Unknown

ଧରାକୋଟ-ଦର୍ଶନ

ଚିନ୍ତାମଣି ମହାନ୍ତି

-ରାମକେରୀ-

 

କବିପୁଞ୍ଜ-କୁଞ୍ଜ ଗଞ୍ଜାମ-

ମଧ୍ୟେ ସାହିତ୍ୟ ଖଣି,

ମେଲିଅଛି ମଞ୍ଜୁ ମାଧୁରୀ

ଧରାକୋଟ ଧରଣୀ

 

ଶାର୍ଦ୍ଦୁଳ-ସଙ୍କୁଳ ସୁବଳ-

ଶୈଳ ୧ ପ୍ରାଚୀର ଯଥା,

ଦକ୍ଷିଣ ଦିଗରେ ଟେକିଛି

ରୁଦ୍ର ସୁନ୍ଦର ମଥା

୧-ସୁବଳୟ ଶବ୍ଦଜ ସ୍ଥାନୀୟ ନାମ ସୁବଳା ପାହାଡ଼

 

ମାନଦଣ୍ତ କି ସେ ମହୀର

ଅବା ରତନ କୁଢ଼

କିବା ଧରାକୋଟ ଧରାର

ମରକତ ମହୁଡ଼

 

ଝରଝର ରବେ ତା ଦେହୁଁ,

ଝରେ ଖର୍ଜ୍ଜୁର ଝର ୨

ବ୍ୟୋମକେଶ ଶିରୁ ବହୁଛି,

କିବା ଗଙ୍ଗା ପ୍ରଖର

୨-ପ୍ରଚଳିତ ନାମ ଖଜୁରିଖୋଲ

 

ଚରିବୁଲେ ଶ୍ୱେତ ବାରିଦ

ଶୈଳ ନୀଳାପଘନେ,

ପିଞ୍ଜାତୁଳା ଉଡିଯାଉଛି

ଯଥା ଖର ପବନେ

 

ତରୁଲତାଗୁଳ୍ମେ ଆବୃତ

ଗିରି ତୋ ଅପଘନ,

ଘେରନ୍ତି ମାନବ ମାନସେ

ଯଥା ଇନ୍ଦ୍ରିୟଗଣ

 

ଧର୍ମପଥେ ବିଘ୍ନ ପରାୟେ

ବହୁ ଖଣ୍ତ-ଉପଜ,

ଦୁରାରୋହ କରି ରଖିଛି

ସଦା ତୋ ଟଙ୍କସ୍ଥଳ

 

ବହୁକାଳୁ ଯୋଗଧ୍ୟାନରେ

ବସିଅଛୁ ରେ ଗିରି,

କେଶଶୂନ୍ୟ ଯେଣୁ ବହିଛୁ

ତେଣୁ ଗିରିଶ ଶିରୀ

 

ବହୁଦୁରୁଁ ନେତ୍ର ଆକର୍ଷେ

ତୋର ଉନ୍ନତ ଶିର,

ଧରାକୋଟ-ଧରାରାଣୀର

ତୁହି ତୁଙ୍ଗ ମନ୍ଦିର

 

ମଖଶାଳା ପ୍ରାୟେ ରାଜଇ

ଦୁଗାଦେଈ ଅଚଳ,

ଦୁର୍ଗାଦେବୀଙ୍କର ଯେ ଅଟେ

ପ୍ରିୟ ଆବାସ ସ୍ଥଳ

 

ସ୍ତରେ ସ୍ତରେ ଗଢ଼ା ତୋ ତନୁ

ଶିଳାକୁଳ-ଶିରାଳ,

ଶିଖରସ୍ଥ ତରୁ ଆହା କି

ଚାରୁଚିତ୍ର ଚିରାଳ

 

ବହୁଦୁର ବ୍ୟାପି ଶୋଇଛୁ

ଘନ ବନ ମଧ୍ୟରେ,

ତିମିଙ୍ଗିଳ ଭାସିଉଠିଛି

କିମ୍ବା ନୀଳ-ସାଗରେ

 

ଲମ୍ବମାନ ଗୋଡ଼ ପରାୟେ

କ୍ଷୁଦ୍ର ଗୁଡ଼ିଆନାସୀ ୩

କ୍ରମଊର୍ଦ୍ଧ୍ୱଭାବେ ତୋ ଅଙ୍ଗେ

ମିଶିଯାଇଛି ଆସି

୩-ସ୍ୱାନମ-ପ୍ରସିଦ୍ଧ ପର୍ବତ

 

ମହଦାଶ୍ରା ବିନା କାହିଁଛି

ଭବେ କ୍ଷୁଦ୍ରର ଗତି,

ତେଣୁ ଧାଏଁ ନଦୀ ଭେଟିବ

ବୋଲି ସରିତପତି

 

ପୂର୍ବ ଦିଗୁ ଲମ୍ବି ଆସିଣ

ଗିରି ‘ମୁଣ୍ତମରାଇ’,

ମୁଣ୍ତ ଟେକି ତୋତେ ଡ଼ାକେ କି

କରିବାକୁ ଲଢ଼ାଇ

 

କି ବର୍ଣ୍ଣିବି ଗିରି ତୋ ରୂପ

ଆହା କି ଶୋଭାବନ,

ମନୋହର ତୁହି ଯେସନ

ଭୟଙ୍କର ତେସନ

 

ଭୀଷଣ ଭଲ୍ଲୁକ ବରାହ

ମହାବଳ ଶାର୍ଦ୍ଦୁଳ,

ଏ ଆଦି ଶ୍ୱାପଦସମୂହେ

ତୁହି ସଦା ସଙ୍କୁଳ

 

ଏମାନେ ତୋହର ଦୁର୍ଜ୍ଜନ-

ପ୍ରଜା ରେ ଗିରିରାଜ,

ଶାନ୍ତିମୟ ରାଜ୍ୟେ ଘଟାନ୍ତି

ତୋର ଅଶାନ୍ତି କାର୍ଯ୍ୟ

 

ତଥାଚ ତୁ ତାଙ୍କୁ ନ ଦଣ୍ତି

ସଦା ଆଚରୁ କ୍ଷମା,

କ୍ଷମାଗୁଣେ ତୋତେ ରେ ଗିରି

ଭବେ କିଏ ଉପମା

 

ମହତ ଲୋକର ଅଟଇ

ସିନା କ୍ଷମା ଭୂଷଣ,

କ୍ଷୁଦ୍ରମନା କ୍ଷୁଦ୍ର ଦୋଷରେ

ଦିଏ ଘୋର କଷଣ
 

ଶୁଭ୍ର ଝର-ନୀରେ ତୋ ଦେହ

ଦ୍ୱିଖଣ୍ତିତ ସର୍ବଥା,

ଶରତେ ସୁନୀଳ ଆକାଶ

ଛାୟାପଥରେ ଯଥା

 

ଜଗନ୍ନାଥପୁର ନିକଟେ

ଘନ ତାଳ-ବୋରାଇ,

ଲୌହବାଡ଼ ପ୍ରାୟେ ବାରୁଣୀ-

ଦିଗେ ରହିଛି ଛାଇ

 

ଜଗନ୍ନାଥ ସିଂହ ନାମରେ

ଜଣେ ବିଜ୍ଞ ଭୂପତି,

ପାଳୁଥିଲେ ଧରାକୋଟରେ

ପୂର୍ବେ ପ୍ରଜାପଙ୍କତି

 

ବସାଇଥିଲେ ସେ ଶାସନ

ତାଙ୍କ ନାମାନୁଯାୟୀ

ଜଗନ୍ନାଥପୁର ବୋଲାଏ

ସେହି ବ୍ରାହ୍ମଣ ସାହୀ

 

ଗୋପନାଥରୂପେ ସେଠାରେ

ଜଗନ୍ନାଥ ଆପଣେ,

ଅଧିଷ୍ଠାନ କରିଅଛନ୍ତି

ସୁଧା-ଶୁକ୍ଳ ସଦନେ

 

ଦାମୋଦର ପଲ୍ଲି ଉତ୍ତରେ

ଦାମୋଦର-ବାଞ୍ଛିତ

ନାଗବଲ୍ଲୀ ଯହିଁ ଅଗସ୍ତି

ଦ୍ରୁମେ ଗାଢ଼େ ଜଡ଼ିତ

 

