Unknown

ଶତଦଳ

ଚିନ୍ତାମଣି ମହାନ୍ତି

 

ଭାରତୀ-ଆବାହନ

ବାଣୀବାଗ୍‌ବାଦିନୀ ବ୍ରାହ୍ମୀ ବିପଦଛେଦିନୀ

ବାକ୍‌ଶକ୍ତିରୁପିଣୀ ଦେବି ତ୍ରିପୁରବ୍ୟାପିନୀ,

ଶୁଭେ ଆସ ଶ୍ୱେତଭୁଜେ ଭାରତୀ ଜନନୀ,

ଶ୍ୱେତପଦ୍ମାସୀନା ସତୀ ଶକ୍ତି ସନାତନୀ,

 

ଭକ୍ତିବିଲ୍ୱଦତେ ଗୋଳି ଆନନ୍ଦ-ଚନ୍ଦନ,

ବିନୟେ ସମର୍ପିଦେଇ ପୂଜିବି ଚରଣ

ଭକ୍ତି ବିନା ମୋର ଦେବି କି ଅଛି ସମ୍ୱଳ,

ଯା ଘେନି ପୂଜିବି ତବ ଚରଣଯୁଗଳ ?

 

ଦରିଦ୍ର କୁଟୀରେ ମାତଃ ସକଳ ଦୂର୍ଲ୍ଲଭ,

ସୁଲଭ କେବଳ ଭକ୍ତି ବିନୟ ଗୌରବ

ନାହିଁ ମା ସେପରି ବିଦ୍ୟା ଜଗତପ୍ରସୁତି,

ବିରଚି କବିତାଛନ୍ଦେ ଗାଇବି ତୋ ସ୍ତୁତି

 

କିଛି ନାହିଁ, ଅଛି ମାତ୍ର ବିଶୁଷ୍କଜୀବନ,

ଘେନି କଣିକାଏ ଭକ୍ତି ଅମର୍ତ୍ତ୍ୟ ରତନ

ଛାମୁରେ ସମର୍ପିଦେଇ ସେ ଭକ୍ତି-କମଳ,

ପ୍ରତିଦାନେ ମାଗୁଅଛି ଚରଣଯୁଗଳ

 

ବିଧି ପୁରନ୍ଦର ପୂଜ୍ୟ ସେ ପଦ ପରଶେ,

ପ୍ରକାଶିବ ଦିବ୍ୟଜ୍ଞାନ ଏ ମୂଢ଼ ମାନସେ

ଯେସନ ମଳୟବାତ କଣ୍ଟକିତ ବନେ,

ପ୍ରକାଶଇ ଦିବ୍ୟ ଚାରୁ ସୁରଭି ସୁମନେ

 

ସିତପଦ୍ମାସୀନେ ସେହି ପଦ ଧ୍ୟାୟି ମୂକ,

କାବ୍ୟ-କାନନରେ ହୁଏ କଳକଣ୍ଠ ଶୂକ

ଶୁଣିଛି ସେ ପଦସ୍ପର୍ଶେ ମୂଢ଼ ହୁଏ ଜ୍ଞାନୀ,

ପରଶ ପରଶେ ଯଥା ଲୌହ ବାରବାନୀ

 

ତେଣୁ ମୁଁ ଆଶାୟୀ ହୋଇ ତେଜି ମନୁ ଭୀତ,

ଗାଇବାକୁ ବସିଅଛି ତବ ଗୁଣଗୀତ

ଦିଅ ବର ହେ ବରଦେ ପୁରୁ ମନସ୍କାମ,

ଘେନି ଦୀନସେବକର ସଭକ୍ତି ପ୍ରଣାମ

 

ବସନ୍ତ

ଆଗତ ଶୀତ ଅନ୍ତେ ଋତୁରାଜନ

ଧରିଲା ଏ ଧରଣୀ ବେଶ ମୋହନ

ତୁଟିଲା କ୍ରମେ ଶୀତବସ୍ତ୍ରୁ ଆଦର,

ଆସ୍ତିକ ହୃଦୁଁ ଯଥା ମାୟାନିକର

 

ଶୀତ ସଙ୍ଗେ ଶୀତଜ ବେପଥୁ ହ୍ରାସ,

ମୋହ ବିନାଶେ ଯଥା ଅସ୍ମିତାନାଶ

ମଳୟ ବାତେ ଦୁର ପ୍ରାଣି-ସନ୍ତାପ,

ଧରମ ସ୍ପର୍ଶେ ଯଥା ପଳାଏ ପାପ

 

ପଲ୍ଲବିଲେ ବ୍ରତତୀ ତରୁନିଚୟ,

ହରି-ଦର୍ଶନେ ଯଥା ଭକ୍ତ-ହୃଦୟ

କୁସୁମ ଗନ୍ଧେ ବ୍ୟାପିଗଲା ସଂସାର,

ମହତ ଯଶ ଯଥା ଲଭେ ବିସ୍ତାର

 

ଶିଶିର କରିଥିଲା କମଳେ ନାଶ,

ତାକୁ ବିନାଶି ମଧୁ କଲା ପ୍ରକାଶ;

ଏପରି ପରେ ବୃଥା ଯେ ଦିଏ ଦଣ୍ଡ,

ତା ଶିରେ ପଡ଼େ ଶୂନ୍ୟୁ ବଜ୍ର ପଚଣ୍ଡ

 

ଶିରୀଷ ଧରି ବିଞ୍ଚେ ଶ୍ୱେତଚାମର,

ସେବବ କି ସେ ଋତୁରାଜନଙ୍କର !

