ଗୋପାଳକୃଷ୍ଣ ପଦ୍ୟାବଳୀ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ଶ୍ରୀରାଧା ନକ୍ଷତ୍ର ମାଳା

ଜୟତି ଜୟତି ରାଧା ଶ୍ରୀ ବ୍ରଜାରଣ୍ୟ ରାଜ୍ଞୀ

ଜୟତି ଜୟତି ରାଧାକୃଷ୍ଣ ବକ୍ତ୍ରାବ୍‌ଜଭୃଙ୍ଗୀ

ଜୟତି ଜୟତି ରାଧା ଗୋପିକା ମୌଳିମାଳାଂ ।

ଜୟତି ଜୟତି ରାଧା ସ୍ୱାମିନୀ ଯା ମଦୀୟା ।୧।

କୀର୍ତ୍ତିଦା ପ୍ରାଣଭୂତାଂ କୋଟିସାଧ୍ୱୀ ବରିଷ୍ଠାଂ ।

ସଚ୍ଚିଦାନନ୍ଦ ରୂପା ସ୍ୱାମିନୀ ଯା ମଦୀୟା ।୨।

ସତ୍‌ସୌଭାଗ୍ୟ ଶାଳିନୀ ରାସଲୀଳାଧିଦେବୀଂ ।

ସର୍ବଶୋଭାବରେଣ୍ୟାଂ ସ୍ୱାମିନୀ ଯା ମଦୀୟା ।୩।

ଶ୍ରୀ ମହାଭାବବର୍ଷ୍ମା ଶ୍ରୀହରେ ଶର୍ମସଦ୍ମାଂ ।

କିଶୋରୀ କଳ୍ପବଲ୍ଲୀଂ ସ୍ୱାମିନୀ ଯା ମଦୀୟା ।୪।

 

ଶତକୁମ୍ଭାଭଗାତ୍ରୀଂ ଦିବ୍ୟମାଙ୍ଗଲ୍ୟ ସୂତ୍ରୀଂ ।

ଗାଢ଼ବାଧାଲବିଝ୍ର ସ୍ୱାମିନୀ ଯା ମଦୀୟା ।୫।

ଚୀନନୀଳାଭବସ୍ତ୍ରା ପୂର୍ଣ୍ଣଶୁଭ୍ରାଂଶୁ ବକ୍ତା ।

ଫୁଲ୍ଲରାଜୀବହସ୍ତାଂ ସ୍ୱାମିନୀ ଯା ମଦୀୟା ।୬।

କଞ୍ଜକର୍ପୂରଗନ୍ଧାଂ ଶୋଣପଦାରବିନ୍ଦାଂ ।

ବ୍ରହ୍ମରୁଦ୍ରେନ୍ଦ୍ର ବନ୍ଦ୍ୟାଂ ସ୍ୱାମିନୀ ଯା ମଦୀୟା ।୭।

ଗୋଷ୍ଠଚନ୍ଦ୍ରାଦଭିନ୍ନା ସର୍ବଦା ସୁପ୍ରସନ୍ନାଂ ।

ଭୀଷ୍ଟଦା ଶ୍ରୀଳନାମାଂ ସ୍ୱାମିନୀ ଯା ମଦୀୟା ।୮।

ଇତି ଶ୍ରୀଲୋକନାଥଦାସ ଗୋସ୍ୱାମୀନା

ବିରଚିତା ‘‘ଶ୍ରୀରାଧା ନକ୍ଷତ୍ର ମାଳା’’ ସମାପ୍ତ ।

 

ଶ୍ରୀ ବୃଷଭାନୁକା ପ୍ରେମ ନାମାବଳୀ

ଶ୍ରୀକୃଷ୍ଣ ଚୈତନ୍ୟ ଚନ୍ଦ୍ରାୟ ନମଃ ।

ଇଥିଂ ସର୍ବର୍ଥଦା ରାଧା, ପ୍ରେମ ନାମାବଳୀର ଶୁଭା

ସ୍ୟାଃ କୀର୍ତ୍ତନ ମାତ୍ରେଣ, ଶ୍ରୀ ଗାନ୍ଧର୍ବ ପ୍ରସିଦତି ।

ତ୍ରାହି ଶ୍ରୀରାଧିକେ, ତ୍ରାହି ଗାନ୍ଧର୍ବିକେ

କୃଷ୍ଣପ୍ରାଣଧିକେ, ଚୀନନୀଳାଂଶୁକେ ।ଧ୍ରୁବ।

 

ଶ୍ରୀକୀର୍ତ୍ତିଦାପୁତ୍ରି ମହାଭାବ ଗାତ୍ରୀ,

ରମୋମାଧିଷ୍ଠାତ୍ରି, ଗୋପୀ ପ୍ରେମପାତ୍ରୀ ।୧।

ମାଧୁରୀଣାଂପୂରି ହେ ଶ୍ରୀରାସେଶ୍ୱରୀ,

ସ୍ଥିର ବିଦ୍ୟୁତ୍‌ ଗୌରି, ସୌଭାଗ୍ୟମଞ୍ଜରି ।୨।

ସାଧ୍ୱୀ ଗୋତ୍ର ଗୁର୍ବି, ଗୋଲକାଧି ଦେବି,

ସ୍ୱାମିନୀ ମାଧବୀ, ଶ୍ରୀବୃଷଭାନୁବି ।୩।

ମୁଖେନ୍ଦୁ ଭାସନି, ଶ୍ୟାମାଙ୍କବର୍ତ୍ତିନୀ,

ସ୍ୟାନ୍ଦିନିହ୍ଲାଦିନି, ହେ ଦୁଃଖ ଧ୍ୱଂସିନୀ ।୪।

 

ହେ କୁଞ୍ଜଗେହିନି, ହେମାବ୍‌ଜଦେହିନି,

ଗୋବିନ୍ଦ ମୋହିନି, କାରୁଣ୍ୟବାହିନି ।୫।

ରୁଚିର ପକ୍ଷ୍ମପାଳି, ରୁକ୍ଷଜିନ୍ନଖରାଳି,

ସର୍ବଦା ପରିତାଳି, ଶୁଦ୍ଧ ସଦ୍‌ଗୁଣାବଳି ।୬।

ନିତ୍ୟ ନୂତନ କାୟେ, ଶ୍ୟାମସୁନ୍ଦର ପ୍ରିୟେ,

ପ୍ରଣୟ ରତ୍ନାଳୟେ, ପଶୁପରାମାଶ୍ରୟେ ।୭।

ଇନ୍ଦ୍ରାବ୍‌ଜପରିମଳେ, ବିଧୁ ବ୍ରାତ ଶୀତଳେ,

ନବନୀତ କୋମଳେ, ନିଜ ଦାସୀ ବତ୍ସଳେ ।୮।

 

ଅଖିଳ ଶକ୍ତିବରେ, ଜଗଦୈକବନ୍ଧୁରେ,

ମଧ୍ୟମିତ ଭଙ୍ଗୁରେ, ମଣି ଚାରୁ ନୂପୁରେ ।୯।

ଗୋକୁଳାଟଦିଶେ, ସଦ୍ରତ୍ନାବତଂସେ,

ନୀର୍ଲିପ୍ତେନିର୍ଦୋଷେ, କୋଟିନ୍ଦୁ ସଂକାଶେ ।୧୦।

ଅଭିନବପ୍ରମଦେ, ନଟବିଶାରଦେ,

ଗାମ୍ଭୀର୍ଯ୍ୟ ବରହ୍ରଦେ ତ୍ୱମଭୟବରଦେ, ।୧୧।

ସତ୍‌ପଥେପ୍ରସୁ ବ୍ରତେ, ଯଶୋଦାଲାଳିତେଃ,

ଷଡୈଶ୍ୱର୍ଯ୍ୟନ୍ୱିତେ, ସ୍ୱୀୟ ପ୍ରେମାର୍ପିତେ ।୧୨।

 

ଅଷ୍ଟସାତ୍ୱିକାଙ୍ଗି, ଚଳାପାଙ୍ଗଭଙ୍ଗି

କୃଷ୍ଣସ୍ୟାବ୍‌ଜଭୃଙ୍ଗି ଗୋବିନ୍ଦ ପ୍ରିୟାଙ୍ଗି ।୧୩।

ଜୟ ଶ୍ରୀ କମଳିନି, ତ୍ରିବଳି ସୁଶୋଭିନି,

ସିନ୍ଦୁର ତିଳକିନି, ରମା ଶ୍ରୀବିଜୟିନୀ ।୧୪।

ଶତ୍ରୁ ମଦମର୍ଦ୍ଦିନି, ଗୋଷ୍ଠଶୁଭବର୍ଦ୍ଧିନି,

କୃଷ୍ଣମୟବଳଗିନି, ଲତିତାଆତ୍ମସଙ୍ଗିନ ।୧୫।

ସପ୍ତୋତୀର୍ଥେ ପୁତେ, ନିଜାଳୀ ପ୍ରସିତେ,

ଲାବଣ୍ୟାମ୍ବୁଧୌତେ, ତ୍ରପା ବସ୍ତ୍ରାଙ୍କିତେ ।୧୬।

 

ହେ ଧୀରାତି ଧୀରେ, ନିତ୍ୟାନିନ୍ଦ ପୁରେ,

ବନ୍ଧୁ ଜୀବାଧରେ କେଶାଦ୍ୟ ଗୋଚରେ ।୧୭।

ହରି କରି ଶୃଙ୍ଖଳେ, ଜୟ ଜଗନ୍ମବିଳେ,

ମଦିରାକ୍ଷିନିର୍ମଳେ, ପାକାତି କୌଶଳେ ।୧୮।

ସୁଧା ଧାରାସ୍ମିତେ, ହେ ନର୍ମ ପଣ୍ଡିତେ,

ସୁସ୍ମିଗ୍‌ଧେବ୍‌ ଜହସ୍ତେ ବିଦଗ୍‌ଧେ ବିନୀତେ ।୧୯।

ଚାରୁଭ୍ରୂକାର୍ମୂକେ ରତ୍ନଗ୍ରୈ ବେୟକେ,

ପୀୟୁଷବାଚିକେ, ଲସ୍ୟଦ୍ଦୋର୍ବଲ୍ଲିକେ ।୨୦।

 

ସୌଭାଗ୍ୟରେଖିକେ, ବଜ୍ରଶଳାକିକେ

ଲୋକଲୀଳାଳକେ, ସଙ୍ଗୀତ କୌତୁକେ ।୨୧୦।

ପ୍ରୌଜ୍ୱଳତ୍କାଜ୍ୱଳେ, ଚଳଦ୍ଦୁ ଗାଞ୍ଚଳେ,

ସୁଜିହ୍ମକୁନ୍ତଳେ, ଶ୍ରୀଳଗଣ୍ଡସ୍ଥଳେ ।୨୨।

ଶ୍ରୀକୃଷ୍ଣାନୁଶୀଳେ, ହେଲୋଳକୁଣ୍ଡଳେ,

ଗୋବିନ୍ଦାନୁକୁଳେ, ସ୍ୱକେଳି ବିହ୍ୱାଳେ ।୨୩।

ମାଣିକ୍ୟ ଭାରଦେ ହରିପ୍ରେମୋନ୍ମାଦେ,

କଳାସୁକୋବିଦେ, କୃଷ୍ଣଶର୍ମାପ୍ରଦେ ।୨୪।

 

କ୍ରୀଡ଼ାଧୌରେୟକେ, ଦିବ୍ୟାଙ୍ଗୁଳୀୟକେ

ଘୋଣାଗ୍ରାମୌକ୍ତିକେ, ସ୍ତ୍ରୀମୌଳି ମାଳିକେ ।୨୫।

ସୁକାନ୍ତେ ସୁଶ୍ରୌଣି ରମ୍ଭୋରୁସୃଗ୍‌ ବେଣି,

କୋକିଳ ଭାଷିଣ, ଓଁ କାର ରୂପିଣୀ ।୨୬।

ମତ୍ତେଭଗାମିନି, ଚକ୍ରବାକସ୍ତନି,

ବଲ୍ଲକୀବାଦିନି, ଗୋଲକ ବାସିନି ।୨୭।

ସୁପଟଚର୍କିକେ, ଚିତ୍ରକଞ୍ଚୋଳିକେ,

ମହାଲକ୍ଷ୍ମ୍ୟାଘ୍ରିକେ, ସୁରକ୍ତା ଲକ୍ତିକେ ।୨୮।

 

ଶ୍ରୀକୃଷ୍ଣାଦି ଭିନ୍ନେ, ଦାରିଦ୍ର୍ୟବିଲ୍ୱନେ,

ବିପଦ୍ୱଧୂନନେ ପ୍ରସୀଦ ପ୍ରସନ୍ନେ ।୨୯।

ଦିବ୍ୟରତ୍ନାଙ୍ଗଦେ, ଚାରୁମନ୍ଦତୁନ୍ଦେ,

ଗୋବିନ୍ଦ ଭୃଙ୍ଗଦେ, ନିତୋସ୍ମିତେପଦେ ।୩୦।

ଇତି ଶ୍ରୀଗୋପାଳକୃଷ୍ଣ ପଟ୍ଟନାୟକ ବିରଚିତ

ଶ୍ରୀ ବୃଷଭାନୁଜା ପ୍ରେମ ନାମାବଳୀ ସମାପ୍ତ ।

 

ଶ୍ରୀ ରାଧାକୃଷ୍ଣ ପ୍ରାତଃ ସ୍ମରଣାମୃତ

ରାଗ-ନଳିନିଗୌଡ଼ା

(ରାଗ-କଳସା ବାଣୀ)

ନିଶି ଚତୁର୍ଥ ଯାମରେ ଶ୍ରୀ ନବଦ୍ୱୀପରେ

ଚେତି ଶତୀସୁତ ବସି ପଲଙ୍କ ଉପରେ ।୧।

ବୃନ୍ଦାବନରେ ଶ୍ରୀରାଧା କୃଷ୍ଣ ଉତ୍‌ପାଥନ-

ଲୀଳା ଭାବୁ ପ୍ରେମାବ୍‌ଧିରେ ମଗ୍ନ ହେଲା ମନ ।୨।

ଅଥାନନ୍ତରେ ଶ୍ରୀବ୍ରଜେ ରବିସୁତା ତୀରେ

ବୃନ୍ଦା ମିଳିଲେ ନିଭୃତ କୁଞ୍ଜ ଅଗଣାରେ ।୩।

ବୃନ୍ଦା ଆଗମନ ହେଜି ଦ୍ୱିଜରାଜ ଧୀରେ ।

ବିହିଲେ ମଧୁର ଧ୍ୱନି ଲତା ବିଟପିରେ ।୪।

 

ଦ୍ରାକ୍ଷା ଲତାରୁ ଅଇଲେ ସାରିକା ନିକର ।

ନୀରଦ ପରି ମଣ୍ଡିଲେ ନିକୁଞ୍ଜ ଶିଖର ।୫।

ରସାଳ ଶାଖାରେ ପିକ କରକରେ ଶୁକ ।

ପିଳୁରେ କପୋତ ଯମୁନାରେ ଚକ୍ରବାକ ।୬।

ଅବନିରେ କଲା ତାମ୍ବ୍ର ଚୂଡ଼ ଆମ୍ବ୍ରେଡ଼ିତ ।

ହଂସଜାରେ ରାଜହଂସ ବଂଶ କଲେ ରୁତ ।୭।

ଅନିଳ ବହିଲା ପଦ୍ମ ପରିମଳ ଘେନି ।

ଅଳି ଆଳି ମିଳି କଲେ କେଳିକୁଞ୍ଜେ ଧ୍ୱନି       ।୮।

 

କୁଞ୍ଜ ପୁରତର ତୁଙ୍ଗ ତୁଳରୁ କଳାପି

ପ୍ରମତ୍ତେ ଅଇଲା କେକା ବାଣୀକି ପ୍ରତାପି ।୯।

ବ୍ରଜବିଧୂଙ୍କର ସୁରଙ୍ଗ ନାମ କୁରଙ୍ଗ ।

ପ୍ରିୟା ସଙ୍ଗେ ହେଲା କୁଞ୍ଜ ଅଳିନ୍ଦର ଲାଗ ।୧୦।

ଲଳିତ ଚମ୍ପକଲତା ଚିତ୍ରା ଇନ୍ଦୁରେଖା ।

ତୁଙ୍ଗବିଦ୍ୟା ରଙ୍ଗଦେବୀ ସୁଦେବୀ ବିଶାଖା ।୧୧।

ମଞ୍ଜରା ପ୍ରାନ୍ତ ରୂପ ରତି ଲବଙ୍ଗ ରସ ।

ଗୁଣ ବିଳାସ ହୋଇଲେ କୁଞ୍ଜ ଆଶ ପାଶ ।୧୨।

 

ଶ୍ୟାମଳା ବିମଳା ମଧୁମତୀ ଭଦ୍ରା ସାରୀ ।

ପାଳୀ ଚନ୍ଦ୍ରମୁଖୀ ଆଦି ଯେତେ ଯୁଗେଶ୍ୱରୀ ।୧୩।

ସର୍ବେ ମିଳି ନିକୁଞ୍ଜ ପଞ୍ଜର ଜାଳ ପାଶେ ।

ତୁନି ହୋଇ ରହି ବିଲୋକନ୍ତି ଅନିମିଷେ ।୧୪।

ବହୁଳ ବିହଙ୍ଗ ରାବ ଗହଳରୁ କୁଞ୍ଜେ ।

ଚହଳେ ଚେତିଲେ ରାଧାକୃଷ୍ଣ ଫୁଲଶେଯେ ।୧୫।

ନିଖିଳ କେଳି ସାକ୍ଷୀ ପଞ୍ଜରୀ ସାରୀ ।

ସର୍ବେ ଡାକନ୍ତି ସ୍ୱ ସ୍ୱ ପ୍ରଭୁଙ୍କ ନାମ ଧରି ।୧୬।

 

ଶୁକ ଭାଷେ ଜୟ ଗୋକୁଳ-ମଙ୍ଗଳକନ୍ଦ ।

ଜୟ ଶ୍ରୀ ବ୍ରଜ ଯୁବତୀ ଭୃଙ୍ଗୀ-ଅରବିନ୍ଦ ।୧୭।

ଜୟ ପ୍ରତିପଦ-ବିବର୍ଦ୍ଧିତ-ନନ୍ଦାନନ୍ଦା ।

ଜୟ ଜୟ ଗୋବିନ୍ଦ ଅଚ୍ୟୁତ ନତସନ୍ଦା ।୧୮।

ତେଜ ନିଦ୍ରା ଶ୍ରୀ ପୌର୍ଣ୍ଣମାସୀଙ୍କି ସଙ୍ଗେ କରି ।

ଶୟନ ମନ୍ଦିରକୁ ନ ଯାଇ ଗୋଷ୍ଠେଶ୍ୱରୀ ।୧୯।

ଚଳ କୋଳରୁ ବରଜି କୁଳଜା ରାଧାଙ୍କୁ ।

ଦେଖ ପ୍ରାଚୀଦିଗ ବହିଲାଣି ଅରୁଣକୁ ।୨୦।

 

ସାରୀ ଧୀରେ ଡାକେ ଜୟ ଜୟ ଶ୍ରୀରାଧିକେ ।

ଜୟ ବୃଷଭାନୁସୁତେ ଜୟ ଗାନ୍ଧର୍ବିକେ ।୨୧।

ଜୟ ଜୟ ଶ୍ରୀବୃନ୍ଦାଟବୀ-ପଟ୍ଟାଭିଷେକେ ।

ଜୟ ରାସେଶ୍ୱରୀ ଜୟ ହରି ପ୍ରାଣାଧିକେ ।୨୨।

ଉଠ ମଠ ନ କର ଶ୍ରୀବୃଷଭାନୁ ଜେମା ।

ବିଲୋକ ଚରମାଚଳେ ସମ୍ପୂର୍ଣ୍ଣ ଚନ୍ଦ୍ରମା ।୨୩।

ବରଜି ବରଜ ଯୁବରାଜଙ୍କୁ ଏଥର

ସଜ ହୁଅ ନିଜ ଶଯ୍ୟା ସଦ୍ମକୁ ସତ୍ୱର ।୨୪।

 

ଅଭିମନ୍ୟୁ ଧରି ଆସିବଣି କ୍ଷୀର ଭାର ।

ଜଟିଳା ଡାକବେଟି ଆବେରି ଗର୍ଭାଗାର ।୨୫।

ନିରଳସେ ବିଜେ କର ନ ସରୁ ରଜନୀ ।

ନିଳୟର ମଙ୍ଗଳକୃତ୍ୟ କର ସ୍ୱାମିନୀ ।୨୬।

ଶାରୀ ଗିର ମନ୍ଦର ହୋଇଲା ନିପତନ ।

ଶ୍ରୀଧାହୃଦ କ୍ଷୀରାବ୍‌ଧି ମଧ୍ୟରେ ବହନ ।୨୭।

ସୁମନସ ଶେଯୁ ତୋଳି ଶ୍ରୀରାଧାଙ୍କୁ ଧୀରେ ।

ବାହୁଡ଼ାଇଲେ ଶ୍ରୀ ବ୍ରଜବିଧୁ ହୃଦୟରେ ।୨୮।

 

ନୀପମୂଳେ ଥିଲା କକ୍‌ଖଟୀ ନାମେ ମର୍କଟୀ ।

ଡାକିଲା ଜଟିଳା ଧରି ଅଇଲେକ ଯଷ୍ଟି ।୨୯।

କାହା ଅଙ୍ଗେ କାହା ବାସ ନୋହିଲା ଗୋଚର ।

ସୋହାଗରେ ନିକୁଞ୍ଜରୁ ହୋଇଲେ ବାହାର ।୩୦।

ଆସୁ ରାଧା ଆଳୀ ମେଳେ ଲଳିତା ପାଶକୁ ।

ହରି କର ପ୍ରସାରି ସେ ନେଲେ ହୃଦୟକୁ ।୩୧

ଲଲାମକ ପୁଷ୍ପସ୍ରଜ ସୀମନ୍ତ ମଧ୍ୟରେ ।

ଦିଶେ ମଦନ ଜୟ ଶ୍ରୀପତାକା ପରିରେ ।୩୨।

 

ଇଳାବୃତ ଧରଣୀରେ ଇନ୍ଦ୍ର ଗୋପ ପରି ।

ଗଣ୍ଡର ତାମ୍ବୁଳ ବୋଳ ଦିଶୁଛି ମାଧୁରୀ ।୩୩।

ମଧୁସୂଦନ କ୍ରୀଡ଼ାନ୍ତ ବଧୂଳୀର ଛବି ।

ବହିଛି ଅଧରୁ ରୁଚି କଲେ ଅଳୀ ଭାବି ।୩୪।

ଶିଥିଳ ସିନ୍ଦୂରବିନ୍ଦୂ ଦିଶୁଛି ଏମନ୍ତ ।

ଅନୁରାଗ ଲକ୍ଷ୍ମୀ ହେଲା ପରାଏ ଉଦିତ ।୩୫।

କନକ ଶଙ୍ଖରୁ ହରିତାଳ ଜଳଧାର ।

ସ୍ରବିଲା ପରି ଝଲସି ଲୋଟୁଛି ପୀତାମ୍ବର ।୩୬।

 

ତେଣେ ଚାହୁଁ କିଶୋରଚନ୍ଦ୍ରମା ଲଲାଟକୁ ।

ବ୍ୟକ୍ତି ହୋଇଛି ସିନ୍ଦୂର ମୋହିଛି ମନକୁ ।୩୭।

କଳା ଉପୁରାଣ ଖସି ଯାଉଛି ଅଙ୍ଗରୁ ।

କାଳିନ୍ଦୀ ପରାଏ କଳିନ୍ଦ ମହୀଧରରୁ ।୩୮।

ପରସ୍ପର ସୁଷମା ସକଳ ସଖୀ ହେଜି ।

ହେଲେ ହସାହସି ସୁଖ ସୁଖାବ୍‌ଧିରେ ମଜ୍ଜି ।୩୯।

ଲଳିତାଙ୍କ କୋଳେ ରହି କୀର୍ତ୍ତିଦା କୁମାରୀ ।

ଢାଳି ଡୋଳା ନାଗର ମଘବା ଧୃତି ହରି ।୪୦।

 

କରେ ଥାଉ ବଂଶୀ ମୋ ମୁରଲୀ କାହିଁ ବୋଲି ।

ଧଇଲେ ଅନଙ୍ଗ ମଞ୍ଜରୀଙ୍କ ଭୁଜବଲ୍ଲୀ ।୪୧।

ରାଧା ସହ ହସିଲେ ବଦନେ ଦେଇ ବାସ ।

ଡାକେ କଖ୍‌ଖଟୀ ଜରତୀ ହେଲାଣି ପ୍ରବେଶ ।୪୨।

ହେଜି କୃଷ୍ଣ ତେଜି ଅନଙ୍ଗମଞ୍ଜରୀ ପାଣି ।

ଲାଜେ କିଶୋରୀମଣିଙ୍କି ମାଗିଲେ ମେଲାଣି ।୪୩।

ଅପାଙ୍ଗରେ ଅଙ୍ଗୀକାର କରୁଁ ଗଲେ ଚଳି ।

ଦାସୀ ତଳପରୁ ଛିନ୍ନ ହାର ମୋତି ତୋଳି ।୪୪।

 

କାଞ୍ଚି କାଞ୍ଚୁଲା ନୁପୂର ପତଦ୍‌ଗ୍ରହ ଝରି ।

ଧରି ସ୍ୱାମିନୀ ଗହଣେ ଚଳେ ପରିଚାରୀ ।୪୫।

ଯେଝା ଶଯ୍ୟା ନିକେତନେ ପହୁଡ଼ିଲେ ଯାଇ ।

ସେଶ୍ୱରୀଙ୍କ ପଦ ପଣତରେ ପୋଛିଦେଇ ।୪୬।

ପାହୁଡ଼ାଇ ଯତନେ ପ୍ରିୟ ପୀତବସନ ।

ଗୋପାଳକୃଷ୍ଣ କହଇ ପଦ ସମ୍ବାହନ ।୪୭।

 

କୋଇଲି

କୋଇଲି କି ବୁଦ୍ଧି କରିବି ମୁହିଁ ।

କେବେ କହିଲେ ତ ଶୁଣୁନାହିଁ ।

କାନନରେ ଏକା ଦିନ ନେଲା । ଆଲୋ !

କାଳ ବେଳରେ ଅନ୍ନ ନ ଖାଇଲା । ଲୋ ।

କୋଳରେ ବେଳେ ମନ ପୁରାଇ । ଆଲୋ !

କୃଷ୍ଣଚନ୍ଦ୍ର ମାକୁଧଇଲି ନାହିଁ ଲୋ ।୧।

 

କୋଇଲି ଖୋଜୁଥିବ ମୋତେ ମନେ ।

ଖେଦ ପାଇ କ୍ଷୁଧାରେ କାନନେ ।

ଖେଳାଉ ଥିବ ଲୁହରେ ଡୋଳା । ଆଲୋ !

ଖଳ ବିହି କେଣେ ମୋତେ ମା କଲା ଲୋ ।

ଖରାରେ ଯାଇଥିବନି ଲୁଚି । ଆଲୋ !

ଖଞ୍ଜନ ନେତ୍ର ମୋ ଦୁଃଖୀ ସଙ୍ଖାଳି ଲୋ ।୨।

 

କୋଇଲି ଗଡ଼ିଗଲାନି ତ କାଳ ।

ଗହନେ ପଡ଼ିଲା କି ଜଞ୍ଜାଳ ।

ଗଲାବେଳେ କେତେ କହିଥିଲି । ଆଲୋ !

ଗଣ୍ଠିଧନ ବେଗେ ଆସିବୁ ବୋଲି ଲୋ ।

ଗୃହକୁ ଯେବେ ଲେଉଟିଥାନ୍ତା । ଆଲୋ !

ଗୋଧୂଳି ଉଡ଼ିବା ହେଲେ ଦିଶନ୍ତା ଲୋ ।୩।

 

କୋଇଲି ଘାରି ହେଉଛି ହୃଦୟ ।

ଘରୁ ଗଲାବେଳୁ ମୋ ତନୟ ।

ଘେନୁଛି ମୁଁ ଆଜ୍ଞା ବୋଲି ମାଗି । ଆଲୋ !

ଘନଶ୍ୟାମ ଯା ହୋଇଲା ଓଳଗି ଲୋ ।

ଘୋର ଅନ୍ଧାର ଦିଶିଲା ଦିଶ । ଆଲୋ !

ଘେନିଗଲା ଶ୍ରୀଦାମ ମୋର ଆୟୁଷ ଲୋ ।୪।

 

କୋଇଲି ନୀଳଉତ୍ପଳ ବରନ ।

ନ ସହିଲା ଦେଖି ମୋ ବଦନ ।

ନିକଟକୁ ଲେଉଟି ଆସିଲା । ଆଲୋ !

ନିଜ ଅଞ୍ଚଳରେ ମୋ ଲୁହ ପୋଛିଲା ଲୋ ।

ନାନା ପ୍ରକାରେ ବୋଧ କରାଇ । ଆଲୋ !

ନାଚି ନାଚି ଗଲା ବଂଶୀ ବଜାଇ ଲୋ ।୫।

 

କୋଇଲି ଚିତ୍ତ ମୋ ନୋହିଲା ସ୍ଥିର ।

ଚାଳି ଚରମେ ଗଲି ତାହାର ।

ଚନ୍ଦ୍ରାନନ ତୋ ସଙ୍ଗରେ ଯିବି । ଆଲୋ !

ଚରାଅ ଗୋରୁ ତୁ ମୁଁ ପଛେ ଥିବି ଲୋ ।

ଚାହିଁ ବୋଇଲା ଘରକୁ ଯାଇ । ଆଲୋ !

ଚାରୁ ରସାଳ ଦିଅ ପଠିଆଇ ଲୋ ।୬।

 

କୋଇଲି ଛଦ୍ମେ ଆସି କଂସ ଚାର ।

ଛିଦ୍ର ଲୋଡ଼ୁଛନ୍ତି ଲୁଚି ତାର ।

ଛେଦି ଦେଇ ତୃଣାବର୍ତ୍ତ ମଲା । ଆଲୋ !

ଛଦ୍ମେ ପୁତନା ତୃଣାବର୍ତ୍ତ ମଲା । ଆଲୋ !

ଛାମୁରୁ ଦଣ୍ଡେ ହୋଇଲେ ଭିନ୍ନ । ଆଲୋ !

ଛିନ୍ନ ହେଉଛି ମନ ନିଶି ଦିନ ଲୋ ।୭।

 

କୋଇଲି ଜନମିଲା କି ଯୋଗରେ ।

ଜନନୀ କରି ମୋତେ ଏ ଘରେ ।

ଜଳ ପୋଛି ନେତ୍ରୁ କାଳ ଗଲା । ଆଲୋ !

ଜଗତ ସୁତଙ୍କ ପରି ନୋହିଲା ଲୋ ।

ଜଣକ ବିନୁ ଦ୍ୱିତୀୟ ନାହିଁ । ଆଲୋ !

ଜୀବନ ସେହି ମୋର ଧନ ସେହି ଲୋ ।୮।

 

କୋଇଲି ଝାଞ୍ଜି ସମୀରଣ ବାଜି ।

ଝଳି ଦେହରୁ ଯିବନି ହଜି ।

ଝର ପାଣି ପିଇବଟି କେତେ । ଆଲୋ !

ଝାଡ଼େ ବୁଲି ବୁଲି ଧେନୁ ସଙ୍ଗତେ ଲୋ ।

ଝଗଡ଼ି ହୋଇ ମୋ ଦୁଃଖୀଧନ । ଆଲୋ !

ଝାଟି ପରାଏ ହୋଇଗଲା ଖିନ୍ନ ।୯।

 

କୋଇଲି ନିତି ଏହି ଏକା ହେଲା ।

ନିମିଷେ ତ ଘରେ ନ ରହିଲା ।

ନିନ୍ଦା କରାଇଲା ସଦା ମୋତେ । ଆଲୋ !

ନିଷ୍ଠୁର ଯଶୋଦା ବୋଲି ଜଗତେ ଲୋ ।

ନିଖିଳ ଦୁଃଖ ହେଲା ତାହାର । ଆଲୋ !

ନିର୍ଦ୍ଦୟ ହୃଦୟ ଶ୍ୟାମସୁନ୍ଦର ଲୋ ।୧୦।

 

କୋଇଲି ଟିକିଏ ହୋଇଲେ ଭିନ୍ନ ।

ଟଳିଯାଏ ମୋ ବୁଦ୍ଧି ବିଧାନ ।

ଟାପରାରେ ଗୋପୀମାନେ ନେଇ । ଆଲୋ !

ଟାକି ରହିଥାନ୍ତି ଘରେ ଲୁଚାଇ ଲୋ ।

ଟେକରେ ମୁହଁ ଡାକୁ ଆକୁଳେ । ଆଲୋ !

ଟାଣେ ହସି ଆସି କଣ୍ଠ ପୋଟଳେ ଲୋ ।୧୧।

 

କୋଇଲି ଠୁଳ ପୁଣ୍ୟ ମୋର ।

ଠାକୁର ନାରାୟଣ ସେବାର ।

ଠିକ ଫଳ ହେଳେ ଲଭ୍ୟ ହେଲା । ଆଲୋ !

ଠିଆ ଘଡ଼ିଏ ଘରେ ନ ହୋଇଲା ଲୋ ।

ଠିକରେ ସେ କି ରହୁଛି କ୍ଷଣେ । ଆଲୋ !

ଠେସି ଯାଉଛି ମୋତେ ଏଣେ ତେଣେ ଲୋ ।୧୨।

 

କୋଇଲି ଡେରିବୁଟି ଶ୍ରୁତି ତେଣେ ।

ଡାକୁ ନାହାନ୍ତି ସୁରଭିଗଣେ ।

ଡେଇଁ ଗଲାନି ପହର ତିନି । ଆଲୋ !

ଡୋଳା ପିତୁଳାର ମୁରଲୀ ଧ୍ୱନି ଲୋ ।

ଡାଳେ ନିଶ୍ଚଳ ହୋଇ ତୁ ଶୁଣ । ଆଲୋ !

ଡରେ ସନ୍ତାପିତ ହେଉଛି ପ୍ରାଣ ଲୋ ।୧୩।

 

କୋଇଲି ଢାଳୁ କପାଳେ ତିଳକ ।

ଢାଳି ଡୋଳା ପକାଇ ପଲକ ।

ଢଳି ହୃଦରେ ପଡ଼ିଲା ଶୋଇ । ଆଲୋ !

ଡୋଳା ଲାଗିଗଲା ମୋ କୋଳ ପାଇ ଲୋ ।

ଢମେ ସୁବଳ ଦେଲା ଉଠାଇ । ଆଲୋ !

ଢୋଲ ବାଜିଲା ପରି ଡାକ ଦେଇ ଲୋ ।୧୪।

 

କୋଇଲି ଅନେକ ଅରିଷ୍ଟମାନ ।

ଅନୁଦିନ ପଡ଼ୁଛି କାନନେ ।

ଅଘା, ବକା’ ବୃଷଭ, କେଶୀ । ଆଲୋ !

ଅସୁରାନ୍ତ ପାରନ୍ତା କି ବିନାଶି ଲୋ ।

ଅନୁକୂଳ ଯଦି ଦଇବ ନୁହଁନ୍ତା । ଆଲୋ !

ଅଗାଧ ସୁମଦ୍ରେ ମୋ ଭେଳା ବୁଡ଼ନ୍ତା ଲୋ ।୧୫।

 

କୋଇଲି ତପତ ତନୟା ହୃଦେ ।

ତୋଳୁ କମଳ କୋମଳ ପଦେ ।

ତମଭରେ ଦଂଶିଲା କାଳୀୟ । ଆଲୋ !

ତପସ୍ୟା ତଳୁଁ ବଞ୍ଚିଲା ତନୟ ଲୋ ।

ତୁରିତେ ସେହି ଉରଗ ଶିରେ । ଆଲୋ !

ତ୍ରିଭଙ୍ଗିରେ ନାଚିଲା ମୋର ଭାଗ୍ୟରେ ଲୋ ।୧୬।

 

କୋଇଲି ସ୍ଥିର ହେଉନାହିଁ ହୃଦ ।

ଥରେ ଶକଟାସୁର ବିପଦ ।

ଥିଲା ଦେବତା ବୃକ୍ଷ ରୂପରେ । ଆଲୋ !

ଥୋଇ ସୁତକୁ ମୁଁ ଗଲି ତଳରେ ଲୋ ।

ସ୍ଥଳୁ ଉପୁଡ଼ି ମାଡ଼ି ପଡ଼ିଲା । ଆଲୋ !

ଥିବାରୁ ଆୟୁଷ ସିନା ବଞ୍ଚିଲା ଲୋ ।୧୭।

 

କୋଇଲି ଦାବାଗ୍ନି ବନେ ବେଢ଼ାଇ ।

ବହୁ ଧରମ ସହାୟକ ହୋଇ ।

ଦୁଃଖିଧନକୁ ମୋ ବଞ୍ଚାଇଲା । ଆଲୋ !

ଦରମରା ସଦା ମୋ ପ୍ରାଣ ହେଲା ଲୋ ।

ଦୁଃସହ ଦୁଃଖ ଏତେ ମୁଁ ନିତି । ଆଲୋ !

ଦେଖୁ ଦେଖୁ ସ୍ଥିର ନୋହୁଛି ମତି ଲୋ ।୧୮।

 

କୋଇଲି ଧରି ଅଙ୍ଗୁଳି ଶିଖରେ ।

ଧରି ସପତାଦ୍ୟ ବୟସରେ ।

ଧବଳ ଗଜଧ୍ୱଜ ଗୋକୁଳ । ଆଲୋ !

ଧେନୁ ସହ ବତ୍ସା ଗୋପୀ ଗୋପାଳ ଲୋ ।

ଧନ ସମ୍ପଦ ସବୁ ରଖିଲା । ଆଲୋ !

ଧୂର୍ତ୍ତ ବାସବର ଗର୍ବ ନାଶିଲା ଲୋ ।୧୯।

 

କୋଇଲି ନଳିନ ମୃଦୁ ଚରଣ ।

ନବ ବନେ କଣ୍ଟକ ପାଷାଣ ।

ନିରନ୍ତରେ ବାଜୁଥିବ ବୁଲୁ । ଆଲୋ !

ନ ନେଲା ପାଦୁକା ନିଅ ମୁଁ ବୋଲୁ ଲୋ ।

ନିରେଖ ଜନ ପ୍ରାୟ ବୁଲୁଛି । ଆଲୋ !

ନିର୍ଦ୍ଦୋଷେ ମୋତେ ଏ ଦଣ୍ଡ ଦେଉଛି ଲୋ ।୨୦।

 

କୋଇଲି ପଥକୁ ସନ୍ତରେ ଚାହିଁ ।

ପଲକ ନେତ୍ରେ ପଡ଼ଇ ନାହିଁ ।

ପ୍ରାଣ ହାତରେ ଧରି ରହିଲି । ଆଲୋ !

ପଳାଇଲା ଏବେ ଆସିବି ବୋଲି ଲୋ ।

ପାପୀ ଦଇବ ଏତେ ବେଳକୁ । ଆଲୋ !

ପକାଉ ନାହିଁ ମନେ ଘର ତାହାକୁ ଲୋ ।୨୧।

 

କୋଇଲି ଫେଡ଼ି ବୋଲୁ ନାହିଁ ମୋତେ ।

ଫରଚାରେ ମୁଁ ଜାଣୁଛି ଏତେ ।

ଫଣିମର୍ଦ୍ଦନ ମୋ ସ୍ତନ ପାନ । ଆଲୋ !

ଫରମାସ କଲେ କରନ୍ତା ଘେନ ଲୋ ।

ଫନ୍ଦା ମୋହର ସଖା ଭୟରେ । ଆଲୋ !

ଫିଟାଇ କହୁନାହିଁ ମନ୍ଦାକ୍ଷରେ ଲୋ ।୨୨।

 

କୋଇଲି ! ବ୍ରଜବାଳୀ ପୂଜି ହେଲି ।

ବାହୁଡ଼ି ମୁଁ ବାରତା ପାଇଲି ।

ବିକର୍ତ୍ତନ ତନୟାର ତୀରେ । ଆଲୋ !

ବଂଶୀ ବଜାଇ ଗୋପ ଗୋରୁ ମେଳେ ଲୋ ।

ବରହୀ ପୂଚ୍ଛ କରି ଉତ୍ତଂଶ । ଆଲୋ !

ବନପୁଷ୍ପରେ ହୋଇଛି ସୁବେଶ ଲୋ ।୨୩।

 

କୋଇଲି ! ଭଙ୍ଗୀ ନଟବର ପରି ।

ଭୁଷା ହୃଦେ ଗୁଞ୍ଜା ହାର କରି ।

ଭୁଜେ ଭୁଜାବଳୀ ଗଇରୀ କର । ଆଲୋ !

ଭାଲରେ ତିଳକ ଗୋରଚନାର ଲୋ ।

ଭରି କର୍ଣ୍ଣାଂଶେ ନୀପ ମଞ୍ଜରୀ । ଆଲୋ !

ଭଣିଲେ ଆସୁଛନ୍ତି ବୋଲି କିଶୋରୀ ଲୋ ।୨୪।

 

କୋଇଲି ମୂର୍ଚ୍ଛି ମୁଁ ପାରିଲି ନାହିଁ ।

ମଦିରାକ୍ଷୀ ରାଧିକାକୁ ଚାହିଁ ।

ମତିରେ ହେଜିଲି ତା ସ୍ୱରୂପ । ଆଲୋ !

ମୋ କୃଷ୍ଣଚନ୍ଦ୍ର ମାକୁ ଅନୁରୂପ ଲୋ ।

ମନ୍ଦ ବିଧାତା ମୋତେ ନ ଦେଲା । ଆଲୋ !

ମନ ମୋ ବଧୂ ସଧେ ଘାରି ହୋଇଲା ଲୋ ।୨୫।

 

କୋଇଲି ଯତନେ ପୁରକୁ ନେଇ ।

ଯମ ତାପ ତ୍ରାସ ଥିଲା ପାଇ ।

ଯୁକ୍ତ ଉପଚାରେ ତୁପ୍ତ କଲି । ଆଲୋ !

ଯିବା ବେଳକୁ ଧରି ଚୁମ୍ବ ଦେଲି ଲୋ ।

ଯାଉଛି ବୋଲି ଓଳଗି ହେଲା । ଆଲୋ !

ଯଥାର୍ଥ ବଧୂ ପରି ମୋ ମନେ ହେଲା ଲୋ ।୨୬।

 

କୋଇଲି ରଜା ବ୍ରଜର ଜନକ ।

ରତ୍ନ ଧନ ସଞ୍ଚଣି ଯେତେକ ।

ରମାରମଣ ପୁରେ ନ ଥିବ । ଆଲୋ !

ରଖି ଧେନୁ କି ଅରଜି ଆଣିବ ଲୋ ।

ରାତି ପାହିଲେ ଗୋରୁ ଗୋପାଳ । ଆଲୋ !

ରଖୁଆଳ ସଙ୍ଗେ ନେଉଛି କାଳ ଲୋ ।୨୭।

 

କୋଇଲି ଲୋଡ଼ା ନାହିଁ କିଛି ଆଉ ।

ଲକ୍ଷେ ବରଷ ସେ ଜୀଇଁଥାଉ ।

ଲଭ୍ୟ ନୋହୁ ମୋତେ ଆଉ ସୁତ । ଆଲୋ !

ଲାବଣ୍ୟନିଧିର ଅନୁବରତ ଲୋ ।

ଲପନ କରିଥିବି ଲୋକନ । ଆଲୋ !

ଲବଣୀ ପିତୁଳା ନିର୍ଦ୍ଧନ ଧନ ଲୋ ।୨୮।

 

କୋଇଲି ବଳରାମ ସଙ୍ଗେ ନେଲା ।

ବେଳ ଥାଉଁ ଆଣିବି ବୋଇଲା ।

ବୋଲୁଁ ଶୁଭିଲା ବଂଶୀ କାକଳୀ । ଆଲୋ !

ବରଜ ଯାଇ ପଡ଼ିଲା ଉଛୁଳି ଲୋ ।

ବକ୍ଷ ବସନ ପୟ ଲୁହରେ । ଆଲୋ !

ବିକ୍ଳିନ୍ନ ହୋଇଲା ପୁତ୍ର ସ୍ନେହରେ ଲୋ ।୨୯।

 

କୋଇଲି ଶୋକ ବରଜି ଶ୍ରୀ ବ୍ରଜେଶ୍ୱରୀ ।

ଶିଶୁଗଣେ ବିଲୋକି ଶ୍ରୀହରି ।

ଶତହ୍ରଦା ମଣ୍ଡଳ ମଧ୍ୟରେ । ଆଲୋ !

ଶୋଭାକୁ ଚାହୁଁ ହେଲେ ଲାଗରେ । ଆଲୋ !

ଶଶିକାନ୍ତି ରାମ ଶୋଭା ଆଗରେ ଲୋ । ।୩୦।

 

କୋଇଲି ସ୍ୱ ଜନନୀଙ୍କ ରୂପ ଅନାଇଁ ।

ଶୀଘ୍ରେ ପ୍ରଣମିଲେ ପାଦେ ଯାଇ ।

ସ୍ନେହେ ତଳୁ ତୋଳି ବ୍ରଜେଶ୍ୱରୀ । ଆଲୋ !

ସେ ଉଦ୍‌ବେଗେ ଚୁମ୍ବିଲେ ଶିରାଘ୍ରାଣ କରି ଲୋ ।

ସେବକୀ ଅନ୍ନ ନିଉଛାଇଲେ । ଆଲୋ !

ସଙ୍କର୍ଷଣ ଓଳଗୁଁ କୋଳକୁ ନେଲେ ଲୋ ।୩୧।

 

କୋଇଲି ସସଂଭ୍ରମେ ଆସୁ ରୋହିଣୀ ।

ଶୀରପାଣି କୃଷ୍ଣ ଯୋଡ଼ି ପାଣି ।

ସହର୍ଷରେ କରୁ ନମସ୍କାର । ଆଲୋ !

ସାଜିଲେ ନର୍ତ୍ତନ ପୂର୍ବ ପ୍ରକାର ଲୋ ।

ସେ ଶୋଭା ଚାହିଁ ବରଜ ଜନ । ଆଲୋ !

ସୁଖ ସୁଧାବ୍‌ଧିରେ ହେଲେ ନିମଗ୍ନ ଲୋ ।୩୨।

 

କୋଇଲି ହର୍ମ୍ୟଶିଖେ ଶ୍ରୀରାଧାଙ୍କୁ ଦେଖି ।

ହରଷରେ ଅଳପ ବୁଜି ଆଖି ।

ହେଉଁ ମେଲାଣି ଦେଇ ସଙ୍କେତ ଆଲୋ !

ହେଲାପରି ବିଞ୍ଚି ବସନ ପ୍ରାନ୍ତ ଲୋ ।

ହରିଣୀ ଦୃଶୀ ଚାଳୁଁ ଜାଣିଲେ । ଆଲୋ !

ହୁଳହୁଳି ଧ୍ୱନିରେ ପୁରକୁ ନେଲେ ଲୋ ।୩୩।

 

କୋଇଲି କ୍ଷୁଧା ଦୁଃଖ ଦେଖି ବ୍ରଜେଶ୍ୱରୀ ।

କ୍ଷୋଭ ହୋଇ ସେ ବେଶି ଉତ୍ତାରି ।

କ୍ଷଣକରେ ସ୍ନାନାଶନ କଲେ । ଆଲୋ !

କ୍ଷିପ୍ରେ ଗୋ ଦୋହନାଦି କଢ଼ାଇଲେ ଲୋ ।

କ୍ଷଣଦା ରାଧା ସଙ୍ଗେ ନିକୁଞ୍ଜେ । ଆଲୋ !

କ୍ଷଣେ ଗୋପାଳକୃଷ୍ଣ ପଦାବ୍‌ଜେ ଭଜେ ଲୋ ।୩୪।

 

ଦୋଳି ଗୀତ

(ବାତ୍ସଲ୍ୟ ରସ)

ଶ୍ରୀନନ୍ଦ ଗୃହିଣୀ ବନପଥକୁ ଚାହିଁ ।

ଭାଳନ୍ତି ଅପରାହ୍ନ କାଳେ ସିଂହଦ୍ୱାରେ ରହି ଯେ ।୧।

କେତେବେଳକୁ ମୋ କୃଷ୍ଣଚନ୍ଦ୍ର ଆସିବ ।

କୋଳରେ ବସିଲେ ଦେଖିବି ମୋର ଦୁଃଖ ଯିବ ।୨।

ଗଲାବେଳୁ ବାବୁ ବନେ ଗୋରୁ ଚରାଇ ।

ଦିଶ ଆକାଶ ଲୋକ ମୋତେ କେ ଦିଶୁ ନାହିଁ ।୩।

ପାପିନୀ ମୋ ଗର୍ଭେ କାହିଁପାଇଁ ଜନ୍ମିଲୁ ।

ଦଣ୍ଡେ ନ ରହିଲୁ ସଦନେ ବନେ ଘର କଲୁ ।୪।

 

ଏ ଗ୍ରୀଷମ କାଳେ କ୍ଷୁଧା ତୃଷା ଆକୁଳେ ।

ଗୋରୁ ଚରାଉଥିବୁ ବସି କେଉଁ ତରୁ ତଳେ ।୫।

ନବ ନବନୀତଠାରୁ ଦେହ କୋମଳ ।

ଏ ଖରା ଲାଗି ବହୁଥିବ କେତେ ଶ୍ରମ ଝାଳ ।୬।

ଦୁଃଖୀର ଜୀବନ ଦରିଦ୍ରର ସଙ୍ଖାଳି ।

ବେଳ ଗଡ଼ିଗଲା ନଇଲା ମୋର ବନମାଳୀ ।୭।

ଶୟନେ ଅଲଗା ନୋହୁ କ୍ଷଣେ ହୃଦରୁ ।

ପଳାଉ ବନକୁ ନିତି ମୁଁ ନାହିଁ କରୁ କରୁ ।୮।

 

ବଳି ହେଉଥିବ କ୍ଷୁଧା ବଶେ ଉଦର ।

କେଉଁ ଜନନୀ ତା ଦେଖିଲେ ଧରିବ ଶରୀର ।୯।

ମୁଁ କୋଳ କଲେ ତ ସ୍ତନ ପାନକୁ ମନ ।

ସଖା ହସିବେ ବୋଲି ସିନା କରୁ ବରଜନ ।୧୦।

ଫାଟି ଯାଉ ନାହିଁ ମୋ ପାମରୀର ଛାତି ।

ପଠାଇ ଦେଉଛି ବନକୁ ସଜ କରି ନିତି ।୧୧।

ଆରେ ଗୋକୁଳ ନୃପତି କୂଳ ପ୍ରଦୀପ ।

ଦୀନଜନେ ଦୁଃଖ ପାଇଲୁ କଲି ମୁଁ କି ପାପ ।୧୨।

 

କେତେ କୋଟି ଜନ୍ମେ କେତେ ତପସ୍ୟାକରି ।

ନ ଲଭି ଲଭିଲି ହେବାକୁ ପରା ଏତେ ସରି ।୧୩।

ମକର କୁଣ୍ଡଳ ତୋ ଶିଖଣ୍ଡ ମୁକୁଟ ।

ଅଳକାବଳିର ସୁଷମା ତୋ ଲଲାଟ ପଟ ।୧୪।

ନାସା ବସଣିର ନୂଆଁଣିଆ ମୁକୁତା ।

ନୁଛି ଯାଇ ତୋ କପାଳର ଗୋରଚନା ଚିତା ।୧୫।

ପୁରନ୍ଦର ମଣି ଜିଣି ତନୁ ସୁନ୍ଦର ।

କୋଟିଏ ବ୍ରହ୍ମାଣ୍ଡ ଜନର ମୁକୁଟାଳଙ୍କାର ।୧୬।

 

ଧେନୁ ପଛେ ବୁଲୁଁ ବଥାଇଲେ ପ୍ରପଦ ।

କେତେଠାରେ ବସୁଥିବଟି ମୋ ନେତ୍ର ସମ୍ପଦ ।୧୭।

କେତେ ଧେନୁ ଧୂଳି ପଡ଼ିଥିବ ଅଙ୍ଗରେ ।

ଝାଡ଼ିଦେବି କୋଳେ ବସାଇ ମୋର ପଣତରେ ।୧୮।

ତୋ କର୍ଣ୍ଣ ଉତ୍ତଂସ ପଲ୍ଲବର ସୁଷମା ।

କେତେବେଳକୁ ଦେଖିବିରେ ମୋ ଗୋଷ୍ଠଚନ୍ଦ୍ରମା ।୧୯।

ଭାଳୁଁ ବନପଥେ ବଂଶୀଧ୍ୱନି ଶୁଭିଲା ।

ସେ ପୁତ୍ର ବତ୍ସଳା ନୟନେ ଲୁହ ପୂରିଗଲା ।୨୦।

 

ତର୍ଣ୍ଣକ ରବରେ ନବ ପ୍ରସୂତି ଧେନୁ ।

ପରାୟେ ଚଳିଲେ ଜନନୀ କ୍ଷୀର ସ୍ରବୁ ସ୍ତନୁ ।୨୧।

ବଂଶୀଧ୍ୱନୀ ଲାସ୍ୟ ବନ ସ୍ରଜ ସଜରେ ।

ବିଲୋକିଲେ ରାଣୀ ଗୋପାଳ ସୁତ ମଣ୍ଡଳରେ ।୨୨।

ଗୋକୁଳ କୁଳଜା ରାଜପଥେ ମିଳିଲେ ।

ଆଳୀ ତୁଲେ ବୃଷଭାନୁକା ଅଟ୍ଟାଳି ମଣ୍ଡିଲେ ।୨୩।

ନେତ୍ର ମିଳନ ଶ୍ରୀରାଧା ଗୋବିନ୍ଦଙ୍କର ।

ନ ଥିବ ତିନି ଭୁବନରେ ଆହା ଚମତ୍କାର ।୨୪।

 

ଈକ୍ଷଣ କୁଣନ ପୀୟୁଷର ସେଚନ ।

ପାଇବେନି ଜନ ହୋଇଲେ ପରମ ପ୍ରସନ୍ନ ।୨୫।

ଜନନୀ ପାଣି ପ୍ରସାରୁ ଆସି ମୋହନ ।

ଜୁହାର କୋଳ କରି ଶିରେ ବିହିଲେ ଚୁମ୍ବନ ।୨୬।

ଗୃହେ ମିଳି ବଢ଼ାଇଲେ ସ୍ନାନ ଅଶନ ।

ହର୍ଷେ ଗୋପାଳକୃଷ୍ଣ କଲା ଚାମର ସେବନ ।୨୭।

 

ନବାନୁରାଗ

ରାଧା ପଚାରନ୍ତି ସଙ୍ଗାତରେ କେ ସେ ବ୍ରଜରାଜ ସୁତ ?

ଲଳିତା କହନ୍ତି ମିତଣିରେ

ମୋହ ହୋଇଗଲୁ ସେଦିନ ଶୁଣି ତୁ

ଯାହାର ମୂରଲୀ ଗୀତରେ । ପ୍ରାଣମିତ ।୧।

ରାଧା – କି ନାମ ବୋଇଲୁ ତୁହି ? ଗୋ ଲଳିତେ

ଲଳିତା – ପୁଣି ଶୁଣିବାକୁ ଚିତ୍ତ ବଳିଲା କି କୃଷ୍ଣ ବୋଲି

ଥିଲି କହିରେ । ପ୍ରାଣମିତ ।୨।

 

ରାଧା – କେ ଚିତ୍ରପଟର ଯୁବା ?

ଲଳିତା – କୃଷ୍ଣ, ବୈଣବିକ ଚିତ୍ର ତିନିଯାକ ଏଇ ତରୁଣ

ମଘବାରେ । ପ୍ରାଣମିତ ।୩।

ରାଧା – ବୟସ କେତେ ତାଙ୍କର ?

ଲଳିତା – ନବ ତରୁଣିମ ଅବସ୍ଥା ବୟସ ହୋଇଥିବ ବାର

ତେରରେ । ପ୍ରାଣମିତ ।୪।

 

ରାଧା – କେଡ଼େ ଭଳି ଉଚ୍ଚ ହେବେ ?

ଲଳିତା – ତୁ ତାଙ୍କ ଶ୍ରୁତିତଟକୁ ସରି ହେବୁ ଅନୁମାନୁଛି

ମୁଁ ଏବେ ରେ । ପ୍ରାଣମିତ ।୫।

ରାଧା – ବିବାହ ହୋଇଲେଣି କି ?

ଲଳିତା – ବଧୂ ସାଧେ ହାତ ଛନ୍ଦି ହେଉଛନ୍ତି ଯଶୋଦା

ତୋତେ ବିଲୋକିରେ । ପ୍ରାଣମିତ ।୬।

 

ରାଧା – ମୋ ଆଡ଼କୁ କେଣେ ଢଳୁ

ଲଳିତା – ଯଥାଯୋଗ୍ୟ ବୋଲି ମନ ଲୋଭାଇଲା

କଥାକୁ କାହିଁକି ଛଳୁରେ । ପ୍ରାଣମିତ ।୭।

ରାଧା – ଏହି ଗୋପରେ କି ବାସ ?

ଲଳିତା – ଆମ୍ଭ ପଟ୍ଟାଳି ଆରୋହିଲେ ଦିଶୁଛି ତାଙ୍କ

ସଉଧ କଳଶରେ । ପ୍ରାଣମିତ ।୮।

 

ରାଧା – ଶ୍ରୀଅଙ୍ଗ କାନ୍ତି କିପରି ?:

ଲଳିତା – ମଜା ଇନ୍ଦ୍ର ନୀଳମଣି ଦରପଣ ପରି ଦିଶୁଛି

ମାଧୁରୀରେ । ପ୍ରାଣମିତ ।୯।

ରାଧା – କୃଶ ନା ପୁଥୁଳ ତନୁ ?

ଲଳିତା – ଦେଖାଇ ଦେବି ରହିଥାଅ ଆସିବେ ଏବେ

ତ ଲେଉଟି ବନୁରେ । ପ୍ରାଣମିତ ।୧୦।

 

ରାଧା – ମୁଖ ସୁଷମା କେମନ୍ତ ?

ଲଳିତା – ଲାବଣ୍ୟାମ୍ବୁଧିସମ୍ଭବ ବିଧୁ ପରି ଅଳକାବଳି

ଆବୃତରେ । ପ୍ରାଣମିତ ।୧୧।

ରାଧା – ଚିକୁର ଓଘ ମଞ୍ଜୁଳ ?      (ଓଘ- ଗଚ୍ଛ)

ଲଳିତା – କାଳିନ୍ଦୀ ଜଳ କଲ୍ଲୋଳ ପରି ଦିଶେ କଳାକୁ

ଉଣା କଜ୍ଜ୍ୱଳରେ । ପ୍ରାଣମିତ ।୧୨।

 

ରାଧା – ଲଲାଟପଟର ଝଳି ?

ଲଳିତା – ତିଳକ ଘେନି ହେବା ଚାହିଁ ରମାର ଧୃତିମେରୁ

ଯିବ ଟଳିରେ । ପ୍ରାଣମିତ ।୧୩।

ରାଧା – ଘେନିବାର କି ତିଳକ ?

ଲଳିତା – ଚନ୍ଦନ ବିନ୍ଦୁ କେବେ ଗୋରଚନାର ଚିତା ଯେମନ୍ତ

ପଞ୍ଚ ସାୟକରେ । ପ୍ରାଣମିତ ।୧୪।

 

ରାଧା – ଭୁରୁ ବିଳାସ କି ଦୃଶ ?

ଲଳିତା – କଳା ଭୁଜଙ୍ଗ ଶାବକ ଖେଳା ପରି ସ୍ୱଚ୍ଛେ

ହୋଇଛି ପ୍ରକାଶରେ । ପ୍ରାଣମିତ ।୧୫।

ରାଧା – ହୋଇଛି ସେ କି ଆକୃତି ?

ଲଳିତା – ପରଶୁ ଭଗ୍ନ କୋଦଣ୍ଡ ବେନି ଖଞ୍ଜା ହୋଇଛି

ତ ସ୍ଫୂର୍ତ୍ତିରେ । ପ୍ରାଣମିତ ।୧୬।

 

ରାଧା – ଭାଷ ଈକ୍ଷଣର ରୀତି ?

ଲଳିତା – ଦର କଷାୟିତ ହୋଇ ଅଘୂର୍ଣ୍ଣିତ ଶ୍ରୁତିତଟ

ଯାଏ ଗତିରେ । ପ୍ରାଣମିତ ।୧୭।

ରାଧା – କିପରି ଚାହାଣୀ ଆଣି ?

ଲଳିତା – ପ୍ରମତ୍ତ ନଟ ଖଞ୍ଜରୀଟ ଶୋଭାଙ୍କୁ ଈଷିତିରେ

ଦେବ ଜିଣିରେ । ପ୍ରାଣମିତ ।୧୮।

 

ରାଧା – କଟାକ୍ଷ ପ୍ରାନ୍ତ କେମନ୍ତ ?

ଲଳିତା – ଜଗଜ୍ଜୟ ମନମଥର ନିଶିତ ବରିଛ ମୁନ

ଯେମନ୍ତରେ । ପ୍ରାଣମିତ ।୧୯।

ରାଧା – ନାସାର ସଉଷ୍ଠବତା ?

ଲଳିତା – ତୁଚ୍ଛ ତିଳଫୁଲ କି ତୁଳନା ହେବ ଗଢ଼ିବ ନାହିଁ

ବିଧାତାରେ । ପ୍ରାଣମିତ ।୨୦।

 

ରାଧା – କି ଭୂଷା ନାସାପୁଟରେ ?

ଲଳିତା – ମୁକୁତା ବସଣୀ ରୋହିଣୀ ପରାଏ ଶୋଭୁଛି

ମୁଖଚନ୍ଦ୍ରରେ । ପ୍ରାଣମିତ ।୨୧।

ରାଧା – ଗଣ୍ଡମଣ୍ଡଳର ଦ୍ୟୁତି ?

ଲଳିତା – ସ୍ମର ତମହର ଯୁବତୀ ସୃଷ୍ଟିର ଖଣ୍ଡ ଚନ୍ଦ୍ରପରି

କାନ୍ତିରେ । ପ୍ରାଣମିତ ।୨୨।

 

ରାଧା – ଶ୍ରବଣ କାହା ସଦୃଶ ?

ଲଳିତା – ଜନ-ମନ-ମୃଗ ବନ୍ଦୀ କରିବାକୁ ମଦନ ଫାନ୍ଦିଛି

ପାଶରେ । ପ୍ରାଣମିତ ।୨୩।

ରାଧା – ଅଛି କି କି ଆଭରଣ ?

ଲଳିତା – ମକରାକୃତି ନବରତ୍ନ କୁଣ୍ଡଳ ମିହିର ଦର୍ପ

ଦାରଣରେ । ପ୍ରାଣମିତ ।୨୪।

 

ରାଧା – କି ଭୂଷା ଏଥି ଉପରେ ?

ଲଳିତା – ହୀରା ଗୁଣା ବର ମୁକୁତା ଝାଲର ଝଲକା ବାମ

କର୍ଣ୍ଣରେ । ପ୍ରାଣମିତ ।୨୫।

ରାଧା – ଓଷ୍ଠ ଦେଶର ଶୋଭନ ?

ଲଳିତା – କାହାପରି ବୋଲି ଜଣାଇବି ଜବା ବଧୂଲି ଅତି

ନିଊନରେ । ପ୍ରାଣମିତ ।୨୬।

 

ରାଧା – ଦଶନ ପନ୍ତି ସୁଷମା ?

ଲଳିତା – କର୍ପୂର ମଜା ମାଣିକ୍ୟ ଆବଳୀର ଛଡ଼ାଇଦେବ

ଗାରିମାରେ । ପ୍ରାଣମିତ ।୨୭।

ରାଧା – ଚିବୁକର ସୁମାଧାରୀ ?

ଲଳିତା – ଶୁଦ୍ଧ ଚତୁର୍ଥୀ ସୁଧାଂଶୁ ପରି ଦିଶେ ଚାହିଁଦେଲେ

ଝଟକରିରେ । ପ୍ରାଣମିତ ।୨୮।

 

ରାଧା – କଣ୍ଠଦେଶ ରମଣୀୟ ?

ଲଳିତା – ହରିକର ଦରାକୃତି ରେଖାତ୍ରୟ ଯୁବତୀ ସୃଷ୍ଟିର

ଧ୍ୟେୟରେ । ପ୍ରାଣମିତ ।୨୯।

ରାଧା – କି କି ଅଳଙ୍କାର ଅଛି ?

ଲଳିତା – ରତ୍ନ ଚାପସରି ହେମର ନିଆଳୀ ସୁତା ପଦକ

ଲାଗିଛିରେ । ପ୍ରାଣମିତ ।୩୦।

 

ରାଧା – କୀଦୃଶ ବାହୁ ଯୁଗଳ ?

ଲଳିତା – କରୀକରାକୃତି ପ୍ରେମରତ୍ନ କୋଷ ହୃଦ କବାଟ

ଅର୍ଗଳରେ । ପ୍ରାଣମିତ ।୩୧।

ରାଧା – ଅଛିଟି କି ଅଳଙ୍କାର ?

ଲଳିତା – ଦିବ୍ୟରତ୍ନ ବାଜୁବନ୍ଧ ଅଙ୍ଗଦରେ ଭୂଷଣ ହୋଇଛି

କରରେ । ପ୍ରାଣମିତ ।୩୨।

 

ରାଧା – କମନୀୟ ଅଙ୍ଗୁଳିର ?

ଲଳିତା – ଚମ୍ପକ କଳିତା ଆକୃତି ରତନ ମୁଦ୍ରିକାରେ

ମନୋହରରେ । ପ୍ରାଣମିତ ।୩୩।

ରାଧା – କାନ୍ତି ସେ କରରୁହର ?

ଲଳିତା – ହୀରା ପରାଏ ଜ୍ୟୋତି ଧୀରା ଧୀରାର ବିବେକ

ବନ କୁଠାରରେ । ପ୍ରାଣମିତ ।୩୪।

 

ରାଧା – କିପରି ହୃଦୟସ୍ଥଳୀ ?

ଲଳିତା – ମନମଥ କୁନ୍ଦ-ବସା-ସୁରୁଚିର ବାସବ ରତନ

ଥାଳୀରେ । ପ୍ରାଣମିତ ।୩୫।

ରାଧା – ହୀରାମାନ କି ଅଛି ନା ?

ଲଳିତା – ଥାଉ ହାର, ସୁନାଗାର ପଦଚିହ୍ନ ଦିଶୁଚି କେଡ଼େ

ଭାବନାରେ । ପ୍ରାଣମିତ ।୩୬।

 

ରାଧା – କିପରି ଦିଶେ ଉଦର ?

ଲଳିତା – ଅତୁଳ ମନ୍ଦ ତୁନ୍ଦ ନନ୍ଦ-ଶ୍ରୀକର ଲଳିତ ଅତି

ସୁନ୍ଦରରେ । ପ୍ରାଣମିତ ।୩୭।

ରାଧା – ଅଙ୍କୁରଲାଣି ରୋମାଳି ?

ଲଳିତା – ନୀଳ ପିପୀଳିକା-ଆବଲି ପରାଏ ଦିଶୁଛି ଅଳପ

ଝଳିରେ । ପ୍ରାଣମିତ ।୩୮।

 

ରାଧା – ମଧ୍ୟ ହେବ କେଡ଼େ କୃଣ ?

ଲଳିତା – ବେଢ଼ ମାପିଦେଲେ କେଶରୀ ପରାଏ ହେବ

ଅଙ୍ଗୁଳି ଦ୍ୱାଦଶରେ । ପ୍ରାଣମିତ ।୩୯।

ରାଧା – ତ୍ରିବଳୀ ନାଭି ଶୋଭନ ?

ଲଳିତା – କାଳିନ୍ଦୀ ଲହରୀ ପ୍ରଫୁଲ୍ଲ ନଳିନୀ ହୋଇବ ପରା

ସମାନରେ । ପ୍ରାଣମିତ ।୪୦।

 

ରାଧା – କିପରି ଚରମ ଦେଶ ?

ଲଳିତା – କାମର ଶ୍ୟାମଳ ପ୍ରଭା ସମ ଶୋଭା ଅଭିରାମର

ଆଭାସରେ । ପ୍ରାଣମିତ ।୪୧।

ରାଧା – କି ଭୂଷାରେ ଯେ ଶୋଭୁଛି ?

ଲଳିତା – ହାରାମାନଙ୍କର କରି ପାଟଝୁମ୍ପା ସ୍ତବକମାନ

ଲମ୍ୱିଛିରେ । ପ୍ରାଣମିତ ।୪୨।

 

ରାଧା – କଟି ସୁଷମା କେମନ୍ତ ?

ଲଳିତା – ଅଳପ ବିସ୍ତାର ପୀତବାସ ପରେ ରତ୍ନମେଖଳା

ଖଞ୍ଜିତରେ । ପ୍ରାଣମିତ ।୪୩।

ରାଧା – ଶ୍ରୋଣି ଶୋଭା କି ପ୍ରକାର ?

ଲଳିତା – ନୀଳମଣି ଆଳବାଳ ପରି ଦିଶେ ତମାଳ

ମହୀରୁହରେ । ପ୍ରାଣମିତ ।୪୪।

 

ରାଧା – ଊରୁ ଯୁଗଳ ଆକାର ?

ଲଳିତା – ଚିକ୍‌ଣ ପୃଥୁଳ ମନମଥ ଲାସ୍ୟ ରଙ୍ଗସ୍ଥଳ

ପରକାରରେ । ପ୍ରାଣମିତ ।୪୫।

ରାଧା – ଜାନୁଯୁଗ୍ମ ସଊଷ୍ଠବ ?

ଲଳିତା – ମାଧୁର୍ଯ୍ୟ ଲକ୍ଷ୍ମୀର ରୁଚିର ଆସନ ନାହିଁ; ନଥିଲା,

ନୋହିବରେ । ପ୍ରାଣମିତ ।୪୬।

 

ରାଧା – ଚରଣ ସୁନ୍ଦରପଣ ?

ଲଳିତା – କନିଷ୍ଠାଙ୍ଗୁଷ୍ଠି ନଖକୋଣ କାନ୍ତିକି ସରି ନୋହେ

ଋଣରଣରେ । ପ୍ରାଣମିତ ।୪୭।

ରାଧା – କି କି ଚିହ୍ନ ତହିଁ ଅଛି ?

ଲଳିତା – ଧ୍ୱଜ ବଜ୍ରାଙ୍କୁଶ ଆଦି ଊନବିଂଶ ଲକ୍ଷଣ ଯାକ

ପୂରିଛିରେ । ପ୍ରାଣମିତ ।୪୮।

 

ରାଧା – ଅଙ୍ଗୁଳିର ଅଭିରାମ ?

ଲଳିତା – ଅଶୋକ କଳିର ପ୍ରତିନିଧି ବିଧି ଗଢ଼ିଛି ଜାଣ

ଉତ୍ତମରେ । ପ୍ରାଣମିତ ।୪୯।

ରାଧା – କିମ୍ପା କର ନଖ ରୁଚି ?

ଲଳିତା – ଦଶଧା ହୋଇ କୁମୁଦବନ୍ଧୁ ପ୍ରପଦରେ ଶରଣ

ପଶିଛିରେ । ପ୍ରାଣମିତ ।୫୦।

 

ରାଧା – ଚରଣ ତଳର ବର୍ଣ୍ଣ ?

ଲଳିତା – ଶୋଣ ନିରଜକୁ ନିଉଛାଇ ବିହି ଫିଙ୍ଗିଛି ପଙ୍କକୁ

ଜାଣରେ । ପ୍ରାଣମିତ ।୫୧।

ରାଧା – ଶ୍ରୀଅଙ୍ଗର ପରିମଳ ?

ଲଳିତା – ସୁବାସ ଆସୁଛି ମିଶିଲା ପରାଏ ମୃଗମଦ

ନୀଳୋତ୍ପଳରେ । ପ୍ରାଣମିତ ।୫୨।

 

ରାଧା – ଥିବ ତ ପରା ନୂପୁର ?

ଲଳିତା – ଚାଲି ଚାତୁଚୀକି ସମ ହୋଇଛି ସେ ଝୁମୁଝୁମୁ

ବାଜିବାରରେ । ପ୍ରାଣମିତ ।୫୩।

ରାଧା – ଅବୟବର ମାର୍ଦବ ?

ଲଳିତା – ନବନୀତ ମିତ୍ର ପରି ଆଭାସୁଛି ପରଶିଲେ

ଜଣାଯିବରେ । ପ୍ରାଣମିତ ।୫୪।

 

ରାଧା – ହେଉଛନ୍ତି କି କି ବେଶ ?

ଲଳିତା – ନଟବର ନବ ଶ୍ରୀଖଣ୍ଡ ମୁକୁଟ ବେଶୀ ଶୋଭେ

ପୃଷ୍ଠଦେଶରେ । ପ୍ରାଣମିତ ।୫୫।

ରାଧା – ସଦା ପିନ୍ଧିବାର ବାସ ?

ଲଳିତା – ନୂଆ ହରିତାଳ ଦ୍ୟୁତି ପଟ୍ଟାମ୍ବର ଲାଗି ହେବାର

ବିଶେଷରେ । ପ୍ରାଣମିତ ।୫୬।

 

ରାଧା – ଶୁଣିଛୁ କି କେବେ ଗିର ?

ଲଳିତା – ନର୍ମ୍ମଦରହାସ ମିଶା ନବନୀତ ମୃଦୁ ସୁଧାରୁ

ମଧୁରରେ । ପ୍ରାଣମିତ ।୫୭।

ରାଧା – ଗମନ କାହା ପରିରେ ?

ଲଳିତା – ପୁରନ୍ଦର ଗଜ ପାଇଯିବ ଲାଜ ପଡ଼ିବ ଯଦି

ଆଗରେ । ପ୍ରାଣମିତ ।୫୮।

 

ରାଧା – କେମନ୍ତଟି ସେ ଜଘାଂଳ ?

ଲଳିତା – ମନରୁ ଜବ ଖେଳରେ କେ ଛୁଇଁ ତ ପାରୁନାହାନ୍ତି

ଗୋପାଳରେ । ପ୍ରାଣମିତ ।୫୯।

ରାଧା – ଦେଖିଛୁ କି ହସିବାର ?

ଲଳିତା – ଦିଲୋକିଛି ଚନ୍ଦ୍ରମଣ୍ଡଳୁ ଖସିଲା ପରାଏ ପୀୟୁଷ

ଧାରରେ । ପ୍ରାଣମିତ ।୬୦।

 

ରାଧା – ଜାଣନ୍ତି କି ସେ ଗାୟନ ?

ଲଳିତା – ଶିଳା ଦ୍ରବୁଛି ସାଧ୍ୱୀର ନୀବିଗ୍ରନ୍ଥି ହେଉଛି କି

ବିମୋଚନରେ । ପ୍ରାଣମିତ ।୬୧।

ରାଧା – ଶୁର ପଣେ ସମର୍ଥ କି ?

ଲଳିତା – କଂସଚାରୀଙ୍କୁ ନାଶିବାର ପ୍ରସଙ୍ଗ କିଛି ତୁ

ଶୁଣିନାହୁଁ କି ରେ । ପ୍ରାଣମିତ ।୬୨।

 

ରାଧା – ଭାଷ ପ୍ରଭାବ ବଳର ?

ଲଳିତା – ପାଶୋରି ଦେଲୁକି ଅଙ୍ଗୁଳି ଅଗ୍ରରେ ଗିରିବର

ତୋଳିବାରରେ । ପ୍ରାଣମିତ ।୬୩।

ରାଧା – ବୀରପଣେ ପ୍ରବଳ କି ?

ଲଳିତା – କେଶୀକି ମାରି ଆସିବା ଦିନ ବେଶ ଆଉ ଆଖି

ଦେଖିବ କି ରେ । ପ୍ରାଣମିତ ।୬୪।

 

ରାଧା – ନୃତ୍ୟ ମଧ୍ୟ ଜାଣନ୍ତି କି ?

ଲଳିତା – ଯେ ଦେଖିଛି ତାର ଆଖିର ସୁକୃତ ଫଳ ପୃଥକ

ଅଛି କି ରେ । ପ୍ରାଣମିତ ।୬୫।

ରାଧା – ନର୍ତ୍ତନ କେତେ ବେଳରେ ?

ଲଳିତା – ମୁହିଁ ଦେଖିଛି ସିନା ଧେନୁ ଚରାଇ ଯିବା ଆସିବା

ବେଳରେ । ପ୍ରାଣମିତ ।୬୬।

 

ରାଧା – ଦିଶୁଛନ୍ତି କି ସଦୃଶ ?

ଲଳିତା – ମୂର୍ତ୍ତିମନ୍ତ ହେଲାପରି ମୁଁ ମଣୁଛି ନିଶ୍ଚୟ ଶୃଙ୍ଗାର

ରସରେ । ପ୍ରାଣମିତ ।୬୭।

ରାଧା – କହ ନାୟକ ଲକ୍ଷଣ ?

ଲଳିତା – ଧୀର ଲଳିତ ପରି ଦିଶେ ବିଗ୍ରହ ରୂପ ଚିହ୍ନ

ଆଚରଣରେ । ପ୍ରାଣମିତ ।୬୮।

 

ରାଧା – ସ୍ୱଭାବ କର ବର୍ଣ୍ଣନ ?

ଲଳିତା – ସାଧୁ ସୁଧୀର ଅମ୍ୱୁଧିର ଗଭୀର ପ୍ରଣୟ ଜନ

ଅଧୀନରେ । ପ୍ରାଣମିତ ।୬୯।

ରାଧା – କେଣେ ବୋଲାନ୍ତି ମୋହନ ?

ଲଳିତା – ସଂସାର ବାହାର ସରସ ସୁନ୍ଦର ସ୍ୱରୂପ ନିତ୍ୟ

ନୂତନରେ । ପ୍ରାଣମିତ ।୭୦।

 

ରାଧା – ପ୍ରପନ୍ନେ ଦୟାଳୁ ପଣ ?

ଲଳିତା – ମୁହିଁ ତୋହର ବୋଲୁଛନ୍ତି ପୁଣି ତ କରି ଆତ୍ମ

ସମର୍ପଣରେ । ପ୍ରାଣମିତ ।୭୧।

ରାଧା – ଦେବାର ଆର୍ଥିମାନଙ୍କୁ ?

ଲଳିତା – ଇତର ଜନଙ୍କୁ ମାଗୁନାହିଁ ଆଉ ମାଗୁଛି ଯେ

ଥରେ ତାଙ୍କୁରେ । ପ୍ରାଣମିତ ।୭୨।

 

ରାଧା – ଅଛି ଆଉ କି କି ଗୁଣ ?

ଲଳିତା – ବିଶ୍ୱସୃକ ସର୍ଜନରେ ଥିବା ବିଦ୍ୟା ଭାଷା ଯାକରେ

ନିପୁଣରେ । ପ୍ରାଣମିତ ।୭୩।

ରାଧା – କେମନ୍ତଟି ବଇଭବ ?

ଲଳିତା – ଯାହାର ଜନକ ବ୍ରଜ ପୁରନ୍ଦର ମହା ଅଷ୍ଟନିଧି

ଧବରେ । ପ୍ରାଣମିତ ।୭୪।

 

ରାଧା – କରିଛନ୍ତି ସେ କି ବୃତ୍ତି ?

ଲଳିତା – ଧେନୁ ଚରାଇ ଯାଉଛନ୍ତି ବନକୁ ସହଜେ ତ

ଗୋପଜାତିରେ । ପ୍ରାଣମିତ ।୭୫।

ରାଧା – କିପରି କୀର୍ତ୍ତି ପ୍ରକାଶ ?

ଲଳିତା – ବିଶ୍ୱ ବିଶୋଧନୀ କଳୁଷ ଶମନୀପୂର୍ଣ୍ଣ ସୁଧାଂଶୁ

ସଦୃଶରେ । ପ୍ରାଣମିତ ।୭୬।

 

ରାଧା – ମଣୋହିର ଇଷ୍ଟ କି କି ?

ଲଳିତା – କିଛି ଖାଉନାହିଁ ବୋଲି ତ ଯଶୋଦା ଦୁଃଖ

କହୁଛନ୍ତି ଡାକିରେ । ପ୍ରାଣମିତ ।୭୭।

ରାଧା – ଅଶନରେ କେଣେ ହେଳା ?

ଲଳିତା – ସନ୍ତତ ବ୍ରଜଶିଶୁଙ୍କ ସଙ୍ଗେ ମନ କରିବାକୁ ଏକା

ଖେଳରେ । ପ୍ରାଣମିତ ।୭୮।

 

ରାଧା – କହି ହେଉ କେତେ ତୋଷି ?

ଲଳିତା – ସେ ତୁହି ମୋ ହୃଦେ ସ୍ଫୂର୍ତ୍ତି ହେଲାକ୍ଷଣି ଦେହ

ପଡ଼ୁଛି ଉଲ୍ଲସିରେ । ପ୍ରାଣମିତ ।୭୯।

ରାଧା – ଶୁଭୁଛି ଏ କି ନିସ୍ୱନ ?

ଲଳିତା – ବନୁ ମୁରଲୀ ବଜାଇ ଆସୁଛନ୍ତି ସେହି ବ୍ରଜେନ୍ଦ୍ର

ନନ୍ଦନରେ । ପ୍ରାଣମିତ ।୮୦।

ରାଧା – ଦେଖିବା ରହି କୋଠାରେ ?