ପ୍ରାକୃତିକ ଦୃଶ୍ୟ ତାହାର

ଦୂରୁଁ ଓଟାରେ ନେତ୍ର,

ନନ୍ଦନ-କାନନ ପରାୟେ

ଶୋଭେ ଆଦର୍ଶ କ୍ଷେତ୍ର

 

କୃଷିର ଉନ୍ନତ ପ୍ରଣାଳୀ

ଶିକ୍ଷା ଦେବା ମାନସେ,

ସ୍ଥାପିଲେ ନୃପତି ଆଦର୍ଶ-

କୃଷିକ୍ଷେତ୍ର ହରଷେ

 

ଅଟେ ସିନା ସର୍ବ ଉନ୍ନତି-

ମୂଳ କୃଷି ଉନ୍ନତି,

ବୁଝନ୍ତି ଏହା ଯେ ସେ ନିଶ୍ଚେ

ଆଦରଶ ନୃପତି

 

ଦାମୋଦର ପଲ୍ଲୀ ଅଦୁରେ

ଋଷିକୁଲ୍ୟା ତଟିନୀ,

ଧୋଇ ମୁକ୍ତେଶ୍ୱର ୧ ଚରଣ

ଗମେ କଳନାଦିନୀ

୧-ଋଷିକୁଲ୍ୟା କୂଳସ୍ଥ ଶିବଲିଙ୍ଗ

 

ଗଞ୍ଜାମ ଭୂମିର ଧମନୀ

ପ୍ରାୟ ଗମେ ପ୍ରଖରେ,

ଶିଖି-ମୁଖ ମୁକ୍ତ ସର୍ପ କି

ବକ୍ରେ ପଳାଏ ଖରେ

 

ଚନ୍ଦ୍ରକଳ୍ପେଶ୍ୱର ୨ ସକାଶୁ

ମୁକ୍ତେଶ୍ୱର ସଦନ-

ଯାଏଁ ବେନି ତୀରେ ଯାହାର

ନବ ବିପ୍ର ଶାସନ ୩

୨-ସ୍ୱନାମପ୍ରସିଦ୍ଧ ଶିବଲିଙ୍ଗ

୩-ଗଙ୍ଗାପୁର, ରାଜେନ୍ଦ୍ରପୁର, ନାରାୟଣପୁର, ଶ୍ୟାମ-ଘନପୁର, ତିଳୋତ୍ତମାଦେଈ ପୁର, ରାମଚନ୍ଦ୍ରପୁର , ଗୋବର୍ଦ୍ଧନ ପୁର, ପଞ୍ଚସିଂହପୁର ଓ ଦାମୋଦର ପୁର

 

ନିବସନ୍ତି ତହିଁ ଅସଂଖ୍ୟ

ସଦାଚାରୀ ବ୍ରାହ୍ମଣ,

ସଦା ସତ୍‌ପ୍ରସଙ୍ଗ ନିରତ

ବିପ୍ରକୁଳାଗ୍ରଗଣ୍ୟ

 

ପୂର୍ବ ଦିଗେ ମୁଣ୍ତମରାଇ ୪

ସଦା ଶସ୍ୟ-ଶ୍ୟାମଳ,

ପ୍ରକୃତି କମଳାଦେବୀଙ୍କ

ପ୍ରିୟ ବିହାର ସ୍ଥଳ

୪-ଗୋଟିଏ ଗ୍ରାମର ନାମ

 

ଋଷିକୁଲ୍ୟା ନଦୀ ପ୍ରସାଦେ

ତାର ସୌଭାଗ୍ୟୋଦୟ-

ହୋଇଛି, ସେ ଭୂମି ମୃତ୍ତିକା-

ନୁହେଁ, କାଞ୍ଚନମୟ

 

ଧନ୍ୟା ଧରାକୋଟ-ଧରଣୀ

ମହାକବି-ଜନନୀ,

ଲକ୍ଷ୍ମୀ ସରସ୍ୱତୀ ମିଳନ-

ଭୂମି, ଶୋଭା-ବିପଣୀ

 

ସ୍ୱଭାବ-ଶୁଦ୍ଧା ତୁ ନଗରି,

ପୁଣ୍ୟ-ସୌଭାଗ୍ୟବତୀ,

ଧନ୍ୟା ହେଲୁ ଅଙ୍କେ ଧରିଣ

କୃଷ୍ଣସିଂହ ନୂପତି

 

ତେଜି ସେ ରାଜନ୍ୟ-ବାଞ୍ଛିତ

ସୁଖ ନୃପ ଆସନ,

ବାଗ୍‌ଦେବୀ-ମଣ୍ତପେ ସତତ

କରି ଉପବେଶନ,

 

ବୀଣାପାଣି ପାଦପୂଜାରେ

ଥାଇ ନିତ୍ୟ ନିରତ,

ରଚିଲେ ପୁରାଣ ଅଠର-

ପର୍ବ ମହାଭାରତ

 

ଉତ୍କଳରେ ପୂଜା ପାଉଛି

ପ୍ରତିଘରେ ସେ ଗ୍ରନ୍ଥ,

ଗୁରୁରୂପେ ପୁଣି ଦେଉଛି

ଧର୍ବଶିକ୍ଷାର ସନ୍ଥ

 

ବୈଷ୍ଣବପ୍ରବର ଶ୍ରୀ ଜୟ-

ସିଂହ ଭକତ କବି,

ଗାଇଲେ ମଧୁରେ ଗୀତା ସେ

ଭକ୍ତିରସରେ ଦବି

 

କରଣକୁଳର ଚନ୍ଦ୍ରମା

କୃଷ୍ଣ ପଟ୍ଟନାୟକ ୫,

ଭଗବତ ପୋଥି ଆବର

ରାମାୟଣ-ରଚକ

୫-ଏ ଜଣେ ପ୍ରାଚୀନ କବି ଏବଂ କୃଷ୍ଣସିଂହ ମହାଭାରତର ଲେଖକ ଥିଲେ

 

ବହୁତ ସୁକବି ଜନନୀ,

ରସ କାବ୍ୟ ଭଣ୍ତାର,

କି ବର୍ଣିବି ଧରାକୋଟ ତୋ

ଗୁଣ, ଶୋଭାସମ୍ଭାର

 

ଦେଖି ତୋର ଉପକଣ୍ଠର

ଚାରୁ ପ୍ରକୃତ ଛବି,

ମଣେ ମୁଁ ଏସନ, ହୋଇବେ

ତହିଁ ଅକବି କବି

 

ଦେଖିବି ଏବେ ମୁଁ ଯାଇଣ

ଥରେ ରାଜନବର,

ଚଉଦ କୋଶର ମସ୍ତକ-

ମଣି ଯେ ଦୁର୍ଗବର *

* ଧରାକୋଟ ରାଜ୍ୟ ଆଡ଼ଦୀର୍ଘରେ ଚଉଦକ୍ରୋଶବିସ୍ତୃତ ଅଟେ

 

ଚୌଦିଗେ ରାଜିତ ବିସ୍ତୃତ

ପଥ ଘାଟ ନିର୍ମଳ,

ସୁଧା-ଶୁକ୍ଳ-ସୌଧ ଶୋଭାରେ

ହରେ ନେତ୍ର ଯୁଗଳ

 

ଅଚଳ-ପ୍ରାଚୀର ମଧ୍ୟରେ

ଦେବାଳୟ ବେଷ୍ଟିତ,

ରମ୍ୟା ରାଜପୁରୀ ଦିଶଇ

ଅପରୂପ ଛୁରିତ

 

ଶାରଦ-ପର୍ବ-ଶର୍ବରୀଶ

କିବା ବିସ୍ତାରି ପ୍ରଭା,

ତାରାପୁଞ୍ଜ ଘେନି ଆକାଶେ

କରି ବସିଛି ସଭା

 

ସତ୍‌ପ୍ରସଙ୍ଗଯୁକ୍ତ ସେପୁରୀ

ତେଣୁ ତୀର୍ଥ ସମାନ,

ଗତାୟାତ ତୀର୍ଥ ଯାନ୍ତ୍ରିକ-

ରୂପୀ ପରଜାମାନ

 

ରାଜୋଚିତ ଭାବେ ମଣ୍ତିତ

ହୋଇଅଛି ସେ ପୁରୀ,

ଦେବାଳୟେ ସଦା ବାଜୁଛି

କେତେ ତୁରୀ ମହୁରୀ

 

ପତ ପତ ହୋଇ ପତାକା

ଉଡ଼େ ସଉଧଚୂଳେ,

ଅଙ୍ଗୁଳି ସଙ୍କେତ ଛଳେ କି

ଡାକେ ଦର୍ଶକକୁଳେ

 