ଉଦ୍ୟାନ ଉଜ୍ଜ୍ୱଳାଏ ଗୋଲାପଫୁଲ

ସୁପୁତ୍ର କରେ ଯଥା ଉଜ୍ଜ୍ୱଳ କୁଳ

 

ପୁଷ୍ପ ଉପରେ ବସି ଭ୍ରମରକୁଳେ,

ବଳେ ହରିଲେ ମଧୁ ଖଣ୍ଟର ତୁଲେ

କେତକୀ ନ ବସାଏ ଏକା ପାରୁଶେ

ସତୀନାୟିକା ଯଥା ବିଟପୁରୁଷେ

 

ବସନ୍ତ ସମ୍ରାଟର ସେନା ସମାନ,

ପଳାଶ ଧରି ଉଭା କଳ-କୃପାଣ,

ଛେଦନ କରି ଶିର ଶୀତ-ଦୈତ୍ୟର

ହୋଇଛି ସେ କୃପାଣ ରକ୍ତେ ଜର୍ଜର

 

ମହକିଗଲା ବଣମଲ୍ଲୀ ଚହଟ,

ଯେସନ ଗୁଣି ଗୁଣ ହୁଏ ପ୍ରକଟ

ପୁଷ୍ପସ୍ତବକଭରେ ନମ୍ର ଅଶୋକେ,

ବିନୟ ଗୁଣେ ଯଥା ପ୍ରବୀଣ ଲୋକେ

 

କାସାର ବିଚ୍ଛୁରିତ ରକ୍ତକୁମୁଦେ,

ଅଜ୍ଞାନ ହୃଦେ ଜ୍ଞାନ-ଭାନୁ କି ଉଦେ ?

ମୁଦ୍ରିତ ପଦ୍ମ ଧରି ଗର୍ଭରେ ଅଳି

ଶୋଭେ ମୁଦ୍ରିତ ଚାରୁ ନୟନ ଭଳି

 

ଫଳେ ଆନତ ଶିର ରସାଳ କରୁ,

କୁଳକାମିନୀ ଯଥା ଲଜ୍ଜାବଶରୁ

ବଢ଼ିଲେ କ୍ରମେ ତରୁ ଆଶ୍ରେ ବ୍ରତତୀ,

ଅଭ୍ୟାସ ଆଶ୍ରୟରେ ଯଥା ଉନ୍ନତି

 

କେବେ ଏ ଚାରୁଶୋଭା ଢାଙ୍କେ କୁହୁଡ଼ି,

ନିଜ ସ୍ୱଭାବ ଖଳ ପାରେ କି ହୁଡ଼ି

କୋକିଳ କୁହୁ ସ୍ୱର କେଡ଼େ ମଧୁର,

ସୁଧାସିକ୍ତ ବଚନ ଯଥା ସାଧୁର

 

ଧରଇ ରୂପ ସେହୁ ଅତି କୁତ୍ସିତ,

ମାତ୍ର ଗୁଣରେ କରେ ଭବେ ମୋହିତ

କି ହେବ ଥାଇ ରୂପ ଦିବ୍ୟସୁନ୍ଦର,

ଗୁଣବିହୀନେ ରୂପେ କାହିଁ ଆଦର

 

ଏକାଳେ ଜୀବେ ଅତି ଲଭନ୍ତି ସୁଖ,

ସୌରାଜ୍ୟ ପ୍ରଜା ଯେହ୍ନେ ନ ଜାଣେ ଦୁଃଖ

ନିଶାରେ ନିଶାଚରେ ଆନନ୍ଦ ଅତି,

ଖଳଦର୍ଶନେ ଯଥା ଖଳର ମତି

 

କେଡ଼େ ନିର୍ମଳ ଦିଶେ ନୀଳଗଗନ,

ଧାର୍ମିକ ଜିତେନ୍ଦ୍ରିୟ ହୃଦ ଯେସନ

ନାହିଁ ନୀଳିମା ତହିଁ ଦିଶଇ ନୀଳ,

ଯେସନେ ନିରାକାର ଭବ ଅଖିଳ-

 

ଅସ୍ତିତ୍ୱହୀନ ହୋଇ, ଦିଶେ ସାକାର,

ମାତ୍ର ଏ ସର୍ବ ମିଥ୍ୟା ଛଳ ମାୟାର

ଚନ୍ଦ୍ର ସଙ୍ଗେ ଉଜ୍ଜ୍ୱଳ ତାରକାବର୍ଗେ

ଅଳ୍ପପାଠୁଆ ଯଥା ବିଜ୍ଞ ସଂସର୍ଗେ

 

ମଧୁ ସିଞ୍ଚିଲେ ମଧୁମକ୍ଷିକାଚୟ,

କୃପଣ କରେ ଯଥା ଧନ ସଞ୍ଚୟ

ଭୁଲାଇ ନିଏ ମୃଗେ ମୃଗତୃଷ୍ଣିକା,

ଆଶାତୁରକୁ ଯଥା ଆଶା-ବର୍ତ୍ତିକା

 

ହେଲାକ ଫଳଶୂନ୍ୟ ବଦରୀତରୁ,

ନିର୍ଦ୍ଧନ ଜନ ଯଥା ବହୁ ବ୍ୟୟରୁ

ପଦ୍ମଭୂଷଣେ ସର ଦିଶେ ସୁନ୍ଦର,

କ୍ଷମା ଭୂଷଣ ଯଥା ସଜ୍ଜନଙ୍କର

 

