ବିତର ବିତର ଶ୍ରୀ ମହାପ୍ରସାଦ
ବିଶ୍ୱ ସଭା ଅଙ୍ଗନେ,
ଆଣ ଆଣ ଟାଣି ବ୍ରାହ୍ମଣ ଚଣ୍ଡାଳେ
ପବିତ୍ର ପ୍ରେମାଲିଙ୍ଗନ । ଧ୍ରୁ ।
ଉତ୍କଳ ତୁ ପରା ହରି ଶିରୀକ୍ଷେତ୍ର
ଜାତି ଭେଦ-ଧ୍ୱଂସୀ ତୁ ମହା-ପବିତ୍ର
ତୋ ସ୍ନେହ-ଅଞ୍ଚଳେ ନାହିଁ ବ୍ୟବଧାନ
ବିସ୍ତାରିତ ବିଶ୍ୱଧାରଣେ ।
ହିନ୍ଦୁ ମୁସଲମାନ, ଖ୍ରୀଷ୍ଟିୟାନ, ଜୈନ
ନାହିଁ ଭିନ୍ନଭାବ ନାହିଁ ସ୍ନେହେ ଦୈନ୍ୟ
ସରବେ ସନ୍ତାନ ତୋ ଆଦରେ ମାତଃ
ତୋହରି ଯତନେ ପାଳନେ ।୧।
ତୋର ନଦୀ ଜଳ, ତୋର ଫୁଲ ଫଳ
ତୋ ଶ୍ୟାମଳ କୋମଳ ସବୁରି ସମ୍ୱଳ,
ତୋର ନଦୀ ନୀରେ ତୋର ସିନ୍ଧୁ ତୀରେ
ତୋର ଗିରି ତୋର କାନନେ –
ହାତ ଧରାଧରି ପ୍ରେମେ କୋଳାକୋଳି
ବସିବେ ତୋହରି ସନ୍ତାନ-ମଣ୍ଡଳୀ
ଆଣି ସ୍ୱର୍ଣ୍ଣଥାଳି ଦେବୁ କି ଗୋଳ ଢାଳି
ମାତ, ସ୍ନେହ ଅନ୍ନବ୍ୟଞ୍ଜନେ ।୨।
ବ୍ୟଜନିବ ଆସି ମଳୟ ମାରୁତ
ଉଛୁଳିବ ବନେ ବନେ ପିକରୁତ
ଭକ୍ତି ପ୍ରୀତି ଶୁଭ ଶରତ ବସନ୍ତ
ଓହ୍ଳାଇବେ ତୋର ଗଗନେ,
ତୋ ଗୋଲାପ ଗନ୍ଧେ ଶେଫାଳି ସୌରଭେ
କରମ, ଶକତି ମିଶିବ ଗୌରବେ
ବିଶ୍ୱ ସଭାଜନେ ଦେଖି ମୁଗ୍ଧ ମନେ
କମିଳେ କି ପଦବନ୍ଦନେ ।୩।
ଜୀବନ ନୁହେଁ ମୋ ସ୍ୱପନ-ଛଳନା
ଜୀବନ ଆନନ୍ଦମୟ ହେ,
କରମ ଲାଗି ଜନମ ଲଭିଛି
କରମେ ଲଭିବି ଲୟ ହେ । ଧ୍ରୁ ।
ଶୁଭ କରମେ ହୋଇବି ଛିଡ଼ା
ବାଧୁ ଯେତେ ମୋତେ ଯାତନା ପୀଡ଼ା,
କରମ ମୋହର ଜପ ଯନ୍ତ୍ରସାର
ଜ୍ଞାନ-ଧ୍ୟାନ-ସୁଖମୟ ହେ । ୧।
ନ ଲୋଡ଼େ ଆଉ ଅସାର ମୁକ୍ତି
ଶୁଭ କର୍ମ ଲାଗି ଯାଚେ ନବଶକ୍ତି
କର୍ମ ମୋ ଭକତି କର୍ମ ମୋ ଆରତି
କର୍ମ ଶାନ୍ତି ବରାଭୟ । ୨।
ଦେଖୁଛ ସରବେ ପଲାଶ ଫୁଲଟି
ତାର କି ରକତ ଶିରୀ !
ସଉରଭ ବିନା ତୋରା ତନୁ ସିନା
ଯଉବନ ସେହିପରି !
ଯଉବନ ଦେଖି ନ ଭୁଲା ତୋ ଆଖି
ଦୁନିଆରେ ଦୁଇ ଦୁନିଆ ଖେଳ,
ମୁକୁତା ନୁହେଁ ଏ ଶିଶିର ବିନ୍ଦୁ
ଜଡ଼ ଅନ୍ଧାର ଏ ପୂର୍ଣ୍ଣିମା ଇନ୍ଦୁ
କାଞ୍ଚନ ନୁହଇ ଭେଲ
ଏତ ମହାକାଳ ଫଳ ।
ଦୁଇଦିନ ପାଇଁ କିମ୍ପା ଉଷତ
ବନ୍ଧୁ ନୁହେଁ ଏତ ବଇରୀ ସତ
ମଣି ଦେଖି ଯଦି ବରିକୁ ଫଣୀକୁ
ସାର ହେବ ହଳାହଳ ।
ଶୁଣ ଲୋ ସରଳା, ଶୁଣ ନିଅ ସାମୁଏଲ୍,
କି କଠିନ ପଢ଼ା ଚାହେଁ ମେଡ଼ିକାଲ ସ୍କୁଲ ।
ଦିନଯାକ କ୍ଳାସେ ଖଟି ଖଟି ଡିସେସ୍ଳନେ,
ରାତ୍ରି ପଢ଼ା ନ କରିଲେ ନ ଚଳଇ ଦିନେ ।
ଶୋଇଥାନ୍ତି ସା’ନ୍ତ ମାଆ, ପ୍ରଫୁଲ୍ଲକୁମାରୀ,
ଏକାଟିଆ ଚେଇଁ ପଢ଼ୁଥାଏ ବତି ଧରି ।
ଫାଳେ କାନି ବିଛାଇ ମୁଁ ଘୋଡ଼ିହୁଏ ଫାଳେ,
‘ଆନାଟମି’ ବହିଟାକୁ ରଖି ମୁଣ୍ଡ ତଳେ ।
ବହିଗୁଡା ଛଡ଼ାଛଡ଼ି ସଉପ ଉପରେ,
ପୁସ୍ତକଟି ଧରି ହାତେ ପଢ଼ୁଥାଏ ଧୀରେ ।
କେବେ ପଢ଼ୁଥାଏ ପାଠ କେବେ ମାଡ଼େ ନିଦ,
କେବେ ଚେଇଁଉଠେ ଖରେ ମଣି ମୁଁ ପ୍ରମାଦ ।
ପଢ଼େ ଆନାଟମି ଆଗେ ପରେ ଆଉ ବହି,
ତେବେ ପଢ଼ାହେଲା ପରି ଦିନେ ନ ଲାଗଇ ।
ଧରମ ପୁସ୍ତକ ରଖିଥାଏ ଶିର ପାଶେ,
ପଢ଼େ ଦୁଇ ତିନି ପର୍ବ ପଢ଼ା ଆଗେ, ଶେଷେ ।
ସକାଳେ କେଜାଣି ଆଉ ଶୁଏ ଘଣ୍ଟା ଏକ,
ନିଦଟି ଭଙ୍ଗାଇଦିଏ ପ୍ରଫୁଲ୍ଲର ଡାକ ।
‘‘ଉଠ୍ ଦିଦି, କ୍ଳାସେ ଯିବୁ ହେଲାଣି ସମୟ,’’
ଜୟନ୍ତ ବାବୁଙ୍କ କ୍ଳାସ୍ ଡେରିହେଲେ ଭୟ ।
ଆପ୍ସେଣ୍ଟ କରିଦେବେ, ଉଠେ ଧଡ଼ପଡ଼
ହାଜର ହୁଅଇ କ୍ଳାସେ ଭୟେ ଜଡ଼ସଡ଼ ।
କଷ୍ଟେମଷ୍ଟେ ପଢ଼ା କହି ପାଏ ପରିତ୍ରାଣ,
ଦଶଟାରେ ଆସି ପୁଣି ଧନ୍ଦାର ଭିଆଣ ।
ଗାଧୁଆପାଧୁଆ ମୁଣ୍ଡବିନ୍ଧା ଖିଆପିଆ,
ସାଢ଼େ ଏଗାରଟାଯାକେ ନସରେ ଅଡ଼ୁଆ !
ଡିସେସ୍ମନେ ଧୀରେ ତହୁଁ ହୁଏ ମୁଁ ହାଜର,
ସେ ସିନା ମଜାର କ୍ଳାସ କି ଭଲ ଟିଚର !
ରାମବାବୁ ପରି ଲୋକ ଶହେକରେ ଜଣେ,
ମିଳିବାର କଷ୍ଟ ଆହା ଭାଗ୍ୟବାନ ଆମେ ।
ବଡ଼ ଭଲ ଟିଚରଟି ବଡ଼ ପରିଶ୍ରମେ,
ପଢ଼ାଟି ବୁଝାନ୍ତେ ଲାଖି ରହିଯାଏ ମନେ ।
ତାଙ୍କ ପଢ଼ା ଯେଉଁଦିନ କରିଥାଏ ଭୁଲ,
କଷ୍ଟ ଲାଗେ ମନେ ବଡ଼ ହୁଏ କଲବଲ ।
ଏତିକି ଅଡ଼ୁଆ ଯେଉଁ ଦୁର୍ଗନ୍ଧ ଭୀଷଣ,
ବଡ଼ ବାନ୍ତିମାଡ଼େ ମୋର ଛାଡ଼ିଯାଏ ପ୍ରାଣ ।
କେବେ ବ୍ୟବହାର କରି ନଥିଲି ମୁଁ ସେଣ୍ଟ୍
ହଜାର ସେଣ୍ଟ୍ କିନ୍ତୁ ସେ ଗନ୍ଧକୁ ନିଅଣ୍ଟ !
କରି କରି ଏବେ ମୋର ଆସିଲାଣି ସହି
ନ ଜାଣଇ ଚାରି ଘଣ୍ଟା କେଣେ ଯାଏ ବହି ।
ଚାରିଟା ବାଜିଲେ ଆସି କଣ୍ଟାଏ କଣ୍ଟାଏ,
ଡିସେସ୍କନ ସୁବାସରୁ ପ୍ରାଣ ତ୍ରାହି ପାଏ ।
ବଡ଼ ଶାନ୍ତି ଲାଗେ ଫେରି ଘରକୁ ଆସିଲେ,
ତେବେ ସୁଦ୍ଧା ସମୟଟି ନ ଯାଏ ମୋ ଭଲେ ।
ଟିଚର ଘରକୁ କେବେ କାର୍ଯ୍ୟବଶତରୁ,
କେବେ ବୁଲିବା ସକାଶେ ବାହାରଇ ଘରୁ ।
ଫେରିଲା ବେଳକୁ ହୋଇଥାଏ ଘଡ଼ି ଛଅ,
ବଡ଼ କ୍ଳାନ୍ତି, ଶୋଇପଡ଼େ ନଅ ସାଢ଼େ ନଅ ।
ପରେ ଉଠି ଖିଆ ପିଆ ସାରି ପଢ଼ା କରେ,
ସକାଳ ଚାରିଟାଯାକେ ମରେ ଅବା ସରେ ।
ଆହା ଏଡ଼େ ପରିଶ୍ରମ ହେବି ଯଦି ଫେଲ୍,
ପରିତ୍ୟାଗ କରିବି ମୁଁ ମେଡ଼ିକାଲ ସ୍କୁଲ ।
ବଡ଼ ଆଶା ଅଛି କିନ୍ତୁ ପାଶ୍ କରିବାର,
ଯାହା କରିବେ ସେ ପରମେଶ୍ୱର ।
ସ୍ନେହର ଭଗ୍ନୀ
କୁନ୍ତଳା
୩୦/୦୧/୧୯୧୮
କେତେ କାଲି କହୁ ମନ କାଲି କେବେ ଆସେ,
କାଲି କି ହୁଅଇ କେବେ ତୋହରି ସକାଶେ ?
କାଲି କାଲି କହି କହି ଭୁଲାଉ ତୋ ଚିତ୍ତ,
କାଲି କହି ରଖି ଦେଉ ଆଜି ଯା’ ବିହିତ ।
କାଲି ବୋଲି ଭୁଲେ ନିତି ମାନବର ମନ,
କାଲି ହୁଏ ନାହିଁ ବୋଲି କେ କଲା ମନନ !
ଆସ ହେ ତ୍ରିଦିବଧନ୍ୟା ଅମର-ନନ୍ଦିନୀ
ବଜାଅ ହେ ବୀଣା ତବ ସୁଧା-ନିସ୍ୟନ୍ଦିନୀ
କଳ୍ପନା ସୁନ୍ଦରୀ ତୁହି କହି ସହଚରୀ,
ଉଦ ମୋ’ ହୃଦୟେ ବିଭୁ ଆଶିଷ ବିତରି ।
ସଙ୍ଗେ ଘେନି ଆସ ଆଶାସତୀ ବିନୋଦିନୀ,
କାଲି ରୂପ ଧରି ମୋତେ ମେହୁ ସେ ମୋହିନୀ
ଆଶା କେତେ ରଙ୍ଗ କରେ,
କେ ବଞ୍ଚି ପାରନ୍ତା କହ ତାହା ବିହୁନରେ ।
ଆଜି ହୋଇ ନାହିଁ ଯାହା ହେବ ତାହା କାଲି,
ମନକୁ ଭୁଲାଇ ନର ରହିଥାଏ ଭାଳି ।
ନୋହିଲେ ଶ୍ମଶାନ ଭବ ହୁଅନ୍ତା କ୍ଷଣକେ,
ଶୂନ୍ୟ ହେଉ ଥାଆନ୍ତା ସବୁ ନୟନ-ପଲକେ ।
ଆସ ଆଶାସଙ୍ଗେ ଘେନି କଳ୍ପନା ମୋହର,
ଘରେ ଘରେ ବୁଲି ରଙ୍ଗ ଦେଖିବି ତୋହର ।
କାଲି କହ ଭ୍ରାନ୍ତ ନର ଶୋଇଅଛି ଶେଯେ,
କାଲି ଯେ ଆସିବ ନାହିଁ କ୍ଷଣେ ତ ନହେଜେ ।
ସବୁ ଗୁଣ ମାଟି ତାର ହେଲା କାଲି କହି,
କାଲି କାର୍ଯ୍ୟ ଆରମ୍ଭିକ ଆଜି ବସି ରହି ।
ମସ୍ତକ ଉପରେ କାଳ ବଜ୍ରଧରି କରେ
କେଉଁ ଦଣ୍ଡେ ପ୍ରହାରିବ ଜାଣେ କି ମନରେ ?
ଆଜି ମୁଁ ମରିବି ନାହିଁ ଅଛି ବହୁଦିନ,
କାଲି ଦେଖାଯିବ ଏବେ କିପାଇଁ ଉଦ୍ବିଗ୍ନ !
ଧର୍ମ୍ମ ଥାଉ କାଲିପାଇଁ ଆସୁ ହେ ବିଳାସ,
ଆସୁ ରଙ୍ଗରସ ମାତ୍ର ଆଜିକ ସକାଶ ।
ଧରା ପରେ ତା’ ନିବାସ ଉଠିପାରେ କ୍ଷଣେ,
ଭୁଲିବା ମଜ୍ଜାଏ ଚିତ୍ତ ବିଳାସ-ବ୍ୟସନେ ।
କେତେ କାର୍ଯ୍ୟ ଅବହେଳେ ପାରୁଥାନ୍ତା ସାଧି,
ନାଶନ୍ତା ମନରୁ ଯଦି କାଲିରୂପୀ ବ୍ୟାଧି ।
ମୃତ୍ୟୁ ନଦୀ-ତଟେ ଆସି ଦେଖେ ‘କାଲି’ କାହିଁ,
‘କାଲି’ ବୋଲି କହି ଆଶା ଥିଲା କି ଭୁଲାଇ !
ପୁତ୍ର ତାର ଦୂର ଦେଶେ କାନ୍ଦୁଛି ଜନନୀ,
ଖଣ୍ଡେ ପତ୍ର ପାଇନାହିଁ, ତିନ୍ତୁଛି ଅବନୀ ।
ଅଶ୍ରୁ-ଝରଧାରେ ତହିଁ ଆସିଲା ସହସା,
‘କାଲି’ ରୂପଧରି ଆଶା, ସାନ୍ତ୍ୱନା ବରଷା ।
ହୃଦମରୁ ସିଞ୍ଚି ତାର, କହେ ମଧୁସ୍ୱର,
କାଲି ତ ଆସିବ ପତ୍ର ଆଜି ଧୈର୍ଯ୍ୟ ଧର ।
ବହୁଦିନ ହେଲା ବାଳା ବିରହ-ବିଧୁରା
ଧୈର୍ଯ୍ୟ ନାଶିଲାଣି ଭେଦି ନୈରାଶ୍ୟ-ମହୁରା ।
ଆକୁଳେ ଚିନ୍ତଇ ବାମା, ଘନ ବହେ ଶ୍ୱାସ,
ଆଜ ଆସିବେ କି ଦାୟ, ନ ହୁଏ ବିଶ୍ୱାସ ।
ଆଶା ଆସି କାନେ କାନେ କହେ, ‘‘ଲୋ ସୁନ୍ଦରି !
ଆସି ତ ପାରନ୍ତି କାଲି, ରହ ଧୈର୍ଯ୍ୟ ଧରି ।’’
ପରିପନ୍ଥୀ ପରସ୍ପର ବିବାଦ ଭିଆଇ
ହାରି ଜଣେ ଚିନ୍ତେ ମନେ, ଆଉ ଆଶା ନାହିଁ ।
ଆଶା ସେହିକ୍ଷଣି ଆସି ବେଶେ ମନୋହର
କହେ, ‘‘ମୂର୍ଖ, ଚିନ୍ତା ତୋର ବେଗେ ପରିହର ।
ପ୍ରତିହିଂସା ଆଜିସିନା ନହେଲା ପୂରଣ,
କାଲି ଦର୍ପ କରି ଚୂର୍ଣ୍ଣ ହେବୁ ହୃଷ୍ଟ ମନ ।
ପୂରିବ ତୋ ‘ଆଶା’ ଶୁଣି ମନେ ଦମ୍ଭ ବହେ,
‘ଆଜି ଯା’ ନୋହିଲା ତାହା କାଲି ହେବ’ କହେ ।
ଦୁଷ୍ଟାଚାରେ ରତ ପୁତ୍ର ନ ମାନେ ଶାସନ,
ମନେ କ୍ଷୁର୍ଣ୍ଣ ଗୁରୁଜନ କରନ୍ତି ରୋଦନ,
ନାନାଦି ଉପାୟ ଚିନ୍ତି ବିଫଳ ପ୍ରୟାସ,
ସୁମତି ହୋଇବ ତାର ନୁହଇ ବିଶ୍ୱାସ,
ନିରାଶ ହୃଦୟେ କାହୁଁ ଆଶା ଦେଲା ଦେଖା,
ସହସା ଦିଶିଲା କ୍ଷୀଣ ବିଶ୍ୱାସ-ସୁରେଖା ।
ତମୋ ଭେଦି କ୍ଷୀଣ ଆଲୋକ ପରାଏ
ଆଶା କି ସମ୍ୱୋଧି କହେ, ‘‘କିପାଁ କାନ୍ଦ ଆହେ ?
ଆଜି ସେ ଅଧମ, କାଲି ହେବ ସାଧୁଜନ,
କାଲି କଥା ଭାବି ଶାନ୍ତ କର ତବ ମନ ।’’
ଋଣଗ୍ରସ୍ତ କପର୍ଦ୍ଦକ-ସମ୍ୱଳ-ବିହିନ,
ଖାତକ ଦୁଆରେ ଆସି ଡାକେ ପ୍ରତିଦିନ,
ତର୍ଜ୍ଜନ ଗର୍ଜ୍ଜନ ଶତ କରେ ମହାଜନ,
ଲଜ୍ଜାରେ କାତର ଅତି ପୀଡ଼ିତ ମରମ ।
କି କହିବ ଭାବି ଭାବି ରହିଛି ମଉନେ
ଆଶା ଆସି କହେ କଥା, ସହସା ସେ ଶୁଣେ ।
କାଲି କଥା କହି ଆଶା ବିହିଲା ଉତ୍ତର,
‘‘କାଲି ଆସିବ ହେ ଆଜି କିପାଁ ତରତର ?’’
ଦରିଦ୍ର କୁଟୀରେ କାହିଁ ଅର୍ଦ୍ଧ ଅନଶନେ,
ଭୂମିରେ ଲୋଟନ୍ତି ଶିଶୁ ବିକଳ ରୋଦନେ,
ପାଶେ ବସି ମାତା ଛିନ୍ନ-ବାସ ଅଞ୍ଚଳରେ,
ଲୋତକ ନିବାରି ମନେ ଭାଳଇ ଅନ୍ତରେ ।
ଶିଶୁର କୋମଳ ମୁଖ ଚାହିଁ ଅଭାଗିନୀ,
କାନ୍ଦଇ ସହସା କହେ ଆଶା ମାୟାବିନୀ,
ଶୁଣ ଲୋ ଦୁଃଖିନୀ କିପାଁ ଲୋଚନ-ଆଶାରେ
ତିନ୍ତାଉ ଅବନୀ ତୁହି ଚିନ୍ତାକର ବାରେ
ଆଜି ସିନା କଷ୍ଟ ଏଡ଼େ ! ସେ କି ଚିରକାଳ !
