Unknown

 

 

ଶିଶୁ ଧର୍ମନୀତି ଶିକ୍ଷା

ଚିନ୍ତାମଣି ମହାନ୍ତି

 

ପାଠରେ ମନୋଯୋଗୀ ହୁଅ,

କହିବେ ସବୁ ସୁନାପୁଅ

ସମସ୍ତେ କରିବେ ଆଦର,

ଦେବେ ମିଠେଇ ଦୁଧସର

 

ମନରେ ଭାରି ଖୁସି ହେବେ,

ସୁନ୍ଦର ବହି ଆଣି ଦେବେ,

ପାଠ ପଢ଼ିଲେ ହେବ ଭଲ,

ବଢ଼ିବ ପସନ୍ଦ ଅକଲ

 

ପାଠ ପଢ଼ିବି ହୋଇ ଶାନ୍ତ,

ଖାଇବି ଯାଇ ଦୁଧ ଭାତ

ପାଠ ପଢ଼ିବା ବଡ଼ ମଜା,

ଘରେ ମିଳିବ ମାଛ ଭଜା

 

ନ ବୁଲି ପଢ଼େ ବନମାଳୀ,

ତା ବାପ ଦେଲା ସୁନାମାଳୀ

ଖାଇବି ନାହିଁ ପିକା ପାନ

କାନ ମୋଡିବେ ଅବଧାନ

 

ଯେ ପିଲା ଦୁଷ୍ଟା କଳିହୁଡା,

ଖାଏ ସେ ଗୋଇଠା ଚାପୁଡ଼ା

ଚରିତ୍ର ରଖିବି ନିର୍ମଳ,

ଯେପରି ସଫା ଗଙ୍ଗାଜଳ

 

ଖରାପ ଯାହାର ବେଭାର,

କେବେ ନ ହେବି ସାଙ୍ଗ ତାର

ବାପ ମା ଠାକୁର ମୋହର,

ମୁଁ ତାଙ୍କ ଚରଣେ ଚାକର

 

ଲୁଗା ମସିଆ ନ କରିବି,

ଦେହ ସୁତୁରା ରଖିଥିବି

ଦୁକୁତା ପ୍ରାଣମରା ବିଷ,

ଛୁଇଁବି ନାହିଁ ସେ ଜିନିଷ

ଯାଉ ପଛକେ ଫାଟି ମଥା,

ନିଶ୍ଚେ କହିବି ସତ କଥା

ପଣ୍ଡା ପୁଅଟା ଭାରି ରାଢ଼,

ପାଠ ନ ପଢ଼େ ଖାଏ ମାଡ

 

ସକାଳେ ଯୋଡି ମୁଁ କରକୁ,

ଜୁହାର ହେବି ଠାକୁରଙ୍କୁ

ନ ଦେବି ପର ଦ୍ରବ୍ୟେ ହାତ,

ଅଧର୍ମ ଅନ୍ୟାୟ ତାହା ତ

 

ହେବି ନାହିଁ ମୁଁ ନିଦାମୂର୍ଖ,

ମା ବାପେ ଦେବି ନାହିଁ ଦୁଃଖ

ହିଂସା କରିବା ମହାପାପ,

ହିଂସ୍ରକ ଏକା ତମ୍ପ ସାପ

 

ନିତି ଶିଖିବି ନୂଆ ପାଠ,

ହେବି ମୁଁ ତେବେ ବଡ଼ ଚାଟ

ଭିକାରିକି ଦେଲେ ଭିକ ମୁଠିଏ,

ଆଇଷ ବଢ଼ିବ ସିନା କୋଟିଏ

 

ସବୁବେଳେ ମିଠା କଥା କହିବି,

ତେବେ ସମସ୍ତଙ୍କ ମନ କିଣିବି

ପଢ଼ିବାକୁ ଯିବି ନ ବସି ରୁଷି,

ବାପ ମାଆ ହେବେ ବହୁତ ଖୁସି

 

କେବେ ନ କରିବି ଦୁଷ୍ଟାମି କିଛି,

ଦୁଷ୍ଟକୁ ସମସ୍ତେ କରନ୍ତି ଛି ଛି

ପାଠ ପଢ଼ି ହେବି ହୁନ୍ଦରବାଜ,

ଗଢ଼ିବି ମଟର ଉଡାଜାହାଜ

 

ପୂର୍ବପୁରୁଷଙ୍କ ପଦାଙ୍କ ସେବି,

ବଡ଼ ହେଲେ ମୁହିଁ ଶିଳିପୀ ହେବି

ନୂଆ ଚାରୁଶିଳ୍ପ କରି ସୃଜନ,

ଅର୍ଜିବି ବହୁତ ପ୍ରଶଂସା ଧନ

 

ପାଠ ମୋ କଣ୍ଠର ସୁନା ପଦକ,

ପାଠ ପଢ଼ି ହେବି ଦେଶସେବକ

କୃଷିରୁ ଉପୁଜେ ସିନା କନକ,

ପାଠ ପଢ଼ି ମୁହି ହେବି କୃଷକ

 