ଫୁଲ୍ଲକମଳେ ଅଳି କଲେ ବେଷ୍ଟନ,

ଯେସନ ପ୍ରଲୋଭନ ଲୁବ୍‌ଧକ-ମନ

ନ ଲାଗେ ଜଳବିନ୍ଦୁ କମଳଦଳେ,

ନିର୍ଲିପ୍ତ ଆତ୍ମା ଯଥା ସଂସାର-ଜଳେ

 

ଖେଳଇ ବୀଚ ମନ୍ଦ-ବାତେ ସଞ୍ଚରି,

ଭାବୁକ ହୃଦେ ଯଥା ଭାବ-ଲହରୀ

ଧ୍ୟାନନିଶ୍ଚଳେ କୂଳେ ବସିଛି ବକ,

ଶ୍ରୀହରିଧ୍ୟାନେ ମଗ୍ନ ଯଥା ସାଧକ

 

ଜଳେ ସନ୍ତରେ ହଂସ ଅତି ହରଷେ,

ଭକ୍ତ ଯେସନେ ପ୍ରେମ-ଅମ ତରସେ

ମୃଣାଳ ଭକ୍ଷି ସେହୁ ହର୍ଷେ ମଗନ,

ଆଶା ସଫଳେ ଯଥା ଆଶାୟୀ ଜନ

 

ଶୁଖିଲା ଜଳାଶୟୁ କ୍ରମେ ଜୀବନ,

କ୍ରମରେ କ୍ଷୟପ୍ରାପ୍ତ ଆୟୁ ଯେସନ

ଜଳ ନିଭନେ ଦୁଃଖୀ ସରିଜଚର,

ସୌଭାଗ୍ୟହ୍ରାସେ ଯଥା ବିଷୟୀ ନର

 

ବିରଚି ଠାବେ ଠାବେ ଚର୍ଚ୍ଚରୀ ମେଳା,

ଦେଖାଇଦେଲେ ଦେବେ ଭବର ଖେଳା

ବାହୁଡ଼ିଗଲେ ପୁଣି ଯଥାସମୟେ,

ବିଭିନ୍ନ ପଥେ ସର୍ବେ ନିଜ ନିଳୟେ

 

ଯଥା ମାନବେ ଠୁଳ ଏ ଭବ-ହାଟେ,

ସଉଦା ସାରି ଯାନ୍ତି ଯେ ଯାହା ବାଟେ

ଉନ୍ନତ ଶିରେ ଉଭା ଶଇଳଗଣ,

ଗର୍ବେ ଉନ୍ନତଶିର ଦମ୍ଭୀ ଯେସନ

 

ଭୃଗୁପ୍ରସ୍ଥରୁ ଝରେ ନିର୍ଝର-ବାର,

କୃପାଳୁ ହୃଦୁଁ କୃପା-ଝର ପ୍ରକାର

ନିର୍ଜ୍ଜନେ ବ୍ରହ୍ମଧ୍ୟାନେ ନିଯୁକ୍ତ ଯତି,

ଧନ୍ୟ ସେ କୃତୀ, ଯାର ସ୍ୱଧର୍ମ ମତି

 

ମନ୍ଥିଲେ ବନଦେଶ ପ୍ରମତ୍ତ କରୀ,

ବିନାଶେ ଶତ୍ରୁରାଜ୍ୟ ଯଥା ମତ୍ସରୀ

କ୍ରମେ କ୍ରମେ ରଜନୀ ହେଲାକ ହ୍ରାସ

ଆଳସ୍ୟେ ବିଦ୍ୟା-ଧନ କ୍ଷୟସଙ୍କାଶ

 

କୁସୁମ ସମାନ ଏ କୁସୁମ କାଳ,

ଉଡ଼ାଇ କ୍ଷଣେ ମାତ୍ର ଶୋଭା-ଚିରାଳ,

ନିଜ ଗନ୍ତବ୍ୟ ପଥ ପୁଣି ଆଶ୍ରିବ,

ନେତ୍ରଚନ୍ଦ୍ରିକା ଇନ୍ଦ୍ର-କୋଦଣ୍ଡନିଭ

 

ସକଳ ଏହିପରି ଭବେ ଅଚିର,

ବୃଥା ଗଢ଼ନ୍ତି ନରେ ଆଶା-ମନ୍ଦିର

ଜାଣି ନାହାନ୍ତି ଦିନେ କାଳ-ସଞ୍ଚାଣ,

ଉପରୁ ଝାମ୍ପ ମାରି ଘେନିବ ପ୍ରାଣ

 

ହୃଦ-ପିଞ୍ଜର ମଧ୍ୟୁଁ ଜୀବନ-ଶାର,

ଅଦୃଶ୍ୟେ ଘେନିଯିବ କାଳ-ମାର୍ଜ୍ଜାର

ଏ ନୀତିଶିକ୍ଷା ଦେଲା ଋତୁରାଜନ,

ବୁଝିବ ଈଶଲୀଳା କିଏ ଭାଜନ ?