ଦେଖାଇବ ଶୋଭା ବଡିମା

ଶିଳ୍ପକଳା ନିଜର,

ପୁଣି ହାତୀଘୋଡ଼ା ଶାର୍ଦ୍ଦୁଳ

ମୃଗପକ୍ଷିନିକର

 

ପଣ୍ୟଦ୍ରବ୍ୟପୂର୍ଣ୍ଣ ବିପଣୀ

ତହିଁ ରାଜଇ ଥୋକେ,

ବ୍ୟବହାର ଶିଳ୍ପକଳାରେ

ଦକ୍ଷ ନଗର ଲୋକେ

 

କାହିଁ ବିଦ୍ୟାଳୟ ତଡାଗ

କାହିଁ ପାନ୍ଥ ଆଗାର,

କାହିଁ ଦେବାଳୟ ବିରାଜେ

ନାନା ଶିଳ୍ପ ଭଣ୍ତାର

 

ହେରିଲେ ସେ ସୁକ୍ଷ୍ମ ସୂଚାରୁ

ଶିଳ୍ପ କଳାକୌଶଳ,

ଅପଲକ ହୋଇ ରହିବ

ନର ନେତ୍ର ଯୁଗଳ

 

ନାରିକେଳ ବୃକ୍ଷ ଶୋଭଇ

ହୋଇ ଆନତ ଫଳେ,

ତୃଷାର୍ତ୍ତ ପଥିକେ ଡାକେ କି

ଶାଖା ସଞ୍ଚାର ଛଳେ

 

ଫଳ ତାର ପୟଃପେଟିକା

ଯଥା ସାଧୁ ହୃଦୟ,

ବାହାର କଠିନ ଭିତର

ତାର ସୂରସମୟ

 

ଗ୍ରାମଗୁଡ଼ିକ କି ସୁନ୍ଦର

ମନୋହର ପ୍ରଶସ୍ତ

ଦୁଇ ପାଶେ ଲୋକ-ଆଳୟ

ମଧ୍ୟେ ପ୍ରଶସ୍ତ ପଥ

 

ଦୁଇ ଆଡ଼େ ଦୁଇ ତଟ କି

ଆହା ସେ ଜନପଦ,

ମଧ୍ୟେ ବିରାଜଇ ବାଲୁକା-

ପୂର୍ଣ୍ଣ ନିର୍ଜଳ ନଦ

 

ପ୍ରତି ଶୃଙ୍ଗାଟକେ ଆଲୋକ-

ସ୍ତମ୍ଭ ହୋଇ ପ୍ରୋଥିତ,

ସ୍ୱଭାବସୁନ୍ଦର ରାଜ୍ୟର

କରେ ଶୋଭା ବର୍ଦ୍ଧିତ

 

ବୀର ଶ୍ରୀ ମଦନମୋହନ

ସିଂହ ଦେବ ରାଜନ,

ଧର୍ମ ନିକ୍ତି ଧରି କରନ୍ତି

ସେହି ରାଜ୍ୟ ପାଳନ

 

ଅଙ୍ଗ ଆଭରଣ ତାଙ୍କର

ଦୟା, କ୍ଷମା, ବିନୟ,

ନ କରନ୍ତି ଅପବ୍ୟୟ ସେ

ଦଣ୍ତେ ମାତ୍ର ସମୟ

 

ଜାତୀୟ ମହତୀ ସଭାର

ହୋଇ ସେ ସଭାପତି,

ଗଞ୍ଜାମର ଲୁପ୍ତ ଗୌରବ

ଉଦ୍ଧାରିଲେ ନୃପତି

 

ନ୍ୟାୟେ ରାଜକୋଷ ପ୍ରବୃଦ୍ଧି,

ଦୁଷ୍ଟ ଜନ ଦଳନ,

ଅପକ୍ଷପାତିତା, ସ୍ୱଧର୍ମ-

ରକ୍ଷା, ଶିଷ୍ଟ ପାଳନ,

 

ଏହି ପଞ୍ଚ ମହାଯଜ୍ଞର

ଅଟନ୍ତି ସେ ଯାଜ୍ଞିକ,

ପୁଣି ସେ ଅଟନ୍ତି ସାହିତ୍ୟ-

କାବ୍ୟ-ରସେ ରସିକ।

 

କ୍ଷତ୍ରିୟସୁଲଭ ବୀରତ୍ୱ

ବର୍ଣ୍ଣି ପାରିବ କେହି,

ହସ୍ତିପୃଷ୍ଠୁ ହସ୍ତିପୃଷ୍ଠକୁ

ରାଏ ପଡ଼ନ୍ତି ଡ଼େଇଁ

 

ଭୀଷଣ ଶାର୍ଦ୍ଦୁଳ ମର୍ଦ୍ଦନ

ସେହି ନୃପ-ଶାର୍ଦ୍ଦୁଳ,

ଅବ୍ୟର୍ଥ ସନ୍ଧାନେ କେ ସରି

ଆନ ମୃଗୟୁ କୁଳ

 

ନାନାଭାବେ ସାଧୁଅଛନ୍ତି

ନିଜ ରାଜ୍ୟ ଉନ୍ନତି,

ସଦାଶୟତାରେ ଅଟନ୍ତି

ଆଦରଶ ନୃପତି

 

ଛାମୁଙ୍କ ସୁଗୁଣ ଅଧିକ

କି ବର୍ଣ୍ଣିବି ହେ ରାଜା,

କେ ନ ଜାଣେ ତାହା, ଉତ୍କଳ-

ବକ୍ଷେ ବାଜୁଛି ବାଜା

 

ଘେନ ମୋ ପ୍ରଣତି ରାଜନ

ଦୁରୁ ଆସିଛି ଧାଇଁ,

ଦେଶଦୁଃଖ କିଛି ଛାମୁରେ

ଜଣା କରିବା ପାଇଁ

 

ବୋଲିବ ଆମ୍ଭେ ତ କରୁଛୁଁ

ଦେଶକାର୍ଯ୍ୟ ସର୍ବଥା,

କିନ୍ତୁ ମୁଁ କହୁଛି ନୃପତି

କଥା ରଖିଣ କଥା

 

ଭିକାରୀର ଏ ତ ସ୍ୱଭାବ

ଯାହା ଦୁଆରୁ ପାଏ,

ତାହା ଦୁଆରକୁ କେବଳ

ବାରମ୍ବାର ସେ ଧାଏଁ

 

କି ଥିଲା ଉତ୍କଳ, କି ହେଲା

ତାର ଦୁର୍ଦ୍ଦଶା ଆସି,

ପକାଇଲା ସୁଖ-ସୂର୍ଯ୍ୟକୁ

ଦୁଃଖ-ରାହୁ ଗରାସି

 

ଅନ୍ନପୂର୍ଣ୍ଣାଙ୍କର ଯେ ଦେଶ

ଥିଲା ଅନ୍ନ ଆକର,

ଅନ୍ନ ପାଇଁ ଏବେ ତା ସୂତେ

ଅଣ୍ତାଳନ୍ତି ଉଦର

 

ଜୀବନ-ନାଟିକା ତାହାର

କ୍ରମେ ଯାଉଛି ଛାଡ଼ି,

ଦୁର୍ଭିକ୍ଷ ପିଶାଚ ଖାଉଛି

ହାଡୁ ମାଉଁସ ଝାଡ଼ି

 

ଆଳସ୍ୟବଶରୁ ଯାଇଛି

ତନୁ ଅସାତ ହୋଇ,

ଜଡ଼ତା-ରୁପିଣୀ ନିଦ୍ରାରେ

ଅଛି ଅଭାଗୀ ଶୋଇ

 

ଅପଦସ୍ଥା ଲୋକସମାଜେ

ବିଘୃଣିତା ଲାଞ୍ଛିତା,

ରୋଗ-ଶୋକ ଆଦି ଚିନ୍ତାର

ତାପେ ଘୋର ତାପିତା

 

ଉନ୍ନତି ବୋଲନ୍ତେ ଯେ ହୁଏ

ଅର୍ଥ, ସର୍ବ ବିଷୟେ,

ପଡ଼ିଛି ପଛରେ ଅଭାଗୀ

ପୀଡ଼ି ଦୁଃଖ ଆମୟେ

 