ଲଳିତା – ହର୍ମ୍ୟ ଆରୋହି କର ଦେଇ ଗୋପାଳକୃଷ୍ଣ କର

ପଇଠରେ । ପ୍ରାଣମିତ ।୮୧।

 

ନବାନୁରାଗ

କେଶର କୁଞ୍ଜ ଶେଯରେ । ବ୍ରଜେନ୍ଦ୍ର ବୃନ୍ଦାଙ୍କୁ ପୁଚ୍ଛନ୍ତି ଧୀରେ ।

ସହଚରି ରେ ! ରାଧା ବୋଲି କେ ବ୍ରଜରେ ।୧।

ଶୁଣିଲା ବେଳୁ ସେ ନାମ । ସୁଧା ପାନ ପରି ଲାଗୁଛି ଶର୍ମ ।

ସହଚରି ରେ ! ଫିଟାଇ କହ ମରମ ।୨।

ଚଉଦିଗକୁ ଅନାଇଁ । ବୃନ୍ଦା ମନ୍ଦ ମନ୍ଦ ହସିଲା ହୋଇ ।

କହି ଆସୁଁ ଯେ । ଅଙ୍ଗେ ପୁଲକ ପୂରଇ ।୩।

ସେ ଶ୍ରୀବୃଷଭାନୁ ଜେମା । କିଶୋରୀ ଗୋତ୍ର ନକ୍ଷତ୍ର ଚନ୍ଦ୍ରମା ।

ରାସରାଜ ହେ ! ରମା ବନ୍ଦ୍ୟ ଯା ସୁଷମା ।୪।

 

ଜୀବ ଥିବା ଯାକ ବିହି । ବିଷୟ ବରଜି ବସିଲେ କହି ।

ରସରାଜ ହେ ! ଶୋଭା ଶେଷ ହେବ ନାହିଁ । ।୫।

ଥାଉ ମାଧୁରୀର ଧୂରି । ତୁମ୍ଭେ ତା ପାଶେ ଥିଲେ ବଂଶୀଧାରୀ ।

ରସରାଜ ହେ ! ଦିଶିବ ସୁନାଟା ପରି ।୬।

ଅମ୍ବା ବଳମ୍ବା ରାତିରେ । ତୋଷି ହେଉଥିଲେ ବସି ଗୃହରେ ।

ସହଚରି ରେ ! ଅଶନ କଲା କାଳରେ ।୭।

ଶ୍ୟାମସୁନ୍ଦରକୁ ମୋର । ଏକା ରାଧିକା ଥିଲା ପଟାନ୍ତର ।

ବୋଲୁଁ ଜନନୀ ! ନାମ ଶୁଣିଲି ତାହାର ।୮।

 

କୃଷ୍ଣ କହନ୍ତି ବୟସ । ଭାଷ କେତେ ହୋଇଥିବ ବରଷ ।

ସହଚରି ରେ ! ବୋଲୁ ବୃନ୍ଦା ହସ ହସ ।୯।

ହେ ନୂତନ ରଣ ରଣ । ଯୌବନ ଲକ୍ଷ୍ମୀ ତା ପାଦେ ଶରଣ ।

ରସରାଜ ହେ ! ହୋଇ ସାରିଲାଣି ଜାଣ ।୧୦।

ବୟସ ଏଗାର ବାର । ଭିତରେ ପରି ହେଉଛି ଗୋଚର ।

ରସରାଜ ହେ ! ସେ ସାଧ୍ୱୀ ଶିରୋମଣିରେ ।୧୧।

ବ୍ରଜବାସୀଙ୍କର ନୟନ । ସମ୍ପତ୍ତି ସେ ଶ୍ରୀ କିଶୋରୀ ରଚନ ।

ରସରାଜ ହେ ! ଆହା ଦିଶୁଛି ବଦନ ।୧୨।

 

ଛଡ଼ାଇ ହୃଦୟ ମସୀ । ଗୋଟିଏ ହୋଇଲେ କୋଟିଏ ଶଶୀ ।

ରସରାଜ ହେ ! ରୁକ୍ଷ ପରି ଯିବ ଦିଶି ।୧୩।

ପରାନନ୍ଦ ସ୍ୱରୂପିଣୀ । ଘୋଟିଛି ଯା କୀର୍ତ୍ତି ଜଗତ ଶ୍ରେଣୀ ।

ରସରାଜ ହେ ! ସେ ସଦ୍‌ଗୁଣ ଗୁଣ ଖଣି ।୧୪।

ଦେହଳୀରେ ଗଲେ ଚାଲି । ପଦାବ୍‌ଜ ଚିହ୍ନକୁ ଚୁମ୍ବୁଛି ଅଳି ।

ରସରାଜ ହେ ! ଅଙ୍ଗମୋଦ ନୋହେ କଳି ।୧୫।

ଶ୍ରୀନିଟିଳାକାବଳୀ । କଳାମେଘ ତଳେ ରହିଲା ଭଳି ।

ରସରାଜ ହେ ! ଦିଶେ ଅଚଳ ବିଜୁଳି ।୧୬।

 

ପୂର୍ବାନୁରାଗ

(ସଖୀ ପ୍ରତି ରାଧା ଉକ୍ତି)

ଜଳ ଆଣି ଯାଇ କାଲି କଳିନ୍ଦସୁତାକୁ ।

ଫଳ ପାଇଲି ଅନାଇରେ । ସଙ୍ଗାତ ।

କଦମ୍ବ ମୂଳକୁ ରେ । ସଙ୍ଗାତ ।୧।

ନୀରଦଟି ନୀଳମଣି ପ୍ରତିମା ସେ କିଛି ।

ବାରି ପାରିଲି ନାହିଁରେ । ସଙ୍ଗୀତ ।

ନୟନେ ନାଚୁଛି ରେ । ସଙ୍ଗୀତ । ।୨।

 

ଘମ ଘମ ନୀଳୋତ୍ମଳ କସ୍ତୁରୀ ସୁବାସ ।

ଘନ ଘନ ଆସୁଥିଲାରେ । ସଙ୍ଗୀତ ।

ହୋଇଲି ଅବଶରେ । ସଙ୍ଗୀତ । ।୩।

ପଛେ ପଛେ କେକୀବୃନ୍ଦ ମତ୍ତେ ପୁଚ୍ଛ ଟେକି ।

ଡାକି ଡାକି ନାଚୁଥିଲେ ରେ । ସଙ୍ଗୀତ ।

କହ ସେ କାହିଁକିରେ । ସଙ୍ଗୀତ । ।୪।

 

ଛପି ଛପି ନିକୁଞ୍ଜ ପୁଞ୍ଜ ତଳ ରେ ।

ଆସି ଆସି ପାଇଗଲେ ରେ । ସଙ୍ଗୀତ ।

ଆଗେ କି ବେଗ ରେ । ସଙ୍ଗୀତ । ।୫।

ଝୁମ୍‌ ଝୁମ୍‌ ଧ୍ୱନି ଶୁଣି ଏଣେ ତେଣେ ମୁହଁ ।

ଅନାଉ ଅନାଉ ରହିରେ । ସଙ୍ଗୀତ ।

ବୋଇଲେ କେନାହିଁରେ । ସଙ୍ଗୀତ । ।୬।

 

ଦର ଦରଶନ କରି ଚମକି ପଡ଼ିଲି ।

ଦମ ଦମ ହେଲା ଛାତିରେ । ସଙ୍ଗାତ ।

ମଥା ପୋତି ଦେଲିରେ । ସଙ୍ଗାତ । ।୭।

ପ୍ରଚଳାଗ୍ର ପ୍ରଚଳାକ କମନୀୟ ଚୁଳ ।

ଢଳ ଢଳ ଖେଳୁଥିଲା ରେ । ସଙ୍ଗାତ ।

ଗଣ୍ଡରେ କୁଣ୍ଡଳରେ । ସଙ୍ଗାତ । ।୮।

 

ଥରି ଥରି ଥରିଗଲି ବିବେକ ହଜିଲା ।

ଜର ଜର ହୋଇ ଅଙ୍ଗରେ । ସଙ୍ଗାତ ।

ଝାଳ ବୁଡ଼ିଗଲା ରେ । ସଙ୍ଗାତ । ।୯।

ପ୍ରତି ପ୍ରତୀକ ଯାକରେ ପୁଲକ ପୂରିଲା ।

ତର ତର କେତେ ହେଲିରେ । ସଙ୍ଗାତ ।

ପଦ ନ ଚଳିଲା ରେ । ସଙ୍ଗାତ । ।୧୦।

 

କରକ ରଦନା କର ପ୍ରସାରୁ ସେ ପୁଣି ।

କହୁ କହୁ କିସଟି ମୁଁରେ । ସଙ୍ଗାତ ।

ବଣା ହେଲା ବାଣୀରେ । ସଙ୍ଗାତ । ।୧୧।

ଶୃଙ୍ଗାର ରସ କି ସ୍ମର ହେବେ ସେ ମୁରତି ।

ଚାହୁଁ ଚାହୁଁ ଡାକିଦେଲାରେ । ସଙ୍ଗାତ ।

ଜଟିଳା ଜରତୀ ରେ । ସଙ୍ଗାତ । ।୧୨।

 

ଆସୁ ଆସୁ ପୁରକୁ ପଥରେ ପଚାରିଲି ।

ଗୋପାଳକୃଷ୍ଣ କହଇ ରେ । ସଙ୍ଗାତ ।

ବ୍ରଜବଧୂ ବୋଲିରେ । ସଙ୍ଗାତ । ।୧୩।

 

ବନମାଳି ଗୀତ

(ଶ୍ରୀକୃଷ୍ଣ ଦର୍ଶନ ଜନିତ ହର୍ଷବଶତଃ ଶ୍ରୀରାଧାଙ୍କର

କଳ କିଞ୍ଚିତ ଭାବ ପ୍ରକାଶ)

ରାଗ–ଭାଟିଆର, ତାଳ–ଏକତାଳୀ ।

ପଥ ଛାଡ଼ିଦେ ମୁଁ ଯିବି ଫୁଲ ତୋଳି ଯେ । ବନମାଳି ।

ସ୍ନାନ କରିଛଇ ପୂଜିବି କରମାଳି ଯେ, ବନମାଳି ।୦।

ବୃନ୍ଦାବନେ ପୁଷ୍ପ ତୋଳୁ ରଙ୍ଗେ ।

ଗୋଷ୍ଠ ସୁଧାକର ରାଧା ଆଗେ ।

ମିଳନ୍ତେ ଅନାଇଁ ଚମକି ଭାଷନ୍ତି

ଛିନ୍ନ ହୋଇ ମନ ଉଦ୍‌ବେଗେ ଯେ ।୧।

 

ଚାହିଁବାକୁ ଆଖି ଢାଳି ଢାଳି ।

ନୁହଇଟି ମୁଁ ସେ ଚନ୍ଦ୍ରାବଳୀ ।

ବରଜ ଦାଣ୍ଡରେ ବଜାର ବସାଇ

ବଇରୀ ହାତେ ନ ମରା ତାଳି ଯେ । ।୨।

ବନ ମଧ୍ୟେ ଏ କି କଉତୁକ ।

ଯା ଯା ବାଟେ ବାଟେ ଯିବାଲୋକ ।

ଯେ ତୋ ସଙ୍ଗତେ ଛାଉଲି ହେଉଥିବ

ତା ଆଗେ ହୁଅ ଏ ଭଙ୍ଗୀଯାକ ଯେ । ।୩।

 

ମୁରଲୀ ଛୁଆଇଁ ଦେଲା ଲାଗେ ।

ପୁଲକ ପୁରିଗଲା ଶ୍ରୀଅଙ୍ଗେ ।

ଥରି ଅପସରି ଆଣି ନେତ୍ରୁ ବାରି

ଭାଷନ୍ତି ଲଗନାଟି ମୋ ସଙ୍ଗେ ଯେ । ।୪।

ବାଳକ ବୁଦ୍ଧି ତ ହୁଡ଼ି ନାହୁଁ ।

ଛୁଇଁଦେଲୁ ରହ କହୁ କହୁ ।

ବଳି ଯାଉଛୁନା ଉପଦର୍ପ ଯାକ

ଯାଉ ବୋଲୁ ସବୁ ସହୁ ସହୁ ଯେ ।୫।

 

ନୁହଇ ମୁଁ ତୋ ଟାପରା ଭଳି ।

ରଖ ଯା ଘରେ ଏ ଚାତୁରାଳି ।

ନିକଟେ ଅଛନ୍ତି ଲଳିତା ଜାଣିଲେ

ମୁଖକୁ ନ ଚାହିଁ ଦେବେ ଗାଳି ।୬।

ହଟାକୁ ଡରି ଶୁଭାଇ ଡାକି ନ ପାରିବାରୁ ମୁଁ ସଜନୀଙ୍କି ।

ନିର୍ମଳ କୁଳ ପରିବ୍ରତା ବରତ

ନାଶ କରୁଛୁ ଏ ଧରମ କି ଯେ । ।୭।

 

ହୋଇବାରୁ ଲାଗ ଲାଗ ହରି ।

ଲୀଳା କମଳ ଶ୍ରୀହସ୍ତେ ଧରି ।

ମାରି ହସିଲା ହୋଇ ଧୀରେ ସେ ବୋଲନ୍ତି

ପଳାଅ ଅଇଲେ ସହଚରୀ ଯେ । ।୮।

ଯାଅ ହୁଅନା ମୋ ପାଶ ପାଶ ।

ନାଶ କରିଦେଲୁ ସୁମନସ ।

ହାତକୁ ହାତ ବଜାଇ ଦେଇ ପୁଣି

ବୋଲୁଛୁ ଆହୁରି କାହା ଦୋଷ ଯେ । ।୯।

 

ଛଡ଼ିଗଲା ଲୀଳା ଅରବିନ୍ଦ ।

ଏହିକ୍ଷଣି ଆସି ଆଳୀବୃନ୍ଦ ।

ପଚାରିଲେ ତାଙ୍କୁ କି ବୋଲି କହିବି

ହସୁଛି ଆହୁରି ମନ୍ଦ ମନ୍ଦ ଯେ । ।୧୦।

ଓଗାଳୁ ସରଣୀ ଗଲେ ଯେଣେ ।

ଚରମ ବାସ ଓଟାରୁ କେଣେ ।

ପଚାରିବି କି ତୋ ଜନନୀଙ୍କି ଯାଇ

ଏ ରୀତିଯାକ ଯେ ଗୋଷ୍ଠାଙ୍ଗଣେ ଯେ ।୧୧।

 

ପରାର୍ଦ୍ଧ ମଦନ ରୂପୋଦ୍ଧତି ।

ନବାଞ୍ଜନ ପୁଞ୍ଜ ପରି କାନ୍ତି ।

କୁଞ୍ଜବନ ଯାକ ଦେବତା ବୁଲୁଛି

ଏହା ଦେଖି ପରା କହୁଥାନ୍ତି ଯେ । ।୧୨।

ନାରୀ ମନଧନ ହରିବାର ।

ଖଣ୍ଟ କୁଳଗୁରୁ ତୁ ନାଗର ।

ରୂପ ଗୁଣ ବଂଶୀ ଆକୃତି ପ୍ରକୃତି

ଘଟାଇ ଦେଇଛି ବେଦବର ଯେ । ।୧୩।

 

ଆହା ମୁଖୁରା ଆସନ୍ତା ହେଲେ ।

ପଳାଇ ଯାଆନ୍ତି ଭାରି ଗଲେ ।

ଆଉ ଏ ବରଜ ବନକୁ ଆସିବି

ନାହିଁ ମୋ ଦେହରେ ପ୍ରାଣ ଥିଲେ ଯେ । ।୧୪।

ହେଟି ବାଲି ଧୂଳି ଖେଳିବାର ।

ଝାଳେ ଦିଶେ ତନୁ ଜର ଜର ।

ଚୂର୍ଣ୍ଣ କୁନ୍ତଳ ମୁଖକୁ ପଡ଼ୁଥିଲା

ତର୍ଣ୍ଣକ ପଛରେ ଧାଇଁବାର ଯେ । ।୧୫।

 

ଦର ବିଚଳିତ ବାଲ୍ୟାବସ୍ଥା ।

ଏଡ଼େ ବେଗି କାହୁଁ ଏଡ଼େ କଥା ।

ପର ରମଣୀକି ଦେଖିଲେ ଦୂରରୁ

ନଇଁ ଯାଉଥାନ୍ତା ସିନା ମଥା ଯେ । ।୧୬।

ପତ୍ନୀ ଶ୍ରଦ୍ଧାଥିଲେ ବ୍ରଜେଶ୍ୱରୀ ।

ଆଗେ କହ ଦେବେ ବିଭାକରି ।

ପର ପରମଦା ପରେ ଆଶା କଲେ

ମନୁ ଯିବ କେତେ ସଧ ସରି ଯେ । ।୧୭।

 

ଜନ୍ମ ଜନ୍ମାନ୍ତରେ ତପ କରି ।

ପତି ପାଇଥିଲେ ଏହିପରି ।

ହାତ ପଛଆଡ଼େ ଲୁହ ପୋଛୁ ପୋଛୁ

ଦିନ ନେବ ସିନା ମନ ମାରି ଯେ । ।୧୮।

ଯମୁନା ତଟରୁ ନାରୀଙ୍କର ।

ଲାଟ ବାସ ଚୋରୀ କରିବାର ।

ଗୋପରେ ଆଜକୁ ବାଜୁଛି ଘୋଷଣା

ଅଣ୍ଟି ନାହିଁ ଲାଜ ଥରକର ଯେ । ।୧୯।

 

ଏହି ଦିନୁ ଏଡ଼େ ଉଚ୍ଛୃଙ୍ଖଳ ।

ଆହୁରି ଅଛି ତ କାଳ ବେଳ ।

ଯଉବନ ଯାକ ଛୁଇଁଛି କି ନାହିଁ

ବ୍ରଜ ହୋଇଗଲା କୋଳାହଳ ଯେ । ।୨୦।

ବ୍ରଜବଧୂ ଗଲେ ଦଧି ବିକି ।

ଯମୁନାରେ ବାହି ତରଣୀକି ।

ସ୍ରୋତ ‘ମଧ୍ୟେ ନୀବ ରଖି ତାଙ୍କୁ କଲା’

ଉଦାସୀ ଧରଣୀ ଧରିବି କି ଯେ । ।୨୧।

 

ସଖୀମାନେ କହୁଥିଲେ ଯାହା ।

ଅନୁଭବ ଆଜ କଲି ତାହା ।

ଶ୍ରୀ ଗୋଷ୍ଠେଶ୍ୱରୀଙ୍କ ଗର୍ଭରୁ ସମ୍ଭୁତ

ହୋଇବାକୁ ଏକା ଥିଲା ଏହା ଯେ । ।୨୨।

ଗୋପ ଜାତିରେ ବରହୋତ୍ତଂଶ

ବଂଶୀ ବଜାଇ କେ ନଟବେଶ ।

ହୋଇ ନାଚୁଥିଲି ବିହି କି ବିହିଲା

କରିବାକୁ ସାଧ୍ୱୀବ୍ରତ ଧ୍ୱଂସ ଯେ । ।୨୩।

 

ଯାହାକୁ ସନ୍ତତେ ଡରୁଥିଲି ।

ତା ଆଗେ ଏକାକୀ ପଡ଼ିଗଲି ।

କାହାକୁ ଡାକିବି କାନନ ମଧ୍ୟରେ

କେହି ନାହିଁ ଜାତି ହରାଇଲି ଯେ । ।୨୪।

ଘରକୁ ଗଲେ ସେ ବିଶାଖାକୁ ।

ପଚାରିବି ସିନା କାନନକୁ ।

ଫୁଲ ତୋଳିଯିବା ବୋଲି ଡାକି ଆସି

କରାଇଲା ଏ ବିଡ଼ମ୍ବନାକୁ ଯେ । ।୨୫।

 

ଗୃହପତି ଜନନୀ ଜଟିଳା ।

ଗରଳୁ ବଳି ତା’ ବାଣୀ ଜ୍ୱାଳା ।

ଏପରି ଥିବାର ଦେଖିଲେ କାଟିବ

କଟାଳ କୁଠାରେ ମୋର ଗଳା ଯେ । ।୨୬।

ଗଉରୀ ତୀର୍ଥକୁ ଚନ୍ଦ୍ରାବଳୀ ।

ଗଲା ପୂଜି ସାରିବନି କାଳୀ ।

ମନ କାମନା ପୂରାଇବ ସେ ସିନା

ଯାହା ଲୋଡ଼ୁ ଥିଲେ ତାର ଅଳୀ ଯେ । ।୨୭।

 

ପାଶେ ଥିବାବେଳେ ଅର୍ଯ୍ୟଗଣ ।

କାହିଁ ଥାଇଟି ଏ ଧୂର୍ତ୍ତପଣ ।

ଦଶ ଆଙ୍ଗୁଳିକି ଅନାଇ ଚାଲିଲା

ପରି ଦିଶୁଥାଇଁ ଆଚରଣ ଯେ । ।୨୮।

ଗୋଷ୍ଠେନ୍ଦ୍ର ନନ୍ଦନ ଅଲୌକିକ ।

ସୁନ୍ଦରପଣ ସୁଗୁଣ ଯାଇ ।

ଛାରୀ ପରବଧୂ ପରସଙ୍ଗ ରଙ୍ଗ

ଆଶାରେ ନ ବୁଡ଼ା ଏଡ଼େ ଟେକ ଯେ । ।୨୯।

 

କେ ଦେଖିଲେ ପ୍ରୀତି ଥିଲା ପରି ।

ଏବେ ପଡ଼ିଯିବ ବ୍ରଜେ ହୁରି ।

ପାଟକ ଜାତି ମୋ ଶିଖଣ୍ଡ ମୁକୁଟ

କୁଳରୁ ଦେବେ ବିଟାଳ କରି ଯେ । ।୩୦।

ନାଗର ହଟ ନ କର ବୃଥା ।

ଲୁଚିବ ନାହିଁଟି ଏ ସର୍ବଥା ।

ବଦନେ ବାସ ଦେଇ ଲୋକେ ହସିବେ

କାଳକୁ ବୋଲି ରହିବ କଥା ଯେ । ।୩୧।

 

ଏହିକ୍ଷଣଟି ଆର୍ତ୍ତରେ ଧାଇଁ ।

ସଖାଏ ଆପଣା ନାମ ଦେଇ ।

ଡାକି ଡାକି ଏହି ପଥେ ଗଲେ ମୁହିଁ

ଥାଉଛି ଏଠାରେ ଆସି ଯାଇଁ ଯେ । ।୩୨।

ଗୋରୁ ଗୋପାଳଙ୍କୁ ଗିରି ଧରି ।

ଉଦ୍ଧରିଛି କେତେ ଉପକାରୀ ।

ପଣତ ପ୍ରସାରି ମାଗୁଛି ମୁଁ ଏତେ

ଆଡ଼ ହୁଅ ଥରେ ଦୟା କରି ଯେ । ।୩୩।

 

ରହୁ ହାସ ପରିହାସ ଯାକ ।

ନିକଟେ ଶୁଭୁଛି ଲୋକ ଡାକ ।

ଜୁହାର କରୁଛି ରହି ନ ପାରଇ

ହୃଦ ହେଉଛି ମୋ ଦକ ଦକ ଯେ । ।୩୪।

ନିଶ୍ଚେ ଆସିବି ଶପଥ ମୋଇ ।

ଏହି ପଥରେ ନାଗରବର ।

ଯାହା ହୋଇଲେ ମୁଁ ନିୟମ କରୁଛି

ଅବଶ୍ୟ କରିବି ଅଙ୍ଗୀକାର ଯେ । ।୩୫।

 

ଫିଟିଗଲା ମୋ କବରୀ ଭାର ।

ଝାଳେ ପୂରିଲାଣି କଳେବର ।

କାହା ମୁଖ ଚାହିଁ ଆସିଥିଲି ଆଜ

ପଡ଼ିଗଲି ଏତେ ହରବର ଯେ । ।୩୬।

କି ଶତ୍ରୁ ହେଲେଟି ଅଳି ଆଳୀ ।

ଏତିକି ବେଳକୁ ପାଶେ ମିଳି ।

କରି କାକଳୀ ମୋ ବିବେକ ହରିଲେ

ଆହା କେଉଁଆଡ଼େ ଗଲେ ଆଳୀ ଯେ । ।୩୭।

 

ହସି ବ୍ରଜବଧୂ ମଧୂକର ।

ନିକର କରି ଶ୍ରୀକରେ ଦୂର ।

ଭାଷିଲେ ହୃଦେ ଲଗାଇ, କେ କରବି

ପରିଜନେ ଅବଧାନ କର ଯେ । ।୩୮।

ନକ୍ଷତ୍ର ମାଳା ହୃଦରୁ ଫେଇ ।

ମୋହନ ଶ୍ରୀରାଧା କଣ୍ଠେ ଦେଇ ।

ବିନୟ ହୋଇ ଭାଷିଲେ ମିଷ୍ଟ ମିଷ୍ଟ

ବାଣୀକି ସକମ୍ପ ତନୁ ବହି ଯେ । ।୩୯।

 

ବଲ୍ଲୀ ଉହାଡ଼ରେ ସଖୀ ବ୍ୟୁହ ।

ରହି ଶୁଣୁଥିଲେ ଯେ କଳହ ।

ଶ୍ରୀକୃଷ୍ଣ ଶ୍ରୀମତୀ ମିଳନ ବିଲୋକି

ସୁଖରେ ପାଶୋରି ଦେଲେ ଦେହ ଯେ । ।୪୦।

ଶ୍ରୀକୁଣ୍ଡ ସେତୁ ନିକୁଞ୍ଜ ଶେଯେ ।

ଶ୍ରୀରାଧା ମାଧବ କଲେ ବିଜେ ।

ପୁଷ୍ପ ବ୍ୟଞ୍ଜନ ଧରି ଗୋପାଳକୃଷ୍ଣ

ପଟ୍ଟନାୟକ ପଦାବ୍‌ଜେ ଭଜେ ଯେ । ବନମାଳୀ । ।୪୧।

 

ବିଳାପ

କୀର୍ତ୍ତିଦା ସୁତାଙ୍କ ରୂପ ଗୁଣ ।

କେ ସେ ଦାସୀ ଗୁଣି ପୁନଃପୁନଃ ।

କରଇ ବିଳାପ ସେଶ୍ୱରୀଙ୍କ ସେବା

ସୁଖ ନିକର କରି ସ୍ମରଣ ସେ ।

କିଙ୍କରୀ । ।୧।

ଖଦ୍ୟୋତଜା ତଟ ନିକୁଞ୍ଜରେ ।

ଖଗ ନିନଦରୁ ନିଶାନ୍ତରେ ।

ଖଞ୍ଜନାକ୍ଷୀ ଆସୁ ଉଠି ପ୍ରିୟ ପାଶୁ

ଜଗିଥିବି ମୁଁ ଦ୍ୱାର ପାଶରେ ହେ ।

ସ୍ୱାମିନୀ । ।୨।

 

ଗବାକ୍ଷ ଜାଳରେ ନେତ୍ର ଢାଳି ।

ଗଳି ଚାହୁଁ ଥିଲା ବେଳେ ଅଳୀ ।

ଗୋଷ୍ଠେନ୍ଦୁ ସହ ଚଳିଲେ ଦେହଳୀକି ।

ଯିବି ମୁଁ କେଳି ତଳପ ତୋଳି ହେ ।

ସ୍ୱାମିନୀ । ।୩।

ଘର୍ମ ମିଶା ସିନ୍ଦୂର ଶ୍ରୀକର ।

ଘଞ୍ଚେ ଠାଁ ଠାଁ ହୋଇ ପଡ଼ିବାର ।

ଘୋଷିହେବି ଚିତ୍ତେ ଅଲକ୍ତ ଚିହ୍ନକୁ

ଚାହିଁ ଶେଯରେ ଶ୍ରୀପଦାବ୍‌ଜରେ ହେ ।

ସ୍ୱାମିନୀ । ।୪।

 

ନିରେଖି ମୁଁ ଛିନ୍ନ ମୋତିହାର ।

ନେବି ଗୋଟିଆଇ ପଡ଼ିବାର ।

ନୂପୁର କାଞ୍ଚୀ କଞ୍ଚୂଲୀ ଝରୀ ଧରି

ହେବି ପୂର ପଥେ ଆଗୁସାର ହେ ।

ସ୍ୱାମିନୀ । ।୫।

ଚାଲି ଆସୁଛି ଜଟିଳା ହେଟି ।

ଚଳ ସତ୍ୱର ବୋଲୁଁ କଖ୍‌ଖଟୀ ।

ଚଞ୍ଚଳେକ୍ଷଣୀ ଚଳୁ ମୁଁ ଚାଲି ଆଗେ

ଚାହୁଁଥିବି ପଛକୁ ପାଲଟି ହେ ।

ସ୍ୱାମିନୀ । ।୬।

 

ଛ ଦଶ କଳା ଚନ୍ଦ୍ର ଲପନେ ।

ଛପି ପ୍ରବେଶୁଁ ବାସ ସଦନେ ।

ଛଦ ପ୍ରିୟଙ୍କର ଶ୍ରୀଅଙ୍ଗେ ବିଲୋକ

ମାଗି ଲୁଚାଇ ଦେବି ଯତନେ ହେ ।

ସ୍ୱାମିନୀ । ।୭।

ଯାଇ ଶେଯେ ପହଡ଼ୁ ଭିତ୍ତିରେ ।

ଜମ୍ବୁ ନବାଙ୍ଗୀ ଚିତ୍ରପଟରେ ।

ଜୀବନବନ୍ଧୁ ଛବିକି ଚାହୁଁ ଚାହୁଁ

ପୋଛିଦେବି ପଦ ପଣତରେ ହେ ।

ସ୍ୱାମିନୀ । ।୮।

 

ଝୀନ ଉପରାଣ ପାହୁରାଇ ।

ଝସ ନୟନି ହେ ପହୁଡ଼ାଇ ।

ଝଳି ଅଳତା ରଞ୍ଜିତ ପଦ ଧରି

ଧୀରେ ଦେବି ଅଙ୍ଗୁଳି ଫୁଟାଇ ହେ ।

ସ୍ୱାମିନୀ । ।୯।

ନିଃଶେଷରେ ନିଶି ହେଉ ହତ ।

ନିତ୍ୟକୃତ୍ୟର ବସ୍ତୁ ଯାବତ ।

ନିର୍ବାହ କରି ପୁଣି ମାସି ଭେଟୁ ମୁଁ

ଅପହୁଡ଼ ହୋଇ ଥିବନି ତ ହେ ।

ସ୍ୱାମିନୀ । ।୧୦।

 

ଟାଣେ ଜଟିଳା ଡାକନ୍ତେ ଉଠି ।

ଟେକି ପଲକ ଦେଖି ବିମ୍ବୋଷ୍ଠୀ ।

ଟଳ ଟଳ ହୋଇ ଚାଲି ଯାଇ ପୀଠେ

ବସୁ ଦେବି ନୀର ଦାନ୍ତକାଠି ହେ । ।୧୧।

ଠାକୁରାଣୀ ଦନ୍ତ ସମାର୍ଜନ ।

ଠିକେ ବଢ଼ୁ ବଢ଼ାଇବ ବନ ।

ଠବର୍ଣ୍ଣ ମୁଖ ସୁବାର୍ଣ୍ଣାଙ୍ଗୀ ପ୍ରକ୍ଷାଳୁ

ପଛେ ଦେବି ପୋଛିବା ବସନ ହେ ।

ସ୍ୱାମିନୀ । ।୧୨।

 

ଡାକି ମଧ୍ୟା ବାହ୍ୟ କୃତ ସାରି ।

ଡାକୁ ମୋତେ ଆହା ଧୀରକରି ।

ଡାହାଣ ବାମ ପାଣି ପଦ ଧୋଇବି

ମୁଦ ଦେଇ ନିଉଡ଼ାଇ ବାରି ହେ ।

ସ୍ୱାମିନୀ । ।୧୩।

ଢାଳୁଥିବେ ଡୋଳା ଉନ୍ମିଦ୍ରରୁ ।

ଢଳେକ୍ଷଣି ତୈଳ ସେବା କରୁ ।

ଢୋକିଲା ପରି ସୁଧା ଶୁଣି ମଣିବି

ବୋଲୁ ଆଣ ଯା ଦାରି ରମ୍ଭୋରୁ ହେ ।

ସ୍ୱାମିନୀ । ।୧୪।

 

ଅବ୍‌ଜ ଯୁକ୍ତ ସୁବାସିତ ନୀର ।

ଅଭିଷେକ କରୁ ମୁଁ ସତ୍ୱର ।

ଅତି ଯତ୍ନେ ଚୀନାଶୁଂକେ ଶ୍ରୀଲଳିତା

ମାଜି ପୋଛିବେ ଶ୍ରୀକଳେବର ହେ ।

ସ୍ୱାମିନୀ । ।୧୫।

ତୁଲ୍ୟ ବାଲ୍ୟାରୁଣ ଦ୍ୟୁତି ଲଙ୍ଗି ।

ତନୁବାରୀ ହୋଇ ଆଡ଼େ ଲାଗି ।

ତତ୍କାଳ କଜ୍ଜ୍ୱଳ କାନ୍ତି ଚୀନ ଚେଳ

ପିନ୍ଧି ଚଳିବ କଳଧୌତାଙ୍ଗୀ ହେ ।

ସ୍ୱାମିଜୀ । ।୧୬।

 

ଥିର ହୋଇ ବସୁ ଆସନରେ ।

ଥାଇ ଲଳିତା ପଛ କତିରେ ।

ଥୋଇ ଟଙ୍କାରି କଙ୍କତିକା କୁନ୍ତଳ

ଫେଡ଼ୁ ବେଢ଼ିବେ ଅଳି ନିକର ହେ ।

ସ୍ୱାମିନୀ । ।୧୭।

ଦେବି ଘଉଡ଼ି ଢାଳି ଚାମର ।

ଦିବ୍ୟମଣି ସ୍ତବକ ନିକର ।

ଦେଇ ଶ୍ୟାମଳ ବେଣୀ ବ୍ୟାଳ ସାଜିବେ

ହରିବାକୁ ଧୈର୍ଯ୍ୟ ବ୍ରଜେନ୍ଦ୍ରର ହେ ।

ସ୍ୱାମିନୀ । ।୧୮।

 

ଧରିଥିବି ମୁଁ ଘୁସୃଣ ପାତ୍ରେ ।

ଧନ୍ୟ ବିଶାଖା ଲେପି ଶ୍ରୀଗାତ୍ରେ ।

ଧୀରେ ଭକ୍ତି ଛେଦ କର ମୃଗମଦ

ଚିତ୍ର ଲିହିବେ ଉରଜ ଗାତ୍ରେ ହେ ।

ସ୍ୱାମିନୀ । ।୧୯।

ନିଟିଳରେ ସିନ୍ଦୂର ବିନ୍ଦୁକୁ ।

ନିଯୋଜୁ ଭାବୁଥିବ ମନକୁ ।

ନିକୁଞ୍ଜବିହାରୀ ନୟନର କାମ-

ତମ ନାଶିବ ବୋଲି କ୍ଷରକୁ ହେ ।

ସ୍ୱାମିନୀ । ।୨୦।

 

ପଦ୍ମପତ୍ରାଗସ୍ଥିତ ଭ୍ରମର ।

ପରି ଦିଶିବ କେଡ଼େ ସୁନ୍ଦର ।

ପରମାନନ୍ଦ ସ୍ୱରୂପିଣୀ ଚିବୁକେ

ବିନ୍ଦୁ ନଯୋଜୁ ମୃଗମଦର ହେ ।

ସ୍ୱାମିନୀ । ।୨୧।

ବ୍ରଜବଧୁ ସୁଖୀ ହେବା ପାଇଁ ।

ବକ୍ଷୋଜକୁ ରଖିବ ଲୁକାଇ ।

ନିଚିତ୍ର କାଞ୍ଚୁଲୀ ନାନା ହାରାବଳି

ଦେବି ଯତନେ ଲାଗି କରାଇ ହେ ।

ସ୍ୱାମିନୀ । ।୨୨।

 

ଭରସାଇବ ମୋତେ ସେବାରେ ।

ଭୟ ତେଜି ଅଞ୍ଜନ ନେତ୍ରରେ ।

ଭରମାଙ୍ଗି ଦେବି କରି ଦରଶନ

ବ୍ରଜବଧୂ ହେବେ ମୋ ପରି ହେ ।

ସ୍ୱାମିନୀ । ।୨୩।

ମଣି ରତ୍ନାଳଙ୍କାର ଯାବତ ।

ମଥାଯାଏ ପଦରୁ ତ୍ୱରିତ ।

ମଣି କଉସ୍ତୁଭ ମିତ୍ର ସୁମନ୍ତକ

ମଣି କଲ୍ଲଦେବି ଅଳଂକୃତ ହେ ।

ସ୍ୱାମିନୀ । ।୨୪।

 

ଯେଉଁ ଚରଣକଞ୍ଜର ଧୂଳି ।

ଯୁବାବର ହୋଇବାର ବୋଳି ।

ଯତ୍ନେ ଲେଖିଦେବି ଲାକ୍ଷା କି ସେ ପଦେ

ଯାର ରକ୍ତାମ୍ବୁଜ ନିଉଛାଳି ହେ ।

ସ୍ୱାମିନୀ । ।୨୫।

ଋତ ସହ ମଧୁବ୍ରତ ମେଳା ।

ମରଣୀୟ ବିଚକିଳମାଳା ।

ରମଣୀ ମୁକୁଟମଣି କଣ୍ଠେ ଦେବି

ଆନେ ନ ଢଳୁ ପ୍ରାଣେଶ ଡୋଳା ହେ ।

ସ୍ୱାମିନୀ । ।୨୬।

 

ଲୀଳା କମଳ ଘେନି ଶ୍ରୀକରେ ।

ଲଳିତାଙ୍ଗି ଗୃହ ବାଟିକାରେ ।

ଲଳିତା ସଙ୍ଗେ ଦ୍ୟୁମଣିମଣି ବେଦି

ମଧ୍ୟେ ବିଜେ କରିବ ସତ୍ୱରେ ହେ ।

ସ୍ୱାମିନୀ । ।୨୭।

ବିକର୍ତ୍ତନ ଆରାଧନା ସାରି ।

ବାସେ ବାସ୍ତୁକୃତ୍ୟ କରି କରି ।

ବିଲୋକୁ କୁନ୍ଦଲତା ଆସି ଡାକିବେ

ଜଟିଳାଙ୍କୁ ସମାଧାନ କରି ହେ ।

ସ୍ୱାମିନୀ । ।୨୮।

 

ସବୁ ସୁଖୀ ସଦନକୁ ଯାଇ ।

ସୀଉକାର ଶାଶୁଙ୍କୁ କରାଇ ।

ସତ୍ୱର ସେ କୁନ୍ଦବଲ୍ଲୀ ତୁମ୍ଭ ପାଶେ

ଗୋଷ୍ଠୀ କରିବେ ଅଳୀଙ୍କି ନେଇ ହେ । ।୨୯।

ସହି ଆସିବାକୁ ନାହିଁ ତର ।

ସବୁ କୃତ୍ୟ ଅଛି ସଦନର ।

ଶୁଣି ଜଟିଳା ବୋଲିବେ ଯାଅ ପୌର୍ଣ୍ଣମାସୀ

କହିଛନ୍ତି ବାରମ୍ବାର ହେ । ସ୍ୱାମିନୀ । ।୩୦।

 

ସର୍ବ ସଖୀସଙ୍ଗେ ବିଜେକରୁ ।

ସୁଦୟାରେ ମୋତେ ଶିରେ ଠାରୁଁ ।

ସଂବ୍ୟାନ ପ୍ରାଣେଶଙ୍କର ଧରିଯିବି

ରୂପମଞ୍ଜରୀଙ୍କ ଆଦେଶରୁ ହେ ।

ସ୍ୱାମିନୀ । ।୩୧।

ହର୍ଷେ ମଣ୍ଡି ଯାଉ ରାଜପଥ ।

ହୋଇ ଭେଟ ଗୋଷ୍ଠେ ପ୍ରାଣନାଥ ।

ହସି ଚାହିଁଥିବେ ସେ ବ୍ରଜେଶ୍ୱରୀଙ୍କି

ପ୍ରାଣମିତ ହୋଇ ହେଟମାଥ ହେ ।

ସ୍ୱାମିନୀ । ।୩୨।

 

କ୍ଷପାକର ମୁଖକୁ ଅନାଇ ।

କ୍ଷୀରୋଦଧି ପ୍ରାଏ ରାଜ୍ଞୀ ହୋଇ ।

କ୍ଷଣେ କୋଳକରି ଶିରେ ଚୁମ୍ବ ଦେଉ

ଗୋପାଳକୃଷ୍ଣାଂଘ୍ରିଂ ଦେବ ଧୋଇ ହେ ।

ସ୍ୱାମିନୀ ।୩୩।

 

ବିଳାପ

ରାଗ-କୁସୁମ କେଦାର

ପୋଇ ବାଣୀ

ରାସେଶ୍ୱରୀ ପଦ – ସରୋରୁହ ଦାସୀ

କରେ ବିଳାପ କେ ବିଚ୍ଛିତ୍ତରେ ବସି । ।୧।

ଆହା ଶ୍ରୀ ବୃନ୍ଦାରଣ୍ୟ ଚକ୍ରବର୍ତ୍ତନୀ

ଆହା ବ୍ରଜବଧୂ ପ୍ରାଣ ପ୍ରଣୟିନୀ । ।୨।

ଆହା ଶ୍ରୀନିଭୃତ ନିକୁଞ୍ଜ ଗୃହିଣୀ

ଆହା ଶ୍ରୀ ପରମାନନ୍ଦ ସ୍ୱରୂପିଣୀ । ।୩।

ହା ସ୍ୱାମିନି କରୁଣା ବରୁଣାଳୟେ

ଆହା ସର୍ବ ରମା ରାମାଜନା ଶ୍ରୟେ । ।୪।

 

ଆହା ଗୋପୀ ପ୍ରେମରତ୍ନମଞ୍ଜୁଷିକେ

ଆହା ସାଧ୍ୱୀ ଶିରୋମଣି ଶ୍ରୀରାଧିକେ । ।୫।

ପରିଚାରୀ ବତ୍ସଳାରେ ଜଣେ କେହି

ଆହା ପରମପଦରେ ତୁଲ ନାହିଁ । ।୬।

ଏହି ଘେନି ବଢ଼ୁଛି ସନ୍ତତ ଆଶା

ଲେଉଟିବ ବୋଲି ମୋର ଶୁଭଦଶା । ।୭।

ହେଲେ ବରାପରାଧିନୀ ମୁଁ ସହଜେ

ରାଧେ କ୍ଷମାବାରାନିଧି ଆପଣ ଯେ । ।୮।

 

ମୋର ମଉଳି ଭୁଷା ଶ୍ରୀପଦ ତଳୁ

ଆହା ଦୂର ହୋଇଗଲି କେତେ କାଳୁ । ।୯।

ବ୍ରହ୍ମ ବୟସରୁ ଅଧେ ସରିଗଲା

କୃପା କଟାକ୍ଷ ଲବ ନ ପ୍ରସରିଲା । ।୧୦।

ପଦ ତଳରେ ଶରଣ ଆଜନମୁଁ

ରଖିଥିଲାର ନିରେଖ ଜନ ଯେ ମୁଁ । ।୧୧।

ସ୍ୱ କିଙ୍କରୀଙ୍କର ପରିଚାରୀ କରି

ଦରଶନ ଦିଅ ହେଲେ ଶ୍ରୀକିଶୋରୀ । ।୧୨।

 

ତୁମ୍ଭ ଅଲୋକନ ବାଳକୂଟ ଅହି

ଘାତ ହେ ସ୍ୱାମିନୀ ସହି ହେଉନାହିଁ । ।୧୩।

କୃପା କଟାକ୍ଷ ପୀୟୁଷ ଲବ ସିଞ୍ଚି

ରଖ ଦନ୍ତେ ତୃଣ ଧରି ଜଣାଉଛି । ।୧୪।

ଦେଖିବାର ଥାଉ ଦୁଃଖ ଶୁଣିଲେ ତ

ସେହିକ୍ଷଣି ଆର୍ଦ୍ର ହୋଇଯିବ ଚିତ୍ତ । ।୧୫।

ଏତେ ଜଣାଇଲେ ଶୁଣି ନ ଶୁଣିଲା

ପରି ହେବ ବୋଲି ମୋ ମନେ ନ ଥିଲା ।।୧୬।

 

ପିତା ପୁରକୁ ପଠାଇ ଏକା ମୋତେ

ପଥ ଜନଙ୍କୁ ପଚାରୁଥାଅ କେତେ । ।୧୭।

ପିତା ପୁରକୁ ପଠାଇ ଏକା ମୋତେ

ପଥ ଜନଙ୍କୁ ପଚାରୁଥାଅ କେତେ । ।୧୮।

ମୋର କୃତ୍ୟଯାକ ଚାହିଁ ହରଷରେ

କେଡ଼େ ତୋଷ ହେବାର ଯେ ମୋ ସେବାରେ ।।୧୯।

ଅଗୁଳାଗୁ ରୁ ଉଲ୍ଲାଗି ମାଳା ମୋତେ

ଡାକି ଆଗ କରି ହେବାର ଯେ ହାତେ । ।୨୦।

 

ଦାସୀ ହେଲେ ଅନୁଜା ପରାଏ ପାଳି

ଶ୍ରୀମୁଖରୁ ମୁଖେ ଦେଇ ନାଗବଲ୍ଲୀ । ।୨୧।

ଆହା କୃଷ୍ଣଭାନୁ କୁଳ କୀର୍ତ୍ତିବଲ୍ଲୀ

ଗୁଣିବି ମୁଁ ଗୁଣଯାକ କେତେ ବୋଲି । ।୨୨।

ଆହା କାବ୍ୟ ପଢ଼ାଇବା ସୁଚାତୁରୀ

ବୀଣା ବାଜଣା ଶିଖାଇବା ମାଧୁରୀ । ।୨୩।

ଧାତୁ ଚିତ୍ରରେ କି ମାଳା ଗ୍ରନ୍ଥନରେ

ପ୍ରବର୍ତ୍ତାଇଚାର ବସାଇ ପାଶରେ । ।୨୪।

 

ଜୈୟନ୍ତୀ ଗୁନ୍ଥିଲାର ବେଳେ ମୋତେ

ଧୀରେ ଗୀତ ଶିଖାଇବାର ଯେ କେତେ । ।୨୫।

ଆହା କେତେ କଥା ମାନସେ ପଡ଼ୁଛି

ବାସ ବଢ଼ାଇବାର ମୁଁ କରି କୁଞ୍ଚି । ।୨୬।

ଅଙ୍ଗ ସୁବାସ ସଂଭୃତ ଲାଟ ବାସ

ବୋଲି ଧରି ହେଉଥାଉ କି ସନ୍ତୋଷ । ।୨୭।

ପ୍ରତ କର ଉଜୁଟା ଶ୍ରୀଖଣ୍ଡ ମଳି

ବୃଦେ କି ସୁଖେ ହେଉଥାଇ ମୁଁ ବୋଳି । ।୨୮।

 

ଅଭିସାର କାଳେ ଘନ ତମସୀରେ

କର ପଇଠ ଦେଲା ମୋର କରରେ । ।୨୯।

ଧୋଇ ପଦାବ୍‌ଜ ପୋଛୁ ମୋ ପଣନ୍ତରେ

କରଭର ଦେଲା ମୋ ଚରମରେ । ।୩୦।

କେଉଁ ଜନ୍ମରେ ଆଉ ମିଳିବ ତାହା

ଆହା କେହି ହେଲେ ନାହିଁ ସାହା । ।୩୧।

କେଣେ ଭାରି ଯାଇଥିଲେ ଆଣି ଲୋଡ଼ି

ଆହା ଲଳିତାଙ୍କ ପାଦ ତଳେ ପଡ଼ି । ।୩୨।

 

ସେହି ପ୍ରାଣନାଥଙ୍କର କେତେ କଥା

ଜଣାଇଁ ମୁଁ ଛଢ଼ାଉଛି ହୃଦବ୍ୟଥା । ।୩୩।

ଥରେ ହେଲେ ସ୍ମରଣ କଲେ ନାହିଁ

ଆହା ତୁନି ହେଲେ ପଦେ ନ ଜଣାଇ । ।୩୪।

କେବେ ସ୍ୱାମିନି ମୋ ପରେ ହେଲେ କୋପ

ରହୁଥିବାର ଦେକୀ ନୟନୁ ବାଷ୍ପ । ।୩୫।

ଦୟାମୟୀ ଲଳିତା ବୋଧ କରି

ଘେନିଯାନ୍ତି ଯେ ଛାମୁରୁ ହାତ ଧରି । ।୩୬।

 

ଆହା ତେମନ୍ତ ମମତା କେଣେ ଗଲା

ମୋ ଅଦୃଷ୍ଟ ପୀୟୁଷ ନୀର ହେଲା । ।୩୭।

ଆହା ବିଶାଖେ ବାଞ୍ଛାକଳ୍ପବଲ୍ଲୀ

ପଦ – ଛାୟାରୁ ଦେଲେ ସେ ଦୂର କରି ।।୩୮।

ଆହା ଉଚ୍ଛିଷ୍ଟ ପାତ୍ର ମୁଁ ଟୋଇବାକୁ

ବାହ୍ୟାଗାରକୁ ହେଲେ ନୀର ନେବାକୁ । ।୩୯।

ସେବା ଶିକ୍ଷା ଗୁରୁ ଶ୍ରୀରୂପମଞ୍ଜରୀ

ଆହା ନ ଲୋଡ଼ିଲେ ବେଳେ ମନ କରି । ।୪୦।

 

ଆହା ରାସଲସ୍ୟ ରସ ସୁପଣ୍ଡିତା

ଆହା ଘୋଷ ଯୋଷାଙ୍କ ଲଲାଟ ଚିତା । ।୪୧।

ଆହା ଅପାର କରୁଣା ଅକୃପାର

ବୋଲି ବ୍ରହ୍ମାଣ୍ଡେ ଡାକ ବାଜୁଛି ଯାର । ।୪୨।

ମୋହ ଛାର ଲାଗି ହେବ କି ଅନ୍ୟଥା

ବ୍ରଜପୁରେ ସୁଚରିତ ଯାର କଥା । ।୪୩।

ମୋ ଅଜଣାରେ ଗୋଷ୍ଠେନ୍ଦୁଙ୍କର ତୁଲେ

କୁଞ୍ଜେ ଲୁଚିଥିଲେ କ୍ଷଣେ ନ ଦିଶିଲେ । ।୪୪।

 

ବୃନ୍ଦାଟବି କୁଞ୍ଜଯାକ ବୁଲି ବୁଲି

କେତେ ଶୋକ କରୁଥାଇ କି ମୂର୍ଚ୍ଛିଲି । ।୪୫।

ମୋର ପଛେ ପଛେ ଆସି କୃପାମୟୀ

ଆସ ଆସ ବୋଲି ଧୀରେ ଡାକ ଦେଇ । ।୪୬।

ଦେଖି ନୟନେ ନୀର ସ୍ୱ ଅଞ୍ଚଳରେ

ପୋଛି ଘେନି ନେବାର ସେ ବହନରେ । ।୪୭।

ଆଳୀ କରିକି ଅଜଣା ସେବାର ଯାର

ଆହା କେମନ୍ତ କିଙ୍କରୀ ହେଲା ଦୂର । ।୪୮।

 

ଆଉ କେ ସେ ଘେନିବ ହୃଦର ଦ୍ୟୁଖ

କାହାର ନୋହି ହୋଇଲି ଯେ ନିରରେଖ ।।୪୯।

ହେ ଶ୍ରୀ ବୃନ୍ଦାବନାଧୀଶ ପ୍ରାଣେଶ୍ୱରୀ

ଜୀବ ଯାଉ ତୁମ୍ଭ ନାମ ଧରି ଧରି । ।୫୦।

ବୃନ୍ଦାରଣ୍ୟରେ ପୁଷ୍ପାବଚୟନରେ

ଆଳୀ ରହିଥିଲା କାଳେ ଦୂରେ ଦୂରେ । ।୫୧।

ଫୁଲ ତୋଳି ତୋଳି ପ୍ରିୟ ପ୍ରୀତି ଗୀତ

କରି କବିତ୍ୱ ହେବାର ପୁଲକିତ । ।୫୨।

 

ଜାଣି ବିଶାଖା ବାଣୀ ଶବଦାଇଲେ

ଲାଜେ ରହିବାର ବ୍ରଜବିଧୂ କୋଳେ । ।୫୩।

ଆଉ ଆଖି ଦେଖିବ ସେ ମହୋତ୍ସବ

କ୍ଷଣ କ୍ଷଣକୁ ଆହା ନୂତନ ଭାବ । ।୫୪।

ପିତା ପୁରେ ପୁଷ୍ପବାଟୀ ମଣ୍ଡପରେ

ଦୋଳା ପହଞ୍ଚାଇ ବସି ସ୍ୱଚ୍ଛନ୍ଦରେ । ।୫୫।

ହୃଦେ ରମଣଙ୍କ ଭାବ-ଅବଧରି

ଆହା ଗୀତ ଗାଇବାର କି ମାଧୁରୀ । ।୫୬।

 

ଶୁଣି ପାଶ ପଡ଼ିଶାରେ ଯେତେ ଜନ

ସ୍ତମ୍ଭପରି ରହିଥାନ୍ତି ଡେରି କାନ । ।୫୭।

ବୋଲା ବୋଲି ହେଉଥାନ୍ତି ରାଧା ପରି

ଗୁଣ ସୁନ୍ଦର ପଣେ କେ ହେବ ସରି । ।୫୮।

ଇନ୍ଦୁ ଉଦୟ କାଳର ସିନ୍ଧୁ ବତ

ଶୁଣି ହୃଦ ହେଉଥାଇ ଉଚ୍ଛଳିତ । ।୫୯।

ନବ ତରୁଣିମା ଲକ୍ଷ୍ମୀ ସନ୍ତତରେ

ସେବି ରହିଛି ନ ଚଳି ପଦାବ୍‌ଜରେ । ।୬୦।

 

ବ୍ରଜଜନଙ୍କୁ ସହଜ ବନ୍ଧୁ ପରି

ଘେନଉଛି ଯା ବିନୟ ସୁମାଧୁରି । ।୬୧।

ଯେଉଁଠାରେ ବିଲୋକିଲେ ଗୁରୁଜନ

ଆହା ନେଉଥାନ୍ତି କେତେ ନୀମଞ୍ଛନ । ।୬୨।

ଓଳଗିଲେ ଚିରଞ୍ଜିବି ହୁଅ ବୋଲି

ବୋଲୁଁ ନେତ୍ରୁ ଅଶ୍ରୁ ସ୍ନେହେ ପଡ଼େ ଗଳି । ।୬୩।

ବିଜେ କଲେ ଶାରୀ ପଞ୍ଜରୀ ପାଶରେ

ସେ ଡାକିବାର ଶୁଣୁଛି ଯା ଶ୍ରୁତିରେ । ।୬୪।

 

ଆଗେ ମା ବୋଲି କୀର୍ତ୍ତିଦା ବୃଷଭାନୁ

ଡାକିଲାର ଯେ ଡାକ ନ ଯାଏ ମନୁ । ।୬୫।

ହା ସ୍ୱାମିନୀ ଅନଙ୍ଗମଞ୍ଜରୀ ଡାକ

ବାରମ୍ବାର ଡାକନ୍ତି କିକରି ଟେକ । ।୬୬।

ଅପ ପଦାନ୍ତେ ଆକାର ଯୁକ୍ତ କରି

ଡାକିଲାର ହୃଦ ହେଉଛି ଯେ ଘାରି । ।୬୭।

କେତେ ତୋଷ ହେଉଥାଇ ଶୁଣି ମନ

ହା ଦୁର୍ଦ୍ଦଇବ କରି ଦେଲୁ ସ୍ୱପନ । ।୬୮।

 

ଉଚ୍ଚାରୁ ଥାଇ ସ୍ୱରୂପ ତାଙ୍କ ପରି

ଆହା ମାନସରୁ ନୁହଇ ବିସ୍ମରି । ।୬୯।

ପୁଣି ପଢ଼ଇ ଜୟ ଶ୍ରୀ ମାନ୍ଧର୍ବିକେ

ହେ ଶ୍ରୀମତୀ ଜୟ ଜୟ ସହୋଦର । ।୭୦।

ଆହା କି ସୁସ୍ୱର ଆହା କି ମଧୁର

ହା ସେ ବାଣୀ ସତେ ସୁଧା ସହୋଦର । ।୭୧।

ପ୍ରିୟ ଲେଖ ଆଣି ବିଚକ୍ଷଣ କୀର

ଦେଲେ ଈକ୍ଷଣେ ଲଗାଇ ଆପଣାର । ।୭୨।

 

ଯତ୍ନେ ଲୁଚାଇ ହୃଦୟ ବସନରେ

ପକ୍ୱ ଡାଳିମ୍ବ ବୀଜ ଧରି ଶ୍ରୀକରେ । ।୭୩।

ତାକୁ ଖୁଆଇବାର ଶ୍ରୀହସ୍ତେ ଧରି

ଦିଶେ ଦିଶେ ଦିଶୁଛି ଯେ ସେ ମାଧୁରୀ । ।୭୪।

ଚାହିଁ ଚନ୍ଦ୍ରାନନ ଚିହ୍ନି ଧୀର କରି

ଭାଷେ ହେ ବୃନ୍ଦାବନ ପରମେଶ୍ୱରୀ । ।୭୫।

ଗୋଷ୍ଠ ପୁରନ୍ଦର ସୁତ ପ୍ରାଣାଧିକେ

ବୋଲୁ ଶ୍ରୀଲଳିତା ମିଳୁ ନିଜାନ୍ତିକେ । ।୭୬।

 

ଚାହିଁ ବାହାରି ଯିବାର ଭୟ କରି

ପୂର୍ବ ବିଷୟ ମାନସରେ ସୁମରି । ।୭୭।

ଦୁହେଁ ହସାହସି ହୋଇ ଆସିବାର

ନୟନରେ ନାଚୁଛି ସେ ଚମତ୍କାର । ।୭୮।

ବିଜେ କଲାର ଦିଶୁଛି ସେ ପଲଙ୍କିରେ

ଦରଆଉଜା ଦେଇ ଲଳିତା ପରେ । ।୭୯।

ଭାଙ୍ଗି ପାନ ଦେଉ ଦେଉ ରଦବାସେ

ପ୍ରିୟ ଦନ୍ତ ଚିହ୍ନ ଦେଖି ହସିଲେ ସେ । ।୮୦।

 

ଦୁଇ ହାତେ ବୁଜି ହୋଇ ଦୁଇ ନେତ୍ର

ହସି ଲାଜେ ଲଳିତା ହୃଦରେ ବକ୍ତା । ।୮୧।

ଲୁଚାଇବାର ଦିଶୁଛି ହା ସ୍ୱାମିନୀ

ପତଦ୍‌ଗ୍ରହ ଥାଇ ଯେ ମୁଁ କରେ ଘେନି । ।୮୨।

କେବେ ଶୟନ ମେଳରୁ ବିନା କରି

ପ୍ରିୟ ମୁଖକୁ ନ ଦେଖ ସରି କରି । ।୮୩।

ଦଇବରେ ଏକା ହେଲେ ଚାରିଆଖି

ଲାଜେ ରହ ଯେ ଗଣ୍ଡେ ପଣନ୍ତ ରଖି । ।୮୪।

 

ପଦ ଅବନୀ ଉପରେ ଘସିବାର

ଗୋଷ୍ଠଚନ୍ଦ୍ରମା ଚିତ୍ତକୁ କଷିବାର । ।୮୫।

ମଜ୍ଜି ରହି ମୁଁ ପୀୟୁଷ ବାରାଧିରେ

ଆହା ଦେଖୁଥାଇ କେଡ଼େ ଶରଧାରେ । ।୮୬।

ବୋଲେ ଗୋପାଳକୃଷ୍ଣ ନୟନୁ ନୀର

ବୋହିଗଲା ପୋଛୁ ପୋଛୁ ବାରମ୍ବାର । ।୮୭।

 

ବିଳାପ

ଶ୍ରୀ ବୃଷଭାନୁ କୁମାରୀଙ୍କର

ପଦ ପଙ୍କଜରୁ ହୋଇ ଦୂର

କେ ସେ କିଙ୍କରୀ ରୂପ ଗୁଣ ସୁମରି

ବିଳାପ କରଇ ନିରନ୍ତରେ ସେ । ରାସେଶ୍ୱରୀ ।

ତୁନି ହେଲେ କି ମୁରୁଛି ପ୍ରାଣ ଧରି ଯେ ।

ମନେ ହେଉଛି ଏବେ ଦେଖିଲା ପରି ଯେ ।

ପରଂ ପଦରେ ନ ଥିବାର ମାଧୁରୀ ଯେ । ।୧।

ଆଉ ବିଲୋକିବ ନାହିଁ ପରା

ଶ୍ରୀ ବ୍ରଜବିଧୂଙ୍କ ନେତ୍ରକାରା

ଶରଦ ଶଶୀ ଶ୍ରୀମୁଖ ତୋରା ଯେ ।

ରାସେଶ୍ୱରୀ ।୨।

 

ଗୋକୁଳ କୁଳ ଯୁବତୀଙ୍କର

ଚାରୁ ଚମ୍ପା ଗଭା ମଉଳିବାର

ଲକ୍ଷେ ଲକ୍ଷ୍ମୀ ଶୋଭା ଲକ୍ଷ୍ୟ ହେବ ନାହିଁ

ପଦ୍ମାବ୍‌ଜ ନଖ କୋଣକୁ ଯାର ଯେ ।

ରାସେଶ୍ୱରୀ ।୩।

ବ୍ରଜେନ୍ଦ୍ର ନନ୍ଦନ ପ୍ରାଣପ୍ରିୟା

ସୌଭାଗ୍ୟବତୀରେ ଅଦ୍ୱିତୀୟା

ତେମନ୍ତ ହେଲେ ହେଁ କୃଷ୍ଣ ଦାସୀ ବୋଲି

ଅଭିମାନୀ ଆହା କି ବିନୟା ଯେ ।

ରାସେଶ୍ୱରୀ ।୪।

 

କୃଷ୍ଣ ଲାଗି ସ୍ରକ ଧରି ଆସି

ବୃନ୍ଦା ଯାଚୁ ଉଠି ହସି ହସି

ପାଣି ପ୍ରସାରି ଘେନି ନେତ୍ରେ ଛୁଆଉଁ

ଛୁଆଉଁ ପଡ଼ିଲାର ଉଲ୍ଲସି ହେ ।

ରାସେଶ୍ୱରୀ । ।୫।

ଶ୍ରୀମୂର୍ତ୍ତି ସୁଷମା ବ୍ରଜେଶ୍ୱରୀ

ଯେଉଁଠାରେ ଦେଖି ଦେଲେ ଦରି

ଆନନ୍ଦେ ଅଶ୍ରୁ ପୂରିଯାଇ ନୟନେ

ଘେନିଯାନ୍ତି ଲୋଭେ କୋଳ କରି ଯେ ।

ରାସେଶ୍ୱରୀ ।୬।

 

ପଙ୍ଖା ମୁଁ ପକାଉଥିଲା ବେଳେ,

ଗୋଷ୍ଠ ଚନ୍ଦ୍ରମା ବସାଇ କୋଳେ

ମୁଖେ ମୁଖେ ଦେଇ ତାମ୍ବୁଳ ଦେବାର

ଶୋଭା ନ ଚାହିଁ ହୋଇଲା କାଳେ ଯେ ।

ରାସେଶ୍ୱରୀ ।୭।

ବ୍ରଜେନ୍ଦ୍ର ପୁରକୁ ଭୋଜ୍ୟ ଦେଇ

ହା ସ୍ୱାମିନୀ ମୋତେ ପଠିଆଇ

ଲେଉଟିବା ଯାଏ ଅନାଉ ଥିବାର

ପୁର ପ୍ରାଙ୍ଗଣରେ ଉଭା ହୋଇ ଯେ ।

ରାସେଶ୍ୱରୀ ।୮।

 

ବାହୁଡ଼ି ମୁଁ ଅଇଲା ବେଳକୁ

ହସିଲା ହୋଇ ଆସି ରହକୁ

ପଚାରୁ ପ୍ରାଣେଶ ସମୟ ମୁଁ କହି

ଦିଅଇ ଚିଟାଉ ଶ୍ରୀହସ୍ତକୁ ଯେ ।

ରାସେଶ୍ୱରୀ ।୯।

ନାମ ନ ଧରି ପ୍ରାଣେଶଙ୍କର

ପଛେ ଚାଲିଯାଇ ଡାକିଲାର

ପୁଣି ଶୁଣିବାକୁ ବନ ବିହାରରେ

ମୋହନ କି ନାଇ ହୋଇବାର ଯେ ।

ରାସେଶ୍ୱରୀ ।୧୦।

 

କୁଞ୍ଜ ବିଚକିଳ ବାଟିକାରେ

ଆଳି ତ୍ରିଡ଼ୁ ତୁମ୍ଭ ଶ୍ରୀକନ୍ଧରେ

ପାଣି ଦେଇ ପ୍ରିୟ ଚାହୁଁ ଜାଣି ତାଙ୍କ

ନେତ୍ର ବୁଜିବାର ଶ୍ରୀହସ୍ତରେ ଯେ ।

ରାସେଶ୍ୱରୀ ।୧୧।

ପ୍ରିୟ ସ୍ୱନକ୍ଷତ୍ରେ ପୂଜା ଦିନ

ନନ୍ଦପୁରେ ନବବଧୂ ଜନ

ପୂରିଥିଲେ ବ୍ରଜବଧୁଙ୍କୁ ବନ୍ଦାଇ

ଯିବା ସମୟରେ ସୁପ୍ରସନ୍ନ ଯେ ।

ରାସେଶ୍ୱରୀ ।୧୨।

 

ତୋଳି ମନ୍ଦାକ୍ଷରେ ଅର୍ଘ୍ୟସ୍ଥାଳୀ

ବନ୍ଦାଉ ପ୍ରିୟଙ୍କୁ ନେତ୍ର ଢାଳି

ସମୁଦ୍ର ଉଛୁଳିଲା ପରି ଶୁଭିଲା

ବ୍ରଜବାଳୀ ଦେଲେ ହୁଳହୁଳି ଯେ ।

ରାସେଶ୍ୱରୀ ।୧୩।

ଆଉ କେତେ କୋଟି ଜନମରେ,

ବିଲୋକିବି ନେତ୍ର ଯୁଗଳରେ

ପୌର୍ଣ୍ଣମାସୀ ଆଦି ଚାହିଁ ବୁଡ଼ିଗଲେ

ସ୍ନେହ-ସୁଖ-ସୁଧା ବାରିଧିରେ ଯେ ।

ରାସେଶ୍ୱରୀ ।୧୪।

 

ବିଜେ କରିଯାଉ ନିକୁଞ୍ଜକୁ

ବଳେ ପ୍ରିୟ ନେଇ ହୃଦୟକୁ

ଶେଯେ ବସୁ ପଦ ଧୂଳି ପୋଛି ଯାଉଁ

ମୁଁ ଆଗ ହୁଅନ୍ତି ମୋହନଙ୍କୁ ଯେ ।

ରାସେଶ୍ୱରୀ ।୧୫।

ହାର ଗୁନ୍ଥିବାକୁ କ୍ରୀଡ଼ାନ୍ତରେ

ଠାରି ଡାକି ମୋତେ ମସ୍ତକରେ

ମୁକ୍ତାମଣି ଯାକ ଶେଯୁଁ ଗୋଟିଅଇ

ଦୁହେଁ ଦେବାର ମୋ ଅଞ୍ଜଳିରେ ଯେ ।

ରାସେଶ୍ୱରୀ ।୧୬।

 

ଆପଣାଙ୍କୁ ଚାହିଁ ଏକାକରି

ପୁଷ୍ପ ବଚୟନେ ବଂଶୀଧାରୀ

ଆଶ୍ଳେଷ କରି ଶ୍ରୀମୁଖେ ଚୁମ୍ବ ଦେଉ

କହିବାର ହସି ସରି ସରି ଯେ ।

ରାସେଶ୍ୱରୀ ।୧୭।

ଦାନ କେଳିରେ ବ୍ରଜେନ୍ଦ୍ର ସୁତ

ପଚ୍ଛରେ ଯାଇ ଧରୁ ପଣନ୍ତ

ପ୍ରଣୟ ରୋଷ ହାସ ଭକୁରୁ କୁଞ୍ଜନ

ହୋଇଥାଇ ବାଣୀ ବର୍ଣ୍ଣ ଲୁପ୍ତ ଯେ ।

ରାସେଶ୍ୱରୀ ।୧୮।

 

ଓଟାରି ହୋଇ ପଛକୁ ଆସ୍ୟ

ବୁଲାଇ ଛଡ଼ାଇ ବାସ ଶେଷ

ଲୁଚିବାକୁ ଗୋବର୍ଦ୍ଧନ କନ୍ଦରାରେ

ନେଇ ମୁଁ କରାଇ ପରିବେଶ ଯେ ।

ରାସେଶ୍ୱରୀ ।୧୯।

ସୂର୍ଯ୍ୟାର୍ଚ୍ଚନ ନ ଲାଗି ବ୍ରହ୍ମ ବେଶ

ହୋଇ ଆସିଥାନ୍ତି ପ୍ରାଣଈଶ

ପୂଜା ବଢ଼ୁଁ ଓଳଗ ବୋଲୁ ଜଟିଳା

ଜୁହାର ହେବାର ହସ ହସ ଯେ ।

ରାସେଶ୍ୱରୀ ।୨୦।

 

ଦେଖୁ ବୋଲି ବୃଦ୍ଧା ବଧୂ ପାଣି

ଛଦ୍ମବଟଣୁକରେ ଦେଉ ଆଣି

ହାତ ଧରି କହୁଁ ଲଳିତା ପଛରେ

ଥରି ଉଭା ହୋଇବାର ଠାଣି ଯେ ।

ରାସେଶ୍ୱରୀ ।୨୧।

ସମ ନାହିଁ ଜଣେ ସର୍ବାଂଶରେ

ଯାହାକୁ ଗୋଲକ ପର୍ଯ୍ୟନ୍ତରେ

ତେମନ୍ତ ବ୍ରଜେନ୍ଦ୍ର ସୁତ କହୁଛନ୍ତି

ଚାଟୁ ଯା ପଦାବ୍‌ଜ ଦାସୀଠାରେ ଯେ ।

ରାସେଶ୍ୱରୀ ।୨୨।

 

ପ୍ରିୟ ସ୍ୱନକ୍ଷତ୍ର ପୂଜାଦିନ

ଜନନୀ ଗୃହକୁ ଯିବା ଦିନ

ଆନୀ-ନକ୍ଷତ୍ରାବଳୀରେ ପୂର୍ଣ୍ଣଚନ୍ଦ୍ର

ଚଳିଗଲା ପରି ଶୋଭାବନ ଯେ ।

ରାସେଶ୍ୱରୀ ।୨୩।

ଯାଇ ପିତାମାତା ଚରଣରେ

ପ୍ରାଣମିତ ହେଉ ଧରଣୀରେ

ଦୁହେଁ ତୋଳୁ ତୋଳୁ ଯାହା ହେଉଥାନ୍ତି

ସୁଖ ଶୋକ ସ୍ନେହ ବାତ୍ସଲ୍ୟସେ ଯେ ।

ରାସେଶ୍ୱରୀ ।୨୪।

 

ସୁତ୍ରାମା ମଣି ପ୍ରତିମା ପରି

ହୋଇଥାନ୍ତି ଚାହିଁ ବଂଶୀଧାରୀ

ଚରଣ ନୂପୁର କ୍ୱଣନରେ ଆହା

ଆହା ରାବ ଉଠେ ସଭା ପୁରି ଯେ ।

ରାସେଶ୍ୱରୀ ।୨୫।

ଆହା ସେକାଳ ଲଳନା ଯା

ଭାଳିଲେ ରହିବ ବା ବିବେକ

ନିଧି ପ୍ରାପ୍ତି ହେଲା ପରି ମଣୁଥାନ୍ତି

ବୃଷଭାନୁ ପୁରଜନଯାକ ଯେ ।

ରାସେଶ୍ୱରୀ ।୨୬।

 

ତାମ୍ବୁଳ ଯୋଗାଉ ସପ୍ରମୋଦେ,

ଢାଳି ଡୋଳା ପ୍ରାଣନାଥ

ଲାଜ ହର୍ଷ ମିଶା ଶ୍ରୀମୂର୍ତ୍ତିଙ୍କି ଦେଖି

ମଜ୍ଜିଲି ନାହିଁ ମୁଁ ଆନନ୍ଦରେ ଯେ ।

ରାସେଶ୍ୱରୀ ।୨୭।

ନାଟ୍ୟ ଚମତ୍କାର ଯାକ କଳି

ନର୍ତ୍ତନ ସାମନ୍ତ ବନମାଳୀ

ଶ୍ରମ ଚାହିଁ ଆପଣଙ୍କୁ ହୃଦ ପଦ୍ମେ

ଧରିବାର କରପଦ୍ମେ ତୋଳି ଯେ ।

ରାସେଶ୍ୱରୀ ।୨୮।

 

ବିଞ୍ଚୁ ନିଜ ପୀତବାସ ଶେଷେ

ବ୍ୟଜନ ଚାମର ଚାରିପାଶେ

ସମୁଦ୍ର ତରଙ୍ଗ ପରି ପଡ଼ୁଥାଇ

ବିଲୋକୁ ଥାଇ ମୁଁ ସହରଷେ ଯେ ।

ରାସେଶ୍ୱରୀ ।୨୯।

ଶ୍ରୀବୃନ୍ଦାବନେ ପଟ୍ଟାଭିଷେକ

ହେବା ଦିନ ମହୋତ୍ସବ ଯାକ

ଶେଷରେ ନିଃଶେଷ ହେବ କି ସେ କଥା

ଜିଣି ଭାରିଗଲା ବ୍ରହ୍ମଲୋକ ଯେ ।

ରାସେଶ୍ୱରୀ ।୩୦।

 

ଶଙ୍ଖଚୁଡ଼କୁ ସଂହାରି ହରି

ଆସୁ ଭୟେ ତାଙ୍କ କଣ୍ଠ ଧରି

ହୃଦେ ଲାଖି ରହି ଯିବାର ସୁଷମା

ଏବେ ଈକ୍ଷଣେ ରହିଛି ପୂରି ଯେ ।

ରାସେଶ୍ୱରୀ ।୩୧।

ଆଉ ଆଉ ଯାକ ପାଶେ ଆଳୀ

ପୂରି ବସିଥାନ୍ତି ଶିର ଚାଳି

ଠାରି ଡାକି ମୁଖୁ ଚର୍ବିତ ତାମ୍ବୁଳ

ଦେବାର ମୁଖ ଚନ୍ଦ୍ରମା ତୋଳି ଯେ ।

ରାସେଶ୍ୱରୀ ।୩୨।

 

ସ୍ୱକିଙ୍କରୀ ଜନବତ୍ସଳତା

କରିବେ କି କୋଟି ଜନନୀ ତା

ଆପଣା ଅନୁଭବ ଶେଷ ଯାବତ

ଦତ୍ତ କରିବାର ବଦାନ୍ୟତା ଯେ ।

ରାସେଶ୍ୱରୀ ।୩୩।

ରହନ୍ତୁ ଇତର ବ୍ରଜମାଳୀ

ଯା ଗୁଣ ସୁନ୍ଦରପଣ ଭାଳି

ସପୁଲକ ହୋଇ ମଜ୍ଜି ଯାଉଥାଇ

ଶୁଣି ପରିପନ୍ଥୀ ଚନ୍ଦ୍ରାବଳୀ ଯେ ।

ରାସେଶ୍ୱରୀ ।୩୪।

 

ଥିଲି ମୁଁ କି ଅପରାଧ କରି

ତୁଚ୍ଛାକୁ ହେଲେ ମାଇଲା ପରି

ଶ୍ରୀକର ତୋଳି ପୁଣି ହସି ଦେବାର

ସୁମରି ହେଉଅଛି ପ୍ରାଣ ଘାରି ଯେ ।

ରାସେଶ୍ୱରୀ ।୩୫।

ଜନନୀ ଗୃହରେ ସ୍ଫୁଟକରି

ହା ସ୍ୱାମିନୀ ମୋର ନାମ ଧରି

ଡାକି ପଚାରୁ ପ୍ରାଣନାଥ ସମୟ

କହୁ ତୋଷି ହେବାର ମାଧୁରୀ ଯେ ।

ରାସେଶ୍ୱରୀ ।୩୬।

 

ନିଭୃତ କୁଞ୍ଜ କୁସୁମ ଶେଯେ,

କଲା କାଳେ କାନ୍ତ କୋଳେ ବିଜେ

ବୀଣା ମୁଁ ବଜାଉଁ ପହୁଡ଼ି ହୃଦରେ

ହସି ଧରିଥାନ୍ତି ପ୍ରିୟ ଭୁଜେ ଯେ ।

ରାସେଶ୍ୱରୀ ।୩୭।

ଆହା କି ମୋହର ସୁଦଇବ

ପୂର୍ବର ସେ ଭାଗ୍ୟ ଲେଉଟିବ

ବିଲୋକିବି ପ୍ରାଣନାଥଙ୍କ ଅଙ୍କରୋ

ହରଷାଶ୍ରୁ ନେତ୍ରେ ପୂରିଯିବ ଯେ ।

ରାସେଶ୍ୱରୀ ।୩୮।

 

ଆସ ଆସ ବୋଲି ହସି ହସି

ଡାକୁ ତନୁ ପଡ଼ିବ ଉଲ୍ଲସି

ସାଷ୍ଟାଙ୍ଗେ ଦୁହିଁଙ୍କ ପଦାବ୍‌ଜେ ଲୋଟିବ

ତୋଳି ନେବେ ଶ୍ରୀ ହସ୍ତେ ଆଶ୍ୱାସି ଯେ ।

ରାସେଶ୍ୱରୀ ।୩୯।

ସତେ ଶ୍ରୀମୁଖ ମୁଁ ବିଲୋକିବି

ପୀୟୁଷ ଦୃଷ୍ଟିରେ ଗାଧୋଇବି

ଚିରକାଳ ଚରଣାବ୍‌ଜର ବିଚ୍ଛିତ୍ତି

ଉଗ୍ରବୀତିହୋତ୍ର ଲିଭାଇବି ଯେ ।

ରାସେଶ୍ୱରୀ ।୪୦।

 

ବୃଷଭାନୁକୁଳ କୀର୍ତ୍ତିଲତା

ପୌର୍ଣ୍ଣମାସୀଙ୍କ ସର୍ବସ୍ୱଭୁତା

ବୃନ୍ଦାବନ ପ୍ରାଣୀ ପ୍ରାଣ ହା ସମସ୍ତ

କାନ୍ତିକୁଳାଧିଷ୍ଠାତ୍ରୀ ଦେବତା ଯେ ।

ରାସେଶ୍ୱରୀ ।୪୧।

ଶ୍ରୀଗୋବିନ୍ଦାସର୍ବାର୍ଥ ସାଧିକେ

ଗୋପୀ ପ୍ରେମରତ୍ନ ମଞ୍ଜୁଷିକେ

ଶ୍ରୀବ୍ରଜେଶ୍ୱରୀଙ୍କ ବାତ୍ସଲ୍ୟବସତି

ହା ସେ କୀର୍ତ୍ତିଦା ନେତ୍ର ତାରକେ ଯେ ।

ରାସେଶ୍ୱରୀ ।୪୨।

 

ଆହା ରାସଲାସ୍ୟ ପରୀକ୍ଷାରେ

ମଦନମୋହନ ସମକ୍ଷରେ

ଅଙ୍ଗାଭିବ୍ୟଞ୍ଜନ ସୁଭୁଷା ଝଲକ

ଆହା ମହଭାବ ସ୍ୱରୂପରେ ଯେ ।

ରାସେଶ୍ୱରୀ ।୪୩।

ଲଳିତାଘ୍ରିଂରେ ଓଳଗି ହେଉଁ

କରୁଣା ଗୁଣେ କରେ ଉଠାଉ

ଭବ ଅନ୍ଧକାର କୂପର କଦନ

ସ୍ୱପନେ ନ ଦିଶିବ ଆଉ ଯେ ।

ରାସେଶ୍ୱରୀ ।୪୪।

 

ଦଣ୍ଡବତ ହୋଇ ବିଶାଖାଙ୍କୁ

ଜୁହାରିବି ପ୍ରଭୁ ବରଗଙ୍କୁ

ରୂପମଞ୍ଜରୀ ପଦେ ପଡ଼ି ଲଭିବି

ସେବା ଚିନ୍ତାମଣି ରତନକୁ ଯେ ।

ରାସେଶ୍ୱରୀ ।୪୫।

ଦୟାମଣୀ ପଣେ ଦତ୍ତବର

ଶ୍ରୀପଦଙ୍କଜ ସେବା ମୋର

ଗୋପାଳକୃଷ୍ଣ ଜଣାଉଛି ଦଶନେ

ତୃଣ ଦଂଶି କୋଟି କୋଟି ବାର ଯେ ।

ରାସେଶ୍ୱରୀ ।୪୬।

 

ଶ୍ରୀ ରାଧାଗୋବିନ୍ଦ କୀର୍ତ୍ତନ

(ରାଗ-ଚକ୍ରକେଦାର, ତାଳ-ଝୁଲା)

ବୃନ୍ଦାରଣ୍ୟ ସାର୍ବଭୌମ ଦମ୍ପତି । ରାଧାଗୋବିନ୍ଦ

ସର୍ବ ବ୍ରଜବାସୀ ନେତ୍ର ସମ୍ପତ୍ତି ।ରା । ।୧।

ମହାଭାବେଜ୍ଜ୍ୱଳ ରସ ଶ୍ରୀମୂର୍ତ୍ତି ।ରା ।

ରାକାବିଧୂ କି ଜୟୀ ବକ୍ତୁ ଦ୍ୟୁତି ।ରା । ।୨।

ସର୍ବାଶ୍ରୟ ସର୍ବଗ ସନାତନ ।ରା ।

କିଶୋର ବୟସ ନିତ୍ୟ ନୂତନ ।ରା । ।୩।

ଗୋକୁଳେଶ୍ୱରୀ ବାତ୍ସଲ୍ୟ ସଦନ ।ରା ।

ନିଜ ପରିଜନ ଜୀବଜୀବନ ।ରା । ।୪।

 

ଗୋଷ୍ଠକୁଳକା ନିକର ବେଷ୍ଟିତ ।ରା ।

ନାନା ରତ୍ନାଳଙ୍କର ବିଭୁଷିତ ।ରା । ।୫।

ରାସ ମଣ୍ଡଳ ମଧ୍ୟେ ବିରାଜିତ ।ରା ।

ଚାରୁ ସରସୀରୁହ ବଂଶୀହସ୍ତ ।ରା । ।୬।

ଆହା ଫୁଲଶେଯେ ବିଜେ କଲା ।ରା ।

ପରିଷ୍ୱଙ୍ଗ ରଙ୍ଗରେ ମଜ୍ଜିବାର ।ରା । ।୭।

ଗଣ୍ଡେ ଗଣ୍ଡେ ଦେଇ ଉଲ୍ଲସିବାର ।ରା ।

ଆଳୀ ଦେଖିବେ ବୋଲି ଶଙ୍କିଲାର ।ରା । ।୮।

 

ହରି ପୁର ସୁଧା ପରି ବଚନ ।ରା ।

ସଜକଞ୍ଜ ସୁରଭି ନିଶ୍ୱାସନ ।ରା । ।୯।

ମନ୍ଦ ମୃଦୁ ମଧୁଗନ୍ଧ ହସନ । ରାଧାଗୋବିନ୍ଦ ।

କଳାକାର ଶତ ଶୀତାପଘନ ।ରା । ।୧୦।

ଏକ ଫୁଲମାଳା ବେନି ଗଳାରେ ।ରା ।

ଗୀତ ମିଶାଇ ବଂଶୀ ନିସ୍ୱନରେ ।ରା । ।୧୧।

ସରୁ ଚୁମ୍ବ ରଚନା ପରସ୍ପରେ ।ରା ।

କର ନିବେଶି ଚାରୁ ଚିବୁକରେ ।ରା । ।୧୨।

 

ପଶାଖେଳ ବେଳେ ବସା ସୁଷମା ।ରା ।

ମନଲୋହର ଚୁମ୍ବକ ପ୍ରତିମା ।ରା । ।୧୩।

ଆହା ପୁଲକିବାର ଗଣ୍ଡ ସୀମା ।ରା ।

ଲଜ୍ଜା ହର୍ଷ ମଶ୍ରିତ ମାଧୁରିମା ।ରା । ।୧୪।

ମଧ୍ୟାହ୍ନରେ ପୁଷ୍ପାବୟେନରେ ।ରା ।

କେବେ ନ ଦେଖିଲା ପରି ବନରେ ।ରା । ।୧୫।

ପ୍ରେମ ପୁରୁଷ ହୃଦୟଙ୍ଗମରେ ।ରା ।

କରିବାର ସଂଳାପ ପରସ୍ପରେ ।ରା । ।୧୬।

 

ବିଳସିବାର ବ୍ରଜେନ୍ଦ୍ର ପୁରରେ ।ରା ।

ବିବାହିତା ପୁତ୍ରବଧୂ ପରିରେ ।ରା । ।୧୭।

ଯୋଗେଶ୍ୱରୀ ଆନନ୍ଦାମୃତ ନିଧି ।ରା ।

କରୁଥିବାର କେତେ ପରି ବୁଦ୍ଧି ।ରା । ।୧୮।

ଜନଗୋଷ୍ଠାରେ ହେଲା ଅନାଅନି ।ରା ।

କି ତୁଳନା ହେବ ତୁଚ୍ଛ ଦାମିନୀ ।ରା । ।୧୯।

ଗୋବର୍ଦ୍ଧନ କନ୍ଦରାର ବିହାର ।ରା ।

ବନ୍ଧ ପିତୁଳାକୁ ବିଲୋକିବାର ।ରା । ।୨୦।

 

ରହି ରସବତୀରେ ପ୍ରକୋଷ୍ଠରେ ।ରା ।

ବ୍ରଜେଶ୍ୱରୀଙ୍କି ଆନନ୍ଦ ସିନ୍ଧୁରେ ।ରା । ।୨୧।

ମଜ୍ଜାଇ ହେବାର ଦରଶନରେ । ରାଧାଗୋବିନ୍ଦ ।

ରହିଥିବାର ଲାଜ ହରଷରେ ।ରା । ।୨୨।

ପ୍ରିୟ ଈକ୍ଷଣକୁ ବୁଜାଇବାର ।ରା ।

ଆଳୀ ଗଳି ଚାହୁଁ ତରକିବାର ।ରା । ।୨୩।

ଦୁହେଁ ମଜ୍ଜାଇ ଉରକୁ ଉରରେ ।ରା ।

ଛାଡ଼ ବୋଲିବାର ଅତି ଲାଜରେ ।ରା । ।୨୪।

 

କୋଟି ବ୍ରହ୍ମାଣ୍ଡେ ନ ଥିବା ସୁନ୍ଦର ।ରା ।

ତନୁ ଅଳଙ୍କାରର ଅଳଙ୍କାର ।ରା । ।୨୫।

ଲୋକୋତ୍ତର ଗୁଣମଣି ମନ୍ଦିର ।ରା ।

ଆହା ନୀଳ ପାତ ଚେଳ ଲାଗିର ।ରା । ।୨୬।

ସଦା ବିଳାସ ନିକୁଞ୍ଜ ଅରଣ୍ୟ ।ରା ।

ଅବିଚଳିତ ଯେ ନବତାରୁଣ୍ୟ ।ରା । ।୨୭।

ଶରଣାର୍ଥୀର ପରମ ଶରଣ୍ୟ ।ରା ।

ସ୍ୱୀୟ ପ୍ରଣୟ ପୀୟୁଷ ବଦାନ୍ୟ ।ରା । ।୨୮।

 

ଏକ ଆଦରଶକୁ ଚାହିଁବାର ।ରା ।

ହରଷରେ ହସାହସି ହେବାର ।ରା । ।୨୯।

ପଟ୍ଟାଞ୍ଚଳରେ ଝାଳ ପୋଛିବାର ।ରା ।

ଉର ଉପରେ ଆଉଜାଇବାର ।ରା । ।୩୦।

ଚନ୍ଦ୍ର ଚନ୍ଦନଚର୍ଚ୍ଚିତ ପ୍ରତୀକ ।ରା ।

କର୍ଣ୍ଣୋତ୍ତଂସିତ ସପତ୍ର ଚମ୍ପକ ।ରା । ।୩୧।

ହୃବହାରାରେ ଅଶୋକ ସ୍ତବକ ।ରା ।

ହା ସିନ୍ଦୂର ଗୋରଚନା ତିଳକ ।ରା । ।୩୨।

 

ଚାରୁ ଅଳକାବଳି ଶ୍ରୀ ଅଳକ ।ରା ।

ପୁଷ୍ପ ଝରା କେକୀ ପୁଚ୍ଛ ମସ୍ତକ ।ରା । ।୩୩।

ଆହା ନାସାଭୁଷା ନବ ମୌକ୍ତିକ । ରାଧାଗୋବିନ୍ଦ ।

ଚରମରେ ପ୍ରମ୍ବ କୁନ୍ଦସ୍ରକ ।ରା । ।୩୪।

ଛଡ଼ିଲାର ମୋତିହାର ହୃଦରୁ ।ରା ।

ଗୁନ୍ଥିବାର ଗୋଟିଆଇ ଯେଶରୁ ।ରା । ।୩୫।

ଖସି ପଡ଼ିଲାର ସ୍ରଜ କେଶରୁ ।ରା ।

ଠାରି ଦାସୀଙ୍କୁ ଦେବାର କରରୁ ।ରା । ।୩୬।

 

ଚନ୍ଦ୍ର କିରଣେ କୁଞ୍ଜ ପ୍ରାଙ୍ଗଣରେ ।ରା ।

ମନ୍ଦ ଗନ୍ଧ ଶୀତ ସମୀରଣରେ ।ରା । ।୩୭।

ବିଜେକରି ପ୍ରିୟ ସଖୀଗଣରେ ।ରା ।

ଆହା ପ୍ରହେଳୀ ପ୍ରଶ୍ନ କୁତୁକରେ ।ରା । ।୩୮।

ଆସୁ ଆସୁ କାନନୁ ଅଟ୍ଟାଳିରେ ।ରା ।

ରହି ଭେଟ ହେବାର ସରଣୀରେ ।ରା । ।୩୯।

ନିଧି ପ୍ରାପ୍ତି ପରାୟ ନିର୍ଦ୍ଧନରେ ।ରା ।

ମୁଦ ହେବାର ଆହା ପରସ୍ପରେ ।ରା । ।୪୦।

 

ଗାଢ଼ ନବ କାଦମ୍ବିନୀ ନିଶାରେ ।ରା ।

ପରାଭୃତ ଋତୁର ସଙ୍କେତରେ ।ରା । ।୪୧।

ମିଳିବାର ସଦନ ବାଟିକାରେ ।ରା ।

ଚାହିଁ ଚଉଦିଗକୁ ସଭୟରେ ।ରା । ।୪୨।

ଆକର୍ଷିଲେ କେ ଓଟାରି ହେବାର ।ରା ।

ଲାଗି ବାସକୁ ହୋଇ ତରତର ।ରା । ।୪୩।

ନିକଟରେ ଶୁଭିଲେ ଆଳୀ ଗିର ।ରା ।

ଲତା ଗୃହକୁ ପଳାଇ ଯିବାର ।ରା । ।୪୪।

 

ପାଶ ଗଲେ କୁଙ୍କୁମ ବୋଳି ସହି ।ରା ।

ବଦନକୁ ଚାହିଁ କେ କେ ନ ଚାହିଁ ।ରା । ।୪୫।

ହସିଦେବାର କଥା କୁହାକୁହି । ରାଧାଗୋବିନ୍ଦ ।

ଦ୍ୱିତୀୟ ବୋଲିବାର କେହି ନାହିଁ ।ରା । ।୪୬।

ଜୃମ୍ବା ଆସିଲେ ଅଙ୍ଗୁଳି ଶବଦ ।ରା ।

କରି ହସି ହୋଇବାର ଆନନ୍ଦ ।ରା । ।୪୭।

ପୁଣି ଲୋଭାଇବାର ଚାହିଁବାକୁ ।ରା ।

କଷ୍ଟ କଷ୍ଟରେ ଟେକି ପକ୍ଷ୍ମଳକୁ ।ରା । ।୪୮।

 

ଆହା କୁଞ୍ଜ ପ୍ରାଙ୍ଗଣେ ମଧ୍ୟାହ୍ନରେ ।ରା ।

ପଦ ନଖରେ ଲଲାଟ ପଟରେ ।ରା । ।୪୯।

ସ୍ୱ ସ୍ୱ ପ୍ରତିବିମ୍ବକୁ କୁତୁକରେ ।ରା ।

ବିଲୋକିବାର ଆଳୀ ସମକ୍ଷରେ ।ରା । ।୫୦।

ଆହା ମଧୁପାନେ ହୋଇ ପ୍ରମତ୍ତ ।ରା ।

ହାସଯୁତ ଲୁପ୍ତବର୍ଣ୍ଣ ଭାଷିତ ।ରା । ।୫୧।

ହା ଖଞ୍ଜନ ନୟନ କଷାୟତ ।ରା ।

କ୍ଷଣେ ଚକିତ କ୍ଷଣେ ଅଘୂର୍ଣ୍ଣିତ ।ରା । ।୫୨।

 

ପ୍ରାତଃ ନିଅମ ଶ୍ରୀମୁଖ ଲୋକନ ।ରା ।

ପକ୍ଷ୍ମ ଫିଟାଇ କରୁ ଦରଶନ ।ରା । ।୫୩।

ପ୍ରେମ ସୁଧାବଧିରେ ହୋଇ ମଜ୍ଜନ ।ରା ।

ଦେଇ ଚୁମ୍ବନ ହେବାର ପ୍ରସନ୍ନ ।ରା । ।୫୪।

ପରଂପଦରେ ଗୀତ ଯାର କୀର୍ତ୍ତି ।ରା ।

ଭାବୁଛନ୍ତି ଶ୍ରୀଭୁଲୀଳାଦି ସତୀ ।ରା । ।୫୫।

ଯୋଗୀ ସଦା ଚିନ୍ତୁଛନ୍ତି ଯା ସ୍ଫୁର୍ତ୍ତି ।ରା ।

ଅସମ ଉନ୍ନତ ସୁଷମା ପ୍ରୀତି ।ରା । ।୫୬।

 

ଦୁହେଁ ନିକୁଞ୍ଜ ପ୍ରଦୀପ ପାଶରେ ।ରା ।

ରସ କାବ୍ୟ ପଢ଼ି ପଢ଼ି ପୋଥିରେ ।ରା । ।୫୭।

ଗଣ୍ଡସ୍ଥଳକୁ ମିଶାଇ ଗଣ୍ଡରେ । ରାଧାଗୋବିନ୍ଦ ।

ମଜ୍ଜିବାର ଆହା ଭାବି ଭାବରେ ।ରା । ।୫୮।

ରାସ ନର୍ତ୍ତନର ଅନୁରଞ୍ଜନ ।ରା ।

ଆହା ତ୍ରୈଲୋକ୍ୟ ଲକ୍ଷ୍ମୀର ସଦନ ।ରା । ।୫୯।

ରୂପ ଚରାଚର ପ୍ରାଣୀ ମୋହନ ।ରା ।

ଦ୍ୟୁତି ତଡ଼ିତ ଲତା ନବଘନ ।ରା । ।୬୦।

 

କେବେ ରୁଷିଲେ ଆହା କାହାକୁ ।ରା ।

ଚାହିଁଥିବାର ଲଳିତା ଆଡ଼କୁ ।ରା । ।୬୧।

ତାଙ୍କ ଭାରତୀରେ ରୋଷ ଦୋଷକୁ ।ରା ।

ତେଜି ମିଶି ଘେନିବାର କ୍ଷଣକୁ ।ରା । ।୬୨।

ଦୁହେଁ ଯାକ ଦେହ ପ୍ରାଣ ପରାୟେ ।ରା ।

ଦୂର ହେବାର ନାହିଁ ଯେ ଘଡ଼ିଏ ।ରା । ।୬୩।

ଅନୁବ୍ରତେ ସ୍ନେହରେ ଜର ଜର ।ରା ।

ସବୁବେଳେ ଅଧୀନ ଆଳୀଙ୍କର ।ରା । ।୬୪।

 

କୁଞ୍ଜବନେ ଲୁଚାଇବ ଖେଳରେ ।ରା ।

କ୍ଷଣେ ଦିଶା ନ ଦେଲେ ବକଳରେ ।ରା । ।୬୫।

ପୂରିଯାଉ ନେତ୍ର ଅଶ୍ରୁ ଜଳରେ ।ରା ।

ଆହା ପୋଛି ପୋଛି ଚେଳାଞ୍ଚଳରେ ।ରା । ।୬୬।

ହରା ହେଲା ମୋର କହି ଆଳୀଙ୍କି ।ରା ।

ବୋଲିବାର ଏଥର ଦିଅ ଡାକି ।ରା । ।୬୭।

ଚିନ୍ତି ଗୋପାଳକୃଷ୍ଣ ସେ ଚରଣ ।ରା ।

ପ୍ରାଣ ସମର୍ପି ପଶିଲା ଶରଣ ।ରା । ।୬୮।

 

ପ୍ରାର୍ଥନା

ରାଗ-ମୁଖାରି । ମିଶ୍ରଚାପ

(କିଶୋରୀ ମଣି ଗୀତ-ପ୍ରୀତି)

ଶଚୀନନ୍ଦନ । ପାହି ପ୍ରଭୋ ଦୟାନିଧେ । ପଦ ।

ପୂର୍ଣ୍ଣ ସନାତନ । ଆନନ୍ଦ ଚିଦ୍‌ଘନ ।

ନିଗମ ବନଚାରୀ । ଜନ ପ୍ରଚ୍ଛନ୍ନ । ।୧।

ହେମାବ୍‌ଜନିନ୍ଦନ । କୋମଳାପଘନ ।

ପରାର୍ଦ୍ଧ ମଦନ । ନିର୍ଧୂତ ଶୋଭନ । ।୨।

ସ୍ୱୀୟ ପ୍ରେମଧନ । ତଦାନ୍ୟ ଚୈତନ୍ୟ ।

ଚନ୍ଦ୍ର ମୁନୀନ୍ଦ୍ର ଧ୍ୟେୟ । ଦୁଃଖ ଧ୍ୱଂସନ । ।୩।

ସ୍ୱରୂପ ଜୀବନ । ରୂପହୃତ୍କେଚନ ।

ସନାତନ ମାନସ । ନଳିନ – ନଈନ । ।୪।

ପ୍ରିୟ ସଂକୀର୍ତ୍ତନ । ପଣ୍ଡିତ ନର୍ତ୍ତନ ।

ଗୋପାଳକୃଷ୍ଣ । ବୃତ୍ତମ ବିକର୍ତ୍ତନ । ।୫।

 

ସ୍ୱାଭୀଷ୍ଟ ଲାଳସା

ରାମ-ରାମକେରୀ

ଶ୍ରୀଗୁରୁଦତ୍ତ ତନୁ ଏବେ ହୋଇ ଯାଆନ୍ତା ମୋର

ଯାଇ ଉଭା ହୁଅନ୍ତି ପାଶେ ଶ୍ରୀସରସୀର । ।୧।

ସାଷ୍ଟାଙ୍ଗ ପ୍ରଣାମ କରୁଁ ମୁଁ ହୃଷ୍ଟ ହୋଇ ଶରୀର ।

ପୁଲକ ହୋଇ ବହନ୍ତା ଯେ ନେତ୍ରାନନ୍ଦାଶ୍ରୁଧାର । ।୨।

ସରତୀରାରଣ୍ୟ ବିଲୋକି ପ୍ରତି ବୃକ୍ଷ ବଲ୍ଲୀଙ୍କି ।

ଓଳଗି ଆଶ୍ଳେଷ କରନ୍ତି ସାଦରେ ନାମ ଡାକି । ।୩।

ହା ବୃନ୍ଦାବନ ଧରଣିରେ ସୂକ୍ଷ୍ମ ସିକତା ପରେ ।

ଯୁଗଳାଂଘ୍ରି ଚିହ୍ନ ବିଲୋକି ଲୋଟନ୍ତି ପ୍ରଥମରେ । ।୪।

 

ମାଧବୀ ବଲ୍ଲରୀ ବେଷ୍ଟିତ ଶ୍ରୀକେଶର କୁଞ୍ଜର ।

ନାନା ରତ୍ନମଣି ଜଡ଼ିତ ଚାରୁ ମଣ୍ଡପ ପରେ । ।୫।

ଆଳି ମଞ୍ଜରୀ ପରିବାରୀ ହୋଇ ପରିବେଷ୍ଟିତ ।

ଦିବ୍ୟାସନରେ ମୋ ସ୍ୱାମିନୀ ପ୍ରାଣନାଥ ସହିତ । ।୬।

ବିଲୋକ ପରମ ଅଦ୍ଭୁତ ପରାନନ୍ଦ ସ୍ୱରୂପ ।

ପଡ଼ି ରହନ୍ତି ପଦାବ୍‌ଜରେ ଲଭି ସୁଖ ଅମାପ । ।୭।

ସମସ୍ତଙ୍କ ଦୃଷ୍ଟି ପତନ ହୁଅନ୍ତା ଏକାଥରେ ।

ଆସ ବୋଲି ଆଜ୍ଞା ଦିଅନ୍ତେ ସ୍ୱାମିନୀ ଶ୍ରୀମୁଖରେ ।୮।

 

ଶିରେ ଠାରି ରୂପମଞ୍ଜରୀ ଡାକନ୍ତେ ଯେ ପାଶକୁ ।

ଯାଇ ଶ୍ରୀଛାମୁରେ ରହନ୍ତି ଜୁହାରି ଲଳିତାକୁ । ।୯।

ଶ୍ରୀକିଶୋରୀମଣି ପକାଉ ଦୟା ଦୃଷ୍ଟି ମୋ ପରେ ।

ପଙ୍ଖା ଦିଅନ୍ତେ ରୂପ ପୂର୍ବ ମଞ୍ଜରୀ ମୋ ହାତରେ । ।୧୦।

ହସି ଶ୍ରୀ ବ୍ରଜେନ୍ଦ୍ର ଭାଷନ୍ତେ ପୂର୍ବ ପରାଏ ମୁହିଁ ।

କାହାକୁ ଚାହିଁଲେ ଦେବୁକି ତୋ ସ୍ୱାମିନୀଙ୍କି କହି । ।୧୧।

ଦିଶୁ ନଥିଲୁ ଉପହାର ଧରି ନ ଆସୁ ଆଉ ।

ସବୁଦିନେ ପଦ ସେବାକୁ ଆଗ ହୋଇ ଯେ ଥାଉ ।୧୨।

 

ଶୁଣି ମୋ ନୟନୁ ବହିବ ଲୁହ ନ କହି କଥା ।

ଶ୍ରୀପଦାବ୍‌ଜକୁ ମୁଁ ଅନାଇ ରହି ପୋତିବି ମଥା । ।୧୩।

ହା ପ୍ରାଣେଶ୍ୱରୀ ପ୍ରାଣନାଥ ଆଘ୍ରାଣ ପୁଷ୍ପ କରୁଁ ।

ଖୋସିଥିବ ମଥାରେ ମୋହର ଯାନ୍ତି ଲାଗକୁ ଠାରୁ ।୧୪।

ଦୟାଳୁ କିଶୋରୀମଣି ଯେ ବୋଧ କରନ୍ତେ ମୋତେ ।

ଚରମେ ଶ୍ରୀକର ସ୍ପରଶୀ ଜୀବବନ୍ଧୁ ପୁରତେ । ।୧୫।

 

ସ୍ୱାନୁଭୂତି

ରାଗ–ବୀରବାଣୀ । ତାଳ–ମିଶ୍ରଚାପ

(କେଣେ ନ ଶୁଣ ଯେ ଡାକୁଥିଲେ ଏତେପରି – ପ୍ରତି)

ଥରେ ଦେଖିଛି ଯେ ସିନା ସେ ସୁଖ ଜାଣେ ।

ଶ୍ରୀରାଧା ଗୋବିନ୍ଦ ମୁରତି ସୁଷମା

ମନରେ ଅବା ଈକ୍ଷଣେ । । ପଦ ।

ନିଶାନ୍ତରେ ବୃଦ୍ଧା ମର୍କଟୀ କଖ୍‌ଖଟୀ ଡାକ ପଡ଼ିଲେ କର୍ଣ୍ଣେ ।

ଝଟପରା ଆସି ଉଭା ହୋରବାର

ନିଭୃତ କୁଞ୍ଜ ଉତ୍ତୀର୍ଣ୍ଣେ । ।୧।

ନନ୍ଦାଳୟରେ ଅଶନ ସମୟରେ ସୁରସ ପରିବେଷଣେ ।

ଲାଜ ହରଷରେ ଜର ଜର ହୋଇ

ଅନାଅନି ନେତ୍ର କୋଣେ ।୨।

 

ଶ୍ରୀ ଯଶୋଦା କୋଳେ ଧରି ଶ୍ରୀରାଧାଙ୍କୁ

ଭୂଷିତ କରି ଭୂଷଣେ ।

ବଧୂ ସଧେ ବ୍ରଜବିଧୂଙ୍କୁ ବିଲୋକୁଁ

ଲୋଭାଇ ବାତ୍ସଲ୍ୟ ଗୁଣେ ।୩।

ମଥୁରା ପଥେ ଓଗାଳି ସେ

ଛଇଳବର ରହି ଦାନୀପଣେ ।

ଶ୍ରୀରାଧା ତନୁରେ ଜନ୍ମିବାର ଭାବ

ଚେଳାଞ୍ଚଳ ଆକର୍ଷଣେ । ।୪।

 

ରୋଷ ଚାପଳ ମାନ ଗର୍ବ ରୋମାଞ୍ଚ

ସ୍ୱେଦାଶ୍ରୁ କମ୍ପ ସ୍ଫୁରଣେ ।

ଲାଜ ହର୍ଷ ହାସ ଉନ୍ମାଦ ଜନିତ

କୃଷ୍ଣଭୀଷ୍ଟାନୁ ପୂରଣେ । ।୫।

ରୁଷି ବସିଥିଲେ ବୃନ୍ଦାବନେଶ୍ୱରୀ

ସ୍ୱଚେଳାଞ୍ଚଳ ବରଣେ ।

କରୁଣାମୟୀ ଶ୍ରୀକରେ ତୋଳିବାର

ମେହନ ପଡ଼ୁ ଚରଣେ । ।୬।

 

ଗୋବର୍ଦ୍ଧନ ଗିରିବର ଗହ୍ୱରରେ

ବିଶ୍ୱକର୍ମାର ନିର୍ମାଣେ ।

ବନ୍ଧପିତୁଳା ବ୍ୟୁହ ମଧ୍ୟେ ହଂସୁଲିତୁଳି

ଶେଯ ବିହରଣେ । ।୭।

ଅଧେ ତନୁ ପୀତ ଅର୍ଦ୍ଧାଙ୍ଗ ଅଶିତ

ହେବାର ବନ ଭ୍ରମଣେ ।

ସପଲ୍ଲବ ପୁଷ୍ପ ପରସ୍ପରେ ଅବତଂସ

କଲାର ଶ୍ରବଣେ । ।୮।

 

ଫୁଲ ତୋଳୁଁ ପାଶେ ମିଳୁଁ ଅଳି

ଆଳୀ ଭୟେ ବାରି ଉପୁରାଣେ ।

ରମଣ କୋଳରେ ଲୁଚି ରହିବାର

ଶ୍ରୀକୁଣ୍ଡ ସେତୁ ପ୍ରାଙ୍ଗଣେ । ।୯।

ରତ୍ନ ଦୋଳାରେ ବିଜେକଲା

କାଳରେ ପଞ୍ଚାଉ ସଜନି ଟାଣେ ।

ବେନିକରେ ପ୍ରିୟ ଭୁଜ ଭିଡୁଁ ସ୍ମର

ବାଣ ରଖଇ କି ତୁଣେ । ।୧୦।

 

ମଧୁପାନ ମତ୍ତ ହୋଇ ମଦିରାକ୍ଷୀ

ରହି ମୋହନ ଡାହାଣେ ।

ତାମ୍ବୁଳ ଯୋଗାଇ ତୁଚ୍ଛାକରି ଯାଚୁଁ

ଅଳୀ ହସିବାର ତେଣେ । ।୧୧।

ଯାବନ୍ତ ସୁବେଶ ଶ୍ଳଥ ହୋଇଥାଇ

ଗାଢ଼ ମନମଥ ରଣେ ।

ଶ୍ରୀକୁଞ୍ଜ ତଟରେ ଉଭା ହୋଇବାର

ମନ୍ଦ ଗନ୍ଧ ସମୀରଣେ । ।୧୨।

 

ଶ୍ରୀ ସରସୀରେ ଜଳଯୁଦ୍ଧେ

ଶ୍ରୀହରି ହାରି ବୁଡ଼ିରହି କ୍ଷଣେ ।

ଧରି ରାଧାଙ୍କୁ ପଳାଇ ରହିବାର

କଣ୍ଠ ଜଳ ପରିମାଣେ । ।୧୩।

ଚନ୍ଦନ ବୋଲି ଉକୁଟାଉ ଚରମେ

ରହି ଶ୍ରୀରାଧା ଆପଣେ ।

ହସାହସି ହୋଇବାର ଚାହିଁ

ପ୍ରତିବିମ୍ବ ଛାମୁ ଦରପଣେ । ।୧୪।

 

ନିକୁଞ୍ଜେ ବେଶ ଅଶନ ଶୟନାନ୍ତେ

ଶ୍ରୀବୃନ୍ଦାଙ୍କ ପରମାଣେ ।

ପରସ୍ପରେ ତନୁ ପୁଲକ ହେବାର

ଶୁକ ଶାରୀଙ୍କ ଭାଷଣେ । ।୧୫।

ପା ଖେଳରେ ମୁରଲୀ ହାରିଦେଇ

ବୃଷଭାନୁଜାଙ୍କୁ ଏଣେ ।

ମାଗିଦିଅ ବୋଲୁଁ ହସିଲେ ବୟସୀ

ପୁଣି ଧାଇଁବାର ତେଣେ ।।୧୬।

 

ମିତ୍ରାର୍ଚ୍ଚନାନ୍ତରେ କପଟ ବଟୁଙ୍କୁ

କହ ବୋଲି ହେ ଆପଣେ ।

ଜଟିଳା ବଧୂକର ଦେଇ ଦେଖାଉଁ

ରାଧା ଥରୁଁ ଦରପଣେ । ।୧୭।

ନିବିଡ଼ ନିରଦ ନିଶିରେ ଶ୍ରୀ

ବୃଷଭାନୁଙ୍କର ସାଧାରଣେ ।

ପିକ ପରି ଡାକୁ ଜାଣି ସଦନକୁ

ଆଣିଲା କାଳେ ରହଣେ । ।୧୮।

 

ରାସ ଅବସାନେ ଯମୁନା ପୁଲିନେ

ନିର୍ମଳ ଚନ୍ଦ୍ର କିରଣେ ।

ବ୍ରଜବଧୂ କୋଳେ କିଶୋରୀମଣିଙ୍କି

ନବ ବୟସୀଙ୍କ ଗଣେ । ।୧୯।

ନିଭୃତ ନିକୁଞ୍ଜ ଜାତୀ ପୁଷ୍ପ ଶେଯ

ପାଦୋପଧାନ ଅଭ୍ୟର୍ଣ୍ଣେ ।

ବସି ଗୋପାଳକୃଷ୍ଣ ପଟ୍ଟନାୟକ

ପରମ ହରଷେ ଭଣେ । ।୨୦।

 

ସାଧକ ଦେହୋଚିତ ଲାଳସା

ରାଗ–ଆନନ୍ଦ ଭୈରକୀ । ଆଦିତାଳ

(ଆଳି । କେଶର କୁଞ୍ଜର – ପ୍ରତି)

କେତେବେଳକୁ ଶ୍ରୀପଦାବ୍‌ଜ ଦିଶିବ ଯେ ।

ଜୀବ ଅଳି ଯାଇ ସୁଖେ ବସିବ ଯେ । ।ପଦ।

ଶ୍ରୀ ଗୋବିନ୍ଦ ବକ୍ଷସ୍ଥଳ            ସଂଯୋଗର ପରିମଳ

ତହୁଁ ଲଭି ଲୋଭେ ମଜ୍ଜି ରହିବ ଯେ ।୧।

ଗୋଷ୍ଠେନ୍ଦୁ ନୟନ ଭୃଙ୍ଗ            ସଙ୍ଗତରେ କରି ରଙ୍ଗ

ସ୍ୱେଦ ମକରନ୍ଦ କ୍ଷୋଦ ପିଇବ ଯେ । ।୨।

 

ସୂକ୍ଷ୍ମ ଧୂଳି ପରାଗରେ            ଲୋଟିବ ଅନୁରାଗରେ

ସୁରମ୍ୟ ମଧୁର ନାଦ କରିବ ଯେ । ।୩।

ବ୍ରଜ ନବ ଯୁବାବର            ଶ୍ରୀକରେ ଚିତ୍ର କଲାର

ଯାବକ ପରିଧି ଯାକ ବୁଲିବ ଯେ । ।୪।

 

ସୌଭାଗ୍ୟ ରେଖାଦି ଚିହ୍ନ            ଚିହ୍ନିବ କରି ଦର୍ଶନ

ଭାବ ସୁଧା ବରାଧିରେ ଭାସିବ ଯେ । ।୫।

ଆହା ନଖର ଶ୍ରେଣୀରେ            ଜାତି ପାଖୁଡ଼ା ବୁଦ୍ଧିରେ

ରସନା ଚଖାଇ ଅପସରିବ ଯେ ।୬।

 

ଅଶୋକ କଳିକାବଳି            ସସ୍ନିଗ୍‌ଧ କୋମଳାଙ୍ଗୁଳି

ବିକଶିବ ବୋଲି ଆଶା ବଳିବ ଯେ । ।୭।

ଉର୍ଦ୍ଧ୍ୱରେ କେତକୀ କାନ୍ତି            ତଳେ କୋକନଦ ଦ୍ୟୁତି

ବିଲୋକି ଅତି ପ୍ରମୋଦେ ମାତିବ ଯେ । ।୮।

 

ସୁମନ କମ ରତ୍ନର            ଭୂଷାରେ ନୁପୁରାଦିର

ପୁଷ୍ପ ଭ୍ରମେ ଉଡ଼ି ତ ସ୍ପରଶିବ ଯେ । ।୯।

ଶ୍ରୀରୂପ ମଞ୍ଜରୀ କର            ଲଳିତ ମଧୁରତର

ପରମାନନ୍ଦ ଆଗାର ପାଇବ ଯେ । ।୧୦।

ଗୋପାଳକୃଷ୍ଣ ଏ ଭାଗ୍ୟ            ଭୋଗକୁ ହୋଇବ ଯୋଗ୍ୟ

ଶ୍ରୀ ସ୍ୱାମିନୀ ଦୟା ଦୃଷ୍ଟି ପଡ଼ିବ ଯେ । ।୧୧।

 

ସ୍ୱାଭୀଷ୍ଟ ଲାଳସା

ରାଗ–କଲ୍ୟାଣୀ । ରୂପକ ତାଳ

ବ୍ରଜନନ ନେତ୍ର ସମ୍ପତ୍ତି ।

ହା ନିଭୃତ କୁଞ୍ଜଗୃହ ଦମ୍ପତି । ।ପଦ।

ଦିବ୍ୟ ରତ୍ନପୀଡ଼ ପକାଇ ।

ଗୋଷ୍ଠେନ୍ଦୁଙ୍କୁ ବିଜେ କରାଇ ।

ନେଇ ବାଢ଼ିବାର ସୁବର୍ଣ୍ଣ ପାତ୍ରରେ

ସୁଧାସ୍ୱାଦୁଭୋଜ୍ୟ ହା ରସବତୀ ।୧।

କରୁ ଜୀବବଂନ୍ଧୁ ଅଶନ ।

ହା ହା ସେ କାଳର ପ୍ରସନ୍ନ ।

ରସବତୀ ଦ୍ୱାରପାଶୁଁ ଚଳିବାର

ତେଜ କରିବାକୁ ଛାମୁରବତୀ ।୨।

 

ହେଉ ଏକା ଚାରି ନୟନ ।

ଲାଜ ହାସ ଭୁରୁ କୁଞ୍ଜନ ।

ବେନି ବଦନ ହାହା କିସେ ଶୋଭନ

ହେଉ କୁହାକୁହି ଧୀର ଭାରତୀ ।୩।

ପରିବେଷଣ ଚମତ୍କାର ।

ଚାହିଁ ରମା ଉମା ବଧୂର ।

ଭାଙ୍ଗିଯିବ ସେହିକ୍ଷଣି ପୁରାତନ,

କୁଟୁମ୍ବିନୀ ନିପୁଣତା ଉନ୍ନତି । ।୪।

 

ଅଶନାନ୍ତରେ ଆଚମନ ।

ଦେଇ ପୋଛିବାକୁ ବଦନ

ନିଜଚେଳାଞ୍ଚଳ ବଢ଼ାଇ ଦେବାର

ତ୍ରିଭୁବନ ଶୂନ୍ୟ ପ୍ରଣୟ ରୀତି । ।୫।

ପଲଙ୍କରେ ପ୍ରିୟ ଅଙ୍କରେ ।

ବସି ତାମ୍ବୁଳ ଘେନି କରେ ।

ଭାଙ୍ଗି ପ୍ରାଣନାଥ ମୁଖେ ଦେବା

ଶୋଭା ଆହା ସେ ସଙ୍କଳ୍ପ ସିଦ୍ଧ ମୁରତି ।୬।

 

ଆସି ଆପଣାର ଆଳିଙ୍କି ।

ଡାକି ବସାଇ ମଣୋହିକି ।

କାନ୍ତ ଅବଶିଷ୍ଟ ଅଶନରୁ ଜାତ,

ହରଷ ଧରିବ କି ବସୁମତୀ । ।୭।

କେତେ ଦିନର ମନୋରଥ ।

ଆଜ ହୋଇଲା ଯେ ସେ ସାର୍ଥ

ବୋଲୁଲଳିତା ହୃଦେ ରାଧା ଆଉଜି

ଲାଜେ ବସିବାର ବଦନ ପୋତି । ।୮।

 

ଅଦ୍ୱିତୀୟ ପରମ ତତ୍ତ୍ୱ ।

ପରମାନନ୍ଦ ସାରତତ୍ତ୍ୱ

ନିତ୍ୟ ସନାତନ ସର୍ବଦା ନୂତନ

ବୃନ୍ଦାଟବୀ ପ୍ରାଣ ପ୍ରେମ ବସତି । ।୯।

ଆଳୀ ସହ ସାରି ଭୋଜନ ।

ଆଚମନ ତାମ୍ବୁଳାଶନ ।

ଶ୍ୟାମ ଛାମୁକୁ ଶ୍ରୀମତୀ ସ୍ୱ ସ୍ୱ କୁଞ୍ଜକୁ

ଯିବାର ସଖୀ ସଂହତି । ।୧୦।

 

ତା ଯାକ ଗୋପାଳକୃଷ୍ଣର ।

କେବେ ହେବି ଦୃଷ୍ଟିଗୋଚର ।

ଶ୍ରୀରୂପମଞ୍ଜରୀ ଦେବେ କୃପାକରି

ସେ ଅବଶେଷ ଲଭିହେବ ତୃପ୍ତି । ।୧୧।

 

ଦୈନ୍ୟ ବୋଧିକା

ରାଗ–କୌଶିକ, ତାଳ–ଏକତାଳ

କୃପା ନ କଲେ କାହିଁକି ଧରିବି ପରାଣ ?

