Unknown

ନୀତିକୁସୁମ

ଚିନ୍ତାମଣି ମହାନ୍ତି

 

ନୀତିକୁସୁମ

 

ପିତା ମାତା ଉପାଧ୍ୟାୟ ଆଦି ଗୁରୁଜନେ,

ସେବାରେ ସନ୍ତୁଷ୍ଟ ଶିଶୁ କର ହୃଷ୍ଟମନେ

ଗୁରୁପାଦେ ପ୍ରୀତି-ପୂଜା କର ସମର୍ପଣ,

ଅବିରତ ହୁଅ ଶିଶୁ, ଭକ୍ତି ପରାୟଣ

 

ନରର ନରତ୍ୱ ଦୟା, ଦୟା ମୁକ୍ତିପ୍ରସୁ,

ନିର୍ଦ୍ଦୟ ଯେ ଲୋକ ସେହୁ ନରରୂପୀ ପଶୁ

ଅତଏବ ସାବଧାନେ ଶୁଣ ଶିଶୁଗଣ

ଯୋଗ୍ୟପାତ୍ରେ କର ସଦା ଦୟା ବିତରଣ

 

ଯେ କେହି ତୁମ୍ଭଙ୍କୁ କିଛି କରିଥିବେ ଦାନ

ଅଥବା ବିପଦୁ କେଭେଁ କରିଥିବେ ତ୍ରାଣ,

ଯେତେ ଦିନ ତୁମ୍ଭେ ଶିଶୁ, ଥିବ ଏ ଧରାରେ,

ପ୍ରକାଶିବ କୃତଜ୍ଞତା ସଦା ତାଙ୍କଠାରେ

 

କ୍ରୋଧ ପରି ରିପୁ ଆଉ ନାହିଁ ଏ ଜଗତେ,

ଜୀବନେ ଅନିଷ୍ଟ ସେହୁ ସାଧଇ ସନ୍ତତେ

ଭ୍ରମେ ସୁଦ୍ଧା ସେ ରିପୁର ହୁଅ ନାହିଁ ବଶ,

ଅଧୀନ ହୋଇଲେ ତାର ଲଭିବ ଅଯଶ

 

ଲୋଭସକ୍ତ ମାନବର ଘଟେ ସର୍ବନାଶ,

ନ ବାନ୍ଧ ନ ବାନ୍ଧ ଶିଶୁ ଗଳେ ଲୋଭ-ପାଶ

ମଣିବ ନାରୀଜାତିକୁ ଜନନୀ ସମାନ,

ପର ଧନେ କର ସଦା ଧୂଳି ସମ ଜ୍ଞାନ

 

ଯେଉଁ କାର୍ଯ୍ୟେ ଆତ୍ମ, ପର ଉଭୟର ହିତ,

ସେହିପରି ଶୁଭକାର୍ଯ୍ୟ କରିବା ଉଚିତ

ଯେ କର୍ମେ ମଙ୍ଗଳ ନାହିଁ ଅମଙ୍ଗଳ ଭିନ୍ନ,

ସେ କର୍ମର ଇଚ୍ଛା ତ୍ୟାଗ ସୌଭାଗ୍ୟର ଚିହ୍ନ

 

ସତତ ସକଳ ଜୀବେ ସଦୟ ହୃଦୟ,

ହେବାର ଉଚିତ, ଏହା ଜାଣିବ ନିଶ୍ଚୟ

ଦୁର୍ବଳ ନିରୀହ, ଜୀବେ କରିଣ ପୀଡ଼ନ,

ପବିତ୍ର ଈଶ୍ୱର ଆଜ୍ଞା ନ କର ଲଙ୍ଘନ

 

ପରଠାରୁ ଆଶାକର ଯେପରି ବେଭାର

ପରପ୍ରତି ବ୍ୟବହାର କର ସେ ପ୍ରକାର

ପର କଟୁବାକ୍ୟେ ଯଦି ହୃଦେ ଲାଗେ ବ୍ୟଥା,

ତେବେ କିପାଁ ଅପରକୁ କହ କଟୁ କଥା

 

ସଙ୍ଗଦୋଷ ଗୁଣେ ଦୋଷ ଗୁଣର ଉଦୟ

ହୁଅଇ, ଏ କଥା ଧ୍ରୁବ ଜାଣ ଶିଶୁଚୟ

ସଜ୍ଜନ ସଙ୍ଗରେ ଚିତ୍ତ ହୁଏ ସୁନିର୍ମଳ

ବୃଷ୍ଟିଜଳେ ମିଷ୍ଟ ଯଥା ସିନ୍ଧୁ-କଟୁକଳ

 

ଅସତ ସଙ୍ଗରେ ସଦା ରହେ ଯେଉଁ ଜନ,

କଳୁଷିତ ହୁଏ ତାର ସୁବିମଳ ମନ

ଅମ୍ଳସ୍ପର୍ଶେ ତୈଳ ଯଥା ତୈଳ ସ୍ପର୍ଶେ ଘୃତ

ହୁଅଇ ଅଖାଦ୍ୟ, ହୋଇ ଅତୀବ ବିକୃତ

 

ଯେପରି ସ୍ୱଭାବ ଯାର ରହେ ସେହିପରି,

ଶତ ଚେଷ୍ଟାବଳେ ନୁହେ ବ୍ୟତିକ୍ରମ କରି

ନିମ୍ୱମୂଳେ କଲେ ସଦା ଅମୃତ ସେଚନ,

ଛାଡ଼ିଯାଏ ନାହିଁ ତିକ୍ତଗୁଣ କଦାଚନ

 

