କୃଞ୍ଜବନେ କଳାନିଧି କଳାନିଧି କଳାନିଧି କଳା ଶ୍ରୀହରି,
କହନ୍ତି ସକଳ କଳକଣ୍ଠ ପାଶେ କଳକଣ୍ଠୀ ପ୍ରୀତି ସୁମରି ।
କୋକିଳ, କି କରୁଥିବ ରାମାମଣି,
କୁସୁମ-ଶାୟକ ସାୟକ ଶାୟକ ଶାୟକ ବିନ୍ଧୁଥିବ ଟାଣି ।୧।
ଅନ୍ୱୟ-କୁଞ୍ଜବନରେ କଳାନିଧି (ଚନ୍ଦ୍ରମା), କଳାନିଧି କାମକଳାସାଗର, କଳାନିଧି (କଳାମାଣିକ) କଳା ଶ୍ରୀହରି (କାଳିଆ କାହ୍ନୁ) ସକଳ (କଳରୁତଯୁକ୍ତ) କଳକଣ୍ଠ (କୋକିଳ) ପାଖରେ କଳକଣ୍ଠୀ (କଳକଣ୍ଠ ବଚନା) ର ପ୍ରୀତି ସ୍ମରଣ କରି କହୁଛନ୍ତି - ରେ କୋକିଳ, ମୋ ରାମାମଣି (ରାଧା) ବର୍ତ୍ତମାନ କ’ଣ କରୁଥିବ ? କୁସୁମ-ଶାୟକ (ରାଷ୍ପଧନ୍ୱା କନ୍ଦର୍ପ) ସାୟକ (ସୈଧାତୁ = ନାଶ କରିବାଅକ= ନାଶ କରିବାକୁ ସମର୍ଥ) ତା’ର ଶାୟକ (ପାଞ୍ଚ) ଶାୟକ (ଶର) କୁ ତା’ ଉପରକୁ ଟାଣରେ ବିନ୍ଧୁଥିବ ।
ଅର୍ଥ - କୁଞ୍ଜବନରେ ବ୍ରଜଚନ୍ଦ୍ରମା, କାମକଳାସାଗର, କଳାମାଣିକ କାଳିଆ କାହ୍ନୁ କଳଧ୍ୱନିଯୁକ୍ତ କୋକିଳ ପାଶରେ କୋକିଳବଚନା ରାଧାର ପ୍ରୀତି ମନେ ପକାଇ କହୁଛନ୍ତି-ରେ କୋକିଳ, ମୋ ରାଧା ବର୍ତ୍ତମାନ କ’ଣ କରୁଥିବ ? ତାକୁ ନାଶକରିବା ସମର୍ଥ କନ୍ଦର୍ପ ତା’ର ପାଞ୍ଚ ଶରକୁ ଯୋଖି ତା’ ଉପରକୁ ଟାଣରେ ବିନ୍ଧୁଥିବ ।
ଖଞ୍ଜନ-ନୟନୀ କଟକ କଟକ କଟକ କଟକ ଶୋଭିନୀ,
ଖେଦକ ଘେନିବ ହାଟକ ହାଟକ ହାଟକ ସୁମନ-ମୋହିନୀ,
କୋକିଳ, କ୍ଷିତିମଣ୍ତନା କଞ୍ଜାନନୀ,
ଖଞ୍ଜିଥିଲା ପ୍ରୀତି କଟକ କଟକ କଟକ ସୁସ୍ୱନାଗମନୀ ।୨।
ଅନ୍ୱୟ- ଖଞ୍ଜନନୟନୀ କଟକ (ନିତମ୍ବ), କଟକ (ବଳୟ), କଟକ (ଦୀପ୍ତି), କଟକ (ନାସାମଣି) ଶୋଭିନୀ ଅଟେ; ସେ ହାଟକ (ଦୀପ୍ତି) ହାଟକ (ସୁନା) ହାଟକ (ହଟଯୋଗୀ) ମନମୋହନୀ, ଖେଦ କରୁଥିବ; ସେ କ୍ଷିତିମଣ୍ତନା, କଞ୍ଜାନନୀ କଟକ (ନୂପୁର) ସୁସ୍ୱନାଗମନୀ, କଟକ (ରାଜଧାନୀ ବ୍ରଜପୁର) ଓ କଟକ (ପାହାଡ଼ର କଟି ପ୍ରଦେଶ) ରେ ପ୍ରୀତି ଖଞ୍ଜିଥିଲା ।
ଅର୍ଥ- ରେ କୋକିଳ, ସେ ଖଞ୍ଜନନେତ୍ରୀ ନିତମ୍ବ ଯୋଗୁଁ ତା’ର ସ୍ୱର୍ଣ୍ଣକଙ୍କଣ ଯୋଗୁଁ ଓ ଦୀପ୍ତି ମନ୍ତ ନାସାମଣି ଯୋଗୁଁ ଶୋଭାପାଏ । ସେ ହଟଯୋଗୀମନମୋହନୀ (ମୁଁ ତା’ର ପ୍ରେମଲାଗି ମାୟାଯୋଗିବେଶ ରଚନା କରିଥିଲି) ଓ ଦୀପ୍ତିମନ୍ତ ସ୍ୱର୍ଣ୍ଣାଙ୍ଗୀ ସର୍ବଦା ଦୁଃଖ କରୁଥିବ । ମୋ ଧରାମଣ୍ତନା, ପଦ୍ମବଦନା, ନୃପୁର ଯୋଗେ ଗମନ କାଳରେ ସୁମଧୁର ସ୍ୱରରଚନାକାରିଣୀ, ବ୍ରଜପୁରରେ ଓ ପାହାଡ଼ର କଟିପ୍ରଦେଶରେ ମୋ ସହିତ ପ୍ରୀତି ରଚନା କରିଥିଲା । (ଏଠାରେ ନାୟିକା ଅଭିସାରିକା)
କଟକ ଶବ୍ଦର ଅନ୍ୟତ୍ର ବ୍ୟବହାର:-
ବିରକ୍ତ ଚିତ୍ରକୂଟରେ ବିହରେ ଚିତ୍ରକୂଟରେ
କଟକକୁ ତେଜି କଟକରେ ।
(ବୈଦେହୀଶ ବିଳାସ-ଉପେନ୍ଦ୍ର ଭଞ୍ଜ)
କଟକ ସମୁଦ୍ର ଲବଣ ବଳୟ ଦ୍ୱିରଦଦନ୍ତ ମଣ୍ତଳ
ସାନୁ ନିତମ୍ବ ରାଜଧାନୀ ଏତେକ କଟକ ଶବ୍ଦେ ମଞ୍ଜୁଳ ।।
(ଗୀତାଭିଧାନ- ଉପେନ୍ଦ୍ର ଭଞ୍ଜ)
ଅଭିସାରିକା ନାୟିକାର ଲକ୍ଷଣ :-
ମଦନାନଳସନ୍ତପ୍ତା ଯାଽଭିସାରୟତି ପ୍ରିୟମ୍,
ଜ୍ୟୋତ୍ସ୍ନୀତମସ୍ୱିନୀଯାନ ଯୋଗ୍ୟାମ୍ବରବିଭୁଷଣା
ସ୍ୱୟଂ ଚାଭିସରେ ଦ୍ଯାତୁ ସା ଭବେଦଭିସାରିକା ।।
(ରସାର୍ଣ୍ଣବ)
ଯାଭିସାରୟତେ କାନ୍ତଂ ସ୍ୱୟଂ ବାଭିସରତ୍ୟପି
ସା ଜ୍ୟୋତ୍ସ୍ନୀତାମସୀ- ଯାନଯୋଗ୍ୟବେଶାଭିସାରିକା ।।
ଲଜ୍ଜୟା ସ୍ୱାଙ୍ଗଲୀନେବ ନିଃଶବ୍ଦାଖିଳମଣ୍ତନା ।
କୃତାବଗୁଣ୍ଠା ସ୍ନିଗ୍ଧୈକସଖୀଯୁକ୍ତା ପ୍ରିୟଂ ବ୍ରଜେତ୍।।
(ଉଜ୍ଜ୍ୱଳ ନୀଳମଣି- ରୂପଗୋସ୍ୱାମୀ)
ଅଭିସାରିକା ଦୁଇପ୍ରକାର (କ) ଶୁକ୍ଳାଭିସାରିକା (ଖ) କୃଷ୍ଣାଭିସାରିକା ।
ଶୁକ୍ଳାଭିସାରିକାର ଲକ୍ଷଣ :-
ଇନ୍ଦସ୍ତନ୍ଦତମଣ୍ତଳଃ ପ୍ରଥୟତେ ବୃନ୍ଦୋବନେ ଚନ୍ଦ୍ରିକା ।
ସାନ୍ଦ୍ରାଂ ସୁନ୍ଦରନନ୍ଦନୋ ବ୍ରଜପତେସ୍ତେଦ୍ବୀଥିମୁଦ୍ବୀକ୍ଷତେ ।।
ତ୍ୱଂ ଚନ୍ଦ୍ରାଞ୍ଚିତଚନ୍ଦନେନ ଖଚିତା କ୍ଷୌମେଣ ଚାଳଂକୃତା ।
କିଂ ବର୍ତ୍ମନ୍ୟରବିନ୍ଦଚାରୁଚରଣଦ୍ୱନ୍ଦଂ ନ ସନ୍ଧିତ୍ସସି ।।
(ଉଜ୍ଜ୍ୱଳ ନୀଳମଣି- ରୂପଗୋସ୍ୱାମୀ)
କୃଷ୍ଣାଭିସାରିକାର ଲକ୍ଷଣ :-
ତିମିରସମିଭିଃ ସଂବୀତାଙ୍ଗ୍ୟଃ କଦମ୍ବବନାନ୍ତରେ
ସଖୀ ବକରିପୁଂ ପୁଣ୍ୟାତ୍ମାନଃ ସରନ୍ତ୍ୟଭିସାରିକା ।
ତବ ତୁ ପରିତୋ ବିଦ୍ୟୁଦ୍ବର୍ଣ୍ଣା ସ୍ତନୁଦ୍ୟୁତିସଚୟୋ
ହରି ହରି ଘନଧ୍ୱନ୍ତାନ୍ୟେତାଃ ସ୍ୱବୈରିଣି ଭିନ୍ଦତେ ।
(ବିଦଗଧମାଧନ- ରୂପଗୋସ୍ୱାମୀ)
ଗଚ୍ଛନ୍ତୀନାଂ ରମଣବସତିଂ ଯୋଷିତାଂ ତତ୍ର ନକ୍ତଂ
ରୁଦ୍ଧା ଲୋକ ନରପତିପଥେ ସୃଚିଭେଦୈସ୍ତମୋଭିଃ ।।
(ମେଘଦୂତ- କାଳିଦାସ)
ଉତ୍କ୍ଷିପ୍ତ କରକଙ୍କଣଦ୍ୱୟମିଦଂ ବଦ୍ଧା ଦୃଢ଼ଂ ମେଖଳା
ଯତ୍ନେନ ପ୍ରତିପାଦିତା ମୁଖରୟୋର୍ମଞ୍ଜୟୋର୍ମୂକତା
ଆରବ୍ଧେ ରଭସାନ୍ନୟା ପ୍ରିୟସଖୀ କ୍ରୀଡ଼ାଭିସାରୋତ୍ସବେ
ଚଣ୍ତାଳସ୍ତିମିରାବଲାଣ୍ଠନପଟକ୍ଷେପଂ ବିଧତ୍ତେ ବିଧୁଃ ।।
(ସାହିତ୍ୟଦର୍ପଣ-ବିଶ୍ୱନାଥ କବିରାଜ)
କଳୟତି ନୟନଂ ଦିଶି ଦିଶି ବଳିତଂ
ପଙ୍କଜମିବ ମୃଦୁମାରୁତଗଳିତଂ
କେଳିବିପିନଂ ପ୍ରଚଶତି ରାଧା
ପ୍ରତିପଦସମୁଦିତମନ ସିଜବାଧ ।
ଜନୟତୁ ପ୍ରଭୁଗଜେଶମୁଦିତଂ
ରାମାନନ୍ଦରାୟ କବି ନିଗଦିତମ୍।।
(ଗୀତଗୋବିନ୍ଦ- ରାମାନନ୍ଦ ରାୟ)
ଏଇ ଆସେ ଏଇ ସୁନ୍ଦରୀ ଧୀର ଗମନେ
ଭେଟିବାକୁ ପ୍ରିୟ ତେଜି ତାର ନିଜ ଭବନେ ।
କୃଷ୍ଣାରଜନୀ ଘନମେଘମାଳା ଆକାଶେ
ବିରଳ ତାରଜା ମେଘ ବିଦ୍ୟୁତ୍ ପ୍ରକାଶେ ।
(ଧୂପ- ମାୟାଧର ମାନସିଂହ)
ବ୍ୟାପ୍ତ ହୁଅନ୍ତେ ତମରେ ଜଗତ
ଅଭିସାରୀ ନାରୀ ହୋଇ ମୁଦିତ
ନୀଳବସନ କରି ପରିଧାନ
ଅନ୍ଧକାର ନାଶ ଭୟେ ବହନ
ନ କରି ପ୍ରକାଶ
ପ୍ରବେଶ ହେଲେ ପ୍ରାଣେଶ୍ୱର ପାଶ ।।
(ରସଲହରୀ- ରଘୁନାଥ ଭଞ୍ଜଦେବ)
ଗଳାମାଳା ମୋର ପ୍ରିୟକ ପ୍ରିୟକ ପ୍ରିୟକ ପ୍ରିୟକ ଦେଖିବ,
ଗଉରୀ ନ କରି ପ୍ରିୟକ ପ୍ରିୟକ ପ୍ରିୟକ, ମୋହିନୀ ବସିବ,
କୋକିଳ, ଗୁଣମଣି କେହ୍ନେ ବଞ୍ଚିବ
ଗୁରୁସମ ଡୋଳା ତରଳ ତରଳ ତରଳ ତା’ର ହେଉଥିବ ।୩।
ଅନ୍ୱୟ - ମୋ ଗଳାମାଳା ପ୍ରିୟକ (ଭ୍ରମର) ପ୍ରିୟକ (କୁଙ୍କୁମ) ପ୍ରିୟକ (କଦମ୍ବ) ପ୍ରିୟକ (ନୀଳ ଅଶୋକ) ପ୍ରଭୃତି ଦେଖିବ । ମୋ ମୋହିନୀ ଗଉରୀ ପ୍ରିୟକ (ପ୍ରିୟଙ୍ଗୁ = ପ୍ରିୟଅଙ୍ଗ ଧାତୁ = ଗମନ) ପ୍ରିୟକ (ପ୍ରୀତିବିଷୟ) ଓ ପ୍ରିୟକ (ଗୋରଚନା) ନ କରି ବସିଥିବ । ମୋ ଗୁଣମଣି କିପରି ବଞ୍ଚିବ; ତାର ଗୁରୁସମ ଡୋଳା ତରଳ (ଢଳଢ଼ଳ) ତରଳ (ଥରଥର) ତରଳ (ଚଞ୍ଚଳ) ହେଉଥିବ ।
ଅର୍ଥ - ରେ କୋକିଳ, ମୋ ଗଳାହାର ରାଧା ଭ୍ରମର, କୁଙ୍କୁମ, କଦମ୍ବ, ନୀଳଅଶୋକ (ଏ ଗୁଡ଼ିକ କାମୋଦେନକାରୀ)ମାନଙ୍କୁ ଦେଖିବ; ମୋ ମୋହିନୀ ଗୋରୀ ଗମନ ନ କରି (ଥକ୍କା ହୋଇ) ପ୍ରୀତିପଦ ବିଷୟ ନ ପକାଇ ଓ ଗୋରଚନା ନ ଲଗାଇ ଏକସ୍ଥାନରେ ଚିନ୍ତାମଗ୍ନା ହୋଇ ବସିଥିବ । ତା’ର ଦୁର୍ବହ ଢଳଢଳ ଡୋଳା ଚଞ୍ଚଳ ଓ ଥରଥର ହେଉଥିବ ।
ପ୍ରିୟକ ଶବ୍ଦର ଅର୍ଥ -
ପ୍ରିୟକ ମୁଗ ପ୍ରିୟକ ଯେ କଦମ୍ବ ପ୍ରିୟକ ପ୍ରିୟଙ୍ଗୁ ହୋଇ ।
ପ୍ରିୟକ ପ୍ରୀତି ଶାଳତରୁ ପ୍ରିୟକ ଚିତ୍ରଠାରେ ପ୍ରବର୍ତ୍ତଇ ।।
(ଗୀତାଭିଧାନ- ଉପେନ୍ଦ୍ର ଭଞ୍ଜ)
ବିରହରେ ଥକ୍କା ହୋଇ ବସି ଉଚିତ ଅନୁଚିତ ବିଚାରହୀନତା :-
ହୃଦୟତୃଣକୁଟୀରେ ଦହ୍ୟମାନେ ସ୍ମରାଗ୍ନୌ
ଉଚିତମନୁଚିତଂ ବା ବେତ୍ତିଃ କଃ ପଣ୍ତିତୋଽପି ।।
(ଦ୍ୱାତ୍ରିଂଶତ୍ ପୁତ୍ତଳିକା-କାଳିଦାସ)
ବିରହରେ ଭ୍ରମର ଗୁଞ୍ଜନର ପ୍ରଭାବ :-
ଉନ୍ନୀଳନ୍ମଧୁରନ୍ଧଲୁବ୍ଧମଧୁପବ୍ୟାଧୁତଚୁତାଙ୍କୁର-
କ୍ରୀଡ଼ତ୍କୋକିଳକାକଳୀକଳରବୈରୁଦ୍ଗୀର୍ଣ୍ଣକର୍ଣ୍ଣଜ୍ୱରାଃ ।
ନୀୟନ୍ତେ ପଥିକୈଃ କଥଂ କଥମପି ଧ୍ୟାନାବଧାନକ୍ଷଣ -
ପ୍ରାପ୍ତପ୍ରାଣସମାସମାଗମର ସୋଲ୍ଲାସୈରମୀ ବାସରଃ ।।
(ଗୀତଗୋବିନ୍ଦ- ଜୟଦେବ)
ଶୁଭେ ଭ୍ରମର ଝଙ୍କାର କି ଗୁଣ ଟଙ୍କାର
ଚମକ ପଡ଼ିଲା ପୁଣି ପୁଣି ।
ଫିଙ୍ଗି ଦେଲା ମୋତିମାଳା ଫଣୀ ବୋଲି ବାଳୀ
ଗରୁଡ଼ ନାମକୁ ଶୁଣି ଶୁଣି ।।
(ଦଶପୋଇ- ଉପେନ୍ଦ୍ର ଭଞ୍ଜ)
କମଳକୁମୁଦ କୋକନଦ ନୀଳୋତ୍ପଳ
ମଧୂପାନେ ମତ୍ତ ହୋଇ ଚୁମ୍ବନ୍ତି ଭ୍ରମର ।
ଚଉପାଶେ ବେଢ଼ିଛନ୍ତି ପୁଷ୍ପତରୁଚୟ
ବିରହୀଜନଙ୍କୁ ସେ କରାଉଛନ୍ତି ଭୟ ।।
(ବିଚିତ୍ର ରାମାୟଣ- ବିଶି ଖୁଣ୍ଟିଆ)
ଭ୍ରମର ଝଙ୍କାର କି ଗୁଣ ଟଙ୍କାର ଶୁଣି ଚମକିଲେ ବିରହୀ
ଢଳିଲେ ଅବଶେ ଭଳିଲେ ମଦନେ ଚଳିଲେ ଘରକୁ ନ କହି ।
କ୍ରମଶେ, ପୁଷ୍ପିତ ହୋଇ ତରୁରାଜି
ଗନ୍ଧବହ ଗନ୍ଧ ଘେନି ବହିବାରୁ ବିଯୋଗୀ ଧୀର ଗଲା ଭାଜି ।।
(ଶଶିରେଖା- ପଦ୍ମନାଭ ଶ୍ରୀଚନ୍ଦନ)
ରାଧା ଏଠାରେ ପ୍ରୋଷିତଭର୍ତ୍ତୃକା ନାୟିକା-
ନାନାକାର୍ଯ୍ୟବଶାଦଯସ୍ୟାଃ ଦୁରଦେଶଂ ଗତଃ ପତିଃ ।
ସା ମନୋଭବଦୁଃଖାର୍ତ୍ତ ଉବେତ୍ପ୍ରୋଷିତଭର୍ତ୍ତୃକା ।।
(ସାହିତ୍ୟ ଦର୍ପଣ- ବିଶ୍ୱନାଥ କବିରାଜ)
କଷ୍ଣ ବିରହରେ ବିରହିଣୀ ରାଧା ନୟନରେ ଅଶ୍ରୁ :-
ତୁମ୍ଭ ବିଚ୍ଛେଦରୁ କରି ରୋଦନ୍ତି ବରଜ ନାରୀ
ନୟନୁ ଲୋତକ ବହିଯାଇ
ମିଶଇ ଯମୁନା ସଙ୍ଗେ ଏଣୁ ସେ ବଢ଼ଇ ବେଗେ
କୃତାନ୍ତ ଭଗିନୀ ଦୋଷ ନାହିଁ ହେ ଦୀନବନ୍ଧୁ ।
(ମଥୁରାମଙ୍ଗଳ- ଭକ୍ତଚରଣ)
ଶୀର୍ଣ୍ଣା ଗୋକୁଳମଣ୍ତଳୀ ପଶୁକୁଳଂ ଶସ୍ତ୍ରାୟ ନ ସ୍ପନ୍ଦତେ।।
ମୁକାଃ କୋକିଳପଙ୍କ୍ତୟଃ ଶିଖୀକୁଳଂ ନ ବ୍ୟାକୁଳଂ ନୃତ୍ୟତି ।
ସର୍ବେ ତ୍ୱତ୍ବିରହାନଳେନ ସତତଂ ହା କୃଷ୍ଣ ! ଦୈନ୍ୟଂ ଗତାଃ
କିନ୍ତ୍ୱେକା ଯମୁନା କୁରଙ୍ଗନୟନା- ନେତ୍ରାମ୍ୱୁଭିର୍ବର୍ଦ୍ଧ ତେ ।।
(ଉଦ୍ଧବ ସନ୍ଦେଶ- ରୂପଗୋସ୍ୱାମୀ)
ବହୁଯେ ଥିବ ନିରନ୍ତରେ ନୟନକମଳୁଁ ଲୋତକ
ଦହୁ ଯେ ଥିବ ମୋ ବିହୁନେ ହୃଦୟ କୁସୁମ-ଶାୟକ
(ବିଚିତ୍ର ରାମାୟଣ- ବିଶି ଖୁଣ୍ଟିଆ)
ଘେନିବ ପୁନାଗ ପୁନାଗ ପୁନାଗ ପୁନାଗ ଦେଖି ଚମକିବ,
ଘନକେଶୀ ଅଙ୍ଗ ପରାସେ ପରାସେ ପରାସେ ପରା ସେ ହୋଇବ,
କୋକିଳ, ଘୋଷୁଥିବ ପ୍ରୀତି ନିକର,
ଘନେ ନାଶୁଥିବ କଦମ୍ବ କଦମ୍ବ କଦମ୍ବ କଦମ୍ବ ଗତିର ।୪।
ଅନ୍ୱୟ - ରେ କୋକିଳ ସେ ପୁନାଗ (ଶ୍ୱେତକମଳ) ପୁନାଗ (ଛୁରୀଅନା) ଘେନିବ, ପୁନାଗ (ଅଣ୍ତିରାହାତୀ) ଓ ପୁନାଗ (ପୁରୁଷଶ୍ରେଷ୍ଠ)ଙ୍କୁ ଦେଖି ଚମକିବ । ଘନକେଶୀ ଅଙ୍ଗପରା ସେ (କୁନ୍ତ) ପରାସେ (ଦୁଃଖରେ) ପରାସେ (ବେଦନାଯୁକ୍ତ) ପରା ସେ (ରାଧା) ହୋଇବ । ସେ ପ୍ରୀତି ଘୋଷୁଥିବ । କଦମ୍ବ (ରାଜ) ଗତିର କଦମ୍ବ (ଧୀର) କଦମ୍ବ (କଦମ୍ବଫୁଲ) କଦମ୍ବ (ସମୂହ) ନାଶୁଥିବ ।
ଅର୍ଥ - ରେ କୋକିଳ ସେ ବିରହତାପ ନାଶାର୍ଥେ ଶ୍ୱେତକମଳ ଓ ଛୁରୀଅନା ଫୁଲ ଧରିଥିବ; ଅଣ୍ତିରାହାତୀ (ମୁଁ ବ୍ରଜପୁରର କାଳିଆହାତୀ) ଓ ପୁରୁଷଶ୍ରେଷ୍ଠଙ୍କୁ ଦେଖିଲେ (ମୋ କଥା ମନେ ପକାଇ) ଚମକି ପଡ଼ିବ । ଜଳଦକେଶାର ଶରୀରକୁ ସେ (ବିରହ) ପରା ଦୁଃଖଦାୟୀ ଓ ବେଦନାଦାୟୀ କୁନ୍ତଘାତ ପରି ହେବ । ସେ ସର୍ବଦା ପ୍ରୀତି ଲୋଡ଼ୁଥିବ । ସେ ଗଜଗମନାର ଧୈର୍ଯ୍ୟ ସମୂହକୁ କଦମ୍ବଫୁଲ ଘନେ (ବହୁ ପରିମାଣରେ) ନାଶ କରୁଥିବ ।