 

ଧନ୍ୟ ଜଗତପତି ସୃଷ୍ଟିଚାତୁରୀ,

ସକଳ କାର୍ଯ୍ୟେ ଶିକ୍ଷା ରହିଛି ପୁରି

ତହିଁକି ଆନ ଗୁରୁ କି ପ୍ରୟୋଜନ,

ମନ-ଗୁରୁ ସେ ଶିକ୍ଷା ଦାନେ ଭାଜନ

 

ଗ୍ରୀଷ୍ମ

ଆସିଲା ମଧୁଅନ୍ତେ ନିଦାଘ କାଳ,

ସୁଖଶେଷରେ ଯଥା ଦୁଃଖ ଜଞ୍ଜାଳ

ସହି ନୋହିଲା ଆଉ ତପନ-ତାପ,

ଯେହ୍ନେ ପ୍ରଜା-ପୀଡ଼କ ନୃପ-ପ୍ରତାପ

 

ଜଳିଗଲା ଧରଣୀ ଉଷ୍ଣ ପବନେ,

ଜଳଇ ହୃଦ ଯଥା କଟୁ ବଚନେ

ଶୀତଳ ଜଳେ ଏକା ରହିଲା ଧ୍ୟାନ,

ବିଶ୍ୱାତ୍ମା-ପଦେ ଭକ୍ତ-ମନ ସମାନ

 

ଜଳାଶୟରୁ ଭାନୁ ଶୋଷିଲେ ଜଳ,

ଲୁବ୍‌ଧକ ରାଜା ଯଥା ପ୍ରଜାସମ୍ୱଳ

ଜଳ ସଙ୍ଗେ ସଙ୍କୋଚ ଜଳ ସୁମନ,

ପରଭାଗ୍ୟୋପଜୀବୀ ଜନ ଯେସନ

 

ସଲିଳଚରେ ମଲେ ଲଭି ଦୁର୍ଗତି,

ଦୁର୍ଭିକ୍ଷ କାଳେ ଯଥା ପ୍ରଜାପଙ୍କତି

ଜଳାଭାବେ ବୁଡ଼ିଲେ ପଙ୍କେ ଶୂକରେ,

ପାପରେ ଲିପ୍ତ ଯଥା ପାତକୀ ନରେ

 

ଧର୍ମିକେ ସ୍ଥାନେ ସ୍ଥାନେ ଦେଲେ ପ୍ରପାନ,

ସାର୍ଥକ ଏକା ସିନା ସତ୍କାର୍ଯ୍ୟେ ଦାନ

ବୃଦ୍ଧି ଲଭିଲା କ୍ରମେ କ୍ରମେ ଦିବସ,

ଆଦର୍ଶ ମାନବର ଯଥା ସୂଯଶ

 

ଦିନୁ ଦିନୁ ରଜନୀ ହେଲାକ ହ୍ରାସ,

ଜ୍ଞାନ ଉଦୟେ ମୋହମାୟାସଂକାଶ

ଅନଳେ ଦହିହେଲେ ବନ-ଶିଖରୀ,

ପର ଉନ୍ନତି ଦେଖି ଯଥା ମତ୍ସରୀ

 

ତୃଷାର୍ତ୍ତେ ଘନେ ଡାକଦେଲା ଚାତକ,

ଧାର୍ମିକେ-ଦ୍ୱାରେ ଯଥା ଦୀନ ଯାଚକ

ମାତ୍ର ନ ଶୁଣିଲା ତା ଡାକ ଅମ୍ୱୁଦ,

ଦ୍ରବେ କି ଦୁଃଖିଦୁଃଖେ ପାଷାଣ ହୃଦ ?

 

ଭୀଷଣେ ଗର୍ଜେ କେକୀ ମଧ୍ୟାହ୍ନ ଦେଖି,

ସୁକୃତିମନ୍ତ ଯଥା ପାପେ ନିରେଖି

କେବେ ବା ଶୁଷ୍କଘନ ଗର୍ଜ୍ଜେ ପ୍ରଚଣ୍ଡେ,

ବାକ୍ୟେ ଆଟୋପ ଯଥା ଦେଖାନ୍ତି ଭଣ୍ଡେ

 

ସହିଲେ ରୌଦ୍ରତାପ ପାଦପଗଣ,

ମୂର୍ଖ ଦୁର୍ବାକ୍ୟ ଯଥା ସହେ ସୁଜନ

ଜଳ ଖୋଜିଲେ ମୃଗେ ହୋଇ ଉଚ୍ଚାଟ,

ଖୋଜନ୍ତି ଯଥା ସାଧୁ ମୁକତିବାଟ

 

ମାଟିରୁ ସରସତା ହେବାରୁ ଦୂର,

ଜନ୍ମିଲା ନାହିଁ ଉପ୍ତ ବୀଜୁ ଅଙ୍କୁର

ଯଥା ଅଜ୍ଞାନ-ତପ୍ତ ନୀରସ ହୃଦେ,

ଭକ୍ତିବୈରାଗ୍ୟବୀଜ ନ ହୁଏ ଉଦେ

 

ମଧ୍ୟାହ୍ନ ରୌଦ୍ରତାପେ ଦୂରସ୍ଥ ଗିରି,

କ୍ଷଣକେ ହୋଇଗଲା ବିଲୀନ ଶିରୀ

ଯେସନ ଦୃଷ୍ଟକର୍ମ ଇନ୍ଦ୍ରିୟଗଣ,

ହୁଅନ୍ତି ଜ୍ଞାନତେଜେ ଲୀନ ବହନ

 