ଧାନ୍ୟଠାରୁ ବଳି ଧନ ନାହିଁ କିଛି ଆନ,

ଅନ୍ୟ ବଳ ନୁହେଁ ବାହୁବଳର ସମାନ

ତ୍ରିଜଗତେ ଦୀପ ନାହିଁ ଚକ୍ଷୁଦୀପ ପରି,

ଆନରସ ନୁହେ କେଭେଁ ଭକ୍ତିରସ ସରି

 

ବିଦ୍ୱାନ, ନୃପତି ଦୁହେଁ ନୁହନ୍ତି ସମାନ

ସ୍ୱଦେଶରେ ରାଜାଙ୍କର କେବଳ ସମ୍ମାନ,

ମାତ୍ର ପଣ୍ଡିତର ଅଛି ପ୍ରଭେଦ ବିଶେଷ

ସର୍ବତ୍ର ମର୍ଯ୍ୟାଦା ତାର ସ୍ୱଦେଶ ବିଦେଶ

 

ପଣ୍ଡିତ ଅଟନ୍ତି ସର୍ବଗୁଣର ଅଧାର

ମୂର୍ଖଲୋକ ସେହିପରି ଦୋଷର ଭଣ୍ଡାର

ସହସ୍ର ସହସ୍ର ମୂର୍ଖ ଥିଲେ ବିଦ୍ୟମାନ

ଜଣେ ମାତ୍ର ପଣ୍ଡିତର ହୁଅଇ ସମ୍ମାନ

 

କି ହେବ ଥାଇଣ ରୂପ କୁଳ ଯଉବନ

ବିଦ୍ୟାହୀନ ହେଲେ ହୁଏ ସବୁ ଅକାରଣ

ଦେଖ ଏ ପଲାଶ ଫୁଲ, ରୂପେ ଅଳଙ୍କୃତ

ସୁବାସ ନ ଥିବା ହେତୁ ଲୋକେ ଅନାଦୃତ

 

ଗୋଟିଏ ସୂପୁତ୍ର କରେ କୁଳ ସମୁଜ୍ୱଳ,

ମାତ୍ର ଶତ ମୂର୍ଖ ପୁତ୍ରେ ଲାଭ କେଉଁ ଫଳ

ଏକ ଶଶଧର କରେ ଅନ୍ଧକାର କ୍ଷୟ

କି କରି ପାରନ୍ତି ଥାଇ ତାରକାନିଚୟ

 

କରିବ ବିଷରୁ ସୁଧା ଯତ୍ନେ ଉତ୍ତୋଳନ

କୁସ୍ଥାନରେ ପଡ଼ିଥିଲେ ଘେନିବ କାଞ୍ଚନ

ନୀଚଠାରୁ ଉଚ୍ଚ ବିଦ୍ୟା ଶିଖିବା ବିହିତ

ନୀଚକୁଳେ କନ୍ୟାରତ୍ନ ନୁହଇ ଦୂଷିତ

 

ପ୍ରତ୍ୟକ୍ଷରେ ପ୍ରିୟବାକ୍ୟ କହି ତୋଷେ ମନ

ପରୋକ୍ଷରେ କରୁଥାଏ ଅନିଷ୍ଟ ସାଧନ,

ଏ ରୁପ ମିତ୍ରକୁ ତ୍ୟାଗ କରିବା ଉଚିତ

ମୁଖେ ସୂଧା, ହୃଦେ ତାର ଗରଳ ପୂରିତ

 

ନିର୍ଦ୍ଧନର ଧନ ବିଦ୍ୟା, ରୁପ କୁରୁପର

ଦୁର୍ବଳ ପକ୍ଷରେ ବିଦ୍ୟା ବଳ ମହତ୍ତର

ଅନାଥ ଜନର ବିଦ୍ୟା ସହାୟ କେବଳ

ପଣ୍ଡିତର ବିଦ୍ୟା ଅଟେ ଜୀବନସମ୍ୱଳ

 

ମନୋହର ସରସିଜ ଜଳର ଭୂଷଣ

ବନର ପରମ ଭୂଷା ଚାରୁ ପୁଷ୍ପଗଣ

ବିହ୍ୱାନ ସୁପୁତ୍ର ଏକା କୁଳର ଭୂଷଣ

ସଭାର ଭୂଷଣ ସିନା ସୁପଣ୍ଡିତ ଜନ

 

ଗୁଣଧର ପୁତ୍ର ଆଉ ଜ୍ଞାନୀ ମିତ୍ରବର

ମନୋମତ ଭାର୍ଯ୍ୟା ପୁଣି ସାଧୁ ସହୋଦର,

ସୂନାମ, ସୌଭାଗ୍ୟ ଆଉ ନୀରୋଗ ଶରୀର

ନିଶ୍ଚୟ ଏ ସର୍ବଫଳ ବହୁ ସୂକୃତିର

 

ବାଳକର ବନ୍ଧୁ ସଦା ହୁଅନ୍ତି ବାଳକ

ମିଳନ୍ତି ବନ୍ଧୁଭାବରେ ଯୁବକ ଯୁବକ

ବୃଦ୍ଧର ସହିତ ମିଳେ ବୃଦ୍ଧ ଯେଉଁ ଜନ

ସମସ୍ତଙ୍କ ସଙ୍ଗେ କିନ୍ତୁ ସାଧୁର ମିଳନ

 