ବ୍ରଜେନ୍ଦ୍ର, ହୃଦ ବିହାରିଣୀ ରାଧେ ହୋଇଯିବି ତ ଅକାରଣ ।

ନ ମିଳିବ କେବେ ହେଲେ ଯଦି

ସେବା ଅମଳ ଶ୍ରୀକଞ୍ଜ ଚରଣ ।

ପ୍ରାଣନାଥ ସଖୀ ମଞ୍ଜରୀମାନଙ୍କୁ

ଏହିପାଇଁ ନିତି ଜଣାଣ । ।୧।

ରାସାବସାନରେ କୁସୁମ ବ୍ୟଞ୍ଜନ

ଆଳୀ ଦେଲେ ମୋତେ ଡାକି ।

କୋଟିଏ ଜନ୍ମର ତପସ୍ୟାର ଫଳ

ବ୍ରଜ ପ୍ରାପ୍ତି ଆଉ ନାହିଁକି । ।୨।

 

କେଶର କୁଞ୍ଜର ପ୍ରାଣେଶ ସଙ୍ଗରେ

ନ ଦେଖିବି ଯଦି ଦୁହିଁକି ।

ଆଖି ବହିବାର ହୋଇଯିବ ସିନା

ଯେମନ୍ତ ଚିତ୍ର ବିରାଟକୀ । ।୩।

ପରମ ଅଭୀଷ୍ଟ ସ୍ୱାମିନୀ ସୁଜୁଷ୍ଟ

ନ ପାଇବ ଯଦି ରସନା ।

ବିଷୟା ବିଷ ଘଟର ଦର୍ବୀ ତୁଲେ

ହୋଇଥିବ ସିନା ତୁଳନା । ।୪।

 

ବ୍ରଜ ଯୁବରାଜ ପିନ୍ଧାଇ ଥିବାର

ସୁମନସ ସ୍ରଜ ହାରେ ।

ସଜ ସାଜିବାକୁ ଫିଟାଉଁ ସଜନୀ ନ

ଦେବେ ଯଦି ମୋ ହାତରେ ।୫।

ପରମ ଦୟାମୟୀ ନାମ ଶୁଣି

ମୁଁ ପ୍ରତ୍ୟାଶ କରିଛି ସ୍ୱାମିନୀ ।

ଦନ୍ତେ ତୃଣ ଧରି ଭାଷଇ ଗୋପାଳକୃଷ୍ଣ

ହେ କୃଷ୍ଣ-ପ୍ରଣୟିନୀ । ।୬।

 

ସ୍ୱାଭିଷ୍ଟ ଲାଳସା

ରାଗ–ଆଷାଢ଼ ଶୁକ୍ଳବାଣୀ

ଶ୍ରୀ ରାଧାଗୋବିନ୍ଦ

କେବେ ଦେଖାଇବ ଶ୍ରୀମୁଖଦ୍ୱନ୍ଦ୍ୱ ଯେ । ।ପଦ।

ରାସ ଅବସାନେ ପୁଷ୍ପ ଶେଯରେ ।

ବିଜେ କରି ଗୋକୁଳେନ୍ଦୁ ଅଙ୍କରେ ।

ପ୍ରାଣନାଥ ହୃଦେ ପହୁଡ଼ିବାର । ।୧।

ନାଗରେନ୍ଦ୍ର ଚାହିଁ ସେ ଶ୍ରୀମୁଖକୁ ।

ହସିବାର ଭିଡ଼ି ରଦ ବାସକୁ ।

ଦେଖି ଲଳିତାଦି ସୁଖସିନ୍ଧୁରେ ।

ରହିଥିବେ ଯେ ମଜ୍ଜି ଆନନ୍ଦରେ । ।୨।

 

କରୁ ଖସି ପଡ଼ିଲା ସରୋରୁହ ।

ହସି ବିଶାଖା କଲାର ସଂଗ୍ରହ ।

ଦେଖାଇବ ବିହି କେଉଁ କାଳରେ ।

ବିଞ୍ଚୁଥିବି ମୁଁ ପୁଷ୍ପ ବ୍ୟଜନରେ । ।୩।

ଅଙ୍ଗ ପରିମଳରେ ଆସୁଁ ଅଳି ।

ନିବାରିବାର ପ୍ରିୟ କର ଚାଳି ।

ଶ୍ୱାସବଶେ ନାସାପୁଟ ମୁକୁତା ।

ମନ୍ଦ ମନ୍ଦ ଚଳନ ରୁଚିକରତା । ।୪।

 

କୁଞ୍ଜବିହାରୀ ନେତ୍ର ପୁଣ୍ୟ ପୁଞ୍ଜ ।

ସେହିକ୍ଷଣି ହେଲା ପରି ବିଭ୍ରାଜ୍ୟ ।

ଆହା ନବୀନ କଳା କାଦମ୍ବିନୀ ।

ମଧ୍ୟେ ସ୍ଥିର ହେଲାପରି ଦାମିନୀ । ।୫।

ହସି ଲଳିତା ନିକଟକୁ ଆସି ।

ଚାରୁ ଚିବୁକେ ସ୍ୱକର ନିବେଶି ।

ଉଠାଉଁ ସେ ଶ୍ଳିଷ୍ଠ ବାଣୀ ବାଉଳି ।

କହିବାର ସେ ପ୍ରାଣନାଥ ବୋଲି । ।୬।

 

ସ୍ୱାଭିଷ୍ଟ ଲାଳସା

ରାଗ–ଫରଜ । ମିଶ୍ରଚାପ ତାଳ

(ପଡ଼ିଯିବନି ଲୋଡ଼ି ମୋତ, ଗୀତ–ପ୍ରତି)

ଦେଖାଇବକି ସତେ ଦଇବ ରାଧାଗୋବିନ୍ଦ ମାଧୁରୀ । ।ପଦ।

ବ୍ରଜେନ୍ଦ୍ର ପୁରରେ            ରନ୍ଧନ କାଳରେ

ରସବତୀରେ ଶ୍ରୀ ରାସେଶ୍ୱରୀ

ସୁବେଶ ହୋଇ ରମଣ      ଆହା ସେ ଚାରି ଈକ୍ଷଣ

ଢଳାଢଳି ହୋଇବାର ଚାତୁରୀରେ । ।୧।

 

କୁସୁମ ଅବଚୟନ      କାଳରେ ଆସି ମୋହନ

ରହିଲେ ଶ୍ରୀ କିଶୋରୀ ଛାମୁରେ

ଗଣ୍ଡଦେଶରେ ବସନ      ସଲ୍ଲଜେ କରି ଆଚ୍ଛନ୍ନ

ବଲ୍ଲୀ ଆଡ଼କୁ ଯିବାର ବାହାରି ରେ । ।୨।

 

ପୁଷ୍ପ ବୋଲି ବନମାଳୀ            ଯାଚିଲେ କରି ଅଞ୍ଜଳି

ନ ଅନାଇଁ ତୁନି ହୋଇ ରହି,

ଶାଢ଼ୀ ବାଡ଼ ନଖେ ଘସୁ            ଶ୍ୟାମ ନିକଟକୁ ଆସୁ

ଛୁଅନା ବୋଲିବାର ସେ ଓହରି ରେ ଓହରି । ।୩।

 

ଉଦିତ ନାନା ବିକାର            ଭୂଷାରେ ଶ୍ରୀକଳେବର

ଭୂଷିତ ହୋଇ ପ୍ରଣୟ ରୋଷେ,

ଜାଣୁନା ଲଳିତା ସହି            ଅଛନ୍ତି ଦେବଟି କହି

ବୋଲିବାର ନଚାଇ ସେ ଭୃବଲ୍ଲୀରେ ଭୃବଲ୍ଲୀ । ।୪।

 

ମଧୁବ୍ରତ ବେଢ଼ା ପାଶେ            ମୋହନ ରହି ପାରୁଶେ

ବାସ ଶେଷେ ନିବାରୁରେ ନିବାରୁ,

ଯାଉଛି ବୋଲି ବାହାରି            ହସି ହସି ଶ୍ରୀକିଶୋରୀ

ଚାଳୁଁ ପଦ ଚେଳ ଅଙ୍କେ ସମ୍ବରିରେ ସମ୍ବରି । ।୫।

 

କରି ଅରଣ୍ୟ ଭ୍ରମଣ            ଜଗତ ବଇଲକ୍ଷଣ

ସୁମନସ ସ୍ରଜର ସୁଷମା

କି ଉପମା ରମା ଉମା            କି ମଦନ କି ଚନ୍ଦ୍ରମା

ନ ଥିବ ସେ ପରଂବ୍ୟୋମ ସେପାରିରେ ସେପାରି ।୬।

 

ନାଗକେଶର କୁଞ୍ଜର            ରତ୍ନ ଦୋଳର ବେହାର

ସହୀ ସହ କର ଆରୋହଣ

ବୃନ୍ଦା ଧୀରେ ପହଞ୍ଚାଉ            ଆହା ହୁଳାହୁଳି ଦେଉ

ଉଚ୍ଛଳନ୍ତା ଆନନ୍ଦାବ୍‌ଧି ମୋହରିରେ ମୋହରି । ।୭।

 

ସ୍ୱାନୁଭୂତି

ରାଗ–ଝାଞ୍ଜୋଟି । ତାଳ–ମିଶ୍ରଚାପ

(ମୋହନ ନୟନାଞ୍ଚଳ ନାଚିଲାରେ – ପ୍ରତି)

ମାନସରୁ ଯିବ କି ସେ ଭାବନା ।ପଦ।

ବ୍ରଜେନ୍ଦ୍ରୁ ଆଗୋକିଶୋରୀ । ଉଭା ହେବାର ମାଧୁରୀ ।

ମଧ୍ୟାହ୍ନରେ ମାଧବୀ ମଣ୍ଡପର ଘଟଣା । ।୧।

ଦରାବୃତ ଉପରାଣ । ତଟ ଆବରଣ ।

ପଦ ଅଙ୍ଗୁଳିକି ଘସି କଲାର ବଞ୍ଚନା । ।୨।

ସୁମନ ପିନ୍ଧାଇବାକୁ । ପ୍ରିୟପାଶୁ ଶ୍ରୀମୁଖକୁ ।

ଚାହିଁ ଲାଜେ ଦଂଶିଲାର ଦଶନେ ରସନା । ।୩।

 

କଉସ୍ତୁଭ ସୀମନ୍ତକ । ଯୋଗହେଉ ଦୁଇଯାକ ।

ଯେ ବିଲୋକିଛି ସେ ଶୋଭା ଜାଣିବ ଯେ ସିନା । ।୪।

ମଦନା ନନ୍ଦଦା କୁଞ୍ଜ । ଜାତି ପାଖୁଡ଼ାରେ ଶେଯ ।

ଗୋପାଳକୃଷ୍ଣ ସଧୀରେ କଲାର ରଚନା । ।୫।

 

ସ୍ୱାଭିଷ୍ଟ ଲାଳସା

ରାଗ–ଖମାଚ । ଆଦିତାଳ

(ନଭାଙ୍ଗରେ ସୁଭାଙ୍ଗ ଭାରତୀ ହୁଅ ସାହା – ପ୍ରତି)

ମୋ ଦିନ ଯିବା ପରା ଏକା ଏହିପରି ଯେ ।

ପୁଣି ପଦ ସେବା ମୋତେ ଦେବ କି କିଶୋରୀ ଯେ ।୦।

ବୃନ୍ଦାରଣ୍ୟ ରାଜ୍ୟ ରାଜ୍ଞୀ କୀର୍ତ୍ତିଦା କୁମାରୀ ।

ପରାନନ୍ଦ ଶ୍ରୀମୂର୍ତ୍ତିଙ୍କି ସୁମରି ସୁମରି ଯେ । ।୧।

ଆହା ଶ୍ରୀରାଧିକେ ହା ସ୍ୱାମିନୀ ରାସେଶ୍ୱରୀ ।

ବୋଲି ବୋଲି ଯାଉ ନାହିଁ ଜୀବନ ବାହାରି ଯେ । ।୨।

 

ବିଜେକଲା ଶୋଭା ପ୍ରିୟ ହୃଦେ ଅପସରି ।

ଦିଶେ ଦିଶେ ଦିଶି ହୃଦ ହେଉଛି ବିଦାରୀ ଯେ । ।୩।

ଆହା କରୁଣା ବାରିଧି ନିକୁଞ୍ଜ ବିଦାରି ହେ ।

ହା କଳ୍ପଲତା ଲଳିତେ ଶ୍ରୀ ରୂପମଞ୍ଜରୀ ଯେ । ।୪।

ଜଗତେ ଚିହ୍ନିଲେନି ବୋଲି ଯାହା କିଙ୍କରୀ ।

କହିବି ସ୍ୱାମିନୀ ଆଉ କାହାକୁ ଗୁହାରି ଯେ । ।୫।

ଗୋପାଳକୃଷ୍ଣଙ୍କୁ ଚାହିଁ ମସ୍ତକରେ ଠାରି ।

ଡାକିଲେ ଉଭାହେବି କି ଛାମୁରେ ଜୁହାରି ଯେ । ।୬।

 

ଲାଳସା

ରାଗ–ମୋହନ । ରୂପକ–ତାଳ ।

ମୁଁ ଛାଡ଼ିଦେନ୍ତି କି ଦଶା ହେଲେ

ପୁର ପଦ୍ଧତିରେ            ଶ୍ରୀଚରଣାବ୍‌ଜରେ

ମୁଁ ନ ଲୋଟନ୍ତି କି ? ।୧।

ପଦାବ୍‌ଜରେ ଧୂଳି       ଶିରେ ହୋଇ ବୋଳି

ମୁଁ ନ ଗଡ଼ନ୍ତି କି ? ।୨।

ଆନନ୍ଦରେ ପ୍ରେମ      ପୀୟୁଷ ସିନ୍ଧୁରେ

ମୁଁ ନ ମଜ୍ଜନ୍ତି କି ? ।୩।

 

ମୋର ଦଶା ଡୋଳେ            ବିଲୋକି ବିକଳେ

ତୋଳନ୍ତେ ନାହିଁ କି ? ।୪।

ହୋଇଲାର ଯୋଗ            ଶ୍ରୀକୃଷ୍ଣାଙ୍ଗ ରାଗ

ମୁଁ ନ ଲଭନ୍ତି କି ? ।୫।

ପ୍ରତିକରେ ଜୀବ            ପ୍ରବେଶ ଉତ୍ସବ

ଘଟନ୍ତା ନାହିଁକି ? ।୬।

ଗୋପାଳକୃଷ୍ଣର            କୋଟିଜନ୍ମାନ୍ତର

ଦୁଃଖ ରହନ୍ତା କି ? ।୭।

 

ବିଜ୍ଞପ୍ତି

ରାଗ–କାଫି । ତାଳ–ମିଶ୍ରଚାପ

(ମୁହାଁ ମୁହିଁ କିଶୋରଚନ୍ଦ୍ରଙ୍କର ମୋରା – ପ୍ରତି)

କେତେ ପରି ଡାକିଲେ କାହିଁକି ବୋଲି ବେଳେ

ଆଜ ସରିକି ଶୁଣାଗଲା ନାହିଁ ଯେ । ପଦ ।

ଶ୍ରୀ ବ୍ରଜେନ୍ଦ୍ର କୁମାର             ଯାବକ ଲେଖିବାର

ପଦାବ୍‌ଜର କିଙ୍କରୀଜନ ମୁହିଁ ଯେ । ।୧।

ପରାନନ୍ଦ ରୂପଣୀ            ପରମ ଠାକୁରାଣୀ

ତୋ ପ୍ରଭୁ ବୋଲି ଗୁରୁ ଦେଲେ କହି ଯେ । ।୨।

 

ଶଶୀପରି କଳଙ୍କି            ସ୍ୱାମିନୀ ହୋଇବ କି

ଚରଣେ ଚିହ୍ନ ପରି ଯିବି ରହି ଯେ । ।୩।

ମଇତ୍ର ପୀୟୁଷର            ବଚନ ଶ୍ରୀମୁଖର

ଶୁଭୁ ଲଭିବ ତାପାଦି ବରହି ଯେ । ।୪।

ଦୟାଳୁପଣ ଚିନ୍ତି            ପ୍ରତି ଆଶାରେ ନିତି

ଗୋପାଳକୃଷ୍ଣ ଅଶ୍ରୁ ପୋଛି କହି ଯେ । ।୫।

 

 

 

ସାଧକ ଦେହୋଚିତ ଲାଳସା

ରାଗ–ଶଙ୍କରାଭରଣ । ମିଶ୍ର–ଏକତାଳ

(ହଟି ବସିଛି କିଶୋରୀ – ପ୍ରତି)

ଦୟାମୟୀ । ଦିଶିବ, ସତେ ଯିବା କାଳରେ ମୋ ଜୀବ ଯିବ ସେ

ବ୍ରଜବିଧୂଙ୍କ ଅଙ୍କରେ ଥିବ ଯେ । ।ପଦ।

ଦନ୍ତେ ଦଂଶି ତୃଣ କରୁଛି ଜଣାଣ,

ପୁଣ ପୁଣ ଏହି ସ୍ତବ ଯେ ।

ଶରଣ ମୁଁ ହୋଇଥିଲି ଶ୍ରୀଚରଣ

ହୃଦେ ମୋର ଉଦେ ହେବ ଯେ ।୧।

 

ରମଣଙ୍କୁ ନାଗବଲ୍ଲୀ ଯାଚି ଯାଚି

ମୋ ଆଡ଼େ ଡୋଳା ଢାଳିବ ।

କୃପା କଟାକ୍ଷ ପୀୟୁଷ ପଡ଼ି ମୋର

ଅପଘନ ଉଲ୍ଲସିବ ଯେ ।       ।୨।

ଅକଳଙ୍କ ପୂର୍ଣ୍ଣଚନ୍ଦ୍ର ମୁଖଦ୍ୱୟ

ଯେ କ୍ଷଣି ଆଖି ଦେଖିବ ।

କୋଟିଏ ଜନ୍ମର ଦୁଃଖ ଦୂରହୋଇ

ଅନନ୍ଦାଶ୍ରୁ ବୋହିଯିବ ଯେ ।୩।

 

ଜୟ ଶ୍ରୀରାଧାଗୋବିନ୍ଦ ବୋଲି

ନାମ ବଦନରୁ ଉଚ୍ଚାରିବ ।

ମଥାରେ ଛାମୁକୁ ଡାକିଲା ପରାଏ

ମାନସରେ ଆଭାଷିବ ଯେ ।୪।

ଗୋପାଳକୃଷ୍ଣ ଭଣେ ଶ୍ରୀଗୁରୁଦେବ

ଦତ୍ତ ଦେହେ ପ୍ରବେଶିବ ।

ଅରୁଣ ଅମଳକମଳ ଅଘ୍ରିଂର

ସେବାରେ ନିଯୁକ୍ତ ହେବ ଯେ ।୫।

 

ଶ୍ରୀରାଧା ସମ୍ମୁଖେ ବିଜ୍ଞପ୍ତି

ରାଗ–ଜଙ୍କରା । ଆଦିତାଳ ।

କର କରୁଣାମୟୀ ରାଧେ ।

ଶରଣ ହେଲି ଚରଣାମ୍ବୁଜେ କିଙ୍କରୀ କରି ।୦।

ପ୍ରିୟଠାକୁ ଯିବାକୁ      ରହସ୍ୟ ବୃତ୍ତାନ୍ତକୁ

ନରୋପି ନବକୁଙ୍କୁମ ପଙ୍କ ଗଉରୀ । ।୧।

ବ୍ରଜବିଧୂ ଅଙ୍କରେ      ବିଜେ କଲା ବେଳରେ

ସେବିଲା ପରି ମୁଁ ପୁଷ୍ପ ବ୍ୟଜନ ଧରି । ।୨।

 

ମୋହନ ଦେଇ ଆନ      ଆପଣା ସମ୍ଭାହନ

ନିଷେଧିଲେ ନିଯୋଜ ମୋରେ ଶ୍ରୀକେଶୋରୀ ।୩।

ଦୂର ନୋହି ମୁହୂର୍ତ୍ତେ      ସଦାରହି ସଙ୍ଗତେ

ଯାବତ ଶ୍ରୀରଙ୍ଗ ସେବା ମୁଁ କଲାପରି । ।୪।

ଶ୍ରୀକଞ୍ଜାଂଘ୍ରି ସ୍ମରଣ (ପଦ୍ମପାଦ)      କରି କରି ପରାଣ

ଗୋପାଳକୃଷ୍ଣ ବୋଲେ ଯାଉ ଯା ବାହାରି ।୫।

 

ବିଜ୍ଞପ୍ତି

ରାଗ–କୀରବାଣୀ । ଡାଳ–ମିଶ୍ରଚାପ

(ଜଣାପଡ଼ିଲାରେ ବଣାମୃଗାକ୍ଷି ତୋ ଚାଲି – ପ୍ରତି)

କେଣେ ନ ଶୁଣ ଯେ ଡାକୁଥିଲେ ଏତେ ପରି

ପରିଚୟ ଦେଲେ ସୁନ୍ଦରପଣ ମୁଁ ପଳାଇଯିବି କି ଧରି ?

ଶ୍ରୀଗୁରୁଦେବ ଦତ୍ତକଲା କଥାରେ ଆଶା ଅନେକ ବଢ଼ିଲା ।

ଅକଳଙ୍କପୂର୍ଣ୍ଣ ଶରଦ ଚନ୍ଦ୍ରମା

ମୁଖ ଥରେ ନ ଦିଶିଲା । ।୧।

ଶୋଡ଼ଷ ନାମ ମନ୍ତ୍ରାର୍ଥାନୁସାରେ

ନିତ୍ୟ ଦାସୀ ଯେ ଯାହାର ।

ପରାର୍ଦ୍ଧକାଳ ବ୍ରହ୍ମାର ସରିଲାନି

ଆହୁରି ନେଉଛ ଦୁର । ।୨।

 

ହେ ଶ୍ରୀନାଗରେନ୍ଦ୍ର ବୃନ୍ଦାବନଚନ୍ଦ୍ର

ହେ ଗୋଷ୍ଠଶ୍ୱର ତନୁଜ ।

ଶ୍ରୀରାଧା ଜୀବନ ନୂତନ ମଦନ

ବ୍ରଜ ନବ ଯୁବରାଜ । ।୩।

ଧୃତବଂଶୀ ନେତ୍ର ପବିତ୍ର ଚରିତ୍ର

ହେ ଶ୍ରୀବ୍ରଜେଶ୍ୱରୀ ପୁତ୍ର ।

ଶତପତ୍ର ନେତ୍ର ମୁଦିରାଭ ଗାତ୍ର

ହେ ଗୋକୁଳାରଣ୍ୟ ମିତ୍ର । ।୪।

 

ମାଗୁନାହିଁ କିଛି ମନେ ମାତ୍ର

ଅଛି ଆଖି ପୂରାଇ ଦେଖିବି ।

କୃପାକଲେ ତୁମ୍ଭ ପ୍ରାଣବନ୍ଧୁ ରାଧା

ପଦାବ୍‌ଜ କିଙ୍କର ହେବି । ।୫।

ଶ୍ରୀକିଶୋରୀମଣି ମାନ କରିଥିଲେ

ବିଲୋକି ଆପଣା ଦୋଷ ।

ତୁମ୍ଭପାଇଁ ଲଳିତାଙ୍କ ପାଦେ ପଡ଼ି

ଛଡ଼ାଇ ଦେବି ଯେ ରୋଷ ।୬।

 

ଆଣି ଦେଉଥିବି ମୋ ସ୍ୱାମିନୀ

ଶ୍ରୀହସ୍ତର ଗୁନ୍ଥା ଫୁଲମାଳା ।

ତମ୍ଭେ ସଜାଡ଼ି ଦେବାର ଝରା ନେଇ

ଦେଇ କହିବି ସଙ୍ଖୁଳା । ।୭।

ବିଜେ କରିଥିଲାବେଳେ ଶ୍ରୀକୀର୍ତ୍ତିଦା

ଜେମା ତୁମ୍ଭ ଶ୍ରୀଅଙ୍ଗରେ ।

ଗୋପାଳକୃଷ୍ଣ ତାମ୍ବୁଳ ଭାଙ୍ଗି ଲାଗି

କରାଉଥିବ ଛାମୁରେ । ।୮।

 

ସ୍ୱାଭିଷ୍ଟ ଲାଳସା

ରାଗ–କଲ୍ୟାଣୀ । ରୂପକ ତାଳ ।

(ରାତି ପାହିଗଲା ହେ ହାତୀ – ପ୍ରତି)

ଏଡ଼େ ଭାଗ୍ୟ ମୋର ହେବ କି ?

ହେବି ବୃନ୍ଦାବନେଶ୍ୱରୀ ସେବକୀ ।

ଶ୍ରୀଗୁରୁ ଦତ୍ତ ବୀଜମନ୍ତ୍ର କଳପବଲ୍ଲୀରେ

ପ୍ରେମଫଳ ଫଳିବ କି ? ।୦।

ଶ୍ରୀସ୍ୱାମିନୀଙ୍କର ଯାବତ ।

ଅଷ୍ଟକାଳ ସେବା ସନ୍ତତ ।

ଶ୍ରୀରୂପମଞ୍ଜରୀ ଆଜ୍ଞା ଶିରେ ଧରି କରିବି,

ମନୋରଥ ପୂରିବ କି ? ।୧।

 

ବ୍ରଜରାଜ କୁଳଚନ୍ଦ୍ରମା ।

ଦୋଷୁ କରିବାପାଇଁ କ୍ଷମା ।

ଲଳିତାଙ୍କ ପଦାବ୍‌ଜେ ପଡ଼ି ଜଣାଇବା

ଶୁଭଦଶା ସମ୍ଭବିବ କି ? ।୨।

ଗୋଷ୍ଠେଶ୍ୱରୀ କୋଳରେ ଧରି ।

ବଧୂ ସଧେ ଲାଳନା କରି ।

ସ୍ନେହେ ଅଶ୍ରୁପୋଛୁ ସ୍ୱେଶ୍ୱରୀଙ୍କ

ଲଜ୍ଜା ନମ୍ରମୁଖ ବିହି ଦେଖାଇବ କି? ।୩।

 

ରାସ ରସାମୃତାବ୍‌ଧି ବିଧୂ ।

ଅଙ୍କରେ ଜଟିଳାଙ୍କ ବଧୂ ।

ବିଜେକରିବାର ଦେଖି ମୋ ଆଖିର

ସୁଖଅକୂପାର ଉଛୁଳିବ କି ? ।୪।

ହୃଦେ ଧରି ସେ ଦୁଇ ରୂପ ।

ଶ୍ରୀମଞ୍ଜରୀ ସଖୀ କଳାପ ।

ବୋଲେ ଗୋପାଳକୃଷ୍ଣ ମୁଖେ

ଶ୍ରୀରାଧାକୃଷ୍ଣ ବୋଲି ଜୀବ ବରଜୀବ କି? ।୫।

 

ସ୍ୱାନୁଭୂତି

(ଆଳି । କେଶର କୁଞ୍ଜରୁ ଅଇଲୁ କି ? – ପ୍ରତି)

କଳ୍ପେ ଜୀଇଥିଲେ କିସ କରିବ ରେ

ସଂକଳ୍ପ ଯଦି ଥରେ ନ ପୂରିବ ରେ । ।୦।

ବୃନ୍ଦାବନ ଅପ୍ରାକୃତ । ମଦନ ବଚନାମୃତ

ଯା ଶ୍ରୁତି ପଥରେ ନ ସଞ୍ଚରିବ ରେ । ।୧।

ନୀଳୋତ୍ପଳ ମୃଗମଦ । ଶ୍ୟାମଳ ତନୁ ଆମୋଦ

ବାୟୁ ଯା ନାସାରେ ନ ପ୍ରସରିବ ରେ । ।୨।

ଶଶୀ ଶୋଭା କୃଶ କରି । ବଂଶୀ ବସା ମୁଖ ଶିରି ।

ଯା ଈକ୍ଷଣେ କ୍ଷଣେ ନ ବିହରିବ ରେ । ।୩।

 

ସୁଧା ଗର୍ବ ଗର୍ବୀକୃତ । ହରି ତାମ୍ବୁଳ ଚର୍ଚ୍ଚିତ ।

ଲବ ନ ଲଭି ଯେ ଦିନ ହରିବ ରେ । ।୪।

ପରାର୍ଦ୍ଧ ବିଧୂ ଶୀତଳ । ମୋହନ ଶ୍ରୀବକ୍ଷସ୍ଥଳ ।

ସ୍ୱପ୍ନେ ହେଲେ ସ୍ପରଶି ନ ପାରିବ ରେ । ।୫।

ଗୋପାଳକୃଷ୍ଣ କହଇ । ସେ ପାଦପଦ୍ମ ନ ପାଇ ।

କାହିଁପାଇଁ ପ୍ରାଣ ଆଉ ଧରିବ ରେ । ।୬।

 

Unknown

ବିଜ୍ଞପ୍ତି

ରାଗ–ଭୌରଦୀ । ରୂପକ ତାଳ ।

ଅନୁସରିତ । ପ୍ରଭୋ କାଳଯାକ ଗଲା ସରିତ ।

କଣ ବିତରଣ କଲେ କେତେ ଊଣା ହୁଅନ୍ତା କରୁଣା ସରିତ ।ପଦ।

ଅଶରଣ ଜନ ବନ୍ଧୁପଣ ଯଶ ସଂସାରେ ହୋଇଛି ଉଦିତ ।

ପଥର ହୋଇ ପଥରେ ପଡ଼ିଥିଲା ଅହଲ୍ୟାକୁ ଦେଲ ତାରି ତ ।୧।

ପଞ୍ଚାଳିକ ଦୁଃଶାସନ ଘଞ୍ଚାଳିଲା ବଞ୍ଚାଇଲ ବାସ ଦେଇ ତ ।

ଘୁଞ୍ଚାଇଲ ନାହିଁ ମୋ ଛାର କଦନ ପୋଛାଇଲ ନେତ୍ରୁ ବାରି ତ ।୨।

କାହିଁଥିଲା ଚକ୍ର କାହିଁଥିଲା ନକ୍ର ପଲକ ପତନ ନୋହୁ ତ ।୩।

ଛିଡ଼ିଗଲା ମଥା ରହିଗଲା କଥା ଡାକିଲା ମାତ୍ରକେ କରୀ ତ ।

ପରମ ପଦ ପାଇଲା ଆପଣଙ୍କ ନାମ ମହିମା ଏପରି ତ । ।୪।

ନିରୁପାଧି କୃପାକର ବୋଲି ବିଧି ଭବାଦିରେ ଆଉ କଥିତ ।

ମୁଁ କଲା ଦୋଷ କି ? ନାଶିଛ ତ ବକୀ ବିଷ ପିଆଉଁ ତା ଦୁରୀତ ।୫।

ଗୋପାଳକୃଷ୍ଣ କହେ ଜଗନ୍ମଙ୍ଗଳ ଯାହା କରିବ ତୁମ୍ଭ ଚିତ୍ତ ।

ଆପଣା ଦୟାଳୁପଣକୁ ବଳି ମୋ ଦୁଷ୍କୃତ ନୁହଁଇ ଭାରିତ । ।୬।

 

ବିଜ୍ଞପ୍ତି

ରାଗ–ଖମାଚ, ଆଦି ତାଳ

(ଭଜ ମନ ହରି ପ୍ରାଣ ପ୍ରେୟସୀ ଶ୍ରୀମତୀଙ୍କି – ପ୍ରତି)

ଭାବି ଭାବି ଦିନ ନିଶି କାଳ ବହିଗଲା ।

ବେଳେ ହେଲେ ଶ୍ରୀପଦାବ୍‌ଜ ପ୍ରାନ୍ତ ନ ଦିଶିଲା । ।ପଦ।

ଗୋକୁଳାଚଳ ଚନ୍ଦ୍ରମା । ଅଙ୍କେ ବସିବା ସୁଷମା ।

ଆଲୋକନ ସଂକଳ୍ପ ଆଜକୁ ନ ପୂରିଲା । ।୧।

ପ୍ରିୟ ସଙ୍ଗେ ପରିହାସ । ଆହା ସେ ବାଣୀ ପୀୟୁଷ ।

କଣ ହେଲେ ଶ୍ରବଣରେ ଥରେ ନ ପଡ଼ିଲା । ।୨।

ଶ୍ରୀ ବ୍ରଜେନ୍ଦ୍ର ପ୍ରାଣପ୍ରିୟା । ଦୀନ ଦୟାର୍ଦ୍ର ହୃଦୟ ।

ବୋଲି ଆଶା ସନ୍ତତରେ ସ୍ୱାମିନୀ ! ବଢ଼ିଲା । ।୩।

ଥିବେ ମୋତେ ଚାମର ସେବା ତ ନ ମିଳିଲା । ।୪।

ଦଂଶି ଦଶନରେ ତୃଣ । ହୋଇଥିଲି ଯେ ଶରଣ ।

ହେବାକୁ କିଙ୍କରୀ ଗୋପାଳକୃଷ୍ଣ କହିଲା । ।୫।

 

ବିଜ୍ଞପ୍ତି

ରାଗ–ଖମାଚ, ଆଦି ତାଳ

(ଘେନାଇ ଆମ୍ଭେ ଯେତେ କହିଲୁରେ – ପ୍ରତି)

ହା ଗୋଷ୍ଠ ପୁରନ୍ଦର ନନ୍ଦନ ହେ ।

ହା ବ୍ରଜବାସୀ ଜନ ଜୀବନ ହେ ।

ହା କାଳିନ୍ଦୀ ପୁଳିନ । କଳଭେନ୍ଦୁ ସୁନ୍ଦର ।

ମଦନବାର୍ବୁଦ ମଦ ମର୍ଦ୍ଦନ ସୁନ୍ଦର । ।୧।

ଶ୍ରୀ ଯଶୋଦା ବାତ୍ସଲ୍ୟ ଲକ୍ଷ୍ମୀ ରୂପ ।

କାନ୍ତି ନିନ୍ଦିତ କୋଟି ତାରାଧିପ ।

କୁଣ୍ଡଳ ଆନ୍ଦୋଳନ । ଅଳକାବୃତାନନ ।

ହା ହା ହାସ ଶ୍ରୀଅଙ୍ଗ ବିକ୍ଷେପ ହେ । ।୨।

 

ଦ୍ୱାପର ଯୁଗ ସ୍ମର ସମ୍ବତ୍ସରେ ।

କାର୍ତ୍ତିକ ଶୁଦ୍ଧ ପର୍ବ ମିତ୍ର ବାରେ ।

ସୁରପତିର ମଦ । ହରି ଗୋଷ୍ଠ ସମ୍ପଦ ।

ଗୋପାଳଙ୍କୁ ରଖିଲ ନିସ୍ତାରି ହେ । ।୩।

ଏକ ଅଧିକ ଋତୁ ବୟସରେ ।

ସପ୍ତ ଦିବା ରଜନୀ ବାମ କରେ ।

ଗୋବର୍ଦ୍ଧନ ଶିଖରୀ । ଛତ୍ର ପରାଏ ଧରି ।

କୀରତି ରୁହାଇଲ ଜଗତରେ । ।୪।

ଜାଣି ଜାଣି ଶ୍ରୀ ଗୋଷ୍ଠେଶ୍ୱରୀ କୋଳେ ।

ଧରି ଆପଣଙ୍କୁ ହା ଶୋକାକୁଳେ ।

ମସ୍ତକେ ଚୁମ୍ବିବାର ସ୍ୱରୂପ ଦୁହିଁଙ୍କର ।

ଶ୍ରୀ ଶ୍ରୀ ପ୍ରତାପରୁଦ୍ର ଦେବ ଭାଳେ । ।୫।

 

ସ୍ୱାଭୀଷ୍ଟ ଲାଳସା

ରାଗ–ବରାଳୀ । ମିଶ୍ରଚାପ ତାଳ

(ଆଉ ଟିକକୁ ଯେ କାହିଁକି ଏଡ଼େ ଋଷଣା – ପ୍ରତି)

ଧରା ଧରିବେକି ଆହା ମୋ ମନ ଫୁରୁଣା ।

ବୃନ୍ଦାରଣ୍ୟ ଚକ୍ରବର୍ତ୍ତିନୀ କରିବେ

ଯଦି ମୋ ପରେ କରୁଣା । ।ପଦ।

ବଇଜୟନ୍ତୀ ମାଳା ଗୁନ୍ଥି ମୋ କରେ

ଦେଲେ ପ୍ରାଣେଶଙ୍କ ପାଇଁ ।

ଶ୍ରୀକୁଣ୍ଡ ସେତୁରେ ଗୋଷ୍ଠଚନ୍ଦ୍ରମାଙ୍କ

ହସ୍ତରେ ଦେଉ ମୁଁ ନେଇ ।୧।

ସୁଗୁଣ ସୁନ୍ଦରପଣ ଯାକ ହୋ ସ୍ୱାମିନୀଙ୍କର ଗୀତ କରି ।

ଗାୟନ କରି ପ୍ରଶଂସୁଥିବେ ବାର

ବାର ଶୁଣି ସହଚରୀ । ।୨।

ଦାସ୍ୟ ବାତ୍ସଲ୍ୟରେ ରାସେଶ୍ୱରୀ

ମୋତେ କଳା କାଳରେ ଲାଳନା ।

କୋଟି ୨ ବ୍ରହ୍ମାଣ୍ଡରେ ଲୋଡ଼ିଲେ

କେ ହେବ ମୋ ତୁଲେ ତୁଳନା ।୩।

 

ବ୍ରଜେନ୍ଦ୍ର ଶ୍ରୀଭୁଜେ ମଉଳି ନିବେଶି

ପହୁଡ଼ିବା କାଳ ମଣି ।

ସମ୍ବାହନ ପାଇଁ ଶେଯ ତଳେ ବସି

ପଦାବ୍‌ଜେ ଦେଉ ମୁଁ ପାଣି ।୪।

ସୁବେଶ ବେଳେ ଉଲ୍ଲାଗି ପୁଷ୍ପସ୍ରଜ

ମୋ କରେ ଦେବାର ଠାରି ।

ବଢ଼ାଇଦେଲେ ଗୋପାଳକୃଷ୍ଣ

ବୋଲେ ଦେହ ଦେବି ଯେ ପାଶୋରି ।୫।

 

ଲାଳସା

ରାଗ–କାଫି । ତାଳ–ମିଶ୍ରଚାପ ।

(ମୁହାଁମୁହିଁ କିଶୋରୀ ଚନ୍ଦ୍ରମାଙ୍କର ମୋର – ପ୍ରତି)

ହା ଗୋଷ୍ଠ ପୁରନ୍ଦର ନନ୍ଦନ ହେ ।

ଗଲାବେଳେ ମୋ ଜୀବ । ଶ୍ରୀରାଧେ ଦିଆଯିବ ।

ରହି ଶ୍ରୀ ଗୋଷ୍ଠାଚଳ ଚନ୍ଦ୍ର କୋଳରେ । ।ପଦ।

 

ଦଶନେ ଦଂଶି ତୃଣ      ଜଣାଉଛି ଜଣାଣ

ଶ୍ରୀ ବୃନ୍ଦାବନେଶ୍ୱରୀ ପଦ ତଳରେ । ।୧।

ରାସ ଅବସାନରେ      ଆଉଜାଇ ହୃଦରେ

ମୋହନ ବିଞ୍ଚୁଥିବେ ପଦ ତଳରେ । ।୨।

କୋଟି କୋଟି ଜନ୍ମର      ସୁକୃତ ଫଳ ମୋର

ଦୟାମୟୀ ପଚାର କୃପା ବଳରେ । ।୩।

 

ଦୀନହୀନ ପାମର      ବୋଲି ହେଲେ ଉଦ୍ଧର

ରାସେଶ୍ୱରୀ ବିଲୋକି ନେତ୍ରାଞ୍ଚଳରେ । ।୪।

ମୋ ମତେ ମୁଁ କିଙ୍କରୀ      ହେବାକୁ ଆଶାକରି

ଚାହିଁଛି ଚିରକାଳ ମୁଁ ଆକୁଳରେ । ।୫।

ପ୍ରାର୍ଥନା ବାର ବାର      ଏ ଗୋପାଳକୃଷ୍ଣର

କହିଦେଲେ ପ୍ରାଣେଶ ଶ୍ରୁତି ମୂଳରେ । ।୬।

 

ପ୍ରାର୍ଥନା

ରାଗ–ଝାଝୋଟି । ରୂପକ ତାଳ ।

(ରସ ମାନସ ରାଧିକେଶ – ପ୍ରତି)

ରାଜେନ୍ଦ୍ର ମୁଖି ରାସେଶ୍ୱରୀ ରାଧିକେ ମାଂ ପାହି

ଗୋକୁଳ କୁଳଜା ସୀମନ୍ତମଣି ସ୍ୱଗୁଣେ ନିଧେହି । ।୧।

ଦେବି କୃଷ୍ଣ ମୟି ହ୍ଲାଦିନୀ ସାଧ୍ୱୀଗଣ ବର୍ଯ୍ୟେ

ଲକ୍ଷ୍ମୀ – ଲକ୍ଷ୍ମୀ ଜୟିନୀ ନିରନିଧି ନିଭ ଗାମ୍ଭିର୍ଯ୍ୟେ । ।୨।

ପଶୁପୀ ପ୍ରେମ ବସତି ହେମ ଗୌରୀ ନବ କିଶୋରୀ

କାଳିନ୍ଦୀ ତଟ କୁଞ୍ଜ ଗୃହିଣୀ କୀର୍ତ୍ତିଦା କୁମାରୀ । ।୩।

ମହାଭାବ ଚିନ୍ତାମଣି ଭାବିତ ଶ୍ରୀବିଗ୍ରହେ

କୃଷ୍ଣ ପ୍ରେମ ପୀୟୁଷପାତ୍ରୀ ସର୍ବସୁଗୁଣା ସଂଗ୍ରହେ । ।୪।

 

ନିଜ ପରିଜନ ତାପ ଧ୍ୱଂସିନୀ ବିଧୂ ସରସିଜ ସୌରଭେ

କନକାଚଳ ନିଳୟ ସରସ କେତକୀଦଳ ସନ୍ନିଭେ । ।୫।

ରାଜିତୋନବିଂଶତି ଚିହ୍ନାନ୍ୱିତ ମୃବୁ ପ୍ରପଦେ

ଗୋକୁଳେନ୍ଦ୍ର ତନୟ ପ୍ରାଣପ୍ରେୟସି ଶୁଭ ବରଦେ । ।୬।

ଆଦାୟ ଗୋପାଳକୃଷ୍ଣ କବିସ୍ତୁଣା ନିଦର୍ଶନେ

ଯାରେ କିଙ୍କରୀମୀଶ୍ୱରୀ କୁରୁତବାଂଘ୍ରି ନଳିନେ । ।୭।

 

ସ୍ୱାଭିଷ୍ଟ ଲାଳସା

ରାଗ–ମାଳବ ଗୌଡ଼ା । ମିଶ୍ରଚାପ ।

ଶୁଣାଯିବକି ସେ ଶ୍ରୀମୁଖରୁବାଣୀ ଶ୍ରବଣେ ମୋହର ।।ପଦ।

ନବନୀତ ମୃଦୁ                  ପୀୟୁଷର ସ୍ୱାଦୁ

ଗୋଷ୍ଠଚନ୍ଦ୍ର ମା ମୋହନ ମନ୍ତର । ।୧।

ବନ ଲେଉଟାଣି                  ବଂଶୀସ୍ୱନ ଶୁଣି

ଅଗଣାରେ ଆଳୀଙ୍କି ଡାକିବାର । ।୨।

ମୋହନ ଶ୍ରୀହସ୍ତ                  ଚିଟାଉ ଏକାନ୍ତ

ସ୍ଥଳେ ରହି ହସି ପାଠ କଲାର । ।୩।

ସଖୀ ପଛେ ଥାଇ            ବଦନ ଲୁଆଇଁ

ବ୍ରଜବଧୂଙ୍କୁ ଦେଲାର ଉତ୍ତର । ।୪।

ପଦାବ୍‌ଜ ସେବାକୁ            ଗୋପାଳକୃଷ୍ଣଙ୍କୁ

ଆସ ବୋଲିବାର ସ୍ୱାମିନୀଙ୍କର । ।୫।

 

ଲାଳସା

ରାଗ–ରୀତିଗୌଡ଼ା । ରୂପକ ତାଳ ।

(ଆରେ ଫୁଲ ତୋଳିଯିବା – ପ୍ରତି)

ରାଧେ ଶ୍ରୀ ପଦାବ୍‌ଜେ ଦିଅ ଦରଶନ

ଦୟାମୟୀ ନ ଘେନି କାନକୁ ବଚନ । ।ପଦ।

କୃଷ୍ଣ ନିଟିଳ ସ୍ପରଶ      ସେହି ହୃଦୟ ବିଳାସ

ଦାସୀ ଜନ ମନ ଅଳି ଆବାସ । ।୧।

ଗୋବର୍ଦ୍ଧନାଦି ମଉଳି      ସଦା ମଣ୍ଡନ ଯା ଧୂଳି

ବୃନ୍ଦାବନ ଭୂପଦକ ମାଳୀ । ।୨।

ଶ୍ୟାମ ଶ୍ରୀହସ୍ତ ଲିଖିତ      ଜବା ସଙ୍କାଶ ଆଲକ୍ତ

ଉନବିଂଶତି ଚିହ୍ନ ରଞ୍ଜିତ । ।୩।

 

ଅଶୋକ କଳିକାବଳି      ଅଶେଷ ଶୋଭା ଅଙ୍ଗୁଳି

ବିରାଜିତ ନଖ ଚନ୍ଦ୍ରାବଳୀ । ।୪।

ଅମୂଲ୍ୟ ମଣି ନୂପୁର      କଳା ଶିକୁଳି ହେମର

ରତନ ଭୂଷଣ ଭୂଷିତାଙ୍ଗୁଳି । ।୫।

ଶ୍ରୀରୂପମଞ୍ଜରୀ କର      ଲଳିତ ମୃଦୁ ସୁନ୍ଦର

ଶିର ଭୁଷା ଗୋପାଳକୃଷ୍ଣର । ।୬।

 

ଶ୍ରୀରାଧାକୃଷ୍ଣଙ୍କ ବିରହ ଜନିତ ବିଳାପ

(ରାଗ–କେଦାର । ତାଳ–ତ୍ରିପୁଟା)

କି ପାଶୋରି ଦେଲି କାହିଁରେ ରହିଲି

ଶ୍ରୀକିଶୋରୀ କୁଞ୍ଜବିହାରୀଙ୍କି

ପରମଧାମରେ ସମାନ ଥିଲା ଯେ

ହେମ ମରକତ ମାଧୁରିକି । ।ପଦ।

ରମା ସମନ ସୁଷମା ବ୍ରଜରାମା

ଉତ୍ତମାଙ୍ଗମାଳା ବୃଷଭାନୁ ଜେମା,

ଗୋଷ୍ଠଚନ୍ଦ୍ରମା ବାମା ନେତ୍ର ପ୍ରତିମା

କାମାଭିରାମ ବଂଶୀଧାରୀଙ୍କି । ।୧।

 

ଦରାବୃତ୍ତ ଶିର ନୀଳ ଉପୁରାଣ

ତେଣେ ପ୍ରଚଳାକ ଚୂଳ ବିଭୂଷଣ,

ତରଳତର ଈକ୍ଷଣ ବିଷେସଣ

ହା ହା ରୋମାଞ୍ଚ ତନୁ ଶିରି କି । ।୨।

ହା ରାସରସ ତାଣ୍ଡବ ସୁପଣ୍ଡିତା

ହା ସାତ୍ୱିକାବଳୀ ରତନ ମଣ୍ଡିତା

ହା ମାର୍ତ୍ତଣ୍ଡ ଜାତୀରା ରଣ୍ୟ ଖଣ୍ଡଳା

ଚାରୁ ନେତ୍ରାଞ୍ଚଳ ଚାତୁରୀକି । ।୩।

 

ଅଧୋନ୍ନତକୃତ ପୂର୍ଣ୍ଣଚନ୍ଦ୍ରାନନ

ଲାଜହର୍ଷ ହାସ ସୁନର୍ମ ବଚନ

ପରସ୍ପରେ ପ୍ରେମସୁଧାବ୍‌ଧି ମଜ୍ଜନ

ଜବାଧରି ଯୁବା ଜୃମ୍ଭାରିଙ୍କି । ।୪।

ଦେଖି ଦୂରରୁ କେ ପାଛୋଟି ଯିବାର

ଥରି ଥରି କେ ପଛକୁ ଘୁଞ୍ଚିବାର

ପ୍ରିୟ ଲାଗିହେଲେ ଅବିଲମ୍ବିବାର

ହସିଲା ହୋଇ ସହଚରୀଙ୍କର । ।୫।

 

କୁସୁମ ଶେଯରେ ବ୍ରଜ ଯୁବରାଜ

କୁଞ୍ଜ ଦ୍ୱାରକୁ ରାଧାଙ୍କୁ କରି ସଜ,

ଭିଭା କରବାର ଆହା ଆଳୀବ୍ରଜ

ନ ତେଜି ଅଳିନ୍ଦ ସେ ପାରିକି । ।୬।

ଗୋପାଳକୃଷ୍ଣ ମାନସେ ନିରନ୍ତର

ଚିନ୍ତି ବ୍ୟାକୁଳେ କପାଳେ ମାରି କର,

ହା କି ଦୁରଦୃଷ୍ଟି ହେଲେ ଏତେ ଦୁର

ବୋଲି ନେତ୍ରୁ ତେଜଇ ବାରିକି । ।୭।

 

ସାଧକ ଦେହୋଚିତ ଲାଳସା

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ଡାକିବି ରାଧାରମଣ ବୋଲି – ପ୍ରତି)

ଜନମିଥିଲେ ଶ୍ରୀବ୍ରଜେ ମୁଁ

ସେବିଥାନ୍ତି ରାସେଶ୍ୱରୀ ପଦାବ୍‌ଜେ ମୁଁ । ।ପଦ।

ପାଟକ ଗୋପଜାତି ସମ୍ବନ୍ଧରେ

ଅନୁଦିନ ରହିଥାନ୍ତି ସେବାରେ । ।୧।

ପ୍ରାତଃକୃତ୍ୟାଦି ହା ଦାସ୍ୟରସର

ପରିଚର୍ଯ୍ୟା ଭାବ ହୁଅନ୍ତା ମୋର । ।୨।

ବେଶ ହେବାର ସମ୍ଭାର ଯାବତ

ଯତ୍ନେ ରଖନ୍ତି ଜାଣି ଅଭିମତ । ।୩।

 

ବ୍ରଜେନ୍ଦ୍ର ପୁରକୁ ଯିବା ବେଳକୁ

ଡାକନ୍ତେ ମୋତେ ଠାରି ମସ୍ତକକୁ । ।୪।

ଭେଟି ହେଲେ ପ୍ରିୟ କୁଣ୍ଡାରଣ୍ୟରେ

ମୁଁ ଲୁଚନ୍ତେ ଫୁଲ ତୋଳା ଛଳରେ । ।୫।

ଶବଦାଉ ମୁଁ ଆଳୀ ଆସିବାର

ପ୍ରାଣେଶ କୋଳରୁ ହେଉ ଅନ୍ତର । ।୬।

ଗୋପାଳକୃଷ୍ଣ ଏ ଉତ୍ତାରୁ ଲୀଳା

ଭାବି ଭାବି ଦୀର୍ଘଶ୍ୱାସ ତେଜିଲା । ।୭।

 

ପ୍ରାର୍ଥନା–ଭକ୍ତିରସ

ଶ୍ଳୋକଃ – ସତ୍ୟେ ଦୈତ୍ୟକୁଳାଧିନାଥ ମନ୍ଥନେ ସୂର୍ଯ୍ୟେନ୍ଦୁଭିଃ

କେଶରୀଂ, ତ୍ରେତୟାଂ ଦଶକଣ୍ଠ କଣ୍ଠ ହରଣେ ରାମାଭିରାମକୃତିଂ ।

ଗୋପାଳାନ୍‌ ପରିପାଳୟାଦ ବ୍ରଜକୁଲେଭାରାହରୋ ଦ୍ୱାପରେ

ଗୌରାଙ୍ଗଃପ୍ରିୟ କୀର୍ତ୍ତନ କଳିଯୁଗେ କୃଷ୍ଣଃଶଚୀନନ୍ଦନଃ ।

 

ରାଗ–ମାୟାମାଳବ ଗୌଡ଼ା । ଏକତାଳୀ ।

(ବାବୁ ମୋହର ଶ୍ରୀକୃଷ୍ଣ କି କାରଣେ ରୋଷରେ)

ପରମେଶ୍ୱର ଶ୍ରୀକୃଷ୍ଣ ବ୍ରଜେନ୍ଦ୍ର କୁମାର ହେ ।

ଯୁଗାନୁସାରେ କରିଛନ୍ତି ଅବତାର ହେ । ।ପଦ।

କରିଥିଲେ କାୟ ବ୍ୟୁହ ରାସରେ ଅଶେଷ ହେ ।

ଶ୍ରୀ ବଳରାମ ଶ୍ରୀନାରାୟଣ ଯା ବିଳାସ ହେ ।

ଶ୍ରୀନରହରି ବାମନ ରଘୁବର ।

କେ କେତେ କଳାରେ ହେଲେ ପ୍ରଚାର

ଅଂଶ ଲେଶଟି ଆନ ଅବତାର ।

ସର୍ବୋତ୍ତଂସ ଶ୍ରୀରାଧା ପ୍ରାଣଯାର ।୧।

 

କୃତ ଯୁଗରେ କୋଟି ଦ୍ୟୁମଣି ଚନ୍ଦ୍ରଦ୍ୟୁତି ହେ ।

ଧରି ହେଲେ ଅଦ୍ୱିତୀୟ ନୃକେଶରୀ ମୂର୍ତ୍ତି ହେ ।

ସୁପର୍ବାଣଙ୍କ ଦୁଃଖ ନିର୍ବାପଣ ।

କରିବାକୁ ହୋଇ ଅତି ଭୀଷଣ ।

ପୁଣ୍ୟଜନ କୁଳ ନେତ୍ରବର୍ତ୍ତୀର ।

ପ୍ରାଣନେଲେ ନଖେ ଚିରି ଶରୀର ।୨।

ନେତାଯୁଗେ ଅଭିରାମ ‘ରାମ’ ରୂପ ଧରି ହେ ।

ଦଶରଥ ପୁଣ୍ୟପୁଞ୍ଜ ଅରଣ୍ୟେ ବିହରି ହେ ।

ଧରା ଭାରା ଦଶଶିର ସଗୋତ୍ର ।

ସହ ନାଶି କଲେ ଲୋକେ ପବିତ୍ର ।

ସୁରପୁରକୁ ସ୍ୱଦାସ ନିକର ।

ସଙ୍ଗେନେଇ କଲେ ଦେବଶରୀର ।୩।

 

ଦେବକୀ ସୁତ ରୂପରେ ହୋଇ ଆବିର୍ଭାବ ହେ ।

ଦ୍ୱାପରେ ଗୋପପୁରରେ ପାଳି ଗୋପ ଗାବ ହେ ।

ପୂର୍ଣ୍ଣପୂର୍ଣ୍ଣୋତ୍ତର ରୂପ ପ୍ରକାଶ ।

ହୋଇ ପିଷ୍ଟପ ଦୁଷ୍ଟ କଲେ ନାଶ ।

ମଥୁରା ଦ୍ୱାରାବତୀରେ ବିହାର ।

ଦ୍ୱିସପ୍ତ ଲୋକେ ହୋଇଛି ପ୍ରଚାର ।୪।

ପୂର୍ଣ୍ଣୋତ୍ତମ ରାଧା ପ୍ରାଣନାଥ କୃପାସିନ୍ଧୁ ହେ ।

ବ୍ରଜଯୁବତୀ ନିରଭିସନ୍ଧି ପ୍ରେମବନ୍ଧୁ ହେ ।

ସ୍ୱପ୍ରେମ ଦେବାକୁ କଳିଯୁଗରେ ।

ସଂକୀର୍ତ୍ତନ ପ୍ରିୟ ଶଚୀ ଗର୍ଭରେ ।

ଜନ୍ମିଲେ ଶ୍ରୀ ପ୍ରତାପରୁଦ୍ରଙ୍କର ।

ଜୀବନର ପ୍ରଭୁ ଗୌରସୁନ୍ଦର ।୫।

 

ଶ୍ଳୋକ – ଅଭିନବ ନବନୀତ ସ୍ନିଗ୍‌ଧମାପୀତଦୁଗ୍‌ଧଂ

ଦଧିକଣପରିଦିଷଂ ମୁଗ୍‌ଧଙ୍ଗମ ମୁରାରେଃ ।

ଦିଶତୁ ଭିବନକୁଚ୍ଛା ଛେଦିତ ପିଞ୍ଛଗୁଚ୍ଛ –

ଛବିନବଶିଖିପିଞ୍ଚ ଲାଞ୍ଛିତଂ ବାଞ୍ଛିତଂନ ।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

(ଗୋଷ୍ଠଚନ୍ଦ୍ରମାଙ୍କୁ ଆସ ବୋଲିରେ ସହି – ପ୍ରତି)

ମଧୁର ମଧୁରିପୁ ଚପୁ ଦିଅନ୍ତୁ ମନୋରଥ ଫଳ ହେ ।

ନୂତନ ନବନୀତ ସମ ଚିକ୍‌କଣ ସୁଦାପିତ ତମାଳ ସ୍ତବପକ ନୀଳ ।୧।

ଲାଳିତ ଲକ୍ଷିତ ପୀତପୟୋ ।

ଦଧି ଶୀକର କୁଳ ହେ ।

ମତ୍ତ ଶିଖୀଦଳ ଚନ୍ଦ୍ରିକା ଚିହ୍ନିତ ମଞ୍ଜୁଳ

ମନ୍ଦ ସ୍ପନ୍ଦ ଅରାଳ ଚୂଳ ।୨।

ସମସ୍ତ ପିଷ୍ଟମ ଜନ ନିକର

କଷ୍ଟ ଖଣ୍ଡନଶୀଳ ହେ ।

ଶ୍ରୀ ପ୍ରତାପରୁଦ୍ର ଭୂପବୃନ୍ଦ ଚନ୍ଦ୍ର

ଭାବିଲେ ଏ ସ୍ୱରୂପ ହୋଇ ନିଶ୍ଚଳ ।୩।

 

ଶ୍ଳୋକ – ଯା ଦୃଷ୍ଟାଯମୁନାଂ ପିପାସୁରନିଶଂ ବ୍ୟୁହୋଗବଂ । ଗାହତେ

ବିଦ୍ୟୁତ୍ୱାନିତ ନିଳକଣ୍ଠନିବହେ ଯାଂ ଦ୍ରଷ୍ଟୁ ମୁତ୍କଣ୍ଠତେ,

ଉତ୍ତଂସାୟ ତମାଳପଲ୍ଲବମିତି ଛିନ୍ଦନ୍ତି ଯାଂ ଗୋପିକାଃ

କାନ୍ତିଃ କାଲିୟାନସ୍ୟ ବପୁଷଃ ସାପ ଦନୀ ପାତୁନଃ ।

 

ରାଗ–ରୀତି ଗୌଡ଼ା । ମିଶ୍ରଚାପ ତାଳ ।

(ନଳିନ ଚାରୁ ମୁଖ ନାଥ ହେ – ପ୍ରତି)

କାଳୀୟ ମର୍ଦ୍ଦନ ଶରୀର ।

କାନ୍ତି ଚାହିଁ ନୁହେଁ ଭ୍ରାନ୍ତି କି ହାର ।ପଦ।

ସୁରଭିନିକର      କୁମାର ସୂର୍ଯ୍ୟର

ବୋଲି ଧାଉଁଛନ୍ତି ହୋଇ ତୃଷାତୁର । ।୧।

ବରହି ନିବହ      ମଣି ବାରିବାହ

ଉତ୍ସୁକିତ ହେଉଛନ୍ତି ନିରନ୍ତର । ।୨।

ବଲ୍ଲବୀ ତମାଳ      ଭାଳି ତହୁଁ ଦଳ

ଉତ୍ତାଂସାର୍ଥରେ ତୋଳିବାକୁ ବିଚାର । ।୩।

ଆମ୍ଭଙ୍କୁ ରକ୍ଷା      କରନ୍ତୁ ପୂତରୁକ

ଶ୍ରୀ ପ୍ରତାପରୁଦ୍ର ଭଣିଲେ ଏ ଗିର । ।୪।

 

ଶ୍ଳୋକ – ଦୈବ ପାୟାତ୍ପୟସି ବିମଳେ ଯାମୁନେ ମଜ୍ଜତୀନାଂ

ଯାଚନ୍ତୀ ନାମନ୍ୱନୟପଦୈବଞ୍ଚିତାନ୍ୟଶୁକାନି,

ଲଜ୍ଜ୍ୟାଲୋଳୈରଳସବିଳସିରୁନି କ୍ଷତ୍ପଞ୍ଚବାଣୈ

ଗୋପ ସ୍ତ୍ରୀଣାଂ ନୟନ କୁସୁମୈ ରର୍ଚ୍ଚିତଃ କେଶବୋନଃ ।

 

ରାଗ–ଭୈରବୀ । ଆଦି ତାଳ ।

କେଶବଦେବ ଗୁଆଳୀ ଗଣ ସଙ୍ଗରେ ।

ବିହରଣ ସୁର ସୁତା ତୀରେ ।

ସ୍ମିତ ରସରେ ରହି ପୀତ ବସନ ହୋଇ ।

ମାଗନ୍ତି ବାଳା ଚେଳ ହୀରେ ।୧।

ଅଳସ ବିଳସିତ ସୁମନ ଶୁରେ ।

ଇଷିତ ଜୃମ୍ଭିତ ନେତ୍ର ଇନ୍ଦୀବରେ ।

ହୋଇବାର ଅର୍ଚ୍ଚିତ । ଶ୍ରୀ ଦ୍ରଜରାଜ ସୁତ ।

ସରସ ବିନୟ ଭାରତୀରେ ।୨।

ବୀର ଶ୍ରୀ ଗଜପତି । ପ୍ରତାପରୁଦ୍ର ଚିନ୍ତି ।

ସେ ଖେଳା ସମ୍ପତ୍ତି ଚିତ୍ତରେ ।

ଭଣିଲେ ହରଷରେ । ଆମ୍ଭଙ୍କୁ ପଦାବ୍‌ଜରେ ।

ରଖନ୍ତୁ ସେ ଶ୍ରୀହରି ଦାସରେ ।୩।

 

ଶ୍ଳୋକ – ମାତନାତଃପରମନୁଚିତଂ ଯତ୍‌ଖଳାନାଂ ପୁରସ୍ତା –

ଦିସ୍ତଶଂତଂ ଜଠରପିଠରୀପୂର୍ତ୍ତୟୋ ନର୍ତ୍ତିତାସି

ତତ୍‌କ୍ଷନ୍ତବ୍ୟଂ ସହଜସରଳେ ବତ୍ସଳେବାଣି କୁର୍ଯ୍ୟାଂ

ପ୍ରାୟଶ୍ଚିତ୍ତଂ ଗୁଣଗୁଣନୟା ଗୋପବେଶସ୍ୟ ବିଷ୍ଣୋଃ ।

 

 

 

ରାଗ–ଆନନ୍ଦ କାମୋଦୀ । ଆଦି ତାଳ ।

(ଘେନାଇ ଆମ୍ଭେ ତତେ କହିଲୁରେ – ପ୍ରତି)

ବାଣି ଜନନୀ ଶୁଣି ଜଣାଣ ହେ

ଦୋଷ ସହ ହୋଇ ସକରୁଣ ହେ ।

କୁଷି ଭାଜନ ପୁରଣାର୍ଥେ ଦୁର୍ଜ୍ଜନ ଅଗ୍ରେ

ନଚାଇଲି କରି ମୁଢ଼ପଣ ହେ । ।୧।

କଲା ତୁମ୍ଭର ପଦ କମଳେ ହେ

ଧୃତ ବରଜବେଶ ଶ୍ରୀକୃଷ୍ଣ ଗୁଣ ଯଶ

କରି କୀର୍ତ୍ତନ ରୂପ ସ୍ମରଣ ହେ । ।୨।

ଶ୍ରୀ ବୀରାରାଧିବୀର ପ୍ରତାପରୁଦ୍ର

ଗଙ୍ଗବଂଶ କ୍ଷୀର ସମୁଦ୍ର ଚନ୍ଦ୍ର ।

ଭଣିଲେ ଶ୍ରୀଗୋପାଳ ସ୍ୱାମୀ ପଦାବ୍‌ଜରେ

ସି-ଦାର-ପୁତ୍ର ହୋଇ ଶରଣ ହେ । ।୩।

 

ଶ୍ଳୋକ – ଅଙ୍ଗୁଲ୍ୟଗ୍ରୈରରୁଣକିରଣୈର୍ମୁକ୍ତସଂରୁଦ୍ଧରନ୍ଧ୍ରଂ

ବାରମ୍ବାରଂ ବଦନମରୁତା ବେଣୁମାପୁରୟନ୍ତଂ,

ବ୍ୟତ୍ୟସ୍ତାଂଘ୍ରିବିକଚକମଳଚ୍ଛାୟାବିସ୍ତାରନେତ୍ରଂ

ବନ୍ଦେ ବୃନ୍ଦାବନସୁଚରିତଂ ନନ୍ଦଗୋପାଳ ସୁତଂ ।

 

ରାଗ–କାମୋଦୀ । ମିଶ୍ରଚାପ ତାଳ ।

(ଅବିବେକୀ ଦଇବ କି ଛଡ଼ାଇଲା – ପ୍ରତି)

ନନ୍ଦସୁତ ସୁନ୍ଦର ପୁରନ୍ଦରଙ୍କୁ

ଅରୁଣାଙ୍ଗୁଳି ଅଗ୍ର । ବେଣୁ ରନ୍ଧ୍ରରେ ବ୍ୟଗ୍ର

ନଚାଇ ଫୁଙ୍କିବାର ଥର ଥରକୁ । ।୧।

ଛନ୍ଦାଚରଣ ଦ୍ୱନ୍ଦ୍ୱ । ବିକଚ ଅରବିନ୍ଦ

ନେତ୍ର ଚୁମ୍ବୁଛୁ ଯାର ଶ୍ରୁତି ସୀମାକୁ । ।୨।

ହୋଇଛି ସୁଚରିତ । ବୃନ୍ଦାବନରେ ଯାତ

ଯା ଶୋଭା ଜିଣି ଘଉଡ଼ୁଛି କାମକୁ । ।୩।

ଭଣିଲେ ଶ୍ରୀପ୍ରତାପରୁଦ୍ରଦେବ ସେ ରୂପ

ଭାବି ଭୀମ ଭବରୁ ପାରି ହେବାକୁ । ।୪।

 

ଶ୍ଳୋକ – ମନ୍ଦଂ ମନ୍ଦଂ ମଧୁରନିନାଦୈର୍ବେଣୁମାପୁରୟନ୍ତଂ

ବୃନ୍ଦଂ ବୃନ୍ଦାବନଭୁବି ଗର୍ବାଂ ଚାରୟନ୍ତଂ ଚରନ୍ତଂ

ଛନ୍ଦୋଭୋଗେ ଶତମୁଖ ସୁଖ ଧ୍ୱଂସିନୀ ଦାନବାନା

ହନ୍ତାରନ୍ତଂ କଥୟ ରସନେ ଗୋପକନ୍ୟାଭୁଜଙ୍ଗ ।

 

ରାଗ–ଆନନ୍ଦ ଭୈରବୀ । ତାଳ–ଆଦିତାଳ

(ମୋତେ ଲଗାନାରେବ୍ରଜବିଧୂ – ପ୍ରତି)

କର କୀର୍ତ୍ତନରେ ରସନା ସନ୍ତତ ।

ବ୍ରଜବିଧୂ ଯାର କଥାମୃତ କରି ପାନ । ।୦।

ବଂଶୀରେ ମଧୁରାଳାପ କରି ଅଳପ ଅଳପ ।

ବୃନ୍ଦାବନେ ଚଳି ଚରାଇବାର ଗୋଧନେ । ।୧।

ହବିର୍ଭାଗୀ ଯେ ଯାଗର । ଇନ୍ଦ୍ରାଦି ଦେବତାଙ୍କର

ଧ୍ୱଂସକ ଦାନବ ନିକୁରମ୍ବର ଶମନ । ।୨।

ଶ୍ରୀ ପ୍ରତାପରୁଦ୍ର ନୃପ । କେଶରୀ ଦୁଷ୍କୃତ ଦ୍ୱୀପ ।

ନାଶିଲେ ସେ ଶ୍ରୀକୃଷ୍ଣ ପଦାବ୍‌ଜେ କରି ଧ୍ୟାନ । ।୩।

 

ଶ୍ଳୋକ – ବେଣୀମୁଳେବିରଚିତଘନଶ୍ୟାମପିଞ୍ଛାବଚୂଡ଼ୋ

ବିଦ୍ୟୁଲ୍ଲେଖ ବଳୟ ତଇବ ସ୍ନିଗ୍‌ଧପୀତାମ୍ବରେଣ

ମାମାଲିଙ୍ଗନ୍ମରକତାମଣିସ୍ତମ୍ଭ ଗମ୍ଭୀରବାହୁଃ ।

ସ୍ୱପ୍ନେଦୃଷ୍ଟସ୍ତରୁଣତୁଳସୀଭୂଷଣୋନୀଳମେଘଃ ।

 

 

 

ରାଗ–ଝାଞ୍ଜୋଟି । ଆଦି ତାଳ ।

(ବାହୁନି ବାହୁନି ରେ – ପ୍ରତି)

ସ୍ୱପନେ ବିଲୋକିଲିରେ । ନୀଳ ନୀରଦ ମୁରତି ।

ବେଣୀମୂଳେ ଚୂଡ଼ାଞ୍ଚଳେ ।

ବରହି ବରହତତି । ।୧।

ବୀତ ତଡ଼ିତ ବ୍ରତତି । ସ୍ୱଚ୍ଛ ପୀତବାସ ଦ୍ୟୁତି ।

ଶ୍ରୀରାଧାଲିଙ୍ଗିତ ଭୁଜ ।

ମରକତ ସ୍ତମ୍ଭାକୃତି । ।୨।

ଭୂଷିତାସିତ ତୁଳସୀ । ଅଳି ସହ ବୈଜୟନ୍ତୀ ।

ଶ୍ରୀପ୍ରତାପରୁଦ୍ରଦେବ ।

ଚିତ୍ତେ ଦିନାନିଶି ଚିନ୍ତି । ।୩।

 

ଶ୍ଳୋକ – କୃଷ୍ଣେ ହୃତ୍ୱା ସିଚୟନିଚୟଂ କୂଳକୁଞ୍ଜାଧିରୁଢ଼େ ।

ମୁଗ୍‌ଧାଃକାଚିନ୍ମୁ ହୁରନୁନୟୈଃକିନ୍ମିତିବ୍ୟହରନ୍ତୀ

ସଭ୍ରୁଭଙ୍ଗ ସଦରହସିତଂ ସତ୍ରପଂ ସାନୁରାଗଂ ।

ଛାୟାଶୌରେଃକରତଳଗତାନ୍ୟମ୍ବ ରାଣ୍ୟାତାଚର୍ଷ ।

 

ରାଗ–ବେଗଡ଼ା, ତାଳ–ତ୍ରିପୁଟା ।

(ଢାଳେ ତ ଢାଳିଲୁ ନାହିଁ – ପ୍ରତି)

ଦୀପାରୁଡ଼ ବ୍ରଜଶଶୀ । କରୁ ବାସ କେ ଆକର୍ଷି ।

ମନ୍ଦ ମନ୍ଦ ହସି ହସି ।

ଲାଜେ ମଜ୍ଜି ନବବୟସୀ । ।୧।

କୁଞ୍ଚିତ କରି ଭ୍ରୂଲତା । ପୁଣ ପୁଣ ହୋଇ ବିନିତା ।

ସରାଗରେ ମାଗିବାର ।

ହୃଦେ କୁନ୍ତଳ ବିନ୍ୟାସୀ । ।୨।

ଶ୍ରୀ ପ୍ରତାପରୁଦ୍ରଦେବ । ଭାବି ସ୍ୱାନ୍ତରେ ଏ ଭାବ ।

ପ୍ରେମ ସୁଧାବ୍‌ଧି ମଧ୍ୟରେ ।

ମଜ୍ଜିଲେ ଦିବସ ନିଶି ।      ୩।

 

ଶ୍ଳୋକ – ଅପି ଜନ୍ମଷି ପରସି ତନ୍ମତ୍ରଂ ପୁଣ୍ୟୋଭବେୟଂ ।

ତଟଭୁବି ଯମୁନାସ୍ତଦୃଶୋବଂଶନାଳଃ

ଅନୁଭବତି ଯ ଏଷ ଶ୍ରୀମଦଭୀରସୃନୋ

ରଧରମଣି ସମିପନ୍ୟାସ ଧନ୍ୟାମବସ୍ଥାଂ ।

 

ରାଗ–କାମୋଦୀ । ତାଳ–ରୂପକ

କେଉଁ ବ୍ରଜକୁଳଅଙ୍ଗନା ମନେ –

ମନେ ଭାଳେ ବସି ରହି ନିବେଶନେ । ।ପଦ।

ବଂଶୀର ପୂର୍ବ ଜନ୍ମରେ । କି ପୁଣ୍ୟ ଶ୍ରୀକୃଷ୍ଣାଧରେ ।

ବସି ସୁଧାପାନ କରେ ।

ଯସୁନା ତୀରାବନିରେ । ।୧।

ଧନ୍ୟ ବେଣୁ ନାଳର ସୁଦଶା ।

ଆହା ମୁଁ ହୁଅନ୍ତି ପୂର୍ଣ୍ଣ ହୋନ୍ତା ଆଶା ।

ମଣି ସେ ଗୁଆଳିଙ୍କର । ହରିପ୍ରେମ ଚମତ୍କାର ।

ଭଣିଲେ ପ୍ରତାପରୁଦ୍ର ।

ଗଜପତି ନରେଶ୍ୱର । ।୨।

 

ଶ୍ଳୋକ – ଅୟିପରିଚିନୁ ଚେତଃ ପ୍ରାତରମ୍ଭୋଜନେତ୍ରଃ

କବରକଳିତ ଚଞ୍ଚୈତ୍ପାଚ୍ଛଦାମାଭିରାମଂ

ବଳିଭିଦସୁପଳନୀଳଂ ବଲ୍ଲବୀଭାଗଧେୟଂ ।

ନିଖିଳ ନିଗମବଲ୍ଲୀ ମୂଳକନ୍ଦଂ ମୁକୁନ୍ଦଂ ।

 

ରାଗ–ଧନାଶ୍ରୀ । ଆଦି ତାଳ ।

(ଚାହାଁରେ ନିକୁଞ୍ଜ ଶେଯକୁ – ପ୍ରତି)

ଚିନ୍ତରେ ସ୍ୱାନ୍ତ ନିରନ୍ତର ।

ଜଗଦାନନ୍ଦ ମୁକୁନ୍ଦ ସୁନ୍ଦର ଶରୀର । ।ପଦ।

ଏଇଟି ସମସ୍ତ ଛନ୍ଦ । ବ୍ରତଚାର ମୂଳକନ୍ଦ ।

ମହେନ୍ଦ୍ର ମଣି ନିର୍ଦ୍ଧୃତି ରୂପୋଦ୍ଧତି ଯାର । ।୧।

ବାସର ମୁଖନଳିନ । ପ୍ରସନ୍ନ ଜିଣି ନୟନ ।

ସ୍ପନ୍ଦନ ନବ ଶିଖଣ୍ଡ ମଣ୍ଡନ କବର । ।୨।

ପଲ୍ଳବୀ ନିକୁରୁମ୍ବର । ଭାଗ୍ୟ ସୁକୃତ ପୁଞ୍ଜର ।

ଶ୍ରୀ ପ୍ରତାପରୁଦ୍ରଙ୍କର ପ୍ରାଣର ଈଶ୍ୱର । ।୩।

 

ଶ୍ଳୋକ – ଅୟି ମୁରଲୀ ମୁକୁନ୍ଦ ସ୍ମେରବକ୍ତ୍ରାରବିନ୍ଦ –

ଶ୍ୱସନମଧୁସଜ୍ଞେତ୍ୱାଂ ପ୍ରଣମ୍ୟାବ୍ଦ ଯାଚେ

ଅଧରମଣିସମୀପଂ ପ୍ରାପ୍ତବତ୍ୱାଂ ଭବତ୍ୟାଂ

କଥୟ ରହସି କର୍ଣ୍ଣୋମଦ୍ଧଶାଂ ନନ୍ଦସୂନୋଃ ।

 

ରାଗ–ନାଦନାମକ୍ରିୟା । ମିଶ୍ରଚାପ ତାଳ ।

(ଧୀର ସମୀରେ ଡାକୁଛି ତୋ ନାଁରେ – ପ୍ରତି)

କରି ଜୁହାର ମାଗୁଛି ମୁଁ ବଂଶୀ ତୋତେ

ହରି କର୍ଣ୍ଣେ କହ ମୋ ଦଶୀ ତ୍ୱରିତେ । ।ପଦ।

କୃଷ୍ଣ ମୁଖାରବିନ୍ଦ । ସମୀର ମକରନ୍ଦ

ରସିକା ତୁ ଅନୁଗ୍ରହ କର ମୋତେ । ।୧।

ଅଧରାରୁଣ ମଣି । ସଦନର ଗୃହିଣୀ

ପଦାବ୍‌ଜର ଦୂର ଦୁଃଖ ଜଣା ଯେତେ । ।୨।

ତ୍ରୈଲୋକ୍ୟ ନିରୂପମ । ବ୍ରଜ ବନିତା ପ୍ରେମ

ଚିନ୍ତିଲେ ଶ୍ରୀ ପ୍ରତାପରୁଦ୍ର ସନ୍ତତେ । ।୩।

 

ଶ୍ଳୋକ – ଅଧରବିମ୍ବ ବିଡ଼ମ୍ବିତ ବିଦ୍ରୁମଂ

ମଧୁର ବେଣୁ ନିନାଦବିନୋଦିନଂ

କମଳ କୋମଳ କମ୍ରମୁଖାମ୍ବୁଜଂ

କିମପି ଗୋପକୁମାରମୁପାଶ୍ରୟେ ।

 

ରାଗ–କଲ୍ୟାଣୀ । ମିଶ୍ରଚାପ ତାଳ ।

(ଭଜ ବରଜରାଜରେ – ପ୍ରତି)

ସେବୁଛି କେ ସେଟି ସେ । ଗୋପକୁମାର

ମୂର୍ତ୍ତିଙ୍କି ନିଶି ଦିବସେ ।

ବିମ୍ବ ବିଦ୍ରୁମ ଛାର । ଥାଉ ଯା ଅଧର

ଶୁଚି ଦ୍ରୁମରେ ରାଗ ।

କୁସୁମ ପରି ଦିଶେ । ।୧।

ମଧୁର ବଂଶୀସ୍ୱନ । ନବ ରସିକ ।

ବର କିଶୋର ଶେଖର ମୃଦୁଳ ସରୋଜର ।

ଶଶାଙ୍କର ସୁନ୍ଦର । ବଦନ,

ଶ୍ରୀ ପ୍ରତାପରୁଦ୍ର ଚିନ୍ତେ ମାନସେ । ।୨।

 

ଶ୍ଳୋକ – ସାକାପି ସର୍ବ ଜଗତା ମଭିରାମସୀମା

କାମାୟନୋ ଭବତୁ ଗୋପୀ କିଶୋର ମୂର୍ତ୍ତି

ଯା ଶେଖରେ ଶ୍ରୁତିଗିରାଂ ହୃଦି ଯୋଗଭାଜାଂ

ପଦାମ୍ବୁଜେ ଚ ସୁଲଭା ବ୍ରଜସୁନ୍ଦରୀଣାଂ ।

 

ରାଗ–ମୁଖାବରି । ମିଶ୍ରଚାପ ତାଳ ।

(ଜଣାଗଲାନି, ଚାଲି ଚାହାଁଣି – ପ୍ରତି)

ବ୍ରଜକିଶୋର । କେ ସେଟି ହେଜ । ।ପଦ।

ସର୍ବଲୋକର । ଶୋଭାର ସାର ।

ଯା ମୂର୍ତ୍ତି ବେଦାନ୍ତ ଶିରେ ଅଗୋତର । ।୧।

ବ୍ରଜ ନୈଷ୍ଠିକ । ଯୋଗୀମାନଙ୍କ

ହୃଦରେ ଦୁର୍ଲ୍ଲଭ ସ୍ଫୁର୍ତ୍ତିଲବ ଯାର । ।୨।

ଗୋପ ପ୍ରମଦା । ପଦାବ୍‌ଜେ ସଦା

ସୁଲଭ ସେ ଶିଖି ଶିଖଣ୍ଡ ଶେଖର । ।୩।

କରନ୍ତୁ ତୂର୍ଣ୍ଣ । ଅଭୀଷ୍ଟ ପୂର୍ଣ୍ଣ

ସେ ଅଛିନ୍ଦ୍ର ବ୍ରହ୍ମ ବିଗ୍ରହ ଆମ୍ଭର । ।୪।

ପ୍ରତାପରୁଦ୍ର । ଦେବ ନରେନ୍ଦ୍ର

ସେବିଲେ ସେ ଗୋପୀ ଗୋବିନ୍ଦ ପୟର । ।୫।

 

ଶ୍ଳୋକ – ବଦନେ ନବନୀତଗନ୍ଧବାହଂ

ବଚନେ ତସ୍କରଚାତୁରୀ ଧୂରୀଣ

ନୟନେ ବୁହାନାଶ୍ରୁ ମାଶ୍ରୟେଥା

ଶ୍ଚରଣେ କୋମଳ ତାଣ୍ଡବଂ କୁମାରଂ ।

 

ରାଗ–ମୋହନା ଝୁଲା । ରୂପକ–ତାଳ ।

(ମନା ମୁଁ କରିଥିଲି – ପ୍ରତି)

ମାନ ଚିନ୍ତି ଗୋପାଳଙ୍କୁ ।

ନୃତ୍ୟ କୁଶଳ । କମଳୁଁ କୋମଳ ।

ଶ୍ରୀଚରଣ ଯୁଗଳକୁ । ମାନସ । ।୧।

ଆସ୍ୟ ନବନୀତ । ମାନସ

ବାସ ସ୍ୱପନ । କପଟ ରୋଦନ ।

କରରେ ନେତ୍ରପିହିତ । ।୨।

ଚାତୁରୀ ଚୌରର । ମାନସ

ବାଣୀ ଜାଣି ଭଣିଲେ ପ୍ରତାପରୁଦ୍ର

ଦେବ ନୃପବର ।୩।

 

ଶ୍ଳୋକ – ଅମୁନାଖିଳ ଗୋପ ଗୋପନାଥଂ ।

ଯମୁନାରୋଧସି ନନ୍ଦ ନନ୍ଦନେନ,

ବସୁନା ବନସମ୍ଭବଃ ପପେ କିମୁନା –

ସୋ ଶରଣାର୍ଥିନାଂ ଶରଣ୍ୟଃ ।

 

ରାଗ–ଭୈରବୀ । ଆଦିତାଳ ।

(କଞ୍ଜଗଞ୍ଜନମୁଖୀ ରଞ୍ଜନ ନେତ୍ରାନ୍ତରେ – ପ୍ରତି)

ଏ ନନ୍ଦସ୍ରନୁ ତ୍ରାହି ନ କରିବେକି । ବିଷାଦ କାହିଁକି ହେ ?

