ୟାରେ ସେସବୁ ଲୁଚିଯିବାକୁ ବସିଲା । ଓଡ଼ିଆରେ ମଧ୍ୟ ତାହାହିଁ ଘଟିଛି । କେତେକ ଚିନ୍ତାଶୀଳ ବ୍ୟକ୍ତି ପ୍ରାଚୀନ ସଂସ୍କୃତିର ସୁରକ୍ଷାରେ ଆଗ୍ରହୀ ହୋଇ ଏବେ ତା’ର ପୁନରୁଦ୍ଧାରେ ବ୍ରତୀ ହୋଇଛନ୍ତି । ବୁଢ଼ାବୁଢ଼ୀଙ୍କ ସ୍ମୃତିରେ ଯେଉଁ ଟିକକ ଥିଲା ତାକୁ ଗୋଟେଇ ଆଣି ସାଇତି ରଖୁଛନ୍ତି । ଆଧୁନିକ ଶିକ୍ଷାପ୍ରାପ୍ତ ଯେଉଁ କେତେଜଣ କୃତବିଦ୍ୟ ବ୍ୟକ୍ତି ଏ ଦିଗରେ ଉଦ୍ୟମ କରିଛନ୍ତି, ସେମାନଙ୍କ ମଧ୍ୟରେ ଗୋପାଳଚନ୍ଦ୍ର ପ୍ରହରାଜ, ନନ୍ଦକିଶୋର ବଳ, ଚକ୍ରଧର ମହାପାତ୍ର ଓ କୁଞ୍ଜବିହାରୀ ଦାଶଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ ।

 

ଓଡ଼ିଆ ପଲ୍ଲୀସାହିତ୍ୟର ସମୃଦ୍ଧ ଭଣ୍ଡାର ମଧ୍ୟରେ ପଲ୍ଲୀଗୀତର ସମ୍ଭାର ଅତି ବିପୁଳ । ମାତ୍ର ଆମର ଏହି ସଂଗ୍ରହ ତା’ର କେବଳ ଗୋଟିଏ ମାତ୍ର ବିଭାଗ ଶିଶୁସଙ୍ଗୀତ (Nursery Songs) ଉପରେ ଆଧାରିତ । ଅନ୍ୟାନ୍ୟ ପଲ୍ଲୀଗୀତଠାରୁ ଏହାର ବିଶେଷତ୍ୱ ଏହି ଯେ, ଯେଉଁମାନଙ୍କ ଉଦ୍ଦେଶ୍ୟରେ ଏଗୁଡ଼ିକ ରଚିତ ଏବଂ ଗୀତ ହୋଇଥାଏ, ସେମାନେ ପ୍ରାୟ ତା'ର ଅର୍ଥ ବୁଝନ୍ତି ନାହିଁ । ବୁଝିବାର ବୟସ ସେମାନଙ୍କର ହୋଇନଥାଏ । ସେମାନେ ଯାହା କିଛି ବୁଝନ୍ତି, ଚକ୍ଷୁ ଓ କର୍ଣ୍ଣ ମାଧ୍ୟମରେ । ସେତିକିବେଳେ ସ୍ନେହମୟୀ ଜନନୀ, ବଡ଼ଭଉଣୀ ଓ ଜେଜେମାଆ ସେମାନଙ୍କୁ ଶୁଣାନ୍ତି ଟୁଉକୁ ମୂଷି ଓ ବାଇଚଢ଼େଇ ଗୀତ, ଆକାଶରେ ଦେଖାନ୍ତି ଜହ୍ନମାମୁଁ, ଡାକନ୍ତି କୋକମିନାକୁ । ସବୁଥିରେ ଥାଏ କଳ୍ପନାର କାଉଁରି ଓ ସଙ୍ଗୀତର ସମ୍ମୋହିନୀ ଶକ୍ତି । ନାରୀକଣ୍ଠର କୋମଳ ଗୀତଲହରୀ ଓ ହସ୍ତପଦର ସହଜ ଅଭିନୟ ଶିଶୁକୁ ମୁଗ୍ଧ କରେ । ଗୀତ ଶୁଣି ସେ ଅଳି ଅଝଟ ଭୁଲିଯାଏ, କାନ୍ଦୁଥିଲେ ତୁନି ହୋଇଯାଏ, କୋକମିନା ଗୀତ ଶୁଣି ଦୁଧକଳକ ଢୋକିଦିଏ । ଝୁଲୁହାତୀ ଗୀତ ଶୁଣି ‘ଗହମ ନିଦ’ ରେ ଶୋଇପଡ଼େ । ଅବ୍ୟର୍ଥ ସେ ସଙ୍ଗୀତର ପ୍ରଭାବ । ନବ୍ୟଶିକ୍ଷିତା ଜନନୀ ସେ ଗୀତଗୁଡ଼ିକୁ ଭୁଲିଯିବାକୁ ବସିଲାଣି । କୃତ୍ରିମତାକୁ ଆଶ୍ରୟ କରି ସେ ଯାନ୍ତ୍ରିକ ସଭ୍ୟତାର ଶିଡ଼ିରେ ପାଦ ଦେଇଛି । ଶିଶୁ ପାଟିରେ ଦୁଧବୋତଲ ଧରାଇଦେଇ ସେ ନିଜ ପାଟିକୁ ବନ୍ଦ ରଖୁଛି । ଗୀତ ବୋଲି ଅବୁଝା ଶିଶୁକୁ ବୁଝାଇଚାକୁ ତାକୁ ସଙ୍କୋଚ ଲାଗୁଛି ।

 

ଶିଶୁ ସଙ୍ଗୀତର ପ୍ରକାରଭେଦ ଓ ବର୍ଗୀକରଣ

ଶିଶୁକୁ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ଏହାକୁ ଆଦି ସଙ୍ଗୀତ କହିଲେ ଭୁଲ୍‌ ହେବ ନାହିଁ । ଇଂରାଜୀରେ ଏହାର ନାମ Nursery Songs ବା Nursery Rhymes । ଏହି ଅର୍ଥସୂଚକ କିଛି ପ୍ରତିଷ୍ଠିତ ନାମ ଓଡ଼ିଆରେ ବୋଧହୁଏ ପୂର୍ବରୁ ନଥିଲା । ନନ୍ଦକିଶୋର ବଳ ପ୍ରଥମେ ଏଭଳି ଗୀତର ନାମକରଣ କଲେ ‘ନାନାବାୟା ଗୀତ’ । ଶିଶୁ ଯେତେବେଳେ କଥା କହିଶିଖି ନଥାଏ ବା ମନର ଭାବକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିବାକୁ ଅକ୍ଷମ ଥାଏ, ସେତେବେଳେ କାନ୍ଦି କରି ସାଧାରଣତଃ ସେ ତା’ ମନର ଭାବ ପ୍ରକାଶ କରେ । ‘ବାଳାନା’ ରୋଦନଂ ବଳଂ ’ । ତେଣୁ ଅଧିକାଂଶ ନାନାବାୟା ଗୀତ ଅଶାନ ଶିଶୁକୁ ବୁଝାଇ ଶାନ୍ତ କରିବା ଉଦ୍ଦେଶ୍ୟରେ ରଚିତ ।

 

ବିଭିନ୍ନ କାରଣରୁ ଏଭଳି ପରିସ୍ଥିତି ଉପୁଜୁଥାଏ । କେତେବେଳେ ଶିଶୁ ଭୋକରେ କାନ୍ଦେ, କେତେବେଳେ ବା ତା ଇଚ୍ଛାବିରୋଧରେ ଖୁଆଇଲେ ସେ ପ୍ରତିବାଦ କରେ । ଶାରୀରିକ କଷ୍ଟ ବା ଭୟ ଯୋଗୁ ମଧ୍ୟ ଶିଶୁମାନେ କାନ୍ଦନ୍ତି । ମାଆକୁ ଖୋଜିଲାବେଳେ, ଶୋଇବା ପୂର୍ବରୁ କିମ୍ବା ଅଚିହ୍ନାଲୋକ ଦେଖିଲେ ଶିଶୁ କାନ୍ଦିଥାଏ । ଗାଧୋଇ ଦେଲାବେଳେ, ତେଲ ହଳଦୀଲଗାଇ ଦେଲାବେଳେ ମଧ୍ୟ ସେ ଅବୁଝା ହୁଏ । ତେଣୁ ଯେକୌଣସି ନାନାବାୟା ଗୀତ ହେଉ, ଶିଶୁକୁ ଭୁଲାଇ ଶାନ୍ତ କରିବା ପାଇଁ ତାହା ମୁଖ୍ୟତଃ ଉଦ୍ଦିଷ୍ଟ । ସେଗୁଡ଼ିକର ଶ୍ରେଣୀବିଭାଗ ସହଜ ନୁହେଁ । ଶୁଆଇବା ବୋଳର ଗୀତକୁ ଖୁଆଇବା ସମୟରେ ଏବଂ ଗେଲ କରିବା ବେଳର ଗୀତକୁ ଝୁଲାଇବା ବେଳେ ମଧ୍ୟ ବୋଲାଯାଇଥାଏ । ତଥାପି ସଙ୍ଗୀତର ପ୍ରଧାନ ଆଭିମୁଖ୍ୟକୁ ବିଚାର କରି ସେଗୁଡ଼ିକୁ ଏହି ସଙ୍କଳନରେ ବିଭିନ୍ନ ପର୍ଯ୍ୟାୟରେ ସନ୍ନିବେଶିତ କରାଯାଇଛି, ଯଥା : ଗେଲ କରିବା, ନଚାଇବା ଓ ଝୁଲାଇବା ଗୀତ, କାନ୍ଦୁଥିଲେ ବୁଝାଇବା ଗୀତ, ଖୁଆଇବା ଗୀତ, ଶୁଆଇବା ଗୀତ, ଖେଳ କୌତୁକ ଗୀତ, ଶିକ୍ଷାଗୀତ ଓ କଥାଣୀ । ଯାହା କୌଣସି ନିର୍ଦ୍ଦିଷ୍ଟ ଶ୍ରେଣୀରେ ଯାଇପାରିନାହିଁ, ତାହାକୁ ଏକ ସତନ୍ତ୍ର ପର୍ଯ୍ୟାୟ ଭୁକ୍ତ କରାଯାଇଛି ।

 

ପାଠରେ ବିଭିନ୍ନତା

ନାନାବାୟା ସଙ୍ଗୀତର ରଚୟିତା ଅଜ୍ଞାତ । ମାତ୍ର ସେଗୁଡ଼ିକର ଅକୃତ୍ରିମ ଲାଳିତ୍ୟ ଏବଂ ବାତ୍ସ‌ଲ୍ୟରସରୁ ସ୍ପଷ୍ଟ ସୂଚିତ ହୁଏ ଯେ, ଓଡ଼ିଆ ନାରୀ ହିଁ ତାହାକୁ ପ୍ରଥମେ ରଚନା କରିଥିଲେ । କେଉଁ ଅଜ୍ଞାତ କାଳରୁ ତାହା ଲୋକସୃତିରେ ଆଶ୍ରୟ ପାଇ ଓଡ଼ିଶାର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ପୁରୁଷାନୁକ୍ରମେ ପ୍ରସାରିତ ହୋଇଛି, ତାହା ଜାଣିବାର ଉପାୟ ନାହିଁ । ଏହି କାରଣରୁ ଗୀତଗୁଡ଼ିକର ମୂଳରୂପ ବଦଳିଯାଇଥିବା ସ୍ୱାଭାବିକ । ଅଞ୍ଚଳଭେଦରେ ମଧ୍ୟ ଅନେକ ଗୀତର ରୂପାନ୍ତର ଘଟିଛି । ‘କପୋତୀ’ କୁ କିଏ ବୋଲୁଛି ‘କବତୀ’, ‘କୋଇଲି’ କୁ ‘କୁଇଲି’, ‘ନ କର ବସା’ କୁ ‘ନାଇଁ କର ବସା, ‘କୋକମିନା’କୁ ‘କକରମିନା,’ କେଉଁଠି ବା ‘କୋକବାୟା ନନା’ ଏହି ପରି ନାନା ପ୍ରକାରେ ବୋଲୁଛନ୍ତି । ଶବ୍ଦଗୁଡ଼ିକ ବ୍ୟତୀତ ଗୀତର ପଦପଂକ୍ତିରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଏ । ଉଦାହରଣ ସୂରୂପ

 

ଧୋରେବାୟା ଧୋ

ଯେଉଁ କିଆରିରେ ଗହଳ ମାଣିଆ

ସେଇ କିଆରିରେ ଶୋ ।

 

ଏହା କେଉଁଠି ବୋଲାଯାଉଛି

ଧୋରେ ବାୟା ଧୋ

ଗହଳ ମହଳ ଧାନ କିଆରି

ସେଇ କିଆରିରେ ଶୋ ।

 

କିମ୍ୱା ଏକ ଖେଳଗୀତ ଗୋଟିଏ ସ୍ଥାନରେ

ବେଲଗଛର ଦାଣ୍ଡି

କୋଚିଲା ଚାଉଳ କାଣ୍ଡି

କୋଚିଲା ଚାଉଳ ପିତା

ପଧାନ ମୁଣରେ ଚିତା.....ବୋଲାଯାଉଥିବା ସ୍ଥଳେ

 

ଅନ୍ୟ ଏକ ମାନରେ ବୋଲାଯାଉଛି

ବେଲଗଛ ମୂଳେ ଦାଣ୍ଡ

ଅରୁଆଚାଉଳ କାଣ୍ଡି

ଉଷୁନାଚାଉଳ ପିତା

ମଦନା ମୁଣ୍ତରେ ଚିତା...ଇତ୍ୟାଦି ।

 

ଅଲିଖିତ ମୌଖିକ ସାହିତ୍ୟରେ ଏଭଳି ବିଭିନ୍ନତା ଅସ୍ୱାଭାବିକ ନୁହେଁ; ବରଂ ଅବଶ୍ୟମ୍ଭାବୀ । ଏହି ପାଠାନ୍ତରଗୁଡ଼ିକ ସଂଗ୍ରାହକ ଆଗରେ ଅନେକ ସ୍ଥଳରେ ଏକ ସମସ୍ୟା ରୂପେ ଦେଖାଦେଇଛି । କେତେକ ଗୀତ ଅର୍ଥହୀନ ଓ ପରସ୍ପର ଅସଂପୃକ୍ତ ଥିବା ହେତୁ କେଉଁଟି ମୂଳ ରଚନା, ତାହା ଜାଣିବା ସହଜ ନୁହେଁ । ହୁଏତ ମୂଳଗୀତର ଯେଉଁ ଅର୍ଥ ଥିଲା, ସାମାଜିକ ପରିବେଶ ଓ ରୀତିନୀତି ପରିବର୍ତ୍ତନ ଯୋଗୁଁ ତାହା ଆଜିକାଲି ଆମର ଦୁର୍ବୋଧ ହୋଇପଡ଼ିଛି ।

 

ଗୋଟିଏ ଖୁଆଇବାବେଳର ଗୀତରେ ଅଛି ‘ଗିଲି ଗିଲି ଗୁଣ୍ଡି’ । ଏ ପଦର ଅର୍ଥରେ ଯେଉଁ କୂଟସଂକେତ ଅଛି, ତାହା ବୁଝିବା ନିଶ୍ଚୟ କଷ୍ଟକର । ଗିଲପରି ଛୋଟ ଛୋଟ ଭାତଗୁଣ୍ଡା ତିଆରି କରି ଶିଶୁକୁ ଖୁଆଇବାବେଳେ ଏହା ବୋଲାଯାଇଥାଏ । ଟୀକା କରି ବୁଝାଇଦେଲେ ମଧ୍ୟ ଯେ ଗିଲ ଫଳ ନଦେଖିଛି, ସେ ଏହାକୁ ବୁଝିବ କିପରି ?

 

ଇତିହାସର ଅମୂଲ୍ୟ ସମ୍ପଦ

ଲୋକସାହିତ୍ୟରୁ ଅତୀତ ସମାଜର ବହୁ ଉପାଦେୟ ତଥ୍ୟ ମିଳିଥାଏ । ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ଭାଷାରେ ‘‘ଲୋକଜୀବନର ଯଥାର୍ଥ ଇତିହାସ ତହିଁରେ ବ୍ୟାପ୍ତ’’ ।* ନାନାବାୟା ଗୀତରେ ମଧ୍ୟ ପ୍ରାଚୀନ ଜୀବନଧାରା ଓ ଚଳଣିର ଚିତ୍ର ପ୍ରତିଫଳିତ ହୋଇଛି । ଗବେଷକମାନଙ୍କ ପକ୍ଷରେ ଏହି ଉପାଦାନ ଗୁଡ଼ିକ ଅତ୍ୟନ୍ତ ମୂଲ୍ୟବାନ ।

 

ଆଜିର ମହାର୍ଘ ଯୁଗରେ କେହି ବିଶ୍ଵାସ କରନ୍ତୁ ବା ନ କରନ୍ତୁ ଆମ ଦେଶରେ ଦିନେ ଯେ ଗୋଟିଏ ଟଙ୍କାରେ ଶାଢ଼ୀଗଣ୍ଡେ ମିଳୁଥିଲା, ତାହାର ପ୍ରମାଣ ମିଳେ ନିମ୍ନୋକ୍ତ ଗୀତ ପଦକରୁ

‘ଯାହାର ମଲ୍ଲୀ ସେ ତୋଳି ନେଲାଣି

ଟଙ୍କାକିଆ ଶାଢ଼ୀ ଚିରିଗଲାଣି ।’’

 

ଏବେ ‘କରାଟ’ ଶବ୍ଦର ଅର୍ଥ କେହି ବୁଝିବେ ନାହିଁ, କିନ୍ତୁ ଦିନେ ତାହା ଥିଲା ଏକାଧାରରେ ଓଡ଼ିଆ ନାରୀର ଟଙ୍କାଥାଳୀ (money purse) ଓ ଖୋସଣୀକୁ ସୁଦୃଢ଼ ରଖିବାର ସାଧନ । ତେଣୁ ଗୀତରେ ଥିଲା

 

‘କରାଟେ ହେଙ୍ଗୁ ହୋଇ ରହିବୁ ତୃହି

ମହମହ ମହକି ବାସିଚୁ ତହିଁରେ ।

 

ସେହିପରି ଆଉ ଗୋଟିଏ ପଦ ଦେଖନ୍ତୁ

‘ବାଇଆ ମାଆ ଯେ ନ ଖାଏ ଖୁଦ

ପୁଅ ଜନ୍ମ କଲା ପୋହଳାବିଦ ।’

 

ଯେଉଁ ଯୁଗରେ ନାରୀ ପ୍ରାୟ ନିରାଭରଣା ହେଲାଣି, ସେତେବେଳେ ‘ବିଦ’ ଯେ ଦିନେ ଓଡ଼ିଆଣୀର ବାହୁଭୂଷଣ ଥିଲା, କିଏ କାହିଁକି ସେକଥା ବୁଝିବ ? ପୋହଳାରେ ତିଆରି ବିଦପରି ସୁନ୍ଦର ପୁଅଟିଏ ବାଇଆ ମା’ ଜନ୍ମ କରିଛି, ଏହାହିଁ ସମ୍ଭବତଃ ପଦଟିର ଅର୍ଥ ।

 

ଆଜିକାଲି ଅରଟ ଓ ଢିଙ୍କି ଗାଁଗହଳିରୁ ବିଦାୟ ନେଲେଣି । ତେଣୁ,

‘ଅରଟ ଗୁଇଁଗାଇଁ ଲୋ ବୁଢ଼ୀ

ତୋ’ ସୂତା ନଟେଇ କାହିଁ ?’

କିମ୍ବା’

ଉଦୁଉଦୁମା, ତାଳଗୋଟମା,

ଲୁହାପାହୁରାଣି ପିତଳ ସମା ।’

 

ଏ ପଦମାନଙ୍କର ଥିବା ‘ନଟେଇ’, ‘ପାହୁରାଣି’ ଓ ‘ସମା’ ର ଅର୍ଥ ବୁଝିବା ପାଇଁ ଅଭିଧାନର ଆଶ୍ରୟ ନେବା ଛଡ଼ା ଉପାୟ ନାହିଁ ।

ଅନ୍ୟ ଏକ ଉଦାହରଣ ଦେଖନ୍ତୁ

 

‘ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ ।

କଉଡ଼ିଗଣାରେ ପାହିଲା ରାତି

ଚୋର ନେଇଗଲା କଜଳପାତି ।’

 

ଆଉ କେତେକ ବର୍ଷ ପରେ ଏ ପଦ୍ୟାଂଶଟିର ମାଧୁରୀ ଉପଭୋଗ କରିବା ହୁଏତ ସହଜ ହେବ ନାହିଁ । କଉଡ଼ି ଏବେ ଆଉ ମୁଦ୍ର ରୂପେ ବ୍ୟବହୃତ ହେଉନାହିଁ । ରାତି ଉଜାଗର ରହି ତାକୁ ‘ପଣ’ ଓ ‘କାହାଣ’ ସଂଖ୍ୟାରେ ଗଣିବା କି ବ୍ୟାପାର, ତାହା ବୁଝିବ କିଏ ? ‘କଜଳପାତି’ ବା କଳାପାତି ଏବେ କେବଳ ବୁଢ଼ୀମାଆଙ୍କ ପେଡ଼ିରେ ଖୋଜିଲେ ମିଳିପାରେ ! ଆଧୁନିକାମାନଙ୍କ ପ୍ରସାଧନ ସାମଗ୍ରୀ ତାଲିକାରେ ତା’ର ସ୍ଥାନ ନାହିଁ । ଆଇବ୍ରୋପେନ୍‌ସିଲ୍‌, ସ୍ନୋ, ପାଉଡ଼ର ଓ ସାମ୍ପୋର ଆକର୍ଷଣୀୟ ରୂପସମ୍ଭାର ନିକଟରେ ସେ ମରହଟ୍ଟା ଜିନିଷ ରୂପେ ପରିତ୍ୟକ୍ତ ।

 

ଖେଳ କୌତୁକ ଗୀତ

ସରଳମତି ଶିଶୁ ଯେତେବେଳେ ନିଜେ ଅଙ୍ଗଟାଳନା କରିବାକୁ ଅସମର୍ଥ ଥାଏ, ସେତେବେଳେ ମା’ ଭଉଣୀ ତାକୁ ଖେଳାଇବା ଓ ହସାଇବା ପାଇଁ ଗୀତ ବୋଲି ବୋଲି ନିଜେ ନାନା ପ୍ରକାର ଅଭିନୟ କରନି ଶିଶୁକୁ କୋଳରେ ବସାଇ ଝୁଲ୍‌ ହାତୀ କରିବା, ତାଳିସର ଗୀତ ବୋଲି ତାକୁ ତାଳି ବଜାଇ ଶିଖାଇବା ଏବଂ ‘ଚାଲି ଚାଲି, ନଈ ବାଲି’ ଗାଇ ଗାଇ ତାକୁ ଚାଲି ଶିଖାଇବା ଏହି ଜାତୀୟ । ଖେଳ ସଙ୍ଗେସଙ୍ଗେ ସଙ୍ଗୀତ ମାଧ୍ୟମରେ ଶିଶୁକୁ କର୍ମରେ ଅଭ୍ୟସ୍ତ କରାଇବା ଏହାର ଉଦ୍ଦେଶ୍ୟ । ଏଇଥିରୁ ଆମ କର୍ମସଙ୍ଗୀତର ସୃଷ୍ଟି । ଏହି ସବୁ ଖେଳଗୀତ ଶୁଣି ଶିଶୁର ତାଳଜ୍ଞାନ କିପରି ବିକଶିତ ହୁଏ, ତାହା ମଧ୍ୟ ଲକ୍ଷ୍ୟକରିବାର କଥା ।

 

ଛୋଟ ଛୁଆଙ୍କୁ ଦୁଇ ହାତରେ ଟେକିଧରି ଝୁଲାଇବାବେଳେ କୁଆ କେମିତି ବେଙ୍ଗ ନିଏ, ଗୋଡ଼ ଦିଓଟି ଲଡ଼କୁଥାଏ’ ଏବଂ ତାକୁ ଉପରକୁ ଛାଡ଼ି ଦେଇ ପୁଣି ଧରିପକେଇଲାବେଳେ ‘ଫିଙ୍ଗି ଦିଅରେ ନିନିକେ ମୋର ଖତକୁରକୁ, କାଉ ନେଇଯିବ ମାମୁଁଘରକୁ,... ପ୍ରଭୃତି ଗୀତ ତାକୁ ଯେତିକି ଆନନ୍ଦ ଦିଏ, ସେତିକି ନିର୍ଭୀକ କରାଏ ଶିଶୁକୁ ହସାଇବା ପାଇଁ ନାନା ପ୍ରକାର ଗୀତ ଓ ଅଭିନୟର ଆଶ୍ରୟ ନିଆଯାଏ । ‘ଟୁଉକୁ ମୂଷି' ଏଥିମଧ୍ୟରେ ପ୍ରଧାନ । ଏହି ଗୀତ ଶେଷରେ ‘ଟୁଉକୁ ମୂଷି ଗଲାରେ, ହାଣ୍ଡିକୁଣ୍ଢେଇ ସମ୍ଭାଳିଥିବୁ ହାଣ୍ଡି ଧଡ଼ ଧଡ଼ କଲା ରେ’ କହି ତା’ କାଖଯାଏଁ ଆଙ୍ଗୁଠି ଚଲାଇ ନେଇ କୁତୁ‌କୁତୁ କଲା ମାତ୍ରେ ସେ ହସିଉଠେ । ଆଉ ଏକପ୍ରକାର ସରଳ କୌତୁକାଭିନୟ କରାଯାଏ ପ୍ରଶ୍ନ ଜରିଆରେ । ଶିଶୁକୁ ପଚରାଯାଏ ‘ତୋଟାକୁ ଯିବୁ ? ଆମ୍ବ ଖାଇବୁ ?’ ତାଠାରୁ ଉତ୍ତର ମିଳେ ‘ହଁ । ତୃତୀୟ ପ୍ରଶ୍ନ ହୁଏ ‘ବାଘମାମୁଁ ଆସିଲେ ଡରିବୁ ନାହିଁ ତ ?’ ଶିଶୁ କହେ ‘ନା’ । ତା’ପରେ ପ୍ରଶ୍ନକର୍ତ୍ତା ତା ଆଖିକୁ ଜୋର୍‌ରେ ଫୁଙ୍କିଦିଅନ୍ତି । ସେ ଆଖି ବୁଜିଦେଲେ କହନ୍ତି, ‘ହେଇ ଡରିଲା ଡରିଲା’ । ଉଭୟେ ତା’ପରେ ହସିଉଠନ୍ତି ।

 

ଶିଶୁ କଥା କହି ଶିଖିଲା ପରେ ‘ଗୁଗୁପାଞ୍ଚି’ ଖେଳରେ ଭାଗ ନେଇଥାଏ । ପିଲା ଯେତେବେଳେ ଆଉ ଟିକିଏ ବଡ଼ ହୋଇ ନିଜେ ଚାଲିବୁଲିପାରେ, ସେତେବେଳେ ସେ ସାଙ୍ଗମାନଙ୍କ ସହିତ ‘ଲୁଚକାଳି’, ‘ରୁମାଲଚୋରି’ ଓ ଅନ୍ୟାନ୍ୟ ଖେଳ ଖେଳେ । ଏ ସବୁଥିରେ ‘ରେଫରି’ ବା ମଧ୍ୟସ୍ଥ ଆବଶ୍ୟକ ହୁଅନ୍ତି ନାହିଁ । କିଏ ‘ଚୋର’ ହେବ ବା ପ୍ରଥମେ ଖେଳ ଆରମ୍ଭ କରିବ, ତାହା ଗୀତ ଦ୍ୱାରା ନିର୍ଣ୍ଣିତ ହୁଏ । ଏହି ଜାତୀୟ କେତେକ ଗୀତ ଏ ସଂଗ୍ରହରେ ‘ଖେଳଗୀତ’ ବିଭାଗରେ ଦିଆଯାଇଛି ।

 

ସେଗୁଡିକ କିପରି ସମତାଳରେ ଓ କ୍ରମାନ୍ୱୟେ ବୋଲିବାକୁ ହୁଏ, ତାହା ପ୍ରତ୍ୟେକ ପିଲା ଜାଣନ୍ତି ।

ନିମ୍ନ ଉଦାହରଣରେ ପ୍ରତ୍ୟେକ ପାଦର ତାଳ, ବିରତିସ୍ଥଳ ଓ ଯତିପାତ ଯଥାକ୍ରମେ ।’’ ଏବଂ ରେଖାଦ୍ଵାରା ଚିହ୍ନିତ ହୋଇଛି।

 

(୧)

ଇ’ଟିକିଲି । ମି’ଟିକିଲି । ଫୁଟିଗଲା । କାଇଁଚ

ତୁ’ମର। ଆ’ମର। ନା’ଲି । ପ’ଇଁଚ

 

(୨)

ଗୁ’ଆଗଛ । ଧା’ଡିକି ଧାଡ଼ି ।।

ଅ’ଇଲାରେ ଭାଇ । ମେ’ଲ ଗାଡ଼ି ।।

ମେ’ଲ ଗାଡ଼ିରେ । ବହୁତ ଲୋକ ।।

ମୁ’ହଁ ଦିଶୁଥାଏ । ଜ’କଜକ ।।

 

ଏହି ଗୀତଗୁଡିକ ପ୍ରତ୍ୟେକ ଖେଳାଳି ଉପରେ ତାଳ ଦେଇ ସଂଖ୍ୟା ଗଣିବା ପରି ବୋଲିବାକୁ ହୁଏ ଏବଂ ଯାହାଠାରେ ଶେଷ ପଦ ଛିଡ଼େ, ସେ ହୁଏ ଚୋର, କିମ୍ୱା ପ୍ରତ୍ୟେକ ଥର ଜଣ ଜଣକୁ ବାଦ୍‌ ଦେବାପରେ ଶେଷକୁ ଯେ ରହିଯାଏ, ସେ ଚୋର ହୁଏ ।

 

ଶିକ୍ଷାଗୀତ

ବିଦ୍ୟାଳୟରେ ପଢ଼ିବା ପୂର୍ବରୁ ଶିଶୁକୁ ବର୍ଣ୍ଣମାଳା ଏବଂ ସହଜ ସଂଖ୍ୟାଗଣନା ଶିଖାଇବା ପାଇଁ ପୂର୍ବପୁରୁଷମାନେ ଗୀତର ଆଶ୍ରୟ ନେଇଥିଲେ । କେବଳ ଆମରି ଭାଷାରେ ନୁହେଁ, ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ୟ ଏହି ଜାତୀୟ ଶିଶୁସଙ୍ଗୀତ ଦେଖିବାକୁ ମିଳେ । ବିଦେଶୀୟ ଭାଷାରେ ଏହାର ବହୁ ଦୃଷ୍ଟାନ୍ତ ରହିଛି । ଇଂରାଜୀରେ ଅଛି:

 

‘One and two

And three and four,

I take four steps

To the door’.......

 

କିମ୍ଭା

One, two, Buckle my shoe.

Three four, Knock at the door.

Five, six, Pick up sticks...

 

ଓଡ଼ିଆ ସଂଖ୍ୟାଗଣନା ଗୀତ ପ୍ରାୟ ଏହିପରି

ଏକ ପୁତ, ଦୁଇ ସଙ୍ଗାତ, ତିନି ତିନି ତା,

ଚାରି ଚାଉଳ, ପାଞ୍ଚ ବଉଳ, ଛଅ ପଇତା....

                        ଇତ୍ୟାଦି ।

 

ବର୍ଣ୍ଣମାଳା ଶିଖାଇବା ପାଇଁ ମଧ୍ୟ ଅନୁରୂପ ପ୍ରଣାଳୀ ଅନୁସୃତ ହୁଏ । ଇଂରାଜୀରେ ଯେପରି ଅଛି

A for an apple,

B for a ball,

C for a cat,

D for a doll,

 

ପ୍ରାଚୀନ ଓଡିଆ ରଚନାରେ ସେହିପରି

କ, କ କାଳିନ୍ଦୀ ତୀରେ

ଖ, ଖ ଖେଳନ୍ତି ଧୀରେ.... ।

 

ଏବଂ ଆଧୁନିକ ବର୍ଣ୍ଣଶିକ୍ଷା ବହିରେ ‘ଅରଟ ଧରି କାଟୁଛି ସୂତା, ଆତ ଫଳିଛି ତୋଳ ଦୁଇଟା...’ ପ୍ରଭୃତି ଗୀତମାନ ରହିଛି । ଚଉତିଶା ସ୍ତରକୁ ଯିବା ପୂର୍ବରୁ ଏହି ଗୀତ ଆବୃତ୍ତି କରି ଶିଶୁ ବର୍ଣ୍ଣମାଳାର କ୍ରମ ମନେରଖିପାରେ ।

 

ଓଡ଼ିଶାର ଉପାନ୍ତ ଅଞ୍ଚଳର ଗୀତ

ନାନାବାୟା ଗୀତର ସାର୍ବଜନୀନତା ସୃଷ୍ଟି ନିୟମରେ ସ୍ୱୀକୃତ । ଜନନୀ ମୁଖରେ ଯେଉଁଦିନଠାରୁ ଭାଷା ଫୁଟିଛି, ବାତ୍ସଲ୍ୟର ପରିପ୍ରକାଶ ପାଇଁ ସେ ଏହି ମାଧ୍ୟମକୁ ବାଛିନେଇଛି । ତେଣୁ ବିଭିନ୍ନ ଦେଶ ଓ ଭାଷାର ଗୀତ ମଧ୍ୟରେ ସାମଞ୍ଜସ୍ୟ ରହିବା ସ୍ୱାଭାବିକ । ଓଡ଼ିଶୀର ଉପାନ୍ତ ଅଞ୍ଚଳର ଭାଷା କଟକ ଓ ପୁରୀ ଜିଲ୍ଳାର ଭାଷାଠାରୁ ସାମାନ୍ୟ ପୃଥକ୍‌ ହେଲେହେଁ ଭାବର ସମାନତା ସବୁ ଗୀତରେ ସ୍ପଷ୍ଟ । ଏହା ପ୍ରତିପାଦିତ କରିବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତର କେତେଗୋଟି ଶିଶୁଗୀତ ଏହି ସଂଗ୍ରହର ଅନ୍ତର୍ଭୁକ୍ତ କରାଯାଇଛି । ଦୁର୍ବୋଧ୍ୟତା ବା ଅସଂଗତି ଯୋଗୁଁ ନାନାବାୟା ଗୀତର ମହତ୍ତ୍ୱ ଜମିଯାଏ ନାହିଁ । ଏହାର ସଙ୍ଗୀତ ଓ ଶୈଳୀ ସ୍ୱତନ୍ତ୍ର । ଅନେକ ସ୍ଥଳରେ କୂଟସଂକେତରୁ ଗୀତର ଅର୍ଥ ବୋଧଗମ୍ୟ । ହୁଏ; କେଉଁଠି ବା ତା’ବି ହୁଏ ନାହିଁ। ଇଂରାଜୀରେ କେତେକ ଶିଶୁ ସଙ୍ଗୀତକୁ (Nursery Rhyme) ବା ଅର୍ଥହୀନ ଗୀତ ନାମରେ ଅଭିହତ କରାଯାଇଛି କାବ୍ୟ କବିତାର ମାପକାଠି ଓ ବ୍ୟାକରଣ ନିୟମକୁ ଉପେକ୍ଷା କରି ଏହା ନିଜର ସ୍ୱତଃସ୍ଫୂର୍ତ୍ତ ଗୁଣରେ ଶିଶୁ ମନକୁ କିଣିନିଏ ଏହା ହିଁ ଏ ଗୀତର ବିଶେଷତ୍ୱ । ‘ମୋ ଧନମାଳୀ ଶୁଇପଡ଼ିଲା କାଏଁ ?’ ଓ ‘ମୋ ଧନମାଳୀ ଶୁଇ ପଡ଼ିଲା କାଏଏ ଉଭୟର ଆବେଗ ସମାନ, ଉଭୟ ହିଁ ଓଡ଼ିଆ ପ୍ରାଣର ଭାଷା । ଏହି ଦୃଷ୍ଟିରୁ କେତେକ ପ୍ରାନ୍ତୀୟ ଅଞ୍ଚଳର ନାନାବାୟା ଗୀତ ମଧ୍ୟ ଏହି ସଂଗ୍ରହରେ ସ୍ଥାନ ପାଇଛି।

 

ଶିଶୁ ସଙ୍ଗୀତର ଛନ୍ଦ

କେତେକ ପଲ୍ଲୀଗୀତ ବ୍ୟକ୍ତିଗତ ଓ ଆଉ କେତେକ ସମଷ୍ଟିଗତ ଭାବରେ ଗାନ କରାଯାଏ । ପୁଞ୍ଚି, ଦୋଳି, ଖୁଦୁରୁକୁଣୀ ଓଷା, ବନ୍ଦନା ପ୍ରଭୃତିର ଗୀତମାନ ପ୍ରାୟ ମିଳିତ କଣ୍ଠରେ ଏବଂ କାନ୍ଦଣା, ଶଗଡ଼ିଆ ଗୀତ, ନାଉରୀ ଗୀତ ଓ ଶିଶୁସଙ୍ଗୀତ (Nursery Songs) ମାନ ଏକକ କଣ୍ଠରେ ଗୀତ ହୁଏ । ନାନାବାୟା ଗୀତର ବିଶେଷତ୍ୱ ପୂର୍ବରୁ ଆଲୋଚିତ ହୋଇଛି । ଶିଶୁ ଏହାର ଭାବ ଅପେକ୍ଷା ସଙ୍ଗୀତର ଅଧିକ ମୁଗ୍‌ଧ ହୁଏ, କାରଣ ଗୀତଗୁଡ଼ିକର ଅର୍ଥ ବୁଝିବାରସାମର୍ଥ୍ୟ ତା’ର ଆସି ନଥାଏ । ପୁନଶ୍ଚ, କେତେକ ଗୀତ ନାନା କାରଣରୁ ବୟସ୍କମାନଙ୍କର ମଧ୍ୟ ଦୁର୍ବୋଧ । ତେଣୁ ସଙ୍ଗୀତ ମାଧ୍ୟମରେ ଏକ ସପ୍ନିଳ ପରିବେଶ ସୃଷ୍ଟ କରି ଶିଶୁ ମନକୁ ଭୁଲାଇଦେବା ଏହି ଗୀତଗୁଡ଼ିକର ପ୍ରଧାନ ଉଦ୍ଦେଶ୍ୟ ବୋଲି ମନେ ହୁଏ ।

 

କିନ୍ତୁ ଗୀତର ଅର୍ଥ ଅପେକ୍ଷା ତା’ର ଗାୟନ ରୀତି ଅଧକ ଫଳପ୍ରଦ । ନାନାବାୟା ଗୀତଗୁଡିକ ସମ ଓ ବିଷମ ଉଭୟ ଛନ୍ଦରେ ରଚିତ ହୋଇଥିବାର ଦେଖାଯାଏ । ଅଧିକାଂଶ ମିତ୍ରାକ୍ଷର ହେଲେହେଁ କେତେକ ସ୍ଥଳରେ ଗୀତର ବିଭିନ୍ନ ଚରଣ ସମାନାକ୍ଷର ବିଶିଷ୍ଟ ନୁହେଁ, ତେଣୁ ଗାନ ସମୟରେ ସରକୁ ଗୁରୁ ଲଘୁ କରିବାକୁ ପଡ଼େ । ଧ୍ୱନିମେଳ ଥିଲେ ଦୁଇ ଚାରି ଅକ୍ଷର କମ୍‌ ବା ବେଶି ହେଲେ କିଛି ଯାଏ ଆସେ ନାହିଁ ।

 

ମୋ’ କୁନିକି କିଏ ମା’ଇଲା ମାଡ଼ ଲୋ

ଭା’ଙ୍ଗି ପକେଇଲା ପ’ଞ୍ଜରା ହାଡ଼

ନେ’ଇ ମାମୁଁଘରେ ଛା’ତ ।

 

ଏହି ଗୀତଟିକୁ ଲକ୍ଷ୍ୟ କଲେ ଦେଖାଯିବ ଯେ, ଏହାର ପ୍ରଥମ ପାଦ ୧୨ ଅକ୍ଷର, ଦ୍ୱିତୀୟ ୧୧ ଏବଂ ତୃତୀୟ ପାଦ ୮ ଅକ୍ଷର ବିଶିଷ୍ଟ । ତା’ ହେଲେ ସୁଦ୍ଧା ବୋଲିଲା ବେଳେ ସ୍ୱରର ହ୍ରାସବୃଦ୍ଧି ଯୋଗୁଁ ଯତିପାତରେ କୌଣସି ଅସୁବିଧା ଘଟେ ନାହିଁ । ଶେଷାକ୍ଷର ଉପରେ ପ୍ରତ୍ୟେକ ଚରଣର ଯତି ପଡ଼େ ।

 

ଉଲ୍ଲିଖିତ ଆଲୋଚନାରୁ ସ୍ପଷ୍ଟ ହେବ ଯେ, ନାନାବାୟା ଗୀତଗୁଡ଼ିକର ରାଗ, ଅବସ୍ଥା ଓ ଉଦ୍ଦେଶ୍ୟର ଅନୁସାରୀ ! ଶିଶୁକୁ ଶୁଆଇବା ପାଇଁ ଯେଉଁ ସଙ୍ଗୀତ ବୋଲାଯାଏ, ତାହାର ଗତି ବିଳମ୍ୱିତ ଏବଂ ସ୍ୱର ଅନୁଚ୍ଚ । ଜନନୀ ଯେତେବେଳେ ବୋଲନ୍ତି

 

ଶୋ’ଇପଡ଼ କୁନା / ଶୋ’ଇପଡ଼ ତୁରେ ।

କ’ହିଛନ୍ତି ଜହ୍ନ / ମା’ମୁ ।।

ମୋ’ହଳଦୀଗଣ୍ଠି / ଶୋ’ଇ ପଡ଼ିବରେ /

ଉ’ଠିଲେ ଖାଇବ / ଜା’ମୁ ।।*

 

ସେତେବେଳେ ସଙ୍ଗୀତର ବିଳମ୍ୱିତ ଛନ୍ଦ ଓ ନାରୀକଣ୍ଠରେ କୋମଳ ମାଧୁରୀ ଶିଶୁକୁ ଅନାୟତ୍ତ କରିଦିଏ ! ତାର ଆଖିପତା ଆସ୍ତେ ଆସ୍ତେ ବୁଜି ହୋଇଆସେ । ମନେହୁଏ ନିଜେ ଗାୟିକା ଯେପରିକି ଗୀତ ବୋଲୁ ବୋଲୁ ଘୁମେଇ ପଡ଼ୁଛନ୍ତି ।

 

ଖେଳ ଗୀତର ଛନ୍ଦ ଅପେକ୍ଷାକୃତ ଦ୍ରୁତଗତି ବିଶିଷ୍ଟ । ଏହାର ପ୍ଳୁତ ଉଚ୍ଚାରଣ ଖେଳକୁ ଜୀବନ୍ତ କରି ଖେଳାଳିମନରେ ଉନ୍ମାଦନା ଆଣେ । ଗୀତର ଶବ୍ଦଯୋଜନା ସେଥିରେ ସହାୟକ ହୁଏ । ମାତ୍ର ଏସବୁ ଗୀତର ତୁତ ନ ହେଲେ ତାହା ଉଦ୍ଦିଷ୍ଟ ପରିବେଶ ସୃଷ୍ଟି କରିପାରେନାହିଁ ।