ସ୍ୱପୁତ୍ରର ଶୁଭାକାଙ୍‌କ୍ଷୀ ନୁହେଁ ଯେଉଁ ଜନ

କୁପିତା ବୋଲିଣ ତାକୁ କରିବ ଗଣନ

ଜନକ ଜନନୀ ବଶେ ଯେ ପୁତ୍ର ନ ରହେ

କୁପୁତ୍ର ନାମକୁ ସେହି କୁଳାଙ୍ଗାର ବହେ

 

ହୀନଜନ ଦେଇପାରେ ସୁଦ୍ଧା ପ୍ରତିଶୋଧ

କରେ ଯଦି କେହି ତାହା ସଙ୍ଗରେ ବିରୋଧ

ଚରଣ ଆଘାତେ କଲେ ଧୂଳିକୁ ତାଡ଼ନ

ଧୂଳି ସୁଦ୍ଧା କରେ ଯାଇ ଶିର ଆକ୍ରମଣ

 

ତରଙ୍ଗିଣୀ ନିଜେ ଜଳ କରେ ନାହିଁ ପାନ

ଖାଏ ନାହିଁ ବୃକ୍ଷ ଫଳ, ପରେ କରେ ଦାନ

ବାରିଧର କୃଷକକୁ ଶସ୍ୟ ମାଗେ ନାହିଁ

ସଜ୍ଜନ ସମ୍ପଦ ସଞ୍ଚେ ପରିହିତ ପାଇଁ

 

ପରଛିଦ୍ର ଖୋଜି ବୁଲେ ସଦା ଛିଦ୍ରବାନ

ସାକ୍ଷୀ ତାର ସୂଚୀ, ଛିଦ୍ର କରଇ ସନ୍ଧାନ

ପରିଛିଦ୍ର ଆବରଣ ନିଶ୍‌ଛିଦ୍ରର ଧର୍ମ

ସାକ୍ଷୀ ତାର ସୂତା, ଧନ୍ୟ ତାର ସାଧୁକର୍ମ

 

ଅର୍ଦ୍ଧଶ୍ଳୋକେ ବ୍ୟକ୍ତ ଏହି କୋଟି ଗ୍ରନ୍ଥ ସାର

ପରହିତ ପୁଣ୍ୟ, ପର ପୀଡ଼ା ପାପଭାର

ଅତଏବ ଶିଶୁଗଣ ଶୁଣ ଦେଇ ମନ

ପ୍ରାଣପଣେ ପର ହିତ କରିବ ସାଧନ

 

ଦୋଷଗୁଣ ଆପଣାର ଯାହାର ଯେପରି

ଅନାଦର ସମାହର ତାହାର ସେପରି

ଅନଳୁ ଜନମ ବୋଲି ଭସ୍ମ ନୁହେଁ ଧନ୍ୟ

ଶୁକ୍ତିକା-ପ୍ରଭବା ମୁକ୍ତା ନୁହଇ ନଗଣ୍ୟ

 

ବିଦ୍ୱାନ ଦୁର୍ଜନ ଯଦି, ତା ସଙ୍ଗ ନ କର

ମଣିଷଭୂଷିତ ଫଣୀ କି ନୁହେଁ ଭୟଙ୍କର ?

ଭୁଜଙ୍ଗ ହୁଅଇ ବଶ ମନ୍ତ୍ରୌଷଧି ବଳେ

ଦୁଷ୍ଟତାର ମହୌଷଧି ନାହିଁ ଭୂମଣ୍ଡଳେ

 

ଧନଧାନ୍ୟ ଦାନକାଳେ ଅଥବା ଗ୍ରହଣେ

ଆହାର କାର୍ଯ୍ୟରେ ପୁଣି ବିଦ୍ୟା ଉପାର୍ଜ୍ଜନେ,

ବ୍ୟବହାର କାର୍ଯ୍ୟେ, କହିଅଛନ୍ତି ପଣ୍ଡିତ

ଏ ପଞ୍ଚକାର୍ଯ୍ୟରେ ଳଜ୍ଜା ନୁହଇ ଉଚିତ

 

ନ କରିବ ଦୁର୍ଜ୍ଜନକୁ କଦାଚ ବିଶ୍ୱାସ

ଭ୍ରମେ ସୁଦ୍ଧା କର ନାହିଁ ତାର ସହବାସ

ହସ୍ତଦାହ କରେ ତପ୍ତ ହୋଇଲେ ଅଙ୍ଗାର

ଶୀତଳ ହୋଇଲେ ହାତେ ଲାଗେ କଳାଗାର

 

ନାହାନ୍ତି ଯେ ଦେଶେ ଧନୀ, ନୃପତି,ପଣ୍ଡିତ

ହୋଇଥାଏ ପୁଣି ବୈଦ୍ୟ ନଦୀ ବିବର୍ଜିତ,

ମନୁଷ୍ୟ-ବସତିଯୋଗ୍ୟ ନୁହଇ ସେ ଦେଶ

ବାସକଲେ ଘଟେ ଦୁଃଖ ଅଭାବ ବିଶେଷ

 

ୠଣ ଅଗ୍ନି ପୁଣି ବ୍ୟାଧି ଏ ତିନିର ଶେଷ

ରହିଗଲେ ଘଟେ ଶେଷେ ବିପଦ ବିଶେଷ

ଶେଷ ଥିଲେ ବୃଦ୍ଧି ଲଭି କିଛି କାଳାନ୍ତର

ଧରଇ ଭୀଷଣ- ଭାବ ମହାଭୟଙ୍କର

 