ଏ କାଳେ ବୃକ୍ଷୁଁ ପଡ଼େ ସୁପକ୍ୱ ଚୂତ,

ଅଭିୃପ୍ତ ଯେସନ ସ୍ୱର୍ଗୁ ବିଚ୍ୟୁତ

ସୁପକ୍ୱ ରସାଳର ଦେଖି ଆଦର,

ବିଦାରି ହେଲା ହୃଦ କଣ୍ଟାଫଳର

 

ଶୁଣିଲେ ଲୋକମୁଖେ ପର ସୁଖ୍ୟାତି,

ବିଦାରି ହୁଏ ଯଥା ଈର୍ଷାଳୁ ଛାତି

ଆଚ୍ଛାଦି ଦେଲା ଧୃଳି ଦିଗ-ଗଗନ,

ମାୟାଜାଲିକା ଯଥା ବିଷୟି-ମନ

 

ମଲ୍ଲିକା ଫୁଲୁଁ ଏବେ ତୁଟିଲା ବାସ,

ଯୌବନଗତେ ଯଥା ସୁଶ୍ରୀ ବିନାଶ

ବସନ୍ତେ ପ୍ରଶଂସିତ ଯେଉଁ ପବନ,

ନିଦାଘେ ହେଲା ସେହୁ ନିନ୍ଦାଭାଜନ

 

ଏହିପରି ସଂସର୍ଗ ଦୋଷଗୁଣରେ,

ନିନ୍ଦା ପ୍ରଶଂସା ସିନା ଲଭନ୍ତି ନରେ

ଜଣାଏ ତାପମାନଯନ୍ତ୍ର ସଙ୍କେତେ,

ତାପର ପରିମାଣ ସେ ଦିନ ଯେତେ

 

ଏସନ ଖଳଭାବ ସିନା ଉଦ୍ଧତ

ପରିଚ୍ଛିଦ୍ରସନ୍ଧାନେ ସତତ ରତ

ନିଦାଘେ ଭୀତ ନୁହେଁ ପାଦପତୟ,

ନ କରେ ସାଧୁ ଯଥା ମରଣେ ଭୟ

 

ବନୁ ବନାନ୍ତେ ମୃଗ ଗଲେ ବହନ,

ଜୀବାତ୍ମା ଘଟୁ ଘଟେ ଭ୍ରମେ ଯେସନ

ମଧ୍ୟାହ୍ନେ ସାବଧାନ ରହିଲେ ଜନେ,

ସତର୍କ ଥାନ୍ତି ସାଧୁ ଯଥା ଯୌବନେ

 

ଆଶ୍ରିଲେ ପଶୁ ତରୁଚ୍ଛାୟା ଗହନ,

ସୁରାଜା ରାଜଚ୍ଛତ୍ର ପ୍ରଜା ଯେସନ

ଶାଖାପତ୍ରାନ୍ତରାଳେ ଲୁଚିଲେ ପକ୍ଷୀ,

ଶିଷ୍ଟ ଯେସନ ଦୁଷ୍ଟ ଆଗତ ଲକ୍ଷି

 

ବାୟସ ନିନ୍ଦା ପାଏ କର୍କଶ ସ୍ୱନେ,

ଅପ୍ରିୟବାଦୀ ସିନା ନିନ୍ଦିତ ଜନେ

ପିକ ନୀରବ, ଲଭି ଦାରୁଣ ଶୋକ,

ଦୁର୍ନ୍ନୀତ ରାଜ୍ୟେ ଯଥା ନୀତିଜ୍ଞ ଲୋକ

 

ପରଶି ମହୀ ନବ-ବାରିଦ-ବାରି,

କେଡ଼େ କୋମଳ ଗନ୍ଧ ଦିଏ ବିସ୍ତାରି

ଯେସନ ଭକ୍ତିରସପ୍ଳାବୀ ହୃଦୟ,

ପ୍ରକାଶେ ଜ୍ଞାନ-ଗନ୍ଧ ସୁରଭିମୟ

 

କେବେ ଅବା କରକାର ବରଷେ ଘନ

ଦାତାର ଅକାତାର ଦାନ ଯେସନ

ତରଳିଯାଏ ତାହା ଅତି ସତ୍ୱରେ,

ବଦାନ୍ୟ ହୃଦ ଯଥା ଦୁଃଖିଦୁଃଖରେ

ନିରେଖି ମୃଗତୃଷ୍ଣା ଦୂରେ ହରିଣ,

 

ଧାବଇ ମନେ ଜଳ ଆଶା ଧରିଣ

ଏରୂପ ଭାବୀ ସୁଖ ଲକ୍ଷି ମନରେ,

ଆଶା-କୁହୁକେ ପଡ଼ି ଅବୁଝ-ନରେ-

 

ଧାବନ୍ତି, କିନ୍ତୁ କାହିଁ ସେ ସୁଖେ ଭେଟ,

ନ ପାଇ, ଘୋର ଦୁଃଖେ ବଦନ ହେଠ-

କରି, ଫେରନ୍ତି ଶେଷେ ଶୂନ୍ୟ ଅନ୍ତରେ,

ତଥାପି ବଶ ତାହା ମାୟା ମନ୍ତ୍ରରେ

 

ଖରାତାପରେ ଦେହୁଁ ଘର୍ମ ବାହାରେ,

ସୁଜ୍ଞାନ ଯୋଗେ ଦୁଷ୍ଟରିପୁ ପ୍ରକାରେ

ମାନବେ ବିଞ୍ଚି ହେଲେ ଧରିଣ ପଙ୍ଖା,

ଉଡ଼େ କି ନିଦାଘର ଜୟ ପତାକା

 