ବିରହତାପନାଶାର୍ଥେ ପଦ୍ମଫୁଲ ଧାରଣ :-
ଧାରୟୈଃ କୁସୁମୋର୍ମାଣାଂ
ପାରୟୈଃ ବାଧୁତୁଂ ଜନାନ୍।
ଶାଖିଭିଃ ହା ହତା ଭୁୟୋ
ହୃଦୟାନାମୁଦେଜୟୈଃ ।।
(ଭଟ୍ଟୀ କାବ୍ୟ- ୬ଷ୍ଠ ସର୍ଗ)
କମଳେ ନିଧାୟ କମଳଂ କଳୟନ୍ତୀ କମଳବାସିନଂ କମଳେ ।
କମଳଯୁଗ ଦ୍ଭୁତଂ କମଳଂ କମଳେନ ବାରୟତି ।।
(ସୁଭାଷିତରତ୍ନଭଣ୍ତାଗାର)
ପ୍ରିୟ ସଙ୍ଗମ ଲାଗି ପ୍ରିୟାର ପ୍ରୀତିଚିନ୍ତା :-
କଥଂ ସ ବଲ୍ଲଭଃ ପ୍ରାପ୍ୟଃ
କିଂ କୁର୍ଯ୍ୟାଦସ୍ୟ ସିଦ୍ଧୟେ ।
କଥଂ ଭବେଦସୌ ବଶ୍ୟ
ଇତି ଚିନ୍ତା ଭବେଦ୍ଯଥା ।।
(ଶୃଙ୍ଗେରତିଳକ- କାଳିଦାସ)
ନ ଚାହୁଁ ଥିବ ସେ ଗଣିକା ଗଣିକା ଗଣିକା ଗଣିକା- ଗାମିନୀ,
ନୟନ ଅମଳ ନଳୀନ ନଳୀନ ନଳୀନ ଦିଶୁଥିବ ପୁଣି,
କୋକିଳ, ନିଶ୍ଚେ ଶୋଇଥିବ ଅବନୀ
ନ ଘେନି ତିଳକ ତିଳକ ତିଳକ ତିଳକ ତିଳକ-ଗାମିନୀ ।୫।
ଅନ୍ୱୟ - ସେ ଗଣିକା (ଗଜ) ଗାମିନୀ, ଗଣିକା (ବେଶ୍ୟା) କୁ ଗଣିକା (ଯୁଈଫୁଲକୁ) ଓ ଗଣିକାକୁ (ତର୍କାରି =ତର୍କଅରି ଅର୍ଥାତ୍ ଅଯଥା ତର୍କ କରେ ଯେ, ଏମନ୍ତ ଲଳିତା) କୁ ଚାହିଁ ନ ଥିବ । ଅମଳ (ମଳ ରହିତ) ନଳୀନ (ନୀଳ) ନଳୀନ (ପଦୁ) ନୟନରେ ନଳୀନ (ଜଳ) ପୁଣି ଦେଖାଯାଉଥିବ । ସେ ନିଶ୍ଚୟ ଭୁମିରେ ଶୋଇଥିବ । ତିଳକ (ଶ୍ରେଷ୍ଠ) ଗମନା, ତିଳକ (ତିଳେ ହେଲେ) ତିଳକ (ଚନ୍ଦନ) ତିଳକ (ସିନ୍ଦୁର) ତିଳକ (ମଥାମଣି) ଲଗାଇ ନ ଥିବ ।
ଅର୍ଥ- ରେ କୋକିଳ, ସେ ଗଜଗମନା ବେଶ୍ୟାକୁ (ତାଠାରେ ସମ୍ଭୋଗ ଚିହ୍ନ) ଯୂଈଫୁଲକୁ ଓ ଲଳିତାକୁ ଚାହିଁ ନ ଥିବ, ତାର ପବିତ୍ର ନୀଳପଦ୍ମସମ ନୟନରେ ଜଳ ଦେଖାଯାଉଥିବ; ସେ ଶ୍ରେଷ୍ଠଗମନା (ଯାହାର ଗତି ଅତୁଳନୀୟ), ତିଳେହେଲେ ଚନ୍ଦନ, ସିନ୍ଦୁର ଓ ମଥାମଣି ନ ଲଗାଇ ଭୂମି ଉପରେ ଶୋଇଥିବ ।
ବିରହିଣୀର ରୋଦନାବସ୍ଥ :-
ଦିଶି ଦିଶି କିରତି ସଜଳକଣଜାଳମ୍
ନୟନନଳିନମିବ ବିଗଳିତନାଲମ୍।।
(ଗୀତଗୋବିନ୍ଦ- ଜୟଦେବ)
କି ବୟସରେ ପଡ଼ିଲା କି ଦଶା,
କାନ୍ତି କି ହେଲା କେତକୀ ସଦୃଶା;
ଅଶ୍ରୁ ପଡ଼ନ୍ତେ ପୋଛି ଦେଉଥିବ,
ଝଳିକେ ଜଳ ଗଣ୍ତ ନ ଛାଡ଼ିବ;
ଯେ ହେମରୁ ଗୋରା
ଏ ବେଳେ ଜଣାଯାଉଥିବ ପରା ।
(ରସଲେଖା- ଉପେନ୍ଦ୍ର ଭଞ୍ଜ)
ଅତି କାତରେ ନିଜ କାନ୍ତରେ ଶଙ୍କାଚିତ୍ତରେ ଲଭି
କୋପ ଅଙ୍କୁର ମହୀମୁକୁର କଲା ଚିକୁର ଶୋଭୀ ।
ରତ ଆବେଶୀ ରତନବେଶୀ ଗଣ୍ତେ ନିବେଶି କର
ନୟନନୀରରୁହରୁ ନୀର ତେଜିଲା ନିରନ୍ତର ।।
(ଲାବଣ୍ୟବତୀ- ଉପେନ୍ଦ୍ର ଭଞ୍ଜ)
ନ ରହୁଛି ନିଜ ନୟନରୁ ଆଉ ନୀର
ନ ଉଠୁଛି ଶୟନୁଁ ନିରନ୍ତର ।।
(ଲାବଣ୍ୟବତୀ- ଉପେନ୍ଦ୍ରଭଞ୍ଜ)
ଶ୍ରାବଣ ବାରିଧାରା ପରି ଲୋତକ
ଶ୍ରବି ତିନ୍ତିଯାଉଛି ପ୍ରୀତି-ପ୍ରତୀକ ।।
(ଶ୍ୟାମରାସୋତ୍ସବ- ବ୍ରଜନାଥ ବଡ଼ଜେନା)
ମୋ ହୃଦଚନ୍ଦ୍ରିକା ତହିଁ ବସି ଏକା
କାନ୍ଦୁଥିବ ମୋତେ ଧ୍ୟାୟି ।।
(ତପସ୍ୱିନୀ- ଗଙ୍ଗାଧର ମେହେର)
ବାମ କରପତ୍ରେ ଗଣ୍ତ ନିବେଶି
ବସିଛି ମଉନେ ଭ୍ରମରକେଶୀ
ସନ୍ତାପ-କାଳିମା ଖେଳେ ବଦନେ
ଗ୍ରାସେ କି ରାହୁ କୁମୁଦ- ରଞ୍ଜନେ
ମହୀକି କରି ଲପନ
ସଫରୀ-ନୟନୁଁ ଝରେ ଅଶ୍ରୁବିନ୍ଦୁ
ମୁକ୍ତା କି ଉଗାରେ ମୀନ ।।
(ବ୍ରଜବନ୍ଧୁ ବିରହ- ମଣିଚରଣ ମହାପାତ୍ର)
ଥନ ଥନ ନେତ୍ରେ ଚାହିଁ
ଥକା ଥକା ହୋଇ କହି
ଥପ ଥପ ବାରି ବକ୍ଷେ ପଡ଼େ ଝରି
ଥୟ ନ ପାରଇ ରହି ସେ
ଥର ଥର ଥରେ ଦେହି ।
(ସତୀସ୍ୱର୍ଗନିଶୁଣୀ- ଗାୟକ ଶିରୋମଣି ନିରଞ୍ଜନ କର)
ନିଶିଦିନ ବରସତ ନୈନ ହମାରେ
ସଦା ରହତ ପାବସ ଋତୁ ହମ ପୈ
ଜବତେ ସ୍ୟାମ ସୀଧାରେ ।।
ଦୃଗ ଅଞ୍ଜନ ଲାଗତ ନାହିଁ କବହୁଁ
ଉର କପୋଲ ଭୟେ କାରେ
କଞ୍ଚୁକି ନାହିଁ ସୂଖତ ସୁନୁ ସୁନୁ ସଜନି
ଉର ବିଚ ବହତ ପନାରେ ।।
(ସୁରସାଗର - ସୂର ଦାସ)
O she says nothing sir,
But weeps and weeps;
And now falls on her bed
And then starts up,
(Romeo and Juliet- William Shakespeare)
ବିରହରେ ନାରୀର ଭୁମି ଶୟନ :-
ଅଥ ସା ପୁନରେବ ବିହ୍ୱଳା ବସୁଧାଲିଙ୍ଗନଧୂସରସ୍ତନୀ ।
ବିଳଳାପ ବିକୀର୍ଣ୍ଣମୂର୍ଦ୍ଧଜା ସମଦୁଃଖାମିବ କୁର୍ବତୀ ସ୍ଥଳୀମ୍।।
(କୁମାର ସମ୍ଭବ - କାଳିଦାସ)
କେଉଁ ସୁନ୍ଦରୀ ଦରୀଭୁତରୁ ଗଣ୍ତ ଧରି ଧରିତ୍ରୀ ଶୟନ କରିଛି
କଣ୍ଠେ ଜୀବନ ବନ ପୂର୍ଣ୍ଣ ନୟନ ଘନ ଘନ ନିଶ୍ୱାସକୁ ଛାଡ଼ୁଛି ରେ
ସହଚରି ! ପକାଇ ଆପଣା ଅଙ୍କର
ଲୋଡ଼ିଲେ ନ ଲାଗଇ କର
ଯେହୁ ଏଡ଼େ ଦୁର୍ବଳ ଝଞ୍ଜାନିଳ ପ୍ରବଳ ଉଡ଼ିଯାଇଟି ଯତ୍ନ କର ।।
(ଲାବଣ୍ୟବତୀ- ଉପେନ୍ଦ୍ରଭଞ୍ଜ)
ଏମନ୍ତ କାଳରେ ନୀରଜାନନୀ ନରବରଜା
ପଲକେ ପଲଙ୍କେ ନ ରହି କଲା ସେ ମହୀ ଶଯ୍ୟା
(କୋଟିବ୍ରହ୍ମାଣ୍ତସୁନ୍ଦରୀ - ଉପେନ୍ଦ୍ରଭଞ୍ଜ)
ଧରା ଶୟନରେ ସାରିଲା ଦିନ
ଧରାଜନ ପରା ମନ ବିମନ
ଧବଳକର ପରା ଦିଶେ ତନୁ
ଧର ଧର ମିତ ଜାତ ବଦନୁ
ଧରିବ କେ ଛାତି
ଧରାମଣ୍ତନାର ଦେଖି ବିପତ୍ତି ।।
(ବିଦଗ୍ଧ ଚିନ୍ତାମଣି- ଅଭିମନ୍ୟୁ)
ଶୁଣିଣ ବିରହ ଗୋପର ନାରୀ
ହା ହା କୃଷ୍ଣ ବୋଲି ଭୂମିରେଅ ପଡ଼ି ।।
(ଗୋପୀଭାଷା- ଦନାଇ ଦାସ)
ବିମ୍ୱାଧରୀ ଧରିତ୍ରୀରେ ଲୋଟଇ ବିକଳେ
କେବେ ଛଳ ଛଳ ନୀର ନୟନ ମୁଗଳେ
ରମ୍ୟ କରକରଦନା
ଡାକେ ଧର ଧର ଧର ହୋଇ ଅତି ଦୀନା ।।
(ସତ୍ୟଭାମା- ଗୋଲୋକଚନ୍ଦ୍ର ପ୍ରଧାନ)
ବିରହିଣୀର ଚନ୍ଦନ ଓ ମଥାମଣି ତ୍ୟାଗ:-
ରାତ୍ରିର୍ମେ ଦିବସାୟତେ ହିମରୁଚିଶ୍ଚଣ୍ତାଂଶୁଲକ୍ଷାୟତେ
ତାରା ପଙ୍କ୍ତିରପି ପ୍ରଦୀପ୍ତବଡ଼ବାବହ୍ନିସ୍ଫୁ ଲିଙ୍ଗାୟତେ ।
ଧୀରେ ଦକ୍ଷିଶମାରୁତୋଽପି ଦହନଜ୍ଜ୍ୱାଳାବଲ୍ଲୀଢାୟତେ
ହା ହା ଚନ୍ଦନବିନ୍ଦୁରଦ୍ୟ ଜଳବତ୍ସଞ୍ଚାରିରଙ୍ଗାୟତେ ।।
(ସୁଭାଷିତ ରତ୍ନ ଭାଣ୍ତାଗାଇ)
କହିବାରେ ଆଉ ଅଛି କି ସେ ରାମା ରହିବାରେ ନାହିଁ ଜୀବନ
ସହିବାରେ ନାହିଁ ଚନ୍ଦନ ସୁମନ ବହିବାରେ ନାହିଁ ମଣ୍ତନ
କୃଷ୍ଣ ହେ, ଅହି ସମହାରେ ମଣୁଛି
ନୋହିବାରେ ତୁମ୍ଭ ଦର୍ଶନବଶରୁ ଦହିବାରେ କାମ ଲାଗିଛି ।।
(ବ୍ରଜବିହାର- କୃପାସିନ୍ଧୁ ଦାସ)
ଅଳକର ତିଳକ ପକାଇ ପୋଛି
ଅଳକାର ସୁମନ ନ ରଖେ କିଛି ।
(ଅମ୍ବିକା ବିଳାସ -ବଳଭଦ୍ର ଭଞ୍ଜ ଦେବ)
ଚତୁରୀ ଚନ୍ଦ୍ରମା ଚନ୍ଦ୍ରମା ଚନ୍ଦ୍ରମା - ସଦନ ଭାନୁ ସମ ଘେନି
ଚାହିଁଲେ କରିବ ମୋ ନାମ ତାରକ ତାରକ ତାରକ ମଣ୍ତନୀ
କୋକିଳ, ଚାରୁମୁଖୀ କେହ୍ନ ବଞ୍ଚିବ
ଚାହିଁଲେ ମଦନ ମଦନ ମଦନ ମଦନ ଦହିବ ।। ୬।।
ଅନ୍ୱୟ- ରେ କୋକିଳ, ମୋ ଚତୁରୀ ଚନ୍ଦ୍ରମା (ଚନ୍ଦ୍ର) ଚନ୍ଦ୍ରମା (ନଖକ୍ଷତ) ଓ ଚନ୍ଦ୍ରମା ସଦନ (ଚନ୍ଦ୍ରଶାଳାପୁର)କୁ ସୂର୍ଯ୍ୟ ସମାନ ମନେ କରୁଥିବ । ସେ ତାରକ (ମୁକ୍ତା) ମଣ୍ତନୀ ଥରେ ମୋତେ ଚାହିଁ ଦେଲେ ତା ନାମ ତାରକ (ଭେଳା) କରି ମୋତେ ତାରକ (ଉଦ୍ଧାରକାରୀ ବା ଉଦ୍ଧାର) କରିଦେବ । ସେ ସୁନ୍ଦରବଦନା କିପରି ବଞ୍ଚିବ । ମଦନ (ବସନ୍ତ) ମଦନ (ଭ୍ରମର) ମଦନ (ବକୁଳ ଗଛ ବା ଆମ୍ୱ ବଉଳ) ମଦନ (ଖଞ୍ଜନ ପକ୍ଷୀ)ଙ୍କୁ ଚାହିଁଲେ ତାକୁ ମଦନ (କନ୍ଦର୍ପ) ଦହିନ କରିବ ।
ଅର୍ଥ- ରେ କୋକିଳ, ମୋ ଚତୁରୀ ରାଧା ମୋ ବିରହରେ ଚନ୍ଦ୍ରକୁ, ପୂର୍ବ ନଖକ୍ଷତକୁ ଓ ଚନ୍ଦ୍ରଶାଳାପୁରକୁ ସୂର୍ଯ୍ୟପରି ଉତ୍ତପ୍ତ ମନେ କରୁଥିବ । ସେ ମୁକ୍ତାହାରମଣ୍ତନା ଥରେ ମାତ୍ର ଚାହିଁଦେଲେ ତାର କାମଭେଳାରେ ମୋତେ ଉଦ୍ଧାର କରନ୍ତା । ସେ ବସନ୍ତ, ଭ୍ରମର, ବକୁଳଗଛ ବା ଆମ୍ବ ବଉଳ ଓ ଖଞ୍ଜନ ପକ୍ଷୀଙ୍କୁ ତାକୁ କନ୍ଦର୍ପ ଦହନ କରିବ । ତେଣୁ ସେ କିପରି ବଞ୍ଚିବ ।
ରାଧା ଚତୁରୀ ନାୟିକା :-
ଦିନେ ବିହାର କରୁଁ କେଳିସର
ଭୃଙ୍ଗ ଚୁମ୍ବନ ଦେଲା ସାରସର
ମାତୁଁ ଯାଇ ଆନ ଫୁଲରସର
ସିହାଣୀ ପାଇ ଏତେ ଅବସର
କହିଲା ହାସର
ଏହି ସେନେହ ସିନା ପୁରୁଷର ।।
(ରସିକହାରା ବଳୀ- ଉପେନ୍ଦ୍ର ଭଞ୍ଜ)
ଚନ୍ଦ୍ର ଦର୍ଶନରେ ଚିରହିଣୀର ଖେଦ :-
ନିନ୍ଦତି ଚନ୍ଦନମିନ୍ଦୁକିରଣ ମନୁବିନ୍ଦତି ଖେଦମଧୀରମ୍
ବ୍ୟାଳନିଳୟମିଳନେନଗରଳମିବ କଳୟତି ମଳୟସମୀରମ୍।।
(ଗୀତଗୋବିନ୍ଦ- ଜୟଦେବ)
କାନ୍ତୋ ଯାସ୍ୟତି ଦୂରଦେଶମିତି ମେ ଚିନ୍ତାପରଂ ଜାୟତେ
ଲେକାନନ୍ଦକରୋ ହି ଚନ୍ଦ୍ରବଦନେ ! ବୈରାୟତେ ଚନ୍ଦ୍ରମାଃ ।
କିଞ୍ଚାୟଂ ବିତନୋତି କୋକିଳକଳାଳାପେ ବିଳାପୋଦୟଂ
ପ୍ରାଣାନେବ ହରନ୍ତି ହନ୍ତ ନିତରାମାରାମମନ୍ଦାନିଳାଃ ।।
(ପୁଷ୍ପବାଣ ବିଳାସ- କାଳିଦାସ)
ଅଥ ପଥିକବଧୂଦହନଃ
ଶନୈରୁଦଭୂନ୍ନି ଶାକରାଲୋକଃ
କୁମୁଦପ୍ରବୋଧଦୂତୋ ବ୍ୟସନ-
ଗୁରୁଶ୍ଚତ୍ରବାକୀଣାମ୍।।
(ସୁଭଷିତ ରତ୍ନଭାଣ୍ତାଗାର)
ସୁଧାକର ସୁଧାକର ସୁଧାକର ପୁର
ରମଣୀ ରମଣି ର ମଣିତ କାରାପୁର ।।
(ପ୍ରେମସୁଧାନିଧି- ଉପେନ୍ଦ୍ରଭଞ୍ଜ)
ନ ଲୋଡ଼ଇ ବିଧୁ ବିଧୁ ଲୋଡ଼େ ଚନ୍ଦ୍ରମୁଖୀ
ନ ସ୍ମରେ ସ୍ମରେ ସେ ସ୍ମରେ ପଦ ଖଞ୍ଜାନାକ୍ଷୀ
ଦିଅ ନ ଦିଅ ତ ଦେଖା
ଅସୁଖୀ ଶୁଖିଗଲାଣି ନାହିଁ ପଦେ ଲାକ୍ଷା ।
(ସତ୍ୟଭାମା- ଗୋଲୋକଚନ୍ଦ୍ର ପ୍ରଧାନ)
ନାରୀ ଅଙ୍ଗରେ ନଖକ୍ଷତ :-
ଘଟୟତି ସୁଘନେ କୁଚଯୁଗ-ଗଗନେ ମୃଗମଦରୁଚିରୂଷିତେ
ମଣିସରମମଳଂ ତାରକପଟଳଂ ନଖପଦଶଶିଭୁଷିତେ ।।
(ଗୀତଗୋବିନ୍ଦ - ଜୟଦେବ)
ଅର୍ଦ୍ଧେ ନ୍ଦୁସକାଶମିଦଂ ନଖକ୍ଷତ-
ମର୍ଦ୍ଧେନ୍ଦୁସଂଜ୍ଞଂ କଥିତଂ ସମାସତଃ ।
କକ୍ଷାନିତମ୍ବସ୍ତନପାର୍ଶ୍ୱ ମଧ୍ୟେ
ଦାତବ୍ୟମେତତ୍କରଜଂ ସଦୈବ ।
(ପଞ୍ଚସାୟକ- କବିଶେଖର ଜ୍ୟୋତିରୀଶ୍ୱର)
ସ୍ୱୟମ୍ଭୁଃ ଶମ୍ଭୁରମ୍ଭୋଜଲୋଚନେ ତ୍ୱତ୍ପୟୋଧରଃ
ନଖେନ କସ୍ୟ ଧନ୍ୟସ୍ୟ ଚନ୍ଦ୍ରଚୂଡ଼ୋ ଭବିଷ୍ୟତି ।।
(ସୁଭଷିତରତ୍ନ ଭାଣ୍ତାଗାର)
ବସନ୍ତରେ ବିରହିଣୀର କାମତାପ ବୃଦ୍ଧି :-
ବସନ୍ତେ ବାସନ୍ତୀ କୁସୁମସୁକୁମା ରୈରବୟବୈ -
ର୍ଭ୍ରମନ୍ତି କାନ୍ତାରେ ବହୁବିହିତକୃଷ୍ଣାନୁସରଣାମ୍।
ଅମନ୍ଦଂ କନ୍ଦର୍ପଜ୍ୱର ଜନିତଚିନ୍ତା କୁଳତୟା
ଚଳଦ୍ବାଧାଂ ରାଧାଂ ସରସମିଦମୁଚେ ସହଚରୀ ।।
(ଗୀତଗୋବିନ୍ଦ- ଜୟଦେବ)
ବସନ୍ତେ ବାସନ୍ତୀ ମୃଦୁମଧୁରକାନ୍ତି ର୍ବିତନୁତେ
ସମୁଚ୍ଛନ୍ନଂ ଛନ୍ନଂ ହରିବିରହିଣୀ ଚିତ୍ତମନିଶମ୍।
ପ୍ରସୃନୈରାକୀର୍ଣ୍ଣଂ ରୁଚିରୁଚିରବୃନ୍ଦାବନମିଦଂ
ବିଲୋକ୍ୟେମଂ କାଳଂ କଥମିହ କୃଶାଙ୍ଗୀ ବିଗମୟେତ୍।।
(ହଂସଦୂତ- ରୂପଗୋସ୍ୱାମୀ)
ପ୍ରଫୁଲ୍ଲ- ଚୂତାଙ୍କୁର-ତୀକ୍ଷ୍ମ- ସାୟକୋ
ଦ୍ୱିରେଫମାଳା- ବିଳସଦ୍ଧନୁର୍ଗୁଣଃ ।
ମନାଂସି ବେଦ୍ଧୃଂ ସୁରତପ୍ରସଙ୍ଗିନାଂ
ବସନ୍ତ ଯୋଧଃ ସମୁପାଗତ ପ୍ରିୟେ !