ଅତିଦର୍ପେ ଲଙ୍କେଶ୍ୱର ଲଭିଲା ବିନାଶ

ଅତିମାନେ କୌରବର ଶତଭାଇ ନାଶ

ଅତିଦାନେ ବଳି ହେଲା ପାତାଳରେ ବନ୍ଦୀ

ଅତି ସର୍ବକାର୍ଯ୍ୟ ପକ୍ଷେ ଅତି ପ୍ରତିଦ୍ୱନ୍ଦ୍ୱୀ

 

କୁକୁର ଲାଙ୍ଗୁଳ ଆଉ ଦୁର୍ଜ୍ଜନର ଚିତ୍ତ -

ଉଭୟ ସରଳ ନୁହେଁ, ସର୍ବଦା ବକ୍ରିତ

ବିପଦ ସମୟ କିନ୍ତୁ ଉପସ୍ଥିତ ହେଲେ

ସରଳ ତାହାଙ୍କ ପରି କିଏ କେତେବେଳେ

 

ବିଦ୍ୟାହୀନ ହେଲେ ସୁଦ୍ଧା ଜନକ ଯେ ଜନ

ପୁତ୍ର ପକ୍ଷେ ନିଶ୍ଚୟ ସେ ପୂଜ୍ୟ ଅନୁକ୍ଷଣ

ଆବର୍ଜ୍ଜନାମୟ ଯଦି ହୁଏ ତୀର୍ଥ ସ୍ଥାନ

କିଏ ସେ ନ କରେ ତାର ଉଚିତ ସମ୍ମାନ

 

ଉଚ୍ଚ ସହବାସେ ଯଦି ରହେ ନିରନ୍ତର

ଛାଡି ନ ପାରଇ ନୀଚ ନୀଚତା ନିଜର

ଉତ୍ତୁଙ୍ଗ ଆକାଶଚାରୀ ଶାର୍ଗୁଣା ସକଳ

ଶ୍ମଶାନେ ଶବକୁ ଲକ୍ଷ୍ୟ କରନ୍ତି କେବଳ

 

ଶିଖାଇଲେ ନାନା ଯତ୍ନେ କରିଣ ତାଡ଼ନ

ଜ୍ଞାନବାନ ହୋଇପାରେ ଅଜ୍ଞ ମୂଢ଼ଜନ

ପର୍ବତ ଶିଖରେ କଲେ ଗଭୀର କର୍ଷଣ

ହୁଏ ନାହିଁ ଶସ୍ୟ ଲାଭ ଆଶା ଅକାରଣ

 

ରଜତ କାଞ୍ଚନେ ସର୍ବେ ବୋଲନ୍ତି ଯେ ଧନ

ପୁଣି ଧନ ଆଖ୍ୟା ଲଭେ ମାଣିକ୍ୟ ରତନ

ସର୍ବଧନଠାରୁ କିନ୍ତୁ ଆଦର ବିଦ୍ୟାର

ବିଦ୍ୟାଧନ ମହାଧନ, ତୁଲ୍ୟ ନାହିଁ ତାର

 

କି ଫଳ ବକ୍ତାର ହିତଉପଦେଶ କଥା

ଶ୍ରୋତାଗଣ କର୍ଣ୍ଣପାତ ନ କଲେ ସର୍ବଥା

ଉଲ୍ଲଙ୍ଗ ସନ୍ନ୍ୟାସିଗଣ ଅଛନ୍ତି ସେଠାରେ

ସେଠାରେ କି ରଜକର କାର୍ଯ୍ୟ ଚଳିପାରେ

 

ଯେଉଁ କାର୍ଯ୍ୟ ଆଚରିବ ଶୁଣ ଶିଶୁଚୟ

ଲଭିବ ସେଥିର ଫଳ ନିଶ୍ଚୟ ନିଶ୍ଚୟ

ଅଖଣ୍ତ ସୁଖଭୋଗରେ ଥାଏ ଯେବେ ମନ

ପ୍ରାଣପଣେ ସାଧୁକାର୍ଯ୍ୟ କର ଆଚରଣ

 

ପାଞ୍ଚିବ ପ୍ରାଣରେ ସଦା ସ୍ୱଦେଶ କଲ୍ୟାଣ

ବିପନ୍ନ, ମାନବ ହିତେ ଉତ୍ସର୍ଗିବ ପ୍ରାଣ

ଆତ୍ମସମ୍ମାନାର୍ଥେ ପରେ ଅର୍ପିବ ସମ୍ମାନ

ରଖିଥିବ ସଦା ବିଶ୍ୱପତି ପଦେ ଧ୍ୟାନ

 

ଏ ସଂସାର କର୍ମକ୍ଷେତ୍ର, କର୍ମ ବହୁବିଧ

ଅଛି, ତାହା ଥରେ ଅଧେ ଯତ୍ନେ ନୁହେଁ ସିଦ୍ଧ

ବିରତ ନ ହୋଇ ଚେଷ୍ଟା କଲେ ବାରେ ବାରେ

କେତେବେଳେ ହେଲେ କର୍ମ୍ମ ସିଦ୍ଧ ହୋଇପାରେ

 

କାଟି କାଟି କଲେ ସୁଦ୍ଧା ଶତଶତ ଖଣ୍ତ

ମଧୁରତା ନ ତେଜଇ କେବେ ଇକ୍ଷୁଦଣ୍ତ

ଅନଳେ ସହସ୍ର ବାର ଦହିଲେ କାଞ୍ଚନ

ସ୍ୱଭାବ ଶୁଦ୍ଧତା ଛାଡେ ନାହିଁ କଦାଚନ

 