ଛୁଆଇଁ ଚରଣ । ମୋକ୍ଷ କରିଦେଲେ ।

ବୃକ୍ଷ ଯୁଗଳକୁ ମାନସେ କାହିଁକି ? ।ପଦ।

ଯେ ଯମୁନା ତୀରେ ପଶୁପ ସୁତଙ୍କୁ । ଦାବାଗ୍ନି ଭୟରୁ ହେ ।

ବୁଜଟି ନୟନ ବୋଲି କଲେ ପାନ ।

ବନ କରି ଆହା ବହ୍ନିକି ଦୁରରୁ । ।୧।

ଶରଣାର୍ଥି କତି । ଶରଣ୍ୟ ଏ ଖ୍ୟାତି । ଅଜାଣ୍ଡ କୋଟିରେ ହେ ।

ମଣି ଶ୍ରୀ ପ୍ରତାପରୁଦ୍ର ଦେବ ରୂପ

ଭଣିଲେ ସେ ମୂର୍ତ୍ତି ଭାବି ହୃଦୟରେ । ।୨।

 

ଶ୍ଳୋକ – ଜଗଦାରଣୀୟ ଜାରଭାବଂ

ଜଳଜା ପତ୍ୟ – ବିଚାବିଚାରଗମ୍ୟଂ

ତନୁତାଂ ତନୁତଂ ଶିବେ ତରଣାଂ

ସୁରନାଥୋତ୍ପଳ ସୁନ୍ଦରଂ ମହୋନଃ ।

 

ରାଗ–ଶ୍ରୀ ରୂପକ ତାଳ

କୃଶ କରନ୍ତୁ ସେ କୃଷ୍ଣ ଶୁଭାଶୁଭକୁ ଆମ୍ଭର ହେ । ।ପଦ।

ଭୁବନ ଗୁରୁଙ୍କର ଆଦର । ଶ୍ରୀ ବ୍ରଜର ଜାରଭାବ ଯାର ।

ବ୍ରହ୍ମାର ବ୍ରାହ୍ମୀ ଉତ୍ତର ।

ମୀମାଂସାରେ ଯେ ଗୋଚର ହେ । ।୧।

ଶତ୍ରମଣି ମଦ ହର କାନ୍ତି । ମୁରତିକି ନିରବଧି ଚିନ୍ତି ।

ଭାବିଲେ ବୀର ପ୍ରତାପରୁଦ୍ର ଦେବ ନୃପବର ହେ । ।୨।

 

ଶ୍ଳୋକ – ସଜଳଜଳଦନୀଳଂ ବଲ୍ଲବୀକେଳିଲୋଳଂ

ଶ୍ରିତସୁରତରୁମୂଳଂ ବିଦ୍ୟୁଦୁଲ୍ଲାସିଚେଳଂ

ନତସୁରମୁନିକାଳଂ ସନ୍ମନୋବିମ୍ବଲୀଳଂ

ସ୍ମରରିପୁକୁଳକାଳଂ ନୌମି ଗୋପାଳବାଳଂ ।

 

ରାଗ–ପାନ୍ତୁବରାଡ଼ି । ତାଳ–ରୂପକ ।

(ପଚାର ଲଳିତାକୁ ସନ୍ଦେଶ – ପ୍ରତି)

ଜୁହାର ଶ୍ରୀଗୋପାଳ ବାଳଙ୍କୁ । ସ୍ଥିର ତଡ଼ିତ ବୃନ୍ଦ ।

ମଦ ବିଡ଼ମ୍ବ ପୀତଚେଳଙ୍କୁ । ।ପଦ।

ସଲିଳ ସହିତ ଜଳଦନୀଳ । ପଶୁପୀନିବହ କେଳି କଲ୍ଲୋଳ ।

ସ୍ଥିତ ସୁମନସ ବିଟପି ମୂଳ । କୌଣପ କୁଳ କାଳଙ୍କୁ ।

ନମ୍ର ସୁର ମୁନୀନ୍ଦ୍ର ଜାଳଙ୍କୁ । ସାଧୁ ନିକର ହୃଦୟ । ।୧।

ଆଦରଶ ସାକାର ଲୀଳାଙ୍କୁ ।

ବ୍ରଜପୁର ଯୁବରାଜ ଶ୍ରୀଶ୍ରୀଳ । ଅଖଣ୍ଡନ ଭାବ ଶିଖଣ୍ଡ ଚୂଳ ।

ପ୍ରତାପରୁଦ୍ର ହୃଦୟ କମଳ । ଆଳୀଧୃତ ବଂଶୀ ନାଳଙ୍କୁ ।୨।

 

ମନଶିକ୍ଷା

ରାଗ–ମୋହନା । ତିଶ୍ରଜାତି ଏକତାଳି ।

ଶ୍ରୀ ଗୌରଚନ୍ଦ୍ର ପଦ ବନ୍ଦରେ ମାନସ,

ସେ ଏକା ଶ୍ରୀରାଧା ଗୋବିନ୍ଦରେ । ।ପଦ।

ବ୍ରଜବଧୂ ଶ୍ରୀମତୀ      ହୋଇ ଗୋଟିଏ ମୂର୍ତ୍ତି

ଜନ୍ମିଛନ୍ତି ଶ୍ରୀ ଶଚୀ ଉଦରେ । ।୧।

ସ୍ୱ ସ୍ୱ କଳ୍ପନାବଧି            ଦୟା ସଦ୍‌ଗୁଣ ନିଧି

ସଦା ବେଷ୍ଟିତ ଭକ୍ତବୃନ୍ଦରେ । ।୨।

ମହାଭାବ ଉଜ୍ଜ୍ୱଳ            ରସ ପ୍ରୀତି ଶ୍ୟାମଳ

ପର ତତ୍ତ୍ୱ ହେଲାର ଦ୍ୱନ୍ଦ୍ୱର । ।୩।

 

ଜଗନ୍ନେତ୍ର ସମ୍ପତ୍ତି      ବଦାନ୍ୟ ଚକ୍ରବର୍ତ୍ତୀ

ଯା ନାମାମୃତ ସର୍ବ ଶନ୍ଦରେ । ।୪। (ଶନ୍ଦ – ସୁଖ)

ଏ କୃପା ପାରାବାର      ପ୍ରତ୍ୟକ୍ଷ ହୋଇବାର

ଦେଖୁଛନ୍ତି ଶ୍ରୀ ରାମାନନ୍ଦରେ । ।୫।

ଗୋପାଳକୃଷ୍ଣ ଭଣେ      ଶ୍ରୀ ନାମ ଅନୁକ୍ଷଣେ

କୀର୍ତ୍ତନ କରୁଥାଇ ଆନନ୍ଦରେ । ।୬।

 

ରାଗ–ମାୟାମାଳବ ଗୌଡ଼ା । ତିସ୍ରଜାତି–ଏକତାଳ

(କି କରିବି ବ୍ରଜବଧୂ ଲାଗିରେ – ପ୍ରତି)

ରାଧାକୃଷ୍ଣ ନାମ ଚିନ୍ତାମଣିକି ।

ଭଜରେ ମାନସ ସଦା ଏଣିକି । ।ପଦ।

ପାଇଲୁ ଶ୍ରୀଗୁରୁ      ଦେବୀଙ୍କ କୃପାରୁ

ଆଗେ କର ଜୟଶ୍ରୀ ପୁରଣୀକି । ।୧।

ସରସ ଚେତନ      ପୂର୍ଣ୍ଣ ସନାତନ

ବସ ଯାଅନାରେ ଆଉ କେଣିକି । ।୨।

ନାହିଁଟି ଅନ୍ତର      ଅଭିଧା ନାମର

ଡାକ ମଥାପରେ ଯୋଡ଼ି ପାଣିକି । ।୩।

 

ସ୍ୱପନ ଜାଗରେ      ଶୁଚି ଅଶୁଚିରେ

ଅନ୍ତଃକରଣରେ ପୁଣ ପୁଣିକି । ।୪।

ପ୍ରେମ ଭକ୍ତିରସ      ଯାଙ୍କର ନିର୍ଯ୍ୟାସ

ଏଥୁ ବଳି ଆଉ ନାହିଁ ତେଣିକି । ।୫।

ମିଳିଲ ଏଥର      ଭାବିଲାର ତୋର

କରି ନର୍ତ୍ତନ ବଜା କଫୋଣିକି । ।୬।

ଗୋପାଳକୃଷ୍ଣର      ପ୍ରାଣ ଅବସର

କାଳେ ବୋଲାଇବୁ ଗଲେ ଯେଣିକି । ।୭।

 

ରାଗ–ଝଞ୍ଜୋଟି । ରୂପକ ତାଳ

ରସ ମାନସ ରାଧିକେଶ ଯାର ରସ କଥାରେ

ସେବିତ ଶୁକ ସନକ ମୁନୀଶ ଅନିଶ ନତ ମକାରେ । ।ପଦ।

ଭ୍ରମନା ଭବଭୋଗ ଲୋଭରେ ଲଭି ଧନ ପ୍ରମଦାରେ

ଭବ ସରସିଜ ଭବ ଦୁର୍ଲ୍ଲଭ ପ୍ରେମ ଭକ୍ତିଦ୍ୱାରେ । ।୧।

ବିଶ୍ୱ - ସରଣି ଭ୍ରମଣି ତାପହାରିଣୀ ବସୁଧାରେ

ପାର୍ବତ୍ରିକ ବହୁଛି ନୁହଇ ସୁରଧୂନୀ ପରି ଧାରେ । ।୨।

 

ନିରଜବନ୍ଧୁ ନନ୍ଦିନୀ ତୀର ନିକୁଞ୍ଜ ବନ ଅଗାରେ

କେଶି ମଥନ କେଳି ଚରିତ କେବଳ ତୁହି ଗା’ରେ । ।୩।

ମୋକ୍ଷ ପଦକୁ ଲକ୍ଷ୍ୟ ନ କରି ରହିଯା ଅଲଗାରେ

ରାସେଶ୍ୱରୀଙ୍କ କିଙ୍କରୀ ହୋଇ ଘର କର ବ୍ରଜ ଗାଁରେ । ।୪।

ଗୋପାଳକୃଷ୍ଣ କହଇ ସତୃଷ୍ଣ ହୋଇ ସୁମନୀଷାରେ

ଦୋଷ ରହିତ ଘୋଷ ଚରିତ ଘୋଷ ଦିନ ନିଶାରେ । ।୫।

 

ରାଗ–କାମୋଦୀ । ମିଶ୍ରଚାପ ତାଳ ।

(ଗୋପିକା ନନ୍ଦନ ତୁମ୍ଭେ ନିଶ୍ଚୟ ନୁହ ପ୍ରିୟ ହେ – ପ୍ରତି)

ସରଧାରେ କର ମନ । ଶ୍ରୀରାଧାର ନାମ କୀର୍ତ୍ତନ । ।ପଦ।

ବିଶ୍ୱସୃକ ସର୍ଜ୍ଜନାରେ । ସ୍ମୃତି ଶ୍ରୁତି ପୁରାଣରେ

ଏଥୁଁ ବଳି ନାହିଁ ପଥ ଲଭିବାକୁ ପ୍ରେମଧନ । ।୧।

କାହାକୁ ନ କରି ଲକ୍ଷ୍ୟ । ସବୁଥିରୁ ନିରପେକ୍ଷ

ହୋଇ କରୁଥା ଗୋଷ୍ଠେନ୍ଦୁ ଅଙ୍କେ ସ୍ୱାମିନୀଙ୍କି ଧ୍ୟାନ । ।୨।

ହେ ଗୋଷ୍ଠେନ୍ଦୁ ପ୍ରାଣପ୍ରିୟେ । ହେ ସର୍ବ ରମା ଆଶ୍ରୟେ

ବୋଲି ଶ୍ରୀକୁଣ୍ଡ ସେତୁରେ ରହିଯା ରଚି ସଦନ ।୩।

 

ରାସେଶ୍ୱରୀ ସେବା ଯୋଗ୍ୟ । କିଙ୍କରୀ ଜନ ସୌଭାଗ୍ୟ ।

ବୃନ୍ଦାବନ ପୁରନ୍ଦର ବିନା ନ ଜାଣନ୍ତି ଆନ । ।୪।

ଦ୍ୱିଚତୁର ଯାମଲୀଳା । ସେବା ଭାବି ଦିନ ବଳା

ସ୍ୱଜାତୀୟ ସାଧୁସଙ୍ଗେ ପ୍ରେମଭାକ୍ତି ସୁଧାପାନ । ।୫।

ଦୟାଳୁ ଶ୍ରୀଗୁରୁଦେବ । ଦେବାର ତୋ ଅବୟବ ।

ଗୋପାଳକୃଷ୍ଣ ଭଣେ ଲଭିବୁ ହୁଅ ସାବଧାନ । ।୬।

 

ରାଗ–ପାନ୍ତୁ ବରାଡ଼ି । ମିଶ୍ରଚାପ ତାଳ

(କଣ୍ଠିରବ ମଧ୍ୟ ମୋ ଗଣ୍ଠିର ସୁନାରେ – ପ୍ରତି)

ଭଜମନ ଦ୍ରଜବନ ଦ୍ୱିଜରାଜଙ୍କୁ

ଅଜ ଶେଷ ଭବ ବନ୍ଦ୍ୟ ପଦକଞ୍ଜକୁ । ।ପଦ।

ନେତ୍ରେ ରଞ୍ଜି ଦିବ୍ୟାଞ୍ଜନ      ପ୍ରେମରେ କର ଲୋକନ

ବକ୍ତ୍ରେ ବଂଶୀ ହୃଦେ ଚାରୁ ଗୁଞ୍ଜ ସ୍ରଜକୁ । ।୧।

ଅମ୍ବୁଜ କୁଟୁମ୍ବ କନ୍ୟା      ପ୍ରତୀର କଦମ୍ବ ବନ୍ୟା

ନଭଚର ରାଧାସ୍କନ୍ଧ-ନ୍ୟସ୍ତ-ଭୁଜକୁ । ।୨।

 

ପଶୁପୀ ନକ୍ଷତ୍ରାବଳୀ      ହୋଇ ସର୍ବତ୍ର ମଣ୍ଡଳି

ସାଜିଛନ୍ତି ସ୍ମର ପରାଜୟ ସଜ୍ଜକୁ । ।୩।

ଅଖିଳ ରସ ଶ୍ରୀମୂର୍ତ୍ତି      କୋଟିଏ ମଦନଦ୍ୟୁତି

ଅନା ସେ ନବଶିଖଣ୍ଡଚୂଳ ଧ୍ୱଜକୁ । ।୪।

ଶ୍ରୀପ୍ରତାପରୁଦ୍ର ଦେବ      ଭାଷନ୍ତି ସନ୍ତତ ଭାବ

ହର ଜନ୍ମାନ୍ତର ଅହଂ ତମ ପୁଞ୍ଜକୁ । ।୫।

 

ରାଗ–ଶଙ୍କରାଭରଣ । ରୂପକ–ତାଳ ।

(ପୋଡ଼ୁପର ଅନୁରାଗ । ତହୁଁ ଭଲ ତନୁତ୍ୟାଗ – ପ୍ରତି)

ବ୍ରଜମନକୁ ମନ ଯା ଚାଲିରେ ।

ଜୟ ରାଧେକୃଷ୍ଣ ବୋଲିରେ ।ପଦ।

ଭାଳନା ଏଥିରେ କିଛି ନାହିଁ ସୁଖ । ମୁରୁଖ ସବୁଟି ଦୁଃଖରେ

ନିଭୃତ କୁଞ୍ଜରେ ବିଜେ କରିଛନ୍ତି

ରହି ଦେଖ ଚନ୍ଦ୍ର ମୁଖରେ । ।୧।

ଚିନ୍ମୟ ଚିଦ୍‌ଘନ ରସମୟ କୃଷ୍ଣ ।

ଆନନ୍ଦରୂପିଣୀ ରାଧା

ସଖୀ ମଞ୍ଜରୀଙ୍କ ସଙ୍ଗତେ ରହିବୁ

ନାଶିବେ ସକଳ ବାଧାରେ ।୨।

 

ନିଶାନ୍ତରୁ ରାସାବସାନ ପର୍ଯ୍ୟନ୍ତେ ।

ସେବାରେ ଥିବୁ ସନ୍ତତରେ

ନିଷ୍କାମ ହୋଇଣ ସାଧୁଜନେ ପୁଣ

ରହିଣ ଭାଳ ତୁ ଅନ୍ତରେ ।୩।

ଶ୍ରୀଗୁରୁଦତ୍ତ ବୀଜମନ୍ତ୍ର ଆଧାର ।

କରିଣ ହୃଦରେ ରଖରେ

ଗୋପାଳକୃଷ୍ଣ ଭାଷଇ ସେ ଯୁଗଳ

ରସକୁ ଭାବି ତୁ ସୁଖରେ ।୪।

 

ରାଗ–ଖର ହରପ୍ରିୟା । ମିଶ୍ରଚାପ ତାଳ ।

ମାନସ ଭାବ । ରାଧାମାଧବ । ।ପଦ।

ନୂତନ ଭେଟ ମହୋତ୍ସବ ମାଧୁରୀ । ।ପଦ।

ଶ୍ୟାମ କୁଞ୍ଜରେ । ରାଧା ଆଜିରେ

ତାର, ତରଳ ଡୋଳା ଖେଳା ଚାତୁରୀ । ।୧।

ଆଳି ନିକରେ । କେଳି ମନ୍ଦିରେ

ଦୁଆରେ ଛାଡ଼ି ଦେବାର କର ଧରି । ।୨।

ସଙ୍ଗିନୀ ବାସ – ନ ତେଜ ରସ

ରଙ୍ଗିନୀ ଥକିବାର ଲାଜେ ଓହରି । ।୩।

ସଖୀ ହସନ୍ତି । ଥରୁଁ ଶ୍ରୀମତୀ

ଆସୁ ନିକଟକୁ ନିକୁଞ୍ଜ ବିହାରୀ । ।୪।

ପ୍ରମତ୍ତେ ଗଜ । ହେମ ପଙ୍କଜ

ନେଲାପରି ହେବାର ନବ କିଶୋରୀ । ।୫।

ହେଲା ସତୃଷ୍ଣ । ଗୋପାଳକୃଷ୍ଣ

ଧୀରେ କବାଟ ପୁଟ ଆଣି ଓଟାରି । ।୬।

 

Unknown

ନବୀନ ସାଧକ ପ୍ରତି–ଶ୍ରୀଗୁରୁ ଶିକ୍ଷା

ରାଗ–ତୋଡ଼ି । ଏକତାଳ ।

କେଣେ ଆସିଲୁ ମନ ରହି ନ ଯାଇ

ସମୟ ବଳିଯିବ ହେଲୁ କି ବାଇ । ।ପଦ।

ଗୋଷ୍ଠାଚଳ ଚନ୍ଦ୍ରମା      ଶ୍ରୀ ବୃଷଭାନୁ ଜେମା

ପଦାରବିନ୍ଦ ସେବା ତୁ ଛାଡ଼ିଦେଇ । ।୧।

ନିଭୃତ କୁଞ୍ଜରେ ତ      ଅଳି କରିବେ ରୁ

ଡାକି କଖ୍‌ଖଟୀ ଏବେ ଦେବ ଉଠାଇ । ।୨।

ହୋଇଲେ ଅପହୁଡ଼      ଧରି କାଞ୍ଚୀ ପାହୁଡ଼

ସ୍ୱାମିନୀ ଆଗେ ଯାନ୍ତୁ ପଥ କଢ଼ାଇ । ।୩।

 

ସୂର୍ଯ୍ୟ ପୂଜା ବେଳରେ      ସ୍ୱାମିନୀ ଅଞ୍ଜଳିରେ

ବେଗେ ଅର୍ଘ୍ୟ ନୀରେ ଦିଅନ୍ତୁ ବଢ଼ାଇ । ।୪।

ନନ୍ଦପୁରକୁ ବିଜେ            କଲେ ଗହଣେ ତୁ ଯେ

ଥାଇ ପ୍ରାଙ୍ଗଣେ ପଦ ଦିଅନ୍ତୁ ଧୋଇ । ।୫।

ନାଗେଶ୍ୱର କୁଞ୍ଜରେ      ଶ୍ରୀ ରତନ ଦୋଳାରେ

ବିଜେକଲୁ ତୁ ଦେଖନ୍ତୁ ପହଞ୍ଚାଇ । ।୬।

 

ସାରି ଜଳଲୀଳାକୁ      ବାସ ଲାଗି ହେବାକୁ

ବସ୍ତ୍ରାଚରଣ କରନ୍ତୁ ପରା ଥାଇ । ।୭।

ସ୍ୱେଶ୍ୱରୀ ତୋର ହସ୍ତେ      ବଂଶୀଦେଲେ ଗୁପତେ

ଯତନେ ରଖିଥାନ୍ତୁ ପରା ଲୁଚାଇ । ।୮।

ଶ୍ରୀମତୀ ଗୁମାନରେ            ଲଳିତାଙ୍କ ପଦରେ

ଜଣାନ୍ତୁ ଜଣାଣ ଶ୍ରୀ ଗୋବିନ୍ଦଙ୍କ ପାଇଁ । ।୯।

 

ପ୍ରାଣନାଥ ଛାମୁକୁ      ବିଜେକଲା କାଳକୁ

ଲୋଡ଼ିବେ ବେଗେ ଏବେ ଯାଅ ପଳାଇ । ।୧୦।

କେତେ ପ୍ରହେଳି ଗାନ      ଆହା ରାସ ନର୍ତ୍ତନ

ଶ୍ରମ ନାଶିବୁ ଫୁଲପଙ୍ଖା ପକାଇ । ।୧୧।

ନାଗରେନ୍ଦ୍ର ଛାମୁରୁ      ବୃନ୍ଦା ଆସୁ ଦୂରରୁ

ସେଶ୍ୱରୀଙ୍କି ରହରେ ଦେବୁ ଭେଟାଇ । ।୧୨।

ନାରୀ ଶିର ଭୂଷାଙ୍କୁ      ନାଗର ମୁକୁଟଙ୍କୁ

ମୁରୁଛିଲୁ କିପରି ତୁ ନ ଲୋଭାଇ । ।୧୩।

 

ମଧୁପାନ ଉତ୍ତାରେ      ଜଗିଥାନ୍ତୁ ଲାଗରେ

ପୁଧା ସଂଳାପ ଶୁଣି ହସିଲା ହୋଇ । ।୧୪।

ନିକୁଞ୍ଜ ପ୍ରାଙ୍ଗଣରେ      ଚନ୍ଦ୍ରମା କିରଣରେ

ପ୍ରହେଳୀ କଉତୁକ ଶୁଣିଲୁ ନାହିଁ । ।୧୫।

ପଶାଖେଳ ବେଳରେ      ସ୍ୱାମିନୀ ନ ବସିଲେ

ବଳେ ଲଳିତା ଦେବେ ଧରି ବସାଇ । ।୧୬।

ଗୋପାଳକୃଷ୍ଣ ଭଣେ      ପ୍ରାଣକୁ ତୋ ଗହହେ

ନିଅ ଭାବନା ଦେହ ଭିତରେ ଲାଇ । ।୧୭।

 

ରାଗ–ଶଙ୍କରାଭରଣ । ରୂପକ ତାଳ

(ପୋଡ଼ୁ ପର ଅନୁରାଗ–ପ୍ରତି)

ଜଗବନ୍ଧୁ ଦୟାଳୁ । ଆଉ ମନ କାହିଁପାଇଁ ଭାଳୁରେ ।

ରହ ଉଦ୍ଧରିବେ ଏ ଜଞ୍ଜାଳୁ ରେ । ।ପଦ।

ନିରୂପାଧି କୃପାକର ମହିମାବଧି

ନୀଳାଚଳ ସୁଧାକର ।

ନିଖିଳ ପ୍ରାଣୀ ହିତକାରୀ ତୋ

ଛାର କଦନ କି ତାକୁ ଘୋର ।      ୧।

ପ୍ରତିବଦାନ୍ୟେଶ ସ୍ୱରୂପ ଆର୍ଥିଙ୍କ

କରୁଣା ନୃପେ ପ୍ରସନ୍ନେ

ଯୁବତୀଙ୍କ କାମ ସଖାକୁହିଁ ସମ

ଅଧୀନ ସ୍ୱଭକ୍ତଜନେ । ।୨।

 

ଦାମୋଦର ଗଲେ ନ ମାଗୁ ଯା

ଦେଲେ ଶୁଣିତ ଥିବ ପୁରାଣେ

ବୃଥା ହୋଇବ କପି ଜଣାଇବାର

ତୁ ପ୍ରଣାମ କରି ଚରଣେ । ।୩।

କୃପାଳୁ ପଣ କେ କଳିବ ପିଆଇ

ଦେଇଥିଲା ବିଷ ବକୀ

ଦୋଷ ଘେନି କିସ ଦଣ୍ଡିବେ

ଜନନୀଗଣରେ ଦେଲେ ଗତିକି ।୪।

 

ନୃପମଣି ଗୋପି ସୀତା ପିତୃଙ୍କର

ଶତ୍ରୁ କ୍ଷୟ ଆତ୍ମ ମୋକ୍ଷ ।

କରିଛି ଯା ନାମ ମାତ୍ରକେ ସେ ପ୍ରଭୁ

ହୋଇଅଛନ୍ତି ପ୍ରତ୍ୟକ୍ଷ । ।୫।

ବାରଣକର ପରିତ୍ରାଣ ଘୋଷଣ

ବ୍ରହ୍ମାଣ୍ଡ ଭିତ୍ତି ଫିଟାଇ ।

ବାହାରି ଯାଇଛି ନ କରି ସ୍ମରଣ ଦୁଃଖୀ

ଦୁଃଖୀହେଉ କାହିଁପାଇଁ ।୬।

 

କୁରୁସଭା ତଳେ ଡାକିବାର ବେଳେ

ଯାହା ଦେଲେ ଦ୍ରୌପଦୀଙ୍କି

ଆଉ ତାହା ପୁଣି ବୋଲି ମୁଁ ତା ଋଣି

କହୁଅଛନ୍ତି ଯେ ଡାକି । ।୭।

ଭକ୍ତ ବନ୍ଧୁ ପଣ ଭାରତ ଯୁଦ୍ଧରେ

ଭୀଷ୍ମଠାରେ ଦିଶାଇଲେ ।

ନିୟମ ଲଘିଂ ରଥରୁ ଡେଇଁ

ରଥଚରଣ ଧରି ଧାଇଁଲେ । ।୮।

 

ଶରଣ ପଶି ବିଭୀଷଣ ଆସିଛି

ବୋଲି କହୁଁ ଶ୍ରୀଛାମୁରେ ।

ଦେଲେନି ସେତେବେଳକୁ ତାକୁ

ଲଙ୍କପଦବୀ ଭୁରୁ ଲୀଳାରେ ।୯।

ବିଧି ପଦ ସୁଖ ବୋଲି ହନୁମାନ

କଲାରୁ ଅନୁମୋଦନ ।

ବ୍ରହ୍ମା କରିବେ ରଖିଛନ୍ତି ପ୍ରଭୁ

କେ ଏପରି ଜାଣିବ ମନ । ।୧୦।

 

ଧ୍ରୁବ ମନୋରଥ ପୂର୍ଣ୍ଣ କରିବାରେ

ପ୍ରତ୍ୟକ୍ଷରେ ତ ଦିଶୁଛି ।

ଚରଣ ପଙ୍କଜ ରଜରେ ପଥରେ

ପଥର ନାରୀ ତରିଛି । ।୧୧।

ପ୍ରହର ଅର୍ଦ୍ଧକେ ଧୂଳି କଲେ ଭକ୍ତ

ବଇରୀ ରାକ୍ଷସ ମେରୁ ।

ସେ ପ୍ରହଲାଦଙ୍କ ବିପଦଠାରୁ ତ

ନୁହଁଇ ତୋ ଖେଦ ଗୁରୁ । ।୧୨।

 

ଭଜନ କୀର୍ତ୍ତନ ଆତ୍ମସମର୍ପଣ

ଦାସ୍ୟ ସଖ୍ୟା ଭିବାଦନ ।

ସ୍ମରଣ ପୂଜା ଶ୍ରବଣ ନବରତ୍ନ

କୂଟ କରିଛନ୍ତି ଦାନ । ।୧୩।

ରମା ଶୁକ ବଳି ହୁନମାନାର୍ଜ୍ଜୁନ

ଅକ୍ରୁର ଦୈତ୍ୟ ତନୁଜ ।

ପୃଥୁ ପରୀକ୍ଷତ ହୋଇ ଅଳଂକୃତ

ଲଭିଛନ୍ତି ପଦକଞ୍ଜ । ।୧୪।

 

ବୋଲିବୁ ମୁଁ ଦୀନ ଭଜନ ସାଧନ

ନ ଜାଣଇ ଜନମେରୁ ।

ଅଜାମିଳ ଯାମଳାର୍ଜ୍ଜୁନ କି ତପ

କରିଥିଲେଟି ପୂର୍ବରୁ । ।୧୫।

ଯା ଗୁଣାର୍ଣ୍ଣବରୁ ବିନ୍ଦୁଏ ବର୍ଣ୍ଣିଲେ

ଶେଷରେ ନ ହେବ ଶେଷ ।

କି କହିବି ତାହା ଗୋପାଳକୃଷ୍ଣ ତ

ନୁହଁଇ କୀଟ ସଦୃଶ । ।୧୬।

 

ରାଗ–ମୋହନ । ତିସ୍ରଜାତି–ଏକତାଳ

(ଶ୍ରୀ ଗୌରଚନ୍ଦ୍ର ପଦ ବନ୍ଦରେ ମାନସ – ପ୍ରତି)

ରାଧାଗୋବିନ୍ଦ ଭଜରେ, ମାନସ । ।ପଦ।

ତେଜ କୁଟ କପଟ      ଲୋଟ ଯମୁନା ତଟ

ଶ୍ରୀ ରାସସ୍ଥଳୀ ରଜରେ, ମାନସ । ।୧।

ସ୍ୱେଶ୍ୱରୀକୁଣ୍ଡ ତୀର      ବନେ ବସତି କର

ହର ଏ ଭବ ରୁତରେ, ମାନସ । ।୨।

ଗଳି ପଡ଼ିଥିବାର      ଗଳେ ମୁକୁତାହାର

ଗୋଟାଇ ଗୁନ୍ଥ ସ୍ରଜରେ, ମାନସ । ।୩।

 

ଦୋଳା ଲୀଳା କାଳରେ      ଧରି ଡୋରି ସୁଧୀରେ

ପଞ୍ଚାଇ ସୁଖେ ମଜ୍ଜରେ, ମାନସ । ।୪।

ରାସ ଅବସାନରେ      ତୁସୁମ ବ୍ୟଜନବେ

ରହି ସହି ସମାଜରେ, ମାନସ । ।୫।

ଗୋପାଳକୃଷ୍ଣ କଥା      କରନାଟି ଅନ୍ୟଥା

ନିଭୃତକୁଞ୍ଜ ଶେଯରେ, ମାନସ । ।୬।

 

ରାଗ–ଧନାଶ୍ରୀ । ଆଦି ତାଳ

(କି ଆରେ ମନ ଦିନ ଗେଲ ହରିବୋଲନା – ପ୍ରତି)

କାହିଁକି ମନ ନ ଘେନୁ ତୁ କେତେ କହିଲେ

ଶ୍ରୀରାଧାକୃଷ୍ଣଙ୍କୁ ପଦାବ୍‌ଜେ ରହିଥା ବୋଇଲେ । ।ପଦ।

ପରମ୍ପରାଦି ଲୋକରେ      ନାହିଁ କେ ସଦୃଶରେ

ଗଣନା ହୋଇବୁ ତାଙ୍କ କିଙ୍କରୀଙ୍କ ଭୁଳେ । ।୧।

ଅଧୀଶାଧିଶ ମାଧୁରୀ      ସ୍ୱଚ୍ଛନ୍ଦରେ ଅବଧରି

ଯେମନ୍ତ ସୁଖ ଲଭିବୁ ହେଜିବୁ ସେ କାଳେ । ।୨।

ତୋ ସ୍ୱାମିନୀ ସ୍ୱାମିଙ୍କର      ଶ୍ରୀବୃନ୍ଦାରର୍ୟ ବିହାର

ଦେଖି ଭାଷିବୁ ପୀୟୁଷ ବାରିଧି କଲ୍ଲୋଳ । ।୩।

 

ରାସେଶ୍ୱରୀ ରାସେଶ୍ୱରୀ      ହୃଦରେ ଆଉଜିବାର

ରାସାବସାନେ ସେବିବୁ ବୟସୀ ସଙ୍କୁଳେ । ।୪।

ଦିବ୍ୟ ନେତ୍ରେ ପ୍ରେମ      ରଞ୍ଜିକର ଆଲୋକନ

ରହି ରତ୍ନ ଚିନ୍ତାମଣି ସିଂହାସନ ତଳେ । ।୫।

କୁତ୍ସିତ ବିଷୟ ଭୋଗ      ଆଶାରେ ହୁଅନା ଯୋଗ୍ୟ

ଗୋପାଳକୃଷ୍ଣ କହଇ ମଜ୍ଜ ଅବିକଳେ । ।୬।

 

ରାଗ–ଖମାର । ଆଦି ତାଳ

(ନ ଭାଙ୍ଗରେ ଶୁଭାଙ୍ଗି ଭାରତୀ ହୁଅ ସାହା – ପ୍ରତି)

ଭଜମନ ହରି ପ୍ରାଣ ପ୍ରେୟସୀ ଶ୍ରୀମତୀଙ୍କି

ଶୁଣାଯିବ ସେହି ଗୋଷ୍ଠଚନ୍ଦ୍ରମା ବିନତିକି । ।ପଦ।

ନୋହୁ ନ କର ଶୋଚନା      ସେ ଘେନୁ ନାହାନ୍ତି ସିନା

ଜଣାଇଲେ ହୋଇ ପଦ ପଙ୍କଜେ ପ୍ରଣତିକି । ।୧।

ସେ ଚନ୍ଦ୍ରାବଳୀଙ୍କ ତୁଲେ      ଥିବାବେଳେ ତୁ ଦେଖିଲେ

ତୋ ପଛେ ପଛେ ବୁଲୁଁ ସରିବ ଦିନ ରାତିକି । ।୨।

ରୁଷିଥିଲେ ଶ୍ରୀକିଶୋରୀ      ତୋ ଆଡ଼କୁ ଅନୁସରି

ଲେଖି ଲେଖି ଧରି ଦେଖୁଥିବେ ତୋ ପଦ୍ଧତିକି । ।୩।

 

ଛାମୁରେ ଅଛି ସେବାରେ      ବୋଲି ଜଣାଇବୁ ବାରେ

ପାଶୋରନା ବୋଲି ଦେବେ ତୋ ପଣତେ ଗୁନ୍ଥିକି ।୪।

ବାଟିକା ଦ୍ୱାର କବାଟି      କିଳଣି ଦେଇ ନଥାଟି

ବୋଲି ଆନ ଦେବେ ସୁଖ ଲଗାଇ ତୋ ଶ୍ରୁତିକି । ।୫।

ଗୋପାଳକୃଷ୍ଣ କହଇ      ରାଧାଙ୍କୁ ଅଙ୍କେ ବସାଇ

ଡାକିବେ ନିତ୍ୟାବସାନେ ନାମ ଧରି କତିକି । ।୬।

 

ରାଗ–ଖମାଳ । ଆଦି ତାଳ

(ନଭାଙ୍ଗରେ ଶୁଭାଙ୍ଗୀ ଭାରତି ହୁଅ ସାହା)

ଭଜମନ ରାଧେକୃଷ୍ଣ ରାଧକୃଷ୍ଣ ବୋଲିରେ

ବ୍ରଜକୁ ପଳା ଯାଏ ଜଞ୍ଜାଳରୁ ହୁଗୁଳିରେ । ।ପଦ।

କାହାର ତୁ ତୋହର କେ ହୁଅନା ବାଉଳିରେ

ମିଳିବଟି ପ୍ରେମଧନ ପ୍ରାଣକୁ ସଙ୍ଖାଳିରେ । ।୧।

ଢାଳି ଢାଳି ଶ୍ରୀବୈଷ୍ଣବ ପଦାବ୍‌ଜରେ ମଉଳିରେ

ବୁଡ଼ି ମାଗ ମଧୁକରି ପ୍ରସାରି ଅଞ୍ଜଳିରେ । ।୨।

ଗୋବର୍ଦ୍ଧନ ପରିକ୍ରମା କର ମାରି ତାଳିରେ

ଲୋଟି ହୁଅ କୋଟିବାର ବାସସ୍ଥଳୀ ଧୂଳିରେ । ।୩।

 

ଶ୍ରୀନାମ ସୁଧାରେ ଘନସାର ଶ୍ରଦ୍ଧା ଗୋଳିରେ

ପାନ କରି ନାଚ ମଥା ପରେ କର ତୋଳିରେ । ।୪।

ଶ୍ରୀକୁଣ୍ଡ ନୀରରେ ବୁଡ଼ ତୀର କୁଞ୍ଜାବଳୀରେ

ରହି ଯା ମଧ୍ୟାହ୍ନ ଲୀଳାଯାକ ଭାଳି ଭାଳିରେ । ।୫।

ପ୍ରେମ ଚିନ୍ତାମଣି ଏହି ଅଭିଧା ବୁଝିଲିରେ

ଗୋପାଳକୃଷ୍ଣକୁ ଭୁଲାନା ଆଉ ତୁ ଭୁଲିରେ । ।୬।

 

ରାଗ–ଖମାଚ । ଆଦି ତାଳ

(ଭଜମନ ରାଧେକୃଷ୍ଣ ରାଧେକୃଷ୍ଣ ବୋଲି – ପ୍ରତି)

ମନ ରହ ରାଧାକୃଷ୍ଣ ଶ୍ରୀମୂର୍ତ୍ତିଙ୍କି ଧ୍ୟାୟୀ

ଆନ ସଙ୍ଗତିରେ ରସି ଯାଅନା ପଳାଇ । ।ପଦ।

ବିଷୟ ବିଷ ଗର୍ତ୍ତରେ      ମଜ୍ଜି ଅନୁବରତରେ

ଭବରୋଗ ପ୍ରତ୍ୟାଶାରେ ମାରନା ଭୁଲାଇ । ।୧।

କଳିନ୍ଦ କନ୍ୟା ପୁଳିନେ      କୁସୁମିତ କୁଞ୍ଜବନେ

ରତ୍ନଚିନ୍ତାମଣି ସିଂହାସନରେ ବସାଇ । ।୨।

କୁନ୍ଦନ ଦଳିତାଞ୍ଜନ      ବନ୍ଦନୀୟ ସୁରଞ୍ଜନ

ତନୁ ଦ୍ୟୁତିକି ଦିବ୍ୟ ଲୋଚନରେ ଅନାଇ । ।୩।

 

ଶିବ ସ୍ୱୟମ୍ବୁ ଶେଷରେ      ଧ୍ୟାନକୁ ଯେ ଅଗୋଚର

ଭାବରେ ଭାବି ସେବ ମୋ ସଙ୍କଳ୍ପ ପୂରାଇ । ।୪।

ସ୍ୱଜାତୀୟ ସାଧୁ ସଙ୍ଗେ      ସ୍ୱାରସିକୀ କଥା ରଙ୍ଗେ

ଦିନ ନିଅ ଶ୍ରୀରାଧାଗୋବିନ୍ଦ ଗୀତ ଗାଇ । ।୫।

ଗୋପାଳକୃଷ୍ଣ ଭାଷିତ      ହୋଇଛି ତୋ ତନୁଗତ

ମୋ ଜୀବକୁ ସେ ପଦାବ୍‌ଜେ ଦିଅରେ ମିଳାଇ । ।୬।

 

ରାଗ–ନାଦନାମକ୍ରିୟା । ତାଳ – ଏକତାଳୀ

(ଗଲାଣି ତ ଗଲା କଥା – ପ୍ରତି)

ମହାଭାବ ରୂପ ଭାବରେ, ମାନସ

ଯାହା ସଙ୍ଗେ ଶୁଚିରସ ରହିଛନ୍ତି ସଦା ବହି ଅବୟବ ରେ । ।ପଦ।

ସନକ ସନନ୍ଦନ ସନକୁମାର ସନ ବି ରହସ୍ୟରେ ।

ବ୍ରହ୍ମାନନ୍ଦ ସୁଖ ବରଜି ମଜ୍ଜିଲେ ଯା ଲୀଳା ରସକଥାରେ । ।୧।

ଯା ସୁଷମା ଗୁଣଗୁଣି ଗୀତ କରି ଗାଉଁ ନାରଦ ବୀଣାରେ ।

କଳେବର ପୁଷ୍ଟ ହୋଇ ଉପର୍ବତ ଛିନ୍ନ ହେଉଛି ଶ୍ରଦ୍ଧାରେ । ।୨।

ବ୍ରଜ ଜନଙ୍କର କୋଟିଏ ଜନ୍ମର ପୁଣ୍ୟ ବିଟପୀର ଫଳ ।

ନିକୁଞ୍ଜ ଶେଯରେ ବିଜେ କରିବାର ବେଢ଼ରେ ଆଳୀ ମଣ୍ଡଳ ।୩।

 

ସ୍ୱାମିନୀ ଶରଣ ହେଲି ମୁଁ ବୋଲି ଯେ ବୋଲୁଛି ଥରେ ଜୁହାରୀ ।

ବ୍ରଜେନ୍ଦ୍ର ଲାକ୍ଷା ଲେଖିବି ପଦେସଦା ହୋଇ ରହିଛି କିଙ୍କରୀ ।୪।

ଗୋଷ୍ଠେନ୍ଦ୍ର ନନ୍ଦନ ସେବା ସୌଭାଗ୍ୟ ତୋ ଲଭିବାକୁ ଯଦି ଆଶା ।

ଗୋପାଳକୃଷ୍ଣ କହଇ ଶ୍ରୀରାଧିକା ପଦେ ରହ ଅହର୍ନିଶାରେ ।      ୫।

 

 

 

ରାଗ–ବିଳାହାରି । ତାଳ ତ୍ରିପୁଟା

ଜୟ ରାଧାକୃଷ୍ଣ ବୋଲ ଜୟ । ।ପଦ।

ତୀର୍ଥ ବ୍ରତ ଭକ୍ତି କ୍ଷୋଦ । ନ କରି ହେଲୁ ଉନ୍ମାଦ ।

ନ ବହି ଆଉ ପ୍ରମାଦ । ଏଣିକି ହୋଇ ନିର୍ବେଦ । ।୧।

ନିଭୃତ ନିକୁଞ୍ଜ ଶେଯେ । ବିଜେ କରିଛନ୍ତି ସେ ଯେ ।

ପାଶରେ ଆଳୀ ସମାଜେ । ମିଳିବୁ ଶ୍ରୀପଦାମ୍ବୁଜେ । ।୨।

 

ଆହା କି ସେ ଚମତ୍କାର । ପ୍ରହେଳୀ ପ୍ରଶନୋତ୍ତର ।

କୁହାକୁହି ହୋଇବାର । ହସି ହସି ଧୀର ଧୀର । ।୩।

ରାସାବସାନେ କିଶୋରୀ । ପ୍ରାୟ ହୃଦେ ଅପସରି ।

ଉଭା ହେବାର ମାଧୁରୀ । ରୂପ ସୁମରି ସୁମରି । ।୪।

ବେନି ପାଶରେ ଚାମର । ବ୍ୟଜନ ଧରି ସତ୍ୱର ।

ଆଳୀ ପକାଉଥିବାର । ଭାବି ଭାବି ନିରନ୍ତର । ।୫।

 

ମଧୁ ପାନେ ମତ୍ତ ହୋଇ । ବର୍ଣ୍ଣ ଲୁପ୍ତ ଗୀତ ଗାଇ ।

ଗଣ୍ଡ ପାଶେ ଗଣ୍ଡ ବେଇ । ରହିବା ଶ୍ରୀମୂର୍ତ୍ତି ଧ୍ୟାୟି । ।୬।

ଆସି ଆସି ମଥା ପୋତି । ଉଭା ହେଲାର ଝଟତି ।

ଲୁଚିବାର ଲଭି ଭୀତି । ସେ ସୁଷମା ଚିନ୍ତି ଚିନ୍ତି । ।୭।

ଗୋପାଳକୃଷ୍ଣ ଭାଷିତ । ଯାଅ ତୁ ମନ ସନ୍ତତ ।

ହୁଅ ଶ୍ରୀଲଳିତାଶ୍ରିତ । ପୂର୍ଣ୍ଣଚନ୍ଦ୍ର ଅଭିମତ । ।୮।

 

 

 

ରାଗ–ନାଦନାମ କ୍ରିୟା–ଏକତାଳି

(ଗଲାଣି ତ ଗଲା କଥା – ପ୍ରତି)

କିପରି ମଧୁର ଘେନରେ, ମାନସ ।

ଶ୍ରୀରାଧାଗୋବିନ୍ଦ ପ୍ରଣୟ ବିଳାସ କଥା ରସ ଆସ୍ୱାଦନ । ।ପଦ।

ଶୀତକରାମୃତ ସ୍ୱାଦୁ ଉନ୍ନତକୁ ଅବନତ କରି ପାଦେ ।

ହରିପୁରର ସୁଧାର ଦୁର୍ଲ୍ଲକ୍ଷକ ହୋଇଛି ଯେ ପ୍ରତିପାଦେ । ।୧।

ସ୍ପରଶିଲାକ୍ଷଣି ରସନାରେ ବର୍ଣ୍ଣାବଳୀରୁ ଚାରି କି ପାଞ୍ଚ ।

କଣ୍ଠ ଗଦ ଗଦ ହୋଇ କି ସୁଖରେ ତନୁ ହେଉଛି ରୋମାଞ୍ଚ ।୨।

 

ଈକ୍ଷଣରୁ ଆନନ୍ଦାଶ୍ରୁ ବହିବାର ବିରାମ ନୋହେ ହେ ଆଉ ।

ପ୍ରାଣେଶ୍ୱରୀ ପ୍ରାଣନାଥଙ୍କ ସ୍ୱରୂପ ହୃଦରୁ ଯାଇକି ଆଉ । ।୩।

ସ୍ୱେଦ କମ୍ପ ପୁରିଯାଇ ଏଣେ ଅଙ୍ଗ ଶ୍ରୀଗୁରୁ ଦତ୍ତ ଦେହରେ ।

ନିଯୋଜନା ହୋଇବାର ଭାବନାରେ ତେଣେ ସ୍ୱାମିନୀ ସେବାରେ ।୪।

କୋଟିଏ ଜନ୍ମରେ ମିଳିବ ନାହିଁଟି ପ୍ରଣୟ ଭକ୍ତି ସମ୍ଭୁତ ।

ସାତ୍ତ୍ୱିକ ନବ ରତନ ଚିନ୍ତାମଣି ଗୋପାଳକୃଷ୍ଣ କଥିତ । ।୫।

 

ରାଗ–ନାଦନାମ କ୍ରିୟା–ଏକତାଳି

(କହିଲେ କହିବୁ ରୋଷରେ – ପ୍ରତି)

ଭାବିଲେ ଭାବିଲା ପରି ରେ ମାନସ !

ଶ୍ରୀରାଧାଗୋବିନ୍ଦ କଥା ହୋଇବାର

ହସି ଧୀର ଧୀର କରି ।ରେ।

ନିଭୃତ କୁଞ୍ଜରେ ସୁମନ ଶେଯରେ

ରାତି ଥାଉ ଚେତା ହୋଇ ।

ବୃକ୍ଷରେ ବଲ୍ଲୀ ବେଢ଼ିଲା ସନେ

ରହି ଶ୍ରୀମୁଖେ ମୁଖ ଲଗାଇ ।୧।

ଆଳୀମାନେ ଥିଲାବେଳେ କେଣେ

ମୋର ନିକଟକୁ ଆସିବାର ।

କିଛି ଲାଜ ନାହିଁ ବୋଲୁ ବ୍ରଜବଧୂ

ସରୁ ଚୁମ୍ବନ ଦେଲାର । ।୨।

 

କି ଲାଜ ନାଚିବା ଲୋକର ବରଜ

ରାଜପଥେ ଚାଲି ଚାଲି ।

ବୋଲୁଁ ଶ୍ରୀ ପ୍ରାଣେଶ ଗଣ୍ଡେ ଗଣ୍ଡ

ଦେଇ ମଜ୍ଜିବାର ଝୁଲି ଝୁଲି ।୩।

ଜଟିଳା ଆସୁଛି ବୋଇଲେ ପଳାଇ

ସପ୍ତପର୍ଣ୍ଣ କୁଟ୍ଟିମରେ ।

ଦୁହେଁ ଯାକ ଲୁଚି ପାହୁରି ହେଲାର

କିଶୋରୀମଣି ବାସରେ ।୪।

 

ଶ୍ୟାମଳ ବେଶରେ ପୁରକୁ ଯିବାରେ

ଗତ ରାତିର ଚରିତ ।

ନାରୀ ଭୂଷଣ କାହୁଁ ବୋଲୁ ଭାଷନ୍ତି

କୁନ୍ଦଲତା କଲା ଦତ୍ତ । ।୫।

ଘନସୁନ୍ଦର ଶ୍ରୀମତୀ ହୋଇ

କନିଅର ତଳେ ଭେଟାଭେଟି ।

ପରିଷ୍ୱଙ୍ଗ ରଙ୍ଗେ ମଜ୍ଜି ପୁରଆଡ଼େ

ଭୟେ ଢାଳି ଢାଳି ଦୃଷ୍ଟି । ।୬।

ଗୋପାଳକୃଷ୍ଣ କହେ ଶ୍ରୀରାଧାକୃଷ୍ଣ

ପ୍ରେମରସ ସୁଧାବ୍‌ଧିର ।

ଶ୍ରୀକର ଯାର ରସନା ସ୍ୱରସିତ

ସେ ଜାଣିବ ଏ ମଧୁର । ।୭।

 

ରାଗ–ମୋହନା । ଏକତାଳି

(ରାଧାଗୋବିନ୍ଦ ଭଜରେ – ପ୍ରତି)

ରାଧାଗୋବିନ୍ଦ ବୋଲି ପଳାରେ, ପରାଣ । ।ପଦ।

ବ୍ରଜବନକୁ ଯାଇ      ସ୍ୱାମିନୀକୁଣ୍ଡେ ରହି

ବୋଲ ହୋଇଲି ମୁଁ ଶରଣରେ । ।୧।

ଶ୍ରୀ ରାସେଶ୍ୱରୀଙ୍କର      କିଙ୍କରୀ ତୁ ପୂର୍ବର

କହିଲି ନିଶ୍ଚେ ଏବେ ଜାଣରେ । ।୨।

ନୁହଇ କେ କାହାର      ବୋଲୁ ସବୁ ମୋହର

ହୋଇ ଯିବୁଟି ଅକାରଣରେ । ।୩।

ହଜିଛି ଯେଉଁଠାରେ      ଲୋଡ଼ ଯାରେ ରହିଁରେ

ବାହାରେ କରନା ଭ୍ରମଣ ରେ । ।୪।

ଗୋପାଳକୃଷ୍ଣ ଭାଷେ      ନ ଯାଉଁ ତ ନିମିଷେ

ମିଳିବ ସେଶ୍ୱରୀ ଚରଣରେ । ।୫।

 

ରାଗ–କଲ୍ୟାଣୀ । ରୂପକ ତାଳି ।

(ରାତି ପାଇଲା ହେ ହାତି – ପ୍ରତି)

ସରଧାରେ ଧାଇଁ ଶ୍ରୀରାଧା – କୁଞ୍ଜବନକୁ ଜୀବନ ଦେଖି ଯା

ପ୍ରାଣନାଥ ସଙ୍ଗେ ବିଜେ କରିଛନ୍ତି ଅନଙ୍ଗମଞ୍ଜରୀଙ୍କର ଅଗ୍ରଜା

ବିଶ୍ୱସୃଜ କି ରଚିଥିଲା      ଶ୍ରୀକୁଣ୍ଡ କୁଞ୍ଜ ଚନ୍ଦ୍ରଶାଳା

ଯା ସୋପାନ ଶ୍ରେଣୀ ରତ୍ନ ଚିନ୍ତାମଣି

ବୋଲିକିରେ ପ୍ରଶଂସିବେ ବିଜୋଡ଼ା । ।୧।

ପୂରିଛନ୍ତି ଆଳୀ ନିକର      ଲାଗିଲାଣି ଖେଳ ପଶାର

ଯୋଷା ଶିରୋମଣି ଆଗେ ବସିଲେଣି

ମୁହାଁମୁହିଁ ହୋଇ ନାଗର ରାଜ । ।୨।

 

ପଣ କରି ଶିଖଣ୍ଡ ବେଣୀ      କୁଣ୍ଡଳ ତାଟଙ୍କ ସଙ୍ଗିନୀ

ବଂଶୀ ହାରାବଳୀ ରାସେଶ୍ୱରୀ ହରି

ବୋଲି ହୋଇ ଗଲାନି ତ ହାଉଜା । ।୩।

ଶ୍ରୀଗାନ୍ଧର୍ବୀ ଖେଳରେ ଜିଣୁ      ସହି ଛଡ଼ାଇ ଆଣୁ ବେଣୁ

ବୃନ୍ଦାବନ ପଟ୍ଟମହିଷୀ ହସନ୍ତ

ଆଳୀ ପରେ ଦେଇ ଦର ଆଉଜା । ।୪।

ରଖି ଦେଇ ପଙ୍ଖା ଚାମର      ନେଲେନି ଦାସୀ ଉପହାର

ବାହାରିଯିବେ ଗୋପାଳକୃଷ୍ଣ ବୋଲେ

କରିବାକୁ ତେଣେ ତରଣୀ ପୂଜା । ।୫।

 

 

 

ବାତ୍ସଲ୍ୟ ଭାବ

ରାଗ–ଧନାଶ୍ରୀ । ମିଶ୍ରଚାପ–ତାଳ

(ଗୋଷ୍ଠଚନ୍ଦ୍ରମା ଆସି ବୋଇଲେ – ପ୍ରତି)

ବ୍ରଜକୁ ଚୋର ଆସିଛି ଘେନି

ନେବ ଶୁଅ ତୁନିହୋଇ ରେ ।

ରଙ୍କର ଧନ ମୋ ଗୋକୁଳ

ଚନ୍ଦ୍ରମା ନିଶି ପାହି ନାହିଁରେ । ।୧।

ରାତି ଗୋଟାଯାକ ମାତିଲୁ ନାଟରେ

ପଲକ ନ ପକାଇ ରେ ।

ଗ୍ରାମ ନିଶବଦ ହେଲାନି କି

ତୋତେ ନିଦ୍ରା ଆସୁନାହିଁରେ । ।୨।

 

କେ ଶିଖାଇ ଦେଲା ଡୋଳା

ଢାଳିବାର ତାଳ ଉଜୁଟାଇ ରେ ।

ପାଦ ବଥାଇବ ପରା ଆଉରି

କି ନାଟ ଅଣ୍ଟି ନାହିଁରେ । ।୩।

ନିର୍ମଞ୍ଚନ ଯିବି କେତେ ଝାଳ

ବହିଗଲା କ୍ଷୁଧା ପାଇ ରେ ।

ଆସ ଆସ ସ୍ତନ୍ୟ ପାନ କରାଇବି

ବାବୁ କାଖିଆଇରେ । ।୪।

 

ପଶୁପେନ୍ଦ୍ର କୁଳ – ପ୍ରଦୀପ ତୁ ଦେଖ

ଖେଳ ଛାଡ଼ି ଦେଇ ରେ ।

କେତେବେଳେ ହେଲା ଶୟନ

କଲାନି ବଳରାମ ଯାଇରେ । ।୫।

ଚୁମ୍ବନ ଶିରେ ଦେଇ ନେଲେ ଯଶୋଦା,

ହୃଦରେ ଲଗାଇ ଯେ ।

କର୍ଣ୍ଣମୂଳେ ଧୀରେ ଧୀରେ କାମୋରି

ଦେଲେ ପହୁଡ଼ାଇ ଯେ ।୬।

ନିମ୍ବପର୍ଣ୍ଣ ହରିଦ୍ରା ଚୂର୍ଣ୍ଣ ଘଷନ୍ତି

ଅନଳେ ପକାଇ ଯେ ।

ଗୋପାଳକୃଷ୍ଣ କହଇ ଧୂପ ଦେଲେ

ଧନିଷ୍ଠିକା ନେଇ ଯେ । ।୭।

 

ରାଗ–ମାୟାମାଳବ ଗୌଡ଼ା । ରୂପକ–ତାଳ

ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖିଧନ

ଦଧି ମନ୍ଥାଇ ଦେବୁ ନାହିଁ କି ରେ । ।ପଦ।

ଦେହ ପାଶୋରି ଦଣ୍ଡେ      ନିଦ ନ ଗଲୁ ଏଡ଼େ

ବିଟୋଳ ହେଲୁ ମୋର ପାଇଁକି ରେ । ।୧।

ଖେଳିବୁ ରାମ ତୁଲେ      ପଚ୍ଛେ ରାତି ପାହିଲେ

ଶୁଆଇ ଦେବି ଗୀତ ଗାଇକି ରେ । ।୨।

ମନ୍ଥିବି ମୁଁ କେମନ୍ତେ      ଖୁଆଦଣ୍ଡରୁ ହାତ

ଛାଡ଼ି ଦେଉଛି ସର ଖୋଇକି ରେ । ।୩।

ଆହା ଏ କି ପ୍ରମାଦ      ଛନ୍ଦନା ବାବୁ ପାଦ

ଡାକ ଯା ବଳରାମ ଭାଇକି ରେ । ।୪।

 

ମଥନ ଘଟେ ହାତ      ପୁରାଇ ନବନୀତ

କାଢ଼ୁଁ ବୋଲନ୍ତି ହେଲୁ ବାଇକିରେ । ।୫।

ତୁଚ୍ଛା ହାତଟା ଖାଇ      ନାଚୁ ଛୁ କାହିଁପାଇଁ

ଶୁଖିଯିବୁ ନ ଚାହାଁ ଛାଇକି ରେ । ।୬।

ଗୃହକୃତ୍ୟ ପକାଇ      ବସିଥିବି ଏକାଇ

ନିଶିଦିନ ତୋତେ କାଖେଇ କି ରେ । ।୭।

ପଣନ୍ତରେ ବଦନ      ପୋଛିଦେଲେ ଚୁମ୍ବଳ

ଗୋପାଳକୃଷ୍ଣ ଚିନ୍ତେ ଦୁହିଁଙ୍କି ରେ । ।୮।

 

ରାଗ–ପରଜ । ମିଶ୍ରଚାପ ତାଳ

ମୋ କୃଷ୍ଣଚନ୍ଦ୍ରମା ପରି ଆନଟି କେ ଅଛି ସରି ମା ।ପଦ।

ରତ୍ନ ଚିନ୍ତାମଣି ମୋର      ତ୍ରିଭୁବନ ଅଳଙ୍କାର

ଦୁଃଖୀର ସଙ୍ଖାଳି ଦରିଦ୍ରର

ଧନ ମୋ ଶ୍ରୀହରି । ।୧।

ଝାଳରେ ତିନ୍ତି ଅଳକ      ଲିଭି ଯାଇଛି ତିଳକ

ସ୍ତନ୍ୟ ନେଇ ମୁଖବାସେ ପୋଛି

ଭାଷେ ବ୍ରଜେଶ୍ୱରୀ ।୨।

ଖେଳୁଥିଲୁ କାହା ଘରେ      ଧୂଳି ପୂରିଛି ଦେହରେ

ଦେଖାଟି ମାଇଁକି ମୋର ବାବୁ

ତୋ ବଦନ ଶିରୀ ।୩।

 

ଦେଖ ଖାଇ ନାହିଁ କିଛି      ଉଦର ବଳି ହେଉଛି

ମୂଢ଼ପଣ ମୁଁ ରହିଲି ତେଣେ

ଗୃହକୃତ୍ୟ କରି । ।୪।

ତୁମ୍ଭର ଆଶିଷ ପାଇ      ଥାଉ ଚିରଞ୍ଜବୀ ହୋଇ

ବୋଲି ମୁଖେ ମୁଖ ଦେଇ

ଚୁମ୍ବନ୍ତି କାଖରେ ଧରି ।୫।

କାହିଁ ରହିଥିଲୁ ଯାଇ      ମୋତେ ମନେ ନ ପକାଇ

ବୋଲଇ ଗୋପାଳକୃଷ୍ଣ

ଖେଳରେ ଦେଲେ ପାଶୋରି ।୬।

 

ରାଗ–ମୋଲନା । ମିଶ୍ରଚାପ ଯାଳ

ଦୁଃଖୀଧନ ଚନ୍ଦ୍ରାନନ ରେ ।

ତୋତେ ପଠିଆଇ ଦେବ କେହି ବନରେ । ।ପଦ।

ତୋ ଜନମରୁ ଆଜିଯାଏ ମୁହଁ,

ଦେହ ପାଶୋରି ନିଜ ଜାଣିନାହିଁ,

କ୍ଷଣେ ଈକ୍ଷଣରୁ ଆଡ଼ ହେଲେ ଦଶ –

ଦିଶ ଦିଶୁଛି ତ ମୋତେ ଶୂନ୍ୟରେ । ।୧।

ଅତି ବିଷମ ଗୋ – ଚାରଣ ବୃତ୍ତି,

ସେ ତ ଦୁଃସହ ଦୁଃଖର ବସତି,

ଧେନୁ ରଖିବାର ତୁ କି ଜାଣୁ ବାବୁ,

ଖାଇ ଜାଣିନାହୁଁ କରେ ଅନ୍ନରେ । ।୨।

 

ତୋତେ କ ଶିଖାଇ ଦେଲା ଏ ବୁଦ୍ଧି,

କେତେ କହିଲେ ନ ଘେନୁ ପ୍ରବୋଧି,

କାଖରୁ କ୍ଷଣେ ନ ଓହ୍ଲାଇ ତଳକୁ

ପଣତ ନ ଛାଡ଼ୁ ନିଶି ଦିନରେ । ।୩।

ନବ ନୀଳିମ ନୀରଦ ସୁନ୍ଦର,

ନୟନର ପିତୁଳା ତୁ ମୋହର,

କରମାଳି କର ଲାଗି ଲୁଚିଯିବ

ଶିରୀକୋମଳ ଅପଘନରେ । ।୪।

 

ଶେଯେ ଶୁଆଇଲେ କୋଳରୁ ତୋଳି,

ମା ମା ବୋଲି ଡାକୁ କଣ୍ଠ ପୋଟାଳି,

ପଳାଇଗଲା ପରି ହୋଇ ଆତୁର

କାଲି କରୁଥିଲୁ ସ୍ତନ୍ୟପାନ ରେ । ।୫।

ଆରେ ବରଜ – ରାଜ ପୁଣ୍ୟପୁଞ୍ଜ,

ପୁରେ ରହିଥାଅ ତୁ ନ ଅରଜ,

ପୋଷା ନ ଗଲେ ଭିକ୍ଷା ପଛେ ମାଗିବି

କୋଟି ଇନ୍ଦ୍ର ସମ୍ପତ୍ତି ତୋ ଦରଶନରେ । ।୬।

 

ଆଣି ନୟନରୁ ପାଣି ରୋହିଣୀ,

ବୋଲନ୍ତି ଶୁଣ ବାବୁ ଯଦୁମଣୀ,

ଜନନୀ ଦୁଃଖ ଧରଣୀ ଧରୁ ନାହିଁ,

କି ଏଡ଼େ ନିଷ୍ଠୁର କଲୁ ମନ ରେ । ।୭।

କହୁଁ ପୁତ୍ରବତ୍ସଳା ଶ୍ରୀଯଶୋଦା,

ସ୍ତନ୍ୟ ଅଶ୍ରୁ ସ୍ୱେଦରେ ହେଲେ ଓଦା,

ନ ଭାଜ ଗୋପାଳକୃଷ୍ଣ କହେ ପୌର୍ଣ୍ଣ –

ମାସୀ କରିବେ ତ ସମାଧାନରେ । ।୮।

 

ରାଗ–ମୋହନା । ମିଶ୍ରଚାପ ତାଳ ।

(ଜଣାଥିଲା କି ମୋତେ ଏ ରୀତିରେ – ପ୍ରତି)

କେଡ଼େ ସୁନ୍ଦର ସ୍ୱପନ ରାତିରେ

ଦେଖିଲି ରୋହିଣୀ ! ଅଛି କତିରେ

ମୋ କୃଷ୍ଣଚନ୍ଦ୍ରମା ବୃଷଭାନୁ ଜେମା

ଦୁହିଁଙ୍କ ଦମ୍ପତି ରୀତିରେ । ।ପଦ।

ନୂଆ ବସନ ନୂତନ ଭୂଷଣ

ଭୂଷିତ ହୋଇ ଆସି ମୋ ଚରଣ

ତଳେ ଓଳଗିଲା ନବବଧୂ ପରି

ତୋଳି ମୁଁ ଧଇଲି ଛାତିରେ । ।୧।

 

ସେ ମୋହର ହୃଦରେ ଥିଲା

ମଲ୍ଲୀମାଳା ମାଗିଲି କାଢ଼ିଦେଲା

ହସି ତୋଷେ ରାଧା କେଶେ ପିନ୍ଧାଇଲି

ବୋଳି ହେଉଛି ପ୍ରତୀତିରେ । ।୨।

ରୁଣ୍ଡ ହେଲା ପ୍ରାୟ ସର୍ବମଙ୍ଗଳ

ଦିଶୁଥିଲା ଏ ଗୃହ ଗହଳ

ବିଳସିଲା ପରି ପ୍ରତେ ହେଉଥିଲା

ପରମ ଲକ୍ଷ୍ମୀ ମୂରତିରେ । ।୩।

 

ଆସୁ ମୋ ଶ୍ୟାମସୁନ୍ଦର ସଦ୍ମକୁ

ଲାଜେ ସେ ଘୁଞ୍ଚିଯିବାର ପଛକୁ

ଚାହିଁ କୋଟିଧନ ଲଭିଲା ପରାୟେ

ହେଉଥିଲା ମୋତେ ସ୍ମୃତିରେ । ।୪।

ପୀଠେ ନ ବସୁ ଭୋଜ୍ୟ ବାଢ଼ି ଦେଲା

ରହି ରନ୍ଧନ ଗୃହେ ଚାହୁଁଥିଲା

ଗୋଷ୍ଠେନ୍ଦୁ ଅଶନାନ୍ତ ପୁଣି ମୁଁ ବୋଲୁଁ

ବସିଲା ତା ଜୁଷ୍ଟ କତିରେ । ।୫।

ଶୁଣି ଗୋପାଳକୃଷ୍ଣ ସେ ସଂଳାପ

ଚଳି ସ୍ୱ ସ୍ୱାମିନୀ ଆଳୀ କଳାପ

ବସିଥିଲେ ଶ୍ରୀଲଳିତାଙ୍କୁ କହିଲା

ଆମୁଳାନ୍ତେ ଏ ସଙ୍ଗତରେ । ।୬।

 

ସଖୀ ପ୍ରତି ଶ୍ରୀରାଧା ଉକ୍ତି

ରାଗ–ଭାଟିଆରୀ । ତାଳ–ତାଳ

ଆରେ ପ୍ରିୟ ସହି ! ସେତେବେଳୁ ଗୋ ଅନ୍ତର ହୁଏ ଦହି

ଅପଘନ ଧରି ପାରିବିକି ରହି । ।ପଦ।

ଅଧନୟନ ଅଧଭାଗେ ଈଷତ କଟାକ୍ଷେ ଅନୁରାଗେ

ବ୍ରଜବଧୂଙ୍କର ରୂପ ମନୋହର

ରିଲୋକି ଥିଲିଟି କେଉଁ ଭାଗ୍ୟେ ।୧।

 

ତହିଁରେ ପୁଣିକି ଏତେ ଜ୍ୱାଳା

ମନମଥ କି ଅନ୍ୟାୟ କଲା

କେତେ ମୁଁ ସହିବି ପଞ୍ଚବାଣ ଦାଉ

ଏଥକୁ ଉପାୟ କହ ଭଲା ।୨।

କେଣେ ଚାହିଁଦେଲି ଶ୍ୟାମରୂପ

ଯହିଁରେ ଭୋଗୁଛି ପରିତାପ

ସୁଖର ସାମଗ୍ରୀ ଦୁଃଖକର ହେଲା

ନ ପୁରୁ ମନର ସଙ୍କଳ୍ପ । ।୩।

 

କାହାକୁ କହିବିଟି ଏ କଥା

ଅନୁଭବର ଯା ମର୍ମେ ବ୍ୟଥା

ଯିବ କି ରହିବ ଏ ପିଣ୍ଡେ ଜୀବନ

ଧିକ ଧିକ ନାରୀ ଜନ୍ମ ବୃଥା ।୪।

ରାଧା ବ୍ୟାଧି ଦଶା ଅନୁମାନି,

ପ୍ରବୋଧି ଗୋପାଳକୃଷ୍ଣ ଭଣି

ଆଗୋ ଭାନୁସୁତା ନୁହଁ ଉତ୍କଣ୍ଠିତା

ତା ଭେଟାଇବି ଶ୍ୟାମେ କୁଞ୍ଜେ ଆଣି ।୫।

 

ଶ୍ରୀରାଧା ଉକ୍ତି

ରାଗ–ଅନନ୍ଦଭୈରବୀ । ଆଦିତାଳ ।

(ଅଳୀ କେଶର କୁଞ୍ଜରୁ ଅଇଲୁ କି – ପ୍ରତି)

ବଂଶୀ ବାଜୁଛି କାହାର କାନନରେ

ନିବିଡ଼ ନୀରବ ନିଶା ନିର୍ଜ୍ଜନରେ ।

ସଖୀ, ପୀୟୁଷ ପୁରିଛି କି ତା ଆନନରେ । ।ପଦ।

କାଳିନ୍ଦୀ ତଟରୁ ସହି      ଆସୁଛି ଏ ନାଦ ବହି

ଏ ଚରଜ ନଗରକୁ ସମାନରେ । ।୧।

ମନମଥର ମୋହନ      ମନ୍ତର ମିତଣି ଘେନ

କରିବ ଯୁବତୀ ସୃଷ୍ଟି ଉର୍ତ୍ସନାରେ । ।୨।

 

ସନକ ସନନ୍ଦ ଆଦି      ଯୋଗୀଜନ ମନ ଭେଦି

ଛଡ଼ାଇ ଦେବନି ବ୍ରହ୍ମ ଧିଆନ ରେ । ।୩।

ଯେ ହେଉ ସେ ବଂଶୀ ବଜା      ନିଶ୍ଚେ ଛଡ଼ାଇବ ଲଜ୍ଜା

ସାରିଦେବ ପତିବ୍ରତା ଗୁମାନ ରେ । ।୪।

ଶ୍ରୁତିରେ ସୁଧା ବରଷା      ହୃଦୟରେ କରି ବସା

ଦହୁଛି ତନୁସ୍ମର ହୁତାଶନ ରେ । ।୫।

ଗୋପାଳକୃଷ୍ଣ କହଇ      ସ୍ୱାମିନୀ ତୁମ୍ଭରି ପାଇଁ

ବଜାଉଛନ୍ତି ବ୍ରଜେନ୍ଦ୍ର ନନ୍ଦନରେ । ।୬।

 

ଶ୍ରୀରାଧା ଉକ୍ତି

ରାଗ–ଶଙ୍କରଭରଣ । ରୂପକ–ତାଳ ।

କାନନରେ ବିତାନରେ ଏକ କି ଗାନ ଶୁଭୁଛି ମା ।

କାନରେ ଏ ନିସ୍ଲନ ପ୍ରସରି – ଜ୍ଞାନ ହରୁଛି ମା । ।ପଦ।

ନିବିଡ଼ ନୀବୀଗ୍ରନ୍ଥି ସାଧବୀ ! ବୀଥିର ଫିଟିଛି ମା ।

କି ବିହିଛିଟି ବିହି ବିବେକ ବୁଦ୍ଧି ନାଶୁଛି ମା । ।୧।

ନାଦ’ ର ଏ କି ମାଦକ ଉନୁମାଦ କରୁଛି ମା ।

ଆଦର ରହୁ ପଦରେ ସୁଧା ସ୍ୱାଦ ଢାଳୁଛି ମା । ।୨।

ଭାବ ଏ କି ପ୍ରଭାବ ରବର ଗ୍ରାବ ଦ୍ରବୁଛି ମା ।

ଏ ବରଜର ଯୁବତୀ ଆବୁର ନେବ ମଣୁଛି ମା । ।୩।

 

ସ୍ୱାନ୍ତକର ଏ ତନ୍ତ୍ରର ଜାଣ ଯନ୍ତ୍ର ରହିଛି ମା ।

ମନ୍ତ୍ରର ପଢ଼ି ଅନ୍ତରକୁ ମୋ’ କୁନ୍ତ ମାରୁଛି ମା । ।୪।

ଆଳୀ କରେ ନିଆଳୀ ମାଳିକା ସେ ପଠାଇଛ ମା ।

ପାଳି କହନ୍ତି କେଳି ମୁରଲି ସେ ବଜାଉଛି ମା । ।୫।

ପରମାକ୍ଷର ଅର୍ଥ ଧ୍ୱନିରେ ପ୍ରକଟ ହେଉଛି ମା ।

ଭରମ କେଣେ ଗୋପାଳକୃଷ୍ଣ ଶୁଣ ଜଣାଉଛି ମା । ।୬।

 

ରାଗ–ଶଙ୍କରାଭରଣ । ରୂପକ ତାଳ ।

କି ନାଦରେ ପ୍ରାଣସଙ୍ଗିନୀ ଶୁଭୁଛି କଦମ୍ବ ବନେ ।

ଶ୍ରୁତିରେ ସୁଧା ବରଷି ଧୃତି ନାଶେ ମଜ୍ଜି ମନେ । ।ପଦ।

ଦିଗ ବିଦିଗେ ପ୍ରସାରି      ଖଗ ମୃଗ ଜଡ଼ କରିରେ, ସହି

କୁଳବତୀ ନୀବୀଗ୍ରନ୍ଥି

ଫିଟାଉଛି ଅଯତନେ । ।୧।

ଜଳ ସ୍ତମ୍ଭ ଗ୍ରାବ ଦ୍ରବ୍ୟ      ହୋଇଲା କି ଅସମ୍ଭବରେ, ସହି

ଆଜନମୁ ଆଜକୁ ମୁଁ ଶୁଣି

ତ ନଥିଲି ଦିନେ । ।୨।

 

ଆସୁ କି ନା ମୋ ପାଶକୁ      ଲଭିଲିଟିକି ଦଶାକୁ ରେ, ସହି

ନୀପ ଫୁଲ ପରି ଲୋମ

ପୁରିଲା ମୋ ଅପଘନେ ।୩।

ବୋଲିଲା କୁସୁମ କୁରୁ      ଗଳି ପଡ଼ିଲା ରମ୍ଭୋରୁ ରେ, ସହି

ରହି ପାରିବ ନାହିଁ ମୁଁ ଛାଡ଼ିଦେ

ନେଇ ସଦନେ । ।୪।

ବଜାଉଛି ରସାଳସି      ନିକୁଞ୍ଜେ ଦେବତା ବଂଶୀରେ, ସହି

ଗୋପାଳକୃଷ୍ଣ ଭାଷଇ

ପ୍ରକଟିଲା ତ୍ରିଭୁବନେ । ।୫।

 

ରାଗ–ବାଦନାମ କ୍ରିୟା । ଏକତାଳ ।

ଶ୍ୟାମସୁନ୍ଦର ମୁରଲୀ ନିନାଦ ଜାତି ନେବ ମଣିଲ ।ପଦ।

ଗୁରୁଜନ ସଙ୍ଗେ      କଥା ପରସଙ୍ଗେ

ବସିଥିଲି କି ଚମକି ପଡ଼ିଲି । ।୧।

ପୂରିଲା ପୁଲକ      ଦେହ ଗୋଟାଯାକ

ବିନା ଶୀତରେ ମୁଁ କେତେ ଥରିଲି । ।୨।

ନାହିଁ ଗଲା ମନ      ବୁଡ଼ିଗଲା ଜ୍ଞାନ

ବେନି ନୟନ ମୁଁ ବୁଜି ରହିଲି । ।୩।

ନିଶି କି ଦିବସ      ବନ କି ଆବାସ

ଜାଗ୍ରତ କି ସ୍ୱପନ ନ ହେଜିଲି । ।୪।

ଗୋପାଳକୃଷ୍ଣ ସେ      ଶ୍ରୀରାଧାଙ୍କୁ ଭାଷେ

ଗ୍ରାବ ଦ୍ରବି ଶ୍ରବୁ ଥିଲା ଚାହିଁଲି ।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

(ମୋହନ ରୀତି ଚିହ୍ନା ପଡ଼ିଲା ମା – ପ୍ରତି)

କଦମ୍ବ ବନେ ବଂଶୀ ବାଜିଲା ରେ ସଜନୀ ।

ରାଧା – ଦମ୍ଭ – ଶିଖରୀ ଭାଜିଲାରେ । ।ପଦ।

ତୋ ବିନା ପ୍ରତିକାର      ଆନ କେ ନାହିଁ ମୋର

ବିବେକ ରତନ ମୋ ହଜିଲା ରେ । ।୧।

କଢ଼ା ମୋତେ ସରଣି      ଆରେ ପ୍ରାଣ ମିତଣି

ନୋହିଲେ ଜୀବନ ବରଜିଲା ରେ । ।୨।

ଦେଖି ବ୍ରଜନ୍ଦୁ ମୁଖ      ଲିଭାଇବିରେ ଦୁଃଖ

ସ୍ମରାନକରେ ତନୁ ଭାଜିଲା ରେ । ।୩।

 

ପଳାଇଲାନି ମନ      ବେଣୁ ପତି ଶୋଭନ

ପୀୟୁଷ ବାରିଧିରେ ମଜ୍ଜିଲାରେ । ।୪।

ଚାଲି ଯିବା ଲଳିତା      ବୋଲୁଁ କୀର୍ତ୍ତିଦା ସୁତା

ସୁଖ ସୁବର୍ଣ୍ଣାବ୍‌ଜ ବିରାଜିଲାରେ । ।୫।

ଏକାନ୍ତେ ଶ୍ରୀଲଳିତା      ଶ୍ରୀବୃଷଭାନୁ ସୁତଃ

ଗୋପାଳକୃଷ୍ଣ ରହି ହେଜିଲାରେ । ।୬।

 

ରାଗ–କୁମ୍ଭ କାମୋଦୀ । ଆଦି ତାଳ ।

ଶ୍ୟାମକୁ ଜୁହାର ତାର ପ୍ରେମକୁ ଜୁହାର ମା ।

ଶୁଣିଛି ତ ପ୍ରସଙ୍ଗରେ      ଚନ୍ଦ୍ରାବଳୀର ସଙ୍ଗରେ

ନାଗରା ବାଜୁଛି ବ୍ରଜ

ଯାକରେ ଯାହାର ମା । ।୧।

ମଥୁରାକୁ ଦଧି ବିକି      ପଥେ ଗଲା ଗୁଆଳିକି

ଶେଯେ ଶୁଆଉଛି ସେ

ଗୋବର୍ଦ୍ଧନ ଗୁହାର ମା । ।୨।

 

ପଡ଼ିଲେ ତା ଆଗରେ      ବୁଡ଼ିବ ଦୁଃଖି ସାଗରେ

ପ୍ରାଣ ଧରି ଚାହିଁବି ମୁଁ

ମୁଖକୁ କାହାର ମା । ।୩।

କଳିନ୍ଦଜା କୂଳରେ      ଚାହିଁଲି ନପ ମୂଳରେ

ପକାଇ ଆସିଲି ଠାରି

ଯାଚୁଥିଲେ ହାର ମା । ।୪।

ଗୋପାଳକୃଷ୍ଣ ଭାଷେ      ସ୍ୱାମିନୀ ତୁମ୍ଭ ପାଇଁ ସେ

ବ୍ରଜବିଧୂ ହୋଇଛନ୍ତି

ସୁରଭି ମାହାର ମା । ।୫।

 

ରାଗ–ପୁନ୍ନାଗ ବରାଡ଼ି । ଏକତାଳ ।

ଜୁହାର ସେ ମୋହନ ପ୍ରୀତକି ଗୋ । ଘୋଷା ।

ଶୁଣିଛି ତ ପ୍ରସଙ୍ଗରେ      ସଦା ହେଉଛି ହୃଦୟ

ଧରି ହେଉ ନାହିଁ ଦଣ୍ଡେ ଧୃତିକି । ।୧।

କେ ମୋ ଲେପନକୁ ଦେଖି      ଥକାଇ ରଖିଲେ ଆଖି

ଜାନୁ ଧରିଯାଉଛି ମୋ ଗତିକି । ।୨।

 

ଜାଣିଲେ ବ୍ରଜ ଗୁଆଳୀ      ଜାତିରୁ ଦେବେ ବିଟାଳି

କହିଦେବ ଜଟିଳା ଜରତୀକି । ।୩।

ଶିରେ ଧରୁଛି ତୋ ହାତ      ଶୁଣରେ ପରାଣ ମିତ

ନ ଆସିଲା ପରି କର ରାତିକି । ।୪।

ଗୋପାଳକୃଷ୍ଣ କହଇ      କେ ଜାଣିବ କାହିଁପାଇଁ

ବୃନ୍ଦାବନେଶ୍ୱରୀ ଏଡ଼େ ଭୀତିକି ? ।୫।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

ମୋହନ ରୀତି ଚିହ୍ନା ପଡ଼ିଲା ମା । ।ପଦ।

ଅପାର ରଜନୀ      ହେଲାରେ ସଜନୀ

ପ୍ରାଚୀ ବଧୂକୁ ବିଧୂ ଚୁମ୍ବିଲା ମା । ।୧।

କି ଯୋଗରେ ଆଜ      ସାଜିଥିଲ ସଜ

କାନନ ମଲ୍ଲୀ ଦଶ ଘଟିଲା ମା । ।୨।

 

ତୋଳି ଦେ ଗୋ ତଳ୍ପ      ପୁରିଲା ସଂକଳ୍ପ

ନିକୁଞ୍ଜ ଭାଗ୍ୟ ଭୋଗ ଅଣ୍ଟିଲା ମା । ।୩।

ପର ପୀରତିକି      ପୁରୁଷ ଜାତିକି

ପରତେ କଲା ଫଳ ମିଳିଲା ମା । ।୪।

ଗୋପାଳକୃଷ୍ଣ ସେ      ସମୟରେ ଭାଷେ

ଲୁଚିଛନ୍ତିଟି ସବୁ ଶୁଭିଲା ମା । ।୫।

 

ରାଗ–ଶ୍ରୀ । ଆଦିତାଳ ।

ମୋହନ ଯା ଯା ତୁ ଛୁଅଁ ନା । ।ପଦ।

ବାରଣ ପରି ନ ଘେନ ବାରଣ ବାଳକ ପରି ହୋନା ।

ବାର ଆଜ ଶ୍ରୀମିତ୍ର ମୁଁ ପୂଜିବି

ଅପକୀରତି ବହ ନା । ।୧।

ବାଟ ନିକଟ ନଟବର ନିପଟ ପାଟକ ଗୋପଜାତି ।

ହାଟ ଘାଟରେ ପଶୁପୀ ଲମ୍ପଟ

ପାପ ହେବ, ଏବେ ଖ୍ୟାତି । ।୨।

 

ଅନ୍ତର ହୁଅ ଧ୍ୱାନ୍ତ ସହଚର କାନ୍ତ ଆସିବେଟି ମୋର ।

ସ୍ୱାନ୍ତରେ ରଖି ହନ୍ତକ କଂସକୁ

କହି ସାରିବେ ସଂସାର । ।୩।

ଆଳୀ ଅଇଲେ ଗାଳି ଦେଇ କରତାଳି ମାରିବେଟି ଚାଳି ।

ଶାଳୀ ଟାପରା ଚନ୍ଦ୍ରାବଳୀକି

କରିବୁ ଯା ବନମାଳୀ । ।୪।

ପାଣି କୋରକୀକୃତ କରି ସେ ହରି ସେବକୀ ବୋଲୁଁ ମୁହିଁ ।

ଜାଣି ସେବ ବୋଲି ସେ ବନାନ୍ତରେ

ଗୋପାଳକୃଷ୍ଣ କହଇ । ।୫।

 

ରାଗ–ଖମାଚ । ରୂପକ–ତାଳ ।

ମୋହନ ପ୍ରସଙ୍ଗ ସଙ୍ଗିନୀରେ ଆଉ କହନା ।

ଅଭ୍ର୍ୟଲିହ ଅନଳରେ ସମିଧ ଦେଇ ଦହନା । ।ପଦ।

ପୁଣି ମୁଁ ଆଶା କରିବି      ବୋଲି କି କହୁଛି ଭାବି

ଶୁଖିଗଲା ଅଗାଧ ତରଣି

ସ୍ରୋତ ପ୍ରବାହ ନା । ।୧।

ଶାଶୁ ନଣନ୍ଦ ଭର୍ତ୍ସନା            ସ୍ୱବନ୍ଧୁ ଜନ ତର୍ଜ୍ଜନା

କେତେ ସୁହାଇବି ତନୁ

ଶିଳା ମୁଁ ମହୀରୁହ ନା । ।୨।

 

କୁମୁଦିନୀ ଗୋପୀବ୍ରଜ      ବ୍ରଜବଧୂ ସେ ସହଜ

ସେ କି ତୃଷିତ ଚାତକ

ମୁଁ ନବ ବରିବାହ ନା । ।୩।

ଲୁଚାଇ ଜାତି ନାଶିଲି      ଅଲଂଘ୍ୟ ଯାକ ଲଂଘିଲି

ବାସ ପ୍ରସାରି ମାଗୁଛି ସରି ଗୋ

ସେ ସ୍ନେହ ନା । ।୪।

ଗୋପାଳକୃଷ୍ଣ ଭାଷିତ      ଶ୍ୟାମ ଲଳିତା ଏକାନ୍ତ

ହେଉଛନ୍ତି ପ୍ରାଙ୍ଗଣରେ

ମାନସରେ ସନ୍ଦେହ ନା । ।୫।

 

ରାଗ–ଆନନ୍ଦ ଭୈରବୀ । ମିଶ୍ରଚାପ ତାଳ ।

ଜଣାଗଲା । କାହିଁକି ପରିମାଣ ?