ବେପାରରୁ ମିଳେ ଲାଭ ଅପାର,

ବଢ଼ିଲେ କରିବି ଭଲ ବେପାର

ଚାକିରିରେ ତୁଟେ ଦେହର ଶିରୀ,

କରିବି ନାହିଁ ମୁଁ କେବେ ଚାକିରୀ

 

ଚାକିରୀ ପାଇଁ ମୁଁ ନ ହେବି ବାଇ,

ପର ଗୋଡେ ତେଲ ଘଷିବି ନାହିଁ

ନ ହେବି ଚାକିରୀ ଲାଗି ଛାନିଆଁ,

ଆପଣା ଗୋଡ଼ରେ ହେବି ମୁଁ ଠିଆ

 

ପର ଗୋଡ଼ତଳେ ମୁଣ୍ଡ ନ ଗୁଞ୍ଜି,

ସ୍ୱାଧୀନ ବେଉସା ଧରିବି ଖୋଜି

ବଡ଼ଲୋକ ହୋଇ ନ ତୋଳି ଗଡ଼,

କରିବି ମୁଁ ସଦା ସାନକୁ ବଡ଼

 

ନ ବସିବି ତୁଚ୍ଛା ଅଳସ କରି,

ଅଳସୁଆ ଲୋକ ମୁର୍ଦାର ପରି

ଶରୀରକୁ ଭାର ଭାତୁଡି ଆବୁ,

ସମାଜକୁ ଭାର ନିଖଟୁ ବାବୁ

 

ପାଠ ନ ପଢ଼ିଲେ ହେବି ଯେ ମୁର୍ଖ,

ଜୀବନେ ଭୁଞ୍ଜିବି ଅଶେଷ ଦୁଃଖ

ଭାଇ ଭଉଣୀଙ୍କି ଜୀବନ ପରି,

ଆଦର କରିବି କୋଳରେ ଧରି

 

ଲଗାଇବି ନାହିଁ କଜିଆଗୋଳ,

ହେବି ନାହିଁ କେବେ ଦୁଷ୍ଟ ବିଟୋଳ

କେବେ ନ କହିବି କାହାକୁ ମନ୍ଦ,

ଖଚ ପରନିନ୍ଦା ବଡ ଦୁର୍ଗନ୍ଧ

 

ଗାଳିଦେବି ନାହିଁ କାହାକୁ ଚଳି

ନ କରିବି ଘରେ ଅକଟ ଅଳି

ରଜାକୁ ପୂଜନ୍ତି ପ୍ରଜା, ଚାଟୁଆ,

ଜଗତରେ ପୂଜା ପାଏ ପାଠୁଆ

 

କାଞ୍ଜି ଖୁଦପିତା ତୋରାଣି ପେଜ

ଚାରିହେଁ ବଢ଼ାନ୍ତି ଜାତୀୟ ତେଜ

ତାସ ପଶାଖେଳ ଖରାପ ଭାରି,

ଦଣ୍ଡକେ କରିବ ଦାଣ୍ଡ ଭିକାରୀ

 

କରିବି ଗୋରୁକୁ ସ୍ନେହ ମମତା,

ରୋମ ଗୋଟିକେ ତା କୋଟି ଦେବତା

ଚଢ଼େଇ ପାଳିବା ନାଙ୍କରା କଥା,

ପାଳି ନ ଜାଣିଲେ ଲାଗିବ ହତ୍ୟା

 

ନାରୀଙ୍କ ଭୂଷଣ ଗହଣା ପାଟ,

ପୁରୁଷର ଏକା ଭୂଷଣ ପାଠ

ନେହୁରା ହୋଇ କା ଗୋଡ଼ ନ ଚାଟି,

ଆପଣା ଶିଙ୍ଗରେ ଖୋଳିବି ମାଟି

 

ଖଳର ସ୍ୱଭାବ ବଦରୀ ଫଳ,

ଭିତରେ କଠୋର ବାହ୍ୟ କୋମଳ

ନଡିଆ ପରାଏ ସାଧୁ ସୁଜ୍ଞାନୀ,

ବାହାର ପଥର ଭିତର ପାଣି

 

ଦୁର୍ଜନ ନ ଛାଡ଼େ ଦୁଷ୍ଟ ସ୍ୱଭାବ

ନିମ ଗଛରେ କି ଫଳିବ ଆମ୍ବ

ଯାଉ ହୋଇଯାଏ ରାନ୍ଧିଲେ ଖୁଦ,

ଯାଉ ନୁହେଁ ତାହା ସିଂହୀର ଦୁଧ

 

ସେହି ଦୁଧ ପିଇ ଓଡିଆ ଜାତି,

ଗଣୁଥିଲେ ନାହିଁ ଦନ୍ତାଳ ହାତୀ

ପଢ଼ିବି ଆଦରେ ବିଦେଶୀ ପାଠ,

ବିଦେଶୀ ପ୍ରଥାର ନ ହେବି ଚାଟ

 

ଅନ୍ୟର ପଛକେ ନୋହୁ ପସନ୍ଦ,

ନ କହିବି କୁଳରୀତିକୁ ମନ୍ଦ

କଥା କହୁଥିବି ନିଜକୁ ଚାହିଁ,

କାହା ରୂପଗୁଣ ବାଛିବି ନାହିଁ

 