(ଋତୁସଂହାର- କାଳିଦାସ)
ମଳୟ ଶିଖରୀ ଶିରୀ ଚୋରି କରି ବହିଲାଣି ମନ୍ଦ ସମୀର
ସୁମନାକୁ ବାସ ଚୋରାଇ ନେବଟି ବୋଲି କହିଲାଣି ଭ୍ରମର
କେଶର, କେଶରେ ହେଲେଣି ମଞ୍ଜୁଳ,
କେଶରେ ମଣ୍ତନ କରିବା ଭଳିରେ ଫୁଟିଲେଣି କେତେ ବଞ୍ଜୁଳ ।
ମଲ୍ଲୀମାଧବୀ ମକରନ୍ଦ ମାଧବୀ ହେଲେଣି ବାନ୍ଧିବ କାନନେ
ତୁଷାର ନାଶ ଚାହିଁ ହାସ ପ୍ରକାଶ କଲେଣି କଙ୍କଜ ଆନନେ,
ହେଲାଣି, ଚର୍ଚ୍ଚରୀ ପ୍ରକଟ କଟକେ
ଅତନୁ ଫୁଲର ବିଶିଖ କାର୍ମୁକ ଘେନି ଚଦିଲାଣି କାମୁକେ ।
(ଲାବଣ୍ୟବଦୀ- ଉପେନ୍ଦ୍ର ଭଞ୍ଜ)
ମଳୟ ମରୁତ ଦେଖ ମନ୍ଦେ ମନ୍ଦେ ବହିଲା
ଏ ବସନ୍ତ କାଳେ ମୋର କାନ୍ତ ସଙ୍ଗ ନୋହିଲା ।
କିପରି ଆରେ ସଜନି ! ବଞ୍ଚିବି ଏବେ ରଜନୀ
ନିରନ୍ତର ସ୍ମରାନଳ ମୋ ତନୁକୁ ଦହିଲା ।।
(ଗୋପାଳକୃଷ୍ଣ ପଦ୍ୟାବଳୀ)
ସ୍ମରତଲାଳସୀ କାମୀ ପରାଣ
ବିଦ୍ଧ ଆଶେ ଯୋଦ୍ଧା ବସନ୍ତ ଜାଣ
ପ୍ରଫୁଲ୍ଲ ଆମ୍ର ମୁକୁଳ ତା ଶର
ଅଳିପଂକ୍ତି ଧନୁଗୁଣ ଆବର
ଆଗଜ ମହୀରେ ପ୍ରିୟା
ଦେଖି ବସନ୍ତର ଏହି ଯୋଦ୍ଧ ବେଶ ବିଚଳିତ କାମୀ ହିଆ ।
(ଋତୁସଂହାର- ଦରଦୀ କବି)
ପୁଷ୍ପିତ ଆଜି ବୃନ୍ଦାବନ
ଉଚ୍ଛନ୍ନ ଗୋପୀବୃନ୍ଦମନ
ନ ସ୍ଫୃରେ ବାଣୀ ଅଧରପୁଟେ
ଅନ୍ତରେ ଭାବଜୁଆର ଛୁଟେ
ଦିବସ ରଜନୀ ଯାପିବୁ କେହ୍ନେ ଏ ମଧୁମାସେ
ରସରାଜ ଆଜି ନାହିଁରେ ସଜନି ଆମ୍ଭ ପାଶେ ।।
(ହଂସଦୂତ- ଦରଦୀ କବି)
ଦେଖ ହୁଁ ତାତ ବସନ୍ତ ସୁହାବା
ପ୍ରିୟାହୀନ ମୋହ ଭୟ ଉପୁଜାବା ।।
(ରାମଚରିତମାନସ- ତୁଳସୀ ଦାସ)
ବିରହରେ ଭ୍ରମର ଗୁଞ୍ଜନର ପ୍ରଭାବ :-
ଅଧିଗତକାମଧୁରାଗାଦମେତ୍ୟ
ଭ୍ରମରପଟ୍ଟଳିକା ମଧୁରାଗାତ୍
ପୀତ୍ୱୋତ୍କା ମଧୁରା ଗା ଦ୍ରୁତମକୃତ୍
ତତଃ ଶ୍ରିୟୋଽଧିକା ମଧୁରାଗାତ୍।।
(ନଳୋଦୟ- କାଳିଦାସ)
ବସନ୍ତ ଋତୁଶ୍ରେଷ୍ଠ :-
ବୃହତ୍ସାମ ତଥା ସାମ୍ନାଂ
ଗାୟତ୍ରୀ ଛନ୍ଦସାମହମ୍।
ମାସାନାଂ ମାର୍ଗଶୀର୍ଷୋହ-
ମୃତୂନାଂ କୁମୁମାକରଃ ।।
(ଶ୍ରୀମଦ୍ଭଗବଦ୍ଗୀତା)
ବସନ୍ତରେ ମଦନର ପ୍ରକୋପ -
ଉନ୍ନଦମଦନମନୋରଥପଥିକ ବଧୁଜନଜନିତବିଳାପେ
ଅଲିକୁଳସଂକୁଳକୁସୁମସମୂହନିରାକୁଳ ବକୁଳକଳାପେ ।।
(ଗୀତଗୋବିନ୍ଦ- ଜୟଦେବ)
ଲତାକଞ୍ଜଂ ଗୁଞ୍ଜନ୍ମଦବଦଳିପୁଞ୍ଜଂ ଚପଳୟନ୍
ସମାଲିଙ୍ଗନ୍ନଙ୍ଗଂ ଦ୍ରୁତତରମନଙ୍ଗଂ ପ୍ରବଳୟନ୍।
ମରୁନ୍ନନ୍ଦଂ ବିନ୍ଦନ୍କିରତି ମକରନ୍ଦଂ ଦିଶି ଦିଶି ।।
(ସାହିତ୍ୟଦର୍ପଣ- ବିଶ୍ୱନାଥ କବିରାଜ)
ତତୋ ମରୁନ୍ନିନ୍ଦତଚାରୁକେଶରଃ
ପ୍ରସନ୍ନ ତାରାଧିପ- ମଣ୍ତଳାଗ୍ରଣୀ
ବିଯୁକ୍ତରାମାତୁରଦୃଷ୍ଟି ବୀକ୍ଷତେ
ଯଥା ବସନ୍ତୋ ହନୁମାନସ୍ରଥାଗତଃ ।।
(ମହାନାଟକ- ହନୁମତ୍କବି)
ଅତି ରସମୟ ବସନ୍ତ ସମୟ ବିଚିତ୍ର ପ୍ରଣୟ ତାହାର
ମିତ୍ର ଅନଙ୍ଗକୁ ପ୍ରବଳ କରାଇ ଆଚରି ଚର୍ଚ୍ଚରି ବିହାର ।
ଆଗତେ, ଆରୋହିଲା ନାଗେଶ୍ୱରକୁ
ଋତୁରାଜ ପଦୁଁ ଯେ ରଜ ଘେନିଲା ଚାହିଁ ପ୍ରଫୁଲ୍ଲ କେଶରକୁ ।।
(କୋଟୀବ୍ରହ୍ମାଣ୍ତ ସୁନ୍ଦରୀ- ଉପେନ୍ଦ୍ର ଭଞ୍ଜ)
ଦେଖିଲା ଶିଶିର ଋତୁ ହୋଇଲା ଅନ୍ତ
ପ୍ରବେଶ ହୋଇଲା ଗୁରୁତର ବସନ୍ତ ।
ଅଗ୍ରସର ହୋଇ ତାର ମାର ହୋଇଲା
ପ୍ରଥମେ ବିଳାସୀ ଜନ ମନ ମୋହିଲା ।
ବିକାଶ କୁସୁମ ଶ୍ରେଣୀ କାର୍ମୁକ ଘେନି
ତଥିଗତ ମତ୍ତ ଅଳିମାଳି ସିଞ୍ଜିନୀ ।
ନବୋଦିତ ସହକାର ଅଙ୍କୁର ଶର
ଯେଣେ ବିରହୀର ବଧ କରେ ବିସ୍ତାର ।
(ଅନଙ୍ଗରେଖା- ଧନଞ୍ଜୟ ଭଞ୍ଜ)
ପରବେଶ ହେଲା ବସନ୍ତ କାଳ
ବରବେଶ ହେଲେ ଭୂରୁହ କୁଳ
ଗରବେ ପ୍ରବଳ ହେଲା ମଦନ
ଉରବେ ଜାର ହେଲେ ଯୋଗୀ ଜକ
ପରବେଶ ଚାହିଁ
ସରବେ ଭାଳିଲେ ବଞ୍ଚିବା କେହି ।।
(ଚନ୍ଦ୍ରକଳା- କବିସୂର୍ଯ୍ୟ)
ବସନ୍ତ ବିଜୟବାରତା ପ୍ରସରିଲା ଭୁବନେ
ପାଦପ ଆନୀତ ପତର ପରଭୁତ ପଠନେ
ପ୍ରୀତ- ପାରାବାରେ ଛାଡ଼ିଲେ ପ୍ରାଣପୋତ ଯୋଗିଏ
ମଦନ- ଅନଳ- ତାପରେ ବିଚଳିତ ଯୋଗିଏ ।
(କୀଚକବଧ- ଗଙ୍ଗାଧର ମେହେର)
ସରସମୟ ବସନ୍ତେ କାଳନେବୁ କେମନ୍ତେ
ନ ଦେଖି ନୟନ ପ୍ରାନ୍ତେ ଦୁଃଖ ଦେଇ ତୁ କାନ୍ତେ
ବ୍ରଜବିଧୁ ସୁରତାନ୍ତେ ବିଞ୍ଚୁ ଥାନ୍ତେ ପଣନ୍ତେ
ସେପରି ସୁରସବନ୍ତେ ଚାହୁଁ ନାହୁଁ ତୁ ଶାନ୍ତେ ।
(ଗୋପୀନାଥ ବଲ୍ଲଭନାଟକ- ରଘୁନାଥ ପରୀକ୍ଷା)
ଉଦ୍ଧବ ବେଗି ହୀ ବ୍ରଜ ଜାହୁ
ସୁରତ ସନ୍ଦେଶ ସୁନାୟ ମେଟୋ ବଲ୍ଲଭିନ କୋ ଦାହୁ ।
କାମ ପାବକ ତୃଳ ମେଁ ତନ ବିରହ ଶ୍ୱାସି ସମୀର
ଭସମ ନାହିନ ହୋତୁ ପାବତ ଲୋଚନନ କେ ନୀର ।।
(ସୂର ସାଗର- ସୂର ଦାସ)
ଆମ୍ବ ବକୁଳ ଦର୍ଶନରେ ବିରହିଣୀ-
ଚୂତପାଦପର ନବମୁକୁଳିତ
କୋମଳ କଳିକା ଘଟା
ଜନମାଉଥିଲା କାମୁକକାମୁକୀ
ମନରେ ଅତି ଉତ୍କଣ୍ଠା ।।
(କାଦମ୍ବରୀ- ବଳଭଦ୍ର ଦେବ)
କ୍ଷମାନିଧି ମୋର ହାରୀକଣ୍ଠ ହାରିକଣ୍ଠ ହାରିକଣ୍ଠ ବଚନୀ
ଛଇଳା କୁମୁଦ କୁମୁଦ କୁମୁଦ କୁମୁଦ-ନିନ୍ଦିତ- ହାସିନୀ
କୋକିଳ, କ୍ଷିତିରେ ଗଡ଼ୁଥିବ ଧନ,
କ୍ଷଣେ ଶୁଣି ସୁତକଣ୍ଠ ସୁତକଣ୍ଠ ସୁତକଣ୍ଠ ମୃଦୁ ବଚନ ।।୭।।
ଅନ୍ୱୟ - ରେ କୋକିଳ, ମୋ କ୍ଷମାନିଧି ହାରୀକଣ୍ଠ (ହାର ଯାହା କଣ୍ଠରେ ଥାଏ) ହାରିକଣ୍ଠ (ମନୋହର କଣ୍ଠ ଯାହାର) ଓ ହାରିକଣ୍ଠ (କୋକିଳ) ବଚନୀ ଅଟେ । ଛଇଳା କୁମୁଦ (କୁ = ପୃଥିବୀ ମୁଦ = ଆନନ୍ଦ) କୁମୁଦ (କଇଁ) କୁମୁଦ (ରଜତ) ଓ କୁମୁଦ (କର୍ପୂର) ନିନ୍ଦିତ ହାସିନୀ ଅଟେ । ସେ କ୍ଷଣେ ସୂତକଣ୍ଠ କୋକିଳ) ସୂତକଣ୍ଠ (ପକ୍ଷୀ) ସୂତକଣ୍ଠ (ଖଞ୍ଜନ) ବଚନ ଶୁଣ ମହୀନେ ଗଡ଼ୁଥିବ ।
ଅର୍ଥ- ରେ କୋକିଳ, ମୋ କ୍ଷମାସାଗର ରାଧାର କଣ୍ଠରେ ହାର ଥିବାରୁ ତାର କଣ୍ଠ ସୁନ୍ଦର ଦେଖାଯାଏ ଓ ସେ କୋକିଳବଚନୀ ଅଟେ । ପୃଥିବୀକୁ ଆନନ୍ଦଦାୟିନୀ ସେ ଛଇଳାର ହସ ଶୃକ୍ଳତାରେ କଇଁ, ରୁପା ଓ କର୍କୁରର ଶୋଭାକୁ ନିନ୍ଦା କରେ । ସେ ଥରକୁ ଥର କୋକିଳର କୁହୁ ଧ୍ୱନି, ପକ୍ଷୀସ୍ୱନ ଓ ଖଞ୍ଜନପକ୍ଷୀର ଧୀରସ୍ୱନ ଶୁଣି ଦୁଃଖରେ ମହୀ ଉପରେ ଗଡ଼ୁଥିବ ।
ପିକ ଧ୍ୱନି ଶ୍ରକଣରେ ବିରହୀ ବିରହିଣୀର ଅବସ୍ଥା -
ସମଦମଧୁକରାଣାଂ କୋକିଳାନାଞ୍ଚ ନାଦୈଃ
କୁସୁମିତ- ସହକାରୈଃ କର୍ଣ୍ଣିକାରୈଶ୍ଚ ରମ୍ୟଃ ।
ଈଷୁଭିରିବ ସୁତିକ୍ଷ୍ଣୈର୍ମାନସଂ ମାନିନୀନାଂ
ତୁଦତି କୁସୁମମାସେ ମନ୍ମଥୋଦ୍ବେଜନାୟ ।
(ଋତୁସଂହାର- କାଳିଦାସ)
ପିକୋଽପି କୋଽପି କୋପିକୋ
ବିଯୋଗିନୀରଭର୍ତ୍ସ ୟତ୍
ବଚାଂସି ଭଙ୍ଗମାଳପନ୍ନି-
ତାନି ତାନି ତାନି ତାଃ ।।
(ନଳୋଦୟ- କାଳିଦାସ)
ଧୂମାୟିତା ଦଶଦିଶୋ ଦଳିତାରବିନ୍ଦା
ଦେହଂ ଦହନ୍ତି ଦହନା ଇବ ଗନ୍ଧବାହଃ ।
ତ୍ୱାମନ୍ତରେଣ ମୃଦୁତାମ୍ରଦଳାମ୍ରମଞ୍ଜୁ -
ଗୁଞ୍ଜନ୍ମଧୁବ୍ରତ ମଧୋ କିଳ କୋକିଳସ୍ୟ ।।
(ଭୀମନୀବିଳାସ- ପଣ୍ତି ତରାଜ ଜଗନ୍ନାଥ)
ମଧୁରୟଂ ମଧୃରୈରିବ କୋକିଳ ।
କଳକଳୈର୍ମଳୟସ୍ୟ ଚ ବାୟୁଭିଃ ।
ବିରହିଣଃ ପ୍ରାଣାନ୍ହନ୍ତି ଶରୀରିଣୋ
ବିପଦି ହନ୍ତ ହନ୍ତ ସୃଧାପି ବିଷାୟତେ ।।
(ଶୃଙ୍ଖାରଶତକ- ଭର୍ଭୃହରି)
ବୃକ୍ଷା ନୂତନପତ୍ରପୁଷ୍ପକଳିତାଃ କାମସ୍ୟ ଦୂତାଃ ପିକାଃ
କୂର୍ବତ୍ୟତ୍ର ନିନାଦମଭୁ ତମମୀ ପଞ୍ଚେଷୃସନ୍ଦାପକମ୍।
ତଦ୍ବଚ୍ଛୀତସୁଗନ୍ଧିମନ୍ଦପବନଃ କାନ୍ତେ ବସନ୍ତେ ବନେ
କାଳେଽସ୍ମିନ୍ରସିକଂ ସମୀକ୍ଷ୍ୟ ମଧୁରଂ ମେ ଦେହି ଦାନଂ ତନୋଃ ।।
(ରସିକାଷ୍ଟକ କାବ୍ୟ- ନାରାୟଣ ଭଟ୍ଟ)
ନବତାଣ୍ତବିତୈଃ ଶିଖାକଳାପୈର୍ଘନମାତନ୍
ବ୍ୟତିଷଙ୍ଗ- ବର୍ଦ୍ଧ ମାନୈଃ
ଅପତନ୍ନତି ଦୂରମେବ ବନ୍ଧ୍ୟା ଶିଖିନସ୍ତଂ
ଶ୍ରୁତିଦୁଃସହୈର୍ନ ନାଦୈଃ ।
(ଦଶଗ୍ରୀବବଧମହାକାବ୍ୟ= ମାର୍କଣ୍ତେୟ ମିଶ୍ର)
ବସିଣ ରସାଳେ ସଂଯୋଗୀ ରସାଳେ ପଞ୍ଚମସ୍ୱରକୁ ତହିଁ ଯେ
ବିହନ୍ତେ କୋକିଳ ଅଶ୍ରୁରେ ପିଙ୍କିତ ଗଣ୍ତ କରି ବଇଦେହୀ ଯେ
ବୋଲନ୍ତି, ବୋଲଉ ମନ୍ଦତନୟ
ବିଶେଷରେ ମନ୍ଦ ତନୟ ନ କର ପରଭୃତ ନାମେ ଜୟ ।।
(ବୈଦେହୀଣ ବିଳାସ- ଉପେନ୍ଦ୍ର ଭଞ୍ଜ)
ଜଗମୋହୀ ଚୂଡ଼ା ସୁମେ କେବେ ନ କରଇ
ବନପ୍ରିୟ ସାଳେ ଡାକୁ କର୍ଣ୍ଣ ବୁଜୁଥାଇ ।
(ଦତ୍ତାକ୍ଷର- ଜଗମୋହି (ନୀ), (କୁ) ସୁମେ, (ର) ସାଳେ
(ପ୍ରେମସୁଧାନିଧି- ଉପେନ୍ଦ୍ର ଭଞ୍ଜ)
ପିକ ପଞ୍ଚମ ସ୍ୱରେ କୁହୁକୁହୁ ଉଚ୍ଚାରେ ସେହି କାଳକୁ ହେଜି ଯେ
ପଞ୍ଚବିଶିଖ ତହୁଁ ଘୋଟିଲା କହୁ କହୁ ତନୁ ପୁଲକ ଭଜି ଯେ
ପଦମାନ, ପ୍ରସରେ ଘେନି ବାସ ଯେ,
ପ୍ରଫୁଲ ଲତା ତରୁ ହସାହସିଣ ଭୀରୁ ପୁରୁଷର ସଦୃଶ ଯେ ।।
(ଛାନ୍ଦଭୁଷଣ- ଉପେନ୍ଦ୍ର ଭଞ୍ଜ)
ରସାଳେ କୋକିଳ ବସି ଦମ୍ଭଶଶୀ ନାଶେ
ରବେ କୁହୁ କୁହୁ କରି ତମନିଶା ଘୋଷେ ।।
(ରସପଞ୍ଚକ- ଉପେନ୍ଦ୍ର ଭଞ୍ଜ)
କଳକଳ କଳକଣ୍ଠର ଶୁଣି
କହୁଅଛି ଦୁଃଖ କେଉଁ ମିତଣୀ
କହି ଦେବା ଗୋ ବ୍ୟାଧ ବଧ କରୁ
କମଳମୁଖୀ ରାଧା ବାଧା ସରୁ
କଥା ବ୍ୟଥା ତାର
କମଳ ଋତୁ ଏ କଥାକୁ ସାର ।।
(ବିଦଗ୍ଧ ଚିନ୍ତାମଣି- ଅଭିମନ୍ୟୁ)
ମଧୁସ୍ତବ ବନଦେବୀ ବନ୍ଦିଭାଷ ସୀମନ୍ତିନୀଙ୍କର ଶୃଙ୍ଗାର
ଶିକ୍ଷାମନ୍ତ୍ର ଦୋଳାକେଳିବିଳାସିନୀ ମଙ୍ଗଳପାଠ ପରକାର
ବିରହୀ ପ୍ରାଣପ୍ରୟାଣାନକବତ
ରତିପତି ଧନୁଟଙ୍କାର ସଦୃଶ ପିକନାଦ କରେ ମୋଦିତ ।।
(ପ୍ରେମମଞ୍ଜରୀ- ରାଧାମୋହନ ରାଜେନ୍ଦ୍ର ଦେବ)
ଏ ବସନ୍ତକାଳ ମଧୁର ମୃଦୁଳ ମନ୍ଦତନୟର ନିଃସ୍ୱନ
ସକଳ ପ୍ରକାର ସୁଖ ପ୍ରଦାୟକ ସୁଗନ୍ଧ ମଳୟ ପବନ
ଯୋଗରୁ- ବିଯୋଗିଙ୍କି କରେ ତାପିତ
ବିପଦ ସମସ୍ତେ ସୁଧାରସ ସୁଦ୍ଧା ହୋଇଯାଏ ତ ବିଷବତ ।।
(ଭର୍ତ୍ତୃହରି ସୂଭାଷିତ- ରାଧାମୋହନ ରାଜେନ୍ଦ୍ର ଦେବ)
ଏମନ୍ତେ ନାନା ଉପଚାର କରନ୍ତି
ବେଢ଼ିଣ ସକଳ ଆଳି
ପରଭୃତ ବାଣୀ ଅଶନ ମଣିଲା
ଚମକେ ନୃପଦୁଲାଳୀ ।
(ଅନଙ୍ଗରେଖା- ଧନଞ୍ଜୟ ଭଞ୍ଜ)
ଏ ରସ ବସନ୍ତ ସମୟ ହୋଇଚି
ଯେ ପିକ ଡାକରେ ଧୃତି ଖସୁଚି ।
(ଗୋପୀନାଥ ବଲ୍ଲଭ ନାଟକ- ରଘୁନାଥ ପରୀକ୍ଷା)
କି ମନ୍ତ୍ର ଲଭିଛ ଅଟବୀ- କବି- ପିକ ସୂକ୍ଷଣେ
ଉନ୍ମାଦଇ କୁହୁ ଝଙ୍କାରେ ମୁହୁର୍ମୁହୁ ଭୁବନେ ।
(କୁସୁମାଞ୍ଜଳି- ମଧୁସୁଦନ ରାଓ)
ଏବେ ସହି ସେହି ମଳୟାନିଳ
ହୃଦେ ବରଷୁଛି ତୁଷ-ଅନଳ
ସେହି ମଞ୍ଜୁଳ କୋକିଳ- କାକଳି
କର୍ଣ୍ଣ ଜ୍ୱର ଜାତ କରେ କି ଭଳି
କି ହେଲା ଏ ଭଣି
ଆହା ଯାପୁଅଛି ଜାଗି ରଜନୀ ।
(ସହୃଦୟାନନ୍ଦ- ବାନାମ୍ବର ଆଚାର୍ଯ୍ୟ)
ଯେବେ ପଚାରିଲୁ ମିତ କହିବି ଯା ଜାଣେ ସତ