କାଲି ସକାଳେ କାହୁଁ ତୋ ଫିଟିବ କପାଳ ?
କାହିଁ ତରୁତଳେ ଶୀତେ ତନୁ ଥର ଥର,
ଦରିଦ୍ର ଭିକାରୀ ଭାବେ ଦୁଃଖ ଅଦୃଷ୍ଟର,
ଥିଲା ଏକ ଦିନ ଆହା ସେ ରାଜପ୍ରସାଦେ
ପଡ଼ିଛି ବିପାକେ କ୍ରୁର କପାଳ ପ୍ରମାଦେ ।
ସହସା ଯୌବନେ ପାପ କୁହ କେ ପାସୋରି
କାଟିଥିଲା ଅବହେଳେ ଧର୍ମ୍ମଭୟ-ଡୋରି !
ବିଳାସ ବ୍ୟସନ ଶତ ବନ୍ଧୁ ତୋଷାମୋଦୀ
ପାଶେ ବେଢ଼ି ବିବେକ ତା’ ଥିଲେ କି ନିରୋଧି !
କ୍ରମେ ଯହୁଁ ଅନାଚାରେ ସରିଲା ସମ୍ପଦ,
ବନ୍ଧୁବର୍ଗ ତେଜି ତାକୁ ହେଲେ ନିରାପଦ ।
ସ୍ମରଇ ଆକୁଳେ ତାର ଜୀବନ-ସଙ୍ଗିନୀ
ଅତ୍ୟାଚାରେ ଉତ୍ପୀଡ଼ିତା ମରିଛି ଦୁଃଖିନୀ ।
ସ୍ତମ୍ଭ ଭଜି ହୃଦସ୍ପଦ ଚାହେଁ ସେ ଆକାଶେ,
ଅକୂଳ ଅର୍ଣ୍ଣବେ କୂଳ ନ ପାଏ ନିରାଶେ ।
ତାରାରୂପେ ସତେ ଆଶା ଦୂର ନଭଭାଲେ,
ମିଟି ମିଟି ଚାହୁଁ ତାକୁ କହେ କି ଏକାଳେ;
‘‘କରମର ଲେଖା କେହି ପାରେ କି ଏଡ଼ାଇ
ଶନିଦଶା ତୋତେ ପରା ଅଛିରେ ଗୋଡ଼ାଇ ।
ଗ୍ରହ ଦୋଷେ ଅଦୃଷ୍ଟରେ ତୋହର ଏ ଭୋଗ,
ଆସି ତ ପାରଇ କାଲି ଗ୍ରହ ଶୁଭଯୋଗ।’’
କହୁଁ କହୁଁ ନେତ୍ର ପ୍ରାନ୍ତେ ଉଠେ କି ଝଲକି
ଶତ-ଭାବୀ-ସୁଖଛାୟା-ଆଲେଖ୍ୟ ପୁଲକି ।
ସର୍ବସ୍ୱାନ୍ତ ଛିନ୍ନକନ୍ଥା ପିନ୍ଧି କଳେବରେ,
କ୍ଷେତ୍ର ପ୍ରାନ୍ତେ ବସି ଦୁଃଖେ କାନ୍ଦୁଛି କାତରେ ;
ଦରିଦ୍ର କୃଷକ ଏକ ବଦ୍ଧ ରଣଜାଲେ,
ପାଶେ ତା’ ଦୁଃଖିନୀ ନାରୀ ମାରେ କର ଭାଲେ ।
କାହୁଁ ଭୀମ ବନ୍ୟା ଆସି ନାଶି ତା’ କେଦାର
ଦୁଃଖ ଗୁରୁଭାରେ ପୁଣି ମିଶାଇଲା ଭାର ।
ଶିଶୁଙ୍କ ବଦନ ଚାହିଁ କାନ୍ଦନ୍ତି ଦମ୍ପତ୍ତି,
ଚାହୁଁ ଚାହୁଁ ସରିଗଲା ସକଳ ସମ୍ପତ୍ତି ।
ଯାହା ଥିଲା ସବୁ ନେଲା କ୍ରୁର ମହାଜନ,
ଅର୍ଦ୍ଧାଶନେ ତଥାପି ତ ରହିଛି ଜୀବନ ।
ଅଚଳ ହେଲାଣି ଆସି ସଂସାର ତାଙ୍କର,
ସହସା ଆସି କି ଆଶା ରୂପ ମନୋହର,
ପ୍ରତିଭାତେ ହୃଦପଟେ ‘‘କାଲି କାଲି’’ ଗାଏ,
କାଲି ତ ମେଣ୍ଟିବ ଦୁଃଖ ସାଦରେ ଶୁଣାଏ ।
ଘୋର ଆଶା-ଶୂନ୍ୟ ବେନି ଚାହିଁ ପରସ୍ପରେ,
କାଲି ଭାଗ୍ୟୋଦୟ ଆଶା ପୋଷନ୍ତି ମନରେ ।
ଆଜି ଯୁଦ୍ଧେ ହାରି ନୃପ ବିରସ-ବଦନ,
ସରମେ ନୁଆଁଇ ମଥା କ୍ଷୋଭେ ନିମଗନ ।
ବିଷମ ବଇରୀ କ୍ରୁର ଆକ୍ରୋଶ ସୁମରି,
ଉଷ୍ଣ ରକ୍ତ ଶିରା ଯାଉଛି ସଞ୍ଚରି ।
ରୋଷେ କ୍ଷଣେ ଜ୍ୱଳିଉଠେ ହୃଦେ ଦାବାନଳ,
ଦାନ୍ତ କଡ଼ମଡ଼ କ୍ରୋଧେ ବିକଟ ଚଞ୍ଚଳ ।
ବାହ୍ୟଜ୍ଞାନ-ଶୂନ୍ୟ ଅଗ୍ନି-ସ୍ଫୁଲିଙ୍ଗ ଉଦ୍ଗାରି,
ରକ୍ତଜବା ନେତ୍ର ବେନି ଉଠେ କି ବିସ୍ତାରି ?
ସହସା ଉଦେ କି ଆଶା ବିଶ୍ୱବିମୋହିନୀ,
ଝଙ୍କାରି ମଧୁର ବୀଣା ପୀୟୁଷ-ସ୍ୟଦିନୀ,
ଉତ୍ସାହ ଆଲୋକ ହୃଦେ ସହସା କି ଫୁଟେ
କାଲି ଜୟ ଆଶା, ନେତ୍ରେ ନବରୂପ ଉଠେ ।
ବହୁ ଅର୍ଥ ବ୍ୟର୍ଥେ ବ୍ୟୟକରି ଅକାରଣ,
ରୋଗର ଯନ୍ତ୍ରଣା କା’ର ନ ହେଲା ବାରଣ ।
ମାସ ପରେ ମାସ ଆହା ଦିନ ପରେ ଦିନ,
ରୋଗ ଶେଯେ ପଡ଼ି ତନୁ କ୍ଳିଷ୍ଟ ଶିରୀ କ୍ଷୀଣ ।
ନିରାଶେ ଭାବୁଛି ରୋଗୀ ମରିବି ଏଥର
ଆସନ୍ନ ମୃତ୍ୟୁ ଧ୍ୟାଇଣ ପ୍ରାଣ ଥର ଥର ।
ଅନ୍ତରୀକ୍ଷେ ଦେଖି ଆଶା ତା’ ବେଦନା ରାଶି,
ଓହ୍ଳାଇ ଆସେ କି ଧୀରେ ଯାତନା ଉଶ୍ୱାସି,
ସ୍ନେହାର୍ଦ୍ର-କୋମଳ କରେ ପରଶି କପାଳ
ହୃଦୟେ ଜଗାଏ ଶତ ଭରସା ବିଶାଳ।
ମଧୁ-ମିଷ୍ଟ-ସ୍ୱରେ ଭାଷେ, ‘‘ଦେଖାଯାଉ, କାଲି
ଭଲ ହୋଇପାରୁ, କିପାଁ କ୍ଳାନ୍ତ ଭାଳି ଭାଳି ?’’
ତ୍ରିକାଳ ଗଲାଣି ଆସି ଚତୁର୍ଥେ ପ୍ରବେଶ
ଲୋଭ ଛାଡ଼ି ନ ପାରେ କେ ବୃଦ୍ଧ ପକ୍ୱକେଶ ।
ପ୍ରତି ତାମ୍ରମୁଦ୍ରା ଅତି ଯତନେ ପରଖି,
ଅୟସ-ସିନ୍ଧୁ କେ ଦୃଢ଼ ତାଲାବଦ୍ଧ ରଖି,
ଚୌର ଭୟେ ରାତ୍ରେ ନିଦ୍ରା ନ ହୁଏ ତାହାର,
ବିବେକ ଏକାଳେ ମୃଦୁ କରଇ ପ୍ରହାର ।
‘‘କିପାଇଁ ଆୟାସ ଏତେ କିମ୍ପା ଏତେ କ୍ଳେଶ,
ଅଧେ ଉପରେ ତ ଆୟୁ ହେଲା ଆସି ଶେଷ ।
ଧର୍ମ୍ମ-ଧନ ରଖ ସଞ୍ଚି ଛାଡ଼ି ଭବ ମାୟା,
କିଏ ସେ କାହାର ବନ୍ଧୁ ସହୋଦର ଜାୟା !
ମନେ ନାହିଁ ତିଳେ ଛାଡ଼ିଯିବ ନିଜ ଦେହ
କିପାଇଁ ପାର୍ଥିବ ଧନେ ଏ ଆଦର ସ୍ନେହ ?
ସହସା ବୃଦ୍ଧର ମନେ ଉଠେ ଚିନ୍ତାଶତ
ପ୍ରାଣେ ପ୍ରାଣେ ଆସି ଆଶା କହେ ଅନ୍ୟମତ ।
କ୍ଷଣେ ରୂପରଙ୍ଗ ଫେଡ଼ି ଶତ ଇନ୍ଦ୍ରଜାଲ
ଆବରି ବୃଦ୍ଧର ଆଖି ବେଢ଼େ ମାୟାଜାଲ ।
କାନେ କାନେ କି କୋମଳେ କହେ କୁହୁକିନୀ
କହ ଦେଖି କି ସୁନ୍ଦର ରଜନ ଚାନ୍ଦିନୀ ।
ଅର୍ଥ କେ ନ ସଞ୍ଚେ ମୁର୍ଖ, ବନ୍ଧୁ ଅର୍ଥସମ
କେ ଅଛି ସଂସାରେ ତୁହି ଜାଣୁ ଆଜୀବନ ।
କେଜାଣେ ମାନବ ଆୟୁ ରହ ଏହିମତି
ଆଜି ଦିନ, କାଲି ଧର୍ମେ ଆପେ ହେବ ବ୍ରତୀ ।
‘କାଲି କାଲି, କହି ଯୁବା ବିନାଶ ଅୟନେ
ଚାଲିଯାଉଥାଏ ଦ୍ରୁତ ନ ବିଚାରି ମନେ ।
ଜୀବନ – ବସନ୍ତ ମୃଦୁ ମଳୟ ହିଲ୍ଲୋଳେ
ଭାସେ ଶତ ଶତ ମୁଖ-ଆମୋଦ କଲ୍ଲୋଳେ ।
କେବେ ଯଦି ତା’ ବିବେକ କହେ ରୁକ୍ଷବାଣୀ
ଭୁଲାଏ ତା’ ମନ ଆଶା କାଲି ରୂପ ଆଣି ।
ଲଳିତେ ମଧୁରେ କହେ ସୁକୋମଳ ଗିର,
‘ବାରେ ତ ନିରେଖି ଦେଖ ଧାରା କି ରୁଚିର !
ଆହା ମଧୁମୟ ନବ ଯଉବନ ଦିନ
ସର୍ବ ସୁଖମୟ ଚିନ୍ତା ଭାବନା-ବିହୀନ ।
ଯଉବନେ ସିନା ଭୋଗ ବିଳାସଟି ସାର,
ଧର୍ମ୍ମ କର୍ମ୍ମ ଲାଗି ଅଛି ସମୟ ଅପାର ।
ଆଜି ସୁଖ ଭୋଗ ତୁହି ନୋହି ଆନମନା,
କାଲି ତୁ ପାରିବୁ କରି ଧରମ ସାଧନା !
ପାଠଚୋର ଛାତ୍ର କେହି ପୋଥି ଧରି ହାତେ
ଅର୍ଦ୍ଧମିଳିତ ଆଖି ଶୋଇଛି ପ୍ରଭାତେ ।
ଶତ ଶତ ଅର୍ଥ ପିତା ସାରି ଅକାତରେ
ପଠାଇ ଅଛନ୍ତି ପୁତ୍ରେ ଦୂରଦେଶାନ୍ତରେ ।
ରଙ୍ଗମଞ୍ଚେ ଅଭିନୟ ଦେଖି ଉଜାଗର
ସାରା ରାତି, ପାଠେ ମନ ହୁଏ କି ତତ୍ପର !
ପରୀକ୍ଷାର କଥା ଭାବି ମନେ ଉଦେ ଶଙ୍କା,
ସେହିକ୍ଷଣି ଆସି ଆଶା ନାଶେ ମନୁ ଦକା !
ଆଳସ୍ୟ-ଅଞ୍ଜନ ବେନି ଲୋଚନେ ଲଗାଇ
କର ପରଶିଣ ମୃଦୁ ଦେଉଛି ଶୁଆଇ ।
ନିଦ୍ରାମଗ୍ନ ଛାତ୍ର ଭାଳେ, ‘‘କେ ପଢ଼ୁଛି ଆଉ,
ଯାହା ଯାହା ପାଠ ଅଛି କାଲିକି ସେ ଥାଉ ।’’
କାଲି କାଲି କହି ହୁଏ ପରୀକ୍ଷା ନିକଟ,
କାଲି ଆଶା ତହୁଁ ଜଣାପଡ଼େ କି ଉତ୍କଟ ।
ଦୁଃଖେ ଲାଜେ ରକ୍ତମୁଖ ବେଦନା-ବ୍ୟଥିତ,
ପରୀକ୍ଷାରେ ହାରି ଛାତ୍ର ହୋଇଛି ଚିନ୍ତିତ ।
ଭାସୁଅଛି ଆଜି ଦୁଃଖ-ନୀରେ ଶେଯୋପରି,
ଆଶା ଆସି ଭେଟିଲା କି କାଲିରୂପ ଧରି ।
ସୁଲଳିତ କହେ ଆଶା, ‘‘ଯୁବକ ସୁନ୍ଦର !
କାଲି କଥା ଭାବି ମନେ ନ ହୁଅ କାତର ।
ଆଜି ଏତେ ଦୁଃଖ ଲାଜ, ଆଜି ଏତେ ବ୍ୟଥା,
କେଜାଣି କି ହୋଇପାରେ କହ କାଲି ବ୍ୟଥା ।
କାଲିକା କାଲିତ ତାର ପୂରିବ ଅଭୀଷ୍ଟ,
ଥରେ ପରାଜୟେ କହ କିହେଲୋ ଅନିଷ୍ଟ ?
ଦ୍ରୁତ ଆଶା ଲଭି ପୁଣି ଉଠଇ ତରୁଣ,
କାଲି ଚିନ୍ତାମୁଗ୍ଧ ଦୁଃଖ ଭୁଲେ ନିଦାରୁଣ ।
ବାଣିଜ୍ୟେ ହାରିଣ ବାରେ କେହି ବ୍ୟବସାୟୀ,
ଭାବେ ମୋ’ କରମେ ପରା ଲକ୍ଷ୍ମୀକୃପା ନାହିଁ ।
ନିରାଶେ ଚାହେଁ ସେ ତାର ଚଉଦିଗ ଫେରି
ପ୍ରତିଦ୍ୱନ୍ଦୀ ଶତ ଶତ ରହିଛନ୍ତି ଘେରି ।
ଆଜି ତ ଦୁର୍ଦ୍ଦିନ ଜାଣି, ଆଶା କହେ, ‘‘କାଲି,
ଭାଗ୍ୟୋଦୟ ସୁନିଶ୍ଚିତ, ବୃଥା କ୍ଷୋଭ ଭାଳି !’’
ଅତୁଳ ସମ୍ପତ୍ତି ପୂର୍ବପୁରୁଷ-ସଞ୍ଚିତ;
ସର୍ବ ସୁଖ ପରିବୃତ ଅମର-ବାଞ୍ଚିତ,
ଅଳସ ବିଳାସୀ କେହି ବୃଥା ଅପବ୍ୟୟୀ,
ନିଶ୍ଚିନ୍ତେ କାଟୁଛି କାଳ କାଲି କାଲି କହି ।
କାଲି ସେ ମରିବ ଯଦି କେ ଭୋଗିବ ଧନ
ନିଶ୍ଚନ୍ତେ ରହିଛି ହେଳାକରି କାୟଶ୍ରମ ।
ବସି ବସି ଖାଇଲେ ତ ସରେ ନଦୀବାଲି
ଆଶା କାନେ କହେ ‘‘ତାହାଦେଖାଯିବ କାଲି ।’’
ସେ କେଉଁ ପ୍ରବାସୀ ଛାଡ଼ି ଦେଶ-ପରିବାର
କର୍ମ୍ମ-କ୍ଳାନ୍ତ ସନ୍ଧ୍ୟାଗମେ ସ୍ମରେ ବାରମ୍ୱାର ।
ସୁରମ୍ୟ କୁଟୀର ତାର ସୁଶୀଳା ରମଣୀ,
ସ୍ମରେ ସୁତସୁତା ବନ୍ଧୁ ଜନକ ଜନନୀ ।
ପ୍ରବଳ ଆକାଙ୍କ୍ଷା ବାରେ ଦରଶନ ଲାଗି,
ଆଲୋଡ଼େ ଅଭାଗା ହୃଦ ନାନାଚିନ୍ତା ଜାଗି ।
ଧୀରେ ଧୀରେ ମାଡ଼ିଆସେ ନଭେ ଅନ୍ଧକାର,
ଅଲକ୍ଷେ ଓହ୍ଲାଇ ଆସେ ନେତ୍ରେ ଅଶ୍ରୁଭାର ।
ଦୂର ଗଗନରୁ କ୍ଷୁଦ୍ର ତାରାଟି ଅନାଇ
ବେଦନା ପ୍ରବାସୀ ହୃଦେ ଦିଏ କି ବଢ଼ାଇ !
ଜୀବନ-ବନ୍ଦୀ ସେ ପରା ଶତ ଦୁଃଖ ଧନ୍ଦା
ନିଷ୍ଠୁର କର୍ତ୍ତବ୍ୟ କୂର ଶୃଙ୍ଖଳରେ ବନ୍ଧା ।
ସ୍ମରେ ସେ ତରୁଣକାଳ ସ୍ୱାଧିନତା ସୁଖ
ଦାସତ୍ୱ ମାୟାରୁ ମନ ବିଷାଦେ ବିମୁଖ ।
କ୍ଷୁଦ୍ର ଶିଶୁ ମୁଖ ଛବି ପଡ଼ିଯାଏ ମନେ,
ପିତା ପିତା ଡାକେ ସେ କି ଆକୁଳ ରୋଦନେ ।
କାହିଁ ପିତା ଦେଶାନ୍ତରୀ, ପିତା ବହୁଦୂର,
ବିହି କି ବିହିଲା ଏଡ଼େ ବିଚ୍ଛେଦ ନିଷ୍ଠୁର ।
ଚାହିଁ ସେ ଆକାଶ ଭାଳେ, କି ଭାଳେ ସେ ଜାଣେ,
ସହସା ଅଶେଷ ଚିନ୍ତା ପ୍ରବେଶ ପରାଣେ ।
ଦିଶେ ଗୃହଛବି ତୋରା ନୟନ ପଲକେ,
ପକ୍ଷୀଗଣ ଆକାଙ୍କ୍ଷା ସେ କରଇ କ୍ଷଣକେ ।
ଆକୁଳତା ଦେଖି ତାର ଓହ୍ଲାଇ ଅଶ୍ରୁରୁ,
ସ୍ନେହକରେ ଆଶା ଅଶ୍ରୁ ପୋଛି ନୟନରୁ,
କାନେ କାନେ କହେ କେତେ ମଧୁର ଭାରତୀ,
‘‘କାଲି ତ ଭେଟିବୁ ପ୍ରିୟ ପରିବାର କତି ।
କାଲି ତ ଆସିବ ଦିନ ସରିବ ପ୍ରବାସ,
କୁଟୁମ୍ୱ-ମୁଖେନ୍ଦୁ ଦେଖି ଲଭିବୁ ଉଲ୍ଲାସ ।’’
ଆଶା ଛଳନାରେ ମୁଗ୍ଧ ଦୁଃଖୀ କଳପନା,
ଭବିଷ୍ୟ ସୁଖ ସେ କେତେ କରେ ସରଜନା ।
ମନୋନଭେ କୁତୂହଳେ ଗଢ଼େ ଅଟ୍ଟାଳିକା,
ଫୁଟାଏ ସେ କେତେ ନଭକୁସୁମ-କଳିକା ।
ପ୍ରିୟଜନ କା’ର କେହି ଅଦୃଶ୍ୟ ବିଦେଶେ,
ଭାଳନ୍ତି କୁଟୁମ୍ୱବନ୍ଧୁ କଥା ତାର କ୍ଳେଶେ ।
ସ୍ୱାମୀ କଥା ଭାଳି କାନ୍ଦେ ବଧୁରା ବନିତା,
ପିତା ଆଗମନ ଆଶେ ଚାହିଁଛି ଦୁହିତା ।
ଚାହିଁଛି ଆକୁଳେ ପଥ ଦିବସ ରଜନୀ,
ଦେଶତ୍ୟାଗୀ ପୁତ୍ର ଲାଗି ଦୁଃଖିନୀ ଜନନୀ ।
ବହୁ ବର୍ଷ ଦେଶାନ୍ତରୀ ନ ମିଳେ ସନ୍ଧାନ,
ଆଶାରେ ଆଶାରେ ମାତ୍ର ଜୀବିତ ପରାଣ ।
କେତେ ବ୍ରତ, ଉପବାସ, କେତେ ମାନସିକ,
ହେଲାଣି ବିଫଳ କହି କରମକୁ ଧିକ ।
କାନ୍ଦନ୍ତି ଆତୁର ହିୟା ଅବଳା ସରଳା,
କ୍ଷଣେ କି ଦେଖନ୍ତି ଆଶାମୂରତି ଉଜ୍ଜଳା ।
ଆଦର ସାନ୍ତ୍ୱନା ଘେନି ଆସେ ଆଶାସତୀ,
‘‘କାଲି ସେ ଆସିବ’’ ମୃଦୁ କହେ କି ଭାରତୀ !