ପାଷାଣରେ ଲକ୍ଷ ଥର କଲେକ ଘର୍ଷଣ

ନ ଛାଡଇ ଚାରୁଗନ୍ଧ କଦାପି ଚନ୍ଦନ

ଅତଏବ ସଜ୍ଜନର ଶୁଦ୍ଧ ଚିତ୍ତବୃତ୍ତି

ପ୍ରାଣାନ୍ତ କଷ୍ଟରେ ସୁଦ୍ଧା ନ ଭଜେ ବିକୃତି

 

ସ୍ୱଭାବତଃ ଖଳ ମୂକ, ପର ପ୍ରଶଂସାରେ

ସ୍ୱଭାବତଃ ଶତଜିହ୍ୱ ପରର ନିନ୍ଦାରେ

ସ୍ୱଭାବତଃ ଚକ୍ଷୁହୀନ ସଦା ପରଦୁଃଖେ

ସ୍ୱଭାବତଃ ଚକ୍ଷୁଷ୍ମାନ କିନ୍ତୁ ଆତ୍ମସୁଖେ

 

ସୁଖକୁ କରନ୍ତି ନରେ ଯେତେ ଅନ୍ୱେଷଣ

ତେତିକି ଦୂରକୁ ସୁଖ କରେ ପଳାୟନ

ଘଉଡିଲେ ଯେତେ ଦୁରେ ଦୁଃଖେ ଆପଣାର

ତେତିକି ନିକଟବର୍ତ୍ତୀ ହୁଏ ବାରବାର

 

ସ୍ୱସ୍ଥାନେ ରହିଲେ ହୁଏ ଦୁର୍ବଳ ପ୍ରବଳ

ସ୍ଥାନଚ୍ୟୁତ ହେଲେ ହୁଏ ପ୍ରବଳ ଦୁର୍ବଳ

ପଡ଼ିଲେ ସଲିଳ ସ୍ରୋତ ଗଜ ହୁଏ କ୍ଷୀଣ

ବିପରୀତ ଦିଗେ ତାର ଖେଳେ ଦେଖ ମୀନ

 

ସାଧୁ ସହବାସେ ଯଦି ରହେ ଅନୂକ୍ଷଣ

ତଥାପି ଦୁର୍ଜ୍ଜନ, ଶିଷ୍ଟ ନୁହେ କଦାଚନ

ନୁହେ କି ଚନ୍ଦନ-ବାସୀ ଅହି ବିଷଧର

ସତତ ଧରଣୀ ଧାମେ ପ୍ରାଣୀ ପ୍ରାଣହର

 

କରନ୍ତି ପଣ୍ଡିତଜନ ଶାସ୍ତ୍ରର ବିଚାର

କିନ୍ତୁ ମୂର୍ଖପକ୍ଷେ ତାହା ସକଳ ଅସାର

କେହି କେବେ କାହିଁ ଦେଖିଅଛି କି ସଂସାରେ

ରାଜାଯୋଗ୍ୟ ସ୍ୱର୍ଣ୍ଣହାର ବାନର ଗଳାରେ

 

ନିଜ କର୍ମଦୋଷେ ଲୋକ ଲଭେ ଅଧୋଗତି

ନିଜ କର୍ମଗୁଣେ ତଥା ଲଭଇ ଉନ୍ନତି

କୂପଖନକର ହୁଏ ତଳକୁ ଗମନ

ପ୍ରାଚୀର ନିର୍ମାତା କରେ ଊର୍ଦ୍ଧ୍ୱେ ଆରୋହଣ

 

ଆୟକୁ ନ ଦେଖି ବ୍ୟୟେ ହେଲେ ମୁକ୍ତହସ୍ତ

ନଷ୍ଟ ହୋଇଯାଏ ଶୀଘ୍ର ସମ୍ପଦ ସମସ୍ତ

ପରିମତ ବ୍ୟୟେ କ୍ରମେ ହୁଅଇ ଉନ୍ନତି

ଅପବ୍ୟୟେ ସରିଯାଏ କୁବେର ସମ୍ପତ୍ତି

 

ପୋଥିଗତ ବିଦ୍ୟା, ପର ହସ୍ତଗତ ଧନ

ସମୟରେ ଆସେ ନାହିଁ କାର୍ଯ୍ୟ କଦାଚନ

ସେ ଯେବେ ପଣ୍ଡିତ ପୋଥିଗତ ବିଦ୍ୟା ଯାର

ତେବେ ଆଉ କିଏ ହେବ ଅପଣ୍ଡିତ ସାର

 

ଚିନ୍ତା ଚିତା ବେନି ମଧ୍ୟେ ଚିନ୍ତା ଗରୀୟସୀ

ଅନ୍ତଃସାର କୋରି ଖାଏ ହୃଦ ମଧ୍ୟେ ପଶି

ପ୍ରାଣ ଗଲେ ଶରୀରକୁ ଦହେ ସିନା ଚିତା

ମାତ୍ର ପ୍ରାଣ ଥାଉଁ ଥାଉଁ ପୋଡ଼ିଦିଏ ଚିନ୍ତା

 

ସ୍ୱଭାବତଃ ବୁଦ୍ଧିହୀନ ଅଟେ ଯେହୁ ଜାଣ

କି କରିବ ତାହାଠାରେ ଶାସ୍ତ୍ର ବା ପୁରାଣ

ସ୍ୱଭାବତଃ ଚକ୍ଷୁହୀନ ଅଟେ ଯେଉଁ ଜନ

କି ଫଳ ସମ୍ମୁଖେ ତାର ଧଇଲେ ଦର୍ପଣ ?