ଅପ୍ରାସଙ୍ଗିକ ହେଲେ ଏ ବାଛିଲେ ବାଛ
କହେ ନାମ ମୋ କାମାନ୍ଧ ହୁଅ ସକଳେ କାମାନ୍ଧ
କାମୁଁ ଜଗତ ଉଦ୍ଭୁତ ନୋହେ ଏ ମିଛ
ପିକର ଏ କାମଦା ବାଣୀ
ଶୁଣି ଘାରି ହେଉଥାନ୍ତି ଯେ ବିରହିଣୀ ।
(ସତ୍ୟଭାମା- ଗୋଲୋକ ଚନ୍ଦ୍ର ପ୍ରଧାନ)
କୁହୁ ଗୀତ ଆଉ ଗାଆ ନାହିଁ ପକ
ଉଡ଼ି ଯାଆ ଏଥୁଁ ଦୁରେ
ଗୋପଭୁଷଣ ତ ରହିଲେଣି ଯାଇ
ସ୍ମଦୂର ମଥୁରା ପୁରେ ।
(କାବ୍ୟ ନାୟିକା- ରାଧାମୋହନ ଗଡ଼ନାୟକ)
କୋଇଲି ରାଣୀ ଲୋ କୋଇଲି ରାଣୀ
ଘଞ୍ଚପତ୍ର କୋଳେ ସଞ୍ଚରୁ ତୁ ଭୋଳେ
ପଞ୍ଚମ ସୁରେ କି ପୀୟୁଷବାଣୀ ।
ମିଳନ ଛନ୍ଦେ ତୋ ପ୍ରେମ ଭାରତୀ
ବିଶ୍ୱ ବୁକେ ସର୍ଜେ ନବ-ପୀରତି
ସଞ୍ଚରାଇ ପ୍ରାଣେ ସୁଖ ସୁରତି
ବିରହୀର ଛାତି ଦିଏ କରତି
କିଆଁ ଲୋ ଦଇବ ତୋ କଣ୍ଠେ ଭରିଛି
କି ଗୁଣେ ସରଗ- ସୁଧାକୁ ଛାଣି
(ପଲ୍ଲୀପ୍ରୀତି- ଦରଦୀ କବି)
ମାନିନୀ ନାରୀ ଅଭିମାନ ପରେ
ବସନ୍ତ ବଜ୍ର ପକାଏ ସତ୍ୱରେ
ମତ୍ତଅଳି କୋକିଳର ଝଙ୍କାର
ଆବର ପ୍ରସ୍ଫୁଟିତ କର୍ଣ୍ଣକାର
କି ଅବା ମନ୍ମଥବାଣ ଗୋ,
ମାନିନୀ ପରାଣେ କାମବୃତ୍ତି ଆଣେ
ଭାଙ୍ଗିବାକୁ ମନ ଟାଣ ଗୋ ।।
(ଋତୁ ସଂହାର- ଦରଦୀ କବି)
ପର ଦେଶ ବାଳମ ତୁମ ଜାଓଗେ
କହୋ ମେରୀ କସମ କବ ଆଓଗେ ।।
ଅମବା ପର ଜବ କୋୟଲ ବୋଲେଗୀ
ମେରୀ ଛୋଟୀସୀ ଦୁନିଆ ଡୋଲେଗୀ
ଛୁପ ଛୁପ କେ ବିରହୀନ ରୋଲେଗୀ
ଇସ ଦିଲ କୋ ଠେସ ଲଗାଓଗେ
ଦେଖୋ ପ୍ରୀତ କିୟେ ପଛତାଓଗେ ।।
(ମେଳାଚଳଚ୍ଚିତ୍ର- ଶକୀଲ ବାଦୟନୀ)
ଜୀବନ ଜୀବନ ଜୀବନ ଜୀବନ ଧନ୍ୟ ସୁକୁନ୍ତଳା ତେଜିବ
ଜଗତ ନଳିନୀ ନଳିନୀ ନଳିନୀ ନଳିନୀ ଯେବେ ନିରେଖିବ
କୋକିଳ, ଜବାଧରା ମନ-ରଞ୍ଜନା
ଜଗତ ସୁରଭି ସୁରଭି ସୁରଭି ସୁରଭି-ବରନା । ୮ ।
ଅନ୍ୱୟ - ରେ କୋକିଳ, ମୋ ସୁକୁନ୍ତଳା ଧନୀ ଜୀବନ (ବାୟୁ) ଜୀବନ (ଜଳ) ଜୀବନ (ସଜଳହୁଣୀ) ନ ନେଇ ତାର ଜୀବନ(ପ୍ରାଣ) ତେଜିବ । ଜଗତର ନଳିନୀ (ପଦ୍ମିନୀ ନାୟିକା) ନଳିନୀ (ପଦ୍ମବନ) ନଳିନୀ (ପଦ୍ମଫୁଲ) ଓ ନଳିନୀ (ନଦୀ) କୁ ଦେଖିବ । ମୋ ଜବାଧରା ମନରଞ୍ଜନା ଜଗତ ସୁରଭି (ପଣ୍ତିତା) ସୁରଭି (ସୁଗନ୍ଧ) ସୁରଭି (ଚମ୍ପକ) ସୁରଭି (ଚନ୍ଦନ) ଓ ସରଭି (ବନମଲ୍ଲୀ) ବରନା ଅଟେ ।
ଅର୍ଥ- ରେ କୋକିଳ, ଧରାର ପଦ୍ମିନୀ ନାୟିକା ରାଧା ପଦ୍ମବନ, ପଦ୍ମଫୁଲ ଓ ନଦୀ (ଏଠାରେ ଯମୁନା) କୁ ଦେଖିଲା ମାତ୍ରେ ତାର ବିରହ ଦୁଃଖେ ବୃଦ୍ଧି ହେବ । ମୋ ସୁଂକୁନ୍ତଳା ରାଧା ତେଣୁ ବାୟୁ, ଜଳ ଓ ସଜଲହୁଣୀ ଗ୍ରହଣ ନ କରି ତାର ପ୍ରାଣ ତ୍ୟାଗ କରିବ । ମୋ ମନରଞ୍ଜନା ଜବାଧରା ରାଧା ସୁପଣ୍ତିତା ଓ ସୁଗନ୍ଧ ଚନ୍ଦନ, ଚମ୍ପକ ଓ ବନମଲ୍ଲୀ ବରନା ଗୌରାଙ୍ଗୀ ଅଟେ ।
ନଳିନୀ ଶବ୍ଦର ଅନ୍ୟତ୍ର ପ୍ରୟୋଗ :-
ଦେଖରେ ନଳିନୀ ନଳିନୀ ନଳିନୀରେ ପୁରିତ
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ ।।
(ଲାବଣ୍ୟବତୀ- ଉପେନ୍ଦ୍ରଭଞ୍ଜ)
ଏହିପରି ଭ୍ରମର ଶବ୍ଦର ଅନ୍ୟତ୍ର ପ୍ରୟୋଗ :-
ପଦ୍ମକୁମୁଦକୋକନଦଙ୍ଗର ସୁବାସ ଘେନି
ଭ୍ରମରେ ଭ୍ରମରେ ଭ୍ରମନ୍ତି କରି ହରଷ ଧ୍ୱନି ।
ପଦ୍ମାବତୀ ଅଭିଳାଷ- ନିଃଶଙ୍କରାୟରାଣୀ)
ସୁରଭି ଶବ୍ଦର ଭିନ୍ନାର୍ଥ :-
ସୁରଭି ସଲ୍ଲକୀ ମାତୃକ ଚମ୍ପକ ବସନ୍ତ ଯେ ଜାତିଫଳ
ସୁରଭି ବୋଲଇ ସୁଗନ୍ଧ ସୁବର୍ଣ୍ଣ ଶର ଧନୁ ଗନ୍ଧୋତ୍ପଳ ।
(ଗୀତା ଭିଧାନ- ଉପେନ୍ଦ୍ର ଭଞ୍ଜ)
ରାଧା ପଦ୍ମିନୀ ନାୟିକା :-
କମଳମୁକୁଳମୃଦ୍ୱୀ ଫୁଲ୍ଲରାଜୀବଗନ୍ଧା
ସୁରତପୟସି ଯସ୍ୟାଃ ସୌରଭଂ ଦିବ୍ୟମଙ୍ଗେ ।
ଚକିତମୃଗସନାରେ ପ୍ରାନ୍ତରକ୍ତେ ଚ ନେତ୍ରେ
ସ୍ତନଯୁଗଳମନର୍ଘଂ ଶ୍ରୀଫଳଶ୍ରୀବିଡ଼ମ୍ବୀ ।।
(ଦ୍ରାତ୍ରିଂଶତ୍ପୁତ୍ତଳିକା- କାଳିଦାସ)
ସମ୍ପୂର୍ଣ୍ଣ ଚନ୍ଦ୍ରବଦନା କନକବରନା
ଶ୍ୟାମା ଶିରୀଷକୋମଳଗାତ୍ରୀ ପିକସ୍ୱନା
ବକ୍ର ବିଚ୍ଛିତସୁକେଶୀ ରାଜହଂସଗତି
କମ୍ୱୁକଣ୍ଠୀ ଆକର୍ଣ୍ଣନୟନା ସ୍ଥିରମତି ।।
(ପଞ୍ଚଶାୟକ- ଉପେନ୍ଦ୍ର ଭଞ୍ଜ)
ବିରହିଣୀର ଭୋଜନ ତ୍ୟାଗ :-
ବିରୋଚନ ହେଲା ସୁଧା ଆହାର
ବିରୋଚନ କଣ କର୍ପୁର ଚୂର
ବିରୋଚନ ଉଦେ ହେବାର ତହିଁ
ବିରୋଚନ କର ନ ଛାଡ଼େ ସହି
ବୟସୀଙ୍କ ସାର
ବୟସି ! ମେରୁ ହେଲା ଆମ୍ଭ ପୁର ।।
(ବୈଦେହୀଶ ବିଳାସ- ଉପେନ୍ଦ୍ରଭଞ୍ଜ)
ଛାଡ଼ିଲାନି ସୁଧା ଅଶନ, ବସନ ଆଡ଼ିଲାନି ଦେହ ଦୁଃଖକୁ
ଏଡ଼ିଲାନି ବେଶଚାତୁରୀ ଚତୁରୀ ମୋଡ଼ିଲାନି ମୁଖ ସୁଖକୁ
ବାଳା ଯେ, ହୁଡ଼ିଲାନି କଥା ବେଳରେ,
ଉଡ଼ିଲାନି ତୃଣପରାୟ ମନ ତା ବୁଡ଼ିଲାନି ଖେଦଜଳରେ ।।
(ବ୍ରଜବିହାର- କୃପାସିନ୍ଧୁ ଦାସ)
ପଦ୍ମଫୁଲ ଦର୍ଶନରେ ରାଧାର ଦୁଃଖ :-
କାଳିଆ କମଳ ଦେଖିଲେ କମଳ ନୟନରେ ହୁଏ ଜରଜର
ଦେଖି ନବଘନ ତାର ଅପଘନ ପୁଲକି ହୁଅଇ ଥରଥର
ଘନ ସୁନ୍ଦର ହେ,
ଯମୁନା ଯିବାକୁ ତର ତର
ଏ ଅତି ବିଚିତ୍ର କଜ୍ୱଳରେ ଚିତ୍ର ଲେଖି ଚୁମ୍ବଦିଏ ବାର ବାର ।।
(ବିଦଗ୍ଧ ଚିନ୍ତାମଣି- ଅଭିମନ୍ୟୁ)
ଝାମ ଯିବ କଳକଣ୍ଠ କଳକଣ୍ଠ ସୁବାଣୀ ଶୁଣି
ଝଳି ଚିବୁକ ଧରିଥିବ ବୈକୃଣ୍ଠ ବୈକୁଣ୍ଠ ମାନସ ହାରିଣୀ
କୋକିଳ, ଝାଳେ ତିନ୍ତି ଥିବ ଶରୀର
ଝଡ଼ିଥିବ ତାର ଅଧର ଅଧର ଅରୁଣ ଅରୁଣ ନିକର ।୯।
ଅନ୍ୱୟ- ରେ କୋକିଳ, ସେ କଳକଣ୍ଠ (କୋକିଳ) କଳକଣ୍ଠ (ମୟୁର) ଓ କଳକଣ୍ଠ (ପାରା)ର ସୁବାଣୀ ଶୁଣି ଝାମ ଯିବ । ସେ ବୈକୁଣ୍ଠ (ବିଷ୍ଣୁ) ମାନସହାରିଣୀର ଝଳି (ଉଜ୍ଜ୍ୱଳ) ଚିବୁକ (ଓଠ) ବୈକୁଣ୍ଠ (ବିଗତ କୁଣ୍ଠାଭାବ) ଥିବ । ଝାଳରେ ତାର ଶରୀର ତିନ୍ତି ଯାଇଥିବ । ତାର ଅଧର (ଓଠ) ଅଧ (ତଳ)ର ଅରୁଣ (ବାଳସୂର୍ଯ୍ୟ) ଓ ଅରୁଣ (ସିନ୍ଦୁର ପରି ଲାଲ- ରଙ୍ଗ) ଲିଭିଥିବ ।
ଅର୍ଥ- ରେ କୋକିଳ, ମୋ ରାଧା କୋକିଳ, ମୟୁର ଓ ପାରାର ସ୍ୱନ ଶୁଣି ମୋହ ଯାଉଥିବ । ସେ ବିଷ୍ଣୁ ମନହାରିଣୀର ଉଜ୍ଜ୍ୱଳ ଓଠ ନିଃସ୍ପୃହ ହୋଇଥିବ । ଝାଳରେ ତାର ଦେହ ଓଦା ହୋଇଥିବ । ବାଳସୂର୍ଯ୍ୟ ଓ ସିନ୍ଦୁର ସମ ରକ୍ତିମା ଆଭା ତାର ଓଠ ତଳରୁ ଲୋପ ପାଇଥିବ ।
କୋକିଳଧ୍ୱନି ଶ୍ରବଣରେ ବିରହୀ ବିରହିଣୀର ଅବସ୍ଥା-
କୋକିଳାକୁଳ ସୀମାନ୍ତେ ଦୟିତାୟା ମମାନଘ
ମନ୍ମଥାୟାସମମ୍ଭୂତୋ ବସନ୍ତଗୁଣ ବର୍ଦ୍ଧିତଃ ।
ଅୟଂ ମାଂ ଧକ୍ଷତି କ୍ଷିପ୍ରଂ ଶୋତାଗ୍ନିନ ଚିରାଦିବ
ଅପଶ୍ୟତସ୍ତାଂ ଦୟିତାଂ ପଶ୍ୟତୋ ରୁଚିରଦ୍ରୁମାନ୍।
(ବାଲ୍ମିକୀ ରାମାୟଣ)
ଚୃତାଙ୍କୁରାସ୍ୱାଦକଷାୟକଣ୍ଠଃ ପୁଂଷ୍କେ କିଳୋୟନ୍ମଧୁରଂ ଚୁକୁଜ ।
ମନସ୍ୱିନୀମାନବିଘାତଦକ୍ଷଂ ତଦେବ ଜାତଂ ବଚନଂ ସ୍ମରସ୍ୟ ।
(କୁମାର ସମ୍ଭବ- କାଳିଦାସ)
ବସନ୍ତ ଋତୁ ବଶୁଁ ମତ୍ତଭରେ
ବସନ୍ତ ରସାଳ ତରୁ ଉପରେ
ବସନ୍ତ ଦୂତ କୃତ ଉଚ୍ଚସ୍ୱରେ
ବସନ୍ତବସନା ଅଗସ୍ତ୍ୟ ସ୍ମରେ
ବ୍ୟାଧି ଘାତକର
ବାତଘତ ଗୁଚ୍ଛୁଁ ଉଡ଼ୁ ଭ୍ରମର ।
(ବୈଦେହୀଶ ବିଳାସ- ଉପେନ୍ଦ୍ରଭଞ୍ଜ)
ସନ୍ତାପିକ ମଞ୍ଜି କଳରବେ ନିନ୍ଦଇ
ଆପଦରେ ସ୍ୱରଭଙ୍ଗ ପୁଲକ ବହି ।
(କୋଟି ବ୍ରହ୍ମାଣ୍ତ ସୁନ୍ଦରୀ- ଉପେନ୍ଦ୍ର ଭଞ୍ଜ)
ବସନ୍ତରେ ବିରହୀ ଅବଶ
ବସନ୍ତ ଦୂତୀ ଭାଷରେ ବଶ
ବସଇ ଉଠଇ ପିକକୁ କହଇ
ଯୁଗ ସମ ରଜନୀ ଦିବସ ।
(ପ୍ରେମ ସୁଧାନିଧି- ଉପେନ୍ଦ୍ର ଭଞ୍ଜ)
ଋତୁ ବସନ୍ତ ହସି ହସି ଆସିଲା
ଦିଗ ଦିଗନ୍ତ କୁସୁମ ବିକଶିଲା
ଅତି ଦୂରନ୍ତ କୋଇଲି ଡାବ ଦେଲା
ପ୍ରିୟ ରହିଲା କାହିଁ ?
(କବିଚନ୍ଦ୍ର କାଳୀଚରଣ ଗୀତାବଳୀ)
ସ୍ୱଭାବତଃ ଶୁକ ପିକ ସାରୀ ସ୍ୱର
ଶ୍ରବଣ ତୋଷଣ ପଟୁ
କିନ୍ତୁ ପ୍ରିୟ ବିନା ସେହି ସ୍ୱନ ଏବେ
ହେଉଓଛି କର୍ଣ୍ଣ କଟୁ ।
(ପ୍ରଣୟ ବଲ୍ଲରୀ- ଗଙ୍ଗାଧର ମେହେର)
ବସନ୍ତ ଏସେଛେ ଆଜି କଣ୍ଠେ ଲୟେ ତାର
କୋକିଲେର ଆକୁଲ ଝଙ୍କାର ।
ଦିକେ ଦିକେ ଓଇ ଶୁନୋ ରାଣୀ
ବେଜେ ଉଠେ ଆଜି କତ ଆକାଂଖାର ବାଣୀ ।
(ଓମାର ଖାୟାମ କବିତା- ନରେନ୍ଦ୍ରଦେବ)
ମୟୁର ଓ ଅନ୍ୟ ପକ୍ଷୀ ସ୍ୱନ ଶ୍ରବଣରେ ବିରହିଣୀ -
ମହାସମର ସୂଚକଃ ପ୍ରତିଦିଶଂ ମନୋଜନ୍ମନୋ
ମୟୁରଗଳକାହଳୀକଳକଳଃ ସମୁଜୁମ୍ଭତେ ।
ପୟୋଦମଳିନେ ଦିନେ ପରୁଷବିପ୍ରଯୋଗ ବ୍ୟଥାଂ
ନରେଷୁ ବନିତାସୁ ବା ଦଧତି ହନ୍ତ କେକା ଇତି ।।
(ଚମ୍ପୁ ରାମାୟଣ - ଭୋଜରାଜ)
ମନ୍ଦଂ ମରୁଦ୍ବହତି ଗର୍ଜତି ବାରିବାହୋ
ବିଦ୍ୟୁଲ୍ଲତା ଚଳତି ନୃତ୍ୟତି ନୀଳକଣ୍ଠଃ ।
ଏତାବତି ବ୍ୟତିକରେ ତରୁଣସ୍ୟ ତମ୍ୟ
ମୃର୍ଚ୍ଛେଦ କେବଳମଭୁଦବଲମ୍ବନାୟ ।।
(ସୁଭାଷି ତରତ୍ନଭାଣ୍ତାଗାର)
ଶିଖିନୀ କୂଜତି ଗର୍ଜତି ତୋୟଦେ
ସ୍ଫୁଟତି ଜାତିଲତାକୁସୁମାକରେ
ଅହହ ପାନ୍ଥ ! ନ ଜୀବତି ତେ ପ୍ରିୟା
ନଭସି ମାସି ନ ଯାସି ଗୃହଂ ଯଦି ।।
(ସୁଭାଷି ତରତ୍ନଭାଣ୍ତାଗାର)
ଦାତ୍ୟୁହଳାବକମୟୁର କପୋତହଂସ-
ପାରାବତାଦିରୁତବଦ୍ଧ୍ୱନିନଂ ରତାନ୍ତେ
ତନ୍ମିଶ୍ରନିଃଶ୍ୱସିତସୀତ୍କୃତହାନିନାଦୈଃ
ସଂଯୋଜୟେନ୍ମଦନଚୁମ୍ବନମୈଥୁନାଦୌ ।।
(ରସିକ ସର୍ବସ୍ୱ)
ସରଳ ସରଳ ହୃଦୟ ଦେଖରେ ସୁରଭି ସୁରଭି ଶୋଭନ
ଦେଖାରେ ମୟୁର ମୟୁରକ ମୂଳେ କୁରୁବକ ବନେ ରଞ୍ଜନ
ଆଗୋ ସଜନି ! ସଜ ନିତ୍ୟ ହୁଏ ଏଥେ କାମ
କୁମାର କୁମାର ଶୋଭା ଦେଖ ଏବେ ସୁନାରୀ ସୁନାରୀ ସମ ।।
(ଅଘୁନାଥ ବିଳାସ- ଧନଞ୍ଜୟଭଞ୍ଜ)
କେକୀର ସଙ୍ଗୀତରେ କାମୁକ ଉଲ୍ଲାସ
ଧରମଣି ଆଚ୍ଛାଦନେ ଘନ ବିଳାସ ।।
(କୋଟି ବ୍ରହ୍ମାଣ୍ତ ସୁନ୍ଦରୀ- ଉପେନ୍ଦ୍ର ଭଞ୍ଜ)
କକୁ କକୃ କେକୋ କାକ କାକା କକୁ କ୍ରକ
କକେ କକ କେକୀ କେକୋ କକି କୀଙ୍କ କକ ।।
(ପ୍ରେମ ସୁଧାନିଧି- ଉପେନ୍ଦ୍ର ଭଞ୍ଜ)
[ ଅର୍ଥ- କକୁ= ବର୍ଷାକାଳକୁ, କକୃ=ଡାହୁକ ଶବ୍ଦକୁ, କେକୋ= ଚକ୍ରବାକ ଶବ୍ଦକୁ, କାକ= କୁଆ, କାକା= କୁଆର ଶବ୍ଦକୁ, କକୁ= ବର୍ଷା-ପାଣିକୁ, କ୍ରକ= କୁଆପଥରକୁ, କକେ= ମୟୂର ଧ୍ୱନିକୁ, କକ= ଝଙ୍କାରି-ସ୍ୱନକ, କେକୀ= ମେଘ ଘଡ଼ଘଡ଼ ଶବ୍ଦକୃ, କେକୋ= ଭେଦ ଶବ୍ଦକୁ, କକି= କଙ୍କିଶିଆଳିର, କୀଙ୍କି= ଚିତ୍କାରକୁ ଶୁଣି, କକ= କାମ ତାପ ବୃଦ୍ଧି ହୁଏ । ]
ଶିଖରୀ ଉପରେ ଶିଖୀର ଯେ ନାଦ
ଶୁଭୁଥିବ ଘନଘନ
ତା ଶୁଣନ୍ତେ କର୍ଣ୍ଣେ ମୋହ ଯାଉଥିବ
ପରା ମୋ ଜୀବଜୀବନ ।।
(ସଙ୍ଗୀତ ଉପେନ୍ଦ୍ର ଭଞ୍ଜ)
ନବଶିଖରେ ଆଣ୍ଟେ ଡାକିଣ ନୀଳକଣ୍ଠେ
ପୁଚ୍ଛ ଉଞ୍ଚାଇ ନାଚୁଁ ହଠେ
ନବବାଳୀ ସେ ରଡି ଶୁଣି ଚମକି ପଡ଼ି
ଜୀବନ ରଖିଥିବ କଣ୍ଠେ
ରେ ବଳାହକ !