ତୁରିତେ ଲୋଚନ ପୋଛି ଶୁଣନ୍ତି ସରଳା,
‘କାଲି ସେ ଆସିବ’ କାନେ କିଏ କହିଗଲା ।
ଦଶମାସ କଷ୍ଟ କରି ଧରିଲା ଉଦରେ,
କନ୍ଦାଇ ଜନନୀ ପ୍ରାଣ କ୍ଷୁଦ୍ର ଶିଶୁମରେ ।
ବିଫଳ ତା ଚିତ୍ତ ବ୍ୟଥା ପ୍ରାଣ କି ବିଦରେ,
ଆକୁଳେ ଲୋଡ଼ଇ ମାତା ଶୟନ କବରେ ।
ମୃତ ଶିଶୁମୁଖ ଚାହିଁ ହେଉଛି ଆକୁଳ,
ବାଷ୍ପରୁଦ୍ଧ କଣ୍ଠ ଶୁଖେ, ନେତ୍ରେ ଅଶ୍ରୁଠୁଳ ।
ଅବଶ ନୀରସ ପ୍ରାଣେ ସହସା ଉଦୟ,
ନବୀନ ମୂରତି ଆଶା ରୂପ ମଧୁମୟ ।
କାନ୍ଦ କାନ୍ଦ ଆଜି ମାତା ଅନାଏ ଗଗନେ,
ନିରେଖେ ଅରୂପ ଆଶା ଶୋଭାଶୂନ୍ୟ ମନେ ।
ମରମେ ମରମେ ଆଶା କହେ ଶାନ୍ତିଗିର
‘ପୁଣି ତୁ ଲଭିବୁ ପୁତ୍ର କିପାଇଁ ଅଧୀର,
କାଲି ସକାଳେ ତୋ କୋଳେ ହସିବ କୁମାର
ଆଜି ଏ ବେଦନା ଅଶ୍ରୁ ସମ୍ୱର, ସମ୍ୱର ।’’
ଶତ ଅତ୍ୟାଚାର ଦୁଃଖେ ବିବଶା ବାଳିକା,
ଫୁଟି ନ ଫୁଟିବା ସତେ ତରୁଣ କଳିକା ।
କରୁଣେ କବାଟ କୋଣେ କାନ୍ଦେ କ୍ଷୀଣପ୍ରାଣେ,
ବାହୁନି ବାହୁନି କେତେ ଦୁଃଖ ସେ ବଖାଣେ ।
ଏତେ ବଡ଼ ପରିବାରେ କେହି ନ ପଚାରେ,
ଶୀର୍ଣ୍ଣଶିରୀ ଦିନୁଁ ଦିନୁଁ କ୍ରୁର ଅବିଚାରେ ।
ଉବ୍ଦନ୍ଧନେ, ନିମଜ୍ଜନେ, ଗରଳ ଭୋଜନେ,
ବଳେ କି ବାଳାର ମନ ଗୋପନେ ଗୋପନେ !
ଅଭାଗୀ ଯାତନା କଥା କେହି ନ ବୁଝିଲା,
ତହିଁ ଆଶା ମନେ ତୀବ୍ର ବ୍ୟଥା କି ବାଜିଲା ।
ସଖୀସମ ସ୍ନେହାଦରେ ଆଶା ବିନୋଦିନୀ,
ସହସା ହୃଦୟ ସରେ ନବ କୁମୁଦିନୀ-
ଦୁଃଖ ଅନ୍ଧାର ନିଶାରେ ଉଠିଲା କି ଫୁଟି,
ନବୀନ ସାନ୍ତ୍ୱନା ସୁଖ ସୁରଭି ଉକୁଟି ।
ଦୁଃଖ ଘନ ତମ ଭେଦି ଅଳ୍ପ ଅଳ୍ପ,
ହସିଲା କି ଜ୍ୟୋସ୍ନା-ଭାବି ସୁଖ ସଙ୍କଳପ ।
କାଲି ସୁଖ ଆଶା କେତେ ଆଙ୍କେ କଳପନା,
କ୍ଷଣେ କ୍ଷଣେ ବ୍ୟଥା ହରି ଢାଳେ କି ସାନ୍ତ୍ୱନା ।
କହେ ଆଶା, ‘‘ସୁନ୍ଦରୀ ତୋ ନବୀନ ବୟସ,
ଏ ବୟସେ କିପା ଏଡ଼େ ବ୍ୟାକୁଳ ବିରସ ।
ଆଜି ଦିନ ସଦାଦିନ ନଥିବ କରମେ,
କାଲି କଥା ଭାବି ଶାନ୍ତି ଲଭ ହେ ମରମେ ।
ଉପରେ ତ ଦିନ ରାତି କରୁଛନ୍ତି ଜଣେ,
ନାଶି ତ ପାରନ୍ତା ହେଳେ ଦୁଃଖ ତୋର କ୍ଷଣେ ।
ଏକାମାଘେ ଶୀତ କାର ନ ଯିବ ବାହାରି,
‘ଆଜି ଦୁଃଖ କାଲି ସୁଖ, ବୁଝୁ ହେ ବିଚାରି ।’’
ବିଦ୍ୟାଳୟ କାର୍ଯ୍ୟ ଶେଷ ଦୀର୍ଘ ଅବକାଶ,
ବ୍ୟସ୍ତଛାତ୍ର ହୃଦେ ବେନି ବିଷାଦ ଉଲ୍ଲାସ ।
ବନ୍ଧୁ ବନ୍ଧୁଠାରୁ ହର୍ଷେ ମାଗୁଛି ମେଲାଣି,
କା’ର ନେତ୍ରେ ଅଶ୍ରୁ, କା’ର କରୁଣ ଚାହାଣୀ ।
‘‘ମୋତେ ଗୋ ଭୁଲିବ ନାହିଁ’’, କହେ କେ ଆଦରେ
କାଲି ପାଇବ ମୋ ପତ, ବନ୍ଧୁ ପ୍ରତ୍ୟୁତ୍ତରେ ।
ଆଶା ପ୍ରାଣେ ପ୍ରାଣେ ଆସି କହେ ପ୍ରିୟ ବାଣୀ,
କାଲି ପ୍ରାତଃ ସରି ସର୍ବେ ଭେଟାଇବି ଆଣି ।
କେ ମରେ କେ ବଞ୍ଚେ ଭବେ କାହାକୁ ତା’ ଜଣା,
କାଲି ପତ୍ର ଆଶାକରେ ବନ୍ଧୁ କଳପନା ।
ସାରାଦିନ ଆଶା ପ୍ରିୟ ମିଳନ ସକାଶ,
ଭଗନ ବ୍ୟଥାରେ କେହି ପ୍ରେମିକ ନିରାଶ ।
ନିଭୃତେ ନିର୍ଜ୍ଜନେ କାହିଁ ମ୍ଳାନ-ସୁଖ-ଇନ୍ଦୁ,
ତରଳ ଶିଶିର ସମ ଢାଳେ ନେତ୍ର-ବିନ୍ଦୁ ।
ଆକୁଳେ ଉଦ୍ବେଳେ ହିୟା ନ ଘେନେ ସାନ୍ତ୍ୱନା,
ସେହି ଦଣ୍ଡେ ଆସେ ଆଶା କାଲି କଳପନା ।
ମଧୁର କବିତା କେତେ ଛନ୍ଦି ଆଶା-କବି,
ଆଙ୍କେ ସୁରଞ୍ଜିତ ମନୋହର କାଲି ଛବି ।
କାଲି ରୂପ ପ୍ରତିଭାତେ ମଧୁର ମିଳନେ,
କାଲି ଆଶା ଘେନେ ତ୍ୱରା ତାକୁ କି ନନ୍ଦନେ ।
ଆଶା ସ୍ୱପ୍ନସୁଖ ଶତ କାଲି-ନିଦ୍ରା ଯୋଗେ,
ମୋହିତ ପ୍ରେମିକ ଭୋଳ ଜାଗ୍ରତେ କି ଭୋଗେ ।
କୋମଳ ଲଳିତ ଚାରୁ କରୁଣ ବିଧୁର,
ବିରହେ ମିଳନ ଆଶା ଦ୍ୱିଗୁଣ ମଧୁର ।
ଏହିମତେ କାଲି ରୂପେ ଆଶାକୁହୁକିନୀ,
ମୋହୁଛି ମାନବ ମନ ନିତି ମାୟାବିନୀ ।
ମାୟାରେ ବିଭୋର ମନ ନ ପାରୁ କି ବୁଝି,
ବିଧାତା ଅଛନ୍ତି କେଉଁ କାଳେ କାଲି ସୃଜି ।
କାଲି କହି ଜଡ଼ ପରି ଅଚେତ ଅବଶ
ଶୋଇ ଶୋଇ ନ କାଟ ତୁ ଯାମିନୀ ଦିବସ ।
ଆଜି ଶୁଭଦିନ ଆଜି କର୍ମଯାଅ କରି ;
‘କର୍ମଫଳ’ ଲାଗି କାଲି ଆଶା ଥାଅ ଧରି ।
(୧)
ବରଷା ଝରଇ ଝର ଝର ସ୍ୱନେ
ଜଗାଇ କି ଚିନ୍ତା ମୋହର ପରାଣେ
କେତେ କଥାମାନ
ସ୍ମରଇ ମୋ’ ମନ
କେତେ କଥା ଭାଳି ଜ୍ୱଳଇ ମନ,
କେତେ ସୁଖ ଦୁଃଖ ଗତ, ନୂତନ
ଗୋଟି ଗୋଟି ପଡ଼େ ମନେ,
ଝର ଝର ଅଶ୍ରୁ ବହିଯାଏ ଆଜି
ମୋର ଏ ଦଗ୍ଧ ନୟନେ ।
(୨)
କାହିଁକି ରେ କହ ବରଷା ଝରୁଛୁ ?
ମୋ’ ପୋଡ଼ା ପରାଣ ପୋଡ଼ି ତୁ ମାରୁଛୁ
ଶୀତଳ ତୋ ନୀର
ଝରେ ଝର ଝର
କିନ୍ତୁ ସେ ଦହେ ଯେ ମୋ’ ପୋଡ଼ା ଅନ୍ତର,
ସତେ କି ଶମିବ ତାକୁ ତୋହ ନୀର ?
ହାୟରେ ହୃଦୟାନଳ !
ନରକ ଅନଳହେବ କି ତୋ’ ସରି
ତୋ’ ପରି କେ ଭୟଙ୍କର !
(୩)
ବରଷା ଝରଇ ଯେହ୍ନେ ଝର ଝର
ଦିବା ନିଶି ବହେ ନୟନରୁ ନୀର ।
ଧୋଇ ଦିଏ ମୋର
କପୋଳ ଯୁଗଳ
ତେବେ ସୁଦ୍ଧା ଶମେ କି ଏ ଅନ୍ତର ?
ହାୟ ହାୟ ଏ କି ଯନ୍ତ୍ରଣା ଘୋର !
ଏ କି ମୋ’ କପାଳ ଲେଖା,
ଜନ୍ମଲିଭି ଭବେ ସୁଖ ନ ଭୁଞ୍ଜିବି
ଦୁଃଖ ଭୁଞ୍ଜଥିବି ଏକା ?
(୪)
ବରଷା ଶୀତଳୁ ଧରଣୀ ଶରୀର
କିପାଇଁ ନ ଶମୁ ମୋର ଏ ଅନ୍ତର ?
(ଜାଣେ) ଫାଟିଛି କପାଳ
ଆଉ କିଏ ମୋର
ଶମିବ ସଦୟେ ବେଦନା ଭାର,
(କିଏ) ଶୁଣିବ ଦୁଃଖର କାହାଣୀ ମୋର ।
ମୋହର ଏବେ ଯେ ସରବେ ପର
କିଏ ପୋଛିବ ମୋ’ ନୟନ ସଲିଳ
ବହେ ଯାହା ନିରନ୍ତର ।
(୫)
ବରଷା ନିବାରୁ ଚାତକ ପିପାସା
(ତେବେ) କିପାଁ ନ ନିବାରୁ ମୋ ମାନସତୃଷା,
ଅତୃପ୍ତ ବାସନା
ମରମ ବେଦନା
ଦାବାନଳ ସମ ଜ୍ୱଳେ ହୃଦରେ,
ନ ଲିଭାଇ କିପାଁ ଦୟାରେ ଥରେ !
ଅରଣ୍ୟ ଦାବ ଦହନ,
ଲିଭାଉ; କାହିଁକି ନ ଲିଭାଇ ତୁହି
ମୋ’ ଅନ୍ତର ହୁତାଶନ !
(୬)
ପିନ୍ଧାଉ ପାଦପେ ହରିତ ବସନ
ତୋତେ ଲଭି ହସେ ଗହନ କାନନ ।
ଆନନ୍ଦେ ଦର୍ଦ୍ଦୁର
କରେ କୋଳାହଳ
ତୋତେ ଦେଖି ସୁଖୀ ସରବ ଜନ,
ଜଗତକୁ ତୁହି ଦେଉ ଜୀବନ,
ତେବେ କିପାଁଇ ଏ ଦଗ୍ଧ ମନେ
କହରେ, ବରଷା ଆଣି ଦେଉ ନାହୁଁ
ମୋ’ ବାଞ୍ଛିତ ଶାନ୍ତି-ଧନେ ?
(୭)
କହରେ ବରଷା, ଗାଉଛୁ କି ଗୀତ,
ଯାହା ଶୁଣି ମୋର ଉତ୍ସୁକ ଚିତ୍ତ ।
ଆହାକି ମାଧୁରୀ
ତୋ’ ସ୍ୱର ଲହରୀ
ଢାଳିଦିଏ ପ୍ରାଣେ, ଏ ସୁଧାରସ
କେଉଁ ଦେଶୁଁ ଆସେ ହୋଇ ହରଷ
ଢାଳୁଛୁ ଧରଣୀ ପରେ,
ମୋ’ ଅନ୍ତରମରୁ ଶୁଖିଲା କାହିଁକି
ଦୟା ନାହିଁ କି ମୋ’ ଠାରେ ?
(୮)
କହରେ ବରଷା, କହରେ ବାରତା
କେଉଁ ଦେଶୁଁ ଆସେ ତୋ’ ମେଘ ପିତା
କହ କହ ଫେଇ
ଯାହା ଜାଣୁ ତୁହି,
ସେ ଅଦୃଶ୍ୟ ଦେଶ ସର୍ବ ଉଦନ୍ତ ;
ଶୁଣିଲେ ଅଥବା ଶମିବ ଚିତ୍ତ
ନାନା ଚମତ୍କାର କଥା,
ଚିତ୍ତ ରଞ୍ଜିକ୍ଷଣେ ନିବାରିବ ପରା
ଏ ଜଞ୍ଜାଳ ଦୁଃଖ ଚିନ୍ତା ।
(୯)
ଜାଣୁ ତୁ ବରଷା, ଦିବାନିଶି ମୋର
କେତେ କର୍ମକ୍ଳାନ୍ତି ବେଦନା ଘୋର,
ବନର ଦହନ
ଦେଖଇ ନୟନ
କିନ୍ତୁ ମନ-ବନ ଅଗ୍ନି ଦେଖେ କେ
ପୋଡ଼ି ଛାରଖାର ହୋଏ କ୍ଷଣକେ
ଚିର ଜୀବନର ସୁଖ,
ଅଶ୍ରୁ ଝରିପଡ଼େ ବ୍ୟାକୁଳ ନୟନୁଁ
ବେଦନା-ବିଶୁଷ୍କ ମୁଖ ।
(୧୦)
ହାୟ ! ଧରି ବସିଅଛି ବୃଥା ଆଶା
ହୃଦୟେ ରଖିଛି ଘୋର ପିପାସା,
ଆକୁଳ ମୋ’ ଚିତ୍ତ
କାହିଁ ଶାନ୍ତିବିତ୍ତ
ଲାଗେ ମୋତେ ଘୋର ଶୂନ୍ୟ ଏ ଭବ,
କ୍ରୂର ସ୍ୱାର୍ଥପର ପ୍ରାଣୀ ମାନବ
(ତେଣୁ) କହୁଛୁ କି ମୋର କାନେ,
ଧର ସେହି ବିଭୁ ପଦ ଅରବିନ୍ଦ
କାନ୍ଦ ଯାଇ ଶ୍ରୀଚରଣେ ।
(୧୧)
ହୋଇଥାନ୍ତି ଯଦି ଆହା ବିହଙ୍ଗମ
ତେବେ କି ଭାବନା କରନ୍ତା ମନ ।
ଯାଆନ୍ତି ମୁଁ ଉଡ଼ି
ଘରଦ୍ୱାର ଛାଡ଼ି
ବିଷମ ଏ ଭବବନୁଁ ବହନ,
ଶମନ୍ତା ଅବା ମୋ ହୃଦ ଦହନ !
ବିଭୁପଦ ଅରବିନ୍ଦ
ଯୁଗଳ ତଳରେ, ଶୋକାଶ୍ରୁ ଜଳରେ
ଲୋଟି ଲଭନ୍ତି ଆନନ୍ଦ ।
(୧୨)
ପାଳିବି ତୋହରି ବଚନ ବରଷା,
ସେହି ପ୍ରଭୁ ବିନା ନାହିଁ ମୋ ଆଶା ।
ଜାଗେ ସେହି ଦିନେ
ଦୟା କରି ଦୀନେ,
ଶମିବେ ମୋହର ଦଗ୍ଧ ପରାଣ,
ଏତେ ଜାଣି ବୁଝି କାନ୍ଦଇ ମନ,
କି କରିବି କହ ମୁହିଁ,
ମନକୁ ବୁଝାଏ ମନ ତ ନ ବୁଝେ
ବୁଝାଇ ଯାଅ ଗୋ ତୁହି ।
(୧୩)
ବୃଥା ଭବିଷ୍ୟତ ଆଶାରେ ମୋହିତ
ହେବାର କେବେହେଁ ନୁହେଁ ବିହିତ ।
କାଳ ବିଡ଼ମ୍ୱନା
ବିଷମ ଛଳନା–
କିଏ ଜାଣେ, ତେଣୁ କାନ୍ଦଇ ଚିତ୍ତ
କହ କି କରିବି ବରଷା ମିତ,
କେବଳ ସେ ଦୟାମୟ
ପଦ-ଅରବିନ୍ଦ ସୁମରି ଶମିବି
ମୋର ଏ ଦଗ୍ଧ ହୃଦୟ ।
(୧୪)
କେଉଁ ଦିନ ଶାନ୍ତି ଲଭିବି ପ୍ରାଣେ
ଭାବେ ତାହା ସଦା ଆକୁଳ ଧ୍ୟାନେ,
କହ କହ ତୁହି
ହୋଇବୁ କି ନାହିଁ
ସଦୟ ମୋ’ ପରେ, ମର ଜଗତେ
ନ ଦେବୁ ଆନନ୍ଦ ଶାନ୍ତି କି ସତେ ?
ତୁହି ତ କରୁଣାକର
ଅଛୁ କିପାଁ ଭୟ କରିବି କାହାକୁ
ଜାଣୁଛୁ ଦୁଃଖ ମୋହର ।
ନୀରବ ରଜନୀ, ନୀରବ ସଂସାର
ନିଦ୍ରାବେଶେ ସ୍ତବ୍ଧ ଦିଗଦିଗନ୍ତର ।
ନୀରବ ପ୍ରକୃତି ସୁଶାନ୍ତ ସୁନ୍ଦର
ଆବୋରିଛି ଅଙ୍ଗେ ବେଶ ଅନ୍ଧକାର ।
ନୀରବେ ହସୁଛି ନଭେ ଶଶଧର
ମ୍ଳାନ ଦୀପ୍ତି ଛଟା କ୍ଷୀଣ କଳେବର
ହସୁଛି ତାରକା, ନୀରବ ନୟନ
ଜଳେ ରୂପପ୍ରଭା କରି ବିଲୋକନ ।
ଭାସୁଛି ଆକାଶେ ନୀରବ ନୀରଦ,
ପ୍ରଚାରେ କି ନଭ ନୀରବତା ବେଦ ।
ଶାନ୍ତି ମନ୍ତ୍ରେ ପୂତ ଦୀକ୍ଷିତ ସକଳେ
ଶୋଇଛି କି ଧରା ଶାନ୍ତି ମାତା କୋଳେ !