କରର ଚୂଡ଼ିକି ଲୋଡ଼ା କେଣେ ଦରପଣ ? ।ପଦ।

ଲଲାଟେ ସିନ୍ଦୂର ଚିହ୍ନ ହୋଇଛି ବିଭ୍ରାଣ

ଡେରିଲା ପରି ମଦନ ଶାଣିତ କୃପାଣ । ।୧।

ଅଧର ଅଞ୍ଜନ ଦାଗ ଦହୁଛି ପରାଣ

ଚନ୍ଦ୍ରାବଳୀ କ୍ରୋଡ଼ କୁରଙ୍ଗ କର ପ୍ରୟାଣ । ।୨।

ଘଷିଛି ତା ତନୁ ହେମ କଷଟି ପାଷାଣ

ଗଣ୍ଡେ ଧରି ଦେଖି ଯା ଦର୍ପଣ ଯୁଗରାଣ । ।୩।

 

ଶାଖୋଟ କୁଞ୍ଜଗୃହିଣୀ ବିଟ ନ ବଖାଣ

ବକୀ ବଧ କଥା କି ବହୁ ଦିନ ପୁରାଣ । ।୪।

ବିବେକ ପଣେ ବାରଣ ପରାଏ ସୁଜାଣ

ସରସ ପଣରେ ବୃଦ୍ଧ ଗଉର ବଷାଣ । ।୫।

ଭାଷେ ଗୋପାଳକୃଷ୍ଣ ଦେଉଥିଲ ତ ରାଣ

ହାତଯୋଡ଼ି ବୋଲେ ଏବେ କର ପରିତ୍ରାଣ । ।୬।

 

ରାଗ–ଆନନ୍ଦ ଭୈରବୀ । ଏକ ତାଳ ।

(କେଡ଼େ ହଟିଆରେ ସେ ନବ ନାଗର)

ମୋତେ ଲଗାନା ରେ ସହି ବ୍ରଜବଧୂ ଲଟ ।

ତୃଣରୁ ତୁଚ୍ଛ ଜଟିଳା କରିବ ନିପଟ । ।ପଦ।

ଥରେ ହେଲେ ସ୍ୱଚ୍ଛ କରି      ବିଲୋକି ନାହିଁ ମୁଁ କରି

କଳା କି ଗୋରା ସେ ନବ ଶିଖଣ୍ଡ ମୁକୁଟ । ।୧।

ଆତି ମନ୍ଦ ମୋ ନଣନ୍ଦ      ଜିଣିଲା କ୍ଷଣି ଅଳିନ୍ଦ

ସକ୍ରୋଧ ହୋଇ ବଦନ କରୁଛି ବିକଟ । ।୨।

 

କାଲି ଗୋଷ୍ଠ ପ୍ରାଙ୍ଗଣରେ      ବୃଦ୍ଧା ଆଭୀରୀ ସଭାରେ

ଚନ୍ଦ୍ରାବଳୀର ଚରିତ ବସିଥିଲା ହାଟ । ।୩।

ଚାଲୁ ପାଦ କଣ୍ଟି କଣ୍ଟି      ପଡ଼ୁଛି ନାନା ଅରିଷ୍ଟି

ତୁଚ୍ଛାକୁ ଲୋକେ ତରକି ବାନ୍ଧୁଛନ୍ତି ବାଟ । ।୪।

କୃଷ୍ଣ ଲାଗି ମା ଦେଇ      ଗୋପାଳକୃଷ୍ଣ କହଇ

ଆଳି ଦେଇଛନ୍ତି, କିଳି ନ ଥାଅ କବାଟ । ।୫।

 

ରାଗ–ବିଳାହରି । ମିଶ୍ରଚାପ ତାଳ ।

ଏ କି ହଟା । ବ୍ରଜ ଗୋଟାଯାକ ପଡ଼ିଲାନି ହୁରି ମା । ।ପଦ।

ଆଜମନରୁ ଆଜକୁ ମୁହିଁ      ସଦନ ଅଳିନ୍ଦ ଚିଣି ନାହିଁ

ଦେଖ ପାଦ କଣ୍ଟି ଚାଲୁ ଚାଲୁ

ହେଲି ଏତେ ସରି ମା ।୧।

ବନକୁ ଗତାଗତରେ ତାର       କେବେଟି କେମନ୍ତ ଦେଖିବାର

ଏହି ଦୋଷ ଦେଲେ ଏକା

ମାତରକ ମୁହିଁ ହାରି ମା ।୨।

 

ଇତର ଜନଙ୍କ ପରି ମୁହିଁ      ହୋଇଥିଲେ କଥା କୁହାକୁହିଁ

ଦିଅନ୍ତେନି ପରା ଏତେବେଳୁ

ଜାତିରୁ ନିବାରି ମା ।୩।

କୋଠାରେ କେ ସାକ୍ଷୀ କେତେବେଳେ

ମୁଁ ଥିଲି ସେ ବ୍ରଜବଧୂ ତୁଲେ

ବୃଥା ଅପବାଦ ଆରୋପଣ

ନ ଦେଖି ନ ଧରି ମା ।୪।

ଗୋପାଳକୃଷ୍ଣ ପଟ୍ଟନାୟକ ଭାଷେ ସ୍ୱାମିନୀ ଏ ବ୍ରଜଲୋକ

ପରଷିଲେ ମିଛ ବୋଲିବି

ମୁଁ ପରମାଣ କରି ମା ।୫।

 

ରାଗ–ନାଦନାମ କ୍ରିୟା । ମିଶ୍ରଚାପ ତାଳ ।

କି କି ପରାମାଦ ଆସି ପଡ଼ିଲା ମା ।

ଦଣ୍ଡେ ତ ଶ୍ୟାମ ସଙ୍ଗ ନ ଛାଡ଼ିଲା ମା । ।ପଦ।

ସେହି ବରହ ଉତ୍ତଂସ      ସେହି ନଟବର ବେଶ

ଯେଣେ ଗଲେ ଆଗେ ରହି ଅଡ଼ିଲା ମା । ।୧।

ଚଳି ଯେତେ ପରି କଳି      କଲେ ଶିଖଣ୍ଡ ମଉଳି

ନ ଛଳି କର ଶିରରେ ଯୋଡ଼ିଲା ମା । ।୨।

 

ରୋଷେ ମୁଁ ଅଧର ଦଂଶି      ବେଣୀ ଶେଷରେ ପ୍ରେୟସୀ

ମାରୁ ମାରୁ ହୃଦେ ହସି ଜଡ଼ିଲା ମା । ।୩।

କେଉଁ ପଥେ କେ ନ ଜାଣୁ      ଯାଇ ସେ ମୁଁ ନଯାଉଣୁ

ନିତି ମୋର ଶେଯରେ ପହୁଡ଼ିଲା ମା । ।୪।

ଗୋପାଳକୃଷ୍ଣ ଭାଷଣ      ବୃଷଭାନୁ ଜେମା ଶୁଣ

ସେ ପ୍ରେମସିନ୍ଧୁ ରେ ଚିତ୍ତ ବୁଡ଼ିଲା ମା । ।୫।

 

ରାଗ–ପରଜ । ତିସ୍ରଜାତି–ଏକତାଳ ।

(ରାଧାକୃଷ୍ଣ ନାମ ଚିନ୍ତାମଣିକି – ପ୍ରତି)

କି କରିବି ବ୍ରଜବଧୂଲାଗିରେ ସଖି ।

ମୋର ହୃଦରେ ରହିଲା ଜଗିରେ । ।ପଦ।

ପ୍ରିୟକ ମୂଳୁ (କଦମ୍ବ)      ପଲକ ନ ଢଳୁ

ଆଗେ ମିଳିଗଲା କେଡ଼େ ବେଗିରେ । ।୧।

ନବେନ୍ଦୀବର      ସୁଷମା ଯାହାର

କେତେ ନତି କରୁଛି ଭ୍ରୂଭଙ୍ଗୀରେ । ।୨।

କାଢ଼ି ଶ୍ରବସ      ଚମ୍ପକ ଉତ୍ତଂସ

ହେଟି ଯାଚୁଛି ପରାଣ ସଙ୍ଗିରେ । ।୩।

 

ଧଇଲା ହାତ      ଦେଖ ଗୋ ସଙ୍ଗାତ

ଛାଡ଼ୁନାହିଁ ଦେଲେ ତ ମୁଁ ଫିଙ୍ଗିରେ । ।୪।

କାହିଁରେ ଅଛି      କେ ମୁଁ କି କରୁଛି

ଜାଣୁନାହିଁ ଖାଇଲି କି ଲାଗିରେ । ।୫।

କହେ ଗୋପାଳ -      କୃଷ୍ଣ ପୀତ ଚେଳା

ସତୀ ଧୃତି ଗିରି ଦେଲା ଭାଙ୍ଗିରେ । ।୬।

 

ରାଗ–ଭୈରବୀ । ମିଶ୍ରଚାପ ତାଳ ।

ଛଇଳବର ଛାମୁରେ ପଡ଼ିଲା । ମା ।

ଛନ୍ଦି ହେଲା ପଦ ତୋତେ ଲୋଡ଼ିଲି । ।ପଦ।

ଆଗେ ଗଲା ଇନ୍ଦୁ ଲେଖା      ପଛେ ରହିଲା ବିଶାଖା

ଏକା ଲାଜ ଜଳଧିରେ ବୁଡ଼ିଲି । ।୧।

ଦମ ଦମ ହେଲା ଛାତି      ଖସିଗଲା ଗୋ ମୋ ଧ୍ୱନି

କହିବାର ଭାରତୀ ମୁଁ ହୁଡ଼ିଲି । ।୨।

ରୋମାଞ୍ଚିତ ହୋଇଗଲି      ଛୁଆଇଁ ଦେଇ ମୁରଲୀ

ହସି ଦନ୍ତେ ଦନ୍ତ ବାସ ଭିଡ଼ିଲି । ।୩।

 

ଥରି ଥରି ପ୍ରାଣମିତ      ପାଣିକି କୋରକୀକୃତ

କରି କେତେ ଥର ଶିର ଯୋଡ଼ିଲି । ।୪।

ଧନ ଜନ ଗଉରବ      ଗୁରୁଜନ ଭାଷ ଭାବ

କୁଳାଚାର ଧରମକୁ ଏଡ଼ିଲି । ।୫।

ଗୋପାଳକୃଷ୍ଣ ଭାଷିଲା      ହେଟି କୁଟିଳା ଆସିଲା

ବୋଲି ଗଲେ ଏତିକି ବାହୁଡ଼ିଲି ମା । ।୬।

 

ରାଗ–ଧନାଶ୍ରୀ । ତିସ୍ରଜାତି ଏକତାଳି ।

କରୁଥିଲି ମୁଁ ନାହିଁ ନାହିଁରେ ।

ଆଣି ପକାଇଦେଲୁ ମୋତେ କାହିଁରେ । ।ପଦ।

ଯିବା ବୋଲି ଗାଧୋଇ      ଫାନ୍ଦେ ମୋତେ ପକାଇ

ବ୍ରଜବିଧୂ କଲୁ ମୁହାଁମୁହିଁରେ । ।୧।

ଜିଣିଛି ରଣ ରଣ (କନ୍ଦର୍ପ)      ଯାର ସୁନ୍ଦର ପଣ

ପତିବ୍ରତାକୁ ପକାଉଛି ମୋହିରେ । ।୨।

 

ପଡ଼ିଲା କି ବିପତ୍ତି      ଖସିଗଲା ମୋ ଧୃତି

ଅନା ଚାହିଁବାର ସେ ରହି ରହି ରେ । ।୩।

କେ ଦେଖିଦେଲେ ମୋର      ସରିଯିବ ସଂସାର

ହେଲେ ନିକଟ କର ପରିତ୍ରାହିରେ । ।୪।

ଏଣେ ତେଣେ ଅନାଇ      ଶ୍ୟାମ ହୃଦେ ଲଗାଇ

ଘେନିଗଲେ ଗୋପାଳକୃଷ୍ଣ କହିରେ । ।୫।

 

ରାଗ–ମରୁଆ । ମିଶ୍ରଚାପ ତାଳ ।

ଧୃତିକି ଧରିବରେ ସଜନୀ କି କରି ।

ନିତିକି ନିତି ହେଲେ ଏପରି । ।ପଦ।

ପ୍ରେମ ବିଭିନ୍ନରୁ ଯେତେ ଯାତନାରେ

ବୈରୀବତ ତ ନ ଘେନନ୍ତି ହରି । ।୧।

ପ୍ରୀତି ନ ଜାଣିଲା ସ୍ଥିତି ଏ ଲାଗିରେ

ସ୍ୱୈରାଣୀ ବୋଲନ୍ତି ଏ ବ୍ରଜନାରୀ । ।୨।

ମାରିଛି ଦୁର୍ବଳ ନାହିଁ ବିବେକରେ

ଶୌରିସୁତରେ କି ଦୋଷ ମୁଁ ନାରୀ । ।୩।

ଆନ କି ଘେନନ୍ତି ଏ ଦୁଃଖ ନ ଜାଣୁ

ଗୋରୀକାଳୁ ସଙ୍ଗତ ସହଚରୀ । ।୪।

ଗୋପାଳକୃଷ୍ଣ କହଇ ଶ୍ରୀମତୀ ଗୋ

ଗୌରୀତୀର୍ଥକୁ ଗମିଲେ ମୁରାରି । ।୫।

 

ରାଗ–ମାୟାମାଳବଗୌଡ଼ । ମିଶ୍ରଚାପ ତାଳ ।

ଶ୍ୟାମ ଯା ଯା ଯା ଜୁହାର ତୋ ପୀରତିକି । ।ପଦ।

ତୋର କଥାକୁ କୁଳଜା      ପରତେ କରିଥିବ ଯା

ହୃଦୟରେ ମାରି ନ ଘେନ କାତିକ । ।୧।

ବରଜର ଗାରଡ଼ିଆ      ଦେଖାଇ ଏ ଭୁରୁଡ଼ିଆଁ

ମନମଥ ଭୂତ ଲଗାଉ ସତୀକି । ।୨।

ମୁଁ ବୁଦ୍ଧି ହୁଡ଼ିଲିନି ତ      ହୋଇଲା କାଳେ ବାଳୁତ

ମାରି ପକାଇ ଥିଲା କେ ଯୁବତୀକି । ।୩।

ଗୋବର୍ଦ୍ଧନ ମଲ୍ଲ ଘରୁ      ଲୁଚି ଅଇଲା ବେଳରୁ

ଚାହୁଁ ନ ଥିଲି ମୁଁ କି ସେ ପଦ୍ଧତିକି । ।୪।

ଗୋପାଳକୃଷ୍ଣ ଚିହ୍ନଇ      ବୋଲନ୍ତି ମୁଁ ସେ ନୁହଁଇ

ଛୁଅଁ ବୋଇଲେ ଛୁଇଁବି ଧରତି କି । ।୫।

 

ରାଗ–ଭୈରବୀ । ରୂପକ ତାଳ ।

(ହୋଇଥାରେ ବେଶ କୁଞ୍ଜକୁ ଯିବା ପରା – ପ୍ରତି)

ଦେଖିଲେ ପରାଣ ଯିବ ଛାଡ଼ି ମୋହନ । ।ପଦ।

ବାସ ବରଜ ହେଲେ କହୁଛି      ବେଶ ଖସିଲା ଖୋସୁଛି

କେଶୀ ମଥନ ଜୁହାରୁଛି କେ

ସେ ଟି ଏଣିକି ଆସୁଛି ।୧।

ସାହସ ଏଡ଼େ କେ କରିବ      ଆହରେ ନାରୀ ଧରିବ

ସହଚରୀ ଅଛି ଜାଣିବ ରହ

ମୋ ସଂସାର ସରିବ ।୨।

 

ଜଟିଳା ଦେବଟି କଷଣ      ନା ଟି ଏବେ ମୋ ରାଣ

କୋଟିବାର ତୁମ୍ଭ ଶରଣ ହେଟି

ଜନ ଭାଷଣ ଶୁଣ ।୩।

ଦିନକର ପୂଜାର ଫୁଲ      ବନଜାଷ ପରଶିଲ

ବନଯାକ ବୁଲି ଅଇଲ ସ୍ନାନ

କରିଥିଲି ଛୁଇଁଲ । ।୪।

କେଳିକୁଞ୍ଜ ଫୁଲ ଶେଯେ      କଲେ ରାଧାକୃଷ୍ଣ ବିଜେ

ଭାଳି ଗୋପାଳକୃଷ୍ଣ ଭଜେ

ମିଳି ସେ ଚରଣ ସରୋଜେ ।୫।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

ଗୋଷ୍ଠଚନ୍ଦ୍ରମାକୁ ଆସ ବୋଲି ବାରେ ସହି

କହିଦେଲୁ ନିକି ରେ । ।ପଦ।

ଏତିକି ବେଳୁଁ ମୋ ତନୁ ଥରିଲାନି ।

ଦେଖିନାହିଁ ମୁଖ ଆଉରି ଆଖିରେ । ।୧।

ଗୃହକୃତ୍ୟ ସ୍ଫୁର୍ତ୍ତି ହେଲା ନାହିଁ ତିନି ପହରରୁ ମତିରେ

କେତେବେଳେ କେ ଦେଖିଦେବଟି ବୋଲି

ଦମ ଦମ ହୃଦ ହେଉଛି ଭୀତିରେ । ।୨।

କି ବୁଦ୍ଧି କରିବି କୁଟିଳା ମର୍କଟମୁଖୀ ଅଛି ପୁରରେ

ଅଗଣାକୁ ଗଲେ ଦେଇ ଅପବାଦ

ମାରି ତାଳି ଆସି ନାଚିବ ଦୁଆରେ । ।୩।

 

କି କରୁଥିଲେ ତୁହି ଗଲାବେଳକୁ ଥିଲେ କେଉଁ ଠାବରେ

କି ହୋଇଲୁ କିସ ପଚାରିଲେ ତୋତେ

କହୁ ସିନା ଚାଲ ଯିବା ରହସ୍ୟରେ । ।୪।

ନଆସ ବୋଲି ଜଣାଅଯାଇ ହେଲେ ସଖି ଜୁହାରନ୍ତି ମା

ଚନ୍ଦ୍ରାବଳୀ ହେଲା ପରି ହେବ ସିନା

ଜଳ ଜଳ ମୋତେ ଦିଶୁଛି ଆଖିରେ । ।୫।

ଗୋପାଳକୃଷ୍ଣଭାଷେ ଜଗିଥିଲେ ସେ ତୋପାଇଁ ପ୍ରାଙ୍ଗଣରେ

ଲାଗ ହୋଇ ଏଣେ ତେଣେ ଚାହିଁ ଧୀରେ

ଭାଷିଲେ ଥାଉଛି ପୁଷ୍ପ ବାଟିକାରେ । ।୬।

 

 

 

ରାଗ–ଖରହରପ୍ରିୟ । ମିଶ୍ରଚାପ ତାଳ ।

ମୁହାଁମୁହିଁ କିଶୋରଚନ୍ଦ୍ର ମାଙ୍କର ମୋର

ଆଜ ଯମୁନାତୀରେ ହୋଇଗଲା ମା । ।ପଦ।

ବେଳା ଶିଳାରେ ବସି      ହେଳାରେ ତନୁ ଘସି

ହେଉଥିଲି ବୟସୀ ଠାରି ଦେଲା ମା । ।୧।

ଉଠୁ ମୁଁ ଝଟକରି      ଆଳୀ ଆପଟ କରି

ପ୍ରତି ପ୍ରତୀକ ଯାକ ଥରିଗଲା ମା । ।୨।

ଫିଟି ଚରମେ କେଶ      ଲୋଟୁଥିଲା ଗୋ ବାସ

ଥିବାଠାରେ ଯତନରେ ନଥିଲା ମା । ।୩।

 

ଆଉରି ରହ ବୋଲି      ସେକାଳେ ଭୁରୁବଲ୍ଲୀ

ଚାଳି ଚାହୁଁ ମୋ ଜ୍ଞାନ ହଜିଗଲା ମା । ।୪।

ପଥରକୁ ଆସୁ ସେ      ପଥ ମୋତେ ନ ଦିଶେ

ପାଥରେ ବୁଡ଼ ଆଳୀ କହିଦେଲା ମା । ।୫।

ବୁଡ଼ିଗଲା ଲାଜରେ      କାଳିନ୍ଦୀ ନୀରେ ନୀରେ

ଗୋପାଳକୃଷ୍ଣ ବାଟ କଢ଼ାଇଲା ମା । ।୬।

 

 

 

ରାଗ–ବିଳାହାରି । ଆଦି ତାଳ ।

ଶ୍ୟାମ ଅପରାଧିନୀ ସଙ୍ଗିନୀ । ।ପଦ।

ଚନ୍ଦ୍ରାବଳୀକି      ଆଣନ୍ତୁ ସେ ଡାକି

ସେ ସିନା ହୃଦର ବିଳାସିନୀ ମା । ।୧।

ଗଲେ ଯିବି ଯେଣେ      ନ ଛାଡ଼ିବି କ୍ଷଣେ

ଗହଣେ ଥିବି ଦିନ ରଜନୀ । ।୨।

ମୋର ତହୁଁ ବଳି      ଅଛନ୍ତି ଗୁଆଳୀ

ଯିବେ ତ କଲେ ମୁରଲୀ ଧ୍ୱନି । ।୩।

ମଥା ମୋର ବ୍ୟଥା      କହି ନୁହେଁ କଥା

ତୋ କୁନ୍ଦମାଳା ତୁ ନିଅ ଘେନି । ।୪।

କହଇ ଗୋପାଳ      କୃଷ୍ଣ ସହି ଚଳ

ପ୍ରୀତିର ଫଳ ତ ମିଳିଲାନି । ।୫।

 

ରାଗ–ଖମାଚ । ଆଦି ତାଳ ।

(ଭଜମନ ହରି ପ୍ରାଣ ପ୍ରେୟସୀ ଶ୍ରୀମତୀଙ୍କ – ପ୍ରତି)

ଆଜ ବ୍ରଜରାଜ ପୁରେ ଲାଜେ ମୁଁ ବୁଡ଼ିଲି ମା । ।ପଦ।

ରୋହିଣୀଙ୍କ ସଙ୍ଗତରେ      ଥିଲି ରନ୍ଧନ ମନ୍ଦିରେ

ପଛକୁ ନାଗରଙ୍କର ଦୃଷ୍ଟିରେ

ପଡ଼ିଲି ମା । ।୧।

ହୃଦ କରେ ଦମ ଦମ      ବୁଦ୍ଧି ମୋ ହୋଇଲା ବାମ

ସୁଧା ସମ ଶିଖରିଣୀ ଜଳେ

ନିଉଡ଼ିଲି ମା । ।୨।

କପଟିନୀ କୁନ୍ଦବଲ୍ଲୀ      ଜାଣି ପାଶୁଁ ଗଲା ଚଳି

ସାରୀ ପଢ଼ିବାରୁ ଆଣି ଓଢ଼ଣି

ଓଢ଼ଲି ମା । ।୩।

 

ହେଲା କି ପାକ ସମ୍ଭାର      ବୋଲି ପଚାରନ୍ତେ ମୋର

ଧୃତି ଖସିଗଲା ପ୍ରତି ଉତ୍ତର

ହୁଡ଼ିଲି ମା । ।୪।

ମୋ ଓଷ୍ଠ କମ୍ପିଲା ଚାହିଁ      ହସିଲା ସେ ଆଡ଼େ ରହି

ତା ଇଙ୍ଗିତ ହେଜି ଶୀଘ୍ରେ ଅଧର

ପୀଡ଼ିଲି ମା । ।୫।

ଗୋପାଳକୃଷ୍ଣ କହିଲା      ରହୁ ଜଟିଳା ଅଇଲା

ଆସନ୍ତୁ ସଜନୀ ତୋତେ କେତେ ମୁଁ

ଲୋଡ଼ିଲି ମା ।୬।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ଝଗଡ଼ି ମାତ୍ର ହେଲ ହେ ଶ୍ୟାମ – ପ୍ରତି)

କାହିଁକି ଶ୍ୟାମ ବନ୍ଧୁ ମୁରତି ଗୋ ।

ସଦା ଦିଶୁଛି ମୋତେ ଦିନ ରାତି ଗୋ । ।ପଦ।

ପଛୁଁ ଆସିଲା ପରି ହୁଏ ମତି

ଚାହିଁଲେ କେ ନ ଦିଶେ ଏ କି ରୀତି । ।୧।

ଆସି ବେଗେ ରହୁଁ ହେଟି ଜରତୀ

ବୋଲୁ ମୋ ହୃଦେ ଲୁକୁଛି ଝଟତି । ।୨।

 

ଆଖି ବୁଜିଲେ କୁଞ୍ଜବନେ ନିତି

ସ୍ୱପ୍ନେ ବୁଲାଉଛି ଏ କି ବିପତ୍ତି । ।୩।

ଘରୁ ଅଗଣାକୁ ଯିବାକୁ ଭୀତି

ଲାଗିଲାନି ମୋତେ କହ କି ଗତି । ।୪।

କୃଷ୍ଣ କୃଷ୍ଣ ବୋଇଲାର ଭାରତୀ

କାନରେ ପଡ଼ିଲେ ଥରୁଛି ଛାତି । ।୫।

ଗୋପାଳକୃଷ୍ଣ ବୋଇଲା ବିଚ୍ଛିତ୍ତ

ବଶରୁ ଏପରି ହେଉଛି ସ୍ଫୂର୍ତ୍ତି । ।୬।

 

ରାଗ–ଶଙ୍କରାଭରଣ । ରୂପକ ତାଳ ।

ଲାଗି ଲାଣି ସଙ୍ଗିନୀ ମୋତେ

ସରିକି ପକାଇ ଦେଲୁ ମୋହନ ହାତେ । ।ପଦ।

ନାହିଁ ନାହିଁ କରୁଥିଲି      ଫୁଲ ତୋଳି ଯିବା ବୋଲି

ଘେନିଗଲୁ ଯେ ଭୁଲାଇ

କୁଞ୍ଜବନକୁ ସଙ୍ଗତେ । ।୧।

କେବେହେଲେ ଯେ ବିଚାର      ସହି, ତାଙ୍କର ତୋହର

ଅଲଂଘ୍ୟ ପତିବରତା ବ୍ରତ

ନାଶିଲୁ ଇଷିତେ । ।୨।

 

ବୃନ୍ଦା ଜାଣିଗଲେନି ତ      ସଙ୍ଗତି ଯାକ ଯାବନ୍ତ

ହସି ହସି ମାଳା ଦେଲେ

ଆଜ ବସି ମୋ ପୁରତେ ।୩।

ବରଜଯାକ ଶୁଣିବେ      ଶ୍ରୀପୌର୍ଣ୍ଣମାସୀ ଜାଣିବେ

ଚନ୍ଦ୍ରାବଳୀ ପରି ରାଧା ହେଲା

ବୋଲିବେ ଜଗତେ ।୪।

ଗୋପାଳକୃଷ୍ଣ କହଇ      ସେପରି ରେ ମୁଁ ନୁହଇ

ସରିଛି ବିହାର ସବୁ ଧୂଳିରେ

ନାହିଁ କିଞ୍ଚିତେ । ।୫।

 

ରାଗ–ପୁନ୍ନଗା । ତାଳ–ତ୍ରିପୁଟା ।

କେ ମୁଁ କି ଜାଣଇ ମା । ଗୋଷ୍ଠଚନ୍ଦ୍ର ମା

ତୋ ମୁଖରୁ ସିନା ଏବେ ଶୁଣୁଛି ମା । ।ପଦ।

ଜିଣି ନାହିଁ ଦେହଳୀ      ସହି, ଆଜକୁ ବୋଲି

କୁଟିଳା କଟାଳକୁ ଡରି ।

ଗବାକ୍ଷ ମାର୍ଗର      ସେ ନୀଳ ପୁରନ୍ଦର

ଛବିକି ଦେଖିଛି ଥରେ ଅନାଇ ମା । ।୧।

କଲା କେ କି ମନ୍ତର      ପରା ହୃଦେ ମୋହର

ରହି ଦିଶୁଛି ଦିଶେ ଦିଶେ

ପକାଇଲେ ଆଗର      ପଥ ଓଗାଳିଲେ ମୋର

ଶ୍ୟାମସୁନ୍ଦର ଭୁଜ ପ୍ରସାରି ଦେଇ । ।୨।

 

କଳିନ୍ଦ ତନୟାକୁ      କାଲି ଗାଧୋଇବାକୁ

ଗଲାବେଳେ ମୁଁ ଏକା ହୋଇ

ପ୍ରତିଛନ୍ଦ ମୁରତି      ପରି ହେଲା ପ୍ରତୀତି

ଦିଶୁଥିଲା ତ୍ରିଭଙ୍ଗ ଭଙ୍ଗିମା ହୋଇ । ।୩।

କେଉଁଠାରେ ସଦନ      ସେ କାହାର ନନ୍ଦନ

ଚାହୁଁଥିଲା ବେଣୁ ବଜାଇ

ଗୋପାଳକୃଷ୍ଣ ଭାଷେ      ପ୍ରାଣନାଥ ହେବେ ସେ

ଲୋଡ଼ା ଲାଗିବନି ଦୁତି ତୁମ୍ଭ ପାଇଁ । ।୪।

 

ରାଗ–ମାୟାମଳବଗୌଡ଼ା । ଏକତାଳ ।

ହେଟି ମା କେଟି କୁଞ୍ଜ କୁଟୀରେ । ।ପଦ।

କଳା ହୋଇ ଦିଶୁଛି      ଡୋଳା ଏଣେ ଢାଳୁଛି

ପକାଇ ଆସୁଛି ବାଜୁଛି ତୁଳାକୋଟି । ।୧।

ମୃଗମଦ ଉତ୍ପଳ      ଅଗୁରୁ ପରିମଳ

ଲାଗରୁ ପ୍ରସରୁଛି କଟିରେ ପୀତଧଟି । ।୨।

 

ଚଳାପାଙ୍ଗିନି ଚାଲ      ତୋଳା ନୋହୁ ସେ ଫୁଲ

କଳାପି ପିଚ୍ଛ ଚୂଳ ଅନାଉଛି ଲେଉଟି । ।୩।

କୁଞ୍ଜ ଘୁମାଇଲାନି       ସଞ୍ଜ ହୋଇ ଗଲାନି

ଅଞ୍ଜନ ନିଭ ନବ ଘନ ଆସିଲା ଘୋଟି । ।୪।

ଗୋପାଳକୃଷ୍ଣ ଭାଷେ      ହେଳା ନକରି କି ସେ

କ୍ଷପାକର ଲାପନ ଆସୁଛି ପାଛୋଟ । ।୫।

 

 

 

ରାଗ–ମୋହନା । ଏକତାଳ ।

ମୋ ମନରୁ ଯାଉନାହିଁରେ ସଙ୍ଗୀତ ।

ବ୍ରଜେନ୍ଦୁ ବୋଲି କେ            ଜାଣଇଁ ତମାଳ

ଭ୍ରମରେ ଦେଲି ଅନାଇରେ । ।୧।

ବରହୀ ମୁକୁଟ      ଖଞ୍ଜଣୀ ଚାତୁରୀ

ବିବେକ ଦେଲା ହଜାଇରେ । ।୨।

ରହି ରହି ଡୋଳା      ଢାଳି ଦେଇ ଶ୍ରୁତି

ତଟେ ଦେବାର ଥକାଇରେ । ।୩।

ଗୋଷ୍ଠେନ୍ଦୁ ପୁଣ୍ୟ      ପୁଞ୍ଜ ଅନୁଭବକୁ

ଅଛିଟି କାହାରି ପାଇଁରେ । ।୪।

ପୁଷ୍ପବାଟୀଶିଳା      ବେହରଣ କଥା

ଗୋପାଳକୃଷ୍ଣ କହଇ ରେ । ।୫।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

କି କରି ନାହିଁ ପଙ୍କଜମୁଖ ଶ୍ୟାମ ଅଙ୍କ ସୁଖ ଆଶରେ

ଧିକ ହେଉ ଧୈର୍ଯ୍ୟ ଧରିକି ଜୀଇଁଛି ପାମରୀ ମୁଁ

କୁଳଜାଙ୍କର ତତିରେ ।ପଦ।

ପରାଣ ସମାନ ଆପଣା ଦୁହିଁକି ଦେଇ ମୁଁ କଷଣ ରେ

ଜାର ବ୍ରଜରାଜ ସନ୍ନିଧିକି ଅନୁବରଜାଇଲି

ଯା ମାର ଉନ୍ମାଦରେ ।୧।

ଗୁରୁତର ଲଜ୍ଜା ନୂଆ ବୟସରେ ଦେଲି ଶିଥିଳାଇ ଯେ

ଗୁଣମତୀ ରାମା ମୋଆଡ଼କୁ ଚାହିଁ

ନହସିବେକି ହାତଦେଇ ମୁଖରେ ।୨।

 

ଅଲଂଘ୍ୟ କୁଳ ଧରମ ଅକୂପାର ନଗଗୁରୁ ପରି ରେ

ଚଳୁ କରିଦେଲି କି ଜନମିଥିଲି

ଏଥିପାଇଁ ଏକା ଏ ବସୁମତୀରେ ।୩।

ସାଧ୍ୱୀ ସନ୍ଦୋହରୁ ଶିଖି ସିଦ୍ଧ କରିଥିଲି ଯେଉଁ ଗୁଣରେ

ଜାଣି ଜାଣି ତୃଣ ସମାନରେ ଗଣି ମୂଢ଼ପଣରେ

କି ତେଜିଲିରେ ।୪।

ବୋଲୁଁ ବିଶାଖା ଶ୍ୟାମ ଲାଗି ରଙ୍ଗଣୀମାଳା ଦେଲେ ଗଳାରେ

ସ୍ୱାମିନୀ ସୁପ୍ରସନ୍ନ ଚାହିଁ ଗୋପାଳକୃଷ୍ଣ

ମଜ୍ଜିଲ ଆନନ୍ଦ ବାରିଧିରେ ।୫।

 

ରାଗ–ଆନନ୍ଦଭୈରବୀ । ଆଦି ତାଳ ।

(ମୋତେ ଲଗାନା ମା ବ୍ରଜବିଧୂ ଲଟ – ପ୍ରତି)

ଦେଲି ସହି କୂଳକୁ ଟେକି ଜଳାଞ୍ଜଳି

କଲି ଶ୍ୟାମ ପ୍ରୀତିକି ଜୀବନ ସଙ୍ଖାଳି । ।ପଦ।

କରିଥିଲି ମୁଁ ଯେତେକ ବାର ବ୍ରତାବଳୀ

ହେଲେନି ତା ଯାକ ପଦତଳେ ନିଉଛାଳୀ । ।୧।

କୋଟି ଜନ୍ମାନ୍ତର ପୁଣ୍ୟ ଫଳ ଗଲା ମିଳି

ମୁଁ ଯୋଗିନୀ ଜାଣ ଅଳୀ ସେ ମୋହର ଥାଳି । ।୨।

ମୋ ହୃଦର ନବ ମୃଗମଦ ପତ୍ରାବଳୀ

ମତ୍ତ ମଧୂକର ସେ ମୁଁ କାନନ ନିଆଳୀ । ।୩।

 

ସୁଗୁଣ ସୁନ୍ଦରପଣ ଯାକ ଭାଳି ଭାଳି

ନାମ ଜପୁଥିବି ଏକା ଧରି ଜପାମାଳୀ । ।୪।

ଅଖିଳ ସୌଭାଗ୍ୟବତୀ ମଉଳିର ମାଳୀ

ତୁନିହୁଅ ବୋଲନ୍ତି ଶ୍ରୀଲଳିତା ଏ ପାଳି । ।୫।

ଶୁଭୁଛି କାନକୁ ବାହୁଡ଼ା ବଂଶୀକାକଳୀ

ବୋଲେ ଗୋପାଳକୃଷ୍ଣ ଚାମର ଢାଳି ଢାଳି । ।୬।

 

ରାଗ–ଆନନ୍ଦଭୈରବୀ । ମିଶ୍ରଚାପ ତାଳ ।

(ମୋହନଙ୍କୁ ଶିବ କି ସେ ରାଧା ତୁ ନାରେ – ପ୍ରତି)

ମୂର୍ଚ୍ଛିବା ପଦାର୍ଥ କି ସେ ଗୋଷ୍ଠଚନ୍ଦ୍ର ମା ସଖିରେ ।      ପଦ।

ଆଗେ ଚେତି ମୁହିଁ ଆଜ ନିକୁଞ୍ଜ ଶେଯରେ

ନ ଭାଙ୍ଗୁ ନିଦ୍ରା ଚାହିଁଲି ତନୁ ସୁଷମା । ।୧।

ପୁରନ୍ଦର ମଣି ଦରପଣରୁ ଚିକ୍‌କଣ

ଭୂଷଣର ଭୂଷା ମୋ ନେତ୍ର ପ୍ରତିମା । ।୨।

ମୃଗମଦ ନୀଳୋତ୍ପଳ ପରି ପରିମଳ

ସରସରୀ ଶିରୀଷ ସୁମନ ସୁମୁଦ୍ରିମା । ।୩।

କାନନ ବାହୁଡ଼ା ବେଶ ରାସଲାସ୍ୟ ଶେଷ

ମଦନ ମୁଖ ପ୍ରାନ୍ତର ସୁମାଧୂରିମା । ।୪।

ଗୋପାଳକୃଷ୍ଣ କହଇ ସ୍ୱାମିନୀ ଏଣିକି

ନ ରୁଷିଲେ ସିନା ପ୍ରଣୟର ଗାରିମା । ।୫।

 

ରାଗ–ଖମାତ । ଆଦି ତାଳ ।

(ନ ଭାଙ୍ଗରେ ଶୁଭାଙ୍ଗୀ – ପ୍ରତି)

ଜୀବନ ଜୀବ ପରା ସୁମରି ସୁମରି ମା ।

ମିଳିବ କି ସତେ ମୋତେ ନିକୁଞ୍ଜବିହାରୀ ମା । ।ପଦ।

ଅଭ୍ରହିଲାଗ୍ନି ଦହୁଛି ଚଉଦିଗେ ଘେରି

ବଞ୍ଚିବ କେହି କୋମଳ ରଙ୍ଗଣୀ ବଲ୍ଲରୀ । ।୧।

ପୂର୍ବ ପୂଣ୍ୟ ପୁଞ୍ଜ ସବୁ ଦିଶିବ ମୋହରି

ହେବି ଯଶୋଦା ବାତ୍ସଲ୍ୟ ଲକ୍ଷ୍ମୀଙ୍କ କିଙ୍କରୀ । ।୨।

ଲଳିତ ତ୍ରିଭଙ୍ଗ ଭଙ୍ଗୀ ଆହା ବଂଶୀଧାରୀ

ଆଖିରେ ନାଚୁଛି ଶିର ଶିଖଣ୍ଡ ମାଧୁରୀ । ।୩।

 

ବିନୟ ମିଶା କଟାକ୍ଷ କୁଣନ ଚାତୁରୀ

ନିଶି ଦିନ ରହିଲା ମୋ ମନେ ଘର କରି । ।୪।

କହୁଁ କହୁଁ ଚାହୁଁ ଚାହୁଁ କାଳ ଗଲା ସରି

ମନମଥ ହୃଦୟ ପକାଉଛି ବିଦାରି । ।୫।

ଗୋପାଳକୃଷ୍ଣ ଅଇଲା ସେ କାଳେ ବାହାରି

ପ୍ରିୟ ପ୍ରତ୍ୟନଙ୍ଗ ଲେଖ ହୃଦ ବାସେ ଧରି । ।୬।

 

ରାଗ–ମୋହନା । ମିଶ୍ରଚାପ ତାଳ ।

କରରୁ ପୀୟୁଷ ଥାଳି ଢାଳିଦେଲିରେ, ପ୍ରାଣମିତଣି ।ପଦ।

ଧିକ ହେଉ ମୋର      ନ କରି ବିଚାର

ଗୁମାନ ବୋଲି ମୁଁ ବିଷ

ପାନ କଲି ରେ । ।୧।

ରଖି ନେତ୍ରେ ନୀର      ମୋ ଶ୍ୟାମସୁନ୍ଦର

ବାସ ପ୍ରସାରି କହୁଁ ଯା

ତୁନି ହେଲି ରେ । ।୨।

 

ଦେଇ ନିଜ ଆନ      ନାହିଁ ମୋର ଆନ

ବୋଇଲେ ହେଲେ କିଞ୍ଚିତେ

ନ ଚାହିଁଳିରେ । ।୩।

ପବି ହେଲେ ସତେ      ଦ୍ରବିଯାନ୍ତା ଯେତେ

ଆକୁଳ ହୋଇଲେ ମୁଁ ତା

କି ସହିଲି ରେ । ।୪।

କାଳୀ ହ୍ରଦ ତୀରେ      ଘଡ଼ିଏ ତଳରେ

ଗୋପାଳକୃଷ୍ଣ ଦେଖିଲା ଶୁଣିଥିଲି ରେ । ।୫।

 

ରାଗ–କୀରବାଣୀ । ମିଶ୍ରଚାପ ତାଳ ।

ମନେ ପଡ଼ୁଛିରେ ସେହି ଚନ୍ଦ୍ରମୁଖ

ପାଶୋରିବା ପାଇଁ କେତେ ହେଲେ ମୁଁ ବିମୁଖ । ।ପଦ।

ନିଟିଳ ଅଳକାବଳୀ      ଗଣ୍ଡ ମଣ୍ଡଳରେ ଝଳି

ନାସାପୁଟର ଦ୍ୱରଦ ମୁକୁତା ମୟୁଖ । ।୧।

ଚାରୁ ଗୋରଚନା ଚିତା      ନର୍ତ୍ତନରତ ଭ୍ରୂଲତା

ମନେ ହସି ଫିଙ୍ଗିବାର କଟାକ୍ଷ ବିଶିଖ । ।୨।

ଶୋଭା ରତ୍ନ କୁଣ୍ଡଳର      ବଂଶୀ ବିନ୍ୟାସ ଅଧର

ନୂଆଁ ବରହ ମୁକୁଟ ଦରଶନ ସୁଖ । ।୩।

 

ଭାଙ୍ଗି ଦେଉଥିଲି ପାନ      ବୋଲି ଦେଖିଲି ସ୍ୱପନ

ସରିଲା ଉତ୍ତାରୁ ପୁଣି ମନମଥ ମଖ । ।୪।

ଯାଆ ବୋଇଲା ଉତ୍ତାରୁ      ଲୁହ ବୁହାଇ ଆଖିରୁ

ହୋଇବାର ସଖୀମାନଙ୍କର ପାଖପାଖ । ।୫।

ଶୁଣ ସର୍ବେ ସହଚରୀ      କରି କରୁଣା ମଞ୍ଜରୀ

ଅପରାଧିନୀ ରାଧାର ଯିବା ଜୀବ ରଖ । ।୬।

ଗୋପାଳକୃଷ୍ଣ ଭାଷଣ      ଉଠି ସମସ୍ତେ ତକ୍ଷଣ

ମିଳିଲେ କୁଞ୍ଜେ ରମଣ ଲେଖୁଥିଲେ ଲେଖ । ।୭।

 

ରାଗ–ଧନାଶ୍ରୀ । ଆଦି ତାଳ ।

ସହିରେ କି ମାନ କରି ବରଜିଲି ।

ପ୍ରେମ ରତନ ଚିନ୍ତାମଣି ଶ୍ୟାମବନ୍ଧୁଙ୍କୁ ମୁଁ । ।ପଦ।

ଅଖଣ୍ଡ ଚନ୍ଦ୍ର ମା ବ୍ରଜର କର ଜର

ସରସରେ ସଦା କଳେବର ।

ବରତ କରି କେତେ ପାଇଥିଲି ଇସିତ

ମାତରକରେ ହରାଇଲି ।୧।

ଅପ୍ରାକୃତ କୁସୁମଶର ଶରଣ ବୋଲି

ପାଦକୁ ବଢ଼ାଇଲେ କର ।

କରମାଳିକା ତୀର କାନନ ପୁରନ୍ଦର

ମୁଖକୁ ହେଲେ ନ ଚାହିଁଲେ ।୨।

ନୟନ ବହିଗଲା ଜଳ ଜଳପ ଗୀର

ବୋଲି ହେଲେ କେତେ ବିକଳ

କଳଧଉତ କାନ୍ତି ବସନଯାକ ତିନିଗଲା

ମୁଁ ଉତ୍ତର ନ ଦେଲି ।୩।

 

ଆହା ସେ ନଟବର ସଜ ସଜ

ନୀରଜ ନିନ୍ଦିତ ମୁଖ ଦ୍ୱିଜରାଜ

ରାଜ ରାଜ ତନୁଜ କଲ୍ୟାଣପ୍ରଦ

ପଦ ସେବକୀପଣୁ ଦୂର ହେଲି ।୪।

ଆଳୀ ଭାଷେ ଦଣ୍ଡେ ସମ୍ଭାଳ ଭାଳନା

କିଛି ଭାଗିଯାଉ ଲୋକ ଗହଳ

ହଳଧର ଅନୁଜଙ୍କୁ ଆଣିଗଲା ମୁଁ

ଗୋପାଳକୃଷ୍ଣଙ୍କୁ ପଠାଇଲି ।୫।

 

 

 

ରାଗ–ମାୟାମଳବଗୌଡ଼ା । ମିଶ୍ରଚାପ ତାଳ ।

କରିଛି କି ମୁହିଁ ଗୁମାନ କାହିଁକି ଆନ । ।ପଦ।

ସୁବେଶ ହେବାକୁ ଆଳୀ      ଡାକିଲେ ମୁଁ ନାହିଁ କଲି

ମଥା ମୋର ବ୍ୟଥା ବୋଲି

ତେଣୁ ମୋ ଲପନ ମ୍ଳାନ ।୧।

ଏବେ ଶୁଣିଲି ଖବର      ଆସିବ ପୁର ପତିର

ଉଭା ହେବା ଅବସର ନାହିଁ

କରିବି ରନ୍ଧନ । ।୨।

ଏକ୍ଷଣି ହେଲା ଶର୍ବରୀ      ଆସିଲ ଆହା କିପରି

ଡାକିବି ଶ୍ରୀ ବ୍ରଜେଶ୍ୱରୀ କରିବା

ପାଇଁ ଅଶନ । ।୩।

 

କେତେ କୋଟି ଜନମର      ପୁଣ୍ୟ ପୁଞ୍ଜ ଫଳ ମୋର

ସେବା ଯେ ହୋଇବ ଦୂର ଆହା

କେଣେ ଅନୁମାନ ।୪।

ଏ ବ୍ରଜରେ କାହାଠାରେ      କରୁଣା କେଉଁପରି ରେ

ହେଜି ନାହିଁ କି ହୃଦରେ ମୋ

ଜୀବର ତ ଜୀବନ ।୫।

ଗୋପାଳକୃଷ୍ଣ କହଇ      ବଢ଼ିଯାଇଛି ମଣୋହି

ବୋଲୁ ଶ୍ରୀ ଲଳିତା ନେଉ

ପହୁଢ଼ାଇଲେ ବହନ । ।୬।

 

ରାଗ–ମୋହନା । ରୂପକ–ତାଳ ।

(ମୋ ଜୀବର ଜୀବନ – ପ୍ରତି)

ମାନକରିଥିଲି

ବ୍ରଜବଧୂ ନେତ୍ରୁ ଲୁହ ପୋଛାଇବି ବୋଲି ସିନା ମୁଁ । ।ପଦ।

ମନୋରଥ ପୁରାଇଲି

ଗୋବିନ୍ଦ ପଦାରବିନ୍ଦୁ ସେବା ବେଜି

ପରମାନନ୍ଦ ହୋଇଲି । ।୧।

ଏଥର ନିଶ୍ଚିନ୍ତ ହେଲି ।

ମୋ ଘେନି ଦୁଃଖ ପାଉଥିଲ କେତେ

ଯେ ତୁମ୍ଭ ବାଞ୍ଛା ପୂର୍ଣ୍ଣକଲି ।୨।

 

ବରଜିବ ଚନ୍ଦ୍ରାବଳୀ

ବଇରୀ ମୋଠାରେ ଏପାଳି କରିବ

ଶ୍ୟାମକୁ ଗଳାର ମାଳି ।୩।

ସୁଖୀ ହୋଇବେ ଆଗୁଳୀ

ଏଣିକି ଗୁଆଳୀ ପ୍ରଣୟରେ ମଜ୍ଜି

ଶ୍ରୀ ଯଶୋଦାଙ୍କ ସଙ୍ଖାଳି । ।୪।

ଆଳୀ ନେତ୍ରୁ ଲୁହ ନାଳୀ

ବହୁଁ ଗୋପାଳକୃଷ୍ଣ କହେ ଅଇଲେ

ହେଟି ଶ୍ରୀଖଣ୍ଡ ମଉଳି । ।୫।

 

ରାଗ–ତୋଡ଼ି । ଆଦି–ତାଳ ।

ବ୍ରଜବଧୂକୁ ପଥ କେ ହୁଡ଼ାଇଲା ରେ

କେ କିସ କହି କି ବିଗିଡ଼ାଇଲା ରେ । ।ପଦ।

ସୁଖେ ପୁହ ଲବି ନିଶା

ବୋଲି କରିଥିଲି ଆଶା

ନ ସହି ମୋରା ମନୋରଥ ଲତାମୂଳ

ଉପୁଡ଼ାଇଲା ରେ ।୧।

ପାଞ୍ଚିବାର ଗଲା କେଣେ

ବେଶ ହେଲି ଅକାରଣେ

ନିକୁଞ୍ଜ କଳପ ତଳେ ପଶତରେ

ମୋତେ ତ ଗଡ଼ାଇଲେ ରେ ।୨।

 

ମଦନ ଦାବ ଦହନ      କଦନର ବିମୋଚନ

ପରମ ପ୍ରେମ ପୀୟୁଷ ପୂର୍ଣ୍ଣ

ଚଷକ କରୁ ଛଡ଼ାଇଲା ରେ । ।୩।

ଆହା ଡୋଳାର ପିତୁଳା

ଗଳାର ମସାରମାଳା

ଦୁର୍ଦ୍ଦଇବ ଦୂର କରି ନୟନରୁ

ନୀର ନିଗିଡ଼ାଇଲା ରେ । ।୪।

ଗୋପାଳକୃଷ୍ଣ ଭାଷଣ

ଉଠ ଅଇଲେ ରମଣ

ବୋଲି କୁଞ୍ଜ ଦେହଳୀକି ହରଷରେ

ତର୍ଜ୍ଜନୀ ବଢ଼ାଇଲା ରେ ।      ୫।

 

ରାଗ–ମାୟାମଳବଗୌଡ଼ା । ମିଶ୍ରଚାପ ତାଳ ।

ରୁଷିଛନ୍ତି ମା । ଗୋଷ୍ଠଚନ୍ଦ୍ରମା ମୋ ଉପରେ । ।ପଦ।

କି ଲାଗି କାହିଁକି      ମୁହିଁ ଜାଣିଛି କି

ଲୁହ ପୂରିଛି ପୁଣି ନୟନରେ । ।୧।

ଆଣିଥିଲେ ପରା      ବନୁ ଫୁଲଝରା

ଦେଇଗଲେ ରୂପମଞ୍ଜରୀ କରେ । ।୨।

ମନେ ପଡ଼ୁଥିବି      ବୋଲି କିସ ଭାବି

ଲେଖି ଦେଇଛନ୍ତି ହେଟି ଭିତ୍ତିରେ । ।୩।

 

ଆସିଛି ଗୋ କାଳୀ      ବୋଲି ପୁଣି ଆଳୀ

ଆଗେ କହୁଥିଲେ ସେ କି ଲଟରେ । ।୪।

ସୁବଳର ବେଶ      କରିଦିଅ ଆସ

ଯାଇ ହେଲେ ବସିବି ମୁଁ ପାଶରେ । ।୫।

କୋଳେ ବସାଇବି      ଗଣ୍ଡେ ଗଣ୍ଡ ଦେବି

କଥା ନ କହିଲେ ହେଲେ ବେଳରେ । ।୬।

ଗୋପାଳକୃଷ୍ଣ ସେ      କାଳେ ଧୀରେ ଭାଷେ

ହେଟି ରସିଛନ୍ତି ପୁଷ୍ପବାଟୀରେ । ।୭।

 

ରାଗ–କୀରବାଣୀ । ମିଶ୍ରଚାପ ତାଳ ।

(ସେ ସିନା ନୂଆ କିରେ ବ୍ରଜବଧୂ ପ୍ରତି)

ମୁଁ ତ ଜାଣି ଜାଣି କରିଛି ମାନ

କାହାକୁ ବୋଲିବି କିସ      ମୋହରି କରମ ଦୋଷ

ସ୍ୱ ହସ୍ତେ କରିଛି ବିଷପାନ । ।୧।

ଅଛି ତ ସତେ ଏ ଯୋଗ      ଆନ କେ କରିବ ଭୋଗ

ଲୁହ ପୋଛି ହୋଇବାକୁ ଗ୍ଳାନ । ।୨।

ଆହା ହାତ ଧରି ମୋତେ      ଏହି ରୂପ ଲାଗି କେତେ

ଦେଇଥିଲେ ନ ପାଳିଲି ଆନ । ।୩।

ବ୍ରଜବଧୂ ଦୁଃଖ ଦେଖି      ହୋଇବି ବୋଲି ତ ସୁଖୀ

ଆନକୁ ବଢ଼ାଇଦେଲି କାନ । ।୪।

ଗୋପାଳକୃଷ୍ଣ କହଇ      ଆଣିଲେଣି ଲେଉଟାଇ

ସଜନି କର ସେହି ଗୁମାନ । ।୫।

 

ରାଗ–ଆନନ୍ଦ ଭୈରବୀ । ଏକ ତାଳ ।

ଅଳି କେଶର କୁଞ୍ଜରୁ ଅଇଲୁ କି,

ଜୀବନର ବନ୍ଧୁଙ୍କୁ ମୋ ଦେଖିଲୁ କି । ।ପଦ।

ହୋଇ କେତେ ବିନୟକୁ      ଆସୁଛୁ ମୁଖ ପାଶକୁ

ଶ୍ରୀ କିଶୋରଚନ୍ଦ୍ରଙ୍କର କୁଶଳ ବିକି ? ।୧।

କର୍ଣ୍ଣୋତ୍ତଂଶ ପୁଷ୍ପେ ବସ      କହିଛନ୍ତି କି ସନ୍ଦେଶ

ଭାଷ ଧୀରେ ତୋତେ ପଠି ଆଇଲେ କି । ।୨।

ତୁ ଯାଉନା ପଦ୍ମଠାକୁ      କଞ୍ଜ ଢଳେ ତୋ ପାଶକୁ

ଅନୁଭବି ତୁ ପଚାରିଲୁ ନାହିଁକି ? ।୩।

ମଧୁବ୍ରତକୁ ପଚାରି      ଆଣି ନୟନରୁ ବାରି

ବୋଲନ୍ତି ମୁଁ ସତେ ମନେପଡ଼ୁଛି କି ? ।୪।

ଆଳୀ ଭାଷନ୍ତି ବଳୀଶ      ହୋଇଲୁ କି ଆସ ଆସ

ପଚାରୁ ଯେ, କୀଟ କଥା କହିବ କି ? ।୫।

ମଧୁକର ଉଡ଼ିଗଲା      ଗୋପାଳକୃଷ୍ଣ ଭଣିଲା

ପ୍ରିୟ ଅଇଲେ ଚଳ ପୁଷ୍ପବାଟୀ କି । ।୬।

 

ରାଗ–କାମ୍ଭୋଳୀ । ଆଦି ତାଳ ।

ଆହା କିଶୋରଚନ୍ଦ୍ର ମା ପ୍ରାଣଧନ

କି ମୁରୁଛିଲି କରି ଦାରୁଣ ମାନ । ।ପଦ।

ହେବ ବୋଲି ଏତେ ଦୂର      ଜାଣିଥିଲେ ଚିତ୍ତ ମୋର

ହେଲାବେଳେ ଚରଣ ପତନ,

ଧୂଳି ଝାଡ଼ି ତୋଳି କରେ      ପକାଇ ହୃଦ ଉପରେ

ଦେଇଥାନ୍ତି ଶ୍ରୀମୁଖରେ ଚୁମ୍ବନ । ।୧।

ଜୀବନର ଜୀବନ ପରି       ଥିଲେ ସବୁ ସହଚରୀ

ମୋ କହୁଁ କଠିନ କଲେ ମନ

ଲେଉଟାଇ ନ ଆଣିଲେ      ତରୁ ପରି ତୁନି ହେଲେ

ହଜାଇଦେଲେ ମୋ କରୁ ଅମୂଲ୍ୟ ରତନ । ।୨।

 

ରମା ସୁଷମାରୁ ବଳି      ଥିଲେ କେତେ ବ୍ରଜବାଳୀ,

ଅନୁଦିନ ସମସ୍ତେ ସ୍ୱାଧୀନ,

ଅଭୀର କୁମାରୀ ଛାର      କିଙ୍କରୀ ପରି ତାଙ୍କର

ନୁହଁଇ ମୁଁ କଲେ କଣେ ଶ୍ରୀମୁଖ ମଳିନ । ।୩।

ଲଳିତା ଶୁଣି ସତ୍ୱରେ      ମୁଖ ପୋଛି ପଣତରେ

ବୋଲେ କର କାହିଁକି ରୋଦନ,

ଏହିକ୍ଷଣି ଦେବି ଆଣି      ପ୍ରେମରତ୍ନ ଚିନ୍ତାମଣି

ବଞ୍ଚେ ଗୋପାଳକୃଷ୍ଣ ଧରି ପୁଷ୍ପ ବ୍ୟଜନ । ।୪।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(କା ମନେ ଥିଲା ଏ କଥାରେ – ପ୍ରତି)

କେ ସହି କେଳି ନୀପମୂଳେ ସେ ।

ନୂଆ ବାରିବାହ ପରାୟେ ଦିଶେ ।

ପ୍ରମତ୍ତେ ପୁଚ୍ଛ ଟେକି ସହରଷେ ।

ବରହି ନାଚୁଛି ଚରମ ଦେଶେ ।

ଇନ୍ଦ୍ରଧନୁ ଉଦେ ହୋଇଛି ପରା ।

କି କେକି ଶିଖଣ୍ଡ ମୁକୁଟ ତୋରା ସେ ।

କଟୀରେ କି ପୀତବାସ ଶୋହିଛି ।

କ୍ଷଣପ୍ରଭା ଅବା ସ୍ଥିର ହୋଇଛି ସେ ।

 

ଗଣ୍ଡ ବାସବମଣି ଆଦରଣେ ।

କୁଣ୍ଡଳ ଦ୍ୱମଣି ପର ବିଳସେ ସେ ।

ବକ ଆବଳୀ କି ମୁକୁତା ହାରା ।

ଜଗଜ୍ଜନ ମନମୃଗ ବାଗୁରା ସେ ।

ସ୍ମରଟି ବୃନ୍ଦାରଣ୍ୟ ଚକ୍ରବର୍ତ୍ତୀ ।

ଶୃଙ୍ଗାର ରସ କି ହେଲା ମୁରତି ସେ ।

ଗୋପାଳକୃଷ୍ଣ କହେ ବ୍ରଜବଧୂ ।

ସେ ଗୋପବଧୂ ଜୀବନର ବନ୍ଧୁ ସେ ।

 

ରାଗ–ହାରିକାମ୍ଭୋଳି । ରୂପକ–ତାଳ ।

କୁଞ୍ଜବନଯାକ ଲୋଡ଼ୁଥିବେ ପରା

ମୋତେ ମୋ ଜୀବ ଜୀବନ

ଧିକ ନାରୀଜନ୍ମ କି ଦେଲୁ ଦଇବ

ସଦା କରି ପରାଧୀନ । ।୧।

ସଙ୍କେତ କୁଞ୍ଜକୁ ଶୂନ୍ୟ ଦେଖି

ନେତ୍ରେ ନୀର କରି ଥନ ଥନ

ବୃନ୍ଦାଙ୍କୁ ପଚାରୁଁ ନ ଉଚ୍ଚାରି କଣ୍ଠେ

ରହିଯିବ ଯେ ବଚନ । ।୨।

 

ପରିହାସ କରି ଲୁଚିଛି ମୁଁ ବୋଲି

ସଧୀରେ କରି ଗମନ ।

ତୁଚ୍ଛାକୁ ହେଲେ ଦେଖିଲି ଆସ

ବୋଲି ପଛେ ହୋଇବ ସେ ଗ୍ଳାନ ।୩।

ତାଙ୍କୁ ଦେଖି ମୋ ନାଁ ଡାକିଲେ

ସାରିବା ଉଲ୍ଲସାଇ ଅପଘନ ।

ବନ ସଖିଙ୍କି ପଠିଆଇ ପଥକୁ

କରୁଥିବେ ଆଲୋକନ । ।୪।

 

ପଡ଼ି ଯାଉଥିବ କରରୁ ମୁରଲୀ

ନ ଥିବାରୁ ସାବଧାନ ।

ଶତ ଶୀତକର ନିଉଛାଇବାର

ମୁଖ ଦିଶୁଥିବ ମ୍ଳାନ । ।୫।

ସ୍ୱ ଈଶ୍ୱରୀ ପଦ ତୁଳାକୋଟି

ଦ୍ୱନ୍ଦ୍ୱ ବାହାର କରି ସଘନ ।

ଗୋପାଳକୃଷ୍ଣ ତୁନି କରି କହିଲା

ଜଟିଳା କଲେ ନୟନ । ।୬।

 

ରାଗ–ମୋହନା । ତିସ୍ରଜାତି–ଏକତାଳ ।

(ରାଧାଗୋବିନ୍ଦ ଭଜରେ ମାନସ – ପ୍ରତି)

କେ ପଥ ବଣା କଲାରେ ବ୍ରଜବଧୂକୁ । ।ପଦ।

ସହି, କେଉଁ ରମଣୀ      ମୋ ପ୍ରୀତି ଚିନ୍ତାମଣି

ପାଇ ରଖି ଘେନିଗଲାରେ । ।୧।

କେତେ ସରସେ ସଜ      ସାଜିଥିଲି ମୁଁ ଆଜ

ମୋ ଆଶା ଛିନ୍ନାଇଲା ରେ । ।୨।

ମୋତେ ସ୍ମର ବହ୍ନିରେ      ଜଳାଇ ସେ ଅଙ୍କରେ

ଧରି ନିଶି ବଞ୍ଚିଲାରେ । ।୩।

ଜଗିଥିଲା କୋଠାରେ      କି କହି ସେ ମୋ ନାଁରେ

ମାନସ ଭଙ୍ଗାଇଲା ରେ । ।୪।

ଗୋପାଳକୃଷ୍ଣ ଭାଷେ      ହେଟି ବିଜେ କଲେ ସେ

ବୋଲି ଭୁରୁ ଚାଳିଲାରେ । ।୫।

 

ରାଗ–ଝାଞ୍ଜୋଟି । ଆଦି–ତାଳ ।

ଆଉ ଆସିବେ ଶ୍ୟାମ କିମ୍ପାଇ ରେ । ।ପଦ।

ଚନ୍ଦ୍ରାବଳୀ ପୁରକୁ ଥିବେ ଯାଇରେ

ସେ ତ ରଖିଥିବ ହୃଦେ ଲଗାଇ ରେ

ମୋତେ ତ ଜଳ ଜଳ ଦିଶଇ ରେ । ।୧।

ଥିଲା ମନୋରଥଯାକ ପୁରାଇ ରେ

ବସିଥିବ ଅଙ୍ଗ ଅଙ୍ଗେ ମିଶାଇରେ

ଘନ ବିଦ୍ୟୁତ ଦ୍ୟୁତିକି ଲସାଇରେ । ।୨।

 

ସର୍ବେ ବସାଇଲେ ମୋତେ ରୁଷାଇରେ

କେହି ଆଣିଲ ନାହିଁ ଲେଉଟାଇ ରେ

ଏବେ କହୁଛ କେଣେ ବଟିଆ ରେ । ।୩।

ରହିଥାଅ ସହି କୁଶଳ ହୋଇ ରେ

ମୁଁ ଯମୁନାକୁ ଯାଉଛି ଗାଧୋଇ ରେ

ବିହି ଲେଖନ କେ ଦେବ ଲିଭାଇ ରେ । ।୪।

 

ଚିତ୍ରପଟ ହେଲେ ଦିଅ ଅଣାଇରେ

ବୋଲୁ ଲଳିତା ମୁଖକୁ ଅନାଇରେ

ନେଲେ କୋଳକୁ ଲୁହ ପୋଛି ଦେଇ ରେ । ।୫।

ବୃନ୍ଦା ଆଣିଲେ ବୋଲି ବାହୁଡ଼ାଇ ରେ

କର ଗୋପାଳକୃଷ୍ଣ ବଢ଼ାଇ ରେ

ଦେଲା ଶ୍ରୀ ରାସେଶ୍ୱରୀଙ୍କି ଦେଖାଇ ରେ । ।୬।

 

ରାଗ–କୀରବାଣୀ । ରୂପକ ତାଳ ।

(ଶ୍ୟାମ ପ୍ରୀତିରେ ରସାଇ – ପ୍ରତି)

ଏତେ ଦୁଃଖ କାହିଁକି ? ପ୍ରାଣସଙ୍ଗିନୀ ମୋ ଛାର ପାଇଁକି । ।ପଦ।

ବ୍ରଜରେ ସଜ ପଙ୍କଜମୁଖୀ ବ୍ରଜ

ନାହାନ୍ତି ମୋ ତହୁଁ ବଳି କି

ନିଜରବନ୍ଧୁଜା ତୀର କୁଞ୍ଜବନ

ଦୂରକୁ ଭାରିଗଲା କି ? ।୧।

ଅଳକାବୃତ୍ତ ନିଟିଳ ତିଳକକୁ

ଗୋରଚନା ନ ମିଳିଲା କି

କଳାପି କଳାପ ଅପୂର୍ବ ହେଲାନା

ବଂଶୀ କେ ଘେନିଗଲା କି ?।୨।

 

ଶାଖୋଟ କାନନ ସଦ୍ମା ପଦ୍ମା

ଆଜି ଆସି ନାହିଁ ପରା ଲୁ କି

ପରାଣର ସମ ଚନ୍ଦ୍ରାବଳୀ ପ୍ରେମ

ଏଡ଼େ ବେଗି ଭାଜିଗଲା କି ?।୩।

ଗଇରିକ ନିପମଞ୍ଜରୀ କୃଷ୍ଣଳା

ମାଳା ହେଲେ କେ ନ ଦେଲେ କି

ନଟବର ବେଶ ଧେନୁ ପଛ ଲାସ୍ୟ

ମନରେ ନ ପଡ଼ିଲା କି ?।୪।

 

ବ୍ରଜରେ ଅଛି ତ ଆଉ କେଣେ

ଲୋକାତୀତ ହୋଇ ଭାରିଗଲି କି

କେବେ କେତେବେଳେ ଥରେ

କେଉଁଠାରେ ବିଲୋକିଲେ ନୋହିଲା କି ?।୫।

କୋଟିଏ କୋଟି ମଦନ ନିର୍ମଞ୍ଛନ

ହୋଇବେ ପଦ ସରି କି

ରମାଦି ଅଖିଳ ରମଣୀ ଦେଖିଲେ

ଲୋଭାଇବେ ଶ୍ରୀମୂର୍ତ୍ତି କି ।୬।

ଆସି ଲଳିତା ଭାଷିଲେ ଚାଲ ଦୁଃଖ

ଶୁଣିବାକୁ ଆଉ ଥିଲା କି

ବୋଲୁ ଗୋପାଳକୃଷ୍ଣ ଫେଡ଼ି

ଧରିଲା ପଦ – ନୂପୁର ଦୁହିଁକି ।୭।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(କାନ ନ ଥିଲା ଏ କଥାରେ – ପ୍ରତି)

ଯିବ ଏ ଜୀବନ ସିନାରେ

ମୋହନ ପ୍ରୀତି କେ କଲାନି ମନାରେ । ।ପଦ।

ଦେହାନ୍ତରେ ଲଭିବାକୁ ସୁମନା

ସଦା କରୁଛି ଯା ପଦ ଭାବନା ରେ । ।୧।

ଗୁରୁଜନ ନିନ୍ଦା ଆଦି ଯାତନା

ତା ଯାକ କରୁଛି ମୁଁ କି ଶୋଚନରେ । ।୨।

ଗାଢ଼େ ଆଟଙ୍କ କଲେ ରେ ଲଳନା

ଯାହା ହେବି ପଛେ ପଡ଼ିବ ଚିହ୍ନା । ।୩।

ଜଣାଉଛି ମୋତେ ଲୋଳ ଲୋଚନା

ମନେ ରଖିଥା କା ଆଗେ କହନା । ।୪।

ଗୋପାଳକୃଷ୍ଣ ସୁବେଶ ରଚନା

ସମ୍ଭାର ଛାମୁରେ କଲା ଘଟନା । ।୫।

 

ରାଗ–ଆନନ୍ଦ ଭୈରବୀ । ତ୍ରିପୁଟା ତାଳ ।

(ଘେନ ସୁଚିରେ ଗୋ – ପ୍ରତି)

କାହା ଚିତ୍ତ ତାହା ଚାହିଁ ନ ବଳିବ ଯାହା ମୁଁ ଦେଖିଲି ଗୋ ମା ।

ଆହା ନବ ତାରୁଣ୍ୟ      ଆହା ସେ କି ଲାବଣ୍ୟ

ଆହା ବ୍ରଜେନ୍ଦ୍ର ପୁଣ୍ୟପୁଞ୍ଜ ଗୋଷ୍ଠଚନ୍ଦ୍ରମା । ।ପଦ।

ବଳାହକ ନିବହ      କଳାରୁ ବଳି ଦେହ

ଡୋଳାରେ ନାଗୁଛି ଗୋ ମା,

ଢଳା ଚୁଳ ଧ୍ୱଜକୁ      ତୁକାକୋଟି ତଳକୁ

ବଜାଉ ଦୃଷ୍ଟି ସରିଲା ସବୁ ଗାରିମା । ।୧।

ନିଟିଳାଳକ ଅଧ      କୁଟିଳ ଭୁରୁ ମଧ୍ୟ

ପଟିର ତିଳକ ଗୋ ମା,

ନଟୀ ରତ୍ନ କୁଣ୍ଡଳ -      ଘୋଟିଛି ଗଣ୍ଡସ୍ଥଳ

କଟୀ ପୀତ ଦୁକୁଳ ହା ତ୍ରିଭଙ୍ଗ ଭଙ୍ଗି ମା । ।୨।

 

ଖଞ୍ଜନ ଯୁବ ମଦ      ଗଞ୍ଜନ ନେତ୍ର ଦ୍ୱନ୍ଦ୍ୱ

କି ଅନୁରଞ୍ଜନ ଗୋ ମା,

କଞ୍ଜ ସଂଯୋଗ ଅଳି      ପ୍ରଭଞ୍ଜନେ ଆନ୍ଦୋଳି

ହେଲା ପରାଏ ଚଳି ମଣ୍ଡିଛି ଶ୍ରୁତି ସୀମା । ।୩।

ଯୁବାନିକରବର      ନବାବତାର ମାର

କିବା ସେ ହୋଇଛି, ଗୋ ମା,

ନିବାସ ମୁରଲୀର      ଜୀବାକୁ ଯୁବତୀର

ଜବା ଗର୍ବାପହର ଅଧର ଅରୁଣିମା । ।୪।

ଗୋପାଳକୃଷ୍ଣ ଭାଷେ      ଅପାର ଦିନରୁ ସେ

ଉପାୟ କଲେନି ଗୋ ମା,

ନ ପାଇ ଅବସର      କୃପାମୟ ତୁମ୍ଭର

ସ୍ୱରୂପ ହୋଇଲାନି ଶ୍ୟାମ ନେତ୍ର ପ୍ରତିମା । ।୫।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ଡାକିବି ରାଧାରମଣ ବୋଲି – ପ୍ରତି)

ମୁଁ ଶ୍ୟାମବନ୍ଧୁ ଭଳି ହେବି କି ଗୋ

ସମ ନୋହିବି ଯେ ପଦଧୂଳି କି । ।ପଦ।

ତାମରସ ବନ କେଳି ଅଳିକି ।

କି ମଣି ନିଯୋଜୁ ଗିରି ମଲ୍ଲିକି ।୧।

ନାଗର ନିକର ବଳି ଅଳିକି ।

ସାମ୍ୟ କରୁଛୁ ମୁଢ଼ା ଗୁ ଆଳିକି ।୨।

ତୁଳକରୁ ମୋତେ ବନମାଳୀକି ।

ଶୁଣିଲେ ଜନ ମାରିବେ ତାଳିକି ।୩।

ନୀଳୋତ୍ପଳ ଗର୍ଭ ଦଳ ଝଳିକି ।

ତୁଳୁଛୁ ଛଡ଼ା ହରିଦ୍ରା ମଳିକି ।୪।

ପ୍ରେମରତ୍ନ ଚିନ୍ତାମଣି ଆଳୀକି ।

ଗୁନ୍ଥିବି ଭାଳୁଛୁ କାଚ ମାଳିକି ।୫।

ଗୋପାଳକୃଷ୍ଣ ତୋଳି ମଉଳିକି ।

ହସିଲା ସ୍ୱାମିନୀ କହୁ ଆଳୀଙ୍କି ।୬।

 

ରାଗ–ଶଙ୍କରାଭରଣ । ମିଶ୍ରଚାପ ତାଳ ।

କେ ସେ ନୀପମୂଳିୟା ଘନ ଶ୍ୟାମଳୟା ବନମାଳୀୟାରେ । ।ପଦ।

ପ୍ରଚକାକା ଚୂଳିଆ ମୁରଲୀଳକାକତିୟା

କନକ କାନ୍ତି ଦୁକୁଳିୟାରେ

ମକର କୁଣ୍ଡଳୟା ଗୁଞ୍ଜମାଳିୟା

କୁଟିଳାଳକ ନିଟିଳୟା ରେ । ।୧।

ସୁଷମାର ଆକର ଲପନ ସୁଧାକର

ସୁରଭି ନିକର ପାଳିୟାରେ

ବରାରୋହ ଯାକର ନୂଆଁ ମକରକେତନ

ସେ ତନୁ ଝାଳିଆରେ ।୨।

 

ଇଷିତ କଷାଳିଆ ଈକ୍ଷଣ ବିଶାଳିଆ

ହାଟକ ଗଣ୍ଠି ମେଳିଆରେ

ନୂତନ ଛଇଳିଆ ଶିଶୁମେଳିଆ

ଖଣ୍ଡଚନ୍ଦ୍ର ଗଣ୍ଡସ୍ଥଳିଆରେ । ।୩।

ଲପନର ଆଗରେ ନାଚୁଛି ସରାଗରେ

ଚକୋର ନ ପାଇ ଚାଳିଆରେ

ଚରମ ଦେଶେ ରହି ନାଚେ ବରହି

ମଥା ପରେ ଟେକି ଝାଳିଆରେ ।୪।

 

ସୁଲଳିତ ତ୍ରିଭଙ୍ଗୀ ପଦ ଜଘାଂଦ

ସଙ୍ଗୀ କରିଛି ବାହୁ ମୃଣାଳିଆରେ

କୋଟି କନ୍ଦର୍ପ ରୂପ ହରଇ ଧାପ

ଶ୍ୟାମ ଅପଘନ ମୂରଲୀଆରେ ।୫।

ଗୋପାଳକୃଷ୍ଣ ଭାଷେ ଗୋଷ୍ଠେନ୍ଦୁ

ନନ୍ଦନ ସେ ଜଗଦାନନ୍ଦ କନ୍ଦଳିଆରେ

ଭୁବଲ୍ଲୀ ଅରାଜିଆ ଧେନୁଧୂଳିଆ

ସାଧ୍ୱୀଧୃତିଧର ଟାଳିୟାର ।୬।

 

ରାଗ–ମାୟାମାଳବି ଗୌଡ଼ା । ମିଶ୍ରଚାପ ତାଳ ।

(ଶ୍ୟାମ କମନୀୟକୁ ସମ ନାହିଁ ଆଉ – ପ୍ରତି)

ବ୍ରଜବିଧୂ ପରି ମୋତେ କେ ଦିଶୁ ନାହିଁ

ମନ ପୁରୁଛି କି ହେଲେ ନିତି ଚାହିଁ । ।ପଦ।

ପ୍ରଣୟ ପରିହାସ      ମିଶା ଭାଷା ପୀୟୁଷ

ହସିବାର ଅଳପ କହି ରହି । ।୧।

କାନକୁ ଆସିବାର      ଅନାଇ ବାର ବାର

ଲେଉଟି ରାଜପଥେ ରହି ରହି । ।୨।

କୋଟିଏ କୋଟି ମାର      ପଦ ନଖ କୋଣର

ଅଂଶ ଲେଶକୁ ସମ ହେବ ନାହିଁ । ।୩।

 

ଥିଲେ ହେଲେ ହୃଦରେ      ମୋ ମନ ଶ୍ରୀପୟରେ

ରହିଥାଉଛି ସମ୍ବାହନ ପାଇଁ । ।୪।

ପତିବ୍ରତା ଜାଳ -       ଞ୍ଜଳି ଦେବେ କମଳା

ବିମଳାଦି ପଡ଼ିଗଲେ ମୁହାଁମୁହିଁ । ।୫।

ନିତ୍ୟ ନୂନତାବୟ      ବିନୟେ ଅଦ୍ୱିତୀୟ

ଦେଖିଲେ ମୁରୁଛିବ କେ ଦେହ ବହି । ।୬।

ଗୋପାଳକୃଷ୍ଣ ଭାଷେ      ସୁଷମାରେ ସୁରି ସେ

ରମାରମଣ ଯାଏ ସରି କାହିଁ । ।୭।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

(କେତେ ବୋଲି ମୋ ଦୁଃଖ ସହିବି ରେ – ପ୍ରତି)

ଦୟା ନ କରନ୍ତୁ ମୁଁ ଦାସୀ ସିନାରେ । ।ପଦ।

ଦୁଃଖ ଦେଇ ଶ୍ୟାମକୁ      ରାଧା ସୁଖୀ ହେବାକୁ

ରୁଷି ବ କଲୁ କିଏ ଆଲୋଚନାରେ । ।୧।

ଯେ ତାଙ୍କ ମନୋହାରୀ      ତା ନଉକରୀ କରି

ଦିନ ନେବି ପଛକେ ଗୁମାନ ନାଁ ରେ । ।୨।

ଯାହାରେ ହେଲେ ସଖୀ      ସେ ହୋଇଥିଲେ ସୁଖୀ

ମିଳିଲା ପରି କୋଟି ଲକ୍ଷ ସୁନାରେ । ।୩।

 

ଯଶୋଦାଙ୍କ ପୁଣ୍ୟରେ      ଚିରଞ୍ଜିବୀ ବ୍ରଜରେ

ହୋଇ ସେ ସହି ରହିଥାନ୍ତୁ କି ନାରେ । ।୪।

ନିକଟରେ କି ଦୂରେ      ନିକି ଶ୍ରୀମୁଖରେ

ଦେଖୁଥିବେ ଏତିକି ମୋ କାମନା ରେ । ।୫।

ଗୋପାଳକୃଷ୍ଣ କହି      ହସି ଭାଷିଲେ ସହୀ

କେ ତୋ ପଛରେ ରହିଛନ୍ତି ଅନାରେ । ।୬।

 

ରାଗ–ମୋହନା । ରୂପକ ତାଳ ।

ମୋ ଜୀବର ଜୀବନ

ନାହିଁକି ଆଜ ସଜ ସରସିଜ ମୁଖ କରିଛନ୍ତି ମ୍ଳାନ,

ମିତଣି ରେ ।୦।

ଲେଉଟାଇ ଗୋଧନ

ଆସୁ ସଦନକୁ ସବୁଦିନ ପରି

ଶୁଭୁନାହିଁ ବଂଶୀସ୍ୱନ । ।୧।

ଆରାଧି ବିକର୍ତ୍ତନ

ଆସିଲାବେଳେ ହସି ହସି ଯାଚି

ଦେଇ ଅଇଲି ଚୁମ୍ବନ । ।୨।

ପର୍ଣ୍ଣ ସହ ପ୍ରସୂନ

କର୍ଣ୍ଣରେ ମୋର କରି ଅବତଂସ

ଚଳିଗଲେନି ବହନ । ।୩।

 

ମୋ ଆନଟି ମୁଁ ମାନ

କରି ନାହିଁ ଚନ୍ଦ୍ରାବଳୀ ମନେ ବହିଥିବ

ପରାଟି ଗୁମାନ । ।୪।

ତେଜି ବ୍ରଜ ସଦନ

ଗେହପତି ମଥୁରାକୁ ଯିବା କଥା

କଲେ କି ଅନୁସନ୍ଧାନ । ।୫।

ଗୋପାଳକୃଷ୍ଣ କଥନ

ପୌର୍ଣ୍ଣମାସୀ ଆସି ତା ଯାକ ନିଷେଧି

କଲେନି ତ ସମାଧାନ ।୬।

 

ରାଗ–ନାଟକପ୍ରିୟା । ଆଦି ତାଳ ।

(ମୋତେ ଠାରୁଛି ନୟନ କୋଣ – ପ୍ରତି)

ନିଦ କେଣେ ଦେଲୁ ଭଙ୍ଗିରେ

ସ୍ୱପ୍ନ ଦେଖୁଥିଲି ପ୍ରାଣସଙ୍ଗୀ ରେ । ।ପଦ।

ଭେଟିଲାକ୍ଷଣିରେ ଯାହା ବିଲୋକିଲି

ଆହା ସେ ସଜର ଭଙ୍ଗୀରେ

ଭବ ପରାଭବ ଛବିର ଗରବ ଲବ

କରେ ଯିବ ଭାଙ୍ଗିରେ । ।୧।

ସୌଭାଗ୍ୟ ପୌର୍ଣ୍ଣମୀ ନୂଆ ବାସ ଭୁଷା

ମହିଁ ହୋଇ ପୁଣି ଲାଗିଲେ

ଗୋଷ୍ଠଚନ୍ଦ୍ର ମାକୁ ନିକୁଞ୍ଜ ଶେଯରେ

ହେଉଥିଲି ଯା ଓଳଗିରେ ।୨।

 

ହସି ନେଲେ ଆସି ତଳପରେ ବସି

ଲକ୍ଷ ମୂଳରେ ବରାଙ୍ଗୀରେ

ନକ୍ଷତ୍ରମାଳା ବକ୍ଷରୁ ଦେଇ ମୋତେ

କରୁଥିଲେ ସେ ଉତ୍ସଙ୍ଗୀରେ ।୩।

ପରସିବା ବିଧି ସେଦିନ ବୋଲି ମୁଁ

ଭାଳି ହେଉଁ ଉଦବେଗିରେ

ହେଜିଦିବ୍ୟ ଭୋଜ୍ୟ ସମ୍ପାଦି ଲଳିତା

ତେଣେ ରହିଥିଲେ ଜଗିରେ ।୪।

 

ମାନ କରି ଆଜ ଦିନଯାକ ମୁହିଁ

ହୋଇଥିଲି ବିପ୍ରଯୋଗୀ ରେ

ଦୟାଳୁ କଞ୍ଜ ସମ୍ଭବ ସଂବେଶରେ

କରାଇଥିଲା ସଂଯୋଗୀ ରେ ।୫।

ଗୋପାଳକୃଷ୍ଣ କହଇ ସାବଧାନ

ହୁଅ ଚାରୁ ଚଳାପାଙ୍ଗିରେ

ଘନ ତମସୀରେ ପଞ୍ଚପାଳି ତଳେ

ଦେଖୁଛନ୍ତି ଚଳ ବେଗୀରେ ।୬।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ତୋ ଯଦି ନ ଲାଗିଲାନି ଶ୍ୟାମ ବାଧା)

ଯାହା ଭାଳିଥିଲି ହୋଇଥିଲେ ଆଉ

ଚନ୍ଦ୍ରନନ ଦିଶନ୍ତା କି । ।ପଦ।

ଶତ ଅବୟବ ତେଜିଲେ ରାଜୀବ

ପଦ ସେବା ମିଳନ୍ତା କି । ।୧।

ମୋ ଜୀବ ଜୀବନ ହୃଦର କଦନ

କେ ଲିଭାଇ ପାରନ୍ତା କି । ।୨।

ମନେ ପଡ଼ିଗଲେ ମୁହିଁ ବେଳେ ବେଳେ

ନେତ୍ରେ ଲୁହ ରହନ୍ତାକି ।୩।

ରୁଷନ୍ତେ କା’ପରେ କେଳି ତଳପରେ

ବଳେ କେ ଚୁମ୍ବ ଦେନ୍ତାକି ।୪।

କହଇ ଗୋପାଳକୃଷ୍ଣ ସେ କମଳ

ଭବ ଏହା କରନ୍ତା କି । ।୫।

 

ରାଗ–ତୋଡ଼ି । ତ୍ରିପୁଟା ତାଳ ।

ଗୋଷ୍ଠାଖଣ୍ଡଳ କୁଳ କୁମୁଦବନ୍ଧୁକୁ କେ ଭୁଲାଇ ରଖିଲା ସହିରେ

କୁଞ୍ଜରୁ ଦେହଳୀକି      ହେଉ ଏଣି ତେଣିକି

ରଜନୀ ଅର୍ଦ୍ଧ ତ ଗଲାନି ବହିରେ । ।ପଦ।

ରୁମାନ କରିଥିଲି      ବୋଲି କି ମୁହିଁ କାଲି

ମାନସରେ ସେ ଦୁଃଖ ଭାବି ରେ

ଅଭ୍ରଲିହ ଅନଙ୍ଗ      ଅନଳ କୁଣ୍ଡରେ

ପକାଇ ଦେଲେ ବନ ମଧ୍ୟରେ କି କରିବି । ।୧।

ମିହିର କନ୍ୟା ତାର       ବନ୍ୟା କୁସୁମ ଶର

ବିନ୍ୟାସି ମୋ ହୃଦରେ ପାଣିରେ

କହିଲେ ଆସିବାକୁ      ଏ କେଶର କୁଞ୍ଜକୁ

ରୁହାଇଲା କେ ତାଙ୍କୁ ବଣା କରି ସରଣୀ । ।୨।

 

ହାସ କର୍ପୂର ଗିର      ନାରୀକେଳ ସଲୀଳ

ଗରଳ କରାଇଲେ ପାନରେ

ଘାରି ହେଉଛି ତନୁ      ଅଧର ସୁଧା ବିନୁ

ନାହିଁ ଉପାୟ ଆନ ରହିବାକୁ ଜୀବନ । ।୩।

ଶକ୍ରଦିଶ ଶିଖର      ଶୃଙ୍ଗେ କର ପ୍ରସାରି

ଦେଲାନି ଅନା ପାପ ଶଶୀ ରେ

ଆସିବେ ସେ ଆଉ କି      ବୋଲୁଁ ମୋହନ ଲୁକି

ଶୁଣୁଥିଲେ ବିଲୋକି ଗୋପାଳକୃଷ୍ଣ ହସି । ।୪।

 

ରାଗ–ମୋହନା । ରୂପକ ତାଳ ।

(ଆଗେ ଜନନୀ ମାଟି ମୁଁ ଖାଇନାହିଁ – ପ୍ରତି)

କହିବାକୁ ସିନା ଶ୍ୟାମ ପ୍ରୀତି କରିଛି

ନୋହିଲେ କି ଦାରୁଣ ପ୍ରାଣ ରଖିଛି । ।ପଦ।

ଗୁଣଯାକ ସୁମରି      ବସିଛି ମୁଁ ଆଉରି

ଯାଠାରୁ ଯାହାକୁ ବନ୍ଧୁ ସରିଛି । ।୧।

ଏହି ମୁଖେ ମୋହନ      ମୋ ଜୀବର ଜୀବନ

ବୋଲୁଥିଲି ଗଲେ ମୁହିଁ ତ ଜୀଇଁଛି । ।୨।

ସୌଭାଗ୍ୟବତୀ ପଣ      ଦିଶାଇବାକୁ ଜାଣ

ଈକ୍ଷଣରୁ ଲୁହ ବୁହାଇ ଦେଉଛି । ।୩।

ଜାଣିଲି ଅପସ୍ମାର      ଏ ହୃଦୟ ମୋହର

ଫାଟି ନଯାଇ ବୋଲି ବିହି ଗଢ଼ିଛି । ।୪।

ଏ କାକୁ ବାଣୀ ଶୁଣି      ଗୋପାଳକୃଷ୍ଣ ଭଣି

ସେ କେଣେ ଯିବ ମୁହିଁ ଯାଇ ଆଣୁଛି । ।୫।

 

Unknown

ରାଗ–ଭୈରବୀ । ମିଶ୍ରଚାପ ତାଳ ।

ଶ୍ୟାମଳ ନିର୍ମଳ ଜଳଧର ଛବିକ । ।ପଦ।

ଲାଜ, ପତି, ପିତାକୁଳ      ଜଳଧି କରି ଚଉଳ

ପ୍ରୀତି ଲାଗି ରାଧା ତନୁ ଦେଲାନି ବିକି । ।୧।

ଜାଣରେ ସଜନୀ ଜୀବ      ଯେବେହେଲେ ବରଜିବ

ଛାଡ଼ିଦେଲେ ସବୁଦିନେ ଜୀଇଁଥିବ କି । ।୨।

ଆଜଯାଏଁ ଆଜନମୁ            ବରତ କେତେ କରି ମୁଁ

ବର ମୁଁ ମାଗୁଛି ନିତି ସେବି ରବିକି । ।୩।

ବଳାରାତି ମଣି ମୋର      ଚଳାଇ ଛୁଇଁଲା କର

ମୁଁ ଯୋଗୀ ସେ ଥାଳ ତେଛି ବରତିବି କି । ।୪।

ଉପାୟ କହୁଛି ତୋତେ      ବିଷ ଗୋଳି ଦେ ମୋ ହାତେ

ମନା କରନା ତୋ କଥା ନ ପାଳିବି କି । ।୫।

ଗୋପାଳକୃଷ୍ଣ ଭାଷିତ      ଆଳୀ ବୁଝିବାକୁ ଚିତ୍ତ

ପଚାରିଲେ ବିଜେକର ବୃନ୍ଦାଟବିକି । ।୬।

 

ରାଗ–ଆନନ୍ଦଭୈରବୀ । ଆଦି ତାଳ ।

(ନାଚନ୍ତି ଶ୍ରୀକୃଷ୍ଣ କି ମଧୁରେ ସେ ମଧ୍ୟରେ – ପ୍ରତି)

ଆଜ ଶ୍ରୀ ଗୋଷ୍ଠଚନ୍ଦ୍ରମା ମା ସାଜିବା ସଜ ।

କୋଟି ସ୍ମର ସୁଷମା । ନୟନ ସୁଖ ସୀମା ।

ଆହା ! ସେ ମାଧୁରିମା ନାହିଁ ଆଉ ଉପମା । ।ପଦ।

କି ସୁନ୍ଦର ବେଣୀ ବ୍ୟାଜ ରତନସାରେ ମଞ୍ଜୁଳ

ଅରାଳ ଶିଖଣ୍ଡ ଚୂଳ ରାଜିତ ମାଳତୀମାଳ ।

କୁଟିଳ ନୀଳ କୋମଳ ନିଟିଳ ଚୂର୍ଣ୍ଣ କୁନ୍ତଳ

ମଣ୍ଡିତ କୋମଳ କୋଳ ଶିଶୁ ମଧୁବ୍ରତ ଜାଳ । ।୧।

 

ମାର ଧନୁ ଭୁରୁଲତା ମଧ୍ୟେ ଗୋରଚନା ଚିତା

ଚାହିଁଲେ କେଉଁ ବନିତା ରହିବ ତ ତାର ଚେତା ।

ନାସାରୁ ନୂଆ ମୁକୁତା ହା କୁଣ୍ଡଳ ଆନ୍ଦୋଳିତା

ଗଣ୍ଡସ୍ଥଳ ସୌଷ୍ଠବତା ଭଲା ଗଢ଼ିଲା ବିଧାତା । ।୨।

ଥାଉ ଆଉ ଭୁଷା ଯାକ କର୍ଣ୍ଣାଂଶେ ମଲ୍ଲୀ ସ୍ତବକ

ହୃଦୟର ଗଇରିକି ବଜାଇ ଦେଲା ବିବେକ ।

ଅଳି ସହ ବନସ୍ରକ ହାରାବଳିର ପଦକ

କଟୀର ପୀତ ଅଂଶୁକ ସ୍ଥିର ଚପଳା ଝଟକ । ।୩।

 

ଛନ୍ଦାଚରଣ ଯୁଗକୁ ମର୍କତ ଭୁଜାଗଳକୁ

ବଂଶୀନ୍ୟାସ ଅଧରକୁ କି ତୁଳନା ଚିବୁକକୁ ।

କେଣେ ଗଲି ଯମୁନାକୁ ଚାହିଁଲି ନୀପମୂଳକୁ

ଲଭିଲି ଜଢ଼ରୂପକୁ ପାଶୋରି ଦେଲି ଦେହକୁ । ।୪।

ଗୋପାଳକୃଷ୍ଣ ଭାଷିଲା ବେଳ ଅବସାନ ହେଲା

ଏବେ ଜରତୀ ଡାକିଲା ସମୟ ଆସି ପହିଲା ।

ବୋଲୁଁ ସ୍ମରଣା ହୋଇଲା ପୁରକୁ ଯିବି ବୋଇଲା

ବେଳେ ପଦ ଜୁଳି ହେଲା ମନ ଆଉ ନ ଆସିଲା । ।୫।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ଦୁଃଖିଧନ ଦୁଃଖମୟ ନ କର ସରସ ମନ – ପ୍ରତି)

ଶ୍ୟାମ ଅପବାଦ ମୋତେ ଲାଗିଥାଉ ରେ ପ୍ରାଣସହି !

ନିତି ସେହି ଚିନ୍ତାରେ ମୋ ଦିନ ଯାଉରେ । ।ପଦ।

ଚାହିଁଦେଲେ ଥରେ ସେ ଶ୍ରୀମୁଖ

କୋଟିଏ କୋଟି ଜନ୍ମର ଦୁଃଖ

ଲିଭିଯାଇଛିରେ ପରାଣମିତଣି ଯେ

ଯେତେ ବୋଲିବ ବୋଲୁଥାଉ ।୧।

ବିନୟ ବାରାଧି ମୃଦୁବାଣୀ

ଶ୍ରୁତି ପଥରେ ଯେ ଥିବ ଶୁଣି

ପୀୟୁଷାଣନଜନଙ୍କୁ ଧନ୍ୟ ବୋଲି

ବୋଲିବକି ତା ମୁଖରେ ଆଉ ।୨।

 

ବାଡ଼ ଭିତ୍ତିକ ବୋଇଲା ପରି

ବୋଲୁଥିଲେ ହେଲେ ବ୍ରଜନାରୀ

ଶୁଣି ନ ଶୁଣିଲା ପରି ମୁଁ ଯାଉଛି ଆଡ଼

ଉହାଢ଼ରେ ଶବଦାଉ ।୩।

ଗୋପାଳକୃଷ୍ଣ ବୋଲଇ ଧୀରେ

ବାଚାଳୀ କୁଟିଳ ଚାପଲ୍ୟରେ

ବରଜ ନଗରଯାକ ସ୍ଫୁଟ ହେଲା

ସଦାବେଳେ ହେଉ ରାଉ ରାଉ ।୪।

 

ଶ୍ରୀକୃଷ୍ଣଙ୍କ ଭକ୍ତି

ରାଗ–ଯୁବାବତୀ । ଆଦି ତାଳ ।

(କି କହିବି ସେ ଘନଜଘନୀ ବେଦନା – ପ୍ରତି)

କହରେ ସଙ୍ଗିନୀ କେ ସେ ନୂଆ ଲାଳନା, ମୋତେ ।

କାନ୍ତି କୁଳ ଦେବତା କି କରେ କଳନା । ।ପଦ।

ଦଶ ଦିଶ କାଞ୍ଚନାଭ      ଦିଶୁଛି ଏ କି ଦୁର୍ଲ୍ଲଭ

ଦାଶାର୍ଦ୍ଧଶର କରିଛି ଏ କି ରଚନା । ।୧।

ଶୁଣ ନୂପୁର ସୁରୁତ      ମଣି ଭୁଷାର ସିଞ୍ଜିତ

ବ୍ରଜର ଲକ୍ଷ୍ମୀ ପରାଏ ବର ବରନା । ।୨।

ପରଂଧାମର ବିଭୂତି      କିବା ମୋ ନେତ୍ର ସମ୍ପତ୍ତି

ମୂର୍ତ୍ତିମନ୍ତ ହୋଇ ବିଳସୁଛି କି ଅନା । ।୩।

ବୃନ୍ଦାରଣ୍ୟ ଜନଙ୍କର      କୋଟିଏ କୋଟି ଜନ୍ମର

ଭାଗ୍ୟରାଶି ପରି ହେଉଛି ମୋ ଭାବନା । ।୪।

ଗୋପାଳକୃଷ୍ଣ ଭାଷଣ      ହେ ନୂତନ ରଣ ରଣ

ରହ ଅଳପ ଦିନରେ ଚିହ୍ନିବ ସିନା । ।୫।

 

ରାଗ–କାଫି । ଆଠ ତାଳୀ ।

(ଇନ୍ଦୁରେ ପରାଣବନ୍ଧୁ ଟେକ ମଥା – ପ୍ରତି)

ମୁଁ କି ମୂଢ଼ବୁଦ୍ଧି କଲିରେ ରସନିଧି । ।ପଦ।

ଆଳୀ ବଦନରୁ ଶୁଣି ମୋ ନିଷ୍ଠୁର ଗିର ।

ଭାଳି ଭାଳି ତେଜି ଦୀର୍ଘ ନିଃଶ୍ୱାସ ସମୀର ।

ସ୍ୱାନ୍ତେ ଶାନ୍ତି କି ଭଜି ଅନୁରାଗ ଅଙ୍କୁର ।

ଭାଙ୍ଗିଦେବ କି ହୁଡ଼ିଲି ରେ ରସନିଧି । ।୧।

ପ୍ରେମ ଦ୍ରୁମରେ ଫଳଥିବା ଫଳ ବିଧାତା ।

କାହୁଁ ଜନମାଇଲା ପରୀକ୍ଷା ପିଶୁନତା ।

ଆହା ଜାଣି ନ ପାରି ସ୍ୱକରେ ଯା କେଣେ ତା ।

ମୂଳରୁ ମୁଁ ଛିନ୍ନାଇଲି ରେ । ।୨।

 

ତ୍ରୈଲୋକ୍ୟ ଲକ୍ଷ୍ମୀ ବସତି ନବନୀତ ଦେହୀ ।

ଚଣ୍ଡାଳ ମଦନ ଶର କଦନ ନ ସହି ।

ପ୍ରାଣ ବିସର୍ଜିବ ପରା ଆଳୀଙ୍କି ନ କହି ।

ବିନା ଦୋଷେ ଦଣ୍ଡ ଦେଲି ରେ । ।୩।

ରାଧା ବୋଲି ପରିତୋଷ ହେଉଥାଇ ମନ

ବେଳେ ହେଲେ ସ୍ୱଚ୍ଛ କରି ସେ ଶ୍ରୀ ଚନ୍ଦ୍ରାନନ ।

ସୁଷମାକୁ ନୟନରେ କି କାରଣ

ଆହା ଦେଖି ନ ପାରିଲିରେ ରାସନିଧି । ।୪।

ବୋଲୁଁ ଶୁଣୁଥିଲା ଗୋପାଳକୃଷ୍ଣ ଭଣିଲା

ଆପଣାର ଅଙ୍ଗ ଉତ୍ତୀର୍ଣ୍ଣ ରଙ୍ଗଣ ମଳା

ଶ୍ରୀ କିଶୋରୀମଣି କଣ୍ଠେ ଶୋଭା ପାଉଥିଲା

ଏ କ୍ଷଣି ଦେଖି ଅଇଲିରେ ରସନିଧି । ।୫।

 

ରାଗ–ମୁଖାରୀ । ମିଶ୍ରଚାପ ତାଳ ।

(କେ ପାଇଲା କେ ସେ କି ପାଇଲା – ପ୍ରତି)

କାହୁଁ ଏ ନୂଆ ରୁଷା ଶିଖିଲା ରେ ।

ସହି ଏମନ୍ତ କେବେ ନଥିଲା ରେ । ।ପଦ।

ଘନ ଶିଥିଳ କେଶ      କରିଦେବି ସୁବେଶ

ବୋଲନ୍ତେ କି କପଟ ରଚିଲା ରେ,

ଏ ଲାଗି ଦୁଃଖ କେତେ      ପାଇଚି ସୁଖ ମୋତେ

ହୋଇଛି ସିନା ଥାଉ ବୋଇଲା ରେ । ।୧।

ହେଉ ସଫଳ ଶ୍ରମ      ବୋଲି ଜାତୀ କୁସୁମ

ମାଳା ଯୋଗାନ୍ତେ ବକ୍ରେ ଚାହିଁଲାରେ,

ଶ୍ରୀକର ଶିରେ ଦେଇ      ହୋଇ ମୋତେ ବିନୟୀ

ମଥା ମୋ ବଥାଇଛି କହିଲା ରେ । ।୨।

 

ମୁଖରୁ ଶ୍ରମ ବାରି      ପୋଛି ଦେବି ବିଚାରି

ଧରୁ ମୁଁ ଉତ୍ତରୀୟ ତେଜିଲା ରେ,

ଦେଖ ଶ୍ରମ ଶୀକର      ଦିଶେ କେଡ଼େ ସୁନ୍ଦର

ବୋଲି ବନ୍ଧୁ ମୁକୁର ଧଇଲାରେ । ।୩।

ଯାବତ ହେଲେ ଦେବି      ବୋଲି ମାନସେ ଭାବି

ଗୋଳୁ ଅଲକ୍ତ ରସ ଜାଣିଲାରେ,

ଏ ହେଲା କି ସୁନ୍ଦର      ବୋଲି ମୋତେ ତା ଶିର

ଶପଥ ପକାଇ ନିଷେଧିଲା ରେ । ।୪।

ଗୋପାଳକୃଷ୍ଣ ଭଣି      ବିଦଗ୍‌ଧ ଶିରୋମଣି

ଚିତ୍ତକୁ ଏ କେମନ୍ତ ଆସିଲାରେ,

କୃଷ୍ଣ କହନ୍ତି ପଛେ      ମୋତେ ବିଲୋକି ସ୍ୱଚ୍ଛେ

ଦନ୍ତେ ରସନା ଦଂଶି ହସିଲା ରେ । ।୫।

 

ରାଗ–କାଫି । ମିଶ୍ରଚାପ ତାଳ ।

(ତୋ ଲାଗି ମୋହନ ହୋଇ ଅଚେତନ – ପ୍ରତି)

ସଙ୍ଗିନୀରେ ରସ ରଙ୍ଗିନୀରେ ଦୋଷ

କ୍ଷମାକର ଜୀବବନ୍ଧୁ ରୁଷନାରେ । ।ପଦ।

ଯା କର ତୋ ପଦ ପଙ୍କଜ କିଙ୍କର

ରଙ୍କରତନ ମୃଗାଙ୍କ ଲପନାରେ

ଶଙ୍କର ଶତ୍ରୁ ନିଃଶଙ୍କରେ ଦହୁଛି

ଅଙ୍କ ପର୍ଯ୍ୟଙ୍କ ମୋ ମଣ୍ଡୁକି କି ନା ରେ । ।୧।

ଯୋଡ଼ି ପାଣି ଜଣାଉଛି ରାମାମଣି

ଧରଣୀରେ ନଖଗାର ଲେଖନା ରେ ।

କିଣିଲା ଜନ ମୁଁ ତୋର ଆଜନମୁ

ତଳୁଁ ତୋଳ ଚାରୁ ବେଣୀ ଲୋଟାନା ରେ । ।୨।

 

ମାନସରୁ ମାନ ସରୁ ସ୍ମର ଶରୁ

ରଖ ନୂଆଁ ସରୁ ନୀଳ ବସନାରେ ।

ଜୀବନାପସରୁ ପୀୟୁଷ ହାସରୁ

ଲବ ପ୍ରସରୁ ଖଞ୍ଜନ ନୟନା ରେ । ।୩।

ଗୋକୁଳ କୁଳଜା ପରିଷଦ ରାଜା

ନ କଲେ କରୁଣା ମୁଁ ଜାଣ ତୋ ନା ରେ ।

ରାଧେ ରାଧେ ବୋଲି ତୋ ସରସୀ ସଲୀ –

ଳରେ ଝାସିବାର ଶୁଣୁ ସିନା ରେ । ।୪।

ଅବନତ ହୋଇ ଧରୁ ପଦ ଦୁଇ

ରାଧା ପ୍ରସନ୍ନତା କରି କଳନାରେ ।

ଗଲେ ନିଜ ନିଜ କୁଞ୍ଜେ ଆଳୀ ବ୍ରଜ (ସଖୀଗଣ)

ଗୋପାଳକୃଷ୍ଣ କରେ ଭାବନାରେ । ।୫।

 

ସଖୀ ଭକ୍ତି

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ଡାକିବି ରାଧାତମଶ – ପ୍ରତି)

ବିରଞ୍ଚି ଭଲପାଞ୍ଚିଲାରେ

ଶ୍ୟାମ ଅନୁରୂପେ ରାଧା ରଚିଲା ରେ । ।ପଦ।

କୋଟି ରତି ମାର ନଉଛଣାକୁ

ତୁଲ ହେବେ ନାହିଁ ପଦ ତଳକୁ ।୧।

ସୁନ୍ଦର ପଣରେ ପ୍ରଥମ – ଗିରା

ଜଗଜ୍ଜନ ମନ ମୃଗ ବାଗୁର । ।୨।

 

ବାଦେ ବଢ଼ୁଛନ୍ତି ଯା ଛବି ପ୍ରେମ

ଆଜ ସରିକି ନାହିଁ ଯେ ବିଶ୍ରାମ ।୩।

ସାମାନ୍ୟ ସ୍ୱକୀୟାକୁ ବରଜିଲା

ପରକୀୟାରେ ଚିତ୍ତ ପକାଇଲା ।୪।

ଉଜ୍ଜ୍ୱଳ ନିର୍ଯ୍ୟାସ କୃଷ୍ଣ ଶ୍ରୀମୂର୍ତ୍ତି

ପରାନନ୍ଦ ସ୍ୱରୂପିଣୀ ଶ୍ରୀମତୀ ।୫।

ଗୋପାଳକୃଷ୍ଣ ସେ ପଦ ନଳିନ

ଯୁଗେ ସମର୍ପିଲା ମନ ଜୀବନରେ ।୬।

 

ରାଗ–ହରି କାମ୍ବୋଦୀ । ମିଶ୍ରଚାପ ତାଳ ।

(ନବିନାରେ – ପ୍ରତି)

ମାଧୁରୀରେ ମାଧୁରୀରେ, ଆହା ମାଧୁରୀ !