କି ଶିକ୍ଷା ସଭ୍ୟତା ପ୍ରାଧାନ୍ୟ

କି ଗୌରବ ଏକତା,

ସକଳ ବିଷୟେ ହୋଇଛି

ତାର ତଳକୁ ମଥା

 

ଜନନୀର ତୁମ୍ଭେ ସୁପୁତ୍ର

ତେଣୁ ତୁମ୍ଭ ବଦନେ,

ଚାହିଁ ଅଛି ମାତା ଆତୁରେ

ଆଶାଯୁକ୍ତ ନୟନେ

 

ତୁମ୍ଭେ ସଦା ସେବାଶୁଶ୍ରୁଷା

କରୁଅଛ ତାହାର,

ଯୋଗ୍ୟପୁତ୍ର କରେ ଶୁଶ୍ରୁଷା

ସିନା ରୁଗ୍‌ଣା ମାତାର

 

କ୍ଷିପ୍ରହସ୍ତ ହୋଇ ଔଷଧି

ନୃପ କର ପ୍ରୟୋଗ,

ଛାଡିଯାଉ ମାତୃଭୂମିର

ଖରେ ସକଳ ରୋଗ

 

ତୁମ୍ଭ ଯୋଗେ ସେହୁ ଜୀବନ

ଧରି ଉଜ୍ଜ୍ୱଳେ ହସୁ,

ଦଶ ଜଣ ସଙ୍ଗେ ଗୌରବେ

ଜଣେ ହୋଇଣ ବସୁ

 

ଏହି ଭିକ୍ଷା ପଦେ ମାଗୁଛି

ନୃପ ପତାଇ କର,

କୃପା ହେଲେ ଆଶା ସଫଳ

ହେବା କେତେ ମାତର

 

ଲୋକପରମ୍ପରା ପ୍ରଚାରେ

ଧରାକୋଟର ରାଣୀ,

ପଶୁପକ୍ଷୀ ପେଟବ୍ୟଥା ସେ

ସୁଦ୍ଧା ପାରନ୍ତି ଜାଣି

 

ସତୀ ପତିବ୍ରତା ସାବିତ୍ରୀ

କିମ୍ବା ସାକ୍ଷାତ ରମା,

ଭାଗ୍ୟବତୀପଣେ ତାହାଙ୍କୁ

ଏକା ସେହି ଉପମା

 

ରାଜକନ୍ୟା ରାଜବନିତା

ପୁଣି ସୂପୁତ୍ରବତୀ,

ଦୁଃଖିଦୁଃଖେ ତାଙ୍କ ହୃଦୟ

ଆର୍ଦ୍ର ଦୁଅଇ ଅତି

 

କିସ ନିବେଦିବି ଜନନି,

ସ୍ଫୁରୁ ନାହିଁ ବଚନ

ବଳିପଡ଼ିଲାଣି ଉତ୍କଳ-

ନାରୀକୁଳ କଷଣ,

 

ଯୁଗଧର୍ମରେ ସେ ସକଳ-

କର୍ମୁ ହୋଇ ବିଚ୍ୟୁତ,

ସବୁ ଛାଡି ହୋଇଅଛନ୍ତି

କିମାକାରକିମ୍ଭୁତ

 

କ୍ରମେ ନାରୀକୃତ ଶିଳ୍ପ ତ

ଦେଶୁଁ ପାଉଛି ଲୋପ,

କାହିଁକି କେଜାଣି ବିଧାତା

କଲେ ଦାରୁଣ କୋପ

 

ସୀତା ସାବିତ୍ରୀଙ୍କ ସଙ୍ଗତେ

ଆଧୁନିକ ଲଳନା,

ତୁଳନାରେ ସିନା ହୋଇବେ

ଖାଲି ତୁଚ୍ଛା ଅଲଣା       

 

ଯେତେ ଦିନ ଥିବେ ନାରୀଏ

ମୋହ-ନିଦ୍ରାରେ ଶୋଇ,

ତେତେ ଦିନ ଯାଏଁ ପୁରୁଷେ

ଥିବେ ଏକାଙ୍ଗ ହୋଇ

 

ନାରୀଜାତି ଶିକ୍ଷା ଉନ୍ନତି

ବିନା ହେ ଭଗବତି,

ଆକାଶ-କୁସୁମ ସମାନ

ହେବ ଜାତି ଉନ୍ନତି

 

ଅଗ୍ରେ ପ୍ରୟୋଜନ ଅଟଇ

ଏଣୁ ବାଳିକା ଶିକ୍ଷା,

ହେଉ ସୁବ୍ୟବସ୍ଥା ସେଥିର

ମାତଃ ଏତିକି ଭିକ୍ଷା

 

ସ୍ଥାପନ୍ତୁ ମଣିମା ସ୍ୱରାଜ୍ୟେ

କେତେ ବାଳିକା ସ୍କୁଲ,

ଦେଶ-ଉନ୍ନତିର ସେ ସିନା

ଅଟେ ସୋପାନ ମୂଳ

 

ପଟ୍ଟଦେବଙ୍କର ଶ୍ରୀମୁଖୁଁ

ଶୁଣି ଭଙ୍ଗୀ କହଣି,

ବିଚାରିଲି ମଣି-ଖଣିରୁ

ସିନା ଉପୁଜେ ମଣି

 

ଧରାକୋଟ ଧରା ମହିମା

ଯେଣୁ ଗଞ୍ଜାମେ ଟେକ,

ତେଣୁ ଥିବେ ନିଶ୍ଚେ ଏଠାରେ

ବଡ ଲୋକ ଅନେକ

 

ଦେଖିବି ଯାଉଛି ଏବେ ମୁଁ

କାହା କାର୍ଯ୍ୟ ମହତ,

ଭିନ୍ନ ଛନ୍ଦେ ହେବ ଏ ପଛେ

ତାହା ପରିବ୍ୟକତ

 

ଭିନ୍ନ ଛନ୍ଦରେ ଲିଖିତ

[ ମଙ୍ଗଳ ]

ପଣ୍ଡିତ କୁଟୁମ୍ବ ରାଓ ହେ ସିରସ୍ତାଦାର,

ତୁମ୍ଭେ ତ ବେଭାର ବୁଝ ଏହି ତାଲୁକାର

ବେଦକର୍ମନିଷ୍ଠ ଧର୍ମପ୍ରାଣ ଦୟାବନ୍ତ,

ରାଜକାର୍ଯ୍ୟେ ପରିଚୟ ଅଛି ବିଧିମତ

 

‘ମୋଟା ବେତନ ତ ଦେଉଛନ୍ତି ମହାରାଜ,

ଦେଖାଅ ଓଜସ୍ୱୀ ହୋଇ ଆପଣାର କାର୍ଯ୍ୟ !

ରାଜା ପ୍ରଜା ସମସ୍ତେ ତ ଏଠାରେ ଓଡ଼ିଆ,

ଓଡ଼ିଆଙ୍କ ଧନେ ସିନା ହୋଇଛ ବଢ଼ିଆ

 

କରିଯାଅ ସେମାନଙ୍କ କିଛି ଉପକାର,

କେବଳ ପ୍ରତ୍ୟୁପକାର ଅଟେ ଶିଷ୍ଟାଚାର

ଯେ ରାଜ୍ୟର ଅନ୍ନଜଳେ ତୁମ୍ଭେ ସୂପାଳିତ,

ଶେଷକାଳେ ସେ ରାଜ୍ୟର କର କିଛି ହିତ

 

ଓଡ଼ିଆ ଜାତି ତ ଅଟେ ଏକ ମହାଜାତି

ଓଡ଼ିଆଏ ଶାନ୍ତ ଶିଷ୍ଟ ରାଜଭକ୍ତ ଅତି

ହାତେ ମାପି ଚାଖଣ୍ଡକେ ଚାଲନ୍ତି ସେ ବାଟ,

ଜାଣନ୍ତି ଏ କଥା ସୁଦ୍ଧା ଭାରତସମ୍ରାଟ

 

ମଝିରେ କେତୋଟା ଦିନ ହୋଇଥିଲେ ହୀନ,

ନୁହନ୍ତି ସେମାନେ ଏଣୁ ଘୃଣ୍ୟ କଦାଚନ

ଏହା ଜାଣି ତାଙ୍କ ପାଇଁ କର କିଛି କାମ,

ଚିରସ୍ମରଣୀୟ ହେବ, ଆୟା ତୁମ୍ଭ ନାମ

 