ସବୁଠାରୁ ସୁଖୀ ଅଋଣୀ ଜନ,

ଚିର ହାହାମୟ ଋଣୀ ଜୀବନ

ଦରିଦ୍ର ପଡିଶା ମରେ ଉପାସେ,

ସୁଖ ଭୁଞ୍ଜେ ଧନୀ ସୁନା-ଉଆସେ

 

ଲକ୍ଷ ଲକ୍ଷ ଯାଏ ମଉଜେ ଉଡି,

ଦେଶ ପାଇଁ ନାହିଁ ବାଣୀ କଉଡି

ଧନୀଙ୍କର ଏହି ହୀନ ବେଭାର,

ଦେଖିଲେ ଉପୁଜେ କ୍ଷୋଭ ଅପାର

 

ଦେଶରୁ ଗୋଟାଇ ଖାଅ ସଭିଏଁ,

ଦିଅ ଭଲା ତାକୁ ପଇସାଟିଏ

ସାନ ବଡ଼ ନାହିଁ ଧର୍ମ ଭିତରେ,

ସବୁ ଧର୍ମ ଏକ ହେଜ ଚିତ୍ତରେ

 

ସକଳ ଧର୍ମର ଲକ୍ଷ୍ୟ ଈଶ୍ୱର,

ଧର୍ମ ମଧ୍ୟେ ନାହିଁ ଶ୍ରଷ୍ଠ ଇତର

ନିନ୍ଦନୀୟ ନୁହେଁ ପର ଧରମ,

ଧର୍ମମାତ୍ରେ ପୂଜ୍ୟ ପବିତ୍ରତମ

 

ମୂର୍ତ୍ତିପୂଜା ନୁହେଁ ଅସାର ଭଳି,

ଧର୍ମ-ଶିଢ଼ୀର ସେ ପ୍ରଥମ ଫଳି

ସର୍ବଦେହେ ଅଛି ଈଶ୍ୱର ସତ୍ତା,

ସକଳେ ଈଶ୍ୱର, ନୁହେଁ ଅନ୍ୟଥା

 

ନ ଚାହିଁବି ପଢ଼ାବେଳେ କେଣିକି,

ମନ ଦେବି ନାହିଁ ଏଣି ତେଣିକି

ଉଦ୍‌ଯୋଗୀ ଭାଗ୍ୟରେ ଘଟେ ଶ୍ରୀଲାଭ,

ଅଳସୁଆ ଭୁଞ୍ଜେ ସଦା ଅଭାବ

 

ନ ରଖିବି ଆଜି କାମ କାଲିକି,

ସମୟେ ଚଢ଼ିବି ସୁନାପାଲିଙ୍କି

ବରଞ୍ଚ ସବୁଠୁଁ ହେବି ଉତ୍ତମ,

ନ ହେବି କଦାର ନୀଚ ଅଧମ

 

କୁଚିନ୍ତାକୁ ମନେ ନ ଦେବି ସ୍ଥାନ,

କରିଦିଏ ସେହି ମନକୁ ସାନ

ମନକୁ ରଖିବି ନିଜ ଅଧୀନେ,

ମନଜିଣା ବୀର ଜଗତ ଜିଣେ

 

ବ୍ରହ୍ମଚର୍ଯ୍ୟ ପାଳି ଅର୍ଜିବ ବଳ,

ନ ହେବି ସନ୍ଥିଆ ଚେମା ଦୁର୍ବଳ

ଦେଶଭୃତ୍ୟ ଜନ ଜାତି- ସମ୍ପଦ

ରାଜାଠାରୁ ବଳି ଗୌରବାସ୍ପଦ

 

ପୁଣ୍ୟବନ୍ତ କରେ ସ୍ୱଦେଶ-ସେବା,

ଭବେ ଭାଗ୍ୟଧର ତା’ପରି କେବା

ଦେବଦେଶ ଆମ ଜନମଭୂମି,

ଦେବେ ଧନ୍ୟ ତାହା ଚରଣ ଚୁମି

 

ମହାପୂଣ୍ୟେ ମିଳେ ଜନ୍ମ ଏ ଦେଶେ,

ରଖିବି ଏ ଦେଶ ଟେକ ବିଶେଷେ

ଉପଯୁକ୍ତ ଗୁଣ କରି ଅର୍ଜନ,

ସ୍ୱଦେଶର ହେବି ଯୋଗ୍ୟ ନନ୍ଦନ

 

ପୂର୍ବପୁରୁଷଙ୍କ ଗରିମା ଖ୍ୟାତି,

ଅଗ୍ନିରାଗେ ଗାଇ ଫୁଲାଇ ଛାତି

ତାଙ୍କ ଅଗ୍ନିମନ୍ତ୍ରେ ହୋଇ ଦୀକ୍ଷିତ,

ଦେଶର ପୁଅ ମୁଁ ହେବି ନିଶ୍ଚିତ

 