 

ଅକଲ / ମକଲ / ଟକଲ / ଟାଇଁ ।।

ଗଡ଼ିଶ / ବାଜଇ / ତାଇଁ / ତାଇଁ ।।

କିମ୍ଭା

ଜହ୍ନିଫୁଲ / ଠୋ’ ଠା ।।

କା’କୁଡ଼ି ଫୁଲ / ଠୋ’ ଠା ।।

ଚୁ’ଟିଆମୂଷା / କ’ହିଯାଇଛି /

ଚା’ଉଳ ମୁଠିଏ / ଥୋ’ଇ ଥା ।।

 

ଝୁଲେଇବା ଏବଂ ନଚେଇବା ଗୀତର ଗାୟନରୀତିରେ ମଧ୍ୟ ଅନୁରୂପ ବ୍ୟଞ୍ଜନା ପ୍ରକାଶ ପାଏ । କିନ୍ତୁ ପ୍ରତ୍ୟେକ ନାନାବାୟା ଗୀତର ସଙ୍ଗୀତ ହିଁ ତାହାର ପ୍ରାଣ, ତେଣୁ ସମସ୍ତ ଗୀତ ମିତ୍ରାକ୍ଷର ବୃତ୍ତରେ ରଚିତ । ଯେଉଁଠି ଏହାର ବ୍ୟତିକ୍ରମ ଦେଖାଯାଏ, ବୁଝିବାକୁ ହେବ ତାହା ମୂଳ ରଚନା ନୁହେଁ । ଅମିତ୍ରାକ୍ଷର ଛନ୍ଦ ଶିଶୁସଙ୍ଗୀତ ପାଇଁ ଅନୁପଯୋଗୀ ଏହି ଧ୍ୱନିମେଳ ଏଥିରେ ଅପରିହାର୍ଯ୍ୟ ବୋଲି ଇଂରାଜୀରେ ଏଭଳି ଗୀତକୁ Rhyme ବା Song ଆଖ୍ୟା ଦିଆଯାଇଛି ।

 

ଆଧୁନିକ ଶିଶୁସଙ୍ଗୀତ

ପାରମ୍ପରିକ ନାନାବାୟା ଗୀତଠାରୁ ଆଧୁନିକ ରଚନା ବହୁ ଗୁଣରେ ଭିନ୍ନ । ପ୍ରାଚୀନ ସଙ୍ଗୀତର ରଚନାଶୈଳୀ, ଲଳିତ ଶବ୍ଦବିନ୍ୟାସ ଓ କଳ୍ପନାବିଳାସ ଆଧୁନିକ ଗୀତରେ ଦେଖିବାକୁ ମିଳେ ନାହିଁ । ଛନ୍ଦର ଅନିୟମିତତା ଏବଂ ସ୍ଥାନେ ସ୍ଥାନେ ଅର୍ଥହୀନତା ସତ୍ତ୍ୱେ ପୁରାତନ ଗୀତଗୁଡ଼ିକ ନିଜସ୍ଵ କଳାରେ ସମୃଦ୍ଧ । ଶିଶୁମନକୁ ସ୍ପପ୍ନରାଜ୍ୟକୁ ଟାଣିନେବା ପାଇଁ ଆବଶ୍ୟକ ଉପାଦାନ ସେଥିରେ ଭରିରହିଛି । ଏହି ପ୍ରାଚୀନ ଗୀତଗୁତିକ ସମ୍ପର୍କରେ ପଣ୍ଡିତ ନୀଳକଣ୍ଠଙ୍କ ଉକ୍ତି ପ୍ରଣିଧାନଯୋଗ୍ୟ । ସେ କହିଛନ୍ତି ‘‘ଖାଲି ପୁରପଲ୍ଲୀ କାହିଁକି, ଓଡ଼ିଶାର ବନପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣ ଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି, କିନ୍ତୁ ଖୋଜିଲେ ସହଜରେ ମିଳେ ନାହିଁ । ଏହା ଅତି ପୁରାଣ ପରଂପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦପଦାର୍ଥ ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ ବିଭବ ତଥା ଦୂର କଥଂଚିତ୍‌ ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଂଗେ ଏହାର କଥଂଚିତ୍‌ ତୁଳନା କରାଯାଇପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରିଦେଖାଇଦେଲେ ନନ୍ଦକିଶୋର ।’’ *

 

କିନ୍ତୁ ଏ କଥା ସ୍ୱୀକାର କରିବାକୁ ହେବ ଯେ ଆଧୁନିକ ଯୁଗର କବିମାନେ ସେମାନଙ୍କ ରଚନାରେ ମୌଳିକ ନାନାବାୟା ଗୀତର ସେଇ ଯାଦୁସ୍ପର୍ଶଟିକକ ଦେବା ଉଦ୍ଦେଶ୍ୟରେ ପାରଂପରିକ ଶିଶୁସଙ୍ଗୀତରୁ ଦୁଇ ଚାରି ପଦ ଯୋଗ କରି ନୂଆ ଗୀତ ରଚନା କରିଛନ୍ତି । ଏ ଦିଗରେ ପଥ ପ୍ରଦର୍ଶକ ହୋଇଛନ୍ତି ନନ୍ଦକିଶୋର । ତାଙ୍କ ଗ୍ରନ୍ଥାବଳୀର ନାନାବାୟା ଗୀତ ପ୍ରଥମ ଓ ଦ୍ୱିତୀୟ ଭାଗରେ ଯେଉଁ ଅଠଚାଲିଶଟି କବିତା ସନ୍ନିବେଶିତ ହୋଇଅଛି, ସେଥିମଧ୍ୟରୁ କେତେକଟିର ପ୍ରାଚୀନ ଶୈଳୀ ଓ ଭାବଧାର ସୁସ୍ପଷ୍ଟ । ସେଇ ବାୟାଚଢ଼େଇ, ଡାମରାକାଉ, ବିଲୁଆନନା, ପାରା, ବେଙ୍ଗୁଲୀନାନୀ ଓ ଚୁଟିଆମୂଷା ପ୍ରଭୃତିଙ୍କୁ ନେଇ ଏବଂ ପୁରୁଣା ସଙ୍ଗୀତର ଛନ୍ଦ ଓ ପଦକୁ ଆଶ୍ରୟ କରି ସେ ତାହାକୁ ନିଜସ୍ୱ କଳାରେ ସଂପ୍ରସାରିତ କରିଛନ୍ତି ।

 

ତାଙ୍କ ଡାମରାକାଉରେ ଡାମରାକାଉ, ହୋଓରେ ବାଇଆ ହୋ, ମେଘ ବରଷିଲା ଟପର ଟପର କେଶୁର ମାଇଲା ଗଜା, ଚୁଟିଆମୂଷାରେ ଚୁଟେଇମୂଷି, ବେଙ୍ଗୁଲା ବେଙ୍ଗୁଲୀ ପାଣି ଦେ, ନଈ ସମୁଦର ଭସେଇ ଦେ ଇତ୍ୟାଦି କବିତା ପାରଂପରିକ ନାନାବାୟା ଗୀତର ଛାୟାରେ ରଚିତ ।

 

ଆଧୁନିକ ଯୁଗର ଯେଉଁ କବିମାନେ ନାନାବାୟା ଗୀତରଚନାରେ ହାତ ଦେଇଛନ୍ତି, ସେମାନଙ୍କ କୃତିର କେତେକ ନମୁନା ଏହି ସଂଗ୍ରହର ଦ୍ୱିତୀୟ ଭାଗରେ ସଂଗ୍ରଥିତ ହୋଇଛି । କିନ୍ତୁ ଯେଉଁ ଗୀତରେ ସଙ୍ଗୀତର ମାଧୁର୍ଯ୍ୟ ଚା ଭାବର ସରଳତା ନାହିଁ, ଯାହା ଶିଶୁର ବୋଧ ପରିସର ବାହାରେ, ସେଭଳି ଗୀତକୁ ଏ ସଂକଳନରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ନୃସିଂହକୁମାର ରଥଙ୍କ ‘ଲୁଲୁ ପାଇଁ ନାନାବାୟା ଗୀତ’କୁ ଦୃଷ୍ଟାନ୍ତରୂପେ ନିଆଯାଇପାରେ । ଉକ୍ତ ଗୀତର ‘ମୋ ଲୁଲୁ ପଡ଼ରେ ଶୋଇ, ମାଡ଼ିଆସେ ଘନ ଘୋର ରାତି’ କେବଳ ଏଇ ପ୍ରଥମ ପଂକ୍ତିଟିକୁ ଛାଡ଼ିଦେଲେ ଆଉ କୌଣସିଟି ଲୁଲୁ ପାଇଁ ଅଭିପ୍ରେତ ନୁହେଁ । ଆଧୁନିକ ସମସ୍ୟାବହୁଳ ଜୀବନର ଚିତ୍ର ଏଥିରେ ରୂପାୟିତ ।

 

ନନ୍ଦକିଶୋରଙ୍କ ‘କାକବାରତା’ ଓ ‘ନବବର୍ଷୀଭାବନା’ ରେ ପାରଂପାରିକ ଗୀତରୁ ପଦେ ପଦେ ମୂର୍ଚ୍ଛନା ଦିଆଯାଇଥଲେ ହେଁ କବିତା ଦ୍ଵୟର ଭାବ ଓ ଭାଷା ସାଂସାରିକ ଭାବନାରେ ଭାରାକ୍ରାନ୍ତ ।

 

ଆଧୁନିକ ଗୀତଗୁଡ଼ିକର ଅନ୍ୟ ଏକ ବିଶେଷତ୍ୱ ମଧ୍ୟ ଲକ୍ଷ୍ୟ କରିବାର କଥା । ସେଗୁଡ଼ିକ ଅପେକ୍ଷାକ୍ତ ଦୀର୍ଘ । ସେଥିରେ ନାନାବାୟା ଗୀତର ଆଭରଣ ଥିବାରୁ ଏବଂ ରଚନା କେତେକ ପରିମାଣରେ ସୁବୋଧ୍ୟ ଥିବାରୁ ସେଥିମଧ୍ୟରୁ କେତେକକୁ ବାଛି ମୁଁ ଏ ପୁସ୍ତକରେ ସ୍ଥାନ ଦେଇଛି । ପ୍ରକୃତରେ ଦେଖିଲେ ପ୍ରାଚୀନ ଗୀତଗୁଡ଼ିକୁ ମନରୁ ବୋଲି ମା’ ଭଉଣୀମାନେ ଯେପରି ଶିଶୁକୁ ଶୁଣାନ୍ତି, ଏସବୁ ଗୀତକୁ ମନେ ରଖି ସେପରି ବୋଲିବା ସମ୍ଭବ ନୁହେଁ । ମନେରଖିବାକୁ ପଡ଼ୁଥିବାରୁ ପୁରୁଣା ନାନାବାୟା ଗୀତଗୁଡ଼ିକ ଦୀର୍ଘ ହୋଇନଥିଲା, ମାତ୍ର ଆଧୁନିକ ଶିଶୁସଙ୍ଗୀତ ପଠନ ଓ ଆବୃତ୍ତି ପାଇଁ ଉଦ୍ଦିଷ୍ଟ । ଶିଶୁ ବିଦ୍ୟାଳୟକୁ ଯାଇ ପଢ଼ିଶିଖିବା ପରେ ସେଗୁଡ଼ିକ ପଢ଼ିବ ଏବଂ ବୋଲିବ । ଏଣୁ ରଚୟିତାମାନେ ସଂକ୍ଷେପରେ ଆବଶ୍ୟକତା ଉପଲବ୍‌ଧ କରିନାହାନ୍ତି।

 

ଶିଶୁସଙ୍ଗୀତର ହାସ୍ୟରସ

ଆମର ଅଧିକାଂଶ ପ୍ରାଚୀନ ଶିଶୁ ସଙ୍ଗୀତ (Nursery Songs) ଶିଶୁକୁ ବୁଝାଇ ଶାନ୍ତ କରିବାପାଇଁ ଉଦ୍ଦିଷ୍ଟ: ତେଣୁ ସେଗୁଡ଼ିକ ମୁଖ୍ୟତଃ ବାତ୍ସଲ୍ୟର ପ୍ରଧାନ । ଅବୁଝା ଶିଶୁଗୀତର ସଙ୍ଗୀତର ଭୁଲିଯାଏ, ଅର୍ଥରେ ନୁହେଁ । ଶିଶୁକୁ ହସାଇବାପାଇଁ ଆମର ବେଶି କିଛି ଗୀତ ଥିବାପରି ମନେହୁଏ ନାହିଁ । ଯେଉଁ କେତୋଟି ଗୀତ ଏ ସଂକଳନର ଖେଳ କୌତୁକ ବିଭାଗରେ ଦିଆଯାଇଛି । ଯଥା : ଟୁଉକୁ ମୁଷି, ଗୁଗୁପାଞ୍ଚି ଇତ୍ୟାଦି । ସେଥିରେ ଗୀତର ଭାବ ହାସ୍ୟୋଦ୍ଦୀପକ ନୁହେଁ । ‘କାଳିଆ ବଳଦ ଗଲାରେ, ହାଣି ଧୁଡୁଧୁଡୁ କଲାରେ’ କହି ପିଲାକୁ କୁତୁକୁତୁ କରିବାରୁ ସେ ହସେ ।

 

ପ୍ରକୃତରେ ଦେଖିଲେ, ଓଡ଼ିଆ ନାନାବାୟା ଗୀତରେ ଶିଶୁକୁ ଡରାଇବା ପାଇଁ ଯେତେ ଉପାଦାନ ଅଛି, ହସାଇବା ପାଇଁ ସେତେ ନାହିଁ । ଅବୁଝା ଶିଶୁକୁ ଭୟ ଦେଖାଇ ତୁନି କରିବା ସହଜ ପନ୍ଥା ହୋଇପାରେ, କିନ୍ତୁ ମନସ୍ତାତ୍ତିକ ଦୃଷ୍ଟିକୋଣରୁ ଏହା ସୁସ୍ଥର ପରଂପରା ନୁହେଁ । କୋକମିନା ଗୀତ ଶୁଣି ଶୁଣି ଏକ ଅହେତୁକ ଭୟ ଶିଶୁର ଅସ୍ଥିମଜାଗତ ହୋଇଯାଏ । ସେ ସାମାନ୍ୟ ଶବ୍ଦ ଶୁଣି ଚମକିଉଠେ ଏବଂ ମାଆକୋଳରେ ମୁହଁ ଲୁଚାଏ । ଏଭଳି ଗୀତ ତା କୋମଳ ମନ ଉପରେ କି ପ୍ରଭାବ ପକାଉଥିବ, ଯେକୌଣସି ଚିନ୍ତାଶୀଳ ବ୍ୟକ୍ତି ଅନୁମାନ କରିପାରିବେ:

 

‘କୁନିକୁନି ପଡ଼ ଶୋଇ, ନିଶବଦ ଗାଆଁ ଭୂଇଁ

କକବାୟୀ ଆସେ ଅନ୍ଧାରେ ଅନ୍ଧାରେ

ଶୋଇପଡ଼ ତୁନି ହୋଇ ।

 

ଗାଆଁମୁଣ୍ଡ ନଈକୂଳେ, ମଶାଣିରେ ନିଆଁ ଜଳେ,

ଆସୁଛି ଅନ୍ଧାର ଘୁଡୁଘୁଡ଼ି ଏଣେ

ଶୋଇପଡ଼ ମୋର କୋଳେ ।

 

ବାଇଆ ଆସୁଛି ଆଜି, କେତେ କଥା ମନେ ହେଜି

ତା’ ଝୁଲାମୁଣିରେ ନେଇଯିବ ତୋତେ

ଶୋଇପଡ଼ ଆଖି ବୁଜି ।’

 

କାନ୍ଦୁଥିବା ପିଲାମାନଙ୍କୁ ଭୁଲାଇ ଶୁଆଇ ଦେବାପାଇଁ ଶିକ୍ଷିତା ମାଆ ଉଉଣୀମାନେ କୋକମିନାର ଭୟ ନଦେଖାଇ ‘ଆ ଜହ୍ନମାମୁଁ’, ‘ନିଦମାଉସୀ’ ପ୍ରଭୃତି ଆମୋଦଦାୟକ ଗୀତ ଶୁଣାଇବା ଆବଶ୍ୟକ ।

 

ଯେଉଁ କାରଣରୁ, ହେଉ ପଛକେ, ଓଡ଼ିଆ ଶିଶୁସଙ୍ଗୀତରେ ହାସ୍ୟରସର ଅବତାରଣା ପାଇଁ ବିଶେଷ ଉଦ୍ୟମ ହୋଇନାହିଁ । ଖୁଆଇବା ଓ ଶୁଆଇବା ଗୀତରେ ତ ହାସ୍ୟରସ ନ ରହିବା କଥା ଅନ୍ୟାନ୍ୟ ଗୀତରେ ଯାହା ଅଛି, ତାହା ଅତି ନଗଣ୍ୟ । କିନ୍ତୁ ଶିଶୁ ଟିକିଏ ବଡ଼ ହୋଇ ଯେତେବେଳେ ଗୀତର ଅର୍ଥ ବୁଝିବାକୁ ସମର୍ଥ ହୁଏ, ସେତେବେଳେ ତା’ ପାଇଁ ହାସ୍ୟରସସିକ୍ତ ମଜାଗୀତ ଏକାନ୍ତ ଆବଶ୍ୟକ । ଭାବସଂଗତି ଥାଉ ବା ନଥାଉ, ନାନାବାୟା ଗୀତକୁ ହାସ୍ୟରସସିକ୍ତ କରି ଉପଭୋଗ୍ୟ କରାଯାଇପାରେ । ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରକାଶିତ ‘ଛୁବିବହି’ ରୁ ଏହିପରି ଗୋଟିଏ ମଜା ଶିଶୁଗୀତ ଏଠାରେ ଦୃଷ୍ଟାନ୍ତ ସ୍ୱରୂପ ଦିଆଯାଉଅଛି :

 

‘‘ବାଃ ଚାଃ ବାଃ, କେମିତି ମଜା

ଭାଲୁ ନାଚ କରେ ବଜାଇ ବାଜା,

ଗଧ ଗୀତ ଗାଇ ଆସିଲା ପଶି

ଖୁସିରେ ପିଲାଏ ଉଠିଲେ ହସି !’’

 

ଇଂରାଜୀ ଭାଷାରେ ଏଭଳି ଅନେକ ଦୃଷ୍ଟାନ୍ତ ଅଛି । ଉଦାହରଣ ସ୍ୱରୂପ :…୧୬

Doctor Faustus was a good man,

He whipped his scholars now and then,

When he whipped he made them dance

Out of England into France,

Out of France and into Spain,

And then he whipped them back again.

 

ଇଂରାଜୀ ଶିଶୁପୁସ୍ତକମାନଙ୍କରେ ଏହି ଗୀତଗୁଡ଼ିକୁ ବ୍ୟଙ୍ଗଚିତ୍ର ଦ୍ଵାରା ଆହୁରି ଚିତ୍ତାକର୍ଷକ କରାଯାଇଥାଏ ।

ଇଂରେଜୀରେ ଆଉ ଏକପ୍ରକାର ମଜାଗୀତକୁ Limerick କୁହାଯାଏ । Edward Lear (୧୮୧୨୮୮) ଏହାର ପ୍ରବର୍ତ୍ତକ । ପାଞ୍ଚ ଧାଡ଼ିରେ ରଚିତ ଏହି ଗୀତର ଏକ ସ୍ୱତନ୍ତ୍ର ଛନ୍ଦ ଅଛି । ପ୍ରଥମ ଓ ଦ୍ୱିତୀୟ ସଙ୍ଗେ ପଞ୍ଚମ ଧାଡ଼ିର ଏବଂ ତୃତୀୟ ସଙ୍ଗେ ଚତୁର୍ଥ ଧାଡ଼ିର ଯତିମେଳ ଥାଏ । ଦେଖନ୍ତୁ ଏକ ଉଦାହରଣ ଦିଆଗଲା ।

There was an old man with a beared,

Who said, ‘‘It is just as I feared :

Two Owls and a Hen,

Four Larks and a Wren,

Have all built their nests in my beard !’’

 

ଏଗୁଡ଼ିକୁ ସେ ବ୍ୟଙ୍ଗଚିତ୍ର ସହ ତାଙ୍କ ‘Book of Nonsense’ ଏବଂ ‘more Nonsense’ ପୁସ୍ତକରେ ପ୍ରଥମେ ପ୍ରକାଶ କରି ପାଠକମାନଙ୍କୁ ଯଥେଷ୍ଟ ଆମୋଦ ଦେଇଥିଲେ । ତାଙ୍କ ବ୍ୟଙ୍ଗ କବିତାଗୁଡ଼ିକୁ ଶିଶୁ ଓ ବୟସ୍କ ବ୍ୟକ୍ତି ଉଭୟେ ଉପଭୋଗ କରିପାରନ୍ତି ।

 

ଓଡ଼ିଆରେ କୌଣସି ଶିଶୁସଙ୍ଗୀତ (Nurser Rhyme) ଧରାବନ୍ଦା ଛନ୍ଦ ଅନୁସରଣ କରିନାହିଁ କି ନିଛକ ହାସ୍ୟୋଦ୍ରେକକାରୀ ନୁହେଁ । ୧୯୮୧ରେ ପ୍ରକାଶିତ ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ପିଲାପିଲିଙ୍କି ଲୋକଗୀତ ‘ତୁମର ଆମର ନାଳି ପଇଞ୍ଚ’ ପୁସ୍ତକରେ ଯେଉଁ ପାଞ୍ଚଟି ମାତ୍ର ‘କଉତୁକିଆ ଗୀତ’ ଦିଆଯାଇଛି, ତା’ର ବ୍ୟଙ୍ଗ ସେତେ ବଳିଷ୍ଠ ନୁହେଁ । ତେଣୁ ପିଲାଙ୍କୁ ହସାଇବା ପାଇଁ ଓଡ଼ିଆରେ ସେଭଳି ଶିଶୁଗୀତର ଯେ ଅଭାବ ଅଛି, ଏହା ସ୍ୱୀକାର୍ଯ୍ୟ । ଏ ଜଞ୍ଜାଳମୟ ଯୁଗରେ ଯେତେବେଳେ ମନର ସରସତା ଏକାନ୍ତ କାମ୍ୟ, ସେତେବେଳେ ପ୍ରତ୍ୟେକଙ୍କ ପାଇଁ ହାସ୍ୟରସାତ୍ମକ ରଚନାର ଆବଶ୍ୟକତା ଉପଲବଧି କରି କବି ଓ ଲେଖକମାନେ ସେ ଦିଗରେ ଉଦ୍ୟମ କରିବା ଉଚିତ । ନୂତନ ସୁରୁଚିସମ୍ପନ୍ନ ବ୍ୟଙ୍ଗଧର୍ମୀ ଶିଶୁସଙ୍ଗୀତ ସର୍ବଥା ସ୍ୱାଗତଯୋଗ୍ୟ ।

ଓଡ଼ିଆ ଶିଶୁସଙ୍ଗୀତର ଭବିଷ୍ୟତ

ଶିକ୍ଷିତା ନାରୀମହଲରେ ନାନାବାୟା ଗୀତର ଆଦର କ୍ରମଶଃ କମିଯାଉଥି‌ବା କଥା ଏଥିପୂର୍ବରୁ ସୂଚାଇ ଦିଆଯାଇଅଛି। ଏହାକୁ ବଞ୍ଚାଇ ରଖିବାକୁ ହେଲେ କେବଳ ପୁସ୍ତକର କେତୋଟି ପୃଷ୍ଠାରେ ଛାପିଦେଲେ ଯଥେଷ୍ଟ ହେବନାହିଁ । ଯେଉଁମାନଙ୍କ ଲାଗି ଏ କବିତାର ସୃଷ୍ଟି, ସେମାନଙ୍କ ବ୍ୟବହାରରେ ନ ଲାଗିଲେ ଏଭଳି ସଂଗ୍ରହ ଓ ପ୍ରକାଶନର ମୂଲ୍ୟ କ’ଣ ?

 

ସ୍ଵାଧୀନତା ପରବର୍ତ୍ତୀ କାଳରେ ଶିକ୍ଷାର ବିକାଶ ପାଇଁ ଆମ ରାଜ୍ୟରେ ଯେଉଁସବୁ ପଦକ୍ଷେପ ନିଆଯାଇଛି, ସେଥିରୁ ଏପର୍ଯ୍ୟନ୍ତ ପ୍ରାକ୍‌ପ୍ରାଥମିକ ଶିକ୍ଷା (PrePrimary Education) ପ୍ରତି ସମୁଚିତ ଦୃଷ୍ଟି ଦିଆଯାଇନାହିଁ । ଅନ୍ୟାନ୍ୟ ଉନ୍ନତ ଦେଶରେ ଛୋଟ ଛୋଟ ଶିଶୁମାନଙ୍କ ପାଇଁ ଯେପରି କିଣ୍ଡରଗାର୍ଡ଼ନ ଓ ନର୍ସରୀ ସୁଲମାନ ଅଛି, ଏଠାରେ ସେପରି ନାହିଁ । ଯେଉଁ କେତୋଟି ଅଛି, ସେଗୁଡ଼ିକ English Medium public Schools, ଯେଉଁଠାରେ ଇଂରାଜୀ ଭାଷାମାଧ୍ୟମରେ ଶିଶୁମାନଙ୍କୁ ଶିକ୍ଷା ଦିଆଯାଏ । ତେଣୁ ସେଠାରେ ଓଡ଼ିଆ ଗୀତ ଶିକ୍ଷା ବା ଆବୃତ୍ତି ପାଇଁ ଅବକାଶ ନାହିଁ । ଏହି ବିଦ୍ୟାଳୟମାନଙ୍କରେ ଯେଉଁ ଓଡ଼ିଆ ପିଲାମାନେ ପଢ଼ନ୍ତି, ସେମାନେ ଇଂରାଜୀ ନାନାବାୟା ଗୀତ (Nursery Rhymes) ଶିଖନ୍ତି ଓ ଅଭ୍ୟାସ କରନ୍ତି । ତିନି ଚାରି ବର୍ଷ ବୟସର ଶିଶୁମାନଙ୍କୁ ଆନନ୍ଦ ଦେବାପାଇଁ ଏବଂ ପାଠପଢା ପ୍ରତି ସେମାନଙ୍କ ମନରେ ଅନୁରାଗ ଜନ୍ମାଇବା ପାଇଁ ସେଠାରେ ରଙ୍ଗିନ୍‌ ଛବି ଓ ସଙ୍ଗୀତ ସାହାଯ୍ୟରେ ବଛାବଛା ଗୀତର ଆଚରି ଅଭ୍ୟାସ କରାଯାଏ । କିନ୍ତୁ ତାଦୃଶ ଓଡ଼ିଆ ବିଦ୍ୟାଳୟ ନଥିବାରୁ ଆମ ନାନାବାୟା ଗୀତର ଚର୍ଚ୍ଚା ବା ବିକାଶ ହୋଇପାରୁନାହିଁ । ଫଳରେ ଓଡ଼ିଆ ସାହିତ୍ୟର ଏକ ଜୀବନ୍ତ ଅଙ୍ଗରୂପେ ନ ରହି ଆମର ପ୍ରାଚୀନ ଗୀତଗୁଡ଼ିକ ସଂଗ୍ରହାଳୟର ବିରଳ ବସ୍ତୁପରି କେବଳ ପୁସ୍ତକରେ ସାଇତା ହୋଇ ରହୁଛି ଏବଂ ପ୍ରତ୍ନତାତ୍ତ୍ୱିକ ଓ ଗବେଷକମାନଙ୍କୁ ସାମୟିକ ଖୋରାକ ଯୋଗାଉଛି ।

 

ଶିକ୍ଷାର ପ୍ରସାର ସଙ୍ଗେସଙ୍ଗେ ନିକଟ ଭବିଷ୍ୟତରେ ଓଡ଼ିଆ ପ୍ରାକ୍‌ ପ୍ରାଥମିକ ବିଦ୍ୟାଳୟର ଆବଶ୍ୟକତା ଅନୁଭୂତ ହେବ, ଏଥିରେ ସନ୍ଦେହ ନାହିଁ । ସେତେବେଳେ ଛୋଟ ଶିଶୁମାନଙ୍କ ପାଇଁ ଉପଯୁକ୍ତ ନାନାବାୟା ଗୀତ ନିଶ୍ଚୟ ଖୋଜାପଡ଼ିବ । କିନ୍ତୁ ପରିମାର୍ଜିତ ନ ହେଲେ ଆମର ପାରଂପାରିକ କୋକମିନା ଗୀତ ବା ଆଧୁନିକ କବିମାନଙ୍କ ଦୀର୍ଘ ରଚନା ସେ କ୍ଷେତ୍ରରେ କାମ ଦେବନାହିଁ । ଆମର ପ୍ରାଚୀନ ଲୋକଗୀତ ମଧ୍ୟରୁ ଯେଉଁ ଗୁଡ଼ିକ ଶିଶୁମନୋବିଜ୍ଞାନ ଦୃଷ୍ଟିରୁ ନିର୍ଦ୍ଦୋଷ ଓ କୌତୂହଳୋଦ୍ଦୀପକ ଏବଂ ଶିଶୁର ପରିପାର୍ଶ୍ଵ ଉପରେ ଆଧାରିତ, ଯାହାକୁ ସଙ୍ଗୀତ ରୂପେ ଆବୃତ୍ତି କରିହେବ, ସେହିଭଳି ଗୀତକୁ ସେତେବେଳେ ବାଛିବାକୁ ପଡ଼ିବ । ଆଧୁନିକ ରଚନା ପାଇଁ ମଧ୍ୟ ଉପରୋକ୍ତ ନିୟମ ପ୍ରଯୁଜ୍ୟ । ତା’ ଛଡ଼ା ଛୋଟ ଶିଶୁମାନଙ୍କ ଉଦ୍ଦେଶ୍ୟରେ ରଚିତ କୌଣସି ଗୀତ ଦୀର୍ଘ ହେବା ମଧ୍ ଉଚିତ ନୁହେଁ; କାରଣ ପଢ଼ି ନଜାଣିଥିବା ଶିଶୁ ପକ୍ଷରେ ଏଭଳି ଗୀତକୁ ଶୁଣି ଶୁଣି ମନେରଖିବା ଏବଂ ଆବୃତ୍ତି କରିବା କଷ୍ଟକର ।

 

ଏ ସଂପର୍କରେ ଆଉ ଗୋଟିଏ କଥା ସୂଚାଇଦେବା ଉଚିତ ମନେକରୁଛି । ବିଶିଷ୍ଟ, ସଙ୍ଗୀତଜ୍ଞମାନଙ୍କ ଦ୍ଵାରା କେତୋଟି ସୁନିର୍ବାଚିତ ଶିଶୁସଙ୍ଗୀତର ରେକର୍ଡ଼ ପ୍ରସ୍ତୁତି କରାଯିବା ଆବଶ୍ୟକ । ଏବେ ଓଡ଼ିଆ ଶିଶୁମାନଙ୍କ କଣ୍ଠରେ ହିନ୍ଦୀ ସିନେମା ଗୀତ ବେଶ୍‌ ଆସ୍ଥାନ ଜମେଇବାକୁ ଆରମ୍ଭ କଲାଣି । ‘କଇଞ୍ଚି କାକୁଡ଼ି ନଳିତା ପିତା, ବାବୁଲି ହେବ ମୋ ଜଗତଜିତା’ ଗୀତଟି ରେକର୍ଡ କରାଯିବାପରେ ଶ୍ରୋତାମାନଙ୍କ ମୂଲ୍ୟକୁ ଉପେକ୍ଷା କଲେ ତାହା କେବଳ କେତେକ ଅର୍ଥ ସଂଗତିହୀନ ପଦସମଷ୍ଟି ହୋଇରହିବ ମାତ୍ର ।

 

ଉପସଂହାର

ଏହି ସଂଗ୍ରହରେ ଥିବା ପୁରୁଣା ଲୋକଗୀତଗୁଡ଼ିକ କେବଳ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ । ମାତ୍ର ଏହାକୁ ପିଲାଙ୍କ ଗୀତ କହିଲେ ଠିକ୍‌ ହେବ ନାହିଁ; କାରଣ ସବୁ ଶିଶୁ ପିଲାପଦବାଚ୍ୟ ହେଲେହେଁ ସବୁ ପିଲା ଶିଶୁ ନୁହଁନ୍ତି । ଶିଶୁସାହିତ୍ୟର ପରିସର ବିଚାର କଲାବେଳେ ସାଧାରଣତଃ ସାତ ବର୍ଷ ଓ ଚଉଦ ବର୍ଷକୁ ଦୁଇ ପ୍ରାନ୍ତ ସୀମା ବୋଲି ଧରାଯାଇଥାଏ । ଏ କ୍ଷେତ୍ରରେ କିନ୍ତୁ ପ୍ରାକ୍‌ପ୍ରାଥମିକ ସ୍ତରର ଅର୍ଥାତ୍‌ ଏକରୁ ପାଞ୍ଚଛଅ ବର୍ଷ ଓ ଚଉଦ ବର୍ଷକୁ ଦୁଇ ପ୍ରାନ୍ତ ସୀମା ବୋଲି ଧରାଯାଇଥାଏ । ଏ କ୍ଷେତ୍ରରେ କିନ୍ତୁ ପ୍ରାକ୍‌ପ୍ରାଥମିକ ସ୍ତରର ଅର୍ଥାତ୍‌ ଏକରୁ ପାଞ୍ଚଛଅ ବର୍ଷ ବୟସର ଶିଶୁଙ୍କୁ ଦୃଷ୍ଟିଆଗରେ ରଖି ଏ ସଂକଳନର ପ୍ରାଚୀନ ନାନାବାୟା ଗୀତଗୁଡ଼ିକୁ ବଛାଯାଇଛି । ଇଂରାଜୀରେ ଯାହାକୁ.... (Nursery Rhymes) କୁହାଯାଏ, ଏଗୁଡ଼ିକ ପ୍ରାୟ ସେହି ଶ୍ରେଣୀର । ତେବେ ଏହି ସଂଗ୍ରହର ଖେଳ, ଶିକ୍ଷା ଓ କଥାଣୀ ବିଭାଗରେ ସାମାନ୍ୟ ବ୍ୟତିକ୍ରମ କରାଯାଇଛି । ସେହି ଗୀଚଗୁଡ଼ିକୁ କାହିଁକି ଏଥିରେ ଅନ୍ତର୍ଭୁକ୍ତ କରାଗଲା, ଏ ପ୍ରଶ୍ନ ଉଠିପାରେ । ଯଦିଓ ପୁଚି ଓ ଦୋଳି ମୁଖ୍ୟତଃ କିଶୋର ବୟସର ପିଲାମାନଙ୍କ ଖେଳ, ପାଞ୍ଚ ଛଅ ବର୍ଷର ଝିଅପୁଅମାନେ ଯେ ସେ ଖେଳ ନ ଖେଳନ୍ତି, ତାହା ନୁହେଁ । ତେଣୁ କେତେକ ସରଳ ଖେଳଗୀତକୁ ଏ ବିଭାଗରେ ଗ୍ରହଣ କରାଯାଇଛି ଶିକ୍ଷା ଓ କଥାଣୀ ଗୀତ ପ୍ରତି ମଧ୍ୟ ଅନୁରୂପ ଯୁକ୍ତି ପ୍ରଯୁଜ୍ୟ । ଏ ସମସ୍ତ ଗୀତର ମୋଟ୍‌ ସଂଖ୍ୟା ଦୁଇଶହ ଏକ ।

 

ଜଣାଅଜଣା ଯେଉଁ କବିମାନଙ୍କ ରଚନାକୁ ନେଇ ଏ ପୁସ୍ତକଟି ପ୍ରସ୍ତୁତ କରାଯାଇଛି, ସେ ସମସ୍ତେ ଆମ ଧନ୍ୟବାଦର ପାତ୍ର । ପୂର୍ବତନ ସଂଗ୍ରାହକମାନଙ୍କର ଯେଉଁ ଯେଉଁ ମୁଦ୍ରିତ ଗ୍ରନ୍ଥରୁ ସାହାଯ୍ୟ ନିଆଯାଇଛି, ସେଗୁଡ଼ିକର ନାମ ଏଠାରେ ଉଲ୍ଲେଖ ନ କଲେ କୃତଘ୍ନତା ହେବ । ଶ୍ରୀ ଚକ୍ରଧର ମହାପାତ୍ରଙ୍କ ‘ଉତ୍କଳ ଗାଉଁଲି ଗୀତ’ ଲୋକରତ୍ନ ଡକ୍ଟର କୁଞ୍ଜବିହାରୀ ଦାଶଙ୍କ ‘ପଲ୍ଲୀଗୀତି ସଞ୍ଚୟନ’ ଓ ସଦ୍ୟ ପ୍ରକାଶିତ ‘ତୁମର ଆମର ନାଲି ପଇଞ୍ଚ’ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦଙ୍କ ଦ୍ଵାରା ପ୍ରକାଶିତ ‘ଲୋକଗୀତ’ ସେଥିମଧ୍ୟରେ ପ୍ରଧାନ । ଡକ୍ଟର ମନୀନ୍ଦ୍ର ମହାନ୍ତି ସତଃପ୍ରବୃତ୍ତ ହୋଇ ତାଙ୍କ ଅପ୍ରକାଶିତ ନାନାବାୟା ଗୀତ ସଂଗ୍ରହର ପାଣ୍ଡୁଲିପିଟି ମୋତେ ଦେଖିବାକୁ ଦେଇଥିଲେ । ତାଙ୍କର ଏହି ଅକୁଣ୍ଠ ସହଯୋଗ ଲାଗି ମୁଁ ତାଙ୍କ ନିକଟରେ କୃତଜ୍ଞ ।

 

ଏମାନଙ୍କ ବ୍ୟତୀତ ବହୁ ସଂସ୍କୃତିପ୍ରେମୀ ବନ୍ଧୁ, ବିଶେଷତଃ ମହିଳା ବିଭିନ୍ନ ଅଞ୍ଚଳର ନାନାବାୟା ଗୀତ ଯୋଗାଇଦେଇ ମୋତେ ସାହାଯ୍ୟ କରିଅଛନ୍ତି । ସେ ସମସ୍ତଙ୍କ ନାମୋଲ୍ଲେଖ ସମ୍ଭବ ନ ହେଲେହେଁ କେତେକଙ୍କ ନାମ ସୂଚାଇଦେବା ମୁଁ ଉଚିତ ମନେକରେ । ଜଟଣୀରୁ ଶ୍ରୀମତୀ ପ୍ରମୀଳା ନାୟକ, ବ୍ରହ୍ମପୁରରୁ ଶ୍ରୀମତୀ ମମତା ଦାସ, ବାଗୁଡ଼ିରୁ କୁମାରୀ ରାଧାରାଣୀ ପଣ୍ଡା, ବାରିପଦାରୁ ଶ୍ରୀ ନିଶାକର ସାହୁ, ମୋର କନ୍ୟା, ପୁତ୍ରବଧୂ ଏବଂ ବହୁ ଛୋଟ ଛୋଟ ଝିଅଙ୍କ ସମ୍ମିଳିତ ଉଦ୍ୟମରେ ଏ ଗ୍ରନ୍ଥ ପୁଷ୍ଟ । ତଥାପି ଏ ସଂଗ୍ରହ ସମ୍ପୂର୍ଣ ନୁହେଁ । ଏହି ଜାତୀୟ ବହୁ ଶିଶୁସଙ୍ଗୀତ ସାମାନ୍ୟ ପରିବର୍ତ୍ତିତ ରୂପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଯେ ପ୍ରଚଳିତ ଅଛି, ଏହା ନିଃସନ୍ଦେହ ।

 

ଆଧୁନିକ ନାନାବାୟା ଗୀତ ଏ ସଂକଳନର ମୁଖ୍ୟ ଅଙ୍ଗ ହୋଇନଥିବାରୁ ସବୁ ରଚନା ଏଥିରେ ସଂଯୋଜିତ କରି ଏହାକୁ ପ୍ରତିନିଧିମୂଳକ କରିବାର ପ୍ରୟାସ କରାଯାଇନାହିଁ । ନନ୍ଦକିଶୋର ବଳଙ୍କ ସମୟ ଓ ଆଜି ଭିତରେ ଆମ ପଲ୍ଲୀସମାଜ ଅନେକ ପରିବର୍ତ୍ତନ ଦେଖିଆସିଲାଣି । ଆମ ଚିନ୍ତା ଓ କର୍ମ ବର୍ତ୍ତମାନ ଯନ୍ତ୍ରଶିଳ୍ପ ଓ ବିଜ୍ଞାନଦ୍ଵାରା ସତତ ପ୍ରଭାବିତ । ସାଂପ୍ରତିକ କବିତାରେ ନାନାବାୟା ଗୀତର କ୍ଷେତ୍ର ସଂକୁଚିତ ହୋଇ ଆସୁଥିଲେ ହେଁ ପ୍ରାକ୍‌ବିଦ୍ୟାଳୟ ଶିଶୁଶିକ୍ଷାରେ ଏହାର ଗୁରୁତ୍ୱ ଯେ ଅଚିରେ ଅନୁଭୂତ ହେବ, ଏପରି ଭାବିବାର ଯଥେଷ୍ଟ କାରଣ ରହିଛି । ତେଣୁ ଏହାର ମୃତ୍ୟୁ ନାହିଁ । କିନ୍ତୁ ଆଗାମୀ ଯୁଗର ପରିପ୍ରେକ୍ଷୀରେ ଏହା କି ଆକାର ଧାରଣ କରିବ ତାହା କେବଳ ଭବିଷ୍ୟତ ହିଁ କହିବ ।

 

‘ଶିଶୁ ଦିବସ’                                          ରାମକୃଷ୍ଣ ନନ୍ଦ

୧୪।୧୧।୧୯୮୧

 

ପ୍ରଥମ ଭାଗ

ପ୍ରାଚୀନ ଓଡ଼ିଆ ଶିଶୁସଙ୍ଗୀତ ବା ନାନାବାୟା ଗୀତ

(NURSERY SONGS)

ଗେଲ କରିବା, ଝୁଲାଇବା ଓ ନଚାଇବା ଗୀତ

ଝୁଲୁ ହାତୀ, ଝୁଲୁ ହାତୀ

ଝୁଲିଲେ ଖାଇବୁ ଖଣ୍ଡ ଛାଚି ।

ହାତୀ ଝୁଲୁରେ

ବାଆ ପାଣି ଖାଇ ଫୁଲୁରେ ।

 

ହାତୀ ଯାଇଥିଲା ନଅର

ହାତୀ ମୁଣ୍ଡରେ ମୋ ସୁନାଚଅଁର ।

ମୋର ହାତୀ ଧାଇଁଥାଏ ଲସରପସର

କିଆକନ୍ଦା ଖାଇବାକୁ,

ମୋର କହ୍ନେଇ ଧାଇଁଥେ ଲସରପସର

ବୋଉ ଦଦ ଖାଇବାକୁ ।

 

ତାଳି ତାଳି ବନମାଳୀ

ବନ ଗଛ ମୂଳେ ଖଜୁରିକୋଳି

ପିଲାଏ ଖାଆନ୍ତି ତୋଳିତାଳି

 

ତାଳିସର, ତାଳିସର

ଦୁଧଭାତ ଖାଇ ସରସର

ଟୋକେଇ କୁଣ୍ଢେଇ ସଜ କର

କୁନି ଯିବ ମୋର ମାମୁଁଘର ।

 

କଇଞ୍ଚି କାକୁଡ଼ି ନଳିତା ପିତା

ବାବୁଲି ହେବ ମୋ ଜଗତଜିତା

କହିବେ ରେ ଲୋକେ କିଏ ତା ମାତା ।

 

ଏଉଟି ମୋ ଧନ ତ

କଳା ମେଘରେ ଜହ୍ନ ତ ।

ସରଗର ଦରପଣ ତ

ଇନ୍ଦ୍ରପଟିଆ ଚଢ଼ି ତ

ଚିନିପୁର ଦେବ ପୋଡ଼ି ତ ।

 

ବଗୁଲିଆ ଏଟା ତ

ନାଚଇ ବଣିଆ ଗେଟା ତ ।

ପିଲାଙ୍କ ଭିତରେ ଚାନ୍ଦ ତ

ଛୋଟ ବାଳକେରା ବାନ୍ଧ ତ ।

 

ନନା ହେ ନମସ୍କାର

ବୋଉ ଲୋ ଶୁଖୁଆ ପୋଡ଼ି ପଖାଳ ବାଢ଼ ।

(କଟକ)

 

ବନା ମାଆ ତା ଧେଇକି

ହଳଯିବ କୋର ସାଇକି ?