ପ୍ରାଇଭେଟ ସେକ୍ରେଟରୀ ବାସୁଦେବ ଭାଇ,

ଉଚ୍ଚପଦ ଲଭି ତିଳେ ଅଭିମାନ ନାହିଁ

କରଣ କୁଳର ତୁମ୍ଭେ ଅନ୍ୟତମ ମଣି,

ସାଧୁତା, ବିନୟ ପୁଣି ସୌଜନ୍ୟର ଖଣି

 

ନ ହେଉ ପଛକେ ତୁମ୍ଭ ବୟସ ଅଧିକ,

ଉଣା ନୁହେଁ ମାତ୍ର ତୁମ୍ଭ ପ୍ରତିଭାର ଟେକ

କାର୍ଯ୍ୟରୁ ବୁଝିଛି ତୁମ୍ଭେ ଜଣେ ଉଚ୍ଚମନା,

ହରିବାକୁ ବ୍ୟସ୍ତ ସଦା ସ୍ୱଜାତି-ବେଦନା

 

ଅଭିମନ୍ୟୁ ଚାଟ ତୁମ୍ଭେ କହିବି ମୁ କିସ,

ଅନୁସରି ଥାଅ ଭାଇ ତାହାଙ୍କ ସୁଯଶ

ବାସୁଦେବ ମହାପାତ୍ରେ ତର୍କଅଳଙ୍କାର

ଭାଷାକୁ ପିନ୍ଧାଅ କିଛି ନୂଆ ଅଳଙ୍କାର,

 

ହୋଇ ଜଣେ ଦେଶକାଳପାତ୍ରଜ୍ଞ ପଣ୍ଡିତ,

ତୁନି ହୋଇ ବସିବାଟା ନୁହଇ ଉଚିତ

ଶୋଭାପାଉ ନାହିଁ ନନା ସେ କଥାଟା ଛି ଛି,

ବେଳ ଗଲା ତଲାସ ହେ ବାଟ ଖର୍ଚ୍ଚ କିଛି

 

ହେ ଲକ୍ଷ୍ମୀଶରଣ ଭଞ୍ଜ ଦେଶ-ଅଭିମାନୀ,

ଉତ୍ସାହୀ ପୁରୁଷ କିପାଁ ହୋଇଗଲ ତୁନି

ଉନ୍ନତମନା ଯୁବକ ଆଉ ତୁମ୍ଭ ପରି,

ଗଞ୍ଜାମରେ ଥିବେ ପ୍ରାୟ ଜଣ ଦୁଇ ଚାରି

 

ଭଞ୍ଜ ମହାକୁଳେ ହୋଇଅଛ ଆବିର୍ଭାବ,

କିପାଁ ହେବ ତୁମ୍ଭଠାରେ ସଦ୍‌ଗୁଣ ଅଭାବ

ହୃଦୟ ତୁମ୍ଭର ଅତି ସରସ ଉଦାର,

ବଳେ ବଳେ କର ତେଣୁ ପର ଉପକାର

 

ଆଉ କିଛି କାର୍ଯ୍ୟ ପଛେ କର ବା ନ କର,

ଜୀବନୀ ପ୍ରକାଶ କର ଭଞ୍ଜ କବିଙ୍କର

ହେ ତାରକାନାଥ ବାବୁ କଟକିଆ ଭାଇ,

ଧରାକୋଟରେ ତ ଦେଲ ଜୀବନ କଟାଇ

 

ଏପରି ସତ୍କାର୍ଯ୍ୟ କିଛି କର ଏ ଦେଶର,

ତୁମ୍ଭ ନାମ ହେବ ଯେହ୍ନେ ତାରକ ମନ୍ତର

କେତେ ଜଣ ଧରାକୋଟ ନିବାସୀଙ୍କୁ ଖାସ୍,

ଚଞ୍ଚଳ କରାଇଦିଅ ସେକେଣ୍ଡରୀ ପାଶ୍

 

ପାଇଛ ଦୟାନିଧିଙ୍କୁ ତାଙ୍କ ସାହାଯ୍ୟରେ,

କରିଯାଅ ବୁଢ଼ାଭାଇ ଦେଶକାମ ଖରେ

ଦୟାନିଧି ଦାସଙ୍କୁ ମୁଁ ଭଲରୁପେ ଚିହ୍ନେ,

ବହୁକାଳ ପରେ ଦେଖାହେଲା ଏତେ ଦିନେ

 

ଆଏ ଭାଇ ନମସ୍କାର, ପଚାରେ କୁଶଳ

ଭଲରେ ତ ପିଲାପିଲି ଅଛନ୍ତି ସକଳ

ଅନେକ ଇଂରାଜୀ ପଢ଼ା ମୁହଁ ମୁଁ ଦେଖିଛି,

ମାତ୍ର ତୁମ୍ଭ ତୁଳନାରେ ନୁହନ୍ତି ସେ କିଛି

ଖୋଲି ବସିଅଛ ତୁମ୍ଭେ ଶିକ୍ଷାର ଦୋକାନ,

କରିଯା ମଣିଷ ଭାଇ ଦୁଇ ଚାରି ଜଣ

 

ଗଞ୍ଜାମ ଓଡିଆ ପାଠ୍ୟ ଅଭାବ ମୋଚନେ,

ସମର୍ଥ ହୋଇବ ତୁମ୍ଭେ ବିଚାରେ ମୁଁ ମନେ

ଅତଏବ ସେହି କାର୍ଯ୍ୟ ଶୀଘ୍ର କର ଭାଇ,

କହୁଛି ତୋ ହାତ ଧରି ମୋ ରାଣ ପକାଇ

 

ଭୁବନେଶ୍ୱର ବାବୁ ତ ନବୀନ ଯୁବକ,

ପଢ଼ାନ୍ତି ସେ ଭଲ, ଜଣେ ଉତ୍ତମ ଶିକ୍ଷକ

ଟ୍ରେନିଂ ପାଠ ଶେଷ କରି ଫେରିଆସି ନନା,

ଲେଖ ଖଣ୍ଡେ ପାଠ ପୋଥି ଏହି ମୋ ପ୍ରାର୍ଥନା

 

ନବୀନ ଭେଣ୍ଡା ଶିକ୍ଷକ ହେ ଶଙ୍କର ନନା,

ଚତୁର୍ବର୍ଗ ଫଳପ୍ରଦ ଅଟେ ଅଧ୍ୟାପନା

ବିନୟୀ, ସଜ୍ଜନ, ଧୀର ରହସ୍ୟ-କୁଶଳ,

ଊଣା ମଧ୍ୟ ନୁହଇ ତ ଶରୀରର ବଳ

 

ଲାଗ ଲାଗ କାର୍ଯ୍ୟେ ଭାଇ ଭିଡିଦେଇ ଅଣ୍ଟା,

ଗଞ୍ଜାମୀ ଭାଷାରୁ ନନା ବାଛ କିଛି କଣ୍ଟା

ସାବଧାନ ମୋ କଥାକୁ ଦେବୁ ଯଦି ଟାଳି,

କେବଳ ଦକ୍ଷିଣା ନନା ପାଇବୁ ତୁ ଗାଳି

 

ସିଆଣା ମାଷ୍ଟର ଜଣେ ପଦନାଭ ପଣ୍ଡା

ଦୁଷ୍ଟ ପ୍ରତି ଦୁଷ୍ଟ ସେହୁ ଥଣ୍ଡା ପ୍ରତି ଥଣ୍ଡା

ଜାଣ ପଣ୍ଡେ ଖୁବ୍ କଳିଯୁଗର ବେଭାର,

ଲୁହା ଚିହ୍ନି ପାଣି ସିନା ଦିଅଇ କମାର

 

ପୁରୁଣା ମନୁଷ୍ୟ ଜଣେ ମାର୍କଣ୍ଡ ଗୋସାଇଁ,

ବୁଢ଼ା ହୋଇଗଲେ ପାଠ ପଢ଼ାଇ ପଢ଼ାଇ

ଅନେକ ଲୋକଙ୍କୁ ଦେଲେ ଜ୍ଞାନ-ଚକ୍ଷୁ ଦାନ

ଏ ହେତୁ ମୁଁ କରେ ତାଙ୍କୁ ଦେବତୁଲ୍ୟ ଜ୍ଞାନ

 

ବିଦ୍ୟାରତ୍ନ ଉପାଧିକ ହେ ସୂର୍ଯ୍ୟପ୍ରକାଶ,

ରଖିଅଛ ନିଜ ନାମ କିପାଁ ଅପ୍ରକାଶ ?