ପୂର୍ବପୁରୁଷଙ୍କ କାର୍ଯ୍ୟକରଣ,

କରିବି ସର୍ବଥା ଅନୁକରଣ

ପୂର୍ବ ପୁରୁଷଙ୍କ ଅମର ଯଶ,

ସବୁକାଳେ ଆମ ଉଚ୍ଚ ଆଦର୍ଶ

 

ଆମ ଶୁଭାଦର୍ଶ, ମଙ୍ଗଳ ଲକ୍ଷ୍ୟ

ଦେଖାଏ ଦେଉଳ ବିସ୍ତାରି ବକ୍ଷ

ଆମ ଶୁଭାଦର୍ଶ ଗିରି ଗହ୍ୱରେ,

ଡାକୁଛି ଆମକୁ ଶତମୁଖରେ

 

ଆମ ଶୁଭାଦର୍ଶ ସାଗର ପୃଷ୍ଠେ,

ତରଙ୍ଗେ ତରଙ୍ଗେ ନାଚିଣ ଉଠେ

ଆମ ଶୁଭାଦର୍ଶ ଗହନ ବନେ,

ତପ ଆଚରୁଛି ଏକାନ୍ତ ମନେ

 

ପ୍ରଭୁ ଜଗନ୍ନାଥ ନୀଳ ନିକଷ,

ସାମ୍ୟ ଏକତାର ପୂର୍ଣ୍ଣ ଆଦର୍ଶ

ଅଛି ତାର ଏତେ ସୁଯୋଗ ଭାଇ,

ଧନ୍ୟ ହେବ ବିଶ୍ୱେ ଶକ୍ତି ଦେଖାଇ

 

ସ୍ୱଦେଶକୁ ଦେଲେ ପଇସାଟିଏ,

ଫେରି ଆସିବ ସେ ହୋଇ କୋଟିଏ

ପ୍ରଭାତେ ସନ୍ଧ୍ୟାରେ ନିତି ଦି ବାର,

ଜନମଭୂମିକୁ ହେବି ଜୁହାର

 

ମାତୃଭାଷା ପାଦ ପୁଜିବି ନିତି,

ଗାଇବି ତାହାର ଗୌରବ-ଗୀତି

ମାନବ ବିଶ୍ୱକୁ ଚଳାଏ ଭାଷା,

ଭାଷାମୂଳେ ସବୁ ଭରସା ଆଶା

 

ଅକ୍ଷର-ଦେବତା, ଶବଦ-ବ୍ରହ୍ମ,

ପୂଜିଣ ଲଭିବି ଅକ୍ଷୟ ଧର୍ମ

ପର ଭାଷା ପଛେ ହେଉ କୁରୁପ,

ନ କରିବି ତାକୁ ଅଟା ବିଦ୍ରୂପ

 

କଲେ ଆନ ଭାଷା ନିନ୍ଦା ବଖାଣ,

ବ୍ରହ୍ମନିନ୍ଦା ପାପ ଘୋଟିବ ଜାଣ

କେହି ନୁହେଁ ବଡ ବେ ନୁହେଁ ସାନ,

ସର୍ବେ ପୂଜ୍ୟ ନିଜ ଭାଷା ସମାନ

 

ଭାଷାକୁ କରେ ଯେ ଘୃଣା ଅବଜ୍ଞା,

ପଶୁଠାରୁ ହୀନ ତାହାର ସଂଜ୍ଞା

ଭୋଜନେ ପଠନେ ନ କରି ଲଜ୍ଜା,

ସୁନାପୁଅ କୁଳେ ହେବି ମୁଁ ରଜା

 

ଲଜ୍ଜା କଲେ ସିନା କ୍ଷତି ନିଜର

ପଉରୁଷ ତହିଁ ନାହିଁ ନିକର

ବଡ ହେଲେ ମୁହିଁ ଅର୍ଜିବି ଧନ,

କରିବି ଗ୍ରାମର ହିତ ସାଧନ

 

ପାନୀୟ ଜଳର ସୁବିଧା ପାଇଁ,

ଦେବି କେତେ ଗୋଟା କୂଅ ଖୋଳାଇ

ମେଣ୍ଟାଇବି ଦୀନ- ଦୁଃଖୀ ଗରଜ,

ବିନା ସୁଧେ ଦେଇ ଟଙ୍କା କରଜ

 

ପାଠଘରେ ପୋଥି ରଖିବି ଥୋକେ,

ଅବସର ବେଳେ ପଢ଼ିବେ ଲୋକେ

କରିବି ଏଭଳି ଅନେକ କାମ,

ଆମ ଗ୍ରାମ ହେବ ଆଦର୍ଶ ଗ୍ରାମ

 

ବିନୟୀ ହେବି ମୁଁ ସୀମାରେ ରହି,

ମାତ୍ର ହେବି ନାହିଁ ଅତିବିନୟୀ

ଅତି ଶବଦଟା ଅତି ନିକୃଷ୍ଟ,

ଯାହାକୁ ଛୁଇଁବ ହେବ ସେ ଦୃଷ୍ଟ

 

ନିଶା ଅମଳଟା ବଦଅଭ୍ୟାସ,

ଦେହୁ ସାର କୋରି କରେ ସେ ଗ୍ରାସ

ପ୍ରତିଜ୍ଞା କରୁଛି ଧର୍ମକୁ ଚାହିଁ,

ଜୀବନେ ନିଶା ମୁଁ ଛୁଇଁବି ନାହିଁ

 