 

ଯେ ଅଟଇ ସାଧୁ ଶିଷ୍ଟ, ଜ୍ଞାନୀ ନିରଳସ

ଲଭଇ ସେ ଜଗତରେ ସୁବିମଳ ଯଶ

ଆଳସ୍ୟ ଅନୃତ ଆଦି ମନ୍ଦ ଆଚରଣ

ନୁହଇ ଶୁଭଦ, ଅଟେ ବିନାଶ କାରଣ

 

ଭଲ କଥା, ଭଲ ବୁଦ୍ଧି, ଭଲ କାମ ଯାର

ପୁଣି ସଦା କରୁଥାଏ ପର ଉପକାର,

ପ୍ରକୃତ ଶିକ୍ଷିତ ଆଖ୍ୟା ତାହାର ଉଚିତ

ସୁଖ ମୋକ୍ଷ ହାର ତାହା ପାଇଁ ଅବାରିତ

 

ମାତୃଭୂମି ମାତୃଭାଷା ଜନନୀ ସମାନ

ତାହାଙ୍କ ସେବାରେ କର ମନପ୍ରାଣ ଦାନ

ଆନନ୍ଦ-ଚନ୍ଦନ ବୋଳି ଭକ୍ତି-କୁସୁମରେ

ସତତ ସମର୍ପୁଥାଅ ତାହାଙ୍କ ପୟରେ

 

ଜଳେ କେହି ବୁଡ଼ିଗଲେ କୂଳେ ଥିବା ଜନେ

ହାହାକାର କରୁଥାନ୍ତି ବିରସ ବଦନେ

ଯେ ଯାଇ ଜଳରୁ ତାକୁ କରଇ ଉଦ୍ଧାର

ପ୍ରକୃତ ବାନ୍ଧବ ସେହି ଅଟଇ ତାହାର

 

ତ୍ରିପଣ୍ଡକାଳିଆ ରୂପ ଅଟେ କୋକିଳର

ସ୍ୱର ହେତୁ ଲଭେ ସେହି ଲୋକରେ ଆଦର

କି ହୋଇବ ବାହାରଟା ହେଲେ ଅସୁନ୍ଦର

ଭିତର ସୁନ୍ଦର ଯାର ସେ ସିନା ସୁନ୍ଦର

 

ଥାଏ ନାହିଁ ବିଦ୍ୱାନର ଗର୍ବ ଅଭିମାନ

ସ୍ୱଳ୍ପଜ୍ଞାନୀ, କରେ ସିନା ଧରା ସରା ଜ୍ଞାନ

ନାହିଁ ଗର୍ବ ମହାସିନ୍ଧୁସଞ୍ଚାରୀ ମୀନର

ଅଙ୍ଗୁଷ୍ଠ ଜଳେ ଶଫରୀ ହୁଏ ଫର ଫର

 

ନିନ୍ଦାପ୍ରଶଂସାରେ ନୁହେଁ ଦୁଃଖିତ ବା ସ୍ଫୀତ

ଯେଉଁ ଲୋକ, ସେହି ଏକା ଅଟଇ ପଣ୍ଡିତ

ନିନ୍ଦା ପ୍ରଶଂସାରେ କିଛି ହାନିଲାଭ ନାହିଁ

ଉଭୟ ଅଟନ୍ତି ପୁଣି ନୀରସ ଅସ୍ଥାୟୀ

 

କପାଳରେ ନାହିଁ ବୋଲି ନ ହୁଅ ହତାଶ

କର୍ମକ୍ଷେତ୍ରେ ପଶି କର ଉଦ୍ୟୋଗ ପ୍ରକାଶ

ଉଦ୍ୟୋଗବିହୀନେ ସିଦ୍ଧ ନୁହେଁ ମନୋରଥ

କେତେବେଳେ ଚଳି ନାହିଁ ବିନା ଚକ୍ରେ ରଥ

 

ନୈତିକ ସାହସ ନାହିଁ ଯେଉଁ ପୁରୁଷର

ତାହାର ଉନ୍ନତି ଆଶା ଅତୀବ ଦୁଷ୍କର

ନିଜ ସାଧୁତାରେ କରି ଏକାନ୍ତ ନିର୍ଭର

ପ୍ରକାଶେ ସ୍ୱାଧୀନ ମତ ନୋହିବ କାତର

 

କାର୍ଯ୍ୟ କରେ ସାଧୁତାରେ ଯେ କରି ନିର୍ଭର

ଅନେକ ହୋଇଲେ ଶତ୍ରୁ ନାହିଁ ତାର ଡ଼ର

ଶୋଭାପାଏ ସଭା ଯେବେ ଥାଏ ତହିଁ ଜ୍ଞାନୀ

ନୃପତିର ଶୋଭା ବଢ଼େ ହେଲେ ମହାଦାନୀ

 

କେବଳ ସୁଦୀର୍ଘ ଜଟା ନଖ ଶ୍ମଶ୍ରୁଧାରୀ

ଏ ଲକ୍ଷଣେ ଚିହ୍ନାଯାଏ ନାହିଁ ବ୍ରହ୍ମଚାରୀ

ବ୍ରହ୍ମଚାରୀ ହେବ ଯେବେ ନଖଶ୍ମଶ୍ରୁଧାରୀ

କିପାଇଁ ହୋଇବେ ପଶୁ,ଛାଗଳ, କେଶରୀ ?