ଭଲ ଆନ୍ଧ୍ର ପୋଥି-ଖଣ୍ଡେ ଓଡିଆ ଭାଷାରେ,

ଅନୁବାଦ କରିବାକୁ ଚେଷ୍ଟା କର ବାରେ

 

ଓଡିଆ ସ୍ୱଭାଷା ପଛେ ନ ହେଲା ତ ନାହିଁ,

କର୍ମ କଲେ ଧର୍ମ ତବ ଯିବ ନାହିଁ କାହିଁ

ଇହେ ପୋଷିଛନ୍ତି ସିନା ରାଜସରକାର,

କିନ୍ତୁ ପରକାଳ କଥା ଭାବିବା ଦର୍କାର

 

ଆଉ ଯେତେ ଶିକ୍ଷକଙ୍କୁ କହୁଛି ସ୍ଥୂଳରେ,

ଗୁରୁତର କାର୍ଯ୍ୟ ନ୍ୟସ୍ତ ଅଛି ତୁମ୍ଭ କରେ

ପେଣ୍ଡୁଳାଏ ମାଟି ଘେନି ଗଢ଼ିବ ମନୁଷ୍ୟ,

ଏଥୁ ବଳି ଦାୟିତ୍ୱର କାର୍ଯ୍ୟ ଅଛି କିସ ?

କର୍ତ୍ତବ୍ୟ ଗୁରୁତା ତବ ନିତ୍ୟ ନିତ୍ୟ ସ୍ମରି,

ହୃଷ୍ଟଚିତ୍ତେ ଦେଶକାମ ଯାଅ ସର୍ବେ କରି

 

ହଡପରତ୍ନ ଖୁବ୍ ଜଣେ ଚତୁର ସିଆଣା,

କିନ୍ତୁ ବାହାରକୁ ଗୁଣ ପଡ଼େ ନାହିଁ ଜଣା

ରାଜ-ବ୍ୟବହାରୀ ମଧ୍ୟ୍ୟେ ନାରାୟଣ ଚ୍ୟାଉ,

ସମାନ ପ୍ରାଚୀନ ଲୋକ କେହି ନାହିଁ ଆଉ

 

ସେ ତ ମାନ୍ୟ ଲୋକ ଯେଣୁ ବୟସରେ ବଡ଼,

ତେଣୁ ତାଙ୍କୁ କି କହିବା ତାଙ୍କ କଥା ଛାଡ

ଦୀନବନ୍ଧୁ ବାବୁ, ତୁମ୍ଭ ମୂର୍ତ୍ତି ମଧୁମୟ,

ଦିଏ ତୁମ୍ଭ ସଦଗୁଣର ସ୍ପଷ୍ଟ ପରିଚୟ

 

ସୁଶୀଳତା ପ୍ରତିମୂର୍ତ୍ତି ତୁମ୍ଭଙ୍କୁ ମୁଁ ମଣେ,

ଜାଣେ ତୁମ୍ଭେ ରାଜଭକ୍ତ କର୍ମଚାରୀ ଜଣେ

ଯୋଗ୍ୟପାତ୍ର ତୁମ୍ଭେ, ତେଣୁ କହିବି କଥାଏ,

ମାତା ମାତୃଭୂମି ସେବା ସ୍ୱର୍ଗୁ ବଳିଯାଏ

 

ସେ କାର୍ଯ୍ୟରେ ଶକ୍ତିମତ କରୁଥିବ ଦାନ,

ରଖିବେ ଦୀର୍ଘାୟୁ କରି ପ୍ରଭୁ ଭଗବାନ

ନୀଳାଦ୍ରି ଭାଇ ତ ହୋଇଛନ୍ତି ହେଡକିରାଣୀ,

ମୁହଁଟା ଶୁଖାଇଥାନ୍ତି କାହିଁକି କେଜାଣି

 

ବଡ ଭାଇ ମାଜିଷ୍ଟ୍ରେଟ ସାନ ସେକ୍ରେଟରୀ,

କି କରିବ ପଇସା ଗୁଡାଏ ଜମା କରି

ନିଜ ବରତନତକ ଦିଅ ସ୍ୱଦେଶକୁ,

କଳନ୍ତର ସହ ତାହା ପାଇବ ଶେଷକୁ

 

ଭାଗୀରଥୀ ବେବର୍ତ୍ତାଙ୍କୁ ହରିଡ଼ାଖଣ୍ଡିରୁ,

କଢ଼ାଇଲେ ଖଚ କହି କେତେ ପାଜି ଗୁରୁ

ହେଉ ଭାଇ ଧୋବାକୁ ତ-ମିଳିଲା ସର୍ବଥା,

ଜଣାଗଲା କୁମ୍ଭୀରର ଅବିଶ୍ୱାସୀ କଥା

 

ଚନ୍ଦ୍ରମଣି ଶ୍ରୀକରଣେ ବଡ଼ ପଦ ପାଇ,

କାହିଁ ତ ବାଣ୍ଟିଲେ ନାହିଁ ପୁଞ୍ଜାଏ ମିଠାଇ

ନ ଦିଅ ପଛକେ ମୋତେ, ଦିଅ ସ୍ୱଦେଶକୁ,

କରିଦିଅ ନାହିଁ ଏଡେ ଆଶାଟା ଶେଷକୁ

 

ଗଞ୍ଜାମ-ନକ୍ଷତ୍ର ତୁମ୍ଭ ପିତାମହଙ୍କର,

କୀର୍ତ୍ତି ସ୍ମରି କିଛି ହେଲେ ତୁମ୍ଭେ କାର୍ଯ୍ୟ କର

ଥିଲେ ସେ ଗଣେଶ ପରି ଭାରତ-ଲେଖକ,

କୃଷ୍ଣ ସିଂହ ବେଦବ୍ୟାସ ସମାନ ରଚକ

 

ରାଧୁ, ବୈଦ୍ୟନାଥ ଦୁହେଁ ନବୀନ ଯୁବକ,

ଦେଖାଅ କରଣକୁଳ ମର୍ଯ୍ୟାଦାର ଟେକ

ଲାଗିଥାଅ କର୍ତ୍ତବ୍ୟରେ ନ କରି ଆଳସ୍ୟ,

ଗୁଣ ଥିଲେ ପୁରସ୍କାର ମିଳିବ ଅବଶ୍ୟ

 

ସଦା ସହାସ୍ୟବଦନ କ୍ଷେତ୍ରବାସୀ ପାଠୀ,

ବୁଲୁଥାଅ ଘେନି ସଦା ସର୍ଭେ ମାପକାଠି

ବିଡିଛି ମୁଁ ଦେଶ-ହିତେ ଥାଏ ତୁମ୍ଭ ମନ,

ମନ ଅନୁରୂପ କିନ୍ତୁ ହାତେ ନାହିଁ ଧନ

 

ମନସ୍ୱୀ ନିର୍ଦ୍ଧନ ହେବେ କଳିର ବେଭାରେ,

ସକଳ ଆପଦ ପୁଣି ତାହାଙ୍କ ମଥାରେ

ଦେଖିଣ ତୁମ୍ଭଙ୍କୁ ଜାତିହିତ-ବ୍ରତଚାରୀ,

ବିରକ୍ତ ହେଲେ ଯେ କେତେ ଉଚ୍ଚ ଅଧିକାରୀ

 

ସବୁବେଳେ ଲଗାଇଲେ ଯହୁଁ ଖିଟିମିଟି,

ଛାଡିଦେଲେ ତହୁଁ ନନା ଆସିକା ପାଇଟି

ଦେଖାଇଛ ତୁମ୍ଭେ ଯେଉଁ ନୈତିକ ସାହସ,

ସେଥିପାଇଁ କହିବି ମୁଁ ସାବାସ ସାବାସ !