ନିକୁଞ୍ଜ ବିଜେ କରିବାର ରାସେଶ୍ୱରୀ । ।ପଦ।

ପ୍ରଫୁଲ୍ଲିତ ବୃକ୍ଷବଲ୍ଲୀ ଭ୍ରମର ଗୁଞ୍ଜନ

କାଳିନ୍ଦୀ କୁମୁଦ ବନ ଶୀତଳ ପବନ । ।୧।

ତ୍ରୈଲୋକ୍ୟ ଲକ୍ଷ୍ମୀ ବସତି କାନ୍ତ ରୂପ ଧ୍ୟାଇ

ପଦ ବିନ୍ୟାସ କରାଇ ଧୀର ଧୀର ହୋଇ । ।୨।

ତମାଳକୁ ଚାହିଁ ଶ୍ୟାମ ଭ୍ରମେ ଚରମକୁ

ଘୁଞ୍ଚିବାର ଗାଢ଼େ ଧରି ଲଳିତା ଭୁଜକୁ । ।୩।

 

ଉଦ୍‌ବେଗ ଚାପଲ୍ୟ ଭ୍ରମ ପ୍ରଣୟ ହରଷ

ସ୍ୱେଦକମ୍ପ ପୁଲକରେ ଶ୍ରୀଅଙ୍ଗ ଅବଶ । ।୪।

ପ୍ରାଙ୍ଗଣେ ଜୀବନବନ୍ଧୁ ଶ୍ରୀମୂର୍ତ୍ତିକି ଚାହିଁ

ଚରଣ ନ ଚଳେ ଲାଜେ ବଳାଇଲେ ସହୀ । ।୫।

ଖସିଯାଇ ନୀଳ ଉପରାଣ ମସ୍ତକରୁ

ଅଧୋମୁଖେ ରହିଲାର କନକ ରମ୍ଭୋରୁ । ।୬।

ଗୋପାଳକୃଷ୍ଣ ଭାଷେ ନାଗର ଚକ୍ରବର୍ତ୍ତୀ

ଉଭା ହେବାର ସଖୀଙ୍କ ସାନ୍ନିଧ୍ୟ ଶ୍ରୀମୂର୍ତ୍ତି । ।୭।

 

ରାଗ–କାମୋଦୀ । ମିଶ୍ରଚାପ ତାଳ ।

(ଅବିବେକୀ ଦଇବ କି ଛଡ଼ାଇଲା – ପ୍ରତି)

ରାଧା ଋଷିଛି ମୋହନଙ୍କୁ ବୋଇଲେ

ହସିଲେ ନାହିଁ କି ରେ ଲୋକ ଶୁଣିଲେ । ।ପଦ।

ବନରୁ ଆସିବାର      କେବେହେଲେ ଉଛୁର

ନୀର ପୁରୁଷ ଯାର ନେତ୍ର ଯୁଗଳେ । ।୧।

ପୀୟୁଷ ସାର ରସ      ଯାର କର ସ୍ପରଶ

ନୋହିଲେ ଛୁଉଁନାହାନ୍ତି ଯେ ପହିଲେ । ।୨।

ବ୍ରଜବିଧୂ ଛାମୁରୁ      ଯିବା ଆଳୀ କି ଦୁରୁ

ଦେଖି ଉଠି ସେ ଉଭା ହେଉଛି ତଳେ । ।୩।

ବିଦଗ୍‌ଧ ମିଥୁନର      ପ୍ରଣୟ ଅମର୍ଷର

ପ୍ରାନ୍ତର ଭାବ ଜାଣିବ କେ ପାଞ୍ଚିଲେ । ।୪।

ପୁରିଥିଲେ ଗୁଆଳୀ      ରାସ ମଣ୍ଡଳେ କାଲି

ବିଞ୍ଚୁଥିଲେ ଯେ ଯାକୁ ବସାଇ କୋଳେ । ।୫।

ପରସ୍ପର ଅଧର      ସୁଧା ଜୀବାକୁ ଯାର

ତେଜି ହୁଏ କି ଗୋପାଳକୃଷ୍ଣ ବୋଲେ । ।୬।

 

ରାଗ–କାମୋଦୀ । ମିଶ୍ରଚାପ ତାଳ ।

(ନାଗରବର ପ୍ରେମ ନିରେଖି କରି – ପ୍ରତି)

କେବେ ନଥିବା ଋଷା ଆଜ କାହିଁକି ?

ମୋହନଠାରେ ମନ ଭାଜିଗଲା କି ? ।ପଦ।

ବରଜିବୁ ତୁ ସିନା      କିପରି ସେ ତୋ ବିନା

ବଞ୍ଚିବେ ମାନସରେ ପାଞ୍ଚିଲୁ ନି କି । ।୧।

ଶ୍ରୀ ବ୍ରଜେନ୍ଦ୍ର ନନ୍ଦନ      ମୋ ଜୀବନର ଜୀବନ

କେତେଥର ବୋଲିଛି ପାଶୋରିଲୁ କି । ।୨।

ମହାଭାବ ରୂପିଣୀ      ପ୍ରେମ-ଧନରେ କିଣି

ଅଧର ସୁଧା ଯାକୁ ଦେଉଛୁ ଲୁକି । ।୩।

ଆରେ ପ୍ରାଣ ମିତଣି      କେ କି କହିଲେ ଶୁଣି

ଏପରି ହୁଅନାରେ ଆଉ ଏଣିକି । ।୪।

ଗୋପାଳକୃଷ୍ଣ ବୋଲେ      ହାତ ଧରି ପହିଲେ

ଆନ ପକାଇ କୁହାଯାଇ ନାହିଁକି । ।୫।

 

ରାଗ–ସାବେରି । ଏକ ତାଳ ।

(ଗଲାଣି ତ ଗଲା କଥାରେ ସଙ୍ଗାତ – ପ୍ରତି)

ପରସ୍ପର କେଣେ ମନରେ, ମିତଣି ।

ହୃଦରେ ଆବେଶ ହୋଇଛନ୍ତି କିରେ

ଶ୍ରୀ ବୃନ୍ଦାରଣ୍ୟ ମଦନରେ ।ପଦ।

ଲଳିତାଙ୍ଗି ! ମୁହଁ ଲଳିତା ଡାକୁଛି ଏଣେ ଦେଉନାହୁଁ କାନ ।

କି ମଜ୍ଜିଛି ଚିତ୍ତ ଆରେ ପ୍ରାଣମିତ

ଢାଳୁତ ନାହୁଁ ନୟନ । ।୧।

ଆସୁ ଆସୁ ମୁଁ ପାଛୋଟି ଆସି ଆଗେ

ହୋଇଯାଉ ଯେ ପ୍ରସନ୍ନ ।

ସ୍ଥୈର୍ଯ୍ୟ ବିଦ୍ୟୁଲ୍ଲତା ପରି ରହି ପଦେ

କହୁତ ନାହୁଁ ବଚନ । ।୨।

 

ଛାଡ଼ ମୋ ଅଞ୍ଚଳ କାହାକୁ ବୋଲୁ ତୁ

କେହି ନାହାନ୍ତି ତ ଜନ ।

ହାତରେ ସରସିଜ ଧରିଧରି ମାଗୁଛି

ଦିଅ ବୋଲି ମୋ ନଳିନ ।୩।

ପଥ ଛାଡ଼ ବୋଲି କହୁଛୁ କାହାକୁ

ବନ ଦୁହେଁ ଏ ସଦନ ।

କହିଦେବଟି ସଖିଙ୍କି ବୋଲୁଁ ଏଣେ

ଆଖିରୁ ବହୁଛି ବନ (ଲୁହ) ।୪।

ଚେତିଚନ୍ତି ଶ୍ରୀ କିଶୋରୀମଣି ଲାଜେ

ନୁଆଇଁ ଦେଲେ ଲପନ ।

ଭାଳେ ଗୋପାଳକୃଷ୍ଣ ନିତି ଏପରି

ହେଲେ ବହି ଯିବ ଦିନରେ ।୫।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

ତୋତେ କହିଲା ପରି      ମୋତେ ଚରମ କରି

ମରମ ବିଦାରି ପକାଇଲା ରେ । ।ପଦ।

ବାଟ ପାଶୋରିଲୁ      ପରା ଯେ ଅଇଲୁ

କେତେ ଦିନକୁ ଦୟା ହୋଇଲା ରେ । ।୧।

କରାଇଛି ବ୍ରତ      ଆଜ ପୁରୋହିତ -

ପୁରୁଷକୁ ଅନାନା ବୋଇଲା ରେ । ।୨।

ତୁ ଭାଷନ୍ତେ ଧୀରେ      କଥା ଦେଲେ ଥରେ

ନିଷେଧି ମଥା ତ କମ୍ପାଇଲା ରେ । ।୩।

ମୋହନଙ୍କୁ ମୁହିଁ      ଚାହିଁବି ତ ନାହିଁ

ତୋ ମୁଖେ ଯାଆନ୍ତୁ ବୋଇଲା ରେ । ।୪।

କୁଶଳ କି ମିତ      ତୁମ୍ଭର ଯାବନ୍ତ

ସଙ୍ଖୁଳିଲା ଆଗହୁଁ ଛଇଳା ରେ । ।୫।

ଗୋପାଳକୃଷ୍ଣ ସେ       ବୀଣା ଶୁଣି ଭାଷେ

ଆପଣା ରୀତିକି ଯୋଗାଇଲା ରେ । ।୬।

 

ରାଗ–ନୀଳମ୍ବରୀ । ମିଶ୍ରଚାପ ତାଳ ।

ଯାଚି କଥା କୁହାଯିବରେ ଜାଣିଥା । ।ପଦ।

ଲଳିତ ତ୍ରିଭଙ୍ଗ ଭଙ୍ଗୀ ନଟବର ସଜ ।

ବରହ ଉତ୍ତଂଶ ବଂଶୀ ବସା ମୁଖାମ୍ବୋଜ ।

ଯଦି ମନରେ ପଡ଼ିବରେ । ।୧।

ବିଧୂ ଉଦୟରେ କି କୁମୁଦ ନ ଫୁଟିବ ।

ଚନ୍ଦ୍ରକାନ୍ତ ମଣିକି ଦରବି ନ ସ୍ରବିବ ।

ଆସନ୍ତୁ ସେ ଜଣାଯିବରେ । ।୨।

କ୍ଷଣେ ନ ଦେଖିଲେ ଯାହାକୁ କୋଟିଏ ଥର ।

ଆଳୀଙ୍କି ପଠାଇ ଅଣାଉଥାଉ ଖବର ।

ସେ ଲୋଭ କି ଛାଡ଼ି ହେବ ରେ । ।୩।

 

କାଳୀୟ ମଥାରେ ଗଲାଦିନ ସେ ନର୍ତ୍ତନ ।

ଯାହା ହୋଇଗଲୁ କରିଥିଲୁ ସେ ଗୁମାନ ।

ଚିନ୍ତା ଚିତ୍ତେ କି ନ ଥିବରେ । ।୪।

ଅଭିମନ୍ୟୁ ସକୁଟୁମ୍ବ ହୋଇ ମଥୁରାକୁ ।

ଯିବ ବୋଲି କାଲି କହୁଥିଲା ଜଟିଳାକୁ ।

ପଡ଼ିଛି ତ ଉପଦ୍ରବ ରେ । ।୫।

ଛନ୍ନ ହୋଇ ଶ୍ରୀରାଧିକା ଆଳୀଙ୍କି ପଚାରୁ ।

ସେ କହନ୍ତି ପଠାଇଛି ପୂର୍ଣ୍ଣମାସୀଠାରୁ ।

ଗୋପାଳକୃଷ୍ଣ ଆସିବରେ । ।୬।

 

ରାଗ–ପରଜ । ମିଶ୍ରଚାପ ତାଳ ।

(ପଡ଼ିଯିବନି ଲୋଡ଼ି ଯେ ମୋତେ ଜଲପନୀ – ପ୍ରତି)

ରହିଯାଇକି ରୁଷାରୁଷିଟା ନିରଭିସନ୍ଧି ପ୍ରୀତିରେ । ।ପଦ।

ତୁ ବ୍ରଜବଧୂ ଯେମନ୍ତ      ରୂପବତୀ ରୂପବନ୍ତ

ବୁଡ଼ିଛି ପ୍ରେମ ସୁଧା ସିନ୍ଧୁରେ,

କ୍ଷଣେ ହୋଇବ କି ରହି       ପଡ଼ିଗଲେ ମୁହାଁ ମୁହିଁ

ବଳେ ମିଶିଯିବ ଛାତି ଛାତିରେ । ।୧।

ତୃତୀୟ ଜନ ନଥିଲା      କାଳରେ ଜାଣୁ ଛଇଳା

ଯାହା ଅନୁଭବ ସୁପାତିରେ,

ସ୍ମୃତି ହୋଇଗଲେ ମନେ      ଶୟନେ ଅବା ସ୍ୱପନେ

ଲୋଟୁ ଦିନ ସରିବ କି କ୍ଷିତିରେ । ।୨।

 

କଥା କେତେବେଳେ ଯାଇ      ନ କହିବ ନ ଅନାଇଁ

ଏକା ଏକି ହୋଇଲେ ଭାଗ୍ୟରେ,

କେତୋଟି ଗାଢ଼ାଲିଙ୍ଗନ      କେତେଟି ସରୁ ଚୁମ୍ବନ

ସରିଯିବ ହରଷ ଝଟତିରେ । ।୩।

ଗତାଗତ ବନବାଟେ      ଜଗାଜଗି ଜଳଘଟେ

ହେଲେ ଲୁଚି ନ ଦେଖିଲେ ପ୍ରାଣେ

ଆସ ଯା ହେଉଥିବ ତ      ଗୋପାଳକୃଷ୍ଣ ଭାଷିତ

ଘାରି ହୋଇ ଶଙ୍କର ଅରାତିରେ । ।୪।

 

ରାଗ–ଝାଞ୍ଜୋଟି । ଏକ ତାଳ ।

ବାଉନି ବାଉନି ରେ । ଗୁଣ ମଉନୀ ହେଲେ ନି ମା ।

ଲୋଟୁଛନ୍ତି କଳିନ୍ଦଜା । ତୀର ପୁଲବନୀ ଅବନୀରେ । ।ପଦ।

ସୁମରି ସୁମରି ହରି ।

ଜାଣ ତୋ ସୁଷମାଶ୍ରୀ କିଶୋରୀ ।

ଗାଉଥିଲେ ଗୀତ କରି ।

ଧରି ବୀଣା ପ୍ରାଣ ସଙ୍ଗିନୀ ରେ । ।୧।

ପ୍ରସାରି କରି ସାରିକି ।

ବସାଇ ଧୀରେ ଗୋ ସ୍ୱାମିନୀକି ।

ଡାକି ଆସିବେ ଏଣିକି ।

ବୋଲୁ ନେତ୍ର ଥନ ଥନ ନୀରେ । ।୨।

 

ଆସୁଥିବୁ ପରା ବୋଲି ।

ଘଡ଼ି ଘଡ଼ିକି ନବ ଛଇଳି ।

ତୋଳି ସଘନେ ଭ୍ରୂ ବଲ୍ଲୀ ।

ଚାହୁଁଥିଲେ ଚନ୍ଦ୍ରବଦନରେ । ।୩।

ଶ୍ୟାମ କରିବାର ଦୋଷ ।

ସହି ମୋହର ହେଲା ଗୋ ଆସ ।

ହୁଅ କି ନ ହୁଅ ବେଶ ।

ଦ୍ରଜ ଯୋଷା ଶିର ମଣ୍ଡନୀ ରେ । ।୪।

ନଖରୁ ଶିଖ ପର୍ଯ୍ୟନ୍ତେ ।

ଆଳୀ ସାଜିଲେ ବେଶ ତ୍ୱରିତେ ।

ଗୋପାଳକୃଷ୍ଣ ପୁରତେ ।

ଘେନିଗଲା ସମ ବର୍ତ୍ତୃନୀରେ । ।୫।

 

 

 

ରାଗ–ଆନନ୍ଦ ଭୈରବୀ । ଆଦି ତାଳ ।

(ନ କହି ନିଷ୍ଠୁର ବାଣୀ – ପ୍ରତି)

ସୁନ୍ଦର ତୋତେ ଏ ରୀତି      କି ରେ ନବ ରସବତୀ

ସଂପ୍ରତି ଶଯ୍ୟା କଲୁ ଧରତି । ।୧।

ତେଜି ଅସନ ଶୟନ      ସୁବର୍ଣ୍ଣ ତୋରା ବରନ

ଜୀବନ ବନ୍ଧୁ କଲ ମଳିନ । ।୨।

ବାଳୁତ କାଳୁ ସେ ହରି      ଜାଣିଛୁ ନାଶିଛି ନାରୀ

କିଶୋରୀ ! ଦେଲୁ କିରେ ପାଶୋରି । ।୩।

ବ୍ରଜବିଧୂ ଶତଭକ୍ତ      ମୁକ୍ତ ଜନେ ଅନୁରକ୍ତ

ଅଯୁକ୍ତ ବୋଲୁ ହେଲୁ ଆସକ୍ତ । ।୪।

ଗୋପାଳକୃଷ୍ଣ ଭାଷଇ      ଲଳିତା ଅଙ୍କେ ପକାଇ

ଘେନାଇ କହିବାର ଚିହ୍ନାଇ । ।୫।

 

ରାଗ–ଖରହରପ୍ରିୟା । ମିଶ୍ରଚାପ ତାଳ ।

ଆସି ଯାଇଛି ସିନା କରମକୁ

ରାଧା ରୁଷିବାର ଥାଇ ଶ୍ୟାମକୁ ଗୋ । ।ପଦ।

ବ୍ରଜଯାକ ସଭେଁ ତାର      ସେ ବୃଷଭାନୁ ଜେମାର

ଏଥିରୁ ନ ଜାଣେ ତାରତମ୍ୟକୁ । ।୧।

କେ ହେଲେ ବିଲୋକିଛି କି      ସଜନି ଦୁହେଁ ଦୁହିଁକି

ଭ୍ରମରେ କରିବାର ଚରମକୁ । ।୨।

ଅପରାଧ କେତେ ଥର      କ୍ଷମା କରି ନାହିଁ ତାର

ଯାଉ ବୋଲି ପଛ କରି ତମକୁ । ।୩।

ଆଳୀକି ଦେଖିଲେ ଯାର      ପରିବାରି ପରି ତାର

ହୁଏ ଯେ ତେଜି ଲାଜ ସରମକୁ । ।୪।

ଜାଣି ସଜନୀ ଇଙ୍ଗିତ      ଗୋପାଳକୃଷ୍ଣ ଭାଷିତ

କଲା ଦୋଷ ଭେଦିଛି ମରମକୁ । ।୫।

 

ରାଗ–କାଫି । ମିଶ୍ରଚାପ ତାଳ ।

ଅଣ୍ଟି ଗଲାନି କୋଟିଗୁଣେ ତୋ ସୁଖ ସରି ଆଉ ନା । ।ପଦ।

ଏ ଚାତୁରୀ ଦେଖାନା ।ଘୋଷା ।

କୂଟ କପଟୀ ନଟ      ଅଭୀର ପଲ୍ଲୀ ବିଟ

ବଟିଆଇ ମୋ ଆଗେ ଚାଟ କହନା । ।୧।

କାଲି ନିଶି ଜାଗରେ      ନିକୁଞ୍ଜ ଅଗଣାରେ

ଜଗାଇଦେଲୁ ତାକୁ କେତେ ଯାତନା । ।୨।

 

କୀର୍ତ୍ତିଦାପତି କୁଳ            କୀର୍ତ୍ତି ବଲ୍ଲୀ ଆକୁଳ

ଶ୍ରୁତିରେ ତୋ ଧରମ ହେବ ଶୁଣାନା । ।୩।

ସୁଆଗକୁ ତୋହର      ଜୁହାର ଲକ୍ଷେବାର

ମୋହ ଲାଗଇ ହରି ଲୁହ ପୋଛାନା । ।୪।

ତୋ ଲାଗି ଯେତେ ବାଧା      ସହିଥିଲା ସେ ରାଧା

ଥରେ ହେଲେ ମନେ ନକରୁ ଭାବନା । ।୫।

ଗୋପାଳକୃଷ୍ଣ କହି       ଅଞ୍ଜଳି କରି ସେହି

ବୋଲେ ପୁଣି ଭ୍ରମାଇ ଲୋକ ହସାନା । ।୬।

 

ରାଗ–ଝାଞ୍ଜୋଟୀ । ରୂପକ ତାଳ ।

ମଦନ୍ମୋହନ ମନ୍ମୋରହିନୀରେ । ଏ କି ନୂତନ ରୀତି । ।ପଦ।

ସାରି ବେଶ ଅଭିସାର      କଲାବେଳକୁ ଅସାର

ବୁହାଇ ନେତ୍ର ଯୁଗଳରୁ ବସିଲୁ

ଶ୍ରୀମୁଖ ପୋତି । ।୧।

ଏହିପରି କରଭୋରୁ      ଆସୁଛି ତ ମୁଁ ଛାମୁରୁ

ଘେନ ଦେଇଛନ୍ତି ବଂଶୀକି କରିବାକୁ

ତୁ ପ୍ରତୀତି । ।୨।

 

କାନନେ ପଶୁପକ୍ଷୀଙ୍କି      ପ୍ରତି ବିଟପୀ ବଲ୍ଲୀକି

ଜନକଜା (ସୀତା) ଭିନ୍ନ ଶ୍ରୀରାମ

ପରି ପଚାରୁ ଅଛନ୍ତି ।୩।

ଭାଷନ୍ତି ଶ୍ରୀମତୀ ଧୀରେ      ଚିତ୍ରପଟ ଦର୍ପଣରେ

ଶ୍ୟାମ ବାମେ ମୋ ଛାଇକି ମୁଁ

ଚାହୁଁ ଭ୍ରମ ହେଲା ମତି ।୪।

ଗୋପାଳକୃଷ୍ଣ ସରଣି      ମଣାଇ ନେଉ ତରଣୀ

ତନୟା ତଟେ ଭେଟିଲେ ସେ

ପ୍ରିୟକୁ ଅଧ ପଦ୍ଧତି ।୫।

 

ରାଗ–ମାଳବଗୌଡ଼ା । ମିଶ୍ରଚାପ ତାଳ ।

(ଗଲାଣି ତ ଗଲା କଥାରେ – ପ୍ରତି)

କହିଲେ ବହିବୁ ରୋଷରେ ସଙ୍ଗାତ ।

ତୁହି ଘେନିବାକୁ ଅଛିକି ଆଉରି ନିକୁଞ୍ଜ

ବିହାରୀ ଦୋଷରେ ।ପଦ।

ବ୍ରଜ ପୁରନ୍ଦର ନନ୍ଦନ ସୁନ୍ଦର ବୃନ୍ଦ ଚକ୍ରବରତିକି

କର କ୍ରୋଡ଼ରେ ନଚାଇଲୁ ଇତର

ଆଡ଼େ ନ ଢାଳୁ ଦୃଷ୍ଟିକି । ।୧।

ଥରକୁ ଥର ପତ୍ରାବଳୀ ମକରୀ

ଲେଖୁ ଦିନ ଅଣ୍ଟୁ ନାହିଁ

ଆଉ ଯେତେ ସେବା ଆଳୀ ଅଜଣାରେ

ତୋତେ ଏକା ସାକ୍ଷୀ ତୁହି ।୨।

 

କି କରୁ ନାହାନ୍ତି ତୋର ନଉକରି

ଛାଇପରି ପାଶେ ଥାଇ

ତୁ ସିନା ନିଷେଧ କରୁଛୁ ଆସିଲେ

ସେ ଲାକ୍ଷା ଲେଖିବା ପାଇଁ ।୩।

ଘଡ଼ିଏ ଛାମୁରୁ ହୋଇଲେ

ଅନ୍ତର ତୋ ପାଦ ଚିହ୍ନର ଧୂଳି

ବୋଳି ହେଉଛନ୍ତି ଲୁହ ପୋଛି ପୋଛି

ବୃନ୍ଦାବନଯାକ ବୁଲିରେ ।୪।

ଶୁଣି ସଖୀ ବାଣୀ ଶ୍ରୀକିଶୋରମଣି

ଶ୍ୟାମ ଛାମୁରେ ମିଳିଲେ ।

ଗୋପାଳକୃଷ୍ଣ ପଦାବ୍‌ଜରେ ପୋଛୁ

ପୋଛୁ ମୋହନ କୋଳକୁ ନେଲେ ।୫।

 

ରାଗ–ମାୟାମାଳବ ଗୌଡ଼ା । ମିଶ୍ରଚାପ ତାଳ ।

(କାହିଁକି ଦୁଃଖ ଆଉଟି କାହାକୁ ଯେ – ପ୍ରତି ଶ୍ୟାମ ନାଗର ଏହି ବୃତ୍ତିରେ ମଧ୍ୟ ଗାନ ହୁଏ )

ନାହିଁ କରିଦେଲେ କାହିଁ ପାଇଁ ଉପରୋଧ

ବାହିନୀ ପରି ଲୁହ ବହିଯାଉଛି ଆଉରି ପୀରତି ସଧ । ।ପଦ।

କାଳକଯାକ କେ ସେ ଗଞ୍ଜି

ହେଉଥିଲା ଏ ଅସଲଟ କଥାରେ,

ମୂଳଠାରୁ ଚୂଳଯାଏ ଲବ ସତ

ନ ଥିବ ଯାହା ଦେହରେ । ।୧।

କେତେବେଳେ ଅବା କେଉଁଠାରେ

କେସେ ଭ୍ରମିବାର ଥରେ ସିନା

କୋଡ଼ିଏ ଥର ଦିନକୁ କହୁଥିଲେ

ଘଡ଼ିଏ ହେଲେ ରଖନା । ।୨।

 

ଲୁଚାଇ ଅପରାଧଯାକ ସଖୀଙ୍କ

ନ କହି ସହିଲୁ ଯାର

ଡକା କରାଇଲା ବନକୁ ଡକାଇ

କଲା ପରା ଉପକାର । ।୩।

ଅଳି ଗିରିମଲ୍ଲୀଠାକୁ ନ ଯିବ କି

ନଳିନୀ କୋଳରେ ଥିଲେ

ଧୂଳି ବୋଳି ନ ହୋଇବ କି ବାରଣ

ଶତବାର ଗାଧୋଇଲେ ।୪।

ଏଣୀ ଈକ୍ଷଣି ହୃଦରେ ବିରହାଗ୍ନି

ଘର କରି ସଦା ରହୁ

ଏଣିକି ସେ ମୋର ମହୋତ୍ସବ

ସୁଖ ନୋହିଲେ ପଛକେ ନୋହୁ ।୫।

 

ଏତେ ଦିନ ପରି ପୀରତିବତ୍ସଳା

ମୁହଁ ଶୁଖାନା ତୁ ଆଉ

ମଥାରେ ପଣତପକାଇ ସେ ଶ୍ୟାମ

ତାହା ପନ୍ଥାରେ ସେ ଯାଉ ।୬।

କହଇ ଗୋପାଳକୃଷ୍ଣ ସୋପାନରେ

ମୋହନ ଆସିଅଛନ୍ତି

ବହନ ସଖୀ ବଦନେ ଦେଇ ବାସ

ଶ୍ରୀରାଧା ତୁନି କରାନ୍ତି । ।୭।

 

 

 

ରାଗ–ପୁନ୍ନାଗବରାଡ଼ । ମିଶ୍ରଚାପ ତାଳ ।

(ନାହିଁ କରିଦେରେ – ପ୍ରତି)

ଶ୍ୟାମ ବୋଇଲେ ଗୋ ଡରି ମୁଁ ଏହି ତହିଁକି

କେତେ ମନଧରି ଚାଲୁଥିଲେ ହେଲେ ଜାଣୁମଣି ଜାଣିଲାକି (ଶ୍ରୀରାଧା)

ଭୁଜଙ୍ଗ ପରାୟେ ଗତି ତା

ପ୍ରେମର ସ୍ୱଭାବ ସଦା କୁଟିଳ

ଏ ଘେନି କରୁଛି ସହି ତାର ବାଣୀ

ଉପରେ ମୋ ଗିର ତଳ ।      ୧।

ମୋ ହୃଦ ମୁକୁତା ହାର ପଦକର

ମଣିରେ ତା ରୂପ ଚାହିଁ

ଆନ ନାରୀ କେ ମୋ କୋଳରେ

ରହିଛି ବୋଲିଗଲା ମାନବହି ।୨।

 

ପଶା ଖେଳରେ ହାରିଲେ ମୁଖ

ଶୁଖିଯିବି ଯେ ବୋଲି ମୁଁ ମଣି

ଜିଣା ଦାନ ନ ପକାଇ ଶୁଣିବାକୁ

ଶ୍ରୀମୁଖ ସରସ ବାଣୀ । ।୩।

ଆପଣାର ଦତ୍ତ କଲାର ନଖ କ୍ଷତ

ଆଦି ମୋ ଅଙ୍ଗରେ ଦେଖି

ଉତ୍ତର ନ ଦେଇ ବିଳାସବିହ୍ୱଳା

ହୁଏ ଅବନତ ମୁଖୀ । ।୪।

ଶିର ଛାଇ ପଦ ପ୍ରାନ୍ତରେ ପକାଇ

ଜଣାଉଥିଲେ ତ ଏଣେ

ଗୋପାଳକୃଷ୍ଣ ଭଣଇ ଚନ୍ଦ୍ରବଳୀ

ଯାଉ ଅନାଇଲ କେଣେ । ।୫।

 

ରାଗ–ପରଜ । ଆଦି ତାଳ ।

ଶ୍ୟାମ ଦୁରାଶା ବଢ଼ାଇ । କହ କେଣେ ଗୁଡ଼ାଇ ।

ଏ ଚନ୍ଦ୍ରାବଳୀ ନୁହଇ ଆସିବ ଗୋଡ଼ାଇ । ।ପଦ।

ଯା ପଦକୁ ଆଶ୍ରେ କରି      ଯାବତ ଯୌବନ ଶିରୀ

ଧନ୍ୟ ବୋଲାଇଛି ଗିରିଧାରୀ,

ବ୍ରଜବଧୂ ଶତଭୁକ୍ତ      ମୁକ୍ତ ତୁମ୍ଭ ଅନୁରକ୍ତ

ହୋଇବ କିପରି ବୃଷଭାନୁ

ଶ୍ରୀକିଶୋରୀ । ।୧।

 

ସାଧ୍ୱୀଗଣ ଶିରୋମଣି      ସେ ନବୋଢ଼ା ସୁକଲ୍ୟାଣୀ

ନିଖିଳ ମାଧୁରୀ ଧୁରି ବାଳୀ,

ସାଧୁ ମାର୍ଗାନୁସରିଣୀ      ସକଳ ସଦ୍‌ଗୁଣ ଶ୍ରେଣୀ

ସୁମର୍ଯ୍ୟାଦାଶାଳୀ ଆଳୀଙ୍କର

ଗଳାମାଳି । ।୨।

ଗୋକୁଳ ଜନ ପ୍ରଣୟ      ଧନ ସଞ୍ଚଣି ନିଳୟ

ଗୋଷ୍ଠେଶ୍ୱରୀ ବାତ୍ସଲ୍ୟ ବସତି,

ମହାଭାବ ରତ୍ନଚିନ୍ତା -      ମଣି ବିଗ୍ରହ ସୁକାନ୍ତା

ବିରାଜୁଛି ଜଗତ ଶ୍ରେଣୀରେ

ଯାର କୀର୍ତ୍ତି । ।୩।

 

ଲଜ୍ଜାଳୁ ଉଜ୍ଜ୍ୱଳ ସ୍ମିତା            ବିନୀତା ନର୍ମ ପଣ୍ଡିତା

ଧୃତବତୀ ଗାମ୍ଭୀର୍ଯ୍ୟଶାଳିନୀ,

କର୍ପୂର ପଙ୍କଜ ମିଶା      ପରିମଳ ସୁବିଳାସା

ଦୟାମୟୀ ଗାନ୍ଧର୍ବୀ ଶ୍ରୀକୀର୍ତ୍ତିଦା

ନନ୍ଦିନୀ । ।୪।

ବଳୟାଦି ଇନ୍ଦୁ ରେଖା      କୁଣ୍ଡଳ ସୌଭାଗ୍ୟ ରେଖା

କୁସୁମ ବଲ୍ଲୀ ଯା ପଦତଳେ,

ବିଧିରେ ହୋଇଛି ଲେଖା      ହେ ପଶୁପସୁତ ସଖା

ଗୋପାଳକୃଷ୍ଣ ଚିନ୍ତୁଛି ହୃଦୟ

କମଳେ । ।୫।

 

ରାଗ–ମାୟାମାଳବ ଗୌଡ଼ା । ମିଶ୍ରଚାପ ତାଳ ।

(ମନରିଝା ପୀରତି କେ କଲାନି – ପ୍ରତି)

ଏଥରକ ଶ୍ୟାମ ଦୋଷ କର କ୍ଷମାରେ । ।ପଦ।

ପଦ ତଳେ ପଡ଼ି      ଯାଉଛନ୍ତି ସଡ଼ି

କୋଳ ହେଲେ ଶ୍ରୀମୁଖ ଚନ୍ଦ୍ରମାରେ । ।୧।

ନ ଘୋଡ଼ା ଶ୍ରବଣ      କହୁଛନ୍ତି ଶୁଣ

କୃପାନିଧି ବୃଷଭାନୁ ଜେମାରେ । ।୨।

କେତେଥର ସହି      ଯାଇନାହୁଁ ସହୀ

ଅପରାଧ ଯାକ ଘେନି ପ୍ରେମାରେ । ।୩।

ପଶୁପ (ଗୋପ) ନଗରୀ      ଶିରୀ ଯିବ ସରି

ନ ଚାହିଁଲେ କେଶରୀ ମଧ୍ୟମାରେ । ।୪।

ଗୋପାଳକୃଷ୍ଣ ସେ       ସମୟରେ ଭାଷେ

ଅର୍ଦ୍ଧ ହୋଇଗଲାନି ତ୍ରିଯାମାରେ । ।୫।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ଡାକିବି ରାଧାରମଣ – ପ୍ରତି)

ଲାଗିଲା ଉତ୍ତାରୁ ମାନ ଯେ ।

ଆହା ଶ୍ରୀ ରାଧାଗୋବିନ୍ଦ ପ୍ରସନ୍ନ ଯେ । ।ପଦ।

ଚାରୁ କଙ୍କେଳି କୁଞ୍ଜ ନିକେତନ

ଶେଯେ ବିଜେ କଲା ଅନୁରଞ୍ଜନ । ।୧।

ମଜ୍ଜାଇ ଅପଘନେ ଅପଘନ

ବରଜିବାର ଦୀର୍ଘଶ୍ୱାସ ମାନ । ।୨।

 

ଆସିଲା ପରି ଦେହକୁ ଜୀବନ

ପ୍ରେମ ସାଗରେ ହେଲାରେ ମଜ୍ଜନ । ।୩।

କେତେ ଆଲିଙ୍ଗନ କେତେ ଚୁମ୍ବନ

ଲୋଭାଇ କରୁଥିବାର ପ୍ରଦାନ । ।୪।

ଗୋପାଳକୃଷ୍ଣ ଚିନ୍ତି ଅନୁଦିନ

କରଇ ଶ୍ରୀଯୁଗଳ ରୂପ ଧ୍ୟାନ । ।୫।

 

ରାଗ–ମାୟାମାଳବ ଗୌଡ଼ା । ମିଶ୍ରଚାପ ତାଳ ।

(ରାଧା ପୁରତକୁ ଶଠ ଲମ୍ପଟ କାନା – ପ୍ରତି)

ଦିଶୁଛି ତ ଭିନ୍ନେପରି । କିରେ ନବକିଶୋରୀ । ।ପଦ।

ବସୁଛି ରୁମାନେ      କି ପାଞ୍ଚି ନିର୍ଜ୍ଜନେ

ପଣତ ହୋଇ ପାହୁରି । ।୧।

ସାଜିବି ତ ସଜ      ବୋଲି ମୁହିଁ ଆଜ

ଭାବିଥିଲି ନୂଆ କରି । ।୨।

ଧେନୁ ଅଡ଼ାଇ ଆସୁ      ଦେଲେ ବଢ଼ାଇ

ଏ ଝରା ଆଣିଛି ଧରି । ।୩।

ଶ୍ୟାମ ପ୍ରେମ ସୁଧା      ରସନିଧି ରାଧା

ବୋଲି ଥାଏ ମୁଁ ବିଚାରି । ।୪।

କହଇ ଗୋପାଳ -       କୃଷ୍ଣ ତହୁଁ ବେଳ

ଯାଇ ଶୋଇଲେ ପାଶୋରି । ।୫।

 

ରାଗ–ଭୈରବୀ । ରୂପକ ତାଳ ।

(ହଇରାଣ କାହିଁକି ଏତେ – ପ୍ରତି)

ଘନଶ୍ୟାମ ପ୍ରେମ ଭାବନା, ବନଜାକ୍ଷୀ ଏକା ଜାଣୁ ତୁ ସିନା

ମାନ କଲା ପରି       ମନ ଘେନିବାର

ଆନ ଜାଣି କି କେହି ତୋ ବିନାରେ । ।ପଦ।

ଡାକୁଁ ବନମାଳୀ      ଲୁଚୁ ଯାଇ ଆଳୀ –

ଆଳି ପଛରେ କି ଲୋଳଲୋଚନା,

ମୁନି ପରି ତୁନି      ହୋଇ ଚନ୍ଦ୍ରାନନୀ

ଶାଢ଼ୀ ବାଡ଼ ନଖେ ଘସୁ ସୁମନାରେ । ।୧।

 

ଦଣ୍ଡେ ନ ଦେଖିଲେ      ଗଣ୍ଡେ କର ଦେଇ

କେତେ ଲୁହ ପୋଛୁ ହୋଇ ବିମନାରେ

ଆସିଲେ ଛାମୁକୁ      ନ ଚାହିଁ ମୁହଁକୁ

ସହୀ ମୂଳେ କରାଉ ସମ୍ଭାବନାରେ । ।୨।

ନୀରଦ ନିବହ      ନିରେଖି ଯା ଦେହ

ନିଜରୁଚି ଭାବି ହରୁ ଚେତନାରେ,

ନିକଟ ହେଲେ ସେ       ନିକୁଞ୍ଜ ପ୍ରଦେଶେ

ଥରିଯାଉ ତୁ କୁଙ୍କୁମ ବରନା ରେ । ।୩।

 

ଚନ୍ଦନ ଗୋଳାଇ      ପ୍ରିୟ ଆଗେ ଯାଇ

ରହୁ ଉଭା ହୋଇ କୁନ୍ଦ ରଦନା ରେ,

ଲାଜେ ଦରହାସୀ      ଦନ୍ତ ବାସ ଦଂଶି

ବୋଳୁ ତୋଳି ଭୁଜ ଘନଜଘନା ରେ । ।୪।

ବିନତି କଲେ ହରି      ନାହିଁ କଲା ପରି

ଏଣେ ଆଚରୁ ଧରଣୀ ମଣ୍ଡନା ରେ,

ଗୋପାଳକୃଷ୍ଣ ସେ      ଶ୍ରୀମତୀଙ୍କୁ ଭାଷେ

ତେଣେ ପୁରଇ ପ୍ରାଣେଶ କାମନା ରେ । ।୫।

 

ରାଗ–ମୁଖାରି । ମିଶ୍ରଚାପ ତାଳ ।

(ବ୍ରଜ କିଶୋର । କେସେଟି ହେଜ – ବୃତ୍ତି)

ଜଣାଗଲାନି । ଚାଲିଚାହାଣି

କିଶୋରୀମଣି ।ପଦ।

ଲଳନାବର      ଥରକୁ ଥର

ଯମୁନାରୁ ନୀର ଅଣାଗଲାନି । ।୧।

ବ୍ରଜେନ୍ଦ୍ର ସୁତ      ନୟନ ବନ୍ତ

ଘାତ ବିବେକ ବୁଦ୍ଧି ଜଣାକଲାନି । ।୨।

ତୋ ଭାବନାରେ      ଶ୍ୟାମ ପଦରେ

ମଦନ ରାଜା ନିଉଛଣା ହେଲାନି । ।୩।

ପ୍ରାଣ ମିତଣି      ବିନୟ ବାଣୀ

ଆଡ଼ ଉହାଡ଼ରେ ରହି ଶୁଣା ଗଲାନି । ।୪।

ଆସୁ ଜରତୀ      ଚାହୁଁ ଝଟତି

ଗୋପାଳକୃଷ୍ଣ ବୋଲଇ ହୁଅ ତୁ ତୁନି । ।୫।

 

ରାଗ–ନାଟପ୍ରିୟା । ମିଶ୍ରଚାପ ତାଳ ।

(ମୁରଲୀ ତୋରେ ଶରଣ ଗଲି – ପ୍ରତି)

ଆଉ କି ବେଶ ସଜନି ରେ

ପୁଷ୍ପବାଟୀକି ପ୍ରିୟ ଆସିଲେନି ରେ । ।ପଦ।

ଚଳିଲାବେଳେ ଏକ ସୌଦାମିନି

ଗବାକ୍ଷଜାଳେ ଚାହିଁ ଚିହ୍ନି ଲିନି ରେ । ।୧।

ହେଲାରୁ ନିବିଡ଼ ଘନ ରଜନୀ

ବେଳହୁଁ ମୁହିଁ ଥିଲି ଅନୁମାନି ଗୋ । ।୨।

ଦୀପ ଲିଭାଅ ଆସିବା ଗୋ ଘେନି

ବରଷି ଲାନି ପରା କାଦମ୍ବିନୀ ରେ । ।୩।

ହସି ପଛେ ଯାଉଁ ସବୁ ସଙ୍ଗିନୀ

ମୋହନ ହୃଦେ ରାଧା ରହିଲେନି ରେ । ।୪।

ବୋଲେ ଗୋପାଳକୃଷ୍ଣ ଶୋଇଲାନି

ଜଟିଳା ପୁରକୁ ଆସ ସ୍ୱାମିନୀ ଯେ । ।୫।

 

ରାଗ–ଆନନ୍ଦଭୈରବୀ । ରୂପକ ତାଳ

(ଆଜ ଚଳ ତୁ କୁଞ୍ଜ ଭୁବନ ଗୋ – ପ୍ରତି)

ନା ବୋଲି କେତେ କହିଲି ତୋତେରେ ସଙ୍ଗିନୀ

ଯା ବୋଲି ରୋଷ ବହିଲୁ ଚିତ୍ତେ ରେ । ।ପଦ।

ଭାବ ନାହିଁଟି ସେ କହିବାର

ଠା କରେ ମନ ନ ରହେ ତାର

ଲୋକରେ ହୋଇଯିବ ପ୍ରଚାର

ଶୋକରେ ପଡ଼ି ଯିବୁଟି ସନ୍ତତେ । ।୧।

ବାସର ନିଶି ହେଜିଲୁ

ବାସ କଲୁ କୁଞ୍ଜବନେ ଯାଇ

ରାସ ରସେ ବିବେକ ହଜାଇ

କ୍ଳେଶ ଲଭିଲୁ ରାଧିକେ ଯେତେ । ।୨।

 

ଜାତିରୁ ଲୋକେ ଦେବେ ବିଟାଳ

ପୋତିବେ ଶୁଣି ସୁଜନ ମଉଳି

କାନ୍ତି କୁଳ ଦେବତା ହେବୁ ଶଳି

ପ୍ରୀତି କଲେ ସେ ମୋହନ ସଙ୍ଗତେ । ।୩।

ଶ୍ୟାମର ଲାଗି କୁଟିଳ କେଶୀ

କାମର ହେଲୁ ପରମ ଦ୍ୱେଷୀ

ନାମ ତାହାର ଏକାଇ ଘୋଷି

କ୍ଷାମ ହେଲୁ ଝୁରି ଝୁରି ନିରତେ । ।୪।

 

କାଶ ହାସି ନ ଘେନୁ ଆଉରି

ରୋଷ କରୁ ମେରୁ ପରି ଭାରି

ଦାସ ମୁଁ ବୋଇଲେ ପଦ ଧରି

ତୋଷ ହୋଇ ଯାଇଛୁ ତୁ ଇଷିତେ । ।୫।

ଏ ପାଳି ହେଲେ ବନମାଳୀଙ୍କି

ସୋପାନ ତଳେ ଅଛନ୍ତି ଡାକି

କୃପାକର ବୋଇଲେ ଆଳୀଙ୍କି

ଗୋପାଳକୃଷ୍ଣ ଶ୍ରୀହରି ଇଙ୍ଗିତେ । ।୬।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ତୋତେ ଯଦି ଲାଗିଲାନି ଶ୍ୟାମ ବାଧା – ପ୍ରତି)

କାହିଁକିରେ ମନ      ମାନେ ଆଜ ମନ

ତୋର ମୋହନର ସହି । ।ପଦ।

ଶତ ଶୀତକର      ନିଉଛାଇ ବାର

ଶ୍ରୀମୁଖ ସରସ ନାହିଁ । ।୧।

ନୟନରେ ନୀର      ଅଛି ଦୁହିଁଙ୍କର

କିଛି ହେଜି ହେଉ ନାହିଁ । ।୨।

ପଦ୍ମା ଯାଇଥିଲା      ଭେଟ ନ ପାଇଲା

ବୁଝି ଆସିଲି ତ ମୁହିଁ । ।୩।

ଦୁହିଁଙ୍କର ନେତ୍ର      ପଥେ ଦୁଇ ଗାତ୍ର

ଲେଖା ହେଲା ପରି ରହି । ।୪।

ବ୍ରଜଜନଙ୍କର      ଆଖି ରହିବାର

ଫଳ ଯେ ସେ କୃଷ୍ଣ ତୁହି । ।୫।

କୁଟିଳା ଜଗିଲା      ନିଶି ବହିଗଲା

ଗୋପାଳକୃଷ୍ଣ ତ କହି । ।୬।

 

ରାଗ–କାମୋଦୀ । ଆଦି ତାଳ ।

ଅକାରଣେ ଦୁଃଖୀ ରେ ହେଲୁ ଆଜନ୍ମ ସୁଖୀ । ।ପଦ।

ନନ୍ଦ ନନ୍ଦନ ମନ୍ଦ      ନ ଜାଣୁ କୁ ତା ଛନ୍ଦ

ଫାନ୍ଦରେ ପକାଇ ତୋ ମହତ୍ତ୍ୱକୁ

ନେବ ବୋଲନ୍ତେ କ୍ଷାମ -      ଉଦରି ହେଲୁ ତମ

ଛଳି ଶ୍ୟାମ ପ୍ରେମରେ ମୋ ପରକୁ । ।୧।

 

ମତ୍ସର ହୀନ ଯାର      ସେ ଭଜିବ ସେ ଜାର

ଇତର କଲେ ତାର ନାହିଁ ଗତି,

ବୋଲି କହନ୍ତେ ତୋତେ      ନ ଘେନିଲୁ କିଞ୍ଚିତେ

ପ୍ରତେ ହେଲା କି ଏବେ ସେ ସଙ୍ଗତି । ।୨।

ଗୁରୁଜନ ତର୍ଜ୍ଜନା       ଜଗତୀର ଭର୍ତ୍ସନା

ଯାହା ଲାଗି ଶୋଚନା ନ ଘେନିଲୁ,

ସେ କି ଜାଣିଲା ତାହା      ଆହା ଶିରୀଷ ଦେହା

ମୁଁ ଥାଉଁ କଷ୍ଟ ଦେହ ସୁହାଇଲୁ । ।୩।

 

ଏହି ଲାଗି ବିନତି      ପ୍ରିୟ ହେଲେ ଆରତି

ଧରି ନପାରୁ ଧୃତି ଦୟାବତୀ ।

ନୋହିଲେ ଇଷିତରେ      ଶିଖୀ ପୁଚ୍ଛ ଚୂଳରେ

ଲୋଟିବାର ଦେଖନ୍ତେ ସଖୀତତୀ । ।୪।

ଲଳିତା ହିତବାଣୀ      ବୃକ୍ଷଭାନୁଜା ମଣି

ଲଭୁ ଧୈର୍ଯ୍ୟ ସେକ୍ଷଣି ମାନସରେ,

ଜାଣି ହୋଇଲା ତୃଷ୍ଣ      କବି ଗୋପାଳକୃଷ୍ଣ

କୃଷ୍ଣ ଅଇଲେ ସେହି ଅବସରରେ । ।୫।

 

ରାଗ–ଭୈରବୀ । ମିଶ୍ରଚାପ ତାଳ ।

ମୋହନଙ୍କୁ ରୁଷିବ କି ସେ ରାଧା ତୁ ନାଁରେ

ତୁହି ଜାଣୁନାହୁଁ ସେ ପ୍ରୀତିର ଭାବନାରେ । ।ପଦ।

ଅଇଲି ମୁଁ ଯେତେବେଳେ

ତା ଛାମୁରୁ ନେତ୍ରାଞ୍ଜଳେ

ଚାହିଁବାର ଭଙ୍ଗୀ ମୋତେ

ପଡ଼ୁଛି ଚିହ୍ନାରେ । ।୧।

ଗୋଷ୍ଠଚନ୍ଦ୍ରମା ବୋଲି କେ

ଡାକିଦେଲାର କ୍ଷଣିକେ

ତନୁ ପୁଲକିବାର ମୁଁ

ଦେଖିନାହିଁରେ । ।୨।

 

ଚତୁରାକ୍ଷ ହେଳା କାଳେ

ନିକୁଞ୍ଜ ତଳପ ତଳେ

ଯେମନ୍ତ ସେ ଘେନାଘେନି

ଦେଖିବୁ ସିନାରେ । ।୩।

ଚନ୍ଦ୍ରାବଳୀ ଆଳୀ ଦେଖି

ହୋଇବେ ବୋଲି ବିମୁଖୀ

ଜାଣି ମୁହିଁ କରାଇଛି

ଗୁମାନ ସିନାରେ । ।୪।

 

ସେ ଦେହ ତ ଏ ଜୀବନ

ତହିଁରେ ଅଛିକି ଭିନ୍ନ

ଆନ ଘେନାଘେନି ପରି

ମଣୁଛୁ ତୁ ନାରେ । ।୫।

ଲଳିତା ପଦାବ୍‌ଜେ ଥିଲା

ଗୋପାଳକୃଷ୍ଣ ଚଳିଲା

ଦେଖିଲା ସ୍ୱାମିନୀ ଗୁନ୍ଥୁଥିଲେ

ସୁମନରେ । ।୬।

 

ରାଗ–ବୀରବାଣୀ । ତିଶ୍ରଗତି ତାଳ ।

(କାହିଁକି ଦୁଃଖ ଆଉଟି କାହାକୁ ଯେ – ପ୍ରତି)

କି କରିବି ପଛେ ଗୋଡ଼ାଇଲେ ଯେ

କାନ ଦେଉ ନାହିଁ ସେ ପହିଲି ଯେ

କି ବୋଲି ଦେବଟି ସେ ଲାବଣ୍ୟନିଧି

ପ୍ରବୋଧି ମୁଁ ପୁଣି କହିଲେ ଯେ । ।ପଦ।

ଅପରାଧ ନାହିଁ ବୋଲିବାକୁ

ଦେଖିନାହିଁ ସେ କି ଆପଣଙ୍କୁ

ଉଜ୍ଜଳ ହେଲା ଉତ୍ତାରୁ ତ ଆସିଲା

ନ ଧୋଇ ଲପନ ତା ଛାମୁକୁ । ।୧।

 

ଦିନେ ନା ଥରେ ଯେ ଗୋଟିଏ କି

ପ୍ରତି ଘର କବାଟକୁ ଠୁକି

ନିତି ବୁଲୁ ବୁଲୁ ରାତି ଅଣ୍ଟୁ ନାହିଁ

ପତିବ୍ରତ ପଣ ଅଳପ କି । ।୨।

ଯା ପରି ଗୋଟିଏ ପରମେଷ୍ଠୀ

ଗଢ଼ିବେ ନାହିଁ ଯେ ହେଲେ ଗୋଷ୍ଠୀ

ଲୁହ ଲିଭୁ ନାହିଁ ଆଖିରେ ଆଉରି

ଯାହା ହେଉଛି ସେ ବିମ୍ବଓଷ୍ଠୀ । ।୩।

 

ଭାଷନ୍ତି ବିନୟେ ବ୍ରଜବଧୂ

ସେ ସିନା ମୋର ଜୀବନବନ୍ଧୁ

ରାସରେ ତା ତୁଲେ ପଳାଇ ଯିବାର

କେତେ ନ ଥିଲେ କି ଗୋପବଧୂ । ।୪।

ମତ୍ସର ନ ବହି ପୂର୍ବପରି (ମତ୍ସର – ଈର୍ଷ)

ହୋଇବଟି ଏବେ ପଦ ଧରି

ଗୋପାଳକୃଷ୍ଣ ଭାଷଇ ଆସିଥାଅ

ମୁଁ ଦେଲାବେଳେ ନେତ୍ରାନ୍ତ ଠାରି । ।୫।

 

ରାଗ–ମଞ୍ଜି । ମିଶ୍ରଚାପ ତାଳ ।

(ବଂଶୀଧାରୀ, ସରିଯିବନି ଜୀବନେ କିଶୋରୀ – ପ୍ରତି)

ସହଚରୀ ! ଏକା ରହିଛନ୍ତି ବଂଶୀଧାରୀରେ । ।ପଦ।

ଗୋକୁଳ ଆଖଣ୍ଡଳ ସୁତ ଆକୁଳ ।

ଚାହିଁ ନୟନେ ରହିଲା ନାହିଁ ଜଳ ।

ନଳିନୀ ଦଳ ଆଣି ଗଲେ ସୁବଳ ।

ମୁଁ ଅଇଲି ଡରି ଡରି ରେ । ।୧।

ସାରି ଶୁକ ପିକ କୃଷ୍ଣ କଦନରେ ।

ମୁକ ହୋଇ ଅବନତ ବଦନରେ ।

ଚାହିଁଛନ୍ତି ଚିତ୍ର ପିତୁଳା ପରି ରେ ।

ବକୁଳ କୁଞ୍ଜରେ ପୁରିରେ । ।୨।

ନୀଳୋତ୍ପଳ ଗର୍ଭଦଳ ତନୁ କାନ୍ତି ।

ବହିଲାନି ପୁଣ୍ଡରିକ ପତ ଦ୍ୟୁତି ।

ମଦନ ଦରରେ ମୋହନ ମୁରତି –

ଯାକ ଯାଇଥିଲା ଥରି ରେ । ।୩।

 

ଜଣାଉଛି ତୋତେ ପ୍ରଣୟ ନିପୁଣା ।

ଏ ଘଡ଼ି ଉଠି ତୁ ନ କଲେ କରୁଣା ।

ଧିକ୍‌କାରି ହେବୁ ପଛେ କରି ସ୍ମରଣା ।

ସରିଯିବ ଦ୍ରଜ ଶିରୀରେ । ।୪।

ବୃଷଭାନୁ ଜେମା ଶୁଣି ଆଳୀ ବାଣୀ ।

ଥନ ଥନ ନେତ୍ର କଲେ ଆଳୀ ଆଣି ।

ଗୋପାଳକୃଷ୍ଣ ପଟ୍ଟନାୟକ ଭଣି

କୁଞ୍ଜେ ମିଳିଲେ କିଶୋରୀ ରେ । ।୫।

 

ରାଗ–କୀରବାଣୀ । ତିଶ୍ରଗତି–ଏକ ତାଳ ।

କି ଶୁଣିଲି ଆଜ ନୂଆ କରି ରେ

ସତଟିକି କହ ସହଚରି ରେ

ତୁ ପୁଣି କିଶୋର ମଣିକି ବିଲୋକି

ମଥା ପୋତି ଗଳ ଅପସରି ରେ । ।ପଦ।

ସ୍ମରଣା କରୁଛି ଅଦୃଷ୍ଟକୁ

ଯାହା ମୁରତିକି ଦେଖିବାକୁ

ଯୋଡ଼ିଏ ନୟନ ଦେଲୁ ତୋଳି ଯେତେ

ନିନ୍ଦା କରୁଥାଉ ବିଧାତାକୁ । ।୧।

କ୍ଷଣେ ନ ମୁରୁଛି ଚିତ୍ରପଟ

ବନକୁ ଯିବା ଆସିବା ବାଟ

ଜଗି ବସିଥାଉ ଶିଖଣ୍ଡ ମୁକୁଟ

ଭେଟକୁ କେ କଲା ଏଡ଼େ କୂଟ । ।୨।

 

ନିରେଖି ନଭରେ ନୀରଦକୁ

ପୁଲକାଇ ଦେଇ ଶ୍ରୀଅଙ୍ଗକୁ

ଯା ତନୁ କାନ୍ତିକି ଲକ୍ଷ୍ୟ ବୋଲି ପକ୍ଷ

ଲୋଡ଼ୁ ଥାଉ ପରିରମ୍ଭଣକୁ । ।୩।

ଗୋବର୍ଦ୍ଧନ ଶିଖରିରେ ରହି

ଗୋଷ୍ଠେନ୍ଦ୍ର ସୁତ ପଥକୁ ଚାହିଁ

ଦିନ ଦ୍ୱିଯାମରେ ଦ୍ୟୁମଣି ଶିଳାରେ

ଉଭା ହେବା ଲୋଭ ଗଲା କାହିଁ । ।୪।

ଭାଷନ୍ତି ଶ୍ରୀମତୀ ହସି ଧୀରେ

ଗୁରୁଜନ ଥିଲେ ପୁରତରେ

ଗୋପାଳକୃଷ୍ଣ କହିଲା ଠାରି କୃଷ୍ଣ

ଜଗିଛନ୍ତି ଗୃହ ବାଟିକାରେ । ।୫।

 

ରାଗ–ବେହାଗ । ଏକ ତାଳ ।

ମୋହନ ମାଧୁରୀ      ଦେଖିଥିଲା ନାରୀ

ନିଦ ଯିବ କି ଆଉରି ରେ । ।ପଦ।

ବୃଷ୍ଟିପାତଠାରେ      ଅନବରତରେ

ଛବି ଦିଶିବ ତାହାରି ରେ

ପାଶକୁ ଆସିଲା ପରି ଦିଶୁଥିବ

ହସି ହସି ବଂଶୀଧାରୀରେ । ।୧।

କି କହିବ ନାହିଁ      କେଉଁ ଦେବତାଙ୍କୁ

ତା ପ୍ରୀତି ପାଇଁ ଜୁହାରିରେ

ସବୁ ବରତ କରିବି ବୋଲୁଥିବ

ପାଇଲେ କୁଞ୍ଜବିହାରୀରେ । ।୨।

 

କୃଷ୍ଣ ବୋଲି କେଣେ      କାହିଁକି କେ ତେଣେ

ଡାକିଲେ ପୁରୁ ବାହାରିରେ

ଚଉଦିଗକୁ ଚାହଁ ମୋର ମୋଦରେ

ହୋଇ ନଯିବ କି ଘାରିରେ । ।୩।

କଳିନ୍ଦଜା ତୀରେ      ନିକୁଞ୍ଜ କୁଟୀରେ

ନିଛାଟ କାଳ ବିଚାରିରେ

ମିଳିବା ପାଇଁ କି କେତେ ଥର ହେଲେ

ଆଣି ନ ଯିବ କି ବାରି ରେ । ।୪।

ସୁଗୁଣ ସୁନ୍ଦର -      ପଣଯାକ ଗୁଣି

ଏକାଇ ତାକୁ ତିଆରି ରେ

ବୋଲେ ଗୋପାଳକୃଷ୍ଣ ଜୀବ ଥିଲେ କି

ଯିବ ମନରୁ ପାଶୋରି ରେ । ।୫।

 

ରାଗ–ମୋହନା । ରୂପକ ତାଳ ।

ଯିବା ପରା ପରାଣ ସଙ୍ଗିନୀ ଉଠି ଆ ରେ

ଦିଶୁଥିବ ଶ୍ୟାମ ବାମ ପାଶ ପଡ଼ିଆରେ । ।ପଦ।

ବ୍ରଜ ହାଟ ବାଟ      ହେଲାଣି ନିଛାଟ

ଜଗିଥିବେ ବ୍ରଜବଧୂ ନିକୁଞ୍ଜ ଦୁଆରେ । ।୧।

ପବନେ ପଲ୍ଲବ      ଚଳିଲେ ମାଧବ

ପଥ ଚାହିଁଛନ୍ତି ଧରି କେଶର ପୁଆରେ । ।୨।

ଆଜ ହେବା ସଜ ପରାର୍ଦ୍ଧ ଚିତ୍ତଜ

ନିଉଁଛାଇଁ ଦେବେ ପଦ ତଳିଆ ରେ । ।୩

 

ଅନା ଓଷଧୀଶ      ହେଲାନି ପ୍ରକାଶ

ଶୁଣୁନାହୁଁ ଅଛନ୍ତି କୁଞ୍ଜେ ଏକୁଟିଆରେ । ।୪।

ଯାମ ହେଲା ଆସି      ଉଠାଉଛି ବସି

ଭାଳୁ ଭାଳୁ ଡାକିବ ତ କୁକ୍‌କୁଟ କୁଆରେ । ।୫।

ଆଳୀ କର ଧରି      ଚାହୁଁ ଶ୍ରୀ କିଶୋରୀ

ଗୋପାଳକୃଷ୍ଣ ଭାଷେ ହେଟି କାଳିଆରେ । ।୬।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

ତୋତେ ଯଦି ନ ଲାଗିଲାନି ଶ୍ୟାମ ବାଧା

ସଜନୀ ମୋର କି ଗଲାରେ ।ପଦ।

ତୁ ତାର ଜୀବନ ସେ ତୋ ଅପଘନ

ପରାୟେ ଦିଶୁଥିଲାରେ ।୧।

ଗୋ ପଛରେ ଯାଇ ଆସୁ ପ୍ରାଣ ଥାଇ

କରେ ପରା ଛଇଳାରେ ।୨।

 

ଶତ୍ରୁର ବଦନ ଦେଖିଦେଲେ ବନ

ନେତ୍ରୁ ବୁହାଉ ବାଳାରେ । ।୩।

କଥା ପଦ୍ଧତିରେ କହିଲି ମୁଁ ଥରେ

ହେଉ କିମ୍ପା ଋଷିଲାରେ । ।୪।

କହିବି ଏଣିକି ଆଉ ମୁଁ କାହିଁକି

ସରି ବୁଦ୍ଧି ଆସିଲାରେ । ।୫।

କହଇ ଗୋପାଳକୃଷ୍ଣ ରାଧା କୋଳ

ଆଳୀ କରି ଭଣିଲାରେ ।୬।

 

ରାଗ–ହରି କାମ୍ବୋଦୀ । ମିଶ୍ରଚାପ ତାଳ ।

(ନାଗବର ପ୍ରେମ ନିରେଖି କରି – ପ୍ରତି)

କେତେ କହିଲେ ତୋତେ କିଶୋରୀମଣି

ପ୍ରତେ ନ କରି ବୋଇଲୁ ଯେ କେଜାଣି । ।ପଦ।

ସର୍ବଦା ସୁପ୍ରସନ୍ନ      ସଜକଞ୍ଜ ଲପନ

ସୁଖାଇ ନୟନରୁ ପୋଛିଲୁ ପାଣି । ।୧।

ସୁନ୍ଦର ପୁରନ୍ଦର      ମୁକୁଟ ଅଳଙ୍କାର

ହେଲେ କି ପଦେ ସତ ନାହିଁ ତା ବାଣୀ । ।୨।

ଅଦ୍ୱିତୀୟ ବିଦଗ୍‌ଧ      ଧୀର ଶୀଳ ସୁସ୍ନିଗ୍‌ଧ

ହୋଇ କି ହେବ ଜାର ବର ଅଗ୍ରଣୀ । ।୩।

 

ଯାଉ ସେ ପରସଙ୍ଗ      ବୋଲି ଦମ୍ଭରେ ଅଙ୍ଗ

ଭାଙ୍ଗି ଦେଲୁ ନାହିଁ କି ଜୃମ୍ଭାକୁ ଆଣି । ।୪।

ମନକୁ ନ ଆସିଲେ      ଅସାର ଭଲ ହେଲେ

ବୋଲି ଉଠି ଗଲୁରେ ପ୍ରାଣ ମିତଣି । ।୫।

ଆସ ଆସ ଉଛୁର      ହେଲାନି ଅଭିସାର

କାଳ ଆଗ ସଜାଡ଼ିଦେବ ମୁଁ ବେଣୀ । ।୬।

ହେଲାନି ହେଲା କଥା      ହୋଇବ କି ଅନ୍ୟଥା

ଗୋପାଳକୃଷ୍ଣ ଶ୍ରୀ ଲଳିତାଙ୍କୁ ଭଣି । ।୭।

 

ରାଗ–ନାଟକୁରଙ୍ଗ । ରୂପକ ତାଳ ।

ସଡ଼ି ଏହିଟି ପଶୁପୀ ଲମ୍ଫଟିଆ ।

ବରହି ବରହ ମୁକୁଟିଆ । ।ପଦ।

ନୂତନ ବାରିବାହ      ପରି ଦିଶୁଛି ଦେହ

ଅନା କଳିନ୍ଦସୁତା ତଟିଆ । ।୧।

ବ୍ରଜ ଶିଶୁଙ୍କ ସଙ୍ଗେ      ବଂଶୀ ବଜାଇ ରଙ୍ଗେ

ନାଚି ଆସୁଛି ପୀତ ପଟିଆ । ।୨।

ନାସିକା ମୋତିବର      ଦିଶୁଛି କି ସୁନ୍ଦର

ରତ୍ନମେଖଳା କ୍ଷୁଦ୍ର ଘଣ୍ଟିଆ । ।୩।

 

ଗୋରଚନା ତିଳକ      ହଜାଉଛି ବିବେକ

ସୁରୁଚିତର ଚନ୍ଦନ ପାଟିଆ । ।୪।

ଅନା ଗୋ କି ମାଧୁରୀ      ଶ୍ରୀମୁଖେ ଶ୍ରମବାରି

କୁଟିଳ ଅଳକ ଲଲାଟିଆ । ।୫।

ଆହା କୁଣ୍ଡଳ ପ୍ରଭା      ଗଣ୍ଡସ୍ଥଳର ଶୋଭା

ପତିବ୍ରତା ଚିତ୍ତ ଉଚ୍ଚାଟିଆ । ।୬।

 

ଗଇରିକ ରଞ୍ଜିତ      ବନ ସ୍ରଜ ଆବୃତ

ହୃଦ ନୀଳମଣି କବାଟିଆ । ।୭।

ପିନ୍ଧିଛି ସେ କେମନ୍ତେ      ଫୁଲ ଜାନୁ ପର୍ଯ୍ୟନ୍ତେ

ଲମ୍ବାଇ ଦେଇ କୁଞ୍ଜ କୁଟିଆ । ।୮।

ହୋଇବାର ତ୍ରିଭଙ୍ଗ      ଛନ୍ଦ ଚରଣଯୁଗ

ଅନା ଅତୁଳ ତୁଳାକୁଟିଆ । ।୯।

 

ଶ୍ରୁତି ପରିସରକୁ      ଢାଳି ଢାଳି ଡୋଳାକୁ

ଚାହୁଁଛି କେତେ ନଟ କୁଟିଆ । ।୧୦।

ନୂଆ ମଦନ ମୂର୍ତ୍ତି      ନାଗର ଚକ୍ରବର୍ତ୍ତୀ

ଲଳନା ମନ ଧନ ଲୁଟିଆ । ।୧୧।

କେ ଦଧି ଗଲେ ବିକି      ମଥୁରା ପଥେ ଲୁକି

ଦାନ ଘେନିବା ନଟ ଘଟିଆ । ।୧୨।

 

ପତିପଣେ କିଶୋରୀ      ତୋତେ ହୁଅନ୍ତା ସରି

ନ କଳା ବହି ଅସଳ ଟିଆ । ।୧୩।

ଲେଖାଇ ସଖୀ ହାତେ      ରଖିଛୁ ଯା ଗୁପତେ

ସଜନୀରେ ସେ ଚିତ୍ର ପଟିଆ । ।୧୪।

ନବ ନୀପମଞ୍ଜରୀ      କର୍ଣ୍ଣେ ଉତ୍ତଂଶ କରି

ହେଉଛି ଧେନୁ ପଛ ପଟିଆ । ।୧୫।

ଗୋପାଳକୃଷ୍ଣ ଭଣେ      ରାଧା ବୋଲନ୍ତି କ୍ଷଣେ

ଦିଶିଲେ ଦେଖନ୍ତି ଏକୁଟିଆ । ।୧୬।

 

ରାଗ–କୀରବାଣୀ । ଆଦି ତାଳ ।

ସହି ! କି ବ୍ରତ କରି ବର ପାଇଲୁ ।

ସେବି କେଉଁ ଦେବତାଙ୍କୁ ମନାଇଲୁ ? ।ପଦ।

ସେ ବକୀବଇରୀ ସେବକୀ ପରି କରି

ନବକିଶୋରୀ ପଛରେ ବୁଲାଇଲୁ । ।୧।

ଜଗନ୍ମୋହନ ମାନସ ମଜ୍ଜାଇଲୁ

ମାନ କରି ପ୍ରପଦରେ ଲୋଟାଇଲୁ

ଯା ସୃତି ଲବ ଭବ ବ୍ରହ୍ମାଦିଙ୍କୁ ଦୁର୍ଲ୍ଲଭ

ତାଙ୍କୁ କର କ୍ରୋଡ଼ରେ ନଚାଇଲୁ । ।୨।

 

ଆନ ବିଷୟମାନ ପାଶୋରାଇଲୁ

ଧ୍ୟାନ ତୋ ରୂପ ସନ୍ତତ କରାଇଲୁ

କାନରେ କି ମନ୍ତର ଦେଲୁଟି ନିରନ୍ତର

ରାଧେ ହା ଶ୍ରୀରାଧେ ବୋଲି ଜପାଇଲୁ । ।୩।

କେତେ ବର ତରୁଣୀଙ୍କୁ କନ୍ଦାଇଲୁ

ତାଙ୍କ ମନୋରଥ ଦ୍ରୂମ କନ୍ଦାଇଲୁ

ତାଙ୍କ ମନୋରଥ ଦ୍ରୁମ ଭଙ୍ଗାଇଲୁ

ବନମାଳୀ ଚନ୍ଦ୍ରାବଳୀ ପ୍ରୀତି ପଥରେ

ଧୂଳି ଉଡ଼ୁଥିଲା ତୃଣ ଉଠାଇଲୁ । ।୪।

 

ବନଯାକର କୁସୁମ ତୋଳାଇଲୁ

ପ୍ରସାଧନୀ ଦେଇ ଖୋସା ଖୋସାଇଲୁ

ମକରୀ ପତ୍ରାବଳି ତିଳକ ସଜଡ଼ାଇ

ପଦ ଧରାଇ ଯାବକ ଲେଖାଇଲୁ । ।୫।

ପୁଷ୍ପବାଟିକି ଡକାଇ ଅଣାଇଲୁ

ପୁରେ କାଲି ପୁଣି ପାଶୋରି ଶୋଇଲୁ

ଗୋପାଳକୃଷ୍ଣ ଭଣେ ଆଳୀଙ୍କି ରାଧା ଏଣେ

ହସି ଭାଷନ୍ତି ଅଣ୍ଟିଲା ତୁ ନାଇଲୁ । ।୬।

 

ରାଗ–ନାଦନାମକ୍ରିୟା । ମିଶ୍ରଚାପ ତାଳ ।

(ନାହିଁ ମୋର ପୀରତି ସମକାର – ପ୍ରତି)

ଧୀର ସମୀରେ ବସି ଡାକୁଛି ତୋ ନାଁରେ । ।ପଦ।

ପ୍ରାଣେଶ୍ୱରୀ ରାଧିକେ      ଶ୍ରୀମତୀ ଗାନ୍ଧର୍ବିକେ

ବୋଲୁଁ ହଜି ଯାଉଛି ତୋ ଚେତନାରେ । ।୧।

ବନେ ପ୍ରତିବଲ୍ଲୀକି      ଧେନୁ ପଶୁ ପକ୍ଷୀକି

ତୋ ଅଭିଧାନରେ କରି କଳ୍ପନାରେ । ।୨।

ତୋଳି କୁସୁମ ବାଳା      ତୋ ବେଶ ପାଇଁ ମାଳା

ଗୁନ୍ଥି ସେ ରଖିଛି ଚନ୍ଦ୍ର ବଦନାରେ । ।୩।

 

ଧ୍ୟାନ କରୁ ତୋ ରୂପ      ବହେ ଲୁହ ଅମାପ

ଦ୍ୱିଗୁଣେ ବୃଦ୍ଧି ହେଲାନି ଯମୁନାରେ । ।୪।

ତୋ ଦୋଷ ବୁଝାମଣା      କରି ଛାମୁକୁ ଅଣା

ଦଣ୍ଡ ଦିଅ ପଛକେ ତୁ ରୁଷନାରେ । ।୫।

ଗୋପାଳକୃଷ୍ଣ ବୋଲେ      ସେହି ସଜେ ଚଳିଲେ

ପଥେ ସହୀ କହେ ଶୁଣ ସୁମନାରେ । ।୬।

 

ରାଗ–ଖରହରପ୍ରିୟା । ତିସ୍ରଗତି ଏକତାଳ ।

ନନ୍ଦନୟନ ଇନ୍ଦୀବର – ଇନ୍ଦୁ ତୋ ଲାଗି

ଯୋଗୀ ହୋଇଗଲା ପରି ଦିଶୁଛି ଭଙ୍ଗୀ । ।ପଦ।

ଶ୍ରୀଅଙ୍ଗରେ ବିନ୍ୟାସି      ଛନ୍ଦ ଦେବତା ଋଷି

ବୁଜି ଈକ୍ଷଣ ହେଉଥିଲେ ଓଳଗି । ।୧।

ଚିତ୍ତେ ଚିନ୍ତି ତୋ ରୂପ      ତୋ ନାମ କରି ଜପ

ନିଭୃତ ନିକୁଞ୍ଜରେ ଅଛନ୍ତି ଜଗି । ।୨।

କି ବୋଲି କହିବି ମୁଁ       ବିବେକରେ ଜାଣି ମୁଁ

ସଜ ସାଜ ଏ ବେଶ ହୁଅ ଉଲ୍ଲାଗି । ।୩।

 

ମସୃଣ ସୁ ଘୃଣଟି      ତନୁରେ ବିଭୁତିଟି

ବାରଣ ହେଉ ନାହିଁ ଶିରୀଷଅଙ୍ଗୀ । ।୪।

ଦେଇଛନ୍ତି ଶ୍ରୀକର      ଲେଖ ଦେଖ ସତ୍ୱର

ଉଠ ମଠ ନ କର ପରାଣ ସଙ୍ଗି । ।୫।

ଗୋପାଳକୃଷ୍ଣ ବୋଲେ      କୃଷ୍ଣ ପାଶେ ମିଳିଲେ

ପ୍ରିୟ କଲାର ଦୋଷ ପଛକୁ ଫିଙ୍ଗି । ।୬।

 

ରାଗ–ସିନ୍ଧୁଡ଼ା । ରୂପକ ତାଳ ।

ସହି ଅଣ୍ଟିଲା ନାହିଁ କି ?

ହେଲା ଉତ୍ତାରୁ ଏତେ ସରିକି ରେ । ।ପଦ।

ଯା ପ୍ରସଙ୍ଗରେ ନିଜ ଅଙ୍ଗ ପାଶୋରୁ

ଶ୍ରୀ ବୃନ୍ଦାରଣ୍ୟାଭିଷେକ

ଆଜି ଦିନଯାକ ମୁଖ ଦେଖି ନାହୁଁ

ମନେ ପଡ଼ିଲା ନାହିଁକି । ।୧।

କଞ୍ଚୁଲୀ ହାର ଦୂର କରି ଯାହାକୁ

ହୃଦୟରେ ଧରି – ଜାକି

ଲୋଟୁଛନ୍ତି ଏବେ ସେ ଅବନୀ ଶେଯେ

ରାଧେ ରାଧେ ବୋଲି ଡାକି । ।୨।

 

ଯାର ଶିର ଛାଇ ପଡ଼ିଲେ ଚରଣେ

ପଳାଇ ଯାଉ ତେଣିକି

ଏବେ ଦାସୀ ପଛେ ବୁଲାଇଲୁ ରାଧେ

ପୋଛାଇ ନେତ୍ର ପାଣିକି । ।୩।

ଅଳି ବସିଥିଲା ତୋ ପଦ ଚିହ୍ନର

ଧୂଳିରେ ତାହା ବିଲୋ କି

ବୋଳି ହୋଇଯା ମୁଁ ହାତ ଧଇଲି

ଆଣି ଦେବି ବେଳେ ଡାକି । ।୪।

ଗୋପାଳକୃଷ୍ଣ ଭାଷଇ ନୀଜ୍ଜିଥିବା

ମାନସ ଭାଜିଯାଇ କି

ପରମାଣ କରି କହୁଥିଲେ କେଣେ

ନ ଯିବି ବୋଲି କେଣିକି । ।୫।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ମୁରଲି ତୋତେ ଶରଣ ଗଲି – ପ୍ରତି)

ଶ୍ୟାମର ତୋର କଥା ନାହିଁକି ରେ

ତୁ ନ କହିଲେ ମୁଁ ଜାଣୁନାହିଁ କିରେ । ।ପଦ।

ତାଙ୍କ ସ୍ୱ ନକ୍ଷତ୍ର ପୂଜିବା ଦିନ

ସବୁ କରିଛି ମୁଁ ଅନୁମାନରେ । ।୧।

ନ ଜାଣିଲା ପରି ସେ ତୋ ଆଡ଼କୁ

ଆସୁଁ ଘୁଞ୍ଚିଯିବାର ତୁ ପଛକୁ ରେ । ।୨।

 

ଅର୍ଘ୍ୟ ଥାଳିରୁ ବିଚଳିତ ମାଳା

ତୁ ଦେଲାବେଳେ ଢଳାଢଳି ଡୋଳାରେ । ।୩।

ସେ ପ୍ରକୋଷ୍ଠରେ ତୁ ରସବତୀରେ

ହସା ହସି ହୋଇ ଅନାଅନିରେ । ।୪।

ଚନ୍ଦ୍ରମୁଖୀ ସଖୀ କହୁଁ ହସିଲା

ହୋଇଲେ ଗୋପାଳକୃଷ୍ଣ ଭାଷିଲାରେ । ।୫।

 

 

 

ରାଗ–ଖମାର । ଆଦି ତାଳ ।

(ନ ଭାଙ୍ଗରେ ଶୁଭ୍ରାଙ୍ଗି ଭାରତୀ ହୁଅ ସାହା – ପ୍ରତି)

ବଞ୍ଚାଇ ସଜନୀ ମୋତେ ବଚନରେ ଜିଣୁ । ।ପଦ।

ନବ ନୀରଦକୁ ଦେଖି      ଆଖିର ପଲକ ରଖି

ଏପରି ଛବିକେ ଅଛି ବୋଲି ଯାହା ଭଣୁ । ।୧।

ଥରକୁ ଥର କାନନ      ବାଟକୁ ଅନାଉ ଦିନ

ଅଣ୍ଟୁ ନାହିଁ ଅପରାହ୍ନ କାଳି ନ ହେଉଣୁ । ।୨।

 

ଲୁଚିକରି ସକୂଟରେ      ବଞ୍ଚି ରାତି ତା ପାଶରେ

ଲେଉଟି ଯିବାର କାକ ପିକ ନ ଡାକୁଣୁ । ।୩।

କରି କି ଏଡ଼େ ସାହସ      ନୂଆ କିଶୋର ବୟସ

ଆଜକୁ ବାହାରି ନାହୁଁ ଭୟରେ ପ୍ରାଙ୍ଗଣୁ । ।୪।

ଏ ବ୍ରଜେ ଦୋଷ ଦେବାକୁ ଅଛି କେ ଆଉ କାହାକୁ

ଗୋପାଳକୃଷ୍ଣ ଭଣେ ତୁନି ହୋ କେ ନ ଶୁଣୁ । ।୫।

 

ରାଗ–ଭୈରବୀ । ମିଶ୍ରଚାପ ତାଳ ।

(ଶ୍ୟାମ କମନୀୟ ମନ ନାହିଁ ଆଉ – ପ୍ରତି)

କି ସୁକୃତ କରିଥିଲା ସେ ଶ୍ରୀ କିଶୋରୀ

ଅନ୍ୟ ଜନମରେ କହ ସହଚରୀ । ।ପଦ।

ଯେ ନେତ୍ରାନ୍ତ କୋଣରେ      ଅନାଇ ଦେଲେ ସେ ଥରେ

ବ୍ରଜବଧୂ ହେଉଛନ୍ତି ଦାସୀ ପରି । ।୧।

ଥାଉ ଗୋ ଆଉ ଯାକ      ଯୁବାବୃନ୍ଦ ତିଳକ

ତା ଦାସୀ କି ରହିଛନ୍ତି ଅନୁସରି । ।୨।

 

ଜାଣିଲେ ଯେତେ ରସ      ହୋଇଲେ କେତେ ବଶ

ତା ଛାଇ ଛବିକି ହୋଇବ କେ ସରି । ।୩।

ନୋହିବା ଯାକ ସ୍ଫୁର୍ତ୍ତି      ତା ସୁଗୁଣ ଶ୍ରୀମୂର୍ତ୍ତି

ଯାହା ମତେ ଉତ୍ତମ ସେ ବ୍ରଜ ନାରୀ । ।୪।

ଗୋପାଳକୃଷ୍ଣ ଜାଣ      ସେ ଶ୍ରୀପଦେ ଶରଣ

ହେଲା କି କହନ୍ତୁ ସେ ରାସେଶ୍ୱରୀ । ।୫।

 

ରାଗ–ହରିକାମୋଦୀ । ମିଶ୍ରଚାପ ତାଳ ।

ସାଜ ସାଜ ଗୋଷ୍ଠଚନ୍ଦ୍ରମା ଆସିବେ ଆଜ ଗୋ । ।ପଦ।

ଦେଇଛନ୍ତି ଝରା      ଧର ଧୀରା ଧୀରା

ରାସରଙ୍ଗିନୀ କାହିଁକି ଲାଜ । ।୧।

ମୋ ବାଣୀ ପ୍ରତୀତ      କର ପ୍ରାଣମିତ

ଭାଳୁ ଭାଳୁ ହୋଇଯିବ ସଞ୍ଜ । ।୨।

ଜଗିଛନ୍ତି ବାଟ      ଶିଖଣ୍ଡ ମୁକୁଟ

ପଠାଇବୁ ବୋଲି ଲାଗି ସ୍ରଜ । ।୩।

ଘେନ ମୋ ବଚନ      ହୁଅ ସୁପ୍ରସନ୍ନ

ପରିପନ୍ଥୀଙ୍କର ଭାଙ୍ଗୁ ଓଜ । ।୪।

କଙ୍କତି ଟଙ୍କାରି      ନଖରେ କିଙ୍କରୀ

ଗୋପାଳକୃଷ୍ଣ ବୋଲଇ ବ୍ରଜ । ।୫।

 

ରାଗ–ପଖଜ । ଆଦି ତାଳ ।

ଚାହାଁରେ ନିକୁଞ୍ଜ ଶେଯକୁ ।

ଜୀବନର ବନ୍ଧୁ ରାଧା – ଗୋବିନ୍ଦ ସଜକୁ । ।ପଦ।

କେତେ କାଳରୁ ବିରଞ୍ଚି      ବାଛି ରଖିଥିଲା ସଞ୍ଚି

ସଂସାର ସାର ସୁଷମା ସମ୍ପତ୍ତି ବ୍ରଜକୁ । ।୧।

ସୁମନ ତଳ୍ପ ସରରେ            କରୀ ପରମ ତୋଷରେ

ଧରିଲା ପରି ଦିଶୁଛି ସୁନା ପଙ୍କଜକୁ । ।୨।

 

ହେଉ ଚାରି ଆଖି ଏକା      ହସୁଁ ପ୍ରିୟ ରାଧିକା

କାନ୍ତ କରେ ଲୁଚାଉଛୁ ଲୋଚନ ଲାଜକୁ । ।୩।

ଅଚଳା ଚପଳ ହୃଦେ      ବହି ଘନ ହେଲା ଉଦେ

ଉଚ୍ଛନ୍ନ ଦଶା ପଡ଼ିବ ମକରଧ୍ୱଜକୁ । ।୪।

ଏ ବ୍ରଜରେ ଆଖି ବହି      ଥିବା ଜନଙ୍କର ସହି

ଜନ୍ମାନ୍ତର ପୁଣ୍ୟଫଳ ଘଟିଛି ଆଜକୁ । ।୫।

ଗୋପାଳକୃଷ୍ଣ ବାତାଧ୍ୱ(ଦରଜା)      କବାଟ କଲା ନିରୁଦ୍ଧ

ଅଳାଏ ଯିବା ଉତ୍ତାରୁ ବଢ଼ାଇ ଭୁଜକୁ । ।୬।

 

ରାଗ–କୀରବାଣୀ । ମିଶ୍ରଚାପ ତାଳ ।

ସେ ସିନା ନୂଆ କିରେ ବ୍ରଜବିଧୂ ! ଆସ ପଛକୁ ପଳାନା । ।ପଦ।

ଆସୁଛନ୍ତି ତୋ ପାଛୋଟି      ଆଗକୁ ସଙ୍ଗିନୀ ହେଟିରେ

ବିଳାସ ବିହ୍ୱଳା ଅନା ଅନା ।୧।

ଥରୁଛୁ ଏତେ କାହିଁକି      ରହିଥା ଆଉ ଘଡ଼ିକି

ପୂରାଇବେ ତୋ ମନ କାମନା ।୨।

ମୋ ପାଶେ ଆଜ ରଜନୀ ରହିଯିବୁ କି ସଜନୀ

ତନୁକୁ ମୋ ପୋଟାଳି ପକାନା ।୩।

ପୀରତି କଳପଇତା      କାନ୍ତି କୂଳାଧିଦେବତା

ଲୁଚିବୁ କେହି ଚନ୍ଦ୍ରବଦନା ।୪।

ଛଡ଼ାଇ ଘେନିବ ଲଜ୍ଜା      ନିକୁଞ୍ଜ କୁସୁମ ଶଯ୍ୟା

କଲା ଗୋପାଳକୃଷ୍ଣ ରଚନା ।୫।

 

ରାଗ–ମୁଖାରି । ମିଶ୍ରଚାପ ତାଳ ।

କୋପାଇଲା ଯେ ସେ କି ପାଇଲା ମା । ।ପଦ।

ଆନମାନଙ୍କ ପରି      ରାଧା କୁଞ୍ଜ ବିହାରୀ

ପୀରତି ବୋଲି ପରା ମଣିଲା ରେ,

ପରାନନ୍ଦ ରୂପରୁ      ଜାତ ପରମ ପ୍ରେମ

ସୁଧାବଧି ପଥେ ତୃଣ ଜାଳିଲା ରା । ।୧।

ଶୁଣି ଯା ନାମ ଲିପି      ନୟନେ ଲୁହ ବ୍ୟାପି

ଯାର ତ୍ରିବଳୀ ବଳି ହୋଇଲା ରେ,

ତା ଆଳୀ ଅଳିନ୍ଦର      ତଳେ ନୀଳମଣିର

ଯଷ୍ଟି ପରି ମୋହନ ଗଡ଼ିଲାରେ । ।୨।

 

ପୁଟ ପୁରଟ ପରି      ଉତୁରିତ ଆଉରି

ନିରଭିସନ୍ଧ ସ୍ନେହ ବଢ଼ିଲା ରେ, ।

କୁଟ କପଟ ଯାକ      ସରସ ସୁବିବେକ

ପଣ କ୍ଷଣକେ ଜଣା ପଡ଼ିଲାରେ । ।୩।

ଦେଖିବ ଆସି ଥାଉ      ଆଉ ଘଡ଼ିଏ ଯାଉ

ରାସାବସାନେ ହଂସଜା ବେଳା ରେ,

କିଶୋର ଚନ୍ଦ୍ରମାର      ବୃଷଭାନୁ ଜେମାର

ଅପଡ଼ ହୋଇବାର ତା ଡୋଳା ରେ । ।୪।

ଗୋପାଳକୃଷ୍ଣ ଭାଷେ      ଲଳିତା ଶ୍ରୁତି ପାଶେ

କି କହିଲେଟି ହେଲେ ହସିଲା ରେ,

ବଢ଼ାଇ ଫୁଲ ତୋଳା      ବଇଜୟନ୍ତି ମାଳା

ଗୁନ୍ଥିବାର ଉଦ୍ୟମ ଲାଗିଲା ରେ । ।୫।

 

ରାଗ–ଶଙ୍କରାଭରଣ । ତିସ୍ରଗତି ଏକତାଳ ।

ପରିପନ୍ଥ-ଗରବ-ଗିରି ଭାଙ୍ଗିଦେଲା ରେ ।

ରସ ରଙ୍ଗିନୀରେ ତୋ ଭଙ୍ଗୀ କାଲି । ।ପଦ।

ସୁଧା ସାର କଳପ      ତୋ ମଧୁର ଆଳାପ

ଶ୍ୟାମ ବଂଶୀସ୍ୱନକୁ ଯା ଚୁମ୍ବୁଥିଲା ରେ । ।୧।

ଲାସ୍ୟରେ ରହି ରହି      ପ୍ରିୟ ଆସ୍ୟକୁ ଚାହିଁ

ହସି ଖେଳାଉଥିଲାର

ଲାଜେ ଡୋଳାରେ । ।୨।

 

ନର୍ତ୍ତନ ପରିଶ୍ରମ      ଜାଣି ହୃଦକୁ ଶ୍ୟାମ

ଘେନିନେଲେ ଲୋଭେ ଯା

ତୋତେ ଛଇଳାରେ । ।୩।

ମସ୍ତକ ଶ୍ୟାମ ଅଂଶେ      ପକାଇ ତୁ ଅଳପେ

ଉଭା ହେବା ଶୋଭା ଚିତ୍ତ

ହରିନେଲା ରେ । ।୪।

ଗୋପାଳକୃଷ୍ଣ ଭଣେ      କୃଷ୍ଣ ପ୍ରେୟସୀ ଗଣେ

ଅଦ୍ୱିତୀୟା ବୋଲି ବ୍ରଜେ

ଜଣାଇଲା ରେ । ।୫।

 

ରାଗ–ବିଳାହରି । ମିଶ୍ରଚାପ ତାଳ ।

(ଏ କି ହଟା ବ୍ରଜ ଜୋଟାଯାକ – ପ୍ରତି)

ତୋତେ ତୁହି ପ୍ରାଣସହି ସାକ୍ଷୀ ମୁଁ କି ଜଣାଇବି ରେ । ।ପଦ।

ଚନ୍ଦନ ବୋଳି ଦେଇ ଯା ଅଙ୍ଗେ

ଉକୁଟାଇ ଦେଉ ସେହି ଲାଗେ

ଆଜ ଦିନଯାକ ଦେଖିନାହୁଁ

ମାନସେ କି ଭାବି ରେ । ।୧।

ପଶାଖେଳରେ ମୋହନ ହାର

ଦିଶିଲେ ମିଶାଇ ଦେଇସାର

ହସି ବୋଲୁଥାଉ ପରା ଅସ୍ତ

ହୋଇଯିବେ ରବି ରେ । ।୨।

 

ଲୁଚିଥାଇଁ ପରିହାସ କରି

କ୍ଷଣେ କାଳ ନୋହୁଁ ଜବାଧରି

ଚରମରୁ କୋଳ କରୁ ଯାଇ

ଚମ୍ପକ ଅଟବୀ ରେ । ।୩।

ଆସୁଁ ଆସୁଁ ଗୋଚାରଣ କରି

ଅଟ୍ଟାଳି ଶିଖରେ ବିଜେ କରି

ଯାହା ହେଉଥାଉ ଦୃଷ୍ଟି ଢାଳି

କାନ ପଦବିରେ । ।୪।

ଗୋପାଳକୃଷ୍ଣ ଭଣଇ ଗୀତ

ଭାଷତି ଶ୍ରୀମତୀ ଶୁଣ ମିତ

ପରାଧୀନ କୁଳବଧୂ ଜନ ମୁଁ

କିସ କହିବି ରେ । ।୫।

 

ରାଗ–ଯୁଝାବତୀ । ମିଶ୍ରଚାପ ତାଳ ।

ସହି ରେ ହେଜିଲିନି ବଞ୍ଚାନା । ।ପଦ।

ବୃନ୍ଦାବନ ଚନ୍ଦ୍ରମା      ଦର୍ଶନର ମହିମା

ଥରାଇ ଦେଲା ତନୁ ଆଉ ତୁ ଲୁଚାନା । ।୧।

ବରହିପତ୍ର ଦେଖି(ମୟୂରଚନ୍ଦ୍ରିକା)      ନେତ୍ରେ ପଲକ ରଖି

ଗ୍ରହାବେଶ ପରାଏ ବାଉଳି ହୋ ନା ।୨।

ନୀପ କୁସୁମାକାର      ଦିଶୁଛି କଳେବର

ଦକ୍ଷିଣା ନିଳରେ ଅପବାଦ ଦେ ନା । ।୩।

ଗୁଞ୍ଜରାଜି ବିଲୋକି      ନେତ୍ରୁ ନୀର କାହିଁକି

ବହୁଛି ଅଦମ୍ଭେ ମୋତେ କହୁ କି ନା । ।୪।

ଗୋପାଳକୃଷ୍ଣ ଭାଷେ      ନିରୋପିବାକୁ ଦୋଷେ

ଏ ବରଜ ଲୋକରୁ ସରିଛି ସିନା । ।୫।

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ ।

ବରଜ ଶିରୀ ସହୀ ଯିବଟି ସରି ରେ

ଟାପରା ନୁହଇଟି କିଶୋରୀରେ । ।ପଦ।

ଶ୍ୟାମଠାରୁ ଆସି      କି କହୁଛି ଦାସୀ

ଶୁଣି ନେତ୍ରେ ରହୁ ନାହିଁ ବାରି ରେ । ।୧।

କେ ତାକୁ ତୋ ପରି      ଅଛି ଗୋପନାରୀ

ନ ପାରିଲୁ ଏତିକି ବିଚାରି ରେ । ।୨।

ନଳିନୀ ଦଳରେ      ଏକା ନିକୁଞ୍ଜରେ

ଶୁଆଇଲୁ ତୋତେ ଏ କି ସରି ରେ । ।୩।

ହାତ ଧରି କେତେ      ଜଣାଇଲି ତୋତେ

ନ ଘେନି ହସାଇଲୁ ବଇରି ରେ । ।୪।

ଘାରି ହୋଇଲାନି       ତୋ ହୃଦ ସଜନୀ

ହିସାବକୁ ଅଛି କି ଆଉରି ରେ । ।୫।

ଏକା ବୋଲେ ଉଠ      କରନା ଗୋ ମଠ

ମାଗୁଛି ମୁଁ ପଣତ ପ୍ରସାରି ରେ । ।୬।

ନୁହ ପଛେ ସଜ      ହେ ସ୍ୱାମିନୀ ଆଜ

ବୋଲେ ଗୋପାଳକୃଷ୍ଣ ଜୁହାରି ରେ । ।୭।

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ ।

(ଆନେ ପରା ନକର ପ୍ରୀତି – ପ୍ରୀତି)

ବାଜୁଛି ସହି ବାଜାରେ । ତୋ ନାଁରେ ବ୍ରଜ ବଜାରେ । ।ପଦ।

ଅଟ୍ଟାଳିରେ ତୁ ଥିବାର

କାନନୁ ସେ ଆସିବାର

ଅନାଅନି ଚମତ୍କାର ଭାବନା

ତୋର ତାହାର । ।୧।

ବ୍ରଜବିଧୂ ପୀତପଟ ତୋ

ନୀଳ ଶାଢ଼ୀ ପଲଟ

ହୋଇବାର ବାଟ ଘାଟ

ଯାକରେ ହେଲାନି ସ୍ଫୁଟ ।୨।

 

ଯାଉ ଯମୁନା ପାଣିକି

ତୁ ନ ବୁଡ଼ାଇ ଘଡ଼ିକି

ନୀପରୁ ଶ୍ୟାମ ଛାଇକି

ଅନାଉଥିଲୁ ନାହିଁକି । ।୩।

କହୁଥିଲା ଚନ୍ଦ୍ରାବଳୀ

ଶେଯେ ଶିଖଣ୍ଡ ମଉଳି

ହେଉଥିବାର ବାଉଳି ଜୟ

ରାଧେ ଶ୍ରୀରାଧେ ବୋଲି ।୪।

ଗୋପାଳକୃଷ୍ଣ କହଇ

ଗୋପୀଙ୍କି ସବୁ ଆସଇ

ଆପଣାର ଦୋଷ ନେଇ

ପରେ ଦିଅନ୍ତି ଲଗାଇ । ।୫।

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ ।

(ବରଜ ଶିରୀ ସରି ଯିବଟି କିଶୋରୀରେ – ପ୍ରତି)

କିଶୋରୀମଣି । ପଡ଼ିଲା ସେ ତୋ ନେତ୍ର ସରଣିରେ । ।ପଦ।

ନବାଞ୍ଜନ ପରି      ତା ତନୁ ମାଧୁରୀ

କୁଞ୍ଜେଚରୀ ଦେତା ସେ ପୁଣି ରେ । ।୧।

ନଟବର ବେଶ      ବରହ ଉତ୍ତଂଶ

ଲଳିତ ତ୍ରିଭଙ୍ଗ ଭଙ୍ଗୀ ଠାଣି ରେ । ।୨।

ନାଯାରେ ବସଣି      ନାରୀ ପରି ବେଣୀ

ବଂଶୀ ମୁଖରେ ବତ୍ର ଚାହାଣୀ ରେ । ।୩।

 

ଦେଖିଲେ ଯୁବତୀ      ତା ତୁଲେ ଗୋଡ଼ାନ୍ତି

ହେଉଛନ୍ତି କୁଞ୍ଜର ଗୃହିଣୀ ରେ । ।୪।

ଲଭିଲୁ ଏ ଦଶା      ବୃଥା ରସାଳସା

କାଲି ଏକା ଯାଇ ଆଣି ପାଣି ରେ । ।୫।

କମ୍ପ ସ୍ୱର ଭଙ୍ଗ      ରୋମାଞ୍ଚ ଉଦ୍‌ବେଗେ

ମୋହ ହେଉଛି କ୍ଷଣକୁ କ୍ଷଣି ରେ । ।୬।

ଏଥିକି ଉପାୟ       ଶ୍ରୀନନ୍ଦ ତନୟ

ଜାଣନ୍ତି ଗୋପାଳକୃଷ୍ଣ ଭଣି ରେ । ।୭।

 

ରାଗ–ବସନ୍ତ । ମିଶ୍ରଚାପ ତାଳ ।

ହେଟି ଗୋ ଶ୍ୟାମବନ୍ଧୁକୁ । ଅନା କଦମ୍ବ ମୂଳକୁ । ।ପଦ।

ଲଳିତ ତ୍ରିଭଙ୍ଗ ଭଙ୍ଗୀ ନଟବର ବେଶ

ରଚିତ କର୍ଣ୍ଣେ ପ୍ରିୟକ ମଞ୍ଜରୀ ନବରତ୍ନ କୁଣ୍ଡଳକୁ । ।୧।

ଉନ୍ନିଦ୍ରତର ମାପ୍ରତୀ – ମାଳି ହୃଦୟରେ

କି ରୁଚିର ନବ ଶିଖୀ ଶିଖଣ୍ଡ ଦରଅରାଳ ଚୂଳକୁ । ।୨।

କୁଟିଳ ଅଳକା ତଳେ ଚନ୍ଦନା ବିନ୍ଦୁ

ଚାରୁ ଭୁରୁବଲ୍ଲୀ ନାଟ ବସାରେ ନୂଆ ମୁକୁତା ଫଳକୁ । ।୩।

 

ଦଳିତ ନବ ଅଞ୍ଜନ ପୁଞ୍ଜ ତନୁ ଦ୍ୟୁତି

ଜଗିଛନ୍ତି ପଥ ଥରେ ଦିଶାଅ ମୁଖ ଚନ୍ଦ୍ରମଣ୍ଡଳକୁ । ।୪।

ମୂରଲୀ ମଧୂର ନାଦେ ସୁରଭୀ କୁଳକୁ

ଡାକି ଡାକି ଢାଳୁଛନ୍ତି ତୋ ଆଡ଼େ କେତେ ନୟନାଞ୍ଚଳକୁ । ।୫।

ଚାହୁଁ ସଖୀ ଆପଟରେ ରହି ଶ୍ରୀରାଧିକା

ଗୋପାଳକୃଷ୍ଣ ବୋଲଇ ଝଡ଼ିଲା କରୁ ମୂରଲୀ ତଳକୁ । ।୬।

 

ରାଗ–କୀରବାଣୀ । ଆଦି ତାଳ ।

ସହୀ ତୋ ପରି କେହି ଦିଶୁ ନାହିଁ । ।ପଦ।

ନାଗରୀ ଅଗ୍ରଗିରା      ବିହି ଦେଇଛି ପରା

ଶ୍ୟାମ ନୟନେ ତୋତେ ଲିହି । ।୧।

ପରତେ ଚନ୍ଦ୍ରାବଳୀ      ପଦ୍ମା ସବ୍ୟାଦି ଆଳୀ

ଥାଉଁ ବୋଲନ୍ତି ରାଧେ ତ୍ରାହି । ।୨।

ଧନ୍ୟରେ ଧନ୍ୟ ତିନି      ଭୁବନେ ଚନ୍ଦ୍ରାନନୀ

ମୋହନଙ୍କୁ ପାରିଲୁ ମୋହି । ।୩।

କେଶର ନିକୁଞ୍ଜରେ      କିଶଳୟ ଶେଯରେ

କି ଦଶା ଆସିବଟି ଚାହିଁ । ।୪।

ଗୋପାଳକୃଷ୍ଣ ବୋଲେ      ସେହି ସଜେ ମିଳିଲେ

ବ୍ରଜବିଧୂ ଅଛନ୍ତି ଯହିଁ । ।୫।

 

ରାଗ–ଝାଞ୍ଜୋଟୀ–ମିଶ୍ରଚାପ ତାଳ ।

(ମୂରଲୀ ତୋରେ ଶରଣ ଶରଣ ଗଲି – ପ୍ରତି)

ତାହା ପରେ ସିନା ତାର ଗୁମାନ ଗୋ । ।ପଦ।

ରୁଷା ରୁଷିରେ ମିଶାମିଶି ମନ

ସୁନାପୁଟ ପରି ପଢ଼ଇ ତାନ ଗୋ । ।୧।

କଥାକୁ ପ୍ରତି ଉତ୍ତର ବଚନ

ନ ଦେଲେ ଅନ୍ଧାରତ ତ୍ରିଭୁବନ ଗୋ । ।୨।

ବିହି ବଶେ କେବେ ହୋଇଲେ ଭିନ୍ନ

କୋଟିଏ ଯୁଗ ତ ଗୋଟିଏ ଦିନ ଗୋ । ।୩।

ନୁହଁଇ ମୁଁ ତେଡ଼େ ଭଳି ଭାଜନ

ଚନ୍ଦ୍ରାବଳୀକି ସେ ଅନୁରଞ୍ଜନ ଗୋ । ।୪।

ଭାଳି ସଜନି କଲେ ଅନୁମାନ

ଦୁହେଁ ଦୁହିଁଙ୍କର ମନ ଜୀବନ ଗୋ । ।୫।

ଗୋପାଳକୃଷ୍ଣ କହଇ ମୋହନ

ହେଟି ଆସିଲେଣି ଉଠ ବହନ ଗୋ । ।୬।

 

ରାଗ–ନୀଳାମ୍ବରୀ । ମିଶ୍ରଚାପ ତାଳ ।

କି ପଡ଼ିଲେ ଶ୍ୟାମ ଆୟତ୍ତେ, ଆହା ଅଜନମ ସୁକୁମାରୀ !