ଶାନ୍ତିର ସ୍ୱପନେ ହେରି ନିଦ୍ରାବେଶେ
ତାରା-ଶଶୀ-ଛଳେ ହସେ ମୃଦୁ ହାସେ ।
ବ୍ୟଜନୁଛି ବାୟୁ ଶାନ୍ତିର ବ୍ୟଜନ,
ତାହା ଲଭି ଧରା ଶାନ୍ତ ତନୁ ପ୍ରାଣ ।
ସୁସୁପ୍ତେ ଆନନ୍ଦେ ହୋଇଣ ବିଭୋର
ଶାଖୀ ଶାଖାଚୂଳେ ସଂଚାଳଇ କର ।
ସରବ ନୀରବ ବିଶ୍ୱଚରାଚର
କିନ୍ତୁ ଏକା ମୋର ବ୍ୟଥିତ ଅନ୍ତର ।
ମୁକ୍ତ ବାତାୟନ ସମୀପେ ଆସୀନ,
ଚିନ୍ତିତ ଅନ୍ତରେ କରେ ବିଲୋକନ ।
ବସୁମତି ଶୋଭା, ଆକାଶ ବିଭବ,
ମୋ ଅନ୍ତର ଛାଡ଼ି ସରବେ ନୀରବ ।
ସରବେ ଶାନ୍ତିର ସୁଶୀତଳ ଅଙ୍କେ
ଏକା ମୁଁ ମଜ୍ଜିତ ଦୁଃଖଶୋକ-ପଙ୍କେ ।
ଜଳୁଅଛି ଦୀପ ଅଗ୍ରତେ ମୋହର
କ୍ଷୀଣାଲୋକ କରି ପ୍ରକୋଷ୍ଠେ ସଞ୍ଚାର ।
ମୁକ୍ତ ବାତାୟନ ପଥେ ସମୀରଣ
ପରିବେଶି କରେ ଅମୃତ ସିଞ୍ଚନ ।
ଲଭି ସେ ମଧୁର ଅମୃତ ହିଲ୍ଲୋଳ
ନ ବହିଲା ହୃଦେ ଶାନ୍ତିର କଲ୍ଲୋଳ ।
ଥରେ ଯେବେ ଦଗ୍ଧ ହୋଇଛି ହୃଦୟ,
ଆଉ କିବା ସାଧ୍ୟ ହେବ ଶାନ୍ତିମୟ ।
ଆଗ୍ନେୟ-ଅଚଳ ସମ ଭୟଙ୍କର
ଦଗ୍ଧ ହୃଦୟର ଯାତନା ଦୁର୍ବାର ।
ଅନ୍ତରେ ଯାହାର ଜ୍ୱଳଇ ପାବକ
ତା’ ବଳି ସଂସାରେ କେ ଭୋଗେ ନରକ !
ତା’ ବଳି ଦୁଃଖୀ କେ ଅଛି ଏ ଜଗତେ,
ଭଗ୍ନ-ଆଶା-ସୂଚୀ ବିଦ୍ଧ ଯାର ଚିତ୍ତେ ।
ନିରାଶାର ବିଷେ ଅନ୍ତର ଜର୍ଜ୍ଜର,
ତା’ ବଳି ଯୌବନେ ମୃତ୍ୟୁ ସୁଖକର ।
ଆଶାଲତା ଯେବେ ଛିଡ଼େ ଚିରତରେ
ତା’ ବଳି ଆଉ କି ଦୁଃଖ ଏ ସଂସାରେ !
ଶତ ଶତ ବ୍ୟାଧି ପୀଡ଼ିତ ଶରୀର
ବ୍ୟଥିତ ଚିତ୍ତରୁ ନୁହେ କ୍ଳେଶକର ।
ଥିଲେ ମନେ ଶାନ୍ତି, ସରବ ସଂସାର
ଦିଶଇ ନୟନେ ଆନନ୍ଦ ମନ୍ଦିର ।
କିନ୍ତୁ ଶାନ୍ତି ବିନା ଭୂପତି ଭୁବନେ
ହରୁ ଥିଲେ ଦିନ ବିଳାସ ବ୍ୟସନେ
ପାତି ହେମ ଶଯ୍ୟା ବସି ତହିଁ ପରେ
ହୀରା ମଣି ମୁକ୍ତା ସଜାଇ ଶରୀରେ
ସୁଖ୍ୟାଦ୍ୟେ ପୂର୍ଣ୍ଣିତ କରିଲେ ଉଦର
ପଦତଳେ ପାଇ ସହସ୍ର କିଙ୍କର
ନ ହେବ ତୃପ୍ତ ଏ ବିଦଗ୍ଧ ଚିତ୍ତ
ଶାନ୍ତ, ପିପାସାରେ ହେବ ଆକୁଳିତ ।
ବର୍ଷା ବାରି ପାଇଁ ମଣ୍ଡୁକ ଯେସନ
କରେ ଉଚ୍ଚରବ ଆକୁଳିତ ପ୍ରାଣ,
ଖୋଜି ବୁଲେ ଯେହ୍ନ ସ୍ୱଚ୍ଛ ନିର୍ଝରଣୀ
ଢଳ ଢଳ ନେତ୍ରୀ ଚକିତା ହରିଣୀ
ଧନ୍ୟ ସେହି ନର, ଶାନ୍ତି ଚିତ୍ତ ଯାର
ସହସ୍ର ନୃପତି ଅଗ୍ରତେ ତାର ଛାର ।
କିରୀଟ ନୁହଇ ସୁଖର ଆକର
ଚିତ୍ତ ଶାନତି ବିନା ସେହି ତ ଜହର ।
ଶାନ୍ତି ବିନା ପାଇ ସରବ ସଂସାର
ଚିତ୍ତେ ଲଭି ଅଛି ସୁଖ କେଉଁ ନର ?
ଆହା, ଶାନ୍ତିମୟ ଜୀବନ ଯାହାର
ତାପରି କେ ଭବେ ସୁଖୀ ଅଛି ଆର !
ଦାରିଦ୍ର୍ୟ ପୀଡ଼ନେ ଯଦ୍ୟପି ପୀଡ଼ିତ
ଅନ୍ନବସ୍ତ୍ରାଭାବେ ସତତ ବ୍ୟଥିତ,
ଯଦି ଭିକ୍ଷା କରେ ବୁଲି ଦ୍ୱାର ଦ୍ୱାର
ଗୃହ ବିନା ଆଶ୍ରା କରେ ତରୁତଳ,
ସହସ୍ର ଅଭାବେ ନିତ୍ୟ ନିପତିତ
ତଥାପି କି ସୁଖୀ, ଯାର ଶାନ୍ତ ଚିତ୍ତ !
ଶାନ୍ତିରେ ତାହାର ବଦନ ଉଜ୍ଜଳ
ସରୋବରେ ଯେହ୍ନେ ଫୁଲ୍ଲ ଶତଦଳ,
ଶରଦ ଆକାଶେ ଚନ୍ଦ୍ରମା ଯେସନ
ଭାସୁଥାଏ ହସି ଉଜ୍ଜ୍ୱଳ ଆନନ ।
କି ଶାନ୍ତି ତାହାର ହୃଦୟ-ମନ୍ଦିରେ
ଧନ୍ୟ ସେହି ନର ସଂସାର ମଧ୍ୟରେ ।
ଶାନ୍ତି ସମ ଧନ ନାହିଁ ଏ ସଂସାରେ
ଆହା, ମିଳିବ ସେ ଶାନ୍ତି କେଉଁଠାରେ ?
କେଉଁଠାରେ ସେହି ମହାମୂଲ୍ୟ ଧନ,
କେହି କି ଟିକିଏ ନ ଦେବ ସନ୍ଧାନ ?
କେଉଁଠାରେ ସେହି ଅପୂର୍ବ ରତନ
ଗୁପ୍ତେ ଦୀପ୍ତିଚ୍ଛଟ୍ଟା କରେ ବିକୀରଣ ।
ବସିଛି ନୀରବେ ବାତାୟନ ପାଶେ
ହେରି ଭବ ଶୋଭା ଶାନ୍ତି-ପ୍ରାପ୍ତି ଆଶେ ।
ଶୀତ ସମୀରଣ କରିଣ ସେବକ
ଲଭିବାର ଆଶେ ଶାନ୍ତି ମହାଧନ ।
କିନ୍ତୁ ଦଗ୍ଧ ଚିତ୍ତ ବ୍ୟଥା ବିଦୂରିତ
ହେରି ଭବ ଶୋଭା ହେବ କି କିଞ୍ଚିତ ?
ଦେଖି ନ ଦେଖିଲା ପରି ଏ ନୟନ
ହୃଦୟେ ତ ଦହେ ଅଶାନ୍ତି-ଦହନ ।
କର୍ତ୍ତବ୍ୟ କରମେ ନୋହିବ ବିମୁଖ
କ୍ରମେ କ୍ରମେ ତହୁଁ ଉପୁଜିବ ସୁଖ ।
ନ ପାଇଲେ ଫଳ ନୋହିବ ନିରାଶ
ବିପଦେ ଉଚିତ ଦ୍ୱିଗୁଣ ସାହସ ।
ଶେଷେ ପୁରସ୍କାର ଲଭିବ ନିଶ୍ଚୟ
ପିତା ଈଶ୍ୱର ଯେ ଚିର ଦୟାମୟ ।
ଧରିଥିବି ସଦା ସେ ପିତା ପୟର
କେବେ ତହୁଁ ମନ ନୋହିବ ଅନ୍ତର ।
ମୂର୍ଖ ନିଜେ ମୁହିଁ ଭୁଲି ସ୍ୱକରମ
କରୁଅଛି କିପାଁ ବିଫଳ ରୋଦନ ।
ଶୋକ ଦୂର କଲି ଭାବି ଏହା ମନେ
ପାହିଲା ଯାମିନୀ ସୁସ୍ଥିର ଶୟନେ ।
ଜଗତର ପ୍ରତି ଅଣୁକଣା ଭେଦି ଉଠେ ହାହାକାର
ମାତ୍ର ମମ ହାହାକାର ଅସହ୍ୟ ଦୁର୍ବାର ।
ନାହିଁ ତାର ପ୍ରତିକାର
ଜଳେ ସେ ବାଡ଼ବ ତେଜେ,
ବହେ ସେ ପବନ ବେଗେ
ନାଚେ ସେ ତାଣ୍ଡବ ରଙ୍ଗେ ଝରେ ଅଶ୍ରୁଧାର ।
ଚାନ୍ଦିନୀ ମୁଁ ଚଉରାଶୀ ଚକ୍ରେ
କି ପାପ କରିଛି ପୂର୍ବେ,
ସହୁଅଛି ଏବେ ।
ଶତ ଲବ୍ଧକ ନାରକୀ
ଆସନ୍ତି ମୋ ପାଶେ
ଚୋଷିବାକୁ ମମ ପ୍ରାଣ-ମଧୁ ନିକାଞ୍ଚନେ,
କେତେ ପ୍ରଲୋଭନ, କେତେ ଚାଟୁବାଣୀ,
କେତେ ଧମକ ଚମକ ଅସ୍ତ୍ର ଶସ୍ତ୍ର ଦାଢ଼
ଦେଖାଇ ଶାସନ୍ତି ମୋତେ,
ଏହି ଲୀଳା ଲାଗିଅଛି ନିତି ।
କୋମଳ ତରଳ ପ୍ରାଣ ହୁଅଇ କରତି
ବରତିବି ବୋଲି ଆଶା ନ ହୁଅଇ ତିଳେ
ହାୟ ହାୟ ହୁଏ ମାତ୍ର ଗୋପନେ ମରମେ ।
ସତ୍ୟ ସତ୍ୟ ଏ ଜୀବନ୍ତ ସତ୍ୟ,
କେବେ ବିକି ନାହିଁ ହୃଦ ଅର୍ଥ ବିନିମୟେ
ସାଜିଛି ଋଣ-ଚଣ୍ଡିକା ମୂର୍ତ୍ତି ଅହରହ ।
ତେଣୁ ଆଜି ନିର୍ବାସିତ ମୁଁ ପାପ କର୍ମରେ
ପଡ଼ିଛି ବନ୍ଦିରେ ।
କିଏ ସେ ଦେବତା
ନ ଶୁଭେ କି ମମ କଥା !
ଦୂରେ ତୁମେ କେତେ ଦୂରେ
କେ କହିବ ମୋତେ,
ଶୂର କି ଅସୁର ଗୃହେ ତୁମେ ଅଛ ବନ୍ଦି ?
ହେ ଦେବତା, ଦେଖିଛ କି ମମ ରୂପ
ସେହି ରୂପ ଘେନି ନିତ୍ୟ ମୁଁ ଧର୍ଷିତା ।
ରୂପହୀନା ହେବି ଭାବି କରିଛି ମୁଁ ଯତ୍ନ
କେତେ ଯତ୍ନ ବିଧବାଠୁଁ ବଳି ନିତିପ୍ରତି,
ସାଧିଛି ତପସ୍ୟା । ବେଶଭୂଷା
ହେବା ଥାଉ ଦୂରେ-ମସ୍ତକେ ନ ଦିଏ
ତୈଳ, ଚକମକି ଲୁଗା ମୁହିଁ
ପିନ୍ଧିବାର ଦୂରେ ଥାଉ,
ପରିଷ୍କାର ଲୁଗା କେବେ ନ ପିନ୍ଧଇ ତିଳେ,
ଅଳଙ୍କାରେ କେବେ ମୁହିଁ ନ ହୁଏ ଭୂଷିତା ।
ତଥାପି କିପାଇଁ ରହେ ଦେହେ ଏ ସୌନ୍ଦର୍ଯ୍ୟ ?
ଉଜ୍ଜ୍ୱଳ ସୁନ୍ଦର,
ତ୍ରିଭୁବନ କରେ ଝଲମଲ,
ନୁହେଁ ମୁଁ ଉର୍ବଶୀ ।
ମାତ୍ର ଶତ ଉର୍ବଶୀର ବିତ୍ପାତ ଚମକ
ମମ ଦେହେ,
ଯେ ଶୁଣିବ ସେ ହସିବ
କହିବ ବାତୁଳୀ-ନିଜରୂପ ଅଭିମାନ
ବଖାଣୁଛି ଦାଣ୍ଡେ –
କି କରିବି, କି କହିବି କିପରି ବା ମୁହିଁ,
କହିବାକୁ ବାଧ୍ୟ ।
ଯେଉଁ ରୂପେ ପାଇ ଆଜି ଭୋଗୁଛି ଦୁର୍ଦ୍ଦଶା,
ସେ ରୂପ ନ କହି ମୁହିଁ କାହିଁ ଯିବି ?
କଳିଙ୍ଗ-କୁମାରୀ ମୁହିଁ ଦୂର ଦେଶ ବନ୍ଦିନୀ ।
ଯେ କବୀନ୍ଦ୍ର ଶିରୋଭୂଷା ଜନମିଲେ ପୂର୍ବେ
ଉତ୍କଳ ଭୂଖଣ୍ଡେ ତାଙ୍କ ନାମ କାଳିଦାସ
ଭୁବନ ବିଖ୍ୟାତ ।
ଚିତ୍ରିଛନ୍ତି ଯେଉଁ ଶକୁନ୍ତଳା ରୂପବତୀ
ବିଶ୍ୱବିମୋହିନୀ,
ସେହି ଶକୁନ୍ତଳା ମୁହିଁ ଚିତ୍ତେ ଆସେ ଭ୍ରମ ।
କାତର ପରାଣେ ଯେବେ ପଢ଼େ କାବ୍ୟ ଗୀତି,
ଶକୁନ୍ତଳା ଚିତ୍ର ମମ ଚକ୍ଷୁ ଅଗ୍ରେ ଭାତି ଉଠେ ।
ଦେଖେ ସେ ସ୍ୱରୂପ ଅନ୍ତରାଳେ ରହି,
ମୁକୁର ସମୀପେ ମିଳାଏ ମୁଁ ଗୋଟି ଗୋଟି ।
ଋଷିକେଶ, ଶୁଷ୍କ ମୁଖ ତଥାପି କେ ଜାଣି,
ସେହି ଶକୁନ୍ତଳା ସଙ୍ଗେ ହୁଅଇ ସମାନ ।
ସତେ କି କଳିଙ୍ଗ-କନ୍ୟା ଏପରି ରୂପସୀ ?
କାଳିଦାସ ମହାକବି ଉତ୍କଳ-ଗୌରବ,
ଉତ୍କଳ ରତ୍ନ-ଚିତ୍ର ସଙ୍ଗେ ଶକୁନ୍ତଳା
ଭୁବନ-ମୋହିନୀ ଚିତ୍ର ଆଙ୍କି ବିଶ୍ୱବାସୀ,
ମୋହିଛନ୍ତି .......
ସ୍ୱାଗତମ୍, ସ୍ୱାଗତମ୍ ତେଜସ୍ୱୀ ତପସ୍ୱୀବର,
ଗୋପବନ୍ଧୁ ହୃଦ-ଇନ୍ଦୁ-ଉତ୍କଳ- ଗଗନର ।
ପଦାରବିନ୍ଦ ବନ୍ଦନେ ଆଣିଚୁ ଭକତି-ଫୁଲ,
ତୁଳସୀଦଳକୁ ମଣି ହୀରା ନୁହେଁ ସମତୁଲ ।
ନିଜ ବଡ଼ପଣେ ପାଶେ ଘେନ ହେଉ ମହାମନା
ଚରବା ସମ୍ଭାର-ଶୂନ୍ୟ ତୁଚ୍ଛ ପୂଜା ଅରଚନା ।
ମହାନୁଭବ !
ଆମେ ଏ ଦିଲ୍ଲୀରେ ଦୂର ପରବାସୀ କେତୋଟି ଉତ୍କଳୀ ତବ ଗୁଣଗ୍ରାମ ମୁଗ୍ଧ । ଦେବୋପମ ! ଆଣିଚୁ ଆମର ଶ୍ରଦ୍ଧାର ଅଞ୍ଜଳି, ଆମ ଦେଶନେତା, ଆମ ଆଦରଶ, ଆମ ଜାତିର ଦୁର୍ଦ୍ଦିନ-ସମ୍ୱଳଙ୍କ ଶ୍ରୀକରକମଳେ ;-
ଦେବ !
ବାହୁନିବୁ କିସ ତବ ଗୁଣରାଶି
ନ ଛାଡ଼ିଲ କିସ ଦେଶପ୍ରେମେ ଭାସି !
ଉଚ୍ଚ ପଦମାନ, ଧନ ସନମାନ,
ଦଣ୍ଡକେ ତେଜିଲ ମୃତ୍ତିକା ସମାନ ।
ଦେଶ ସେବାଯଜ୍ଞେ ଦେଇ ପୂର୍ଣ୍ଣାହୂତି,
ଅକଳନ୍ତା ତବ ତ୍ୟାଗର ବିଭୂତି ।
ଜାତି ପ୍ରାଣ ଜୀର୍ଣ୍ଣ ତରୀର ନାଉରୀ,
ଦୁଃଖ-ଜଳଧିରେ ଅସଂଖ୍ୟ ଭଉଁରୀ,
କରିବଟି ପାରି ତୁମେ ହିଁ ଭରସା,
ଜଗତେ ଯେପରି ନୋହୁ ଲୋକହସା ।
ଆମ ଜାତି ଆମ କୀରତିମାଳିନୀ,
କଳିଙ୍କ-ଜନନୀ-ଯେହୁ କାଙ୍ଗାଳିନୀ,
କୃପାପାତ୍ର ଧରି ପର ଦୁଆରକୁ
ନ କରୁ ସମ୍ବଳ, ତୁମ ବୀର ବୁକୁ
ତପ୍ତ ରକ୍ତସ୍ରାବୀ, ରଖି ତାର ମାନ,
ତବ ଯଶ ଶିରୀ ବିକଶୁ ଅମ୍ଳାନ ।
କଳିଙ୍ଗର ସେନାପତି,
ମହାଭାରତୀୟ ମହାଯୁଦ୍ଧେ ତୁମେ
ଆମ ନେତା ମହାମତି !
ଆସ ଆଜି ଆସ ତେଜସ୍ୱୀ ତପସ୍ୱୀ
ଆସ ଅରିନ୍ଦମ ବୀର !
ପୂର୍ଣ୍ଣ ପ୍ରାଣେ ଆଜି ସ୍ନେହ ଶ୍ରଦ୍ଧାସାର
ଅରପି ପୂଜିବୁ ଧୀର !
ଅନାଦରେ ସାରିଲ ହେଳାରେ ଚିତ୍ତ,
ଏବେ କାନ୍ଦିବା ଭୀରୁ ! ନୁହେଁ ଉଚିତ ।
ମରିଚି ଗୋପବନ୍ଧୁ ମରିଚି ସତେ,
ମରିଚି ବୋଲି ଦଣ୍ଡେ ନ ହୁଏ ପ୍ରତେ ।
ମରିକି ପାରେ ଏଡ଼େ କୀରତିମାନ,
ବରିଚି ମରଣେ ସେ ତା ଉଚ୍ଚ ସ୍ଥାନ ।
ଲୋକେ କହନ୍ତି ଆହା ମରନ୍ତି ସବୁ,
ମରଣ ଭୀତି ଘେନି ଭଜନ୍ତି ପ୍ରଭୁ ।
ପ୍ରଭୁଙ୍କ ରାଜ୍ୟେ ତା’ର ଏ କ୍ଷୁଦ୍ର ସ୍ଥାନ,
ବରିବ କିପାଁ କହ ସ୍ୱାଧୀନ ପ୍ରାଣ ।
ମରିବା ଲାଗି ଯଦି ଦେଲେ ଜନମ,
ମରଣେଶ୍ୱର କିପାଁ ପୂଜିବ ମନ ?