ହଳ ଯିବ ଗହମ ପଦା

ବାଟରେ ଦେଖିଲି ସପୁରି ବୁଦା ।

 

ସେଇଠି ବଇଦ ଥିଲା

ଘରକୁ ଡାକିନେଲା,

ଦେଲା କାଣ୍ଡିଆ କୁଣ୍ଡା

ଧଇଲ ପେଟ କାମୁଡ଼ା ।

(ଭଦ୍ରକ)

 

ମୋ ଧନ ପରି କିଏ ହବରେ

ଉଡ଼ିଯାଉଥିଲେ ସୁବର୍ଣ୍ଣ ଚଢ଼େଇ

ଧରିଆଣି କିଏ ଦବରେ ?

 

ତାକ୍‌ ଧିନାଧିନ୍‌ ଗେଣ୍ଡାରୁ ମାଳେ

କୁନୁକୁ ଲାଗିଛି କ୍ଷେତରପାଳେ ।

ତା ଥେଇକି

ତା ଥେଇକି

ମାଧିଆ ମାଇଲା କୁଣ୍ଡାଖାଈକି

ଆଉ କୁଣ୍ଡାଖାଈ ଘରେ ଥାଇ କି ?

ତା ଧେଇ ତା ଧେଇ ନନ୍ଦେ

ତାଳ ବାଡ଼ିକି ତାଳ ଖାଇଗଲେ

ଗୋଡ଼େଇ ମାଇଲେ କନ୍ଧେ ।

ଧେଇକି ରେ, ମୋର ଥେଇକି ରେ ।

ମୋ ରଙ୍କୁଣୀ ପେଟିଆ ଲାଉ

ମୋ ଧନକୁ ଯେ ମନ୍ଦ ମନାସିବ

ତଳିତଳା ହୋଇଯାଉ ।

 

ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେ

ନଈବଢ଼ି କରି ଭସେଇ ଦେ ।

 

ବାଇଚଢ଼େଇ ରେ ବାଇଚଢ଼େଇ

ତୋ’ ମାଆ ଯାଇଛି ଗାଈ ଚରେଇ

ଗାଈରୁ ଆଣିବ ପାଚିଲା ବେଲ

କୁଲାରେ ପକାଇ କରିବ ଗେଲ ।

 

କୁଆ କେମିତି ବେଙ୍ଗ ନିଏ

ଗୋଡ଼ ଦିଓଟି ଲଡ଼କୁଥାଏ ।

(ଶିଶୁକୁ ଦୁଇ ହାତରେ ଟେକିଧରି ଝୁଲାଇବାବେଳର ଗୀତ)

 

କୁଆ ମୋର ବେଙ୍ଗକୁ ନେଲା

ଗୋଡ଼ ଦୁଇଖଣ୍ଡ ହଲାଇ ଦେଲା

ତା ଧେଇ ଲୋ ତା ଧେଇ,

ତାଟି କାଢ଼ ଭାତ ବାଢ଼

ମୁଁ ଯାଉଛି ଗାଧୋଇ ।

(ବାରିପଦା)

 

ହାତୀଟି କାଳିଆ ଅସଲ ମେଳିଆ ।

ନ ଜାଣଇ ଖାଲଖମା,

ଗୋପପୁରେ ଥାଇ ଦୁଧସର ଖାଇ

ହୋଇଛି ଧୂସରଧୂମା ।

ମୋ ହାତୀ ଝୁଲ୍‌ରେ

ବାଆପାଣି ଖାଇ ଫୁଲ୍‌ରେ ।

 

ଝୁଲ୍‌ ପଣ୍ଡା, ଝୁଲ୍‌ ପଣ୍ଡା

ଝୁଲୁ ଝୁଲୁ ଖାଏ ଛେନାମଣ୍ଡା

ନ ଝୁଲିଲେ ଖାଏ ଗୁଲି ଗେଣ୍ଡା ।

 

ବାଇମୁଣ୍ଡ, ବାଇମୁଣ୍ଡ

କିଛି ଖାଇନାହିଁ ଖାଲି ତୁଣ୍ଡ ।

 

ଝୁଲୁରେ ହାତୀ ଝୁଲ

ବାଆପାଣି ଖାଇ ଫୁଲ

ବଣେ ବୁଲୁଥାଏ ବାଇଆ ହାତୀ,

ଆଈ ମା’ କୋଳେ ଅବୁଝା ନାତି ।

(ଭଦ୍ରକ)

 

କାଟିଗଲି ତହୁକ ଡୁମେର (୧)

ପକାଇଲି ଟୁହିଲାରେ(୨)

ଗୁଟେ ବୋଲି ପୁଅରେ ମୋହର

ବାଳୁତ କୁମର ରେ ।

 

ତୋର ଚାଳ ଟିକେ ଦେଖିଲେ ପୁଅ ମୋର

ଶଉଳର କେରାନ ରେ (୩)

ତୋର ଆଖି ଟିକେ ଦେଖିଲେ ପୁଅ ରେ

ଗୁଞ୍ଜୁରୁ ଗୁଞ୍ଜାନରେ

ତୋର ନାକ ଟିକେ ଦେଖିଲେ ପୁଅ ରେ

ଖଣ୍ଡାରେ ଧାରନ ରେ

 

(୧) ଡହୁକ ଡୁମେର ପାଚିଲା ତିମିରି କୋଳି (୨) ଟୁହିଲା ଗୋଟିକ ପରେ ଗୋଟିଏ (୩) ଶଉଳର କେରାନରେ କୁଞ୍ଚକୁଞ୍ଚିଆ ବାଳ

 

କେନ ବିଧାତା ପୁଅ ମୋର ଗଢ଼ିଦିଏରେ ଉନାନରେ

ତୋର ଛାତି ଟିକେ ଦେଖିଲେ ପୁଅ ମୋର

କୁଲା ପରି ଛାତିନ ରେ

ତୋର ଅଣ୍ଟା ଟିକେ ଦେଖିଲେ ପୁଅ ମୋର

ମୃଗୁ ଅଣ୍ଟାନରେ ।

କାଟିଗଲି........

(ଭବାନୀପାଟଣା)

 

ଇ’ଲି ମି’ଲି ଖି’ଲି କାତି

ରଜାଘର ପାଟହାତୀ

ହାତୀ ଖାଏ ବରଡ଼ାଳ

ଡେଇଁ ନ ପାରେ ନଈନାଳ ।

ତହିଁରେ ବସିବ ବାବୁ ।

(ଇରମ, ବାଲେଶ୍ଵର) ।

 

ଦୋଳି ତ ଦୋଳି ପବନ ଦୋଳି

ଦୋଳି କି ଦୋଳି ଖଜୁରିକୋଳି

ଜାଉ ମାଗୁଛୁ ନା ଭାତ ମାଗୁଛୁ

ମାଗୁଛି ଖଜୁରିକୋଳି ।

 

ତାକ୍‌ ଧିନାଧିନ୍‌ ତାକ୍‌ ଧିନାଧିନ୍‌

ତାକ୍‌ ଧିନାଧିନ୍‌ ନାଟରେ

ସମସ୍ତେ ପିନ୍ଧିଲେ ଛିଣ୍ଡା କତରୀ

ମୋ ଧନ ପିନ୍ଧିଲା ପାଟରେ ।

ତାକ୍‌ ଧିନାଧିନ୍‌ ଲାଉ,

ତେନ୍ତୁଳିପତ୍ରରେ ପିଠା କରିଥିଲା

ପାଟି କଲା ଟାଉ ଟାଉ ।

(ଇରମ, ବାଲେଶ୍ୱର) ।

 

ବାଇଚଢ଼େଇ ରେ ବାଇଚଢ଼େଇ

ତୋ’ ମାଆ ଯାଇଛି ଗାଈ ଚରେଇ ।

କାଳୀଗାଈଠାରୁ କ୍ଷୀର ଆଣିବ

କ୍ଷୀର କରି ତୋତେ ଖୁଆଇଦେବ ।

 

ଗୋଡ଼ରେ ପକାଇ କରିବ ଗେଲ

ଲଗାଇ ଦେବ ସେ ହଳଦୀ ତେଲ ।

ମାଠିମୁଠି ଦେବ ଚାନ୍ଦମୁହଁଟି

ମାଆ ଯିବ ତୋର ଧାନ ସାଉଁଟି ।

 

ବାଇଚଢ଼େଇ ତୁ ନ କର ଗୋଳ

ମାଆ ତୋର ଯିବ ଗହୀର ବିଲ ।

ଗହୀର ବିଲରୁ ଆଣିବ ଧାନ

ମାଡ଼ି ଆସୁଅଛି ଝଡ଼ ପବନ ।

 

ନଡ଼ିଆବାହୁଙ୍ଗା ଯାଇଛି ଝଡ଼ି

ଝଡ଼ି ବରଷାରେ ଯାଇଛି ଉଡ଼ି।

ପାଣି ପବନକୁ ଖାତିର ନାହିଁ

ବାଆ କଲେ ବସା ଦୋହଲୁଥାଇ ।

(ଜଟଣି, ପୁରୀ) ।

 

ତାକ୍‌ ବଦନ୍‌ ଥୈୟା

ନାଚେ କହ୍ନେୟା,

ରେଡ଼ି ମେ ଫାଟୁଲୁ ଟୁଟୁଲୁ

ଉଠ୍‌ ବିଦୋରି,

 

ମୁଁ ଚ୍‌ମେ ଝିତୋର ଝାତୋର

ପିଠ୍‌ କାବେରୀ ।

ତାକ୍‌ ଧିନା ଧିନା ଧିନା

ମୋ ସୁନା ଖାଉଥିବା ମିଠେଇ ଦନା

କସନି କଲାହାଁସୁ ପଡ଼ିଲେ ଜୁହ୍ନା (୧)

ଆମର୍‌ ବାବୁର କାଏଁଟା ଉନା ।

(ବରଗଡ଼)

(୧) ପୁରୁଣା

 

ମୋ କୃଷ୍ଣ ନାଚୁଥିବେ ଢଳିଢଳି

ଅଣ୍ଟାରେ ଘାଗୁଡ଼ି ମାଳିକି ମାଳି ।

କୃଷ୍ଣ ନାଚୁଥିବେ ବାଡ଼ିଆଡ଼େ

ଅଣ୍ଟା ଲାଗିଗଲା ଚାରିଆଡ଼େ ।

 

ତାଇ ତାଇ ତାଇ ଅଜା ଘର ଯାଇ

ମାଛ ଭାତ ଖାଇ ନାଚ ଗାଇ ଗାଇ ।

 

କାଇଁଚ କେରିଏ ଦେଉଁ

ବେଣା କେରିଏ ଦେଉଁ

କାହିଁ ଗଲା ମୋ ବାଇଆ ହାତୀ ଖୋଜି ଖୋଳି ନ ପାଉଁ ।

ବାଉଁଶବାଡ଼ିକୁ ଯାଉଁ

ଅଳାକୋଳି ଖାଉଁ

ଖୋଜି ଖୋଜି ମୋ ଧନମାଳୀକୁ ପାଉଁଶଗଦାରେ ପାଉଁ ।

 

ତୁ ମୋ କଳା କାଇଁଚ

ସର ଲବଣୀ ମାଗୁ ତୁ ଲାଞ୍ଚ ଲୋ ।

ଯଶୋଦା ଉଭା ଦୁଆରେ ଲୋ ସଜନୀ

ଯଶୋଦା ଉଭା ଦୁଆରେ,

ମୋ କୃଷ୍ଣ ଆସନ୍ତି ଗୋରୁ ପଛରେ ସେ

ଚାଲୁଥାନ୍ତି ଧୀରେ ଧୀରେ ଲୋ ।୧।

 

ସବୁ ଗୋପା ମୁଣ୍ଡେ ଚୂଳ ଲୋ ସଜନୀ

ସବୁ ଗୋପୀ ମୁଣ୍ଡେ ଚୂଳ,

ମୋ କୃଷ୍ଠ ମୁଣ୍ଡକୁ ସୁନ୍ଦର ଦିଶଇ

କେଳିଫୁଲ ଜାମୁତାଳ ଲୋ ।୨।

 

ସବୁ ଗୋପୀ ହାତେ ବାଡ଼ି ଲୋ ସଜନୀ

ସଚୁ ଗୋପୀ ହାତେ ବାଡ଼ି,

ମୋ କୃଷ୍ଣ ହସ୍ତକୁ କେନ୍ଦୁ ଲଉଡ଼ି ସେ

ଚାଲୁଥା’ନ୍ତି ଢଳିଢଳି ଲୋ ।୩।

(ନରସିଂହପୁର)

 

ହାତୀ ଝୁଲୁଛି ରେ, ଦିଶୁଛି କେତେ ସୁନ୍ଦର !

ଅପୂରୁବ ହାତୀ କାହୁଁ ଯେ ଅଇଲା

କି ଅବା ନୀଳ ମନ୍ଦର ।

କେ ବୋଲେ ଏ ହାତୀ ରାଇ ରଜାଙ୍କର

ଆସିଛି ଗୋପ ନଗର,

ଏହି ନୀଳ ହାତୀ ବଡ଼ ଦୁରୁଦଣ୍ଡ

ଭାଙ୍ଗିଦେବ ଘରଦ୍ୱାର ।

(ଜଟଣୀ, ପୁରୀ)

 

ନାଚି ନାଚି କେତେ ଝାଳ

ଗଲାଣି ଲୋ ବୋହି,

ସେତିକିବେଳୁ ନାଚୁଛି

ମୋ କଳା କହ୍ନାଇ ।

କିଏ କି ଦରବ ଦେଇ ।

ଥାଅ ମୋ ପୁଅକୁ,

ମାଗଣା ପାଇଲ ଅବା

ନାଚ ଦେଖିବାକୁ ।

(ଜଟଣୀ)

 

ଦେ ଧେଇକି ନାଟ, ତା ଧେଇ ନାଟ

ତାକ୍‌ ଧେଇ ଧେଇ ତାଧେଇ ନାଟ,

ମୋ ଧନ ପିନ୍ଧିବ ଦକ୍ଷିଣୀ ପୀଟ ।

ନାଟ ମନ୍ଦିର, ନାଟ ମନ୍ଦିର,

ନାଟୁଆ ପଶିବ କୋଉ କନ୍ଦିର ।

କୃଷ୍ଣ ନାଚୁଥିବ ଥେଇକି ଥେଇ

ଅଣ୍ଟାର ଘାଗୁଡ଼ି ତଳକୁ ଥୋଇ ।

 

ଆମ୍ଭ ପାଟେ ପଣସ ପାଚେ

ତା’ତଳେ ତଳେ ନେଉଳ ନାଚେ

ନେଉଳ ଭାଇ ମଲା

ଷାଠିଏ ଟଙ୍କାର ଶଗଡ଼ି କିଣିଲି

ବଳଦ ପଟେ ଗଲା ।

 

ପାଠ ପଢ଼ିବୁ ତୁ ବଡ଼ଲୋକ ହେବୁ

ପାଲିଙ୍କି ପାଟରେ ଛତା,

ଘୋଡ଼ା ହାତୀ ଦାସଦାସୀ ହେବେ ତୋର

ମାଡ଼ି ବୁଲୁଥିବୁ ଜୋତା ।

ଏ ଘର ଦୁଆର ଦିଶିବ ସୁନ୍ଦର

ଧବଳ ମୟୂର ପୁର,

ଦେଖିଣ ତରିବେ ଶତ୍ରୁ ଶଙ୍କିଯିବେ

ଲାଜେ ହୋଇଯିବେ ଦୂର ।

(ଜଟଣୀ)

 

କାନ୍ଦୁଥିଲେ ବୁଝାଇବା ଗୀତ

ମୋ କୁନିକି କିଏ ମାଇଲା ମାଡ଼ ଲୋ

ଭାଙ୍ଗି ପକେଇଲା ପଞ୍ଜରାହାଡ଼

ନେଇ ମାମୁଁଘରେ ଛାଡ଼ ।

ମାମୁଁ ତ କହିଲେ ଏଇଟି କିଏ

ମାଇଁ ତ କହିଲେ ଭଣଜାଟିଏ ।

 

ଧୋଇଧାଇ କରି ଘରକୁ ନିଅ

ପୀତାମ୍ବରୀ ପାଟ ପିନ୍ଧାଇ ଦିଅ ।

ଦୁଧ ଭାତ କରି ଗୁଣ୍ଡିଏ ଦିଅ

ଖଟ ପଲଙ୍କରେ ଶୁଆଇ ଦିଅ ।

(କଟକ, ପୁରୀ)

 

ଆଇ ଆଇରେ କଜଳପାତି

ଗାଈ ମଣିତେ ଯିବା

ବାପ ମାଆ ଗାଳି ଦେଲେ

ଯୋଗୀ ବେଶ ହବା ।

 

ଭୋକ କଲେ ଖାଇବା କିସ

ଆଷାଢ଼ିଆ ଫଳ,

ଶୋଷ କଲେ ପିଇବା କିସ

କଇଁ ଗଡ଼ିଆ ଜଳ ।

 

ନିଦ ଲାଗିଲେ ଶୋଇବା କେ’ଠି

ଗାଈ ପେଟତଳ,

ଶୀତ କଲେ ଘୋଡ଼ିବା କିସ

ଗଛର ବକଳ ।

(ଜଳେଶ୍ୱର)

 

(ପୂର୍ବ ଗୀତର ଭିନ୍ନ ରୂପ)

ଆୟରେ ଆୟ ଚେତାବଣି ଗାଈ ଚରେଇ ଯିବା ।

ମାଆ ବାପ ଗାଳିଦେବେ ସନ୍ନ୍ୟାସୀ ହୋଇବା ।

ଭୋକ ପାଇଲେ କି ଖାଇବା ? ଅଷାଢୁଆ ଫଳ

ନିଦ ମାଡ଼ିଲେ କୌଠେ ଶୋଇବା ? ଗୋରୁ ଗୋଡ଼ ତଳ ।

ଶୋଷ ପାଇଲେ କି ପିଇବା ? କଂସେଇ ନଈ ଜଳ

କଂସେଇ ନଈ ଜଳ ଯେ ଝିକ୍‌ ଝିକ୍‌ କରେ

ମୋର ବାବୁର ଆଖି ଦୁଟି ମିଟ୍‌ ମିଟ୍‌ କରେ ।

(ମେଦିନୀପୁର)

 

କିଏ ମାଇଲା ରେ କିଏ ଧଇଲା

କାହା ବୋଲେ ଗଲୁ ରୁଷି,

ଆଣ ପାନିଆ ଖାଙ୍କିବି ମୁଣ୍ଡ

ରଙ୍ଗ ଜାହାଜରେ ବସି ।

 

କିଏ ମାଇଲା ?

ଓଉଗଛ ମୂଳେ ବଉ ମାଇଲା

ପାକଲା ଗାମୁଛା ଉଇ ମାଇଲା

ଉ’ଠ କନିଆ ହୁଇ ମାଇଲା

ବରଗଛ ମୂଳେ ବର ଆଇଲା ।

(ଇରମ, ବାଲେଶ୍ୱର)

 

କିଏ ମାଇଲା ରେ କିଏ ଧଇଲା

କାହା ବୋଲେ ଗଲୁ ରୁଷି

ନୂଆ ନଈତଳେ ଗାଧୋଉଥିଲେ

ମାମୁଁ ନେଇଗଲେ ଆସି ।

ମାଁ ପଚାରିଲେ ଏଇଟି କିଏ

ବଡ଼ ନଣନ୍ଦର ପୁଅ,

ମାମୁଁ ଲଗେଇଛି ତାଳବୁରେଇ (୧)

ଖୁଙ୍କୁଡ଼ି (୨)ଚିରିବୁ ରହ ।

(ବାଗୁଡ଼ି, ବାଲେଶ୍ୱର)

 

କିଏ ସେ ମାରିଲା କିଏ ଗାଳିଦେଲା

କାହା ବୋଲେ ଗଲେ ରୁଷି,

(ମୋ) ଧନ କାନ୍ଦୁଥିଲା ଦାଣ୍ଡପିଣ୍ଡାରେ ଲୋ

ବାପା କାଖ କଲେ ଆସି ।

(୧) ତାଳଗଛ (୨) ତାଳଗଜା ଭିତରେ ଥିବା ଶସ

 

ବାପାକୁ ମୋର କିଏ ମାଇଲା ଲୋ

କାହା ବୋଲେ ଗଲା ରୁଷି,

ଆଣ ପାନିଆ ମୁଣ୍ଡ ବାନ୍ଧିଦେବି

କଦମ୍ବମୂଳରେ ବସି ।

 

ମୋ କୁନି କାନ୍ଦ୍‌ନା ଲୋ

ମୋ କୁନି କାନ୍ଦ୍‌ନା ।

ମୋ କୁନି କଣ୍ଡେଇ ଲୋ କାନ୍ଦ୍‌ନା କାନ୍ଦ୍‌ନା ।

 

ଶାଶୂଘର ତୋର ଅଳପ ବାଟ

ହପ୍ତାକେ ପୁଣି ଦି’ପାଳି ହାଟ,

ହାଟପାଳି ଦିନ ଦେଖିଆସିବି ଲୋ

ଆଉ ମନ ଦୁଃଖ କରନା ।

 

ସମୁଦିଆଣୀ ତୋର ମଣିଷ ଖଣ୍ଡେ

ହାତେ ମାପି ବାଟ ଚାଲେ ଚାଖଣ୍ଡେ,

କଥା ତା’ର ମାନି ଚଳିବୁ ତୁ କୁନି

ଆଉ ମନ ଦୁଃଖ କରନା ।

 

ବଗ ଯାଇଥିଲା ବଗ ବଣକୁ ମୋ

ବଗୁଲୀ କାଟଇ ବେଣୀ,

କୋଉ ବଗୁଲିଆ ମାଇଲା ବାଟୁଳି

ଛିଡ଼ିଗଲା ଦୁଇ ଡେଣା

ମୋ ବଗୁଲୀ କାନ୍ଦେନା ଲୋ

ତୋ ମାଆ କାଲି ଆସଇ ସିନା

ମୋ ବଗୁଲୀ କାନ୍ଦେ ନା ।

 

ବାଇଚଢ଼େଇ ରେ ବାଇଚଢ଼େଇ

ତୁ ବାଟରେ ନ କର ବସା,

ମୋର କୁନୁବାବୁ ବନ ଦୁରୁଜନ

ଭାଙ୍ଗିଦେବ ତୋର ବସା ।

 

ବାଇଚଢ଼େଇ ରେ ବାଇଚଢ଼େଇ ।

ତୁ ଯା’ ଯା’ତୋ ଘରକୁ

କୁହୁଡ଼ି କାକର ମାଡ଼ି ଆସୁଚି ରେ

ମୋ କୁନି ଟାଙ୍ଗରା ମୁଣ୍ଡକୁ

(ଚଣ୍ଡିଖୋଲ)

 

କେରାଣ୍ଡି ମାଛର କାତି

ମୋ ପ୍ରେମସୁନ୍ଦର ବାହା ହୋଇ ଯିବ ରେ

ଚନ୍ଦ୍ର ସୂର୍ଯ୍ୟ ବରଯାତ୍ରୀ ।

କଅଁଳ କଖାରୁ ଭାରେ

 

ମୋ ପ୍ରେମସୁନ୍ଦର ବାହାହୋଇ ଯାଉଥିବ ଲୋ

ତେଲିଙ୍ଗି ବାଇଦ ସାରେ ।

ନଳି କାନିକାର ଗଜ

ମୋ ପ୍ରେମସୁନ୍ଦରର ଯେତେବେଳେ ପାଲିଙ୍କି ସଜ ଲୋ

ଭଗାରି ପାଇଚେ ଲାଜ ।

 

ଆମ କୁନାବାବୁ ବନେ

କାନ୍ଦିଲେ କାନ୍ଦିବ ଦିନକେ ଛନେ

ଖେଲୁଥିବି ମନେମନେ

ମୋ କୁନା ରେ ।

 

ଆହାରେ ମୋ ଧନମାଲୀ

ଆମର କୁନାକୁ କେ ଦେଲା ଗାଳି ରେ

ଧନ, ରସ ବହେ ଥାଲି ଥାଲି, ମୋ ଧନରେ ।

 

ହାଣ୍ଡିର ଚାଉଲ ଉଣା

କୁନାର ଚୁଆ ତ ଯାଇଚେ ଜୟପାଟଣାରେ

ଧନ, କୁନାକୁ ଆଣିଦେବେ ଗଣ୍ଠିର ସୁଣା,

ମୋର ପୁଅରେ ।

ତୁଇ ଖାଇଲେ ତୁନି ହୁଅନା, ମୋ ଧନରେ ।

 

ଆମ କୁନାବାବୁ ବନେ

ଭୋକ ଲାଗିଗଲେ କାନ୍ଦିବ ଛନେ

ମୋ ମାଲୀ ରେ ।

ଧନ, ହସୁଥିବ ମନେମନେ,

ମୋ ଧନ ରେ ।

(ଜୁନାଗଡ଼, କଳାହାଣ୍ଡି)

 

ନାଇଁ କାନ୍ଦ୍‌ ରେ ବାପ ମୋର

ନାଇଁ କାନ୍ଦରେ ଧନ ମୋର

ମା ତତେ ମାଇଲା କାଏଁ

ତତେ କାଏଁ ପିଟିଦେଲା

 

କିଏ ଗାଳିଦେଲା କି ପୁଅ

କିଏ ମାଡ଼ ଦେଲା ।

ଭାଇ ସଙ୍ଗେ ବୁଲିଯିବୁ କାଏଁ

ଦାଦା ସଙ୍ଗେ ଖେଲିଯିବୁ ।

 

ବୁଲାଇ ଆନିବେ ରେ ତତେ

ଖେଳାଇ ଆନିବେ,

ଖୋଲି ଖୋଲି କାଏଁ ଶୋଇବା ରେ ବାବୁ ମୋର

ଖେଲି ଖେଲି କାଏଁ ଶୋଇବା ।

(ବୁର୍ଲା, ସମ୍ବଲପୁର)

 

ଆ’ରେ ଆ’ରେ ଜହ୍ନମାମୁଁ

ଓହ୍ଲାଇ ଆ’ରେ ଜହ୍ନମାମୁଁ ।

ତୋତେ ଦେଖି ମୋର ଟୁନୁରୁନୁ

ଖେଳିବେ ହୋଇଣ କୁନୁମୁନୁ

ଓହ୍ଲାଇ ଆ’ରେ ଜହ୍ନସୁନା .

ତୋତେ ଦେଖି ମୋର କୁନୁମୁନା

ଖେଳିବେ ହୋଇଣ ସାଙ୍ଗ ସିନା ।

(ବାରିପଦା)

 

ଆ ଜହ୍ନମାମୁଁ ସରଗଶଶୀ

ମୋ କାହ୍ନୁ ହାତରେ ପଡ଼ରେ ଖସି

ରଖିଛି ତୋ ପାଇଁ ରେଶମୀ ଛତା

ମୁଣ୍ଡକୁ ପଗଡ଼ି ପାଦକୁ ଜୋତା

ଶୁଆ ଥଣ୍ଟପରି ନାଲିଆ ଜାମା

ଆଣି ତୋ ପାଖରେ କରିବି ଜମା ।

 

ହଳଦିଆ ରଙ୍ଗ ଜଂଘିଆ ଅଛି

ଯାହା ମନ ହେବ ପିନ୍ଧିବୁ ବାଛି ।

ପିନ୍ଧିବୁ ଗଳାରେ ମୁକୁତାମାଳ

ଆଖିରେ ପିନ୍ଧିବୁ କଳା କଜଳ ।

ତୋତେ ଦେଖି କାହ୍ନୁ ହୋଇବ ଖୁସି

ଦୁଧଭାତ ଦେବ ଖାଇବୁ ବସି ।

 

କାନ୍ଦନା କାନ୍ଦନା କଳାମାଣିକ ମୋର

କାନ୍ଦନା ରେ ପଦ୍ମମୁଖ

କାନ କାଟି ନେବ କୋକ

କାନକଟା କାନ କାଟେ ସବୁ ପିଲାଙ୍କର

କାନ୍ଦନା କାନ୍ଦନା କଳାମାଣିକ ମୋର ।

 

ପାଚେ ପାଟେ ରେ ଗାଲ

ମାମୁଁ ଆଣିଦେବ ପାଚିଲା ବେଲ ।

ପାଚେ ପାଚେ ରେ ଆଖି

ମାମୁଁ ଆଣିଦେବ ପାରାପଷୀ ।

 

ପାଚେ ପାଚେ ରେ କାନ

ମାମୁଁ ଆଣିଦେବ ପାଚିଲା ପାନ ।

ପାଚେ ପାଚେ ରେ ନାକଦଣ୍ଡା

ମାମୁଁ ଆଣିଦେବ ଆଖୁଧଣ୍ଡା ।

(କୋରାପୁଟ)

 

ଆ ଜହ୍ନମାମୁଁ ସରଗଶଶୀ

ମୋ କୁନା ସାଥିରେ ଖଳିବୁ ବସି ।

ପାଟ ଖଦିଖଣ୍ଡେ ଆଣିବୁ ଯେବେ

କୁନା ସାଥିରେ ତୁ ଖେଳିବୁ ତେବେ ।

ଖଣ୍ଡିଏ ଦେଲେ ରୁଷିବ

ଦି’ଖଣ୍ଡି ଦେଲେ କିରିକିରି ହେଇ ହସିବ ।

 

କୁଉ କୁଉ କଜଳ,

ମୋ ପୁଅ ଆଖିକି କର ଉଜଳ ।

ମୋ ପୁଅକୁ ଯେ ନଜର ଦେବ

ତା ଛାତିରେ ପଡ଼ିବ ବଜର ।

କୁଉ କୁଉ ବାଣୀ

କୁନି ଶାଶୂ ମହାଦେଈ

ମନି ଶାଶୂ କାଣୀ ।

 

କୁଉ କୁଉକୁଉ କୁ,

ସାଆନ୍ତ ଗଲେ ଡିହକୁ ।

ଦିଅ ସାଆନ୍ତେ କଉଡ଼ି ଦିଅ

ବଳା ଗଢ଼ିଦେବି ପୁଅକୁ ।

ପୁଅ କାହିଁ ? ପୁଅ ପେଟର,

ପୁଅ ପାଇଁ ଗଢ଼ାଯାଉଛି ଲୋ

ଦାମୋଦରପୁର ହାଟର ।

(ନୂଆଗାଁ, ବାଲେଶ୍ୱର)

 

କଳା ନାଇଦେବି ନାସି କାଟିକି

ଭଗାରି ମରିବେ ଛାତି ଫାଟିକି ।

 

ଆ’ ଆ’ରେ ଜହ୍ନମାମୁଁ

ନାଉ ପତରରେ ଜାଉ ଦମୁଁ

ଆଷାଢ଼ ମାସରେ ମେଘ ଘଡ଼ଘଡ଼ି

କୁନାକୁ ଆମର ବାହା ଦମୁଁ ।

(ଇରମ)

 

ଆଏବୁ (୧) ଆଏବୁରେ ଜନ୍‌ହମାମୁଁ

ହାମ୍‌ର ଟିକେ ବୁଆକେ (୨) ନେବୁ ।

ହାମର ନୁନିଟା (୩) କେହିଁ ଥିଲା

ନଏଦ୍‌କେ (୪) ଗାଁଧି ଯାଇଥିଲା,

ନଦେର୍‌ ପାନି ହେମ୍‌ କାକର୍‌

 

(୧) ଆସିବୁ, (୨) ବାପାକୁ, ଶବାରେ ପୁଅକୁ, (୩) ଝିଅର ଶରଵାନାମ, (୪୬ନଭକୁ

 

ହାମର୍‌ ନନୀକେ ଚାବ୍‌ଲା (୫) ବୁଢ଼ା ମାକର୍‌

କାଉ କାଉରେ ଟିକେ ବୁଆ ନିଦ୍‌ ଘର ଯାଏ ।

(କପାଶିରାସମ୍ବଲପୁର)

 

କୁନା ଆଉ କାଁଦ୍‌ ନାଇଁରେ

କୁନା ଆଉ କାଁଦ୍‌ ନାଇଁ,

ବାଡ଼ିଆଡ଼େ କଁ ବୋବାଳି ଛାଡ଼ୁଛି

କାନ କାଟିନେବା ପାଇଁରେ

କୁନା ଆଉ କାଁଦ୍‌ ନାଇଁ ।

 

ନ କାନ୍ଦ ନ କାନ୍ଦରେ ମୋ ଧନ ସୁନା

ତୋ ପାଇଁ ଆଣିଦେବି ଲବଣି, ଛେନା ।

ବସାଇଦେବି ନେଇ ସୁନା ଦୋଳିରେ

ଝୁଲାଇଦେବି ତତେ ଧନମାଳିରେ ।

ଶୋଇ ପଡ଼ିଲେ ମୁଇଁ ମନ୍ଥିବି ଛେନା

ନ କାନ୍ଦ ନ କାନ୍ଦରେ ମୋ ଧନସୁନା ।

(ପାରଳାଖେମୁଣ୍ଡି)

 

କାହିଁକି କାନ୍ଦୁରେ ବାଇଆ ମୋର ?

ତୋ ମାଆ ଯାଇଛି ଗହୀରବିଲ ।

ଗହୀରବିଲରୁ ଆଣିବ ଧାନ,

ମାଡ଼ି ଆସୁଛି ରେ ପାଣିପବନ ।

ମାଠିମୁଠି ଦବ ଚାନ୍ଦମୁହଁଟି,

କିଆରିକୁ ଯିବ ଧାନ ସାଉଁଟି ।

ଗୋଡ଼ରେ ପକାଇ କରିବ ଗେଲ,

ଲଗାଇ ଦେବରେ ହଳଦୀ ତେଲ ।

ତୋ ମାଆର ସତେ କେଡ଼େ ଭରସା

ବାଉଁଗା ଆଗରେ କରିଛି ବସା ।

ପାଣିପବନକୁ ଖାତିରି ନାହିଁ,

ବାଆ କଲେ ବସା ଦୋହଲୁଥାଇ ।

(୫) କାମୁଡ଼ିଲା

 

ବଗୁଲୀ କାନ୍ଦ୍‌ନା ଲୋ

ତୋ ମାଆ ଏଇଲେ ଆସିବ,

ଦାଣ୍ଡ ପହଣ୍ଡରେ ବସିବ ।

ଦେହରୁ ମୁଣ୍ଡରୁ ଝାଳ ବୋହୁଥିଲେ

କାନିପଣତରେ ପୋଛିବ ।

ବଗୁଲୀ କାନ୍ଦ୍‌ନା ଲୋ

ତୋ ମାଆ ଏଇଲେ ଆସିବ ।

 

ଆନିଆ ମାଆ ଲୋ ଆନିଆ ମାଆ

ପାନିଆ ପକେଇ ବଇଥାଆ ।

କାଳିଆ ଯାଇଛି ମାମୁଁଘରକୁ

ମୁହଁକୁ ଶୁଖେଇ ବଇଥାଆ ।

ବାୟା କୋକରେ ବାୟା କୋକ ।

କାଟି ନେଇ ଯା’ ମୋ କୁନାନାକ ।

 

କଦଳୀଗଛରେ କୁଆମଇତା

ଲିପି ରୁଷିଗଲେ କିଏ ଯାଆନ୍ତା ?

ଯାଆରେ ବାବୁ ଘୋଡ଼ାରେ ଚଢ଼ି

ଝିଅକୁ ଆଣିବୁ ଗୋଡ଼ତଳେ ପଡ଼ି ।

ଲିପି ଆଣିଥିବ କୋରା ମିଠେଇ

ବାଟରେ ଖାଇବ ପେଡ଼ି ଫିଟେଇ ।

 

କୁନି ବାହା ହେବ ଆଳିରେ

ଖାଇବ ସୁନା ଥାଳିରେ ।

ପିଇବ ସୁନା ଲୋଟାରେ

ବସି କାନ୍ଦୁଥବ ତୋଟାରେ ।

ବାବୁ ଯିବ ଆଣି

ଗାମୁଛା ଧରିବ ଟାଣି ।

 

ଖୁଆଇବା ଗୀତ

କଲ କବତା ରେ କଲ କବତା

କଲ କଲ କରି ଧାନ ଖାଉଥା ।

 

ଆଇ ରେ ବାଇଆ ଖାଇବୁ ଭାତ

କାଟି ନେଇଯିବୁ କୁନାର ହାତ ।

ଆଇ ରେ ବାୟା ଖାଇବୁ ମିଠି

କାଟି ନେଇଯିବୁ କୁନାର ପିଠି ।

(ବାଗୁଡ଼ିବାଲେଶ୍ୱର)

 

ଗିଲି ଗିଲି ଗୁଣ୍ଡି

ଗିଲି ଗିଲି ଗୁଣ୍ଡି

ପାକୁ ପାନେ

ମା’ ଠୋଉ ଯାଇ କଉଡ଼ି ଆଣେ ।

ମା’ ବୋଇଲା କଉଡ଼ି ନାହିଁ

ଝଲକ ଲଡ଼ୁଟି ପାଇବୁ କାହିଁ ?

 

ପକେଇ ଦେଲି ଖତକୁଢ଼କୁ

କୁଆ ନେଇଗଲା ମାମୁଁଘରକୁ ।

ମାଈଁ ବୋଇଲା ଏଉଟି କିଏ

ମାମୁଁ ବୋଇଲେ ଭଣଜାଟିଏ ।

 

ଧୋଇଧାଇ କରି ଘରକୁ ନେଏ

ଦୁଧ ଭାତ କରି ଗୁଣ୍ଡିଏ ଦେଏ

ଭାଡ଼ିତଳେ ନେଇ ଗଡ଼େଇ ଦେଏ ।

 

ଆସରେ ଜହ୍ମମାମୁଁ ସରଗଶଶୀ

ମୋ କାହ୍ନୁ ହାତରେ ପଡ଼ରେ ଖସି ।

ଲୁଚି ଲୁଚି ଯାଉଛୁ ମେଘରେ ମିଶି

 

ପୁଣି ଦେଖା ଦେଉଛୁ ତୁ ହସି ହସି ରେ ।

ସରଗଶଶୀ ।

ଖାଉନାହିଁ ମୋ କୁନା ବସିଛି ରୁଷି

କ୍ଷୀର ଲବଣି ସର ହୋଇବ ବାସିରେ

ସରଗଶଶୀ ।

(ପାରଳାଖେମୁଣ୍ଡି)

 

ଆ ଜହ୍ନମାମୁଁ ଶରଦଶଶୀ

ମୋ କୁନା ହାତରେ ପଡ଼ରେ ଖସି

ସଜାଇଛି କୁନା ଖଜା ମିଠାଇ

ଦେବ ସେ ତୁମକୁ ଖାଇବା ପାଇଁ ।

 

ଧୋ ବାଇରେ ଧୋ ବାଇ

ତୋ’ ମା’ ଯାଇଛି ଗାଈ ଚରାଇ ।

ଗାଈରୁ ଆଣିବ ଗଜରା ଦୁଧ

କୁନା ଖାଇ ମୋର ହୋଇବ ବୋଧ ।

 

କାଉ ମେଞ୍ଚି କାଉ ମେଞ୍ଚି

ଖାଉ ଦୁଧଭାତ ଯାଉ ଘୁଞ୍ଚି ।

 

କୁକୁଡ଼ା ନ ଖାଏ ଖୁଦ

ମୋ ଧନ ନ ଖାଏ ମାଣ୍ଡିଆ ଜାଉ ଲୋ

କାହୁଁ ଆଣିଦେବି ଦୁଧ ?