 

ଲଗାଇବ ଯେଉଁ ଗଛ ଫଳିବ ସେ ଫଳ

ନିଜକୃତ କାର୍ଯ୍ୟ କେବେ ନୋହିବ ବିଫଳ

କୁବୃକ୍ଷ ଯଦ୍ୟପି କେହି କରଇ ରୋପଣ

ସୁଫଳ ଗାଇବା ଆଶା ତାର ବିଡ଼ମ୍ୱନ

 

ସକଳ ଇନ୍ଦ୍ରିୟେ କରି ସଂଯମିତ ବକ

ଲକ୍ଷ୍ୟ ସ୍ଥିର ରଖେ ଯଥା ଆଦର୍ଶ ସାଧକ

ସେହିପରି ଦେଶକାଳ ବୁଝିଣ ପଣ୍ଡିତ

ସାବଧାନେ କାର୍ଯ୍ୟ କରେ ହୋଇ ଏକଚିତ୍ତ

 

ଗୁରୁନିନ୍ଦା ମହାପାପ ଶାସ୍ତ୍ରୀୟ ଭକତି

ବିଶ୍ୱାସଘାତକ ସୁଦ୍ଧା ମହାପାପ ଅତି

ବର୍ଣ୍ଣି ନୁହେଁ ନାସ୍ତିକତା ମହାପାପ କଥା

ଆଉ ଏକ ମହାପାପ ଅଟେ କୃତଘ୍ନତା

 

ଉତ୍ସାହ ଉଦ୍ୟମ ନାଶ କରେ ଭୀରୁ ନୀତି

କ୍ଷଣେ କ୍ଷଣେ ହୃଦୟରେ ଜନମାଏ ଭୀତି

ଡାହାଣୀ ଭୂତକୁ କେହି କେବେ ଦେଖି ନାହିଁ

ଅଳୀକ କଥାରେ ଏତେ ଡର କାହିଁ ପାଇଁ ?

 

ବିଦ୍ୟା ସମ ହିତକାରୀ ବନ୍ଧୁ ଆଉ ନାହିଁ ,

ବ୍ୟାଧିର ସମାନ ରିପୁ ତ୍ରିଜଗତେ କାହିଁ

ଅପତ୍ୟ ସ୍ନେହ ସକଳ ସ୍ନେହରୁ ପ୍ରବଳ,

ଦୈବବଳଠାରୁ ବଳି ନାହିଁ ଅନ୍ୟ ବଳ

 

କି ନ ମିଳେ ଶ୍ରୀପତିଙ୍କୁ, କାଙ୍କର ବାହନ-

ବିନତା-ନନ୍ଦନ କରେ ଭୁଜଙ୍ଗ ଅଶନ

ଶୁଭଦାତା ଶିବଙ୍କର ବୃଷ ଚିରଦାସ,

ନ ଘୁଞ୍ଚିଲା କ୍ଳେଶ ତାର କରି ଘାସ ଗ୍ରାସ !

 

ବିଶ୍ୱସ୍ରଷ୍ଟା ବିଧାତାଙ୍କୁ କରିଣ ଆଶ୍ରୟ

ଭକ୍ଷଣ କରଇ ହଂସ ଦଳ କିଶଳୟ !

ଅତଏବ ମହାଜନ ସେବାରେ କି ଫଳ ?

ଅଦୃଷ୍ଟର ଲିପି କେବେ ନୋହିବ ବିଫଳ

 

ବ୍ରାହ୍ମଣର ଧନ ବିଦ୍ୟା, କ୍ଷତ୍ରିୟର ରଣ,

କୁଳସ୍ତ୍ରୀର ଧନ ଲଜ୍ଜା, ବେଶ୍ୟାର ଯୌବନ

ପାଦପର ଭୟ ବାୟୁ, ପଦ୍ମର ଶିଶିର,

ପର୍ବତର ଭୟ ବଜ୍ର, ମରଣ ପ୍ରାଣୀର

 

ପ୍ରକୃତି ତ ମାନବର ନୁହେ ଛାଡିବାର,

ଶତ ଧୌତେ ତେଜଇ କି କୃଷ୍ଣତ୍ୱ ଅଙ୍ଗାର ?

ଅଜାଯୁଦ୍ଧ, ୠଷିଶ୍ରାଦ୍ଧ, ଦମ୍ପତି କଜିଆ,

ପ୍ରାତେ ମେଘାଟୋପ ବହ୍ଵାରମ୍ଭେ ଲଘୁକ୍ରିୟା

 

ଦୀପ୍ତକରେ ବିଭାବରୀ ଚନ୍ଦ୍ର ଶଶଧର,

ଦିବସେ ପ୍ରଦୀପ୍ତ କରେ ଦିବାକର-କର

ତ୍ରିଭୁବନ ଉଜ୍ଜ୍ୱଳର ଧର୍ମ ଅଟେ ମୂଳ

ସୂପୁତ୍ର କରଇ ସିନା ସମୁଜ୍ଜ୍ୱଳ କୁଳ

 

ପର ସୂଦ୍ଧା ବନ୍ଧୁ ହୁଏ ମହା ହିତକାରୀ,

ଅହିତ ସାଧଇ ବନ୍ଧୁ ଯେସନ ଭଗାରୀ

ଦେହୁଁ ଜାତ ହୋଇ ବ୍ୟାଧି ସାଧେ ଅମଙ୍ଗଳ

ବନଜାତ ମହୌଷଧି ଅର୍ପେ ଶୁଭଫଳ

 

ମୁଖ ଚାରୁ ପ୍ରଫୁଲ୍ଲିତ ଯଥା ପଦ୍ମଦଳ,

ବାଣୀ ଉଚ୍ଚାରଣ ପୁଣି ଚନ୍ଦନ-ଶୀତଳ

କୂଟ -କପଟ-କର୍ତ୍ତରୀ ସଂଯୁକ୍ତ ହୃଦୟ,

ଧୁର୍ତ୍ତକୁ ଚିହ୍ନିବ ଦେଖି ଏ ଲକ୍ଷଣତ୍ରୟ

 