ନିର୍ଲ୍ଲଜ ଅଟେ ମୋର ହିଆ
ନ ଫାଟି ରହିଅଛି ଯାହା
ନ ସହୁଥିଲା ଲେଶେ ମୋ ବିଚ୍ଛେଦ ଏବେ ସେ
ନିଶ୍ଚେ ହେବନି ଅନ୍ତର୍ଦାହା ।।
(ବଳାହକ ଚଉତିଶା- ବ୍ରଜରାଜ ସିଂହଦେବ)
ଏ ନୀର ଶିକର ସ୍ୱଭାବେ ଶୀତ
ତଥାପି ମୋ ଅଙ୍ଗ କରେ ତପତ
କେକୀଏ ନାଚନ୍ତି ମେଚକ ଟେକି
କେ କିଏ କେ କିଏ ବୋଲି ଛଳିକି
ଚଳାଉ ଅଛନ୍ତି
ଏ ଶ୍ଲେଷ ସମ୍ଭାଳିବ କି ଏ ଛାତି ।।
(ଭଟ୍ଟୀକାବ୍ୟ-ଗୋପୀନାଥ ସିଂହଦେବ)
ଶ୍ରାବଣ ଆସିଲା ଘେନି ବରଷାର ଥାଟ
କେକିନୀ ପାଇଁକି କେକୀ ବିରଚିଲା ନାଟ
ତୋତେ ନ ଭୁଲିଲି ବୋଲି
ଗଣିଲି ବସି ମୁଁ ଶୋକ-ବାରାନିଧି-ବାଲି ।।
(କବିତା ମୁକୁଦ-ବିଚ୍ଛନ୍ଦ ଚରଣ ପଟ୍ଟନାୟକ)
କୋକିଳର କଣ୍ଠ ବଇଁଶୀର ସ୍ୱନ
ଭଅଁର ଗୁଞ୍ଜନ ତେଣ୍ଟୋଇ ଡାକ
ମୟୂରର କେକା ଡାହୁକ ଡି ଣ୍ଡିମ
ମେଘ ଗରଜନ ବେଙ୍ଗ ଟମକ ।
ଏ ଗୁଡ଼ିକ ସବୁ ଶୁଣିବାର ପାଇଁ
ଶୁଣିଲେ ମନରେ ଲାଗଇ ନିଆଁ
ପ୍ରକୃତିଟା ପୁଣି ବେଳ କାଳ ଜାଣି
ଚେଙ୍ଗିଦିଏ ଏଇମାନଙ୍କ ଚିଆଁ ।।
(ଶ୍ରୀକୃଷ୍ଣ-ଜୟକୃଷ୍ଣ ପଟନାୟକ)
ବିରହରେ ଗଣ୍ଡର ପାଣ୍ଡୁରତା:-
ତନ୍ୱୀ ମେଘଜଳାର୍ଦ୍ରପଲ୍ଲବତୟା ଧୌତାଧରେବାଶ୍ରୁଭିଃ
ଶୂନ୍ୟେବାଭରଣୌଃ ସୁକାଳବିରହାଦ୍ବିଶ୍ରାନ୍ତପୁଷ୍ପେ ଦ୍ଗାମା
ଚିନ୍ତାମୌନମିବାସ୍ଥିତା ମଧୁଲିହାଂ ଶବ୍ଦୈର୍ବିନା ଲକ୍ଷ୍ୟତେ
ଚଣ୍ଡୀ ମାମବଧୂୟ ପାଦପତିତଂ ଯାତା ପ୍ରକୁପ୍ୟେବ ସା ।।
(ବିକ୍ରମୋବଂଶୀୟ-କାଳିଦାସ)
ଗଳଦ୍ବାଷ୍ପସ୍ରୋତପ୍ଲୁତଧବଳଗଣ୍ଡା ମୃଗଦୃଶୋ
ବିଦୂୟନ୍ତେ ଯତ୍ର ପ୍ରବଳମଦନା ବେଶବିବଶାଃ ।।
(ହଂସଦୂତ-ରୂପଗୋସ୍ୱାମୀ)
ପାଣ୍ଡୁର ଦିଶେ ଗଣ୍ଡ ଗଳିତ ବାଷ୍ଫଧାରାର ଯୋଗେ
ଚଣ୍ଡ ମଦନ ଦଣ୍ଡ ହରିଣନେତ୍ରା ସତତ ଭୋଗେ ।।
(ହଂସଦୂତ-ଦରଦୀକବି)
ନିଶ୍ଚୟେ ସଜନୀ ପଲାସ ପଲାସ ପଲାସ ପଲାସ କରିବ
ନିରଞ୍ଜନା ରଞ୍ଜନା ରଞ୍ଜନା ରାତ୍ର ବରଷ ସମାନ ଗଣିବ
କୋକିଳ, ନୀରଦକାଳେ କି କରିବ
ନିରତେ କଣ୍ଟକ କଣ୍ଟକ କଣ୍ଟକ-ନେତ୍ରାର ଜାତ ହୋଇଥିବ ।।୧୦।।
ଅନ୍ୱୟ- ରେ କୋକିଳ, ମୋ ସଜନୀ ନିଶ୍ଚୟ ପଲାସ (ପତ୍ର) ପଲାସ (ଫୁଲକଢ଼) ପଲାସ (ପଲ୍ଅଅଶ୍ଧାତୁ=ଗଗନ କରିବା ଅର୍ଥାତ୍ ବ୍ୟାପିବା) ପଲାସ (ନିର୍ଦ୍ଦୟ) ହେବ । ସେ ନିରଞ୍ଜନା (ପବିତ୍ରା) ରଞ୍ଜନା (ରଞ୍ଜନକାରିଣୀ) ଓ ରଞ୍ଜନା (ସୁନା) ରାତ୍ରକୁ ବର୍ଷ ପରି ମନେ କରିବ । ସେ ନୀରଦ (ମେଘ) କାଳରେ କ’ଣ କରିବ । ନୀରତେ (ସବୁବେଳେ) କଣ୍ଟକ (ମୀନ) ନେତ୍ରାର କଣ୍ଟକ (ମୁନ) କଣ୍ଟକ (ରୋମହର୍ଷଣ) ହେଉଥିବ ।
ଅର୍ଥ- ରେ କୋକିଳ, ମୋ ସଜନୀ ରାଧା ପତ୍ରସଂଲଗ୍ନ ଫୁଲକଢ଼ମାନ ଫୁଟିବାର ଦେଖିଲେ (ପ୍ରେମର ସୂଚନା) ମୋର ବିରହ ଯୋଗୁଁ ଅଭିମାନ କରି ଶେଷରେ ମୋ ପ୍ରତି ନିର୍ଦ୍ଦୟ ହେବ । ସେ ପୂତମନା, ସ୍ୱର୍ଣ୍ଣାଙ୍ଗୀ ଓ ମନରଞ୍ଜନକାରିଣୀ ମୋ ବିରହରେ ଗୋଟିଏ ରାତିକୁ ବର୍ଷ ସମାନ ମନେ କରିବ । ସେ ବର୍ତ୍ତମାନ ଏ ମେଘସମୟରେ କ’ଣ କରିବ । ସବୁବେଳେ ସେ ମୀନନୟନାର ରୋମହର୍ଷଣ ହୋଇ ତା’ର ଦେହରେ (କନ୍ଦର୍ପର) ମୁନ ଫୁଟିଲା ପରି ଦେଖାଯାଉଥିବ ।
ବିରହରେ ରାତ୍ରିର ଦୀର୍ଘତା:-
ଚନ୍ଦ୍ରଶ୍ଚଣ୍ଡଳରାୟତେ ମୃଦୁଗତି ବାତୋଽପି ବଜ୍ରାୟତେ
ମାଲ୍ୟଂ ସୂଚିକୁଳାୟତେ ମଳୟଜାଲେପଃ ସ୍ଫୁଲିଙ୍ଗାୟତେ ।
ରାତ୍ରିକଳ୍ପଶତାୟତେ ବିଧିବଶାତ୍ପ୍ରାଣୋଽପି ଭରାୟତେ
ହା ହନ୍ତ ପ୍ରମଦାବିୟୋଗସମୟଃ ସଂହାରକଳ୍ପାୟତେ ।
(ସୁଭାଷିତରତ୍ନଭାଣ୍ଡାଗାର)
ରାତ୍ରି କାଳଯୁଗୋପମା ମଳୟଜୋ ଗନ୍ଧାନିଳଃ କିଂ ବିଷଂ
ସୋମଃ ସୂର୍ଯ୍ୟ ଇବାଭବନ୍ମଳୟଜାଲେପଃ ସ୍ଫୁଲିଙ୍ଗୋପମଃ ।
ଉକ୍ତଃ ସୁପୁରବାଦ୍ୟଗୀତପରଭୁତ୍ପାରାବତାଦିଧ୍ୱନିଃ
ବଜ୍ରସ୍ୟାହିତରେବ କର୍ଣ୍ଣଯୁଗଳେ ବିଚ୍ଛେଦତୋ କମ ତବ ।।
(ଚୌର ପଞ୍ଚାଶିକା-ବିଲ୍ହଣ)
ତୋହର ବିନୁ ବାଳା ରଜନୀ ଯୁଗ ପରା
ଅନଳ ପ୍ରକାର ଚନ୍ଦନ
ମଳୟ ସମୀରଣ ବିଷ ପରାୟେ ଜାଣ
କରୁଛି ଅଧିକ ଦହନ
ପ୍ରାଣଧନ !
କୋକିଳ ଗୀତବାଦ୍ୟ ସ୍ୱନ
ହୋଏ ବିଚ୍ଛେଦୁଁ ତୋର କର୍ଣ୍ଣୁଯୁଗଳେ ମୋର
ଅଶନିପତନ ସମାନ ।।
(ଇଚ୍ଛାବତୀ-ଧନଞ୍ଜୟ ଭଞ୍ଜ)
କାନ୍ତ ବିନା ଦିବା ରଜନୀ ସଜନି !
କୋଟି ଯୁଗ ସମ ହେଲାଟି ରେ ।।
(ସଙ୍ଗୀତ ଉପେନ୍ଦ୍ର ଭଞ୍ଜ)
ବର୍ଷାକାଳରେ ବିରହୀ- ବିରହିଣୀଙ୍କର ଚିନ୍ତା:-
ମେଘାଲୋକେ ଭବତି ସୁଖିନୋଽପ୍ୟନ୍ୟଥାବୃତ୍ତି ଚେତଃ
କଣ୍ଠାଶ୍ଲେଷପ୍ରଣୟନୀଜନେ କିଂ ପୁନନ୍ଦୂରସଂସ୍ଥେ ।।
(ମେଘଦୂତ-କାଳିଦାସ)
କ୍ଷିପ୍ରଂ ପ୍ରସାଦୟତି ସମ୍ପ୍ରତି କୋଽପି ତାନି
କାନ୍ତାମୁଖାନି ରତିବିଗ୍ରହକୋପିତାନି
ଉତ୍କଣ୍ଠୟନ୍ତି ପଥିକାନ୍ଜଳାଦାଃ ସ୍ୱନନ୍ତଃ
ଶୋକଃ ସମୁଭବତି ତଦ୍ବନିତାସ୍ୱନନ୍ତଃ ।।
(ଯମକ କାବ୍ୟ-ଘର୍ଟକପର)
ଦୈବାଦହମଦ୍ୟ ତୟା ଚପଳାୟତନେତ୍ରୟା ବିଯୁକ୍ତଶ୍ଚ
ଅବିରଳବିଲୋଳଜଳଦକାଳଃ ସମୁପାଗତଶ୍ଚାୟମ୍।।
(କାବ୍ୟପ୍ରକାଶ-ମମ୍ମଟ ଭଟ୍ଟ)
ଅୟଂ କାଳଃ କାଳପ୍ରଥମନଗଳାଭୈରବିନବୈ-
ରହଂ ଯୁନାଯୂନାମପହରତି ଧୈର୍ଯ୍ୟଂ ଜଳଧରୈଃ ।
ସୁରାଧାରା ଧାରାପରିଚିତଜଡ଼ା ବାନ୍ତ ସହସା
ନଭସ୍ୱନ୍ତଃ ସ୍ୱନ୍ତଃ କଥମିବ ବିଯୋଗଃ ପରିଣମେତ୍।।
(ଚମ୍ପୂରାମାୟଣ-ଭୋଜରାଜ)
ଗର୍ଜ୍ଜନ୍ତି ଶୈଳଶିଖରେଷୁ ବିଲମ୍ବିଲମ୍ବା
ମେଘା ବିଯୁକ୍ତବନିତାହୃଦୟାନୁକାରାଃ ।
ଯେଷାଂ ରବେଣ ସହସୋତ୍ପତିତୈର୍ମୟୂରୈଃ
ଖଂ ବୀକ୍ଷ୍ୟତେ ମଣିମୟୈରିବ ତାଳବୃନ୍ତେଃ ।।
(ମୃଚ୍ଛକଟିକ-ଶୃଦ୍ରକ)
ନିରବାପୟଦମ୍ବୁଦଃ ସମନ୍ତାତ୍
ପରିତାପଂ ଜଗତୋ ନିଦାଘଜାତମ୍।
ବିଷମୋ ବିରହାନଳପ୍ରତାପୋ
ନବ ଏବାସ୍ୟ ଦିନେ ଦିନେ ବଭୁଃ ।।
(ଦଶଗ୍ରୀବବଧମହାବାକ୍ୟ-ମାର୍କଣ୍ଡେୟ ମିଶ୍ର)
ହା ହା ମୋର ପ୍ରିୟସଖୀ ଯେ ବାଳା
ତୁ ମୋ ଅମୂଲ୍ୟକଣ୍ଠରତ୍ନମାଳା
ନୟନେ ଦେଖିବୁ ଏ ଘନ ଲୀଳା
କେସନେ ସହିବୁଟି କାମ ଜ୍ୱାଳା
ସହଜେ ଅବଳା
ଶିରୀଷ ସଦୃଶ ତନୁ କୋମଳା ।।
(ଅନଙ୍ଗରେଖା-ଧନଞ୍ଜୟ ଭଙ୍ଗ)
ରିଷଭ ସମ୍ପୂର୍ଣ୍ଣେ ସଖୀ ଆଷାଢ଼ର ଅନ୍ତେ
ଶ୍ରାବଣ ପ୍ରବେଶ ଗୋ ଜଳଦଋତୁ ହୋନ୍ତେ
ବିଜୁଳି ଝମକେ ଗୋ ଚମକି ଉଠେ ହିୟା
କେସନ ବଞ୍ଚିବି ମୋର ପାଶେ ନାହିଁ ନାହା ।।
(ରହସ୍ୟ ମଞ୍ଜରୀ-ଦେବଦୁର୍ଲ୍ଲଭ ଦାସ)
ଦେଖି ନବ କାଳିକା ବକାଳିକା ମାଳିକା
ଆଳି କାଳିକା କାନ୍ତ ସ୍ମରି ।।
(ଲାବଣ୍ୟବତୀ-ଉପେନ୍ଦ୍ର ଭଞ୍ଜ)
ଶ୍ରବଣେ ଘନଘନ ଗର୍ଜନ ଘନଘନ
ଚାହିଁ ଲୋତକ ଥନ ଥନ
କହେ ସୁମନ ମନ- ମୋହୀ ଜୀବନ ବନ-
ଜାକ୍ଷୀ ହେବନି ଛନଛନ
ହେ ଜଳଧର !
କେହି ନେବ ଦୁର୍ଦ୍ଦିନ ଦିନ
ସେ ଯେ ମୋର ନିଧନ ଧନ
ହୋଇବ ଅନ ଅନ- ଭବୁ ଭବନ ବନ
ସେ କି କଷ୍ଟ ଭାଜନ ଜନ ।।
(ରସିକ ହାରାବଳୀ-ଉପେନ୍ଦ୍ର ଭଞ୍ଜ)
କେମନ୍ତେ, ବଞ୍ଚିବ ଜୀବନ ଧନ
ସେ ଦେଶେ ଉଦେ ହେଲେ ନବଘନ
ଗର୍ଜ୍ଜନ ଶୁଣି ଚମକିବ ଛାତି
କାଳ ହେବ ତାକୁ ଅନ୍ଧାର ରାତି
ସେ ନବୀନ ବାଳୀ
ନୁହଇ କାମ ପରାଭବ ଭଳି ।।
(ସୁବର୍ଣ୍ଣରେଖା-ଉପେନ୍ଦ୍ର ଭଞ୍ଜ)
ନୀରଦ ଗଗନେ ଘୋଟି କରୁଥିଲା ଦିନେ ବୃଷ୍ଟି
ଝଟ ଝଟ ମାରୁଥିଲା ବିଜୁ
ନୀଳକଣ୍ଠ ଭେକ କୁଳ ଉଚ୍ଚେ କରୁଥିଲେ ରୋଳ
ଡାହୁକ ବଚନ ଅତି ମଞ୍ଜୁ
ନଳିନାକ୍ଷି !
ନିଶା ହୋଇଥିଲା ଅର୍ଦ୍ଧ ତହିଁ
ନୀପ ଗନ୍ଧେ ଗନ୍ଧବାହ ବହି ।।
(ଚଉପଦୀଭୂଷଣ-ଉପେନ୍ଦ୍ରଭଞ୍ଜ)
ଏ ଘୋର ବରଷା କାଳେ ପ୍ରିୟରସା
ରସ ଆଦରରେ ବସିଥିବ
ବନପତି-ପତି-ପତି ପରେ ଦୃଷ୍ଟି
ଦେଇଣ ସନ୍ତାପ କରୁଥିବ ।।
(ସଙ୍ଗୀତ-ଉପେନ୍ଦ୍ରଭଞ୍ଜ)
ଆସି ଘନ କାଳ ହୋଇଲା ରେ
ଘନ କେଶୀ ସଙ୍ଗ ନୋହିଲା ରେ
ଚଉଷଠୀ ବନ୍ଧ ଜାଣେ ରମଣୀ
ଚତ୍ତୁର୍ମାସ୍ୟା ଦେଖି ସରି ଯିବଣି
ଆଳୀ ହୃଦୟରେ ଆଉଜିବଣି
ମାର ଶରେ ତନୁ ଦହିଲା ରେ ।।
(ସଙ୍ଗୀତ-ଉପେନ୍ଦ୍ରଭଞ୍ଜ)
ଆଷାଢ଼ ହୋଇ ଘନ, ବରଷୁ ଅଛି ବନ
ଅତି ପ୍ରବଳ ହୋଇ, ବହେ ଝଙ୍କା ପବନ
କାଳକଣ୍ଟକ ମାନ, ରଟନ୍ତି ରାତ୍ର ଦିନ
କେନ୍ତେ ପ୍ରାଣବନ୍ଧୁ ମୋର ବଞ୍ଚିବ ଦିନ ।।
(ସଙ୍ଗୀତ-ଉପେନ୍ଦ୍ରଭଞ୍ଜ)
କରକାପ୍ରକର ମହୀରେ ପଡ଼ି
କୁଳିଶ ଘାତେ ଗିରିଶୃଙ୍ଗ ଝଡ଼ି
ବିଯୋଗୀ ଆଶା ଆସାର ପାତରେ
ବିନାଶ କଲା କେବଳ ସତ୍ୱରେ
ବକାଳି ବିହାର
ଉଡ଼େ କି ଜୟଚିରାଳ ତାହାର ।।
(ଶଶିରେଖା-ପଦ୍ମନାଭ ଶ୍ରୀଚନ୍ଦନ)
ବରଷାକାଳ ହୋଇଲା ଆସି
ବର ସାରସନେତ୍ରୀ ଯିବ ଭାସି ରେ ।
ବରଷାଇ ନେତ୍ର ଅଶ୍ରୁଧାରକୁ
ବରାଉଥିବ ତ ବସି ଉରକୁ ।।
(ଯଦୁମଣି ପଦ୍ୟାବଳୀ)
ମୀନନୟନା କ୍ଷୀଣ ହେବନି ମୋ ବିନା ସେ ।
ଘନଘନ ସ୍ୱନ ଶୁଣି ଛନଛନ ହେବ ମନ
ମୀନକେତନ ଶରେ ଅପଘନ କମ୍ପନ
ମୁଞ୍ଚିବ ନୟନରୁ ଥନଥନ କରି ବନ
ଭବନ କାନନ ସମାନ ମଣୁଥିବ ମୋ ଧନ ।।
(ସଙ୍ଗୀତ କଳ୍ପଲତା-କବିସୂର୍ଯ୍ୟ ବଳଦେବ ରଥ)
ଘନାଘନ ନିନଦ ଶୁଣି ହୋଇ ତବଦ
ତତ୍କ୍ଷଣେ ଜ୍ଞାନଶୂନ୍ୟ ହୋଇ
ଘଡ଼ିକରେ ଚେତନା ପାଇ କୁନ୍ଦରଦନା
ଆଳିଙ୍କି କହୁଥିବ ଚାହିଁ
ରେ ବଳାହକ !