 

ନେ ବଳଦ ଟାଣିଟୁଣି

ଆଉ ନାହିଁଟି ଦୋଓଡ଼ା ପାଣି ।

 

ରୋରୋରୋ

ତର୍‌ ବୁଆ ଆନିଦବ ଡ଼ୁଁଗର(୧)ର ଚୂରୋରେ (୨)

(୧) ଛୋଟ ପାହାଡ଼, (୨) ବରକୋଳି

 

ନାଇଁ କାନ୍ଦ୍‌ବାବୁ ମଅରରେ

ନାଇଁ କାନ୍ଦ୍‌ ମଅର୍‌ ।

ଭାତ୍‌ଖାଆ ବାବୁ ମଅର୍‌ରେ

ମ’ ବାବୁ ନାଇଁ କାନ୍ଦ୍‌ରେ ।

(ଜୁନାଗଡ଼ କଳାହାଣ୍ଡି)

 

ଯେଉଁ ଡ଼ାଲେ କୁଇଲି ବସେ ରେ ଧନ ମୋର

ଯେଉଁ ଡ଼ାଲେ କୁଇଲି ବସେ,

ଆର୍‌ ସେ ଡାଲ୍‌ ଲହୁଁ ସେ ରେ ଧନ ମୋର

ଦୁଦୁ ଭାତ ଖାଇବୁ

ଲାଡ଼ଘର(୩) ଯିବୁରେ ଧନ ମୋର

ଗେଲଘର ତୁଇ ଯିବୁ,‌

ନାଇଁ ଏକା କାନ୍ଦିବୁ ରେ ଧନ ମୋର

ନାଇଁ ଏକା କାନ୍ଦିବୁ ।

(ରିଷିଡ଼ା, କଳାହାଣ୍ଡି)

 

ନଡ଼ିଆର ଖଣ୍ଡି ମରିଚର ଗୁଣ୍ଡି

ଲବଣି ଦୁଧର ସର

ନାମ ନ ଆସଇ କି ବୋଲି ଡ଼ାକିବି

ଆସ ମୋ ସାରଙ୍ଗଧର

 

ତାଇ ତାଇ ତାଇ

ମାମୁଁଘର ଯାଇ

ମାମୁଁ ଦେଲା ଦହି

ଗୁହାଳେ ବସି ଖାଇ

ମାଈଁ ଅଇଲା ଝାଣ୍ଟା ଲେଇକି

ଦଉଡ଼ି ପଳାଇ ଯାଇ ।

 

(୩) ଗେଲ କରିବା ଜାଗାକୁ

 

ଶୁଆଇବା ଗୀତ

ଶୋଇପଡ଼ ରେ ବାଇଆ ମୋର, ପଡ଼ ଟିକିଏ ଶୋଇ

ଆସିବ ଯଦି କକମିନା ରେ ଯିବ ତ ତତେ ନେଇ ।

କକମିନା ରେ ତୁ ମୋର ବୋଲ ଶୁଣ,

ବିଲର ମାଛ ଚିଲ ଖାଇଲା ଦଉଡ଼ ଖଣ୍ଡିଏ ବୁଣ୍‌ ।

କକମିନାରରେ ଯା’ ଯା’ ତୁ ବାଡ଼ିଦୁଆରେ ଥା,

ଯାହା ଘରେ କାନ୍ଦିବ ପିଲା ତା କାନ ରଗଡ଼ି ଖା ।

କକମିନା ରେ କକମିନା ତୁ ଯା’ ଯା’ ପଳାଇ

ବାଇଆ ମୋର ଶୋଇପଡ଼ିଛି ଆଉ କାନ୍ଦିବ ନାହିଁ ।

 

ଶୋଇପଡ଼ କୁନା ଶୋଇପଡ଼ ତୁ ରେ

କହିଛନ୍ତି ଜହ୍ନମାମୁଁ

ମୋ ହଳଦୀଗଣ୍ଡି ଶୋଇପଡ଼ ତୁ ରେ

ଉଠିଲେ ଖାଇବୁ ଜାମୁ ।

 

ଶୁଆ ଶାରୀ ସବୁ ଶୋଇପଡ଼ିଲେଣି

ଚେତା ନାହାନ୍ତି ତ କେହି,

ତୋ ଶୁଆ ରାବିବ ମୋ ଶାରୀ ପଢ଼ିବ

ତେବେ ତୁ ଉଠିବୁ ଯାଇ

ବିଲୁଆନନାରେ ବିଲୁଆନନା

ଚୁପ୍‌ ଚୁପ୍‌ ଚୁପ୍‌ ବିଲୁଆନନା ।

ଘର ପୋଡ଼ିଗଲା ପଛକୁ ଅନା ।

କୁନି ଶୋଇଲାଣି ଆଉ ଭୁକ ନା

ଚୁପ୍‌ ଚୁପ୍‌ ଚୁପ୍‌ ବିଲୁଆନନା ।

 

ନିଦମାଉସୀ ରେ ନିଦମାଉସୀ

ନିଦ ଦେଇ ଯାଆ ଆଖିରେ ଆସି

ଆସ ମାଉସୀ ଆସ ପିଉସୀ

 

ନିଦ ଦେଇ ଯାଅ

ପାନ ବିଡ଼ି ବିଡ଼ି ଗୁଆ ପେଡ଼ି ପେଡ଼ି

ବଟୁଆ ପୂରେଇ ଖାଅ ।

(ବାଗୁଡ଼ି, ବାଲେଶ୍ୱର)

 

କୋକବାୟା ନନାରେ ବାଡ଼ି ପନ୍ଦାତେ ଥା

କୁନିଆ କାନ ମୋଚିମୋଚିକା ଆଉ ଯାହା କାନ ଖା ।

କୋକବାଇ ନନାରେ ମୋ’ ବୋଲ ଶୁଣ୍‌

ବିଲର ମାଛ ଚିଲ ଖାଇଗଲା ଦଉଡ଼ି ଖଣ୍ଡିଏ ବୁଣ୍‌ ।

ଦଉଡ଼ି ଖଣ୍ଡିଏ ବୁଣ୍‌ରେ ନନା ଫାଶଟିଏ କର୍‌

ଫାଶଟିଏ କରି ସାରି ଚିଲମାନଙ୍କୁ ଧର ।

(ତିଗିରିଆ)

 

ତୋରେ ରୋ ରେ ଧନ ମୋର

ତୋରେ ରୋ ରୋ

ଗେଲ ଘର ଯିବୁ ରେ ଧନ ମୋର

ଲାଡ଼ ଘର ମୋର ଯିବୁ ।

ନାଇଁ ଏକା କାନ୍ଦିବୁ ରେ ଧନ ମୋର

ନାଇଁ ଏକା କାନ୍ଦିବୁ

କୁଲେ ମ'ର ଶୁଇଯିବୁ ରେ ଧନ ମୋର

କୁଲେ ଏକା ଶୁଇଯିବୁ ।

(ରିଷିଡ଼ା, କଳାହାଣ୍ଡି)

 

ନିଦ ଘର ପୁର ରେ ନିଦ ଘର ପୁଇ

ନିଦ ଘର ପୁଇ ଆସିଲେ ଆମ ଛୁଆ ଯିବ ଶୋଇ

(ବାଗୁଡ଼ି ବାଲେଶ୍ଵର)

 

କାଉ କାଉ ରେ

ବାବୁ ନିଦ ଯାଉରେ

ନିନି ନିଦ ଯାଉ ରେ

ଦାଣ୍ଡେ ଖେଳୁ ଧୂଲିବାଲି

 

ଧୂଳିଆ ଧୂସନ ତୋତେ ଦେବେ ଗାଲି

କକ ଆସିଛି ମୋହନ

ନ କାନ୍ଦିବୁ ବାପଧନ

କୋଳ କରି ନେଇଯିବେ ମଥୁରାକୁ ରେ ।

(ବୌଦ୍ଧ)

 

ନାଇଁ ନାଇଁ ରେ ଧନମାଲୀ

କିଏ ଦେଲା ତତେ ଗାଲିରେ ଧନମାଲୀ

ଶୁଇ ପଡ଼ିବୁ ଧନ ସୁନାରେ ଧନ

ବାପା ଦେବେ ଗାଲି ରେ ମଦନ

ବାପା ଦେବେ ଗାଲି

ଆହା ମୋର ଧନମାଲୀ

ନାଇଁ ଦିଏ ରେ ତତେ ଗାଲି ।

(ବୌଦ୍ଧ)

 

କୁନିକି ଶୋଇଦେ ମା କକ ଭୁକିଲାଣି

କୁନିକି ଶୋଇଦେ କକରମନ,

କକର ମନରେ କକରମନ

ଯା’ ଚାଲି ଯା’ କକରମନ

କୁନି ବାହାଦିନ ଖାଇବୁ ପାନ ।

 

ହୋ ଗୋ ମୁନା କାଉ କାଉ

ଆମର୍‌ ବାବୁର୍‌ ନିଦ ଯାଉ

ଆମର୍‌ ହାତୀକେ କିଏ ମାଇଲା ରେ

ପୁତୁଲି ଛୁଆ ଖେଲୁଛେ

ଆମର୍‌ ବାବୁ ଶୁଇପଡ଼ବା ରେ

କକମିନା ଆସୁଛେ,

ହୋ ଗୋ ମୁନା କାଉ କାଉ

ଆମର୍‌ ବାବୁର୍‌ ନିଦ ଯାଉ ।

(ଚୁର୍ଲା)

 

ମୋର ଧନ ଶୁଇ ପଡ଼ିଲା କାଏଁରେ

କାନ୍ଦିଲେ କାନ୍ଦିବ ଦିନେକ ଛନେ

ଧନ ଖେଲୁଥିସି ମନେମନେ

ମୋ ଧନ ରେ ।

 

ଆହା ରେ ମୋ ଧନମାଲୀ

ମୋର ଧନ କେଣେ କେ ଦେସି ଗାଲି

କାନ୍ଦୁଥିଲି ଖାଲି ଖାଲି

ମୋର ଧନ କେଣେ ଭୋକ୍‌ ଲାଗିଲେ ତ

 

କାନ୍ଦୁଥିସି ରଡ଼ି ରଡ଼ି

ଖାଇସାରିଲେ ତ ଶୁଇ ପଡ଼ିସି ରେ

ହସୁଥିସି ମନେମନେ

ତୋ ବାପା ଯାଇଛେ ଭବାନୀପାଟଣା ରେ

 

ଆନି ଦେବା ତତେ କୁର୍‌ତା

ଶୁଇ ଉଠିଲେ ତ ପିନ୍ଧିବୁ କରଣ ରେ

ଦେଖିଯିବୁ ରଥ ଯାତରା,

ମୋର ଧନତ ଶୁଇ ପଡ଼ିବା ରେ

ମୋର ଧନ ତ ଶୁଇ ପଡ଼ିବା ।

(କଳାହାଣ୍ଡି)

 

ଆଇ ତ ଆଇରେ ନିଦମାଉସୀ,

ନିଦ ଦେଇଯିବୁ କୁନିକୁ ବସି ।

କୁନି ଶାଶୂଘର ଆଳିରେ,

କୁନି ଭାତ ଖାଏ ସୁନାଥାଳିରେ ।

 

କୁନି ଶାଶୂଘର ବାଁ ବରଡ଼ା,

ନିତି ଖାଉଥିବ ଛେନା ଖରଡ଼ା ।

କୁନି ଶାଶୂଘର କେ ରାଇଜ,

କୁନି ନେଇଯିବ ସେ ରାଇଜ ।

କୁନି ଶାଶୂଘର ଆମ୍ବିଳି ଅଠା,

କୁନି ନେଇଯିବ ଚିତୁଳି ପିଠା ।

(ଜଳେଶ୍ୱର)

 

ଧୋରେ ବାୟା ଧୋ

ଗହଳ ମହଳ ଧାନ କିଆରି

ସେଇ କିଆରିରେ ଶୋ ।

ପୂବେଇ ବାଆରେ ମେଘ ବରଷିଲା

 

ଟୁପୁରୁ ଟୁପୁରୁ ପାଣି

ସାରୁଗଛ ମୂଳେ ବେଙ୍ଗୁଲୀ ନାନୀ

ଆପେ ବୋଲାଉଛି ରାଣୀ ।

କକରମିନାରେ ବାଇ ଚଢ଼େଇ

ବାଡ଼ି ପନ୍ଦାଡ଼ରେ ଥାଆ

ରାଧିକା କାନ ମୋଚି ମୋଚି

କହ୍ନେଇ କାନ ଖାଆ ।

 

ନାଇଁ ଲୋ ନାହିଁ

ନାହିଁ ଲୋ ନାହିଁ

ମୋ ଗଣ୍ଠିବନ୍ଧା ସୁନା କାହିଁ ?

ମୋ ବାପଧନ କାହିଁ ?

ମୋ ଧନ ପଡ଼ିଲାଣି ଶୋଇ ।

 

ଘୋର ନିଶା ଗରଜେ ଘୁ’ ଘୁ’

ବଚନେ ବାଆ ବହେ ସୁ’ ସୁ’ ।

କୁନି ମୋ ନିଦରେ ସପନ ଦେଖେ ରେ

ନଈବଢ଼ି ଫେରିଯା’ ।

 

ବେଣାବନ ବୁଡ଼ି ଉବୁଟୁବୁ ହେଲା

ସାରା ବନ ବୁଡ଼େ ଉଡ଼େ,

ପାହାଡ଼ ତଳର ବାଘ ବାଘୁଣୀ ଲୋ

ହିତ଼ତଳେ ରଡ଼ି ଛାଡ଼େ ।

 

ମୋର ଗଣ୍ଠିଧନ ରଙ୍କରତନ

କଥା ମୋର ମାନିଯା’,

ଗାଇଚି ମୁଁ ଗୀତ ଶୁଣି ଶୁଣିତୁ ତ

କୋଳେ ମୋର ଶୋଇଯା ।

 

ଶୋଇଯା ଶୋଇଯା ମୋର କାଳିଆ କାହ୍ନା

କାନ କାଟି ନବ କୋକ ନପଡ଼ି ଚିହ୍ନା ।

(ଗୁମସର)

 

ଶୋଇପଡ଼ ରେ ଧନ

ପାପୀ (ପିଠା) କରିଦେବି ପହରିଦିନ

ଖାଇବୁ ପୂରାଇ ମନ ।

(ଗୁମସର)

 

କକରବାଇ ରେ କକରବାଇ

ଶୋଇପଡ଼ ରେ କକରବାଇ

ତୋ ମାଆ ଯାଇଚି ଧାନ ଚୂରାଇ

ଆଣିଲେ ଖାଇବୁ ପେଟ ପୂରାଇ ।

(ଗୁମସର)

 

ପେଚାରେ ପେଚା

ମାଉଁସ ମେଞ୍ଚା

ନିଆଁ କରଚୁଲି କାଠରେ ଖେଞ୍ଚା

ଥୁଣ୍ଟା ବରଗଛ ଡ଼ାଳେ

ପେଚା ରାବିଲାଣି

କୁନାକୁ ଶୋଇ ଦେ ମା

କକ ଭୁକିଲାଣି ।

(ବାରିପଦା)

 

ଧୋ ବାଇରେ ଧୋ ବାଇ

ତୋ ମାମୁଁ ଯାଇଛି ବୋଇତ ନେଇ ।

ବୋଇତରେ ସେ ବେପାର କରି

ତୋ ପାଇଁ ଆଣିବ ରୁପା କଣ୍ଢେଇ, ସୁନା କଣ୍ଢେ‌ଇ

 

ଶୋଇପଡ଼ ମୋର ଧୋ ବାଇ ।

ଧୋ ବାଇରେ ଧୋ ବାଇ

ତୋ ବାପ ଯାଇଛି ପାଠ ପଢ଼ାଇ

ପାଠ ପଢାରେ ସେ ଦେଇଛି ମନ

ଶୋଇପଡ଼ ମୋର ବାଇଆ ଧନ ।

(ବାରିପଦା)

 

ଧୋରେ ବାୟା ଧୋ

ଯୋଉ କିଆରିରେ ଗହଳ ମାଣ୍ଡିଆ

ସେହି କିଆରିରେ ଶୋ

ଆସ ମାଉସୀ ଆସ ପିଉସୀ

ନିଦ ଦେଇଯାଅ

ପାନ ବିଡ଼ି ଗୁଆ ପେଡ଼ି ପେଡ଼ି

ବଟୁଆ ପୂରେଇ ଖାଅ ।

 

ନିଦ ମାଉସୀ ଲୋ ନିଦ ମାଉସୀ

ଚାଳେ ବାଡ଼େ ରହିଥା,

ସେରେ ଚାଉଳ ଦେବି, ବାବୁକୁ

ନିଦ କରେଇ ଯା ।

କକମିନା ରେ ତୁ ଯା ଯା ପଳାଇ

ବାୟା ମୋର ଶୋଇ ପଡ଼ିଛି

ଆଉ କାନ୍ଦିବ ନାହିଁ ।

 

ମେଘ ବରଷଇ ଝୁପୁର ଝୁପୁରୁ

ବାରିଆଡ଼େ ଗୋଟେ କିଏ ରେ ?

ବାରି ପଛଆଡ଼େ ମହଣ ପତର

ମୁଣ୍ଡରେ ଗୋଟିଏ ଦେଏରେ ।

 

ଶୋଇପଡ଼ ଶୋଇପଡ଼

ରାତି ପାହୁଁ ଯିବୁ ତୁ ମାମୁଁଘର

ତୋର ମାଈଁ କରିବେ ଆଦର, ଦୁଃଖୀଧନ ।

ଦୁଃଖୀଧନ ନୀଳମଣି

ଯାଇଥିଲୁ କେଉଁ ରାଇଜେ ପୁଣି

ଆଣିଥୁଲୁ କେତେ ଜିନିଷ କିଣି

ଦୁଃଖୀଧନ ନୀଳମଣି ।

 

କୁନୁମୁନି ପଡ଼ ଶୋଇ, ନିଶବଦ ଗାଆଁ ଭୂଇଁ

କକବାୟା ଆସେ ଅନ୍ଧାରେ ଅନ୍ଧାରେ

ଶୋଇପଡ଼ ତୁନି ହୋଇ ।

ଗାଁମୁଣ୍ଡ ନଈକୂଳେ, ମଶାଣିରେ ନିଆଁ ଜଳେ

ଆସୁଛି ଅନ୍ଧାର ଘୁଡ଼ୁଘୁଡ଼ି ଏଣେ

ଶୋଇପଡ଼ ମୋର କୋଳେ ।

 

ବାଇଆ ଆସୁଛି ଆଜି, କେତେ କଥା ମନେ ହେଜି

ତା’ ଝୁଲାମୁଣିରେ ନେଇଯିବ ତୋତେ ।

ଶୋଇପଡ଼ ଆଖି ବୁଜି ।

 

ଆ’ ଆ’ ରେ କୋକମୁନା ଆ’ରେ

ଆ ଆ କୋକମୁନା,

କାହିଁକି ଆସୁନୁ କଅଣ ହୋଇଛି

କିଏ କି କରିଛି ମନା ?

 

କୁନା ଖାଏନାହିଁ ଭାତ ତରକାରି

ଥୁଉ ଥୁଉ ଖାଲି କରେ

ଯେତେ ବୁଝାଇଲେ ମା’ ତାର ପରା

ଧୂଳିରେ ମାଟିରେ ଗଡ଼େ ।

 

କେଉଁଠି ତୁ ରହୁ କେଉଁଠି ତୋ ଘର

ଆସିବୁନି ତୁ କି ଥରେ ?

ଯେତେ ତାକିଲେ ବି କାହିଁକି ଆସୁନୁ

କାହିଁକି ଆସୁନୁ ତୁହି ?

 

ସଅଳ ଆ’ ତୁ କୁହୁକ ମେଲିଦେ

କୁନା ଆଖିପତା ଛୁଇଁ ।

ଆ’ ଆ’ରେ କୋକମୁନା

ଆ’ ଆ’ ରେ କୋକମୁନା ।

(ଗଞ୍ଜାମ)

 

Unknown

ଖେଳ କୌତୁକ ଗୀତ

ଅରଗଡ଼ ମରଗଡ଼

ଝାଇଁକି ଝିଙ୍କଡ଼

ଝାଇଁକି ଝୁମ୍ପା

ବେଲ ଖୋଳପା

ବେଲଗଛର ଦାଣ୍ଡି

କୋଚିଲା ଚାଉଳ କାଣ୍ଡି

 

କୋଚିଲା ଚାଉଳ ପିତା

ପଧାନ ମୁଣ୍ଡରେ ଚିତା

ପଧାନ ଯାଇଛି ଧାନବିଲକୁ

ମାରି ଆଣିଦବ ଶଙ୍ଖଚିଲକୁ

ଶଙ୍ଖଚିଲ କଲା ବସା

ପାଇକାଣୀଙ୍କର ଏତେ ଭରସା

ସମ୍ବଲପୁରିଆ ଖୋସା ।

 

(ଏହି ଗୀତର ଅନ୍ୟ ଏକ ରୂପ ନିମ୍ନରେ ଦିଆଗଲା)

ଅରଗଡ଼ ମରଗଡ଼

ଭୂଇଁ ଶରଗଡ଼

ବେଲୁଆଁ ଝୁଁପା

ବେଳ କୁରୁପା ।

 

ବେଲଗଛ ମୂଳେ ଦାଣ୍ଡି

ଅରୁଆ ଚାଉଳ କାଣ୍ଡି

ଉଷୁନା ଚାଉଳ ପିତା

ମଦନା ହାତରେ ଚିତା

 

ମଦନା ଯାଇଛି ଗୁଆମାଳକୁ

ମାରି ଆଣିଦବ ଶଙ୍ଖଚିଲକୁ

ଶଙ୍ଖଚିଲ କଲା ବସା

ପାଇକାଣୀଙ୍କର ଏଡ଼େ ଭରସା,

ସମ୍ବଲପୁରିଆ ଖୋସା ।

 

ଅକଲ ମକଲ ଟକଲ ଟାଇଁ

ଗଡ଼ିଶ ବାଜଇ ଢାଇଁ ଢାଇଁ

ନାଉ ନଂଗ ଫିରିଙ୍ଗ ଫୁର୍‌

ରଜା ବୋଇଲେ ଏଇ ଚୋର ।

 

ଏକେ ଡାଉଁ ମେକେ ଡାଉଁ

ଘରେ ଘରେ ଛାତି, ପିତଳର ଘଣ୍ଟି

ନାଗେଶ୍ୱର ଫୁଲ କାଲି କାଲିକି

ନଈବାଲିକି

ନଈବାଲି ହେଲା କାକର

ଧରମଛଡ଼ା, କାଳିଆ ଘୋଡ଼ା ବରକୋଳି ପତର ।

 

ଏକ୍‌ ତରା

ଦୁଇ ତରା

ତିନ୍‌ ତରା

ତିନ୍‌ ତରାରେ କାଣ୍ଡ ବିନ୍ଧାନି ।

 

ଏଡ଼ିକି ଚାପର ମାରେ ରାନୀ

ଚାପର ନଇଁ ମାର ବିଧା ମାର

ଆଜି ପୋଏଙ୍ଗର ମଙ୍ଗଳବାର

ଆଜି ପୋଏ ରୁଷିଲେ

 

ଇସ୍‌ ପରବତେ ମାମୁଁର ବିହା

ମାଈଁର ମୁହେଁ ଠିଆ ଠିଆ

ମାଈଁର ମୁହେଁ ଦର୍ପନ୍‌ ନାଇଁ

ଚୁଟିଆ ମୂଷା ନେଲା ବୁହି

 

ମାମୁଁଘର କେତେ ଦୂର

ବେଣା ବୁଟା ଝୁର୍‌ଝୁର୍‌ ।

(ବଲାଙ୍ଗୀର)

 

ଏକ ତରା ଗଲା ପାଇକପରା

ପାଇକ ପରୁଁ କାଣ୍ଡ ବିନ୍ଧାନି

ଚେରେ ଚପଟ ମାରେ ରାନୀ

ହଂସ ତିମ୍ବ ଗୂଦୁର୍‌ଗାଦର୍‌

ପର ପୋଏ ରୁଷିଲେ

ଧାନ ପୁଳେ ପୁଳେ ଚଷିଲେ ।

 

ଆଣ୍‌ ମାମୁଁ ଶଗଡ଼

ସବୁ ମୂଷା ରଗତ

ଗୁଟେ ମୂଷା ଥୋଇଦିଅ

ଧାନ୍‌ ପୁଳେ ପୁଳେ ଖାଇଦିଅ ।

(ବଲାଙ୍ଗୀର)

 

ଏକ୍‌ ତରା ଦୁଇ ତରା

ନିମିନି ଗଛରେ ବାନ୍ଧିଲି ନଳା ।

କିଏ କିଏ ଯିବ କନିଆ କରି ?

କନିଆର ସାତ ଭାଇ

ପଇଣ୍ଡାରେ ବସି ଭାତ ଖାଇ ।

 

ଦେ ମାଉସୀ କାଣ୍ଡ ପଟେ

ବିନ୍ଧି ଖୋଲିବି ଚୁଟିଆ ମୂଷା

ଚୁଟିଆର ହାତ଼ ଗୋଡ଼

ଦେଉଡ଼ ତିତିବି

 

ଦେଉଡ଼ରେ ଚାରିପାଖେ

କଉଡ଼ି ଗଣିବି ।

ଗୋଟେ କଉଡ଼ି ଉଣା ହେଲେ

ଗାଈ ବାଛିରୀ ବିକିବି ।

(କେନ୍ଦୁଝର)

 

ଏକ ତରା ମଣିଷ ମରା

ତୁଇ ତରା କତରା ଘୋଡ଼ା

ଚିନି ତରା ନାହିଁ ଦୋଷ

ଚାରି ତରା ଘରେ ପଶ ।

ପାଞ୍ଚ ତରା ନନ୍ଦିଘୋଷ

ଛଅ ତରା ବୈକୁଣ୍ଠରେ ବସ ।

(ସନ୍ଧ୍ୟାବେଳେ ତରା ଦେଖିବା ଖେଳ)

 

ଆଖି ନାଇଁ କାନ ନାଇଁ ।

ବାଜିଗଲେ ମୋର ଦୋଷ ନାହିଁ ।

(ପିଲା ଆଖି ବୁଜି, ଦୁଇ ହାତକୁ ମେଲାଇ ଏଇ ପଦକ ବୋଲି ସାଥିମାନଙ୍କୁ ଛୁଇଁବାକୁ ଚେଷ୍ଟା କରେ ।)

 

ଜଗ ଜଗ ନାରୀ

ଯେ ପାଇବ ତା’ରି ।

(ବାଲିରେ ଲୁଚାହୋଇଥିବା କାଠିକୁ ଖୋଜିବା ବେଳର ଗୀତ)

ଇକନ୍‌ ମିକନ୍‌ ଚାଇଁକି ଚିକନ୍‌

 

ପବନ ଘଣ୍ଟା, ନାରଙ୍ଗ ଲଟା

ଓଲ୍‌ ମୋର

କହ୍ନାଇ ବାଡ଼ିର ଦନାଇ ଚୋର ।

 

ଟୁକୁ ମୂଷି, ଟୁକେଇମୂଷି,

ଧାନ ଭରଣକ ଖାଉଥା ବସି

‘ତୁ ଥା’ ମୁଁ ଯାଉଛି ରୁଷି ।

(କନିଷ୍ଠ ଆଙ୍ଗୁଠି ଧରି) ଏଉଟି ବୋଇଲା କିସ ଖାଇବା

(ଅନାମିକା ଆଙ୍ଗୁଠି ଧରି) ଏଉଟି ବୋଇଲା କାହୁଁ ଆଣିବା

 

(ମଧ୍ୟମା ଆଙ୍ଗୁଠି ଧରି) ଏଉଟି ବୋଇଲା ଋଣ କରିବା

(ତର୍ଜନୀ ଆଙ୍ଗୁଠି ଧରି) ଏଉଟି ବୋଇଲା କାହୁଁ ଶୁଝିବା

(ବୁଢା ଆଙ୍ଗୁଠି ଧରି) ବୁଢ଼ା ମିଆଁ ଧାଇ ବୋଇଲା

ଖାଇ ଦେଇ ପଳେଇବା ।

 

ଗଲାରେ ଗଲାରେ, କାଳିଆ ବଳଦ ଗଲାରେ ।

(ବାହୁରେ ଧୀରେ ଧୀରେ ଆଙ୍ଗୁଠି ଚଳାଇ, ଶିଶୁର କାଖଯାଏଁ ନେଲେ ସେ ହସି ଉଠେ ।)

 

ଫିକି ଦିଅରେ ନିନିକେ ଖତ କୁରକୁ,

କାଉ ନେଇଯିବେ ମାମୁଁଘରକୁ

ମାମୁଁ ବୋଇଲେ ଲୋ କାହାର ଝିଅ

 

ଖୁଆଇ ପିଆଇ ଘରକୁ ନିଅ ।

ଖିରି ପିଠା କରି ଥାଳିଏ ଦିଅ,

ନାଇଁ ଖାଇଲେ ନିନିକେ କୁନ୍ଦିଏ ଦିଅ ।

(ବୌଦ)

 

ଟୁଉକୁ ମୂଷିରେ ଟୁଉକୁ ମୂଷି

ଧାନ ଭରଣକ ଖାଉଥା ବସି

ତୁ ଥା ମୁଁ ଯାଉଛି ରୁଷି ।

 

ଟୁକେଇ ମୂଷିକୁ ଛୋଟିଆ ପାଦ

ଟୁକେଇ ମୂଷିକୁ ମାଟି ସୁଆଦ ।

ଟୁଉକୁ ମୂଷିର ଗାତରେ ବସା

 

ଟୁଉକୁ ମୂଷିଟି କାଟଇ ଖୋସା

ଟୁଉକ୍‌ ମୂଷି ଗଲା ରେ

ହାଣ୍ଡି କୁଣ୍ଢେଇ ସମ୍ଭାଳିଥିବୁ

ହାଣ୍ଡି ଧଡ଼ ଧଡ଼ କଲା ରେ ।

 

ଜହ୍ନିଫୁଲ ଠୋ ଠା

କାକୁଡ଼ି ଫୁଲ ଠୋ ଠା

ଚୁଟିଆ ମୂଷା କହିଯାଇଛି

ଚାଉଳ ମୁଠିଏ ଥୋଇ ଥା ।

 

ବାଡ଼ିଆଡ଼େ କୂଅ କି ଦାଣ୍ଡଆଡ଼େ କୂଅ

ଚୂଟିଆ ମୂଷା କହିଯାଇଛି

ଚାଉଳ ମୁଠିଏ ଦିଅ

 

ଗୁଗୁ ଗୁଗୁ ପାଞ୍ଚି

ଦହି ଦହି ମୁଞ୍ଚି

(ପିଲାକୁ ଦୁଇ ଗୋଡ଼ରେ ବସାଇ ଏତକ କହିଲା ପରେ ପଚରାଯିବ)

କାହା ପତରରେ ଖାଇବୁ ?

(ପିଲା ଉରର ଦେବ)

ବୋଉ ପତରରେ ଖାଇବି ।

 

(ପୁଣି ସେଇ ପ୍ରଶ୍ନ ଥରକୁଥର ପଚରାଯିବ ଏବଂ ପିଲା ପ୍ରତ୍ୟକ ଥର ବାପା, ଭାଇ, ନାନୀ ପ୍ରଭୃତିଙ୍କ ପତରରେ ଖାଇବ ବୋଲି କହିବ । ତାପରେ ତାକୁ ଦୁଇପାଖକୁ ଅଣେଇଦେଇ କ୍ରମାନ୍ୱୟରେ କୁହାଯିବ)

 

ଗୁହ ଗଡ଼ିଆକୁ ପକାଇ ଦେଉଁ

ସୁନା ଗଡ଼ିଆରେ ଧୋଇଧାଇ କରି ଘରକୁ ଆଣୁ ।

 

(ଶେଷରେ ପିଲାକୁ ଗୋଡ଼ରେ ସେହି ଅବସ୍ଥାରେ ଉପରକୁ ଟେକି କୁହାଯିବ) ବଡ଼ ଦେଉଳ, ବଡ଼ ଦେଉଳ । (ଖେଳ ଶେଷ)

ଗୁଗୁ ପାଞ୍ଚି ଗୁଗୁ ପାଞ୍ଚି

ବାପାଙ୍କ ଅଇଁଠା କିଏ ସେ ଖାଏ ?

ବୋଉ ଖାଏ ।

ବୋଉ ଅଇଁଠା କିଏ ସେ ଖାଏ ?

ଭାଇ ଖାଏ ।

 

ଭାଇ ଅଇଁଠା କିଏ ସେ ଖାଏ ?

କୁନିଝିଅ ଖାଏ ।

କୁନିଝିଅ ଅଇଁଠା କିଏ ସେ ଖାଏ ?

ଗିରିଧ ଅଇଁଠା କିଏ ସେ ଖାଏ ?

ଗିରିଧ ଖାଏ ।

 

କୁନି ପୁଅ ଖାଏ ।

ସୁନା ଗାଡ଼ିଆରେ ପଡ଼ିବୁ କି

ଗୁହ ଗାଡ଼ିଆରେ ପଡ଼ିବୁ ?

ସୁନା ଗାଡ଼ିଆରେ ପଡ଼ିଲା ରେ

ଗୁହ ଗାଡ଼ିଆରେ ପଡିଲା ରେ ।

(ଗୁରୁପାଞ୍ଚି ଖେଳର ଏହା ଅନ୍ୟ ଏକ ରୂପ ।)

 

ମୋ ପେଏଁ କାଳି ବାଜେ

ଲଙ୍ଗଳ ଦେବି

ଜୁଆଳି ଦେବି

ମୋ ପେଏଁ କାଳି ବାଜେ ।

 

ହାତୀ ଦେବି

ଛତି ଦେବି

ମୋ ପେଏଁ କାଳି ବାଜେ ।

 

ଏକନ୍‌ ଦୋକନ୍‌

ତିଉକ୍‌ ଚେକନ୍‌

ଓଲ୍‌ ଡ଼ୋଲ୍‌

ମାମୁଁର କକେଇର ବାଡ଼ିଆଡ଼େ ଚୋର ।

 

ଉଦୁଉଦୁମା ତାଳ ଗୋଟମା

ଲୁହା ପାହୁରାଣି ପିତଳ ସମା

ଚୁନୁ ମୁନୁ ଖଇରି କାତି

ରଜା ବିଜେ କଲେ ଡେବିରି ହାତି

ତେବିରି ହାତରେ ତେଲଘଡ଼ି ।

 

ମୋ କୁନି ଯାଇଚି ଗେଲ କରି ।

ଆମ୍ବଟିଏ ଖାଉଁ ଖାଉଁ

କୋଇଲିଟିଏ କଷା

କି ମାଡ଼ ମାଇଲୁ ଭାଇ

ଚାରିକଣିଆ ପଶା ।

 

ଧାନ କୁଟିବୁ ରେ ବଗ ?

ନା ମୋ ନଳିଗୋଡ଼ ଭାଙ୍ଗିଯିବ ।

ମାଛ ଖାଇବୁ ରେ ବଗ ?

ନା ତେଇଁକି ଗୋସେଇଁ ଆଗ ।

 

ଇଟିକିଲି ମିଟିକିଲି ଫୁଟିଗଲା କାଇଁଚ

ତୁମର ଆମର ନାଲ ପଇଁଚ ।

ନାଲ ପେଁ ପେଁ ବାଜଇ ହୀରା

ଗୋଟିକ ଉପରେ ଗୋଟିଏ ଚୀରା ।

 

ଅଇରି ମଇରି ଖଇରି କାତି

ରଜାପୁଅ ଗଲା ତେବିରି ହାତୀ ।

ପାଟହାତୀର ବହୁତ ଗୁଣ

ଘଂଗୁର ବାଜେ ରୁଣ ଝୁଣ ।

 

ସବୁ ପିଲାଏ ତ ଖେଳି ଅଇଲେ ରେ

ମୋ ପ୍ରେମସୁନ୍ଦର କାହିଁ ?

ଝାଡ଼େ ପଶି ଝାଡ଼କୋଳି ଖାଉଚି ସେ

ଆଙ୍କୁଡ଼ିଖଣ୍ଡି ଲଗାଇ ।

 

ହୁପେଣ୍ଡି ବାଇସ୍‌କୋପ୍‌

ରାୟବାବୁ ତେଇଶ୍‌ କୋପ୍‌ ।

ଟୁନ୍‌ଟାନା ବେବି ଆନା

ଡ଼ାକ୍ତରବାବୁ ବୈଠକଖାନା ।

 

(ଦୁଇ ଜଣ ପିଲା ହାତକୁ ହାତ ଛନ୍ଦି ଉପରକୁ ଟେକିବେ । ତୃତୀୟ ପିଲା ତା ଭିତରେ ଗଳି ଗଳି ବୁଲିବା ଖେଳ)

 

ଚକା ଚକା ଭଉଁରୀ

ମାମୁଁଘର ଚଉଁରୀ ।

ମୋ ନାନୀ ନାଁ ଗଉରୀ ।

ତୋ ନାନୀ ନାଁ ଶଉରୀ ।

 

ନାଇଁ, ତୋ ନାନୀ ନାଁ ଶଉରୀ

ମୋ ନାନୀ ନାଁ ଗଉରୀ ।

ଆମେ ନଈରେ ଯିବା ପହଁରି

ଟେକି ଧରିବ ନାଉରୀ

ଚକା ଚକା ଭଉଁରୀ ।

 

କୋଇଲି କୁ କେଇଲା

କୋଇଲି ତୁ କେଇଲା,

ପାଟ ମହାଦେଈ ଗାଧୋଇଗଲେ

ସୁନା ଝିକ୍‌ ଝିକେଇଲା

ରୁପା ଝିକ୍‌ ଝିକେଇଲା ।

 

ଇଟିଲି ମିଟିଲି ଜାମୁ ଟିଲି ଟିଲି

କଠାଉ ମାଡ଼ିଲି ଚୋର

ସାରୁ ଖଣ୍ଡ ଖଣ୍ଡ ପିଟିକା ପାଣି

ବୋଉ ଲୋ !

ତୋର ଏଇ ଗୁଡ଼ଖଣ୍ଡ ଭଲ ।

 

କାନ୍ଦୁଲ ବାଡ଼ିକି ଯାଏ ହରିଣ ନଇଁ ନଇଁ

ମୁଗ ବାଡ଼ିକି ଯାଏ ହରିଣ ନଇଁ ନଇଁ

ବଣୁଆଭାଇ ବାଣମାରିଲା

ଫୁକ୍‌ କିନା ଗଲା ଡ଼େଇଁ ।

(ଗୁମସର)

 

ଅକଲ ମକଲ ଟକଲ ଟିଆ

ଗଣେଶ ନାଗର ବାଜଇ ଡିହା

ବାଇଚଢ଼େଇ ରେ ଖେଳିବୁ ଆ,

ତୋ’ ପୁଅ, ମୋ ଝିଅ କରିବା ବାହା

ତୁଇ ସମୁଦୁଆଣୀ ହୋଇବା ଠିଆ ।

(ବାଗୁଡ଼ି ବାଲେଶ୍ୱର)

 

ବାଘ ପାଣି ପିଏ ଚାକୁରୁ ଚାକୁରୁ

ବିଲୁଆ ବୋବାଏ ହାକୁରୁ ହାକୁରୁ

ଟିଙ୍ଗରି ଚଢ଼େଇ ଟିଙ୍ଗ୍‌ଟିଙ୍ଗ୍‌,

 

ମୂଷା ଧାନ ଖାଏ କୁଟୁରୁ କୁଟୁରୁ

ଲାଞ୍ଜ କଗୁଥାଏ ଟୂଟୁରୁ ଚୂଟୁରୁ

ଗୁଣ୍ଡୁଚି ବୋବାଏ ପିଙ୍ଗପିଙ୍ଗ୍‌ ।

(ଦୁଇ ହାତକୁ ଯୋଡ଼ି ଅଙ୍ଗୁଳିକୁ କ୍ରମାନ୍ୱୟରେ ହଲାଇ ଏ ଗୀତ ବୋଲାଯାଏ।)

 

ଗୁଆଗଛ ଧାଡ଼ିକି ଧାଡ଼ି

ଅଇଲାଣି ଭାଇ ମେଲ୍‌ ଗାଡ଼ି

ମେଲ୍‌ ଗାଡ଼ିରେ ବହୁତ ଲୋକ

ମୁହଁ ଦିଶୁଥାଏ ଜକ ଜକ ।

 

ଅଲ୍‌ ମଲ୍‌ ଢିଙ୍କି ତଲ୍‌

ବେଙ୍ଗ ବଜାଏ ଢୋଲ

କିସ୍‌କା ନଗର କହିଯାଇଛି

ଏଇ ପିଲାଟି ଚୋର ।

 

ଅଞ୍ଜୁ ମଂଜୁ ସଂଜୁ

କାକୁଡ଼ି ହେଲା କଂଜୁ,

ସଂଜୁକୁ ହେଲା ଜର,

ତା ଭଉଣୀ ବାହା ହେଲା

ଚେପ୍‌ଟାନାକିଆ ବର ।

 

ଦଶ କୋଡ଼ିଏ ଆଡ଼ି ମୁଢ଼ି

ଟୁଙ୍ଗୁଡ଼ିମାଛ ଚଡ଼ଟଡ଼ି

କିଏ ନବ କେତେ ଅଣା

ବୋଲ ଦୋ’ ନା ।

 

ଏକ ତରା ଭାଇ ଦୁଇ ତରା

ନିମଗଛମୂଳେ ଖଟଣି ଘୋଡ଼ା ।

ପାଇକର ଭାଇ ବଡ଼ ବିନ୍ଧାଣି

ମାରେ ଚାପୁଡ଼ା ତୋଳେ ପାଣି ।

 

ଅଇରି ମଇରି ଗଇରି କାତି

ରଜାଙ୍କ ଘର ପାଟହାତୀ ।

ପାଟହାତୀର ବହୁତ ଗୁଣ

ଘୁଙ୍ଗୁର ବାଜେ ରୁଣ ଝୁଣ ।

 

କିଆବୁଦା ମୂଳେ ଦଉଡ଼ି

ପାଟ ମାଆ ଗାଧୋଇ ଗଲେ

ବାଘ ନେଲା ଘଉଡ଼ି । (ନୟାଗଡ଼)

 

ଏକ୍‌ମା ତୁକ୍‌ମା ତିନିକେ ବାଡ଼ି

ଲେହେଙ୍ଗା ତେହେଙ୍ଗା ତେତେଲ ଗୁଡ଼ି ।

ଏଥଲ ମଲି ସାହିବ ହେଲି

ଧୁବଲ ଉପରେ ଖଣ୍ଡ ଖାଇଲି

 

ଧନିଆ ଚାଉଳ ବେଲକୁ ରୁପା

ବେଲଗଛ ମୂଳେ ପାଣି ଚରପା ।

ଯେବେ ପାରିଥୁବୁ ଢାଲିଆଁ ଖୁସା

ଲାଗିଥିବ ରୁପା ଦଅଶ ମସା ।

(ସୋର, ବାଲେଶ୍ୱର)

 

ଏକ ତରା, ଦୁଇ ତରା

ଭାଇ ଗଲେ ବାଇଲପଡ଼ା ।

ବାଇଲପଡ଼ାରେ ଲୋକ ନାହିଁ

ଗୁଡ଼ିଆ ପିଲାର ବେକ ନାହିଁ ।

 

ଆଇକମ୍‌ ବାଇକମ୍‌ ତାତା ତୁଡ଼ି ।

ଚତୁର ମାସିଆ ଶଶୁର ବାଡ଼ି

ରେଲ୍‌ ଚାଲେ ଘମାଘମ୍‌

ପା’ ପୋଛ୍‌ ଆଳୁଦମ୍‌ ।

 

କାଠିକି କାଠି ପବନ କାଠି

ଚଢ଼େଇ ଦିଓଟି ଠୁକାଠୁକି ।

ଗୋଟିଏ ମଲା

ଗୋଟିକ ଉପରେ କୋଡ଼ି ପଡ଼ିଲା ।

 

ଆପଟ ବାପଟ କାନ ମଡ଼କା

ଇସିକି ନାଗର ଦହି ତୋଡ଼କା

ରାଇ ରଙ୍ଗ ଫିରିକି ଫୁଲ

ବାପ କହିଲେ ଏଇଟି ଚୋର। (କେନ୍ଦୁଝର)

 

କୂଳ ମୂଳ ଦଉଡ଼ି, ବାଘନେଲା ଘଉଡ଼ି,

ତାଳଗଛରେ ଭଅଁର ପୋକ

ମୁଁ କି ଜାଣେ ପିଲାଲୋକ ?