ହେଉ ପଛେ ରୁପବନ୍ତ, ବିଦ୍ୟାରେ ନିପୁଣ,

ଛାଡ଼ି ନ ପାରଇ ଖଳ କେବେ ନିଜ ଗୁଣ

ସୁରଙ୍ଗ ଲଙ୍କାମରିଚ ଘୃତ ମଧୁ ସହ,

ସିକ୍ତ ହେଲେ ଛାଡ଼ଇ କି କଟୁତା ଦୁଃସହ

 

ବରଞ୍ଚ ନିର୍ଦ୍ଧନ ହେବା ଶତଗୁଣ ଶ୍ରେୟ,

ଧନୀ ହୋଇ କୃପଣତା ଅତି ଅବିଧେୟ

ନ ଥିଲେ ନ ଥାନ୍ତା କ୍ଷାର ସମୁଦ୍ରରେ ଜଳ,

ବିକୃତ ଜଳରେ ତାର ଅସ୍ତିତ୍ୱ ବିଫଳ

 

କଦାପି ବହିବ ନାହିଁ ଜ୍ଞାନ ଅଭିମାନ,

ନିଜକୁ ମଣିବ ସଦା ସବୁଠାରୁ ସାନ

ଜ୍ଞାନୀ ସାଧୁ ନ ବହନ୍ତି ଆଡ଼ମ୍ବର ଧ୍ୱଜ,

ନୁହଇଟି ଏଣୁ ତାଙ୍କୁ ଚିହ୍ନିବା ସହଜ

 

ସଙ୍ଗଭେଦେ ଉପୁଜଇ ଦୋଷଗୁଣ ବେନି

ଜଳର ବିଭିନ୍ନ ସ୍ୱାଦୁ ଯଥା ସ୍ଥାନ ଘେନି

ଶତ୍ରୁ ଶତ୍ରୁ, ମିତ୍ର ମିତ୍ର, ବେନି ମହାମିତ୍ର

ମିତ୍ର-ଶତ୍ରୁ, ଶତ୍ରୁ-ମିତ୍ର, ଏ ବେନି ଅମିତ୍ର

 

ଧନେ ମାନେ ବଡ଼ଲୋକ ଅଛନ୍ତି ଅନେକ

କୋଟିକେ ଦୁର୍ଲ୍ଲଭ ମନେ ବଡଲୋକ ଏକ

ଥାଏ ନାହିଁ ମୁକ୍ତାଫଳ ସବୁ ଗଜଶିରେ

ନ ମିଳେ କସ୍ତୁରୀ ସର୍ବ କୁରଙ୍ଗ ନାଭିରେ

 

ପରମ ଦେବତା ପିତା ତହୁଁ ବଳି ମାତା

ଜନନୀ ଜୀବନଦାତ୍ରୀ, ପିତା ଜନ୍ମଦାତା

ପ୍ରାଣପଣେ ସେବି ତାଙ୍କ ଚରଣଯୁଗଳ

ଦୁର୍ଲ୍ଲଭ ମାନବ ଜନ୍ମ କର ହେ ସଫଳ

 

ଇକ୍ଷୁଦଣ୍ଡ ରସ ଶୋଷି ଚୁପୂରା ଯେପରି

ନିକ୍ଷେପନ୍ତି ଦୂରେ ନେଇ ହେୟ ଜ୍ଞାନ କରି,

ସେହିପରି ପରଦୋଷ କରିବ ବର୍ଜ୍ଜନ

ଗୁଣରାଶି ସଯତନେ କରିବ ଗ୍ରହଣ

 

କ୍ଷୁଦ୍ରତା ଯେ ମହତ୍ତ୍ୱର ଅଟେ ରୁପାନ୍ତର

ଆଜି ଯେ କ୍ଷୁଦ୍ର, ସେ କାଲି ହେବ ମହତ୍ତର

ରେଣୁ ସମ ବଟବୀଜ, କିନ୍ତୁ ଅଲକ୍ଷ୍ୟରେ

ମହାବୃକ୍ଷ ଲୁକ୍‌କାୟିତ ତାର ଅଭ୍ୟନ୍ତରେ

 

ଏକର ସର୍ବସ୍ୱ ହରି ଆନେ ତାହା ଦେଲେ

ନୁହଇ ମୋଚନ ସେହି ପାପ କେତେବେଳେ

ତଣ୍ଡୁଳ ପ୍ରଦାନ କଲେ ଚୋରି କରି ଧାନେ

କେଉଁ ଫଳ ଛାଗ ବଧି ଉପାନହ ଦାନେ ?

 

ଚାଲୁଣି ସମାନ ଅଟେ ଦୁର୍ଜ୍ଜନ ସ୍ୱଭାବ

ସାର ତେଜି ଦିଏ ହୃଦେ ଅସାରକୁ ଠାବ

କିନ୍ତୁ ବିପରୀତ ଗୁଣ ଅଟଇ କୁଲାର

ଅସାରେ ଉଡ଼ାଇ ଧରେ ସାଧୁପ୍ରାୟେ ସାର

 

ମହତ ଲୋକର ସିନା ବେଭାର ଏସନ

ନିଜେ କଷ୍ଟ ସହି କରେ ଆଶ୍ରିତ ପାଳନ

ରୌଦ୍ର, ବର୍ଷା ଶିଳାପାତ ସହି ଛତା ଯଥା

ରକ୍ଷାକରେ ସଯତନେ ଅପରର ମଥା