ସୁରଙ୍ଗ ମହାକାଳ ଦିଶେ ସୁନ୍ଦର,

ବାହ୍ୟ ଚହଟ ଯଥା ନିର୍ଗୁଣିନର

ପଞ୍ଚାଗ୍ନି ମଧ୍ୟେ ବସି ତପସ୍ୱୀମାନେ,

ଏକାଗ୍ରଚିତ୍ତେ ରତ ଈଶ୍ୱର-ଧ୍ୟାନେ

 

ଏଥିରୁ ଏହି ନୀତି ଶିଖେ ହୃଦୟ,

କଷ୍ଟର ଶେଷଫଳ ସୁଖ ଉଦୟ

ଜଳଶୟନେ ପ୍ରଭୁ ଜଗଜ୍ଜନକ,

ନାରାୟଣ ନାମକୁ କଲେ ସାର୍ଥକ

 

ବାହ୍ୟେ କଠିନ ଅତି ମଧ୍ୟେ କୋମଳ,

ସାଧୁ-ହୃଦୟ ପ୍ରାୟେ ପକ୍ୱ ଶ୍ରୀଫଳ

ଆଶ୍ରିଲା ବୃନ୍ତୁ ଖସି ଧରଣୀତଳ,

ଆତ୍ମା ଯେସନ ହରି-ପଦ-କମଳ

 

ଆସିବ ଏ ଅନ୍ତରେ ବରଷା କାଳ,

ସଙ୍ଗେ ଘେନି ସମ୍ୱଳ ଜଳଦମାଳ

ନିଦାଘ କରିଥିଲା ଯାହା ସଞ୍ଚୟ,

ବରଷା ତାହା ପୁଣଇ କରିବ ବ୍ୟୟ

 

ଏ ରୂପେ ପର ହାତେ କୃପଣ ଧନ,

ହୁଅଇ ସମୂଳରେ ପଡ଼ି ନିଧନ

ନିଦାଘ କରି ନିଜ କର୍ତ୍ତବ୍ୟ ଶେଷ,

ବାହୁଡ଼ିଯିବ ପାଳି ବିଭୁ-ଆଦେଶ

 

ଏହିପରି ବିଶେଷ କର୍ତ୍ତବ୍ୟ ଶିରେ-

ଘେନି, ଲଭନ୍ତି ପ୍ରାଣୀ ଜନ୍ମ ମହୀରେ

କିନ୍ତୁ ସେ ମୂଳନୀତି ମାନବେ ହୁଡ଼ି,

ବିଷୟ-ବିଷେ ସଦା ରହନ୍ତି ବୁଡ଼ି

 

ଆଚରି ଦ୍ୱେଷ, ହିଂସା, ଲୋଭ, କଳହ,

ଅନ୍ତେ ଲଭନ୍ତି କ୍ଳେଶ ଅତି ଦୁଃସହ

 

ଉପଦେଶମାଳା

ବିଧର୍ମେ ନ ନିନ୍ଦ ଜନେ ସର୍ବ ଧର୍ମ ଏକ,

ଉଦ୍ଦେଶ୍ୟ ସାଧନ ଏକ ଭିନ୍ନ ଭିନ୍ନ ଭେକ

ସକଳ ନଦୀର ଲକ୍ଷ୍ୟ ସମୁଦ୍ର ଯେସନ,

ତେସନ ସକଳ ଧର୍ମ ଲକ୍ଷ୍ୟ ନାରାୟଣ

 

ଗର୍ବି-ନର ଭାଗ୍ୟେ ଘଟେ ବିବିଧ ବିପଦ,

ବିନୟୀ ଭୁଞ୍ଜଇ ସଦା ସୁଖ, ଶ୍ରୀ, ସମ୍ପଦ

ଊଦ୍ଧ୍ୱଶିର ବୃକ୍ଷେ ଯଥା ନାଶେ ପ୍ରଭଞ୍ଜନ,

ମାତ୍ର କ୍ଷୁଦ୍ରତୃଣ ଥାଏ ଯେଶନ ତେସନ

ଚୂର୍ଣ୍ଣ କରେ ଗିରିଶିର ବଜ୍ରେ ମଖଣ୍ଡଳ,

ପାରେ କି ଧୂଳିର କିଛି ସାଧି ଅମଙ୍ଗଳ ?

 

ଦୋଷ ତେଜି ଗୁଣୀ ଗୁଣ କରିବ ଗ୍ରହଣ,

ନୀର ତେଜି କ୍ଷୀର ଶୋଷେ ମରାଳ ଯେସନ

 

ଭୋଗରେ ଇନ୍ଦ୍ରିୟ କେବେ ନୁହଇ ଦମିତ,

ଘୃତଯୋଗେ ଅଗ୍ନି ଯଥା ନୁହେଁ ନିର୍ବାପିତ

 

ଗିରି-ଶିରେ ଚଢ଼ି କଲେ ଦୃଷ୍ଟି ସଞ୍ଚାଳନ,

ନିମ୍ନଭୂମି ଏକାକାର ଦିଶଇ ଯେସନ

ସେହିପରି ତତ୍ତ୍ୱଜ୍ଞାନୀ ସମଦର୍ଶୀମାନ

ସର୍ବଧର୍ମେ ସର୍ବଜନେ ଦେଖନ୍ତି ସମାନ

ବିଜ୍ଞ-ସହବାସେ ମୂଢ଼ ହୁଏ ଜ୍ଞାନବାନ,

ସୁନା ସଙ୍ଗେ କାଚ ଯଥା ମଣିର ସମାନ

 

ଅଯୋଗ୍ୟ ପାତ୍ରରେ ହୁଏ ଶ୍ରମ ଅକାରଣ,

କାକ କି ହୋଇବ ଶୁକ, କଲେହେଁ ଯତନ ?