ସଞ୍ଜବେଳେ ବସି ଦାଣ୍ଡ ପିଣ୍ଡାରେ,

ପାଠ ଡାକିବି ମୁଁ ଯଥାପ୍ରକାରେ

ପାସୋରି ନ ଯିବି ପୁରୁଣା ପଢ଼ା,

ନ ଖାଇବି କେବେ କାନ ରଗଡ଼ା

 

ଦେଶୀୟ ଶିଳ୍ପର ଅଣ-ଆଦର

କଲେ ତୁଟିଯିବ ଶିରୀ ଦେଶର

ବୁଡିଯିବ କ୍ରମେ ଜାତୀୟ କଳା,

ବ୍ୟଙ୍ଗ ଛାଞ୍ଚେ ହେବ ସ୍ୱଦେଶ ଢ଼ଳା

 

ନିଜ ହାତରେ ମୁଁ ଧରି ଲଙ୍ଗଳ,

ମୁଲିଆଙ୍କ ପରି କରିବି ହଳ

ହଳକାମ ନୁହେଁ ନିକୁଛ କାମ,

ଗୌରବେ ବହିବି ହଳିଆ ନାମ

 

ହଳ କଲେ କିଁପା ମାଡିବ ଲାଜ,

ହଳ କରୁଥିଲେ ଜନକରାଜ

ପୁଣ୍ୟ କାମ ତାହା ନୁହେଁ ତ ପାପ,

ଭୂଇଁ ଚଷୁଥିଲେ ବୁଧଙ୍କ ବାପ

 

ଏଡ଼େ ଲୋକଙ୍କର ଯହିଁ ଆଦର,

ସେ ଆଦର୍ଶ ନିଶ୍ଚେ ଉନ୍ମଚତର

ନ ଦେଇପାରିଲେ ଦରିଦ୍ରେ ବିତ୍ତ,

ମିଠା କଥା କହି ହରିବ ଚିତ୍ତ

 

ସମସ୍ତଙ୍କ ଦେହେ ଅଛନ୍ତି ହରି,

ସଭିଙ୍କି ମଣିବ ଆପଣା ପରି

ସବୁବେଳେ ଏକା କହିବ ସତ,

ସତ କହିଲେଟି ବଢ଼େ ମହତ

 

ଦେହକୁ ରଖିବା ପ୍ରଧାନ କର୍ମ,

ଦେହ ଥିଲେ ସିନା ଅର୍ଜିବ ଧର୍ମ

ପ୍ରାଣୀକୁ ବିପଦୁଁ ଉଦ୍ଧାର କର,

କଲ୍ୟାଣ କରିବେ ପରମେଶ୍ୱର

 

ହିଂସା ନ କରିବ କେବେ ଟିକିଏ

ନ ମାରିବ କ୍ଷୁଦ୍ର ପିମ୍ପୁଡିଟିଏ

ସେବା କରି ଗୁରୁଜନଙ୍କୁ ତୋଷ

କ୍ଷମା ମାଗ, ଥିଲେ ସାମାନ୍ୟ ଦୋଷ

 

ଗୁଣିଜନ ପଛେ ହେଉ ଇଚର,

କରିବ ତାହାକୁ ଶ୍ରଦ୍ଧା ଆଦର

ସଦା ସାଧୁ ଭାଷା ମୁଖେ ଭାଷିବ,

କୁବାକ୍ୟେ ଅଶୁଦ୍ଧ ନ କର ଜିଭ

 

ଜୀବନରେ ଯେବେ ମଙ୍ଗଳ ଇଚ୍ଛ,

ଭ୍ରମେ ବା ଥଟାରେ ନ କହ ମିଛ

ମିଛ କହିବାଟା ଭାରି ଖରାପ,

ମିଛରୁ ଉପୁଜେ ଭୀଷଣ ପାପ

 

ପର ଉପକାରେ ଅର୍ଜିବ ଧର୍ମ,

କେବେ ନ କରିବ ନିନ୍ଦିତ କର୍ମ

ଗେଲରେ ନ କହ ଖରାପ କଥା,

ନଇଁପଡେ ତହିଁ ନିଜର ମଥା

 

ଥରେ ଉପକାର କରିଥିବ ଯେ,

ନ ଭୁଲିବ ତାକୁ କେବେ ସହଜେ

ଦେବଶକ୍ତି ପରି ରାଜାଙ୍କ ଶକ୍ତି,

ସର୍ବଦା କରିବ ତାହାଙ୍କୁ ଭକ୍ତି

 

ଛୋଟା, କେମ୍ପା, କଣା, କୁଜା, ଗୋଦରା-

ଦେଖି ନ କରିବ ଥଟା ଟାପରା

ପର ମନେ ଯହିଁ ଲାଗିବ ବ୍ୟଥା,

ନ କହିବ କେବେ ସେ ଭଳି କଥା

 