 

ଅଯୋଧ୍ୟ୍ୟା ଦାସ ବାବାଜି ହେ ବଡ଼ମହନ୍ତ,

ମଠ ହାଲଚାଲ ତମ୍ଭେ କରୁଛ ତଦନ୍ତ

ସମସ୍ତ ମଠର ଭାର ଅଛି ତୁମ୍ଭ କରେ,

ଚଳାଉଛ ଠିକରୁପେ ଅତି ଜାଗ୍ରତରେ

 

ନ ହେଲେ ଦେବଧନର ଅପବ୍ୟବହାର,

ସେହି ତ ଉନ୍ନତି, ତାହା ତୁମ୍ଭ ପୁରସ୍କାର

ଗଉଣିକିଆ ମଠର କିନ୍ତୁ ଅବନତି,

ଶୁଣି ମୋର ମନେ ଦୁଃଖ ଜାତ ହେଲା ଅତି

 

ତାଲୁକାର ପ୍ରତି ପ୍ରଜା ଗଉଣିଏ ଧାନ,

ସେ ମଠକୁ କରୁଥିଲେ ବାର୍ଷିକ ପ୍ରଦାନ

ଏଥିରେ ସେ ମଠେ ପୁଣି ଏଡ଼େ ଅବନତି,

କାହିଁକି ଘଟିଲା ତାହା ଠାକୁରେ ଜାଣନ୍ତି

 

ବିପ୍ର ଗୋପୀନାଥ ମିଶ୍ର ପୁରାଣ-ପାଠକ,

ସଦାଚାରୀ କ୍ରିୟାନିଷ୍ଠ ଅତି ଭଦ୍ରଲୋକ

ଦେଶୋନ୍ନତି ଗୀତ କିଛି ଗାଅ ମିଶ୍ର ଭାଇ,

ଖୋଜି କୃଷ୍ଣସିଂହ ମହାଭାରତ ଫିଟାଇ

 

ବାଲାଜି ଗନ୍ତାଇତ ତ ମରହଟୀ ଜଣେ,

କେହି ନୁହେଁ ତାଙ୍କ ସରି ନିଷ୍କପଟୀପଣେ

ବୁଢ଼ା ହେଲ ପାରତ୍ରିକ ଚିନ୍ତ ଏବେ ନନା,

ଭାଇ ପୁଅ ଯୋଗ୍ୟ ଯାର ତାର କି ଭାବନା

 

କହିବି ତୁମ୍ଭଙ୍କୁ କିସ ହେ ବୈଦ୍ୟଭୂଷଣ,

ବାହାରକୁ ନିଜ ଗୁଣ କର ପ୍ରସାରଣ

ଶୁଣିଅଛି ତୁମ୍ଭେ ଜଣେ ଟାଣୁଆ ବଇଦ,

ରୋଗ ତଡିଦିଅ ଦେଇ ମାତ୍ରାଏ ଔଷଧ

 

ଚିରସ୍ଥାୟୀ କରିବାକୁ ନାମ ଯଦି ଭାବ,

ଲେଖିଯିବ କେତେ ଖଣ୍ଡ ଔଷଧର ଡାବ

ଶୁଣେ ଖୁବ୍ ବଡ ଲୋକ ପୃଷୋତ୍ତମ ସ୍ୱାଇଁ,

ଧନରେ କି ମନରେ ତା କିଛି ଜାଣେ ନାହିଁ

 

ଗୋପାଳ ପଟ୍ଟନାୟକେ ନାହିଁ କିପାଁ ଦେଖା,

ଚଳୁଅଛି ଟିକ ବାଘ ପୁରାଣର ଲେଖା

ସେ ଖଣ୍ଡକ ଶେଷ କରି ଲେଖ ଆଉ ଖଣ୍ଡେ,

ତୁଚ୍ଛାଟାରେ କେବେ ହେଲେ ନ ବସ ହେ ଦଣ୍ଡେ

 

ବେବର୍ତ୍ତା ପଟ୍ଟନାୟକେ କହେଁ ତୁମ୍ଭ କଥା,

ଦେଶ ବିଷୟରେ କିପାଁ ପୋତିଅଛ ମଥା

ତୁମ୍ଭପରି ଛାନ୍ଦଗୀତ ଅର୍ଥ ସୁକୁଶଳ,

ଗୀତାର୍ଥୀ, ପଣ୍ଡିତ ପ୍ରାୟ ଗଞ୍ଜାମେ ବିରଳ

 

କର କିଛି ନିଜ ଗୁଣ ସ୍ୱଦେଶେ ପ୍ରଚାର,

ପେଟେ ଯାକିଥିଲେ ବିଦ୍ୟା କେଉଁ ଉପକାର ?

ବୁଢ଼ା ହେଲ ତୁମ୍ଭେ ଏବେ ଆଚର ଏ ବିଧି,

ସଟୀକେ ପ୍ରକାଶ କର ପ୍ରେମ-ସୁଧାନିଧି

 

ଅନନ୍ତ ଦାସେ ତ ତାରାମାହାତ୍ମ୍ୟ ଦେଖାଇ,

ହାଲିଆରେ ପଡିଛନ୍ତି ବହୁଦିନୁ ଶୋଇ

ଦ୍ୱିଖଣ୍ଡ ମାହାତ୍ମ୍ୟ ଆଉ ଲେଖ ହେ ପଣ୍ଡିତ,

ଚେଇଁ ପୁଣି ଶୋଇଲେ କେ କରିବ ଜାଗ୍ରତ

 

ପୁଟୁ ଗ୍ରାମେ ଛନ୍ତି ଶ୍ୟାମସୁନ୍ଦର ଗୋସ୍ୱାମୀ,

ନାନା ସମ୍ବାଦ ଲେଖକ ଦେଶ-ହିତକାମୀ

ପାଠାଗାର କଲ ଶ୍ୟାମ ସମ୍ପାଦି ପୁସ୍ତକ,

ନିଅଣ୍ଟ ତ ହେଉ ନାହିଁ ପଢ଼ିବାକୁ ଲୋକ

 

ରୋପିଲ ତ ମରୁଭୂମି ମଧ୍ୟ୍ୟେ ପୁଷ୍ପତରୁ,

ଭ୍ରମରେ ଆସିବେ ଭଲା ବୋଲି କେଉଁଠାରୁ

ବିନାୟକ ପାଠାଗାର ପିତାମହ ନାମେ,

ସ୍ଥାପିବାରୁ ସନ୍ତୁଷ୍ଟ ମୁଁ ନିଶ୍ଚେ ତୁମ୍ଭ କାମେ

 

ଓଳଗି ଓଳଗି ନନା ସାହିତ୍ୟଭୁଷଣ,

ବୁଝିଲ ତ ନାହିଁ ତୁମ୍ଭେ ଭାଷାର କଷଣ

ଶୁଣେ ବେଳେ ବେଳେ ଲେଖ ସଂସ୍କୃତରେ ଏକା

ବାହାରକୁ ନ ବାହାରେ କିପାଁ ସେହି ଲେଖା

 

ସୁପଣ୍ଡିତ ବୋଲି ଖ୍ୟାତି ଅଛି ରାଜଦ୍ୱାରେ,

ତେବେ କିପାଁ କହ, ଅଛ ଏଡେ ସଙ୍କୋଚରେ

କହୁଅଛି କର ଯୋଡି ହେ ମାନ୍ୟ ପଣ୍ଡିତ,

ଖପା ହୁଅ ପଛେ କିନ୍ତୁ କର ଦେଶହିତ

 

ସ୍ୱାର୍ଥଶୂନ୍ୟ ଅଧ୍ୟ୍ୟାପନା କରିଅଛ ବ୍ରତ,

ଏ ହେତୁ ମୁଁ ଧନ୍ୟବାଦ ଦେବି ଶତ ଶତ

 

ଜ୍ୟୋତିର୍ବିଦ୍ୟା-ବିଶାରଦ ହେ ପଟ୍ଟଜ୍ୟୋତିଷ

ବେଳ ଗଲା ଚାହିଁ ବସି ଦେଖୁଅଛ କିସ ?