ହୁଁ କରାଟ ପିଠର ବାଟ

 

ରଙ୍ଗଦଉତିଡ଼ିଆ ଛାଟ,

ଭାରତ ମାଇଲେ ଯୋଡ଼ା ବାଟୁଳି

ପଡ଼ିଗଲା ହନୁମନ୍ତ ।

 

ଇଞ୍ଚିଡ଼ି ମିଞ୍ଚଡ଼ି ଧାଇଁ ଚିଡ଼ି ଚିଡ଼ି

କଇଁଚି କାକୁଡ଼ି ପିତା ନଳିତା,

ସାତ ବୋହୂଙ୍କର ସାତ ଦୁହିତା,

ସା’ତ ଗଲେ ଉତ୍ତର,

ଡେଇଁ ପଡ଼ିଲେ ପିତ୍ତଳ ।

 

ପିତ୍ତଳ ଖଣ୍ଡିକ ହଜିଲା,

ବଡ଼ ବୋହୂ ଲୁଗା କାଟରୁ କାଚୁରୁ

ସାନ ବୋହୂ ଲୁଗା ଭିଜିଲା ।

(ଇରମ, ବାଲେଶ୍ଵର)

 

ଅକଲ୍‌ ମକଲ୍‌ ଚଇକି ଚକଲ୍‌

ନାଡ଼ିକି ନିତା ପୋଇ ପୋଇକା

ଶଙ୍ଗଚିଲ ଭାଇ ମାଇଲା ହିକା

ଓଡ଼ମୋଡ଼, ଦନେଇ ବାଡ଼ିର କହ୍ନେଇ ଚୋର ।

(କେନ୍ଦୁଝର)

 

ଚକା ଚକା ଭଉଁରୀ

ମାମୁଁଘର ଚଉଁରୀ

ମାମୁଁଘର ବହୁଦୂର, ନାଆ ଫିଟା ନାଉରୀ ।

ଚକା ଚକା ବୋଇତ,

ଦିଅଁ ପୂଜା ପାଇଁ ତ

 

ନଇଁପଡ଼ି କଇଁଫୁଲ ତୋଳିଆଣ ବହୁତ ।

ଚକା ଚକା ଥାଳିଆ

ଆମେ ଏକ ମେଳିଆ

ବୁଲିପଡ଼ି ଚାଲିଗଲେ ବୋଝ ନେବ ବଳିଆ ।

 

ଛିଇ ଲୋ ଲାଇ, ଆ ଖେଲ୍‌ମା ବାଇ ।

ବାଇ ଗଲେ ରୁଷି, ଆଗେ ମା’ ପିଉସୀ ।

କଦେଲ ବାରିକେ ଯାଇଥିଲି,

କଦେଲ ଗୋଟେ ପାଇଥିଲି ।

 

ସେ କିଦେଲ୍‌ ପିତା, ବହୁ ରୁଷିବେ ବନ୍‌ତଲେ ।

ବହୂର ଖୋସା କାନ୍‌ତଳେ

ବହୂ ରୁଷିଛେ ବନତଲେ ।

ଆନ୍‌ତ ବୋ ଦବା ତେଁତଲ ଝାଁଟ୍‌

ବହୂ କେତନ ମା’ ବାଟେ ବାଟ।

(ମାନେଶ୍ୱର, ସମ୍ବଲପୁର)

 

ଏତେ ଏତେ ପାଣି

ବୋହୂ ବୋହୂକା ରାଣୀ ।

 

(ଜଣେ ପିଲା ଅନ୍ୟ ଜଣକର ଦୁଇ ହାତକୁ ନିଜ ଦୁଇ ହାତରେ ଜାକି ଧରି ଠିଆ ହୋଇଥିବ ଏବଂ ଉପର ପଦଟି ସେ ଦୁହେଁ ଗାଉଥିବେ ।)

 

ତୃତୀୟ ଖେଳାଳି      ଏ ନଈରେ ପାଣି କାହିଁ ?

ଗାଧୋଇବି କେମିତି ମୁହିଁ ?

ପ୍ରଥମ ଦୁହେଁ      ପଇସା ଦିଅ ରାଣୀ

ଏତେ ଏତେ ପାଣି ।

 

(ତୃତୀୟ ଖେଳାଳି ପଇସା ଦେଇ ସେ ଦୁହିଁଙ୍କ ହାତର ବେଷ୍ଟନୀ ମଧ୍ୟକୁ ପଶିଯାଇ କହିବ) ପାଦେ ପାଦେ ପାଣି

ପ୍ରଥମ ଦୁହେଁ ବୋହୂ ବୋହୂକା ରୀଣୀ ।)

(ଏହି କ୍ରମରେ ଗୀତବୋଲା ଚାଲିବ)

 

ଆଣ୍ଠୁଏ ଆଣ୍ଠୁଏ ପାଣି, ବୋହୂ ବୋହୂକା ରାଣୀ ।

ଅଣ୍ଟାଏ ଅଣ୍ଟାଏ ପାଣି, ବୋହୂ ବୋହୂକା ରାଣୀ ।

ପେଟେ ପେଟେ ପାଣି, ବୋହୂ ବୋହୂକା ରାଣୀ ।

ବେକେ ବେକେ ପାଣି, ବୋହୂ ବୋହୂକା ରାଣୀ ।

ମୁଣ୍ଡେ ମୁଣ୍ଡେ ପାଣି, ବୋହୂ ବୋହୂକା ରାଣୀ ।

 

(ତାପରେ ତୃତୀୟ ଖେଳାଳି ପଚାରିବ ‘ଏ ପଟେ କ’ଣ ଅଛି ?’ ଉତ୍ତର ‘ବାଘ’ । ପୁଣି ଆର ପଟକୁ ଦେଖାଇ ପଚାରିବ ‘ଏ ପଟେ କ’ଣ ଅଛି ?’ ଉତ୍ତର ‘ଭାଲୁ’ । ଏହାପରେ ସେ ଦୁହେଁ ହାତ ଖୋଲିଦେଲା ମାତ୍ରେ ତୃତୀୟ ଖେଳାଳି ଦୌଡ଼ି ପଳାଇବ । ତାକୁ ଗୋଡ଼େଇ ଯେ ଆଗ ଛୁଇଁବ, ସେ ହେବ ‘ଚୋର’ ।)

 

ଫୁଞ୍ଚି ଲୋ ଘୁଞ୍ଚି ଯା

ଗହୀରବିଲରେ ଲୁଚି ଯା

ଗହୀର ବିଲରେ ମଇଁଷି,

ଧାନ ମଚମଚ ଖାଉଟି;

 

ଅଡ଼େଇ ଦେ’ରେ ଭାଇଗଉଡ଼

ବଜେଇ ଦେ’ରେ ବଇଁଶୀ

ମଇଁଷିଆ ଭାଇ କିଏ ରେ

ପାନ ବୋଡ଼ିକର ଗୁଆ ବୋଡ଼ିକର

ଭାଇଙ୍କ ସାଙ୍ଗରେ ନେଏ ରେ ।

 

ଭାଇ ବସିଛନ୍ତି ଉଞ୍ଚ ପିଣ୍ଡାରେ

ଭଗାରି ବସିଛି ତଳେ,

ପାନ ଖାଇ ପିଙ୍କ ପକାଇଦେଲେ

ପଡ଼ିଲା ଭଗାରି ଶିରେ ।

 

ଭଗାରି ପଛକେ ମରୁ

ଭଗାରି ମୁଣ୍ଡରେ ଘିଅ ସଳିତା

ହୁ ହୁ ହୋଇ ଜଳୁ ।

ଗୋବର ଗାଡ଼ିଆ ପୋକ

ଆମେ ଦି’ ଭଉଣୀ ପୁଚି ଖେଳୁଥିଲୁ

ଝୁରି ମରୁଥିଲେ ଲୋକ ।

 

ବାରିଆଡ଼େ ଧାନ କିଆରି ଲମ୍ବ ଲମ୍ବ ଶିସା,

ଆମେ ଦି’ ଭଉଣୀ ପୁଚି ଖେଳୁଥିଲୁ

ରାତି ହୋଇଗଲା ନିଶା ।

ପୁଞ୍ଚି ଲୋ, ପୁଞ୍ଚି ଲୋ

ଯା’ ଯା’ ଯା’ ଘୁଞ୍ଚି ଲୋ ।

 

ଗହୀର ବିଲରେ ଚୁଆ,

ଚୁଆ ଚାରିପଟେ ବୁଦାସନ୍ଧିରେ

ଚଢ଼େଇ ଦେଇଛି ଛୁଆ ।

ପୁଞ୍ଚି ଲୋ, ପୁଞ୍ଚି ଲୋ

ଯାଆ ଯାଆ ଘୁଞ୍ଚି ଲୋ,

 

ତୁ ଥାଆ ମୁଁ ଯାଉଚି

ବୁଦାମୂଳେ ଲୁଚି ରହୁଚି

ଆଣିଚି ଚଢ଼େଇ ଧରି

ପାଟି କର୍‌ନା ଶୁଣିଲେ ଚଢ଼େଇ

ଉଡ଼ିଯିବ ଫୁର୍‌ କରି ।

 

ପୁଞ୍ଚି ଲୋ, ଯା’ ଯା’ ଘୁଞ୍ଚି ଲୋ

ଟଢ଼େଇଛୁଆକୁ ଧରିଛି ଲୋ,

ଚେଁଟେଁଟେଁ କହୁଛି ଲୋ ।

କୁନି ଥଣ୍ଟଟିଏ ତା’ର

ଜୁଳୁ ଜୁଳୁ କରି ମୋ ଆଡ଼େ ଚାହୁଁଚି

ତାକୁ ତ ମାଡ଼ୁଛି ଡର ।

 

ପୁଞ୍ଚି ଲୋ, ଯା’ ଯା’ ଘୁଞ୍ଚି ଲୋ ।

ପଞ୍ଜୁରି ଗୋଟିଏ ଆଣିଚି ଲୋ

ଦୁଧଭାତ ତତେ ଦଉଚି ଲୋ

ନାହିଁରେ ଚଢ଼େଇ ନାହିଁ

ତୋ ମାଆ ଆସିବ ଚରି ଚୁଲି କରି

ବସିଥା’ ବାଟ ଚାହିଁ ।

 

ପୁଞ୍ଚି ଲୋ, ଯାଆ ଯାଆ ଘୁଞ୍ଚି ଲୋ,

ଚଢ଼େଇ ମାଆଟି କାନ୍ଦୁଚି ଲୋ

ଏ ଡାଳ ସେ ଡାଳ ବୁଲୁଚି ଲୋ

 

ନେ’ରେ ଚଢ଼େଇ ମାଆ

ଛୁଆଟିକୁ ତୋର ସଙ୍ଗରେ ନେଇ

ବନସ୍ତକୁ ଉଡ଼ିଯା’ । (କେନ୍ଦୁଝର)

 

ଡେଇଁ ଡେଇଁ ଗଲା ବଣି

ତୋ’ର ମୋ’ର ପୁଚି ଖେଳୁଥିବା

ଦେଖି ମରୁଥିବେ ରାଣୀ ।

 

ଆମ୍ବପତର ମୋଡ଼ିମୋଡ଼ିକା

ପଣସପତର ଠୋଇଲା

ତୋ’ର ମୋ’ର ପୁଚି ଖେଳୁଥିବା

ଦେଖି ମରୁଥିବ ପୋଇଲା ।

 

ପୁନିପୁନିକା ଶାଗ

ପୁନି ଯାଇଥଲା ବାଉଁଶଗଡ଼ିଆ

ପୁନିକି ଧଇଲା ବାଘ ।

 

ଅଟର ମଟର କାଉଁରିଆ

ତୋ’ ପୁଅ ନାଁ ବାଉରିଆ ।

ବାଉରିଆ ଗଲା ମାଛ ଧରି

ଆଣିଲା ଶେଉଳ ଗୋଟେ ମାରି ।

 

ଅଧେ କଲା ଭଜା, ଅଧେ କଲା ସିଝା

ତୋ’ ଭଉଣୀ ରାଣୀ ଲୋ, ମୋ’ ଭାଇ ରଜା

ରଜା ପୁଅ ବଗୁଲା

ସେଇଟା ବଡ଼ ଚଗଲା,

 

ଆସିଲା ଦିନେ ଘୋଡ଼ା ଚଢ଼ି

ପଡ଼ିଗଲା ସେ ମୁହଁ ମାଡ଼ି

ବାଜିଲଶ ଢୋଲ ବାଜା, ପିଲେ ମାଇଲେ ମଜା

ତୋ ଭଉଣୀ ରାଣୀ ଲୋ, ମୋ ଭାଇ ରଜା ।

 

ଦୁଲି ତଲେ ଗଲା ଜନ୍ଦା

ଖେଚେଡ଼ି ଭାତକୁ ବଡ଼ ଶରଧା

ନାକଚଣା ଦେଲି ବନ୍ଧା, ମୋ ତୂଲି ଲୋ ।

 

ଦୁଲି ତଲେ ଗଲା ଭାଲୁ

ବାଟଲା ହଳଦୀ କାହାକେ ଦେଲୁ

ପୁରକେ ନୁଖୁରା କଲୁ ମୋ ଦୁଲି ଲୋ ।

 

ଦୁଲି ତଲେ ଗଲା ହଂସ

ପାଣି ଡବ ଡବ ବୈଶାଖ ମାସ

ଚମକା ଘୋଡ଼ାରେ ଆସ, ମୋ ଦୁଲି ଲୋ ।

(ସମ୍ବଲପୁରୀ ଦୋଳି ଗୀତ)

 

ଆକାଶରେ ମେଘ ଲୋ

ହେଲା ରଜ ପାଗ,

ଆମ୍ଭଗଛରେ ଦୋଳି ଝୁଲେ ରେ

କିଏ ଝୁଲିବ ଆଗ ଲୋ

ନେବ ସୁନାପାଗ ।

 

ଚକୁଳି ଚିତଉ ଲୋ ଘିଅପିଠା ଜାଉ,

ଭାଇଭଉଣୀ, ସାଥୀମିତଣୀ

ଖାଅ ସରିଯାଉ ଲୋ, ତଟକା ହେବ ଆଉ ।

ରଜ ଦୋଳି ମଜା ଲୋ ସଜ ଚିଜ ମଜା

ବାସି ଜିନିଷ ଖାଇଲେ

ବଇଦ ହୁଏ ଖୋଜା ଲୋ

ସଜରେ ଦେହ ତାଜା ।

 

ଦୋଳି କଲା ରଟ ମଟ

ମୋ’ ଭାଇ ମଥାରେ ସୁନା ମୁକୁଟ

ଦିଶୁଥିଲା ଝଟଝଟ ।

କାଳିଆ କୁକୁର କାନ

ଚାଆରେ ମାଠିଆ ନଈକି ଯିବା

ଢିକି କୁଟୁଥାଉ ଧାନ ।

 

ମଦରଙ୍ଗା ଶାଗ ରାଇ

ପଖାଳ ଭାତକୁ ଚିଲିକା ଶୁଖୁଆ

ମାଣିକପାଟଣା ଦହି

ମନ୍ଦାରେ ପୋତିଲି ଲାଉ

ଫୁଲ ନ ଫୁଟୁଣୁ ଧଇଲା କଷି

ରଜ ସଜ ହଉ ହଉ ।

 

ଦେଉଳ ଉପରେ ଇଟା

ଥିରି ଥିରି କରି କବାଟ ଫିଟା

ଖାଇବୁ ଆରିସା ପିଠା ।

ନିମ୍ବ କି ମଧୁର ହେବ

ଶାରୀ ଶୁଆ ପରି ପଢ଼ାଉଥିବ

ପର କି ଆପଣା ହବ ?

 

ଗାଇଦେଲି ଦୋଳି ଗୀତ

ଦୋଳିରେ ଦୋଳିରେ ଉହୁଙ୍କି ଯିବି

ସାତଶିଖ ପରବତ ।

ପାକଲା ବାଉଁଶ ବାଡ଼ି

ରାମଚନ୍ଦ୍ର ଗଲେ ରାଇଜ ଛାଡ଼ି

ସୁବର୍ଣ୍ଣ କଠଉ ମାଡ଼ି ।

 

ଚକା ଚକା ଭଉଁରୀ

ମାମୁଁ ଘର ଚଉଁରୀ

ଆସରେ ପିଲେ ଖେଳିବା ଖେଳ

କୁନି କୁନି ଗଉରୀ ।

 

ଆଣରେ ପିଲେ ମୂଷାମାଟି

ମେଘ ଯାଉ ଫସର ଫାଟି

ବେଙ୍ଗୁଲି ନାନୀ ବାହା ହବ

ବାଜିଲାଣି ମହୁରୀ ।

 

ଶିକ୍ଷାଗୀତ ଓ କଥାଣୀ

ବର୍ଣ୍ଣଶିକ୍ଷା ଚଉତିଶାର କିୟଦଂଶ

କ, କ କାଳିନ୍ଦୀ ତୀରେ,

ଖ, ଖ ଖେଳନ୍ତି ଧୀରେ ।

ଛ, ଛ ଛଇଳ କାହ୍ନୁ

ଜ, ଜ ଜଗଜୀବନୁ ।

 

ତ, ତ ଡମିଆ ମେରୁ,

ଢ, ଢ ଢାଙ୍କଇ ଭୂରୁ ।

ବ, ବ ବାଙ୍କଚାହାଁଣୀ,

ଭ, ଭ ଭାଙ୍ଗଇ ଟାଣି

ର, ର ରସିକ ବନ୍ଧୁ,

ଲ, ଲ, ଲାବଣ୍ୟ ସିନ୍ଧୁ ।

 

ବ, ବ ବଂଶୀଧାରିଆ,

ଶ, ଶ ଶ୍ୟାମଘନିଆ ।

ଷ, ଷ ସାରଙ୍ଗପାଣି,

ସ, ସ ସୁନ୍ଦରମଣି ।

ହ, ହ, ହରିଦାସିଆ,

କ୍ଷ, କ୍ଷ କ୍ଷମାକାରିଆ ।

(ଶ୍ୟାମସୁନ୍ଦର ରାଜଗୁରୁଙ୍କ ପ୍ରବନ୍ଧାବଳୀରୁ) ।

 

ସଂଖ୍ୟାଗଣନା ଗୀତ

ଏକ ପୁତ ଦୁଇ ସଙ୍ଗାତ

ତିନି ତିନି ତା,

ଚାରି ଚାଉଳ ପାଞ୍ଚ ବଉଳ

ଛଅ ପଇତା ।

 

ସାତ ଭାତ ଆଠ ହାତ

ନଅ ହାଟ ଦଶ କୁହାଟ

ଏଗାର ଗାର ବାର ଦୁଆର

ଚେର ଚରକା ଚଉଦ ଚକା

ପନ୍ଦର ପଡ଼ା ଷୋଳ କୋରଡ଼ା

 

ସତର ଭାଇ ଅଠର ଗାଈ

ଉଣେଇଶ ଗାଆଁ ହାକିମ ମୁହିଁ

କୋଡ଼ ପୂରିଲା

ସଙ୍ଗାତ ସାଥୀରୁ କଥା ସରିଲା

 

ଏକ ଦୁଇ ଚିନି ଚାରି ପାଞ୍ଚ ପନ୍ଦର

ଫୁର୍‌କିନେ ଉଡ଼ିଗଲେ ରାମଚନ୍ଦର ।

ଏକ, ଚିଲେଇ ଲାଙ୍ଗୁଡ଼ ସେକ ।

ଦୁଇ, କଣ୍ଟା ବାଉଁଶରେ ଉଇ ।

 

ଚିନି, ନାରଦ ବଜାଏ ଗିନି ।

ଚାରି, ରାମ ଗଲେ ମୃଗ ମାରି ।

ପାଞ୍ଚ ତା ଧେଇ ଧେଇ ନାଚ ।

ଛଅ, ସାଥୀ ହୋଇଯିବା ରହ ।

 

ସାତ, ଦେଖିଯିବା ଦୋଳଯାତ ।

ଆଠ, ହଳଦୀ ପତର କାଟ ।

ନଅ, ଲେଖନ ପତର ଧଅ ।

ଦଶ, କଉଡ଼ି ଖେଳିଚୁ ବସ ।

 

ଶୀତ ଗୀତ

କାର୍ତ୍ତିକ, ଶୀତ କରେ ରାତିକି ।

ମାର୍ଗଶୀର, ଶୀତ କରେ ଶିର ଶିର ।

ପୌଷ, ଶୀତର ବଢ଼େ ସାହସ ।

ମାଘ, ଶୀତ ହୁଏ ବାଘ (ଶୀତର ବଡ଼ ରାଗ)

ଫଗୁଣ, ଶୀତ କରେ ଦି’ଗୁଣ ।

 

ଚଇତ, ଶୀତ ଯାଏ ବୋଇତ ।

ଇଚିରି ମିଚିରି ଧୋବ ଖିର୍‌ ଖିର୍‌:

ଇଟା ଟିଙ୍ଗା ଝୋଲ୍‌ ।

ହାତ କୁଟି କୁଟି ମାଉଁସ କୁଟି

ଆଙ୍ଗୁଠି ଗୋଟେ ମୋର ।

 

(ଜଣେ ପିଲା ଆଙ୍ଗୁଠି ଖୋଲି ଦେଖାଏ ସାଥୀ ପିଲାମାନେ ପଦେ ପଦେ ଗୀତ ଗାଇ ଗୋଟିଏ ଆଙ୍ଗୁଠି ଟାଣି ଧରନ୍ତି। ଏହିପରି ସେମାନେ ଗଣି ଶିଖନ୍ତି ।)

 

ପାଠ ପଢ଼ିବି, ପାଠ ପଢ଼ିବି

କାଳିଆ ଘୋଡ଼ାରେ ଚଢ଼ିବି,

ମଧୁବାବୁ ସଙ୍ଗେ ଲଢ଼ିବି ।

 

କଥାଣୀ

କଥାଟିଏ କହୁଁ, କଥାଟିଏ କହୁଁ,

କିସ କଥା ? ବେଙ୍ଗୁଲୀ କଥା

କି ବେଙ୍ଗୁଲୀ ? କାଠ ବେଙ୍ଗୁଲୀ

କି କାଠ ? ଘଣା କାଠ

କି ଘଣା ? ଆଖୁ ଘଣା

 

କି ଆଖୁ ? କନ୍ତାରି ଆଖୁ

କି କନ୍ତାରି ? ବୁଢ଼ୀ ମେନ୍ତାରୀ

କି ବୁଢ଼ୀ ? ଧୋକଡ଼ ବୁଢ଼ୀ

କି ଧୋକଡ଼ ? ପାତିମାଙ୍କଡ

 

କି ପାତି ? ରଜାଙ୍କ ପାତି

କି ରଜା ? ଖଣ୍ଡ ଖଜା

କି ଖଣ୍ଡ ? ମିରିଗ ମୁଣ୍ଡ

 

କି ମିରିଗ ? ଝାଡ଼ ମିରିଗ

କି ଝାଡ଼ ? କଣ୍ଟା ବାଡ଼

କି କଣ୍ଟା ? କାନଜୋଳି କଣ୍ଟା

ଲୁଗାରେ ଲାଗେ ଅଠା କଠା, ଝଟାପଟା ।

 

କଥାଣୀ (ଭିନ୍ନରୂପ)

ଆସ ରେ ପିଲାଏ କଥା କହିବା

କି କଥା ? ବେଙ୍ଗ ଲଥା ।

କି ବେଙ୍ଗ ? ଟୁରୀ ବେଙ୍ଗ ।

କି ଟୁରୁ ? ପିଠା ପୂରି ।

 

କି ପିଠା ? ତାଳ ପିଠା

କି ତାଳ ? ହାଣ୍ଡିଆ ତାଳ ।

କି ହାଣ୍ଡିଆ ? ବଳଦ ଖଣ୍ଡିଆ ।

କି ବଳଦ ? ଡିଆଁ ବଳଦ ।

 

କି ଡିଆଁ ? ଚିଙ୍ଗଲି ଡିଆଁ ।

କି ଚିଙ୍ଗଲି ? ପାଣି ଚିଙ୍ଗଲି ।

କି ପାଣି ? ବରଷଣ ପାଣି ।

କି ରଜା ? ବିରି ଭଜା ।

 

କି ବିରି ? ତାନ ବିରି ।

କି ତାନ ? ଖେଳିଆ କାନ ।

କି ଖେଳିଆ ? କୁଙ୍କୁଟ ଖେଳିଆ ।

କି କୁଙ୍କୁଟୁ ? ବାଡ଼ି କୁଙ୍କୁଟୁ ।

 

କି ବାଡ଼ି ? ତେଲୀ ବାଡ଼ି ।

କି ତେଲୀ ? ଛୁଆ ଦେଲି ।

କି ଛୁଆ ? କୁଟୁରୀ ଛୁଆ ।

କି କୁଟୁରୀ ? ବୁଢ଼ୀ ମନ୍ତାରୀ ।

କି ବୁଢ଼ୀ ? ପାଚିଲା ବୁଢ଼ୀ

 

କି ପାଚିଲା ? ଧାନ କେଣ୍ଡି କେଣ୍ଡି ପାଚିଲା ।

କେଉଟୁଣୀ ବୁଢ଼ୀ ଚୁଡା ବୋଝ ଧରି ନାଚିଲା ।

 

ଗପଶେଷ କଥାଣୀ

ମୋ କଥାଟି ସରିଲା, ଫୁଲ ଗଛଟି ମରିଲା ।

ହଇରେ ଫୁଲଗଛ, ତୁ କାହିଁକି ମଲୁ ?

ମତେ କାଳୀ ଗାଈ ଖାଇଗଲା ।

ହଇଲୋ କାଳୀଗାଈ, ତୁ କାହିଁକି ଖାଇଲୁ ?

 

ମତେ ଗଉଡ଼ ଜଗିଲା ନାହିଁ ।

ହଇରେ ଗଉଡ଼, ତୁ କାହିଁକି ଜଗିଲୁ ନାହିଁ ?

ମତେ ବଡ଼ବୋହୂ ଖାଇବାକୁ ଦେଲା ନାହିଁ ।

ହଇଲୋ ବଡ଼ବୋହୂ, ତୁ କିଆଁ ଖାଇବାକୁ ଦେଲୁନାହିଁ ?

 

ପୁଅ କାନ୍ଦିଲା ।

ହଇରେ ପୁଅ, ତୁ କିଆଁ କାନ୍ଦିଲୁ ?

ମତେ ଧୂଳିଆ ଜନ୍ଦା କାମୁଡ଼ିଲା ।

ହଇରେ ଧୂଳିଆ ଜନ୍ଦା, ତୁ କିଆଁ କାମୁଡ଼ିଲୁ ?

 

ମୁଁ ଭୁଇଁ ତଳେ ତଳେ ଥାଏ,

କଅଁଳ ମାଉଁସ ଟିକିଏ ପାଇଲେ

ରୁଟ୍‌ କିନେ କାମୁଡ଼ିଦିଏ ।

 

ବିବିଧ

ବାଇଆ ମାଆ ଯେ ନ ଖାଏ ଖୁଦ (ନ ଖାଏ କୁଣ୍ଡା)

ପୁଅ ଜନ୍ମ କଲା ପୋହଳା ବିଦ । (ଲଙ୍ଗଳମୁଣ୍ଡା)

ପୁଅକୁ ଶ୍ୱାଇଲା ହିଡ଼ମୁଣ୍ଡାରେ

ପିମ୍ପୁଡ଼ି ଖାଇଲେ କାନମୁଣ୍ଡାରେ ।

 

କାନମୁଣ୍ଡା ଗଲା ଶୀତଳ ହୋଇ

ପୁଅ କାନ୍ଦୁଅଛି ବିକଳ ହୋଇ ।

ବାଇଆ ମା’ ଯେ ସରୁ କାଟେଣୀ

ପୁଅକୁ ପିନ୍ଧାଏ ପାଟପତନୀ

 

ଝିଅକୁ ପିନ୍ଧାଏ ନେତ,

ଆପେ ପିନ୍ଧିଥାଏ କଳା ବଉଦ

ଉଡ଼ାଇ ନେଉଛି ଭୂତ ।

 

ନାନା ବାୟା ତାନା ରେ ମୋ ବୋଲଟି ଶୁଣ

ବିଲର ମାଛ ଚିଲ ଖାଇଗଲା ଦଉଡ଼ି ଗୋଟି ବୁଣ ।

ବଉଡ଼ି ଗଲା ଭାସି ରେ, ପଟା ଗଲା ଖସି

ନାନାବାୟା ଯେ କାନ୍ଦ କାନ୍ଦୁଛି ହିଡ଼ ମୂଳରେ ବସି ।

 

ହିଡ଼ ମୂଳର ଚାରିପାଶେ କଉଡ଼ି ଗୁଣାଗୁଣି

ଗୋଟିଏ କଉଡ଼ି ପାଇଲି ମାଗୋ ଗାଈ ବାଛୁରୀ କିଣି ।

ଗାଈ ପୁଅ ନାଇଁ ଗୋ ବାଛୁରୀ ପୁଅ ନାଇଁ

ବର ବାପ ଯାଇଛନ୍ତି କନିଆଁ ମୁଲେଇ ।

 

କନିଆଁ ହାତର ଶାଙ୍ଖର ଶଙ୍ଖା ଝୁମୁରୁ ଝୁମୁରୁ ବାଜେ

ବର ଗଲାକୁ ସୁନା ପଇତା ଦୁଧ ଭାତକୁ ସାଜେ ।

(ମେଦିନୀପୁର)

 

ଶଙ୍ଖଚିଲ ମହା ବିଲ

ଧୋବ ଧାଉଳିଆ ପକ୍ଷୀ

ରାମଚନ୍ଦ୍ର କହି ଯାଇଛନ୍ତି

ସୀତା ବଡ଼ ଦୁଃଖୀ ।

 

ଆସରେ ପିଲାଏ ଜାମୁକୋଳି ଖାଇ ଯିବା

କୁସୁମୀ ନଈରେ ପାଣି ପଡ଼ିଚି

ବୁଢ଼ୀକି ଭସେଇ ଦେବା ।

 

ଅଦଢ଼ ଦଢ଼, ଘରେ ଭାତ ନାଇଁ ବୁଢ଼ୀକି ତଡ଼

ବୁଢ଼ୀ ପଳେଇଲା ବଡ଼ମ୍ବାଗଡ଼ ।

ବଡ଼ମ୍ବା ପିଲାଏ ମାଇଲେ ଧକା

ବୁଢ଼ୀ ପଳେଇଲା ଏକା ଏକା ।

 

ନଈକି ପିଙ୍ଗିଲି ଗିଲ

ନଈ ଚାରପାଖେ ମନ୍ଦାରଫୁଲ

ବୁଢ଼ୀକି ଝିକିଲା ଚିଲ ।

 

ମେଘ ବରଷିଲା ଟୁପୁରୁ ଟୁପୁରୁ

କେଶୁର ମାଇଲା ଗଜା,

କେଉଁ ରାଇଜରେ ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।

 

ଆସିଲାଣି ମେଘ ଦୁମୁ ଦୁମେଇ ଲୋ

ଅମୁହାଁ ପୋଖରୀ ଡେଇଁ

ରଜା ପଠେଇଛି ସୁଆରୀ ପାଇଁ ଲୋ

ଆମର ସୁଆରୀ ନାଇଁ ।

ଆମ ସୁଆରୀ ତ ଦରବାରିଆ ଲୋ

ଯାଇଛି କଟକ ଡେଇଁ ।

 

କଟକ ଭିତରେ ଛନଛନିଆ ଲୋ

ବରଜ ଭିତରେ ପାନ

ପାନ ଖାଇପିକ ପକାଇ ଦେବି ଲୋ

ଚନ୍ଦନଯାତ୍ରା ଦିନ ।

 

ଚନ୍ଦନ କାଠୁଆ ଚାଳରେ ଖୋସିଲି

ଚାଳେ ଚାଳେ ମହକିଲା ।

ବଡ଼ ଦେଉଳରେ ମୁଣ୍ଡ ମାରିଲି ମୁଁ

ବାବୁ ଆସି ପହଞ୍ଚିଲା ।

(ବାଗୁଡ଼ିବାଲେଶ୍ଵର)

 

ସାତ ତାଳ ପାଣି ତଳେ

ଶଙ୍ଖ ମଲ ମଲ ଘରେ

ତୁଳିଶେଯ ଉପରେ ଶୋଇ

ମୋ କୁନୁ ଦେଖେ ସପନ

ଘୋଡ଼ା ଚଢ଼ି ଆସୁଛନ୍ତି

ମୋର କୁନି ରତନ ।

(ଚଣ୍ଡିଖୋଲ)

 

ଗଡ଼ିଆର ଚାରିପାଖେ ବୁଣିଲି ସୋରିଷ

ସୋରିଷର ମଜା ନେଲା ମହୁରାଳିମାଛ ।

ଗଡ଼ିଆର ଚାରିପାଖେ ବୁଣିଲି ଧନିଆ

ଧନିଆର ମଜା ନେଲା ବିଦେଶୀ ବଣିଆ ।

 

ଗଡ଼ିଆର ଚାରିପାଖେ ବୁଣିଲି ମୁଁ କପା

ତାଳ ଭାଙ୍ଗି ଫୁଲ ତୋଳିଲା ରାଧିକାର ଅପା ।

(ବାଗୁଡ଼ି, ବାଲେଶ୍ୱର)

 

ରଜା ଯେ ରାଉତିଆ ଅଣଆୟିତ

କଦଳୀ ଭାଜି ଦେଲି ପଖାଳଭାତ ।

 

କୁଳୁହାଁ ପଡ଼ିଥିଲେ ପୁନିଅଁ ରାତି

ପିଲା ବକଟେ ହୋଇ ଦେଲୁ ଚରଚି ରେ

ଚନ୍ଦ୍ର ବଦନ ମୁଖ ଦେଖିଲେ ତୋର

ଘୋର ଦାରୁଣ ଦୁଃଖ ହୁଏ ପାସୋର ।

 

ନାଆଁ ତ ଦେଇଥିଲେ ସଂସାରୁ ବାଛି

ସୁନ୍ଦରପଣ ଧନ ତହିଁକି ଗଛି ରେ ।

କରାଟେ ହେଙ୍ଗୁ ହୋଇ ରହିବୁ ତୁହି

ମହ ମହ ମହକି ବାସିବୁ ତହିଁ ରେ ।

 

ନାହିଁ ମୋ ଦରକାର ଟଙ୍କା କଉଡ଼ି

ଜିଇଁ ରହିଥା ବାବୁ ଅନ୍ଧଲଉଡି ରେ ।

(ନରସିଂହପୁର)

 

ଟିକି ଟିକି ଧାନ ଶହେ ଭରଣ

ବାପାଙ୍କ ହାତରେ ସୁନା ଲେଖନ

ଭାଇଙ୍କ ହାତରେ ରୁପା ଲେଖନ ।୧।

 

ମାଆଙ୍କ ହାତରେ ଫୁଲଚାଙ୍ଗୁଡ଼ି

ବୋହୂଙ୍କ ହାତରେ ସୁବର୍ଣ୍ଣଚୁଡ଼ି ।୨।

 

ବାପା ଶୋଇଛନ୍ତି ସୁନାଖଟରେ

ମାଆ ଶୋଇଛନ୍ତି କବାଟ କିଳି ।୩।

 

ଆମେ ଦି’ ଭଉଣୀ କିସ କରିବା

ଗହନ ନଈକି ଡେଇଁ ପଡ଼ିବା ।୪।

 

ଗହନ ନଈରେ ଫୁଟିଛି ମଲ୍ଲୀ

ହାତ ବଢ଼େଇଲି ତୋଳିବି ବୋଲି ।୫।

 

ଯାହାର ମଲ୍ଲୀ ସେ ତୋଳି ନେଲାଣି

ଟଙ୍କାକିଆ ଶାଢ଼ି ଚିରି ଗଲାଣି ।୬।

 

ଟଙ୍କାକିଆ ଶାଢ଼ି ମୁହଁରେ ନିଆଁ

କାଲି ଯେ ଆସିବ ଗୋଟି ବଣିଆ ।୭।

 

ଗୋଟି ବଣିଆ ଯେ ଭାଇଙ୍କ ସଢ଼ୁ

ବସି ଗଢ଼େଇବ କଙ୍କଣଖଡ଼ୁ ।୮।

 

କଙ୍କଣଖଡୁ ଯେ ବୋହୂଙ୍କ ବଳା ।

ବାଟ ଛାଡ଼ିଦିଅ ସର୍ବମଙ୍ଗଳା ।୯।

(ନରସିଂହପୁର)

 

କୁନୁ କୁନୁ ବାଇଆ

ମା’ ଯାଉଛି ଚୂନା କୁଟି

ପିଠା କଲେ ଖାଇବା ।

 

ପାଚିଲା ଆମ୍ବରୁ ଫାଳେ

ବାପା ଡାକୁଥିଲେ ଦାଣ୍ଡଦୁଆରେ ଲୋ

ମୋ ଧନ ନାହାନ୍ତି ଘରେ ।

 

ପିତାଶାଗ ବୁଦି ବୁଦି

ମୋ ଧନ ଗୋଡ଼ରେ ଯାଉଁଳି ମୁଦି

ଚାଲୁଥିବେ କୁଦି କୁଦି ।

 

ଗାଈ ଚରିଗଲେ ହିଡ଼ିହିଡ଼ିକା ଲୋ

ବାଛୁରୀ ଚରିଲେ ରମ୍ପା,

ମୋ ଧନର ଆଜି ଜନମ ଦିନ ଲୋ

ଶିବ ଶିରେ ଦେବି ଚମ୍ପା ।

 

ମେଘ ବରଷିଲା ଟପର ଟପର

କାଙ୍କଡ଼ ଧଇଲା କଷି

ମାଙ୍କଡ଼ ଯାଉଛି ଯାତରା ଦେଖି ଲୋ

ରଙ୍ଗ ପାଲିକିରେ ବସି ।

 

ଏ କି ଫୁଲ, ସେ କି ଫୁଲ, ଅରୁଆ ମରୁଆ,

ଗଛମୂଳେ ଛାଡ଼ି ଆସିଲି ସିନ୍ଦୁର ଫରୁଆ ।

ସିନ୍ଦୁର ଫରୁଆ ଗୋଟି ରଜାପୁଅ ନେଲା,

ହାଡଗୋଡ଼ ଭାଙ୍ଗିଦେଇ ଦେଉଳ ତୋଳିଲା ।

 

ଦେଉଳର ଚାରିପଟେ କଉଡ଼ି ବୁଣିଲା,

ଗୋଟେ କଉଡ଼ି ଉଣା ହେଲେ ଗାଈ କିଣିଗଲା ।

ଗାଈ ନାଁ ଉଲେଇ ଲୋ ବାଛୁରୀ ନାଁ ଦୁଲେଇ,

ବାପ ପୁଅ ଯାଇଛନ୍ତି କନିଆଁ ମୂଲେଇ ।

 

କନିଆଁ ହାତର ଶଙ୍ଖା ମୁଠି ରୁଣୁ ଝୁଣୁ ବାଜେ,

ବର କାନ୍ଧର ପଇତା ଗୋଟି କେତେ ସୁନ୍ଦର ସାଜେ ।

(ରାଇରଙ୍ଗପୁର)

 

ଗହମ ଚଲେଇ ଦେଲି ପକେଇ ଦେଲି ଗୋଡ଼ି,

କୋଉ ରାଇଜରୁ ଉଡ଼ି ଅଇଲେ ପାରା ଯୋଡ଼ି ଯୋଡ଼ି ।

ଆସ ଆସ ପାରା ଯୋଡ଼ିକ ମୋ ପିଣ୍ଡାରେ ବସ,

ଖାଇବାକୁ ଦେବି ତୁମକୁ ଅଳେଇଚ ରସ ।

 

ପିଇବାକୁ ଦେବି ତୁମକୁ ବେଣ୍ଟପୋଖରୀ ପାଣି,

ଶୋଇବାକୁ ଦେବି ତୁମକୁ ପରୁଡ଼ି ମଶୁଣି ।

ଶୋଇବାକୁ ଦେବି ତୁମକୁ ଖଟ ଯେ ପଲଙ୍କ,

ଜାଳିବାକୁ ଦେବି ତୁମକୁ ମାଣିକ୍ୟର ଦୀପ ।

(କଟକ)

 

[ନନ୍ଦକିଶୋରଙ୍କ ‘ପାରାଯୋଡ଼ିକ’ କବିତାର ପ୍ରଥମାଂଶ ଉପରେ ଦିଆଯାଇଥିବା ଗୀତଠାରୁ ସାମନ୍ୟ ଭିନ୍ନା ।]

 

ଚାଲୁଣି ଚଲଉଁ ଚଲଉଁ ପାଇଲଇଁ ମୁଁ ଗୋଡ଼ି

କି ସୁନ୍ଦର ପାରା ଯୋଡ଼ିକ ଯାଉଅଛନ୍ତି ଉଡ଼ି ।

ଆସ ଆସ ପାରା ଯୋଡ଼ିକ ମୋ ପିଣ୍ଡାରେ ବସ

ଖାଇବାକୁ ଦେବି ତୁମକୁ ମୁହିଁ ନଡ଼ିଆରସ ।

 

ପିଇବାକୁ ଦେବି ତୁମକୁ ବେଣ୍ଟପୋଖରୀ ପାଣି,

ଶୋଇବାକୁ ଦେବି ଖଟୁଲି ମାଳୀଘରୁ ମୁଁ ଆଣି ।

ମାଳୀଘର ଖଟୁଲିରେ ଯେ ବାଉଁଶର ପାତିଆ,

ରଜାଘର ଝିଅ ଗୋଡ଼ରେ ରତନର ଝୁଣ୍ଟିଆ ।

 

ରତନ ଝୁଣ୍ଟିଆ ମଝିରେ ଥିଲା ମାଣିକ୍ୟ ମରି

ଖସିଗଲା ଝୁଣ୍ଟିଆରୁ ସେ ଖୁଣ୍ଟିନେଲା ତା’ ଶାରୀ ।

ଶାରୀ ପଚାରିଲା ଶୁଆ ଲୋ କେଉଁ ଦାଣ୍ଡରେ ଯିବା

ଶୁଆ ବୋଲେ ଶାରୀ ଚାଲ ଗୋ ସ୍ୱର୍ଗଦାଣ୍ଡରେ ଯିବା ।

 

ସ୍ଵର୍ଗଦାଣ୍ଡେ ଯାଉଁ ଯାଉଁ ମୁଁ ପାଏ ଗୋବରଲଣ୍ଡି,

ଲିପି ପୋଛି ଦେଇ ଯାଅ ମା’ ପୂଜୁ ମଙ୍ଗଳଚଣ୍ଡୀ ।

 

ଅରଟ ଗାଇଁ ଗୁଇଁ ଲୋ ବୁଢ଼ୀ ତୋ

ସୂତା ନଟେଇ କାହିଁ

ଜାଣିନାହୁଁ କିରେ କାଠେଇଖିଆ ମୁଁ

ନିତି ହାଟପାଳି ଯାଇ ।

 

ନିତି ହାଟପାଳି ଯାଉ ଲୋ ବୁଢ଼ୀ ତୋ

କଉଡ଼ି ବୁଜୁଳି କାହିଁ,

ଜାଣିନାହୁଁ କିରେ କାଠେଇଖିଆ ମୁଁ

ନିତି ଗୁଆ ପାନ ଖାଇ ।

 

ନିତି ଗୁଆ ପାନ ଖାଉ ଲୋ ବୁଢ଼ୀ ତୋ

ଦାନ୍ତ ତ ରଙ୍ଗେଇ ନାହିଁ,

ଜାଣିନାହୁଁ କି ରେ କାଠେଇଖିଆ ମୁଁ ।

ପାହାନ୍ତି ପଖାଳ ଖାଇ ।

 

ପାହାନ୍ତି ପଖାଳ ଖାଉ ଲୋ ବୁଢ଼ୀ ତୋ

ପେଟ ତ ଟୁବୁରୀ ନାହିଁ,

ଜାଣିନାହୁଁ କିରେ କାଠେଇଖିଆ ମୁଁ

ନିତି ବାଡ଼ି ଘର ଯାଇ ।

 

ନିତି ବାଡ଼ିଘର ଯାଉ ଲୋ ବୁଢ଼ୀ ତୋ

ଗୋଡ ତ କାକର ନାହିଁ,

ଜାଣିନାହୁଁ କି ରେ କାଠେଇଖଇଆ ମୁଁ

ନିଆଁକୁ ଦେଖେଇଥାଇ ।

 

ନିଆଁକୁ ଦେଖେଇଥାଉ ଲୋ ବୁଢ଼ୀ ତୋ

ତଳିପା ଉଷୁମ ନାହିଁ,

ଜାଣିନାହୁଁ କିରେ କାଠେଇଖିଆ ମୁଁ

ପଟା ମାଡ଼ି ରଖିଥାଇ ।

(ନରସିଂହପୁର)

 

ଆସଲୋ କବତୀ ବଣକୁ ଯିବା

ପାଚିଲା ପାଚିଲା କେନ୍ଦୁ ଖାଇବା

କଞ୍ଚା କଞ୍ଚା କେନ୍ଦୁ ବାଛି ରଖିବା

ମାଆ ଗାଳିଦେଲେ ପଣସପତର ଢାଙ୍କି ଶୋଇବା ।

(ସୋରୋବାଲେଶ୍ୱର)

 

ଅକା ମକା ଚିନି ଲୋକା

ଲାଲେ ଲୋଟି ଚନ୍ଦନକାଠି

ଚନ୍ଦନ ବୋଲେ କା କା,

ପ୍ରଜାପତି ଉଡ଼ି ଯା’ ।

(ଚଣ୍ଡୀଖୋଲ)

 

ନାନା ବାୟା ଧର ରେ

ନାନା ବାୟା ଧର

ବିଲ ମାଛକୁ ଚିଲ ଖାଇଗଲା

ଦଉଡ଼ି ଖଣ୍ଡେ ବଳ

 

ଦଉଡ଼ି ଗଲା ଭାସି

ପଟା ଗଲା ଖସି

ନାନା ଚାୟା ରଡ଼ି କରୁଛି

ହିଡ଼ମୂଳେ ବସି ।

(ସୋରୋବାଲେଶ୍ୱର)

 

ଟିକି ଟିକି ଧାନ ଓଲଟ ବେଣୀ

ଦୁଧରେ ପଡ଼ିଛି ସରଲବଣି ।

ଚାନ୍ଦୁଆ ପଡ଼ିଛି ଚାରିଡୋଳାକୁ

ବାପା ପେଲିଦେଲେ ଗଙ୍ଗାକୂଳକୁ ।

 

ଗଙ୍ଗାକୂଳେ ଯେଉଁ ବଉଳାଗାଈ

ନଈକି ଗଲି ମୁଁ ଚାଉଳ ଧୋଇ

ନଈରେ ପଡ଼ିଛି ମୟୂର ଛାଇ ।

 

ଠାକୁରେ ଖାଆନ୍ତି ନାଲି ନଡ଼ିଆ

ଗୋପପୁର ଦାଣ୍ଡ ହେଲା ପଡ଼ିଆ ।

ଧୋବଣୀକି ଦେଲି ରାଇ,

ବାସି ନୁଗା ଖଣ୍ଡେ ପିନ୍ଧିଥାଆନ୍ତି ଲୋ

ଧୋବଣୀ ସାଙ୍ଗରେ ସଇ ।

(କୁଜଙ୍ଗ)

 

ଡାମରାକାଉରେ ଡାମରାକାଉ

ଉଞ୍ଚ ପରବତେ ବୋବାଉଥାଉ

ଉଞ୍ଚ ପରବତ ଘୁଞ୍ଚିଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

 

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ ।

କଉଡ଼ି ଗଣାରେ ପାହିଲା ରାତି

ଚୋର ନେଇଗଲା କଜଳପାତି ।

 

ଷାଠିଏ ଟଙ୍କାର ବଳଦ ମଲା

ଏକା କାଳୀଗାଈ ମଥାନ କଲା ।

ଆସ ଗୋ ସଙ୍ଗାତ ଗାଧୋଇଯିବା

କଇଞ୍ଚି କାକୁଡ଼ି ତୋଳି ଆଣିବା ।

 

କଇଞ୍ଚି କାକୁଡ଼ି ମୁଣ୍ଡରେ ପିତା

ଛଅ ଭାଇଙ୍କର ଛଅ ମୁକୁତା ।

ମଝିଆ ଭାଇର ଆମ୍ବିଳି ଜାଉ

ତା’ ଖାଇଗଲା ଓଲେଈ ବୋହୂ ।

 

ଓଲେଈ ଯାଇଛି ବାପଘରକୁ

ଯାହା ଆଣିଥିବ ମୋ’ ଘରକୁ ।

(ଶେଷ ଚାରି ଧାଡ଼ିର ଅନ୍ୟ ରୂପ)

 

ମଝିଆ ଭାଇର ଆମ୍ବିଳି ଦହି

ତା’ ଖାଇଗଲା ଓଲେଈ ଗାଈ ।

ମୋ’ ଘରଟା ଢୋଲା ପୋଲା

କୁଣ୍ଡା ପାଣି ହୋଇ ଦିହାଣ୍ଡି ଗଲା ।

 

ଆହୁରି ହାଣ୍ଡିଏ ହୋଇଥାଆନ୍ତା

କଳାଶାଢ଼ି ଖଣ୍ଡେ ମିଳିଥାଆନ୍ତା ।

କଳାଶାଢ଼ି ଖଣ୍ଡେ କଅଣ ହେବ ?