କ୍ଷୀଣ ହେଲା ତନୁ ଚିହ୍ନି ହେଉନାହିଁ

କି ମନ୍ତ୍ର ଦେଲା ମୁରାରୀ

ତେଜିଲୁ ଶୟନ ଭୁଷଣ ଭୋଜନ

ଜପିଲୁ ନାମ ତାହାରି । ।୧।

ଧୂର୍ତ୍ତ ଗୁରୁ ଶଠ ଶିଖା ମଣି ନଟ

ହୁଏ କି ତା ରୀତି ବାରି

ପୟ ପାନ କରି ଶିଶୁ ବୟସେ ଯେ

ଜାଣିଛୁ ନାଶିଛି ନାରୀ । ।୨।

 

ତା ଅପ୍ରୋଧେ ମୋତେ ନ ଦେଉ

ଉତ୍ତର ଯେତେ କହିଲେ ତିଆରି

କାନନ କୁରରୀଠାରୁ ବଳିଗଲୁ

ଅହର୍ନିଶି ନେତ୍ରେ ନ ରହିଲା ଧିକ୍‌କାରୀ।୪।

ନନ୍ଦନୟନ ଇନ୍ଦୀବର ଚନ୍ଦ୍ରମା

ରହି ଶୁଣି ତେଣି ପାରି

ଦେଖି ଗୋପାଳକୃଷ୍ଣ ଏଣେ ସଖୀଙ୍କି

କହିଦେଲା ଆଖି ଠାରି ।୫।

 

(ନୂଆ କିରେ ବ୍ରଜକୁଧ ସେ ସିନା – ପ୍ରତି)

କି କହିବିରେ ଶ୍ୟାମଙ୍କୁ ପ୍ରାଣ ସଜନି ଯାଉଛି । ।ପଦ।

ଦେଇ ଆସିଛି ଅବଧି      ଘଡ଼ିକି ଲାବଣ୍ୟ ନିଧିରେ

ବଳିଗଲାନି ତ ଯାମକୁ । ।୧।

ତା ଦୁଃଖ ଯାକ ଯା ଶୁଣି      ତୁନି ହେଲୁ ଗୁଣମଣିରେ

ଆସିଛି ସିନା କରମକୁ । ।୨।

କରି ଯେବେ ପ୍ରତିଆଶା      ତୋତେ ଯୋଷା ଶିରୋଭୁଷା ରେ

ପିଠି ଆଇଥିଲେ ଛାମୁକୁ । ।୩।

ଏକା ସେ କେଶର କୁଞ୍ଜେ      ବସି କିଶଳୟ ଶେଯେ ରେ

ଚାହୁଁଥିବେ ତୋ ଆଗମନକୁ । ।୪।

ଆଳୀ ଚେଳାଞ୍ଚଳ ଧରି      ବୋଲନ୍ତି ନବ କିଶୋରୀ ରେ

ଲଳିତା ହୋଇଛି ବାମକୁ । ।୫।

ଗୋପାଳକୃଷ୍ଣ କଥିତନ      ନ ଛାଡ଼େ ଆଳୀ ପଣତ ରେ

ବୋଇଲେ ହେଲା ବିଷମକୁ । ।୬।

 

ରାଗ–ବସନ୍ତ । ମିଶ୍ରଚାପ ତାଳ ।

ଉଠ ନ କର ମଠ ତୋ ଦରଶନକୁ ।

ମୋହର ଆସିଛନ୍ତି ପରା ରେ । ।୧।

ପଲଙ୍କ ତଳରେ      ପ୍ରଦୀପ ପାଶରେ

ଉଭା ହୋଇଛନ୍ତି ଧୀରା ଧୀରା ରେଫ । ।୨।

ହେବୁ ବୋଲି ବେଶ      କରି କେତେ ଆଶ

ଆଣିଛନ୍ତି ସୁମନସ ଝରା ରେ । ।୩।

 

ହୁଅ ଅପହୁଡ଼       ତଳପ ସଜାଡ଼ି

ପ୍ରାଣନାଥ ମତୋରଥ ପୁରାରେ । ।୪।

ସଖୀ କର ଧରି      ଶ୍ରୀ ନବ କିଶୋରୀ

ଗେତି ଉଭା ହେଲେ ବସୁନ୍ଧରାରେ । ।୫।

ସହି ଗଲେ କହି      ସମୟକୁ ଚାହିଁ

ଗୋପାଳକୃଷ୍ଣ ବୋଲଇ ତ୍ୱରା ରେ । ।୬।

 

ରାଗ–ଚକ୍ରବାକ । ମିଶ୍ରଚାପ ତାଳ ।

(ପ୍ରେମ ଚିନ୍ତାମଣି କେ ରୁଷାଇଲା ରେ – ପ୍ରତି)

କେତେ କାକ ହେଲା ଦେଖି ନାହୁଁ ସହି

ଶେଯଯାକ ତିନ୍ତିଗଲା ଲୁହ ବୋହି । ।ପଦ।

ତରଣି ପୂଜି ଗଲୁ      ଏ କ୍ଷଣି ତ ଅଇଲୁ

ଅଣ୍ଟିଲା ନାହିଁକି କଣ୍ଠୀରବ ମଧ୍ୟା

ଦ୍ୱାର ପରି ହୃଦେ ଥୁଲୁ ରହି । ।୧।

ଆହା କି ଅସମ୍ଭବ      କେ ଶୁଣିବେ ହସିକ

ବନୁ ଧେନୁ ପଛେ ବଂଶୀ ବଜାଇ ସେ

ଗଲେ ବାଟ ଜଗିଥିଲୁ ତୁହି । ।୨।

 

ନିଶି ଦିନ କଣ୍ଠରେ      ବାନ୍ଧି ବୁଲିବୁ କି ରେ

ଏ କି ଆଲୋକିତ ଆହା ପ୍ରାଣମିତ

ତୋ ଲାଗି ତ ବୁଦ୍ଧି ଦିଶୁନାହିଁ । ।୩।

ଲଳିତା ପଣତରେ      ମୁଖ ପୋଛି ସତ୍ୱରେ

ଗୋଳି କସ୍ତୁରୀ ଚିବୁକ କରେ ଧରି

ଦେଲେ ବିଚିତ୍ର ମକରୀ ଲିହି । ।୪।

ସେ ପ୍ରତିମା ନେତ୍ରର      ଏ ଜୀବନ ଜୀବରୟ

ପଲକ ଅନ୍ତର ଜଗତ ଅନ୍ଧାର

ଦିଶୁଛି ଗୋପାଳକୃଷ୍ଣ କହି । ।୫।

 

ରାଗ–ଝାଞ୍ଜୋଟୀ । ରୂପକ ତାଳ ।

ପ୍ରାଣ ସଙ୍ଗିନୀରେ ଦେଖି ଆ ।

ବ୍ରଜରାଜ ତନ୍ତୁଜ ଭଙ୍ଗୀକି । ନଚାଇବାର ଭୁରୁ ଭୁଜଙ୍ଗିକି

ଚାହିଁ ନ ଚାହିଁଲା      ପରି ଖେଳାଇ ଡୋଳା

ଶ୍ରୁତିପଥରେ ଥକାଇ ଦେଉଛି

ନବରଙ୍ଗିଆ । ।୧।

ଅଧର ନିବେଶି      ରମଣୀୟ କରି ବଂଶୀ

ବଜାଇ ଆସୁଛି ସେ ଶିଖଣ୍ଡ

ଉତ୍ତମାଙ୍ଗିଆ । ।୨।

 

ପୀତବାସ କାଛି      ପିନ୍ଧିବାର ନୁହଇ ମୁରୁଛି

ନାରୀ ମନ ନଳିନର ସୁନ୍ଦର

ମତ୍ତଭ୍ରୁଙ୍ଗିଆ । ।୩।

ଆହା କି ମଧୁର      ମନ୍ଦହାସ କି ସୁଧାର ଧାର

ସ୍ମରଶାଣ–ରସାଣିତ ବରଛି

ଅପାଙ୍ଗିଆ । ।୪।

ଗୋପାଳକୃଷ୍ଣ ସେ      ସୁକ ସୁଧାବ୍‌ଧିରେ ଭାଷେ

ଆସି ଭେଟ ହେଉଁ ଶ୍ରୀରାଧା

ସେ କକ୍ଷଶୃଙ୍ଗିଆ । ।୫।

 

ରାଗ–ଭୈରବୀ । ମିଶ୍ରଚାପ ତାଳ ।

(ମୋହନଙ୍କୁ ଋଷିବ କି ସେ ରାଧା ତୁ ନା ରେ – ପ୍ରତି)

ବ୍ରଜେନ୍ଦ୍ର ନନ୍ଦନ ସହି ! ଏକା ଶ୍ରୀରାଧାର । ।ପଦ।

ଚନ୍ଦ୍ରାବଳୀ ଆଦି କରି      ପଶୁପ ନଗରୀ ନାରୀ

ବୃଥା ପଛେ ପଛେ ଧାଇଁବାର । ।୧।

ଏ ଦେହ ସେ ପରାଣଟି      ସେ ତନ୍ତୁ ଏ ଜୀବନଟି

ବାରି ହେଉ ନାହିଁ ପ୍ରୀତ ଯାର । ।୨।

 

ଯେଉଁପରି ସୁଲକ୍ଷଣ      ଯେମନ୍ତ ଶୋଭା ସୁଗୁଣ

ଊଣା ଅଧିକ ନାହିଁ କାହାର । ।୩।

ସେ ଦୁହିଁଙ୍କ ଏକାବେଳେ      ଦେଖି ନେଉଛି ସେ ଡୋଳେ

ଆନ ଇଚ୍ଛା ହେଉଛି କି ତା’ର । ।୪।

ଯା ମନ କୃଷ୍ଣଙ୍କୁ ରସି      ଭଜିବ ରାଧାର ଦାସୀ

ହେଉ ଗୋପାଳକୃଷ୍ଣ ପ୍ରକାର । ।୫।

 

ରାଗ–କୀବାଣୀ । ମିଶ୍ରଚାପ ତାଳ ।

ବୁଡ଼ିଗଲୁ ଶ୍ୟାମ ପ୍ରେମରେ ? ପଡ଼ି ଭ୍ରମରେ

ଶ୍ରୀ ରାଧେ ରାଧେ । ।ପଦ।

ବରଜ ପ୍ରାଙ୍ଗଣେ ସଖି !      ବରହି ନୃତ୍ୟ ନିରେଖି

ବରତନୁ ଥରୁଥିଲୁ ଧନର୍ଯ୍ୟ

ଉପେକ୍ଷି ରାଧେ । ।୧।

ଯାଉଁ ଯମୁନା ଜଳକୁ      କୋଳ କରି ତମାଳକୁ

କିସ ପାଞ୍ଚି ସେ ତରୁକୁ

ଲଗାଇଲୁ ବୁକୁ । ।୨।

 

ପବିତ୍ରାଙ୍ଗି ସ୍ୱପନରେ      କି ବିଲୋକିଲୁ ରାତିରେ

ଭାବି ଶୋକ କରୁଥିଲୁ ଧନ

ଧକି ଧୀରେ ରାଧେ । ।୩।

ଫୁଲ ପରି କଦମ୍ବର      ତୁଲ ଦିଶିଲା ଶରୀର

ପୁଲକରେ ବିଷ୍ଣୁ ପଦେ ବିଲୋକୁ

ମୁଦିର ରାଧେ । ।୪।

 

ସୁନାର ସୁନ୍ଦର ତନୁ      ଚିହ୍ନି ନୋହେ କଲୁ ତନୁ

ଦୀନାବସ୍ଥା ହେଲୁ ଦଣ୍ଡେ

ନପାଶୋରି ମନୁ ରାଧେ ।୫।

ସହୀଙ୍କୁ ଲୁଚାଇ ଦୁଃଖ      ରହିଲୁ ଶୁଖାଇ ମୁଖ

ବିହିକି ସୁମରି ହେଲୁ ସ୍ମର

ଶର ଲାଖ ରାଧେ । ।୬।

 

କହିଲେ ରୋଷ ବହିଲୁ      ନୋହିଲେ ନୋହୁ ବୋଇଲୁ

ମହୀକି ଚାହିଁ ନୟନୁ ଲୁହ

ବୁହାଇଲୁ ରାଧେ । ।୭।

ତ୍ରପା ଭରେ ନିମଜ୍ଜିଲେ      କୃପାମୟୀ ଆଳୀ କୋଳେ

ଗୋପାଳକୃଷ୍ଣ ସେବେ ସେ

ଚରଣ କମଳେ ରାଧେ ।୮।

 

 

 

ରାଗ–ଶଙ୍କରଭରଣ । ରୂପକ ତାଳ ।

କୁଞ୍ଜବନରେ କାଳିଆ ଦେବତା ବୁଲୁଛି ।

କୁସୁମ ତୋଳିଲା ପରି ନୁହଇଟି ଶ୍ରୀକିଶୋରୀ ।

ଦେଖିଦେଲେ ତୋ ମାଧୁରୀ      ଘେନିଯିବ କୋଳ କରି

ମୋତେ ଜଳ ଜଳ ଦିଶୁଛି । ।ପଦ।

 

କେ କହେ ଦଳିତାଞ୍ଜନ      ସେ ବୋଲୁଛି ନବଘନ

କାନ୍ତି ପୁଣି ସାବଧାନ      ହୋଇଥା ସେ ଗୋ ଗୋବର୍ଦ୍ଧନ-

ମଲ୍ଲ ଗୃହିଣୀଙ୍କ ଗୃହଣୀଙ୍କ ଲାଗିଛି । ।୧।

ଅଙ୍ଗେ ସବୁ ଅଳଙ୍କାର      ସଦା ଲାଗିଲେ ଥିବାରୁ

ଶିରେ ଚୂଳ ଶିଖଣ୍ଡର      କୋଟିଏ ସ୍ମର ସୁନ୍ଦର

ରୂପ ବୋଲି ଶୁଣାଯାଉଛି । ।୨।

 

ଥାଉ ସ୍ୱଚ୍ଛେ ଦେଖିବାର      ପ୍ରସଙ୍ଗ ଶୁଣିଲେ ଯାର

ନୟନୁ ବହୁଛି ନୀର      ଅଧିକ ହୋଇ ଶରୀର

ପୁଲକରେ ପୁରି ଯାଉଛି । ।୩।

ଲତା ଗୃହକୁ ଯାଅନା      କଞ୍ଜ କସ୍ତୁରୀ ବାସନା

ତହଟୁ ଛିଟି ସୁମନା !      ଶୁଭାଇ କଥା କହନା

ହେଟି ଭୁଷାସ୍ୱନ ଶୁଭୁଛି । ।୪।

 

କାନ୍ତିକୁଳ ଅଧୀଶ୍ୱରୀ      ଭାରିଯିବେ ସହଚରୀ

ତୋଳିବୁ ଗୁଞ୍ଜ ଆଉରି      ଜାଲରେ କୁରଙ୍ଗୀ ପରି

ପଡ଼ିଯିବୁ ପରା ଦିଶୁଛି । ।୫।

ରାଧା ବୋଲନ୍ତି ଆଳୀଙ୍କି      ଆଗେ ହେଲେ କହିଲୁ କି

କେ ସେ ପୁଣି ତ ଏଣିକି      ଆସୁଛି ମୋ ସରଣୀ କି

ଗୋପାଳକୃଷ୍ଣ ତ କହୁଛି । ।୬।

 

ରାଗ–ମୋହନା । ମିଶ୍ରଚାପ ତାଳ ।

(ଦୁଃଖୀଧନ ଚନ୍ଦ୍ରାନନାରେ – ପ୍ରତି)

ବ୍ରଜବିଧୂ ତୋତେ ବିଲୋକିବା ପାଇଁ ରେ ପ୍ରାଣସହି ।

ଘେନି ତୁହିରେ ।

ନିତି ପଥ ଜଗୁଛନ୍ତି ଏକା ହୋଇ ରେ । ।ପଦ।

ଯମୁନା ଯିବା ଆସିବା ବେଳେ

ତଟ ନିକଟ ନୀପ ତରୁମୂଳେ

ରହି ସରଣୀକି ଚାହୁଁ ଥାଉଛନ୍ତି

ଛକେ ଚରାଇବା ପରି ଗାଈରେ । ।୧।

 

ତୋତେ ବାଟରେ କେ ପୁଣି ଡାକିଲା

ରାଧା ବୋଲି ଶ୍ରବଣରେ ପଡ଼ିଲା

ସୁଧାରେ ମଧୁର ଏପରି ହେବ କି

ବୋଲି ରହିଲେ ପକ୍ଷ୍ମ ପକାଇ ରେ । ।୨।

ତୁହି ଆସିଲା ଉତ୍ତାରୁ ସେ ଯାଇ

ପଦ ଚିହ୍ନେ ଆଳୀ ବସା ଅନାଇଁ

ତନୁ ବାତେ ଚଳ ଦଳ ପରି ହେଲା ।

ଧୂଳି ବୋଳି ହୋଇଲେ ଲୋଭାଇ ରେ । ।୩।

 

ଆସୁ ବନରୁ କାଲି ବନମାଳୀ

ତୁମ୍ଭ ଅଟ୍ଟାଳି ଆଡ଼େ ଡୋଳେ ତାଳି

ଚାରି ଆଖି ସରି ହୋଇଗଲା ହସି

ଗଲୁ ପୁଣି ପଛଘୁଞ୍ଚା ଦେଇରେ । ।୪।

ତାଙ୍କ ଦୁଃଖରେ ଦୁଃଖ ନ ସମ୍ଭାଳି

ମୋତେ ପଥରେ ସବୁଳ ଓଗାଳି

ଲୁହ ନେତ୍ରୁ ପୋଛି ରହି ଚାହୁଁଥିଲା

ଏକା ଯାଉଥିଲି ମୁଁ ଗାଧୋଇରେ । ।୫।

ଗତାଗତରେ ବରଜ ଯାକରେ

କେତେବେଳେ ସେ ଥିଲେ କେଉଁଠାରେ

ସନ୍ତତ ଦୃଷ୍ଟି ଏକା ଏହି ଆଡ଼ରେ

ବୋଲି ଗୋପାଳକୃଷ୍ଣ କହଇରେ । ।୬।

 

ରାଗ–ଝାଞ୍ଜୋଟି । ଆଦି–ତାଳ ।

ଶ୍ୟାମ ସରି ରାଧା ସୁଧାକର ମୁହୀଁ କି ।

ପାଞ୍ଚିଲେ ଘଟଣା ପତି ନାରୀ ସୁନ୍ଦରପଣ କି । ।ପଦ।

ଦିନେ ଦୂର ଦୂରରେ      ବ୍ରଜରାଜ ପୁରରେ

ବିଲୋକି ମୁଁ ଅନୁମାନି ଥିଲି ଦୁହିଁକି । ।୧।

ଭାଳିବଟି ଚିତ୍ତରେ      ତାରତମ୍ୟ ଉଚ୍ଚରେ

ଏ ତା ଶ୍ରୁତିତଟ ସରିହେବ ନାହିଁ କି । ।୨।

 

ନ ଦେନ୍ତେ କି କୀର୍ତ୍ତିଦା      ମାଗିଥିଲେ ଯଶୋଦା ଏବେ

ଦେଖି ପୁଣି ନିନ୍ଦୁଛନ୍ତି ବିହିକି । ।୩।

ଯମୁନା ଜଳରେ ସୁନା      କଞ୍ଜ ପରି ଭାବନା

ଦିଶୁଥାନ୍ତା ଜନେ ମୁରୁଛନ୍ତେ କାହିଁକି । ।୪।

ଗୋପାଳକୃଷ୍ଣ ଭାଷେ      ରାଧା ଲାଜ ହରଷେ

ହସି ହସି ଲାଜେ ଚଳି ହେଲେ ଆଳୀଙ୍ଗି । ।୫।

 

ରାଗ–ପାନ୍ତୁ ବରାଡ଼ି । ମିଶ୍ରଚାପ ତାଳ ।

(ଭଜମନ ବ୍ରଜ ବନ – ପ୍ରତି)

ଧନ୍ୟ ସଜନୀ ଧନ୍ୟ ତୋ ଡୋଳା ଢଳାରେ

ବୃନ୍ଦାବନ ମତ୍ତ କରୀନ୍ଦ୍ର ଶୃଙ୍ଖଳାରେ । ।ପଦ।

ଯା ଏକ ଅଙ୍ଗରେ ସ୍ଥିତି      ଅଖିଳ ଇନ୍ଦ୍ରିୟ ବୃତ୍ତି

ଆହା ସେ ବିବେକ କାହିଁ ହଜିଗଲାରେ । ।୧।

ସୁମନ ପୁଟିକା ତୁଲେ      ବଂଶୀ ଦେଉଁ ତୋ ଅଞ୍ଚଳେ

କରଉର ଅଧର କି ଥରୁଥିଲା ରେ । ।୨।

ନ ପାରନ୍ତି କେହି ଛୁଇଁ      ଯା ବଂଶୀକ ଥିଲେ ଶୋଇ

ପଶ୍ୟ ତୋହର ସାଦୃଶ ପରି ହେଲାରେ । ।୩।

 

ମଥାରେ ମଣି ଦର୍ପଣ      ଛବି ଗଣ୍ଡେ ସ୍ୱେଦ କଣ

ଚାହୁଁ ଚାହୁଁ ବିନାଶ୍ରମେ ଜନମିଲା ରେ । ।୪।

ସୁଧା ସହୋଦର ଗିର      ଜଳପୁଁ ଥରକୁ ଥର

ଶୁଣି ସେ କର୍ଣ୍ଣ ଲୁପ୍ତ ହସା ଆସିଲାରେ । ।୫।

ଗୋପାଳକୃଷ୍ଣ ଭାଷଣ      ପଡ଼ିଲାକ୍ଷଣି ଈକ୍ଷଣ

ଗ୍ରହାବେଶ ପରି ତନୁ ପୁଲକିଲା ରେ । ।୬।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ମୋହନ ନୟନାଞ୍ଚଳ ନାଚିଲା – ପ୍ରତି)

ଯେ ଦେଖିଛି ସେ ସିନାରେ ଜାଣିବ । ।ପଦ।

ନୂତନ ଶିଖଣ୍ଡ ଚୂଳ      ନୂଆ ମକର କୁଣ୍ଡଳ

ମୂରଲୀ ବସା ଶ୍ରୀମୁଖ ରାଜୀବ । ।୧।

ଆଗରେ ବଳାଇ ଧେନୁ      ଆସୁଥିଲାବେଳେ ତନୁ

ଆହା ନର୍ତ୍ତନ ରଙ୍ଗ ମହୋତ୍ସବ । ।୨।

ଅଳପ ହସି ଆକୂତ      ରଖି ଢାଳିଲେ ନେତ୍ରାନ୍ତ

କଥା ନୋହୁ ମଥାରେ ତ ଠାରିବ । ।୩।

କ୍ଷଣେ ନିମିଷେ ବେଳେ      ବସିବା ବସାଇ କୋଳେ

ମଜ୍ଜା ଆଦରଶ ଆଗରେ ଥବ । ।୪।

ପରିହାସ ସଂଳାପରେ      ଚତୁରାକ୍ଷ ସମକ୍ଷରେ

କୁଞ୍ଜଫୁଲ ଶେଯେ ସେ ଅବୟବ । ।୫।

ଗୋପାଳକୃଷ୍ଣ କହଇ      ଶୁଣ ବରଜ ବଡ଼ାଇ

ଦୂତୀ ସୋପାନରେ କି ନଗଡ଼ିବ । ।୬।

 

 

 

ରାଗ–ଶଙ୍କରାଭରଣ । ମିଶ୍ରଚାପ ତାଳ ।

ମୋହନ ଦେଖିଲେ ତୋତେରେ । କହୁଥିଲେ ତ ମୋତେ । ।ପଦ।

ଅରବିନ୍ଦ ବନ୍ଧୁ ସୁତାରୁ ଆସୁ ସଖୀ ସଙ୍ଗତେ

ତୁ ପୁଣି ତିନି ଚାରିବେଳ ଚାହିଁଲୁ

ପଛଆଡ଼କୁ କି ସତେ ରେ ।୧।

ଉଡ଼ୁ ଥିଲେ ପୁଣି – ଚକୋର ତୋ ଲପନ ପୁରତେ

ରୋଳମ୍ବ ନିକୁରମ୍ଭକୁ ନିବାରୁଥିଲୁ

ସରୋରୁହ ଥିଲା ହାତେ ରେ ।୨।

 

ତୋ ହରିଣୀଠାକୁ ସେ କୃଷ୍ଣ ତୃଷ୍ଣସାର ଆସନ୍ତେ

ଚମକିଲା ହୋଇ ପାଶକୁ ଡାକିଲୁ

ଲଳିତାଙ୍କୁ ପୁଣି କେତେରେ ।୩।

ପାଇ ତଟେ ତୋ ମଲ୍ଲୀ ଲାଟମାଳା ବାନ୍ଧି ବସାନ୍ତେ

ରଖିଛନ୍ତି ତନୁ ସୁରଭି ତୋହର

ପ୍ରସରୁଛି ଅବିରତେ ରେ । ।୪।

ଗୋପାଳକୃଷ୍ଣକୁ ନେ ବୋଲି ନାଗେଶ୍ୱର ଦିଅନ୍ତେ

ଆଣିଲା ସେ ଅଳି ନବସା ସୁମନ

ଦେବାପାଇଁ ତୋ ପୁରତରେ ।୫।

 

ରାଗ–କୀରବାଣୀ । ମିଶ୍ରଚାପ ତାଳ ।

ସହୀ ସେହି ବ୍ରଜେନ୍ଦ୍ର କୁମାର । ।ପଦ।

କରି କୁସୁମ ଚୟନ      ବୋଇଲୁ ଯେ ଏକା ବନରେ

କୃଷ୍ଣର ବୋଲି ମୁଁ କହିବାର । ।୧।

ଶୁଣି ଯେ ହୋଇଲୁ ଛନ୍ନ      ସେ ଦିନ ମୂରଲୀ ସ୍ୱନରେ

ଏହି ବୃନ୍ଦାବନ ଚନ୍ଦ୍ରମାର । ।୨।

ବିଶାଖା ରେଖି ପଟରେ      ଦେଇଥିଲେ ତୋ ଛାମୁରେ

ନୂଆ ନଟବର ଛବି ଯାର । ।୩।

 

ଆଖିପୁରା ଦରଶନ      କଲୁକି ଜୀବନ ଧନ ରେ

ମୂର୍ତ୍ତିମନ୍ତ ହୋଇଛି ଶୃଙ୍ଗାର । ।୪।

ତୋ ପାଦ ଚିହ୍ନର ଧୂଳି      ହୃଦୟର ହୋଇ ବୋଳିଲେ

ପୋଛୁଥିଲେ ନେତ୍ରୁ ନୀର ଧାରରେ । ।୫।

କାନନ ବାହୁଡ଼ା ବାଟ      ନିକଟେ ଅଟ୍ଟାଳି ଭେଟରେ

ଗୋପାଳକୃଷ୍ଣ କରି ବିଚାର । ।୬।

 

Unknown

ରାଗ–ପାନ୍ତୁ ବରାଡ଼ି । ମିଶ୍ରଚାପ ତାଳ ।

(ଭଜମନ ବ୍ରଜ ଦ୍ୱିଜରାଜଙ୍କୁ–ପ୍ରତି)

ଜାଣିଲି ସହୀ ତୋ ମନ୍ଦ ମନ୍ଦ ଝୁଲାରେ

କହୁଛିନି ରହିଥା ବୋଲି ନ ଭୁଲା ରେ । ।ପଦ।

ମୁଁ ପଚାରିଲା କଥାକୁ      ଉତ୍ତର ଦେଲା ବେଳକୁ

କେଣେ କର୍ଣ୍ଣମୂଳ କେଣେ ନଖ ଚଳାରେ । ।୧।

ବ୍ରଜବିଧୂ ଦୁଃଖ ଶୁଣି      ପୁରିଲାଣି ନେତ୍ରେ ପାଣି

ବୋଲୁଛୁ ଯେ ଆଉରି କି ବଳିଗଲାରେ । ।୨।

ଜନ୍ମିଛି କି ସନ୍ଦେହ      ଦମ୍ଭେ ଭାଙ୍ଗି ହେଉ ଦେହ

କୁମ୍ଭା ପରେ ଜମ୍ଭା ଆଣୁ ଛୁ ଛଇଲାରେ । ।୩।

 

ମୁଖ ବୁଲାଇଲା କ୍ଷଣି      ଦଣ୍ଡକେ ପ୍ରାଣ ମିତଣି

ପ୍ରେମ ପୀୟୁଷ ଘଡ଼ିକେ ଏଡ଼ି ଦେଲାରେ । ।୪।

ଆସିଛି ପଥେ ବସାଇ      କିସ କହିବିରେ ଯାଇ

ବୋଲୁ ସହୀ ନୟନେ ଲୁହ ପୂରିଲାରେ । ।୫।

ଲଳିତା ବୁଝି ସେ ଚିତ୍ତ      ବକୁଳ କୁଞ୍ଜ ସଙ୍କେତ

କହିଲେ ଗୋପାଳକୃଷ୍ଣଙ୍କୁ ଚଳିଲାରେ । ।୬।

 

 

 

ରାଗ–ପୁନ୍ନାଗବରାଡ଼ି । ମିଶ୍ରଚାପ ତାଳ ।

(ଆହା କି ଗଲାରେ ସ୍ନେହ କେତେ ଦୂରକୁ – ପ୍ରତି)

ପ୍ରାଣମିତଣିରେ ଫିଟାଇ କହ ତୁ ମଜ୍ଜା ।

ତୋତେ ମୋହନଙ୍କୁ ବନ୍ଦି କରିଥିଲା

କୁଞ୍ଜେ କେଣେ ସ୍ମର ରାଜା । ।ପଦ।

ଚଳାପାଙ୍ଗି ପ୍ରଚଳାକ ମୁକୁଟ ତୁ ଭେଟ ହେଲୁ କେଉଁଠାରେ

କି ଲଟରୁ ତାଙ୍କ ଉତ୍ତରୀୟ

ପୀତପଟ ବହିଛୁ ଅଙ୍ଗରେ ।୧।

ଫୁଲ ତୋଳୁଥିଲୁ ପଲ୍ଲବଅଧରୀ ଏବେଆଳୀ ସନ୍ଦେହରେ

କେ ବିହିଲା ଗଣ୍ଡମଣ୍ଡଳେ

ତାମ୍ବୁଳ ବୋଳି ମକରୀ ଉପରେ ।୨।

 

ଲବ ଶିଥିଳ ନୋହିଥିଲା ସଜାଡ଼ି ଥିବାରୁ ସଜ ଯାବତ

ମତ୍ତ କୁଞ୍ଜର କର କଞ୍ଜ ପରାଏ

ହୋଇଛୁ ତ ଅସ୍ତବ୍ୟସ୍ତ ।୩।

କିଶୋରୀ ମୁକୁଟ ମଣି ମୋ ମୁହଁକୁ ଚାହୁଁ କିନା ସରି କରି

ଲାଗକୁ ଆସ ବିନ୍ଦୁ ବିନ୍ଦୁ ମୁଖରେ

ଝରିଛି ତ ଶ୍ରମବାରି ।୪।

କୁନ୍ଦଲତାକୁ ହସିଣ ଶ୍ରୀଲଳିତା ଭାଷନ୍ତି କେ କହିଲାଣି ?

ଗୋପାଳକୃଷ୍ଣ ଭଜେ ରାଧା ପଦାବ୍‌ଜେ

କୁସୁମ ବ୍ୟଞ୍ଜନ ଘେନି । ।୫।

 

ରାଗ–ମାୟାମଳାବଗୌଡ଼ା । ମିଶ୍ରଚାପ ତାଳ ।

(ନାହିଁ କରିଦେ ରେ – ପ୍ରତି)

ଲେଖିଅଛନ୍ତି ଗୋ ତୋ ରୂପ କୁଞ୍ଜ ଭିତ୍ତିରେ । ।ପଦ।

ତୁହି ଅନାଇବାର ପ୍ରାଣମିତଣି ବ୍ରଜେନ୍ଦ୍ର ରସବତୀ ରେ

ଦିଶି ନ ଦିଶିଲା ପରି ଉଭା ହୋଇ

ଦୁଆରବନ୍ଧ କିତିରେ । ।୧।

ଖସି ଯାଇଛି ମଥାରୁ ଉପରାଣ ସ୍ୱେଦବିନ୍ଦୁ ଶ୍ରୀମୁଖରେ

ଜନୀତ ହୋଇଛି ନବନୀତଅଙ୍ଗିତ

ବେଣୀ ଲମ୍ବିଛି ପୃଷ୍ଠରେ । ।୨।

ଗଣ୍ଡମଣ୍ଡଳର ଲୋମ କଣ୍ଟକିତ ସିନ୍ଦୂର ବିନ୍ଦୂର ଝଳି

ଚିବୁକର ନବ ମୃଗମଦ ବିନ୍ଦୁ

ଶୋଭା ପଡ଼ିଛି ଉଛୁଳି । ।୩।

 

ପୁରିଛି ପ୍ରତି ଅଙ୍ଗରେ ଅଳଙ୍କାର ତୁଷାର ମୟୁଖମୁଖୀ

ପିନ୍ଧାଇଛନ୍ତି କଳାଶାଢ଼ୀ ସତେ ମୁଁ ତୁହି

ବୋଲି ଦେଲି ଦେଖି ।୪।

ତୁ ହସି ତରଳ ଡୋଳା ଢାଳିବାର ଭଙ୍ଗୀ ଯା ହୋଇଛି ସହି

ସକଳ କଳା କ୍ଷେମ ଗୁଣ ଦିଶୁଛି

ବ୍ରଜବିଧୂଙ୍କର ତହିଁ । ।୫।

ପଦରେ ଯାବକ ରଞ୍ଜିଥିଲେ ମୁହିଁ ଛାମୁକୁ ଗଲା ବେଳକୁ

ବୋଲୁ ସ୍ୱାମିନୀ ହସିଲେ ଏଣେ ଚାହିଁ

ଗୋପାଳକୃଷ୍ଣ ମୁହଁକୁ ।୬।

 

ରାଗ–ବେହାଗ । ରୂପକ ତାଳ ।

ମନସିକ ମନମୋହନ ଘନଶ୍ୟାମ ସୁନ୍ଦର ରେ, ସଜନି ।

ହେମବରନୀ ପ୍ରେମରେ ତୋର ନିତି ଜରଜର ରେ ।ପଦ।

ସ୍ଫୁଟ ଚମ୍ପକ ବଲ୍ଲୀକି      ସେ ଯେ ଦୂରକୁ ବିଲୋକି

ଉଠି ଆସୁ ଆସୁ ତନୁଯାକ

ହେଉଥିଲା ଥର ଥର ରେ ।୧।

ନାଗ କେଶର କୁଞ୍ଜରେ      ତୁ ପହୁଡ଼ିବା ଶେଯରେ

ବସି ରାଧେ ରାଧେ ବୋଲି ଗୀତ

ଗାଉଥିଲେ ଧୀରେ ଧୀରେରେ ।୨।

 

ଶୁଣି ହଂସଜା ବନରେ      ରାଜହଂସ ନିସ୍ୱନରେ

ତୋର ହଂସକ ପରି କଂସ ବଇରୀ

ମଣି ତର ତର ରେ ।୩।

ଦେଖ କେତକୀ ଦଳରେ      ଲେଖ ଲେଖି ମୋ କରରେ

ଦେଉଦେଉ ନୟନ କଲେ ଥନଥନ

ନୀରେ ଧରଧରରେ ।୪।

ଗୁଣି ଗୁଣି ଗୁଣ ଗଣକୁ      ତୋର ସୁନ୍ଦର ପଣକୁ

ଗୋପାଳକୃଷ୍ଣର ପୁରତରେ କହୁଥିଲେ

ବାରେ ବାରେ ରେ । ।୫।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

(ମୋହନ ରୀତି ଚିହ୍ନା ପଡ଼ିଲା – ପ୍ରତି)

କେ କି କହି କି ବିଗଡ଼ାଇଲା ରେ । ।ପଦ।

ପ୍ରଥମ କରି ଆଜ      ବ୍ରଜରାଜ ତନୁଜ

ନେତ୍ରରୁ ନୀର ନିଗଡ଼ଇଲା ରେ । ।୧।

ତୋ ଲାଗି ରବି କନ୍ୟା -      ତୀର କୁସୁମବନ୍ୟା

ନିକୁଞ୍ଜଯାକ କେତେ ଲୋଡ଼ାଇଲା ରେ । ।୨।

ଚାହୁଁ ଚମ୍ପକ ବଲ୍ଲୀ      ସଜନୀ ତୁହି ବୋଲି

ଶ୍ୟାମ ଶ୍ରୀଭୁଜନରେ ଭିଡ଼ାଇଲା ରେ । ।୩।

 

ପଡ଼ିଲା କେଡ଼େ ଦଣ୍ଡ      ନବ ଶିଖୀ ଶିଖଣ୍ଡ

ମୁକୁଟ ମଥାରୁ ଛଡ଼ାଇଲା ରେ । ।୪।

ଅଇଲି ସେ ସମୟ      ହେଜି ମୁଁ କିଶଳୟ

ପାଇଁ ସୁବଳଙ୍କୁ ଦଉଡ଼ାଇଲା ରେ । ।୫।

ଗୋପାଳକୃଷ୍ଣ ଭଣି      ଶ୍ରୀମତୀଙ୍କୁ ସେକ୍ଷଣି

ଭେଟାଇ ଶ୍ୟାମ ଦୁଃଖ ଛଡ଼ାଇଲା ରେ । ।୬।

 

ରାଗ–ସାବେରୀ । ମିଶ୍ରଚାପ ତାଳ ।

(ଦୁଃଖି ହେବନି ମୋ ବିନା ଆଜନମ ସୁକୁମାରୀ – ପ୍ରତି)

କି ବଳିଗଲା । ରାଧିକେ, ନେତ୍ରୁ ଲୁହ ପୋଛିବାକୁ ଏବେ । ।୦।

ରୁଷିଲି ବୋଲି । ନବଛଇଳି । ଭାଳୁଛୁ କି ବସି ।

ଅଘବଇରୀ । ତୋ ପରିଚାରୀ ।

ହୋଇ ନିରତେ ରହିଅଛି ସେହିତ

ସେବାକୁ ଏବେ । ।୧।

ସୁନା ନଳିନ । ସମ ବଦନ । ମଉଳ ଯାଇଛି ।

କବରୀ ଫିଟି । ଚରମେ ଲୋଟି ।

ଯାଉଛି କେଣେ ନ ଖୋଜି ବସିଛୁ

ଅନାଇଁ ଧରାକୁ । ।୨।

 

ଗୋଷ୍ଠେ ଗୁଆଳୀ । ତୋ କହୁଁ ବଳି । କିଏଟି ସେ ଅଛି ।

ମୋହନ ମନ । ତୋ ଠାରୁ ଆନ ।

କରିବ ଦିଶୁନାହିଁ ଜଣେ,

ମୋତେ ଭିନ୍ନ କରିବାକୁ । ।୩।

ସେ ଦୁଃଖ ଜାଣି । ଲଳିତା ଆଣି । କୋଳରେ ବସାଇ

ଭାଷିଲେ କଥା । ନ କହି ମଥା

ପୋତିଥା ଅଣାଉଛି ଗୋଷ୍ଠାଞ୍ଚଳ ଚନ୍ଦ୍ରମାକୁ ।

ଏବେ ।୪।

ନବ ନୀରଙ୍କ – କୁଙ୍କୁମପଙ୍କ । ଗଉରି ବିଲୋକ

ଶିଖଣ୍ଡିଚୂଳ । ପଛେ ଗୋପାଳ ।

କୃଷ୍ଣ ସହିତେ ଆଗେ ଆସୁଅଛି

କହିବାକୁ । ଏବେ ।୫।

 

 

 

ରାଗ–ସୌରାଷ୍ଟ୍ର ମିଶ୍ରଚାପ ତାଳ ।

(ମଦନମୋହନ, ଗଜେନ୍ଦ୍ର ଦନ୍ତପଲଙ୍କ ତେଜି ପ୍ରଭୁ)

ବଜେନ୍ଦ୍ର କୁମାର । ରେ ସଙ୍ଗିନୀ !

ତରଣି ତନୟା ତରଣୀରେ ଆଜକଲା କେତେ ହରବର । ।ପଦ।

ପାରି କରିଦେବି ବୋଲି ସେ

ପାରିକି ହାତ ଧରି ଘେନିଗଲା ।

ତରୀରେ ବସାଇ ଅଗାଧ ବାରିରେ

କ୍ଷେପଣି ଭସାଇ ଦେଲା ।୧।

ଶ୍ରୀକିଶୋର ଶଶୀ କରେ ଧରି

ବଂଶୀ ଅଳପ ଅଳପ ହସି ।

ସେ ପ୍ରାନ୍ତରେ ରହିଦେଲା ମା

ଝୁଲାଇ ଗଲା ଲୋ ବୋଲି ଭାସ ।୨।

ଦ୍ୱୀପ ନିକଟରେ କଣ୍ଠଦଘ୍ନ ନୀରେ

ନଉକା ଥକାଇ ଦେଲା ।

ଜଣକୁ ଜଣକୁ କାଖିଆଇ ପହଁରି

ଏ ପାଖରେ ଛାଡ଼ିଦେଲା । ।୩।

 

ଆଣୁ ମୁଖେ ମୁଖ ଲଗାଇ ଦିଅଇ

ଅନାୟତ ହେଲା ପରି ।

ନିତମ୍ବରେ ହାତି ଦିଅଇ ଉର୍ଦ୍ଧ୍ୱକୁ

ଟେକିଲା ପରାଏ କରି । ।୪।

ଗୋପାଳକୃଷ୍ଣ କହଇ ତୁନି ହୁଅ

ସେଠାରେ ଗଲା ସେ କଥା ।

ବ୍ରଜଯାକ ସ୍ଫୁଟ ହୋଇଯିବ ଏବେ

ଲାଜେ ନୁଆଁଇବ ମଥା । ।୫।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ମୁରଲୀ ଚୋରେ ଶରଣ ଗଲି – ପ୍ରତି)

ଡାକିବି ରାଧାରମଣ ବୋଲି କି ।

ନୁହ କି ବୋଇଲା ଘେନିବା ଭଳି ଯେ । ।ପଦ।

ଧୋଇଲା ବାରଣ ପରାଏ ଧୂଳି ।

ଘଡ଼ିଏ ନ ଯାଉ ହେବ ତ ବୋଳି ଯେ । ।୧।

ଆଭୀର ପୁରେ ଏ ନଟ ଭ୍ରୁବଲ୍ଲୀ ।

ଅଛି କେ ଅପରିଚୟା ଛଇଳି ଯେ । ।୨।

ବୟଃ ସନ୍ଧିରୁ ବଳିବା ଗୁଆଳୀ ।

ଯାକର ଯା କର ମଥା ମୁଚୁଳୀ ଯେ । ।୩।

ଗଉରୀ ତୀର୍ଥ ଆଡ଼ ବାଟ ଚାଲି

କହ ବଂଶୀ ଛୁଇଁ ଛାଡ଼ିଲି ବୋଲି ଯେ । ।୪।

ଯା ଅଧର ସର୍ବ ଗୋକୁଳ (ଗୋପୀ) ବାଳୀ ।

ମଧୁ ପିଇବାର ଅଧୁଆ ଥାଳୀ ଯେ । ।୫।

ଗୋପାଳକୃଷ୍ଣଙ୍କୁ ସେ ବନମାଳୀ ।

ଭାଷନ୍ତି ଜାଣି ହେଉଛୁ ବାଉଳି ଯେ । ।୬।

 

ରାଗ–ବେଗଡ଼ା । ତ୍ରିପୁଟା ତାଳ ।

(ଢାଳେ ତୁ ଢାଳିଲୁ ନାହିଁ କୃପାସୁଧା ବାରି କି – ପ୍ରତି)

ଦେଖିଲେ ଦେଖିଲାପରି ଥରେ ରସିକ ରାଜଙ୍କୁ

ଅଖିଳ ବ୍ରଜବାସୀଙ୍କ ଆଖିର ପୁଣ୍ୟ ପୁଞ୍ଜକୁ । ।ପଦ।

ସୁରଭୀଗଣ ପଛରେ       ମୁରଲୀ ବଜାଇ ଧୀରେ

ନାଚି ଆସିବାବେଳରେ

ବନବାହୁଡ଼ା ସଜକୁ । ।୧।

 

ବିନ୍ଦୁ ବନ୍ଦୁ ଶ୍ରମ ଝାଳ      ଅଳକାବୃତ କପୋଳ

ମକର କୁଣ୍ଡଳ ଗଣ୍ଡ ଶିଖଣ୍ଡ

ଚୂଳ ଧ୍ୱଜକୁ । ।୨।

ନଟବର ଶିଖାମଣି      ଚରମ ଦେଶର ବେଣୀ

ଚାଲିବାର ବଂଶୀ ରନ୍ଧ୍ରେ ଚାରୁ

ଅଙ୍ଗୁଳି ବ୍ରଜକୁ । ।୩।

 

ନାସିକାର ମୋତିବର      ଧୀର ଧୀର ଚଳିବାର

ଗୁଞ୍ଜହାର ତୁଲେ ଉର

ପରମ ବନ୍ୟ ସ୍ରଜକୁ । ।୪।

ଝୁମୁ ଝୁମୁ ବାଜିବାର      ମଞ୍ଜୁଳ ମଣି ମଞ୍ଜୀର

ଗୋପାଳକୃଷ୍ଣ ଚିନ୍ତେ ସେ

ଛନ୍ଦାଚରଣ କଞ୍ଜକୁ । ।୫।

 

ରାଗ–ରୀତିଗୌଡ଼ା । ରୂପକ ତାଳ ।

(ରାଧେ ଶ୍ରୀପଦାବ୍‌ଜେ ଦିଅ ଦରଶନ–ପ୍ରତି)

ଆରେ ଫୁଲ ତୋଳି ଯିବା ବୃନ୍ଦାବନ

ଆସିଲେନି ଆଳୀ ନିକର । ।ପଦ।

ତମାଳ ବନଟି ଘନ      ପରି ଦିଶେ ଶୋଭାବନ

ବିଦ୍ୟୁ ପରି ଫୁଟିଅଛି କୁସୁମ । ।୧।

ନୀଳ ଶାଢ଼ୀ ତୋ ତନୁ      ବିରାଜୁ ଅଛି ସୁତନୁ

ଦେଖି ଡରି ପଳାଇବ ମଦନ । ।୨।

 

ପୁଣି ଯମୁନାରେ ପଶି      ସ୍ନାନ କରିବା ସୁବେଶି

ମାଳା ରଖି କରିଦେବି ବହନ । ।୩।

କଳା ଡୋଳାକୁ ଢଳାଇ      ଭୋଳା କରିଦେବୁ ତୁହି

ହେଲା ମାତ୍ରେ ମୋହ ହେବେ ମୋହନ । ।୪।

ଡାକୁଁ ଲଳିତାଙ୍କ ଗୀରେ      ରାଧା ଚଳିଲେ ସତ୍ୱରେ

କବି ଗୋପାଳକୃଷ୍ଣର କଥନ । ।୫।

 

ରାଗ–କୀରବାଣୀ । ମିଶ୍ରଚାପ ତାଳ ।

(ସେ ସିନା ନୂଆ କି ରେ ବ୍ରଜବିଧୁ – ପ୍ରତି)

ରାଧାରୀତି ସିନା ସଂସାର ବାହାର, ସହି ସେ । ।ପଦ।

ବ୍ରହ୍ମା ନାରଦ ଶଙ୍କର      ଧ୍ୟାନରେ ସେ ଅଗୋଚର

ଅନୁସରିଛି ଦାସୀଙ୍କ ତାର । ।୧।

ଯା ବାମ ପାଦ କନିଷ୍ଠା      ଅଙ୍ଗୁଷ୍ଠି ନଖର ଛଟା

ଲବ ରମାର ଗର୍ବାପଦ୍ୱାର । ।୨।

ବ୍ରଜ ସ୍ତ୍ରୀ ବାଳ ବୃଦ୍ଧରୁ      ସର୍ବାଂଶରେ ସବୁଠାରୁ

ବିଲକ୍ଷଣ ଗୁଣ ପଣ ଯାର । ।୩।

ଏ ଗୋଷ୍ଠବାସୀ ସକଳ      ଆଖି କହିବାର ଫଳ

ଏକା ସିନା ତାକୁ ଦେଖିବାର । ।୪।

ଗୋପାଳକୃଷ୍ଣ କଥନ      ଆଖି ମୋ ମନ ଜୀବନ

ପଦାବ୍‌ଜେ ସେ କୀର୍ତ୍ତିଦା ଜେମାର । ।୫।

 

 

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ

(ଗଲାଣି ତ ଗଲା କଥାରେ ସଙ୍ଗାତ – ପ୍ରତି)

ରାଧାପରି ରାଧା ସିନାରେ ସଙ୍ଗିନୀ

ସ୍ତିରୀ ମାତରକ ଅଛନ୍ତି ଯେତେକ

ସର୍ବେ ପିତ୍ତଳ ସେ ସୁନା । ।ପଦ।

ଦଳିତାଞ୍ଜନ ହସୁଛି ଯା କାନ୍ତି

ସେ ଶ୍ୟାମ ପାଶରେ ଥିଲେ

ହରିତାଳ ବୋଳି ହେଲା ପରି ଦିଶେ

କାନ୍ତିରେ କେ ତାହା ତୁଲେ । ।୧।

 

କଳାକର ତ କଳାକରେ ରହିଲା

ମୁଖକୁ ନୋହି ତୁଳନା

ତ୍ରପାରେ ତପ କରୁଛି ଗଙ୍ଗାତଟେ

ହର ଜଟା ବିନେ ଅନା । ।୨।

ଆଖିକି ତାର ଅନାଇ ଦେଇ ମୁଖ

ବୁଲାଇ ଦେଲେ ଏଣିକି

ଦଶ ଦିଶ ଯାକ ନୀଳୋତ୍ପଳମୟ

ଦିଶୁଛି ହେବା କଥା କି । ।୩।

 

ରାତିଯାକ ଜାତି ପାଖୁଡ଼ା ଶେଯରେ

ପହୁଡ଼ି ଥାଉଟି ଲୋଟି

ମଉଳୁ ନାହିଁ କିଞ୍ଚିତେ ହେଲେ ଅଙ୍ଗେ

ଚିହ୍ନ ବସି ଦିଶେ ଫୁଟି । ।୪।

ଶତ କୋଟି ଗୋପୀ କାଲି ବୋଳୁଥିଲେ

ଶୁଣୁଥିଲେ ତ ରାସରେ,

ଆମ୍ଭ ନେତ୍ର ପୁଣ୍ୟ ଫଳ ରାଧା ଥାଉ

ସଦା ଶ୍ରୀକୃଷ୍ଣ କୋଳରେ । ।୫।

 

କହିଥିଲେ ଗର୍ଗପୂର୍ବେ ପୂର୍ଣ୍ଣବ୍ରହ୍ମ –

ସନାତନ ବୋଲି ଯାକୁ,

ସେ ବ୍ରଜବିଧୂ ଏ କେମନ୍ତେ ମୋହିଲେ

ଥିଲା ଅଧୀନ ହେବାକୁ । ।୬।

ଗୋପବନ୍ଧୁଙ୍କ ସଂଳାପ ଯାକ ଶୁଣି

ଗୋପାଳକୃଷ୍ଣ ଚଳିଲା,

ସେଶ୍ୱରୀଙ୍କ ଅପହୁଡ଼ କାଳ ଜାଣି

ପଦାମ୍ବୋଜରେ ସେବିଲା । ।୭।

 

ରାଗ–ଖମାଚ । ଏକତାଳ ।

(ନ ଭାଙ୍ଗରେ ଶୁଭାଙ୍ଗୀ ଭାରତି ହୁଅ ସାହା – ପ୍ରତି)

ଏଣୀ ଈକ୍ଷଣି ରାଧେ ଏଣିକି ଆରେ ।

ପଡ଼ିବ ଅବିର ରଜ ଶ୍ରୀମୁଖ ଲୁଆଁରେ । ।ପଦ।

ମନମଥ ସଜ      ହୋଇଅଛି ଆଜ

ଅନା ନୂଆଁ ନୀଳ ଜଳଧର ଝଳିଆରେ । ।୧।

ଫୁଲଧନୁ କର      ପଜେ ସୁମ ଶର

ଖୋସି ଚରଣେ ଲୁଚାଇ ନବ ରଙ୍ଗିଆରେ । ।୨।

 

ମୂରଲୀ ରଖି ସେ      ତୁନ୍ଦ ବନ୍ଧ ବାସେ

ଅନାଉଛନ୍ତି କଟାକ୍ଷ କରି କୁଣିଆରେ । ।୩।

ଫଗୁ ମୁଠା କରୁ      ଫିଟିଲା ରମ୍ଭୋରୁ

ଉପରି ଉପୁରାଣରେ ମଥା ଘୋଡ଼ିଆରେ । ।୪।

ଗୋପାଳକୃଷ୍ଣ ସେ      ସମୟରେ ଭାଷେ

ଆସ ରାଧେ ଆସିଲେ ସେ କୁଞ୍ଜ କୁଟୀଆରେ । ।୫।

 

ରାଗ–ଖମାଚ । ଆଦି ତାଳ ।

(ନ ଭାଙ୍ଗରେ ଶୁଭାଙ୍ଗି ଭାରତି ହୁଅ ସାହା – ପ୍ରତି)

ଜନେ ଜାଣିଲେନି ବୋଲି ତୁ ଏକା ତ ଜାଣୁ ।

ବଞ୍ଚାଇ ସଜନୀ ମୋତେ ବଚନରେ ଜିଣୁ । ।ପଦ।

ନବ ନୀରଦକୁ ଦେଖି      ଆଖିର ପଲକ ରଖି

ଏପରି ଛବି କେ ଅଛି ବୋଲି ଯାହା ଭଣୁ । ।୧।

ଥରକୁ ଥର କାନନ      ବାଟକୁ ଅନାଉ ଦିନ

ଅଣ୍ଟୁ ନାହିଁ ଅପରାହ୍ନ କାଳ ନ ହେଉଣୁ । ।୨।

 

ଲୁଚିକରି ସକୂଟରେ      ବଞ୍ଚି ରାତି ତା ପାଶରେ

ଲେଉଟି ଯିବାର କାକ ପିକ ନ ଡାକୁଣୁ । ।୩।

କରି କି ଏଡ଼େ ସାହସ      ନୂଆ କିଶୋର ବୟସ

ଆଜକୁ ବାହାରି ନାହୁଁ ଭୟରେ ପ୍ରାଙ୍ଗଣୁ । ।୪।

ଏ ବ୍ରଜେ ଦୋଷ ଦେବାକୁ            ଅଛି କେ ଆଉ କାହାକୁ

ଗୋପାଳକୃଷ୍ଣ ଭଣେ ତୁନିହୋ କେ ନ ଶୁଣୁ । ।୫।

 

 

 

ରାଗ–ମୋହନ । ରୂପକ ତାଳ ।

ହୋରି ରଙ୍ଗେ ବିହରି । ହରି ସଙ୍ଗେ ଶ୍ରୀକିଶୋରୀ । ।ପଦ।

ଏବନେ ଚଳି ଚମ୍ପକ ବଲ୍ଲୀ,

ତମାଳେ ଢଳିଲା ପରି । ।୧।

ପଶୁପୀବାଳା, ଚପଳା ମାଳା,

ଘନକୁ ଘେରିଲା ପରି । ।୨।

ହେମାବ୍‌ଜ ବନ ବମସା ବନ,

ମଧୁ ବ୍ରତ ଗିରିଧାରୀ । ।୩।

ଫିଙ୍ଗୁଅବିର ବ୍ରଜସୁନ୍ଦର,

କଞ୍ଚୁଳୀ ଗଳି ବାହାରି । ।୪।

 

ଶ୍ରୀରାଧା ଫିଙ୍ଗୁ ମୋହନ ଜଗୁଁ ମୋହନ ଜଗୁଁ,

ବାଜି ହୃଦରେ ସଞ୍ଚରି ।୫।

ଜଳଯନ୍ତର ଧରି ରତ୍ନର,

ବିଞ୍ଚନ୍ତି ପନିର ବାରି । ।୬।

ଗୋପାଳକୃଷ୍ଣ ନୟନ ତୃଷ୍ଣ,

ହୋଇଲା ସେ ଶୋଭା ସ୍ମରି । ।୭।

 

 

 

ଗ୍ରାମ୍ୟରସ

ରାଗ–ଝାଞ୍ଜୋଟି । ମିଶ୍ରଚାପ ।

ବିହି ନାରୀ କରି ମୋତେ କାହିଁ ପାଇଁ ଗଢ଼ିଲାରେ ।ପଦ।

ମଧୁ ନିଶି ମଧୁକାଳ      ବହୁଛି ଦକ୍ଷିଣାନିକ

ଏକାକିନୀ ନାରୀ ନାଶ ଦଶା ଆସି ପଡ଼ିଲା ରେ । ।୧।

ଏ ବୟସ ଅକାରଣ      ଗଲାରେ ସଜନୀ ଜାଣ

ଚନର ମାଳତୀ ପରି ବନେ ଫୁଟେ ଝଡ଼ିଲା ରେ । ।୨।

ନିତି ଦିନ ରାତି ସହ !      ଭାଳୁ କାଳ ଗଲା ବହି

ମନ କଥା ମନେ ରହି ଦେହ ମୋର ସଡ଼ିଲା ରେ । ।୩।

ମୁଁ ହେଲି ପର ଆୟତ୍ତ      ସ୍ୱାଧୀନ ନୋହିଲା ଚିତ୍ତ

ମଦନହନ୍ତକ ଖୋଜି ଅନୁବ୍ରତେ ପୀଡ଼ିଲା ରେ । ।୪।

ଗୋପାଳକୃଷ୍ଣ ବେଳେ      ଦେଖିବି ବୋଇଲେ ଡୋଳେ

କୁଳ ଭୟ ଲାଜ କ୍ଷଣେ ଚିତ୍ତରୁ ନ ଛାଡ଼ିଲା ରେ । ।୫।

 

ରାଗ–ଖରହର ପ୍ରିୟା । ଆଦି ତାଳ ।

କରୁଣା ଥାଉରେ ଧନ ହେଲି ମେଲାଣି ।

ଅରୁଣାଧାରୀ ନ ବୁହା ନୟନୁ ପାଣି । ।ପଦ।

ଦୂର ହେବ ବୋଲି ପାଶୁଁ ନ ଥିଲି ଜାଣି ।

କ୍ରୁର ବିହି ନ ସହି ବିହିଲା ଏ ଦଣ୍ଡ ଆଣି । ।୧।

ଅନାଇ ଥରେ ମୁଖକୁ କହରେ ବାଣୀ ।

ସୁନାଶିର ପମ୍ପତ୍ତିଦାୟିନୀ ଧରୁଛି ପାଣି । ।୨।

ମୁଖ ଶୁଖାନାରେ ବଣା ହରିଣେକ୍ଷଣୀ !

ଲେଖି ପଠି ଆଉଥିବି ନିତି ରମଣି ମଣି । ।୩।

ଅନେକବାର ମୋହର ଏହି ମାଗୁଣି ।

ମନେପଡ଼ୁଥିବି ଥରେ ଆରେ ପ୍ରାତଃସ୍ମରଣି । ।୪।

ଭାଷେ ଗୋପାଳକୃଷ୍ଣରେ ସ୍ମର ବାରିଣି ।

ପାଶେ ଅଛୁ ବୋଲି ପାଞ୍ଚିବୁରେ ବର ତରୁଣି । ।୫।

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ ।

କେ କି ଲଗାଇ କହିଲା ଧନକୁ ମୋ ନାଁରେ

ଡାକିଲେ ଆଳୀ କହନ୍ତେ ବୋଇଲା ତୁ ନାରେ । ।ପଦ।

ପୂରିଛି ନୟନେ ନୀର      ମୋ ଅନାଇ ଦେଲେ ଶିରୀ

ଲୁଆଁଇ ଦେଉଛି ସୁମନାରେ । ।୧।

ପୁରୁବ ପରି ମୋହର      ପ୍ରସଙ୍ଗ ସଖୀ ନିକର

ସଙ୍ଗେ କରୁନାହିଁ ଭାବନାରେ । ।୨।

ସତେ କରିଦେବ ଭିନ୍ନ      ମୋ ସ୍ନେହ ଦରିଦ୍ର ଜନ

ଧନ ମୋର ଗଣ୍ଠିର ସୁନାରେ । ।୩।

ଅଖ୍ୟାତ ନୂତନ ପ୍ରେମ      ଲୋଭ ତ ପରାଣ ସମ

ମାନିଲା କେମନ୍ତ ଭାବନାରେ । ।୪।

ଗୋପାଳକୃଷ୍ଣ କହଇ      ଗୁଣ ପାଶୋର ନୁହଇ

ଆନ ନ ଜାଣଇ ମୋ ବିନା ରେ । ।୫।

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ ।

(ଶ୍ୟାମ କମନୀୟ ସମ ନାହିଁ ଆଉ – ପ୍ରତି)

ଯେ ପୀରତି କରିଛି ତାର ମନ ଜାଣେ

କହିଲେ ପ୍ରତେ ଯିବ କି ଆଉ ଜଣେ । ।ପଦ।

ବେନି ବାଣୀ ଶୁଭାଶୁଭି      ହେଲେ ହୋଇ ଲୋଭା ଲୋଭୀ

ଯାହା ହେଉଥାଇ ଦେହ ଫୁଲବାଣେ । ।୧।

ଦଣ୍ଡେ ମୁଖ ଦେଖା ଦେଖି      ନୋହିଥିବେ ଯେବା ଆଖି

ଝୁରୁଥାଇ ତାକୁ ଝୁରି ଅନୁକ୍ଷଣେ । ।୨।

ଅଙ୍ଗରେ ଅଙ୍ଗ ନ ମିଶେ      ମିଶିଲା ପରି ଆଭାସେ

ଚାହିଁଦେଲେ ନାଚୁଥାଇ ନେତ୍ର କୋଣେ । ।୩।

 

ଲବେ ହୋଇଲେ ମଉନ      ପକାଇ ଦେଇ ଗୁମାନ

ଦୂତୀ ପଛେ ବୁଲଇ ସେ ଯିବ ଦରପଣେ । ।୪।

କେ ଅବା କହିବାକୁ       ଡାକିଲେ ଠାରି ରହକୁ

କମ୍ପୁଥାଇ ବହୁ ଯେତେ ଦରପଣେ । ।୫।

ଗୋପାଳକୃଷ୍ଣ କହଇ      ଛଳକୁ ପଛେ ପକାଇ

ଶତ୍ରୁକୁ ହେଲେହେଁ ମିତ୍ର ବୋଲି ଭଣେ । ।୬।

 

ରାଗ–ଝାଞ୍ଜୋଟି । ତିସ୍ରଗତି ଏକତାଳ ।

ଚାହିଁଗଲା କି ଭଙ୍ଗୀରେ । ଛଇଳା ଅଳସ ଭାଙ୍ଗୀରେ । ।ପଦ।

ଚକ୍ରାକୃତି କରି ଭୁଜ ଲତିକା,

ତୋଳି ଉର୍ଦ୍ଧ୍ୱକୁ ସେ ନବରସିକା

ମଦନ ମୁଠାରୁ ଫିଟିଲା ବରଛି ପରି

କଟାକ୍ଷ ଦେଲା ଫିଙ୍ଗିରେ ।୧।

ହୋଇଲାର କ୍ଷଣି ଏକା ଚାରି ଆଖି,

ଚେଳାଞ୍ଚଳ ଗଣ୍ଡ ପାଶରେ ରଖି

ଜରଜରହୋଇ ହରଷ ଲାଜରେ

ଗଲା ନଚାଇ ଭୁରୁ ଭୁଜଙ୍ଗୀରେ ।୨।

 

ଢାଳିଲା ଯା ଶ୍ରୁତି – ସୀମାରେ ଡୋଳା

ଚନ୍ଦ୍ରମଣ୍ଡଳୁ ଇନ୍ଦୀବର ମାଳା

ଚପଳା ଚଳିଲା ପରି ଖସିଆସି ହେଲା

ମୋ ହୃଦୟ ସଙ୍ଗୀରେ ।୩।

ଲାବଣ୍ୟ ଲତାରୁ ସୁନା ନଳିନ,

ବୁଲି ଗଲା ପରି ବାଜି ପବନ

ଦିଶିଲା ମୁଖ ପାଲଟାଉ ପଛକୁ

ହସି ହସି ରସ ରଙ୍ଗୀରେ । ।୪।

ତର୍ଜ୍ଜନୀ ଚିବୁକ ମଧ୍ୟରେ ରଖି ।

ଘୁମାଇଲା ପରି ମୋଦରେ ଆଖି

ମେଲାଣି ମାଗିଲା ଗୋପାଳକୃଷ୍ଣ

ଆଳୀ ପଛରେ ଶୋଭାଙ୍ଗୀରେ ।୪।

 

ରାଗ–ଶ୍ରୀ । ଆଦି ତାଳ ।

(ନାହିଁ ମୋ ଗତି ତୋ ବିନା ରେ କୁନ୍ଦରଦନା – ପ୍ରତି)

କେ କି କହି କଲା ମନାରେ, ଚନ୍ଦ୍ରବଦନା । ।ପଦ।

ପାଶୋରି ଦେଲୁ କେମନ୍ତେ      ଅଙ୍କେ ଧରି ସୁରତାନ୍ତେ

ବୋଲୁ ମୋ ଗଣ୍ଠି ସୁନାରେ । ।୧।

ଆଗେ ପଠାଇ ଆଳୀକି      ଆସିଥାଉ ଦେହଳୀକି

ପାଛୋଟି ଘନ ଜଘନାରେ । ।୨।

ତନୁ ନୀପ ଫୁଲ ପରି      ହେଉଥାଉ ଜବାଧାରୀ

ଶୁଣିଲାକ୍ଷଣି ମୋର ନା ରେ । ।୩।

ପ୍ରୀତି ବତ୍ସଳା ପଣରେ      ନାରୀ ଜଗତ ଯାକରେ

ତିଳେ ନ ଥିଲା ତୁଳନାରେ । ।୪।

ହସି ହସି ଲାଜେ କଥା      କହି ପୋତିବାର ମଥା

କାହିଁ ଗଲା ସେ ଭାବନା ରେ । ।୫।

ଗୋପାଳକୃଷ୍ଣ କହଇ       ପୂର୍ବ ପର ବେଶ ହୋଇ

ଥରେ ଦିଶା ଦେଉ କି ନାରେ । ।୬।

 

ରାଗ–ତୋଡ଼ି ! ତ୍ରିପୁଟା – ତାଳ ।

ପୀୟୂଷଭାଷୀ ! ଭାସିଯାଉଛି ରଖରେ ଆସି । ।ପଦ।

ମନମଥ ତଟିନୀରେ      ପଡ଼ିଛି ଅଗାଧ ନୀରେ

ରଖ କୀର୍ତ୍ତି ଅବନୀରେ ଉଦ୍ଧରି

କୁମୁଦହାସି । ।୧।

ବନ୍ଧୁ ମୁଁ ଯାଚକ ପରି      ମାଗୁଛି ବାସ ପ୍ରସାରି

ତ୍ରାଣ କରି ଶମ୍ବରାରୀ – କୁମ୍ଭୀର

ମୂଖୁଁ ସୁବେଶି । ।୨।

 

ସ୍ତନ ସ୍ୱର୍ଣ୍ଣ କୁମ୍ଭଭେଳା      ଅବଲମ୍ବେ ଦେଇ ବାଳା

କୋଳା କୂଳକୁ ସୁଶୀଳା ଲଗାରେ

ଦୁଃଖ ବିନାଶି । ।୩।

ଅଖିଳ ଅବନୀ ଶିରୀ      ସଖୀକି ଡାକିଲା ପରି

ଅଗଣାକୁ ବିଜେ କରି ଦେଖାରେ

ଶ୍ରୀମୁଖ ଶଶୀ । ।୪।

ଗୋପାଳକୃଷ୍ଣ ନ ସରୁ      କରୁଣା ଦୃଷ୍ଟି ପ୍ରସରୁ

ଅନଙ୍ଗ କ୍ଳେଶ ନିଃସରୁ ପ୍ରଫୁଲ୍ଲ

ପଙ୍କଜବାସୀ । ।୫।

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ ।

କେବଣ ନୀରହୀ । ବାଳା ବିଚ୍ଛେଦ ବରହି ।

ସନ୍ତାପରେ ଶୀର୍ଣ୍ଣ ହୋଇ କରେ

ଚିନ୍ତା ପରବାସେ ରହି ।୧।

ଏ ମଧୁ ନିଶିକି      ଚାହିଁ ସମ୍ପୂର୍ଣ୍ଣ ଶଶୀକି

କି ବିଚାରୁଥିବ କି ଛାଡ଼ି ଅଇଲି

ପୀୟୁଷହାସୀକି । ।୨।

ଗଜଗମନୀ କି      ରଖିଥିବ କାମ ନିକି

ଯାଇ ଏଥିରୁ ମୁଁ କି ଆଉ ଚାହିଁବି

ଦୁଃଖ ଶମନୀକି ।୩।

ଦେଖି ନିଆଳୀକି      ଯାଉଁ ମଧୁପ ଆଳୀକି

କି ପଚାରୁଥିବ ଲହୁଲି ବୟସୀ

ଅନାଇଁ ଆଳୀକି । ।୪।

 

ମୋ ଦୁଃଖୀ ଦରଦ      ଶୁଣି ବନପ୍ରିୟ ରବ

ବରଜିବନି ମନରୁ ମଦନକୁ

ଜିଣିବା ଗରବ । ।୫।

ଏ ମନ୍ଦ ପବନ      ନିଶ୍ଚେ ଘେନିବ ଜୀବନ

ପଶନ୍ତେ ଶରଣ ପଶି ପୋଛାଇଲା

ନୟନରୁ ବନ ।୬।

ଥିବ କି ରସାରେ      ତାହାପରି ସୁରସାରେ

ବୋଲେ ଗୋପାଳକୃଷ୍ଣ ବିହି ଭାଙ୍ଗିଲୁ

କେଡ଼େ ଭରସାରେ । ।୭।

 

ରାଗ–କାମ୍ବୋଦୀ । ଆଦି ତାଳ ।

(ଘେନାଇ ଆମ୍ଭେ ଯେତେ କହିଲୁରେ – ପ୍ରତି)

ସାର ସଜ ସାରସ ଲପନାରେ ।

ସାର ମୋ ପରି ସଜ କୋପନାରେ । ।ପଦ।

ବୀଣା ଜୀଣା ବଚନା      କିଣା ଜନେ ବିମନା

ହେଉ କିମ୍ପାଉଁ ସ୍ନେହ ଅଧୀନାରେ । ।୧।

ନାଗପତି କୋପନା      ହରା ରାତି ବେବନା

ନାଗରା ବାଜେ ତୋର ମୁଁ ସିନାରେ । ।୨।

ଏ ରାତିରେ ନବୀନା      ହରା ରାତି ବେଦନା

ସହି ହେବ କି ବନ୍ଧୁ ତୋ ବିନାରେ । ।୩।

କର ଧରୁଛି ଅନା            ମଥା ପୋତି ବସନା

ଗୋପାଳକୃଷ୍ଣେ ଦୟା ତେଜନାରେ । ।୪।

 

ରାଗ–ଭୈରବୀ । ମିଶ୍ରଚାପ ତାଳ ।

କ୍ଷଣକୁ କ୍ଷଣ ପର ପ୍ରେମ କି ଜାତି ଲୋଡ଼ାଇ ।

ଯେ ବୁଝିଛି ସେ ବୁଝୁଛି ତାର ବଡ଼ାଇ । ।ପଦ।

ଦୃଷ୍ଟିରୁ ହୋଇଲେ ଦୂର      ଜନମାଇ ନେତ୍ରୁ ନୀର

ଧରି ପଣତ ଦୂତୀର ପଛରେ ଗୋଡ଼ାଇ । ।୧।

ବିଚାରୁ ଯା ଭାବି ଚିତ୍ତେ      ଡାକିଲେ ରହି ପୁରତେ

ନ ଶୁଭେ ଶୁଭିଲେ ପ୍ରତି ଉତ୍ତର ହୁଡ଼ାଇ । ।୨।

 

ଶୁଣାଇ କାହା କଳ୍ପିତ      ମଣାଇ ତା ବାଣୀବତ

ଆଣୁଥାଇ ଦେହଳୀକି ବିଷୟ ଏଡ଼ାଇ । ।୩।

ସୋପାନ ଉପରେ ରହି      ସେ ଦିଶିବା ଦିଶେ ଚାହିଁ

ବୀଣାରୁ ସୁସ୍ୱର କରି ସାରୀକି ପଢ଼ାଇ । ।୪।

ଗୋପାଳକୃଷ୍ଣ କହଇ      ଯଦି ଅଳପ ତୋଳାଇ

ତା ପ୍ରସଙ୍ଗ ବାଉଳାଇ ନିଦ୍ରାହିଁ ଛଡ଼ାଇ । ।୫।

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ ।

(ନାହିଁ ମୋର ପୀରତି ସମକାର)

ତୋ ପୀରତି ଲାଗିଲେ ହେବି ଯୋଗୀ । ।ପଦ।

ଧରି ଜପାମାଳୀ ତୋ ଗୁଣ ଆବଳୀ

ନିରତେ ଜପିବି ଜୀବ ସଙ୍ଗୀରେ । ।୧।

ଅଙ୍କେ ସୁରତାନ୍ତେ      ପହୁଡ଼ାଉ ମୋତେ

ନିଶି ଯାକ ବସିଥାଉ ଜଗିରେ । ।୨।

ଦୂରୁ ମୋତେ ଚାହିଁ      ବସୁ ଚାନ୍ଦମୁହିଁ

ମୁଖ ନାଗବଲ୍ଲୀ ଦେଉ ଫିଙ୍ଗିରେ । ।୩।

ଭାଷଇ ଗୋପାଳ -      କୃଷ୍ଣ ବଂଶୀକୂଳ

ହେଳେ ମୋହିପାରେ ଭୁରୁଭଙ୍ଗୀରେ । ।୪।

 

ରାଗ–ପରଜ । ମିଶ୍ରଚାପ ତାଳ ।

ଗୁଣମଣିକି ଛାଡ଼ି ଅଇଲି ଜାଣି ଜାଣିରେ । ।ପଦ।

ଯାଉଛି ବୋଲି ମୁଁ କହୁ      ଯାହା ହେଲୁ ଚାହୁଁ ଚାହୁଁ

ବହିଗଲା ନୟନରୁ ପାଣିରେ । ।୧।

କଣ୍ଠ ଗଦ ଗଦ ହେଲା      ବଦନରୁ ନ ସ୍ଫୁରିଲା

ପଚାରିଆସୁଁ ଅବଧି ବାଣୀରେ । ।୨।

ଫିଟୁ ଖୋସୁ ଖୋସୁ କେରି      ଲୋଟୁଥିଲା ବାସ ଶେଷ

ଆସି ରହିଥିଲୁ ଆରୋହିଣୀରେ । ।୩।

ନଖେ ଶାଢ଼ୀ ଧଡ଼ି ଘଷି      ଲୁଆଁଇ ବଦନଶଶୀ

ଦିଶୁଛି ତୋ ଉଭା ହେବା ଠାଣିରେ । ।୪।

ପାଷାଣୁ ହେଲି ଦାରୁଣ      ନ ଚଳିଲା ମୋ ଚରଣ

ତୋର ସେ ଭାଷଣ ଶୁଣି ଶୁଣି ରେ । ।୫।

ଗୋପାଳକୃଷ୍ଣ କହଇ      ଏ ଭାଗ୍ୟ କରିଛି ଯାଇ

ବସାଇବ ତୋତେ ଅଙ୍କେ ପୁଣିରେ । ।୬।

 

 

 

ରାଗ–କାମୋଦୀ । ତ୍ରିପୁଟା ତାଳ ।

ଚାହୁଁ ନାହିଁ ସରିକରି କହୁଛି କି କଥା ହେଲେ

ମୋତେ ସବୁ ଦିନ ପରି ଗୋରୀ ।ପଦ।

କ୍ଷଣେ ନ ପାଇ ମୋ ଭେଟ      ବାହାରେ ରହିଲେ ଘଟ

ଉରଜା ଜଗୁଛି ବାଟ କବାଟରେ ଅପସରି । ।୧।

କେତେ ମୁଁ ମନ ମିଶାଇ      ଡାକିଲେ ରାଣ ପକାଇ

ରହି ନ ରହିଲା ହୋଇ ଆଣୁଛି ନୟନୁ ବାରି । ।୨।

 

ସୁମନ ଗୁନ୍ଥି ସ୍ୱକରେ      ବାନ୍ଧିଥିଲା ପଣତରେ

ସଖୀକି ନେଇ ରହରେ ଦେଇ ପଠାଇଲା ଠାରି । ।୩।

ଗୁରୁକନ ପାଶେ ଜାତି      କରଜା ପହୁଡ଼ି ରାତି –

ଯାକ ରହିଥିଲା ଚେତି ମୋ ଛାତି ଶେଯ ସୁମରି । ।୪।

ଗୋପାଳକୃଷ୍ଣ କଥନ      ଯେ ଜୀବନର ଜୀବନ

ସେ ଲୁଆଁଇଲେ ଲପନ କେହି ରହେ ଧୃତି ଧରି । ।୫।

 

ରାଗ–ସାବେରୀ । ମିଶ୍ରଚାପ ତାଳ ।

(ପରମାନନ୍ଦଙ୍କୁ ପଚାରିବୁ ଦୂତୀ – ପ୍ରତି)

ବିଧୁ ଚାହିଁ ଭାଳେ ବିରହି ଆକୁଳେ ନବ ବିନିତାର ସ୍ନେହ ।

ବନ୍ଧୁ ମୋ ପଥ ବିଲୋକି ନୟନରୁ ପୋଛୁଥିବ ପରା ଲୁହ ।

କେତେ କହିଲୁରେ ଅଇଲା ବେଳେ ଏଣିକି ।

ଉଭା ହୋଇ କେଳି ସଦ ଦୁଆରବନ୍ଧରେ

ଦେଇ ପାଣିକି । ।୧।

ଚିକ୍‌କଣ କବରୀ ଭାରରୁ ଚିକୁର

ହୋଇଥିଲା ଭିନ୍ନ ଭିନ୍ନ ।

ଥିବା ଠାବରେ ଯତନ ହୋଇ ଅଙ୍ଗେ

ନ ଥିଲା ପିନ୍ଧା ବସନ ।

ମନୁ ନ ଯାଏ ରେ ନବୀନ

ସେ ଶୋଭା ତୋର ।

ସୀମାନ୍ତରେ ଫିଟି ପଡ଼ି ପୁଷ୍ପସ୍ରକ

ଲୋଟିବାର ଧୀର ଧୀର । ।୨।

 

ମେଲାଣି ହେଉଛି ବୋଲିଣ କହନ୍ତେ

ନ ଚାହିଁ ପଲକେ ଧନ ।

ଚାହୁଁ ମୋତେ ନେତ୍ରେ ନୀର

ପୂରିଗଲା ଲୁଆଁଇ ଦେଲୁ ଲପନ ।

ତୋ ସେ ମୂରତି ରେ ଲାଖି

ରଖିଛି ଆଖିରେ ।

ପକାଇ ଦୀର୍ଘ ନିଃଶ୍ୱାସ ଘଷୁଥିଲୁ

ପଦ ଅଙ୍ଗୁଳି ମହୀରେ । ।୩।

ସ୍ନେହ ଲାଜେ ଜର ଜର ହୋଇଥିଲା

ତୋ ଲାବଣ୍ୟ କଳେବର ।

ଅବଧି ପଚାରୁଁ ଅଧେ ସ୍ଫୁରି

ଅଧେ କଣ୍ଠ ରହିଗଲା ଗିର ।

ଯାହା ହୋଇଲୁରେ ଗଣ୍ଡ ପାଶେ ବାସ ରଖି ।

ପାପ ଚରଣ କି ଚଳିଲା ଅଇଲି

ତୋ ସେ ଦୁଃଖ ଦେଖି ଦେଖି ।୪।

 

ଆସୁ ମୋ ପଛେ ପଛେ ଦେହଳୀକି

ନୂଆ ବରାରୋହା ବର ।

ଫୁଟିଗଲୁ ଫୁଲୁଥିଲା ନାସାପୁଟ

ହେଉଥିଲୁ କି ଆତୁର ।

ଆଉ ଦେଖିବି ରେ ହେଉନାହିଁ ଏ ଭରସା ।

ରହି ରହି ଶୋକେ ବୋଲି ହେଉଥିଲା

ତ୍ରିବଳୀ ଶେଷ ସୁରସା ।୫।

ଚାରୁ ଭଙ୍ଗୁର ସରୁ ମଧ୍ୟା ତୋ ସମେ

ନାହିଁ ଜଗତ ଯାକରେ ।

ଲୋଡ଼ିଲେ ଜଣେ ନ ଥିବ ମୁଁ ମଣୁଛି

ଶୋଭା ସ୍ନେହ ସୁଗୁଣରେ ।

କାଳେ ହୋଇଲାରେ କି ଛାଡ଼ି ଅଇଲି ମୁହିଁ ।

ବୋଲେ ଗୋପାଳକୃଷ୍ଣ ବିହି ମୋ

ଭାଲେ ଏକା ଥିଲୁ ଲିହ । ।୬।

 

ରାଗ–ହରପ୍ରିୟା । ମିଶ୍ରଚାପ ତାଳ ।

(ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତ – ପ୍ରତି)

ଶୁଣ ସଜନି କାଲି ରଜନୀରେ

ମୋ ପ୍ରିୟ ସ୍ୱପନେ ଦିଶିଲେ ଗୋ । ।ପଦ।

ହୋଇଛି ତନୁ, ସୁନ୍ଦର ତନୁ

ବିଦେଶୁଁ ପୁଣି ଆସିଲେ ଗୋ । ।୧।

ଦେଖି ମୁଁ ଦୂରୁ ଉଠି ଜୁହାରୁ

ବସାଇ କୋଳେ ବସିଲେ ଗୋ । ।୨।

ଲଗାଇ ହୃଦେ ହୃଦ ପ୍ରମୋଦେ

ଗଣ୍ଡରେ ଗଣ୍ଡ ଘଷିଲେ ଗୋ । ।୩।

ଟେକି ବଦନ ଦେଲି ଚୁମ୍ବନ

ଧୀରେ ଅଧର ଦଂଶିଲେ ଗୋ । ।୪।

ନୀରରେ କ୍ଷୀର ପରାଏ ମୋର

ଅଙ୍ଗେ ଆଶ୍ଳେଷେ ମିଶିଲେ ଗୋ । ।୫।

ହେଲେ ସତୃଷ୍ଣ ଗୋପାଳକୃଷ୍ଣ

ଆଳୀ ମୋ ନିଦ୍ରା ନାଶିଲେ ଗୋ । ।୬।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ମୋହନ ନୟନାଞ୍ଚଳ ନାଚିଲା – ପ୍ରତି)

କହ ସହଚରି, ବରନାରୀକି । ।ଘୋଷା ।

ଉଷ୍ଣ ଶ୍ୱାସରୁ ଅଧର      ରଙ୍ଗ ହୋଇଲା ବିଦୂର

ପୋତି ମଥା ନେତ୍ରୁ ମୁଞ୍ଚେ ବାରିକି । ।୧।

ଧରା ଭୂଷାର ସେବକ      ବୋଲି ମୁଁ ଯେ ପଡ଼େ ଡାକ

ଜିଣି ବ୍ରହ୍ମଲୋକ ତେଣି ପାରିକି । ।୨।

କିଣାଜନରେ ରୋଷକୁ      କଲେ କି ଲଭି ଯଶକୁ

ତରଜିବା ଥରେ ନ ପଚାରି କି । ।୩।

କଲି ତ ଯେବେ ଦୋଷକୁ      ଅଛି କିସ ପାଞ୍ଚିବାକୁ

ମାରୁ ଅଙ୍ଗେ କରଜ କଟାରୀକି । ।୪।

କହିବୁ ଏହୁ ଉଦନ୍ତ      ଥାଉଁ ନୟନାନ୍ତ କୁନ୍ତ

ସମର୍ପିଲୁ କିମ୍ପା ଶମ୍ବରାରୀକି । ।୫।

ଗୋପାଳକୃଷ୍ଣ କହଇ      ମହୀରେ ତା ବିନା ହୋଇ

କେ ଶୁଣିବା ଅଛି ମୋ ଗୁହାରିକି । ।୬।

 

 

 

ରାଗ–ପୁନ୍ନାଗ । ଝୁଲାତାଳ ।

ହସି ହସିରେ । ଚାହିଁବା ଦିଶୁଛି ଚାରୁକେଶିରେ । ।ପଦ।

ଆଳୀ ଠାରିଦେଲେ ମୋର      ଯିବାର ସତ୍ୱର

ଆସୁ ଧନ କେଶ ଖୋସି ଖୋସି ରେ । ।୧।

ଦୂରୁ ଶୁଣି ମୋର ବାଣୀ      ପଞ୍ଜର ସରଣୀ

ପାଶେ ରଖିଥାଉ ମୁଖ – ଶଶୀରେ । ।୨।

ଲଲାଟ ସିନ୍ଦୂର ତୋର      କପାଳରେ ମୋର

ଲାଗି ଯାଇଥିଲେ ଘନକେଶି ରେ । ।୩।

ରତି ଶେଷେ ବାସ ପିନ୍ଧୁ      ଉଭାହୋଇ ବନ୍ଧୁ

ରଦେ ରଦବାସ ଲାଜେ ଦଂଶିରେ । ।୪।

ଗୋପାଳକୃଷ୍ଣ କଥା      କହି ପୋତୁ ମଥା

ଶାଢ଼ୀ ବାଡ଼ ନଖେ ଘଷି ଘଷିରେ । ।୫।

 