ଚାହେଁ ଯେ ଜୀବନ ସେ ମାରିବେ ତା’ରେ,
କିଏ ରଚିଲା ବିଶ୍ୱ ଏ ଅବିଚାରେ-
ଏ ତହୁଁ ବଳି ତାର ନରକ ବାସ,
କୋଟି କଳପ ପ୍ରାଣେ ନ ଦେବ ପ୍ରାସ ।
ବହୁଥିଲା ପବନ ସ୍ୱପନ ଭୋଳେ
ସେଦିନ ସେ କିଆରୀ ଲଟାର ଦୋଳେ ।
କଣ୍ଟକ କ୍ଷୀର କୋଳି ଭଇଁଚ ମୂଳେ,
ଦେଖିଲି ଜୀବନର ଛବି ଉଜଳେ ।
ଧୀରେ ବସିଲି ଯେବେ ତେନ୍ତୁଳି ତଳେ,
ଛାଇଲା କେଡ଼େ ସ୍ନେହେ ପତ୍ର ଗହଳେ ।
ଜୀବ ତ ସତେ ଯିବ ଜଗତୁ ଦିନେ,
ଝୁରିବ ମରିବ ସେ କିପାଁ ମଉନେ ?
କରମ ଧରମ ତା’ ଜୀବନ ସାଥି,
ହେମ କି ହେବ, ପ୍ରେମ ବିଶ୍ୱ ବିଭାତି ।
ଚିର କଲ୍ୟାଣ-ସରେ ଆତ୍ମା-ସାରସ,
କ୍ଳେଶ-କର୍ଦ୍ଦମେ ଫୁଟି ଲଭେ ବିକାଶ ।
ମରିବା ନାହିଁ ତା’ର ଲେଖା କପାଳେ,
ଚିର ଅମୃତ ସାର କିରଣମାଳେ-
ଚିର ରବି ରୁଚିର ଜ୍ୟୋତି ବରଷି,
ତୋଳିବ ତାଳେ ତାଳେ ସ୍ନେହେ ଆକର୍ଷି ।
ଲୋକୁଁ ଲୋକ ଅନ୍ତର ସୁଖ ଶୋକରେ,
ଭ୍ରମିବ ମାନବାତ୍ମା ନାନା ବେଶରେ ।
ଅଶେଷ କର୍ମ-ସ୍ୱହା ଜୀବନ ଧାରେ,
କ୍ଳାନ୍ତି ତମ ବିହୀନ ଜ୍ୟୋତି ସମ୍ଭାରେ ।
ହସିବ ଭାଷିବ ଏ ଆତ୍ମା ଅମର,
ସେ ପରା ଦେହଧାମେ ଅଧିଈଶ୍ୱର ।
ଆଉ କି ଭାବନା ମୋ ପ୍ରାଣେ ଦୁଃଖର,
ଜୀବ ଅନ୍ତେ ଜୀବନ ଚିର ସୁନ୍ଦର !
କାହିଁ ମରଣ ତା’ର ଦଣ୍ଡକ ଖେଳା
ନବ ନଦେ ଭାସିବ ଜୀବନ ଭେଳା ।
କିପାଇଁ ଝରେ ଅଶ୍ରୁ ମିଛେ ଅଜ୍ଞାନେ,
କି ବିଭୀଷିକା ମୃତ୍ୟୁ ଆଣିବ ପ୍ରାଣେ !
ଚିର ଅମୃତ ସୁତ ଚିର ମଙ୍ଗଳେ,
ଲୋକେ ଲୋକେ ବୁଲିବ ପ୍ରେମ ସମ୍ୱଳେ ।
ତୋଷିବ ଶତ ଆତ୍ମା ଶତ ଆନନ୍ଦେ,
ବିଳସି କୋଟି କର୍ମ ବନ୍ଧନ ଛନ୍ଦେ ।
ବାନ୍ଧିବ କୋଟି ପ୍ରାଣେ ପ୍ରାଣ ନିଜର,
ପୋଛିବ କୋଟି ନେତ୍ରୁଁ ତପତ ଝର ।
ହରିବ କୋଟି ପ୍ରାଣ କ୍ଳେଶ ଅନ୍ଧାର
ଆପେ ମରି କରିବ ଆନେ ଉଦ୍ଧାର ।
ଏ କି କଥା ମୋ ମନେ କିମ୍ପା ଉଦିଲା,
ଆଚମ୍ୱିତେ ଯେ ବଜ୍ରବାଣୀ ଶୁଣିଲା ।
ନାହାନ୍ତି ଗୋପବନ୍ଧୁ ନାହାନ୍ତି ଭବେ,
କେଉଁ ସରଗେ ରାଜେ ଦୀପ୍ତ ଗୌରବେ ।
ଉତ୍କଳ କୁଳମଣି ପ୍ରାଣ-ଚନ୍ଦନ,
ଦେଶ ଜନନୀ କୋଳପୋଛା ନନ୍ଦନ ।
ଘନ ଅନ୍ଧକାର କୁଟୀ କୋଣର ଦୀପ
ଦେଢ଼କୋଟି ମଉଡ଼ମଣି ଅଧିପ-
କଳିଙ୍ଗ ପ୍ରାଣ ରାଜାସନେ ଯତୀଶ,
ଅଶେଷ ଗୁଣ ଭାଳି କହିବ କିସ ?
ଅନାଥ-ବନ୍ଧୁ ମାତା ଶୋକ-ପାଶୋରା,
ଦୀନ-ହୃଦୟ-ହୀରା ରଙ୍କ-ପସରା ।
ମରିଛି ଗୋପବନ୍ଧୁ ପ୍ରାଣର ପୁଅ,
ପୋଛିବ କିଏ ଆଉ ମାଆର ଲୁହ ।
କେତେ ଉଚ୍ଚ ତାହାର ମନ ଉଦାର,
କି ମହାମାନବ ସେ ! ବୁଝିବେ ଛାର –
କାହୁଁ ଉତ୍କଳୀ ହୀନ ସ୍ୱାର୍ଥୀନ୍ଧ ଭୀରୁ,
ତେଣୁ କି ପ୍ରଭୁ, ଘେନିଗଲ ମହୀରୁ !
ଦେବ-ବାଞ୍ଛିତ ବରେ ଦେବଲୋକରେ,
ଦେବ ସ୍ଥାନ ତାହାରେ ଦେବଦଳରେ ।
ଉଚିତ ପୂଜା କେହି ନ କରେ ଭାଇ,
ରୋଷେ ରତନ ଗୋଟି ନେଲ ଛଡ଼ାଇ ।
ରାଜାର କୋହିନୂର ଦୀନ ପେଡ଼ିରେ,
ବାନ୍ଧି କି ଥିଲ ଚିରା କନା ଧଡ଼ିରେ !
ଲୁଚି ରହିବା ତା’ର ନୁହେଁ ନିୟତି,
କେତେ ଅନ୍ଧାର ପୁରେ ଜାଳିବ ବତି !
କେତେ ତୃଷିତ ଆତ୍ମା ଅଛନ୍ତି ଚାହିଁ,
କେତେ ହୃଦୟେ ହେବ ସେ ପ୍ରାଣସାଇଁ !
ମହା ବିଶ୍ୱ ଆହ୍ୱାନେ ଗଲା ସେ ଚାଲି,
କି ହେବ ଏବେ ବୃଥା କାନ୍ଦିଲେ ଭାଳି !
ମାୟଜାଲେ କିପାଁ ଛନ୍ଦୁଅଛ ମୋର
ସାନ ମନ-ମୀନ ନାରାୟଣ,
ଅନ୍ଧ ମୁଁ ଆତୁରେ ଦରାଣ୍ଡି ବୁଲୁଛି
ସୁରଙ୍ଗ ରାଜୀବ ଶ୍ରୀଚରଣ ।
ଆଖି ଆଗେ ମୋର ଧରିଛି ଭୀଷଣ
ତ୍ରିଶୂଳ ଶ୍ରୀଚକ୍ର ସୁଦର୍ଶନ,
ନାଶିବ, ଗ୍ରାସିବ କିଦଣ୍ଡେ ଦଣ୍ଡିବ
ଭାଳି ଭାଳି ମରେ ମୁଁ ଅଧମ ।
ତଥାପି ତୁମର ମୂରଲୀ ତରଙ୍ଗେ
ତୁମ ପ୍ରେମ-ଗଙ୍ଗା ଧାରାରେ,
ଭସାଇବି ମୋର ଅହମିକା ଘୋର
ମନରେ ଅର୍କ୍ଷିତ ବିଚାରେ ।
ରୁଦ୍ରରୂପେ ପ୍ରଭୁ, ଆସ ଯେତେ କତି
ତେତେ ହାସ ଆଖି କୋଣରେ,
ଫୁଟି ପଡ଼ିଲାଣି ଲୁଚାଇବ କେତେ
ଭକ୍ତ ଅନୁଭବେ ପ୍ରାଣରେ ।
ଆସ ଆସ ମୋର ପରମ ସୁନ୍ଦର
ଚିରସାଥି ଜନ୍ମେ ମରଣେ,
ଭୟ ନାହିଁ ହେଉ ଭଇରବ ବେଶ
ଧ୍ୟାନ ତ ଅଭୟ ଚରଣେ ।
ବିନାଶ ମୋହର ନୁହଇ ତୁମର
ପ୍ରେମମୟ ଅଭିପ୍ରାୟ
ନୋହିଲେ ରଚିଲ କିପାଁ ସୁକୌଶଳେ
ଚାରୁ କାରୁକଳା ପ୍ରାୟ !
ଚିର ବିକାଶ ମୋ ଜନ୍ମ ଅଧିକାର
ଚିର ମୁକ୍ତ ମୋର ଉନ୍ନତି-ଦୁଆର
ଅମୃତ ସନ୍ତାନ ତୁମରି ମୁଁ ତାତା,
ଶୁଦ୍ଧ ନିରିମଳ ଚିର ଅବତାତ
ପାତକ କଳଙ୍କ ନରକ ନିଗଡ଼େ
କେତେ ଦିନ ବନ୍ଧାଥିବି ମୁଁ ନିବିଡ଼େ !
ଧୂଳିରେ ଧୂସର କାତର କିପାଁ ମୁଁ
କରୁଥିବି ହାୟ ହାୟ !
ନୟନେ ମୋହର ଶତ ସୂର୍ଯ୍ୟ-ପ୍ରଭା
ଅଙ୍ଗେ ଅଙ୍ଗେ ମୋର ନନ୍ଦନର ଶୋଭା
ବାହୁରେ ମୋହର ଅସୀମ ଶକତି
ହୃଦୟେ ଭରିଛି ବିମଳ ଭକତି
ଶତ ଶୋକ ଜରା ଘେରିଛି ମରଣ
ତଥାପି ନୁହେଁ ମୋର କ୍ଳାନ୍ତ ଚରଣ ।
ଜନମେ ଜନମେ ନବ ନବ ବେଶେ
ଧରିବି ନବୀନ କାୟ ।
କିପାଁ ଦୂରେ ବନ୍ଧୁ, ଆସ ଏ ମନ୍ଦିରେ
ଆସ ଶୁଭ ନବବର୍ଷ,
ଆସ ହେ ନିଖିଳ ଅବନୀ ମୋହନ
ଆସ ହେ ଅମୀୟ ହର୍ଷ ।
ନବ ଆଶୀର୍ବାଦେ ମଙ୍ଗଳ ପ୍ରସାଦେ
ନବ ପୁଷ୍ପଗନ୍ଧେ ନବ ଗୀତ ଛନ୍ଦେ
ଆସ ହେ ସୁନ୍ଦର, ନବରବି-ରଶ୍ମି !
ଦିଅ ଦିଅ ସୁଧାସ୍ପର୍ଶ ।
ନବ ଶକ୍ତିରୂପେ ଜୀବନ ସଞ୍ଚାରି
ବିକାଶ ମାନସ କୁସୁମ-ମଞ୍ଜରୀ
ହରି ଅତୀତର ବେଦନା ବିଷାଦ
ତବ ପୁଣ୍ୟ ପ୍ରେମ ବର୍ଷ ।
ନୈରାଶ୍ୟ ଆଳସ୍ୟ ଦୈନ୍ୟ ଯାଉ ଦୂରେ
ନବ ସ୍ୱର ଜାଗୁ କ୍ଷୀଣ କଣ୍ଠ-ପୂରେ
ନବ କର୍ମ-ପଥେ ଚାଲୁ ଏ ଚରଣ
ପ୍ରାଣ ଘେନି ନବାଦର୍ଶ !
ବାଜେ ଆଜି କାନେ କାହାର ଆହ୍ୱାନ
ସେ କେଉଁ ଦୂର ଆକାଶେ,
ଘରଦ୍ୱାର ଛାଡ଼ି ଯିବି ମୁଁ ବାହାରି
କା’ ପ୍ରେମ ପରମ ବିଳାସେ !
ଡାକେ ଡାକେ ମୋତେ ତା ମଧୁ ମୁରଲୀ
ପବନେ ବେଦନା ପଡ଼ଇ ଉଛୁଳି
ଯାଏ ମୁଁ ତରଳି ପାଗ ପରାଏ
ଘୂରି ମରେ ହତାଶ୍ୱାସେ ।
ଦିଶେ ଦିଶେ ପରା ତା’ରୂପ ସୁନ୍ଦର
ଗଗନେ ବହନେ ରୂପ ଝର ଝର
ମରମେ ମରମେ ତା’ ମଧୁର ସ୍ୱର
ବିନୋଦ ବୀଣାଟି ବାଜେ ରେ ।
ଲାଜେ ଲାଜେ ମୁହିଁ କିପାଁ ମରୁଥିବି
କୁଳ, ମାନ, ଜ୍ଞାନ ସରବ ତେଜିବି
ତା ପ୍ରେମ-ଯମୁନା ନୀରେ ନିମଜ୍ଜିବି
କିଏ କିଛି କହୁ ପଛେ ରେ ।
ସେତ ମୋର ପ୍ରିୟ ପରାଣର ଧନ
କିପାଁ ସଂଗୋପନେ ଅରଣ୍ୟ ରୋଦନ
ନିଜ କରମରେ ଲଭିବି ଯାହାରେ
ତା ପାଇଁ କିପାଇ ହତାଶେ ।
ଜୀଇ ଥାଉ ଥାଉ ମରୁଥିବି ନିତି
ଦହୁଥିବ ଏତେ ଅସମ୍ଭାଳ ପ୍ରୀତି
ଥାପିବି ହୃଦୟେ ଆଣି ସେ ଚରଣ
ହସିବି ସେ ସ୍ନେହ ପରଶେ ।
ଯେତେ ମୁଁ ଚାହିଁଲି ଚାହିଁବା ଇଚ୍ଛିରି
ଆଶା ତ ପୂରିଲା ନାହିଁ,
ଯେତେ ସେବା କରି ସେବା ମନାସିରି
ସାଧ ତ ସରିଲା ନାହିଁ ।
ନିତି ନୂଆ ନୂଆ ରୂପେ ପ୍ରଭୁ ମୋର
ଦୁଆରେ ହୋଇଲ ଉଭା,
ଯେତେ ନିରେଖିଲି ନବ ନବ ଶୋଭା
ତେତେ ହେଲ ମନଲୋଭା ।
ଯେତେ ଦୂରେ ଦୂରେ ଗଲି ଅପସରି
ତେତିକି ଆସିଲି କତି,
ଅପାସୋରା ପରା ପୀରତି ପସରା
ପରାଣର ପ୍ରିୟ ପତି ।
ଗଲାଣି ସେ ଦିନ ଗଲାଣି ସେ ଭାବ,
ଗଲାଣି ସେ କଥା ଦୂରେ,
ନିତି ହାହାକାରେ ନୀରବ ଅଶ୍ରୁରେ
ଝୁରେ ମୁଁ ମରମ ପୁରେ ।
କହିଥିଲ କେତେ କଥା ଏ ଜୀବନେ
ଗୋପନେ ମୋ କାନେ କାନେ,
ଗାଇଥିଲ କେତେ ଆଶାର ସଙ୍ଗୀତ
ମୋ ହୃଦୟ-ବୀଣା ତାନେ ।
କେତେ ବେଶେ କେତେ ହାସ ହରଷରେ
ସୁଆଗେ କରିଲ ଲୀଳା,
ସବୁ ମିଛ ଏବେ ସବୁ ପ୍ରବଞ୍ଚନା
କହି ସେ ଆଶା ପୂରିଲା ।
ଆଜି ବାପ ତୋତେ କହିବି କଥାଟି
ଶୁଣିବୁ ତୁ ଦେଇ ମନ,
କାହା କୁମର ତୁ କାହା କୁଳମଣି
ଜାଣିଛୁ କି ଗଣ୍ଠିଧନ ?
ନିରିମଳ ତୁହି ସରଗ ତରାଟି
ସରଗର ଝରାଫୁଲ,
ହସ, ଭାଷ ତୋର କଉତୁକ ବାବୁ
କି ମଧୁର କି ଡଉଲ !
ଆଖି ଦୋ’ଟି ତୋର ଆନନ୍ଦ ଉଜ୍ଜ୍ୱଳ
ଚଞ୍ଚଳ ପ୍ରତି ଅଙ୍ଗେ,
ଲବଣୀ ପିତୁଳା ସ୍ନେହ-ସୁଧା ବୋଳା
ଖେଳୁ ଖେଳ ନାନା ରଙ୍ଗେ ।
ଧୂଳିମାଟି ଘେନି କି ସୁନ୍ଦର ତୁହି
ଗଢ଼ିବସୁ ନାନା ଜାତି,
ପଶୁ, ପକ୍ଷୀ, ଜୀବ, ଦେବତା, ଦେଉଳ
ସଙ୍ଗୀ ସଙ୍ଗେ ହର୍ଷେ ମାତି ।
କେବେ କିରେ ବାପ, ଶୁଣିଛୁ ତୁ କାନେ
ବାପ ଗୋସିବାପ କଥା,
କେତେ ସେ ମହତ କରମ ସାଧିଲେ
ଭାଳିଲେ ହଜିବ ଚେତା ।
ବାପ ଦାବି ତୋର ଥିଲେ ଅତି ବଡ଼
ରଖି ଯାଇଛନ୍ତି ନାମ,
ମନ୍ଦିର ତୋଳାଇ ପୋଖରୀ ଖେଳାଇ,
ଗଢ଼ି ନାନା ତୀର୍ଥ ଧାମ ।
କୋଣାର୍କ ମଥାରେ ଜଗନ୍ନାଥ ପୁରେ
ଉଡ଼େ ତ ତାଙ୍କରି ଛତି,
ଲକ୍ଷେ ଦେଉଳରେ ସଞ୍ଜ ଆଳତିରେ
ଜଳେ ତ ତାଙ୍କରି ବତି ।
ନଦୀ ବନ୍ଧସବୁ ତାଙ୍କରି କୀରତି
ଥିଲେ ବଡ଼ କାରିଗର,
ପଥର ଉପରେ ଆଙ୍କିଛନ୍ତି ଛବି
ଅପରୂପ ମନୋହର ।
ଥିଲେ ବଡ଼ ବୀର ଲକ୍ଷେ ରାଜାଙ୍କର
ମଉଡ଼ମଣିର ଜାତି,
ପୁରୁଷ ଉତ୍ତମ, ଐର, ଖାରବଳ,
ଅନଙ୍ଗଭୀମ, ଯଯାତି ।
ମହା ମହା ରାଜା ମହା ମହା ରଥୀ
ଥିଲେ ତୋର ବାପ ଜେଜେ,
କିଏ ସରି ହେବ ଗୁଣଜ୍ଞାନେ ତାଙ୍କୁ
କିଏ ସରି ହେବ ତେଜେ ।
ଓଡ଼ିଆ ବୋଲି ତୁ ମନେ ଗର୍ବ ବହି
ଚାଲରେ ଟେକି ତୋ ମଥା,
ନିତି ମନେ ମନେ ଗୁଣି ହେଉଥାଆ
ପୂର୍ବ ପୁରୁଷଙ୍କ କଥା ।
ଭଞ୍ଜ, ଜଗନ୍ନାଥ, ସାମନ୍ତସିଂହାର
ସାରଜାଦି କବିକୁଳ
ତୋ ପୂର୍ବପୁରୁଷ ତାଙ୍କ ସନ୍ତାନ ତୁ
ଏକଥା ମନୁଁ ନ ଭୁଲ ।
ତରୁଣ ଯୌବନେ ତୋର ତରଳ ଚାହାଣୀ,
ସୁଧାହାସଭରା କଥା ସଙ୍ଗୀତର ଠାଣି,
ସରଳ ହୃଦୟ ତୋର
ଲେଶେ ନାହିଁ ଅହଂକାର
ଭୁଲି ତ ପାରିବି ନାହିଁ ବିନମ୍ର ପ୍ରକୃତି,
ଲକ୍ଷ୍ମୀ ସ୍ୱରୂପିଣୀ ତୁ ତ କନ୍ୟା ଗୁଣବତୀ ।
କେଡ଼େ ବାଧ୍ୟ ପିତୃଷ୍ୱସା ଚରଣେ ତୁ ଥିଲୁ,
ପିତାମହୀ ସ୍ନେହାଦରେ ଯତ୍ନେ ତୁ ବଢ଼ିଲୁ,
ମନଯୋଗ ସହକାରେ ବସି ଏକାନ୍ତରେ,
କରୁ ଅଧ୍ୟୟନ ଯେବେ ଝରକା କତିରେ ।
ଅନାଇ ଦେଖେ ମୁଁ ଆହା କି ଶାନ୍ତି ମୂରତି,
ଭାବେ, କାହା ଶିରୋମଣି ହେବ ଗୁଣବତୀ !
କାର ସଦ୍ମ-ସରୋବରେ ଫୁଟିବ ଏ ପଦ୍ମ,
ସରଳତାମଖା ଆହା ତିଳେ ନାହିଁ ଛଦ୍ମ ।
ପ୍ରକାଶ ଜୀବନେ ଆଜ
ଫୁଟିବ ସ୍ନେହ-ସରୋଜ
ହୋଇବୁ ଗୃହିଣୀମଣି ଚିର ଆଦରିଣୀ
ପ୍ରକାଶ ବି ଭାଗ୍ୟବାନ ଲଭି ଏ ସଙ୍ଗିନୀ !