ପେଡ଼ିରେ ପଶି ମହଣ ହେବ ।

 

ଆରେ ବାୟା ଆ

ବିଲର ମାଛ ଛେଲା କେରାଣ୍ଡି

ବାହିଁ ବାହିଁ କରି ଖା ।

(ଗୁମସର)

 

ତିବି ତିବି ବାଜେ ଯୋଡ଼ି ନାଗରା ହୋ

କାଉ ଡାକେ କାଆ କାଆ,

ଖରା କରୁଅଛି ମେଘ ବରଷୁଛି

ବିଲୁଆ ପୁଅର ବାହା ।

 

ଛଟାକୁ ଛଟା କଦମ୍ଭ ନଟା

ତାକୁ ଖାଇଗଲେ ଗାଈ ଦିଇଟା ।

କିରେ ଗାଈ ତୁ’ ଖାଇଲୁ କାହିଁ ?

ଗାୟାଳ ମୋତେ ମୁଣିଲା ନାହିଁ ।

(ବାଗୁଡିବାଲେଶ୍ୱର)

 

ଥୋଲ ଥନ୍ତଲପେଟା

ନାଚଇ ଗଣିଆଁ ଗେଟା

ଯା’ର ପିଅର ହର

ତା’ର କାହାକୁ ଡର ?

 

ବାପଧନ ଦୟାନିଧି

ହାତକୁ କଙ୍କଣ ଯାଉଁଳି ମୁଦି

ଯାଉଚି ହରିଣ ବିନ୍ଧି ।

 

ଆବୋରି କିରେ ବୋରି

କାଉକୁ ମାଇଲି କାଣ୍ଡେ,

କାଉ ପଡ଼ିଚି ନା କାଣ୍ଡ ପଡ଼ିଚି

ରଜା କଲେ ବଡ଼ଦାଣ୍ଡେ ।

(ଆସିକାଗଞାମ)

 

ବାଇ ଚଢ଼େଇ ରେ ବାଇ ଚଢ଼େଇ

ଅଗଡାଳେ କଲୁ ବସା,

ସଖା ନାହିଁ କି ସୋଦର ନାହିଁ

ଏକା ଗୋବିନ୍ଦ ଭରସା ।

 

ବାଇଧର ମଣି ବାଇଧର ମଣି

ମୋର ବୋଲଟି ଶୁଣ୍‌

ଦଉଡି ଖଣ୍ଡିଏ ବୁଣ୍‌

ତୋ ଦଉଡ଼ି ମୋ ଦଉଡି ବୁଦାରେ ପକାଇଥିବା

ଆଷାଢ଼ ମାସରେ ମେଘ ବରଷିଲେ

ଦଉଡ଼ି ଭସାଇ ଦେବା ।

 

ପଟା ଗଲା ଖସି

ଦଉଡି ଗଲା ଭାସି

ଭଗତାବୁଢ଼ା ରଡ଼ି କରୁଛି

ହିଡ଼ ମୂଳରେ ବସି ।

 

କାଉ ରେ କାଉ, କାଉ ରେ କାଉ,

ରାଉ ରାଉ ହୋଇ ବୋବାଉଥାଉ ।

ପିତାଫଳ ବୋଲି ନ ଖାଉ ଆଉ ।

ପିତା ଫଳ ମୋର ଜୁଳୁକା ବୁଢ଼ୀ ଲୋ

ଯମରାଜା ତାକୁ ପାସୋରିଯାଉ ।

 

ଚାଇଁ ଚାଇଁ ମୁଠି, ରଜାଘରର ଝୁଣ୍ଟି

ଆ ଶିରିଆ, ପ ଏନ୍‌କେ ଯିମା

ତୋର ମୋର କେନ୍ଦୁ ଖାଏମା ।

ତୋର କେନ୍ଦୁଟା କଞ୍ଚା, ମୋ କେନ୍ଦୁଟା ପାଚ୍‌ଲା

ଟିକେ ଟିକେ ଭାଗ କରମା ହାତୀକି ଘୁଡ଼ା ।

(ସୋନପୁର)

 

ଜହ୍ନ ପାଖେ ପାଖେ ତରା

ଉଠ୍‌ରେ ଉଠ୍‌ରେ ମୋଚି ବେହେରା

ମୀନ ମାରିଯିବୁ ପରା ।

(ବେଲଗୁଣ୍ଠା, ଗଞ୍ଜାମ)

 

ଶୁଖିଲା ପାନକୁ ଶୁଖିଲା ଚୂନ

ମୁଣ୍ଡରେ ବାନ୍ଧିଛି ନାଲି ରିବନ ।

ରିବନ ଖଣ୍ଡିକୁ ଅଶୀ ପଇସା

ଡାଗରା ମୁଣ୍ଡରେ କଲେଣି ବସା ।

 

ଶିଘଂ ପାନିଆ ନା କାଠ ପାନିଆଁ

ପାନିଆ ନୁହଁଇ ହାରମାନିଆଁ ।

ଘୋଡ଼ା ନେ, ହାତୀ ନେ,

କେଁ କେଁ କେଁ ହାରମାନିଅଁ ।

ଚଞ୍ଚଳ ବଜେଇ ଦେ ।

 

ଟିକି ଟିକି ଚଢ଼େଇମାନ

ପ୍ୟାଚ୍‌ ବୁଢ଼ୀକୁ ସାଙ୍ଗରେ ନେଇ

ଝୁମୁରି ଗୀତ ଗାଆନ୍ତି ।

 

ଝୁମୁରି ମା’ ଲୋ ଝୁମୁରି ମା’

କି କରମ କଲୁ ହଉ ପଛେ ବୁଢ଼ୀ

ଆଣିଦେବି ହାଟପାଳି ଦିନ

ଦେଖାଇଦେବି ଲମ୍ବା ଲମ୍ବା ଦାଢ଼ି ।

 

ନଈ ତଳେ ତଳେ କିଏ ଯାଉଛି ଲୋ

ଗହମ ବୁଣା ହୋଇଛି,

ଗହମ ସାଥୀରେ କୋଶଳାଶାଗ ଲୋ

ମାଧବୀ ତୋଳି ଖାଉଛି ।

 

ମାଧବୀ ନାକରେ ନୋଥ,

ସେଇ ନୋଥ ନେଇ ଯିବି କଟକ ଲୋ

ଆଣିବି ସୁନାମୁକୁଟ ।

ସୁନାମୁକୁଟରେ ଜରି,

କାହାସାଥେ ଭାଇ କରୁଛି କଳି,

ମୁହିଁ ତ ଯାଉଛି ଜଳି ।

 

ବେଙ୍ଗୁଲୀ ବେଙ୍ଗୁଲୀ ମାଉସୀ ମଲା

ନଈ ନାଳ କରି ଭସେଇ ଦେଲା

ଦେଏ ଇନ୍ଦ୍ର ରଜା ପାଣି

ଇନ୍ଦ୍ର ରଜା ଦେଏ ପାଣି

ଖାଇବୁ ଖଜା ତୋ ମନ ଜାଣି ।

 

ବେଙ୍ଗୁଲୀ ମାଉସୀ, ମାଡ଼ିବୁ ଖୁଣ୍ଟି,

ତାତୁଚି ମାଟି, ପାଣିକୁ ଆ,

ଦେଏ ପାଣି ଖାଇବୁ ଖଜା

ହେବୁ ରଜା, ବାଜୁ ବାଜା ।

(ବୀର ମହାରାଜପୁର, ଢ଼େଙ୍କାନାଳ)

 

ଆସରେ ପିଲେ ବଣକୁ ଯିବା

ପାଚଲା ପାଚଲା କୋଳି ତୋଳିବା ।

କାଇଞ୍ଚ ପତର ପାରି ଶୋଇବା ।

 

ରଜାଘର ଝିଅ କନିଆଁ

ସାଆନ୍ତରା ପୁଅ ବର

ଅଠରଗଣ୍ଡା ଢୋଲ

ଢୁଙ୍ଗୁରୁ ଢୁଙ୍ଗୁର କର ।

 

ମୋ ହେଲୀ ଦେଖ ମୋ ଗେଲୀ ଦେଖ

ଦେଖ ଶ୍ରୀଧର ପଣ୍ଡା,

କଦଳୀଗଛରେ କଦଳୀ ନାହିଁ

କେମନ୍ତେ ପଡ଼ିଛି ଭଣ୍ଡା ।

 

ହାତୀଟି କାଳିଆ ତ୍ରିପଣ୍ଡ ମେଳିଆ

ନ ଜାଣଇ ଖାଲଖମା

ନନ୍ଦଘରେ ରହି ଦହି ଦୁଧ ଖାଇ

ହୋଇଛି ଧୂସରଧୂମା ।

 

କଖାରୁ ଫୁଲ ଫୁଟିଲା

କେଉଁଠି ଧନ ମୋ ରହଣି କଲା

କିଏ ରାନ୍ଧି ପରଶିଲା ।

 

କିଆ ବନେ ବନେ ଲୋ

କେତକୀ ବନେ ବନେ,

କହ୍ନେଇ ହାତରେ ନାଲି ବଇଁଶୀ

ବାଜେ ଘନେ ଘନେ ।

 

ଦ୍ୱିତୀୟ ଭାଗ

ଆଧୁନିକ ନାନାବାୟା ଗୀତ

ଗୋପାଳଚନ୍ଦ୍ର ପ୍ରହରାଜ (୧୮୭୪-୧୯୪୫)

ଝୁଲ୍‌ ହାତୀ ଝୁଲ୍‌

ହାତୀ ଝୁଲୁଥାଏ ରଜା ବଗିଚାରେ

କିଆ କନ୍ଦା ଖାଇବାକୁ,

କହ୍ନେଇ ଝୁଲଇ ମୋହରି କୋଳରେ

ଦୁଧ କଳେ ପିଇବାକୁ ।

 

ଝୁଲୁ ଝୁଲୁ ହାତୀ ଢୁଳାଇ ପଡ଼ୁଛି

ଧୂଳିରେ ଧୂସର ଦେହ,

ବାଆ ପାଣି ଖାଇ ପଙ୍କେ ଲୋଟି ହୋଇ

ଫୁଲୁଛୁ କିପରି କହ ।

 

ହାତୀ ବନସ୍ତରେ ଥିଲେ ରଜାଙ୍କର

ନାହିଁକି ରେ ତୋତେ ଜଣା,

ତୁହି ଭୋଳ ହୋଇ ଧାଇଁଅଛୁ କାହିଁ

ହେବୁ ପରା ବାଟବଣା ।

 

ହାତୀ ଝୁଲୁଥାଇ କୁକୁର ଭୁକଇ

ହାତୀକି ନ ମାଡେ ଡର,

ହାତୀ ଉପରକୁ ମାହୁନ୍ତ ବସିଲେ

ହାତୀ ଚାଲୁଥାଇ ଖର ।

 

ହାତୀ ଖୋଜତଳେ ପିମ୍ପୁଡ଼ି ନ ମରେ

ପାହୁଣ୍ଡ ପକାଏ ଧୀରା,

ଝୁଲି ଝୁଲି ହାତୀ ଯାଉଥାଏ ଚାଲି

ନ ମାନି ବରଷା ଖରା ।

 

ଝୁଲ୍‌ ଝୁଲ୍‌ ହାତୀଝୁଲୁଥା ଝୁଲୁଥା

ପିଉଥାଆ ବାଆପାଣି,

ମାହୁନ୍ତ ଆସିଲେ ଲଦନ ପକାଇ

ଯିବୁ ବରଡାଳ ଆଣି ।

 

ରଜା ବିଜେ କଲେ ପାଟହାତୀ ଚାଲେ

ଦେଖିବ କେ ଦେଖ ଚାଲି,

ଘଣ୍ଟି ଝୁଣୁ ଝୁଣୁ ବାଜଇ ଦାଣ୍ଡରେ

ଚାଲୁଥାଏ ଢଳି ଢଳି ।

 

ରାଇଜଯାକରେ ରଜା ନ ମିଳିଲେ

ବାଜଇ ତେଲିଙ୍ଗିବାଜା,

ସୁବର୍ଣ୍ଣକଳସ ଢାଳୁ ଯାହା ମୁଣ୍ଡେ

ସେହି ତ ହୁଅଇ ରଜା ।

 

ମନ ହେଲାବେଳେ ବାୟା ହେଉ ତୁହି

ଦେଖିଲେ ମାଡ଼ଇ ଡର,

ପଲାଶିଲା ବେଳେ ପାହୁଣ୍ଡକେ କୋଶେ

ଚାଲୁଥାଉ ତରତର ।

 

ହାତୀ ପରା ଜୀବ ଛାର ମାହୁନ୍ତକୁ

ଠୁଳେ କି ଡରନ୍ତା ସେହି,

ମନ ମାନିଅଛି ବୋଲି ସେ ରହିଛି

ଆଙ୍କୁଶା ଶିକୁଳି ସହି ।

(ବାଳବୋଧ)

 

ବାୟା ମାଆ

ବାୟା ମାଆର ସରୁ କାଟେଣୀ

ପୁଅକୁ ପିନ୍ଧାଏ ପାଟପତନୀ

ଆପେ ପିନ୍ଧଇ ନେତ,

ଝିଅକୁ ପିନ୍ଧାଏ କଳାବୋଇତ

ଉଡ଼େଇ ନେଉଛି ଭୂତ ।

 

ବାୟା ମାଆର ଡାଳରେ ବସା

ଯେତେବେଳେ ହୁଏ ଝଡ଼ିବରଷା

ଆପେ ଖେଳଇ ଦୋଳି,

ଝିଅପୁଅ ଦୁହେଁ ବସାରେ ଝୁଲି

ଦଉଥାନ୍ତି ହୁଳହୁଳି ।

 

ବାୟା ମାଆର ପୁଅ ପଢ଼ୁଆ

ନାହାକ ପାଖରେ ପାଏ ମଢ଼ୁଆ

ନାକ ବାଳ ଧରିଥାଏ,

ବେଳ ବୁଡ଼ିଗଲେ ଘରକୁ ଯାଏ

ନିତି ରୁଷି ଭାତ ଖାଏ ।

 

ବାୟା ମାଆର ଭାରି ସାହସ

କେଭେ ନ ତରଇ ଝଡ଼ିବତାସ,

ଆପେ ଝୁଲଇ ଡାଳେ,

ଖଣ୍ଡିଆଭୂତକୁ ନ ଡରେ ଠୁଳେ

ପିଲା ଧରିଥାଏ କୋଳେ ।

 

ବାୟା ମାଆର ପୁଅ କଳିହା

ନିତି ପ୍ରତିଦିନ ତବତଖିଆ

ନିତି ଲଗାଏ କଳି,

ମାଆ ରଖିଥାଏ ସରୁଚକୁଳି

ନ ଖାଇ ଭାଙ୍ଗଇ ଥାଳି ।

 

ବାୟା ମାଆ ଯେ ବଡ଼ ଘରଣୀ

ପୁଅକୁ ଖୁଆଏ ସରଲବଣୀ

ଆପେ ପିଅଇ ପାଣି,

ଝିଅକୁ ପିଆଏ ଥିର ତୋରାଣି,

ଭାତ ଗୋଟି ଗୋଟି ଛାଣି ।

 

ବାୟା ମାଆର ହାତରେ ଶଂଖା

ଗେରସ୍ତ ଅରଜେ କାହାଣେ ଟଙ୍କା

ଦିନେ ନ ଥାଏ ଘରେ,

ପିଲାଙ୍କୁ ଛାଡ଼ଇ ମାଆ ପାଖରେ

ପଶିଥାଏ ବନସ୍ତରେ ।

(ଧୋରେ ବାୟା ଧୋ)

 

ଟୁକୁ ମୁଷି

ଟୁ’କୁ ମୂଷି ଟୁ’କୁ ମୂଷି

ଧାନ ଭରଣକ ଖାଉଥା ବସି

ତୁ ଥା’ ମୁଁ ଯାଉଛି ରୁଷି ।

କାଳିଆ ବଳଦ ଗଲା

ହାଣ୍ଡି କୁଣ୍ଢେଇ ଜଗି ଥିବୁଟି

ହାଣ୍ଡି ଧୁଡ଼ୁଧୁଡ଼ୁ କଲା ।

 

କାଳିଆ ବଳଦ ଭାରି ଉଝଟ

ନିତି ଭାଙ୍ଗଇ ତାଟି କବାଟ ।

ମୋ ହାତରେ ଥାଏ ଖଣ୍ଡିଏ ଛାଟ

ପିଲାଙ୍କୁ ଦେଖିଲେ ଉଗାଳେ ବାଟ ।

 

ବାପା ରଖିଗଲେ ଧାନ ଭରଣେ ।

ଅମାରରେ ଏବେ ନାହିଁ ତ ମାଣେ ।

ଚଷୁ ଗଦା ହେଲା ଅମାର କଣେ

ଚାଉଳଯାକ ତ ଗଲାଣି କେଣେ ।

 

ଟୁଉକୁ ମୂଷି ରେ ଦିଶୁ ତ ସାନ

ମାସକେ ଖାଇଲୁ ଭରଣେ ଧାନ ।

କିପରି ହୋଇଲା ପେଟରେ ଥାନ ?

କୋଡ଼ମେଇ ତୋର ପେଟ ସମାନ ।

 

ରୁଷି କରି ବାପା ଛାଡ଼ିଲେ ଘର

ମାଆକୁ ହେଲାଣି ଏକୁଆ ଜର ।

ଟୁକେଇ ମୂଷିଟି ଜଗିଛି ଘର

ତୁଚ୍ଛା କରୁଅଛି ଧାନ ଅମାର ।

(ଧୋରେ ବାୟା ଧୋ)

 

ବେଙ୍ଗୁଲୀନାନୀ

‘‘ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେଉଁ

ନଈ ବଢ଼ି କରି ଭସେଇ ଦେଉଁ ।’’

ବେଙ୍ଗୁଲୀ ଅଟୁ ତୁ ଇନ୍ଦ୍ରଘରଣୀ

ଡେଇଁ ଡେଇଁ କରି କାଢ଼ୁ ତୁ ପାଣି ।

 

ବେଙ୍ଗୁଲୀ ନାନୀର ଦିହରେ ଆବୁ

ହଳଦୀ ମାଲପା ଲଗାଉଥିବୁ ।

ଖଉରିଆ ଦେହ ବେଙ୍ଗଲୀ ତୋର

ହଳଦୀ ମାଲପା ନାହିଁ କି ତୋର ?

 

ସାରୁ ଗଛ ମୂଳେ ବେଙ୍ଗୁଲୀ ନାନୀ

ବାହା ହେଉଅଛି ବରଷେ ପାଣି ।

ବେଙ୍ଗୁଲୀ ନାନୀଟି ଉଞ୍ଚପାଠେଇ

ତଣ୍ଟି ବସିଗଲା ପଖାଳ ଖାଇ ।

 

ପିଲାଦିନେ ହେଲୁ ଗେଲବସର

ସେଥିପାଇଁ ଫରକଟା ତୋ’ ଗୋଡ଼ ।

ବେଙ୍ଗୁଲୀ ନାନୀ ଲୋ ଛାଡ଼ୁ ବରଷା

ନଈବଢ଼ି କରି ଆଉ ନ ଭସା ।

(ଧୋରେ ବାୟା ଧୋ)

 

ନନ୍ଦକିଶୋର ବଳ (୧୮୭୫-୧୯୨୮)

ବାୟାଚଢ଼େଇ

ବାୟାଚଢ଼େଇ ରେ ବାୟାଚଢ଼େଇ ତୁ

କୃଷ୍ଣ ଦୁଆରକୁ ଆ

କୃଷ୍ଣ ସଙ୍ଗତରେ ଖେଳି ବୁଲି ସାରି

ଦୁଧ ପିଇଦେଇ ଯାଆ ।

 

ବାୟା ଚଢ଼େଇ ରେ ବାୟା ଚଢ଼େଇ ତୁ

କୃଷ୍ଣ ସଙ୍ଗତରେ ଥିବୁ,

ଆଖି ବୁଜି କରି କୃଷ୍ଣ ଶୋଇଲେ ତୁ

ବସାକୁ ଉଡ଼ିଣ ଯିବୁ ।

 

ତୋ’ ବସା ବାଇଆ ଉଚ୍ଚ ତାଳଗଛେ

ବାଆ କଲେ ଦୋହଲଇ

ଘୋର ବରଷାରେ ତୋ ବସା ଭିତରେ

ପାଣି ପଶି ନ ପାରଇ ।

 

ନଈବଢ଼ି ଘୋର ଗରଜନ କଲେ

ତୋତେ ନ ମାଡ଼ଇ ଡର

ଏତେ ବିପଦରୁ ତୋତେ ଯେ ରଖନ୍ତି

ଧନ୍ୟ ଧନ୍ୟ ସେ ଈଶ୍ୱର ।

(ନାନାବାୟା ଗୀତ୧ମ ଭାଗ)

 

ଚୁଟିଆ ମୂଷା

ଚୁଟିଆ ମୂଷା ରେ ଚୁଟେଇ ମୂଷି,

ଧାନ ଅମାରକ ଖାଉଥା ବସି ।

କରୁଥା ଯାହା ତା ମନର ଖୁସି,

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

 

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

 

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିଲେ ମୋତେ ।

ଟୁଉକୁ ମୂଷା ରେ ଟୁକେଇ ମୂଷି

ଖାଇକୁ ଯେତେକ ଖାଆରେ ଖୁସି ।

 

ଦୁଧ ପିଇବାକୁ କାନ୍ଦିଲେ କୃଷ୍ଣ

କାନ କାଟି ନେଇ ଯିବୁ କି ଦୁଷ୍ଟ ?

ଅମାରେ ଯେତେକ ଧାନ ତୁ ଖାଉ

ଚାଉଳ ହାଣ୍ଡିରୁ ଚାଉଳ ନେଉ ।

 

ବିହନ ଓଳିଆ କାଟୁ କିପାଇଁ

ଏତେ ଖାଇ ପେଟ ପୂରଇ ନାହିଁ ?

ରାତିରେ ବାହାରି ରୁଉଟୁ ରୁଟୁ

କଖାରୁଗଛଟି ମୂଳରୁ କାଟୁ ।

 

ଝାଉଁଳି ପଡ଼ଇ ପିଢ଼ା କଖାରୁ

କେତେ କଷି ଫୁଲ ମୂଷା ରେ ମାରୁ !

ଖରା ଗଡ଼ିଯାଏ ବୁଡ଼ଇ ବେଳ,

ସାହି ପିଲାମାନେ ହୋଇଣ ମେଳ

 

ଗୀତ ଗାଇ ଗାଇ ବୁଲନ୍ତି ଗାଆଁ

ଜହ୍ନିଫୁଲ ଫୁଟେ ଠୋଠା ।

ଚୁଟିଆ ମୂଷା କହିଯାଇଛି

‘ଚାଉଳ ମୁଠିଏ ଦେଇ ଯା’ । (ନାନାବାୟା ଗୀତ୧ମ ଭାଗ)

 

ହୋଓ ରେ ବାଇଆ ହୋଓ

ବିଲରେ ପାଚଇ ରଙ୍ଗଣୀ ଧାନ ଗୋ

ହୋଓ ରେ ବାଇଆ ହୋଓ,

ଯେଉଁ କିଆରିରେ ବହୁତ ଧାନ ତୁ

ସେଇ କିଆରିରେ ଶୋଓ ।୧।

 

ଟୁଣୁ ଟୁଣୁ ପାଟି ବାସନା ଧାନ ଗୋ

ନାଲି ଗୁଲୁ ଗୁଲୁ ଦିଶେ,

ଥାଳି ଚାଳିଦେଲେ ଗୋଟିଏ ପାଖରୁ

ବୁଲିଣ ଆସିବ କି ସେ ?

 

ଭୋଦୁଅ ମାସରେ ମାଣ୍ଡିଆ ପାଚଇ

ହୋଓ ରେ ବାଇଆ ହୋଓ,

ଯେଉଁ କିଆରିରେ ଗହଳ ମାଣ୍ଡିଆ

ସେଇ କିଆରିରେ ଶୋଓ ।୨।

 

ମାଣ୍ଡିଆ ବାରିରେ ଶଲରା ବାଡ଼ ଗୋ

ଟୋକେଇ କୁଣ୍ଡେଇ ଫୁଲ,

ଟୋପଲି ଧରିଣ କୃଷ୍ଣ ତୋଳିବ ଗୋ

କିଏ ଦେବ ତା’ର ମୂଲ ?

 

ଥିରି ଥିରି କରି ତୋଳିବୁ କୃଷ୍ଣରେ

କଣ୍ଟା ପଶିଯିବ ହାତେ,

ଲକ୍ଷେ ଚମ୍ପା ଦେଇ କେତେ ଆତୁରରେ

ଧନ ରେ ପାଇଛି ତୋତେ ।୩।

 

ବାଡ଼ି ଚାରିପାଖେ କଣ୍ଟେଇକୋଳି ଗୋ

କୃଷ୍ଣ ତୋଳିଯିବ କୋଳି,

କୋଳି ଖାଉଁ ଖାଉଁ ଶିଆରୀଲଟାରେ

କୃଷ୍ଣ ଖେଳୁଥିବ ଦୋଳି ।

 

ଶିଆରୀ ବଣରେ ବାଇଆ ବସା ଗୋ

ହୋଓ ରେ ବାଇୟା ହୋଓ

ଯେଉଁ କିଆରିରେ ଗହଳ ଧାନ ତୁ

ସେଇ କିଆରିରେ ଶୋଓ ।୪।

 

ବାଇଆ ପୁଅର କିସ ଯାଉଛି ସେ

ବାଆ କଲେ ଦୋହଲୁଛି,

ଲମ୍ବ ତାଳଗଛ ବାଉଁଶ ବରଡ଼ାରେ

ବସାରେ ବସିଛି ଲୁଚି ।

 

ଗଜା ବଉଦକୁ ଖର ପବନ ଗୋ

ଉଡ଼ାଇ ନିଏ ବହନ,

ଦାଣ୍ଡ ତାଳଗଛ ଦୋହଲି ଦୋହଲି

ବାୟା ରାବେ ଘନ ଘନ ।୫।

 

ଦୁଇ କୂଳ ଖାଇ ବଢ଼ିଅଛି ନଈ

ପାଳରେ ପାରିଛି ଧାନ

ପଲ ବାନ୍ଧି ପକ୍ଷୀ ଆକାଶେ ଉଡ଼ନ୍ତି

ଶୁଭୁଥାଏ ତାଙ୍କ ଗାନ ।

 

ତା’ ଶୁଣି ପିଲାଏ ଗାଉଛନ୍ତି ଗୀତ

ହୋଓ ରେ ବାଇଆ ହୋଓ

ଯେଉଁ କିଆରିରେ ଗହଳ ଧାନ ତୁ

ସେଇ କିଆରିରେ ଶୋଓ ।୬।

(ନାନାବାୟା ଗୀତ୧ମ ଭାଗ)

 

ନିଦ ମାଉସୀ

ନିଦମାଉସୀ, ନିଦମାଉସୀ !

ହେମଘରକୁ ତୁ ଆ,

ଆଖି ଦୁଇଟି ବୁଜେଇ ଦେଇ

ଶୋଇ ପକେଇ ଯାଆ ।

 

ନିଦମାଉସୀ, ନିଦମାଉସୀ !

ଦୋଳି ତୁ ଖେଳାଇବୁ,

ଝୁଲେଇ ଝୁଲେଇ ହେମକୁ ମୋର

ନିଦରେ ହସାଇବୁ ।

 

ନିଦମାଉସୀ, ନିଦମାଉସୀ !

ହେମ ପାଖରେ ଥିବୁ,

ଯେତେକ ଯାକ ଭଲ ସପନ

ହେମକୁ ଦେଖାଇବୁ ।

 

ନିଦମାଉସୀ, ନିଦମାଉସୀ !

ହେମ ଆଖିରେ ଥିବୁ,

କାଆ କାଆ କରି କାଉ ରାବିଲେ

ଘରକୁ ବାହୁଡ଼ିବୁ ।

(ନାନାବାୟା ଗୀତ୨ୟ ଭାଗ)

 

ବେଙ୍ଗୁଲୀରାଣୀ

ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେ,

ନଈ ; ସମୁଦର ଭସେଇ ଦେ ।

ଇନ୍ଦ୍ର ରାଜାଙ୍କର ବେଙ୍ଗୁଲୀ ରାଣୀ,

ବୋବେଇ ଦେଲେ ସେ ବରଷେ ପାଣି ।

 

ବେଙ୍ଗୁଲୀ ବସଇ ସାରୁମୂଳରେ,

ଛତ୍ରି ଧରିଅଛି ସାରୁପତରେ ।

ବେଙ୍କୁଲୀ ବୋବାଏ କେଁ କଟର;

ପାଣିରେ ଭାସଇ ଦୁଆର ଘର ।

 

ପାଣି ପଶିଗଲା ସାପ ଗାତର

ସାପମାନେ ହେଲେ ଛିନଛତର ।

ଖରାଦିନେ ସାପ ବେଙ୍ଗ ଖାଇଲା

ବରଷା ଦିନରେ ଫଳ ପାଇଲା ।

 

ଇନ୍ଦ୍ର ଦେବତାଙ୍କ ବେଙ୍ଗୁଲୀ ରାଣୀ

ସାପ କାମୁଡିଲା ତାଙ୍କ ଘରଣୀ ।

ଇନ୍ଦ୍ରରାଜା ପାଣି ବରଷିଦେଲେ,

ନଈ ସମୁଦ୍ରର ଭସାଇଦେଲେ ।

 

ସାପ ଘରେ ପଶିଗଲା ରେ ପାଣି,

ହୁଳହୁଳି ଦେଲା ବେଙ୍ଗୁଲୀ ରାଣୀ ।

ପାଟି ପାକୁ ପାକୁ କରି ବେଙ୍ଗୁଲୀ

ଫକର ଫକର ଯାଉଛି ବୁଲି ।

 

ଇନ୍ଦ୍ରବରଙ୍କର ହୋଇ କନିଆଁ

ମହୁଛୁବ କରୁ ଧରିଣ ଜିଆ ।

ନଳା ମୁହେଁ ପଶି ପିଉ ତୋରାଣି,

ଏଡ଼େ ଅସନୀ ତୁ ବେଙ୍ଗୁଲୀ ରାଣୀ ?

 

ହୋଓ ପଛେ ଇନ୍ଦ୍ରରଜାଙ୍କ ରାଣୀ

ନ ଆସିବୁ ଆମ ଘରକୁ ପୁଣି ।

ଭାଡ଼ି ତଳୁ ଶୁଣି କେଏଁ କଟର,

ରାତିରେ ମାଡ଼ଇ କୃଷ୍ଣକୁ ଡର ।

 

ଯେ ଘରେ ବେଙ୍ଗୁଲୀ ରହଇ ଯାଇଁ

ପଶେ ତହିଁ ସାପ ଅଧାର ପାଇଁ ।

ତେଣୁ ବେଙ୍ଗ ଦେଖି ମାଡ଼ଇ ଡର

ବେଙ୍ଗ ପରା ଜନ୍ତୁ କେତେ ମାତର !

 

ତତେ ମୁହିଁ ମାରି ପାରଇ ନାହିଁ ।

‘ନିର୍ଦୋଷୀ ପରାଣୀ ମାରନ୍ତି ନାହିଁ ।’

ମାରିଲେ ହୁଅନ୍ତି କାଲ ଅଟଇ,

ବେଙ୍ଗ ବେଙ୍ଗୁଲୀଙ୍କୁ ଦୂରୁ ଜୁହାର ।

(ନାନାବାୟା ଗୀତ୧ମ ଭାଗ)

 

ନୀଳକଣ୍ଠ ଦାସ (୧୮୮୪-୧୯୬୭)

ମୋ ରଜା

(୧)

ମେଘ ବରଷିଲା ଟୁପୁରୁଟୁପୁରୁ

କେଶୁର ମାଇଲା ଗଜା,

କେଉଁ ରାଇଜରୁ ଅଇଲେ ମୋ ରାଜା

ତେଲିଂଗି ବାଇଦ ବଜା ।

ହାତୀ ପରମାଣେ କଉଡ଼ି ଦେବି ମୁଁ

ତେଲିଂଗି ବାଇଦ ବଜା ।

 

(୨)

ଆଣିଣ ପବନ କାହାଳୀ ବାଜିଲା

କଂସା ଗିନା ହେଲା ମଜା

ନାହାକ ଡକାଇ ଦିନ ବୁଝାଇଲେ

ଯୁଝ କରି ଯିବେ ରଜା ।

ଆଜି ତୁ ବାଇଦ ବଜା

ଖିରୀ ପିଠା ଦେବି ଖାଇବୁ ଯେତେ ତୁ

ତେଲିଂଗି ବାଇଦ ବଜା ।

 

(୩)

ରଂଗ ରଂଗ ଲୁଗା ପିଲାଏ ପିଂଧିଲେ

ଗଲା ଦଶହରା ପୂଜା,

କେଉଁ ରାଇଜକୁ ବିଜେ ହେବେ ରଜା

ବାଜିଲାଣି ବୀରବାଜା ।

ବଜା ରେ ଢୋଲିଆ ବଜା

ପେଡ଼ିଲୁଗା ଦେବି ଦେଉଳ ଉଂଚେ ତୁ

ବଜା ରେ ବିଜୟ ବାଜା ।

 

(୪)

ସୁଲୁ ସୁଲୁ ବାଆ ଏଣିକି ବହିଲା

ଆସିବେ ପରା ମୋ ରଜା,

ରାଇଜେ ଶୁଭିବ ଆନଂଦ ଚହଳ

ପିଲାଏ ଖାଇବେ ଖଜା ।

ବଜାରେ ଆନଂଦେ ବଜା

ରାଇଜଯାକର ଯାତ ଦେଖିବୁ ତୁ

ଖାଇବୁ ତୁ ଖଜା ଭୁଜା ।

 

(୫)

ଦୋଳ ଯାଇଥିଲା ରଥଯାତ ଗଲା

ରାଇଜେ ନ ଥିଲେ ରଜା,

ରାଇଜଯାକ ମୋ’ କେଡ଼େ ଅସୁଂଦର

ଦୁଃଖରେ ଥିଲେ ପରଜା ।

ଆସିବେ ଏଥର ରଜା

ବଜାରେ ଢୋଲିଆ ମନ ଆନଂଦେ ତୁ

ତେଲିଂଗି ବାଇଦ ବଜା ।

 

(୬)

ଆସେ ପାଟହାତୀ ହଲୁଚି ହାଉଦା

କି ସୁଂଦର ସାଜସଜ୍ଜା,

ଛତି ଟଣା ହୋଇ ଆଡ଼େଣୀ ଦିଶଇ

ଅଇଲେ ପରା ମୋ ରଜା ।

ବଜାରେ ଢୋଲିଆ ବଜା

କୋଟି ପରମାୟୁ ହେଉରେ ତୋହର

ତେଲିଂଗି ବାଇଦ ବଜା ।

 

ଜହ୍ନମାମୁଁ

ଆରେ ଜହୁମାମୁଁ ଥିଲୁ ତୁ କାହିଁ ?

ଦିନବେଳେ କିମ୍ବା ଦିଶିଲୁ ନାହିଁ ?

ମାମୁଁଘର ମୋର ବହୁତ ଦୂର

ମାମୁଁ ମାଈଁଙ୍କର ବଡ଼ ଆଦର ।

 

ପାଚିଲା କଦଳୀ, ପାଚିଲା ଆତ,

ଛେନାଗୁଡ଼, ଦୁଧ, ତବତ ଭାତ,

ଖାଇବାକୁ ମାଇଁ ଦିଅନ୍ତି ମୋତେ,

ମା’ ପରି ସେନେହ କରନ୍ତି କେତେ ।

 

ଆଈମା’ ଶରଧା ବେଶି କରନ୍ତି,

ରାଜାରାଣୀ ଗପ କେତେ କହନ୍ତି ।

ମାମୁଁପୁଅ ଭାଇ ମୋ ସଙ୍ଗେ ଖେଳେ,

ଖେଳିବାକୁ ଯାଏ ତାଙ୍କରି ମେଳେ ।

 

ମାମୁଁଘରକୁ ମୁଁ ଯେଦିନ ଯିବି,

ମାମୁଁମାଈଁଙ୍କୁ ମୁଁ ଜୁହାର ହେବି ।

ଆରେ ଜହ୍ନମାମୁଁ, ଜୁହାର ତୋତେ,

ତୋ’ ରୂପଟି ଭଲ ଦିଶଇ ମୋତେ ।

ଠିଆ ହୋଇଥିବି ସବୁଜ ଘାସେ,

ଦେଖୁଥିବି ତୋତେ ନୀଳ ଆକାଶେ ।

(ନୀଳକଂଠ ଗ୍ରଂଥାବଳୀ)

 

ଗୋଦାବରୀଶ ମିଶ୍ର (୧୮୮୬-୧୯୫୬)

ତୁନି ହୁଅ

ତୁନି ହୁଅ, ବାବୁ, ତୁନିଟି ହୁଅ ରେ

ବାପା ତୋ’ ରାଇଜ ରଜା,

ବୋଉ ପାଟରାଣୀ ରୂପବନ୍ତୀ ବୋଲି

ମହୀରେ ଉଡ଼ୁଛି ଧ୍ୱଜା ।

 

ଦେଖୁଛୁ ଏ ଯେତେ ବନ ଗିରି ଗାଆଁ

ଉଆସ ଦୁଆରୁ ଚାହିଁ,

ଗୋଟି ଗୋଟି ସବୁ ରଖିଛନ୍ତି ବାପା

ମୋ ଧନମାଳିଟି ପାଇଁ ।

 

ବାଜୁଛି ଏ ପରା ଉଚ୍ଚ ନାଦେ ଭେରୀ

ନ ଡର ମୋ ଗଣ୍ଠିଧନ,

ଡାକେ ସେ ସିନାରେ କାମେ ଆସିବାକୁ

ଜଗାଳି ପାଇକ ଜନ ।

 

ହାତେ ଧନୁ ତାଙ୍କ ବଙ୍କା ହେବ ନିକି,

ରଙ୍ଗ ହେବ ଖଣ୍ଡା ଧାର,

ବଇରୀ ଜନ କେ ଆସିବା ଆଗରୁ

ଶେଯପାଖେ ମୋ ବାପାର ।

 

ତୁନି ହୁଅ, ବାବୁ, ତୁନିଟି ହୁଅ ରେ,

ଆସୁଛି ସେଦିନ ପରା,

ଢକା ଭେରୀ ନାଦେ ନିଦ ଯେବେ ତୋର

ଭାଜିବ ଜୀବନ ସାରା ।

 

ତୁନି ହୁଅ, ଏବେ, ଶୋଇବାର ବେଳେ

ରହ ତୁ ନିଶ୍ଚିନ୍ତେ ଶୋଇ,

ବୟସ ହେଲେ ତ ଲଢ଼େଇକି ଯିବୁ

ସକାଳେ ଉଠିବୁ ଚେଇଁ । (‘ଚୟନିକା’)

 

ଲକ୍ଷ୍ମୀକାନ୍ତ ମହାପାତ୍ର (୧୮୮୮-୧୯୫୩)

Unknown

ଆ’ ଜହ୍ନମାମୁଁ

ଆ ଜହ୍ନମାମୁଁ ଓହ୍ଲେଇ ଆ’

ମୋ ଧନମଣିକି ଗେହ୍ଲେଇ ଯା,

ଟିକାଟିଏ ଯା’ ଦେଇ,

ମୁଣ୍ଡେ ଟିକା ନାଇ ଧନମଣି ମୋର

ନାଚିବ ତା’ଧେଇଧେଇ ।

 

ଆ ଜହ୍ନମାମୁଁ ସରଗଶଶୀ

ମୁରୁକି ମୁରୁକି ଦବୁଟି ହସି

ହସିବ ମୋ ଧନମଣି,

ତୋ’ ହସ ମିଠା କି ଧନ ହସ ମିଠା

ହେବା ସିନା ଜଣାଜଣି ।

 

ଆ’ ଜହ୍ନମାମୁଁ ଖେଳିବା ପୁଚି

ମେଘ ଉହାଡ଼ରେ ଯାଆନା ଲୁଚି

ଗଡ଼ି ଯାଉଅଛି ବେଳ,

ଧନମଣି ସଙ୍ଗେ ଖେଳିବୁ ନାହିଁକି

ଆସି ଲୁଚୁକାଳି ଖେଳ ?