ସମସ୍ତଙ୍କ ବାପ ମାଆ ଈଶ୍ୱର

ଭକ୍ତିରେ ତାହାକୁ ଜୁହାର କର

ପ୍ରଭୁ ଦେଇଛନ୍ତି ଦେହ ଜୀବନ,

ସବୁବେଳେ କର ତାଙ୍କୁ ସ୍ମରଣ

 

ଈଶ୍ୱର ଅଟନ୍ତି ଜଗତ- ସୃଜା,

ମନେ ଧ୍ୟାନେ ତାଙ୍କୁ କରିବ ପୂଜା

ଶକ୍ତି ଅନୁସାରେ କରିବ ଦାନ,

ଦାନଠାରୁ ନାହିଁ ପୂଣ୍ୟ ମହାନ

 

ଧନେ ମାନେ ରୂପେ ନ କର ଗର୍ବ,

ନ ରହିବ ସବୁଦିନେ ସେ ସର୍ବ

ଧର୍ମରେ ଲୋକର ହୁଏ ଉନ୍ନତି,

ଅଧର୍ମରେ ହୁଏ ତଳକୁ ଗତି

 

ଭଲ ବହି ପଢ଼ ପିଲା ବୟସୁ,

ମନ୍ଦ ବହି ପଢ଼ି ନ ହୁଅ ପଶୁ

ବ୍ୟାୟାମରେ ବଢେ ଦେହର ବଳ,

ସୁଶିକ୍ଷାରେ ମନ ହୁଏ ପ୍ରବଳ

 

ଜନକ ଦେବତା ଜନନୀ ଦେବୀ,

ଧର୍ମ ଅର୍ଜ ତାଙ୍କ ଚରଣ ସେବି

ଜ୍ଞାନ ଲାଭ ହୁଏ ଗୁରୁ କୃପାରୁ,

ଗୁରୁ ନିଶ୍ଚେ ବଡ ପିତାଙ୍କଠାରୁ

 

ମନ ଦେଇ ଭଲ କଥା ଶୁଣିବ,

ମନ୍ଦ କଥା ହେଲେ କାନ ବୁଜିବ

ବିପଦ ସଙ୍ଗରେ କରି ଲଢ଼ାଇ,

ଆଣିବ ତା ହାତୁ ଶ୍ରେୟ ଛଡାଇ

 

ସତିଆ ନ ଡରେ କାହାକୁ କେବେ,

ସତିଆକୁ ବଳ ଦିଅନ୍ତି ଦେବେ

ନ ଥାଏ ମିଛୁଆ ଦେହେ ହେମନ୍ତ,

ଥରୁଥାଏ ସଦା ଡରେ ତା ଅନ୍ତ

 

ଘଟୁ ପଛେ ଯେତେ ବାଧା ବିପତ୍ତି,

ରଖିଥିବ ସଦା ସ୍ୱଧର୍ମେ ମତି

ସାଧୁ ନ ପାଲଟେ ବିବେକ- ହଜା,

ଭଷୁନା ଧାନରୁ ହେବ କି ଗଜା

 

ଅଖଣ୍ଡ ରଖିବ ଧର୍ମବିଶ୍ୱାସ,

ବହୁଥିବା ଯାଏଁ ଶେଷ ନିଃଶ୍ୱାସ

 

ପବନ ରଖିଛି ପ୍ରାଣ ଆମ୍ଭର,

ଦେବତା ସେ, ତାକୁ ପ୍ରଣାମ କର

ଜଳ ତ ବହିଛି ଜୀବନ ନାମ,

ଦେବ ଜ୍ଞାନେ ତାକୁ କର ପ୍ରଣାମ

 

ମାଟି ଦେବୀ ଦିଏ ନିତି ଆହାର,

ମାଟି-ମାଆଟିକି କର ଜୁହାର

ପାକ ପୁଣି ଜୀର୍ଣ୍ଣ କରେ ଅନଳ,

ପୂତ ଅଗ୍ନି ଦେବ ପଦ- କମଳ

 

ମହାକାଶ ଧରେ ମହା ଶକତି,

ମହତ୍ତ୍ୱକୁ ତାର କର ପ୍ରଣତି

ପରପାଇଁ ଯେହୁ ଧରଇ ପ୍ରାଣ,

ଦେବ ଆଖ୍ୟା ତାର ସ୍ଥୁଳରେ ଜାଣ

 

ଦେବତା ଉପରେ ମହା ଦେବତା,

ଅଟନ୍ତି ଏକା ସେ ବିଶ୍ୱ- କରତା

ମନେ ମନେ ତାଙ୍କୁ କରି ସ୍ମରଣ,

ପୂଜିବ ତାଙ୍କର ପୁଣ୍ୟ ଚରଣ

 

କର ପଛେ ଜପତପାଦି କର୍ମ,

କର୍ତ୍ତବ୍ୟ ସାଧନ ପ୍ରଧାନ ଧର୍ମ

ଚଳିବ ସମାଜ ଶାସନ ମାନି,

ନ ହେଲେ ଘଟିବ ବିଷମ ହାନି

 