ଘନକାଳର ସହି ଦାଉ
ଘଟ ନ ରଖିପାରେ ଆଉ
ଘେନ ମୋ ନିବେଦନା କର ବୁଦ୍ଧି ସର୍ଜନା
ସଖୀ ! ମୋ ଜୀବ ବେଗେ ଯାଉ
(ବଳାହକ ଚଉତିଶା-ବ୍ରଜରାଜ ସିଂହଦେବ)
ଧୈର୍ଯ୍ୟ ଧରି ରହିବ କିଏ ଏଇ ମେଘୁଆ ପାଗେ
ତୁମେ ଅଛ ଦୂରେ ହାୟରେ ବୁଦ୍ଧି ନ ଦିଶେ ଆଗେ ।।
(୧୧୫୮ କବିତା-ଲକ୍ଷ୍ମୀ ନାରାୟଣ ସାହୁ)
ସାଥୀ ତ ନାହିଁ ଆଜି ଏ ଆଷାଢ଼ୀ ପ୍ରାତ
କଟିବା ସିନା ବ୍ୟଥିତ ନିଃଶ୍ୱାସେ
ଦରଜ ମୋର ହୃଦୟେ ଉଠି ମରୂ
ଚାହିଁ ମୁଁ ରହେ ଆଷାଢ଼ ଆକାଶେ ।।
(ଧୂପ-ମାୟାଧର ମାନସିଂହ)
ନାହିଁ ପାଶେ ପ୍ରିୟ ଆଜି ଏ ବାଦଲ ନିଶୀଥେ
ଦମକାଏ ଛାତି ଚପଳା ଚଡ଼କ ସହିତେ ।।
(ଲତିକା-ଅନୁପ ସିଂହଦେବ)
ଏ କାଳେ ସୁରତକଳହକୁପିତା କାନ୍ତ । କମଳ ମୁଖେ
ଶାନ୍ତ କରାଏ କାନ୍ତ କେ ଅବା ଭିଡ଼ିରଖି ତାରେ ବୁକେ ।
ଉଦ୍ବେଗ ଆଣେ ଗର୍ଜନଶୀଳ ବାରିଦ ବିରହୀ-ଉରେ
ପରବାସୀ-ବାମା ଚିନ୍ତା ଅସୀମ ଲଭିଣ ସତତ ଝୁରେ ।।
(ଅଞ୍ଜଳି-ଦରଦୀ କବି)
ବରୂ ୟେ ବଦରାଇ ବରସନ ଆୟେ
ଅପନୀ ଅବଧି ଜାନି ନନ୍ଦନନ୍ଦନ ! ଗରଜି ଗଗନ ଘନ ଛାଏ ।।
(ସୂର ସାଗର-ସୂର ଦାସ)
ଘନ ଘଂମଡ଼ ନଭ ଗରଜତ ଘୋରା
ପ୍ରିୟାହୀନ ଡରପତ ମନ ମୋରା
(ରାମଚରିତ ମାନସ-ତୁଳସୀ ଦାସ)
ଆଗ ବନି ସାବନୀ କୀ ବରଖା
ଫୁଲ ବନେ ଅଙ୍ଗାରେ
ନାଗୀନ ବନ ଗୟୀ ରାତ ସୁହାନୀ
ପତ୍ଥର ବନ ଗୟେ ତାରେ ।।
(ବୈଜୁରାବରା ଚଳଚିତ୍ର-ଶକୀଲ ବାଦୟନୀ)
ହେରିୟା ଶ୍ୟାମଲ ଘନ ନୀଲ ଗଗନେ
ସଜଲ କାଜଲ-ଆଁ ଖ ପଡ଼ିଲ ମନେ ।।
(ବର୍ଷାବିରହୀ-ରବୀନ୍ଦ୍ରନାଥ ଠାକୁର)
ମେଘେର ପରେ ମେଘ ଜମେଛେ
ଆନ୍ଧାର କରେ ଆସେ
ଆମାୟ କେନ ବସିୟେ ରାଖ
ଏକା ଦ୍ୱାରରେ ପାଶେ ।
ତୁମି ଯଦି ନା ଦେଖା ଦାଓ
କର ଆମାୟ ହେଲା
କେମନ କରେ କାଟେ ଆମାର
ଏମନ ବାଦଲ-ବେଲା ।।
(ଗୀତାଞ୍ଜଳି-ରବୀନ୍ଦ୍ରନାଥ ଠାକୁର)
ସାବନ କୀ ଘଟାୟେଁ ଆଈଁ
ସରଶାର ହବାୟେଁ ଆଈଁ
ସଖୟୋଁନେ ମୁରାଦେ ପାଇଁ
ହମ କିସ୍ସେ ନୈକ୍ମିଲାୟେଁ
(ଉର୍ଦ୍ଦୂକେ ପ୍ରେମଗୀତ-ଅବ୍ଦୁଲ ହମୀଦ)
ବିରହରେ ନାରୀ ଅଙ୍ଗରେ ରୋମାଞ୍ଚ:-
ବିପୁଳପୁଲକପୃଥୁବେପଥୁଭଙ୍ଗା
ଶ୍ୱସିତନିମୀଳିତବିକସଦନଙ୍ଗା ।।
(ଗୀତଗୋବିନ୍ଦ-ଜୟଦେବ)
ଟେକେଣ ରମଣୀ ରମଣୀ ର ମଣି ଏକାନ୍ତେ ଚିନ୍ତୁଥିବ ବସି
ଟାଣ ଅନଳ ମଣିବ ଘନସାର ଘନସାରଜିତ ସୁକେଶୀ
କୋକିଳ, ଟଳିପଡ଼ୁଥିବ ମୋ ସଖୀ
ଟାଣକଟାକ୍ଷୀ ମୋ ଜୀମୂତ ଜୀମୂତ ଦେଖି ହେବ ଦୁଃଖୀ ।।୧୧
ଅନ୍ୱୟ- ରେ କୋକିଳ, ଟେକମନରେ ମୋ ରମଣୀ (ସୁନ୍ଦରୀ ରମଣୀ (ପ୍ରିୟା)ର (ଅଗ୍ନି) ମନେ କରି ଏକାନ୍ତରେ ବସି ଚିନ୍ତା କରୁଥିବ । ସେ ଘନସାର (ଶ୍ରେଷ୍ଠମେଘ) ଜିତ ସୁକେଶା ଘନସାର (କର୍ପୂର)କୁ ଟାଣ ଅନଳ ପରି ମଣିବ । ମୋ ଟାଣକଟାକ୍ଷୀ (କଟାକ୍ଷବତୀ) ଜୀମୂତ (ମେଘ) ଜୀମୂତ (ଇନ୍ଦ୍ର) ଓ ଜୀମୂତ (ପର୍ବତ) କୁ ଦେଖି ଦୁଃଖରେ ଟଳି ପଡ଼ୁଥିବ ।
ଅର୍ଥ- ରେ କୋକିଳ, ଟେକମନରେ ମୋ ସୁନ୍ଦରୀ ପ୍ରିୟା ଜଗତକୁ ଅଗ୍ନି ସମାନ ମନେ କରି ଏକାନ୍ତରେ ବସି ମୋ କଥା ଭାବୁଥିବ । ସେ ଘନକୃଷ୍ଣ କେଶା କର୍ପୂରକୁ ମଧ୍ୟ ଅଗ୍ନି ପ୍ରାୟ ମନେ କରୁଥିବ । ମୋ କଟାକ୍ଷବତୀ ରାଧା ମେଘକୁ (କୃଷ୍ଣବର୍ଣ୍ଣ ହେତୁ ମୋ କଥା ମନେ ପକାଇ) ଇନ୍ଦ୍ରଙ୍କୁ (ଇନ୍ଦ୍ର ପର୍ବତକୁ ବଜ୍ର ମାରେ ଓ ମୁଁ ତାକୁ ପର୍ବତସ୍ତନା ବୋଲି କହେ) ଓ ପର୍ବତକୁ (ଏଠାରେ ଗୋବର୍ଦ୍ଧନ ପର୍ବତ ଏଠାରେ କି ବହୁଦାର ମିଳନ ହୋଇଥିବା) ଦେଖି ଦୁଃଖରେ ଭୂମିରେ ଟଳିପଡ଼ୁଥିବ।
ବିରହିଣୀ ରାଧାର ଭୂମିଶୟନ:-
ଭ୍ରମତି ଭବନଗର୍ଭେ ନିର୍ନିମିତ୍ତଂ ହସନ୍ତୀ
ପ୍ରଥୟତି ତବ ବାର୍ତ୍ତାଂ ଚେତନାଚେତରେଷୁ
ଲୁଠିତ ଚ ଭୁବି ରାଧା କମ୍ପି ତାଙ୍ଗୀ ମୁରାରେ !
ବିଷମବିରହଖେଦୋଦ୍ଗାରବିଭ୍ର ନଚିତ୍ତା ।।
(ଉଜ୍ଜ୍ୱଳନୀଳମଣି-ରୂପଗୋସ୍ୱାମୀ)
ଠିକେଣ ଦେଖିବ ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଚଞ୍ଚଳା ଭଜିବ
ଠା ଠିକ ରୋହିତ ରୋହିତ ରୋହିତ ରୋହିତ ତାର ବିନାଶିବ ।
କୋକିଳ, ଠକ ଶମ୍ବରାରି ଚର୍ଚ୍ଛିବ
ଠିକ କୁଚ ବଳାହକ ବଳାହକ ଦମ୍ଭନାଶନେ ଟାଣୁଥିବ ।।୧୨।।
ଅନ୍ୱୟ- ରେ କୋକିଳ, ମୋ ଚଞ୍ଚଳା (ଲକ୍ଷ୍ମୀ) ଚଞ୍ଚଳା (ଅସ୍ଥିରା) ବିଜୁଳୀକୁ ଦେଖି ବିଚଳିତା ହେବ । ଇନ୍ଦ୍ରଧନୁ (ମେଘରେ ସୂଚନା) ପଦ୍ମରାଗ ଓ କୁଙ୍କୁମ (ପ୍ରୀତିସରଞ୍ଜାମ) ତାର ଧୈର୍ଯ୍ୟକୁ ନାଶ କରିବେ । ସେ ଠକ ମଦନକୁ ବାଧ୍ୟ ହୋଇ ପୂଜା କରିବ । ତାର ପର୍ବତସମ ଉନ୍ନତ କୃତ ଯୁଗଳକୁ ମେଘର ସମ୍ଭନାଶ ଲାଗି (ମେଘ ପର୍ବତକୁ ଗ୍ରାସ କରେ) ଭିଡ଼ ଧରିଥିବ ।
ବିରହରେ ରାଧାର ବିଚଳିତ ଅବସ୍ଥା:-
ସା ରୋମାଞ୍ଚତି ସୀକ୍ୱାରୋତି ବିଳପତ୍ୟୁକମ୍ପତେ ତାମ୍ୟତି
ଧ୍ୟୟ ତ୍ୟଭ୍ରମତି ପ୍ରମୀଳତି ପତତ୍ୟୁଦ୍ଯାତି ମୂର୍ଚ୍ଛତ୍ୟପି ।।
(ଗୀତଗୋବିନ୍ଦ-ଜୟଦେବ)
ବିରହତାପନାଶାର୍ଥେ କନ୍ଦର୍ପକୁ ପ୍ରାର୍ଥନା:-
ରେ ରେ ନିର୍ଦ୍ଦୟ ଦୁର୍ନିବାର ମଦନ ପ୍ରୋତଫୁଲ୍ଲପଙ୍କେରୁହଂ
ବାଣଂ ସଂବୁଣୁ ସଂବୁଣୁ ତ୍ୟଜ ଧନୁଃ କିଂ ପୌରୁଷଂ ମାଂ ପ୍ରତି ।
କାନ୍ତାସଙ୍ଗବିଯୋଗ-ଦୁଃଖ-ଦହନ-ଜ୍ଜ୍ୱାଳାବଲୀଢଂ ବପୁଃ
ଶୂରାଣାଂ ମୃତମାରଣେ ନହି ପରୋ ଧର୍ମଃ ପ୍ରଯୁକ୍ତୋ ବୁଧୈଃ ।।
(ସୁଭାଷିତ ରତ୍ନଭାଣ୍ଡାଗାର)
ଡମ୍ବରୁ ମଧ୍ୟାର ଅଶୋକ ଅଶୋକ ଅଶୋକ ଅଶୋକ ନାଶିବ,
ଡାଳିମ୍ବଦଶନମଣ୍ଡନୀ ଅଳୀକ ଅଳୀକ ଅଳୀକ କରିବ,
କୋକିଳ, ଡୋଳା ପ୍ରତିମା ଅବଳାକୁ
ଡୋଳାଇଲା ଚଉରୀକ ଚଉରୀକ ଚଉରୀକ ଚମ୍ପା ଶୋଭାକୁ ।। ୧୩ ।।
ଅନ୍ୱୟ - ରେ କୋକିଳ, ମୋ ଡମ୍ବରୁମଧ୍ୟାର ଅଶୋକ (ଶୋକରହିତ) ଅଶୋକ (ସୁଖ) କୁ ଅଶୋକ (ଅଶୋକ କଢ଼) ଓ ଅଶୋକ (ପାରଦ) ନାଶ କରିବେ । ସେ ଡାଳିମ୍ବଦଶନଶୋଭୀ ତାର ଅଳୀକ (ଲଲାଟ) କୁ ଅଳୀକ (କ୍ଷୁଦ୍ର) ଅଳୀକ (ମିଥ୍ୟା) ମନେ କରିବ । ମୋ ଡୋଳା ପ୍ରତିମା ଅବଳା ଚମ୍ପାଶୋଭାକୁ ଚଉରୀକ (ପ୍ରାଙ୍ଗଣ) ଚଉରୀକ (ପକ୍କାବେଦୀ) ଓ ଚଉରୀକ (ଚାମର) ଡୋଳାଇଲା ।
ଅର୍ଥ - ରେ କୋକିଳ, ମୋ କ୍ଷୀଣମଧ୍ୟମାର ଶୋକଶୂନ୍ୟ ଓ ସୁଖମୟ ଜୀବନକୁ ଅଶୋକ କଢ (ପ୍ରେମର ପ୍ରତୀକ) ଓ ପାରଦ (ପାରଦଧାତୁ ହଠାତ୍ ଶୂନ୍ୟ ହୋଇଯାଏ, ତେଣୁ ସେ ଜୀବନକୁ ଶୂନ୍ୟ ମନେ କରିବ) ତାକୁ ନାଶ କରିବେ । ସେ ଡାଳିମ୍ବଦଶନଶୋଭା ତା’ର କପାଳକୁ ନିତାନ୍ତ କ୍ଷୁଦ୍ର, ମିଥ୍ୟା ଓ ଅପ୍ରିୟ ମନେ କରିବ । ମୋ ଡୋଳାପ୍ରତିମା ଚମ୍ପକବରନାକୁ ଏବେ ତାର ସଖୀମାନେ ପ୍ରାଙ୍ଗଣସ୍ଥିତ ପକ୍କ ବେଦୀରେ ବସାଇ ଚାମର କରିବେ ବୋଲି ଯୋଗଥିଲା । (ରାଧାର ମୂର୍ଚ୍ଛିତାବସ୍ଥା)
ବିରହରେ ନାରୀର ମୂର୍ଚ୍ଛା:-
ସ୍ୱେଦ କମ୍ପୋଽଥରୋମାଞ୍ଚ ସ୍ୱରଭଙ୍ଗୋଽଥ ବେପୁଥୁଃ
ବୈବର୍ଣ୍ଣ୍ୟମଶ୍ରୁ ପ୍ରଳୟାବିତ୍ୟଷ୍ଟୌ ସାତ୍ତ୍ୱିକା ମତାଃ ।।
(ନାଟ୍ୟଶାସ୍ତ୍ର-ଭରତ)
ସ୍ମରଣେ ସଙ୍ଗମେ ଚୈବ ପ୍ରିୟସ୍ୟାଲୋକନେ ତଥା
ହେତୁତ୍ରୟଂ ସମାସାଦ୍ୟ ସାତ୍ତ୍ୱିକଃ ସଂପ୍ରବର୍ତ୍ତତେ ।।
(ନାଟ୍ୟଶାସ୍ତ୍ର-ଭରତ)
ମନ ତାର ତୃଣବନ ଦହଇ କାମ-ଦହନ
କ୍ଷଣେ କ୍ଷଣେ ଶୁନ୍ୟଜ୍ଞାନ ହୋଇ ସୁକେଶୀ
(ଲୀଳାବତୀ-ରଘୁନାଥ ହରିଚନ୍ଦନ)
ଶଶିଶୋଭାନିନ୍ଦୀ ବଦନେ ତାହାର
କଳଙ୍କ-କାଳିମା ରାଜେ
ସଜ୍ଞାଲୋପ ହେତୁ ମୋ ମନ-ବୀଣାରେ
କରୁଣ-ମୂର୍ଚ୍ଛନା ବାଜେ ।।
(ସତୀରଶକ୍ତି-ଦରଦୀକବି)
ବିରହିଣୀର ମୂର୍ଚ୍ଛାରେ ସଖୀମାନଙ୍କର ଉପଚାର:-
ତଦା ନିଷ୍ପନ୍ଦାଙ୍ଗୀ କଳିତନଳିନୀପଲ୍ଲବକୁଳୈଃ
ପରୀଣାହାତ୍ପ୍ରେମ୍ଣାମକୁଶଳଯୁତାଶଙ୍କି ହୃଦୟେ ।
ଦୃଗମ୍ଭୋ ଗମ୍ଭୀରାକୃତ ମିହିରପୁତ୍ରୀଲହରିଭି-
ର୍ବିଲୀନା ଧୂଳୀନ ମୁପରି ପରିବବ୍ରେ ପରିଜନୈଃ ।।
(ହଂସଦୂତ-ରୂପଗୋସ୍ୱାମୀ)
ସ୍ପନ୍ଦନହୀନ ରାଧା ଅପଘନେ
କମଳପତ୍ରେ ଆବରି ସଘନେ
ସଜନୀ ଦୁଃଖ ଭାଳି,
ବେଢ଼ି ଚୌଦିଗେ ମୁଞ୍ଚିଲେ ଯେବେ
ଅଶ୍ରୁ ସକଳ ଆଳି,
ଅର୍କତନୟା କଲ୍ଲୋଳେ ଗଲା ଚାଲି ।।
(ହଂସଦୁତ-ଦରଦୀକବି)
ଢଳିଥିବ ନିକି କଦମ୍ବ କଦମ୍ବ କଦମ୍ବ କଦମ୍ବ ଶଯ୍ୟାରେ
ଢାଳେ ଘେନି ପଦ୍ମ କୋରକ କୋରକ କରି ତାରପ୍ରକାରେ
କୋକିଳ, ଢାଳେ ନ ଚାହିଁବ ସେ ଧୀରେ
ଢାଳେ ରଖିଥିବ ସୁପର୍ଣ୍ଣ ସୁପର୍ଣ୍ଣ ସୁପର୍ଣ୍ଣ ନ ରଖି ଅଙ୍ଗରେ ।। ୧୪ ।।
ଅନ୍ୱୟ - ରେ କୋକିଳ, ସେ କଦମ୍ବ (ବ୍ୟାକୁଳ) କଦମ୍ବ (କଦମ୍ବ ଫୁଲ) କଦମ୍ବ (ସର୍ଷପ-ଏଠାରେ କେଶର) କଦମ୍ବ (ସମୂହ) ଶଯ୍ୟାରେ ଢଳିଥିବ । ସେ ଢାଳେ (ଟିକିଏ) ହେଲେ ପଦ୍ମକୋରକ (ମୃଣାଳ ଅଂଶ) କୋରକ (ସୁଗନ୍ଧି ବିଶେଷ) ଓ କୋର (କଢ଼) କୁର (ଅଗ୍ନି) ପ୍ରାୟ ମନେ କରିବ । ସେ ଆଉ ମୋତେ ତିଳେ ହେଲେ ଚାହିଁବ ନାହିଁ । ସେ ସୁପର୍ଣ୍ଣ (ସ୍ୱର୍ଣ୍ଣଚୂଡ଼ା) ଅଙ୍ଗରେ ନ ରଖି ସୁପର୍ଣ୍ଣ (କୋମଳପତ୍ର) ଓ ସୁପର୍ଣ୍ଣ (ନାଗକେଶର) ରଖିଥିବ ।
ଅର୍ଥ - ରେ କୋକିଳ, ସେ ବ୍ୟାକୁଳ ହୋଇ କଦମ୍ବଫୁଲର କେଶରଗୁଡ଼ିକରେ ଶଯ୍ୟା ରଚନା କରି ଶୋଇଥିବ । ସେ ଆଉ ମୋତେ ଅଭିମାନ କରି ଟିକିଏ ହେଲେ ଚାହିଁବ ନାହିଁ । ସେ ତା’ର ଦେହରେ ସ୍ୱର୍ଣ୍ଣ ଆଭରଣମାନ ନ ରଖି କେବଳ ନାଗେଶ୍ୱର ଫୁଲ ଓ କୋମଳ ପତ୍ରଶଯ୍ୟାରେ ଶୋଇଥିବ ।
ବିରହିଣୀର ବ୍ୟାକୁଳତା ଓ ନିବେଦନ:-
ଶନ୍ତ୍ର ସମ୍ପଦ ପାଉଁ ଅଧଣୁ ସୁଧା ପିଉ ସେ ଏବେ ପାଲଟୁଛି ବିଷ
ଶରୀରଠାରେ ହିତ ବହି ଜଳ ଯେମନ୍ତ ସନ୍ନିପାତରେ କରେ ନାଶ
ହେ ଶ୍ୟାମ ବନ୍ଧୁ !
ଶଶୀ ସ୍ୱଭାବକୁ ନ ଘେନ
ଶୁଭରୁଚିର ସେ ଯେସନ
ଶୀତଳ ସର୍ବକରି ହୋଏ ଅନଳ ସରି ପ୍ରୀତିବିଚ୍ଛେଦୀ ଯେତେ ଜନ ।।
(ଛାନ୍ଦଭୂଷଣ-ଉପେନ୍ଦ୍ର ଭଞ୍ଜ)
ବିରହତାପନାଶାର୍ଥେ ବିରହିଣୀର ପୁଷ୍ପ ଓ କୋମଳପତ୍ର ଶଯ୍ୟା !