ରାଗ–କୀରବାଣୀ । ମିଶ୍ରଚାପ ତାଳ ।

(ସେ ସିନା ନୂଆ କରେ – ପ୍ରତି)

କି କଲି କି ମୁରୁଛି ରହିଲିରେ ।ପଦ।

କି କଲା ପାପ ଦଇବ      ଶୁଣି ଏ ବାରିଦ ରବ

ସେ କି ଧଇର୍ଯ୍ୟ ଧରିବ ମୁଁ ସିନା ସହିଲି ରେ । ।୧।

ଅବଳା କୋମଳ ବାଳା      କୃଶାଙ୍ଗୀ ସେ ପ୍ରେମଶୀଳା

କରିଥିଲି ଗଳାମାଳ, ମଦନେ ଦହିଲି ରେ । ।୨।

ଅପଘନେ ବାସ ସ୍ମରି      ଆଖିର ପିତୁଳା ପରି

ଅଙ୍କେ ଥିଲା ଜବାଧର ଥରେ ନ ଚାହିଁଲି ରେ । ।୩।

ପ୍ରାଣ ମୋର ହରପର      ହେଉଥିଲା ରାମାବର

ରହିଛି ଦୁଃଖରେ ତାକୁ ସହାୟ ନୋହିଲା ରେ । ।୪।

କରି ମୋ ପଥ ଲୋକନ      କି ହେଉଥିବ ତା ମନ

ନ ଜାଣେ ସ୍ୱପ୍ନେ କଦନ କି ଦଣ୍ଡ ବିହିଲା ରେ । ।୫।

ଗୋପାଳକୃଷ୍ଣ ଭାଷତ      ନିଶ୍ଚେ ହେଲି ବୁଦ୍ଧି ହତ

ଅବଧି ନୋହୁ ତରିତ ଆସିବି କହିଲି ରେ । ।୬।

 

ରାଗ–ମୁଖାରୀ । ମିଶ୍ରଚାପ ତାଳ ।

ବନ୍ଧୁ ମୋ ନ ଭାଙ୍ଗ ଆଶାରେ ।ପଦ।

ଜନ୍ଦ୍ର ତକୋର      ପରାଏ ତୋର

ପଥ ଚାହୁଁଛି ମୃଗ ଦୃଶାରେ । ।୧।

ଜନମାନ୍ତର       ସୂକୃତ ମୋର

ତୋ କୃପା କଟାକ୍ଷରେ ଦିଶାରେ । ।୨।

ପୋତି ବଦନ      ସ୍ମର – କଦନ

ଆକୁଳ ନଦୀରେ ନ ଭିସାରେ । ।୩।

ସୁଧା କଳପ      କଥା ଅଳପ

କହି ନିବାରୁ ଚିର ତୃଷାରେ । ।୪।

ହେଲେ ସମ୍ମୁଖ      କହିବି ଦୁଃଖ

ଘେନିବୁ ଥାଉ ଏ ଭରଷା ରେ । ।୫।

ଶୁଣି ଲପତ      ଦେଲା ସଙ୍କେତ

ଗୋପାଳକୃଷ୍ଣଙ୍କୁ ଭରଷାରେ । ।୬।

 

ରାଗ–ନାଦନାମ କ୍ରିୟା । ଆଦି ତାଳ ।

(କେତେ କାଳକୁ ମୁଖ ଦିଶିଲା ଆଜ – ପ୍ରତି)

ଏ ଘନ ଦିନ ମୋ ଧନ ଏକା ନେବେ କି କରି

ପାମର ଦଇବ କଲା ଆହା ଏତେ ସରି, ଯୋପଦା

ଶୁଣି ଭେକ କେକୀ ନାଦ      ପରମାଦରୁ ପ୍ରମାଦ

କି ହେଉଥିବ ସେ ହୃଦ କହ ସହଚରି, ସହି । ।୧।

ଝଟକେ ଅନା ବିଦ୍ୟୁତ      ମତ୍ତେ ଅଳି କରେ ରୂଢ଼

ବହେ ମାଳତୀ ମରୁତ ଡାକୁଛି ଝିଙ୍କାରୀ, ସହି । ।୨।

ଯିବାକୁ ମାଗୁଁ ମେଲାଣି      ମୋତେ ମୋର ଗୁଣମଣି

ନିଷେଧିଲି ପୁଣପୁଣି ଶିରେ କରଧରି, ସହି । ।୩।

ରଖି ନୟନରେ ନୀର      ଲେଉଟି ବିଲୋକିବାର

ଫାଟି ଯାଉନାହିଁ ଉର ସେ ରୂପ ସୁମରି, ସହି । ।୪।

ଗୋପାଳକୃଷ୍ଣ ମୋର      ପ୍ରବାସ କଷ୍ଟୁ ଶଙ୍କର

ଏହି ବାରକ ଉଦ୍ଧର କହୁଛି ଜୂହାରୀ, ସହି । ।୫।

 

ରାଗ–ନାଟକୁରଙ୍ଗୀ । ରୂପକ – ତାଳ ।

(ସହି ଏଇଟି ପଶୁଟି ଲମ୍ପଟିଆ – ପ୍ରତି)

ଦୁଃଖ ସିନ୍ଧୁରେ ବନ୍ଧୁ ଯାଉଅଛିରେ ଭାସି

କହିଲି ଶିରୀଷ ଦେହୀ      ପଛେ ବୋଲିବୁଟି ଆହା

ମଦନ କୁମ୍ଭୀର ଦେଲେ ଗ୍ରାସି । ।୧।

ନିଜ କରେ ଉପୁଡ଼ାଇ      ଦିଅନାରେ ଫୋପାଡ଼ଇ

ପାଳି ପ୍ରେମ ଅମର ପଲାଶୀ । ।୨।

ତୋର ବୋଲି ଏ ଜଗତେ      ନ ଚିହ୍ନି କେ ଅଛି ମୋତେ

ନିନ୍ଦା ପଡ଼ିଯିବୁ ପିକଭାଷି । ।୩।

ଜୀବ ଯିବାର ଆଖର      ହେଲାଣି ରସିକାବର

ଦିଶା ମୁଖ ଶଶୀ ଥରେ ଆସି । ।୪।

ଗୋପାଳକୃଷ୍ଣ ନା ଲୁହା -       ନା ରେ ତୋ କୃପା ନଉକା

ପକାଇ ଉଦ୍ଧର ଦରହାସି । ।୫।

 

ରାଗ–ଭୈରବୀ । ମିଶ୍ରଚାପ ତାଳ ।

(ସରିଯିବନି ଜୀବନେ କିଶୋରୀ – ପ୍ରତି)

ଘନ କୁଚା ! ମାର ମୁଖୁଁ ଏ ବାରେକ ବଞ୍ଚାରେ । ।ପଦ।

ତଳପ ତଳେ ବସନା ରାମାବର । (ଶର୍ଯ୍ୟା)

ଜଳପ ସୁଧା କଳପ ଚାରୁ ଗିର ।

କଳପ କୋଟି ସୁକୃତ ଫଳ ମୋର

ଅଳପ ଦୃଷ୍ଟିରେ ପଚାରେ । ।୧।

ବାରବାନି ସୁନା ଜିତ ସୁବରନି

କାର ଗିର ଘେନି ହୋଇଛୁ ମଉନି

ସରସ ଦାନିପଣକୁ ହେବ ହାନି

ଗଣ୍ଡୁ ଚେଳାଞ୍ଚଳ ଘୁଞ୍ଚାରେ । ।୨।

 

ଆବାସ ତନୁ ନେତ୍ର ସୁଖ ନିବାସ

ଦିଶାଇ ମୋ ପରି ସୁରତିରେ ରସ

ହାସଚନ୍ଦ୍ର ଦୀପ କରି ପରକାଶ

ବେଣୀ ନାଶାମଣି ନଚାରେ । ।୩।

ସ୍ମରଗ୍ରହାବେଶ ସୀତ୍କାର ମନ୍ତ୍ରରେ ।

ଝାଡ଼ି ଛଡ଼ାଇ ଦେଉ କି ନା ସତ୍ୱରେ

ଚଖାଇ ନାଶ ଅଧର ପୀୟୁଷରେ

ବିରହ ଜ୍ୱର ଅରୁଚାରେ । ।୪।

ତୋତେ ରୁଷାଇଲି ବୋଲିରେ ଛଇଲି

ତରୁଣ ସୃଷ୍ଟିରେ ନିନ୍ଦା ଅରଜିଲି

ଗୋପାଳକୃଷ୍ଣ ଅଙ୍ଗରେ ବାହୁବଲ୍ଲୀ

ଭିଡ଼ି ବସା ଚୂଡ଼ି ସଞ୍ଚାରେ । ।୫।

 

ରାଗ–ମୋହନ । ମିଶ୍ରଚାପ ତାଳ ।

(ସେ ସିନା ନୂଆ କରେ – ପ୍ରତି)

ସ୍ମରେ ଦେଇ ବନ୍ଧୁ ନ ଯା ରେ । ।ପଦ।

ରହ ଜିତେନ୍ଦ୍ରିୟ ବିତ୍ତ ହଜାରେ । ।ପଦ।

ଗର୍ଭାଳସୀ ହଂସୀ ଗମନା

ପୁରାତନୁ କାମ କାମନା

ପୂର୍ଣ୍ଣ ହେବ ବୋଲି ସୁମନା

ଜଗିଛି ପଥ ମୃଣାଳ ଭୁଜାରେ । ।୧।

କରେ ଗଣ୍ଡ କରି ଆଚ୍ଛନ୍ନ

ଧନ ନୁହଁରେ ଛନ୍ନ ଛନ୍ନ

ଟେକି ମୁଖ ମୃଗ ଲାଞ୍ଚନ

ମୋ ମନ କରାଇ ଦିଅ ଓଜାରେ । ।୨।

 

ସରଣି ନ ଭାଙ୍ଗି ବରଜ

ଲୁଆଁଇ ବଦନ ନୀରକ

ଦରାଧର ଭିଡ଼ା ବରଜ

ଅନା ଥରେ ହସି ବିନା ଲଜ୍ଜାରେ । ।୩।

ଭାଷ ଗୀର ଆନ ଧରନା

ପର ବୋଲି ମୋତେ ଡରନା

କମ୍ପାନା ତୁ ଶମ୍ପା ବରନା

ଲଭିଛି ମୋ ଭେଟ ହର ପୂଜାରେ । ।୪।

ଗୋପାଳକୃଷ୍ଣ ରେ ଦୂତୀକ

କହିବା ଶୁଭୁଛି ଶ୍ରୁତିକି

ଗଲେ ତ ନ ରହୁ ଦୂତୀକି

ଅସୂୟା କାହିଁକି ଦୟା ମଜ୍ଜାରେ । ।୫।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(ମୂରଲୀ ତୋର ଶରଣ ଗଲି – ପ୍ରତି)

କି କଲି । କି ମୂରୁଛିଲି ରେ

କାଳେ ହେଲା ରସି କି ରହିଗଲି ରେ । ।ପଦ।

କି ବିଚାରୁଥିବ ନବ ଛଇଲୀ

ଲଉରି ବୟସେ କି ଦଣ୍ଡ ଦେଲି ରେ । ।୧।

ନିଶଙ୍କେ ବସି ମୋ ଅଙ୍କରେ ଧନ

କହି ନ ଥିଲା ସ୍ୱଚ୍ଛନ୍ଦେ ବଚନରେ । ।୨।

ପଚାରିଲେ ଆଳୀ ଯିବାର ମୋର

ଲୁଆଇଁ ଦେଉଥିବ ପରା ଶିରରେ । ।୩।

ଅବଧି ବଳିନା ଦିନୁ ସୁବେଶ

ନିତି ହେଉଥିବ ରମଣି ଈଷରେ । ।୪।

ଫଳିନୀ ଧୀରତି କଳପବଲ୍ଲୀ

ବିଚ୍ଛେଦ ଆସିରେ ମୂଳୁ ନାଶିଲି ରେ । ।୫।

ଗୋପାଳକୃଷ୍ଣ ଭାଷଇ ଦଇବ

କିପରି ଚାହିଁବି ଜୀବନେ ଥିବ ରେ । ।୬।

 

ରାଗ–ବୀଳାହରି । ମିଶ୍ରଚାପ ତାଳ ।

(ଏ କି ଦ୍ରଜ ଗୋଟାଯାକ – ପ୍ରତି)

ପରିକର ପରି କର ପରିଣତ ବିମ୍ବାଧରି ରେ । ।ପଦ।

ହରି ବୀରହ ଦୁଃସହ ଦୁଃଖ

ହରିଣାକ୍ଷି ଏପରି ରେ ରଖ

ସଜନୀର ସଜ ନୀରଜଲପନି

ଚଳି କରି ରେ । ।୧।

ଆଶା କରିଛି ମୁଁ ଚିରକାଳୁ

ଆଶାବାସ ମୋହିନୀ ଦୟାଳୁ

ପରମଦା ପରମ ଦାରୁଣ ନୁହ

ଅପହରି ରେ । ।୨।

ରସାଣିତ ସ୍ୱର୍ଣ୍ଣବରନାରେ

ରସା ବେଶେ ଥରେ କରୁଣାରେ

ଅନା ମୋଦେ ଅନା ମତେ

ସ୍ମରହାତେ ଗଲି ସରି ରେ ।୩।

 

କେଶରୀମସିମା ଏ ସଂସାରେ କେ

ସରିଅଛି ତୋ ସରିସାରେ

ମୂରତୀକି ମୂ ରତିକି ଗଣୁନାହିଁ

ତ ସୁନ୍ଦକ ରେ । ।୪।

ଦରପଣ ମୁହିଁ ମୋ ଦରବ

ଦରପଣ ବରଜି ଦରବ

ରସାର ସାର ସାରସାକ୍ଷି କହୁଛି

କର ଧରିରେ । ।୫।

ହର ସଦା ଗୋପାଳକୃଷ୍ଣର

ହର ସେବା ଫଳ ଦୟାକର

ସୁମନାରେ । ସୁମନାରେ କରିଦେବି

କି ବଇରୀ ରେ ।୬।

 

ରାଗ–ଝାଞ୍ଜୋଟୀ । ମିଶ୍ରଚାପ ତାଳ ।

(କୃଷ୍ଣ ପଦଚିହ୍ନ ଦେଖ ଗୋ – ନୀତି)

ଅନୁଗତ କଲା ଫଳ ସୁଶୀଳା ଏହିକି ରେ । ।ପଦ।

ଆପଣାଯନକୁ ଦୂର      କରିବାର ଅବେଭାର

ଦୁଃଖ କଲେ ହେଲେ ତା ମୁଖକୁ

ନା ଚାହିଁକି ରେ ।      ୧।

ଦେଇ ଅଧର ପୀୟୁଷ      ପୋଷି ଯାକୁ ରାମାଈଶ

ଜାଣି ସେ ନ ଜାଣି ଦୋଷ କଲେ

ନ କରି କିରେ ।୨।

ପ୍ରାଣ ପରି ଯେ ଯାହାର      ଭାଷିଲେ ସେ ଯୋଡ଼ି କର

ଥାଉ ଦୟା କରିବାର କଥା

ନ କହି କିରେ । ।୩।

 

ସୁତୀକ୍ଷ୍‌ଣ କଟାକ୍ଷ ଶର      ଥାଉ ତୋ ରସିକବର

ଦଣ୍ଡ ଦିଆଉଛୁ ପର ହାତରେ

କାହିଁକି ରେ । ।୪।

ମଦନ ଖେଦ ବାରଣ      ଅରୁଣାରୁଣ ଚରଣ

ଦେଇ ଶିରେ ଏ ମୋ ପ୍ରାଣରକ୍ଷା,

ନ ବିହିକି ରେ ।୫।

ଗୋପାଳକୃଷ୍ଣ କହଇ      ଛଳ ପଛରେ ପକାଇ

କରୁ ନାହୁଁ ଅନୁଗ୍ରହ ଚାହୁଁଛୁ

ମହୀକି ରେ । ।୬।

 

ରାଗ–ଶଙ୍କରାଭରଣ ଆଦିମାଳ ।

(ରାଇଲ ଗୀତ – ପ୍ରତି)

ଅନୁମାନ ନ କଲି ତୁ ବୋଲି

ଅନବଧାନେ ଲାଜେ ବୁଡ଼ିଲି ମୁଁ ସଙ୍ଗାତି ରେ । ।ପଦ।

ରନ୍ଧନ ସାରି ମୁଁ ଗଲା ରାତିରେ

ଅନ୍ଧକାରରେ ଥିଲି ଅଗଣାରେ । ।୧।

ତୋ ବାଣୀ ପରି ଭାଷି ତୋ ସଦୃଶେ

ଯୁବାବର ବସିଲେ ତୋ ପାଶେ । ।୨।

ସ୍ୱେଦ ବିକ୍ଳନ କଞ୍ଚୁଲିକା ମୋର

ହୃଦୟ ଫିଟାଇ କଲେ ଦୂର । ।୩।

 

ପୁଣି ନିଃଶଙ୍କେ ମୋର ବକ୍ଷୋଜରେ

ପାଣି ରଖି ବିଞ୍ଚିଲେ ସଧୀରେ । ।୪।

ଗୀତ ଗାଇଲି ଆହା କେତେ ପରି

ହାତ ଧରି ଅଙ୍କେ ଅପସରି । ।୫।

ଶତହ୍ରଦା ଚଳୁ ଚାହିଁ ଚିହ୍ନିଲେ

କି ତରସ୍ତ ହୋଇ ମୁଁ ଥରିଲି । ।୬।

ଗୋପାଳକୃଷ୍ଣ ଜାଣି ପ୍ରଦୀପକୁ

ଛପାଇ ଦେଲା ଗଲେ ପୁରକୁ । ।୭।

 

ରାଗ–ମାୟାମାଳବଗୌଡ଼ । ମିଶ୍ରଚାପ ତାଳ ।

(ଯେ ପୀରତୀ କରିଛି ତାର ମନ ଜାଣେ – ପ୍ରତି)

ମନରିଝା ପୀରତି କେ କଲାନି ମନା ।

ଭିନ୍ନ କଲେ କରଇ ଦଇବ ସିନା । ।ପଦ।

ଜାତି ନୀତି ଧନ      ମହତ୍ତ୍ୱ ଗୁମାନ

ତେଜିବାକୁ ଅଛି ଯାର ଆଲୋଚନା । ।୧।

ଚାର କି ଚାକର      ଚାହିଁଲେ ତାହାର

କରଇ ସେ ପ୍ରଭୁ ସମ୍ଭାବନା । ।୨।

ଯା ଲାଗିଯା ପ୍ରାଣ      ଯିବ ଏ ପ୍ରମାଣ

ଦେଲେ ଛାଡ଼ିବ କି ନା ତୁଳରେ ସୁନା । ।୩।

 

ନୟନ ଅୟନେ       ଶୟନେ ସ୍ୱପନେ

ନ ଦିଶଇ ଆନ ତା ମୂରତି ବିନା । ।୪।

ଯିବାଯାଏଁ ଶିର      ଯାର ଅଳଙ୍କାର

କଥା ପଦକୁ ଥାଇ କି ତା ଶୋଚନା । ।୫।

କହଇ ଗୋପାଳ -       କୃଷ୍ଣ ସ୍ନେହଜଳ

ନିଧି କରିବେ କି ଜନେ ଅକଳନା । ।୬।

 

ରାଗ–ଆଶାବରୀ । ଆଦି ତାଳ ।

ମୃଦୁବାଣୀ ଥରେ ଶୁଣାରେ, ବିଚକ୍ଷଣା । ।ପଦ।

ପୂର ଦୁଆର ଯାଏ      ଥିଲି ବେଳେ ବିଜୟେ

କୃପାଳୁ କର କରୁଣ ରେ । ।୧।

ଶୀତଳ କର୍ପୂରକୁ      ସ୍ୱାଦୁ ପୀୟୁଷ ଠାରୁ

ସୁସ୍ୱରୁ ନିଣାରୁ ଜିଣାରେ । ।୨।

ଯୁବା ମୋହ ମନ୍ତର      ମଦନ ଦର ହର

ମୁନୀନ୍ଦ୍ର ଧଇର୍ଯ୍ୟ ହଣାରେ । ।୩।

ପ୍ରତି ଅକ୍ଷରେ ପ୍ରେମ      ମୂର୍ତ୍ତିବନ୍ତ ଅସମ

ଯେ ଶୁଣେ ହୁଏ ତୋ କିଣାରେ । ।୪।

ଗୋପାଳକୃଷ୍ଣ ବୋଲେ      ଆଳିକି ଡାକ ହେଲେ

ଉଭା ହୋଇଣ ଅଗଣାରେ । ।୫।

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ ।

(ନାହିଁ ମୋର ପୀରତି ସମ କାର – ପ୍ରତି)

ପ୍ରାଣସହୀ ପିଠି କଲେ କେ କାହାର

ପୁରତରେ ଥିବାଯାଏ      ପୁରୁଷଙ୍କ ଚିତ୍ତରେ

ଜାଣ ଦରପଣ ପରକାର । ।୧।

 

ନ ରହିବ ବୋଲୁ ବୋଲୁ      ନୋହିବାକୁ ଭିନ୍ନରେ

ଆନ ଦେଇଥିବେ ବାର ବାର । ।୨।

ଦୁଃଖ ମଣୁନାହିଁ କାଳେ      ହେଲା ଦରଶନ ରେ

ନ ଥିବାରୁ ସିନା ବୋଲିବାର । ।୩।

ଅଛି କି ନାହିଁ ଜୀବନେ      ବୋଲି ହେଲେ ଥରେ ରେ

ଯିବାଦିନୁଁ ନ ପେଶିଲେ ଚାର । ।୪।

ଗୋପାଳକୃଷ୍ଣ ପ୍ରବୋଧି      ଦେବାର ଅବଧି ରେ

ଲେଖିଲା ପରି ପାଣିରେ ଗାର । ।୫।

 

ରାଗ–ଆନନ୍ଦ ଭୈରବୀ । ମିଶ୍ରଚାପ ତାଳ ।

(ମୋହନଙ୍କୁ ଋଷିବ କି ସେ ରାଧା ତୁ ନାରେ – ପ୍ରତି)

ତାକୁ କେ କି କହିଦେଲା ରେ ମୋ ନାଁ ରେ ଲଗାଇ । ।ପଦ।

ତାକୁ କେ କି କହିଦେଲା ରେ ମୋ ନାଁ ରେ ଲଗାଇ । ।ପଦ।

ମୋ ଲୋକନକୁ ସୁମନା      ହେଲା କି ଯୋଗୁ ବିମନା

ଦୂତୀକି ପ୍ରାଙ୍ଗଣରେ ଯେ ଥାଇ ଜଗାଇ । ।୧।

ମୋ ଲାଗି କୁସୁମମାଳା      ଦେଖି ଆଳୀ କରେ ବାଳା

ମଉଳି ଗଲାନି ବୋଲି ଦେଲା ଫିଙ୍ଗାଇ । ।୨।

 

ମୁଁ ଜଗିଛି ବୋଲି ସଖୀ      ଠାରି କହନ୍ତେ ସୁମୁଖୀ

ମଥା କମ୍ପାଇ କମ୍ପାଇ ଦେଲା ଫିଙ୍ଗାଇ । ।୩।

କି ଛାଡ଼ିଗଲା ସତ୍ୱରେ      ତା ଚିତ୍ତ ଚୀନଚେଳରେ

ପ୍ରେମ ମଞ୍ଜିଷ୍ଠାରଙ୍ଗ ମୁଁ ଥିଲି ରଙ୍ଗାଇ । ।୪।

ଗୋପାଳକୃଷ୍ଣ ଭାଷଇ      ଆସ ସଜନି ଜଣାଇ

ଯୋଗୀ ହୋଇ ବୁଲୁଥିବି ତା ଗୁଣ ଗାଇ । ।୫।

 

ରାଗ–ମୋହନା ମିଶ୍ରଚାପ ତାଳ ।

(ଜଣା ଥିଲା କି ମୋତେ ଏ ରୀତିରେ – ପ୍ରତି)

କି କରି କି କଲୁ ପାପ ବିହିରେ ।

କି ଦୋଷୀ କରିଥିଲି ମୋର କପାଳେ

ଏହି ଏକା ଥିଲୁ ଲିହିରେ । ।ପଦ।

ଏ ନୀରଦ ନିଶିକି ଅନାଇଁ

ଏକା ମନେ ମନେ ମୋତେ ଧିଆଇ

ଲୋଟୁଥିବ ପରା ଅବନୀ ଶେଯରେ

ବାରବାନି ସ୍ୱର୍ଣ୍ଣ ଦେହୀରେ । ।୧।

କେଶରୀ ମଧ୍ୟାକୁ ଅଛି କେ ସରି,

ଆଉ ଗଢ଼ିବ କି ନାରୀ ତା ପରି,

ଯାଠାରୁ ଅବନୀ ଶିରୀ ସରିଯିବ

ତାକୁ କି ଏ ଦଣ୍ଡ ବିହିରେ । ।୨।

 

ଆସୀ ଦେହଳୀ ଦୁଆର ପାଶରେ

ବସିଥିବ ପରା ନିଶି ବାସରେ

ମୋ ପଥକୁ ଚାହିଁ କି ବିଚାରୁଥିବ

ଶରଦ ଚନ୍ଦ୍ରମା – ମୁହୀଁରେ । ।୩।

ମୁଁ ଯେ ଅଇଲା ବେଳରେ ଏଣିକି

ଲୁହ ପୋଛୁଥିଲା ଧରି ପାଣିକି

ସୁମନା ସ୍ଫୁଟ ନୋହୁଁ ଲେଉଟିବାକୁ

ପ୍ରବୋଧି ଆସିଲି କହି ରେ । ।୪।

ଆଉ ଗୋପାଳକୃଷ୍ଣ କି ଲଭିବ

ଯାକୁ ଦେଖି ପଶୁ ବଶ ହୋଇବ

ତାକୁ ସ୍ମରେ ଦୁଃଖ ଦିଆଇବାକୁ ତୋ

ମାନସ ବଳିଲା କେହିରେ । ।୫।

 

ରାଗ–ମାୟାମାଳବଗୌଡ଼ା । ମିଶ୍ରଚାପ ତାଳ ।

(ଏ କି ପରମମାଦ ଆସି ପଡ଼ିଲା ମା – ପ୍ରତି)

ନୂଆ ସ୍ନେହେ ଯା ମୋ ଗୁଣମଣି କି ରେ

କି ଛାଡ଼ି ଅଇଲି ମୁହିଁ ଏଣିକି ରେ । ।ପଦ।

ନ ଆସେ ନିଦ୍ରା ପଲକେ      ମୋ ହୃଦ ବିନା ପଲଙ୍କେ

କରିଥିବ ଶର୍ଯ୍ୟା ସେ ଧରଣିକି ରେ । ।୧।

ଲୋଟୁଥିବ ବାସ ଶେଷ      ଫିଟୁଁ ଖୋସୁ ଖୋସୁ କେଶ

ଆସି ଚାହୁଁଥିବ ମୋ ସରଣୀକି ରେ । ।୨।

ଚିନ୍ତି ମୋତେ ମନେ ମନେ      ପକାଇ ନିଶ୍ୱାସ ଧନ

ପୋଛୁଥିବ ପରା ନେତ୍ରୁ ପାଣିକି ରେ । ।୩।

କି ଧରିବି ଧୃତି ବାଳା      ସହଜେ ପ୍ରୀତିବତ୍ସଳା

ମୁଁ ଦିଶୁଥିବି ଚାହିଁଲେ ଯେଣିକି ରେ । ।୪।

ଅବଧି ଦିନ ଚିତ୍ତୋଇ      ଭିତ୍ତି ନିକଟକୁ ଯାଇ

ଗଣୁଥିବ ପରା ଗାର ଶେଣୀକି ରେ । ।୫।

ଗୋପାଳ କୃଷ୍ଣ କହଇ      ବିଦେଶ ମୁଁ ଯିବାପାଇଁ

ସହିଥିବ ଚମ୍ପା ଶୂଳପାଣିକି ରେ । ।।

 

ରାଗ–ଚକ୍ରବାଳ । ମିଶ୍ରଚାପ ତାଳ ।

(ସହି ଛାଡ଼ି ନ ପାରେ ମୁଁ ଯେ ପ୍ରୀତିକି – ପ୍ରତି)

ପ୍ରେମ ଚିନ୍ତାମଣିକି କେ ରୁଷାଇଲା ରେ ।

କ୍ରମରେ ଏଣିକି ଭରସାଇଲା ରେ । ।ପଦ।

ପୁରାତନ ବେଶରେ      ବସି କଳି ବାସରେ

ଗୁନ୍ଥୁଥିଲା ହାର ଶୁଣି ମୋର ଗୀର

କ୍ଷୀରରେ ଖାର କେ ମିଶାଇଲା ରେ । ।୧।

ପୁରାତନ ବେଶରେ      ବସି କେଳି ବାସରେ

ଗୁନ୍ଥୁଥିଲା ହାର ଶୁଣି ମୋର ଗୀର

ନେତ୍ରୁ ନୀର ବରସାଇଲା ରେ । ।୨।

 

ସେହି ଦିନ ମାତର      ମୁଁ ତାକୁ ଦେଖିବାର

ହେଲ କେଡ଼େ ହୋଷୀ, ଲହୁଲୀ ବୟସୀ

ମୁଖ ଆଉ ନ ଦିଶାଇଲା ରେ । ।୩।

ଦୁଃଖ ମୋ ଶୁଣି ବ୍ୟଥା      ଲଭିବା ଥାଉ କଥା

ପ୍ରସଙ୍ଗରେ ହେଲେ ମୋର ନାମ ଥରେ

ବଦନରେ ନ ବସାଇଲା ରେ । ।୪।

ଗୋପାଳକୃଷ୍ଣ କହେ      ମୂରୁଛିବାର ନୁହେଁ

କାହାକୁ ବୋଲିବି କି କରି ଚାହିଁବି

ବନ୍ଧୁ ଭଗାରୀ ହସାଇଲା ରେ । ।୫।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

(ମୋହନ ରୀତି ଚିହ୍ନା ପଡ଼ିଲାରେ – ପ୍ରତି)

ଅନୁସରିବା ଫଳ ଦିଶିଲାରେ

ଅନୁଭବକୁ ଆଜ ଆସିଲାରେ । ।ପଦ।

ମୋ ଦୁଃଖରେ ଦୁଃଖିନୀ      ହେବା ଥାଉ ସଜନୀ

ଶୁଣି କଦନ ପୁଣି ହସିଲା ରେ । ।୧।

ଦୂରରୁ ଦେଖି ମୋତେ      କର ଉପରେ କେତେ

ମାରିଦ୍ୟନ୍ତେ ରସନା ଦଂଶିଲା ରେ । ।୨।

ତା ମୋ ଭେଟ ପଥରୁ      ବୀର ପଞ୍ଜରୀ ଭୀରୁ

ଅନ୍ତର କଲାରୁ ଆଭାଷିଲା ରେ । ।୩।

ଦେଖି ମୋ ପୂର୍ବ ଲେଖ      ମାନ ଲଭି ବିମୁଖ

ଛିନ୍ନାଇ ରହରେ ଯା ଖୋସିଲା ରେ । ।୪।

ଗୋପାଳକୃଷ୍ଣ ବୋଲେ      ଦରଶନ ନ ଦେଲେ

ଆଳୀକି ହେଲେ ଯା ନ ପେଶିଲା ରେ । ।୫।

 

ରାଗ–ପରଜ । ଆଦି ତାଳ ।

ଦୁଃଖ ରଖି ନବୀନା ମୋତେ ଥର

କେବେ ନୋହୁଁ ରେ । ।ପଦ।

କିଣି ପ୍ରୀତି ଧନରେ      ପୋଷି ଓଷ୍ଠ ସୁଧାରେ

ନ କଲେ ତୁ ମୋର କେ ଅଛି ଏ ସଂସାରେ । ।୧।

ବୋଲୁଥାଉ ଯେ ନୀତି      ନ ଶୁଣିବ ବିନତି

ସ୍ମରେ ଗଲି ନାଶ କହ ଏବେ କି ଗତିରେ । ।୨।

 

ନତ ପୁଂସ ନାରୀରେ      ବିତ୍ର ଚାହିଁ ଭିତ୍ତିରେ

ନେତ୍ରେ ଭରୁ ବାରି ଆଜ ଏ କି ରୀତିରେ । ।୩।

ପ୍ରୀତି ନୁହେଁ ପୁରୁଣା            ପୁଣି ଲୋକେ ଅଜଣା

ଧରୁଛି ତୋ ପାଣି କରୁ କିନା କରୁଣା । ।୪।

ନିଶା ହେଲାନି ଶେଷ      ସାଜିଦେବି ସୁବେଶ

ନ କର ବିଳମ୍ବ ଦିଅ ବନ୍ଧୁ ଆଦେଶ । ।୫।

ଗୋପାଳକୃଷ୍ଣ ବାଣୀ      ଶୁଣି ବର ରମଣୀ

କଲା ସନମତ ଫେଡ଼ ଗଣ୍ଡରୁ ପାଣି । ।୬।

 

ରାଗ–ସାବେରୀ । ମିଶ୍ରଚାପ ତାଳ ।

(ଜଣା ପଡ଼ିଲା ରେ ବଣାମୃଗାକ୍ଷି ତୋ ଚାଲି – ପ୍ରତି)

ଆହା କି ଗଲାରେ କି ସ୍ନେହ କେତେ ଦୂରକୁ

ଦାରୁଣ ଦଇବ ବଶେ ଅପରୁବ ହେଲେ

ଥରେ ଚାହିଁବାକୁ । ।ପଦ।

ଗ୍ରୀଷମ ଋତୁ ଦିବସ ଦ୍ୱିଜାମରେ

ଦ୍ୟୁମଣି ତିକ୍ଷ୍‌ଣ କିରଣେ

ପଦ ତଳେ ରଖି ପଣତ ମୋ ପାଇଁ

ବିଲୋକୁ ଥାଉ ପ୍ରାଙ୍ଗଣେ ।୧।

ଠାରି ଦୂରୀକି ପଚାରୁ ମୋ ସମୟ

ଦେଖିନାହିଁ ସେ ଭାଷିଲେ

ଆଣି ନେତ୍ରେ ପାଣି ଯାହା ହେଉଥାଉ

କେ ଜାଣିବ ତା କହିଲେ ।୨।

 

ବିଚ୍ଛେଦ ନୋହିବ କୁ ଯେତେ

ବରତ କରିଛି ସୁଜାଣୁମଣି

ଥାଉ ଆଉ ନାରୀ ପ୍ରତିପାଳିବାର

କର୍ଣ୍ଣରେ ନଥିବେ ଶୁଣି । ।୩।

ନତପୁରୁଷ ନାରୀ ରୁଷି ବସିବା

ପ୍ରସଙ୍ଗ ଯଦି ପଡ଼ଇ

ଧଇର୍ଯ୍ୟ କେମନ୍ତ ଧରନ୍ତି ଗୋ

ବୋଲି ଆଜୀକି ପଚାରୁଥାଇ ।୪।

ନୀରଜକୁ ଯଦି ନିଶିରେ ବିଲୋକେ

ନୀର ନୟନୁ ବୁହାଇ

ଶତ୍ରୁକୁ ତୋ ଦଣ୍ଡ ନୋହୁ ବୋଲି ଗଣ୍ଡେ

ଗୋପାଳକୃଷ୍ଣ ଚୂମ୍ବଇ ।୫।

 

ରାଗ–ବସନ୍ତ । ମିଶ୍ରଚାପ ତାଳ ।

ମଜ୍ଜା ମଜ୍ଜାଇଲି ନ ଯାଇ ହଜାଇଲି

ଲଜ୍ଜାକୁ ଜାଣୁ ମଣିକିରେ । ।ପଦ।

ଏ ମଧୁର ନିଶାରେ      ବିରହ ଦଶାରେ

ପ୍ରାଣ ଧରିବ କେହି      ବାଣ ସ୍ମରରେ ସହି

ତ୍ରାଣ ନ ଦିଶେ କେଣିକି ରେ । ।୧।

ତେଜି ନେତ୍ରୁ ବାରି      ହେବନି ଧିକ୍‌କାରି

କ୍ଷୀଣ ତ ଦିଶୁଥିବ      ଯାମକ ଯୁଗ ହେବ

ତାମରସ ଈକ୍ଷଣୀକି ରେ । ।୨।

 

ଅରଜିଲା ନିଦା       ବରଜିଲି ଫନ୍ଦା

ଆଶୀବିଷ ପୋଷିଲି      ନାଶି ସୁମନ ବଲ୍ଲୀ

ଆସି ରହିଲି ଏଣିକିରେ । ।୩।

ମନେ ମନେ ମୋତେ      ଲୋଡ଼ୁଥିବ କେତେ

ଆଉ ଦେଖିବି ମୁହିଁ      ଦାଉ ମାରର ସହି

ଆଉ ପ୍ରାତଃ ସ୍ମରଣୀ କି ରେ । ।୪।

ଗୋପାଳକୃଷ୍ଣର      ବାଞ୍ଛା କରିବାର

ସୁକୃତର ଫଳକି      ସତ୍ୟେ ଲଭ୍ୟ ହେବ କି

ଦେଖି ସୁଚାରୁବେଣୀ କି ରେ । ।୫।

 

ରାଗ–ଖମାଚ । ଆଦିତାଳ ।

ଜୀବନବନ୍ଧୁ ମାଗୁଣି ମାଗୁଛି ରେ ଏତିକି

ନାହିଁ କରିବୁ ନାହିଁଟି କହିଲି ବିନତିକି । ।ପଦ।

ନଚାଇ ଚରମେ ବେଣୀ      ବଜା କଟି କିଙ୍କିଣୀ

ଝୁଲାଇବୁ ବିପରୀତେ ଭୁଲାକୀର

ମୋତିକି । ।୧।

ସ୍ତନ ତୁଲେ ତୋରା ଦ୍ୱାରା      ତାଟଙ୍କ ଝଲକା ଝରା

ଚଳାଇବୁ ଚାହିଁ ମୋତେ ନ

ଲିଭାଇ ବତିକି । ।୨।

 

ବିଲୋକିବି ଦରାଧର      ଭିଡ଼ା ମୁଖ ସୁଧାକର

ସ୍ୱେଦ ଜରହର ଅନମ୍ବର ଦେହ

ଦ୍ୟୁତିକି । ।୩।

ଭ୍ରୁଲତା ମଧ୍ୟରେ ନେଇ      ଖଞ୍ଜନ ଡୋଳା ଖେଳାଇ

ଯାହା ବୋଲୁଥିବ ଶୁଭୁଥିବ

ମୋ ଶ୍ରୁତିକି । ।୪।

ଦୁଃଖରୁ ଉଦ୍ଧରିବାକୁ      ଥିଲେ ଗୋପାଳକୃଷ୍ଣକୁ

ଅଙ୍ଗୀକାର କରି ଥରେ ପଠିଆଅ

ଦୁତୀକି । ।୫।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

(ମୋହନ ରୀତି ଚିହ୍ନା ପଡ଼ିଲା ମା – ପ୍ରତି)

କେତେ ବୋଲି ମୋ ଦୁଃଖ ସହିବି ରେ

କା ଆଗେ ହୃଦ ଫେଡ଼ି କହିବି ରେ । ।ପଦ।

ଲଭି ଏତେ କଷଣ      ଯାଉନାହିଁ ପରାଣ

କି ଉପାୟ ସଙ୍ଗିନୀରେ ବିହିବି ରେ । ।୧।

ପ୍ରବେଶ ହେଲେ ରାତି      ଖସି ଯାଇଛି ଧୃତି

ଜାଣି ନ ଥିଲି ଏକା ରହିବି ରେ । ।୨।

ନୁଲଇ ଦାସୀ ଭଲି      ଆସିବା ପାଇଁ ଆଳୀ

ଛାମୁକୁ ଲେଖ କେହି ବିହିବି ରେ । ।୩।

ଦେହେ ପରାଣ ଥାଉ      ସତେ ସଜନି ଆଉ

ଗୋପାଳକୃଷ୍ଣଙ୍କୁ ମୁଁ ଚାହିଁବି ରେ । ।୪।

 

ରାଗ–ଯଦୁକୂଳ କାମୋଦୀ । ମିଶ୍ରଚାପ ତାଳ ।

ଅନା ଥରେ ଅନାଥରେ

ଅନାୟତ୍ତେ ଦୋଷ କଲି

ମୁଁ ତୋଠାରେ ସୁନମଲ୍ଲୀ । ।ପଦ।

ହେମ ବରନା      କାମ ତୋ ବିନା

ନେବ ଜୀବନ ସୁମନା । ।୧।

କର ଉରରୁ      କର ଗଣ୍ଡକୁ

କର ଦୂର ମୁଁ ନ ସରୁ । ।୨।

ବଚନାମୃତ      ରଚ ତ୍ୱରିତ

ମୁଞ୍ଚ ଦୋଷ ପ୍ରାଣମିତ । ।୩।

ଯୋଷା ଯା କର      ଭୁଷା ଯା କର

ହସାନାରେ ବନ୍ଧୁ ପର । ।୪।

କପାଳୁ ଡୋଳା      ଅପାଙ୍ଗ ଢଳା

ଗୋପାଳକୃଷ୍ଣ ହେଜିଲା । ।୫।

 

ରାଗ–ଆନନ୍ଦଭୈରବୀ । ଏକତାଳ ।

ରସ ସରସ ଦିଶା ଦେ ରେ, ଥରେ । ।ପଦ।

ପ୍ରାଚୀର ପ୍ରାଚୀ ଅଚଳେ      ଶ୍ରୀମୁଖ ଚନ୍ଦ୍ରମା

ପୂର୍ବ ପରି କରାଅ ଉଦେ ରେ । ।୧।

କଥା ଶିଖାଇଲା ପରି      ସାରୀକି ସୁଧୀରା

ଶୁଭା ହେଲେ ବଚନ ପଦେ ରେ । ।୨।

ମାଗୁଛି ମାଗୁଣି ଏତେ      ଡକାଇ ଛାମୁକୁ

ଲେଖା ହେଲେ ଯାଦବ ପଦରେ । ।୩।

ଦେଖିଲା ଉତ୍ତାରୁ ତୋତେ            ଯାଉପଛେ ପ୍ରାଣ

ଦାରୁଣ ମଦନ ବିପଦେ ରେ । ।୪।

କହଇ ଗୋପାଳକୃଷ୍ଣ      ପଟ୍ଟନାୟକ ଧନ

ଅନା ଆସି କରୁଣ ହୃଦେ ରେ । ।୫।

 

ରାଗ–ଝାଞ୍ଜୋଟି । ମିଶ୍ରଚାପ ତାଳ ।

(କା ମନେ ଥିଲା ଏକଥା – ପ୍ରତି)

କେ କିସ କହିଲା ତାକୁ ରେ

ଟେକି ମଥା ଚାହୁଁ ନାହିଁ ମୁହଁକୁ ରେ । ।ପଦ।

ପଲକ ପତନ କାଳ ଅନ୍ତର

କୋଟିଯୁଗ ହେଉଥାଉ ଯାହାକୁରେ । ।୧।

ରଖିଲା ନାହିଁ ଦେଲେ ହେଲେ ସଖୀ

ଲେଖି ପ୍ରେମ ବିନୟ ଜଣାଣକୁ ରେ । ।୨।

ଜାଣି ତା ଚିତ୍ତ ମୁଁ କି ବୋଲିବି

ପୀୟୁଷ ବିଷ ହେଲା କରମକୁ ରେ । ।୩।

ଶୁଭିଲେ ବାଣୀ କ୍ଷଣପ୍ରଭା ପରି

ଝଲକୁ ଥାଇ ଆସି ଅଗଣାକୁ ରେ । ।୪।

ଗୋପାଳକୃଷ୍ଣ କହଇ ଧରାରେ

କଥା ରହିଗଲା କାଳ କାଳକୁ ରେ । ।୫।

 

ରାଗ–ଧନାଶ୍ରୀ । ମିଶ୍ରଚାପ ତାଳ ।

(କେତେ ବୋଲା ବୋଲି ମୋ ଦୁଃଖ ସହିବିରେ – ପ୍ରତି)

ତୋ ରୂପ ପ୍ରତି ଦିଶେ ଦିଶୁଛି ରେ

ତୋପରି ଲାଜେ ରହି ହସୁଛି ରେ । ।ପଦ।

ପ୍ରସାରି ପଣତ      ଡାକିଲେ ପ୍ରାଣମିତ

ଭୟେ ଦନ୍ତେ ରସଦା ଦଂଶୁଛି ରେ । ।୧।

ଦୂରୁ ଲେଉଟି ଚାହିଁ      ମୋତେ ପରାଣ ସହି

ନ ଶୁଣି ଧୀରେ ଗୀର ଭାଷୁଛି ରେ । ।୨।

ଫିଟି ଯାଉଛି କେଶ      ନିବିଡ଼ ନୀବି ବାସ

ଆତୁର ହୋଇ କେତେ ଖୋସୁଛିରେ । ।୩।

ଗୋପାଳକୃଷ୍ଣ ଭଣେ      ତୋର ଗୁଣ ସ୍ମରଣେ

ମାନସ ଅନୁକ୍ଷଣେ ରସୁଛି ରେ । ।୪।

 

ରାଗ–ପରଜ । ମିଶ୍ରଚାପ ତାଳ ।

(ଦେଖାଇବ କି ସତେ ଦଇବ – ପ୍ରତି)

ସରିଯିବନି ଲୋଡ଼ି ଲୋଡ଼ି ଯେ ମୋତେ ସରୋଜଲପନୀ । ।ପଦ।

ବସନ୍ତ ମରୁତ ପିକ ମଧୁବ୍ରତ ବିଧୂ

ସଖା ସେନା ସୈନ୍ୟ ସଙ୍ଗେ

କେତତୀ କୁନ୍ତ ଦିଶାଇ      ଚାପରେ ଶର ବସାଇ

ଦାରୁଣ ମଦନ ଧାଡ଼ି ଦେବନି

ରେ ଦେବନି । ।୧।

ପ୍ରାଙ୍ଗଣର ମଲ୍ଲୀ ବଲ୍ଲୀରେ ବଧୂ

ଲିଅଧରୀ ଭୃଙ୍ଗ ରଙ୍ଗକୁ ଚାହିଁ

ବାମ ପଦ ଅଳିନ୍ଦରେ      ରଖି ଦୁଆର ବନ୍ଧରେ

ଅପସରି ଲୁହ ପୋଛୁ ଥିବନି

ରେ ଥିବନି । ।୨।

 

ଆଳୀ ମୋ ସନ୍ଦେଶ ପଚାରୁ

ନାରୀଶ ମଥାପୋତି ଧରାରେ ଅଙ୍ଗୁଷ୍ଠି

ଘଷି ଘଷି ଆସୁ କହି      ବାଣୀ କଣ୍ଠେ ଗଲେ ରହି

ଶୋକରେ ତ୍ରିବଳୀ ବଳି

ହେବନି ରେ ହେବନି । ।୩।

ଉର୍ତ୍ତୀର୍ଣ୍ଣ ସୁବର୍ଣ୍ଣ କାନ୍ତିକି ଯା ବର୍ଣ୍ଣ

ହସୁଥାଇ ଏବେ ଶୀର୍ଣ୍ଣ ହୋଇ

ଝାଞ୍ଜି ବଜା ବନମଲ୍ଲୀ      ପରାୟେ ଯିବନି ଲୋଳି

ଶେଯେ ଲାଗି ଯାଇଥିବ ମୋ

ଘେନିରେ ମୋ ଘେନି ।୪।

ମାର ଅନ୍ଧକାର କୂପରେ ଗୁଆଁର

ପଣେ ଚିନ୍ତାମଣି ଦେଲି ଫିଙ୍ଗି

ଗୋପାଳକୃଷ୍ଣ ଭାଷିତ      ଆଉ କି ପରାଣମିତ

ଧୃତି ଧରିବ ମୋ ଗୁଣ ବାଉନିରେ

ବାଉନ । ।୫।

 

ରାଗ–ଶ୍ରୀ । ଆଦି ତାଳ ।

(ନାହିଁ ମୋ ଗତି ତୋ ବିନା ରେ କୁନ୍ଦରଦନା – ପ୍ରତି)

ପଙ୍କଜାନନା, ଦୁଃଖୀ ନୋହିବୁ ମୋ ବିନା ରେ । ।ପଦ।

ଆସିବି ରସିକାରେବର      ନିକଟେ ଛାମୁକୁ ତୋର

ପ୍ରଫୁଲ୍ଲ ନୋହୁଁ ସୁମନାରେ । ।୧।

ପୂର୍ବ ପରି ଗଜପତି      ଡେରିବୁ ନାହିଁଟି ଶ୍ରୁତି

ଡାକିଲେ ସାରୀ ମୋ ନାଁ ରେ । ।୨।

ଯାଅ ବୋଲି ଶ୍ରୀମୁଖରୁ      ସରସେ ବାଣୀ ଉଚ୍ଚାର

ବନ୍ଧୁ ମୋ ଗଣ୍ଠିର ସୁନାରେ । ।୩।

ନ ବୁହା ନୟନୁ ବୀର      ଘେନ ଧନ ଆନ ମୋର

ଟେକି ମୁଖ ମୋତେ ଅନାରେ । ।୪।

ଗୋପାଳକୃଷ୍ଣ ଅଙ୍କରେ      ବସଇ ଭାଷେ ସଧୀରେ

କପଟେ କହିଲି ସିନାରେ । ।୫।

 

ରାଗ–ଯଦୁକୁଳ କାମୋଦୀ । ମିଶ୍ରଚାପ ତାଳ ।

(ନାଗରବର ପ୍ରେମ ନିରେଖି କରି – ପ୍ରତି)

ଅବିବେକୀ ଦଇବ କି ଛଡ଼ାଇଲା ରେ

କି ମରୁଛି ଦେଲି ମୁଁ କାଳେ ହୋଇଲା ରେ । ।ପଦ।

ଅଲଗା ଲାଗୁଥିବ      ସଦନ ଯାକ ନବ –

ସପତ ବୟସୀ କି ଦଣ୍ଡ ଦେଲା ରେ । ।୧।

ଅଣ୍ଟି ଗଲା ପ୍ରାଣକୁ      ଦୁଃଖ ଘୁଞ୍ଚୁ ପଛକୁ

ଛୁଅଁ ନା ବୋଲି ଧନ ହସି ଛୁଇଁଲା ରେ । ।୨।

କି ରହିଲା ଜୀବନ      ଆହା ଅଇଲା ଦିନ

ସରି କରି ମୁଖକୁ ଚାହିଁ ନ ଥିଲା ରେ । ।୩।

ଲାଜ ବରଜିବାର            ତନୁ କେଳି ଆଗାର

ଅଳିନ୍ଦ ସ୍ୱଇଚ୍ଛାରେ ବଳି ନ ଥିଲା ରେ । ।୪।

ଗୋପାଳକୃଷ୍ଣ ବୋଲେ      ଅଙ୍କରେ ବସାଇଲେ

ହେଉଥାଇ ଆଉରି ତନୁ ଥରିଲାରେ । ।୫।

 

ରାଗ–ବିଳାହାରି । ଆଦି ତାଳ ।

(ଶ୍ୟାମ ଅପରାଧିନୀ ମା ସଙ୍ଗିନୀ – ପ୍ରତି)

ମନରୁ ଯାଉ ନାହିଁରେ ସଜନୀ । ।ପଦ।

ଦୋଷ ନ ମଣି      ପୀରତି ଚିନ୍ତା ମଣି

ଦଇବ ଘେନିଲା ଛଡ଼ାଇରେ । ।୧।

ପ୍ରୀତି ବିଭିନ୍ନ      କଲା ବିହି ପିଶୁନ

ମୋ ପ୍ରାଣ ନ ନେଲା କାହିଁପାଇଁରେ । ।୨।

ହାର ଅଂଶୁକ      କାଢ଼ି ରଜନୀ ଯାକ

ଛାତିରେ ଥିବାର ପହୁଡ଼ାଇ ରେ । ।୩।

ଆନକୁ ପାନ      ଆନ ପକାଇ ଧନ

ଦେବାର ଡାକି ଅଙ୍କେ ବସାଇଲେ । ।୪।

ପଞ୍ଜର ପାଶେ      ଲୁଚି ମୁହିଁ ଚାହୁଁ ସେ

ଯିବାର ହସି ହସି ଅନାଇଁ ରେ । ।୫।

ଭେଟ ଅଜାରେ      ପଡ଼ିଗଲେ ଲାଗେ

ସେ ଚୁମ୍ବ ଦେବାରେ ମୁଁ ପଳାଇରେ । ।୬।

ଶ୍ରୀ ଜଗନ୍ନାଥ      ଗଜପତିଙ୍କି ପଥେ

କେ ବଣାକଲା ଆସୁ ଭ୍ରମାଇରେ । ।୭।

 

 

 

ରାଗ–ସାବେରୀ । ମିଶ୍ରଚାପ ତାଳ ।

(ଗଲାଣି ତ ଗଲା କଥାରେ ସଙ୍ଗାତ – ପ୍ରତି)

ବାରି ନୁହେଁ ନାରୀ ମନରେ ନାଗରୀ !

ଅସାଧାରଣ ତାଙ୍କ ପ୍ରେମାଚରଣ

କ୍ଷଣକୁ କ୍ଷଣ ନୂତନ ରେ । ।ପଦ।

ପୁପୁଷଙ୍କୁ ବପୁ ପ୍ରାଣ ସମର୍ପଣ

କରିଥାନ୍ତି ରଜନୀରେ

ବାସରେ ମଦନ ଦହିଦେଲେ ହେଳେ

ଅନାନ୍ତି ନାହିଁ ହେଳାରେ । ।୧।

 

ପାଶେ ରହି ଜନେ ଡାକିଲେ ନ ଶୁଭେ

ଯା ପ୍ରେମ ଭାଳ ମାନସେ

ତାକୁ ପୁରତରେ ଦେଖିଲେ ପଳାନ୍ତି

କାହିଁପାଇଁ ବିନା ଦୋଷରେ । ।୨।

ଲାକ୍ଷା ଲେଖି ଦେବି ବୋଇଲେ ଓଳଗି

ପକାନ୍ତି ଆପଣା ଆନ

ମାନ କଲା କାଳେ ଚରଣେ ପଡ଼ିଲେ

ନୁହଇ ଲବେ ପ୍ରସନ୍ନ । ।୩।

 

ପୁରୁଷାୟିତେ ବା ସ୍ୱତନୁର ଶୋଭା

କରନ୍ତି ଦରଶନକୁ

ଏଥୁ ଆନ ବେଳେ ନ ଦେଖାନ୍ତି ପଦ

ଅଙ୍ଗୁଷ୍ଠି ଅଗ୍ର ଭାଗକୁ । ।୪।

ହୃଦେ ଥାନ୍ତି ଜଡ଼ି ନିଶି ବେନି ଘଡ଼ି

ଥାଉଁ ତଳ୍ପେ ଉଠି ବସି

ଗୋପାଳକୃଷ୍ଣ ଭାଷଇ ଯିବାବେଳେ

କହନ୍ତି ମାତ୍ର ଆଶ୍ୱାସି । ।୫।

 

ରାଗ–ଝାଞ୍ଜୋଟି ।

(କା ମନେ ଥିଲା ଏକଥାରେ – ପ୍ରତି)

ନବିନା ଘେନି କା ମନାରେ

ଗଲା ଚପଳେ ବୋଲୁଁ ଅନା ଅନା ରେ । ।ପଦ।

ପ୍ରାଙ୍ଗଣରେ ଦିବସରେ ନିରତେ ।

ଦେଖିବେ ପାଇଁ ଖେଳା ନାନା ମତେ ରେ । ।୧।

ମୋ ନାମ ବହିବା ଶିଶୁକୁ ହୃଦେ

ପକାଇ ଡାକୁଥାଇ କି ପ୍ରମୋଦେ ରେ । ।୨।

ମୋତେ ଦେଖିଛି ବୋଲି ସଜନୀ ରେ

ନେତ୍ରରେ ଚୁମ୍ବୁଥାଇ କେତେ ଥର ରେ । ।୩।

 

କ୍ଷଣେ ନ ଦେଖିଲେ ଆଳୀକି ଡାକି

ବୋଲେ ନ ଦିଶେ ମୁଁ ଅପରାଧୀ କି ରେ । ।୪।

ଆଳୀ କରେ ଚାହିଁ ମୋ ଲାଗି ସ୍ରଜ

ପୁଲକାର ଦିଏ ପ୍ରତି ପ୍ରତୀରେ । ।୫।

ଗୋପାଳକୃଷ୍ଣ ପୂଚ୍ଛଇ ଦୂତୀକି

କହ ମୋ ପରେ ସତେ ରୁଷିଛି କି ରେ । ।୬।

 

ରାଗ–ଶଙ୍କରାଭରଣ । ରୂପକ ତାଳ ।

(ପୋଡ଼ୁ ପର ଅନୁରାଗ–ପ୍ରତି)

ଅନୁସରିବାର ସାର । ଏହି ଏକ କି ସହ ପଚାର ଗୋ । ।ପଦ।

ଅପାର କରୁଣା ଅକୂପାର ବୋଲି

ଅନୁଦିନ ଆଶା କରି ଗୋ

କାଳ ବହିଗଲା ଦୁଃଖ ନ ସରିଲା

ପୋଛୁ ନୟନରୁ ବାରି ଗୋ ।୧।

ଯା ଦୟା ଦୃଷ୍ଟି ପ୍ରାନ୍ତ ଲବ କେଶକୁ

ଭିକ୍ଷୁକ ପରାଏ ହୋଏ ଗୋ

ଚାହିଁବା ଜନକୁ ହୃଦେ ହୃଦ ଦେଇ କର

ମାରି କି ପକାଇ ଗୋ ।୨।

 

ମାର ମାରଣରେ ପରାଣ ଆଖର

ହୋଇଲାଣି ବୋଲି ଶୁଣି ଗୋ ।୩।

ଅଧରୁ ଅମୃତ ପାନ କରିବାକୁ ଅରହ

ସେ ପୀରତିରେ ଗୋ

ସ୍ନେହ ବତ୍ସଳାପଣେ ହେଲେ ତାକୁ

ନସଙ୍ଖାଳି କି ଗୁପତରେ ଗୋ ।୪।

ଯେମନ୍ତ ହେଲା କୁରଙ୍ଗ ସୁଧାକର

ପକ୍ଷରେ ବଳାଇ ଆଶା ଗୋ

ଶ୍ରୀ ଜଗନ୍ନାଥ ଜଗପତି ଭଣିଲେ

ହେଲା ମୋର ସେହି ଦଶା ଗୋ ।୫।

 

ରାଗ–ବେଗଡ଼ା । ତ୍ରିପୁଟା ତାଳ ।

(କା ମନେ ଥିଲା ଏକଥା – ପ୍ରତି)

ମନକୁ ମନ ମୋ ଧନ କି ବିଚାରୁଥିବ ବସି

ଦିନକୁ ଦିନ ହେଉନି ଖିନ୍ନ ଲହଲୀ ବୟସୀ ରେ । ।ପଦ।

ପୂର ଦୁଆର କବାଟ      ନିକଟରେ ରହି ବାଟ

ଜଗି ଜଗି ମୋ ଭେଟକୁ ନଟ

ଖଞ୍ଜରୀଟ ଦୃଶୀ । ।୧।

ଡାକିଲେ ବାୟସ ଆଗେ      ଆହାର ଦେଇ ସରାଗେ

ପଚାରି ସନ୍ଦେଶ ମୋର ସଜ

ନୀରଜ ସୁବାସୀ । ।୨।

 

ଘଡ଼ିକି ଘଡ଼ି ନୟନ      କରୁଥିବ ଥନ ଥନ

କେତେ ଦୀର୍ଘଶ୍ୱାସ ତେଜୁଥିବ ଗଣ୍ଡେ

କର ନିବେଶି ।୩।

ଶୀର୍ଣ୍ଣ ହୋଇଯିବ ଚାହିଁ       ପଚାରିଲେ ତାକୁ ସହୀ

ମଥା ଲୁଆଇଁ କରଜ ଅବନୀରେ

ଘଷି ଘଷି । ।୪।

ସହିଥିବ ଶଙ୍କରଙ୍କୁ      ଚମ୍ପକ ବଢ଼ାଇବାକୁ

ଗୋପାଳକୃଷ୍ଣ ବୋଲେ ମୁଁ ବିଦେଶୁଁ

ଯିବାକୁ ମନାସି ।୫।

 

ରାଗ–କେଦାର । ମିଶ୍ରଚାପ ତାଳ ।

(ବନ୍ଧୁ ଏ କି ରୀତି ନ ଦେଉ ମୋତେ ଉତ୍ତର ରେ – ପ୍ରତି)

ନୟନରେ ନାଚୁଛି ତୋ ରୂପ ଚନ୍ଦ୍ରମା ମୁହିଁରେ

ଯେଣିକି ଚାହିଁଲେ ତୋ ପରାୟେ ମୋତେ କେହି ଜଣେ ଦିଶୁନାହିଁରେ ।ପଦ।

ବିଲୋକିଲେ ଅବା ଶୁଣିଲେ ମୋ

ବାଣୀ ଜୀବବନ୍ଧୁ କେଡ଼େ ସ୍ନେହୀ

ଦୀପ ଫୁଲ ପରି କଳେବର ଯାକ

କିଶୋରୀ ପୁଲକୁ ଥାଇ । ।୧।

ହେଜୁଥାଇ ରତେ ମୋ ଦୃଷ୍ଟି

ଉରଜ ତଳକୁ ଚଳିଲେ ସହି

ଚୁମ୍ବ ଦେବା ଛଳେ ମୁଖେ ମୁଖ

ଦେଇ ରହୁ କି ମୂଛିର୍ଲି ମୁହିଁ । ।୨।

 

ସୁରତାନ୍ତେ ତଳ୍ପ ତଳେ ଅଳ୍ପୋଦରି

ପ୍ରଦୀପ ପାଶରେ ରହି

ବାସ ପିନ୍ଧି ନୀବି ବନ୍ଧ ଖୋସୁଁ ବନ୍ଧୁ

ହସି ଯା ଦେଇଛୁ ଚାହିଁ । ।୩।

ଅଇଲା ବେଳେ ମୋ ପଛେ ଆସି

ବାରବାନୀ ସ୍ୱର୍ଣ୍ଣ ଦେହୀ

ଦେହଳୀ ଦୁଆରୁ କନକ ରମ୍ଭୋରୁ

ରହିଯିବାର ରୁ କହି । ।୪।

ଲଲାମକ ପୁଷ୍ପସ୍ରକ ତୋର

ବିଶ୍ୱକର୍ମା କି ପାରିବ ଲିହି

ବୋଲେ ଗୋପାଳକୃଷ୍ଣ ଆଉ ଲଭିବି

ଲୋଡ଼ିଲେ ତୋ ପରି କାହିଁ ।୫।

 

ରାଗ–ଝାଞ୍ଜୋଟି । ଆଦିତାଳ ।

ମୂରୁଛି ନୁହଇ ମନୁ ବନ୍ଧୁ କି ବୁଦ୍ଧି କରିବି ରେ । ।ପଦ।

ରହୁ ନାହିଁ ନେତ୍ରେ ବନ

ଅନୁବ୍ରତେ ନିଶିଦିନ

ତୋ ଶ୍ରୀମୁଖଚନ୍ଦ୍ର ଛବି

ଭାବି ଭାବିରେ । ।୧।

ଦୁଃଖୀ ହେବାକୁ ଶୋଚନା

ନାହିଁରେ ସ୍ନେହ ଅଧୀନା

ଗଲେ ଜୀବନ ଆଉ କାହୁଁ

ଦେଖିବି ରେ । ।୨।

 

ନୟନେ କରିଛି ଘର

ଭୟେ ହୋଇ ତରତର

ଚୁମ୍ବ ଘେନି ପଳାଇ ଯିବାର

ଛବିକି ରେ । ।୩।

ଶୁଭିଗଲେ ମୋର ଗୀର

ସ୍ନେହେ ହୋଇ ଜର ଜର

ଆସିବାର ଖୋସି ଖୋସି

କେଶ ନୀବି ରେ । ।୪।

ଗୋପାଳକୃଷ୍ଣ ଭାବନ

କରେ ତୁ ମିଳିଲେ ଧନ

ଜୀଇଁଥିବା ଯାକ ହରଙ୍କୁ

ସେବିବି ରେ । ।୫।

 

ଜାଈଫୁଲ କଉତିଶା

କେଉଁ ଚିର ପରବାସୀ

କରଇ ଚିନ୍ତା ଏକ ହୋଇ ମୋ ବନ୍ଧୁ କି

ବିଚାରୁଥିବ ବସି । ।୧।

ଖଳ ଦଇବ କି ନ କଲା

ଖଣ୍ଡପରଶୁପର ହାତେ ମୋ ବନ୍ଧୁ

କେଡ଼େ ଦଣ୍ଡ ପଡ଼ିଗଲା । ।୨।

ଗୁଣନିଧି ରୂପବତୀ

ଗ୍ରୀବା ଲୁଆଁ ମୃଦୁ ବଚନ ସୁମରି

ଫାଟି ଯାଉନାହିଁ ଛାତି । ।୩।

 

ଘଡ଼ିଏ ହେଲା ଅନ୍ତର

ଘନକେଶୀ ପେଶି ଦାସୀକି ସନ୍ତତେ

ବୁଝୁଥାଇ ମୋ ଖବର ।      ୪।

ନେତ୍ରେ ନାଚୁଛି ମୋହର

ନବୀନା ଅଜାରେ ମୋତେ ଚାହିଁ ଲାଜେ

ହସି ଅପସରିବାରେ ।୫।

ଚାରୁ ଚାମୀକର ଅଙ୍ଗୀ

ଚିତ୍ତରୁ ଯାଉ ନାହିଁ ସାଜି କବରୀ

ମୋତେ ଦେଖାଇବା ଭଙ୍ଗୀ ।୬।

 

ଛଇଲା ସ୍ନେହ ତୋହର

ଛାଡ଼ୁ ନାହିଁ ସୁରତାନ୍ତେ ମୋତେ ହୃଦେ

ଧରି ଧୀରେ ବିଞ୍ଚିବାର ।୭।

ଯିବାବେଳେ ଆସେ ପାଶେ

ଜବାଧରୀ ଲୋଭେ ଲେଉଟି ପଛକୁ

ମୋତେ ଚାହିଁବାର ଦିଶେ ।୮।

ଝସନେତ୍ରୀ ଯା ଦିଶଇ

ଝଲକିଲା ପରି କୁଚରୁ ଅମୃତ ଝାଳ

ଯାଉଥାଇ ବହି । ।୯।

 

ନିଦ୍ରା ମୁଁ ଯିବାର ଚାହିଁ

ନିଟିଳ ତିଳକ ମୋ ଭାଲେ ଲଗାଇ

ଚୁମ୍ବୁଥାଇ ରହି ରହି । ।୧୦।

ଟେକ ଉରଜା ଗୁମାନେ

ଟାହି କରି ବସିଥାଉ ଚାହିଁ ମୋତେ

ମିଶିଯାଉ ଅପଘନେ । ।୧୧।

ଠିଆ ହୋଇ ଅଗଣାରେ

ଠାରି କେଳିପୁରେ ପଶୁ ନାଗବଲ୍ଲୀ

ଚନ୍ଦନ ଧରି ଶ୍ରୀକରେ । ।୧୨।

 

ଡାକିଲେ ଶୁକ ମୋ ନାମ

ଡମ୍ବରୁମଧ୍ୟା ତୋ ପ୍ରତି ପ୍ରତିକରେ

ଉଲ୍ଲସି ଉଠଇ ଲୋମ । ।୧୩।

ଢାଳି ମୋ ହୃଦେ ଲପନ

ଢାଳେକ୍ଷଣି ଚୁମ୍ବ ଦେଇ ବୋଲୁ କେବେ

ବିଦେଶି ନ ଯିବ ଧନ ।୧୪।

ଅପରାଧ କଲେ ଯେତେ

ଅଜଣା ପରି ଜାଣି କୃପା ବାରାଧି

ବଞ୍ଚାଇ ନେଇଛୁ କେତେ । ।୧୫।

 

ତନୁଦରି ପ୍ରେମ ଭୋଳେ

ତରକି ନପାରି ମୋ ରୂପ ଲେଖିଛୁ ଭିତ୍ତି

ଚିତ୍ରିବାର ବେଳେ । ।୧୬।

ଥିଲେ କି ବ୍ରତ ଆଚରି

ଥାଳୀରେ ଭରି ସେ ପ୍ରସାଦ ମୋଆଗେ

ଉଭାହେଉ କରେଧରି ।୧୭।

ଦୂରୁ ଶୁଭିଲେ ମୋ ଗିର

ଦରଶନ ଯାଏ ବଣା ଏଣୀ ପରି

ହେଉଥାଉ ତର ତର । ।୧୮।

 

ଧଇଲେ ଦିବସେ କର

ଧୀରେ କେତେ ଦୈନକରି ଧନମୋତେ

ହସି କରୁରେ ଜୁଆର ।୧୯।

ନ ଆସିଲେ ମୁଁ ଏଣିକି

ନବୀନା ଚିତ୍ରପଟରେ ଚାହିଁ ନେତ୍ରୁ

ବୁହାଇ ଦେଉ ପାଣିକି । ।୨୦।

ପଲ୍ଲବଲଗା ପ୍ରସୂନ

ପୟୋଧର ପାହାଡ଼ରେ ରଖିଥାଉ

ମୋ ପାଇଁ କରି ଯତନ । ।୨୧।

 

ଫୁଲବନ ସଦନରେ

ଫେଡ଼ି ପୋଥିପଢ଼ି ଲୁହ ପୋଛୁଥାଉ

ମୋ କ୍ଷଣିକ ବିଚ୍ଛେଦରେ ।୨୨।

ବେଣୀ ସାଜି ଦେବି ବୋଲୁ

ବିମ୍ବାଧରୀ ହସି ପାଶକୁ ଆସିଲେ

ପ୍ରଦୀପ ଲିଭାଇ ଦେଲୁ । ।୨୩।

ଭରମାଙ୍ଗୀ ରତି ଶେଷେ

ଭିଡ଼ି ଦନ୍ତବାସ ପିନ୍ଧୁ ହାସ ବାସ

ପୂରିଥାଇ ଗଣ୍ଡଦେଶେ । ।୨୪।

 

ମଲ୍ଲୀ କୁସୁମର ତଳୁ

ମଧୁପ ଚୁମ୍ବୁଥିଲାର ତୁ ଅନାଇ

ମୋ ନୟନ ବୁଜାଇଲୁ । ।୨୫।

ଯତନେ ଶର୍ଯ୍ୟା ସଜାଡ଼ି

ଯିବାଯାଏ ମୁଁ ପଣନ୍ତରେ ପଲ୍ୟଙ୍କ

ତଳରେ ଥାଉ ପହୁଡ଼ି । ।୨୬।

ରତି ସରସ ରଙ୍ଗରେ

ରାମାମଣି ମୋ ଶାନ୍ତି ଜାଣି ରୁହାଉ

ଚିବୁକ ଧରି ଶ୍ରୀକରେ । ।୨୭।

 

ଲଳନା ସ୍ୱପ୍ନେ କି ଚାହୁଁ

ଲୁହ ପୋଛି ପୋଛି ପଣନ୍ତ ତିନ୍ତଇ

ମୁଁ ପଚାରିଲେ ନ କରୁ । ।୨୮।

ବାସବ ରତନ କେଶି

ବାହୁ ମୋ ମଥା ମୂଚଳି କରି ଥାଉ

ପାହି ଯିବା ଯାଏ ନିଶି । ।୨୯।

ଶୀର୍ଣ୍ଣ ଦିଶୁଥିବ ପରା

ଶଙ୍କର ସେବାର ଫଳ ତୁ ମୋହରି

ବରାରୋହା ଅଗ୍ରଗିରା ।      ୩୦।

 

ଷୋଡ଼ଶ ବୟସୀ ରାମା

ଷଟପଦ ଅଳକୀନୀ ଶୋଭା ତୋର

ଚାହିଁ ପ୍ରଶଂସିବେ ଉମା ।୩୧।

ସଜନୀରଜ ଲପନା

ସଜନୀ ଅଙ୍କରେ ପଡ଼ି କରୁଥିବ

ଯଦି କୁଶଳେ ବରତି ଥିବ । ।୩୨।

କ୍ଷଣେ ନ କରି ଅଳସ

କ୍ଷିତିଭୁଷା ପାଶେ ମିଳିଲା ଗୋପାଳକୃଷ୍ଣ

ତେଜି ପରବାସ । ।୩୩।

 

ଚିଟାଉ ଛନ୍ଦ ।

ରାଗ–ଚିନ୍ତା କେଦାର

କେଉଁ ବିଦେଶୀ ପ୍ରବାସେ ରହି

ନବ ମୂଦିର ଉଦୟ ନାହିଁ

କରଇ ବିଚାର ମୋ ବନ୍ଧୁ ଏଥର

ବଞ୍ଚିବାକୁ ଉପାୟ ତ ନାହିଁରେ,

ବରାଙ୍ଗି । ।୧।

କେତେ କହିଲୁ ଅଇଲା ଦିନ

ଅଙ୍କେ ବସି ମୋ ଜୀବନ ଧନ

ଅବଧି ନୋହୁଁ ଆସିବ କି ବୋଲି ମୋ

ମୁଖେ ଦିଆଇଲୁ ତୋର ଆନ ରେ,

ବରାଙ୍ଗି । ।୨।

 

ଯାଉଛି ମୁଁ ବୋଲୁ ଚନ୍ଦାନନ

ଟେକି ଚାହିଁ ତ ପାରିଲୁ ଧନ

ଉଠି କୋଳରୁ ମୋ ପଛେ ପଛେ ଆସୁ

ପୋଛିଥିଲୁ କେତେ ନେତ୍ରୁ ନୀର ରେ,

ବରାଙ୍ଗି । ।୩।

ଲେଉଟି ଅନାଇଲା କ୍ଷଣି

ରହି ସୋପାନରେ ରାମାମଣି

ଯାହା ହେଉଥିଲୁ ଏକ୍ଷଣି ଦିଶୁଛି

ତୋ ସେ ଉଭା ହୋଇବାର ଠାରିରେ,

ବରାଙ୍ଗି । ।୪।

 

ତାହା ଦେଖି ଦେଖି କି ଅଇଲି

ସାହା ନାହିଁ ବୋଲି ଜାଣିଥିଲି

ଆହା ପ୍ରୀତି ଚିନ୍ତାମଣି ତୋତେ ପାଇ

ମୂଢ଼ ବୁଦ୍ଧିରେ ହରାଇ ଦେଲି ରେ,

ବରାଙ୍ଗି । ।୫।

ବିଦ୍ୟୁଲ୍ଲତା ପରି କଳେବର

ଥରୁଥିଲା ନୀପ ପୁଷ୍ପାକର

ପୁଲକା ବଳୀରେ ପୂରିଥିଲା ଝାଳ

ଲୁହେ ହୋଇଥିଲ ଜର ଜର ରେ,

ବରାଙ୍ଗି । ।୬।

 

ଆଉ ଦେଖିବାକୁ ନାହିଁ ଆଶା

ଆରେ ସିମନ୍ତିନୀ ଶିରଭୁକ୍ଷା

କାଳ ରାତ୍ରି ପରି ପ୍ରତେ ହେଉଥିବ

ତୋତେ ଏ ଘନ ଅନ୍ଧାର ନିଶାରେ,

ବରାଙ୍ଗି । ।୭।

ପରବାସ ମୁଁ ଯିବି ବୋଇଲେ

ହସି ବୋଲୁ ଯେ କି ହେବ ଗଲେ

ବାଡ଼ରେ ଚିତ୍ର ବରହୀକି ଦେଖନ୍ତେ

ନେତ୍ରେ ନୀର ବହେ କଥା ତୁଲେ ରେ,

ବରାଙ୍ଗି । ।୮।

 

ଆଜମନରୁ ନ ଜାଣେ ଦୁଃଖ

ଶୁଣି ଯାଇଥିବନି ଶ୍ରୀମୁଖ

କୋମଳାଙ୍ଗି ତୋର ହୃଦୟ ସ୍ତନକୁ

ତ୍ରୁର ମାର କରିଥିବ ଲାଖରେ,

ବରାଙ୍ଗି । ।୯।

ଆଳି କେଳି କୁସୁମ କାନନ

ଚାହିଁ ମୋତେ ଚିତ୍ତେ ଧ୍ୟାଇ ମନ

ସଙ୍ଗିନୀ ମୁଖକୁ ଭଙ୍ଗୀରେ ଅନାଇଁ

ଦୁଃଖେ ଦୁଃଖୀ ହେଉଥିବୁ ଧନରେ,

ବରାଙ୍ଗି । ।୧୦।

 

ନିତି ପ୍ରଦୀପ ଜାଳିଲାକ୍ଷଣି

ପ୍ରୀତିବତ୍ସଳାରେ ଯୋଡ଼ି ପାଣି

ଶିରେ ରଖି ମୋର ଅଶିଷ୍ୟ ହେବାକୁ

କେତେ ଜଣାଉଛୁ ଗୁଣମଣିରେ,

ବରାଙ୍ଗି । ।୧୧।

ଆରେ ନୂଆ ଲହୁଲି ବୟସୀ

ଲୁଆଁଇଲା କରି ମୁଖଶଶୀ

ଦିଶୁଛି ରସ ଦେଖିଲା ନାଗବଲ୍ଲୀ

ଦେଇ ପକାଇ ଯିବାର ହସି ରେ,

ବରାଙ୍ଗି । ।୧୨।

 

ଦ୍ୟୁତି ନୀଳୋତ୍ପଳ ଗର୍ଭପତ୍ର

ଛଟା ନଟ ଖଞ୍ଜରିଟ ମିତ୍ର

ଅଞ୍ଜନେ ରଞ୍ଜିତ ଲଜ୍ଜ୍ୟାକୁ ପାବନ୍ତି

କେତେ ଢାଳୁ କଷାୟିତ ନେତ୍ରରେ,

ବରାଙ୍ଗି । ।୧୩।

ଯୁବା ଧୈର୍ଯ୍ୟ ଭେକ ଡାକ ଫଣି

ସ୍ମର ଶରାସନ ସମ ଠାଣି

ଚଳନ ବିବେକ ଛେଦନ କତୁରି

ଭୁରୁବଲ୍ଲୀ ତୋର ଗୁଣମଣି ରେ,

ବରାଙ୍ଗି । ।୧୪।

 

ରସାଣିତ ବାରବାନି ସ୍ୱର୍ଣ୍ଣ

ସ୍ନିଗ୍‌ଧ ଗଣ୍ଡମଣ୍ଡଳର ବର୍ଣ୍ଣ

ନୀପ ପୁଷ୍ପ କୃତି ଦରେ କର୍ଣ୍ଣତଟେ

ଛୁଇଁଦେଲେ ମୋ ନାମର ବର୍ଣ୍ଣରେ,

ବରାଙ୍ଗି । ।୧୫।

କାନ୍ତି ପଦ୍ମରାଗ ସହୋଦର

ସଦା ସୁଧା ସମ୍ପୂର୍ଣ୍ଣ ଅଧର

ଆସ୍ୱାଦି ତୁଚ୍ଛା କରାଇ ଇନ୍ଦ୍ରପଦ

ପାପ ବିହି କରିଦେଲା ଦୂରରେ,

ବରାଙ୍ଗି । ।୧୬।

 

ସୁକୁଞ୍ଚିତ ଦୀର୍ଘ ସୂକ୍ଷ୍ମ ଦେଶ

ଅଞ୍ଜନରୁ ଅସିତ ସୁସଞ୍ଚ

କରି କବରୀ ରୁଚକ ଫାଳି ପରି

ଉପମାକୁ କରାଉ ସଙ୍କୋଚ ରେ,

ବରାଙ୍ଗି । ।୧୭।

ହା କି ଶୋଭା ସେ ଅଳକାବଳୀ

ସ୍ୱର ରାଜାର ବିରୁଦାବଳୀ

କପୋଳ ବ୍ୟାଜେ କି ସେ ସ୍ୱର୍ଣ୍ଣ କାଗଜେ

ଲେଖା ସୁଚିର ସ୍ୱାକ୍ଷର ମାଳିରେ,

ବରାଙ୍ଗି । ।୧୮।

 

ଲଲାଟର ସିନ୍ଦୂର ତିଳକ

ଶୋଭା ଦେଖିଲେ ଶୁକ ସନକ

ଉଭା ହେବେ ଦଣ୍ଡେ ନ ଘୁଞ୍ଚି ପହଣ୍ଡେ

ବୋଲି ଅରୁଣକୁ ଧିକ ଧିକରେ,

ବରାଙ୍ଗି । ।୧୯।

ପଦ୍ମରାଗ ମଣି ଭୁଲକୀର

ତଳେ ନର୍ତ୍ତକୀ ସୁମୋତିବର

ତିଳପୁଷ୍ପ ନାସିକାରେମଣ୍ଡି ଧନ

ନେତ୍ର ଦୁଷ୍କୃତ କରାଉ ଦୂରରେ,

ବରାଙ୍ଗି । ।୨୦।

 

ଭୁଷାଳକୃତ ଶ୍ରବଣ ପାଶ

ଆକ୍ଷି ପକ୍ଷୀର ବନ୍ଦ ଆବାସ

ମୂର୍ଚ୍ଛି ହେଉନାହିଁ କରିବାରୁ ତହିଁ

ପତ୍ରଲତା କୁସୁମ ଉତ୍ତଂଶରେ,

ବରାଙ୍ଗି । ।୨୧।

ସ୍ୱାଦୁ ବୋଲି ପରମ୍ପରା ସୁନା

ସୁଧା ଚାଖି ତ ନାହିଁ ରସନା

ସ୍ତମ୍ଭ ମୋହ ବଶ୍ୟ ଉଚ୍ଛାଟ କାହିଁକି

ତୋ ବାଣୀକି ହୋଇବ ତୁଳନାରେ,

ବରାଙ୍ଗି । ।୨୨।

 

ଶୁଣି ଥରେ ଶ୍ରୀମୁଖୁଁ ସେ ବାଣୀ

କୀର ସାରୀ ଶିଖଣ୍ଡ ସେ କ୍ଷଣି

କେଡ଼େ ମଧୁର ଏଡ଼େ ହୃଦ ହୁଅଇ

ଆଉ ନ ରସେ ତ ପଶୁ ପ୍ରାଣୀରେ,

ବରାଙ୍ଗି । ।୨୩।

ଚାରୁ କସ୍ତୁରୀ ବିନ୍ଦୁ ଚିବୁକ

ଘଉଡ଼ାଇ ପ୍ରଥମେ ପଲକ

ଛଡ଼ାଇ ଦିଅଇ ଯେ ହେଉ ତାହାର

ପୂର୍ବାଜିତ ନେତ୍ରର ପାତକ ରେ,

ବରାଙ୍ଗି । ।୨୪।

 

ପ୍ରାଣ ସଙ୍ଖାଳି ମୋ ରତ୍ନଗଣ୍ଠି

ଜିଣା ମତ୍ତ ପରାବତ କଣ୍ଠି

ଖଞ୍ଜି ଚାପସରି ସାରିଦେଉ ଶିରୀ

ଶୋଭା ସୃଷ୍ଟିରେ ପକ୍ୱ ବମ୍ବୋଷ୍ଠିରେ,

ବରାଙ୍ଗି । ।୨୫।

ସ୍ତନ ଯୁଗଳକୁ ସମ ଏହି

ହେଲେ ହୁଅନ୍ତା ବୋଲୁଛି ମୁହିଁ

କନ୍ଦର୍ପ କୁନ୍ଦରେ କୁନ୍ଦରେ ଫରୁଆ

ଶ୍ରମ କରି ରଚନା କି ବିହିରେ,

ବରାଙ୍ଗି । ।୨୬।

 

ଜଳଦ ଚଉତିଶା

ରାଗ–କଲ୍ୟାଖି ଆହାର

କେଉଁ ପଥିକ ନଗରେ ବଳାହକ

ଦେଖିଣ କରଇ ବିଚାର

ଖେଦେ ସେହି ନବ ବାଳା ମୋର

ନାମ କରୁଥିବ କି ଉଚ୍ଚାର

ଜଳଦ, ଗୁପତ ପ୍ରୀତି ଖ୍ୟାତି ହେଲା,

ଘଟାଇ ଧାତା ଏ ଦଣ୍ଡ ଦେବ ବୋଲି

କେତେଦିନରୁ ପାଞ୍ଚିଥିଲା ।୧।

ନଖ କାଞ୍ଚୁଲା ସହିତେ ସ୍ତନେ କ୍ଷତ

କଲେ ଯେ କରଇ ଦର ଯେ

ଚକୋର ଈକ୍ଷଣି କି କରି ସହିଛି

ନିଷ୍ଠୁର ମଦନ ଶର ଯେ

ଜଳଦ, ଛାର ଜୀବ କିମ୍ପା ରହିଛି,

ଯେବେ ଯିବି ଏଥୁ ଆଉ କି ତା ମୁଖ

ଦେଖିବା ଭରସା ଦିଶୁଛି ।୨।

 

ଝିନ ବସନ ପଦୁଁ ଶିର ପର୍ଯ୍ୟନ୍ତେ

ଆଚ୍ଛାଦି ଥାଇ ଶୟନରେ

ନିଦ ନ ଥାଇ ମିଛେ ବୁଜି ନୟନ

ହସୁଥାଇ ଚିତ୍ତ ଭିତରେ

ଜଳଦ, ଟାହି ନ ଜାଣି ମୁଁ ଡାକନ୍ତେ

ଠଣମୁଖୀ ଶୀଘ୍ରେ ଉଠି ମୋ ଲପନ

ବୁଜାଇ ଧଇଲା ପଣନ୍ତେ ।୩।

ଡେରି ଦେଇଥାଏ ଶୁକ ପଞ୍ଜରୀକି

ମୋତେ ଚାହିଁବାର ମାର୍ଗରେ

ଢାଳେ ଏହିକ୍ଷଣି ପଢ଼ ବୋଲି ଗିର

ଚୁମ୍ବୁଥାଇ ମୋହ ଛଳରେ

ଜଳଦ, ଅନାଇଁ ମଥା ପୋତିବାର,

ତରଳି ଯିବେ ଚାହିଁଲେ ଜିତେନ୍ଦ୍ରିୟ

ମନୁଷ୍ୟ କେତେକ ମାତର ।୪।

 

ଥରେ ମୋ ପରି ରତିରେ ସେ

ଭିତ୍ତିରେ ଚାହିଁଲା ତା ଛବି ଛଇକି

ଦନ୍ତଗତି କେଡ଼େ ଝଟତିରେ କରି

ଭାଜିଲା ମୋ ନେତ୍ର ଦୁଇକି

ଜଳଦ, ଧନ୍ଦି ହୋଇ ଦୀପ ନାଶକୁ,

ନ ପାରଇ ବୋଲଇ ପୁଣି ସେ ଛଇଲି

ଢଳି ପଡ଼ୁଥାଇ ହୃଦକୁ ।୫।

ପୂର୍ଣ୍ଣଚନ୍ଦ୍ର ମୁହିଁ ରତି ସଜ ହୋଇ

ଆଳୀକି ଡାକି ଦେହଳୀକି

ଫଳ ହୃଦବାସେ ଲୁଚାଇ ଧରିଣ

ବୋଇଲେ ଏକାନ୍ତେ ଦେବୁ କି

ଜଳଦ, ବିନୟ ତାକୁ କେତେ ହୋଇ,

ଭରମ ଅଙ୍ଗୀ ସେ ଅଙ୍ଗୀକାର କଲେ

ଦେଇ ପଥକୁ ଚାହୁଁଥାଇ ।୬।

 

ମୁରୁଛିବା ଥାଉ ମୁହୂର୍ତ୍ତେ ଯେବେ

ସେ ନ ଦେଖଇ ମୋର ମୁଖକୁ

ଯତନେ କେତକୀଦଳେ ଲେଖିଥାଇ

ସେ ଘଡ଼ିର ଯେତେ ଦୁଃଖକୁ

ଜଳଦ, ରତ୍ୟନ୍ତେ ମୋ କରେ ତା ଦେଇ,

ଲପନ ଅଳପ ଲୁଆଇଁ ମୋ ବନ୍ଧୁ

ନଖରେ ନଖ ଘଷୁଥାଇ । ।୭।

ବିରଳ ଯେସନ ବାହାର ହୁଆଇ

ଜାଙ୍ଗଳିକ ଗିରେ ଫଣୀ ଯେ

ସେପରି ଉଭା ହୋଇଥାଇ ଚତ୍ୱରେ

ଦୂରୁ ଶୁଣି ମୋର ବାଣୀ ଯେ

ଜଳଦ, ସେ ଭଙ୍ଗୀ ନୟନେ ପୂରିଛି,

ସମୀପ ମୁଁ ହେଲେ ସେ ବୋଲେ

କେ ତେଣେ ଥିବପରା ଦେଖିଆସୁଛି ।୮।

 

ହାତ ଧରି କହୁଥାଇ ନୋହିବାକୁ

ସେ ନିତିକି ନିତିକି

ହଜାଇ ଦେଲି ମୋହର ଇଚ୍ଛାରେ

ମୁଁ ସୁଦିବ୍ୟ ହେମ ପତୁଳିକି

ଜଳଦ, କ୍ଷୀଣେଦରୀ କ୍ଷିତିଭୁଷାକୁ,

କ୍ଷେମେ କହଇ ଗୋପାଳକୃଷ୍ଣ ଆଉ

କି ଆଶା ଅଛି ଦେଖିବାକୁ ।୯।

କୁମ୍ଭଜ ପରାୟେ ବିପଦ ହୋଇ କେ

ପ୍ରେମ ବାରାଧି ଦେଲା ଶୁଖାଇ

କର ଚିନ୍ତାମଣି ପଥର ହେଲା କରୁଣା

ବୃକ୍ଷେ ନିରାଶ ଫଳିଲା

କାହୁଁ କି ଶୁଣିଲା, କଥା ନ

କହି ମଥା ପୋତିଗଲା ।୧୦।

 

କୂର୍ମ ପୃଷ୍ଠରୁ ଧରଣୀ ଖସନ୍ତା କୁଳକୁ

ପଛେ ସାଗର ଲଘଂନ୍ତା

କରମାଳୀ ବିଧୂ ହେଲେ ଭୁଗତ

କିଞ୍ଚିଲେ ବିରସ ନୁହନ୍ତା ଚିତ୍ତ

କାହୁଁ କି ଶୁଣିଲା, କଥା ନ କହି

ମଥା ପୋତିଗଲା ।୧୧।

 

ମୋହନ ନୟନାଞ୍ଚଳ ନାଚିଲାଣି (ଘୋଷା)

ତନୁ ତମାଳ – ବନରେ       ତରୁଣ କେଶରୀ ଧୀରେ

ରହିବାର ହେଜି ଶିଶୁ ଦ୍ୱି ରଦ ଘୁଞ୍ଚିଲାନି । ।୧।

ନୀଳମଣି ଦରପଣ      ଜିଣି ଗଣ୍ଡ ସୁଚିକ୍‌କଣ

ମକର କୁଣ୍ଡଳ – ପ୍ରତିବିମ୍ବକୁ ସଞ୍ଚିଲାନି । ।୨।

ମୃଦୁ ମନ୍ଦହାସ ଇନ୍ଦୁ      ମିଶା ଭାଷା ସୁଧାବିନ୍ଦୁ

ଲପନ ନିରଙ୍କ ଶୀତ ମୟୂଖ ସିଞ୍ଚିଲାନି । ।୩।

ପଶୁପ ନାଗରୀଙ୍କର      କୋଟି କୋଟି ଜନମର

ସୁକୃତ – ବିଟପୀ – ଫଳ ଏଥର ପାଚିଲାନି । ।୪।

ମଦନ ଲୁଚି ମନରେ      ଯୁବତୀ ସୃଷ୍ଟି ଉପରେ

ଚାରୁ ଭୁରୁ ଶରାସନ ଧରି ଆମଞ୍ଚିଲାନି । ।୫।

ଗୋପାଳକୃଷ୍ଣ ଭାଷଣ      ସାଧ୍ୱୀ ହୃଦୟ ହରିଣ

ମାରଣ ଅଶନିବାଣ ବିରଞ୍ଚି ରଚିଲାନି । ।୬।

 

ରାଗ–ବେହାଡ଼ା, ତାଳ – ତ୍ରିଶୁଟା ।

(ଦେଖିଲେ ଦେଖିଲାପରି ବୃତ୍ତେ)

ଶ୍ରୀ ରାଧାଗୋବିନ୍ଦ ବୋଲି ବ୍ରଜକୁ ଚଳିଯା ମନ

ଅଳୀକ ସୁଖରେ କେଣେ ବ୍ୟର୍ଥେ ହେଉଛୁ ଉଚ୍ଛନା । ।ପଦ।

ଚିତାନନ୍ଦ ସୁଖଦାୟୀ      ଯେ କରୁଣା ମୃତମୟୀ

ସେ ପଦାବ୍‌ଜ ଊନବିଂଶ ଚିହ୍ନ

ତୁଲେ ହୋ ବିଲୀନ ।୧।

ଯେବେ ସେବା ଧନେ ବାଞ୍ଛା      ଶ୍ରୀଗୁରୁଙ୍କୁ କର ପୁଚ୍ଛା

ବତାଇ ଦେବେ ଯାବନ୍ତ

ପରିଚର୍ଯ୍ୟାର ବିଧାନ । ।୨।

ସ୍ୱାମିନୀ କୁଣ୍ଡ ଘଟରେ      ବାସ କରି ରହ ସ୍ଥିରେ

ଶ୍ରୀ ରାଜେଶ୍ୱରୀ କିଙ୍କରୀ ପଣେ

ଯାଚିବେ ଶରଣ ।୩।

ଗୋପାଳକୃଷ୍ଣ ଭାଷଇ      ନ ଯା ଅକାରଣ ହୋଇ

ଛାଡ଼ିଦେ ମାୟା ମମତା ପୁତ୍ର

ପତ୍ନୀ ପରିଜନ । ।୪।

 

ରାଗ–ପୁରବୀ, ତାଳ–ପହପଭା ।

ଆନ ରସରେ ରସନାରେ, ରସନା, (ଘୋଷା)

କୃଷ୍ଣ ନାମାମୃତ,      ମଧୁର କେମନ୍ତ

ଆସ୍ୱାଦୁଁ ଜାଣିବୁ ସିନାରେ । ।୧।

ଖଣ୍ଡ କ୍ଷୀର, ସର,      ମଣିବୁ ଛିକାର

କି ଛାର ଅମୃତ ପଣାରେ । ।୨।

ନାମ ରସାନ      କରିଥିଲେ ପାନ

ହଟେ ତ୍ରି ତାପ ଯାତନାରେ । ।୩।

ବିଷୟ ଜଞ୍ଜାଳ      ବିଷମ ଜାଙ୍ଗଳ (ଇନ୍ଦ୍ରଜାଲ)

ତହିଁ ନ ରଖ ବାସନାରେ । ।୪।

ଗୋପାଳକୃଷ୍ଣର      ଏ ମିନତି ଗିର

ନ ମଣ ରଖ ବାସନାରେ