 

ଆ’ ଜହ୍ନମାମୁଁ କତିକି ଧାଇଁ

ଧନ ପରା ତୋତେ ବସିଛି ଚାହିଁ

ଅଗଣାରେ ଶେଯ ପାରି,

ଥକା ହୋଇ ଦୁହେଁ ଶୋଇପଡ଼ିବ ରେ

ନିଦ ଯେବେ ଦେବ ଘାରି ।

(‘ଜହ୍ନମାମୁଁ’ ଫାଲ୍‌ଗୁନ, ୧୩୩୯)

 

ମଦନମୋହନ ପଟ୍ଟନାୟକ (୧୮୯୦-୧୯୬୭)

ଚକା ଚକା ଭଉଁରୀ

ଚକା ଚକା ଭଉଁରୀ

ମାମୁଁଘର ଚଉଁରୀ

ଖେଳି ଖେଳି ଧନ ମୋର

ପଡ଼ୁଅଛି ଢଳି ଗୋ

ସରଗରେ ଜହ୍ନମାମୁଁ

ଯାଉଅଛି ଚଳି ଗୋ ।

 

 

ଘେରିଛନ୍ତି ଚଉପାଶେ

ପାରିଜାତ ପରୀ ଗୋ

ଭାସିଯାଏ ବଉଦରେ

ଜହ୍ନମାମୁଁ ତରୀ ଗୋ ।

ଚାପ ଖେଳେ ଜହ୍ନମାମୁଁ

ଚକା ଚକା ଭଉଁରୀ

ତାରକାର କୁଞ୍ଜେ ଉଠେ

ମଙ୍ଗଳ ମହୁରୀ ।

 

 

ସରଗରେ ଜହ୍ନମାମୁଁ

ମାଆ କୋଳେ ଚାନ୍ଦ ଗୋ

ଆମ୍ବଗଛ ଡାଳେ ଆଜି

ମଧୁମାସ ଫାନ୍ଦ ଗୋ ।

ଫଗୁ ଖେଳେ ମନ ନାହିଁ

କାହ୍ନୁ ମୋର ଅଝଟ

ଆ’ ଆ’ ଜହ୍ନମାମୁଁ

ଦେଇଯାଆ ତା’ ପାଟ ।

 

 

ସୁନୁଲି ରୁପୁଲି ବାଡ଼ି

ପାଇବୁ ତୁ ମୁକର

ଦରୋଟି କଥାରେ ତା’ର

କିଣା ତୋର ଅନ୍ତର ।

ମାମୁଁ ଭଣଜାଙ୍କ ଭେଟ

ଲାଗିଥିବ କାଳେ କାଳେ ।

କୋକିଳ ତା’ କଳକଣ୍ଠେ

ଗାଉଥିବ ତାଳେ ତାଳେ ।

ଚକା ଚକା ଭଉଁରୀ

ମାମୁଁଘର ଚଉଁରୀ ।

(‘ଜହ୍ନମାମୁଁ, ଫାଲଗୁନ, ୧୩୩୯)

 

ଚକ୍ରଧର ମହାପାତ୍ର (୧୮୯୫-୧୯୬୬)

ଆବୁତାବୁ

ଆବୁତାବୁଗିରି ସୁତା

ମାଆ ବୋଇଲେ ପଢ଼ରେ ପୁତା ।

ପଢ଼ିଲେ ଗୁଣିଲେ ଦୁଧ ଭାତ

ଗାଡ଼ି ଘୋଡ଼ା ସାଥେ ସାଥ ।

 

ଗାଡ଼ି ଘୋଡ଼ା ଯୋଡ଼ା ଯୋଡ଼ା

ସେଥିରେ ଯିବି ଆଗରପଡ଼ା ।

ଆଗରପଡ଼ା କେଉଁଠି ?

ମାମୁଁଘର ଯେଉଁଠି ।

 

ମାମୁଁଘର ଯାଉଁ

ଡାଲିଭାତ ଖାଉଁ ।

ଡାଲି ତ ଡାଲି ହରଡ଼ଡାଲି

ମାମୁଁ ଯିବେ କଟକ କାଲି

ବାବନ ବଜାର ତେପନ ଗଳି ।

 

କଟକ ସହର ବୁଲି ବୁଲି

ପଇସା ଦେଇ ବାର’ଣା

ଆଣିବେ କିଣି ଖେଳଣା ।

ଛବି ବହି ନାଲି ନୀଳ

ନୂଆ ସିଲଟ ପେନ୍‌ସିଲ୍‌

ପଢ଼ିବି ପାଠ ଅଆ

ଖୁସି ହେବେ ବାପମା’ ।

(ପେଁକାଳି)

 

ଖରା ମା

ଖରା ମା ଖରେଇ ଦେ,

ଚନ୍ଦନକାଠି ଘୂରେଇ ଦେ ।

ଝଡ଼ି ବରଷା କଟେଇ ଦେ,

ବାଆ ବାଦଲ ହଟେଇ ଦେ ।

 

ଖରାକୁ ଚାଣ୍ଡେ ଦେଖେଇ ଦେ,

ଧାନ ଚାଉଳ ଶୁଖେଇ ଦେ ।

ଗଛପତର ଝଳେଇ ଦେ,

ଦାଣ୍ଡରେ ମୋତେ ଖେଳେଇ ଦେ ।

(ପେଁକାଳି)

 

ଧାଇଁ ଗୁଡୁଗୁଡୁ

ଧାଇଁ ଗୁଡୁ ଗୁଡୁ ଧାଙ୍ଗୁଡ଼ୁ ଧାଁ

ଧାଇଁ ଧାଇଁ କରି ଘରକୁ ଯା’ ।

ଖସଡ଼ା ଭୂଇଁରେ ଖସୁଛି ପା’

ହୁସିଆର ହୋଇ ଆଗକୁ ଧାଁ ।

 

କଚାଡ଼ି ପଡ଼ିବୁ ଠାଆକୁଠା

ଗୋଡ଼ ଛିଣ୍ଡିଯିବ ହେବଟି ଘା’ ।

ଧାଇଁ ନ ପାରିଲେ ଏଇଠି ଥା’

ବସି ବସି ଭଲ ଗୀତଟେ ଗା ।

ପୋଡ଼ପିଠା କରି ରଖିଛି ମା’

ଦୁଧ ଗୁଡ଼ ଗୋଳି ପିଠାଟି ଖା’ ।

(ପେଁକାଳି)

 

କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)

ବାଇଆ ହାତୀ

ବାଇଆ ହାତୀ ରେ ବାଇଆ ହାତୀ

କୋଉ ବନସ୍ତରେ ଘର,

କିଏ ମାଇଲା ରେ ବାଇଆ ହାତୀକି

ଭାଙ୍ଗିଲା ପଞ୍ଜରା ହାଡ଼ ।୦।

 

ଉଞ୍ଚୁ ପରବତ କୁଞ୍ଚୁ କୁଞ୍ଚିକା ଲୋ

ଅଗନାଅଗନି ବନ,

ବଗ ଯାଇଥିଲା ମାଛ ଧରିବାକୁ

ବଗୁଲୀ ହରଷ ମନ ।୧।

 

ଶୋଇପଡ଼ିବ ମୋ ରଙ୍କସଂଖାଳି ଲୋ

ଡାକିଲା ବିଲୁଆନନା

ବାପା ଯାଇଛନ୍ତି ହାଟବଜାର ଲୋ,

ଆଣିଦେବ ରଙ୍ଗକନା ।୨।

(କବିଚନ୍ଦ୍ର ଗୀତାବଳୀ ୪ର୍ଥ ଖଣ୍ଡ)

 

ଆ...ଜହ୍ନମାମୁଁ

ଆ.........ଜହ୍ନମାମୁଁ            ସରଗଶଶୀ

ମୋ କାହ୍ନୁ ହାତରେ            ପଡ଼ରେ ଖସି ।୦।

ବାଆ ବୋହିଲାଣି            ସୁଲୁସୁଲିଆ,

ଧନମଣି ମୋର            ବଡ଼ ହାଲିଆ ।

ଶୋଇ ପଡ଼ିବ ମୋ            କୋଳରେ ପଶି

ପିଠି ଚାପୁଡ଼େଇ ଦେବି ଆଉଁଶି ।୧।

 

କିଆଦୁଦା ତଳେ            ବୁଢ଼ା ବିଲୁଆ,

ରଡ଼ି ଛାଡ଼ିଲେଣି ‘ହୁକ୍‌କେହୁଆ’ ।

ବାଇଆ ହାତୀକୁ ଡର ଲାଗୁଛି

କେତେ ରଡ଼ୁଥାଇ            ବିଲୁଆ ବସି ।୨ ।

(କବିଚନ୍ଦ୍ର ଗୀତାବଳୀ ୪ର୍ଥ ଖଣ୍ଡ)

 

ଧୋ’ରେ ବାଇଆ ଧୋ’

ଧୋ’ରେ ବାଇଆ ଧୋ’

ଯୋଉ କିଆରିରେ ଗହଳ ମାଣ୍ଡିଆ

ସେଇ କିଆରିରେ ଶୋ ।୦।

 

ଉଞ୍ଚ ପରବତ କୁଞ୍ଚିକୁଞ୍ଚିକା ଲୋ

ନିଦୁରୁ ମାଉସୀଘର

ଆ’ ଲୋ ମାଉସୀ ଶୁଆଇ ଦେଇ ଯା’

କଳାକାଇଞ୍ଚକୁ ମୋର। ୧ ।

 

ଝିରି ଝିରି ପାଣି ଝରଣାକୂଳେ ଲୋ

ଝୁଲୁଛି ବାଇଆ ହାତୀ,

ମୋ ବାଇଆ ହାତୀ କୋଳରେ ଝୁଲଇ

ପାହି ଯିବାଯାଏଁ ରାତି ।୨।

 

ବାଇଆ ଧନକୁ ନିଦ ମାଡ଼ିଲାଣି

ଘନ ଘନ ମାରେ ହାଇ,

ଘୂମାଇ ପଡ଼ ରେ ମୋ ରଙ୍କପସରା

ଦୁଧ କଳେ କଳେ ଖାଇ ।୩।

(କବିଚନ୍ଦ୍ର ଗୀତାବଳୀ ୪ର୍ଥ ଖଣ୍ଡ)

 

ଚଉବାହ ତୋର ସାହା

ଶୋଇପଡ଼ ଆରେ ନୟନ ସଂଖାଳି

ରାତି ଏବେ ପାଇନାହିଁ,

ପିଠି ଚାପୁଡ଼ାଇ ଶୁଆଇ ଦେବି ରେ

ଗୀତ ପଦେ ପଦେ ଗାଇ ।୦।

 

ଉଠିଚୁ ସକାଳ କାଉ ଡାକ ଦେଲେ

ବୋହିଲେ ଶୀତଳ ବାଆ,

ବାଉଁଶବଣରେ କିଚିରିମିଚିରି

ଡାକ ଦେବେ ବଣିଛୁଆ ।୧।

 

ଗେଲ କରି ତୋତେ କୋଳରେ ବସାଇ

ପିନ୍ଧାଇ ଦେବି ମୁଁ ପାଟ,

ରଙ୍ଗବାଡି ଦେବି ବୁଢ଼ୀମାଆ

ହସି ଦେଖାଇବୁ ନାଟ ।୨।

 

କାଲିକି କାଲି ତୁ ବଡ଼ ହେବୁ ବାପା

ରଖିଚୁ ବାପର ନାଆଁ,

ଧରମା ବାଳୁତ ଯୋଉ ମାଟି ପିଲା

ସେଇ ତ ଆମରି ଗାଆଁ ।୩।

 

ପାଠଶାଠ ପଢ଼ି ଯୋଗ୍ୟ ହେବୁ ପୁଣି

ଗଢ଼ିବୁ ବଡ଼ ଦେଉଳ,

ତୋତେ ଆଶା କରି ଧନମାଳି, ସତେ

ହସି ମୁଁ କାଟୁଛି କାଳ ।୪।

 

ଖଟି ଖାଇବାକୁ ଡରିଯିବୁ ନାଇଁ

ଥାଉ ଥାଉ ଦୁଇ ବାହା

ଖାତର ନ କରି ସତ କହିଚୁ ରେ

ଚଉବାହା ତୋର ସାହା ।୫।

(କବିଚନ୍ଦ୍ର ଗୀତାବଳୀ ୪ର୍ଥ ଖଣ୍ଡ)

 

ଚନ୍ଦ୍ରଶେଖର ମିଶ୍ର (୧୯୦୦)

ଶିଶୁର ଶୟନ ସଙ୍ଗୀତ

ଶୋଇପଡ଼ ଶୋଇପଡ଼ ରେ

ବାୟାମଣି ନିରବେ,

ଘରେ ଘରେ ପିଲା ତୋ’ପରି

ଶୋଇଲେଣି ସରବେ ।

 

ମାଡ଼ିଯାଉଅଛି ଅନ୍ଧାର

ଜଳସ୍ଥଳଗଗନ,

ଦୂର ପରବତ ନ ଦିଶେ

ଲୁଚିଗଲାଣି ବନ ।

 

ଗଛେ ଗଛେ ଫୁଲ ଶୋଇଛି

ପକ୍ଷୀ ମାଆର କୋଳେ,

ଆରାମେ ଶୋଇଛି ଶାବକ

ସୁଖସ୍ୱପନଭୋଳେ ।

 

ଶୋଇପଡ଼ ଶୋଇପଡ଼ ରେ

ବାୟାମଣି ନିରବେ,

ଘରେ ଘରେ ପିଲା ତୋ’ପରି

ଶୋଇଲେଣି ସରବେ ।

 

ହାତୀ ଦେବି ଘୋତ଼ା ଦେବି ମୋ

ଧନମାଲୀକି ଆଣି,

ପୁଅ ମୋର ପାଠ ପଢ଼ିବ

ହେବ ଜଗତେ ଜ୍ଞାନୀ ।

 

ଶୋଇପଡ଼ ବାୟାମଣି ରେ

ରାତି ଆସୁଛି ଧାଇଁ,

ଜଗତ ଠାକୁର ରଖିବେ

ତୋତେ ଘଣ୍ଟ ଘୋଡ଼ାଇ ।

 

ଲୋକନାଥ ପଟ୍ଟନାୟକ (୧୯୦୦-୧୯୬୫)

ମୋର ସୁନାପୁଅ ରେ

ମୋର ସୁନାପୁଅ ରେ ମୋର କୁନିପୁଅ ରେ

ନ କାନ୍ଦ ନ କାନ୍ଦ ଅରେ ତୁନି ହୁଅରେ ।୦।

 

ଦେ ବଳଦ ଟାଣିଟୁଣି

ଆଉ ନ ଥିବ ଦୋଓଡ଼ା ପାଣି

ପିଇଦେଲେ ତୁ ପଖାଳପାଣି

ଶୁଆଇ ଦେବି ଭାତକୁ ଛାଣି

ପିଇଦେଇ ଆଉ ଥରେ ଘରେ ଶୁଅ ରେ ।୧।

 

ଗଡ଼ି ଗଲାଣି ଛାଇରେ

ଦେ ବେଇଗି ଖାଇ ରେ

ଆମର ଚୁଢ଼ୀ ଗାଈ ରେ

ଡାକେ ଗୁହାଳେ ଥାଇ ରେ

ଅଝଟ ମୋ ଧନମାଳୀ ଆଉ ନୁହ ରେ ।୨।

 

ଆସିଲା ଶଙ୍ଖା ବିଲେଇ

ନିଶାକୁ ଦେଇ ଫୁଲେଇ

ଖାଇବ ବୋଲି ଅଇଣ୍ଠା ତୋର

ଲାଙ୍ଗୁଡ଼ଟାକୁ ହଲେଇ

ଧୋଇଦେବି ଏଇନେ ତୋ ଚାନ୍ଦ ମୁହଁରେ ।୩।

(କଟକ ଆକାଶବାଣୀ ସୌଜନ୍ୟରୁ)

 

ରଘୁନାଥ ମହାନ୍ତି (୧୯୦୦)

ପୁଅ ଖେଳାଇବା ଗୀତ

ଆରେ ବାପଧନ ମୋ ରଙ୍କରତନ

ଅଝଟ କିପାଇଁ ହେଉ,

ନେଏ ରେ ଖେଳନା ତୋ ମନଫୁଲଣା

କିଆଁ କାନ୍ଦି ଦୁଃଖ ଦେଉ ?

 

ଲକ୍ଷେ ଓଷା ବାର କଷ୍ଟେ କରିବାର

ଫଳ ଦେଇଛନ୍ତି ବିଧି,

ଅପୂର୍ବ ଦରବ ଦରିଦ୍ର ଦୁର୍ଲଭ

ତୋତେ ପରା ଅଙ୍କନିଧି ।

 

ଛନକା ଛାତିରେ ପଶଇ ଭୀତିରେ

ଗଲେ ମୋ ଆଖି ଆଗରୁ,

କୂଅ ପୋଖରୀକୁ ଆଗ ଖୋଜିବାକୁ

ଯାଏ ବାହାରି ମୁଁ ଘରୁ ।

 

ତୋ ରୂପ ମାଧୁରୀ ତୋ କଥା ଚାତୁରୀ

ଲାଗେ କଉତୁକ ପରା,

ଡାକିଲେ ପାଖକୁ ପଳାଉ ଦୂରକୁ

ନପଡ଼ୁ ହାତରେ ଧରା

ଧୂଳିଆ ଧୂସର ହୋଇ ଧୂଳିଘର

କରି ଖେଳୁ ନାନାରଙ୍ଗେ,

କେତେ ଜିଦି ଧରୁ କେତେ ରାଗ କରୁ

ଦିକିସିକି ମୋର ସଙ୍ଗେ ।

 

କୋଳରେ ଶୁଆଏ ଦୁଧ ମୁଁ ପିଆଏ

ବୋଲି ନାନାବାୟା ଗୀତ,

ଦୁଧରୁ ବହୁତୁ କିପରି ପିଅନ୍ତୁ

ଭାଳୁଥାଏ ମୋର ଟିତ୍ତ ।

(ଗାଆଁ ମାଇପଙ୍କ ଗୀତ)

 

ଉପେନ୍ଦ୍ର ତ୍ରିପାଠୀ (୧୯୦୩)

ମାଆର ଶିଶୁ ଶୁଆ ଗୀତ

(୧)

ଧନମଣି ରେ ଧନମଣି,             ତୁ ଶୋଇପଡ଼ ରେ ଧୀରେ,

ବୁଜିଲେ ଆଖି ଦେଖିବୁ ଧାଇଁ             ଆସିବେ କେତେ ବୀରେ ।

ବାରବାଟୀର ବଟ ଛାଇରେ ବୀରରୁ ଦଳେ ବସି,

ବାଉଥିବେ ରେ ବୀର ଚାଇଦ       ମୁରୁକି ହସି ହସି,

ନାଚୁଥିବେ ରେ ଥୋକାଏ ଧରି       ଧନୁ ଖଡ଼ଗ ଢାଲ,

ଚାହୁରେ ବାହୁ ମିଳାଇ ନେଇ             ଦଳେ ଓଡ଼ିଆ ମାଲ ।

 

ଧନମଣି ରେ ଧନମଣି,             ତୁ ନିଦରେ ପଡ଼ ଶୋଇ

ଦେଖିବୁ ତୋର ଆସିବ ଧାଇଁ       ହସି ଧରମା ଭାଇ

ବଜାର ବରଷ ଟୋକା ବକଟ       କଅମ କାମ କଲା ?

କୋଣାରକର ଦେଉଳ ଚୂଳି             ଏକାକୀ ମାରି ଦେଲା ।

ବାରଶ ନାମୀ ବଢ଼େଇ ମିଶି ପାରିଲେ ନାହିଁ ଯାହା

ଧରମା ଏକା କରି ଶେଷରେ             ମରିଲା ପୁଣି ଆହା !

 

ଧନମଣି ରେ ଧନମଣି,             ତୁ ଶୋଇପଡ଼ରେ ନିଦେ

ଶୁଣିବୁ ଯେବେ ଆଗକାଳର ଓଡ଼ିଆ ଗୀତ ପଦେ ।

ଦୁନିଆ ସାରା ଖୋଜି ଆସିଲେ       ପାଇବୁ ନାହିଁ କାହିଁ

ରସରସିଆ କବିତା ଯେତେଓ ଡ଼ିଆ ଅଛି ଗାଇ ।

କାଲି ସକାଳେ ମଧୁସୂଦନ, ଫକୀର, ରାଧାନାଥ

ଗାଇଲେ ଯେତେ ଓଡ଼ିଆ ଗୀତ       କିଏ ଦେବରେ ହାତ ?

 

ଧନମଣି ରେ ଧନମଣି,             ତୁ ଶୋଇପଡ଼ ରେ ବେଗି

ଦେଖିବୁ ଯେବେ କଳାପାହାଡ଼       ଧାଇଁ ଆସିବ ରାଗୀ...

ଧୂଳିରେ ତୋର ମିଶାଇଦେବ       ଦେଉଳ ଶହ ଶହ,

ଦୁନିଆଟାରେ ଏଡ଼ିକି ପାଜି କିଏ ସେ ଅଛି କହ।

ଜନମିଥିଲା ମଣିଷ ହୋଇ ଆପଣା ଦୋଷୁଁ ସିନା,

କାଳ କାଳକୁ ପଶୁ ରହିଲା             ଉଡ଼ିଲା କଳା ବାନା

 

ଧନମଣି ରେ ଧନମଣି,             ତୁ ସହଳ ପଡ଼ ଶୋଇ,

ବୋଇତ ଆଣି ସପନ ତୋତେ ଜାଭାକୁ ନେବ ବହି।

ଦେଖିବୁ ତହିଁ ଓଡ଼ିଆପୁଅ             ଗାଏ ଓଡ଼ିଆ ଗୀତ

‘ଓଡ଼ିଶା ସିନା ଘର ଆମର ବାଲି ଜାଭାରେ ଭାତ’ ।

 

ରତନଭରା ବୋଇତ ପୁଣି ଆସିବୁ ତହୁଁ ଫେରି,

ଧନଟି ମୋର ଶୋଇ ପଡ଼ରେ       ରାତି ହେଉଛି ଡେରି ।

(ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ)

 

ଟୁଉକୁ ମୂଷି ଗୀତ

‘ଟୁଉକୁ ମୂଷି’

ତୁଉ ଥା ମୁଁ ଯାଉଛି ରୁଷି,

ପୁଷି ଆସି ଯେବେ କହିଲା

ବିଦୁନି ଆମର ବୁଲି ଯାଉଥିଲା

ସେଇଠି ଅଟକି ରହିଲା ।

 

ପୂଷି ମାଉସୀ

କାହିଁକି ଯେ ତୁମେ ଯାଉଛ ରୁଷି ?

କଅଣ ତୁମର ହେଲା କି ?

କିଏ ସେ କଅଣ ଅବା ଖାଇଗଲା

ତୁମକୁ ତାହା ନ ଦେଲା କି ?

 

ଟୁଉକୁ ମୂଷି,

କଥା ଶୁଣି ତୋର ହୋଇଲି ଖୁସି

ପାଖକୁ ଟିକିଏ ଅଇଲୁ

ତୋହର ମୋହର ମିତ ବନିଯିବା

କାହିଁକି ଦୂରେଇ ରହିଲୁ ?

(ପଣ୍ଡିତ ଉପେନ୍ଦ୍ର ଗ୍ରନ୍ଥାବଳୀ)

 

ବାଇଚଡ଼େଇ

ବାଇଚଡ଼େଇ ରେ ବାଇଚଡ଼େଇ

ଗଛରୁ ପତର ଦେ’ ଝଡ଼େଇ ।

ଫୁଲରୁ ଅତର ବାସନା ଆସୁ

ଗହୀର ନଈରେ ନାଆଟି ଭାସୁ ।

 

ଥିରି ଥିରି କରି ବୋହୁଛି ବାଆ

ବାଇଚଢ଼େଇ ତୁ ବସାରେ ଥାଆ ।

ଦୋହଲି ଦୋହଲି ଖେଳିଚୁ ଦୋଳି

ଭୋକ କଲେ ଆସି ଖାଇବୁ କୋଳି ।

 

ଶୋଷ କଲେ ନଈ ପାଣି ପିଇବୁ

ଉଡ଼ିଯାଇ ମାଆ କେଳେ ଶୋଇବୁ ।

ଭାଜିଗଲେ ନିଦ ଆସିବୁ ଉଡ଼ି,

ଗୁଡ଼ିଆଣୀ ଘରୁ ଖାଇବୁ ମୁଢ଼ି ।

 

ଗରମ ଗରମ ସେତକ ଖାଇ

ମାଆ କୋଳେ ଶୋଇ ମାରିବୁ ହାଇ ।

ଆସିଯିବ ଯେବେ ନିଦଦେବତା

ମୁଦିଯିବ ତୋର ଆଖିର ପତା ।

 

ଆରାମରେ ତୋର କଟିବ ଦିନ,

ମୁହିଁ କିଆଁ ହେବି ତୋହଠୁଁ ହୀନ ?

ତୋହର ମୋହର ହେବା ସଙ୍ଗାତ,

ଦୋହଲି ଦୋଳିରେ ଗାଇବା ଗୀତ ।

(ପଣ୍ଡିତ ଉପେନ୍ଦ୍ରଗ୍ରନ୍ଥାବଳୀ)

 

ଗା’ ଲୋ ବେଙ୍କୁଲି, ଗା’

ଗା’ଲୋ ବେଙ୍ଗଲି, ଗା’

ବରଷା ଋତୁ ଏ ଚିହ୍ନେଇ ଦେଲାଣି

ବୋହି ମଉସୁମୀ ବାଆ ।

 

ମଉସୁମୀ ବାଆ ବୋହିଲା ଆସି

କାଳିଆ ମେଘରୁ ପାଣି ବରଷି

ନଈ ନାଳ ଯିବ ପୂରି

ବଢ଼ିଲା ନଈରେ ଭଉଁରୀ ଖେଳିବ

ଏଣେ ତେଣେ ଘୂରି ଘୂରି ।

 

ଗା’ଲୋ ବେଙ୍ଗୁଲୀ, ଗା’

ବରଷା ଅଇଲେ ତିନ୍ତିଯିବ ଦେହ

ସାରୁଗଛ ମୂଳେ ଥା’ ।

 

ଛତା ହେବ ତୋର ସାରୁପତର

ବରଷାକୁ ଆଉ ନଥିବ ଡର

ଲାଗିଲେ ପେଟକୁ ଭୋକ

ଡେଇଁ ତେଇଁ ବୁଲି ଖୁସିରେ ଖାଇବୁ

ଯେତେକ ଝରିଆ ପୋକ ।

 

ଗା’ଲୋ ବେଙ୍ଗଲି, ଗା’

ମେଘୁଆ ରାତିରେ ପୁଅ ଶୁଆଇବ

ଉଚ୍ଛନ୍ନ ହେଉଛି ମାଆ ।

 

ବାଇଆ ମାଆ ଲୋ ବାଇଚଢ଼େଇ

ମାଆ ତୋ’ ଯାଇଛି ଗାଈ ଅଡ଼େଇ

ସେ ଆଡୁ ଆଣିବ ପାଚିଲା ବେଲ

ତୁ’ ଖାଇକରି ହୋଇବୁ ଗେଲ

ଏଇ ଗୀତଗୋଟି ଗାଇ

ଥାପୁଡ଼େଇ ଦେଲେ ଶୋଇଯିବ ଧନ

ମାଆ ପାଇଯିବ ତ୍ରାହି ।

(ପଣ୍ଡିତ ଉପେନ୍ଦ୍ର, ଗ୍ରନ୍ଥାବଳୀ)

 

ଉଦୟନାଥ ଷଡ଼ଙ୍ଗୀ (୧୯୦୫)

ଚକା ଚକା ଭଉଁରୀ

ଚକା ଚକା ଭଉଁରୀ ।

ମାମୁଁଘର ବହୁ ଦୂର ନାଆ ଫିଟା ନାଉରୀ ।

ଚକା ଚକା ବୋଇତ

ଦିଅଁ ପୂଜା ପାଇଁ ତ

ନଇଁପଡ଼ି କଇଁଫୁଲ ତୋଳିଆଣ ବହୁତ ।

 

ଚକା ଚକା ଥାଳିଆ ଆମେ ଏକମେଳିଆ,

ବୁଲିପଡ଼ି ଚାଲିଗଲେ ବୋଝ ନେବ କାଳିଆ ।

ଚକା ଚକା ଚକୁଳି

ଆସ ଯିବା ସଙ୍ଖୁଳି

ଆଗ ହେବ ସୁନାପାଗ ପଛେ ପୌଡ଼ା ବକୁଳି ।

 

(ଚକା ଚକା ଭଉଁରୀ ୧୯୫୭)

ବାଇଚଢ଼େଇ

‘‘ବାଇଚଢ଼େଇ ରେ ବାଇଚଢ଼େଇ

ବାଆ ଆସିଲାଣି ଧୂଳି ଉଡ଼େଇ ।

ଏତେ ଉପରେ ତୁ ଝୁଲୁଚୁ ଏବେ,

ମରିଯିବୁ ତଳେ ପଡ଼ିବୁ ଯେବେ ।’’

 

‘‘ନ ମରିବି ମୁହିଁ ଆରେ ବାଳକ,

ଏହିପରି ଅଛି କାଳକାଳକ;

ତୁମ ଘରଠାରୁ ମୋ’ ଘର ଟାଣ,

ଦୋହଲିବି ଖାଇ ବାଆ ପବନ ।’’

 

‘‘ନେବୁ କିରେ ତୋହ ଘରକୁ ମୋତେ ?

ଦୋଳି ଖେଳୁଥିବି କୁଣ୍ଢାଇ ତୋତେ ।”

‘‘ରହିବୁ ମଉଜେ ତୁ ତଳଘରେ,

ମୁହିଁ ରହିଅଛି ଗଛ ଉପରେ ।

 

ଏତେ ଉପରକୁ ଆସିବୁ କିଆଁ ?

ତର ଲାଗିବ ରେ ହେବୁ ଛାନିଆ ।

ଯାହାପାଇଁ ଯାହା ଅଛି ଭିଆଣ

ହେବନାହିଁ ଭଲ କଲେ ତା’ ଆନ।’’

(ଚକା ଚକା ଭଉଁରୀ)

 

ରାତି ପାହିଲା

ଉଠିପଡ଼ ଉଠିପଡ଼ ରାତି ପାହିଲା,

କାଆ କାଆ କାଆ ଡାକି କାଉ କହିଲା,

‘‘ଶୁଅନାହିଁ ବାପଧନ ଆଉ ଶେଯରେ,

ଅଳସୁଆ କହିବେଟି ମନେ ହେଜ ରେ ।’’

 

ସୁଲୁ ସୁଲୁ ବୋହିଆସି କହେ ପବନ,

‘‘ଶୋଇଥିଲେ ଶୋଇଥିବ ସାରା ଜୀବନ ।

ତୁମ ହିତ ଲାଗି ମୁହିଁ ଗୀତ ଗାଉଚି,

କାମେ ମନ ଦିଅ ବାବୁ, ବେଳ ଯାଉଚି ।’’

 

ହସି ହସି ଗଛତାଳେ ପତ୍ରଗହଳେ

ତୁମ ହସ ଦେଖିବାକୁ ପତ୍ର ଦୋହଲେ ।

ହସମୁଖେ ଲାଗିଯାଅ ଧନ କାମରେ,

ଧନ୍ୟ ଧନ୍ୟ ପଡ଼ିଯିବ ତୁମ ନାମରେ ।

 

ମନ ଦେଇ କାମ କଲେ ଯଶ ପାଇବ,

ରାତି ହେଲେ ଗାଢ଼ ନିଦେ ସୁଖେ ଶୋଇବ ।

(‘ଚକା ଚକା ଭଉରୀ’)

 

ରାମକୃଷ୍ଣ ନନ୍ଦ (୧୯୦୬)

ଚକା ଚକା ଭଉଁରୀ

ଚକା ଚକା ଭଉଁରୀ

ମାମୁଁଘର ଚଉଁରୀ

ମାମୁଁ ମତେ ମାଇଲେ

କେତେ କଥା କହିଲେ

ବୁଝେଇ ସୁଝେଇ ପୁଣି

ଦୁଧଭାତ ଖୋଇଲେ ।

 

ମାମୁଁଘର ଅଗଣାରେ

ନାଲି ନେଳି ପଥର,

ଫୁଲ ଫୁଟି ବାସୁଥାଏ

ସତେ ଅବା ଅତର ।

 

ମାମୁଁଘରେ ବାଜୁଥାଏ

ଯୋଡ଼ା ଯୋଡ଼ା ମହୁରୀ,

ଚକା ଚକା ଭଉଁରୀ ଗୋ

ମାମୁଁଘର ଚଉଁରୀ । (ଝୁମୁକା)

 

ହାତୀନେ, ଘୋଡ଼ା ନେ

ହାତୀ ନେ, ଘୋଡ଼ା ନେ

ମୋ ପେଏଁ କାଳି ବଜେଇ ଦେ,

ମୋତି ନେ, ହୀରା ନେ

ମୋ ଘରଟିକି ସଜେଇ ଦେ ।

 

ସୁବର୍ଣ୍ଣର ଥାଳି ନେ

ମାଣିକାର ମାଳି ନେ

ମୋ ଗୁଡ଼ିଟିକୁ ଉଡ଼େଇ ଦେ,

ମୋ ଛବି ବହି ପଢ଼େଇ ଦେ ।

 

ଜାମା ନେ, ଜୋତା ନେ

ଜରି ପାଟଛତା ନେ,

ମୋ ବରକୋଳି ଝଡ଼େଇ ଦେ,

ମୋ ଖେଳଘର ଗଢ଼େଇ ଦେ ।

 

ଶାରୀ ନେ, ଶୁଆ ନେ,

ଧଳା ଭାଲୁଛୁଆ ନେ,

ମୋ ଚକଟିକୁ ବୁଲେଇ ଦେ,

ମୋ ବେଲୁନ୍‌କୁ ଫୁଲେଇ ଦେ ।

 

ଖିରି ପୁରି ଖଜା ନେ,

ବଡ଼ ମାଛଭଜା ନେ,

ମୋ ଦୋଳିଟିକୁ ହଲେଇ ଦେ,

ମୋ ସାଇକେଲ ଚଲେଇ ଦେ ।

 

ହୀରା ନୀଳା ମୋତି ନେ

ମୋ କଣ୍ଢେଇକି ସଜେଇ ଦେ,

ଘୋଡ଼ା ନେ, ହାତୀ ନେ,

ମୋ ପେଁଏକାଳି ବଜେଇ ଦେ ।

(ଝୁମୁକା)

 

ଆସନ୍ତା ମାସର ପହିଲା

ଆସନ୍ତା ମାସର ପହିଲା

ଆସନ୍ତା ବାପୁନି ଜନମଦିନ

ରେଡ଼ିଓ ଖବର କହିଲା ।

 

ଆସିବ ସେଦିନ ସରଗପରୀ

ନୂଆ ଜାମାପଟା ସାଥିରେ ଧରି

ପକ୍ଷୀରାଜ ଘୋଡ଼ା ବାପିକି ଦବ

ନନ୍ଦନକାନନ ବୁଲାଇ ନବ

ରେଡ଼ିଓ ଏକଥା କହିଲା ।

ମନେରଖ ବାପି ଜନମଦିନ

ଆସନ୍ତା ମାସର ପହିଲା ।

(‘ମନପବନ’ ନଭେମ୍ୱର ୧୯୮୧)

 

ଚୁଟିଆ ମୂଷାର ଚାତର

ଚୁଟିଆ ମୂଷାର ଚାତର

ନିଶରେ ଲଗାଇ ଅତର

ଚୁଟେଇ ମୂଷିକ ପାଖରେ ବସାଇ

ଚଳାଉଥିଲା ସେ ମଟର ।

 

ବାଟରେ ଯେତେକ ବିଲେଇ କୁକୁର

ପଳାଇଲେ ଛିନ୍‌ଛତର ।

ଅନନ୍ତ ପଟ୍ଟନାୟକ (୧୯୧୦)

 

ହୋଓର ବାଇଆ ହୋ

ଖଜା ପାରୁଁ ମୁଆଁ ପାରୁଁ

କାହିଁ ଖଜା ମୁଆଁ ରେ,

ମଜା ଖାଲି ପାପୁଲିରେ

ଖୁଲୁଖୁଲୁ ଛୁଆଁ ରେ ।

 

ଯା’ ଘୂରିଯା’ ପତର ଚକି,

ଯା’ ଗଡ଼ିଯା’ ବଲ୍‌,

ଆ’ ଝଡ଼ିଆ ଗଙ୍ଗଗିଉଳୀ

ବସାରୁ ଚଢ଼େଇ ଚଲ୍‌ ।

 

ଇସୁକୁଲ୍‌ ହତା ମାଡୁ ନ ମାଡ଼ୁ,

କିଏ ସେ ଘରକୁ ଛୁ ।

 

ସିଏ କି ଜାଣିନି ପାଠ ପଢ଼ିଥିଲେ

ନ ଥାଏ ମନରେ କୁଁ ।

 

ବାଡ଼ିରେ ବାଡ଼ିରେ ପିତାତରଡା

ବାଲିଗରଡ଼ା ରେ ବାଲିଗରଡ଼ା,

ପାଣିରେ କି ତୋର ନିତି ଝଗଡ଼ା

ଆ’ ଗଡ଼ିଆ, ତୋ ଲାଗି ରହିଚି

ବଗଡ଼ୀ ଭାତକୁ ଶାଗଖରଡ଼ା ।

 

ହୋଓ ରେ ବାଇଆ ହୋଓ,

ଜହ୍ନ ଏଇ ପଡ଼ିଲା ଝରି

ମନର ମହଳ ଧୋଓ,

ହୋଓ ରେ ବାଇଆ ହୋଓ

ଘାସପଡ଼ିଆରେ କାକରଟୋପା

ଖେଳରେ ଖେଳରେ ଘୋଓ ।

 

କଣ୍ଟାଗଛେ ବାସନାଫୁଲ

ଝଟକେ ହୀରା କୋଇଲା କୋଳେ,

ଘଣ୍ଟା କରେ ସମୟମୂଲ

ଛଟକା ମୀନ ଦେଉରେ ଦୋଳେ ।

 

ଦେଏରେ ବାଘ ଦେଏ ରେ ବଳ

ତୋହରି ପରି ଛାଡ଼ିବି ରଡ଼ି,

ହଇଟା ଦେଇ ଭଗାରିଦଳ

ଦେବି ମେ ଦେଶସୀମାରୁ ତଡ଼ି । (ଶିଶୁଲେଖା)

 

ନିତ୍ୟାନନ୍ଦ ମହାପାତ୍ର (୧୯୧୨)

ନାନାବାଇ

ନାନାବାଇ ନାନାବାଇ,             ଫୁଲ ଖାଇଗଲା ଗାଭ

ଫୁଲ ନାଲି ଟହଟହ,             ବାସୁଥାଇ ମହମହ

ବଡ଼ ଧୀର, ହୁଅ ଥିର ।

ନାନାବାଇ ନାନାବାଇ,             ମାଆ ଗଲା ଆଣି ଗାଈ

ଖିଆ ତୋର ହଉନି,             ବିନା ସର ଲହୁଣି

ନେବୁ ଦୁହିଁ କାଲି ତୁହି ।

ନାନାବାଇ ନାନାବାଇ,             ବାପ ତୋର ମାହୁନ୍ତ

ଧରୁଥିଲେ ଖଣ୍ଡା,                   ରଣେ ଥିଲେ ରାଉତ

ତାଙ୍କ ସରି ଯୋଦ୍ଧା                   ହେବାକୁ ତୁ ଚାହୁଁ ତ

ଆଜି ଧୀରେ ଶୁଅରେ,             ହେବୁ ସୁନା ପୁଅରେ ।

 

ବାପଧନ ବାପଧନ             ସୁକୁମାର ଫୁଲଟି

ଦୁନିଆରେ କିଏରେ             ତୋହ ସମତୁଲଟି

ଆଜି ତୁହି ଶୁଅ ରେ             ଛୋଟ କତୁକୁଲଟି

କାଲି ପୁଣି ଉଠିବୁ                   ଦୁଧସର ଲୁଟିବୁ ।

 

ବାଇଆ ରେ ବାଇଆ ରେ             ବୁହାନାହିଁ ଲୁହରେ

କାଲି ପୁଣି ଉଠିବୁ                   ଆଜି ଧୀରେ ଶୁଅ ରେ

ସେଦିନଟି ଆସୁଛି                   ତର ତୋର ନ ଥିବ

ଶୋଇବାକୁ ଟିକିଏ                   ଚାହିଁ କାଳ ବିତିବ ।

 

ବାଇଆ ରେ ବାଇଆରେ             ଆସୁଛି ରେ ସେ ବେଳ,

ନିଦ ତୋର ଭାଜିବ             ବାଜି ରଣ ମାଦକ,

ଗଜପତି ଦେବେ ରେ             ଯେବେ ତୋତେ ଆଦେଶ

ଶୋଇବୁ ତୁ ତେବେ ରେ             ଚେଇଁ ଦେଇ ଏ ଦେଶ ।

ନାନାବାଇ ନାନାବାଇ             ଶୁଅ ହୋଇ ତୁନି ରେ

କାଲି ପୁଣି ଉଠିବୁ                   ଉଠିବୁ ତୁ ପୁଣିରେ ।

 

ଶୁଣିବାକୁ ନ ଦେବି                   ଏ ଦେଶର ଦୀନତା

ହତାଶର ଭାବନା                   ଅତି ବଡ଼ ହୀନତା ।

ମନେରଖ ଏତକ                   ଦିନେ ତୁହି ଉଠିବୁ

ତୋ ଦେଶର ପାଇଁକି             ବାଇୟା ତୁ ଛୁଟିବୁ ।

ବଇରି ତୋ ବହୁତ                   ନ କାନ୍ଦରେ ତୁହାଇ

ତାଙ୍କ ଦେହ ରକତ                   ଦେବୁ ଦିନେ ବୁହାଇ।

ନାନାବାଇ ନାନାବାଇ

(‘ଜହ୍ନମାମୁଁ, ଫାଲଗୁନ,୧୩୪୨)