କୁସୁମବିଶିଖଣରତଳ୍ପମନଳ୍ସ ବିଲଶସକଳାକମନୀୟମ୍
ବ୍ରତମିବ ତବ ପରିରମ୍ଭୁସୁଖାୟ କରୋତି କୁସୁମଶୟନୀୟମ୍।।
(ଗୀତଗୋବିନ୍ଦ-ଜୟଦେବ)
ନବକିସଳୟତଳ୍ସଂ କଳ୍ସିତଂ ତାପଶାନ୍ତୌ
କରସରସିଜସଙ୍ଗାତ୍କେବଳଂ ମ୍ଳପୟନ୍ତ୍ୟାଃ ।
କୁସୁମଶରକୃଶାନୁପ୍ରାପିତାଙ୍ଗାରତାୟାଃ
ଶିବ ଶିବ ପରାତାପଂ କୋ ବଦେତ୍କୋମଲାଙ୍ଗ୍ୟାଃ ।।
(ପୁଷ୍ପବାଣବିଳାସ-କାଳିଦାସ)
ବିରହିଣୀର ସ୍ୱର୍ଣ୍ଣାଭରଣ ତ୍ୟାଗଃ -
କୁସୁମଶୟନଂ ନ ପ୍ରତ୍ୟଗ୍ରଂ ନ ଚ ଚନ୍ଦ୍ରମରୀଚୟୋ
ନ ଚ ମଳୟଜଂ ସର୍ବାଙ୍ଗୀଣଂ ନ ବା ମଣିଯଷ୍ଟୟଃ ।
ମନସିଜରୁଜଂ ସା ବା ଦିବ୍ୟା ମମାଳମପୋହିତୁଂ
ରହସି ଲଘୟେଦାରବ୍ଧା ବା ତଦାଶ୍ରୟିଣୀ କଥା ।
(ବିକ୍ରମୋର୍ବଶୀୟ-କାଳିଦାସ)
ଏକ କରି କୁଚେ ଜଘନ କଦଳୀ କଦଳୀ କଦଳୀ-ନୟନେ
ଏବେ ମଣୁଥିବ ରମଣୀ ପାବକ ପାବକ ପାବକ ସମାନେ
କୋକିଳ, ଆହା ମୋ ପ୍ରିୟରସକଳା
ଅଙ୍ଗନା ସାରଙ୍ଗ ସାରଙ୍ଗ ସାରଙ୍ଗ ବଚନ ଶୁଣି ହେବ ଭୋଳା ।। ୧୫ ।।
ଅନ୍ୱୟ - ରେ କୋକିଳ, ମୋ କଦଳୀ (ମୃଗ) ନୟନା କ (ଶିର) ଦଳି (କୋଡ଼ି) ତାର ଜଘନ କଦଳୀ (ରମ୍ଭା ଉରୁ) ଓ କୁଚକୁ ଏକ କରି ବସିଥିବେ । ଏବେ ସେ ରମଣୀ ପାବକ (କୁସୁମ)କୁ ପାବକ (ସୂର୍ଯ୍ୟ) ଓ ପାବକ (ଅଗ୍ନି) ସମାନ ମଣୁଥିବ । ମୋ ରସବତୀ ଅଙ୍ଗନା (ନାରୀ) ସାରଙ୍ଗ (କୋକିଳ) ସାରଙ୍ଗ (ମୟୂର) ଓ ସାରଙ୍ଗ (ଚାତକ)ର ସ୍ୱନ ଶୁଣି ଭୋଳ ହେଉଥିବ ।
ଅର୍ଥ - ରେ କୋକିଳ, ମୋ ମୃଗନେତୀ ରମ୍ଭୋରୁ ରାଧା ଶିର କୋଡ଼ ତାର କୁଚଯୁଗଳକୁ ଏକାଠି କରି ଅର୍ଥାତ ଦୁଇ ହସ୍ତରେ ବକ୍ଷକୁ ଚାପି ରଖି ବସିଥିବ । ସେ ରମଣୀ କୁସୁମକୁ ସୂର୍ଯ୍ୟ ଓ ଅଗ୍ନି ପରି ମନେ କରୁଥିବ। ମୋ ରସବତୀ ରାଧା କୋକିଳ, ମୟୂର ଓ ଚାତକର ସ୍ୱନ ଶୁଣି ବିହ୍ୱଳା ହେଉଥିବ ।
ସାରଙ୍ଗ ଶଦ୍ଦର ଅନ୍ୟତ୍ର ପ୍ରୟୋଗ:-
ସାରଙ୍ଗରଦ ପଲଙ୍ଗେ ସାରଙ୍ଗ ପଙ୍କିଳ ପଙ୍କେ
ସାରଙ୍ଗମୁଖୀ ସାରଙ୍ଗ ସାରଙ୍ଗରେ ମାତିଲେ ।।
(ସଙ୍ଗୀତ ଉପେନ୍ଦ୍ର ଭଞ୍ଜ)
ସାରଙ୍ଗଦନ୍ତ ପଲଙ୍କେ ସାରଙ୍ଗେ ଘେନି ନିଃଶଙ୍କେ
ସାରଙ୍ଗମୁଖୀ ସାରଙ୍ଗ କେଳି ସୁଲୋଳେ
ସାରଙ୍ଗନାଳ ବାହୁରେ କାନ୍ତ ଭିଡ଼ ସାରଙ୍ଗରେ
ସାରଙ୍ଗ ଉପରୁ ଶୀଘ୍ର ତୋଳି ଯେ ନେଲେ
ସାରି ପ୍ରେମେ ସାରଙ୍ଗରଣ
ସହଜେ ଭଜିଲେ ଶାନ୍ତି ଯୁଗଳ ପ୍ରାଣ ।।
(କମଳାକାନ୍ତ ଚଉତିଶା-ଦୀନକୃଷ୍ଣ)
ସାରଙ୍ଗ ନୟନ ବୟନ ପୁନି ସାରଙ୍ଗ
ସାରଙ୍ଗ ତସୁ ସମ ଧାନେ
ସାରଙ୍ଗ ଉପରେ ଉଲଗ ଦସ ସାରଙ୍ଗ
କାଲୀ କରଥ ମଧଉପାନେ ।।
(ବିଦ୍ୟାପତି ରଚନାବଳି)
ପକ୍ଷୀସ୍ୱନ ଶ୍ରବଣରେ ବିରହୀ-ବିରହିଣୀର କାମତାପ ବୃଦ୍ଧି !-
ଶିଖିନୀ ମନ୍ମଥାର୍ତ୍ତୈଷା ଭର୍ତ୍ତାରଂ ଗିରସାନୁଷୁ
ତାମେବ ମନସା ରାମାଂ ମୟୂରୋପ୍ୟପଧାବତି ।।
(ବାଲ୍ମୀକି ରାମାୟଣ)
ବାୟୁର୍ଦକ୍ଷିତଃ ଶିଖୀ ଚ ପୁରତୋ ଭଙ୍ଗଧ୍ୱନିର୍ବାମତଃ
ପଶ୍ଚାଦ୍ଦ ସହଚକ୍ରବାକରୁଦିତଂ ଚୋର୍ଦ୍ଧଂ ସୁଧାଦୀଧିତି ।
ଇତ୍ଥଂ ଦୁଃସହପଞ୍ଚତାପସହିତେ ମଧ୍ୟେ ମୟା ଧ୍ୟାୟତା
ନେଷ୍ୟନ୍ତେ କଳିତପ୍ରଜାଗରଭରୈରତ୍ୟନ୍ତ ଦୀର୍ଘନିଶାଃ ।।
(ମହାନାଟକ-ହନୁମତ୍କବି)
ବିୟଦୁପଚିଜମେଘଂ ଭୂମୟଃ କନ୍ଦଳିନ୍ୟୋ
ନବକୁଟଜକଦମ୍ବାମୋଦିନୀ ଗନ୍ଧବାହାଃ
ଶିଖିକୁଳକଳକେମାରାବରମ୍ୟା ବନାନ୍ତା
ସୁଖିନମସୁଖିନଂ ବା ସର୍ବମୁତ୍କଣ୍ଠୟନ୍ତି ।।
(ଶୃଙ୍ଗାରଶତକ-ଭର୍ତ୍ତୃହରି)
ନୀଳାମ୍ଭୋଧଚସାନ୍ଦ୍ରତାଂ ଦିଶିଦିଶି ପ୍ରାବୃଣହୀ ସାଙ୍କୁରା
ସୌଦାମିନ୍ୟ ଇମା ସ୍ଫୁରନ୍ତି ପରିତଃ କୂଜନ୍ତ୍ୟମୀ ବର୍ହିଣଃ ।
ବର୍ଷର୍ତ୍ତୁଃ ସମୁପାଗତଃ ପ୍ରିୟତମେ ପୁଷ୍ପାୟୁଧୋଦ୍ଦୀପକଃ
କାଳେଽସିନ୍ରସିକଂ ସମୀକ୍ଷ ମଧୁରଂ ମେ ଦେହି ଦାନଂ ତନୋଃ ।।
(ରସିକାଷ୍ଟକକାବ୍ୟ-ନାରାୟଣ ଭଟ୍ଟ)
ପିକଶିଖିଳହଂ ସପ୍ରାୟପକ୍ଷୀବ୍ରଜାନାଂ
ସରିତମନୁକରୋତୀତ୍ୟଙ୍ଗନା ମନ୍ମଥାର୍ତ୍ତା ।।
(ପଞ୍ଚସାୟକ-କବିଶେଖର ଜ୍ୟୋତିରୀଶ୍ୱର)
ନାଚେ ବରହୀ ରହି ନଗ୍ରେ ଭେକହିଁ କହି
କାମୀ ପ୍ରଳୟ ବିହି ବିହି
ଶୁଣି ନ ସହି ସହୀ ଚିରିବ ମହୀ ମହିଳାକୁ
ଯେ ତ୍ରାହି ନାହିଁ ନାହିଁ
ହେ ଜଳଧର !
କଦମ୍ବ ଗନ୍ଧ ବହି ବହି
ବାତ ଥିବ ମୋଦ ହିଁ ଦହି
ମୋ ପଥ ଚାହିଁ ଚାହିଁ ଥିବ ସୁମୁହିଁ ମୁହିଁ
ପାପୀ ଦହେ ଅଦେହୀ ଦେହୀ ।।
(ରସିକ ହାରାବଳୀ-ଉପେନ୍ଦ୍ର ଭଞ୍ଜ)
ଦିନେ ଘନସାର ସାର ଭରି ପାନ ତାର ତାର -
ବରମୁଖୀ ଦେଉଁ ବାର ବାର
ଡାକନ୍ତେ ମୟୂର ଉର ଉଲ୍ଲସି ଦର୍ଦ୍ଦୁର ଦୂର
ଚେତା କଲା ହୋଇ ଥର ଥର
ଦେ ଜଳଧର !
ଯାଚିଲା ସେ ହୋଇ ତର ତର
ମୋତେ ତୁଚ୍ଛା କର କର - ଭୋରୁ ମୁଁ ନଖର ଖର
ଟିପୁଁ ଚେତି ଲାଜେ ଜର ଜର ।।
(ପ୍ରେମସୁଧାନିଧି-ଉପେନ୍ଦ୍ର ଭଞ୍ଜ)
ଘନାବୃତ ବ୍ୟୋମ ନୂତନ ଅଙ୍କୁର ଶାଦବଳିତ ମହୀ ପ୍ରଦେଶ
ନବ ଗିରି ମଲ୍ଲୀ କଦମ୍ବ କକମ୍ବବାସଗର୍ଭିତ ପକ୍ଷଦଶ୍ୱ
ମୟୂର-କେକା ନିଃସ୍ୱନ ମୁଖରିତ
ବନାନ୍ତ କି ସୁଖୀ କି ଦୁଃଖୀ ସକଳ ଜନଙ୍କୁ କରେ ଉତ୍କଣ୍ଠିତ ।।
(ଭର୍ତ୍ତୃହରି ସୁଭାଷିତ-ରାଧାମୋହନ ରାଜେନ୍ଦ୍ରଦେବ)
ତା ନେତ୍ର କରିବ ସାରଙ୍ଗ ସାରଙ୍ଗ ସାରଙ୍ଗ ଧରସୁନୁ ବାଣ
ତରୁଣୀ ନ ଘେନି ଅଶନ ଅମୃତ ଅମୃତ ଅମୃତ କରିଣ
କୋକିଳ, ତୁଙ୍ଗସ୍ତନା କେହ୍ନେ ବଞ୍ଚିବ
ତାର ରୁନ୍ଧି ହେଲେ ଶ୍ରୀକଣ୍ଠ ଶ୍ରୀକଣ୍ଠ ଶ୍ରୀକଣ୍ଠ-ଭୂଷଣ ଚିନ୍ତିବ ।। ୧୬ ।।
ଅନ୍ୱୟ - ରେ କୋକିଳ, ତାର ସାରଙ୍ଗ (ସୁକାନ୍ତି) ନେତ୍ରକୁ ଶାରଙ୍ଗଧର (ବିଷ୍ଣୁ) ସୁନୁ (ପୁତ୍ର) ସାରଙ୍ଗ (ବିଘ୍ନ) କରିବ । ସେ ତରୁଣୀ ଅମୃତ (କ୍ଷୀର) ଅମୃତ (ଲବଣୀ) ଓ ଅମୃତ (ଅନ୍ନ) ଅଶନ (ଭୋଜନ) କରିବ ନାହିଁ । ସେ ତୁଙ୍ଗସ୍ତନା (ଉନ୍ନତ ପୟୋଧରା) କିପରି ବଞ୍ଚିବ । ତା’ର ଶ୍ରୀକଣ୍ଠ (ଶୋଭାଯୁକ୍ତ କଣ୍ଠ) ରୁନ୍ଧି ହେଲେ ସେ ଶ୍ରୀକଣ୍ଠ (ଶିବ) ଓ ଶ୍ରୀକଣ୍ଠଭୂଷଣ (ଲକ୍ଷ୍ମୀଙ୍କର କଣ୍ଠଭୂଷଣ-ବିଷ୍ଣୁ)ଙ୍କୁ ଧ୍ୟାନ କରିବ ।
ଅର୍ଥ - ରେ କୋକିଳ, ତାର କାନ୍ତିଯୁକ୍ତି ନେତ୍ରକୁ କନ୍ଦର୍ପ ନାଶ କରିବ ଅର୍ଥାତ ହତଶ୍ରୀ କରିବ । ସେ ତରୁଣୀ ଦୁଃଖରେ କ୍ଷୀର, ଲବଣୀ ଓ ଅନ୍ନ ଗ୍ରହଣ କରିବ ନାହିଁ । ସେ ପୀନପୟୋଧାରା କିପରି ବଞ୍ଚିବ । ତା’ର ଶୋଭାଯୁକ୍ତ କଣ୍ଠ ରୁନ୍ଧି ହେଲେ ସେ ଶିବ ଓ ବିଷ୍ଣୁଙ୍କ ସୁମରଣା କରିବ ।
ବିରହିଣୀର ଶିବ ଓ ବିଷ୍ଣୁଙ୍କ ଆରଧନା:-
ଦେବତା ପୂଜନଂ କୁର୍ଯ୍ୟାଦ୍ଦଦ୍ୟାତ୍ବଳିଭୁଜେ ବଳିମ୍
ଲିଖେତ୍କାନ୍ତପ୍ରତିକୃତିଂ ପାଠୟେଚ୍ଛ କସାରିକାଃ ।
ଗଣୟେଚ୍ଚାବଧିଦିନଂ ଗୀତ ଗାୟେତ୍ତଦଙ୍କିତମ୍
ଏବଂବିଧବିନୋଦେନ ନୟେତ୍କାଳଂ ବିଯୋଗିନୀ ।।
(ନାଟ୍ୟଶାସ୍ତ୍ର-ଭରତ)
ଭରତଙ୍କ ନାଟ୍ୟଶାସ୍ତ୍ର ଭିତ୍ତିରେ କାଳିଦାସଙ୍କର ବିରହିଣୀ କାର୍ଯ୍ୟ ବର୍ଣ୍ଣନା:-
ଆଲୋକେ ତେ ନିପତତି ପୁରା ସା ବଳିବ୍ୟାକୁଳା ବା
ମତ୍ ସାଦୃଶ୍ୟଂ ବିରହତନୁ ବା ଭାବଗମ୍ୟଂ ଲିଖନ୍ତୀ ।
ପୃଚ୍ଛନ୍ତୀ ବା ମଧୁରବଚନଂ ସାରିକାଂ ପଞ୍ଜରସ୍ଥାଂ
କାଚ୍ଚିଦ୍ଭର୍ତ୍ତୃଃ ସ୍ମରସି ରସିକେ ! ତ୍ୱଂହି ତସ୍ୟ ପ୍ରିୟେତି ।।
(ମେଘଦୂତ-କାଳିଦାସ)
ମୁହୁଃ ଶୂନ୍ୟାଂ ଦୃଷ୍ଟିଂ ବହସି ରହସି ଧ୍ୟାୟସି ସଦା
ଶୃଣୋଷି ପ୍ରତ୍ୟକ୍ଷଂ ନବପରିଜନଜ୍ଞାପନଶତଂ ।
ତତଃ ଶଙ୍କେ ପଙ୍କେରୁହଦଳମୁଖୀ ଶ୍ୟାମଳରୁଚିଃ
ସ ଯୂନାମୂତ୍ତଂ ସସ୍ତବନୟନବୀଥୀପଥିକତାମ୍।।
(ହସଦୂତ-ରୂପଗୋସ୍ୱାମୀ)
ବାଚୋ ମାଙ୍ଗଳିକାଃ ପ୍ରୟାଣସମୟେ ଜଳ୍ପନ୍ତନଳ୍ପଂ ଜନେ
କେଳିମନ୍ଦିରମାରୁତାୟନମୁଖେ ବିନ୍ୟସ୍ତବକ୍ତ୍ରାମ୍ବୁଜା ।
ନିଃଶ୍ୱାସଗ୍ଳପିତାଧରୋପରିପତଦ୍ବାଷ୍ଗଦ୍ରବକ୍ଷୋରୁହା
ବାଳାଲୋଳବିଲୋଚନା ଶିବ ଶିବ ପ୍ରାଣେଶ ଆଲୋକତେ ।।
(ରସ ଗଙ୍ଗାଧର-ପଣ୍ଡିତରାଜ ଜଗନ୍ନାଥ)
ବାରେ ବାରେ ଶିବ ଶିବ ସେ ଘୋଷେ
ବାରେ ବାରେ ବ୍ରତମାନ ମନାସେ
ବାରେ ବାରେ ନାହିଁ ମୂର୍ଚ୍ଛାରେ ସଖୀ
ବାରେ ବାରେ ଭୟ ସଂଶ୍ରୟ ରଖି
ବନରୂହ ନାଡ଼
ବନଜାକ୍ଷୀ ଦେଖି ଚିନ୍ତେ ଗରୁଡ଼ ।।
(ବୈଦେହୀଶବିଳାସ-ଉପେନ୍ଦ୍ର ଭଞ୍ଜ)
ପୁଷ୍ପ ପବି ପ୍ରଭାପ୍ରଭ ଭ୍ରମୁ ଭାବେ ଭୁବି
ଭୀମ ବାଷ୍ପ ଭବ ଭବେ ଭବ ଭାବି ଭାବି
ଭବ-ପ୍ରଭବୀ ଭୂମିପ ପ୍ରଭାବ ବିଭବେ
ବିଭୋ ! ପ୍ରଭୋ ! ଭୀମ ଭ୍ରମେ ଭ୍ରମି ଭ୍ରମି ଭାବେ ।।
(ପ୍ରେମସୁଧାନିଧି-ଉପେନ୍ଦ୍ର ଭଞ୍ଜ)
ସତେ କି କରିବେ ହର-ଗଉରୀ
ପ୍ରବାସୁ ମୋ କାନ୍ତ ଆସିବେ ଫେରି
କରିବେ ଅଙ୍କ ପଙ୍କେ ଶୟନ
ସତେ କି ମୋ ଦୁଃଖ ହେବ ଦହନ
କରି ରସକେଳି
ଭଣେ ଉପଇନ୍ଦ୍ର ଏ ରସେ ଭାଳି ।।
(ସଙ୍ଗୀତ ଉପେନ୍ଦ୍ର ଭଞ୍ଜ)
ବରବରନା ମୋ ବରଷାଇ ବାରି ବରଷକର ଏ ଦିନେ
ବର ମାଗୁଥିବ ବରଦେବ ପଦେ ବରଜି ସୁଧା ଭୋଜନ
ବରତିବ କି ପ୍ରାଣେ
ବରତୁଳ-ଉରଜା ମୋ ବିନେ ।।
(ବିରହବାନ୍ଧବୀ-ଦରଦୀକବି)
ବୃନ୍ଦାବତୀ ପାଶେ ଓଳଗି ହୋଇଣ
ଜଣାଇଲେ ନିଜ ଦୁଃଖ
ବିରହିଣୀ ବାମା ନିବେଦିଲା ତହିଁ
ପତିର ମିଳନସୁଖ ।।
(ପଲ୍ଲୀପ୍ରୀତି-ଦରଦୀକବି)
କୃଷ୍ଣ ଚରିତ ଭାଳି ଏକାନ୍ତେ ଚିନ୍ତିତ ମନେ ରାଧା,
ଉର୍ଦ୍ଦ୍ୱେ ଥାପିଲା ଦୃଷ୍ଟି ତାହାର ଲଭିଣ ବିରହ-ବାଧା,
କର୍ଣ୍ଣେ ତାହାର ଶୁଣାଅ ହେ ମଧୁବାର୍ତ୍ତା,
ବିରହ-ବହ୍ନି ତାପେ ସେ ଦଗ୍ଧା ଆର୍ତ୍ତା,
କୃଷ୍ଣ-ଆଗମନ-ଅୟନେ,
ଚାହିଁଛି ଆଶାୟୀ-ନୟନେ,
ପଙ୍କଜସୁଖୀ ରାଈ,
କୃଷ୍ଣ-ପ୍ରଣୟେ ବାଇ
(ହଂସଦୂତ-ଦରଦୀକବି)
ଥିବ ଦୂର କରି ପୁଲକ ପୁଲକ ପୁଲକ ଅଙ୍ଗେ ହେବ ଜାତ
ଥିର ଗତି ନିନ୍ଦେ ମଲ୍ଲୀକା ମଲ୍ଲୀକା ମଲ୍ଲୀକା ଚାହିଁ ହେବ ନତ
କୋକିଳ, ଥିଲାକ ତାକୁ ଏତେ ଦଶା
ଥରେ ନାଶୁଥିବ ବିବେକ ବିବେକ ବିବେକ ଆହା
ମୋ ସୁଦୃଶା ।। ୧୭ ।।
ଅନ୍ୱୟ - ରେ କୋକିଳ, ସେ ପୁଲକ (ମଣିବିଶେଷ) ପୁଲକ (ହର୍ଷ) ଦୂର କରିଥିବ ଓ ତା ଅଙ୍ଗରେ ପୁଲକ (ରୋମାଞ୍ଚ ଜାତ ହେଉଥିବ । ତାର ଥିର ଗତି ମଲ୍ଲୀକା (ହଂସୀ) କୁନିନ୍ଦା କରେ । ସେ ମଲ୍ଲୀକା (ମଲ୍ଲୀଫୁଲ) ଓ ମଲ୍ଲୀକା (ମୀନ) କୁ ଦେଖି ନତ ହେବ । ତାକୁ ପୁଣି ଏତେ ଦଶା ଥିଲା ? ସେ ସୁଦୃଶାର ବିବେକ (ବିରାଗ-ଏଠାରେ ବିଶେଷ ରାଗ ବା ଅନୁରାଗ) ବିବେକ (ବିଚାର) କୁ ଏବେ ବିବେକ (ଉଦାସୀନ ଭାବ) ନାଶ କଲା ।
ଅର୍ଥ - ରେ କୋକିଳ ସେ ମଣି ରତ୍ନ ଓ ହର୍ଷ ତ୍ୟାଗ କରିବ । ତା ଅଙ୍ଗରେ ରୋମାଞ୍ଚ ଜାତ ହେଉଥିବ । ତାର ଧୀର ଗମନ ହଂସଗତିକୁ ନିନ୍ଦାକରେ । ସେ ମଲ୍ଲୀଫୁଲ ଓ ମୀନକୁ ଦେଖି (ମୁଁ ତାକୁ ମୀନନୟନା ବୋଲି ଡାକେ, ଏଣୁ ମୋ କଥା ମନେ ପକାଇ) ଦୁଃଖରେ ନଇଁ ପଡ଼ିବ । ମୋ ସୁଦୃଶାକୁ ଏତେ ଦଶା ଥିଲା ! ମୋ ପ୍ରତି ତାର ଅନୁରାଗପୂର୍ଣ୍ଣ ବିଚାରକୁ ବା ଭାବକୁ ବର୍ତ୍ତମାନ ବିରହ-କାଳୀନ ଉଦାସୀନତା ନାଶ କରୁଥିବ ।
ନାରୀ ଅଙ୍ଗରେ ରୋମାଞ୍ଚ:-
ତନୁସ୍ପର୍ଶାଦସ୍ୟା ଦରମୁକୁଳିତ ହନ୍ତ ନୟନେ
ଉଦଞ୍ଚଦ୍ରୋମାଞ୍ଚ ବ୍ରଜିତ ଜଡ଼ତାମଙ୍ଗମଖିଳମ୍।
କପୋଳୌ ଘର୍ମାଦ୍ରୌଧ୍ରୁବମୁପରତାଶେଷବିଷୟଂ
ମନଃ ସାନ୍ଦ୍ରାନନ୍ଦଂ ସ୍ପୃଶତି ଝଟତି ବ୍ରହ୍ମପରମମ୍।।
(ସାହିତ୍ୟ ଦର୍ପଣ-ବିଶ୍ୱନାଥ କବିରାଜ)
ମଲ୍ଲୀଫୁଲ ଦର୍ଶନରେ ବିରହିଣୀ:-
ଦରବିଦଳିତ ମଲ୍ଲୀବଲ୍ଲିଚଞ୍ଚତ୍ପରାଗ -
ପ୍ରକଟିତପଟବାସୈର୍ବାସୟନ୍କାନନାନି
ଇହ ହି ଦହିତ ଚେତଃ କେତକୀଗନ୍ଧବନ୍ଧୁଃ
ପ୍ରସରଦସମବାଣପ୍ରାଣବଦ୍ଗନ୍ଧବାହ ।।
(ଗୀତଗୋବିନ୍ଦ-ଜୟଦେବ)
ଯେଡ଼େ ସୁଧୀରା ମହିଳା ହୋଇଥିବ
ମଧୁମାସେ ଯେବେ ବିରହିଣୀ ହେବ
ଦେଖି ମଲ୍ଲୀ, ମଲି ବୋଲି ଚମକିବ ।।
(ଲାବଣ୍ୟବତୀ-ଉପେନ୍ଦ୍ର ଭଞ୍ଜ)
ଭୃଙ୍ଗ ଭୋଗ ଚନ୍ଦ୍ର ମଲ୍ଲୀ
ଦେଖି ଦେଖାନ୍ତି ଠାରି ଦେଇ ମଲି
ଏହା ଦେଖି କାହିଁକି ନ ମଲି, ସଜନି ରେ !