ମନୋରମା, ମନୋରମ ଗୁଣ ରାଜି ଘେନି,
ଆଲୋକିବୁ ପ୍ରତି ପୁର ହେବୁ ତୁହି ରାଣୀ ।
କରିଣ ସୁଧାଂଶୁ ସମ
ସୁଧା ଅଂଶୁ ବିତରଣ
ଗୁରୁଜନ ମନପ୍ରାଣ ତୋଷିବୁ ନିୟତ,
ହେବୁ ପତି କୁଞ୍ଜବନେ ନିର୍ଜର ଅମୃତ ।
ଦେଖାଇବୁ ତୋ ପ୍ରତିଭା ସୁନ୍ଦରୀ,
ଯତ୍ନେ ମାତା, ସ୍ନେହେ ଭଗ୍ନୀ, ସେବାରେ କିଙ୍କରୀ ।
କରେ ଆଶୀର୍ବାଦ ହେବୁ ଚିର ଭାଗ୍ୟବତୀ,
ଜନେ ଧନେ ପରିପୂର୍ଣ୍ଣ କରିବୁ ବସତି ।
ସେ କାଳେ ଗୋ ଭୁଲେ ଦିନେ
ସ୍ମରଣ କରିବୁ ମନେ
ମୋତେ ଥରେ ଥରେ ଇଚ୍ଛା ଥାଏ ତୋର,
ଭୁଲିଗଲେ ଭୁଲିଯିବୁ, ମୁଁ ସ୍ମରିବି ଚିର ।
ଶ୍ୱଶ୍ରୁ ପାଶେ ଆଦରିଣୀ
ହେବୁ ଦୁହିତା ରୂପିଣୀ
ପ୍ରୀତିମୟୀ ଭ୍ରାତୃଜାୟା ଜନନୀ-ରୂପିଣୀ,
ଦେବର ନଣନ୍ଦ ସନେ ହେବୁ ପଦ୍ମାନନୀ,
ଅନ୍ଧାରେ ଆଲୋକ ମିଶେ ଯଥା ଗୋଧୂଳିରେ,
ମିଶିଯାଏ ତରଙ୍ଗିଣୀ ଯଥା ପାରାବାରେ
ମିଶିଯାଏ ଲତା ଯଥା ପାଦପ ଅଙ୍ଗରେ,
ହୀରକ ମିଶଇ ଯଥା କାଞ୍ଚନ ସଙ୍ଗରେ ।
ମିଶିଯିବୁ ପତି ପଦେ ପଡ଼ି ସେହିପରି,
ସୁଖରେ ଦୁଃଖରେ ନିତି ନର୍ମ୍ମ ସହଚରୀ ।
ନଭେ ନବଘନ କଳା
ତହିଁ ବିଳସେ ଚପଳା
ପ୍ରାଣେ ମୋ ପ୍ରଣୟଲୀଳା
ନୀର ଉଚ୍ଛୁଳେ
ନବ ବରଷାର ଧୀରେ
ଆସେ କେ ମରମ ଦ୍ୱାରେ,
ଅମିୟ ମୋହନ ବେଶେ
ଆଖି ଉଜ୍ୱଳେ ।
କି କଥା କହୁଛ କାନେ
ବସି କୁସୁମ ବିତାନେ,
କଦମ୍ୱ କେଦକୀ ପ୍ରାଣେ,
ପତ୍ର ଗହଳେ,
କିଏ ସେ ତୋ ପ୍ରାଣସାଥି,
ତୋ’ ବିନା ଫାଟେ କି ଛାତି,
ବରହ ଦହନେ ତାତି
ମରୁ ବିକଳେ ।
ସମ୍ୱର ସମ୍ୱର ଗୀତି,
ଅଥୟ କଲାଣି ପ୍ରୀତି,
ମଧୁର ମିଳନ ଲାଗି
ଚିତ୍ତ ଚଞ୍ଚଳେ,
ବର୍ଷ ବର୍ଷ ଗଲା ବହି
ଆସିବେ ଆସିବେ କହି
ଦହିଁ ମୁଁ ହତଭାଗିନୀ
ହୃଦୟାନଳେ ।
ବିନୋଦିନୀ ବୀଣାପାଣି ସୁଧାନିସ୍ୟନ୍ଦିନୀ,
ଅମର-ବିହାର ଗିରି ଶିଖର ବାସିନୀ ।
କୋମଳ ଅଙ୍ଗୁଳି-ଦାମ ଚାଳନେ ଯାହାର,
ଲଳିତ ମୋହନ ବାଜିଉଠେ ବୀଣାତାର ।
ପୁଲକେ କମ୍ପିତ ମୃଦୁ ଶୀତଳ ସମୀର,
ନାଚଇ ଲହରୀ ଛନ୍ଦେ ନୀର ଜଳଧିର ।
ଅମୃତ ଉଚ୍ଛ୍ୱାସେ ପୂରେ ଦିଗଦିଗନ୍ତର,
ଅଲମ୍ପିସ୍ ଦେବ-ସଭା ସଙ୍ଗୀତେ ମୁଖର ।
ବାଅ ଲୋ, ଅମିୟମୟି, ମୋହନ ମୁରଲୀ,
ଅମ୍ୱରୁ ଅମୃତ ମେଘ ଝରୁଲୋ ତରଳି !
ଅବନୀ ଅର୍ଣ୍ଣବେ ବାଜି ପ୍ରତିଧ୍ୱନି ଛଳେ,
ତାନେ ତାନେ ସୁଧାରାଶି ଉଛୁଳୁ ବିରଳେ ।
କୋମଳେ କରୁଣେ ଦେବି, ସୁମଧୁର ସ୍ୱରେ,
ଏକିଲିସ୍ କୋପ-ଗାଆ ଗାଅ ଆଜି ଥରେ ।
ବିଭୀଷଣ ବହ୍ନି ସମ କ୍ରୋଧଜ୍ୱାଳା ଯାର,
ଗ୍ରୀସୀୟ ଗରବ ହେଳେ କଳା ଛାରଖାର ।
ପ୍ରବେଶିଲେ ଯେଣୁ ଶତ ବୀରେନ୍ଦ୍ର ନନ୍ଦନ,
ଭୀଷଣ ତିମିରମୟ ଶମନ ସଦନ ।
ଯାର ରୋଷେ ଶତଶତ ଶୁଭ୍ର କଳେବର,
ବିସ୍ତୀର୍ଣ୍ଣ ବାରିଧି ବେଳା ଛାଇଲା ସତ୍ୱର ।
ଦିଗନ୍ତ-ପ୍ରସାରୀ ମହା ବାଲୁକା ବିତାନ,
କ୍ଷଣକେ ହୋଇଲା ଭୀମ-ବିଭତ୍ସ ଶ୍ମଶାନ ।
ବିକଟ ଆନନ୍ଦେ, ମୁଖେ କରି କୋଳାହଳ
ଗ୍ରାସିଲେ ଓଟାରି ଶବ, ଶିବା ଦଳ ଦଳ ।
ମହା କଳରବେ ଶ୍ୟେନ ଉଡ଼ିଲା ଆକାଶେ,
ସଲିଳ କୁକ୍କୁଟୀ ନୀଡ଼େ ଲୁଚିଲା ତରାସେ ।
ଶକୁନି ଗୃଧ୍ରିନୀ କରି ପକ୍ଷ ବିଧୁନନ,
ଭକ୍ଷି ଶବ-ଶିରାସ୍ନାୟୁ ହରଷେ ମଗନ ।
ବିଦାରି ନଖରେ ହିୟା ସବଳେ କାମୋଡ଼ି,
ରୁଧିର ପିଅଇ ଶ୍ୱାନ ଦନ୍ତେ କଣ୍ଠ ମୋଡ଼ି ।
ଯୁଝେ ସ୍ଥଳଚର ରୋଷ ଖଚର ସଙ୍ଗରେ,
ରୁଧିର ପାରଣା ପିଇ ପଡ଼ି ଶବୋପରେ ।
ଅନ୍ତ କେ ଓଟାରି ଧରେ, ଗର୍ବେ ଅସ୍ଥି ଆନ,
ମାଂସଖଣ୍ଡ ବିଦାରଣେ ଅଛି କା ଧିଆନ ।
ହୃଦୟ, ଯକୃତ, ଶିରା କେ ଗିଳେ ଛିଣ୍ଡାଇ,
ମସ୍ତକ ଖପୁରି କେହି ଧରିଛି କୁଣ୍ଢାଇ ।
ବିଷମ ବିବାଦେ ବେଢ଼ି ପଶୁପକ୍ଷୀ ଦଳ,
ନିବାରି ସବଳ କ୍ଷୁଧା, ମାରଇ ଦୁର୍ବଳ ।
ଅଦୂରେ ଅନାଇଛନ୍ତି ଶିବିର ଦୁଆରେ
ବିକଳ ସେନାନୀ ନଭଭେଦୀ ହାହାକାରେ ।
କିଆଶ-ଲତିକା ମନେ ଯତନେ ବଢ଼ାଇ,
ଆସିଥିଲେ ପ୍ରିୟଜନ-ମମତା ଛଡ଼ାଇ ।
କ୍ଷଣକେ ଭାଙ୍ଗିଲା ମୋହ- କୁହୁକ ଆଶାର,
ନିଦ୍ରାନ୍ତେ ସ୍ୱପନ ସୁଖ ସମାନ ଅସାର ।
କାହିଁ ସେ ଗୌରବ କାହିଁ ବିଜୟ ଉଲ୍ଲାସ,
ନବବର୍ଷ ପରାଜୟେ ଗ୍ରୀକ୍ ହତାଶ୍ୱାସ ।
ଏବେ ପୁଣି ନିଦାରୁଣ ମଡ଼କ ଭୀଷଣ,
ଚୌଦିଗେ ଗ୍ରୀସୀୟ ବଳ କରେ ଆକ୍ରମଣ ।
ଶତ ଶତ ବୀରେ ପେଶି ଶମନ-ମନ୍ଦିରେ,
ଲେଖଇ ବିଜୟ-ବାଣୀ ସମରୀ-ରୁଧିରେ ।
କହଲୋ, କରୁଣା ବହି ଦେବୀ ଦୟାମୟି,
କି ପାଇଁ କଷଣ ଏତେ ଗୀରିସ୍ ଭୋଗଇ ?
କି ପାପ ସନ୍ତାପ ଲାଗି ଭୀମ ଦଣ୍ଡଭାର
ସ୍କନ୍ଧେ ବହି, କାନ୍ଦେ ଆଜି ଗ୍ରୀକ୍ ସ୍କନ୍ଧାବାର ।
ମତ୍ତ ଅହଙ୍କାରେ ଯେଣୁ ଗ୍ରୀସ୍ ନରପତି,
କୁକ୍ଷଣେ ହୋଇଲା ତାର ଭୀଷଣ କୁମତି ।
ଛାର ସେ ମାନବ କରେ ଦେବ ଅପମାନ,
ଦେବ ରୋଷେ ଆଜି ତେଣୁ ଏ ଦଣ୍ଡବିଧାନ ।
ଦଗଦିଶ ଆଲୋକିତ ଯା’ ରମ୍ୟ କିରଣେ ।
ପ୍ରଫୁଲ୍ଲ ଗୋଲାପ ହସେ ପଲ୍ଲବ ଗହଣେ ।
ଯା’ର ପରଶ ଲଭି ସରେ ପଙ୍କଜିନୀ,
ବିକଶି କୋମଳ ଦଳ ହସେ ସୁହାସିନୀ ।
ସେ ରବି ରଜତଧନୁ ଜଗତ-ଜୀବନ
ଶ୍ରୀଚରଣେ କ୍ରାଇସେସ୍ ଜଗତ-ଜୀବନ-
ଫିବସ୍ ପୁରୋଧା ବୃଦ୍ଧ ଚିରଧର୍ମମତି,
ରାଜ ଅପମାନ ଲଭି କ୍ଷୁବ୍ଧଚିତ୍ତ ଅତି ।
କାନ୍ଦଇ ବିକଳେ ଭ୍ରମି ମହୋଦଧି ତୀରେ,
ପବିତ୍ର କ୍ରାଇସା-ରବି ମନ୍ଦିର କତିରେ ।
ଏପଲୋ-ପୂଜକ ସାଧୁ ସଦା ନ୍ୟାୟବାନ,
ଶୁଭ୍ର କେଶ ବେଶ ଜ୍ୟୋତି-ମଣ୍ଡିତ ମହାନ ।
ଲରେଲ ମୁକୁଟ ଶିଖା ଜ୍ୱଳେ ତଦୁପରି,
ପବିତ୍ର ଲୋଚନୁଁ ଦିବ୍ୟ ଜ୍ୟୋତି ପଡ଼େ ଝରି ।
ବାର୍ଦ୍ଧକ୍ୟ ଶିଥିଳ ଅତି ନତ କଳେବର,
ପବିତ୍ର ଧରମ ଚିହ୍ନେ ଶୋଭେ ବେକ, କର ।
ଆକୁଳେ ବ୍ୟାକୁଳେ ବୃଦ୍ଧ କରେ ହାହାକାର,
ନୟନ ପ୍ରବାହି ବହେ ଲୋତକ ଆସାର ।
କ୍ରାଇସେସ୍ ମନୋରମା ବିଶ୍ୱ- ବିନୋଦିନୀ,
ଏକମାତ୍ର ସୁତା ତାର ହୋଇଛି ବନ୍ଦିନୀ ।
ଗର୍ବିତ ଗ୍ରୀସୀୟ ସେନା ବଳେ ଅପହରି,
ଭେଟିଲେ ଛାମୁରେ ଆଣି କାମିନୀ ସୁନ୍ଦରୀ ।
ଉଦ୍ଦେଶ ନପାଇ ବୃଦ୍ଧ ଅତୀବ କାତରେ,
ତନୟା ଖୋଜିଲା ଯାଇ ନଗରେ ନଗରେ ।
ଗ୍ରୀସ୍-ରାଜାଗାରେ ବନ୍ଦୀ ଲଭୀ ସମାଚାର,
ଚିନ୍ତିଲାଦିବସ ନିଶି ଉଦ୍ଧାର ସୁତାର ।
ଅବଶେଷେ ପାଞ୍ଚି ମନେ ତନୟା ମୁକତି,
ଠୁଲ କଲା ଆପଣାର ସକଳ ସମ୍ପତ୍ତି ।
ସତ୍ୱରେ ସାଜିଲା ତରୀ ଘେନି ଉପହାର,
କରୀ-ଦନ୍ତ-କାରୁକାର୍ଯ୍ୟ ଶୋଭନ ସମ୍ଭାର,
ଅଶେଷ ରତନ ରାଜି ହେମ ଅଳଙ୍କାର,
ଶିଳ୍ପ ପଣ୍ୟ ଅଗଣନ ପର୍ବତ ଆକାର ।
ସପତ ବୋଇତେ ଭରି, ମହା ଆୟୋଜନେ
ମିଳିଲା ବହନ ଗ୍ରୀସ୍ ନରେଶ ଚରଣେ ।
ଭେଟି ସହ ରାଜ ପାଶେ ଉତ୍ତରି ସ୍ଥବିର,
ଚରଣେ ପ୍ରଣମି ଢାଳେ ନୟନର ନୀର ।
ଯେତେକ ଗ୍ରୀସୀୟ ବୀର ସନମାନେ ଅତି,
ସମ୍ୱୋଧି ପୁଛିଲେ, ବୃଦ୍ଧ କିପାଁ ଏ ଆରତି ?
ସମ୍ୱରି ଲୋତକ ତହୁଁ କହେ ପୁରୋହିତ,
କ୍ଷଣେ ସ୍ତବ୍ଧ ସ୍ୱର, କ୍ଷଣେ ବଚନ କମ୍ପିତ ।
ଆକୁଳ ହୃଦୟେ ଅତି ଘନ ବହେ ଶ୍ୱାସ,
ବିଦରେ ପରାଣ, ମୁଖେ ଯାତନା ବିକାଶ ।
‘‘ଦଣ୍ଡେକ କରୁଣାବହି ଶୁଣ ମହାରାଜ,
ଶୁଣ ଆହେ ଗ୍ରୀକ୍-ବୀରକେଶରୀ-ସମାଜ ।
ବୃଦ୍ଧର ବଚନ ନିଶ୍ଚେଁ ହୋଇବ ସଫଳ,
ଯେତେଦିନ ଥିବ ଭବେ ଧର୍ମ୍ମନ୍ୟାୟ ବଳ ।
ଟ୍ରୟଦେଶ ଧ୍ୱଂସମୟ ହେବ ସୁନିଶ୍ଚୟ,
ଅଭେଦ୍ୟ-ପ୍ରଚୀର ଗର୍ବେ ଲଭିବ ବିଲୟ ।
ବୀରୋଚିତ ପ୍ରତିଜ୍ଞାନର କରି ସମାପନ,
ଆନନ୍ଦେ ଜନମଭୁମି କରିବ ଦର୍ଶନ ।
ଆଶିଷଇ ବୃଦ୍ଧ, ବୀରେ ଚିରଆୟୁ ଲଭ,
ବିସ୍ତାର ବିମଳ ଯଶ ଜିଣି ଏ ଆହବ ।
ନିବେଦନ ମାତ୍ର ଏକ ହେ ମହାରାଜନ,
ଅଭାଜନ ହେଉ ତବ କରୁଣା-ଭାଜନ ।
ଅଶେଷ ସମୃଦ୍ଧି ତବ ଐଶ୍ଚର୍ଯ୍ୟ ଅତୁଳ,
ଶୁଦ୍ଧାନ୍ତେ ଶୋଭନ୍ତି ଶତ ସୀମନ୍ତିନୀକୁଳ ।
କି ବିତ୍ତ ଅଭାବ ତବ, ଗ୍ରୀସ୍ ନରମଣି,
ପୂରାଇ ପାର ଏ ଦାସ କାମନା ଏକ୍ଷଣି ।
ଧନୀର ଖୁଆଡ଼େ ଭରା ମେଷ ଅଗଣନ,
ମାତ୍ର ଏକ ମେଷ ଶିଶୁ ମୋ’ କାଳ ଜୀବନ-ଧନ ।
ଧନୀର ଆରାମେ ରାଜେ ଶତ ଫୁଲତରୁ,
ଗୋଟିଏ ଗୋଲାପେ ମାତ୍ର ଶୋଭେ ଦୀନ-ମରୁ ।
ଦେଲେ ନ ସରିବ ଦେବ, କୀରତି ବଢ଼ିବ,
ସ୍ଥବିର ଆଶିଷେ ସୁଖ ଅଶେଷ ଭୁଞ୍ଜିବ ।
ଏକମାତ୍ର ସୁତା ମୋର, ନାହିଁ ଆଉ ଆନ,
ତା’ବିନା ବଞ୍ଚିବ କି ହେ ମୋ’ ବୃଦ୍ଧ ପରାଣ ?
ଅନ୍ଧର ନୟନ-ମଣି, ମୋ’ଦୀନ-ସଙ୍ଖାଳି
ଜନନୀବିହୀନା ଶିଶୁ ମୋ’ ଗଳାର ମାଳି ।
ଅନୁଭବେ ବୁଝ ଥରେ ପିତାର ଯାତନା ।
ଏଫିଜିନିୟାର କଥା କର ହେ ଭାବନା ।
ଦେବୀ ରୋଷେ ନର-ଶ୍ରେଷ୍ଠ ଦୃଢ଼ ହିୟା ବାନ୍ଧି,
ଅସିରେ କୋମଳ ଗଳା ଛେଦିଲା ନ କାନ୍ଦି ।
ପିତୃମନେ କି ଦେବତା ହୋଇଥିବ ତବ,
ଏବେ ସେ ବେଦନାଭୋଗ କର ଅନୁଭବ ।
ଅଧୀନେ ତନୟା ପୁନଃ କରି ଅରପଣ,
ହୁଅ ଦେବ, ଏପଲୋର ଆଦରଭାଜନ ।
ବିଶାଳ ପ୍ରାଚୀର ଯେହୁ ରଚିଲେ କୌଶଳେ,
ହେଲେ ତା ଭାଙ୍ଗିବେ ଦେବ ତୁମ୍ଭର ମଙ୍ଗଳେ ।
ଫିବସ୍ ପୟରେ ବୀର ! ବହିଣ ଭକତି,
କ୍ରାଇସେସ୍ ମମ କର ବନ୍ଧନ-ମୁକତି ।
ଉପହାର ଦ୍ରବ୍ୟରାଶି ଘେନ ବିନିମୟେ,
କରୁଣା କରିଣ ବୃଦ୍ଧେ ସଦୟହୃଦୟେ ।
ସରୁ ମୋ’ ସମ୍ପଦ ସବୁ ହୁଏଁ ମୁଁ ଭିକାରୀ,
ସୁତା ସଙ୍ଗେ ହୋଇବି ମୁଁ କରୁଣା-ଦୁଆରୀ ।
ଦୟାରେ କେ ଦେବ ଯଦି ଯବ ମୁଷ୍ଟିମେୟ
ଅଧୀନ ନୟନେ ତାହା ନ ହୋଇବ ହେୟ ।
ଏପଲୋ କୃପାରେ ମୋର ସୁଖେ ଯିବ ଦିନ,
ଦେବପଦେ ମତି ଜନ, କାହିଁରେ ଉଦ୍ବିଗ୍ନ !’’