ସରଳ ଜ୍ୟୋତିଷ ଗ୍ରନ୍ଥ ଦେଶରେ ଅଭାବ,

ତେତକ କର ହେ ଭଲା ତୁମ୍ଭେ ତିରୋଭାବ

ଦୁର୍ଭିକ୍ଷ ତ ରନ୍ଧ୍ରଶନି ହୋଇଲା ଦେଶର,

ସେଥିର କୌଣସି ଯୋଗ୍ୟ ଗ୍ରହପୂଜା କର

 

ଦଣ୍ଡବତ ଲିଙ୍ଗରାଜ ରାଜପୁରୋହିତେ,

ନ ଭାବ ଗୋସାଇଁ କିଛି ଅନ୍ୟ କଥା ଚିତ୍ତେ

ଭୁଲକ୍ରମେ ତୁମ୍ଭ କଥା ଯାଇଥିଲି ଛାଡି,

କ୍ଷମାକର କହୁଅଛି ବେନି କର ଯୋଡି

ବିଦ୍ୟମାନ ତୁମ୍ଭଠାରେ ବ୍ରାହ୍ମଣର ଶକ୍ତି,

ଦେଖିଲା ମାତ୍ରକେ ତେଣୁ ଜାତ ହୁଏ ଭକ୍ତି

 

ଲୋକନାଥ ମିଶ୍ର ଜଣେ ସଂସ୍କୃତ ଶିକ୍ଷିତ,

ପଟ୍ଟଦେବ ଚୌପାଢ଼ୀର ଅଟନ୍ତି ପଣ୍ଡିତ

ମରହଟୀ ରୀତି ଛାଡି ମାର୍ଜିତ ରୀତିରେ,

ଶିକ୍ଷାର ବ୍ୟବସ୍ଥା କର ପ୍ରଚଳନ ଧୀରେ

ନତୁବା କି ଫଳ ତୁଚ୍ଛା ରାମାୟଣ ଗାଇ,

ନ ଜାଣିଲେ ଚାଟେ ସୀତା ଅଣ୍ଡରା କି ମାଈ

 

ଲିଙ୍ଗରାଜ ଶର୍ମା ଏବେ ଲୁଚିଛନ୍ତି କାହିଁ,

ତେର ଦିନ ହେଲା ତାଙ୍କ ସଙ୍ଗେ ଦେଖା ନାହିଁ

ପୂର୍ବେ କେତେ ଲେଖୁଥିଲେ ବପନ ବ୍ୟବସ୍ଥା,

ଏବେ କିପାଁ ଛାଡିଦେଲେ ଲେଖା ପ୍ରତି ଆସ୍ଥା

ମାର ମୂଷା ଖୋଳ ଗିରି କେଡେ ଆଡ଼ମ୍ବର,

ଖୋସିଦେଲେ ଏବେ ସବୁ ପାଠକୁ ଚାଳର

 

ନୀଳକଣ୍ଠ କବିରାଜ ପ୍ରଣାମ ପ୍ରଣାମ,

ଗୈତିକ ପଣ୍ଡିତ ବୋଲି ଖ୍ୟାତ ତୁମ୍ଭ ନାମ

ବୁଢ଼ା ହେଲ ଆସୁଅଛି ସରି ଭବ-ହାଟ,

କାର୍ଯ୍ୟେ ସୁନିର୍ମଳ କର ପାରତ୍ରିକ ବାଟ

ଆଉ କିଛି କାମ ପଛେ ନ କର ଅଧିକା,

କରିଯାଅ କେତେ ଖଣ୍ଡ ଛାନ୍ଦପୋଥି ଟୀକା

 

ହେ ମାଗୁଣି ରାୟଗୁରୁ ଅଟନ୍ତି ଆପଣେ,

ଧର୍ମର ବ୍ୟବସ୍ଥାଦାତା ସୁପଣ୍ଡିତ ଜଣେ

ଅଧିକ ତୁମ୍ଭଙ୍କୁ ଆଉ କହିବି ମୁଁ କିସ,

କରିଯିବ ତୁମ୍ଭ ପରି କେତେ ଜଣ ଶିଷ୍ୟ

 

ରହିଯାଇଥିବେ ପରା ଆଉ କେତେ ଜଣ,

ଜଣାଉଛି ସେମାନଙ୍କୁ ଯଥା ସମ୍ଭାଷଣ

ସେମାନଙ୍କ ପ୍ରସଙ୍ଗ ମୁଁ ନ ପାରିଲି କହି,

ବିଷୟ-ବାହୁଲ୍ୟ ହେଲେ ବଢିଯିବ ବହି

 

ଅନେକ ପ୍ରାଚୀନ ଦୃଶ୍ୟ ଅଛି ଏ ରାଜ୍ୟରେ,

ଯାଉଛି ଦେଖିବି କୃଷ୍ଣକାନନ ମୁଁ ଥରେ

କୃଷ୍ଣସିଂହ ରାଜାଙ୍କର ସ୍ୱହସ୍ତ-ରୋପିତ,

ଏ ହେତୁ କୃଷ୍ଣକାନନ ନାମେ ଅଭିହିତ

 

ଆମ୍ବ, ନାରିକେଳ, ତାଳ, ଖର୍ଜୁର, ବଉଳ,

କଦମ୍ବ, କେତକୀ ଆଦି ପାଦପ ବହୁଳ-

ଅଛି ସେ କାନନେ, ପୁଣି ମଧ୍ୟ୍ୟେ ସ୍ୱଚ୍ଛପୟ,

ଅଛି ଏକ ମନୋହର କ୍ଷୁଦ୍ର ଜଳାଶୟ

 

କାନନ-ସୁନ୍ଦରୀଙ୍କର ଦର୍ପଣ ପରାୟେ,

ସେ ସୂରମ୍ୟ ଜଳାଶୟ ଅତି ଶୋଭାପାଏ

ତହୁଁ ଜଳ ନେଇ ଢ଼ାଳି କୃଷ୍ଣସିଂହ ନୃପ,

ବଢ଼ାଇଣ ଥିଲେ ଏହି କାନନ ପାଦପ

 

ଶିଶିରେ ପ୍ରକୃତି ବେଶ ଯଥା ଦୀନହୀନ,

କାଳବଶେ ସେ କାନନ ହୋଇଅଛି ଜୀର୍ଣ୍ଣ

ବର୍ତ୍ତମାନ ମହାରାଜା ସର୍ବଗୁଣାଧାର,

ଆଶା ଅଛି କରିବେ ସେ କାନନ ସଂସ୍କାର

 

କୃଷ୍ଣସିଂହ କୃତ ମହାଭାରତ ପୁସ୍ତକ,

କରାଉଅଛନ୍ତି ଛାପା ଲଭି ସେ ପୁଲକ

ଜନ୍ମିଛି ଧାରଣା ଏହା ଦେଖି ନିଃସଂଶୟ,

କୁଳକୀର୍ତ୍ତି ରକ୍ଷା ରାୟେ କରିବେ ନିଶ୍ଚୟ

 

ସତୀମଠ ବିରାଜିତ ଋଷିକୂଲ୍ୟା ତଟେ,

ଯାଉଛି ଦେଖିବି ଏବେ ତାହାର ନିକଟେ

ଏଠାରେ ସଜ୍ଜିତ ହେଲା କୃଷ୍ଣସିଂହ ଚିତା,

ସହମୃତା ହେଲେ ତାଙ୍କ ପବିତ୍ରା ବନିତା

 

ସେହି ଦିନଠାରୁ ଚିତା ହୋଇଛି ରକ୍ଷିତ,

ଚିତାକୁଣ୍ଡ ପରେ ହୋଇ ମଣ୍ଡପ ନିର୍ମିତ

ସତୀ-କବି-ଦାହୀ ସେହି ପବିତ୍ର ଅନଳ,

ପାଉଛନ୍ତି ପୂଜା ତହିଁ ଏତାବତ କାଳ

ହୋଇଅଛି ସେ ମଠର ସତୀମଠ ନାମ,

ପୂତଆତ୍ମା ଅଧିଷ୍ଠିତ ସ୍ଥାନ ପୁଣ୍ୟଧାମ

 

ଅନେକ ପ୍ରକାର କୃଷି ହୁଏ ଏହି ରାଜ୍ୟେ,

ଶିଳ୍ପୀଏ ନିପୁଣ କଂସା ଆଦି ଶିଳ୍ପକାର୍ଯ୍ୟେ

ରାଜ୍ୟ ମଧ୍ୟ୍ୟେ ଜଳାଧାର ଅଛି ଠାଏଁ ଠାଏଁ,

ଆବଶ୍ୟକ ବେଳେ ଜଳ ନିଅନ୍ତି ପ୍ରଜାଏ

ଅନ୍ତର୍ବାଣିଜ୍ୟର ଗତି ରାଜ୍ୟରେ ପ୍ରବଳ,

ଅବଶ୍ୟ ଏ ସୁପ୍ରଥାଟି ଅତୀବ ମଙ୍ଗଳ

 

ବର୍ତ୍ତମାନ ନରପତି ଚେଷ୍ଟାଶୀଳ ଅତି,

ଶୀଘ୍ରହସ୍ତେ ସାଧୁ ଛନ୍ତି ରାଜ୍ୟର ଉନ୍ନତି

ପ୍ରଜାହିତବ୍ରତ କରିଅଛନ୍ତି ଧାରଣ,

କରନ୍ତୁ ଈଶ୍ୱର ତାଙ୍କ ବାସନା ପୂରଣ