ବିନ୍ଧ୍ୟ ହିମାଳୟ ଜାହ୍ନବୀ ରେବା,

ସର୍ବେ କରୁଛନ୍ତି ପ୍ରକୃତି ସେବା

ଡେଣା ବିଞ୍ଚି ସେବା କରେ ପବନ,

ସମସ୍ତଙ୍କ ପିଣ୍ଡେ ଦିଏ ଜୀବନ

 

ଚନ୍ଦ୍ର ସୂର୍ଯ୍ୟ ବିଶ୍ୱସେବାରେ ରତ,

ସେବା ଏକା ତାଙ୍କ ମହତ ବ୍ରତ

ସେବାଠାରୁ ନାହିଁ ସହଜ ଧର୍ମ,

ଜନସେବା କର ବହାଇ ଘର୍ମ

 

ବହୁ ପଥେ ଛନ୍ଦା ଧର୍ମ ଜଗତ,

ସବୁଠାରୁ ସେବା ସରଳ ପଥ

ସକଳ ଦେବତା ପ୍ରଭୁଙ୍କ ଅଂଶ,

ପ୍ରଭୁ ଜ୍ଞାନେ ତାଙ୍କ ଶରଣ ପଶ

 

ଲକ୍ଷ୍ମୀ ଈଶ୍ୱରଙ୍କ ଧନଦା ଶକ୍ତି,

ସର୍ବଦା ତାହାଙ୍କୁ କରିବ ଭକ୍ତି

ଜ୍ଞାନଦା ଶକତି ଶ୍ରୀସରସ୍ୱତୀ,

କର ତାଙ୍କ ପଦେ ସ୍ତୁତି ପ୍ରଣତି

 

ସଂହାରିଣୀ ଶକ୍ତି କାଳିକାଦେବୀ,

ପୂଣ୍ୟ ଅର୍ଜ ତାଙ୍କ ପୟରୁ ସେବି

ଯେଉଁ ଦେବତାଙ୍କୁ ଅର୍ଚ୍ଚନା କର,

ସେ ପୂଜା ପାଆନ୍ତି ନିଜେ ଈଶ୍ୱର

 

ଅଳ୍ପ ବୟସରେ ହୋଇଲେ ବିଭା,

ମାଟି ହୋଇଯାଏ ତୀକ୍ଷ୍‌ଣ ପ୍ରତିଭା

ଆଚରିବ ବ୍ରହ୍ମଚର୍ଯ୍ୟ ସୁବ୍ରତ,

ହେବ ସଦା ସୁସ୍ଥ ପ୍ରତିଭାବନ୍ତ

 

ନାରୀ ସମସ୍ତଙ୍କ ମାତା ସମାନ,

ମାତା ପରି ତାଙ୍କୁ କର ସମ୍ମାନ

ଦେବୀ ଜାତି ନାରୀ ସିନା ସୃଷ୍ଟିରେ,

ନ ଦେଖିବ ତାଙ୍କୁ ହୀନ ଦୃଷ୍ଟିରେ

 

ନାରୀ ଆଦିଶକ୍ତି ସ୍ନେହ ଆକର,

ନ ମଣିବ ତାଙ୍କୁ ନୀଚ ଇତର

ନାରୀ ଯାହା ନେତ୍ରେ ନିକୁଚ୍ଛ ଦିଶେ,

ନାରୀଗର୍ଭୁ ଜନ୍ମ ହୋଇ ନାହିଁ ସେ

 

କ୍ରୋଧ ମାନବର ରିପୁ ଭୀଷଣ,

ଅଖଡ଼କେ ତହିଁ ଘଟେ ମରଣ

କ୍ରୋଧଠାରୁ ନାହିଁ ନିନ୍ଦିତ କର୍ମ,

କ୍ରୋଧେ ନଷ୍ଟ ହୁଏ ଅର୍ଜିଲା ଧର୍ମ

 

ସହ୍ୟଗୁଣେ କର କ୍ରୋଧକୁ ଜୟ,

ବୀର ତୁମ୍ଭେ, ତାକୁ ନ କର ଭୟ

ଲୋଭ ନ କରିବ ପର ଦ୍ରବ୍ୟରେ,

ଲୋଭ ତଣ୍ଟି ଚିପି ମାରିବ ଖରେ

 

ଲୋଭରୁ ଉପୁଜେ ଭୀଷଣ ପାପ,

ଦଂଶିବ ହୋଇ ସେ ଗୋକ୍ଷୁର ସାପ

ପରଶିରୀ ଦେଖି ନୁହୁଁ ବିକଳ,

ଠାକୁରେ କରିବେ ତୁମ୍ଭ ମଙ୍ଗଳ

 

ଦାନ ଯୋଗେ ମିଳେ ସ୍ୱର୍ଗରେ ସ୍ଥାନ,

କିନ୍ତୁ ଯୋଗ୍ୟ ପାତ୍ରେ କରିବ ଦାନ

ଦାନପାତ୍ର ଯେବେ ନ ମିଳେ କାହିଁ,

ସମୁଦ୍ରରେ ଜଳ ଢ଼ାଳିବ ନାହିଁ

ବାଳକାଳୁ କର ଧର୍ମ ସଞ୍ଚୟ,

ସାଧନାର ତାହା ଯୋଗ୍ୟ ସମୟ

ପାଣି ଡୋରରେ ତ ଜୀବନ ଛନ୍ଦା,

ଧର୍ମ ପାଇଁ ନାହିଁ ବୟସ ବନ୍ଧା

 