ସ୍ଥବିର ବଚନ ଶୁଣି ହରଷ ଅନ୍ତରେ
ବୀରବୃନ୍ଦ ଅନୁମତି ଦେଲେ ସମସ୍ୱରେ ।
‘‘ଦେବତା ସହିତ ବାଦ କରିବ କି ନର ?
ପ୍ରଦାନି କୁମାରୀ ସିନା ପୂଜିବା ପୟର ।’’
କିନ୍ତୁ ଗ୍ରୀସ୍ ନରପତି ପାଷାଣ ଅନ୍ତର,
ଗରବେ ଗମ୍ଭୀରେ ଗର୍ଜ୍ଜି କହିଲା ଉତ୍ତର –
‘‘ରେ ପାମର, ଛଦ୍ମବେଶୀ କପଟ-ସନ୍ୟାସୀ’’
ପ୍ରବେଶିଛୁ କି ସାହସେ ଗ୍ରୀକ୍ ଦଳେ ଆସି ?
ପଳାରେ ଜୀବନ ଘେନି ତେଜି ଶତ୍ରୁଦଳ,
ବୃଥା ଅନୁନୟ ତୋର ବିଫଳ କେବଳ ।
ଲରେଲ୍ କିରୀଟ ତୋହର ଦଣ୍ଡ ହେମମୟ,
ଗ୍ରୀରିସ୍-ନରେଶ ଠୁଳେ ନ କରଇ ଭୟ ।
ବେଗେ ପରିହର ଭଣ୍ଡ ନୃପେଶ ସକାଶ,
ପୁରୋହିତ ଚିହ୍ନେ ତୋର ନାହିଁ ମୋ’ ବିଶ୍ୱାସ ।
ତୋ’ ନନ୍ଦିନୀ ମୂଢ଼ମତି କିଙ୍କରୀ ଆମ୍ଭର,
ନ ଦେବୁଁ ଫେରାଇ, ବୃଥା-ଲୋତକ ସମ୍ୱର ।
ରେ ନିର୍ବୋଧ, ତୁଚ୍ଛ ଅତି କ୍ଷୁଦ୍ର ଉପହାର,
ଏଥିନୀ ବିଭବେ ପୂର୍ଣ୍ଣ ମୋ କୋଠଭଣ୍ଡାର ।
କି ଅଭାବ, ଅତୁଳନ ଚିତ୍ତ ନାହିଁ ସୀମା,
ତୁ ପୁଣି ଦେଖାଉ ତୁଚ୍ଛ ସମ୍ପଦଗାରିମା ।
ସମଗ୍ର ଗ୍ରୀସୀୟବଳ ସମୃଦ୍ଧି ଅପାର,
ସୁବିଶାଳ ଜନପଦ ମହାପାରାବାର ।
ଖଟଣୀ କିଙ୍କର ଯାଉ ଶତ ମହୀପତି,
କି ସାହସେ ଆସୁ ତାର ସିଂହାସନ କତି ।
ପରାଣେ ମମତା ଯଦି ଠୁଳେରେ ଅଧମ,
ପଳାଅ ବହନ ତେଜି ବିଫଳ ରୋଦନ ।
ବାହୁବଳେ ଅପହରି ଆଣିଛି କାମିନୀ,
ଚରଣ ସେବିବ ଏବେ ମଧୁରହାସିନୀ ।
ଏ ତ ମହାଭାଗ୍ୟ ତୋର ଦୀନା ଦନୟାର,
ଗ୍ରୀକ୍ ରାଜେଶ୍ୱର ରୂପେ ମୋହିତ ଯାହାର ।
ବନ୍ଦିନୀ—କିଙ୍କରୀ ରାଜ-ଆରାମ-ନାୟିକା,
ଏଥୁଁ ବଳି କେଉଁ ସୁଖ ଲୋଡ଼ା ତୋ ଅଧିକା ?
ଲଳନା ଯୌବନ ସିନା ରାଜ-ଭୋଗ ଲାଗି,
ଖସିଲେ ବୟସ ମାତ୍ର ହୋଇବୁ ବିରାଗୀ ।
ସରିଲେ ସୌନ୍ଦର୍ଯ୍ୟ ତୋର ସୁତା-ସୁନ୍ଦରୀର,
ଆଉ ନ କହିବୁଁ ତାକୁ ସୁକୋମଳ ଗିର ।
ବାସି ଫୁଲ ଶେଯୋପରେ ରଖେ କେ ଆଦରି ?
ବିଗତ ଯୌବନା ନାରୀ ସିନା ସେହିପରି !
ସୁକଠିନ ଶ୍ରମେ ତେବେ ଯାପିତ ଜୀବନ,
ଝାଡ଼ିବ ସେ ଶେଯ ଏବେ ଯହିଁରେ ଶୟନ ।
ରାଜାସନେ ସନମାନେ କରେ ଯେ ଭାଜନ,
କିଙ୍କରୀ ଯୋଗାଏ କରେ ବସନ ଭୂଷଣ ।
ଦିନେ ତ ପେଷିବ ଚକି ସେ ଦାସୀ ସଙ୍ଗତେ,
କି କାର୍ଯ୍ୟ ନାରୀରେ ଆଉ ଯଉବନ ଗତେ ?
ଆଦରଇ ଅଳି ସିନା ଦରଫୁଟାକଳି
ତେସନେ ଆଦରେ ନର ଯଉବନ ଝଳି ।
ଯୌବନ ନାୟିକା ମମ, ବାର୍ଦ୍ଧକ୍ୟେ କିଙ୍କରୀ,
ଅଛନ୍ତି ଆଗାରେ ବନ୍ଦୀ ଅନେକ ସୁନ୍ଦରୀ ।
ଦାସୀ ମାତ୍ର ଜଣେ ତୋର ନନ୍ଦିନୀ ତହିଁରେ,
ଅତି ଅଳ୍ପ ମୂଲ୍ୟେ କିଣା ରାଜ ବିପଣୀରେ ।
ଆମ୍ଭର ସେ ଶ୍ରମଲବ୍ଧ ଧନ ଯେ ସ୍ଥବିର,
ବହିଛି ତା’ ପାଇଁ ଶତ ଶରୀରୁ ରୁଧିର ।
ପ୍ରିୟ ଜନ୍ମଭୂମି ପ୍ରିୟ ଜନକ ଜନନୀ,
ସରବେ କନ୍ଦାଇ ଛାଡ଼ି ଆସିଅଛି ଧନୀ ।
ଚିର ଜନମର ଲାଗି ଆଉ ନ ଫେରିବ,
ଆର୍ଗସ ନିବାସ ଆଉ ନେତ୍ରେ ନ ଦେଖିବ ।
ବିଅର୍ଥେ ଭାଳୁଛୁ ସିନା ଉଦ୍ଧାର ତାହାର,
ଦଣ୍ଡକ ବିଳମ୍ୱେ ଆଉ ନାହିଁ ତୋ ନିସ୍ତାର ।
ଛଦ୍ମବେଶୀ ଭଣ୍ଡ ତୋର ପୁରୋହିତ ବେଶ,
ସୁଣାଣିତ ଅସିଧାରେ ହେବ ଅବଶେଷ ।
ବଚନ ଅନଳସ୍ରାବୀ ଶ୍ରବଣେ ପଶିଲା,
ଥରଥର ତନୁ ଯତି ସଭୟେ ଫେରିଲା ।
ଦରଦର ଅଶ୍ରୁଧାର ଝରିଲା କପୋଳେ,
କାନ୍ଦିଲା ବାରିଧି ତଟେ ଭ୍ରମି ଉଚ୍ଚରୋଳେ ।
ଦାରୁଣ-ବେଦନା ଭାରେ ବ୍ୟଥିତ ଅନ୍ତର,
ଦେବ ଦିବାକରେ ଚାହିଁ ଡାକେ ନିରନ୍ତର ।
‘‘ହେ ପିତଃ, ମରୀଚିମାଳି, ଲାଟୋନା-ଚନ୍ଦନ
ବାରେକ ଶ୍ରବଣ ଡେରି ଶୁଣ ନିବେଦନ ।
କି ଦଶା କରିଲା ଦେଖ ଗ୍ରୀକ୍ ସେନାପତି,
ହରିଲା ଦୁହିତା ମୋର ବଳେ ମୂଢ଼ମତି ।
ଗର୍ଜ୍ଜନେ ତର୍ଜ୍ଜନେ ପୀଡ଼ି ବ୍ୟଥିତ ମରମ,
ନୀଚ ପଶୁ ସମ ହାହା, କଲା ବିତାଡ଼ନ ।
କି କରିଛି ଦୋଷ ଦେବ ତବ ପଦତଳେ,
ବାର୍ଦ୍ଧକ୍ୟେ ଏ ଗୁରୁଦଣ୍ଡ, କାନ୍ଦୁଛି ବିକଳେ ।
ତୁ ଦେବତା, ଜାଣୁ ସବୁ ଅନ୍ତର ବେଦନା,
ତୋ’ ବିନା ଶୁଣିବ କିଏ ଏ ଦୀନ ପ୍ରାର୍ଥନା ।
ଅଶେଷ କରୁଣା ତୋର କରୁଣାନିଧାନ,
ଜଗତ ଜୀବନ ସୁଖ ତୋହରି ବିଧାନ,
ନିରନ୍ତର ଟିନିଡ଼ସ୍ ପୂଜଇ ଶ୍ରୀପଦ,
ତବ ହେତୁ କ୍ରାଇସାର ଗୌରବ ସମ୍ପଦ ।
ତବ କରେ ତା’ ଆଳୟେ ସୁଖୀ ନରନାରୀ,
ଭୀଷଣ ତିମିର ରାଶି କ୍ଷଣିକେ ସଂହାରି,
ବିତରି କରୁଣା ଦେବ, ପାଳୁ ପ୍ରଜାଗଣେ,
ବଞ୍ଚିଛି ଜଗତ ସିନା ତୋହରି କିରଣେ !
ତୋ’ କିରଣେ ଫୁଟେ ଫୁଲ, ଗାଏ ନୀଳ ଅଳି,
ତରୁଡାଳେ ବସି କରେ ବିହଙ୍ଗ କାକଳି ।
ସରସେ ସାରସ-ପନ୍ତି ଉଠଇ ବିକଶି
କୋମଳ ଗୋଲାପ ହୃଦ ଉଠଇ ଉଲ୍ଲସି ।
ତୁହି ଇଷ୍ଟଦେବ ପ୍ରଭୁ ଧାର୍ମିକ ସିଲାର,
ତୋ’ ବିନା ନାଶିବ କେ ମୋ’ ଦୁଃଖ ଅନ୍ଧକାର !
ସତତ ସେବିଛି ପାଦ ଏକାନ୍ତ ଧିଆନେ,
ଆଜି କି ରଖିବୁ ନାହିଁ, ଏ ଦୁଃଖୀ ପରାଣେ !
କରିଅଛି ତବୋଦ୍ଦେଶେ ଯଦି ବଳିଦାନ,
ଅନଳେ ଆହୁତି ଯଦି କରିଛି ପ୍ରଦାନ,
ସଜାଇଛି ଯଦି ତବ ମନ୍ଦିର ସତତ,
କୁସୁମ ସୁହାର ଗୁନ୍ଥି ତବ ମନୋନିତ ।
ଅରଚିଛି ଯଦି ପାଦ ଏକାନ୍ତେ ଭକତ,
ନୋହିବ କରୁଣା ଉଣା ହେ ଦେବ ମହତ !
ପ୍ରକାଶିଣ ପରାକ୍ରମ ରଖିବ ସମ୍ମାନ,
ଶୋଧିବ ସେ ମହାମତ୍ତ ନୃପ-ଅପମାନ ।
ବଡ଼ ଆଶା ମନେ ପ୍ରଭୁ, ତବ କୃପା-କର
ବରଷିଣ ଶୁଖାଇବ ମୋ’ ଦୁଃଖ-ସାଗର ।
ଅଧୀର ଭାସ୍କର ରୋଷେ, ଶୁଣିଣ ଆରତି,
ପ୍ରକମ୍ପି ଆସନ ତେଜି ଉଠିଲେ ଝଟତି ।
ନୁଆଁଇ ରକତ ଧନୁ କ୍ରୋଧେ ତରତର,
ବିଶାଳ ବିକ୍ରମେ ଦେବ ଓହ୍ଲାନ୍ତି ସତ୍ୱର ।
ତ୍ୟଜି ଦିବ୍ୟ ଅଗ୍ନିମୟ ସ୍ୟନ୍ଦନ ସଦନ,
ତ୍ୟଜି ଗିରିବର ତୁଙ୍ଗ ଶୃଙ୍ଗ ଅପଘନ,
ଘୂର୍ଣ୍ଣିତ ପ୍ରଚଣ୍ଡ କ୍ରୋଧେ ଆରକ୍ତ ନୟନ,
ଭୀମ କଡ଼ମଡ଼ ନାଦେ ବାଜଇ ଦଶନ
ବାଜଇ ଗଭୀର ରୋଜେ ଶିଞ୍ଚିନୀ ତାହାର,
ରଜତ ତୂଣୀରେ ବାଣ ଶୁଖାଏ ଝଙ୍କାର ।
ମହା ବାହୁବଳେ କୋପେ ଆକର୍ଣ୍ଣ ବିସ୍ତାରି,
ଟଙ୍କାରିଲେ ରୌପ୍ୟଧନୁ ରୋଷେ ହୁହୁଙ୍କାରି ।
ବ୍ରାହ୍ମାଣ୍ଡ ବିଧ୍ୱଂସି ଭୀମବାଣ ଶତ ଶତ,
ଛାଇଲା ଆକାଶ ଧରା ସାଗର ପର୍ବତ ।
ଚରାଚର ମରାମର ଆତଙ୍କେ ଅଧୀର,
କମ୍ପିଲେ ଶିବିର କୋଣେ ଗୀରିସୀୟ ବୀର ।
କମ୍ପିଲା ଜଳଧିତଳଳେ ବରୁଣ-ଆସନ,
ନେପଚ୍ୟୁନ ସେଟାରନ୍ ଭୟେ ନିଗମନ ।
ଟିଟାନ୍ ସେଣ୍ଟର ଜଳ-ନିବାସୀ ଦଇତ,
ପ୍ଲୁଟୋ ନିକେତନେ ପ୍ରେତଆତ୍ମା ମହାଭୀତ ।
କମ୍ପିଲା ବାରିଧି ବାରି କମ୍ପିଲା ଗଗନ,
ଅଲିମ୍ପିସ୍ ସଭାତଳେ ଦେବ ଅପଘନ ।
ବିସ୍ତାର ବାଲୁକାମୟ କମ୍ପେ ବେଳାଭୂମି,
ଉଠଇ ବାଲୁକା ଝଡ଼ ଅନମ୍ୱର ଚୁମ୍ୱି ।
ଆକାଶ ପଡ଼ଇ ଭାଙ୍ଗି ଭୀମ ବଜ୍ରନାଦେ,
ପ୍ରବଳ ପବନ ଧାଏଁ ଭୀଷଣ ଉନ୍ମାଦେ ।
ଉପାଡ଼ିଣ ଅଗଣନ ମହା ମହୀରୁହ,
ଭୂମିରେ ନୁଆଁ ଏ ଭାଙ୍ଗି ଶତ ଶତ ଗୃହ ।
ମହା ପ୍ରଳୟର କାଳ ଅନ୍ଧାର ଘୋଟଇ,
ଆକାଶୁଁ ସହସ୍ର ଉଲ୍କା-ପିଣ୍ଡ ବରଷଇ ।
ଭୀଷଣ ଭୈରବ ରବେ ବିକଟେ ଗରଜି,
ଧାବଇ ଗଗନେ ରବି ଅନ୍ତକ ସରଜି ।
ଆଦେଶେ ଭୈରବ ଘୋରକାଳ-ଅନୁଚର,
ବିନାଶିଲେ ଶତ ଶତ ଅଶ୍ୱ, କରୀବର ।
ଘୋର ମହାମାରୀ ତହୁଁ ପଶି ସ୍କନ୍ଧାବାରେ,
ଓଟାରିଲା ସେନାତୟେ ଶମନ ଆଗାରେ ।
ନବ ଦିନ ନବ ରାତି ପ୍ରତାପେ ରବିର,
କାନ୍ଦିଲା ଆକୁଳେ ଗ୍ରୀସ୍ ସମରୀ-ଶିବିର ।
ଶୋଇଲେ ଅସଂଖ୍ୟ ଶବ ପ୍ରତି ତମ୍ୱୁତଳେ,
ଆତ୍ମୀୟ ସୋଦର ବନ୍ଧୁ କାନ୍ଦିଲେ ବିକଳେ ।
ଦେବତାର କୋପ ନୁହେ ମାନବ ବିଧାନ,
ଭୁଞ୍ଜିବ ଏସନ ଦେବେ କଲେ ହତମାନ ।
ସାହସେ ଦେବତା କେହି ପ୍ରତିକାର ଆଣେ,
କହି ନ ପାରିଲେ କିଛି ତପନ ସକାଶେ ।
ଉଚିତ ଶାସନ ମଣି ଦେବୀ ରଣେଶ୍ୱରୀ,
ନ୍ୟାୟବତୀ ରହିଲା ସେ ମରମରେ ମରି !
କାନ୍ଦିଲା ବିଦେଶୀଯୁନେ ପୀଡ଼ିତା ମରମେ,
ମାତା କି ବାଞ୍ଚଇ ଦଣ୍ଡ, ସୁତ ଅଧରମେ !
ନବ ଦିନ ନବ ରାତ୍ରି ଗଲା ଯହୁଁ ଚଳି,
ଦିନୁଁ ଦିନ ଦିବାକର କୋପ ଗଲା ବଳି ।
ସହି ନ ପାରିଲା ଆଉ ସନ୍ତାନ ବେଦନା,
ତ୍ରିଦିବଈଶ୍ୱରୀ ଯୁନୋ ହୋଇଲା ବିମନା ।
ସପତ୍ନୀ ତନୟେ ଯେଣୁ ରୋଷ ଅତିଶୟ,
ନପାରନ୍ତି କହି କିଛି ଯୋଭେ ବହି ଭୟ ।
ମରମେ ଭୀଷଣ କ୍ରୋଧ ଲୁଚାଇ ମରମେ,
ଓହ୍ଲାଇଲେ ଧରାପରେ ଦିବସ ଦଶମେ ।
ଧୀରେନ୍ଦ୍ର ବୀରେନ୍ଦ୍ର ସୁଧି ଥିଟିସ୍ ନନ୍ଦନେ,
ଆଦେଶିଲେ ଆସି ଦେବୀ ସଭା ବିରଚନେ ।
ବିରଚିତ ବୀରସଭା ଆଜ୍ଞା ଅନୁସରି,
କହେ ତହୁଁ ଏକିଲିସ୍ ରଥି ଅଗ୍ରସରି,
ନରେଶେ ସମ୍ୱୋଧି ବୀର କୋମଳେ ସୁଧୀରେ,
ବିନୟେ ସଂଯତି ଅତି ବହଇ ଗମ୍ଭୀରେ ।
ହେ ରାଜନ, ଋଣ-ଶଯ୍ୟା ବୀରର ବାଞ୍ଛିତ,
ଶାଣିତ କୃପାଣ ଅରି ଶୋଣିତେ ରଞ୍ଜିତ ।
ଯଶୋମୟ ବେଳା-ବାଲି ଶୟନ ମଧୁର,
ଆଶାରେ ଗୀରିସ୍ ଆସିଅଛି ବହୁଦୂର ।
ପରିହରି ପରିଜନ, ସନ୍ତାନ, କାମିନୀ,
ସୁଦୂର ପ୍ରବାସେ କାଟେ ଦିବସ ଯାମିନୀ ।
କହ ରାଜେଶ୍ୱର, ଏଥୁଁ ଦୁଃଖ କି ଭୀଷଣ,
ଅଳସ-ଶୟନେ ଏବେ ମଡ଼କେ ମରଣ ।
ମହାକାଳ ମହାମାରୀ ଘୋଟିଲା ଭୀଷଣ,
ସହସ୍ର ଅୟୁତ ଯୋଦ୍ଧା ଦେଲେଣି ଜୀବନ ।
ହେ ରାଜନ, ଟ୍ରୟଭୂମି କର ପରିହାର,
ଅଭାଗା ଗ୍ରୀକ୍ର ଆଉ ନାହିଁ ତ ନିସ୍ତାର ।
କି କୁକ୍ଷଣେ ଗୀରିସୀୟ ତେଜି ପରିଜନ,
ଦୁଃଖମୟ ଟ୍ରୟେ ପଦ କରିଲେ ଅର୍ପଣ ।
କର ପଳାୟନ ଏବେ ସମୟ ପ୍ରଚୁର,
ଉଦାସୀନେ ଦିନେ ଦିନ ଧନପ୍ରାଣ ଜୁର ।
ଗଣକେ ଆହ୍ୱାନି ଅବା କର ହେ ବିଚାର,
ଏ ଦୈବୀ ବିପଦେ ଏବେ କିବା ପ୍ରତିକାର ।
ଅନଶନେ ଧରାସନେ ଦେବତା ପୟରେ,
ନିବେଦି ବିପଦ ହେତୁ ବୁଝ ସ୍ୱପନରେ ।
ଏପଲୋପୂଜନ ଯଦି ଏ କ୍ରୋଧ କାରଣ,
ଉଚିତ ରାଜନ ତାହା ଆଶୁ ନିବାରଣ ।
ବିଳମ୍ୱେ ନରେଶ ମହା ଘଟିବ ପ୍ରମାଦ,
ବ୍ୟାପିବ ହୃଦୟେ ଶତ ବ୍ୟାକୁଳ ବିଷାଦ ।
ବିଧିମତେ ପୂଜ ଭୂପ ଫିବସ୍ ଚରଣ ।
ଦଇବ ବିପଦ ଅବା ହେବ ନିବାରଣ ।
ନିରସ୍ତ ହୁଅନ୍ତେ ବୀର, ସର୍ବ ଜ୍ଞାନାକର,
ପୁରୋହିତ କ୍ୟାଲକସ୍ ବିହିଲେ ଉତ୍ତର ।
ବୟସେ ଲୋଳିତ ତନୁ କୁଞ୍ଚିତ କପୋଳ,
ମସ୍ତକେ ପଳିତ କେଶ ବରଣ-ଧବଳ ।
ସର୍ବଶାସ୍ତ୍ର ବିଶାରଦ ବିବୁଧପ୍ରବର,
ତ୍ରିକାଳ ସତତ ଯାର ନୟନ-ଗୋଚର ।
ଉତ୍ଥାନେ ଟଳଇ ପାଦ, ସମ୍ଭାନ୍ତ ସୁଜନ,
କମ୍ପିତ ବଚନେ କହେ କରି ସମ୍ୱୋଧନ !