 

କୁଞ୍ଜବିହାରୀ ଦାଶ (୧୯୧୪)

ଉଦୁଉଦୁମା

ଉଦୁଉଦୁମା,             ଧୂସରଧୁମା ।

ବଉଦ ଖୁଡ଼ୀ,             କୁହୁଡ଼ି ବୁଢ଼ୀ ।

ଧାଇଛିଁ କାହିଁ,             ଭୂତର ଭାଇ ।

କଣ୍ଟାର ଟଟି,             ଚଇତନ ଚୁଟି ।

 

ଝୋଟର ଦାଢ଼ି             ଓଟର ଗାଡ଼ି ।

ମେଘର କେଶ,             ଆଘୋରି ବେଶ ।

ଝପର ଝାଇଁ             ତରନା ଭାଇ ।

ଘଟରଘୁମା             ଉଦୁଉଦୁମା ।

 

ଉଦୁଉଦୁମା             ଦେହଟା ରୁମା ।

ରୋଦରେ ଭାତ             ପୂରେନା ପେଟ ।

ନଈଏ ଡାଲି             ପତର ଖାଲି ।

ଦରିଆ ପାଣି             ଶୋଷଇ ଟାଣି ।

 

ଦୁଇ ପହରେ             ନଭ ପହଁରେ ।

ଗରଜେ ରାତି             ସାପର ଜାତି ।

ମୁକୁଟ ଦେଇ             ନାଚଇ ସେଇ ।

ବାଘର ଟିର             ଦୁହଁଇ କ୍ଷୀର ।

 

ଅନ୍ଧାର ଘୋଡ଼ା             ଛୁଟାଏ ଥୋଡ଼ା ।

ବିଜୁଳି ଛାଟ             ଚକ୍‌ଚକ୍‌ ବାଟ ।

ଡରନା ଜମା             ତାଳ ଗୋଟମା ।

ପିତ୍ତଳ ସମା             ଝମ୍‌ ଝମ୍‌ ଝୁମା ।

ଉଦୁଉଦୁମା ।

(କୁଞ୍ଜବିହାରୀ ସଞ୍ଚୟନ, ୩ୟ ଭାଗ)

 

କଳାକାହ୍ନୁ ମୋର ପଡ଼ିବ ଶୋଇ

କଳାକାହ୍ନୁ ମୋର ପଡ଼ିବ ଶୋଇ ରେ

ଶୋଇପଡ଼ିବ ମୋ କାଇଁଚମାଳୀ,

ବାଆ ସରସର ମଥାନ ଖେତରୁ

ବାଇଆ କହୁଚି ଆସିବ ବୋଲି ରେ

ଆସିବ ବୋଲି ।

 

ଚଢ଼େଇ ଛୁଆଟି ଦରଦର କଥା

କହେ ଘୁମାଇ ରେ କହେ ଘୁମାଇ,

ଲତାମାଆ ତା’ର କୁନି କଢ଼ିଟିକି

ଦିଏ ଶୁଆଇ ରେ ଦିଏ ଶୁଆଇ ।

 

ଆଲୁଅ ପାଖରେ ନାଚଇ ଛାଇ ରେ

କୋକମିନା ପରି ହୋଇ ବାଇଆ,

ମୋ ଗୁନ ଆଖିରେ ଟିପ ଚାଳିଦେବେ

ସରଗ ଦେବତା ବଡ଼ବଡ଼ିଆରେ

ବଡ଼ ବଡ଼ିଆ ।

 

ବାଙ୍କେ ବାଙ୍କ ନଈ କି ଗାତ ଗାଏ ରେ

ଲହରୀକି କାଟି ଚାଲଇ ନାଆ,

ନାଉରୀ ପିଲାଟି ସୁନୀରାଇଜର ସପନେ ହସଇ

ବୋହିଆସେ ସୁଲୁସୁଲିଆ ବାଆରେ

ଫୁଲିଆ ବାଆ ।

 

ଦରିଆ ପାଣିରେ ଗୋଲାପୀ ପରୀରେ

ତୁଣ୍ଡେ କି ମନର ହାତେ କୁଆଁରୀ,

କୁନିପିଲା ସୁନା ଆଖିପତାରେ ସେ

ନିଦର ସୁନା ଆଖିପତାରେ ସେ

ନିଦର ବଟିକା ଦିଅନ୍ତି ଘୋରି ରେ

ଦିଅନ୍ତି ଘୋରି ।

 

ଚଗଲା ନୁରିଆ             ଚୁଢ଼ୀ ମାଆ କୋଳେ

ଝୁଲୁ ଝୁଲୁ ଖେଳ             ଭୁଲିଗଲାଣି ରେ

ଝୁଲଣ ହାତୀ,

ଟିପାଟିପା କଥା             କହୁଁ କହୁଁ ମାଆ

ଆଖିପତା ବେନି             ହେଲେଣି ସାଥୀରେ

ହେଲେଣି ସାଥୀ ।

 

ଶୋଇପଡ଼ିଲାଣି ଗଛପତର ହୋ

ନଈପୋଖରୀର କୁନି ଲହରୀରେ

ପବନ ଥରି

ଶୋଇପଡ଼ିବ ମୋ             ଧନମାଳୀ କାହ୍ନୁ

‘କାହ୍ନୁ କାହ୍ନୁ’ ଶ୍ୱାଇ             ଦେଲାଣି ପରୀରେ

ଧନ ମୋହରି ।

(କୁଞ୍ଜବିହାରୀ ସଞ୍ଜୟନ, ୩ୟ ଭାଗ)

 

ଗୋପାଳଚନ୍ଦ୍ର ମିଶ୍ର(୧୯୨୫)

ଗୋଧନ

କାନ୍ଦ ନା କାନ୍ଦ ନା ରଙ୍କରତନ

ଝୁଲାଉଛି ଝୁଲି କରି ଯତନ।

ଅଝଟ ନୋହି

ଗାଉଛି ଗୀତ ମୁଁ ସୁନାପୁଅ ପରି

ପଡ଼ରେ ଶୋଇ ।

 

ବାଇଚଢ଼େଇ ରେ ବାଇଚଢ଼େଇ

ଯାଇଛନ୍ତି ବାପା ଗାଈ ଅଡ଼େଇ

ପାକଲା ବେଲ

ଆଣିବେ ତୋ ଲାଗି ଖାଇବୁ ରେ ଧନ

କରିବେ ଗେଲ ।

ନାହିଁ ଖରା ବର୍ଷା ନାହିଁ ପବନ

ବୁଲୁଛନ୍ତି ଗୋରୁ ପଛରେ ଧନ

 

ସାର ଗୋଧନ

ସମାନ ତା’ ସଙ୍ଗେ ନୁହେଁ ଆଉ ଯେତେ

ଅଛି ଧନ ।

 

ଜମି ଚଷେ ଚଷା ବଳଦ ବଳେ

ତହିଁ ଧାନ ମୁଗ ଗହମ ଫଳେ

ଗୋରସ ଜାଣ

ରଖିଛି ଚଞ୍ଚାଇ ତୋହପରି କେତେ

ଛୁଆଙ୍କ ପ୍ରାଣ ।

 

ଦୁଧ ଦହି ଛେନା ସର ଲବଣି

ଖିରି ପିଠା ଲଡ଼ୁ ରେ ଗୁଣମଣି

ସେତେ ମିଠାଇ

ରଖିଥିବୁ ମନେ ସବୁଯାକ ସିନା

ଗୋରୁଙ୍କ ପାଇଁ ।

 

ବଡ଼ ହେଲେ ବାପ ରଖିଥା ମନେ

କରିବୁ ଗୋରୁଙ୍କ ସେବା ଯତନେ,

ଜଗତ ହିତ

ସାଦନ କରିବୁ ଗୋଜାତି ମଙ୍ଗଳେ

ବଳାଇ ଚିତ୍ତ ।

(ଜହ୍ନମାମୁଁ)

 

ରାମପ୍ରସାଦ ମହାନ୍ତି (୧୯୨୬)

ମିଟୁ ଆମର

ମିଟୁ ଆମର ପାରିବାର ରେ ପାରିବାର

ଖେଳଣା ଚଉକି ସବୁ ଚୂନା କରି

ସାଜିଚି ରେ ନୂଆ କାରିଗର ।

 

ଘରେ ଯେତେ ଥିଲେ ଅସରପା

ଆଉ ଝିଟିପିଟି,

ଶୁଆଇଦେଲା ସେ ଗୋଟି ଗୋଟି କରି

ପିଟିପିଟି ।

 

ଗୋଟିକି ଗୋଟି

ଗୋଟିକି ଗୋଟି ମଥାରୁ ବାଳ

ପଡ଼ୁଚି ଖସି,

ଯିଏ ଦେଖୁଚି ଚନ୍ଦା ବୋଲି

ଦେଉଚି ହସି ।

 

ଜନମ ବେଳେ ଗଣିଥିଲି ମୁଁ

ମୁଣ୍ଡରେ ଥିଲା ପଞ୍ଚାଅଶୀ,

ଝଡ଼ିଲା କେତେ ରହିଲା କେତେ

ଯାଉଚି ଆଜି ଗଣିବି ବସି ।

 

କାରିଗର

କାରିଗର ମୁଁ କାରିଗର

ସବୁ କାମରେ ପାରିବାର,

ହୁଗୁଳା ମୁଣ୍ଡକୁ ସଜାଡ଼ିବା ମୋର କାରବାର ।

 

ଯେଉଁ ପିଲା କିଛି ବୁଝେ ନାଇଁ

କରେ ମାରଧର ଡିଆଁ ଡେଇଁ,

ସଜାଡ଼ି ଦିଏ ମୁଁ ସେଇ ପିଲାଟିକୁ

ମଥାର ପେଟଟା କଷି ଦେଇ ।

 

ପାକୋଈ ବୁଢ଼ୀ

ବୁଢ଼ୀଟିଏ ଥିଲା ପାକୋଈ ବୁଢ଼ୀ

ସବୁବେଳେ ରାଉ ରାଉ,

ଦିନେ ବୁଢ଼ୀ ଲୁଗା ଶୁଖାଉ ଶୁଖାଉ

ନାକ ନେଇଗଲା କାଉ ।

 

ଟିକି ଓ ନିଖି

ଟିକି କହିଲା,      “ନିଖି ଲୋ,

ମୁଁ ଏମିତି କରିଦେବି,

ମୁଁ ସେମିତି କରିଦେବି ।

ଏକା ଡିଆଁକେ ପୁରୀରୁ

ମୁଁ କଟକ ଯାଏ ଯିବି ।”

ନିଖି କହିଲା,      “ଟିକି ରେ,

କଥା କହନା ବଡ଼ ବଡ଼,

ବେଶି କହିବା ପଣ ଛାଡ଼,

ଦେଖାଇଦେଲେ କାମରେ

ତୋତେ କହିବି ସିନା ବଡ ।”

 

ଜାପାନ୍‌ର ଦେଶର ଲୋଲୀ

ଶୋଇପଡ ଧନ ପଡ଼ରେ ଶୋଇ

ଧାଈ ତ ଗଲାଣି ଚାଲି,

ପାହାଡ଼ ଶିଖରେ ଘର ତାହାର

ଆସିବ ସକାଳେ କାଲି ।

 

ତୋ’ ପାଇଁ ଆଣିବ ଗାଆଁରୁ ତା’ର

ଢାଉଁ ଢାଉଁ ଏକ ଢୋଲ,

ବାଉଁଶର ଏକ ବଇଁଶୀ, କେହି

ନ ହେବ ତା’ ସମତୁଲ ।

 

ଝୁଲୁଥିବ ଯେଉଁ କଣ୍ଢେଇ ଗୋଟି

ସାଥୀରେ ଖେଳିବ ତୋର,

କାଗଜ ତିଆରି କୁକୁରଟିଏ

ବେକେ ଲାଗିଥିବ ତୋର ।

(‘ମୋ ଦେଶ’, ୧୯୬୮)

 

ନଦୀୟା ବିହାରୀ ମହାନ୍ତି (୧୯୩୧)

କୁନିକି ଶୋଇଦେ

କୁନିକି ଶୋଇଦେ ମା’ କକ ଭୁକିଲାଣି ।୦।

କକରମନ ରେ କକରମନ,

ଯା’ ଚାଲିଯା’ କକରମନ,

କୁନି ବାହାଦିନ ଖାଇବୁ ପାନ,

ଅନ୍ଧାର ଘୁଡୁ ଘୁଡ଼ି ମାଡ଼ି ଆସିଲାଣି ।୧।

 

ପେଚା ରେ ପେଚା ମାଉଁସ ମେଞ୍ଚା,

ଲୁହା କରଚୂଲି ନିଆଁରେ କେଞ୍ଚା,

ତୋଟାମାନେ ସାଇଁ ସାଇଁ ନିଶା ଗର୍ଜିଲାଣି ।୨।

 

ଜୁଳୁଜୁଳିଆ ରେ ଜୁଳୁଜୁଳିଆ,

ଆଲୁଅ ଜାଳୁ ତୁ ଭଳିଭଳିଆ,

ପାହାଡ କାନ୍ଥିରେ ଏବେ ଚାନ୍ଦ ଉଠିଲାଣି ।୩।

(ଆକାଶବାଣୀ ସୌଜନ୍ୟରୁ)

 

ଉଠ ସଳାଳ ହେଲା

କଳାକାହ୍ନୁ ରେ ଉଠ ସକାଳ ହେଲା ।

କମଳ ଆଖି ତୋ ଗୋଲ ଆରେ ବାବୁ

ଶୁକ ପିକ ତାକ ଦେନେଣ ପରା ।

 

ଆରେ ନନ୍ଦଚାଟ ନ କର ତୁ ମଠ

ଗୋପାଳ ବାଳକ ହେଲେଣି ଠୁଳ:

ଶିଙ୍ଗା ଶବଦରେ ଗୋପଦାଣ୍ଡ ପୂରେ

ଶେଯ ଛାଡ଼ ବେଗେ ମୋ ଗଳାମାଳା । ୧।

 

ଆରେ ବନମାଳୀ ମୋ ଜୀବଶଙ୍ଖାଳି

ସର ଲବଣି କି ନ ଦେବୁ ମୁଖେ,

ଅଳି ଲାଗି ତୋର ମନ କି ନ ବଳେ

ପଲଙ୍କେ ଲୋଟୁ ରେ ଦୁଃଖପାସୋରା ।୨।

 

ସୁଦାମ ସୁବଳ ତୋ ସଖା ସକଳ

ଧେନୁପଲ ସଙ୍ଗେ ହେଲେଣି ଉଭା,

ଶ୍ୟାମଳୀ ଧବଳୀ ଛାଡ଼ନ୍ତି ହମ୍ବାଳି

ଗୋଷ୍ଠବିହାରୀ ତୁ ନକର ହେଳା ।୩।

(ଆକାଶବାଣୀ ସୌଜନ୍ୟରୁ)

 

ସ୍ନେହଲତା ମହାନ୍ତି (୧୯୩୨)

ବାଇଆ ମାଆଲୋ

ବାଇଆ ମାଆ ଲୋ ସରୁକାଟେଣୀ

ପୁଅକୁ ପିନ୍ଧାଉ ପାଟପତନୀ

ଝିଅକୁ ପିନ୍ଧାଉ ନେତ,

ବଡ଼ଦେଉଳରେ ଉଡୁଚି ବାନା ଲୋ

ମାପିଲେ ସେ ବାରହାତ ।

 

କଳସ ଉପରେ ଗୁଆ,

ରଜା ଖାଉଚନ୍ତି ସୁନାଥାଳିରେ ଲୋ

ପୁଷମାସେ ଧନୁମୁଆଁ ।

 

ହରିଣ ଚରୁଚି ବଣେ,

ନୂଆ ବୋହୂଟିଏ କବାଟ କଣେ ଲୋ

ତା’ ପାଖରେ ଝିଅ ପଣେ ।

ଗାଈ ଚରିଗଲେ ଘାସ,

ବଡ଼ ହୋଇଗଲେ ମୋ କୁନା କରିବ

ବାରବାଟୀ ବିଲ ଚାଷ ।

 

ଜହ୍ନ ଚାରିପାଖେ ତରା,

ମୋ କୁନା ପାଖରେ ଶହେ ପାଇକ ଲୋ

ସଭିଏଁ ଆଲଟଧରା ।

 

ନଈ ଖାଏ ଦୁଇକୂଳ,

କୁନା ମୋର ଯେବେ ଚାଲଇ ବାଟ ଲୋ

ଭୂଇଁରେ ଫୁଟଇ ଫୁଲ ।

 

ଫୁଲର ପାଖୁଡ଼ା ଶହେ,

ଓଠରୁ ଝରଇ ଗଜମୁକୁତା ଲୋ

କୁନା ଯେବେ କଥା କହେ ।

 

ଭୋଦୁଏ ଫୁଟଇ କିଆ,

କୁନାର ଆଖିରୁ ଝରଇ ଲୁହ ଲୋ

ମୋ ମନେ ଜଳଇ ନିଆଁ ।

କଳା ଦୂବ କେରି କେରି,

କୁନା ଯେବେ ଯିବ ବିଦେଶ କରି ଲୋ

ଘର ହେବ ହତଶିରୀ ।

 

ବାରିରେ ଗୋବର ଖାତ,

ଅଝଟିଆ ମୋର କୁନାକୁ ସେ’ଠି ଲୋ

କିଏ ଖୋଇଦବ ଭାତ ?

 

ଧାନ କାଟିଦିଏ ଦାଆ,

ଯେଉଁଠାରେ ଥାଉ ଧନଟି ମୋର ଲୋ

ମଙ୍ଗଳା ତାହାକୁ ସାହା ।

 

ନାରାୟଣ ପ୍ରସାଦ ସିଂହ (୧୯୩୩)

କଇଁଚି କାକୁଡି ନଳିତା ପିତା

କଇଁଚି କାକୁଡ଼ି ନଳିତା ପିତା

ବାବୁନି ହେବ ଜଗତ ଜିତା

କହିବେ ଲୋକେ କିଏ ତା’ ମାତା ।

 

ବେଶି ପାଠ ପଢ଼ି ସେ ତ ବିଲାତରୁ ଫେରିବ

ଗୋପବନ୍ଧୁ ମଧୁସମ ତା’ ଯଶ ବଢ଼ିବ

ଦେଶ ଦଶ ସେବା କରି ନାଁ ତା’ର ପଡ଼ିବ ।

 

ମାଆ ମନ ଆଶା ପୂରିବ ସେଦିନ

ଲୋଡ଼େନା ମୁଁ କିଛି ଧନ କି ରତନ

ଆଣିବି ଖୋଜି ଖୋଜି ବୋହୂ ସୁନାସୀତା ।

 

ରଜା ହୁଅ ମନ୍ତ୍ରୀ ହୁଅ ଦେଶେ ବଡ଼ ହୁଅ ରେ

ମାଆ ପାଖେ ହେଲେ ତୋର ପରିଚୟ ପୁଅ ରେ

ବୁକେ ଭରା ତୋର ଲାଗି ମମତାର ସୁଅରେ ।

 

ଗରବ ତୁ ମୋର ଗଉରବ ମୋର

ଦୁନିଆରେ ତୁହି ବଇଭବ ମୋର

ତୋ’ ମୁଖ ହସେ ଭରା ମୋ ସୁଖ ବାରତା ।

 

ଟୁଉକୁ ମୂଷି

ଟୁଉକୁ ମୂଷି, ଟୁକେଇ ମୂଷି,

ଧାନଭରଣକ ଖାଉଥା ବସି,

ଟୁଉକୁ ମୂଷି ରେ ଟୁକେଇ ମୂଷି ।

 

ବଡ଼ ଅଝଟ ଏ କୁନି ପୁଅଟି

ଓଳିକେ ନ ଖାଏ ଭାତ ଦୋ’ଟି

କଥାରେ କଥାରେ ଯାଉଚି ରୁଷି ।

 

କଅଁଳା ବାଛୁରୀ ବଉଳାଗାଈ

ମାମୁଁ ଆଣିଦେଲେ ତା’ରି ପାଇଁ

କାଲିର କ୍ଷାର ତ ହେଲାଣି ବାସି ।

 

ରାଗିଗଲେ ଥରେ ଫୁଲାଏ ମୁହଁ

ହସିଲେ ଛୁଟିଲା ହସର ସୁଅ

କୁତୁରୁ କାଳିଆ ଦେଲାଣି ହସି ।

 

କୁନା ମୁହେଁ ମିଶେ ଯା’ର ମୁହଁ

ସତେ ସେ କି ଆଜି ଆସିବ କୁହ

ବାପଟି ତାହାର ଦୂର ବିଦେଶୀ ।

 

କ୍ଷୀରୋଦ ଚନ୍ଦ୍ର ପୋଥଳ (୧୯୩୭)

ବାଇଆ ରଜା

ବାଇଆ ରଜାରେ ବାଇଆ ରଜା

କୁନାକୁ ଆମର ନିଦ ଦେଇ ଯା ।୦।

 

ଭାରି ଅଝଟିଆ ହେଉଛି କୁନା

ଯେତେ ବୁଝାଇଲେ ବୁଝୁନି ଜମା,

ତୁନିତାନି ହୋଇ ନ ପଡ଼ିଲେ ଶୋଇ

ମୁଣିରେ ପୂରାଇ ଧରି ନେଇ ଯା’ ।୧।

 

କୁନା ତ ଆମର ହୋଇବ ରଜା

ପାଟହାତୀଟିଏ ପଡ଼ିଚି ଖୋଜା,

ବାଇଦ ବାଜିବ କାହାଳି ବାଜିବ

ମୁଣ୍ଡେ ପାଟଛତି ଧରିବେ ଅଜା ।୨।

 

ମାମୁଁଘର ଯିବ ବୁଲିବାପାଇଁ

କେତେ ଉଲ ଚିଜ ଖୋଇବେ ମାଈଁ,

ମାମୁଁ ତ କହିବେ ବାହାବାହାବାହା !

ଟିକି ରଜାଟିଏ ମୋର ଭଣଜା ।୩।

(କ୍ଷୀରୋଦ ଚନ୍ଦ୍ର ସଙ୍ଗତାବଳୀ)

 

କଣ୍ଢେଇ ବାହାଘର

ଆ, ବଉଳ ମୋର,

ତୋ’ର ମୋ’ର କରିବା ଆଜି କଣ୍ଡେଇ ବାହାଘର ।୦।

 

ତୋ’ କଣ୍ଢେଇ, ମୋ’ କଣ୍ଢେଇ

ଛିଟ କନାରେ ଦେବା ସଜେଇ

ତୋ କଣ୍ଢେଇ କନିଆଁ ହେବ, ମୋ’ କଣ୍ଢେଇ ବର ।୧।

 

ମୋ’ ବରକୁ ତୋ’ କନିଆଁ

ବେଦି ଉପରେ କରିବା ବାହା

ଭାତ ତିଅଣ ରାନ୍ଧିବା ପାଇଁ କରିବା ଧୂଳିଘର ।୨।

 

ସାଙ୍ଗସାଥୀଙ୍କ ଡାକିଆଣିବା

ଭାତତିଅଣ ପରଶିଦବା

ଆଜିଠାରୁ ତୁ ହୋଇବୁ ନୂଆ ସମୁଦିଆଣୀଟି ମୋର ।୩।

(‘କ୍ଷୀରୋଦଚନ୍ଦ୍ର ସଙ୍ଗୀତବଳୀ’)

 

ବିରଞ୍ଚି ମଲ୍ଲିକ (୧୯୩୯)

ଆ’ରେ ଜହ୍ନମାମୁଁ

(ସମ୍ଭଲପୁରୀ ଗୀତ)

ଆ’ରେ ଜହ୍ନମାମୁଁ ଚାଲିଆ

ବାବୁ ଆମର୍‌ ସୁନାପିଲା      ଖାଇଦେବା ଭାତଦୁରା (୧)

ସୁନା ଥାଲିଆରେ            ରୁପା ଥାଲିଆ ।୦।

 

ନନାଘରେଁ ଘିନିଦେବେ      ରୁପାର୍‌ ଥାଲି ଗିନା ରେ

ମାମୁଁ ଘରେଁ ଆନିଦେବେ      ସୁନାମାଲି ସୁନା ରେ ।

ପିନ୍ଧିଦେବା ପେଁଟ୍‌ କୁରୁତା      ଲାଲ୍‌ ମୁଜା କଲା ଜୁତା

ଟରୋ ଟରୋ (୨)            ନର୍‌ଦି ଯିବା ଦେଖିଆ ।୧।

 

ମାଇଁ ଦେବେ ହୁରୁମ୍‌ ଲଡ଼ୁ      ଖଜାପିଠାପନା ରେ

ବାବୁ ଆମର ଖାଇଦେବା      କେଡ଼େ ତତାପନାରେ (୩)

ସୁରୁମାମୁଁ (୪) ଚୁହିନେବା      ଖନ୍ଦ୍‌ଗୁରା କରିଥିବା

ଦେଖଉଥିବା ଖୁଲିଁ      ଛୁଆ ଚଁଟିଆ (୨)

 

ଅଜା ଆଈ ଭୁର୍‌ତ୍ତୌଥିବେ      ଦେଖେଇ ଘୁଡ଼ାହାତୀରେ

କକା କାକୀ ବୁଝଉଥିବେ      ଇଟା ସେଟା ଫାଁକି ରେ ।

ପିଲାଭିଲିଁ (୫) ଖେଲୁଥିବା ଦୁଲିପଟା ଦୁଲୁଥିବା

ମାଆଁ ବୁଆର୍‌ ଗେଲ୍‌ହା      ପୁଓ କାଲିଆ ।୩।

 

(୧) ଭାତଗଣ୍ଡାଏ, (୨) ଶୀଘ୍ର ଶୀଘ୍ର, (୩) ଚଞ୍ଚଳ, (୪) ସାନମାମୁଁ (୫) ପିଲାଦଳ

(ସେନ୍ଦୁର୍‌ ଫରୁଆ)

 

ନିରଞ୍ଜନ ବେହେରା (୧୯୩୯)

ନିଦମାଉସୀ

ନିଦମାଉସୀ ରେ ନିଦମାଉସୀ,

ନିଦ ଦେଇଯାଆ ମୁନାକୁ ଆସି ।

ମୁନା ଯାଇଥିଲା ଯାତରା ଦେଖି,

ବୁଲି ବୁଲି ପାଦ ପଡ଼ିଛି ଥକି ।

 

ଆଣିଛି କଣ୍ଢେଇ ଯୋଡ଼ିକି ଯୋଡ଼ି,

କେତେ ଉଡ଼ାକଳ ମଟରଗାଡ଼ି

ମାମୁଁଘର ଯିବ ତହିଁରେ ବସି

ନିଦମାଉସୀ ରେ ନିଦମାଉସୀ ।

 

ମୁନା ମାମୁଁଘର ବହୁତ ଦୂରେ,

ନେଳିଆ ଆକାଶ ଗାଆଁ ଭିତରେ ।

ଆକାଶଗାଆଁରେ ତାରକା ଫୁଲ,

ଦାଣ୍ଡମାଟି ତହିଁ ବଉଦମାଳ;

ବଉଦମାଳରେ ବିଜୁଳିନାନୀ

ମୁନାକୁ ନ ଦେଖି କାନ୍ଦେ ବାହୁନି ।

 

ବାହୁନି କାନ୍ଦଇ ବିଜୁଳି ଅପା,

ଲୁହ ଝରିପଡ଼େ କାକର ଟୋପା ।

ମୁନାକୁ ଦେଖିଲେ ହୋଇବ ଖୁସି

ନିଦମାଉସୀ ରେ ନିଦମାଉସୀ ।

 

ବିଜୁଳିନାନୀକୁ ଆଣିବା ପାଇଁ

ଆମ ମୁନା ଯିବ ସକାଳେ ଧାଇଁ ।

ମାମୁଁଘର ଗାଆଁ କେଡ଼େ ସୁନ୍ଦର !

ବିଲ, ନଈ, ନାଳ, ତୋଟା, ମନ୍ଦିର,

କେତେ ଜାତି ଜାତି ପାଚିଲା କୋଳି

ଆମ ମୁନା ଯାଇ ଖାଇବ ତୋଳି ।

 

ଖାଇସାରି ମୁନା ପଡ଼ିବ ଶୋଇ

ସୁନାପୁଅ ପରି ଥିଇରି ହୋଇ ।

କାହାଣୀ କହିବୁ ତା’ ପାଖେ ବସି

ନିଦମାଉସୀ ରେ ନିଦମାଉସୀ ।

(ଶିଶୁଲେଖା୧୯୮୦)

 

(ଶ୍ରୀପତି ପାଣିଗ୍ରାହୀ (୧୯୪୦)

ଲୋରୀ

(ସମଲପୁରୀ ଗୀତ)

ନାଇଁ କାନ୍ଦ୍‌ ରେ ନାଇଁ କାନ୍ଦ୍‌ ।

କହେବୁ ଯଦି ଗଢ଼େଇ ଆନି ଦେମି ସୁନା ଚାନ୍ଦ୍‌ ।୦।

କେତେ ଦରବ ରଖିଅଛେଁ ଖୁଆମି ବଲି ତତେ

ଯାହା ଦେଲେ ଥୁ ଥୁ କରି ଫକି ଦେସୁ ହାତେ ।

ତୁଇଁ ପରେ ମୋର ଆଁଖିର ତରା....

ସରଗର ଚାନ୍ଦ୍‌ ।୧।

 

ଅଉଟାଗୁରସ୍‌ ଟିକ୍‌ନା ଦହି ହାତେଁ ଧରି କରି

ଖୁଆମୁ ବିଲ ଜମା ହେଲେନ ଗୁପର ଗୁଆଲୀ ।

ଖାଏଲା ବେଲେଁ ସବୁଦିନେ...

କର୍‌ସୁ ଏନ୍ତା ଫାନ୍ଦ ।୨।

 

ତୋର ଆଏଁ ଖ୍‌ଥୁ ଲୁହ ବୁହିଲେଁ ଫାଟିଯାଏସି ଛାତି

ନାଇଁ ଖାଇ ପିଇ ଶୁଖିଗଲୁନ ମୋର କାଲିଆ ହାତୀ ।

ତତେ ସବୁଦିନେ କେତେ...

କରୁଥିମି ବାନ୍ଧ୍‌ ଛାନ୍ଦ ।୩।

 

ତତେ ପାଇ ପରଭାତୀ ଗାଇ ସରିଗଲା ମୋର୍‌ ଦିନ୍‌

ସବୁବେଲେଁ ଧକଡ଼୍‌ ଧକଡ଼୍‌ ମୋର ଦୁଃଖ ଟିକେ ଚିହ୍ନ ।

ନାଇଁ ଖାଏଲେଁ ନାଇଁଖା ପଛେ...

ଆରୁ ନାଇଁ କାନ୍ଦ ।୪।

(ସରଗ୍‌ ମଲ୍ଲୀ)

 

ଛୁଇଁ ଛୁଇଁ ଯା’

(୧)

ଝୋଁ ଝୋଁ ରାଣୀ କି

ଠାକୁର ଗଲେ ପାଣିକି ।

ଫୁଲ ଗୋଟିଏ ନେଇ ଯା’

ମୁକୁଟ ଖଣ୍ଡେ ଦେଇ ଯା ।

 

(୨)

ସରଗର ଜହ୍ନ ରେ

ବାଟେ ବାଟେ ଯା’

ସରଗର ମେଘ ରେ

ଭାସି ଭାସି ଯା’ ।

ସରଗର ତରା ରେ

ଲୁଚି ଲୁଚି ଯା’

ସରଗର ନିଦ ରେ

ଚୁପି ଚୁପି ଯା’

ସରଗର ଫୁଲକୁ

ଛୁଇଁ ଛୁଇଁ ଯା’...

(ଶିଶୁଲେଖା୧୯୭୮)

 

ଉଠ୍‌ ଉଠ୍‌ ଉଠ୍‌

ଗଛ କହିଲା ପତ୍ର ରେ

ତୁ ଝଡ୍‌ ଝଡ୍‌ ଝଡ୍‌

ନଈ କହିଲା ମେଘ ରେ

ତୁ ପଡ୍‌ ପଡ୍‌ ପଡ୍‌ ।

 

ପବନ କହିଲା ଧୂଳିରେ

ତୁ ଉଡ୍‌ ଉଡ୍‌ ଉଡ୍‌

ତାରା କହିଲା ଜହ୍ନ ରେ

ତୁ ବୁଡ୍‌ ବୁଡ୍‌ ବୁଡ୍‌ ।

 

ସକାଳ କହିଲା ଫୁଲରେ

ତୁ ଫୁଟ୍‌ ଫୁଟ୍‌ ଫୁଟ୍‌

କାଉ କହିଲା ବାବୁ ରେ

ତୁ ଉଠ୍‌ ଉଠ୍‌ ଉଠ୍‌ ।

(ଶିଶୁଲେଖା୧୯୭୯)

 

ଗଣେଶ୍ୱର ମିଶ୍ର (୧୯୪୨)

(ଇଂରାଜିରୁ ଅନୁବାଦ)

ଟିକି ରବିନ୍‌

ଟିକି ଚଢ଼େଇ ‘ରବିନ୍‌’

କୁଆଡ଼େ ଗଲା ଉଡ଼ି ?

କୁଆଡ଼େ ଆଉ ଯିବ ସେ

ଚେରି ଗଛକୁ ଛାଡ଼ି ?

 

ଟିକି ଝିଅ ମଫ୍‌ଫେଟ୍‌

ଟିକି ଝିଅ ମଫ୍‌ଫେଟ୍‌

ବସି ଗଦି ଉପରେ

ଖାଉଥିଲା ବସାଦହି

କେଡ଼େ ମନସୁଖରେ

କାହୁଁ ଆସି ବୁଢ଼ିଆଣୀ

ପାଖରେ ତା’ ବସିଲା,

ଡରିଗଲା ମଫ୍‌ଫେଟ୍‌

ଦହି ଫିଙ୍ଗି ଖସିଲା ।

(ଶିଶୁଲେଖା, ୫ମ ବର୍ଷ, ୫ମ ସଂଖ୍ୟା)

 

ଗୋପା ଦାସ (୧୯୪୯)

ଧୋ’ରେ ବାଇଆ ଧୋ

ଅସରା ଅସରା ମେଘ ଝରୁଚି ଲୋ,

ଟପ୍‌ ଟପ୍‌ ପଡ଼େ ପାଣି,

କଣ୍ଟା ବାଇଁଶିଆ ବାଉଁଶ କିଏ ସେ

ବୁଦାରୁ ନଉଛି ହାଣି ।

 

ପିମ୍ପୁଡ଼ି ଲାଗିଛି ସରି ସରିକା ଲୋ

ଗୁଡ଼ବଣା ଦିଶେ କଳା,

ବାବୁନା କାନ୍ଦୁଛି ତହଳ ବିକଳ

ବାଆ ଆସୁନାହିଁ ପରା ।

ଧୋଓ ରେ ବାଇଆ, ଧୋ

 

ଗଡ଼ ଗଡ଼ ହୋଇ ଖଟୁଲି ଗଡୁଛି

କଳାକାହ୍ନୁ ଗଲେ କାହିଁ !

କଇଁ କଇଁ କାନ୍ଦି ବାବୁନା ପଚାରେ

ଭାଇ ଗଲା କାହିଁପାଇଁ ?

 

ଉଇ ଖାଉଅଛି ଶିରାକୁ ଶିରା ଲୋ

ଚୁନି ଚୁନି ମାଟି ଝରେ,

ଧନ ଯେତେବେଳେ ଚାଟଶାଳୀ ଯିବ

ବହି ନେବ ବସ୍ତାନିରେ ।

ଧୋଓ ରେ ବାଇଆ, ଧୋ

 

ରଙ୍ଗ ଜାମୁଡାଳି ତୋଳିନେଲା କିଏ ?

ଢିଙ୍କିରୁ ଛାଡ଼ୁନି ଚକ୍ଷୁ,

ବାବୁନାଟା ମୋର ଦୁଃଖପାସୋରା ଲୋ,

ସୁବର୍ଣ୍ଣ ଦୋଳିରେ ବସୁ ।

 

ସୂରୁଯ ଦେବତା ମାଆ କୋଳେ ଗଲେ

ସଞ ଶେଷେ ହେଲା ରାତି,

ମୋର ଦୁଃଖୀଧନ କରୁଛି ମନ ଲୋ

ହେବ ବୋଲି ଝୁଲୁହାତୀ ।

ଧୋଓ ରେ ବାଇଆ, ଧୋ ।

 

କକ ବାଇଆଟି ଆସିବ ଏଇନେ

ଶୋଇପଡ଼ ମୋର ଧନ,

ଦୁଦୁଭାତ ଖାଇ ପେଟ ପୂରିଚି ଲୋ

ଆଉ କାହିଁପାଇଁ ମନ ?

 

ରାତି ପରା କେତେ ହେଲାଣି ଧନ ରେ

ବେଙ୍ଗ କରେ କେଏଁ କଟ,

ବା’ ଯାଇଛନ୍ତି ହାଟକୁ ଧନ ଲୋ

କେତେ ଚାହିଁଥିବୁ ବାଟ !

ଧୋଓ ରେ ବାଇଆ, ଧୋ

 

ବା’ ଆସୁଅଛି ବଜାର ହାଟରୁ

ତୋ ପାଇଁ ଆଣିଛି ଘୋଡ଼ା,

ସକାଳୁ ଉଠିଲେ ଖେଳିବୁ ଧନ ରେ

ଆଉ କି ରତନ ଲୋଡ଼ା !

 

ନିଦମାଉସୀ ଯେ ଆସିଲାଣି ଲୁଚି

ବାବୁନା ପାଇଲା ଶୋଇ,

ଯା’ ଯା’ ଦୂରେ ପଳେଇ ଯାଆ ଲୋ,

ବାବୁନା ଉଠିବୁ ନାଇଁ ।

ଧୋଓ ରେ ବାଇଆ, ଧୋ

(ଶିଶୁଲେଖା)

 

ରାଜକିଶୋର ରାଜ (୧୯୫୪)

ମୋ ଧନ ପଡ଼ିବ ଶୋଇ

ଦୂର ପରବତ ନଈ ସେପାରି

ଘଞ୍ଚ ଆମ୍ବତୋଟା ମୁଣ୍ଡିଆତଳି ।

ମୁଣ୍ଡିଆ ତଳିରେ ସୋରିଷ କ୍ଷେତ

ସୋରିଷ କ୍ଷେତରେ ସୁନାର ହାଟ ।

 

କ୍ଷେତ ଚଉକତି ଉଠିଛି ଘାସ,

ମାଣେ ଚାଉଳରେ ମୁଠାଏ ଧୂସ ।

 

ସାନ ପୁଅଟିକୁ କୋଳରେ ବସାଇ

ଗୀତ ଗାଉଚି ଏ କାହାର ମାଆ ?

ଗୋବରଧନକୁ ଶୁଆଇବ ବୋଲି

ବାଇଆକୁ ଡାକେ ‘ଆଆ’ ।

 

ଗୋବରଧନ ସେ ଗୋବରଧଡ,

ମାଆ କଥାରେ କି ମାନେ ତା’ ମନ ?

ମାଆକୁ ପଚାରେ, “ସେଇଠୁ କଅଣ ହେଲା ଲୋ ବୋଉ ?

ଗପ ନ ଶୁଣିଲେ ଶୋଇବା ମୋଅର ଏତିକି ଥାଉ ।”

 

ଦେହରେ ତାହାର ବୁଲାଇ ହାତ

ମାଆ ଥିରି ଥିରି ଗାଇଲା ଗୀତ

 

ମୁଣ୍ଡିଆ ତଳିରେ ସୋରିଷ କ୍ଷେତ

ସୋରିଷ ଗଛରେ ସୁନେଲି କ୍ଷେତ

ସୋରିଷ ଗଛରେ ସୁନେଲି ଫୁଲ,

କୋଶକ ବାଟରୁ ହରଇ ଚିତ୍ତ

କିଏ କଳିପାରେ ଫୁଲର ମୂଲ ?

କ୍ଷେତ ମଝିଟାରେ ନଡ଼ିଆଗଛ

ଗୁଣ୍ଡୁଚି ମାଉସୀ କରୁଚି ନାଚ ।

 

ବାହୁଙ୍ଗାଗୁଡ଼ାକ ପଡ଼ିଛି ଝୁଲି,

ବାଇଆ ଚଢ଼େଇ ଖେଳୁଛି ଦୋଳି ।

ବାଇ ଚଢ଼େଇର ଭାରି ବଡ଼େଇ,

ଟିକିଏ ହେଲେ ତା’ ଦବକ ନାହିଁ ।

 

ନଡ଼ିଆଗଛଟା ପଡ଼ିଚି ନଇଁ,

ଚୁଆ ଗୋଟାକରେ ଗୋଳିଆ ପାଣି,

ଆଞ୍ଜୁଳାରେ ମାଛ ଆଣିବ ଛାଣି ।

 

ନେଳିଆ ମାଛର ନାଲିଆ ଆଖି !

ଟିକି ଚଢ଼େଇର ଧୋବଲା ପକ୍ଷୀ ।

କାଳିଆ ମଇଁଷି ପାଣିରେ ବୁଡେ,

ନାଲିମୁହାଁ ହନୁ ଗଛରେ ଚଢ଼େ ।

 

ରୁପା ରଙ୍ଗ ଚାନ୍ଦ ଆକାଶେ ଉଠେ,

ନେଳି କଇଁ ଫୁଟେ ପୋଖରୀ ତୁଠେ ।

ତୁଳାଭିଣା ମେଘ ଯାଉଛି ଉଡ଼ି,

ମୋ ଧନ ଉତ଼ାଏ ସବୁଜ ଗୁଡ଼ି ।

 

ସବୁଜ ଗୁଡ଼ି ରେ ସବୁଜ ଗୁଡ଼ି,

କାହିଁ କେତେ ଦୂର ଯାଉ ତୁ ଉଡ଼ି !

ତତେ ଧରିବାକୁ ଅଝଟ ନୋହି

ମୋ ଧନ ଏଥର ପଡ଼ିବ ଶୋଇ ।

(ଶିଶୁଲେଖା୧୯୭୯)

 

[ଅଜ୍ଞାତ]

ଚକା ଚକା ଭଉଁରୀ

ଚକା ଚକା ଭଉଁରୀ

ନାଚି ଖେଳେ ଗଉରୀ

ଟିକି ତା’ର ନାଲି ଓଠେ

ଖେଳେ ହସ ଲହରୀ ।

 

ଗୀତ ଗାଇ ହରଷେ

କେଡ଼େ ମନ ସରସେ

ଦେଖିନାହିଁ କେହି ତା’ରେ

ବସିବାର ଅଳସେ ।

 

ଖେଳବେଳେ ଖେଳଇ

ଶୁଆବେଳେ ଶୁଅଇ

ଖିଆବେଳେ ଖାଇଦିଏ

ଅଝଟିଆ ନ ହୋଇ ।

 

କେଡ଼େ ସଫା ଦିହଟି

ଧୂଳି ମଳି ନାହିଁଟି

ମାଆ କହେ ଗେଲ କରି

ଗଉରୀ ମୋ ସୁନାଟି ।