(ବିଦଗ୍ଧ ଚିନ୍ତାମଣି-ଅଭିମନ୍ୟୁ)
ଚାହିଁ ମଲ୍ଲୀ ବିକାଶ ମଲି ବୋଲି ବାଲୀଶ
ଭାଳି ଚିନ୍ତିବ କାଳୀଧବ
ଚମ୍ପା ଶମ୍ପାର ଗର୍ବ ଯା ଝଳି କରେ ଖର୍ବ
ସେ ଅତି ମିଳନ ଦିଶିବ
ରେ ବଳାହକ !
ଚିତ୍ରପୁରକୁ ଯେବେ ଯିବ
ଚିତୋଇ ମୋତେ ଛନ୍ନ ହେବ
ଚିତ୍ର ପ୍ରତିମା ପରି ଚେତନା ଦୂର କରି
ଭିତ୍ତିକି ଆଉଜି ରହିବ ।।
(ବଳ ହକ ଚଉତିଶା-ବ୍ରଜରାଜ ସିଂହଦେବ)
ସୁଖଭୋଗ ପରେ ଦୁଃଖ ବା ମିଳନ ପରେ ବିରହରେ ଉଦାସୀନତା:-
ସୁଖଂ ହି ଦୁଃଖାନ୍ୟନୁଭୁୟ ଶୋଭତେ
ଯଥାନ୍ଧକାରାଦିବ ଦୀପଦର୍ଶନମ୍।
ସୁଖାତ୍ତୁ ଯୋ ଯାତି ଦଶାଂ ଦରିଦ୍ରତାଂ
ସ୍ଥିତଃ ଶରୀରେଣ ମୃତଃ ସ ଜୀବତି ।।
(ଚାରୁଦତ୍ତ-ମହାକବି ଭାସ)
ଦୂର କରିଥିବ ନବୀନା ମାଳିକା ମାଳିକା ମାଳିକା ମାଳିକା
ଦହିବ କଦନ, ମାଳିକା ମାଳିକା ମାଳିକା ନିଃସ୍ୱନେ ବାଳିକା
କୋକିଳ, ଦୂର କରେ ସେ ମୋ ଦୁଃଖକୁ
ଦୁଃଖଧ୍ୱଂସିନୀ ମୋ ମଣିବ ଅଳକ ଅଳକ ଅଳକ କ, ର, କୁ ।। ୧୮ ।।
ଅନ୍ୱୟ - ରେ କୋକିଳ, ମୋ ନବୀନା ମାଳିକା (ମଲ୍ଲୀ) ମାଳିକା (ଫୁଲମାଳ) ମାଳିକା (କଣ୍ଠଭୂଷଣ) ଓ ମାଳିକା (ଗନ୍ଧମାଲ୍ୟ ଦୂର କରିଥିବ । ସେ ବାଳାର କଦନ (ଶରୀର) କୁ ମାଳିକା (ନଦୀ ଏଠାରେ ଯମୁନା) ମାଳିକା (ମଦିରା ବିଶେଷ-ଏଠାରେ ପ୍ରୀତିମଦ) ଓ ମାଳିକା (ମାଲ୍ୟ-ତାକୁ ଦେଇଥିବା ମୋ ଫୁଲ ହାର) ଦହନ କରିବେ । ସେ ଦୁଃଖଧ୍ୱଂସିନୀ ମୋ ଦୁଃଖକୁ ଦୂର କରେ । ସେ କ (ମସ୍ତକ)ର ଅଳକ (ଭସା ମେଘ) ଅଳକ (ଚୂର୍ଣ୍ଣ କୁନ୍ତଳ) ଓ ଅଳକ (କୁଙ୍କୁମ)କୁ କୁ (ଖରାପ) ମନେ କରିବ ।
ଅର୍ଥ - ରେ କୋକିଳ, ମୋ ନବୀନା ମଲ୍ଲୀହାର, କଣ୍ଠଭୂଷଣ ଓ ଗନ୍ଧମାଲ୍ୟ ତେଜିବଣି । ତା’ର ଶରୀରକୁ ଯମୁନା ନଦୀ, ପ୍ରତିମଦ ଓ ମୋର ପ୍ରଦତ୍ତ ମାଲ୍ୟ ଦହନ କରିବେ, କାରଣ ଏମାନଙ୍କୁ ଦେଖି ଓ ଚିନ୍ତାକରି ମୋ କଥା ତାର ମନେ ପଡ଼ିବ । ସେ ଦୁଃଖନାଶିନୀ ମୋ ଦୁଃଖକୁ ଦୂର କରେ । ସେ ତାର ମସ୍ତକସ୍ଥିତ ମେଘବର୍ଣ୍ଣର କୃଷ୍ଣ ଚୂର୍ଣ୍ଣକୁନ୍ତଳକୁ ଓ କୁଙ୍କୁମ କୁ ମୋ ବିରହରେ କୁ ଅର୍ଥାତ ଖରାପ ବା ଅପ୍ରିୟ ମନେ କରିବ ।
ବିରହିଣୀର ମାଳା ତ୍ୟାଗ:-
ପୀନୋତ୍ତ ଙ୍ଗସ୍ତନକଳଶୟୋସ୍ତାରହାରଂ ନ ଧତ୍ତେ
ହସ୍ତେନାପି ସ୍ପୃଶତି ସହସା ନୈବ କର୍ପୁରବାଟାମ୍।
ମଞ୍ଚଂ ନାପି ଶ୍ରୟତି ଶୟିତୁ ହଂସତୁଳାସ୍ତରାଢ଼୍ୟଂ
ତା ଦୃକ୍ତନ୍ୱୀ ଗୁରୁଜନଭୟାଦ୍ଗୋପ୍ତୁ କାମା ସ୍ୱତାପମ୍।।
(ସୁଭାଷିତ ରତ୍ନଭାଣ୍ଡାଗାର)
ସ୍ତନବିନିହିତମପି ହାରମୁଦାରମ୍
ସା ମନୁତେ କୃଶତନୁରିବଭାରମ୍।।
(ଗୀତଗୋବିନ୍ଦ-ଜୟଦେବ)
ବିପାଣ୍ଡୁଭ୍ଳିର୍ମାନତୟା ପୟୋଧରୈ -
ଶ୍ଚ୍ୟୁତା ଚିରାଭାଗୁଣ ହେମଦାମଭିଃ ।
ଇୟଂ କଦମ୍ବାନିଳଭର୍ତ୍ତୃତ୍ୟୟେନ
ଦିଗ୍ବଧୂତାଂ କୃଶତା ନ ହି ରାଜତେ ।।
(କିରାତାର୍ଜ୍ଜୁନୀୟ-ଭାରବୀ)
ନାରୀ ଦୁଃଖହରଣକାରିଣୀ:-
ବଧୁମୁଖ-ବିଧୁ ହାସ-ପୀୟୁଷ
ଚାହିଁ ଚକ୍ଷୁ-ଚକୋର ହେଲା ତୋଷ
ହୃଦ-କୁମୁଦ ପ୍ରମୋଦ ବଢ଼ିଲା
ଲାଜ-ଅନ୍ଧାରେ ବିପତ୍ତି ପଡ଼ିଲା ।।
(ପ୍ରେମ ସୁଧାନିଧି-ଉପେନ୍ଦ୍ର ଭଞ୍ଜ)
ଧୀରେ ଚାହିଁ ନେତ୍ରେ କକୁଭ କକୁଭ କକୁଭ କକୁଭ କକୁଭ
ଧବଳ ସଦନ ଗହନ ଗହନ ଗହନ ପ୍ରାୟେ ଅସୁଲଭ
କୋକିଳ, ଧରିଥିବ ସତେ ଜୀବନ
ଧୀରେ ଚାହିଁ ବାଳା ଗହନ ଗହନ ଗହନମୁଖୀ ତେଜି ଜ୍ଞାନ ।। ୧୯ ।।
ଅନ୍ୱୟ - ରେ କୋକିଳ, ସେ ନୟନରେ କକୁଭ (ଦିଗ) କକୁଭ (ବୀଣାର ଲାଉତୁମ୍ବୀ) କକୁଭ (ବୀଣାର ଶେଷଭାଗ କାଷ୍ଠା) କକୁଭ (ବନମଲ୍ଲୀ) ଓ କକୁଭ (ପକ୍ଷୀ) ଦେଖିବ । ଦୁଃଖରେ ତା’ର ଧବଳସଦନ (କୋଠାଘର) ତାକୁ ଗହନ (ନିବିଡ଼) ଗହନ (ଦୁର୍ଗମ) ଗହନ (ବନ) ପରି ଅସୁଲଭ (ଅମଙ୍ଗଳ ବା ଅସୁଖକର) ଲାଗିବ । ସତେ କଣ ସେ ଜୀବନ ଧରି ଥିବ । ସେ ଗହନ (ବନପ୍ରାନ୍ତ)କୁ ଦେଖି ଗହନ (ଗଭୀର) ଓ ଗହନ (ଦୁଃଖରେ ଆବୃତ) ବଦନା ଜ୍ଞାନ ତେଜିଥିବ ।
ଅର୍ଥ - ରେ କୋକିଳ, ସେ ଦିଗମାନଙ୍କୁ ଚାହିଁ (ନୈରାଶ୍ୟରେ) ବୀଣା ବଜାଇବାକୁ ଆଣି ବଜାଇ ନ ପାରି କେବଳ ବୀଣାର ଲାଉତୁମ୍ବୀ ଓ ଶେଷଭାଗକାଷ୍ଠାକୁ ଚାହିଁ ରହିବ (ଦୁଃଖରେ ଅଶ୍ରୁମୋଚନ) ବନମଲ୍ଲୀ ଓ ପକ୍ଷୀସ୍ୱନ ତାକୁ ଦୁଃଖ ଦେବେ । ତାର କୋଠାଘର ତାକୁ ଦୁର୍ଗମ ନିବିଡ଼ ବନ ପରି ଅସୁଖକର ହୋଇଥିବ । ସତେ କଣ ସେ ଜୀବନରେ ଥିବ ? ସେ ବନପ୍ରାନ୍ତକୁ ଚାହିଁ (ମୋତେ ନ ପାଇ) ଗଭୀର ଦୁଃଖରେ ବିରସବଦନା ବା ଅଯତ୍ନକେଶ ଆବୃତ ବଦନା ହୋଇ ଉତ୍କଣ୍ଠିତ ପ୍ରାଣରେ ବସିଥିବ ।
ବିରହିଣୀର ନୈରାଶ୍ୟ:-
ନୀଚ ତେଜି ପ୍ରିୟା ନିରତେ ନୟନୁଁ ନୀରସମନେ ନୀରବେ
ନିରେଖି ମୋ ପଥ ନିରାଶ ହୋଇବ ନାରୀରତନ ମୋ ଏବେ
ନିଶି ଦିବସ ବସି
ନିନ୍ଦୁଥିବ ବିହି ମୃଦୁହାସୀ ।।
(ବିରହ ବାନ୍ଧବୀ-ଦରଦୀ କବି)
ବିରହିଣୀର ବୀଣାବାଦନରେ ଅସମର୍ଥତା:-
ଉତ୍ସଙ୍ଗେ ବା ମିଳନବସନେ ସୌମ୍ୟ ! ନିକ୍ଷିପ୍ୟ ବୀଣାଂ
ମଦ୍ଗୋତ୍ରାଙ୍କଂ ବିରଚତପଦଂ ଗେୟମୁଦ୍ଗାତୁକାମା ।
ତନ୍ତ୍ରୀମାର୍ଦ୍ରାଂ ନୟନସଲିଳୈଃ ସାରୟିତ୍ୱା କଥଞ୍ଚଦ୍
ଭୁୟୋ ଭୁୟଃ ପୁନରପି ପୁନଃ ମୂର୍ଚ୍ଛନାଂ ବିସ୍ମରନ୍ତୀ ।।
(ମେଘଦୁତ-କାଳିଦାସ)
ବୀଣାମଙ୍କେ କଥମପି ସଖୀପ୍ରାର୍ଥନାଭିର୍ବିଧାୟ
ସ୍ୱୈରଂ ରତ୍ୟାଂ ସରସିଜଦୃଶା ଗାତୁମାରବ୍ଧମେବ ।
ତନ୍ତ୍ରୀବୁଦ୍ଧ୍ୟା କିମପି ବିରହକ୍ଷୀଣଦୀନାଙ୍ଗବଲ୍ଲୀ -
ମେନାମେବ ସ୍ପୃଶତି ବହୁଶୋ ମୂର୍ଚ୍ଛନା ଚିତ୍ରମେତମ୍।।
(ସୁଭାଷିତ ରତ୍ନଭାଣ୍ଡାଗାର)
ବିରହିଣୀ ଗୃହକୁ ବନପରି ମଣେ:-
ଆବାସୋ ବିପିନାୟତେ ପ୍ରିୟସଖୀମାଳାପି ଜ୍ଜ୍ୱଳାୟତେ
ତାପୋଽପି ଦାବଦହନଜ୍ଜ୍ୱାଳାକଳାପାୟତେ ।।
(ଗୀତ ଗୋବିନ୍ଦ-ଜୟଦେବ)
ଘନକୃଷ୍ଣକେଶା ଘରମଣୁଥିବ ଗହନ କାନନ ପରି
ଘନସାର ଅପଘନେ ବୋଳି ଆହା ବସିଥିବ ମୋର ଗୋରୀ
ଘୋଷି ଘୋଷି ମୋ ନାମ
ଘଟେ ଥିବ କି ଆଉ ତା ପ୍ରାଣ
(ବିରହ ବାନ୍ଧବୀ-ଦରଦୀ କବି)
ରାଧା ଏଠାରେ ବିରହୋତ୍କଣ୍ଠିତା ନାୟିକା:-
ଉତ୍କା ଭବତି ସା ଯସ୍ୟାଃ
ସଙ୍କେତଂ ନାଗତଂ ପ୍ରିୟଃ ।
ତସ୍ୟାଽନାଗମନଂ ହେତୁଂ
ଚିନ୍ତୟାତ୍ୟାକୁଳା ଯଥା ।।
(ଶୃଙ୍ଗାର ତିଳକ-କାଳିଦାସ)
ନୂତନ ପରିଘ ପରିଘ ପରିଘ ପ୍ରାୟେ ଥିବ ହୋଇ
ନେତ୍ରଲୀଳା କଉଶିକ କଉଶିକ କଉଶିକ ଚିତ୍ର ଦିଶଇ
କୋକିଳ, ନବ ଅଙ୍ଗନା ସେ ରମଣୀ
ନୟନ କେସରୀ କେ, ସରି କେଶରୀକଟି ରସକା ଶିରୋମଣି ।। ୨୦ ।।
ଅନ୍ୱୟ - ରେ କୋକିଳ, ନୂତନ ପରିଘ (ଚନ୍ଦ୍ର) ତାକୁ ପରିଘ (ବଜ୍ର) ଓ ପରିଘ (ପର୍ବତ) ସମାନ ପରିଘ (ବାଧା) ହୋଇଥିବ । ତା’ର ନେତ୍ରଲୀଳା କଉଶିକ (ଶୃଙ୍ଗାର ରସ) କଉଶିକ (ସାପୁଆକେଳା) ଓ କଉଶିକ (ପେଚା)ର ଚିତ୍ର ଧାରଣ କରେ । ସେ ନବନାରୀର ରମଣୀ କେଶରୀ (ସିଂହ)କଟି ରସିକା ଶିରୋମଣିର ନୟନ କେସରୀ (ପଦ୍ମ)କୁ କେ (କିଏ) ସରି (ସମାନ ହେବ) ।
ଅର୍ଥ - ରେ କୋକିଳ, ନୂତନ ଚନ୍ଦ୍ର ତାକୁ ବଜ୍ର ଓ ପର୍ବତ ସମାନ ଆଘାତ ଦେବ । ତାର ନେତ୍ରଲୀଳା ଶୃଙ୍ଗାରକାଳରେ ଏତେ ଚଞ୍ଚଳ ଯେ ତାହା ସାପୁଆକେଳା ଓ ପେଚାର ନୟନ ଚଞ୍ଚଳତାକୁ ନିନ୍ଦା କରେ । ସେ ନବବାଳା, ରସିକାଶ୍ରେଷ୍ଠା, ସିଂହ ମଧ୍ୟମାର ନୟନ ପଦ୍ମ ଅତୁଳନୀୟ ।।
କେଶରୀ ଶବ୍ଦର ଅନ୍ୟତ୍ର ପ୍ରୟୋଗ -
ବିକଶିତ ହୋଇଛନ୍ତି କେଶରୀ କେଶରୀ
ବିଳସେ ଶାଖାରେ ଦେଖ କେଶରୀ କେ ସରି ।
ବିଦାର କରିଛି କରୀ-କେଶରୀ କେଶରୀ
ବିହୀନ ମାତ୍ରକ ଏଥି କେଶରୀ କେଶରୀ ।।
(ବୈଦେହୀଶ ବିଳାସ-ଉପେନ୍ଦ୍ର ଭଞ୍ଜ)
ପଦ୍ମନେତ୍ର କରି ଚାହିଁଲେ କେଶରୀ କେଶରୀ ଭଜିବେ ମହୀକି
ପଡ଼ିବ ମୂର୍ଚ୍ଛାରେ ପତଙ୍ଗ ପତଙ୍ଗ ପତଙ୍ଗ ଦେଖିଲେ ସହିକି
କୋକିଳ, ପୀନସ୍ତନା ଏହା ସହିଲା
ପଦ ସ୍ୱର୍ଗ କରି ଲୋଡ଼ିଣ ଆଲୋକ ଆଲୋକ ଆଲୋକ ହୋଇଲା ।। ୨୧ ।।
ଅନ୍ୱୟ - ରେ କୋକିଳ, ସେ ତା’ର ପଦ୍ମନୟନ ଟେକି (କଣେଇ) ଚାହିଁଲେ (ତା କଟାକ୍ଷ ବାଣରେ) କେଶରୀ (ସିଂହ) ଓ କେଶରୀ (ଗଜ) ମହୀକୁ ଭଜିବେ । ପତଙ୍ଗ (ସୁର୍ଯ୍ୟ) ପତଙ୍ଗ (ଅଗ୍ନି) ଓ ପତଙ୍ଗ (ବାଣ) ଦେଖିଲେ ମୋ ପଦକୁ ସ୍ୱର୍ଗ (ସୁଖ ଓ ମୁକ୍ତି ଧାମ) ମନେ କରି ମୋର ଆଲୋକ (ଦର୍ଶନ) ଲୋଡ଼ି କେବଳ ଆଲୋକ (ଦୃଷ୍ଟି ପଥ) ଓ ଆଲୋକ (ସ୍ମୃତି) ମାତ୍ର ରହିଲା ।
ଅର୍ଥ - ରେ କୋକିଳ, ମୋ ରାଧା ତା’ର ପଦ୍ମନୟନରେ କଟାକ୍ଷ ହାଣି ଚାହିଁଲେ ତା କଟାକ୍ଷବାଣରେ ସିଂହ ଓ ଗଜ ପ୍ରଭୃତି ମହୀରେ ଟଳି ପଡ଼ିବେ । ସେ ସୂର୍ଯ୍ୟ, ଅଗ୍ନି ଓ ବାଣ (କାମ ବାଣ)କୁ ସହିପାରିବ ନାହିଁ । ମୋ ପୀନସ୍ତାନ ଏ ଦୁଃଖ ସହିଲା ! ମୋ ପଦକୁ ସୁଖ ଓ ମୁକ୍ତି ଧାମ ମାନେ କରି କରି ସୁସଜ୍ଜିତ ହୋଇ ମୋର ଦର୍ଶନ ଇଚ୍ଛାକରି ଶେଷକୁ ମୋତେ ନ ପାଇ କେବଳ ମୋ ଆଗମନ ପଥ ଅନାଇ ରହି ତା’ର ମନରେ ମୋର ସ୍ମୃତି ମାତ୍ର ରହିଲା ।
ଏଠାରେ ନାୟିକା ବ୍ୟାଧ ସହ ତୁଳନୀୟ:-
ଇୟଂ ବ୍ୟାଧାୟତେ ବାଳା
ଭ୍ରୂରସ୍ୟ କାର୍ମୁକାୟତେ
କଟାକ୍ଷାଶ୍ଚ ଶରାୟନ୍ତେ
ମନୋ ମେ ହରିଣାୟତେ ।।
(ଶୃଙ୍ଗାରତିଳକ-କାଳିଦାସ)
ରାଧା ଏଠାରେ ବାସକସଜ୍ଜା ନାୟିକା:-
ସ୍ୱବାସକବଶାତ୍କାନ୍ତେ ସମେଷ୍ୟତି ଗୃହଂ ପ୍ରତି
ସଜ୍ଜୀକରୋତି ଚାତ୍ମାନଂ ଯା ସା ବାସକସଜ୍ଜିକା ।।
(ରସାର୍ଣ୍ଣବ ସୁଧାକର)
ଭବେଦ୍ବାସକସଚ୍ଛାସୌ ସଜ୍ଜିତାରଙ୍ଗରତାଳୟା ।।
(ଶୃଙ୍ଗାର ତିଳକ-କାଳିଦାସ)
ସ୍ରକ୍ଚନ୍ଦନାମ୍ବରବିଭୂଷଣଭୂଷିତାଙ୍ଗୀ
ଯା ବଲ୍ଲଭାଗମନମାର୍ଗବିରୂଢଦୃଷ୍ଟିଃ ।
ତଳ୍ପଂ ଗତା ରୁଚିରେ ବାସଗୃହେଽବଶେତେ
ସା କୀର୍ତ୍ତିତା ଜଗତି ବାସକସଜ୍ଜିତତେତି ।।
(ପଞ୍ଚସାୟକ-କବିଶେଖର ଜ୍ୟୋତିରୀଶ୍ୱର)
କୁରୁତେ ମଣ୍ଡନଂ ଯସ୍ୟାଃ ସଜ୍ଜିତେ ବାସବେଶ୍ମନି ।
ସା ତୁ ବାସକସଜ୍ଜ ସ୍ୟାଦ୍ବିଦିତ ପ୍ରିୟସଙ୍ଗମା ।।