ହେ ବୀରେନ୍ଦ୍ର ଏକିଲିସ୍, ଜାଣ କି କାରଣ,
ମରୀଚିମାଳାଙ୍କ ଶର ଆଚ୍ଛାଦେ ଗଗନ ।
କହିବି ପ୍ରକାଶି ବୀର ପରଶି କୃପାଣ,
ଅଭୟ ପ୍ରଦାନି ନିଶ୍ଚେ ରଖିବ ପରାଣ ।
ବିଦିତକରଣେ ଜାଣ, ବୀରେନ୍ଦ୍ର ସୁଜନ,
ପ୍ରଜା ପକ୍ଷେ ସୁକଠିନ ଭୂପତିର ଭ୍ରମ ।
ଯଦି ବା ବିପଦୁଁ ଆମ୍ଭ ପରାଣ ତରିବ,
ନରବର ଦଣ୍ଡ ନିଶ୍ଚେଁ ଅଧୀନ ଭୋଗିବ ।’’
ଶ୍ରବଣେ ପୁରୋଧା ଗିର ପିଲୁସ୍ ନନ୍ଦନ,
କହେ ଭୀମ ଭୁଜ ଯୁଗ କରି ବିଧୁନନ ।
‘‘ଯେତେଦିନ ଧମନୀରେ ଶୋଣିତ ମୋହର,
ବହିବ ରଖିବି ମାନ ଗ୍ରୀକ୍ ବଚନର ।
ସାଧ୍ୟ କେ ଅନିଷ୍ଟ ତିଳେ କରିବ ତୁମର,
ଏକିଲିସ୍ ଅସିଧାରେ ନ ଡରେ କେ ନର !
ବିଶ୍ୱପତି ଯୋଭ୍ ଦେବ ସ୍ୱରଗ ଈଶ୍ୱର,
ଏକାନ୍ତ ହୃଦୟେ ପାଦ ପୂଜି ନିରନ୍ତର ।
ଯା’ ପ୍ରସାଦେ ଲଭିଅଛ ଭୂତଭାବୀ ଜ୍ଞାନ,
ପ୍ରତିଜ୍ଞା କରିଲି ମୁହିଁ ଧରିଣ ଶ୍ରୀନାମ ।
ଯେ ଜନ ବିରୋଧୀ ତବ ଠୁଳେ ନ ବଞ୍ଚିବ,
ଶାଣିତ କୃପାଣ ଧୀରେ ପରାଣ ହାରିବ ।
ରାଜା ମହାରାଜା ଯେହୁ ଗ୍ରୀକ୍ ସେନାପତି,
କେଶାଗ୍ର ପରଶେ ଠୁଳେ ନୋହିବ ଶକତି ।’’
ଆଶ୍ୱାସେ ସାହସ ଲଭି ପୁରୋଧା ପ୍ରବର,
ଧର୍ମ୍ମମତି ସୁଗମ୍ଭୀରେ ବିହିଲା ଉତ୍ତର ।
ଶୁଣ ଆହେ ବୀରବର, ପ୍ରାଚୀନ ବଚନ,
ନିଜେ ସେନାପତି ଏହି ବିପଦ କାରଣ ।
ଫିବସ୍ ପୁରୋଧା ନେତ୍ରେ ନିରେଖି ଆସାର,
କ୍ରୋଧଭରେ ବିହିଛନ୍ତି ଏଭୀମ ସଂହାର ।
ପ୍ରେରଣେ ବିମୁଖ ଯେତେ କାନ୍ଦ ନରବର,
ପୂତ କୃପାବେଶେ ସୁତା ରବି ସେବକର ।
ପ୍ରାର୍ଥନା ଅର୍ଚ୍ଚନା ସବୁ ବିଫଳ କେବଳ,
ଦିନେ ଦିନେ ବଢ଼ୁଥିବ ରବି ରୋଷାନଳ ।
ନନ୍ଦିନୀ ବଦନ ଚାହିଁ ହରଷ ହୃଦୟ,
ସ୍ତବେ ତୁଷ୍ଟ ପୁରୋହିତ କ୍ଷମିବ ନିଶ୍ଚୟ ।
ନୀରବେ ସୁବିର କ୍ରୋଧେ କରି ଗରଜନ,
ଭୂତଳେ ପଡ଼ିଲା ଭୂପ ତେଜି ସିଂହାସନ ।
ଥର ଥର ବିକମ୍ପିତ ଯୁଗଳ ଅଧର,
ଜଳିଲା ଅନଳସ୍ରାବୀ ଲୋଚନ ପ୍ରଖର ।
କହିଲା ଦର୍ପିତ ଶୂର କମ୍ପାଇ ଅମ୍ୱର,
ବୃଥା ଭାବୀ ବାଣୀ ତୋର ମୂର୍ଖତା ମାତର ।
ରେ ନିର୍ବୋଧ, ମିଥ୍ୟା ତୋର ଗଣନାର ଫଳ,
ସତତ ଗ୍ରୀସ୍ର ତୁହି ଘୋଷୁ ଅମଙ୍ଗଳ ।
ଅନ୍ତରେ ବିରାମ ବୀଜ କରୁଛୁ ରୋପଣ,
କରନ୍ତି ବିଶ୍ୱାସ ଯେଣୁ ମୋତେ ବୀରଗଣ ।
ଆନର ଗୌରବ-ଆଭା ଝଲସେ କି ଆଖି,
ଈର୍ଷା ପରବଷେ ଅନ୍ଧ ହେଉ ମିଥ୍ୟାସାକ୍ଷୀ ।
କ୍ରାଇସିସ୍ ଧରାଧାମେ ରମଣୀ ରତନ,
ନର୍ତ୍ତନେ ବାଦନେ ଗୀତେ ଶିଳ୍ପେ ଅନୁପମ ।
ପ୍ରସନ୍ନ ପଙ୍କଜାନନୀ ଲଳିତା ଲଳନା,
ଅନୃତ ବଚନେ ମୋରେ କରୁଛୁ ବଞ୍ଚନା ।
ବହୁ କ୍ଳେଶ ପରିଶ୍ରମେ ଲଭିଛି ଯେ ଧନ,
ତେଜିବି ତାହାକୁ ଯଦି ଦେବେ ଅପ୍ରସନ୍ନ ।
ମାନିଲି ମୋ’ ହେତୁ ଏହି ବିପଦ ଘଟନ,
ରାଜାର ଉଚିତ ସତ୍ୟ ପ୍ରଜାର ରକ୍ଷଣ ।
ବିଦେଶ ଲୁଣ୍ଠନ କଷ୍ଟ ପାଇଲି ଅପାର,
ମୋ’ ଭାଗ୍ୟ ହୋଇବ କିପାଁ ନିଷ୍ଫଳ ଅସାର ।
ତେଜିବି କାମିନୀ ଏବେ ଲଭିବ କଲ୍ୟାଣ,
ମୋ’ କ୍ଷତି ପୂରଣେ ଗ୍ରୀସ୍ କରୁ ସୁବିଧାନ ।’’
ଶୁଣି ଏକିଲିସ୍ କହେ, ‘‘ସ୍ୱାର୍ଥ ନରପତି,
ସମ୍ଭ୍ରମ ଅପେକ୍ଷା ତବ ପ୍ରିୟତର ଅତି ।
ତୁମ୍ଭଲାଗି ଗ୍ରୀକ୍ ଢାଳେ ରକ୍ତ ଆପଣାର,
ଏରୂପେ ବିନାଶ ତାର ହେଲା ପୁରସ୍କାର ।
ଛାଡ଼ି ସୁତ ସୁତା ଜାୟା ଜନକ ଜନନୀ,
ବିଫଳେ ଆସିଲା ଗ୍ରୀକ୍ ଭସାଇ ତରଣୀ ।
ଲଙ୍ଘି ଶତ ଜନପଦ ଭୀବ ପାରାବାର,
ଶେଷ ଶବଶଯ୍ୟା ତାର ବାଲୁକା ବିସ୍ତାର ।
ନବବର୍ଷ ଅକାରଣ ଦାରୁଣ କଷଣ,
ଭୀଷଣ ରୁଧିରପାତ କରି ପ୍ରାଣପଣ
ତୁମ୍ଭ ସ୍ୱାର୍ଥ ଲାଗି ନୃପ ତୁମ୍ଭ ସନମାନ-
ସକାଶେ, ତେଜଇ ପ୍ରାଣ ଗୀରିସ୍ ସନ୍ତାନ ।
ତୁମ୍ଭେ ହେ ଭୁଲିଲ ଦେଖୀ ରମଣୀର ରୂପ,
ଶତ ଆତ୍ମବଳିଦାନ, ଉଚିତ କି ଭୂପ !
ଶତ୍ରୁଦେଶ ପଦତଳେ ଦଳିତ ଲୁଣ୍ଠିତ,
ବିଚାରେ ଭୋଗିବା ସର୍ବେ ହୋଇଣ ମିଳିତ ।
କିନ୍ତୁ ନବ ଅର୍ଥ ଲୋଭ ହେ ନୃପ-ପ୍ରଧାନ,
କିଙ୍କର କରମ ସେ ତ ତବ ଅପମାନ ।
ବିତ୍ତ ଲୋଭେ ଯୁଝ ଯଦି ରଣେ ନରବର,
ଟ୍ରୟ-ଦେଶ ଜୟେ ଆଶା ପୂରିବ ସତ୍ୱର ।
ମହାବଳୀ ଗ୍ରୀକ୍ସେନା ଯୋଭ୍ କରୁଣାରେ,
ଭାଙ୍ଗିବେ ଭୂତଳେ ଫିଙ୍ଗି ଅଭେଦ୍ୟ ପ୍ରାକାରେ।’’
ବିହିଲା ଉତ୍ତର ରୂପ, ‘‘ବିଦ୍ରୂପ ଛଳରେ,
ଭୁଲାଇ ରମିବ ପରା ବ୍ରିସସ୍ ସଙ୍ଗରେ ।
ମହାବଳୀ ବୀର ତୁମ୍ଭେ ସମ ଦେବତାର,
ପ୍ରୟାସ ତୁମ୍ଭରି ପୁଣି ମୋତେ ଛଳିବାର ।
ତୁମ୍ଭରି ବଚନ ମାନି ତେଜିବି ରମଣୀ,
ତାର ସମ ମୂଲ୍ୟ ଆହେ, ପ୍ରଦାନ ଏକ୍ଷଣି ।
ଅନ୍ୟଥା ଅପରା ଦିବ୍ୟା ରମ୍ଭୋରୁ ସୁନ୍ଦରୀ,
ଅଛି ଅଧିକାର ମୋର ଆଣିବାକୁ ଧରି ।
ଏଜାକ୍ସ, ରଲେସିସ୍ ତେଜନ୍ତୁ ବନ୍ଦିନୀ,
ଅବା ଦେଇପାର ମୋତେ ତୁମ୍ଭରି କାମିନୀ ।
କର ହେ, ପ୍ରତିଜ୍ଞା,ଏବେ ଦେବି ଅନୁମତି,
ସ୍ୱଦେଶେ ବାହୁଡ଼ି ଯିବ ପୁରୋଧା-ସନ୍ତତି ।
କେହି ବୀରବର ଘେନି ନାରୀରକ୍ଷା ଭାର,
ସଜାଇ ବୋଇତ ଏବେ ହେଉ କର୍ଣ୍ଣଧାର ।
ଇଚ୍ଛା ଯଦି ତବ ମହାବୀର ଏକିଲିସ୍,
ପବିତ୍ର କୃସାକ ଯାଅ ଘେନି କ୍ରାଇସିସ୍ ।
ଅରପି କୁମାରୀ ନତଶିରେ ବୀରବର,
ଭକ୍ତ-ପୁରୋହିତ ପଦେ ପଡ଼ିବ ସତ୍ୱର ।
ଗୀରିସ୍ କଲ୍ୟାଣ ଲାଗି ଭାବନା ତୁମ୍ଭର,
ସେନାନୀ-ଜୀବନ ଦାନେ ହୁଅ ତତପର ।’’
ବିଷମ ବିଦ୍ରୂପ ଶେଳ ହୃଦୟେ ବିନ୍ଧିଲା,
ମରମେ ମରମେ ଘାରି ପ୍ରଚଣ୍ଡେ ରୁଷିଲା ।
ଅସମ୍ଭାଳ କ୍ରୋଧେ କହେ ଫିଲୁସ୍ ନନ୍ଦନ,
ବିସ୍ତାରି ଶୋଣିତ ରଙ୍ଗ ପାବକ ଲୋଚନ ।
କ୍ରୋଧେ ପ୍ରକମ୍ପିତ ତନୁ କମ୍ପିତ ବଚନ,
ଦଶନେ ଦଶନ କ୍ଷଣେ କରି ନିଷ୍ପେଷଣ ।
ତୋ’ ସମ ସ୍ୱାର୍ଥାନ୍ଧ ଆଉ କେ ଅଛି ପାମର,
ବୃଥାରେ ବୋଲାଉ ତୁହି ରାଜରାଜେଶ୍ୱର ।
ଦର୍ପଭରେ ଧରି ଶିରେ ଅହଂକାର ଭାର,
ନିତ୍ୟ ପ୍ରଜାପୁଞ୍ଜ ପରେ କରୁ ଅତ୍ୟାଚାର ।
କେ ଅଛି ଏ ଧରାଧାମେ ଆରେ ନୀଚମନା,
ତୋପରି ନୃପେଶ ବେଶେ କରେ ପ୍ରତାରଣା ?
ତୋ’ ଆଜ୍ଞା ପ୍ରମାଣେ ସତେ ଗୀରିସ୍ ସନ୍ତାନ,
ଧରିଣ କୃପାଣ ରଣେ ତ୍ୟଜିବ ପରାଣ ?
ଟ୍ରୟ୍ଦେଶବାସୀ ଦୂରେ ବସତି ଯାହାର,
କଦାଚନ କରିନାହିଁ ଆମ୍ଭ ଅପକାର ।
ରାଜ୍ୟେ ମୋର ଟ୍ରୟସେନା ନ କରେ ଗମନ,
ଅବାଧେ ସମର-ବାଜି କରେ ବିଚରଣ ।
ଜଳନିଧି ପରପାରେ ମୋ ରାଜ୍ୟ ରୁଚିର,
ଚୌଦିଗେ ବେଷ୍ଟିତ ଉଚ୍ଚ ପର୍ବତ ପ୍ରାଚୀର ।
ଶସ୍ୟ ଶ୍ୟାମଳିତ ଧରା ପୂର୍ଣ୍ଣ ଫୁଲଫଳ,
ନିବସନ୍ତି ମହାନନ୍ଦେ ଯହିଁ ପ୍ରଜାଦଳ ।
ଟ୍ରୟ୍ ନୁହେଁ ଆମ୍ଭ ଅରି ତୁମ୍ଭରି କାରଣ,
କରେ କରବାଳ ସିନା ଧରୁ ଅକାରଣ !
ତୁମ୍ଭରି କାରଣେ ବୃଥା ଢାଳିଛୁ ରୁଧିର,
ଏତେକାଳେ ପୁରସ୍କାର ଦେଲ ଆହେ ବୀର !
ଭୟ ଦରଶାଇ ସତେ କରିବ ଗ୍ରହଣ,
ଅତୀବ ଉଚିତ ମୋର ଶ୍ରମଲବ୍ଧ ଧନ ।
ଦବ ଲଭ୍ୟଧନ ସହ ତୁଚ୍ଛ ପଟାନ୍ତର,
ସମରର ପରିଶ୍ରମ ସବୁ ତ ମୋହର ।
ଅସାର ବିଫଳ ଗିରେ ତୋଷି ମୋର ମନ,
ପ୍ରତି ବିଜୟର ବସ୍ତୁ କରିଛ ଗ୍ରହଣ ।
ପ୍ରତିଯୁଦ୍ଧେ ଅସ୍ତ୍ରାଘାତ ସହିଛି ଅପାର,
ସାମାନ୍ୟ ଲୁଣ୍ଠିତ ଦ୍ରବ୍ୟ ମୋ ଭାଗ୍ୟେ ବିଚାର ।
ଆଜିଠାରୁ ବୀରବର ମଦେ ଦରପିତ,
ଏକିଲିସ୍ ନୁହେଁ ଆଉ ତବ ବଶୀଭୂତ ।
ଦେଖିବି ତେଜିଣ ମୋତେ ଆହେ ନରବର,
ଭୁଜବଳେ ଟ୍ରୟ ଜହ ହେବ କି ତୁମ୍ଭର ?
କହିଲା ସରୋଷେ ରାଜା, ‘‘ପିଲୁସ୍ କୁମର,
ତୋ’ ବୃଥା ବଚନେ ମୋର ନାହିଁ ତିଳେ ଡର ।
ଟ୍ରୟ ଜୟ ଲାଗି ସେନା ଅଭାବ ନାହିଁ,
ନିଜେ ରକ୍ଷାକର୍ତ୍ତା ମୋର ଯୋଭ୍ ସ୍ୱର୍ଗସାଇଁ ।
କେଉଁ ରାଜ୍ୟ ସହିବ ହେ ଏଡ଼େ ଅପମାନ,
ଆମ୍ଭେ ପୁଣି ମହାବଳ ଭୂପତି-ପ୍ରଧାନ ।
ବିବାହ କଳହେ ସଦା ସନ୍ତୋଷ ତୁମ୍ଭର,
ଅଜସ୍ର ଶୋଣିତ ପାତେ ହୃଷ୍ଟ ନିରନ୍ତର ।
ଅଛି ବଳ ତେଣୁ ଅତି ଗରବେ ମଗନ,
ନିମିଷେ ଦେବେଶ କରି ପାରନ୍ତି ହରଣ ।
ପଳାଅ ତ୍ୱରିତ ନୀରେ ଭସାଇ ତରଣୀ,
ନିଜ ଦେଶ ସୁଶାସନ କର ନରମଣି ।
ବୃଥା ଗର୍ବ କାପୁରୁଷ ତେଜି ମୋ ସକାଶ,
ତୁଚ୍ଛ ମାର୍ଗିଡ଼ନ୍ ଆଗେ କର ହେ ପ୍ରକାଶ ।
ଦେବତା କ୍ରୋଧାଗ୍ନି ଜ୍ୱଳେ ଜାଣିଲି ନିଶ୍ଚୟ,
ପ୍ରେରିବି ଦୁହିତା ଏବେ ପୁରୋଧା ନିଳୟେ ।
କିନ୍ତୁ ରାଜସୁତ ତୁମ୍ଭେ ଜାଣ ସୁନିଶ୍ଚିତ,
ବ୍ରୀସିସ୍ ସୁନ୍ଦରୀ ଭୋଗେ ନ ବଳାଅ ଚିତ୍ତ
ଅରପ ଚଞ୍ଚଳେ ବୃଥା ବିଳମ୍ୱେ କୁଫଳ,
ଅବଗତ ନୁହ କେତେ ସମ୍ରାଟର ବଳ ।
ସହଜେ ନଦେଲେ ପଶି ତମ ତମ୍ବୁବାସେ,
ପ୍ରକାଶି ଯୁଦ୍ଧ ବିକ୍ରମ ଆଣିବି ସକାଶେ ।
କେଡ଼େ ବଳବାନ ଗ୍ରୀକ୍ ଜାଣିବ ସେକ୍ଷଣି,
ଦେବଙ୍କ ଅଧୀନ ସିନା ଯେତେ ନରମଣି !
ରେ ବିଦ୍ରୋହୀ, ଆତ୍ମନିନ୍ଦା କରି ପୁନର୍ବାର,
କରିବୁ ପ୍ରାର୍ଥନା କ୍ଷମା ଚରଣେ ରାଜାର ।
ଏକିଲସ୍ ଦର୍ପମତି ଶୁଣି ରାଜଗିର,
କ୍ଷୋଭେ କ୍ରୋଧେ ଯୁଗତତ ଅନ୍ତରେ ଅଧୀର ।
ପରେ ପରେ ନବଭାବ ହୃଦୟେ ଉଦିତ,
କ୍ଷଣେ ମହାକୋପେ ପୁଣି କ୍ଷଣେ ଧୀରଚିତ୍ତ ।
ବାରମ୍ବାର କ୍ରୋଧ ମନେ ତୋଳେ ଉତ୍ତେଜନା,
‘‘ଖୋଲ ତରବାରି ରାଜା ଗରବ ରଖ ନା ।’’
ବିବେଚନା ପୁନଃ ହୃଦେ ହୋଇଣ ପ୍ରବଳ,
ଧଇରଜ ସ୍ନିଗ୍ଧଜଳେ ସିଞ୍ଚଇ ଶୀତଳ ।