 

ଉଚ୍ଚକୁଳେ ନୀଚ ଜାତ ନୁହଇ କଦାଚ,

ମଣି-ଖଣିରୁ ଯେସନ ନ ଉପୁଜେ କାଚ

 

କ୍ରୋଧାବେଶେ ସାଧୁମନ ନୁହେଁ କଳୁଷିତ

ବାଡ଼କେ ନ ହୁଏ ଯଥା ସିନ୍ଧୁ ପ୍ରଜ୍ୱଳିତ

 

ଜ୍ଞାନୀ କରେ କାବ୍ୟଶାସ୍ତ୍ରେ ଜ୍ଞାନ ଅନ୍ୱେଷଣ,

ମୂର୍ଖ ସଦା ସେବେ ନିଦ୍ରା କଳହ ବ୍ୟସନ

 

କ୍ରିୟାହୀନ-ଜ୍ଞାନ ଅଟେ ଶରୀରର ଭାର,

ଅଭାଗିନୀ ରମଣୀର ଯଥା ଅଳଙ୍କାର

 

ବିଦ୍ୱାନ ଯଦ୍ୟପି ଦୁଷ୍ଟ, ତା ସଙ୍ଗ ନ କର,

ମଣିଭୂଷିତ ଫଣି କି ନୁହେଁ ଭୟଙ୍କର ?

ବିପଦେ ଅଧୀର ହୁଏ ଯେହୁ କାପୁରୁଷ,

ବିପଦ-କରୀକି ସିନା ଧଇର୍ଯ୍ୟଅଙ୍କୁଶ

 

ଦୁରାତ୍ମାର ମନ ବାକ୍ୟ କାର୍ଯ୍ୟ ଭିନ୍ନ ଭିନ୍ନ,

ମାତ୍ର ସଲ୍ଲୋକର ତାହା ଅଟେ ଏକାଧୀନ

ଜଳାଶୟ ଜଳ ଯଥା ବ୍ୟୟେ ହୁଏ ବୃଦ୍ଧି,

ଦାନେ ଦିନୁ ଦିନୁ ବୃଦ୍ଧି ତେସନ ସମୃଦ୍ଧି

 

ଗଜକୁ ଉଦ୍ଧାରେ ଗଜ ପଙ୍କସରୁ,

ସାଧୁକୁ ଉଦ୍ଧାରେ ସାଧୁ ତଥା ସଙ୍କଟରୁ

 

ସୁନାର ପରୀକ୍ଷା ହୁଏ କଷଟି ପଥରେ,

ବନ୍ଧୁର ପରୀକ୍ଷା ହୁଏ ବିପଦ କାଳରେ

 

ନିର୍ଗୁଣେ ସଗୁଣେ ସମ ଦୟା ମହତର,

ନ ହରେ ଚଣ୍ଡାଳଘରୁ ଚନ୍ଦ୍ର ନିଜ କର

 

କ୍ଷୁଦ୍ର ସାହାଯ୍ୟରେ ସିଦ୍ଧ କାର୍ଯ୍ୟ ସୁମହତ,

ତୃଣଗୁଚ୍ଛ ଯୋଗେ ବଦ୍ଧ ମାତଙ୍ଗ ପ୍ରମତ୍ତ

 

ତୁଚ୍ଛବସ୍ତୁ ଉପକାର ସାଧଇ ପ୍ରଚୁର,

ତୁଷରୁ ଭିନ୍ନ ତଣ୍ଡୁଳ, ନ ହୁଏ ଅଙ୍କୁର

ଗୃହସ୍ଥର ସାରଧର୍ମ ଅତିଥି-ସତ୍କାର,

ହେଉ ପଛେ ଶତ୍ରୁ, ପାଦ ପୂଜିବ ତାହାର

ଅଚେତନ ପାଦପର କେଡ଼େ-ବଡ଼ପଣ,

ଛେଦକ ନିକଟୁ ଛାୟା ନ କରେ ହରଣ

 

ଆହାର, ବିହାର, ନିଦ୍ରା, ଭୟ, ଏ ସକଳ,

ପଶୁମାନବର ଅଛି ସମ ଅବିକଳ;

କେବଳ ଜ୍ଞାନରେ ପଶୁ ନରଠାରୁ ସାନ,

ଏଣୁ ଜ୍ଞାନହୀନ ନର ପଶୁର ସମାନ

 

ଉଦ୍ୟୋଗବିହୀନେ କାହିଁ ସିଦ୍ଧ ମନୋରଥ,

କେଉଁ କାଳେ ଚଳି ନାହିଁ ଏକଚକ୍ରେ ରଥ

ପଶି ନାହିଁ କେଉଁ କାଳେ ମୃଗ ଇଚ୍ଛାସୁଖେ,

ନିକାଞ୍ଚନ ଗିରିଗୃହା-ସୁପ୍ତ ସିଂହମୁଖେ

 