ଆବାଲ୍ୟ ଅଭ୍ୟାସ ହୋଇ ପାକଳ,

କ୍ରମେ କ୍ରମେ ହୁଏ ଦୃଢ଼ ପ୍ରବଳ

ସେ ଅଭ୍ୟାସ ପୁଣି ଆପଣା ଛାଏଁ,

ପ୍ରକୃତି ରୂପରେ ବଦଳିଯାଏ

 

ପୀଡିତ ସେବାରେ ପୁହାଅ ରାତି,

ନ ବାରିବ କେବେ ଜାତି ଅଜାତି

ଆର୍ତ୍ତ ଜନେ କହି ମିଷ୍ଟ ବଚନ,

କରିବ ତାହାର ବ୍ୟଥା ମୋଚନ

 

ପୋଛିଦେଇ ଦୀନ- ସେତ୍ରୁ ଲୋଚକ

ଜୀବନ ଜନମ କର ସାର୍ଥକ

ସ୍ୱହସ୍ତରେ କରି ବୃକ୍ଷ ରୋପଣ,

ପୁତ୍ର ପରି କର ପ୍ରତିପାଳନ

 

ବଢ଼ିଲେ ସେ ବୃକ୍ଷେ, ସକଳ ଜୀବେ,

ଛାୟା ଫଳ ଦାନେ ସଦା ତୋଷିବେ

ସେ ଦାନର ପୁଣ୍ୟ ହେବ ତୁମ୍ଭରି,

କେତେ ବାଗେ ଦାନ ଅଛି ଏପରି

 

ଦାନେ ରତ ହୁଅ ଆନେ ନ ଚାହିଁ,

ଦାନଠାରୁ ବଳି ତପସ୍ୟା ନାହିଁ

ଶାଶୁବୋହୂ କଳି କେଳା ସୁଆଙ୍ଗ,

ଅଶ୍ଲୀଳ ସୁସ୍ତକ ବର୍ଜିବ ଆଗ

 

ହିନ ବହି ପୁର୍ଣ୍ଣ ବିବିଧ ଦୋଷେ,

କୁସଙ୍ଗୀ ପରାଏ ଚରିତ୍ର ଶୋଷେ

ନୀତି ଧର୍ମ ଗ୍ରନ୍ଥ କରିବ ପାଠ,

ନ କରିବ ବିନା ସୂତାରେ ହାଟ

 

ଶ୍ରୀ ମହାଭାରତ ନୁହେଁ ଅଡ଼ୁଆ,

ଯେତେ ପଢ଼ୁଥିବ ତେତେ ସେ ନୁଆ

ପଢ଼ ଶୁଣ ଶାସ୍ତ୍ର ପୁରାଣ ବାଣୀ,

ଧର୍ମ ଆଡ଼େ ମନ ନିଏ ସେ ଟାଣି

 

ସମାଜକୁ ଧର୍ମ ରଖିଛି ଧରି,

ଚଳୁଛି ସଂସାର ଧର୍ମେ ନିର୍ଭରି

ଧର୍ମରେ ହେଉଛି ଦିବା ରଜନୀ,

ଧର୍ମରେ ସହିଛି ଭରା ଅବନୀ

 

ଧର୍ମେ ରୁଦ୍ଧ ସିନ୍ଧୁ ବିରାଟକାୟ,

ଧର୍ମରେ ହେଉଛି ଋତୁପର୍ଯ୍ୟାୟ

ଏମାନେ ସମସ୍ତେ ଲଙ୍ଘିଲେ ଧର୍ମ,

ବିନାଶ ଭଜିବ ସୃଷ୍ଟିର କର୍ମ

 

ଶିଶୁ-ପ୍ରାର୍ଥନା

ଅଜ୍ଞାନ ବାଳୁତ ମୁହିଁ କିଛି ଜାଣେ ନାହିଁ,

ଆଶୀର୍ବାଦ କର ମୋତେ ପ୍ରଭୁ ଭାବଗ୍ରାହି !

ସବୁବେଳେ ତୁମ୍ଭ ଆଜ୍ଞା କରିବି ପାଳନ,

ସବୁବେଳେ ତୁମ୍ଭ ଦୟା କରିବି ସ୍ମରଣ

 

ତୁମ୍ଭେ ମୋର ପ୍ରାଣଦାତା ପୁଣି ପିତାମାତା,

ନ ଭୁଲିବି ଏହା କେବେ ହେ ବିଶ୍ୱ-ବିଧାତା !

ପ୍ରତିଦିନ ତୁମ୍ଭେ ମୋତେ ଦେଉଛ ଆହାର,

ତୁମ୍ଭ ପାଦେ ନିତି ମୋର କୋଟିଏ ଜୁହାର

 

ରାମ, କୃଷ୍ଣ ଜନ୍ମି କଲେ ଯେ ଦେଶକୁ ପୂତ,

କର ମୋତେ ସେ ଦେଶର ଉପଯୁକ୍ତ ସୁତ