ଈର୍ଷ୍ୟାଯୁକ୍ତ, ଘୃଣାଯୁକ୍ତ, ସଦା ଅସନ୍ତୁଷ୍ଟ,

ପରଗଳଗ୍ରହ, ଭୀତ, ପୁଣି ଅତି ରୁଷ୍ଟ,

ଏହି ଷଡ଼ ବ୍ୟକ୍ତିଙ୍କର ଦୁର୍ବଳ କପାଳେ,

ନ ମିଳଇ ସୁଖଲେଶ ଇହ ପରକାଳେ

 

ରଖେ ତରୁ ଅଗ୍ନିକଣ ଲୁଚାଇ କ୍ରୋଟରେ,

ପରିଶେଷେ ତହିଁରେ ସେ ଜଳିପୋଡ଼ି ମରେ

ଆପଣାର ଈର୍ଷାନଳେ ଈର୍ଷାଳୁ ତେସନ,

ଦହିହୋଇ ଅନୁକ୍ଷଣ ହରାଏ ଜୀବନ

 

ମାଟି ଘଟ ପରି ସିନା ଦୁର୍ଜ୍ଜନ ଅନ୍ତର,

ଭାଙ୍ଗିବା ସହଜ ତାହା ଯୋଡ଼ିବା ଦୁଷ୍କର

କିନ୍ତୁ ସ୍ୱର୍ଣ୍ଣମୟ ଅଟେ ସାଧୁ ହୃଦ-ଘଟ,

ଯୋଡ଼ିବା ସହଜ ତାହା ଭାଙ୍ଗିବା ଦୁର୍ଘଟ

 

ବଦରୀକୋଳି ସମାନ ଦୁଷ୍ଟ ହୃଦସ୍ଥଳ,

ଭିତର କଠିନ ଅତି ବାହାର କୋମଳ

ନାରିକେଳ ଫଳ ଯଥା ସାଧୁର ମାନସ,

ଭିତର ସରସ ତାର ବାହାର କର୍କଶ

 

ପଦଲଗ୍ନ ଧୂଳି ପ୍ରାୟ କ୍ଷଣସ୍ଥାୟୀ ଧନ,

ନଦୀସ୍ରୋତ ବେଗ ସମ ଚଞ୍ଚଳ ଯୌବନ

ପଦ୍ମପତ୍ରେ ଜଳ ଯଥା ସଦା ଢଳଢ଼ଳ,

ଜୀବନ-ସଲୀଳ ବିନ୍ଦୁ ତଥା ସଚଞ୍ଚଳ

 

ଦେବତା ସମାନ ନୃପେ କରିବ ଭକତି,

ନୃପତି-ସନ୍ତୋଷେ ସିନା ପ୍ରଜାର ଉନ୍ନତି

ନୃମଣି ଅଭାବେ ରାଜ୍ୟ ହୁଏ ଛାରଖାର,

ଶେଷ ବିନା କେ ବହିବ ଧରଣୀର ଭାର

 

ପର ନିନ୍ଦା, ପର କୁତ୍ସା ନୁହଇ ଉଚିତ,

ନିଜର ଚରିତ୍ର ତହିଁ ନୁହଇ ହୁଏ କଳୁଷିତ

ଯେସନ ଫିଙ୍ଗିଲେ ଲୋଷ୍ଟ୍ର ଦୁର୍ଗନ୍ଧ ଗୋବରେ,

ଛିଡ଼ିକି ପଡ଼ଇ ତାହା ଆପଣା ଉପରେ

 

ମୂର୍ଖ ପ୍ରଶଂସାରେ ସ୍ଫୀତ କଦାଚ ହୁଅ ନା,

ନୁହେଟି ପ୍ରଶଂସା ତାହା ଅଟଇ ଭର୍ତ୍ସନା,

ଯେସନ ମଧୁର ରସ ସାହାଡ଼ାଫଳର,

କଟୁଠାରୁ ଶତଗୁଣେ ବଳି କଟୁତର

 

ବିଫଳ ସଦୁପଦେଶ ପାମରେ ଅର୍ପଣ,

କି ଫଳ ବା ଅନ୍ଧ ଆଗେ ଧରିଲେ ଦର୍ପଣ

ଫଳେ ଫଳେ ବୃକ୍ଷମୂଳେ ଦେଲେ ନିତି ଜଳ,

ସତ୍ପାତ୍ରରେ ଉପଦେଶ ନ ହୁଏ ବିଫଳ

 

ଅଭାଜନେ ଯାଚି ଦେଲେ ହିତ ଉପଦେଶ,

ଉପଦେଶକର ଖାଲି ସାର ହୁଏ କ୍ଳେଶ

ବାନର ଗଳାରେ ଦେଲେ ନବ ରତ୍ନହାର

ବୁଝିବ କି ମୂଲ୍ୟ କିମ୍ବା ମହତ୍ତ୍ୱ ସେ ତାର

 

ବରାହର ନାମ ଦେଲେ ମତ୍ତମତଙ୍ଗଜ,

ବଢ଼ିଯିବ ବହୁଗୁଣ ତାହାର ମଗଜ

ଚାକରକୁ ବାବୁ ବୋଲି ସମ୍ୱୋଧିଲେ ତଥା,

ଆକାଶକୁ ଭେଦିଯାଏ ତାର କ୍ଷୁଦ୍ର ମଥା